GEN 1:1 ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ।
GEN 1:2 ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ।
GEN 1:3 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା।
GEN 1:4 ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ।
GEN 1:5 ପୁଣି, ପରମେଶ୍ୱର ଦୀପ୍ତିର ନାମ “ଦିବସ,” ଓ ଅନ୍ଧକାରର ନାମ “ରାତ୍ରି” ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା।
GEN 1:6 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।”
GEN 1:7 ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା।
GEN 1:8 ଆଉ ପରମେଶ୍ୱର ସେହି ଶୂନ୍ୟର ନାମ “ଆକାଶମଣ୍ଡଳ” ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା।
GEN 1:9 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା।
GEN 1:10 ପୁଣି, ପରମେଶ୍ୱର ସ୍ଥଳର ନାମ “ପୃଥିବୀ,” ଓ ଜଳରାଶିର ନାମ “ସମୁଦ୍ର” ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ।
GEN 1:11 ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା।
GEN 1:12 ଅର୍ଥାତ୍‍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ।
GEN 1:13 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।
GEN 1:14 ଏଥିଉତ୍ତାରେ ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ କରିବା ପାଇଁ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ।
GEN 1:15 ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ,” ତହିଁରେ ସେପରି ହେଲା।
GEN 1:16 ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତିଃ, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ।
GEN 1:17 ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ,
GEN 1:18 ଆଉ ଦୀପ୍ତିକୁ ଅନ୍ଧକାରରୁ ପୃଥକ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
GEN 1:19 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା।
GEN 1:20 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ।”
GEN 1:21 ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
GEN 1:22 ପୁଣି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।”
GEN 1:23 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା।
GEN 1:24 ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟ ପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା।
GEN 1:25 ଏହିରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟ ପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେସମସ୍ତ ଉତ୍ତମ ଦେଖିଲେ।
GEN 1:26 ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ।”
GEN 1:27 ଏଥିଉତ୍ତାରେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ।
GEN 1:28 ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ୱର ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି, ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।”
GEN 1:29 ପରମେଶ୍ୱର ଆହୁରି କହିଲେ, “ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ।
GEN 1:30 ପୁଣି, ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ୍‍ ଶାକ ଦେଲୁ,” ତହିଁରେ ସେହିପରି ହେଲା।
GEN 1:31 ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।
GEN 2:1 ଏହିରୂପେ ଆକାଶମଣ୍ଡଳ ଓ ପୃଥିବୀର, ପୁଣି, ସେହି ଦୁଇସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା।
GEN 2:2 ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।
GEN 2:3 ପୁଣି, ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।
GEN 2:4 ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ,
GEN 2:5 ସେହି ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ୱର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା।
GEN 2:6 ପୁଣି, ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା।
GEN 2:7 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
GEN 2:8 ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବଦିଗସ୍ଥ ଏଦନ ନାମକ ସ୍ଥାନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ।
GEN 2:9 ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି, ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍‍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ।
GEN 2:10 ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା।
GEN 2:11 ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ୱର୍ଣ୍ଣୋତ୍ପାଦକ ହବୀଲା ଦେଶସମୂହକୁ ବେଷ୍ଟନ କରେ।
GEN 2:12 ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।
GEN 2:13 ଦ୍ୱିତୀୟ ନଦୀର ନାମ ଗୀହୋନ; ଏହା ସମସ୍ତ କୂଶ ଦେଶ ବେଷ୍ଟନ କରେ।
GEN 2:14 ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ପୂର୍ବ ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ। ଚତୁର୍ଥ ନଦୀର ନାମ ଫରାତ୍‍।
GEN 2:15 ପୁଣି, ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ।
GEN 2:16 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର,
GEN 2:17 ମାତ୍ର, ସଦସତ୍‍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”
GEN 2:18 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।”
GEN 2:19 ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା।
GEN 2:20 ଏହିରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର, ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ।
GEN 2:21 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ।
GEN 2:22 ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ।
GEN 2:23 ତହୁଁ ଆଦମ କହିଲେ, “ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି।”
GEN 2:24 ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।
GEN 2:25 ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା।
GEN 3:1 ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ‘ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?’”
GEN 3:2 ନାରୀ ସର୍ପକୁ କହିଲେ, “ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ;
GEN 3:3 କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ‘ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।’”
GEN 3:4 ସର୍ପ ନାରୀଙ୍କୁ କହିଲା, “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ;
GEN 3:5 ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।”
GEN 3:6 ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି, ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।
GEN 3:7 ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।
GEN 3:8 ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ।
GEN 3:9 ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ?”
GEN 3:10 ସେ ଉତ୍ତର କଲେ, “ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।”
GEN 3:11 ପରମେଶ୍ୱର କହିଲେ, “ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?”
GEN 3:12 ଆଦମ କହିଲେ, “ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।”
GEN 3:13 ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”
GEN 3:14 ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ।
GEN 3:15 ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”
GEN 3:16 ତହୁଁ ସେ ନାରୀଙ୍କୁ କହିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି, ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”
GEN 3:17 ଆଉ ସେ ଆଦମଙ୍କୁ କହିଲେ, “ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
GEN 3:18 ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି, ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ।
GEN 3:19 ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।”
GEN 3:20 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟାର ନାମ ହବା ଦେଲେ, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ।
GEN 3:21 ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।
GEN 3:22 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,”
GEN 3:23 ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ।
GEN 3:24 ଏହିରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି, ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ୍ଗ ସ୍ଥାପନ କଲେ।
GEN 4:1 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।”
GEN 4:2 ଏଥିଉତ୍ତାରେ ସେ ହେବଲ (ଅର୍ଥାତ୍‍ ଅସ୍ଥାୟୀ) ନାମକ ତାହାର ସହୋଦରକୁ ପ୍ରସବ କଲେ। ଏଥର ହେବଲ ମେଷପାଳକ ଓ କୟିନ କୃଷକ ହେଲେ।
GEN 4:3 ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ।
GEN 4:4 ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ।
GEN 4:5 ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ।
GEN 4:6 ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଦୁଃଖିତ ହେଉଅଛ?
GEN 4:7 ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।”
GEN 4:8 ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ।
GEN 4:9 ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କʼଣ ମୋʼ ଭାଇର ରକ୍ଷକ?”
GEN 4:10 ସେ କହିଲେ, “ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି।
GEN 4:11 ଏଥିନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ;
GEN 4:12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”
GEN 4:13 କୟିନ ସଦାପ୍ରଭୁଙ୍କୁ କହିଲେ, “ମୋହର ଦଣ୍ଡ ଅସହ୍ୟ।
GEN 4:14 ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ି ଦେଲ, ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି; ଏହିରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
GEN 4:15 ଆଉ ସଦାପ୍ରଭୁ ତାଙ୍କୁ କହିଲେ, “ଏହେତୁ କେହି କୟିନଙ୍କୁ ବଧ କଲେ, ତାହାର ସାତ ଗୁଣ ଦଣ୍ଡ ହେବ।” ପୁଣି, କେହି ତାଙ୍କୁ ଦେଖି ଯେପରି ବଧ ନ କରଇ, ଏଥିପାଇଁ ସଦାପ୍ରଭୁ କୟିନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ।
GEN 4:16 ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।
GEN 4:17 ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ।
GEN 4:18 ସେହି ହନୋକର ପୁତ୍ର ଈରଦ ଓ ଈରଦର ପୁତ୍ର ମହୁୟାୟେଲ ଓ ମହୁୟାୟେଲର ପୁତ୍ର ମଥୁଶାୟେଲ ଓ ମଥୁଶାୟେଲର ପୁତ୍ର ଲେମକ।
GEN 4:19 ଏହି ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ସିଲ୍ଲା ଥିଲା।
GEN 4:20 ଆଦାର ଗର୍ଭରେ ଜାବଳ ଜନ୍ମିଲା, ସେ ତମ୍ବୁନିବାସୀ ପଶୁପାଳକମାନଙ୍କର ଆଦିପୁରୁଷ ଥିଲା।
GEN 4:21 ତାହାର ଭାଇର ନାମ ଯୁବଳ, ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା।
GEN 4:22 ସିଲ୍ଲାର ଗର୍ଭରେ ତୁବଲ୍‍-କୟିନ ଜନ୍ମିଲା, ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା; ତୁବଲ୍‍-କୟିନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା।
GEN 4:23 ଏଥିଉତ୍ତାରେ ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, “ଆଗୋ ଆଦା ଓ ସିଲ୍ଲା, ମୋʼ କଥା ଶୁଣ; ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋʼ ବାକ୍ୟରେ କର୍ଣ୍ଣପାତ କର; ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି;
GEN 4:24 ଯଦି କୟିନର ବଧର ପ୍ରତିଫଳ ସାତ ଗୁଣ ହୁଏ, ତେବେ ଲେମକର ପ୍ରତିଫଳ ସତସ୍ତରି ଗୁଣ ନିଶ୍ଚୟ ହେବ।”
GEN 4:25 ଏଥିଉତ୍ତାରେ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତେ, ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ଶେଥ (ଅର୍ଥାତ୍‍ ପ୍ରତିନିଧି) ଦେଲେ; ଯେହେତୁ ସେ କହିଲେ, “ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କୟିନ ତାକୁ ବଧ କରିଥିଲା।”
GEN 4:26 ତହୁଁ ଶେଥର ମଧ୍ୟ ଏକ ପୁତ୍ର ଜନ୍ମିଲା; ଆଉ ସେ ତାହାର ନାମ ଈନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ।
GEN 5:1 ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;
GEN 5:2 ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।
GEN 5:3 ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ।
GEN 5:4 ଶେଥର ଜନ୍ମ ଉତ୍ତାରେ ଆଦମ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ।
GEN 5:5 ଆଦମଙ୍କର ବୟସ ସର୍ବସୁଦ୍ଧା ନଅ ଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।
GEN 5:6 ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା;
GEN 5:7 ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠ ଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା।
GEN 5:8 ଶେଥର ବୟସ ସର୍ବସୁଦ୍ଧା ନଅ ଶହ ବାର ବର୍ଷ ଥିଲା; ତହୁଁ ସେ ମଲା।
GEN 5:9 ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା;
GEN 5:10 ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠ ଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
GEN 5:11 ଈନୋଶର ବୟସ ସର୍ବସୁଦ୍ଧା ନଅ ଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା।
GEN 5:12 କୟିନାନ ସତୁରି ବର୍ଷ ବୟସରେ ମହଲଲେଲକୁ ଜାତ କଲା;
GEN 5:13 ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠ ଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା;
GEN 5:14 ଆଉ କୟିନାନର ବୟସ ସର୍ବସୁଦ୍ଧା ନଅ ଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା।
GEN 5:15 ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା;
GEN 5:16 ଯେରଦ ଜନ୍ମିଲା ଉତ୍ତାରେ ସେ ଆଠ ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
GEN 5:17 ମହଲଲେଲର ବୟସ ସର୍ବସୁଦ୍ଧା ଆଠ ଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।
GEN 5:18 ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା;
GEN 5:19 ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
GEN 5:20 ଯେରଦର ବୟସ ସର୍ବସୁଦ୍ଧା ନଅ ଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।
GEN 5:21 ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ;
GEN 5:22 ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନି ଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ପୁଣି, ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
GEN 5:23 ହନୋକଙ୍କର ବୟସ ସର୍ବସୁଦ୍ଧା ତିନି ଶହ ପଞ୍ଚଷଠି ବର୍ଷ ଥିଲା;
GEN 5:24 ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।
GEN 5:25 ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା;
GEN 5:26 ଲେମକର ଜନ୍ମ ଉତ୍ତାରେ ମଥୂଶେଲହ ସାତ ଶହ ବୟାଅଶୀ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
GEN 5:27 ମଥୂଶେଲହର ବୟସ ସର୍ବସୁଦ୍ଧା ନଅ ଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା।
GEN 5:28 ଲେମକ ଶହେ ବୟାଅଶୀ ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ (ସାନ୍ତ୍ୱନା) ଦେଲେ,
GEN 5:29 ଯେହେତୁ ସେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।”
GEN 5:30 ନୋହଙ୍କର ଜନ୍ମ ଉତ୍ତାରେ ଲେମକ ପାଞ୍ଚ ଶହ ପଞ୍ଚାନବେ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
GEN 5:31 ତାଙ୍କର ବୟସ ସର୍ବସୁଦ୍ଧା ସାତ ଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ।
GEN 5:32 ଆଉ ନୋହଙ୍କୁ ପାଞ୍ଚ ଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍‍କୁ ଜାତ କଲେ।
GEN 6:1 ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;
GEN 6:2 ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ।
GEN 6:3 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଥଗମନରେ ସେମାନେ ମାଂସ ମାତ୍ର; ଏଥିନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।”
GEN 6:4 ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।
GEN 6:5 ଏଥିଉତ୍ତାରେ ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର।
GEN 6:6 ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ସକାଶୁ ଅନୁତାପ କରି ମନରେ ଶୋକ କଲେ।
GEN 6:7 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।”
GEN 6:8 ମାତ୍ର, ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଲେ।
GEN 6:9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।
GEN 6:10 ନୋହ, ଶେମ ଓ ହାମ ଓ ଯେଫତ୍‍, ଏହି ତିନି ପୁତ୍ରଙ୍କୁ ଜାତ କଲେ।
GEN 6:11 ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା।
GEN 6:12 ପୁଣି, ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି।
GEN 6:13 ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।
GEN 6:14 ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।
GEN 6:15 ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନି ଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ।
GEN 6:16 ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ; ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ।
GEN 6:17 ପୁଣି, ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ।
GEN 6:18 ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
GEN 6:19 ପୁଣି, ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।
GEN 6:20 ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ।
GEN 6:21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।”
GEN 6:22 ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।
GEN 7:1 ଏଥିଉତ୍ତାରେ ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ।
GEN 7:2 ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି;
GEN 7:3 ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ।
GEN 7:4 ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀକୁ ଲୁପ୍ତ କରିବା।”
GEN 7:5 ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ।
GEN 7:6 ନୋହଙ୍କର ଛଅ ଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା।
GEN 7:7 ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ।
GEN 7:8 ପୁଣି, ନୋହଙ୍କ ପ୍ରତି ପରମେଶ୍ୱରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ
GEN 7:9 ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
GEN 7:10 ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା।
GEN 7:11 ନୋହଙ୍କର ବୟସର ଛଅ ଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାରସବୁ ମୁକ୍ତ ହେଲା।
GEN 7:12 ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା।
GEN 7:13 ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ।
GEN 7:14 ପୁଣି, ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ;
GEN 7:15 ଅର୍ଥାତ୍‍, ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ।
GEN 7:16 ପରମେଶ୍ୱରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱ-ଦ୍ୱାର ବନ୍ଦ କଲେ।
GEN 7:17 ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା।
GEN 7:18 ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା।
GEN 7:19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା।
GEN 7:20 ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ।
GEN 7:21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ,
GEN 7:22 ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ।
GEN 7:23 ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍‍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ।
GEN 7:24 ଏହିରୂପେ ପୃଥିବୀ ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା।
GEN 8:1 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କୁ ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା;
GEN 8:2 ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାରସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା।
GEN 8:3 ତହିଁରେ ପୃଥିବୀରୁ ଜଳ ବହିଯାଇ ଏକ ଶହ ପଚାଶ ଦିନର ଶେଷରେ ହ୍ରାସ ହେଲା।
GEN 8:4 ଏଥିଉତ୍ତାରେ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା।
GEN 8:5 ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।
GEN 8:6 ଏଥିଉତ୍ତାରେ ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟିଏ ଡାମରା କାଉକୁ ଉଡ଼ାଇ ଦେଲେ;
GEN 8:7 ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା।
GEN 8:8 ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ;
GEN 8:9 ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ।
GEN 8:10 ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ;
GEN 8:11 ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ଜାଣିଲେ।
GEN 8:12 ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ।
GEN 8:13 (ନୋହଙ୍କ ବୟସର) ଛଅ ଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକୁ ଶୁଷ୍କ ଦେଖିଲେ।
GEN 8:14 ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା।
GEN 8:15 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ କହିଲେ,
GEN 8:16 “ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇଯାଅ।
GEN 8:17 ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନିଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ।”
GEN 8:18 ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ;
GEN 8:19 ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ।
GEN 8:20 ଏଥିଉତ୍ତାରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ।
GEN 8:21 ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ।
GEN 8:22 ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତକାଳ, ଆଉ ଦିବସ ଓ ରାତ୍ରି, ଏହିସବୁର ନିବୃତ୍ତି ହେବ ନାହିଁ।”
GEN 9:1 ଏଥିଉତ୍ତାରେ ପରମେଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, “ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକୁ ପରିପୂର୍ଣ୍ଣ କର।
GEN 9:2 ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରୋଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ, ସମସ୍ତେ ତୁମ୍ଭମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ; ସେହି ସମସ୍ତ ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି।
GEN 9:3 ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମ୍ଭମାନଙ୍କର ଖାଦ୍ୟ ହେବ, ଆମ୍ଭେ ହରିତ୍‍ ଶାକ ପରି ଏହି ସମସ୍ତ ତୁମ୍ଭମାନଙ୍କୁ ଦେଲୁ।
GEN 9:4 ମାତ୍ର ତୁମ୍ଭେମାନେ ସପ୍ରାଣ (ଅର୍ଥାତ୍‍) ସରକ୍ତ ମାଂସ ଖାଇବ ନାହିଁ।
GEN 9:5 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।
GEN 9:6 ଯେକେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି।
GEN 9:7 ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ଆଉ ପୃଥିବୀକୁ ପରିପୂର୍ଣ୍ଣ କରି ବର୍ଦ୍ଧିଷ୍ଣୁ ହୁଅ।”
GEN 9:8 ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କର ସଙ୍ଗୀ ପୁତ୍ରମାନଙ୍କୁ କହିଲେ,
GEN 9:9 “ଦେଖ, ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ଭବିଷ୍ୟତ ବଂଶ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ଜୀବଜନ୍ତୁ ସହିତ,
GEN 9:10 ଅର୍ଥାତ୍‍, ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟ ପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରୁଅଛୁ।
GEN 9:11 ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଳାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ; ପୁଣି, ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଳାବନ ହେବ ନାହିଁ।”
GEN 9:12 ପୁନଶ୍ଚ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ଯେଉଁ ନିୟମ ସ୍ଥିର କଲୁ, ତହିଁର ଚିହ୍ନ ଏହି;
GEN 9:13 ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ।
GEN 9:14 ଯେତେବେଳେ ଆମ୍ଭେ ପୃଥିବୀ ଉପରେ ମେଘ ସଞ୍ଚାର କରିବା, ସେତେବେଳେ ସେହି ଧନୁ ମେଘରେ ଦେଖାଯିବ;
GEN 9:15 ତହିଁରେ ତୁମ୍ଭମାନଙ୍କ ସହିତ ଓ ମାଂସବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମ୍ଭର ଯେଉଁ ନିୟମ ଅଛି, ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଳାବନ ଆଉ ହେବ ନାହିଁ।
GEN 9:16 ପୁଣି, ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା, ତହିଁରେ ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ଆମ୍ଭେ ସ୍ମରଣ କରିବା।”
GEN 9:17 ପରମେଶ୍ୱର ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ, ତହିଁର ଏହି ଚିହ୍ନ ହେବ।”
GEN 9:18 ନୋହଙ୍କର ଯେଉଁ ପୁତ୍ରମାନେ ଜାହାଜରୁ ବହିର୍ଗତ ହେଲେ, ସେମାନଙ୍କ ନାମ ଶେମ ଓ ହାମ ଓ ଯେଫତ୍‍; ହାମ କିଣାନର ପିତା।
GEN 9:19 ଏହି ତିନି ଜଣ ନୋହଙ୍କର ପୁତ୍ର; ଏମାନଙ୍କ ବଂଶସବୁ ପୃଥିବୀରେ ବ୍ୟାପ୍ତ ହେଲା।
GEN 9:20 ଏଥିଉତ୍ତାରେ ନୋହ କୃଷି କର୍ମରେ ପ୍ରବୃତ୍ତ ହୋଇ ଦ୍ରାକ୍ଷାକ୍ଷେତ୍ର କଲେ।
GEN 9:21 ତହିଁରେ ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତମ୍ବୁ ମଧ୍ୟରେ ବିବସ୍ତ୍ର ହୋଇ ପଡ଼ିଲେ।
GEN 9:22 ଏପରି ସମୟରେ କିଣାନର ପିତା ହାମ ଆପଣା ପିତାଙ୍କର ଉଲଙ୍ଗତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଚାର ଦେଲା।
GEN 9:23 ସେତେବେଳେ ଶେମ ଓ ଯେଫତ୍‍ ସ୍କନ୍ଧରେ ବସ୍ତ୍ର ଘେନି ପଶ୍ଚାଦ୍‍ଗତି କରି ଆପଣାମାନଙ୍କ ପିତାଙ୍କର ଉଲଙ୍ଗତା ଆଚ୍ଛାଦନ କଲେ; ସେମାନେ ପଛଆଡ଼କୁ ମୁଖ ରଖି ଯିବାରୁ ପିତାଙ୍କର ଉଲଙ୍ଗତା ଦେଖିଲେ ନାହିଁ।
GEN 9:24 ଏଉତ୍ତାରୁ ନୋହ ଦ୍ରାକ୍ଷାରସର ନିଦ୍ରାରୁ ଜାଗ୍ରତ ହୋଇ ଆପଣା ପ୍ରତି କନିଷ୍ଠ ପୁତ୍ରର ଆଚରଣ ଜ୍ଞାତ ହେଲେ।
GEN 9:25 ପୁଣି, ସେ କହିଲେ, “କିଣାନ ଶାପଗ୍ରସ୍ତ ହେଉ; ସେ ଆପଣା ଭ୍ରାତୃଗଣର ଦାସାନୁଦାସ ହେବ।”
GEN 9:26 ଆଉ ସେ କହିଲେ, “ଶେମର ପରମେଶ୍ୱର ସଦାପ୍ରଭୁ ଧନ୍ୟ ହେଉନ୍ତୁ; କିଣାନ ଶେମର ଦାସ ହେଉ।
GEN 9:27 ପରମେଶ୍ୱର ଯେଫତ୍‍କୁ ବର୍ଦ୍ଧିଷ୍ଣୁ କରନ୍ତୁ; ପୁଣି, ସେ ଶେମର ତମ୍ବୁରେ ବାସ କରୁ; ଆଉ କିଣାନ ତାହାର ଦାସ ହେଉ।”
GEN 9:28 ଜଳପ୍ଳାବନ ଉତ୍ତାରେ ନୋହ ଆଉ ତିନି ଶହ ପଚାଶ ବର୍ଷ ବଞ୍ଚିଲେ।
GEN 9:29 ପୁଣି, ନୋହଙ୍କର ବୟସ ସର୍ବସୁଦ୍ଧା ନଅ ଶହ ପଚାଶ ବର୍ଷ ଥିଲା; ତହୁଁ ସେ ମଲେ।
GEN 10:1 ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
GEN 10:2 ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍, ଏମାନେ ଯେଫତ୍‍ର ସନ୍ତାନ।
GEN 10:3 ଅସ୍କିନସ୍‍ ଓ ରୀଫତ୍‍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
GEN 10:4 ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
GEN 10:5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
GEN 10:6 କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।
GEN 10:7 ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ।
GEN 10:8 ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
GEN 10:9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ।”
GEN 10:10 ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍‍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
GEN 10:11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍-ପୁରୀ ଓ କେଲହ,
GEN 10:12 ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର।
GEN 10:13 ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
GEN 10:14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
GEN 10:15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
GEN 10:16 ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
GEN 10:17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ
GEN 10:18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
GEN 10:19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
GEN 10:20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
GEN 10:21 ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
GEN 10:22 ଶେମର ଏହିସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍‍ ଓ ଅରାମ।
GEN 10:23 ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍।
GEN 10:24 ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
GEN 10:25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍।
GEN 10:26 ପୁଣି, ଯକ୍ତନ୍‍ର ପୁତ୍ର ଅଲ୍‍ମୋଦଦ ଓ ଶେଲଫ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ
GEN 10:27 ଓ ହଦୋରାମ ଓ ଊଷଲ ଓ ଦିକ୍ଲା
GEN 10:28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା
GEN 10:29 ଓ ଓଫୀର ଓ ହବୀଲା ଓ ଯୋବବ୍‍, ଏହି ସମସ୍ତ ଯକ୍ତନ୍‍ର ସନ୍ତାନ।
GEN 10:30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
GEN 10:31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
GEN 10:32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
GEN 11:1 ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକରୂପ ଉଚ୍ଚାରଣ ଥିଲା।
GEN 11:2 ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ।
GEN 11:3 ଏଥିଉତ୍ତାରେ ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା।
GEN 11:4 ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ।”
GEN 11:5 ଏଥିଉତ୍ତାରେ ମନୁଷ୍ୟ-ସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ।
GEN 11:6 ପୁଣି, ସଦାପ୍ରଭୁ କହିଲେ, “ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ।
GEN 11:7 ଏଥିପାଇଁ ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେହି ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ।”
GEN 11:8 ଏହିରୂପେ ସଦାପ୍ରଭୁ ସେହି ସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ।
GEN 11:9 ସେଥିପାଇଁ ସେହି ନଗରର ନାମ ବାବିଲ (ଭେଦ) ହେଲା; ଯେହେତୁ ସଦାପ୍ରଭୁ ସେହି ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି, ସେହି ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ।
GEN 11:10 ଶେମର ବଂଶାବଳୀ ଏହି। ଜଳପ୍ଳାବନର ଦୁଇ ବର୍ଷ ଉତ୍ତାରେ ଶେମ ଶହେ ବର୍ଷ ବୟସରେ ଅର୍ଫକ୍ଷଦକୁ ଜାତ କଲା।
GEN 11:11 ଅର୍ଫକ୍ଷଦ ଜନ୍ମିଲା ଉତ୍ତାରେ ଶେମ ପାଞ୍ଚ ଶହ ବର୍ଷ ବଞ୍ଚି ଆଉ ସନ୍ତାନସନ୍ତତି ଜାତ କଲା।
GEN 11:12 ପୁଣି, ଅର୍ଫକ୍ଷଦ ପଞ୍ଚତିରିଶ ବର୍ଷ ବୟସରେ ଶେଲହକୁ ଜାତ କଲା।
GEN 11:13 ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରି ଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା।
GEN 11:14 ପୁଣି, ଶେଲହ ତିରିଶ ବର୍ଷ ବୟସରେ ଏବରକୁ ଜାତ କଲା।
GEN 11:15 ଏବରର ଜନ୍ମ ଉତ୍ତାରେ ଶେଲହ ଚାରି ଶହ ତିନି ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା।
GEN 11:16 ପୁଣି, ଏବର ଚୌତ୍ରିଶ ବର୍ଷ ବୟସରେ ପେଲଗ୍‌କୁ ଜାତ କଲା।
GEN 11:17 ପେଲଗ୍‌ର ଜନ୍ମ ଉତ୍ତାରେ ଏବର ଚାରି ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା।
GEN 11:18 ପେଲଗ୍‍ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା।
GEN 11:19 ରୀୟୂର ଜନ୍ମ ଉତ୍ତାରେ ପେଲଗ୍‍ ଦୁଇ ଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
GEN 11:20 ରୀୟୂ ବତିଶ ବର୍ଷ ବୟସରେ ସରୁଗକୁ ଜାତ କଲା।
GEN 11:21 ସରୁଗର ଜନ୍ମ ଉତ୍ତାରେ ରୀୟୂ ଦୁଇ ଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
GEN 11:22 ପୁଣି, ସରୁଗ ତିରିଶ ବର୍ଷ ବୟସରେ ନାହୋରକୁ ଜାତ କଲା।
GEN 11:23 ନାହୋରର ଜନ୍ମ ଉତ୍ତାରେ ସରୁଗ ଦୁଇ ଶହ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
GEN 11:24 ପୁଣି, ନାହୋର ଅଣତିରିଶ ବର୍ଷ ବୟସରେ ତେରହକୁ ଜାତ କଲା।
GEN 11:25 ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣେଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
GEN 11:26 ପୁଣି, ତେରହକୁ ସତୁରି ବର୍ଷ ବୟସ ହେଲା। ସେ ଅବ୍ରାମ ଓ ନାହୋର ଓ ହାରଣ, ଏମାନଙ୍କୁ ଜାତ କଲା।
GEN 11:27 ତେରହର ବଂଶାବଳୀ। ତେରହ ଅବ୍ରାମ ଓ ନାହୋର ଓ ହାରଣକୁ ଜାତ କଲା। ପୁଣି, ସେହି ହାରଣ ଲୋଟକୁ ଜାତ କଲା;
GEN 11:28 ମାତ୍ର ହାରଣ ଆପଣା ପିତା ତେରହର ସାକ୍ଷାତରେ କଲ୍‍ଦୀୟମାନଙ୍କ ଊର ନାମକ ଆପଣା ଜନ୍ମ ଦେଶରେ ମଲା।
GEN 11:29 ଏଥିଉତ୍ତାରେ ଅବ୍ରାମ ଓ ନାହୋର ବିବାହ କଲେ; ଅବ୍ରାମଙ୍କ ଭାର୍ଯ୍ୟାଙ୍କର ନାମ ସାରୀ ଓ ନାହୋରର ଭାର୍ଯ୍ୟାର ନାମ ମିଲ୍କା, ସେ ହାରଣର କନ୍ୟା ଥିଲା; ସେହି ହାରଣ ମିଲ୍କା ଓ ଯିସ୍କାର ପିତା।
GEN 11:30 ସେହି ସାରୀ ବନ୍ଧ୍ୟା ଥିଲେ, ତାଙ୍କର କୌଣସି ସନ୍ତାନ ନ ଥିଲା।
GEN 11:31 ଏଥିଉତ୍ତାରେ ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି, ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂଙ୍କୁ ସଙ୍ଗରେ ନେଲେ; ଆଉ ସେମାନେ ସମସ୍ତେ କଲ୍‍ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ।
GEN 11:32 ପୁଣି, ତେରହ ହାରଣ ନଗରରେ ଥାଇ ଦୁଇ ଶହ ପାଞ୍ଚ ବର୍ଷ ବୟସରେ ମଲା।
GEN 12:1 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ।
GEN 12:2 ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।
GEN 12:3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”
GEN 12:4 ଏଥିଉତ୍ତାରେ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି, ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।
GEN 12:5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ପ୍ରାପ୍ତ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।
GEN 12:6 ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ପହଞ୍ଚିଲେ। ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ।
GEN 12:7 ଏଥିଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା;” ଏଥିନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ।
GEN 12:8 ଏଥିଉତ୍ତାରେ ସେ ସେହି ସ୍ଥାନ ଛାଡ଼ି ବେଥେଲ୍‍ର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ; ତହିଁର ପଶ୍ଚିମରେ ବେଥେଲ୍‍ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
GEN 12:9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।
GEN 12:10 ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା।
GEN 12:11 ଏଥିଉତ୍ତାରେ ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, “ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ।
GEN 12:12 ଏଥିପାଇଁ ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ।
GEN 12:13 ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ସକାଶୁ ମୋʼ ପ୍ରାଣ ରକ୍ଷା ପାଇବ।”
GEN 12:14 ଏଥିଉତ୍ତାରେ ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମସୁନ୍ଦରୀ ଦେଖିଲେ।
GEN 12:15 ପୁଣି, ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ।
GEN 12:16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
GEN 12:17 ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ସକାଶୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ମହାମାରୀ ଘଟାଇଲେ।
GEN 12:18 ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ?
GEN 12:19 ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏ କଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ।”
GEN 12:20 ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ୱ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ।
GEN 13:1 ଏଥିଉତ୍ତାରେ ଅବ୍ରାମ ଆପଣାର ଭାର୍ଯ୍ୟା ଓ ସବୁ ସମ୍ପତ୍ତି ଘେନି ଲୋଟ ସହିତ ମିସର ଦେଶରୁ ବାହାରି ଦକ୍ଷିଣାଞ୍ଚଳକୁ ଯାତ୍ରା କଲେ।
GEN 13:2 ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ ଥିଲେ।
GEN 13:3 ପୁଣି, ସେ ପୂର୍ବଯାତ୍ରାନୁସାରେ ଦକ୍ଷିଣରୁ ବେଥେଲ୍‍ ଆଡ଼କୁ ଯାଉ ଯାଉ ବେଥେଲ୍‍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପିତ ହୋଇଥିଲା,
GEN 13:4 ସେହି ସ୍ଥାନରେ ଉପସ୍ଥିତ ହୋଇ ଆପଣା ପୂର୍ବନିର୍ମିତ ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
GEN 13:5 ପୁଣି, ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା।
GEN 13:6 ଏଥିନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ।
GEN 13:7 ପୁଣି, ଅବ୍ରାମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକମାନଙ୍କର ପରସ୍ପର ବିରୋଧ ହେଲା। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପରିଷୀୟ ଲୋକମାନେ ବାସ କରୁଥିଲେ।
GEN 13:8 ଏଣୁ ଅବ୍ରାମ ଲୋଟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ, ପୁଣି, ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ଭାଇ।
GEN 13:9 ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ? ଏହେତୁ ତୁମ୍ଭକୁ ବିନୟ କରୁଅଛି, ତୁମ୍ଭେ ମୋʼ ଠାରୁ ପୃଥକ ହୁଅ; ହୁଏତ, ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି।”
GEN 13:10 ସେତେବେଳେ ଲୋଟ ଅନାଇ ଦେଖିଲେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିସର ଦେଶ ତୁଲ୍ୟ ଅଟଇ; କାରଣ ସେହି ସମୟରେ ସଦୋମ ଓ ହମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇ ନ ଥିଲା।
GEN 13:11 ଏଥିପାଇଁ ଲୋଟ ଆପଣା ନିମନ୍ତେ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ; ଏହିରୂପେ ସେମାନେ ଏକଆରେକଠାରୁ ପୃଥକ ହେଲେ।
GEN 13:12 ତହିଁରେ ଅବ୍ରାମ କିଣାନ ଦେଶରେ ବସତି କଲେ, ପୁଣି, ଲୋଟ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗର ମଧ୍ୟରେ ବାସ କରି ସଦୋମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିବାକୁ ଲାଗିଲେ।
GEN 13:13 ସେହି ସଦୋମର ଲୋକମାନେ ମହା ଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ।
GEN 13:14 ଏଥିଉତ୍ତାରେ ଅବ୍ରାମଙ୍କଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଏବେ ତୁମ୍ଭେ ଯେଉଁଠାରେ ଅଛ; ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର;
GEN 13:15 କାରଣ, ଏହି ଯେଉଁ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା।
GEN 13:16 ପୁଣି, ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶ ବୃଦ୍ଧି କରିବା; କେହି ଯଦି ପୃଥିବୀସ୍ଥ ଧୂଳି ଗଣି ପାରଇ, ତେବେ ତୁମ୍ଭର ବଂଶ ଗଣ୍ୟ ହେବ।
GEN 13:17 ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା।”
GEN 13:18 ସେତେବେଳେ ଅବ୍ରାମ ତମ୍ବୁ ତୋଳି ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନ ବୃକ୍ଷ ମୂଳେ ଯାଇ ବାସ କଲେ, ପୁଣି, ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ।
GEN 14:1 ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍‍ ରାଜା ଓ ଇଲ୍ଲାସରର ଅରୀୟୋକ୍‍ ରାଜା ଓ ଏଲମ୍‍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ,
GEN 14:2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍‍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍‍, ସୋୟରର ରାଜା ସହିତ ଯୁଦ୍ଧ କଲେ।
GEN 14:3 ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍‍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ।
GEN 14:4 ଯେହେତୁ ସେମାନେ ବାର ବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହୀ ହୋଇଥିଲେ,
GEN 14:5 ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜାଗଣ ଆସି ଅସ୍ତରୋତ୍‍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବୀ କିରୀୟାଥୟିମ୍‍ରେ ଏମୀୟ ଲୋକମାନଙ୍କୁ,
GEN 14:6 ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।
GEN 14:7 ପୁଣି, ସେମାନେ ସେହି ସ୍ଥାନରୁ ବାହୁଡ଼ି ଐଣ୍‍ମିସ୍‍ପଟ୍‍, ଅର୍ଥାତ୍‍, କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍‍-ସସୋନ୍‍-ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।
GEN 14:8 ଏହେତୁ ସଦୋମର ରାଜା ଓ ହମୋରାର ରାଜା ଓ ଅଦ୍ମାର ରାଜା ଓ ସବୋୟୀମର ରାଜା ଓ ବିଲାର, ଅର୍ଥାତ୍‍, ସୋୟରର ରାଜା, ଏହି ପାଞ୍ଚ ରାଜା ମିଳିତ ହୋଇ,
GEN 14:9 ଏଲମ୍‍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍‍ ରାଜା ଓ ଇଲ୍ଲାସରର ଅରୀୟୋକ୍‍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ।
GEN 14:10 ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଖାତ ଥିଲା; ସଦୋମ ଓ ହମୋରାର ରାଜାଗଣ ପଳାଇ ଯାଉ ଯାଉ ତହିଁ ମଧ୍ୟରେ ପଡ଼ିଲେ, ପୁଣି, ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନେ ପର୍ବତକୁ ପଳାଇଗଲେ।
GEN 14:11 ଏଥିନିମନ୍ତେ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଓ ଭକ୍ଷ୍ୟଦ୍ରବ୍ୟ ଲୁଟି ନେଇ ପ୍ରସ୍ଥାନ କଲେ।
GEN 14:12 ପୁଣି, ଅବ୍ରାମଙ୍କର ପୁତୁରା ସଦୋମନିବାସୀ ଲୋଟଙ୍କୁ ଓ ତାଙ୍କର ସମସ୍ତ ସମ୍ପତ୍ତି ନେଇ ଚାଲିଗଲେ।
GEN 14:13 ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଚାର ଦେଲା; ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେର୍‍ର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷ ମୂଳେ ବାସ କରୁଥିଲେ, ପୁଣି, ସେମାନେ ଅବ୍ରାମଙ୍କର ସହାୟ ଥିଲେ।
GEN 14:14 ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ।
GEN 14:15 ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ।
GEN 14:16 ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ।
GEN 14:17 ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍‍, ରାଜାର ପଦାକୁ ଗମନ କଲେ।
GEN 14:18 ପୁଣି, ଶାଲେମ୍‍ର ରାଜା ମଲ୍‍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ;
GEN 14:19 ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ;
GEN 14:20 ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।
GEN 14:21 ଏଥିଉତ୍ତାରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ।”
GEN 14:22 ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,
GEN 14:23 ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ; ପଛେ ଅବା ତୁମ୍ଭେ କହିବ, ‘ଆମ୍ଭେ ଅବ୍ରାମଙ୍କୁ ଧନବାନ କରିଅଛୁ।’
GEN 14:24 କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି, ତାହା ନେବି, ପୁଣି, ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ, ସେମାନେ, ଅର୍ଥାତ୍‍, ଆନେର୍‍ ଓ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।”
GEN 15:1 ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, “ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ।”
GEN 15:2 ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କʼଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ।”
GEN 15:3 ପୁଣି, ଅବ୍ରାମ କହିଲେ, “ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।”
GEN 15:4 ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”
GEN 15:5 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ବାହାରକୁ ଆଣି କହିଲେ, “ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯଦି ତାରାସମୂହ ଗଣିପାର, ତେବେ ଗଣି କୁହ।” ସେ ଆହୁରି କହିଲେ, “ଏହି ପ୍ରକାର ତୁମ୍ଭର ବଂଶ ହେବ।”
GEN 15:6 ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।
GEN 15:7 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍‍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।”
GEN 15:8 ତହୁଁ ଅବ୍ରାମ କହିଲେ, “ହେ ପ୍ରଭୋ ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?”
GEN 15:9 ସଦାପ୍ରଭୁ କହିଲେ, “ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ।”
GEN 15:10 ତହିଁରେ ଅବ୍ରାମ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ଡ କରି ଖଣ୍ଡକ ଆଗରେ ଅନ୍ୟ ଖଣ୍ଡ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ।
GEN 15:11 ଏଥିଉତ୍ତାରେ ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ।
GEN 15:12 ପୁଣି, ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ।
GEN 15:13 ସେତେବେଳେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ସନ୍ତାନଗଣ ଚାରି ଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ;
GEN 15:14 ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ।
GEN 15:15 ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ।
GEN 15:16 ପୁଣି, ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
GEN 15:17 ଆଉ ଯେବେ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲି ଓ ପ୍ରଜ୍ୱଳିତ ଦିହୁଡ଼ି ସେହି ଦୁଇ ଖଣ୍ଡ ଶ୍ରେଣୀର ମଧ୍ୟଦେଇ ଚାଲିଗଲା।
GEN 15:18 ପୁଣି, ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, “ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ୍‍ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
GEN 15:19 ଅର୍ଥାତ୍‍, କେନୀୟ, କନଜୀୟ, କଦ୍‍ମୋନୀୟ,
GEN 15:20 ହିତ୍ତୀୟ, ପରିଷୀୟ, ରଫାୟୀୟ,
GEN 15:21 ଇମୋରୀୟ, କିଣାନୀୟ, ଗିର୍ଗାଶୀୟ ଓ ଯିବୂଷୀୟମାନଙ୍କର ଦେଶ ଦେଲୁ।”
GEN 16:1 ଅବ୍ରାମଙ୍କର ଭାର୍ଯ୍ୟା ସାରୀ ନିଃସନ୍ତାନା ଥିଲେ, ପୁଣି, ହାଗାର ନାମ୍ନୀ ତାଙ୍କର ଏକ ମିସରୀୟା ଦାସୀ ଥିଲା।
GEN 16:2 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି।” ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।
GEN 16:3 ଅବ୍ରାମ କିଣାନ ଦେଶରେ ଦଶ ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରୀ ଆପଣା ମିସରୀୟା ଦାସୀ ହାଗାରକୁ ନେଇ ଆପଣା ସ୍ୱାମୀ ଅବ୍ରାମ ସହିତ ବିବାହ ଦେଲେ।
GEN 16:4 ଏଥିଉତ୍ତାରେ ଅବ୍ରାମ ହାଗାରର ସହବାସ କରନ୍ତେ, ସେ ଗର୍ଭବତୀ ହେଲା; ପୁଣି, ଆପଣାର ଗର୍ଭ ହୋଇଅଛି, ଏହା ଜାଣି ସେ ନିଜ ସାଆନ୍ତାଣୀଙ୍କୁ ତୁଚ୍ଛଜ୍ଞାନ କରିବାକୁ ଲାଗିଲା।
GEN 16:5 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକୁ ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।”
GEN 16:6 ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, “ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତାʼ ପ୍ରତି କର।” ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା।
GEN 16:7 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍‍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,
GEN 16:8 “ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି, କେଉଁଠାକୁ ଯିବ?” ତହିଁରେ ସେ କହିଲା, “ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।”
GEN 16:9 ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରିଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ।”
GEN 16:10 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”
GEN 16:11 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।
GEN 16:12 ପୁଣି, ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି, ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
GEN 16:13 ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, “ମଦ୍ଦର୍ଶକ ପରମେଶ୍ୱର” (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, “ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି!”
GEN 16:14 ଏଣୁ ସେହି କୂପର ନାମ ବେର-ଲହୟ-ରୋୟୀ ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
GEN 16:15 ଏଥିଉତ୍ତାରେ ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାୟେଲ ଦେଲେ।
GEN 16:16 ଅବ୍ରାମଙ୍କର ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାୟେଲକୁ ପ୍ରସବ କଲା।
GEN 17:1 ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।
GEN 17:2 ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରି ତୁମ୍ଭକୁ ଅତିଶୟ ବୃଦ୍ଧି କରିବା।”
GEN 17:3 ତହିଁରେ ଅବ୍ରାମ ମୁହଁ ମାଡ଼ି ପଡ଼ନ୍ତେ, ପରମେଶ୍ୱର ତାଙ୍କ ସହିତ ଆଳାପ କରି କହିଲେ,
GEN 17:4 “ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ।
GEN 17:5 ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।
GEN 17:6 ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ।
GEN 17:7 ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶ-ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ୱର ହେବା।
GEN 17:8 ପୁଣି, ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।”
GEN 17:9 ପରମେଶ୍ୱର ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ ଆମ୍ଭର ନିୟମ ପାଳନ କରିବ; ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବେ।
GEN 17:10 ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ସହିତ କୃତ ଆମ୍ଭର ଯେଉଁ ନିୟମ ତୁମ୍ଭେମାନେ ପାଳନ କରିବ ତାହା ଏହି, ତୁମ୍ଭମାନଙ୍କର ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ।
GEN 17:11 ତୁମ୍ଭେମାନେ ଆପଣା ଆପଣାର ଲିଙ୍ଗାଗ୍ର ଚର୍ମ ଛେଦନ କରିବ; ଆଉ ତାହା ତୁମ୍ଭମାନଙ୍କ ସହିତ ଆମ୍ଭ ନିୟମର ଚିହ୍ନ ହେବ।
GEN 17:12 ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ। ପୁଣି, ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ।
GEN 17:13 ପୁଣି, ତୁମ୍ଭର ଗୃହଜାତ ଅଥବା ମୂଲ୍ୟକ୍ରୀତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ; ତହିଁରେ ଅନନ୍ତକାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ।
GEN 17:14 ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମର ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ଆମ୍ଭର ନିୟମ ଲଙ୍ଘନ କଲା।”
GEN 17:15 ତହିଁ ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକୁ ଆଉ ସାରୀ ବୋଲି ଡାକ ନାହିଁ; ତାହାର ନାମ ସାରା ହେଲା।
GEN 17:16 ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା; ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ତାହାଠାରୁ ନାନା ଦେଶୀୟ ରାଜାଗଣ ଉତ୍ପନ୍ନ ହେବେ।”
GEN 17:17 ସେତେବେଳେ ଅବ୍ରହାମ ମୁହଁ ମାଡ଼ି ପଡ଼ି ହସିଲେ, ପୁଣି, ମନେ ମନେ କହିଲେ, “ପୁରୁଷର ଶହେ ବର୍ଷ ବୟସରେ କି ସନ୍ତାନ ଜାତ ହେବ? ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ?”
GEN 17:18 ତହିଁରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ଇଶ୍ମାୟେଲ ତୁମ୍ଭ ଛାମୁରେ ବଞ୍ଚି ଥାଉ।”
GEN 17:19 ସେତେବେଳେ ପରମେଶ୍ୱର କହିଲେ, “ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି, ତୁମ୍ଭେ ତାହାର ନାମ ଇସ୍‌ହାକ ରଖିବ, ପୁଣି, ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ।
GEN 17:20 ପୁଣି, ଇଶ୍ମାୟେଲ ବିଷୟରେ ତୁମ୍ଭର ପ୍ରାର୍ଥନା ଶୁଣିଲୁ; ଦେଖ, ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ପୁଣି, ବହୁ ପ୍ରଜାବନ୍ତ କରି; ତାହାର ବଂଶ ଅତିଶୟ ବୃଦ୍ଧି କରିବା। ତାହାଠାରୁ ଦ୍ୱାଦଶ ରାଜା ଜାତ ହେବେ ଓ ଆମ୍ଭେ ତାହାକୁ ବଡ଼ ଗୋଷ୍ଠୀ କରିବା।
GEN 17:21 ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍‌ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା।”
GEN 17:22 ଏହି ପ୍ରକାରେ କଥାବାର୍ତ୍ତା ଶେଷ କରି ପରମେଶ୍ୱର ଅବ୍ରହାମଙ୍କ ନିକଟରୁ ଊର୍ଦ୍ଧ୍ୱଗମନ କଲେ।
GEN 17:23 ଏଥିଉତ୍ତାରେ ଅବ୍ରହାମ ଆପଣା ପୁତ୍ର ଇଶ୍ମାୟେଲକୁ ଓ ଆପଣା ଗୃହଜାତ ଓ ମୂଲ୍ୟକ୍ରୀତ ସମସ୍ତ ଲୋକଙ୍କୁ, ଅର୍ଥାତ୍‍ ଅବ୍ରହାମଙ୍କର ଗୃହସ୍ଥିତ ପ୍ରତ୍ୟେକ ପୁରୁଷକୁ ଘେନି ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେହି ଦିନ ସମସ୍ତଙ୍କ ଲିଙ୍ଗାଗ୍ର ଚର୍ମ ଛେଦନ କଲେ।
GEN 17:24 ଅବ୍ରହାମଙ୍କର ଅନେଶ୍ୱତ ବର୍ଷ ବୟସରେ ତାଙ୍କର ଲିଙ୍ଗାଗ୍ର ଚର୍ମ ଛେଦନ ହେଲା।
GEN 17:25 ପୁଣି, ତାଙ୍କର ପୁତ୍ର ଇଶ୍ମାୟେଲର ତେର ବର୍ଷ ବୟସରେ ଲିଙ୍ଗାଗ୍ର ଚର୍ମ ଛେଦନ ହେଲା।
GEN 17:26 ଏହିରୂପେ ଏକ ଦିନରେ ଅବ୍ରହାମଙ୍କର ଓ ତାଙ୍କ ପୁତ୍ର ଇଶ୍ମାୟେଲର ସୁନ୍ନତ ହେଲା।
GEN 17:27 ପୁଣି, ତାଙ୍କ ଗୃହଜାତ ଓ ବିଦେଶୀୟମାନଙ୍କ ନିକଟରୁ ମୂଲ୍ୟକ୍ରୀତ ତାଙ୍କ ଗୃହସ୍ଥ ସମସ୍ତ ପୁରୁଷର ସୁନ୍ନତ ହେଲା।
GEN 18:1 ଏଥିଉତ୍ତାରେ ଦିନକର ଖରା ବେଳେ ଅବ୍ରହାମ ମମ୍ରିର ଅଲୋନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ; ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ।
GEN 18:2 ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; ପୁଣି, ଦେଖିବାମାତ୍ର ସାକ୍ଷାତ କରିବାକୁ ତମ୍ବୁଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,
GEN 18:3 “ହେ ପ୍ରଭୋ, ନିବେଦନ କରୁଅଛି, ମହାଶୟଗଣ, ଯଦି ତୁମ୍ଭେମାନେ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି, ତେବେ ଏହି ଦାସର ସ୍ଥାନରେ (ଏଠାରେ) କିଛି ସମୟ ରୁହନ୍ତୁ।
GEN 18:4 ବିନୟ କରୁଅଛି, ମୋତେ ଅଳ୍ପ ଜଳ ଆଣିବାକୁ ଦିଅନ୍ତୁ ପୁଣି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ
GEN 18:5 ଯେହେତୁ ଆପଣମାନେ ଆପଣଙ୍କ ଦାସଙ୍କ ନିକଟକୁ ଆସିଅଛନ୍ତି, ଏଥିପାଇଁ ମୋତେ କିଛି ଖାଦ୍ୟଦ୍ରବ୍ୟ ଆଣିବାକୁ ଦିଅନ୍ତୁ, ପୁଣି ଭୋଜନ କଲା ପରେ ଆପଣମାନେ ଗମନ କରିବେ।” ସେତେବେଳେ ସେମାନେ କହିଲେ, “ଯାହା କହୁଅଛ, ତାହା କର।”
GEN 18:6 ତହିଁରେ ଅବ୍ରହାମ ଶୀଘ୍ର ତମ୍ବୁଗୃହକୁ ସାରା ନିକଟକୁ ଯାଇ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କର।”
GEN 18:7 ଏଥିଉତ୍ତାରେ ଅବ୍ରହାମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ, ସେ ତାହା ଶୀଘ୍ର ରାନ୍ଧିଲା।
GEN 18:8 ସେତେବେଳେ ସେ ଦହି, ଦୁଗ୍ଧ ଓ ପକ୍ୱ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ, ପୁଣି, ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ।
GEN 18:9 ତହିଁ ଉତ୍ତାରେ ସେମାନେ ତାଙ୍କୁ ପଚାରିଲେ, “ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ?” ସେ କହିଲେ, “ଦେଖନ୍ତୁ, ସେ ତମ୍ବୁରେ ଅଛନ୍ତି।”
GEN 18:10 ତହୁଁ ସେ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେହି ସମୟରେ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ।” ଏହି କଥା ସାରା ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲେ।
GEN 18:11 ସେହି ସମୟରେ ଅବ୍ରହାମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି, ସାରାଙ୍କର ସ୍ତ୍ରୀଧର୍ମ ନିବୃତ୍ତ ହୋଇଥିଲା।
GEN 18:12 ଏନିମନ୍ତେ ସାରା ହସି ମନେ ମନେ କହିଲେ, “ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ।”
GEN 18:13 ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “‘ଆପଣାର ବୃଦ୍ଧାବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ,’ ଏହା ଭାବି ସାରା କାହିଁକି ହସିଲା?
GEN 18:14 ସଦାପ୍ରଭୁଙ୍କ ନିମନ୍ତେ କୌଣସି କର୍ମ କଠିନ ଅଟେ କି? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେହି ସମୟରେ ସାରାର (କୋଳରେ) ପୁତ୍ର ଥିବ।”
GEN 18:15 ତହିଁରେ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନାହିଁ,” ଯେହେତୁ ସେ ଭୟ କଲେ। ମାତ୍ର ସଦାପ୍ରଭୁ କହିଲେ, “ତୁମ୍ଭେ ଅବଶ୍ୟ ହସିଲ।”
GEN 18:16 ଏଥିଉତ୍ତାରେ ସେହି ଲୋକମାନେ ସେଠାରୁ ଉଠି ସଦୋମ ଆଡ଼କୁ ପ୍ରସ୍ଥାନ କରନ୍ତେ, ଅବ୍ରହାମ ବାଟ ଦେଖାଇବାକୁ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ।
GEN 18:17 ତହୁଁ ସଦାପ୍ରଭୁ କହିଲେ, “ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, ତାହା କି ଅବ୍ରହାମଠାରୁ ଲୁଚାଇବା?
GEN 18:18 ଅବ୍ରହାମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।
GEN 18:19 ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାରବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ; ତହିଁରେ ସଦାପ୍ରଭୁ ଅବ୍ରହାମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ।”
GEN 18:20 ସଦାପ୍ରଭୁ ଆହୁରି କହିଲେ, “ସଦୋମ ଓ ହମୋରାର ବିରୁଦ୍ଧରେ ମହାଧ୍ୱନି ଉଠୁଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର;
GEN 18:21 ଏଣୁ ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତୋଭାବେ କରିଅଛନ୍ତି କି ନାହିଁ, ତାହା ଜାଣିବା।”
GEN 18:22 ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସଦୋମ ଆଡ଼କୁ ଗମନ କଲେ; ମାତ୍ର ଅବ୍ରହାମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ।
GEN 18:23 ଏଥିଉତ୍ତାରେ ଅବ୍ରହାମ ନିକଟକୁ ଯାଇ କହିଲେ, “ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ?
GEN 18:24 ହୋଇପାରେ, ନଗର ମଧ୍ୟରେ ପଚାଶ ଜଣ ଧାର୍ମିକ ଥିବେ; ତହିଁ ମଧ୍ୟବର୍ତ୍ତୀ ପଚାଶ ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?
GEN 18:25 ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟବିଚାର କରିବେ ନାହିଁ?”
GEN 18:26 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଯଦି ସଦୋମ ନଗରରେ ପଚାଶ ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା।”
GEN 18:27 ତହିଁରେ ଅବ୍ରହାମ ପ୍ରତ୍ୟୁତ୍ତର କଲେ, “ଦେଖନ୍ତୁ, ମୁଁ ଧୂଳି ଓ ଭସ୍ମମାତ୍ର ହେଲେ ହେଁ ମୋ ପ୍ରଭୁଙ୍କ ଛାମୁରେ କଥା କହିବାକୁ ପ୍ରବୃତ୍ତ ହୋଇଅଛି।
GEN 18:28 ହୋଇପାରେ, ପଚାଶ ଜଣ ଧାର୍ମିକ ମଧ୍ୟରୁ ପାଞ୍ଚ ଜଣ ଊଣା ଥିବେ; ସେହି ପାଞ୍ଚ ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ?” ସଦାପ୍ରଭୁ କହିଲେ, “ଆମ୍ଭେ ପଞ୍ଚଚାଳିଶ ଜଣ ପାଇଲେ, ତାହା ବିନଷ୍ଟ କରିବା ନାହିଁ।”
GEN 18:29 ଅବ୍ରହାମ ତାହାଙ୍କୁ ପୁନର୍ବାର କହିଲେ, “ହୋଇପାରେ, ସେଠାରେ ଚାଳିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି ଚାଳିଶ ଜଣ ସକାଶୁ ତାହା କରିବା ନାହିଁ।”
GEN 18:30 ପୁନର୍ବାର ଅବ୍ରହାମ କହିଲେ, “ପ୍ରଭୁ ବିରକ୍ତ ନୋହିଲେ ଆହୁରି କଥାଟିଏ କହିବି; ହୋଇପାରେ, ସେଠାରେ ତିରିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ତିରିଶ ଜଣ ପାଇଲେ, ତାହା କରିବା ନାହିଁ।”
GEN 18:31 ଅବ୍ରହାମ କହିଲେ, “ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି; ହୋଇପାରେ, ସେଠାରେ କୋଡ଼ିଏ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି କୋଡ଼ିଏ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।”
GEN 18:32 ଅବ୍ରହାମ କହିଲେ, “ପ୍ରଭୁ ବିରକ୍ତ ନୋହିଲେ ଆଉ ଥରେ ମାତ୍ର କହିବି; ହୋଇପାରେ, ସେଠାରେ ଦଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି ଦଶ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।”
GEN 18:33 ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ଏପ୍ରକାର କଥୋପକଥନ ସମାପନ କରି ପ୍ରସ୍ଥାନ କଲେ, ପୁଣି, ଅବ୍ରହାମ ମଧ୍ୟ ସ୍ୱ ସ୍ଥାନକୁ ଫେରିଗଲେ।
GEN 19:1 ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା
GEN 19:2 “ହେ ମୋହର ପ୍ରଭୁମାନେ, ମୁଁ ବିନୟ କରୁଅଛି, ଆଜି ରାତ୍ର ଆପଣମାନଙ୍କ ଏହି ଦାସର ଗୃହରେ ପଦାର୍ପଣ କରି ବାସ କରନ୍ତୁ ଓ ପାଦ ପ୍ରକ୍ଷାଳନ କରନ୍ତୁ; ତହୁଁ ସକାଳୁ ଉଠି ଯାତ୍ରା କରିବେ।” ତହିଁରେ ସେମାନେ କହିଲେ, “ନା; ଆମ୍ଭେମାନେ ଦାଣ୍ଡରେ ସମସ୍ତ ରାତ୍ରି କ୍ଷେପଣ କରିବୁ।”
GEN 19:3 ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ।
GEN 19:4 ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍‍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ।
GEN 19:5 ପୁଣି, ଲୋଟକୁ ଡାକି କହିଲେ, “ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।”
GEN 19:6 ତହିଁରେ ଲୋଟ ବାହାରକୁ ଆସି ଦ୍ୱାର ବନ୍ଦ କରି କହିଲା,
GEN 19:7 “ହେ ଭାଇମାନେ, ମୁଁ ବିନୟ କରୁଅଛି, ଏପରି କୁବ୍ୟବହାର କର ନାହିଁ।
GEN 19:8 ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋʼ ଛାତ ତଳେ ଆଶ୍ରୟ ନେଇଅଛନ୍ତି।”
GEN 19:9 ସେତେବେଳେ ସେମାନେ କହିଲେ, “ଘୁଞ୍ଚି ଯା।” ପୁଣି କହିଲେ, “ଏ ଲୋକଟା ଆମ୍ଭମାନଙ୍କ ମଧ୍ୟରେ ପ୍ରବାସ କରିବାକୁ ଆସି ଆମ୍ଭମାନଙ୍କର ବିଚାରକର୍ତ୍ତା ହେବାକୁ ଚାହେଁ; ଏବେ ସେମାନଙ୍କଠାରୁ ତୋʼ ପ୍ରତି ଆହୁରି କୁବ୍ୟବହାର କରିବା।” ତହୁଁ ସେମାନେ ସେହି ମନୁଷ୍ୟ, ଅର୍ଥାତ୍‍, ଲୋଟ ପ୍ରତି ବଳ ପ୍ରୟୋଗ କରି କବାଟ ଭାଙ୍ଗିବାକୁ ଗଲେ।
GEN 19:10 ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ।
GEN 19:11 ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।
GEN 19:12 ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏହି ସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏହି ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏହି ସ୍ଥାନରୁ ନେଇଯାଅ;
GEN 19:13 ଯେହେତୁ ଆମ୍ଭେମାନେ ଏହି ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏହି ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”
GEN 19:14 ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।
GEN 19:15 ଆରଦିନ ପ୍ରଭାତ ହୁଅନ୍ତେ, ଦୂତମାନେ ଲୋଟକୁ ଚଞ୍ଚଳ କରାଇ କହିଲେ, “ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ ଦୁଇ କନ୍ୟା ଏଠାରେ ଅଛନ୍ତି, ସେମାନଙ୍କୁ ଘେନିଯାଅ; ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ।”
GEN 19:16 ତଥାପି ସେ ବିଳମ୍ବ କଲା; ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ସକାଶୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ ଦୁଇ କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ।
GEN 19:17 ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”
GEN 19:18 ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୋ, ଏପରି ନ ହେଉ;
GEN 19:19 ଏବେ ଏହି ଦାସ ପ୍ରତି ଅନୁଗ୍ରହ ଓ ମହାଦୟା କରି ପ୍ରାଣରକ୍ଷା କଲେ; ମୁଁ ପର୍ବତକୁ ପଳାଇ ଯାଇ ନ ପାରେ; କେଜାଣି ବିପଦ ଘଟିଲେ ମରିଯିବି।
GEN 19:20 ଦେଖନ୍ତୁ, ପଳାଇ ଯିବାକୁ ସେହି ନଗର ନିକଟବର୍ତ୍ତୀ, ତାହା କ୍ଷୁଦ୍ର; ସେହି ସ୍ଥାନକୁ ପଳାଇବାକୁ ଆଜ୍ଞା କରନ୍ତୁ, ତହିଁରେ ମୋହର ପ୍ରାଣ ବଞ୍ଚିବ; ତାହା କି କ୍ଷୁଦ୍ର ନୁହେଁ?”
GEN 19:21 ତହୁଁ ସେ କହିଲେ, “ଭଲ, ଆମ୍ଭେ ଏ ବିଷୟରେ ତୁମ୍ଭ ପ୍ରତି ଅନୁଗ୍ରହ କରି, ସେହି ଯେଉଁ ନଗରର କଥା ତୁମ୍ଭେ କହିଲ, ତାହା ଉତ୍ପାଟନ କରିବା ନାହିଁ।
GEN 19:22 ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରି ନ ପାରୁ।” ଏଣୁ ସେହି ସ୍ଥାନର ନାମ ସୋୟର ହେଲା।
GEN 19:23 ଏଥିଉତ୍ତାରେ ଦେଶରେ ସୂର୍ଯ୍ୟୋଦୟ ହୁଅନ୍ତେ, ଲୋଟ ସୋୟରରେ ପ୍ରବେଶ କଲା।
GEN 19:24 ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କରି
GEN 19:25 ସେହି ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ମଧ୍ୟସ୍ଥିତ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ।
GEN 19:26 ସେହି ସମୟରେ ଲୋଟର ଭାର୍ଯ୍ୟା ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା।
GEN 19:27 ଆଉ ଅବ୍ରହାମ ପ୍ରଭାତରୁ ଉଠି ପୂର୍ବେ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଛାମୁରେ ଠିଆ ହୋଇଥିଲେ, ସେହି ସ୍ଥାନରେ ଉପସ୍ଥିତ ହୋଇ
GEN 19:28 ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳ ପ୍ରତି ଅନାନ୍ତେ, ସେହି ଦେଶରୁ ଭାଟିର ଧୂମ ତୁଲ୍ୟ ଧୂମ ଉଠିବାର ଦେଖିଲେ।
GEN 19:29 ଏହିରୂପେ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ସ୍ମରଣ କଲେ, ପୁଣି, ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲା, ସେହି ସେହି ନଗରର ଉତ୍ପାଟନ ସମୟରେ ଉତ୍ପାଟନ ମଧ୍ୟରୁ ଲୋଟକୁ ବାହାର କଲେ।
GEN 19:30 ଏଥିଉତ୍ତାରେ ଲୋଟ ସୋୟରରେ ବାସ କରିବାକୁ ଭୟ କରି ସେଠାରୁ ବାହାରି ଆପଣାର ଦୁଇ କନ୍ୟାଙ୍କୁ ଘେନି ପର୍ବତରେ ବାସ କଲା; ତହିଁରେ ସେ ଓ ତାହାର ଦୁଇ କନ୍ୟା ଗିରି କନ୍ଦରରେ ବାସ କଲେ।
GEN 19:31 ଏଥିଉତ୍ତାରେ ତାହାର ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଆମ୍ଭମାନଙ୍କର ପିତା ବୃଦ୍ଧ, ପୁଣି, ସଂସାରର ବ୍ୟବହାରାନୁସାରେ ଆମ୍ଭମାନଙ୍କର ସହବାସ କରିବାକୁ ଏ ଦେଶରେ ତ କୌଣସି ପୁରୁଷ ନାହିଁ।
GEN 19:32 ଆସ, ଆମ୍ଭେମାନେ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଇ ପିତାଙ୍କ ବଂଶ ରକ୍ଷା ନିମିତ୍ତ ତାଙ୍କ ସଙ୍ଗେ ଶୟନ କରିବା।”
GEN 19:33 ତହୁଁ ସେହି ରାତ୍ରରେ ସେମାନେ ଆପଣା ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, ଜ୍ୟେଷ୍ଠା କନ୍ୟା ଉଠିଯାଇ ପିତା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
GEN 19:34 ଆରଦିନ ସେହି ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଦେଖ, ମୁଁ ଗତ ରାତ୍ର ପିତାଙ୍କ ସଙ୍ଗରେ ଶୟନ କଲି, ଆସ, ଆଜି ରାତ୍ର ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଉ; ତହୁଁ ତୁମ୍ଭେ ଯାଇ ପିତାଙ୍କ ବଂଶ ରକ୍ଷାର୍ଥେ ତାଙ୍କ ସଙ୍ଗେ ଶୟନ କର।”
GEN 19:35 ତହିଁରେ ସେମାନେ ସେହି ରାତ୍ରିରେ ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, କନିଷ୍ଠା କନ୍ୟା ଉଠି ତାହା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
GEN 19:36 ଏହିରୂପେ ଲୋଟର ଦୁଇ କନ୍ୟା ଆପଣା ପିତା ଦ୍ୱାରା ଗର୍ଭବତୀ ହେଲେ।
GEN 19:37 ଏଥିଉତ୍ତାରେ ଜ୍ୟେଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ମୋୟାବ ଦେଲା; ସେ ବର୍ତ୍ତମାନ କାଳର ମୋୟାବୀୟ ଲୋକମାନଙ୍କର ଆଦିପିତା।
GEN 19:38 ପୁଣି, କନିଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ବିନ-ଅମ୍ମି ଦେଲା; ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା।
GEN 20:1 ଏଥିଉତ୍ତାରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୂରର ମଧ୍ୟସ୍ଥାନରେ ଥାଇ ଗରାରରେ ପ୍ରବାସ କଲେ।
GEN 20:2 ପୁଣି, ଅବ୍ରହାମ ଆପଣା ଭାର୍ଯ୍ୟା ସାରା ବିଷୟରେ କହିଲେ, “ସେ ମୋହର ଭଗିନୀ;” ଏହେତୁ ଗରାରର ରାଜା ଅବିମେଲକ ଲୋକ ପଠାଇ ସାରାକୁ ନେଇଗଲେ।
GEN 20:3 ତହୁଁ ରାତ୍ରିକାଳରେ ପରମେଶ୍ୱର ସ୍ୱପ୍ନ ଯୋଗେ ଅବିମେଲକଙ୍କ ନିକଟକୁ ଆସି କହିଲେ, “ଦେଖ; ତୁମ୍ଭେ ମୃତକଳ୍ପ, କାରଣ ସେହି ଯେଉଁ ସ୍ତ୍ରୀକୁ ତୁମ୍ଭେ ନେଇଅଛ, ତାହାର ସ୍ୱାମୀ ଅଛି।”
GEN 20:4 ମାତ୍ର ଅବିମେଲକ ତାହାର ସହବାସ କରି ନ ଥିବାରୁ କହିଲେ, “ହେ ପ୍ରଭୁ, ଯେଉଁ ଦେଶୀୟ ଲୋକେ ନିର୍ଦ୍ଦୋଷ, ସେମାନଙ୍କୁ ହିଁ କି ଆପଣ ବଧ କରିବେ?
GEN 20:5 ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ? ପୁଣି, ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।”
GEN 20:6 ତେବେ ପରମେଶ୍ୱର ସ୍ୱପ୍ନ ଯୋଗେ ତାହାକୁ କହିଲେ, “ତୁମ୍ଭେ ମନର ସରଳତାରେ ଏହି କର୍ମ କରିଅଛ; ଏହା ଆମ୍ଭେ ଜାଣୁ; ପୁଣି, ଆମ୍ଭେ ମଧ୍ୟ ଆମ୍ଭ ବିରୁଦ୍ଧରେ ପାପ କରିବାକୁ ତୁମ୍ଭକୁ ବାରଣ କଲୁ; ଏନିମନ୍ତେ ତାଙ୍କୁ ସ୍ପର୍ଶ କରିବାକୁ ତୁମ୍ଭଙ୍କୁ ଦେଲୁ ନାହିଁ।
GEN 20:7 ଏହେତୁ ଏବେ ସେହି ମନୁଷ୍ୟର ଭାର୍ଯ୍ୟାକୁ ଫେରାଇ ଦିଅ; ଯେହେତୁ ସେ ଭବିଷ୍ୟଦ୍‍ବକ୍ତା, ସେ ତୁମ୍ଭ ଲାଗି ପ୍ରାର୍ଥନା କରିବ, ତହିଁରେ ତୁମ୍ଭେ ବଞ୍ଚିବ; ମାତ୍ର ଯଦି ତାଙ୍କୁ ଫେରାଇ ନ ଦେବ, ତେବେ ଅବଶ୍ୟ ତୁମ୍ଭେ ସପରିବାରରେ ମରିବ, ଏହା ଜାଣିଥାଅ।”
GEN 20:8 ଏଥିଉତ୍ତାରେ ଅବିମେଲକ ପ୍ରଭାତରେ ଉଠି ଦାସମାନଙ୍କୁ ଡାକି ଏସବୁ ବୃତ୍ତାନ୍ତ ସେମାନଙ୍କ କର୍ଣ୍ଣଗୋଚର କରନ୍ତେ, ସେମାନେ ଅତି ଭୟାକୁଳ ହେଲେ।
GEN 20:9 ତହିଁରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି ବ୍ୟବହାର କଲ? ତୁମ୍ଭେ ଯେ ଆମ୍ଭକୁ ଓ ଆମ୍ଭର ରାଜ୍ୟକୁ ମହା ପାପଗ୍ରସ୍ତ କଲ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏପରି କି ଦୋଷ କରିଅଛୁ? ତୁମ୍ଭେ ଆମ୍ଭ ପ୍ରତି ଅକର୍ତ୍ତବ୍ୟ କର୍ମ କଲ।”
GEN 20:10 ଅବିମେଲକ ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ କʼଣ ଦେଖି ଏରୂପ କର୍ମ କଲ?”
GEN 20:11 ସେତେବେଳେ ଅବ୍ରହାମ କହିଲେ, “ଏ ଦେଶରେ ପରମେଶ୍ୱରଙ୍କ ପ୍ରତି କିଛି ଭୟ ନାହିଁ; ଏନିମନ୍ତେ ମୁଁ ଭାବିଲି, ଏମାନେ ଅବା ମୋହର ଭାର୍ଯ୍ୟା ଲୋଭରେ ମୋତେ ବଧ କରିବେ।
GEN 20:12 ସେ ମୋହର ଭଗିନୀ, ଏହା ସତ୍ୟ, ଯେହେତୁ ସେ ମୋହର ପିତୃକନ୍ୟା, ମାତୃକନ୍ୟା ନୁହେଁ, ପୁଣି, ମୋହର ଭାର୍ଯ୍ୟା ହେଲା।
GEN 20:13 ଯେତେବେଳେ ପରମେଶ୍ୱର ମୋତେ ପୈତୃକ ଗୃହରୁ ଭ୍ରମଣ କରାଇଲେ, ସେତେବେଳେ ମୁଁ ତାହାକୁ କହିଲି, ‘ତୁମ୍ଭେ ମୋʼ ପ୍ରତି ଏହି ଅନୁଗ୍ରହ କରିବ, ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ, ସେହି ସେହି ସ୍ଥାନରେ ତୁମ୍ଭେ ମୋତେ ଭାଇ ବୋଲି ପରିଚୟ ଦେବ।’”
GEN 20:14 ସେତେବେଳେ ଅବିମେଲକ ମେଷ ଓ ଗୋରୁ ଓ ଦାସଦାସୀ ଅଣାଇ ଅବ୍ରହାମଙ୍କୁ ଦେଲେ ଓ ତାଙ୍କର ଭାର୍ଯ୍ୟା ସାରାକୁ ମଧ୍ୟ ଫେରାଇ ଦେଲେ।
GEN 20:15 ଏଥିଉତ୍ତାରେ ଅବିମେଲକ କହିଲେ, “ଦେଖ, ଆମ୍ଭର ଏହି ସମସ୍ତ ଦେଶ ତୁମ୍ଭ ସମ୍ମୁଖରେ ଅଛି, ତୁମ୍ଭର ଯେଉଁଠାରେ ଇଚ୍ଛା, ସେହିଠାରେ ବାସ କର।”
GEN 20:16 ପୁଣି, ସେ ସାରାକୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ଭ୍ରାତାକୁ ସହସ୍ର ଖଣ୍ଡ ରୂପା ଦେଲୁ; ଦେଖ, ତାହା ତୁମ୍ଭ ପ୍ରତି ଘଟିଥିବା ସକଳ ବିଷୟ ନିମନ୍ତେ ସମସ୍ତଙ୍କ ସାକ୍ଷାତରେ ଚକ୍ଷୁର ଆବରଣ ସ୍ୱରୂପ; ଆଉ ସମସ୍ତ ବିଷୟରେ ତୁମ୍ଭ ପ୍ରତି ନ୍ୟାୟବିଚାର କରାଗଲା।”
GEN 20:17 ଏଥିଉତ୍ତାରେ ଅବ୍ରହାମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ପରମେଶ୍ୱର ଅବିମେଲକଙ୍କୁ ଓ ତାଙ୍କ ଭାର୍ଯ୍ୟାକୁ ଓ ତାହାର ଦାସୀଗଣକୁ ସୁସ୍ଥ କଲେ; ତହିଁରେ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।
GEN 20:18 ଯେହେତୁ ଅବ୍ରହାମଙ୍କର ଭାର୍ଯ୍ୟା ସାରା ସକାଶେ ସଦାପ୍ରଭୁ ଅବିମେଲକଙ୍କ ଗୃହସ୍ଥିତ ଲୋକମାନଙ୍କର ଗର୍ଭରୋଧ କରିଥିଲେ।
GEN 21:1 ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ।
GEN 21:2 ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ।
GEN 21:3 ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍‌ହାକ ରଖିଲେ।
GEN 21:4 ପୁଣି, ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍‌ହାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ।
GEN 21:5 ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍‌ହାକ ଜାତ ହେଲା।
GEN 21:6 ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।”
GEN 21:7 ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏ କଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।”
GEN 21:8 ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍‌ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ।
GEN 21:9 ଏଥିଉତ୍ତାରେ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି।
GEN 21:10 ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍‌ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।”
GEN 21:11 ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ।
GEN 21:12 ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍‌ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ।
GEN 21:13 ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା।”
GEN 21:14 ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍‍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା।
GEN 21:15 ପୁଣି, କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା।
GEN 21:16 ପୁଣି, ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, “ବାଳକର ମରଣ ମୁଁ ଦେଖିବି ନାହିଁ।” ପୁଣି, ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା।
GEN 21:17 ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ; ପୁଣି, ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, “ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ, ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି।
GEN 21:18 ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।”
GEN 21:19 ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା।
GEN 21:20 ଏଥିଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି, ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା।
GEN 21:21 ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା; ତହିଁ ଉତ୍ତାରେ ତାହାର ମାତା ଏକ ମିସର ଦେଶୀୟା କନ୍ୟା ସଙ୍ଗେ ତାହାର ବିବାହ କଲା।
GEN 21:22 ଏହି ସମୟରେ ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି।
GEN 21:23 ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।”
GEN 21:24 ତହିଁରେ ଅବ୍ରହାମ କହିଲେ, “ମୁଁ ଶପଥ କରିବି।”
GEN 21:25 ଆଉ ଅବିମେଲକଙ୍କ ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ।
GEN 21:26 ତହିଁରେ ଅବିମେଲକ କହିଲେ, “ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି, ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ।”
GEN 21:27 ଏଥିଉତ୍ତାରେ ଅବ୍ରହାମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି, ଦୁହେଁ ଗୋଟିଏ ନିୟମ ସ୍ଥିର କଲେ।
GEN 21:28 ଆଉ ଅବ୍ରହାମ ପଲରୁ ସାତଗୋଟି ମେଷବତ୍ସା ପୃଥକ କରି ରଖିଲେ।
GEN 21:29 ତହିଁରେ ଅବିମେଲକ ଅବ୍ରହାମଙ୍କୁ ପଚାରିଲେ, “ତୁମ୍ଭେ କି ଅଭିପ୍ରାୟରେ ଏହି ସାତଗୋଟି ମେଷବତ୍ସା ପୃଥକ କରି ରଖିଲ?”
GEN 21:30 ଅବ୍ରହାମ କହିଲେ, “ମୁଁ ଯେ ଏହି କୂପ ଖୋଳିଅଛି, ତହିଁର ପ୍ରମାଣ ନିମନ୍ତେ ମୋʼ ଠାରୁ ଏହି ସାତଗୋଟି ମେଷବତ୍ସା ନେବାକୁ ହେବ।”
GEN 21:31 ଏଣୁ ସେହି ସ୍ଥାନର ନାମ ବେର୍‍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ।
GEN 21:32 ଏହିରୂପେ ସେମାନେ ବେର୍‍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।
GEN 21:33 ଏଥିଉତ୍ତାରେ ଅବ୍ରହାମ ସେହି ବେର୍‍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
GEN 21:34 ପୁଣି, ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ପ୍ରବାସ କଲେ।
GEN 22:1 ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଏଠାରେ ଅଛି।”
GEN 22:2 ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‌ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।”
GEN 22:3 ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇ ଜଣ ଦାସ ଓ ଆପଣା ପୁତ୍ର ଇସ୍‌ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ।
GEN 22:4 ଏଥିଉତ୍ତାରେ ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ।
GEN 22:5 ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।”
GEN 22:6 ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‌ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ।
GEN 22:7 ଆଉ ଇସ୍‌ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?”
GEN 22:8 ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ।
GEN 22:9 ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‌ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ।
GEN 22:10 ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ।
GEN 22:11 ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ।”
GEN 22:12 ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।”
GEN 22:13 ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ।
GEN 22:14 ପୁଣି, ଅବ୍ରହାମ ସେହି ସ୍ଥାନର ନାମ “ଯିହୋବାଃ-ଯିରି” ରଖିଲେ। ଏଥିପାଇଁ ଆଜି ପର୍ଯ୍ୟନ୍ତ ଲୋକେ କହନ୍ତି, “ପର୍ବତରେ ସଦାପ୍ରଭୁ ଯୋଗାଇବେ।”
GEN 22:15 ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ,
GEN 22:16 “ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ;
GEN 22:17 ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ।
GEN 22:18 ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।”
GEN 22:19 ଏଥିଉତ୍ତାରେ ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍‍ଶେବାକୁ ଗଲେ ଓ ଅବ୍ରହାମ ବେର୍‍ଶେବାରେ ବାସ କଲେ।
GEN 22:20 ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ବାଦ ଦିଆଗଲା, “ଶୁଣ, ମିଲ୍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି।”
GEN 22:21 ତାହାର ଜ୍ୟେଷ୍ଠ ପୁତ୍ର ଊଷ୍‍ ଓ ତାହାର ଭ୍ରାତା ବୂଷ୍‍ ଓ ଅରାମର ପିତା କମୂୟେଲ,
GEN 22:22 ପୁଣି, କେଷଦ୍‍ ଓ ହସୋ ଓ ପିଲଦଶ୍‍ ଓ ଯିଦ୍‍ଲଫ୍‍ ଓ ବଥୂୟେଲ।
GEN 22:23 ସେହି ବଥୂୟେଲର କନ୍ୟା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା।
GEN 22:24 ପୁଣି, ନାହୋରର ରୂମା ନାମ୍ନୀ ଉପପତ୍ନୀଠାରୁ ଟେବହ, ଗହମ୍‍, ତହଶ୍‍ ଓ ମାଖା, ଏମାନେ ଜାତ ହେଲେ।
GEN 23:1 ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ।
GEN 23:2 ଏଥିଉତ୍ତାରେ ସାରା କିଣାନ ଦେଶସ୍ଥ କିରୀୟଥ୍‍-ଅର୍ବରେ, ଅର୍ଥାତ୍‍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ।
GEN 23:3 ଏଥିଉତ୍ତାରେ ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠିଯାଇ ହେତ୍‌ର ସନ୍ତାନମାନଙ୍କୁ କହିଲେ,
GEN 23:4 “ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ; ତୁମ୍ଭମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋʼ ଦୃଷ୍ଟିର ଅଗୋଚରରେ ମୋʼ ମୃତକୁ କବର ଦେବି।”
GEN 23:5 ତହୁଁ ହେତ୍‌ର ସନ୍ତାନମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ, “ହେ ପ୍ରଭୁ, ଆମ୍ଭମାନଙ୍କ କଥା ଶୁଣନ୍ତୁ;
GEN 23:6 ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।”
GEN 23:7 ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍‍, ହେତ୍‌ର ସନ୍ତାନମାନଙ୍କୁ ପ୍ରଣାମ କଲେ।
GEN 23:8 ପୁଣି, କଥୋପକଥନ କରି କହିଲେ, “ମୋʼ ଦୃଷ୍ଟିର ବାହାରେ ମୋʼ ମୃତା ଭାର୍ଯ୍ୟାକୁ କବରରେ ରଖିବାକୁ ଯଦି ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋʼ କଥା ଶୁଣନ୍ତୁ; ଆପଣମାନେ ମୋʼ ନିମନ୍ତେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କରନ୍ତୁ।
GEN 23:9 ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍‍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।”
GEN 23:10 ସେତେବେଳେ ଇଫ୍ରୋଣ ହେତ୍‌ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍‌ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା,
GEN 23:11 “ପ୍ରଭୋ, ସେପରି ନ ହେଉ, ମୋʼ କଥା ଶୁଣନ୍ତୁ; ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି; ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି, ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।”
GEN 23:12 ତହିଁରେ ଅବ୍ରହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ।
GEN 23:13 ପୁଣି, ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, “ଆପଣ ଯଦି ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋʼ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ଭାର୍ଯ୍ୟାର ମୃତ ଦେହକୁ କବର ଦେବି।”
GEN 23:14 ତହିଁରେ ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲା,
GEN 23:15 “ପ୍ରଭୋ, ମୋʼ କଥା ଶୁଣନ୍ତୁ; ଭୂମି ଖଣ୍ଡକର ମୂଲ୍ୟ ତ ଚାରି ଶହ ଶେକଲ ରୂପା, ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଥିପାଇଁ ଆପଣ ନିଜ ଭାର୍ଯ୍ୟାର ମୃତ ଦେହକୁ କବର ଦେଉନ୍ତୁ।”
GEN 23:16 ଇଫ୍ରୋଣର ଏହି କଥା ଶୁଣି ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣ ଦ୍ୱାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ ଚାରି ଶହ ଶେକଲ ରୂପା ତୌଲି ଇଫ୍ରୋଣକୁ ଦେଲେ।
GEN 23:17 ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍‍ପେଲାରେ ଇଫ୍ରୋଣର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ,
GEN 23:18 ଏହିସବୁରେ ହେତ୍‌ର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍‍, ତାହାର ନଗର-ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ୱତ୍ୱାଧିକାର ସ୍ଥିର କରାଗଲା।
GEN 23:19 ଏଥିଉତ୍ତାରେ ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍‍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ।
GEN 23:20 ଏହିରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରହାମଙ୍କର ଅଧିକାର ହେତ୍‌ର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ ହେଲା।
GEN 24:1 ସେହି ସମୟରେ ଅବ୍ରହାମ ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି, ସଦାପ୍ରଭୁ ଅବ୍ରହାମଙ୍କୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ।
GEN 24:2 ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ;
GEN 24:3 ମୁଁ ସ୍ୱର୍ଗ ମର୍ତ୍ତ୍ୟର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋʼ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ;
GEN 24:4 ମାତ୍ର, ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋʼ ପୁତ୍ର ଇସ୍‌ହାକ ନିମନ୍ତେ କନ୍ୟା ଆଣିବ।”
GEN 24:5 ସେତେବେଳେ ସେହି ଦାସ ତାଙ୍କୁ କହିଲା, “ଯଦି କୌଣସି କନ୍ୟା ମୋʼ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତ ନୋହିବ, ତେବେ ଯେଉଁ ଦେଶରୁ ତୁମ୍ଭେ ଆସିଅଛ, ସେହି ଦେଶକୁ କି ତୁମ୍ଭ ପୁତ୍ରଙ୍କୁ ନେଇଯିବି?”
GEN 24:6 ତହିଁରେ ଅବ୍ରହାମ କହିଲେ, “ସାବଧାନ; ମୋʼ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ।”
GEN 24:7 “ଯେହେତୁ ଯେଉଁ ସ୍ୱର୍ଗର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱର ମୋତେ ପୈତୃକ ଗୃହ ଓ ଜନ୍ମ ଦେଶ ମଧ୍ୟରୁ ଆଣିଅଛନ୍ତି ଓ ମୋʼ ସଙ୍ଗେ ଆଳାପ କରିଅଛନ୍ତି, ‘ପୁଣି, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଶପଥ କରିଅଛନ୍ତି,’ ସେ ତୁମ୍ଭ ଅଗ୍ରତେ ଆପଣା ଦୂତ ପଠାଇବେ; ତହିଁରେ ତୁମ୍ଭେ ମୋʼ ପୁତ୍ରର ବିବାହ ନିମନ୍ତେ ସେହିଠାରୁ ଗୋଟିଏ କନ୍ୟା ଆଣିବ।
GEN 24:8 ଯଦି ସେହି ଦେଶରୁ କୌଣସି କନ୍ୟା ଆସିବାକୁ ସମ୍ମତ ହେବେ ନାହିଁ, ତେବେ ତୁମ୍ଭେ ମୋହର ଏହି ଶପଥରୁ ମୁକ୍ତ ହେବ; ମାତ୍ର ତୁମ୍ଭେ ମୋʼ ପୁତ୍ରକୁ ସେହି ଦେଶକୁ ନେଇଯିବ ନାହିଁ।”
GEN 24:9 ତହିଁରେ ସେହି ଦାସ ଆପଣା ପ୍ରଭୁ ଅବ୍ରହାମଙ୍କର ଜଙ୍ଘରେ ହସ୍ତ ଦେଇ ସେହି ବିଷୟରେ ଶପଥ କଲା।
GEN 24:10 ଏଥିଉତ୍ତାରେ ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍‍ ଦେଶର ନାହୋର ନଗରକୁ ଯାତ୍ରା କଲା।
GEN 24:11 ଏଥିଉତ୍ତାରେ ସନ୍ଧ୍ୟା ବେଳେ, ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା।
GEN 24:12 ପୁଣି, ଏହି ପ୍ରାର୍ଥନା କଲା, “ହେ ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି, ଆଜି ମୋʼ ସମ୍ମୁଖରେ ଶୁଭଫଳ ଉପସ୍ଥିତ କର, ଆଉ ମୋʼ ପ୍ରଭୁ ଅବ୍ରହାମଙ୍କ ପ୍ରତି ଦୟା କର।
GEN 24:13 ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା ହେଉଅଛି, ଆଉ ଏ ନଗରବାସୀମାନଙ୍କ କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି;
GEN 24:14 ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ‘ତୁମ୍ଭେ ଆପଣା କଳସ ନୁଆଁଇ ମୋତେ ଜଳ ପାନ କରାଅ,’ ଏହି କଥା କହିଲେ ସେହି କନ୍ୟା ଯଦି କହିବ, ‘ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି,’ ତେବେ ସେ ତୁମ୍ଭ ଦାସ ଇସ୍‌ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋʼ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି।”
GEN 24:15 ଏହି କଥା କହୁ କହୁ ଅବ୍ରହାମଙ୍କର ନାହୋର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୂୟେଲ, ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା।
GEN 24:16 ସେହି କନ୍ୟା ପରମସୁନ୍ଦରୀ ଓ ଅବିବାହିତା, ଆଉ କୌଣସି ପୁରୁଷର ଉପଭୁକ୍ତା ନ ଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି,
GEN 24:17 ଏପରି ସମୟରେ ସେହି ଦାସ ଦୌଡ଼ିଯାଇ ତାହା ସଙ୍ଗେ ଦେଖା କରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।”
GEN 24:18 ତହିଁରେ ସେ କହିଲା, “ମହାଶୟ, ପାନ କରନ୍ତୁ,” ଏହା କହି ସେ ଶୀଘ୍ର କଳସ ହାତକୁ ଓହ୍ଲାଇ ତାହାକୁ ପାନ କରିବାକୁ ଦେଲା।
GEN 24:19 ପୁଣି, ତାହାକୁ ପାନ କରାଇଲା ଉତ୍ତାରେ କହିଲା, “ମଧ୍ୟ ତୁମ୍ଭର ଓଟ ସବୁ ପାଣି ପିଇ ସାରିବା ଯାଏ ମୁଁ ପାଣି କାଢ଼ିବି।”
GEN 24:20 ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ପାଣି ଢାଳି ପୁନଶ୍ଚ ପାଣି କାଢ଼ିବା ପାଇଁ କୂପ ନିକଟକୁ ଧାଇଁଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢ଼ିଲା।
GEN 24:21 ତହିଁରେ ସେହି ପୁରୁଷ ତାହା ପ୍ରତି ସ୍ଥିର ଦୃଷ୍ଟି କରି ଅନାଇ ରହିଲା; ପୁଣି, ସଦାପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ, ତାହା ଜାଣିବା ନିମନ୍ତେ ନିରବ ରହିଲା।
GEN 24:22 ପୁଣି, ଓଟମାନେ ଜଳ ପାନ କଲା ଉତ୍ତାରେ ସେହି ପୁରୁଷ ତାହା ନିମନ୍ତେ ଅଧଭରି ପରିମିତ ସୁବର୍ଣ୍ଣ ନଥ ଓ ତାହାର ହସ୍ତ ନିମନ୍ତେ ଦଶଭରି ପରିମିତ ଦୁଇ ସୁବର୍ଣ୍ଣ ବଳା ନେଇ କହିଲା,
GEN 24:23 “ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା, ମୋତେ କୁହ। ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି?”
GEN 24:24 ତହିଁରେ ସେ ଉତ୍ତର କଲା, “ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।”
GEN 24:25 ସେ ଆହୁରି କହିଲା, “ଆମ୍ଭମାନଙ୍କର ପାଳକୁଟା ଓ ଦାନା ଯଥେଷ୍ଟ ଅଛି, ମଧ୍ୟରାତ୍ର କ୍ଷେପଣ କରିବାକୁ ସ୍ଥାନ ଅଛି।”
GEN 24:26 ସେତେବେଳେ ସେହି ମନୁଷ୍ୟ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା,
GEN 24:27 “ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହେଉନ୍ତୁ, ଯେହେତୁ ସେ ମୋʼ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି; ପୁଣି, ସଦାପ୍ରଭୁ ମୋତେ ମୋʼ କର୍ତ୍ତାର ଜ୍ଞାତିମାନଙ୍କ ଗୃହ ପଥରେ କଢ଼ାଇ ଆଣିଅଛନ୍ତି।”
GEN 24:28 ଆଉ ସେହି କନ୍ୟା ଦୌଡ଼ିଯାଇ ଆପଣା ମାତାର ଗୃହସ୍ଥିତ ଲୋକମାନଙ୍କୁ ଏହି କଥା ଜଣାଇଲା।
GEN 24:29 ଆଉ ରିବିକାର ଏକ ଭ୍ରାତା ଥିଲା, ତାହାର ନାମ ଲାବନ; ସେହି ଲାବନ ସେହି ମନୁଷ୍ୟ ଉଦ୍ଦେଶ୍ୟରେ କୂପ ନିକଟକୁ ଦୌଡ଼ିଗଲା।
GEN 24:30 ପୁଣି, ସେହି ମନୁଷ୍ୟ ମୋତେ ଏହି ଏହି କଥା କହିଲା, ଆପଣା ଭଗିନୀ ରିବିକା ମୁଖରୁ ଏହା ଶୁଣି ଆଉ ଭଗିନୀର ନଥ ଓ ହସ୍ତରେ ବଳା ଦେଖି ସେହି ପୁରୁଷ ନିକଟକୁ ଗଲା, ପୁଣି, ତାହାକୁ କୂପ ପାଖରେ ଓଟମାନଙ୍କ ସହିତ ଛିଡ଼ା ହୋଇଥିବାର ଦେଖି କହିଲା,
GEN 24:31 “ହେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ଭିତରକୁ ଆସ, ତୁମ୍ଭେ କାହିଁକି ବାହାରେ ଛିଡ଼ା ହେଉଅଛ? ମୁଁ ତ ଘର ଓ ଓଟମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିଅଛି।”
GEN 24:32 ତହିଁରେ ସେହି ମନୁଷ୍ୟ ଗୃହରେ ପ୍ରବେଶ କରି ଓଟମାନଙ୍କର ସାଜ ଫିଟାନ୍ତେ, ସେ ସେମାନଙ୍କୁ ପାଳକୁଟା ଓ ଦାନା ଦେଲା, ପୁଣି, ତାହାର ଓ ତାହାର ସଙ୍ଗୀମାନଙ୍କର ପାଦ ପ୍ରକ୍ଷାଳନ ନିମନ୍ତେ ପାଣି ଦେଲା।
GEN 24:33 ଏଥିଉତ୍ତାରେ ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା; ମାତ୍ର ସେ କହିଲା, “ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ।” ତହିଁରେ ଲାବନ କହିଲା, “କୁହ।”
GEN 24:34 ତେବେ ସେ କହିଲା, “ମୁଁ ଅବ୍ରହାମଙ୍କର ଦାସ।
GEN 24:35 ସଦାପ୍ରଭୁ ମୋʼ କର୍ତ୍ତାଙ୍କୁ ଅତିଶୟ ଆଶୀର୍ବାଦ କରିଅଛନ୍ତି, ତେଣୁ ସେ ଅତି ଧନବାନ ହୋଇଅଛନ୍ତି; ଆଉ ସଦାପ୍ରଭୁ ତାଙ୍କୁ ପଲ ପଲ ଗୋମେଷାଦି ଓ ରୂପା ସୁନା ଓ ଦାସଦାସୀ, ପୁଣି, ଓଟ ଗଧ ଦେଇଅଛନ୍ତି।
GEN 24:36 ପୁଣି, ମୋʼ ପ୍ରଭୁଙ୍କ ଭାର୍ଯ୍ୟା ସାରା ବୃଦ୍ଧାବସ୍ଥାରେ ତାଙ୍କ ପାଇଁ ଏକ ପୁତ୍ର ପ୍ରସବ କରିଅଛନ୍ତି ଓ ସେ ତାଙ୍କୁ ଆପଣା ସର୍ବସ୍ୱ ଦେଇଅଛନ୍ତି।
GEN 24:37 ପୁଣି, ମୋହର ପ୍ରଭୁ ମୋତେ ଶପଥ କରାଇ କହିଲେ, ‘ଆମ୍ଭେ ଯେଉଁମାନଙ୍କ ମଧ୍ୟରେ ବାସ କରୁଅଛୁ, ତୁମ୍ଭେ ଆମ୍ଭ ପୁତ୍ରର ବିବାହ ନିମନ୍ତେ ସେହି କିଣାନ ଦେଶୀୟ ଲୋକମାନଙ୍କ ମଧ୍ୟରୁ କୌଣସି କନ୍ୟା ଗ୍ରହଣ କରିବ ନାହିଁ;
GEN 24:38 ମାତ୍ର ଆମ୍ଭ ପୈତୃକ ବଂଶୀୟ ଲୋକମାନଙ୍କ ନିକଟକୁ ଯାଇ ଆମ୍ଭ ପୁତ୍ର ନିମନ୍ତେ କନ୍ୟା ଆଣିବ।’
GEN 24:39 ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, ‘କେଜାଣି କୌଣସି କନ୍ୟା ମୋʼ ସଙ୍ଗରେ ନ ଆସିବ।’
GEN 24:40 ତହିଁରେ ସେ କହିଲେ, ‘ଆମ୍ଭେ ଯେଉଁ ସଦାପ୍ରଭୁଙ୍କ ଛାମୁରେ ଗମନାଗମନ କରୁ, ସେ ତୁମ୍ଭ ସଙ୍ଗରେ ଆପଣା ଦୂତ ପଠାଇ ତୁମ୍ଭ ଯାତ୍ରା ସଫଳ କରିବେ; ତହିଁରେ ତୁମ୍ଭେ ଆମ୍ଭ ପୈତୃକ ବଂଶରୁ ଆମ୍ଭ ପୁତ୍ର ନିମନ୍ତେ କନ୍ୟା ଆଣିବ;
GEN 24:41 ଆଉ ତୁମ୍ଭେ ଆମ୍ଭ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେ ଏହି ଶପଥରୁ ମୁକ୍ତ ହେବ; ଯଦ୍ୟପି ସେମାନେ କନ୍ୟା ନ ଦେବେ, ତଥାପି ଶପଥରୁ ମୁକ୍ତ ହେବ।’
GEN 24:42 ଏହେତୁ ଆଜି ମୁଁ ଏହି କୂପ ନିକଟରେ ଉପସ୍ଥିତ ହୋଇ ଏହି ପ୍ରାର୍ଥନା କଲି, ‘ହେ ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଯଦି ମୋହର କୃତ ଯାତ୍ରା ସଫଳ କର,
GEN 24:43 ତେବେ ଦେଖ, ମୁଁ ଏବେ ଏହି ସଜଳ କୂପ ନିକଟରେ ଛିଡ଼ା ହୋଇଅଛି। ତହିଁରେ ଜଳ କାଢ଼ିବାକୁ ଆଗତା କୌଣସି କନ୍ୟାକୁ ଯଦି ମୁଁ କହେ, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ;
GEN 24:44 ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।’
GEN 24:45 ଏହି କଥା ମୁଁ ମନେ ମନେ କହୁଥିଲି, ଏଥିମଧ୍ୟରେ ରିବିକା ସ୍କନ୍ଧରେ କଳସ ଘେନି ବାହାରକୁ ଆସିଲା। ପୁଣି, ସେ କୂପ ଭିତରକୁ ଯାଇ ଜଳ କାଢ଼ନ୍ତେ ମୁଁ କହିଲି, ‘ବିନୟ କରୁଅଛି, ମୋତେ ଜଳ ପାନ କରାଅ।’
GEN 24:46 ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଁଇ କହିଲା, ‘ପାନ କର, ପୁଣି, ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି;’ ତହୁଁ ମୁଁ ପାନ କଲି, ପୁଣି, ସେ ଓଟମାନଙ୍କୁ ପାନ କରାଇଲା।
GEN 24:47 ଏଥିଉତ୍ତାରେ ମୁଁ ତାହାକୁ ପଚାରିଲି, ‘ତୁମ୍ଭେ କାହାର କନ୍ୟା?’ ତହିଁରେ ସେ କହିଲା, ‘ନାହୋରର ଔରସରେ ମିଲ୍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।’ ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି।
GEN 24:48 ଆଉ ମୁଁ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି, ପୁଣି, ଯେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭ୍ରାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋʼ କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି।
GEN 24:49 ଏହେତୁ ତୁମ୍ଭେମାନେ ଯଦି ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି।
GEN 24:50 ସେତେବେଳେ ଲାବନ ଓ ବଥୂୟେଲ ଉତ୍ତର କଲେ, ସଦାପ୍ରଭୁଙ୍କଠାରୁ ଏହି ଘଟଣା ହୋଇଅଛି, ଏଥିରେ ଆମ୍ଭେମାନେ ଭଲ ଓ ମନ୍ଦ କିଛି କହି ନ ପାରୁ।
GEN 24:51 ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାହାକୁ ଘେନି ପ୍ରସ୍ଥାନ କର, ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ତୁମ୍ଭ କର୍ତ୍ତାଙ୍କ ପୁତ୍ରର ଭାର୍ଯ୍ୟା ହେଉ।”
GEN 24:52 ସେତେବେଳେ ଅବ୍ରହାମଙ୍କର ଦାସ ସେମାନଙ୍କଠାରୁ ଏହି କଥା ଶୁଣିବାମାତ୍ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିଷ୍ଠ ପ୍ରଣାମ କଲା।
GEN 24:53 ଏଥିଉତ୍ତାରେ ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି, ତାହାର ଭ୍ରାତା ଓ ମାତାକୁ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ ଦେଲା।
GEN 24:54 ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ; ଏଥିଉତ୍ତାରେ ସେମାନେ ପ୍ରଭାତରେ ଉଠନ୍ତେ, ସେହି ଦାସ କହିଲା, “ମୋʼ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର।”
GEN 24:55 ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, “ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛି ଦିନ, ହୋଇ ପାରିଲେ ଦଶ ଦିନ ଥାଉ, ତହିଁ ଉତ୍ତାରେ ସେ ଯିବ।”
GEN 24:56 ମାତ୍ର ସେ ସେମାନଙ୍କୁ କହିଲା, “ମୋତେ ବିଳମ୍ବ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।”
GEN 24:57 ତହିଁରେ ସେମାନେ କହିଲେ, “ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରୁ।”
GEN 24:58 ଏଥିଉତ୍ତାରେ ସେମାନେ ରିବିକାକୁ ଡାକି କହିଲେ, “ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ?” ତହୁଁ ସେ କହିଲା, “ଯିବି।”
GEN 24:59 ସେତେବେଳେ ସେମାନେ ଆପଣା ଭଗିନୀ ରିବିକାକୁ ଓ ତାହାର ଧାତ୍ରୀକୁ, ପୁଣି, ଅବ୍ରହାମଙ୍କର ଦାସ ଓ ତାହାର ଲୋକମାନଙ୍କୁ ବିଦାୟ କଲେ।
GEN 24:60 ପୁଣି, ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।”
GEN 24:61 ଏଥିଉତ୍ତାରେ ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହିରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା।
GEN 24:62 ସେହି ସମୟରେ ଇସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା।
GEN 24:63 ପୁଣି, ସନ୍ଧ୍ୟା ବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା; ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା।
GEN 24:64 ସେତେବେଳେ ରିବିକା ଅନାଇ ଇସ୍‌ହାକକୁ ଦେଖି ଓଟ ଉପରୁ ଓହ୍ଲାଇଲା।
GEN 24:65 ପୁଣି, ସେ ସେହି ଦାସକୁ ପଚାରିଲା, “ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ?” ତହିଁରେ ଦାସ ଉତ୍ତର କଲା, “ସେ ମୋହର ପ୍ରଭୁ,” ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା।
GEN 24:66 ଏଥିଉତ୍ତାରେ ସେହି ଦାସ ଇସ୍‌ହାକକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା।
GEN 24:67 ସେତେବେଳେ ଇସ୍‌ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନିଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା। ତହିଁରେ ଇସ୍‌ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା।
GEN 25:1 ଅବ୍ରହାମ କଟୂରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ।
GEN 25:2 ସେ ତାଙ୍କ ନିମନ୍ତେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା।
GEN 25:3 ସେହି ଯକ୍‍ଷନ୍‍ ଶିବା ଓ ଦଦାନକୁ ଜାତ କଲା। ଦଦାନ ଅଶୂରୀୟ ଓ ଲଟୂଶୀୟ ଓ ଲୀୟମ୍ମୀୟ ଲୋକମାନଙ୍କର ଆଦିପୁରୁଷ।
GEN 25:4 ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା; ଏସମସ୍ତେ କଟୂରାର ସନ୍ତାନ।
GEN 25:5 ଏଥିଉତ୍ତାରେ ଅବ୍ରହାମ ଇସ୍‌ହାକକୁ ଆପଣାର ସର୍ବସ୍ୱ ଦେଲେ।
GEN 25:6 ମାତ୍ର ଅବ୍ରହାମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସ୍‌ହାକ ନିକଟରୁ ସେମାନଙ୍କୁ ପୂର୍ବଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ।
GEN 25:7 ଅବ୍ରହାମଙ୍କର ଆୟୁର ପରିମାଣ ଶହେ ପଞ୍ଚସ୍ତରି ବର୍ଷ; ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ।
GEN 25:8 ଏଥିଉତ୍ତାରେ ଅବ୍ରହାମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ; ଆଉ, ପୂର୍ବରୁ ମୃତ୍ୟୁବରଣ କରିଥିବା ଆପଣା ପୂର୍ବପୁରୁଷଗଣ ସହିତ ଜଡିତ ହେଲେ।
GEN 25:9 ଆଉ ତାଙ୍କର ପୁତ୍ର ଇସ୍‌ହାକ ଓ ଇଶ୍ମାୟେଲ ମମ୍ରିର ସମ୍ମୁଖରେ ହିତ୍ତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍‍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ।
GEN 25:10 ଯେହେତୁ ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା।
GEN 25:11 ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍‌ହାକଙ୍କୁ ଆଶୀର୍ବାଦ କଲେ; ପୁଣି, ଇସ୍‌ହାକ ବେର-ଲହୟ-ରୋୟୀ ନାମକ ସ୍ଥାନରେ ବସତି କଲେ।
GEN 25:12 ସାରାର ଦାସୀ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରହାମଙ୍କର ସେହି ପୁତ୍ର ଇଶ୍ମାୟେଲର ବଂଶାବଳୀ।
GEN 25:13 ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାୟେଲର ସନ୍ତାନମାନଙ୍କ ନାମ ଏହି। ଇଶ୍ମାୟେଲର ଜ୍ୟେଷ୍ଠ ପୁତ୍ର ନବାୟୋତ୍‍; ତାହା ଉତ୍ତାରେ କେଦାର ଓ ଅଦ୍‍ବେଲ ଓ ମିବ୍‍ସମ୍‍,
GEN 25:14 ମିଶ୍ମା ଓ ଦୂମା ଓ ମସା,
GEN 25:15 ଓ ହଦଦ୍‍ ଓ ତେମା ଓ ଯିଟୁର ଓ ନାଫୀଶ୍‍ ଓ କେଦମା।
GEN 25:16 ଏହି ସମସ୍ତେ ଇଶ୍ମାୟେଲର ସନ୍ତାନ, ପୁଣି, ସେମାନଙ୍କ ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣି-ସ୍ଥାନ ଥିଲା; ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ ଦ୍ୱାଦଶ ଅଧିପତି ଥିଲେ।
GEN 25:17 ଇଶ୍ମାୟେଲର ଆୟୁର ପରିମାଣ ଶହେ ସଇଁତିରିଶ ବର୍ଷ ଥିଲା; ତହୁଁ ସେ ପ୍ରାଣତ୍ୟାଗ କଲା; ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା।
GEN 25:18 ଏଥିଉତ୍ତାରେ ତାହାର ସନ୍ତାନମାନେ ହବୀଲା ଓ ମିସରର ପୂର୍ବସ୍ଥିତ ଶୂରଠାରୁ ଅଶୂରୀୟା ଦିଗରେ ବସତି କଲେ। ଏହିରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା।
GEN 25:19 ଅବ୍ରହାମଙ୍କର ପୁତ୍ର ଇସ୍‌ହାକଙ୍କର ବଂଶାବଳୀ। ଅବ୍ରହାମ ଇସ୍‌ହାକଙ୍କୁ ଜାତ କଲେ;
GEN 25:20 ସେହି ଇସ୍‌ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍‍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍‍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ।
GEN 25:21 ଇସ୍‌ହାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ, ତାହାର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା।
GEN 25:22 ଏଥିଉତ୍ତାରେ ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ, “ମୋହର ଏପରି କାହିଁକି ହେଲା? ଏପରି କି ହୋଇଥାଏ?” ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା।
GEN 25:23 ତହିଁରେ ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ; ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ, ପୁଣି, ଜ୍ୟେଷ୍ଠ କନିଷ୍ଠର ସେବା କରିବ।”
GEN 25:24 ଏଥିଉତ୍ତାରେ ପ୍ରସବକାଳ ସମ୍ପୂର୍ଣ୍ଣ ହୁଅନ୍ତେ, ତାହାର ଗର୍ଭରୁ ଯାଆଁଳା ପୁତ୍ର ଜନ୍ମିଲେ।
GEN 25:25 ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରି ଥିଲା; ଏହେତୁ ତାହାର ନାମ ଏଷୌ ଦିଆଗଲା।
GEN 25:26 ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।
GEN 25:27 ଏଥିଉତ୍ତାରେ ବାଳକମାନେ ବଢ଼ିଲା ଉତ୍ତାରେ ଏଷୌ ମୃଗୟାନିପୁଣ ଓ ବନବିହାରୀ ହେଲା; ପୁଣି, ଯାକୁବ ମୃଦୁ ମନୁଷ୍ୟ ଓ ତମ୍ବୁବାସୀ ହେଲା।
GEN 25:28 ଇସ୍‌ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲା।
GEN 25:29 ଏକ ଦିନ ଯାକୁବ ଡାଲି ରାନ୍ଧୁଥିଲା, ସେହି ସମୟରେ ଏଷୌ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲା;
GEN 25:30 ତହୁଁ ସେ ଯାକୁବକୁ କହିଲା, “ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ,” ଏହି ନିମନ୍ତେ ତାହାର ନାମ ଇଦୋମ୍‍ (ରଙ୍ଗା) ଖ୍ୟାତ ହେଲା।
GEN 25:31 ସେତେବେଳେ ଯାକୁବ କହିଲା, “ଆଜି ତୁମ୍ଭେ ମୋତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର।”
GEN 25:32 ଏଷୌ ଉତ୍ତର କଲା, “ଦେଖ, ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ?”
GEN 25:33 ଯାକୁବ କହିଲା, “ତୁମ୍ଭେ ଆଜି ମୋʼ ନିକଟରେ ଶପଥ କର,” ତହିଁରେ ସେ ତାହା ନିକଟରେ ଶପଥ କଲା। ଏହିରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା।
GEN 25:34 ତହୁଁ ଯାକୁବ ଏଷୌକୁ ରୁଟି ଓ ରନ୍ଧା ମସୁର ଡାଲି ଦିଅନ୍ତେ, ସେ ଭୋଜନପାନ କରି ଉଠିଗଲା। ଏହିରୂପେ ଏଷୌ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛଜ୍ଞାନ କଲା।
GEN 26:1 ପୂର୍ବେ ଅବ୍ରହାମଙ୍କର, ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସ୍‌ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ।
GEN 26:2 ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ତୁମ୍ଭେ ମିସର ଦେଶକୁ ଯାଅ ନାହିଁ; ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର।
GEN 26:3 ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି, ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରହାମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା।
GEN 26:4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।
GEN 26:5 ଯେହେତୁ ଅବ୍ରହାମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି।”
GEN 26:6 ତହିଁରେ ଇସ୍‌ହାକ ଗରାରଠାରେ ବାସ କଲେ।
GEN 26:7 ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, “ସେ ମୋହର ଭଗିନୀ,” ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ; ଯେହେତୁ ସେ ପରମସୁନ୍ଦରୀ ଥିଲା।
GEN 26:8 ପୁଣି, ସେହି ସ୍ଥାନରେ ବହୁ କାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସ୍‌ହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ।
GEN 26:9 ତେଣୁ ଅବିମେଲକ ଇସ୍‌ହାକଙ୍କୁ ଡକାଇ କହିଲେ, “ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ‘ତୁମ୍ଭେ ତାହାକୁ ଆପଣା ଭଗିନୀ’ ବୋଲି କିପରି କହିଲ?” ସେତେବେଳେ ଇସ୍‌ହାକ ଉତ୍ତର କଲେ, “ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁୁ ହେବ।”
GEN 26:10 ତହିଁରେ ଅବିମେଲକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏ କି ବ୍ୟବହାର କଲ? କୌଣସି ଲୋକ ତୁମ୍ଭ ଭାର୍ଯ୍ୟା ସଙ୍ଗେ ଅନାୟାସରେ ଶୟନ କରି ପାରନ୍ତା, ତାହାହେଲେ ତୁମ୍ଭେ ଆମ୍ଭମାନଙ୍କୁ ଦୋଷଗ୍ରସ୍ତ କରନ୍ତ।”
GEN 26:11 ଏଥିଉତ୍ତାରେ ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, “ଯେକେହି ସେହି ମନୁଷ୍ୟକୁ କିଅବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ।”
GEN 26:12 ଏଥିଉତ୍ତାରେ ଇସ୍‌ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।
GEN 26:13 ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି, ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ
GEN 26:14 ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି, ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ।
GEN 26:15 ଏଣୁ ତାଙ୍କର ପିତା ଅବ୍ରହାମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟୀୟ ଲୋକମାନେ ମୃତ୍ତିକା ଦ୍ୱାରା ସେହି ସବୁ ପୋତି ପକାଇଲେ।
GEN 26:16 ଏଥିଉତ୍ତାରେ ଅବିମେଲକ ଇସ୍‌ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ।”
GEN 26:17 ତହିଁରେ ଇସ୍‌ହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେହିଠାରେ ବାସ କଲେ।
GEN 26:18 ପୁଣି, ଆପଣା ପିତା ଅବ୍ରହାମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପଲେଷ୍ଟୀୟମାନେ ପୋତି ପକାଇଥିଲେ, ସେହି ସମସ୍ତ ଇସ୍‌ହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ।
GEN 26:19 ଆଉ ଇସ୍‌ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ।
GEN 26:20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍‌ହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର,” ଏଣୁ ସେ ସେହି କୂପର ନାମ “ଏଷକ” (ବିବାଦ) ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ।
GEN 26:21 ଏଥିଉତ୍ତାରେ ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ; ତହୁଁ ଇସ୍‌ହାକ ତହିଁର ନାମ “ସିଟ୍ନା” (ଶତ୍ରୁତା) ରଖିଲେ।
GEN 26:22 ପୁଣି, ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ୍‍ (ପ୍ରଶସ୍ତ ସ୍ଥାନ) ରଖିଲେ; କାରଣ ସେ କହିଲେ, “ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା।”
GEN 26:23 ଏଥିଉତ୍ତାରେ ସେ ସେହି ସ୍ଥାନରୁ ବେର୍‍ଶେବାକୁ ଗଲେ।
GEN 26:24 ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ୱର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ସକାଶୁ ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।”
GEN 26:25 ଏଥିଉତ୍ତାରେ ଇସ୍‌ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏଥିଉତ୍ତାରେ ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟିଏ କୂପ ଖୋଳିଲେ।
GEN 26:26 ଏଥିଉତ୍ତାରେ ଅବିମେଲକ ଅହୁଷତ୍‍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକୁ ସଙ୍ଗରେ ଘେନି ଗରାରଠାରୁ ଇସ୍‌ହାକଙ୍କ ନିକଟକୁ ଗଲେ।
GEN 26:27 ତହିଁରେ ଇସ୍‌ହାକ ସେମାନଙ୍କୁ କହିଲେ, “ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି, ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ, ଏବେ ମୋʼ ନିକଟକୁ କାହିଁକି ଆସିଅଛ?”
GEN 26:28 ତହିଁରେ ସେମାନେ ଉତ୍ତର କଲେ, “ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ; ଏହେତୁ କହିଲୁ, ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମ୍ଭମାନଙ୍କ ସହିତ ତୁମ୍ଭର ଏହି ଏକ ନିୟମ ହେଉ;
GEN 26:29 ଆମ୍ଭେମାନେ ଯେପରି ତୁମ୍ଭକୁ ସ୍ପର୍ଶ କରି ନାହୁଁ ଓ ତୁମ୍ଭର ମଙ୍ଗଳ ବିନୁ ଆଉ କିଛି କରି ନାହୁଁ, ବରଞ୍ଚ ତୁମ୍ଭକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମ୍ଭେ ଆମ୍ଭମାନଙ୍କୁ ହିଂସା କରିବ ନାହିଁ; ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର।”
GEN 26:30 ସେତେବେଳେ ଇସ୍‌ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ।
GEN 26:31 ଏଥିଉତ୍ତାରେ ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ। ପୁଣି, ଇସ୍‌ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ।
GEN 26:32 ସେହି ଦିନ ଇସ୍‌ହାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ବାଦ ଦେଇ ତାଙ୍କୁ କହିଲେ, “ଆମ୍ଭେମାନେ ଜଳ ପାଇଅଛୁ।”
GEN 26:33 ଏହେତୁ ସେ ସେହି କୂପର ନାମ ଶୀବା ରଖିଲେ, ପୁଣି, ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନଗର ବେର୍‍ଶେବା ନାମରେ ଖ୍ୟାତ ଅଟେ।
GEN 26:34 ଏଥିଉତ୍ତାରେ ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍‍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନ୍‍ର ବାସମତ୍‍ ନାମ୍ନୀ କନ୍ୟାକୁ ବିବାହ କଲେ।
GEN 26:35 ମାତ୍ର ସେମାନେ ଇସ୍‌ହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ।
GEN 27:1 ଏଥିଉତ୍ତାରେ ଇସ୍‌ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।”
GEN 27:2 ତହୁଁ ସେ ତାହାଙ୍କୁ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁ ଦିନ ମୋହର ମୃତ୍ୟୁୁ ହେବ, ତାହା ମୁଁ ଜାଣେ ନାହିଁ।
GEN 27:3 ଏବେ ବିନୟ କରୁଅଛି, ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋʼ ନିମନ୍ତେ ମୃଗ ଆଣ।
GEN 27:4 ପୁଣି, ମୁଁ ଯେରୂପ ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”
GEN 27:5 ଇସ୍‌ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
GEN 27:6 ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି,
GEN 27:7 ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’
GEN 27:8 ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ।
GEN 27:9 ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପାʼନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
GEN 27:10 ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”
GEN 27:11 ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, “ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ।
GEN 27:12 ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି।”
GEN 27:13 ମାତ୍ର ତାହାର ମାତା କହିଲା, “ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋʼ କଥା ମାନ ଓ ଯାଇ ଛେଳିଛୁଆ ଆଣ।”
GEN 27:14 ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା।
GEN 27:15 ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା।
GEN 27:16 ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
GEN 27:17 ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା।
GEN 27:18 ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, “ପିତଃ,” ସେ ଉତ୍ତର କଲେ, “ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ?”
GEN 27:19 ଯାକୁବ ଆପଣା ପିତାଙ୍କୁ କହିଲା, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କରିଅଛି, ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି, ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
GEN 27:20 ତହିଁରେ ଇସ୍‌ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।”
GEN 27:21 ଇସ୍‌ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋʼ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।”
GEN 27:22 ତହୁଁ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟକୁ ଯାʼନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।”
GEN 27:23 ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ।
GEN 27:24 ଏଥିଉତ୍ତାରେ ସେ କହିଲେ, “ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏଷୌ?” ସେ କହିଲା, “ହଁ, ମୁଁ ସେହି।”
GEN 27:25 ସେତେବେଳେ ଇସ୍‌ହାକ କହିଲେ, “ତାହା ମୋʼ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବି।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍‌ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ।
GEN 27:26 ଏଥିଉତ୍ତାରେ ତାହାର ପିତା ଇସ୍‌ହାକ କହିଲେ, “ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ବନ କର।”
GEN 27:27 ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍‌ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋʼ ପୁତ୍ରର ସୁଗନ୍ଧି;
GEN 27:28 ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
GEN 27:29 ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି, ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି, ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
GEN 27:30 ଏହି ପ୍ରକାରେ ଇସ୍‌ହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାହାର ଭ୍ରାତା ଏଷୌ ଶିକାରରୁ ଆସିଲା।
GEN 27:31 ପୁଣି, ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, “ପିତଃ, ଆପଣ ଉଠି ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
GEN 27:32 ତହିଁରେ ତାହାର ପିତା ଇସ୍‌ହାକ କହିଲେ, “ତୁମ୍ଭେ କିଏ?” ସେ କହିଲା, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ।”
GEN 27:33 ସେତେବେଳେ ଇସ୍‌ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋʼ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।”
GEN 27:34 ଏଷୌ ପିତାଙ୍କର ଏହି କଥା ଶୁଣିବାମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି, ଆପଣା ପିତାଙ୍କୁ କହିଲା, “ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।”
GEN 27:35 ତହିଁରେ ଇସ୍‌ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।”
GEN 27:36 ତହିଁରେ ଏଷୌ କହିଲା, “ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇ ଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି, ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ମଧ୍ୟ ହରଣ କରିଅଛି।” ସେ ପୁନର୍ବାର କହିଲା, “ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?”
GEN 27:37 ତହୁଁ ଇସ୍‌ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?”
GEN 27:38 ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।
GEN 27:39 ତହୁଁ ତାହାର ପିତା ଇସ୍‌ହାକ ଉତ୍ତର ଦେଇ କହିଲେ, “ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ।
GEN 27:40 ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ।”
GEN 27:41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
GEN 27:42 ମାତ୍ର, ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି।
GEN 27:43 ଏଥିପାଇଁ, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ।
GEN 27:44 ପୁଣି, ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ;
GEN 27:45 ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରିଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଗୋଟିଏ ଦିନରେ ତୁମ୍ଭ ଦୁଇ ଜଣଙ୍କୁ କାହିଁକି ହରାଇବି?”
GEN 27:46 ଏଥିଉତ୍ତାରେ ରିବିକା ଇସ୍‌ହାକଙ୍କୁ କହିଲା, “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍‍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ?”
GEN 28:1 ଏଥିଉତ୍ତାରେ ଇସ୍‌ହାକ ଯାକୁବଙ୍କୁ ଡକାଇ ଆଶୀର୍ବାଦ କଲେ ଏବଂ ଏହି ଆଜ୍ଞା ଦେଇ ତାହାଙ୍କୁ କହିଲେ, “ତୁମ୍ଭେ କିଣାନ ଦେଶର କୌଣସି କନ୍ୟାକୁ ବିବାହ କରିବ ନାହିଁ।
GEN 28:2 ଉଠ, ପଦ୍ଦନ୍‍ ଅରାମରେ ଆପଣା ମାତାର ପିତା ବଥୂୟେଲର ଗୃହକୁ ଯାଇ ସେଠାରେ ଆପଣା ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର।
GEN 28:3 ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ତୁମ୍ଭକୁ ନାନା ଜନସମାଜ କରିବା ପାଇଁ ଫଳବନ୍ତ ଓ ବହୁ ପ୍ରଜାବନ୍ତ କରନ୍ତୁ।
GEN 28:4 ଆଉ ଅବ୍ରହାମଙ୍କ ପ୍ରତି ଦତ୍ତ ଆଶୀର୍ବାଦ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଫଳ କରନ୍ତୁ; ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଏହି ଯେଉଁ ଦେଶ ଅବ୍ରହାମଙ୍କୁ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭର ଅଧିକାର ହେଉ।”
GEN 28:5 ଏଥିଉତ୍ତାରେ ଇସ୍‌ହାକ ଯାକୁବଙ୍କୁ ବିଦାୟ କରନ୍ତେ, ସେ ପଦ୍ଦନ୍‍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଲାବନର, ଅର୍ଥାତ୍‍, ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ଯାତ୍ରା କଲା।
GEN 28:6 ଏଥିଉତ୍ତାରେ ଇସ୍‌ହାକ ଯାକୁବଙ୍କୁ ଆଶୀର୍ବାଦ କରି ବିବାହ ନିମନ୍ତେ ପଦ୍ଦନ୍‍ ଅରାମକୁ ବିଦାୟ କଲେ, ପୁଣି, ଯାକୁବଙ୍କୁ ଆଶୀର୍ବାଦ କରିବା ସମୟରେ ତାହାଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ କିଣାନ ଦେଶର କୌଣସି କନ୍ୟା ବିବାହ କର ନାହିଁ।”
GEN 28:7 ଆଉ ଯାକୁବ ଆପଣା ପିତାମାତାଙ୍କର ଆଜ୍ଞା ମାନି ପଦ୍ଦନ୍‍ ଅରାମକୁ ପ୍ରସ୍ଥାନ କରିଅଛି,
GEN 28:8 ଏହା ଦେଖି ଏଷୌ ଆପଣା ପିତା ଇସ୍‌ହାକଙ୍କର କିଣାନ ଦେଶୀୟ କନ୍ୟାମାନଙ୍କ ପ୍ରତି ଅସନ୍ତୋଷ ଥିବାର ଜାଣି
GEN 28:9 ଆପଣାର ଭାର୍ଯ୍ୟାଗଣ ଥିଲେ ହେଁ ଇଶ୍ମାୟେଲ ନିକଟକୁ ଯାଇ ଅବ୍ରହାମଙ୍କର ପୌତ୍ରୀ ଇଶ୍ମାୟେଲର ପୁତ୍ରୀ ନବାୟୋତ୍‍ର ଭଗିନୀ ମହଲତ୍‍ ନାମ୍ନୀ କନ୍ୟାକୁ ବିବାହ କଲା।
GEN 28:10 ଏଥିଉତ୍ତାରେ ଯାକୁବ ବେର୍‍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା।
GEN 28:11 ପୁଣି, ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ରାତ୍ରି କ୍ଷେପଣ କଲା; ପୁଣି, ସେ ସେହି ସ୍ଥାନର ଖଣ୍ଡିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା।
GEN 28:12 ତହିଁରେ ସେ ସ୍ୱପ୍ନରେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ; ପୁଣି, ଦେଖ, ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି।
GEN 28:13 ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଅଟୁ; ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା।
GEN 28:14 ତୁମ୍ଭର ବଂଶ ପୃଥିବୀର ଧୂଳି ପରି (ଅସଂଖ୍ୟ) ହେବେ, ପୁଣି, ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ, ଚାରିଆଡ଼େ ବୃଦ୍ଧି ପାଇବ; ପୁଣି, ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ।
GEN 28:15 ପୁଣି, ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା; କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ।”
GEN 28:16 ଏଥିଉତ୍ତାରେ ନିଦ୍ରା ଭଙ୍ଗ ହୁଅନ୍ତେ, ଯାକୁବ ଜାଗ୍ରତ ହୋଇ କହିଲା, “ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି; ମାତ୍ର ମୁଁ ତାହା ଜାଣିଲି ନାହିଁ।”
GEN 28:17 ପୁଣି, ସେ ଭୀତ ହୋଇ ଆହୁରି କହିଲା, “ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର।”
GEN 28:18 ଏଥିଉତ୍ତାରେ ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା।
GEN 28:19 ପୁଣି, ସେହି ସ୍ଥାନର ନାମ ବେଥେଲ୍‍ ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍‍ ଥିଲା।
GEN 28:20 ଆଉ ଯାକୁବ ମାନତ କରି କହିଲା, “ଯଦି ପରମେଶ୍ୱର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି, ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ,
GEN 28:21 ଆଉ ଯଦି ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ୱର ହେବେ,
GEN 28:22 ପୁଣି, ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହାସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି।”
GEN 29:1 ଏଥିଉତ୍ତାରେ ଯାକୁବ ଯାତ୍ରାରେ ଅଗ୍ରସର ହୋଇ ପୂର୍ବଦିଗସ୍ଥ ଲୋକମାନଙ୍କ ଦେଶରେ ଉପସ୍ଥିତ ହେଲା।
GEN 29:2 ତହୁଁ ସେ ଅନାଇଲା, ଆଉ ଦେଖ, କ୍ଷେତ୍ର ମଧ୍ୟରେ ଗୋଟିଏ କୂପ, ପୁଣି, ଦେଖ, ତହିଁ ନିକଟରେ ତିନି ପଲ ମେଷ ଶୋଇଛନ୍ତି; କାରଣ ଲୋକମାନେ ମେଷପଲକୁ ସେହି କୂପରୁ ଜଳ ପାନ କରାନ୍ତି; ସେହି କୂପ ମୁଖରେ ଖଣ୍ଡିଏ ବଡ଼ ପଥର ଘୋଡ଼ା ହୋଇଥାଏ।
GEN 29:3 ସେହି କୂପ ନିକଟରେ ସବୁ ପଲ ଏକତ୍ର ହୁଅନ୍ତି; ଆଉ, ଲୋକମାନେ ତାʼ ମୁଖରୁ ପଥର ଘୁଞ୍ଚାଇ ମେଷଗଣକୁ ଜଳ ପାନ କରାନ୍ତି, ପୁନର୍ବାର କୂପ ମୁଖରେ ଯଥାସ୍ଥାନରେ ପଥରଟା ଢାଙ୍କି ଦିଅନ୍ତି।
GEN 29:4 ଯାକୁବ ସେମାନଙ୍କୁ ପଚାରିଲା, “ହେ ଭାଇମାନେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ?” ସେମାନେ କହିଲେ, “ଆମ୍ଭେମାନେ ହାରଣ ନଗରର ଲୋକ।”
GEN 29:5 ତେବେ ଯାକୁବ ପଚାରିଲା, “ତୁମ୍ଭେମାନେ ନାହୋରର ପୌତ୍ର ଲାବନଙ୍କୁ ଚିହ୍ନ କି?” ସେମାନେ କହିଲେ, “ଆମ୍ଭେମାନେ ତାକୁ ଚିହ୍ନୁ।”
GEN 29:6 ଯାକୁବ ପଚାରିଲା, “ସେ କୁଶଳରେ ଅଛନ୍ତି ତ?” ସେମାନେ କହିଲେ, “କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି।”
GEN 29:7 ସେତେବେଳେ ଯାକୁବ କହିଲା, “ଦେଖ, ଏବେ ବହୁତ ବେଳ ଅଛି; ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ; ତୁମ୍ଭେମାନେ ମେଷଗଣକୁ ଜଳ ପାନ କରାଇ ପୁନର୍ବାର ଚରାଇବାକୁ ଘେନିଯାଅ।”
GEN 29:8 ମାତ୍ର ସେମାନେ କହିଲେ, “ତାହା ଆମ୍ଭେମାନେ କରି ନ ପାରୁ; ସମସ୍ତ ପଲ ଏକତ୍ର ହେବାର ଅପେକ୍ଷା କରିବାକୁ ହୁଏ; ତହିଁ ଉତ୍ତାରେ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଯାଏ, ତାହାହେଲେ, ଆମ୍ଭେମାନେ ମେଷଗଣକୁ ଜଳ ପାନ କରାଉ।”
GEN 29:9 ଯାକୁବ ସେମାନଙ୍କ ସହିତ ଏପ୍ରକାର କଥାବାର୍ତ୍ତା କରୁଅଛି, ଏଥିମଧ୍ୟରେ ରାହେଲ ଆପଣା ପିତାଙ୍କର ମେଷପଲ ଘେନି ଉପସ୍ଥିତ ହେଲା, କାରଣ ସେ ମେଷପାଳିକା ଥିଲା।
GEN 29:10 ସେତେବେଳେ ଯାକୁବ ଆପଣା ମାମୁଁ ଲାବନର କନ୍ୟା ରାହେଲକୁ ଓ ମାମୁଁର ମେଷପଲକୁ ଦେଖି ନିକଟକୁ ଯାଇ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଇ ମାମୁଁ ଲାବନର ପଲକୁ ଜଳ ପାନ କରାଇଲା।
GEN 29:11 ଏଥିଉତ୍ତାରେ ଯାକୁବ ରାହେଲକୁ ଚୁମ୍ବନ କରି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା।
GEN 29:12 ପୁଣି, ଆପେ ଯେ ତାହାର ପିତାଙ୍କର କୁଟୁମ୍ବ ଓ ରିବିକାର ପୁତ୍ର, ଏହି ପରିଚୟ ଦେଲା; ତହୁଁ ରାହେଲ ଦୌଡ଼ିଯାଇ ଆପଣା ପିତାକୁ ସମାଚାର ଦେଲା।
GEN 29:13 ତହିଁରେ ଲାବନ ଆପଣା ଭଣଜା ଯାକୁବର ସମାଚାର ପାଇ ତାହା ସଙ୍ଗେ ସାକ୍ଷାତ କରିବାକୁ ଦୌଡ଼ିଗଲା, ପୁଣି, ତାହାକୁ ଆଲିଙ୍ଗନ ଓ ଚୁମ୍ବନ କରି ଆପଣା ଗୃହକୁ ନେଇଗଲା; ତହୁଁ ସେ ସମସ୍ତ ବିବରଣ ଲାବନକୁ ଜଣାଇଲା।
GEN 29:14 ତହିଁରେ ଲାବନ କହିଲା, “ତୁମ୍ଭେ ନିତାନ୍ତ ଆମ୍ଭର ଅସ୍ଥି ଓ ମାଂସ ସ୍ୱରୂପ।” ତେଣୁ ଯାକୁବ ତାହାର ଗୃହରେ ମାସେ କାଳ ବାସ କଲା।
GEN 29:15 ଏଥିଉତ୍ତାରେ ଲାବନ ଯାକୁବଙ୍କୁ କହିଲା, “ତୁମ୍ଭେ ମୋହର କୁଟୁମ୍ବ ବୋଲି କି ବିନା ବେତନରେ ମୋହର ଦାସ୍ୟକର୍ମ କରିବ? ଏଣୁ କି ବେତନ ନେବ? ତାହା କୁହ।”
GEN 29:16 ସେହି ଲାବନର ଦୁଇ କନ୍ୟା ଥିଲେ; ଜ୍ୟେଷ୍ଠାର ନାମ ଲେୟା, କନିଷ୍ଠାର ନାମ ରାହେଲ।
GEN 29:17 ଲେୟା କ୍ଷୀଣାକ୍ଷୀ, ମାତ୍ର ରାହେଲ ସୁନ୍ଦରୀ ଓ ରୂପବତୀ ଥିଲା।
GEN 29:18 ଆଉ ଯାକୁବ ରାହେଲକୁ ପ୍ରେମ କଲା; ଏଥିନିମିତ୍ତ ସେ ଉତ୍ତର କଲା, “ତୁମ୍ଭର କନିଷ୍ଠା କନ୍ୟା ରାହେଲ ନିମନ୍ତେ ମୁଁ ସାତ ବର୍ଷ ତୁମ୍ଭର ଦାସ୍ୟକର୍ମ କରିବି।”
GEN 29:19 ତହିଁରେ ଲାବନ କହିଲା, “ଅନ୍ୟ ପୁରୁଷକୁ ଦାନ କରିବା ଅପେକ୍ଷା ତୁମ୍ଭକୁ ଦାନ କରିବା ଅଧିକ ଉତ୍ତମ; ମୋʼ ନିକଟରେ ଥାଅ।”
GEN 29:20 ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି, ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।
GEN 29:21 ଏଥିଉତ୍ତାରେ ଯାକୁବ ଲାବନକୁ କହିଲା, “ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋʼ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି।”
GEN 29:22 ତହିଁରେ ଲାବନ ସେହି ସ୍ଥାନର ସମସ୍ତ ଲୋକଙ୍କୁ ଏକତ୍ର କରି ଭୋଜ ପ୍ରସ୍ତୁତ କଲା।
GEN 29:23 ସନ୍ଧ୍ୟାକାଳରେ ସେ ଆପଣା କନ୍ୟା ଲେୟାକୁ ଘେନି ଯାକୁବ ନିକଟକୁ ଆଣିଲା; ପୁଣି, ସେ ତାହାର ସହବାସ କଲା।
GEN 29:24 ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲା।
GEN 29:25 ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା! ତହୁଁ ଯାକୁବ ଲାବନଙ୍କୁ କହିଲା, “ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କରିଅଛ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କାହିଁକି ମୋତେ ପ୍ରବଞ୍ଚନା କରିଅଛ?”
GEN 29:26 ତହିଁରେ ଲାବନ କହିଲା, “ଜ୍ୟେଷ୍ଠା ଥାଉ ଥାଉ କନିଷ୍ଠାକୁ ଦାନ କରିବା ଆମ୍ଭମାନଙ୍କ ଦେଶାଚାର ନୁହେଁ।
GEN 29:27 ଏହାର ସପ୍ତାହ ପୂର୍ଣ୍ଣ କର, ତହିଁ ଉତ୍ତାରେ ଯଦି ଆଉ ସାତ ବର୍ଷ ମୋହର ଦାସ୍ୟକର୍ମ କରିବ, ତେବେ ଅନ୍ୟ କନ୍ୟାକୁ ହିଁ ତୁମ୍ଭକୁ ଦାନ କରିବି।”
GEN 29:28 ତହିଁରେ ଯାକୁବ ସେହି ପ୍ରକାରେ ତାହାର ସପ୍ତାହ ପୂର୍ଣ୍ଣ କଲା; ତହୁଁ ଲାବନ ତାହା ସହିତ ଆପଣା କନ୍ୟା ରାହେଲକୁ ବିବାହ କରିଦେଲା।
GEN 29:29 ପୁଣି, ରାହେଲର ଦାସୀ ହେବା ନିମନ୍ତେ ସେ ଆପଣାର ବିଲ୍‌ହା ନାମ୍ନୀ ଦାସୀକୁ ଦେଲା।
GEN 29:30 ତହୁଁ ସେ ରାହେଲର ମଧ୍ୟ ସହବାସ କଲା ଓ ଲେୟାଠାରୁ ରାହେଲକୁ ଅଧିକ ପ୍ରେମ କଲା; ପୁଣି, ଆଉ ସାତ ବର୍ଷ ଲାବନର ଦାସ୍ୟକର୍ମ କଲା।
GEN 29:31 ଏଥିଉତ୍ତାରେ ସଦାପ୍ରଭୁ ଲେୟାକୁ ଅପମାନିତା ଦେଖି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ; ମାତ୍ର ରାହେଲ ବନ୍ଧ୍ୟା ହେଲା।
GEN 29:32 ଏଥିପାଇଁ ଲେୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ତାହାର ନାମ ରୁବେନ୍‍ (ପୁତ୍ରକୁ ଦେଖ) ଦେଲା; ଯେହେତୁ ସେ କହିଲା, “ସଦାପ୍ରଭୁ ମୋହର ଦୁଃଖ ଦେଖିଅଛନ୍ତି; ଏବେ ମୋʼ ସ୍ୱାମୀ ମୋତେ ଭଲ ପାଇବେ।”
GEN 29:33 ଆଉ, ସେ ପୁନର୍ବାର ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ମୁଁ ଅପମାନିତା ଅଟେ, ଏହା ସଦାପ୍ରଭୁ ଶ୍ରବଣ କରି ମୋତେ ଏହି ପୁତ୍ର ଦେଲେ,” ଏଣୁ ସେ ତାହାର ନାମ ଶିମୀୟୋନ (ଶ୍ରବଣ) ଦେଲା।
GEN 29:34 ପୁନର୍ବାର ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ଏଥର ସ୍ୱାମୀ ମୋʼ ଠାରେ ଆସକ୍ତ ହେବେ, ଯେହେତୁ ମୁଁ ତାଙ୍କର ତିନି ପୁତ୍ର ପ୍ରସବ କରିଅଛି,” ଏହେତୁ ତାହାର ନାମ ଲେବୀ (ଆସକ୍ତ) ଦେଲା।
GEN 29:35 ଏଥିଉତ୍ତାରେ ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି କହିଲା, “ଏବେ ମୁଁ ସଦାପ୍ରଭୁଙ୍କ ସ୍ତବଗାନ କରିବି,” ତେଣୁ ସେ ତାହାର ନାମ ଯିହୁଦା (ସଦାପ୍ରଭୁଙ୍କ ସ୍ତବ) ଦେଲା। ଏଥିଉତ୍ତାରେ ତାହାର ଗର୍ଭନିବୃତ୍ତି ହେଲା।
GEN 30:1 ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।”
GEN 30:2 ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି, ସେ କହିଲା, “ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇ ନାହାନ୍ତି।”
GEN 30:3 ସେତେବେଳେ ରାହେଲ କହିଲା, “ଏହି ଦେଖ, ମୋହର ଦାସୀ ବିଲ୍‌ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋʼ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି।”
GEN 30:4 ପୁଣି, ସେ ଆପଣା ଦାସୀ ବିଲ୍‌ହାକୁ ତାହା ସହିତ ବିବାହ ଦେଲା।
GEN 30:5 ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍‌ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା।
GEN 30:6 ସେତେବେଳେ ରାହେଲ କହିଲା, “ପରମେଶ୍ୱର ମୋହର ବିଚାର କଲେ, ମଧ୍ୟ ମୋହର କାକୂକ୍ତି ଶୁଣି ମୋତେ ପୁତ୍ର ଦେଲେ,” ଏଥିପାଇଁ ସେ ତାହାର ନାମ ଦାନ୍ (ବିଚାର) ରଖିଲା।
GEN 30:7 ଏଥିଉତ୍ତାରେ ରାହେଲର ଦାସୀ ବିଲ୍‌ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
GEN 30:8 ସେତେବେଳେ ରାହେଲ କହିଲା, “ମୁଁ ଭଗିନୀ ସହିତ ପରମେଶ୍ୱର ସମ୍ବନ୍ଧୀୟ ମଲ୍ଲଯୁଦ୍ଧ କରି ଜୟ କଲି,” ଏଥିପାଇଁ ସେ ତାହାର ନାମ ନପ୍ତାଲି (ମଲ୍ଲଯୁଦ୍ଧ) ରଖିଲା।
GEN 30:9 ଏଥିଉତ୍ତାରେ ଲେୟା ଆପଣାର ଗର୍ଭନିବୃତ୍ତି ବୁଝି ଆପଣାର ସିଳ୍ପା ନାମ୍ନୀ ଦାସୀକୁ ଘେନି ଯାକୁବ ସହିତ ବିବାହ ଦେଲା।
GEN 30:10 ତହିଁରେ ଲେୟାର ଦାସୀ ସିଳ୍ପାଠାରୁ ଯାକୁବର ଗୋଟିଏ ପୁତ୍ର ଜାତ ହେଲା।
GEN 30:11 ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍‍ (ସୌଭାଗ୍ୟ) ରଖିଲା।
GEN 30:12 ଏଥିଉତ୍ତାରେ ଲେୟାର ଦାସୀ ସିଳ୍ପା ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
GEN 30:13 ତହିଁରେ ଲେୟା କହିଲା, “ମୋହର କି ଆନନ୍ଦ! ଯୁବତୀଗଣ ମୋତେ ଆନନ୍ଦିନୀ ବୋଲିବେ,” ଏଥିପାଇଁ ସେ ତାହାର ନାମ ଆଶେର (ଆନନ୍ଦ) ରଖିଲା।
GEN 30:14 ଏଥିଉତ୍ତାରେ ଗହମ କଟା ସମୟରେ ରୁବେନ୍‍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, “ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
GEN 30:15 ତହିଁରେ ସେ କହିଲା, “ତୁମ୍ଭେ ମୋʼ ସ୍ୱାମୀକୁ ହରଣ କରିଅଛ, ଏ କି ଅଳ୍ପ ବିଷୟ? ତୁମ୍ଭେ ମୋʼ ପୁତ୍ରର ଦୂଦାଫଳ ମଧ୍ୟ କି ହରଣ କରିବ?” ତେବେ ରାହେଲ କହିଲା, “ତୁମ୍ଭର ପୁତ୍ରର ଦୂଦାଫଳ ପରିବର୍ତ୍ତରେ ସେ ଆଜି ରାତ୍ର ତୁମ୍ଭ ସଙ୍ଗେ ଶୟନ କରିବେ।”
GEN 30:16 ଏଥିଉତ୍ତାରେ ସନ୍ଧ୍ୟା ବେଳେ କ୍ଷେତ୍ରରୁ ଯାକୁବର ଆଗମନ ସମୟରେ ଲେୟା ତାହା ସହିତ ସାକ୍ଷାତ କରିବା ନିମିତ୍ତ ବାହାରକୁ ଯାଇ କହିଲା, “ତୁମ୍ଭକୁ ମୋʼ କତିକି ଆସିବାକୁ ହେବ; କାରଣ ମୁଁ ଆପଣା ପୁତ୍ରର ଦୂଦାଫଳ ଦେଇ ତୁମ୍ଭକୁ ଭଡ଼ା ନେଲି।” ଏଣୁ ସେ ସେହି ରାତ୍ରି ତାହା ସହିତ କ୍ଷେପଣ କଲା।
GEN 30:17 ତହିଁରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣନ୍ତେ, ସେ ଗର୍ଭବତୀ ହୋଇ ଯାକୁବର ପଞ୍ଚମ ପୁତ୍ର ପ୍ରସବ କଲା।
GEN 30:18 ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।
GEN 30:19 ଏଥିଉତ୍ତାରେ ଲେୟା ପୁନର୍ବାର ଗର୍ଭଧାରଣ କରି ଯାକୁବର ଷଷ୍ଠ ପୁତ୍ର ପ୍ରସବ କଲା।
GEN 30:20 ତହୁଁ ଲେୟା କହିଲା, “ପରମେଶ୍ୱର ମୋତେ ଉତ୍ତମ ଯୌତୁକ ଦେଲେ; ଏବେ ମୋʼ ସ୍ୱାମୀ ମୋʼ ସଙ୍ଗେ ବାସ କରିବେ, ଯେହେତୁ ମୁଁ ତାଙ୍କର ଛଅ ପୁତ୍ର ଜନ୍ମ କରିଅଛି,” ଏହେତୁ ସେ ତାହାର ନାମ ସବୂଲୂନ ରଖିଲା।
GEN 30:21 ଏଉତ୍ତାରେ ସେ ଏକ କନ୍ୟା ପ୍ରସବ କରନ୍ତେ, ତାହାର ନାମ ଦୀଣା ରଖିଲା।
GEN 30:22 ଏଥିଉତ୍ତାରେ ପରମେଶ୍ୱର ରାହେଲକୁ ସ୍ମରଣ କଲେ ଓ ପରମେଶ୍ୱର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
GEN 30:23 ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ପରମେଶ୍ୱର ଏବେ ମୋହର ଅପମାନ ଦୂର କଲେ।”
GEN 30:24 ଏଣୁ ସେ ତାହାର ନାମ ଯୋଷେଫ ଦେଇ, କହିଲା, “ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦିଅନ୍ତୁ।”
GEN 30:25 ଆଉ ରାହେଲଠାରୁ ଯୋଷେଫ ଜନ୍ମ ହେଲା ଉତ୍ତାରେ ଯାକୁବ ଲାବନକୁ କହିଲା, “ମୋତେ ବିଦାୟ କର, ମୁଁ ସ୍ୱ ସ୍ଥାନକୁ ଓ ନିଜ ଦେଶକୁ ଯିବି।
GEN 30:26 ମୁଁ ଯେଉଁମାନଙ୍କ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରିଅଛି, ମୋହର ସେହି ଭାର୍ଯ୍ୟାମାନଙ୍କୁ ଓ ପୁତ୍ରଗଣକୁ ନେଇ ଯିବାକୁ ଦିଅ; ଯେହେତୁ ଯେଉଁ ପ୍ରକାରେ ତୁମ୍ଭର ଦାସ୍ୟକର୍ମ କରିଅଛି, ତାହା ତୁମ୍ଭେ ଜ୍ଞାତ ଅଟ।”
GEN 30:27 ସେତେବେଳେ ଲାବନ ତାହାକୁ କହିଲା, “ବିନୟ କରୁଅଛି, ତୁମ୍ଭେ ମୋʼ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ୱାରା ଜାଣିଅଛି।”
GEN 30:28 ଏହେତୁ “ତୁମ୍ଭେ ଆପେ ନିଜ ବେତନ ସ୍ଥିର କର, ମୁଁ ତାହା ତୁମ୍ଭକୁ ଦେବି।”
GEN 30:29 ତହୁଁ ଯାକୁବ ତାହାଙ୍କୁ କହିଲା, “ମୁଁ ତୁମ୍ଭର ଯେଉଁ ପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
GEN 30:30 କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?”
GEN 30:31 ତହିଁରେ ଲାବନ କହିଲା, “ମୁଁ ତୁମ୍ଭକୁ କଅଣ ଦେବି?” ଯାକୁବ କହିଲା, “ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯଦି ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
GEN 30:32 ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କଳାବର୍ଣ୍ଣର ମେଷମାନଙ୍କୁ, ପୁଣି, ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବେତନ ସ୍ୱରୂପ ହେବ।
GEN 30:33 ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍‍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”
GEN 30:34 ତହୁଁ ଲାବନ କହିଲା, “ଭଲ, ତୁମ୍ଭ କଥାନୁସାରେ ହେଉ।”
GEN 30:35 ଏଥିଉତ୍ତାରେ ସେ ସେହି ଦିନ ରେଖାଙ୍କିତ ଓ ବିନ୍ଦୁଚିହ୍ନିତ ଛାଗସକଳ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମଧ୍ୟ କିଞ୍ଚିତ ଶୁକ୍ଳବର୍ଣ୍ଣ ଛାଗୀସକଳ, ପୁଣି, କଳାବର୍ଣ୍ଣର ମେଷସକଳ ପୃଥକ ପୃଥକ କରି ଆପଣା ପୁତ୍ରମାନଙ୍କ ହସ୍ତରେ ସମର୍ପଣ କଲା;
GEN 30:36 ଆଉ ସେ ଆପଣାର ଓ ଯାକୁବର ମଧ୍ୟରେ ତିନି ଦିନର ପଥରୁ ଦୂରରେ ରଖିଲା; ପୁଣି, ଯାକୁବ ଲାବନର ଅବଶିଷ୍ଟ ପଶୁପଲ ଚରାଇବାକୁ ଲାଗିଲା।
GEN 30:37 ଆଉ ଯାକୁବ ଲିବ୍‍ନୀ ଓ ଲୂସ୍‍ ଓ ଅର୍ମୋନ୍‍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍‍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
GEN 30:38 ଏଥିଉତ୍ତାରେ ଯେଉଁ ସ୍ଥାନକୁ ପଶୁଗଣ ଜଳ ପାନ କରିବା ନିମନ୍ତେ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବଳ୍‍କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲା; ତହୁଁ ଜଳ ପାନ କରିବା ସମୟରେ ସେମାନେ ଫଳବତୀ ହେଲେ।
GEN 30:39 ପୁଣି, ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛୁଆ ପ୍ରସବ କଲେ।
GEN 30:40 ତହିଁରେ ଯାକୁବ ସେହି ଛୁଆମାନଙ୍କୁ ଭିନ୍ନ ଭିନ୍ନ କଲା, ପୁଣି, ଲାବନର ରେଖାଙ୍କିତ ଓ କଳାବର୍ଣ୍ଣର ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲା; ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ନ ରଖି ପୃଥକ କଲା।
GEN 30:41 ପୁଣି, ବଳିଷ୍ଠ ପଶୁଗଣ ଯେପରି ଶାଖା ନିକଟରେ ଗର୍ଭଧାରଣ କରନ୍ତି, ଏଥିପାଇଁ ଜଳକୁଣ୍ଡ ମଧ୍ୟରେ ପଶୁମାନଙ୍କ ସମ୍ମୁଖରେ ସେହି ଶାଖା ରଖିଲା; ମାତ୍ର ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲା ନାହିଁ;
GEN 30:42 ତହିଁରେ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।
GEN 30:43 ଏହେତୁ ଯାକୁବ ଅତିଶୟ ବର୍ଦ୍ଧିଷ୍ଣୁ ହେଲା, ପୁଣି, ତାହାର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।
GEN 31:1 ପୁଣି, “ଯାକୁବ ଆମ୍ଭମାନଙ୍କ ପିତାଙ୍କର ସର୍ବସ୍ୱ ହରଣ କରିଅଛି ଓ ଆମ୍ଭମାନଙ୍କ ପିତାଙ୍କର ଧନରୁ ତାହାର ଏହି ସମସ୍ତ ଐଶ୍ୱର୍ଯ୍ୟ ହୋଇଅଛି,” ଲାବନର ପୁତ୍ରମାନଙ୍କର ଏହି କଥା ଯାକୁବ ଶୁଣିଲା।
GEN 31:2 ପୁଣି, ଲାବନ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା।
GEN 31:3 ଏଥିଉତ୍ତାରେ ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା।”
GEN 31:4 ଏଣୁ ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା,
GEN 31:5 “ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି।
GEN 31:6 ମୁଁ ଆପଣାର ସବୁ ବଳ ଦେଇ ତୁମ୍ଭମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଅଛି, ଏହା ତୁମ୍ଭେମାନେ ଜାଣ।
GEN 31:7 ତଥାପି ତୁମ୍ଭମାନଙ୍କ ପିତା ମୋତେ ପ୍ରବଞ୍ଚନା କରି ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛନ୍ତି; ମାତ୍ର ପରମେଶ୍ୱର ତାଙ୍କୁ ମୋହର କ୍ଷତି କରିବାକୁ ଦେଇ ନାହାନ୍ତି।
GEN 31:8 ଯେହେତୁ ‘ଚିତ୍ରବିଚିତ୍ର ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଆପେ ଯେତେବେଳେ ଏହି କଥା କହିଲେ, ସେତେବେଳେ ସମସ୍ତ ପଶୁ ଚିତ୍ରବିଚିତ୍ର ଛୁଆ ପ୍ରସବ କଲେ; ପୁଣି, ‘ରେଖାଙ୍କିତ ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଯେତେବେଳେ ଏହା କହିଲେ, ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ।
GEN 31:9 ଏହିରୂପେ ପରମେଶ୍ୱର ତୁମ୍ଭମାନଙ୍କ ପିତାଙ୍କର ପଶୁଧନ ନେଇ ମୋତେ ଦେଲେ।
GEN 31:10 କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ୱପ୍ନରେ ଅନାଇ ଦେଖିଲି, ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ।
GEN 31:11 ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ, ମୁଁ କହିଲି, ‘ଦେଖନ୍ତୁ, ମୁଁ ଏଠାରେ।’
GEN 31:12 ତହିଁରେ ସେ କହିଲେ, ‘ଏବେ ଅନାଇ ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ; ଯେହେତୁ ତୁମ୍ଭ ପ୍ରତି ଲାବନ ଯେରୂପ ବ୍ୟବହାର କରଇ, ତାହା ଆମ୍ଭେ ଦେଖିଲୁ।
GEN 31:13 ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବେଥେଲ୍‍ର ପରମେଶ୍ୱର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ!’”
GEN 31:14 ତହିଁରେ ରାହେଲ ଓ ଲେୟା ଉତ୍ତର କଲେ, “ପିତାଙ୍କ ଗୃହରେ ଆମ୍ଭମାନଙ୍କର କି ଆଉ କିଛି ବାଣ୍ଟ ଓ ଅଧିକାର ଅଛି?
GEN 31:15 ଆମ୍ଭେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୋହୁଁ? ଯେହେତୁ ସେ ଆମ୍ଭମାନଙ୍କୁ ବିକ୍ରି କରି ଆମ୍ଭମାନଙ୍କର ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି।
GEN 31:16 ଏହେତୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହି ସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର। ଏଣୁ ପରମେଶ୍ୱର ତୁମ୍ଭକୁ ଯାହା କହିଲେ, ତୁମ୍ଭେ ତାହା କର।”
GEN 31:17 ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା;
GEN 31:18 ପୁଣି, ଆପଣା ଉପାର୍ଜ୍ଜିତ ପଶ୍ୱାଦି ସକଳ ଧନ, ଅର୍ଥାତ୍‍, ପଦ୍ଦନ୍‍ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍‌ହାକ ନିକଟକୁ ପ୍ରସ୍ଥାନ କଲା।
GEN 31:19 ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।
GEN 31:20 ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ବାଦ ନ ଦେଇ ଅରାମୀୟ ଲାବନକୁ ପ୍ରବଞ୍ଚନା କଲା।
GEN 31:21 ଏହି ପ୍ରକାରେ ସେ ଆପଣା ସର୍ବସ୍ୱ ଘେନି ପଳାୟନ କଲା, ପୁଣି, ଉଠି (ଫରାତ୍‍) ନଦୀ ପାର ହୋଇ ଗିଲୀୟଦ ପର୍ବତ ଆଡ଼େ ଦୃଷ୍ଟି କରି ଚାଲିଲା।
GEN 31:22 ଏଥିଉତ୍ତାରେ ତୃତୀୟ ଦିବସରେ ଲାବନକୁ ଯାକୁବର ପଳାୟନ ସମ୍ବାଦ ଦିଆଗଲା।
GEN 31:23 ତହିଁରେ ସେ ଆପଣା କୁଟୁମ୍ବମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ ସାତ ଦିନର ବାଟ ଦୌଡ଼ିଯାଇ ଗିଲୀୟଦ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା।
GEN 31:24 ମାତ୍ର ପରମେଶ୍ୱର ରାତ୍ରିକାଳେ ସ୍ୱପ୍ନରେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, “ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।”
GEN 31:25 ଏଥିଉତ୍ତାରେ ଲାବନ ଯାକୁବର ସଙ୍ଗ ଧରିଲା ସମୟରେ ଯାକୁବର ତମ୍ବୁ ପର୍ବତ ଉପରେ ସ୍ଥାପିତ ଥିଲା; ତହିଁରେ ଲାବନ ହିଁ କୁଟୁମ୍ବମାନଙ୍କ ସହିତ ଗିଲୀୟଦ ପର୍ବତରେ ତମ୍ବୁ ସ୍ଥାପନ କଲା।
GEN 31:26 ପୁଣି, ଲାବନ ଯାକୁବକୁ କହିଲା, “ତୁମ୍ଭେ କାହିଁକି ଏହିପରି କର୍ମ କଲ? ମୋତେ ପ୍ରବଞ୍ଚନା କଲ, ପୁଣି, ମୋʼ କନ୍ୟାମାନଙ୍କୁ ଖଡ୍ଗଧୃତ ବନ୍ଦୀଲୋକଙ୍କ ପରି ଘେନି ଆସିଲ।
GEN 31:27 ତୁମ୍ଭେ ମୋତେ ପ୍ରବଞ୍ଚନା କରି କାହିଁକି ଗୋପନରେ ପଳାଇ ଆସିଲ? କାହିଁକି ମୋତେ ସମ୍ବାଦ ଦେଲ ନାହିଁ? ଦେଇଥିଲେ, ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ, ପୁଣି, ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥାʼନ୍ତି।
GEN 31:28 ତୁମ୍ଭେ ମୋହର ପୁତ୍ରକନ୍ୟାମାନଙ୍କୁ ଚୁମ୍ବନ କରିବାକୁ ମଧ୍ୟ ମୋତେ ସୁଯୋଗ ଦେଲ ନାହିଁ, ଏ ଅତି ଅଜ୍ଞାତର କର୍ମ।
GEN 31:29 ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ, ମାତ୍ର ଗତରାତ୍ରି ତୁମ୍ଭର ପୈତୃକ ପରମେଶ୍ୱର ମୋତେ କହିଲେ, ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।
GEN 31:30 ଆଉ ପିତୃଗୃହକୁ ଝୁରିବାରୁ ଯଦି ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ?”
GEN 31:31 ତହିଁରେ ଯାକୁବ ଲାବନକୁ ଉତ୍ତର କଲା, “ମୋହର ଭୟ ହେଲା; କାରଣ କେଜାଣି ତୁମ୍ଭେ ମୋʼ ଠାରୁ ଆପଣା କନ୍ୟାଗଣଙ୍କୁ ବଳପୂର୍ବକ ଛଡ଼ାଇ ନେବ, ଏପରି ବିଚାର କଲି।
GEN 31:32 ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ; ମୋʼ ଠାରେ ତୁମ୍ଭର ଯାହା ଅଛି, ତାହା ଆମ୍ଭମାନଙ୍କ କୁଟୁମ୍ବଗଣର ସାକ୍ଷାତରେ ଚିହ୍ନି କରି ନିଅ,” ଯେହେତୁ ଯାକୁବ ରାହେଲର ସେହି ଚୋରି କରିବା ବିଷୟ ଜାଣି ନ ଥିଲା।
GEN 31:33 ତହୁଁ ଲାବନ ଯାକୁବର ତମ୍ବୁଗୃହ ଓ ଲେୟାର ତମ୍ବୁଗୃହ ଓ ଦୁଇ ଦାସୀର ତମ୍ବୁଗୃହକୁ ଯାଇ ଅନ୍ୱେଷଣ କଲା; ମାତ୍ର ପାଇଲା ନାହିଁ। ଏଣୁ ସେ ଲେୟାର ତମ୍ବୁଗୃହ ଛାଡ଼ି ରାହେଲର ତମ୍ବୁଗୃହରେ ପ୍ରବେଶ କଲା।
GEN 31:34 ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ତହିଁରେ ଲାବନ ତାହାର ତମ୍ବୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ।
GEN 31:35 ସେତେବେଳେ ରାହେଲ ପିତାକୁ କହିଲା, “ମୁଁ ଆପଣଙ୍କ ଛାମୁରେ ଉଠି ପାରିଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀଧର୍ମିଣୀ ହୋଇଅଛି।” ଏହିରୂପେ ସେ ଅନ୍ୱେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ।
GEN 31:36 ତହୁଁ ଯାକୁବ କ୍ରୋଧ ହୋଇ ଲାବନକୁ ଭର୍ତ୍ସନା କଲା; ପୁଣି, ଯାକୁବ ଲାବନକୁ ଉତ୍ତର କରି କହିଲା, “ମୋହର କି ଦୋଷ ଓ କି ପାପ ହେଲା ଯେ, ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋʼ ପଛେ ପଛେ ଦୌଡ଼ି ଆସିଲ?
GEN 31:37 ତୁମ୍ଭେ ତ ମୋର ସବୁ ଦ୍ରବ୍ୟ ଖୋଜିଲ, ଆଉ ତୁମ୍ଭ ଗୃହର କୌଣସି ଦ୍ରବ୍ୟ ପାଇଲ କି? ତାହା ମୋହର ଓ ତୁମ୍ଭର ଏହି କୁଟୁମ୍ବମାନଙ୍କ ସାକ୍ଷାତରେ ରଖିଦିଅ, ଏମାନେ ଆମ୍ଭ ଦୁହିଁଙ୍କର ବିଚାର କରନ୍ତୁ।
GEN 31:38 ଏହି କୋଡ଼ିଏ ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି। ତୁମ୍ଭର ମେଷୀ ଓ ଛାଗୀମାନଙ୍କର ଗର୍ଭପାତ ହୋଇ ନାହିଁ, କିଅବା ମୁଁ ତୁମ୍ଭ ପଲର ମେଣ୍ଢାମାନଙ୍କୁ ଖାଇ ନାହିଁ।
GEN 31:39 ବରଞ୍ଚ ହିଂସ୍ରକ ଜନ୍ତୁ ଯାହାକୁ ଖଣ୍ଡିଆ କଲା, ତାହା ସୁଦ୍ଧା ତୁମ୍ଭ କତିକି ଆଣିଲି ନାହିଁ; ସେ କ୍ଷତି ଆପେ ସହିଲି; ଦିନରେ ଚୋରି ଯାଉ କି ରାତିରେ ଚୋରି ଯାଉ, ତାହା ତୁମ୍ଭେ ମୋʼ ହାତରୁ ନେଲ।
GEN 31:40 ଦିନରେ ଖରା, ରାତିରେ କାକର, ମୋତେ ଗ୍ରାସ କଲା; ମୋʼ ଆଖିରୁ ନିଦ ପଳାଇଗଲା; ଏହିପରି ମୁଁ ଥିଲି;
GEN 31:41 ମୁଁ କୋଡ଼ିଏ ବର୍ଷ କାଳ ତୁମ୍ଭ ଘରେ ରହିଲି; ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉଦ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ ଦାସ୍ୟକର୍ମ କଲି; ଏଥିମଧ୍ୟରେ ତୁମ୍ଭେ ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛ।
GEN 31:42 ମୋର ପୈତୃକ ପରମେଶ୍ୱର, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ଭୟସ୍ଥାନ ଯଦି ମୋହର ସହାୟ ହୋଇ ନ ଥାʼନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ଖାଲି ହାତରେ ବିଦାୟ କରିଥାʼନ୍ତ। ପରମେଶ୍ୱର ମୋହର ଦୁଃଖ ଓ ହସ୍ତର ପରିଶ୍ରମ ଦେଖିଅଛନ୍ତି; ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”
GEN 31:43 ତହିଁରେ ଲାବନ ଯାକୁବକୁ ଉତ୍ତର କଲା, “ଏହି କନ୍ୟାମାନେ ମୋହର କନ୍ୟା ଓ ଏହି ବାଳକମାନେ ମୋହର ବାଳକ ଓ ଏହି ପଶୁପଲ ମୋହର ପଶୁପଲ, ପୁଣି, ଯାହା ଯାହା ଦେଖୁଅଛ, ସେହି ସବୁ ମୋହର; ଏହେତୁ ମୋହର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ପ୍ରସୂତ ସନ୍ତାନମାନଙ୍କୁ ମୁଁ କଅଣ କରିବି?
GEN 31:44 ଆସ, ଆମ୍ଭେ ଦୁହେଁ ନିୟମ ସ୍ଥିର କରୁ, ତାହା ଆମ୍ଭମାନଙ୍କର ସାକ୍ଷୀ ହେଉ।”
GEN 31:45 ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲା।
GEN 31:46 ପୁଣି, ଯାକୁବ ଆପଣା କୁଟୁମ୍ବମାନଙ୍କୁ କହିଲା, “ତୁମ୍ଭେମାନେ ପ୍ରସ୍ତର ସଂଗ୍ରହ କର;” ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ, ସମସ୍ତେ ସେହି ସ୍ଥାନରେ ସେହି ରାଶି ଉପରେ ଭୋଜନ କଲେ।
GEN 31:47 ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍‍ (ସାକ୍ଷୀ ରାଶୀ) ରଖିଲା।
GEN 31:48 ସେତେବେଳେ ଲାବନ କହିଲା, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା;” ଏଥିପାଇଁ ତାହାର ନାମ ଗଲୟଦ୍‍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା,
GEN 31:49 ଯେହେତୁ ସେ କହିଲା, “ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ, ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ।
GEN 31:50 ତୁମ୍ଭେ ଯଦି ମୋʼ କନ୍ୟାମାନଙ୍କୁ ଦୁଃଖ ଦେବ, ଅଥବା ମୋହର କନ୍ୟାମାନେ ଥାଉ ଥାଉ ଅନ୍ୟ ସ୍ତ୍ରୀମାନଙ୍କୁ ବିବାହ କରିବ, ତେବେ ସେହି ସମୟରେ କୌଣସି ମନୁଷ୍ୟ ଆମ୍ଭମାନଙ୍କ ନିକଟରେ ନ ଥିବ, ମାତ୍ର ଦେଖ, ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ସାକ୍ଷୀ ହେବେ।”
GEN 31:51 ଆହୁରି ଲାବନ ଯାକୁବକୁ କହିଲା, “ଏହି ରାଶି ଦେଖ, ପୁଣି, ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ମୋହର ସ୍ଥାପିତ ଏହି ସ୍ତମ୍ଭ ଦେଖ।
GEN 31:52 ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ, ମଧ୍ୟ ତୁମ୍ଭେ ଏହି ରାଶି ଓ ଏହି ସ୍ତମ୍ଭ ପାର ହୋଇ ମୋʼ ନିକଟକୁ ଆସିବ ନାହିଁ; ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
GEN 31:53 ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍‌ହାକର ଭୟସ୍ଥାନର ଶପଥ କଲା।
GEN 31:54 ଏଥିଉତ୍ତାରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା କୁଟୁମ୍ବମାନଙ୍କୁ ଡାକିଲା, ତହିଁରେ ସେମାନେ ଭୋଜନ କରି ପର୍ବତରେ ସାରାରାତ୍ରି ଯାପନ କଲେ।
GEN 31:55 ଏଥିଉତ୍ତାରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା; ଏହିରୂପେ ଲାବନ ସ୍ୱ ସ୍ଥାନକୁ ଫେରିଗଲା।
GEN 32:1 ତହିଁ ଉତ୍ତାରେ ଯାକୁବ ଯାତ୍ରା କରନ୍ତେ, ପରମେଶ୍ୱରଙ୍କ ଦୂତଗଣ ତାହା ସଙ୍ଗେ ଭେଟିଲେ।
GEN 32:2 ସେଥିପାଇଁ ଯାକୁବ ସେମାନଙ୍କୁ ଦେଖି କହିଲା, “ଏମାନେ ପରମେଶ୍ୱରଙ୍କ ଦଳ;” ଏଥିପାଇଁ ସେହି ସ୍ଥାନର ନାମ ମହନୟିମ (ଦୁଇ ଦଳ) ରଖିଲା।
GEN 32:3 ତହିଁ ଉତ୍ତାରେ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।
GEN 32:4 ପୁଣି, ସେ ସେମାନଙ୍କୁ ଏହି ଆଜ୍ଞା ଦେଲା, “ତୁମ୍ଭେମାନେ ଆମ୍ଭର ପ୍ରଭୁ ଏଷୌଙ୍କୁ କହିବ, ଆପଣଙ୍କ ଦାସ ଯାକୁବ ଆପଣଙ୍କୁ ଜଣାଇଲା, ‘ମୁଁ ଲାବନ ପାଖରେ ପ୍ରବାସ କରୁଥିଲି, ଆଜି ପର୍ଯ୍ୟନ୍ତ ମୋହର ବିଳମ୍ବ ହେଲା।
GEN 32:5 ମୋହର ଗୋରୁ, ଗଧ, ମେଷପଲ ଓ ଦାସଦାସୀ ଅଛନ୍ତି, ପୁଣି, ମୁଁ ଆପଣା ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଲି।’”
GEN 32:6 ଏଥିଉତ୍ତାରେ ଦୂତମାନେ ଫେରିଆସି ଯାକୁବକୁ କହିଲେ, “ଆମ୍ଭେମାନେ ଆପଣଙ୍କ ଭ୍ରାତା ଏଷୌ ନିକଟକୁ ଯାଇଥିଲୁ, ସେ ଚାରି ଶହ ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି।”
GEN 32:7 ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍‍ବିଗ୍ନ ହେଲା, ପୁଣି, ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,
GEN 32:8 “ଏଷୌ ଆସି ଯଦି ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇଯିବେ,”
GEN 32:9 ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍‌ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୋ, ତୁମ୍ଭେ ମୋତେ କହିଥିଲ, ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।’
GEN 32:10 ତୁମ୍ଭେ ଏହି ଦାସ ପ୍ରତି ଯେଉଁ ସମସ୍ତ ଦୟା ଓ ଯେଉଁ ସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର ଅଳ୍ପ ମଧ୍ୟ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇ ଦଳ ହୋଇଅଛି।
GEN 32:11 ବିନୟ କରୁଅଛି, ମୋʼ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ।
GEN 32:12 ତୁମ୍ଭେ ତ କହିଅଛ, ‘ଆମ୍ଭେ ଅବଶ୍ୟ ତୁମ୍ଭର ମଙ୍ଗଳ କରିବା, ପୁଣି, ସମୁଦ୍ରତୀରସ୍ଥ ଯେଉଁ ବାଲି ବାହୁଲ୍ୟ ହେତୁ ଗଣାଯାଇ ନ ପାରେ, ତାହା ତୁଲ୍ୟ ତୁମ୍ଭର ବଂଶ ବୃଦ୍ଧି କରିବା।’”
GEN 32:13 ଆଉ ଯାକୁବ ସେହି ସ୍ଥାନରେ ସେହି ରାତ୍ରି କ୍ଷେପଣ କଲା; ଆଉ ତାହା ନିକଟରେ ଯାହା ଥିଲା, ତହିଁରୁ ଆପଣା ଭ୍ରାତା ଏଷୌ ନିମନ୍ତେ ଭେଟି ପ୍ରସ୍ତୁତ କଲା;
GEN 32:14 ଅର୍ଥାତ୍‍, ଦୁଇ ଶହ ଛାଗୀ ଓ କୋଡ଼ିଏ ଛାଗ, ଦୁଇ ଶହ ମେଷୀ ଓ କୋଡ଼ିଏ ମେଷ,
GEN 32:15 ପୁଣି, ସବତ୍ସା ଦୁଗ୍ଧବତୀ ତିରିଶ ଉଷ୍ଟ୍ରୀ ଓ ଚାଳିଶ ଗାଭୀ ଓ ଦଶ ବୃଷ, ପୁଣି, କୋଡ଼ିଏ ଗର୍ଦ୍ଦଭୀ ଓ ଦଶଟି ବାଛୁରି ପ୍ରସ୍ତୁତ କଲା।
GEN 32:16 ଏଥିଉତ୍ତାରେ ପଲସବୁ ପୃଥକ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲା, “ତୁମ୍ଭେମାନେ ମୋʼ ଆଗେ ଆଗେ ଯାଅ, ପୁଣି, ମଧ୍ୟେ ମଧ୍ୟେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।”
GEN 32:17 ପୁଣି, ସେ ସର୍ବାଗ୍ରଗାମୀ ଦାସକୁ ଏହି ଆଜ୍ଞା ଦେଲା, “ମୋହର ଭ୍ରାତା ଏଷୌ ସହିତ ସାକ୍ଷାତ ହେଲେ, ସେ ଯଦି ପଚାରିବେ, ‘ତୁମ୍ଭେ କାହାର ଦାସ? କେଉଁଠାକୁ ଯାଉଅଛ? ପୁଣି, ତୁମ୍ଭର ଅଗ୍ରସ୍ଥିତ ଏହି ସମସ୍ତ କାହାର?’
GEN 32:18 ତେବେ ତୁମ୍ଭେ ଉତ୍ତର ଦେବ, ‘ଏହି ସମସ୍ତ ଆପଣଙ୍କ ଦାସ ଯାକୁବଙ୍କର, ଏହିସବୁ ଭେଟି ଆମ୍ଭ ପ୍ରଭୁ ଏଷୌଙ୍କ ନିମନ୍ତେ ପ୍ରେରିତ; ଦେଖନ୍ତୁ, ସେ ମଧ୍ୟ ପଛେ ପଛେ ଆସୁଅଛନ୍ତି।’”
GEN 32:19 ଏହି ପ୍ରକାରେ ସେ ଦ୍ୱିତୀୟ ଓ ତୃତୀୟ ପଲର ପଶ୍ଚାଦ୍‍ଗାମୀ ସବୁ ଦାସମାନଙ୍କୁ ଆଜ୍ଞା ଦେଇ କହିଲା, “ଏଷୌ ସଙ୍ଗରେ ସାକ୍ଷାତ ହେଲେ, ତୁମ୍ଭେମାନେ ଏହି ପ୍ରକାର କଥା କହିବ।
GEN 32:20 ଆହୁରି କହିବ, ‘ଦେଖନ୍ତୁ, ଆପଣଙ୍କ ଦାସ ଯାକୁବ ଆମ୍ଭମାନଙ୍କ ପଛେ ଆସୁଅଛନ୍ତି;’” କାରଣ ସେ ମନେ କଲେ, “ଆଗେ ଭେଟି ପଠାଇ ତାଙ୍କୁ ଶାନ୍ତ କରି ପଛେ ତାଙ୍କ ସଙ୍ଗରେ ସାକ୍ଷାତ କରିବା, ତହିଁରେ ସେ ଆମ୍ଭ ପ୍ରତି ଅନୁଗ୍ରହ କଲେ କରିପାରନ୍ତି।”
GEN 32:21 ଏହିରୂପେ ତାହା ଆଗରେ ଭେଟି ଦ୍ରବ୍ୟ ଗଲା; ମାତ୍ର ସେ ଆପେ ସେହି ରାତ୍ରି ନିଜ ଦଳ ମଧ୍ୟରେ ରହିଲା।
GEN 32:22 ଏଥିଉତ୍ତାରେ ସେ ରାତ୍ରିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନଙ୍କୁ ଯବ୍ବୋକ୍‍ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା।
GEN 32:23 ପୁଣି, ସେମାନଙ୍କୁ ନଦୀ ପାର କରାଇ ଆପଣାର ସମସ୍ତ ଦ୍ରବ୍ୟ ସେପାରିକୁ ପଠାଇଦେଲା।
GEN 32:24 ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
GEN 32:25 ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।
GEN 32:26 ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା।” ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”
GEN 32:27 ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ?” ସେ କହିଲା, “ଯାକୁବ।”
GEN 32:28 ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”
GEN 32:29 ସେତେବେଳେ ଯାକୁବ ପଚାରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ।” ସେ କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଚାରୁଅଛ?” ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ।
GEN 32:30 ସେତେବେଳେ ସେହି ସ୍ଥାନର ନାମ ପନୂୟେଲ ରଖିଲା; ଯେହେତୁ ଯାକୁବ କହିଲା, “ମୁଁ ପରମେଶ୍ୱରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା।”
GEN 32:31 ଏଥିଉତ୍ତାରେ ଯାକୁବ ପନୂୟେଲ ପାର ହୁଅନ୍ତେ, ସୂର୍ଯ୍ୟୋଦୟ ହେଲା; ମାତ୍ର ସେ ଊରୁସନ୍ଧି ସକାଶୁ ଛୋଟାଇ ଚାଲିଲା।
GEN 32:32 ଏହେତୁ ଇସ୍ରାଏଲର ସନ୍ତାନମାନେ ଆଜି ପର୍ଯ୍ୟନ୍ତ (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ।
GEN 33:1 ଏଥିଉତ୍ତାରେ ଯାକୁବ ଅନାଇ ଦେଖିଲା, ଆଉ ଦେଖ, ଏଷୌ ଉପସ୍ଥିତ, ପୁଣି, ତାହା ସଙ୍ଗେ ଚାରି ଶହ ପୁରୁଷ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା,
GEN 33:2 ଅର୍ଥାତ୍‍, ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଯୋଷେଫକୁ ରଖିଲା।
GEN 33:3 ପୁଣି, ଆପେ ସମସ୍ତଙ୍କ ଆଗେ ଯାଇ ସାତ ଥର ଭୂମିଷ୍ଠ ପ୍ରଣାମ କରୁ କରୁ ଆପଣା ଭ୍ରାତା ନିକଟରେ ଉପସ୍ଥିତ ହେଲା।
GEN 33:4 ସେତେବେଳେ ଏଷୌ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି, ଦୁହେଁ ରୋଦନ କଲେ।
GEN 33:5 ଏଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା, “ତୁମ୍ଭ ସଙ୍ଗେ ଏମାନେ କିଏ?” ତହିଁରେ ସେ କହିଲା, “ପରମେଶ୍ୱର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି।”
GEN 33:6 ତହୁଁ ଦାସୀଗଣ ଓ ସେମାନଙ୍କ ସନ୍ତାନମାନେ ନିକଟକୁ ଆସି ପ୍ରଣାମ କଲେ।
GEN 33:7 ତହିଁ ପଛେ ଲେୟା ଓ ତାହାର ସନ୍ତାନମାନେ ଆସି ପ୍ରଣାମ କଲେ; ସର୍ବଶେଷରେ ଯୋଷେଫ ଓ ରାହେଲ ନିକଟକୁ ଆସି ପ୍ରଣାମ କଲେ।
GEN 33:8 ତହିଁରେ ଏଷୌ ପଚାରିଲା, “ମୁଁ ଆଗେ ଯେଉଁସବୁ (ପଶ୍ୱାଦି) ଦଳ ସହିତ ଭେଟିଲି; ତାହା କି ନିମନ୍ତେ?” ଯାକୁବ କହିଲା, “ମୋʼ ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ।”
GEN 33:9 ତହୁଁ ଏଷୌ କହିଲା, “ମୋହର ଯଥେଷ୍ଟ ଅଛି; ଭାଇ, ତୁମ୍ଭର ଯାହା ଅଛି, ତାହା ତୁମ୍ଭର ଥାଉ।”
GEN 33:10 ଯାକୁବ କହିଲା, “ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯଦି ଅନୁଗ୍ରହ ପାଇଲି, ତେବେ ମୋʼ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋʼ ପ୍ରତି ପ୍ରସନ୍ନ ହୋଇଅଛନ୍ତି।
GEN 33:11 ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନୀତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ; କାରଣ ପରମେଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି, ମୋହର ସବୁ ଅଛି।” ଏହିରୂପେ ଅତ୍ୟନ୍ତ ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ, ଏଷୌ ତାହା ଗ୍ରହଣ କଲା।
GEN 33:12 ଏଥିଉତ୍ତାରେ ଏଷୌ କହିଲା, “ଆସ, ଆମ୍ଭେମାନେ ଯିବା, ମୁଁ ତୁମ୍ଭମାନଙ୍କ ଆଗେ ଆଗେ ଯାଉଅଛି।”
GEN 33:13 ତହିଁରେ ଯାକୁବ କହିଲା, “ମୋହର ପ୍ରଭୁ ଜାଣନ୍ତି, ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେଷୀ ଓ ଗାଭୀ ମୋʼ ସଙ୍ଗରେ ଅଛନ୍ତି; ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ।
GEN 33:14 ଏଣୁ ନିବେଦନ କରୁଅଛି, ମୋହର ପ୍ରଭୁ ଆପଣା ଦାସର ଆଗେ ଆଗେ ଗମନ କରନ୍ତୁ; ସେୟୀର ପ୍ରଦେଶରେ ମୋʼ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ମୁଁ ପଶୁଗଣର ଗମନ ଶକ୍ତି ଅନୁସାରେ ଓ ବାଳକଗଣର ଗମନ ଶକ୍ତି ଅନୁସାରେ ଧୀରେ ଧୀରେ ଚଳାଇ ନେବି।”
GEN 33:15 ଏଷୌ କହିଲା, “ତେବେ ମୋʼ ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖି ଯାଉଅଛି।” ଯାକୁବ କହିଲା, “କି ପ୍ରୟୋଜନ? ମୋʼ ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ।”
GEN 33:16 ତହଁରେ ଏଷୌ ସେହି ଦିନ ସେୟୀର ପଥ ଦେଇ ବାହୁଡ଼ି ଗଲା।
GEN 33:17 ମାତ୍ର ଯାକୁବ ସୁକ୍କୋତକୁ ଗମନ କରି ଆପଣା ପାଇଁ ଗୃହ ଓ ପଶୁମାନଙ୍କ ନିମନ୍ତେ କୁଡ଼ିଆ ନିର୍ମାଣ କଲା; ଏଥିପାଇଁ ଏହି ସ୍ଥାନ ସୁକ୍କୋତ ନାମରେ ବିଖ୍ୟାତ ହୋଇଅଛି।
GEN 33:18 ଏହି ପ୍ରକାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା।
GEN 33:19 ଏଥିଉତ୍ତାରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକ ଶହ କସୀତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ବୁ ସ୍ଥାପନର ଭୂମିଖଣ୍ଡ କିଣିଲା।
GEN 33:20 ପୁଣି, ସେଠାରେ ଏକ ବେଦି ନିର୍ମାଣ କରି ତାହାର ନାମ ଏଲ-ଇଲୋହେ-ଇସ୍ରାଏଲ ରଖିଲା।
GEN 34:1 ଏଥିଉତ୍ତାରେ ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା।
GEN 34:2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।
GEN 34:3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।
GEN 34:4 ଏଥିଉତ୍ତାରେ ଶିଖିମ ଆପଣା ପିତା ହମୋରକୁ କହିଲା, “ତୁମ୍ଭେ ଏହି ଯୁବତୀ ସଙ୍ଗେ ମୋତେ ବିବାହ କରିଦିଅ।”
GEN 34:5 ଏଥିଉତ୍ତାରେ ଯାକୁବ ଆପଣାର କନ୍ୟା ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିବାର କଥା ଶୁଣିଲା; ସେହି ସମୟରେ ତାହାର ପୁତ୍ରମାନେ କ୍ଷେତ୍ରରେ ପଶୁପଲ ସଙ୍ଗରେ ଥିବାରୁ ଯାକୁବ ସେମାନଙ୍କ ଆସିବା ପର୍ଯ୍ୟନ୍ତ ତୁନି ହୋଇ ରହିଲା।
GEN 34:6 ଏଥିମଧ୍ୟରେ ଶିଖିମର ପିତା ହମୋର ଯାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା।
GEN 34:7 ଆଉ ଯାକୁବର ପୁତ୍ରମାନେ ସେହି ସମ୍ବାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି, ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ୱିତ ଥିଲେ।
GEN 34:8 ସେତେବେଳେ ହମୋର ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି କହିଲା, “ତୁମ୍ଭମାନଙ୍କର ଏହି କନ୍ୟାଠାରେ ମୋʼ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି; ମୁଁ ନିବେଦନ କରୁଅଛି, ମୋʼ ପୁତ୍ର ସଙ୍ଗେ ତାହାକୁ ବିବାହ କରିଦିଅ।
GEN 34:9 ପୁଣି, ଆମ୍ଭମାନଙ୍କ ସଙ୍ଗେ ବିବାହ-ସମ୍ବନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।
GEN 34:10 ତାହାହେଲେ, ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବାସ କରିବ; ସାରା ଦେଶ ତୁମ୍ଭମାନଙ୍କର ଆଗରେ ପଡ଼ିଛି, ତହିଁରେ ବାସ କର ଓ ବାଣିଜ୍ୟ କର ଓ ଅଧିକାର କର।”
GEN 34:11 ପୁଣି, ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, “ମୋʼ ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି।
GEN 34:12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।”
GEN 34:13 ତେବେ ଶିଖିମ ଯାକୁବର ପୁତ୍ରମାନଙ୍କ ଭଉଣୀ ଦୀଣାକୁ ଭ୍ରଷ୍ଟା କରିଥିବାରୁ ସେମାନେ ଶିଖିମ ଓ ତାହାର ପିତା ହମୋର ସଙ୍ଗେ ଛଳ ଭାବରେ କଥାବାର୍ତ୍ତା କରି କହିଲେ,
GEN 34:14 “ଆମ୍ଭେମାନେ ଅସୁନ୍ନତ ଲୋକକୁ ଆପଣା ଭଉଣୀକୁ ଦେବାର କର୍ମ କରି ନ ପାରୁ, ତାହା କଲେ, ଆମ୍ଭମାନଙ୍କର ଅପଖ୍ୟାତି ହେବ।
GEN 34:15 ଯଦି କେବଳ ଗୋଟିଏ କର୍ମ କରିବ, ଆମ୍ଭମାନଙ୍କ ପରି ତୁମ୍ଭେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା।
GEN 34:16 ଆମ୍ଭେମାନେ ତୁମ୍ଭମାନଙ୍କୁ କନ୍ୟା ଦାନ କରିବା ଓ ତୁମ୍ଭମାନଙ୍କ କନ୍ୟା ଗ୍ରହଣ କରିବା, ପୁଣି, ତୁମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବା।
GEN 34:17 ମାତ୍ର ତୁମ୍ଭେମାନେ ଯଦି ସୁନ୍ନତ ବିଷୟରେ ଆମ୍ଭମାନଙ୍କ କଥା ନ ଶୁଣ, ତେବେ ଆମ୍ଭେମାନେ ସେହି କନ୍ୟାକୁ ଘେନି ଚାଲିଯିବା।”
GEN 34:18 ସେତେବେଳେ ସେମାନଙ୍କର ଏହି କଥାରେ ହମୋର ଓ ତାହାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ।
GEN 34:19 ପୁଣି, ସେହି ଯୁବା ଅତି ଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟାଠାରେ ଅତିଶୟ ଆସକ୍ତ ଥିଲା। ସେହି ଶିଖିମ ଆପଣା ପିତୃପରିବାର ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା।
GEN 34:20 ଏଥିଉତ୍ତାରେ ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗର-ଦ୍ୱାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;
GEN 34:21 “ଏହି ଲୋକମାନେ ଆମ୍ଭମାନଙ୍କ ସହିତ ନିର୍ବିରୋଧୀ; ଏଥିପାଇଁ ଏମାନଙ୍କୁ ଏହି ଦେଶରେ ବାସ ଓ ବାଣିଜ୍ୟ କରିବାକୁ ଦିଆଯାଉ; କାରଣ ଦେଖ, ଏ ଦେଶ ସେମାନଙ୍କ ନିମନ୍ତେ ଯଥେଷ୍ଟ ଅଟଇ; ପୁଣି, ଆମ୍ଭେମାନେ ସେମାନଙ୍କ କନ୍ୟା ଗ୍ରହଣ କରିବା ଓ ଆମ୍ଭମାନଙ୍କ କନ୍ୟା ସେମାନଙ୍କୁ ଦେବା।
GEN 34:22 ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯଦି ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ।
GEN 34:23 ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ।”
GEN 34:24 ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗର-ଦ୍ୱାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା।
GEN 34:25 ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
GEN 34:26 ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।
GEN 34:27 ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକୁ ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।
GEN 34:28 ପୁଣି, ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ।
GEN 34:29 ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ୱ ଲୁଟ କଲେ।
GEN 34:30 ତହୁଁ ଯାକୁବ ଶିମୀୟୋନ ଓ ଲେବୀକୁ କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍‍, କିଣାନୀୟ ଓ ପରିଷୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।”
GEN 34:31 ସେମାନେ ଉତ୍ତର କଲେ, “ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ?”
GEN 35:1 ଏଥିଉତ୍ତାରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭେ ଉଠି ବେଥେଲ୍‍କୁ ଯାଇ ସେଠାରେ ବାସ କର; ପୁଣି, ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।”
GEN 35:2 ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।
GEN 35:3 ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍‍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”
GEN 35:4 ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହାସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ଲୁଚାଇ ରଖିଲେ।
GEN 35:5 ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ।
GEN 35:6 ଏଥିଉତ୍ତାରେ ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସ୍‌ରେ, ଅର୍ଥାତ୍‍, ବେଥେଲ୍‍ରେ ଉପସ୍ଥିତ ହେଲେ।
GEN 35:7 ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବେଥେଲ୍‍ ରଖିଲେ; କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ।
GEN 35:8 ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁୁ ହୁଅନ୍ତେ, ବେଥେଲ୍‍ର ଅଧଃସ୍ଥିତ ଅଲୋନ ବୃକ୍ଷ ମୂଳେ ତାହାର କବର ହେଲା, ପୁଣି, ସେହି ସ୍ଥାନର ନାମ ଅଲୋନ-ବାଖୁତ୍‍ ହେଲା।
GEN 35:9 ଏଥିଉତ୍ତାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।
GEN 35:10 ପୁଣି, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ;” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।
GEN 35:11 ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।
GEN 35:12 ପୁଣି, ଆମ୍ଭେ ଅବ୍ରହାମ ଓ ଇସ୍‌ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।”
GEN 35:13 ସେହି ସ୍ଥାନରେ ତାଙ୍କ ସହିତ ଏହିପରି କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଊର୍ଦ୍ଧ୍ୱଗମନ କଲେ।
GEN 35:14 ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍‍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।
GEN 35:15 ପୁଣି, ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବେଥେଲ୍‍ ରଖିଲେ।
GEN 35:16 ଏଥିଉତ୍ତାରେ ସେମାନେ ବେଥେଲ୍‍ଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି, ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।
GEN 35:17 ଆଉ ପ୍ରସବ ବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, “ଭୟ କର ନାହିଁ, ତୁମ୍ଭେ ଏହିଥର ମଧ୍ୟ ପୁତ୍ର ପ୍ରସବ କରିବ।”
GEN 35:18 ତଥାପି ସେ ମଲା, ପୁଣି, ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମୀନ୍ ରଖିଲେ।
GEN 35:19 ଏହି ପ୍ରକାରେ ରାହେଲର ମୃତ୍ୟୁୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍‍, ବେଥଲିହିମକୁ ଯିବା ପଥ ନିକଟରେ ତାହାର କବର ହେଲା।
GEN 35:20 ଏଥିଉତ୍ତାରେ ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଅଛି।
GEN 35:21 ଏଥିଉତ୍ତାରେ ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ବୁ ସ୍ଥାପନ କଲେ।
GEN 35:22 ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍‍ ଯାଇ ଆପଣା ପିତାଙ୍କର ବିଲ୍‌ହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି, ଇସ୍ରାଏଲ ତାହା ଶୁଣିଲେ।
GEN 35:23 ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍‍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;
GEN 35:24 ପୁଣି, ଯୋଷେଫ ଓ ବିନ୍ୟାମୀନ୍ ରାହେଲର ସନ୍ତାନ;
GEN 35:25 ପୁଣି, ଦାନ୍ ଓ ନପ୍ତାଲି ରାହେଲର ଦାସୀ ବିଲ୍‌ହାର ସନ୍ତାନ;
GEN 35:26 ଆଉ ଗାଦ୍‍ ଓ ଆଶେର ଲେୟାର ଦାସୀ ସିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍‍ ଅରାମଠାରେ ଜନ୍ମିଥିଲେ।
GEN 35:27 ଏଥିଉତ୍ତାରେ କିରୀୟଥ୍‍-ଅର୍ବ, ଅର୍ଥାତ୍‍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍‌ହାକ ନିକଟରେ ଉପସ୍ଥିତ ହେଲେ।
GEN 35:28 ଇସ୍‌ହାକଙ୍କର ଆୟୁର ପରିମାଣ ଏକ ଶହ ଅଶୀ ବର୍ଷ ଥିଲା।
GEN 35:29 ଏଥିଉତ୍ତାରେ ଇସ୍‌ହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ; ପୁଣି, ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ।
GEN 36:1 ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍‍।
GEN 36:2 ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍‍, ହିତ୍ତୀୟ ଏଲୋନ୍‍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍‍ର ପୌତ୍ରୀ ଅହଲୀବାମାକୁ,
GEN 36:3 ତଦ୍‍ଭିନ୍ନ ନବାୟୋତ୍‍ର ଭଗିନୀକୁ, ଅର୍ଥାତ୍‍, ଇଶ୍ମାୟେଲର କନ୍ୟା ବାସମତ୍‍କୁ ବିବାହ କଲା।
GEN 36:4 ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍‍କୁ ଓ ବାସମତ୍‍ ରୁୟେଲକୁ ପ୍ରସବ କଲେ।
GEN 36:5 ଆଉ ଅହଲୀବାମା, ଯିୟୂଶ୍‍, ଯାଲମ୍‍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
GEN 36:6 ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।
GEN 36:7 ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି, ସେମାନଙ୍କର ପଶ୍ୱାଦି ସକାଶୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ।
GEN 36:8 ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍‍।
GEN 36:9 ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
GEN 36:10 ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍‍ ଓ ବାସମତ୍‍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
GEN 36:11 ପୁଣି, ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍ ଓ ସଫୋ ଓ ଗୟିତମ୍‍ ଓ କନସ୍‍।
GEN 36:12 ପୁଣି, ଏଷୌର ପୁତ୍ର ଇଲୀଫସ୍‍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍‍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
GEN 36:13 ରୁୟେଲର ପୁତ୍ର ନହତ୍‍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ।
GEN 36:14 ପୁଣି, ସିବୀୟୋନ୍‍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
GEN 36:15 ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍‍, ତାହାର ପୁତ୍ର ରାଜା ତୈମନ୍‍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍‍
GEN 36:16 ଓ ରାଜା କୋରହ ଓ ରାଜା ଗୟିତମ୍‍ ଓ ରାଜା ଅମାଲେକ୍‍; ଇଦୋମ ଦେଶରେ ଇଲୀଫସ୍‍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
GEN 36:17 ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍‍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ ଥିଲେ।
GEN 36:18 ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍‍ ଓ ରାଜା ଯାଲମ୍‍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
GEN 36:19 ଏମାନେ ଏଷୌର, ଅର୍ଥାତ୍‍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା।
GEN 36:20 (ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍‍ ଓ ଶୋବଲ୍‍ ଓ ସିବୀୟୋନ୍‍ ଓ ଅନା
GEN 36:21 ଓ ଦିଶୋନ୍‍ ଓ ଏତ୍ସର ଓ ଦୀଶନ୍‍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
GEN 36:22 ଲୋଟନ୍‍ର ପୁତ୍ର ହୋରି ଓ ହେମମ୍‍, ପୁଣି, ଲୋଟନ୍‍ର ତିମ୍ନା ନାମ୍ନୀ ଭଗିନୀ ଥିଲା।
GEN 36:23 ପୁଣି, ଶୋବଲ୍‍ର ପୁତ୍ରଗଣ ଅବଲନ୍‍ ଓ ମାନହତ୍‍ ଓ ଏବଲ୍‍ ଓ ଶଫୋ ଓ ଓନମ୍‍।
GEN 36:24 ପୁଣି, ସିବୀୟୋନ୍‍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍‍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।
GEN 36:25 ସେହି ଅନାର ପୁତ୍ର ଦିଶୋନ୍‍ ଓ କନ୍ୟା ଅହଲୀବାମା।
GEN 36:26 ପୁଣି, ଦିଶୋନ୍‍ର ପୁତ୍ର ହିମ୍‍ଦନ୍‍ ଓ ଇଶବନ୍‍ ଓ ଯିତ୍ରନ୍‍ ଓ କରାନ୍‍।
GEN 36:27 ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍ ଓ ଆକନ୍‍।
GEN 36:28 ପୁଣି, ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
GEN 36:29 ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍‍ ଓ ରାଜା ଶୋବଲ୍‍ ଓ ରାଜା ସିବୀୟୋନ୍‍ ଓ ରାଜା ଅନା
GEN 36:30 ଓ ରାଜା ଦିଶୋନ୍‍ ଓ ରାଜା ଏତ୍ସର ଓ ରାଜା ଦୀଶନ୍‍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
GEN 36:31 ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ।
GEN 36:32 ବିୟୋରର ବେଲା ନାମକ ପୁତ୍ର ଇଦୋମ୍‍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍‍ହାବା।
GEN 36:33 ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ରାଜତ୍ୱ କଲା।
GEN 36:34 ପୁଣି, ଯୋବବ୍‍ର ମରଣ ଉତ୍ତାରେ ତୈମନ୍‍ ଦେଶୀୟ ହୂଶମ୍‍ ତାହା ପଦରେ ରାଜତ୍ୱ କଲା।
GEN 36:35 ହୂଶମ୍‌ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍‍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍‍।
GEN 36:36 ହଦଦ୍‍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
GEN 36:37 ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍‍) ନଦୀର ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
GEN 36:38 ଶୌଲର ମରଣ ଉତ୍ତାରେ, ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାହା ପଦରେ ରାଜତ୍ୱ କଲା।
GEN 36:39 ପୁଣି, ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
GEN 36:40 ଏଷୌଠାରୁ ଉତ୍ପନ୍ନ, ପୁଣି, ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍‍ବା ଓ ରାଜା ଯିଥେତ୍‍।
GEN 36:41 ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍‍
GEN 36:42 ଓ ରାଜା କନସ୍‍ ଓ ରାଜା ତୈମନ୍‍ ଓ ରାଜା ମିବ୍‍ସର୍‍
GEN 36:43 ଓ ରାଜା ମଗ୍‍ଦୀୟେଲ ଓ ରାଜା ଈରମ୍‍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ।
GEN 37:1 ସେହି ସମୟରେ ଯାକୁବ ଆପଣା ପିତାଙ୍କର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ।
GEN 37:2 ଯାକୁବଙ୍କର ବୃତ୍ତାନ୍ତ ଏହି। ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭାଇମାନଙ୍କ ସହିତ ପଶୁପଲ ଚରାଉଥିଲେ; ସେ ଆପଣା ପିତୃଭାର୍ଯ୍ୟା ବିଲ୍‌ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି, ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ।
GEN 37:3 ସେହି ଯୋଷେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ, ଆଉ ତାକୁ ନାନା ବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ।
GEN 37:4 ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ।
GEN 37:5 ଏଥିଉତ୍ତାରେ ଯୋଷେଫ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ।
GEN 37:6 କାରଣ ସେ ସେମାନଙ୍କୁ କହିଲା, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ।
GEN 37:7 ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି, ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋʼ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ।”
GEN 37:8 ଏଥିରେ ତାହାର ଭାଇମାନେ ତାକୁ କହିଲେ, “ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ?” ତହୁଁ ସେମାନେ ତାହାର ସବୁ ସ୍ୱପ୍ନ ଓ କଥା ସକାଶୁ ତାକୁ ଆହୁରି ଅଧିକ ଘୃଣା କଲେ।
GEN 37:9 ଏଥିଉତ୍ତାରେ ଯୋଷେଫ ଆଉ ଗୋଟିଏ ସ୍ୱପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, “ଦେଖ, ମୁଁ ଆଉ ଏକ ସ୍ୱପ୍ନ ଦେଖିଅଛି, ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ।”
GEN 37:10 ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, “ତୁ ଏ କି ପ୍ରକାର ସ୍ୱପ୍ନ ଦେଖିଲୁ? ମୁଁ ଓ ତୋʼ ମାତା ଓ ତୋʼ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ?”
GEN 37:11 ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ।
GEN 37:12 ତଦନନ୍ତର ତାହାର ଭ୍ରାତୃଗଣ ପିତାଙ୍କର ପଶୁପଲ ଚରାଇବା ପାଇଁ ଶିଖିମକୁ ଗଲା ଉତ୍ତାରେ
GEN 37:13 ଇସ୍ରାଏଲ ଯୋଷେଫକୁ କହିଲେ, “ତୁମ୍ଭର ଭ୍ରାତୃଗଣ କି ଶିଖିମରେ ପଶୁପଲ ଚରାଉ ନାହାନ୍ତି? ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି;” ତହିଁରେ ସେ କହିଲା, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
GEN 37:14 ସେତେବେଳେ ଇସ୍ରାଏଲ ତାହାକୁ କହିଲେ, “ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋʼ ନିକଟକୁ ସମ୍ବାଦ ଆଣ।” ଏହିରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା।
GEN 37:15 ସେତେବେଳେ ଜଣେ ମନୁଷ୍ୟ ଯୋଷେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, “ତୁମ୍ଭେ କଅଣ ଖୋଜୁଅଛ?”
GEN 37:16 ସେ କହିଲା, “ମୋʼ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଛନ୍ତି, ଅନୁଗ୍ରହ କରି ମୋତେ କୁହ।”
GEN 37:17 ସେ ମନୁଷ୍ୟ କହିଲା, “ସେମାନେ ଏଠାରୁ ଯାଇଅଛନ୍ତି; କାରଣ ମୁଁ ଶୁଣିଥିଲି, ‘ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ।’” ଏଣୁ ଯୋଷେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା।
GEN 37:18 ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି, ସେ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ।
GEN 37:19 ଆଉ, ସେମାନେ ଏକ ଆରେକକୁ କହିଲେ, “ଏହି ଦେଖ, ସ୍ୱପ୍ନଦର୍ଶକ ମହାଶୟ ଆସୁଅଛନ୍ତି।
GEN 37:20 ଆସ, ଆମ୍ଭେମାନେ ତାକୁ ବଧ କରି କୌଣସି ଏକ ଗାତରେ ପକାଇ ଦେଉ; ପୁଣି, ‘କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇପକାଇଲା ବୋଲି କହିବା;’ ଆଚ୍ଛା ଦେଖିବା, ତାହାର ସ୍ୱପ୍ନ ସବୁର କଅଣ ହେବ।”
GEN 37:21 ଏ କଥା ଶୁଣି ରୁବେନ୍‍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, “ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ।”
GEN 37:22 ଆଉ ରୁବେନ୍‍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, “ତୁମ୍ଭେମାନେ ରକ୍ତପାତ କର ନାହିଁ, ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ।”
GEN 37:23 ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ;
GEN 37:24 ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇଦେଲେ, ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନ ଥିଲା।
GEN 37:25 ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାୟେଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି।
GEN 37:26 ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, “ଆମ୍ଭମାନଙ୍କ ଭାଇକୁ ବଧ କରି ତାହାର ରକ୍ତ ଗୋପନ କଲେ, ଆମ୍ଭମାନଙ୍କର ଲାଭ କଅଣ?
GEN 37:27 ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାୟେଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ୱରୂପ।” ତହିଁରେ ତାହାର ଭାଇମାନେ ସମ୍ମତ ହେଲେ।
GEN 37:28 ସେତେବେଳେ ସେହି ମିଦୀୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋଷେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ; ପୁଣି, ଇଶ୍ମାୟେଲୀୟମାନଙ୍କଠାରୁ କୋଡ଼ିଏ ଶେକେଲ ରୌପ୍ୟ ମୁଦ୍ରା ନେଇ ଯୋଷେଫକୁ ବିକ୍ରୟ କରିଦେଲେ; ତହିଁରେ ସେମାନେ ଯୋଷେଫକୁ ମିସର ଦେଶକୁ ନେଇଗଲେ।
GEN 37:29 ଏଥିଉତ୍ତାରେ ରୁବେନ୍‍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା।
GEN 37:30 ପୁଣି, ଭାଇମାନଙ୍କ ନିକଟକୁ ଫେରିଆସି କହିଲା, “ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି?”
GEN 37:31 ଏଥିଉତ୍ତାରେ ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ।
GEN 37:32 ଆଉ, ସେମାନେ ଆପଣା ପିତା ନିକଟକୁ ସେହି ନାନା ବର୍ଣ୍ଣର ଅଙ୍ଗରଖା ପଠାଇଦେଇ କହିଲେ, “ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ, ଚିହ୍ନ।”
GEN 37:33 ତହିଁରେ ସେ ତାହା ଚିହ୍ନି କହିଲେ, “ଏହି ଅଙ୍ଗରଖା ତ ମୋʼ ପୁତ୍ରର; କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି, ଯୋଷେଫ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି।”
GEN 37:34 ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ।
GEN 37:35 ଏଥିଉତ୍ତାରେ ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ୱନା କରିବାକୁ ଯତ୍ନ କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି, ସେ କହିଲେ, “ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି।” ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ।
GEN 37:36 ଏଥିମଧ୍ୟରେ ସେହି ମିଦୀୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍‍, ରକ୍ଷକ ସେନାପତିକୁ ଯୋଷେଫକୁ ବିକ୍ରୟ କଲେ।
GEN 38:1 ସେହି ସମୟରେ ଯିହୁଦା ଆପଣା ଭ୍ରାତୃଗଣ ନିକଟରୁ ଅଦୁଲ୍ଲମୀୟ ହୀରା ନାମକ ଜଣେ ଲୋକ ନିକଟକୁ ଗଲା।
GEN 38:2 ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା।
GEN 38:3 ଏଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ସେ ତାହାର ନାମ ଏର ଦେଲା।
GEN 38:4 ଏଥିଉତ୍ତାରେ ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଓନନ୍‍ ଦେଲା।
GEN 38:5 ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି ତାହାର ନାମ ଶେଲା ଦେଲା। ଏହାର ଜନ୍ମ ସମୟରେ ଯିହୁଦା କଷୀବରେ ଥିଲା।
GEN 38:6 ଏଥିଉତ୍ତାରେ ଯିହୁଦା ତାମର ନାମ୍ନୀ ଏକ କନ୍ୟା ଆଣି ଆପଣା ଜ୍ୟେଷ୍ଠ ପୁତ୍ର ଏର ସହିତ ତାହାକୁ ବିବାହ ଦେଲା।
GEN 38:7 ମାତ୍ର ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ସାକ୍ଷାତରେ ଦୁଷ୍ଟ ଥିଲା; ଏଣୁ ସଦାପ୍ରଭୁ ତାହାକୁ ବିନାଶ କଲେ।
GEN 38:8 ତହିଁରେ ଯିହୁଦା ଓନନ୍‍କୁ କହିଲା, “ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ସହବାସ କର ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରି ଭ୍ରାତୃବଂଶ ଉତ୍ପନ୍ନ କର।”
GEN 38:9 ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଓନନ୍‍ ଭ୍ରାତୃଭାର୍ଯ୍ୟାର ସଙ୍ଗମ କାଳେ ଭ୍ରାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତଃପାତ କଲା।
GEN 38:10 ତାହାର ଏରୂପ କର୍ମ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା; ଏଣୁ ସେ ତାକୁ ମଧ୍ୟ ନାଶ କଲେ।
GEN 38:11 ସେତେବେଳେ ଯିହୁଦା ଆପଣା ପୁତ୍ରବଧୂ ତାମରକୁ କହିଲା, “ମୋହର ପୁତ୍ର ଶେଲା ବଡ଼ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ବିଧବା ହୋଇ ଆପଣା ପିତୃଗୃହରେ ଯାଇ ରୁହ,” ଯେହେତୁ ସେ ଭାବିଲା, “କେଜାଣି ଭାଇମାନଙ୍କ ପରି ଶେଲା ମଧ୍ୟ ମରିଯିବ।” ଏଥିପାଇଁ ତାମର ପିତୃଗୃହରେ ଯାଇ ବାସ କଲା।
GEN 38:12 ଆଉ ଅନେକ ଦିନ ଗତ ହୁଅନ୍ତେ, ଶୂୟର କନ୍ୟା ଯିହୁଦାର ଭାର୍ଯ୍ୟା ମଲା; ତହିଁ ଉତ୍ତାରେ ଯିହୁଦା ସାନ୍ତ୍ୱନାଯୁକ୍ତ ହୋଇ ଅଦୁଲ୍ଲମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେଷର ଲୋମଚ୍ଛେଦକମାନଙ୍କ ନିକଟକୁ ଗଲା।
GEN 38:13 ସେତେବେଳେ କେହି ଜଣେ ତାମରକୁ ସମ୍ବାଦ ଦେଇ କହିଲା, “ଦେଖ, ତୁମ୍ଭ ଶ୍ୱଶୁର ଆପଣା ମେଷର ଲୋମ ଚ୍ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି।”
GEN 38:14 ତହିଁରେ ତାମର ବିଧବା ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନାର ପଥପାର୍ଶ୍ଵସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା; କାରଣ ସେ ଦେଖିଲା, ଶେଲା ବଡ଼ ହେଲେ ହେଁ ତାହା ସହିତ ଆପଣାର ବିବାହ ହେଲା ନାହିଁ।
GEN 38:15 ସେତେବେଳେ ଯିହୁଦା ତାକୁ ଦେଖି ବେଶ୍ୟା ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା।
GEN 38:16 ଏନିମନ୍ତେ ସେ ପଥପାର୍ଶ୍ଵରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, “ନିବେଦନ କରୁଅଛି, ତୁମ୍ଭ କତିକି ମୋତେ ଯିବାକୁ ଦିଅ।” ତହୁଁ ତାମର କହିଲା, “ତୁମ୍ଭେ ମୋʼ କତିକି ଆସିବା ପାଇଁ କଅଣ ଦେବ?”
GEN 38:17 ସେ କହିଲା, “ପଲରୁ ଗୋଟିଏ ଛେଳିଛୁଆ ପଠାଇଦେବି।” ତାମର କହିଲା, “ତାହା ପଠାଇବା ଯାଏ ମୋତେ କି କୌଣସି ବନ୍ଧକ ଦେବ?”
GEN 38:18 ଯିହୁଦା କହିଲା, “କଅଣ ବନ୍ଧକ ଦେବା?” ତାମର କହିଲା, “ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି।” ତହୁଁ ଯିହୁଦା ତାକୁ ସେହି ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା।
GEN 38:19 ଏଥିଉତ୍ତାରେ ତାମର ଉଠି ପ୍ରସ୍ଥାନ କଲା, ପୁଣି, ଆବରକ ବସ୍ତ୍ର ପାଲଟି ବିଧବା ବସ୍ତ୍ର ପିନ୍ଧିଲା।
GEN 38:20 ଏଉତ୍ତାରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ପଠାଇଦେଲା, ମାତ୍ର ସେ ତାହାର ଦେଖା ପାଇଲା ନାହିଁ।
GEN 38:21 ଏଣୁ ସେ ସେଠାର ଲୋକମାନଙ୍କୁ ପଚାରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ମାହାରୀ ଥିଲା, ସେ କାହିଁ?” ସେମାନେ କହିଲେ, “ଏଠାରେ କୌଣସି ମାହାରୀ ରହେ ନାହିଁ।”
GEN 38:22 ଏଥିଉତ୍ତାରେ ଯିହୁଦା ନିକଟକୁ ଫେରିଯାଇ କହିଲା, “ମୁଁ ତାହାର ଦେଖା ପାଇଲି ନାହିଁ, ଆଉ ସେଠାର ଲୋକମାନେ ମଧ୍ୟ କହିଲେ, ‘ଏହି ସ୍ଥାନରେ କୌଣସି ମାହାରୀ ରହେ ନାହିଁ।’”
GEN 38:23 ତେବେ ଯିହୁଦା କହିଲା, “ତାହାଠାରେ ଯାହା ଅଛି, ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏହି ଛେଳିଛୁଆ ପଠାଇଲି, ମାତ୍ର ତୁମ୍ଭେ ତାʼର ଦେଖା ପାଇଲ ନାହିଁ।”
GEN 38:24 ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି।” ତହିଁରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”
GEN 38:25 ଏଥିଉତ୍ତାରେ ସେ ବାହାରକୁ ଅଣାଯାʼନ୍ତେ, ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, “ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି।” ଆହୁରି କହିଲା, “ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ।”
GEN 38:26 ତହୁଁ ଯିହୁଦା ସେହି ସକଳ ପଦାର୍ଥ ଆପଣାର ବୋଲି ସ୍ୱୀକାର କରି କହିଲା, “ସେ ମୋʼ ଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋର ପୁତ୍ର ଶେଲାକୁ ଦେଲି ନାହିଁ।” ମାତ୍ର ଯିହୁଦା ଆଉ ତାହା କତିକି ଗଲା ନାହିଁ।
GEN 38:27 ପୁଣି, ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା।
GEN 38:28 ଆଉ ତାହାର ପ୍ରସବକାଳରେ ଏକ ବାଳକର ହସ୍ତ ବାହାର ହେଲା; ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୂର ବର୍ଣ୍ଣ ସୂତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।”
GEN 38:29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ, ତାହାର ଭ୍ରାତା ଭୂମିଷ୍ଠ ହେଲା; ତହିଁରେ ଧାତ୍ରୀ କହିଲା, “ତୁମ୍ଭେ କିପ୍ରକାରେ ଆପଣା ନିମନ୍ତେ ଭେଦ କରି ଆସିଲ!” ତୁମ୍ଭଠାରେ ଏହି ଭେଦ ହେଉ। ତେଣୁ ତାହାର ନାମ ପେରସ ହେଲା।
GEN 38:30 ଏଥିଉତ୍ତାରେ ହସ୍ତରେ ସିନ୍ଦୂରବର୍ଣ୍ଣ-ସୂତ୍ରବଦ୍ଧ ତାହାର ଭ୍ରାତା ଭୂମିଷ୍ଠ ହୁଅନ୍ତେ, ତାହାର ନାମ ସେରହ ହେଲା।
GEN 39:1 ଯୋଷେଫ ମିସର ଦେଶକୁ ଅଣାଯାʼନ୍ତେ, ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍‍, ମିସରୀୟ ପୋଟୀଫର ନାମକ ରକ୍ଷକ ସେନାପତି, ତାଙ୍କର ଆନୟନକାରୀ ଇଶ୍ମାୟେଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣି ଥିଲା।
GEN 39:2 ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ସମୃଦ୍ଧ ହେଲେ; ଆଉ ସେ ଆପଣା ମିସରୀୟ କର୍ତ୍ତାର ଗୃହରେ ବାସ କଲେ।
GEN 39:3 ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି ଓ ସେ ଯେଉଁ ଯେଉଁ କାର୍ଯ୍ୟ କଲେ, ସଦାପ୍ରଭୁ ତାଙ୍କ ହାତରେ ସେହି ସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାଙ୍କର କର୍ତ୍ତା ଦେଖିଲା।
GEN 39:4 ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି, ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା।
GEN 39:5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ; ପୁଣି, ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା।
GEN 39:6 ଏହେତୁ ସେ ଯୋଷେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏରୂପ ଭାର ଦେଲା, ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋଷେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ।
GEN 39:7 ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, “ତୁମ୍ଭେ ମୋʼ ସଙ୍ଗେ ଶୟନ କର।”
GEN 39:8 ମାତ୍ର ଯୋଷେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, “ଦେଖ, ଏ ଗୃହରେ ଯାହା ଅଛି ମୋʼ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ, ସେ ମୋʼ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି।
GEN 39:9 ଏହି ଗୃହରେ ମୋʼ ଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କିପରି ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ?”
GEN 39:10 ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ।
GEN 39:11 ଏଥିଉତ୍ତାରେ ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି, ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା।
GEN 39:12 ତେଣୁ ସେ ଯୋଷେଫଙ୍କର ବସ୍ତ୍ର ଧରି “ମୋʼ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା;” ମାତ୍ର ଯୋଷେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇଗଲେ।
GEN 39:13 ଯେତେବେଳେ ସେ ସ୍ତ୍ରୀ ଯୋଷେଫଙ୍କୁ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଯିବାର ଦେଖିଲା,
GEN 39:14 ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଅଛନ୍ତି; ସେ ମୋʼ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋʼ କତିକି ଆସିଥିଲା; ତହିଁରେ ମୁଁ ବଡ଼ ପାଟି କରି ଡାକ ପକାଇଲି;
GEN 39:15 ମୋହର ବଡ଼ ପାଟି କରି ଡାକିବାର ଶୁଣି ସେ ଆପଣା ବସ୍ତ୍ର ମୋʼ ନିକଟରେ ପକାଇଦେଇ ବାହାରକୁ ପଳାଇଗଲା।”
GEN 39:16 ପୁଣି, ସେହି ସ୍ତ୍ରୀ ତାହାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେହି ବସ୍ତ୍ର ଆପଣା ନିକଟରେ ରଖିଲା।
GEN 39:17 ଏଥିଉତ୍ତାରେ ସେ ଆପଣା ସ୍ୱାମୀକୁ ସେହି କଥାନୁସାରେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆମ୍ଭମାନଙ୍କ ପାଖକୁ ଆଣିଅଛ, ସେ ମୋʼ ସଙ୍ଗେ ପରିହାସ କରିବା ନିମନ୍ତେ ମୋʼ କତିକି ଆସିଥିଲା,
GEN 39:18 ପୁଣି, ମୁଁ ବଡ଼ ପାଟି କରି ଡାକ ପକାଇବାରୁ ସେ ମୋʼ ନିକଟରେ ଏହି ବସ୍ତ୍ର ପକାଇଦେଇ ବାହାରକୁ ପଳାଇଗଲା।”
GEN 39:19 ସେତେବେଳେ “ତୁମ୍ଭର ଦାସ ମୋʼ ପ୍ରତି ଏପ୍ରକାର ବ୍ୟବହାର କରିଅଛି,” ଆପଣା ଭାର୍ଯ୍ୟାର ମୁଖରୁ ଏ କଥା ଶୁଣି ଯୋଷେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ୱଳିତ ହେଲା।
GEN 39:20 ଆଉ ଯୋଷେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀମାନଙ୍କ ବାସସ୍ଥାନ କାରାଗାରରେ ରଖିଲା; ତହୁଁ ଯୋଷେଫ ସେହି କାରାଗାରରେ ରହିଲେ।
GEN 39:21 ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି, ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ।
GEN 39:22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀଲୋକଙ୍କ ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲା; ପୁଣି, ସେମାନେ ଯାହା କଲେ, ସେହି ସକଳର କର୍ତ୍ତା ସେ ହେଲେ।
GEN 39:23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ; ପୁଣି, ସେ ଯାହା କଲେ, ସଦାପ୍ରଭୁ ତାହା ସିଦ୍ଧ କଲେ।
GEN 40:1 ଏହିସବୁ ଘଟଣା ଉତ୍ତାରେ ମିସରୀୟ ରାଜାଙ୍କର ପାନପାତ୍ରବାହକ ଓ ସୂପକାର ଆପଣାମାନଙ୍କର ପ୍ରଭୁ ମିସରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ।
GEN 40:2 ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ରବାହକ ଓ ପ୍ରଧାନ ସୂପକାର ଏହି ଦୁଇ ଭୃତ୍ୟ ପ୍ରତି କ୍ରୁଦ୍ଧ ହେଲେ,
GEN 40:3 ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ।
GEN 40:4 ତହିଁରେ ରକ୍ଷକ ସୈନ୍ୟାଧିପତି ଯୋଷେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ଏହି ପ୍ରକାରେ ସେମାନେ କିଛି ଦିନ କାରାଗାରରେ ରହିଲେ।
GEN 40:5 ଏଥିଉତ୍ତାରେ ମିସରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ରବାହକ ଓ ସୂପକାର ଦୁଇ ଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ।
GEN 40:6 ତହିଁରେ ଯୋଷେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ।
GEN 40:7 ତହୁଁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ ବିଷଣ୍ଣ କାହିଁକି?”
GEN 40:8 ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।”
GEN 40:9 ତହୁଁ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋʼ ସମ୍ମୁଖରେ ଥିଲା,
GEN 40:10 ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା, ପୁଣି, ତାହା ପଲ୍ଲବିତ ହୁଅନ୍ତେ, ତହିଁରେ ଫୁଲ ଫୁଟିଲା, ଆଉ ସକଳ ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା।
GEN 40:11 ସେତେବେଳେ ମୋʼ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
GEN 40:12 ତହିଁରେ ଯୋଷେଫ ତାହାକୁ କହିଲେ, “ଏଥିର ଅର୍ଥ ଏହି; ସେହି ତିନି ଶାଖାରେ ତିନି ଦିନ ବୁଝାଏ।
GEN 40:13 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବ ପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କର ହସ୍ତରେ ପାନପାତ୍ର ଦେବ।
GEN 40:14 ମାତ୍ର ତୁମ୍ଭର ମଙ୍ଗଳ ହେଲେ, ମୋତେ ସ୍ମରଣ କରିବ, ପୁଣି, ମୋʼ ପ୍ରତି ଦୟା କରି ଫାରୋଙ୍କ ଛାମୁରେ ମୋʼ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ।
GEN 40:15 କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।”
GEN 40:16 ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋʼ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା।
GEN 40:17 ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।”
GEN 40:18 ସେତେବେଳେ ଯୋଷେଫ ଉତ୍ତର କଲେ, “ଏଥିର ଅର୍ଥ ଏହି, ସେହି ତିନି ଡାଲାରେ ତିନି ଦିନ ବୁଝାଏ।
GEN 40:19 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଶରୀରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ, ପୁଣି, ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”
GEN 40:20 ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
GEN 40:21 ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା।
GEN 40:22 ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ;
GEN 40:23 ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ଗଲା।
GEN 41:1 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଶେଷରେ ଫାରୋ ଏହି ସ୍ୱପ୍ନ ଦେଖିଲେ; ଦେଖ, ସେ ନୀଳ ନଦୀ କୂଳରେ ଠିଆ ହୋଇଅଛନ୍ତି।
GEN 41:2 ଆଉ ଦେଖ, ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ।
GEN 41:3 ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟ ସାତୋଟି କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ।
GEN 41:4 ତହିଁରେ ସେହି ଦୁର୍ବଳ ଓ କୁତ୍ସିତ ଗୋରୁ ସେହି ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁଙ୍କୁ ଖାଇ ପକାଇଲେ। ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହେଲା।
GEN 41:5 ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲେ; ଗୋଟିଏ ଡେମ୍ଫରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା।
GEN 41:6 ସେମାନଙ୍କ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ ଆଉ ସାତୁଟା କ୍ଷୀଣ ଶିଷା ଉତ୍ପନ୍ନ ହେଲା।
GEN 41:7 ପୁଣି, ସେହି ସାତୁଟା କ୍ଷୀଣ ଶିଷା ଏହି ସାତୋଟି ପରିପୁଷ୍ଟ ଓ ପୂର୍ଣ୍ଣ ଶିଷାକୁ ଗ୍ରାସ କଲା। ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ, ସ୍ୱପ୍ନ-ମାତ୍ର ଜ୍ଞାତ ହେଲା।
GEN 41:8 ପୁଣି, ପ୍ରଭାତରେ ତାଙ୍କର ମନ ଉଦ୍‍ବିଗ୍ନ ହେଲା, ତହୁଁ ସେ ଲୋକ ପଠାଇ ମିସର ଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ଡିତ ସମସ୍ତଙ୍କୁ ଡକାଇଲେ; ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କହନ୍ତେ, ସେମାନଙ୍କ ମଧ୍ୟରୁ କେହି ଫାରୋଙ୍କୁ ତହିଁର ଅର୍ଥ କହି ପାରିଲେ ନାହିଁ।
GEN 41:9 ସେତେବେଳେ ପ୍ରଧାନ ପାନପାତ୍ରବାହକ ଫାରୋଙ୍କ ଛାମୁରେ ନିବେଦନ କଲା, “ଆଜି ମୁଁ ନିଜ ଅପରାଧ ସ୍ମରଣ କରୁଅଛି।
GEN 41:10 ଫାରୋ ଆପଣା ଦାସ ମୋʼ ପ୍ରତି ଓ ପ୍ରଧାନ ସୂପକାର ପ୍ରତି କ୍ରୋଧାନ୍ୱିତ ହୋଇ ଆମ୍ଭମାନଙ୍କୁ ରକ୍ଷକ ସୈନ୍ୟାଧିପତିର କାରାଗାରରେ ବନ୍ଦ କରି ରଖିଥିଲେ।
GEN 41:11 ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ୱପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ୱପ୍ନର ଦୁଇ ପ୍ରକାର ଅର୍ଥ ହେଲା।
GEN 41:12 ସେଠାରେ ଆମ୍ଭମାନଙ୍କ ସଙ୍ଗରେ ରକ୍ଷକ ସୈନ୍ୟାଧିପତିର ଦାସ ଜଣେ ଏବ୍ରୀୟ ଯୁବା ଥିଲା; ଆମ୍ଭେମାନେ ତାକୁ ସ୍ୱପ୍ନର କଥା କହନ୍ତେ, ସେ ଆମ୍ଭମାନଙ୍କୁ ତହିଁର ଅର୍ଥ କହିଲା, ପ୍ରତ୍ୟେକ ଜଣର ସ୍ୱପ୍ନାନୁସାରେ ଅର୍ଥ କହିଲା।
GEN 41:13 ତହିଁରେ ସେ ଆମ୍ଭ ଦୁହିଁଙ୍କୁ ଯେରୂପ ଅର୍ଥ କହିଥିଲା, ତଦ୍ରୂପ ଘଟିଲା; ମୁଁ ପୂର୍ବ ପଦରେ ନିଯୁକ୍ତ ହେଲି ଓ ସେ ଫାଶୀ ପାଇଲା।”
GEN 41:14 ସେତେବେଳେ ଫାରୋ ଯୋଷେଫଙ୍କୁ ଡକାଇ ପଠାନ୍ତେ, ଲୋକମାନେ କାରାଗାରରୁ ତାଙ୍କୁ ଶୀଘ୍ର ଆଣିଲେ; ସେ କ୍ଷୌରକର୍ମ କରି ଓ ଉତ୍ତମ ବସ୍ତ୍ର ପିନ୍ଧି ଫାରୋଙ୍କ ଛାମୁରେ ଉପସ୍ଥିତ ହେଲେ।
GEN 41:15 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଗୋଟିଏ ସ୍ୱପ୍ନ ଦେଖିଅଛୁ, କେହି ତହିଁର ଅର୍ଥ କରି ପାରୁ ନାହାନ୍ତି; ମାତ୍ର ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ, ଯେ ତୁମ୍ଭେ ସ୍ୱପ୍ନ ଶୁଣିଲେ, ତହିଁର ଅର୍ଥ କରିପାର।”
GEN 41:16 ତହିଁରେ ଯୋଷେଫ କହିଲେ, “ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।”
GEN 41:17 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭ ସ୍ୱପ୍ନରେ, ଦେଖ, ଆମ୍ଭେ ନଦୀ ତଟରେ ଠିଆ ହୋଇଥିଲୁ।
GEN 41:18 ତହିଁରେ ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ।
GEN 41:19 ଏଥିଉତ୍ତାରେ ସେମାନଙ୍କ ଉତ୍ତାରେ ଆଉ ସାତୋଟି ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ।
GEN 41:20 ପୁଣି, ସେହି କ୍ଷୀଣ କୁତ୍ସିତ ଗୋରୁ ପୂର୍ବର ହୃଷ୍ଟପୁଷ୍ଟ ସେହି ସାତୋଟି ଗୋରୁଙ୍କୁ ଖାଇ ପକାଇଲେ।
GEN 41:21 ମାତ୍ର ଖାଇଲା ଉତ୍ତାରେ ସେମାନଙ୍କ ପେଟ ଖାଇଲା ପରି ଜଣାଗଲା ନାହିଁ; ସେମାନେ ପୂର୍ବ ପରି କୁତ୍ସିତ ରହିଲେ। ଏପରି ସମୟରେ ଆମ୍ଭର ନିଦ୍ରା ଭଙ୍ଗ ହେଲା।
GEN 41:22 ଏଥିଉତ୍ତାରେ ଆମ୍ଭେ ସ୍ୱପ୍ନରେ ଦେଖିଲୁ ଯେ, ଦେଖ, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶିଷା ବାହାରିଲା।
GEN 41:23 ତହିଁ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୋଟି ଶିଷା ଉତ୍ପନ୍ନ ହେଲା।
GEN 41:24 ପୁଣି, ସେହି କ୍ଷୀଣ ଶିଷା, ସେହି ଉତ୍ତମ ସାତ ଶିଷାକୁ ଗ୍ରାସ କଲା। ଏହି ସ୍ୱପ୍ନ ଆମ୍ଭେ ମନ୍ତ୍ରଜ୍ଞମାନଙ୍କୁ କହିଲୁ, ମାତ୍ର କେହି ଏଥିର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।”
GEN 41:25 ତେବେ ଯୋଷେଫ ଫାରୋଙ୍କୁ କହିଲେ, “ଫାରୋଙ୍କର ସ୍ୱପ୍ନ ଏକ; ପରମେଶ୍ୱର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କ ପ୍ରତି ପ୍ରକାଶ କରିଅଛନ୍ତି।
GEN 41:26 ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ୱରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ୱରୂପ, ସ୍ୱପ୍ନ ଏକମାତ୍ର।
GEN 41:27 ତହିଁ ପଶ୍ଚାତ୍‍ ଉତ୍ଥିତ ସେହି ସାତୋଟି କ୍ଷୀଣ କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ; ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୋଟି ଶିଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ।
GEN 41:28 ମୁଁ ଫାରୋଙ୍କୁ କହିଅଛି: ପରମେଶ୍ୱର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କୁ ଦେଖାଇଅଛନ୍ତି।
GEN 41:29 ଦେଖନ୍ତୁ, ସମସ୍ତ ମିସର ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି।
GEN 41:30 ତହିଁ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ; ସମସ୍ତ ସୁଭିକ୍ଷ ମିସର ଦେଶରୁ ବିସ୍ମୃତ ହେବ; ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ।
GEN 41:31 ପୁଣି, ପଶ୍ଚାଦ୍‍ବର୍ତ୍ତୀ ଦୁର୍ଭିକ୍ଷ ସକାଶୁ ଦେଶରେ ସୁଭିକ୍ଷ ଜଣା ପଡ଼ିବ ନାହିଁ; କାରଣ ତାହା ଅତି ଭାରୀ ହେବ।
GEN 41:32 ଫାରୋ ଦୁଇ ଥର ସ୍ୱପ୍ନ ଦେଖିବାର ଭାବ ଏହି ଯେ, ପରମେଶ୍ୱରଙ୍କ ଦ୍ୱାରା ତାହା ନିଶ୍ଚିତ ହୋଇଅଛି, ପୁଣି, ପରମେଶ୍ୱର ତାହା ଶୀଘ୍ର ଘଟାଇବେ।
GEN 41:33 ଏଥିପାଇଁ ଏବେ ଫାରୋ ଜଣେ ବୁଦ୍ଧିମାନ ଜ୍ଞାନୀ ପୁରୁଷ ଦେଖି ମିସର ଦେଶ ଉପରେ ନିଯୁକ୍ତ କରନ୍ତୁ।
GEN 41:34 ଫାରୋ ଏହା କରନ୍ତୁ, ଆଉ ଦେଶରେ ଅଧ୍ୟକ୍ଷଗଣ ନିଯୁକ୍ତ କରି ସାତ ବର୍ଷ ସୁଭିକ୍ଷ ସମୟରେ ମିସର ଦେଶରୁ ଶସ୍ୟର ପଞ୍ଚମାଂଶ ଗ୍ରହଣ କରନ୍ତୁ।
GEN 41:35 ଅର୍ଥାତ୍‍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି, ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ।
GEN 41:36 ଏହିରୂପେ ମିସର ଦେଶରେ ଭବିଷ୍ୟତ ଦୁର୍ଭିକ୍ଷର ସାତ ବର୍ଷ ନିମନ୍ତେ ଦେଶର ନିର୍ବାହାର୍ଥେ ସେହି ଭକ୍ଷ୍ୟ ସଞ୍ଚିତ ଥିଲେ, ଦୁର୍ଭିକ୍ଷ ଦ୍ୱାରା ଦେଶ ଉଚ୍ଛିନ୍ନ ହେବ ନାହିଁ।”
GEN 41:37 ସେତେବେଳେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହି କଥା ଉତ୍ତମ ବୋଧ ହେଲା।
GEN 41:38 ତହିଁରେ ଫାରୋ ଆପଣା ଦାସମାନଙ୍କୁ କହିଲେ, “ଆମ୍ଭେମାନେ କି ଏହାଙ୍କ ପରି ପୁରୁଷ ଆଉ ପାଇ ପାରିବା? ଏହାଙ୍କଠାରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି।”
GEN 41:39 ତହୁଁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏସମସ୍ତ ଜଣାଇଛନ୍ତି, ଏଣୁ ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ;
GEN 41:40 ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ; ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରୋଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା।”
GEN 41:41 ଫାରୋ ଯୋଷେଫଙ୍କୁ ଆହୁରି କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲୁ।”
GEN 41:42 ଏଥିଉତ୍ତାରେ ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ।
GEN 41:43 ପୁଣି, ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ; ଆଉ ଲୋକମାନେ ତାଙ୍କର ଆଗେ ଆଗେ “ଆଣ୍ଠୁ ପାତ ଆଣ୍ଠୁ ପାତ” ବୋଲି ଘୋଷଣା କଲେ। ଏହି ପ୍ରକାରେ ସେ ତାଙ୍କୁ ସମସ୍ତ ମିସର ଦେଶ ଉପରେ ନିଯୁକ୍ତ କଲେ।
GEN 41:44 ଏଥିଉତ୍ତାରେ ଫାରୋ ଯୋଷେଫଙ୍କୁ କହିଲେ, “ଆମ୍ଭେ ଫାରୋ ଅଟୁ, ଏହେତୁ ତୁମ୍ଭ ଆଜ୍ଞା ବିନୁ ସମସ୍ତ ମିସର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ।”
GEN 41:45 ପୁଣି, ଫାରୋ ଯୋଷେଫଙ୍କର ନାମ “ସାଫନତ୍‍-ପାନେହ ରଖିଲେ;” ପୁଣି, ଓନ୍‍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍‍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଏଥିଉତ୍ତାରେ ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ।
GEN 41:46 ଯୋଷେଫ ତିରିଶ ବର୍ଷ ବୟସ ସମୟରେ ମିସରୀୟ ରାଜା ଫାରୋଙ୍କ ଛାମୁରେ ଠିଆ ହୋଇଥିଲେ; ତାହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିସର ଦେଶର ସର୍ବତ୍ର ଭ୍ରମଣ କଲେ।
GEN 41:47 ଏଥିଉତ୍ତାରେ ସେହି ସୁଭିକ୍ଷର ସାତ ବର୍ଷ ଭୂମିରେ ଅପାର ଅପାର ଶସ୍ୟ ଉତ୍ପନ୍ନ ହେଲା।
GEN 41:48 ଯୋଷେଫ ସେହି ସାତ ବର୍ଷରେ ମିସର ଦେଶରେ ଉତ୍ପନ୍ନ ସକଳ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ; ପୁଣି, ଯେଉଁ ଯେଉଁ ନଗରର ଚାରିଆଡ଼ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହାସବୁ ସେହି ସେହି ନଗରରେ ସଞ୍ଚୟ କଲେ।
GEN 41:49 ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲି ପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ, ତାହା ଆଉ ମାପିଲେ ନାହିଁ; କାରଣ ତାହା ଅପରିମେୟ ଥିଲା।
GEN 41:50 ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇ ପୁତ୍ର ଜାତ ହୋଇଥିଲେ, ଓନ୍‍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା।
GEN 41:51 ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି ରଖିଲେ, କାରଣ ସେ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।”
GEN 41:52 ପୁଣି, ଦ୍ୱିତୀୟ ପୁତ୍ରର ନାମ ଇଫ୍ରୟିମ ରଖିଲେ, କାରଣ ସେ କହିଲେ, “ମୋହର ଦୁଃଖଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”
GEN 41:53 ଏଥିଉତ୍ତାରେ ମିସର ଦେଶରେ ଘଟିତ ସୁଭିକ୍ଷର ସାତ ବର୍ଷ ଶେଷ ହେଲା।
GEN 41:54 ପୁଣି, ଯୋଷେଫଙ୍କ ବାକ୍ୟାନୁସାରେ ଦୁର୍ଭିକ୍ଷର ସାତ ବର୍ଷର ଆରମ୍ଭ ହେଲା; ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିସର ଦେଶରେ ଆହାର ଥିଲା।
GEN 41:55 ପୁଣି, ସମୁଦାୟ ମିସର ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ, ପ୍ରଜାମାନେ ଆହାର ନିମନ୍ତେ ଫାରୋଙ୍କ ନିକଟରେ ଡକା ପକାଇଲେ; ତହିଁରେ ଫାରୋ ସମସ୍ତ ମିସରୀୟ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଯୋଷେଫ ନିକଟକୁ ଯାଅ; ସେ ଯାହା କହନ୍ତି, ତାହା କର।”
GEN 41:56 ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଯୋଷେଫ ସବୁ ସ୍ଥାନର ଗୋଲା ଫିଟାଇ ମିସରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ; ତଥାପି ମିସର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା।
GEN 41:57 ପୁଣି, ସର୍ବଦେଶୀୟ ଲୋକମାନେ ମିସର ଦେଶରେ ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।
GEN 42:1 ଆଉ ମିସର ଦେଶରେ ଶସ୍ୟ ଅଛି, ଏହି କଥା ଶୁଣି ଯାକୁବ ଆପଣା ପୁତ୍ରମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ପରସ୍ପର ପ୍ରତି ଅନାଇ ରହୁଅଛ?”
GEN 42:2 ସେ ଆହୁରି କହିଲେ, “ଦେଖ, ମୁଁ ଶୁଣିଲି, ମିସର ଦେଶରେ ଶସ୍ୟ ଅଛି; ଏଣୁ ତୁମ୍ଭେମାନେ ସେଠାକୁ ଯାଇ ଆମ୍ଭମାନଙ୍କ ନିମନ୍ତେ ଶସ୍ୟ କିଣି ଆଣ; ତହିଁରେ ଆମ୍ଭେମାନେ ନ ମରି ବଞ୍ଚିବା।”
GEN 42:3 ଏଥିଉତ୍ତାରେ ଯୋଷେଫଙ୍କର ଦଶ ଭ୍ରାତା ଶସ୍ୟ କିଣିବା ନିମନ୍ତେ ମିସର ଦେଶକୁ ଗଲେ।
GEN 42:4 ମାତ୍ର ଯାକୁବ ଯୋଷେଫଙ୍କର ସହୋଦର ବିନ୍ୟାମୀନ୍‍କୁ ଭାଇମାନଙ୍କ ସଙ୍ଗରେ ପଠାଇଲେ ନାହିଁ; କାରଣ ସେ କହିଲେ, “କେଜାଣି ଅବା ଏହାକୁ ବିପତ୍ତି ଘଟେ।”
GEN 42:5 ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା।
GEN 42:6 ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
GEN 42:7 ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, “ତୁମ୍ଭେମାନେ କେଉଁଠାରୁ ଆସିଅଛ?” ସେମାନେ କହିଲେ, “କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ।”
GEN 42:8 ମାତ୍ର ଯୋଷେଫ ଆପଣା ଭାଇମାନଙ୍କୁ ଚିହ୍ନିଲେ ହେଁ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ।
GEN 42:9 ତହୁଁ ଯୋଷେଫ ସେମାନଙ୍କ ବିଷୟରେ ଯେସବୁ ସ୍ୱପ୍ନ ଦେଖିଥିଲେ, ତାହା ସ୍ମରଣ କରି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଚୋର ଲୋକ; ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ତୁମ୍ଭେମାନେ ଆସିଅଛ।”
GEN 42:10 ସେମାନେ କହିଲେ, “ନା ପ୍ରଭୋ, ତାହା ନୁହେଁ, ଆପଣଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛନ୍ତି।
GEN 42:11 ଆମ୍ଭେମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମ୍ଭେମାନେ ସଚ୍ଚୋଟ ଲୋକ, ଆପଣଙ୍କ ଏହି ଦାସମାନେ ଚୋର ନୁହନ୍ତି।”
GEN 42:12 ତେବେ ସେ ସେମାନଙ୍କୁ କହିଲେ, “ନା, ନା, ତୁମ୍ଭେମାନେ ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ଆସିଅଛ।”
GEN 42:13 ସେମାନେ କହିଲେ, “ଆପଣଙ୍କର ଏହି ଦାସମାନେ ଦ୍ୱାଦଶ ଭ୍ରାତା, କିଣାନ ଦେଶ ନିବାସୀ ଜଣକର ପୁତ୍ର; ଆଉ ଦେଖନ୍ତୁ, ଆମ୍ଭମାନଙ୍କର କନିଷ୍ଠ ଭ୍ରାତା ପିତା ନିକଟରେ ଅଛି, ପୁଣି, ଜଣେ ନାହିଁ।”
GEN 42:14 ତହୁଁ ଯୋଷେଫ ସେମାନଙ୍କୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଚୋର ବୋଲି ଯାହା କହିଲୁ, ତୁମ୍ଭେମାନେ ତାହା ହିଁ ପ୍ରମାଣ।
GEN 42:15 ଏହା ଦ୍ୱାରା ତୁମ୍ଭମାନଙ୍କୁ ପରୀକ୍ଷା କରାଯିବ; ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭମାନଙ୍କର କନିଷ୍ଠ ଭ୍ରାତା ଏଠାକୁ ନ ଆସିଲେ, ତୁମ୍ଭେମାନେ ଏଠାରୁ ଯାଇ ପାରିବ ନାହିଁ।
GEN 42:16 ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ପଠାଅ, ସେ ତୁମ୍ଭ ଭାଇକୁ ଆଣୁ, ତୁମ୍ଭେମାନେ ବନ୍ଦୀ ଥାଅ; ତୁମ୍ଭମାନଙ୍କ କଥା ସତ୍ୟ କି ନାହିଁ, ପରୀକ୍ଷା ହେଲେ ଜଣାଯିବ; ନୋହିଲେ ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭେମାନେ ଅବଶ୍ୟ ଚୋର ଅଟ।”
GEN 42:17 ତହୁଁ ଯୋଷେଫ ସେମାନଙ୍କୁ ତିନି ଦିନ କାରାଗାରରେ ବନ୍ଦ କରି ରଖିଲେ।
GEN 42:18 ପୁଣି, ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ।
GEN 42:19 ତୁମ୍ଭେମାନେ ଯଦି ସଚ୍ଚୋଟ ଲୋକ, ତେବେ ଆପଣା ମଧ୍ୟରୁ ଏକ ଭାଇକୁ ଏହି କାରାଗାରରେ ବନ୍ଦ ରଖି ଦୁର୍ଭିକ୍ଷ ହେତୁ ଗୃହକୁ ଶସ୍ୟ ଘେନିଯାଅ।
GEN 42:20 ମାତ୍ର ତୁମ୍ଭେମାନେ ଆପଣା ସାନ ଭାଇଙ୍କୁ ଆମ୍ଭ ନିକଟକୁ ଆଣ, ତହିଁରେ ତୁମ୍ଭମାନଙ୍କ କଥା ସପ୍ରମାଣ ହେଲେ, ତୁମ୍ଭେମାନେ ମରିବ ନାହିଁ।” ତହୁଁ ସେମାନେ ସେହି ପ୍ରକାର କଲେ।
GEN 42:21 ଏଥିଉତ୍ତାରେ ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଆପଣା ଭାଇ ବିଷୟରେ ନିଶ୍ଚୟ ଅପରାଧୀ ଅଟୁ; ସେ ଆମ୍ଭମାନଙ୍କୁ ବିନତି କରିବା ବେଳେ ଆମ୍ଭେମାନେ ତାହା ପ୍ରାଣର ବ୍ୟାକୁଳତା ଦେଖିଲେ ହେଁ ତାହା ଶୁଣିଲୁ ନାହିଁ, ତେଣୁକରି ଆମ୍ଭମାନଙ୍କୁ ଏହି ବିପତ୍ତି ଘଟିଅଛି।”
GEN 42:22 ସେତେବେଳେ ରୁବେନ୍‍ ସେମାନଙ୍କୁ କହିଲା, “ତୁମ୍ଭେମାନେ ‘ସେହି ବାଳକ ବିଷୟରେ ପାପ କର ନାହିଁ,’ ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ପରିଶୋଧ ନିଆଯାଉଅଛି।”
GEN 42:23 ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ୱିଭାଷୀ ଦ୍ୱାରା ସେମାନଙ୍କ ସହିତ କଥା କହୁଥିଲେ;
GEN 42:24 ଏଥିଉତ୍ତାରେ ଯୋଷେଫ ସେମାନଙ୍କ ନିକଟରୁ ଯାଇ କ୍ରନ୍ଦନ କଲେ; ପୁନର୍ବାର ଆସି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରୁ ଶିମୀୟୋନକୁ ଧରି ସେମାନଙ୍କ ସାକ୍ଷାତରେ ବାନ୍ଧିଲେ।
GEN 42:25 ତହୁଁ ଯୋଷେଫ ସେମାନଙ୍କ ପାତ୍ରରେ ଶସ୍ୟପୂର୍ଣ୍ଣ କରି ପ୍ରତ୍ୟେକ ଜଣର ପଟରେ ଟଙ୍କା ଫେରାଇ ଦେବାକୁ ଓ ସେମାନଙ୍କୁ ପାଥେୟ ଦ୍ରବ୍ୟ ଦେବାକୁ ଆଜ୍ଞା ଦେଲେ; ତହିଁରେ ତଦ୍ରୂପ କରାଗଲା,
GEN 42:26 ତହୁଁ ସେମାନେ ଆପଣା ଆପଣା ଗଧ ଉପରେ ଶସ୍ୟ ଲଦି ସେଠାରୁ ପ୍ରସ୍ଥାନ କଲେ।
GEN 42:27 ମାତ୍ର ଉତ୍ତରିବା ସ୍ଥାନରେ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ, ଆପଣା ଟଙ୍କା ଦେଖିଲା; କାରଣ ପଟ ମୁହଁରେ ଟଙ୍କା ଥିଲା।
GEN 42:28 ତହିଁରେ ସେ ଭାଇମାନଙ୍କୁ କହିଲା, “ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି।” ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ପରସ୍ପର ପ୍ରତି ଅନାଇ କହିଲେ, “ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କରିଅଛନ୍ତି?”
GEN 42:29 ଏଥିଉତ୍ତାରେ ସେମାନେ କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହୋଇ ଆପଣାମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ ଜଣାଇ କହିଲେ,
GEN 42:30 “ଯେଉଁ ବ୍ୟକ୍ତି ସେହି ଦେଶର କର୍ତ୍ତା, ସେ ଆମ୍ଭମାନଙ୍କୁ ଦେଶର ଚୋର ଜ୍ଞାନ କରି କଟୁ କଥା କହିଲା।
GEN 42:31 ତହିଁରେ ଆମ୍ଭେମାନେ ତାକୁ କହିଲୁ, ‘ଆମ୍ଭେମାନେ ସଚ୍ଚୋଟ ଲୋକ, ଚୋର ନୋହୁଁ,
GEN 42:32 ଆମ୍ଭେମାନେ ବାର ଭାଇ, ସମସ୍ତେ ଏକ ପିତାଙ୍କର ସନ୍ତାନ; ଆମ୍ଭମାନଙ୍କ ମଧ୍ୟରେ ଜଣେ ନାହିଁ, ପୁଣି, କିଣାନ ଦେଶରେ ପିତାଙ୍କ ନିକଟରେ ଆଉ ଏକ ସାନ ଭାଇ ଅଛି।’
GEN 42:33 ସେତେବେଳେ ଦେଶର କର୍ତ୍ତା ସେହି ବ୍ୟକ୍ତି ଆମ୍ଭମାନଙ୍କୁ କହିଲା, ‘ଏହା କଲେ ଆମ୍ଭେ ତୁମ୍ଭମାନଙ୍କୁ ବିଶ୍ୱାସ୍ୟ ଲୋକ ବୋଲି ବୁଝି ପାରିବା; ତୁମ୍ଭେମାନେ ଆପଣାମାନଙ୍କ ଏକ ଭାଇକୁ ଆମ୍ଭ ନିକଟରେ ରଖି ଆପଣାମାନଙ୍କ ଗୃହର ଦୁର୍ଭିକ୍ଷ ହେତୁ ଶସ୍ୟ ଘେନିଯାଅ।
GEN 42:34 ପୁଣି, ଆପଣାମାନଙ୍କ ସାନ ଭାଇଙ୍କୁ ଆମ୍ଭ ନିକଟକୁ ଆଣ, ତେବେ ତୁମ୍ଭେମାନେ ଯେ ସଚ୍ଚୋଟ ଲୋକ, ଚୋର ନୁହଁ, ଏହା ବୁଝିବା; ତହିଁରେ ତୁମ୍ଭମାନଙ୍କ ଭାଇଙ୍କୁ ତୁମ୍ଭମାନଙ୍କୁ ସମର୍ପଣ କରିଦେବା, ପୁଣି, ତୁମ୍ଭେମାନେ ଏ ଦେଶରେ ବାଣିଜ୍ୟ କରି ପାରିବ।’”
GEN 42:35 ଏଥିଉତ୍ତାରେ ସେମାନେ ପଟ ଖାଲି କରନ୍ତେ, ପ୍ରତି ଜଣ ଆପଣା ଆପଣା ପଟ ଭିତରୁ ଟଙ୍କାପୁଡ଼ିଆ ପାଇଲେ। ତେବେ ସେହି ସବୁ ଟଙ୍କାର ମୁଣା ଦେଖି, ସେମାନେ ଓ ସେମାନଙ୍କ ପିତା ଭୀତ ହେଲେ।
GEN 42:36 ତହିଁରେ ସେମାନଙ୍କ ପିତା ଯାକୁବ କହିଲେ, “ତୁମ୍ଭେମାନେ ମୋତେ ପୁତ୍ରହୀନ କରୁଅଛ; ଯୋଷେଫ ନାହିଁ, ଶିମୀୟୋନ ନାହିଁ, ପୁଣି, ବିନ୍ୟାମୀନ୍‍କୁ ମଧ୍ୟ ଘେନିଯିବାକୁ ପାଞ୍ଚୁଅଛ, ଏହିସବୁ ସିନା ମୋହର ପ୍ରତିକୂଳ ହେଉଅଛି।”
GEN 42:37 ତହିଁରେ ରୁବେନ୍‍ ପିତାଙ୍କୁ କହିଲା, “ମୁଁ ଯଦି ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ; ମୋʼ ହସ୍ତରେ ତାକୁ ସମର୍ପଣ କର; ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”
GEN 42:38 ତେବେ ସେ କହିଲେ, “ମୋʼ ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେ ହିଁ କେବଳ ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯଦି କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ୱ କେଶରେ କବରକୁ ପଠାଇବ।”
GEN 43:1 ଏହି ସମୟରେ ମଧ୍ୟଦେଶରେ ଅତିଶୟ ଦୁର୍ଭିକ୍ଷ ଥିଲା।
GEN 43:2 ଏଥିନିମନ୍ତେ ସେମାନେ ମିସର ଦେଶରୁ ଯେଉଁ ଶସ୍ୟ ଆଣିଥିଲେ, ସେହି ସବୁ ସମାପ୍ତ ହେବାରୁ ସେମାନଙ୍କ ପିତା ସେମାନଙ୍କୁ କହିଲେ, “ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।”
GEN 43:3 ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’
GEN 43:4 ଏଣୁ ଯଦି ତୁମ୍ଭେ ଆମ୍ଭମାନଙ୍କ ଭାଇକୁ ସଙ୍ଗରେ ପଠାଇବ, ତେବେ ଆମ୍ଭେମାନେ ତୁମ୍ଭ ପାଇଁ ଶସ୍ୟ କିଣିବାକୁ ଯିବୁ।
GEN 43:5 ମାତ୍ର ଯଦି ନ ପଠାଇବ, ତେବେ ଆମ୍ଭେମାନେ ଯିବୁ ନାହିଁ; କାରଣ ସେ ବ୍ୟକ୍ତି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’”
GEN 43:6 ତହିଁରେ ଇସ୍ରାଏଲ କହିଲେ, “ତୁମ୍ଭମାନଙ୍କର ଆଉ ଏକ ଭାଇ ଅଛି, ଏହା ସେହି ମନୁଷ୍ୟକୁ କହି ମୋʼ ପ୍ରତି ଏପରି କୁବ୍ୟବହାର କାହିଁକି କଲ?”
GEN 43:7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”
GEN 43:8 ଯିହୁଦା ଆପଣା ପିତା ଇସ୍ରାଏଲଙ୍କୁ ଆହୁରି କହିଲା, “ତୁମ୍ଭେ ସେହି ଯୁବାକୁ ମୋʼ ସଙ୍ଗରେ ପଠାଇଦିଅ; ଆମ୍ଭେମାନେ ଉଠି ପ୍ରସ୍ଥାନ କରୁ, ତହିଁରେ ଆମ୍ଭେମାନେ ଓ ତୁମ୍ଭେ ଓ ବାଳକମାନେ, ସମସ୍ତେ ବଞ୍ଚିବା, ମରିବା ନାହିଁ।
GEN 43:9 ମୁଁ ତାହାର ଲଗା ହେଲି, ମୋʼ ହସ୍ତରୁ ତାକୁ ବୁଝି ନେବ; ମୁଁ ଯଦି ତାକୁ ଆଣି ତୁମ୍ଭ ସମ୍ମୁଖରେ ନ ରଖେ, ତେବେ ସେହି ଦୋଷ ସର୍ବଦା ମୋʼ ଉପରେ ବର୍ତ୍ତିବ।
GEN 43:10 ଯଦି ଆମ୍ଭମାନଙ୍କର ଏତେ ବିଳମ୍ବ ହୋଇ ନ ଥାʼନ୍ତା, ତେବେ ଆମ୍ଭେମାନେ ଦ୍ୱିତୀୟ ଥର ବାହୁଡ଼ି ଆସନ୍ତୁଣି।”
GEN 43:11 ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ।
GEN 43:12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।
GEN 43:13 ପୁଣି, ଆପଣାମାନଙ୍କ ଭାଇଙ୍କୁ ଘେନି ଉଠି ପୁନର୍ବାର ସେହି ବ୍ୟକ୍ତି ନିକଟକୁ ଯାଅ।
GEN 43:14 ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭମାନଙ୍କୁ ସେହି ବ୍ୟକ୍ତି ନିକଟରେ ଏପରି ଅନୁଗ୍ରହପାତ୍ର କରନ୍ତୁ, ଯେପରି ସେ ତୁମ୍ଭମାନଙ୍କ ଅନ୍ୟ ଭାଇଙ୍କୁ ଓ ବିନ୍ୟାମୀନ୍‍କୁ ଛାଡ଼ିଦେବ। ମାତ୍ର ଯଦି ମୋତେ ପୁତ୍ରହୀନ ହେବାକୁ ହୁଏ, ତେବେ ପୁତ୍ରହୀନ ହେବି।”
GEN 43:15 ତହୁଁ ସେମାନେ ସେହି ଭେଟି ଦ୍ରବ୍ୟ ଓ ଦ୍ୱିଗୁଣ ଟଙ୍କା ଓ ବିନ୍ୟାମୀନ୍‍କୁ ସଙ୍ଗରେ ଘେନି ଯାତ୍ରା କରି ମିସର ଦେଶରେ ଯୋଷେଫଙ୍କ ସମ୍ମୁଖରେ ଠିଆ ହେଲେ।
GEN 43:16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”
GEN 43:17 ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।
GEN 43:18 ପୁଣି, ଯୋଷେଫଙ୍କ ଗୃହକୁ ନୀତ ହେବାରୁ ସେମାନେ ଭୀତ ହୋଇ ପରସ୍ପର କହିଲେ, “ପୂର୍ବେ ଆମ୍ଭମାନଙ୍କ ପଟରେ ଯେଉଁ ଟଙ୍କା ଫେରି ଯାଇଥିଲା, ତହିଁ ନିମନ୍ତେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛନ୍ତି; ଏବେ ସେ ଆମ୍ଭମାନଙ୍କ ଉପରେ ପଡ଼ି ଆକ୍ରମଣ କରି ଆମ୍ଭମାନଙ୍କ ଗର୍ଦ୍ଦଭ ସବୁ ନେଇ ଆମ୍ଭମାନଙ୍କୁ ଦାସ ପରି ରଖିବ।”
GEN 43:19 ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,
GEN 43:20 “ପ୍ରଭୋ, ଆମ୍ଭେମାନେ ପୂର୍ବେ ଶସ୍ୟ କିଣିବାକୁ ଆସିଥିଲୁ;
GEN 43:21 ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍‍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ।
GEN 43:22 ପୁଣି, ଶସ୍ୟ କିଣିବା ନିମନ୍ତେ ଆମ୍ଭେମାନେ ଆଉ ଟଙ୍କା ଆଣିଅଛୁ; ମାତ୍ର ସେହି ଟଙ୍କା ଆମ୍ଭମାନଙ୍କ ପଟରେ କିଏ ରଖିଥିଲା, ଆମ୍ଭେମାନେ ତାହା ଜାଣି ନାହୁଁ।”
GEN 43:23 ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।
GEN 43:24 ଏଥିଉତ୍ତାରେ ସେ ସେମାନଙ୍କୁ ଯୋଷେଫଙ୍କ ଗୃହ ଭିତରକୁ ନେଇ ଜଳ ଦିଅନ୍ତେ, ସେମାନେ ପାଦ ପ୍ରକ୍ଷାଳନ କଲେ; ପୁଣି, ସେ ସେମାନଙ୍କ ଗର୍ଦ୍ଦଭମାନଙ୍କୁ ଆହାର ଦେଲା।
GEN 43:25 ଆଉ ମଧ୍ୟାହ୍ନ ସମୟରେ ଯୋଷେଫ ଆସିବେ ବୋଲି ସେମାନେ ଭେଟି ଦ୍ରବ୍ୟ ସଜାଇଲେ; କାରଣ ସେମାନେ ସେଠାରେ ଭୋଜନ କରିବେ ବୋଲି ଶୁଣିଥିଲେ।
GEN 43:26 ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ।
GEN 43:27 ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”
GEN 43:28 ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।
GEN 43:29 ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍‍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।”
GEN 43:30 ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ।
GEN 43:31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ।
GEN 43:32 ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
GEN 43:33 ଏଥିଉତ୍ତାରେ ଯୋଷେଫଙ୍କ ସମ୍ମୁଖରେ ସେମାନଙ୍କର ଜ୍ୟେଷ୍ଠ ଜ୍ୟେଷ୍ଠ ସ୍ଥାନରେ ଓ କନିଷ୍ଠ କନିଷ୍ଠ ସ୍ଥାନରେ ବସିଲେ; ତହିଁରେ ସେମାନେ ପରସ୍ପର ଆଶ୍ଚର୍ଯ୍ୟ ବୋଧ କଲେ।
GEN 43:34 ପୁଣି, ସେ ଆପଣା ସମ୍ମୁଖରୁ ଭକ୍ଷ୍ୟଦ୍ରବ୍ୟ ଉଠାଇ ସେମାନଙ୍କୁ ପରିବେଷଣ କରାଇଲେ; ମାତ୍ର ସମସ୍ତଙ୍କ ଭାଗରୁ ବିନ୍ୟାମୀନ୍‍ର ଭାଗ ପାଞ୍ଚଗୁଣ ଅଧିକ ଥିଲା। ଏଥିରେ ସେମାନେ ପାନ କରି ତାଙ୍କ ସହିତ ଆନନ୍ଦ କଲେ।
GEN 44:1 ଏଥିଉତ୍ତାରେ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରିଦିଅ, ପୁଣି, ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ-ମୁଖରେ ରଖ।
GEN 44:2 ଆଉ କନିଷ୍ଠ ପଟରେ ତାହାର ଶସ୍ୟ କିଣିବା ଟଙ୍କା ସଙ୍ଗେ ଆମ୍ଭ ତାଟିଆ, ସେ ରୂପା ତାଟିଆ ରଖ।” ତହିଁରେ ସେ ଯୋଷେଫଙ୍କ କଥାନୁସାରେ କଲା।
GEN 44:3 ଆଉ ପ୍ରଭାତ ହେବା ମାତ୍ରେ, ସେମାନେ ଗର୍ଦ୍ଦଭ ସହିତ ବିଦାୟ ପାଇଲେ।
GEN 44:4 ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?
GEN 44:5 ଆମ୍ଭ ପ୍ରଭୁ ଯହିଁରେ ପାନ କରନ୍ତି ଓ ଯଦ୍ଦ୍ୱାରା ଗଣକତା କରନ୍ତି, ସେହି ତାଟିଆ କି ଏ ନୁହେଁ? ଏପରି କର୍ମ ଦ୍ୱାରା ତୁମ୍ଭେମାନେ ଦୋଷ କରିଅଛ।’”
GEN 44:6 ଏଥିଉତ୍ତାରେ ସେ ସେମାନଙ୍କ ସଙ୍ଗ ଧରି ଏହିସବୁ କଥା କହିଲା।
GEN 44:7 ତହିଁରେ ସେମାନେ କହିଲେ, “ଆମ୍ଭର ପ୍ରଭୁ କାହିଁକି ଏପରି କଥା କହନ୍ତି? ଆପଣଙ୍କ ଦାସମାନଙ୍କର ଏପରି କର୍ମ କରିବା ଦୂରେ ଥାଉ।
GEN 44:8 ଦେଖନ୍ତୁ, ଆପଣା ଆପଣା ପଟ ମୁଖରୁ ଆର ଥର ଯେଉଁ ଟଙ୍କା ପାଇଥିଲୁ; ତାହା ଆମ୍ଭେମାନେ କିଣାନ ଦେଶରୁ ପୁନର୍ବାର ଆପଣଙ୍କ ନିକଟକୁ ଆଣିଲୁ; ତେବେ କିପରି ଆପଣଙ୍କ ପ୍ରଭୁଙ୍କ ଗୃହରୁ ରୂପା କି ସୁନା ଚୋରି କରିବୁ?
GEN 44:9 ଆପଣଙ୍କ ଦାସମାନଙ୍କ ମଧ୍ୟରେ ଯାହାଠାରୁ ତାହା ମିଳେ, ସେ ମରୁ, ପୁଣି, ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସ ହେବୁ।”
GEN 44:10 ତହିଁରେ ସେ କହିଲା, “ଭଲ, ତୁମ୍ଭମାନଙ୍କ କଥାନୁସାରେ ହେଉ; ଯାହା ପାଖରୁ ତାହା ମିଳିବ, ସେ ଆମ୍ଭର ଦାସ ହେବ, ମାତ୍ର ଅନ୍ୟମାନେ ନିର୍ଦ୍ଦୋଷ ହେବେ।”
GEN 44:11 ତହୁଁ ସେମାନେ ସେହିକ୍ଷଣି ଭୂମିରେ ଆପଣା ଆପଣା ପଟ ଉତ୍ତାରି ପ୍ରତ୍ୟେକେ ଆପଣା ଆପଣା ପଟ ଫିଟାଇବାକୁ ଲାଗିଲେ।
GEN 44:12 ସେ ଗୃହାଧ୍ୟକ୍ଷ ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ଖୋଜି ଗଲା; ଆଉ ବିନ୍ୟାମୀନ୍‍ର ପଟରୁ ସେହି ତାଟିଆ ମିଳିଲା।
GEN 44:13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରିଗଲେ।
GEN 44:14 ଆଉ ଯିହୁଦା ଓ ତାହାର ଭ୍ରାତୃଗଣ ଯୋଷେଫଙ୍କ ଗୃହରେ ପ୍ରବେଶ କଲେ; ଯୋଷେଫ ସେହି ସମୟ ପର୍ଯ୍ୟନ୍ତ ସେଠାରେ ଥିଲେ; ଏଣୁ ସେମାନେ ତାଙ୍କ ସାକ୍ଷାତରେ ଭୂମିରେ ପଡ଼ିଲେ।
GEN 44:15 ତେବେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କିପରି କାର୍ଯ୍ୟ କଲ? ଆମ୍ଭ ପରି ଲୋକ ଯେ ଅବଶ୍ୟ ଗଣକତା କରି ପାରିବ, ଏହା କି ତୁମ୍ଭେମାନେ ଜାଣ ନାହିଁ?”
GEN 44:16 ତହିଁରେ ଯିହୁଦା କହିଲା, “ଆମ୍ଭେମାନେ ପ୍ରଭୁଙ୍କ ଛାମୁରେ ଆଉ କି ଉତ୍ତର ଦେବୁ? ଆଉ କି କଥା କହିବୁ? ଅବା କିପରି ଆପଣାମାନଙ୍କୁ ନିର୍ଦ୍ଦୋଷ କରିବୁ? ପରମେଶ୍ୱର ଆପଣଙ୍କ ଦାସମାନଙ୍କର ଅପରାଧ ପ୍ରକାଶ କରିଅଛନ୍ତି; ଦେଖନ୍ତୁ, ଆମ୍ଭେମାନେ ଓ ଯାହାଠାରୁ ତାଟିଆ ମିଳିଅଛି ସେ, ପୁଣି ଆମ୍ଭେ ସମସ୍ତେ ଆପଣଙ୍କ (ପ୍ରଭୁଙ୍କର) ଦାସ ହେବୁ।”
GEN 44:17 ତହିଁରେ ଯୋଷେଫ କହିଲେ, “ଏପରି କର୍ମ ଆମ୍ଭଠାରୁ ଦୂର ହେଉ; ଯାହାଠାରୁ ତାଟିଆ ମିଳିଅଛି, ସେ ଆମ୍ଭର ଦାସ ହେବ; ମାତ୍ର ତୁମ୍ଭେମାନେ କୁଶଳରେ ପିତାଙ୍କ ନିକଟକୁ ଚାଲିଯାଅ।”
GEN 44:18 ତହିଁରେ ଯିହୁଦା ନିକଟକୁ ଯାଇ କହିଲା, “ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି।
GEN 44:19 ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି?’
GEN 44:20 ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ‘ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’
GEN 44:21 ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।’
GEN 44:22 ତେବେ ଆମ୍ଭେମାନେ ପ୍ରଭୁଙ୍କୁ କହିଥିଲୁ, ‘ସେ ଯୁବା ପିତାଙ୍କୁ ଛାଡ଼ି ପାରିବ ନାହିଁ; ସେ ତାହାର ପିତାଙ୍କୁ ଛାଡ଼ି ଆସିଲେ, ପିତା ମରିଯିବେ।’
GEN 44:23 ତହିଁରେ ଆପଣ ଏହି ଦାସମାନଙ୍କୁ କହିଲେ, ‘ତୁମ୍ଭମାନଙ୍କ ସଙ୍ଗରେ କନିଷ୍ଠ ଭାଇ ନ ଆସିଲେ, ତୁମ୍ଭେମାନେ ଆଉ ଆମ୍ଭ ମୁଖ ଦେଖି ପାରିବ ନାହିଁ।’
GEN 44:24 ଏଥିଉତ୍ତାରେ ଆମ୍ଭେମାନେ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଭୁଙ୍କର ଏହିସବୁ କଥା କହିଲୁ।
GEN 44:25 ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ‘ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଭକ୍ଷ୍ୟ କିଣି ଆଣ।’
GEN 44:26 ତହିଁରେ ଆମ୍ଭେମାନେ କହିଲୁ, ‘ଯାଇ ପାରିବୁ ନାହିଁ; ଯଦି ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଥିବ, ତେବେ ଯାଇ ପାରିବୁ; କାରଣ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ, ଆମ୍ଭେମାନେ ସେହି ବ୍ୟକ୍ତିଙ୍କର ମୁଖ ଦେଖି ପାରିବୁ ନାହିଁ।’
GEN 44:27 ତହିଁରେ ଆପଣଙ୍କ ଦାସ ଯେ ମୋହର ପିତା, ସେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଜାଣ, ଆମ୍ଭର ସେହି ଭାର୍ଯ୍ୟାଠାରୁ ଦୁଇଟି ପୁତ୍ର ହୋଇଥିଲେ।
GEN 44:28 ସେମାନଙ୍କ ମଧ୍ୟରୁ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା, ତହୁଁ ଆମ୍ଭେ କହିଲୁ, ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି; ପୁଣି, ସେହି ଦିନଠାରୁ ଆମ୍ଭେ ଆଉ ତାକୁ ଦେଖି ନାହୁଁ।
GEN 44:29 ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯଦି ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱ କେଶରେ ପାତାଳକୁ ପଠାଇବ।’
GEN 44:30 ଏହେତୁ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ମୁଁ ଉପସ୍ଥିତ ହେଲେ, ଆମ୍ଭମାନଙ୍କ ସଙ୍ଗରେ ଯଦି ଏହି ଯୁବା ନ ଥିବ, ତେବେ ଏହି ଯୁବା ନ ଥିବାର ଦେଖି ସେ ତତ୍‌କ୍ଷଣାତ୍ ମରିଯିବେ।
GEN 44:31 କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ତହିଁରେ ଆପଣଙ୍କର ଏହି ଦାସମାନେ ଶୋକରେ ପକ୍ୱ କେଶରେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କୁ କବରକୁ ପଠାଇବେ।
GEN 44:32 ଆହୁରି, ଆପଣଙ୍କ ଦାସ ମୁଁ, ଆପଣା ପିତାଙ୍କ ନିକଟରେ ଏହି ଯୁବାର ଲଗା ହୋଇ କହିଅଛି, ‘ମୁଁ ଯଦି ତାକୁ ତୁମ୍ଭ ପାଖକୁ ନ ଆଣେ, ତେବେ ମୁଁ ଯାବଜ୍ଜୀବନ ପିତାଙ୍କ ନିକଟରେ ଅପରାଧୀ ହେବି।’
GEN 44:33 ଏଣୁ ନିବେଦନ କରୁଅଛି, ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇଥାଏ, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ।
GEN 44:34 କାରଣ ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କିପରି ପିତାଙ୍କ ନିକଟକୁ ଯାଇ ପାରିବି? ପୁଣି, ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କିପରି ଅବା ଦେଖି ପାରିବି?”
GEN 45:1 ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ।
GEN 45:2 ସେ ଉଚ୍ଚସ୍ୱରରେ ଏପରି ରୋଦନ କଲେ ଯେ, ମିସରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ।
GEN 45:3 ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋʼ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ।
GEN 45:4 ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ।
GEN 45:5 ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।
GEN 45:6 ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ।
GEN 45:7 ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଅଛନ୍ତି।
GEN 45:8 ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇଅଛ, ତାହା ନୁହେଁ, ପରମେଶ୍ୱର ପଠାଇଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।
GEN 45:9 ଏଣୁ ତୁମ୍ଭେମାନେ ଶୀଘ୍ର ମୋʼ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋʼ ନିକଟକୁ ଆସ, ବିଳମ୍ବ କର ନାହିଁ।
GEN 45:10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ।
GEN 45:11 ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ।’”
GEN 45:12 “ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋʼ ସହୋଦର ବିନ୍ୟାମୀନ୍‍ର ଚକ୍ଷୁ ଦେଖୁଅଛି।
GEN 45:13 ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋʼ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।”
GEN 45:14 ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍‍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା।
GEN 45:15 ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ।
GEN 45:16 ଆଉ “ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି,” ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ।
GEN 45:17 ପୁଣି, ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇମାନଙ୍କୁ କୁହ, ‘ତୁମ୍ଭେମାନେ ଏହି କର୍ମ କର; ଆପଣା ଆପଣା ପଶୁମାନଙ୍କୁ ବୋଝାଇ କରି କିଣାନ ଦେଶକୁ ଯାଅ,
GEN 45:18 ପୁଣି, ପିତାଙ୍କୁ ଓ ଆପଣା ଆପଣା ସମସ୍ତ ପରିବାରକୁ ଘେନି ଆମ୍ଭ ନିକଟକୁ ଆସ; ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶର ଉତ୍ତମ ଦ୍ରବ୍ୟ ଦେବା, ପୁଣି, ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଷୟ ଭୋଗ କରିବ।’
GEN 45:19 ଏବେ ଆମ୍ଭର ଆଜ୍ଞାନୁସାରେ ‘ଏହି କର୍ମ କର, ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ଓ ଭାର୍ଯ୍ୟାମାନଙ୍କ ପାଇଁ ମିସର ଦେଶରୁ ଶଗଡ଼ ନେଇଯାଅ, ପୁଣି, ଆପଣାମାନଙ୍କ ପିତାଙ୍କୁ ନେଇଆସ।
GEN 45:20 ଆଉ ଆପଣାମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ; ସମସ୍ତ ମିସର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ।’”
GEN 45:21 ତହିଁରେ ଇସ୍ରାଏଲଙ୍କର ପୁତ୍ରମାନେ ସେହିପରି କଲେ; ପୁଣି, ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ସେମାନଙ୍କୁ ଶଗଡ଼ ଓ ପାଥେୟ ଦ୍ରବ୍ୟ ଦେଲେ।
GEN 45:22 ପୁଣି, ପ୍ରତ୍ୟେକ ଜଣକୁ ଏକ ଏକ ଯୋଡ଼ା ବସ୍ତ୍ର ଦେଲେ, ମାତ୍ର ବିନ୍ୟାମୀନ୍‍କୁ ତିନି ଶହ ଶେକେଲ ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ବସ୍ତ୍ର ଦେଲେ।
GEN 45:23 ପୁଣି, ପିତାଙ୍କ ନିମନ୍ତେ ମିସର ଦେଶର ଉତ୍ତମ ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୁଟି ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପଠାଇଲେ।
GEN 45:24 ଏହିରୂପେ ଯୋଷେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ବାଟରେ କଳି କରିବ ନାହିଁ।”
GEN 45:25 ଏଥିଉତ୍ତାରେ ସେମାନେ ମିସର ଦେଶରୁ ପ୍ରସ୍ଥାନ କରି କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହେଲେ।
GEN 45:26 ପୁଣି, ସେମାନେ ତାଙ୍କୁ କହିଲେ, “ଯୋଷେଫ ଆଜି ପର୍ଯ୍ୟନ୍ତ ଜୀବିତ ଅଛି, ଆଉ ସେ ସମସ୍ତ ମିସର ଦେଶର କର୍ତ୍ତା ହୋଇଅଛି।” ଏଥିରେ ଯାକୁବଙ୍କର ହୃଦୟ ଜଡ଼ୀଭୂତ ହେଲା, କାରଣ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ।
GEN 45:27 ପୁଣି, ଯୋଷେଫ ଯେତେ କଥା ସେମାନଙ୍କୁ କହିଥିଲେ, ସେହି ସବୁ କଥା ସେମାନେ ତାଙ୍କୁ କହିଲେ। ମାତ୍ର ସେ ଯେତେବେଳେ ତାଙ୍କୁ ନେବା ପାଇଁ ଯୋଷେଫଙ୍କ ପ୍ରେରିତ ଶଗଡ଼ସବୁ ଦେଖିଲେ, ସେତେବେଳେ ସେମାନଙ୍କ ପିତା ଯାକୁବଙ୍କ ଆତ୍ମା ପୁନର୍ଜୀବିତ ହେଲା।
GEN 45:28 ତହିଁରେ ଇସ୍ରାଏଲ କହିଲେ, “ଯଥେଷ୍ଟ; ମୋହର ପୁତ୍ର ଯୋଷେଫ ଆଜି ପର୍ଯ୍ୟନ୍ତ ବଞ୍ଚିଅଛି; ମୁଁ ଯିବି, ମରଣ ପୂର୍ବେ ତାକୁ ଦେଖିବି।”
GEN 46:1 ଏଥିଉତ୍ତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘେନି ଯାତ୍ରା କଲେ, ପୁଣି, ବେର୍‍ଶେବାରେ ଓହ୍ଲାଇ ସେଠାରେ ଆପଣା ପିତା ଇସ୍‌ହାକଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
GEN 46:2 ତହିଁରେ ପରମେଶ୍ୱର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, “ହେ ଯାକୁବ, ହେ ଯାକୁବ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
GEN 46:3 ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
GEN 46:4 ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି, ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି, ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।”
GEN 46:5 ଏଥିଉତ୍ତାରେ ଯାକୁବ ବେର୍‍ଶେବାଠାରୁ ଯାତ୍ରା କଲେ; ପୁଣି, ତାଙ୍କୁ ନେବା ନିମନ୍ତେ ଫାରୋ ଯେଉଁ ଶଗଡ଼ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇଗଲେ।
GEN 46:6 ଏଉତ୍ତାରେ ସେମାନେ, ଅର୍ଥାତ୍‍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ।
GEN 46:7 ଏହି ପ୍ରକାରେ ଯାକୁବ ଆପଣା ପୁତ୍ରପୌତ୍ର, ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ।
GEN 46:8 ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍‍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍।
GEN 46:9 ରୁବେନ୍‍ର ପୁତ୍ର ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି।
GEN 46:10 ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
GEN 46:11 ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।
GEN 46:12 ଯିହୁଦାର ପୁତ୍ର ଏର, ଓନନ୍‍, ଶେଲା, ପେରସ ଓ ସେରହ; ମାତ୍ର ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ।
GEN 46:13 ଇଷାଖରର ସନ୍ତାନ ତୋଲୟ, ପୂୟ, ଯୋବ ଓ ଶିମ୍ରୋଣ।
GEN 46:14 ସବୂଲୂନର ପୁତ୍ର ସେରଦ, ଏଲୋନ୍‍ ଓ ଯହଲେଲ।
GEN 46:15 ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।
GEN 46:16 ଗାଦ୍‍ର ପୁତ୍ର ସିଫୋନ୍‍, ହଗି, ଶୂନୀ, ଇଷବୋନ୍‍, ଏରି, ଅରୋଦି ଓ ଅରେଲୀ।
GEN 46:17 ଆଶେରର ପୁତ୍ର ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି, ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ।
GEN 46:18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ।
GEN 46:19 ପୁଣି, ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମୀନ୍।
GEN 46:20 ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍‍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା।
GEN 46:21 ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍‍ ଓ ଅର୍ଦ।
GEN 46:22 ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ।
GEN 46:23 ଆଉ ଦାନ୍‍ର ପୁତ୍ର ହୂଶୀମ୍‍।
GEN 46:24 ନପ୍ତାଲିର ପୁତ୍ର ଯହସୀୟେଲ, ଗୂନି, ଯେତ୍ସର ଓ ଶିଲ୍ଲେମ।
GEN 46:25 ଲାବନ ଆପଣା କନ୍ୟା ରାହେଲକୁ ବିଲ୍‌ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ।
GEN 46:26 ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ।
GEN 46:27 ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
GEN 46:28 ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।
GEN 46:29 ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ।
GEN 46:30 ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜି ପର୍ଯ୍ୟନ୍ତ ବଞ୍ଚିଅଛ।”
GEN 46:31 ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, ‘କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି।
GEN 46:32 ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ଆଣିଅଛନ୍ତି।’
GEN 46:33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭମାନଙ୍କର କେଉଁ ବ୍ୟବସାୟ?’ ଏ କଥା ଯେତେବେଳେ ପଚାରିବେ,
GEN 46:34 ସେତେବେଳେ ତୁମ୍ଭେମାନେ କହିବ, ‘ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ;’ ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”
GEN 47:1 ଏଥିଉତ୍ତାରେ ଯୋଷେଫ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିଲେ, “ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ନେଇ ଆସିଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।”
GEN 47:2 ପୁଣି, ଯୋଷେଫ ଆପଣା ଭ୍ରାତୃଗଣ ମଧ୍ୟରୁ ପାଞ୍ଚ ଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
GEN 47:3 ତହିଁରେ ଫାରୋ ଯୋଷେଫଙ୍କ ଭାଇମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କର କେଉଁ ବ୍ୟବସାୟ?” ସେମାନେ ଫାରୋଙ୍କୁ କହିଲେ, “ଆପଣଙ୍କର ଏହି ଦାସମାନେ ପୂର୍ବପୁରୁଷାନୁକ୍ରମେ ପଶୁପାଳକ।”
GEN 47:4 ସେମାନେ ଫାରୋଙ୍କୁ ଆହୁରି କହିଲେ, “ଆମ୍ଭେମାନେ ଏ ଦେଶରେ ପ୍ରବାସ କରିବାକୁ ଆସିଅଛୁ; ଯେଣୁ ଆପଣଙ୍କ ଏହି ଦାସମାନଙ୍କ ପଶୁପଲ ପାଇଁ କିଛି ଚରା ନାହିଁ; କିଣାନ ଦେଶରେ ଅତି ଭାରୀ ଦୁର୍ଭିକ୍ଷ ପଡ଼ିଅଛି; ଏହେତୁ ବିନତି କରୁଅଛୁ, ଆପଣ ଏହି ଦାସମାନଙ୍କୁ ଗୋଶନ ପ୍ରଦେଶରେ ବାସ କରିବାକୁ ଦେଉନ୍ତୁ।”
GEN 47:5 ତହିଁରେ ଫାରୋ ଯୋଷେଫଙ୍କୁ ଆଜ୍ଞା ଦେଲେ, “ତୁମ୍ଭର ପିତା ଓ ଭ୍ରାତୃଗଣ ତୁମ୍ଭ ନିକଟକୁ ଆସିଅଛନ୍ତି,
GEN 47:6 ମିସର ଦେଶ ତୁମ୍ଭ ସମ୍ମୁଖରେ ଅଛି; ଦେଶର ସର୍ବୋତ୍ତମ ସ୍ଥାନରେ ଆପଣା ପିତା ଓ ଭାଇମାନଙ୍କୁ ବାସ କରାଅ; ଗୋଶନ ପ୍ରଦେଶରେ ସେମାନେ ବାସ କରନ୍ତୁ; ପୁଣି, ସେମାନଙ୍କ ମଧ୍ୟରୁ ଯାହାକୁ ଯାହାକୁ ପାରଙ୍ଗମ ଲୋକ ବୋଲି ଜାଣୁଅଛ, ସେମାନଙ୍କୁ ଆମ୍ଭ ପଶୁପଲର ଅଧ୍ୟକ୍ଷ ପଦରେ ନିଯୁକ୍ତ କର।”
GEN 47:7 ଏଥିଉତ୍ତାରେ ଯୋଷେଫ ଆପଣା ପିତା ଯାକୁବଙ୍କୁ ଆଣି ଫାରୋଙ୍କ ସାକ୍ଷାତରେ ଉପସ୍ଥିତ କରାଇଲେ; ତହିଁରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
GEN 47:8 ସେତେବେଳେ ଫାରୋ ଯାକୁବଙ୍କୁ ପଚାରିଲେ, “ଆପଣଙ୍କ ପରମାୟୁର ଦିନ କେତେ?”
GEN 47:9 ଯାକୁବ ଫାରୋଙ୍କୁ କହିଲେ, “ମୋହର ପ୍ରବାସ କାଳର ଦିନ ଶହେ ତିରିଶ ବର୍ଷ; ମୋʼ ପରମାୟୁର ଦିନ ଅଳ୍ପ ଓ ଆପଦଜନକ; ପୁଣି, ମୋହର ପୂର୍ବପୁରୁଷମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”
GEN 47:10 ଏଥିଉତ୍ତାରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କରି ତାଙ୍କ ଛାମୁରୁ ବିଦାୟ ହେଲେ।
GEN 47:11 ତହୁଁ ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ମିସର ଦେଶର ସର୍ବୋତ୍ତମ ଅଞ୍ଚଳରେ, ଅର୍ଥାତ୍‍, ରାମିଷେଷ୍‍ ପ୍ରଦେଶରେ ଅଧିକାର ଦେଇ ଆପଣା ପିତା ଓ ଭାଇମାନଙ୍କର ଅବସ୍ଥିତି କରାଇଲେ।
GEN 47:12 ପୁଣି, ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟଦ୍ରବ୍ୟ ଦେଇ ପ୍ରତିପାଳନ କଲେ।
GEN 47:13 ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା; ତହିଁରେ ମିସର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ।
GEN 47:14 ଆଉ ମିସର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା, ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ।
GEN 47:15 ଏଥିଉତ୍ତାରେ ମିସର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ, ମିସରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କୁ ଖାଦ୍ୟସାମଗ୍ରୀ ଦେଉନ୍ତୁ, ଆମ୍ଭମାନଙ୍କର ରୂପା ଶେଷ ହେଉଅଛି ବୋଲି କାହିଁକି ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ?”
GEN 47:16 ତହିଁରେ ଯୋଷେଫ କହିଲେ, “ତୁମ୍ଭମାନଙ୍କର ପଶୁ ଦିଅ; ଯଦି ରୂପା ଶେଷ ହୋଇଥାଏ, ତେବେ ପଶୁ ବଦଳେ ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ ଦେବା।”
GEN 47:17 ତହୁଁ ସେମାନେ ଯୋଷେଫଙ୍କ ନିକଟକୁ ଆପଣା ଆପଣା ପଶୁ ଆଣିଲେ; ତହିଁରେ ଯୋଷେଫ ଅଶ୍ୱ ଓ ମେଷ ଓ ଗୋରୁପଲ ଓ ଗର୍ଦ୍ଦଭ ଆଦି ବଦଳ ନେଇ ସେମାନଙ୍କୁ ଭକ୍ଷ୍ୟ ଦେବାକୁ ଲାଗିଲେ; ଏହି ପ୍ରକାରେ ଯୋଷେଫ ପଶୁ ବଦଳେ ସେମାନଙ୍କୁ ଭକ୍ଷ୍ୟ ଦେଇ ସେହି ବର୍ଷ ଚଳାଇ ନେଲେ।
GEN 47:18 ପୁଣି, ସେ ବର୍ଷ ସମ୍ପୂର୍ଣ୍ଣ ହୁଅନ୍ତେ, ଦ୍ୱିତୀୟ ବର୍ଷରେ ସେମାନେ ଯୋଷେଫଙ୍କ ନିକଟକୁ ଆସି କହିଲେ, “ଆମ୍ଭମାନଙ୍କର ସମସ୍ତ ରୂପା ଶେଷ ହୋଇଅଛି; ତାହା ପ୍ରଭୁଙ୍କଠାରୁ ଲୁଚାଇବା ନାହିଁ; ପୁଣି, ଆମ୍ଭମାନଙ୍କର ସମସ୍ତ ପଶୁଧନ ମଧ୍ୟ ପ୍ରଭୁଙ୍କର ହୋଇଅଛି; ଏବେ ପ୍ରଭୁଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଅବଶିଷ୍ଟ ନାହିଁ।
GEN 47:19 ଏଥିପାଇଁ ଆମ୍ଭେମାନେ ଓ ଆମ୍ଭମାନଙ୍କର ଭୂମି ଦୁହେଁ କାହିଁକି ଆପଣଙ୍କ ଦୃଷ୍ଟିଗୋଚରରେ ମରିବୁ? ଆପଣ ଭକ୍ଷ୍ୟ ଦେଇ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଭୂମି କିଣି ନେଉନ୍ତୁ, ତହିଁରେ ଆମ୍ଭେମାନେ ଓ ଆମ୍ଭମାନଙ୍କ ଭୂମି ଫାରୋଙ୍କର ଦାସ ହେବୁ; ତାʼପରେ ଆମ୍ଭମାନଙ୍କୁ ବିହନ ଦେଉନ୍ତୁ, ତହିଁରେ ବଞ୍ଚିବୁ; ନୋହିଲେ ଆମ୍ଭେମାନେ ମରିଯିବୁ, ପୁଣି, ଭୂମି ମଧ୍ୟ ବିନଷ୍ଟ ହେବ।”
GEN 47:20 ଏହିରୂପେ ଦୁର୍ଭିକ୍ଷ ସେମାନଙ୍କ ପ୍ରତି ଅତି ଅସହ୍ୟ ହୁଅନ୍ତେ, ମିସରୀୟମାନେ ପ୍ରତ୍ୟେକେ ଆପଣା ଆପଣା ଭୂମି ବିକ୍ରୟ କଲେ; ତହିଁରେ ଯୋଷେଫ ଫାରୋଙ୍କ ନିମନ୍ତେ ମିସର ଦେଶର ସମସ୍ତ ଭୂମି କ୍ରୟ କଲେ; ତେଣୁ ସମସ୍ତ ଭୂମି ଫାରୋଙ୍କର ହେଲା।
GEN 47:21 ତହିଁରେ ସେ ମିସରର ଏକ ସୀମାଠାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ନଗରେ ନଗରେ ପ୍ରଜାମାନଙ୍କୁ ପ୍ରବାସ କରାଇଲେ।
GEN 47:22 ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ; କାରଣ ଯାଜକମାନେ ଫାରୋଙ୍କଠାରୁ ବୃତ୍ତି ପାଇଲେ; ଏଣୁ ଫାରୋଙ୍କର ଦତ୍ତ ବୃତ୍ତି ଦ୍ୱାରା ସେମାନଙ୍କର ନିର୍ବାହ ହେବାରୁ ସେମାନେ ଆପଣା ଆପଣା ଭୂମି ବିକ୍ରୟ କଲେ ନାହିଁ।
GEN 47:23 ଏଥିଉତ୍ତାରେ ଯୋଷେଫ ପ୍ରଜାମାନଙ୍କୁ କହିଲେ, “ଦେଖ, ଆମ୍ଭେ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ; ଏବେ ଏହି ବିହନ ନେଇ ଭୂମିରେ ବୁଣ।
GEN 47:24 ତହିଁରୁ ଯାହା ଉତ୍ପନ୍ନ ହେବ, ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ, ପୁଣି, ଅନ୍ୟ ଚାରି ଅଂଶ ଭୂମିର ବିହନ ପାଇଁ ଓ ଆପଣା ଆପଣା ପରିଜନ ଓ ବାଳକମାନଙ୍କ ନିମନ୍ତେ ରଖିବ।”
GEN 47:25 ତହିଁରେ ସେମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ; ଆପଣଙ୍କ କୃପାଦୃଷ୍ଟି ହେଲେ, ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।”
GEN 47:26 ପଞ୍ଚମାଂଶ ଫାରୋ ପାଇବେ, ମିସରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି; କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
GEN 47:27 ସେସମୟରେ ଇସ୍ରାଏଲ ମିସରର ଗୋଶନ ପ୍ରଦେଶରେ ବାସ କଲେ, ପୁଣି, ସେଠାରେ ସେମାନେ ଅଧିକାର ପାଇ ପ୍ରଜାବନ୍ତ ଓ ଅତିଶୟ ବହୁବଂଶ ହେଲେ।
GEN 47:28 ଯାକୁବ ମିସର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ, ତାଙ୍କର ପରମାୟୁର ଦିବସ ଶହେ ସତଚାଳିଶ ବର୍ଷ ଥିଲା।
GEN 47:29 ଇସ୍ରାଏଲଙ୍କର ମରଣ ଦିନ ସନ୍ନିକଟ ହେବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡକାଇ କହିଲେ, “ମୁଁ ଯଦି ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ; ପୁଣି, ମୋʼ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ଏହି ମିସର ଦେଶରେ ମୋତେ କବର ଦିଅ ନାହିଁ।
GEN 47:30 ମାତ୍ର ମୁଁ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ତୁମ୍ଭେ ମୋତେ ଏହି ମିସର ଦେଶରୁ ଘେନିଯାଇ ସେମାନଙ୍କ କବର ସ୍ଥାନରେ କବରଶାୟୀ କରାଅ।” ତହିଁରେ ଯୋଷେଫ କହିଲେ, “ତୁମ୍ଭ ଆଜ୍ଞା ପ୍ରମାଣେ କରିବି।”
GEN 47:31 ତହୁଁ ଯାକୁବ ଯୋଷେଫଙ୍କୁ ଶପଥ କରିବାକୁ କହନ୍ତେ, “ସେ ତାଙ୍କ ନିକଟରେ ଶପଥ କଲେ।” ସେତେବେଳେ ଇସ୍ରାଏଲ ଶଯ୍ୟାର ମୁଣ୍ଡଆଡ଼େ ପ୍ରଣାମ କରି ପରମେଶ୍ୱରଙ୍କ ଆରାଧନା କଲେ।
GEN 48:1 ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ବାଦ ଦେଇ କହିଲା; “ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି,” ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇଗଲେ।
GEN 48:2 ସେତେବେଳେ କେହି ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭ ପୁତ୍ର ଯୋଷେଫ ତୁମ୍ଭ ନିକଟକୁ ଆସିଅଛି,” ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ।
GEN 48:3 ଏଥିଉତ୍ତାରେ ଯାକୁବ ଯୋଷେଫଙ୍କୁ କହିଲେ, “କିଣାନ ଦେଶରେ ଲୂସ୍‍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ,
GEN 48:4 ‘ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି, ତୁମ୍ଭ ଭବିଷ୍ୟଦ୍‍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।’
GEN 48:5 ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍‍ ଓ ଶିମୀୟୋନ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ।
GEN 48:6 ପୁଣି, ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଆପଣା ଅଧିକାରରେ ବିଖ୍ୟାତ ହେବେ।
GEN 48:7 ପଦ୍ଦନ୍‍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍‍, ବେଥଲିହିମର ପଥ ପାର୍ଶ୍ୱରେ ତାକୁ କବର ଦେଲି।”
GEN 48:8 ଏଥିଉତ୍ତାରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, “ଏମାନେ କିଏ?”
GEN 48:9 ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
GEN 48:10 ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।
GEN 48:11 ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”
GEN 48:12 ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।
GEN 48:13 ଏଥିଉତ୍ତାରେ ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ପାର୍ଶ୍ୱରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଡାହାଣ ପାର୍ଶ୍ୱରେ ଉପସ୍ଥିତ କରାଇଲେ।
GEN 48:14 ତହିଁରେ ଇସ୍ରାଏଲ ଆପଣା ଡାହାଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି, ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନାପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା।
GEN 48:15 ଏଥିଉତ୍ତାରେ ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍‌ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି,
GEN 48:16 ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋʼ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍‌ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି, ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକସମୂହ ହେଉନ୍ତୁ।”
GEN 48:17 ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ,
GEN 48:18 “ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।”
GEN 48:19 ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।”
GEN 48:20 ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ‘ପରମେଶ୍ୱର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ।’” ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ।
GEN 48:21 ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।
GEN 48:22 ମୁଁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”
GEN 49:1 ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି।
GEN 49:2 ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ।
GEN 49:3 ହେ ରୁବେନ୍‍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ।
GEN 49:4 ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।
GEN 49:5 ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
GEN 49:6 ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡ଼ିକର ଲାଙ୍ଗୁଡ଼ କାଟିଲେ।
GEN 49:7 ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ଡ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
GEN 49:8 ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ।
GEN 49:9 ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
GEN 49:10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
GEN 49:11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।
GEN 49:12 ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
GEN 49:13 ସବୂଲୂନ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି, ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ।
GEN 49:14 ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେ;
GEN 49:15 ସେ ବିଶ୍ରାମ-ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠିକର୍ମ କରିବାକୁ ଦାସ ହେଲା।
GEN 49:16 ଦାନ୍ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ।
GEN 49:17 ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍‍ ପଡ଼ିଯାଏ।
GEN 49:18 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।
GEN 49:19 ସୈନ୍ୟଦଳ ଗାଦ୍‍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍‍ ସେମାନଙ୍କୁ ଆକ୍ରମଣ କରିବ।
GEN 49:20 ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ।
GEN 49:21 ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
GEN 49:22 ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ।
GEN 49:23 ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି, ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି,
GEN 49:24 ମାତ୍ର ତାହାର ଧନୁ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
GEN 49:25 ଅର୍ଥାତ୍‍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।
GEN 49:26 ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍‍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ।
GEN 49:27 ବିନ୍ୟାମୀନ୍ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ।”
GEN 49:28 ଏମାନେ ଇସ୍ରାଏଲଙ୍କର ଦ୍ୱାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ବିଶେଷ ଆଶୀର୍ବାଦ କଲେ।
GEN 49:29 ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ।
GEN 49:30 ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍‍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
GEN 49:31 ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍‌ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି;
GEN 49:32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
GEN 49:33 ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ।
GEN 50:1 ସେତେବେଳେ ଯୋଷେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ।
GEN 50:2 ପୁଣି, ଯୋଷେଫ ଆପଣା ପିତାଙ୍କର ଶବ ପୂତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ; ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କଲେ।
GEN 50:3 ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ।
GEN 50:4 ସେହି ଶୋକ ଦିନ ଗତ ହୁଅନ୍ତେ, ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ଯଦି ମୁଁ ତୁମ୍ଭମାନଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ବିନୟ କରୁଅଛି, ଫାରୋଙ୍କ କର୍ଣ୍ଣଗୋଚରେ ଏହି କଥା କୁହ,
GEN 50:5 ମୋʼ ପିତା ମୋତେ ଶପଥ କରାଇ କହିଅଛନ୍ତି, ‘ଦେଖ, ଆମ୍ଭେ ମଲେ, କିଣାନ ଦେଶରେ ଆପଣା ନିମନ୍ତେ ଯେଉଁ କବର ଖନନ କରିଅଛୁ, ତହିଁରେ ଆମ୍ଭକୁ କବର ଦେବ।’ ଏଣୁ ଏବେ ମୋତେ ଯିବାକୁ ଦିଅନ୍ତୁ, ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।”
GEN 50:6 ତହିଁରେ ଫାରୋ କହିଲେ, “ଯାଅ, ତୁମ୍ଭ ପିତା ତୁମ୍ଭକୁ ଯେଉଁ ଶପଥ କରାଇଅଛନ୍ତି, ତୁମ୍ଭେ ତଦନୁସାରେ ତାଙ୍କୁ କବର ଦିଅ।”
GEN 50:7 ତହୁଁ ଯୋଷେଫ ଆପଣା ପିତାଙ୍କୁ କବର ଦେବାକୁ ଯାତ୍ରା କଲେ; ତହିଁରେ ଫାରୋଙ୍କର ଦାସମାନେ ଓ ତାଙ୍କ ଗୃହର ପ୍ରଧାନ ଲୋକମାନେ ଓ ମିସର ଦେଶର ପ୍ରଧାନ ଲୋକମାନେ,
GEN 50:8 ପୁଣି, ଯୋଷେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃପରିବାର ତାଙ୍କ ସଙ୍ଗେ ଗମନ କଲେ; ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପଲ ଓ ଗୋପଲ ଛାଡ଼ିଗଲେ।
GEN 50:9 ତାଙ୍କ ସଙ୍ଗରେ ରଥ ଓ ଅଶ୍ୱାରୋହୀଗଣ ଗମନ ଗଲେ; ତହିଁରେ ଅତିଶୟ ସମାରୋହ ହେଲା।
GEN 50:10 ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ।
GEN 50:11 ପୁଣି, ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସରୀୟମାନଙ୍କର ଏ ଅତି ଦାରୁଣ ଶୋକ,” ତେଣୁକରି ଯର୍ଦ୍ଦନ ପାରସ୍ଥ ସେହି ସ୍ଥାନ ଆବେଲ୍‍ ମିସର ନାମରେ ବିଖ୍ୟାତ ହେଲା।
GEN 50:12 ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ତାଙ୍କ ପ୍ରତି ତଦନୁସାରେ କଲେ;
GEN 50:13 ଅର୍ଥାତ୍‍, ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍‍ପେଲା କ୍ଷେତ୍ରରେ ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ; ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହିତ୍ତୀୟ ଇଫ୍ରୋଣଠାରୁ ଅବ୍ରହାମଙ୍କ ଦ୍ୱାରା କ୍ରୀତ ହୋଇଥିଲା।
GEN 50:14 ଯୋଷେଫ ଆପଣା ପିତାଙ୍କୁ କବର ଦେଲା ଉତ୍ତାରେ ସେ ଓ ତାଙ୍କର ଭ୍ରାତୃଗଣ ପ୍ରଭୃତି ଯେତେ ଲୋକ ତାଙ୍କ ପିତାଙ୍କର କବର ଦେବାକୁ ତାଙ୍କ ସଙ୍ଗେ ଯାଇଥିଲେ, ସମସ୍ତେ ମିସରକୁ ପ୍ରତ୍ୟାଗମନ କଲେ।
GEN 50:15 ଆଉ ଆପଣାମାନଙ୍କର ପିତା ମରିଅଛନ୍ତି, ଏହା ଦେଖି ଯୋଷେଫଙ୍କର ଭାଇମାନେ କହିଲେ, “କେଜାଣି ଯୋଷେଫ ଆମ୍ଭମାନଙ୍କୁ ଘୃଣା କରିବ, ପୁଣି, ଆମ୍ଭେମାନେ ତାହାର ଯେସକଳ ମନ୍ଦ କରିଅଛୁ, ତହିଁର ସମ୍ପୂର୍ଣ୍ଣ ପ୍ରତିଫଳ ଆମ୍ଭମାନଙ୍କୁ ଦେବ।”
GEN 50:16 ଏହେତୁ ସେମାନେ ଯୋଷେଫଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭ ପିତା ମୃତ୍ୟୁୁ ପୂର୍ବରେ ଆମ୍ଭମାନଙ୍କୁ ଏହା କହିଥିଲେ, ତୁମ୍ଭେମାନେ ‘ଯୋଷେଫକୁ ଏହି କଥା କହିବ,
GEN 50:17 ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି; ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ;’ ଏଥିପାଇଁ ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।” ସେମାନେ ଏହି କଥା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ।
GEN 50:18 ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ଆଗକୁ ଯାଇ ପ୍ରଣାମ କରି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଦାସ।”
GEN 50:19 ତହିଁରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି?
GEN 50:20 ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା।
GEN 50:21 ଏଥିପାଇଁ ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି।” ଏହି ପ୍ରକାରେ ଚିତ୍ତ ପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ।
GEN 50:22 ଏଥିଉତ୍ତାରେ ଯୋଷେଫ ଓ ତାଙ୍କର ପିତୃପରିବାର ମିସରରେ ବାସ କରି ରହିଲେ; ଯୋଷେଫ ଶହେ ଦଶ ବର୍ଷ ଜୀବିତ ରହିଲେ।
GEN 50:23 ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ; ପୁଣି, ଯୋଷେଫ ମନଃଶିର ମାଖୀର ନାମକ ପୁତ୍ରର ଶିଶୁସନ୍ତାନମାନଙ୍କୁ “କୋଳ କଲେ।”
GEN 50:24 ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ପୁଣି, ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ।”
GEN 50:25 ଆହୁରି ଯୋଷେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ।”
GEN 50:26 ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
EXO 1:1 ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଦେଶକୁ ଆସିଲେ, ସେମାନଙ୍କ ନାମ;
EXO 1:2 ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା;
EXO 1:3 ଇଷାଖର, ସବୂଲୂନ ଓ ବିନ୍ୟାମୀନ୍;
EXO 1:4 ଦାନ୍ ଓ ନପ୍ତାଲି; ଗାଦ୍‍ ଓ ଆଶେର।
EXO 1:5 ସର୍ବସୁଦ୍ଧା ଯାକୁବଙ୍କଠାରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ।
EXO 1:6 ଏଥିଉତ୍ତାରେ ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ।
EXO 1:7 ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା।
EXO 1:8 ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ।
EXO 1:9 ସେ ଆପଣା ଲୋକମାନଙ୍କୁ କହିଲେ, “ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି।
EXO 1:10 ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।”
EXO 1:11 ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।
EXO 1:12 ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପିଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍‍ବିଗ୍ନ ହେଲେ।
EXO 1:13 ତହିଁରେ ମିସରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ।
EXO 1:14 ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ।
EXO 1:15 ଏଥିଉତ୍ତାରେ ମିସରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
EXO 1:16 “ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେସମୟରେ ଯଦି ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯଦି କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ।”
EXO 1:17 ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିସରୀୟ ରାଜାଙ୍କର ଆଜ୍ଞା ଅନୁସାରେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ।
EXO 1:18 ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଏପରି କାର୍ଯ୍ୟ କାହିଁକି କରୁଅଛ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ?”
EXO 1:19 ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିସରୀୟା ସ୍ତ୍ରୀଗଣ ପରି ନୁହନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି।”
EXO 1:20 ପୁଣି, ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ।
EXO 1:21 ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ।
EXO 1:22 ଏଥିଉତ୍ତାରେ ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନୀଳ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।”
EXO 2:1 ଏଥିଉତ୍ତାରେ ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶରୁ ଜାତ ଏକ କନ୍ୟାକୁ ବିବାହ କଲା।
EXO 2:2 ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା; ପୁଣି, ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନି ମାସ ଯାଏ ଗୋପନରେ ରଖିଲା।
EXO 2:3 ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀତୀରସ୍ଥ ନଳବନରେ ରଖିଲା।
EXO 2:4 ପୁଣି, ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା।
EXO 2:5 ଏଥିଉତ୍ତାରେ ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକୁ ପଠାଇଲା।
EXO 2:6 ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, “ଏଇଟି ଜଣେ ଏବ୍ରୀୟ ବାଳକ।”
EXO 2:7 ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, “ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକୁ ଡାକି ଆଣିବି?”
EXO 2:8 ତହିଁରେ ଫାରୋଙ୍କର କନ୍ୟା କହିଲା, “ଯାଅ,” ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା।
EXO 2:9 ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, “ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବେତନ ଦେବି,” ତହିଁରେ ସେହି ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା।
EXO 2:10 ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା ଦେଲା; “କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି।”
EXO 2:11 କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି, ଜଣେ ମିସରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀଙ୍କୁ ପ୍ରହାର କରୁଥିବାର ଦେଖିଲେ।
EXO 2:12 ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସରୀୟକୁ ବଧ କରି ବାଲିରେ ପୋତି ଦେଲେ।
EXO 2:13 ଆଉ ଦ୍ୱିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇଙ୍କୁ କାହିଁକି ପ୍ରହାର କରୁଅଛ?”
EXO 2:14 ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଅଛ?” ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।”
EXO 2:15 ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ।
EXO 2:16 ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳ ପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ।
EXO 2:17 ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳ ପାନ କରାଇଲେ।
EXO 2:18 ଏଥିଉତ୍ତାରେ ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, “ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?”
EXO 2:19 ତହିଁରେ ସେମାନେ କହିଲେ, “ଜଣେ ମିସରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି, ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳ ପାନ କରାଇଲା।”
EXO 2:20 ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, “ସେ କେଉଁଠାରେ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ।”
EXO 2:21 ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା।
EXO 2:22 ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ ଦେଲେ; କାରଣ ସେ କହିଲେ, “ମୁଁ ବିଦେଶରେ ପ୍ରବାସୀ ହୋଇଅଛି।”
EXO 2:23 ବହୁ କାଳ ଉତ୍ତାରେ ମିସରୀୟ ରାଜାଙ୍କର ମୃତ୍ୟୁୁ ହେଲା, ପୁଣି, ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ସକାଶୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା।
EXO 2:24 ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍‌ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି,
EXO 2:25 ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।
EXO 3:1 ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍‍ ଭାଗରେ ମେଷପଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ।
EXO 3:2 ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ।
EXO 3:3 ତେଣୁ ମୋଶା କହିଲେ, “ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉ ନାହିଁ।”
EXO 3:4 ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, “ହେ ମୋଶା, ହେ ମୋଶା।” ତହିଁରେ ସେ କହିଲେ, “ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
EXO 3:5 ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।”
EXO 3:6 ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।
EXO 3:7 ଏଥିଉତ୍ତାରେ ସଦାପ୍ରଭୁ କହିଲେ, “ଆମ୍ଭେ ମିସର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଳେଶ ନିତାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକମାନଙ୍କ କାରଣରୁ ହେଉଥିବା ସେମାନଙ୍କ ରୋଦନ ଶୁଣିଅଛୁ; ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ।
EXO 3:8 ଏହେତୁ ମିସରୀୟ ଲୋକମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ, ପୁଣି, ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ; ଅର୍ଥାତ୍‍, କିଣାନୀୟ, ହିତ୍ତୀୟ, ଇମୋରୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ଥାʼନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବାକୁ ଓହ୍ଲାଇ ଆସିଲୁ।
EXO 3:9 ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ।
EXO 3:10 ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ।”
EXO 3:11 ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବି?”
EXO 3:12 ତହୁଁ ସେ କହିଲେ, “ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି, ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ।”
EXO 3:13 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, ‘କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି;’ ପୁଣି, ସେମାନେ ପଚାରିବେ, ‘ତାହାଙ୍କର ନାମ କଅଣ?’ ସେତେବେଳେ ମୁଁ କି ଉତ୍ତର ଦେବି?”
EXO 3:14 ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି।’”
EXO 3:15 ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର, ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’
EXO 3:16 ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମ, ଇସ୍‌ହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତ ବିଷୟର ଧ୍ୟାନ ଦେଇଅଛୁ।
EXO 3:17 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ମିସରର କ୍ଳେଶରୁ ଉଦ୍ଧାର କରି କିଣାନୀୟମାନଙ୍କ, ହିତ୍ତୀୟମାନଙ୍କ, ଇମୋରୀୟମାନଙ୍କ, ପରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ।’
EXO 3:18 ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ‘ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ।’
EXO 3:19 ମାତ୍ର ଆମ୍ଭେ ଜାଣୁ, ମିସରର ରାଜା ତୁମ୍ଭମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ, ପରାକ୍ରାନ୍ତ ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ।
EXO 3:20 ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେସକଳ ଆଶ୍ଚର୍ଯ୍ୟକର୍ମ କରିବା; ତଦ୍ଦ୍ୱାରା ମିସରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ।
EXO 3:21 ଆଉ ଆମ୍ଭେ ମିସରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବା, ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ଶୂନ୍ୟ ହସ୍ତରେ ଯିବ ନାହିଁ;
EXO 3:22 ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ; ପୁଣି, ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିରୂପେ ତୁମ୍ଭେମାନେ ମିସରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”
EXO 4:1 ଏଥିରେ ମୋଶା ଉତ୍ତର କଲେ, “ଦେଖନ୍ତୁ, ସେମାନେ ମୋତେ ବିଶ୍ୱାସ କରିବେ ନାହିଁ ଓ ମୋʼ ରବରେ ମନୋଯୋଗ କରିବେ ନାହିଁ; ମାତ୍ର ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି?’”
EXO 4:2 ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ହସ୍ତରେ କʼଣ ଅଛି?” ସେ କହିଲେ, “ଯଷ୍ଟି।”
EXO 4:3 ତହୁଁ ସଦାପ୍ରଭୁ କହିଲେ, “ତାକୁ ଭୂମିରେ ପକାଅ।” ତେଣୁ ସେ ତାକୁ ଭୂମିରେ ପକାନ୍ତେ, ତାହା ସର୍ପ ହେଲା; ତହିଁରେ ମୋଶା ତାହା ଆଗରୁ ପଳାଇଗଲେ।
EXO 4:4 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେମାନଙ୍କ ପୂର୍ବପୁରୁଷଗଣର ସଦାପ୍ରଭୁ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର, ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ତୁମ୍ଭକୁ ଦର୍ଶନ ଦେଇଅଛନ୍ତି,” ଏହା ଯେପରି ସେମାନେ ବିଶ୍ୱାସ କରିବେ,
EXO 4:5 “ଏଥିପାଇଁ ତୁମ୍ଭେ ଆପଣା ହସ୍ତ ବଢ଼ାଇ ତାହାର ଲାଞ୍ଜ ଧର,” ତହିଁରେ ସେ ହସ୍ତ ବଢ଼ାଇ ତାକୁ ଧରନ୍ତେ, ତାଙ୍କ ହସ୍ତରେ ସେ ଯଷ୍ଟି ହେଲା।
EXO 4:6 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, “ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ।” ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା।
EXO 4:7 ଏଥିରେ ସେ କହିଲେ, “ତୁମ୍ଭେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ;” ସେମାନେ ଯଦି ତୁମ୍ଭକୁ ବିଶ୍ୱାସ ନ କରିବେ
EXO 4:8 ଓ ତୁମ୍ଭର ସେହି ପ୍ରଥମ ଚିହ୍ନରେ ମନୋଯୋଗ ନ କରିବେ, ତେବେ ଦ୍ୱିତୀୟ ଚିହ୍ନରେ ବିଶ୍ୱାସ କରିବେ। ତହିଁରେ ସେ ପୁନର୍ବାର ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ବାହାର କଲେ, ଦେଖ, ତାହା ପ୍ରକୃତ ମାଂସ ହେଲା।
EXO 4:9 ଏହି ଦୁଇ ଚିହ୍ନରେ ଯଦି ସେମାନେ ବିଶ୍ୱାସ ନ କରିବେ ଓ ତୁମ୍ଭ ରବରେ ମନୋଯୋଗ ନ କରିବେ, ତେବେ ତୁମ୍ଭେ ନୀଳ ନଦୀରୁ ଜଳ କିଛି ନେଇ ଶୁଷ୍କ ଭୂମିରେ ଢାଳ; ତହିଁରେ ତୁମ୍ଭେ ନଦୀରୁ ଯେଉଁ ଜଳ ଆଣିବ, ତାହା ଶୁଷ୍କ ଭୂମିରେ ରକ୍ତ ହେବ।
EXO 4:10 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ପ୍ରଭୋ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ। ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ।”
EXO 4:11 ତହିଁରେ ସଦାପ୍ରଭୁ ତାହାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି, ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରନ୍ତି? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ?
EXO 4:12 ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା।”
EXO 4:13 ତହିଁରେ ସେ କହିଲେ, “ହେ ପ୍ରଭୋ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ।”
EXO 4:14 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତେଣୁ ସେ କହିଲେ, “ଲେବୀୟ ହାରୋଣ କି ତୁମ୍ଭର ଭାଇ ନୁହେଁ? ଆମ୍ଭେ ଜାଣୁ, ସେ ସୁବକ୍ତା। ଆଉ ଦେଖ, ସେ ତୁମ୍ଭ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି; ପୁଣି, ତୁମ୍ଭକୁ ଦେଖି ହୃଷ୍ଟଚିତ୍ତ ହେବ।
EXO 4:15 ତୁମ୍ଭେ ତାହାକୁ କହିବ ଓ ତାହାର ମୁଖରେ ବାକ୍ୟ ଦେବ; ପୁଣି, ଆମ୍ଭେ ତୁମ୍ଭ ମୁଖର ଓ ତାହା ମୁଖର ସହବର୍ତ୍ତୀ ହୋଇ ତୁମ୍ଭମାନଙ୍କୁ କର୍ତ୍ତବ୍ୟ କର୍ମର ଶିକ୍ଷା ଦେବା।
EXO 4:16 ସେ ଲୋକମାନଙ୍କ ନିକଟରେ ତୁମ୍ଭର ପ୍ରତିନିଧି-ବକ୍ତା ହେବ; ସେ ତୁମ୍ଭର ମୁଖ ସ୍ୱରୂପ ହେବ ଓ ତୁମ୍ଭେ ତାହାର ପରମେଶ୍ୱର ତୁଲ୍ୟ ହେବ।
EXO 4:17 ଆଉ ତୁମ୍ଭେ ଆପଣା ହସ୍ତରେ ଏହି ଯଷ୍ଟି ଘେନ, ଯେଣୁ ଏହା ଦ୍ୱାରା ତୁମ୍ଭେ ଏହି ସମସ୍ତ ଚିହ୍ନ ଦେଖାଇବ।”
EXO 4:18 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନିକଟକୁ ବାହୁଡ଼ି ଯାଇ କହିଲେ, “ମୁଁ ବିନୟ କରୁଅଛି, ମିସରସ୍ଥିତ ମୋହର ଭ୍ରାତୃଗଣ ନିକଟକୁ ଏବେ ଫେରିଯିବା ପାଇଁ ଓ ସେମାନେ ଆଜିଯାଏ ବଞ୍ଚିଅଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମୋତେ ଯିବାକୁ ଦିଅ।” ତହିଁରେ ଯିଥ୍ରୋ ମୋଶାଙ୍କୁ କହିଲେ, “କୁଶଳରେ ଯାଅ।”
EXO 4:19 ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, “ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେମାନେ ସମସ୍ତେ ମରିଅଛନ୍ତି।”
EXO 4:20 ତହୁଁ ମୋଶା ଆପଣା ଭାର୍ଯ୍ୟା ଓ ପୁତ୍ରଗଣକୁ ଗଧ ଉପରେ ଚଢ଼ାଇ ମିସର ଦେଶକୁ ଫେରିଗଲେ; ପୁଣି, ସେ ଆପଣା ହସ୍ତରେ ପରମେଶ୍ୱରଙ୍କର ସେହି ଯଷ୍ଟି ନେଲେ।
EXO 4:21 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସାବଧାନ, ତୁମ୍ଭେ ମିସରକୁ ଫେରିଗଲେ, ଆମ୍ଭେ ତୁମ୍ଭ ହସ୍ତରେ ଯେସବୁ ଆଶ୍ଚର୍ଯ୍ୟକର୍ମ କରିବାକୁ ଦେଇଅଛୁ, ତାହା ଫାରୋ ସାକ୍ଷାତରେ କରିବ; ମାତ୍ର ଆମ୍ଭେ ତାହାର ମନ କଠିନ କରିବା; ତହିଁରେ ସେ ଲୋକମାନଙ୍କୁ ଯିବାକୁ ଦେବ ନାହିଁ।”
EXO 4:22 ପୁଣି, ତୁମ୍ଭେ ଫାରୋକୁ କହିବ, ସଦାପ୍ରଭୁ କହନ୍ତି, “ଇସ୍ରାଏଲ ଆମ୍ଭର ପୁତ୍ର; ଆମ୍ଭର ଜ୍ୟେଷ୍ଠ ପୁତ୍ର;
EXO 4:23 ଆମ୍ଭେ ତୁମ୍ଭକୁ କହିଅଛୁ, ‘ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।’”
EXO 4:24 ଏଥିଉତ୍ତାରେ ପଥ ମଧ୍ୟରେ ଉତ୍ତରଣୀୟ ଗୃହରେ ସଦାପ୍ରଭୁ ତାଙ୍କୁ ପାଇ ବଧ କରିବାକୁ ଚେଷ୍ଟା କଲେ।
EXO 4:25 ସେତେବେଳେ ସିପ୍ପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ନିତାନ୍ତ ମୋହର ରକ୍ତପ୍ରିୟ ବର।”
EXO 4:26 ଏହିରୂପେ ପରମେଶ୍ୱର ତାଙ୍କୁ ଛାଡ଼ିଦେଲେ। ତହିଁରେ ସେ ସ୍ତ୍ରୀ କହିଲା, “ସୁନ୍ନତପ୍ରଯୁକ୍ତ ତୁମ୍ଭେ ରକ୍ତପ୍ରିୟ ବର ଅଟ।”
EXO 4:27 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ।” ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ସାକ୍ଷାତ କରି ତାଙ୍କୁ ଚୁମ୍ବନ କଲେ।
EXO 4:28 ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କ ଆଜ୍ଞାର୍ପିତ ସମସ୍ତ ଚିହ୍ନ ହାରୋଣଙ୍କୁ ଜଣାଇଲେ।
EXO 4:29 ଏଥିଉତ୍ତାରେ ମୋଶା ଓ ହାରୋଣ ଯାଇ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗକୁ ଏକତ୍ର କଲେ।
EXO 4:30 ପୁଣି, ହାରୋଣ ସେମାନଙ୍କୁ ମୋଶାଙ୍କ ପ୍ରତି କଥିତ ସଦାପ୍ରଭୁଙ୍କ ସମସ୍ତ ବାକ୍ୟ କହିଲେ, ପୁଣି, ଲୋକମାନଙ୍କ ଦୃଷ୍ଟିରେ ସେହି ସମସ୍ତ ଚିହ୍ନ ପ୍ରକାଶ କଲେ।
EXO 4:31 ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ।
EXO 5:1 ଏଥିଉତ୍ତାରେ ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।’”
EXO 5:2 ତହିଁରେ ଫାରୋ କହିଲେ, “ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଯିବାକୁ ଦେବୁ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଯିବାକୁ ଦେବୁ ନାହିଁ।”
EXO 5:3 ସେମାନେ କହିଲେ, “ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ।”
EXO 5:4 ତହୁଁ ମିସରର ରାଜା ସେମାନଙ୍କୁ କହିଲେ, “ହେ ମୋଶା ଓ ହାରୋଣ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମ୍ଭେମାନେ ଆପଣା ଆପଣା ଭାର ବହନ କର୍ମରେ ଯାଅ।”
EXO 5:5 ଫାରୋ ଆହୁରି କହିଲେ, “ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି, ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ।”
EXO 5:6 ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ,
EXO 5:7 “ତୁମ୍ଭେମାନେ ଇଟା ନିର୍ମାଣ ନିମିତ୍ତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାହିଁ; ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ।
EXO 5:8 ପୁଣି, ପୂର୍ବରେ ସେମାନଙ୍କ ଉପରେ ଯେତେ ଇଟା ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ ଅଟନ୍ତି; ‘ଏଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଯିବାକୁ ଦିଅ ବୋଲି ଡାକ ପକାଉଅଛନ୍ତି;’
EXO 5:9 ଏହେତୁ ଏମାନେ କାର୍ଯ୍ୟ ଭାରରେ ଭାରାକ୍ରାନ୍ତ ହୋଇ ତହିଁରେ ବ୍ୟସ୍ତ ଥାʼନ୍ତୁ; ମିଥ୍ୟା କଥାରେ ଅବଧାନ ନ କରନ୍ତୁ।”
EXO 5:10 ତହିଁ ଉତ୍ତାରେ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, “ଫାରୋ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ।
EXO 5:11 ଯାଅ, ଯେଉଁଠାରେ ପାଳ ପାଇ ପାରିବ ସେହିଠାରୁ ଆପଣା ଆପଣା ନିମନ୍ତେ ତାହା ସଂଗ୍ରହ କର; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ।’”
EXO 5:12 ତହିଁରେ ଲୋକମାନେ ପାଳ ବଦଳେ କୁଟା ସଂଗ୍ରହ କରିବାକୁ ସମସ୍ତ ମିସର ଦେଶରେ ଛିନ୍ନଭିନ୍ନ ହୋଇଗଲେ।
EXO 5:13 ତଥାପି କାର୍ଯ୍ୟଶାସକମାନେ ଚଞ୍ଚଳ କରାଇ କହିଲେ, “ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।”
EXO 5:14 ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲ ବଂଶୀୟ ଯେଉଁ କାର୍ଯ୍ୟାଧ୍ୟକ୍ଷମାନଙ୍କୁ ରଖିଥିଲେ; ସେମାନଙ୍କୁ ପ୍ରହାର କରି କହିଲେ, “ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁ ନାହଁ?”
EXO 5:15 ତହିଁରେ ଇସ୍ରାଏଲ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, “ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି?
EXO 5:16 ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ‘ଇଟା ବନାଅ;’ ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କ ନିଜ ଲୋକଙ୍କର।”
EXO 5:17 ତହୁଁ ସେ କହିଲେ, “ତୁମ୍ଭେମାନେ ବହୁତ ଅଳସୁଆ, ଏଥିପାଇଁ କହୁଅଛ, ‘ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଯିବାକୁ ଦିଅ।’
EXO 5:18 ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ, ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ।”
EXO 5:19 “ତହିଁରେ ତୁମ୍ଭମାନଙ୍କ ଦୈନିକ ନିରୂପିତ ଇଟାରୁ କିଛି ଊଣା ହେବ ନାହିଁ;” ଏହି କଥାରେ ଇସ୍ରାଏଲ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଦେଖିଲେ ଯେ, ସେମାନଙ୍କ ଦଶା ଅମଙ୍ଗଳସୂଚକ।
EXO 5:20 ଏଥିଉତ୍ତାରେ ସେମାନେ ଫାରୋଙ୍କ ନିକଟରୁ ଫେରିବା ସମୟରେ ସେମାନେ ମୋଶା ଓ ହାରୋଣଙ୍କୁ ସାକ୍ଷାତ କଲେ, ଯେପରି ସେମାନେ ସେମାନଙ୍କର ଅପେକ୍ଷାରେ ଥିଲେ;
EXO 5:21 ଏଣୁ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି କରି ବିଚାର କରନ୍ତୁ; ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କୁ ଘୃଣାଯୋଗ୍ୟ କରି ଆମ୍ଭମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ୍ଗ ଦେଲ।”
EXO 5:22 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, “ହେ ପ୍ରଭୋ, ତୁମ୍ଭେ କାହିଁକି ଏହି ଲୋକମାନଙ୍କର ଅମଙ୍ଗଳ କରିଅଛ? ତୁମ୍ଭେ କାହିଁକି ମୋତେ ପଠାଇଲ?
EXO 5:23 କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରିଅଛନ୍ତି, ପୁଣି, ତୁମ୍ଭେ ଆପଣା ଲୋକମାନଙ୍କର କିଛିମାତ୍ର ଉଦ୍ଧାର କରି ନାହଁ।”
EXO 6:1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
EXO 6:2 ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ);
EXO 6:3 ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ।
EXO 6:4 ପୁଣି, କିଣାନ ଦେଶ, ଅର୍ଥାତ୍‍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ।
EXO 6:5 ଏବେ ମିସରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।
EXO 6:6 ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା, ପୁଣି, ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା।
EXO 6:7 ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ତହିଁରେ ମିସରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।
EXO 6:8 ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି, ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ ଅଟୁ।’”
EXO 6:9 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।
EXO 6:10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 6:11 “ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଯିବାକୁ ଦିଅ।”
EXO 6:12 ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, “ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଉତ୍ତମ ବକ୍ତା ଯେ ମୁଁ ନୁହେଁ, ମୋʼ କଥା ଫାରୋ କିପରି ଶୁଣିବେ?”
EXO 6:13 ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
EXO 6:14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍‍ର ବଂଶ।
EXO 6:15 ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି।
EXO 6:16 ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ‍, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା।
EXO 6:17 ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍‍ନି ଓ ଶିମୀୟି।
EXO 6:18 ପୁଣି, କହାତର ସନ୍ତାନ ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା।
EXO 6:19 ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ ଅଟନ୍ତି।
EXO 6:20 ପୁଣି, ଅମ୍ରାମ୍‍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍‍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
EXO 6:21 ଯିଷ୍‍ହରର ସନ୍ତାନ କୋରହ, ନେଫଗ୍‍ ଓ ସିଖ୍ରି।
EXO 6:22 ପୁଣି, ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍‍ ଓ ସିଥ୍ରି।
EXO 6:23 ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା।
EXO 6:24 ପୁଣି, କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ; ଏମାନେ କୋରହର ବଂଶ ଅଟନ୍ତି।
EXO 6:25 ପୁଣି, ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସ୍‍କୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ।
EXO 6:26 ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”
EXO 6:27 ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
EXO 6:28 ଯେଉଁ ଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ,
EXO 6:29 ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହାସବୁ ମିସରୀୟ ରାଜା ଫାରୋକୁ କୁହ।”
EXO 6:30 ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?”
EXO 7:1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍‍ବକ୍ତା ହେବ।
EXO 7:2 ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହାସବୁ ତୁମ୍ଭେ କହିବ; ପୁଣି, ତୁମ୍ଭ ଭ୍ରାତା ହାରୋଣ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଯିବାକୁ ଫାରୋଙ୍କୁ କହିବ।
EXO 7:3 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି, ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା।
EXO 7:4 ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା।
EXO 7:5 ପୁଣି, ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।”
EXO 7:6 ଏଥିଉତ୍ତାରେ ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ।
EXO 7:7 ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା।
EXO 7:8 ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
EXO 7:9 “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ‘କୌଣସି ଚିହ୍ନ ଦେଖାଅ’ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ‘ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।’”
EXO 7:10 ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା।
EXO 7:11 ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ।
EXO 7:12 ଅର୍ଥାତ୍‍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା।
EXO 7:13 ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
EXO 7:14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କରୁଅଛି।
EXO 7:15 ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନୀଳ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ।
EXO 7:16 ପୁଣି, ଫାରୋକୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ।
EXO 7:17 ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ୱାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ।
EXO 7:18 ପୁଣି, ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସରୀୟ ଲୋକମାନେ ନଦୀର ଜଳ ପାନ କରିବାକୁ ଘୃଣା କରିବେ।’”
EXO 7:19 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ ଏହି କଥା କୁହ, ‘ତୁମ୍ଭେ ଆପଣା ଯଷ୍ଟି ଘେନି ମିସର ଦେଶୀୟ ଜଳ ଉପରେ, ଅର୍ଥାତ୍‍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି, ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ।’”
EXO 7:20 ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା।
EXO 7:21 ପୁଣି, ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସରୀୟମାନେ ନଦୀର ଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା।
EXO 7:22 ସେତେବେଳେ ମିସରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
EXO 7:23 ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।
EXO 7:24 ପୁଣି, ସମସ୍ତ ମିସରୀୟ ଲୋକେ ନଦୀର ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ।
EXO 7:25 ସଦାପ୍ରଭୁ ନଦୀକୁ ଆଘାତ କଲା ଉତ୍ତାରେ ସାତ ଦିନ ସମ୍ପୂର୍ଣ୍ଣ ହେଲା।
EXO 8:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
EXO 8:2 କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଯିବାକୁ ଦେବା ପାଇଁ ମନା କରିବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା।
EXO 8:3 ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;
EXO 8:4 ପୁଣି, ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ।’”
EXO 8:5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ‘ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।’”
EXO 8:6 ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ।
EXO 8:7 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।
EXO 8:8 ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଯିବାକୁ ଦେବା।”
EXO 8:9 ତେବେ ମୋଶା ଫାରୋଙ୍କୁ କହିଲେ, “ମୋʼ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?”
EXO 8:10 ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, “ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।
EXO 8:11 ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ।”
EXO 8:12 ଏଥିଉତ୍ତାରେ ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି, ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
EXO 8:13 ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ।
EXO 8:14 ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା।
EXO 8:15 ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ କଠିନ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
EXO 8:16 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ‘ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।’”
EXO 8:17 ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା।
EXO 8:18 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା।
EXO 8:19 ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ,” ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି, ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
EXO 8:20 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
EXO 8:21 ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।
EXO 8:22 ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।
EXO 8:23 ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ।’”
EXO 8:24 ଏଥିଉତ୍ତାରେ ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ ଝିଙ୍କ ଉପସ୍ଥିତ ହେଲା; ପୁଣି, ସମୁଦାୟ ମିସର ଦେଶ ଦଂଶକାଦି ସକାଶୁ ନଷ୍ଟ ହେଲା।
EXO 8:25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”
EXO 8:26 ତହିଁରେ ମୋଶା କହିଲେ, “ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ?
EXO 8:27 ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା।”
EXO 8:28 ତହୁଁ ଫାରୋ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି, ଆମ୍ଭ ନିମନ୍ତେ ପ୍ରାର୍ଥନା କର।”
EXO 8:29 ଏଥିଉତ୍ତାରେ ମୋଶା କହିଲେ, “ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର, ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ ଆସନ୍ତାକାଲି ସମସ୍ତ ଦଂଶକ ଝିଙ୍କ ଦୂର ହୋଇଯିବେ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଯିବାକୁ ଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ।”
EXO 8:30 ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
EXO 8:31 ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝିଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ।
EXO 8:32 ଏଥର ମଧ୍ୟ ଫାରୋ ଆପଣା ହୃଦୟ କଠିନ କଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
EXO 9:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
EXO 9:2 ମାତ୍ର ଯଦି ସେମାନଙ୍କୁ ଯିବା ପାଇଁ ନାସ୍ତି କରି ଏବେ ମଧ୍ୟ ବାଧା ଦେବ,
EXO 9:3 ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଡା, ଗର୍ଦ୍ଦଭ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି; ଏଣୁ ଅତିଶୟ ମହାମାରୀ ହେବ।
EXO 9:4 ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ।’”
EXO 9:5 ସଦାପ୍ରଭୁ ସମୟ ନିରୂପଣ କରି କହନ୍ତି, “ଆସନ୍ତାକାଲି ସଦାପ୍ରଭୁ ଏ ଦେଶରେ ଏହି କର୍ମ କରିବେ।”
EXO 9:6 ଆରଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିସରୀୟମାନଙ୍କ ସମସ୍ତ ପଶୁ ମଲେ; ମାତ୍ର ଇସ୍ରାଏଲ ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ।
EXO 9:7 ତହୁଁ ଫାରୋ ଲୋକ ପଠାଇ ଇସ୍ରାଏଲୀୟମାନଙ୍କର ଗୋଟିଏ ମାତ୍ର ପଶୁ ମରି ନ ଥିବାର ଦେଖିଲେ। ତଥାପି ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।
EXO 9:8 ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ମୁଷ୍ଟି ପୂର୍ଣ୍ଣ କରି ଭାଟିର ଭସ୍ମ ନିଅ, ପୁଣି, ମୋଶା ଫାରୋଙ୍କ ସାକ୍ଷାତରେ ତାହା ଆକାଶ ଆଡ଼କୁ ବିଞ୍ଚି ଦେଉ।
EXO 9:9 ତହିଁରେ ତାହା ସମୁଦାୟ ମିସର ଦେଶ ଉପରେ ସୂକ୍ଷ୍ମ ଧୂଳି ହୋଇ ମିସରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ଜନ୍ମାଇବ।”
EXO 9:10 ତହୁଁ ସେମାନେ ଭାଟିର ଭସ୍ମ ନେଇ ଫାରୋ ଆଗରେ ଠିଆ ହେଲେ; ପୁଣି, ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା।
EXO 9:11 ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସରୀୟମାନଙ୍କ ଶରୀରରେ ବଥ ଜାତ ହେଲା।
EXO 9:12 ଏଥିଉତ୍ତାରେ ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
EXO 9:13 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୋଇ ତାହାଙ୍କୁ ଏହି କଥା କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ;
EXO 9:14 ନୋହିଲେ ଏହିଥର ଆମ୍ଭେ ତୁମ୍ଭ ହୃଦୟ ବିରୁଦ୍ଧରେ, ପୁଣି, ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା; ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହାନ୍ତି, ଏହା ତୁମ୍ଭେ ଜ୍ଞାତ ହେବ।
EXO 9:15 କାରଣ ବର୍ତ୍ତମାନ ସୁଦ୍ଧା ଆମ୍ଭେ ଆପଣା ହସ୍ତ ବିସ୍ତାର କରି ମହାମାରୀ ଦ୍ୱାରା ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସଂହାର କରନ୍ତୁଣି, ପୁଣି, ତୁମ୍ଭେ ପୃଥିବୀରୁ ଉଚ୍ଛିନ୍ନ ହୋଇ ସାରନ୍ତଣି;
EXO 9:16 ମାତ୍ର ତୁମ୍ଭକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତିତ ହେବ, ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମ୍ଭକୁ ସ୍ଥାପନ କରି ରଖିଅଛୁ।
EXO 9:17 ତଥାପି ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ?
EXO 9:18 ଦେଖ, ଆମ୍ଭେ ଆସନ୍ତାକାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳାବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ।
EXO 9:19 ଏନିମନ୍ତେ ଏବେ ଲୋକ ପଠାଇ କ୍ଷେତ୍ରରେ ତୁମ୍ଭର ପଶ୍ୱାଦି ଯାହା ଯାହା ଅଛି, ତାହାସବୁ ଶୀଘ୍ର ଅଣାଅ, କାରଣ ଯେଉଁ ମନୁଷ୍ୟ କି ପଶୁ କ୍ଷେତ୍ରରେ ରହିବେ, ଗୃହକୁ ଅଣା ନ ଯିବେ, ସେମାନଙ୍କ ଉପରେ ଶିଳାବୃଷ୍ଟି ହେଲେ ସେମାନେ ମରିବେ।’”
EXO 9:20 ସେତେବେଳେ ଫାରୋଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା, ସେ ଶୀଘ୍ର ଆପଣା ଦାସ ଓ ପଶୁମାନଙ୍କୁ ଗୃହକୁ ଆଣିଲା।
EXO 9:21 ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା।
EXO 9:22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସରୀୟ ସମସ୍ତ ମନୁଷ୍ୟ, ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳାବୃଷ୍ଟି ହେବ।”
EXO 9:23 ତହୁଁ ମୋଶା ଆପଣା ଯଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତେ, ସଦାପ୍ରଭୁ ମେଘ ଗର୍ଜ୍ଜନ ଓ ଶିଳାବୃଷ୍ଟି କଲେ; ପୁଣି, ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା; ଏହିରୂପେ ସଦାପ୍ରଭୁ ମିସର ଦେଶରେ ଶିଳାବୃଷ୍ଟି କଲେ।
EXO 9:24 ତହିଁରେ ଶିଳାବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା; ଏପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିସର ଦେଶରେ ରାଜ୍ୟସ୍ଥାପନାବଧି କେବେ ହୋଇ ନ ଥିଲା।
EXO 9:25 ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳାବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା।
EXO 9:26 କେବଳ ଇସ୍ରାଏଲ-ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ।
EXO 9:27 ଏଥିଉତ୍ତାରେ ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଏହିଥର ମୁଁ ପାପ କରିଅଛି; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ ଅଟୁ।
EXO 9:28 ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; କାରଣ ପରମେଶ୍ୱରକୃତ ଗର୍ଜ୍ଜନ ଓ ଶିଳାବୃଷ୍ଟି ଯଥେଷ୍ଟ ହୋଇଅଛି; ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭମାନଙ୍କର ଆଉ ବିଳମ୍ବ ହେବ ନାହିଁ।”
EXO 9:29 ସେତେବେଳେ ମୋଶା ତାଙ୍କୁ କହିଲେ, “ମୁଁ ନଗରରୁ ବାହାର ହୋଇଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣ ହସ୍ତ ବିସ୍ତାର କରିବି, ତହିଁରେ ମେଘ ଗର୍ଜ୍ଜନ ନିବୃତ୍ତ ହେବ ଓ ଶିଳାବୃଷ୍ଟି ଆଉ ହେବ ନାହିଁ; ପୁଣି, ଏହି ପୃଥିବୀ ଯେ ସଦାପ୍ରଭୁଙ୍କର, ତାହା ଆପଣ ଜାଣି ପାରିବେ।
EXO 9:30 ମାତ୍ର ମୁଁ ଜାଣେ, ଆପଣ ଓ ଆପଣଙ୍କ ଦାସଗଣ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରୁ ନାହାନ୍ତି।”
EXO 9:31 ସେସମୟରେ ଫେସି ଓ ଯବ ସବୁ ନଷ୍ଟ ହେଲା, କାରଣ ଯବ ଶିଷାଯୁକ୍ତ ଓ ଫେସି ପୁଷ୍ପିତ ଥିଲା।
EXO 9:32 ମାତ୍ର ଗହମ ଓ ଜହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ।
EXO 9:33 ଏଥିଉତ୍ତାରେ ମୋଶା ଫାରୋଙ୍କ ନିକଟରୁ ନଗରର ବାହାରକୁ ଯାଇ ସଦାପ୍ରଭୁଙ୍କ ଛାମୁରେ ଆପଣା ହସ୍ତ ବିସ୍ତାର କରନ୍ତେ, ମେଘ ଗର୍ଜ୍ଜନ ଓ ଶିଳାବୃଷ୍ଟି ନିବୃତ୍ତ ହେଲା, ଭୂମିରେ ଆଉ ଜଳ ବୃଷ୍ଟି ହେଲା ନାହିଁ।
EXO 9:34 ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି, ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ କଠିନ କଲେ।
EXO 9:35 ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା; ଏଣୁ ମୋଶାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
EXO 10:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଅ; କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା,
EXO 10:2 ପୁଣି, ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣାର ଚିହ୍ନ ସ୍ୱରୂପେ ଯେଉଁ ଯେଉଁ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ଓ ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି, ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ, ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ କଠିନ କଲୁ।”
EXO 10:3 ସେତେବେଳେ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ କହିଲେ, “ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ତୁମ୍ଭେ ଆମ୍ଭ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି କରିବ? ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।
EXO 10:4 ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା।
EXO 10:5 ସେମାନେ ଭୂମିର ମୁଖ ଏପରି ଆଚ୍ଛନ୍ନ କରିବେ ଯେ, କେହି ତାହା ଦେଖି ପାରିବ ନାହିଁ; ପୁଣି, ଶିଳା ବୃଷ୍ଟିରୁ ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମ୍ଭମାନଙ୍କର ଅଛି, ତାହା ସେମାନେ ଖାଇବେ, ପୁଣି, ତୁମ୍ଭମାନଙ୍କର କ୍ଷେତ୍ରୋତ୍ପନ୍ନ ସମସ୍ତ ବୃକ୍ଷ ଖାଇବେ।
EXO 10:6 ପୁଣି, ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ, ତୁମ୍ଭ ଦାସଗଣର ଗୃହ ଓ ସକଳ ମିସରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ; ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ।’” ତହୁଁ ମୋଶା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ।
EXO 10:7 ଏଥିଉତ୍ତାରେ ଫାରୋଙ୍କର ଦାସଗଣ ତାଙ୍କୁ କହିଲେ, “ଏ ମନୁଷ୍ୟ କେତେ କାଳ ଆମ୍ଭମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଯିବାକୁ ଦେଉନ୍ତୁ; ମିସର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ?”
EXO 10:8 ତେବେ ମୋଶା ଓ ହାରୋଣ ପୁନର୍ବାର ଫାରୋଙ୍କ ନିକଟକୁ ଅଣା ଯାଆନ୍ତେ, ସେ ସେମାନଙ୍କୁ କହିଲେ, “ଯାଅ, ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର; ମାତ୍ର କିଏ କିଏ ଯିବ?”
EXO 10:9 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।”
EXO 10:10 ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।
EXO 10:11 ଏପରି ହେବ ନାହିଁ, ତୁମ୍ଭେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର; କାରଣ ଏହା ହିଁ ତୁମ୍ଭେମାନେ ଚାହଁ।” ଏଉତ୍ତାରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ।
EXO 10:12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପଙ୍ଗପାଳ ନିମନ୍ତେ ମିସର ଦେଶ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସେମାନେ ମିସର ଦେଶକୁ ଆସି ଶିଳାବୃଷ୍ଟିର ଅବଶିଷ୍ଟାଂଶ ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ।”
EXO 10:13 ତହୁଁ ମୋଶା ମିସର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସାରା ଦିବାରାତ୍ରି ଦେଶରେ ପୂର୍ବୀୟ ବାୟୁ ବୁହାଇଲେ; ପ୍ରଭାତ ହୁଅନ୍ତେ, ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ।
EXO 10:14 ତହିଁରେ ସମୁଦାୟ ମିସର ଦେଶରେ ପଙ୍ଗପାଳ ବ୍ୟାପିଗଲେ, ମିସରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ; ସେମାନେ ଅତ୍ୟନ୍ତ ଭୟାନକ ଥିଲେ; ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇ ନ ଥିଲା, କି ଆଉ କେବେ ହେବ ନାହିଁ।
EXO 10:15 ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍‍ବର୍ଣ୍ଣ କିଛିମାତ୍ର ରହିଲା ନାହିଁ।
EXO 10:16 ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ମୁଁ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି।
EXO 10:17 ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”
EXO 10:18 ତହିଁରେ ସେ ଫାରୋଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ,
EXO 10:19 ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଳମାନଙ୍କୁ ଉଠାଇ ନେଇ ସୂଫ ସାଗରରେ ନିକ୍ଷେପ କଲେ; ତହିଁରେ ମିସରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଳ ରହିଲା ନାହିଁ।
EXO 10:20 ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
EXO 10:21 ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର; ତହିଁରେ ମିସର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ସକାଶୁ ଲୋକମାନେ ଦରାଣ୍ଡି ହେବେ।”
EXO 10:22 ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରକୁ ଦେଖି ପାରିଲା ନାହିଁ।
EXO 10:23 ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।
EXO 10:24 ତହୁଁ ଫାରୋ ମୋଶାଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ; କେବଳ ତୁମ୍ଭମାନଙ୍କର ଗୋମେଷାଦି ପଲ ଥାଉନ୍ତୁ; ତୁମ୍ଭମାନଙ୍କ ବାଳକମାନେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ଯାଉନ୍ତୁ।”
EXO 10:25 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।
EXO 10:26 ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ; କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ; ପୁଣି, କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେମାନେ ଜାଣି ପାରିବୁ ନାହିଁ।”
EXO 10:27 ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି, ସେ ସେମାନଙ୍କୁ ଯିବାକୁ ଦେବା ପାଇଁ ସମ୍ମତ ହେଲେ ନାହିଁ।
EXO 10:28 ଏଣୁ ଫାରୋ ତାଙ୍କୁ କହିଲେ, “ଆମ୍ଭ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମ୍ଭର ମୁଖ ଆଉ କେବେ ଦେଖ ନାହିଁ; ଯେଉଁ ଦିନ ଆମ୍ଭର ମୁଖ ଦେଖିବ, ସେହି ଦିନ ମରିବ।”
EXO 10:29 ତହିଁରେ ମୋଶା କହିଲେ, “ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ।”
EXO 11:1 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଯିବାକୁ ଦେବ; ପୁଣି, ଯିବାକୁ ଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତାନ୍ତ ତଡ଼ି ଦେବ।
EXO 11:2 ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ମାଗି ନିଅନ୍ତୁ।”
EXO 11:3 ଆଉ ସଦାପ୍ରଭୁ ମିସରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପ୍ରାପ୍ତ କଲେ। ପୁଣି, ମିସର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ।
EXO 11:4 ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟଦେଇ ଗମନ କରିବା।
EXO 11:5 ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ।
EXO 11:6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।
EXO 11:7 ମାତ୍ର ସଦାପ୍ରଭୁ ମିସରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ପ୍ରଭେଦ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ।’
EXO 11:8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ‘ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ;’ ତହିଁ ଉତ୍ତାରେ ମୁଁ ବାହାରି ଯିବି।” ଏଥିଉତ୍ତାରେ ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରିଗଲେ।
EXO 11:9 ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ।”
EXO 11:10 ପୁଣି, ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ-ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ।
EXO 12:1 ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
EXO 12:2 “ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ।
EXO 12:3 ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ।
EXO 12:4 ଆଉ, ଗୋଟିଏ ମେଷଶାବକ ନେବା ନିମନ୍ତେ ଯଦି କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ, ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷଶାବକ ନେବେ; ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷଶାବକର ଅଟକଳ କରିବ।
EXO 12:5 ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ;
EXO 12:6 ସେହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ; ଏଥିଉତ୍ତାରେ ଇସ୍ରାଏଲ-ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟାକାଳରେ ସେହି ଶାବକକୁ ବଧ କରିବେ।
EXO 12:7 ପୁଣି, ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ସେହି ଗୃହ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ତାହା ଲଗାଇବେ।
EXO 12:8 ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍ଧ କରି ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ।
EXO 12:9 ତୁମ୍ଭେମାନେ ସେହି ମାଂସ ଅପକ୍ୱ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍ଧ କରି ଭୋଜନ କରିବ।
EXO 12:10 ପୁଣି, ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ; ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତାହା ଅଗ୍ନିରେ ଭସ୍ମସାତ୍‍ କରିବ।
EXO 12:11 ଏହି ପ୍ରକାରେ ତୁମ୍ଭେମାନେ ତାହା ଚଞ୍ଚଳ ଭୋଜନ କରିବ, କାରଣ ତୁମ୍ଭେମାନେ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେବ; ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ।
EXO 12:12 ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ।
EXO 12:13 ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ପୁଣି, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ।
EXO 12:14 ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ।
EXO 12:15 ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।
EXO 12:16 ଆଉ ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ପୁଣି, ସପ୍ତମ ଦିନରେ ମଧ୍ୟ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ଆଉ ସେହି ଦୁଇ ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ କରି ପାରିବ।
EXO 12:17 ଏହି ପ୍ରକାରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମ୍ଭମାନଙ୍କର ସୈନ୍ୟମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା; ଏଣୁ ତୁମ୍ଭେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ଦିନ ପାଳନ କରିବ।
EXO 12:18 ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ।
EXO 12:19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ।
EXO 12:20 ତୁମ୍ଭେମାନେ ତାଡ଼ି ମିଶ୍ରିତ କୌଣସି ଦ୍ରବ୍ୟ ଖାଇବ ନାହିଁ, ତୁମ୍ଭେମାନେ ଆପଣା ଆପଣା ସମସ୍ତ ବାସ ସ୍ଥାନରେ ତାଡ଼ିଶୂନ୍ୟ ରୁଟି ଖାଇବ।”
EXO 12:21 ସେତେବେଳେ ମୋଶା ଇସ୍ରାଏଲର ସମସ୍ତ ପ୍ରାଚୀନ ଲୋକଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଆପଣା ଆପଣା ପରିଜନାନୁସାରେ ଏକ ଏକ ମେଷଶାବକ ବାହାର କରି ନେଇ ନିସ୍ତାରପର୍ବୀୟ ବଳି ବଧ କର।
EXO 12:22 ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରରେ ବାହାରକୁ ନ ଯାଉ।
EXO 12:23 ଯେହେତୁ ସଦାପ୍ରଭୁ ମିସରୀୟମାନଙ୍କୁ ଆଘାତ କରିବାକୁ ସେମାନଙ୍କ ମଧ୍ୟଦେଇ ଯିବେ; ତହିଁରେ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ସେହି ରକ୍ତ ଦେଖିଲେ, ସଦାପ୍ରଭୁ ସେହି ଦ୍ୱାର ଛାଡ଼ି ଆଗକୁ ଯିବେ, ତୁମ୍ଭମାନଙ୍କ ଗୃହରେ ସଂହାରକକୁ ପ୍ରବେଶ କରି ଆଘାତ କରିବାକୁ ଦେବେ ନାହିଁ।
EXO 12:24 ପୁଣି, ତୁମ୍ଭେମାନେ ଓ ଯୁଗାନୁକ୍ରମେ ତୁମ୍ଭମାନଙ୍କ ସନ୍ତାନମାନେ ବିଧିମତେ ଏହି ରୀତି ପାଳନ କରିବ।
EXO 12:25 ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ; ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ସେଠାରେ ପ୍ରବେଶ କଲେ, ଏହି ସେବା ସାଧନ କରିବ।
EXO 12:26 ପୁଣି, ତୁମ୍ଭମାନଙ୍କ ‘ଏହି ସେବାର ଅଭିପ୍ରାୟ କଅଣ?’
EXO 12:27 ଏହା ତୁମ୍ଭମାନଙ୍କ ସନ୍ତାନମାନେ ପଚାରିଲେ, ‘ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବୀୟ ବଳିଦାନ; କାରଣ ମିସରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିସରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ।’” ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ।
EXO 12:28 ତହୁଁ ଇସ୍ରାଏଲୀୟ ସନ୍ତାନମାନେ ଯାଇ ସେପରି କଲେ; ଆଉ ସେମାନେ ମୋଶା ଓ ହାରୋଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ।
EXO 12:29 ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ।
EXO 12:30 ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିସରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ; ପୁଣି, ମିସର ଦେଶରେ ମହାରୋଦନ ହେଲା; କାରଣ ଏପରି ଗୃହ ନ ଥିଲା ଯେଉଁ ଗୃହରେ କେହି ମରି ନ ଥିଲେ।
EXO 12:31 ତହୁଁ ରାତ୍ରିକାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର।
EXO 12:32 ତୁମ୍ଭମାନଙ୍କ ବାକ୍ୟାନୁସାରେ ଗୋମେଷାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ମଧ୍ୟ ଆଶୀର୍ବାଦ କର।”
EXO 12:33 ସେତେବେଳେ ମିସରୀୟମାନେ ଲୋକମାନଙ୍କୁ ଶୀଘ୍ର ଦେଶରୁ ପଠାଇଦେବା ନିମନ୍ତେ ବ୍ୟଗ୍ର ହେଲେ; କାରଣ ସେମାନେ କହିଲେ, “ଆମ୍ଭେ ସମସ୍ତେ ମୃତକଳ୍ପ।”
EXO 12:34 ତହିଁରେ ଚକଟା ମଇଦା ତାଡ଼ି ମିଶ୍ରିତ ହେବା ପୂର୍ବେ, ଲୋକମାନେ ତାହା ନେଇ ମଇଦା ଦଳିବା ପାତ୍ରସବୁ ଆପଣା ଆପଣା ବସ୍ତ୍ରରେ ବାନ୍ଧି ସ୍କନ୍ଧରେ ଘେନିଲେ।
EXO 12:35 ପୁଣି, ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କର ବାକ୍ୟାନୁସାରେ ମିସରୀୟମାନଙ୍କୁ ରୌପ୍ୟ-ଅଳଙ୍କାର, ସୁବର୍ଣ୍ଣ-ଅଳଙ୍କାର ଓ ବସ୍ତ୍ର ମାଗିଲେ।
EXO 12:36 ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ, ସେମାନେ ମିସରୀୟମାନଙ୍କ ଧନ ହରଣ କଲେ।
EXO 12:37 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବାଳକ ବ୍ୟତୀତ ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‍ଠାରୁ ସୁକ୍କୋତକୁ ଯାତ୍ରା କଲେ।
EXO 12:38 ପୁଣି, ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ଗୋମେଷାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ।
EXO 12:39 ଏଥିଉତ୍ତାରେ ସେମାନେ ମିସରଠାରୁ ଆନୀତ ଚକଟା ମଇଦାରେ ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲେ; କାରଣ ତାହା ତାଡ଼ି ମିଶ୍ରିତ ହୋଇ ନ ଥିଲା; ଯେହେତୁ ସେମାନେ ମିସରରୁ ତାଡ଼ିତ ହୋଇଥିଲେ, ଏଥିପାଇଁ ବିଳମ୍ବ କରି ନ ପାରିବାରୁ ଆପଣା ଆପଣା ନିମନ୍ତେ କିଛି ଖାଦ୍ୟ ପ୍ରସ୍ତୁତ କରିପାରି ନ ଥିଲେ।
EXO 12:40 ଇସ୍ରାଏଲ ବଂଶ ଚାରି ଶହ ତିରିଶ ବର୍ଷ ପର୍ଯ୍ୟନ୍ତ ମିସର ଦେଶରେ ପ୍ରବାସ କରିଥିଲେ।
EXO 12:41 ସେହି ଚାରି ଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ।
EXO 12:42 ମିସର ଦେଶରୁ ସେମାନେ ବାହାର ହେବା ସକାଶୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି; ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ।
EXO 12:43 ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ନିସ୍ତାର ପର୍ବର ଏହି ବିଧି; କୌଣସି ବିଦେଶୀୟ ଲୋକ ତାହା ଭୋଜନ କରିବ ନାହିଁ।
EXO 12:44 ମାତ୍ର ରୌପ୍ୟ ଦ୍ୱାରା କ୍ରୀତ ପ୍ରତ୍ୟେକ ଲୋକର ଦାସ ସୁନ୍ନତ ହେଲେ ଖାଇ ପାରିବ;
EXO 12:45 କୌଣସି ପ୍ରବାସୀ ବା ବେତନଜୀବୀ ଦାସ ତାହା ଖାଇ ପାରିବ ନାହିଁ।
EXO 12:46 ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ; ତୁମ୍ଭେ ସେହି ମାଂସର କିଛିମାତ୍ର ଗୃହ ବାହାରକୁ ନେଇଯିବ ନାହିଁ; କିଅବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ।
EXO 12:47 ଇସ୍ରାଏଲର ସମଗ୍ର ମଣ୍ଡଳୀ ତାହା ପାଳନ କରିବେ।
EXO 12:48 ପୁଣି, ତୁମ୍ଭ ସଙ୍ଗରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ସଦାପ୍ରଭୁଙ୍କର ନିସ୍ତାର ପର୍ବ ପାଳନ କରିବାକୁ ଚାହେଁ, ତେବେ ତାହାର ପରିବାରର ସମସ୍ତ ପୁରୁଷ ସୁନ୍ନତ ହେଉନ୍ତୁ, ତହିଁ ଉତ୍ତାରେ ସେ ନିକଟକୁ ଆସି ପର୍ବ ପାଳନ କରୁ; ତହିଁରେ ସେ ଦେଶଜାତ ଲୋକ ତୁଲ୍ୟ ହେବ; ମାତ୍ର କୌଣସି ଅସୁନ୍ନତ ଲୋକ ତାହା ଭୋଜନ କରିବ ନାହିଁ।
EXO 12:49 ଆଉ ଦେଶଜାତ ଲୋକ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକ ପ୍ରତି ଗୋଟିଏ ବିଧି ହେବ।”
EXO 12:50 ତହିଁରେ ଇସ୍ରାଏଲର ସମସ୍ତ ସନ୍ତାନ ଏହି ପ୍ରକାର କଲେ; ମୋଶା ଓ ହାରୋଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଯେପରି ଥିଲା, ସେହିପରି ସେମାନେ କଲେ।
EXO 12:51 ଏହି ପ୍ରକାରେ ସଦାପ୍ରଭୁ ସେହି ଦିନ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିଲେ।
EXO 13:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 13:2 “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”
EXO 13:3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ।
EXO 13:4 ତୁମ୍ଭେମାନେ ଆବୀବ୍‍ ମାସର ଏହି ଦିନରେ ବାହାର ହେଲ।
EXO 13:5 ଆଉ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଦେଶ ତୁମ୍ଭଙ୍କୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯେତେବେଳେ ସେ ତୁମ୍ଭଙ୍କୁ ଆଣିବେ, ସେହି ସମୟରେ ତୁମ୍ଭେ ଏହି ମାସରେ ଏହି ସେବାର କାର୍ଯ୍ୟ ସାଧନ କରିବ।
EXO 13:6 ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଓ ସପ୍ତମ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବ।
EXO 13:7 ପୁଣି, ସେହି ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ ଓ ତୁମ୍ଭ ନିକଟରେ ତାଡ଼ି ମିଶ୍ରିତ ରୁଟି ଦେଖାଯିବ ନାହିଁ, ଆଉ ତୁମ୍ଭର ସମୁଦାୟ ଦେଶ ମଧ୍ୟରେ ତାଡ଼ି ଦୃଷ୍ଟ ହେବ ନାହିଁ।
EXO 13:8 ପୁଣି, ସେହି ଦିନ ତୁମ୍ଭେ ଆପଣା ପୁତ୍ରକୁ କହିବ, ‘ମିସରଠାରୁ ଆମ୍ଭେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁର ସ୍ମରଣ ନିମନ୍ତେ ଏହା ହୁଏ।’
EXO 13:9 ପୁଣି, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତ ଦ୍ୱାରା ମିସରଠାରୁ ତୁମ୍ଭଙ୍କୁ ବାହାର କରି ଆଣିଅଛନ୍ତି।
EXO 13:10 ଏହେତୁ ସମୟାନୁସାରେ ତୁମ୍ଭେ ପ୍ରତି ବର୍ଷ ଏହି ବିଧି ପାଳନ କରିବ।
EXO 13:11 ସଦାପ୍ରଭୁ ତୁମ୍ଭ ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ସେ ଯେତେବେଳେ କିଣାନୀୟ ଲୋକମାନଙ୍କର ଦେଶରେ ପ୍ରବେଶ କରାଇ ତୁମ୍ଭଙ୍କୁ ତାହା ଦେବେ;
EXO 13:12 ସେତେବେଳେ ତୁମ୍ଭେ ପ୍ରଥମଜାତ ସମସ୍ତ ଗର୍ଭଫଳ ଓ ତୁମ୍ଭ ପଶୁଠାରୁ ଜାତ ପ୍ରତ୍ୟେକ ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ କରିବ; ପୁଂସନ୍ତାନ ସକଳ ସଦାପ୍ରଭୁଙ୍କର ହେବେ।
EXO 13:13 ପୁଣି, ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗର୍ଦ୍ଦଭକୁ ମୁକ୍ତ କରିବ; ଯଦି ମୁକ୍ତ ନ କରିବ, ତେବେ ତାʼର ବେକ ଭାଙ୍ଗିବ; ମାତ୍ର ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ମନୁଷ୍ୟର ପ୍ରଥମଜାତ ସମସ୍ତଙ୍କୁ ମୁକ୍ତ କରିବାକୁ ହେବ।
EXO 13:14 ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ‘ଏହା କଅଣ?’ ତେବେ ତୁମ୍ଭେ କହିବ, ‘ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,
EXO 13:15 ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ।’
EXO 13:16 ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ବାହୁ ବଳରେ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।”
EXO 13:17 ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”
EXO 13:18 ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ-ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।
EXO 13:19 ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ-ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।”
EXO 13:20 ଏଥିଉତ୍ତାରେ ସେମାନେ ସୁକ୍କୋତଠାରୁ ଯାତ୍ରା କରି ପ୍ରାନ୍ତର-ଧାରସ୍ଥିତ ଏଥମରେ ଛାଉଣି କଲେ।
EXO 13:21 ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘ ସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ;
EXO 13:22 ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ।
EXO 14:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 14:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍‍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲ-ସଫୋନ ଆଗରେ, ଅର୍ଥାତ୍‍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର।
EXO 14:3 ତହିଁରେ ଫାରୋ ଇସ୍ରାଏଲ-ସନ୍ତାନଗଣ ବିଷୟରେ କହିବ, ‘ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି।’
EXO 14:4 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି, ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” ତହୁଁ ସେମାନେ ସେହିପରି କଲେ।
EXO 14:5 ଏଥିଉତ୍ତାରେ ଲୋକମାନେ ପଳାଇଅଛନ୍ତି, ଏହି ସମ୍ବାଦ ମିସରୀୟ ରାଜାଙ୍କୁ ଜଣାଯାଆନ୍ତେ, ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା; ତହୁଁ ସେମାନେ କହିଲେ, “ଆମ୍ଭେମାନେ ଏ କି କର୍ମ କରିଅଛୁ? କାହିଁକି ଇସ୍ରାଏଲକୁ ଆପଣାମାନଙ୍କ ଦାସତ୍ୱରୁ ଛାଡ଼ି ଦେଇଅଛୁ?”
EXO 14:6 ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ।
EXO 14:7 ପୁଣି, ଛଅ ଶହ ବଛା ରଥ ଓ ମିସରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ।
EXO 14:8 ଆଉ ସଦାପ୍ରଭୁ ମିସରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଇସ୍ରାଏଲ-ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ; ସେତେବେଳେ ଇସ୍ରାଏଲ ସନ୍ତାନମାନେ ଊର୍ଦ୍ଧ୍ୱ ହସ୍ତରେ ଯାତ୍ରା କରୁଥିଲେ।
EXO 14:9 ତହୁଁ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ-ସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
EXO 14:10 ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍‍ ପଶ୍ଚାତ୍‍ ଆଗମନକାରୀ ମିସରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି, ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ।
EXO 14:11 ପୁଣି, ମୋଶାଙ୍କୁ କହିଲେ, “ମିସରରେ କବର ନ ଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିସରରୁ କାହିଁକି ବାହାର କରି ଆଣିଲ?
EXO 14:12 ଆମ୍ଭମାନଙ୍କୁ ରହିବାକୁ ଦିଅ, ‘ଆମ୍ଭେମାନେ ମିସରୀୟମାନଙ୍କର ଦାସ୍ୟକର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିସରୀୟମାନଙ୍କର ସେବା କରିବା ଆମ୍ଭମାନଙ୍କର ମଙ୍ଗଳ, ଆମ୍ଭେମାନେ କି ମିସରରେ ତୁମ୍ଭଙ୍କୁ ଏହି କଥା କହି ନ ଥିଲୁ?’”
EXO 14:13 ତହୁଁ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପରି ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତକାଳ ପର୍ଯ୍ୟନ୍ତ ଆଉ କେବେ ଦେଖିବ ନାହିଁ।
EXO 14:14 ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ।”
EXO 14:15 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ସେମାନେ ଅଗ୍ରସର ହେଉନ୍ତୁ।
EXO 14:16 ପୁଣି, ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ।
EXO 14:17 ପୁଣି, ଆମ୍ଭେ, ଦେଖ, ଆମ୍ଭେ ମିସରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ, ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା।
EXO 14:18 ଆଉ ଫାରୋ, ତାହାର ରଥ ଓ ତାହାର ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।”
EXO 14:19 ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲେ, ପୁଣି, ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖରୁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା।
EXO 14:20 ସେହି ମେଘସ୍ତମ୍ଭ ମିସରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି, ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକୁ ଆଲୋକମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ।
EXO 14:21 ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍‍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା।
EXO 14:22 ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି, ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା।
EXO 14:23 ଏଥିଉତ୍ତାରେ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ।
EXO 14:24 ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ।
EXO 14:25 ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।”
EXO 14:26 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।”
EXO 14:27 ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ।
EXO 14:28 ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ।
EXO 14:29 ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।
EXO 14:30 ଏହି ପ୍ରକାରେ ସେହି ଦିନ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିସରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ।
EXO 14:31 ସଦାପ୍ରଭୁ ମିସରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ୍ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ୱାସ କଲେ।
EXO 15:1 ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।
EXO 15:2 ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।
EXO 15:3 ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ।
EXO 15:4 ସେ ଫାରୋଙ୍କର ରଥ ଓ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି; ପୁଣି, ତାଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇଅଛନ୍ତି।
EXO 15:5 ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ିଗଲେ।
EXO 15:6 ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ,
EXO 15:7 ତୁମ୍ଭେ ଆପଣା ଉତ୍କୃଷ୍ଟ ମହିମାରେ ଆପଣା ପ୍ରତିକୂଳାଚାରୀମାନଙ୍କୁ ନିପାତ କରିଥାଅ; ତୁମ୍ଭେ ଆପଣା କ୍ରୋଧାଗ୍ନି ପଠାଅ, ତାହା ସେମାନଙ୍କୁ ନଡ଼ା ପରି ଗ୍ରାସ କରେ।
EXO 15:8 ତୁମ୍ଭ ନାସିକାର ନିଃଶ୍ୱାସ ଦ୍ୱାରା ଜଳ ରାଶୀକୃତ ହେଲା; ସ୍ରୋତସକଳ ସେତୁ ପରି ଛିଡ଼ା ହୋଇ ରହିଲା; ସମୁଦ୍ର ମଧ୍ୟସ୍ଥଳରେ ଗଭୀର ଜଳ ଜମାଟ ହୋଇଗଲା।
EXO 15:9 ଶତ୍ରୁ କହିଲା: ‘ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ।’
EXO 15:10 ମାତ୍ର ତୁମ୍ଭେ ଆପଣା ନିଃଶ୍ୱାସ ଦ୍ୱାରା ଫୁଙ୍କି ଦେଲ, ସମୁଦ୍ର ସେମାନଙ୍କୁ ଆଚ୍ଛାଦନ କଲା, ସେମାନେ ସୀସା ପରି ଗଭୀର ଜଳରେ ବୁଡ଼ିଗଲେ।
EXO 15:11 ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ?
EXO 15:12 ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ବିସ୍ତାର କଲ, ପୃଥିବୀ ସେମାନଙ୍କୁ ଗ୍ରାସ କଲା।
EXO 15:13 ତୁମ୍ଭେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ, ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢ଼ାଇ ତୁମ୍ଭ ପବିତ୍ର ନିବାସ ସ୍ଥାନକୁ ନେଇ ଯାଉଅଛ।
EXO 15:14 ଲୋକମାନେ ଏହା ଶୁଣିଅଛନ୍ତି, ସେମାନେ କମ୍ପୁଅଛନ୍ତି; ବେଦନା ପଲେଷ୍ଟୀୟ ନିବାସୀମାନଙ୍କୁ ଆକ୍ରାନ୍ତ କରିଅଛି।
EXO 15:15 ସେତେବେଳେ ଇଦୋମର ରାଜଗଣ ବିହ୍ୱଳ ହେଲେ; କମ୍ପ ମୋୟାବର ବଳବାନ ଲୋକଙ୍କୁ ଆକ୍ରମଣ କରୁଅଛି; କିଣାନ ନିବାସୀ ସମସ୍ତେ ତରଳି ଯାଇଅଛନ୍ତି।
EXO 15:16 ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ୱାରା ସେମାନେ ପ୍ରସ୍ତର ନ୍ୟାୟ ସ୍ତବ୍ଧ ହୋଇ ରହିଅଛନ୍ତି।
EXO 15:17 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ।
EXO 15:18 ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତକାଳ ରାଜତ୍ୱ କରିବେ।”
EXO 15:19 କାରଣ ଫାରୋଙ୍କର ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ଲୋକମାନେ ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତେ, ସଦାପ୍ରଭୁ ସେମାନଙ୍କ ଉପରେ ପୁନର୍ବାର ସମୁଦ୍ର ଜଳ ଆଣିଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ।
EXO 15:20 ଏଥିଉତ୍ତାରେ ହାରୋଣଙ୍କର ଭଗିନୀ ଭବିଷ୍ୟଦ୍‍ବକ୍ତ୍ରୀ ମରୀୟମ ହସ୍ତରେ ଦାରା ନେଲେ ଓ ତାଙ୍କର ପଛେ ପଛେ ଅନ୍ୟ ସ୍ତ୍ରୀସକଳ ଦାରା ନେଇ ନୃତ୍ୟ କରୁ କରୁ ବାହାର ହେଲେ।
EXO 15:21 ସେତେବେଳେ ମରୀୟମ ଲୋକମାନଙ୍କୁ ଉତ୍ତର କଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର; କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”
EXO 15:22 ଏଥିଉତ୍ତାରେ ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି, ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ।
EXO 15:23 ତହୁଁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତେ, ତିକ୍ତତା ହେତୁରୁ ମାରାର ଜଳ ପାନ କରି ପାରିଲେ ନାହିଁ; ଏଣୁ ତାହାର ନାମ ମାରା ହେଲା।
EXO 15:24 ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “ଆମ୍ଭେମାନେ କଅଣ ପିଇବା?”
EXO 15:25 ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାଙ୍କୁ ଏକ-ପ୍ରକାର କାଷ୍ଠ ଦେଖାଇଲେ, ସେ ତାହା ନେଇ ଜଳରେ ପକାନ୍ତେ, ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ, ପୁଣି, ସେମାନଙ୍କର ପରୀକ୍ଷା ନେଇ କହିଲେ,
EXO 15:26 “ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
EXO 15:27 ଏଥିଉତ୍ତାରେ ସେମାନେ ଏଲୀମଠାରେ ଉପସ୍ଥିତ ହେଲେ; ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ।
EXO 16:1 ଏଥିଉତ୍ତାରେ ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶରୁ ପ୍ରସ୍ଥାନ କଲା ଉତ୍ତାରେ ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ।
EXO 16:2 ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।
EXO 16:3 ପୁଣି, ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, “ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଅଛ।”
EXO 16:4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି, ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚାଲିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା।
EXO 16:5 ଷଷ୍ଠ ଦିନରେ ସେମାନେ ଯାହା ଆଣିବେ, ତାହା ରାନ୍ଧିଲେ ଦିନକୁ ଦିନ ଯାହା ସଂଗ୍ରହ କରନ୍ତି, ତାହା ଦୁଇଗୁଣ ହେବ।”
EXO 16:6 ଏଥିଉତ୍ତାରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଅଛନ୍ତି, ଏହା ତୁମ୍ଭେମାନେ ସନ୍ଧ୍ୟାକାଳରେ ଜାଣିବ।
EXO 16:7 ପୁଣି, ପ୍ରାତଃକାଳରେ ସଦାପ୍ରଭୁଙ୍କର ମହିମା ଦେଖିବ; ଯେହେତୁ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ବଚସା ସେ ଶୁଣନ୍ତି; ଆମ୍ଭେମାନେ କିଏ ଯେ, ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ବଚସା କର?”
EXO 16:8 ଆହୁରି ମୋଶା କହିଲେ, “ସଦାପ୍ରଭୁ ସନ୍ଧ୍ୟାକାଳରେ ଭୋଜନ ନିମନ୍ତେ ତୁମ୍ଭମାନଙ୍କୁ ମାଂସ ଦେବେ ଓ ପ୍ରାତଃକାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ; କାରଣ ସଦାପ୍ରଭୁଙ୍କ ବିରୁଦ୍ଧରେ କରିଥିବା ତୁମ୍ଭମାନଙ୍କର ବଚସା ସେ ଶୁଣନ୍ତି। ଆମ୍ଭେମାନେ କିଏ? ତୁମ୍ଭମାନଙ୍କର ବଚସା ଆମ୍ଭମାନଙ୍କ ବିରୁଦ୍ଧରେ ନୁହେଁ ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ହୁଏ।”
EXO 16:9 ଆଉ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁକୁ ଆସ, ସେ ତୁମ୍ଭମାନଙ୍କର ବଚସା ଶୁଣିଅଛନ୍ତି।’”
EXO 16:10 ତହିଁରେ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏହା କହିବା ସମୟରେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା।
EXO 16:11 ପୁଣି, ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 16:12 “ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’”
EXO 16:13 ଏଥିଉତ୍ତାରେ ସନ୍ଧ୍ୟା ସମୟରେ ଭାଟୋଇ ପକ୍ଷୀଗଣ ଆସି ଛାଉଣି-ସ୍ଥାନ ଆଚ୍ଛାଦନ କଲେ, ପୁଣି, ପ୍ରାତଃକାଳରେ ଛାଉଣି ସ୍ଥାନର ଚାରିଆଡ଼େ କାକର ପଡ଼ିଲା।
EXO 16:14 ଏଉତ୍ତାରେ ପତିତ କାକର ଊର୍ଦ୍ଧ୍ୱଗତ ହେଲାରୁ ଭୂମିସ୍ଥିତ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା।
EXO 16:15 ଆଉ ଇସ୍ରାଏଲ-ସନ୍ତାନଗଣ ତାହା ଦେଖି ପରସ୍ପରକୁ କହିଲେ, “ଏହା କʼଣ ଅଟେ?” ଯେହେତୁ ତାହା କʼଣ ଥିଲା, ସେମାନେ ଜାଣିଲେ ନାହିଁ। ତହିଁରେ ମୋଶା କହିଲେ, “ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ।
EXO 16:16 ଏ ବିଷୟରେ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଭୋଜନ ଶକ୍ତି ବୁଝି ତାହା ସଂଗ୍ରହ କର; ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ଆପଣା ଆପଣା ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟାନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”
EXO 16:17 ତହିଁରେ ଇସ୍ରାଏଲ ସନ୍ତାନମାନେ ସେହି ପ୍ରକାର କଲେ; କେହି ଅଧିକ ଓ କେହି ଅଳ୍ପ ସଞ୍ଚୟ କଲେ।
EXO 16:18 ଏଥିଉତ୍ତାରେ ସେମାନେ ଓମରରେ ତାହା ପରିମାଣ କରନ୍ତେ; ଯେ ଅଧିକ ସଂଗ୍ରହ କରିଥିଲା, ତାହାର ବଳକା ହେଲା ନାହିଁ, ପୁଣି, ଯେ ଅଳ୍ପ ସଂଗ୍ରହ କରିଥିଲା, ତାହାର ଅଭାବ ହେଲା ନାହିଁ; ଏହି ପ୍ରକାରେ ସେମାନେ ଭୋଜନ ଶକ୍ତି ଅନୁସାରେ ସଂଗ୍ରହ କଲେ।
EXO 16:19 ଏଥିଉତ୍ତାରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କେହି ପ୍ରାତଃକାଳ ପର୍ଯ୍ୟନ୍ତ କିଛି ରଖ ନାହିଁ।”
EXO 16:20 ତଥାପି ସେମାନେ ମୋଶାଙ୍କର କଥା ନ ମାନି କେହି କେହି ପ୍ରଭାତ ପର୍ଯ୍ୟନ୍ତ କିଛି କିଛି ରଖିଲେ; ମାତ୍ର ତହିଁରେ ପୋକ ଜନ୍ମିଲା ଓ ଦୁର୍ଗନ୍ଧ ହେଲା। ଏଣୁ ମୋଶା ସେମାନଙ୍କ ଉପରେ କ୍ରୋଧ କଲେ।
EXO 16:21 ଏହିରୂପେ ପ୍ରତିଦିନ ପ୍ରାତଃକାଳରେ ସେମାନେ ଆପଣା ଆପଣା ଭୋଜନ ଶକ୍ତି ଅନୁସାରେ ତାହା ସଂଗ୍ରହ କଲେ; ମାତ୍ର ପ୍ରଚଣ୍ଡ ଖରା ହୁଅନ୍ତେ, ତାହା ତରଳି ଗଲା।
EXO 16:22 ଏଥିଉତ୍ତାରେ ଷଷ୍ଠ ଦିନରେ ସେମାନେ ଦୁଇଗୁଣ, ଅର୍ଥାତ୍‍, ପ୍ରତି ଜଣ ଦୁଇ ଦୁଇ ଓମର ଅନ୍ନ ସଂଗ୍ରହ କଲେ, ତହିଁରେ ମଣ୍ଡଳୀର ଅଧ୍ୟକ୍ଷ ସମସ୍ତେ ଆସି ମୋଶାଙ୍କୁ ଜଣାଇଲେ।
EXO 16:23 ସେତେବେଳେ ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତାହା କହିଅଛନ୍ତି, ଯଥା, ‘କାଲି ମହା ବିଶ୍ରାମ ଦିନ, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି, ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ।’”
EXO 16:24 ତହିଁରେ ସେମାନେ ମୋଶାଙ୍କର ଆଜ୍ଞାନୁସାରେ ପ୍ରଭାତ ପର୍ଯ୍ୟନ୍ତ ତାହା ରଖିଲେ, ଆଉ ତାହା ଦୁର୍ଗନ୍ଧ ହେଲା ନାହିଁ, କି ତହିଁରେ କୌଣସି ପୋକ ଜନ୍ମିଲା ନାହିଁ।
EXO 16:25 ଏଥିଉତ୍ତାରେ ମୋଶା କହିଲେ, “ଆଜି ତୁମ୍ଭେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମବାର; ଆଜି କ୍ଷେତରେ ତାହା ପାଇବ ନାହିଁ।
EXO 16:26 ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମବାର ଅଟେ, ତହିଁରେ କିଛି ମିଳିବ ନାହିଁ।”
EXO 16:27 ତଥାପି ସପ୍ତମ ଦିନରେ ମଧ୍ୟ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ।
EXO 16:28 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ ଆମ୍ଭର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ?
EXO 16:29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ସକାଶୁ ସେ (ସଦାପ୍ରଭୁ) ତୁମ୍ଭମାନଙ୍କୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି; ତୁମ୍ଭେମାନେ ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ୱ ସ୍ଥାନରେ ଥାଅ।”
EXO 16:30 ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ।
EXO 16:31 ପୁଣି, ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ “ମାନ୍ନା” ଦେଲେ; ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁ ମିଶ୍ରିତ ରୁଟି ତୁଲ୍ୟ ଥିଲା।
EXO 16:32 ଏଥିଉତ୍ତାରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ‘ସେ ତୁମ୍ଭମାନଙ୍କୁ ମିସର ଦେଶଠାରୁ ଆଣିବା ସମୟରେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେପରି ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି, ଏହେତୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣ ମାନ୍ନା ରଖ।’”
EXO 16:33 ସେତେବେଳେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଗୋଟିଏ ପାତ୍ର ନେଇ ଏକ ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ; ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।”
EXO 16:34 ତହୁଁ ହାରୋଣ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସାକ୍ଷ୍ୟ-ସିନ୍ଦୁକ ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ।
EXO 16:35 ଇସ୍ରାଏଲ ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେହି ମାନ୍ନା ଭୋଜନ କଲେ ଓ କିଣାନ ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ।
EXO 16:36 ଏକ ଓମର ଐଫାର ଦଶମାଂଶ।
EXO 17:1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ସୀନ୍‍ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ-ସ୍ଥାନ ଦେଇ ରଫୀଦୀମରେ ଛାଉଣି ସ୍ଥାପନ କଲେ; ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନ ଥିଲା।
EXO 17:2 ଏଥିପାଇଁ ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, “ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ।” ତହିଁରେ ମୋଶା କହିଲେ, “ତୁମ୍ଭେମାନେ ମୋʼ ସଙ୍ଗରେ କାହିଁକି ବିବାଦ କର? କାହିଁକି ସଦାପ୍ରଭୁଙ୍କୁ ପରୀକ୍ଷା କର?”
EXO 17:3 ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୂଳ ହୋଇ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିସରଠାରୁ ଆଣିଅଛ?”
EXO 17:4 ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ଲୋକମାନଙ୍କ ନିମନ୍ତେ କʼଣ କରିବି? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ।”
EXO 17:5 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯଦ୍ଦ୍ୱାରା ନୀଳ ନଦୀକୁ ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି ଇସ୍ରାଏଲର କେତେକ ପ୍ରାଚୀନଙ୍କ ସଙ୍ଗେ ଇସ୍ରାଏଲ ଲୋକମାନଙ୍କ ଆଗେ ଆଗେ ଯାଅ।
EXO 17:6 ଦେଖ, ଆମ୍ଭେ ହୋରେବରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା; ତୁମ୍ଭେ ସେହି ଶୈଳକୁ ଆଘାତ କଲେ, ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ;” ତେବେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କ ଦୃଷ୍ଟିରେ ସେହିରୂପ କଲେ।
EXO 17:7 ପୁଣି, ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ ସେ ସେହି ସ୍ଥାନର ନାମ “ମଃସା ଓ ମିରୀବାଃ ରଖିଲେ।”
EXO 17:8 ସେହି ସମୟରେ ଅମାଲେକ ଆସି ରଫୀଦୀମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ।
EXO 17:9 ତହିଁରେ ମୋଶା ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ; ଆସନ୍ତାକାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟି ଘେନି ପର୍ବତ ଶୃଙ୍ଗରେ ଠିଆ ହେବି।”
EXO 17:10 ତହୁଁ ମୋଶାଙ୍କ ଆଜ୍ଞାନୁସାରେ ଯିହୋଶୂୟ ଅମାଲେକ ସହିତ ଯୁଦ୍ଧ କଲେ, ପୁଣି, ମୋଶା ଓ ହାରୋଣ, ହୂର ପର୍ବତ ଶୃଙ୍ଗରେ ଆରୋହଣ କଲେ।
EXO 17:11 ପୁଣି, ମୋଶା ଆପଣା ହସ୍ତ ଊର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଁଇଥିବା ସମୟରେ ଅମାଲେକ ଜୟୀ ହେଲେ।
EXO 17:12 ମାତ୍ର ମୋଶାଙ୍କର ହସ୍ତ ଭାରୀ ହେଲା; ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ, ମୋଶା ତହିଁ ଉପରେ ବସିଲେ, ପୁଣି, ହାରୋଣ ଓ ହୂର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ; ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା।
EXO 17:13 ଏଣୁ ଯିହୋଶୂୟ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ୍ଗଧାରରେ ପରାସ୍ତ କଲେ।
EXO 17:14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ, ପୁଣି, ଯିହୋଶୂୟର କର୍ଣ୍ଣଗୋଚରରେ ତାହା ପାଠ କର; ଯଥା, ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା।”
EXO 17:15 ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ “ଯିହୋବାଃ-ନିଃଷି” ରଖିଲେ।
EXO 17:16 ପୁଣି, ସେ ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ କହିଲେ, “ପୁରୁଷାନୁକ୍ରମେ ଅମାଲେକ ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ।”
EXO 18:1 ଏଥିଉତ୍ତାରେ ପରମେଶ୍ୱର ମୋଶାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି, ବିଶେଷରେ ସଦାପ୍ରଭୁ ଇସ୍ରାଏଲ ବଂଶକୁ ମିସରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋଶାଙ୍କର ଶ୍ୱଶୁର ମିଦୀୟନୀୟ ଯାଜକ ଯିଥ୍ରୋ ଶୁଣିବାକୁ ପାଇଲେ।
EXO 18:2 ତହିଁରେ ମୋଶାଙ୍କର ଶ୍ୱଶୁର ସେହି ଯିଥ୍ରୋ ଆପଣା ଗୃହକୁ ପ୍ରେରିତା ମୋଶାଙ୍କର ଭାର୍ଯ୍ୟା ସିପ୍ପୋରାକୁ ଓ ତାହାର ଦୁଇ ପୁତ୍ରଙ୍କୁ ସଙ୍ଗରେ ନେଲେ।
EXO 18:3 ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ, କାରଣ ସେ କହିଥିଲେ, “ମୁଁ ପରଦେଶରେ ପ୍ରବାସୀ ହେଲି।”
EXO 18:4 ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”
EXO 18:5 ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର ଯିଥ୍ରୋ, ମୋଶାଙ୍କର ସେହି ଦୁଇ ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋଶାଙ୍କ ନିକଟକୁ, ଅର୍ଥାତ୍‍, ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ।
EXO 18:6 ପୁଣି, ସେ ମୋଶାଙ୍କୁ ଜଣାଇଲେ, “ତୁମ୍ଭର ଶ୍ୱଶୁର ଯିଥ୍ରୋ, ମୁଁ ଓ ତୁମ୍ଭର ଭାର୍ଯ୍ୟା, ତାହା ସହିତ ତୁମ୍ଭର ଦୁଇ ପୁତ୍ର, ଆମ୍ଭେ ସମସ୍ତେ ତୁମ୍ଭ ନିକଟକୁ ଆସିଅଛୁ।”
EXO 18:7 ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।
EXO 18:8 ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।
EXO 18:9 ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରି ଯେସବୁ ମଙ୍ଗଳ ପ୍ରଦାନ କରିଅଛନ୍ତି, ତହିଁ ନିମନ୍ତେ ଯିଥ୍ରୋ ଅତି ଆହ୍ଲାଦିତ ହେଲେ।
EXO 18:10 ପୁଣି, ଯିଥ୍ରୋ କହିଲେ, “ଯେଉଁ ସଦାପ୍ରଭୁ ମିସରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।
EXO 18:11 ସଦାପ୍ରଭୁ ସମସ୍ତ ଦେବଗଣଠାରୁ ଅଧିକ ମହାନ, ଏହା ମୁଁ ଏବେ ଜାଣିଲି। ହଁ, ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ, (ସେହି ବିଷୟରେ ସେ ମହାନ।”)
EXO 18:12 ଏଥିଉତ୍ତାରେ ମୋଶାଙ୍କ ଶ୍ୱଶୁର ଯିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି, ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ।
EXO 18:13 ତହିଁ ଆରଦିନ ମୋଶା ଲୋକମାନଙ୍କର ବିଚାର କରିବାକୁ ବସନ୍ତେ, ଲୋକମାନେ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଲେ।
EXO 18:14 ସେତେବେଳେ ମୋଶା ଲୋକମାନଙ୍କ ବିଷୟରେ ଯାହା ଯାହା କଲେ, ତାଙ୍କର ଶ୍ୱଶୁର ତାହା ଦେଖି କହିଲେ, “ତୁମ୍ଭେ ଲୋକମାନଙ୍କ ପ୍ରତି ଏ କିରୂପ ବ୍ୟବହାର କରୁଅଛ? ତୁମ୍ଭେ କାହିଁକି ଏକାକୀ ବସ ଓ ସମସ୍ତ ଲୋକ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭ ଚାରିଆଡ଼େ କାହିଁକି ଠିଆ ହୋଇ ରହନ୍ତି?”
EXO 18:15 ତହିଁରେ ମୋଶା ଆପଣା ଶ୍ୱଶୁରଙ୍କୁ କହିଲେ, “ଲୋକମାନେ ପରମେଶ୍ୱରଙ୍କ ବିଚାର ବୁଝିବା ପାଇଁ ମୋʼ ପାଖକୁ ଆସନ୍ତି
EXO 18:16 ଓ ସେମାନଙ୍କର କୌଣସି ବିବାଦ ହେଲେ, ମୋʼ ପାଖକୁ ଆସନ୍ତି; ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଚାର କରେ, ପୁଣି, ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥାସବୁ ସେମାନଙ୍କୁ ଜ୍ଞାତ କରାଏ।”
EXO 18:17 ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର କହିଲେ, “ତୁମ୍ଭର ଏହି କର୍ମ ଭଲ ନୁହେଁ।
EXO 18:18 ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଏହି ଲୋକମାନେ ଦୁହେଁ ନିଶ୍ଚୟ କ୍ଷୀଣ ହୋଇଯିବ; କାରଣ ଏ କାର୍ଯ୍ୟ ତୁମ୍ଭ ନିମନ୍ତେ ଅତି ଭାରୀ; ତୁମ୍ଭେ ଏକାକୀ ଏହା ସାଧନ କରି ନ ପାର।
EXO 18:19 ଏହେତୁ ମୋʼ କଥାରେ ମନୋଯୋଗ କର, ମୁଁ ତୁମ୍ଭଙ୍କୁ ପରାମର୍ଶ ଦେବି, ପୁଣି, ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ।
EXO 18:20 ପୁଣି, ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କର ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ।
EXO 18:21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍‍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କର।
EXO 18:22 ସେମାନେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ, ପୁଣି, କୌଣସି ବଡ଼ କଥା ହେଲେ ତୁମ୍ଭ ନିକଟକୁ ଆଣିବେ, ମାତ୍ର କ୍ଷୁଦ୍ର କଥାସବୁ ସେମାନେ ଆପେ ବିଚାର କରିବେ, ତାହାହେଲେ ତୁମ୍ଭ ନିଜ କର୍ମ ଉଶ୍ୱାସ ହେବ, ପୁଣି, ସେମାନେ ତୁମ୍ଭ ସହିତ ଭାର ବହିବେ।
EXO 18:23 ଯଦି ତୁମ୍ଭେ ଏହିପରି କରିବ, ପୁଣି, ପରମେଶ୍ୱର ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହ୍ୟ କରି ପାରିବ? ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱ ସ୍ଥାନକୁ ଯିବେ।”
EXO 18:24 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ।
EXO 18:25 ପୁଣି, ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍‍, ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କଲେ।
EXO 18:26 ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ; କଠିନ ବିଚାରସବୁ ମୋଶାଙ୍କ ପାଖକୁ ଆଣିଲେ; ମାତ୍ର କ୍ଷୁଦ୍ର କ୍ଷୁଦ୍ର କଥାସବୁ ଆପେ ଆପେ ବିଚାର କଲେ।
EXO 18:27 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁରଙ୍କୁ ବିଦାୟ କରନ୍ତେ, ସେ ସ୍ୱଦେଶକୁ ପ୍ରସ୍ଥାନ କଲେ।
EXO 19:1 ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ, ସେମାନେ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେଲେ।
EXO 19:2 ସେମାନେ ରଫୀଦୀମଠାରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ।
EXO 19:3 ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, “ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହା ଜଣାଅ।
EXO 19:4 ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିପରି ଉତ୍କ୍ରୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ।
EXO 19:5 ଏବେ ତୁମ୍ଭେମାନେ ଯଦି ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର।
EXO 19:6 ପୁଣି, ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ; ଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ।”
EXO 19:7 ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ୱାରା ଆଦେଶପ୍ରାପ୍ତ ଏହିସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ।
EXO 19:8 ତହିଁରେ ସମସ୍ତ ଲୋକ ଏକସଙ୍ଗରେ ଅଙ୍ଗୀକାର କରି କହିଲେ, “ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା।” ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ।
EXO 19:9 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିବା ସମୟରେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ବିଶ୍ୱାସ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ।” ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।
EXO 19:10 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର, ପୁଣି, ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ
EXO 19:11 ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ।
EXO 19:12 ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ‘ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ।’
EXO 19:13 କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ବା ବାଣ ଦ୍ୱାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ।”
EXO 19:14 ଏଥିଉତ୍ତାରେ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି, ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ।
EXO 19:15 ତହୁଁ ସେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ପୁଣି ଆପଣା ଆପଣା ଭାର୍ଯ୍ୟା ସହ ଶୟନ କର ନାହିଁ।”
EXO 19:16 ଏଥିଉତ୍ତାରେ ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳି ଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚସ୍ୱରରେ ତୂରୀଧ୍ୱନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ୱିତ ହେଲେ।
EXO 19:17 ତହୁଁ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଠିଆ ହେଲେ।
EXO 19:18 ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟିର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି, ସମୁଦାୟ ପର୍ବତ ଅତିଶୟ କମ୍ପିଲା।
EXO 19:19 ପୁଣି, ତୂରୀ ଶବ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ୱର ଏକ ରବ ଦ୍ୱାରା ତାଙ୍କୁ ଉତ୍ତର ଦେଲେ।
EXO 19:20 ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍‍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ।
EXO 19:21 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁ ସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ।
EXO 19:22 ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାʼନ୍ତି, ସେମାନେ ମଧ୍ୟ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନୋହିଲେ ସେ ସେମାନଙ୍କୁ ଆକ୍ରମଣ କରିବେ।”
EXO 19:23 ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତରେ ଆରୋହଣ କରିପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ‘ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।’”
EXO 19:24 ତେବେ ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ, ଓହ୍ଲାଅ; ପୁଣି, ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ।”
EXO 19:25 ତହୁଁ ମୋଶା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ।
EXO 20:1 ଏଥିଉତ୍ତାରେ ପରମେଶ୍ୱର ଏହିସବୁ କଥା କହିଲେ, ଯଥା,
EXO 20:2 “ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ ଅଟୁ।”
EXO 20:3 ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
EXO 20:4 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ।
EXO 20:5 ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
EXO 20:6 ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ।
EXO 20:7 ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେକେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
EXO 20:8 ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।
EXO 20:9 ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
EXO 20:10 ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ।
EXO 20:11 ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।
EXO 20:12 ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।
EXO 20:13 ତୁମ୍ଭେ ନରହତ୍ୟା କରିବ ନାହିଁ।
EXO 20:14 ତୁମ୍ଭେ ବ୍ୟଭିଚାର କରିବ ନାହିଁ।
EXO 20:15 ତୁମ୍ଭେ ଚୋରି କରିବ ନାହିଁ।
EXO 20:16 ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
EXO 20:17 ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
EXO 20:18 ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି, ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।
EXO 20:19 ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ; ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନୋହିଲେ ଆମ୍ଭେମାନେ ମରିଯିବୁ।”
EXO 20:20 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଅଛନ୍ତି।”
EXO 20:21 ତେଣୁ ଲୋକମାନେ ଦୂରରେ ଠିଆ ହୋଇ ରହିଲେ; ମାତ୍ର ଯେଉଁଠାରେ ପରମେଶ୍ୱର ଥିଲେ, ମୋଶା ସେହି ଘୋର ଅନ୍ଧକାର ନିକଟକୁ ଗମନ କଲେ।
EXO 20:22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ‘ଆମ୍ଭେ ଆକାଶରେ ଥାଇ ତୁମ୍ଭମାନଙ୍କ ସହିତ କଥା କହିଲୁ, ଏହା ତୁମ୍ଭେମାନେ ନିଜେ ଦେଖିଅଛ।
EXO 20:23 ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ, ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ; ଆପଣାମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ।
EXO 20:24 ତୁମ୍ଭେ ଆମ୍ଭ ନିମନ୍ତେ ଏକ ମୃତ୍ତିକାର ବେଦି ନିର୍ମାଣ କରିବ, ପୁଣି, ତହିଁ ଉପରେ ତୁମ୍ଭର ଗୋମେଷାଦି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ; ଆମ୍ଭେ ଯେଉଁ ପ୍ରତ୍ୟେକ ସ୍ଥାନରେ ଆପଣା ନାମ ସ୍ମରଣ କରାଇବା, ସେହି ପ୍ରତ୍ୟେକ ସ୍ଥାନରେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ଆଶୀର୍ବାଦ କରିବା।
EXO 20:25 ଯଦି ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବେଦି ନିର୍ମାଣ କରିବ, ତେବେ ଖୋଦିତ ପ୍ରସ୍ତରରେ ତାହା ନିର୍ମାଣ କରିବ ନାହିଁ; କାରଣ ତହିଁ ଉପରେ ତୁମ୍ଭେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର କରିବ।
EXO 20:26 ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାହାଚ ଦେଇ ଆମ୍ଭ ବେଦି ଉପରକୁ ଯିବ ନାହିଁ।’”
EXO 21:1 ଆଉ ତୁମ୍ଭେ ଏହିସବୁ ନିୟମ ସେମାନଙ୍କୁ ଜ୍ଞାତ କରାଇବ। ଯଥା,
EXO 21:2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
EXO 21:3 ଯଦି ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯଦି ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ।
EXO 21:4 ପୁଣି, ଯଦି ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ।
EXO 21:5 ମାତ୍ର “ମୁଁ ଆପଣା ପ୍ରଭୁଙ୍କୁ, ପୁଣି, ଆପଣା ଭାର୍ଯ୍ୟା ଓ ସନ୍ତାନଗଣଙ୍କୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇଯିବି ନାହିଁ,” ଏପରି କଥା ଯଦି ସେହି ଦାସ ଦୃଢ଼ ରୂପେ କହିବ,
EXO 21:6 ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ୱରଙ୍କ ନିକଟକୁ ନେଇଯିବ, ପୁଣି, ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ।
EXO 21:7 ଆଉ କେହି ଯଦି ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇଯିବ ନାହିଁ।
EXO 21:8 ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯଦି ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ।
EXO 21:9 କିଅବା ଯଦି ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟା ବିଷୟକ ରୀତି ଅନୁସାରେ ବ୍ୟବହାର କରିବ।
EXO 21:10 ଯଦି ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟରୁ ବଞ୍ଚିତ ହେବ ନାହିଁ।
EXO 21:11 ଯଦି ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
EXO 21:12 କେହି ଯଦି କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ଡ ହେବ।
EXO 21:13 ଯଦି କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ୱରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ୱାରା ତାହାର ମୃତ୍ୟୁୁ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା।
EXO 21:14 ମାତ୍ର ଯଦି କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକୁ ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ଡ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ।
EXO 21:15 ପୁଣି, ଯେକେହି ଆପଣା ପିତା କିମ୍ବା ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
EXO 21:16 ଆଉ ଯେକେହି ମନୁଷ୍ୟକୁ ଚୋରି କରି ଯଦି ବିକ୍ରୟ କରେ, ଅବା ସେ ଯଦି ତାହାର ଅଧିକାରରେ ପ୍ରାପ୍ତ ହୁଏ, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
EXO 21:17 ଯେକେହି ଆପଣା ପିତା କିମ୍ବା ମାତାକୁ ଅଭିଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
EXO 21:18 ଆଉ ଯଦି ଲୋକମାନେ ଏକଆରେକ ସହିତ ବିବାଦ କରୁ କରୁ ଏକ ଜଣ ଅନ୍ୟ ଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯଦି ନ ମରି ଶଯ୍ୟାଗତ ହୁଏ
EXO 21:19 ଓ ପଶ୍ଚାତ୍‍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ।
EXO 21:20 ଆଉ ଯଦି କେହି ଆପଣା ଦାସ ବା ଦାସୀକୁ ଯଷ୍ଟି ଦ୍ୱାରା ପ୍ରହାର କଲେ, ସେ ଯଦି ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ଡନୀୟ ହେବ।
EXO 21:21 ମାତ୍ର ସେ ଯଦି ଏକ ବା ଦୁଇ ଦିନ ବଞ୍ଚେ, ତେବେ ସେ ଦଣ୍ଡନୀୟ ହେବ ନାହିଁ; କାରଣ ସେ ତାହାର ଧନ ସ୍ୱରୂପ।
EXO 21:22 ଆଉ ଯଦି ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କରନ୍ତି ଯଦି ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍‍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେରୂପ ଦାବି କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ଡ ହେବ, ପୁଣି, ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ।
EXO 21:23 ମାତ୍ର ଯଦି କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ,
EXO 21:24 ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ,
EXO 21:25 ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ଡ ହେବ।
EXO 21:26 ଆଉ ଯଦି କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯଦି ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରିଦେବ।
EXO 21:27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରିଦେବ।
EXO 21:28 ଆଉ, ଗୋରୁ କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବିନ୍ଧିଲେ ଯଦି ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ, ପୁଣି, ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ୱାମୀ ଦଣ୍ଡଯୋଗ୍ୟ ହେବ ନାହିଁ।
EXO 21:29 ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ୱାମୀକୁ ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ତାହା ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀକୁ ବଧ କରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ; ପୁଣି, ତାହାର ସ୍ୱାମୀର ମଧ୍ୟ ପ୍ରାଣଦଣ୍ଡ ହେବ।
EXO 21:30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।
EXO 21:31 ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ଡିତ ହେବ।
EXO 21:32 କାହାର ଗୋରୁ ଯଦି କାହାର ଦାସ କିମ୍ବା ଦାସୀକୁ ବିନ୍ଧେ, ତେବେ ସେ ତାହାର ପ୍ରଭୁଙ୍କୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ।
EXO 21:33 ଆଉ କେହି ଯଦି କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ,
EXO 21:34 ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ୱାମୀକୁ ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ।
EXO 21:35 ଆଉ ଏକ ଜଣର ଗୋରୁ ଅନ୍ୟ ଜଣର ଗୋରୁକୁ ବିନ୍ଧିଲେ ସେହି ଗୋରୁ ଯଦି ମରିଯାଏ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇ ଭାଗ କରିବେ; ପୁଣି, ମୃତ ଗୋରୁକୁ ମଧ୍ୟ ଦୁଇ ଭାଗ କରି ନେବେ।
EXO 21:36 ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯଦି ତାʼର ସ୍ୱାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ।
EXO 22:1 ଯଦି କେହି ଗୋରୁ କି ମେଷ ଚୋରି କରି ବଧ କରେ ଅବା ବିକ୍ରୟ କରେ, ତେବେ ସେ ଏକ ଗୋରୁ ପରିଶୋଧରେ ପାଞ୍ଚ ଗୋରୁ ଓ ଏକ ମେଷ ପରିଶୋଧରେ ଚାରି ମେଷ ଦେବ।
EXO 22:2 ଆଉ ଚୋର ସିନ୍ଧି କାଟିଧରା ପଡ଼ିଲେ, ଯଦି କେହି ତାହାକୁ ମାରୁ ମାରୁ ମାରି ପକାଏ, ତେବେ ସେ ରକ୍ତପାତର ଦୋଷୀ ହେବ ନାହିଁ।
EXO 22:3 ମାତ୍ର ଯଦି ସୂର୍ଯ୍ୟୋଦୟ ଉତ୍ତାରେ ତାହାକୁ ବଧ କରେ, ତେବେ ସେ ରକ୍ତପାତର ଦୋଷୀ ହେବ; ଆଉ ଚୋରା ଦ୍ରବ୍ୟ ପରିଶୋଧ କରିବା ଚୋରର କର୍ତ୍ତବ୍ୟ; ଯଦି ତାହାର କିଛି ନ ଥାଏ, ତେବେ ଚୋରି ସକାଶୁ ସେ ବିକ୍ରି ହେବ।
EXO 22:4 ଗୋରୁ ଅବା ଗର୍ଦ୍ଦଭ କି ମେଷାଦି ଚୋରା ଦ୍ରବ୍ୟ ଯଦି ଚୋର ହସ୍ତରେ ଜୀବିତ ମିଳେ, ତେବେ ସେ ତହିଁର ଦୁଇଗୁଣ ଦେବ।
EXO 22:5 ଆଉ କେହି ଯଦି ଅନ୍ୟର କ୍ଷେତ୍ରରେ କି ଦ୍ରାକ୍ଷାକ୍ଷେତ୍ରରେ ଗୋରୁ ଚରାଏ, କିଅବା ଆପଣା ପଶୁକୁ ଛାଡ଼ିଦେଲେ ଯଦି ସେ ଅନ୍ୟର କ୍ଷେତ୍ରରେ ଚରେ, ତେବେ ସେ ଲୋକ ତହିଁର ପରିବର୍ତ୍ତେ ତାହାକୁ ଆପଣା କ୍ଷେତ୍ରର ଉତ୍ତମ ଶସ୍ୟ ଅବା ଆପଣା ଦ୍ରାକ୍ଷାକ୍ଷେତ୍ରର ଉତ୍ତମ ଫଳ ଦେବ।
EXO 22:6 ଆଉ ଅଗ୍ନି ଜ୍ୱଳି କଣ୍ଟକ ବନରେ ଲାଗିଲେ ଯଦି କାହାର କଳେଇ ଗଦା ଅବା ବଢ଼ନ୍ତା ଶସ୍ୟ କି କ୍ଷେତ ପୋଡ଼ିଯାଏ, ତେବେ ସେହି ଅଗ୍ନି ଲଗାଇବା ଲୋକ ଅବଶ୍ୟ ତହିଁର ମୂଲ୍ୟ ଦେବ।
EXO 22:7 ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ।
EXO 22:8 ଯଦି ଚୋର ଧରା ନ ପଡ଼େ, ତେବେ ଗୃହର ସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏହା ଜଣା ଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।
EXO 22:9 ପୁଣି, ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍‍, ଗୋରୁ, ଗର୍ଦ୍ଦଭ, ମେଷ କିଅବା ବସ୍ତ୍ରାଦି, ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯଦି କେହି କହେ, “ଏହା ସେହି ଦ୍ରବ୍ୟ,” ତେବେ ଉଭୟ ପକ୍ଷର କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ; ତହିଁରେ ପରମେଶ୍ୱର ଯାହାକୁ ଦୋଷୀ କରିବେ, ସେ ଆପଣା ପ୍ରତିବାସୀକୁ ଦୁଇଗୁଣ ଦେବ।
EXO 22:10 ଆଉ ଯଦି କେହି ପ୍ରତିବାସୀ ନିକଟରେ ଆପଣା ଗଧ, ଗୋରୁ, ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖନ୍ତି ପୁଣି, ଯଦି କାହାରି ନ ଦେଖିବାରେ ସେହି ପଶୁ ମରେ, ଅବା ଭଗ୍ନାଙ୍ଗ ହୁଏ କିଅବା ଅଡ଼ାଇ ନିଆଯାଏ,
EXO 22:11 ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ; ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ, ପୁଣି, ସେ ପରିଶୋଧ କରିବ ନାହିଁ।
EXO 22:12 ମାତ୍ର ଯଦି ତାହା ନିକଟରୁ ଚୋରି ହୋଇଅଛି, ତେବେ ସେ ତାହାର ମାଲିକକୁ ତାହାର ମୂଲ୍ୟ ଦେବ।
EXO 22:13 ଯଦି ସେହି ପଶୁ ବିଦୀର୍ଣ୍ଣ ହୁଏ, ତେବେ ସେ ପ୍ରମାଣ ନିମନ୍ତେ ତାହା ଆଣୁ; ସେ ସେହି ବିଦୀର୍ଣ୍ଣ ପଶୁର ମୂଲ୍ୟ ଦେବ ନାହିଁ।
EXO 22:14 ଆଉ, କେହି ଯଦି ଆପଣା ପ୍ରତିବାସୀର ପଶୁ ମାଗି ନିଏ ଓ ତାହାର ମାଲିକ ତାହା ସହିତ ନ ଥାଇ ସେ ଭଗ୍ନାଙ୍ଗ ହୁଏ କି ମରେ, ତେବେ ସେ ନିତାନ୍ତ ତାହାର ମୂଲ୍ୟ ଦେବ।
EXO 22:15 ମାତ୍ର ଯଦି ତାହାର ମାଲିକ ତାହା ନିକଟରେ ଥାଏ, ତେବେ ତାହାର ମୂଲ୍ୟ ଦେବ ନାହିଁ; ଯଦି ସେ ଭଡ଼ାଟିଆ ପଶୁ ହୁଏ, ତେବେ ତାହା ଭଡ଼ା ମଧ୍ୟରେ ଆସିବ।
EXO 22:16 ଆଉ, କେହି ଯଦି ଅବାଗ୍‍ଦତ୍ତା କନ୍ୟାକୁ ପ୍ରଲୋଭିତ କରି ତାହା ସହିତ ଶୟନ କରେ, ତେବେ ସେ ତାହାକୁ କନ୍ୟା ମୂଲ୍ୟ ଦେଇ ଅବଶ୍ୟ ବିବାହ କରିବ।
EXO 22:17 ଯଦି ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତାନ୍ତ ଅସମ୍ମତ ହୁଏ, ତେବେ ସେ କନ୍ୟା ମୂଲ୍ୟର ବ୍ୟବସ୍ଥାନୁସାରେ ରୂପା ତୌଲି ଦେବ।
EXO 22:18 ତୁମ୍ଭେ ମାୟାବିନୀକୁ ଜୀବିତା ରଖିବ ନାହିଁ।
EXO 22:19 ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।
EXO 22:20 ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।
EXO 22:21 ତୁମ୍ଭେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
EXO 22:22 ତୁମ୍ଭେମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ।
EXO 22:23 ତୁମ୍ଭେ ସେମାନଙ୍କୁ କୌଣସି ପ୍ରକାରେ କ୍ଲେଶ ଦେଲେ, ସେମାନେ ଯଦି ଆମ୍ଭ ନିକଟରେ ଖାଲି ଡାକ ପକାଇବେ, ତେବେ ଆମ୍ଭେ ଅବଶ୍ୟ ସେମାନଙ୍କର ଡାକ ଶୁଣିବା।
EXO 22:24 ପୁଣି, ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ, ଆମ୍ଭେ ତୁମ୍ଭମାନଙ୍କୁ ଖଡ୍ଗ ଦ୍ୱାରା ମାରିବା; ତହିଁରେ ତୁମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ।
EXO 22:25 ତୁମ୍ଭେ ଯଦି ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକଙ୍କୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।
EXO 22:26 ଯଦି ତୁମ୍ଭେ ଆପଣା ପ୍ରତିବାସୀର ବସ୍ତ୍ର ବନ୍ଧକ ରଖିବ, ତେବେ ତୁମ୍ଭେ ସୂର୍ଯ୍ୟାସ୍ତ ପୂର୍ବେ ତାହା ତାହାକୁ ଫେରାଇ ଦେବ।
EXO 22:27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।
EXO 22:28 ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି, ଆପଣା ଲୋକମାନଙ୍କର ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।
EXO 22:29 ତୁମ୍ଭେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ (ଫଳାଦିର) ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ। ତୁମ୍ଭେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭଙ୍କୁ ଦେବ।
EXO 22:30 ପୁଣି, ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୂପ କରିବ; ସେ ସାତ ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମ୍ଭେ ତାହା ଆମ୍ଭଙ୍କୁ ଦେବ।
EXO 22:31 ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ; ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ; ତୁମ୍ଭେମାନେ ତାହା କୁକ୍କୁରମାନଙ୍କ ଆଗରେ ପକାଇ ଦେବ।
EXO 23:1 ତୁମ୍ଭେ ମିଥ୍ୟାପବାଦ ଉତ୍ଥାପନ କରିବ ନାହିଁ; ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ।
EXO 23:2 ତୁମ୍ଭେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାଦ୍‍ବର୍ତ୍ତୀ ହେବ ନାହିଁ, ପୁଣି, ନ୍ୟାୟବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ;
EXO 23:3 କିଅବା ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁ।
EXO 23:4 ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ, ଅବଶ୍ୟ ତାହା ନିକଟକୁ ତାକୁ ଘେନିଯିବ।
EXO 23:5 ଯଦି ତୁମ୍ଭେ ଆପଣା ଶତ୍ରୁର ଗର୍ଦ୍ଦଭକୁ ଭାର ତଳେ ପଡ଼ିଥିବାର ଦେଖ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ, ତୁମ୍ଭେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ।
EXO 23:6 ଦରିଦ୍ରର ବିଚାରରେ ତୁମ୍ଭେ ତାହା ପ୍ରତି ଅନ୍ୟାୟ କରିବ ନାହିଁ।
EXO 23:7 ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ; ପୁଣି, ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ; ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ।
EXO 23:8 ତୁମ୍ଭେ ଲାଞ୍ଚ ନେବ ନାହିଁ, କାରଣ ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ।
EXO 23:9 ତୁମ୍ଭେ ବିଦେଶୀ ପ୍ରତି ଅତ୍ୟାଚାର କରିବ ନାହିଁ, କାରଣ ତୁମ୍ଭେ ବିଦେଶୀର ମନ ଜାଣୁଅଛ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
EXO 23:10 ଆଉ ତୁମ୍ଭେ ଆପଣା ଭୂମିରେ ଛଅ ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ।
EXO 23:11 ମାତ୍ର ସପ୍ତମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ; ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ; ସେମାନେ ଯାହା ଅବଶିଷ୍ଟ ରଖିବେ, ତାହା ବନ ପଶୁମାନେ ଖାଇବେ। ପୁଣି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପ୍ରତି ମଧ୍ୟ ସେହିରୂପ କରିବ।
EXO 23:12 ତୁମ୍ଭେ ଛଅ ଦିନ ଆପଣା କର୍ମ କରି ସପ୍ତମ ଦିନରେ ବିଶ୍ରାମ କରିବ, ତହିଁରେ ତୁମ୍ଭର ଗୋରୁ ଓ ଗର୍ଦ୍ଦଭ ବିଶ୍ରାମ ପାଇବେ, ପୁଣି, ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱାସ ପାଇବେ।
EXO 23:13 ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା କହିଅଛୁ, ସେସମସ୍ତ ବିଷୟରେ ସାବଧାନ ହୁଅ; ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ।
EXO 23:14 ତୁମ୍ଭେ ବର୍ଷ ମଧ୍ୟରେ ତିନି ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବ।
EXO 23:15 ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍‍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି, କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ।
EXO 23:16 ଆଉ, ତୁମ୍ଭେ ଶସ୍ୟଚ୍ଛେଦନ ଉତ୍ସବ, ଅର୍ଥାତ୍‍, କ୍ଷେତରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର; ପୁଣି, ବର୍ଷ ଶେଷରେ କ୍ଷେତରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର।
EXO 23:17 ବର୍ଷ ମଧ୍ୟରେ ତିନି ଥର ତୁମ୍ଭର ସମସ୍ତ ପୁଂଜାତି, ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ।
EXO 23:18 ତୁମ୍ଭେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ; ପୁଣି, ଆମ୍ଭ ଉତ୍ସବ-ସମ୍ପର୍କୀୟ ମେଦ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ।
EXO 23:19 ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।
EXO 23:20 ଦେଖ, ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ।
EXO 23:21 ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର; ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ; କାରଣ ସେ ତୁମ୍ଭମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ; ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି।
EXO 23:22 ମାତ୍ର ତୁମ୍ଭେ ଯଦି ନିତାନ୍ତ ତାହାଙ୍କ ରବରେ ମନୋଯୋଗ କରିବ, ପୁଣି, ଆମ୍ଭେ ଯାହାସବୁ କହୁ, ତାହା କରିବ; ତେବେ ଆମ୍ଭେ ତୁମ୍ଭ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ୍ଭ ବୈରୀମାନଙ୍କର ବୈରୀ ହେବା।
EXO 23:23 କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରୀୟ, ହିତ୍ତୀୟ, ପରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ, ପୁଣି, ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା।
EXO 23:24 ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ; ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ।
EXO 23:25 ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବ; ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଓ ଜଳରେ ଆଶୀର୍ବାଦ କରିବେ, ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା।
EXO 23:26 ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି, କେହି ବନ୍ଧ୍ୟା ହେବ ନାହିଁ; ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା।
EXO 23:27 ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା; ପୁଣି, ତୁମ୍ଭେ ଯେଉଁସବୁ ଲୋକଙ୍କ ନିକଟରେ ଉପସ୍ଥିତ ହେବ, ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା।
EXO 23:28 ଆମ୍ଭେ ତୁମ୍ଭ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା; ସେମାନେ ହିବ୍ବୀୟ, କିଣାନୀୟ ଓ ହିତ୍ତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବେ।
EXO 23:29 ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ, ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ।
EXO 23:30 ତୁମ୍ଭେ ଯେପର୍ଯ୍ୟନ୍ତ ବର୍ଦ୍ଧିତ ହୋଇ ନାହଁ ଓ ଦେଶ ଅଧିକାର କରି ନାହଁ, ସେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡ଼ାଇ ଦେବା।
EXO 23:31 ପୁଣି, ଆମ୍ଭେ ସୂଫ ସାଗରଠାରୁ ପଲେଷ୍ଟୀୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ୍‍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିରୂପଣ କରିବା; କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ।
EXO 23:32 ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ।
EXO 23:33 ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ; ଯେହେତୁ ତୁମ୍ଭେ ଯଦି ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
EXO 24:1 ଏଥିଉତ୍ତାରେ ସେ ମୋଶାଙ୍କୁ କହିଲେ, “ତୁମ୍ଭେ, ହାରୋଣ, ନାଦବ୍‍, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର।
EXO 24:2 କେବଳ ମୋଶା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କିଅବା ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ।”
EXO 24:3 ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।”
EXO 24:4 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ।
EXO 24:5 ଆଉ, ସେ ଇସ୍ରାଏଲ-ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ।
EXO 24:6 ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ।
EXO 24:7 ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।”
EXO 24:8 ତହୁଁ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି, ସେହି ନିୟମର ରକ୍ତ ଏହି।”
EXO 24:9 ତେବେ ମୋଶା, ହାରୋଣ, ନାଦବ୍‍, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ ଆରୋହଣ କଲେ; ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦର୍ଶନ କଲେ।
EXO 24:10 ପୁଣି, ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା।
EXO 24:11 ଆଉ ସେ ଇସ୍ରାଏଲ-ସନ୍ତାନଗଣର ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ; ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି, ଭୋଜନ ଓ ପାନ କଲେ।
EXO 24:12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍‍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର ଫଳକ ତୁମ୍ଭକୁ ଦେବା।”
EXO 24:13 ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ।
EXO 24:14 ଆଉ ସେ ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭ ନିକଟକୁ ବାହୁଡ଼ି ନ ଆସୁ, ସେପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏହିଠାରେ ଥାଅ; ଦେଖ, ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି, କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ, ସେ ସେମାନଙ୍କ ନିକଟକୁ ଯାଉ।”
EXO 24:15 ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା।
EXO 24:16 ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ।
EXO 24:17 ତହିଁରେ ଇସ୍ରାଏଲ-ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା।
EXO 24:18 ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
EXO 25:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 25:2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ; ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ, ତାହାଠାରୁ ତୁମ୍ଭେମାନେ ଆମ୍ଭର ସେହି ଉପହାର ଗ୍ରହଣ କରିବ।
EXO 25:3 ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ;
EXO 25:4 ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ,
EXO 25:5 ରକ୍ତୀକୃତ ମେଷର ଚର୍ମ ଓ ଶିଶୁକ ଚର୍ମ, ଶିଟୀମ୍‍ କାଷ୍ଠ,
EXO 25:6 ଦୀପ ନିମନ୍ତେ ତୈଳ ପୁଣି, ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ,
EXO 25:7 ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର; ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ।
EXO 25:8 ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ; ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା।
EXO 25:9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସମସ୍ତ କରିବ।
EXO 25:10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।
EXO 25:11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ; ପୁଣି, ତହିଁର ଭିତର ଓ ବାହାର ହିଁ ମଡ଼ାଇବ, ପୁଣି, ତହିଁ ଉପର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।
EXO 25:12 ପୁଣି, ତହିଁ ନିମନ୍ତେ ସ୍ୱର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ରହିବ।
EXO 25:13 ଆଉ ତୁମ୍ଭେ ଶିଟୀମ୍‍ କାଷ୍ଠରେ ଦୁଇ ସାଙ୍ଗୀ କରି ସ୍ୱର୍ଣ୍ଣରେ ମଡ଼ାଇବ।
EXO 25:14 ପୁଣି, ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ।
EXO 25:15 ସେହି ସାଙ୍ଗୀ ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ।
EXO 25:16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ।
EXO 25:17 ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ।
EXO 25:18 ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ।
EXO 25:19 ଏକ କିରୂବ ଏକ ମୁଣ୍ଡରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ।
EXO 25:20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ।
EXO 25:21 ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ।
EXO 25:22 ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍‍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ-ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।
EXO 25:23 ତହିଁ ଉତ୍ତାରେ ତୁମ୍ଭେ ଶିଟୀମ୍‍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି
EXO 25:24 ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ, ପୁଣି, ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ।
EXO 25:25 ପୁଣି, ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ।
EXO 25:26 ଆଉ ସୁବର୍ଣ୍ଣ ନିର୍ମିତ ଚାରି କଡ଼ା କରି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିବ।
EXO 25:27 ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ୱରେ ଥିବ।
EXO 25:28 ପୁଣି, ସେହି ମେଜ ବହନାର୍ଥେ ଶିଟୀମ୍‍ କାଷ୍ଠରେ ସାଙ୍ଗୀ ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ।
EXO 25:29 ପୁଣି, ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ, ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ।
EXO 25:30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ।
EXO 25:31 ଆହୁରି, ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ; ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ; ଆଉ ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
EXO 25:32 ଅର୍ଥାତ୍‍, ତହିଁର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା, ଏହିରୂପେ ଦୁଇ ପାର୍ଶ୍ୱରୁ ଛଅ ଶାଖା ନିର୍ଗତ ହେବ।
EXO 25:33 ତହିଁର ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ, ପୁଣି, ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ; ସେହି ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ଏହିରୂପେ ହେବ।
EXO 25:34 ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର, କଳିକା ଓ ପୁଷ୍ପ ରହିବ;
EXO 25:35 ପୁଣି, ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ନିର୍ଗତ ହୁଏ, ସେମାନଙ୍କ ଏକ ଶାଖାଦ୍ୱୟର ତଳେ ଏକ କଳିକା ଓ ଦ୍ୱିତୀୟ ଶାଖାଦ୍ୱୟର ତଳେ ଏକ କଳିକା ଓ ତୃତୀୟ ଶାଖାଦ୍ୱୟର ତଳେ ଏକ କଳିକା ରହିବ।
EXO 25:36 ଆଉ, କଳିକା, ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଟାକର୍ମ ହେବ।
EXO 25:37 ଆଉ, ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ; ତହିଁରେ ଲୋକମାନେ ସେହି ପ୍ରଦୀପ ଜ୍ୱଳାଇଲେ, ତହିଁର ସମ୍ମୁଖରେ ଆଲୁଅ ହେବ
EXO 25:38 ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନି ନିର୍ମାଣ କରିବ।
EXO 25:39 ଏହି ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ତାଳନ୍ତ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ।
EXO 25:40 ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେଉଁ ଯେଉଁ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହିରୂପେ ସମସ୍ତ କର।
EXO 26:1 ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।
EXO 26:2 ସେହି ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ ଓ ଚାରି ହସ୍ତ ପ୍ରସ୍ଥ, ସମସ୍ତ ଯବନିକାର ଏକ ପରିମାଣ ହେବ।
EXO 26:3 ପୁଣି, ଏକତ୍ର ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ, ଆଉ ଅବଶିଷ୍ଟ ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ।
EXO 26:4 ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କରିବ ଓ ଯୋଡ଼ ସ୍ଥାନରେ ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ।
EXO 26:5 ଅର୍ଥାତ୍‍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କରିବ; ସେହି ଦୁଇ ଫାଶ-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ।
EXO 26:6 ପୁଣି, ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ।
EXO 26:7 ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ।
EXO 26:8 ସେହି ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ; ଏହି ଏକାଦଶ ଯବନିକାର ଏକ ପରିମାଣ ହେବ।
EXO 26:9 ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି, ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ।
EXO 26:10 ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କରିବ।
EXO 26:11 ଆଉ ପିତ୍ତଳର ପଚାଶ ଆଙ୍କୁଡ଼ା କରି ସେହି ଫାଶରେ ପ୍ରବେଶ କରାଇ ତମ୍ବୁ ଯୋଡ଼ିବ; ତହିଁରେ ତାହା ଏକ ତମ୍ବୁ ହେବ।
EXO 26:12 ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍‍, ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍‍ ପାର୍ଶ୍ୱରେ ଓହଳି ରହିବ।
EXO 26:13 ଆଉ ତମ୍ବୁ ଯବନିକାର ଅବଶିଷ୍ଟ ଯେଉଁ ଦୀର୍ଘ ଅଂଶ ଏ ପାର୍ଶ୍ୱରେ ଏକ ହସ୍ତ ଓ ସେ ପାର୍ଶ୍ୱରେ ଏକ ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏ ପାର୍ଶ୍ୱ ସେ ପାର୍ଶ୍ୱରେ ଆଚ୍ଛାଦନାର୍ଥେ ଝୁଲିବ।
EXO 26:14 ଏଉତ୍ତାରେ ତୁମ୍ଭେ ରକ୍ତୀକୃତ ମେଷର ଚର୍ମରେ ତମ୍ବୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ।
EXO 26:15 ଏଥିଉତ୍ତାରେ ତୁମ୍ଭେ ଆବାସ ନିମନ୍ତେ ଶିଟୀମ୍‍ କାଷ୍ଠର ଠିଆପଟା ପ୍ରସ୍ତୁତ କରିବ।
EXO 26:16 ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ହେବ।
EXO 26:17 ତହିଁର ପରସ୍ପର ଅନୁରୂପ ଦୁଇ ପାଦ କରିବ; ଏହିରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ।
EXO 26:18 ଆଉ ଆବାସ ନିମନ୍ତେ ଯେଉଁସବୁ ପଟା କରିବ, ସେ ସବୁ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା।
EXO 26:19 ପୁଣି, ସେହି କୋଡ଼ିଏ ପଟା ତଳେ ଚାଳିଶ ରୂପାର ଚୁଙ୍ଗୀ କରିବ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ହେବ।
EXO 26:20 ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ।
EXO 26:21 ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ; ଏରୂପେ ରୂପାର ଚାଳିଶ ଚୁଙ୍ଗୀ ହେବ।
EXO 26:22 ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ।
EXO 26:23 ପୁଣି, ଆବାସର ସେହି ପଶ୍ଚାଦ୍‍ ଭାଗର ଦୁଇ କୋଣରେ ଦୁଇ ଖଣ୍ଡ ପଟା ଦେବ।
EXO 26:24 ଏହି କୋଣରେ ଥିବା ପଟାଗୁଡ଼ିକ ଯୋଡ଼ା ହୋଇ ଉପର ମୁଣ୍ଡ ପର୍ଯ୍ୟନ୍ତ ସଂଯୁକ୍ତ ହେବ, ଦୁଇ କୋଣରେ ଥିବା ଦୁଇଟି ପଟା ଏହିପରି ତିଆରି ହେବ।
EXO 26:25 ତହିଁରେ ତହିଁର ପଟା ଆଠ ଖଣ୍ଡ ହେବ ଓ ତହିଁର ଷୋଳ ରୂପାଚୁଙ୍ଗୀ ହେବ; ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଚୁଙ୍ଗୀ ହେବ।
EXO 26:26 ଆଉ ତୁମ୍ଭେ ଶିଟୀମ୍‍ କାଷ୍ଠର ଅର୍ଗଳ ପ୍ରସ୍ତୁତ କରିବ; ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ
EXO 26:27 ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେବ।
EXO 26:28 ପୁଣି, ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ପାଇବ।
EXO 26:29 ଆଉ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ, ପୁଣି, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇବ।
EXO 26:30 ଏହି ପ୍ରକାରେ ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମ୍ଭକୁ ପ୍ରଦର୍ଶିତ ହୋଇଅଛି; ତଦନୁସାରେ ତାହା ପ୍ରସ୍ତୁତ କରିବ।
EXO 26:31 ଆଉ ତୁମ୍ଭେ ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ।
EXO 26:32 ତୁମ୍ଭେ ତାହା ସୁବର୍ଣ୍ଣରେ ମଡ଼ାଇ ଶିଟୀମ୍‍ କାଷ୍ଠର ଚାରି ସ୍ତମ୍ଭ ଉପରେ ଟଙ୍ଗାଇବ; ପୁଣି, ରୂପାର ଚାରି ଚୁଙ୍ଗୀ ଉପରେ ସେମାନଙ୍କ ସ୍ୱର୍ଣ୍ଣର ଆଙ୍କୁଡ଼ାସବୁ ବସାଇବ।
EXO 26:33 ପୁଣି, ଆଙ୍କୁଡ଼ା ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ।
EXO 26:34 ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିବ।
EXO 26:35 ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ।
EXO 26:36 ପୁଣି, ଆବାସର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ।
EXO 26:37 ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍‍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ, ପୁଣି, ସ୍ୱର୍ଣ୍ଣରେ ତହିଁର ଆଙ୍କୁଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।
EXO 27:1 ଆଉ ତୁମ୍ଭେ ଶିଟୀମ୍‍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥର ବେଦି ନିର୍ମାଣ କରିବ, ସେହି ବେଦି ଚତୁଷ୍କୋଣ ହେବ; ତହିଁର ଉଚ୍ଚତା ତିନି ହସ୍ତ ହେବ।
EXO 27:2 ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ କରିବ, ଆଉ ସେହି ଶୃଙ୍ଗ ବେଦିର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ।
EXO 27:3 ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ, ତହିଁର କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ।
EXO 27:4 ପୁଣି, ପିତ୍ତଳରେ ଏକ ଜାଲି ଝାଞ୍ଜିରୀ କରିବ ଓ ତହିଁ ଉପରେ ଚାରି କୋଣରେ ପିତ୍ତଳର ଚାରି କଡ଼ା ପ୍ରସ୍ତୁତ କରିବ।
EXO 27:5 ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ।
EXO 27:6 ଆଉ ବେଦି ନିମନ୍ତେ ଶିଟୀମ୍‍ କାଷ୍ଠର ସାଙ୍ଗୀ କରିବ ଓ ତାହା ପିତ୍ତଳରେ ମଡ଼ାଇବ।
EXO 27:7 ପୁଣି, ବେଦି ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରହିବ।
EXO 27:8 ତୁମ୍ଭେ ଫମ୍ପା ରଖି ପଟାରେ ତାହା କରିବ, ପର୍ବତରେ ତୁମ୍ଭକୁ ଯେରୂପ ପ୍ରଦର୍ଶିତ ହୋଇଥିଲା, ସେରୂପେ ଲୋକମାନେ କରିବେ।
EXO 27:9 ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକ ଶହ ହସ୍ତ ହେବ।
EXO 27:10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ।
EXO 27:11 ତଦ୍ରୂପ ଉତ୍ତର ପାର୍ଶ୍ୱରେ ଏକ ଶହ ହସ୍ତ ଦୀର୍ଘ ପରଦା ହେବ, ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ; ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ।
EXO 27:12 ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ନିମନ୍ତେ ପଚାଶ ହସ୍ତ ପରଦା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।
EXO 27:13 ପୁଣି, ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ପଚାଶ ହସ୍ତ ହେବ।
EXO 27:14 (ଦ୍ୱାରର) ଏକ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।
EXO 27:15 ଆଉ ଅନ୍ୟ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।
EXO 27:16 ପୁଣି, ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗୀ ହେବ।
EXO 27:17 ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭସକଳ ରୂପା-ବନ୍ଧନୀରେ ବନ୍ଦ ହେବ ଓ ତହିଁର ଆଙ୍କୁଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ।
EXO 27:18 ପ୍ରାଙ୍ଗଣ ଏକ ଶହ ହସ୍ତ ଦୀର୍ଘ ଓ ସର୍ବତ୍ର ପଚାଶ ହସ୍ତ ପ୍ରସ୍ଥ ଓ ପାଞ୍ଚ ହସ୍ତ ଉଚ୍ଚ, ପୁଣି, ସବୁ ବଳା ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗୀ ହେବ।
EXO 27:19 ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର, କଣ୍ଟା ଓ ପ୍ରାଙ୍ଗଣର ସମସ୍ତ କଣ୍ଟା ପିତ୍ତଳର ହେବ।
EXO 27:20 ଆଉ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଷା ଜୀତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେବ।
EXO 27:21 ଆଉ ସମାଗମ-ତମ୍ବୁରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରୋଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ; ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
EXO 28:1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍‍, ହାରୋଣ, ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।
EXO 28:2 ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ।
EXO 28:3 ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ।
EXO 28:4 ଅର୍ଥାତ୍‍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।
EXO 28:5 ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।
EXO 28:6 ପୁଣି, ସେମାନେ ସେହି ସ୍ୱର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କରିବେ।
EXO 28:7 ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ।
EXO 28:8 ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍‍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।
EXO 28:9 ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
EXO 28:10 ଅର୍ଥାତ୍‍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ।
EXO 28:11 ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
EXO 28:12 ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।
EXO 28:13 ଆଉ ତୁମ୍ଭେ ଦୁଇ ସ୍ୱର୍ଣ୍ଣାଧାର କରିବ
EXO 28:14 ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ।
EXO 28:15 ପୁଣି, ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍‍, ଏଫୋଦର କର୍ମାନୁସାରେ ସ୍ୱର୍ଣ୍ଣରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ।
EXO 28:16 ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହେବ।
EXO 28:17 ପୁଣି, ତାହାକୁ ଚାରି ଧାଡ଼ି ମଣିରେ ଖଚିତ କରିବ, ତହିଁର ପ୍ରଥମ ଧାଡିରେ ଚୂଣୀ, ପୀତମଣି ଓ ମରକତ;
EXO 28:18 ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ
EXO 28:19 ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା
EXO 28:20 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱ ସ୍ୱ ଧାଡ଼ିରେ ବସାଯିବ।
EXO 28:21 ଏହି ମଣି ଇସ୍ରାଏଲର ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବେ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
EXO 28:22 ତୁମ୍ଭେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ।
EXO 28:23 ପୁଣି, ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ।
EXO 28:24 ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ।
EXO 28:25 ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ।
EXO 28:26 ତୁମ୍ଭେ ସ୍ୱର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ।
EXO 28:27 ଆହୁରି ଦୁଇ ସ୍ୱର୍ଣ୍ଣର କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।
EXO 28:28 ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଧନ କରି ରଖିବେ।
EXO 28:29 ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ।
EXO 28:30 ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍‍ ଓ ତୁମ୍ମୀମ୍‍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି, ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ।
EXO 28:31 ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ।
EXO 28:32 ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ଡିଯିବ ନାହିଁ।
EXO 28:33 ପୁଣି, ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ବ କରିବ; ଆଉ ତହିଁ ଚତୁର୍ଦ୍ଦିଗର ମଧ୍ୟେ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ।
EXO 28:34 ସେହି ଚୋଗାର ଧଡ଼ିର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି, ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।
EXO 28:35 ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ।
EXO 28:36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ।
EXO 28:37 ପୁଣି, ପଗଡ଼ି ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବାନ୍ଧି ପଗଡ଼ିର ସମ୍ମୁଖରେ ରଖିବ।
EXO 28:38 ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବୋହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ।
EXO 28:39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।
EXO 28:40 ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ସୌନ୍ଦର୍ଯ୍ୟ ନିମନ୍ତେ ଶିରୋଭୂଷଣ କରିବ।
EXO 28:41 ପୁଣି, ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣକୁ ତାହାସବୁ ପରିଧାନ କରାଇବ; ପୁଣି, ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପବିତ୍ର କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ।
EXO 28:42 ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ।
EXO 28:43 ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।
EXO 29:1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ,
EXO 29:2 ପୁଣି, ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ।
EXO 29:3 ପୁଣି, ଗୋଟିଏ ଡାଲାରେ ତାହା ରଖିବ, ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ।
EXO 29:4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
EXO 29:5 ତାʼପରେ ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା, ଏଫୋଦର ଚୋଗା, ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ।
EXO 29:6 ତାହାର ମସ୍ତକରେ ପଗଡ଼ି ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ।
EXO 29:7 ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ।
EXO 29:8 ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ।
EXO 29:9 ପୁଣି, ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ।
EXO 29:10 ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
EXO 29:11 ତହୁଁ ତୁମ୍ଭେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ।
EXO 29:12 ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।
EXO 29:13 ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ବୃକକ୍ ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ।
EXO 29:14 ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି ଅଟେ।
EXO 29:15 ଏଥିଉତ୍ତାରେ ତୁମ୍ଭେ ପ୍ରଥମ ମେଷ ନେବ; ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
EXO 29:16 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ।
EXO 29:17 ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ଡସକଳ ଓ ମସ୍ତକ ସହ ରଖିବ।
EXO 29:18 ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
EXO 29:19 ଏଥିଉତ୍ତାରେ ତୁମ୍ଭେ ଦ୍ୱିତୀୟ ମେଷକୁ ନେବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
EXO 29:20 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।
EXO 29:21 ଏଥିଉତ୍ତାରେ ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି, ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି, ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
EXO 29:22 ଆହୁରି, ତୁମ୍ଭେ ସେହି ମେଷର ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ୍ର ଉପରିସ୍ଥ ମେଦ, ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁର୍ଦା, ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ତାହା ଉତ୍ସର୍ଗୀକୃତ ମେଷ ଅଟେ।
EXO 29:23 ପୁଣି, ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୁଟିର ଡାଲାରୁ ଏକ ରୁଟି, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ
EXO 29:24 ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ।
EXO 29:25 ଏଥିଉତ୍ତାରେ ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
EXO 29:26 ଏଥିଉତ୍ତାରେ ତୁମ୍ଭେ ହାରୋଣର ଉତ୍ସର୍ଗୀକୃତ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ଡ ତୁମ୍ଭର ଅଂଶ ହେବ।
EXO 29:27 ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ।
EXO 29:28 ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ-ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର ଅଟେ; ଇସ୍ରାଏଲ-ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର ଅଟେ।
EXO 29:29 ପୁଣି, ହାରୋଣର (ମୃତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ ନିଯୁକ୍ତି ସମୟରେ ସେମାନେ ତାହା ପରିଧାନ କରିବେ।
EXO 29:30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ।
EXO 29:31 ଏଥିଉତ୍ତାରେ ତୁମ୍ଭେ ସେହି ଉତ୍ସର୍ଗୀକୃତ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ,
EXO 29:32 ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁର ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୁଟି ଭୋଜନ କରିବେ।
EXO 29:33 ପୁଣି, ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ୱାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହାସବୁ ପବିତ୍ର ବସ୍ତୁ।
EXO 29:34 ଆଉ ସେହି ପଦନିଯୋଗାର୍ଥକ ମାଂସ ଓ ରୁଟିରୁ ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍‍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ ଅଟେ।
EXO 29:35 ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତ ଦିନ ଲାଗିବ।
EXO 29:36 ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତିଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି, ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ପାପମୁକ୍ତ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ।
EXO 29:37 ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
EXO 29:38 ସେହି ବେଦି ଉପରେ ତୁମ୍ଭେ ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିୟମିତ ଭାବରେ ପ୍ରତିଦିନ ଏକ ବର୍ଷୀୟ ଦୁଇ ମେଷଶାବକ,
EXO 29:39 ଅର୍ଥାତ୍‍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ।
EXO 29:40 ପୁଣି, ପ୍ରଥମ ମେଷଶାବକ ସହିତ ହିନ୍‍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ-ନୈବେଦ୍ୟ ନିମନ୍ତେ ହିନ୍‍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ।
EXO 29:41 ଆଉ ସନ୍ଧ୍ୟା ସମୟରେ ଦ୍ୱିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି, ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ।
EXO 29:42 ଏହା ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେହି ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା।
EXO 29:43 ଆଉ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି, ଆମ୍ଭ ପ୍ରତାପରେ (ତମ୍ବୁ) ପବିତ୍ରୀକୃତ ହେବ।
EXO 29:44 ଆଉ, ଆମ୍ଭେ ସମାଗମ-ତମ୍ବୁ ଓ ବେଦିକୁ ପବିତ୍ର କରିବା, ପୁଣି, ଆମ୍ଭର ଯାଜକ କର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା।
EXO 29:45 ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା।
EXO 29:46 ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
EXO 30:1 “ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ଶିଟୀମ୍‍ କାଷ୍ଠର ଏକ ବେଦି ନିର୍ମାଣ କରିବ।
EXO 30:2 ତାହା ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି, ଦୁଇ ହସ୍ତ ଉଚ୍ଚ ହେବ; ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ।
EXO 30:3 ତହିଁର ପୃଷ୍ଠ ଓ ଚାରି ପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ।
EXO 30:4 ପୁଣି, ତହିଁର କାନ୍ଥି ତଳେ ଦୁଇ ପାର୍ଶ୍ୱର ଦୁଇ କୋଣ ନିକଟରେ ସ୍ୱର୍ଣ୍ଣର ଦୁଇ ଦୁଇ କଡ଼ା କରିବ; ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ।
EXO 30:5 ସେହି ସାଙ୍ଗୀ ଶିଟୀମ୍‍ କାଷ୍ଠରେ ନିର୍ମାଣ କରି ସ୍ୱର୍ଣ୍ଣରେ ମଡ଼ାଇବ।
EXO 30:6 ପୁଣି, ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ, ଅର୍ଥାତ୍‍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ-ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ ବସ୍ତ୍ରର ଆଗରେ ତାହା ରଖିବ।
EXO 30:7 ହାରୋଣ ତହିଁ ଉପରେ ସୁଗନ୍ଧି ଧୂପ ଜ୍ୱଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ସମୟରେ ସେହି ଧୂପ ଜ୍ୱଳାଇବ।
EXO 30:8 ପୁଣି, ସନ୍ଧ୍ୟାକାଳେ ହାରୋଣ ପ୍ରଦୀପ ଜ୍ୱଳାଇବା ସମୟରେ ଧୂପ ଜ୍ୱଳାଇବ, ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପଦାହ ହେବ।
EXO 30:9 ତୁମ୍ଭେମାନେ ତହିଁ ଉପରେ ଅନ୍ୟ କୌଣସି ଧୂପ ଅବା ହୋମବଳି କିଅବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ ନାହିଁ ଓ ତହିଁ ଉପରେ ପେୟ-ନୈବେଦ୍ୟ ଢାଳିବ ନାହିଁ।
EXO 30:10 ପୁଣି, ହାରୋଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ଉପରେ ପ୍ରାୟଶ୍ଚିତ୍ତ କରିବ; ସେ ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ରକ୍ତ ଦ୍ୱାରା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ଉପରେ ପ୍ରାୟଶ୍ଚିତ୍ତ କରିବ। ଏହି ବେଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର ଅଟେ।”
EXO 30:11 ଆଉ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
EXO 30:12 “ଯେତେବେଳେ ତୁମ୍ଭେ ଗଣିତ ଲୋକମାନଙ୍କ ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣକୁ ଗଣନା କରିବ, ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ଆପଣା ଆପଣା ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ୍ତ କରିବେ, ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ କୌଣସି ମହାମାରୀ ହେବ ନାହିଁ।
EXO 30:13 ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ।
EXO 30:14 କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ।
EXO 30:15 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ।
EXO 30:16 ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।”
EXO 30:17 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 30:18 “ତୁମ୍ଭେ ପ୍ରକ୍ଷାଳନ ନିମନ୍ତେ ପିତ୍ତଳର କୁଣ୍ଡ ଓ ତହିଁର ପିତ୍ତଳର ବୈଠିକି ପ୍ରସ୍ତୁତ କରିବ; ପୁଣି, ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ରଖି ତହିଁ ମଧ୍ୟରେ ଜଳ ପୂରାଇବ।
EXO 30:19 ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ।
EXO 30:20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍‍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି,
EXO 30:21 ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।”
EXO 30:22 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 30:23 “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚ ଶହ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍‍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି,
EXO 30:24 ପାଞ୍ଚ ଶହ ଶେକଲ ଗୁଡ଼ତ୍ୱକ୍‍ ଓ ଏକ ହିନ୍‍ ଜୀତ ତୈଳ ସଂଗ୍ରହ କରିବ।
EXO 30:25 ଏହିସବୁ ଦ୍ୱାରା ତୁମ୍ଭେ ଅଭିଷେକାର୍ଥକ ପବିତ୍ର ତୈଳ, ଅର୍ଥାତ୍‍, ଗନ୍ଧବଣିକର କ୍ରିୟାନୁସାରେ ତୈଳ ପ୍ରସ୍ତୁତ କରିବ, ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ।
EXO 30:26 ତାହା ତୁମ୍ଭେ ନେଇ ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ,
EXO 30:27 ପୁଣି, ମେଜ, ତହିଁର ସକଳ ପାତ୍ର, ଦୀପବୃକ୍ଷ ଓ ତହିଁର ସକଳ ପାତ୍ର,
EXO 30:28 ଆଉ ଧୂପବେଦି, ତହିଁର ସକଳ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ଅଭିଷେକ କରିବ।
EXO 30:29 ପୁଣି, ଏହିସବୁ ବସ୍ତୁକୁ ପବିତ୍ର କରିବ, ତହିଁରେ ତାହା ମହାପବିତ୍ର ହେବ, ଯାହା କିଛି ତାହା ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
EXO 30:30 ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ଆମ୍ଭର ଯାଜକ କର୍ମ କରଣାର୍ଥେ ଅଭିଷେକ କରି ପବିତ୍ର କରିବ।
EXO 30:31 ଆଉ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ନିମନ୍ତେ ତାହା ଅଭିଷେକାର୍ଥକ ପବିତ୍ର ତୈଳ ହେବ।
EXO 30:32 ମନୁଷ୍ୟର ଶରୀରରେ ତାହା ଢ଼ଳାଯିବ ନାହିଁ; ଅଥବା ତୁମ୍ଭେମାନେ ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆଉ କୌଣସି ତୈଳ କରିବ ନାହିଁ; ତାହା ପବିତ୍ର ଅଟେ, ଆଉ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ।
EXO 30:33 ଯେକେହି ତହିଁ ତୁଲ୍ୟ କିଛି ପ୍ରସ୍ତୁତ କରିବ, ଅବା ଯେକେହି ଅପରିଚିତ ଲୋକର ଶରୀରରେ ତହିଁରୁ କିଛି ଲଗାଇବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’”
EXO 30:34 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍ଗୁଳ, ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍‍, ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାଗରେ ସଂଗ୍ରହ କର।
EXO 30:35 ପୁଣି, ତଦ୍ଦ୍ୱାରା ଗନ୍ଧବଣିକର କ୍ରିୟାରେ ପ୍ରସ୍ତୁତ ଓ ଲବଣାକ୍ତ ଏକ ନିର୍ମଳ ପବିତ୍ର ସୁଗନ୍ଧି ଧୂପ ପ୍ରସ୍ତୁତ କର।
EXO 30:36 ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖିବ; ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ।
EXO 30:37 ପୁଣି, ତୁମ୍ଭେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣାନୁସାରେ ଆପଣାମାନଙ୍କ ନିମନ୍ତେ କର ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
EXO 30:38 ଯେକେହି ଆପଣା ଆଘ୍ରାଣାର୍ଥେ ତତ୍ତୁଲ୍ୟ ସୁଗନ୍ଧି ଧୂପ ପ୍ରସ୍ତୁତ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
EXO 31:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
EXO 31:2 “ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ
EXO 31:3 ପୁଣି, ଶିଳ୍ପକର୍ମ, ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି
EXO 31:4 ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ
EXO 31:5 ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରିଅଛୁ।
EXO 31:6 ଆଉ ଦେଖ, ଆମ୍ଭେ ଦାନ୍ ବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କରିଅଛୁ; ପୁଣି, ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଇଅଛୁ; ଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଇଅଛୁ, ତାହାସବୁ ସେମାନେ ନିର୍ମାଣ କରି ପାରିବେ।
EXO 31:7 ଅର୍ଥାତ୍‍, ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ବୁର ସମସ୍ତ ପାତ୍ର,
EXO 31:8 ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି,
EXO 31:9 ହୋମବେଦି, ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
EXO 31:10 ପୁଣି, ସୁଶୋଭିତ ବସ୍ତ୍ର, ଯାଜକ କର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,
EXO 31:11 ପୁଣି, ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଇଅଛୁ, ତଦନୁସାରେ ସେମାନେ କରିବେ।”
EXO 31:12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 31:13 “ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ‘ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମବାର ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।
EXO 31:14 ଏଣୁ ତୁମ୍ଭେମାନେ ବିଶ୍ରାମବାର ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟେ; ଯେକେହି ତାହା ଅପବିତ୍ର କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି, ଯେକୌଣସି ବ୍ୟକ୍ତି ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
EXO 31:15 ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।
EXO 31:16 ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମବାର ପାଳନ କରିବେ।
EXO 31:17 ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।’”
EXO 31:18 ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସମାପ୍ତ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍‍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।
EXO 32:1 ଏଥିଉତ୍ତାରେ ମୋଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରୋଣଙ୍କ ନିକଟରେ ଏକତ୍ର ହୋଇ ତାଙ୍କୁ କହିଲେ, “ଉଠ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର, ଯେହେତୁ ଯେଉଁ ବ୍ୟକ୍ତି ମିସର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୋଶାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।”
EXO 32:2 ତହୁଁ ହାରୋଣ ସେମାନଙ୍କୁ କହିଲେ, “ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ରକନ୍ୟାଗଣର କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳ କାଢ଼ି ମୋʼ ପାଖକୁ ଆଣ।”
EXO 32:3 ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳସବୁ କାଢ଼ି ହାରୋଣଙ୍କ ନିକଟକୁ ଆଣିଲେ।
EXO 32:4 ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରି ନିର୍ମାଣ କଲେ; ତହୁଁ ଲୋକମାନେ କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।”
EXO 32:5 ତହିଁରେ ହାରୋଣ ତାହା ଦେଖି ତାହାର ସମ୍ମୁଖରେ ଗୋଟିଏ ବେଦି ନିର୍ମାଣ କଲେ, “ପୁଣି, ଆସନ୍ତାକାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହେବ,” ଏହା ଘୋଷଣା କରାଇଲେ।
EXO 32:6 ଏଥିରେ ଲୋକମାନେ ପରଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ; ତହୁଁ ଲୋକମାନେ ଭୋଜନ ଓ ପାନ କରିବାକୁ ବସିଲେ; ଏଉତ୍ତାରେ ଲୀଳା କରିବାକୁ ଉଠିଲେ।
EXO 32:7 ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଅ, କାରଣ ତୁମ୍ଭର ଯେଉଁ ଲୋକମାନଙ୍କୁ ତୁମ୍ଭେ ମିସରରୁ ବାହାର କରି ଆଣିଲ, ସେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି।
EXO 32:8 ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି, ତାହା ନିକଟରେ ବଳିଦାନ କରି କହିଲେ, ‘ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।’”
EXO 32:9 ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।
EXO 32:10 ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”
EXO 32:11 ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ?
EXO 32:12 ‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।
EXO 32:13 ଆପଣା ଦାସ ଅବ୍ରହାମ ଓ ଇସ୍‌ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’”
EXO 32:14 ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ।
EXO 32:15 ଏଥିଉତ୍ତାରେ ମୋଶା ମୁଖ ଫେରାଇ ସାକ୍ଷ୍ୟ ସ୍ୱରୂପ ଦୁଇ ପ୍ରସ୍ତର ପଟା ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ; ସେହି ପ୍ରସ୍ତର ପଟାର ଉଭୟ ପାର୍ଶ୍ୱରେ ଲେଖାଥିଲା।
EXO 32:16 ସେହି ପ୍ରସ୍ତର ପଟା ପରମେଶ୍ୱରଙ୍କ ନିର୍ମିତ; ପୁଣି, ତହିଁରେ ଖୋଦିତ ଲିଖନ ହିଁ ପରମେଶ୍ୱରଙ୍କ ଲିଖନ ଥିଲା।
EXO 32:17 ଏଥିଉତ୍ତାରେ ଲୋକମାନେ ଉଚ୍ଚ ରବ କରନ୍ତେ, ଯିହୋଶୂୟ ଲୋକମାନଙ୍କର କୋଳାହଳ ଶୁଣି ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧ ଶବ୍ଦ ହେଉଅଛି।”
EXO 32:18 ତହିଁରେ ସେ କହିଲେ, “ଏହା ଜୟଧ୍ୱନିର ଶବ୍ଦ ନୁହେଁ, କିଅବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି।”
EXO 32:19 ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ।
EXO 32:20 ପୁଣି, ସେମାନଙ୍କ ନିର୍ମିତ ବାଛୁରି ଘେନି ଅଗ୍ନିରେ ପୋଡ଼ିଲେ ଓ ତାହା ପେଷି ଧୂଳି କଲେ, ଆଉ ଜଳ ଉପରେ ବିଞ୍ଚି ଦେଇ ଇସ୍ରାଏଲ-ସନ୍ତାନଗଣକୁ ପିଆଇଲେ।
EXO 32:21 ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?”
EXO 32:22 ତହିଁରେ ହାରୋଣ କହିଲେ, “ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହେଉ; ଆପଣ ଜାଣନ୍ତି ଯେ, ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ।
EXO 32:23 ଏମାନେ ମୋତେ କହିଲେ, ‘ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର; କାରଣ ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ମୋଶାଙ୍କର କଅଣ ହୋଇଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।’
EXO 32:24 ତେବେ ମୁଁ କହିଲି, ‘ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେକୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।’”
EXO 32:25 ଆଉ ମୋଶା ଲୋକମାନଙ୍କୁ ସ୍ୱେଚ୍ଛାଚାରୀ ଦେଖିଲେ, କାରଣ ହାରୋଣ ସେମାନଙ୍କୁ ଶତ୍ରୁଗଣ ମଧ୍ୟରେ ହାସ୍ୟାସ୍ପଦ ହେବା ଭଳି ସ୍ୱେଚ୍ଛାଚାରୀ କରି ଛାଡ଼ିଥିଲେ।
EXO 32:26 ଏଥିରେ ମୋଶା ଛାଉଣି ଦ୍ୱାରରେ ଠିଆ ହୋଇ କହିଲେ, “ସଦାପ୍ରଭୁଙ୍କ ପକ୍ଷରେ କିଏ ଅଛି? ସେ ମୋʼ ନିକଟକୁ ଆସୁ,” ତହିଁରେ ଲେବୀର ସନ୍ତାନଗଣ ତାଙ୍କ ନିକଟରେ ଏକତ୍ର ହେଲେ।
EXO 32:27 ତହୁଁ ସେ ସେମାନଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ୱାରରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଗତାୟାତ କର, ପ୍ରତି ଜଣ ଆପଣା ଆପଣା ଭାଇ, ମିତ୍ର ଓ ପ୍ରତିବାସୀକୁ ବଧ କର।’”
EXO 32:28 ତହିଁରେ ଲେବୀର ସନ୍ତାନମାନେ ମୋଶାଙ୍କର ବାକ୍ୟାନୁସାରେ ତଦ୍ରୂପ କରନ୍ତେ, ସେହି ଦିନ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ହଜାର ଲୋକ ମଲେ।
EXO 32:29 ଆଉ ମୋଶା କହିଥିଲେ, “ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପୁତ୍ର ଓ ଭାଇମାନଙ୍କର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ନିଯୁକ୍ତ କର, ତହିଁରେ ସେ ଏହି ଦିନରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”
EXO 32:30 ତହିଁ ପରଦିନ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମହାପାପ କରିଅଛ, ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି; ଯଦି ହୋଇପାରେ, ତେବେ ମୁଁ ତୁମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବି।”
EXO 32:31 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, “ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କରିଅଛନ୍ତି।
EXO 32:32 ତଥାପି ଏବେ, ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ; କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ।”
EXO 32:33 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା।
EXO 32:34 ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା।”
EXO 32:35 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଆଘାତ କଲେ, ଯେହେତୁ ହାରୋଣ-ନିର୍ମିତ ବାଛୁରି ସେମାନେ ନିର୍ମାଣ କରିଥିଲେ।
EXO 33:1 ଏହାପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଅବ୍ରହାମ ଓ ଇସ୍‌ହାକ ଓ ଯାକୁବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ କହିଥିଲୁ, ତୁମ୍ଭ ବଂଶକୁ ଏହି ଦେଶ ଦେବା, ସେହି ଦେଶକୁ ଯିବା ପାଇଁ ତୁମ୍ଭେ ଓ ମିସରରୁ ଆନୀତ ଲୋକମାନେ ଏହି ସ୍ଥାନରୁ ପ୍ରସ୍ଥାନ କର;
EXO 33:2 ଆମ୍ଭେ ତୁମ୍ଭ ଆଗେ ଆଗେ ଏକ ଦୂତ ପଠାଇବା; ପୁଣି, ଆମ୍ଭେ କିଣାନୀୟ, ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ିଦେବା।
EXO 33:3 ଏନିମନ୍ତେ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ।”
EXO 33:4 ଲୋକମାନେ ଏହି ଅଶୁଭ ସମ୍ବାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ।
EXO 33:5 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯଦି ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବା; ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।”
EXO 33:6 ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।
EXO 33:7 ଏସମୟରେ ଏପରି ଥିଲା ଯେ, ମୋଶା ଆପଣା ତମ୍ବୁ ନେଇ ଛାଉଣିର ବାହାରେ ଓ ଛାଉଣିଠାରୁ ଦୂରରେ ସ୍ଥାପନ କଲେ ଓ ତାହାର ନାମ ସମାଗମ-ତମ୍ବୁ ଦେଲେ। ସଦାପ୍ରଭୁଙ୍କ ଅନ୍ୱେଷଣକାରୀ ପ୍ରତ୍ୟେକ ଲୋକ ଛାଉଣିର ବାହାରସ୍ଥିତ ସେହି ସମାଗମ-ତମ୍ବୁ ନିକଟକୁ ଯାʼନ୍ତି।
EXO 33:8 ପୁଣି, ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ବୁରେ ପ୍ରବେଶ କଲେ ନାହିଁ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍‍ ଅନାଇ ରହିଲେ।
EXO 33:9 ଏଉତ୍ତାରେ ମୋଶା ତମ୍ବୁରେ ପ୍ରବେଶ କରନ୍ତେ, ମେଘସ୍ତମ୍ଭ ଓହ୍ଲାଇ ତମ୍ବୁ ଦ୍ୱାରରେ ଅବସ୍ଥିତ ହେଲା; ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ।
EXO 33:10 ତମ୍ବୁ ଦ୍ୱାରରେ ଅବସ୍ଥିତ ମେଘସ୍ତମ୍ଭ ଦେଖନ୍ତେ, ସମସ୍ତ ଲୋକ ଉଠି ପ୍ରତ୍ୟେକେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।
EXO 33:11 ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ।
EXO 33:12 ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ।
EXO 33:13 ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।”
EXO 33:14 ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।”
EXO 33:15 ତହିଁରେ ସେ ତାହାଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ଗମନ ନ କରନ୍ତି, ତେବେ ଏହି ସ୍ଥାନରୁ ଆମ୍ଭମାନଙ୍କୁ ନେଇଯାଅ ନାହିଁ।”
EXO 33:16 କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ଏହା ଏବେ କିପରି ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ?
EXO 33:17 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯେଉଁ କଥା ତୁମ୍ଭେ କହିଅଛ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛ, ପୁଣି, ଆମ୍ଭେ ତୁମ୍ଭକୁ ନାମ ଦ୍ୱାରା ଜାଣିଅଛୁ।”
EXO 33:18 ପୁଣି, ସେ କହିଲେ, “ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।”
EXO 33:19 ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।”
EXO 33:20 ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।”
EXO 33:21 ସଦାପ୍ରଭୁ କହିଲେ, “ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଠିଆ ହେବ;
EXO 33:22 ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା।
EXO 33:23 ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।”
EXO 34:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପୂର୍ବ ପରି ଦୁଇ ପ୍ରସ୍ତର ପଟା ଖୋଳ। ତୁମ୍ଭେ ଯେଉଁ ପ୍ରସ୍ତର ପଟା ଭାଙ୍ଗିଅଛ, ତହିଁ ଉପରେ ଯାହା ଯାହା ଲେଖାଥିଲା, ସେହି ସବୁ କଥା ଆମ୍ଭେ ଏହି ଦୁଇ ପ୍ରସ୍ତରରେ ଲେଖିବା।
EXO 34:2 ଆଉ ତୁମ୍ଭେ ପ୍ରାତଃକାଳରେ ପ୍ରସ୍ତୁତ ହୁଅ ଓ ପ୍ରାତଃକାଳରେ ସୀନୟ ପର୍ବତ ଆରୋହଣ କରି ସେଠାରେ ପର୍ବତ ଶୃଙ୍ଗରେ ଆମ୍ଭ ନିକଟରେ ଉପସ୍ଥିତ ହୁଅ।
EXO 34:3 ମାତ୍ର ତୁମ୍ଭ ସଙ୍ଗେ ଆଉ କେହି ଉପରକୁ ଆସିବେ ନାହିଁ, ପୁଣି, ଏହି ସମୁଦାୟ ପର୍ବତରେ କେହି ଦେଖା ନ ଯିବେ ଓ ଗୋମେଷାଦି ପଲ ମଧ୍ୟ ଏହି ପର୍ବତ ସମ୍ମୁଖରେ ଚରିବେ ନାହିଁ।”
EXO 34:4 ତହୁଁ ମୋଶା ପ୍ରଥମ ପ୍ରସ୍ତର ପରି ଦୁଇ ପ୍ରସ୍ତର ପଟା ଖୋଳିଲେ; ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରଭାତରେ ଉଠି ସୀନୟ ପର୍ବତ ଉପରକୁ ଗଲେ ଓ ସେହି ଦୁଇ ପ୍ରସ୍ତର ପଟା ହସ୍ତରେ ନେଲେ।
EXO 34:5 ତେବେ ସଦାପ୍ରଭୁ ମେଘରେ ଅବରୋହଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ “ସଦାପ୍ରଭୁଙ୍କ” ନାମ ଘୋଷଣା କଲେ।
EXO 34:6 ଆଉ ସଦାପ୍ରଭୁ ତାଙ୍କ ସମ୍ମୁଖ ଦେଇ ଗମନ କରି ଏହା ଘୋଷଣା କଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ;
EXO 34:7 ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞାଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ରପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା।”
EXO 34:8 ତହୁଁ ମୋଶା ଶୀଘ୍ର ଭୂମିରେ ନତ ମସ୍ତକ ହୋଇ ପ୍ରଣାମ କରି କହିଲେ,
EXO 34:9 “ପ୍ରଭୋ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ପ୍ରଭୁ ଆମ୍ଭମାନଙ୍କ ମଧ୍ୟବର୍ତ୍ତୀ ହୋଇ ଗମନ କରନ୍ତୁ; କାରଣ ଏମାନେ ଶକ୍ତଗ୍ରୀବ ଲୋକ, ଆଉ ଆମ୍ଭମାନଙ୍କ ଅପରାଧ ଓ ପାପ ମୋଚନ କରି ଆପଣା ଅଧିକାରାର୍ଥେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ।”
EXO 34:10 ତେବେ ସେ କହିଲେ, “ଦେଖ, ମୁଁ ଗୋଟିଏ ନିୟମ କରିବି; ସମସ୍ତ ପୃଥିବୀରେ ଅବା କୌଣସି ଗୋଷ୍ଠୀ ମଧ୍ୟରେ ଯାହା କେବେ କରାଯାଇ ନାହିଁ, ଏପରି ଆଶ୍ଚର୍ଯ୍ୟକର୍ମ ଆମ୍ଭେ ତୁମ୍ଭର ସମସ୍ତ ଲୋକଙ୍କ ସାକ୍ଷାତରେ କରିବା; ତହିଁରେ ଯେଉଁସବୁ ଲୋକଙ୍କ ମଧ୍ୟରେ ତୁମ୍ଭେ ଅଛ, ସେମାନେ ସଦାପ୍ରଭୁଙ୍କର ସେହି କର୍ମ ଦେଖିବେ, କାରଣ ଆମ୍ଭେ ତୁମ୍ଭ ନିକଟରେ ଯାହା କରିବା, ତାହା ଭୟଙ୍କର ଅଟେ।
EXO 34:11 ଆଜି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର; ଦେଖ, ଆମ୍ଭେ ଇମୋରୀୟ, କିଣାନୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେବା।
EXO 34:12 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ଦେଶକୁ ତୁମ୍ଭେ ଯାଉଅଛ, ସେହି ଦେଶର ନିବାସୀମାନଙ୍କ ସହିତ ନିୟମ କର ନାହିଁ; କାଳେ ତାହା ତୁମ୍ଭମାନଙ୍କ ମଧ୍ୟରେ ଗୋଟିଏ ଫାନ୍ଦ ସ୍ୱରୂପ ହେବ।
EXO 34:13 ମାତ୍ର ତୁମ୍ଭେମାନେ ସେମାନଙ୍କ ବେଦିସବୁ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି କାଟି ପକାଇବ।
EXO 34:14 ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ, ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
EXO 34:15 କେଜାଣି ଅବା ତୁମ୍ଭେ ସେହି ଦେଶ ନିବାସୀ ଲୋକମାନଙ୍କ ସହିତ ନିୟମ କରିବ; କଲେ ଯେଉଁ ସମୟରେ ସେମାନେ ନିଜେ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କରନ୍ତି ଓ ନିଜ ଦେବଗଣ ନିକଟରେ ବଳିଦାନ କରନ୍ତି, ସେସମୟରେ କେହି ତୁମ୍ଭକୁ ଡାକିଲେ, ତୁମ୍ଭେ ତାହାର ବଳିଦ୍ରବ୍ୟ ଖାଇବ;
EXO 34:16 କିଅବା ତୁମ୍ଭେ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ, ସେମାନଙ୍କ କନ୍ୟାଗଣ ନିଜ ଦେବଗଣର ଅନୁଗାମିନୀ ହୋଇ ତୁମ୍ଭ ପୁତ୍ରଗଣକୁ ଆପଣାମାନଙ୍କ ଦେବଗଣର ଅନୁଗାମୀ କରି ବ୍ୟଭିଚାର କରାଇବେ।
EXO 34:17 ତୁମ୍ଭେ ଆପଣା ନିମନ୍ତେ ଛାଞ୍ଚରେ ଢଳା କୌଣସି ଦେବତା କର ନାହିଁ।
EXO 34:18 ତୁମ୍ଭେ ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ, ପୁଣି, ଆବୀବ୍‍ ମାସର ଯେଉଁ ସମୟରେ ଯେରୂପ କରିବାକୁ ତୁମ୍ଭକୁ ଆଜ୍ଞା ଦେଇଅଛୁ, ସେହିରୂପେ ତୁମ୍ଭେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଖାଇବ; କାରଣ ସେହି ଆବୀବ୍‍ ମାସରେ ତୁମ୍ଭେ ମିସର ଦେଶରୁ ବାହାର ହୋଇ ଆସିଥିଲ।
EXO 34:19 ଆଉ ସମସ୍ତ ପ୍ରଥମଜାତ ଗର୍ଭଫଳ ଓ ଗୋମେଷାଦି ପଲ ମଧ୍ୟରୁ ପ୍ରଥମଜାତ ପୁଂପଶୁ ସକଳ ଆମ୍ଭର।
EXO 34:20 ମାତ୍ର ପ୍ରଥମଜାତ ଗର୍ଦ୍ଦଭ ପରିବର୍ତ୍ତରେ ତୁମ୍ଭେ ମେଷଶାବକ ଦେଇ ତାକୁ ମୁକ୍ତ କରିବ; ଯଦି ମୁକ୍ତ ନ କରିବ, ତେବେ ତାʼର ବେକ ଭାଙ୍ଗିବ। ତୁମ୍ଭର ପ୍ରଥମଜାତ ପୁତ୍ର ସକଳକୁ ତୁମ୍ଭେ ମୁକ୍ତ କରିବ। ଆଉ, କେହି ଶୂନ୍ୟ ହସ୍ତରେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବ ନାହିଁ।
EXO 34:21 ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।
EXO 34:22 ତୁମ୍ଭେ ସପ୍ତାହର ଉତ୍ସବ, ଅର୍ଥାତ୍‍, କଟା ଗହମର ପ୍ରଥମ ଫଳର ଉତ୍ସବ ଓ ବର୍ଷର ଶେଷ ଭାଗରେ ଫଳ ସଂଗ୍ରହର ଉତ୍ସବ କରିବ।
EXO 34:23 ତୁମ୍ଭମାନଙ୍କର ସମସ୍ତ ପୁରୁଷ ବର୍ଷ ମଧ୍ୟରେ ତିନି ଥର ଇସ୍ରାଏଲର ପ୍ରଭୁ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବେ।
EXO 34:24 କାରଣ ଆମ୍ଭେ ତୁମ୍ଭ ସମ୍ମୁଖରୁ ଅନ୍ୟ ଦେଶୀୟ ଲୋକମାନଙ୍କୁ ଦୂର କରିବା ଓ ତୁମ୍ଭର ସୀମା ବିସ୍ତାର କରିବା, ପୁଣି, ତୁମ୍ଭେ ବର୍ଷ ମଧ୍ୟରେ ତିନି ଥର ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବା ନିମନ୍ତେ ଗମନ କଲେ, ତୁମ୍ଭ ଭୂମି ପ୍ରତି କେହି ଲୋଭ କରିବ ନାହିଁ।
EXO 34:25 ତୁମ୍ଭେ ଆମ୍ଭ ବଳିର ରକ୍ତ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଉତ୍ସର୍ଗ କରିବ ନାହିଁ ଓ ନିସ୍ତାରପର୍ବୀୟ ଉତ୍ସବର ବଳିଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ।
EXO 34:26 ତୁମ୍ଭେ ଆପଣା ଭୂମିର ପ୍ରଥମଜାତ ଫଳର ଅଗ୍ରିମାଂଶ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ପୁଣି, ତୁମ୍ଭେ ଛାଗର ଶାବକକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।”
EXO 34:27 ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହିସବୁ ବାକ୍ୟ ଲେଖ, କାରଣ ଆମ୍ଭେ ଏହି ବାକ୍ୟାନୁସାରେ ତୁମ୍ଭ ସହିତ ଓ ଇସ୍ରାଏଲ ସହିତ ନିୟମ ସ୍ଥିର କରିଅଛୁ।”
EXO 34:28 ସେହି ସମୟରେ ମୋଶା ସଦାପ୍ରଭୁଙ୍କ ସହିତ ସେହି ସ୍ଥାନରେ ଚାଳିଶ ଦିବାରାତ୍ର ଅବସ୍ଥାନ କଲେ; ସେ ଅନ୍ନ ଭୋଜନ କି ଜଳ ପାନ କଲେ ନାହିଁ। ସେ ସେହି ଦୁଇ ପ୍ରସ୍ତରରେ ନିୟମ-ବାକ୍ୟ, ଅର୍ଥାତ୍‍, ଦଶ ଆଜ୍ଞା ଲେଖିଲେ।
EXO 34:29 ଏଥିଉତ୍ତାରେ ମୋଶା ସୀନୟ ପର୍ବତରୁ ଓହ୍ଲାଇବା ସମୟରେ ସାକ୍ଷ୍ୟରୂପ ଦୁଇ ଖଣ୍ଡ ପ୍ରସ୍ତର ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ, ମାତ୍ର ସଦାପ୍ରଭୁଙ୍କ ସହିତ ଆଳାପ କରିବା ସକାଶୁ ଆପଣା ମୁଖର ଚର୍ମ ଯେ ଉଜ୍ଜ୍ୱଳ ହୋଇଥିଲା, ତାହା ମୋଶା ଜାଣି ନ ଥିଲେ।
EXO 34:30 ପୁଣି, ଯେତେବେଳେ ହାରୋଣ ଓ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ ଦେଖିଲେ, ସେତେବେଳେ ତାଙ୍କର ମୁଖର ଚର୍ମ ଉଜ୍ଜ୍ୱଳ ଥିଲା; ଏଣୁ ସେମାନେ ତାଙ୍କ ନିକଟକୁ ଯିବା ପାଇଁ ଭୀତ ହେଲେ।
EXO 34:31 ମାତ୍ର ମୋଶା ସେମାନଙ୍କୁ ଡାକନ୍ତେ, ହାରୋଣ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ତାଙ୍କ ନିକଟକୁ ଫେରିଗଲେ; ତହିଁରେ ମୋଶା ସେମାନଙ୍କ ସହିତ ଆଳାପ କଲେ।
EXO 34:32 ତହିଁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ନିକଟକୁ ଗଲେ; ତହିଁରେ ସଦାପ୍ରଭୁ ସୀନୟ ପର୍ବତରେ ତାଙ୍କୁ ଯେଉଁ ଯେଉଁ କଥା କହିଥିଲେ, ତାହାସବୁ ସେ ଆଜ୍ଞା ରୂପେ ସେମାନଙ୍କୁ ଜଣାଇଲେ।
EXO 34:33 ଆଉ, ମୋଶା ସେମାନଙ୍କ ସହିତ କଥୋପକଥନ ସମାପନ କଲା ଉତ୍ତାରେ ଆପଣା ମୁଖରେ ଘୁମୁଟା ଦେଲେ।
EXO 34:34 ମାତ୍ର ମୋଶା ସଦାପ୍ରଭୁଙ୍କ ସହିତ କଥା କହିବା ପାଇଁ ଭିତରେ ତାହାଙ୍କ ସାକ୍ଷାତକୁ ଯାଇ ବାହାରକୁ ନ ଆସିବା ପର୍ଯ୍ୟନ୍ତ ସେହି ଘୁମୁଟା କାଢ଼ି ରଖିଲେ; ଆଉ ଯେଉଁ ଆଜ୍ଞା ପାଇଲେ, ବାହାରେ ଆସି ଇସ୍ରାଏଲ-ସନ୍ତାନଗଣକୁ ତାହା କହିଲେ।
EXO 34:35 ତହିଁରେ ମୋଶାଙ୍କର ମୁଖର ଚର୍ମ ଉଜ୍ଜ୍ୱଳ ଅଟେ, ଏହା ଇସ୍ରାଏଲ-ସନ୍ତାନଗଣ ତାଙ୍କର ମୁଖ ପ୍ରତି ଅନାଇ ଦେଖିଲେ; ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ଯେପର୍ଯ୍ୟନ୍ତ ଭିତରକୁ ନ ଗଲେ; ସେପର୍ଯ୍ୟନ୍ତ ଆପଣା ମୁଖରେ ଘୁମୁଟା ଦେଲେ।
EXO 35:1 ତହିଁ ଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରି କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
EXO 35:2 ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।
EXO 35:3 ତୁମ୍ଭେମାନେ ବିଶ୍ରାମବାରରେ ଆପଣାମାନଙ୍କ କୌଣସି ବାସ ସ୍ଥାନରେ ଅଗ୍ନି ଜାଳିବ ନାହିଁ।”
EXO 35:4 ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଆହୁରି କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
EXO 35:5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,
EXO 35:6 ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର, କ୍ଷୌମସୂତ୍ର ଓ ଛାଗର ଲୋମ,
EXO 35:7 ପୁଣି, ରକ୍ତୀକୃତ ମେଷ ଚର୍ମ, ଶିଶୁକ ଚର୍ମ ଓ ଶିଟୀମ୍‍ କାଷ୍ଠ,
EXO 35:8 ପୁଣି, ଦୀପାର୍ଥକ ତୈଳ, ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,
EXO 35:9 ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।
EXO 35:10 ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,
EXO 35:11 ଅର୍ଥାତ୍‍, ଆବାସ, ତହିଁର ତମ୍ବୁ, ଛାତ, ଆଙ୍କୁଡ଼ା, ପଟା, ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,
EXO 35:12 ପୁଣି, ସିନ୍ଦୁକ, ତହିଁର ସାଙ୍ଗୀ, ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର,
EXO 35:13 ପୁଣି, ମେଜ, ତହିଁର ସାଙ୍ଗୀ, ପାତ୍ରସକଳ ଓ ଦର୍ଶନୀୟ ରୁଟି,
EXO 35:14 ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ,
EXO 35:15 ପୁଣି, ଧୂପବେଦି, ତହିଁର ସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧି ଧୂପ ଓ ଆବାସ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
EXO 35:16 ପୁଣି, ହୋମବେଦି, ତହିଁର ପିତ୍ତଳ-ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
EXO 35:17 ପୁଣି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ, ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
EXO 35:18 ପୁଣି, ଆବାସର କଣ୍ଟା, ପ୍ରାଙ୍ଗଣର କଣ୍ଟା ଓ ଉଭୟର ରଜ୍ଜୁ,
EXO 35:19 ପୁଣି, ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକ କର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।”
EXO 35:20 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ।
EXO 35:21 ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍‍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।
EXO 35:22 ପୁଣି, ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେସମସ୍ତେ ଆସି ଉରୋମଣି, କୁଣ୍ଡଳ, ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ।
EXO 35:23 ପୁଣି, ଯେଉଁମାନଙ୍କ ନିକଟରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ, ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।
EXO 35:24 ପୁଣି, ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍‍ କାଷ୍ଠ ଥିଲା, ସେ ତାହା ଆଣିଲା।
EXO 35:25 ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ଆଣିଲେ।
EXO 35:26 ପୁଣି, ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ।
EXO 35:27 ପୁଣି, ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,
EXO 35:28 ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ।
EXO 35:29 ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।
EXO 35:30 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।
EXO 35:31 ପୁଣି, ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି
EXO 35:32 ଚିତ୍ର କର୍ମ ଓ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ
EXO 35:33 ଓ ଖଚନାର୍ଥକ ମଣିର କର୍ତ୍ତନ ଓ ନାନା ଶିଳ୍ପକର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କରିଅଛନ୍ତି।
EXO 35:34 ପୁଣି, ଶିକ୍ଷା ଦେବା ପାଇଁ ତାହାର ଓ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।
EXO 35:35 ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍‍, ଯାବତୀୟ ଶିଳ୍ପକର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କରିଅଛନ୍ତି।”
EXO 36:1 “ଏନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟସକଳ ନିର୍ମାଣ କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି, ସେହି ସବୁ ବିଜ୍ଞମନା ଲୋକେ କର୍ମ କରିବେ।”
EXO 36:2 ଏଥିଉତ୍ତାରେ ମୋଶା ସେହି ବତ୍ସଲେଲ, ଅହଲୀୟାବକୁ, ସଦାପ୍ରଭୁଙ୍କଠାରୁ ମନରେ ଜ୍ଞାନପ୍ରାପ୍ତ ଅନ୍ୟସବୁ ବିଜ୍ଞମନା ଲୋକଙ୍କୁ ଓ ସେହି କର୍ମ କରିବା ପାଇଁ ମନରେ ପ୍ରବୃତ୍ତିପ୍ରାପ୍ତ ଲୋକମାନଙ୍କୁ ଡାକିଲେ।
EXO 36:3 ତହିଁରେ ସେମାନେ ପବିତ୍ର ସ୍ଥାନର କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ଆନୀତ ଉପହାର ସବୁ ମୋଶାଙ୍କଠାରୁ ଗ୍ରହଣ କଲେ; ତଥାପି ଲୋକମାନେ ପ୍ରତି ପ୍ରଭାତରେ ତାଙ୍କ ନିକଟକୁ ସ୍ୱେଚ୍ଛାରେ ଆହୁରି ଉପହାର ଆଣିଲେ।
EXO 36:4 ତହୁଁ ପବିତ୍ର ସ୍ଥାନର ସମସ୍ତ କର୍ମକାରୀ ବିଜ୍ଞମନା ଲୋକମାନେ ଆପଣା ଆପଣା କର୍ମରୁ ଆସି ମୋଶାଙ୍କୁ କହିଲେ,
EXO 36:5 “ସଦାପ୍ରଭୁ ଯାହା ଯାହା ନିର୍ମାଣ କରିବାକୁ ଆଜ୍ଞା ଦେଇଅଛନ୍ତି, ଲୋକମାନେ ସେହି କାର୍ଯ୍ୟ ନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟରୁ ଅତି ଅଧିକ ଆଣୁଅଛନ୍ତି।”
EXO 36:6 ତହିଁରେ ମୋଶା ଆଜ୍ଞା ଦେଇ ଛାଉଣିର ସର୍ବତ୍ର ଏହା ଘୋଷଣା କରାଇଲେ, ପୁରୁଷ କି ସ୍ତ୍ରୀ ପବିତ୍ର ସ୍ଥାନ ନିମନ୍ତେ ଆଉ ଉପହାର ପ୍ରସ୍ତୁତ ନ କରନ୍ତୁ; ଏଣୁ ଲୋକମାନେ ଆଣିବାରୁ ନିବୃତ୍ତ ହେଲେ।
EXO 36:7 କାରଣ ସମସ୍ତ କର୍ମ କରିବାକୁ ସେମାନଙ୍କର ଦ୍ରବ୍ୟ ପ୍ରଚୁର ଓ ତତୋଧିକ ଥିଲା।
EXO 36:8 ଏଥିଉତ୍ତାରେ କର୍ମକାରୀମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଜ୍ଞମନା ଲୋକ ବଳା ଶୁଭ୍ର କ୍ଷୌମସୂତ୍ର, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ଆବାସର ଦଶ ଯବନିକା ପ୍ରସ୍ତୁତ କଲେ; ପୁଣି, ତହିଁ ମଧ୍ୟରେ ଶିଳ୍ପକର୍ମରେ କିରୂବର ଆକୃତି କଲେ।
EXO 36:9 ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା ଚାରି ହସ୍ତ ପ୍ରସ୍ଥ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା।
EXO 36:10 ପୁଣି, ସେ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ; ଅନ୍ୟ ପାଞ୍ଚ ଯବନିକା ଏକତ୍ର ଯୋଗ କଲେ।
EXO 36:11 ଆଉ, ସେ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କଲେ; ଯୋଡ଼ସ୍ଥାନର ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କଲେ।
EXO 36:12 ସେ ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ; ସେହି ଫାଶସବୁ ପରସ୍ପର ସମ୍ମୁଖୀନ ରହିଲା।
EXO 36:13 ଆଉ ସେ ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିଲେ; ତହିଁରେ ଆବାସ ଏକ ହିଁ ହେଲା।
EXO 36:14 ଏଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ।
EXO 36:15 ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ, ସେହି ଏକାଦଶ ଯବନିକାର ସମାନ ପରିମାଣ ଥିଲା।
EXO 36:16 ପୁଣି, ସେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିଲେ ଓ ଅନ୍ୟ ଛଅ ଯବନିକା ଯୋଡ଼ି ପୃଥକ ରଖିଲେ।
EXO 36:17 ଯୋଡ଼ସ୍ଥାନର ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଫାଶ କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କଲେ।
EXO 36:18 ଆଉ ସେ ଯୋଡି଼ ଦେଇ ଏକ ତମ୍ବୁ କରିବା ପାଇଁ ପିତ୍ତଳର ପଚାଶ ଆଙ୍କୁଡ଼ା କଲେ।
EXO 36:19 ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।
EXO 36:20 ଏଥିଉତ୍ତାରେ ସେ ଆବାସ ନିମିତ୍ତ ଶିଟୀମ୍‍ କାଷ୍ଠର ଠିଆପଟା ପ୍ରସ୍ତୁତ କଲେ।
EXO 36:21 ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଥିଲା।
EXO 36:22 ପ୍ରତ୍ୟେକ ପଟାର ପରସ୍ପର ଅନୁରୂପ ଦୁଇ ଦୁଇ ପଦ ଥିଲା; ଏହିରୂପେ ସେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କଲେ।
EXO 36:23 ଆଉ ସେ ଆବାସର ଦକ୍ଷିଣ ଦିଗସ୍ଥ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା ପ୍ରସ୍ତୁତ କଲେ।
EXO 36:24 ପୁଣି, ସେ ସେହି କୋଡ଼ିଏ ପଟା ତଳେ ଚାଳିଶଟି ରୂପାର ଚୁଙ୍ଗୀ କଲେ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଦୁଇ ଚୁଙ୍ଗୀ କଲେ।
EXO 36:25 ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା କଲେ।
EXO 36:26 ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ରୂପାର ଚାଳିଶ ଚୁଙ୍ଗୀ କଲେ।
EXO 36:27 ସେ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା କଲେ।
EXO 36:28 ପୁଣି, ଆବାସର ସେହି ପଶ୍ଚାଦ୍‍ ଭାଗର ଦୁଇ କୋଣ ନିମନ୍ତେ ଦୁଇ ଖଣ୍ଡ ପଟା କଲେ।
EXO 36:29 ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ।
EXO 36:30 ତହିଁରେ ଆଠ ପଟା, ପୁଣି, ଏକ ଏକ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ, ଏରୂପେ ଷୋଳ ରୂପାଚୁଙ୍ଗୀ କଲେ।
EXO 36:31 ଆଉ ସେ ଶିଟୀମ୍‍ କାଷ୍ଠରେ ଅର୍ଗଳ ପ୍ରସ୍ତୁତ କରି ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ
EXO 36:32 ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ, ପୁଣି, ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍‍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେଲେ।
EXO 36:33 ପୁଣି, ମଧ୍ୟସ୍ଥିତ ଅର୍ଗଳ, ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ପାଇଲା।
EXO 36:34 ଆଉ, ସେ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇଲେ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡ଼ା କଲେ, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇଲେ।
EXO 36:35 ଏଥିଉତ୍ତାରେ ସେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଓ କିରୂବାକୃତିରେ ଚିତ୍ରିତ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କଲେ।
EXO 36:36 ପୁଣି, ସେ ତହିଁ ନିମନ୍ତେ ଶିଟୀମ୍‍ କାଷ୍ଠର ଚାରି ସ୍ତମ୍ଭ କରି ସୁବର୍ଣ୍ଣରେ ମଡ଼ାଇଲେ ଓ ସେସବୁର ଆଙ୍କୁଡ଼ା ସୁବର୍ଣ୍ଣରେ କଲେ ଓ ତହିଁ ନିମନ୍ତେ ରୂପାର ଚାରି ଚୁଙ୍ଗୀ ଢାଳିଲେ।
EXO 36:37 ଆଉ, ସେ ତମ୍ବୁଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କଲେ।
EXO 36:38 ତହିଁର ପାଞ୍ଚ ସ୍ତମ୍ଭ ଓ ସେସବୁର ଆଙ୍କୁଡ଼ା କଲେ; ପୁଣି, ସେହିସବୁର ମୁଣ୍ଡାଳି ଓ ବନ୍ଧନୀ ସୁବର୍ଣ୍ଣରେ ମଡ଼ାଇଲେ, ମାତ୍ର ସେମାନଙ୍କର ପାଞ୍ଚ ଚୁଙ୍ଗୀ ପିତ୍ତଳର ଥିଲା।
EXO 37:1 ଏଥିଉତ୍ତାରେ ବତ୍ସଲେଲ ଶିଟୀମ୍‍ କାଷ୍ଠରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ, ଏକ ସିନ୍ଦୁକ ନିର୍ମାଣ କଲେ
EXO 37:2 ଓ ତହିଁର ଭିତର ଓ ବାହାର ନିର୍ମଳ ସୁବର୍ଣ୍ଣରେ ମଡ଼ାଇ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
EXO 37:3 ପୁଣି, ତହିଁର ଚାରି କୋଣ ନିମନ୍ତେ ଚାରି ସ୍ୱର୍ଣ୍ଣକଡ଼ା ଢାଳିଲେ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ଦେଲେ।
EXO 37:4 ଆଉ ସେ ଶିଟୀମ୍‍ କାଷ୍ଠରେ ସାଙ୍ଗୀ କରି ସୁବର୍ଣ୍ଣ ମଡ଼ାଇଲେ
EXO 37:5 ଓ ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇଲେ।
EXO 37:6 ଏଉତ୍ତାରେ ସେ ନିର୍ମଳ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କଲେ।
EXO 37:7 ପୁଣି, ପିଟା ସୁବର୍ଣ୍ଣରେ ଦୁଇ କିରୂବ ନିର୍ମାଣ କରି ପାପାଚ୍ଛାଦନର ଦୁଇ ମୁଣ୍ଡରେ ରଖିଲେ।
EXO 37:8 ତହିଁର ଏକ ମୁଣ୍ଡରେ ଏକ କିରୂବ ଓ ଅନ୍ୟ ମୁଣ୍ଡରେ ଅନ୍ୟ କିରୂବ ସ୍ଥାପନ କଲେ; ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ।
EXO 37:9 ପୁଣି, କିରୂବମାନଙ୍କର ପକ୍ଷ ଉର୍ଦ୍ଧ୍ବକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।
EXO 37:10 ତହିଁ ଉତ୍ତାରେ ସେ ଶିଟୀମ୍‍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କଲେ।
EXO 37:11 ପୁଣି, ତାହା ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
EXO 37:12 ପୁଣି, ସେ ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କଲେ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ।
EXO 37:13 ଆଉ ସୁବର୍ଣ୍ଣରେ ଚାରି କଡ଼ା ଢାଳି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିଲେ।
EXO 37:14 ସେହି କଡ଼ା ପାର୍ଶ୍ୱ-କାଷ୍ଠର ସନ୍ନିକଟ ଓ ମେଜ ବହିବା ନିମନ୍ତେ ସାଙ୍ଗୀର ଘରା ଥିଲା।
EXO 37:15 ପୁଣି, ସେ ସେହି ମେଜ ବହନାର୍ଥେ ଶିଟୀମ୍‍ କାଷ୍ଠରେ ସାଙ୍ଗୀ ନିର୍ମାଣ କରି ସୁବର୍ଣ୍ଣରେ ମଡ଼ାଇଲେ।
EXO 37:16 ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍‍, ତହିଁର ଥାଳୀ ଓ ଚାମଚ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।
EXO 37:17 ଆହୁରି, ସେ ନିର୍ମଳ ସୁବର୍ଣ୍ଣରେ ଏକ ଦୀପବୃକ୍ଷ ନିର୍ମାଣ କଲେ, ସେ ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମାଣ କଲେ, ଆଉ ତହିଁର ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ହେଲା।
EXO 37:18 ସେହି ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଓ ଦୀପବୃକ୍ଷର ଅନ୍ୟ ପାର୍ଶ୍ୱରୁ ତିନି ଶାଖା, ଏହି ଛଅ ଶାଖା ତହିଁର ପାର୍ଶ୍ୱରୁ ନିର୍ଗତ ହେଲା।
EXO 37:19 ପୁଣି, ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ପୁଣି, ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ଏହିରୂପେ ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ରହିଲା।
EXO 37:20 ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର ଓ ତହିଁର କଳିକା ଓ ପୁଷ୍ପ ରହିଲା।
EXO 37:21 ଆଉ, ତହିଁରୁ ଯେଉଁ ଛଅ ଶାଖା ନିର୍ଗତ ହେଲା, ତଦନୁସାରେ ଏକ ଶାଖାଦ୍ୱୟର ତଳେ ଏକ କଳିକା ଓ ଅନ୍ୟ ଶାଖାଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖାଦ୍ୱୟର ତଳେ ଏକ କଳିକା ରହିଲା।
EXO 37:22 ଏହି କଳିକା ଓ ଶାଖା ତହିଁର ଅଂଶ ହେଲା ଓ ସମସ୍ତ ନିର୍ମଳ ସୁବର୍ଣ୍ଣ ନିର୍ମିତ ଏକ ପିଟାକର୍ମ ହେଲା।
EXO 37:23 ଆଉ, ସେ ତହିଁ ପାଇଁ ସପ୍ତ ପ୍ରଦୀପ, ଚିମୁଟା ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।
EXO 37:24 ସେ ଏକ ତାଳନ୍ତ ପରିମିତ ନିର୍ମଳ ସୁବର୍ଣ୍ଣରେ ତାହା ଓ ତହିଁର ସମସ୍ତ ପାତ୍ର ନିର୍ମାଣ କଲେ।
EXO 37:25 ଏଥିଉତ୍ତାରେ ସେ ଶିଟୀମ୍‍ କାଷ୍ଠରେ ଏକ ହସ୍ତ ଦୀର୍ଘ, ଏକ ହସ୍ତ ପ୍ରସ୍ଥ ଓ ଦୁଇ ହସ୍ତ ଉଚ୍ଚ ଚତୁଷ୍କୋଣ ଧୂପବେଦି ନିର୍ମାଣ କଲେ, ତହିଁର ଶୃଙ୍ଗସକଳ ତହିଁର ଅଂଶ ହେଲା।
EXO 37:26 ଆଉ, ତାହା, ତହିଁର ପୃଷ୍ଠ, ତହିଁର ଚାରି ପାର୍ଶ୍ୱ ଓ ତହିଁର ଶୃଙ୍ଗସକଳ ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ; ପୁଣି, ସେ ତହିଁର ଚାରିଆଡ଼େ ସୁବର୍ଣ୍ଣର କାନ୍ଥି କଲେ।
EXO 37:27 ପୁଣି, ତହିଁର ବହନାର୍ଥକ ସାଙ୍ଗୀର ଘରା ନିମନ୍ତେ ତହିଁର କାନ୍ଥି ତଳେ ଦୁଇ ପାର୍ଶ୍ୱର ଦୁଇ କୋଣରେ ସୁବର୍ଣ୍ଣର ଦୁଇ ଦୁଇ କଡ଼ା ନିର୍ମାଣ କଲେ।
EXO 37:28 ଆଉ ଶିଟୀମ୍‍ କାଷ୍ଠରେ ସାଙ୍ଗୀ କଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ।
EXO 37:29 ଏଉତ୍ତାରେ ସେ ଅଭିଷେକାର୍ଥକ ପବିତ୍ର ତୈଳ ଓ ଧୂପ ନିମନ୍ତେ ଗନ୍ଧବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।
EXO 38:1 ଏଥିଉତ୍ତାରେ ସେ ଶିଟୀମ୍‍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥ ଓ ତିନି ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦି ନିର୍ମାଣ କଲେ।
EXO 38:2 ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ ନିର୍ମାଣ କରି ପିତ୍ତଳ ମଡ଼ାଇଲେ; ସେହି ଶୃଙ୍ଗସବୁ ତହିଁର ଅଂଶ ହେଲା।
EXO 38:3 ଆଉ ସେ ବେଦିର ସମସ୍ତ ପାତ୍ର, ଅର୍ଥାତ୍‍, ଭସ୍ମଧାନୀ, କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ, ଏହି ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କଲେ।
EXO 38:4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ।
EXO 38:5 ପୁଣି, ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିରୀର ଚାରି କୋଣରେ ଚାରି କଡ଼ା ଢାଳିଲେ।
EXO 38:6 ଆଉ, ସେ ଶିଟୀମ୍‍ କାଷ୍ଠରେ ସେହି ସାଙ୍ଗୀ ନିର୍ମାଣ କରି ପିତ୍ତଳରେ ମଡ଼ାଇଲେ।
EXO 38:7 ବେଦି ବହନାର୍ଥେ ତହିଁର ପାର୍ଶ୍ୱ ଉପରେ ସେହି ସାଙ୍ଗୀ କଡ଼ାରେ ପ୍ରବେଶ କରାଇଲେ; ପୁଣି, ଫମ୍ପା ରଖି ପଟାରେ ବେଦି ନିର୍ମାଣ କଲେ।
EXO 38:8 ଆଉ, ଯେଉଁ ସ୍ତ୍ରୀଗଣ ସମାଗମ-ତମ୍ବୁର ଦ୍ୱାର ସମୀପରେ ସେବା କଲେ, ସେହି ସେବାକାରିଣୀ ସ୍ତ୍ରୀଗଣର ପିତ୍ତଳ ନିର୍ମିତ ଦର୍ପଣ ଦ୍ୱାରା ସେ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ନିର୍ମାଣ କଲେ।
EXO 38:9 ଏଥିଉତ୍ତାରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ; ଦକ୍ଷିଣ ଦିଗରେ ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ଶହ ହସ୍ତ ପରିମିତ ପରଦା କଲେ।
EXO 38:10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର, ପୁଣି, ସେହି ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।
EXO 38:11 ଉତ୍ତର ଦିଗର ପରଦା ଏକ ଶହ ହସ୍ତ, ପୁଣି, ତହିଁର କୋଡ଼ିଏ ସ୍ତମ୍ଭ, କୋଡ଼ିଏ ଚୁଙ୍ଗୀ ପିତ୍ତଳର ଓ ସ୍ତମ୍ଭର ଆଙ୍କୁଡ଼ା ବନ୍ଧନୀ ରୂପାର ଥିଲା।
EXO 38:12 ପଶ୍ଚିମ ପାର୍ଶ୍ୱର ପରଦା ପଚାଶ ହସ୍ତ ଥିଲା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ଥିଲା।
EXO 38:13 ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ ପଚାଶ ହସ୍ତ ଥିଲା।
EXO 38:14 ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା;
EXO 38:15 ତଦ୍ରୂପେ ଅନ୍ୟ ପାର୍ଶ୍ୱ ନିମନ୍ତେ ଥିଲା। ପ୍ରାଙ୍ଗଣ-ଦ୍ୱାର ସନ୍ନିକଟ ଏ ପାର୍ଶ୍ୱରେ ଓ ସେ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତହିଁର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
EXO 38:16 ପ୍ରାଙ୍ଗଣର ଚତୁର୍ଦ୍ଦିଗର ସକଳ ପରଦା ବଳା ଶୁଭ୍ର କ୍ଷୌମସୂତ୍ରରେ ନିର୍ମିତ ଥିଲା।
EXO 38:17 ପୁଣି, ସ୍ତମ୍ଭର ଚୁଙ୍ଗୀସବୁ ପିତ୍ତଳର ଥିଲା; ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର; ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ; ପୁଣି, ରୂପା-ବନ୍ଧନୀରେ ପ୍ରାଙ୍ଗଣର ସକଳ ସ୍ତମ୍ଭ ସଂଯୁକ୍ତ ଥିଲା।
EXO 38:18 ଆଉ, ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକର୍ମବିଶିଷ୍ଟ ଓ ପ୍ରାଙ୍ଗଣର ପରଦା ତୁଲ୍ୟ ତାହା ଦୀର୍ଘରେ କୋଡ଼ିଏ ହସ୍ତ ଓ ପ୍ରସ୍ଥରେ ପାଞ୍ଚ ହସ୍ତ ଉଚ୍ଚ ଥିଲା।
EXO 38:19 ପୁଣି, ତହିଁର ପିତ୍ତଳର ଚାରି ସ୍ତମ୍ଭ, ଚାରି ଚୁଙ୍ଗୀ, ରୂପାର ଆଙ୍କୁଡ଼ା ଓ ତହିଁର ମୁଣ୍ଡାଳି ରୌପ୍ୟ-ମଣ୍ଡିତ ଓ ବନ୍ଧନୀ ରୂପାର ଥିଲା।
EXO 38:20 ପୁଣି, ଆବାସର ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର କଣ୍ଟାସବୁ ପିତ୍ତଳର ଥିଲା।
EXO 38:21 ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରୋଣ ଯାଜକଙ୍କର ପୁତ୍ର ଈଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର, ଅର୍ଥାତ୍‍, ସାକ୍ଷ୍ୟରୂପେ ଆବାସର ଗଣନୀୟ ବସ୍ତୁ ସମୂହର ଏହି ଗଣନା କରାଗଲା।
EXO 38:22 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯିହୁଦା ବଂଶଜାତ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ।
EXO 38:23 ଆଉ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ବଳା ଶୁଭ୍ର କ୍ଷୌମସୂତ୍ରରେ ଶିଳ୍ପକାରୀ, ଖୋଦକ ଓ ବିଜ୍ଞ ତନ୍ତୁବାୟ ଦାନ୍ ବଂଶଜାତ ଅହୀଷାମକଙ୍କ ପୁତ୍ର ଅହଲୀୟାବ ସହକାରୀ ଥିଲେ।
EXO 38:24 ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା, ଅର୍ଥାତ୍‍, ନୈବେଦ୍ୟର; ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ଶେକଲାନୁସାରେ ଅଣତିରିଶ ତାଳନ୍ତ ସାତ ଶହ ତିରିଶ ଶେକଲ ଥିଲା।
EXO 38:25 ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକ ଶହ ତାଳନ୍ତ ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ଥିଲା।
EXO 38:26 ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ବିଂଶତି ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି ଛଅ ଲକ୍ଷ ତିନି ସହସ୍ର ପାଞ୍ଚ ଶହ ପଚାଶ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା, ଅର୍ଥାତ୍‍, ପବିତ୍ର ସ୍ଥାନର ଶେକଲାନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେବାକୁ ହୋଇଥିଲା।
EXO 38:27 ଏଣୁ ସେହି ଏକ ଶହ ତାଳନ୍ତ ରୂପାରେ ପବିତ୍ର ସ୍ଥାନର ଓ ବିଚ୍ଛେଦ ବସ୍ତ୍ରର ଚୁଙ୍ଗୀ ଢଳାଗଲା; ଏକ ଶହ ଚୁଙ୍ଗୀ ନିମନ୍ତେ ଏକ ଶହ ତାଳନ୍ତ, ଅର୍ଥାତ୍‍, ଏକ ଏକ ଚୁଙ୍ଗୀ ନିମନ୍ତେ ଏକ ଏକ ତାଳନ୍ତ ବ୍ୟୟ ହେଲା।
EXO 38:28 ପୁଣି, ସେହି ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କୁଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ବନ୍ଧନୀରେ ସଂଯୁକ୍ତ କଲେ।
EXO 38:29 ପୁଣି, ନୈବେଦ୍ୟର ପିତ୍ତଳ ସତୁରି ତାଳନ୍ତ ଦୁଇ ସହସ୍ର ଚାରି ଶହ ଶେକଲ ଥିଲା।
EXO 38:30 ଏଣୁ ସେ ତାହା ଦ୍ୱାରା ସମାଗମ-ତମ୍ବୁ ଦ୍ୱାରର ଚୁଙ୍ଗୀ, ପିତ୍ତଳର ବେଦି, ତହିଁର ପିତ୍ତଳର ଝାଞ୍ଜିରୀ ଓ ବେଦିର ସମସ୍ତ ପାତ୍ର,
EXO 38:31 ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗର ଚୁଙ୍ଗୀ, ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗୀ, ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖସକଳ ନିର୍ମାଣ କଲେ।
EXO 39:1 ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।
EXO 39:2 ପୁଣି, ସେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ।
EXO 39:3 ଅର୍ଥାତ୍‍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।
EXO 39:4 ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା।
EXO 39:5 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା।
EXO 39:6 ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
EXO 39:7 ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
EXO 39:8 ଏଥିଉତ୍ତାରେ ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
EXO 39:9 ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍‍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
EXO 39:10 ପୁଣି, ତାହା ଚାରି ଧାଡ଼ି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡ଼ିରେ ଚୁଣି, ପୀତମଣି ଓ ମରକତ,
EXO 39:11 ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ,
EXO 39:12 ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା,
EXO 39:13 ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା।
EXO 39:14 ପୁଣି, ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମାନୁସାରେ ଦ୍ୱାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ୱାଦଶ ବଂଶର ଏକ ଏକ ନାମ ରହିଲା।
EXO 39:15 ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ।
EXO 39:16 ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।
EXO 39:17 ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।
EXO 39:18 ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ-ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ।
EXO 39:19 ପୁଣି, ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ।
EXO 39:20 ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ।
EXO 39:21 ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା।
EXO 39:22 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କଲେ।
EXO 39:23 ସେହି ଚୋଗାର ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରିପାଖରେ ବୁଣାକର୍ମ ଥିଲା।
EXO 39:24 ପୁଣି, ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ।
EXO 39:25 ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟେ ମଧ୍ୟେ ରଖିଲେ;
EXO 39:26 ଅର୍ଥାତ୍‍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ, ଏହିରୂପେ କଲେ।
EXO 39:27 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା
EXO 39:28 ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡ଼ି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।
EXO 39:29 ଆଉ ବଳା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
EXO 39:30 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ।
EXO 39:31 ପୁଣି, ଊର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ।
EXO 39:32 ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।
EXO 39:33 ଏଥିଉତ୍ତାରେ ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍‍, ତମ୍ବୁ ଓ ତହିଁର ସକଳ ପାତ୍ର, ଆଙ୍କୁଡ଼ା, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;
EXO 39:34 ପୁଣି, ରକ୍ତୀକୃତ ମେଷ ଚର୍ମ ନିର୍ମିତ ଛାତ ଓ ଶିଶୁକ ଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର;
EXO 39:35 ସାକ୍ଷ୍ୟ-ସିନ୍ଦୁକ, ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ମେଜ,
EXO 39:36 ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୁଟି,
EXO 39:37 ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍‍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;
EXO 39:38 ଆଉ ସ୍ୱର୍ଣ୍ଣମୟ ବେଦି, ଅଭିଷେକାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁଦ୍ୱାରର ଆଚ୍ଛାଦନ ବସ୍ତ୍ର;
EXO 39:39 ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ, ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି;
EXO 39:40 ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ମେଖ ଓ ସମାଗମ-ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର;
EXO 39:41 ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ବନ୍ଧୀୟ ବସ୍ତ୍ର,
EXO 39:42 ଇତ୍ୟାଦି ଯେଉଁ ଯେଉଁ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
EXO 39:43 ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।
EXO 40:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
EXO 40:2 “ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।
EXO 40:3 ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।
EXO 40:4 ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପସକଳ ଜାଳିବ।
EXO 40:5 ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
EXO 40:6 ଆଉ ସମାଗମ-ତମ୍ବୁର ଆବାସ ଦ୍ୱାର ସମ୍ମୁଖରେ ହୋମବେଦି ରଖିବ।
EXO 40:7 ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ-ପାତ୍ର ରଖି ତହିଁରେ ଜଳ ଦେବ।
EXO 40:8 ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
EXO 40:9 ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ।
EXO 40:10 ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ।
EXO 40:11 ଆଉ ତୁମ୍ଭେ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।
EXO 40:12 ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ଜଳରେ ସ୍ନାନ କରାଇବ।
EXO 40:13 ପୁଣି, ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ।
EXO 40:14 ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ।
EXO 40:15 ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।”
EXO 40:16 ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ।
EXO 40:17 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା।
EXO 40:18 ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ।
EXO 40:19 ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ;
EXO 40:20 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;
EXO 40:21 ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ-ସିନ୍ଦୁକ ଆଚ୍ଛାଦନ କଲେ।
EXO 40:22 ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସର ଉତ୍ତର ପାର୍ଶ୍ୱରେ ବିଚ୍ଛେଦ ବସ୍ତ୍ରର ବାହାରେ ସମାଗମ-ତମ୍ବୁରେ ମେଜ ରଖିଲେ;
EXO 40:23 ପୁଣି, ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୁଟି ରଖିଲେ।
EXO 40:24 ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ୱରେ ସମାଗମ-ତମ୍ବୁରେ ଦୀପବୃକ୍ଷ ରଖିଲେ
EXO 40:25 ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ।
EXO 40:26 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ
EXO 40:27 ଓ ତହିଁ ଉପରେ ସୁଗନ୍ଧି ଧୂପ ଜାଳିଲେ।
EXO 40:28 ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ
EXO 40:29 ଓ ସମାଗମ-ତମ୍ବୁର ଆବାସ ଦ୍ୱାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ।
EXO 40:30 ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ-ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।
EXO 40:31 ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ।
EXO 40:32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।
EXO 40:33 ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ।
EXO 40:34 ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା।
EXO 40:35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।
EXO 40:36 ପୁଣି, ଆବାସ ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ।
EXO 40:37 ମାତ୍ର ମେଘ ଯେତେବେଳେ ଊର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଊର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ।
EXO 40:38 କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।
LEV 1:1 ଏଥିଉତ୍ତାରେ ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ,
LEV 1:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।
LEV 1:3 ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ।
LEV 1:4 ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ।
LEV 1:5 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ।
LEV 1:6 ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ।
LEV 1:7 ଏଥିଉତ୍ତାରେ ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ।
LEV 1:8 ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ପଶୁର ଖଣ୍ଡସକଳ, ମସ୍ତକ ଓ ମେଦ ସଜାଇ ରଖିବେ।
LEV 1:9 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
LEV 1:10 ଆଉ ଯଦି ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ,
LEV 1:11 ତେବେ ସେ ନିଖୁନ୍ତ ପୁଂପଶୁ ଘେନି ସଦାପ୍ରଭୁଙ୍କ ସମ୍ମୁଖରେ ଯଜ୍ଞବେଦିର ଉତ୍ତର ଦିଗରେ ବଧ କରିବ; ପୁଣି ହାରୋଣର ପୁତ୍ର ଯାଜକଗଣ ବେଦିର ଉପର ଚତୁର୍ଦ୍ଦିଗରେ ତାହାର ରକ୍ତ ଛିଞ୍ଚିବେ।
LEV 1:12 ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ; ତହିଁରେ ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ।
LEV 1:13 ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
LEV 1:14 ଆଉ ଯଦି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ କପୋତ ଅବା ପାରାଛୁଆ ମଧ୍ୟରୁ ତାହା ନେବ।
LEV 1:15 ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ୱରେ ନିଗାଡ଼ିବ।
LEV 1:16 ଏଥିଉତ୍ତାରେ ସେ ତାହାର ମଳ ସହିତ ଗଳା ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ।
LEV 1:17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍‍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
LEV 2:1 ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ;
LEV 2:2 ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠାଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
LEV 2:3 ଏହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।
LEV 2:4 ଆଉ ଯଦି ତୁମ୍ଭେ ଭକ୍ଷ୍ୟ ନୈବେଦ୍ୟ ରୂପେ ତନ୍ଦୁରରେ ରନ୍ଧନ ହୋଇଥିବା ଦ୍ରବ୍ୟ ଦିଅ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ।
LEV 2:5 ଆଉ ଯଦି ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ।
LEV 2:6 ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ ନୈବେଦ୍ୟ।
LEV 2:7 ଆଉ ଯଦି କରେଇରେ ରନ୍ଧନ ହୋଇଥିବା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳରେ ରନ୍ଧନ ହୋଇଥିବା ସରୁ ମଇଦାର ହେବ।
LEV 2:8 ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ।
LEV 2:9 ପୁଣି, ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
LEV 2:10 ପୁଣି ସେହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।
LEV 2:11 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଧ କରିବ ନାହିଁ।
LEV 2:12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ।
LEV 2:13 ଆଉ ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟକୁ ତୁମ୍ଭ ପରମେଶ୍ୱରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ।
LEV 2:14 ପୁଣି ଯଦି ତୁମ୍ଭେ ଆପଣା ପ୍ରଥମ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍‍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ।
LEV 2:15 ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ ନୈବେଦ୍ୟ।
LEV 2:16 ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
LEV 3:1 ଆଉ, କୌଣସି ବ୍ୟକ୍ତିର ଉପହାର ଯଦି ମଙ୍ଗଳାର୍ଥକ ବଳିଦାନ ହୁଏ; ଯଦି ସେ ପଲରୁ ଅଣ୍ଡିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ।
LEV 3:2 ପୁଣି, ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତ ରଖି ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚତୁର୍ଦ୍ଦିଗରେ ଛିଞ୍ଚିବେ।
LEV 3:3 ଏଥିଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍‍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ମେଦ,
LEV 3:4 ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
LEV 3:5 ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥ ଅଗ୍ନି, କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
LEV 3:6 ଆଉ, ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ଡିରା କି ମାଈ ପଶୁ ଉତ୍ସର୍ଗ କରିବ।
LEV 3:7 ଯଦି ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ;
LEV 3:8 ପୁଣି ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
LEV 3:9 ଏଥିଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍‍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ଡ ନିକଟରୁ ନେବ, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ସମସ୍ତ ମେଦ,
LEV 3:10 ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
LEV 3:11 ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ।
LEV 3:12 ଆଉ, କେହି ଯଦି ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ,
LEV 3:13 ପୁଣି, ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
LEV 3:14 ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍‍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ସମସ୍ତ ମେଦ,
LEV 3:15 ଦୁଇ ଗୁର୍ଦା, ତାହାର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
LEV 3:16 ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର।
LEV 3:17 ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ।”
LEV 4:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 4:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ଭୁଲବଶତଃ ପାପ କରେ;
LEV 4:3 ବିଶେଷତଃ ଅଭିଷିକ୍ତ ଯାଜକ ଯଦି ଲୋକମାନଙ୍କର ଦୋଷଜନକ ପାପ କରେ; ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁନ୍ତ ଏକ ଗୋବତ୍ସ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
LEV 4:4 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ।
LEV 4:5 ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
LEV 4:6 ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
LEV 4:7 ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।
LEV 4:8 ଆଉ, ପାପାର୍ଥକ ବଳିରୂପ ଗୋବତ୍ସର ସମସ୍ତ ମେଦ, ଅର୍ଥାତ୍‍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ମେଦ,
LEV 4:9 ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
LEV 4:10 ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେରୂପ କରିବାକୁ ହୁଏ, ସେରୂପ କରିବ; ପୁଣି ଯାଜକ ହୋମବେଦି ଉପରେ ତାହା ଦଗ୍ଧ କରିବ।
LEV 4:11 ଆଉ, ସେହି ଗୋବତ୍ସର ଚର୍ମ, ସମସ୍ତ ମାଂସ, ମସ୍ତକ, ପାଦ, ଅନ୍ତ ଓ ଗୋମୟ,
LEV 4:12 ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍‍, ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ।
LEV 4:13 ଆଉ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଯଦି ଭୁଲବଶତଃ ପାପ କରନ୍ତି ଓ ତାହା ସମାଜର ଦୃଷ୍ଟିରେ ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯଦି କୌଣସି କର୍ମ କରି ଦୋଷୀ ହୁଅନ୍ତି;
LEV 4:14 ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ବୁ ନିକଟକୁ ତାହା ଆଣିବେ।
LEV 4:15 ଏଥିଉତ୍ତାରେ ମଣ୍ଡଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ମସ୍ତକରେ ହସ୍ତ ରଖିବେ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ।
LEV 4:16 ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
LEV 4:17 ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦ ବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
LEV 4:18 ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।
LEV 4:19 ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ।
LEV 4:20 ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।
LEV 4:21 ଏଥିଉତ୍ତାରେ ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସ ତୁଲ୍ୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ।
LEV 4:22 ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;
LEV 4:23 ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁନ୍ତ ପୁଂ ଛାଗ ଉପହାର ଆଣିବ।
LEV 4:24 ପୁଣି, ସେ ସେହି ଛାଗର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ; ତାହା ପାପାର୍ଥକ ବଳିଦାନ।
LEV 4:25 ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
LEV 4:26 ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ତୁଲ୍ୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 4:27 ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ
LEV 4:28 ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ଯଦି ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାଗୀ ଉପହାର ଆଣିବ।
LEV 4:29 ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସେହି ପାପାର୍ଥକ ବଳି ବଧ କରିବ।
LEV 4:30 ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
LEV 4:31 ପୁଣି, ମଙ୍ଗଳାର୍ଥକ ବଳିରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ; ତହୁଁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦି ଉପରେ ତାହା ଦଗ୍ଧ କରିବ; ଏହିରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 4:32 ମାତ୍ର ଯଦି ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସା ଆଣେ, ତେବେ ନିଖୁନ୍ତ ମେଷବତ୍ସା ଆଣିବ।
LEV 4:33 ପୁଣି ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ପାପାର୍ଥକ ବଳିକୁ ବଧ କରିବ।
LEV 4:34 ତହୁଁ ଯାଜକ ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
LEV 4:35 ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନିଆଯାଇଥିବା ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 5:1 ଆଉ, ଯଦି କୌଣସି ବ୍ୟକ୍ତି ସାକ୍ଷୀ ହୋଇ ଶପଥ କରାଇବାର କଥା ଶୁଣିଲେ ହେଁ, ଯାହା ସେ ଦେଖିଅଛି ବା ଜାଣିଅଛି, ତାହା ପ୍ରକାଶ ନ କରି ପାପ କରେ, ତେବେ ସେ ଆପଣା ଅପରାଧ ବୋହିବ।
LEV 5:2 ଅବା ଯଦି କେହି କୌଣସି ଅଶୁଚି ଦ୍ରବ୍ୟ, ଅର୍ଥାତ୍‍, ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦିର ଶବ, କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ।
LEV 5:3 କିଅବା ଯଦି ସେ ମନୁଷ୍ୟର ଅଶୁଚିକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍‍, ଯଦ୍ଦ୍ୱାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।
LEV 5:4 ଅଥବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବିଚାରହୀନତା ପୂର୍ବକ ଶପଥ କରେ, ମନୁଷ୍ୟ ଯେକୌଣସି ବିଷୟରେ ଶପଥପୂର୍ବକ ବିଚାରହୀନତା କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ; ତେବେ ସେ ତାହା ଜ୍ଞାତ ହେଲେ, ଉକ୍ତ କୌଣସି ଏକ ବିଷୟରେ ଦୋଷୀ ହେବ।
LEV 5:5 ପୁଣି ଉକ୍ତ କୌଣସି ଏକ ବିଷୟରେ ସେ ଦୋଷୀ ହେଲେ, ଆପଣାର ସେହି କୃତ ପାପ ସ୍ୱୀକାର କରିବା ତାହାର କର୍ତ୍ତବ୍ୟ।
LEV 5:6 ତହୁଁ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ପାପାର୍ଥକ ବଳିଦାନ ରୂପେ ପଲରୁ ମେଷବତ୍ସା କି ଛାଗବତ୍ସା ନେଇ ସଦାପ୍ରଭୁଙ୍କ ସମ୍ମୁଖକୁ ଦୋଷାର୍ଥକ ବଳି ଆଣିବ; ପୁଣି ଯାଜକ ତାହାର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
LEV 5:7 ଆଉ, ଯଦି ସେ ମେଷବତ୍ସା ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଦୋଷାର୍ଥକ ବଳି ରୂପେ ଦୁଇ କପୋତ ବା ଦୁଇ ପାରାଛୁଆ ଆଣି ତହିଁରୁ ଗୋଟିଏକୁ ପାପ ନିମନ୍ତେ ଓ ଅନ୍ୟଟିକୁ ହୋମ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
LEV 5:8 ପୁଣି ସେ ଯାଜକ ନିକଟକୁ ସେମାନଙ୍କୁ ଆଣିବ, ତହୁଁ ଯାଜକ ପ୍ରଥମେ ପାପାର୍ଥକ ବଳି ଉତ୍ସର୍ଗ କରି ତାହାର ବେକରୁ ମୁଣ୍ଡ ମୋଡ଼ିବ, ମାତ୍ର ଦୁଇ ଖଣ୍ଡ କରିବ ନାହିଁ।
LEV 5:9 ତହୁଁ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ବେଦି ପାର୍ଶ୍ୱରେ ଛିଞ୍ଚିବ, ପୁଣି ଅବଶିଷ୍ଟ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ; ତାହା ପାପାର୍ଥକ ବଳିଦାନ।
LEV 5:10 ତହିଁ ଉତ୍ତାରେ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 5:11 ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।
LEV 5:12 ତହୁଁ ସେ ତାହା ଯାଜକ ନିକଟକୁ ଆଣିଲେ, ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ ତହିଁରୁ ଏକ ମୁଷ୍ଟି ନେଇ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହା ପାପାର୍ଥକ ନୈବେଦ୍ୟ।
LEV 5:13 ଏହିରୂପେ ଉକ୍ତ କୌଣସି ବିଷୟରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶୁ ତାହା ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ; ଆଉ, ଅବଶିଷ୍ଟ ଦ୍ରବ୍ୟ ଭକ୍ଷ୍ୟ ନୈବେଦ୍ୟ ତୁଲ୍ୟ ଯାଜକର ହେବ।”
LEV 5:14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 5:15 “କେହି ଯଦି ସତ୍ୟ-ଲଙ୍ଘନ କରି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଭୁଲବଶତଃ ପାପ କରେ, ତେବେ ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭର ନିରୂପିତ ପରିମାଣର ରୂପା ଦେଇ ପଲରୁ ଏକ ନିଖୁନ୍ତ ମେଷ ଆଣି ଦୋଷାର୍ଥକ ବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
LEV 5:16 ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ତ୍ରୁଟି କରିଅଛି, ତହିଁର ପରିଶୋଧ କରିବ, ତାହା ବ୍ୟତୀତ ପଞ୍ଚମାଂଶର ଏକାଂଶ ମଧ୍ୟ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ମେଷବଳି ଦ୍ୱାରା ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 5:17 ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବୋହିବ।
LEV 5:18 ସେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ରୂପେ ଯାଜକ ନିକଟକୁ ଆଣିବ; ପୁଣି ଯେଉଁ ବିଷୟରେ ସେ ଭୁଲବଶତଃ ପାପ କଲା ଓ ତାହା ଜାଣିଲା ନାହିଁ, ଯାଜକ ତହିଁ ସକାଶୁ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
LEV 5:19 ତାହା ଦୋଷାର୍ଥକ ବଳି, ସେ ସଦାପ୍ରଭୁଙ୍କ ଛାମୁରେ ନିତାନ୍ତ ଦୋଷୀ।”
LEV 6:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 6:2 “କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
LEV 6:3 କିଅବା ହଜାଦ୍ରବ୍ୟ ପାଇ ତଦ୍‍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
LEV 6:4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
LEV 6:5 ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।
LEV 6:6 ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ।
LEV 6:7 ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
LEV 6:8 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 6:9 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
LEV 6:10 ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନିଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।
LEV 6:11 ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇଯିବ।
LEV 6:12 ମାତ୍ର ବେଦିର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ଲିଭିବ ନାହିଁ; ଯାଜକ ପ୍ରତ୍ୟେକ ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ।
LEV 6:13 ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ।
LEV 6:14 ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ।
LEV 6:15 ତହୁଁ ଯାଜକ ଆପଣା ମୁଷ୍ଟି ପୂର୍ଣ୍ଣ କରି ସେହି ଭକ୍ଷ୍ୟ ନୈବେଦ୍ୟରୁ କିଛି ସରୁ ମଇଦା ଓ କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତହିଁର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦିରେ ଦଗ୍ଧ କରିବ।
LEV 6:16 ପୁଣି, ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାଡ଼ି ବିନା ତାହା ଭୋଜନ କରାଯିବ; ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ।
LEV 6:17 ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।
LEV 6:18 ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ହେଉଛି ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର। ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ।”
LEV 6:19 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 6:20 “ଅଭିଷେକ ଦିନରେ ହାରୋଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବେ।
LEV 6:21 ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
LEV 6:22 ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।
LEV 6:23 ଅର୍ଥାତ୍‍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ।”
LEV 6:24 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 6:25 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।
LEV 6:26 ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।
LEV 6:27 ଯେକେହି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯଦି କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତ ସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ।
LEV 6:28 ମାତ୍ର ଯେଉଁ ମୃତ୍ତିକାର ପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗାଯିବ; ଯଦି ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ।
LEV 6:29 ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।
LEV 6:30 ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”
LEV 7:1 “ଆଉ, ଦୋଷାର୍ଥକ ବଳିର ବ୍ୟବସ୍ଥା ଏହି; ତାହା ମହାପବିତ୍ର।
LEV 7:2 ଯେଉଁ ସ୍ଥାନରେ ଲୋକମାନେ ହୋମବଳି ବଧ କରନ୍ତି, ସେହି ସ୍ଥାନରେ ସେମାନେ ଦୋଷାର୍ଥକ ବଳି ବଧ କରିବେ; ପୁଣି, ଯାଜକ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବ।
LEV 7:3 ଆଉ, ସେ ତାହାର ସବୁ ମେଦ, ଅର୍ଥାତ୍‍, ମେଦମୟ ଲାଙ୍ଗୁଳ, ଅନ୍ତ ଆଚ୍ଛାଦକ ମେଦ, ଦୁଇ ଗୁର୍ଦା
LEV 7:4 ଓ ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଦୁଇ ଗୁର୍ଦା ସହିତ ଯକୃତର ଉପରିସ୍ଥ ଅନ୍ତପ୍ଲାବକ ନେଇ ଉତ୍ସର୍ଗ କରିବ।
LEV 7:5 ପୁଣି, ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦି ଉପରେ ତାହାସବୁ ଦଗ୍ଧ କରିବ; ଏହା ଦୋଷାର୍ଥକ ବଳି।
LEV 7:6 ଯାଜକଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ; ତାହା ମହାପବିତ୍ର।
LEV 7:7 ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ।
LEV 7:8 ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତାହାର ସେହି ଉତ୍ସର୍ଗିତ ହୋମବଳି ପଶୁର ଚର୍ମ ସେହି ଯାଜକର ନିଜ ପାଇଁ ହେବ।
LEV 7:9 ପୁଣି, ତନ୍ଦୁରରେ ବା କରେଇରେ ଅବା ପଲମରେ ରନ୍ଧନ ହୋଇଥିବା ଯେତେ ଭକ୍ଷ୍ୟ ନୈବେଦ୍ୟ, ତାହାସବୁ ଉତ୍ସର୍ଗକାରୀ ଯାଜକର ହେବ।
LEV 7:10 ମାତ୍ର ତୈଳ ମିଶ୍ରିତ ବା ଶୁଷ୍କ ଭକ୍ଷ୍ୟ ନୈବେଦ୍ୟସବୁ ହାରୋଣଙ୍କର ପୁତ୍ରଗଣ ମଧ୍ୟରେ ପ୍ରତ୍ୟେକଙ୍କର ସମାନ ଅଂଶ ହେବ।”
LEV 7:11 “ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ମଙ୍ଗଳାର୍ଥକ ଉପହାର ବଳିର ବ୍ୟବସ୍ଥା ଏହି।
LEV 7:12 କେହି ଯଦି ପ୍ରଶଂସାର୍ଥକ ବଳି ଆଣେ, ତେବେ ସେ ପ୍ରଶଂସାର୍ଥକ ବଳି ସହିତ ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା, ତୈଳଲେପିତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳ ମିଶ୍ରିତ ରନ୍ଧନ ହୋଇଥିବା ପିଠା ଉତ୍ସର୍ଗ କରିବ।
LEV 7:13 ଆଉ, ସେ ମଙ୍ଗଳାର୍ଥକ ପ୍ରଶଂସା ବଳି ସହିତ ତାଡ଼ିଯୁକ୍ତ ରୁଟିର ପିଠା ଦେଇ ଆପଣା ଉପହାର ଆଣିବ।
LEV 7:14 ତହୁଁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିବ, ତାହା ତାହାରି ହେବ।
LEV 7:15 ପୁଣି, ମଙ୍ଗଳାର୍ଥକ ପ୍ରଶଂସା ବଳିର ମାଂସ ତାହାର ଉତ୍ସର୍ଗ ଦିନରେ ଭୋଜନ କରାଯିବ; ସେ ପ୍ରାତଃକାଳ ପର୍ଯ୍ୟନ୍ତ ତହିଁରୁ କିଛି ରଖିବ ନାହିଁ।
LEV 7:16 ମାତ୍ର ଯଦି ସେହି ଉପହାର ବଳି ତାହାର ମାନତ ବା ସ୍ୱେଚ୍ଛାଦତ୍ତ ନୈବେଦ୍ୟ ହୁଏ, ତେବେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ; ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ, ତାହା ଆରଦିନ ପ୍ରାତଃକାଳରେ ଭୋଜନ କରାଯିବ।
LEV 7:17 ମାତ୍ର ତୃତୀୟ ଦିନରେ ବଳିର ଅବଶିଷ୍ଟ ମାଂସ ଅଗ୍ନିରେ ଦଗ୍ଧ କରାଯିବ।
LEV 7:18 ଯଦି ତୃତୀୟ ଦିନରେ ତାହାର ସେହି ମଙ୍ଗଳାର୍ଥକ ଉପହାର ବଳିରୁ କିଛିମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ, କିଅବା ତହିଁର ଉତ୍ସର୍ଗକାରୀ ପକ୍ଷରେ ତାହା ଗଣାଯିବ ନାହିଁ; ତାହା ଘୃଣାଯୋଗ୍ୟ ହେବ, ପୁଣି ଯେଉଁ ପ୍ରାଣୀ ତାହା ଭୋଜନ କରେ, ସେ ଆପଣା ଅପରାଧ ବୋହିବ।
LEV 7:19 ଆଉ, ସେହି ମାଂସ କୌଣସି ଅଶୁଚି ବସ୍ତୁରେ ଲାଗିଲେ, ତାହା ଭୋଜନ କରାଯିବ ନାହିଁ; ତାହା ଅଗ୍ନିରେ ଦଗ୍ଧ ହେବ। ଆଉ, ସେହି ଶୁଚି ମାଂସ ପ୍ରତ୍ୟେକ ଶୁଚି ଲୋକ ଭୋଜନ କରିବ।
LEV 7:20 ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 7:21 ଯେବେ କେହି କୌଣସି ବସ୍ତୁ, ଅର୍ଥାତ୍‍, ମନୁଷ୍ୟର ଅଶୁଚିତା, କି ଅଶୁଚି ପଶୁ, କିଅବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ତେବେ ସେହି ଭୋଜନକାରୀ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
LEV 7:22 ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ
LEV 7:23 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ତୁମ୍ଭେମାନେ ଗୋରୁର, କି ମେଷର କି ଛେଳିର ମେଦ ଭୋଜନ କରିବ ନାହିଁ।
LEV 7:24 ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।
LEV 7:25 କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 7:26 ପୁଣି, ତୁମ୍ଭମାନଙ୍କର କୌଣସି ବାସ ସ୍ଥାନରେ ତୁମ୍ଭେମାନେ କୌଣସି ପକ୍ଷୀର କି ପଶୁର ରକ୍ତ ଭୋଜନ କରିବ ନାହିଁ।
LEV 7:27 ଯେକୌଣସି ରକ୍ତ ଯିଏ ଭୋଜନ କରେ, ସେ ଯିଏ ହେଉ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’”
LEV 7:28 ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ-ସନ୍ତାନଗଣକୁ କୁହ,
LEV 7:29 “ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ।
LEV 7:30 ତାହାର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଣିବ; ସେ ବକ୍ଷ ସହିତ ମେଦ ଆଣିବ, ତହିଁରେ ସେହି ବକ୍ଷ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ସାକ୍ଷାତରେ ଦୋଳାୟିତ ହେବ।
LEV 7:31 ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ।
LEV 7:32 ପୁଣି, ତୁମ୍ଭେମାନେ ଆପଣା ଆପଣା ମଙ୍ଗଳାର୍ଥକ ବଳିରୁ ଡାହାଣ ଜଙ୍ଘ ଉତ୍ତୋଳନୀୟ ଉପହାର ରୂପେ ଯାଜକକୁ ଦେବ।
LEV 7:33 ହାରୋଣର ପୁତ୍ରଗଣଙ୍କ ମଧ୍ୟରେ ଯେକେହି ମଙ୍ଗଳାର୍ଥକ ବଳିର ରକ୍ତ ଓ ମେଦ ଉତ୍ସର୍ଗ କରେ, ସେ ଆପଣା ଅଂଶ ରୂପେ ମଙ୍ଗଳାର୍ଥକ ବଳିର ଡାହାଣ ଜଙ୍ଘ ପାଇବ।
LEV 7:34 ଯେହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ ନେଇ ଇସ୍ରାଏଲ-ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।
LEV 7:35 ଯେଉଁ ଦିନ ମୋଶା ସଦାପ୍ରଭୁଙ୍କ ଛାମୁରେ ଯାଜକ କର୍ମ କରିବା ନିମନ୍ତେ ହାରୋଣଙ୍କୁ ଓ ତାହାର ପୁତ୍ରଗଣଙ୍କୁ ଉପସ୍ଥିତ କରାଇଲେ, ସେହି ଦିନଠାରୁ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରୁ ଏହା ହିଁ ସେମାନଙ୍କର ଅଭିଷେକ ଅଂଶ;
LEV 7:36 ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ।”
LEV 7:37 ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା।
LEV 7:38 ସଦାପ୍ରଭୁ ଯେଉଁ ଦିନ ସୀନୟ ପ୍ରାନ୍ତରସ୍ଥିତ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା ଦେଲେ, ସେହି ଦିନ ସୀନୟ ପର୍ବତରେ ମୋଶାଙ୍କୁ ଆଜ୍ଞା ଦେଲେ।
LEV 8:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 8:2 “ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ।
LEV 8:3 ପୁଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”
LEV 8:4 ଆଉ, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା କଲେ; ତହିଁରେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀ ଏକତ୍ର ହେଲେ।
LEV 8:5 ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ସେହି କଥା ଏହି।”
LEV 8:6 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।
LEV 8:7 ପୁଣି ହାରୋଣଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ ଦେଲେ, ପୁଣି ଏଫୋଦର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦକୁ ବାନ୍ଧିଲେ।
LEV 8:8 ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍‍ ଓ ତୁମ୍ମୀମ୍‍ ରଖିଲେ।
LEV 8:9 ପୁଣି, ତାଙ୍କର ମସ୍ତକରେ ପଗଡ଼ି ରଖିଲେ; ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ; ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।
LEV 8:10 ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ।
LEV 8:11 ପୁଣି, ସେ ତହିଁରୁ କିଛି ନେଇ ବେଦି ଉପରେ ସାତ ଥର ସେଚନ କଲେ; ଆଉ, ବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ।
LEV 8:12 ଏଥିଉତ୍ତାରେ ମୋଶା ହାରୋଣଙ୍କୁ ପବିତ୍ର କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ।
LEV 8:13 ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
LEV 8:14 ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକରେ ହସ୍ତ ରଖିଲେ।
LEV 8:15 ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।
LEV 8:16 ଏଥିଉତ୍ତାରେ ମୋଶା ଅନ୍ତ ଉପରିସ୍ଥ ସମସ୍ତ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା ଓ ତହିଁର ମେଦ ନେଇ ବେଦି ଉପରେ ଦଗ୍ଧ କଲେ।
LEV 8:17 ମାତ୍ର ସେହି ଗୋବତ୍ସର ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
LEV 8:18 ଏଥିଉତ୍ତାରେ ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।
LEV 8:19 ତହୁଁ ସେ ତାକୁ ବଧ କଲେ, ପୁଣି ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
LEV 8:20 ଆଉ, ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ; ପୁଣି, ମୋଶା ତାହାର ମସ୍ତକ, ମାଂସଖଣ୍ଡସକଳ ଓ ମେଦ ଦଗ୍ଧ କଲେ।
LEV 8:21 ଆଉ, ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
LEV 8:22 ଏଥିଉତ୍ତାରେ ସେ ଅନ୍ୟ ମେଷ, ଅର୍ଥାତ୍‍, ପଦନିଯୋଗାର୍ଥକ ମେଷ ଆଣିଲେ, ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ।
LEV 8:23 ଆଉ, ସେ ତାକୁ ବଧ କଲେ; ତହୁଁ ମୋଶା ତାହାର କିଛି ରକ୍ତ ନେଇ ହାରୋଣଙ୍କର ଡାହାଣ କର୍ଣ୍ଣପ୍ରାନ୍ତରେ ଓ ତାଙ୍କର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।
LEV 8:24 ଏଥିଉତ୍ତାରେ ସେ ହାରୋଣଙ୍କର ପୁତ୍ରଗଣଙ୍କୁ ଆଣିଲେ, ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଡାହାଣ କର୍ଣ୍ଣପ୍ରାନ୍ତରେ ଓ ସେମାନଙ୍କ ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ; ଆଉ ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
LEV 8:25 ପୁଣି, ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥ ସକଳ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା, ତହିଁର ମେଦ ଓ ଡାହାଣ ଜଙ୍ଘ ନେଲେ;
LEV 8:26 ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ତାଡ଼ିଶୂନ୍ୟ ରୁଟିର ଟୋକେଇରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳଲେପିତ ରନ୍ଧନ ହୋଇଥିବା ରୁଟିର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଜଙ୍ଘ ଉପରେ ରଖିଲେ;
LEV 8:27 ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହି ସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ।
LEV 8:28 ଏଥିଉତ୍ତାରେ ମୋଶା ସେମାନଙ୍କ ହସ୍ତରୁ ସେହି ସବୁ ନେଇ ବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ; ଏହିସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନିଯୋଗାର୍ଥକ ନୈବେଦ୍ୟ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
LEV 8:29 ଆଉ, ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ; ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
LEV 8:30 ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳରୁ ଓ ବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ, ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସେଚନ କଲେ; ଆଉ ହାରୋଣଙ୍କୁ ଓ ତାଙ୍କର ବସ୍ତ୍ରସକଳକୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସେମାନଙ୍କ ବସ୍ତ୍ରସକଳକୁ ପବିତ୍ର କଲେ।
LEV 8:31 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର।
LEV 8:32 ପୁଣି, ମାଂସ ଓ ରୁଟିରୁ ଯାହା ଅବଶିଷ୍ଟ ରହିବ, ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ।
LEV 8:33 ଆଉ, ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ, ଅର୍ଥାତ୍‍, ତୁମ୍ଭମାନଙ୍କ ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ପଦରେ ନିଯୁକ୍ତ କରିବେ।
LEV 8:34 ଯେପରି ଆଜି କରାଯାଇଅଛି, ସେପରି ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି।
LEV 8:35 ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ସାତ ଦିନ ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ। କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ।”
LEV 8:36 ତହୁଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଆଜ୍ଞା କରିଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ସବୁ କଥା ପାଳନ କଲେ।
LEV 9:1 ଏଥିଉତ୍ତାରେ ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,
LEV 9:2 ପୁଣି ସେ ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ନିଖୁନ୍ତ ଏକ ବୃଷର ବତ୍ସ ଓ ହୋମବଳି ନିମନ୍ତେ ନିଖୁନ୍ତ ଏକ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର।
LEV 9:3 ପୁଣି, ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକ ବର୍ଷୀୟ ଓ ନିଖୁନ୍ତ ଥିବେ,
LEV 9:4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳ ମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’”
LEV 9:5 ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ବୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ଡଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଠିଆ ହେଲେ।
LEV 9:6 ଆଉ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ।”
LEV 9:7 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରେ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର।”
LEV 9:8 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ।
LEV 9:9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳିଲେ;
LEV 9:10 ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ।
LEV 9:11 ପୁଣି, ମାଂସ ଓ ଚର୍ମ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କଲେ।
LEV 9:12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।
LEV 9:13 ଏଥିଉତ୍ତାରେ ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ଡକୁ ଖଣ୍ଡ ମାଂସ ସହିତ ମସ୍ତକ ସମର୍ପଣ କଲେ; ତହିଁରେ ସେହି ସମସ୍ତ ସେ ବେଦି ଉପରେ ଦଗ୍ଧ କଲେ।
LEV 9:14 ପୁଣି, ସେ ଅନ୍ତ ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ।
LEV 9:15 ଏଥିଉତ୍ତାରେ ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ତୁଲ୍ୟ ବଧ କରି ପାପାର୍ଥେ ତାହା ଉତ୍ସର୍ଗ କଲେ;
LEV 9:16 ଏଥିଉତ୍ତାରେ ସେ ହୋମବଳି ଆଣି ବିଧି ଅନୁସାରେ ଉତ୍ସର୍ଗ କଲେ।
LEV 9:17 ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ଆଣି ତହିଁରୁ ମୁଠାଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ।
LEV 9:18 ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;
LEV 9:19 ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ, ଗୁର୍ଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ,
LEV 9:20 ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ;
LEV 9:21 ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଜଙ୍ଘ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ।
LEV 9:22 ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ।
LEV 9:23 ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।
LEV 9:24 ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ୱନି କରି ମୁହଁ ମାଡ଼ି ହୋଇ ପଡ଼ିଲେ।
LEV 10:1 ଏଥିଉତ୍ତାରେ ହାରୋଣଙ୍କର ପୁତ୍ର ନାଦବ୍‍ ଓ ଅବୀହୂ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ; ପୁଣି ସଦାପ୍ରଭୁ ଯାହା ଆଜ୍ଞା କରି ନ ଥିଲେ, ଏପରି ଭିନ୍ନ ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ।
LEV 10:2 ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।
LEV 10:3 ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ‘ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।’” ତହିଁରେ ହାରୋଣ ମୌନ ହେଲେ।
LEV 10:4 ଏଥିଉତ୍ତାରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଶାୟେଲକୁ ଓ ଇଲୀଷାଫନ୍‍କୁ ଡାକି କହିଲେ, “ନିକଟକୁ ଆସି ଆପଣା ଭାଇମାନଙ୍କୁ ପବିତ୍ର ସ୍ଥାନର ସମ୍ମୁଖରୁ ଛାଉଣିର ବାହାରକୁ ନେଇଯାଅ।”
LEV 10:5 ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ନିକଟକୁ ଯାଇ ସେମାନଙ୍କୁ ପୋଷାକ ସମେତ ଛାଉଣିର ବାହାରକୁ ନେଇଗଲେ।
LEV 10:6 ପୁଣି, ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରକୁ କହିଲେ, “ତୁମ୍ଭେମାନେ ଯେପରି ନ ମର ଓ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁ ଯେପରି କ୍ରୋଧ ନ କରନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମସ୍ତକର କେଶ ମୁକୁଳା ନ ହେଉ, କିଅବା ଆପଣା ଆପଣା ବସ୍ତ୍ର ଚିର ନାହିଁ; ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ତହିଁ ସକାଶୁ ତୁମ୍ଭମାନଙ୍କର ଭ୍ରାତୃବର୍ଗ ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ।
LEV 10:7 ଆଉ ତୁମ୍ଭେମାନେ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ସେହିପରି କଲେ।
LEV 10:8 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ,
LEV 10:9 “ତୁମ୍ଭମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ଯେଉଁ ସମୟରେ ତୁମ୍ଭେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବ, ସେହି ସମୟରେ ତୁମ୍ଭେ କି ତୁମ୍ଭ ସଙ୍ଗୀ ତୁମ୍ଭର ପୁତ୍ରଗଣ ଦ୍ରାକ୍ଷାରସ ଓ ମଦ୍ୟ ପାନ କରିବ ନାହିଁ; ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ;
LEV 10:10 ତହିଁରେ ତୁମ୍ଭେମାନେ ପବିତ୍ର ଓ ସାମାନ୍ୟ, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ଭିନ୍ନତା ଜାଣି ପାରିବ;
LEV 10:11 ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ।”
LEV 10:12 ଏଥିଉତ୍ତାରେ ମୋଶା ହାରୋଣଙ୍କୁ, ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ତାଡ଼ି ବିନା ଭୋଜନ କର, ଯେହେତୁ ତାହା ମହାପବିତ୍ର;
LEV 10:13 ଏଣୁ ତୁମ୍ଭେମାନେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କର; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ମଧ୍ୟରୁ ତାହା ହିଁ ତୁମ୍ଭର ଓ ତୁମ୍ଭ ପୁତ୍ରଗଣଙ୍କର ପ୍ରାପ୍ତବ୍ୟ ଅଂଶ; ଯେହେତୁ ଆମ୍ଭେ ଏହି ଆଜ୍ଞା ପାଇଅଛୁ।
LEV 10:14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।
LEV 10:15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”
LEV 10:16 ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,
LEV 10:17 “ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ତ ମହାପବିତ୍ର, ପୁଣି ମଣ୍ଡଳୀର ଅପରାଧ ବୋହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି।
LEV 10:18 ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥାʼନ୍ତ।”
LEV 10:19 ତେବେ ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ପାପାର୍ଥକ ବଳି ଓ ଆପଣାମାନଙ୍କର ହୋମାର୍ଥକ ବଳି ଉତ୍ସର୍ଗ କଲେ, ତଥାପି ମୋʼ ପ୍ରତି ଏପରି ଘଟିଲା; ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥାʼନ୍ତି, ତେବେ ତାହା କି ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା?”
LEV 10:20 ତହୁଁ ମୋଶା ତାହା ଶୁଣନ୍ତେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।
LEV 11:1 ତାʼପରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
LEV 11:2 “ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରେ ଏହି ସମସ୍ତ ଜୀବ ଭୋଜନ କରିବ।
LEV 11:3 ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।
LEV 11:4 ତଥାପି ଯେଉଁମାନେ ପାକୁଳି କରନ୍ତି, ଅଥବା ବିଭକ୍ତ ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ଏହି ପଶୁ ଭୋଜନ କରିବ ନାହିଁ, ଯଥା, ଓଟ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:5 ପୁଣି ଶାଫନ୍‍ (ଓଧ) ପଶୁ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:6 ଆଉ, ଠେକୁଆ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:7 ପୁଣି, ଶୂକର, ଯେହେତୁ ସେ ବିଭକ୍ତ-ଖୁରା ଓ ଚିରାପାଦବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:8 ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:9 ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଜଳରେ, ସମୁଦ୍ରରେ ଓ ନଦୀରେ ସ୍ଥିତ ଜନ୍ତୁ ମଧ୍ୟରେ ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ।
LEV 11:10 ମାତ୍ର ସମୁଦ୍ରରେ ଓ ନଦୀରେ ସ୍ଥିତ ସମସ୍ତ ଜଳଚର, ଅବା ଜଳସ୍ଥିତ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ଅଟନ୍ତି,
LEV 11:11 ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ହେବେ; ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ, ପୁଣି ସେମାନଙ୍କ ଶବକୁ ଘୃଣା କରିବ।
LEV 11:12 ଜଳଜନ୍ତୁ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
LEV 11:13 ଆଉ, ପକ୍ଷୀମାନଙ୍କ ମଧ୍ୟରୁ ଏହିସବୁ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ; ସେମାନେ ଖାଦ୍ୟ ନୁହନ୍ତି; ଉତ୍କ୍ରୋଶ ଓ ହାଡ଼ଭଙ୍ଗା ଓ ବହୀରି,
LEV 11:14 ପୁଣି, ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ,
LEV 11:15 ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ,
LEV 11:16 ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ,
LEV 11:17 ପୁଣି, କୋଷପକ୍ଷୀ, ପାଣିକୁଆ, ବଗ,
LEV 11:18 ଦୀର୍ଘ-ଗଳ ହଂସ, ପାଣିଭେଳା, ଶାଗୁଣା;
LEV 11:19 ପୁଣି ବଗ, ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା।
LEV 11:20 ପୁଣି, ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
LEV 11:21 ତଥାପି ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ, ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ।
LEV 11:22 ଅର୍ଥାତ୍‍, ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ, ଆପଣା ଆପଣା ଜାତି ଅନୁସାରେ ବାଘୁଆଫଡ଼ିଙ୍ଗ, ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ।
LEV 11:23 ମାତ୍ର ଏହାଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
LEV 11:24 ଆଉ, ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:25 ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:26 ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ।
LEV 11:27 ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:28 ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
LEV 11:29 ଆଉ, ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହିସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ଖୋଲେଦ (ଗୋଧି) ଓ ମୂଷା; ପୁଣି, ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ;
LEV 11:30 ଆଉ, ଏଣ୍ଡୁଅ ଓ ସ୍ଥଳ କୁମ୍ଭୀର, ଝିଟିପିଟି, ବାଲିଏଣ୍ଡୁଅ ଓ ବହୁରୂପୀ (ପୋହଳା ଏଣ୍ଡୁଅ)।
LEV 11:31 ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ସେମାନେ ମଲେ ଯେକେହି ସେମାନଙ୍କୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:32 ସେମାନଙ୍କ ମଧ୍ୟରୁ କୌଣସି ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠ ପାତ୍ର, ବସ୍ତ୍ର, ଚର୍ମ କି ଅଖା, ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ିଲେ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ।
LEV 11:33 ପୁଣି, କୌଣସି ମାଟି ପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ, ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମ୍ଭେମାନେ ତାହା ଭାଙ୍ଗି ପକାଇବ।
LEV 11:34 ପୁଣି, ଯେଉଁସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ, ତାହା ଅଶୁଚି ହେବ; ପୁଣି, ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟଦ୍ରବ୍ୟ ଅଶୁଚି ହେବ;
LEV 11:35 ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
LEV 11:36 ତଥାପି ନିର୍ଝର କିଅବା ଯେଉଁ କୂପରେ ଅନେକ ଜଳ ଥାଏ, ତାହା ଶୁଚି ହେବ; ମାତ୍ର ଯେ ସେମାନଙ୍କର ଶବ ଛୁଇଁବ, ସେ ଅଶୁଚି ହେବ।
LEV 11:37 ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ।
LEV 11:38 ମାତ୍ର ବିହନ ଉପରେ ଜଳ ଥିଲେ, ଯେବେ ସେମାନଙ୍କ ଶବର କିଛି ତହିଁ ଉପରେ ପଡ଼େ, ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
LEV 11:39 ଆଉ, ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ତାହାର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:40 ପୁଣି, ଯେକେହି ତାହାର ଶବ ଖାଏ, ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 11:41 ଆଉ, ଭୂଚର ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଘୃଣାଯୋଗ୍ୟ ଅଟେ; ତାହା ଖାଦ୍ୟ ହେବ ନାହିଁ।
LEV 11:42 ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ।
LEV 11:43 ତୁମ୍ଭେମାନେ ଏହିସବୁ ଭୂଚର ଉରୋଗାମୀ ଜନ୍ତୁ ଦ୍ୱାରା ଆପଣାମାନଙ୍କୁ ଘୃଣାଯୋଗ୍ୟ କରିବ ନାହିଁ, କିଅବା ତୁମ୍ଭେମାନେ ଅଶୁଚି ହେବା ନିମନ୍ତେ ସେମାନଙ୍କ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
LEV 11:44 କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ; ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ; ଯେହେତୁ ମୁଁ ପବିତ୍ର; ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ।
LEV 11:45 କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମୁଁ ସଦାପ୍ରଭୁ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛି; ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ।
LEV 11:46 ଶୁଚି ଓ ଅଶୁଚି ଏବଂ ଖାଦ୍ୟ ଓ ଅଖାଦ୍ୟ ପଶୁମାନଙ୍କ ପ୍ରଭେଦ ଜଣାଇବା ପାଇଁ,
LEV 11:47 ପଶୁ, ପକ୍ଷୀ, ଜଳଚର ପ୍ରାଣୀ ଓ ଉରୋଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।”
LEV 12:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 12:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ।
LEV 12:3 ତହୁଁ ଅଷ୍ଟମ ଦିନରେ ବାଳକର ପୁରୁଷାଙ୍ଗଚର୍ମର ଛେଦନ ହେବ।
LEV 12:4 ପୁଣି ସେହି ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ଆପଣାର ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ; ଆଉ ଯେପର୍ଯ୍ୟନ୍ତ ଶୁଚିର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେହି କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ; କିଅବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।
LEV 12:5 ମାତ୍ର ଯଦି ସେ କନ୍ୟା ପ୍ରସବ କରେ, ତେବେ ସ୍ତ୍ରୀର ରଜଧର୍ମର ଅଶୁଚିତା ସମୟ ପରି ସେ ଦୁଇ ସପ୍ତାହ ଅଶୁଚି ରହିବ; ପୁଣି ସେ ଛଷଠି ଦିନ ଆପଣା ଶୁଚି ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ।
LEV 12:6 ତହିଁ ଉତ୍ତାରେ ପୁତ୍ର ବା କନ୍ୟା ପ୍ରସବର ଅଶୁଚି ଦିନ ପୂର୍ଣ୍ଣ ହେଲେ, ସେ ହୋମବଳି ନିମନ୍ତେ ଏକ ବର୍ଷୀୟ ଏକ ମେଷବତ୍ସ ଓ ପାପାର୍ଥକ ବଳି ନିମନ୍ତେ ଏକ ପାରାଛୁଆ ବା ଏକ କପୋତ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ।
LEV 12:7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା।
LEV 12:8 ମାତ୍ର ଯଦି ସେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ, ତହିଁରୁ ଗୋଟିଏକୁ ହୋମାର୍ଥକ ବଳି ରୂପେ ଓ ଅନ୍ୟଟିକୁ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ; ପୁଣି ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଶୁଚି ହେବ।”
LEV 13:1 ତାʼପରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
LEV 13:2 “ଯଦି କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି କାଛୁକୁଣ୍ଡିଆ କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠରୋଗର ଘାʼ ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।
LEV 13:3 ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘାʼ ଦେଖିବ; ଆଉ ଯଦି ଘାʼର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘାʼ ଯଦି ତାହା ଶରୀରର ଚର୍ମଠାରୁ ନୀଚ ଦେଖାଯାଏ, ତେବେ ତାହା କୁଷ୍ଠରୋଗର ଘାʼ ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ।
LEV 13:4 ପୁଣି, ଚିକ୍କଣ ଚିହ୍ନ ଯଦି ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘାʼ ହୋଇଅଛି, ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
LEV 13:5 ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ତାହାର ଦୃଷ୍ଟିରେ ସେହି ଘାʼ ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିବ।
LEV 13:6 ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ, ଯଦି ଘାʼ ମଳିନ ହୋଇଥାଏ ଓ ଘାʼ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା କାଛୁକୁଣ୍ଡିଆ ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।
LEV 13:7 ମାତ୍ର ସେ ଶୁଚି ହେବା ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯଦି ତାହାର କାଛୁକୁଣ୍ଡିଆ ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ।
LEV 13:8 ତହିଁରେ କାଛୁକୁଣ୍ଡିଆ ତାହାର ଚର୍ମରେ ବ୍ୟାପିଲା, ଏପରି ଯଦି ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, କାରଣ ତାହା କୁଷ୍ଠରୋଗ ଅଟେ।
LEV 13:9 କୌଣସି ମନୁଷ୍ୟଠାରେ କୁଷ୍ଠରୋଗର ଘାʼ ହେଲେ, ସେ ଯାଜକ ନିକଟକୁ ଅଣାଯିବ;
LEV 13:10 ତହୁଁ ଯାଜକ ତାହାକୁ ଦେଖିବ; ଆଉ, ଯଦି ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ,
LEV 13:11 ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି।
LEV 13:12 ଆଉ, ଯଦି କୁଷ୍ଠରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘାʼଯୁକ୍ତ ଲୋକର ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଥାଏ,
LEV 13:13 ତେବେ ଯାଜକ ଦେଖିବ; ପୁଣି, ଯଦି କୁଷ୍ଠରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି ଅଟେ।
LEV 13:14 ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ।
LEV 13:15 ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠରୋଗ।
LEV 13:16 ଅଥବା ଯଦି ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ,
LEV 13:17 ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯଦି ସେହି ଘାʼ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘାʼଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି ଅଟେ।
LEV 13:18 ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ,
LEV 13:19 ଯଦି ସେହି ବଥ ସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତ ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ;
LEV 13:20 ତହିଁରେ ଯାଜକ ତାହା ଦେଖିବ, ଆଉ, ଯଦି ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘାʼ ଅଟେ।
LEV 13:21 ମାତ୍ର ଯାଜକ ତାହା ଦେଖନ୍ତେ, ଯଦି, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
LEV 13:22 ଆଉ, ଯଦି ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; କାରଣ ତାହା କୁଷ୍ଠରୋଗର ଘାʼ ଅଟେ।
LEV 13:23 ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱ ସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
LEV 13:24 କିଅବା ଯଦି ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ;
LEV 13:25 ତେବେ ଯାଜକ ତାହା ଦେଖିବ; ଆଉ, ଯଦି ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠରୋଗର ଘାʼ ଅଟେ।
LEV 13:26 ମାତ୍ର ଯାଜକ ତାହା ଦେଖନ୍ତେ, ଯଦି ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
LEV 13:27 ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯଦି ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠରୋଗର ଘାʼ ଅଟେ।
LEV 13:28 ଆଉ, ଯଦି ଚିକ୍କଣ ଚିହ୍ନ ସ୍ୱ ସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ।
LEV 13:29 ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘାʼ ହେଲେ ଯାଜକ ସେହି ଘାʼ ଦେଖିବ;
LEV 13:30 ଆଉ ଦେଖ, ଯଦି ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ ଅଟେ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ ଅଟେ।
LEV 13:31 ଆଉ, ଯାଜକ ଛଉର ଘାʼ ଦେଖନ୍ତେ, ଯଦି ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ ଘାʼଯୁକ୍ତ ଲୋକକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
LEV 13:32 ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ପୁଣି, ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦି ବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ,
LEV 13:33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
LEV 13:34 ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ, ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।
LEV 13:35 ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯଦି ଚର୍ମରେ ସେହି ଛଉ ବ୍ୟାପିଯାଏ,
LEV 13:36 ତେବେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦି ବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ; କାରଣ ସେ ଅଶୁଚି ଅଟେ।
LEV 13:37 ମାତ୍ର ତାହାର ଦୃଷ୍ଟିରେ ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
LEV 13:38 ପୁଣି, ଯଦି କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନଗୁଡ଼ିକ, ଅର୍ଥାତ୍‍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନଗୁଡ଼ିକ ହୁଏ;
LEV 13:39 ତେବେ ଯାଜକ ତାହା ଦେଖିବ; ପୁଣି ପ୍ରକୃତରେ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି ଅଟେ।
LEV 13:40 ଆଉ, ଯଦି କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ।
LEV 13:41 ଆଉ, ଯଦି ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ; ତଥାପି ସେ ଶୁଚି ଅଟେ।
LEV 13:42 ମାତ୍ର ଯଦି ଚନ୍ଦା ମସ୍ତକରେ କି ଚନ୍ଦା କପାଳରେ ରକ୍ତ ଶ୍ଵେତବର୍ଣ୍ଣ ଘାʼ ହୁଏ; ତେବେ ତାହା ତାହାର ଚନ୍ଦା ମସ୍ତକରେ କି ଚନ୍ଦା କପାଳରେ ଉତ୍ପନ୍ନ କୁଷ୍ଠରୋଗ ଅଟେ।
LEV 13:43 ତହୁଁ ଯାଜକ ତାହା ଦେଖିବ; ପୁଣି, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠରୋଗ ପରି ଚନ୍ଦା ମସ୍ତକ କି ଚନ୍ଦା କପାଳରେ ରକ୍ତ ଶ୍ଵେତବର୍ଣ୍ଣ ଘାʼର ଫୁଲା ଦେଖାଯାଏ;
LEV 13:44 ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘାʼ ହୋଇଅଛି।
LEV 13:45 ଆଉ, ଯେଉଁ କୁଷ୍ଠୀର ଘାʼ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି ‘ଅଶୁଚି ଅଶୁଚି’ ବୋଲି ଡାକ ପକାଇବ।
LEV 13:46 ତାହାଠାରେ ଯେତେ ଦିନ ଘାʼ ଥିବ, ସେତେ ଦିନ ସେ ଅଶୁଚି ରହିବ; କାରଣ ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେ ତାହାର ବାସସ୍ଥାନ ହେବ।
LEV 13:47 ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମ ବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ,
LEV 13:48 ଅବା ତାହା ଲୋମ କି ମସିନାର ଟାଣୀରେ କି ପଡୀୟାଣରେ ହେଉ; କିଅବା ଚର୍ମରେ କି ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ହେଉ;
LEV 13:49 ଯଦି ସେହି ଦାଗ ବସ୍ତ୍ରରେ କି ଚର୍ମରେ, ଟାଣୀରେ କି ପଡୀୟାଣରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ଶାଗୁଆ ବର୍ଣ୍ଣ କି ରକ୍ତବର୍ଣ୍ଣ ହୁଏ, ତେବେ ତାହା କୁଷ୍ଠରୋଗର ଦାଗ; ପୁଣି, ତାହା ଯାଜକକୁ ଦେଖାଇ ଦିଆଯିବ।
LEV 13:50 ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯେଉଁଥିରେ ସେହି ଦାଗ ଥାଏ, ତାହା ସାତ ଦିନ ବନ୍ଦ କରି ରଖିବ।
LEV 13:51 ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯଦି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମ ନିର୍ମିତ ବସ୍ତୁରେ ଯଦି ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠରୋଗ; ତାହା ଅଶୁଚି ଅଟେ।
LEV 13:52 ଏଣୁ ବସ୍ତ୍ରରେ ଅବା ଲୋମନିର୍ମିତ କି ମସିନା ନିର୍ମିତ ଟାଣୀରେ କି ପଡୀୟାଣରେ କି ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠରୋଗ; ତାହା ଅଗ୍ନିରେ ଦଗ୍ଧ ହେବ।
LEV 13:53 ମାତ୍ର ଯାଜକ ତାହା ଦେଖନ୍ତେ, ଯଦି, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ;
LEV 13:54 ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ପର୍ଯ୍ୟନ୍ତ ତାହା ପୃଥକ କରି ରଖିବ;
LEV 13:55 ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ପୁଣି, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି ଅଟେ; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; କାରଣ ସେହି ଦାଗ ଭିତରେ ଥାଉ କି ବାହାରେ ଥାଉ, ତାହା କ୍ଷୟକାରକ।
LEV 13:56 ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯଦି, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ।
LEV 13:57 ତଥାପି ଯଦି ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ।
LEV 13:58 ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମ ନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯଦି ସେହି ଦାଗ ଯାଏ, ତେବେ ଦ୍ୱିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ।”
LEV 13:59 ଲୋମ କି ମସିନା ନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠରୋଗର ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି।
LEV 14:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 14:2 “କୁଷ୍ଠରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା; ସେ ଯାଜକ ନିକଟକୁ ଅଣାଯିବ;
LEV 14:3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ; ପୁଣି ଯାଜକ ଦେଖିବ, ଆଉ, ଯଦି କୁଷ୍ଠୀର କୁଷ୍ଠରୋଗର ଘାʼ ସୁସ୍ଥ ହୋଇଥାଏ,
LEV 14:4 ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବା ପାଇଁ ଆଜ୍ଞା ଦେବ।
LEV 14:5 ପୁଣି ଯାଜକ ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବାକୁ ଆଜ୍ଞା ଦେବ।
LEV 14:6 ତହିଁ ଉତ୍ତାରେ ସେ ସେହି ଜୀଅନ୍ତା ପକ୍ଷୀକୁ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେଇ ସେହି ସ୍ରୋତଜଳ ଉପରେ ହତ ପକ୍ଷୀର ରକ୍ତରେ ଜୀଅନ୍ତା ପକ୍ଷୀକୁ ଓ ସେହି ସବୁ ଡୁବାଇବ;
LEV 14:7 ପୁଣି ସେ କୁଷ୍ଠରୋଗରୁ ଶୁଚିଯୋଗ୍ୟ ଲୋକ ଉପରେ ସାତ ଥର ତାହା ଛିଞ୍ଚି; ସେ ଶୁଚି ବୋଲି ପ୍ରକାଶ କରିବ, ଆଉ ସେହି ଜୀଅନ୍ତା ପକ୍ଷୀକୁ କ୍ଷେତ୍ର ଆଡ଼େ ଛାଡ଼ିଦେବ।
LEV 14:8 ତହୁଁ ସେହି ଶୁଚିଯୋଗ୍ୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତହିଁରେ ସେ ଶୁଚି ହେବ; ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ, ମାତ୍ର ସେ ସାତ ଦିନ ଆପଣା ତମ୍ବୁର ବାହାରେ ରହିବ।
LEV 14:9 ଆଉ, ସପ୍ତମ ଦିନରେ ସେ ଆପଣାର ସମସ୍ତ କେଶ, ଅର୍ଥାତ୍‍, ମସ୍ତକ, ଦାଢ଼ି ଓ ଭ୍ରୂଲତାର ସମସ୍ତ କେଶ କ୍ଷୌର କରିବ, ପୁଣି ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରି ଶୁଚି ହେବ।
LEV 14:10 ପୁଣି, ଅଷ୍ଟମ ଦିନରେ ଦୁଇ ନିଖୁନ୍ତ ମେଷବତ୍ସ, ଏକବର୍ଷୀୟା ଏକ ନିଖୁନ୍ତ ମେଷବତ୍ସା ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ ନେବ।
LEV 14:11 ତହୁଁ ଶୁଚିକାରୀ ଯାଜକ ସେହି ଶୁଚିଯୋଗ୍ୟ ଲୋକକୁ ଓ ସେହି ସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ;
LEV 14:12 ପୁଣି ଯାଜକ ସେହି ଦୁଇ ମେଷବତ୍ସ ମଧ୍ୟରୁ ଗୋଟିଏ ଓ ସେହି ଏକ ଲୋଗ୍‍ ତୈଳ ନେଇ ଦୋଷାର୍ଥକ ବଳି ରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ।
LEV 14:13 ଆଉ, ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମାର୍ଥକ ବଳି ବଧ କରାଯାଏ, ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ; କାରଣ ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି ଯାଜକର ଅଟଇ; ତାହା ମହାପବିତ୍ର ଅଟେ।
LEV 14:14 ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;
LEV 14:15 ଆଉ, ଯାଜକ ସେହି ଏକ ଲୋଗ୍‍ ତୈଳରୁ କିଛି ନେଇ ଆପଣା ବାମ ହସ୍ତର ପାପୁଲିରେ ଢାଳିବ;
LEV 14:16 ତହୁଁ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଡାହାଣ ଅଙ୍ଗୁଳି ଡୁବାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତ ଥର ଛିଞ୍ଚିବ;
LEV 14:17 ପୁଣି, ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ଉପରେ ଲଗାଇବ;
LEV 14:18 ଏଥିଉତ୍ତାରେ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୁଚିଯୋଗ୍ୟ ଲୋକର ମସ୍ତକରେ ଲଗାଇବ; ପୁଣି ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ।
LEV 14:19 ଆଉ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୁଚିଯୋଗ୍ୟ ଲୋକର ଅଶୁଚିତା ହେତୁ ପ୍ରାୟଶ୍ଚିତ୍ତ କରିବ; ଏଥିଉତ୍ତାରେ ସେ ହୋମାର୍ଥକ ବଳି ବଧ କରିବ।
LEV 14:20 ଆଉ, ଯାଜକ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଆଣି ବେଦିରେ ଉତ୍ସର୍ଗ କରିବ, ତହୁଁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ ସେ ଶୁଚି ହେବ।
LEV 14:21 ଆଉ, ଯଦି ସେ ଦରିଦ୍ର ଓ ସେହି ସମସ୍ତ ବଳିଦାନ ଆଣି ନ ପାରେ, ତେବେ ସେ ଆପଣା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସ ଓ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ;
LEV 14:22 ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।
LEV 14:23 ଆଉ, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକ ନିକଟକୁ ସେମାନଙ୍କୁ ଆଣିବ।
LEV 14:24 ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍‍ ତୈଳ ନେବ; ପୁଣି, ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳାଇବ।
LEV 14:25 ପୁଣି, ସେ ସେହି ଦୋଷାର୍ଥକ ବଳିର ମେଷବତ୍ସ ବଧ କରିବ; ଆଉ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେଇ ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ;
LEV 14:26 ତହିଁ ଉତ୍ତାରେ ଯାଜକ ସେହି ତୈଳରୁ କିଛି ନେଇ ଆପଣା ବାମ ହସ୍ତ ପାପୁଲିରେ ଢାଳିବ;
LEV 14:27 ଆଉ, ଯାଜକ ଆପଣା ଡାହାଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି କିଛି ନେଇ ସଦାପ୍ରଭୁଙ୍କ ଛାମୁରେ ସାତ ଥର ଛିଞ୍ଚିବ;
LEV 14:28 ତହୁଁ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ତାହାର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ସ୍ଥାନରେ ଲଗାଇବ।
LEV 14:29 ପୁଣି ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ପାଇଁ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।
LEV 14:30 ପୁଣି, ସେ ତାହାର ପ୍ରାପ୍ତିର ସାଧ୍ୟାନୁସାରେ ସେହି ଦୁଇ କପୋତ ଅବା ଦୁଇ ପାରାଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ;
LEV 14:31 ଅର୍ଥାତ୍‍, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଭକ୍ଷ୍ୟ ନୈବେଦ୍ୟ ସହିତ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
LEV 14:32 ଯେଉଁ କୁଷ୍ଠରୋଗର ଘାʼଯୁକ୍ତ ଲୋକ ଆପଣାର ଶୁଚିକାର୍ଯ୍ୟ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା।”
LEV 14:33 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
LEV 14:34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;
LEV 14:35 ତେବେ ସେହି ଗୃହସ୍ୱାମୀ ଯାଜକ ନିକଟକୁ ଆସି କହିବ, ଯଥା, ‘ମୋʼ ଗୃହରେ ଦାଗ ଥିଲା ପରି ମୋତେ ଦେଖାଯାଉଅଛି;’
LEV 14:36 ତହୁଁ ଗୃହର ସମସ୍ତ ଦ୍ରବ୍ୟ ଯେପରି ଅଶୁଚି ନ ହୁଏ, ଏଥିପାଇଁ ଯାଜକ ଦାଗ ଦେଖିବାକୁ ପ୍ରବେଶ କରିବା ପୂର୍ବେ ଗୃହ ଶୂନ୍ୟ କରିବାକୁ ଯାଜକ ଆଜ୍ଞା ଦେବ; ତହିଁ ଉତ୍ତାରେ ଯାଜକ ଗୃହ ଦେଖିବାକୁ ପ୍ରବେଶ କରିବ।
LEV 14:37 ପୁଣି, ସେ ସେହି ଦାଗ ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହର କାନ୍ଥରେ ଟୋଲାପୋଲା ହୋଇ ବସିଯାଇ ଅଳ୍ପ ଶାଗୁଆ ବର୍ଣ୍ଣ ବା ରକ୍ତବର୍ଣ୍ଣ ହୋଇଥାଏ, ପୁଣି ତାହା କାନ୍ଥର ନୀଚସ୍ଥ ଦେଖାଯାଏ,
LEV 14:38 ତେବେ ଯାଜକ ଗୃହରୁ ବାହାର ହୋଇ ଦ୍ୱାର ନିକଟକୁ ଯିବ ଓ ସେହି ଗୃହକୁ ସାତ ଦିନ ବନ୍ଦ କରି ରଖିବ।
LEV 14:39 ପୁଣି, ଯାଜକ ସପ୍ତମ ଦିନରେ ପୁନର୍ବାର ଆସି ଦେଖିବ; ପୁଣି ପ୍ରକୃତରେ, ଯଦି ଗୃହର କାନ୍ଥରେ ସେହି ଦାଗ ବଢ଼ିଥାଏ,
LEV 14:40 ତେବେ ଯାଜକ ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ।
LEV 14:41 ପୁଣି, ସେ ସେହି ଗୃହର ଭିତର ଚାରିଆଡ଼େ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବ।
LEV 14:42 ଆଉ, ସେମାନେ ଅନ୍ୟ ପ୍ରସ୍ତର ନେଇ ସେହି ପ୍ରସ୍ତର ସ୍ଥାନରେ ବସାଇବେ ଓ ଅନ୍ୟ ଲେପ ନେଇ ଗୃହ ଲେପନ କରିବେ।
LEV 14:43 ଆଉ, ସେହି ପ୍ରସ୍ତର ବଦଳ କଲା ଉତ୍ତାରେ ଓ ଗୃହ ଚାଞ୍ଛିଲା ଉତ୍ତାରେ ଓ ଲେପନ କଲା ଉତ୍ତାରେ ଯେବେ ସେହି ଦାଗ ପୁନର୍ବାର ଗୃହରେ ଫୁଟି ବାହାରେ,
LEV 14:44 ତେବେ ଯାଜକ ଆସି ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହରେ ବୃଦ୍ଧି ପାଇଥାଏ, ତେବେ ସେହି ଗୃହରେ କ୍ଷୟ କୁଷ୍ଠରୋଗ ଅଛି; ତାହା ଅଶୁଚି ଅଟେ।
LEV 14:45 ତହିଁରେ ସେ ସେହି ଗୃହ ଭାଙ୍ଗି ପକାଇବ, ତହିଁର ପ୍ରସ୍ତର ଓ କାଷ୍ଠ ଓ ଧୂଳିସବୁ ନଗରର ବାହାରେ ଅଶୁଚି ସ୍ଥାନକୁ ବୋହି ନେଇଯିବ।
LEV 14:46 ଆହୁରି, ସେହି ଗୃହ ବନ୍ଦ ହୋଇଥିବା ସମୟରେ ଯେକେହି ତହିଁ ଭିତରକୁ ଯାଏ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହୋଇ ରହିବ।
LEV 14:47 ପୁଣି, ଯେ ସେହି ଗୃହରେ ଶୟନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସେହି ଘରେ ଯେ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ।
LEV 14:48 ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।
LEV 14:49 ତହୁଁ ସେ ସେହି ଗୃହକୁ ଶୁଚି କରିବା ପାଇଁ ଦୁଇ ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବ;
LEV 14:50 ପୁଣି, ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବ;
LEV 14:51 ତହୁଁ ସେ ସେହି ଏରସ କାଠ, ଏସୋବ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଜୀଅନ୍ତା ପକ୍ଷୀକୁ ନେଇ ହତ ପକ୍ଷୀର ରକ୍ତରେ ଓ ସେହି ସ୍ରୋତଜଳରେ ଡୁବାଇବ ଓ ସେହି ଗୃହରେ ସାତ ଥର ଛିଞ୍ଚିବ।
LEV 14:52 ଏହି ପ୍ରକାରେ ପକ୍ଷୀର ରକ୍ତ ଦ୍ୱାରା, ସ୍ରୋତଜଳ ଦ୍ୱାରା, ଜୀଅନ୍ତା ପକ୍ଷୀ ଦ୍ୱାରା, ଏରସ କାଠ ଦ୍ୱାରା, ଏସୋବ ଦ୍ୱାରା ଓ ସିନ୍ଦୂର ବର୍ଣ୍ଣ (ଲୋମ) ଦ୍ୱାରା ସେହି ଗୃହକୁ ଶୁଚି କରିବ।
LEV 14:53 ମାତ୍ର ସେ ଜୀଅନ୍ତା ପକ୍ଷୀକୁ ନଗରର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ; ଏହିରୂପେ ସେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ତାହା ଶୁଚି ହେବ।”
LEV 14:54 କୁଷ୍ଠରୋଗର ସର୍ବପ୍ରକାର ଘାଆ ଓ ଛଉର ଏହି ବ୍ୟବସ୍ଥା;
LEV 14:55 ପୁଣି, ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠରୋଗ;
LEV 14:56 ଆଉ, ଫୁଲା ଓ ପାମା ଓ ଚିକ୍କଣ ଚିହ୍ନ,
LEV 14:57 ଏହିସବୁ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି, ଏହା ଜଣାଇବା ନିମନ୍ତେ କୁଷ୍ଠରୋଗର ଏହି ବ୍ୟବସ୍ଥା।
LEV 15:1 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
LEV 15:2 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ଯଦି ପୁରୁଷର ଶରୀରରେ ପ୍ରମେହ ରୋଗ ହୁଏ, ସେ ଆପଣାର ସେହି ପ୍ରମେହ ସକାଶୁ ଅଶୁଚି ହେବ।
LEV 15:3 ପୁଣି ପ୍ରମେହ ସକାଶୁ ତାହାର ଅଶୁଚିତାର ବିଧି ଏହି; ତାହାର ଶରୀରରୁ ପ୍ରମେହ ଝରୁ ଥାଉ ଅବା ଶରୀରରେ ବନ୍ଦ ଥାଉ, ତାହା ତାହାର ଅଶୁଚିତା ଅଟେ।
LEV 15:4 ପ୍ରମେହୀ ଲୋକ ଯେଉଁ ପ୍ରତ୍ୟେକ ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ଓ ଯେଉଁ ପ୍ରତ୍ୟେକ ପଦାର୍ଥ ଉପରେ ସେ ବସେ, ତାହା ଅଶୁଚି ହେବ।
LEV 15:5 ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:6 ଆଉ, ଯେକୌଣସି ପଦାର୍ଥ ଉପରେ ପ୍ରମେହୀ ବସେ, ତହିଁ ଉପରେ ଯଦି କେହି ବସେ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:7 ପୁଣି, ଯେକେହି ପ୍ରମେହୀର ଶରୀର ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:8 ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:9 ପୁଣି, ପ୍ରମେହୀ ଯେଉଁ ବାହନ ଉପରେ ଚଢ଼େ, ତାହା ଅଶୁଚି ହେବ।
LEV 15:10 ଆଉ, ଯେକେହି ତାହାର ତଳସ୍ଥ କୌଣସି ବସ୍ତୁ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ପୁଣି ଯେକେହି ତାହା ବୋହିବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:11 ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:12 ପୁଣି, ପ୍ରମେହୀ ଯେଉଁ ମୃତ୍ତିକା ପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ।
LEV 15:13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
LEV 15:14 ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ।
LEV 15:15 ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
LEV 15:16 ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:17 ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:18 ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
LEV 15:19 ଆଉ, ଯଦି ସ୍ତ୍ରୀ ରଜସ୍ୱଳା ହୁଏ ଓ ତାହାର ଦେହରୁ ରକ୍ତ ଝରେ, ତେବେ ସେ ସାତ ଦିନ ଆପଣା ଅଶୁଚିତାରେ ରହିବ; ପୁଣି, ଯେକେହି ତାହାକୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:20 ଆଉ ସେ ଆପଣା ସ୍ତ୍ରୀଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ହେବ ଓ ଯହିଁ ଉପରେ ସେ ବସିବ, ତାହା ଅଶୁଚି ହେବ।
LEV 15:21 ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:22 ପୁଣି, ଯେକେହି ତାହାର ବସିବାର କୌଣସି ଆସନ ଉପରେ ବସେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:23 ଆଉ, ତାହାର ଶଯ୍ୟା କି ଆସନ ଉପରେ କିଛି ଥିଲେ, ଯେକେହି ତାହା ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:24 ଆଉ, ଯେଉଁ ପୁରୁଷ ତାହା ସଙ୍ଗେ ଶୟନ କରେ ଓ ତାହାର ରଜ ତାହାଠାରେ ଲାଗେ, ସେ ସାତ ଦିନ ଅଶୁଚି ରହିବ; ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ।
LEV 15:25 ଆଉ, ସ୍ତ୍ରୀର ରଜଧର୍ମ ସମୟ ଛଡ଼ା ଯେବେ କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିଅବା ସ୍ତ୍ରୀର ରଜଧର୍ମ ସମୟ ଉତ୍ତାରେ ଯେବେ ରକ୍ତସ୍ରାବ ହୁଏ; ତେବେ ଯେପରି ସ୍ତ୍ରୀର ରଜଧର୍ମ ସମୟରେ, ସେପରି ଅଶୁଚି ରକ୍ତସ୍ରାବର ସକଳ ଦିନ ହେବ, ସେ ଅଶୁଚି ଅଟେ।
LEV 15:26 ସେହି ରକ୍ତସ୍ରାବର ସକଳ ଦିନ ଯେକୌଣସି ଶଯ୍ୟାରେ ସେ ଶୟନ କରେ, ତାହା ସ୍ତ୍ରୀଧର୍ମ ସମୟର ଶଯ୍ୟା ସଦୃଶ ଅଶୁଚି ହେବ, ଆଉ ସେ ଯେକୌଣସି ଆସନରେ ବସେ, ତାହା ସ୍ତ୍ରୀର ରଜଧର୍ମ ସମୟର ଅଶୁଚିତା ସଦୃଶ ଅଶୁଚି ହେବ।
LEV 15:27 ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
LEV 15:28 ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ।
LEV 15:29 ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବ।
LEV 15:30 ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ଆଉ, ଯାଜକ ତାହାର ରକ୍ତସ୍ରାବର ଅଶୁଚିତା ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
LEV 15:31 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କର ମଧ୍ୟବର୍ତ୍ତୀ ଆମ୍ଭର ଆବାସ ଅଶୁଚି କଲେ, ଯେପରି ସେମାନେ ଆପଣାମାନଙ୍କ ଅଶୁଚିତାରେ ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ଅଶୁଚିତାରୁ ପୃଥକ କରିବ।”
LEV 15:32 ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,
LEV 15:33 ପୁଣି ରଜସ୍ୱଳା ସ୍ତ୍ରୀର ଓ ପ୍ରମେହୀ ପୁରୁଷ ଓ ସ୍ତ୍ରୀର, ଆଉ, ସ୍ତ୍ରୀର ଅଶୁଚିତା ସମୟରେ ତାହା ସହିତ ଶୟନକାରୀ ପୁରୁଷର, ଏହି ବ୍ୟବସ୍ଥା।
LEV 16:1 ଆଉ, ହାରୋଣଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ମଲା ଉତ୍ତାରେ, ସଦାପ୍ରଭୁ ମୋଶାଙ୍କୁ କହିଲେ;
LEV 16:2 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।
LEV 16:3 ହାରୋଣ ପାପାର୍ଥେ ଏକ ଗୋବତ୍ସ ଓ ହୋମାର୍ଥେ ଏକ ମେଷ ସଙ୍ଗେ ନେଇ ଏହିରୂପେ ପବିତ୍ର ସ୍ଥାନରେ ପ୍ରବେଶ କରିବ।
LEV 16:4 ସେ ପବିତ୍ର ଶୁଭ୍ର ପୋଷାକ ପିନ୍ଧିବ, ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ, ଶୁଭ୍ର କଟିବନ୍ଧନୀରେ କଟି ବାନ୍ଧିବ ଓ ଶୁଭ୍ର ପଗଡ଼ିରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏଥିପାଇଁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ।
LEV 16:5 ପୁଣି, ସେ ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥେ ଦୁଇ ଛାଗ ଓ ହୋମାର୍ଥେ ଏକ ମେଷ ନେବ।
LEV 16:6 ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
LEV 16:7 ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
LEV 16:8 ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।
LEV 16:9 ପୁଣି, ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
LEV 16:10 ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ।
LEV 16:11 ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।
LEV 16:12 ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ।
LEV 16:13 ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ, ତହିଁରେ ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।
LEV 16:14 ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତ ଥର ସେହି ରକ୍ତ ଛିଞ୍ଚିବ।
LEV 16:15 ଏଥିଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସର ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍‍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ।
LEV 16:16 ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍‍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।
LEV 16:17 ଆଉ, ସେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟଠାରୁ ଯେପର୍ଯ୍ୟନ୍ତ ବାହାର ହୋଇ ନାହିଁ; ପୁଣି, ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ୍ତ କରି ନାହିଁ, ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମନୁଷ୍ୟ ରହିବ ନାହିଁ,
LEV 16:18 ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।
LEV 16:19 ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୁଚିତାରୁ ତାହା ଶୁଚି କରିବ।
LEV 16:20 ଏହି ପ୍ରକାରେ ସେ ପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।
LEV 16:21 ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ; ଆଉ, ତାହାସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ।
LEV 16:22 ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
LEV 16:23 ତହୁଁ ହାରୋଣ ସମାଗମ-ତମ୍ବୁକୁ ଆସି ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶୁଭ୍ର ବସ୍ତ୍ର ପିନ୍ଧିଥିଲା, ତାହା ପାଲଟି ସେହି ସ୍ଥାନରେ ରଖିବ।
LEV 16:24 ତହିଁ ଉତ୍ତାରେ ସେ କୌଣସି ପବିତ୍ର ସ୍ଥାନରେ ଆପଣା ଶରୀର ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ; ପୁଣି, ଆପଣାର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
LEV 16:25 ଆଉ, ସେ ପାପାର୍ଥକ ବଳିର ମେଦ ବେଦିରେ ଦଗ୍ଧ କରିବ।
LEV 16:26 ପୁଣି, ଯେଉଁ ଲୋକ ତ୍ୟାଗର ଛାଗକୁ ଛାଡ଼ିଦିଏ, ସେ ଆପଣା ବସ୍ତ୍ର ଧୋଇ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ଛାଉଣିକୁ ଆସିବ।
LEV 16:27 ପୁଣି, ପାପାର୍ଥକ ବଳି ନିମନ୍ତେ ଯେଉଁ ଗୋବତ୍ସର ଓ ପାପାର୍ଥକ ବଳି ନିମନ୍ତେ ଯେଉଁ ଛାଗର ରକ୍ତ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନକୁ ଅଣାଯାଇ ଥିଲା, ଲୋକମାନେ ସେଗୁଡ଼ିକୁ ଛାଉଣି ବାହାରକୁ ନେଇଯାଇ ସେଗୁଡ଼ିକର ଚର୍ମ, ମାଂସ ଓ ମଳ ଅଗ୍ନିରେ ଦଗ୍ଧ କରିବେ।
LEV 16:28 ପୁଣି ଯେଉଁ ଲୋକ ତାହା ଦଗ୍ଧ କରିବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
LEV 16:29 ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।
LEV 16:30 କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ।
LEV 16:31 ତାହା ତୁମ୍ଭମାନଙ୍କ ପ୍ରତି ମହା ବିଶ୍ରାମ ଦିନ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ; ଏହା ଅନନ୍ତକାଳୀନ ବିଧି।
LEV 16:32 ପୁଣି, ପିତାର ବଦଳେ ଯାଜକତ୍ୱ ପଦରେ ଯେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ଯାଜକ ପ୍ରାୟଶ୍ଚିତ୍ତ କରିବ ଓ ଶୁଭ୍ର ବସ୍ତ୍ର, ଅର୍ଥାତ୍‍, ପବିତ୍ର ବସ୍ତ୍ରସବୁ ପିନ୍ଧିବ।
LEV 16:33 ଆଉ, ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଆଉ, ସେ ଯାଜକଗଣ ନିମନ୍ତେ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
LEV 16:34 ପୁଣି, ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ୍ତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ହାରୋଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ।
LEV 17:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 17:2 “ତୁମ୍ଭେ ହାରୋଣକୁ, ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
LEV 17:3 ଇସ୍ରାଏଲ ବଂଶରୁ ଜାତ ଯେକେହି ଗୋରୁ, କି ମେଷ, କି ଛାଗ ଛାଉଣି ମଧ୍ୟରେ କିମ୍ବା ଛାଉଣି ବାହାରେ ବଧ କରେ,
LEV 17:4 ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 17:5 ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେଉଁ ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେହି ସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।
LEV 17:6 ପୁଣି, ଯାଜକ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ।
LEV 17:7 ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
LEV 17:8 ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ ବଂଶରୁ ଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ହୋମ କି ବଳିଦାନ କରେ,
LEV 17:9 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ବୁର ଦ୍ୱାର ନିକଟକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 17:10 ଆଉ, ଇସ୍ରାଏଲ ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜନକାରୀ ବ୍ୟକ୍ତି ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା;
LEV 17:11 କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରେ।
LEV 17:12 ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
LEV 17:13 ଆଉ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ଶିକାରରେ କୌଣସି ଖାଦ୍ୟ ଯୋଗ୍ୟ ପଶୁକୁ ବା ପକ୍ଷୀକୁ ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ।
LEV 17:14 କାରଣ ସବୁ ପ୍ରାଣୀର ପ୍ରାଣ ସମ୍ବନ୍ଧରେ ରକ୍ତ ହିଁ ତାହାର ପ୍ରାଣ ଅଟେ; ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ।
LEV 17:15 ଆଉ, ସ୍ୱଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୌତ କରି ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ।
LEV 17:16 ମାତ୍ର ଯଦି ସେ (ବସ୍ତ୍ର) ଧୌତ ନ କରେ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବୋହିବ।”
LEV 18:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 18:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 18:3 ତୁମ୍ଭେମାନେ ଯେଉଁ ମିସର ଦେଶରେ ବାସ କଲ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ; ପୁଣି, ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶର ଆଚରଣ ଅନୁସାରେ ଆଚରଣ କରିବ ନାହିଁ ଓ ସେମାନଙ୍କ ବିଧି ଅନୁସାରେ ଚ଼ାଲିବ ନାହିଁ।
LEV 18:4 ତୁମ୍ଭେମାନେ ଆମ୍ଭର ଶାସନ ମାନ୍ୟ କରିବ ଓ ଆମ୍ଭର ବିଧି ପାଳନ କରିବ ଓ ତଦନୁସାରେ ଆଚରଣ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 18:5 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କରିବ; ମନୁଷ୍ୟ ତାହା କଲେ, ତହିଁରେ ହିଁ ସେ ବଞ୍ଚିବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 18:6 ତୁମ୍ଭମାନଙ୍କର କେହି ଆପଣା ନିକଟ-କୁଟୁମ୍ବ ମଧ୍ୟରୁ କାହାରି ଆବରଣୀୟ ଅନାବୃତ କରିବାକୁ ଯିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।
LEV 18:7 ତୁମ୍ଭେ ଆପଣା ପିତାର ଆବରଣୀୟ ଅବା ଆପଣା ମାତାର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ମାତା; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ।
LEV 18:8 ତୁମ୍ଭେ ଆପଣା ପିତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ପିତାର ଆବରଣୀୟ ଅଟେ।
LEV 18:9 ତୁମ୍ଭେ ଆପଣା ଭଗିନୀ, ଅର୍ଥାତ୍‍, ତୁମ୍ଭ ପିତୃକନ୍ୟା କି ମାତୃକନ୍ୟା, ସେ ଗୃହରେ ଜନ୍ମ ହେଉ କି ଅନ୍ୟତ୍ର ଜନ୍ମ ହେଉ, ତାହାର ଆବରଣୀୟ ଅନାବୃତ କରିବ ନାହିଁ।
LEV 18:10 ତୁମ୍ଭେ ଆପଣା ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ତାହା ତୁମ୍ଭ ନିଜର ଆବରଣୀୟ।
LEV 18:11 ତୁମ୍ଭେ ଆପଣା ସାବତ ଭଉଣୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ସେ ତୁମ୍ଭ ପିତାଠାରୁ ଜନ୍ମିଅଛି, ସେ ତୁମ୍ଭର ଭଗିନୀ, ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ।
LEV 18:12 ତୁମ୍ଭେ ଆପଣା ପିତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, ସେ ତୁମ୍ଭର ପିତୃଗୋତ୍ରରେ ଜନ୍ମ ହୋଇଛି।
LEV 18:13 ତୁମ୍ଭେ ଆପଣା ମାତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, କାରଣ ସେ ତୁମ୍ଭର ମାତୃଗୋତ୍ରରେ ଜନ୍ମ ହୋଇଛି।
LEV 18:14 ତୁମ୍ଭେ ଆପଣା ପିତୃଭ୍ରାତାର ଆବରଣୀୟ ଅନାବୃତ କରିବ ନାହିଁ, ତୁମ୍ଭେ ତାହାର ଭାର୍ଯ୍ୟା ନିକଟକୁ ଯିବ ନାହିଁ, କାରଣ ସେ ତୁମ୍ଭର ପିତୃବ୍ୟପତ୍ନୀ।
LEV 18:15 ତୁମ୍ଭେ ଆପଣା ପୁତ୍ରବଧୂର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ପୁତ୍ରବଧୂ; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ।
LEV 18:16 ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ଭ୍ରାତାର ଆବରଣୀୟ।
LEV 18:17 ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତୁମ୍ଭେ ତାହାର ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବା ପାଇଁ ତାହାକୁ ଗ୍ରହଣ କରିବ ନାହିଁ; ସେମାନେ ଗୋତ୍ରରେ ଜନ୍ମ ହୋଇଛନ୍ତି; ଏହା ଦୁଷ୍ଟତା ଅଟେ।
LEV 18:18 ଆଉ ଭଗିନୀ ଜୀବିତା ଥାଉ ଥାଉ ତୁମ୍ଭେ ତାହା ପାର୍ଶ୍ୱରେ ତାହାର ସପତ୍ନୀ ରୂପେ ଆବରଣୀୟ ଅନାବୃତ କରିବା ପାଇଁ ତାʼର ଭଗିନୀକୁ ଗ୍ରହଣ କରିବ ନାହିଁ।
LEV 18:19 ପୁଣି, କୌଣସି ସ୍ତ୍ରୀ ତାହାର ରଜଧର୍ମ ହେତୁ ଅଶୁଚି ଥିବା ପର୍ଯ୍ୟନ୍ତ ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବା ନିମନ୍ତେ ତାହା ନିକଟକୁ ଯିବ ନାହିଁ।
LEV 18:20 ଆଉ, ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ ପ୍ରତିବାସୀର ଭାର୍ଯ୍ୟା ନିକଟକୁ ଗମନ କରିବ ନାହିଁ।
LEV 18:21 ତୁମ୍ଭେ ଆପଣା ବଂଶଜାତ କାହାକୁ ହିଁ, ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇବାକୁ ଦେବ ନାହିଁ, କିଅବା ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 18:22 ତୁମ୍ଭେ ସ୍ତ୍ରୀର ନ୍ୟାୟ ପୁରୁଷ ସହିତ ସଂସର୍ଗ କରିବ ନାହିଁ, ତାହା ଘୃଣାଯୋଗ୍ୟ କର୍ମ।
LEV 18:23 ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ କୌଣସି ପଶୁଠାରେ ଗମନ କରିବ ନାହିଁ; କିଅବା କୌଣସି ସ୍ତ୍ରୀ ଆପଣା ସହିତ ସଂସର୍ଗ କରାଇବାକୁ କୌଣସି ପଶୁର ସମ୍ମୁଖରେ ଠିଆ ହେବ ନାହିଁ; ଏହା ତ ପାଷାଣ୍ଡତା।
LEV 18:24 ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି।
LEV 18:25 ପୁଣି, ଦେଶ ହିଁ ଅଶୁଚି ହୋଇଅଛି; ଏହେତୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି।
LEV 18:26 ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ, ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ।
LEV 18:27 କାରଣ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଦେଶ ନିବାସୀମାନେ ଏହିସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି ଓ ଦେଶ ଅଶୁଚି ହୋଇଅଛି।
LEV 18:28 ତୁମ୍ଭେମାନେ ତାହା ଅଶୁଚି କଲେ, ସେହି ଦେଶ ଯେପରି ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ନିବାସୀ ଲୋକମାନଙ୍କୁ ଉଦ୍ଗାର କଲା, ସେହିପରି ତୁମ୍ଭମାନଙ୍କୁ ମଧ୍ୟ ଉଦ୍ଗାର କରିବ।
LEV 18:29 ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।
LEV 18:30 ଏଣୁକରି ତୁମ୍ଭମାନଙ୍କ ପୂର୍ବରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରାଯାଇଅଛି, ସେହି ସବୁ ମଧ୍ୟରୁ କୌଣସି କର୍ମ କରି ତଦ୍ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ ଓ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
LEV 19:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 19:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
LEV 19:3 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ମାତାକୁ ଓ ଆପଣା ଆପଣା ପିତାକୁ ଭୟ କରିବ; ପୁଣି, ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:4 ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:5 ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।
LEV 19:6 ବଳିଦାନ ଦିନ ଓ ତହିଁ ଆରଦିନ ତାହା ଭୋଜନ କରାଯିବ; ପୁଣି, ତୃତୀୟ ଦିନ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରହିଲେ, ତାହା ଦଗ୍ଧ କରାଯିବ।
LEV 19:7 ଯଦି ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ, ତେବେ ତାହା ଘୃଣାଯୋଗ୍ୟ ଓ ଅଗ୍ରାହ୍ୟ ହେବ।
LEV 19:8 ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 19:9 ଆଉ, ତୁମ୍ଭେମାନେ ଆପଣା ଆପଣା ଭୂମିର ଶସ୍ୟ କାଟିବା ବେଳେ ତୁମ୍ଭେ ନିଜ କ୍ଷେତ୍ରର କୋଣ ସମ୍ପୂର୍ଣ୍ଣ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସାଉଣ୍ଟିବ ନାହିଁ।
LEV 19:10 ପୁଣି, ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିଅବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଣ୍ଟିବ ନାହିଁ; ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀମାନଙ୍କ ନିମନ୍ତେ ଛାଡ଼ିଦେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:11 ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।
LEV 19:12 ଆଉ, ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ଶପଥ କରିବ ନାହିଁ, ତାହା କଲେ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ; ଆମ୍ଭେ ସଦାପ୍ରଭୁ।
LEV 19:13 ତୁମ୍ଭେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ଅପହରଣ କରିବ ନାହିଁ; ପୁଣି, ବେତନଜୀବୀର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
LEV 19:14 ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ଦ୍ରବ୍ୟ ରଖିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ।
LEV 19:15 ତୁମ୍ଭେମାନେ ବିଚାରରେ ଅଧର୍ମ କରିବ ନାହିଁ; ତୁମ୍ଭେ ଦରିଦ୍ରର ମୁଖାପେକ୍ଷା କରିବ ନାହିଁ, କିଅବା ଧନୀର ସମ୍ଭ୍ରମ କରିବ ନାହିଁ, ମାତ୍ର ତୁମ୍ଭେ ଧର୍ମରେ ଆପଣା ପ୍ରତିବାସୀର ବିଚାର କରିବ।
LEV 19:16 ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ।
LEV 19:17 ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।
LEV 19:18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ।
LEV 19:19 ତୁମ୍ଭେମାନେ ଆମ୍ଭର ସକଳ ବିଧି ପାଳନ କରିବ; ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ; ତୁମ୍ଭେ ଆପଣା କ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; କିଅବା ଦୁଇ ପ୍ରକାର ସୂତ୍ରମିଶ୍ରିତ ବସ୍ତ୍ର ଦେହରେ ଦେବ ନାହିଁ।
LEV 19:20 ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।
LEV 19:21 ପୁଣି, ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି, ଅର୍ଥାତ୍‍, ଦୋଷାର୍ଥକ ମେଷ ଆଣିବ।
LEV 19:22 ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ।
LEV 19:23 ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହାସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
LEV 19:24 ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
LEV 19:25 ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:26 ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
LEV 19:27 ତୁମ୍ଭେମାନେ ଆପଣା ଆପଣା ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ, କିଅବା ଆପଣା ଆପଣା ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
LEV 19:28 ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 19:29 ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।
LEV 19:30 ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 19:31 ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।
LEV 19:32 ତୁମ୍ଭେ ପକ୍ୱକେଶ ପ୍ରାଚୀନଙ୍କ ସମ୍ମୁଖରେ ଉଠି ଠିଆ ହେବ ଓ ବୃଦ୍ଧ ଲୋକକୁ ସମାଦର କରିବ; ପୁଣି, ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 19:33 ଆଉ, ଯଦି କୌଣସି ବିଦେଶୀ ତୁମ୍ଭମାନଙ୍କ ଦେଶରେ ତୁମ୍ଭ ସହିତ ବାସ କରେ, ତେବେ ତୁମ୍ଭେମାନେ ତାହା ପ୍ରତି ଉପଦ୍ରବ କରିବ ନାହିଁ।
LEV 19:34 ଯେପରି ତୁମ୍ଭମାନଙ୍କର ସ୍ୱଦେଶୀୟ ଲୋକ ସେପରି ତୁମ୍ଭମାନଙ୍କ ସହବାସୀ ବିଦେଶୀୟ ଲୋକ ତୁମ୍ଭମାନଙ୍କ ପ୍ରତି ହେବ, ପୁଣି ତୁମ୍ଭେ ତାହାକୁ ଆତ୍ମତୁଲ୍ୟ ପ୍ରେମ କରିବ; କାରଣ ମିସର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:35 ତୁମ୍ଭେମାନେ ବିଚାର ଅବା ମାପ ଅବା ତୌଲ କିଅବା ପରିମାଣ ବିଷୟରେ ଅଧର୍ମ କରିବ ନାହିଁ।
LEV 19:36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫା ଓ ଯଥାର୍ଥ ହିନ୍‍, ତୁମ୍ଭମାନଙ୍କର ହେବ; ଯେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 19:37 ଏହେତୁ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।”
LEV 20:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 20:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ।
LEV 20:3 ପୁଣି, ଆମ୍ଭେ ମଧ୍ୟ ସେହି ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; କାରଣ ସେ ଆମ୍ଭର ପବିତ୍ର ସ୍ଥାନ ଅପବିତ୍ର କରିବାକୁ ଓ ଆମ୍ଭର ପବିତ୍ର ନାମ ଅପବିତ୍ର କରିବାକୁ ମୋଲକ୍‍ ଦେବତା ଉଦ୍ଦେଶ୍ୟରେ ଆପଣା ସନ୍ତାନକୁ ଦେଇଅଛି।
LEV 20:4 ଆଉ, ଯେଉଁ ସମୟରେ ସେହି ଲୋକ ଆପଣା ସନ୍ତାନକୁ ମୋଲକ୍‍ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସେହି ସମୟରେ ଯଦି ଦେଶୀୟ ଲୋକମାନେ କୌଣସି ରୂପେ ତାହା ପ୍ରତି ଚକ୍ଷୁ ବନ୍ଦ କରନ୍ତି ଓ ତାହାକୁ ବଧ ନ କରନ୍ତି,
LEV 20:5 ତେବେ ଆମ୍ଭେ ସେହି ଲୋକ ଓ ତାହାର ପରିବାରକୁ ଦଣ୍ଡ ଦେବା; ପୁଣି, ତାହାକୁ ଓ ମୋଲକ୍‍ ଦେବତା ସହିତ ବ୍ୟଭିଚାର କରିବା ନିମନ୍ତେ ତାହାର ପଶ୍ଚାଦ୍‍ଗାମୀ ବ୍ୟଭିଚାରୀ ସମସ୍ତଙ୍କୁ ସେମାନଙ୍କ ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରିବା।
LEV 20:6 ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍‍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା।
LEV 20:7 ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ପବିତ୍ର ହୁଅ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 20:8 ଆହୁରି ତୁମ୍ଭେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ।
LEV 20:9 ଯେକେହି ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ସେ ନିତାନ୍ତ ହତ ହେବ; ସେ ତାହାର ପିତାକୁ କି ତାହାର ମାତାକୁ ଅଭିଶାପ ଦେଇଅଛି; ତାହା ଉପରେ ତାହାର ରକ୍ତ ବର୍ତ୍ତିବ।
LEV 20:10 ଆଉ, ଯେକେହି ପରର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ଯେ ଆପଣା ପ୍ରତିବାସୀର ଭାର୍ଯ୍ୟା ସହିତ ବ୍ୟଭିଚାର କରେ, ସେହି ବ୍ୟଭିଚାରୀ ଓ ବ୍ୟଭିଚାରିଣୀ ଦୁହେଁ ନିତାନ୍ତ ହତ ହେବେ।
LEV 20:11 ପୁଣି, ଯେଉଁ ଲୋକ ଆପଣା ପିତୃର ଭାର୍ଯ୍ୟା ସହିତ ଶାରୀରିକ ସମ୍ପର୍କ ରଖେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
LEV 20:12 ପୁଣି, ଯଦି କେହି ଆପଣା ପୁତ୍ରବଧୂ ସହିତ ଶୟନ କରେ, ତେବେ ସେ ଦୁହେଁ ନିତାନ୍ତ ହତ ହେବେ; ସେମାନେ ପାଷାଣ୍ଡ କର୍ମ କରିଅଛନ୍ତି; ସେମାନଙ୍କର ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
LEV 20:13 ପୁଣି, ପୁରୁଷ ଯଦି ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଯୌନ ସମ୍ପର୍କ ରଖେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
LEV 20:14 ଆଉ, କେହି ଯଦି କୌଣସି ସ୍ତ୍ରୀକୁ ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ; ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ଓ ସେମାନେ ଉଭୟ ଅଗ୍ନିରେ ଦଗ୍ଧ ହେବେ।
LEV 20:15 ପୁଣି, ଯଦି କେହି ପଶୁ ସହିତ ସହବାସ କରେ, ତେବେ ସେ ନିତାନ୍ତ ହତ ହେବ; ପୁଣି ତୁମ୍ଭେମାନେ ସେହି ପଶୁକୁ ମଧ୍ୟ ବଧ କରିବ।
LEV 20:16 ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
LEV 20:17 ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।
LEV 20:18 ପୁଣି, ଯଦି କେହି ରଜସ୍ୱଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାହାର ରକ୍ତର କ୍ଷରଣ ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ରକ୍ତର କ୍ଷରଣ ଅନାବୃତ କରିବାରୁ, ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।
LEV 20:19 ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବୋହିବେ।
LEV 20:20 ଆଉ, ଯଦି କେହି ଆପଣା ପିତୃବ୍ୟପତ୍ନୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି; ସେମାନେ ଆପଣା ଆପଣା ଅପରାଧ ବୋହିବେ; ସେମାନେ ନିଃସନ୍ତାନ ହୋଇ ମରିବେ।
LEV 20:21 ପୁଣି, ଯଦି କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ।
LEV 20:22 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଆଜ୍ଞା ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍ଗାର କରିବ ନାହିଁ।
LEV 20:23 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହି ସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।
LEV 20:24 ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କରିବ; ଆଉ, ଆମ୍ଭେ ଅଧିକାର ନିମନ୍ତେ ତୁମ୍ଭମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା; ଯେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 20:25 ଏହେତୁ ତୁମ୍ଭେମାନେ ଶୁଚି ଓ ଅଶୁଚି ପଶୁ ପୁଣି ଶୁଚି ଓ ଅଶୁଚି ପକ୍ଷୀ ମଧ୍ୟରେ ପୃଥକ କରିବ; ଆମ୍ଭେ ଯେଉଁ ଯେଉଁ ପଶୁ, ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ଦ୍ୱାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ।
LEV 20:26 ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ; କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆଉ, ତୁମ୍ଭେମାନେ ଯେପରି ଆମ୍ଭର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭମାନଙ୍କୁ ପୃଥକ କରିଅଛୁ।
LEV 20:27 ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”
LEV 21:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣର ପୁତ୍ର ଯାଜକଗଣଙ୍କୁ କୁହ, ଆପଣା ଲୋକମାନଙ୍କ ମଧ୍ୟରୁ ମୃତ କୌଣସି ଲୋକ ସକାଶୁ ସେମାନଙ୍କର କେହି ଆପଣାକୁ ଅଶୁଚି କରିବ ନାହିଁ।
LEV 21:2 କେବଳ ଆପଣାର ନିକଟ ଜ୍ଞାତି, ଅର୍ଥାତ୍‍, ଆପଣା ମାତା, ଆପଣା ପିତା, ଆପଣା ପୁତ୍ର, ଆପଣା କନ୍ୟା ଓ ଆପଣା ଭ୍ରାତା ନିମନ୍ତେ ଅଶୁଚି ହେବ।
LEV 21:3 ପୁଣି, ଯେଉଁ ନିକଟସ୍ଥ ଭଗିନୀର ସ୍ୱାମୀ ହୋଇ ନାହିଁ, ଏପରି ଅବିବାହିତା ଭଗିନୀ ସକାଶୁ ସେ ଆପଣାକୁ ଅଶୁଚି କରି ପାରିବ।
LEV 21:4 ସେ ଆପଣା ଲୋକମାନଙ୍କ ମଧ୍ୟରେ ସ୍ୱାମୀ ହେବାରୁ ଆପଣାକୁ ଅପବିତ୍ର କରିବା ପାଇଁ ଅଶୁଚି ହେବ ନାହିଁ।
LEV 21:5 ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଅବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।
LEV 21:6 ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍‍, ଆପଣାମାନଙ୍କ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେ।
LEV 21:7 ସେମାନେ ବେଶ୍ୟାକୁ ଅବା କଳଙ୍କିନୀକୁ ବିବାହ କରିବେ ନାହିଁ ଓ ସ୍ୱାମୀତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ, କାରଣ ସେ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର।
LEV 21:8 ଏହେତୁ ତୁମ୍ଭେ ତାହାକୁ ପବିତ୍ର କରିବ; କାରଣ ସେ ତୁମ୍ଭ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରେ; ସେ ତୁମ୍ଭ ନିକଟରେ ପବିତ୍ର ହେବ; କାରଣ ତୁମ୍ଭମାନଙ୍କୁ ପବିତ୍ର କରୁ ଯେ ସଦାପ୍ରଭୁ ଆମ୍ଭେ, ଆମ୍ଭେ ପବିତ୍ର ଅଟୁ।
LEV 21:9 ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।
LEV 21:10 ଆଉ, ଆପଣା ଭ୍ରାତାମାନଙ୍କ ମଧ୍ୟରୁ ଯେଉଁ ଜନ ପ୍ରଧାନ ଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି ଓ ଯେ ପବିତ୍ର ବସ୍ତ୍ର ପରିଧାନ କରିବା ପାଇଁ ପଦରେ ନିଯୁକ୍ତ ହୋଇଅଛି, ସେ ଆପଣା ମସ୍ତକର କେଶ ମୁକୁଳା କରିବ ନାହିଁ ଓ ଆପଣା ବସ୍ତ୍ର ଚିରିବ ନାହିଁ।
LEV 21:11 କିଅବା ସେ ଗୃହ ଭିତରେ ଶବ ନିକଟକୁ ଯିବ ନାହିଁ, ଅବା ଆପଣା ପିତା ବା ଆପଣା ମାତା ସକାଶୁ ଆପଣାକୁ ଅଶୁଚି କରିବ ନାହିଁ।
LEV 21:12 ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଅବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ; କାରଣ ତାହାର ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳରୂପ ମୁକୁଟ ତାହା ଉପରେ ଅଛି; ଆମ୍ଭେ ସଦାପ୍ରଭୁ ଅଟୁ।
LEV 21:13 ପୁଣି, ସେ କେବଳ ଅନୂଢ଼ାକୁ ବିବାହ କରିବ;
LEV 21:14 ବିଧବା, ତ୍ୟକ୍ତା, କଳଙ୍କିନୀ କିଅବା ବେଶ୍ୟାକୁ ବିବାହ କରିବ ନାହିଁ; ମାତ୍ର ସେ ଆପଣା ଲୋକମାନଙ୍କ ମଧ୍ୟରୁ କୌଣସି ଏକ କନ୍ୟାକୁ ବିବାହ କରିବ।
LEV 21:15 ଆଉ, ସେ ଆପଣା ଲୋକମାନଙ୍କ ମଧ୍ୟରେ ଆପଣା ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”
LEV 21:16 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 21:17 “ତୁମ୍ଭେ ହାରୋଣକୁ କୁହ, ପୁରୁଷାନୁକ୍ରମେ ତୁମ୍ଭ ବଂଶ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ଆପଣା ପରମେଶ୍ୱରଙ୍କ ‘ଭକ୍ଷ୍ୟଦ୍ରବ୍ୟ’ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ।
LEV 21:18 ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ; ବିଶେଷରେ ଅନ୍ଧ ଲୋକ, ଛୋଟା, ଯାହାର ନାକ ବିକୃତ, ଅଧିକ ଅଙ୍ଗ,
LEV 21:19 ଭଗ୍ନପାଦ, ଭଗ୍ନହସ୍ତ,
LEV 21:20 କୁଜା, ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, ଜାଦୁ ରୋଗୀ, କାଛୁ ରୋଗୀ, ଭଗ୍ନକୋଷ;
LEV 21:21 ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ୱରଙ୍କ ‘ଭକ୍ଷ୍ୟ’ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ।
LEV 21:22 ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ‘ଭକ୍ଷ୍ୟ’ ଭୋଜନ କରିବ।
LEV 21:23 ମାତ୍ର ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ ନାହିଁ, କିଅବା ବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି; ସେ ଆମ୍ଭର ପବିତ୍ର ସ୍ଥାନସକଳ ଅପବିତ୍ର କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।”
LEV 21:24 ଏହି ପ୍ରକାରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କହିଲେ।
LEV 22:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 22:2 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କରିବେ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 22:3 ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ-ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 22:4 ପୁଣି, ହାରୋଣ-ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ;
LEV 22:5 ଅଥବା ଯାହା ଦ୍ୱାରା ସେ ଅଶୁଚି ହୋଇପାରେ, ଏପରି କୌଣସି ଉରୋଗାମୀ ଜନ୍ତୁକୁ, କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଇଁବ,
LEV 22:6 ସେହି ସ୍ପର୍ଶକାରୀ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ସେ ଜଳରେ ଆପଣା ଶରୀର ନ ଧୋଇଲେ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
LEV 22:7 ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ, ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ।
LEV 22:8 ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ଜନ୍ତୁର ମାଂସ ଭୋଜନ କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 22:9 ଏହେତୁ ସେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବେ; ନୋହିଲେ, ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ଅପରାଧ ବୋହିବ ଓ ତହିଁରେ ମରିବେ; ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ।
LEV 22:10 ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
LEV 22:11 ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ।
LEV 22:12 ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ।
LEV 22:13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।
LEV 22:14 ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।
LEV 22:15 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହାସବୁ ଅପବିତ୍ର କରିବେ ନାହିଁ।
LEV 22:16 ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
LEV 22:17 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 22:18 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ‘ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି,
LEV 22:19 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂପଶୁ ଉତ୍ସର୍ଗ କରିବେ।
LEV 22:20 ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
LEV 22:21 ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ।
LEV 22:22 ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ।
LEV 22:23 ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ।
LEV 22:24 ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ।
LEV 22:25 କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।’”
LEV 22:26 ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 22:27 “ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ।
LEV 22:28 ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
LEV 22:29 ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ।
LEV 22:30 ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 22:31 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 22:32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।
LEV 22:33 ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”
LEV 23:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 23:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେହି ସକଳ ପର୍ବ ଏହି।
LEV 23:3 ଛଅ ଦିନ କର୍ମ କରାଯିବ; ମାତ୍ର ସପ୍ତମ ଦିନ ମହା ବିଶ୍ରାମ, ଅର୍ଥାତ୍‍, ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ; ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।
LEV 23:4 ତୁମ୍ଭେମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ, ଅର୍ଥାତ୍‍, ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି।
LEV 23:5 ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ।
LEV 23:6 ପୁଣି, ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୁଟିର ପର୍ବ ହେବ; ସାତ ଦିନ ଯାଏ ତୁମ୍ଭେମାନେ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ।
LEV 23:7 ପ୍ରଥମ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
LEV 23:8 ମାତ୍ର ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ସପ୍ତମ ଦିନରେ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।”
LEV 23:9 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 23:10 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ।
LEV 23:11 ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ; ବିଶ୍ରାମବାରର ପରଦିନ ଯାଜକ ତାହା ଦୋଳାଇବ।
LEV 23:12 ପୁଣି, ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ, ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ପ୍ରଥମବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଉତ୍ସର୍ଗ କରିବ।
LEV 23:13 ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍‍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ-ନୈବେଦ୍ୟ ହେବ।
LEV 23:14 ପୁଣି, ତୁମ୍ଭେମାନେ ଯେଉଁ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣି ନାହଁ, ସେହି ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ରୁଟି କି ଭଜା ଶସ୍ୟ କି ଛିଣ୍ଡା ଶିଷା ଖାଇବ ନାହିଁ; ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
LEV 23:15 ଆହୁରି ସେହି ବିଶ୍ରାମବାରର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ।
LEV 23:16 ଏହିରୂପେ ସପ୍ତମ ବିଶ୍ରାମବାରର ପରଦିନ ପର୍ଯ୍ୟନ୍ତ ପଚାଶ ଦିନ ଗଣନା କରିବ; ଆଉ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ।
LEV 23:17 ତୁମ୍ଭେମାନେ ଆପଣା ଆପଣା ନିବାସରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୁଟି ଆଣିବ; ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ରନ୍ଧନ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ହେବ।
LEV 23:18 ପୁଣି, ତୁମ୍ଭେମାନେ ସେହି ରୁଟି ସହିତ ପ୍ରଥମବର୍ଷୀୟ ନିଖୁନ୍ତ ସାତ ମେଷବତ୍ସ ଓ ଗୋଟିଏ ଯୁବା ବୃଷ ଓ ଦୁଇ ମେଷ ବଳିଦାନ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ହେବ; ପୁଣି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ସହିତ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
LEV 23:19 ତହିଁ ଉତ୍ତାରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଦୁଇ ମେଷବତ୍ସ ବଳିଦାନ କରିବ।
LEV 23:20 ପୁଣି, ଯାଜକ ପ୍ରଥମ ଫଳର ରୁଟି ସହିତ ଓ ଦୁଇ ମେଷବତ୍ସ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇବ; ତାହାସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
LEV 23:21 ଆଉ, ତୁମ୍ଭେମାନେ ସେହି ଦିନ (ସଭାର) ଘୋଷଣା କରିବ; ତହିଁରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ଏହା ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
LEV 23:22 ଆଉ, ତୁମ୍ଭମାନଙ୍କ ଭୂମିର ଶସ୍ୟ ତୁମ୍ଭେମାନେ କାଟିବା ବେଳେ, ତୁମ୍ଭେ ଆପଣା କ୍ଷେତ୍ରର କୋଣ ନିଃଶେଷ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସଂଗ୍ରହ କରିବ ନାହିଁ; ତୁମ୍ଭେ ତାହା ଦୁଃଖୀ ଓ ବିଦେଶୀ ପାଇଁ ଛାଡ଼ିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
LEV 23:23 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 23:24 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ସପ୍ତମ ମାସରେ, ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହା ବିଶ୍ରାମ, ଅର୍ଥାତ୍‍, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ।
LEV 23:25 ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।’”
LEV 23:26 ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 23:27 “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ; ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।
LEV 23:28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ।
LEV 23:29 ସେହି ଦିନରେ ଯେକେହି ଆପଣା ପ୍ରାଣକୁ କ୍ଲେଶ ଦେବ ନାହିଁ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
LEV 23:30 ପୁଣି ସେହି ଦିନ ଯେକୌଣସି ପ୍ରାଣୀ କୌଣସି ପ୍ରକାର କାର୍ଯ୍ୟ କରେ, ସେହି ପ୍ରାଣୀକୁ ତାହାର ଲୋକମାନଙ୍କ ମଧ୍ୟରୁ ଆମ୍ଭେ ଉଚ୍ଛିନ୍ନ କରିବା।
LEV 23:31 ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; ଏହା ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
LEV 23:32 ସେହି ଦିନ ତୁମ୍ଭମାନଙ୍କର ମହା ବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।”
LEV 23:33 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 23:34 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଏହି ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ହେବ।
LEV 23:35 ପ୍ରଥମ ଦିନରେ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
LEV 23:36 ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ତାହା ମହାସଭା ଅଟେ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହଁ।
LEV 23:37 ଏହିସବୁ ସଦାପ୍ରଭୁଙ୍କର ସ୍ଥାପିତ ପର୍ବ; ପୁଣି, ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର, ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ବଳି ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାକୁ ପବିତ୍ର ସଭାର ଘୋଷଣା କରିବ।
LEV 23:38 ନିୟମିତ ଭାବରେ ସାପ୍ତାହିକ ବିଶ୍ରାମବାର ପାଳନ କରିବା ବ୍ୟତୀତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଉଥିବା ତୁମ୍ଭମାନଙ୍କର ସକଳ ଦାନ, ସକଳ ମାନତ ଓ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସକଳ ବ୍ୟତୀତ ନିରୂପିତ ପର୍ବମାନଙ୍କରେ ଉତ୍ସର୍ଗ କରିବ।
LEV 23:39 ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହା ବିଶ୍ରାମ ହେବ।
LEV 23:40 ଆଉ, ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀତୀରସ୍ଥ ବାଇଶୀ ବୃକ୍ଷ ଘେନି ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ସାତ ଦିନ ଆନନ୍ଦ କରିବ।
LEV 23:41 ପୁଣି, ତୁମ୍ଭେମାନେ ବର୍ଷ ମଧ୍ୟରେ ସାତ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ।
LEV 23:42 ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ବାସ କରିବ; ଇସ୍ରାଏଲ ବଂଶଜାତ ସମସ୍ତେ ପତ୍ରକୁଟୀରରେ ବାସ କରିବେ।
LEV 23:43 ତହିଁରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କୁ ପତ୍ରକୁଟୀରରେ ବାସ କରାଇଥିଲୁ, ଏହା ତୁମ୍ଭମାନଙ୍କର ଭବିଷ୍ୟତ ପୁରୁଷମାନେ ଜାଣି ପାରିବେ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
LEV 23:44 ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କର ସମସ୍ତ ସ୍ଥାପିତ ପର୍ବର କଥା କହିଲେ।
LEV 24:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 24:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ନିତ୍ୟ ନିତ୍ୟ ପ୍ରଦୀପ ଜ୍ୱଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେଷା ଜୀତ ତୈଳ ଆଣିବେ।
LEV 24:3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକର ବିଚ୍ଛେଦ ବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
LEV 24:4 ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପସକଳ ସ୍ଥାପନ କରିବ।
LEV 24:5 ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ।
LEV 24:6 ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହାସବୁ ରଖିବ।
LEV 24:7 ଆଉ, ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ, ତାହା ସେହି ରୁଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
LEV 24:8 ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।
LEV 24:9 ପୁଣି, ତାହା ହାରୋଣ ଓ ତାହାର ପୁତ୍ରଗଣଙ୍କର ହେବ; ଆଉ, ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ; ଏହା ଅନନ୍ତକାଳୀନ ବିଧି।”
LEV 24:10 ଏଥିଉତ୍ତାରେ ମିସରୀୟ ପୁରୁଷର ଔରସରେ ଇସ୍ରାଏଲ ବଂଶୀୟା ସ୍ତ୍ରୀଠାରୁ ଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଲା; ପୁଣି ଛାଉଣି ମଧ୍ୟରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର ଓ ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା।
LEV 24:11 ତହିଁରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର (ସଦାପ୍ରଭୁଙ୍କ) ନାମକୁ ନିନ୍ଦା କରି ଅଭିଶାପ ଦେଲା; ତହୁଁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ; ତାହାର ମାତାର ନାମ ଶଲୋମୀତ୍‍, ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା।
LEV 24:12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ।
LEV 24:13 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 24:14 “ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।
LEV 24:15 ଆଉ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ଅପରାଧ ବୋହିବ।
LEV 24:16 ପୁଣି, ଯେକେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ, ସେ ଅବଶ୍ୟ ହତ ହେବ; ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଧ କରିବେ; ବିଦେଶୀ ହେଉ ବା ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ।
LEV 24:17 ଆଉ, ଯେକେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ, ସେ ନିଶ୍ଚୟ ହତ ହେବ।
LEV 24:18 ପୁଣି, ଯେକେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ।
LEV 24:19 ଆଉ, କୌଣସି ମନୁଷ୍ୟ ଯଦି ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି, ସେହିପରି ତାହା ପ୍ରତି କରାଯିବ।
LEV 24:20 କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ; ମନୁଷ୍ୟର ଦେହରେ ଯେ ଯେପରି ଖୁଣ କରିଅଛି, ତାହା ପ୍ରତି ସେହି ପ୍ରକାର କରାଯିବ।
LEV 24:21 ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ।
LEV 24:22 ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ-ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
LEV 24:23 ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଅଭିଶାପ ଦେଇଥିଲା, ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କଲେ।
LEV 25:1 ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ,
LEV 25:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ ଭୋଗ କରିବ।
LEV 25:3 ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ।
LEV 25:4 ମାତ୍ର ସପ୍ତମ ବର୍ଷରେ ଭୂମିର ମହା ବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।
LEV 25:5 ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହା ବିଶ୍ରାମ ବର୍ଷ ହେବ।
LEV 25:6 ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର, ତୁମ୍ଭ ଦାସର, ତୁମ୍ଭ ଦାସୀର, ତୁମ୍ଭ ବେତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;
LEV 25:7 ପୁଣି, ତୁମ୍ଭ ପଶୁର ଓ ତୁମ୍ଭ ଦେଶୀୟ ବନ୍ୟପଶୁର ଆହାର ନିମନ୍ତେ ହେବ।
LEV 25:8 ଆଉ, ତୁମ୍ଭେ ଆପଣା ନିମନ୍ତେ ସାତ ବିଶ୍ରାମ ବର୍ଷ, ଅର୍ଥାତ୍‍, ସାତ ଗୁଣ ସାତ ବର୍ଷ ଗଣନା କରିବ; ତହିଁରେ ସେହି ସାତ ଗୁଣ ସାତ ବର୍ଷର ଦିନ ତୁମ୍ଭ ପ୍ରତି ଅଣଞ୍ଚାଶ ବର୍ଷ ହେବ।
LEV 25:9 ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ; ପ୍ରାୟଶ୍ଚିତ୍ତ ଦିନରେ ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଦେଶରେ ତୂରୀ ବଜାଇବ।
LEV 25:10 ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୋବେଲ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ।
LEV 25:11 ସେହି ପଚାଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ; ତୁମ୍ଭେମାନେ ବୁଣିବ ନାହିଁ କିଅବା ଯେଉଁ ଶସ୍ୟ ଆପେ ବଢ଼େ, ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
LEV 25:12 କାରଣ ତାହା ଯୋବେଲ ବର୍ଷ ଅଟେ; ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ; ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ।
LEV 25:13 ସେହି ଯୋବେଲ ବର୍ଷରେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ।
LEV 25:14 ଯଦି ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ଭୂମ୍ୟାଦି ବିକ୍ରୟ କର, ଅବା ଆପଣା ପ୍ରତିବାସୀ ହସ୍ତରୁ କ୍ରୟ କର, ତେବେ ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ।
LEV 25:15 ତୁମ୍ଭେ ଯୋବେଲ ପରବର୍ଷର ସଂଖ୍ୟାନୁସାରେ ଆପଣା ପ୍ରତିବାସୀଠାରୁ କ୍ରୟ କରିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ସେ ତୁମ୍ଭକୁ ବିକ୍ରୟ କରିବ।
LEV 25:16 ତୁମ୍ଭେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତାନୁସାରେ ମୂଲ୍ୟ ଊଣା କରିବ; କାରଣ ସେ ତୁମ୍ଭକୁ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ଭୂମି ବିକ୍ରୟ କରିବ।
LEV 25:17 ତୁମ୍ଭେମାନେ ପରସ୍ପରର ଅନ୍ୟାୟ କରିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 25:18 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନସକଳ ମାନିବ ଓ ପାଳନ କରିବ; ତହିଁରେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରିବ।
LEV 25:19 ପୁଣି, ଭୂମି ନିଜ ଫଳ ଉତ୍ପନ୍ନ କରିବ, ତହିଁରେ ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ।
LEV 25:20 ଆଉ ତୁମ୍ଭେମାନେ ଯଦି କହିବ, ଦେଖ, ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କଅଣ ଖାଇବୁ?
LEV 25:21 ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା ତିନି ବର୍ଷର ଫଳ ଉତ୍ପନ୍ନ କରିବ।
LEV 25:22 ପୁଣି, ଅଷ୍ଟମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ; ନବମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ତୁମ୍ଭେମାନେ ପୁରାତନ ଶସ୍ୟ ଭୋଜନ କରିବ।
LEV 25:23 ଆଉ, ଭୂମି ସଦାକାଳ ନିମନ୍ତେ ବିକ୍ରୟ କରାଯିବ ନାହିଁ; କାରଣ ଭୂମି ଆମ୍ଭର; ତୁମ୍ଭେମାନେ ଆମ୍ଭ ସହିତ ବିଦେଶୀ ଓ ପ୍ରବାସୀ ଅଟ।
LEV 25:24 ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ।
LEV 25:25 ଯଦି ତୁମ୍ଭର ଭ୍ରାତା ଦରିଦ୍ର ହୋଇ ଆପଣା ଅଧିକାରରୁ କିଛି ବିକ୍ରୟ କରେ, ତେବେ ତାହାର ମୁକ୍ତିକର୍ତ୍ତା ନିକଟସ୍ଥ ଜ୍ଞାତି ଆସି ଆପଣା ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ।
LEV 25:26 ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ,
LEV 25:27 ତେବେ ସେ ତହିଁର ବିକ୍ରୟ ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ; ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
LEV 25:28 ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
LEV 25:29 ଆଉ, ଯଦି କେହି ପ୍ରାଚୀର-ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ।
LEV 25:30 ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀର-ବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ।
LEV 25:31 ମାତ୍ର ପ୍ରାଚୀରହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହଗୁଡ଼ିକ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ ତାହା ମୁକ୍ତ ହୋଇପାରେ, ପୁଣି ଯୋବେଲ ସମୟରେ ତାହା ମୁକ୍ତ ହେବ।
LEV 25:32 ମାତ୍ର ଲେବୀୟମାନଙ୍କର ନଗରସକଳ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
LEV 25:33 ପୁଣି, ଯଦି କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୋବେଲ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର।
LEV 25:34 ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
LEV 25:35 ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଯାପନ କରିବ।
LEV 25:36 ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନ ଯାପନ କରିବ।
LEV 25:37 ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।
LEV 25:38 ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ପାଇଁ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିସର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ୱର ସେହି ସଦାପ୍ରଭୁ ଆମ୍ଭେ ଅଟୁ।
LEV 25:39 ଆଉ ଯଦି ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧାଦାସ ପରି ପରିଶ୍ରମ କରାଇବ ନାହିଁ।
LEV 25:40 ସେ ବେତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ; ସେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ।
LEV 25:41 ତହୁଁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ।
LEV 25:42 କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ସେମାନେ ବନ୍ଧାଦାସ ତୁଲ୍ୟ ବିକ୍ରୀତ ହେବେ ନାହିଁ।
LEV 25:43 ତୁମ୍ଭେ ତାହା ଉପରେ କଠିନ କର୍ତ୍ତୃତ୍ୱ କରିବ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କରିବ।
LEV 25:44 ତୁମ୍ଭର ବନ୍ଧାଦାସ ଓ ବନ୍ଧାଦାସୀ ରଖିବାର ହେଲେ, ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ ବନ୍ଧାଦାସ ଓ ବନ୍ଧାଦାସୀ କ୍ରୟ କରିବ।
LEV 25:45 ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନଗଣଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେଉଁ ଯେଉଁ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥାʼନ୍ତି, ସେମାନଙ୍କଠାରୁ କ୍ରୟ କରିବ, ପୁଣି, ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ।
LEV 25:46 ପୁଣି, ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇ ପାରିବ; ତୁମ୍ଭେମାନେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇ ପାରିବ; ମାତ୍ର ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ-ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ୱ କରିବ ନାହିଁ।
LEV 25:47 ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକର ହସ୍ତ ଧନରେ ବଢ଼େ, ପୁଣି, ତାହାର ନିକଟବର୍ତ୍ତୀ ତୁମ୍ଭର ଭ୍ରାତା ଦରିଦ୍ର ହୋଇଯାଏ ଓ ସେହି ବିଦେଶୀ କି ପ୍ରବାସୀ କିଅବା ସେହି ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟରେ ଆପଣାକୁ ବିକ୍ରୟ କରେ;
LEV 25:48 ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।
LEV 25:49 କିଅବା ତାହାର ପିତୃବ୍ୟ କି ପିତୃବ୍ୟପୁତ୍ର ତାହାକୁ ମୁକ୍ତ କରି ପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରି ପାରିବ; ଅବା ଯଦି ତାହାର ହସ୍ତ ଧନରେ ବୃଦ୍ଧି ପାଏ, ତେବେ ସେ ଆପଣାକୁ ମୁକ୍ତ କରି ପାରିବ।
LEV 25:50 ତହିଁରେ ତାହାର ବିକ୍ରୟ ବର୍ଷଠାରୁ ଯୋବେଲ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟାନୁସାରେ ତାହାର ମୂଲ୍ୟ ହେବ; ବେତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ କାଳ ହେବ।
LEV 25:51 ଯଦି ଅନେକ ବର୍ଷ ବାକି ଥାଏ, ତେବେ ତଦନୁସାରେ ସେ କ୍ରୟମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।
LEV 25:52 ଆଉ ଯଦି ଯୋବେଲ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ସେ ତାହା ସହିତ ଗଣନା କରିବ; ସେହି ସେହି ବର୍ଷାନୁସାରେ ସେ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।
LEV 25:53 ବର୍ଷକୁ ବର୍ଷ ନିଯୁକ୍ତ ଦାସ ତୁଲ୍ୟ ସେ ତାହା ସହିତ ରହିବ; ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠିନ କର୍ତ୍ତୃତ୍ୱ କରିବ ନାହିଁ।
LEV 25:54 ଆଉ ଯଦି ସେ ଏହିରୂପେ ମୁକ୍ତ ନ ହୁଏ, ତେବେ ସେ ଯୋବେଲ ବର୍ଷରେ ଆପଣା ସନ୍ତାନଗଣ ସହିତ ମୁକ୍ତ ହୋଇ ବାହାରି ଯିବ।
LEV 25:55 କାରଣ ଇସ୍ରାଏଲ-ସନ୍ତାନଗଣ କେବଳ ଆମ୍ଭର ଦାସ, ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
LEV 26:1 “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ, କିଅବା ଆପଣାମାନଙ୍କ ନିମନ୍ତେ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ ଓ ତାହା ନିକଟରେ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶରେ କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
LEV 26:2 ତୁମ୍ଭେମାନେ ଆମ୍ଭର ସକଳ ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
LEV 26:3 ଯଦି ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଚ଼ାଲିବ ଓ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ;
LEV 26:4 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭମାନଙ୍କୁ ବୃଷ୍ଟିଦାନ କରିବା, ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷସକଳ ଆପଣା ଆପଣା ଫଳ ଉତ୍ପନ୍ନ କରିବ।
LEV 26:5 ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନର ସମୟ ଦ୍ରାକ୍ଷା ସଂଗ୍ରହର ସମୟ ପର୍ଯ୍ୟନ୍ତ ଲାଗିବ ଓ ଦ୍ରାକ୍ଷା ସଂଗ୍ରହର ସମୟ ବୀଜ ବୁଣିବାର ସମୟ ପର୍ଯ୍ୟନ୍ତ ଲାଗିବ; ପୁଣି ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ଆପଣା ଦେଶରେ ନିର୍ଭୟରେ ବାସ କରିବ।
LEV 26:6 ଆଉ, ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ଦୂର କରିବା ଓ ତୁମ୍ଭମାନଙ୍କ ଦେଶରେ ଖଡ୍ଗ ଭ୍ରମଣ କରିବ ନାହିଁ।
LEV 26:7 ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।
LEV 26:8 ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।
LEV 26:9 ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନମୁଖ ହେବା ଓ ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା।
LEV 26:10 ପୁଣି ତୁମ୍ଭେମାନେ ବହୁସମୟର ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ।
LEV 26:11 ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ।
LEV 26:12 ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ।
LEV 26:13 ତୁମ୍ଭେମାନେ ଯେପରି ସେମାନଙ୍କର ଦାସ ନ ହେବ, ଏଥିପାଇଁ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆମ୍ଭେ ଅଟୁ; ଆମ୍ଭେ ତୁମ୍ଭମାନଙ୍କ ଯୁଆଳିର ଯୋତ ଭାଙ୍ଗିଅଛୁ ଓ ତୁମ୍ଭମାନଙ୍କୁ ସିଧା ଚାଲିବାକୁ ଦେଇଅଛୁ।
LEV 26:14 ମାତ୍ର, ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସକଳ ଆଜ୍ଞା ପାଳନ ନ କରିବ;
LEV 26:15 ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,
LEV 26:16 ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍‍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ।
LEV 26:17 ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ।
LEV 26:18 ଆଉ ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଅଧିକ ଦଣ୍ଡ ଦେବା।
LEV 26:19 ପୁଣି ଆମ୍ଭେ ତୁମ୍ଭମାନଙ୍କ ବଳର ଗର୍ବ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶ ଲୌହ ତୁଲ୍ୟ ଓ ଭୂମି ପିତ୍ତଳ ତୁଲ୍ୟ କରିବା।
LEV 26:20 ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ।
LEV 26:21 ଆଉ, ଯଦି ତୁମ୍ଭେମାନେ ଆମ୍ଭର ବିରୁଦ୍ଧାଚରଣ କରି ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହେବ; ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ଅନୁସାରେ ତୁମ୍ଭମାନଙ୍କୁ ସାତ ଗୁଣ କ୍ଲେଶ ଦେବା।
LEV 26:22 ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ବନ୍ୟ ପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନହୀନ କରିବେ ଓ ତୁମ୍ଭମାନଙ୍କ ପଶୁମାନଙ୍କୁ ବିନଷ୍ଟ କରିବେ, ପୁଣି ତୁମ୍ଭମାନଙ୍କୁ ଅଳ୍ପସଂଖ୍ୟକ କରିବେ; ଆଉ ତୁମ୍ଭମାନଙ୍କ ରାଜପଥସକଳ ଜନମାନବ ଶୂନ୍ୟ ହେବ।
LEV 26:23 ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ,
LEV 26:24 ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ତୁମ୍ଭମାନଙ୍କୁ ପ୍ରହାର କରିବା, ଆମ୍ଭେ ନିଜେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ପ୍ରହାର କରିବା।
LEV 26:25 ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ।
LEV 26:26 ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।
LEV 26:27 ଏହା ହେଲେ ହେଁ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ;
LEV 26:28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା।
LEV 26:29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ।
LEV 26:30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
LEV 26:31 ଆମ୍ଭେ ତୁମ୍ଭମାନଙ୍କ ନଗରସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନସକଳ ଶୂନ୍ୟ କରିବା ଓ ଆମ୍ଭେ ତୁମ୍ଭମାନଙ୍କର (ଦତ୍ତ) ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।
LEV 26:32 ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟ ଜ୍ଞାନ କରିବେ।
LEV 26:33 ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍‍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ।
LEV 26:34 ତେବେ ଯେପର୍ଯ୍ୟନ୍ତ ଦେଶ ଶୂନ୍ୟସ୍ଥାନ ହୋଇଥିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣର ଦେଶରେ ରହିବ, ସେପର୍ଯ୍ୟନ୍ତ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ; ଅର୍ଥାତ୍‍, ସେହି ସମୟରେ ଭୂମି ବିଶ୍ରାମ କରି ଆପଣା ବିଶ୍ରାମ ଗ୍ରହଣ କରିବ।
LEV 26:35 ଯେତେକାଳ ତାହା ଶୂନ୍ୟସ୍ଥାନ ହୋଇ ରହିବ, ସେତେକାଳ ତାହା ବିଶ୍ରାମ ପାଇବ; ଅର୍ଥାତ୍‍, ତୁମ୍ଭେମାନେ ତହିଁ ମଧ୍ୟରେ ବାସ କରିବା ସମୟରେ ତୁମ୍ଭମାନଙ୍କ ବିଶ୍ରାମ କାଳରେ ତାହା ଯେଉଁ ବିଶ୍ରାମ ପାଇ ନ ଥିଲା, ତାହା ପାଇବ।
LEV 26:36 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ଭୀରୁତା ପଠାଇବା ଯଦ୍ଦ୍ୱାରା (ବାୟୁରେ) ଚାଳିତ ପତ୍ରର ଶବ୍ଦ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ୍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।
LEV 26:37 ପୁଣି କେହି ନ ଗୋଡ଼ାଇଲେ ହେଁ ଯେପରି ଖଡ୍ଗ ସମ୍ମୁଖରେ, ସେପରି ସେମାନେ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ ଓ ଶତ୍ରୁଗଣ ସମ୍ମୁଖରେ ଠିଆ ହେବା ପାଇଁ ସେମାନଙ୍କର ବଳ ପାଇବ ନାହିଁ।
LEV 26:38 ଆଉ ତୁମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ।
LEV 26:39 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଆପଣା ଆପଣା ଅପରାଧ ସକାଶୁ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶରେ କ୍ଷୟ ପାଇବେ ଓ ମଧ୍ୟ ସେମାନେ ଆପଣା ଆପଣା ପିତୃଗଣର ଅପରାଧ ସକାଶୁ ସେମାନଙ୍କ ସଙ୍ଗରେ କ୍ଷୟ ପାଇବେ।
LEV 26:40 ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ;
LEV 26:41 ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ;
LEV 26:42 ତେବେ ଆମ୍ଭେ ଯାକୁବ ସହିତ ଆପଣା ନିୟମ ସ୍ମରଣ କରିବା ଓ ମଧ୍ୟ ଇସ୍‌ହାକ ସହିତ ଆପଣା ନିୟମ ଓ ମଧ୍ୟ ଅବ୍ରହାମ ସହିତ ଆପଣା ନିୟମ ସ୍ମରଣ କରିବା; ପୁଣି ଆମ୍ଭେ ଦେଶକୁ ସ୍ମରଣ କରିବା।
LEV 26:43 ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅନୁପସ୍ଥିତିରେ ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ; ପୁଣି ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ଆଜ୍ଞା ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବିଧି ଘୃଣା କଲା।
LEV 26:44 ତଥାପି ଏହିସବୁ କାରଣରୁ, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଦେଶରେ ଥିବା ସମୟରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ନିମନ୍ତେ ଓ ସେମାନଙ୍କ ସହିତ ଆପଣା ନିୟମ ଭାଙ୍ଗିବା ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ, କିଅବା ସେମାନଙ୍କୁ ଘୃଣା କରିବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ।
LEV 26:45 ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷମାନଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ଅଟୁ।”
LEV 26:46 ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ଦ୍ୱାରା ଆପଣାର ଓ ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଏହି ସକଳ ବିଧି, ଶାସନ ଓ ବ୍ୟବସ୍ଥା ସ୍ଥାପନ କଲେ।
LEV 27:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
LEV 27:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପ୍ରାଣୀସକଳ ସଦାପ୍ରଭୁଙ୍କର ହେବେ।
LEV 27:3 ପୁରୁଷ ହେଲେ, କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଚାଶ ଶେକଲ ରୂପା ହେବ।
LEV 27:4 ପୁଣି ସ୍ତ୍ରୀ ହେଲେ, ତୁମ୍ଭ ନିରୂପିତ ମୂଲ୍ୟ ତିରିଶ ଶେକଲ ରୂପା ହେବ।
LEV 27:5 ଆଉ ପାଞ୍ଚ ବର୍ଷଠାରୁ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ କୋଡ଼ିଏ ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
LEV 27:6 ଆଉ ଏକ ମାସଠାରୁ ପାଞ୍ଚ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୂପିତ ମୂଲ୍ୟ ତିନି ଶେକଲ ରୂପା ହେବ।
LEV 27:7 ପୁଣି ଷାଠିଏ ବର୍ଷଠାରୁ ଅଧିକ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପନ୍ଦର ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ହେବ।
LEV 27:8 ମାତ୍ର ସେ ତୁମ୍ଭର ନିରୂପିତ ମୂଲ୍ୟ ଅପେକ୍ଷା ଦରିଦ୍ର ହେଲେ, ଯାଜକ ସମ୍ମୁଖକୁ ଅଣାଯିବ, ତହୁଁ ଯାଜକ ତାହାର ମୂଲ୍ୟ ନିରୂପଣ କରିବ; ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
LEV 27:9 ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି, ତାହା ପଶୁ ହେଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହି ସବୁ ପଶୁ ପବିତ୍ର ହେବ।
LEV 27:10 ସେ ତାହା ଅନ୍ୟଥା କି ପରିବର୍ତ୍ତନ କରିବ ନାହିଁ; ମନ୍ଦ ପାଲଟେ ଭଲ, କି ଭଲ ପାଲଟେ ମନ୍ଦ ଦେବ ନାହିଁ; ଯଦି ସେ କୌଣସିମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ଓ ତହିଁ ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ।
LEV 27:11 ଆଉ ଯାହା ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯଦି ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ।
LEV 27:12 ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ତୁମ୍ଭର, ଅର୍ଥାତ୍‍, ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ।
LEV 27:13 ମାତ୍ର, ଯଦି ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
LEV 27:14 ଆଉ, ଯଦି କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ।
LEV 27:15 ଆଉ, ଯଦି ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
LEV 27:16 ଆଉ, ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ସେହି କ୍ଷେତ୍ରରେ ବୁଣିବା ନିମନ୍ତେ ଆବଶ୍ୟକୀୟ ପରିମାଣର ବିହନ ଅନୁସାରେ ହେବ; ଏକ ହୋମର ପରିମିତ ଯବ ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ।
LEV 27:17 ଯଦି ସେ ଯୋବେଲ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ।
LEV 27:18 ମାତ୍ର, ଯଦି ସେ ଯୋବେଲ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୋବେଲ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ।
LEV 27:19 ଆଉ ସେହି କ୍ଷେତ୍ର ଶୁଚିକାରୀ ଲୋକ ଯଦି କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
LEV 27:20 ମାତ୍ର ଯଦି ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯଦି ସେ ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
LEV 27:21 ମାତ୍ର ସେହି କ୍ଷେତ୍ର ଯୋବେଲ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
LEV 27:22 ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ, ତାହା କେହି ଯଦି କ୍ରୟ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ;
LEV 27:23 ତେବେ ଯାଜକ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ; ପୁଣି ସେ ସେହି ଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ।
LEV 27:24 ଯାହାଠାରୁ ସେହି କ୍ଷେତ୍ର କ୍ରୟ କରାଗଲା, ଅର୍ଥାତ୍‍, ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଯୋବେଲ ବର୍ଷରେ ତାହାକୁ ଫେରାଇ ଦିଆଯିବ।
LEV 27:25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ; କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
LEV 27:26 ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ, ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ଶୁଚି କରିବ ନାହିଁ; ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ।
LEV 27:27 ପୁଣି ଯଦି ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ, ପୁଣି ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ; ମୁକ୍ତ କରା ନ ଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରୀତ ହେବ।
LEV 27:28 ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ, ଅର୍ଥାତ୍‍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ଏପରି କୌଣସି ଉତ୍ସର୍ଗିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ଉତ୍ସର୍ଗିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
LEV 27:29 ମନୁଷ୍ୟମାନଙ୍କ ମଧ୍ୟରେ ଯେ ଦଣ୍ଡିତ ହେବା ନିମନ୍ତେ ଉତ୍ସର୍ଗିତ ହେବ, ଏପରି ଉତ୍ସର୍ଗିତ କେହି ମୁକ୍ତ କରାଯିବ ନାହିଁ; ସେ ନିତାନ୍ତ ହତ ହେବ।
LEV 27:30 ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
LEV 27:31 ଆଉ, ଯଦି କେହି ଆପଣା ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
LEV 27:32 ପୁଣି ଗୋମେଷାଦି ପଲର ଦଶମାଂଶ, ଅର୍ଥାତ୍‍, ପାଞ୍ଚଣ ତଳ ଦେଇ ଗମନକାରୀ ସବୁ ପଶୁ ମଧ୍ୟରେ ପ୍ରତ୍ୟେକ ଦଶମ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
LEV 27:33 ତାହା ଭଲ କି ମନ୍ଦ, ଏଥିର ସେ ଅନୁସନ୍ଧାନ କରିବ ନାହିଁ, କିଅବା ତହିଁର ବଦଳ କରିବ ନାହିଁ; ପୁଣି ଯଦି ସେ କୌଣସିମତେ ବଦଳ କରେ, ତେବେ ତାହା ଓ ତାହା ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ, ତାହା ମୁକ୍ତ କରାଯିବ ନାହିଁ।”
LEV 27:34 ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ସେହି ସକଳ ଆଜ୍ଞା ଏହି।
NUM 1:1 ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,
NUM 1:2 “ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ-ସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର।
NUM 1:3 କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର।
NUM 1:4 ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍‍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।
NUM 1:5 ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି: ଯଥା, ରୁବେନ୍‍ ବଂଶର ଶଦେୟରର ପୁତ୍ର ଇଲୀଷୂର।
NUM 1:6 ଶିମୀୟୋନ ବଂଶର ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
NUM 1:7 ଯିହୁଦା ବଂଶର; ଅମ୍ମୀନାଦବର ପୁତ୍ର ନହଶୋନ
NUM 1:8 ଇଷାଖର ବଂଶର; ସୂୟାରର ପୁତ୍ର ନଥନେଲ।
NUM 1:9 ସବୂଲୂନ ବଂଶର ହେଲୋନର ପୁତ୍ର ଇଲୀୟାବ୍‍
NUM 1:10 ଯୋଷେଫର ପୁତ୍ରଗଣ ମଧ୍ୟରୁ ଇଫ୍ରୟିମ ବଂଶର; ଅମ୍ମୀହୂଦର ପୁତ୍ର ଇଲୀଶାମା; ମନଃଶି ବଂଶର; ପଦାହସୂରର ପୁତ୍ର ଗମଲୀୟେଲ।
NUM 1:11 ବିନ୍ୟାମୀନ୍ ବଂଶର; ଗିଦୀୟୋନର ପୁତ୍ର ଅବୀଦାନ୍‍।
NUM 1:12 ଦାନ୍ ବଂଶର; ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
NUM 1:13 ଆଶେର ବଂଶର; ଅକ୍ରଣର ପୁତ୍ର ପଗୀୟେଲ।
NUM 1:14 ଗାଦ୍‍ ବଂଶର; ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍।
NUM 1:15 ନପ୍ତାଲି ବଂଶର; ଐନନର ପୁତ୍ର ଅହୀର।”
NUM 1:16 ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।
NUM 1:17 ତେବେ ମୋଶା ଓ ହାରୋଣ ଏହିସବୁ ନାମବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ।
NUM 1:18 ପୁଣି, ଦ୍ୱିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ଡଳୀକୁ ଏକତ୍ର କରି ମସ୍ତକ-ସଂଖ୍ୟାରେ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ।
NUM 1:19 ଏହିରୂପେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟ ପ୍ରାନ୍ତରରେ ସେମାନଙ୍କୁ ଗଣନା କଲେ।
NUM 1:20 ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍‍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:21 ରୁବେନ୍‍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ ହେଲା।
NUM 1:22 ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଗଣାଗଲେ, ସେମାନଙ୍କର ବଂଶାବଳୀ;
NUM 1:23 ଶିମୀୟୋନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଊଣଷଠି ହଜାର ତିନି ଶହ ହେଲା।
NUM 1:24 ଗାଦ୍‍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:25 ଗାଦ୍‍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ ହେଲା।
NUM 1:26 ଯିହୁଦା-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:27 ଯିହୁଦା ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ ହେଲା।
NUM 1:28 ଇଷାଖର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:29 ଇଷାଖର ବଂଶର ଗଣିତ ଲୋକ ସଂଖ୍ୟା ଚଉବନ ହଜାର ଚାରି ଶହ ହେଲା।
NUM 1:30 ସବୂଲୂନ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:31 ସବୂଲୂନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ସତାବନ ହଜାର ଚାରି ଶହ ହେଲା।
NUM 1:32 ଯୋଷେଫ-ସନ୍ତାନଗଣର, ଯଥା, ଇଫ୍ରୟିମ-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
NUM 1:33 ଇଫ୍ରୟିମ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ ହେଲା।
NUM 1:34 ମନଃଶି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:35 ମନଃଶି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବତ୍ରିଶ ହଜାର ଦୁଇ ଶହ ହେଲା।
NUM 1:36 ବିନ୍ୟାମୀନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
NUM 1:37 ବିନ୍ୟାମୀନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ ହେଲା।
NUM 1:38 ଦାନ୍-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:39 ଦାନ୍ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ବାଷଠି ହଜାର ସାତ ଶହ ହେଲା।
NUM 1:40 ଆଶେର-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;
NUM 1:41 ଆଶେର ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ ହେଲା।
NUM 1:42 ନପ୍ତାଲି-ସନ୍ତାନଗଣର ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କ ବଂଶାବଳୀ;
NUM 1:43 ନପ୍ତାଲି ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା ତେପନ ହଜାର ଚାରି ଶହ ହେଲା।
NUM 1:44 ଏହି ଲୋକମାନେ ଗଣିତ ହେଲେ; ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି, ଅର୍ଥାତ୍‍, ଏକ ଏକ ପିତୃଗୃହ ନିମନ୍ତେ ଏକ ଏକ ଅଧିପତି ସେମାନଙ୍କୁ ଗଣନା କଲେ।
NUM 1:45 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ପିତୃଗୃହାନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନେ ଗଣିତ ହେଲେ।
NUM 1:46 ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ଜଣ ହେଲା।
NUM 1:47 ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ।
NUM 1:48 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ,
NUM 1:49 “ତୁମ୍ଭେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିଅବା ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ;
NUM 1:50 ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ, ତହିଁର ସକଳ ଦ୍ରବ୍ୟ ଓ ତତ୍‍ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।
NUM 1:51 ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।
NUM 1:52 ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ୱଜା ନିକଟରେ ତମ୍ବୁ ସ୍ଥାପନ କରିବେ।
NUM 1:53 ମାତ୍ର ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ।”
NUM 1:54 ଇସ୍ରାଏଲ-ସନ୍ତାନଗଣ ଏହିରୂପେ କଲେ; ସଦାପ୍ରଭୁ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ କଲେ।
NUM 2:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
NUM 2:2 “ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।
NUM 2:3 ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍‍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
NUM 2:4 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।
NUM 2:5 ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର-ସନ୍ତାନଗଣର ଅଧିପତି ହେବ;
NUM 2:6 ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ।
NUM 2:7 ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍‍ ସବୂଲୂନ-ସନ୍ତାନଗଣର ଅଧିପତି ହେବ;
NUM 2:8 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।
NUM 2:9 ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।
NUM 2:10 ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ୍‍-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍‍-ସନ୍ତାନଗଣର ଅଧିପତି ହେବ;
NUM 2:11 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।
NUM 2:12 ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
NUM 2:13 ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।
NUM 2:14 ତହୁଁ ଗାଦ୍‍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣର ଅଧିପତି ହେବ;
NUM 2:15 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।
NUM 2:16 ରୁବେନ୍‍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
NUM 2:17 ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।
NUM 2:18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
NUM 2:19 ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।
NUM 2:20 ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
NUM 2:21 ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।
NUM 2:22 ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
NUM 2:23 ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।
NUM 2:24 ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।
NUM 2:25 ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ;
NUM 2:26 ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।
NUM 2:27 ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
NUM 2:28 ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।
NUM 2:29 ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
NUM 2:30 ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।
NUM 2:31 ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”
NUM 2:32 ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।
NUM 2:33 ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
NUM 2:34 ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।
NUM 3:1 ଯେଉଁ ଦିନ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସଙ୍ଗେ କଥା କହିଲେ, ସେହି ଦିନ ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।
NUM 3:2 ହାରୋଣଙ୍କର ପୁତ୍ରଗଣର ନାମ ଏହି; ପ୍ରଥମଜାତ ନାଦବ୍‍, ତହୁଁ ଅବୀହୂ ଓ ଇଲୀୟାସର ଓ ଈଥାମର।
NUM 3:3 ହାରୋଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକର କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।
NUM 3:4 ମାତ୍ର ନାଦବ୍‍ ଓ ଅବୀହୂ ସୀନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର ସନ୍ତାନ ନ ଥିଲା; ଏଥିସକାଶୁ ଇଲୀୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ସାକ୍ଷାତରେ ଯାଜକ କର୍ମ କଲେ।
NUM 3:5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 3:6 “ତୁମ୍ଭେ ଲେବୀୟ ବଂଶକୁ ଆଣି ହାରୋଣ ଯାଜକଙ୍କ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।
NUM 3:7 ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ।
NUM 3:8 ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।
NUM 3:9 ଆଉ ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,
NUM 3:10 ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ, ତହିଁରେ ସେମାନେ ଆପଣାମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ ଓ ଅନ୍ୟ ବଂଶୀୟ ଯେକେହି ନିକଟବର୍ତ୍ତୀ ହେବ, ତାହାର ପ୍ରାଣଦଣ୍ଡ ହେବ।”
NUM 3:11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 3:12 “ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ।
NUM 3:13 କାରଣ ପ୍ରଥମଜାତ ସମସ୍ତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହି ଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ; ସେମାନେ ଆମ୍ଭର; ଆମ୍ଭେ ସଦାପ୍ରଭୁ ଅଟୁ।”
NUM 3:14 ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ମୋଶାଙ୍କୁ କହିଲେ,
NUM 3:15 “ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର; ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷଙ୍କୁ ଗଣନା କରିବ।”
NUM 3:16 ତହିଁରେ ମୋଶା ଆଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ।
NUM 3:17 ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ; ଯଥା, ଗେର୍ଶୋନ‍, କହାତ ଓ ମରାରି।
NUM 3:18 ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନମାନଙ୍କ ନାମ ଲିବ୍‍ନି ଓ ଶିମୀୟି।
NUM 3:19 ପୁଣି, ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ।
NUM 3:20 ପୁଣି, ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୂଶି; ଏମାନେ ଆପଣା ଆପଣା ପିତୃଗୃହାନୁସାରେ ଲେବୀୟମାନଙ୍କ ବଂଶ।
NUM 3:21 ଗେର୍ଶୋନଠାରୁ ଲିବ୍‍ନୀୟ ବଂଶ ଓ ଶିମୀୟିର ବଂଶ ଉତ୍ପନ୍ନ ହେଲେ; ଏମାନେ ଗେର୍ଶୋନୀୟ ବଂଶ।
NUM 3:22 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁ ସମସ୍ତ ପୁରୁଷ ଗଣିତ ହେଲେ, ସେମାନଙ୍କର ଗଣିତ ଲୋକ ସଂଖ୍ୟା ସାତ ହଜାର ପାଞ୍ଚ ଶହ ହେଲା।
NUM 3:23 ଗେର୍ଶୋନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାଦ୍‍ ଭାଗରେ ଛାଉଣି ସ୍ଥାପନ କରିବେ।
NUM 3:24 ପୁଣି, ଲାୟେଲର ପୁତ୍ର ଇଲୀୟାସଫ୍‍ ଗେର୍ଶୋନୀୟମାନଙ୍କ ପିତୃଗୃହର ଅଧିପତି ହେବ।
NUM 3:25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
NUM 3:26 ପ୍ରାଙ୍ଗଣର ପରଦାସକଳ, ଆବାସ ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବାକାର୍ଯ୍ୟ ନିମିତ୍ତ ସମସ୍ତ ରଜ୍ଜୁ।
NUM 3:27 ଆଉ କହାତଠାରୁ ଅମ୍ରାମୀୟ ବଂଶ, ଯିଷ୍‍ହରୀୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ କହାତୀୟ ବଂଶ।
NUM 3:28 ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଆଠ ହଜାର ଛଅ ଶହ ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ।
NUM 3:29 କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
NUM 3:30 ଆଉ ଉଷୀୟେଲର ପୁତ୍ର ଇଲୀଶାଫନ୍‍ କହାତୀୟ ବଂଶର ଅଧିପତି ହେବ।
NUM 3:31 ପୁଣି, ସିନ୍ଦୁକ, ମେଜ, ଦୀପବୃକ୍ଷ, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର, ପରଦା ଓ ତତ୍‍ସମ୍ବନ୍ଧୀୟ ସମସ୍ତ ସେବାକାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ।
NUM 3:32 ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।
NUM 3:33 ଆଉ ମରାରିଠାରୁ ମହଲୀୟ ବଂଶ ଓ ମୂଶୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ ମରାରୀୟ ବଂଶ।
NUM 3:34 ପୁଣି, ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଛଅ ହଜାର ଦୁଇ ଶହ ଲୋକ ହେଲେ।
NUM 3:35 ଆଉ ଅବୀହୟିଲର ପୁତ୍ର ସୂରୀୟେଲ ମରାରି ବଂଶର ପିତୃଗୃହର ଅଧିପତି ହେଲା; ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
NUM 3:36 ଆଉ ଆବାସର ପଟା, ଅର୍ଗଳ, ସ୍ତମ୍ଭ, ଚୁଙ୍ଗୀ, ତହିଁର ସମସ୍ତ ଦ୍ରବ୍ୟ ଓ ତତ୍‍ସମ୍ବନ୍ଧୀୟ ସେବାକାର୍ଯ୍ୟ,
NUM 3:37 ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ, ତହିଁର ସକଳ ଚୁଙ୍ଗୀ, ମେଖ ଓ ରଜ୍ଜୁ ମରାରି-ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ।
NUM 3:38 ପୁଣି, ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ-ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ, ସେମାନେ ମୋଶା, ହାରୋଣ ଓ ତାହାର ପୁତ୍ରଗଣ; ଏମାନେ ଇସ୍ରାଏଲ-ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ; ଆଉ ଅନ୍ୟ ବଂଶୀୟ କୌଣସି ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ।
NUM 3:39 ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କ ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ ବାଇଶ ହଜାର ହେଲେ।
NUM 3:40 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମସଂଖ୍ୟା କର।
NUM 3:41 ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।”
NUM 3:42 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
NUM 3:43 ପୁଣି, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ-ସଂଖ୍ୟାନୁସାରେ ଯେଉଁମାନେ ଗଣିତ ହେଲେ, ସେମାନଙ୍କ ସଂଖ୍ୟା ବାଇଶ ହଜାର ଦୁଇ ଶହ ତେସ୍ତରି ହେଲା।
NUM 3:44 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 3:45 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର; ଆଉ ଲେବୀୟମାନେ ଆମ୍ଭର ହେବେ; ଆମ୍ଭେ ସଦାପ୍ରଭୁ ଅଟୁ।
NUM 3:46 ପୁଣି, ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କ ସଂଖ୍ୟାରୁ ଅଧିକ ଦୁଇ ଶହ ତେସ୍ତରି ଲୋକର ମୁକ୍ତି ନିମନ୍ତେ,
NUM 3:47 ତୁମ୍ଭେ ମୁଣ୍ଡ ପିଛା ପାଞ୍ଚ ଶେକଲ ଲେଖାଏଁ ନେବ; ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ତାହା ନେବ, (କୋଡ଼ିଏ ଗେରାରେ ଏକ ଶେକଲ)।
NUM 3:48 ଆଉ ତୁମ୍ଭେ ସେହି ବଳକା ଲୋକମାନଙ୍କ ମୁକ୍ତିର ମୂଲ୍ୟ ନେଇ ହାରୋଣ ଓ ତାହାର ପୁତ୍ରମାନଙ୍କୁ ଦେବ।”
NUM 3:49 ତହୁଁ ମୋଶା ଲେବୀୟମାନଙ୍କ ଦ୍ୱାରା ମୁକ୍ତ ଲୋକଙ୍କ ବ୍ୟତୀତ ଅବଶିଷ୍ଟ ଲୋକମାନଙ୍କ ମୁକ୍ତି-ମୂଲ୍ୟ ନେଲେ।
NUM 3:50 ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ହଜାର ତିନି ଶହ ପଞ୍ଚଷଠି ଶେକଲ ନେଲେ;
NUM 3:51 ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେହି ମୁକ୍ତି-ମୂଲ୍ୟ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଲେ।
NUM 4:1 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
NUM 4:2 “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ-ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ,
NUM 4:3 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।
NUM 4:4 ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ।
NUM 4:5 ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ
NUM 4:6 ଓ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ।
NUM 4:7 ଏଥିଉତ୍ତାରେ ସେମାନେ ଦର୍ଶନୀୟ ରୁଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ, ତହିଁ ଉପରେ ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ପାତ୍ରସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୁଟି ରହିବ।
NUM 4:8 ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୂର ବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁଁ ତହିଁର ସାଙ୍ଗୀ ଲଗାଇବେ।
NUM 4:9 ଏଉତ୍ତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ।
NUM 4:10 ପୁଣି, ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକ ଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ।
NUM 4:11 ପୁଣି, ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକ ଚର୍ମରେ ଢ଼ାଙ୍କିବେ ଓ ତହିଁରେ ସାଙ୍ଗୀ ଲଗାଇବେ।
NUM 4:12 ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକ ଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ।
NUM 4:13 ପୁଣି, ସେମାନେ ବେଦିରୁ ଭସ୍ମ କାଢ଼ିନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ।
NUM 4:14 ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦିର ସେବାର୍ଥକ ସମସ୍ତ ପାତ୍ର ରଖିବେ; ତହୁଁ ସେମାନେ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ସାଙ୍ଗୀ ଲଗାଇବେ।
NUM 4:15 ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ।
NUM 4:16 ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ।”
NUM 4:17 ଏଥିଉତ୍ତାରେ ସଦାପ୍ରଭୁ ମୋଶା ହାରୋଣଙ୍କୁ କହିଲେ,
NUM 4:18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ!
NUM 4:19 ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ।
NUM 4:20 ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”
NUM 4:21 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 4:22 “ତୁମ୍ଭେ ଗେର୍ଶୋନ-ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ;
NUM 4:23 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।
NUM 4:24 ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନୀୟ ବଂଶର ସେବା ଏହି;
NUM 4:25 ସେମାନେ ଆବାସର ଯବନିକାସକଳ ଓ ସମାଗମ-ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥିତ ଶିଶୁକର ଚର୍ମର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର;
NUM 4:26 ଆଉ ପ୍ରାଙ୍ଗଣର ପରଦାସକଳ, ଆବାସର ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ ଓ ସେହି ସବୁରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ହୁଏ, ତାହାସବୁ କରିବେ।
NUM 4:27 ହାରୋଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ଶୋନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ।
NUM 4:28 ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।
NUM 4:29 ଏଉତ୍ତାରେ ତୁମ୍ଭେ ମରାରି-ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ।
NUM 4:30 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କରିବ।
NUM 4:31 ପୁଣି, ସମାଗମ-ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ; ଆବାସର ପଟା, ତହିଁର ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସକଳ,
NUM 4:32 ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ, ତହିଁର ଚୁଙ୍ଗୀ, ମେଖ, ରଜ୍ଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ; ତୁମ୍ଭେମାନେ ସେମାନଙ୍କ ରକ୍ଷଣୀୟ-ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ।
NUM 4:33 ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।”
NUM 4:34 ଏଥିଉତ୍ତାରେ ମୋଶା ଓ ହାରୋଣ ଓ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ
NUM 4:35 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନଙ୍କୁ ଗଣନା କଲେ।
NUM 4:36 ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ହେଲେ;
NUM 4:37 ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
NUM 4:38 ପୁଣି, ଗେର୍ଶୋନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ,
NUM 4:39 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ,
NUM 4:40 ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ଦୁଇ ହଜାର ଛଅ ଶହ ତିରିଶ ଜଣ ହେଲେ।
NUM 4:41 ଏମାନେ ଗେର୍ଶୋନ-ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ।
NUM 4:42 ଆଉ ମରାରି-ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ,
NUM 4:43 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ,
NUM 4:44 ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ତିନି ହଜାର ଦୁଇ ଶହ ଜଣ ହେଲେ।
NUM 4:45 ଏମାନେ ମରାରି-ସନ୍ତାନଗଣ ବଂଶର ଗଣିତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
NUM 4:46 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଦ୍ୱାରା ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ,
NUM 4:47 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ,
NUM 4:48 ସେମାନେ ଗଣାଯାʼନ୍ତେ, ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ହେଲେ।
NUM 4:49 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରତ୍ୟେକେ ମୋଶାଙ୍କର ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ; ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ।
NUM 5:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 5:2 “ପ୍ରତ୍ୟେକ କୁଷ୍ଠୀକୁ ଓ ପ୍ରତ୍ୟେକ ପ୍ରମେହୀକୁ ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକୁ ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ।
NUM 5:3 ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ; ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ।”
NUM 5:4 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହିରୂପ କଲେ, ପୁଣି, ଛାଉଣିର ବାହାରେ ସେମାନଙ୍କୁ ରଖିଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି କହିଲେ, ଇସ୍ରାଏଲ-ସନ୍ତାନଗଣ ସେପରି କଲେ।
NUM 5:5 ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 5:6 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ,
NUM 5:7 ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ।
NUM 5:8 ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ।
NUM 5:9 ପୁଣି, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।
NUM 5:10 ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗିତ ପବିତ୍ର ବସ୍ତୁ ତାହାର ହେବ; ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ, ତାହା ତାହାର ହେବ।”
NUM 5:11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 5:12 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯଦି ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ,
NUM 5:13 ଅର୍ଥାତ୍‍, ଯଦି କୌଣସି ପୁରୁଷ ତାହା ସହିତ ସହବାସ କରେ ଓ ତାହା ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି, ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ପଡ଼ି ନ ଥାଏ;
NUM 5:14 ଆଉ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ୱଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ୱଳେ;
NUM 5:15 ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ।
NUM 5:16 ଏଉତ୍ତାରେ ଯାଜକ ସେହି ସ୍ତ୍ରୀକୁ ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ।
NUM 5:17 ପୁଣି, ଯାଜକ ମୃତ୍ତିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ।
NUM 5:18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ।
NUM 5:19 ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମ୍ଭେ ଏହି ଅଭିଶାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ।
NUM 5:20 ମାତ୍ର ଯଦି ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି, ତୁମ୍ଭ ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଥାଏ;
NUM 5:21 ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁ;
NUM 5:22 ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକୁ ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍‍ କହିବ।
NUM 5:23 ପୁଣି, ଯାଜକ ସେହି ଅଭିଶାପର କଥା ନଳାକାର ପୁସ୍ତକରେ ଲେଖିବ ଓ ତାହା ପୋଛି ତିକ୍ତ ଜଳରେ ପକାଇବ।
NUM 5:24 ତହୁଁ ସେ ସେହି ସ୍ତ୍ରୀକୁ ଅଭିଶାପଜନକ ତିକ୍ତ ଜଳ ପିଆଇବ; ତହିଁରେ ସେହି ଅଭିଶାପଜନକ ଜଳ ତାହା ଉଦରରେ ପ୍ରବେଶ କରି ତିକ୍ତ ହେବ।
NUM 5:25 ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି, ବେଦି ଉପରକୁ ଆଣିବ;
NUM 5:26 ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ।
NUM 5:27 ପୁଣି, ସେ ସେହି ସ୍ତ୍ରୀକୁ ଜଳ ପାନ କରାଇଲେ ଏପରି ହେବ, ଯଦି ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଅଭିଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପ ସ୍ୱରୂପ ହେବ।
NUM 5:28 ଆଉ ଯଦି ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ।
NUM 5:29 ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ,
NUM 5:30 ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ।
NUM 5:31 ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବୋହିବ।”
NUM 6:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 6:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହେବା ନିମନ୍ତେ ଯଦି ନାସରୀୟ କୌଣସି ବିଶେଷ ବ୍ରତ କରେ,
NUM 6:3 ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ କରିବ; ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଅବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।
NUM 6:4 ସେ ତାହାର ପୃଥକ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।
NUM 6:5 ତାହାର ବ୍ରତ ହେତୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।
NUM 6:6 ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ।
NUM 6:7 ଆପଣା ପିତା କିମ୍ବା ମାତା କିମ୍ବା ଭ୍ରାତା କିମ୍ବା ଭଗିନୀ ମଲେ, ସେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ; କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ ହେବାର ଚିହ୍ନ ତାହାର ମସ୍ତକରେ ଅଛି।
NUM 6:8 ତାହାର ପୃଥକ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
NUM 6:9 ଆଉ ଯଦି କୌଣସି ମନୁଷ୍ୟ ହଠାତ୍‍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍‍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ।
NUM 6:10 ପୁଣି, ଅଷ୍ଟମ ଦିନରେ ସେ ଦୁଇ ଘୁଘୁ ଅବା ଦୁଇ କପୋତ ଛୁଆ ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ।
NUM 6:11 ଆଉ ଯାଜକ ତହିଁରୁ ଗୋଟିକୁ ପାପାର୍ଥେ ଓ ଅନ୍ୟଟିକୁ ହୋମାର୍ଥେ ଉତ୍ସର୍ଗ କରିବ ଓ ସେ ଶବ-ଘଟିତ ଯେଉଁ ପାପ କଲା, ତହିଁ ଲାଗି ପ୍ରାୟଶ୍ଚିତ୍ତ କରିବ ଓ ସେ ସେହି ଦିନ ତାହାର ମସ୍ତକ ପବିତ୍ର କରିବ।
NUM 6:12 ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହୋଇ ରହିବା ଦିନମାନ ପୃଥକ କରିବ, ପୁଣି, ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ; ମାତ୍ର ପୂର୍ବ ଦିନସବୁ ବୃଥା ହେବ, କାରଣ ତାହାର ପୃଥକ‍କରଣ ଅଶୁଚି ହେଲା।
NUM 6:13 ଆଉ ପୃଥକ ରହିବା ଦିନ ସମ୍ପୂର୍ଣ୍ଣ ହେଲେ, ନାସରୀୟ ବ୍ରତର ଏହି ବ୍ୟବସ୍ଥା ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଅଣାଯିବ।
NUM 6:14 ପୁଣି, ସେ ହୋମାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ
NUM 6:15 ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
NUM 6:16 ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ।
NUM 6:17 ତହିଁ ଉତ୍ତାରେ ସେ ତାଡ଼ିଶୂନ୍ୟ ରୁଟିର ଡାଲା ସହିତ ମଙ୍ଗଳାର୍ଥକ ମେଷବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ମଧ୍ୟ ଯାଜକ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବ।
NUM 6:18 ତେବେ ନାସରୀୟ ଲୋକ ସମାଗମ-ତମ୍ବୁ ଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧଃସ୍ଥିତ ଅଗ୍ନିରେ ପକାଇବ।
NUM 6:19 ପୁଣି, ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତ୍ତାରେ, ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଧ, ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ।
NUM 6:20 ଆଉ, ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ; ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁ ଉତ୍ତାରେ ସେହି ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରି ପାରିବ।
NUM 6:21 ନାସରୀୟ ବ୍ରତଧାରୀ ଲୋକ ଯାହା ଦେବାକୁ ସକ୍ଷମ, ତାହା ବ୍ୟତୀତ ଓ ତାହାର ପୃଥକ ରହିବା ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ-ଦାନର ବ୍ୟବସ୍ଥା ଏହି; ସେ ଯେରୂପ ବ୍ରତ କରେ, ପୃଥକ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ।”
NUM 6:22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 6:23 “ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣକୁ କୁହ, ‘ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ଏହିରୂପେ ଆଶୀର୍ବାଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,
NUM 6:24 ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ;
NUM 6:25 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ;
NUM 6:26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମ୍ଭକୁ ଶାନ୍ତି ଦେଉନ୍ତୁ।’”
NUM 6:27 ଏହିରୂପେ ସେମାନେ ଇସ୍ରାଏଲ-ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।
NUM 7:1 ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;
NUM 7:2 ସେହି ଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।
NUM 7:3 ପୁଣି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍‍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ।
NUM 7:4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 7:5 “ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହାସବୁ ସମାଗମ-ତମ୍ବୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହାସବୁ ଦେବ।”
NUM 7:6 ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।
NUM 7:7 ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।
NUM 7:8 ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ।
NUM 7:9 ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।
NUM 7:10 ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍‍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।
NUM 7:11 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
NUM 7:12 ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;
NUM 7:13 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:14 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:15 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:16 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
NUM 7:17 ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର।
NUM 7:18 ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,
NUM 7:19 ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍‍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:20 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:21 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:22 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:23 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର।
NUM 7:24 ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ୍‍ ଆଣିଲା;
NUM 7:25 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:26 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:27 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:28 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:29 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବ୍‍ର ଉପହାର।
NUM 7:30 ଚତୁର୍ଥ ଦିନ ରୁବେନ୍‍-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;
NUM 7:31 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:32 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:33 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:34 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
NUM 7:35 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର।
NUM 7:36 ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;
NUM 7:37 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:38 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:39 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:40 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:41 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର।
NUM 7:42 ଷଷ୍ଠ ଦିନ ଗାଦ୍‍-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଆଣିଲା;
NUM 7:43 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:44 ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:45 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:46 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
NUM 7:47 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ର ଉପହାର।
NUM 7:48 ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;
NUM 7:49 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:50 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:51 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:52 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
NUM 7:53 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର।
NUM 7:54 ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;
NUM 7:55 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:56 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:57 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:58 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:59 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର।
NUM 7:60 ନବମ ଦିନ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍‍ ଆଣିଲା;
NUM 7:61 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:62 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:63 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:64 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:65 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍‍ର ଉପହାର।
NUM 7:66 ଦଶମ ଦିନ ଦାନ୍-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;
NUM 7:67 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:68 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:69 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ମେଷବତ୍ସ;
NUM 7:70 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:71 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର।
NUM 7:72 ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;
NUM 7:73 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:74 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:75 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
NUM 7:76 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:77 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର।
NUM 7:78 ଦ୍ୱାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;
NUM 7:79 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
NUM 7:80 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
NUM 7:81 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ,
NUM 7:82 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
NUM 7:83 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଐନନର ପୁତ୍ର ଅହୀରର ଉପହାର।
NUM 7:84 ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;
NUM 7:85 ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ଡ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;
NUM 7:86 ପୁଣି, ଧୂପପୂର୍ଣ୍ଣ ଦ୍ୱାଦଶ ସ୍ୱର୍ଣ୍ଣ ଚାମଚ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚାମଚର ସମସ୍ତ ସ୍ୱର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା।
NUM 7:87 ହୋମ ନିମନ୍ତେ ସମୁଦାୟ ଦ୍ୱାଦଶ ଗୋରୁ, ଦ୍ୱାଦଶ ମେଷ, ଏକ ବର୍ଷୀୟ ଦ୍ୱାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ୱାଦଶ ଛାଗ;
NUM 7:88 ପୁଣି, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର।
NUM 7:89 ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବ ଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।
NUM 8:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 8:2 “ତୁମ୍ଭେ ହାରୋଣକୁ କୁହ, ‘ତୁମ୍ଭେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।’”
NUM 8:3 ତହିଁରେ ହାରୋଣ ସେହିରୂପ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜ୍ୱଳାଇଲେ।
NUM 8:4 ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା; ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା; ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ।
NUM 8:5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 8:6 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର।
NUM 8:7 ତୁମ୍ଭେ ସେମାନଙ୍କୁ ଶୁଚି କରିବା ନିମନ୍ତେ ଏହିରୂପ କରିବ; ସେମାନଙ୍କ ଉପରେ ପବିତ୍ରୀକରଣ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ଶୁଚି କରନ୍ତୁ।
NUM 8:8 ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି, ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ।
NUM 8:9 ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରିବ।
NUM 8:10 ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ; ତହୁଁ ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ରଖିବେ।
NUM 8:11 ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରି ପାରିବେ।
NUM 8:12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।
NUM 8:13 ପୁଣି, ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
NUM 8:14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ।
NUM 8:15 ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ; ପୁଣି, ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।
NUM 8:16 କାରଣ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ; ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ।
NUM 8:17 ଯେହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ, ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ।
NUM 8:18 ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ।
NUM 8:19 ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ସମୟରେ ଯେପରି ସେମାନଙ୍କ ମଧ୍ୟରେ ମହାମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।”
NUM 8:20 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ।
NUM 8:21 ପୁଣି, ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।
NUM 8:22 ତହିଁ ଉତ୍ତାରେ ଲେବୀୟମାନେ ହାରୋଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ।
NUM 8:23 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 8:24 “ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା ପଚିଶ ବର୍ଷ ବୟସରୁ ଲେବୀୟମାନେ ସମାଗମ-ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ।
NUM 8:25 ପୁଣି, ସେମାନେ ପଚାଶ ବର୍ଷ ବୟସ୍କ ହେଲେ, ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ;
NUM 8:26 ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।”
NUM 9:1 ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେଲା ଉତ୍ତାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ପ୍ରାନ୍ତରରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 9:2 “ଇସ୍ରାଏଲ-ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ;
NUM 9:3 ଏହି ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟାକାଳର ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ; ତହିଁର ସମସ୍ତ ବିଧି ଓ ନିୟମ ଅନୁସାରେ ତାହା ପାଳନ କରିବ।”
NUM 9:4 ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
NUM 9:5 ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସୀନୟ ପ୍ରାନ୍ତରରେ ନିସ୍ତାର ପର୍ବ ପାଳନ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସବୁ କର୍ମ କଲେ।
NUM 9:6 ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ; ଏନିମନ୍ତେ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।
NUM 9:7 ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ?”
NUM 9:8 ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରହିଥାଅ; ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ତାହା ଶୁଣେ।”
NUM 9:9 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 9:10 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ତୁମ୍ଭମାନଙ୍କ ମଧ୍ୟରେ କିଅବା ତୁମ୍ଭମାନଙ୍କ ଭବିଷ୍ୟତ ସନ୍ତାନଗଣ ମଧ୍ୟରେ ଯଦି କେହି ଶବ ଦ୍ୱାରା ଅଶୁଚି ହୁଏ, କିଅବା ଦୂର ସ୍ଥାନରେ ପଥିକ ହୁଏ, ତେବେ ହେଁ ସେ ସଦାପ୍ରଭୁଙ୍କ ନିସ୍ତାର ପର୍ବ ପାଳନ କରିବ;’
NUM 9:11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ;
NUM 9:12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ କିଅବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ; ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
NUM 9:13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥିପାଇଁ ସେହି ମନୁଷ୍ୟ ଆପଣା ପାପ ବୋହିବ;
NUM 9:14 ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ନିୟମାନୁସାରେ ତାହା ପାଳନ କରିବ; ସ୍ୱଦେଶଜାତ କିମ୍ବା ବିଦେଶଜାତ, ଦୁହିଁଙ୍କ ପାଇଁ ତୁମ୍ଭମାନଙ୍କର ଏକ ବିଧି ହେବ।”
NUM 9:15 ଆଉ ଯେଉଁ ଦିନ ଆବାସ ସ୍ଥାପିତ ହେଲା, ସେହି ଦିନ ମେଘ ଆବାସକୁ, ଅର୍ଥାତ୍‍, ସାକ୍ଷ୍ୟ-ତମ୍ବୁକୁ ଆଚ୍ଛାଦନ କଲା; ପୁଣି, ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନି ତୁଲ୍ୟ ଦେଖାଗଲା
NUM 9:16 ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନି ତୁଲ୍ୟ ଦେଖାଗଲା।
NUM 9:17 ଆଉ ଯେକୌଣସି ସମୟରେ ତମ୍ବୁ ଉପରୁ ସେହି ମେଘ ଉପରକୁ ନିଆଗଲା, ସେତେବେଳେ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ; ପୁଣି, ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲ-ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ।
NUM 9:18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ; ଯେପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା, ସେପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।
NUM 9:19 ପୁଣି, ଯେତେବେଳେ ସେହି ମେଘ ଆବାସ ଉପରେ ବହୁ ଦିନ ବିଳମ୍ବ କରି ରହିଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ।
NUM 9:20 ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।
NUM 9:21 ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ; ଅବା ଯଦି ତାହା ଦିବାରାତ୍ର ରହିଲା, ତେବେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
NUM 9:22 ଦୁଇ ଦିନ କିମ୍ବା ଏକ ମାସ କିମ୍ବା ଏକ ବର୍ଷ ହେଉ, ଆବାସ ଉପରେ ମେଘ ଯେତେକାଳ ବିଳମ୍ବ କରି ଅବସ୍ଥିତି କଲା, ସେତେକାଳ ଇସ୍ରାଏଲ-ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ; ମାତ୍ର ତାହା ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
NUM 9:23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ; ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ।
NUM 10:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 10:2 “ତୁମ୍ଭେ ରୂପାର ଦୁଇ ତୂରୀ ନିର୍ମାଣ କର; ତୁମ୍ଭେ ପିଟାକର୍ମରେ ତାହା ନିର୍ମାଣ କରିବ; ଆଉ ତୁମ୍ଭେ ମଣ୍ଡଳୀକୁ ଆହ୍ୱାନ କରିବା ସମୟରେ ଓ ଛାଉଣିସମୂହ ପ୍ରସ୍ଥାନ କରିବା ସମୟରେ ତାହା ବ୍ୟବହାର କରିବ।
NUM 10:3 ପୁଣି, ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ଡଳୀ ସମାଗମ-ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ।
NUM 10:4 ଆଉ ଯଦି ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍‍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।
NUM 10:5 ପୁଣି, ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ।
NUM 10:6 ପୁଣି, ତୁମ୍ଭେମାନେ ଦ୍ୱିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ; ଏହି କ୍ରମରେ ସେମାନେ ଆପଣାମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ।
NUM 10:7 ସମାଜକୁ ଏକତ୍ର କରିବା ସମୟରେ ତୁମ୍ଭେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ।
NUM 10:8 ଆଉ ହାରୋଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ; ପୁଣି, ତାହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।
NUM 10:9 ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଳେଶଦାୟୀ ବିପକ୍ଷଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ।
NUM 10:10 ଆହୁରି ତୁମ୍ଭମାନଙ୍କ ଆନନ୍ଦ ଦିନରେ, ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ; ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ସ୍ମରଣାର୍ଥେ ହେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
NUM 10:11 ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା।
NUM 10:12 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
NUM 10:13 ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
NUM 10:14 ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।
NUM 10:15 ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:16 ଆଉ ହେଲୋନର ପୁତ୍ର ଇଲୀୟାବ୍‍, ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:17 ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।
NUM 10:18 ତହୁଁ ରୁବେନ୍‍-ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।
NUM 10:19 ଆଉ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:20 ଆଉ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବୋହି ଅଗ୍ରସର ହେଲେ; ପୁଣି, ସେମାନେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।
NUM 10:22 ଆଉ ଇଫ୍ରୟିମ-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟ ଉପରେ ଥିଲା।
NUM 10:23 ଆଉ ପଦାହସୂରର ପୁତ୍ର ଗମଲୀୟେଲ ମନଃଶି ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:24 ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:25 ତହୁଁ ସମସ୍ତ ଛାଉଣିର ପଶ୍ଚାତ୍‍ ଦାନ୍-ସନ୍ତାନଗଣଙ୍କର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ସେମାନଙ୍କ ସୈନ୍ୟ ଉପରେ ଥିଲା।
NUM 10:26 ଆଉ ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:27 ପୁଣି, ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
NUM 10:28 ଏହିରୂପେ ଇସ୍ରାଏଲ-ସନ୍ତାନଗଣଙ୍କର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
NUM 10:29 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ମିଦୀୟନୀୟ ରୁୟେଲର ପୁତ୍ର ହୋବବ୍‍କୁ କହିଲେ, “ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଅଛନ୍ତି, ‘ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା,’ ସେହି ସ୍ଥାନକୁ ଆମ୍ଭେମାନେ ଯାତ୍ରା କରୁଅଛୁ; ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା; କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଅଛନ୍ତି।”
NUM 10:30 ତହୁଁ ସେ କହିଲା, “ମୁଁ ଯିବି ନାହିଁ; ମାତ୍ର ମୁଁ ଆପଣା ନିଜ ଦେଶକୁ ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି।”
NUM 10:31 ତେବେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।
NUM 10:32 ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ ଯେ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ, ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ।”
NUM 10:33 ଏଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ-ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା।
NUM 10:34 ପୁଣି, ସେମାନେ ଛାଉଣିରୁ ଯାତ୍ରା କରିବା ସମୟରେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା।
NUM 10:35 ପୁଣି, ସିନ୍ଦୁକ ଅଗ୍ରସର ହେବା ସମୟରେ ମୋଶା କହନ୍ତି, “ସଦାପ୍ରଭୋ, ଉଠ, ପୁଣି, ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହେଉନ୍ତୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
NUM 10:36 ଆଉ ତାହା ବିଶ୍ରାମ କରିବା ସମୟରେ ସେ କହନ୍ତି, “ସଦାପ୍ରଭୋ, ତୁମ୍ଭେ ଇସ୍ରାଏଲର ଅୟୁତ ଅୟୁତ ସହସ୍ର ପ୍ରତି ଫେର।”
NUM 11:1 ଏଥିଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ; ପୁଣି, ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା।
NUM 11:2 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେ; ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେହି ଅଗ୍ନି ଲିଭିଗଲା।
NUM 11:3 ତେଣୁ ସେହି ସ୍ଥାନର ନାମ ତବୀୟେରା ହେଲା, କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।
NUM 11:4 ଏଥିଉତ୍ତାରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ; ପୁଣି, ଇସ୍ରାଏଲ-ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ?
NUM 11:5 ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ; ସେ କାକୁଡ଼ି, ସେ ଖରଭୁଜ, ସେ ପରୁ, ସେ ପିଆଜ ଓ ରସୁଣ (ମନରେ ପଡ଼େ);
NUM 11:6 ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି; ଏଠି କିଛି ନାହିଁ; ଏହି ମାନ୍ନା ବ୍ୟତୀତ ଆଉ ଦେଖିବାକୁ କିଛି ନାହିଁ।”
NUM 11:7 ଆଉ ସେହି ମାନ୍ନା ଧନିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ।
NUM 11:8 ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଝେଇ କରି ପିଠା ପ୍ରସ୍ତୁତ କଲେ; ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା।
NUM 11:9 ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ସମୟରେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା।
NUM 11:10 ଏଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ, ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି, ମୋଶା ମଧ୍ୟ ଅସନ୍ତୁଷ୍ଟ ହେଲେ।
NUM 11:11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇ ନାହିଁ, ଯେ ତୁମ୍ଭେ ମୋʼ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?
NUM 11:12 ମୁଁ କʼଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କʼଣ ସେମାନଙ୍କୁ ଜନ୍ମ କରିଅଛି ଯେ, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ‘ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ-ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନିଯିବା ପାଇଁ ମୋତେ କହୁଅଛ?’
NUM 11:13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ,’ ଆମ୍ଭେମାନେ ଖାଇବା।
NUM 11:14 ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋʼ ପାଇଁ ଅସହ୍ୟ ଅଟେ।
NUM 11:15 ଆଉ ଯଦି ତୁମ୍ଭେ ମୋʼ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ, ସେହିକ୍ଷଣି ମୋତେ ମାରି ପକାଅ; ପୁଣି, ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
NUM 11:16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯେଉଁମାନଙ୍କୁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର; ପୁଣି, ସେମାନଙ୍କୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ।
NUM 11:17 ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି, ତହିଁରୁ ନେଇ ସେମାନଙ୍କୁ ଦେବା; ତହିଁରେ ତୁମ୍ଭେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ।
NUM 11:18 ପୁଣି, ତୁମ୍ଭେ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।
NUM 11:19 ତୁମ୍ଭେମାନେ ଦିନେ କିମ୍ବା ଦୁଇ ଦିନ କିମ୍ବା ପାଞ୍ଚ ଦିନ କିମ୍ବା ଦଶ ଦିନ କିମ୍ବା କୋଡ଼ିଏ ଦିନ ଖାଇବ, ତାହା ନୁହେଁ;
NUM 11:20 ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟନ୍ତ ଖାଇବ; କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।’”
NUM 11:21 ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।’
NUM 11:22 ସେମାନଙ୍କୁ ଅଣ୍ଟିବା ଭଳି କʼଣ ପଲ ପଲ ଗୋମେଷ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କʼଣ ଏକତ୍ର କରାଯିବ?”
NUM 11:23 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି? ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।”
NUM 11:24 ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି, ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ।
NUM 11:25 ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେ; ପୁଣି, ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ।
NUM 11:26 ମାତ୍ର ଛାଉଣି ମଧ୍ୟରେ ଦୁଇ ଜଣ ଅବଶିଷ୍ଟ ରହିଲେ, ଜଣକର ନାମ ଇଲଦଦ୍‍ ଓ ଅନ୍ୟର ନାମ ମେଦଦ୍‍; ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା; ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନ ଥିଲେ; ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ।
NUM 11:27 ତହୁଁ ଜଣେ ଯୁବା ଦୌଡ଼ିଯାଇ ମୋଶାଙ୍କୁ କହିଲା, “ଇଲଦଦ୍‍ ଓ ମେଦଦ୍‍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି।”
NUM 11:28 ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।”
NUM 11:29 ତେବେ ମୋଶା କହିଲେ, “ତୁମ୍ଭେ ମୋʼ ସକାଶୁ କʼଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟଦ୍‍ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ!”
NUM 11:30 ଏଉତ୍ତାରେ ମୋଶା ଓ ଇସ୍ରାଏଲର ପ୍ରାଚୀନଗଣ ଛାଉଣିକୁ ଗମନ କଲେ।
NUM 11:31 ଏଥିଉତ୍ତାରେ ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା, ପୁଣି, ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେପାଖେ ଦିନକର ପଥ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିଠାରୁ ପ୍ରାୟ ଦୁଇ ହସ୍ତ ଊର୍ଦ୍ଧ୍ୱରେ ପକାଇଲା।
NUM 11:32 ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ; କେହି ଦଶ ହୋମରରୁ ଊଣା ସଂଗ୍ରହ କଲା ନାହିଁ; ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ।
NUM 11:33 ମାତ୍ର ସେମାନଙ୍କ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ, ଚୋବାଇଲା ପୂର୍ବେ, ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ।
NUM 11:34 ତହିଁରେ ସେହି ସ୍ଥାନର ନାମ କିବ୍ରୋତ୍‍-ହତ୍ତାବା ହେଲା; ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ।
NUM 11:35 ଲୋକମାନେ କିବ୍ରୋତ୍‍-ହତ୍ତାବାଠାରୁ ହତ୍ସେରୋତକୁ ଯାତ୍ରା କରି ସେହିଠାରେ ରହିଲେ।
NUM 12:1 ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।
NUM 12:2 ସେମାନେ କହିଲେ, “ସଦାପ୍ରଭୁ କି କେବଳ ମୋଶାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହି ନାହାନ୍ତି?” ମାତ୍ର ଏ କଥା ସଦାପ୍ରଭୁ ଶୁଣିଲେ।
NUM 12:3 ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।
NUM 12:4 ଏଥିଉତ୍ତାରେ ସଦାପ୍ରଭୁ ଅକସ୍ମାତ୍‍ ମୋଶାଙ୍କୁ ଓ ହାରୋଣଙ୍କୁ ଓ ମରୀୟମକୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ” ତହିଁରେ ସେ ତିନି ଜଣ ବାହାର ହୋଇ ଆସିଲେ;
NUM 12:5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।
NUM 12:6 ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍‍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।
NUM 12:7 ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ।
NUM 12:8 ଆମ୍ଭେ ତାହା ସହିତ ଗୂଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖୀ ହୋଇ ପ୍ରକାଶ୍ୟ ରୂପେ କଥା କହିବା ଓ ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରିବ; ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ମୋଶାଙ୍କ ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ?”
NUM 12:9 ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
NUM 12:10 ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।
NUM 12:11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।
NUM 12:12 ମାତାର ଗର୍ଭରୁ ନିର୍ଗତ ହେଲା ସମୟରେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ।”
NUM 12:13 ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”
NUM 12:14 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାʼନ୍ତା, ତେବେ ସେ କି ସାତ ଦିନ ଲଜ୍ଜିତା ହୁଅନ୍ତା ନାହିଁ? ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରୁଦ୍ଧା ହୋଇ ରହୁ; ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ।”
NUM 12:15 ତହୁଁ ମରୀୟମ ସାତ ଦିନ ଛାଉଣିର ବାହାରେ ରୁଦ୍ଧା ହେଲା, ଆଉ ମରୀୟମ ପୁନର୍ବାର ଭିତରକୁ ଅଣା ନ ଯିବାଯାଏ ଲୋକମାନେ ଯାତ୍ରା କଲେ ନାହିଁ।
NUM 12:16 ତହିଁ ଉତ୍ତାରେ ଲୋକମାନେ ହତ୍ସେରୋତଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣି ସ୍ଥାପନ କଲେ।
NUM 13:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 13:2 “ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯେଉଁ କିଣାନ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ, ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”
NUM 13:3 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ-ସନ୍ତାନଗଣର ପ୍ରଧାନ ଥିଲେ।
NUM 13:4 ସେମାନଙ୍କର ନାମ ଏହି: ରୁବେନ୍‍ ବଂଶ ମଧ୍ୟରୁ ସକ୍କୁରର ପୁତ୍ର ଶମ୍ମୂୟ;
NUM 13:5 ଶିମୀୟୋନ ବଂଶ ମଧ୍ୟରୁ ହୋରିର ପୁତ୍ର ଶାଫଟ;
NUM 13:6 ଯିହୁଦା ବଂଶ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ;
NUM 13:7 ଇଷାଖର ବଂଶ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ;
NUM 13:8 ଇଫ୍ରୟିମ ବଂଶ ମଧ୍ୟରୁ ନୂନର ପୁତ୍ର ହୋଶେୟ;
NUM 13:9 ବିନ୍ୟାମୀନ୍ ବଂଶ ମଧ୍ୟରୁ ରାଫୂର ପୁତ୍ର ପଲ୍ଟି;
NUM 13:10 ସବୂଲୂନ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ;
NUM 13:11 ଯୋଷେଫ-ବଂଶ ମଧ୍ୟରୁ, ଅର୍ଥାତ୍‍, ମନଃଶି ବଂଶ ମଧ୍ୟରୁ ସୂଷିର ପୁତ୍ର ଗଦ୍ଦି;
NUM 13:12 ଦାନ୍ ବଂଶ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ;
NUM 13:13 ଆଶେର ବଂଶ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର;
NUM 13:14 ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି;
NUM 13:15 ଗାଦ୍‍ ବଂଶ ମଧ୍ୟରୁ ମାଖିର ପୁତ୍ର ଗୂୟେଲ।
NUM 13:16 ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି, ଆଉ ମୋଶା, ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।
NUM 13:17 ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ କହିଲେ, “ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର;
NUM 13:18 ପୁଣି, ସେହି ଦେଶ କିପରି ଓ ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ;
NUM 13:19 ପୁଣି, ସେମାନେ ଯେଉଁ ଦେଶରେ ବାସ କରନ୍ତି, ତାହା ଭଲ କି ମନ୍ଦ ଓ ଯେଉଁ ଯେଉଁ ନଗରରେ ବାସ କରନ୍ତି, ତାହା କି ପ୍ରକାର; ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି;
NUM 13:20 ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।
NUM 13:21 ଏଣୁ ସେମାନେ ସୀନ୍‍ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।
NUM 13:22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋଣରେ ଉପସ୍ଥିତ ହେଲେ; ସେହି ସ୍ଥାନରେ ଅହୀମାନ୍‍, ଶେଶୟ ଓ ତଲ୍ମୟ, ଅନାକର ଏହି ସନ୍ତାନମାନେ ଥିଲେ। ମିସରସ୍ଥିତ ସୋୟନ-ପତ୍ତନର ସାତ ବର୍ଷ ପୂର୍ବେ ହିବ୍ରୋଣର ପତ୍ତନ ହୋଇଥିଲା।
NUM 13:23 ଏଉତ୍ତାରେ ସେମାନେ ଇଷ୍କୋଲ-ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇ ଜଣ ସାଙ୍ଗୀରେ ବହିଲେ; ସେମାନେ ଡାଳିମ୍ବ ଓ ଡିମ୍ବିରି ଫଳ ମଧ୍ୟ ଆଣିଲେ।
NUM 13:24 ଇସ୍ରାଏଲ-ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ଡା କାଟିଥିଲେ, ତହିଁ ସକାଶୁ ସେହି ସ୍ଥାନ ଇଷ୍କୋଲ (ପେଣ୍ଡା) ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।
NUM 13:25 ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ।
NUM 13:26 ଏଥିଉତ୍ତାରେ ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀକୁ ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।
NUM 13:27 ପୁଣି, ସେମାନେ ବର୍ଣ୍ଣନା କରି ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ; ଆଉ ତାହା ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ ଓ ଏହା ତହିଁର ଫଳ।
NUM 13:28 ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗରସବୁ ପ୍ରାଚୀର-ବେଷ୍ଟିତ ଓ ଅତି ବଡ଼; ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ।
NUM 13:29 ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି; ପୁଣି, ପର୍ବତରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି; ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”
NUM 13:30 ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି କହିଲେ, “ଆସ, ଆମ୍ଭେମାନେ ଏହିକ୍ଷଣି ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭେମାନେ ସକ୍ଷମ ଅଟୁ।”
NUM 13:31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ।”
NUM 13:32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ, ଇସ୍ରାଏଲ-ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଆମ୍ଭେମାନେ ଯେଉଁ ଦେଶର ମଧ୍ୟଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ, ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ, ପୁଣି, ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ, ସେମାନେ ବଡ଼ ଡେଙ୍ଗା।
NUM 13:33 ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।”
NUM 14:1 ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ।
NUM 14:2 ପୁଣି, ଇସ୍ରାଏଲ-ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, “ଆହା, ଆମ୍ଭେମାନେ ମିସର ଦେଶରେ ନଚେତ୍ ଏହି ପ୍ରାନ୍ତରରେ ମରିଥାʼନ୍ତୁ! ଆହା, ଆମ୍ଭେମାନେ ଯଦି ଏହି ପ୍ରାନ୍ତରରେ ମରିଥାʼନ୍ତୁ!
NUM 14:3 ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗରେ ନିପାତ କରିବା ପାଇଁ କାହିଁକି ଏ ଦେଶକୁ ଆଣିଅଛନ୍ତି? ଯଦ୍ଦ୍ୱାରା ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ; ମିସରକୁ ଫେରିଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ?”
NUM 14:4 ଏଥିରେ ସେମାନେ ପରସ୍ପରକୁ କହିଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରିଯାଉ।”
NUM 14:5 ତହିଁରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ।
NUM 14:6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;
NUM 14:7 ଆଉ ସେମାନେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ ଅଟେ।
NUM 14:8 ଯଦି ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ନେବେ ଓ ତାହା ଆମ୍ଭମାନଙ୍କୁ ଦେବେ; ସେହି ଦେଶ ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ।
NUM 14:9 କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହୁଅ ନାହିଁ, କିଅବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ; ସେମାନଙ୍କ ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି, ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ସେମାନଙ୍କୁ ଭୟ କର ନାହିଁ।”
NUM 14:10 ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ପ୍ରତାପ ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା।
NUM 14:11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ?
NUM 14:12 ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।”
NUM 14:13 ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।
NUM 14:14 ପୁଣି, ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ; ସେମାନେ ଶୁଣିଅଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟବର୍ତ୍ତୀ ଅଟ; କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି ଓ ତୁମ୍ଭେ ଦିନ ସମୟରେ ମେଘ ସ୍ତମ୍ଭରେ ଓ ରାତ୍ରି ସମୟରେ ଅଗ୍ନିସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ।
NUM 14:15 ବର୍ତ୍ତମାନ ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି, ସେମାନେ କହିବେ,
NUM 14:16 ‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଧ କରିଅଛନ୍ତି।’
NUM 14:17 ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ ହେଉ, ଯେପରି ତୁମ୍ଭେ କହିଅଛ,
NUM 14:18 ‘ସଦାପ୍ରଭୁ କ୍ରୋଧରେ ଧୀର, ଦୟାରେ ପରିପୂର୍ଣ୍ଣ, ଅପରାଧ ଓ ଆଜ୍ଞା-ଲଙ୍ଘନର କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା; ପୁଣି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣଙ୍କର ଅପରାଧର ପ୍ରତିଫଳଦାତା।’
NUM 14:19 ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।”
NUM 14:20 ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭର ଅନୁରୋଧନୁସାରେ ସେମାନଙ୍କୁ କ୍ଷମା କଲୁ।
NUM 14:21 ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,
NUM 14:22 ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶ ଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି,
NUM 14:23 ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖି ପାରିବେ ନାହିଁ; କିଅବା ଯେଉଁମାନେ ଆମ୍ଭଙ୍କୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ;
NUM 14:24 ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
NUM 14:25 ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”
NUM 14:26 ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
NUM 14:27 “ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା? ଇସ୍ରାଏଲ-ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।
NUM 14:28 ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଯଦି ଜୀବିତ ହେଉ, ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କହିଅଛ, ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା।
NUM 14:29 ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ,
NUM 14:30 ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ।
NUM 14:31 ମାତ୍ର ତୁମ୍ଭେମାନେ ଆପଣା ଆପଣାର ଯେଉଁ ବାଳକଗଣଙ୍କ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ, ସେମାନେ ତହିଁର ପରିଚୟ ପାଇବେ।
NUM 14:32 ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ।
NUM 14:33 ପୁଣି, ତୁମ୍ଭମାନଙ୍କ ସନ୍ତାନଗଣଙ୍କ ଚାଳିଶ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କ ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ।
NUM 14:34 ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
NUM 14:35 ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।’”
NUM 14:36 ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଶାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରିଆସି ସେହି ଦେଶର ଅଖ୍ୟାତି ଆଣି ସଦାପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ,
NUM 14:37 ଦେଶର ଅଖ୍ୟାତିକାରୀ ସେହି ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମହାମାରୀ ଦ୍ୱାରା ମଲେ।
NUM 14:38 ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଜୀବିତ ରହିଲେ।
NUM 14:39 ଆଉ ମୋଶା ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ; ତହିଁରେ ଲୋକମାନେ ଅତିଶୟ ବିଳାପ କଲେ।
NUM 14:40 ପୁଣି, ସେମାନେ ଅତି ପ୍ରାତଃକାଳରେ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି କହିଲେ, “ଦେଖ, ଆମ୍ଭେମାନେ ପାପ କରିଅଛୁ, ତଥାପି ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଅଛନ୍ତି, ସେହି ସ୍ଥାନକୁ ଯିବା ନିମନ୍ତେ; ଆମ୍ଭେମାନେ ଏଠାରେ ଅଛୁ।”
NUM 14:41 ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାଲଙ୍ଘନ କରୁଅଛ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ।
NUM 14:42 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ନାହାନ୍ତି; ଯେପରି ତୁମ୍ଭେମାନେ ଶତ୍ରୁଗଣର ସମ୍ମୁଖରେ ପରାସ୍ତ ହେବ ନାହିଁ, ଏଥିପାଇଁ ଉପରକୁ ଯାଅ ନାହିଁ।
NUM 14:43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”
NUM 14:44 ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ; ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ମୋଶା ଛାଉଣିରୁ ପ୍ରସ୍ଥାନ କଲେ ନାହିଁ।
NUM 14:45 ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆଘାତ କଲେ ଓ ସେମାନଙ୍କୁ ପରାସ୍ତ କରି ହର୍ମା ପର୍ଯ୍ୟନ୍ତ ତଡ଼ିଦେଲେ।
NUM 15:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 15:2 “ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ଆପଣାମାନଙ୍କ ସେହି ନିବାସ ଦେଶରେ ଯେତେବେଳେ ପ୍ରବେଶ କରିବ,
NUM 15:3 ପୁଣି, ତୁମ୍ଭମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଅବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ବା ବଳି ଉତ୍ସର୍ଗ କରିବ;
NUM 15:4 ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗକାରୀ ଲୋକ ହୋମାଦି ବଳିଦାନାର୍ଥକ ପ୍ରତ୍ୟେକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦାର ନୈବେଦ୍ୟ ଆଣିବ,
NUM 15:5 ପୁଣି, ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ-ନୈବେଦ୍ୟ ପ୍ରସ୍ତୁତ କରିବ।
NUM 15:6 ଅଥବା ଏକ ମେଷ ନିମନ୍ତେ, ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ,
NUM 15:7 ପୁଣି, ତୁମ୍ଭେ ପେୟ-ନୈବେଦ୍ୟ ନିମନ୍ତେ ଏକ ହିନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ।
NUM 15:8 ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ, ଅବା ମାନତ-ପୂର୍ଣ୍ଣକରଣାର୍ଥକ ବଳି ନିମନ୍ତେ, କିଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ, ଯଦି ଗୋବତ୍ସ ପ୍ରସ୍ତୁତ କରିବ,
NUM 15:9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣିବ।
NUM 15:10 ପୁଣି, ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟ-ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ୍ ଦ୍ରାକ୍ଷାରସ ଆଣିବ।
NUM 15:11 ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ।
NUM 15:12 ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ।
NUM 15:13 ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ।
NUM 15:14 ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେପ୍ରକାର କର, ସେ ସେହି ପ୍ରକାର କରିବ।
NUM 15:15 ସମାଜ ନିମନ୍ତେ, (ଅର୍ଥାତ୍‍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ।
NUM 15:16 ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।”
NUM 15:17 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ,
NUM 15:18 ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇ ଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏରୂପ କରିବ,
NUM 15:19 ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
NUM 15:20 ତୁମ୍ଭେମାନେ ଆପଣା ଆପଣା ପ୍ରଥମ ସୂଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ; ଯେପରି ଶସ୍ୟମର୍ଦ୍ଦନ ସ୍ଥାନର ଉତ୍ତୋଳନୀୟ ଉପହାର, ସେପରି ତାହା ଉତ୍ତୋଳନ କରିବ।
NUM 15:21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
NUM 15:22 ଆଉ ଯଦି ତୁମ୍ଭେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି, ସେହି ସବୁ ଆଜ୍ଞା,
NUM 15:23 ଅର୍ଥାତ୍‍, ସଦାପ୍ରଭୁ ଆଜ୍ଞା ଦେବା ଦିନାବଧି ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁସବୁ ଆଜ୍ଞା ଦେଇଅଛନ୍ତି, ତାହାସବୁ ଯଦି ପାଳନ ନ କର;
NUM 15:24 ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ।
NUM 15:25 ଆଉ ଯାଜକ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଉପହାର, ଅର୍ଥାତ୍‍, ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି।
NUM 15:26 ତହିଁରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ; କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା।
NUM 15:27 ଆଉ ଯଦି ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକ ବର୍ଷୀୟ ଏକ ଛାଗବତ୍ସା ଆଣିବ।
NUM 15:28 ପୁଣି, ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତାହା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରଣାର୍ଥେ ସେହି ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
NUM 15:29 ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଭ୍ରାନ୍ତିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ।
NUM 15:30 ମାତ୍ର ଯେଉଁ ପ୍ରାଣୀ ଊର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
NUM 15:31 କାରଣ ସେ ସଦାପ୍ରଭୁଙ୍କ ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞାଲଙ୍ଘନ କଲା; ସେହି ପ୍ରାଣୀ ନିତାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ।”
NUM 15:32 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମବାରରେ କାଠ ସାଉଣ୍ଟିବାର ଦେଖିଲେ।
NUM 15:33 ପୁଣି, ଯେଉଁମାନେ ତାକୁ କାଠ ସାଉଣ୍ଟିବାର ଦେଖିଲେ, ସେମାନେ ମୋଶା, ହାରୋଣ ଓ ସମସ୍ତ ମଣ୍ଡଳୀ ସାକ୍ଷାତକୁ ତାହାକୁ ଆଣିଲେ।
NUM 15:34 ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ, ତାହା ପ୍ରକାଶ ହୋଇ ନ ଥିଲା।
NUM 15:35 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟ ଅବଶ୍ୟ ହତ ହେବ; ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ।”
NUM 15:36 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା।
NUM 15:37 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 15:38 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ;
NUM 15:39 ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ,
NUM 15:40 ଆମ୍ଭର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ।
NUM 15:41 ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ, ଆମ୍ଭେ, ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ; ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ।”
NUM 16:1 ଏଥିଉତ୍ତାରେ ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍‍ହରର ପୁତ୍ର କୋରହ, ପୁଣି, ରୁବେନ୍‍ର ସନ୍ତାନଗଣ ମଧ୍ୟରୁ ଇଲୀୟାବ୍‍ର ପୁତ୍ର ଦାଥନ, ଅବୀରାମ ଓ ପେଲତ୍‍ର ପୁତ୍ର ଓନ୍‍, ଦଳ ବାନ୍ଧିଲେ;
NUM 16:2 ପୁଣି, ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୂତ ମଣ୍ଡଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ବିରୁଦ୍ଧରେ ଉଠିଲେ।
NUM 16:3 ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?”
NUM 16:4 ତହୁଁ ମୋଶା ତାହା ଶୁଣି ମୁହଁ ମାଡ଼ି ପଡ଼ିଲେ;
NUM 16:5 ପୁଣି, ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, “କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ, ପୁଣି, ସେ ତାହାକୁ ଆପଣା ନିକଟକୁ ଆଣିବେ; ସେ ଯାହାକୁ ମନୋନୀତ କରିବେ, ତାହାକୁ ଆପଣା ନିକଟକୁ ଆଣିବେ।
NUM 16:6 ତେବେ ଏହା କର, ତୁମ୍ଭେମାନେ ଅଙ୍ଗାରଧାନୀ ନିଅ, କୋରହ ଓ ତାହାର ଦଳସ୍ଥ ସମସ୍ତେ;
NUM 16:7 ପୁଣି, କାଲି ତହିଁରେ ଅଗ୍ନି ଦିଅ, ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ; ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ, ସେ ହିଁ ପବିତ୍ର ହେବ; ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି।”
NUM 16:8 ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ।
NUM 16:9 ଇସ୍ରାଏଲଙ୍କର ପରମେଶ୍ୱର ଯେ ତୁମ୍ଭମାନଙ୍କୁ ଇସ୍ରାଏଲ-ମଣ୍ଡଳୀରୁ ପୃଥକ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି,
NUM 16:10 ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ?
NUM 16:11 ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ?”
NUM 16:12 ତହିଁରେ ମୋଶା ଇଲୀୟାବ୍‍ର ପୁତ୍ର ଦାଥନକୁ ଓ ଅବୀରାମଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ।
NUM 16:13 ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ।
NUM 16:14 ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ।”
NUM 16:15 ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।”
NUM 16:16 ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ;
NUM 16:17 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ।”
NUM 16:18 ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ।
NUM 16:19 ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।
NUM 16:20 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
NUM 16:21 “ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”
NUM 16:22 ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ?”
NUM 16:23 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 16:24 “ତୁମ୍ଭେ ମଣ୍ଡଳୀକୁ କୁହ, ‘ତୁମ୍ଭେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଯାଅ।’”
NUM 16:25 ତହିଁରେ ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନବର୍ଗ ତାଙ୍କର ପଶ୍ଚାଦ୍‍ଗମନ କଲେ।
NUM 16:26 ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।”
NUM 16:27 ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ।
NUM 16:28 ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହାସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।
NUM 16:29 ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି।
NUM 16:30 ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।”
NUM 16:31 ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା;
NUM 16:32 ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା।
NUM 16:33 ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ।
NUM 16:34 ପୁଣି, ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, “କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ।”
NUM 16:35 ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।
NUM 16:36 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 16:37 “ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରିନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହି ସବୁ ପବିତ୍ର;
NUM 16:38 ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହାସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଚିହ୍ନସ୍ୱରୂପ ହେବ।”
NUM 16:39 ତହିଁରେ ସେହି ଦଗ୍ଧ ଲୋକମାନେ ଯେଉଁ ଯେଉଁ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲୀୟାସର ଯାଜକ ସେହି ସବୁ ନେଲା;
NUM 16:40 ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ-ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।
NUM 16:41 ତଥାପି ଆରଦିନ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।”
NUM 16:42 ତହୁଁ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେବା ସମୟରେ ସେମାନେ ସମାଗମ-ତମ୍ବୁ ଆଡ଼େ ଅନାଇଲେ; ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି।
NUM 16:43 ସେତେବେଳେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ।
NUM 16:44 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 16:45 “ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା; ଏଥିରେ ସେମାନେ ମୁହଁ ମାଡ଼ି ପଡ଼ିଲେ।”
NUM 16:46 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।”
NUM 16:47 ତହିଁରେ ହାରୋଣ ମୋଶାଙ୍କର କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ି ଗଲେ; ସେହି ସମୟରେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା; ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।
NUM 16:48 ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା।
NUM 16:49 ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ।
NUM 16:50 ପୁଣି, ମହାମାରୀ ନିବୃତ୍ତ ହୁଅନ୍ତେ, ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।
NUM 17:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 17:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ଗ୍ରହଣ କର; ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ।
NUM 17:3 ପୁଣି, ତୁମ୍ଭେ ଲେବୀର ଯଷ୍ଟିରେ ହାରୋଣର ନାମ ଲେଖିବ; କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ।
NUM 17:4 ଆଉ ସମାଗମ-ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେହି ସବୁ ରଖିବ।
NUM 17:5 ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା।”
NUM 17:6 ଏଥିରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ସେମାନଙ୍କର ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ତାଙ୍କୁ ଦେଲେ; ପୁଣି, ହାରୋଣଙ୍କର ଯଷ୍ଟି ସେମାନଙ୍କ ଯଷ୍ଟିସକଳର ମଧ୍ୟରେ ଥିଲା।
NUM 17:7 ତହୁଁ ମୋଶା ସାକ୍ଷ୍ୟ-ତମ୍ବୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ।
NUM 17:8 ଏଥିଉତ୍ତାରେ ଆରଦିନ ମୋଶା ସାକ୍ଷ୍ୟ-ତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।
NUM 17:9 ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି, ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ।
NUM 17:10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”
NUM 17:11 ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ।
NUM 17:12 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ।
NUM 17:13 ଯେକେହି ନିକଟକୁ ଆସୁଅଛି, ଅର୍ଥାତ୍‍, ସଦାପ୍ରଭୁଙ୍କ ଆବାସ ନିକଟକୁ ଆସୁଅଛି, ସେ ମରୁଅଛି; ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବା?”
NUM 18:1 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ, ତୁମ୍ଭେମାନେ ପବିତ୍ର ସ୍ଥାନଘଟିତ ଅପରାଧ ବହିବ; ପୁଣି, ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଯାଜକତ୍ୱ-ପଦଘଟିତ ଅପରାଧ ବୋହିବ।
NUM 18:2 ଆଉ ତୁମ୍ଭେ ଲେବୀ ବଂଶୀୟ ତୁମ୍ଭର ଭ୍ରାତୃଗଣକୁ, ଅର୍ଥାତ୍‍, ତୁମ୍ଭର ପିତୃବଂଶୀୟମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ, ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ; ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷ୍ୟ-ତମ୍ବୁ ସମ୍ମୁଖରେ ରହିବ।
NUM 18:3 ପୁଣି, ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ବୁର ରକ୍ଷଣୀୟ ରକ୍ଷା କରିବେ; ଯେପରି ସେମାନେ, ଅବା ତୁମ୍ଭେମାନେ ନ ମର, ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦି ନିକଟକୁ ଯିବେ ନାହିଁ।
NUM 18:4 ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ବୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ-ତମ୍ବୁର ରକ୍ଷଣୀୟ ରକ୍ଷା କରିବେ, ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ।
NUM 18:5 ପୁଣି, ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦିର ରକ୍ଷଣୀୟ ରକ୍ଷା କରିବ।
NUM 18:6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।
NUM 18:7 ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦ ବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”
NUM 18:8 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ସକାଶୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ।
NUM 18:9 ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍‍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ।
NUM 18:10 ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ଭାବି ତହିଁରୁ ଭୋଜନ କରିବ; ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ; ତାହା ତୁମ୍ଭ ପ୍ରତି ପବିତ୍ର ହେବ।
NUM 18:11 ଆଉ ଏହା ତୁମ୍ଭର ଅଟେ; ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର; ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହାସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
NUM 18:12 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେଉଁ ଯେଉଁ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ।
NUM 18:13 ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ୱ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହି ସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
NUM 18:14 ଇସ୍ରାଏଲ ମଧ୍ୟରେ ସମସ୍ତ ଉତ୍ସର୍ଗୀକୃତ ବସ୍ତୁସବୁ ତୁମ୍ଭର ହେବ।
NUM 18:15 ସେମାନେ ମନୁଷ୍ୟ କିମ୍ବା ପଶୁମାନଙ୍କ ମଧ୍ୟରୁ ଯେଉଁ ସମସ୍ତ ପ୍ରଥମଜାତ ଗର୍ଭର ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହି ସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି, ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ।
NUM 18:16 ପୁଣି, ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେହି ସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
NUM 18:17 ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ।
NUM 18:18 ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ସେପରି ତାହା ତୁମ୍ଭର ହେବ।
NUM 18:19 ଇସ୍ରାଏଲ-ସନ୍ତାନଗଣ ଯେଉଁ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।”
NUM 18:20 ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର।
NUM 18:21 ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବାକାର୍ଯ୍ୟ କରନ୍ତି, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ।
NUM 18:22 ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ।
NUM 18:23 ମାତ୍ର ଲେବୀୟମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବୋହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି, ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।
NUM 18:24 କାରଣ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ‘ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।’”
NUM 18:25 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 18:26 “ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ‘ତାହା ଯେଉଁ ସମୟରେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେହି ସମୟରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ।
NUM 18:27 ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ।
NUM 18:28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ।
NUM 18:29 ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ।’
NUM 18:30 ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ଯେଉଁ ସମୟରେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ସେହି ସମୟରେ ତାହା ଲେବୀୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷାଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ।
NUM 18:31 ପୁଣି, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିଜନଗଣ ସବୁ ସ୍ଥାନରେ ତାହା ଭୋଜନ କରିବ; କାରଣ ତାହା ସମାଗମ-ତମ୍ବୁରେ କୃତ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ।
NUM 18:32 ଆଉ ତହିଁରୁ ସେହି ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ, ତୁମ୍ଭେମାନେ ତଦ୍ଦ୍ୱାରା ଘଟିତ କୌଣସି ପାପ ବୋହିବ ନାହିଁ; ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।’”
NUM 19:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
NUM 19:2 “ସଦାପ୍ରଭୁ ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି, ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ଯେଉଁଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ନିଖୁନ୍ତା ଲାଲି ଗାଭୀକୁ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ।
NUM 19:3 ତହୁଁ ତୁମ୍ଭେମାନେ ସେହି ଗାଭୀକୁ ଇଲୀୟାସର ଯାଜକକୁ ଦେବ, ପୁଣି, ସେ ତାହାକୁ ଛାଉଣି ବାହାରକୁ ଆଣନ୍ତେ, ଜଣେ ତାହା ସମ୍ମୁଖରେ ତାକୁ ବଧ କରିବ।
NUM 19:4 ତହିଁରେ ଇଲୀୟାସର ଯାଜକ ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତରୁ ନେଇ ସମାଗମ-ତମ୍ବୁ ସମ୍ମୁଖରେ ସାତ ଥର ତାହାର ରକ୍ତ ସେଚନ କରିବ।
NUM 19:5 ଆଉ ଜଣେ ତାହାର ଦୃଷ୍ଟିଗୋଚରରେ ସେହି ଗାଭୀକୁ ଦଗ୍ଧ କରିବ; ସେ ତାହାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ।
NUM 19:6 ତହୁଁ ଯାଜକ ଏରସ କାଠ, ଏସୋବ ଓ ସିନ୍ଦୂର ବର୍ଣ୍ଣ (ଲୋମ) ନେଇ ସେହି ଗାଭୀଦାହର ଅଗ୍ନି ମଧ୍ୟରେ ପକାଇବ।
NUM 19:7 ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ; ତହିଁ ଉତ୍ତାରେ ସେ ଛାଉଣିକୁ ଆସିବ, ପୁଣି, ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
NUM 19:8 ଆଉ ଯେଉଁ ଲୋକ ସେହି ଗାଭୀକୁ ଦଗ୍ଧ କରିବ, ସେ ଜଳରେ ଆପଣା ବସ୍ତ୍ର ଧୋଇବ, ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
NUM 19:9 ଏଉତ୍ତାରେ କୌଣସି ଶୁଚି ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନରେ ରହିବ; ପୁଣି, ତାହା ଇସ୍ରାଏଲ-ସନ୍ତାନଗଣଙ୍କର ମଣ୍ଡଳୀ ପାଇଁ ଅଶୌଚାର୍ଥକ ଜଳ ନିମନ୍ତେ ରଖାଯିବ; ତାହା ପାପାର୍ଥକ ବଳି ଅଟେ।
NUM 19:10 ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଏହା ଇସ୍ରାଏଲ-ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ।
NUM 19:11 ପୁଣି, ଯେକେହି କୌଣସି ମନୁଷ୍ୟର ଶବ ଛୁଏଁ, ସେ ସାତ ଦିନ ଅଶୁଚି ହେବ।
NUM 19:12 ସେ ତୃତୀୟ ଦିନରେ ତଦ୍ଦ୍ୱାରା ଆପଣାକୁ ପରିଷ୍କାର କରିବ, ସପ୍ତମ ଦିନରେ ସେ ଶୁଚି ହେବ; ମାତ୍ର ଯଦି ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ।
NUM 19:13 ଯଦି କେହି କୌଣସି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ, ତେବେ ସେ ସଦାପ୍ରଭୁଙ୍କ ଆବାସ ଅଶୁଚି କରେ; ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ; ତାହା ଉପରେ ଅଶୌଚାର୍ଥକ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ; ତାହାର ଅଶୁଚିତା ତାହାଠାରେ ଥାଏ।
NUM 19:14 କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ, ତହିଁର ବ୍ୟବସ୍ଥା ଏହି; ଯେକେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ, ସେ ସାତ ଦିନ ଅଶୁଚି ହୋଇ ରହିବ।
NUM 19:15 ଆଉ ପ୍ରତ୍ୟେକ ମେଲା ପାତ୍ର, ଯହିଁରେ ଢାଙ୍କୁଣୀ ବନ୍ଧା ନ ଥାଏ, ତାହା ଅଶୁଚି ହେବ।
NUM 19:16 ପୁଣି, ଯେକେହି ମେଲା କ୍ଷେତ୍ରରେ ଖଡ୍ଗହତ କିମ୍ବା ମୃତ ଦେହ କିମ୍ବା ମନୁଷ୍ୟର ଅସ୍ଥି କିମ୍ବା କବର ଛୁଏଁ, ସେ ସାତ ଦିନ ଅଶୁଚି ହେବ।
NUM 19:17 ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତଜଳ ଦିଆଯିବ।
NUM 19:18 ଏଉତ୍ତାରେ କୌଣସି ଶୁଚି ମନୁଷ୍ୟ ଏସୋବ ଶାଖା ନେଇ ଏହି ଜଳରେ ଡୁବାଇ ସେହି ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି, ଅସ୍ଥି କିମ୍ବା ହତ କିମ୍ବା ମୃତ କିମ୍ବା କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ।
NUM 19:19 ପୁଣି, ସେହି ଶୁଚି ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ; ତହୁଁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ।
NUM 19:20 ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣାକୁ ପରିଷ୍କାର ନ କରିବ, ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା; ତାହା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ; ସେ ଅଶୁଚି।
NUM 19:21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେକେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି, ଯେକେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ।
NUM 19:22 ପୁଣି, ସେ ଅଶୁଚି ଲୋକ ଯାହା କିଛି ଛୁଏଁ, ତାହା ଅଶୁଚି ହେବ; ଆଉ ଯେଉଁ ପ୍ରାଣୀ ତାହା ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”
NUM 20:1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ପ୍ରଥମ ମାସରେ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି, ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା।
NUM 20:2 ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନ ଥିଲା; ତହିଁରେ ଲୋକମାନେ ମୋଶାଙ୍କ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେଲେ।
NUM 20:3 ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥାʼନ୍ତୁ।
NUM 20:4 ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏହିଠାରେ ମରିବୁ?
NUM 20:5 ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।”
NUM 20:6 ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁ ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ; ତହୁଁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା।
NUM 20:7 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 20:8 “ତୁମ୍ଭେ ଯଷ୍ଟି ନିଅ, ପୁଣି, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ; ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକୁ ଓ ସେମାନଙ୍କ ପଶୁଗଣକୁ ପାନ କରାଇବ।”
NUM 20:9 ତହୁଁ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଯଷ୍ଟି ନେଲେ।
NUM 20:10 ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା?”
NUM 20:11 ଏଉତ୍ତାରେ ମୋଶା ହସ୍ତ ଉଠାଇ ଆପଣା ଯଷ୍ଟିରେ ସେହି ଶୈଳକୁ ଦୁଇ ଥର ଆଘାତ କଲେ; ତହିଁରେ ପ୍ରଚୁର ଜଳ ବାହାରିଲା, ପୁଣି, ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ।
NUM 20:12 ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲ ସନ୍ତାନମାନଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ତୁମ୍ଭେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ।”
NUM 20:13 ଏହିସବୁ ମିରୀବାଃ ଜଳ, (ବିବାଦର ଜଳ); ଯେହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ।
NUM 20:14 ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି,
NUM 20:15 ଅର୍ଥାତ୍‍, କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିସରକୁ ଗଲେ ଓ ମିସରରେ ଦୀର୍ଘ କାଳ ବାସ କଲେ ଆଉ ମିସରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।
NUM 20:16 ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;
NUM 20:17 ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାକ୍ଷେତ୍ର ମଧ୍ୟଦେଇ ଯିବୁ ନାହିଁ, କିଅବା କୂପ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣରେ କି ବାମରେ ଫେରିବୁ ନାହିଁ।”
NUM 20:18 ତହିଁରେ ଇଦୋମ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ (ଦେଶର) ମଧ୍ୟଦେଇ ଯିବ ନାହିଁ, ଗଲେ ଆମ୍ଭେ ଖଡ୍ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା।”
NUM 20:19 ସେତେବେଳେ ଇସ୍ରାଏଲ-ସନ୍ତାନଗଣ ତାଙ୍କୁ କହିଲେ, “ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ ଯଦି ଆମ୍ଭେମାନେ, ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ; ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆପଣା ପାଦରେ (ଦେଶ) ଦେଇ ଯିବାକୁ ଦିଅ।”
NUM 20:20 ତହୁଁ ସେ କହିଲେ, “ତୁମ୍ଭେ (ଦେଶ) ଦେଇ ଯିବ ନାହିଁ। ଏଉତ୍ତାରେ ଇଦୋମ ଅନେକ ଲୋକ ସଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ।”
NUM 20:21 ଏହିରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେବାକୁ ଅସ୍ୱୀକାର କଲେ; ଏଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଗଲେ।
NUM 20:22 ଏଥିଉତ୍ତାରେ ସେମାନେ କାଦେଶରୁ ଯାତ୍ରା କଲେ ତହୁଁ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍‍, ସମସ୍ତ ମଣ୍ଡଳୀ ହୋର ପର୍ବତରେ ଉପସ୍ଥିତ ହେଲେ।
NUM 20:23 ସେତେବେଳେ ଇଦୋମ ଦେଶର ସୀମା ନିକଟସ୍ଥ ହୋର ପର୍ବତରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
NUM 20:24 “ଏହା ହାରୋଣର ମୃତ୍ୟୁର ସମୟ ଅଟେ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରୀବାଃ ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧ କର୍ମ କରିଥିଲ।
NUM 20:25 ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ର ଇଲୀୟାସରକୁ ହୋର ପର୍ବତ ଉପରକୁ ନେଇଯାଅ।
NUM 20:26 ପୁଣି, ହାରୋଣଠାରୁ ତାହାର ବସ୍ତ୍ର କାଢ଼ି ତାହାର ପୁତ୍ର ଇଲୀୟାସରକୁ ପିନ୍ଧାଅ; ଯେଣୁ ହାରୋଣ (ଆପଣା ଲୋକମାନଙ୍କ ନିକଟରେ) ସଂଗୃହୀତ ହେବ ଓ ସେ ସେହି ସ୍ଥାନରେ ମରିବ।”
NUM 20:27 ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ଆଉ ସେମାନେ ସମସ୍ତେ ମଣ୍ଡଳୀର ସାକ୍ଷାତରେ ହୋର ପର୍ବତକୁ ଉଠିଗଲେ।
NUM 20:28 ତେବେ ମୋଶା ହାରୋଣଙ୍କର ବସ୍ତ୍ର କାଢ଼ି ତାଙ୍କର ପୁତ୍ର ଇଲୀୟାସରକୁ ପିନ୍ଧାଇଲେ, ପୁଣି, ହାରୋଣ ସେହି ସ୍ଥାନରେ ପର୍ବତ ଶୃଙ୍ଗରେ ମଲେ; ତହୁଁ ମୋଶା ଓ ଇଲୀୟାସର ପର୍ବତରୁ ଓହ୍ଲାଇ ଆସିଲେ।
NUM 20:29 ଏଉତ୍ତାରେ ହାରୋଣ ମରିଅଛନ୍ତି, ଏହା ସମସ୍ତ ମଣ୍ଡଳୀ ଦେଖନ୍ତେ, ସେମାନେ, ଅର୍ଥାତ୍‍, ଇସ୍ରାଏଲର ସମସ୍ତ ବଂଶ ହାରୋଣଙ୍କ ନିମନ୍ତେ ତିରିଶ ଦିନ ପର୍ଯ୍ୟନ୍ତ ରୋଦନ କଲେ।
NUM 21:1 ଏଥିଉତ୍ତାରେ ଇସ୍ରାଏଲ ଅଥାରୀମର ପଥ ଦେଇ ଆସୁଅଛନ୍ତି, ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାନ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ।
NUM 21:2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”
NUM 21:3 ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେହି କିଣାନୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, ପୁଣି, ସେହି ସ୍ଥାନର ନାମ ହର୍ମା ହେଲା।
NUM 21:4 ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା।
NUM 21:5 ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।
NUM 21:6 ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ।
NUM 21:7 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
NUM 21:8 ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।”
NUM 21:9 ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।
NUM 21:10 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
NUM 21:11 ତହିଁ ଉତ୍ତାରେ ଓବୋତରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୋୟାବର ସମ୍ମୁଖସ୍ଥିତ ପ୍ରାନ୍ତରରେ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ।
NUM 21:12 ସେମାନେ ସେଠାରୁ ଯାତ୍ରା କରି ସେରଦ୍‍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ।
NUM 21:13 ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କର ସୀମାରୁ ନିର୍ଗତ ଅର୍ଣ୍ଣୋନର ଅନ୍ୟ ପାରିସ୍ଥିତ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
NUM 21:14 ଏନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧର ନଳାକାର ପୁସ୍ତକରେ କଥିତ ଅଛି, ଯଥା “ସୁଫଃରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା,
NUM 21:15 ପୁଣି, ଆରର ବାସସ୍ଥାନଗାମୀ ଓ ମୋୟାବ-ସୀମାର ପାର୍ଶ୍ଵସ୍ଥିତ ଗଡ଼ନ୍ତି ଉପତ୍ୟକାସକଳକୁ (ସେ ଜୟ କଲେ।”)
NUM 21:16 ସେଠାରୁ ସେମାନେ (ଯାତ୍ରା କରି) ବେର (କୂପ) ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା।”
NUM 21:17 ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାନ କଲେ, “ହେ କୂପ, ଉଚ୍ଛୁଳି ଉଠ ତୁମ୍ଭେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର;
NUM 21:18 ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”
NUM 21:19 ଏଉତ୍ତାରେ ସେମାନେ ପ୍ରାନ୍ତରରୁ ମତ୍ତାନକୁ ଓ ମତ୍ତାନଠାରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ
NUM 21:20 ଓ ବାମୋତଠାରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ, ତାହା ମରୁଭୂମି ଆଡ଼କୁ ଥିଲା।
NUM 21:21 ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ ଏହା କହି ଦୂତ ପଠାଇଲେ;
NUM 21:22 “ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”
NUM 21:23 ଏଥିରେ ସୀହୋନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ; ମାତ୍ର ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି, ଯହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
NUM 21:24 ତହିଁରେ ଇସ୍ରାଏଲ ଖଡ୍ଗଧାରରେ ତାଙ୍କୁ ଆଘାତ କରି ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ପର୍ଯ୍ୟନ୍ତ, ଅର୍ଥାତ୍‍, ଅମ୍ମୋନ-ସନ୍ତାନଗଣଙ୍କର ସୀମା ପର୍ଯ୍ୟନ୍ତ, ତାହାର ଦେଶ ଅଧିକାର କଲେ; କାରଣ ଅମ୍ମୋନ-ସନ୍ତାନଗଣଙ୍କର ସୀମା ଦୃଢ଼ ଥିଲା।
NUM 21:25 ଏହିରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମୋରୀୟମାନଙ୍କର ସମସ୍ତ ନଗରରେ, ଅର୍ଥାତ୍‍ ହିଷ୍‍ବୋନରେ ଓ ତହିଁର ସମସ୍ତ ନଗରରେ ବାସ କଲେ।
NUM 21:26 କାରଣ ହିଷ୍‍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ନଗର ଥିଲା, ସେ ମୋୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ଣ୍ଣୋନ ପର୍ଯ୍ୟନ୍ତ ତାହାର ସମସ୍ତ ଦେଶ ନେଇଥିଲେ।
NUM 21:27 ଏନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍‍ବୋନକୁ ଆସ, ସୀହୋନର ନଗର ନିର୍ମିତ ଓ ଦୃଢ଼ୀକୃତ ହେଉ;
NUM 21:28 କାରଣ ହିଷ୍‍ବୋନଠାରୁ ଅଗ୍ନି, ସୀହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି; ତାହା ମୋୟାବର ଆର ନଗରକୁ, ଅର୍ଣ୍ଣୋନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି।
NUM 21:29 ହେ ମୋୟାବ, ତୁମ୍ଭର ସନ୍ତାପ ହେଲା! ହେ କମୋଶର ଲୋକଗଣ, ତୁମ୍ଭେମାନେ ଉଚ୍ଛିନ୍ନ ହେଲ; ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତାହାର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସୀହୋନର ହସ୍ତରେ ସମର୍ପଣ କରିଅଛି;
NUM 21:30 ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ; ହିଷ୍‍ବୋନ ଦୀବୋନ୍ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପଇ।”
NUM 21:31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
NUM 21:32 ଏଥିଉତ୍ତାରେ ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ିଦେଲେ।
NUM 21:33 ତହୁଁ ସେମାନେ ଫେରି ବାଶନର ପଥ ଦେଇ ଉଠିଗଲେ; ତହିଁରେ ବାଶନର ରାଜା ଓଗ୍‍, ସେ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିୟୀରେ ଯୁଦ୍ଧ କଲେ।
NUM 21:34 ସେହି ସମୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ହିଷ୍‍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେରୂପ କଲ, ତାହା ପ୍ରତି ସେରୂପ କରିବ।”
NUM 21:35 ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି, ସେମାନେ ତାହାର ଦେଶ ଅଧିକାର କଲେ।
NUM 22:1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଯିରୀହୋ ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
NUM 22:2 ପୁଣି, ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ ଦେଖିଲେ।
NUM 22:3 ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍‍ବିଗ୍ନ ହେଲେ।
NUM 22:4 ଏଥିରେ ମୋୟାବ ମିଦୀୟନୀୟ ପ୍ରାଚୀନଗଣକୁ କହିଲେ, “ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ଏହି ସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲେ।”
NUM 22:5 ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମ୍‍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ବାର୍ତ୍ତାବହ ପଠାଇ ଏହା କହିଲେ, “ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି, ଆମ୍ଭ ସମ୍ମୁଖରେ ବାସ କରନ୍ତି।
NUM 22:6 ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶପ୍ତ ହୁଏ।”
NUM 22:7 ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି, ସେମାନେ ବିଲୀୟମ୍‍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ।
NUM 22:8 ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍‍ ସଙ୍ଗରେ ରହିଲେ।
NUM 22:9 ଏଉତ୍ତାରେ ପରମେଶ୍ୱର ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ?”
NUM 22:10 ତହୁଁ ବିଲୀୟମ୍‍ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହା କହି ପଠାଇଅଛନ୍ତି;
NUM 22:11 ‘ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ିଦେଇ ପାରିବା।’”
NUM 22:12 ତହିଁରେ ପରମେଶ୍ୱର ବିଲୀୟମ୍‍କୁ କହିଲେ, “ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବ ନାହିଁ; କାରଣ ସେମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି।”
NUM 22:13 ଏଥିରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, “ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ମନା କରିଅଛନ୍ତି।”
NUM 22:14 ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲୀୟମ୍‍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ମନା କରୁଅଛି।”
NUM 22:15 ଏଉତ୍ତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ।
NUM 22:16 ତହୁଁ ସେମାନେ ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ସିପ୍ପୋରର ପୁତ୍ର ବାଲାକ ଏହି କଥା କହନ୍ତି, ‘ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକି ଆସିବାକୁ ତୁମ୍ଭେ ନିବାରିତ ହୁଅ ନାହିଁ।
NUM 22:17 କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।’”
NUM 22:18 ଏଥିରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ।
NUM 22:19 ଏନିମନ୍ତେ ବିନୟ କରୁଅଛି, ତୁମ୍ଭେମାନେ ହେଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ, ତାହା ମୁଁ ଜାଣିବି।”
NUM 22:20 ଏଥିରେ ପରମେଶ୍ୱର ରାତ୍ରିରେ ବିଲୀୟମ୍‍ ନିକଟକୁ ଆସି କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ।”
NUM 22:21 ତହିଁରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଦଭୀ ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା।
NUM 22:22 ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ।
NUM 22:23 ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍‍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;
NUM 22:24 ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ।
NUM 22:25 ସେହି ସମୟରେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମ୍‍ର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା।
NUM 22:26 ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କିମ୍ବା ବାମରେ ଫେରିବାର ସ୍ଥାନ ନ ଥିଲା।
NUM 22:27 ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି ବିଲୀୟମ୍‍ର ତଳେ ଶୋଇ ପଡ଼ିଲା; ତହିଁରେ ବିଲୀୟମ୍‍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଗର୍ଦ୍ଦଭୀକୁ ଆପଣା ଯଷ୍ଟିରେ ପ୍ରହାର କଲା।
NUM 22:28 ତହୁଁ ସଦାପ୍ରଭୁ ଗର୍ଦ୍ଦଭୀର ମୁଖ ଫିଟାଇଲେ, ତେଣୁ ସେ ବିଲୀୟମ୍‍କୁ କହିଲା, “ମୁଁ ତୁମ୍ଭର କଅଣ କଲି ଯେ, ତୁମ୍ଭେ ମୋତେ ଏହି ତିନି ଥର ପ୍ରହାର କଲ।”
NUM 22:29 ତେବେ ବିଲୀୟମ୍‍ ଗର୍ଦ୍ଦଭୀକୁ କହିଲା, “କାରଣ ତୁ ମୋତେ ପରିହାସ କରୁଅଛୁ; ମୋʼ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି।”
NUM 22:30 ପୁଣି, ଗର୍ଦ୍ଦଭୀ ବିଲୀୟମ୍‍କୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ୍ଭ ପ୍ରତି ଏପରି କରିଥିଲି?” ତହୁଁ ସେ କହିଲା, “ନା।”
NUM 22:31 ଏଥିରେ ସଦାପ୍ରଭୁ ବିଲୀୟମ୍‍ର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା।
NUM 22:32 ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଏହି ତିନି ଥର ଆପଣା ଗର୍ଦ୍ଦଭୀକୁ କାହିଁକି ପ୍ରହାର କଲ? ଦେଖ, ଆମ୍ଭେ ତୁମ୍ଭର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମ୍ଭର ଗତି ବିପଥଗାମୀ ହୋଇଅଛି;
NUM 22:33 ପୁଣି, ଗର୍ଦ୍ଦଭୀ ଆମ୍ଭକୁ ଦେଖି ଏହି ତିନି ଥର ଆମ୍ଭ ସମ୍ମୁଖରୁ ଫେରିଲା; ସେ ଯଦି ଆମ୍ଭ ସମ୍ମୁଖରୁ ଫେରି ନ ଥାʼନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମ୍ଭକୁ ବଧ କରିଥାʼନ୍ତୁ, ଆଉ ତାହାକୁ ଜୀଅନ୍ତା ରଖିଥାʼନ୍ତୁ।”
NUM 22:34 ତହିଁରେ ବିଲୀୟମ୍‍ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ମୁଁ ପାପ କରିଅଛି; କାରଣ ତୁମ୍ଭେ ଯେ ମୋʼ ବିପକ୍ଷରେ ପଥରେ ଠିଆ ହୋଇଅଛ; ତାହା ମୁଁ ଜାଣିଲି ନାହିଁ; ଏଣୁ ଏବେ, ଯଦି ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି।”
NUM 22:35 ତହିଁରେ ସଦାପ୍ରଭୁଙ୍କ ଦୂତ ବିଲୀୟମ୍‍କୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, କେବଳ ତାହା ତୁମ୍ଭେ କହିବ।” ତହିଁରେ ବିଲୀୟମ୍‍ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
NUM 22:36 ଏଥିଉତ୍ତାରେ ବିଲୀୟମ୍‍ର ଆଗମନ ସମ୍ବାଦ ଶୁଣି ବାଲାକ ତାହା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅର୍ଣ୍ଣୋନର ସୀମାନ୍ତବର୍ତ୍ତୀ ମୋୟାବ ନଗରକୁ ଗମନ କଲେ।
NUM 22:37 ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମ୍ଭକୁ ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତାନ୍ତ ଅସମର୍ଥ?”
NUM 22:38 ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ଦେଖ, ମୁଁ ତୁମ୍ଭ ନିକଟକୁ ଆସିଅଛି; ମାତ୍ର ଏବେ କୌଣସି କଥା କହିବାକୁ କି ମୋହର କିଛି ସାମର୍ଥ୍ୟ ଅଛି? ପରମେଶ୍ୱର ମୋʼ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”
NUM 22:39 ଏଉତ୍ତାରେ ବିଲୀୟମ୍‍ ବାଲାକ ସହିତ ଗମନ କରି କିରୀୟଥ୍‍-ହୁଷୋତରେ ଉପସ୍ଥିତ ହେଲା।
NUM 22:40 ତହୁଁ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲୀୟମ୍‍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ।
NUM 22:41 ପୁଣି, ପ୍ରଭାତରେ ବାଲାକ ବିଲୀୟମ୍‍କୁ ସଙ୍ଗେ ନେଇ ବାଲ୍‍ର ଉଚ୍ଚସ୍ଥଳୀରେ ଆରୋହଣ କରାଇଲେ; ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ।
NUM 23:1 ଏଥିଉତ୍ତାରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।”
NUM 23:2 ତହିଁରେ ବାଲାକ ବିଲୀୟମ୍‍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍‍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
NUM 23:3 ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚସ୍ଥାନକୁ ଗଲା।
NUM 23:4 ସେତେବେଳେ ପରମେଶ୍ୱର ବିଲୀୟମ୍‍କୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, “ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି।”
NUM 23:5 ସେତେବେଳେ ସଦାପ୍ରଭୁ ବିଲୀୟମ୍‍ର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଅ, ପୁଣି, ତାହାକୁ ଏହିପରି କୁହ।”
NUM 23:6 ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେହି ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ)।
NUM 23:7 ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବାଲାକ ଅରାମଠାରୁ, ମୋୟାବର ରାଜା ପୂର୍ବଦିଗସ୍ଥିତ ପର୍ବତଶ୍ରେଣୀରୁ ମୋତେ ଆଣିଅଛି; ‘ଆସ, ଆମ୍ଭ ନିମନ୍ତେ ଯାକୁବକୁ ଅଭିଶାପ ଦିଅ;’ ପୁଣି, ‘ଆସ, ଇସ୍ରାଏଲକୁ ଅଭିଶପ୍ତ କର।’
NUM 23:8 ପରମେଶ୍ୱର ଯାହାକୁ ଅଭିଶାପ ଦେଇ ନାହାନ୍ତି, ମୁଁ କିପରି ତାହାକୁ ଅଭିଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିପରି ତାହାକୁ ଅଭିଶପ୍ତ କରିବି?
NUM 23:9 କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ।
NUM 23:10 ଯାକୁବର ଧୂଳି କିଏ ଗଣିପାରେ ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ।”
NUM 23:11 ଏଥିରେ ବାଲାକ ବିଲୀୟମ୍‍କୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କି କଲ? ଆମ୍ଭର ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ।”
NUM 23:12 ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ ନୁହେଁ?”
NUM 23:13 ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”
NUM 23:14 ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍‍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
NUM 23:15 ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।”
NUM 23:16 ଏଥିରେ ସଦାପ୍ରଭୁ ବିଲୀୟମ୍‍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ।”
NUM 23:17 ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?”
NUM 23:18 ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
NUM 23:19 ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
NUM 23:20 ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।
NUM 23:21 ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି।
NUM 23:22 ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି; ଅରଣା ଷଣ୍ଢ ତୁଲ୍ୟ ସେମାନଙ୍କର ବଳ।
NUM 23:23 ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ, ‘ପରମେଶ୍ୱର କି କର୍ମ କରିଅଛନ୍ତି!’
NUM 23:24 ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି; ପୁଣି, ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ।”
NUM 23:25 ଏଥିଉତ୍ତାରେ ବାଲାକ ବିଲୀୟମ୍‍କୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଅଭିଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ।”
NUM 23:26 ତହିଁରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କୁ କହିଲା, “ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?”
NUM 23:27 ତହୁଁ ବାଲାକ ବିଲୀୟମ୍‍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।”
NUM 23:28 ଏଣୁ ବାଲାକ ବିଲୀୟମ୍‍କୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।
NUM 23:29 ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।”
NUM 23:30 ତହୁଁ ବାଲାକ ବିଲୀୟମ୍‍ର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
NUM 24:1 ଏଥିଉତ୍ତାରେ ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ୍‍ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା।
NUM 24:2 ତହିଁରେ ବିଲୀୟମ୍‍ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ।
NUM 24:3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,
NUM 24:4 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି।
NUM 24:5 ହେ ଯାକୁବ, ତୁମ୍ଭର ତମ୍ବୁସବୁ, ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କିପରି ମନୋହର!
NUM 24:6 ତାହାସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟେ।
NUM 24:7 ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
NUM 24:8 ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି; ତାହାର ବଳ ଅରଣାର ଷଣ୍ଢ ତୁଲ୍ୟ; ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।
NUM 24:9 ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ? ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶପ୍ତ ହେଉନ୍ତୁ।”
NUM 24:10 ଏଥିରେ ବିଲୀୟମ୍‍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନି ଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।
NUM 24:11 ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ; ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା; ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।”
NUM 24:12 ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ମୋʼ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କʼଣ କହି ନାହିଁ?
NUM 24:13 ‘ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।’
NUM 24:14 ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି; ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।”
NUM 24:15 ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି;
NUM 24:16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;
NUM 24:17 ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ ଶେଥର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
NUM 24:18 ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।
NUM 24:19 ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”
NUM 24:20 ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା; ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।”
NUM 24:21 ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।
NUM 24:22 ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
NUM 24:23 ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ?
NUM 24:24 ମାତ୍ର କିତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି, ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।”
NUM 24:25 ଏଉତ୍ତାରେ ବିଲୀୟମ୍‍ ଉଠି ସ୍ୱ ସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ।
NUM 25:1 ଏଥିଉତ୍ତାରେ ଇସ୍ରାଏଲ ଶିଟୀମରେ ବାସ କଲେ, ପୁଣି, ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ।
NUM 25:2 ପୁଣି, ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷ୍ୟରେ ନିମନ୍ତ୍ରଣ କଲେ; ପୁଣି, ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ।
NUM 25:3 ଆଉ ଇସ୍ରାଏଲ ଆପେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା।
NUM 25:4 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ।”
NUM 25:5 ତହୁଁ ମୋଶା ଇସ୍ରାଏଲର ବିଚାରକର୍ତ୍ତୃଗଣକୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ବାଲ୍‍-ପିୟୋର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର।”
NUM 25:6 ଏଥିରେ ଦେଖ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକୁ ଆଣିଲା, ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ରୋଦନ କରୁଥିଲେ।
NUM 25:7 ତେବେ ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା;
NUM 25:8 ପୁଣି, ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍‍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଠାରୁ ମାରୀ ନିବୃତ୍ତ ହେଲା।
NUM 25:9 ତଥାପି ଚବିଶ ହଜାର ଲୋକ ଏହି ମାରୀରେ ମଲେ।
NUM 25:10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 25:11 “ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ୱାଳାରେ ଅନ୍ତର୍ଜ୍ୱାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଇସ୍ରାଏଲ-ସନ୍ତାନଗଣଙ୍କୁ ନିଃଶେଷ ରୂପେ ସଂହାର କଲୁ ନାହିଁ।”
NUM 25:12 ଏହେତୁ ତୁମ୍ଭେ କୁହ, “ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ;
NUM 25:13 ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣଙ୍କ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ; କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ଓ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।”
NUM 25:14 ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର।
NUM 25:15 ପୁଣି, ସେହି ହତ ମିଦୀୟନୀୟା ସ୍ତ୍ରୀର ନାମ କସ୍ୱୀ, ସେ ସୂରର କନ୍ୟା; ସେହି ସୂର୍‍ ମିଦୀୟନୀୟ ଏକ ପିତୃଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।
NUM 25:16 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 25:17 “ମିଦୀୟନୀୟ ଲୋକମାନଙ୍କୁ କ୍ଳେଶ ଦିଅ ଓ ସେମାନଙ୍କୁ ବଧ କର;
NUM 25:18 କାରଣ ପିୟୋର (ଦେବତା) ବିଷୟକ ଛଳରେ ଓ ସେହି ପିୟୋର ଲାଗି ମାରୀ ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟା କସ୍ୱୀ ନାମ୍ନୀ ମିଦୀୟନୀୟ ରାଜକୁମାରୀ, ତାହାରି ବିଷୟକ ଛଳରେ ସେମାନେ ତୁମ୍ଭମାନଙ୍କୁ ଛଳ କରି କ୍ଳେଶ ଦେଲେ।”
NUM 26:1 ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
NUM 26:2 “ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍‍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”
NUM 26:3 ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
NUM 26:4 “ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।”
NUM 26:5 ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍‍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୁଠାରୁ ପଲ୍ଲୁୟୀୟ ବଂଶ;
NUM 26:6 ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମିୟ ବଂଶ।
NUM 26:7 ଏମାନେ ରୁବେନ୍‍ର ବଂଶ; ପୁଣି, ଏମାନେ ଗଣାଯାʼନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ।
NUM 26:8 ପଲ୍ଲୁର ସନ୍ତାନ ଇଲୀୟାବ୍‍।
NUM 26:9 ସେହି ଇଲୀୟାବ୍‍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
NUM 26:10 ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନସ୍ୱରୂପ ହେଲେ।
NUM 26:11 ତଥାପି କୋରହର ସନ୍ତାନମାନେ ମଲେ ନାହିଁ।
NUM 26:12 ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍‍ଠାରୁ ଯାମୀନୀୟ ବଂଶ; ଯାଖୀନ୍‍ଠାରୁ ଯାଖୀନୀୟ ବଂଶ;
NUM 26:13 ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ।
NUM 26:14 ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।
NUM 26:15 ଆପଣା ଆପଣା ବଂଶାନୁସାରେ ଗାଦ୍‍ର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନୀଠାରୁ ଶୂନୀୟ ବଂଶ;
NUM 26:16 ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
NUM 26:17 ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲୀଠାରୁ ଅରେଲୀୟ ବଂଶ।
NUM 26:18 ଗାଦ୍‍ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାʼନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ।
NUM 26:19 ଯିହୁଦାର ପୁତ୍ର ଏର ଓ ଓନନ୍‍; ସେହି ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ।
NUM 26:20 ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ।
NUM 26:21 ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।
NUM 26:22 ଯିହୁଦାର ଏହିସବୁ ବଂଶ ଗଣାଯାʼନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ।
NUM 26:23 ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
NUM 26:24 ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ।
NUM 26:25 ଇଷାଖରର ଏହି ସକଳ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ।
NUM 26:26 ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶ; ଏଲୋନ୍‍ଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ।
NUM 26:27 ସବୂଲୂନର ଏହି ସକଳ ବଂଶ ଗଣାଯାʼନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ।
NUM 26:28 ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।
NUM 26:29 ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ।
NUM 26:30 ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ,
NUM 26:31 ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ,
NUM 26:32 ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ।
NUM 26:33 ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
NUM 26:34 ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାବନ ହଜାର ସାତ ଶହ ଜଣ।
NUM 26:35 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥେଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ।
NUM 26:36 ପୁଣି, ଶୂଥେଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ।
NUM 26:37 ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷେଫର ସନ୍ତାନ।
NUM 26:38 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍‍ର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ: ଅସ୍‍ବେଲଠାରୁ ଅସ୍‍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
NUM 26:39 ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ।
NUM 26:40 ପୁଣି, ବେଲାର ସନ୍ତାନ ଅର୍ଦ ଓ ନାମାନ୍‍; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନ୍‍ଠାରୁ ନାମାନୀୟ ବଂଶ।
NUM 26:41 ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନ୍‍ର ସନ୍ତାନ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ।
NUM 26:42 ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ। ଏମାନେ ଆପଣା ଆପଣା ବଂଶାନୁସାରେ ଦାନ୍‍ର ବଂଶ।
NUM 26:43 ଶୂହମୀୟ ସମସ୍ତ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ।
NUM 26:44 ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍‍ବିଠାରୁ ଯିଶ୍‍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
NUM 26:45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍‍କୀୟେଲଠାରୁ ମଲ୍‍କୀୟେଲୀୟ ବଂଶ।
NUM 26:46 ଆଶେରର କନ୍ୟାର ନାମ ସେରହ।
NUM 26:47 ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ।
NUM 26:48 ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
NUM 26:49 ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ।
NUM 26:50 ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ।
NUM 26:51 ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା।
NUM 26:52 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 26:53 “ନାମ-ସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ।
NUM 26:54 ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି, ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।
NUM 26:55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।
NUM 26:56 ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”
NUM 26:57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ।
NUM 26:58 ଲେବୀୟ ବଂଶ ଏହି; ଲିବ୍‍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ।
NUM 26:59 ସେହି କହାତର ପୁତ୍ର ଅମ୍ରାମ୍‍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।
NUM 26:60 ହାରୋଣଠାରୁ ନାଦବ୍‍ ଓ ଅବୀହୂ, ପୁଣି, ଇଲୀୟାସର ଓ ଈଥାମର ଜନ୍ମିଲେ।
NUM 26:61 ମାତ୍ର ନାଦବ୍‍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ।
NUM 26:62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
NUM 26:63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।
NUM 26:64 ମାତ୍ର ସୀନୟ ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।
NUM 26:65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”
NUM 27:1 ଏଥିଉତ୍ତାରେ ଯୋଷେଫଙ୍କ ପୁତ୍ର ମନଃଶି ବଂଶୀୟମାନଙ୍କ ମଧ୍ୟରୁ ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ଯେ ସଲଫାଦ; ତାହାର କନ୍ୟାଗଣ ନିକଟକୁ ଆସିଲେ; ତାହାର କନ୍ୟାମାନଙ୍କ ନାମ ଏହି, ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
NUM 27:2 ଏମାନେ ମୋଶାଙ୍କ ସମ୍ମୁଖରେ ଓ ଇଲୀୟାସର ଯାଜକ ସମ୍ମୁଖରେ, ପୁଣି, ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ,
NUM 27:3 “ଆମ୍ଭମାନଙ୍କ ପିତା ପ୍ରାନ୍ତରରେ ମଲେ, ପୁଣି, ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନ ଥିଲେ; ମାତ୍ର ସେ ଆପଣା ପାପରେ ମଲେ; ଆଉ ତାଙ୍କର ପୁତ୍ର ନ ଥିଲା।
NUM 27:4 ଆମ୍ଭମାନଙ୍କ ପିତାଙ୍କର ପୁତ୍ର ନ ଥିବା ସକାଶୁ କାହିଁକି ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କ ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ।”
NUM 27:5 ଏଥିରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ।
NUM 27:6 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 27:7 “ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି; ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭ୍ରାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ; ପୁଣି, ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ ଅଧିକାର ସମର୍ପଣ କରିବ।
NUM 27:8 ଆଉ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ‘କୌଣସି ମନୁଷ୍ୟ ମଲେ ଯଦି ତାହାର ପୁତ୍ର ନ ଥାଏ, ତେବେ ତୁମ୍ଭେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ।
NUM 27:9 ଯଦି ତାହାର କନ୍ୟା ନ ଥାଏ, ଯଦି ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ।
NUM 27:10 ପୁଣି, ଯଦି ତାହାର ଭାଇ ନ ଥାଏ, ଯଦି ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ।
NUM 27:11 ଆଉ ଯଦି ତାହାର ପିତୃବ୍ୟ ନ ଥାଏ, ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକୁ ତାହା ଅଧିକାର ଦେବ ଓ ସେ ତାହା ଅଧିକାର କରିବ; ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା ଇସ୍ରାଏଲ-ସନ୍ତାନଗଣଙ୍କର ବିଚାର-ବିଧି ହେବ।’”
NUM 27:12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ଅବାରୀମ୍ ପର୍ବତ ଆରୋହଣ କର, ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଯେଉଁ ଦେଶ ଦେଇଅଛୁ, ତାହା ନିରୀକ୍ଷଣ କର।
NUM 27:13 ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରୋଣ ତୁଲ୍ୟ ତୁମ୍ଭେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ।
NUM 27:14 ଯେହେତୁ ତୁମ୍ଭେମାନେ ସୀନ୍‍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମ୍ଭକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ୍ଭ ଆଜ୍ଞାର ବିରୁଦ୍ଧାଚରଣ କଲ।” (ସେହି ଜଳ ସୀନ୍‍ ପ୍ରାନ୍ତରର କାଦେଶସ୍ଥ ମିରୀବାଃ ଜଳ।)
NUM 27:15 ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ,
NUM 27:16 “ସଦାପ୍ରଭୁ ସର୍ବଶରୀରସ୍ଥ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ,
NUM 27:17 ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି, ଯେ ସେମାନଙ୍କର ପଥପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ।”
NUM 27:18 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି, ପୁଣି, ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର;
NUM 27:19 ଆଉ ଇଲୀୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ।
NUM 27:20 ଆହୁରି ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଯେପରି ତାହାର ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର।
NUM 27:21 ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମ୍‍‍ର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍‍, ସେ ଓ ତାହା ସହିତ ଇସ୍ରାଏଲ-ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।”
NUM 27:22 ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ଯିହୋଶୂୟଙ୍କୁ ଇଲୀୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ।
NUM 27:23 ପୁଣି, ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି, ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାଙ୍କୁ ଆଜ୍ଞା ଦେଲେ।
NUM 28:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 28:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍‍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ।’
NUM 28:3 ପୁଣି, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତିଦିନ ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ।
NUM 28:4 ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ।
NUM 28:5 ପୁଣି, ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଷା ତୈଳ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦା ଦେବ।
NUM 28:6 ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା।
NUM 28:7 ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।
NUM 28:8 ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ; ଯେପରି ପ୍ରାତଃକାଳର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ।
NUM 28:9 ଆଉ ବିଶ୍ରାମବାରରେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ।
NUM 28:10 ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।
NUM 28:11 ଆଉ ପ୍ରତି ମାସର ଆରମ୍ଭରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ ଉତ୍ସର୍ଗ କରିବ।
NUM 28:12 ପୁଣି, ଏକ ଗୋବତ୍ସ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ;
NUM 28:13 ପୁଣି, ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
NUM 28:14 ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ।
NUM 28:15 ପୁଣି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ହେବ।
NUM 28:16 ଆହୁରି ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ।
NUM 28:17 ପୁଣି, ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ; ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
NUM 28:18 ପ୍ରଥମ ଦିନରେ ପବିତ୍ର ସଭା ହେବ; ସେହି ଦିନରେ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
NUM 28:19 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;
NUM 28:20 ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ,
NUM 28:21 ଆଉ ସାତ ମେଷବତ୍ସ ମଧ୍ୟରେ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ,
NUM 28:22 ପୁଣି, ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ,
NUM 28:23 ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ବ୍ୟତୀତ ଉତ୍ସର୍ଗ କରିବ।
NUM 28:24 ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ଉତ୍ସର୍ଗିତ ହେବ।
NUM 28:25 ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
NUM 28:26 ଆହୁରି ପ୍ରଥମ ପକ୍ୱ ଫଳର ଦିନରେ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
NUM 28:27 ମାତ୍ର ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଦୁଇ ପୁଂଗୋବତ୍ସ, ଏକ ମେଷ, ଏକ ବର୍ଷୀୟ ସାତ ମେଷବତ୍ସ;
NUM 28:28 ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
NUM 28:29 ଓ ସାତ ମେଷବତ୍ସ ମଧ୍ୟରୁ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ;
NUM 28:30 ଆଉ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥ ଏକ ଛାଗ ଉତ୍ସର୍ଗ କରିବ।
NUM 28:31 ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ବ୍ୟତୀତ ଏହି ସମସ୍ତ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ।’”
NUM 29:1 “ଆଉ ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହି ଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ୱନିର ଦିନ।
NUM 29:2 ପୁଣି, ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ;
NUM 29:3 ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
NUM 29:4 ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ;
NUM 29:5 ପୁଣି, ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ।
NUM 29:6 ଏହି ସମସ୍ତ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି, ବିଧିମତେ ଉଭୟର ପେୟ-ନୈବେଦ୍ୟ, ବ୍ୟତୀତ ଉତ୍ସର୍ଗ କରିବ।
NUM 29:7 ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;
NUM 29:8 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ;
NUM 29:9 ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
NUM 29:10 ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;
NUM 29:11 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି, ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:12 ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି, ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ।
NUM 29:13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ।
NUM 29:14 ପୁଣି, ତହିଁର ଭକ୍ଷ୍ୟ ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ
NUM 29:15 ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା;
NUM 29:16 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:17 ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:18 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:19 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:20 ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:21 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:22 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:23 ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ, ଦୁଇ ମେଷ, ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:24 ଗୋବତ୍ସର, ମେଷର, ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:25 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:26 ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:27 ପୁଣି, ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:28 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:29 ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:30 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:31 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:32 ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ,
NUM 29:33 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:34 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:35 ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
NUM 29:36 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ,
NUM 29:37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ,
NUM 29:38 ପୁଣି, ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ବ୍ୟତୀତ ଉତ୍ସର୍ଗ କରିବ।
NUM 29:39 ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ, ସ୍ୱେଚ୍ଛାଦତ୍ତ ଉପହାର ସମ୍ବନ୍ଧୀୟ ତୁମ୍ଭମାନଙ୍କ ହୋମବଳି, ତୁମ୍ଭମାନଙ୍କ ଭକ୍ଷ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ବ୍ୟତୀତ ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।”
NUM 29:40 ସଦାପ୍ରଭୁ ମୋଶାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଲେ, ମୋଶା ସେହି ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ।
NUM 30:1 ଏଥିଉତ୍ତାରେ ମୋଶା ଇସ୍ରାଏଲ ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
NUM 30:2 କୌଣସି ପୁରୁଷ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ।
NUM 30:3 ମଧ୍ୟ କୌଣସି ସ୍ତ୍ରୀ ଯଦି ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ୱାରା ଆପଣାକୁ ଆବଦ୍ଧ କରେ,
NUM 30:4 ପୁଣି, ତାହାର ପିତା ଯଦି ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ପ୍ରତିଜ୍ଞାର କଥା ଶୁଣି ତାହାକୁ କିଛି ନ କହେ, ଯଦି ତାହାର ସକଳ ମାନତ ସ୍ଥିର ହେବ; ପୁଣି, ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ।
NUM 30:5 ମାତ୍ର ତାହାର ପିତା ଯଦି ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି, ତାହାର ପିତା ନିଷେଧ କରିବା ସକାଶୁ ସଦାପ୍ରଭୁ ତାହାକୁ କ୍ଷମା କରିବେ।
NUM 30:6 ଆଉ ଯଦି ସେ ଆପଣା ମାନତର ଅବା ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ୱାମୀକୁ ବିବାହ କରେ;
NUM 30:7 ପୁଣି, ତାହାର ସ୍ୱାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ।
NUM 30:8 ମାତ୍ର ତାହାର ସ୍ୱାମୀ ତାହା ଶୁଣିବା ଦିନ ଯଦି ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ। ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ।
NUM 30:9 ମାତ୍ର ବିଧବା କିମ୍ବା ସ୍ୱାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହି ସବୁ ତାହା ନିମନ୍ତେ ସ୍ଥିର ହେବ।
NUM 30:10 ଆଉ ସେ ଯଦି ସ୍ୱାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ,
NUM 30:11 ପୁଣି, ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି, ସେ ଯେଉଁସବୁ ପ୍ରତିଜ୍ଞା ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ।
NUM 30:12 ମାତ୍ର ତାହାର ସ୍ୱାମୀ ଯଦି ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ୱାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ।
NUM 30:13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, ଅବା ତାହାର ସ୍ୱାମୀ ବ୍ୟର୍ଥ କରିପାରେ।
NUM 30:14 ମାତ୍ର ତାହାର ସ୍ୱାମୀ ଯଦି ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ପ୍ରତିଜ୍ଞା ସ୍ଥିର କରେ। ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା।
NUM 30:15 ମାତ୍ର ତାହା ଶୁଣିଲା ଉତ୍ତାରେ ଯଦି ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବୋହିବ।”
NUM 30:16 ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ।
NUM 31:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 31:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ସକାଶେ ମିଦୀୟନୀୟମାନଙ୍କୁ ପ୍ରତିଫଳ ଦିଅ; ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକଙ୍କ ନିକଟରେ ସଂଗୃହୀତ ହେବ।”
NUM 31:3 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯୁଦ୍ଧ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରସ୍ତୁତ କର; ସେମାନେ ମିଦୀୟନୀୟମାନଙ୍କ ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯିବେ।
NUM 31:4 ତୁମ୍ଭେମାନେ ଇସ୍ରାଏଲ ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ।”
NUM 31:5 ତହୁଁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହିରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ।
NUM 31:6 ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।
NUM 31:7 ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ସେମାନେ ପ୍ରତ୍ୟେକ ପୁରୁଷକୁ ବଧ କଲେ।
NUM 31:8 ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍‍ ଇବି, ରେକମ୍‍, ସୂର୍‍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍‍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ।
NUM 31:9 ଆଉ ଇସ୍ରାଏଲ-ସନ୍ତାନଗଣ ମିଦୀୟନର ସ୍ତ୍ରୀଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରି ନେଲେ; ଆଉ ସେମାନଙ୍କର ସମସ୍ତ ପଶୁ, ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟି କରି ନେଲେ।
NUM 31:10 ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ।
NUM 31:11 ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ, ପୁଣି, ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ।
NUM 31:12 ପୁଣି, ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନ ତୀରସ୍ଥ ମୋୟାବ-ପଦାରେ ସ୍ଥାପିତ ଛାଉଣିକୁ ମୋଶାଙ୍କର, ଇଲୀୟାସର ଯାଜକର, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ, ଧୃତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ।
NUM 31:13 ତହିଁରେ ମୋଶା, ଇଲୀୟାସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ।
NUM 31:14 ସେତେବେଳେ ମୋଶା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନଙ୍କ ପ୍ରତି କ୍ରୋଧ କଲେ।
NUM 31:15 ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ସମସ୍ତ ସ୍ତ୍ରୀଲୋକଙ୍କୁ ଜୀବିତ ରଖିଅଛ?
NUM 31:16 ଦେଖ, ଏମାନେ ବିଲୀୟମ୍‍ର ପରାମର୍ଶରେ ପିୟୋର ଦେବତା ବିଷୟରେ ଇସ୍ରାଏଲ-ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରାଇଲେ, ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା।
NUM 31:17 ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି, ଯେଉଁ ସ୍ତ୍ରୀଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି, ସେମାନଙ୍କୁ ବଧ କର।
NUM 31:18 ମାତ୍ର ଯେଉଁ ସ୍ତ୍ରୀର ପିଲାମାନେ ପୁରୁଷର ସହବାସ ଜ୍ଞାତ ହୋଇ ନାହାନ୍ତି, ସେହି ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ।
NUM 31:19 ଆଉ ତୁମ୍ଭେମାନେ ସାତ ଦିନ ଛାଉଣିର ବାହାରେ ଛାଉଣି ସ୍ଥାପନ କରିବ; ତୁମ୍ଭେମାନେ ଯେତେ ଲୋକ ମନୁଷ୍ୟର ହତ୍ୟା କରିଅଛ ଓ ହତ ଲୋକଙ୍କୁ ସ୍ପର୍ଶ କରିଅଛ, ସମସ୍ତେ ତୃତୀୟ ଦିନରେ, ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର।
NUM 31:20 ପୁଣି, ଯାବତୀୟ ବସ୍ତ୍ର, ଚର୍ମ ନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”
NUM 31:21 ତହୁଁ ଇଲୀୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି;
NUM 31:22 ତଥାପି ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା,
NUM 31:23 ଯେଉଁ ସମସ୍ତ ଦ୍ରବ୍ୟ ଅଗ୍ନି ସହିପାରେ, ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତାହା ଶୁଚି ହେବ; ତେବେ ହେଁ ତାହା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ; ପୁଣି, ଯେଉଁସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ, ତାହା ତୁମ୍ଭେମାନେ ଜଳରେ ପକାଇବ।
NUM 31:24 ପୁଣି, ତୁମ୍ଭେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମ୍ଭେମାନେ ଶୁଚି ହେବ; ତହିଁ ଉତ୍ତାରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରିବ।”
NUM 31:25 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 31:26 “ତୁମ୍ଭେ, ଇଲୀୟାସର ଯାଜକ ଓ ମଣ୍ଡଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର, ଅର୍ଥାତ୍‍, ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର।
NUM 31:27 ପୁଣି, ଯୁଦ୍ଧରେ ଧୃତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର।
NUM 31:28 ପୁଣି, ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର; ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷମାନଙ୍କର,
NUM 31:29 ପ୍ରତି ପାଞ୍ଚଶହରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲୀୟାସର ଯାଜକକୁ ଦିଅ;
NUM 31:30 ପୁଣି, ଇସ୍ରାଏଲ-ସନ୍ତାନଗଣର ଲଭ୍ୟ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପାଞ୍ଚଶହରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦିଅ;”
NUM 31:31 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ଇଲୀୟାସର ଯାଜକ କଲେ।
NUM 31:32 ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ବ୍ୟତୀତ ଯେଉଁସବୁ ଜୀବ ଧରିଥିଲେ, ସେମାନଙ୍କ ସଂଖ୍ୟା,
NUM 31:33 ଛଅ ଲକ୍ଷ ପଞ୍ଚସ୍ତରି ହଜାର ମେଷ
NUM 31:34 ଓ ବାସ୍ତରି ହଜାର ଗୋରୁ, ଏକଷଠି ହଜାର ଗର୍ଦ୍ଦଭ;
NUM 31:35 ଆଉ ପୁରୁଷ-ସହବାସ ଅଜ୍ଞାତା ସ୍ତ୍ରୀଲୋକ ସର୍ବସୁଦ୍ଧା ବତିଶ ହଜାର ଥିଲେ।
NUM 31:36 ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ।
NUM 31:37 ପୁଣି, ସେହି ମେଷ ମଧ୍ୟରୁ ଛଅ ଶହ ପଞ୍ଚସ୍ତରି ମେଷ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
NUM 31:38 ଆଉ ଗୋରୁ ଛତିଶ ହଜାର, ସେମାନଙ୍କ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
NUM 31:39 ଆଉ ଗର୍ଦ୍ଦଭ ତିରିଶ ହଜାର ପାଞ୍ଚ ଶହ, ସେମାନଙ୍କ ମଧ୍ୟରୁ ଏକଷଠି ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
NUM 31:40 ପୁଣି, ମନୁଷ୍ୟ ଷୋଳ ସହସ୍ର, ସେମାନଙ୍କ ମଧ୍ୟରୁ ବତିଶ ଜଣ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
NUM 31:41 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କର ଉତ୍ତୋଳନୀୟ ଉପହାର ସ୍ୱରୂପେ ସେହି କର ଇଲୀୟାସର ଯାଜକକୁ ଦେଲେ।
NUM 31:42 ପୁଣି, ଯୋଦ୍ଧାମାନଙ୍କ ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଇଥିଲେ;
NUM 31:43 ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ,
NUM 31:44 ଛତିଶ ହଜାର ଗୋରୁ,
NUM 31:45 ତିରିଶ ହଜାର ପାଞ୍ଚ ଶହ ଗର୍ଦ୍ଦଭ
NUM 31:46 ଓ ଷୋଳ ସହସ୍ର ମନୁଷ୍ୟ ଥିଲେ।
NUM 31:47 ତହିଁରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଚାଶ ମଧ୍ୟରୁ ଗୋଟିଏ ଲେଖାଏଁ ନେଇ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦେଲେ।
NUM 31:48 ଏଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀଗଣ, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନେ ମୋଶାଙ୍କ ନିକଟକୁ ଆସିଲେ,
NUM 31:49 ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ।
NUM 31:50 ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।”
NUM 31:51 ତହୁଁ ମୋଶା ଓ ଇଲୀୟାସର ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ, ଅର୍ଥାତ୍‍, ଶିଳ୍ପିତ ଅଳଙ୍କାର ନେଲେ।
NUM 31:52 ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେସମସ୍ତ ସ୍ୱର୍ଣ୍ଣ ଷୋହଳ ହଜାର ସାତ ଶହ ପଚାଶ ଶେକଲ ପରିମିତ ଥିଲା।
NUM 31:53 କାରଣ ଯୋଦ୍ଧାମାନେ ପ୍ରତ୍ୟେକେ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ।
NUM 31:54 ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।
NUM 32:1 ରୁବେନ୍‍-ସନ୍ତାନଗଣର ଓ ଗାଦ୍‍-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେଉଁ ସ୍ଥାନ ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଥିଲା।
NUM 32:2 ଏଥିରେ ଗାଦ୍‍ର ସନ୍ତାନଗଣ, ରୁବେନ୍‍ର ସନ୍ତାନଗଣ ଆସି ମୋଶାଙ୍କୁ, ଇଲୀୟାସର ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ;
NUM 32:3 “ଅଟାରୋତ୍‍, ଦୀବୋନ୍, ଯାସେର, ନିମ୍ରା, ହିଷ୍‍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,
NUM 32:4 ଏହି ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଅଟେ। ପୁଣି, ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି।”
NUM 32:5 ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇଯାଅ ନାହିଁ।”
NUM 32:6 ଏଥିରେ ମୋଶା ଗାଦ୍‍ର ସନ୍ତାନଗଣକୁ ଓ ରୁବେନ୍‍ର ସନ୍ତାନଗଣକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ?
NUM 32:7 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କାହିଁକି ସେମାନଙ୍କ ମନକୁ ସାହସହୀନ କରୁଅଛ?
NUM 32:8 ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ସମୟରେ ସେମାନେ ଏହିରୂପେ କରିଥିଲେ।
NUM 32:9 କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ।
NUM 32:10 ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସେ ଶପଥ କରି ଏହି କଥା କହିଲେ,
NUM 32:11 ‘ଆମ୍ଭେ ଅବ୍ରହାମଙ୍କୁ, ଇସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।
NUM 32:12 କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି।’
NUM 32:13 ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
NUM 32:14 ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ।
NUM 32:15 କାରଣ ଯଦି ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ।”
NUM 32:16 ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
NUM 32:17 ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ-ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ; କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀର-ବେଷ୍ଟିତ ନଗରରେ ବାସ କରିବେ।
NUM 32:18 ଇସ୍ରାଏଲ-ସନ୍ତାନଗଣଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।
NUM 32:19 ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆରପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।”
NUM 32:20 ଏଥିରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯଦି ଏହି କର୍ମ କର, ଯଦି ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
NUM 32:21 ପୁଣି, ସଦାପ୍ରଭୁ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି
NUM 32:22 ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯଦି ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
NUM 32:23 ମାତ୍ର ତୁମ୍ଭେମାନେ ଯଦି ସେହିପରି ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ; ପୁଣି, ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ।
NUM 32:24 ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର।”
NUM 32:25 ତେବେ ଗାଦ୍‍-ସନ୍ତାନଗଣ ଓ ରୁବେନ୍‍-ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ।
NUM 32:26 ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ।
NUM 32:27 ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ଆଗରେ ଯୁଦ୍ଧ କରିବାକୁ ପାର ହୋଇଯିବେ।”
NUM 32:28 ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ-ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
NUM 32:29 ପୁଣି, ମୋଶା ସେମାନଙ୍କୁ କହିଲେ, “ଗାଦ୍‍-ସନ୍ତାନଗଣର ଓ ରୁବେନ୍‍-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯଦି ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ; ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ।
NUM 32:30 ମାତ୍ର ଯଦି ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ।”
NUM 32:31 ତହିଁରେ ଗାଦ୍‍-ସନ୍ତାନଗଣ ଓ ରୁବେନ୍‍-ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
NUM 32:32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”
NUM 32:33 ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍‍, ଗାଦ୍‍-ସନ୍ତାନଗଣକୁ, ରୁବେନ୍‍-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗ୍‍ର ରାଜ୍ୟ, ଅର୍ଥାତ୍‍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
NUM 32:34 ତହିଁରେ ଗାଦ୍‍-ସନ୍ତାନଗଣ ଦୀବୋନ୍, ଅଟାରୋତ୍‍ ଓ ଅରୋୟେର;
NUM 32:35 ଅଟ୍‍ରୋତ୍‍-ଶୋଫନ, ଯାସେର, ଯଗ୍‍ବିହ,
NUM 32:36 ବେଥ୍-ନିମ୍ରା, ବେଥ୍-ହାରଣ ନାମକ ପ୍ରାଚୀର-ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
NUM 32:37 ପୁଣି, ରୁବେନ୍‍-ସନ୍ତାନଗଣ ହିଷ୍‍ବୋନ, ଇଲୀୟାଲୀ ଓ କିରୀୟାଥୟିମ୍‍;
NUM 32:38 ପୁଣି, ନାମାନ୍ତରରେ ନବୋ, ବାଲ୍‍-ମୀୟୋନ୍‍ ଓ ସିବ୍‍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।
NUM 32:39 ପୁଣି, ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କଲେ।
NUM 32:40 ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେ; ଆଉ ସେ ସେଠାରେ ବାସ କଲା।
NUM 32:41 ପୁଣି, ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍‍-ଯାୟୀର ରଖିଲା।
NUM 32:42 ଆଉ ନୋବହ ଯାଇ କନାତ୍‍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।
NUM 33:1 ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।
NUM 33:2 ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି।
NUM 33:3 ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍‍ଠାରୁ ଯାତ୍ରା କଲେ;
NUM 33:4 ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ-ସନ୍ତାନଗଣ ମିସରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।
NUM 33:5 ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍‍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ।
NUM 33:6 ପୁଣି, ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ।
NUM 33:7 ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲ-ସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍‍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
NUM 33:8 ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ।
NUM 33:9 ପୁଣି, ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ।
NUM 33:10 ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସାଗର ନିକଟରେ ଛାଉଣି ସ୍ଥାପନ କଲେ।
NUM 33:11 ପୁଣି, ସେମାନେ ସୂଫ ସାଗର ନିକଟରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ।
NUM 33:12 ପୁଣି, ସେମାନେ ସୀନ୍‍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ।
NUM 33:13 ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ।
NUM 33:14 ପୁଣି, ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା।
NUM 33:15 ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
NUM 33:16 ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍‍-ହତ୍ତାବାରେ ଛାଉଣି ସ୍ଥାପନ କଲେ।
NUM 33:17 ପୁଣି, ସେମାନେ କିବ୍ରୋତ୍‍-ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ।
NUM 33:18 ପୁଣି, ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ
NUM 33:19 ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ୍‍-ପେରସରେ ଛାଉଣି ସ୍ଥାପନ କଲେ।
NUM 33:20 ପୁଣି, ସେମାନେ ରିମ୍ମୋନ୍‍-ପେରସରୁ ଯାତ୍ରା କରି ଲିବ୍‍ନାରେ ଛାଉଣି ସ୍ଥାପନ କଲେ।
NUM 33:21 ପୁଣି, ସେମାନେ ଲିବ୍‍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ।
NUM 33:22 ପୁଣି, ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
NUM 33:23 ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ
NUM 33:24 ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
NUM 33:25 ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
NUM 33:26 ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ।
NUM 33:27 ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
NUM 33:28 ଓ ସେମାନେ ତେରହରୁ ଯାତ୍ରା କରି ମିତ୍‍କାରେ ଛାଉଣି ସ୍ଥାପନ କଲେ
NUM 33:29 ଓ ସେମାନେ ମିତ୍‍କାରୁ ଯାତ୍ରା କରି ହଶ୍‍ମୋନାରେ ଛାଉଣି ସ୍ଥାପନ କଲେ,
NUM 33:30 ଓ ସେମାନେ ହଶ୍‍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ।
NUM 33:31 ପୁଣି, ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
NUM 33:32 ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍‍ଗଦରେ ଛାଉଣି ସ୍ଥାପନ କଲେ
NUM 33:33 ଓ ସେମାନେ ହୋର୍ହଗିଦ୍‍ଗଦରୁ ଯାତ୍ରା କରି ଯଟ୍‍ବାଥାରେ ଛାଉଣି ସ୍ଥାପନ କଲେ,
NUM 33:34 ଓ ସେମାନେ ଯଟ୍‍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ।
NUM 33:35 ପୁଣି, ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍‍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ।
NUM 33:36 ପୁଣି, ସେମାନେ ଇତ୍‍ସିୟୋନ-ଗେବରରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
NUM 33:37 ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।
NUM 33:38 ଏଥିଉତ୍ତାରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ।
NUM 33:39 ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା।
NUM 33:40 ଏଥିଉତ୍ତାରେ କିଣାନର ଦକ୍ଷିଣ ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ।
NUM 33:41 ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍‍ମୋନାରେ ଛାଉଣି ସ୍ଥାପନ କଲେ,
NUM 33:42 ଓ ସେମାନେ ସଲ୍‍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
NUM 33:43 ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
NUM 33:44 ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ,
NUM 33:45 ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍‍-ଗାଦ୍‍ରେ ଛାଉଣି ସ୍ଥାପନ କଲେ,
NUM 33:46 ଓ ସେମାନେ ଦୀବୋନ୍‍-ଗାଦ୍‍ରୁ ଯାତ୍ରା କରି ଅଲମୋନ-ଦିବ୍‍ଲାଥୟିମରେ ଛାଉଣି ସ୍ଥାପନ କଲେ।
NUM 33:47 ତହୁଁ ସେମାନେ ଅଲମୋନ-ଦିବ୍‍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ୍ ପର୍ବତରେ ଛାଉଣି ସ୍ଥାପନ କଲେ।
NUM 33:48 ପୁଣି, ସେମାନେ ଅବାରୀମ୍ ପର୍ବତରୁ ଯାତ୍ରା କରି ଯିରୀହୋ ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
NUM 33:49 ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବେଥ୍-ଯିଶିମୋତଠାରୁ ଆବେଲ୍-ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ।
NUM 33:50 ଏଥିଉତ୍ତାରେ ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 33:51 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
NUM 33:52 ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।
NUM 33:53 ପୁଣି, ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ।
NUM 33:54 ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ।
NUM 33:55 ମାତ୍ର ଯଦି ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ୱରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ।
NUM 33:56 ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।”
NUM 34:1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 34:2 “ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ଯେଉଁ କିଣାନ ଦେଶ, ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ, ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ,
NUM 34:3 ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍‍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
NUM 34:4 ପୁଣି, ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍‍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ-ବର୍ଣ୍ଣେୟର ଦକ୍ଷିଣ ଦେଇ ହତ୍‍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ।
NUM 34:5 ଏଉତ୍ତାରେ ସେହି ସୀମା ଅସ୍ମୋନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ।
NUM 34:6 ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ; ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
NUM 34:7 ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ;
NUM 34:8 ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ; ପୁଣି, ସେଠାରୁ ସେହି ସୀମା ସଦାଦ୍‍ ନିକଟରେ ଶେଷ ହେବ।
NUM 34:9 ପୁଣି, ସେହି ସୀମା ସିଫ୍ରୋଣ ପର୍ଯ୍ୟନ୍ତ ଯିବ ଓ ହତ୍‍ସର-ଐନନ୍‍ରେ ତହିଁର ଶେଷ ହେବ; ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ।
NUM 34:10 ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍‍ସର-ଐନନ୍‍ଠାରୁ ଶଫାମ୍‍ ପର୍ଯ୍ୟନ୍ତ ଚିହ୍ନିତ କରିବ।
NUM 34:11 ତହୁଁ ସେହି ସୀମା ଶଫାମ୍‍ଠାରୁ ଐନ୍‍ର ପୂର୍ବଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ; ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନେରତ୍‍ ହ୍ରଦର ପୂର୍ବ ପାର୍ଶ୍ୱ ଦେଇ ଯିବ।
NUM 34:12 ପୁଣି, ସେହି ସୀମା ଯର୍ଦ୍ଦନ ଦେଇ ଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ; ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ।’”
NUM 34:13 ପୁନଶ୍ଚ, ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧ ବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।
NUM 34:14 କାରଣ ରୁବେନ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ୍‍-ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନଃଶିର ଅର୍ଦ୍ଧ ବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି;
NUM 34:15 ଏହି ଦୁଇ ବଂଶ ଓ ଅର୍ଦ୍ଧ ବଂଶ ଯିରୀହୋ ନିକଟସ୍ଥ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି।”
NUM 34:16 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 34:17 “ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।
NUM 34:18 ପୁଣି, ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ।
NUM 34:19 ପୁଣି, ସେହି ଲୋକମାନଙ୍କର ନାମ ଏହି; ଯିହୁଦା ବଂଶୀୟ ଯିଫୁନ୍ନିର ପୁତ୍ର କାଲେବ,
NUM 34:20 ଓ ଶିମୀୟୋନର ସନ୍ତାନମାନଙ୍କ ବଂଶୀୟ ଅମ୍ମୀହୂଦର ପୁତ୍ର ଶେମୂୟେଲ।
NUM 34:21 ବିନ୍ୟାମୀନ୍ ବଂଶୀୟ କିଶଲୋନର ପୁତ୍ର ଇଲୀଦଦ୍‍।
NUM 34:22 ଆଉ ଦାନ୍-ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଯଗ୍ଲିର ପୁତ୍ର ବୁକ୍କି।
NUM 34:23 ଯୋଷେଫ-ସନ୍ତାନଗଣ ମଧ୍ୟରୁ; ମନଃଶି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଏଫୋଦର ପୁତ୍ର ହନ୍ନୀୟେଲ।
NUM 34:24 ପୁଣି, ଇଫ୍ରୟିମ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶିପ୍ତନର ପୁତ୍ର କମୂୟେଲ।
NUM 34:25 ଆଉ ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ପର୍ଣ୍ଣକର ପୁତ୍ର ଇଲୀଶାଫନ୍‍,
NUM 34:26 ଓ ଇଷାଖର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅସ୍ସନର ପୁତ୍ର ପଲ୍ଟୀୟେଲ,
NUM 34:27 ଓ ଆଶେର-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଶଲୋମିର ପୁତ୍ର ଅହୀହୂଦ୍‍।
NUM 34:28 ନପ୍ତାଲି-ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି, ଅମ୍ମୀହୂଦର ପୁତ୍ର ପଦହେଲ୍।”
NUM 34:29 କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
NUM 35:1 ଏଥିଉତ୍ତାରେ ସଦାପ୍ରଭୁ ମୋୟାବ-ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ସମୀପରେ ମୋଶାଙ୍କୁ କହିଲେ,
NUM 35:2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ; ସେମାନେ ଆପଣା ଆପଣା ଅଧିକୃତ ବାଣ୍ଟରୁ କେତେକ ବସତି-ନଗର ଲେବୀୟମାନଙ୍କୁ ଦିଅନ୍ତୁ, ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନର ତଳିଭୂମି ନିମନ୍ତେ ସେସବୁର ଚତୁର୍ଦ୍ଦିଗସ୍ଥ ଭୂମି ଦେବ।
NUM 35:3 ତହିଁରେ ସେହି ସବୁ ନଗରରେ ସେମାନଙ୍କର ନିବାସ ହେବ; ପୁଣି, ତହିଁର ତଳିଭୂମିସବୁ ସେମାନଙ୍କ ପଶୁ, ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ।
NUM 35:4 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।
NUM 35:5 ପୁଣି, ତୁମ୍ଭେମାନେ ନଗରର ବାହାରେ ତହିଁର ପୂର୍ବ ସୀମା ଦୁଇ ସହସ୍ର ହସ୍ତ, ଦକ୍ଷିଣ ସୀମା ଦୁଇ ସହସ୍ର ହସ୍ତ, ପଶ୍ଚିମ ସୀମା ଦୁଇ ସହସ୍ର ହସ୍ତ ଓ ଉତ୍ତର ସୀମା ଦୁଇ ସହସ୍ର ହସ୍ତ ପରିମିତ କରିବ; ନଗର ତହିଁର ମଧ୍ୟସ୍ଥଳରେ ରହିବ। ଏହା ସେମାନଙ୍କ ନଗରର ତଳିଭୂମି ହେବ।
NUM 35:6 ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ତହିଁରୁ ଛଅଗୋଟି ଆଶ୍ରୟ ନଗର ହେବ, ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ଆଉ ତାହା ବ୍ୟତୀତ ଆହୁରି ବୟାଳିଶ ନଗର ଦେବ।
NUM 35:7 ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।
NUM 35:8 ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାରରୁ ସେହି ସବୁ ନଗର ଦେବା ନିମନ୍ତେ ତୁମ୍ଭେମାନେ ଅଧିକ ଲୋକଙ୍କଠାରୁ ଅଧିକ ନେବ ଓ ଅଳ୍ପ ଲୋକଙ୍କଠାରୁ ଅଳ୍ପ ନେବ; ପ୍ରତ୍ୟେକ ବଂଶ ଆପଣାର ଅଧିକୃତ ଅଧିକାରାନୁସାରେ ଆପଣା ନଗରମାନଙ୍କରୁ ଲେବୀୟମାନଙ୍କୁ ଦେବେ।”
NUM 35:9 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
NUM 35:10 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
NUM 35:11 ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ, ତହିଁରେ ଯେଉଁ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
NUM 35:12 ପୁଣି, ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ସ୍ଥାନ ହେବ;
NUM 35:13 ଏହିରୂପେ ତୁମ୍ଭେମାନେ ଯେଉଁ ଯେଉଁ ନଗର ଦେବ, ତାହା ତୁମ୍ଭମାନଙ୍କ ନିମନ୍ତେ ଛଅ ଆଶ୍ରୟ ନଗର ହେବ।
NUM 35:14 ତୁମ୍ଭେମାନେ ଯର୍ଦ୍ଦନର ପୂର୍ବପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହାସବୁ ଆଶ୍ରୟ ନଗର ହେବ।
NUM 35:15 ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟ ସ୍ଥାନ ହେବ; ତହିଁରେ ଯେଉଁ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇପାରେ।
NUM 35:16 ମାତ୍ର ଯଦି କେହି ଲୌହ ଅସ୍ତ୍ର ଦ୍ୱାରା କାହାରିକୁ ଏପରି ଆଘାତ କରେ ଯେ, ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
NUM 35:17 ଆଉ ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି ପଥର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
NUM 35:18 ଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି କାଷ୍ଠ-ଅସ୍ତ୍ର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
NUM 35:19 ରକ୍ତର ପ୍ରତିହନ୍ତା ନିଜେ ସେହି ନରହତ୍ୟାକାରୀକୁ ବଧ କରିବ; ସେ ତାହାର ଦେଖା ପାଇଲେ ତାହାକୁ ବଧ କରିବ।
NUM 35:20 ଆଉ ଯଦି ହିଂସା କରି କେହି କାହାକୁ ଧକ୍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;
NUM 35:21 କିଅବା ଶତ୍ରୁତା କରି ଯଦି ସେ କାହାକୁ ଆପଣା ହସ୍ତରେ ଆଘାତ କରେ ଓ ତହିଁରେ ସେ ମରେ, ତେବେ ଯେ ତାହାକୁ ଆଘାତ କଲା, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ; ସେ ନରହତ୍ୟାକାରୀ ରକ୍ତର ପ୍ରତିହନ୍ତା ସେହି ନରହତ୍ୟାକାରୀର ଦେଖା ପାଇଲେ ତାହାକୁ ବଧ କରିବ।
NUM 35:22 ମାତ୍ର ଯଦି କେହି ଶତ୍ରୁତା ବିନା ହଠାତ୍‍ କାହାକୁ ଆଘାତ କରେ, ଅବା ଛକି ନ ବସି କାହା ଉପରେ କୌଣସି ଅସ୍ତ୍ର ପକାଏ,
NUM 35:23 କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
NUM 35:24 ତେବେ ମଣ୍ଡଳୀ ସେହି ବଧକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଚାର କରିବେ।
NUM 35:25 ଆଉ ମଣ୍ଡଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକୁ ଉଦ୍ଧାର କରିବେ; ପୁଣି, ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା, ସେହି ଆଶ୍ରୟ ନଗରରେ ମଣ୍ଡଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦେବେ ଓ ଯେପର୍ଯ୍ୟନ୍ତ ପବିତ୍ର ତୈଳରେ ଅଭିଷିକ୍ତ ମହାଯାଜକର ମୃତ୍ୟୁୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।
NUM 35:26 ମାତ୍ର ସେହି ନରହତ୍ୟାକାରୀ ଯେଉଁ ଆଶ୍ରୟ ନଗରକୁ ପଳାଇଅଛି, ଯଦି କୌଣସି ସମୟରେ ସେ ତହିଁର ସୀମାର ବାହାରକୁ ଯାଏ
NUM 35:27 ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର-ସୀମାର ବାହାରେ ତାହାକୁ ପାଏ ଓ ତହିଁର ପ୍ରତିହନ୍ତା ତାହାକୁ ବଧ କରେ, ତେବେ ସେ ରକ୍ତପାତର ଅପରାଧୀ ହେବ ନାହିଁ।
NUM 35:28 କାରଣ ମହାଯାଜକର ମୃତ୍ୟୁୁ ପର୍ଯ୍ୟନ୍ତ ଆପଣା ଆଶ୍ରୟ ନଗରରେ ତାହାର ଥିବା ଉଚିତ; ମାତ୍ର ମହାଯାଜକର ମୃତ୍ୟୁୁ ହେଲା ଉତ୍ତାରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଗୃହକୁ ଫେରିଯାଇ ପାରିବ।
NUM 35:29 ଆଉ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସକଳ ନିବାସ ସ୍ଥାନରେ ଏହିସବୁ ତୁମ୍ଭମାନଙ୍କ ବିଚାରର ବିଧି ହେବ।
NUM 35:30 ଯେଉଁ ବ୍ୟକ୍ତି କୌଣସି ଲୋକକୁ ବଧ କରେ, ସେହି ନରହତ୍ୟାକାରୀ ସାକ୍ଷୀମାନଙ୍କ ସାକ୍ଷ୍ୟ ଦ୍ୱାରା ହତ ହେବ; ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକର ପ୍ରତିକୂଳରେ ପ୍ରାଣଦଣ୍ଡ ନିମନ୍ତେ ଗ୍ରାହ୍ୟ ହେବ ନାହିଁ।
NUM 35:31 ଆହୁରି ପ୍ରାଣଦଣ୍ଡ ଯୋଗ୍ୟ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ; ମାତ୍ର ସେ ଅବଶ୍ୟ ହତ ହେବ।
NUM 35:32 ପୁଣି, କେହି ଯେପରି ଆପଣା ଆଶ୍ରୟ ନଗରକୁ ପଳାଇ ପୁନର୍ବାର ଆପଣା ଦେଶକୁ ଆସି ବାସ କରେ, ଏଥିପାଇଁ ତୁମ୍ଭେମାନେ ଯାଜକର ମରଣ ପର୍ଯ୍ୟନ୍ତ ତାହା ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ।
NUM 35:33 ଏହିରୂପେ ତୁମ୍ଭେମାନେ ଆପଣାମାନଙ୍କ ନିବାସ ଦେଶ ଅପବିତ୍ର କରିବ ନାହିଁ; କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ; ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତୀର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ କରାଯାଇ ନ ପାରେ।
NUM 35:34 ଏଣୁ ତୁମ୍ଭମାନଙ୍କର ଯେଉଁ ନିବାସ ଦେଶରେ ଆମ୍ଭେ ବାସ କରୁଅଛୁ, ତୁମ୍ଭେ ତାହା ଅଶୁଚି କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରୁଅଛୁ।’”
NUM 36:1 ଏଥିଉତ୍ତାରେ ଯୋଷେଫ-ସନ୍ତାନଗଣଙ୍କର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି, ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ୱରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ;
NUM 36:2 ଆଉ ସେମାନେ କହିଲେ, “ସଦାପ୍ରଭୁ ଗୁଲିବାଣ୍ଟ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
NUM 36:3 ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯଦି ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି, ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ।
NUM 36:4 ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣଙ୍କର ଯୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାରଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ।”
NUM 36:5 ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଇସ୍ରାଏଲକୁ ଆଜ୍ଞା ଦେଇ କହିଲେ, “ଯୋଷେଫ-ସନ୍ତାନଗଣଙ୍କର ବଂଶ ଯଥାର୍ଥ କହୁଅଛନ୍ତି।
NUM 36:6 ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ‘ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ।’
NUM 36:7 ତାହା କଲେ ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ।
NUM 36:8 ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣଙ୍କର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ।
NUM 36:9 ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।”
NUM 36:10 ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ।
NUM 36:11 ଅର୍ଥାତ୍‍, ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ।
NUM 36:12 ଯୋଷେଫଙ୍କର ପୁତ୍ର ମନଃଶି ସନ୍ତାନଗଣଙ୍କର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା।
NUM 36:13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।
DEU 1:1 ପାରଣ ଓ ତୋଫଲ ଓ ଲାବନ ଓ ହତ୍ସେରୋତ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍‍, ଯର୍ଦ୍ଦନର ପୂର୍ବପାରିସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ,
DEU 1:2 ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ।
DEU 1:3 ସଦାପ୍ରଭୁ ଯେଉଁ ଯେଉଁ କଥା ଇସ୍ରାଏଲ-ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ,
DEU 1:4 “ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍‍ ନିବାସୀ ବାଶନର ରାଜା ଓଗ୍‍କୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ
DEU 1:5 ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।
DEU 1:6 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;
DEU 1:7 ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍‍ ପର୍ଯ୍ୟନ୍ତ ଯାତ୍ରା କର।
DEU 1:8 ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‌ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।’”
DEU 1:9 ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ;
DEU 1:10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ।
DEU 1:11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।
DEU 1:12 ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?
DEU 1:13 ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି।”
DEU 1:14 ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, “ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ।”
DEU 1:15 ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି।
DEU 1:16 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର।
DEU 1:17 ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋʼ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”
DEU 1:18 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟ କର୍ମ ବିଷୟ ଆଜ୍ଞା ଦେଇଥିଲି।
DEU 1:19 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ।
DEU 1:20 ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ।
DEU 1:21 ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ।”
DEU 1:22 ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, “ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ବାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ।”
DEU 1:23 ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ, ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣଙ୍କୁ ନେଲୁ।
DEU 1:24 ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ-ଉପତ୍ୟକାରେ ପହଞ୍ଚି ଦେଶର ଅନୁସନ୍ଧାନ କଲେ।
DEU 1:25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”
DEU 1:26 ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ।
DEU 1:27 ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, “ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ସକାଶୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି।
DEU 1:28 ଆମ୍ଭେମାନେ କେଉଁଠାକୁ ଯିବା? ‘ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଉଚ୍ଚ; ନଗରମାନ ବୃହତ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ ଆହୁରି ସେହି ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।’”
DEU 1:29 ତେବେ ମୁଁ ତୁମ୍ଭମାନଙ୍କୁ କହିଲି, “ଭୟଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ।
DEU 1:30 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।
DEU 1:31 ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି।”
DEU 1:32 ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ!
DEU 1:33 ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ।
DEU 1:34 ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି ରାଗିଲେ ଓ ଶପଥ କରି କହିଲେ,
DEU 1:35 “ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ,
DEU 1:36 କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ।”
DEU 1:37 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ପ୍ରତି କ୍ରୋଧ କରି କହିଲେ, “ତୁମ୍ଭେ ମଧ୍ୟ ସେହି ସ୍ଥାନରେ ପ୍ରବେଶ କରିବ ନାହିଁ,
DEU 1:38 ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।
DEU 1:39 ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ।
DEU 1:40 ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସାଗର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର।”
DEU 1:41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠିଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।
DEU 1:42 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ‘ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ;’ କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।”
DEU 1:43 ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଦେଶକୁ ଆକ୍ରମଣ କଲ।
DEU 1:44 କିନ୍ତୁ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
DEU 1:45 ତେବେ ତୁମ୍ଭେମାନେ ଫେରିଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ।
DEU 1:46 ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ ବର୍ଷ ରହିଲ।
DEU 2:1 ଏଥିଉତ୍ତାରେ ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସାଗର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା।
DEU 2:2 ତହୁଁ ସଦାପ୍ରଭୁ ମୋତେ କହିଲେ,
DEU 2:3 “ତୁମ୍ଭେମାନେ ଯଥେଷ୍ଟ ସମୟ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର।
DEU 2:4 ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ‘ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍‍, ଏଷୌ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ।
DEU 2:5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।
DEU 2:6 ତୁମ୍ଭେମାନେ ରୂପା (ଟଙ୍କା) ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ।
DEU 2:7 କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’”
DEU 2:8 ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍‍ ଓ ଇତ୍‍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ। ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ।
DEU 2:9 ତହିଁରେ ସଦାପ୍ରଭୁ ମୋତେ କହିଲେ, “ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ।”
DEU 2:10 (ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଥିଲେ।
DEU 2:11 ଅନାକୀୟମାନଙ୍କ ତୁଲ୍ୟ ସେମାନେ ମଧ୍ୟ ରଫାୟୀୟମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ।
DEU 2:12 ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ)।
DEU 2:13 “ଏବେ ତୁମ୍ଭେମାନେ ଉଠ ଓ ସେରଦ୍‍ ନଦୀ ପାର ହୁଅ।” ତହିଁରେ ଆମ୍ଭେମାନେ ସେରଦ୍‍ ନଦୀ ପାର ହେଲୁ।
DEU 2:14 କାଦେଶ-ବର୍ଣ୍ଣେୟଠାରୁ ସେରଦ୍‍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶି ବର୍ଷ ଲାଗିଲା, ସେହି ସମୟରେ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ।
DEU 2:15 କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା।
DEU 2:16 ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
DEU 2:17 ସଦାପ୍ରଭୁ ମୋତେ କହିଲେ,
DEU 2:18 “ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
DEU 2:19 ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ଯୁଦ୍ଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ।”
DEU 2:20 (ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କରୁଥିଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ;
DEU 2:21 ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ।
DEU 2:22 ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହିରୂପ କର୍ମ କରିଥିଲେ, ଅର୍ଥାତ୍‍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ଏଷୌ-ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି।
DEU 2:23 ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ)।
DEU 2:24 “ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ-ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍‍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ କର।
DEU 2:25 ଆଜି ଆମ୍ଭେ ସମସ୍ତ ଆକାଶମଣ୍ଡଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ।”
DEU 2:26 ଆଉ ମୁଁ କଦେମୋତ୍‍ ପ୍ରାନ୍ତରରୁ ହିଷ୍‍ବୋନର ରାଜା ସୀହୋନ ନିକଟକୁ ବାର୍ତ୍ତାବହମାନଙ୍କ ଦ୍ୱାରା ଏହି ଶାନ୍ତି ସୂଚକ ବାକ୍ୟ କହି ପଠାଇଲି,
DEU 2:27 “ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ।
DEU 2:28 ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
DEU 2:29 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”
DEU 2:30 ମାତ୍ର ହିଷ୍‍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ।
DEU 2:31 ପୁଣି ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ।”
DEU 2:32 ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ।
DEU 2:33 ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ।
DEU 2:34 ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ।
DEU 2:35 କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।
DEU 2:36 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ।
DEU 2:37 କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍‍, ଯବ୍ବୋକ୍‍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ।
DEU 3:1 ଏଉତ୍ତାରେ ଆମ୍ଭେମାନେ ଫେରି ବାଶନର ପଥ ଦେଇ ଗମନ କଲୁ; ତହିଁରେ ବାଶନର ରାଜା ଓଗ୍‍ ଅାସି ଅାକ୍ରମଣ କଲେ, ପୁଣି ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିୟୀକୁ ଆସିଲେ।
DEU 3:2 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।”
DEU 3:3 ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍‍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ।
DEU 3:4 ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍‍, ବାଶନସ୍ଥ ଓଗ୍‍ର ରାଜ୍ୟ (ହସ୍ତଗତ କଲୁ)।
DEU 3:5 ସେହି ସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା।
DEU 3:6 ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।
DEU 3:7 ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣାମାନଙ୍କ ନିମନ୍ତେ ଲୁଟ ସ୍ୱରୂପେ ଗ୍ରହଣ କଲୁ।
DEU 3:8 ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।
DEU 3:9 (ସୀଦୋନୀୟମାନେ ସେହି ହର୍ମୋଣ ପର୍ବତକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର୍‍ କହନ୍ତି)।
DEU 3:10 ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲୀୟଦ ଓ ସମସ୍ତ ବାଶନ, ଅର୍ଥାତ୍‍, ବାଶନସ୍ଥିତ ଓଗ୍‍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।
DEU 3:11 (ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍‍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ? ମନୁଷ୍ୟ ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।
DEU 3:12 ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି।
DEU 3:13 ପୁଣି ମୁଁ ଗିଲୀୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ, ଅର୍ଥାତ୍‍, ଓଗ୍‍ର ରାଜ୍ୟ, ବିଶେଷରେ ସମୁଦାୟ ବାଶନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନଃଶିର ଅର୍ଦ୍ଧ ବଂଶକୁ ଦେଲି (ତାହା ରଫାୟୀୟ ଦେଶ ବୋଲି ବିଖ୍ୟାତ।
DEU 3:14 ମନଃଶିର ପୁତ୍ର ଯାୟୀର, ଗଶୂରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାଶନ ଦେଶର ସେହି ସମସ୍ତ ସ୍ଥାନର ନାମ ହବୋତ୍‍-ଯାୟୀର ରଖିଲା)।
DEU 3:15 ପୁଣି ମୁଁ ମାଖୀରକୁ ଗିଲୀୟଦ ଦେଲି।
DEU 3:16 ଆଉ ଗିଲୀୟଦଠାରୁ ଅର୍ଣ୍ଣୋନ-ଉପତ୍ୟକା, ଅର୍ଥାତ୍‍, ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମୋନ-ସନ୍ତାନଗଣର ସୀମା ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ;
DEU 3:17 ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।
DEU 3:18 ଏଥିଉତ୍ତାରେ ମୁଁ ସେହି ସମୟରେ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି; ତୁମ୍ଭମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ୍ଜ ହୋଇ ତୁମ୍ଭମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।
DEU 3:19 ମାତ୍ର ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି, ସେହି ସବୁ ନଗରରେ ତୁମ୍ଭମାନଙ୍କ ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ; କାରଣ ମୁଁ ଜାଣେ, ତୁମ୍ଭମାନଙ୍କର ଅନେକ ପଶୁ ଅଛି।
DEU 3:20 ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”
DEU 3:21 ଆଉ ମୁଁ ସେହି ସମୟରେ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି, ତୁମ୍ଭେ ତାହା ସ୍ୱଚକ୍ଷୁରେ ଦେଖିଅଛ; ତୁମ୍ଭେ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ, ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୂପ କରିବେ।
DEU 3:22 ତୁମ୍ଭେମାନେ ସେମାନଙ୍କୁ ଭୟ କରିବ ନାହିଁ; କାରଣ ଯେ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ସେହି ସଦାପ୍ରଭୁ ତ ତୁମ୍ଭମାନଙ୍କ ପରମେଶ୍ୱର ଅଟନ୍ତି।”
DEU 3:23 ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି,
DEU 3:24 “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ; ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି?
DEU 3:25 ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”
DEU 3:26 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ଉପରେ କ୍ରୋଧ କଲେ ଓ ମୋʼ କଥା ଶୁଣିଲେ ନାହିଁ; ଆଉ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭର ଯଥେଷ୍ଟ ହେଲାଣି ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ।
DEU 3:27 ପିସ୍ଗାର ଶୃଙ୍ଗକୁ ଚଢ଼ି ଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର; କାରଣ ତୁମ୍ଭେ ଏହି ଯର୍ଦ୍ଦନ ପାର ହେବ ନାହିଁ।
DEU 3:28 ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।”
DEU 3:29 ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।
DEU 4:1 ଏବେ ହେ ଇସ୍ରାଏଲ, ମୁଁ ଯେଉଁ ଯେଉଁ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ।
DEU 4:2 ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ, ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହି ସବୁ ଆଜ୍ଞା ପାଳନ କର।
DEU 4:3 ବାଲ୍‍-ପିୟୋର ବିଷୟରେ ସଦାପ୍ରଭୁ ଯାହା କଲେ, ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲପିୟୋରର ପଶ୍ଚାଦ୍‍ଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି।
DEU 4:4 ମାତ୍ର ତୁମ୍ଭେମାନେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସେହି ପ୍ରତ୍ୟେକ ଜଣ ଆଜି ପର୍ଯ୍ୟନ୍ତ ଜୀବିତ ଅଛ।
DEU 4:5 ଦେଖ, ସଦାପ୍ରଭୁ ମୋହର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ସେହିପରି ବ୍ୟବହାର କରିବାକୁ ହେବ।
DEU 4:6 ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।”
DEU 4:7 ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି?
DEU 4:8 ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?
DEU 4:9 କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ରପୌତ୍ରମାନଙ୍କୁ ତାହା ଶିଖାଅ।
DEU 4:10 ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଠିଆ ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଜୀବନ ସାରା ଆମ୍ଭଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।”
DEU 4:11 ତହୁଁ ତୁମ୍ଭେମାନେ ନିକଟବର୍ତ୍ତୀ ହୋଇ ପର୍ବତ ତଳେ ଠିଆ ହେଲ; ସେହି ସମୟରେ ସେହି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧାରରେ ବ୍ୟାପ୍ତ ହୋଇ ଗଗନର ମଧ୍ୟ ପର୍ଯ୍ୟନ୍ତ ଅଗ୍ନିରେ ଜ୍ୱଳିଲା।
DEU 4:12 ସେତେବେଳେ ସଦାପ୍ରଭୁ ସେହି ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ପ୍ରତି କଥା କହିଲେ, “ତୁମ୍ଭେମାନେ ବାକ୍ୟର ଶବ୍ଦ ଶୁଣିଲ, ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ, ତୁମ୍ଭେମାନେ କେବଳ ଶବ୍ଦ ଶୁଣିଲ।”
DEU 4:13 ପୁଣି ସେ ଆପଣାର ଯେଉଁ ନିୟମ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଆଦେଶ କଲେ, ଆପଣାର ସେହି ନିୟମର ଦଶ ଆଜ୍ଞା ତୁମ୍ଭମାନଙ୍କ ପ୍ରତି ପ୍ରକାଶ କଲେ; ଆଉ ସେ ଦୁଇ ପଥର ପଟାରେ ତାହା ଲେଖିଲେ।
DEU 4:14 ପୁଣି ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କର ପାଳନୀୟ ବିଧି ଓ ଶାସନସକଳ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ସେହି ସମୟରେ ମୋତେ ଆଜ୍ଞା ଦେଲେ।
DEU 4:15 ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ସାବଧାନ ହୁଅ; କାରଣ ଯେଉଁ ଦିନ ସଦାପ୍ରଭୁ ହୋରେବରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ କଥା କହିଲେ, ସେଦିନ ତୁମ୍ଭେମାନେ କୌଣସି ମୂର୍ତ୍ତି ଦେଖିଲ ନାହିଁ।
DEU 4:16 (ସାବଧାନ), ନୋହିଲେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି ପୁରୁଷର କି ସ୍ତ୍ରୀର ମୂର୍ତ୍ତି,
DEU 4:17 କି ପୃଥିବୀସ୍ଥ କୌଣସି ପଶୁର ମୂର୍ତ୍ତି, କି ଆକାଶରେ ଉଡ଼ନ୍ତା କୌଣସି ପକ୍ଷୀର ମୂର୍ତ୍ତି,
DEU 4:18 କି ଭୂଚର କୌଣସି ଉରୋଗାମୀ ଜନ୍ତୁର ମୂର୍ତ୍ତି, କି ଭୂମିର ନୀଚସ୍ଥ ଜଳଚର କୌଣସି ଜନ୍ତୁର ମୂର୍ତ୍ତି କରି ଆପଣାମାନଙ୍କ ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ।
DEU 4:19 କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ।
DEU 4:20 ମାତ୍ର ତୁମ୍ଭେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ୱରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି।
DEU 4:21 ଆହୁରି ସଦାପ୍ରଭୁ ତୁମ୍ଭମାନଙ୍କ ସକାଶେ ମୋʼ ଉପରେ କ୍ରୋଧ କଲେ। ପୁଣି, ମୁଁ ଯେପରି ଯର୍ଦ୍ଦନ ପାର ହୋଇ ନ ଯିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ସେହି ଉତ୍ତମ ଦେଶରେ ମୁଁ ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।
DEU 4:22 ଏଣୁ ଏହି ଦେଶରେ ମୁଁ ମରିବି, ମୁଁ ଯର୍ଦ୍ଦନ ପାର ହୋଇଯିବି ନାହିଁ; ମାତ୍ର ତୁମ୍ଭେମାନେ ପାର ହୋଇଯିବ ଓ ସେହି ଉତ୍ତମ ଦେଶ ଅଧିକାର କରିବ।
DEU 4:23 ତୁମ୍ଭେମାନେ ଆପଣାମାନଙ୍କ ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ସହିତ ସ୍ଥିରୀକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାସୋରି ଯିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ।
DEU 4:24 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନି, ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
DEU 4:25 ତୁମ୍ଭେ ସେହି ଦେଶରେ ପୁତ୍ର ପୌତ୍ରଗଣକୁ ଜନ୍ମ ଦେଇ ବହୁ କାଳ ବାସ କଲା ଉତ୍ତାରେ ଯେବେ ତୁମ୍ଭେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରି କୌଣସି ବସ୍ତୁର ପ୍ରତିମୂର୍ତ୍ତିବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ କ୍ରୁଦ୍ଧ କରାଇବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ।
DEU 4:26 ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ।
DEU 4:27 ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ।
DEU 4:28 ଆଉ ସେହି ସ୍ଥାନରେ ତୁମ୍ଭେମାନେ ମନୁଷ୍ୟର ହସ୍ତକୃତ କାଷ୍ଠମୟ ଓ ପ୍ରସ୍ତରମୟ, ପୁଣି ଯେଉଁମାନେ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦେବଗଣର ସେବା କରିବ।
DEU 4:29 ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନ୍ୱେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ, ତାହାଙ୍କର ଉଦ୍ଦେଶ୍ୟ ପାଇବ।
DEU 4:30 ଯେତେବେଳେ ତୁମ୍ଭେ ସଙ୍କଟରେ ପଡ଼ିବ ଓ ଏହି ସମସ୍ତ ତୁମ୍ଭ ଉପରେ ଘଟିବ, ସେହି ଶେଷ କାଳରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ଫେରିବ ଓ ତାହାଙ୍କ ରବ ଶୁଣିବ।
DEU 4:31 ଯେହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଦୟାଳୁ ପରମେଶ୍ୱର ଅଟନ୍ତି; ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ, କି ତୁମ୍ଭକୁ ବିନଷ୍ଟ କରିବେ ନାହିଁ, କିଅବା ଶପଥ ଦ୍ୱାରା ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ କରିଅଛନ୍ତି, ତାହା ପାସୋରିବେ ନାହିଁ।
DEU 4:32 ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନାବଧି ତୁମ୍ଭ ପୂର୍ବେ ଗତ କାଳକୁ ଓ ଆକାଶମଣ୍ଡଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପଚାର, ଏହି ମହାକାର୍ଯ୍ୟ ତୁଲ୍ୟ କି ଆଉ କୌଣସି କାର୍ଯ୍ୟ ଅଛି, ଅବା ଏପ୍ରକାର କି ଶୁଣାଯାଇଅଛି?
DEU 4:33 ଆଉ ତୁମ୍ଭେ ଯେପରି ଶୁଣିଅଛ, ସେପରି କି ଅନ୍ୟ କୌଣସି ଦେଶୀୟ ଲୋକେ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛନ୍ତି?
DEU 4:34 କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟକର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
DEU 4:35 ଏସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାହାଙ୍କ ତୁଲ୍ୟ ଆଉ କେହି ନାହିଁ।
DEU 4:36 ସେ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା ରବ ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହା-ଅଗ୍ନି ଦେଖାଇଲେ, ତୁମ୍ଭେ ଅଗ୍ନି ମଧ୍ୟରୁ ତାହାଙ୍କର ବାକ୍ୟ ଶୁଣିଲ।
DEU 4:37 ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କରିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ହିଁ ମନୋନୀତ କଲେ,
DEU 4:38 ପୁଣି ସେ ତୁମ୍ଭଠାରୁ ଅଧିକ ବଳବାନ ଓ ବହୁସଂଖ୍ୟକ ଅନ୍ୟ ଦେଶୀୟ ଲୋକମାନଙ୍କୁ ତୁମ୍ଭ ଆଗରୁ ତଡ଼ିଦେଇ ସେମାନଙ୍କ ଦେଶରେ ତୁମ୍ଭକୁ ପ୍ରବେଶ କରାଇ ଆଜି ଦିନ ତୁଲ୍ୟ ଅଧିକାରାର୍ଥେ ତାହା ତୁମ୍ଭକୁ ଦେବା ପାଇଁ ଆପଣା ଶ୍ରୀମୁଖ ଓ ମହାପରାକ୍ରମ ଦ୍ୱାରା ମିସର ଦେଶରୁ ବାହାର କରି ଆଣିଲେ।
DEU 4:39 ଏନିମନ୍ତେ ତୁମ୍ଭେ ଆଜି ଏହା ଜ୍ଞାତ ହୁଅ ଓ ଆପଣା ହୃଦୟରେ ଏହା ବିବେଚନା କର, ଊର୍ଦ୍ଧ୍ୱସ୍ଥ ସ୍ୱର୍ଗରେ ଓ ଅଧଃସ୍ଥ ପୃଥିବୀରେ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି, ଅନ୍ୟ କେହି ନାହାନ୍ତି।
DEU 4:40 ପୁଣି ଯେପରି ତୁମ୍ଭର ମଙ୍ଗଳ ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହୁଏ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସଦାକାଳ ନିମନ୍ତେ ତୁମ୍ଭକୁ ଯେଉଁ ଭୂମି ଦିଅନ୍ତି, ତହିଁ ଉପରେ ଯେପରି ତୁମ୍ଭର ଦୀର୍ଘ ପରମାୟୁ ହୁଏ, ଏଥିପାଇଁ ମୁଁ ତାହାଙ୍କର ଯେଉଁ ଯେଉଁ ବିଧି ଓ ଆଜ୍ଞା ଆଜି ତୁମ୍ଭକୁ ଆଦେଶ କରୁଅଛି, ତାହା ପାଳନ କର।
DEU 4:41 ଏଥିଉତ୍ତାରେ ମୋଶା ହତ୍ୟାକାରୀର ଆଶ୍ରୟ ନିମନ୍ତେ ଯର୍ଦ୍ଦନର ସୂର୍ଯ୍ୟୋଦୟ ଦିଗସ୍ଥିତ କୂଳରେ ତିନୋଟି ନଗର ନିର୍ଣ୍ଣୟ କଲେ।
DEU 4:42 ଯେପରି କେହି ଆପଣା ପ୍ରତିବାସୀକୁ ପୂର୍ବେ ହିଂସା ନ କରି ଅଜ୍ଞାତସାରରେ ବଧ କଲେ, ସେ ତହିଁ ମଧ୍ୟରୁ କୌଣସି ଏକ ନଗରକୁ ପଳାଇ ବଞ୍ଚିପାରେ।
DEU 4:43 ଯଥା, ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥିତ ପ୍ରାନ୍ତରରେ ବେତ୍ସର; ପୁଣି ଗାଦୀୟମାନଙ୍କ ନିମନ୍ତେ ଗିଲୀୟଦରେ ରାମୋତ୍‍ ଆଉ ମନଃଶିୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍‍।
DEU 4:44 ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣର ସମ୍ମୁଖରେ ଏହି ବ୍ୟବସ୍ଥା ସ୍ଥାପନ କଲେ;
DEU 4:45 ଅର୍ଥାତ୍‍, ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା ଯର୍ଦ୍ଦନ-ପୂର୍ବପାରିରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ହିଷ୍‍ବୋନ ନିବାସୀ ଇମୋରୀୟ ରାଜା ସୀହୋନର ଦେଶରେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହିସବୁ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଲେ।
DEU 4:46 କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା, ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍‍ର,
DEU 4:47 ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,
DEU 4:48 ଅର୍ଥାତ୍‍, ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେର ଅବଧି ସିୟୋନ, ଅର୍ଥାତ୍‍, ହର୍ମୋଣ ନାମକ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ,
DEU 4:49 ପୁଣି ଅସ୍ଦୋଦ-ପିସ୍ଗାର ଅଧଃସ୍ଥିତ ସମତଳ ଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।
DEU 5:1 ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, “ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ, ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର।
DEU 5:2 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
DEU 5:3 ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ।
DEU 5:4 ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ।
DEU 5:5 ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା,
DEU 5:6 ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।
DEU 5:7 ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
DEU 5:8 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ)।
DEU 5:9 ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
DEU 5:10 ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ।
DEU 5:11 ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ନାମ ନେବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
DEU 5:12 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମବାର ପାଳନ କରି ପବିତ୍ର କର।
DEU 5:13 ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
DEU 5:14 ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ତୁମ୍ଭର ଦାସୀ, ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ।
DEU 5:15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମବାର ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
DEU 5:16 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ।
DEU 5:17 ତୁମ୍ଭେ ନରହତ୍ୟା କରିବ ନାହିଁ।
DEU 5:18 କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ।
DEU 5:19 କିଅବା ତୁମ୍ଭେ ଚୋରି କରିବ ନାହିଁ।
DEU 5:20 କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
DEU 5:21 କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
DEU 5:22 ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ, ଆଉ କିଛି କହିଲେ ନାହିଁ। ତହୁଁ ସେ ଏହି ସମସ୍ତ କଥା ଦୁଇ ଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ।
DEU 5:23 ମାତ୍ର ପର୍ବତ ଅଗ୍ନିରେ ଜ୍ୱଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ ଅର୍ଥାତ୍‍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋʼ ନିକଟକୁ ଆସିଲ;
DEU 5:24 ପୁଣି, ତୁମ୍ଭେମାନେ କହିଲ, ‘ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଅଛୁ ଯେ, ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ସୁଦ୍ଧା ସେ ବଞ୍ଚିପାରେ।
DEU 5:25 ମାତ୍ର ଆମ୍ଭେମାନେ ଏବେ କାହିଁକି ମରିବା? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା।
DEU 5:26 କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି?
DEU 5:27 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା।’
DEU 5:28 ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, ‘ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
DEU 5:29 ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା!
DEU 5:30 ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରିଯାଅ।
DEU 5:31 ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ ତାହାସବୁ ଆମ୍ଭେ ତୁମ୍ଭକୁ କହିବା।’
DEU 5:32 ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।
DEU 5:33 ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଯେଉଁ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ।”
DEU 6:1 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କ ପାଳନାର୍ଥେ ଏହିସବୁ ଆଜ୍ଞା ଓ ବିଧି ଓ ଶାସନ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି।
DEU 6:2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମ୍ଭେ ଯାବଜ୍ଜୀବନ ପୁତ୍ରପୌତ୍ରାଦିକ୍ରମେ ତାହା ପାଳନ କରିବା ପାଇଁ ତାଙ୍କୁ ଭୟ କଲେ, ତୁମ୍ଭର ଦୀର୍ଘାୟୁ ହେବ।
DEU 6:3 ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର; ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅତିଶୟ ବର୍ଦ୍ଧିଷ୍ଣୁ ହେବ।
DEU 6:4 ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।
DEU 6:5 ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।
DEU 6:6 ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ।
DEU 6:7 ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।
DEU 6:8 ଆଉ ତୁମ୍ଭେ ଚିହ୍ନସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
DEU 6:9 ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।
DEU 6:10 ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭକୁ ଉପସ୍ଥିତ କରାଇଲା ଉତ୍ତାରେ ତୁମ୍ଭେ ଯାହା ନିର୍ମାଣ କରି ନାହଁ, ଏପରି ବୃହତ ଓ ସୁନ୍ଦର ନଗର,
DEU 6:11 ଆଉ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ ଓ ଯାହା ତୁମ୍ଭେ ଖୋଳିଲ ନାହିଁ, ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ, ଏପରି ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପାଇ ଯେତେବେଳେ ତୁମ୍ଭେ ଭୋଗ କରି ତୃପ୍ତ ହେବ,
DEU 6:12 ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ।
DEU 6:13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।
DEU 6:14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚାଦ୍‍ଗାମୀ ହେବ ନାହିଁ;
DEU 6:15 ହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଭୂମଣ୍ଡଳରୁ ତୁମ୍ଭକୁ ବିନାଶ କରିବେ; କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
DEU 6:16 ତୁମ୍ଭେମାନେ ମଃସାରେ ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କରିଥିଲ, ସେପରି ତାହାଙ୍କୁ ପରୀକ୍ଷା କରିବ ନାହିଁ।
DEU 6:17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା, ତାହାଙ୍କ ପ୍ରମାଣ-ବାକ୍ୟ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
DEU 6:18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ, ତୁମ୍ଭେ ତାହା କରିବ; ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ,
DEU 6:19 ଯେଉଁ ଦେଶ ବିଷୟରେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ତୁମ୍ଭେ ସେହି ଉତ୍ତମ ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
DEU 6:20 “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ସକଳ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କଅଣ?” ଏହା ଭବିଷ୍ୟତ କାଳରେ ତୁମ୍ଭର ସନ୍ତାନ ତୁମ୍ଭକୁ ପଚାରିଲେ,
DEU 6:21 ତୁମ୍ଭେ ଆପଣା ସନ୍ତାନକୁ କହିବ, “ଆମ୍ଭେମାନେ ମିସରରେ ଫାରୋର ବନ୍ଧାଦାସ ଥିଲୁ; ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ;
DEU 6:22 ଆଉ ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିସର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ।
DEU 6:23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ, ସେ ଦେଶରେ ସେ ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିସରରୁ ବାହାର କରି ଆଣିଲେ।
DEU 6:24 ପୁଣି ସଦାପ୍ରଭୁ ଆଜି ଦିନ ତୁଲ୍ୟ ଯେପରି ଆମ୍ଭମାନଙ୍କୁ ଜୀବିତ ରଖିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
DEU 6:25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞାନୁସାରେ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ହେବ।”
DEU 7:1 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ ଓ ବଳବାନ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
DEU 7:2 ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।
DEU 7:3 ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ।
DEU 7:4 କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହାହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ।
DEU 7:5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।
DEU 7:6 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
DEU 7:7 ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ।
DEU 7:8 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି।
DEU 7:9 ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
DEU 7:10 ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
DEU 7:11 ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କରିବ।
DEU 7:12 ତୁମ୍ଭେମାନେ ଏହି ସକଳ ଶାସନ ଶୁଣି, ମାନି ଓ ପାଳନ କରିବାରୁ ଏପରି ହେବ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ତୁମ୍ଭ ପକ୍ଷରେ ରକ୍ଷା କରିବେ।
DEU 7:13 ପୁଣି ସେ ତୁମ୍ଭକୁ ସ୍ନେହ କରିବେ, ତୁମ୍ଭକୁ ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ; ମଧ୍ୟ ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ, ତୁମ୍ଭ ଭୂମିଫଳ, ତୁମ୍ଭ ଶସ୍ୟ, ତୁମ୍ଭ ଦ୍ରାକ୍ଷାରସ, ତୁମ୍ଭ ତୈଳ, ତୁମ୍ଭ ଗୋରୁମାନଙ୍କ ବତ୍ସ ଓ ତୁମ୍ଭ ପଲର ଶାବକ, ଏହି ସମସ୍ତଙ୍କୁ ଆଶୀର୍ବାଦ କରିବେ।
DEU 7:14 ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ; ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିଅବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ।
DEU 7:15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁସବୁ ମିସରୀୟ ମନ୍ଦ ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
DEU 7:16 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
DEU 7:17 ଯେବେ ତୁମ୍ଭେ ଆପଣା ମନେ ମନେ କହିବ, “ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା?” ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ।
DEU 7:18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି;
DEU 7:19 ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟକ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।
DEU 7:20 ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି ପଠାଇବେ।
DEU 7:21 ତୁମ୍ଭେ ସେମାନଙ୍କଠାରୁ ଭୟଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି।
DEU 7:22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ।
DEU 7:23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ।
DEU 7:24 ଆଉ ସେ ସେମାନଙ୍କ ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ଡଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ପର୍ଯ୍ୟନ୍ତ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ।
DEU 7:25 ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେହି ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ;
DEU 7:26 ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ।
DEU 8:1 ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ମନୋଯୋଗ କରି ପାଳନ କରିବ, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ଆଉ ସଦାପ୍ରଭୁ ଯେଉଁ ଦେଶ ବିଷୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
DEU 8:2 ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।
DEU 8:3 ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର ଓ କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।
DEU 8:4 ଏହି ଚାଳିଶ ବର୍ଷସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ।
DEU 8:5 ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି, ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ।
DEU 8:6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।
DEU 8:7 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଏକ ଉତ୍ତମ ଦେଶକୁ ନେଇ ଯାଉଅଛନ୍ତି; ତାହା ସମସ୍ଥଳୀ ଓ ପର୍ବତରେ ପ୍ରବାହିତ ସ୍ରୋତ ଓ ନିର୍ଝର ଓ ଜଳାଶୟର ଦେଶ;
DEU 8:8 ସେହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ସେହି ଦେଶ ଜୀତ ତୈଳ ଓ ମଧୁମୟ;
DEU 8:9 ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ; ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ।
DEU 8:10 ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁ ସକାଶୁ ତାହାଙ୍କର ଧନ୍ୟବାଦ କରିବ।
DEU 8:11 ସାବଧାନ, ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ନ ଯାଅ।
DEU 8:12 ନୋହିଲେ ତୁମ୍ଭେ ଭୋଜନ କରି ତୃପ୍ତ ହେଲେ ଓ ଉତ୍ତମ ଗୃହ ନିର୍ମାଣ କରି ତହିଁରେ ବାସ କଲେ,
DEU 8:13 ପୁଣି ତୁମ୍ଭର ଗୋମେଷାଦି ପଲ ବୃଦ୍ଧି ପାଇଲେ, ତୁମ୍ଭର ରୂପା ଓ ସୁନା ପ୍ରଚୁର ହେଲେ ଓ ତୁମ୍ଭର ଯାହା ଅଛି, ତାହାସବୁ ବୃଦ୍ଧି ପାଇଲେ,
DEU 8:14 ତୁମ୍ଭର ଅନ୍ତଃକରଣ ଅହଙ୍କାରୀ ହେବ, ପୁଣି ଯେ ମିସର ଦେଶରୁ, ଦାସ୍ୟଗୃହରୁ ତୁମ୍ଭକୁ ବାହାର କରି ଆଣିଲେ,
DEU 8:15 ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍‍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
DEU 8:16 ଯେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନା ଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ, ଏପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ତୁମ୍ଭେ ପାସୋରି ଯିବ।
DEU 8:17 ପୁଣି ତୁମ୍ଭେ ଆପଣା ମନେ ମନେ କହିବ, “ଆମ୍ଭର ପରାକ୍ରମ ଓ ବାହୁ ବଳ ଏହିସବୁ ଐଶ୍ୱର୍ଯ୍ୟ ଲାଭ କରିଅଛି।”
DEU 8:18 ମାତ୍ର ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସ୍ମରଣ କରିବ, କାରଣ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଆପଣାର ଯେଉଁ ନିୟମ ବିଷୟରେ ଶପଥ କରିଥିଲେ, ତାହା ସେ ଆଜି ଦିନ ପରି ସ୍ଥିର କରିବା ପାଇଁ ତୁମ୍ଭକୁ ଐଶ୍ୱର୍ଯ୍ୟ ପାଇବାର ସାମର୍ଥ୍ୟ ଦେଲେ।
DEU 8:19 ଆଉ ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରିବ, ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେମାନଙ୍କ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆଜି ଏହି ସାକ୍ଷ୍ୟ ଦେଉଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ।
DEU 8:20 ତୁମ୍ଭମାନଙ୍କ ସମ୍ମୁଖରେ ସଦାପ୍ରଭୁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ବିନାଶ କରନ୍ତି, ସେମାନଙ୍କ ପରି ତୁମ୍ଭେମାନେ ବିନଷ୍ଟ ହେବ; କାରଣ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ ନ କଲେ ତୁମ୍ଭମାନଙ୍କୁ ଏହା ଘଟିବ।
DEU 9:1 ହେ ଇସ୍ରାଏଲ, ଶୁଣ ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ପ୍ରାଚୀର-ବେଷ୍ଟିତ ବୃହତ ଓ ଗଗନସ୍ପର୍ଶୀ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ;
DEU 9:2 ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ, ବଳବାନ ଓ ଲମ୍ବା, ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାର ତୁମ୍ଭେ ଶୁଣିଅଛ ଯେ, “ଅନାକର ସନ୍ତାନମାନଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ?”
DEU 9:3 ଏଣୁ ଆଜି ଜ୍ଞାତ ହୁଅ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି; ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭ ସମ୍ମୁଖରେ ନତ କରିବେ; ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।
DEU 9:4 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେଲା ଉତ୍ତାରେ ତୁମ୍ଭେ ଆପଣା ମନେ ମନେ କହିବ ନାହିଁ ଯେ, “ଆମ୍ଭ ଧାର୍ମିକତା ସକାଶୁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରଣାର୍ଥେ ଆଣିଅଛନ୍ତି;” ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।
DEU 9:5 ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ସକାଶୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ ମାତ୍ର ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ, ଆଉ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ, ଇସ୍‌ହାକଙ୍କୁ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।
DEU 9:6 ଏନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଧାର୍ମିକତା ସକାଶୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି, ଏହା ଜ୍ଞାତ ହୁଅ ଯେହେତୁ ତୁମ୍ଭେ ଶକ୍ତଗ୍ରୀବ ଲୋକ।
DEU 9:7 ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।
DEU 9:8 ମଧ୍ୟ ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ।
DEU 9:9 ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ, ଅର୍ଥାତ୍‍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ରହିଲି; ମୁଁ ଅନ୍ନ ଭୋଜନ କିଅବା ଜଳ ପାନ କଲି ନାହିଁ,
DEU 9:10 ସେସମୟରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ; ପୁଣି ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହା ଯାହା କହିଥିଲେ, ସେହି ସକଳ ବାକ୍ୟ ପ୍ରମାଣେ ତହିଁରେ ଲେଖାଯାଇଥିଲା।
DEU 9:11 ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତର ଫଳକ, ଅର୍ଥାତ୍‍, ନିୟମର ଫଳକ ମୋତେ ଦେଲେ।
DEU 9:12 ପୁଣି ସଦାପ୍ରଭୁ ମୋତେ କହିଲେ, “ଉଠ, ଏ ସ୍ଥାନରୁ ଶୀଘ୍ର ଓହ୍ଲାଇ ଯାଅ କାରଣ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ବାହାର କରି ଆଣିଅଛ, ତୁମ୍ଭର ସେହି ଲୋକମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ତହିଁରୁ ସେମାନେ ଶୀଘ୍ର ବିମୁଖ ହୋଇଅଛନ୍ତି; ସେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ପ୍ରତିମା ନିର୍ମାଣ କରିଅଛନ୍ତି।”
DEU 9:13 ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।
DEU 9:14 ଆମ୍ଭଙ୍କୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ଡଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।”
DEU 9:15 ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜ୍ୱଳୁଥିଲା; ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳକ ମୋହର ଦୁଇ ହସ୍ତରେ ଥିଲା।
DEU 9:16 ତହୁଁ ମୁଁ ଅନାଇଲି, ଆଉ ଦେଖ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଥିଲ; ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଥିଲ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଥିଲ।
DEU 9:17 ଏଥିରେ ମୁଁ ସେହି ଦୁଇ ପ୍ରସ୍ତର ଫଳକ ଧରି ଆପଣା ଦୁଇ ହସ୍ତରୁ ଫିଙ୍ଗି ଦେଲି ଓ ତୁମ୍ଭମାନଙ୍କ ସାକ୍ଷାତରେ ତାହା ଭାଙ୍ଗିଲି।
DEU 9:18 ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ଦୁଷ୍କର୍ମ କରି ଯେଉଁ ପାପ କରିଥିଲ, ତୁମ୍ଭମାନଙ୍କର ସେହି ସମସ୍ତ ପାପ ସକାଶୁ ମୁଁ ପୂର୍ବଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; ମୁଁ ଅନ୍ନ ଭୋଜନ କି ଜଳ ପାନ କଲି ନାହିଁ।
DEU 9:19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ଡତା ଆଗରେ ମୁଁ ଭୀତ ହେଲି। ମାତ୍ର ସଦାପ୍ରଭୁ ସେହି ଥର ମଧ୍ୟ ମୋʼ ପ୍ରତି କର୍ଣ୍ଣପାତ କଲେ।
DEU 9:20 ଆଉ ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ; ମୁଁ ସେସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।
DEU 9:21 ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ୱରୂପ, ଅର୍ଥାତ୍‍, ସେହି ଯେଉଁ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତ ନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି।
DEU 9:22 ପୁଣି ତୁମ୍ଭେମାନେ ତବୀୟେରାରେ, ମଃସାରେ ଓ କିବ୍ରୋତ୍‍-ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ।
DEU 9:23 ତହିଁ ଉତ୍ତାରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ-ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ତାହା ଅଧିକାର କର; ସେସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚାରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ ରବ ଶୁଣିଲ ନାହିଁ।”
DEU 9:24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।
DEU 9:25 ଏହିରୂପେ ମୋହର ମୁହଁ ମାଡ଼ି ପଡ଼ିବାର ଚାଳିଶ ଦିନ ଓ ଚାଳିଶ ରାତ୍ରି ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପୂର୍ବଥର ପରି ମୁହଁ ମାଡ଼ି ପଡ଼ି ରହିଲି; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।
DEU 9:26 ପୁଣି ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, “ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ, ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ ହସ୍ତ ଦ୍ୱାରା ମିସରରୁ ବାହାର କରି ଆଣିଅଛ।
DEU 9:27 ଅବ୍ରହାମ, ଇସ୍‌ହାକ ଓ ଯାକୁବ, ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର; ଏହି ଲୋକମାନଙ୍କ ଅବାଧ୍ୟତା ପ୍ରତି, କି ସେମାନଙ୍କ ଦୁଷ୍ଟତା ପ୍ରତି, କିଅବା ସେମାନଙ୍କ ପାପ ପ୍ରତି ଦୃଷ୍ଟି କର ନାହିଁ।
DEU 9:28 କେଜାଣି, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁଠାରୁ ବାହାର କରି ଆଣିଅଛ, ସେହି ଦେଶର ଲୋକେ କହିବେ, ‘ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯାଇ ନ ପାରିବାରୁ ଓ ସେମାନଙ୍କୁ ଘୃଣା କରିବାରୁ ଏହି ପ୍ରାନ୍ତରରେ ବଧ କରିବା ପାଇଁ ବାହାର କରି ଆଣିଅଛନ୍ତି।’
DEU 9:29 ତଥାପି ସେମାନେ ତ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁ ଦ୍ୱାରା ବାହାର କରି ଆଣିଅଛ।”
DEU 10:1 ସେହି ସମୟରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳି ପର୍ବତ ଉପରେ ଆମ୍ଭ ନିକଟକୁ ଆସ, ପୁଣି ଆପଣା ପାଇଁ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କର।
DEU 10:2 ଆଉ ତୁମ୍ଭେ ଯେଉଁ ପ୍ରଥମ ପ୍ରସ୍ତର ଫଳକ ଭାଙ୍ଗିଲ, ତହିଁରେ ଯେଉଁ ଯେଉଁ ବାକ୍ୟ ଥିଲା, ତାହା ଆମ୍ଭେ ଏହି ପ୍ରସ୍ତର ଫଳକରେ ଲେଖିବା, ପୁଣି ତୁମ୍ଭେ ତାହା ଏହି ସିନ୍ଦୁକରେ ରଖିବ।”
DEU 10:3 ତହୁଁ ମୁଁ ଶିଟୀମ୍‍ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି।
DEU 10:4 ଏଥିଉତ୍ତାରେ ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ।
DEU 10:5 ଏଉତ୍ତାରେ ମୁଁ ମୁଖ ଫେରାଇ ପର୍ବତରୁ ଓହ୍ଲାଇଲି ଓ ମୋହର ନିର୍ମିତ ସିନ୍ଦୁକରେ ସେହି ଦୁଇ ପ୍ରସ୍ତର ଫଳକ ରଖିଲି; ଆଉ ମୋʼ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାହା ସେହି ସ୍ଥାନରେ ରହିଅଛି।
DEU 10:6 (ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ବେରୋତ୍‍-ବନେୟା-କନଠାରୁ ମୋଷେରୋତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ; ପୁଣି ତାଙ୍କର ପୁତ୍ର ଇଲୀୟାସର ତାଙ୍କ ପଦରେ ଯାଜକ କର୍ମ କଲା।
DEU 10:7 ସେଠାରୁ ସେମାନେ ଗୁଦ୍‍ଗୋଦାକୁ ଯାତ୍ରା କଲେ ଓ ଗୁଦ୍‍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍‍ବାଥାକୁ ଯାତ୍ରା କଲେ।
DEU 10:8 ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।
DEU 10:9 ଏନିମନ୍ତେ ଲେବୀର ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର ଅଟନ୍ତି)।
DEU 10:10 ପ୍ରଥମ ଥର ପରି ମୁଁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲି; ପୁଣି ସେହି ଥର ମଧ୍ୟ ସଦାପ୍ରଭୁ ମୋʼ ପ୍ରତି କର୍ଣ୍ଣପାତ କଲେ; ସଦାପ୍ରଭୁ ତୁମ୍ଭକୁ ବିନାଶ କରିବା ପାଇଁ ସମ୍ମତ ହେଲେ ନାହିଁ,
DEU 10:11 ଏଥିଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କର ଅଗ୍ରଗାମୀ ହୁଅ; ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛୁ, ସେମାନେ ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବେ।”
DEU 10:12 ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର,
DEU 10:13 ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
DEU 10:14 ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ।
DEU 10:15 କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ।
DEU 10:16 ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ।
DEU 10:17 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।
DEU 10:18 ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି।
DEU 10:19 ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
DEU 10:20 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ।
DEU 10:21 ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହି ସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।
DEU 10:22 ତୁମ୍ଭ ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିସରକୁ ଯାଇଥିଲେ; ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶମଣ୍ଡଳର ତାରାଗଣ ପରି ତୁମ୍ଭକୁ ବହୁସଂଖ୍ୟକ କରିଅଛନ୍ତି।
DEU 11:1 ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
DEU 11:2 ପୁଣି ଆଜିଠାରୁ ଜ୍ଞାନବାନ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
DEU 11:3 ପୁଣି ତାହାଙ୍କ ଚିହ୍ନସକଳ, ମିସର ମଧ୍ୟରେ ମିସରର ରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
DEU 11:4 ପୁଣି ମିସରୀୟ ସୈନ୍ୟ, ସେମାନଙ୍କ ଅଶ୍ୱ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କୁ ଗୋଡ଼ାଇବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
DEU 11:5 ପୁଣି ଏହି ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
DEU 11:6 ଆଉ ରୁବେନ୍‍ର ପୁତ୍ର ଇଲୀୟାବ୍‍ର ସନ୍ତାନ ଦାଥନ ଓ ଅବୀରାମ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ, ସେମାନଙ୍କ ପରିଜନବର୍ଗଙ୍କୁ, ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାଦ୍‍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏହି ସମସ୍ତ ସେମାନେ ଦେଖି ନାହାନ୍ତି;
DEU 11:7 ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି।
DEU 11:8 ଏଥିପାଇଁ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
DEU 11:9 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ।
DEU 11:10 ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ୱାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ।
DEU 11:11 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
DEU 11:12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
DEU 11:13 ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
DEU 11:14 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍‍, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ, ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ।
DEU 11:15 ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ।
DEU 11:16 ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
DEU 11:17 ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
DEU 11:18 ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
DEU 11:19 ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।
DEU 11:20 ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।
DEU 11:21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ଡଳ ଉପରେ ଆକାଶମଣ୍ଡଳର ଅବସ୍ଥିତି କାଳ ତୁଲ୍ୟ ହେବ।
DEU 11:22 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯଦି ତୁମ୍ଭେମାନେ ଯତ୍ନପୂର୍ବକ ମାନ୍ୟ କରିବ;
DEU 11:23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ।
DEU 11:24 ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନଠାରୁ ନଦୀ, ଅର୍ଥାତ୍‍, ଫରାତ୍‍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
DEU 11:25 ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେହି ସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ଭୟ ଉପସ୍ଥିତ କରାଇବେ।
DEU 11:26 ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି।
DEU 11:27 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ।
DEU 11:28 ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।
DEU 11:29 ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେହି ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ।
DEU 11:30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍‍ଗଲ୍‍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ?
DEU 11:31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
DEU 11:32 ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ଯେଉଁ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ।
DEU 12:1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।
DEU 12:2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।
DEU 12:3 ଆଉ, ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ, ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ଅଗ୍ନିରେ ଦଗ୍ଧ କରିବ; ପୁଣି ତୁମ୍ଭେମାନେ ସେମାନଙ୍କ ଖୋଦିତ ଦେବ ପ୍ରତିମାମାନଙ୍କୁ ହାଣି ପକାଇବ; ଆଉ ତୁମ୍ଭେମାନେ ସେହି ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
DEU 12:4 ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେରୂପ କରିବ ନାହିଁ।
DEU 12:5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
DEU 12:6 ପୁଣି ତୁମ୍ଭେମାନେ ସେହି ସ୍ଥାନକୁ ଆପଣା ଆପଣା ହୋମ-ନୈବେଦ୍ୟ, ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ଆପଣା ମାନତ ଦ୍ରବ୍ୟ, ଆପଣା ଆପଣା ସ୍ଵେଚ୍ଛାଦତ୍ତ ନୈବେଦ୍ୟ ଓ ଆପଣା ଆପଣା ଗୋମେଷଦି ପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ;
DEU 12:7 ପୁଣି ସେହି ସ୍ଥାନରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଯେଉଁ ବିଷୟରେ ତୁମ୍ଭକୁ ଆଶୀର୍ବାଦ କରିଅଛନ୍ତି, ଏପରି ଯେକୌଣସି ବିଷୟରେ ତୁମ୍ଭେମାନେ ହାତ ଦେବ, ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିବାର ଆନନ୍ଦ କରିବ।
DEU 12:8 ଯାହାର ଦୃଷ୍ଟିରେ ଯାହା ଭଲ, ଏପରି କାର୍ଯ୍ୟ ଆମ୍ଭେମାନେ ପ୍ରତ୍ୟେକେ ଆଜି ଏ ସ୍ଥାନରେ କରୁଅଛୁ, ସେହିପରି ତୁମ୍ଭେମାନେ କରିବ ନାହିଁ।
DEU 12:9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ।
DEU 12:10 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ଅଧିକାର କରାଇବେ, ସେଠାକୁ ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ ଓ ତହିଁରେ ବାସ କରିବ, ଆଉ ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେଲେ ତୁମ୍ଭେମାନେ ଯେତେବେଳେ ନିର୍ଭୟରେ ବାସ କରିବ;
DEU 12:11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।
DEU 12:12 ଆଉ ତୁମ୍ଭେମାନେ, ତୁମ୍ଭମାନଙ୍କ ପୁତ୍ରଗଣ, ତୁମ୍ଭମାନଙ୍କ କନ୍ୟାଗଣ, ତୁମ୍ଭମାନଙ୍କ ଦାସଗଣ ଓ ତୁମ୍ଭମାନଙ୍କ ଦାସୀଗଣ, ପୁଣି ତୁମ୍ଭମାନଙ୍କ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ସକାଶୁ ସେ ଏବଂ ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
DEU 12:13 ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ପ୍ରତ୍ୟେକ ସ୍ଥାନ ତୁମ୍ଭେ ଦେଖିବ, ଯେପରି ସେସବୁ ସ୍ଥାନରେ ଆପଣା ହୋମବଳି ଉତ୍ସର୍ଗ ନ କର।
DEU 12:14 ମାତ୍ର ସଦାପ୍ରଭୁ ତୁମ୍ଭ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ହୋମବଳିଦାନାଦି ଉତ୍ସର୍ଗ କରିବ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେଠାରେ କରିବ।
DEU 12:15 ତଥାପି ତୁମ୍ଭେ ଆପଣା ପ୍ରାଣର ବାଞ୍ଛାମତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଆପଣାର ସମସ୍ତ ନଗର-ଦ୍ୱାର ଭିତରେ ପଶୁ ବଧ କରି ମାଂସ ଭୋଜନ କରି ପାରିବ; ଶୁଚି ଓ ଅଶୁଚି ଲୋକ, କୃଷ୍ଣସାର ଓ ହରିଣର ମାଂସ ତୁଲ୍ୟ ତାହା ଭୋଜନ କରି ପାରିବେ।
DEU 12:16 କେବଳ ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ; ତୁମ୍ଭେ ଜଳ ତୁଲ୍ୟ ତାହା ଭୂମିରେ ଢାଳି ଦେବ।
DEU 12:17 ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗର-ଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।
DEU 12:18 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ତାହା ଭୋଜନ କରିବ, ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗର-ଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ (ତାହା ଭୋଜନ କରିବ) ଯେସମସ୍ତ ବିଷୟରେ ତୁମ୍ଭେ ହାତ ଦେବ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
DEU 12:19 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେପରି ତୁମ୍ଭେ ଆପଣା ଭୂମିରେ ବଞ୍ଚିଥିବା ଯାଏ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ।
DEU 12:20 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସେ ଯେତେବେଳେ ତୁମ୍ଭ ସୀମା ବିସ୍ତାର କରିବେ, ପୁଣି ମାଂସ ଭୋଜନ କରିବାକୁ ତୁମ୍ଭର ବାଞ୍ଛା ହୁଅନ୍ତେ, ତୁମ୍ଭେ କହିବ, “ଆମ୍ଭେ ମାଂସ ଭୋଜନ କରିବା,” ସେତେବେଳେ ତୁମ୍ଭେ ଆପଣା ପ୍ରାଣର ବାଞ୍ଛାନୁସାରେ ମାଂସ ଭୋଜନ କରି ପାରିବ।
DEU 12:21 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ଯଦି ତୁମ୍ଭ ନିକଟରୁ ବହୁତ ଦୂର ହୁଏ, ତେବେ ତୁମ୍ଭେ ସଦାପ୍ରଭୁଙ୍କ ଦତ୍ତ ଗୋମେଷାଦି ପଲରୁ ପଶୁ ନେଇ ଆମ୍ଭ ଆଜ୍ଞାମତେ ବଧ କରି ଆପଣା ପ୍ରାଣର ବାଞ୍ଛାନୁସାରେ ନଗର-ଦ୍ୱାର ଭିତରେ ଭୋଜନ କରି ପାରିବ।
DEU 12:22 ଯେପରି କୃଷ୍ଣସାର ମୃଗ ଓ ହରିଣ ଭୋଜନ କରାଯାଏ, ସେହିପରି ତାହା ଭୋଜନ କରିବ; ଶୁଚି ଓ ଅଶୁଚି ଲୋକ ସମାନ ରୂପେ ଭୋଜନ କରିବେ।
DEU 12:23 କେବଳ ରକ୍ତ ଭୋଜନ ନ କରିବା ବିଷୟରେ ସତର୍କ ହୁଅ, କାରଣ ରକ୍ତ ହିଁ ପ୍ରାଣ ଅଟେ; ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
DEU 12:24 ତୁମ୍ଭେ ତାହା ଭୋଜନ କରିବ ନାହିଁ ତୁମ୍ଭେ ଜଳ ତୁଲ୍ୟ ଭୂମିରେ ତାହା ଢାଳି ଦେବ।
DEU 12:25 ତୁମ୍ଭେ ତାହା ଭୋଜନ କରିବ ନାହିଁ ତହିଁରେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହେବ।
DEU 12:26 ମାତ୍ର ତୁମ୍ଭେ ଆପଣା ପବିତ୍ର ବସ୍ତୁ ଓ ମାନତ ବସ୍ତୁ ଘେନି ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଯିବ।
DEU 12:27 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ଆପଣା ହୋମବଳି ଉତ୍ସର୍ଗ କରିବ, ଆଉ ତୁମ୍ଭ ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ, ତହୁଁ ତୁମ୍ଭେ ସେହି ମାଂସ ଭୋଜନ କରିବ।
DEU 12:28 ମୁଁ ତୁମ୍ଭକୁ ଏହି ଯେଉଁ ସକଳ କଥା ଆଜ୍ଞା ଦେଉଅଛି, ତାହା ମନୋଯୋଗ କରି ଶୁଣ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ, ତାହା କଲେ ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ଯୁଗାନୁକ୍ରମେ ମଙ୍ଗଳ ହେବ।
DEU 12:29 ତୁମ୍ଭେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବାକୁ ଯାଉଅଛ, ସେମାନଙ୍କୁ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ;
DEU 12:30 ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି “ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି? ଆମ୍ଭେ ମଧ୍ୟ ସେହିପରି କରିବା,” ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
DEU 12:31 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ତଦ୍ରୂପ କରିବ ନାହିଁ; କାରଣ ସଦାପ୍ରଭୁ ଯାହା ଘୃଣା କରନ୍ତି; ଏପରି ସମଗ୍ର ଘୃଣ୍ୟ କର୍ମ ସେମାନେ ଆପଣା ଆପଣା ଦେବତାଗଣର ଉଦ୍ଦେଶ୍ୟରେ କରିଅଛନ୍ତି; ମଧ୍ୟ ସେମାନେ ଆପଣା ଆପଣା ଦେବତାଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର ଓ ଆପଣା ଆପଣା କନ୍ୟାଗଣକୁ ମଧ୍ୟ ଅଗ୍ନିରେ ଦଗ୍ଧ କରନ୍ତି।
DEU 12:32 ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ।
DEU 13:1 ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍‍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ,
DEU 13:2 ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, “ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍‍ଗାମୀ ହେବା ଓ ସେମାନଙ୍କ ସେବା କରିବା;”
DEU 13:3 ତେବେ ତୁମ୍ଭେ ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
DEU 13:4 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।
DEU 13:5 ସେହି ଭବିଷ୍ୟଦ୍‍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
DEU 13:6 ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍‍, “ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ମଧ୍ୟରେ ଯେକୌଣସି ଗୋଷ୍ଠୀର ଯେକୌଣସି ଦେବତା ହେଉ,
DEU 13:7 ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ;”
DEU 13:8 ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ।
DEU 13:9 ମାତ୍ର ତୁମ୍ଭେ ନିଶ୍ଚୟ ତାହାକୁ ବଧ କରିବ; ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ।
DEU 13:10 ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।
DEU 13:11 ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ।
DEU 13:12 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାସ କରିବା ନିମନ୍ତେ ଯେଉଁ ଯେଉଁ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମ୍ଭେ ଶୁଣିବ,
DEU 13:13 ଯେ କେତେକ ଦୁଷ୍ଟ ଲୋକ ତୁମ୍ଭ ମଧ୍ୟରୁ ବାହାରି, “ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ,” ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;
DEU 13:14 ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି;
DEU 13:15 ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;
DEU 13:16 ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେହି ସମସ୍ତ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ।
DEU 13:17 ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;
DEU 13:18 ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ।
DEU 14:1 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।
DEU 14:2 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।
DEU 14:3 ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ।
DEU 14:4 ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା,
DEU 14:5 ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ,
DEU 14:6 ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
DEU 14:7 ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍‍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି;
DEU 14:8 ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।
DEU 14:9 ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ;
DEU 14:10 ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ।
DEU 14:11 ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,
DEU 14:12 ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ;
DEU 14:13 ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ
DEU 14:14 ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ;
DEU 14:15 ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
DEU 14:16 ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ;
DEU 14:17 ପାଣିଭେଳା ଓ ଶାଗୁଣା ଓ ପାଣିକୁଆ
DEU 14:18 ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି;
DEU 14:19 ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡ଼ିକୁ ଭୋଜନ କରିବ ନାହିଁ।
DEU 14:20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ।
DEU 14:21 ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରିପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।
DEU 14:22 ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ।
DEU 14:23 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ।
DEU 14:24 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ;
DEU 14:25 ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ।
DEU 14:26 ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;
DEU 14:27 ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ।
DEU 14:28 ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର-ଦ୍ୱାର ଭିତରେ ସଞ୍ଚୟ କରି ରଖିବ;
DEU 14:29 ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗର-ଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 15:1 ପ୍ରତି ସାତ ବର୍ଷର ଶେଷରେ ତୁମ୍ଭେ ଋଣ କ୍ଷମା କରିବ।
DEU 15:2 ଋଣକ୍ଷମାର ବ୍ୟବସ୍ଥା ଏହି ଯେ ପ୍ରତ୍ୟେକ ମହାଜନ ଆପଣା ପ୍ରତିବାସୀକୁ ଯେଉଁ ଋଣ ଦେଇଥାଏ, ତାହା ସେ କ୍ଷମା କରିବ; ସେ ଆପଣା ପ୍ରତିବାସୀ ଓ ଆପଣା ଭାଇଠାରୁ ଋଣ ଆଦାୟ କରିବ ନାହିଁ; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଋଣକ୍ଷମାର ଘୋଷଣା ହୋଇଅଛି।
DEU 15:3 ତୁମ୍ଭେ ବିଦେଶୀଠାରୁ ତାହା ଆଦାୟ କରି ପାରିବ; ମାତ୍ର ତୁମ୍ଭ ଭାଇଠାରେ ତୁମ୍ଭର ଯାହା କିଛି ଅଛି, ତୁମ୍ଭର ହସ୍ତ ତାହା କ୍ଷମା କରିବ।
DEU 15:4 ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ପାଳିବାକୁ ଆଦେଶ ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ରବ ଯତ୍ନପୂର୍ବକ ଶୁଣିବ;
DEU 15:5 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାର କରିବା ପାଇଁ ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ସେ ନିଶ୍ଚୟ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 15:6 ପୁଣି ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ; ଆଉ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ମାତ୍ର ସେମାନେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବେ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 15:7 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭର ସେହି ଦେଶସ୍ଥିତ କୌଣସି ନଗର-ଦ୍ୱାରରେ ଯେବେ ତୁମ୍ଭ ଭାଇମାନଙ୍କ ମଧ୍ୟରେ କେହି ଦରିଦ୍ର ଥାଏ, ତେବେ ତୁମ୍ଭେ ଆପଣା ହୃଦୟ କଠିନ କରିବ ନାହିଁ, କିଅବା ଆପଣା ଦରିଦ୍ର ଭାଇ ପ୍ରତି ଆପଣା ହସ୍ତ ରୁଦ୍ଧ କରିବ ନାହିଁ;
DEU 15:8 ମାତ୍ର ତୁମ୍ଭେ ତାହା ପ୍ରତି ନିଶ୍ଚୟ ଆପଣା ହସ୍ତ ମୁକ୍ତ କରିବ, ପୁଣି ଯାହା ସେ ଚାହେଁ, ତାହାର ପ୍ରୟୋଜନାନୁସାରେ ତୁମ୍ଭେ ତାହା ଯଥେଷ୍ଟ ରୂପେ ତାହାକୁ ନିଶ୍ଚୟ ଋଣ ଦେବ।
DEU 15:9 “ସପ୍ତମ ବର୍ଷ, ଋଣକ୍ଷମାର ବର୍ଷ ନିକଟବର୍ତ୍ତୀ,” ଏହା କହି ଯେପରି ତୁମ୍ଭ ହୃଦୟରେ ମନ୍ଦ ଚିନ୍ତା ନ ହୁଏ ଓ ତୁମ୍ଭ ଦରିଦ୍ର ଭାଇ ପ୍ରତି ତୁମ୍ଭର କୁଦୃଷ୍ଟି ହେବା ସକାଶୁ ତୁମ୍ଭେ ତାହାକୁ କିଛି ନ ଦିଅ, ଏ ବିଷୟରେ ସାବଧାନ ହୁଅ; କାରଣ ସେ ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତୁମ୍ଭର ପାପ ହେବ।
DEU 15:10 ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 15:11 କାରଣ ଦେଶରୁ ଦରିଦ୍ରମାନେ କେବେ ହେଁ ଲୋପ ପାଇବେ ନାହିଁ; ଏନିମନ୍ତେ ମୁଁ ତୁମ୍ଭକୁ ଆଜ୍ଞା ଦେଇ କହୁଅଛି, “ତୁମ୍ଭେ ନିଶ୍ଚୟ ଆପଣା ଦେଶସ୍ଥ ଭାଇ ପ୍ରତି, ଆପଣା ଦୁଃଖୀ ପ୍ରତି ଓ ଆପଣା ଦୀନହୀନ ପ୍ରତି ଆପଣା ହସ୍ତ ମୁକ୍ତ କରିବ।
DEU 15:12 ଯେବେ ତୁମ୍ଭ ଭାଇ, କୌଣସି ଏବ୍ରୀୟ ପୁରୁଷ, କି ଏବ୍ରୀୟା ସ୍ତ୍ରୀ, ତୁମ୍ଭ ନିକଟରେ ବିକାଯାଏ ଓ ଛଅ ବର୍ଷ ତୁମ୍ଭର ସେବା କରେ; ତେବେ ସପ୍ତମ ବର୍ଷରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବ।
DEU 15:13 ମାତ୍ର ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବା ବେଳେ ଖାଲି ହାତରେ ଯିବାକୁ ଦେବ ନାହିଁ।
DEU 15:14 ତୁମ୍ଭେ ଆପଣା ପଲରୁ, ଆପଣା ଖଳାରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ତାହାକୁ ଉଦାର ଭାବରେ ଯଥେଷ୍ଟ ଦାନ ଦେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ଅନୁସାରେ ତାହାକୁ ଦାନ କରିବ।”
DEU 15:15 ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ବନ୍ଧାଦାସ ହୋଇଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମୁକ୍ତ କଲେ; ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
DEU 15:16 ମାତ୍ର ତୁମ୍ଭ ନିକଟରେ ସୁଖରେ ରହିବାରୁ ସେ ଯଦି ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରି କହେ, “ମୁଁ ତୁମ୍ଭକୁ ଛାଡ଼ି ଯିବି ନାହିଁ;”
DEU 15:17 ତେବେ ତୁମ୍ଭେ ଏକ ବିନ୍ଧଣୀ ନେଇ କବାଟରେ ତାହାର କର୍ଣ୍ଣ ବିନ୍ଧିବ, ତହିଁରେ ସେ ସଦାସର୍ବଦା ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ମଧ୍ୟ ତଦ୍ରୂପ କରିବ।
DEU 15:18 ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ; କାରଣ ସେ ଛଅ ବର୍ଷ ପର୍ଯ୍ୟନ୍ତ ଏକ ବେତନଜୀବୀର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 15:19 ତୁମ୍ଭେ ଆପଣା ଗୋରୁପଲରୁ ଓ ମେଷପଲରୁ ଉତ୍ପନ୍ନ ସମସ୍ତ ପ୍ରଥମଜାତ ପୁଂପଶୁକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ; ତୁମ୍ଭେ ଆପଣା ଗୋରୁର ପ୍ରଥମଜାତ ଦ୍ୱାରା କୌଣସି କର୍ମ କରିବ ନାହିଁ, କିଅବା ଆପଣା ମେଷପଲର ପ୍ରଥମଜାତର ଲୋମ ଛେଦ କରିବ ନାହିଁ,
DEU 15:20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଓ ତୁମ୍ଭ ପରିବାର ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ଭୋଜନ କରିବ।
DEU 15:21 ଯଦି ତହିଁରେ କୌଣସି ଖୁଣ ଥାଏ, ସେହି ପଶୁ ଯଦି ଛୋଟା କି ଅନ୍ଧ କି ଅନ୍ୟ କୌଣସି ପ୍ରକାର ମନ୍ଦଖୁଣଯୁକ୍ତ ଥାଏ, ତେବେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତାହାକୁ ବଳିଦାନ କରିବ ନାହିଁ।
DEU 15:22 ତୁମ୍ଭେ ଆପଣା ନଗର-ଦ୍ୱାର ମଧ୍ୟରେ ତାହା ଭୋଜନ କରିବ; ଶୁଚି କି ଅଶୁଚି ଲୋକ ସମାନ ରୂପେ କୃଷ୍ଣସାର ଓ ହରିଣର ମାଂସ ତୁଲ୍ୟ ତାହା ଭୋଜନ କରିବେ।
DEU 15:23 କେବଳ ତୁମ୍ଭେ ତାହାର ରକ୍ତ ଭୋଜନ କରିବ ନାହିଁ, ତୁମ୍ଭେ ଜଳ ପରି ତାହା ଭୂମିରେ ଢାଳି ଦେବ।
DEU 16:1 ଆବୀବ୍‍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍‍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରିକାଳରେ ମିସରରୁ ବାହାର କରି ଆଣିଲେ।
DEU 16:2 ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
DEU 16:3 ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍‍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
DEU 16:4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
DEU 16:5 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର-ଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ।
DEU 16:6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସନ୍ଧ୍ୟା ସମୟରେ, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ମିସରରୁ ବାହାରିବା ଋତୁରେ ନିସ୍ତାରପର୍ବୀୟ ବଳିଦାନ କରିବ।
DEU 16:7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ପାକ କରି ଭୋଜନ କରିବ; ତହୁଁ ତୁମ୍ଭେ ପ୍ରାତଃକାଳରେ ଆପଣା ତମ୍ବୁକୁ ଫେରିଯିବ।
DEU 16:8 ତୁମ୍ଭେ ଛଅ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ; ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
DEU 16:9 ତୁମ୍ଭେ ଆପଣା ପାଇଁ ସାତ ସପ୍ତାହ ଗଣନା କରିବ; ତୁମ୍ଭେ କ୍ଷେତ୍ରସ୍ଥିତ ଶସ୍ୟରେ ଦାଆ ଲଗାଇବାକୁ ଆରମ୍ଭ କରିବା ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ।
DEU 16:10 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ;
DEU 16:11 ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
DEU 16:12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
DEU 16:13 ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ;
DEU 16:14 ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
DEU 16:15 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ; ପୁଣି ତୁମ୍ଭେ ସର୍ବତୋଭାବେ ଆନନ୍ଦିତ ହେବ।
DEU 16:16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତାହାଙ୍କ ସମ୍ମୁଖରେ ବର୍ଷକେ ତିନି ଥର ତୁମ୍ଭର ପୁରୁଷ ସମସ୍ତେ ତାଡ଼ିଶୂନ୍ୟ ରୁଟିର ପର୍ବ ସମୟରେ, ସପ୍ତାହ ସମୂହର ପର୍ବ ସମୟରେ ଓ ପତ୍ରକୁଟୀର ପର୍ବ ସମୟରେ ଦେଖା ଦେବେ; ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେଖା ଦେବେ ନାହିଁ।
DEU 16:17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
DEU 16:18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ।
DEU 16:19 ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ।
DEU 16:20 ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
DEU 16:21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଷ୍ଠ ସ୍ଥାପନ କରିବ ନାହିଁ।
DEU 16:22 କିଅବା ତୁମ୍ଭେ ଆପଣା ପାଇଁ କୌଣସି ସ୍ତମ୍ଭ ଉତ୍ଥାପନ କରିବ ନାହିଁ; ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଘୃଣା କରନ୍ତି।
DEU 17:1 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ କୌଣସି ପ୍ରକାର ଖୁନ୍ତ କି ମନ୍ଦତା ବିଶିଷ୍ଟ ଗୋରୁ କି ମେଷ ବଳିଦାନ କରିବ ନାହିଁ; କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ଘୃଣିତ ବସ୍ତୁ ଅଟେ।
DEU 17:2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର ଦିଅନ୍ତି, ତହିଁର କୌଣସି ନଗର-ଦ୍ୱାର ମଧ୍ୟରେ ଯଦି କୌଣସି ପୁରୁଷ କି ସ୍ତ୍ରୀ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମ ଲଙ୍ଘନ କରି ତାହାଙ୍କ ଦୃଷ୍ଟିରେ କୁକର୍ମ କରୁଥିବାର ଦେଖାଯାଏ
DEU 17:3 ଓ ମୋହର ଆଜ୍ଞା ବିରୁଦ୍ଧରେ ସେ ଯାଇ ଅନ୍ୟ ଦେବତାଗଣର ସେବା କରିଥାଏ ଓ ସେମାନଙ୍କ, କି ସୂର୍ଯ୍ୟ, କି ଚନ୍ଦ୍ର, କି କୌଣସି ଆକାଶୀୟ ବାହିନୀକୁୁ ପୂଜା କରିଥାଏ;
DEU 17:4 ତେବେ, ତାହା ତୁମ୍ଭକୁ କୁହାଗଲେ ଓ ତୁମ୍ଭେ ତାହା ଶୁଣିଲେ, ତାହା ଭଲ ରୂପେ ବୁଝିବ; ଆଉ ଦେଖ, ଯଦି ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ଇସ୍ରାଏଲ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି;
DEU 17:5 ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗର-ଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।
DEU 17:6 ପ୍ରାଣଦଣ୍ଡ ଯୋଗ୍ୟ ବ୍ୟକ୍ତି ଦୁଇ ସାକ୍ଷୀର ବା ତିନି ସାକ୍ଷୀର ମୁଖ ଦ୍ୱାରା ହତ ହେବ; ଏକ ସାକ୍ଷୀର ମୁଖ ଦ୍ୱାରା ତାହାର ପ୍ରାଣଦଣ୍ଡ ହେବ ନାହିଁ।
DEU 17:7 ତାହାର ପ୍ରାଣଦଣ୍ଡ କରିବା ପାଇଁ ତାହା ଉପରେ ପ୍ରଥମେ ସାକ୍ଷୀମାନଙ୍କର ହସ୍ତ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କର ହସ୍ତ ଉଠିବ। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 17:8 ତୁମ୍ଭ ନଗର-ଦ୍ୱାର ଭିତରେ, ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବିବାଦ ଓ ବିବାଦ ମଧ୍ୟରେ ପୁଣି ଆଘାତ ଓ ଆଘାତ ମଧ୍ୟରେ ବିରୋଧ ଉଠିଲେ, ଯଦି ତହିଁର ବିଚାର ତୁମ୍ଭ ପ୍ରତି ଅତି କଠିନ ବୋଧ ହୁଏ; ତେବେ ତୁମ୍ଭେ ଉଠି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ;
DEU 17:9 ପୁଣି ତୁମ୍ଭେ ଲେବୀୟ ଯାଜକମାନଙ୍କ ନିକଟକୁ ଓ ସେହି ସମୟର ବିଚାରକର୍ତ୍ତାଙ୍କ ନିକଟକୁ ଯିବ; ଆଉ ତୁମ୍ଭେ ବୁଝିବ; ତହିଁରେ ସେମାନେ ତୁମ୍ଭକୁ ବିଚାରର ନିଷ୍ପତ୍ତି ଜଣାଇବେ;
DEU 17:10 ତହୁଁ ସଦାପ୍ରଭୁଙ୍କ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ ଓ ସେମାନେ ତୁମ୍ଭକୁ ଯାହା ଶିଖାଇବେ, ତୁମ୍ଭେ ତଦନୁସାରେ କରିବାକୁ ମନୋଯୋଗ କରିବ।
DEU 17:11 ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଚାରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ, ତୁମ୍ଭେ ତଦନୁସାରେ କରିବ; ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ।
DEU 17:12 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ସେବା କରିବା ପାଇଁ ସେହି ସ୍ଥାନରେ ଠିଆ ହେବା ଯାଜକର କି ବିଚାରକର୍ତ୍ତାର ବାକ୍ୟରେ କର୍ଣ୍ଣପାତ ନ କରି ଯେଉଁ ଲୋକ ଦୁଃସାହସରେ କର୍ମ କରେ, ସେହି ଲୋକ ହତ ହେବ; ପୁଣି ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଏହି ଦୁଷ୍ଟତା ଦୂର କରିବ।
DEU 17:13 ତହିଁରେ ସମସ୍ତ ଲୋକ ତାହା ଶୁଣି ଭୟ କରିବେ ଓ ଦୁଃସାହସରେ ଆଉ କର୍ମ କରିବେ ନାହିଁ।
DEU 17:14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ; “ଆଉ ଆମ୍ଭର ଚତୁର୍ଦ୍ଦିଗସ୍ଥିତ ସକଳ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆପଣା ଉପରେ ଏକ ରାଜା ନିଯୁକ୍ତ କରିବା,” ଯେବେ ଏହି କଥା କହିବ;
DEU 17:15 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାହାକୁ ହିଁ ତୁମ୍ଭେ ଆପଣା ଉପରେ ରାଜା କରିବ; ତୁମ୍ଭେ ଆପଣା ଭ୍ରାତୃଗଣ ମଧ୍ୟରୁ ଜଣକୁ ଆପଣା ଉପରେ ରାଜା କରି ନିଯୁକ୍ତ କରିବ; ଯେ ତୁମ୍ଭର ଭ୍ରାତା ନୁହେଁ, ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା କରି ପାରିବ ନାହିଁ।
DEU 17:16 ମାତ୍ର ସେ ରାଜା ଆପଣା ପାଇଁ ଅନେକ ଅଶ୍ୱ ରଖିବ ନାହିଁ, କିଅବା ଅନେକ ଅଶ୍ୱ ରଖିବା ଅଭିପ୍ରାୟରେ ଲୋକମାନଙ୍କୁ “ପୁନର୍ବାର ମିସରକୁ ଗମନ କରାଇବ ନାହିଁ;” କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଅଛନ୍ତି, ତୁମ୍ଭେମାନେ ଏହି ସମୟଠାରୁ ସେହି ପଥରେ ଆଉ ଫେରିଯିବ ନାହିଁ।
DEU 17:17 କିଅବା ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ; ଅଥବା ସେ ଆପଣା ପାଇଁ ରୂପା କି ସୁନା ଅତିଶୟ ବଢ଼ାଇବ ନାହିଁ।
DEU 17:18 ପୁଣି ସେ ଆପଣା ରାଜ୍ୟର ସିଂହାସନରେ ଉପବିଷ୍ଟ ହେଲେ, ଆପଣା ପାଇଁ ଏକ ନଳାକାର ପୁସ୍ତକରେ ଲେବୀୟ ଯାଜକମାନଙ୍କ ସମ୍ମୁଖସ୍ଥିତ ଏହି ବ୍ୟବସ୍ଥାରୁ ଉତ୍ତାରି ଏକ ପ୍ରତିଲିପି ଲେଖି ରଖିବ।
DEU 17:19 ଆଉ ତାହା ତାହାର ନିକଟରେ ରହିବ ଓ ସେ ଯାବଜ୍ଜୀବନ ତାହା ପାଠ କରିବ; ତହିଁରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିଖିବ;
DEU 17:20 ଆପଣା ଭ୍ରାତୃଗଣ ଉପରେ ତାହାର ହୃଦୟ ଅହଙ୍କାରୀ ହେବ ନାହିଁ, ପୁଣି ସେ ଆଜ୍ଞାର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ; ତହିଁରେ ସେ ଇସ୍ରାଏଲ ମଧ୍ୟରେ ତାହାର ଓ ତାହାର ସନ୍ତାନମାନଙ୍କ ରାଜତ୍ଵର ଦିନ ବଢ଼ାଇ ପାରିବ।
DEU 18:1 ଯାଜକମାନେ, ଲେବୀୟମାନେ ଓ ଲେବୀର ସମସ୍ତ ବଂଶ ଇସ୍ରାଏଲ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇବେ ନାହିଁ; ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାହାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ।
DEU 18:2 ପୁଣି ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର ଅଟନ୍ତି।
DEU 18:3 ପୁଣି ଲୋକମାନଙ୍କଠାରୁ ଯାଜକମାନଙ୍କର ପ୍ରାପ୍ତବ୍ୟ ଏହି, ଯେଉଁମାନେ ଗୋରୁ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ତହିଁର ଆଗ-ଚଟୁଆ ଓ ଦୁଇ ଗାଲ ଓ ପାକସ୍ଥଳୀ ଦେବେ।
DEU 18:4 ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ।
DEU 18:5 କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।
DEU 18:6 ଆଉ ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗର-ଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯଦି ଆପଣା ପ୍ରାଣର ସମ୍ପୂର୍ଣ୍ଣ ବାଞ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ,
DEU 18:7 ତେବେ ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ।
DEU 18:8 ସେ ଆପଣା ପୈତୃକ ଅଧିକାର ବିକ୍ରୟର ମୂଲ୍ୟ ଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବ।
DEU 18:9 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ସେଠାରେ ଉପସ୍ଥିତ ହେଲେ ସେହି ସ୍ଥାନର ଗୋଷ୍ଠୀୟ ଲୋକମାନଙ୍କ ଘୃଣାଯୋଗ୍ୟ କ୍ରିୟାଗୁଡ଼ିକୁ ଅନୁକରଣ କରିବା ତୁମ୍ଭେ ଶିଖିବ ନାହିଁ।
DEU 18:10 ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ,
DEU 18:11 କି ମୋହକ, କି ଭୂତୁଡ଼ିଆ, କି ଗୁଣିଆ, କି ପ୍ରେତପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ ଦେଖାଯିବ ନାହିଁ।
DEU 18:12 ଯେହେତୁ ଯେକେହି ଏପରି କର୍ମ କରେ, ସେ ସଦାପ୍ରଭୁଙ୍କର ଘୃଣାପାତ୍ର ଅଟନ୍ତି; ପୁଣି ସେହି ଘୃଣ୍ୟ କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଅଛନ୍ତି।
DEU 18:13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।
DEU 18:14 କାରଣ ଏହି ଯେଉଁ ଦେଶୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଶୁଭାଶୁଭବାଦୀ ଓ ମନ୍ତ୍ରଜ୍ଞମାନଙ୍କ କଥା ଶୁଣନ୍ତି; ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେହିପରି କରିବାକୁ ଦେଇ ନାହାନ୍ତି।
DEU 18:15 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ, ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବେ; ତୁମ୍ଭେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ।
DEU 18:16 କାରଣ ହୋରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, “ଆମ୍ଭେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ରବ ପୁନର୍ବାର ନ ଶୁଣୁ, କିଅବା ଏହି ମହା-ଅଗ୍ନି ଆଉ ନ ଦେଖୁ।”
DEU 18:17 ତହିଁରେ ସଦାପ୍ରଭୁ ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
DEU 18:18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍‍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।
DEU 18:19 ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେଉଁ ଯେଉଁ ବାକ୍ୟ କହିବେ, ତାହା ଯିଏ ଶୁଣିବ ନାହିଁ, ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା।
DEU 18:20 ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍‍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍‍ବକ୍ତା ମରିବ।
DEU 18:21 ମାତ୍ର ଯେବେ ତୁମ୍ଭେ ଆପଣା ମନେ ମନେ କୁହ, ‘ସଦାପ୍ରଭୁ ଯେଉଁ କଥା କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବା?’
DEU 18:22 କୌଣସି ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ, ଯେବେ ତାହା ନ ହୁଏ, ଅବା ନ ଘଟେ, ତେବେ ସେହି କଥା ସଦାପ୍ରଭୁ କହି ନାହାନ୍ତି; ସେ ଭବିଷ୍ୟଦ୍‍ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।”
DEU 19:1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ,
DEU 19:2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ଅଧିକାରାର୍ଥେ ଯେଉଁ ଦେଶ ଦିଅନ୍ତି, ତୁମ୍ଭର ସେହି ଦେଶ ମଧ୍ୟରେ ତୁମ୍ଭେ ଆପଣା ପାଇଁ ତିନୋଟି ନଗର ପୃଥକ କରିବ।
DEU 19:3 ତୁମ୍ଭେ ଆପଣା ପାଇଁ ପଥ ପ୍ରସ୍ତୁତ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର କରାଇବେ, ତୁମ୍ଭେ ସେହି ଦେଶର ଭୂମି ତିନି ଭାଗ କରିବ, ତହିଁରେ ପ୍ରତ୍ୟେକ ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
DEU 19:4 ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;
DEU 19:5 ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ।
DEU 19:6 ନୋହିଲେ ରକ୍ତର ପ୍ରତିହନ୍ତା ତପ୍ତଚିତ୍ତ ହୋଇ ନରହତ୍ୟାକାରୀର ପଛେ ଗୋଡ଼ାଇ ଦୂର ପଥ ସକାଶୁ ତାହାକୁ ଧରି ପ୍ରାଣରେ ମାରି ପକାଇବ; ମାତ୍ର ସେ ଲୋକ ପ୍ରାଣଦଣ୍ଡ ଯୋଗ୍ୟ ନୁହେଁ, କାରଣ ସେ ପୂର୍ବେ ତାହାକୁ ହିଂସା କରି ନ ଥିଲା।
DEU 19:7 ଏନିମନ୍ତେ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ନଗର ପୃଥକ କରିବାକୁ କହି ଆଜ୍ଞା ଦେଉଅଛି।
DEU 19:8 ଆଉ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେ ତାହାସବୁ ପାଳନ କରି ଯାବଜ୍ଜୀବନ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କଲେ ଓ ତାହାଙ୍କ ପଥରେ ଚାଲିଲେ,
DEU 19:9 ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଆପଣା ଶପଥ ଅନୁସାରେ ତୁମ୍ଭ ସୀମା ବୃଦ୍ଧି କରନ୍ତି ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ପ୍ରତିଜ୍ଞାତ ସମସ୍ତ ଦେଶ ତୁମ୍ଭକୁ ଦିଅନ୍ତି; ତେବେ ତୁମ୍ଭେ ସେହି ତିନି ନଗର ବ୍ୟତୀତ ତୁମ୍ଭ ପାଇଁ ଆଉ ତିନୋଟି ନଗର ନିରୂପଣ କରିବ;
DEU 19:10 ନୋହିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାରାର୍ଥେ ଦିଅନ୍ତି, ତହିଁ ମଧ୍ୟରେ ନିର୍ଦ୍ଦୋଷର ରକ୍ତପାତ ହେବ, ତହୁଁ ତୁମ୍ଭ ଉପରେ ରକ୍ତପାତର ଅପରାଧ ବର୍ତ୍ତିବ।
DEU 19:11 ମାତ୍ର କେହି ଯେବେ ଆପଣା ପ୍ରତିବାସୀକୁ ହିଂସା କରି ତାହା ପାଇଁ ଛକି ବସେ ଓ ତାହାର ପ୍ରତିକୂଳରେ ଉଠି ତାହାକୁ ପ୍ରାଣରେ ମାରେ ଓ ସେ ମରନ୍ତେ, ଏହି ନଗରମାନ ମଧ୍ୟରୁ କୌଣସି ଏକ ନଗରକୁ ପଳାଏ;
DEU 19:12 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ଲୋକ ପଠାଇ ସେସ୍ଥାନରୁ ତାହାକୁ ଅଣାଇବେ ଓ ତାହାକୁ ବଧ କରିବା ପାଇଁ ରକ୍ତର ପ୍ରତିହନ୍ତା ହସ୍ତରେ ସମର୍ପଣ କରିବେ।
DEU 19:13 ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ।
DEU 19:14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବକାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ।
DEU 19:15 ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ।
DEU 19:16 ଯେବେ ଅଧର୍ମୀ ସାକ୍ଷୀ କାହାରି ବିରୁଦ୍ଧରେ ଉଠି ଅବିଧି କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦିଏ,
DEU 19:17 ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ।
DEU 19:18 ତହୁଁ ବିଚାରକର୍ତ୍ତାମାନେ ଯତ୍ନପୂର୍ବକ ଅନୁସନ୍ଧାନ କରିବେ; ଆଉ ଦେଖ, ସେ ସାକ୍ଷୀ ଯେବେ ମିଥ୍ୟାସାକ୍ଷୀ ଓ ଆପଣା ଭାଇ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇଥାଏ;
DEU 19:19 ତେବେ ସେ ଆପଣା ଭାଇ ପ୍ରତି ଯେପରି କରିବାକୁ କଳ୍ପନା କରିଥିଲା, ତାହା ପ୍ରତି ତୁମ୍ଭେମାନେ ସେହିପରି କରିବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 19:20 ପୁଣି ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ ଓ ସେହି ସମୟାବଧି ତୁମ୍ଭ ମଧ୍ୟରେ ଆଉ ସେରୂପ ମନ୍ଦ କର୍ମ କରିବେ ନାହିଁ।
DEU 19:21 ତୁମ୍ଭର ଚକ୍ଷୁ ଦୟା କରିବ ନାହିଁ; ପ୍ରାଣ ପରିଶୋଧରେ ପ୍ରାଣ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ପାଦ ପରିଶୋଧରେ ପାଦ ନିଆଯିବ।
DEU 20:1 ତୁମ୍ଭେ ଆପଣା ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ବାହାରିଲେ, ଯେବେ ଆପଣା ଅପେକ୍ଷା ଅଧିକ ଅଶ୍ୱ, ରଥ ଓ ଲୋକ ଦେଖିବ, ତେବେ ତୁମ୍ଭେ ସେମାନଙ୍କ ବିଷୟରେ ଭୀତ ହେବ ନାହିଁ। କାରଣ ଯେ ତୁମ୍ଭକୁ ମିସର ଦେଶରୁ ଆଣିଅଛନ୍ତି, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
DEU 20:2 ଆଉ ତୁମ୍ଭେମାନେ ଯୁଦ୍ଧର ନିକଟବର୍ତ୍ତୀ ହେଲେ, ଯାଜକ ନିକଟକୁ ଆସି ଲୋକମାନଙ୍କୁ କହିବ,
DEU 20:3 ହେ ଇସ୍ରାଏଲ, “ଶୁଣ, ତୁମ୍ଭେମାନେ ଆଜି ଆପଣା ଶତ୍ରୁମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଉଅଛ; ତୁମ୍ଭମାନଙ୍କ ହୃଦୟ ଦୁର୍ବଳ ନ ହେଉ; ଭୟ କର ନାହିଁ, କିଅବା କମ୍ପମାନ ହୁଅ ନାହିଁ, କିଅବା ସେମାନଙ୍କ ବିଷୟରେ ଭୟଯୁକ୍ତ ହୁଅ ନାହିଁ।
DEU 20:4 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସପକ୍ଷ ହୋଇ ତୁମ୍ଭମାନଙ୍କ ଶତ୍ରୁଗଣର ପ୍ରତିକୂଳରେ ଯୁଦ୍ଧ କରି ରକ୍ଷା କରିବାକୁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଯାଉଅଛନ୍ତି।”
DEU 20:5 ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, “କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ପ୍ରତିଷ୍ଠା କରିବ।
DEU 20:6 ଆଉ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତହିଁର ଫଳ ଭୋଗ କରିବ।
DEU 20:7 ଆଉ କେଉଁ ଲୋକ କୌଣସି ସ୍ତ୍ରୀକୁ ବାଗ୍‍ଦାନ କରି ତାହାକୁ ବିବାହ କରି ନାହିଁ? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ସେ ଯୁଦ୍ଧରେ ମଲେ ଅନ୍ୟ ଲୋକ ତାହାକୁ ବିବାହ କରିବ।”
DEU 20:8 ଆହୁରି ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, “ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି? ସେ ଫେରି ଆପଣା ଗୃହକୁ ଯାଉ, କେଜାଣି ତାହାର ହୃଦୟ ପରି ତାହାର ଭ୍ରାତୃଗଣର ହୃଦୟ ତରଳି ଯିବ।”
DEU 20:9 ପୁଣି ଅଧ୍ୟକ୍ଷଗଣ ଲୋକମାନଙ୍କ ସହିତ କଥା ସମାପ୍ତ କଲା ଉତ୍ତାରେ ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।
DEU 20:10 ଯେତେବେଳେ ତୁମ୍ଭେ ଯୁଦ୍ଧ କରିବା ପାଇଁ କୌଣସି ନଗରର ନିକଟବର୍ତ୍ତୀ ହେବ, ସେତେବେଳେ ତହିଁ ପ୍ରତି ସନ୍ଧିର କଥା ଘୋଷଣା କରିବ।
DEU 20:11 ତହିଁରେ ସେ ଯେବେ ସନ୍ଧିରେ ସମ୍ମତ ହୋଇ ତୁମ୍ଭ ନିମନ୍ତେ ଦ୍ୱାର ଫିଟାଇ ଦିଏ, ତେବେ ତହିଁ ମଧ୍ୟରେ ଯେତେ ଲୋକ ଦେଖାଯିବେ, ସେମାନେ ତୁମ୍ଭର ଦାସ ହେବେ ଓ ତୁମ୍ଭର ସେବା କରିବେ।
DEU 20:12 ମାତ୍ର ଯଦି ସେ ତୁମ୍ଭ ସହିତ ସନ୍ଧି ନ କରି ତୁମ୍ଭ ସହିତ ଯୁଦ୍ଧ କରେ, ତେବେ ତୁମ୍ଭେ ସେହି ନଗର ଅବରୋଧ କରିବ।
DEU 20:13 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେତେବେଳେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଡ୍ଗଧାରରେ ବଧ କରିବ।
DEU 20:14 ମାତ୍ର ତୁମ୍ଭେ ସ୍ତ୍ରୀମାନଙ୍କୁ, ବାଳକମାନଙ୍କୁ, ପଶୁମାନଙ୍କୁ ଓ ନଗରର ସର୍ବସ୍ୱ ଆପଣା ନିମନ୍ତେ ଲୁଟ ସ୍ୱରୂପ ଗ୍ରହଣ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଶତ୍ରୁମାନଙ୍କର ଯେଉଁ ଲୁଟ ତୁମ୍ଭଙ୍କୁ ଦିଅନ୍ତି, ତାହା ଭୋଜନ କରିବ।
DEU 20:15 ଯେଉଁ ଯେଉଁ ନଗର ଏହି ଗୋଷ୍ଠୀୟ ଲୋକମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ଏପରି ସମସ୍ତ ନଗର ପ୍ରତି ଏହି ପ୍ରକାର କରିବ।
DEU 20:16 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।
DEU 20:17 ମାତ୍ର ତୁମ୍ଭ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ।
DEU 20:18 ନୋହିଲେ କେଜାଣି, ସେମାନେ ଆପଣା ଆପଣା ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ତଦନୁସାରେ କରିବା ପାଇଁ ତୁମ୍ଭମାନଙ୍କୁ ଶିଖାଇବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବ।
DEU 20:19 ଯେତେବେଳେ ତୁମ୍ଭେ କୌଣସି ନଗର ହସ୍ତଗତ କରିବା ପାଇଁ ଯୁଦ୍ଧ କରି ବହୁ କାଳ ତାହା ଅବରୋଧ କରିବ, ସେତେବେଳେ ତୁମ୍ଭେ କୁହ୍ରାଡ଼ି ଦ୍ୱାରା ସେଠାରେ ଥିବା ବୃକ୍ଷଗୁଡ଼ିକୁ ହାଣିବ ନାହିଁ; ତୁମ୍ଭେ ତହିଁରୁ ଭୋଜନ କରି ପାରିବ, ଏଣୁ ତାହା କାଟିବ ନାହିଁ; କାରଣ କ୍ଷେତ୍ରର ବୃକ୍ଷ ମନୁଷ୍ୟ ଜୀବନର ଆଧାର ହୋଇଥିବାରୁ ତାହା ତୁମ୍ଭ ସାକ୍ଷାତରେ ଅବରୁଦ୍ଧ ହେବ ନାହିଁ।
DEU 20:20 କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ।
DEU 21:1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ତହିଁ ମଧ୍ୟରେ ଯଦି କ୍ଷେତ୍ରରେ ପତିତ କୌଣସି ହତ ଲୋକ ଦେଖାଯାଏ, ମାତ୍ର ତାହାକୁ କିଏ ବଧ କରିଅଛି, ତାହା ଜଣା ନ ଯାଏ,
DEU 21:2 ତେବେ ତୁମ୍ଭର ପ୍ରାଚୀନବର୍ଗ ଓ ବିଚାରକର୍ତ୍ତାମାନେ ବାହାରେ ଯାଇ ସେହି ହତ ଲୋକର ଚତୁପାର୍ଶ୍ୱସ୍ଥ କେଉଁ ନଗର କେତେ ଦୂର, ତାହା ମାପିବେ।
DEU 21:3 ତହିଁରେ ଯେଉଁ ନଗର ସେହି ହତ ଲୋକର ନିକଟସ୍ଥ ହେବ, ତହିଁର ପ୍ରାଚୀନବର୍ଗ ଗୋଠରୁ ଏପରି ଏକ ଗାଭୀ ନେବେ, ଯାହା ଦ୍ୱାରା କେବେ ଯୁଆଳି ବହନାଦି କୌଣସି କର୍ମ କରାଯାଇ ନାହିଁ।
DEU 21:4 ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ।
DEU 21:5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।
DEU 21:6 ତହିଁ ଉତ୍ତାରେ ହତ ଲୋକର ନିକଟସ୍ଥ ସେହି ନଗରର ସମସ୍ତ ପ୍ରାଚୀନବର୍ଗ ସେହି ତଳଭୂମିରେ ବେକଭଙ୍ଗା ଗାଭୀ ଉପରେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବେ।
DEU 21:7 ଆଉ ସେମାନେ ଉତ୍ତର ଦେଇ କହିବେ, “ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ, କିଅବା ଆମ୍ଭମାନଙ୍କ ଚକ୍ଷୁ ଏହା ଦେଖି ନାହିଁ।
DEU 21:8 ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ।” ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;
DEU 21:9 ଏହିରୂପେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆପଣା ମଧ୍ୟରୁ ନିରପରାଧର ରକ୍ତପାତ-ଦୋଷ ଦୂର କରିବ।
DEU 21:10 ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ;
DEU 21:11 ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର,
DEU 21:12 ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ;
DEU 21:13 ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ।
DEU 21:14 ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
DEU 21:15 ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ;
DEU 21:16 ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ।
DEU 21:17 ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।
DEU 21:18 ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ;
DEU 21:19 ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗର-ଦ୍ୱାରକୁ ନେଇଯିବେ;
DEU 21:20 ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।”
DEU 21:21 ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।
DEU 21:22 ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ।
DEU 21:23 ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହି ଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।
DEU 22:1 ତୁମ୍ଭେ ଆପଣା ଭାଇର ବଳଦ କି ମେଷ ବଣା ହେବାର ଦେଖିଲେ, ସେମାନଙ୍କ ବିଷୟରେ ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ଆପଣା ଭାଇ କତିକି ନିଶ୍ଚୟ ଫେରାଇ ଆଣିବ।
DEU 22:2 ପୁଣି ଯଦି ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ବା ତୁମ୍ଭେ ଯଦି ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ୱେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରେ ତୁମ୍ଭେ ତାହାକୁ ତାହା ଫେରାଇ ଦେବ।
DEU 22:3 ତୁମ୍ଭେ ତାହାର ଗଧ ପ୍ରତି ସେରୂପ କରିବ ଓ ତୁମ୍ଭେ ତାହାର ବସ୍ତ୍ର ପ୍ରତି ସେରୂପ କରିବ; ପୁଣି ତୁମ୍ଭ ଭାଇ ଯେକୌଣସି ବସ୍ତୁ ହଜାଇଥାଏ, ତାହାର ସେହି ହଜିଲା ବସ୍ତୁ ତୁମ୍ଭେ ପାଇଲେ, ତହିଁ ବିଷୟରେ ସେରୂପ କରିବ; ତହିଁରେ ଅମନୋଯୋଗ କରିବା ତୁମ୍ଭର ଅକର୍ତ୍ତବ୍ୟ।
DEU 22:4 ତୁମ୍ଭେ ଆପଣା ଭାଇର ଗଧ କି ବଳଦ ବାଟରେ ପଡ଼ିଯିବାର ଦେଖିଲେ, ତହିଁ ପ୍ରତି ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ପୁନର୍ବାର ଉଠାଇବା ପାଇଁ ଅବଶ୍ୟ ତାହାର ଉପକାର କରିବ।
DEU 22:5 ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେକେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।
DEU 22:6 ଯେବେ ପଥପାର୍ଶ୍ୱସ୍ଥ କୌଣସି ବୃକ୍ଷରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କି ଡିମ୍ବ ଥାଏ, ଆଉ ସେହି ଛୁଆ କି ଡିମ୍ବ ଉପରେ ପକ୍ଷିଣୀ ବସିଥାଏ, ତେବେ ତୁମ୍ଭେ ଛୁଆ ସଙ୍ଗରେ ପକ୍ଷିଣୀକୁ ଧରିବ ନାହିଁ।
DEU 22:7 ତୁମ୍ଭେ କୌଣସିମତେ ପକ୍ଷିଣୀକୁ ଛାଡ଼ିଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ।
DEU 22:8 ତୁମ୍ଭେ ନୂତନ ଗୃହ ନିର୍ମାଣ କଲେ, ତହିଁର ଛାତରେ ଲୁହାର ବାଡ଼ ପ୍ରସ୍ତୁତ କରିବ, ଯେପରି ତହିଁ ଉପରୁ କୌଣସି ମନୁଷ୍ୟ ପଡ଼ିଗଲେ, ତୁମ୍ଭେ ଆପଣା ଗୃହ ଉପରେ ରକ୍ତପାତର ଅପରାଧ ବର୍ତ୍ତାଇବ ନାହିଁ।
DEU 22:9 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; ତାହା କଲେ ତୁମ୍ଭ ବୁଣା ବୀଜ ଓ ଦ୍ରାକ୍ଷାକ୍ଷେତ୍ରର ସମୁଦାୟ ଫଳ ଜବତ ରୂପେ ନିଆଯିବ ନାହିଁ।
DEU 22:10 ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଚି ଚାଷ କରିବ ନାହିଁ।
DEU 22:11 ତୁମ୍ଭେ ଲୋମ ଓ ମସିନା କୌଣସି ମିଶ୍ରିତ ସୂତ୍ରନିର୍ମିତ ବସ୍ତ୍ର ପିନ୍ଧିବ ନାହିଁ।
DEU 22:12 ତୁମ୍ଭେ ଆପଣା ଶରୀରର ଉତ୍ତରୀୟ ବସ୍ତ୍ରର ଚାରି ଅଞ୍ଚଳରେ ଝୁମ୍ପା ବନାଇବ।
DEU 22:13 କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ତାହାର ସହବାସ କଲା ଉତ୍ତାରେ ଯଦି ତାହାକୁ ଘୃଣା କରେ
DEU 22:14 ଓ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତାହାର ଦୁର୍ନାମ କରି କହେ କି, “ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ, ମାତ୍ର ସହବାସ ସମୟରେ ଏହାର କୌମାର୍ଯ୍ୟର ଲକ୍ଷଣ ପାଇଲୁ ନାହିଁ;”
DEU 22:15 ତେବେ ସେହି କନ୍ୟାର ପିତାମାତା ତାହାର କୌମାର୍ଯ୍ୟର ଚିହ୍ନ ନେଇ ନଗର-ଦ୍ୱାରରେ ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ଆଣିବେ।
DEU 22:16 ତହୁଁ ସେହି କନ୍ୟାର ପିତା ପ୍ରାଚୀନବର୍ଗଙ୍କୁ କହିବ, “ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ;
DEU 22:17 ମାତ୍ର ସେ ତାହାକୁ ଘୃଣା କରେ ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରି କହେ କି, ‘ଆମ୍ଭେ ତୁମ୍ଭ କନ୍ୟାର କୌମାର୍ଯ୍ୟ ଲକ୍ଷଣ ପାଇଲୁ ନାହିଁ;’ ମାତ୍ର ଆମ୍ଭ କନ୍ୟାର କୌମାର୍ଯ୍ୟ ଚିହ୍ନ ଏହି;” ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ।
DEU 22:18 ଏଉତ୍ତାରୁ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ।
DEU 22:19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ଡ କରି କନ୍ୟାର ପିତାକୁ ଦେବେ, କାରଣ ସେ ଇସ୍ରାଏଲୀୟା ଏକ କନ୍ୟା ଉପରେ ଦୁର୍ନାମ ଆଣିଅଛି; ତହିଁରେ ସେ ତାହାର ଭାର୍ଯ୍ୟା ହେବ, ସେ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
DEU 22:20 ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ;
DEU 22:21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ୱାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 22:22 ଯଦି କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ ସମୟରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ। ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 22:23 ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍‍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ;
DEU 22:24 ତେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗର-ଦ୍ୱାର ନିକଟକୁ ଆଣି ପ୍ରସ୍ତରାଘାତ କରି ବଧ କରିବ; କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ; ପୁଣି ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 22:25 ମାତ୍ର ଯଦି କୌଣସି ପୁରୁଷ ବାଗ୍‍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ;
DEU 22:26 ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ; ସେହି କନ୍ୟାଠାରେ ପ୍ରାଣଦଣ୍ଡ ଯୋଗ୍ୟ ପାପ ନାହିଁ; କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏହି କଥା ସେହିପରି ଅଟେ।
DEU 22:27 ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା ସେହି ବାଗ୍‍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନ ଥିଲା।
DEU 22:28 ଯେବେ କୌଣସି ପୁରୁଷ ଅବାଗ୍‍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରାପଡ଼ନ୍ତି,
DEU 22:29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଚାଶ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ; ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
DEU 22:30 କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ କରିବ ନାହିଁ।
DEU 23:1 ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
DEU 23:2 ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
DEU 23:3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
DEU 23:4 କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନ ଓ ଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଅଭିଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଅରାମନହରୟିମ୍‍ସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମ୍‍କୁ ବେତନ ଦେଲେ।
DEU 23:5 ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲୀୟମ୍‍ର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
DEU 23:6 ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
DEU 23:7 ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ।
DEU 23:8 ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ।
DEU 23:9 ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ।
DEU 23:10 ତୁମ୍ଭମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
DEU 23:11 ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
DEU 23:12 ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ;
DEU 23:13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ।
DEU 23:14 କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ।
DEU 23:15 ଯେଉଁ ଦାସ ଆପଣା ସ୍ୱାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ୱାମୀ ହସ୍ତରେ ସମର୍ପଣ କରିବ ନାହିଁ।
DEU 23:16 ସେ ତୁମ୍ଭର କୌଣସି ଏକ ନଗର-ଦ୍ୱାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଅତ୍ୟାଚାର କରିବ ନାହିଁ।
DEU 23:17 ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟାବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ।
DEU 23:18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।
DEU 23:19 ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେକୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ।
DEU 23:20 ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
DEU 23:21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ବ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ।
DEU 23:22 ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ।
DEU 23:23 ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ।
DEU 23:24 ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ।
DEU 23:25 ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ଡାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ।
DEU 24:1 କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ।
DEU 24:2 ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରିଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ।
DEU 24:3 ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ;
DEU 24:4 ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।
DEU 24:5 କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।
DEU 24:6 କେହି ଚକି ବା ଚକିର ଉପର-ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
DEU 24:7 କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
DEU 24:8 କୁଷ୍ଠରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।
DEU 24:9 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର।
DEU 24:10 ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ।
DEU 24:11 ତୁମ୍ଭେ ବାହାରେ ଠିଆ ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକି ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ।
DEU 24:12 ପୁଣି ସେ ଯେବେ ଦୁଃଖୀଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକି ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ।
DEU 24:13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକି ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
DEU 24:14 ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ୱାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବେତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ।
DEU 24:15 ତାହାରି ଦିନରେ ତାହାକୁ ତାହାର ବେତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀଲୋକ, ତହିଁ ଉପରେ ତାହାର ମନ ଥାଏ କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
DEU 24:16 ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ଡ ଭୋଗ କରିବ।
DEU 24:17 ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
DEU 24:18 ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
DEU 24:19 ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 24:20 ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ତୋଳିବା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
DEU 24:21 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
DEU 24:22 ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
DEU 25:1 ମନୁଷ୍ୟମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲେ, ଯଦି ସେମାନେ ବିଚାରାର୍ଥେ ଆସନ୍ତି ଓ ବିଚାରକର୍ତ୍ତାମାନେ ସେମାନଙ୍କ ବିଚାର କରନ୍ତି; ତେବେ ସେମାନେ ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଓ ଦୋଷୀକୁ ଦୋଷୀ କରିବେ।
DEU 25:2 ପୁଣି ଯଦି ଦୋଷୀ ଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଚାରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ।
DEU 25:3 ସେ ତାହାକୁ ଚାଳିଶ ପ୍ରହାର ଦେଇ ପାରିବ, ତହିଁରୁ ବଢ଼ିବ ନାହିଁ; ନୋହିଲେ, ଯେବେ ତାହା ବଢ଼େ ଓ ତହିଁରୁ ବହୁତ ପ୍ରହାର କରେ, ତେବେ ତୁମ୍ଭ ଭାଇ ତୁମ୍ଭ ଦୃଷ୍ଟିରେ ତୁଚ୍ଛଯୋଗ୍ୟ ହେବ।
DEU 25:4 ବଳଦ ବେଙ୍ଗଳାରେ ବୁଲିଲା ବେଳେ ତୁମ୍ଭେ ତାହାର ତୁଣ୍ଡି ବାନ୍ଧିବ ନାହିଁ।
DEU 25:5 ଭାଇମାନେ ଏକତ୍ର ବାସ କରୁଥିଲେ, ଯେବେ ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ଭାର୍ଯ୍ୟା ବାହାରର ଅନ୍ୟ ପୁରୁଷକୁ ବିବାହ କରିବ ନାହିଁ; ତାହାର ଦିଅର ତାହାକୁ ବିବାହ କରି ତାହାର ସହବାସ କରିବ ଓ ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବ।
DEU 25:6 ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତାହାର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ; ତହିଁରେ ତାହାର ନାମ ଇସ୍ରାଏଲ ମଧ୍ୟରୁ ଲୁପ୍ତ ହେବ ନାହିଁ।
DEU 25:7 ଆଉ ସେହି ପୁରୁଷ ଯଦି ଆପଣା ଭ୍ରାତୃର ଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗର-ଦ୍ୱାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, “ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।”
DEU 25:8 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ; ତହିଁରେ ଯେବେ ସେ ଠିଆ ହୋଇ କହେ ଯେ, “ତାହାକୁ ଗ୍ରହଣ କରିବାକୁ ମୋʼ ର ଇଚ୍ଛା ନାହିଁ;”
DEU 25:9 ତେବେ ତାହାର ଭ୍ରାତୃର ଭାର୍ଯ୍ୟା ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁଖରେ ଛେପ ପକାଇବ; ପୁଣି ପ୍ରତ୍ୟୁତ୍ତର କରି କହିବ, ଯେକେହି ଆପଣା ଭାଇର ଘର ନ ତୋଳେ, ତାହା ପ୍ରତି ଏହିରୂପ କରାଯିବ।
DEU 25:10 ଆଉ ଇସ୍ରାଏଲ ମଧ୍ୟରେ “ସେ ଚ୍ୟୁତପାଦୁକ ବଂଶ ବୋଲି ବିଖ୍ୟାତ ହେବ।”
DEU 25:11 ପୁରୁଷମାନେ ପରସ୍ପର ବିରୋଧ କଲେ, ସେମାନଙ୍କ ମଧ୍ୟରୁ କାହାରି ଭାର୍ଯ୍ୟା ଯଦି ପ୍ରହାରକ ହସ୍ତରୁ ଆପଣା ସ୍ୱାମୀକୁ ରକ୍ଷା କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାରକର ଗୁପ୍ତାଙ୍ଗ ଧରେ,
DEU 25:12 ତେବେ ତୁମ୍ଭେ ତାହାର ହସ୍ତ କାଟି ପକାଇବ; ତୁମ୍ଭ ଚକ୍ଷୁ ତାହାକୁ ଦୟା କରିବ ନାହିଁ।
DEU 25:13 ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ।
DEU 25:14 ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ।
DEU 25:15 ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ, ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ।
DEU 25:16 କାରଣ ଯେଉଁମାନେ ଏପରି ଅଧର୍ମ କର୍ମ କରନ୍ତି, ସେହି ସମସ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ।
DEU 25:17 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତୁମ୍ଭକୁ ଯାହା କଲା;
DEU 25:18 ତୁମ୍ଭେ ଶ୍ରାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚାତ୍‍ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ; ଏହା ସ୍ମରଣ କର।
DEU 25:19 ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଚିହ୍ନ ଲୋପ କରିବ; ତୁମ୍ଭେ ପାସୋରିବ ନାହିଁ।
DEU 26:1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ସେହି ଦେଶରେ ଉପସ୍ଥିତ ହୋଇ ତାହା ଅଧିକାର କରି ବାସ କଲେ;
DEU 26:2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶର ଭୂମିଜାତ ସମସ୍ତ ପ୍ରଥମ ଫଳରୁ କିଛି କିଛି ରଖିବ ଓ ଚାଙ୍ଗୁଡ଼ିରେ ତାହା ନେଇ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ଗମନ କରିବ।
DEU 26:3 ପୁଣି ତୁମ୍ଭେ ତତ୍କାଳୀନ ଯାଜକ ନିକଟକୁ ଯାଇ ତାହାକୁ କହିବ, “ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ଉପସ୍ଥିତ ହୋଇଅଛୁ, ଏହା ଆଜି ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ପ୍ରକାଶ କରୁଅଛୁ।”
DEU 26:4 ତହୁଁ ଯାଜକ ତୁମ୍ଭ ହସ୍ତରୁ ସେହି ଚାଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ।
DEU 26:5 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ, “ଏକ ଜଣ ଭ୍ରମଣକାରୀ ଅରାମୀୟ ଲୋକ ଆମ୍ଭର ପିତା ଥିଲା ଓ ସେ ଅଳ୍ପସଂଖ୍ୟକ ହୋଇ ମିସରକୁ ଯାଇ ପ୍ରବାସ କଲା; ପୁଣି ସେ ସ୍ଥାନରେ ସେ ମହାନ, ବଳବାନ ଓ ବହୁସଂଖ୍ୟକ ଏକ ଗୋଷ୍ଠୀ ହୋଇ ଉଠିଲା।
DEU 26:6 ତହିଁରେ ମିସରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କ୍ଳେଶ ଦେଇ କଠିନ ଦାସତ୍ୱ କରାଇଲେ।
DEU 26:7 ତହୁଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ଡାକ ପକାଇଲୁ, ଆଉ ସଦାପ୍ରଭୁ ଆମ୍ଭମାନଙ୍କ ରବ ଶୁଣିଲେ ଓ ଆମ୍ଭମାନଙ୍କ କ୍ଳେଶ, ଶ୍ରମ ଓ ଅତ୍ୟାଚାର ଦେଖିଲେ।
DEU 26:8 ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା, ବିସ୍ତୀର୍ଣ୍ଣ ବାହୁ ଦ୍ୱାରା, ମହାଭୟ ଓ ନାନା ଚିହ୍ନ ପୁଣି ଆଶ୍ଚର୍ଯ୍ୟକର୍ମ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।
DEU 26:9 ଆଉ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଓ ଏହି ଦେଶ, ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଅଛନ୍ତି।
DEU 26:10 ଏବେ, ହେ ସଦାପ୍ରଭୋ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ।
DEU 26:11 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁ ଯେଉଁ ମଙ୍ଗଳ କରିଅଛନ୍ତି, ସେହି ସବୁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ, ତୁମ୍ଭେ ସମସ୍ତେ ଆନନ୍ଦ କରିବ।
DEU 26:12 ତୃତୀୟ ବର୍ଷରେ, ଅର୍ଥାତ୍‍, ଦଶମାଂଶ-ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟାଦିର ଦଶମାଂଶ ଦେବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ଲେବୀୟକୁ, ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ତାହା ଦେବ, ତହିଁରେ ସେମାନେ ତୁମ୍ଭ ନଗର-ଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ।
DEU 26:13 ତହୁଁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଏହା କହିବ, ମୋʼ ପ୍ରତି ତୁମ୍ଭର ସମସ୍ତ ଆଜ୍ଞାନୁସାରେ “ମୁଁ ଆପଣା ଗୃହରୁ ପବିତ୍ର ବସ୍ତୁ ବାହାର କରି ପୃଥକ ରଖିଅଛି, ମଧ୍ୟ ଲେବୀୟକୁ ଓ ବିଦେଶୀକୁ, ପିତୃହୀନକୁ ଓ ବିଧବାକୁ ଦେଇଅଛି; ମୁଁ ତୁମ୍ଭର କୌଣସି ଆଜ୍ଞାଲଙ୍ଘନ କରି ନାହିଁ, କିଅବା ତାହା ପାସୋରି ନାହିଁ।
DEU 26:14 ମୁଁ ଆପଣା ଶୋକ ସମୟରେ ତହିଁରୁ କିଛି ଭୋଜନ କରି ନାହିଁ, ଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ, କିଅବା ମୃତ ଲୋକ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ କରିଅଛି, ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେହି ସମସ୍ତ ମୁଁ କରିଅଛି।
DEU 26:15 ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର, ପୁଣି ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆଶୀର୍ବାଦ କର।”
DEU 26:16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉଅଛନ୍ତି; ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାସବୁ ମାନିବ ଓ କରିବ,
DEU 26:17 ତୁମ୍ଭେ ଆଜି ସ୍ୱୀକାର କରିଅଛ ଯେ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଚାଲିବ ଓ ତାହାଙ୍କ ବିଧି, ଆଜ୍ଞା ଓ ଶାସନ ମାନିବ ଓ ତାହାଙ୍କ ରବରେ କର୍ଣ୍ଣପାତ କରିବ।
DEU 26:18 ପୁଣି ସଦାପ୍ରଭୁ ଆଜି ଏହି ଅଙ୍ଗୀକାର କରିଅଛନ୍ତି ଯେ, ତାହାଙ୍କ ପ୍ରତିଜ୍ଞାନୁସାରେ ତୁମ୍ଭେ ତାହାଙ୍କର ସଞ୍ଚିତ ଧନ ହେବ ଓ ତାହାଙ୍କର ସମସ୍ତ ଆଜ୍ଞା ମାନିବ;
DEU 26:19 ପୁଣି ସେ ତୁମ୍ଭକୁ ପ୍ରଶଂସାରେ, ନାମରେ ଓ ସମ୍ମାନରେ ଆପଣାର ସୃଷ୍ଟ ସମସ୍ତ ଦେଶୀୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ କରିବେ, ଆଉ ତୁମ୍ଭେ ତାହାଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ।
DEU 27:1 ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।
DEU 27:2 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
DEU 27:3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
DEU 27:4 ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଏବଲ ପର୍ବତରେ ସେହି ପ୍ରସ୍ତରସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
DEU 27:5 ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି, ଅର୍ଥାତ୍‍, ପ୍ରସ୍ତରର ଏକ ଯଜ୍ଞବେଦି ନିର୍ମାଣ କରିବ; ସେହି ସବୁ ପ୍ରସ୍ତର ଉପରେ ଲୌହ ଅସ୍ତ୍ର ଉଞ୍ଚାଇବ ନାହିଁ।
DEU 27:6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦି ଅଚଞ୍ଛା ପ୍ରସ୍ତରରେ ନିର୍ମାଣ କରିବ ଓ ତୁମ୍ଭେ ତହିଁ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ;
DEU 27:7 ଆଉ ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
DEU 27:8 ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ।”
DEU 27:9 ଏଉତ୍ତାରେ ମୋଶା ଓ ଲେବୀୟ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଲୋକ ହେଲ।
DEU 27:10 ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।”
DEU 27:11 ସେହି ଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ,
DEU 27:12 ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର, ଯୋଷେଫ ଓ ବିନ୍ୟାମୀନ୍, ଏସବୁ (ବଂଶ) ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିଷୀମ ପର୍ବତରେ ଠିଆ ହେବେ।
DEU 27:13 ପୁଣି ରୁବେନ୍‍ ଓ ଗାଦ୍‍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
DEU 27:14 ଆଉ ଲେବୀୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
DEU 27:15 “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, “ଆମେନ୍‍” (ଏହିପରି ହେଉ)।
DEU 27:16 “ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:17 “ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:18 “ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:19 “ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:20 “ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧିକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:21 “ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:22 “ଯେକେହି ଆପଣା ଭଗିନୀ, ଅର୍ଥାତ୍‍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:23 “ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:24 “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:25 “ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 27:26 “ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
DEU 28:1 ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।
DEU 28:2 ଯଦି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।
DEU 28:3 ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।
DEU 28:4 ତୁମ୍ଭ ଶରୀରର ଫଳ, ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍‍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।
DEU 28:5 ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ।
DEU 28:6 ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ।
DEU 28:7 ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।
DEU 28:8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେଉଁ ଯେଉଁ କର୍ମରେ ତୁମ୍ଭେ ହସ୍ତ ଦେବ, ସେହି ସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।
DEU 28:9 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ।
DEU 28:10 ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ।
DEU 28:11 ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁମାନଙ୍କୁ ଫଳ ଦେଇ ଓ ତୁମ୍ଭ ଭୂମିରୁ ଫଳ ଦେଇ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ।
DEU 28:12 ସଦାପ୍ରଭୁ ଯଥା ସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେ; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।
DEU 28:13 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ଯଦି ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଯେଉଁ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ,
DEU 28:14 ତେବେ ସଦାପ୍ରଭୁ ତୁମ୍ଭକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ; ତୁମ୍ଭେ କେବଳ ଉପରିସ୍ଥ ହେବ, ପୁଣି ନୀଚସ୍ଥ ହେବ ନାହିଁ।
DEU 28:15 ମାତ୍ର ମୁଁ ଆଜି ତୁମ୍ଭକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ।
DEU 28:16 ତୁମ୍ଭେ ନଗରରେ ଶାପଗ୍ରସ୍ତ ହେବ ଓ କ୍ଷେତ୍ରରେ ଶାପଗ୍ରସ୍ତ ହେବ।
DEU 28:17 ତୁମ୍ଭର ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଶାପଗ୍ରସ୍ତ ହେବ।
DEU 28:18 ତୁମ୍ଭ ଔରସର ସନ୍ତାନ, ଭୂମିର ଫଳ, ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ;
DEU 28:19 ତୁମ୍ଭେ ଗୃହକୁ ଆସିବା ବେଳେ ଶାପଗ୍ରସ୍ତ ହେବ ଓ ତୁମ୍ଭେ ଗୃହରୁ ବାହାରକୁ ଯିବା ବେଳେ ଶାପଗ୍ରସ୍ତ ହେବ।
DEU 28:20 ତୁମ୍ଭେ ଆପଣାର ଯେଉଁ ମନ୍ଦ କର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁ ତୁମ୍ଭର ସଂହାର ଓ ଶୀଘ୍ର ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭର୍ତ୍ସନା ପଠାଇବେ।
DEU 28:21 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେଠାରୁ ତୁମ୍ଭେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ।
DEU 28:22 ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଖଡ୍ଗ ଓ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭକୁ ଆଘାତ କରିବେ; ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେହି ସବୁ ତୁମ୍ଭର ପଶ୍ଚାତ୍‍ଗାମୀ ହେବେ।
DEU 28:23 ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ।
DEU 28:24 ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ।
DEU 28:25 ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ସମ୍ମୁଖରୁ ପଳାଇବ; ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।
DEU 28:26 ଆଉ ତୁମ୍ଭ ଶବ ଖଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଭକ୍ଷ୍ୟ ହେବ; କେହି ସେମାନଙ୍କୁ ଅଡ଼ାଇ ଦେବାକୁ ନ ଥିବ।
DEU 28:27 ସଦାପ୍ରଭୁ ତୁମ୍ଭକୁ ମିସରୀୟ ବଥ ଓ ଅର୍ଶ ଓ ଜାଦୁ ଓ କୁଣ୍ଡିଆ ଦ୍ୱାରା ଆଘାତ କରିବେ, ଏହିସବୁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
DEU 28:28 ସଦାପ୍ରଭୁ ତୁମ୍ଭକୁ ଉନ୍ମାଦ ଓ ଅନ୍ଧତା ଓ ଚିତ୍ତର ସ୍ତବ୍ଧତା ଦ୍ୱାରା ଆଘାତ କରିବେ।
DEU 28:29 ତହିଁରେ ଅନ୍ଧ ଅନ୍ଧକାରରେ ଦରାଣ୍ଡି ହେଲା ପରି ତୁମ୍ଭେ ମଧ୍ୟାହ୍ନ ସମୟରେ ଦରାଣ୍ଡି ବୁଲିବ ଓ ତୁମ୍ଭେ ଆପଣା ପଥରେ କୃତକାର୍ଯ୍ୟ ହେବ ନାହିଁ; ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ ଅପହୃତ ହେବ, କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବ।
DEU 28:30 ତୁମ୍ଭେ କନ୍ୟା ସଙ୍ଗେ ବିବାହ ନିର୍ବନ୍ଧ କରିବ, ମାତ୍ର ଅନ୍ୟ ପୁରୁଷ ତାହାର ସହବାସ କରିବ; ତୁମ୍ଭେ ଗୃହ ନିର୍ମାଣ କରିବ, ମାତ୍ର ତୁମ୍ଭେ ତହିଁରେ ବାସ କରି ପାରିବ ନାହିଁ; ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ମାତ୍ର ତହିଁର ଫଳ ଭୋଗ କରି ପାରିବ ନାହିଁ,
DEU 28:31 ତୁମ୍ଭ ଗୋରୁ ତୁମ୍ଭ ଆଗରେ ହତ ହେବ, ମାତ୍ର ତୁମ୍ଭେ ତାହାର ମାଂସ ଭୋଜନ କରି ପାରିବ ନାହିଁ; ତୁମ୍ଭ ଗର୍ଦ୍ଦଭ ତୁମ୍ଭ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମ୍ଭକୁ ଫେରାଇ ଦିଆଯିବ ନାହିଁ; ତୁମ୍ଭ ମେଷ ତୁମ୍ଭ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମ୍ଭର ନ ଥିବ।
DEU 28:32 ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।
DEU 28:33 ତୁମ୍ଭର ଅଜ୍ଞାତ ଏକ ଗୋଷ୍ଠୀ ତୁମ୍ଭ ଭୂମିର ଓ ତୁମ୍ଭ ସକଳ ପରିଶ୍ରମର ଫଳ ଭୋଗ କରିବ; ପୁଣି ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଲେଶପ୍ରାପ୍ତ ହେବ।
DEU 28:34 ତୁମ୍ଭର ଚକ୍ଷୁ ଯାହା ଦେଖିବ, ତହିଁ ସକାଶୁ ତୁମ୍ଭେ ପାଗଳ ହେବ।
DEU 28:35 ସଦାପ୍ରଭୁ ତୁମ୍ଭର ଜାନୁ, ଜଙ୍ଘ ଓ ତଳିପାରୁ ମସ୍ତକ ପର୍ଯ୍ୟନ୍ତ ବ୍ୟଥାଦାୟୀ ବଥ ଦ୍ୱାରା ତୁମ୍ଭକୁ ଆଘାତ କରିବେ, ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।
DEU 28:36 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ, ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ଆଣିବେ, ସେଠାରେ ତୁମ୍ଭେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ।
DEU 28:37 ପୁଣି, ସଦାପ୍ରଭୁ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର, ଗଳ୍ପର ଓ ଉପହାସର ବିଷୟ ହେବ।
DEU 28:38 ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ; କାରଣ ପଙ୍ଗପାଳ ତାହା ଖାଇ ପକାଇବ।
DEU 28:39 ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ; କାରଣ ପୋକ ତାହା ଖାଇ ପକାଇବ।
DEU 28:40 ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ; କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।
DEU 28:41 ତୁମ୍ଭେ ପୁତ୍ର ଓ କନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ; କାରଣ ସେମାନେ ବନ୍ଦୀ ହୋଇଯିବେ।
DEU 28:42 ତୁମ୍ଭର ସମୁଦାୟ ବୃକ୍ଷ ଓ ଭୂମିର ଫଳ ପଙ୍ଗପାଳ ନଷ୍ଟ କରିବ।
DEU 28:43 ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀ ଲୋକ ତୁମ୍ଭଠାରୁ ଆହୁରି ଆହୁରି ଉପରକୁ ଉଠିବ, ମାତ୍ର ତୁମ୍ଭେ ଆହୁରି ଆହୁରି ତଳକୁ ଆସିବ।
DEU 28:44 ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ; ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।
DEU 28:45 ଆଉ ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ଏହିସବୁ ଅଭିଶାପ ତୁମ୍ଭ ଉପରକୁ ଆସିବ, ତୁମ୍ଭ ପଛେ ପଛେ ଗୋଡ଼ାଇବ ଓ ତୁମ୍ଭ ସଙ୍ଗ ଧରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କଲେ, ତାହା ପାଳନ କରିବା ପାଇଁ ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
DEU 28:46 ଆଉ ସେହି ସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ;
DEU 28:47 କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ହେଁ ଆନନ୍ଦରେ ଓ ପ୍ରଫୁଲ୍ଲ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ।
DEU 28:48 ଏହେତୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ, ତୃଷାରେ, ଉଲଙ୍ଗତାରେ ଓ ସର୍ବପ୍ରକାର ଅଭାବରେ ସେମାନଙ୍କର ଦାସ୍ୟକର୍ମ କରିବ; ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ପର୍ଯ୍ୟନ୍ତ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।
DEU 28:49 ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;
DEU 28:50 ସେହି ଗୋଷ୍ଠୀ ଭୟଙ୍କର ବଦନବିଶିଷ୍ଟ, ସେ ବୃଦ୍ଧର ମୁଖାପେକ୍ଷା କରିବ ନାହିଁ, କିଅବା ଯୁବାକୁ ଦୟା କରିବ ନାହିଁ।
DEU 28:51 ପୁଣି, ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଶାବକ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।
DEU 28:52 ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେଉଁ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ସମସ୍ତ ନଗର-ଦ୍ୱାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗର-ଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।
DEU 28:53 ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ବିପଦରେ ପକାଇବେ, ସେହି ସମୟରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।
DEU 28:54 ସେହି ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଲୋକ କୋମଳ ଓ ଅତି ସୁକୁମାର ଆପଣା ଭାଇ ପ୍ରତି ଓ ଆପଣା ବକ୍ଷଃସ୍ଥାୟିନୀ ଭାର୍ଯ୍ୟା ପ୍ରତି ଓ ଆପଣାର ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ,
DEU 28:55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକୁ କିଛି ଦେବ ନାହିଁ।
DEU 28:56 ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ୱାରମାନଙ୍କରେ ତୁମ୍ଭକୁ ଯେଉଁ ବିପଦରେ ପକାଇବ, ସେହି ବିପଦରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ସକାଶୁ ଆପଣା ତଳିପା ଭୂମିରେ ରଖିବାକୁ ସାହାସ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ;
DEU 28:57 ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ଜନ୍ମ କରିଥିବା ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ସକାଶୁ ସେ ସେମାନଙ୍କୁ ଗୋପନରେ ଖାଇବ।
DEU 28:58 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯଦି ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ;
DEU 28:59 ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ, ଅର୍ଥାତ୍‍, ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ।
DEU 28:60 ପୁଣି ତୁମ୍ଭେ ଯେଉଁ ମିସରୀୟ ମହାବ୍ୟାଧି ବିଷୟରେ ଭୀତ ହେଲ, ତାହାସବୁ ସେ ପୁନର୍ବାର ତୁମ୍ଭ ପ୍ରତି ଘଟାଇବେ; ତାହାସବୁ ତୁମ୍ଭଠାରେ ଲାଗି ରହିବ।
DEU 28:61 ମଧ୍ୟ ଏହି ବ୍ୟବସ୍ଥା-ପୁସ୍ତକରେ ଲେଖା ନ ଥିବା ସମସ୍ତ ରୋଗ ଓ ଆଘାତ ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପ୍ରତି ଘଟାଇବେ।
DEU 28:62 ତହିଁରେ ତୁମ୍ଭେମାନେ ବହୁସଂଖ୍ୟକ ସକାଶୁ ଆକାଶର ତାରାଗଣ ପରି ହେଲେ ମଧ୍ୟ ଅଳ୍ପସଂଖ୍ୟକ ହୋଇ ରହିବ; ଯେହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କଲ ନାହିଁ।
DEU 28:63 ଆହୁରି ଏହିପରି ଘଟିବ ଯେ, ତୁମ୍ଭମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ, ସେହିପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ। ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରୁ ଉତ୍ପାଟିତ ହେବ।
DEU 28:64 ପୁଣି, ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ; ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।
DEU 28:65 ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ; ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍‍କମ୍ପ, ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।
DEU 28:66 ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ ପୁଣି, ତୁମ୍ଭେ ରାତି ଓ ଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ;
DEU 28:67 ତୁମ୍ଭେ ଯେଉଁ ଆଶଙ୍କା କରିବ, ତୁମ୍ଭ ହୃଦୟର ସେହି ଆଶଙ୍କା ସକାଶୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ସକାଶୁ ସକାଳ ହେଲେ ତୁମ୍ଭେ କହିବ, ‘ଆହା, ସନ୍ଧ୍ୟା ହୁଅନ୍ତା କି!’ ପୁଣି ସନ୍ଧ୍ୟା ହେଲେ ତୁମ୍ଭେ କହିବ, ‘ଆହା, ସକାଳ ହୁଅନ୍ତା କି!’
DEU 28:68 ଆଉ ଯେଉଁ ପଥ ବିଷୟରେ ମୁଁ ତୁମ୍ଭକୁ କହିଲି ଯେ, ‘ତୁମ୍ଭେ ଆଉ ତାହା ଦେଖିବ ନାହିଁ,’ ସଦାପ୍ରଭୁ ସେହି ପଥ ଦେଇ ଜାହାଜରେ ପୁନର୍ବାର ମିସରକୁ ତୁମ୍ଭକୁ ଆଣିବେ; ପୁଣି, ସେଠାରେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ହସ୍ତରେ ଆପଣା ଆପଣାକୁ ଦାସ ଓ ଦାସୀ ରୂପେ ବିକିବ, ମାତ୍ର କେହି ତୁମ୍ଭମାନଙ୍କୁ କିଣିବ ନାହିଁ।”
DEU 29:1 ସଦାପ୍ରଭୁ ହୋରେବରେ ଇସ୍ରାଏଲ-ସନ୍ତାନଗଣ ସହିତ ଯେଉଁ ନିୟମ କରିଥିଲେ, ତାହା ଛଡ଼ା ମୋୟାବ ଦେଶରେ ସେମାନଙ୍କ ସହିତ ଯେଉଁ ନିୟମ କରିବାକୁ ମୋଶାଙ୍କୁ ଆଜ୍ଞା ଦେଲେ, ସେହି ନିୟମର କଥା ଏହି।
DEU 29:2 ଏଥିଉତ୍ତାରେ ମୋଶା ସମସ୍ତ ଇସ୍ରାଏଲଙ୍କୁ ଡାକି ସେମାନଙ୍କୁ କହିଲେ, ସଦାପ୍ରଭୁ ମିସର ଦେଶରେ ଫାରୋଙ୍କ ପ୍ରତି ଓ ତାଙ୍କ ସମସ୍ତ ଦାସ ପ୍ରତି ଓ ତାଙ୍କ ଦେଶ ପ୍ରତି ଯେଉଁସବୁ କର୍ମ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ କରିଥିଲେ, ତାହାସବୁ ତୁମ୍ଭେମାନେ ଦେଖିଅଛ,
DEU 29:3 ସେହି ମହା ମହା ପରଖ, ଚିହ୍ନ ଓ ମହତ୍ ଆଶ୍ଚର୍ଯ୍ୟ-କର୍ମସକଳ ତୁମ୍ଭର ଚକ୍ଷୁ ଦେଖିଅଛି,
DEU 29:4 ମାତ୍ର ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ବୁଝିବା ପାଇଁ ହୃଦୟ ଓ ଦେଖିବା ପାଇଁ ଚକ୍ଷୁ ଓ ଶୁଣିବା ପାଇଁ କର୍ଣ୍ଣ ଦେଇ ନାହାନ୍ତି।
DEU 29:5 ପୁଣି, ଆମ୍ଭେ ଏହି ପ୍ରାନ୍ତରରେ ଚାଳିଶ ବର୍ଷ କାଳ ତୁମ୍ଭମାନଙ୍କୁ ଗମନ କରାଇଅଛୁ; ତୁମ୍ଭମାନଙ୍କ ବସ୍ତ୍ର ତୁମ୍ଭମାନଙ୍କ ଶରୀରରେ ଅଭାବ ହୋଇ ନାହିଁ ଓ ତୁମ୍ଭ ପାଦୁକା ତୁମ୍ଭ ପାଦରେ ନଷ୍ଟ ହୋଇ ନାହିଁ।
DEU 29:6 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭେମାନେ ରୁଟି ଭୋଜନ କରି ନାହଁ, କିଅବା ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହଁ।
DEU 29:7 ଆଉ ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହେଲ, ସେତେବେଳେ ହିଷ୍‍ବୋନର ରାଜା ସୀହୋନ ଓ ବାଶନର ରାଜା ଓଗ୍‍ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାର ହେଲେ, ତହୁଁ ଆମ୍ଭେମାନେ ସେମାନଙ୍କୁ ସଂହାର କଲୁ।
DEU 29:8 ପୁଣି, ଆମ୍ଭେମାନେ ସେମାନଙ୍କ ଦେଶ ନେଇ ଅଧିକାର କରିବା ନିମନ୍ତେ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲୁ।
DEU 29:9 ଏନିମନ୍ତେ ତୁମ୍ଭେମାନେ ଏହି ନିୟମର ସକଳ ବାକ୍ୟ ମାନି ପାଳନ କର, ତହିଁରେ ତୁମ୍ଭେମାନେ ଯାହା ଯାହା କରିବ, ସେହି ସବୁରେ କୁଶଳତା ପ୍ରାପ୍ତ ହେବ।
DEU 29:10 ସଦାପ୍ରଭୁ ତୁମ୍ଭକୁ ଯେପରି କହିଅଛନ୍ତି ଓ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପ୍ରତି ଯେପରି ଶପଥ କରିଅଛନ୍ତି, ତଦନୁସାରେ ସେ ଯେପରି ଆଜି ତୁମ୍ଭକୁ ଆପଣା ଲୋକ ରୂପେ ସ୍ଥାପନ କରନ୍ତି ଓ ତୁମ୍ଭର ପରମେଶ୍ୱର ହୁଅନ୍ତି;
DEU 29:11 ପୁଣି, ଯେଉଁ ନିୟମ ଓ ଯେଉଁ ଶପଥ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭ ସଙ୍ଗେ ସ୍ଥିର କରିବେ, ତୁମ୍ଭେ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସହିତ ତାହା ସ୍ଥିର କରିବ,
DEU 29:12 ଏଥିପାଇଁ ତୁମ୍ଭମାନଙ୍କ ପ୍ରଧାନମାନେ, ତୁମ୍ଭମାନଙ୍କ ବଂଶସମୂହ, ତୁମ୍ଭମାନଙ୍କ ପ୍ରାଚୀନଗଣ ଓ ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ, ଇସ୍ରାଏଲର ସମସ୍ତ ପୁରୁଷ, ତୁମ୍ଭମାନଙ୍କ ବାଳକଗଣ, ତୁମ୍ଭମାନଙ୍କ ଭାର୍ଯ୍ୟାଗଣ
DEU 29:13 ଓ ତୁମ୍ଭ ଛାଉଣିରେ ଥିବା ବିଦେଶୀ, ତୁମ୍ଭ କାଠକଟାଳୀଠାରୁ ତୁମ୍ଭ ଜଳକଢ଼ାଳୀ ପର୍ଯ୍ୟନ୍ତ, ଏପରି ତୁମ୍ଭେ ସମସ୍ତେ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେଉଅଛ।
DEU 29:14 ଆଉ ମୁଁ ଏହି ନିୟମ ଓ ଶପଥ କେବଳ ତୁମ୍ଭମାନଙ୍କ ସହିତ କରୁ ନାହିଁ;
DEU 29:15 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କ ସଙ୍ଗେ ଆଜି ଏଠାରେ ଯେଉଁ ଲୋକ ଛିଡ଼ା ହେଉଅଛି, ଆଉ ମଧ୍ୟ ଯେଉଁ ଲୋକ ଏଠାରେ ନାହିଁ, (ସେ ସମସ୍ତଙ୍କ ସଙ୍ଗେ ମୁଁ ଏହି ନିୟମ କରୁଅଛି)।
DEU 29:16 କାରଣ ଆମ୍ଭେମାନେ ମିସର ଦେଶରେ ଯେପରି ବାସ କଲୁ, ଆଉ ତୁମ୍ଭେମାନେ ଯେଉଁ ଦେଶୀୟ ଲୋକମାନଙ୍କୁ ପାର ହୋଇ ଆସିଅଛ, ସେମାନଙ୍କ ମଧ୍ୟଦେଇ ଆମ୍ଭେମାନେ ଯେପରି ଆସିଲୁ, ତାହା ତୁମ୍ଭେମାନେ ଜାଣ;
DEU 29:17 ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ, ସେମାନଙ୍କ କାଠ ଓ ପଥର ଓ ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ।
DEU 29:18 ଏନିମନ୍ତେ ସାବଧାନ, ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, କି ପରିବାର, କି ବଂଶ ଯେପରି ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେପରି ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ;
DEU 29:19 ଆଉ କେହି ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟର କଠିନତା ଅନୁସାରେ ଚଳିଲେ ମଧ୍ୟ ଆମ୍ଭର ମଙ୍ଗଳ ହେବ।
DEU 29:20 ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ, ମାତ୍ର ତତ୍‍କ୍ଷଣେ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ, ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ତାହା ପାଇଁ ଛକି ରହିବ, ଆଉ ସଦାପ୍ରଭୁ ଆକାଶମଣ୍ଡଳ ତଳୁ ତାହାର ନାମ ଲୋପ କରିବେ।
DEU 29:21 ପୁଣି ଏହି ବ୍ୟବସ୍ଥା ପୁସ୍ତକର ଲିଖିତ ନିୟମର ସମସ୍ତ ଅଭିଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
DEU 29:22 ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;
DEU 29:23 ଅର୍ଥାତ୍‍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
DEU 29:24 ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, “ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ?”
DEU 29:25 ତହିଁରେ ଲୋକମାନେ କହିବେ, “ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିସର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହା ସେମାନେ ତ୍ୟାଗ କରିଅଛନ୍ତି।
DEU 29:26 ସେ ଯେଉଁ ଦେବତାମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କ ଦୃଷ୍ଟିରେ ଯେଉଁ ଦେବତାମାନେ ଅଜଣା ଥିଲେ, ସେମାନେ ଯାଇ ସେହି ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ।
DEU 29:27 ଏହେତୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
DEU 29:28 ପୁଣି, ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ଡତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ଆଜିର ପରି ଅନ୍ୟ ଦେଶରେ ସେମାନଙ୍କୁ ନିକ୍ଷେପ କଲେ।”
DEU 29:29 ଗୁପ୍ତ ବିଷୟସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।
DEU 30:1 ମୁଁ ତୁମ୍ଭ ସମ୍ମୁଖରେ ଏହି ଯେଉଁ ଆଶୀର୍ବାଦ ଓ ଅଭିଶାପ ଥୋଇଲି, ସେହି ସବୁ ଯେତେବେଳେ ତୁମ୍ଭ ପ୍ରତି ଘଟିବ, ସେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟକୁ ତୁମ୍ଭକୁ ତଡ଼ି ଦେଇଅଛନ୍ତି, ସେମାନଙ୍କ ମଧ୍ୟରେ ଥାଇ ଯେବେ ତୁମ୍ଭେ ସେହି ସବୁ ସ୍ମରଣ କରିବ;
DEU 30:2 ଆଉ ତୁମ୍ଭେ ଓ ତୁମ୍ଭ ସନ୍ତାନଗଣ ଯେବେ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବ ଓ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା ଦେଉଅଛି, ତଦନୁସାରେ ଯେବେ ତାହାଙ୍କ ରବରେ ଅବଧାନ କରିବ;
DEU 30:3 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରିଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।
DEU 30:4 ଯଦି ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ଡଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେଠାରୁ ମଧ୍ୟ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ।
DEU 30:5 ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ।
DEU 30:6 ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।
DEU 30:7 ଆଉ ଯେଉଁମାନେ ତୁମ୍ଭକୁ ତାଡ଼ନା କଲେ, ତୁମ୍ଭର ସେହି ଶତ୍ରୁ ଓ ଘୃଣାକାରୀମାନଙ୍କ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହିସବୁ ଅଭିଶାପ ବର୍ତ୍ତାଇବେ।
DEU 30:8 ଆଉ ତୁମ୍ଭେ ଫେରିଆସି ସଦାପ୍ରଭୁଙ୍କ ରବରେ ଅବଧାନ କରିବ ଓ ମୁଁ ଆଜି ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ତାହାସବୁ ପାଳନ କରିବ।
DEU 30:9 ଯେବେ ତୁମ୍ଭେ ଏହି ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଓ ବିଧିସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ; ଯେବେ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ଆପଣା ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ଫେରିବ;
DEU 30:10 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିର ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ।
DEU 30:11 ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ କିଅବା ଦୂରବର୍ତ୍ତୀ ନୁହେଁ।
DEU 30:12 ତାହା ସ୍ୱର୍ଗରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଯାଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?
DEU 30:13 କିଅବା ତାହା ସମୁଦ୍ର ସେପାରିରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସମୁଦ୍ର ପାର ହୋଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?
DEU 30:14 ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି।
DEU 30:15 ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।
DEU 30:16 ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା, ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି, ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
DEU 30:17 ମାତ୍ର ଯଦି ତୁମ୍ଭର ହୃଦୟ ବିମୁଖ ହେବ ଓ ତୁମ୍ଭେ ଶୁଣିବ ନାହିଁ, ମାତ୍ର ଭ୍ରାନ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କରିବ ଓ ସେମାନଙ୍କୁ ସେବା କରିବ;
DEU 30:18 ତେବେ ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରୁଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବା ପାଇଁ ଯର୍ଦ୍ଦନ ପାର ହୋଇ ଯାଉଅଛ, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ନାହିଁ।
DEU 30:19 ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
DEU 30:20 ଅର୍ଥାତ୍‍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‌ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।
DEU 31:1 ଏଥିଉତ୍ତାରେ ମୋଶା ଯାଇ ସମୁଦାୟ ଇସ୍ରାଏଲକୁ ଏହି କଥା କହିଲେ।
DEU 31:2 ପୁଣି ସେ ସେମାନଙ୍କୁ କହିଲେ, “ଆଜି ମୋହର ବୟସ ଶହେ କୋଡ଼ିଏ ବର୍ଷ; ମୁଁ ଆଉ ବାହାରେ ଭିତରେ ଯାଇ ଆସି ପାରୁ ନାହିଁ, ଆଉ ସଦାପ୍ରଭୁ ମୋତେ କହିଅଛନ୍ତି, ‘ତୁମ୍ଭେ ଏହି ଯର୍ଦ୍ଦନ ପାର ହୋଇଯିବ ନାହିଁ।’
DEU 31:3 ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଆପେ ତୁମ୍ଭର ଅଗ୍ରଗାମୀ ହୋଇପାର ହୋଇଯିବେ; ସେ ତୁମ୍ଭ ସମ୍ମୁଖରୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ନାଶ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରିବ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯିହୋଶୂୟ ତୁମ୍ଭର ଅଗ୍ରଗାମୀ ହୋଇପାର ହେବେ।
DEU 31:4 ପୁଣି ସଦାପ୍ରଭୁ ଇମୋରୀୟମାନଙ୍କ ସୀହୋନ ଓ ଓଗ୍‍ ନାମକ ରାଜାମାନଙ୍କୁ ନାଶ କରି ସେମାନଙ୍କ ପ୍ରତି ଓ ସେମାନଙ୍କ ଦେଶ ପ୍ରତି ଯେରୂପ କଲେ, ଏମାନଙ୍କ ପ୍ରତି ସେରୂପ କରିବେ।
DEU 31:5 ପୁଣି, ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତହିଁରେ ମୁଁ ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ଆଦେଶ କରିଅଛି, ତଦନୁସାରେ ତୁମ୍ଭେମାନେ ସେମାନଙ୍କ ପ୍ରତି କରିବ।
DEU 31:6 ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ଭୟଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ହତାଶ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ।”
DEU 31:7 ଏଥିରେ ମୋଶା ଯିହୋଶୂୟଙ୍କୁ ଡାକି ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତାଙ୍କୁ କହିଲେ, “ବଳବାନ ଓ ସାହସିକ ହୁଅ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶକୁ ତୁମ୍ଭେ ଏହି ଲୋକଙ୍କ ସହିତ ଯିବ; ଆଉ ତୁମ୍ଭେ ସେମାନଙ୍କୁ ତାହା ଅଧିକାର କରାଇବ।
DEU 31:8 ପୁଣି, ସଦାପ୍ରଭୁ, ସେ ଆପେ ତୁମ୍ଭର ଅଗ୍ରଗାମୀ ହୋଇ ଗମନ କରୁଅଛନ୍ତି; ସେ ତୁମ୍ଭର ସଙ୍ଗୀ ହେବେ, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ତୁମ୍ଭକୁ ତ୍ୟାଗ କରିବେ ନାହିଁ; ଭୟ କର ନାହିଁ, କି ହତାଶ ହୁଅ ନାହିଁ।”
DEU 31:9 ଏଥିଉତ୍ତାରେ ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗଙ୍କଠାରେ ସମର୍ପଣ କଲେ।
DEU 31:10 ପୁଣି, ମୋଶା ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ କ୍ଷମା ବର୍ଷର ନିରୂପିତ ସମୟରେ, ପତ୍ରକୁଟୀର ପର୍ବରେ,
DEU 31:11 ଯେତେବେଳେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ, ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ।
DEU 31:12 ପୁଣି, ସେମାନେ ଯେପରି ତାହା ଶୁଣି ଶିକ୍ଷା ପାʼନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ୱାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ।
DEU 31:13 ତହିଁରେ ସେମାନଙ୍କ ଯେଉଁ ସନ୍ତାନଗଣ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେକାଳ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ଶିଖିବେ।”
DEU 31:14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭ ମରଣ ଦିନ ଆସି ପହଞ୍ଚିଲାଣି, ଯିହୋଶୂୟକୁ ଡାକ, ପୁଣି, ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ, ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।
DEU 31:15 ଏଥିରେ ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁଦ୍ୱାର ଉପରେ ସ୍ଥିର ହୋଇ ରହିଲା।
DEU 31:16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।
DEU 31:17 ସେସମୟରେ ସେମାନଙ୍କ ପ୍ରତିକୂଳରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ, ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ତହିଁରେ ସେମାନେ ଗ୍ରାସିତ ହେବେ ଓ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ; ତହୁଁ ସେହି ସମୟରେ ସେମାନେ କହିବେ, ‘ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ନ ଥିବାରୁ କି ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କୁ ଘଟୁ ନାହିଁ?’
DEU 31:18 ମାତ୍ର ସେମାନେ ଅନ୍ୟ ଦେବତାଗଣ ପ୍ରତି ଫେରି ଯେଉଁ ଯେଉଁ କୁକର୍ମ କରିବେ, ତହିଁ ନିମନ୍ତେ ସେହି ସମୟରେ ଆମ୍ଭେ ଅବଶ୍ୟ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା।
DEU 31:19 ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏହି ଗୀତ ଲେଖ ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ତାହା ଶିଖାଅ; ଆଉ ଏହି ଗୀତ ଯେପରି ଇସ୍ରାଏଲ-ସନ୍ତାନଗଣର ପ୍ରତିକୂଳରେ ଆମ୍ଭର ସାକ୍ଷୀ ହେବ, ଏଥିପାଇଁ ତାହା ସେମାନଙ୍କୁ ମୁଖସ୍ଥ କରାଅ।
DEU 31:20 କାରଣ ଆମ୍ଭେ ଯେଉଁ ଦେଶ ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛୁ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଗଲା ଉତ୍ତାରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତ ଓ ହୃଷ୍ଟପୁଷ୍ଟ ହେବେ, ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ଓ ଆମ୍ଭଙ୍କୁ ଅଗ୍ରାହ୍ୟ କରି ଆମ୍ଭ ନିୟମ ଲଙ୍ଘନ କରିବେ।
DEU 31:21 ତହିଁରେ ଯେତେବେଳେ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ, ସେତେବେଳେ ଏହି ଗୀତ ସାକ୍ଷୀ ସ୍ୱରୂପ ହୋଇ ସେମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବ; ଯେହେତୁ ସେମାନଙ୍କ ବଂଶର ମୁଖରୁ ଏହି ଗୀତ ବିସ୍ମୃତ ହେବ ନାହିଁ; ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ସେମାନଙ୍କୁ ଆଣିବା ପୂର୍ବେ ଏବେ ମଧ୍ୟ ସେମାନେ ଯେଉଁ କଳ୍ପନା କରୁଅଛନ୍ତି, ତାହା ଆମ୍ଭେ ଜାଣୁ।”
DEU 31:22 ଏଣୁ ମୋଶା ସେହି ଦିନ ଏହି ଗୀତ ଲେଖି ଇସ୍ରାଏଲ-ସନ୍ତାନଗଣକୁ ଶିଖାଇଲେ।
DEU 31:23 ପୁଣି, ସେ ନୂନର ପୁତ୍ର ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲେ, “ବଳବାନ ଓ ସାହସିକ ହୁଅ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ତୁମ୍ଭେ ସେମାନଙ୍କୁ ନେଇଯିବ, ଆଉ ଆମ୍ଭେ ତୁମ୍ଭର ସଙ୍ଗୀ ହେବା।”
DEU 31:24 ଏଥିଉତ୍ତାରେ ମୋଶା ସମାପ୍ତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସକଳ ବାକ୍ୟ ପୁସ୍ତକରେ ଲେଖି ସାରିଲା ଉତ୍ତାରେ
DEU 31:25 ମୋଶା ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟମାନଙ୍କୁ ଆଜ୍ଞା ଦେଇ କହିଲେ,
DEU 31:26 “ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ୱରୂପ ହୋଇ ରହିବ।
DEU 31:27 ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋʼ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ?
DEU 31:28 ତୁମ୍ଭେମାନେ ଆପଣା ଆପଣା ବଂଶର ପ୍ରାଚୀନବର୍ଗଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ମୋʼ ନିକଟରେ ଏକତ୍ର କର; ମୁଁ ସେମାନଙ୍କ କର୍ଣ୍ଣଗୋଚରରେ ଏହିସବୁ କଥା କହି ସେମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରିବି।
DEU 31:29 ଯେହେତୁ ମୋʼ ମରଣ ଉତ୍ତାରେ ତୁମ୍ଭେମାନେ ନିତାନ୍ତ ଭ୍ରଷ୍ଟ ହୋଇ ମୋହର ଆଜ୍ଞା-ପଥରୁ ବିମୁଖ ହେବ, ଏହା ମୁଁ ଜାଣେ ତୁମ୍ଭେମାନେ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ସାକ୍ଷାତରେ ଦୁଷ୍କର୍ମ କରିବ, ତହିଁ ସକାଶୁ ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”
DEU 31:30 ଏଉତ୍ତାରେ ମୋଶା ଇସ୍ରାଏଲର ସମସ୍ତ ସମାଜର କର୍ଣ୍ଣଗୋଚରରେ ଏହି ଗୀତର ବଚନସବୁ ସମାପ୍ତି ପର୍ଯ୍ୟନ୍ତ କହିଲେ ଯଥା:-
DEU 32:1 ହେ ଆକାଶମଣ୍ଡଳ, କର୍ଣ୍ଣ ଦିଅ, ଆମ୍ଭେ କହିବା; ପୁଣି ପୃଥିବୀ ଆମ୍ଭ ମୁଖର ବାକ୍ୟ ଶ୍ରବଣ କରୁ;
DEU 32:2 ମୋହର ଉପଦେଶ ବୃଷ୍ଟି ପରି ବର୍ଷିବ; ମୋହର କଥା ଶିଶିର ପରି କ୍ଷରିବ; ତାହା କୋମଳ ତୃଣ ଉପରେ ବୁନ୍ଦା ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
DEU 32:3 କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।
DEU 32:4 ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।
DEU 32:5 ସେମାନେ ତାହାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି, ସେମାନେ ତାହାଙ୍କର ସନ୍ତାନ ନୁହନ୍ତି, ମାତ୍ର ସନ୍ତାନମାନଙ୍କର କଳଙ୍କ; ସେମାନେ ବିପଥଗାମୀ ଓ କୁଟିଳ ବଂଶ।
DEU 32:6 ହେ ମୂଢ଼ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ; ସେ କି ତୁମ୍ଭର କ୍ରୟକାରୀ ପିତା ନୁହନ୍ତି? ସେ ତୁମ୍ଭର ସୃଷ୍ଟି ଓ ସ୍ଥିତିକର୍ତ୍ତା ଅଟନ୍ତି।
DEU 32:7 ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର; ତୁମ୍ଭ ପିତାଙ୍କୁ ପଚାର, ସେ ତୁମ୍ଭକୁ ଜଣାଇବେ; ତୁମ୍ଭ ପ୍ରାଚୀନମାନଙ୍କୁ ପଚାର, ସେମାନେ ତୁମ୍ଭକୁ କହିବେ।
DEU 32:8 ସର୍ବୋପରିସ୍ଥ ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ; ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ, ସେତେବେଳେ ଇସ୍ରାଏଲ-ସନ୍ତାନଗଣର ସଂଖ୍ୟାନୁସାରେ ସେ ଲୋକମାନଙ୍କର ସୀମା ସ୍ଥାପନ କଲେ।
DEU 32:9 କାରଣ ସଦାପ୍ରଭୁଙ୍କ ଅଂଶ ତାହାଙ୍କର ଲୋକ ଯାକୁବ ତାହାଙ୍କର ଅଧିକାରର ବାଣ୍ଟ।
DEU 32:10 ସେ ତାହାକୁ ପ୍ରାନ୍ତର ଦେଶରେ ଓ ପଶୁବୋବାଳିପୂର୍ଣ୍ଣ ଘୋର ମରୁଭୂମିରେ ପାଇଲେ; ସେ ତାହାକୁ ଚାରିଆଡ଼ୁ ଆବୋରିଲେ, ସେ ତାହା ବିଷୟରେ ମନୋଯୋଗ କଲେ, ସେ ତାହାକୁ ଆପଣା ଚକ୍ଷୁର ପିତୁଳା ପରି ରଖିଲେ।
DEU 32:11 ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ, (ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ;
DEU 32:12 ସଦାପ୍ରଭୁ ଏକାକୀ ତାହାକୁ ଗମନ କରାଇଲେ, ପୁଣି ତାହା ସହିତ କୌଣସି ବିଦେଶୀୟ ଦେବତା ନ ଥିଲା।
DEU 32:13 ସେ ପୃଥିବୀର ଉଚ୍ଚସ୍ଥଳୀ ଉପରେ ତାହାକୁ ବାହନ-ଆରୋହଣ ତୁଲ୍ୟ ଗମନ କରାଇଲେ ଓ ସେ କ୍ଷେତ୍ରଜାତ ଫଳ ଭୋଜନ କଲା; ସେ ତାହାକୁ ପାଷାଣରୁ ମଧୁ ଓ ଚକମକି ପ୍ରସ୍ତରମୟ ଶୈଳରୁ ତୈଳ ପାନ କରାଇଲେ;
DEU 32:14 ତୁମ୍ଭେ ଗୋଦଧି, ଛାଗର ଦୁଗ୍ଧ ସହିତ ମେଷର ମେଦ, ବାଶନ ଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ସାର (ଖାଇଲ), ପୁଣି ତୁମ୍ଭେ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ପାନ କଲ।
DEU 32:15 ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।
DEU 32:16 ସେମାନେ ଅନ୍ୟ ଦେବତାମାନଙ୍କ ଦ୍ୱାରା ତାହାଙ୍କର ଦ୍ୱେଷ ଜନ୍ମାଇଲେ, ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ସେମାନେ ତାହାଙ୍କୁ ବିରକ୍ତ କଲେ।
DEU 32:17 ଯେଉଁମାନେ ଭୂତ, ପରମେଶ୍ୱର ନୁହନ୍ତି, ଯେଉଁ ଦେବତାମାନଙ୍କୁ ସେମାନେ ଜାଣିଲେ ନାହିଁ, ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁମାନଙ୍କୁ ଡରିଲେ ନାହିଁ, ଏପରି ସଦ୍ୟ ଉତ୍ପନ୍ନ ନୂତନ ଦେବତାମାନଙ୍କ ଉଦ୍ଦେଶ୍ୟରେ ସେମାନେ ବଳିଦାନ କଲେ।
DEU 32:18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ହେଲ ଓ ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ଭୁଲି ଗଲ।
DEU 32:19 ସଦାପ୍ରଭୁ ତାହା ଦେଖିଲେ, ପୁଣି ତାହାଙ୍କର ପୁତ୍ର ଓ କନ୍ୟାମାନେ ତାହାଙ୍କର ବିରକ୍ତି ଜନ୍ମାଇବାରୁ ସେ ସେମାନଙ୍କୁ ଘୃଣା କଲେ।
DEU 32:20 ଆଉ ସେ କହିଲେ, “ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା,” “ସେମାନଙ୍କର ଶେଷ ଦଶା କʼଣ ହେବ, ତାହା ଆମ୍ଭେ ଦେଖିବା; କାରଣ ସେମାନେ ନିତାନ୍ତ ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ୱସ୍ତତା ନାହିଁ।
DEU 32:21 ଯେ ପରମେଶ୍ୱର ନୁହନ୍ତି, ତାହା ଦ୍ୱାରା ସେମାନେ ଆମ୍ଭର ଅନ୍ତର୍ଜ୍ୱାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ୱାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ୱାରା ସେମାନଙ୍କୁ ବିରକ୍ତ କରିବା।
DEU 32:22 କାରଣ ଆମ୍ଭ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେଲା, ତାହା ନୀଚତମ ପାତାଳ ପର୍ଯ୍ୟନ୍ତ ଜ୍ୱଳୁଅଛି ଓ ପୃଥିବୀକୁ ତଦୁତ୍ପନ୍ନ ବସ୍ତୁ ସହିତ ଗ୍ରାସ କରେ, ଆଉ ପର୍ବତମାନର ମୂଳଦୁଆ ଜ୍ୱଳାଏ।
DEU 32:23 ଆମ୍ଭେ ସେମାନଙ୍କ ଉପରେ ଅନେକ ଅମଙ୍ଗଳ ଗଦା କରି ଥୋଇବା, ଆମ୍ଭେ ସେମାନଙ୍କ ଉପରେ ଆପଣା ବାଣସବୁ ବ୍ୟୟ କରିବା।
DEU 32:24 ସେମାନେ କ୍ଷୁଧାରେ କ୍ଷୀଣ ହେବେ, ସେମାନେ ବ୍ୟାଧିର ଜ୍ୱାଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ; ଆମ୍ଭେ ଧୂଳିର ଉରୋଗାମୀର ବିଷ ସହିତ ଜନ୍ତୁଗଣର ଦନ୍ତ ପଠାଇବା।
DEU 32:25 ବାହାରେ ଖଡ୍ଗ ଶୂନ୍ୟ କରିବ ଓ ଗୃହ ଭିତରେ ଭୟ; ତାହା ଯୁବା ଓ ଯୁବତୀ ଦୁହିଁଙ୍କୁ, ପୁଣି ଦୁଗ୍ଧପୋଷ୍ୟ ଶିଶୁ ସହିତ ପକ୍ୱକେଶ ବୃଦ୍ଧକୁ (ବିନାଶ କରିବ)।
DEU 32:26 ଆମ୍ଭେ କହିଲୁ, ଶତ୍ରୁର ବିରକ୍ତିକି, କେଜାଣି ବିପକ୍ଷମାନେ ବିପରୀତ ବିଚାର କରିବେ, କେଜାଣି ସେମାନେ କହିବେ, ଆମ୍ଭମାନଙ୍କ ହସ୍ତ ଉନ୍ନତ ହୋଇଅଛି, ପୁଣି ସଦାପ୍ରଭୁ ଏହିସବୁ କରି ନାହାନ୍ତି, ଏ କଥା ଯେବେ ଆମ୍ଭେ ଚିନ୍ତା ନ କରନ୍ତୁ;
DEU 32:27 ତେବେ ଆମ୍ଭେ ସେମାନଙ୍କୁ ଦୂରରେ ଛିନ୍ନଭିନ୍ନ କରନ୍ତୁ, ଆମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ସେମାନଙ୍କ ସ୍ମରଣ ଲୋପ କରନ୍ତୁ।
DEU 32:28 ଯେହେତୁ ସେମାନେ ଯୁକ୍ତିହୀନ-ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ।
DEU 32:29 ଆହା, ସେମାନେ ଯେବେ ଜ୍ଞାନବାନ ହୁଅନ୍ତେ, ସେମାନେ ଏ କଥା ବୁଝନ୍ତେ, ସେମାନେ ଯେବେ ଆପଣାମାନଙ୍କ ଶେଷାବସ୍ଥା ବିବେଚନା କରନ୍ତେ।
DEU 32:30 ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥାʼନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରିଦେଇ ନ ଥାʼନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ?
DEU 32:31 କାରଣ ସେମାନଙ୍କର ଶୈଳ ଆମ୍ଭମାନଙ୍କ ଶୈଳ ତୁଲ୍ୟ ନୁହେଁ ବୋଲି ଆମ୍ଭମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେ ହେଁ (ଜାଣନ୍ତି)।
DEU 32:32 କାରଣ ସେମାନଙ୍କ ଦ୍ରାକ୍ଷାଲତା ସଦୋମର ଦ୍ରାକ୍ଷାଲତାରୁ ଓ ହମୋରାର କ୍ଷେତ୍ରରୁ ଜାତ ସେମାନଙ୍କ ଦ୍ରାକ୍ଷାଫଳ ବିଷମୟ ଦ୍ରାକ୍ଷାଫଳ, ସେମାନଙ୍କ ପେଣ୍ଡା ତିକ୍ତ;
DEU 32:33 ସେମାନଙ୍କ ଦ୍ରାକ୍ଷାରସ ନାଗସର୍ପର ଗରଳ ଓ କାଳସର୍ପର କ୍ରୂର ବିଷ।
DEU 32:34 ଏହା କି ଆମ୍ଭ ନିକଟରେ ସଞ୍ଚିତ ହୋଇ ନାହିଁ ଓ ଆମ୍ଭ ଭଣ୍ଡାରରେ ମୁଦ୍ରାଙ୍କିତ ହୋଇ ରହି ନାହିଁ?
DEU 32:35 ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।”
DEU 32:36 ଯେହେତୁ ସଦାପ୍ରଭୁ ସେମାନଙ୍କୁ ଶକ୍ତିହୀନ ଓ ସେମାନଙ୍କ ମଧ୍ୟରେ ବଦ୍ଧ କି ମୁକ୍ତ କେହି ଅବଶିଷ୍ଟ ନ ଥିବାର ଦେଖିଲେ, ସେ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
DEU 32:37 ପୁଣି ସେ କହିବେ, “ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?
DEU 32:38 ଯେଉଁମାନେ ସେମାନଙ୍କ ବଳିର ମେଦ ଭୋଜନ କଲେ ଓ ପେୟ-ନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି? ସେମାନେ ଉଠି ତୁମ୍ଭମାନଙ୍କର ଉପକାର କରନ୍ତୁ, ସେମାନେ ତୁମ୍ଭମାନଙ୍କର ଆଶ୍ରୟ ହେଉନ୍ତୁ।
DEU 32:39 ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।
DEU 32:40 କାରଣ ଆମ୍ଭେ ଆକାଶ ଆଡ଼େ ହସ୍ତ ଉଠାଇ କହୁ, ‘ଆମ୍ଭେ ଯେବେ ଅନନ୍ତଜୀବୀ ଅଟୁ,
DEU 32:41 ତେବେ ଆମ୍ଭେ ଆପଣା ବଜ୍ର ତୁଲ୍ୟ ଖଡ୍ଗରେ ଶାଣ ଦେଲେ ଓ ବିଚାର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବା, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ସେମାନଙ୍କୁ ଆମ୍ଭେ ପ୍ରତିଫଳ ଦେବା।
DEU 32:42 ଆମ୍ଭେ ଆପଣା ବାଣମାନଙ୍କୁ ରକ୍ତରେ, ହତ ଓ ବନ୍ଦୀମାନଙ୍କ ରକ୍ତରେ ମତ୍ତ କରିବା ଓ ଆମ୍ଭ ଖଡ୍ଗ ଶତ୍ରୁମାନଙ୍କ ରାଜଗଣର ମସ୍ତକରୁ ମାଂସ ଭୋଜନ କରିବ।’”
DEU 32:43 ହେ ଅନ୍ୟ ଦେଶୀୟ ଲୋକମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସଙ୍ଗରେ ଆନନ୍ଦ କର; କାରଣ ସେ ଆପଣା ଦାସମାନଙ୍କ ରକ୍ତପାତର ପ୍ରତିକାର କରିବେ ଓ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବେ, ପୁଣି ସେ ଆପଣା ଦେଶ ନିମନ୍ତେ, ଆପଣା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ।
DEU 32:44 ଏହିରୂପେ ମୋଶା ଓ ନୂନର ପୁତ୍ର ଯିହୋଶୂୟ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ଏହି ଗୀତର ସମସ୍ତ କଥା କହିଲେ।
DEU 32:45 ପୁଣି, ମୋଶା ସମସ୍ତ ଇସ୍ରାଏଲଙ୍କ ନିକଟରେ ଏହି ସମସ୍ତ କଥା ସମାପ୍ତ କରି ସେମାନଙ୍କୁ କହିଲେ;
DEU 32:46 “ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ସାକ୍ଷ୍ୟ ଦେଇ ଯେଉଁସବୁ କଥା କହିଲି, ତୁମ୍ଭେମାନେ ତହିଁରେ ମନ ଦିଅ, କାରଣ ତୁମ୍ଭମାନଙ୍କ ସନ୍ତାନମାନେ ଯେପରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବେ, ଏଥିପାଇଁ ସେମାନଙ୍କୁ ତୁମ୍ଭେମାନେ ତାହା ଆଦେଶ କରିବ।”
DEU 32:47 ଯେଣୁ ତାହା ତୁମ୍ଭମାନଙ୍କ ପକ୍ଷରେ ବ୍ୟର୍ଥ କଥା ନୁହେଁ; ମାତ୍ର ତାହା ତୁମ୍ଭମାନଙ୍କର ଜୀବନ ଅଟେ ଓ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେଠାରେ ଏହି କଥା ଦ୍ୱାରା ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ।
DEU 32:48 ଆହୁରି ସଦାପ୍ରଭୁ ସେହି ଦିନ ମୋଶାଙ୍କୁ କହିଲେ,
DEU 32:49 “ତୁମ୍ଭେ ଏହି ଅବାରୀମ୍ ପର୍ବତ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ମୋୟାବ ଦେଶୀୟ ନବୋ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଉଅଛୁ, ସେହି କିଣାନ ଦେଶ ଦେଖ।
DEU 32:50 ଆଉ ଯେପରି ତୁମ୍ଭ ଭାଇ ହାରୋଣ ହୋର ପର୍ବତରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୋଇଥିଲା, ସେପରି ତୁମ୍ଭେ ଯେଉଁ ପର୍ବତକୁ ଯାଉଅଛ, ସେଠାରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୁଅ।
DEU 32:51 ଯେହେତୁ ସୀନ୍‍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଝରଣା ନିକଟରେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲ; ପୁଣି ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭଙ୍କୁ ପବିତ୍ର ବୋଲି ମାନ୍ୟ କଲ ନାହିଁ।
DEU 32:52 ତଥାପି ତୁମ୍ଭେ ଆପଣା ସମ୍ମୁଖରେ ସେହି ଦେଶ ଦେଖିବ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବା, ସେଠାକୁ ତୁମ୍ଭେ ଯାଇ ପାରିବ ନାହିଁ।”
DEU 33:1 ପରମେଶ୍ୱରଙ୍କ ଲୋକ ମୋଶା ଆପଣା ମୃତ୍ୟୁୁ ପୁର୍ବରୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।
DEU 33:2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
DEU 33:3 ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି; ତାହାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ; ପ୍ରତ୍ୟେକ ଜଣ ତୁମ୍ଭ ବାକ୍ୟରୁ ଗ୍ରହଣ କରିବେ।
DEU 33:4 ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।
DEU 33:5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସେ ଯିଶୁରୁଣରେ ରାଜା ଥିଲେ।
DEU 33:6 ରୁବେନ୍‍ ବଞ୍ଚି ଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।
DEU 33:7 ଯିହୁଦା ପ୍ରତି ଆଶୀର୍ବାଦ ଏହି ସେ କହିଲେ, “ହେ ସଦାପ୍ରଭୋ, ଯିହୁଦାର ରବ ଶୁଣ ଓ ତାହାର ନିଜ ଲୋକଙ୍କ ନିକଟକୁ ତାହାକୁ ଆଣ; ସେ ନିଜ ହସ୍ତରେ ଆପଣା ପାଇଁ ଯୁଦ୍ଧ କଲା; ତାହାର ବିପକ୍ଷଗଣ ବିରୁଦ୍ଧରେ ତୁମ୍ଭେ ତାହାର ଉପକାରୀ ହେବ।”
DEU 33:8 ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”
DEU 33:9 ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲା, “ଆମ୍ଭେ ସେମାନଙ୍କୁ ଦେଖି ନାହୁଁ; ଅବା ସେ ଆପଣା ଭାଇମାନଙ୍କୁ ସ୍ୱୀକାର କଲା ନାହିଁ, କିଅବା ସେ ତାହାର ନିଜ ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। ସେମାନେ ତୁମ୍ଭର ବାକ୍ୟ ମାନିଅଛନ୍ତି ଓ ତୁମ୍ଭର ନିୟମ ରକ୍ଷା କରନ୍ତି।”
DEU 33:10 ସେମାନେ ଯାକୁବକୁ ତୁମ୍ଭର ଶାସନ ଓ ଇସ୍ରାଏଲକୁ ତୁମ୍ଭର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦି ଉପରେ ହୋମବଳି ରଖିବେ।
DEU 33:11 ହେ ସଦାପ୍ରଭୋ, ତାହାର ସମ୍ପତ୍ତିକୁ ଆଶୀର୍ବାଦ କର ଓ ତାହା ହସ୍ତର କର୍ମ ଗ୍ରହଣ କର; ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି ଓ ଯେଉଁମାନେ ତାହାକୁ ଘୃଣା କରନ୍ତି, ସେମାନଙ୍କ କଟିଦେଶ ଭାଙ୍ଗି ପକାଅ, ଯେପରି ସେମାନେ ପୁନର୍ବାର ଉଠି ନ ପାରିବେ।
DEU 33:12 ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
DEU 33:13 ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
DEU 33:14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,
DEU 33:15 ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
DEU 33:16 ଆଉ ପୃଥିବୀର ଓ ତତ୍‍ପୂରକ ବସ୍ତୁର ଉତ୍ତମ ଦ୍ରବ୍ୟରେ ଓ ଯେ ବୁଦାରେ ବାସ କଲେ, ତାହାଙ୍କ ଅନୁଗ୍ରହରେ (ତାହାର ଦେଶ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ) ଯୋଷେଫର ମସ୍ତକରେ ଆଶୀର୍ବାଦ ବର୍ତ୍ତୁ, ଯେ ଆପଣା ଭ୍ରାତୃଗଣ ନିକଟରୁ ପୃଥକ ହୋଇଥିଲା, ତାହାର ମସ୍ତକାଗ୍ରରେ ଆଶୀର୍ବାଦ ବର୍ତ୍ତୁ।
DEU 33:17 ତାହାର ବୃଷଭର ପ୍ରଥମଜାତ ତାହାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣା ଷଣ୍ଢର ଶୃଙ୍ଗ ତୁଲ୍ୟ ତଦ୍ଦ୍ୱାରା ସେ ସବୁ ଗୋଷ୍ଠୀକୁ, ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରୟିମର ଅୟୁତ ଲୋକ ଓ ସେ ଶୃଙ୍ଗ ମନଃଶିର ସହସ୍ର ସହସ୍ର ଲୋକ।”
DEU 33:18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;
DEU 33:19 ସେମାନେ ଲୋକମାନଙ୍କୁ ପର୍ବତକୁ ନିମନ୍ତ୍ରଣ କରିବେ; ସେଠାରେ ସେମାନେ ଧର୍ମବଳି ଉତ୍ସର୍ଗ କରିବେ; କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତ ଧନ ଭୋଗ କରିବେ।”
DEU 33:20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।
DEU 33:21 ସେ ଆପଣା ପାଇଁ ପ୍ରଥମ ଅଂଶ ନିରୀକ୍ଷଣ କଲା; କାରଣ ସେଠାରେ ବ୍ୟବସ୍ଥାପକର (ଦତ୍ତ) ଅଂଶ ରକ୍ଷିତ ଥିଲା; ମାତ୍ର ସେ ଲୋକମାନଙ୍କ ପ୍ରଧାନବର୍ଗ ସହିତ ଆସିଲା; ସେ ସଦାପ୍ରଭୁଙ୍କ ନ୍ୟାୟକର୍ମ ଓ ଇସ୍ରାଏଲ ସହିତ ତାହାଙ୍କର ଶାସନ ସିଦ୍ଧ କଲା।”
DEU 33:22 ପୁଣି, ସେ ଦାନ୍ ବିଷୟରେ କହିଲେ, “ଦାନ୍ ସିଂହଛୁଆ ସେ ବାଶନରୁ କୁଦା ମାରେ।”
DEU 33:23 ପୁଣି, ସେ ନପ୍ତାଲି ବିଷୟରେ କହିଲେ, “ହେ ନପ୍ତାଲି, ତୁମ୍ଭେ ଅନୁଗ୍ରହରେ ତୃପ୍ତ ଓ ସଦାପ୍ରଭୁଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ; ତୁମ୍ଭେ ପଶ୍ଚିମ ଓ ଦକ୍ଷିଣ ଦିଗ ଅଧିକାର କର।”
DEU 33:24 ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।
DEU 33:25 ତୁମ୍ଭର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ; ପୁଣି, ଯେପରି ତୁମ୍ଭର ଦିନ, ସେପରି ତୁମ୍ଭର ବଳ ହେବ।”
DEU 33:26 ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି।
DEU 33:27 ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ, ଆଉ “ବିନାଶ କର” ବୋଲି କହିଲେ।
DEU 33:28 ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
DEU 33:29 ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ; ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ, ସେ ତୁମ୍ଭର ଉପକାର ରୂପ ଢାଲ ଓ ସେ ତୁମ୍ଭର ମାହାତ୍ମ୍ୟ ରୂପ ଖଡ୍ଗ! ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ; ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ।
DEU 34:1 ଏଥିଉତ୍ତାରେ ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ। ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ;
DEU 34:2 ପୁଣି, ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ;
DEU 34:3 ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।
DEU 34:4 ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଯେଉଁ ଦେଶ ବିଷୟରେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ।”
DEU 34:5 ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।
DEU 34:6 ପୁଣି, ସେ ମୋୟାବ ଦେଶରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବର ସ୍ଥାନ କେହି ଜାଣେ ନାହିଁ।
DEU 34:7 ମରଣକାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା; ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା।
DEU 34:8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ-ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା।
DEU 34:9 ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ।
DEU 34:10 ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ
DEU 34:11 ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେହି ସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ,
DEU 34:12 ପୁଣି, ମୋଶା ସମସ୍ତ ବାହୁ ବଳ ଏବଂ ଯେଉଁସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେହି ସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍‍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।
JOS 1:1 ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ,
JOS 1:2 “ଆମ୍ଭର ସେବକ ମୋଶା ମରିଅଛି, ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ।
JOS 1:3 ଯେ ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ।
JOS 1:4 ପ୍ରାନ୍ତର ଓ ଏହି ଲିବାନୋନଠାରୁ ମହାନଦୀ, ଅର୍ଥାତ୍‍, ଫରାତ୍‍ ନଦୀ ପର୍ଯ୍ୟନ୍ତ ହିତ୍ତୀୟମାନଙ୍କ ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
JOS 1:5 ତୁମ୍ଭର ଯାବଜ୍ଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇ ପାରିବ ନାହିଁ; ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା; ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ, କି ତୁମ୍ଭକୁ ତ୍ୟାଗ କରିବା ନାହିଁ।
JOS 1:6 ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ।
JOS 1:7 ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ।
JOS 1:8 ଏହି ବ୍ୟବସ୍ଥା-ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ।
JOS 1:9 ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”
JOS 1:10 ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ,
JOS 1:11 “ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ପାଥେୟ ସାମଗ୍ରୀ ପ୍ରସ୍ତୁତ କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତିନି ଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଯର୍ଦ୍ଦନ ପାର ହୋଇ ଯିବାକୁ ହେବ।’”
JOS 1:12 ଆଉ ଯିହୋଶୂୟ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ କହିଲେ,
JOS 1:13 “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ବିଶ୍ରାମ ପ୍ରଦାନ କରି ଏହି ଦେଶ ଦେବେ, ଏହା କହି ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ କଥା ଆଜ୍ଞା ଦେଇଥିଲେ, ତାହା ସ୍ମରଣ କର।
JOS 1:14 ମୋଶା ଯର୍ଦ୍ଦନର ପୂର୍ବପାରିରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ତୁମ୍ଭମାନଙ୍କର ସ୍ତ୍ରୀଲୋକ ଓ ବାଳକ ଓ ପଶୁମାନେ ରହିବେ; ମାତ୍ର ତୁମ୍ଭେମାନେ, ତୁମ୍ଭମାନଙ୍କ ମହାବିକ୍ରମଶାଳୀ ଲୋକମାନେ, ସସଜ୍ଜ ହୋଇ ଆପଣା ଭାଇମାନଙ୍କ ଆଗେ ଆଗେ ପାର ହୋଇଯିବ,
JOS 1:15 ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବା ଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବା ଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ।”
JOS 1:16 ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର ଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ, ତାହାସବୁ ଆମ୍ଭେମାନେ କରିବୁ ଓ ତୁମ୍ଭେ ଆମ୍ଭମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ; ଆମ୍ଭେମାନେ ସେସ୍ଥାନକୁ ଯିବୁ।
JOS 1:17 ଆମ୍ଭେମାନେ ସବୁ ବିଷୟରେ ଯେପରି ମୋଶାଙ୍କର କଥା ଶୁଣୁଥିଲୁ, ସେପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେପରି ମୋଶାଙ୍କ ସଙ୍ଗରେ ଥିଲେ, ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ।
JOS 1:18 ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।”
JOS 2:1 ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, “ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର।” ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।
JOS 2:2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”
JOS 2:3 ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।”
JOS 2:4 ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, “ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ।
JOS 2:5 ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗର-ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ଶୀଘ୍ର ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ।”
JOS 2:6 ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା।
JOS 2:7 ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ଲୋକମାନେ ନଗର-ଦ୍ୱାର ବନ୍ଦ କଲେ।
JOS 2:8 ଆଉ ଗୁପ୍ତଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା,
JOS 2:9 “ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
JOS 2:10 କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍‍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;
JOS 2:11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
JOS 2:12 ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ।
JOS 2:13 ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ।”
JOS 2:14 ଏଥିରେ ସେମାନେ ତାହାକୁ କହିଲେ, “ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା।”
JOS 2:15 ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗରର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା।
JOS 2:16 ପୁଣି ସେ ସେମାନଙ୍କୁ କହିଲା, “କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ।”
JOS 2:17 ତହିଁରେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା।
JOS 2:18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂର ବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।
JOS 2:19 ତହିଁରେ ଯେକେହି ତୁମ୍ଭ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯଦି କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ।
JOS 2:20 ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ।”
JOS 2:21 ତହିଁରେ ସେ କହିଲା, “ତୁମ୍ଭେମାନେ ଯେପରି କହିଲ, ସେପରି ହେଉ।” ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା।
JOS 2:22 ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବା ଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ।
JOS 2:23 ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ।
JOS 2:24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, “ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।”
JOS 3:1 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ; ପୁଣି ସେ ଓ ଇସ୍ରାଏଲର ସମସ୍ତ ସନ୍ତାନ ଶିଟୀମରୁ ଯାତ୍ରା କରି ଯର୍ଦ୍ଦନରେ ଉପସ୍ଥିତ ହେଲେ; ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ।
JOS 3:2 ତହୁଁ ତିନି ଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ;
JOS 3:3 ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଯେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମ୍ଭେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ।
JOS 3:4 ତଥାପି ପରିମାଣାନୁସାରେ ତୁମ୍ଭମାନଙ୍କର ଓ ତାହାର ମଧ୍ୟରେ ପ୍ରାୟ ଦୁଇ ହଜାର ହାତ ଅନ୍ତର ରହିବ; ତୁମ୍ଭେମାନେ ଆପଣାମାନଙ୍କ ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମ୍ଭେମାନେ ଏହି ପଥ ପାର ହୋଇଯାଇ ନାହଁ।”
JOS 3:5 ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ।”
JOS 3:6 ପୁଣି ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର।” ତହିଁରେ ସେମାନେ ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ।
JOS 3:7 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ।
JOS 3:8 ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’”
JOS 3:9 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ।
JOS 3:10 ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ି ଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ।
JOS 3:11 ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି।
JOS 3:12 ଏନିମନ୍ତେ ତୁମ୍ଭେମାନେ ଇସ୍ରାଏଲର ଏକ ବଂଶରୁ ଏକ ଏକ ଜଣ, ଏରୂପେ ବାର ବଂଶରୁ ବାର ଜଣ ଗ୍ରହଣ କର।
JOS 3:13 ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍‍, ଊର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ।”
JOS 3:14 ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ।
JOS 3:15 ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର,
JOS 3:16 ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ।
JOS 3:17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।
JOS 4:1 ଏହିରୂପେ ସମୁଦାୟ ଗୋଷ୍ଠୀ ସମ୍ପୂର୍ଣ୍ଣ ରୂପେ ଯର୍ଦ୍ଦନ ପାର ହେଲା ଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
JOS 4:2 “ତୁମ୍ଭେମାନେ ଲୋକମାନଙ୍କର ଏକ ଏକ ବଂଶ ମଧ୍ୟରୁ ଏକ ଏକ ଜଣ, ଏରୂପେ ବାରଗୋଟି ଜଣ ଗ୍ରହଣ କରି
JOS 4:3 ସେମାନଙ୍କୁ ଆଜ୍ଞା ଦେଇ କୁହ, ‘ଯର୍ଦ୍ଦନର ଯେଉଁ ମଧ୍ୟସ୍ଥାନରେ ଯାଜକମାନଙ୍କ ଚରଣ ସ୍ଥିର ହୋଇ ରହିଥିଲା, ସେହି ସ୍ଥାନରୁ ତୁମ୍ଭେମାନେ ବାରଗୋଟି ପ୍ରସ୍ତର ଗ୍ରହଣ କରି ଆପଣାମାନଙ୍କ ସଙ୍ଗେ ସେପାରିକି ନେଇଯାଅ, ପୁଣି ଆଜି ରାତ୍ର ଯେଉଁ ସ୍ଥାନରେ ତୁମ୍ଭେମାନେ ବସା କରିବ, ସେହି ସ୍ଥାନରେ ତାହା ରଖିବ।’”
JOS 4:4 ତେବେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ ବାର ଜଣ ନିରୂପଣ କରିଥିଲେ, ସେମାନଙ୍କୁ ଡାକିଲେ;
JOS 4:5 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ-ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;
JOS 4:6 ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବ, ପୁଣି ‘ତୁମ୍ଭମାନଙ୍କର ଏସବୁ ପଥର କʼଣ?’ ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଏହା ପଚାରିଲେ,
JOS 4:7 ତୁମ୍ଭେମାନେ ସେମାନଙ୍କୁ କହିବ, ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଅନନ୍ତକାଳଯାଏ ସ୍ମରଣୀୟ ହେବ।’”
JOS 4:8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯିହୋଶୂୟଙ୍କର ଆଜ୍ଞାନୁସାରେ କର୍ମ କଲେ, ସଦାପ୍ରଭୁ ଯିହୋଶୂୟଙ୍କୁ ଯେପରି କହିଥିଲେ, ସେପରି ସେମାନେ ଇସ୍ରାଏଲ-ସନ୍ତାନଗଣର ବଂଶର ସଂଖ୍ୟାନୁସାରେ ଯର୍ଦ୍ଦନ ମଧ୍ୟରୁ ବାରଗୋଟି ପ୍ରସ୍ତର ଉଠାଇ ଆପଣାମାନଙ୍କ ସଙ୍ଗେ ସେପାରିକି ନେଇ ବସା କରିବା ସ୍ଥାନରେ ରଖିଲେ।
JOS 4:9 ଆହୁରି ଯେଉଁ ସ୍ଥାନରେ ନିୟମ-ସିନ୍ଦୁକବାହକ ଯାଜକଗଣର ଚରଣ ସ୍ଥଗିତ ଥିଲା, ଯର୍ଦ୍ଦନର ସେହି ସ୍ଥାନରେ ଯିହୋଶୂୟ ବାରଗୋଟି ପ୍ରସ୍ତର ସ୍ଥାପନ କଲେ; ସେସବୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛି।
JOS 4:10 ପୁଣି ଯିହୋଶୂୟଙ୍କ ପ୍ରତି ମୋଶାଙ୍କର ଆଦେଶାନୁସାରେ ଯେସମସ୍ତ କଥା ଲୋକମାନଙ୍କୁ କହିବା ପାଇଁ ସଦାପ୍ରଭୁ ଯିହୋଶୂୟଙ୍କୁ ଆଜ୍ଞା ଦେଇଥିଲେ, ସେସବୁର ସମାପ୍ତି ପର୍ଯ୍ୟନ୍ତ ସିନ୍ଦୁକ-ବାହକ ଯାଜକଗଣ ଯର୍ଦ୍ଦନ ମଧ୍ୟରେ ସ୍ଥଗିତ ହୋଇ ରହିଲେ, ଆଉ ଲୋକମାନେ ଶୀଘ୍ର ପାର ହୋଇଗଲେ।
JOS 4:11 ଏହିରୂପେ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ପାର ହେଲା ଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ଯାଜକଗଣ ଲୋକମାନଙ୍କ ସମ୍ମୁଖରେ ପାର ହୋଇଗଲେ।
JOS 4:12 ସେସମୟରେ ରୁବେନ୍‍ର ସନ୍ତାନଗଣ ଓ ଗାଦ୍‍ର ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ, ଆପଣାମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ;
JOS 4:13 ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ପ୍ରାୟ ଚାଳିଶ ସହସ୍ର ଲୋକ ଯୁଦ୍ଧ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ-ପଦାକୁ ଗଲେ।
JOS 4:14 ସେଦିନ ସଦାପ୍ରଭୁ ସମସ୍ତ ଇସ୍ରାଏଲ ସାକ୍ଷାତରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ; ତହିଁରେ ଲୋକମାନେ ଯେପରି ମୋଶାଙ୍କୁ ଭୟ କରିଥିଲେ, ସେପରି ତାଙ୍କର ଯାବଜ୍ଜୀବନ ତାଙ୍କୁ ଭୟ କଲେ।
JOS 4:15 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
JOS 4:16 “ସାକ୍ଷ୍ୟ-ସିନ୍ଦୁକବାହୀ ଯାଜକମାନଙ୍କୁ ଯର୍ଦ୍ଦନରୁ ଉଠି ଆସିବାକୁ ଆଜ୍ଞା ଦିଅ।”
JOS 4:17 ଏଣୁ ଯିହୋଶୂୟ ଯାଜକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯର୍ଦ୍ଦନରୁ ଉଠି ଆସ।”
JOS 4:18 ଏଥିରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଯାଜକମାନେ ଯର୍ଦ୍ଦନ ମଧ୍ୟରୁ ଉଠି ଆସିବା ସମୟରେ, ଯାଜକମାନେ ଶୁଷ୍କ ଭୂମିକୁ ତଳିପା ଉଠାନ୍ତେ, ଯର୍ଦ୍ଦନର ଜଳସମୂହ ସ୍ୱ ସ୍ୱ ସ୍ଥାନକୁ ଫେରିଆସି ପୂର୍ବ ପରି ସମସ୍ତ ତୀରମାନଙ୍କ ଉପରେ ଉଠିଲା।
JOS 4:19 ଏହିରୂପେ ଲୋକମାନେ ପ୍ରଥମ ମାସର ଦଶମ ଦିନରେ ଯର୍ଦ୍ଦନରୁ ଉଠି ଆସି ଯିରୀହୋର ପୂର୍ବସୀମାସ୍ଥିତ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ।
JOS 4:20 ଆଉ ଲୋକମାନେ ଯର୍ଦ୍ଦନରୁ ଯେଉଁ ବାର ପ୍ରସ୍ତର ନେଇଥିଲେ, ଯିହୋଶୂୟ ତାହାସବୁ ଗିଲ୍‍ଗଲ୍‍ରେ ସ୍ଥାପନ କଲେ।
JOS 4:21 ପୁଣି ସେ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ଏସବୁ ପଥର କଅଣ? ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆପଣା ଆପଣା ପିତୃଗଣକୁ ଏହା ପଚାରିଲେ,
JOS 4:22 ତୁମ୍ଭେମାନେ ଆପଣା ଆପଣା ସନ୍ତାନମାନଙ୍କୁ ଜଣାଇବ, ଇସ୍ରାଏଲ ଶୁଷ୍କ ଭୂମି ଦେଇ ଏହି ଯର୍ଦ୍ଦନ ପାର ହୋଇ ଆସିଥିଲେ।
JOS 4:23 କାରଣ ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସୂଫ ସାଗର ପ୍ରତି ଯେପରି କରି ଆମ୍ଭମାନଙ୍କ ସମ୍ମୁଖରୁ ତାହା ଶୁଷ୍କ କରିଥିଲେ, ସେପରି ତୁମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ଯର୍ଦ୍ଦନ-ଜଳ ଶୁଷ୍କ କଲେ;
JOS 4:24 (ଏଥିର ଅଭିପ୍ରାୟ ଏହି), ଯେପରି ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁଙ୍କ ହସ୍ତ ବଳବାନ ବୋଲି ଜାଣି ପାରିବେ, ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ସର୍ବଦା ଭୟ କରି ପାରିବେ।”
JOS 5:1 ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।
JOS 5:2 ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।”
JOS 5:3 ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ୱକ୍‍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ।
JOS 5:4 ପୁଣି ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି; ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ, ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ।
JOS 5:5 ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା।
JOS 5:6 ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ।
JOS 5:7 ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା।
JOS 5:8 ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ।
JOS 5:9 ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ;” ଏହେତୁ ଆଜିଯାଏ ସେହି ସ୍ଥାନର ନାମ ଗିଲ୍‍ଗଲ୍‍ ରହିଲା।
JOS 5:10 ଇସ୍ରାଏଲ-ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ।
JOS 5:11 ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ।
JOS 5:12 ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ।
JOS 5:13 ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, “ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?”
JOS 5:14 ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?”
JOS 5:15 ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, “ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର।” ଆଉ ଯିହୋଶୂୟ ସେପରି କଲେ।
JOS 6:1 (ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା; ଦୃଢ଼ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲେ ନାହିଁ ଓ କେହି ଭିତରକୁ ଆସିଲେ ନାହିଁ।)
JOS 6:2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।
JOS 6:3 ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ।
JOS 6:4 ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ;
JOS 6:5 ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।”
JOS 6:6 ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହନ୍ତୁ।”
JOS 6:7 ଏଥିରେ ସେମାନେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ।”
JOS 6:8 ତେଣୁ ଯିହୋଶୂୟ ଲୋକମାନଙ୍କୁ କହିଲା ଉତ୍ତାରେ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶବ୍ଦକାରୀ ତୂରୀ ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ପଛେ ପଛେ ଚଳିଲା।
JOS 6:9 ଆଉ ସସଜ୍ଜ ଲୋକମାନେ ତୂରୀବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ, ପୁଣି ଯାଜକମାନେ ତୂରୀ ବଜାଇ ଯାଉ ଯାଉ ପଶ୍ଚାଦ୍‍ଗାମୀ ଲୋକମାନେ ସିନ୍ଦୁକର ପଛେ ପଛେ ଗମନ କଲେ।
JOS 6:10 ମାତ୍ର ଯିହୋଶୂୟ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ ଜୟଧ୍ୱନି କରିବ ନାହିଁ, କି ଆପଣା ରବ ଶୁଣାଇବ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ, ମୁଁ ଜୟଧ୍ୱନି କରିବାକୁ ଆଜ୍ଞା ଦେଲେ, ତୁମ୍ଭେମାନେ ଜୟଧ୍ୱନି କରିବ।”
JOS 6:11 ଏହିରୂପେ ସେ ସଦାପ୍ରଭୁଙ୍କ ସିନ୍ଦୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ; ତହୁଁ ଲୋକମାନେ ଛାଉଣିକୁ ଆସିଲେ, ଆଉ ଛାଉଣିରେ ବାସ କଲେ।
JOS 6:12 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଘେନିଲେ।
JOS 6:13 ଆଉ ସାତ ଯାଜକ ମହାଶବ୍ଦକାରୀ ସାତ ତୂରୀ ଧରି ସଦାପ୍ରଭୁଙ୍କ ସିନ୍ଦୁକ ଆଗେ ଆଗେ କ୍ରମାଗତ ଗମନ କରି ତୂରୀ ବଜାଇଲେ; ସସଜ୍ଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ; ପୁଣି ପଶ୍ଚାଦ୍‍ବର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ପଛେ ପଛେ ଚାଲିଲେ, ଯାଜକମାନେ ତୂରୀ ବଜାଇ ବଜାଇ ଗମନ କଲେ।
JOS 6:14 ଆଉ ଦ୍ୱିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣିକୁ ଫେରି ଆସିଲେ; ଏହିରୂପେ ସେମାନେ ଛଅ ଦିନ କଲେ।
JOS 6:15 ତହୁଁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହିରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ; କେବଳ ସେହି ଦିନ ସେମାନେ ସାତ ଥର ନଗର ପ୍ରଦକ୍ଷିଣ କଲେ।
JOS 6:16 ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।
JOS 6:17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।
JOS 6:18 ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।
JOS 6:19 ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହାସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ।”
JOS 6:20 ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହା ଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।
JOS 6:21 ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଦଭ ଆଦି ଯାହା ଯାହା ନଗରରେ ଥିଲା, ସେସବୁକୁ ଖଡ୍ଗମୁଖରେ ବର୍ଜିତ ରୂପେ ବିନାଶ କଲେ।
JOS 6:22 ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକୁ ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।”
JOS 6:23 ଏଥିରେ ସେହି ଯୁବା ଗୁପ୍ତଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା, ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ; ଆଉ ସେମାନଙ୍କୁ ଇସ୍ରାଏଲ-ଛାଉଣି ବାହାରେ ରଖିଲେ।
JOS 6:24 ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ।
JOS 6:25 ମାତ୍ର ଯିହୋଶୂୟ ରାହାବ ବେଶ୍ୟାକୁ ଓ ତାହାର ପିତୃପରିବାରକୁ ଓ ତାହାର ସର୍ବସ୍ୱ ଜୀବିତ ରଖିଲେ; ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି; କାରଣ ଯିରୀହୋ ଅନ୍ୱେଷଣ କରିବା ପାଇଁ ଯିହୋଶୂୟ ଯେଉଁ ଗୁପ୍ତଚରଙ୍କୁ ପଠାଇଥିଲେ, ସେମାନଙ୍କୁ ସେ ଲୁଚାଇ ରଖିଥିଲା।
JOS 6:26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; “ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”
JOS 6:27 ଏହିରୂପେ ସଦାପ୍ରଭୁ ଯିହୋଶୂୟଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା।
JOS 7:1 ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
JOS 7:2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍‍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।
JOS 7:3 ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, “ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର।”
JOS 7:4 ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ।
JOS 7:5 ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
JOS 7:6 ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।
JOS 7:7 ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
JOS 7:8 ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
JOS 7:9 କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
JOS 7:10 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?
JOS 7:11 ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।
JOS 7:12 ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ।
JOS 7:13 ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।
JOS 7:14 ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।
JOS 7:15 ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”
JOS 7:16 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା।
JOS 7:17 ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍‍ଦି ନିର୍ଣ୍ଣୀତ ହେଲା।
JOS 7:18 ତହୁଁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ନିର୍ଣ୍ଣୀତ ହେଲା।
JOS 7:19 ତେବେ ଯିହୋଶୂୟ ଆଖନ୍‍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।”
JOS 7:20 ତହିଁରେ ଆଖନ୍‍ ଉତ୍ତର କରି ଯିହୋଶୂୟଙ୍କୁ କହିଲା, “ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି।
JOS 7:21 ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”
JOS 7:22 ଏଥିରେ ଯିହୋଶୂୟ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ି ଗଲେ; ଆଉ ଦେଖ, ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି।
JOS 7:23 ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯିହୋଶୂୟଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଦେଲେ।
JOS 7:24 ପୁଣି, ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନ୍‍କୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ, ସର୍ବସ୍ୱ ନେଇ ଆଖୋର୍‍ ଉପତ୍ୟକାକୁ ଆଣିଲେ।
JOS 7:25 ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।
JOS 7:26 ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।
JOS 8:1 ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ।
JOS 8:2 ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବ; କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ; ତୁମ୍ଭେ ନଗରର ପଶ୍ଚାତ୍‍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ।”
JOS 8:3 ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।
JOS 8:4 ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।
JOS 8:5 ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ।
JOS 8:6 ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
JOS 8:7 ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
JOS 8:8 ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।”
JOS 8:9 ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବେଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।
JOS 8:10 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।
JOS 8:11 ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।
JOS 8:12 ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବେଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।
JOS 8:13 ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକୁ ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।
JOS 8:14 ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।
JOS 8:15 ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର-ପଥ ଦେଇ ପଳାୟନ କଲେ।
JOS 8:16 ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।
JOS 8:17 ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବେଥେଲ୍‍ରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।
JOS 8:18 ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କର; କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା।” ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ।
JOS 8:19 ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ।
JOS 8:20 ଏଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।
JOS 8:21 ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ।
JOS 8:22 ଆଉ ଅନ୍ୟ ଦଳ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେ; ଏହିରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେ; ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ, ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କି କେହି ପଳାଇ ପାରିଲା ନାହିଁ।
JOS 8:23 ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଯିହୋଶୂୟଙ୍କ ନିକଟକୁ ଆଣିଲେ।
JOS 8:24 ଏହିରୂପେ ଯେଉଁ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ନିଃଶେଷିତ ହେବା ପର୍ଯ୍ୟନ୍ତ ବଧ କରି ସାରିଲା ଉତ୍ତାରେ ସେମାନେ ମୃତ୍ୟୁବରଣ କଲେ, ତହିଁ ଉତ୍ତାରେ ସମଗ୍ର ଇସ୍ରାଏଲ ଫେରିଆସି ଅୟରେ ଥିବା ପ୍ରତ୍ୟେକ ଜଣଙ୍କୁ ସଂହାର କଲେ।
JOS 8:25 ପୁଣି ସେହି ଦିନ ଅୟ ନିବାସୀ ସମସ୍ତ ଲୋକ ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା ବାର ହଜାର ଲୋକ ହତ ହେଲେ।
JOS 8:26 କାରଣ ଅୟ ନିବାସୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଯାଏ ଯିହୋଶୂୟ ଆପଣାର ଯେଉଁ ହସ୍ତ ବର୍ଚ୍ଛା ଧରି ବିସ୍ତାର କରିଥିଲେ, ତାହା ସେ ସଙ୍କୁଚିତ କଲେ ନାହିଁ।
JOS 8:27 ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟ ଦ୍ରବ୍ୟସବୁ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲେ।
JOS 8:28 ପୁଣି ଯିହୋଶୂୟ ଅୟ ନଗରକୁ ଅଗ୍ନିରେ ଦଗ୍ଧ କରି ଅନନ୍ତକାଳୀନ ଢିପି ଓ ଆଜିଯାଏ ଏକ ଶୂନ୍ୟସ୍ଥାନ କଲେ।
JOS 8:29 ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ୱାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି।
JOS 8:30 ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।
JOS 8:31 ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥା-ଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
JOS 8:32 ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥା-ଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ।
JOS 8:33 ଏଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ।
JOS 8:34 ତହୁଁ ବ୍ୟବସ୍ଥା-ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ।
JOS 8:35 ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା।
JOS 9:1 ଏଥିଉତ୍ତାରେ ଯର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜାଗଣ, ଅର୍ଥାତ୍‍, ପର୍ବତ ଓ ତଳଭୂମି ନିବାସୀ ଓ ଲିବାନୋନ ସମ୍ମୁଖସ୍ଥ ମହାସମୁଦ୍ରର ସମସ୍ତ ତୀର ନିବାସୀ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ରାଜାଗଣ ଏହି କଥା ଶୁଣିଲେ;
JOS 9:2 ତହିଁରେ ସେମାନେ ଏକ ମନରେ ଯିହୋଶୂୟ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ।
JOS 9:3 ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍‍ ନିବାସୀମାନେ ଶୁଣିଲେ,
JOS 9:4 ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ, ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ପା ଲଦିଲେ;
JOS 9:5 ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ; ପୁଣି ସେମାନଙ୍କ ପାଥେୟ ରୁଟି ଶୁଖିଲା ଓ ଗମରା ହୋଇ ଯାଇଥିଲା।
JOS 9:6 ଏହିରୂପେ ସେମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର।”
JOS 9:7 ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?”
JOS 9:8 ତହୁଁ ସେମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କର ଦାସ।” ତେବେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଏ? ପୁଣି କେଉଁଠାରୁ ଆସିଅଛ?”
JOS 9:9 ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି।”
JOS 9:10 ପୁଣି ସେ ଯର୍ଦ୍ଦନ ସେପାରିସ୍ଥ ହିଷ୍‍ବୋନ-ରାଜା ସୀହୋନ ଓ ଅଷ୍ଟାରୋତ୍‍ ନିବାସୀ ବାଶନ-ରାଜା ଓଗ୍‍, ଇମୋରୀୟମାନଙ୍କ ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ।
JOS 9:11 ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, “ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ‘ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ।’”
JOS 9:12 ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୁଟି ଆଣିଥିଲୁ; ମାତ୍ର ଏବେ ଦେଖନ୍ତୁ, ତାହା ଶୁଖିଲା ଓ ଗମରା ହୋଇ ଯାଇଅଛି।
JOS 9:13 ପୁଣି ଏହି ଯେସବୁ ଦ୍ରାକ୍ଷାରସ କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି।
JOS 9:14 ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ।
JOS 9:15 ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ।
JOS 9:16 ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି।
JOS 9:17 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ। ଗିବୀୟୋନ୍‍ ଓ କଫୀରା ଓ ବେରୋତ ଓ କିରୀୟଥ୍‍-ଯିୟାରୀମ୍‍ ସେମାନଙ୍କ ନଗର ଥିଲା।
JOS 9:18 ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ।
JOS 9:19 ତହିଁରେ ଅଧିପତିଗଣ ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ।”
JOS 9:20 ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା; ନୋହିଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ, ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ।
JOS 9:21 ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ।
JOS 9:22 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ ଏହା କହି କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ।
JOS 9:23 ଏନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ; ଆମ୍ଭ ପରମେଶ୍ୱରଙ୍କ ଗୃହର କାଠକଟାଳୀ ଓ ଜଳକଢ଼ାଳୀ ହେବା ପାଇଁ ତୁମ୍ଭମାନଙ୍କ ମଧ୍ୟରୁ ବନ୍ଧାଦାସର ଅଭାବ ହେବ ନାହିଁ।”
JOS 9:24 ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର କରି କହିଲେ, “ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି; ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ।
JOS 9:25 ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ।”
JOS 9:26 ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ-ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ।
JOS 9:27 ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ।
JOS 10:1 ଏଥିଉତ୍ତାରେ ଯିହୋଶୂୟ ଅୟକୁ ହସ୍ତଗତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବୀୟୋନ୍‍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ।
JOS 10:2 କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ।
JOS 10:3 ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା,
JOS 10:4 “ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବୀୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି।”
JOS 10:5 ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍‍ର ରାଜା ଓ ଇଗ୍ଲୋନ୍‍ର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବୀୟୋନ୍‍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
JOS 10:6 ଏଥିରେ ଗିବୀୟୋନୀୟ ଲୋକମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, “ତୁମ୍ଭେ ଆପଣାର ଏହି ଦାସମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି।”
JOS 10:7 ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍‍ଗଲ୍‍ରୁ ଯାତ୍ରା କଲେ।
JOS 10:8 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ।”
JOS 10:9 ତହୁଁ ଯିହୋଶୂୟ ଅକସ୍ମାତ୍‍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍‍ଗଲ୍‍ଠାରୁ ରାତ୍ରିଯାକ ଚାଲିଥିଲେ।
JOS 10:10 ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
JOS 10:11 ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।
JOS 10:12 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”
JOS 10:13 ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
JOS 10:14 ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
JOS 10:15 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ନେଉଟି ଆସିଲେ।
JOS 10:16 ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ।
JOS 10:17 ତହୁଁ “ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି,” ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ,
JOS 10:18 ଯିହୋଶୂୟ କହିଲେ, “ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର।
JOS 10:19 ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
JOS 10:20 ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
JOS 10:21 ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
JOS 10:22 ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
JOS 10:23 ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
JOS 10:24 ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
JOS 10:25 ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।”
JOS 10:26 ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ।
JOS 10:27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।
JOS 10:28 ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ।
JOS 10:29 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍‍ନାକୁ ଗଲେ ଓ ଲିବ୍‍ନା ପ୍ରତିକୂଳରେ ଯୁଦ୍ଧ କଲେ;
JOS 10:30 ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
JOS 10:31 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍‍ନାରୁ ଲାଖୀଶ୍‍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
JOS 10:32 ତହିଁରେ ସଦାପ୍ରଭୁ ଲାଖୀଶ୍‍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍‍ ଆକ୍ରମଣ କରି ଯେପରି ଲିବ୍‍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
JOS 10:33 ସେସମୟରେ ଗେଷରର ରାଜା ହୋରମ୍‍ ଲାଖୀଶ୍‍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
JOS 10:34 ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍‍ରୁ ଇଗ୍ଲୋନ୍‍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
JOS 10:35 ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍‍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
JOS 10:36 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍‍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
JOS 10:37 ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍‍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
JOS 10:38 ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ।
JOS 10:39 ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍‍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
JOS 10:40 ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
JOS 10:41 ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍‍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
JOS 10:42 ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
JOS 10:43 ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ଫେରି ଆସିଲେ।
JOS 11:1 ଏଥିଉତ୍ତାରେ ହାସୋରର ରାଜା ଯାବୀନ୍‍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍‍ ଓ ଶିମ୍ରୋଣର ରାଜା ଓ ଅକ୍‍ଷଫର ରାଜା ନିକଟକୁ,
JOS 11:2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତ୍‍ର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜାଗଣ ନିକଟକୁ,
JOS 11:3 ଅର୍ଥାତ୍‍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପା ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ।
JOS 11:4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ।
JOS 11:5 ପୁଣି ଏସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍‍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ।
JOS 11:6 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ।”
JOS 11:7 ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍‍ ଜଳାଶୟ ନିକଟରେ ହଠାତ୍‍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ।
JOS 11:8 ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍‍-ମୟିମ୍‍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପେର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ।
JOS 11:9 ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ।
JOS 11:10 ସେହି ସମୟରେ ଯିହୋଶୂୟ ଫେରିଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ; ପୂର୍ବକାଳରେ ହାସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା।
JOS 11:11 ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; ନିଃଶ୍ୱାସପ୍ରଶ୍ୱାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାସୋରକୁ ଅଗ୍ନିରେ ଦଗ୍ଧ କଲେ।
JOS 11:12 ପୁଣି ଯିହୋଶୂୟ ସେହି ରାଜାଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
JOS 11:13 ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍ଧ କଲେ।
JOS 11:14 ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ସମ୍ପୂର୍ଣ୍ଣ ରୂପେ ବଧ କରିବା ଯାଏ ସେମାନେ ଖଡ୍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ୱାସପ୍ରଶ୍ୱାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ।
JOS 11:15 ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ।
JOS 11:16 ଏହିରୂପେ ଯିହୋଶୂୟ ସେହି ସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି;
JOS 11:17 ସେୟୀରଗାମୀ ହାଲକ୍‍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ ସମସ୍ଥଳୀରେ ଥିବା ବାଲ୍‍ଗାଦ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ।
JOS 11:18 ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ।
JOS 11:19 ଗିବୀୟୋନ୍‍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ-ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ।
JOS 11:20 କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା।
JOS 11:21 ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ।
JOS 11:22 ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍‍ ଓ ଅସ୍ଦୋଦରେ କେହି କେହି ରହିଲେ।
JOS 11:23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
JOS 12:1 ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।
JOS 12:2 ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ-ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ
JOS 12:3 ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।
JOS 12:4 ପୁଣି ବାଶନୀୟ ଓଗ୍‍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍‍ ଓ ଇଦ୍ରିୟୀରେ ବାସ କଲା,
JOS 12:5 ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।
JOS 12:6 ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।
JOS 12:7 ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍‍ଗାଦ୍‍ଠାରୁ ସେୟୀରଗାମୀ ହାଲକ୍‍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
JOS 12:8 ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି;
JOS 12:9 ଯିରୀହୋର ରାଜା, ଏକ; ବେଥେଲ୍‍ର ନିକଟସ୍ଥ ଅୟର ରାଜା
JOS 12:10 ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
JOS 12:11 ଯର୍ମୂତର ରାଜା, ଏକ; ଲାଖୀଶ୍‍ର ରାଜା, ଏକ;
JOS 12:12 ଇଗ୍ଲୋନ୍‍ର ରାଜା, ଏକ; ଗେଷରର ରାଜା, ଏକ;
JOS 12:13 ଦବୀରର ରାଜା, ଏକ; ଗେଦରର ରାଜା, ଏକ;
JOS 12:14 ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
JOS 12:15 ଲିବ୍‍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
JOS 12:16 ମକ୍କେଦାର ରାଜା, ଏକ; ବେଥେଲ୍‍ର ରାଜା, ଏକ;
JOS 12:17 ତପୂହର ରାଜା, ଏକ; ହେଫରର ରାଜା, ଏକ;
JOS 12:18 ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
JOS 12:19 ମାଦୋନର ରାଜା, ଏକ; ହାସୋରର ରାଜା, ଏକ;
JOS 12:20 ଶିମ୍ରୋଣମରୋଣର ରାଜା, ଏକ; ଅକ୍‍ଷଫର ରାଜା, ଏକ;
JOS 12:21 ତାନକ୍‍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
JOS 12:22 କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ;
JOS 12:23 ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍‍ଗଲ୍‍ସ୍ଥ ଗୋୟିମର ରାଜା, ଏକ;
JOS 12:24 ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତିରିଶ ରାଜା।
JOS 13:1 ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି।
JOS 13:2 ସେହି ଅବଶିଷ୍ଟ ଦେଶ ଏହି; ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ଡଳ ଓ ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ;
JOS 13:3 ଅର୍ଥାତ୍‍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;
JOS 13:4 ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।
JOS 13:5 ପୁଣି ଗିବ୍ଲୀୟମାନଙ୍କ ଦେଶ ଓ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍‍ଗାଦ୍‍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ।
JOS 13:6 ଲିବାନୋନଠାରୁ ମିଷ୍ରଫୋତ୍‍-ମୟିମ୍‍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସୀଦୋନୀୟମାନଙ୍କ ଦେଶ; ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା; ତୁମ୍ଭେ ଆମ୍ଭ ଆଜ୍ଞାନୁସାରେ ତାହା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ।
JOS 13:7 ଏନିମନ୍ତେ ଏବେ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଏହି ଦେଶ ବିଭାଗ କରିଦିଅ।”
JOS 13:8 ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ,
JOS 13:9 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି,
JOS 13:10 ଆଉ ଅମ୍ମୋନ-ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଷ୍‍ବୋନରେ କର୍ତ୍ତୃତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମସ୍ତ ନଗର;
JOS 13:11 ପୁଣି ଗିଲୀୟଦ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ,
JOS 13:12 ଅର୍ଥାତ୍‍, ଅଷ୍ଟାରୋତ୍‍ରେ ଓ ଇଦ୍ରିୟୀରେ ରାଜତ୍ୱକାରୀ ରଫାୟୀୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍‍ ବାଶନ ରାଜ୍ୟ ଦେଇଥିଲା; କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ।
JOS 13:13 ତଥାପି ଇସ୍ରାଏଲ-ସନ୍ତାନଗଣ ଗଶୂରୀୟମାନଙ୍କୁ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ; ସେହି ଗଶୂରୀୟ ଓ ମାଖାଥୀୟମାନେ ଆଜିଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଅଛନ୍ତି।
JOS 13:14 କେବଳ ଲେବୀ ବଂଶକୁ ମୋଶା କିଛି ଅଧିକାର ଦେଲେ ନାହିଁ; କାରଣ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ସେମାନଙ୍କର ଅଧିକାର ହେଲା, ଯେପରି ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
JOS 13:15 ପୁଣି ମୋଶା ରୁବେନ୍‍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ।
JOS 13:16 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେମାନଙ୍କର ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି;
JOS 13:17 ହିଷ୍‍ବୋନ ଓ ସମଭୂମିସ୍ଥିତ ଦୀବୋନ୍ ଓ ବାମତ୍‍ବାଲ ଓ ବେଥ୍-ବାଲ-ମିୟୋନ,
JOS 13:18 ଯହସ ଓ କଦେମୋତ୍‍ ଓ ମେଫାତ୍‍
JOS 13:19 ଓ କିରୀୟାଥୟିମ୍‍ ଓ ସିବ୍‍ମା ଓ ତଳଭୂମିର ପର୍ବତସ୍ଥ ସେରତ୍‍ ସହର
JOS 13:20 ଓ ବେଥ୍-ପିୟୋର ଓ ଅସଦୋତ୍‍-ପିସ୍ଗା ଓ ବେଥ୍-ଯିଶିମୋତ, ତହିଁର ଏହି ସମସ୍ତ ନଗର।
JOS 13:21 ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିଷ୍‍ବୋନରେ ରାଜତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦୀୟନର ପ୍ରଧାନବର୍ଗ ଇବି ଓ ରେକମ୍‍ ଓ ସୂର୍‍ ଓ ହୂର ଓ ରେବା ନାମକ ସୀହୋନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ।
JOS 13:22 ଇସ୍ରାଏଲ-ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍‍କୁ ମଧ୍ୟ ବଧ କରିଥିଲେ।
JOS 13:23 ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍‍-ସନ୍ତାନଗଣର ସୀମା ଥିଲା, ରୁବେନ୍‍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
JOS 13:24 ଆଉ ମୋଶା ଗାଦ୍‍ ବଂଶୀୟ ଗାଦ୍‍-ସନ୍ତାନମାନକୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।
JOS 13:25 ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା।
JOS 13:26 ପୁଣି ହିଷ୍‍ବୋନଠାରୁ ରାମତ୍‍-ମିସ୍ପେ ଓ ବଟନୀମ୍‍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ
JOS 13:27 ଓ ତଳଭୂମିରେ ବେଥ୍-ହାରମ୍‍ ଓ ବେଥ୍-ନିମ୍ରା ଓ ସୁକ୍କୋତ ଓ ସାଫୋନ୍‍ ଓ ହିଷ୍‍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍‍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ।
JOS 13:28 ଗାଦ୍‍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
JOS 13:29 ଆଉ ମୋଶା ମନଃଶିର ଅର୍ଦ୍ଧ ବଂଶକୁ ଅଧିକାର ଦେଲେ; ମନଃଶି-ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କ ଅର୍ଦ୍ଧ ବଂଶର ହେଲା।
JOS 13:30 ସେମାନଙ୍କର ସୀମା ମହନୟିମଠାରୁ ସମସ୍ତ ବାଶନ ଦେଶ, ବାଶନର ରାଜା ଓଗ୍‍ର ସମସ୍ତ ରାଜ୍ୟ ଓ ବାଶନର ଅନ୍ତର୍ଗତ ଯାୟୀରର ସମସ୍ତ ଉପନଗର, ଏରୂପେ ଷାଠିଏ ନଗର
JOS 13:31 ପୁଣି ଅର୍ଦ୍ଧ ଗିଲୀୟଦ ଓ ଅଷ୍ଟାରୋତ୍‍ ଓ ଇଦ୍ରିୟୀ, ଓଗ୍‍ର ବାଶନ ରାଜ୍ୟସ୍ଥିତ ଏହି ଏହି ନଗର ମନଃଶିର ପୁତ୍ର ମାଖୀର-ସନ୍ତାନଗଣର ବଂଶାନୁସାରେ ମାଖୀର-ସନ୍ତାନଗଣର ଅର୍ଦ୍ଧ ବଂଶର ହେଲା।
JOS 13:32 ଯର୍ଦ୍ଦନ-ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ-ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ।
JOS 13:33 ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।
JOS 14:1 କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣ ଏହିସବୁ ଅଧିକାର ପାଇଲେ, ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣର ପିତୃବଂଶୀୟ ପ୍ରଧାନବର୍ଗ,
JOS 14:2 ଯେପରି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା ନଅ ବଂଶକୁ ଓ ଅର୍ଦ୍ଧ ବଂଶକୁ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିଦେଲେ।
JOS 14:3 କାରଣ ମୋଶା ଯର୍ଦ୍ଦନ-ପୂର୍ବପାରିରେ ଦୁଇ ବଂଶ ଓ ଅର୍ଦ୍ଧ ବଂଶକୁ ଅଧିକାର ଦେଇଥିଲେ; ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ।
JOS 14:4 ଯୋଷେଫର ସନ୍ତାନଗଣ ମନଃଶି ଓ ଇଫ୍ରୟିମ ଦୁଇ ବଂଶ ଥିଲେ। ପୁଣି ସେମାନେ ଲେବୀୟମାନଙ୍କୁ କେତେକ ବସତି-ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳିଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ।
JOS 14:5 ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ।
JOS 14:6 ସେହି ସମୟରେ ଯିହୁଦା-ସନ୍ତାନଗଣ ଗିଲ୍‍ଗଲ୍‍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ।
JOS 14:7 ମୋହର ଚାଳିଶ ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ-ବର୍ଣ୍ଣେୟଠାରୁ ମୋତେ ପଠାଇଥିଲେ; ତହିଁରେ ମୁଁ ଆପଣା ମନରେ ଯାହା ଥିଲା, ତଦନୁସାରେ ତାଙ୍କୁ ସମ୍ବାଦ ଆଣି ଦେଲି।
JOS 14:8 ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି।
JOS 14:9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ‘ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ।’
JOS 14:10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି।
JOS 14:11 ତଥାପି ମୋଶା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି; ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେସମୟରେ ମୋହର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋହର ବଳ ଅଛି।
JOS 14:12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥାʼନ୍ତି ଓ ନଗରମାନ ବୃହତ ଓ ପ୍ରାଚୀର-ବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।”
JOS 14:13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।
JOS 14:14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ।
JOS 14:15 ପୂର୍ବକାଳରେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ (ଅର୍ବର ନଗର) ଥିଲା; ସେହି ଅର୍ବ ଅନାକୀୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏଉତ୍ତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
JOS 15:1 ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସୀନ୍‍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା।
JOS 15:2 ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍‍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ
JOS 15:3 ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟି ଦେଇ ସୀନ୍‍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା।
JOS 15:4 ଏଉତ୍ତାରେ ଅସ୍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
JOS 15:5 ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା
JOS 15:6 ଓ ସେହି ସୀମା ବେଥ୍-ହୋଗ୍ଲା ପର୍ଯ୍ୟନ୍ତ ଉଠି ବେଥ୍-ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା।
JOS 15:7 ଏଉତ୍ତାରେ ସେହି ସୀମା ଆଖୋର୍‍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗିଲ୍‍ଗଲ୍‍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍‍-ଶେମଶ୍‍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍‍-ରୋଗେଲ ନିକଟରେ ଥିଲା।
JOS 15:8 ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟୀମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ଗଲା।
JOS 15:9 ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟଥ୍‍-ଯିୟାରୀମ୍‍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା।
JOS 15:10 ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବେଥ୍-ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା।
JOS 15:11 ପୁଣି ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍‍କେରୋନ୍‍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍‍ନୀୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।
JOS 15:12 ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି।
JOS 15:13 ଏଥିଉତ୍ତାରେ ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥ୍‍-ଅର୍ବ ଦେଲେ, ଅର୍ବ ଅନାକର ପିତା ଥିଲା।
JOS 15:14 ପୁଣି କାଲେବ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍‍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
JOS 15:15 ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍‍-ସେଫର ନାମରେ ବିଖ୍ୟାତ ଥିଲା।
JOS 15:16 ସେହି ସମୟରେ କାଲେବ କହିଲେ, “ଯେଉଁ ଜନ କିରୀୟଥ୍‍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍‍ଷାର ବିବାହ ଦେବି।”
JOS 15:17 ତହିଁରେ କାଲେବର ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ।
JOS 15:18 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
JOS 15:19 ତହୁଁ ସେ କହିଲା, “ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ।” ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
JOS 15:20 ଯିହୁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର।
JOS 15:21 ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା-ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବ୍‍ସେଲ ଓ ଏଦର ଓ ଯାଗୁର
JOS 15:22 ଓ କୀନା ଓ ଦୀମୋନା ଓ ଅଦାଦା
JOS 15:23 ଓ କେଦଶ୍‍ ଓ ହାସୋର ଓ ଯିତ୍ନନ୍;
JOS 15:24 ସୀଫ୍‍ ଓ ଟେଲମ୍‍ ଓ ବାଲୋତ୍‍
JOS 15:25 ଓ ହାସୋର-ହଦତ୍ତା ଓ କରିୟୋଥ୍‍-ହିଷ୍ରୋଣ (ଅବା ହାସୋର
JOS 15:26 ଅମାମ୍‍ ଓ ଶେମା ଓ ମୋଲାଦା
JOS 15:27 ଓ ହତ୍‍ସର-ଗଦ୍ଦା ଓ ହିଷ୍‍ମୋନ୍‍ ଓ ବେଥ୍-ପେଲଟ
JOS 15:28 ଓ ହତ୍‍ସର-ଶୁୟାଲ୍‍ ଓ ବେର୍‍ଶେବା ଓ ବିଷିୟୋଥିୟା;
JOS 15:29 ବାଲା ଓ ଇୟୀମ୍‍ ଓ ଏତ୍ସମ୍‍;
JOS 15:30 ଇଲତୋଲଦ୍‍ ଓ କସୀଲ ଓ ହର୍ମା
JOS 15:31 ଓ ସିକ୍ଲଗ୍‍ ଓ ମଦ୍‍ମନ୍ନା ଓ ସନ୍‍ସନ୍ନା
JOS 15:32 ଓ ଲବାୟୋତ୍‍ ଓ ଶିଲହୀମ୍‍ ଓ ଐନ୍‍ ଓ ରିମ୍ମୋନ୍‍; ଗ୍ରାମ ସମେତ ସର୍ବସୁଦ୍ଧା ଅଣତିରିଶ ନଗର।
JOS 15:33 ତଳଭୂମିରେ ଇଷ୍ଟାୟୋଲ ଓ ସରାୟ ଓ ଅସ୍‍ନା
JOS 15:34 ଓ ସାନୋହ ଓ ଐନ୍‍-ଗନ୍ନୀମ୍‍ ଓ ତପୂହ ଓ ଐନମ୍;
JOS 15:35 ଯର୍ମୂତ ଓ ଅଦୁଲ୍ଲମ, ସୋଖୋ ଓ ଅସେକା
JOS 15:36 ଓ ଶାରୟିମ୍‍ ଓ ଅଦୀଥୟିମ୍‍ ଓ ଗଦେରା ଓ ଗଦେରୋଥୟିମ୍‍; ଗ୍ରାମ ସମେତ ଏହି ଚଉଦ ନଗର।
JOS 15:37 ସନାନ୍‍ ଓ ହଦାଶା ଓ ମିଗ୍‍ଦଲଗାଦ
JOS 15:38 ଓ ଦିଲୀୟନ୍‍ ଓ ମିସ୍ପେ ଓ ଯକ୍ତେଲ;
JOS 15:39 ଲାଖୀଶ୍‍ ଓ ବସ୍କତ୍‍ ଓ ଇଗ୍ଲୋନ୍‍;
JOS 15:40 କେବ୍ବୋନ୍‍ ଓ ଲହମମ ଓ କିତୀଶ୍‍
JOS 15:41 ଓ ଗଦେରୋତ୍‍, ବେଥ୍-ଦାଗୋନ୍‍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।
JOS 15:42 ଲିବ୍‍ନା ଓ ଏଥର୍‍ ଓ ଆଶନ୍‍
JOS 15:43 ଓ ଯିପ୍ତହ ଓ ଅସ୍‍ନା ଓ ନତ୍ସୀବ୍‍;
JOS 15:44 କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।
JOS 15:45 ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
JOS 15:46 ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।
JOS 15:47 ଅସ୍ଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
JOS 15:48 ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ;
JOS 15:49 ପୁଣି ଦନ୍ନା ଓ କିରୀୟଥ୍‍-ସନ୍ନା (ଏହାକୁ ଦବୀର କହନ୍ତି)
JOS 15:50 ଓ ଅନାବ୍ ଓ ଇଷ୍ଟିମୋୟ ଓ ଆନୀମ୍‍
JOS 15:51 ଓ ଗୋଶନ ଓ ହୋଲୋନ୍‍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର।
JOS 15:52 ଅରାବ୍‍ ଓ ଦୂମା ଓ ଇଶୀୟନ୍‍
JOS 15:53 ଓ ଯାନୁମ୍‍ ଓ ବେଥ୍-ତ୍ତପୂହ ଓ ଅଫେକା
JOS 15:54 ଓ ହୁମ୍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।
JOS 15:55 ମାୟୋନ୍‍, କର୍ମିଲ ଓ ସୀଫ୍‍ ଓ ଯୁଟା
JOS 15:56 ଓ ଯିଷ୍ରିୟେଲ ଓ ଯଗ୍‍ଦୀୟାମ୍‍ ଓ ସାନୋହ;
JOS 15:57 କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର।
JOS 15:58 ହଲହୁଲ ଓ ବେଥ୍-ସୁର ଓ ଗଦୋର
JOS 15:59 ଓ ମାରତ୍‍ ଓ ବେଥ୍-ଅନୋତ୍‍ ଓ ଇଲ୍‍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର।
JOS 15:60 କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ୍‍ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର।
JOS 15:61 ପ୍ରାନ୍ତରରେ ବେଥ୍-ଅରାବା, ମିଦ୍ଦୀନ୍‍ ଓ ସକାଖା
JOS 15:62 ଓ ନିବ୍‍ଶନ୍‍ ଓ ଲବଣ ନଗର ଓ ଐନଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର।
JOS 15:63 ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି।
JOS 16:1 ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋଠାରୁ ପର୍ବତମୟ ଦେଶ ଦେଇ ବେଥେଲ୍‍କୁ ଉର୍ଦ୍ଧ୍ବଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା।
JOS 16:2 ତହୁଁ ସେ ସୀମା ବେଥେଲ୍‍ଠାରୁ ଲୂସ୍‍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତ୍‍କୁ ଗଲା;
JOS 16:3 ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବେଥ୍-ହୋରଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।
JOS 16:4 ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ।
JOS 16:5 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍‍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।
JOS 16:6 ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍‍ମଥତ୍‍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍‍ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବ ଦିଗରେ ଯାନୋହକୁ ଗଲା।
JOS 16:7 ପୁଣି ଯାନୋହଠାରୁ ଅଟାରୋତ୍‍ ଓ ନାରା ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା।
JOS 16:8 ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।
JOS 16:9 ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା।
JOS 16:10 ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।
JOS 17:1 ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।
JOS 17:2 ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।
JOS 17:3 ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା।
JOS 17:4 ଏମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ; ଏହେତୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସେମାନଙ୍କ ପିତାର ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
JOS 17:5 ଏଣୁ ଯର୍ଦ୍ଦନର ସେପାରିସ୍ଥ ଗିଲୀୟଦ ଓ ବାଶନ ଛଡ଼ା ମନଃଶିର ବାଣ୍ଟରେ ଦଶ ଅଂଶ ପଡ଼ିଲା।
JOS 17:6 କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।
JOS 17:7 ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍‍ମଥତ୍‍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍‍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା।
JOS 17:8 ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା।
JOS 17:9 ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା; ମନଃଶିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରୟିମର ଥିଲା, ମନଃଶିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା।
JOS 17:10 ଦକ୍ଷିଣ ଦିଗ ଇଫ୍ରୟିମର ଓ ଉତ୍ତର ଦିଗ ମନଃଶିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା; ପୁଣି ତାହା ଉତ୍ତର ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଷାଖର ପର୍ଯ୍ୟନ୍ତ ଗଲା।
JOS 17:11 ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍‍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍‍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା।
JOS 17:12 ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
JOS 17:13 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
JOS 17:14 ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।”
JOS 17:15 ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।”
JOS 17:16 ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।”
JOS 17:17 ତହିଁରେ ଯିହୋଶୂୟ ଯୋଷେଫଙ୍କର ବଂଶ ଇଫ୍ରୟିମ ଓ ମନଃଶିକୁ କହିଲେ, “ତୁମ୍ଭେ ବହୁଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି; ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ।
JOS 17:18 ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ; ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ; କାରଣ କିଣାନୀୟମାନଙ୍କ ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ।”
JOS 18:1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା।
JOS 18:2 ସେସମୟରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଅଧିକାର-ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ।
JOS 18:3 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?”
JOS 18:4 ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ।
JOS 18:5 ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ; ଦକ୍ଷିଣ ଦିଗରେ ଆପଣା ସୀମାରେ ଯିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋଷେଫ-ବଂଶ ରହିବେ।
JOS 18:6 ଏହିରୂପେ ତୁମ୍ଭେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ; ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।
JOS 18:7 କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍‍ ଓ ରୁବେନ୍‍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।
JOS 18:8 ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।”
JOS 18:9 ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ।
JOS 18:10 ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ।
JOS 18:11 ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା।
JOS 18:12 ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା।
JOS 18:13 ସେଠାରୁ ସେ ସୀମା ଲୂସ୍‍କୁ ବା ଦକ୍ଷିଣ ଆଡ଼େ ଲୂସ୍‍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, (ଏହାକୁ ବେଥେଲ୍‍ କହନ୍ତି); ପୁଣି ନୀଚସ୍ଥ ବେଥ୍-ହୋରଣର ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରୋତ୍‍-ଅଦ୍ଦର ଆଡ଼କୁ ଗଡ଼ିଗଲା।
JOS 18:14 ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବେଥ୍-ହୋରଣ ଦକ୍ଷିଣସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯାଇ ଯିହୁଦା-ସନ୍ତାନଗଣର କିରୀୟଥ୍‍-ବାଲବା କିରୀୟଥ୍‍-ଯିୟାରୀମ୍‍ ନାମକ ନଗର ପର୍ଯ୍ୟନ୍ତ ଗଲା; ଏ ପଶ୍ଚିମ ସୀମା।
JOS 18:15 ପୁଣି ଦକ୍ଷିଣ ସୀମା କିରୀୟଥ୍‍-ଯିୟାରୀମ୍‍ର ପ୍ରାନ୍ତରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଗଲା।
JOS 18:16 ଆଉ ସେହି ସୀମା ରଫାୟୀମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା ଓ ହିନ୍ନୋମ ଉପତ୍ୟକା ଦେଇ ଯିବୂଷର ଦକ୍ଷିଣ ପାର୍ଶ୍ୱକୁ ଗଡ଼ିଆସି ଐନ୍‍-ରୋଗେଲକୁ ଗଲା।
JOS 18:17 ପୁଣି ଉତ୍ତର ଦିଗରେ ଫେରି ଐନ୍‍-ଶେମଶ୍‍ ନିକଟରେ ଗଲା ଓ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗଲୀଲୋତ ଆଡ଼କୁ ଯାଇ ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା।
JOS 18:18 ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖ ପାର୍ଶ୍ୱ ଦେଇ ପଦାଭୂମିକୁ ଗଡ଼ିଗଲା
JOS 18:19 ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା।
JOS 18:20 ପୂର୍ବ ଦିଗରେ ଯର୍ଦ୍ଦନ ତହିଁର ସୀମା ଥିଲା; ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା।
JOS 18:21 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ବଂଶର ନଗର ଯିରୀହୋ ଓ ବେଥ୍-ହୋଗ୍ଲା ଓ ଏମକ୍‍-କତ୍‍ଶିସ୍‍
JOS 18:22 ଓ ବେଥ୍-ଅରାବା ଓ ସୀମାରୟମ୍‍ ଓ ବେଥେଲ୍‍
JOS 18:23 ଓ ଅବ୍ବୀମ୍‍ ଓ ପାରା ଓ ଅଫ୍ରା,
JOS 18:24 କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର।
JOS 18:25 ଗିବୀୟୋନ୍‍ ଓ ରାମା ଓ ବେରୋତ
JOS 18:26 ଓ ମିସ୍ପେ ଓ କଫୀରା ଓ ମୋତ୍ସା
JOS 18:27 ଓ ରେକମ ଓ ଯିର୍ପେଲ ଓ ତରଲା
JOS 18:28 ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।
JOS 19:1 ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
JOS 19:2 ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍‍ଶେବା ବା ଶେବଃ ଓ ମୋଲାଦା
JOS 19:3 ଓ ହତ୍‍ସର-ଶୁୟାଲ୍‍ ଓ ବାଲା ଓ ଏତ୍ସମ୍‍
JOS 19:4 ଓ ଇଲତୋଲଦ୍‍ ଓ ବଥୁଲ ଓ ହର୍ମା
JOS 19:5 ଓ ସିକ୍ଲଗ୍‍ ଓ ବେଥ୍-ମର୍କାବୋତ୍‍ ଓ ହତ୍‍ସରସୂଷୀମ୍‍
JOS 19:6 ଓ ବେଥ୍-ଲବାୟୋତ୍‍ ଓ ଶାରୁହନ୍‍; ଗ୍ରାମ ସମେତ ଏହି ତେର ନଗର।
JOS 19:7 ଐନ୍‍ ଓ ରିମ୍ମୋନ୍‍ ଓ ଏଥର୍‍ ଓ ଆଶନ୍‍; ଗ୍ରାମ ସମେତ ଏହି ଚାରି ନଗର
JOS 19:8 ଓ ବାଲତ୍‍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍‍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
JOS 19:9 ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
JOS 19:10 ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
JOS 19:11 ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍‍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
JOS 19:12 ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍‍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍‍ରେ ବାହାରି ଯାଫୀୟକୁ ଉଠିଗଲା।
JOS 19:13 ପୁଣି ସେଠାରୁ ପୂର୍ବଦିଗ ହୋଇ ଗାଥ୍‍-ହେଫର ଦେଇ ଏତ୍କାତ୍‍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍‍କୁ ଗଲା।
JOS 19:14 ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
JOS 19:15 ପୁଣି କଟତ୍‍ ଓ ନହଲୋଲ୍‍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
JOS 19:16 ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
JOS 19:17 ଏଥିଉତ୍ତାରେ ଇଷାଖରର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
JOS 19:18 ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
JOS 19:19 ଓ ହଫାରୟିମ୍‍ ଓ ଶୀୟୋନ ଓ ଅନହରତ୍‍
JOS 19:20 ଓ ରାବ୍ବୀତ୍‍ ଓ କିଶୀୟୋନ୍‍ ଓ ଏବସ
JOS 19:21 ଓ ରେମତ୍‍ ଓ ଐନ୍‍-ଗନ୍ନୀମ୍‍ ଓ ଐନ୍‍-ହଦ୍ଦା ଓ ବେଥ୍-ପତ୍‍ସେସ ପର୍ଯ୍ୟନ୍ତ ଗଲା।
JOS 19:22 ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍‍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
JOS 19:23 ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
JOS 19:24 ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
JOS 19:25 ଆଉ ସେମାନଙ୍କର ସୀମା ହିଲକତ୍‍ ଓ ହଲୀ ଓ ବେଟନ ଓ ଅକ୍‍ଷଫ
JOS 19:26 ଓ ଅଲମେଲକ୍‍ ଓ ଅମୀୟାଦ୍‍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍‍ନତ ପର୍ଯ୍ୟନ୍ତ ଗଲା।
JOS 19:27 ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍‍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
JOS 19:28 ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
JOS 19:29 ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର-ବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
JOS 19:30 ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
JOS 19:31 ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
JOS 19:32 ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
JOS 19:33 ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
JOS 19:34 ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍‍ନୋତ୍‍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍‍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
JOS 19:35 ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍କତ୍‍ ଓ କିନ୍ନେରତ୍‍
JOS 19:36 ଓ ଆଦାମା ଓ ରାମା ଓ ହାସୋର
JOS 19:37 ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
JOS 19:38 ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
JOS 19:39 ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
JOS 19:40 ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
JOS 19:41 ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍‍
JOS 19:42 ଓ ଶାଲବୀନ୍ ଓ ଅୟାଲୋନ୍‍ ଓ ଯିତ୍ଲା
JOS 19:43 ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
JOS 19:44 ଓ ଇଲତ୍‍କୀ ଓ ଗିବ୍ବଥୋନ ଓ ବାଲତ୍‍
JOS 19:45 ଓ ଯିହୂଦ୍‍ ଓ ବନେବରକ୍‍ ଓ ଗାଥ୍‍-ରିମ୍ମୋନ
JOS 19:46 ଓ ମେୟକୋନ୍‍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
JOS 19:47 ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍‍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
JOS 19:48 ଆପଣା ଆପଣା ବଂଶାନୁସାରେ ଦାନ୍-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
JOS 19:49 ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
JOS 19:50 ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ-ପର୍ବତମୟ ଦେଶରେ ତିମ୍ନାତ୍‍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
JOS 19:51 ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।
JOS 20:1 ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ;
JOS 20:2 ‘ଆମ୍ଭେ ମୋଶା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭମାନଙ୍କୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର।
JOS 20:3 ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଧ କରେ, ସେ ସେଠାକୁ ପଳାଇ ଯାଇ ପାରିବ; ପୁଣି ସେହି ସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।
JOS 20:4 ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।
JOS 20:5 ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ, ସେମାନେ ନରହତ୍ୟାକାରୀକୁ ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ବଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରି ନ ଥିଲା।
JOS 20:6 ଏହି ନିମନ୍ତେ ସେ ବିଚାରାର୍ଥେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ଯାଏ, ପୁଣି ସେହି ସମୟର ମହାଯାଜକର ମୃତ୍ୟୁୁ ହେବା ଯାଏ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରି ଆସିବ।’”
JOS 20:7 ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ-ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।
JOS 20:8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍‍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍‍ ବଂଶର ଗିଲୀୟଦରେ ରାମୋତ୍‍ ଓ ମନଃଶି ବଂଶର ବାଶନରେ ଗୋଲନ୍‍ ନିରୂପଣ କଲେ।
JOS 20:9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତର ପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।
JOS 21:1 ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ;
JOS 21:2 ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।”
JOS 21:3 ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗରସମୂହ ଓ ତହିଁର ତଳିଭୂମି ଦେଲେ।
JOS 21:4 ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ୍ ବଂଶରୁ ତେର ନଗର ପାଇଲେ।
JOS 21:5 ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧ ବଂଶରୁ ଦଶ ନଗର ପାଇଲେ।
JOS 21:6 ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେର ନଗର ପାଇଲେ।
JOS 21:7 ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
JOS 21:8 ଏହିରୂପେ ଇସ୍ରାଏଲ-ସନ୍ତାନଗଣ, ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ।
JOS 21:9 ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି।
JOS 21:10 ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା।
JOS 21:11 ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।
JOS 21:12 ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।
JOS 21:13 ପୁଣି ହାରୋଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗରର ହିବ୍ରୋଣ ଓ ତହିଁ ତଳିଭୂମି ଓ ଲିବ୍‍ନା ଓ ତହିଁ ତଳିଭୂମି,
JOS 21:14 ଯତ୍ତୀର ଓ ତହିଁ ତଳିଭୂମି, ଇଷ୍ଟିମୋୟ ଓ ତହିଁ ତଳିଭୂମି,
JOS 21:15 ହୋଲୋନ୍‍ ଓ ତହିଁ ତଳିଭୂମି, ଦବୀର ଓ ତହିଁ ତଳିଭୂମି,
JOS 21:16 ଐନ୍‍ ଓ ତହିଁ ତଳିଭୂମି, ଯୁଟା ଓ ତହିଁ ତଳିଭୂମି, ବେଥ୍-ଶେମଶ ଓ ତହିଁ ତଳିଭୂମି, ସେହି ଦୁଇ ବଂଶରୁ ଏହି ନଅ ନଗର ଦେଲେ।
JOS 21:17 ପୁଣି ବିନ୍ୟାମୀନ୍ ବଂଶରୁ ଗିବୀୟୋନ୍‍ ଓ ତହିଁ ତଳିଭୂମି, ଗେବା ଓ ତହିଁ ତଳିଭୂମି,
JOS 21:18 ଅନାଥୋତ୍‍ ଓ ତହିଁ ତଳିଭୂମି, ଅଲମୋନ ଓ ତହିଁ ତଳିଭୂମି; ଚାରି ନଗର।
JOS 21:19 ହାରୋଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ହେଲା।
JOS 21:20 ଆଉ କହାତର ଅବଶିଷ୍ଟ ସନ୍ତାନଗଣ, ଅର୍ଥାତ୍‍, କହାତ-ସନ୍ତାନ ଲେବୀୟମାନଙ୍କ ବଂଶସମୂହ ଇଫ୍ରୟିମ ବଂଶରୁ ଆପଣାମାନଙ୍କ ନଗର ବାଣ୍ଟ ପାଇଲେ।
JOS 21:21 ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଇଫ୍ରୟିମ-ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଶିଖିମ ଓ ତହିଁ ତଳିଭୂମି ଓ ଗେଷର ଓ ତହିଁ ତଳିଭୂମି,
JOS 21:22 କିବ୍‍ସୟିମ୍‍ ଓ ତହିଁ ତଳିଭୂମି, ବେଥ୍-ହୋରଣ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:23 ପୁଣି ଦାନ୍ ବଂଶରୁ ଇଲତ୍‍କୀ ଓ ତହିଁ ତଳିଭୂମି, ଗିବ୍ବଥୋନ ଓ ତହିଁ ତଳିଭୂମି,
JOS 21:24 ଅୟାଲୋନ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:25 ଆଉ ମନଃଶିର ଅର୍ଦ୍ଧ ବଂଶରୁ ତାନକ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
JOS 21:26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ ଦଶ ନଗର ହେଲା।
JOS 21:27 ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
JOS 21:28 ପୁଣି ଇଷାଖର ବଂଶରୁ କିଶୀୟୋନ୍‍ ଓ ତହିଁ ତଳିଭୂମି, ଦାବରତ୍‍ ଓ ତହିଁ ତଳିଭୂମି,
JOS 21:29 ଯର୍ମୂତ୍‍ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:30 ଆଉ ଆଶେର ବଂଶରୁ ମିଶାଲ ଓ ତହିଁ ତଳିଭୂମି, ଅବଦୋନ୍‍ ଓ ତହିଁ ତଳିଭୂମି,
JOS 21:31 ହିଲକତ୍‍ ଓ ତହିଁ ତଳିଭୂମି, ରହୋବ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:32 ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତହିଁ ତଳିଭୂମି, ହମୋତ୍‍-ଦୋର ଓ ତହିଁ ତଳିଭୂମି, କର୍ତ୍ତନ ଓ ତହିଁ ତଳିଭୂମି, ଏହି ତିନି ନଗର ଦେଲେ।
JOS 21:33 ଆପଣା ଆପଣା ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ପାଇଲେ।
JOS 21:34 ଏଉତ୍ତାରେ ସେମାନେ ମରାରି-ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବୂଲୂନ ବଂଶରୁ ଯଗ୍ନିୟାମ ଓ ତହିଁ ତଳିଭୂମି, କାର୍ତ୍ତା ଓ ତହିଁ ତଳିଭୂମି,
JOS 21:35 ଦିମ୍ନା ଓ ତହିଁ ତଳିଭୂମି, ନହଲୋଲ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:36 ପୁଣି ରୁବେନ୍‍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଯହସ ଓ ତହିଁ ତଳିଭୂମି,
JOS 21:37 କଦେମୋତ୍‍ ଓ ତହିଁ ତଳିଭୂମି, ମେଫାତ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
JOS 21:38 ଆଉ ଗାଦ୍‍ ବଂଶରୁ ଗିଲୀୟଦ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ରାମୋତ୍‍ ଓ ତହିଁ ତଳିଭୂମି, ମହନୟିମ ଓ ତହିଁ ତଳିଭୂମି,
JOS 21:39 ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।
JOS 21:40 ଏରୂପେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ଅର୍ଥାତ୍‍, ମରାରି-ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା; ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା।
JOS 21:41 ଇସ୍ରାଏଲ-ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ ଅଠଚାଳିଶ ନଗର ଲେବୀୟମାନଙ୍କର ହେଲା।
JOS 21:42 ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।
JOS 21:43 ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ; ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ।
JOS 21:44 ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
JOS 21:45 ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ; ସବୁ ସଫଳ ହେଲା।
JOS 22:1 ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ,
JOS 22:2 “ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ;
JOS 22:3 ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।
JOS 22:4 ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।
JOS 22:5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”
JOS 22:6 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ, ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ।
JOS 22:7 ମୋଶା ମନଃଶିର ଅର୍ଦ୍ଧ ବଂଶକୁ ବାଶନରେ ଅଧିକାର ଦେଇଥିଲେ; ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ,
JOS 22:8 “ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”
JOS 22:9 ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଶୀଲୋଠାରେ ଇସ୍ରାଏଲ-ସନ୍ତାନଗଣ ନିକଟରୁ ବିଦାୟ ନେଇ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞାନୁସାରେ ସେମାନେ ଯହିଁର ଅଧିକାରୀ ହୋଇଥିଲେ, ଆପଣାମାନଙ୍କ ସେହି ଅଧିକୃତ ଗିଲୀୟଦ ଦେଶକୁ ଫେରିଗଲେ।
JOS 22:10 ପୁଣି ଯେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼।
JOS 22:11 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ, ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲ ସନ୍ତାନମାନଙ୍କ ଅଧିକୃତ ପାର୍ଶ୍ୱରେ ଯର୍ଦ୍ଦନ ସୀମାନ୍ତର୍ଗତ କିଣାନ ଦେଶ ଆଗରେ ଏକ ଯଜ୍ଞବେଦି ନିର୍ମାଣ କରିଅଛନ୍ତି।
JOS 22:12 ତହୁଁ ଇସ୍ରାଏଲ-ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ସମଗ୍ର ମଣ୍ଡଳୀ ଶୀଲୋରେ ଏକତ୍ରିତ ହେଲେ।
JOS 22:13 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍କୁ
JOS 22:14 ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାଧିପତି, ଏରୂପେ ଦଶ ଅଧିପତି ଗିଲୀୟଦ ଦେଶକୁ ପଠାଇଲେ, ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ।
JOS 22:15 ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,
JOS 22:16 “ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏରୂପ କହନ୍ତି, ‘ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେବା ନିମନ୍ତେ ଆପଣାମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ-ଲଙ୍ଘନ କରିଅଛ, ଏ କʼଣ?
JOS 22:17 ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରିପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ,
JOS 22:18 ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ।
JOS 22:19 ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ।
JOS 22:20 ସେରହର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”
JOS 22:21 ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ,
JOS 22:22 “ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;
JOS 22:23 ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ;
JOS 22:24 ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।
JOS 22:25 କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;
JOS 22:26 ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍‍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
JOS 22:27 ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।’
JOS 22:28 ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’
JOS 22:29 ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”
JOS 22:30 ସେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍‍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।
JOS 22:31 ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ରୁବେନ୍‍-ସନ୍ତାନଗଣକୁ ଓ ଗାଦ୍‍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।”
JOS 22:32 ତହୁଁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ଓ ଅଧିପତିମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ନିକଟରୁ ଗିଲୀୟଦ ଦେଶରୁ ବାହାରି କିଣାନ ଦେଶକୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ।
JOS 22:33 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।
JOS 22:34 ଏଉତ୍ତାରେ ରୁବେନ୍‍-ସନ୍ତାନମାନେ ଓ ଗାଦ୍‍-ସନ୍ତାନମାନେ ସେହି ବେଦିର ନାମ ଏଦ୍‍ ରଖିଲେ, କାରଣ ସେମାନେ କହିଲେ, “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି।”
JOS 23:1 ଏଥିଉତ୍ତାରେ ବହୁ ଦିନ ଉତ୍ତାରେ ସଦାପ୍ରଭୁ ଇସ୍ରାଏଲଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁଙ୍କଠାରୁ ବିଶ୍ରାମ ଦିଅନ୍ତେ; ପୁଣି ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୁଅନ୍ତେ, ଏପରି ଘଟିଲା,
JOS 23:2 ଯେ ଯିହୋଶୂୟ ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ଓ ଗତବୟସ୍କ ହେଲି।
JOS 23:3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।
JOS 23:4 ଦେଖ, ଯର୍ଦ୍ଦନ ଅବଧି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଯେସମସ୍ତ ଦେଶୀୟମାନଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ଆଉ ଯେଉଁ ଦେଶୀୟମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ଦେଶ ଅଧିକାର କରିବାକୁ ମୁଁ ତୁମ୍ଭମାନଙ୍କ ବଂଶାନୁସାରେ ଗୁଲିବାଣ୍ଟ ଦ୍ୱାରା ବିଭାଗ କରି ତୁମ୍ଭମାନଙ୍କୁ ଦେଲି।
JOS 23:5 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବେ ଓ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ତଡ଼ି ଦେବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟାନୁସାରେ ସେମାନଙ୍କ ଦେଶ ଅଧିକାର କରିବ।
JOS 23:6 ଏନିମନ୍ତେ ତୁମ୍ଭେମାନେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥରେ ଲିଖିତ ସମସ୍ତ କଥା ମାନିବାକୁ ଓ କରିବାକୁ ସାହସିକ ହୁଅ, ତହିଁର ଦକ୍ଷିଣରେ କି ବାମରେ ନ ଫେର;
JOS 23:7 ପୁଣି ସେହି ଗୋଷ୍ଠୀୟମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବେଶ ନ କର; କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କ ସେବା ନ କର, କିଅବା ସେମାନଙ୍କୁ ପ୍ରଣାମ ନ କର।
JOS 23:8 ମାତ୍ର ଯେପରି ଆଜି ପର୍ଯ୍ୟନ୍ତ କରି ଆସୁଅଛ, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ଥାଅ।
JOS 23:9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ।
JOS 23:10 ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡ଼ାଇ ଦେବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେରୂପ କହିଅଛନ୍ତି, ତଦନୁସାରେ ସେ ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି।
JOS 23:11 ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତି ସାବଧାନ ହୋଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କର।
JOS 23:12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;
JOS 23:13 ତେବେ ଏହା ନିଶ୍ଚୟ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଗୋଷ୍ଠୀୟମାନଙ୍କୁ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ଆଉ ତଡ଼ି ଦେବେ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କୋରଡ଼ା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ।
JOS 23:14 ଆଉ ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇ ନାହିଁ; ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି, ତହିଁରୁ ଗୋଟିଏ କଥା ହିଁ ବିଫଳ ହୋଇ ନାହିଁ।
JOS 23:15 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ଯେସକଳ ମଙ୍ଗଳ କଥା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପକ୍ଷରେ ସଫଳ ହେଲା, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ଯାଏ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ କଥାସବୁ ସଫଳ କରିବେ।
JOS 23:16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।”
JOS 24:1 ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ।
JOS 24:2 ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପୂର୍ବକାଳରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ;
JOS 24:3 ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁପ୍ରଜ କଲୁ ଓ ତାହାକୁ ଇସ୍‌ହାକ ଦେଲୁ।
JOS 24:4 ଆଉ ଆମ୍ଭେ ଇସ୍‌ହାକକୁ ଯାକୁବ ଓ ଏଷୌ ଦେଲୁ; ପୁଣି ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଲୁ; ଆଉ ଯାକୁବ ଓ ତାହାର ସନ୍ତାନମାନେ ମିସରକୁ ଗଲେ।
JOS 24:5 ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ।
JOS 24:6 ପୁଣି ଆମ୍ଭେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ; ତହୁଁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ; ସେତେବେଳେ ମିସରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୂଫ ସାଗର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ।
JOS 24:7 ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ।
JOS 24:8 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯର୍ଦ୍ଦନ ସେପାରିରେ ବାସକାରୀ ଇମୋରୀୟମାନଙ୍କ ଦେଶକୁ ଆଣିଲୁ; ପୁଣି ସେମାନେ ତୁମ୍ଭମାନଙ୍କ ସଙ୍ଗେ ଯୁଦ୍ଧ କଲେ; ତହିଁରେ ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କଲ; ଏହିରୂପେ ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ।
JOS 24:9 ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା।
JOS 24:10 ମାତ୍ର ଆମ୍ଭେ ବିଲୀୟମ୍‍ର କଥା ଶୁଣିବାକୁ ଅସମ୍ମତ ହେଲୁ; ତହିଁରେ ସେ ତୁମ୍ଭମାନଙ୍କୁ କେବଳ ଆଶୀର୍ବାଦ କଲା; ଏରୂପେ ଆମ୍ଭେ ତାହା ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ।
JOS 24:11 ଏଉତ୍ତାରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋରେ ଉପସ୍ଥିତ ହେଲ; ତହିଁରେ ଯିରୀହୋ ନିବାସୀମାନେ, ପୁଣି ଇମୋରୀୟ ଓ ପରିଷୀୟ ଓ କିଣାନୀୟ ଓ ହିତ୍ତୀୟ ଓ ଗିର୍ଗାଶୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ଯୁଦ୍ଧ କରନ୍ତେ, ଆମ୍ଭେ ତୁମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ,
JOS 24:12 ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।
JOS 24:13 ଆଉ ତୁମ୍ଭେମାନେ ଯହିଁରେ ପରିଶ୍ରମ କରି ନାହଁ, ଏପରି ଏକ ଦେଶ ଓ ଯାହା ଯାହା ତୁମ୍ଭେମାନେ ନିର୍ମାଣ କରି ନାହଁ, ଏପରି ନଗରମାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରୁଅଛ; ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ ନ କଲ, ତାହା ତୁମ୍ଭେମାନେ ଭୋଗ କରୁଅଛ।’
JOS 24:14 ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର; ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର; ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କର।
JOS 24:15 ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।”
JOS 24:16 ଏଥିରେ ଲୋକମାନେ ଉତ୍ତର ଦେଇ କହିଲେ, “ଅନ୍ୟ ଦେବତାମାନଙ୍କ ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ, ଏହା ଦୂରେ ଥାଉ।
JOS 24:17 ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶର ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହା ଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଓ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ, ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି।
JOS 24:18 ଆହୁରି ସେହି ସଦାପ୍ରଭୁ ଏ ଦେଶ ନିବାସୀ ଇମୋରୀୟ ଆଦି ସବୁ ଗୋଷ୍ଠୀକୁ ଆମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବୁ, କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର।”
JOS 24:19 ଏଥିରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରି ପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର; ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର; ସେ ତୁମ୍ଭମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ।
JOS 24:20 ତୁମ୍ଭେମାନେ ଯେବେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କରିବ, ତେବେ ସେ ତୁମ୍ଭମାନଙ୍କ ପ୍ରତି ଫେରି ଅମଙ୍ଗଳ କରିବେ, ପୁଣି ତୁମ୍ଭମାନଙ୍କର ମଙ୍ଗଳ କରିଥିଲେ ହେଁ ତୁମ୍ଭମାନଙ୍କୁ ସଂହାର କରିବେ।”
JOS 24:21 ତହୁଁ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନାହିଁ; ମାତ୍ର ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବା।”
JOS 24:22 ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।”
JOS 24:23 ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।”
JOS 24:24 ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।”
JOS 24:25 ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।
JOS 24:26 ଏଥିଉତ୍ତାରେ ଯିହୋଶୂୟ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ସ୍ଥାପନ କଲେ।
JOS 24:27 ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ, ସେସବୁ କଥା ଏ ଶୁଣିଅଛି; ଏହେତୁ ତୁମ୍ଭେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ।”
JOS 24:28 ଏଉତ୍ତାରେ ଯିହୋଶୂୟ ଲୋକମାନଙ୍କର ପ୍ରତି ଜଣକୁ ଆପଣା ଆପଣା ଅଧିକାରକୁ ଯିବା ପାଇଁ ବିଦାୟ କଲେ।
JOS 24:29 ଏହିସବୁ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
JOS 24:30 ତହିଁରେ ଲୋକମାନେ ଗାଶ୍‍-ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍‍ସେରହରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
JOS 24:31 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ କାର୍ଯ୍ୟ ଜ୍ଞାତ ଥିଲେ, ସେମାନଙ୍କ ମଧ୍ୟରୁ ଯିହୋଶୂୟଙ୍କ ଉତ୍ତାରେ ଯେଉଁମାନେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଇସ୍ରାଏଲ ସଦାପ୍ରଭୁଙ୍କର ସେବା କଲେ।
JOS 24:32 ପୁଣି ଯାକୁବ ଏକ ଶହ ରୌପ୍ୟ ମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମସ୍ଥିତ ସେହି ଭୂମିଖଣ୍ଡରେ ଇସ୍ରାଏଲ-ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।
JOS 24:33 ଏଉତ୍ତାରେ ହାରୋଣଙ୍କ ପୁତ୍ର ଇଲୀୟାସର ମଲା; ତହିଁରେ ଲୋକମାନେ ଇଫ୍ରୟିମର ପର୍ବତମୟ ଦେଶରେ ତାହାର ପୁତ୍ର ପୀନହସ୍‍କୁ ଦତ୍ତ ପର୍ବତରେ ତାହାକୁ କବର ଦେଲେ।
JDG 1:1 ଯିହୋଶୂୟଙ୍କର ମୃତ୍ୟୁୁ ପରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, “କିଣାନୀୟମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ?”
JDG 1:2 ତହୁଁ ସଦାପ୍ରଭୁ କହିଲେ, “ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।”
JDG 1:3 ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, “ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା।” ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା।
JDG 1:4 ଏଥିଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ।
JDG 1:5 ପୁଣି ସେମାନେ ବେଷକରେ ଅଦୋନୀବେଷକ୍‌ ରାଜାଙ୍କୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ।
JDG 1:6 ମାତ୍ର ଅଦୋନୀବେଷକ୍‌ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ।
JDG 1:7 ଏଥିରେ ଅଦୋନୀବେଷକ୍‌ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।
JDG 1:8 ଏଥିଉତ୍ତାରେ ଯିହୁଦା-ସନ୍ତାନମାନେ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ୍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।
JDG 1:9 ଏଥିଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ।
JDG 1:10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନ୍‍କୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ ଥିଲା।
JDG 1:11 ଆଉ ସେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗଲା। ପୂର୍ବେ ଏହି ଦବୀରର ନାମ କିରୀୟଥ୍‍-ସେଫର ଥିଲା।
JDG 1:12 ପୁଣି କାଲେବ କହିଲେ, “ଯେକେହି କିରୀୟଥ୍‍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍‍ଷାର ବିବାହ ଦେବି।”
JDG 1:13 ଏଥିରେ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ।
JDG 1:14 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
JDG 1:15 ତହୁଁ ସେ କହିଲା, “ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ;” ତହିଁରେ କାଲେବ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
JDG 1:16 ଏଥିଉତ୍ତାରେ ମୋଶାଙ୍କର ପତ୍ନୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ।
JDG 1:17 ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍‍ବାସୀ କିଣାନୀୟମାନଙ୍କୁ ଆକ୍ରମଣ କରି ସେହି ନଗରକୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା।
JDG 1:18 ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା।
JDG 1:19 ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା।
JDG 1:20 ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
JDG 1:21 ବିନ୍ୟାମୀନ୍-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ବିନ୍ୟାମୀନ୍-ସନ୍ତାନଗଣ ସହିତ ବାସ କରୁଅଛନ୍ତି।
JDG 1:22 ଏଥିଉତ୍ତାରେ ଯୋଷେଫ-ବଂଶ ମଧ୍ୟ ବେଥେଲ୍‍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ।
JDG 1:23 ସେତେବେଳେ ଯୋଷେଫ-ବଂଶ ବେଥେଲ୍‍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍‍ ଥିଲା।
JDG 1:24 ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, “ବିନୟ କରୁଅଛୁ, ସେହି ନଗରରେ ପ୍ରବେଶ କରିବା ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ବ୍ୟବହାର କରିବା।”
JDG 1:25 ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।
JDG 1:26 ଏଥିଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୂସ୍‍ ରଖିଲା; ତହିଁର ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
JDG 1:27 ଆଉ ମନଃଶି, ବେଥ୍-ଶାନ ଓ ତହିଁର ଉପନଗର, ତାନକ୍‍ ଓ ତହିଁର ଉପନଗର-ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
JDG 1:28 ଏଥିଉତ୍ତାରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
JDG 1:29 ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ।
JDG 1:30 ସବୂଲୂନ କିଟ୍ରୋଣ ଓ ନହଲୋଲ୍‍ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠିକର୍ମ କଲେ।
JDG 1:31 ଆଶେର ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ କି ଅହଲବ୍‍ ଓ ଅକଷୀବ୍ କି ହିଲବା କି ଅଫିକ୍‍ କି ରହୋବନି ବାସୀମାନଙ୍କୁ ତଡ଼ିଦେଲା ନାହିଁ।
JDG 1:32 ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ।
JDG 1:33 ନପ୍ତାଲି ବେଥ୍-ଶେମଶ କି ବେଥ୍ନାତ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବେଥ୍-ଶେମଶ ଓ ବେଥ୍-ଆନାତ୍ ନିବାସୀମାନେ ସେମାନଙ୍କର ବେଠିକର୍ମ କଲେ।
JDG 1:34 ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ।
JDG 1:35 ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନ୍‍ରେ ଓ ଶାଲବୀମ୍‍ରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠିକର୍ମ କଲେ।
JDG 1:36 ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା।
JDG 2:1 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ଗିଲ୍‍ଗଲ୍‍ରୁ ବୋଖୀମକୁ ଆସିଲେ, ଆଉ ସେ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲୁ, ସେଠାକୁ ତୁମ୍ଭମାନଙ୍କୁ ଆଣିଅଛୁ; ପୁଣି ଆମ୍ଭେ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସହିତ ଆପଣା ନିୟମ ଅନନ୍ତକାଳ ପର୍ଯ୍ୟନ୍ତ ଲଙ୍ଘନ କରିବା ନାହିଁ।
JDG 2:2 ଆଉ ତୁମ୍ଭେମାନେ ଏହି ଦେଶନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭାଙ୍ଗି ପକାଇବ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କାହିଁକି ତୁମ୍ଭେମାନେ ଏହି କର୍ମ କରିଅଛ?
JDG 2:3 ଏଥିପାଇଁ ଆମ୍ଭେ ମଧ୍ୟ କହିଲୁ, ‘ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ; ମାତ୍ର ସେମାନେ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ଓ ସେମାନଙ୍କ ଦେବତାମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ହେବେ।’”
JDG 2:4 ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ।
JDG 2:5 ଏନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖୀମ ରଖିଲେ; ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
JDG 2:6 ଯିହୋଶୂୟ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରତ୍ୟେକେ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ।
JDG 2:7 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।
JDG 2:8 ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
JDG 2:9 ତହୁଁ ଲୋକମାନେ ଗାଶ୍‍-ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନତ୍‍-ହେରସରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
JDG 2:10 ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତ କର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
JDG 2:11 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍‍ ଦେବତାଗଣର ସେବା କଲେ।
JDG 2:12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍‍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
JDG 2:13 ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍‍ଦେବ ଓ ଅଷ୍ଟାରୋତ୍‍ ଦେବୀଗଣର ସେବା କଲେ।
JDG 2:14 ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।
JDG 2:15 ସଦାପ୍ରଭୁ ଯେପରି କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ବିରୁଦ୍ଧ ହେଲା; ଏହିପରି ସେମାନେ ଭାରୀ କ୍ଳେଶରେ ପଡ଼ିଲେ।
JDG 2:16 ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
JDG 2:17 ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।
JDG 2:18 ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ଥାପନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ।
JDG 2:19 ମାତ୍ର ସେହି ବିଚାରକର୍ତ୍ତାର ମୃତ୍ୟୁୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷାନ୍ତ ହେଲେ ନାହିଁ।
JDG 2:20 ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି ସେ କହିଲେ, “ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ଏମାନେ ଲଙ୍ଘନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁ ନାହାନ୍ତି।
JDG 2:21 ଏହେତୁ ଯିହୋଶୂୟ ମରଣକାଳରେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲା, ଆମ୍ଭେ ମଧ୍ୟ ସେମାନଙ୍କୁ ଏମାନଙ୍କ ସମ୍ମୁଖରୁ ଅଦ୍ୟାବଧି ଆଉ ତଡ଼ିଦେବା ନାହିଁ;
JDG 2:22 ଯେପରି ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ମାର୍ଗ ରକ୍ଷା କରିଥିଲେ, ସେପରି ଏମାନେ ତହିଁରେ ଗମନ କରି ତାହା ରକ୍ଷା କରିବେ କି ନାହିଁ, ଏ ବିଷୟରେ ସେହି ଗୋଷ୍ଠୀୟମାନଙ୍କ ଦ୍ୱାରା ଆମ୍ଭେ ଇସ୍ରାଏଲକୁ ପରୀକ୍ଷା କରିବା।”
JDG 2:23 ଏଥିପାଇଁ ସଦାପ୍ରଭୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଶୀଘ୍ର ତଡ଼ି ନ ଦେଇ ଅବା ଯିହୋଶୂୟଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ ନ କରି ଅବଶିଷ୍ଟ ରଖିଲେ।
JDG 3:1 ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ
JDG 3:2 ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,
JDG 3:3 ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍‍-ହର୍ମୋନ୍‍ ପର୍ବତଠାରୁ ହମାତରେ ପ୍ରବେଶ କରିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ।
JDG 3:4 ଏମାନଙ୍କ ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ୱାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ।
JDG 3:5 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
JDG 3:6 ପୁଣି ସେମାନେ ସେମାନଙ୍କ କନ୍ୟାଗଣଙ୍କୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣଙ୍କୁ ବିବାହ କରିବା ନିମନ୍ତେ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ।
JDG 3:7 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାସୋରି ବାଲ୍‍ ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ।
JDG 3:8 ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଅରାମନହରୟିମ୍‍ର ରାଜା କୂଶନ୍-ରିଶୀୟାଥୟିମ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍‍-ରିଶୀୟାଥୟିମ୍‍ର ସେବା କଲେ।
JDG 3:9 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ପାଇଁ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ଥାପନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ।
JDG 3:10 ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍‍-ରିଶୀୟାଥୟିମ୍‍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍‍-ରିଶୀୟାଥୟିମ୍‍ ଉପରେ ତାହାର ହସ୍ତ ପ୍ରବଳ ହେଲା।
JDG 3:11 ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା।
JDG 3:12 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ।
JDG 3:13 ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା।
JDG 3:14 ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ।
JDG 3:15 ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ୍ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ।
JDG 3:16 ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।
JDG 3:17 ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ସେହି ଭେଟି ନେଲେ; ସେହି ଇଗ୍ଲୋନ ଏକ ମୋଟା ଲୋକ ଥିଲା।
JDG 3:18 ଆଉ ସେ ଭେଟି ଦେଇ ସାରିଲା ଉତ୍ତାରେ ଭେଟି ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ।
JDG 3:19 ମାତ୍ର ସେ ଆପେ ଗିଲ୍‍ଗଲ୍‍ସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍‍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ତେବେ ରାଜା କହିଲା, “ତୁନି ହୋଇଥାଅ।” ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରିଗଲେ।
JDG 3:20 ଏଥିରେ ଏହୂଦ ତାହା ନିକଟକୁ ଗଲେ; ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୂଦ କହିଲେ, “ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି;” ତହୁଁ ସେ ଆପଣା ସିଂହାସନରୁ ଉଠିଲା।
JDG 3:21 ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ;
JDG 3:22 ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
JDG 3:23 ଏଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।
JDG 3:24 ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, “ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।”
JDG 3:25 ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।
JDG 3:26 ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୂଦ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ।
JDG 3:27 ପୁଣି ସେ ସେହି ସ୍ଥାନରେ ପହୁଞ୍ଚି ଇଫ୍ରୟିମ-ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ।
JDG 3:28 ପୁଣି ସେ ସେମାନଙ୍କୁ କହିଲେ, “ମୋʼ ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ବିରୁଦ୍ଧରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ।
JDG 3:29 ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ।
JDG 3:30 ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା। ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା।
JDG 3:31 ଆଉ ଏହୂଦଙ୍କ ପରେ ଅନାତର ପୁତ୍ର ଶମ୍‍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ।
JDG 4:1 ଏଥିଉତ୍ତାରେ ଏହୂଦଙ୍କର ମୃତ୍ୟୁୁ ପରେ, ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ।
JDG 4:2 ତହିଁରେ ସଦାପ୍ରଭୁ ହାସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀନ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍-ନିବାସୀ ସୀଷରା ତାହାର ସେନାପତି ଥିଲା।
JDG 4:3 ଏଥିରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ; କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ପ୍ରତି ଶୋଷଣ ଓ କଠୋର ଅତ୍ୟାଚାର କଲା।
JDG 4:4 ସେସମୟରେ ଲପ୍ପିଦୋତର ଭାର୍ଯ୍ୟା ଦବୋରା ଭବିଷ୍ୟଦ୍‍ବକ୍ତ୍ରୀ ଇସ୍ରାଏଲର ବିଚାର କଲେ।
JDG 4:5 ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍‍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁର ବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।
JDG 4:6 ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍‍କୁ ଡକାଇ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ?
JDG 4:7 ତହିଁରେ ଆମ୍ଭେ ଯାବୀନ୍‍ର ସେନାପତି ସୀଷରାକୁ ଓ ତାହାର ରଥ ଓ ଜନତାକୁ କୀଶୋନ୍‍ ନଦୀ ନିକଟକୁ ତୁମ୍ଭ ନିକଟକୁ କଢ଼ାଇ ଆଣିବା ଓ ଆମ୍ଭେ ତାହାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
JDG 4:8 ତହୁଁ ବାରକ୍‍ ଦବୋରାଙ୍କୁ କହିଲା, “ତୁମ୍ଭେ ଯେବେ ମୋʼ ସଙ୍ଗେ ଯିବ, ତେବେ ମୁଁ ଯିବି; ମାତ୍ର ତୁମ୍ଭେ ମୋʼ ସଙ୍ଗେ ନ ଗଲେ, ମୁଁ ଯିବି ନାହିଁ।”
JDG 4:9 ତେବେ ସେ କହିଲେ, “ମୁଁ ନିଶ୍ଚୟ ତୁମ୍ଭ ସଙ୍ଗେ ଯିବି; ତଥାପି ଏହି ଯାତ୍ରାରେ ତୁମ୍ଭର ଯଶ ହେବ ନାହିଁ; କାରଣ ସଦାପ୍ରଭୁ ସୀଷରାକୁ ଏକ ସ୍ତ୍ରୀ ହସ୍ତରେ ବିକ୍ରୟ କରିବେ।” ଏଉତ୍ତାରେ ଦବୋରା ଉଠି ବାରକ୍‍ ସଙ୍ଗରେ କେଦଶକୁ ଗଲେ।
JDG 4:10 ପୁଣି ବାରକ୍‍, ସବୂଲୂନ ଓ ନପ୍ତାଲିକି ଏକତ୍ର କେଦଶକୁ ଡକାଇଲା; ଏରୂପେ ସେ ଦଶ ହଜାର ପଦାତିକ ସୈନ୍ୟ ଆପଣା ସଙ୍ଗରେ ଘେନି ଯାତ୍ରା କଲା ଓ ଦବୋରା ତାହା ସଙ୍ଗେ ଗଲେ।
JDG 4:11 ସେସମୟରେ କେନୀୟ ହେବର କେନୀୟମାନଙ୍କଠାରୁ, ଅର୍ଥାତ୍‍, ମୋଶାଙ୍କ ପତ୍ନୀ-ଭ୍ରାତା ହୋବବ୍‍ର ସନ୍ତାନମାନଙ୍କଠାରୁ ପୃଥକ ହୋଇ କେଦଶ ନିକଟବର୍ତ୍ତୀ ସାନନ୍ନୀମରେ ଥିବା ଅଲୋନ ବୃକ୍ଷ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିଥିଲା।
JDG 4:12 ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।
JDG 4:13 ତହିଁରେ ସୀଷରା ଆପଣାର ନଅ ଶହ ଲୌହରଥଯାକ ଓ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍ଠାରୁ କୀଶୋନ୍‍ ନଦୀ ପର୍ଯ୍ୟନ୍ତ ଆପଣା ସଙ୍ଗୀ ସମସ୍ତ ଲୋକଙ୍କୁ ଏକତ୍ର କଲା।
JDG 4:14 ସେତେବେଳେ ଦବୋରା ବାରକ୍‍କୁ କହିଲେ, “ଉଠ, କାରଣ ଆଜି ସଦାପ୍ରଭୁ ସୀଷରାକୁ ତୁମ୍ଭ ହସ୍ତରେ ସମର୍ପଣ କରିବାର ଦିନ; ସଦାପ୍ରଭୁ କି ତୁମ୍ଭର ଅଗ୍ରଗାମୀ ହୋଇଯାଇ ନାହାନ୍ତି?” ତହିଁରେ ବାରକ୍‍ ଓ ତାହା ପଛେ ଦଶ ହଜାର ଲୋକ ତାବୋର ପର୍ବତରୁ ଓହ୍ଲାଇ ଗଲେ।
JDG 4:15 ତହୁଁ ସଦାପ୍ରଭୁ ବାରକ୍‍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ୍ଗଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା।
JDG 4:16 ମାତ୍ର ବାରକ୍‍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।
JDG 4:17 ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାସୋରର ରାଜା ଯାବୀନ୍‍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା।
JDG 4:18 ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, “ହେ ମୋହର ପ୍ରଭୋ, ଭିତରକୁ ଆସନ୍ତୁ, ମୋହର ନିକଟକୁ ଆସନ୍ତୁ, ଭୟ ନ କରନ୍ତୁ;” ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;
JDG 4:19 ସେତେବେଳେ ସୀଷରା ତାହାକୁ କହିଲା, “ମୋତେ ଟିକିଏ ଜଳ ପିଆଅନା;” ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା।
JDG 4:20 ଏଉତ୍ତାରେ ସୀଷରା ତାହାକୁ କହିଲା, “ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ‘ଏଠାରେ କୌଣସି ମନୁଷ୍ୟ ଅଛି କି?’ ତେବେ ତୁମ୍ଭେ କହିବ, ‘କେହି ନାହିଁ।’”
JDG 4:21 ଏଥିଉତ୍ତାରେ ହେବରର ଭାର୍ଯ୍ୟା ଯାୟେଲ ତମ୍ବୁର ଗୋଟିଏ ମେଖ ଓ ହାତୁଡ଼ି ହାତରେ ନେଇ ଧୀରେ ଧୀରେ ତାହା ପାଖକୁ ଯାଇ ତାହାର କର୍ଣ୍ଣମୂଳରେ ସେହି ମେଖ ମାରନ୍ତେ, ତାହା ଫୁଟି ଭୂମିକୁ ଗଲା; କାରଣ ସେ ଘୋର ନିଦ୍ରାରେ ଥିଲା; ତେଣୁ ସେ ମୂର୍ଚ୍ଛିତ ହୋଇ ମଲା।
JDG 4:22 ଆଉ ଦେଖ, ବାରକ୍‍ ସୀଷରାର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ଯାୟେଲ ତାହାକୁ ଭେଟିବା ପାଇଁ ବାହାରକୁ ଯାଇ କହିଲା, “ଆସ, ତୁମ୍ଭେ ଯାହାକୁ ଖୋଜୁଅଛ, ମୁଁ ସେହି ମନୁଷ୍ୟକୁ ଦେଖାଇବି।” ତହିଁରେ ସେ ତାହା ନିକଟକୁ ଆସିଲା; ଆଉ ଦେଖ, ସୀଷରା ମୃତ ହୋଇ ପଡ଼ିଅଛି, ଆଉ ତାହାର କର୍ଣ୍ଣ ମୂଳ ଭିତରେ ତମ୍ବୁ ମେଖ ରହିଅଛି।
JDG 4:23 ଏହିରୂପେ ପରମେଶ୍ୱର ସେହି ଦିନ କିଣାନୀୟ ରାଜା ଯାବୀନ୍‍ଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ନତ କଲେ।
JDG 4:24 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ କିଣାନୀୟ ରାଜା ଯାବୀନ୍‍ଙ୍କୁ ସଂହାର କରିବା ପର୍ଯ୍ୟନ୍ତ ସେହି କିଣାନୀୟ ରାଜା ଯାବୀନ୍‍ ବିରୁଦ୍ଧରେ ସେମାନଙ୍କ ହସ୍ତ ଆହୁରି ଆହୁରି ପ୍ରବଳ ହେଲା।
JDG 5:1 ସେହି ଦିନ ଦବୋରା ଓ ଅବୀନୋୟମର ପୁତ୍ର ବାରକ୍‍ ଗାୟନ କରି କହିଲେ:
JDG 5:2 “ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ, ଲୋକମାନେ ସ୍ୱେଚ୍ଛାରେ ଆପଣା ଆପଣାକୁ ଉତ୍ସର୍ଗ କଲେ, ଏଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର!
JDG 5:3 ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।
JDG 5:4 ହେ ସଦାପ୍ରଭୁ, ତୁମ୍ଭେ ସେୟୀରରୁ ବାହାରିବା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା, ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ, ମେଘମାଳା ଜଳପାତ କଲା।
JDG 5:5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସୀନୟ ମଧ୍ୟ (କମ୍ପମାନ ହେଲା)
JDG 5:6 ଅନାତ-ପୁତ୍ର ଶମ୍‍ଗର ସମୟରେ, ଯାୟେଲ ସମୟରେ ରାଜପଥସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ।
JDG 5:7 ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତୃଗଣ ଶୂନ୍ୟ ଥିଲେ, ମୁଁ ଦବୋରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ମୁଁ ଇସ୍ରାଏଲ ମଧ୍ୟରେ ମାତୃ ତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।
JDG 5:8 ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗର-ଦ୍ୱାରସବୁରେ ଯୁଦ୍ଧ ହେଲା; ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା?
JDG 5:9 ମୋହର ହୃଦୟ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡ଼େ ଅଛି, ଯେଉଁମାନେ ସ୍ୱେଚ୍ଛାରେ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କୁ ଉତ୍ସର୍ଗ କଲେ। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
JDG 5:10 ହେ ଶ୍ୱେତ ଗର୍ଦ୍ଦଭୀ-ଆରୋହୀମାନେ, ହେ ଗାଲିଚାରେ ବସିବା ଲୋକମାନେ ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
JDG 5:11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନରେ, ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରରୁ ଓହ୍ଲାଇ ଆସିଲେ।
JDG 5:12 ହେ ଦବୋରେ, ଜାଗ, ଜାଗ; ଜାଗ, ଜାଗ, ଗୀତ ଗାନ କର; ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।
JDG 5:13 ତହୁଁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ, ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ବିରୁଦ୍ଧରେ ଓହ୍ଲାଇ ଆସିଲେ।
JDG 5:14 ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ; ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା; ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।
JDG 5:15 ପୁଣି ଇଷାଖରର ଅଧିପତିମାନେ ଦବୋରା ସଙ୍ଗେ ଥିଲେ; ଯେପରି ଇଷାଖର, ସେପରି ବାରକ୍‍ ଥିଲା; ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ। ରୁବେନ୍‍ ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
JDG 5:16 ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ, କି ମେଷପଲ ନିକଟରେ ବଂଶୀନାଦ ଶୁଣିବାକୁ? ରୁବେନ୍‍ର ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।
JDG 5:17 ଗିଲୀୟଦ ଯର୍ଦ୍ଦନ ସେପାରିରେ ବାସ କଲା, ଆଉ ଦାନ୍ କାହିଁକି ଜାହାଜରେ ରହିଲା? ଆଶେର ସମୁଦ୍ର ତୀରରେ ବସି ରହିଲା ଓ ଆପଣା ବନ୍ଦର ନିକଟରେ ବାସ କଲା।
JDG 5:18 ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା। ଆଉ ନପ୍ତାଲି (ଯୁଦ୍ଧ) କ୍ଷେତ୍ରର ଉଚ୍ଚସ୍ଥାନ ଉପରେ (ପ୍ରାଣପଣ କଲା)।
JDG 5:19 ରାଜାମାନେ ଆସି ଯୁଦ୍ଧ କଲେ; ତହୁଁ କିଣାନର ରାଜାଗଣ ମଗିଦ୍ଦୋର ଜଳତୀରସ୍ଥ ତାନକ୍‍‍ରେ ଯୁଦ୍ଧ କଲେ, ସେମାନେ କିଛି ରୂପା ଲାଭ କଲେ ନାହିଁ।
JDG 5:20 ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।
JDG 5:21 କିଶୋନ୍‍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍‍ ନଦୀ ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା। ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।
JDG 5:22 ସେତେବେଳେ ଅଶ୍ୱମାନଙ୍କ ଖୁରା ଭୂମି ମନ୍ଥି ପକାଇଲା, ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ।
JDG 5:23 ସଦାପ୍ରଭୁଙ୍କ ଦୂତ କହିଲେ, ‘ତୁମ୍ଭେମାନେ ମେରୋସକୁ ଶାପ ଦିଅ,’ ‘ତୁମ୍ଭେମାନେ ତହିଁ ନିବାସୀମାନଙ୍କୁ ଦାରୁଣ ଶାପ ଦିଅ; କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ, ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ।’
JDG 5:24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ଭାର୍ଯ୍ୟା ଯାୟେଲ ଧନ୍ୟ ହେବ, ତମ୍ବୁନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ।
JDG 5:25 ସୀଷରା ଜଳ ମାଗନ୍ତେ, ସେ ତାହାକୁ ଦୁଗ୍ଧ ଦେଲା; ସେ ରାଜୋପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା।
JDG 5:26 ସେ ତମ୍ବୁ ମେଖ ଧରିବାକୁ ଆପଣା ହସ୍ତ ଓ କାରିଗରର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା; ସେ ସୀଷରାକୁ ପିଟିଲା, ସେ ତାହାର ମସ୍ତକ ବିନ୍ଧି ପକାଇଲା, ହଁ, ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା।
JDG 5:27 ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା; ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା; ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା।
JDG 5:28 ସୀଷରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା, ସେ ଜାଲି ପରଦା ଦେଇ ଡାକି କହିଲା, ‘ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି? ତାହାର ରଥଚକ୍ର କାହିଁକି ପଛେ ପଡ଼ୁଅଛି?’
JDG 5:29 ତାହାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ, ହଁ, ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା,
JDG 5:30 ‘ସେମାନେ କି ଲୁଟ ପାଇ ନାହାନ୍ତି, ସେମାନେ କି ବିଭାଗ କରି ନାହାନ୍ତି? ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ, କିମ୍ବା ଦୁଇ କାମିନୀ; ସୀଷରା ପାଇଁ ନାନା ବର୍ଣ୍ଣର ଲୁଟ, ନାନା ବର୍ଣ୍ଣର ସୂଚିକର୍ମନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ, ଲୁଟିତମାନଙ୍କ ଗଳାରୁ ଦୁଇ ପାଖରେ ସୂଚିକର୍ମନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର।’
JDG 5:31 ହେ ସଦାପ୍ରଭୋ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।” ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।
JDG 6:1 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ-ସନ୍ତାନଗଣ ତାହା କଲେ; ତହୁଁ ସଦାପ୍ରଭୁ ସେମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ମିଦୀୟନୀୟମାନଙ୍କ ହସ୍ତରେ ସମର୍ପଣ କଲେ।
JDG 6:2 ତେଣୁ ମିଦୀୟନୀୟମାନଙ୍କ ହସ୍ତ ଇସ୍ରାଏଲ ବିରୁଦ୍ଧରେ ପ୍ରବଳ ହେଲା; ପୁଣି ମିଦୀୟନୀୟମାନଙ୍କ ସକାଶୁ ଇସ୍ରାଏଲ-ସନ୍ତାନଗଣ ପର୍ବତସ୍ଥ ଗୋହିରୀ ଓ ଗୁମ୍ଫା ଓ ଦୁର୍ଗମ ସ୍ଥାନମାନଙ୍କରେ ବସା କଲେ।
JDG 6:3 ତହୁଁ ଏହିପରି ହେଲା ଯେ, ଇସ୍ରାଏଲୀୟମାନେ ବୀଜ ବୁଣିଲେ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସନ୍ତି; ସେମାନେ ସେମାନଙ୍କ ବିରୁଦ୍ଧରେ ଚଢ଼ି ଆସି
JDG 6:4 ସେମାନଙ୍କ ସମ୍ମୁଖରେ ଛାଉଣି କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କରନ୍ତି, ପୁଣି ଇସ୍ରାଏଲଙ୍କ ମଧ୍ୟରେ ପ୍ରାଣ ବଞ୍ଚିବାର କୌଣସି ଉପାୟ, କି ମେଷ, କି ଗୋରୁ, କି ଗଧ, କିଛି ରଖନ୍ତି ନାହିଁ।
JDG 6:5 କାରଣ ସେମାନେ ଆପଣା ଆପଣା ପଶୁ ଓ ତମ୍ବୁ ଘେନି ଚଢ଼ି ଆସନ୍ତି, ସେମାନେ ପଙ୍ଗପାଳ ପରି ବହୁସଂଖ୍ୟକ ହୋଇ ଆସନ୍ତି, ସେମାନେ ଓ ସେମାନଙ୍କ ଓଟ ଉଭୟ ଅସଂଖ୍ୟ; ଆଉ ସେମାନେ ଦେଶକୁ ଉଚ୍ଛିନ୍ନ କରିବାକୁ ଆସନ୍ତି।
JDG 6:6 ଏଣୁ ଇସ୍ରାଏଲ ମିଦୀୟନ ସମ୍ମୁଖରେ ଅତି କ୍ଷୀଣ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
JDG 6:7 ଏଥିରେ ଇସ୍ରାଏଲ-ସନ୍ତାନଗଣ ମିଦୀୟନ ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ,
JDG 6:8 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପ୍ରେରଣ କଲେ; ତହୁଁ ସେ ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଦାସଗୃହରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ;
JDG 6:9 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିସରୀୟମାନଙ୍କ ହସ୍ତରୁ ଓ ଯେଉଁମାନେ ତୁମ୍ଭମାନଙ୍କୁ ଉପଦ୍ରବ କଲେ, ସେ ସମସ୍ତଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେଲୁ, ଆଉ ସେମାନଙ୍କ ଦେଶ ତୁମ୍ଭମାନଙ୍କୁ ଦେଲୁ;
JDG 6:10 ପୁଣି ଆମ୍ଭେ ତୁମ୍ଭମାନଙ୍କୁ କହିଲୁ, ‘ଆମ୍ଭେ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର; ତୁମ୍ଭେମାନେ ଯେଉଁ ଇମୋରୀୟମାନଙ୍କ ଦେଶରେ ବାସ କରୁଅଛ, ସେମାନଙ୍କ ଦେବତାଗଣକୁ ଭୟ କରିବ ନାହିଁ;’ ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ।”
JDG 6:11 ଏଥିଉତ୍ତାରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାଶ୍‍ର ଅଧିକାରସ୍ଥ ଅଫ୍ରାରେ ଅଲୋନ ବୃକ୍ଷ ମୂଳରେ ବସିଲେ; ସେହି ସମୟରେ ତାହାର ପୁତ୍ର ଗିଦିୟୋନ୍‍ ମିଦୀୟନୀୟମାନଙ୍କଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ-କୁଣ୍ଡ ଭିତରେ ତାହା ମଳୁଥିଲେ।
JDG 6:12 ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, “ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
JDG 6:13 ଏଥିରେ ଗିଦିୟୋନ୍‍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୋ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରିଅଛନ୍ତି।
JDG 6:14 ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?”
JDG 6:15 ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।”
JDG 6:16 ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା, ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏପରି ସଂହାର କରିବ ଯେପରି ଏକ ଜଣକୁ ସଂହାର କରୁଅଛ।”
JDG 6:17 ତହୁଁ ସେ ତାହାଙ୍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଏବେ ଅନୁଗ୍ରହ ପାଇଲି, ତେବେ ଆପଣ ଯେ ମୋହର ସଙ୍ଗରେ କଥା କହୁଅଛନ୍ତି, ତହିଁର ଏକ ଚିହ୍ନ ମୋତେ ଦେଖାଉନ୍ତୁ।
JDG 6:18 ବିନୟ କରୁଅଛି, ମୁଁ ଆପଣା ଭେଟି ଘେନିଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ କରନ୍ତୁ ନାହିଁ।” ତହିଁରେ ସେ କହିଲେ, “ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା।”
JDG 6:19 ତହୁଁ ଗିଦିୟୋନ୍‍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ।
JDG 6:20 ତହୁଁ ପରମେଶ୍ୱରଙ୍କ ଦୂତ ତାଙ୍କୁ କହିଲେ, “ଏହି ମାଂସ ଓ ତାଡ଼ିଶୂନ୍ୟ ପିଠାସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ;” ତହୁଁ ସେ ସେପରି କଲେ।
JDG 6:21 ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ।
JDG 6:22 ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍‍ ବୁଝିଲେ; ପୁଣି ଗିଦିୟୋନ୍‍ କହିଲେ, “ହାୟ ହାୟ! ହେ ପ୍ରଭୋ ସଦାପ୍ରଭୋ, ମୁଁ ସମ୍ମୁଖାସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି।”
JDG 6:23 ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭର ଶାନ୍ତି ହେଉ; ଭୟ ନ କର; ତୁମ୍ଭେ ମରିବ ନାହିଁ।”
JDG 6:24 ତହୁଁ ଗିଦିୟୋନ୍‍ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ, ତହିଁର ନାମ ଯିହୋବାଃ ଶାଲୋମ୍‍ ରଖିଲେ; ତାହା ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ଆଜି ପର୍ଯ୍ୟନ୍ତ ଅଛି।
JDG 6:25 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆପଣା ପିତାର ଗୋବତ୍ସକୁ, ଅର୍ଥାତ୍‍, ସାତ ବର୍ଷର ଦ୍ୱିତୀୟ ଗୋବତ୍ସକୁ ନିଅ, ତୁମ୍ଭ ପିତାର ଥିବା ବାଲ୍‍ଦେବତାର ଯଜ୍ଞବେଦି ଭାଙ୍ଗି ପକାଅ ଓ ତନ୍ନିକଟସ୍ଥ ଆଶେରାର ମୂର୍ତ୍ତି କାଟି ପକାଅ;
JDG 6:26 ପୁଣି ଏହି ଗଡ଼ ଉପରେ ରୀତି ଅନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କର, ଆଉ ତୁମ୍ଭେ ଯେଉଁ ଆଶେରାର ମୂର୍ତ୍ତି ଛେଦନ କରିବ, ତହିଁର କାଷ୍ଠ ନେଇ ସେହି ଦ୍ୱିତୀୟ ଗୋବତ୍ସକୁ ହୋମବଳି ରୂପେ ଉତ୍ସର୍ଗ କର।”
JDG 6:27 ତହିଁରେ ଗିଦିୟୋନ୍‍ ଆପଣା ଦାସମାନଙ୍କ ମଧ୍ୟରୁ ଦଶଜଣଙ୍କୁ ସଙ୍ଗରେ ନେଲେ ଓ ସଦାପ୍ରଭୁ ଯେପରି କହିଥିଲେ, ସେପରି କଲେ, ମାତ୍ର ଆପଣା ପିତୃପରିବାର ଓ ନଗରସ୍ଥ ଲୋକମାନଙ୍କୁ ଭୟ କରିବାରୁ ସେ ଦିନ ବେଳେ ତାହା କରି ନ ପାରି ରାତ୍ରି ବେଳେ ତାହା କଲେ।
JDG 6:28 ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲ୍‍ର ଯଜ୍ଞବେଦି ଭଙ୍ଗା ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କଟା; ପୁଣି ନିର୍ମିତ ଯଜ୍ଞବେଦି ଉପରେ ସେହି ଦ୍ୱିତୀୟ ଗୋବତ୍ସର ଉତ୍ସର୍ଗ ହୋଇଅଛି।
JDG 6:29 ତହୁଁ ସେମାନେ ପରସ୍ପର କହିଲେ, “ଏ କଥା କିଏ କରିଅଛି;” ପୁଣି ସେମାନେ ପଚାରି ବୁଝି କହିଲେ, “ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଏ କଥା କରିଅଛି।”
JDG 6:30 ତେବେ ନଗରସ୍ଥ ଲୋକମାନେ ଯୋୟାଶ୍‍କୁ କହିଲେ, “ତୁମ୍ଭ ପୁତ୍ରକୁ ବାହାର କରି ଆଣ, ସେ ହତ ହେବ; କାରଣ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିଅଛି ଓ ତନ୍ନିକଟସ୍ଥ ଆଶେରା ମୂର୍ତ୍ତି କାଟି ପକାଇଅଛି।”
JDG 6:31 ତହିଁରେ ଯୋୟାଶ୍‍ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, “ତୁମ୍ଭେମାନେ କି ବାଲ୍‍ ପକ୍ଷରେ ବିବାଦ କରିବ? ଅବା ତୁମ୍ଭେମାନେ କି ତାହାକୁ ଉଦ୍ଧାର କରିବ? ଯେ ତାହାର ପକ୍ଷରେ ବିବାଦ କରିବ, ଏହି ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ; ଯେବେ ସେ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦି ଭାଙ୍ଗିଅଛି।”
JDG 6:32 ଏହେତୁ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିବାରୁ “ସେ ତାହା ପ୍ରତିକୂଳରେ ବିବାଦ କରୁ,” ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍‍ଙ୍କ ନାମ “ଯିରୁବ୍ବାଲ୍‍” (ବାଲ୍‍ ବିବାଦ କରୁ) ରଖିଲା।
JDG 6:33 ସେସମୟରେ ସମସ୍ତ ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ଆପଣାମାନଙ୍କୁ ଏକତ୍ର କଲେ; ପୁଣି ସେମାନେ ପାର ହୋଇ ଯିଷ୍ରିୟେଲର ତଳଭୂମିରେ ଛାଉଣି କଲେ।
JDG 6:34 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଗିଦିୟୋନ୍‍ଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ତୂରୀ ବଜାଇଲେ; ତହିଁରେ ଅବୀୟେଷ୍ରୀୟ (ବଂଶ) ତାଙ୍କ ପଛେ ଏକତ୍ର ହେଲେ।
JDG 6:35 ପୁଣି ସେ ମନଃଶି (ଦେଶର) ସର୍ବତ୍ର ଦୂତ ପଠାନ୍ତେ, ସେମାନେ ମଧ୍ୟ ତାହାର ପଛେ ଏକତ୍ର ହେଲେ, ତହୁଁ ସେ ଆଶେର ଓ ସବୂଲୂନ ଓ ନପ୍ତାଲି (ବଂଶ) ନିକଟକୁ ଦୂତ ପଠାନ୍ତେ, ସେମାନେ ସେମାନଙ୍କ ସଙ୍ଗେ ମିଳିବାକୁ ଆସିଲେ।
JDG 6:36 ଏଉତ୍ତାରେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ଯେବେ ତୁମ୍ଭେ ଆପଣା ବାକ୍ୟ ପ୍ରମାଣେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ,
JDG 6:37 ତେବେ ଦେଖ, ମୁଁ ଖଳାରେ ଗଦାଏ ମେଷଲୋମ ରଖିବି; ଯେବେ କେବଳ ସେହି ଲୋମଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମ୍ଭେ ଆପଣା ବାକ୍ୟାନୁସାରେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି।”
JDG 6:38 ତହିଁରେ ସେରୂପ ହେଲା; ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକର ଚିପୁଡ଼ନ୍ତେ, ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
JDG 6:39 ସେତେବେଳେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ମୋʼ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ, ମୁଁ ଏହି ଥରକ ମାତ୍ର କହିବି; ବିନୟ କରୁଅଛି; ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ; ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ।”
JDG 6:40 ତହୁଁ ପରମେଶ୍ୱର ସେହି ରାତ୍ରି ସେରୂପ କଲେ; କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା।
JDG 7:1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।
JDG 7:2 ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।
JDG 7:3 ଏଣୁ ଏବେ ଏହା କର, ‘ଯେକେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର।’” ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।
JDG 7:4 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”
JDG 7:5 ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର।”
JDG 7:6 ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳ ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ।
JDG 7:7 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, “ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ।”
JDG 7:8 ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା।
JDG 7:9 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ।
JDG 7:10 ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକୁ ଓହ୍ଲାଇ ଯାଅ।
JDG 7:11 ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।
JDG 7:12 ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ।
JDG 7:13 ପୁଣି ଗିଦିୟୋନ୍‍ ଉପସ୍ଥିତ ହେଲା ବେଳେ, “ଦେଖ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।”
JDG 7:14 ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, “ଏହା ଇସ୍ରାଏଲୀୟ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।”
JDG 7:15 ସେତେବେଳେ ଗିଦିୟୋନ୍‍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରିଆସି କହିଲେ, “ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
JDG 7:16 ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।
JDG 7:17 ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋʼ ପ୍ରତି ଦୃଷ୍ଟି ରଖି ମୋʼ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।
JDG 7:18 ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ୍ଗ) ‘ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।’”
JDG 7:19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ।
JDG 7:20 ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, “ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।”
JDG 7:21 ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।
JDG 7:22 ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍‍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।
JDG 7:23 ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।
JDG 7:24 ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।
JDG 7:25 ଏଥିରେ ସେମାନେ ଓରେବ୍‍ ଓ ସେବ୍‍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍‍କୁ ଓରେବ୍‍-ଶୈଳ ନିକଟରେ ବଧ କଲେ, ଆଉ ସେବ୍‍କୁ ସେମାନେ ସେବ୍‍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍‍ ଓ ସେବ୍‍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍‍ଙ୍କ ନିକଟକୁ ଆଣିଲେ।
JDG 8:1 ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ?” ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।
JDG 8:2 ଏଥିରେ ସେ ସେମାନଙ୍କୁ କହିଲେ, “ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ?
JDG 8:3 ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍‍ ଓ ସେବ୍‍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି?” ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।
JDG 8:4 ଏଉତ୍ତାରେ ଗିଦିୟୋନ୍‍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
JDG 8:5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”
JDG 8:6 ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?”
JDG 8:7 ତହିଁରେ ଗିଦିୟୋନ୍‍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।”
JDG 8:8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ।
JDG 8:9 ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।”
JDG 8:10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।
JDG 8:11 ଏଉତ୍ତାରେ ଗିଦିୟୋନ୍‍ ନୋବହ ଓ ଯଗ୍‍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।
JDG 8:12 ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍‍ବିଗ୍ନ କଲେ।
JDG 8:13 ତହୁଁ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ।
JDG 8:14 ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।
JDG 8:15 ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, “ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, ‘ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ?’”
JDG 8:16 ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ।
JDG 8:17 ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ।
JDG 8:18 ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।”
JDG 8:19 ତେବେ ସେ କହିଲେ, “ସେମାନେ ତ ମୋହର ଭାଇ, ମୋʼ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାʼନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ।”
JDG 8:20 ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।
JDG 8:21 ତହିଁରେ ସେବହ ଓ ସଲମୁନ୍ନ କହିଲେ, “ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ।” ଏଉତ୍ତାରେ ଗିଦିୟୋନ୍‍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
JDG 8:22 ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ।”
JDG 8:23 ତହିଁରେ ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋʼ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।”
JDG 8:24 ପୁଣି ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ।” କାରଣ ସେମାନେ ଇଶ୍ମାୟେଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା।
JDG 8:25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ।
JDG 8:26 ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା।
JDG 8:27 ତହୁଁ ଗିଦିୟୋନ୍‍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍‍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍‍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା।
JDG 8:28 ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍‍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
JDG 8:29 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଯିରୁବ୍ବାଲ୍‍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ।
JDG 8:30 ସେହି ଗିଦିୟୋନ୍‍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ।
JDG 8:31 ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍‍ ରଖିଲେ।
JDG 8:32 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶ୍‍ର କବରରେ କବର ପାଇଲେ।
JDG 8:33 ଏଥିଉତ୍ତାରେ ଗିଦିୟୋନ୍‍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍‍ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍‍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ।
JDG 8:34 ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ-ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ।
JDG 8:35 କିଅବା ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
JDG 9:1 ଏଥିଉତ୍ତାରେ ଯିରୁବ୍ବାଲ୍‍ର ପୁତ୍ର ଅବୀମେଲକ୍‍ ଶିଖିମରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଓ ନିଜ ମାତାର ପିତୃଗୃହର ସମସ୍ତ ବଂଶକୁ କହିଲା;
JDG 9:2 “ବିନୟ କରୁଅଛି, ତୁମ୍ଭେମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଯିରୁବ୍ବାଲ୍‍ର ସତୁରି ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ‘ତୁମ୍ଭମାନଙ୍କ ପକ୍ଷରେ କି ଭଲ?’ ଏହା ମଧ୍ୟ ମନେ କର ଯେ, ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ।”
JDG 9:3 ତହିଁରେ ତାହାର ମାତାର ଭାଇମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହାର ପକ୍ଷରେ ଏସବୁ କଥା କହନ୍ତେ, ଅବୀମେଲକ୍‍ର ପଶ୍ଚାଦ୍‍ଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା; କାରଣ ସେମାନେ କହିଲେ, ସେ ଆମ୍ଭମାନଙ୍କର ଭାଇ।
JDG 9:4 ପୁଣି ସେମାନେ ତାହାକୁ ବାଲ୍‍-ବରୀତର ମନ୍ଦିରରୁ ସତୁରି ଖଣ୍ଡ ରୂପା ଦେଲେ, ତହିଁରେ ଅବୀମେଲକ୍‍ ବେତନ ଦେଇ ଅଦରକାରୀ ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା, ସେମାନେ ତାହାର ପଶ୍ଚାଦ୍‍ଗାମୀ ହେଲେ।
JDG 9:5 ତହୁଁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର ସତୁରି ଭାଇ ଯିରୁବ୍ବାଲ୍‍ର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା; ମାତ୍ର ଯିରୁବ୍ବାଲ୍‍ର କନିଷ୍ଠ ପୁତ୍ର ଯୋଥମ୍‍ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା।
JDG 9:6 ପୁଣି, ଶିଖିମ ନିବାସୀ ଲୋକମାନେ ଓ ମିଲ୍ଲୋ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନ ବୃକ୍ଷ ମୂଳରେ ଅବୀମେଲକ୍‍କୁ ରାଜା କଲେ।
JDG 9:7 ତହୁଁ ଲୋକମାନେ ଯୋଥମ୍‍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିଷୀମ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ଶିଖିମ ନିବାସୀ ଲୋକଗଣ, “ଆମ୍ଭ କଥା ଶୁଣ, ତହିଁରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
JDG 9:8 ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ; ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର;’
JDG 9:9 ମାତ୍ର ଜୀତବୃକ୍ଷ ସେମାନଙ୍କୁ କହିଲା, ‘ମୋହର ଯେଉଁ ତୈଳ ଘେନି ଲୋକମାନେ ମୋʼ ଦ୍ୱାରା ପରମେଶ୍ୱରଙ୍କର ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
JDG 9:10 ତହୁଁ ବୃକ୍ଷମାନେ ଡିମ୍ବିରିବୃକ୍ଷକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
JDG 9:11 ମାତ୍ର ଡିମ୍ବିରିବୃକ୍ଷ ସେମାନଙ୍କୁ କହିଲା, ‘ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
JDG 9:12 ଏଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
JDG 9:13 ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?
JDG 9:14 ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
JDG 9:15 ତହିଁରେ କଣ୍ଟକଲତା ବୃକ୍ଷମାନଙ୍କୁ କହିଲା, ‘ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ସତ୍ୟରେ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ; ନୋହିଲେ କଣ୍ଟକଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ।’
JDG 9:16 ଏବେ ତୁମ୍ଭେମାନେ ଅବୀମେଲକ୍‍କୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଯିରୁବ୍ବାଲ୍‍ ଓ ତାଙ୍କ ବଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, (ତେବେ ଉତ୍ତମ);
JDG 9:17 କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦୀୟନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ;
JDG 9:18 ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର ସତୁରି ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବୀମେଲକ୍‍ ତୁମ୍ଭମାନଙ୍କ ଭାଇ ହେବା ସକାଶୁ ତାହାକୁ ଶିଖିମ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ।
JDG 9:19 ଏହେତୁ ଯେବେ ଆଜି ତୁମ୍ଭେମାନେ ଯିରୁବ୍ବାଲ୍‍ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବୀମେଲକ୍‍କୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ।
JDG 9:20 ମାତ୍ର ଯେବେ କରି ନାହଁ, ତେବେ ଅବୀମେଲକ୍‍ଠାରୁ ଅଗ୍ନି ବାହାରି ଶିଖିମ ନିବାସୀ ଲୋକଗଣଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଗ୍ରାସ କରୁ; ପୁଣି ଶିଖିମ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକ୍‍କୁ ଗ୍ରାସ କରୁ।”
JDG 9:21 ଏଉତ୍ତାରେ ଯୋଥମ୍‍ ବେଗେ ପଳାଇଲା, ପୁଣି ଆପଣା ଭାଇ ଅବୀମେଲକ୍‍ ଭୟରେ ବେରରେ ଯାଇ ବାସ କଲା।
JDG 9:22 ଏଥିଉତ୍ତାରେ ଅବୀମେଲକ୍‍ ଇସ୍ରାଏଲ ଉପରେ ତିନି ବର୍ଷ ଅଧିପତି ହେଲା।
JDG 9:23 ପରମେଶ୍ୱର ଅବୀମେଲକ୍‍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍‍ ପ୍ରତି ବିଶ୍ୱାସଘାତକତା କଲେ,
JDG 9:24 ଯେପରି ଯିରୁବ୍ବାଲ୍‍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍‍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।
JDG 9:25 ଆଉ ଶିଖିମ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ, ତହିଁରେ ସେମାନଙ୍କ ନିକଟ ଦେଇ ସେହି ବାଟେ ଯାହା କିଛି ଗଲା, ତାହାସବୁ ସେମାନେ ଲୁଟ କଲେ; ପୁଣି ଅବୀମେଲକ୍‍ ତହିଁର ସମ୍ବାଦ ପାଇଲା।
JDG 9:26 ଏଥିଉତ୍ତାରେ ଏବଦର ପୁତ୍ର ଗାଲ୍‍ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ଶିଖିମକୁ ଗଲା, ପୁଣି ଶିଖିମ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ।
JDG 9:27 ଆଉ ସେମାନେ ଦ୍ରାକ୍ଷାକ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବୀମେଲକ୍‍କୁ ଶାପ ଦେଲେ।
JDG 9:28 ତହିଁରେ ଏବଦର ପୁତ୍ର ଗାଲ୍‍ କହିଲା, “ଅବୀମେଲକ୍‍ କିଏ ଓ ଶିଖିମ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ? ସେ କି ଯିରୁବ୍ବାଲ୍‍ର ପୁତ୍ର ନୁହେଁ? ଓ ସବୂଲ୍‍ କି ତାହାର ସେନାପତି ନୁହେଁ? ତୁମ୍ଭେମାନେ ଶିଖିମର ପିତା ହମୋରର ଲୋକମାନଙ୍କୁ ସେବା କର, ମାତ୍ର କାହିଁକି ଆମ୍ଭେମାନେ ତାହାର ସେବା କରିବୁ?
JDG 9:29 ଆଃ, ଏହି ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ! ତେବେ ଆମ୍ଭେ ଅବୀମେଲକ୍‍କୁ ଦୂର କରି ଦିଅନ୍ତୁ।” ପୁଣି ସେ ଅବୀମେଲକ୍‍କୁ ଲକ୍ଷ୍ୟ କରି କହିଲା, “ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ।”
JDG 9:30 ଏବଦର ପୁତ୍ର ଗାଲ୍‍ର ଏ କଥା ନଗରର ଅଧିପତି ସବୂଲ୍‍ ଶୁଣନ୍ତେ, ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
JDG 9:31 ପୁଣି ସେ ଛଳରେ ଅବୀମେଲକ୍‍ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ଦେଖ, ଏବଦର ପୁତ୍ର ଗାଲ୍‍ ଓ ତାହାର ଭାଇମାନେ ଶିଖିମକୁ ଆସିଅଛନ୍ତି; ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି।
JDG 9:32 ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ।
JDG 9:33 ପୁଣି ସକାଳେ ସୂର୍ଯ୍ୟୋଦୟ ହେବାମାତ୍ର ଚଞ୍ଚଳ ଉଠି ନଗର ଆକ୍ରମଣ କରିବ; ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କରିବ।”
JDG 9:34 ଏଥିରେ ଅବୀମେଲକ୍‍ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରିଦଳ ହୋଇ ଶିଖିମ ବିରୁଦ୍ଧରେ ଛକି ବସିଲେ।
JDG 9:35 ପୁଣି ଏବଦର ପୁତ୍ର ଗାଲ୍‍ ବାହାରେ ଯାଇ ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହେଲା; ଆଉ ଅବୀମେଲକ୍‍ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରୁ ଉଠିଲେ।
JDG 9:36 ଆଉ ଗାଲ୍‍ ଲୋକମାନଙ୍କୁ ଦେଖନ୍ତେ, ସେ ସବୂଲ୍‍କୁ କହିଲା, “ଦେଖ, ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୂଲ୍‍ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଅଛି।”
JDG 9:37 ଏଥିଉତ୍ତାରେ ଗାଲ୍‍ ପୁନର୍ବାର କହିଲା, “ଦେଖ, ଲୋକମାନେ ଦେଶ ମଧ୍ୟଦେଇ ଓହ୍ଲାଇ ଆସୁଅଛନ୍ତି, ଆଉ ଏକ ଦଳ ମିଓନିନିମ ଅଲୋନ ବୃକ୍ଷର ପଥ ଦେଇ ଆସୁଅଛନ୍ତି।”
JDG 9:38 ତହୁଁ ସବୂଲ୍‍ ତାହାକୁ କହିଲା, ତୁମ୍ଭେ ଯେ କହିଥିଲ, “ଅବୀମେଲକ୍‍ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ, ତୁମ୍ଭର ସେହି ମୁହଁଟି ଏବେ କାହିଁ? ତୁମ୍ଭେ କି ଏହି ଲୋକମାନଙ୍କୁ ତୁଚ୍ଛ କରି ନ ଥିଲ? ତେଣୁ, ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କର?”
JDG 9:39 ଏଥିରେ ଗାଲ୍‍ ଶିଖିମ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବୀମେଲକ୍‍ ସଙ୍ଗରେ ଯୁଦ୍ଧ କଲା।
JDG 9:40 ତହିଁରେ ଅବୀମେଲକ୍‍ ତାହାକୁ ଗୋଡ଼ାନ୍ତେ, ସେ ତାହା ସମ୍ମୁଖରୁ ପଳାଇଲା ଓ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକେ ହତ ହୋଇ ପଡ଼ିଲେ।
JDG 9:41 ଏଉତ୍ତାରେ ଅବୀମେଲକ୍‍ ଅରୁମାରେ ରହିଲା; ପୁଣି ସବୂଲ୍‍ ଗାଲ୍‍କୁ ଓ ତାହାର ଭ୍ରାତୃଗଣକୁ ତଡ଼ିଦେଲା, ସେମାନଙ୍କୁ ଶିଖିମରେ ବାସ କରିବାକୁ ଦେଲା ନାହିଁ।
JDG 9:42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ, କେହି ଜଣେ ଅବୀମେଲକ୍‍କୁ ସମ୍ବାଦ ଦେଲା।
JDG 9:43 ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା; ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଅଛନ୍ତି; ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା।
JDG 9:44 ପୁଣି ଅବୀମେଲକ୍‍ ଓ ତାହାର ସଙ୍ଗୀଦଳ ଶୀଘ୍ର ଆକ୍ରମଣ କରି ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ ଦୁଇ ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ।
JDG 9:45 ପୁଣି ଅବୀମେଲକ୍‍ ସେହି ସାରାଦିନ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା; ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା।
JDG 9:46 ଏଥିଉତ୍ତାରେ ଶିଖିମ ଗଡ଼ସ୍ଥିତ ଲୋକଗଣ ଏ କଥା ଶୁଣି ଏଲ୍‍-ବରୀତ୍‍ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ।
JDG 9:47 ପୁଣି ଶିଖିମ ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏ କଥା ଅବୀମେଲକ୍‍ର କର୍ଣ୍ଣଗୋଚର ହେଲା।
JDG 9:48 ତହିଁରେ ଅବୀମେଲକ୍‍ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ୍‍ ପର୍ବତକୁ ଉଠିଗଲେ ଓ ଅବୀମେଲକ୍‍ ହାତରେ କୁହ୍ରାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା; ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, “ତୁମ୍ଭେମାନେ ମୋତେ ଯାହା କରିବାର ଦେଖିଲ, ତାହା ଶୀଘ୍ର କର ଓ ମୁଁ ଯେପରି କଲି, ସେପରି କର;”
JDG 9:49 ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ସେହିପରି ଏକ ଏକ ଡାଳ କାଟି ଅବୀମେଲକ୍‍ର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ; ତେଣୁ ଶିଖିମ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀ ପୁରୁଷ ଊଣାଧିକ ଏକ ହଜାର ଲୋକ ଥିଲେ।
JDG 9:50 ଏଉତ୍ତାରେ ଅବୀମେଲକ୍‍ ତେବେସକୁ ଗଲା ଓ ତେବସ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା।
JDG 9:51 ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା; ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେସ୍ଥାନକୁ ପଳାଇ ତହିଁ ଭିତରେ ଆପଣାମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ।
JDG 9:52 ତହୁଁ ଅବୀମେଲକ୍‍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା।
JDG 9:53 ତହିଁରେ ଜଣେ ସ୍ତ୍ରୀ ଚକିର ଉପର-ପଟ ଅବୀମେଲକ୍‍ର ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା।
JDG 9:54 ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, “ତୁମ୍ଭ ଖଡ୍ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ, ‘ଜଣେ ସ୍ତ୍ରୀ ତାହାକୁ ବଧ କଲା।’” ତହିଁରେ ତାହାର ଯୁବା ଲୋକ ତାହାକୁ ଭୁସି ଦିଅନ୍ତେ, ସେ ମଲା।
JDG 9:55 ତହିଁରେ ଇସ୍ରାଏଲ ଲୋକମାନେ ଅବୀମେଲକ୍‍ର ମରଣ ଦେଖି ପ୍ରତ୍ୟେକେ ଆପଣା ଆପଣା ସ୍ଥାନକୁ ଚାଲିଗଲେ।
JDG 9:56 ଏହିରୂପେ ଅବୀମେଲକ୍‍ ଆପଣାର ସତୁରି ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା, ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ;
JDG 9:57 ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍‌ଙ୍କ ପୁତ୍ର ଯୋଥମ୍‍ର ଅଭିଶାପ ସେମାନଙ୍କ ଉପରେ ଫଳିଲା।
JDG 10:1 ଅବୀମେଲକ୍‍ର ମରଣ ଉତ୍ତାରେ ଇଷାଖର ବଂଶୀୟ ଦୋଦୟର ପୌତ୍ର, ପୂୟାର ପୁତ୍ର ତୋଲୟ ଇସ୍ରାଏଲର ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ; ସେ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ।
JDG 10:2 ପୁଣି ସେ ତେଇଶ ବର୍ଷ ଇସ୍ରାଏଲର ବିଚାର କଲେ; ତହିଁ ଉତ୍ତାରେ ସେ ମଲେ ଓ ଶାମୀରରେ କବର ପାଇଲେ।
JDG 10:3 ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ବିଚାରକର୍ତ୍ତା ହୋଇ ଉଠିଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ।
JDG 10:4 ପୁଣି ତାଙ୍କର ତିରିଶ ପୁତ୍ର ଥିଲେ, ସେମାନେ ତିରିଶ ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ ନଗର ଥିଲା, ସେହି ସବୁକୁ ଆଜି ପର୍ଯ୍ୟନ୍ତ ହବୋତ୍‍-ଯାୟୀର (ଯାୟୀର ଗ୍ରାମ) ବୋଲାଯାଏ; ତାହାସବୁ ଗିଲୀୟଦ ଦେଶରେ ଅଛି।
JDG 10:5 ଏଉତ୍ତାରେ ଯାୟୀର ମଲେ ଓ କାମୋନରେ କବର ପାଇଲେ।
JDG 10:6 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍‍ ଦେବତାଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ।
JDG 10:7 ଏନିମନ୍ତେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ଅମ୍ମୋନ-ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ।
JDG 10:8 ତହିଁରେ ସେମାନେ ସେହି ବର୍ଷ ଇସ୍ରାଏଲ-ସନ୍ତାନଗଣକୁ ଚୂର୍ଣ୍ଣଶୀର୍ଣ୍ଣ କଲେ; ସେମାନେ ଅଠର ବର୍ଷ ପର୍ଯ୍ୟନ୍ତ ଯର୍ଦ୍ଦନପାରିସ୍ଥ ଗିଲୀୟଦର ଅନ୍ତର୍ଗତ ଇମୋରୀୟ ଦେଶ ନିବାସୀ ସମସ୍ତ ଇସ୍ରାଏଲ ସନ୍ତାନ ପ୍ରତି (ଏପରି କଲେ)।
JDG 10:9 ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ୍ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଲେଶ ପାଇଲେ।
JDG 10:10 ତେଣୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍‍ ଦେବତାଗଣର ସେବା କରିଅଛୁ।”
JDG 10:11 ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ଆମ୍ଭେ କି ମିସରୀୟମାନଙ୍କଠାରୁ ଓ ଇମୋରୀୟମାନଙ୍କଠାରୁ, ଅମ୍ମୋନ-ସନ୍ତାନମାନଙ୍କଠାରୁ ଓ ପଲେଷ୍ଟୀୟମାନଙ୍କଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରି ନାହୁଁ?
JDG 10:12 ଆହୁରି ସୀଦୋନୀୟମାନେ ଓ ଅମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ; ତହିଁରେ ତୁମ୍ଭେମାନେ ଆମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ଆମ୍ଭେ ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ।
JDG 10:13 ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛ; ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ।
JDG 10:14 ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ।”
JDG 10:15 ଏଥିରେ ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, “ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।”
JDG 10:16 ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବଗଣକୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ; ତହିଁରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା।
JDG 10:17 ସେସମୟରେ ଅମ୍ମୋନ-ସନ୍ତାନଗଣ ଏକତ୍ରିତ ହୋଇ ଗିଲୀୟଦରେ ଛାଉଣି ସ୍ଥାପନ କରିଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଏକତ୍ରିତ ହୋଇ ମିସ୍ପାରେ ଛାଉଣି ସ୍ଥାପନ କରିଥିଲେ।
JDG 10:18 ତହିଁରେ ଗିଲୀୟଦୀୟ ଲୋକମାନେ, ଅର୍ଥାତ୍‍, ଅଧିପତିମାନେ ଏକକୁ ଆରେକ କହିଲେ, “ଅମ୍ମୋନ-ସନ୍ତାନମାନଙ୍କ ସଙ୍ଗରେ କିଏ ଯୁଦ୍ଧ ଆରମ୍ଭ କରିବ? ସେ ଗିଲୀୟଦ ନିବାସୀ ସମସ୍ତ ଲୋକଙ୍କର ମସ୍ତକ ସ୍ୱରୂପ ହେବ।”
JDG 11:1 ଗିଲୀୟଦୀୟ ଯିପ୍ତହ ନାମରେ ଏକ ମହାବିକ୍ରମଶାଳୀ ପୁରୁଷ ଥିଲେ, ସେ ଏକ ବେଶ୍ୟାର ପୁତ୍ର; ଗିଲୀୟଦ ଯିପ୍ତହଙ୍କୁ ଜାତ କରିଥିଲା।
JDG 11:2 ମାତ୍ର ଗିଲୀୟଦର ଭାର୍ଯ୍ୟା ତାହାର କେତେକ ପୁତ୍ର ପ୍ରସବ କଲା, ପୁଣି ତାହାର ଭାର୍ଯ୍ୟାର ପୁତ୍ରମାନେ ବଢ଼ନ୍ତେ, ସେମାନେ ଯିପ୍ତହଙ୍କୁ ତଡ଼ିଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପିତୃଗୃହରେ ଅଧିକାର ପାଇବ ନାହିଁ; କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।”
JDG 11:3 ତହିଁରେ ଯିପ୍ତହ ଆପଣା ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ ଦେଶରେ ବାସ କଲେ; ତହିଁରେ କେତେଗୁଡ଼ିଏ ଅଦରକାରୀ ଲୋକ ଯିପ୍ତହ ସଙ୍ଗେ ମିଳି ତାଙ୍କର ସହଚର ହେଲେ।
JDG 11:4 କିଛି ଦିନ ପରେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ।
JDG 11:5 ପୁଣି ଅମ୍ମୋନ-ସନ୍ତାନଗଣ ଯେତେବେଳେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ସେତେବେଳେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ ଟୋବ ଦେଶରୁ ଆଣିବାକୁ ଗଲେ।
JDG 11:6 ଆଉ ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ-ସନ୍ତାନଗଣ ସହିତ ଯେପରି ଯୁଦ୍ଧ କରିବା, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”
JDG 11:7 ତହିଁରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ କି ମୋତେ ଘୃଣା କରି ମୋହର ପିତୃଗୃହରୁ ମୋତେ ତଡ଼ିଦେଇ ନାହଁ? ପୁଣି ଏବେ ଦୁର୍ଦ୍ଦଶାରେ ପଡ଼ିଅଛ ବୋଲି ମୋର ନିକଟକୁ କାହିଁକି ଆସିଅଛ?”
JDG 11:8 ତହୁଁ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଯେପରି ଆମ୍ଭମାନଙ୍କ ସଙ୍ଗରେ ଯିବ ଓ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବ, ପୁଣି ଗିଲୀୟଦ ନିବାସୀ ଆମ୍ଭ ସମସ୍ତଙ୍କ ଉପରେ ମସ୍ତକ ସ୍ୱରୂପ ହେବ, ଏଥିପାଇଁ ସିନା ଏବେ ଆମ୍ଭେମାନେ ତୁମ୍ଭ ନିକଟକୁ ପୁନର୍ବାର ଆସିଅଛୁ।”
JDG 11:9 ସେତେବେଳେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗଙ୍କୁ କହିଲେ, “ତୁମ୍ଭେମାନେ ତ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ମୋତେ ଘରକୁ ଫେରାଇ ନେଉଅଛ; ଯେବେ ସଦାପ୍ରଭୁ ମୋହର ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ, ତେବେ ସତେକି ମୁଁ ତୁମ୍ଭମାନଙ୍କର ମସ୍ତକ ସ୍ୱରୂପ ହେବି?”
JDG 11:10 ତହିଁରେ ଗିଲୀୟଦର ପ୍ରାଚୀନବର୍ଗ ଯିପ୍ତହଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ କଥା ଶୁଣୁଅଛନ୍ତି; ନିଶ୍ଚୟ ଆମ୍ଭେମାନେ ତୁମ୍ଭ ବାକ୍ୟାନୁସାରେ କରିବୁ।”
JDG 11:11 ଏଥିରେ ଯିପ୍ତହ ଗିଲୀୟଦର ପ୍ରାଚୀନବର୍ଗ ସହିତ ଗଲେ, ଆଉ ଲୋକମାନେ ତାଙ୍କୁ ଆପଣାମାନଙ୍କର ମସ୍ତକ ସ୍ୱରୂପ ଓ ଶାସନକର୍ତ୍ତା କଲେ; ପୁଣି ଯିପ୍ତହ ମିସ୍ପାରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା କହିଲେ।
JDG 11:12 ଏଥିଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ଦୂତ ପଠାଇ କହିଲେ, “ମୋହର ବିରୁଦ୍ଧରେ ତୁମ୍ଭର କି ସମସ୍ୟା ଅଛି ଯେ, ତୁମ୍ଭେ ମୋହର ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋହର ନିକଟକୁ ଆସିଅଛ?”
JDG 11:13 ତହିଁରେ ଅମ୍ମୋନ-ସନ୍ତାନଗଣର ରାଜା ଯିପ୍ତହଙ୍କ ଦୂତମାନଙ୍କୁ କହିଲା, “କାରଣ ଏହି, ଇସ୍ରାଏଲ ଯେତେବେଳେ ମିସରରୁ ବାହାର ହୋଇ ଆସିଲେ, ସେତେବେଳେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ମୋହର ଭୂମି ହରଣ କଲେ; ଏଣୁ ଏବେ ବିରୋଧ ନ କରି ତାହା ଫେରାଇ ଦିଅ।”
JDG 11:14 ତହିଁରେ ଯିପ୍ତହ ଅମ୍ମୋନ-ସନ୍ତାନଗଣର ରାଜା ନିକଟକୁ ପୁନର୍ବାର ଦୂତ ପଠାଇ ତାହାକୁ କହିଲେ;
JDG 11:15 “ଯିପ୍ତହ ଏହି କଥା କହେ, ମୋୟାବର ଭୂମି କିଅବା ଅମ୍ମୋନ-ସନ୍ତାନଗଣର ଭୂମି ଇସ୍ରାଏଲ ହରଣ କରି ନାହିଁ।
JDG 11:16 ମାତ୍ର ଇସ୍ରାଏଲ ମିସରରୁ ଆସିବା ବେଳେ ଇସ୍ରାଏଲ ସୂଫ ସାଗର ପର୍ଯ୍ୟନ୍ତ ପ୍ରାନ୍ତରରେ ଭ୍ରମଣ କଲା ଉତ୍ତାରେ କାଦେଶରେ ଉପସ୍ଥିତ ହେଲେ।
JDG 11:17 ସେତେବେଳେ ଇସ୍ରାଏଲ ଇଦୋମର ରାଜା ନିକଟକୁ ଦୂତ ପଠାଇ କହିଲେ, ‘ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ;’ ମାତ୍ର ଇଦୋମର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୋୟାବର ରାଜା ନିକଟକୁ କହି ପଠାଇଲେ; ସେ ମଧ୍ୟ ସମ୍ମତ ହେଲା ନାହିଁ; ତେଣୁ ଇସ୍ରାଏଲ କାଦେଶରେ ରହିଲେ।
JDG 11:18 ଏଥିଉତ୍ତାରେ ସେ ପ୍ରାନ୍ତର ଦେଇ ଯାଇ ଇଦୋମ ଦେଶ ଓ ମୋୟାବ ଦେଶ ଘୁରି ମୋୟାବ ଦେଶର ପୂର୍ବଦିଗ ଦେଇ ଆସି ଅର୍ଣ୍ଣୋନର ସେପାରିରେ ଛାଉଣି ସ୍ଥାପନ କଲେ; ମାତ୍ର ସେମାନେ ମୋୟାବ-ସୀମା ଭିତରେ ପ୍ରବେଶ କଲେ ନାହିଁ, କାରଣ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
JDG 11:19 ପୁଣି ଇସ୍ରାଏଲ ହିଷ୍‍ବୋନର ଇମୋରୀୟ ରାଜା ସୀହୋନ ନିକଟକୁ ଦୂତ ପଠାଇଲେ; ପୁଣି ଇସ୍ରାଏଲ ତାହାକୁ କହିଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କ ସ୍ଥାନକୁ ଯିବା ପାଇଁ ଆମ୍ଭମାନଙ୍କୁ ଦିଅ।’
JDG 11:20 ମାତ୍ର ସୀହୋନ ଆପଣା ସୀମା ଦେଇ ଯିବା ପାଇଁ ଇସ୍ରାଏଲକୁ ବିଶ୍ୱାସ କରୁ ନ ଥିବାରୁ ଅନୁମତି ଦେଲା ନାହିଁ; ପୁଣି ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କଲା।
JDG 11:21 ତହିଁରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସୀହୋନକୁ ଓ ତାହାର ସମସ୍ତ ଲୋକଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ। ଏହିରୂପେ ଇସ୍ରାଏଲ ସେହି ଦେଶ ନିବାସୀ ଇମୋରୀୟମାନଙ୍କ ସମସ୍ତ ଦେଶ ଅଧିକାର କଲେ।
JDG 11:22 ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କର ସମସ୍ତ ସୀମା ଅଧିକାର କଲେ।
JDG 11:23 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି, ଏବେ ତୁମ୍ଭେ କି ସେସବୁ ଅଧିକାର କରିବ?
JDG 11:24 ତୁମ୍ଭର କମୋଶ ଦେବ ଯାହା ତୁମ୍ଭକୁ ଅଧିକାର କରିବାକୁ ଦିଅନ୍ତି, ତାହା କି ତୁମ୍ଭେ ଅଧିକାର କରିବ ନାହିଁ? ସେରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଅଧିକାରଚ୍ୟୁତ କରିଅଛନ୍ତି, ସେମାନଙ୍କୁ ଆମ୍ଭେମାନେ ଅଧିକାର କରିବୁ।
JDG 11:25 କୁହ ଦେଖି, ତୁମ୍ଭେ କି ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକଠାରୁ କିଛି ଅଧିକ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ?
JDG 11:26 ଇସ୍ରାଏଲ ତିନି ଶତ ବର୍ଷ ହେଲା ହିଷ୍‍ବୋନ ଓ ତହିଁ ଉପନଗରରେ, ପୁଣି ଅରୋୟର ଓ ତହିଁ ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁଅଛନ୍ତି; ଏଥିମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ନେଲ?
JDG 11:27 ଏହେତୁ ମୁଁ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହିଁ, ମାତ୍ର ତୁମ୍ଭେ ମୋହର ବିରୁଦ୍ଧରେ ଯୁଦ୍ଧ କରିବାରେ ମୋʼ ପ୍ରତି ଅନ୍ୟାୟ କର୍ମ କରୁଅଛ; ସଦାପ୍ରଭୁ ଯେ ବିଚାରକର୍ତ୍ତା, ସେ ଆଜି ଇସ୍ରାଏଲ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ ବିଚାରକର୍ତ୍ତା ହେଉନ୍ତୁ।”
JDG 11:28 ତଥାପି ଯିପ୍ତହଙ୍କ ପ୍ରେରିତ କଥା ଅମ୍ମୋନ-ସନ୍ତାନଗଣର ରାଜା ଶୁଣିଲା ନାହିଁ।
JDG 11:29 ତହିଁରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହଙ୍କ ଉପରେ ଅଧିଷ୍ଠାନ କରନ୍ତେ, ସେ ଗିଲୀୟଦ ଓ ମନଃଶି ପ୍ରଦେଶ ଦେଇ ଗିଲୀୟଦସ୍ଥିତ ମିସ୍ପେକୁ ଗଲେ ଓ ଗିଲୀୟଦସ୍ଥିତ ମିସ୍ପେରୁ ଅମ୍ମୋନ-ସନ୍ତାନଗଣ ନିକଟକୁ ଗଲେ।
JDG 11:30 ସେସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, “ଯେବେ ତୁମ୍ଭେ ଅମ୍ମୋନ-ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ,
JDG 11:31 ତେବେ ମୁଁ ଅମ୍ମୋନ-ସନ୍ତାନଗଣ ନିକଟରୁ କୁଶଳରେ ଫେରି ଆସିବା ବେଳେ ଯେକେହି ମୋତେ ଭେଟିବା ପାଇଁ ମୋହର ଗୃହଦ୍ୱାରରୁ ବାହାରି ଆସିବ, ସେ ନିଶ୍ଚେ ସଦାପ୍ରଭୁଙ୍କର ହେବ ଓ ମୁଁ ତାହାକୁ ହୋମବଳି ରୂପେ ଉତ୍ସର୍ଗ କରିବି।”
JDG 11:32 ଏଉତ୍ତାରେ ଯିପ୍ତହ ଅମ୍ମୋନ-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ପାର ହୋଇଗଲେ ଓ ସଦାପ୍ରଭୁ ସେମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କଲେ।
JDG 11:33 ତହିଁରେ ସେ ଅରୋୟରଠାରୁ ମିନ୍ନୀତ ନିକଟ ପର୍ଯ୍ୟନ୍ତ କୋଡ଼ିଏ ନଗର ଓ ଅବେଲ୍‍-କରାମୀମ୍‍ ପର୍ଯ୍ୟନ୍ତ ଅତି ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏରୂପେ ଅମ୍ମୋନ-ସନ୍ତାନଗଣ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପରାସ୍ତ ହେଲେ।
JDG 11:34 ଏଥିଉତ୍ତାରେ ଯିପ୍ତହ ମିସ୍ପାରେ ଆପଣା ଗୃହକୁ ଆସିଲେ, ଆଉ ଦେଖ, ତାଙ୍କର କନ୍ୟା ତାଙ୍କୁ ଭେଟିବା ପାଇଁ ଦାରା ନେଇ ନୃତ୍ୟ କରୁ କରୁ ଆସିଲା; ସେ ତାଙ୍କର ଏକମାତ୍ର ସନ୍ତତି ଥିଲା; ତାହା ଛଡ଼ା ତାଙ୍କର ପୁତ୍ର କି କନ୍ୟା ନ ଥିଲା।
JDG 11:35 ସେତେବେଳେ ସେ ଆପଣା କନ୍ୟାକୁ ଦେଖି ଆପଣା ବସ୍ତ୍ର ଚିରି କହିଲେ, “ହାୟ, ହାୟ, ଆମ୍ଭର କନ୍ୟେ! ତୁମ୍ଭେ ମୋତେ ଘୋର ସନ୍ତାପରେ ପକାଇଲ, ତୁମ୍ଭେ ମୋହର ଦୁଃଖଦାୟୀମାନଙ୍କ ମଧ୍ୟରେ ଜଣେ ହେଲ; କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛି, ଆଉ ପଛକୁ ହଟି ନ ପାରେ।”
JDG 11:36 ତହିଁରେ ସେ ତାଙ୍କୁ କହିଲା, “ହେ ଆମ୍ଭର ପିତଃ, ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖ ଫିଟାଇଅଛ; ତୁମ୍ଭ ମୁଖରୁ ଯାହା ନିର୍ଗତ ହୋଇଅଛି, ତଦନୁସାରେ ମୋʼ ପ୍ରତି କର; କାରଣ ସଦାପ୍ରଭୁ ତୁମ୍ଭ ନିମନ୍ତେ ତୁମ୍ଭ ଶତ୍ରୁ ଅମ୍ମୋନ-ସନ୍ତାନମାନଙ୍କଠାରୁ ପରିଶୋଧ ନେଇଅଛନ୍ତି।”
JDG 11:37 ଆହୁରି ସେ ଆପଣା ପିତାକୁ କହିଲା, “ମୋʼ ପାଇଁ ଏହି କଥା କରାଯାଉ; ମୋତେ ଦୁଇ ମାସ ଛାଡ଼ିଦିଅ, ତହିଁରେ ମୁଁ ଆପଣା ସଖୀମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ଆପଣା କୁମାରୀତ୍ୱ ବିଷୟରେ ବିଳାପ କରିବି।”
JDG 11:38 ତହୁଁ ସେ କହିଲେ, “ଯାଅ।” ଆଉ ସେ ଦୁଇ ମାସ ପାଇଁ ତାହାକୁ ବିଦାୟ କଲେ; ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତାହାର କୁମାରୀତ୍ୱ ବିଷୟରେ ବିଳାପ କଲେ।
JDG 11:39 ପୁଣି, ଦୁଇ ମାସ ଶେଷରେ ସେ ଆପଣା ପିତା ନିକଟକୁ ଫେରି ଆସିଲା, ତହିଁରେ ପିତା ଆପଣା ମନାସିଲାର ମାନତ ଅନୁସାରେ ତାହା ପ୍ରତି କଲେ। ସେ ପୁରୁଷର ପରିଚୟ ପାଇ ନ ଥିଲା।
JDG 11:40 ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲୀୟ କନ୍ୟାମାନେ ବର୍ଷକୁ ବର୍ଷ ଗିଲୀୟଦୀୟ ଯିପ୍ତହ-କନ୍ୟାର ଗୁଣ କୀର୍ତ୍ତନ କରିବାକୁ ବର୍ଷରେ ଚାରି ଦିନ ଯିବାର ରୀତି ଇସ୍ରାଏଲ ମଧ୍ୟରେ ଚଳିଲା।
JDG 12:1 ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।”
JDG 12:2 ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ।
JDG 12:3 ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”
JDG 12:4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।”
JDG 12:5 ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;”
JDG 12:6 ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍‍” ତହିଁରେ ସେ କହିଲା, “ସିବ୍ବୋଲେତ୍‍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ।
JDG 12:7 ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ।
JDG 12:8 ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ।
JDG 12:9 ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ।
JDG 12:10 ଏଥିଉତ୍ତାରେ ଇବ୍‍ସନ୍‍ ମଲେ ଓ ବେଥଲିହିମରେ କବର ପାଇଲେ।
JDG 12:11 ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍‍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ।
JDG 12:12 ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍‍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍‍ରେ କବର ପାଇଲେ।
JDG 12:13 ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ଇସ୍ରାଏଲର ବିଚାର କଲେ।
JDG 12:14 ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ।
JDG 12:15 ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।
JDG 13:1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶ ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।
JDG 13:2 ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରାୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନୋହ; ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନ ଥିଲା।
JDG 13:3 ପୁଣି ସଦାପ୍ରଭୁଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, “ଦେଖ, ତୁମ୍ଭେ ବନ୍ଧ୍ୟା ଓ ପ୍ରସବ କରି ନାହଁ; ମାତ୍ର ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ।
JDG 13:4 ଏହେତୁ ଏବେ ଏହା କର ଓ ତୁମ୍ଭେ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ;
JDG 13:5 କାରଣ ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ଯେହେତୁ ସେ ବାଳକ ଗର୍ଭାବଧି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ ଓ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ।”
JDG 13:6 ଏଉତ୍ତାରେ ସେହି ସ୍ତ୍ରୀ ଆସି ଆପଣା ସ୍ୱାମୀକୁ କହିଲା, “ପରମେଶ୍ୱରଙ୍କର ଏକ ଲୋକ ମୋʼ ନିକଟକୁ ଆସିଲେ। ତାହାଙ୍କ ରୂପ ପରମେଶ୍ୱରଙ୍କ ଦୂତଙ୍କ ରୂପ ତୁଲ୍ୟ ଅତି ଭୟଙ୍କର; ମାତ୍ର ସେ କେଉଁଠାରୁ ଆସିଲେ, ଏହା ମୁଁ ତାହାଙ୍କୁ ପଚାରିଲି ନାହିଁ, କିଅବା ସେ ଆପଣା ନାମ ମୋତେ କହିଲେ ନାହିଁ;
JDG 13:7 ମାତ୍ର ସେ ମୋତେ କହିଲେ, ‘ଦେଖ, ତୁମ୍ଭେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ; ଏହେତୁ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; କାରଣ ସେହି ବାଳକ ଗର୍ଭାବଧି ମରଣ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ହେବ,’”
JDG 13:8 ତହିଁରେ ମାନୋହ ସଦାପ୍ରଭୁଙ୍କୁ ବିନତି କରି କହିଲା, “ହେ ପ୍ରଭୋ, ବିନୟ କରୁଅଛି, ପରମେଶ୍ୱରଙ୍କ ଯେଉଁ ଲୋକଙ୍କୁ ଆପଣ ପଠାଇଥିଲେ, ସେ ଆମ୍ଭମାନଙ୍କ ନିକଟକୁ ପୁନର୍ବାର ଆସନ୍ତୁ ଓ ଯେଉଁ ବାଳକ ଜନ୍ମିବ, ତାହା ପ୍ରତି ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏହା ଆମ୍ଭମାନଙ୍କୁ ଶିଖାଉନ୍ତୁ।”
JDG 13:9 ତହୁଁ ପରମେଶ୍ୱର ମାନୋହର ରବ ଶୁଣିଲେ; ପୁଣି ସେ ସ୍ତ୍ରୀ କ୍ଷେତ୍ରରେ ବସିଥିବା ବେଳେ ପରମେଶ୍ୱରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ; ମାତ୍ର ତାହାର ସ୍ୱାମୀ ମାନୋହ ତାହା ସଙ୍ଗରେ ନ ଥିଲା।
JDG 13:10 ଏଣୁ ସେ ସ୍ତ୍ରୀ ଶୀଘ୍ର ଧାଇଁଯାଇ ଆପଣା ସ୍ୱାମୀକୁ ସମ୍ବାଦ ଦେଇ କହିଲା, “ଦେଖ, ସେଦିନ ଯେଉଁ ଲୋକ ମୋʼ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି।”
JDG 13:11 ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟାର ପଛେ ପଛେ ଗଲା ଓ ସେହି ଲୋକଙ୍କ ନିକଟକୁ ଆସି ତାହାଙ୍କୁ କହିଲା, “ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ସେ କି ଆପଣ?” ସେ କହିଲେ, “ହଁ, ମୁଁ ସେହି।”
JDG 13:12 ତହୁଁ ମାନୋହ କହିଲା, “ଆପଣଙ୍କ ବାକ୍ୟ ସଫଳ ହେଉ; ବାଳକ ପ୍ରତି କି ବିଧି ଓ ତାହାର କି କାର୍ଯ୍ୟ ହେବ?”
JDG 13:13 ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ଆମ୍ଭେ ସେହି ସ୍ତ୍ରୀକୁ ଯାହା ଯାହା କହିଅଛୁ, ତାହାସବୁ ସେ ମାନୁ।
JDG 13:14 ସେ ଦ୍ରାକ୍ଷାଲତାଜାତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ, ଅବା ସେ ଦ୍ରାକ୍ଷାରସ କି ମଦ୍ୟ ପାନ ନ କରୁ, କିଅବା କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ; ଆମ୍ଭେ ତାହାକୁ ଯାହା ଯାହା ଆଜ୍ଞା କରିଅଛୁ, ତାହାସବୁ ସେ ମାନୁ।”
JDG 13:15 ଆହୁରି ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛି, ଆପଣଙ୍କ ପାଇଁ ଛେଳି ଛୁଆଟିଏ ପ୍ରସ୍ତୁତ କରିବା ଯାଏ ଆମ୍ଭେମାନେ ଆପଣଙ୍କୁ ଅଟକାଇ ରଖୁ।”
JDG 13:16 ତହିଁରେ ସଦାପ୍ରଭୁଙ୍କ ଦୂତ ମାନୋହକୁ କହିଲେ, “ତୁମ୍ଭେ ଆମ୍ଭକୁ ଅଟକାଇ ରଖିଲେ ହେଁ ଆମ୍ଭେ ତୁମ୍ଭ ଆହାର ଭୋଜନ କରିବୁ ନାହିଁ; ପୁଣି ଯେବେ ତୁମ୍ଭେ ହୋମବଳି ପ୍ରସ୍ତୁତ କର, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କର।” ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ମାନୋହ ଜାଣି ନ ଥିଲା।
JDG 13:17 ଏଥିଉତ୍ତାରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ଆପଣଙ୍କର ନାମ କଅଣ? ଆପଣଙ୍କ ବାକ୍ୟ ସଫଳ ହେଲେ, ଆମ୍ଭେମାନେ ଆପଣଙ୍କର ଗୌରବ କରିବୁ।”
JDG 13:18 ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆମ୍ଭ ନାମ କାହିଁକି ପଚାରୁଅଛ, ତାହା ତ ଆଶ୍ଚର୍ଯ୍ୟ?”
JDG 13:19 ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ।
JDG 13:20 ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ସେହି ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ୱଗମନ କଲେ। ସେସମୟରେ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ; ଆଉ ସେମାନେ ଭୂମିରେ ମୁହଁ ମାଡ଼ି ପଡ଼ିଲେ।
JDG 13:21 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ମାନୋହକୁ ଓ ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ତହୁଁ ସେ ସଦାପ୍ରଭୁଙ୍କ ଦୂତ ବୋଲି ମାନୋହ ଜାଣିଲା।
JDG 13:22 ଏଣୁ ମାନୋହ ଆପଣା ଭାର୍ଯ୍ୟାକୁ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କୁ ଦେଖିଅଛୁ, ଏଣୁ ଅବଶ୍ୟ ମରିବା।”
JDG 13:23 ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାଆନ୍ତେ, କିଅବା ଏସମୟରେ ଏପରି କଥା ଶୁଣାଇ ନ ଥାଆନ୍ତେ।”
JDG 13:24 ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରି ତାହାର ନାମ ଶାମ୍‍ଶୋନ୍‍ ଦେଲା। ତହୁଁ ସେହି ବାଳକ ବଢ଼ିଲା ଓ ସଦାପ୍ରଭୁ ତାହାକୁ ଆଶୀର୍ବାଦ କଲେ।
JDG 13:25 ପୁଣି ସଦାପ୍ରଭୁଙ୍କ ଆତ୍ମା ସରାୟ ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀ-ଦାନରେ ତାହାକୁ ଚଳାଇବାକୁ ଲାଗିଲେ।
JDG 14:1 ଏଥିଉତ୍ତାରେ ଶାମ୍‍ଶୋନ୍‍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ଅବିବାହିତ ସ୍ତ୍ରୀଲୋକକୁ ଦେଖିଲା।
JDG 14:2 ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, “ମୁଁ ତିମ୍ନାରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଦେଖିଅଛି; ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ।”
JDG 14:3 ତେବେ ତାହାର ପିତା ଓ ମାତା ତାହାକୁ କହିଲେ, “ତୁମ୍ଭ ଭ୍ରାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କି ଜଣେ ସ୍ତ୍ରୀ ନାହିଁ, ଯେ ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ?” ତହିଁରେ ଶାମ୍‍ଶୋନ୍‍ ଆପଣା ପିତାକୁ କହିଲା, “ତାହାକୁ ମୋʼ ପାଇଁ ଆଣ; ସେ ମୋʼ ଦୃଷ୍ଟିରେ ପସନ୍ଦ।”
JDG 14:4 ମାତ୍ର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ।
JDG 14:5 ଏଥିଉତ୍ତାରେ ଶାମ୍‍ଶୋନ୍‍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜ୍ଜନ କଲା।
JDG 14:6 ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍‍ଶୋନ୍‍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।
JDG 14:7 ଏଥିଉତ୍ତାରେ ଶାମ୍‍ଶୋନ୍‍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା।
JDG 14:8 ପୁଣି କିଛି ଦିନ ଉତ୍ତାରେ ସେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା, ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଦଳ ଓ ମହୁ ଅଛି।
JDG 14:9 ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ।
JDG 14:10 ଏଥିଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ଶାମ୍‍ଶୋନ୍‍ ତିମ୍ନାରେ ଗୋଟିଏ ଭୋଜି କଲା; କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା।
JDG 14:11 ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।
JDG 14:12 ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବି।
JDG 14:13 ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବ।” ଆଉ ସେମାନେ ତାହାକୁ କହିଲେ, “ତୁମ୍ଭର ପ୍ରହେଳିକା କୁହ, ଆମ୍ଭେମାନେ ତାହା ଶୁଣିବୁ।”
JDG 14:14 ତହିଁରେ ସେ ସେମାନଙ୍କୁ କହିଲା, “ଖାଦକଠାରୁ ଖାଦ୍ୟ ଓ ବଳବାନ‍ଠାରୁ ମିଷ୍ଟତା ନିର୍ଗତ ହେଲା।” ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
JDG 14:15 ତହୁଁ ଚତୁର୍ଥ ଦିନରେ ସେମାନେ ଶାମ୍‍ଶୋନ୍‍ର ଭାର୍ଯ୍ୟାକୁ କହିଲେ, “ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକୁ ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା? ନୁହେଁ?”
JDG 14:16 ତହିଁରେ ଶାମ୍‍ଶୋନ୍‍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, “ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ।” ତହିଁରେ ସେ ତାହାକୁ କହିଲା, “ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି?”
JDG 14:17 ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍‍ଶୋନ୍‍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା।
JDG 14:18 ଏଥିଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ, “ମଧୁଠାରୁ ଆଉ ମିଷ୍ଟ କଅଣ? ଓ ସିଂହଠାରୁ ବଳବାନ କିଏ?” ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ତୁମ୍ଭେମାନେ ମୋର ଛଡ଼ାରେ (ଅଳ୍ପବୟଷ୍କା ଗାଈ) ହଳ କରି ନ ଥିଲେ, ମୋର ପ୍ରହେଳିକାର ଭେଦ ପାଇ ନ ଥାଆନ୍ତ।”
JDG 14:19 ଏଥିଉତ୍ତାରେ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା।
JDG 14:20 ମାତ୍ର ଶାମ୍‍ଶୋନ୍‍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା।
JDG 15:1 ମାତ୍ର କିଛି ଦିନ ଉତ୍ତାରେ ଗହମ କଟା ସମୟରେ ଶାମ୍‍ଶୋନ୍‍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା; ଆଉ ସେ କହିଲା, “ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି।” ମାତ୍ର ତାହାର ପିତା ତାହାକୁ ଭିତରକୁ ଯିବାକୁ ଦେଲା ନାହିଁ।
JDG 15:2 ପୁଣି ତାହାର ପିତା କହିଲା, “ମୁଁ ନିଶ୍ଚୟ ବୋଧ କଲି ଯେ, ତୁମ୍ଭେ ତାହାକୁ ନିତାନ୍ତ ଘୃଣା କଲ; ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି; ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର।”
JDG 15:3 ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।”
JDG 15:4 ତହୁଁ ଶାମ୍‍ଶୋନ୍‍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।
JDG 15:5 ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇ ବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।
JDG 15:6 ସେତେବେଳେ ପଲେଷ୍ଟୀୟମାନେ ପଚାରିଲେ, “ଏହା କିଏ କରିଅଛି?” ତହିଁରେ ଲୋକମାନେ କହିଲେ, “ତିମ୍ନୀୟର ଜୁଆଁଇ ଶାମ୍‍ଶୋନ୍‍, ଯେହେତୁ ସେ ତାହାର ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା।” ଏଥିରେ ପଲେଷ୍ଟୀୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ।
JDG 15:7 ତହୁଁ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ଯେବେ ତୁମ୍ଭେମାନେ ଏପରି କଲ, ତେବେ ଅବଶ୍ୟ ମୁଁ ତହିଁର ପରିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି।”
JDG 15:8 ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଐଟମ୍‍ ଶୈଳର ସୁଡ଼ଙ୍ଗରେ ବାସ କଲା।
JDG 15:9 ତେଣୁ ପଲେଷ୍ଟୀୟମାନେ ଉପରକୁ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ।
JDG 15:10 ତହିଁରେ ଯିହୁଦାର ଲୋକମାନେ ପଚାରିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ବିରୁଦ୍ଧରେ ଆସିଅଛ?” ସେମାନେ କହିଲେ, “ଶାମ୍‍ଶୋନ୍‍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ।”
JDG 15:11 ଏଥିରେ ଯିହୁଦାର ତିନି ହଜାର ଲୋକ ଐଟମ୍‍ ଶୈଳର ସୁଡ଼ଙ୍ଗକୁ ଯାଇ ଶାମ୍‍ଶୋନ୍‍କୁ କହିଲେ, “ପଲେଷ୍ଟୀୟମାନେ ଯେ ଆମ୍ଭମାନଙ୍କ କର୍ତ୍ତା ଅଟନ୍ତି, ଏହା କି ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ପୁଣି ସେ ସେମାନଙ୍କୁ କହିଲା, “ସେମାନେ ମୋʼ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି।”
JDG 15:12 ତହିଁରେ ସେମାନେ ତାହାକୁ କହିଲେ, “ପଲେଷ୍ଟୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମ୍ଭକୁ ବାନ୍ଧିବାକୁ ଆସିଅଛୁ।” ତହୁଁ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ତୁମ୍ଭେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର।”
JDG 15:13 ପୁଣି ସେମାନେ ତାହାକୁ କହିଲେ, “ନା; କିନ୍ତୁ ଆମ୍ଭେମାନେ ତୁମ୍ଭକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ; ମାତ୍ର ଆମ୍ଭେମାନେ କେବେ ତୁମ୍ଭକୁ ବଧ କରିବୁ ନାହିଁ।” ତହୁଁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ।
JDG 15:14 ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
JDG 15:15 ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।
JDG 15:16 ତହୁଁ ଶାମ୍‍ଶୋନ୍‍ କହିଲା:- “ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି ହଜାର ଲୋକ ପଦା।”
JDG 15:17 ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍‍-ଲିହୀ ହେଲା।
JDG 15:18 ଏଥିଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, “ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହା ଉଦ୍ଧାର ସାଧନ କରିଅଛ; ଏବେ ମୁଁ ତୃଷ୍ଣାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି।”
JDG 15:19 ତହିଁରେ ପରମେଶ୍ୱର ଲିହୀସ୍ଥିତ ଏକ ଖାଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା, ପୁଣି ସେ ତାହା ପାନ କରନ୍ତେ, ତାହାର ଆତ୍ମା ଫେରି ଆସିଲା ଓ ସେ ସଚେତନ ହେଲା; ଏହେତୁ ସେହି ସ୍ଥାନର ନାମ ଐନ୍‍-ହକ୍‍କୋରୀ ଦେଲା, ତାହା ଆଜି ପର୍ଯ୍ୟନ୍ତ ଲିହୀରେ ଅଛି।
JDG 15:20 ଆଉ ସେ ପଲେଷ୍ଟୀୟମାନଙ୍କ ସମୟରେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।
JDG 16:1 ଏଥିଉତ୍ତାରେ ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।
JDG 16:2 ତହିଁରେ ଶାମ୍‍ଶୋନ୍‍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର-ଦ୍ୱାରରେ ଛକି ବସିଲେ, ପୁଣି ସାରାରାତ୍ରି ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ।
JDG 16:3 ମାତ୍ର ଶାମ୍‍ଶୋନ୍‍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା।
JDG 16:4 ଏଉତ୍ତାରେ ସେ ସୋରେକ୍‍ ଉପତ୍ୟକାରେ ଏକ ସ୍ତ୍ରୀକୁ ପ୍ରେମ କଲା, ତାହାର ନାମ ଦଲୀଲା।
JDG 16:5 ତହିଁରେ ପଲେଷ୍ଟୀୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “କାହିଁରେ ତାହାର ଏହି ମହାବଳ ଥାଏ ଓ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧି ପାରିବୁ, ଏହା ଜାଣିବା ପାଇଁ ତୁମ୍ଭେ ତାହାକୁ ମଣାଅ; ତାହା କଲେ, ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ ଏଗାର ଶହ ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।”
JDG 16:6 ତହୁଁ ଦଲୀଲା ଶାମ୍‍ଶୋନ୍‍କୁ କହିଲା, “ବିନୟ କରୁଅଛି, କାହିଁରେ ତୁମ୍ଭର ମହାବଳ ଥାଏ ଓ ତୁମ୍ଭର କ୍ଳେଶାର୍ଥେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ?”
JDG 16:7 ତହିଁରେ ଶାମ୍‍ଶୋନ୍‍ ତାହାକୁ କହିଲା, “ଯାହା କେବେ ଶୁଷ୍କ ହୋଇ ନାହିଁ, ଏପରି ସାତୋଟି କଞ୍ଚା ତନ୍ତରେ ଯେବେ ସେମାନେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି।”
JDG 16:8 ତହୁଁ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୋଟି କଞ୍ଚା ତନ୍ତ ଆଣି ସେହି ସ୍ତ୍ରୀକୁ ଦେଲେ; ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା।
JDG 16:9 ସେସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ। ଏଥିରେ ସେ ତାହାକୁ କହିଲା, “ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ତହିଁରେ ଅଗ୍ନି ବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ଡିଯାଏ, ସେପରି ସେ ସବୁ ତନ୍ତ ଛିଣ୍ଡାଇ ପକାଇଲା। ଏହିରୂପେ ତାହାର ବଳର ରହସ୍ୟ ଜଣାଗଲା ନାହିଁ।
JDG 16:10 ଏଥିଉତ୍ତାରେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, “ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ?”
JDG 16:11 ତହିଁରେ ସେ ତାହାକୁ କହିଲା, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ, ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକର ସମାନ ହୋଇଯିବି।”
JDG 16:12 ତହୁଁ ଦଲୀଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, “ଶାମ୍‍ଶୋନ୍‍ ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ସେସମୟରେ ଛକିଥିବା ଲୋକମାନେ ଅନ୍ତଃପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା।
JDG 16:13 ତେବେ ଦଲୀଲା ଶାମ୍‍ଶୋନ୍‍କୁ କହିଲା, “ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ; ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ।” ତହିଁରେ ସେ ତାହାକୁ କହିଲା, “ଯେବେ ତୁମ୍ଭେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର ସାତ ବେଣୀ ବୁଣିବ, ତେବେ ହୋଇପାରେ।”
JDG 16:14 ତହୁଁ ସେ ତନ୍ତଖୁଣ୍ଟିରେ ତାହା ବାନ୍ଧି ତାହାକୁ କହିଲା, “ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ତହିଁରେ ସେ ନିଦ୍ରାରୁ ଉଠି ତନ୍ତଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା।
JDG 16:15 ଏଣୁ ସେ ତାହାକୁ କହିଲା, “ମୋହର ପ୍ରତି ତ ତୁମ୍ଭର ମନ ନାହିଁ, ‘ତୁମ୍ଭେ ମୋତେ ପ୍ରେମ କରୁଅଛ’ ବୋଲି କିପରି କହୁଅଛ? ଏ ତିନିଥରଯାକ ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭର ମହାବଳ କାହିଁରେ ଥାଏ, ତାହା ମୋତେ କହିଲ ନାହିଁ।”
JDG 16:16 ଏହିରୂପେ ସେ ନିତି ନିତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ, ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା।
JDG 16:17 ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, “ମୋହର ମସ୍ତକରେ କେବେ କ୍ଷୁର ଲାଗି ନାହିଁ; କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି; ଯେବେ ମୁଁ କ୍ଷୌର ହେବି, ତେବେ ମୋର ବଳ ମୋʼ ଠାରୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି।”
JDG 16:18 ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲୀଲା ଦେଖି ପଲେଷ୍ଟୀୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ଓ “ତୁମ୍ଭେମାନେ ଏହି ଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି,” ଏହା କହି ସେମାନଙ୍କୁ ଡାକିଲା। ତହିଁରେ ପଲେଷ୍ଟୀୟ ଅଧିପତିମାନେ ହସ୍ତରେ ରୂପା ନେଇ ତାହା ପାଖକୁ ଆସିଲେ;
JDG 16:19 ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା।
JDG 16:20 ତହୁଁ ସେ କହିଲା, “ଶାମ୍‍ଶୋନ୍‍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ।” ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, “ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣାକୁ ଝାଡ଼ିବି।” ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ।
JDG 16:21 ଏଥିଉତ୍ତାରେ ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଚକ୍ଷୁ ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା।
JDG 16:22 ତଥାପି ତାହାର କ୍ଷୌର ହେଲା ଉତ୍ତାରେ ତାହାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା।
JDG 16:23 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ଆପଣାମାନଙ୍କ ଦେବତା ଦାଗୋନ୍‍ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ। କାରଣ ସେମାନେ କହିଲେ, “ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ଶାମ୍‍ଶୋନ୍‍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
JDG 16:24 ପୁଣି ଲୋକମାନେ ତାହାକୁ ଦେଖି ଆପଣାମାନଙ୍କ ଦେବତାର ପ୍ରଶଂସା କଲେ। କାରଣ ସେମାନେ କହିଲେ, “ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା, ଆମ୍ଭମାନଙ୍କର ଏପରି ଶତ୍ରୁ ଓ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
JDG 16:25 ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ, ସେମାନେ କହିଲେ, “ଶାମ୍‍ଶୋନ୍‍କୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ।” ତହୁଁ ସେମାନେ ଶାମ୍‍ଶୋନ୍‍କୁ କାରାଗାରରୁ ଡାକି ଆଣିଲେ ଓ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା। ଆଉ ସେମାନେ ତାହାକୁ ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ।
JDG 16:26 ତହୁଁ ଶାମ୍‍ଶୋନ୍‍ ଆପଣା ହସ୍ତଧାରୀ ବାଳକକୁ କହିଲା, “ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ିଦିଅ, ମୁଁ ତହିଁ ଉପରେ ଆଉଜିବି।”
JDG 16:27 ସେସମୟରେ ଗୃହ ପୁରୁଷ ଓ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା; ପଲେଷ୍ଟୀୟ ସମସ୍ତ ଅଧିପତି ସେଠାରେ ଥିଲେ; ଆଉ ଛାତ ଉପରେ ଊଣାଧିକ ତିନି ହଜାର ପୁରୁଷ ଓ ସ୍ତ୍ରୀ ଥାଇ ଶାମ୍‍ଶୋନ୍‍ର କୌତୁକ ଦେଖୁଥିଲେ।
JDG 16:28 ସେତେବେଳେ ଶାମ୍‍ଶୋନ୍‍ ସଦାପ୍ରଭୁଙ୍କୁ ଡାକି କହିଲା, “ହେ ପ୍ରଭୋ ସଦାପ୍ରଭୋ, ନିବେଦନ କରୁଅଛି, ମୋତେ ସ୍ମରଣ କର, ହେ ପରମେଶ୍ୱର, ନିବେଦନ କରୁଅଛି; ମୁଁ ଯେପରି ପଲେଷ୍ଟୀୟମାନଙ୍କଠାରୁ ଏକାବେଳକେ ମୋହର ଦୁଇ ଚକ୍ଷୁର ପରିଶୋଧ ନେଇ ପାରିବି, ଏଥିପାଇଁ କେବଳ ଏହି ଥରକ ମୋତେ ବଳବାନ କର।”
JDG 16:29 ତହୁଁ ମଧ୍ୟସ୍ଥିତ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭାର ଥିଲା, ଶାମ୍‍ଶୋନ୍‍ ତହିଁର ଗୋଟିଏକୁ ଆପଣା ଦକ୍ଷିଣ ହସ୍ତରେ ଓ ଆରଟିକୁ ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା।
JDG 16:30 ପୁଣି ଶାମ୍‍ଶୋନ୍‍ କହିଲା, “ପଲେଷ୍ଟୀୟମାନଙ୍କ ସହିତ ମୋହର ପ୍ରାଣ ଯାଉ।” ଏହା କହି ସେ ବଳରେ ଆପଣାକୁ ନୁଆଁଇଲା; ତହୁଁ ଭିତରେ ଥିବା ଅଧିପତିମାନଙ୍କ ଓ ସମସ୍ତ ଲୋକଙ୍କ ଉପରେ ସେହି ଗୃହ ପଡ଼ିଗଲା। ଏହିରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ।
JDG 16:31 ଏଥିଉତ୍ତାରେ ତାହାର ଭ୍ରାତୃଗଣ ଓ ତାହାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ସରାୟ ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ ତାହାର ପିତା ମାନୋହର କବର ସ୍ଥାନରେ ତାହାକୁ କବର ଦେଲେ। ସେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।
JDG 17:1 ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା।
JDG 17:2 ସେ ଆପଣା ମାତାକୁ କହିଲା, “ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ଡ ରୂପା ନିଆଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଅଭିଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର ନିକଟରେ ଅଛି, ମୁଁ ତାହା ନେଇଅଛି;” ତହିଁରେ ତାହାର ମାତା କହିଲା, “ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର ହେଉ।”
JDG 17:3 ଏଥିରେ ସେ ସେହି ଏଗାର ଶହ ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, “ଗୋଟିଏ ଖୋଦିତ ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତାନ୍ତ ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।”
JDG 17:4 ମୀଖା ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ଡ ରୂପା ସୁନାରୀକୁ ଦିଅନ୍ତେ, ସେ ଗୋଟିଏ ଖୋଦିତ ପ୍ରତିମା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା।
JDG 17:5 ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା।
JDG 17:6 ସେସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା।
JDG 17:7 ସେସମୟରେ ଯିହୁଦା ବଂଶୀୟ ବେଥଲିହିମ-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା।
JDG 17:8 ପୁଣି ସେ ଯେଉଁଠାରେ ସ୍ଥାନ ପାଇ ପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍‍, ବେଥଲିହିମ-ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା।
JDG 17:9 ତହିଁରେ ମୀଖା ତାହାକୁ ପଚାରିଲା, “ତୁମ୍ଭେ କେଉଁଠାରୁ ଆସିଲ?” ସେ ଉତ୍ତର କଲା, “ମୁଁ ବେଥଲିହିମ-ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି।”
JDG 17:10 ତହିଁରେ ମୀଖା ତାହାକୁ କହିଲା, “ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ଡ ରୂପା ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି।” ତହିଁରେ ସେ ଲେବୀୟ ଲୋକ ଗଲା।
JDG 17:11 ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା।
JDG 17:12 ଏଥିଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା।
JDG 17:13 ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି।
JDG 18:1 ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ସେତେବେଳେ ଦାନ୍ ବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ; କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପାଇ ନ ଥିଲା।
JDG 18:2 ଏଣୁ ଦାନ୍-ସନ୍ତାନଗଣ ଆପଣାମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରାୟ ଓ ଇଷ୍ଟାୟୋଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, “ଯାଇ ଦେଶ ଅନୁସନ୍ଧାନ କର;” ତହିଁରେ ସେମାନେ ଇଫ୍ରୟିମ-ପର୍ବତମୟ ଦେଶସ୍ଥିତ ମୀଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରି କ୍ଷେପଣ କଲେ।
JDG 18:3 ସେମାନେ ମୀଖାର ଗୃହ ନିକଟରେ ଥିବା ବେଳେ ସେହି ଲେବୀୟ ଯୁବା ଲୋକର ରବ ଚିହ୍ନିଲେ; ତହୁଁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, “ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କଅଣ କରୁଅଛ? ଓ ତୁମ୍ଭର ଏଠାରେ କଅଣ ଅଛି?”
JDG 18:4 ତହିଁରେ ସେ ସେମାନଙ୍କୁ କହିଲା, ମୀଖା ମୋହର ପ୍ରତି ଏହି ଏହି ପ୍ରକାର ବ୍ୟବହାର କଲା, “ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି।”
JDG 18:5 ତହୁଁ ସେମାନେ ତାହାକୁ କହିଲେ, “ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ, ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ।”
JDG 18:6 ତହୁଁ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ; “ତୁମ୍ଭମାନଙ୍କ ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।”
JDG 18:7 ଏଉତ୍ତାରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶ୍‍ରେ ଉପସ୍ଥିତ ହେଲେ, ପୁଣି ସେଠାସ୍ଥିତ ଲୋକମାନେ କିରୂପେ ନିର୍ଭୟରେ ବାସ କରି ସୀଦୋନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି, ଏହା ଦେଖିଲେ; କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱବିଶିଷ୍ଟ କେହି ନ ଥିଲେ, ଆଉ ସେମାନେ ସୀଦୋନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା।
JDG 18:8 ଏଥିଉତ୍ତାରେ ସେହି ପାଞ୍ଚ ଜଣ ସରାୟ ଓ ଇଷ୍ଟାୟୋଲରେ ଆପଣା ଭ୍ରାତୃଗଣ ନିକଟରେ ଉପସ୍ଥିତ ହେଲେ; ତହିଁରେ ସେମାନଙ୍କର ଭ୍ରାତୃଗଣ ସେମାନଙ୍କୁ ପଚାରିଲେ, “କି ବିଚାର?”
JDG 18:9 ତହିଁରେ ସେମାନେ କହିଲେ, “ଉଠ, ସେମାନଙ୍କ ବିରୁଦ୍ଧରେ ଯିବା; କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ, ଦେଖ, ସେ ଦେଶ ଅତି ଉତ୍ତମ; ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ? ସେହି ଦେଶକୁ ଯିବାକୁ ଓ ପ୍ରବେଶ କରି ତାହା ଅଧିକାର କରିବାକୁ ଆଳସ୍ୟ କର ନାହିଁ।
JDG 18:10 ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ; ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।”
JDG 18:11 ତହିଁରେ ସେଠାରୁ ଦାନୀୟ ଗୋଷ୍ଠୀର ଛଅ ଶହ ଲୋକ ଯୁଦ୍ଧାସ୍ତ୍ରରେ ସସଜ୍ଜ ହୋଇ ସରାୟ ଓ ଇଷ୍ଟାୟୋଲରୁ ଯାତ୍ରା କଲେ।
JDG 18:12 ପୁଣି ସେମାନେ ଉଠିଯାଇ ଯିହୁଦା-ଅନ୍ତର୍ଗତ କିରୀୟଥ୍‍-ଯିୟାରୀମ୍‍ରେ ଛାଉଣି ସ୍ଥାପନ କଲେ; ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନୀ-ଦାନ (ଦାନ୍‍ର ଛାଉଣି) କହନ୍ତି; ଦେଖ, ତାହା କିରୀୟଥ୍‍-ଯିୟାରୀମ୍‍ର ପଛରେ ଅଛି।
JDG 18:13 ଏଥିଉତ୍ତାରେ ସେମାନେ ସେଠାରୁ ଇଫ୍ରୟିମ-ପର୍ବତମୟ ଦେଶ ଆଡ଼େ ଯାଇ ମୀଖାର ଗୃହ ପର୍ଯ୍ୟନ୍ତ ଗଲେ।
JDG 18:14 ସେତେବେଳେ ଯେଉଁ ପାଞ୍ଚ ଜଣ ଲୟିଶ୍‍ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ଆପଣା ଭ୍ରାତୃଗଣକୁ କହିଲେ, “ଏହି ଗୃହରେ ଯେ ଏକ ଏଫୋଦ ଓ ଠାକୁରମାନ, ଆଉ ଏକ ଖୋଦିତ ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କʼଣ ତୁମ୍ଭେମାନେ ଜାଣ? ଏଣୁ ତୁମ୍ଭମାନଙ୍କର କି କର୍ତ୍ତବ୍ୟ, ତାହା ବିବେଚନା କର।”
JDG 18:15 ତହୁଁ ସେମାନେ ସେଆଡ଼େ ଯାଇ ମୀଖାର ଗୃହରେ ସେହି ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳ ବାର୍ତ୍ତା ପଚାରିଲେ।
JDG 18:16 ପୁଣି ଯୁଦ୍ଧାସ୍ତ୍ରରେ ସସଜ୍ଜ ଦାନ୍-ସନ୍ତାନଗଣର ସେହି ଛଅ ଶହ ପୁରୁଷ ଦ୍ୱାର-ପ୍ରବେଶ ସ୍ଥାନରେ ଛିଡ଼ା ହୋଇ ରହିଲେ।
JDG 18:17 ଏଥିରେ ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ, ପୁଣି ତହିଁ ଭିତରକୁ ଯାଇ ଖୋଦିତ ପ୍ରତିମା ଓ ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ; ସେସମୟରେ ଯାଜକ ଦ୍ୱାର-ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି ଛଅ ଶହ ଲୋକ ସଙ୍ଗରେ ଛିଡ଼ା ହୋଇଥିଲା।
JDG 18:18 ଆଉ ସେହି ଲୋକମାନେ ମୀଖା ଗୃହକୁ ଯାଇ ଖୋଦିତ ପ୍ରତିମା, ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ, ଯାଜକ ସେମାନଙ୍କୁ କହିଲା, “ତୁମ୍ଭେମାନେ କଅଣ କରୁଅଛ?”
JDG 18:19 ତହିଁରେ ସେମାନେ ତାହାକୁ କହିଲେ, “ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ; ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ, କି ଇସ୍ରାଏଲୀୟ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ?”
JDG 18:20 ଏଥିରେ ଯାଜକର ମନ ଆନନ୍ଦିତ ହେଲା, ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଦିତ ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା।
JDG 18:21 ଏଥିଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ, ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଆପଣାମାନଙ୍କ ଆଗେ ଚଳାଇଲେ।
JDG 18:22 ସେମାନେ ମୀଖାର ଗୃହରୁ କିଛି ଦୂର ଗଲା ଉତ୍ତାରେ ମୀଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ୍-ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ।
JDG 18:23 ପୁଣି ଦାନ୍-ସନ୍ତାନଗଣକୁ ଡାକ ପକାଇଲେ। ତହୁଁ ସେମାନେ ମୁଖ ଫେରାଇ ମୀଖାକୁ କହିଲେ, ତୁମ୍ଭର କଅଣ ହେଲା ଯେ, “ତୁମ୍ଭେ ଏପରି ଦଳବଦ୍ଧ ହୋଇ ଆସୁଅଛ?”
JDG 18:24 ତହିଁରେ ସେ କହିଲା, “ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକକୁ ତୁମ୍ଭେମାନେ ତ ନେଇ ଚାଲି ଆସିଲ, ବାକି ମୋହର ଆଉ କଅଣ ଅଛି? ଆହୁରି କହୁଅଛ, ‘ତୁମ୍ଭର କଅଣ ହେଲା?’”
JDG 18:25 ତହିଁରେ ଦାନ୍-ସନ୍ତାନଗଣ ତାହାକୁ କହିଲେ, “ଆମ୍ଭମାନଙ୍କ ମଧ୍ୟରେ ତୁମ୍ଭ ରବ ଶୁଣା ନ ଯାଉ, କେଜାଣି କ୍ରୋଧୀ ଲୋକେ ତୁମ୍ଭକୁ ଆକ୍ରମଣ କରିବେ, ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ।”
JDG 18:26 ଏଉତ୍ତାରେ ଦାନ୍-ସନ୍ତାନଗଣ ଆପଣା ପଥରେ ଗମନ କଲେ; ପୁଣି ମୀଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି, ଆପଣା ଗୃହକୁ ଫେରିଗଲା।
JDG 18:27 ତହୁଁ ସେମାନେ ମୀଖାର ନିର୍ମିତ ବସ୍ତୁସବୁ ଓ ତାହାର ଯାଜକକୁ ନେଇ ଲୟିଶ୍‍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଖଡ୍ଗଧାରରେ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।
JDG 18:28 ପୁଣି ଉଦ୍ଧାରକର୍ତ୍ତା କେହି ନ ଥିଲା, କାରଣ ତାହା ସୀଦୋନଠାରୁ ଦୂର ଥିଲା, ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କର ସମ୍ପର୍କ ନ ଥିଲା; ଆଉ ତାହା ବେଥ୍-ରହୋବ ନିକଟସ୍ଥ ତଳଭୂମିରେ ଥିଲା। ଏଉତ୍ତାରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ।
JDG 18:29 ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ୍, ତାହାର ନାମାନୁସାରେ ସେହି ନଗରର ନାମ ଦାନ୍ ରଖିଲେ; ମାତ୍ର ଆଦ୍ୟରେ ସେହି ନଗରର ନାମ ଲୟିଶ୍‍ ଥିଲା।
JDG 18:30 ପୁଣି ଦାନ୍-ସନ୍ତାନଗଣ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ; ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବା ଯାଏ ମୋଶାର ପୌତ୍ର, ଗେର୍ଶୋମର ପୁତ୍ର ଯୋନାଥନ ଓ ତାହାର ସନ୍ତାନଗଣ ଦାନ୍ ବଂଶର ଯାଜକ ହେଲେ।
JDG 18:31 ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।
JDG 19:1 ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ-ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା।
JDG 19:2 ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ କ୍ରୋଧ କରି ତାହା ନିକଟରୁ ବାହାରିଯାଇ ବେଥଲିହିମ ଯିହୁଦାରେ ଆପଣା ପିତୃଗୃହରେ ଚାରି ମାସ କାଳ ରହିଲା।
JDG 19:3 ଏଥିଉତ୍ତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ ଦୁଇ ଗର୍ଦ୍ଦଭ ନେଇ ତାହା ନିକଟକୁ ଗଲା; ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା; ତହିଁରେ ସେହି ଯୁବତୀର ପିତା ସେହି ବ୍ୟକ୍ତିକୁ ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା।
JDG 19:4 ଏହେତୁରୁ ଲେବୀୟ ଲୋକର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା, ତହୁଁ ସେ ତାହା ସଙ୍ଗେ ତିନି ଦିନ ରହିଲା, ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରି କ୍ଷେପଣ କଲେ।
JDG 19:5 ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ, ସେହି ଯୁବତୀର ପିତା ଆପଣା ଜୁଆଁଇକି କହିଲା, “ମୁଠିଏ ଆହାର କରି ପ୍ରାଣ ତୃପ୍ତ କର; ତହିଁ ଉତ୍ତାରେ ଆପଣା ବାଟରେ ଯିବ।”
JDG 19:6 ତହୁଁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ; ଏଥିରେ ସେହି ଯୁବତୀର ପିତା ସେହି ଲେବୀୟ ଲୋକକୁ କହିଲା, “ଅନୁଗ୍ରହ କରି ଏହି ରାତ୍ରିଟି ରହି ଯାଅ, ଆପଣା ମନକୁ ଖୁସି କର।”
JDG 19:7 ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା; ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ, ସେ ପୁନର୍ବାର ରାତ୍ରି କ୍ଷେପଣ କଲା।
JDG 19:8 ପୁଣି ସେ ପଞ୍ଚମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା; ତହିଁରେ ଯୁବତୀର ପିତା କହିଲା, “ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମ୍ଭେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ;” ଏଥିରେ ସେ ଦୁହେଁ ଭୋଜନ କଲେ।
JDG 19:9 ଏଥିଉତ୍ତାରେ ସେ ଲେବୀୟ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ, ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, “ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହି ଯାଅନ୍ତ ଦେଖ, ଦିନ ଗଡ଼ି ଯାଉଛି, ଏଠାରେ ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର; କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଘରକୁ ଯିବ।”
JDG 19:10 ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଯିବୂଷ, ଅର୍ଥାତ୍‍, ଯିରୂଶାଲମ ନିକଟରେ ଉପସ୍ଥିତ ହେଲା; ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାହାର ଉପପତ୍ନୀ ଥିଲେ।
JDG 19:11 ସେମାନେ ଯିବୂଷର ନିକଟବର୍ତ୍ତୀ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା; ଏଥିରେ ଦାସ ତାହାର ମୁନିବକୁ କହିଲା, “ବିନୟ କରୁଅଛି, ଆସ, ଆମ୍ଭେମାନେ ଯିବୂଷୀୟମାନଙ୍କ ଏହି ନଗରକୁ ଯାଇ ସେଠାରେ ରାତ୍ରି କ୍ଷେପଣ କରୁ।”
JDG 19:12 ମାତ୍ର ତାହାର ମୁନିବ ତାହାକୁ କହିଲା, “ଆମ୍ଭେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ, ତାହା ଇସ୍ରାଏଲ-ସନ୍ତାନଗଣର ନୁହେଁ; ମାତ୍ର ଆମ୍ଭେମାନେ ଗିବୀୟା ଯାଏ ଯିବୁ।”
JDG 19:13 ପୁଣି ସେ ଆପଣା ଦାସକୁ କହିଲା, “ଆସ, ଆମ୍ଭେମାନେ ଏହି ଦୁଇ ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ; ପୁଣି ଗିବୀୟା କି ରାମାରେ ରାତ୍ରି କାଟିବା।”
JDG 19:14 ତେଣୁ ସେମାନେ ଆପଣା ପଥରେ ଚାଲିଗଲେ; ପୁଣି ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାର ନିକଟବର୍ତ୍ତୀ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା।
JDG 19:15 ତହୁଁ ସେମାନେ ଗିବୀୟାରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ; ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ; କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବାକୁ କେହି ନ ଥିଲା।
JDG 19:16 ସେତେବେଳେ ଦେଖ, ଜଣେ ବୃଦ୍ଧ ସନ୍ଧ୍ୟାକାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା; ସେ ଇଫ୍ରୟିମ-ପର୍ବତମୟ ଦେଶର ଲୋକ ଓ ଗିବୀୟାରେ ପ୍ରବାସ କରୁଥିଲା; ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନ୍ ବଂଶୀୟ ଥିଲେ।
JDG 19:17 ପୁଣି ସେ ଲୋକ ଅନାଇ ନଗରର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେହି ବୃଦ୍ଧ ଲୋକ ପଚାରିଲା, “ତୁମ୍ଭେ କେଉଁଠାକୁ ଯାଉଅଛ? ପୁଣି କେଉଁଠାରୁ ଆସିଅଛ?”
JDG 19:18 ତହିଁରେ ସେ ତାହାକୁ କହିଲା, “ଆମ୍ଭେମାନେ ବେଥଲିହିମ-ଯିହୁଦାରୁ ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶକୁ ଯାଉଅଛୁ; ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲିହିମ ଯିହୁଦାକୁ ଯାଇଥିଲୁ; ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି; ମାତ୍ର କେହି ମୋତେ ଆପଣା ଘରକୁ ନେବାକୁ ନାହିଁ।
JDG 19:19 ତଥାପି ଆମ୍ଭ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା, ଉଭୟ ଅଛି; ମଧ୍ୟ ମୋʼ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ ଓ ତୁମ୍ଭ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୁଟି ଓ ଦ୍ରାକ୍ଷାରସ ଅଛି; କୌଣସି ବିଷୟରେ କିଛି ଅଭାବ ନାହିଁ।”
JDG 19:20 ତହୁଁ ସେହି ବୃଦ୍ଧ ଲୋକ କହିଲା, “ତୁମ୍ଭର ମଙ୍ଗଳ ହେଉ; ଯେ କୌଣସିମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋହର ଉପରେ; କୌଣସିମତେ ଦାଣ୍ଡରେ ରୁହ ନାହିଁ।”
JDG 19:21 ତହିଁରେ ସେ ସେମାନଙ୍କୁ ଆପଣା ଘରକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା, ପୁଣି ସେମାନେ ପାଦ ଧୋଇ ଭୋଜନପାନ କଲେ।
JDG 19:22 ସେମାନେ ଆପଣା ଆପଣା ମନକୁ ଖୁସି କଲା ବେଳେ, ଦେଖ, ନଗରର ଲୋକ କେତେକ ଦୁଷ୍ଟ ଲୋକମାନେ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ; ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧ ଲୋକକୁ କହିଲେ, “ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହା ସହିତ ଶାରୀରିକ ସମ୍ବନ୍ଧ କରିବା।”
JDG 19:23 ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, “ନାହିଁ ନାହିଁ, ଆମ୍ଭର ଭ୍ରାତୃଗଣ, ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ; ଏ ପୁରୁଷ ଆମ୍ଭ ଘରକୁ ଆସିଅଛି, ଏଥିପାଇଁ ଏହି ମୂଢ଼ତାର କର୍ମ ନ କର।
JDG 19:24 ଦେଖ, ମୋହର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି; ମୁଁ ସେମାନଙ୍କୁ ଆଣି ଦେଉଅଛି ପଛେ, ତୁମ୍ଭେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଭଲ, ତାହା ସେମାନଙ୍କ ସଙ୍ଗେ କର; ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର।”
JDG 19:25 ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ; ତେଣୁ ସେହି ଲେବୀୟ ପୁରୁଷ ଆପଣା ଉପପତ୍ନୀ କି ଧରି ବାହାରକୁ ସେମାନଙ୍କ ନିକଟକୁ ଆଣିଲା; ତହିଁରେ ସେମାନେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ କଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିସାରା ତାହା ପ୍ରତି ଅତ୍ୟାଚାର କଲେ; ପୁଣି ପ୍ରଭାତ ହେବା ବେଳକୁ ତାହାକୁ ଛାଡ଼ିଦେଲେ।
JDG 19:26 ତହୁଁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାହାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା।
JDG 19:27 ଏଥିଉତ୍ତାରେ ପ୍ରଭାତ ହୁଅନ୍ତେ, ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା; ମାତ୍ର ଦେଖ, ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି।
JDG 19:28 ତହୁଁ ସେ ତାହାକୁ କହିଲା, “ଉଠ, ଚାଲ ଆମ୍ଭେମାନେ ଯିବା;” ମାତ୍ର ସେ ଉତ୍ତର ଦେଲା ନାହିଁ; ତେବେ ସେ ତାହାକୁ ଗଧ ଉପରକୁ ନେଲା; ଆଉ ସେହି ଲେବୀୟ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା।
JDG 19:29 ଏଥିଉତ୍ତାରେ ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ ବାର ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା।
JDG 19:30 ତହିଁରେ ଯେତେ ଲୋକ ତାହା ଦେଖିଲେ, ସମସ୍ତେ କହିଲେ, “ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ; ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ।”
JDG 20:1 ଏଥିଉତ୍ତାରେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଓ ଗିଲୀୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପାରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ।
JDG 20:2 ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲର ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନବର୍ଗ ଓ ଚାରି ଲକ୍ଷ ଖଡ୍ଗଧାରୀ ପଦାତିକ ଉପସ୍ଥିତ ହେଲେ।
JDG 20:3 (ତହୁଁ ଇସ୍ରାଏଲ-ସନ୍ତାନଗଣ ଯେ ମିସ୍ପାକୁ ଯାଇଅଛନ୍ତି, ଏହା ବିନ୍ୟାମୀନୀୟ ସନ୍ତାନଗଣ ଶୁଣିଲେ)। ଇସ୍ରାଏଲ-ସନ୍ତାନଗଣ ପଚାରିଲେ, “ଏହି ଦୁଷ୍ଟତା କିପ୍ରକାରେ ହେଲା? ତାହା ଆମ୍ଭମାନଙ୍କୁ କୁହ।”
JDG 20:4 ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, “ମୁଁ ଓ ମୋର ଉପପତ୍ନୀ ରାତ୍ରି କ୍ଷେପଣ ନିମନ୍ତେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।
JDG 20:5 ପୁଣି ଗିବୀୟାର ଲୋକମାନେ ମୋʼ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ; ମୋତେ ସେମାନେ ବଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକୁ ବଳାତ୍କାର କଲେ, ତହିଁରେ ସେ ମଲା।
JDG 20:6 ତହୁଁ ମୁଁ ନିଜ ଉପପତ୍ନୀକୁ ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲର ଅଧିକାରସ୍ଥ ପ୍ରଦେଶର ସର୍ବତ୍ର ପଠାଇଲି; କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି।
JDG 20:7 ଦେଖ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ।”
JDG 20:8 ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, “ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିଅବା ଆମ୍ଭେମାନେ କେହି ଆପଣା ଘରକୁ ଫେରିବୁ ନାହିଁ।
JDG 20:9 ମାତ୍ର ଗିବୀୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ; ଗୁଲିବାଣ୍ଟ କ୍ରମେ ତାହା ବିରୁଦ୍ଧରେ ଯିବୁ;
JDG 20:10 ପୁଣି ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଶହକେ ଦଶ ଜଣ, ହଜାରକେ ଏକ ଶହ ଜଣ, ଦଶ ହଜାରରେ ଏକ ହଜାର ଜଣ ଲେଖାଏଁ ନେବୁ, ତହିଁରେ ଲୋକମାନେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଲେ, ସେମାନେ ଇସ୍ରାଏଲ ମଧ୍ୟରେ ଯେସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ।”
JDG 20:11 ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।
JDG 20:12 ଏଥିଉତ୍ତାରେ ଇସ୍ରାଏଲ ବଂଶ ବିନ୍ୟାମୀନ୍‍ର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି?
JDG 20:13 ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା।” ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।
JDG 20:14 ପୁଣି ଇସ୍ରାଏଲ-ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମୀନ୍-ସନ୍ତାନଗଣ ନଗରମାନରୁ ବାହାରି ଗିବୀୟାକୁ ଯାଇ ଏକତ୍ରିତ ହେଲେ।
JDG 20:15 ସେହି ଦିନ ନଗରମାନରୁ ଆସିଥିବା ବିନ୍ୟାମୀନ୍-ସନ୍ତାନଗଣର ଛବିଶ ହଜାର ଖଡ୍ଗଧାରୀ ଲୋକ ଗଣିତ ହେଲେ, ଏହାଛଡ଼ା ଗିବୀୟା ନିବାସୀ ଲୋକମାନଙ୍କର ସାତ ଶହ ବଛା ଲୋକ ଗଣିତ ହେଲେ।
JDG 20:16 ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନ ହୋଇ ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
JDG 20:17 ବିନ୍ୟାମୀନ୍ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ ଚାରି ଲକ୍ଷ ଲୋକ ଗଣିତ ହେଲେ; ଏସମସ୍ତେ ଯୋଦ୍ଧା।
JDG 20:18 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; “ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ?” ସଦାପ୍ରଭୁ କହିଲେ, “ଯିହୁଦା ପ୍ରଥମେ ଯିବ।”
JDG 20:19 ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରଭାତରେ ଉଠି ଗିବୀୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ।
JDG 20:20 ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବୀୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ।
JDG 20:21 ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ଗିବୀୟାରୁ ବାହାରି ସେହି ଦିନ ଇସ୍ରାଏଲ ମଧ୍ୟରୁ ବାଇଶ ହଜାର ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ।
JDG 20:22 ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ, ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ।
JDG 20:23 ପୁଣି ଇସ୍ରାଏଲ-ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା?” ତହିଁରେ ସଦାପ୍ରଭୁ କହିଲେ, “ତାହା ବିରୁଦ୍ଧରେ ଯାଅ।”
JDG 20:24 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ।
JDG 20:25 ପୁଣି ବିନ୍ୟାମୀନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ବିରୁଦ୍ଧରେ ଗିବୀୟାରୁ ବାହାରି ଇସ୍ରାଏଲ-ସନ୍ତାନଗଣର ଅଠର ହଜାର ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
JDG 20:26 ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍‍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
JDG 20:27 ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
JDG 20:28 ଏହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା?” ସଦାପ୍ରଭୁ କହିଲେ, ଯାଅ; “ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।”
JDG 20:29 ତହୁଁ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା।
JDG 20:30 ଏଥିଉତ୍ତାରେ ତୃତୀୟ ଦିନ ଇସ୍ରାଏଲ-ସନ୍ତାନଗଣ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବ ପରି ଗିବୀୟା ନିକଟରେ ଆପଣାମାନଙ୍କୁ ସଜାଇଲେ।
JDG 20:31 ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍‍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ।
JDG 20:32 ତହୁଁ ବିନ୍ୟାମୀନ୍-ସନ୍ତାନମାନେ କହିଲେ, “ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।” ମାତ୍ର ଇସ୍ରାଏଲ-ସନ୍ତାନଗଣ କହିଲେ, “ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ।”
JDG 20:33 ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲ୍‍ତାମରରେ ଆପଣାମାନଙ୍କୁ ସଜାଇଲେ; ଏଥିମଧ୍ୟରେ ଇସ୍ରାଏଲର ଛକି ବସିବା ଲୋକମାନେ ଗିବୀୟାସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ।
JDG 20:34 ତହୁଁ ଇସ୍ରାଏଲୀୟ ସମସ୍ତ ଲୋକଙ୍କ ମଧ୍ୟରୁ ଦଶ ହଜାର ବଛା ଲୋକ ଗିବୀୟା ନିକଟକୁ ଆସନ୍ତେ, ଭାରୀ ଯୁଦ୍ଧ ହେଲା; ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି, ଏହା ସେମାନେ ଜାଣିଲେ ନାହିଁ।
JDG 20:35 ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମୀନ୍‍କୁ ଆଘାତ କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି ଦିନ ବିନ୍ୟାମୀନ୍‍ର ପଚିଶ ହଜାର ଏକ ଶହ ଲୋକ ବଧ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
JDG 20:36 ଏହିରୂପେ ବିନ୍ୟାମୀନ୍-ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ; କାରଣ ଇସ୍ରାଏଲୀୟ ଲୋକମାନେ ଗିବୀୟାରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମୀନ୍‍କୁ ସ୍ଥାନ ଛାଡ଼ିଦେଲେ।
JDG 20:37 ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।
JDG 20:38 ଆଉ ସେହି ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ ଧୂମ-ମେଘ ଉଠାଇବେ; ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା।
JDG 20:39 ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧ ବେଳେ ମୁଖ ଫେରାଇଲେ, ତହୁଁ ବିନ୍ୟାମୀନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଊଣାଧିକ ତିରିଶ ଜଣଙ୍କୁ ବଧ କଲେ; କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି, ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।
JDG 20:40 ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭାକାରରେ ଧୂମ-ମେଘ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମୀନୀୟ ଲୋକମାନେ ପଛକୁ ଅନାଇଲେ, ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି।
JDG 20:41 ତହୁଁ ଇସ୍ରାଏଲୀୟ ଲୋକମାନେ ନେଉଟିଲେ, ପୁଣି ବିନ୍ୟାମୀନୀୟ ଲୋକମାନେ ଅବାକ୍ ହେଲେ; କାରଣ ସେମାନେ ଆପଣାମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ।
JDG 20:42 ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର-ପଥ ଆଡ଼େ ଫେରିଲେ; ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା; ପୁଣି ନଗରମାନରୁ ଆସିଥିବା ଲୋକମାନେ ସେମାନଙ୍କୁ ପଥ ମଧ୍ୟରେ ସଂହାର କଲେ।
JDG 20:43 ସେମାନେ ବିନ୍ୟାମୀନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବୀୟା ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ।
JDG 20:44 ତହିଁରେ ବିନ୍ୟାମୀନ୍‍ର ଅଠର ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
JDG 20:45 ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍‍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ।
JDG 20:46 ଏହିରୂପେ ସେହି ଦିନ ବିନ୍ୟାମୀନ୍‍ର ଖଡ୍ଗଧାରୀ ପଚିଶ ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
JDG 20:47 ମାତ୍ର ଛଅ ଶହ ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମ୍ମୋନ୍‍ ଶୈଳକୁ ପଳାଇଲେ ଓ ରିମ୍ମୋନ୍‍ ଶୈଳରେ ଚାରି ମାସ ରହିଲେ।
JDG 20:48 ଏଥିଉତ୍ତାରେ ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍-ସନ୍ତାନଗଣର ବିରୁଦ୍ଧରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ।
JDG 21:1 ଇସ୍ରାଏଲୀୟ ଲୋକମାନେ ମିସ୍ପାରେ ଶପଥ କରି କହିଥିଲେ, “ଆମ୍ଭମାନଙ୍କର କେହି ବିନ୍ୟାମୀନ୍ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ।”
JDG 21:2 ତେଣୁ ଲୋକମାନେ ବେଥେଲ୍‍କୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ।
JDG 21:3 ଆଉ ସେମାନେ କହିଲେ, “ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୋ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା?”
JDG 21:4 ତହୁଁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
JDG 21:5 ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, “ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି?” କାରଣ ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, “ସେ ଅବଶ୍ୟ ହତ ହେବ,” ଏହା କହି ସେମାନେ ମହା ଶପଥ କରିଥିଲେ।
JDG 21:6 ପୁଣି ଇସ୍ରାଏଲ ସନ୍ତାନମାନେ ଆପଣା ଭାଇ ବିନ୍ୟାମୀନ୍ ପାଇଁ ଅନୁତାପ କରି କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା।
JDG 21:7 ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ।”
JDG 21:8 ପୁଣି ସେମାନେ କହିଲେ, “ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ ବଂଶସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି?” ତହିଁରେ ଦେଖ, ଯାବେଶ-ଗିଲୀୟଦରୁ କେହି ଛାଉଣିସ୍ଥ ସମାଜକୁ ଆସି ନ ଥିଲେ।
JDG 21:9 କାରଣ ଲୋକମାନେ ଗଣିତ ହେବା ବେଳେ, ଦେଖ, ସେଠାରେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରୁ କେହି ନ ଥିଲେ।
JDG 21:10 ତହୁଁ ମଣ୍ଡଳୀ ସେ ସ୍ଥାନକୁ ବାର ହଜାର ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଯାଇ ସ୍ତ୍ରୀ ବାଳକ ସମେତ ଯାବେଶ-ଗିଲୀୟଦ ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କର।
JDG 21:11 ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀକୁ ବର୍ଜିତ ରୂପେ ବିନାଶ କରିବ।”
JDG 21:12 ତହୁଁ ସେମାନେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ-ସହବାସରହିତା ଚାରି ଶହ ଅବିବାହିତା କନ୍ୟା ପାଇଲେ; ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶୀଲୋ ଛାଉଣିକୁ ଆଣିଲେ।
JDG 21:13 ଏଥିଉତ୍ତାରେ ସମଗ୍ର ମଣ୍ଡଳୀ ରିମ୍ମୋନ୍‍ ଶୈଳସ୍ଥିତ ବିନ୍ୟାମୀନ୍-ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ।
JDG 21:14 ସେସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ; ତହୁଁ ଯାବେଶ-ଗିଲୀୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ।
JDG 21:15 ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମୀନୀୟମାନଙ୍କ ବିଷୟରେ ଅନୁତାପ କଲେ।
JDG 21:16 ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, “ବିନ୍ୟାମୀନ୍ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା?”
JDG 21:17 ଆହୁରି ସେମାନେ କହିଲେ, “ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମୀନ୍‍ର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ।
JDG 21:18 ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେକେହି ବିନ୍ୟାମୀନ୍‍କୁ କନ୍ୟା ଦେବ, ‘ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି।’”
JDG 21:19 ଆହୁରି ସେମାନେ କହିଲେ, “ଦେଖ, ବେଥେଲ୍‍ର ଉତ୍ତର ଦିଗରେ, ବେଥେଲ୍‍ରୁ ଶିଖିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲବୋନାର ଦକ୍ଷିଣ ଦିଗରେ ସ୍ଥିତ ଶୀଲୋରେ ପ୍ରତି ବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ।”
JDG 21:20 ଏହେତୁ ସେମାନେ ବିନ୍ୟାମୀନ୍-ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦ୍ରାକ୍ଷାକ୍ଷେତ୍ରରେ ଛକି ବସି ଅନାଅ;
JDG 21:21 ଆଉ ଦେଖ, ଶୀଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ, ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକେ ଆପଣା ଆପଣା ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମୀନ୍ ଦେଶକୁ ଚାଲିଯାଅ।
JDG 21:22 ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ‘ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ିଦିଅ; କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କର ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇ ନାହୁଁ; ଅବା ତୁମ୍ଭେମାନେ ହିଁ ସେମାନଙ୍କୁ ତୁମ୍ଭମାନଙ୍କ କନ୍ୟାଗଣ ବିବାହ ନିମନ୍ତେ ଦେଇ ନାହଁ; ନୋହିଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ।’”
JDG 21:23 ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ସେରୂପ କରି ଆପଣାମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରିଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ।
JDG 21:24 ତହୁଁ ଇସ୍ରାଏଲ-ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ।
JDG 21:25 ସେସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ଯାହା ଦୃଷ୍ଟିରେ ଯାହା ଭଲ, ସେ ତାହା କଲା।
RUT 1:1 ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲିହିମ-ଯିହୁଦାର ଜଣେ ଲୋକ ନିଜ ସ୍ତ୍ରୀ ଓ ଦୁଇ ପୁତ୍ରଙ୍କୁ ନେଇ ମୋୟାବ ଦେଶରେ ବାସ କରିବାକୁ ଗଲେ।
RUT 1:2 ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ।
RUT 1:3 ଏଉତ୍ତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ।
RUT 1:4 ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ, ଜଣକର ସ୍ତ୍ରୀର ନାମ ଅର୍ପା, ଅନ୍ୟ ଜଣର ନାମ ରୂତ; ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ।
RUT 1:5 ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ରବଧୂ ଓ ସ୍ୱାମୀବିହୀନା ହୋଇ ରହିଲା।
RUT 1:6 ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋୟାବ ଦେଶରେ ଥାଇ ଶୁଣିଲା।
RUT 1:7 ଏଣୁ ନିଜର ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ।
RUT 1:8 ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।
RUT 1:9 ତୁମ୍ଭେ ଦୁଇ ଜଣ ନିଜ ନିଜର ସ୍ୱାମୀ ଗୃହରେ ଯେପରି ବିଶ୍ରାମ ପାଅ,” ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ, ପୁଣି ସେ ସେମାନଙ୍କୁ ଚୁମ୍ବନ କଲା; ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ।
RUT 1:10 ପୁଣି ସେମାନେ ତାହାକୁ କହିଲେ, “ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।”
RUT 1:11 ନୟମୀ ଉତ୍ତର ଦେଲେ, “ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି?
RUT 1:12 ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ,
RUT 1:13 ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।”
RUT 1:14 ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା।
RUT 1:15 ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।”
RUT 1:16 ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍‍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ।
RUT 1:17 ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”
RUT 1:18 ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼ମନସ୍କ ଅଟେ, ଏହା ଦେଖି ସେ ତାହାକୁ ତର୍କ ନ କରି ଶାନ୍ତ ହେଲା।
RUT 1:19 ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?”
RUT 1:20 ତେଣୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି।
RUT 1:21 ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?”
RUT 1:22 ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆସିଥିବା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।
RUT 2:1 ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲା।
RUT 2:2 ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି,” ତହିଁରେ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।”
RUT 2:3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।
RUT 2:4 ଆଉ ଦେଖ, ବୋୟଜ ବେଥଲିହିମଠାରୁ ଆସି ଶସ୍ୟକଟାଳିମାନଙ୍କୁ କହିଲା, “ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ,” ସେମାନେ ଉତ୍ତର କଲେ, “ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।”
RUT 2:5 ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”
RUT 2:6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।
RUT 2:7 ଆଉ ସେ ମୋତେ କହିଲା, ‘ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ;’ ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”
RUT 2:8 ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ।
RUT 2:9 ଶସ୍ୟକଟାଳିମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଛେ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର।”
RUT 2:10 ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, “ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?”
RUT 2:11 ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି।
RUT 2:12 ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।”
RUT 2:13 ଏଥିରେ ସେ କହିଲା, “ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି କରୁଣାର କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ।”
RUT 2:14 ଭୋଜନ ସମୟରେ ବୋୟଜ ତାହାକୁ କହିଲା, “ତୁମ୍ଭେ ଏଠାକୁ ଆସି ରୁଟି ଭୋଜନ କର ଓ ନିଜ ରୁଟିଖଣ୍ଡ ଅମ୍ଳରସରେ ବୁଡ଼ାଅ,” ତହିଁରେ ସେ ଶସ୍ୟକଟାଳିମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ବଳକା ରଖିଲା।
RUT 2:15 ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।
RUT 2:16 ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଣ୍ଟୁ, ଆଉ ତାହାକୁ ଧମକାଅ ନାହିଁ।”
RUT 2:17 ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ବଳକା ଶସ୍ୟ ସଂଗ୍ରହ କଲା; ପୁଣି ନିଜ ସାଉଣ୍ଟିଲା ଶସ୍ୟ ମଳନ୍ତେ, ପ୍ରାୟ ଏକ ଐଫା ଯବ ହେଲା।
RUT 2:18 ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ବଳକା ରଖିଥିଲା ତାହା ମଧ୍ୟ ବାହାର କରି ତାହାକୁ ଦେଲା।
RUT 2:19 ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”
RUT 2:20 ଏଥିରେ ନୟମୀ ନିଜ ପୁତ୍ରବଧୂକୁ କହିଲା, “ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରି ନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ନୟମୀ ଆହୁରି କହିଲା, “ସେ ଜଣ ଆମ୍ଭମାନଙ୍କର ନିକଟ-କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ।”
RUT 2:21 ମୋୟାବ ଦେଶୀୟା ରୂତ କହିଲା, “ସେ ମୋତେ ଆହୁରି କହିଲେ, ‘ମୋହର ସବୁ ଶସ୍ୟ କାଟିବା ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ମୋʼ ଯୁବାମାନଙ୍କ ସଙ୍ଗରେ ଥାଅ।’”
RUT 2:22 ତହିଁରେ ନୟମୀ ନିଜ ପୁତ୍ରବଧୂ ରୂତକୁ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ; ତାହାହେଲେ, ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମ୍ଭର ଅପମାନ କରିବ ନାହିଁ।”
RUT 2:23 ଏଣୁ ଯବ ଓ ଗହମ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ସେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା, ପୁଣି ନିଜ ଶାଶୁ ସହିତ ବାସ କଲା।
RUT 3:1 ଏଥିଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, “ଆହେ ମୋହର କନ୍ୟା, ଯେଉଁଥିରେ ତୁମ୍ଭର ମଙ୍ଗଳ ହେବ, ଏପରି ଆଶ୍ରୟ ସ୍ଥାନ ମୁଁ କି ତୁମ୍ଭ ପାଇଁ ଚେଷ୍ଟା କରିବି ନାହିଁ?
RUT 3:2 ତୁମ୍ଭେ ଯେଉଁ ବୋୟଜର ଦାସୀଗଣ ସଙ୍ଗରେ ଥିଲ, ସେ କି ଆମ୍ଭମାନଙ୍କ ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ନିଜ ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି।
RUT 3:3 ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ନିଜ (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ନିଜର ପରିଚୟ ଦିଅ ନାହିଁ।
RUT 3:4 ସେ ଯେତେବେଳେ ଶୟନ କରିବ, ସେତେବେଳେ ତୁମ୍ଭେ ତାହାର ଶୟନ ସ୍ଥାନ ଦେଖି ନିର୍ଣ୍ଣୟ କର; ତହୁଁ ସେଠାକୁ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର, ତହିଁରେ ତୁମ୍ଭକୁ କʼଣ କରିବାକୁ ହେବ, ତାହା ସେ ଜଣାଇବ।”
RUT 3:5 ସେ ଉତ୍ତର କଲା, “ତୁମ୍ଭେ ଯାହା କହୁଅଛ, ସେସମସ୍ତ ମୁଁ କରିବି।”
RUT 3:6 ଏଣୁ ସେ ସେହି ଖଳାକୁ ଯାଇ ନିଜ ଶାଶୁର ଆଦେଶାନୁସାରେ ସମସ୍ତ କର୍ମ କଲା।
RUT 3:7 ପୁଣି ଭୋଜନପାନ ସାରି ବୋୟଜର ମନ ଆନନ୍ଦିତ ହୁଅନ୍ତେ, ସେ ଶସ୍ୟରାଶିର ଏକ ପ୍ରାନ୍ତଭାଗରେ ଶୟନ କରିବାକୁ ଗଲା, ତହିଁରେ ରୂତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କଲା।
RUT 3:8 ତହୁଁ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମତ୍କୃତ ହୋଇ ଉଠି ଅନାଇଲା, ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି। ତହିଁରେ ସେ ପଚାରିଲା, “ତୁମ୍ଭେ କିଏ?”
RUT 3:9 ସେ ଉତ୍ତର କଲା, “ମୁଁ ଆପଣଙ୍କର ଦାସୀ ରୂତ; ଏଣୁ ନିଜ ଚାଦର ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।”
RUT 3:10 ସେ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ରୀ ହୁଅ, ଯେହେତୁ ତୁମ୍ଭେ ଧନବାନ କି ଦରିଦ୍ର କୌଣସି ଯୁବାପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମାପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ।
RUT 3:11 ଏଣୁ ଆହେ ମୋହର କନ୍ୟା, ଭୟ କର ନାହିଁ, ତୁମ୍ଭେ ଯାହା କହିଲ, ମୁଁ ତୁମ୍ଭ ପାଇଁ ସେସମସ୍ତ କରିବି;
RUT 3:12 ଯେହେତୁ ତୁମ୍ଭେ ଯେ ସମ୍ମାନୀୟ ସ୍ତ୍ରୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ, ମାତ୍ର ମୋʼ ଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି।
RUT 3:13 ଏହି ରାତ୍ରି ଥାଅ; ସକାଳେ ସେ ଯେବେ ତୁମ୍ଭକୁ ମୁକ୍ତ କରେ, ତେବେ ଭଲ, ସେ ମୁକ୍ତ କରୁ; ମାତ୍ର ଯେବେ ସେ ତୁମ୍ଭକୁ ମୁକ୍ତ ନ କରେ, ତେବେ ଜୀବିତ ସଦାପ୍ରଭୁଙ୍କ ନାମରେ ସତ୍ୟ କହୁଅଛି ଯେ, ମୁଁ ତୁମ୍ଭକୁ ମୁକ୍ତ କରିବି; ତୁମ୍ଭେ ସକାଳ ପର୍ଯ୍ୟନ୍ତ ଶୟନ କର।”
RUT 3:14 ତହିଁରେ ରୂତ ସକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା, ପୁଣି କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ସେ ଉଠିଲା କାରଣ ବୋୟଜ କହିଲା, “ଖଳାକୁ ଏ ସ୍ତ୍ରୀ ଯେ ଆସିଥିଲା, ଏହା ଜଣା ନ ଯାଉ।”
RUT 3:15 ସେ ଆହୁରି କହିଲା, “ତୁମ୍ଭର ଆବରଣୀୟ ବସ୍ତ୍ର ବିଛାଇ ଧର,” ତହିଁରେ ରୂତ ତାହା ବିଛାଇ ଧରନ୍ତେ, ସେ ଛଅ ପାତ୍ର ଯବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା।
RUT 3:16 ତହୁଁ ରୂତ ନିଜ ଶାଶୁ ନିକଟକୁ ଆସନ୍ତେ, ସେ କହିଲା, “ଆହେ ଆମ୍ଭର କନ୍ୟା, କଅଣ ହେଲା?” ତହିଁରେ ସେ ନିଜ ପ୍ରତି ସେହି ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜଣାଇଲା।
RUT 3:17 ପୁଣି ଆହୁରି କହିଲା, “ଶାଶୁ ନିକଟକୁ ମୁକ୍ତ ହସ୍ତରେ ନ ଯାଅ” ବୋଲି କହି ସେ ମୋତେ ଏହି ଛଅ ପାତ୍ର ଯବ ଦେଇଅଛନ୍ତି।
RUT 3:18 ତହୁଁ ତାହାର ଶାଶୁ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଏ ବିଷୟ କʼଣ ହେବ, ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ; କାରଣ ସେ ମନୁଷ୍ୟ ଆଜି ଏ କର୍ମ ସମାପ୍ତ ନ କରି ବିଶ୍ରାମ କରିବ ନାହିଁ।”
RUT 4:1 ଏଥିଉତ୍ତାରେ ବୋୟଜ ନଗର-ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, “ହେ ବନ୍ଧୁ, ଏଠିକି ଆସି ବସ,” ଏଣୁ ସେ ଆସି ସେଠାରେ ବସିଲା।
RUT 4:2 ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଇ କହିଲା, “ତୁମ୍ଭେମାନେ ଏଠାରେ ବସ,” ତେଣୁ ସେମାନେ ବସିଲେ।
RUT 4:3 ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକୁ କହିଲା, “ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ମୋୟାବ ଦେଶରୁ ଫେରି ଆସିଥିବା ନୟମୀ ବିକ୍ରୟ କରୁଅଛି।
RUT 4:4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ‘ତୁମ୍ଭେ ନଗର-ଦ୍ୱାରରେ ଉପସ୍ଥିତ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର।’ ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରେ ମୁଁ ଅଛି।” ତହିଁରେ ସେ କହିଲା, “ମୁଁ ତାହା ମୁକ୍ତ କରିବି।”
RUT 4:5 ତେବେ ବୋୟଜ କହିଲା, “ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହି ଦିନ ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ସ୍ତ୍ରୀ ମୋୟାବ ଦେଶୀୟା ରୂତଠାରୁ ହିଁ ତାହା କିଣିବାକୁ ହେବ।”
RUT 4:6 ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, “ମୁଁ ନିଜ ନିମନ୍ତେ ତାହା ମୁକ୍ତ କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ; ତୁମ୍ଭେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ।”
RUT 4:7 ମୁକ୍ତି ଓ ପାଲଟ ବିଷୟକ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲ ବଂଶର ଏହିରୂପ ରୀତି ଥିଲା ଯେ, ଜଣେ ନିଜ ପାଦୁକା କାଢ଼ି ଅନ୍ୟ ଜଣକୁ ଦେଲା, ଆଉ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ୱରୂପ ହେଲା।
RUT 4:8 ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, “ତୁମ୍ଭେ ଆପେ ତାହା କିଣ,” ସେତେବେଳେ ସେ ନିଜ ପାଦୁକା କାଢ଼ି ଦେଲା।
RUT 4:9 ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, “ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ।
RUT 4:10 ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ନିଜ ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ।”
RUT 4:11 ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ।
RUT 4:12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”
RUT 4:13 ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ସ୍ତ୍ରୀ ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା।
RUT 4:14 ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, “ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ।
RUT 4:15 ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି।”
RUT 4:16 ସେତେବେଳେ ନୟମୀ ବାଳକକୁ ଘେନି ନିଜ କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା।
RUT 4:17 “ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି,” ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍‍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତାମହ।
RUT 4:18 ପେରସର ବଂଶାବଳୀ ଏହି, ପେରସର ପୁତ୍ର ହିଷ୍ରୋଣ;
RUT 4:19 ହିଷ୍ରୋଣର ପୁତ୍ର ରାମ୍‍ ଓ ରାମ୍‍ର ପୁତ୍ର ଅମ୍ମୀନାଦବ
RUT 4:20 ଓ ଅମ୍ମୀନାଦବର ପୁତ୍ର ନହଶୋନ ଓ ନହଶୋନର ପୁତ୍ର ସଲମୋନ
RUT 4:21 ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍‍
RUT 4:22 ଓବେଦ୍‍ର ପୁତ୍ର ଯିଶୀ ଓ ଯିଶୀର ପୁତ୍ର ଦାଉଦ।
1SA 1:1 ଇଫ୍ରୟିମ-ପର୍ବତମୟ ଦେଶସ୍ଥ ରାମାଥୟିମ୍‍ସୂଫୀମର ଏକ ଇଫ୍ରୟିମୀୟ ଲୋକ ଥିଲା, ତାହାର ନାମ ଇଲ୍‍କାନା, ସେ ସୂଫର ବୃଦ୍ଧ ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲୀହୂର ପୁତ୍ର, ଯିରୋହମର ପୁତ୍ର;
1SA 1:2 ପୁଣି, ତାହାର ଦୁଇ ଭାର୍ଯ୍ୟା ଥିଲେ; ଜଣକର ନାମ ହାନ୍ନା, ଅନ୍ୟର ନାମ ପନିନ୍ନା; ପନିନ୍ନାର ସନ୍ତାନସନ୍ତତି ଥିଲେ, ମାତ୍ର ହାନ୍ନାର କୌଣସି ସନ୍ତାନସନ୍ତତି ନ ଥିଲେ।
1SA 1:3 ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ଶୀଲୋକୁ ଯାଉଥାଏ। ସେହି ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ସଦାପ୍ରଭୁଙ୍କ ଯାଜକ ଥିଲେ।
1SA 1:4 ପୁଣି, ଇଲ୍‍କାନା ବଳିଦାନ କରିବା ଦିନରେ ସେ ଆପଣା ଭାର୍ଯ୍ୟା ପନିନ୍ନାକୁ ଓ ତାହାର ପୁତ୍ରକନ୍ୟା ସମସ୍ତଙ୍କୁ ଅଂଶ ଦେଲା;
1SA 1:5 ମାତ୍ର ସେ ହାନ୍ନାକୁ ଦ୍ୱିଗୁଣ ଅଂଶ ଦେଲା; କାରଣ ସେ ହାନ୍ନାକୁ ପ୍ରେମ କରୁଥିଲେ, ମାତ୍ର ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିଥିଲେ।
1SA 1:6 ପୁଣି, ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିବାରୁ ତାହାର ସପତ୍ନୀ ତାହାର ରୋଷ ଜନ୍ମାଇବା ନିମନ୍ତେ ତାହାକୁ ଅତିଶୟ ବିରକ୍ତ କରେ।
1SA 1:7 ସେ ସଦାପ୍ରଭୁଙ୍କ ଗୃହକୁ ଗଲା ବେଳେ ତାହାର ସ୍ୱାମୀ ବର୍ଷକୁ ବର୍ଷ ଏପରି କରେ, ତାହାର ସପତ୍ନୀ ମଧ୍ୟ ସେହିପରି ତାହାକୁ ବିରକ୍ତ କରେ; ଏହେତୁ ସେ ରୋଦନ କରେ, ଆଉ କିଛି ଖାଏ ନାହିଁ।
1SA 1:8 ଏଥିରେ ତାହାର ସ୍ୱାମୀ ଇଲ୍‍କାନା ତାହାକୁ କହିଲା, “ହାନ୍ନା, କାହିଁକି ରୋଦନ କରୁଅଛ? କାହିଁକି ଖାଉ ନାହଁ? କାହିଁକି ତୁମ୍ଭ ମନ ଦୁଃଖିତ ହୋଇଅଛି? ମୁଁ କି ଦଶ ପୁତ୍ରଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ?”
1SA 1:9 ଏହିରୂପେ ଏକ ସମୟରେ ସେମାନେ ଶୀଲୋରେ ଭୋଜନପାନ ସମାପ୍ତ କଲା ଉତ୍ତାରେ ହାନ୍ନା ଉଠିଲା। ସେସମୟରେ ଏଲି ଯାଜକ ସଦାପ୍ରଭୁଙ୍କ ମନ୍ଦିର-ଦ୍ୱାରବନ୍ଧ ନିକଟସ୍ଥ ଆପଣା ଆସନରେ ବସିଥିଲେ।
1SA 1:10 ପୁଣି, ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲା।
1SA 1:11 ପୁଣି, ସେ ଏକ ମାନତ ମନାସି କହିଲା; “ହେ ସୈନ୍ୟାଧିପତି ସଦାପ୍ରଭୋ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।”
1SA 1:12 ଏହିରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ।
1SA 1:13 ସେସମୟରେ ହାନ୍ନା ଆପଣା ମନେ ମନେ କଥା କହୁଥିଲା; କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା; ତେଣୁ ସେ ମତ୍ତ ହୋଇଥିବ ବୋଲି ଏଲି ବିଚାର କଲେ।
1SA 1:14 ତହିଁରେ ଏଲି ତାହାକୁ କହିଲେ, “ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।”
1SA 1:15 ଏଥିରେ ହାନ୍ନା ଉତ୍ତର ଦେଇ କହିଲା, “ନା, ମୋହର ପ୍ରଭୋ, ମୁଁ ଦୁଃଖିନୀ ସ୍ତ୍ରୀ; ମୁଁ ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହିଁ, ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢାଳୁଥିଲି।”
1SA 1:16 ଆପଣା ଦାସୀକୁ ବେକାର ସ୍ତ୍ରୀ ବୋଲି ଜ୍ଞାନ ନ କର; ମୁଁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ସକାଶୁ ଏପର୍ଯ୍ୟନ୍ତ କଥା କହୁଥିଲି।
1SA 1:17 ତହିଁରେ ଏଲି ଉତ୍ତର ଦେଇ କହିଲେ, “କୁଶଳରେ ଯାଅ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦେଉନ୍ତୁ।”
1SA 1:18 ତହୁଁ ସେ କହିଲା, “ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ।” ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷଣ୍ଣ ନୋହିଲା।
1SA 1:19 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣାମାନଙ୍କ ବାସସ୍ଥାନ ରାମାକୁ ଆସିଲେ; ଆଉ ଇଲ୍‍କାନା ଆପଣା ଭାର୍ଯ୍ୟା ହାନ୍ନାର ସହବାସ କରନ୍ତେ, ସଦାପ୍ରଭୁ ତାହାକୁ ସ୍ମରଣ କଲେ।
1SA 1:20 ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ହାନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା; “ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ଶାମୁୟେଲ (ପରମେଶ୍ୱର ଦତ୍ତ) ରଖିଲା।”
1SA 1:21 ଏଉତ୍ତାରେ ଇଲ୍‍କାନା ଓ ତାହାର ଗୃହସ୍ଥ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାର୍ଷିକ ବଳିଦାନ ଓ ଆପଣା ମାନତ ନିବେଦନ କରିବାକୁ ଗଲେ।
1SA 1:22 ମାତ୍ର ହାନ୍ନା ଗଲା ନାହିଁ; କାରଣ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ (ମୁଁ ଯିବି ନାହିଁ), ତହିଁ ଉତ୍ତାରେ ମୁଁ ତାହାକୁ ନେଇଯିବି, ତହିଁରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।”
1SA 1:23 ତହୁଁ ତାହାର ସ୍ୱାମୀ ଇଲ୍‍କାନା ତାହାକୁ କହିଲା, “ଯାହା ତୁମ୍ଭକୁ ଭଲ ଦିଶେ, କର; ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ରୁହ; ସଦାପ୍ରଭୁ କେବଳ ଆପଣା ବାକ୍ୟ ସ୍ଥିର କରନ୍ତୁ।” ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ଅପେକ୍ଷା କରି ସ୍ତନ୍ୟପାନ କରାଇଲା।
1SA 1:24 ଏଥିଉତ୍ତାରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ, ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ କୁମ୍ପା ଦ୍ରାକ୍ଷାରସ ସହିତ ତାହାକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ସେତେବେଳେ ବାଳକ ଅଳ୍ପ ବୟସ୍କ ଥିଲା।
1SA 1:25 ତହୁଁ ସେମାନେ ଗୋବତ୍ସ ବଧ କରି ବାଳକକୁ ଏଲିଙ୍କ କତିକି ଆଣିଲେ।
1SA 1:26 ତହିଁରେ ସେ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋହର ପ୍ରଭୋ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖରେ ଠିଆ ହୋଇଥିଲା, ମୁଁ ସେହି।
1SA 1:27 ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି।
1SA 1:28 ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା,” ଏଉତ୍ତାରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା।
1SA 2:1 ପୁଣି, ହାନ୍ନା ପ୍ରାର୍ଥନା କରି କହିଲା; “ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଖୋଲିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।
1SA 2:2 ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
1SA 2:3 ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ।
1SA 2:4 ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି।
1SA 2:5 ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି।
1SA 2:6 ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି।
1SA 2:7 ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି।
1SA 2:8 ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।
1SA 2:9 ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ; ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ କରାଯିବେ; ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ।
1SA 2:10 ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ; ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।”
1SA 2:11 ଏଉତ୍ତାରେ ଇଲ୍‍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି, ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।
1SA 2:12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।
1SA 2:13 ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ, କୌଣସି ଲୋକ ବଳିଦାନ କଲେ, ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ;
1SA 2:14 ଆଉ ସେ ପାତ୍ର, ବା ତସଲା, ବା ହଣ୍ଡା, ବା କହ୍ରାଇ ଭିତରେ ମାରେ; ଯେତେକ ତ୍ରିଶୂଳରେ ଆସେ, ସେସବୁ ଯାଜକ ନିଏ। ଇସ୍ରାଏଲର ଯେତେ ଲୋକ ଶୀଲୋକୁ ଆସିଲେ, ସେଠାରେ ସେମାନେ ସେସମସ୍ତଙ୍କ ପ୍ରତି ଏହିପରି କରୁଥିଲେ।
1SA 2:15 ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, “ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।”
1SA 2:16 ଏଥିରେ ଯେବେ ସେ ଲୋକ ତାହାକୁ କହେ, “ମେଦ ଏହିକ୍ଷଣି ଦଗ୍ଧ ହେବ, ତହିଁ ଉତ୍ତାରେ ତୁମ୍ଭ ପ୍ରାଣ ଯେତେ ଚାହେଁ ସେତେ ନିଅ;” ତେବେ ସେ ଉତ୍ତର କରେ, “ନାହିଁ, ମାତ୍ର ଏହିକ୍ଷଣି ତାହା ମୋତେ ଦେବାକୁ ହେବ; ତୁମ୍ଭେ ନ ଦେଲେ ତାହା ବଳରେ ନେବି।”
1SA 2:17 ଏରୂପେ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଯୁବା ଲୋକଙ୍କର ପାପ ଅତି ଭାରୀ ହେଲା; କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।
1SA 2:18 ସେସମୟରେ ଶାମୁୟେଲ ବାଳକ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।
1SA 2:19 ଆହୁରି ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ତାଙ୍କ ପାଇଁ ଗୋଟିଏ ସାନ ଚୋଗା ବନାଇ ତାଙ୍କ କତିକି ଆଣିଥାଏ।
1SA 2:20 ପୁଣି, ଏଲି ଇଲ୍‍କାନାକୁ ଓ ତାହାର ଭାର୍ଯ୍ୟାକୁ ଆଶୀର୍ବାଦ କରି କହିଲେ, “ସଦାପ୍ରଭୁଙ୍କ ନିକଟରେ ଯାହା ନିବେଦିତ ହୋଇଅଛି, ସେହି ନିବେଦନ ସକାଶୁ ସଦାପ୍ରଭୁ ଏହି ସ୍ତ୍ରୀଠାରୁ ତୁମ୍ଭକୁ ସନ୍ତାନ ଦେଉନ୍ତୁ।”
1SA 2:21 ଏଉତ୍ତାରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି, ସଦାପ୍ରଭୁ ହାନ୍ନାର ତତ୍ତ୍ୱାବଧାରଣ କଲେ ଓ ସେ ଗର୍ଭଧାରଣ କରି ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲେ। ଏଥିମଧ୍ୟରେ ଶାମୁୟେଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢ଼ିବାକୁ ଲାଗିଲେ।
1SA 2:22 ଏଲି ଅତି ବୃଦ୍ଧ ହେଲେ; ପୁଣି, ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ।
1SA 2:23 ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କଥା କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣୁଅଛି।
1SA 2:24 ନାହିଁ, ନାହିଁ, ମୋହର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ତାହା ଭଲ ନୁହେଁ; ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଙ୍ଘନ କରାଉଅଛ।
1SA 2:25 ମନୁଷ୍ୟ ଯଦି ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ; ମାତ୍ର ମନୁଷ୍ୟ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବ?” ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
1SA 2:26 ମାତ୍ର ବାଳକ ଶାମୁୟେଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି, ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହପ୍ରାପ୍ତ ହେଲେ।
1SA 2:27 ଏଥିଉତ୍ତାରେ ପରମେଶ୍ୱରଙ୍କର ଏକ ଲୋକ ଏଲିଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ସମୟରେ ତୁମ୍ଭ ପିତୃଗୃହ ମିସରରେ ଫାରୋର ଦାସତ୍ୱରେ ଥିଲେ, ସେସମୟରେ ଆମ୍ଭେ କି ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଦର୍ଶନ ଦେଇ ନାହୁଁ
1SA 2:28 ଓ ଆମ୍ଭେ କି ଆମ୍ଭ ବେଦି ଉପରକୁ ଯିବାକୁ ଓ ଧୂପ ଜ୍ୱଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫୋଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରି ନାହୁଁ? ଆହୁରି, ଆମ୍ଭେ କି ଇସ୍ରାଏଲ-ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇ ନାହୁଁ?
1SA 2:29 ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ?’
1SA 2:30 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।
1SA 2:31 ଦେଖ, ଯେଉଁ ଦିନ ଆମ୍ଭେ ତୁମ୍ଭର ବାହୁ ଓ ତୁମ୍ଭ ପିତୃଗୃହର ବାହୁ କାଟି ପକାଇବା, ଏପରି ଦିନ ଆସୁଅଛି, ତହିଁରେ ତୁମ୍ଭ ଗୃହରେ ଜଣେ ବୃଦ୍ଧ ଲୋକ ରହିବ ନାହିଁ।
1SA 2:32 ପୁଣି, ପରମେଶ୍ୱର ଇସ୍ରାଏଲକୁ ଯେ ଯେ ମଙ୍ଗଳ ପ୍ରଦାନ କରିବେ, ସେସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ।
1SA 2:33 ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦିରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ; ପୁଣି, ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ।
1SA 2:34 ପୁଣି, ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନସ୍ୱରୂପ ହେବ; ସେ ଦୁହେଁ ଏକ ଦିନରେ ମରିବେ।
1SA 2:35 ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।
1SA 2:36 ଆଉ, ତୁମ୍ଭ ବଂଶର ଅବଶିଷ୍ଟ ପ୍ରତ୍ୟେକ ଜଣ ଏକ ରୂପା ମୁଦ୍ରା ଓ ଏକ ରୁଟି ପାଇଁ ତାହା ପାଖକୁ ଆସି ପ୍ରଣାମ କରି କହିବେ, ବିନୟ କରୁଅଛି, ମୁଁ ଯେପରି ଖଣ୍ଡେ ରୁଟି ଖାଇବାକୁ ପାଇବି, ଏଥିପାଇଁ କୌଣସି ଯାଜକତ୍ୱ ପଦରେ ମୋତେ ରଖ।’”
1SA 3:1 ସେସମୟରେ ବାଳକ ଶାମୁୟେଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କ ବାକ୍ୟ ଦୁର୍ଲଭ ଥିଲା; ପ୍ରକାଶ୍ୟ ଦର୍ଶନ ନ ଥିଲା।
1SA 3:2 ଏହି ସମୟରେ ଏଲିଙ୍କର ଚକ୍ଷୁ ଧନ୍ଦଳା ହେବାକୁ ଲାଗିଲା, ଏଣୁ ସେ ଦେଖି ପାରିଲେ ନାହିଁ। ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ
1SA 3:3 ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ଶାମୁୟେଲ ଶୋଇଥିଲେ,
1SA 3:4 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ ଡାକିଲେ; ସେ କହିଲେ, “ମୁଁ ଏଠାରେ ଅଛି।”
1SA 3:5 ପୁଣି, ସେ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ସେ କହିଲେ, “ମୁଁ ଡାକି ନାହିଁ; ଫେରିଯାଇ ଶୁଅ।” ତହୁଁ ସେ ଯାଇ ଶୋଇଲେ;
1SA 3:6 ଏଉତ୍ତାରେ ସଦାପ୍ରଭୁ “ଶାମୁୟେଲ” ବୋଲି ପୁନର୍ବାର ଡାକିଲେ। ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ସେ ଉତ୍ତର ଦେଲେ, “ହେ ପୁତ୍ର, ମୁଁ ଡାକି ନାହିଁ; ଫେରିଯାଇ ଶୁଅ।”
1SA 3:7 ସେସମୟରେ ଶାମୁୟେଲ ସଦାପ୍ରଭୁଙ୍କର ପରିଚୟ ପାଇ ନ ଥିଲେ, କିଅବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇ ନ ଥିଲା।
1SA 3:8 ଏଉତ୍ତାରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ।
1SA 3:9 ତେଣୁ, ଏଲି ଶାମୁୟେଲଙ୍କୁ କହିଲେ, “ଯାଇ ଶୁଅ; ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୋ କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି।’” ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ।
1SA 3:10 ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି “ଶାମୁୟେଲ, ଶାମୁୟେଲ,” ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, “କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି।”
1SA 3:11 ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲ ମଧ୍ୟରେ ଏକ କର୍ମ କରିବା, ଯେ ପ୍ରତ୍ୟେକ ଲୋକ ତାହା ଶୁଣିବ, ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।
1SA 3:12 ଆମ୍ଭେ ଏଲି ବିରୁଦ୍ଧରେ ତାହାର ପରିବାର ବିଷୟରେ ଯାହା ଯାହା କହିଅଛୁ, ସେସମସ୍ତ ପ୍ରଥମାବଧି ଶେଷ ପର୍ଯ୍ୟନ୍ତ ସେହି ଦିନ ସଫଳ କରିବା।
1SA 3:13 ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହିଁ ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ଅଭିଶପ୍ତ କଲେ ହେଁ ସେ ସେମାନଙ୍କୁ ଦମନ କଲା ନାହିଁ।
1SA 3:14 ଏହେତୁ ଏଲି ବଂଶର ଅପରାଧ, ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନୋହିବ ବୋଲି ଏଲି-ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ।”
1SA 3:15 ତହୁଁ ଶାମୁୟେଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ, ତହିଁ ଉତ୍ତାରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି, ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟ କଲେ।
1SA 3:16 ପୁଣି, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”
1SA 3:17 ତେବେ ସେ ପଚାରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋʼ ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋʼ ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ।”
1SA 3:18 ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତହୁଁ ସେ କହିଲେ, “ସେ ତ ସଦାପ୍ରଭୁ; ଯାହା ତାହାଙ୍କ ଦୃଷ୍ଟିରେ ଭଲ, ତାହା ସେ କରନ୍ତୁ।”
1SA 3:19 ଏଥିଉତ୍ତାରେ ଶାମୁୟେଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ଶାମୁୟେଲଙ୍କ କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ।
1SA 3:20 ତହିଁରେ ଶାମୁୟେଲ ଯେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ।
1SA 3:21 ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଦର୍ଶନ ଦେଲେ; କାରଣ ସଦାପ୍ରଭୁ ଶୀଲୋରେ ଶାମୁୟେଲଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।
1SA 4:1 ଆଉ ଶାମୁୟେଲଙ୍କ କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଏଥିଉତ୍ତାରେ ଇସ୍ରାଏଲ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଏବନ୍‍-ଏଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନେ ଅଫେକରେ ଛାଉଣି ସ୍ଥାପନ କଲେ।
1SA 4:2 ତହୁଁ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ; ପୁଣି, ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଊଣାଧିକ ଚାରି ସହସ୍ର ଲୋକ ବଧ କଲେ।
1SA 4:3 ତହୁଁ ଲୋକମାନେ ଛାଉଣିକୁ ଆସନ୍ତେ, ଇସ୍ରାଏଲର ପ୍ରାଚୀନବର୍ଗ କହିଲେ, “ସଦାପ୍ରଭୁ ଆଜି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ କାହିଁକି ପରାସ୍ତ କଲେ? ଆସ, ଯେପରି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆମ୍ଭମାନଙ୍କ ମଧ୍ୟକୁ ଆସି ତାହା ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିବ, ଏଥିପାଇଁ ଆମ୍ଭେମାନେ ଶୀଲୋରୁ ତାହା ଆପଣାମାନଙ୍କ ନିକଟକୁ ଆଣୁ।”
1SA 4:4 ତହିଁରେ ସେମାନେ ଶୀଲୋକୁ ଲୋକ ପଠାଇ କିରୂବମାନଙ୍କ ମଧ୍ୟରେ ଅବସ୍ଥିତ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେଠାରୁ ଆଣିଲେ; ସେତେବେଳେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ସେ ସ୍ଥାନରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଥିଲେ।
1SA 4:5 ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକୁ ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନିରେ ଜୟଧ୍ୱନି କଲେ ଯେ, ପୃଥିବୀ କମ୍ପିଲା।
1SA 4:6 ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନି ଶବ୍ଦର ଅଭିପ୍ରାୟ କଅଣ?” ଆଉ ସେମାନେ ଜାଣିଲେ ଯେ, ସଦାପ୍ରଭୁଙ୍କ ସିନ୍ଦୁକ ଛାଉଣିକୁ ଆସିଅଛି।
1SA 4:7 ତହିଁରେ ପଲେଷ୍ଟୀୟମାନେ ଭୀତ ହୋଇ କହିଲେ, “ପରମେଶ୍ୱର ଛାଉଣିକୁ ଆସିଅଛନ୍ତି।” ଆହୁରି ସେମାନେ କହିଲେ, “ହାୟ ହାୟ! ପୂର୍ବରେ ଏପରି କେବେ ହୋଇ ନାହିଁ।
1SA 4:8 ହାୟ ହାୟ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ସର୍ବପ୍ରକାର ଆଘାତ ଦ୍ୱାରା ମିସରୀୟମାନଙ୍କୁ ଆଘାତ କରିଥିଲେ।
1SA 4:9 ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର, ତହିଁରେ ଏବ୍ରୀୟମାନେ ଯେପରି ତୁମ୍ଭମାନଙ୍କର ଦାସ ହୋଇଅଛନ୍ତି, ସେପରି ତୁମ୍ଭେମାନେ ସେମାନଙ୍କର ଦାସ ହେବ ନାହିଁ; ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”
1SA 4:10 ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।
1SA 4:11 ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାପଡ଼ିଲା; ଆଉ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ହତ ହେଲେ।
1SA 4:12 ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି, ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।
1SA 4:13 ପୁଣି, ସେ ଉପସ୍ଥିତ ହେବା ସମୟରେ, ଦେଖ, ଏଲି ବାଟ ପାଖରେ ଅପେକ୍ଷା କରି ଆପଣା ଆସନରେ ବସି ରହିଅଛନ୍ତି; କାରଣ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ତାଙ୍କର ଅନ୍ତଃକରଣ କମ୍ପିତ ହେଉଥିଲା। ଏଥିରେ ସେହି ଲୋକ ନଗରକୁ ଆସି ସମ୍ବାଦ ଦିଅନ୍ତେ, ନଗରଯାକ କାନ୍ଦି ଉଠିଲେ।
1SA 4:14 ପୁଣି, ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, “ଏହି କୋଳାହଳ ଶବ୍ଦର ଅଭିପ୍ରାୟ କଅଣ?” ତହୁଁ ସେହି ଲୋକ ଶୀଘ୍ର ଆସି ଏଲିଙ୍କୁ ସମ୍ବାଦ ଦେଲା।
1SA 4:15 ସେସମୟରେ ଏଲି ଅଠାନବେ ବର୍ଷ ବୟସ୍କ ଥିଲେ ଓ ତାଙ୍କର ଚକ୍ଷୁ ସ୍ତବ୍ଧ ହେବାରୁ ସେ ଦେଖି ପାରିଲେ ନାହିଁ।
1SA 4:16 ପୁଣି, ସେହି ମନୁଷ୍ୟ ଏଲିଙ୍କୁ କହିଲା, “ଆମ୍ଭେ ସୈନ୍ୟ ମଧ୍ୟରୁ ଆଗତ ଲୋକ ଓ ଆମ୍ଭେ ଆଜି ସୈନ୍ୟ ମଧ୍ୟରୁ ପଳାଇ ଆସିଲୁ।” ତହିଁରେ ସେ କହିଲେ, “ହେ ପୁତ୍ର, କି କଥା ହେଲା?”
1SA 4:17 ତହୁଁ ସମାଚାର ଆଣିବା ଲୋକ ଉତ୍ତର କରି କହିଲା, “ଇସ୍ରାଏଲ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇଲେ ଓ ଲୋକମାନଙ୍କ ମଧ୍ୟରେ ମହାସଂହାର ହେଲା; ମଧ୍ୟ ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ମଲେ, ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।”
1SA 4:18 ଆଉ ସେ ପରମେଶ୍ୱରଙ୍କ ସିନ୍ଦୁକ ବିଷୟ କହିବା କ୍ଷଣେ ଏପରି ଘଟିଲା ଯେ, ଏଲି ଦ୍ୱାର ପାଖରେ ଆପଣା ଆସନରୁ ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଯାଇ ସେ ମଲେ; କାରଣ ସେ ବୃଦ୍ଧ ଲୋକ ଓ ଭାରୀ ଥିଲେ। ସେ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ।
1SA 4:19 ସେସମୟରେ ତାଙ୍କର ପୁତ୍ରବଧୂ ପୀନହସ୍‍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବକାଳ ନିକଟ ଥିଲା; ଏଣୁ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା, ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ; ଏହି ସମ୍ବାଦ ଶୁଣିବାମାତ୍ରେ ସେ ଆଣ୍ଠୋଇପଡ଼ି ପ୍ରସବ କଲା; କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା।
1SA 4:20 ତହୁଁ ପ୍ରାୟ ତାହାର ମରଣ ସମୟରେ ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ତ ପୁତ୍ର ପ୍ରସବ କରିଅଛ।” ମାତ୍ର ସେ କିଛି ଉତ୍ତର ଦେଲା ନାହିଁ, କିଅବା ତହିଁରେ ମନ ଦେଲା ନାହିଁ।
1SA 4:21 ଆଉ ପରମେଶ୍ୱରଙ୍କ ସିନ୍ଦୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ “ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା,” ଏହା କହି ସେ ବାଳକର ନାମ ଐକାବୋଦ (ହୀନ ଗୌରବ) ରଖିଲା।
1SA 4:22 ଆଉ ସେ କହିଲା, “ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, କାରଣ ପରମେଶ୍ୱରଙ୍କ ସିନ୍ଦୁକ ଧରାଗଲା।”
1SA 5:1 ଏଥିମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଏବନ୍‍-ଏଜରରୁ ଅସ୍ଦୋଦକୁ ଯାଇଥିଲେ।
1SA 5:2 ତହିଁ ଉତ୍ତାରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଦାଗୋନ୍‍ ମନ୍ଦିରକୁ ଆଣି ଦାଗୋନ୍‍ ଦେବତା ନିକଟରେ ରଖିଲେ।
1SA 5:3 ତହିଁ ପରଦିନ ଅସ୍ଦୋଦୀୟମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗୋନ୍‍କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ।
1SA 5:4 ପୁଣି, ସେମାନେ ତହିଁ ଆରଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି; ପୁଣି, ଦାଗୋନ୍‍ର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି; କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି।
1SA 5:5 ଏହେତୁ ଦାଗୋନ୍‍ର ଯାଜକମାନେ ଅବା ଯେଉଁମାନେ ଦାଗୋନ୍‍ ମନ୍ଦିରକୁ ଆସନ୍ତି, ସେମାନଙ୍କ ମଧ୍ୟରୁ କେହି ଆଜି ପର୍ଯ୍ୟନ୍ତ ଅସ୍ଦୋଦସ୍ଥିତ ଦାଗୋନ୍‍ର ଦ୍ୱାରବନ୍ଧ ମାଡ଼ନ୍ତି ନାହିଁ।
1SA 5:6 ମାତ୍ର ଅସ୍ଦୋଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରୀ ହେଲା ଓ ସେ ଅସ୍ଦୋଦକୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶ ରୋଗରେ ଆଘାତ କରି ସଂହାର କଲେ।
1SA 5:7 ତହୁଁ ଅସ୍ଦୋଦୀୟ ଲୋକମାନେ ତାହା ଦେଖି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ଦେବତା ଦାଗୋନ୍‍ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି।”
1SA 5:8 ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ର କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା?” ତହିଁରେ ସେମାନେ ଉତ୍ତର କଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଗାଥ୍‍କୁ ନିଆଯାଉ।” ତହୁଁ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ।
1SA 5:9 ପୁଣି, ସେମାନେ ତାହା ନେଇଗଲା ଉତ୍ତାରେ ଏପରି ହେଲା ଯେ, ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହା ବ୍ୟାକୁଳତାଜନକ ହେଲା; ପୁଣି, ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶ ରୋଗ ବାହାରିଲା।
1SA 5:10 ତହୁଁ ସେମାନେ ଇକ୍ରୋଣକୁ ପରମେଶ୍ୱରଙ୍କ ସିନ୍ଦୁକ ପଠାଇଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଇକ୍ରୋଣରେ ଉପସ୍ଥିତ ହୁଅନ୍ତେ, ଇକ୍ରୋଣୀୟମାନେ କ୍ରନ୍ଦନ କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭ ଲୋକମାନଙ୍କୁ ବଧ କରିବା ପାଇଁ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଅଛନ୍ତି।”
1SA 5:11 ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦିଅ, ତାହା ସ୍ୱ ସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଧ ନ କରୁ;” କାରଣ ନଗରର ସର୍ବତ୍ର ମୃତ୍ୟୁୁଜନକ ବ୍ୟାକୁଳତା ଜନ୍ମିଥିଲା; ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରୀ ଥିଲା।
1SA 5:12 ପୁଣି, ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶ ରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ଆକାଶକୁ ଉଠିଲା।
1SA 6:1 ସଦାପ୍ରଭୁଙ୍କ ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା।
1SA 6:2 ଏଥିରେ ପଲେଷ୍ଟୀୟମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା, କି ଦେଇ ଆମ୍ଭେମାନେ ତାହା ସ୍ୱ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ।”
1SA 6:3 ତହିଁରେ ସେମାନେ କହିଲେ, “ଯେବେ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ; ମାତ୍ର କୌଣସିମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ; ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉ ନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ।”
1SA 6:4 ତହୁଁ ସେମାନେ ପଚାରିଲେ, “ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା?” ଏଥିରେ ସେମାନେ କହିଲେ, “ପଲେଷ୍ଟୀୟମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଶ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣଙ୍କୁ ଏକରୂପ ମହାମାରୀ ଘଟିଥିଲା।
1SA 6:5 ଏନିମନ୍ତେ ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ-ପ୍ରତିମା ଓ ତୁମ୍ଭମାନଙ୍କ ଦେଶନାଶକାରୀ ମୂଷିକ-ପ୍ରତିମା ନିର୍ମାଣ କର ଓ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ, ହୋଇପାରେ ସେ ତୁମ୍ଭମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମ୍ଭମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ।
1SA 6:6 ଯେପରି ମିସରୀୟମାନେ ଓ ଫାରୋ ଆପଣାମାନଙ୍କ ହୃଦୟ ଭାରୀ କରିଥିଲେ, ସେପରି ତୁମ୍ଭେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରୀ କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣା ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ?
1SA 6:7 ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଯୁଆଳି ଲାଗି ନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକୁ ଘରକୁ ଆଣ;
1SA 6:8 ପୁଣି, ସଦାପ୍ରଭୁଙ୍କ ସିନ୍ଦୁକ ନେଇ ସେହି ଶଗଡ଼ ଉପରେ ରଖ ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଦୁକରେ ରଖ; ତହୁଁ ଯିବା ପାଇଁ ତାହା ପଠାଇଦିଅ।
1SA 6:9 ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ଥ ପଥ ଦେଇ ବେଥ୍-ଶେମଶକୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ, ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ; ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି।”
1SA 6:10 ତହିଁରେ ଲୋକମାନେ ସେପରି କଲେ; ପୁଣି, ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରିକୁ ଘରେ ବନ୍ଦ କଲେ।
1SA 6:11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସ୍ୱର୍ଣ୍ଣ ମୂଷିକ ଓ ସେମାନଙ୍କ ଅର୍ଶ-ପ୍ରତିମାର ସିନ୍ଦୁକ ରଖିଲେ।
1SA 6:12 ତହୁଁ ସେହି ଗାଭୀମାନେ ସଳଖ ପଥ ଧରି ବେଥ୍-ଶେମଶକୁ ଯିବା ବାଟରେ ଗଲେ; ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ; ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବେଥ୍-ଶେମଶ ସୀମା ପର୍ଯ୍ୟନ୍ତ ଗଲେ।
1SA 6:13 ସେହି ସମୟରେ ବେଥ୍-ଶେମଶର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ; ପୁଣି, ସେମାନେ ଅନାଇ ସିନ୍ଦୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ।
1SA 6:14 ଏଉତ୍ତାରେ ସେହି ଶଗଡ଼ ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା; ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।
1SA 6:15 ପୁଣି, ଲେବୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଦୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ; ଆଉ ବେଥ୍-ଶେମଶର ଲୋକମାନେ ସେହି ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ।
1SA 6:16 ତହୁଁ ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।
1SA 6:17 ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଶ ପଠାଇଥିଲେ; ଯଥା, ଅସ୍ଦୋଦ ପାଇଁ ଏକ, ଘସା ପାଇଁ ଏକ, ଅସ୍କିଲୋନ ପାଇଁ ଏକ, ଗାଥ୍‍ ପାଇଁ ଏକ, ଇକ୍ରୋଣ ପାଇଁ ଏକ;
1SA 6:18 ପୁଣି, ବେଥ୍-ଶେମଶୀୟ ଯିହୋଶୂୟର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯହିଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ରଖିଥିଲେ, ସେପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର-ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟୀୟମାନଙ୍କ ନଗରସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ।
1SA 6:19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।
1SA 6:20 ଆହୁରି ବେଥ୍-ଶେମଶୀୟ ଲୋକମାନେ କହିଲେ, “ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ?”
1SA 6:21 ତହୁଁ ସେମାନେ କିରୀୟଥ୍‍-ଯିୟାରୀମୀୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି; ତୁମ୍ଭେମାନେ ଆସି ଆପଣାମାନଙ୍କ ନିକଟକୁ ତାହା ନେଇଯାଅ।”
1SA 7:1 ଏଥିଉତ୍ତାରେ କିରୀୟଥ୍‍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି, ସଦାପ୍ରଭୁଙ୍କ ସିନ୍ଦୁକରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ।
1SA 7:2 ସିନ୍ଦୁକ କିରୀୟଥ୍‍-ଯିୟାରୀମ୍‍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍‍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍‍ ବିଳାପ କଲେ।
1SA 7:3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।”
1SA 7:4 ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍‍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।
1SA 7:5 ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”
1SA 7:6 ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।
1SA 7:7 ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ।
1SA 7:8 ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।”
1SA 7:9 ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ।
1SA 7:10 ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।
1SA 7:11 ତହୁଁ ଇସ୍ରାଏଲ ଲୋକମାନେ ମିସ୍ପାରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବେଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
1SA 7:12 ତହିଁରେ ଶାମୁୟେଲ ଖଣ୍ଡେ ପଥର ନେଇ ମିସ୍ପା ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍‍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, “ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି।”
1SA 7:13 ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି, ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟମାନଙ୍କର ପ୍ରତିକୂଳ ହେଲା।
1SA 7:14 ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍‍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା।
1SA 7:15 ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ।
1SA 7:16 ସେ ପ୍ରତି ବର୍ଷ ବେଥେଲ୍‍ ଓ ଗିଲ୍‍ଗଲ୍‍ ଓ ମିସ୍ପାରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ।
1SA 7:17 ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।
1SA 8:1 ଏଥିଉତ୍ତାରେ ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ।
1SA 8:2 ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ୱିତୀୟର ନାମ ଅବୀୟ; ଏମାନେ ବେର୍‍ଶେବାରେ ବିଚାରକର୍ତ୍ତା ଥିଲେ।
1SA 8:3 ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ।
1SA 8:4 ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ;
1SA 8:5 ପୁଣି, ସେମାନେ ତାଙ୍କୁ କହିଲେ, “ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି, ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।”
1SA 8:6 ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
1SA 8:7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।
1SA 8:8 ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି।
1SA 8:9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।”
1SA 8:10 ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ।
1SA 8:11 ଆହୁରି ସେ କହିଲେ, “ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।
1SA 8:12 ପୁଣି, ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ।
1SA 8:13 ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ।
1SA 8:14 ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ।
1SA 8:15 ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ।
1SA 8:16 ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ।
1SA 8:17 ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ।
1SA 8:18 ପୁଣି, ସେସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।”
1SA 8:19 ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, “ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ;
1SA 8:20 ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
1SA 8:21 ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ।
1SA 8:22 ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର।” ଏଉତ୍ତାରେ ଶାମୁୟେଲ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ।”
1SA 9:1 ସେହି ସମୟରେ ବିନ୍ୟାମୀନ୍ ବଂଶୀୟ ଅଫୀହର ବୃଦ୍ଧ ପ୍ରପୌତ୍ର, ବଖୋରତର ପ୍ରପୌତ୍ର, ସରୋରର ପୌତ୍ର, ଅବୀୟେଲର ପୁତ୍ର କୀଶ୍‍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମୀନୀୟ ଲୋକ ଥିଲା।
1SA 9:2 ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ।
1SA 9:3 ଏକ ସମୟରେ ଶାଉଲଙ୍କ ପିତା କୀଶ୍‍ର ଗଧସବୁ ହଜିଲେ। ତହିଁରେ କୀଶ୍‍ ଆପଣା ପୁତ୍ର ଶାଉଲଙ୍କୁ କହିଲା, “ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠିଯାଅ।”
1SA 9:4 ତେଣୁ ସେ ଇଫ୍ରୟିମ-ପର୍ବତମୟ ଦେଶ ଦେଇ ଗଲେ, ତହୁଁ ଶାଲିଶା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ; ତେବେ ସେମାନେ ଶାଲୀମ୍‍ ପ୍ରଦେଶ ଦେଇ ଗଲେ, ପୁଣି, ସେଠାରେ ଗଧମାନେ ନ ଥିଲେ; ତହିଁ ଉତ୍ତାରେ ସେ ବିନ୍ୟାମୀନ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ।
1SA 9:5 ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, “ଆସ ଆମ୍ଭେମାନେ ଫେରିଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।”
1SA 9:6 ତହିଁରେ ସେ ତାଙ୍କୁ କହିଲା, “ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।”
1SA 9:7 ତେବେ ଶାଉଲ ଆପଣା ଯୁବାକୁ କହିଲେ, “ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି?”
1SA 9:8 ତହିଁରେ ସେହି ଯୁବା ଶାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, “ଦେଖ, ଆମ୍ଭ ହାତରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି; ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା।”
1SA 9:9 (ପୂର୍ବକାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ, ସେ ଏପରି କହେ, “ଆସ, ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ;” କାରଣ, ବର୍ତ୍ତମାନ ଯାହାକୁ ଭବିଷ୍ୟଦ୍‍ବକ୍ତା କହନ୍ତି, ପୂର୍ବକାଳରେ ତାହାକୁ ଦର୍ଶକ କହୁଥିଲେ)।
1SA 9:10 ଏହେତୁ ଶାଉଲ ଆପଣା ଯୁବାକୁ କହିଲେ, “ଭଲ କହିଲ; ଆସ, ଆମ୍ଭେମାନେ ଯାଉ।” ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ, ସେଠାକୁ ସେମାନେ ଗଲେ।
1SA 9:11 ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲା ବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କି ଦେଖି ପଚାରିଲେ, “ଏଠାରେ ଦର୍ଶକ ଅଛନ୍ତି କି?”
1SA 9:12 ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଅଛନ୍ତି; ଦେଖ, ସେ ତୁମ୍ଭ ଆଗରେ ଅଛନ୍ତି; ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି; ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି;
1SA 9:13 ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ, ସେହିକ୍ଷଣି ତାଙ୍କୁ ଦେଖିବ; କାରଣ, ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ, ଯେହେତୁ ସେ ବଳିକୁ ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି। ଏଣୁ ତୁମ୍ଭେମାନେ ଏହିକ୍ଷଣି ଉଠିଯାଅ, ଏତେବେଳେ ତୁମ୍ଭେମାନେ ତାଙ୍କୁ ପାଇବ।”
1SA 9:14 ତହୁଁ ସେମାନେ ନଗରକୁ ଉଠିଗଲେ; ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ, ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ଶାମୁୟେଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
1SA 9:15 ଶାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ଶାମୁୟେଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ,
1SA 9:16 “କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ରାଜା କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।”
1SA 9:17 ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, “ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକୁ ଦେଖ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।”
1SA 9:18 ସେତେବେଳେ ଶାଉଲ ନଗର-ଦ୍ୱାର ଭିତରେ ଶାମୁୟେଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, “ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ, ମୋତେ କୁହ।”
1SA 9:19 ତହିଁରେ ଶାମୁୟେଲ ଶାଉଲଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସେହି ଦର୍ଶକ; ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ; ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି ଓ ତୁମ୍ଭ ମନରେ ଯେସବୁ କଥା ଅଛି, ତାହାସବୁ ତୁମ୍ଭକୁ ଜଣାଇବି।
1SA 9:20 ପୁଣି, ତିନି ଦିନ ହେଲା ତୁମ୍ଭର ଯେଉଁସବୁ ଗଧ ହଜିଛନ୍ତି; ସେମାନଙ୍କଠାରେ ମନ ଦିଅ ନାହିଁ; କାରଣ ସେମାନେ ମିଳିଲେଣି। ପୁଣି, ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ? ତାହା କି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ?”
1SA 9:21 ତହୁଁ ଶାଉଲ ଉତ୍ତର କରି କହିଲେ, “ମୁଁ କି ଇସ୍ରାଏଲ ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ୍ ବଂଶୀୟ ନୁହେଁ? ଆଉ ବିନ୍ୟାମୀନ୍ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କାହିଁକି କହୁଅଛ?”
1SA 9:22 ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ।
1SA 9:23 ଏଉତ୍ତାରେ ଶାମୁୟେଲ ପାଚକକୁ କହିଲେ, “ମୁଁ ତୁମ୍ଭକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି, ତାହା ଆଣ।”
1SA 9:24 ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା, ତାହା ଆଣି ଶାଉଲଙ୍କ ଆଗରେ ଥୋଇଲା। ତହୁଁ ଶାମୁୟେଲ କହିଲେ, “ଦେଖ! ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର; ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି।” ତହିଁରେ ସେହି ଦିନ ଶାଉଲ ଶାମୁୟେଲଙ୍କ ସଙ୍ଗେ ଭୋଜନ କଲେ।
1SA 9:25 ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।
1SA 9:26 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କୁ ଡାକି କହିଲେ, “ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି।” ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ।
1SA 9:27 ଆଉ ସେମାନେ ନଗର-ପ୍ରାନ୍ତରେ ହେବା ବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ; (ତହୁଁ ସେ ଆଗେ ଗଲା); ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା।”
1SA 10:1 ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି?
1SA 10:2 ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନ୍‍ର ସୀମାସ୍ଥିତ ସେଲ୍‍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି, ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି?’
1SA 10:3 ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳିଛୁଆ, ଆଉ ଜଣେ ତିନୋଟି ରୁଟି, ପୁଣି, ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବେଥେଲ୍‍କୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;
1SA 10:4 ପୁଣି, ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ ଦୁଇଗୋଟି ରୁଟି ଦେବେ; ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ।
1SA 10:5 ଏଉତ୍ତାରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ, ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ଅଛନ୍ତି; ଆଉ, ସେଠାରେ ନଗର-ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ଦାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟଦ୍‍ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ; ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିବେ;
1SA 10:6 ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ଆକ୍ରାନ୍ତ କରିବେ, ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ।
1SA 10:7 ଏହିସବୁ ଚିହ୍ନ ତୁମ୍ଭ ପ୍ରତି ଘଟିଲେ, ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।
1SA 10:8 ମାତ୍ର ତୁମ୍ଭେ ମୋର ଆଗେ ଗିଲ୍‍ଗଲ୍‍କୁ ଯିବ; ଆଉ ଦେଖ, ମୁଁ ହୋମବଳି ଉତ୍ସର୍ଗ କରିବାକୁ ଓ ମଙ୍ଗଳାର୍ଥକ ବଳିଦାନ କରିବାକୁ ତୁମ୍ଭ କତିକି ଯିବି; ମୁଁ ତୁମ୍ଭ ନିକଟରେ ଉପସ୍ଥିତ ହୋଇ ତୁମ୍ଭର କର୍ତ୍ତବ୍ୟ ବିଷୟ ତୁମ୍ଭକୁ ଜ୍ଞାତ କରାଇବା ପର୍ଯ୍ୟନ୍ତ ତୁମ୍ଭେ ସାତ ଦିନ ବିଳମ୍ବ କରିବ।”
1SA 10:9 ଏଥିଉତ୍ତାରେ ସେ ଶାମୁୟେଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହି ଦିନ ସେସମସ୍ତ ଚିହ୍ନ ଘଟିଲା।
1SA 10:10 ଏଥିଉତ୍ତାରେ ସେମାନେ ସେସ୍ଥାନରେ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ଦଳ ଭବିଷ୍ୟଦ୍‍ବକ୍ତା ତାଙ୍କୁ ଭେଟିଲେ; ପୁଣି, ପରମେଶ୍ୱରଙ୍କ ଆତ୍ମା ତାଙ୍କୁ ଆକ୍ରାନ୍ତ କରନ୍ତେ, ସେ ସେମାନଙ୍କ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
1SA 10:11 ଏଥିରେ ଯେଉଁମାନେ ପୂର୍ବାବଧି ତାଙ୍କୁ ଜାଣିଥିଲେ, ସେସମସ୍ତେ ଯେତେବେଳେ ଦେଖିଲେ ଯେ, ଦେଖ, ସେ ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଅଛନ୍ତି, ସେତେବେଳେ ଲୋକମାନେ ପରସ୍ପର କହିଲେ, “କୀଶ୍‍ର ପୁତ୍ର ପ୍ରତି କଅଣ ଘଟିଲା?” ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ?
1SA 10:12 ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, “ଆଚ୍ଛା, ସେମାନଙ୍କ ପିତା କିଏ?” ଏହେତୁ “ଶାଉଲ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ପ୍ରବାଦ ହୋଇ ଉଠିଲା।
1SA 10:13 ତହୁଁ ସେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ସମାପ୍ତ କଲା ଉତ୍ତାରେ ଉଚ୍ଚସ୍ଥଳୀକି ଗଲେ।
1SA 10:14 ଏଥିଉତ୍ତାରେ ଶାଉଲଙ୍କର ପିତୃବ୍ୟ ତାଙ୍କୁ ଓ ତାଙ୍କର ଯୁବାକୁ ପଚାରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ?” ସେ କହିଲେ, “ଗଧ ଖୋଜିବା ପାଇଁ; ମାତ୍ର ସେମାନେ ମିଳିଲେ ନାହିଁ ବୋଲି ଦେଖି, ଆମ୍ଭେମାନେ ଶାମୁୟେଲଙ୍କ ନିକଟକୁ ଆସିଲୁ।”
1SA 10:15 ଏଥିରେ ଶାଉଲଙ୍କର ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଅଛି, ଶାମୁୟେଲ ତୁମ୍ଭମାନଙ୍କୁ କʼଣ କହିଲେ,” ମୋତେ କୁହ।
1SA 10:16 ତହିଁରେ ଶାଉଲ ଆପଣା ପିତୃବ୍ୟଙ୍କୁ କହିଲେ, “ଗଧସବୁ ମିଳିଲେ ବୋଲି ସେ ଆମ୍ଭମାନଙ୍କୁ ସ୍ପଷ୍ଟରୂପେ କହିଲେ।” ମାତ୍ର ରାଜତ୍ଵର ଯେଉଁ କଥା ଶାମୁୟେଲ କହିଥିଲେ, ତାହା ସେ ତାଙ୍କୁ ଜଣାଇଲେ ନାହିଁ।
1SA 10:17 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ମିସ୍ପାରେ ସଦାପ୍ରଭୁଙ୍କ ନିକଟକୁ ଏକତ୍ର ଡକାଇଲେ।
1SA 10:18 ଓ ସେ ଇସ୍ରାଏଲ-ସନ୍ତାନଗଣଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସରୀୟମାନଙ୍କ ହସ୍ତରୁ ଓ ଯେସକଳ ରାଜ୍ୟର ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ, ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ;’
1SA 10:19 ମାତ୍ର ତୁମ୍ଭମାନଙ୍କର ଯେଉଁ ପରମେଶ୍ୱର ଆପେ, ତୁମ୍ଭମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଳେଶରୁ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତି, ତୁମ୍ଭେମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହାହେଉ, ‘ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର,’ ଏହେତୁ ତୁମ୍ଭେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ।”
1SA 10:20 ଏଉତ୍ତାରେ ଶାମୁୟେଲ ଇସ୍ରାଏଲର ସମସ୍ତ ବଂଶକୁ ନିକଟକୁ ଅଣାନ୍ତେ, ବିନ୍ୟାମୀନ୍ ବଂଶ ନିର୍ଣ୍ଣୀତ ହେଲା।
1SA 10:21 ପୁଣି, ସେ ବିନ୍ୟାମୀନ୍ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ, ମଟ୍ରିର ଗୋଷ୍ଠୀ ନିର୍ଣ୍ଣୀତ ହେଲା ଓ ତହିଁ ମଧ୍ୟରୁ କୀଶ୍‍ର ପୁତ୍ର ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ, ସେ ମିଳିଲେ ନାହିଁ।
1SA 10:22 ଏନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ, “କି ଆଉ କୌଣସି ଲୋକ ଏଠାକୁ ଆସିବାର ଅଛି?” ତହିଁରେ ସଦାପ୍ରଭୁ ଉତ୍ତର କଲେ, “ଦେଖ, ସେ ସାମଗ୍ରୀ ମଧ୍ୟରେ ଆପଣାକୁ ଲୁଚାଇଅଛି।”
1SA 10:23 ତହୁଁ ସେମାନେ ଦୌଡ଼ିଯାଇ ସେଠାରୁ ତାଙ୍କୁ ଆଣିଲେ; ପୁଣି, ସେ ଲୋକମାନଙ୍କ ମଧ୍ୟରେ ଛିଡ଼ା ହୁଅନ୍ତେ, ଅନ୍ୟ ସକଳ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ହେଲେ।
1SA 10:24 ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଅଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ?” ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”
1SA 10:25 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ, ତହୁଁ ଶାମୁୟେଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣା ଆପଣା ଗୃହକୁ ବିଦାୟ କଲେ।
1SA 10:26 ପୁଣି, ଶାଉଲ ମଧ୍ୟ ଆପଣା ଗୃହ ଗିବୀୟାକୁ ଗଲେ; ଆଉ ପରମେଶ୍ୱର ଯେଉଁମାନଙ୍କର ହୃଦୟ ସ୍ପର୍ଶ କଲେ, ଏପରି ବିକ୍ରମଶାଳୀ ଲୋକମାନେ ତାଙ୍କ ସହିତ ଗମନ କଲେ।
1SA 10:27 ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, “ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ?” ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ।
1SA 11:1 ଏଥିଉତ୍ତାରେ ଅମ୍ମୋନୀୟ ନାହଶ୍‍ ଆସି ଯାବେଶ-ଗିଲୀୟଦ ସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍‍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା।”
1SA 11:2 ତହୁଁ ଅମ୍ମୋନୀୟ ନାହଶ୍‍ ସେମାନଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି।”
1SA 11:3 ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, “ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ।”
1SA 11:4 ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହି ସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ।
1SA 11:5 ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, “ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି?” ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ।
1SA 11:6 ସେହି କଥା ଶୁଣିବାମାତ୍ରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା।
1SA 11:7 ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, “ଯେକେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍‍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ।” ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।
1SA 11:8 ତେବେ ସେ ବେଷକରେ ସେମାନଙ୍କୁ ଗଣନା କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତିନି ଲକ୍ଷ ଓ ଯିହୁଦାର ତିରିଶ ହଜାର ଲୋକ ହେଲେ।
1SA 11:9 ଏଥିଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ-ଗିଲୀୟଦର ଲୋକମାନଙ୍କୁ କୁହ, କାଲି ଖରା ବେଳେ ତୁମ୍ଭେମାନେ ଉଦ୍ଧାର ପାଇବ;” ତହିଁରେ ଦୂତମାନେ ଆସି ଯାବେଶର ଲୋକମାନଙ୍କୁ ତାହା ଜଣାନ୍ତେ, ସେମାନେ ଆନନ୍ଦିତ ହେଲେ।
1SA 11:10 ଏନିମନ୍ତେ ଯାବେଶର ଲୋକମାନେ (ନାହଶ୍‍କୁ) କହିଲେ, “କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇ ଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ, ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ।”
1SA 11:11 ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ।
1SA 11:12 ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, “କିଏ କହୁଥିଲା କି, ‘ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ?’ ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା।”
1SA 11:13 ମାତ୍ର ଶାଉଲ କହିଲେ, “ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି।”
1SA 11:14 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଗିଲ୍‍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା।”
1SA 11:15 ତହିଁରେ ସମସ୍ତ ଲୋକ ଗିଲ୍‍ଗଲ୍‍କୁ ଗଲେ ଓ ସେହି ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି, ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ।
1SA 12:1 ଏଥିଉତ୍ତାରେ ଶାମୁୟେଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ତୁମ୍ଭମାନଙ୍କର ସେହି ରବ ଶୁଣିଲି ଓ ତୁମ୍ଭମାନଙ୍କ ଉପରେ ଏକ ଜଣକୁ ରାଜା କଲି।
1SA 12:2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।
1SA 12:3 ଦେଖ, ମୁଁ ଏଠାରେ ଅଛି; ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ, ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ; ମୁଁ କାହାର ଗୋରୁ ନେଇଅଛି? ଅବା ମୁଁ କାହାର ଗଧ ନେଇଅଛି? ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? କିଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି।”
1SA 12:4 ତହିଁରେ ସେମାନେ କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ।”
1SA 12:5 ତେଣୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, “ଏଥିରେ ଆଜି ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି;” ତହିଁରେ ସେମାନେ କହିଲେ, “ସାକ୍ଷୀ ଅଛନ୍ତି।”
1SA 12:6 ତହୁଁ ଶାମୁୟେଲ ଲୋକମାନଙ୍କୁ କହିଲେ, “ସେହି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ।
1SA 12:7 ଏହେତୁ ତୁମ୍ଭେମାନେ ଏହିକ୍ଷଣେ ଛିଡ଼ା ହୁଅ, ତୁମ୍ଭମାନଙ୍କ ପ୍ରତି ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କର କୃତ ସମସ୍ତ ଧର୍ମକର୍ମ ବିଷୟ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ସହିତ ବିବେଚନା କରିବି।
1SA 12:8 ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।
1SA 12:9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।
1SA 12:10 ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍‍ ଦେବଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ପୂଜା କରିଅଛୁ; ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା।’
1SA 12:11 ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲ୍‍‍କୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।
1SA 12:12 ଏଥିଉତ୍ତାରେ ଯେତେବେଳେ ତୁମ୍ଭେମାନେ ଦେଖିଲ ଯେ, ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍‍ ତୁମ୍ଭମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ ହେଁ ତୁମ୍ଭେମାନେ ମୋତେ କହିଲ; ‘ନାହିଁ, ମାତ୍ର ଜଣେ ରାଜା ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବ।’
1SA 12:13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।
1SA 12:14 ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ;
1SA 12:15 ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।
1SA 12:16 ଏହେତୁ ଏବେ ତୁମ୍ଭେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ମହତ କର୍ମ କରିବେ, ତାହା ଦେଖ।
1SA 12:17 ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।”
1SA 12:18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହି ଦିନ ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।
1SA 12:19 ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।”
1SA 12:20 ଏଥିରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟ ନ କର; ତୁମ୍ଭେମାନେ ଏହି ସମସ୍ତ ମନ୍ଦତା କରିଅଛ, ପ୍ରମାଣ; ତଥାପି ସଦାପ୍ରଭୁଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର;
1SA 12:21 ପୁଣି, ତୁମ୍ଭେମାନେ ବିପଥଗାମୀ ନ ହୁଅ; ଯଦି ହୁଅ, ତେବେ ତୁମ୍ଭେମାନେ ଅବସ୍ତୁସକଳର ଅନୁଗାମୀ ହେବ; ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ।
1SA 12:22 ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।
1SA 12:23 ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।
1SA 12:24 କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି, ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର; କାରଣ ଦେଖ, ସେ ତୁମ୍ଭମାନଙ୍କ ନିମନ୍ତେ କିପରି ମହତ କର୍ମମାନ କରିଅଛନ୍ତି।
1SA 12:25 ମାତ୍ର ଯେବେ ତୁମ୍ଭେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଉଭୟ ବିନଷ୍ଟ ହେବ।”
1SA 13:1 ଶାଉଲ ତିରିଶ ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ।
1SA 13:2 ପୁଣି, ଶାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ; ଏମାନଙ୍କର ଦୁଇ ହଜାର ମିକ୍‍ମସ୍‍ରେ ଓ ବେଥେଲ୍‍ ପର୍ବତରେ ଶାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଯୋନାଥନ ସଙ୍ଗରେ ରହିଲେ; ପୁଣି, ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ।
1SA 13:3 ଆଉ ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣିଲେ। ସେତେବେଳେ ଶାଉଲ ଦେଶର ସର୍ବତ୍ର ତୂରୀ ବଜାଇ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ।”
1SA 13:4 ତହୁଁ ଶାଉଲ ଯେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରିଅଛନ୍ତି ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟୀୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ଶାଉଲଙ୍କ ପାଖରେ ଗିଲ୍‍ଗଲ୍‍ରେ ଏକତ୍ର ହେଲେ।
1SA 13:5 ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଓ ସମୁଦ୍ରତୀରସ୍ଥ ବାଲୁକାର ନ୍ୟାୟ ଲୋକସମୂହ ଏକତ୍ର ହେଲେ; ସେମାନେ ଆସି ମିକ୍‍ମସ୍‍ରେ ବେଥ୍-ଆବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
1SA 13:6 ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ।
1SA 13:7 ଏହି ସମୟରେ ଏବ୍ରୀୟମାନଙ୍କର କେତେକ ଲୋକ ଯର୍ଦ୍ଦନ ପାର ହୋଇ ଗାଦ୍‍ ଓ ଗିଲୀୟଦ ଦେଶକୁ ଯାଇଥିଲେ; ମାତ୍ର ଶାଉଲ ଏଯାଏ ଗିଲ୍‍ଗଲ୍‍ରେ ଥିଲେ, ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାଦ୍‍ଗାମୀ ହେଲେ।
1SA 13:8 ଏଉତ୍ତାରେ ଶାମୁୟେଲଙ୍କର ନିରୂପିତ ସମୟାନୁସାରେ ଶାଉଲ ସାତ ଦିନ ବିଳମ୍ବ କଲେ; ମାତ୍ର ଶାମୁୟେଲ ଗିଲ୍‍ଗଲ୍‍କୁ ଆସିଲେ ନାହିଁ; ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ।
1SA 13:9 ଏଥିରେ ଶାଉଲ କହିଲେ, “ଏଠାରେ ମୋʼ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ।” ଆଉ ସେ ହୋମବଳି ଉତ୍ସର୍ଗ କଲେ।
1SA 13:10 ପୁଣି, ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ରେ ଦେଖ, ଶାମୁୟେଲ ଉପସ୍ଥିତ ହେଲେ; ତହିଁରେ ଶାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ।
1SA 13:11 ଏଥିରେ ଶାମୁୟେଲ କହିଲେ, “ତୁମ୍ଭେ କଅଣ କଲ?” ଶାଉଲ ଉତ୍ତର କଲେ, “ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍‍ମସ୍‍ରେ ଏକତ୍ର ହୋଇଅଛନ୍ତି;
1SA 13:12 ଏଥିପାଇଁ ମୁଁ କହିଲି, ‘ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍‍ଗଲ୍‍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ।’ ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।”
1SA 13:13 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ।
1SA 13:14 ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ।”
1SA 13:15 ଏଥିଉତ୍ତାରେ ଶାମୁୟେଲ ଉଠି ଗିଲ୍‍ଗଲ୍‍ରୁ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାକୁ ଗଲେ। ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ।
1SA 13:16 ପୁଣି, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗେବାରେ ରହିଲେ; ମାତ୍ର ପଲେଷ୍ଟୀୟମାନେ ମିକ୍‍ମସ୍‍ରେ ଛାଉଣି ସ୍ଥାପନ କଲେ।
1SA 13:17 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ; ଏକ ଦଳ ଅଫ୍ରା ପଥରେ ଗମନ କରି ଶୂୟାଲ ପ୍ରଦେଶକୁ ଗଲେ;
1SA 13:18 ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।
1SA 13:19 ସେସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁ ନ ଥିଲେ; କାରଣ ପଲେଷ୍ଟୀୟମାନେ କହିଲେ, “କେଜାଣି ଏବ୍ରୀୟମାନେ ଆପଣାମାନଙ୍କ ପାଇଁ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିବେ;”
1SA 13:20 ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁହ୍ରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା;
1SA 13:21 ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁହ୍ରାଡ଼ି ଦନ୍ଥଡ଼ା ହୋଇଥାଏ; ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର (ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା)।
1SA 13:22 ଏଣୁ ଯୁଦ୍ଧ ସମୟରେ ଶାଉଲ ଓ ଯୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନ ଥିଲା; କେବଳ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା।
1SA 13:23 ଏଉତ୍ତାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ବାହାର ହୋଇ ମିକ୍‍ମସ୍‍ ଘାଟିକୁ ଗଲେ।
1SA 14:1 ଏକ ଦିନ ଶାଉଲଙ୍କର ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେପାଖସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ।” ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ।
1SA 14:2 ସେସମୟରେ ଶାଉଲ ଗିବୀୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବ ବୃକ୍ଷ ମୂଳରେ ଥିଲେ; ପୁଣି, ଊଣାଧିକ ଛଅ ଶହ ଲୋକ ତାଙ୍କ ସଙ୍ଗରେ ଥିଲେ;
1SA 14:3 ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସ୍‍ର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବ୍‍ର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।
1SA 14:4 ପୁଣି, ଯୋନାଥନ ଯେଉଁ ଘାଟି ଦେଇ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯିବାକୁ ଚେଷ୍ଟା କଲା, ତହିଁର ମଧ୍ୟସ୍ଥଳରେ ଏକପାଖେ ଦନ୍ତାକାର ଏକ ଶୈଳ ଓ ଅନ୍ୟ ପାଖେ ଦନ୍ତାକାର ଏକ ଶୈଳ ଥିଲା; ତହିଁର ଏକର ନାମ ବୋତ୍‍ସେସ ଓ ଅନ୍ୟର ନାମ ସେନି।
1SA 14:5 ତହିଁ ମଧ୍ୟରୁ ଏକ ସ୍ତମ୍ଭାକାର ଦନ୍ତ ଉତ୍ତର ଆଡ଼ ମିକ୍‍ମସ୍‍ର ଅଭିମୁଖରେ ଓ ଅନ୍ୟଟି ଦକ୍ଷିଣ ଆଡ଼େ ଗେବା ଅଭିମୁଖରେ ଥିଲା।
1SA 14:6 ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।”
1SA 14:7 ତହିଁରେ ତାହାର ଅସ୍ତ୍ରବାହକ କହିଲା, “ତୁମ୍ଭ ମନରେ ଯାହା ଅଛି, ସବୁ କର; ଚାଲ, ଦେଖ ଆମ୍ଭେ ତୁମ୍ଭ ମନ ପରି ତୁମ୍ଭ ସଙ୍ଗରେ ଅଛୁ।”
1SA 14:8 ତେବେ ଯୋନାଥନ କହିଲା, “ଦେଖ, ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା।
1SA 14:9 ଯେବେ ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ କତିକି ଆସିବା;’ ତେବେ ଆମ୍ଭେମାନେ ଆପଣା ଆପଣା ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ନିକଟକୁ ଉଠି ଯିବା ନାହିଁ।
1SA 14:10 ମାତ୍ର ‘ଆମ୍ଭମାନଙ୍କ ନିକଟକୁ ଉଠି ଆସ’ ବୋଲି ଯେବେ ସେମାନେ କହିବେ, ତେବେ ଆମ୍ଭେମାନେ ଉଠି ଯିବା; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ; ଆଉ, ଏହା ଆମ୍ଭମାନଙ୍କ ପ୍ରତି ଚିହ୍ନ ହେବ।”
1SA 14:11 ତହୁଁ ସେ ଦୁହେଁ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟରେ ଆପଣାମାନଙ୍କୁ ଦେଖାଇଲେ; ଏଥିରେ ପଲେଷ୍ଟୀୟମାନେ କହିଲେ, “ଏହି ଦେଖ, ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାଡ଼ରେ ଲୁଚିଥିଲେ, ସେଠାରୁ ଏବେ ବାହାରି ଆସୁଅଛନ୍ତି।”
1SA 14:12 ପୁଣି, ପ୍ରହରୀ ଦଳୀୟ ଲୋକମାନେ ଯୋନାଥନକୁ ଓ ତାହାର ଅସ୍ତ୍ରବାହକକୁ ଉତ୍ତର କରି କହିଲେ, “ଆମ୍ଭମାନଙ୍କ କତିକି ଉଠି ଆସ, ଆମ୍ଭେମାନେ ତୁମ୍ଭମାନଙ୍କୁ ଗୋଟିଏ କୌତୁକ ଦେଖାଇବା।” ଏଥିରେ ଯୋନାଥନ ଆପଣା ଅସ୍ତ୍ରବାହକକୁ କହିଲା, “ମୋʼ ପଛେ ପଛେ ଉଠି ଆସ; କାରଣ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେଣି।”
1SA 14:13 ଏଥିରେ ଯୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲା ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା; ତହିଁରେ ସେହି ଲୋକମାନେ ଯୋନାଥନର ଆଗେ ଆଗେ ପତିତ ହେଲେ, ପୁଣି, ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଧ କରିବାକୁ ଲାଗିଲା।
1SA 14:14 ଯୋନାଥନ ଓ ତାହାର ଅସ୍ତ୍ରବାହକର କୃତ ଏହି ପ୍ରଥମ ହତ୍ୟାରେ ପ୍ରାୟ ଅର୍ଦ୍ଧ ଏକର ଭୂମିରେ ଊଣାଧିକ କୋଡ଼ିଏ ଜଣ ହତ ହେଲେ।
1SA 14:15 ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା; ପ୍ରହରୀ-ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା; ଏହିରୂପେ ଘୋରତର ମହାକମ୍ପ ହେଲା।
1SA 14:16 ସେତେବେଳେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଶାଉଲଙ୍କର ପ୍ରହରୀମାନେ ଅନାଇଲେ; ଆଉ ଦେଖ, ଲୋକଗହଳ ଭାଙ୍ଗିଯାଇ ଏଆଡ଼େ ସେଆଡ଼େ ଯାଉଅଛନ୍ତି।
1SA 14:17 ତେଣୁ ଶାଉଲ ଆପଣା ସଙ୍ଗୀ ଲୋକମାନଙ୍କୁ କହିଲେ, “ଏବେ ଗଣନା କରି ଦେଖିଲ, ଆମ୍ଭମାନଙ୍କ ମଧ୍ୟରୁ କିଏ ଯାଇଅଛି?” ତହିଁରେ ସେମାନେ ଗଣନା କରନ୍ତେ, ଦେଖ, ଯୋନାଥନ ଓ ତାହାର ଅସ୍ତ୍ରବାହକ ନାହାନ୍ତି।
1SA 14:18 ତହୁଁ ଶାଉଲ ଅହୀୟକୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ,” କାରଣ, ସେସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।
1SA 14:19 ପୁଣି, ଶାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ, ପଲେଷ୍ଟୀୟମାନଙ୍କ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା; ତହିଁରେ ଶାଉଲ ଯାଜକକୁ କହିଲେ, “କର୍ମ ବନ୍ଦ କର।”
1SA 14:20 ତହୁଁ ଶାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକୁ ଗଲେ; ସେତେବେଳେ ଦେଖ, ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଅଛି ଓ ମହା କୋଳାହଳ ହେଉଅଛି।
1SA 14:21 ଆହୁରି, ଯେଉଁ ଏବ୍ରୀୟମାନେ ଚାରିଆଡ଼ସ୍ଥ ଦେଶରୁ ପଲେଷ୍ଟୀୟମାନଙ୍କ ଛାଉଣିକୁ ଯାଇ ପୂର୍ବ ପରି ସେମାନଙ୍କ ସହିତ ଥିଲେ, ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକମାନଙ୍କ ସଙ୍ଗୀ ହେବା ପାଇଁ ଫେରି ଆସିଲେ।
1SA 14:22 ସେହିପରି ଯେଉଁ ଇସ୍ରାଏଲ ଲୋକମାନେ ଇଫ୍ରୟିମର ପର୍ବତମୟ ଦେଶରେ ଲୁଚି ରହିଥିଲେ, ସେସମସ୍ତେ ମଧ୍ୟ ପଲେଷ୍ଟୀୟମାନଙ୍କ ପଳାୟନ ସମ୍ବାଦ ଶୁଣି ଯୁଦ୍ଧସ୍ଥଳରେ ସେମାନଙ୍କ ପଛେ ପଛେ ଦୌଡ଼ି ଲାଗି ରହିଲେ।
1SA 14:23 ଏହିରୂପେ ସଦାପ୍ରଭୁ ସେହି ଦିନ ଇସ୍ରାଏଲକୁ ଉଦ୍ଧାର କଲେ ଓ ବେଥ୍-ଆବନର ପାର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା।
1SA 14:24 ପୁଣି, ସେହି ଦିନ ଇସ୍ରାଏଲ ଲୋକମାନେ ବଡ଼ କଷ୍ଟ ଭୋଗିଲେ; ତଥାପି ଶାଉଲ ଲୋକମାନଙ୍କୁ ଏହି ଶପଥ କରାଇଲେ, “ସନ୍ଧ୍ୟା ପର୍ଯ୍ୟନ୍ତ, ଅର୍ଥାତ୍‍, ମୁଁ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ଯେଉଁ ଲୋକ କିଛି ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ।” ଏହେତୁ ଲୋକମାନଙ୍କର କେହି ଖାଦ୍ୟଦ୍ରବ୍ୟ ଆସ୍ୱାଦନ କଲା ନାହିଁ।
1SA 14:25 ପୁଣି, ସମସ୍ତ ଲୋକମାନେ ବନକୁ ଆସିଲେ; ମୃତ୍ତିକା ଉପରେ ମହୁ ଥିଲା।
1SA 14:26 ଆଉ ଲୋକମାନେ ବନରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ମହୁର ଝରଣା; ମାତ୍ର କେହି ଆପଣା ମୁହଁକୁ ହାତ ନେଲା ନାହିଁ; କାରଣ ଲୋକମାନେ ସେହି ଶପଥକୁ ଭୟ କଲେ।
1SA 14:27 ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।
1SA 14:28 ସେତେବେଳେ ଲୋକମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ତୁମ୍ଭ ପିତା ଲୋକମାନଙ୍କୁ ଦୃଢ଼ ରୂପେ ଏହି ଶପଥ କରାଇଅଛନ୍ତି ଯେ, ‘ଆଜି ଯେଉଁ ଜନ ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ।’ ମାତ୍ର ଲୋକମାନେ କ୍ଳାନ୍ତ ହୋଇଅଛନ୍ତି।”
1SA 14:29 ତହିଁରେ ଯୋନାଥନ କହିଲା, “ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!
1SA 14:30 ଯେବେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପ୍ରାପ୍ତ ଲୁଟଦ୍ରବ୍ୟରୁ ଆଜି ସ୍ୱଚ୍ଛନ୍ଦରେ ଭୋଜନ କରିବାକୁ ପାଇଥାଆନ୍ତେ, ତେବେ କେତେ ଅଧିକ ଭଲ ହୁଅନ୍ତା? କାରଣ ଏବେ ତ ପଲେଷ୍ଟୀୟମାନଙ୍କ ମଧ୍ୟରେ କୌଣସି ମହାହତ୍ୟା ହୋଇ ନାହିଁ।”
1SA 14:31 ପୁଣି, ସେଦିନ ସେମାନେ ମିକ୍‍ମସ୍‍ଠାରୁ ଅୟାଲୋନ୍‍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ; ତହିଁରେ ଲୋକମାନେ ଅତିଶୟ କ୍ଳାନ୍ତ ହେଲେ।
1SA 14:32 ଏହେତୁ ଲୋକମାନେ ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲେ, ପୁଣି, ମେଣ୍ଢା, ଗୋରୁ ଓ ବାଛୁରି ନେଇ ଭୂମିରେ ବଧ କଲେ; ତହୁଁ ସେମାନେ ରକ୍ତ ସମେତ ତାହା ଭୋଜନ କଲେ।
1SA 14:33 ଏଥିରେ କେହି କେହି ଶାଉଲଙ୍କୁ କହିଲେ, ଦେଖନ୍ତୁ, ଲୋକମାନେ ରକ୍ତ ସମେତ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି। ତହିଁରେ ସେ କହିଲେ, “ତୁମ୍ଭେମାନେ ବିଶ୍ୱାସଘାତକ କର୍ମ କରିଅଛ; ଏହିକ୍ଷଣେ ମୋହର ପାଖକୁ ଗୋଟିଏ ବଡ଼ ପଥର ଗଡ଼ାଇ ଆଣ।”
1SA 14:34 ଆହୁରି ଶାଉଲ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଯାଇ ସେମାନଙ୍କୁ କୁହ, ‘ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଗୋରୁ ଓ ଆପଣା ଆପଣା ମେଷ ଏଠାକୁ ମୋʼ କତିକି ଆଣି ବଧ କରି ଭୋଜନ କର; ମାତ୍ର ରକ୍ତ ସମେତ ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ ନ କର।’” ତହିଁରେ ସେହି ରାତ୍ରି ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୋରୁ ସଙ୍ଗରେ ଆଣି ସେଠାରେ ବଧ କଲେ।
1SA 14:35 ପୁଣି, ଶାଉଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ନିର୍ମିତ ପ୍ରଥମ ଯଜ୍ଞବେଦି ଏହି।
1SA 14:36 ଏଉତ୍ତାରେ ଶାଉଲ କହିଲେ, “ଆସ, ଆମ୍ଭେମାନେ ରାତ୍ରି ବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ଯାଇ ସକାଳ ଆଲୁଅ ପର୍ଯ୍ୟନ୍ତ ସେମାନଙ୍କ ଦ୍ରବ୍ୟ ଲୁଟୁ ଓ ସେମାନଙ୍କର ଜଣକୁ ହିଁ ବାକି ନ ରଖୁ।” ତହିଁରେ ସେମାନେ କହିଲେ, “ତୁମ୍ଭ ଦୃଷ୍ଟିରେ ଯାହା ଭଲ,” ତାହାସବୁ କର। ତେବେ ଯାଜକ କହିଲା, “ଆସ, ଆମ୍ଭେମାନେ ଏହି ସ୍ଥାନରେ ପରମେଶ୍ୱରଙ୍କ ନିକଟରେ ଉପସ୍ଥିତ ହେଉ।”
1SA 14:37 ତହୁଁ ଶାଉଲ ପରମେଶ୍ୱରଙ୍କ ନିକଟରେ ପଚାରିଲେ, “ମୁଁ କʼଣ ପଲେଷ୍ଟୀୟମାନଙ୍କ ପଛରେ ଯିବି? ତୁମ୍ଭେ କʼଣ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରିବ?” ମାତ୍ର ସେଦିନ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
1SA 14:38 ତହିଁରେ ଶାଉଲ କହିଲେ, “ହେ ଲୋକମାନଙ୍କ ପ୍ରଧାନ ସମସ୍ତେ, ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହୁଅ; ଆଜିର ଏହି ପାପ କିପରି ହେଲା, ଏହା ବିବେଚନା କରି ଦେଖ।
1SA 14:39 କାରଣ ଯେ ଇସ୍ରାଏଲକୁ ଉଦ୍ଧାର କରନ୍ତି, ମୁଁ ସେହି ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ଯେବେ ସେ ପାପ ମୋହର ପୁତ୍ର ଯୋନାଥନଠାରେ ଥାଏ, ତେବେ ସେ ନିତାନ୍ତ ମରିବ।” ମାତ୍ର ସମୁଦାୟ ଲୋକଙ୍କ ମଧ୍ୟରୁ କେହି ତାଙ୍କୁ ଉତ୍ତର ଦେଲା ନାହିଁ।
1SA 14:40 ଏଥିରେ ଶାଉଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, “ତୁମ୍ଭେମାନେ ଏକ ପାଖରେ ଥାଅ, ପୁଣି, ମୁଁ ଓ ମୋର ପୁତ୍ର ଯୋନାଥନ ଅନ୍ୟ ପାଖରେ ଥିବା।” ତହିଁରେ ଲୋକମାନେ ଶାଉଲଙ୍କୁ କହିଲେ, “ତୁମ୍ଭ ଦୃଷ୍ଟିରେ ଯାହା ଭଲ, ତାହା କର।”
1SA 14:41 ଏନିମନ୍ତେ ଶାଉଲ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ କହିଲେ, “ଯଥାର୍ଥ (ନିଷ୍ପତ୍ତି) ଦିଅ।” ତହିଁରେ ଯୋନାଥନ ଓ ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ଲୋକମାନେ ଛାଡ଼ ପାଇଲେ।
1SA 14:42 ଏଉତ୍ତାରେ ଶାଉଲ କହିଲେ, “ମୋହର ଓ ମୋର ପୁତ୍ର ଯୋନାଥନର ମଧ୍ୟରେ ଗୁଲିବାଣ୍ଟ କର,” ତହିଁରେ ଯୋନାଥନ ନିର୍ଣ୍ଣୀତ ହେଲା।
1SA 14:43 ସେତେବେଳେ ଶାଉଲ ଯୋନାଥନକୁ କହିଲେ, “ତୁମ୍ଭେ କଅଣ କରିଅଛ, ମୋତେ ଜଣାଅ।” ତହିଁରେ ଯୋନାଥନ ତାଙ୍କୁ ଜଣାଇ କହିଲା, “ମୁଁ ଆପଣା ହାତରେ ଥିବା ଯଷ୍ଟିର ଅଗ୍ରଭାଗରେ ଅଳ୍ପ ମହୁ ନେଇ ଆସ୍ୱାଦନ କରିଅଛି ପ୍ରମାଣ; ଆଉ ଦେଖନ୍ତୁ, ମୁଁ ମରିବି।”
1SA 14:44 ତେବେ ଶାଉଲ କହିଲେ, “ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତାନ୍ତ ମରିବ।”
1SA 14:45 ଏଥିରେ ଲୋକମାନେ ଶାଉଲଙ୍କୁ କହିଲେ, “ଇସ୍ରାଏଲ ମଧ୍ୟରେ ଯେ ଏହି ମହା ଉଦ୍ଧାର ସାଧନ କରିଅଛି, ସେହି ଯୋନାଥନ କʼଣ ମରିବ? ଏହା ଦୂରେ ଥାଉ; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତାହାର ମସ୍ତକର ଗୋଟିଏ କେଶ ହିଁ ତଳେ ପଡ଼ିବ ନାହିଁ; କାରଣ, ସେ ଆଜି ପରମେଶ୍ୱରଙ୍କ ସହିତ କର୍ମ କରିଅଛି;” ଏହିରୂପେ ଲୋକମାନେ ଯୋନାଥନକୁ ମୁକ୍ତ କରିବାରୁ ତାହାର ମୃତ୍ୟୁୁ ହେଲା ନାହିଁ।
1SA 14:46 ଏଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍‍ଗମନରୁ ଫେରିଗଲେ ଓ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଗଲେ।
1SA 14:47 ଶାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତାରେ, ସେ ଆପଣା ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍‍, ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ଇଦୋମ ଓ ସୋବାର ରାଜାଗଣ ଓ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ, ସେଆଡ଼େ ଦଣ୍ଡ ଦେଲେ।
1SA 14:48 ପୁଣି, ସେ ବୀରତ୍ୱ ପ୍ରକାଶ କଲେ ଓ ଅମାଲେକୀୟମାନଙ୍କୁ ସଂହାର କଲେ ଓ ଇସ୍ରାଏଲର ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କଲେ।
1SA 14:49 ଯୋନାଥନ ଓ ଯିଶ୍‍ବି ଓ ମଲ୍‍କୀଶୂୟ ଶାଉଲଙ୍କର ପୁତ୍ର ଥିଲେ; ଆଉ ତାଙ୍କର ଦୁଇ କନ୍ୟାର ନାମ ଏହି; ଜ୍ୟେଷ୍ଠାର ନାମ ମେରବ୍‍ ଓ କନିଷ୍ଠାର ନାମ ମୀଖଲ,
1SA 14:50 ଶାଉଲଙ୍କର ଭାର୍ଯ୍ୟାର ନାମ ଅହୀନୋୟମ୍‍, ସେ ଅହୀମାସର କନ୍ୟା; ପୁଣି, ତାଙ୍କର ସେନାପତିର ନାମ ଅବ୍‍ନର, ସେ ଶାଉଲଙ୍କର ପିତୃବ୍ୟ, ନେର୍‍ର ପୁତ୍ର।
1SA 14:51 ଆଉ ଶାଉଲଙ୍କର ପିତା କୀଶ୍‍ ଓ ଅବ୍‍ନରର ପିତା ନେର୍‍, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ।
1SA 14:52 ଶାଉଲଙ୍କର ଯାବଜ୍ଜୀବନ ପଲେଷ୍ଟୀୟମାନଙ୍କ ସହିତ ଘୋରତର ଯୁଦ୍ଧ ହେଲା; ଏହେତୁ ଶାଉଲ କୌଣସି ବୀର କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣା ନିକଟରେ ସଂଗ୍ରହ କଲେ।
1SA 15:1 ଏଥିଉତ୍ତାରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।
1SA 15:2 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲ ମିସରରୁ ବାହାରି ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତାହା ବିରୁଦ୍ଧରେ ଉଠି ତାହା ପ୍ରତି ଯାହା କରିଥିଲା, ଆମ୍ଭେ ତହିଁର ତତ୍ତ୍ୱାନୁସନ୍ଧାନ କରିଅଛୁ।
1SA 15:3 ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।’”
1SA 15:4 ଏଥିଉତ୍ତାରେ ଶାଉଲ ଲୋକମାନଙ୍କୁ ଡକାଇ ଟଲାୟୀମରେ ସେମାନଙ୍କର ଗଣନା କଲେ, ତହିଁରେ ଦୁଇ ଲକ୍ଷ ପଦାତିକ ଓ ଯିହୁଦାର ଦଶ ସହସ୍ର ଲୋକ ହେଲେ,
1SA 15:5 ତହୁଁ ଶାଉଲ ଅମାଲେକ ନଗରକୁ ଆସି ଉପତ୍ୟକାରେ ଛକି ବସିଲେ।
1SA 15:6 ପୁଣି, ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମ୍ଭମାନଙ୍କୁ ବିନାଶ କରିବି; କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ, ତୁମ୍ଭେମାନେ ସେସମସ୍ତଙ୍କ ପ୍ରତି ଦୟା କରିଥିଲ।” ତହିଁରେ କେନୀୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ।
1SA 15:7 ଏଉତ୍ତାରେ ଶାଉଲ ହବୀଲାଠାରୁ ମିସର ସମ୍ମୁଖସ୍ଥ ଶୂରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆଘାତ କଲେ।
1SA 15:8 ପୁଣି, ସେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରିଲେ ଓ ଲୋକ ସମସ୍ତଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
1SA 15:9 ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।
1SA 15:10 ଏଉତ୍ତାରେ ଶାମୁୟେଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା;
1SA 15:11 “ଆମ୍ଭେ ଯେ ଶାଉଲକୁ ରାଜା କଲୁ, ଏଥିପାଇଁ ଆମ୍ଭେ ଦୁଃଖିତ; କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରି ନାହିଁ।” ଏଥିରେ ଶାମୁୟେଲ କ୍ରୁଦ୍ଧ ହେଲେ, ତଥାପି ସମସ୍ତ ରାତ୍ରି ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
1SA 15:12 ପୁଣି, ଶାମୁୟେଲ ଶାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ, ତହୁଁ ଶାମୁୟେଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ, “ଶାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ, ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି, ପ୍ରସ୍ଥାନ କରି ଗିଲ୍‍ଗଲ୍‍କୁ ବାହାରି ଯାଇଅଛନ୍ତି।”
1SA 15:13 ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି, ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।”
1SA 15:14 ତହିଁରେ ଶାମୁୟେଲ କହିଲେ, “ତେବେ ମୋʼ କର୍ଣ୍ଣରେ ଯେ ମେଷରବ ହେଉଛି ଓ ମୁଁ ଯେ ଗୋରୁ-ରବ ଶୁଣୁଛି, ଏଥିର ଅର୍ଥ କଅଣ?”
1SA 15:15 ତହୁଁ ଶାଉଲ କହିଲେ, “ସେମାନେ ଅମାଲେକୀୟମାନଙ୍କଠାରୁ ସେସବୁ ଆଣିଛନ୍ତି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଦୟା କଲେ; ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛୁ।”
1SA 15:16 ସେତେବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ତାହା ଛାଡ଼, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି, ତାହା ମୁଁ ତୁମ୍ଭକୁ ଜଣାଇବି।” ଏଥିରେ ସେ କହିଲେ, “କୁହ।”
1SA 15:17 ତେଣୁ ଶାମୁୟେଲ କହିଲେ, “କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶସମୂହର ମସ୍ତକ ହୋଇ ନାହଁ? ପୁଣି, ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ;
1SA 15:18 ଆଉ ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କର, ଆଉ ସେମାନେ ନିଃଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର।’
1SA 15:19 ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲ?”
1SA 15:20 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।
1SA 15:21 ମାତ୍ର ଲୋକମାନେ ଗିଲ୍‍ଗଲ୍‍ରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ବିନାଶାର୍ଥେ ବର୍ଜିତ ଦ୍ରବ୍ୟ ମଧ୍ୟରୁ ଲୁଟ ରୂପେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ନେଲେ।”
1SA 15:22 ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।
1SA 15:23 ଯେହେତୁ ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
1SA 15:24 ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।
1SA 15:25 ଏହେତୁ ବିନୟ କରୁଅଛି, ଏବେ ମୋʼ ପାପ କ୍ଷମା କର ଓ ମୁଁ ଯେପରି ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
1SA 15:26 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରିଯିବି ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
1SA 15:27 ଏଥିରେ ଶାଉଲଙ୍କୁ ଚାଲିଯିବା ପାଇଁ ମୁଖ ଫେରାନ୍ତେ, ସେ ତାଙ୍କ ଚୋଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
1SA 15:28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।
1SA 15:29 ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।”
1SA 15:30 ତେବେ ସେ କହିଲେ, “ଆମ୍ଭେ ପାପ କରିଅଛୁ; ତଥାପି ଏବେ ମୋହର ଲୋକମାନଙ୍କ ପ୍ରାଚୀନବର୍ଗ ଓ ଇସ୍ରାଏଲ ସମ୍ମୁଖରେ ମୋହର ଗୌରବ ରଖ ଓ ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
1SA 15:31 ତହିଁରେ ଶାମୁୟେଲ ଶାଉଲଙ୍କର ପଶ୍ଚାତ୍‍ ଫେରିଯାଆନ୍ତେ, ଶାଉଲ ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କଲେ।
1SA 15:32 ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଏଠାରେ ଆମ୍ଭ ନିକଟକୁ ଆଣ।” ତହିଁରେ ଅଗାଗ ଖୁସି ହୋଇ ତାଙ୍କ ନିକଟକୁ ଆସିଲା; କାରଣ ଅଗାଗ କହିଲା, “ଅବଶ୍ୟ ମୃତ୍ୟୁର ତିକ୍ତତା ଗଲା।”
1SA 15:33 ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।
1SA 15:34 ଏଥିଉତ୍ତାରେ ଶାମୁୟେଲ ରାମାକୁ ଗଲେ; ପୁଣି, ଶାଉଲ ଗିବୀୟା-ଶାଉଲରେ ସ୍ଥିତ ଆପଣା ଗୃହକୁ ଗଲେ।
1SA 15:35 ମାତ୍ର ଶାଉଲଙ୍କର ମରଣ ଦିନ ପର୍ଯ୍ୟନ୍ତ ଶାମୁୟେଲ ଆଉ ତାଙ୍କୁ ସାକ୍ଷାତ କଲେ ନାହିଁ; କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ; ପୁଣି, ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଦୁଃଖିତ ହେଲେ।
1SA 16:1 ଏଥିଉତ୍ତାରେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା, କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ।”
1SA 16:2 ତହିଁରେ ଶାମୁୟେଲ କହିଲେ, “ମୁଁ କିପରି ଯାଇ ପାରିବି? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।” ଆଉ ସଦାପ୍ରଭୁ କହିଲେ, “ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ।’
1SA 16:3 ପୁଣି, ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର, ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା, ପୁଣି, ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ।”
1SA 16:4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, “ଆପଣଙ୍କ ଆଗମନ କୁଶଳ?”
1SA 16:5 ସେ କହିଲେ, କୁଶଳ; “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି; ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର, ପୁଣି, ମୋʼ ସଙ୍ଗେ ବଳିଦାନ କରିବାକୁ ଆସ।” ଏଉତ୍ତାରେ ସେ ଯିଶୀକୁ ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
1SA 16:6 ପୁଣି, ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ୍‍ ପ୍ରତି ଦୃଷ୍ଟି କରି କହିଲେ, “ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ।”
1SA 16:7 ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି;”
1SA 16:8 ଏଉତ୍ତାରେ ଯିଶୀ ଅବୀନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା। ତହିଁରେ ଶାମୁୟେଲ କହିଲେ, “ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି।”
1SA 16:9 ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, “ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି।”
1SA 16:10 ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”
1SA 16:11 ଏଉତ୍ତାରେ ଶାମୁୟେଲ ଯିଶୀକୁ କହିଲେ, “ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି?” ସେ କହିଲା, “କେବଳ କନିଷ୍ଠଟି ବାକି ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି।” ତହିଁରେ ଶାମୁୟେଲ ଯିଶୀକୁ କହିଲେ, “ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ।”
1SA 16:12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, “ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।”
1SA 16:13 ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।
1SA 16:14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି, ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।
1SA 16:15 ଏଉତ୍ତାରେ ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି।
1SA 16:16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।”
1SA 16:17 ତହୁଁ ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଚ୍ଛା, ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼ ନିକଟକୁ ଆଣ।”
1SA 16:18 ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା; “ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି, ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।”
1SA 16:19 ଏହେତୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, “ତୁମ୍ଭର ପୁତ୍ର ଦାଉଦ, ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋʼ ନିକଟକୁ ପଠାଇଦିଅ।”
1SA 16:20 ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।
1SA 16:21 ତହୁଁ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ; ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ।
1SA 16:22 ଏଉତ୍ତାରେ ଶାଉଲ ଯିଶୀକୁ କହି ପଠାଇଲେ, ବିନୟ କରୁଅଛି, “ଦାଉଦଙ୍କୁ ମୋʼ ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛି।”
1SA 16:23 ଏଣୁ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି; ତହିଁରେ ଶାଉଲ ଆଶ୍ୱାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି, ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।
1SA 17:1 ଏଥିଉତ୍ତାରେ ପଲେଷ୍ଟୀୟମାନେ ଯୁଦ୍ଧ କରିବାକୁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ, ଆଉ ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍‍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
1SA 17:2 ପୁଣି, ଶାଉଲ ଓ ଇସ୍ରାଏଲ ଲୋକମାନେ ସଂଗୃହୀତ ହୋଇ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ।
1SA 17:3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲୀୟମାନେ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ; ପୁଣି, ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
1SA 17:4 ଏଥିରେ ଗାଥ୍‍ ନିବାସୀ ଗଲୀୟାତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।
1SA 17:5 ପୁଣି, ତାହାର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା ଓ ସେହି ସାଞ୍ଜୁଆ ପାଞ୍ଚ ସହସ୍ର ଶେକଲ ପରିମିତ ପିତ୍ତଳର ଥିଲା।
1SA 17:6 ତାହାର ପାଦ ପିତ୍ତଳ-ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା।
1SA 17:7 ତାହାର ବର୍ଚ୍ଛାର ଦଣ୍ଡ ତନ୍ତୀର ନରାଜ ତୁଲ୍ୟ ଓ ତାହାର ବର୍ଚ୍ଛାର ଫଳକର ପରିମାଣ ଛଅ ଶହ ଶେକଲ ଲୁହା ଥିଲା; ପୁଣି, ତାହା ଆଗେ ଆଗେ ତାହାର ଢାଲବାହକ ଚାଲିଲା।
1SA 17:8 ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲେଷ୍ଟୀୟ ଲୋକ ନୁହେଁ? ଓ ତୁମ୍ଭେମାନେ କି ଶାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ।
1SA 17:9 ସେ ଯେବେ ମୋʼ ସଙ୍ଗେ ଯୁଦ୍ଧ କରି ପାରିବ ଓ ମୋତେ ବଧ କରିବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କର ଦାସ ହେବୁ; ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଧ କରିବି, ତେବେ ତୁମ୍ଭେମାନେ ଆମ୍ଭମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟକର୍ମ କରିବ।”
1SA 17:10 ଆହୁରି ସେ ପଲେଷ୍ଟୀୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।”
1SA 17:11 ପୁଣି, ଶାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ, ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
1SA 17:12 ଦାଉଦ ବେଥଲିହିମ ଯିହୁଦା ନିବାସୀ ଏକ ଇଫ୍ରାଥୀୟ ପୁରୁଷର ପୁତ୍ର ଥିଲେ, ତାହାର ନାମ ଯିଶୀ; ତାହାର ଆଠ ପୁତ୍ର ଥିଲେ; ପୁଣି, ଶାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତବୟସ୍କ ବୋଲି ଗଣିତ ଥିଲା।
1SA 17:13 ଯିଶୀର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ୍‍ ଯୁଦ୍ଧକୁ ଯାଇଥିଲେ; ପୁଣି, ଯୁଦ୍ଧକୁ ଯାଇଥିବା ତାହାର ତିନି ପୁତ୍ର ମଧ୍ୟରେ ଜ୍ୟେଷ୍ଠର ନାମ ଇଲୀୟାବ୍‍ ଓ ଦ୍ୱିତୀୟର ନାମ ଅବୀନାଦବ ଓ ତୃତୀୟର ନାମ ଶମ୍ମ, ଆଉ ଦାଉଦ କନିଷ୍ଠ ଥିଲେ।
1SA 17:14 କେବଳ ବଡ଼ ତିନି ଜଣ ଶାଉଲଙ୍କର ଅନୁଗାମୀ ହୋଇଥିଲେ।
1SA 17:15 ମାତ୍ର ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବେଥଲିହିମକୁ ଯାʼଆସ କରୁଥାଆନ୍ତି।
1SA 17:16 ପୁଣି, ସେହି ପଲେଷ୍ଟୀୟ ଲୋକ ଚାଳିଶ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟାକାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ।
1SA 17:17 ଏହି ସମୟରେ ଯିଶୀ ଆପଣାର ପୁତ୍ର ଦାଉଦଙ୍କୁ କହିଲା, “ଆପଣା ଭାଇମାନଙ୍କ ପାଇଁ ଏହି ଭଜାଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୁଟି ନିଅ ଓ ଛାଉଣିକୁ ଆପଣା ଭାଇମାନଙ୍କ ନିକଟକୁ ଶୀଘ୍ର ଘେନିଯାଅ।
1SA 17:18 ପୁଣି, ଏହି ଦଶ ଖଣ୍ଡ ଛେନାଚକ୍ତି ସେମାନଙ୍କର ସହସ୍ରପତି ନିକଟକୁ ଘେନିଯାଅ ଓ ତୁମ୍ଭ ଭାଇମାନଙ୍କର କୁଶଳବାର୍ତ୍ତା ପଚାରି ସେମାନଙ୍କର କୌଣସି ଚିହ୍ନ ଆଣ।
1SA 17:19 ଏହି ସମୟରେ ଶାଉଲ ଓ ସେମାନେ ଓ ସମସ୍ତ ଇସ୍ରାଏଲ ଲୋକ ଏଲା ତଳଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
1SA 17:20 ଏଉତ୍ତାରେ ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳ ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞାନୁସାରେ ସେସବୁ ଦ୍ରବ୍ୟ ନେଇ ଗମନ କଲେ; ପୁଣି, ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ବନ୍ଦି ସ୍ଥାନରେ ଉପସ୍ଥିତ ହେଲେ।
1SA 17:21 ତହୁଁ ଇସ୍ରାଏଲ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ସମ୍ମୁଖାସମ୍ମୁଖୀ ହେଲେ।
1SA 17:22 ପୁଣି, ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ିଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା।
1SA 17:23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ଗାଥ୍‍ ନିବାସୀ ପଲେଷ୍ଟୀୟ ଗଲୀୟାତ ନାମକ ମଲ୍ଲଯୋଦ୍ଧା ପଲେଷ୍ଟୀୟ ସୈନ୍ୟଶ୍ରେଣୀ ମଧ୍ୟରୁ ଉଠି ଆସି ପୂର୍ବ ପରି କଥା କହିଲା; ପୁଣି, ଦାଉଦ ତାହା ଶୁଣିଲେ।
1SA 17:24 ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ।
1SA 17:25 ତହୁଁ ଇସ୍ରାଏଲ ଲୋକମାନେ କହିଲେ, “ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି; ପୁଣି, ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ କରମୁକ୍ତ କରିବେ।”
1SA 17:26 ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, “ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କʼଣ କରାଯିବ? କାରଣ, ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ?”
1SA 17:27 ତହିଁରେ ଲୋକମାନେ ପୂର୍ବ ପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ।
1SA 17:28 ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲୀୟାବ୍‍ ଶୁଣିଲା; ତହିଁରେ ଇଲୀୟାବ୍‍ର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ କାହିଁକି ଏଠିକି ଆସିଲୁ? ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡ଼ିଲୁ? ମୁଁ ତୋʼ ଗର୍ବ ଓ ତୋʼ ମନର ଦୁଷ୍ଟତା ଜାଣେ; କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ।”
1SA 17:29 ଏଥିରେ ଦାଉଦ କହିଲେ, “ମୁଁ ଏବେ କଅଣ କଲି? ଏଥିରେ କି କୌଣସି କାରଣ ନାହିଁ?”
1SA 17:30 ପୁଣି, ସେ ତାହା ପାଖରୁ ଫେରି ଅନ୍ୟ ଲୋକ ଆଡ଼କୁ ଗଲେ ଓ ପୂର୍ବ ପରି କହିଲେ; ତହିଁରେ ଲୋକମାନେ ପୁନର୍ବାର ପୂର୍ବ ପରି ଉତ୍ତର ଦେଲେ।
1SA 17:31 ଦାଉଦଙ୍କର ଏହିସବୁ କଥା ଶୁଣାଯାʼନ୍ତେ, ଲୋକମାନେ ଶାଉଲଙ୍କ ସମ୍ମୁଖରେ ତାହା କହିଲେ, ତେଣୁ ସେ ତାଙ୍କୁ ଡକାଇଲେ।
1SA 17:32 ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ; ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସଙ୍ଗେ ଯୁଦ୍ଧ କରିବ।”
1SA 17:33 ତହିଁରେ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରି ପାରିବ ନାହିଁ; କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା।”
1SA 17:34 ତହୁଁ ଦାଉଦ ଶାଉଲଙ୍କୁ କହିଲେ, “ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ; ପୁଣି, କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନିଗଲେ,
1SA 17:35 ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତାʼ ମୁଖରୁ ଛୁଆକୁ ରକ୍ଷା କରେ; ପୁଣି, ସେ ମୋʼ ଉପରକୁ ଉଠିଲେ, ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଧ କରେ।
1SA 17:36 ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି, ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି।”
1SA 17:37 ଆହୁରି ଦାଉଦ କହିଲେ, “ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି; ସେ ଏହି ପଲେଷ୍ଟୀୟ ହାତରୁ ମୋତେ ରକ୍ଷା କରିବେ।” ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ।”
1SA 17:38 ତହୁଁ ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କର ମସ୍ତକରେ ପିତ୍ତଳ ଟୋପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ।
1SA 17:39 ପୁଣି, ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ।” ଏଣୁ ଦାଉଦ ତାହା କାଢ଼ି ରଖିଲେ।
1SA 17:40 ପୁଣି, ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ ପାଞ୍ଚୋଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା, ସେହି ଝୁଲିରେ ତାହା ରଖିଲେ; ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟୀୟ ନିକଟକୁ ଗଲେ।
1SA 17:41 ଏଥିରେ ପଲେଷ୍ଟୀୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲବାହକ ତାହାର ଆଗେ ଆଗେ ଚାଲିଲା।
1SA 17:42 ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ।
1SA 17:43 ପୁଣି, ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, “ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋʼ ପାଖକୁ ଆସିଛୁ?” ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।
1SA 17:44 ଆଉ ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, “ମୋʼ କତିକି ଆ, ମୁଁ ତୋର ମାଂସ ଆକାଶ-ପକ୍ଷୀ ଓ ବିଲ-ପଶୁମାନଙ୍କୁ ଦେବି।”
1SA 17:45 ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, “ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।
1SA 17:46 ଆଜି ଦିନ ସଦାପ୍ରଭୁ ତୁମ୍ଭକୁ ମୋʼ ହସ୍ତରେ ସମର୍ପି ଦେବେ; ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି; ପୁଣି, ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶବ ଆକାଶ-ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ-ପଶୁମାନଙ୍କୁ ଦେବି; ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ।
1SA 17:47 ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।”
1SA 17:48 ଏଉତ୍ତାରେ ସେହି ପଲେଷ୍ଟୀୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ, ଦାଉଦ ଶୀଘ୍ର ସେହି ପଲେଷ୍ଟୀୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ।
1SA 17:49 ପୁଣି, ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ; ତହିଁରେ ସେ ପଥର ତାହା କପାଳରେ ପଶିଯାʼନ୍ତେ, ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।
1SA 17:50 ଏହି ପ୍ରକାରେ ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟୀୟ ଉପରେ ଜୟଲାଭ କଲେ ଓ ପଲେଷ୍ଟୀୟକୁ ଆଘାତ କରି ବଧ କଲେ, ମାତ୍ର ଦାଉଦଙ୍କ ହସ୍ତରେ ଖଡ୍ଗ ନ ଥିଲା।
1SA 17:51 ତହୁଁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ତାହାର ଖଡ୍ଗ ଧରି ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।
1SA 17:52 ତହୁଁ ଇସ୍ରାଏଲ ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ଗାଥ୍‍ ନଗର ସନ୍ନିକଟ ଓ ଇକ୍ରୋଣ ଦ୍ୱାର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ପଲେଷ୍ଟୀୟମାନଙ୍କ ହତ ଲୋକମାନେ ଶାରୟିମ୍‍ ପଥରେ ଗାଥ୍‍ ଓ ଇକ୍ରୋଣ ପର୍ଯ୍ୟନ୍ତ ପଡ଼ିଲେ।
1SA 17:53 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ନେଉଟି ଆସି ସେମାନଙ୍କ ଛାଉଣି ଲୁଟ କଲେ।
1SA 17:54 ପୁଣି, ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୂଶାଲମକୁ ଆଣିଲେ; ମାତ୍ର ତାହାର ସଜ୍ଜା ଆପଣା ତମ୍ବୁରେ ରଖିଲେ।
1SA 17:55 ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍‍ନରକୁ କହିଲେ; “ଅବ୍‍ନର, ଏ ଯୁବା କାହାର ପୁଅ?” ଅବ୍‍ନର କହିଲା, “ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହି ପାରିବି ନାହିଁ।”
1SA 17:56 ତହିଁରେ ରାଜା କହିଲେ, “ପଚାର, ଏ ଭେଣ୍ଡିଆଟି କାହାର ପୁଅ?”
1SA 17:57 ଆଉ ଦାଉଦ ପଲେଷ୍ଟୀୟକୁ ବଧ କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍‍ନର ତାଙ୍କୁ ନେଇ ଶାଉଲଙ୍କ ସମ୍ମୁଖକୁ ଆଣିଲା।
1SA 17:58 ତହୁଁ ଶାଉଲ ତାଙ୍କୁ ପଚାରିଲେ, “ହେ ଯୁବକ, ତୁମ୍ଭେ କାହାର ପୁଅ?” ଦାଉଦ ଉତ୍ତର ଦେଲେ, “ମୁଁ ଆପଣଙ୍କ ଦାସ ବେଥଲିହିମୀୟ ଯିଶୀର ପୁଅ।”
1SA 18:1 ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା।
1SA 18:2 ପୁଣି, ଶାଉଲ ସେହି ଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ।
1SA 18:3 ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ।
1SA 18:4 ପୁଣି, ଯୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ୍ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା।
1SA 18:5 ଆଉ ଶାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି, ଏହେତୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ଶାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା।
1SA 18:6 ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।
1SA 18:7 ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ: “ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ।”
1SA 18:8 ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି?”
1SA 18:9 ସେହି ଦିନାବଧି ଶାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ।
1SA 18:10 ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ସେ ଗୃହ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ପୁଣି, ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ; ସେସମୟରେ ଶାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା।
1SA 18:11 ତହୁଁ ଶାଉଲ ବର୍ଚ୍ଛା ଫିଙ୍ଗିଲେ; କାରଣ ସେ କହିଲେ, “ମୁଁ ଦାଉଦଙ୍କୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇ ଥର ଘୁଞ୍ଚିଗଲେ।
1SA 18:12 ପୁଣି, ଶାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କରିଥିଲେ।
1SA 18:13 ଏହେତୁ ଶାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣାର ସେନାପତି କଲେ; ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟାତ କଲେ।
1SA 18:14 ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ।
1SA 18:15 ପୁଣି, ଯେତେବେଳେ ଶାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ।
1SA 18:16 ମାତ୍ର ସମସ୍ତ ଇସ୍ରାଏଲ ଓ ଯିହୁଦା ଦାଉଦଙ୍କୁ ପ୍ରେମ କଲେ; କାରଣ ସେ ସେମାନଙ୍କ ସମ୍ମୁଖରେ ଗତାୟାତ କଲେ।
1SA 18:17 ଏଥିଉତ୍ତାରେ ଶାଉଲ ଦାଉଦଙ୍କୁ କହିଲେ, “ମେରବ୍‍ ନାମ୍ନୀ ମୋହର ଜ୍ୟେଷ୍ଠା କନ୍ୟାକୁ ଦେଖ, ମୁଁ ତୁମ୍ଭ ସଙ୍ଗରେ ତାହାର ବିବାହ ଦେବି; କେବଳ ତୁମ୍ଭେ ମୋହର ପକ୍ଷରେ ବିକ୍ରମୀ ହୁଅ ଓ ସଦାପ୍ରଭୁଙ୍କ ଯୁଦ୍ଧରେ ଯୁଦ୍ଧ କର।” ଶାଉଲ ମନେ କଲେ, “ମୋହର ହସ୍ତ ତାହା ଉପରେ ନ ଉଠୁ, ମାତ୍ର ପଲେଷ୍ଟୀୟମାନଙ୍କ ହସ୍ତ ତାହା ଉପରେ ଉଠୁ।”
1SA 18:18 ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ମୁଁ କିଏ ଓ ମୋହର ଜୀବନ କଅଣ ଓ ଇସ୍ରାଏଲ ମଧ୍ୟରେ ମୋହର ପିତୃବଂଶ କଅଣ ଯେ, ମୁଁ ମହାରାଜାଙ୍କ ଜୁଆଁଇ ହେବି?”
1SA 18:19 ମାତ୍ର ଯେଉଁ ସମୟରେ ଦାଉଦଙ୍କୁ ଶାଉଲଙ୍କର କନ୍ୟା ମେରବ୍‍ ଦତ୍ତ ହୋଇଥାʼନ୍ତା, ସେସମୟରେ ଏପରି ଘଟିଲା ଯେ, ସେ ମହୋଲାତୀୟ ଅଦ୍ରୀୟେଲକୁ ଭାର୍ଯ୍ୟା ରୂପେ ଦତ୍ତ ହେଲା।
1SA 18:20 ପୁଣି, ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା; ତହୁଁ ଲୋକମାନେ ଶାଉଲଙ୍କୁ ତାହା ଜଣାନ୍ତେ, ସେ କଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା।
1SA 18:21 ପୁଣି, ଶାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତହିଁରେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟୀୟମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଆଜି ଦ୍ୱିତୀୟ ଥର ମୋର ଜୁଆଁଇ ହେବ।”
1SA 18:22 ଏଉତ୍ତାରେ ଶାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ‘ଦେଖ, ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭଙ୍କୁ ପ୍ରେମ କରୁଅଛନ୍ତି; ଏହେତୁ ତୁମ୍ଭେ ରାଜାଙ୍କର ଜୁଆଁଇ ହୁଅ।’”
1SA 18:23 ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।”
1SA 18:24 ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ଶାଉଲଙ୍କ ଦାସମାନେ ତାଙ୍କୁ ଜଣାଇ କହିଲେ।
1SA 18:25 ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।
1SA 18:26 ପୁଣି, ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜୁଆଁଇ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା।
1SA 18:27 ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।
1SA 18:28 ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି; ଏହା ଶାଉଲ ଦେଖିଲେ ଓ ଜାଣିଲେ; ମଧ୍ୟ ଶାଉଲଙ୍କର କନ୍ୟା ମୀଖଲ ତାଙ୍କୁ ପ୍ରେମ କଲା।
1SA 18:29 ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।
1SA 18:30 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।
1SA 19:1 ଏଥିଉତ୍ତାରେ ଦାଉଦଙ୍କୁ ବଧ କରିବା ପାଇଁ ଶାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ।
1SA 19:2 ମାତ୍ର ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, “ମୋର ପିତା ଶାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି; ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ;
1SA 19:3 ପୁଣି, ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ, ସେସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି; ଯେବେ ମୁଁ କିଛି ଦେଖିବି, ତେବେ ତୁମ୍ଭକୁ ଜଣାଇବି।”
1SA 19:4 ପୁଣି, ଯୋନାଥନ ଆପଣା ପିତା ଶାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, “ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି;
1SA 19:5 କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦଙ୍କୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?”
1SA 19:6 ଏଥିରେ ଶାଉଲ ଯୋନାଥନର ରବ ଶୁଣିଲେ; ପୁଣି, “ଶାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ହତ ହେବେ ନାହିଁ।”
1SA 19:7 ଏଉତ୍ତାରେ ଯୋନାଥନ ଦାଉଦଙ୍କୁ ଡାକିଲା ଓ ଯୋନାଥନ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି, ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବ ପରି ତାଙ୍କ ସମ୍ମୁଖରେ ରହିଲେ।
1SA 19:8 ଏଥିଉତ୍ତାରେ ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ।
1SA 19:9 ଏଉତ୍ତାରେ ଶାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା; ସେସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ,
1SA 19:10 ଏପରି ସମୟରେ ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ; ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା; ପୁଣି, ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ।
1SA 19:11 ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, “ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ।”
1SA 19:12 ତେଣୁ ମୀଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା; ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ।
1SA 19:13 ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା।
1SA 19:14 ଏଉତ୍ତାରେ ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ, ମୀଖଲ କହିଲା, “ସେ ପୀଡ଼ିତ ଅଛନ୍ତି।”
1SA 19:15 ତହିଁରେ ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, “ତାହାକୁ ଶଯ୍ୟାରେ ମୋʼ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି।”
1SA 19:16 ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ, ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି।
1SA 19:17 ଏଣୁ ଶାଉଲ ମୀଖଲକୁ କହିଲେ, “ତୁମ୍ଭେ କାହିଁକି ମୋତେ ଏରୂପ ପ୍ରବଞ୍ଚନା କଲ ଓ ମୋʼ ଶତ୍ରୁକୁ ଛାଡ଼ିଦେଲ ଯେ, ସେ ପଳାଇଗଲା?” ତହିଁରେ ମୀଖଲ ଶାଉଲଙ୍କୁ ଉତ୍ତର କଲା, “ସେ ମୋତେ କହିଲେ, ‘ମୋତେ ଛାଡ଼ିଦିଅ; ମୁଁ କାହିଁକି ତୁମ୍ଭକୁ ବଧ କରିବି?’”
1SA 19:18 ଏଥିମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ଶାମୁୟେଲଙ୍କ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯାହା କରିଥିଲେ, ତାହାସବୁ ତାଙ୍କୁ ଜଣାଇଲେ। ତହୁଁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।
1SA 19:19 ଏଉତ୍ତାରେ ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ, ଦାଉଦ ରାମାସ୍ଥିତ ନାୟୋତରେ ଅଛନ୍ତି।
1SA 19:20 ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ; ମାତ୍ର ସେମାନେ ଭବିଷ୍ୟଦ୍‍ବକ୍ତା ଦଳକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ, ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
1SA 19:21 ଆଉ ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। ଏଉତ୍ତାରେ ଶାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
1SA 19:22 ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ କୂପ ନିକଟରେ ଉପସ୍ଥିତ ହେଲେ; ପୁଣି, ସେ ପଚାରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?” ଏଥିରେ ଜଣେ କହିଲା, “ଦେଖ, ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”
1SA 19:23 ତେଣୁ ସେ ରାମାସ୍ଥିତ ନାୟୋତକୁ ଗଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ, ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
1SA 19:24 ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ?”
1SA 20:1 ଏଥିଉତ୍ତାରେ ଦାଉଦ ରାମାସ୍ଥିତ ନାୟୋତରୁ ପଳାଇ ଆସି ଯୋନାଥନ ଆଗରେ କହିଲେ, “ମୁଁ କଅଣ କଲି? ମୋହର ଅପରାଧ କଅଣ? ଓ ତୁମ୍ଭ ପିତାଙ୍କ ଛାମୁରେ ମୋହର ପାପ କଅଣ ଯେ, ସେ ମୋର ପ୍ରାଣ ଚାହୁଁଅଛନ୍ତି?”
1SA 20:2 ତହୁଁ ସେ ତାଙ୍କୁ କହିଲା; “ଏହା ନ ହେଉ; ତୁମ୍ଭେ ମରିବ ନାହିଁ; ଦେଖ, ମୋହର ପିତା ମୋର କର୍ଣ୍ଣଗୋଚର ନ କରି ବଡ଼ କି ସାନ କୌଣସି କର୍ମ କରନ୍ତି ନାହିଁ; ତେବେ ମୋହର ପିତା ମୋʼ ଠାରୁ ଏହି କଥା କାହିଁକି ଗୋପନ କରିବେ? ସେପରି ନୁହେଁ।”
1SA 20:3 ତହିଁରେ ଦାଉଦ ଶପଥ କରି ପୁନର୍ବାର କହିଲେ, “ମୁଁ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ତୁମ୍ଭ ପିତା ଉତ୍ତମ ରୂପେ ଜାଣନ୍ତି; ଏଣୁ ସେ କହନ୍ତି, ଯୋନାଥନ ଏହା ନ ଜାଣୁ, ଜାଣିଲେ ସେ ଦୁଃଖିତ ହେବ; ମାତ୍ର ଯାହାହେଉ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ କହୁଅଛି ଯେ, ମୋର ଓ ମରଣ ମଧ୍ୟରେ ପାହୁଣ୍ଡେ ମାତ୍ର ଅଛି।”
1SA 20:4 ତେବେ ଯୋନାଥନ ଦାଉଦଙ୍କୁ କହିଲା, “ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି।”
1SA 20:5 ତହୁଁ ଦାଉଦ ଯୋନାଥନକୁ କହିଲେ, “ଦେଖ, କାଲି ଅମାବାସ୍ୟା, ପୁଣି, ରାଜାଙ୍କ ସଙ୍ଗେ ଭୋଜନରେ ବସିବା ପାଇଁ ମୋତେ ତ୍ରୁଟି କରିବାକୁ ହେବ ନାହିଁ; ମାତ୍ର ମୋତେ ଯିବାକୁ ଦିଅ, ମୁଁ ତୃତୀୟ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତ୍ରରେ ଲୁଚି ରହିବି।
1SA 20:6 ଯେବେ ତୁମ୍ଭ ପିତା ମୋʼ ବିଷୟ କିଛି ପଚାରିବେ, ତେବେ କହିବ, ‘ଦାଉଦ ଆପଣା ନଗର ବେଥଲିହିମକୁ ଧାଇଁ ଯିବା ପାଇଁ ମୋତେ ବହୁତ କହିଲା, କାରଣ ସେସ୍ଥାନରେ ସମୁଦାୟ ପରିବାର ନିମନ୍ତେ ବାର୍ଷିକ ବଳିଦାନ ହେବ।’
1SA 20:7 ଏଥିରେ ସେ ଯେବେ କହିବେ, ‘ଭଲ,’ ତେବେ ତୁମ୍ଭ ଦାସର କୁଶଳ ହେବ; ମାତ୍ର ସେ ଯେବେ ଅତି କ୍ରୋଧ କରନ୍ତି, ତେବେ ଜାଣ ଯେ, ତାଙ୍କ ଦ୍ୱାରା ଅମଙ୍ଗଳ ସ୍ଥିର ହୋଇଅଛି।
1SA 20:8 ଏହେତୁ ତୁମ୍ଭେ ଆପଣାର ଦାସ ପ୍ରତି ଦୟା କର; କାରଣ ତୁମ୍ଭେ ଆପଣା ସହିତ ଆପଣା ଦାସକୁ ସଦାପ୍ରଭୁଙ୍କ ଏକ ନିୟମରେ ଆବଦ୍ଧ କରିଅଛ; ମାତ୍ର ମୋହର ଯେବେ କୌଣସି ଅପରାଧ ଥାଏ, ତେବେ ତୁମ୍ଭେ ନିଜେ ମୋତେ ବଧ କର; ତୁମ୍ଭ ପିତାଙ୍କ ନିକଟକୁ କାହିଁକି ମୋତେ ନେଇଯିବ?”
1SA 20:9 ତହିଁରେ ଯୋନାଥନ କହିଲା, “ତାହା ତୁମ୍ଭଠାରୁ ଦୂର ହେଉ; କାରଣ ତୁମ୍ଭ ପ୍ରତି ଅମଙ୍ଗଳ ଘଟଣା ମୋʼ ପିତାଙ୍କ ଦ୍ୱାରା ସ୍ଥିର ହୋଇଥିବାର ଯେବେ ମୁଁ ଜାଣିବି, ତେବେ ମୁଁ କି ତାହା ତୁମ୍ଭକୁ କହିବି ନାହିଁ?”
1SA 20:10 ତହୁଁ ଦାଉଦ ଯୋନାଥନକୁ କହିଲେ, “ତୁମ୍ଭ ପିତା ଯେବେ କଟୁ ଭାବରେ ତୁମ୍ଭକୁ ଉତ୍ତର ଦେବେ, ତେବେ କିଏ ମୋତେ କହିବ?”
1SA 20:11 ତହିଁରେ ଯୋନାଥନ ଦାଉଦଙ୍କୁ କହିଲା, “ଆସ, ଆମ୍ଭେମାନେ କ୍ଷେତ୍ରକୁ ଯାଉ।” ତହିଁରେ ସେ ଦୁହେଁ ବାହାରି କ୍ଷେତ୍ରକୁ ଗଲେ।
1SA 20:12 ଏଉତ୍ତାରେ ଯୋନାଥନ ଦାଉଦଙ୍କୁ କହିଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସାକ୍ଷୀ ରହିଲେ; ମୁଁ କାଲି ଏହି ସମୟରେ ବା ତୃତୀୟ ଦିନରେ ଆପଣା ପିତାଙ୍କ ମନ ବୁଝିଲା ଉତ୍ତାରେ, ଦେଖ, ଯେବେ ଦାଉଦଙ୍କ ପକ୍ଷରେ ମଙ୍ଗଳ ଥାଏ, ତେବେ ମୁଁ ତୁମ୍ଭ କତିକି ଲୋକ ପଠାଇ କି ତାହା ତୁମ୍ଭ କର୍ଣ୍ଣଗୋଚର ନ କରିବି?
1SA 20:13 ତୁମ୍ଭର ଅମଙ୍ଗଳ କରିବା ମୋʼ ପିତାଙ୍କର ମାନସ ଥିଲେ, ଯେବେ ମୁଁ ତାହା ତୁମ୍ଭ କର୍ଣ୍ଣଗୋଚର ନ କରେ ଓ ତୁମ୍ଭେ କୁଶଳରେ ଯିବା ପାଇଁ ଯେବେ ତୁମ୍ଭକୁ ପଠାଇ ନ ଦିଏ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ। ସଦାପ୍ରଭୁ ଯେପରି ମୋ ପିତାଙ୍କ ସଙ୍ଗୀ ହୋଇଅଛନ୍ତି, ସେପରି ତୁମ୍ଭ ସଙ୍ଗରେ ହେଉନ୍ତୁ।
1SA 20:14 ହେଲେ ମୁଁ ଯେପରି ନ ମରେ, ଏଥିପାଇଁ ମୋହର ଯାବଜ୍ଜୀବନ ତୁମ୍ଭେ ସଦାପ୍ରଭୁଙ୍କ ଦୟା ମୋʼ ପ୍ରତି ପ୍ରକାଶ କରିବ;
1SA 20:15 କେବଳ ତାହା ନୁହେଁ, ସଦାକାଳ ମୋʼ ବଂଶରୁ ତୁମ୍ଭେ ଆପଣା ଦୟା ଉଚ୍ଛିନ୍ନ କରିବ ନାହିଁ; ନା, ସଦାପ୍ରଭୁ ଦାଉଦଙ୍କର ପ୍ରତ୍ୟେକ ଶତ୍ରୁକୁ ଭୂତଳରୁ ଉଚ୍ଛିନ୍ନ କଲା ଉତ୍ତାରେ ମଧ୍ୟ କରିବ ନାହିଁ।”
1SA 20:16 ଏହିରୂପେ ଯୋନାଥନ ଦାଉଦ ବଂଶ ସହିତ ନିୟମ ସ୍ଥିର କରି କହିଲା, “ସଦାପ୍ରଭୁ ଦାଉଦଙ୍କ ଶତ୍ରୁମାନଙ୍କ ହସ୍ତରୁ ପରିଶୋଧ ନେବେ।”
1SA 20:17 ଆଉ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ପୁନର୍ବାର ତାଙ୍କୁ ଶପଥ କରାଇଲା, କାରଣ ସେ ତାଙ୍କୁ ଆପଣା ପ୍ରାଣ ସମାନ ସ୍ନେହ କଲା।
1SA 20:18 ପୁଣି, ଯୋନାଥନ ତାଙ୍କୁ କହିଲା, “କାଲି ଅମାବାସ୍ୟା; ଆଉ ତୁମ୍ଭ ଆସନ ଶୂନ୍ୟ ହେଲେ ତୁମ୍ଭେ ଖୋଜାଯିବ।
1SA 20:19 ଏଣୁ ତୁମ୍ଭେ ତିନି ଦିନ ରହିଲା ଉତ୍ତାରେ ଶୀଘ୍ର ଯାଇ କାର୍ଯ୍ୟଦିନରେ ଯେଉଁଠାରେ ଆପଣାକୁ ଲୁଚାଇଥିଲ, ସେହି ସ୍ଥାନରେ ଏଷଲ ନାମକ ପଥର ପାଖରେ ରହିବ।
1SA 20:20 ପୁଣି, ମୁଁ ଲକ୍ଷ୍ୟ କରିବା ଛଳରେ ତହିଁର ପାର୍ଶ୍ୱକୁ ତିନି ତୀର ମାରିବି।
1SA 20:21 ଆଉ ଦେଖ, ମୁଁ ଏକ ବାଳକକୁ ପଠାଇ କହିବି, ‘ଯାଇ ତୀର ଖୋଜ।’ ମୁଁ ଯେବେ ସେହି ବାଳକକୁ କହେ, ‘ଦେଖ, ତୀର ତୁମ୍ଭ ଏପାଖରେ ଅଛି,’ ତାହା ନେଇଆସ; ତେବେ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପାଇଁ ମଙ୍ଗଳ ଅଛି, କୌଣସି ଭୟ ନାହିଁ।
1SA 20:22 ମାତ୍ର ଦେଖ, ତୁମ୍ଭ ସେପାଖରେ ତୀର ଅଛି, ଯେବେ ମୁଁ ସେ ବାଳକକୁ ଏପରି କହେ; ତେବେ ତୁମ୍ଭେ ଚାଲିଯାଅ; କାରଣ ସଦାପ୍ରଭୁ ତୁମ୍ଭକୁ ବିଦାୟ କଲେ।
1SA 20:23 ଆଉ ଦେଖ, ତୁମ୍ଭର ଓ ମୋହର ଏହି କଥୋପକଥନ ବିଷୟରେ ସଦାପ୍ରଭୁ ତୁମ୍ଭ ଓ ମୋʼ ମଧ୍ୟରେ ସାକ୍ଷୀ ରହିଲେ।”
1SA 20:24 ତହିଁରେ ଦାଉଦ କ୍ଷେତ୍ରରେ ଲୁଚିଲେ; ପୁଣି, ଅମାବାସ୍ୟା ଉପସ୍ଥିତ ହୁଅନ୍ତେ, ରାଜା ଭୋଜନରେ ବସିଲେ।
1SA 20:25 ଆଉ ରାଜା ଅନ୍ୟ ସମୟ ପରି କାନ୍ଥ ନିକଟସ୍ଥ ଆପଣା ଆସନରେ ବସିଲେ; ଏଥିରେ ଯୋନାଥନ ଠିଆ ହେଲା ଓ ଅବ୍‍ନର ଶାଉଲଙ୍କ ପାଖରେ ବସିଲା; ମାତ୍ର ଦାଉଦଙ୍କର ସ୍ଥାନ ଶୂନ୍ୟ ଥିଲା।
1SA 20:26 ତଥାପି ସେହି ଦିନ ଶାଉଲ କିଛି କହିଲେ ନାହିଁ; କାରଣ ସେ ବିଚାର କଲେ, ତାହାକୁ କିଛି ଘଟିଅଛି, ସେ ଶୁଚି ନାହିଁ; ସେ ଅବଶ୍ୟ ଶୁଚି ନ ଥିବ।
1SA 20:27 ମାତ୍ର ଅମାବାସ୍ୟାର ପର ଦିବସ ଦ୍ୱିତୀୟ ଦିନରେ ଦାଉଦଙ୍କର ସ୍ଥାନ ଶୂନ୍ୟ ହେଲା; ତହିଁରେ ଶାଉଲ ଆପଣା ପୁତ୍ର ଯୋନାଥନକୁ କହିଲେ, “ଯିଶୀର ପୁତ୍ର କାହିଁକି ଭୋଜନକୁ ଆସୁ ନାହିଁ, କାଲି ନାହିଁ କି ଆଜି ନାହିଁ?”
1SA 20:28 ତହୁଁ ଯୋନାଥନ ଶାଉଲଙ୍କୁ ଉତ୍ତର କଲା, “ଦାଉଦ ବେଥଲିହିମକୁ ଯିବା ପାଇଁ ମୋତେ ବହୁତ କହିଲା,
1SA 20:29 ଆଉ ସେ କହିଲା, ‘ବିନୟ କରୁଅଛି, ମୋତେ ଯିବାକୁ ଦିଅ; କାରଣ ନଗରରେ ମୋର ପରିବାର ପାଇଁ ବଳିଦାନ ହେବାର ଅଛି ଓ ସେଠାରେ ଉପସ୍ଥିତ ହେବା ପାଇଁ ମୋହର ଭାଇ ମୋତେ ଆଜ୍ଞା ଦେଇଅଛନ୍ତି।’ ଏହେତୁ ମୁଁ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି ମୋର ଭାଇମାନଙ୍କୁ ଦେଖିବା ପାଇଁ ମୋତେ ଛାଡ଼ିଦିଅ। ଏହି କାରଣରୁ ସେ ରାଜାଙ୍କ ମେଜକୁ ଆସି ନାହିଁ।”
1SA 20:30 ଏଥିରେ ଯୋନାଥନ ପ୍ରତି ଶାଉଲଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସେ ତାହାକୁ କହିଲେ, “ଆରେ ବିପଥଗାମିନୀ ଦ୍ରୋହିଣୀର ପୁତ୍ର, ତୁ ଯେ ଆପଣାର ଲଜ୍ଜା ଓ ଆପଣା ମାତାର ଆବରଣୀୟର ଲଜ୍ଜା ନିମନ୍ତେ ଯିଶୀର ପୁତ୍ରକୁ ମନୋନୀତ କରିଅଛୁ, ଏହା କʼଣ ମୁଁ ଜାଣୁ ନାହିଁ?
1SA 20:31 କାରଣ ସେହି ଯିଶୀର ପୁତ୍ର ଯେଯାଏ ଭୂତଳରେ ବଞ୍ଚିଥାଏ, ସେଯାଏ, ତୁ, କି ତୋʼ ରାଜ୍ୟ ସ୍ଥିର ହେବ ନାହିଁ। ଏଥିପାଇଁ ଏବେ ଲୋକ ପଠାଇ ତାକୁ ମୋʼ କତିକି ଆଣ, କାରଣ ସେ ନିଶ୍ଚୟ ମରିବ।”
1SA 20:32 ତହିଁରେ ଯୋନାଥନ ଆପଣା ପିତା ଶାଉଲଙ୍କୁ ଉତ୍ତର କରି କହିଲା, “ସେ କାହିଁକି ହତ ହେବ? ସେ କଅଣ କରିଅଛି?”
1SA 20:33 ତହୁଁ ଶାଉଲ ତାହାକୁ ଆଘାତ କରିବା ପାଇଁ ତାହା ଉପରକୁ ଆପଣା ବର୍ଚ୍ଛା ଫୋପାଡ଼ିଲେ; ତଦ୍ଦ୍ୱାରା ଯୋନାଥନ ଜାଣିଲା ଯେ, ଦାଉଦଙ୍କୁ ବଧ କରିବା ଆପଣା ପିତାଙ୍କ ଦ୍ୱାରା ସ୍ଥିରୀକୃତ ହୋଇଅଛି।
1SA 20:34 ଏହେତୁ ଯୋନାଥନ ପ୍ରଚଣ୍ଡ କ୍ରୋଧରେ ମେଜରୁ ଉଠିଲା ଓ ମାସର ଦ୍ୱିତୀୟ ଦିନରେ କିଛି ଭୋଜନ କଲା ନାହିଁ; କାରଣ ତାହାର ପିତା ଦାଉଦଙ୍କର ଅପକାର କରିବାରୁ ସେ ତାଙ୍କ ଲାଗି ଦୁଃଖିତ ହେଲା।
1SA 20:35 ଏଉତ୍ତାରେ ପ୍ରାତଃକାଳରେ ଯୋନାଥନ ଦାଉଦଙ୍କ ସହିତ ନିରୂପିତ ସମୟରେ କ୍ଷେତ୍ରକୁ ବାହାରିଗଲା, ଆଉ ତାହା ସଙ୍ଗେ ଗୋଟିଏ ସାନ ବାଳକ ଥିଲା।
1SA 20:36 ପୁଣି, ସେ ଆପଣା ବାଳକକୁ କହିଲା, “ମୁଁ ଯେଉଁ ତୀର ମାରିବି, ତାହାସବୁ ତୁ ଦୌଡ଼ିଯାଇ ଖୋଜ।” ଏଥିରେ ବାଳକ ଦୌଡ଼ନ୍ତେ, ସେ ତାହା ଉପର ଦେଇ ଯିବାକୁ ତୀର ମାରିଲା।
1SA 20:37 ଆଉ ଯୋନାଥନ ଯେଉଁ ସ୍ଥାନକୁ ତୀର ମାରିଥିଲା, ସେହି ସ୍ଥାନରେ ବାଳକ ଉପସ୍ଥିତ ହୁଅନ୍ତେ, ଯୋନାଥନ ବାଳକକୁ ଡାକି କହିଲା, “ତୀର ତୋʼ ସେପାଖରେ ଅଛି ପରା?”
1SA 20:38 ଆହୁରି ଯୋନାଥନ ବାଳକକୁ ଡାକି କହିଲା, “ଚଞ୍ଚଳ ଦୌଡ଼୍‍, ରହ ନା।” ତହିଁରେ ଯୋନାଥନର ବାଳକ ତୀର ସାଉଣ୍ଟି ଆପଣା ପ୍ରଭୁ ନିକଟକୁ ଆସିଲା।
1SA 20:39 ମାତ୍ର ସେ ବାଳକ କିଛି ଜାଣିଲା ନାହିଁ; କେବଳ ଯୋନାଥନ ଓ ଦାଉଦ ସେ କଥା ଜାଣିଲେ।
1SA 20:40 ଏଉତ୍ତାରେ ଯୋନାଥନ ଆପଣା ବାଳକ ହସ୍ତରେ ଆପଣା ଶସ୍ତ୍ରାଦି ଦେଇ ତାହାକୁ କହିଲା, “ଯା, ଏସବୁ ନଗରକୁ ନେ।”
1SA 20:41 ପୁଣି, ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନି ଥର ପ୍ରଣାମ କଲେ; ପୁଣି, ସେମାନେ ପରସ୍ପରକୁ ଚୁମ୍ବନ କଲେ ଓ ଏକଆରେକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ।
1SA 20:42 ଏଥିରେ ଯୋନାଥନ ଦାଉଦଙ୍କୁ କହିଲା, “କୁଶଳରେ ଯାଅ, ଆମ୍ଭେ ଦୁହେଁ ତ ସଦାପ୍ରଭୁଙ୍କ ନାମରେ ଶପଥ କରି କହିଅଛୁ, ସଦାପ୍ରଭୁ ସର୍ବଦା ମୋର ଓ ତୁମ୍ଭର, ପୁଣି, ମୋʼ ବଂଶ ଓ ତୁମ୍ଭ ବଂଶର ମଧ୍ୟବର୍ତ୍ତୀ ହେଉନ୍ତୁ।” ତହୁଁ ସେ ଉଠି ପ୍ରସ୍ଥାନ କଲେ, ପୁଣି, ଯୋନାଥନ ନଗରକୁ ଗଲା।
1SA 21:1 ଏଥିଉତ୍ତାରେ ଦାଉଦ ନୋବରେ ଅହୀମେଲକ୍‍ ଯାଜକ ନିକଟକୁ ଆସିଲେ; ତହିଁରେ ଅହୀମେଲକ୍‍ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, “ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି?”
1SA 21:2 ଏଥିରେ ଦାଉଦ ଅହୀମେଲକ୍‍ ଯାଜକକୁ କହିଲେ, “ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ‘ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ;’ ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି।
1SA 21:3 ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚୋଟି ରୁଟି, ଅବା ଯାହା କିଛି ଅଛି, ତାହା ମୋʼ ହସ୍ତରେ ଦିଅ।”
1SA 21:4 ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, “ମୋʼ ହସ୍ତରେ ସାଧାରଣ ରୁଟି ନାହିଁ; ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୁଟି ଅଛି।”
1SA 21:5 ତହୁଁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, “ପ୍ରକୃତରେ ଊଣାଧିକ ଏହି ତିନି ଦିନ ହେଲା, ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ, ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା; ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନ ଥିବ?”
1SA 21:6 ତହିଁରେ ଯାଜକ ତାଙ୍କୁ ପବିତ୍ର ରୁଟି ଦେଲା; କାରଣ ସେ ସ୍ଥାନରେ ଆଉ ରୁଟି ନ ଥିଲା, କେବଳ ଦର୍ଶନୀୟ ରୁଟି ଥିଲା, ତାହା ଉଠାଇ ନେବା ଦିନ ତପ୍ତ ରୁଟି ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା।
1SA 21:7 ସେହି ଦିନ ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା; ତାହାର ନାମ ଇଦୋମୀୟ ଦୋୟେଗ୍‍, ସେ ଶାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।
1SA 21:8 ପୁଣି, ଦାଉଦ ଅହୀମେଲକ୍‍କୁ କହିଲେ, “ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ୍ଗ ନାହିଁ? କାରଣ ମୁଁ ଆପଣା ଖଡ୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା।”
1SA 21:9 ତହିଁରେ ଯାଜକ କହିଲା, “ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଧ କରିଥିଲ, ଦେଖ; ସେହି ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଏଫୋଦ ପଛେ ବସ୍ତ୍ରରେ ଗୁଡ଼ା ହୋଇଅଛି, ଯେବେ ତାହା ନେବ, ନିଅ; ତାହା ଛଡ଼ା ଆଉ ଏଠାରେ କିଛି ନାହିଁ।” ତହୁଁ ଦାଉଦ କହିଲେ “ତାହା ପରି ଆଉ କିଛି ନାହିଁ; ତାହା ମୋତେ ଦିଅ।”
1SA 21:10 ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହି ଦିନ ପଳାଇ ଗାଥ୍‍ର ରାଜା ଆଖୀଶ୍‍ ନିକଟକୁ ଗଲେ।
1SA 21:11 ତହିଁରେ ଆଖୀଶ୍‍ର ଦାସମାନେ ତାକୁ କହିଲେ, “ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି, ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ‘ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?’”
1SA 21:12 ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି, ଗାଥ୍‍ର ରାଜା ଆଖୀଶ୍‍କୁ ବଡ଼ ଭୟ କଲେ।
1SA 21:13 ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ।
1SA 21:14 ତହିଁରେ ଆଖୀଶ୍‍ ଆପଣା ଦାସମାନଙ୍କୁ କହିଲା, “ଦେଖ, ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ; ତୁମ୍ଭେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ?
1SA 21:15 ମୋହର କʼଣ ବାତୁଳ ଲୋକର ଅଭାବ ଅଛି ଯେ, ତୁମ୍ଭେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କʼଣ ମୋହର ଘରକୁ ଆସିବ?”
1SA 22:1 ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ।
1SA 22:2 ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ।
1SA 22:3 ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”
1SA 22:4 ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।
1SA 22:5 ଏଥିମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।
1SA 22:6 ଏଥିଉତ୍ତାରେ ଶାଉଲ ଶୁଣିଲେ ଯେ, ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି; ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବୀୟାସ୍ଥିତ ରାମାରେ ଝାଉଁଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ।
1SA 22:7 ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କʼଣ ତୁମ୍ଭମାନଙ୍କ ପ୍ରତି ଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କʼଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,
1SA 22:8 ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?”
1SA 22:9 ତେବେ ଶାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋୟେଗ୍‍ ଉତ୍ତର ଦେଇ କହିଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ନିକଟକୁ ଯିବାର ଦେଖିଥିଲି।
1SA 22:10 ପୁଣି, ଅହୀମେଲକ୍‍ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଦେଲା।”
1SA 22:11 ତହୁଁ ରାଜା ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ଯାଜକକୁ ଓ ନୋବ ନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ତହିଁରେ ସେମାନେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ।
1SA 22:12 ଏଥିରେ ଶାଉଲ କହିଲେ, “ହେ ଅହୀଟୂବ୍‍ର ପୁତ୍ର, ତୁମ୍ଭେ ଶୁଣ।” ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି।”
1SA 22:13 ପୁଣି, ଶାଉଲ ତାହାକୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋʼ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୁଟି ଓ ଖଡ୍ଗ ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପଚାରିଅଛ।”
1SA 22:14 ଏଥିରେ ଅହୀମେଲକ୍‍ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱସ୍ତ? ସେ ତ ମହାରାଜାଙ୍କର ଜୁଆଁଇ ଓ ଆପଣଙ୍କର ସଭାସଦ୍‍ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ।
1SA 22:15 ମୁଁ କʼଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼ ଠାରୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।
1SA 22:16 ଏଥିରେ ରାଜା କହିଲେ, “ହେ ଅହୀମେଲକ୍‍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ।”
1SA 22:17 ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, “ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ।” ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ।
1SA 22:18 ଏଣୁ ରାଜା ଦୋୟେଗ୍‍କୁ କହିଲେ, “ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର।” ତହିଁରେ ଇଦୋମୀୟ ଦୋୟେଗ୍‍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଅଶୀ ଜଣଙ୍କୁ ବଧ କଲା।
1SA 22:19 ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା।
1SA 22:20 ସେହି ସମୟରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ର ପୁତ୍ରମାନଙ୍କ ମଧ୍ୟରୁ ଅବୀୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।
1SA 22:21 ପୁଣି, ଅବୀୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି।
1SA 22:22 ତହୁଁ ଦାଉଦ ଅବୀୟାଥରକୁ କହିଲେ, “ଇଦୋମୀୟ ଦୋୟେଗ୍‍ ସେଠାରେ ଥିବା ବେଳେ ମୁଁ ସେହି ଦିନ ଜାଣିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ; ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁୁ ଘଟାଇଅଛି।
1SA 22:23 ତୁମ୍ଭେ ମୋʼ ସଙ୍ଗେ ରୁହ, ଭୟ ନ କର; କାରଣ ଯେ ମୋର ପ୍ରାଣ ଚାହେଁ, ସେ ତୁମ୍ଭ ପ୍ରାଣ ଚାହେଁ; ମାତ୍ର ମୋʼ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ।”
1SA 23:1 ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।
1SA 23:2 ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।”
1SA 23:3 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ ଭୟ କରୁଅଛୁ; ଯେବେ ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା?”
1SA 23:4 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
1SA 23:5 ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସଙ୍ଗରେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହିରୂପେ ଦାଉଦ କିୟୀଲା ନିବାସୀମାନଙ୍କୁ ଉଦ୍ଧାର କଲେ।
1SA 23:6 ଯେତେବେଳେ ଅହୀମେଲକ୍‍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।
1SA 23:7 ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, “ପରମେଶ୍ୱର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।”
1SA 23:8 ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।
1SA 23:9 ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”
1SA 23:10 ତେବେ ଦାଉଦ କହିଲେ, ହେ ସଦାପ୍ରଭୋ, “ଇସ୍ରାଏଲର ପରମେଶ୍ୱର, ଶାଉଲ କିୟୀଲାକୁ ଆସି ମୋʼ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି।
1SA 23:11 କିୟୀଲା ନିବାସୀମାନେ କʼଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କʼଣ ଶାଉଲ ଆସିବେ? ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ।” ତହିଁରେ ସଦାପ୍ରଭୁ କହିଲେ, “ସେ ଆସିବ।”
1SA 23:12 ତେବେ ଦାଉଦ କହିଲେ, “କିୟୀଲା ନିବାସୀମାନେ ମୋତେ ଓ ମୋʼ ଲୋକମାନଙ୍କୁ କʼଣ ଶାଉଲଙ୍କ ହସ୍ତରେ ସମର୍ପଣ କରିବେ?” ତହିଁରେ ସଦାପ୍ରଭୁ କହିଲେ, “ସେମାନେ ତୁମ୍ଭକୁ ସମର୍ପଣ କରିବେ।”
1SA 23:13 ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ।
1SA 23:14 ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍‍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।
1SA 23:15 ଏଉତ୍ତାରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି; ସେସମୟରେ ଦାଉଦ ସୀଫ୍‍ ପ୍ରାନ୍ତରସ୍ଥ ବଣରେ ଥିଲେ।
1SA 23:16 ଏଣୁ ଶାଉଲଙ୍କର ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା।
1SA 23:17 ପୁଣି, ସେ ତାଙ୍କୁ କହିଲା, “ଭୟ ନ କର; କାରଣ ମୋର ପିତା ଶାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ; ପୁଣି, ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି; ଏହା ମଧ୍ୟ ମୋର ପିତା ଶାଉଲ ଜାଣନ୍ତି।”
1SA 23:18 ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ; ତହୁଁ ଦାଉଦ ବଣରେ ବାସ କଲେ ଓ ଯୋନାଥନ ଆପଣା ଘରକୁ ଗଲା।
1SA 23:19 ଏଉତ୍ତାରେ ସୀଫୀୟ ଲୋକମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହଖୀଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହି ନାହିଁ?
1SA 23:20 ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ, ପୁଣି, ମହାରାଜଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର।”
1SA 23:21 ତହୁଁ ଶାଉଲ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର; କାରଣ ତୁମ୍ଭେମାନେ ମୋʼ ପ୍ରତି କୃପା କଲ।
1SA 23:22 ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।
1SA 23:23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”
1SA 23:24 ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍‍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍‍ ପ୍ରାନ୍ତରରେ ଥିଲେ।
1SA 23:25 ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍‍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍‍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।
1SA 23:26 ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
1SA 23:27 ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।”
1SA 23:28 ତହୁଁ ଶାଉଲ ଦାଉଦଙ୍କର ପଶ୍ଚାତ୍‍ ଗୋଡ଼ାଇବାରୁ ଫେରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ଏଣୁ ସେମାନେ ସେହି ସ୍ଥାନର ନାମ ସେଲା-ହମ୍ମହଲିକୋତ୍‍ (ବିଭାଗକାରୀ ଶୈଳ) ରଖିଲେ।
1SA 23:29 ଏଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।
1SA 24:1 ଏଥିଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍‍ଗମନରୁ ଫେରନ୍ତେ, ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ, ଦାଉଦ ଐନଗଦୀସ୍ଥ ପ୍ରାନ୍ତରରେ ଅଛି।
1SA 24:2 ତହୁଁ ଶାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନ୍ୟ ଛାଗର ଶୈଳ ସବୁରେ ଖୋଜିବାକୁ ଗଲେ।
1SA 24:3 ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।
1SA 24:4 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।
1SA 24:5 ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା।
1SA 24:6 ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।”
1SA 24:7 ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ।
1SA 24:8 ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
1SA 24:9 ଆଉ ଦାଉଦ ଶାଉଲଙ୍କୁ କହିଲେ, “ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି?”
1SA 24:10 ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।
1SA 24:11 ଆହୁରି ମୋହର ପିତା, ଦେଖନ୍ତୁ, ହଁ, ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ; ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ, ମୋʼ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ, ଆପଣ ମୋʼ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ।
1SA 24:12 ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
1SA 24:13 ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା, ଦୁଷ୍ଟଠାରୁ ଦୁଷ୍ଟତା ବାହାରେ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
1SA 24:14 ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇଅଛନ୍ତି? ଗୋଟିଏ ମଲା କୁକ୍କୁର ପଛରେ, ଗୋଟିଏ ଡାଉଁଶ ପଛରେ।
1SA 24:15 ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହେଉନ୍ତୁ, ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ, ପୁଣି, ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ।
1SA 24:16 ଦାଉଦ ଶାଉଲଙ୍କୁ ଏହିସବୁ କଥା କହିସାରିଲା ଉତ୍ତାରେ ଶାଉଲ କହିଲେ, “ଆମ୍ଭର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହୁଁ ଶାଉଲ ରବ ଉଠାଇ ରୋଦନ କଲେ।
1SA 24:17 ପୁଣି, ସେ ଦାଉଦଙ୍କୁ କହିଲେ, “ତୁମ୍ଭେ ମୋʼ ଠାରୁ ଅଧିକ ଧାର୍ମିକ; କାରଣ ମୁଁ ତୁମ୍ଭର ମନ୍ଦ କଲେ ହେଁ ତୁମ୍ଭେ ମୋହର ଭଲ କରିଅଛ।
1SA 24:18 ତୁମ୍ଭେ ମୋʼ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ, ତାହା ଆଜି ପ୍ରକାଶ କରିଅଛ; କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ।
1SA 24:19 ମନୁଷ୍ୟ ଆପଣା ଶତ୍ରୁକୁ ପାଇଲେ, ସେ କʼଣ ତାକୁ ଭଲରେ ଯିବାକୁ ଦେବ? ଏଣୁ ଆଜି ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତହିଁ ଲାଗି ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦେଉନ୍ତୁ।
1SA 24:20 ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ।
1SA 24:21 ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ, ତୁମ୍ଭେ ମୋʼ ଉତ୍ତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋହର ପିତୃଗୃହରୁ ମୋʼ ନାମ ଲୋପ କରିବ ନାହିଁ।”
1SA 24:22 ତହିଁରେ ଦାଉଦ ଶାଉଲଙ୍କ ନିକଟରେ ଶପଥ କଲେ। ଏଉତ୍ତାରେ ଶାଉଲ ଗୃହକୁ ଗଲେ; ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ।
1SA 25:1 ଏଥିଉତ୍ତାରେ ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି, ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ।
1SA 25:2 ସେହି ସମୟରେ ମାୟୋନ୍‌ସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା; ସେ ଅତି ବଡ଼ ଲୋକ ଓ ତାହାର ତିନି ସହସ୍ର ମେଷ ଓ ଏକ ସହସ୍ର ଛାଗୀ ଥିଲେ; ପୁଣି, ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା।
1SA 25:3 ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା।
1SA 25:4 ଆଉ ନାବଲ ଆପଣା ମେଷର ଲୋମ ଛେଦନ କରୁଅଛି ବୋଲି ଦାଉଦ ପ୍ରାନ୍ତରରେ ଶୁଣିଲେ।
1SA 25:5 ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, “ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ।
1SA 25:6 ପୁଣି, ତାହାକୁ ଏପରି କୁହ, ‘ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ।
1SA 25:7 ଆମ୍ଭେ ଶୁଣିଲୁ, ତୁମ୍ଭର ଲୋମଛେଦକମାନେ ଅଛନ୍ତି; ତୁମ୍ଭର ମେଷପାଳକମାନେ ଏବେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଆମ୍ଭେମାନେ ସେମାନଙ୍କର କୌଣସି ଅପକାର କରି ନାହୁଁ, କିଅବା କର୍ମିଲରେ ଥିବା ସମୟଯାକ ସେମାନଙ୍କର କିଛି ହଜି ନାହିଁ।
1SA 25:8 ତୁମ୍ଭେ ଆପଣା ଯୁବାମାନଙ୍କୁ ପଚାର, ସେମାନେ କହିବେ; ଏହେତୁ ଏହି ଯୁବାମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଉନ୍ତୁ; କାରଣ ଆମ୍ଭେମାନେ ଶୁଭ ଦିନରେ ଆସିଅଛୁ। ବିନୟ କରୁଅଛୁ, ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ।’”
1SA 25:9 ତହୁଁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି କ୍ଷାନ୍ତ ହେଲେ।
1SA 25:10 ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।
1SA 25:11 ତେବେ ମୁଁ କʼଣ ଆପଣା ରୁଟି ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି?”
1SA 25:12 ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେହି ସବୁ କଥା ତାଙ୍କୁ ଜଣାଇଲେ।
1SA 25:13 ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ।” ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ; ତହୁଁ ଦାଉଦଙ୍କର ପଛରେ ଊଣାଧିକ ଚାରି ଶହ ଲୋକ ଗମନ କଲେ; ପୁଣି, ଦୁଇ ଶହ ଲୋକ ସାମଗ୍ରୀ ପାଖରେ ରହିଲେ।
1SA 25:14 ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ।
1SA 25:15 ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ପୁଣି, ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବାଯାଏ ଆମ୍ଭମାନଙ୍କର କୌଣସି ଅପକାର ହୋଇ ନାହିଁ, କି ଆମ୍ଭେମାନେ କିଛି ହରାଇ ନାହୁଁ।
1SA 25:16 ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ୱରୂପ ଥିଲେ।
1SA 25:17 ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ; କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି; ମାତ୍ର ସେ ଏପରି ଦୁଷ୍ଟ ଲୋକ ଯେ, ତାଙ୍କୁ କେହି କିଛି କହି ନ ପାରେ।”
1SA 25:18 ତହୁଁ ଅବୀଗଲ ଶୀଘ୍ର ଦୁଇ ଶହ ରୁଟି ଓ ଦୁଇ କୁମ୍ପା ଦ୍ରାକ୍ଷାରସ ଓ ପାଞ୍ଚୋଟି କଟା ମେଷ ଓ ପାଞ୍ଚ ଗଉଣୀ ଭଜା ଶସ୍ୟ ଓ ଶହେ ପେଣ୍ଡା ଦ୍ରାକ୍ଷାଫଳ ଓ ଦୁଇ ଶହ ଡିମ୍ବିରି ଚକ୍ତି ନେଇ ଗଧମାନଙ୍କ ଉପରେ ନଦିଲା।
1SA 25:19 ପୁଣି, ସେ ଆପଣା ଯୁବାମାନଙ୍କୁ କହିଲା, “ମୋହର ଆଗେ ଆଗେ ଚାଲ; ଦେଖ, ମୁଁ ତୁମ୍ଭମାନଙ୍କ ପଛେ ପଛେ ଯାଉଅଛି।” ମାତ୍ର ସେ ଆପଣା ସ୍ୱାମୀ ନାବଲକୁ ଏହା ଜଣାଇଲା ନାହିଁ।
1SA 25:20 ଏରୂପେ ସେ ଗର୍ଦ୍ଦଭ ଉପରେ ଚଢ଼ି ପର୍ବତ ଉହାଡ଼ ନିକଟକୁ ଆସନ୍ତେ, ଦେଖ, ଦାଉଦ ଓ ତାଙ୍କର ଲୋକମାନେ ଅବୀଗଲ ସମ୍ମୁଖରେ ଉପସ୍ଥିତ ହେଲେ ଓ ସେ ସେମାନଙ୍କୁ ଭେଟିଲା।
1SA 25:21 ପୂର୍ବରେ ଦାଉଦ କହିଥିଲେ, “ମୁଁ ଏଇଟାର ପ୍ରାନ୍ତରରେ ଥିବା ଦ୍ରବ୍ୟସବୁ ଖାଲି ମିଛରେ ଜଗିଲି, ଏହାର ସବୁ ଦ୍ରବ୍ୟରୁ କିଛି ହରଣ ହୋଇ ନାହିଁ; ମାତ୍ର ସେ ଭଲ ପାଲଟେ ମୋର ମନ୍ଦ କରିଅଛି।
1SA 25:22 ଏହାର ଯାହା କିଛି ଅଛି, ସେସବୁ ମଧ୍ୟରୁ ଯେବେ ସକାଳ ଆଲୁଅ ପର୍ଯ୍ୟନ୍ତ ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ରଖେ, ତେବେ ପରମେଶ୍ୱର ଦାଉଦଙ୍କର ଶତ୍ରୁମାନଙ୍କୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
1SA 25:23 ଏଣୁ ଅବୀଗଲ ଦାଉଦଙ୍କୁ ଦେଖନ୍ତେ, ଶୀଘ୍ର ଗର୍ଦ୍ଦଭରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା।
1SA 25:24 ପୁଣି, ତାଙ୍କ ଚରଣରେ ପଡ଼ି କହିଲା, “ହେ ମୋହର ପ୍ରଭୋ, ମୋʼ ଉପରେ, ମୋହର ଉପରେ ହିଁ ସେହି ଅପରାଧ ବର୍ତ୍ତୁ; ଆପଣା ଦାସୀକୁ ଆପଣଙ୍କ କର୍ଣ୍ଣଗୋଚରରେ କହିବାକୁ ଦେଉନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ।
1SA 25:25 ବିନୟ କରୁଅଛି, ମୋହର ପ୍ରଭୋ, ସେହି ଦୁଷ୍ଟ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ; କାରଣ ତାହାର ନାମ ଯେପରି, ସେ ସେପରି; ତାହାର ନାମ ନାବଲ ଓ ମୂଢ଼ତା ତାହାଠାରେ ଅଛି; ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖି ନାହିଁ।
1SA 25:26 ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରେ ଆତ୍ମ-ପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ୱେଷଣକାରୀମାନେ ନାବଲ ପରି ହେଉନ୍ତୁ।
1SA 25:27 ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟି ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ।
1SA 25:28 ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ; ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜ୍ଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ।
1SA 25:29 ପୁଣି, ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନରୂପ ଗଣ୍ଠିଲୀରେ ଗଣ୍ଠି ପଡ଼ି ରହିବ; ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗି ଦେବେ।
1SA 25:30 ସଦାପ୍ରଭୁ ଆପଣଙ୍କ ବିଷୟରେ ଯେସମସ୍ତ ମଙ୍ଗଳ କଥା କହିଅଛନ୍ତି, ତାହା ଯେତେବେଳେ ସେ ମୋର ପ୍ରଭୁଙ୍କ ପ୍ରତି ସଫଳ କରି ଆପଣଙ୍କୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ,
1SA 25:31 ସେତେବେଳେ ଆପଣ ଅକାରଣରେ ରକ୍ତପାତ କଲେ, କିଅବା ମୋର ପ୍ରଭୁ ନିଜେ ଆତ୍ମ-ପ୍ରତିକାର କଲେ ବୋଲି ଆପଣଙ୍କର ବିଘ୍ନ କି ହୃଦୟର ବ୍ୟସ୍ତତା ଜନ୍ମିବ ନାହିଁ; ମାତ୍ର ସଦାପ୍ରଭୁ ମୋର ପ୍ରଭୁଙ୍କ ମଙ୍ଗଳ କରିବା ବେଳେ ଆପଣଙ୍କର ଏହି ଦାସୀକୁ ସ୍ମରଣ କରିବେ।”
1SA 25:32 ଏଥିରେ ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋʼ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ;
1SA 25:33 ପୁଣି, ତୁମ୍ଭର ସୁବିଚାର ଧନ୍ୟ ହେଉ ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମ-ପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ, ତୁମ୍ଭେ ଧନ୍ୟା ହୁଅ।
1SA 25:34 କାରଣ ତୁମ୍ଭକୁ ହିଂସା କରିବାରୁ ମୋତେ ବାରଣ କଲେ ଯେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତାହାଙ୍କର ଜୀବିତ ଥିବା ପ୍ରମାଣେ ଏହା ସତ୍ୟ ଯେ, ତୁମ୍ଭେ ଶୀଘ୍ର ମୋତେ ଭେଟିବା ପାଇଁ ଆସି ନ ଥିଲେ, ସକାଳ ଆଲୁଅ ବେଳକୁ ନାବଲର ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ନ ଥାଆନ୍ତା।”
1SA 25:35 ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ, “କୁଶଳରେ ଆପଣା ଗୃହକୁ ଯାଅ; ଦେଖ, ମୁଁ ତୁମ୍ଭ ରବ ଶୁଣିଲି ଓ ତୁମ୍ଭକୁ ଗ୍ରାହ୍ୟ କଲି।”
1SA 25:36 ଏଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା; ପୁଣି, ନାବଲ ଅତିଶୟ ମତ୍ତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା; ଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବୀଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ।
1SA 25:37 ମାତ୍ର ପ୍ରାତଃକାଳରେ ନାବଲର ମତ୍ତତା ତୁଟନ୍ତେ, ତାହାର ଭାର୍ଯ୍ୟା ତାହାକୁ ସେହି ସବୁ କଥା ଜଣାଇଲା; ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା।
1SA 25:38 ଏଥିଉତ୍ତାରେ ଊଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ, ସେ ମଲା।
1SA 25:39 ଏଉତ୍ତାରେ ନାବଲ ମରିଅଛି, ଏହା ଦାଉଦ ଶୁଣି କହିଲେ, “ନାବଲ ହସ୍ତରୁ ମୋହର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ, ସେ ଧନ୍ୟ ହେଉନ୍ତୁ; ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି।” ଏଉତ୍ତାରେ ଦାଉଦ ଅବୀଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ।
1SA 25:40 ତହୁଁ ଦାଉଦଙ୍କର ଦାସମାନେ କର୍ମିଲକୁ; ଅବୀଗଲ କତିକି ଆସି ତାହାକୁ କହିଲେ, “ଦାଉଦ ତୁମ୍ଭକୁ ବିବାହ କରିବା ପାଇଁ ତାଙ୍କ ନିକଟକୁ ନେବାକୁ ଆମ୍ଭମାନଙ୍କୁ ତୁମ୍ଭ କତିକି ପଠାଇଅଛନ୍ତି।”
1SA 25:41 ଏଥିରେ ସେ ଉଠି ଭୂମିଷ୍ଠ ପ୍ରଣାମ କରି କହିଲା, “ଦେଖ, ତୁମ୍ଭ ଦାସୀ ମୋହର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ଦାସୀ।”
1SA 25:42 ତହୁଁ ଅବୀଗଲ ନିଜର ପାଞ୍ଚ ଅନୁଚରୀ ଯୁବତୀଙ୍କି ସଙ୍ଗେ ଘେନି ଶୀଘ୍ର ଉଠି ଗର୍ଦ୍ଦଭ ଉପରେ ଆରୋହଣ କଲା; ପୁଣି, ସେ ଦାଉଦଙ୍କର ଦୂତମାନଙ୍କ ପଶ୍ଚାଦ୍‍ଗମନ କରି ତାଙ୍କର ଭାର୍ଯ୍ୟା ହେଲା।
1SA 25:43 ମଧ୍ୟ ଦାଉଦ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ; ତହିଁରେ ସେ ଦୁହେଁ ତାଙ୍କର ଭାର୍ଯ୍ୟା ହେଲେ।
1SA 25:44 ମାତ୍ର ଶାଉଲ ଆପଣା ମୀଖଲ ନାମ୍ନୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲ୍ଲୀମ ନିବାସୀ ଲୟିଶର ପୁତ୍ର ପଲ୍ଟିକୁ ଦେଇଥିଲେ।
1SA 26:1 ଏଥିଉତ୍ତାରେ ସୀଫୀୟମାନେ ଗିବୀୟାକୁ ଶାଉଲଙ୍କ ନିକଟକୁ ଆସି କହିଲେ, “ଦାଉଦ କʼଣ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ।”
1SA 26:2 ଏଥିରେ ଶାଉଲ ଉଠି ସୀଫ୍‍ ପ୍ରାନ୍ତରରେ ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର ତିନି ସହସ୍ର ବଛା ଲୋକ ସଙ୍ଗେ ନେଇ ସୀଫ୍‍ ପ୍ରାନ୍ତରକୁ ଗଲେ।
1SA 26:3 ପୁଣି, ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ଛାଉଣି ସ୍ଥାପନ କଲେ। ମାତ୍ର ଦାଉଦ ପ୍ରାନ୍ତରରେ ବାସ କରୁଥିଲେ, ପୁଣି, ଶାଉଲ ତାଙ୍କ ପଛେ ପଛେ ପ୍ରାନ୍ତରକୁ ଆସିଅଛନ୍ତି, ଏହା ସେ ଦେଖିଲେ।
1SA 26:4 ଏଣୁ ଦାଉଦ ଚୋର ପଠାଇ ଶାଉଲ ନିଶ୍ଚୟ ଆସିଅଛନ୍ତି ବୋଲି ଜାଣିଲେ।
1SA 26:5 ଏଥିରେ ଦାଉଦ ଉଠି ଶାଉଲଙ୍କର ଛାଉଣି-ସ୍ଥାନକୁ ଆସିଲେ; ଆଉ ଦାଉଦ ଶାଉଲଙ୍କର ଓ ତାଙ୍କ ସେନାପତି ନେର୍‍ର ପୁତ୍ର ଅବ୍‍ନରର ଶୟନ ସ୍ଥାନ ଦେଖିଲେ; ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ।
1SA 26:6 ଏଥିରେ ଦାଉଦ ହିତ୍ତୀୟ ଅହୀମେଲକ୍‍କୁ ଓ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟକୁ ଉତ୍ତର ଦେଇ କହିଲେ, “ମୋʼ ସଙ୍ଗରେ ଛାଉଣିକୁ ଶାଉଲଙ୍କ ନିକଟକୁ କିଏ ଯିବ?” ତହିଁରେ ଅବୀଶୟ କହିଲା, “ମୁଁ ତୁମ୍ଭ ସଙ୍ଗେ ଯିବି।”
1SA 26:7 ତହୁଁ ରାତ୍ରି ବେଳେ ଦାଉଦ ଓ ଅବୀଶୟ ଲୋକମାନଙ୍କ ନିକଟକୁ ଗଲେ; ଆଉ ଦେଖ, ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି, ତାଙ୍କର ବର୍ଚ୍ଛା ତାଙ୍କ ମସ୍ତକ ପାଖ ଭୂମିରେ ମରା ହୋଇଅଛି; ପୁଣି, ଅବ୍‍ନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି।
1SA 26:8 ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, “ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।”
1SA 26:9 ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?”
1SA 26:10 ଆହୁରି ଦାଉଦ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ।
1SA 26:11 ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”
1SA 26:12 ତହୁଁ ଦାଉଦ ଶାଉଲଙ୍କର ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ, ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ, କି ଜାଣିଲା ନାହିଁ, କି କେହି ଜାଗିଲା ନାହିଁ; କାରଣ ସମସ୍ତେ ନିଦ୍ରିତ ଥିଲେ; ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ।
1SA 26:13 ଏଉତ୍ତାରେ ଦାଉଦ ସେପାଖକୁ ଯାଇ ଦୂର ପର୍ବତ ଶିଖରରେ ଠିଆ ହେଲେ; ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା।
1SA 26:14 ଆଉ ଦାଉଦ ଲୋକମାନଙ୍କୁ ଓ ନେର୍‍ର ପୁତ୍ର ଅବ୍‍ନରକୁ ଡାକି କହିଲେ, “ହେ ଅବ୍‍ନର, ତୁମ୍ଭେ କʼଣ ଉତ୍ତର ଦେବ ନାହିଁ?” ତେବେ ଅବ୍‍ନର ଉତ୍ତର ଦେଇ କହିଲା, “ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ?”
1SA 26:15 ଏଥିରେ ଦାଉଦ ଅବ୍‍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।
1SA 26:16 ତୁମ୍ଭେ ଏହି ଯେଉଁ କର୍ମ କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ ତୁମ୍ଭମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଚ୍ଛା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ, ଦେଖିଲ?”
1SA 26:17 ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, “ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହିଁରେ ଦାଉଦ କହିଲେ, “ମୋହର ରବ, ମୋହର ପ୍ରଭୁ, ମହାରାଜ।”
1SA 26:18 ଆହୁରି ସେ କହିଲେ, “ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇଅଛନ୍ତି? ମୁଁ କଅଣ କରିଅଛି? ଅବା ମୋʼ ହାତରେ କେଉଁ ମନ୍ଦତା ଅଛି?
1SA 26:19 ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ-ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ‘ଯାଅ ଅନ୍ୟ ଦେବଗଣର ସେବା କର।’
1SA 26:20 ଏହେତୁ ଏବେ ସଦାପ୍ରଭୁଙ୍କ ଛାମୁରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ। କାରଣ ଯେପରି କେହି ପର୍ବତରେ ତିତ୍ତିର ପକ୍ଷୀ ପଛେ ମୃଗୟା କରେ, ସେପରି ଇସ୍ରାଏଲର ରାଜା ଗୋଟିଏ ଡାଉଁଶର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି।”
1SA 26:21 ଏଥିରେ ଶାଉଲ କହିଲେ, “ମୁଁ ପାପ କଲି; ହେ ମୋହର ପୁତ୍ର ଦାଉଦ, ଫେରି ଆସ; ମୁଁ ତୁମ୍ଭକୁ ଆଉ ହିଂସା କରିବି ନାହିଁ, କାରଣ ଆଜି ମୋହର ପ୍ରାଣ ତୁମ୍ଭ ଦୃଷ୍ଟିରେ ବହୁମୂଲ୍ୟ ହେଲା; ଦେଖ, ମୁଁ ମୂର୍ଖତାର କର୍ମ କରିଅଛି ଓ ଅତିଶୟ ଭ୍ରାନ୍ତ ହୋଇଅଛି।”
1SA 26:22 ତହିଁରେ ଦାଉଦ ଉତ୍ତର ଦେଇ କହିଲେ, “ମହାରାଜ, ଏ ବର୍ଚ୍ଛା ଦେଖନ୍ତୁ! ଯୁବାମାନଙ୍କ ମଧ୍ୟରୁ ଜଣେ ପାର ହୋଇ ଆସି ଏହା ନେଇ ଯାଉ।
1SA 26:23 ପୁଣି, ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ; ସଦାପ୍ରଭୁ ଆଜି ଆପଣଙ୍କୁ ମୋହର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ।
1SA 26:24 ଏହେତୁ ଦେଖନ୍ତୁ, ଆଜି ଯେପରି ମୋʼ ଦୃଷ୍ଟିରେ ଆପଣଙ୍କ ପ୍ରାଣ ବଡ଼ ହେଲା, ସେପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋହର ପ୍ରାଣ ବଡ଼ ହେଉ ଓ ସେ ମୋତେ ସମସ୍ତ କ୍ଳେଶରୁ ଉଦ୍ଧାର କରନ୍ତୁ।”
1SA 26:25 ଏଥିରେ ଶାଉଲ ଦାଉଦଙ୍କୁ କହିଲେ, “ହେ ମୋହର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ; ତୁମ୍ଭେ ମହତ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ।” ତହୁଁ ଦାଉଦ ଆପଣା ପଥରେ ଗଲେ ଓ ଶାଉଲ ଆପଣା ସ୍ଥାନକୁ ଫେରିଗଲେ।
1SA 27:1 ଏଥିଉତ୍ତାରେ ଦାଉଦ ମନେ ମନେ କହିଲେ, “ଏବେ ମୁଁ କୌଣସି ଦିନ ଶାଉଲଙ୍କ ହସ୍ତରେ ବିନଷ୍ଟ ହେବି; ପଲେଷ୍ଟୀୟମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋହର ଆଉ କିଛି ଭଲ ଉପାୟ ନାହିଁ; ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ; ଏହିରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି।”
1SA 27:2 ଏଉତ୍ତାରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା ଛଅ ଶହ ଲୋକ ଉଠି ପାର ହୋଇ ମୋୟାବର ପୁତ୍ର ଆଖୀଶ୍‍ ନାମକ ଗାଥ୍‍ର ରାଜା ନିକଟକୁ ଗଲେ।
1SA 27:3 ପୁଣି, ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖୀଶ୍‍ ନିକଟରେ ଗାଥ୍‍ ନଗରରେ ବାସ କଲେ, ବିଶେଷତଃ ଦାଉଦ ଓ ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ ନାବଲର ଭାର୍ଯ୍ୟା କର୍ମିଲୀୟା ଅବୀଗଲ ନାମ୍ନୀ ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ।
1SA 27:4 ଏଣୁ ଦାଉଦ ଗାଥ୍‍କୁ ପଳାଇଅଛି, ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ।
1SA 27:5 ଏଥିଉତ୍ତାରେ ଦାଉଦ ଆଖୀଶ୍‍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ; କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ?”
1SA 27:6 ତହିଁରେ ଆଖୀଶ୍‍ ସେହି ଦିନ ତାହାକୁ ସିକ୍ଲଗ୍‍ ନଗର ଦେଲା; ଏହି ହେତୁ ଆଜି ପର୍ଯ୍ୟନ୍ତ ସିକ୍ଲଗ୍‍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି।
1SA 27:7 ଦାଉଦ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ ଏକ ବର୍ଷ ଚାରି ମାସ ଥିଲା।
1SA 27:8 ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗଶୂରୀୟ ଓ ଗିଷରୀୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାଆନ୍ତି; କାରଣ ଶୂରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ, ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ।
1SA 27:9 ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍‍ ନିକଟକୁ ଫେରି ଆସନ୍ତି।
1SA 27:10 ଏଥିରେ “ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ” ବୋଲି ଆଖୀଶ୍‍ ପଚାରନ୍ତେ, ଦାଉଦ କହନ୍ତି, “ଯିହୁଦାର ଦକ୍ଷିଣାଞ୍ଚଳ ଓ ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣାଞ୍ଚଳ।”
1SA 27:11 ପୁଣି, ଦାଉଦ ଏପରି କରନ୍ତି ଓ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି, “ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ” ବୋଲି ଭାବି ଦାଉଦ ଗାଥ୍‍କୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ।
1SA 27:12 ଏହେତୁ ଆଖୀଶ୍‍ ଦାଉଦଙ୍କୁ ବିଶ୍ୱାସ କରି କହିଲା, “ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି; ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ।”
1SA 28:1 ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟୀୟମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟସାମନ୍ତ ସଂଗ୍ରହ କଲେ। ଏଣୁ ଆଖୀଶ୍‍ ଦାଉଦଙ୍କୁ କହିଲା, “ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟସାମନ୍ତଭୁକ୍ତ ହୋଇ ମୋʼ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ।”
1SA 28:2 ତହିଁରେ ଦାଉଦ ଆଖୀଶ୍‍କୁ କହିଲେ, “ତାହାହେଲେ ଆପଣଙ୍କ ଦାସ କଅଣ କରିବ, ତାହା ଆପଣ ଜାଣିବେ।” ତେଣୁ ଆଖୀଶ୍‍ ଦାଉଦଙ୍କୁ କହିଲା, “ସେଥିପାଇଁ ମୁଁ ତୁମ୍ଭକୁ ଯାବଜ୍ଜୀବନ ଆପଣା ମସ୍ତକ-ରକ୍ଷକ କରିବି।”
1SA 28:3 ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।
1SA 28:4 ଏଥିରେ ପଲେଷ୍ଟୀୟମାନେ ଏକତ୍ର ହୋଇ ଆସି ଶୂନେମରେ ଛାଉଣି ସ୍ଥାପନ କଲେ; ପୁଣି, ଶାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ, ସେମାନେ ଗିଲ୍‍ବୋୟରେ ଛାଉଣି ସ୍ଥାପନ କଲେ।
1SA 28:5 ମାତ୍ର ଶାଉଲ ପଲେଷ୍ଟୀୟମାନଙ୍କ ସୈନ୍ୟସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା।
1SA 28:6 ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍‍ ଦ୍ୱାରା, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା।
1SA 28:7 ତେବେ ଶାଉଲ ଆପଣା ଦାସମାନଙ୍କୁ କହିଲେ, “ମୋʼ ପାଇଁ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି।” ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ଐନ୍‍-ଦୋରରେ ଏକ ଭୂତୁଡ଼ିଆ ସ୍ତ୍ରୀ ଅଛି।”
1SA 28:8 ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, “ତୁମ୍ଭେ ଭୂତ ଦ୍ୱାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ।”
1SA 28:9 ଏଥିରେ ସେ ସ୍ତ୍ରୀ କହିଲା, “ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?”
1SA 28:10 ଏଥିରେ ଶାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ।”
1SA 28:11 ସେତେବେଳେ ସେହି ସ୍ତ୍ରୀ କହିଲା, “ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି?” ସେ କହିଲେ, “ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ।”
1SA 28:12 ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, “ଆପଣ କାହିଁକି ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ।”
1SA 28:13 ତହୁଁ ରାଜା ତାହାକୁ କହିଲେ, “ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, “ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି।”
1SA 28:14 ଏଥିରେ ଶାଉଲ ତାହାକୁ ପଚାରିଲେ, “ତାହାର ରୂପ କି ପ୍ରକାର?” ସେ କହିଲା, “ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି; ସେ ଚୋଗାରେ ଆଚ୍ଛନ୍ନ!” ତହୁଁ ଶାଉଲ ଜାଣିଲେ ଯେ, ସେ ଶାମୁୟେଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ।
1SA 28:15 ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ?” ତହୁଁ ଶାଉଲ ଉତ୍ତର ଦେଲେ, “ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି; କାରଣ ପଲେଷ୍ଟୀୟମାନେ ମୋʼ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି, ମୋତେ ଆଉ ଉତ୍ତର ଦେଉ ନାହାନ୍ତି, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ (ଉତ୍ତର ଦେଉ ନାହାନ୍ତି); ଏଥିପାଇଁ ମୁଁ କଅଣ କରିବି, ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି।”
1SA 28:16 ଏଥିରେ ଶାମୁୟେଲ କହିଲେ, “ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ?
1SA 28:17 ସଦାପ୍ରଭୁ ମୋʼ ଦ୍ୱାରା ଯେପରି କହିଥିଲେ, ସେ ଆପଣା ପାଇଁ ସେପରି କରିଅଛନ୍ତି; ପୁଣି, ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି।
1SA 28:18 ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।
1SA 28:19 ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ; ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ; ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟସାମନ୍ତଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କରିବେ।”
1SA 28:20 ତହିଁରେ ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ; କାରଣ ସେ ସାରାଦିନ ଓ ସାରାରାତ୍ରି କିଛି ଭୋଜନ କରି ନ ଥିଲେ।
1SA 28:21 ଏଥିରେ ସେ ସ୍ତ୍ରୀ ଶାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହ୍ୱଳ ଦେଖି କହିଲା, “ଦେଖନ୍ତୁ, ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋʼ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ, ଆପଣଙ୍କ ସେହି କଥା ମୁଁ ଶୁଣିଲି।
1SA 28:22 ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦେଉନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲା ବେଳେ ବଳ ପାଇବେ।”
1SA 28:23 ମାତ୍ର ସେ ଅସମ୍ମତ ହୋଇ କହିଲେ, “ମୁଁ ଭୋଜନ କରିବି ନାହିଁ।” ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ, ସେ ସେମାନଙ୍କ ରବ ଶୁଣିଲେ। ପୁଣି, ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ।
1SA 28:24 ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା।
1SA 28:25 ତହୁଁ ସେ ଶାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ, ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ।
1SA 29:1 ସେହି ସମୟରେ ପଲେଷ୍ଟୀୟମାନେ ଆପଣାମାନଙ୍କ ସୈନ୍ୟସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ।
1SA 29:2 ଏଥିରେ ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ; ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖୀଶ୍‍ ସହିତ ପଛେ ପଛେ ଅଗ୍ରସର ହେଲେ।
1SA 29:3 ତହିଁରେ ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏହି ଏବ୍ରୀୟମାନେ ଏଠାରେ କଅଣ କରୁଅଛନ୍ତି?” ତହୁଁ ଆଖୀଶ୍‍ ପଲେଷ୍ଟୀୟ ଅଧିପତିମାନଙ୍କୁ କହିଲେ, “ଏ କʼଣ ଇସ୍ରାଏଲର ରାଜା ଶାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋʼ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇ ନାହିଁ।”
1SA 29:4 ମାତ୍ର ପଲେଷ୍ଟୀୟ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟୀୟ ଅଧିପତିମାନେ ତାହାକୁ କହିଲେ, “ତୁମ୍ଭେ ସେ ଲୋକକୁ ଫେରାଇ ଦିଅ, ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇ ପଡ଼ିବ; ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ? କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ?
1SA 29:5 ଏଇଟା କି ସେହି ଦାଉଦ ନୁହେଁ, ଯାହାର ବିଷୟ ଲୋକମାନେ ନୃତ୍ୟ କରୁ କରୁ ପରସ୍ପର ଗାନ କରି କହିଥିଲେ; ‘ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?’”
1SA 29:6 ଏଥିରେ ଆଖୀଶ୍‍ ଦାଉଦଙ୍କୁ ଡାକି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋʼ ସହିତ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋʼ ଦୃଷ୍ଟିରେ ଉତ୍ତମ; କାରଣ ତୁମ୍ଭେ ମୋʼ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇ ନାହିଁ; ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ।
1SA 29:7 ଏଣୁ ଏବେ ଫେର ଓ କୁଶଳରେ ଯାଅ, ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ନ କର।”
1SA 29:8 ତହୁଁ ଦାଉଦ ଆଖୀଶ୍‍କୁ କହିଲେ, “ମାତ୍ର ମୁଁ କଅଣ କଲି? ଓ ମୁଁ ଆପଣଙ୍କ ସମ୍ମୁଖରେ ଥିବା ଦିନାବଧି ଆଜି ପର୍ଯ୍ୟନ୍ତ ଆପଣଙ୍କ ଏହି ଦାସଠାରେ ଆପଣ କʼଣ ପାଇଲେ ଯେ, ମୁଁ ଯାଇ ମୋʼ ପ୍ରଭୁ ରାଜାଙ୍କ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ନାହିଁ?”
1SA 29:9 ଏଥିରେ ଆଖୀଶ୍‍ ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଜାଣେ, ତୁମ୍ଭେ ମୋʼ ଦୃଷ୍ଟିରେ ପରମେଶ୍ୱରଙ୍କ ଦୂତ ପରି ଉତ୍ତମ; ତଥାପି ପଲେଷ୍ଟୀୟ ଅଧିପତିମାନେ କହୁଅଛନ୍ତି, ‘ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ।’
1SA 29:10 ଏହେତୁ ତୁମ୍ଭେ ଓ ତୁମ୍ଭ ସହିତ ଆଗତ ତୁମ୍ଭ ପ୍ରଭୁର ଦାସମାନେ ଅତି ପ୍ରଭାତରେ ଉଠ ଓ ଅତି ପ୍ରଭାତରେ ଉଠିଲାକ୍ଷଣି ଆଲୁଅ ହେଲେ ପ୍ରସ୍ଥାନ କର।”
1SA 29:11 ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ପ୍ରଭାତରେ ପ୍ରସ୍ଥାନ କରି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଯିବା ପାଇଁ ଶୀଘ୍ର ଉଠିଲେ। ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
1SA 30:1 ଏଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ୍‍ ନଗରରେ ଉପସ୍ଥିତ ହେଲେ, ସେସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ୍‍ ଆକ୍ରମଣ କରିଥିଲେ ଓ ସିକ୍ଲଗ୍‍କୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ।
1SA 30:2 ପୁଣି, ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇ ଯାଇଥିଲେ; ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ।
1SA 30:3 ପୁଣି, ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ, ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି।
1SA 30:4 ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଏପରି କି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ।
1SA 30:5 ପୁଣି, ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ଦାଉଦଙ୍କର ଦୁଇ ଭାର୍ଯ୍ୟା ବନ୍ଦୀ ହୋଇଥିଲେ।
1SA 30:6 ଏଥିରେ ଦାଉଦ ଅତିଶୟ ଉଦ୍‍ବିଗ୍ନ ହେଲେ; କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ କହିଲେ; ମାତ୍ର, ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ।
1SA 30:7 ଏଉତ୍ତାରେ ଦାଉଦ ଅହୀମେଲକ୍‍ର ପୁତ୍ର ଅବୀୟାଥର ଯାଜକକୁ କହିଲେ, “ମୋʼ କତିକି ଟିକିଏ ଏଫୋଦ ଆଣିଲ।” ତହିଁରେ ଅବୀୟାଥର ଦାଉଦଙ୍କ ନିକଟକୁ ଏଫୋଦ ଆଣିଲା।
1SA 30:8 ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, “ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି?” ତହିଁରେ ସେ ତାଙ୍କୁ କହିଲେ, “ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନ ହୋଇ ସମସ୍ତଙ୍କୁ ଉଦ୍ଧାର କରିବ।”
1SA 30:9 ତହୁଁ ଦାଉଦ ଓ ତାଙ୍କର ସଙ୍ଗୀ ଛଅ ଶହ ଲୋକ ଯାଇ ବିଷୋର ନଦୀ ନିକଟରେ ଉପସ୍ଥିତ ହେଲେ, ସେଠାରେ ପଶ୍ଚାତ୍‍ ପରିତ୍ୟକ୍ତ ଲୋକମାନେ ରହିଗଲେ।
1SA 30:10 ମାତ୍ର ଦାଉଦ ଓ ଚାରି ଶହ ଲୋକ ପଛେ ପଛେ ଗୋଡ଼ାଇଲେ; କାରଣ ଦୁଇ ଶହ ଲୋକ ଏପରି କ୍ଳାନ୍ତ ହୋଇଥିଲେ ଯେ, ସେମାନେ ବିଷୋର ନଦୀ ପାର ହୋଇ ନ ପାରି ପଛରେ ରହିଗଲେ।
1SA 30:11 ଏଉତ୍ତାରେ ଲୋକମାନେ କ୍ଷେତ୍ରରେ ଜଣେ ମିସରୀୟକୁ ପାଇ ଦାଉଦଙ୍କ ନିକଟକୁ ଆଣିଲେ ଓ ତାହାକୁ ଆହାର ଦିଅନ୍ତେ ସେ ଭୋଜନ କଲା; ମଧ୍ୟ ସେମାନେ ପାନ କରିବା ପାଇଁ ତାହାକୁ ଜଳ ଦେଲେ;
1SA 30:12 ପୁଣି, ସେମାନେ ତାହାକୁ ଡିମ୍ବିରିଚକ୍ତିରୁ ଏକ ଖଣ୍ଡ ଓ ଦୁଇ ପେଣ୍ଡା ଦ୍ରାକ୍ଷା ଦେଲେ; ଆଉ ସେ ଭୋଜନ କରନ୍ତେ ଚେତନା ପାଇଲା, କାରଣ ସେ ତିନି ଦିନ ତିନି ରାତ୍ରି କିଛି ଆହାର କରି ନ ଥିଲା, କି କିଛି ଜଳ ପାନ କରି ନ ଥିଲା।
1SA 30:13 ଏଥିରେ ଦାଉଦ ତାହାକୁ ପଚାରିଲେ, “ତୁମ୍ଭେ କାହାର ଲୋକ? ଓ ତୁମ୍ଭେ କେଉଁଠାରୁ ଆସିଅଛ?” ତହୁଁ ସେ କହିଲା, “ମୁଁ ଜଣେ ମିସରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ; ପୁଣି, ତିନି ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମୋତେ ଛାଡ଼ି ଚାଲିଗଲା।
1SA 30:14 ଆମ୍ଭେମାନେ କରେଥୀୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲଗ୍‍କୁ ଅଗ୍ନିରେ ଓ ଯିହୁଦାର ଅଧିକାର ଓ କାଲେବର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ।”
1SA 30:15 ତହିଁରେ ଦାଉଦ ତାହାକୁ କହିଲେ, “ତୁମ୍ଭେ କʼଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ?” ତହୁଁ ସେ କହିଲା, “ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।”
1SA 30:16 ଏଉତ୍ତାରେ ସେ ତାଙ୍କୁ ନେଇଯାଆନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।
1SA 30:17 ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ; ଆଉ ଯେଉଁ ଚାରି ଶହ ଯୁବା ଲୋକ ଓଟ ଚଢ଼ି ପଳାଇଲେ, ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ; ଜଣେ ଅବଶିଷ୍ଟ ରହିଲା ନାହିଁ।
1SA 30:18 ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।
1SA 30:19 ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।
1SA 30:20 ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ, ପୁଣି, ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟଦ୍ରବ୍ୟ।
1SA 30:21 ଏଉତ୍ତାରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ ଦୁଇ ଶହ ଲୋକଙ୍କୁ ସେମାନେ ବିଷୋର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ; ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ; ପୁଣି, ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳବାର୍ତ୍ତା ପଚାରିଲେ।
1SA 30:22 ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, “ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ।”
1SA 30:23 ଏଥିରେ ଦାଉଦ ସେମାନଙ୍କୁ କହିଲେ, “ହେ ମୋହର ଭ୍ରାତୃଗଣ, ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି ଆମ୍ଭମାନଙ୍କ ପ୍ରତିକୂଳଗାମୀ ସୈନ୍ୟଦଳକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଆମ୍ଭମାନଙ୍କୁ ଯାହା ଦେଇଅଛନ୍ତି, ତାହା ନେଇ ତୁମ୍ଭମାନଙ୍କର ଏରୂପ କରିବା ଉଚିତ ନୁହେଁ।
1SA 30:24 ପୁଣି, ଏ ବିଷୟରେ ତୁମ୍ଭମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧକୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ, ସେମାନେ ସମାନ ଅଂଶ ପାଇବେ।”
1SA 30:25 ପୁଣି, ଦାଉଦ ସେହି ଦିନାବଧି ଇସ୍ରାଏଲ ନିମନ୍ତେ ଏହି ବିଧି ଓ ଶାସନ ସ୍ଥିର କଲେ, ତାହା ଆଜି ପର୍ଯ୍ୟନ୍ତ ଚଳୁଅଛି।
1SA 30:26 ଏଉତ୍ତାରେ ଦାଉଦ ସିକ୍ଲଗ୍‍ରେ ଉପସ୍ଥିତ ହୁଅନ୍ତେ, ସେ ବେଥେଲ୍‍ ଓ ଦକ୍ଷିଣାଞ୍ଚଳସ୍ଥ ରାମତ୍‍ ଓ ଯତ୍ତୀର
1SA 30:27 ଓ ଅରୋୟେର ଓ ଶିଫ୍‍ମୋତ୍‍ ଓ ଇଷ୍ଟିମୋୟ;
1SA 30:28 ରାଖଲ ଓ ଯିରହମେଲୀୟମାନଙ୍କ ନଗର ଓ କେନୀୟମାନଙ୍କ ନଗର
1SA 30:29 ଓ ହର୍ମା ଓ କୋରାଶନ ଓ ଅଥାକ୍‍
1SA 30:30 ଓ ହିବ୍ରୋଣ ଓ ଯେ ଯେ ସ୍ଥାନରେ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଗମନାଗମନ ହୋଇଥିଲା,
1SA 30:31 ସେହି ସମସ୍ତ ସ୍ଥାନସ୍ଥିତ ଆପଣା ମିତ୍ର ଯିହୁଦାର ପ୍ରାଚୀନବର୍ଗଙ୍କ ନିକଟକୁ ଲୁଟିତ ଦ୍ରବ୍ୟରୁ କିଛି କିଛି ପଠାଇ କହିଲେ, “ଦେଖ, ସଦାପ୍ରଭୁଙ୍କ ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ଏହି ଭେଟି।”
1SA 31:1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।
1SA 31:2 ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ।
1SA 31:3 ଏହିରୂପେ ଶାଉଲଙ୍କ ସଙ୍ଗରେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ।
1SA 31:4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ;” କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।
1SA 31:5 ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା।
1SA 31:6 ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହି ଦିନ ଏକସଙ୍ଗରେ ମଲେ।
1SA 31:7 ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଯର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।
1SA 31:8 ଏଥିଉତ୍ତାରେ ପର ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।
1SA 31:9 ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜ୍ଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ।
1SA 31:10 ପୁଣି, ସେମାନେ ତାଙ୍କର ସଜ୍ଜା ଅଷ୍ଟାରୋତ୍‍ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବେଥ୍-ଶାନ ପ୍ରାଚୀରରେ ଟାଙ୍ଗି ଦେଲେ।
1SA 31:11 ଏଉତ୍ତାରେ ଯାବେଶ-ଗିଲୀୟଦ ନିବାସୀମାନେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଆନ୍ତେ,
1SA 31:12 ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିସାରା ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବେଥ୍-ଶାନ ପ୍ରାଚୀରରୁ ଯାବେଶକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ।
1SA 31:13 ପୁଣି, ସେମାନେ ସେମାନଙ୍କର ଅସ୍ଥି ନେଇ ଯାବେଶସ୍ଥ ଝାଉଁ ବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ।
2SA 1:1 ଶାଉଲଙ୍କ ମୃତ୍ୟୁୁ ପରେ, ଦାଉଦ ଅମାଲେକୀୟମାନଙ୍କୁ ବଧ କରି ଫେରି ସିକ୍ଲଗ୍‍ ନଗରରେ ଦୁଇ ଦିନ ରହିଲେ।
2SA 1:2 ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।
2SA 1:3 ତହିଁରେ ଦାଉଦ ତାହାକୁ କହିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?” ତହୁଁ ସେ କହିଲା, “ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି।”
2SA 1:4 ତହିଁରେ ଦାଉଦ ତାହାକୁ କହିଲେ, “କଥା କଅଣ, ମୋତେ କହିଲ?” ତହୁଁ ସେ ଉତ୍ତର କଲା, “ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ପତିତ ହେଲେ ଓ ମଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ।”
2SA 1:5 ତହିଁରେ ଦାଉଦ ସେହି ଯୁବାକୁ କହିଲେ, “ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ?”
2SA 1:6 ତହିଁରେ ସେହି ଯୁବା ତାଙ୍କୁ କହିଲା, “ମୁଁ ଅଚାନକ ଗିଲ୍‍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ରଥ ଓ ଅଶ୍ୱାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି।
2SA 1:7 ଶାଉଲ ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ‘ଏଠାରେ ମୁଁ ଅଛି।’
2SA 1:8 ତେଣୁ ସେ ମୋତେ କହିଲେ, ‘ତୁମ୍ଭେ କିଏ?’ ମୁଁ ଉତ୍ତର କଲି, ‘ମୁଁ ଜଣେ ଅମାଲେକୀୟ ଲୋକ।’
2SA 1:9 ତେବେ ସେ ମୋତେ କହିଲେ, ‘ବିନୟ କରୁଅଛି, ମୋʼ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି; କାରଣ ଏପର୍ଯ୍ୟନ୍ତ ମୋʼ ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’
2SA 1:10 ତହିଁରେ ମୁଁ ତାଙ୍କ ଉପରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେ ପତନ ହେଲା ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋʼ ସ୍ୱାମୀଙ୍କ କତିକି ଆଣିଅଛି।”
2SA 1:11 ଏଥିରେ ଦାଉଦ ଦୁଖଃ ସକାଶୁ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ସେହିପରି କଲେ;
2SA 1:12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ୍ଗରେ ପତିତ ହେବାରୁ ଦାଉଦ ଓ ତାଙ୍କ ସଙ୍ଗୀମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ।
2SA 1:13 ଏଉତ୍ତାରେ ଦାଉଦ ସେହି ଯୁବାକୁ କହିଲେ, “ତୁମ୍ଭେ କେଉଁ ସ୍ଥାନର ଲୋକ?” ସେ ଉତ୍ତର କଲା, “ମୁଁ ଜଣେ ବିଦେଶୀ ଅମାଲେକୀୟ ଲୋକର ପୁତ୍ର।”
2SA 1:14 ତହୁଁ ଦାଉଦ ତାହାକୁ କହିଲେ, “ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି?”
2SA 1:15 ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ପାଖକୁ ଯାଇ ତାକୁ ଆକ୍ରମଣ କର।” ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ଅମାଲେକୀୟ ମଲା।
2SA 1:16 ପୁଣି ଦାଉଦ ମୃତ ଅମାଲେକୀୟକୁ କହିଲେ, “ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି।”
2SA 1:17 ଏଥିଉତ୍ତାରେ ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ମୃତ୍ୟୁୁରେ ବିଳାପ କଲେ;
2SA 1:18 ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍‍ ପୁସ୍ତକରେ ଲେଖାଅଛି।
2SA 1:19 “ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ୱରୂପ, ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ! ବୀରମାନେ କିପରି ପତିତ ହେଲେ!
2SA 1:20 ଗାଥ୍‍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ଡରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ୱନି କରିବେ।
2SA 1:21 ହେ ଗିଲ୍‍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା।
2SA 1:22 ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ୍ଗ ଖାଲି ହୋଇ ଫେରେ ନାହିଁ।
2SA 1:23 ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ଭିନ୍ନ ହେଲେ ନାହିଁ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ।
2SA 1:24 ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂର ବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ-ଅଳଙ୍କାର ମଣ୍ଡିଲେ।
2SA 1:25 ବୀରମାନେ ଯୁଦ୍ଧ ମଧ୍ୟରେ କିପରି ମରିଅଛନ୍ତି। ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ।
2SA 1:26 ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
2SA 1:27 ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।”
2SA 2:1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
2SA 2:2 ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
2SA 2:3 ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
2SA 2:4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
2SA 2:5 ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
2SA 2:6 ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
2SA 2:7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
2SA 2:8 ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
2SA 2:9 ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
2SA 2:10 ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।
2SA 2:11 ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
2SA 2:12 ନେର୍‍ର ପୁତ୍ର ଅବ୍‍ନର ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍‍କୁ ଗଲେ।
2SA 2:13 ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍‍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
2SA 2:14 ଏଥିରେ ଅବ୍‍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
2SA 2:15 ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
2SA 2:16 ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍‍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍‍କତ୍‍ ହତ୍‍ସୂରୀମ୍‍ ହେଲା।
2SA 2:17 ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍‍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
2SA 2:18 ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
2SA 2:19 ପୁଣି ଅସାହେଲ ଅବ୍‍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍‍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
2SA 2:20 ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
2SA 2:21 ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
2SA 2:22 ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
2SA 2:23 ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍‍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
2SA 2:24 ମାତ୍ର ଯୋୟାବ ଓ ଅବୀଶୟ ଅବ୍‍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍‍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
2SA 2:25 ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍‍ନରର ପଶ୍ଚାତ୍‍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
2SA 2:26 ତେବେ ଅବ୍‍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍‍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
2SA 2:27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
2SA 2:28 ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
2SA 2:29 ଏଉତ୍ତାରେ ଅବ୍‍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
2SA 2:30 ଆଉ ଯୋୟାବ ଅବ୍‍ନରର ପଶ୍ଚାଦ୍‍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
2SA 2:31 ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍‍ର ଓ ଅବ୍‍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
2SA 2:32 ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।
2SA 3:1 ଏଥିଉତ୍ତାରେ ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧୀରେ ଧୀରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ।
2SA 3:2 ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍‍ଠାରୁ ଜାତ;
2SA 3:3 ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।
2SA 3:4 ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର।
2SA 3:5 ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ।
2SA 3:6 ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍‍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା।
2SA 3:7 ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍‍ବୋଶତ ଅବ୍‍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ?”
2SA 3:8 ତେବେ ଅବ୍‍ନର ଈଶ୍‍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, “ମୁଁ କି ଯିହୁଦାର କୁକ୍କୁର ମୁଣ୍ଡ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋʼ ଉପରେ ଆରୋପ କରୁଅଛ?
2SA 3:9 ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,
2SA 3:10 ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍‍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”
2SA 3:11 ତହିଁରେ ସେ ଅବ୍‍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା।
2SA 3:12 ଏଉତ୍ତାରେ ଅବ୍‍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର?” ଆହୁରି କହିଲା, “ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ।”
2SA 3:13 ଏଥିରେ ଦାଉଦ କହିଲେ, “ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋʼ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋʼ ମୁଖ ଦେଖି ପାରିବ ନାହିଁ।”
2SA 3:14 ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।”
2SA 3:15 ତହିଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।
2SA 3:16 ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍‍ନର ତାହାକୁ କହିଲା, “ଯାଅ ଗୃହକୁ ଫେରିଯାଅ,” ତହୁଁ ସେ ଫେରିଗଲା।
2SA 3:17 ଏଥିଉତ୍ତାରେ ଅବ୍‍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ;
2SA 3:18 ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ‘ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା।’”
2SA 3:19 ଆଉ ଅବ୍‍ନର ବିନ୍ୟାମୀନ୍‍ର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନ୍‍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍‍ନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା।
2SA 3:20 ଏରୂପେ ଅବ୍‍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବ୍‍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ।
2SA 3:21 ଏଉତ୍ତାରେ ଅବ୍‍ନର ଦାଉଦଙ୍କୁ କହିଲା, “ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ।” ତହୁଁ ଦାଉଦ ଅବ୍‍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା।
2SA 3:22 ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟିତ ଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍‍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା।
2SA 3:23 ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, “ନେର୍‍ର ପୁତ୍ର ଅବ୍‍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି।”
2SA 3:24 ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, “ଆପଣ କଅଣ କଲେ? ଦେଖନ୍ତୁ, ଅବ୍‍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରିଦେଲେ, ସେ ତ ଗଲାଣି?
2SA 3:25 ଆପଣ କʼଣ ଜାଣନ୍ତି ନାହିଁ, ନେର୍‍ର ପୁତ୍ର ଅବ୍‍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେହି ସବୁ ଜାଣିବାକୁ ଆସିଥିଲା?”
2SA 3:26 ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍‍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ।
2SA 3:27 ପୁଣି ଅବ୍‍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗରର ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ସକାଶୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା।
2SA 3:28 ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, “ନେର୍‍ର ପୁତ୍ର ଅବ୍‍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ;
2SA 3:29 ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ।”
2SA 3:30 ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍‍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍‍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା।
2SA 3:31 ଏଥିଉତ୍ତାରେ ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍‍ନରର ଆଗେ ଆଗେ ଶୋକ କରି ଚାଲ।” ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ।
2SA 3:32 ଆଉ ସେମାନେ ହିବ୍ରୋଣରେ ଅବ୍‍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍‍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ।
2SA 3:33 ପୁଣି ରାଜା ଅବ୍‍ନର ପାଇଁ ବିଳାପ କରି କହିଲେ, “ଯେପରି ମୂଢ଼ ମରେ, ସେପରି କି ଅବ୍‍ନରକୁ ମରିବାକୁ ହେଲା?
2SA 3:34 ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ।” ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ।
2SA 3:35 ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, “ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟି କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”
2SA 3:36 ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା।
2SA 3:37 ଏହିରୂପେ ନେର୍‍ର ପୁତ୍ର ଅବ୍‍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ।
2SA 3:38 ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, “ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ?
2SA 3:39 ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍‍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ।”
2SA 4:1 ଆଉ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍‍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ।
2SA 4:2 ପୁଣି ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ; ଏମାନେ ବିନ୍ୟାମୀନ୍-ବଂଶଜାତ ବେରୋତୀୟ ରିମ୍ମୋନ୍‍ର ପୁତ୍ର। (କାରଣ ବେରୋତ ମଧ୍ୟ ବିନ୍ୟାମୀନ୍‍ର ଅଧିକାରରେ ଗଣିତ;
2SA 4:3 ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି।)
2SA 4:4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍‍।
2SA 4:5 ଏଥିଉତ୍ତାରେ ଈଶ୍‍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।
2SA 4:6 ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ।
2SA 4:7 (ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରବା ନାମକ ଅର୍ଥାତ୍‍ ଯର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ।
2SA 4:8 ଏଉତ୍ତାରେ ସେମାନେ ଈଶ୍‍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍‍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି।”
2SA 4:9 ମାତ୍ର ଦାଉଦ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, “ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
2SA 4:10 ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍‍ଠାରେ ବଧ କଲି।
2SA 4:11 ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି?”
2SA 4:12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍‍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍‍ନର-କବରରେ କବର ଦେଲେ।
2SA 5:1 ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
2SA 5:2 ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ସମୟରେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ଵ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ।’”
2SA 5:3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
2SA 5:4 ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ।
2SA 5:5 ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।
2SA 5:6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସିପାରିବ ନାହିଁ।”
2SA 5:7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା।
2SA 5:8 ପୁଣି ଦାଉଦ ସେହି ଦିନ କହିଲେ, “ଯେକେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳ ପ୍ରଣାଳୀକୁ ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ‘ଛୋଟା ଓ ଅନ୍ଧମାନଙ୍କୁ’ ବଧ କରୁ।” ଏହେତୁ ଲୋକେ କହନ୍ତି, “ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ସଦାପ୍ରଭୁଙ୍କ ଗୃହ ଭିତରକୁ ଆସିପାରିବ ନାହିଁ।”
2SA 5:9 ଏଥିଉତ୍ତାରେ ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ। ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
2SA 5:10 ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ।
2SA 5:11 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।
2SA 5:12 ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ।
2SA 5:13 ଏଥିଉତ୍ତାରେ ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।
2SA 5:14 ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା:- ଶମ୍ମୂୟ ଓ ଶୋବବ୍‍ ଓ ନାଥନ ଓ ଶଲୋମନ
2SA 5:15 ଓ ୟିଭର ଓ ଇଲୀଶୂୟ ଓ ନେଫଗ୍‍ ଓ ଯାଫୀୟ
2SA 5:16 ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍।
2SA 5:17 ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ।
2SA 5:18 ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟୀମ ତଳଭୂମିରେ ବିସ୍ତାର ହୋଇଥିଲେ
2SA 5:19 ଏଥିରେ ଦାଉଦ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
2SA 5:20 ତହୁଁ ଦାଉଦ ବାଲ୍‍-ପରାସୀମ୍‍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ୍‍ (ଭଗ୍ନ ସ୍ଥାନ) ରଖିଲେ।
2SA 5:21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହି ସବୁ ଦଗ୍ଧ କଲେ।
2SA 5:22 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟୀମ ତଳଭୂମିରେ ବିସ୍ତାର (ବିଶ୍ରାମ ନେଲେ) ହେଲେ।
2SA 5:23 ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠିଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
2SA 5:24 ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
2SA 5:25 ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ।
2SA 6:1 ଏଥିଉତ୍ତାରେ ଦାଉଦ ପୁନର୍ବାର ଇସ୍ରାଏଲର ତିରିଶ ହଜାର ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ।
2SA 6:2 ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍‍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ।
2SA 6:3 ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବୀନାଦବର ଗୃହରୁ ଆଣିଲେ; ପୁଣି ଅବୀନାଦବର ପୁତ୍ର ଉଷ ଓ ଅହୀୟୋ ସେହି ନୂଆ ଶଗଡ଼ ଚଳାଇଲେ।
2SA 6:4 ଆଉ ସେମାନେ ପର୍ବତସ୍ଥ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ; ଅହୀୟୋ ସିନ୍ଦୁକର ଆଗେ ଆଗେ ଚାଲିଲା।
2SA 6:5 ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।
2SA 6:6 ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା।
2SA 6:7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।
2SA 6:8 ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ (ଉଷ ପ୍ରତି ଆକ୍ରମଣ) ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
2SA 6:9 ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”
2SA 6:10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ,
2SA 6:11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍‍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।
2SA 6:12 ଏଉତ୍ତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ୍‍-ଇଦୋମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା। ତହୁଁ ଦାଉଦ ଯାଇ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ-ନଗରକୁ ଆଣିଲେ।
2SA 6:13 ଆଉ, ସଦାପ୍ରଭୁଙ୍କ ସିନ୍ଦୁକ-ବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ।
2SA 6:14 ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ।
2SA 6:15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।
2SA 6:16 ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।
2SA 6:17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍‍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
2SA 6:18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।
2SA 6:19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।
2SA 6:20 ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ!”
2SA 6:21 ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।
2SA 6:22 ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି; ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ, ସେମାନଙ୍କଠାରୁ ମୁଁ ଗୌରବ ପାଇବି।”
2SA 6:23 ଏହେତୁ ଶାଉଲଙ୍କର କନ୍ୟା ମୀଖଲର ମରଣ ଦିନ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ।
2SA 7:1 ଏଥିଉତ୍ତାରେ ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ
2SA 7:2 ରାଜା ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।”
2SA 7:3 ତହିଁରେ ନାଥନ ରାଜାଙ୍କୁ କହିଲେ, “ଯାଅ, ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି।”
2SA 7:4 ଏଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
2SA 7:5 “ଯାଅ, ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ?
2SA 7:6 ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ, ମାତ୍ର ତମ୍ବୁ ଓ ଆବାସ ମଧ୍ୟରେ ଗତାୟାତ କରିଅଛୁ।
2SA 7:7 ଆମ୍ଭେ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ?’
2SA 7:8 ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ;
2SA 7:9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।
2SA 7:10 ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ;
2SA 7:11 କିଅବା ଯେପରି ପୂର୍ବକାଳରେ ଓ ଯେଉଁ ସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଳେଶ ଦେବେ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ।
2SA 7:12 ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
2SA 7:13 ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା।
2SA 7:14 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା।
2SA 7:15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ।
2SA 7:16 ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ; ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
2SA 7:17 ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ସମ୍ବନ୍ଧରେ କଥା କହିଲେ।
2SA 7:18 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ପ୍ରଭୋ ସଦାପ୍ରଭୋ, ମୁଁ କିଏ ଓ ମୋର ବଂଶ ବା କଅଣ ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?
2SA 7:19 ତଥାପି, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?
2SA 7:20 ଏଣୁ ଦାଉଦ ତୁମ୍ଭକୁ ଆଉ କଅଣ କହିପାରେ? କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ।
2SA 7:21 ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଚ୍ଛାନୁସାରେ ଏହିସବୁ ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇଅଛ।
2SA 7:22 ଏହେତୁ ହେ ସଦାପ୍ରଭୋ ପରମେଶ୍ୱର, ତୁମ୍ଭେ ମହାନ; କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।
2SA 7:23 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।
2SA 7:24 ପୁଣି ତୁମ୍ଭେ ଅନନ୍ତକାଳଯାଏ ଆପଣା ଉଦ୍ଦେଶ୍ୟରେ ଏକ ଲୋକ କରିବା ନିମନ୍ତେ ଆପଣା ଲୋକ ଇସ୍ରାଏଲକୁ ଆପଣା ପାଇଁ ସ୍ଥାୟୀ କରିଅଛ। ଆଉ ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।
2SA 7:25 ଏବେ ହେ ସଦାପ୍ରଭୋ, ପରମେଶ୍ୱର, ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ ବାକ୍ୟ କହିଅଛ, ତାହା ଅନନ୍ତକାଳ ପର୍ଯ୍ୟନ୍ତ ଦୃଢ଼ କର ଓ ଯେପରି କହିଅଛ, ସେପରି କର।
2SA 7:26 ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ଏହି କଥା ଦ୍ୱାରା ତୁମ୍ଭ ନାମ ଅନନ୍ତକାଳ ମହତ୍ ହେଉ।
2SA 7:27 କାରଣ ହେ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବି ବୋଲି ତୁମ୍ଭେ ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ତୁମ୍ଭର ଦାସ ସାହସ ପାଇଲା।
2SA 7:28 ଆଉ ଏବେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ପରମେଶ୍ୱର ଓ ତୁମ୍ଭର ବାକ୍ୟ ସତ୍ୟ, ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ;
2SA 7:29 ଏହେତୁ ଯେପରି ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ବିଦ୍ୟମାନ ରହିବ, ଏଥିପାଇଁ ଅନୁଗ୍ରହ କରି ତାକୁ ଆଶୀର୍ବାଦ କର; କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପେ ଏହା କହିଅଛ; ଏଣୁ ତୁମ୍ଭ ଦାସର ବଂଶ ତୁମ୍ଭ ଆଶୀର୍ବାଦରେ ଅନନ୍ତକାଳ ଆଶୀର୍ବାଦଯୁକ୍ତ ହେଉ।”
2SA 8:1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ।
2SA 8:2 ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ।
2SA 8:3 ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ।
2SA 8:4 ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ।
2SA 8:5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।
2SA 8:6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।
2SA 8:7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।
2SA 8:8 ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ।
2SA 8:9 ଏଥିଉତ୍ତାରେ ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,
2SA 8:10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମ୍‍କୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।
2SA 8:11 ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେଉଁ ସମସ୍ତ ଗୋଷ୍ଠୀକୁ ବଶୀଭୂତ କରିଥିଲେ, ସେମାନଙ୍କଠାରୁ,
2SA 8:12 ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।
2SA 8:13 ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର ଅଠର ହଜାର ଲୋକ ବଧ କରି ଫେରିଆସି ବଡ଼ ନାମ ପାଇଲେ।
2SA 8:14 ପୁଣି ସେ ଇଦୋମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀ-ଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ। ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।
2SA 8:15 ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ।
2SA 8:16 ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା;
2SA 8:17 ପୁଣି ଅହୀଟୂବ୍‍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ସରାୟ ଲେଖକ ଥିଲା;
2SA 8:18 ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ରାଜକୀୟ ଉପଦେଷ୍ଟା ଥିଲେ।
2SA 9:1 ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?”
2SA 9:2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।”
2SA 9:3 ତହିଁରେ ରାଜା ପଚାରିଲେ, “ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି?” ଏଥିରେ ସୀବଃ ରାଜାଙ୍କୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା।”
2SA 9:4 ତହୁଁ ରାଜା ତାହାକୁ ପଚାରିଲେ, “ସେ କେଉଁଠାରେ ଅଛି?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି।”
2SA 9:5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ।
2SA 9:6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା। ତହୁଁ ଦାଉଦ କହିଲେ, “ହେ ମଫୀବୋଶତ୍‍।” ସେ ଉତ୍ତର କଲା, “ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି।”
2SA 9:7 ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।”
2SA 9:8 ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”
2SA 9:9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, “ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି।
2SA 9:10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।
2SA 9:11 ତେବେ ସୀବଃ ରାଜାଙ୍କୁ କହିଲା, “ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ।” ମଫୀବୋଶତ୍‍ ବିଷୟରେ ରାଜା କହିଲେ, “ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ।”
2SA 9:12 ସେହି ମଫୀବୋଶତ୍‍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀକା। ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍‍ର ଦାସ ହେଲେ।
2SA 9:13 ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।
2SA 10:1 ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍‍ ତାହାର ବଦଳରେ ରାଜା ହେଲା।
2SA 10:2 ତହିଁରେ ଦାଉଦ କହିଲେ, “ହାନୂନ୍‍ର ପିତା ନାହଶ୍‍ ଯେପରି ମୋʼ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍‍ ପ୍ରତି ଦୟା ପ୍ରକାଶ କରିବି।” ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ।
2SA 10:3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?”
2SA 10:4 ତହିଁରେ ହାନୂନ୍‍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା।
2SA 10:5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।”
2SA 10:6 ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବେଥ୍‍-ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ।
2SA 10:7 ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ।
2SA 10:8 ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ।
2SA 10:9 ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା।
2SA 10:10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା।
2SA 10:11 ପୁଣି ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି।
2SA 10:12 ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”
2SA 10:13 ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ।
2SA 10:14 ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା।
2SA 10:15 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ।
2SA 10:16 ପୁଣି ହଦଦେଷର ଲୋକ ପଠାଇ ଫରାତ୍‍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା।
2SA 10:17 ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ।
2SA 10:18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା।
2SA 10:19 ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ।
2SA 11:1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।
2SA 11:2 ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା।
2SA 11:3 ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କʼଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍‍ଶେବା ନୁହେଁ?”
2SA 11:4 ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେହି ସ୍ତ୍ରୀ ଋତୁସ୍ନାନ କରିଥିଲା। ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା।
2SA 11:5 ଏଥିଉତ୍ତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି।
2SA 11:6 ତହୁଁ ଦାଉଦ ଯୋୟାବ ନିକଟକୁ ଲୋକ ପଠାଇ କହିଲେ, “ହିତ୍ତୀୟ ଊରୀୟକୁ ମୋʼ ନିକଟକୁ ପଠାଇଦିଅ।” ତହିଁରେ ଯୋୟାବ ଊରୀୟକୁ ଦାଉଦଙ୍କ ନିକଟକୁ ପଠାଇଦେଲା।
2SA 11:7 ତେଣୁ ଊରୀୟ ଉପସ୍ଥିତ ହୁଅନ୍ତେ, ଦାଉଦ ତାହାକୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଚାରିଲେ।
2SA 11:8 ପୁଣି ଦାଉଦ ଊରୀୟକୁ କହିଲେ, “ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର।” ତହିଁରେ ଊରୀୟ ରାଜଗୃହରୁ ବାହାରିଗଲା, ପୁଣି ତାʼ ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା।
2SA 11:9 ମାତ୍ର ଊରୀୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ।
2SA 11:10 ଏଥିରେ “ଊରୀୟ ଆପଣା ଗୃହକୁ ଯାଇ ନାହିଁ,” ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ, ଦାଉଦ ଊରୀୟକୁ କହିଲେ, “ତୁମ୍ଭେ କʼଣ ଯାତ୍ରାରୁ ଆସି ନାହଁ? ଆପଣା ଗୃହକୁ କାହିଁକି ଗଲ ନାହିଁ?”
2SA 11:11 ତେବେ ଊରୀୟ ଦାଉଦଙ୍କୁ କହିଲା, “ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋʼ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କʼଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏ କଥା କରିବି ନାହିଁ।”
2SA 11:12 ଏଥିରେ ଦାଉଦ ଊରୀୟକୁ କହିଲେ, “ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି।” ତହୁଁ ଊରୀୟ ସେ ଦିନ ଓ ପରଦିନ ଯିରୂଶାଲମରେ ରହିଲା।
2SA 11:13 ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନପାନ କଲା; ପୁଣି ଦାଉଦ ତାହାକୁ ମାତ୍ତାଲ କରାଇଲେ; ତଥାପି ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ।
2SA 11:14 ଏଣୁ ଦାଉଦ ସକାଳେ ଯୋୟାବ ନିକଟକୁ ପତ୍ର ଲେଖି ଊରୀୟ ହାତରେ ତାହା ପଠାଇଲେ।
2SA 11:15 ପତ୍ରରେ ସେ ଏହା ଲେଖିଥିଲେ, ଯଥା, “ଯେପରି ଊରୀୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ।”
2SA 11:16 ପୁଣି ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି, ଏହା ଜାଣି ସେ ଊରୀୟକୁ ସେଠାରେ ନିଯୁକ୍ତ କଲା।
2SA 11:17 ଏଉତ୍ତାରେ ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ, ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ମଲେ ଓ ହିତ୍ତୀୟ ଊରୀୟ ମଧ୍ୟ ମଲା।
2SA 11:18 ତେବେ ଯୋୟାବ ବାର୍ତ୍ତାବାହକଙ୍କୁ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା;
2SA 11:19 ପୁଣି ତାହାଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ,
2SA 11:20 ଯଦି ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, ‘କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କʼଣ ତୁମ୍ଭେମାନେ ଜାଣିଲ ନାହିଁ?
2SA 11:21 ଯିରୁବ୍ବେଶତର ପୁତ୍ର ଅବୀମେଲକ୍‍କୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କʼଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’”
2SA 11:22 ତହିଁରେ ସେହି ଦୂତ ପ୍ରସ୍ଥାନ କରି, ଯୋୟାବ ଯହିଁ ପାଇଁ ତାହାକୁ ପଠାଇଥିଲା, ସେହି ସବୁ ଦାଉଦଙ୍କୁ ଯାଇ ଜଣାଇଲା।
2SA 11:23 ସେହି ଦୂତ ଦାଉଦଙ୍କୁ କହିଲା, “ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁଁ ଆମ୍ଭେମାନେ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି କରି ଗଲୁ।
2SA 11:24 ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମଲା।”
2SA 11:25 ସେତେବେଳେ ଦାଉଦ ସେହି ଦୂତକୁ କହିଲେ, “ତୁମ୍ଭେ ଯୋୟାବକୁ ଏପରି କହିବ, ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେ; ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର,’ ଏହିରୂପେ ତୁମ୍ଭେ ତାହାକୁ ସାହସିକ କର।”
2SA 11:26 ଏଉତ୍ତାରେ ଊରୀୟର ଭାର୍ଯ୍ୟା ଆପଣା ସ୍ୱାମୀ ଊରୀୟର ମୃତ୍ୟୁୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା।
2SA 11:27 ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ, ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।
2SA 12:1 ଏଥିଉତ୍ତାରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର।
2SA 12:2 ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା;
2SA 12:3 ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନ ଥିଲା, ଯାହା ସେ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା।
2SA 12:4 ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକୁ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା।”
2SA 12:5 ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁର ଯୋଗ୍ୟ;
2SA 12:6 ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ।”
2SA 12:7 ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲଙ୍କ ହସ୍ତରୁ ରକ୍ଷା କଲୁ;
2SA 12:8 ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ପୁଣି ଇସ୍ରାଏଲ ଓ ଯିହୁଦା ବଂଶ ମଧ୍ୟ ତୁମ୍ଭକୁ ଦେଲୁ; ଆଉ ଯଦି ଏହା ଅଳ୍ପ ହୋଇଥାʼନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାʼନ୍ତୁ।
2SA 12:9 ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ-ସନ୍ତାନଗଣର ଖଡ୍ଗ ଦ୍ୱାରା ଊରୀୟକୁ ବଧ କରିଅଛ।
2SA 12:10 ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।’
2SA 12:11 ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ।
2SA 12:12 ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା।’”
2SA 12:13 ସେତେବେଳେ ଦାଉଦ ନାଥନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।” ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ।
2SA 12:14 ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”
2SA 12:15 ଏଥିଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ। ଏଥିଉତ୍ତାରେ ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା।
2SA 12:16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ।
2SA 12:17 ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ।
2SA 12:18 ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା। ମାତ୍ର ବାଳକ ଯେ ମରିଅଛି, ଏହି କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, “ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ?”
2SA 12:19 ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍‍ ଫୁସ୍‍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, “ବାଳକ ମଲାଣି କି?” ସେମାନେ କହିଲେ, “ମଲାଣି।”
2SA 12:20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।
2SA 12:21 ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ।”
2SA 12:22 ତହିଁରେ ସେ କହିଲେ, “ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି; କାରଣ ମୁଁ କହିଲି, କେଜାଣି ସଦାପ୍ରଭୁ ମୋʼ ପ୍ରତି କୃପା କଲେ, ମୋହର ବାଳକଟି ବଞ୍ଚି ପାରିବ।
2SA 12:23 ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣି ପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋʼ ନିକଟକୁ ଫେରି ଆସିବ ନାହିଁ।”
2SA 12:24 ଏଥିଉତ୍ତାରେ ଦାଉଦ ଆପଣା ଭାର୍ଯ୍ୟା ବତ୍‍ଶେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍‍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ।
2SA 12:25 ପୁଣି ସେ ନାଥନ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ ଦେଲେ।
2SA 12:26 ଏଥିମଧ୍ୟରେ ଯୋୟାବ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା।
2SA 12:27 ପୁଣି ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ଅଧିକାର କରିଅଛି।
2SA 12:28 ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ଅଧିକାର କରନ୍ତୁ, ନୋହିଲେ ମୁଁ ସେ ନଗର ଅଧିକାର କଲେ, ତାହା ମୋʼ ନାମାନୁସାରେ ଖ୍ୟାତ ହେବ।”
2SA 12:29 ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ।
2SA 12:30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।
2SA 12:31 ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟା ଭାଟିରେ କାମ କରାଇଲେ; ସେ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।
2SA 13:1 ଏଥିଉତ୍ତାରେ ଏହି ଘଟଣା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା; ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା।
2SA 13:2 ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା।
2SA 13:3 ମାତ୍ର ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ନାମରେ ଅମ୍ନୋନର ଜଣେ ବନ୍ଧୁ ଥିଲା; ସେହି ଯୋନାଦବ୍‍ ଅତି ଚତୁର।
2SA 13:4 ଏଣୁ ଯୋନାଦବ୍‍ ଅମ୍ନୋନକୁ କହିଲା, “ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ; ମୋତେ କʼଣ ତାହା କହିବ ନାହିଁ?” ଏଥିରେ ଅମ୍ନୋନ ତାହାକୁ କହିଲା, “ମୁଁ ମୋର ଭ୍ରାତା ଅବଶାଲୋମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ।”
2SA 13:5 ଏଥିରେ ଯୋନାଦବ୍‍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ମୋହର ଭଗିନୀ ତାମରକୁ ମୋʼ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋʼ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”
2SA 13:6 ଏଣୁ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା; ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ, ଅମ୍ନୋନ ରାଜାଙ୍କୁ କହିଲା, “ଦୟାକରି ମୋʼ ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋʼ ନିମନ୍ତେ ଦୁଇ ରୁଟି ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି।”
2SA 13:7 ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ।”
2SA 13:8 ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା। ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା।
2SA 13:9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମ୍ନୋନ ସେବକଙ୍କୁ କହିଲା, “ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ।” ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ।
2SA 13:10 ତହୁଁ ଅମ୍ନୋନ ତାମରକୁ କହିଲା, “ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି।” ଏଥିରେ ତାମର ଆପଣା ପ୍ରସ୍ତୁତ ରୁଟି ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା।
2SA 13:11 ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋʼ ଭଉଣୀ, ମୋʼ ସଙ୍ଗରେ ଶୁଅ।”
2SA 13:12 ତହିଁରେ ସେ ଉତ୍ତର କଲା, “ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ। ତୁମ୍ଭେ ଏହି ମୂଢ଼ କର୍ମ ନ କର!
2SA 13:13 ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”
2SA 13:14 ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା।
2SA 13:15 ଏଉତ୍ତାରେ ଅମ୍ନୋନ ତାହାକୁ ଅତିଶୟ ଘୃଣା କଲା; ସେ ତାହାକୁ ଯେପରି ପ୍ରେମ କରିଥିଲା, ତାʼଠାରୁ ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, ଉଠ, ଯା।
2SA 13:16 ତହିଁରେ ସେ କହିଲା, “ସେପରି ନ ହେଉ! କାରଣ ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ!” ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା।
2SA 13:17 ଏଥିରେ ଅମ୍ନୋନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, “ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ।”
2SA 13:18 ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା।
2SA 13:19 ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା।
2SA 13:20 ଏଥିରେ ତାହାର ଭାଇ ଅବଶାଲୋମ ତାହାକୁ କହିଲା, “ତୁମ୍ଭ ଭାଇ ଅମ୍ନୋନ କି ତୁମ୍ଭର ବଳାତ୍କାର କରିଅଛି? ହେଉ, ଆମ୍ଭ ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ; ଏ କଥା ମନେ ଧର ନାହିଁ।” ତହିଁରେ ତାମର ଉଦାସିନୀ ହୋଇ ଆପଣା ସହୋଦର ଅବଶାଲୋମର ଗୃହରେ ରହିଲା।
2SA 13:21 ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ।
2SA 13:22 ପୁଣି ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ; କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
2SA 13:23 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲ-ହାସୋରରେ ଅବଶାଲୋମର ମେଷର ଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।
2SA 13:24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସି କହିଲା, “ଦେଖନ୍ତୁ, ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ।”
2SA 13:25 ଏଥିରେ ରାଜା ଅବଶାଲୋମଙ୍କୁ କହିଲେ, “ନାହିଁ, ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ୱରୂପ ହେବୁ।” ମାତ୍ର ସେ ବହୁତ ବାଧ୍ୟ କଲା; ତଥାପି ରାଜା ଯିବାକୁ ସମ୍ମତ ନ ହୋଇ ତାହାକୁ ଆଶୀର୍ବାଦ କଲେ।
2SA 13:26 ଏଥିରେ ଅବଶାଲୋମ କହିଲା, “ଯେବେ ଏହା ନ ହୁଏ, ତେବେ ଆପଣ ଆମ୍ଭ ଭାଇ ଅମ୍ନୋନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ।” ତେବେ ରାଜା ତାହାକୁ କହିଲେ, “ଅମ୍ନୋନ କାହିଁକି ତୁମ୍ଭ ସଙ୍ଗେ ଯିବ?”
2SA 13:27 ମାତ୍ର ଅବଶାଲୋମ ବାଧ୍ୟ କରିବାରୁ ରାଜା ଅମ୍ନୋନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
2SA 13:28 ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କʼଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।”
2SA 13:29 ଏଥିରେ ଅବଶାଲୋମର ଆଜ୍ଞା ପ୍ରମାଣେ ଅବଶାଲୋମର ଯୁବାମାନେ ଅମ୍ନୋନ ପ୍ରତି କଲେ। ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ।
2SA 13:30 ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
2SA 13:31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ।
2SA 13:32 ସେତେବେଳେ ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ଉତ୍ତର ଦେଇ କହିଲା, “ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ; କେବଳ ଅମ୍ନୋନ ମରିଅଛି, କାରଣ ଅବଶାଲୋମର ଭଗିନୀ ତାମରକୁ ଅମ୍ନୋନ ବଳାତ୍କାର କରିବା ଦିନାବଧି ଅବଶାଲୋମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା।
2SA 13:33 ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ; କାରଣ କେବଳ ଅମ୍ନୋନ ମରିଅଛି।”
2SA 13:34 ଏଥିମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା। ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି।
2SA 13:35 ତହିଁରେ ଯୋନାଦବ୍‍ ରାଜାଙ୍କୁ କହିଲା, “ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା।”
2SA 13:36 ସେ ଏହି କଥା କହିବା ସମାପ୍ତ କଲାକ୍ଷଣେ ଦେଖ, ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ; ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ।
2SA 13:37 ମାତ୍ର ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୂଦର ପୁତ୍ର ତଲ୍ମୟ ନିକଟକୁ ଗଲା। ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ।
2SA 13:38 ଏହିରୂପେ ଅବଶାଲୋମ ପଳାଇ ଗଶୂରକୁ ଯାଇ ସେଠାରେ ତିନି ବର୍ଷ ରହିଲା।
2SA 13:39 ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବଶାଲୋମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା; କାରଣ ସେ ଅମ୍ନୋନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନାପ୍ରାପ୍ତ ହେଲେ।
2SA 14:1 ଏଥିଉତ୍ତାରେ ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ହୃଦୟ ଅବଶାଲୋମ ଆଡ଼େ ଅଛି।
2SA 14:2 ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀକୁ ଅଣାଇ ତାହାକୁ କହିଲା, “ଆଗୋ, ବିନୟ କରୁଅଛି, ତୁମ୍ଭେ ଶୋକକାରିଣୀର ବେଶ ଧର ଓ ଶୋକସୂଚକ ବସ୍ତ୍ର ପିନ୍ଧ, ତୁମ୍ଭେ ତେଲ ଲଗାଅ ନାହିଁ, ମାତ୍ର ମୃତ ଲୋକ ପାଇଁ ବହୁ କାଳରୁ ଶୋକକାରିଣୀ ସ୍ତ୍ରୀ ପରି ହୁଅ;
2SA 14:3 ପୁଣି ରାଜାଙ୍କ ନିକଟକୁ ଯାଇ ଏହି ପ୍ରକାରେ ତାଙ୍କୁ କୁହ।” ଆଉ ଯୋୟାବ ତାହାକୁ ବକ୍ତବ୍ୟ କଥା ଶିଖାଇଲା।
2SA 14:4 ତହୁଁ ତକୋୟର ସେହି ସ୍ତ୍ରୀ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”
2SA 14:5 ତହିଁରେ ରାଜା ତାହାକୁ କହିଲେ, “ତୁମ୍ଭର କଅଣ ହେଲା?” ସେ ଉତ୍ତର କଲା, “ମୁଁ ସତ୍ୟ କହୁଛି, ମୁଁ ବିଧବା ସ୍ତ୍ରୀ, ମୋʼ ସ୍ୱାମୀ ମରିଯାଇଅଛି।
2SA 14:6 ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ, ସେ ଦୁହେଁ କ୍ଷେତ୍ରରେ ଝଗଡା କଲେ, ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା।
2SA 14:7 ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି, ‘ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,’ ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକି ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋʼ ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ।”
2SA 14:8 ଏଥିରେ ରାଜା ସେହି ସ୍ତ୍ରୀଙ୍କୁ କହିଲେ, “ଘରକୁ ଯାଅ, ମୁଁ ତୁମ୍ଭ ବିଷୟରେ ଆଜ୍ଞା ଦେବି।”
2SA 14:9 ତହୁଁ ତକୋୟର ସେହି ସ୍ତ୍ରୀ ରାଜାଙ୍କୁ କହିଲା, “ହେ ମୋହର ପ୍ରଭୋ, ମହାରାଜ, ଏ ଅପରାଧଟି ମୋʼ ଉପରେ ଓ ମୋʼ ପିତୃଗୃହ ଉପରେ ଥାଉ; ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷରହିତ ହେଉନ୍ତୁ।”
2SA 14:10 ତହିଁରେ ରାଜା କହିଲେ, “କେହି ଯେବେ ତୁମ୍ଭକୁ କିଛି କହେ, ତାଙ୍କୁ ମୋʼ ନିକଟକୁ ଆଣ, ତେବେ ସେ ତୁମ୍ଭକୁ ଆଉ ଛୁଇଁବ ନାହିଁ।”
2SA 14:11 ତହିଁରେ ସେ ସ୍ତ୍ରୀ କହିଲେ, “ରକ୍ତର ପ୍ରତିହନ୍ତା (ନାଶକ) ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନୋହିଲେ, ସେମାନେ ମୋʼ ପୁତ୍ରକୁ ଉଚ୍ଛିନ୍ନ କରିବେ।” ତହୁଁ ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ।”
2SA 14:12 ସେତେବେଳେ ସେହି ସ୍ତ୍ରୀ କହିଲା, “ଆପଣଙ୍କ ଦାସୀଙ୍କୁ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଗୋଟିଏ କଥା କହିବାକୁ ଦେଉନ୍ତୁ;” ସେ କହିଲେ, “କୁହ।”
2SA 14:13 ତହୁଁ ସେହି ସ୍ତ୍ରୀ କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏରୂପ ସଂକଳ୍ପ କରିଅଛନ୍ତି? ମହାରାଜ ଯାହା କହିଲେ, ତଦ୍ଦ୍ୱାରା ଦୋଷୀ ଲୋକ ପରି ହୋଇଅଛନ୍ତି, କାରଣ ମହାରାଜ ଆପଣା ନିର୍ବାସିତ ଲୋକଙ୍କୁ ଫେରାଇ ଆଣୁ ନାହାନ୍ତି।
2SA 14:14 ଆମ୍ଭେମାନେ ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇ ନ ପାରେ, ଏପରି ଜଳ ତୁଲ୍ୟ ହେବା; କିନ୍ତୁ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ; ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ, ଏପରି ଉପାୟର ସଂକଳ୍ପ କରନ୍ତି।
2SA 14:15 ଏବେ ମୁଁ ଯେ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏହି ଯେ, ଲୋକମାନେ ମୋର ଭୟ ଜନ୍ମାଇଲେ; ତହିଁରେ ଆପଣଙ୍କ ଦାସୀ କହିଲା, ‘ମୁଁ ଏବେ ମହାରାଜଙ୍କୁ କହିବି; ହୋଇପାରେ, ମହାରାଜ ଆପଣା ଦାସୀର ନିବେଦନାନୁସାରେ କରିବେ।
2SA 14:16 ଯେଉଁ ଲୋକ ମୋତେ ଓ ମୋʼ ପୁତ୍ରକୁ ଏକତ୍ର ପରମେଶ୍ୱରଙ୍କ ଅଧିକାରରୁ ଉଚ୍ଛିନ୍ନ କରିବାକୁ ଇଚ୍ଛା କରେ, ତାହା ହସ୍ତରୁ ମହାରାଜ ଆପଣା ଦାସୀଙ୍କୁ ରକ୍ଷା କରିବାକୁ ମନୋଯୋଗ କରିବେ।’
2SA 14:17 ଆପଣଙ୍କ ଦାସୀ ଆହୁରି କହିଲା, ‘ମୋର ପ୍ରଭୁ ମହାରାଜଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ,’ ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ।”
2SA 14:18 ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକୁ କହିଲେ, “ଭଲ, ମୁଁ ତୁମ୍ଭକୁ ଯାହା ପଚାରିବି, ତାହା ମୋʼ ଠାରୁ ଗୋପନ କରିବ ନାହିଁ।” ତହୁଁ ସେହି ସ୍ତ୍ରୀ କହିଲା, “ମୋର ପ୍ରଭୁ ମହାରାଜ କହନ୍ତୁ।”
2SA 14:19 ଏଥିରେ ରାଜା କହିଲେ, “ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ?” ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, “ହେ ମୋର ପ୍ରଭୋ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋʼ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି।
2SA 14:20 କଥାକୁ ଏପରି ବୁଲାଇ କହିବାକୁ ଆପଣଙ୍କ ଦାସ ଯୋୟାବ ଏହା କରିଅଛନ୍ତି; ଯାହାହେଉ, ମୋର ପ୍ରଭୁ ପୃଥିବୀର ସମସ୍ତ ବିଷୟ ଜାଣିବା ପାଇଁ ପରମେଶ୍ୱରଙ୍କ ଦୂତଙ୍କ ଜ୍ଞାନ ପ୍ରମାଣେ ଜ୍ଞାନବାନ ଅଟନ୍ତି।”
2SA 14:21 ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମଙ୍କୁ ପୁନର୍ବାର ଆଣ।”
2SA 14:22 ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, “ହେ ମୋହର ପ୍ରଭୋ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ।”
2SA 14:23 ତହୁଁ ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମଙ୍କୁ ଯିରୂଶାଲମକୁ ଆଣିଲା।
2SA 14:24 ଆଉ ରାଜା କହିଲେ, “ସେ ଫେରି ଆପଣା ଘରକୁ ଯାଉ, ମାତ୍ର ସେ ମୋହର ମୁଖ ନ ଦେଖୁ।” ତହିଁରେ ଅବଶାଲୋମ ଆପଣା ଗୃହକୁ ଫେରିଗଲା ଓ ରାଜାଙ୍କର ମୁଖ ଦେଖିଲା ନାହିଁ।
2SA 14:25 ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ପ୍ରଶଂସନୀୟ ସୌନ୍ଦର୍ଯ୍ୟ ପୁରୁଷ କେହି ନ ଥିଲା; ତାହାର ତଳିପାରୁ ମସ୍ତକର ଅଗ୍ରଭାଗ ପର୍ଯ୍ୟନ୍ତ ତାହାଠାରେ କୌଣସି ଖୁଣ ନ ଥିଲା।
2SA 14:26 ତାହାର ମସ୍ତକର କେଶ ଭାରୀ ହେବାରୁ ପ୍ରତି ବର୍ଷର ଶେଷରେ ସେ ତାହା କଟାଏ। ପୁଣି ସେ ଆପଣା ମସ୍ତକର କେଶ କଟାଇବା ବେଳେ ରାଜପରିମାଣାନୁସାରେ ତାହା ଦୁଇ ଶହ ଶେକଲ ପରିମିତ ହୁଏ।
2SA 14:27 ସେହି ଅବଶାଲୋମର ତିନି ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇଥିଲେ; କନ୍ୟାର ନାମ ତାମର ଥିଲା, ସେ ପରମାସୁନ୍ଦରୀ।
2SA 14:28 ଅବଶାଲୋମ ଯିରୂଶାଲମରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ବାସ କଲା; ମାତ୍ର ରାଜାଙ୍କର ମୁଖ ଦେଖିଲା ନାହିଁ।
2SA 14:29 ଏଣୁ ଅବଶାଲୋମ ରାଜାଙ୍କ ନିକଟକୁ ପଠାଇବା ପାଇଁ ଯୋୟାବଙ୍କୁ ଡକାଇଲା; ମାତ୍ର ସେ ଆସିଲା ନାହିଁ; ତହୁଁ ସେ ଦ୍ୱିତୀୟ ଥର ପୁଣି ଲୋକ ପଠାଇଲା, ମାତ୍ର ସେ ଆସିଲା ନାହିଁ।
2SA 14:30 ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, “ଦେଖ, ଆମ୍ଭ କ୍ଷେତ୍ର ପାଖରେ ଯୋୟାବର କ୍ଷେତ୍ର ଅଛି, ସେ ତହିଁରେ ଯବ କରିଅଛି; ଯାଅ, ତହିଁରେ ନିଆଁ ଲଗାଇ ଦିଅ।” ତହୁଁ ଅବଶାଲୋମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇଦେଲେ।
2SA 14:31 ଏଥିରେ ଯୋୟାବ ଉଠି ଅବଶାଲୋମ ପାଖକୁ ତାହାର ଗୃହକୁ ଆସି ତାହାକୁ କହିଲା, “ତୁମ୍ଭ ଦାସମାନେ କାହିଁକି ମୋʼ କ୍ଷେତ୍ରରେ ନିଆଁ ଲଗାଇଲେ?”
2SA 14:32 ତହୁଁ ଅବଶାଲୋମ ଯୋୟାବଙ୍କୁ ଉତ୍ତର କଲା, “ଦେଖ ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, ତୁମ୍ଭେ ଏଠାକୁ ଆସ, ମୁଁ କାହିଁକି ଗଶୂରରୁ ଆସିଲି? ଏ କଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ, ମୋହର ଭଲ ହୋଇଥାʼନ୍ତା; ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋʼ ଠାରେ ଅପରାଧ ଥାଏ, ତେବେ ସେ ମୋତେ ବଧ କରନ୍ତୁ।”
2SA 14:33 ତହୁଁ ଯୋୟାବ ଯାଇ ରାଜାଙ୍କୁ ଏହା ଜଣାଇଲା; ତହିଁରେ ରାଜା ଅବଶାଲୋମଙ୍କୁ ଡକାନ୍ତେ, ସେ ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା, ପୁଣି ରାଜା ଅବଶାଲୋମଙ୍କୁ ଚୁମ୍ବନ କଲେ।
2SA 15:1 ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଅଙ୍ଗରକ୍ଷକ ରଖିଲା।
2SA 15:2 ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ?” ତହିଁରେ “ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,”
2SA 15:3 ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”
2SA 15:4 ଅବଶାଲୋମ ଆହୁରି କହେ, “ଆଃ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋʼ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି।”
2SA 15:5 ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ।
2SA 15:6 ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେହି ସମସ୍ତଙ୍କ ପ୍ରତି ଏହିପରି କରେ; ଏହି ପ୍ରକାରେ ଅବଶାଲୋମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା।
2SA 15:7 ଏଥିଉତ୍ତାରେ ଚାରି ବର୍ଷ ଶେଷରେ ଅବଶାଲୋମ ରାଜାଙ୍କୁ କହିଲା, “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋଣକୁ ଯିବାକୁ ଦିଅନ୍ତୁ।
2SA 15:8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
2SA 15:9 ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।
2SA 15:10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ‘ଅବଶାଲୋମ ହିବ୍ରୋଣରେ ରାଜା ହେଲେ’ ବୋଲି କହିବ।”
2SA 15:11 ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ।
2SA 15:12 ପୁଣି ଅବଶାଲୋମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲା। ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା; କାରଣ ଅବଶାଲୋମର ସପକ୍ଷ ଲୋକ ଆହୁରି ଆହୁରି ଅନେକ ବୃଦ୍ଧି ପାଇଲେ।
2SA 15:13 ଏଥିଉତ୍ତାରେ ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମ ଆଡ଼େ ଅଛି।”
2SA 15:14 ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
2SA 15:15 ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି, ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି।”
2SA 15:16 ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ।
2SA 15:17 ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବେଥ୍-ହମ୍ମିର୍ହକରେ (ଦୂର ସ୍ଥାନରେ) ରହିଲେ।
2SA 15:18 ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ୍‍ ନଗରରୁ ତାଙ୍କ ପଛେ ଯେଉଁ ଛଅ ଶହ ଲୋକ ଆସିଥିଲେ, ସେହି କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ।
2SA 15:19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ; କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ; ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।
2SA 15:20 ଆମ୍ଭେ ଯେଉଁଆଡ଼େ ପାରିବୁ, ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ; ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ।”
2SA 15:21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ।”
2SA 15:22 ତହୁଁ ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ।
2SA 15:23 ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର-ପଥ ଆଡ଼େ ଗଲେ।
2SA 15:24 ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।
2SA 15:25 ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।
2SA 15:26 ମାତ୍ର ‘ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋʼ ପ୍ରତି କରନ୍ତୁ।”
2SA 15:27 ରାଜା ସାଦୋକ ଯାଜକକୁ ଆହୁରି କହିଲେ, “ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ।
2SA 15:28 ଦେଖ, ତୁମ୍ଭମାନଙ୍କଠାରୁ ମୋʼ ଠାକୁ ତଥ୍ୟ-ବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟି ପାଖରେ ଅପେକ୍ଷା କରିବି।”
2SA 15:29 ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ।
2SA 15:30 ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ।
2SA 15:31 ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, “ଅବଶାଲୋମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହୀଥୋଫଲ ଅଛି।” ତହିଁରେ ଦାଉଦ କହିଲେ, “ହେ ସଦାପ୍ରଭୋ, ବିନୟ କରୁଅଛି, ଅହୀଥୋଫଲର ମନ୍ତ୍ରଣାକୁ ମୂର୍ଖତା କର।”
2SA 15:32 ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୂଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
2SA 15:33 ତହିଁରେ ଦାଉଦ ତାହାଙ୍କୁ କହିଲେ, “ଯେବେ ତୁମ୍ଭେ ମୋʼ ସଙ୍ଗେ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋʼ ପ୍ରତି ଭାର ସ୍ୱରୂପ ହେବ।
2SA 15:34 ମାତ୍ର ଯେବେ ତୁମ୍ଭେ ନଗରକୁ ଫେରିଯାଇ ଅବଶାଲୋମଙ୍କୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।
2SA 15:35 ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ।
2SA 15:36 ଦେଖ, ସେହି ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍‍, ସାଦୋକର ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେହି ସବୁ କଥା ସେମାନଙ୍କ ହାତରେ ମୋʼ ନିକଟକୁ କହି ପଠାଇବ।”
2SA 15:37 ତହୁଁ ଦାଉଦଙ୍କର ମିତ୍ର ହୂଶୟ ନଗରକୁ ଆସିଲା; ପୁଣି ଅବଶାଲୋମ ଯିରୂଶାଲମକୁ ଆସିଲା।
2SA 16:1 ଏଥିଉତ୍ତାରେ ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତ୍‍ର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୁଟି, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା।
2SA 16:2 ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।”
2SA 16:3 ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’”
2SA 16:4 ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”
2SA 16:5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।
2SA 16:6 ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ।
2SA 16:7 ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲିଯାଅ!
2SA 16:8 ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ଶାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି; ପୁଣି ସଦାପ୍ରଭୁ ତୋର ପୁତ୍ର ଅବଶାଲୋମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି; ଆଉ ଦେଖ୍, ତୁ ତୋʼ ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତୀ ମନୁଷ୍ୟ।”
2SA 16:9 ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ।”
2SA 16:10 ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋʼ ର କʼଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦଙ୍କୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ?’”
2SA 16:11 ଆହୁରି ଦାଉଦ ଅବୀଶୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, “ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି।
2SA 16:12 ହୋଇପାରେ, ମୋʼ ପ୍ରତି କୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ।”
2SA 16:13 ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ; ପୁଣି ଶିମୀୟି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା।
2SA 16:14 ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ।
2SA 16:15 ଏଥିମଧ୍ୟରେ ଅବଶାଲୋମ ଓ ତାହା ସଙ୍ଗେ ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଯିରୂଶାଲମକୁ ଆସିଲେ।
2SA 16:16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!”
2SA 16:17 ତହିଁରେ ଅବଶାଲୋମ ହୂଶୟକୁ କହିଲା, “ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ?”
2SA 16:18 ହୂଶୟ ଅବଶାଲୋମଙ୍କୁ କହିଲା, “ତାହା ନୁହେଁ! ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ, ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି।
2SA 16:19 ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି।”
2SA 16:20 ସେତେବେଳେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ।”
2SA 16:21 ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”
2SA 16:22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା।
2SA 16:23 ସେସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା; ଦାଉଦ ଓ ଅବଶାଲୋମ ଉଭୟଙ୍କ ପ୍ରତି ଅହୀଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା।
2SA 17:1 ଆହୁରି ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ମୁଁ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି।
2SA 17:2 ପୁଣି ସେ କ୍ଳାନ୍ତ ଓ ଶିଥିଳ ହସ୍ତ ଥିବା ବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି; ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ; ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି।
2SA 17:3 ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ; ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ।”
2SA 17:4 ସେତେବେଳେ ଏହି କଥା ଅବଶାଲୋମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା।
2SA 17:5 ତେବେ ଅବଶାଲୋମ କହିଲା, “ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କʼଣ କହେ, ତାହା ମଧ୍ୟ ଶୁଣିବା।”
2SA 17:6 ତହୁଁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ଅବଶାଲୋମ ତାହାକୁ କହିଲା, “ଅହୀଥୋଫଲ ଏପରି ଏପରି କହୁଅଛି; ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯଦି ନ କରିବା, ତେବେ ତୁମ୍ଭେ କୁହ।”
2SA 17:7 ତହିଁରେ ହୂଶୟ ଅବଶାଲୋମଙ୍କୁ କହିଲା, “ଅହୀଥୋଫଲ ଯେଉଁ ମନ୍ତ୍ରଣା ଦେଇଅଛି, ତାହା ଭଲ ନୁହେଁ।”
2SA 17:8 ହୂଶୟ ଆହୁରି କହିଲା, “ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ।
2SA 17:9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରିଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’
2SA 17:10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।
2SA 17:11 ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ।
2SA 17:12 ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେହି ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ; ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ।
2SA 17:13 ଆହୁରି ଯଦି ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦଉଡ଼ି ଆଣିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକୁ ଟାଣି ନେବୁ।”
2SA 17:14 ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, “ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ।” ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ।
2SA 17:15 ଏଥିଉତ୍ତାରେ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, “ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି।
2SA 17:16 ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ‘ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସିମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ।’”
2SA 17:17 ସେହି ସମୟରେ ଯୋନାଥନ ଓ ଅହୀମାସ୍‍ ଐନ୍‍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାʼନ୍ତି।
2SA 17:18 ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ।
2SA 17:19 ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା; ଏଣୁ କିଛି ଜଣା ପଡ଼ିଲା ନାହିଁ।
2SA 17:20 ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, “ଅହୀମାସ୍‍ ଓ ଯୋନାଥନ କାହାନ୍ତି?” ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, “ସେମାନେ ନଦୀ ପାର ହୋଇ ଗଲେଣି।” ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରିଗଲେ।
2SA 17:21 ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇ ଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ; ଆଉ ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେମାନେ ଉଠ, ଶୀଘ୍ର ଜଳ ପାର ହୋଇଯାଅ, କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି।”
2SA 17:22 ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଯର୍ଦ୍ଦନ ପାର ହୋଇଗଲେ; ପ୍ରଭାତ ଆଲୁଅ ସମୟ ପୁର୍ବରୁ ଯେ ଯର୍ଦ୍ଦନ ପାର ହୋଇଯାଇ ନ ଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ।
2SA 17:23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।
2SA 17:24 ଏଥିମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ। ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ।
2SA 17:25 ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାଙ୍କୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା।
2SA 17:26 ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲୀୟଦ ଦେଶରେ ଛାଉଣି ସ୍ଥାପନ କଲେ।
2SA 17:27 ଏଥିଉତ୍ତାରେ ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ
2SA 17:28 ଶଯ୍ୟା, ପାନପାତ୍ର, ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ, ଯବ, ମଇଦା, ଭଜା ଶସ୍ୟ, ଶିମ, ମସୁର ଓ ଭଜା ବିରି
2SA 17:29 ପୁଣି ମଧୁ, ଦହି, ମେଷ ଓ ଗୋ-ଛେନା ଆଣିଲେ; ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ; କାରଣ ସେମାନେ କହିଲେ, “ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।”
2SA 18:1 ଏଥିଉତ୍ତାରେ ଦାଉଦ ଆପଣା ସୈନ୍ୟମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତିଗଣଙ୍କୁ ନିଯୁକ୍ତ କଲେ।
2SA 18:2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।”
2SA 18:3 ମାତ୍ର ଲୋକମାନେ କହିଲେ, “ଆପଣ ଆମ ସଙ୍ଗେ ଯୁଦ୍ଧକୁ ଯିବେ ନାହିଁ; କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; କିଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; ମାତ୍ର ଆପଣ ଆମ୍ଭମାନଙ୍କ ଦଶ ହଜାର ସମାନ; ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ।”
2SA 18:4 ତହିଁରେ ରାଜା ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି।” ଏଉତ୍ତାରେ ରାଜା ନଗର ଦ୍ୱାରର ପାର୍ଶ୍ଵରେ ଠିଆ ହେଲା ସମୟରେ ସମସ୍ତ ଲୋକ ଶହ ଶହ ଓ ହଜାର ହଜାର ହୋଇ ବାହାରିଗଲେ।
2SA 18:5 ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, “ମୋʼ ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର।” ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କୁ ଏହି ଆଜ୍ଞା ଦେବା ସମୟରେ ସମସ୍ତ ଲୋକ ତାହା ଶୁଣିଲେ।
2SA 18:6 ଏହିରୂପେ ସୈନ୍ୟଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ନାମକ ବନରେ ଯୁଦ୍ଧ ହେଲା।
2SA 18:7 ତହିଁରେ ଇସ୍ରାଏଲର ସୈନ୍ୟଦଳ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ।
2SA 18:8 ଦେଶସାରା ଯୁଦ୍ଧ ବ୍ୟାପିଗଲା; ପୁଣି ସେହି ଦିନ ଖଡ୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା।
2SA 18:9 ଆଉ ଅବଶାଲୋମ ଅକସ୍ମାତ୍‍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।
2SA 18:10 ସେତେବେଳେ ଜଣେ ତାହା ଦେଖି ଯୋୟାବକୁ କହିଲା, “ଦେଖ, ମୁଁ ଅବଶାଲୋମଙ୍କୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି!”
2SA 18:11 ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, “ଦେଖ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି।”
2SA 18:12 ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମଙ୍କୁ ସ୍ପର୍ଶ କରିବ ନାହିଁ।’
2SA 18:13 ଯଦି ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ୱାସଘାତକତା କରିଥାʼନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାʼନ୍ତ; କାରଣ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ।”
2SA 18:14 ତେବେ ଯୋୟାବ କହିଲା, “ମୁଁ ଏପରି ବିଳମ୍ବ କରି ନ ପାରେ।” ତହୁଁ ସେ ଆପଣା ହସ୍ତରେ ତିନୋଟି ବର୍ଚ୍ଛା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା।
2SA 18:15 ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମଙ୍କୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ।
2SA 18:16 ତହୁଁ ଯୋୟାବ ତୂରୀ ବଜାନ୍ତେ, ସୈନ୍ୟମାନେ ଇସ୍ରାଏଲର ପଶ୍ଚାତ୍‍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ସୈନ୍ୟମାନଙ୍କୁ ଅଟକାଇଲା।
2SA 18:17 ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।
2SA 18:18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।
2SA 18:19 ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍‍ କହିଲା, “ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ି ଯାଏ।”
2SA 18:20 ତହିଁରେ ଯୋୟାବ ତାହାଙ୍କୁ କହିଲା, “ଆଜି ତୁମ୍ଭେ ସୁସମ୍ବାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ବାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ବାଦ ନେବ ନାହିଁ।”
2SA 18:21 ତେବେ ଯୋୟାବ କୂଶୀୟଙ୍କୁ କହିଲା, “ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ।” ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା।
2SA 18:22 ତହୁଁ ସାଦୋକର ପୁତ୍ର ଅହୀମାସ୍‍ ପୁନର୍ବାର ଯୋୟାବଙ୍କୁ କହିଲା, “ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ।” ତହିଁରେ ଯୋୟାବ କହିଲା, “ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ବାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?”
2SA 18:23 ମାତ୍ର ସେ କହିଲା, “ଯାହାହେଉ, ମୁଁ ଦୌଡ଼ୁଅଛି।” ତହିଁରେ ଯୋୟାବ ତାହାକୁ କହିଲା, “ଦୌଡ଼।” ତହୁଁ ଅହୀମାସ୍‍ ପ୍ରାନ୍ତର-ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା।
2SA 18:24 ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।
2SA 18:25 ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।
2SA 18:26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।”
2SA 18:27 ଏଥିରେ ପ୍ରହରୀ କହିଲା, “ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍‍ର ଦୌଡ଼ ପରି ମୋହର ବୋଧ ହୁଏ।” ତେବେ ରାଜା କହିଲେ, “ସେ ଭଲ ଲୋକ, ସେ ଭଲ ସମ୍ବାଦ ନେଇ ଆସୁଅଛି।”
2SA 18:28 ସେତେବେଳେ ଅହୀମାସ୍‍ ଡାକ ପକାଇ ରାଜାଙ୍କୁ କହିଲା, “ସବୁ ମଙ୍ଗଳ।” ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରିଦେଇଅଛନ୍ତି।”
2SA 18:29 ତହିଁରେ ରାଜା କହିଲେ, “ସେ ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହୁଁ ଅହୀମାସ୍‍ ଉତ୍ତର କଲା, “ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍‍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକ ଗହଳି ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ।”
2SA 18:30 ଏଥିରେ ରାଜା କହିଲେ, “ଏଆଡ଼େ ଆସି ଠିଆ ହୁଅ।” ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା।
2SA 18:31 ଏଥିମଧ୍ୟରେ ଦେଖ, ସେହି କୂଶୀୟ ପହଞ୍ଚି କହିଲା, “ମୋʼ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ବାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେହି ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି।”
2SA 18:32 ତହିଁରେ ରାଜା ସେହି କୂଶୀୟଙ୍କୁ ପଚାରିଲେ, “ସେହି ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହିଁରେ କୂଶୀୟ ଉତ୍ତର କଲା, “ମୋʼ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେମାନେ ସମସ୍ତେ ସେହି ଯୁବା ଲୋକ ପରି ହେଉନ୍ତୁ।”
2SA 18:33 ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ୱାର-ଉପରିସ୍ଥ କୋଠରିକୁ ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, “ହାୟ ଆମ୍ଭର ପୁତ୍ର ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମ! ହୁଏତ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ, ହାୟ ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!”
2SA 19:1 ଏଥିଉତ୍ତାରେ କେହି ଯୋୟାବକୁ କହିଲା, “ଦେଖ, ରାଜା ଅବଶାଲୋମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି।”
2SA 19:2 ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ।
2SA 19:3 ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ।
2SA 19:4 ଆଉ ରାଜା ମଧ୍ୟ ଆପଣା ମୁଖ ଢାଙ୍କିଲେ, ପୁଣି ରାଜା ଉଚ୍ଚସ୍ୱରରେ କାନ୍ଦି କହିଲେ, “ହାୟ ଆମ୍ଭ ପୁତ୍ର ଅବଶାଲୋମ, ହାୟ ଅବଶାଲୋମ, ଆମ୍ଭ ପୁତ୍ର, ଆମ୍ଭ ପୁତ୍ର।”
2SA 19:5 ଏଉତ୍ତାରେ ଯୋୟାବ ଗୃହ ଭିତରକୁ ରାଜାଙ୍କ ନିକଟକୁ ଆସି କହିଲା, “ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ରକନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି;
2SA 19:6 କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରୁଅଛନ୍ତି, ଆପଣ ସେମାନଙ୍କୁ ପ୍ରେମ କରୁଅଛନ୍ତି ଓ ଯେଉଁମାନେ ଆପଣଙ୍କୁ ପ୍ରେମ କରୁଅଛନ୍ତି, ଆପଣ ସେମାନଙ୍କୁ ଘୃଣା କରୁଅଛନ୍ତି। ଯେହେତୁ ଆପଣ ଆଜି ଜଣାଇ ଅଛନ୍ତି ଯେ, ଅଧିପତିମାନେ ଓ ଦାସମାନେ ଆପଣଙ୍କ ପ୍ରତି କିଛି ନୁହନ୍ତି; କାରଣ ମୁଁ ଆଜି ଦେଖୁଅଛି ଯେ, ଯଦି ଅବଶାଲୋମ ବଞ୍ଚିଥାʼନ୍ତା ଓ ଆମ୍ଭେ ସମସ୍ତେ ଆଜି ମରିଥାʼନ୍ତୁ, ତେବେ ଆପଣଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା।
2SA 19:7 ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯାʼନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ।”
2SA 19:8 ତହିଁରେ ରାଜା ଉଠି ନଗର-ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର-ଦ୍ୱାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।
2SA 19:9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।
2SA 19:10 ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମଙ୍କୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି। ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ?”
2SA 19:11 ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ?
2SA 19:12 ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ; ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ?’
2SA 19:13 ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ? ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’”
2SA 19:14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”
2SA 19:15 ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍‍ଗଲ୍‍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ।
2SA 19:16 ସେତେବେଳେ ଦାଉଦ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମୀୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ଆସିଲା।
2SA 19:17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।
2SA 19:18 ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।
2SA 19:19 ଆଉ ଶିମୀୟି ରାଜାଙ୍କୁ କହିଲା, “ମୋʼ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋʼ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।
2SA 19:20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋʼ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”
2SA 19:21 ମାତ୍ର ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମୀୟି ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ଶାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ?”
2SA 19:22 ଏଥିରେ ଦାଉଦ କହିଲେ, “ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କʼଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ? ଆଜି ଇସ୍ରାଏଲ ମଧ୍ୟରେ କʼଣ କାହାରି ପ୍ରାଣଦଣ୍ଡ ହେବ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କʼଣ ମୁଁ ଜାଣୁ ନାହିଁ?”
2SA 19:23 ତହୁଁ ରାଜା ଶିମୀୟିଙ୍କୁ କହିଲେ, “ତୁମ୍ଭେ ମରିବ ନାହିଁ।” ପୁଣି ରାଜା ତାହା ନିକଟରେ ଶପଥ କଲେ।
2SA 19:24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍‍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍‍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।
2SA 19:25 ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, “ମଫୀବୋଶତ୍‍, ତୁମ୍ଭେ କାହିଁକି ମୋʼ ସଙ୍ଗରେ ଗଲ ନାହିଁ?”
2SA 19:26 ତହିଁରେ ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ‘ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା,’ ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା।
2SA 19:27 ଆହୁରି ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି; ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ; ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ।
2SA 19:28 ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋʼ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି?”
2SA 19:29 ତହିଁରେ ରାଜା ତାହାକୁ କହିଲେ, “ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ? ମୁଁ କହୁଅଛି, ତୁମ୍ଭେ ଓ ସୀବଃ ସେହି ଭୂମି ବାଣ୍ଟି ନିଅ।”
2SA 19:30 ତହୁଁ ମଫୀବୋଶତ୍‍ ରାଜାଙ୍କୁ କହିଲା, “ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉ।”
2SA 19:31 ଏଉତ୍ତାରେ ଗିଲୀୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା ଓ ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଯର୍ଦ୍ଦନକୁ ପାର ହୋଇଗଲା।
2SA 19:32 ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
2SA 19:33 ପୁଣି ରାଜା ବର୍ସିଲ୍ଲୟଙ୍କୁ କହିଲେ, “ତୁମ୍ଭେ ମୋʼ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
2SA 19:34 ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି?
2SA 19:35 ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କʼଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କʼଣ ତହିଁର ଆସ୍ୱାଦ ପାଇ ପାରେ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ?
2SA 19:36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ?
2SA 19:37 ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋʼ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରି ଯିବାକୁ ଅନୁମତି ଦେଉନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍‍ହମ୍‍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ।”
2SA 19:38 ଏଥିରେ ରାଜା ଉତ୍ତର କଲେ, “କିମ୍‍ହମ୍‍ ମୋʼ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”
2SA 19:39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।
2SA 19:40 ଏହିରୂପେ ରାଜା ପାର ହୋଇ ଗିଲ୍‍ଗଲ୍‍କୁ ଗଲେ ଓ କିମ୍‍ହମ୍‍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।
2SA 19:41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”
2SA 19:42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର କଲେ, “ରାଜା ତ ଆମ୍ଭମାନଙ୍କର ନିକଟ-କୁଟୁମ୍ବ; ତେବେ ତୁମ୍ଭେମାନେ କାହିଁକି ଏ ବିଷୟରେ କ୍ରୋଧ କରୁଅଛ? ଆମ୍ଭେମାନେ କʼଣ ରାଜାଙ୍କର କିଛି ଖାଇଅଛୁ? ଅବା ସେ କʼଣ ଆମ୍ଭମାନଙ୍କୁ କିଛି ଭେଟି ଦେଇଅଛନ୍ତି?”
2SA 19:43 ତହିଁରେ ଇସ୍ରାଏଲ ଲୋକମାନେ ଯିହୁଦା-ଲୋକମାନଙ୍କୁ ଉତ୍ତର କରି କହିଲେ, “ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ?” ତହୁଁ ଇସ୍ରାଏଲ ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।
2SA 20:1 ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
2SA 20:2 ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍‍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍‍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।
2SA 20:3 ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
2SA 20:4 ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ।”
2SA 20:5 ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
2SA 20:6 ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀର-ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
2SA 20:7 ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।
2SA 20:8 ସେମାନେ ଗିବୀୟୋନ୍‍ସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା।
2SA 20:9 ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।
2SA 20:10 ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା। ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ।
2SA 20:11 ଏଥିମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, “ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ।”
2SA 20:12 ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍‍ପଟ୍‍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।
2SA 20:13 ଅମାସା ରାସ୍ତାରୁ ବାହର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
2SA 20:14 ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍‍ ଓ ବେଥ୍‍ମାଖା ଓ ସମସ୍ତ ବେରୀମ୍‍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ।
2SA 20:15 ପୁଣି ସେମାନେ ଆସି ବେଥ୍‍-ମାଖାସ୍ଥିତ ଆବେଲ୍‍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼-ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍‍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
2SA 20:16 ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, “ଶୁଣ, ଶୁଣ! ମୁଁ ବିନୟ କରୁଅଛି, ଯୋୟାବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ।”
2SA 20:17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କʼଣ ଯୋୟାବ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।”
2SA 20:18 ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥାʼନ୍ତି, ‘ଲୋକେ ଆବେଲ୍‍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ।
2SA 20:19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?”
2SA 20:20 ଏଥିରେ ଯୋୟାବ ଉତ୍ତର କରି କହିଲା, “ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋʼ ଠାରୁ ଦୂର ହେଉ।
2SA 20:21 କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି।” ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, “ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ।”
2SA 20:22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
2SA 20:23 ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା।
2SA 20:24 ଆଉ ଅଦୋନୀରାମ୍‍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ,
2SA 20:25 ଶିବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ;
2SA 20:26 ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।
2SA 21:1 ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା; ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କରନ୍ତେ, ସଦାପ୍ରଭୁ କହିଲେ, “ଶାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବୀୟୋନୀୟ ଲୋକମାନଙ୍କୁ ବଧ କରିଥିଲା।”
2SA 21:2 ତହୁଁ ରାଜା ଗିବୀୟୋନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କୁ କହିଲେ। (ଏହି ଗିବୀୟୋନୀୟ ଲୋକମାନେ ଇସ୍ରାଏଲ ସନ୍ତାନ ନ ଥିଲେ, ମାତ୍ର ଇମୋରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ; ପୁଣି ଇସ୍ରାଏଲ ସନ୍ତାନମାନେ ସେମାନଙ୍କୁ ବଧ ନ କରିବା ପାଇଁ ଶପଥ କରିଥିଲେ; ତଥାପି ଶାଉଲ ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍‍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।)
2SA 21:3 ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞା ପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି?”
2SA 21:4 ତହିଁରେ ଗିବୀୟୋନୀୟମାନେ ତାଙ୍କୁ କହିଲେ, “ଆମ୍ଭମାନଙ୍କର ପୁଣି ଶାଉଲ କିଅବା ତାହା ବଂଶର ମଧ୍ୟରେ ରୂପା କି ସୁନା ସମ୍ବନ୍ଧୀୟ କିଛି କଥା ନାହିଁ; କିଅବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ଡ କରିବା ଆମ୍ଭମାନଙ୍କର ଉଚିତ ନୁହେଁ।” ତହୁଁ ଦାଉଦ କହିଲେ, “ତୁମ୍ଭେମାନେ ଯାହା କହିବ, ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
2SA 21:5 ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭେମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି,
2SA 21:6 ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।”
2SA 21:7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।
2SA 21:8 ମାତ୍ର ଅୟାର କନ୍ୟା, ରିସ୍ପା ଅମୌଣି ଓ ମଫୀବୋଶତ୍‍ ନାମରେ ଶାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ଶାଉଲଙ୍କର କନ୍ୟା ମୀଖଲ ମହୋଲାତୀୟ ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ
2SA 21:9 ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍‍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ।
2SA 21:10 ଏଉତ୍ତାରେ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଚ୍ଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଓ ଶବ ନିକଟରେ ଆପଣା ପାଇଁ ତାହା ପ୍ରସାରିଲା; ଆଉ ସେ ଦିନ ବେଳେ ଆକାଶର ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ, କିଅବା ରାତ୍ରି ବେଳେ ବନ ପଶୁଗଣକୁ ଆସିବାକୁ ଦେଲା ନାହିଁ।
2SA 21:11 ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା।
2SA 21:12 ସେତେବେଳେ ଦାଉଦ ଯାଇ ଯାବେଶ-ଗିଲୀୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ, କାରଣ ଗିଲ୍‍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାର ବେଥ୍-ଶାନ୍‍ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ-ଗିଲୀୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ।
2SA 21:13 ଏନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ; ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ।
2SA 21:14 ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ୍ ଦେଶସ୍ଥ ସେଲାରେ ତାହାର ପିତା କୀଶ୍‍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁ ଉତ୍ତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।
2SA 21:15 ଏଥିଉତ୍ତାରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା; ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ସୈନ୍ୟମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ; ତହିଁରେ ଦାଉଦ କ୍ଳାନ୍ତ ହେଲେ।
2SA 21:16 ସେସମୟରେ ଇଶ୍‍ବୀ ବନୋବ୍‍ ନାମରେ ତିନି ଶହ ଶେକଲ ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା।
2SA 21:17 ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, “ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ।”
2SA 21:18 ଏଥିଉତ୍ତାରେ ପୁନର୍ବାର ଗୋବ୍‍ରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
2SA 21:19 ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ୍‍ରେ ଯୁଦ୍ଧ ହେଲା; ତହିଁରେ ବେଥଲିହିମୀୟ ଯାରେ-ଓରଗୀମର ପୁତ୍ର ଇଲ୍‍ହାନନ୍‍, ତନ୍ତୀ ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତକୁ ବଧ କଲା।
2SA 21:20 ଏହାପରେ ପୁନର୍ବାର ଗାଥ୍‍ରେ ଯୁଦ୍ଧ ହେଲା; ସେଠାରେ ଅତି ଦୀର୍ଘକାୟ, ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ।
2SA 21:21 ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।
2SA 21:22 ଏହି ଚାରି ଜଣ ଗାଥ୍‍ରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ଓ ତାଙ୍କ ଦାସମାନଙ୍କ ହସ୍ତ ଦ୍ୱାରା ବଧ ହୋଇଥିଲେ।
2SA 22:1 ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେହି ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ;
2SA 22:2 ସେ କହିଲେ, “ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ରକ୍ଷାକର୍ତ୍ତା,
2SA 22:3 ମୋହର ଶୈଳ ସ୍ୱରୂପ ପରମେଶ୍ୱର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି। ମୋହର ଢାଲ ଓ ମୋହର ପରିତ୍ରାଣ ସ୍ୱରୂପ ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ; ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରିଥାଅ।
2SA 22:4 ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି।
2SA 22:5 କାରଣ ମୃତ୍ୟୁୁରୂପ ଲହରୀ ମୋତେ ବେଷ୍ଟନ କଲା, ଦୁଷ୍ଟମାନଙ୍କ ପ୍ଲାବନ(ଜୁଆର) ମୋତେ ଭୀତ କଲା।
2SA 22:6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।
2SA 22:7 ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ, ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି; ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା।
2SA 22:8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନମଣ୍ଡଳର ମୂଳସକଳ ଉଦ୍‍ବିଗ୍ନ ଓ ଟଳମଳ ହେଲା, କାରଣ ସଦାପ୍ରଭୁ ପ୍ରଜ୍ୱଳିତ ହୋଇ ଉଠିଲେ।
2SA 22:9 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।
2SA 22:10 ମଧ୍ୟ ସେ ଆକାଶମଣ୍ଡଳକୁ ମେଲା କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା।
2SA 22:11 ପୁଣି ସେ କିରୂବ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ; ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ।
2SA 22:12 ସେ ଅନ୍ଧକାରକୁ, ଅର୍ଥାତ୍‍, ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ୱରୂପ କଲେ।
2SA 22:13 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ-ଅଙ୍ଗାର ପତିତ ହେଲା।
2SA 22:14 ସଦାପ୍ରଭୁ ଆକାଶରୁ ଗର୍ଜ୍ଜନ କଲେ ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ।
2SA 22:15 ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ବିଜୁଳି ଦ୍ୱାରା ସେମାନଙ୍କୁ ବିଚ୍ଛିନ୍ନ କଲେ।
2SA 22:16 ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳସକଳ ଦେଖାଗଲା।
2SA 22:17 ସେ ଉର୍ଦ୍ଧ୍ବରୁ (ହାତ) ବଢ଼ାଇଲେ, ସେ ମୋତେ ଧରିଲେ; ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ।
2SA 22:18 ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ; କାରଣ ସେମାନେ ମୋʼ ଠାରୁ ଅତି ବଳବାନ ଥିଲେ।
2SA 22:19 ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ମୋର ସହାୟ ହେଲେ।
2SA 22:20 ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ପହଞ୍ଚାଇଲେ; ସେ ମୋତେ ରକ୍ଷା କଲେ, କାରଣ ସେ ମୋʼ ଠାରେ ସନ୍ତୁଷ୍ଟ ହେଲେ।
2SA 22:21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ।
2SA 22:22 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ।
2SA 22:23 ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ।
2SA 22:24 ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି।
2SA 22:25 ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋହର ପବିତ୍ରତାନୁସାରେ ମୋତେ ଫଳ ଦେଲେ।
2SA 22:26 ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ।
2SA 22:27 ଶୁଚି ଲୋକ ପ୍ରତି ତୁମ୍ଭେ ଆପଣାକୁ ଶୁଚି ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ।
2SA 22:28 ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କର; ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ।
2SA 22:29 ହେ ସଦାପ୍ରଭୋ, ତୁମ୍ଭେ ମୋହର ପ୍ରଦୀପ; ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ।
2SA 22:30 କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ; ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ।
2SA 22:31 ସେ ପରମେଶ୍ୱର, ତାହାଙ୍କ ପଥ ଯଥାର୍ଥ; ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷାସିଦ୍ଧ; ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ।
2SA 22:32 ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର? ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଆଉ କିଏ ଶୈଳ?
2SA 22:33 ପରମେଶ୍ୱର ମୋହର ଦୃଢ଼ ଆଶ୍ରୟ; ସେ ସିଦ୍ଧ ଲୋକଙ୍କୁ ଆପଣା ପଥରେ କଢ଼ାଇ ନିଅନ୍ତି।
2SA 22:34 ସେ ମୋʼ ର ପାଦକୁ ହରିଣୀର ପାଦ ତୁଲ୍ୟ କରନ୍ତି ଓ ସେ ମୋତେ ମୋʼ ର ଉଚ୍ଚସ୍ଥଳୀରେ ବସାନ୍ତି।
2SA 22:35 ସେ ମୋʼ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ।
2SA 22:36 ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣରୂପ ଢାଲ ଦେଇଅଛ; ତୁମ୍ଭର ନମ୍ରତା (ଦୟା) ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
2SA 22:37 ତୁମ୍ଭେ ମୋʼ ତଳେ ମୋର ପାଦ ରଖିବା ସ୍ଥାନ ପ୍ରଶସ୍ତ କରିଅଛ ଓ ମୋହର ଗୋଇଠି ଖସି ଯାଇ ନାହିଁ।
2SA 22:38 ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ।
2SA 22:39 ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ, ସେମାନେ ଆଉ ଉଠି ନ ପାରନ୍ତି; ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି।
2SA 22:40 ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ କଟି ପରି ବଳ ଦେଇଅଛ; ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ।
2SA 22:41 ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋʼ ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି।
2SA 22:42 ସେମାନେ କ୍ରନ୍ଦନ କଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନ ଥିଲା; ସଦାପ୍ରଭୁଙ୍କ ପ୍ରତି ମଧ୍ୟ (ଅନାଇଲେ), ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
2SA 22:43 ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି।
2SA 22:44 ତୁମ୍ଭେ ମଧ୍ୟ ମୋʼ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ।
2SA 22:45 ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କଲେ; ସେମାନେ ମୋʼ ବିଷୟ ଶୁଣିବାମାତ୍ରେ ମୋହର ଆଜ୍ଞାବହ ହେଲେ।
2SA 22:46 ବିଦେଶୀୟମାନେ ଆପଣାମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିଲେ।
2SA 22:47 ସଦାପ୍ରଭୁ ନିତ୍ୟଜୀବୀ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋʼ ପରିତ୍ରାଣର ଶୈଳ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।
2SA 22:48 ସେହି ପରମେଶ୍ୱର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋʼ ତଳେ ନତ କରନ୍ତି।
2SA 22:49 ପୁଣି ସେ ମୋʼ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି; ହଁ, ତୁମ୍ଭେ ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ।
2SA 22:50 ଏହେତୁ ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।
2SA 22:51 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତକାଳ ଦୟା ପ୍ରକାଶ କରନ୍ତି।”
2SA 23:1 “ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;
2SA 23:2 ମୋʼ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା।
2SA 23:3 ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ।
2SA 23:4 ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବ; ସେହି ସମୟରେ ବୃଷ୍ଟି ଉତ୍ତାରେ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ।
2SA 23:5 ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି? ସେ ମୋʼ ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି? ସେ କି ମୋର ରକ୍ଷା କରିବେ ନାହିଁ?
2SA 23:6 ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;
2SA 23:7 ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ।”
2SA 23:8 ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍‍-ବଶେବତ୍‍, ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ଆଠ ଶହ ଲୋକର ହତ୍ୟା କଲା।
2SA 23:9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,
2SA 23:10 ସେ ଉଠି ଆପଣା ହସ୍ତ କ୍ଳାନ୍ତ ଓ ଆପଣା ହସ୍ତ ଖଡ୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେହି ଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାତ୍‍ଗାମୀ ହେଲେ।
2SA 23:11 ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ। ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୁରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ।
2SA 23:12 ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ।
2SA 23:13 ଆଉ ତିରିଶ ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ।
2SA 23:14 ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
2SA 23:15 ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପ ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
2SA 23:16 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ।
2SA 23:17 ପୁଣି ସେ କହିଲେ, “ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼ ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ।” ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
2SA 23:18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା। ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
2SA 23:19 ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
2SA 23:20 ଆଉ ପରାକ୍ରାନ୍ତ କର୍ମକାରୀ କବ୍‍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
2SA 23:21 ଆହୁରି ସେ ଏକ ଜଣ ମିସରୀୟ ବଳବାନ ପୁରୁଷକୁ ବଧ କଲା ଓ ସେହି ମିସରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା ନିକଟକୁ ଗଲା ଓ ସେହି ମିସରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
2SA 23:22 ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
2SA 23:23 ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
2SA 23:24 ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍;
2SA 23:25 ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା;
2SA 23:26 ପଲ୍ଟୀୟ ହେଲସ୍‍, ତକୋୟୀୟ ଇକ୍‍କେଶର ପୁତ୍ର ଈରା;
2SA 23:27 ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ;
2SA 23:28 ଅହୋହୀୟ ସଲମୋନ୍‍, ନଟୋଫାତୀୟ ମହରୟ;
2SA 23:29 ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ୍ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ;
2SA 23:30 ପିରୀୟାଥୋନୀୟ ବନାୟ, ଗାଶ୍‍-ନଦୀତୀର ନିବାସୀ ହିଦ୍ଦୟ;
2SA 23:31 ଅର୍ବତୀୟ ଅବିୟେଲ୍‍ବୋନ, ବରହୂମୀୟ ଅସ୍ମାବତ୍‍;
2SA 23:32 ଶାଲ୍‍ବୋନୀୟ ଇଲୀୟହବା, ଯାଶେନ୍‍ର ପୁତ୍ରଗଣ, ଯୋନାଥନ;
2SA 23:33 ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ;
2SA 23:34 ମାଖାଥୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍‍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ;
2SA 23:35 କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ;
2SA 23:36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନି;
2SA 23:37 ଅମ୍ମୋନୀୟ ସେଲକ୍‍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
2SA 23:38 ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍‍;
2SA 23:39 ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ।
2SA 24:1 ଏଥିଉତ୍ତାରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”
2SA 24:2 ତହିଁରେ ରାଜା ଆପଣା ନିକଟସ୍ଥ ସେନାପତି ଯୋୟାବଙ୍କୁ କହିଲେ; “ତୁମ୍ଭେମାନେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
2SA 24:3 ଏଥିରେ ଯୋୟାବ ରାଜାଙ୍କୁ କହିଲା, “ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋʼ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି?”
2SA 24:4 ତଥାପି ଯୋୟାବ ଉପରେ ଓ ସେନାପତିମାନଙ୍କ ଉପରେ ରାଜାଙ୍କ ବାକ୍ୟ ପ୍ରବଳ ହେଲା। ତହୁଁ ଯୋୟାବ ଓ ସେନାପତିମାନେ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ରାଜାଙ୍କ ସାକ୍ଷାତରୁ ଗମନ କଲେ।
2SA 24:5 ଏଉତ୍ତାରେ ସେମାନେ ଯର୍ଦ୍ଦନ ପାର ହୋଇ ଅରୋୟେରରେ ଗାଦ୍‍ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରର ଦକ୍ଷିଣ ପାଖରେ ଛାଉଣି ସ୍ଥାପନ କଲେ, ଓ ଗାଦ୍‍ରୁ ଯାସେର ପର୍ଯ୍ୟନ୍ତ ଯାତ୍ରା କଲେ;
2SA 24:6 ତହିଁ ଉତ୍ତାରେ ସେମାନେ ଗିଲୀୟଦକୁ ଓ ତହତୀମ୍‍-ହଦ୍‍ଶି ଦେଶକୁ ଆସିଲେ; ତହୁଁ ସେମାନେ ଦାନ୍‍-ଯାନକୁ ଓ ସେଠାରୁ ବୁଲି ସୀଦୋନକୁ ଆସିଲେ।
2SA 24:7 ତହୁଁ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କର ଓ କିଣାନୀୟମାନଙ୍କ ସମସ୍ତ ନଗରରେ ଉପସ୍ଥିତ ହେଲେ; ପୁଣି ସେମାନେ ବେର୍‍ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରିଗଲେ।
2SA 24:8 ଏହିରୂପେ ସେମାନେ ସମୁଦାୟ ଦେଶ ଦେଇ ଭ୍ରମଣ କଲା ଉତ୍ତାରେ ନଅ ମାସ କୋଡ଼ିଏ ଦିନର ଶେଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
2SA 24:9 ତହିଁରେ ଯୋୟାବ ଗଣିତ ଯୋଦ୍ଧାମାନଙ୍କ ସଂଖ୍ୟା ରାଜାଙ୍କ ନିକଟରେ ସମର୍ପଣ କଲା; ଇସ୍ରାଏଲର ଖଡ୍ଗଧାରୀ ଆଠ ଲକ୍ଷ ବଳବାନ ଲୋକ ଓ ଯିହୁଦାର ପାଞ୍ଚ ଲକ୍ଷ ଲୋକ ଥିଲେ।
2SA 24:10 ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”
2SA 24:11 ଏଥିଉତ୍ତାରେ ଦାଉଦ ପ୍ରଭାତରେ ଉଠନ୍ତେ, ଦାଉଦଙ୍କ ଦର୍ଶକ ଗାଦ୍‍ ଭବିଷ୍ୟଦ୍‍ବକ୍ତା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
2SA 24:12 “ଦାଉଦ ନିକଟକୁ ଯାଇ ତାହାକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’”
2SA 24:13 ତହୁଁ ଗାଦ୍‍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ ଜଣାଇ କହିଲା, “ତୁମ୍ଭ ଦେଶରେ ତିନି ବର୍ଷ ଦୁର୍ଭିକ୍ଷ ହେବ? କି ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ଗୋଡ଼ାଇବା ବେଳେ ତୁମ୍ଭେ ସେମାନଙ୍କ ଆଗେ ଆଗେ ତିନି ମାସ ପର୍ଯ୍ୟନ୍ତ ପଳାଇବ? କିଅବା ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ? ଏହା ବୁଝ, ଆଉ ମୋʼ ପ୍ରେରଣା କର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ବିବେଚନା କର।”
2SA 24:14 ତହିଁରେ ଦାଉଦ ଗାଦ୍‍କୁ କହିଲେ, “ମୁଁ ବଡ଼ ଅକଳରେ ପଡ଼ିଲି, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ; କାରଣ ତାହାଙ୍କ ଦୟା ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
2SA 24:15 ତହୁଁ ସଦାପ୍ରଭୁ ପ୍ରାତଃକାଳ ଅବଧି ନିରୂପିତ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରୁ ସତୁରି ହଜାର ଲୋକ ମଲେ।
2SA 24:16 ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା।
2SA 24:17 ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହର ବିରୁଦ୍ଧରେ ହେଉ।”
2SA 24:18 ସେହି ଦିନ ଗାଦ୍‍ ଦାଉଦଙ୍କ ନିକଟକୁ ଯାଇ ତାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।”
2SA 24:19 ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦ୍‍ର ବାକ୍ୟାନୁସାରେ ଉଠିଗଲେ।
2SA 24:20 ସେତେବେଳେ ଅରୌଣା ଅନାଇ ଦେଖିଲା ଯେ, ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି; ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।
2SA 24:21 ପୁଣି ଅରୌଣା ପଚାରିଲା, “ମୋʼ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ?” ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”
2SA 24:22 ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତୁ; ଦେଖନ୍ତୁ, ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ବୃଷମାନଙ୍କ ସାଜ ଅଛି;”
2SA 24:23 ହେ ମହାରାଜ, ଅରୌଣା ଏସମସ୍ତ ମହାରାଜଙ୍କୁ ଦେଉଅଛି। ଆହୁରି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।”
2SA 24:24 ତହିଁରେ ରାଜା ଅରୌଣାକୁ କହିଲେ, “ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି; ଆଉ ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଚାଶ ଶେକଲ (ଏକ ଶେକଲ ୧୨ ଗ୍ରାମ୍) ରୂପାରେ ସେହି ଶସ୍ୟମର୍ଦ୍ଦନ ସ୍ଥାନ ଓ ବୃଷସବୁ କିଣିଲେ।
2SA 24:25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।
1KI 1:1 ଏଥିଉତ୍ତାରେ ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ।
1KI 1:2 ଏଥିପାଇଁ, ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ।
1KI 1:3 ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ଶୁନେମୀୟା ଅବୀଶଗ ନାମକ ଏକ କନ୍ୟାକୁ ପାଇ ରାଜାଙ୍କ ନିକଟକୁ ଆଣିଲେ।
1KI 1:4 ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ।
1KI 1:5 ଏହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, “ମୁଁ ରାଜା ହେବି,” ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପଚାଶ ଜଣ ଦେହରକ୍ଷୀକୁ ପ୍ରସ୍ତୁତ କଲେ।
1KI 1:6 ମାତ୍ର, ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରି ନ ଥିଲେ। ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବଶାଲୋମ ଉତ୍ତାରେ ଜାତ ହୋଇଥିଲା।
1KI 1:7 ପୁଣି, ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ।
1KI 1:8 ମାତ୍ର, ସାଦୋକ ଯାଜକ ଓ ଯିହୋୟାଦାର ପୁତ୍ର ବନାୟ ଓ ନାଥନ ଭବିଷ୍ୟଦ୍‍ବକ୍ତା ଓ ଶିମୀୟି ଓ ରେୟି ଓ ଦାଉଦଙ୍କର ବୀରଗଣ ଅଦୋନୀୟର ପକ୍ଷ ନ ଥିଲେ।
1KI 1:9 ଏଉତ୍ତାରେ ଅଦୋନୀୟ ଐନ୍‍-ରୋଗେଲର ପାର୍ଶ୍ୱସ୍ଥ ସୋହେଲତ୍‍-ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଯିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲେ।
1KI 1:10 ମାତ୍ର, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ଶଲୋମନକୁ ସେ ନିମନ୍ତ୍ରଣ କଲେ ନାହିଁ।
1KI 1:11 ଏଥିରେ ନାଥନ ଶଲୋମନଙ୍କର ମାତା ବତ୍‍ଶେବାକୁ କହିଲେ, “ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜା ହୋଇଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ?
1KI 1:12 ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ପରାମର୍ଶ ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ।
1KI 1:13 ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ହେ ମୋହର ପ୍ରଭୋ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକୁ କହି ନାହାନ୍ତି, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ? ତେବେ, କାହିଁକି ଅଦୋନୀୟ ରାଜା ହୋଇଅଛି?’
1KI 1:14 ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି।”
1KI 1:15 ଏଥିରେ ବତ୍‍ଶେବା କୋଠରି ଭିତରେ ରାଜାଙ୍କ ନିକଟକୁ ଗଲା; ସେହି ସମୟରେ ରାଜା ଅତି ବୃଦ୍ଧ ଥିଲେ; ଆଉ ଶୁନେମୀୟା ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା।
1KI 1:16 ତହୁଁ ବତ୍‍ଶେବା ନଇଁପଡ଼ି ରାଜାଙ୍କୁ ପ୍ରଣାମ କଲା। ତହିଁରେ ରାଜା ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?”
1KI 1:17 ଏଥିରେ ସେ ତାଙ୍କୁ କହିଲା, “ହେ ମୋହର ପ୍ରଭୋ, ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ।”
1KI 1:18 ମାତ୍ର, ଏବେ ଦେଖନ୍ତୁ, ଅଦୋନୀୟ ରାଜ୍ୟ କରୁଅଛି, ଆଉ ମୋʼ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ।
1KI 1:19 ଆଉ, ସେ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ମହାରାଜଙ୍କ ସମସ୍ତ ପୁତ୍ରଙ୍କୁ ଓ ଅବୀୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛନ୍ତି; ମାତ୍ର, ଆପଣଙ୍କ ଦାସ ଶଲୋମନକୁ ନିମନ୍ତ୍ରଣ କରି ନାହିଁ।
1KI 1:20 ପୁଣି, ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି।
1KI 1:21 ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।
1KI 1:22 ଆଉ, ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହେଲେ।
1KI 1:23 ଏଣୁ, ସେମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍‍ବକ୍ତା। ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ।”
1KI 1:24 ପୁଣି, ନାଥନ କହିଲେ, “ହେ ମୋହର ପ୍ରଭୋ ମହାରାଜ, ମୋʼ ଉତ୍ତାରେ ଅଦୋନୀୟ ରାଜ୍ୟ କରିବ ଓ ମୋʼ ସିଂହାସନରେ ବସିବ, ଏହା କଅଣ ଆପଣ କହିଅଛନ୍ତି?”
1KI 1:25 କାରଣ, ସେ ଆଜି ଯାଇ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବୀୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନୀୟ ରାଜା ଚିରଜୀବୀ ହେଉନ୍ତୁ।
1KI 1:26 ମାତ୍ର, ଆପଣଙ୍କ ଦାସ ଯେ ମୁଁ, ମୋତେ ଓ ସାଦୋକ ଯାଜକଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନକୁ ସେ ନିମନ୍ତ୍ରଣ କରି ନାହାନ୍ତି।
1KI 1:27 ଏହି କର୍ମ କି ମୋʼ ପ୍ରଭୁ ମହରାଜଙ୍କ ଦ୍ୱାରା ହେଲା, ଆଉ ମୋʼ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି?
1KI 1:28 ତେବେ, ଦାଉଦ ରାଜା ଉତ୍ତର କରି କହିଲେ, “ବତ୍‍ଶେବାକୁ ମୋʼ ନିକଟକୁ ଡାକ। ତହୁଁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା।”
1KI 1:29 ଏଥିରେ ରାଜା ଶପଥ କରି କହିଲେ, “ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ
1KI 1:30 ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ମୋʼ ପଦରେ ମୋʼ ସିଂହାସନରେ ବସିବ, ସବୁ କ୍ଳେଶରୁ ମୋʼ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି।”
1KI 1:31 ତହୁଁ ବତ୍‍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, “ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ।”
1KI 1:32 ଏଥିରେ ଦାଉଦ ରାଜା କହିଲେ, “ସାଦୋକ ଯାଜକଙ୍କୁ ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ ନିକଟକୁ ଡାକ।” ଏଣୁ, ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ।
1KI 1:33 ତହିଁରେ, ରାଜା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋʼ ପୁତ୍ର ଶଲୋମନକୁ ମୋʼ ନିଜ ଖଚରରେ ଆରୋହଣ କରାଇ ଗୀହୋନ ଝରଣାକୁ ନେଇଯାଅ।”
1KI 1:34 ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।
1KI 1:35 ତହିଁ ଉତ୍ତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋʼ ସିଂହାସନରେ ବସୁ; କାରଣ, ସେ ମୋʼ ପଦରେ ରାଜା ହେବ; ଆଉ, ମୁଁ ତାହାକୁ ଇସ୍ରାଏଲ ଓ ଯିହୁଦାର ଅଗ୍ରଣୀ କରି ନିଯୁକ୍ତ କରିଅଛି।
1KI 1:36 ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଆମେନ୍‍,” ମୋʼ ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ।
1KI 1:37 ସଦାପ୍ରଭୁ ଯେପରି ମୋʼ ପ୍ରଭୁ ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ଶଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ ଓ ସେ ମୋʼ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ।
1KI 1:38 ଏଥିରେ ସାଦୋକ ଯାଜକ, ନାଥନ ଭବିଷ୍ୟଦ୍‍ବକ୍ତା, ଯିହୋୟାଦାର ପୁତ୍ର ବନାୟ, କରେଥୀୟ ଓ ପଲେଥୀୟ ଲୋକମାନେ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗୀହୋନକୁ ଆଣିଲେ।
1KI 1:39 ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”
1KI 1:40 ଆଉ, ସମସ୍ତ ଲୋକ ତାହାଙ୍କ ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା।
1KI 1:41 ପୁଣି, ଅଦୋନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ, ଯୋୟାବ ତୂରୀ ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?
1KI 1:42 ସେ ଏପରି କହୁଥିବା ସମୟରେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା; ତହିଁରେ ଅଦୋନୀୟ କହିଲା, “ଭିତରକୁ ଆସ; କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ।”
1KI 1:43 ତହିଁରେ ଯୋନାଥନ ଅଦୋନୀୟକୁ ଉତ୍ତର କରି କହିଲା, “ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି;
1KI 1:44 ପୁଣି, ରାଜା ସାଦୋକ ଯାଜକଙ୍କୁ, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ, ପୁଣି, କରେଥୀୟ ଓ ପଲେଥୀୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ;
1KI 1:45 ଆଉ, ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାଙ୍କୁ ଗୀହୋନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରି କରି ଆସିଲେ ଯେ, ତହିଁର ଶବ୍ଦରେ ନଗରରେ କୋଳାହଳ ହେଲା। ତୁମ୍ଭେମାନେ ଯାହା ଶୁଣିଲ, ତାହା ସେହି ଶବ୍ଦ।
1KI 1:46 ଶଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି।
1KI 1:47 ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ,’ ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ।
1KI 1:48 ଆଉ, ମଧ୍ୟ ରାଜା ଏପରି କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା।’”
1KI 1:49 ଏଥିରେ ଅଦୋନୀୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି, ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଚାଲିଗଲେ।
1KI 1:50 ଆଉ, ଅଦୋନୀୟ ଶଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
1KI 1:51 ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, “ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ, ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ବନ କରି କହୁଅଛି, ‘ଶଲୋମନ ରାଜା ଯେ ଆପଣା ଦାସକୁ ଖଡ୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋʼ ନିକଟରେ ଶପଥ କରନ୍ତୁ।’”
1KI 1:52 ତହିଁରେ ଶଲୋମନ କହିଲେ, “ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ, ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ; ମାତ୍ର, ତାହାଠାରେ ଦୁଷ୍ଟତା ଦେଖାଗଲେ, ସେ ମରିବ।”
1KI 1:53 ତହୁଁ ଶଲୋମନ ରାଜା ଲୋକ ପଠାନ୍ତେ, ସେମାନେ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ପୁଣି, ଶଲୋମନ ତାହାକୁ କହିଲେ, “ଆପଣା ଘରକୁ ଯାଅ।”
1KI 2:1 ଏଥିଉତ୍ତାରେ ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ, ସେ ଆପଣା ପୁତ୍ର ଶଲୋମନଙ୍କୁ ଆଜ୍ଞା ଦେଇ କହିଲେ,
1KI 2:2 “ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି; ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର।
1KI 2:3 ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ, ସେହି ସବୁରେ ଯେପରି କୁଶଳ ପ୍ରାପ୍ତ ହୁଅ, ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା-ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣ-ବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର;
1KI 2:4 ତହିଁରେ ସଦାପ୍ରଭୁ ମୋʼ ବିଷୟରେ ଯାହା କହିଅଛନ୍ତି, ଯଥା, ‘ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ସେ ଆପଣାର ଏହି ବାକ୍ୟ ସଫଳ କରିବେ।’
1KI 2:5 ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍‍ର ପୁତ୍ର ଅବ୍‍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା।
1KI 2:6 ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ।
1KI 2:7 ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ।
1KI 2:8 ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ।
1KI 2:9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”
1KI 2:10 ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ କବର ପାଇଲେ।
1KI 2:11 ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
1KI 2:12 ଏଥିଉତ୍ତାରେ ଶଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
1KI 2:13 ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍‍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ?” ସେ ଉତ୍ତର କଲା, “କୁଶଳରେ।”
1KI 2:14 ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍‍ଶେବା କହିଲେ, “କୁହ।”
1KI 2:15 ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।
1KI 2:16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍‍ଶେବା ତାହାକୁ କହିଲେ, “କୁହ।”
1KI 2:17 ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋʼ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
1KI 2:18 ଏଥିରେ ବତ୍‍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
1KI 2:19 ଏହେତୁ ବତ୍‍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
1KI 2:20 ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
1KI 2:21 ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”
1KI 2:22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।”
1KI 2:23 ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।
1KI 2:24 ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋʼ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋʼ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।”
1KI 2:25 ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା।
1KI 2:26 ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍‍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋʼ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋʼ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।”
1KI 2:27 ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ।
1KI 2:28 ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
1KI 2:29 ଏଉତ୍ତାରେ ଦେଖ, “ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି,” ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯାଆନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ, ତାକୁ ଆକ୍ରମଣ କର।
1KI 2:30 ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।”
1KI 2:31 ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ।
1KI 2:32 ପୁଣି, ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ, ସେ ମୋʼ ପିତା ଦାଉଦଙ୍କ ଅଜ୍ଞାତସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ, ଇସ୍ରାଏଲର ସେନାପତି ନେର୍‍ର ପୁତ୍ର ଅବ୍‍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା, ଏ ଦୁଇ ଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା।
1KI 2:33 ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।”
1KI 2:34 ଏଉତ୍ତାରେ ଯିହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା।
1KI 2:35 ପୁଣି, ରାଜା ତାହାର ପଦରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅବୀୟାଥର ପଦରେ ସାଦୋକଙ୍କୁ ଯାଜକ କରି ନିଯୁକ୍ତ କଲେ।
1KI 2:36 ଏଉତ୍ତାରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ କହିଲେ, “ଯିରୂଶାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ।
1KI 2:37 କାରଣ, ତୁମ୍ଭେ ଯେଉଁ ଦିନ ବାହାରି କିଦ୍ରୋଣ ନଦୀ ପାର ହେବ; ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ; ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।”
1KI 2:38 ତହିଁରେ ଶିମୀୟି ରାଜାଙ୍କୁ କହିଲା, “ଏ ଉତ୍ତମ କଥା; ମୋʼ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ଆପଣଙ୍କ ଦାସ ସେପରି କରିବ।” ଏଣୁ ଶିମୀୟି ଅନେକ ଦିନ ଯିରୂଶାଲମରେ ବାସ କଲା।
1KI 2:39 ଏଥିଉତ୍ତାରେ ତିନି ବର୍ଷ ଶେଷରେ ଶିମୀୟିର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ମାଖାର ପୁତ୍ର ଗାଥୀୟ ରାଜା ଆଖୀଶ୍‍ ନିକଟକୁ ପଳାଇଲେ। ଏଥିରେ ଲୋକେ ଶିମୀୟିକୁ ଜଣାଇ କହିଲେ, “ଦେଖ, ତୁମ୍ଭ ଦାସମାନେ ଗାଥ୍‍ ନଗରରେ ଅଛନ୍ତି।”
1KI 2:40 ତହୁଁ ଶିମୀୟି ଉଠି ଗର୍ଦ୍ଦଭ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ୍‍ ନଗରକୁ ଆଖୀଶ୍‍ ନିକଟକୁ ଗଲା; ପୁଣି, ଶିମୀୟି ଯାଇ ଗାଥ୍‍ରୁ ଆପଣା ଦାସମାନଙ୍କୁ ଆଣିଲା।
1KI 2:41 ତହୁଁ ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, “ଶିମୀୟି ଯିରୂଶାଲମରୁ ଗାଥ୍‍କୁ ଯାଇଥିଲା, ପୁଣି, ଫେରି ଆସିଅଛି।”
1KI 2:42 ଏଥିରେ ରାଜା ଲୋକ ପଠାଇ ଶିମୀୟିକୁ ଡକାଇ ତାହାକୁ କହିଲେ, “ତୁମ୍ଭେ ଯେଉଁ ଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ, ସେହି ଦିନ ତୁମ୍ଭେ ନିତାନ୍ତ ମରିବ, ‘ଏହା ନିଶ୍ଚୟ ଜାଣ, ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କʼଣ ଏହି ସାକ୍ଷ୍ୟ ଦେଇ ନାହିଁ?’ ଆଉ ତୁମ୍ଭେ ମୋତେ କହିଥିଲ, ‘ମୁଁ ଯେଉଁ କଥା ଶୁଣିଲି, ତାହା ଉତ୍ତମ।’
1KI 2:43 ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?”
1KI 2:44 ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।
1KI 2:45 ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।”
1KI 2:46 ଏଉତ୍ତାରେ ରାଜା ଯିହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ଶଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।
1KI 3:1 ଏଥିଉତ୍ତାରେ ଶଲୋମନ ମିସରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ-ନଗରରେ ରଖିଲେ।
1KI 3:2 ମାତ୍ର, ଲୋକମାନେ ନାନା ଉଚ୍ଚସ୍ଥଳୀରେ ବଳିଦାନ କରୁଥିଲେ, କାରଣ ସେହି ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ କୌଣସି ଗୃହ ନିର୍ମିତ ହୋଇ ନ ଥିଲା।
1KI 3:3 ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ; କେବଳ ସେ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
1KI 3:4 ପୁଣି, ରାଜା ବଳିଦାନ କରିବା ନିମନ୍ତେ ଗିବୀୟୋନ୍‍ ନଗରକୁ ଗଲେ; କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା; ଶଲୋମନ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
1KI 3:5 ଗିବୀୟୋନ୍‍ରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ଶଲୋମନଙ୍କୁ ଦର୍ଶନ ଦେଲେ; ଆଉ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ।”
1KI 3:6 ତହିଁରେ ଶଲୋମନ କହିଲେ, “ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ; ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ, ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ।
1KI 3:7 ଏବେ ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭେ ମୋʼ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ; ମାତ୍ର, ମୁଁ ତ କ୍ଷୁଦ୍ର ବାଳକ; କିପରି ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ, ତାହା ମୁଁ ଜାଣେ ନାହିଁ।
1KI 3:8 ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ସକାଶୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି।
1KI 3:9 ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”
1KI 3:10 ଶଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ।
1KI 3:11 ଏଥିରେ ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି, ଆପଣା ନିମନ୍ତେ ଦୀର୍ଘାୟୁ ମାଗି ନାହଁ; କିଅବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗି ନାହଁ; ଅଥବା ଆପଣା ଶତ୍ରୁମାନଙ୍କର ପ୍ରାଣ ମାଗି ନାହଁ; ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ;
1KI 3:12 ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ।
1KI 3:13 ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗି ନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ, ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ।
1KI 3:14 ପୁଣି, ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯଦି ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା।”
1KI 3:15 ଏଉତ୍ତାରେ ଶଲୋମନ ଜାଗ୍ରତ ହୁଅନ୍ତେ, ଦେଖ, ଏହା ସ୍ୱପ୍ନ-ମାତ୍ର; ତହୁଁ ସେ ଯିରୂଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଠିଆ ହୋଇ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଆପଣା ସମସ୍ତ ଦାସଙ୍କ ନିମନ୍ତେ ଏକ ଭୋଜ କଲେ।
1KI 3:16 ସେହି ସମୟରେ ଦୁଇ ବେଶ୍ୟା ସ୍ତ୍ରୀ ରାଜାଙ୍କ ନିକଟକୁ ଆସି ତାଙ୍କର ସମ୍ମୁଖରେ ଠିଆ ହେଲେ।
1KI 3:17 ପୁଣି, ଏକ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ମୁଁ ଓ ଏହି ସ୍ତ୍ରୀ ଏକ ଘରେ ବାସ କରୁ; ଆଉ, ମୁଁ ସେହି ଗୃହରେ ତାହା ସଙ୍ଗେ ଥାଇ ଏକ ସନ୍ତାନ ପ୍ରସବ କଲି।
1KI 3:18 ପୁଣି, ମୋହର ପ୍ରସବର ତୃତୀୟ ଦିନରେ ଏହି ସ୍ତ୍ରୀ ମଧ୍ୟ ପ୍ରସବ କଲା ଓ ଆମ୍ଭେ ଦୁହେଁ ଏକତ୍ର ଥିଲୁ, ସେହି ଘରେ ଆମ୍ଭ ଦୁହିଁଙ୍କ ଛଡ଼ା ଅନ୍ୟ କୌଣସି ବାହାର ଲୋକ ନ ଥିଲା।
1KI 3:19 ଆଉ ଏହି ସ୍ତ୍ରୀ ଆପଣା ପିଲା ଉପରେ ଲଦି ହୋଇ ଶୋଇବାରୁ ତାହାର ପିଲା ରାତ୍ରିରେ ମରିଗଲା।
1KI 3:20 ଏଣୁ ସେ ମଧ୍ୟରାତ୍ରରେ ଉଠି ଆପଣଙ୍କ ଦାସୀ ନିଦ୍ରିତା ଥିବା ବେଳେ ମୋʼ ପାଖରୁ ମୋହର ପୁତ୍ରକୁ ନେଇ ଆପଣା କୋଳରେ ଶୁଆଇଲା ଓ ତାହାର ମଲା ପିଲାକୁ ମୋʼ କୋଳରେ ଶୁଆଇ ଦେଲା।
1KI 3:21 ତହୁଁ ମୁଁ ସକାଳେ ଆପଣା ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଉଠାନ୍ତେ, ଦେଖ, ସେ ମରିଯାଇଅଛି; ମାତ୍ର, ସକାଳେ ମୁଁ ଭଲ କରି ପରଖ କରନ୍ତେ, ଦେଖ, ଏ ତ ମୋହର ଜନ୍ମ କଲା ପୁତ୍ର ନୁହେଁ।”
1KI 3:22 ତହୁଁ ସେ ଅନ୍ୟ ସ୍ତ୍ରୀ କହିଲା, “ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ।” ଆଉ, ଏ ସ୍ତ୍ରୀ କହିଲା, “ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।” ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ।
1KI 3:23 ତେବେ ରାଜା କହିଲେ, “ଜଣେ କହୁଛି, ‘ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ; ପୁଣି, ଅନ୍ୟ ଜଣ କହୁଛି, ନା; ମାତ୍ର, ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।’”
1KI 3:24 ଏଥିରେ ରାଜା କହିଲେ, “ମୋହର ନିକଟକୁ ଗୋଟିଏ ଖଣ୍ଡା ଆଣ।” ତହୁଁ ସେମାନେ ରାଜାଙ୍କ ଛାମୁକୁ ଖଣ୍ଡା ଆଣିଲେ।
1KI 3:25 ତହିଁରେ ରାଜା କହିଲେ, “ଏହି ଜୀଅନ୍ତା ପିଲାକୁ ଦୁଇ ଖଣ୍ଡ କରି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦିଅ।”
1KI 3:26 ଏଥିରେ ଯେଉଁ ସ୍ତ୍ରୀର ପିଲା ଜୀବିତ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା, ଏଣୁ ସେ ରାଜାଙ୍କୁ କହିଲା, “ହେ ମୋହର ପ୍ରଭୋ, ଜୀଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସିମତେ ତାକୁ ବଧ ନ କରନ୍ତୁ।” ମାତ୍ର, ଅନ୍ୟ ସ୍ତ୍ରୀ କହିଲା, “ସେ ମୋହର ନ ହେଉ କି ତୁମ୍ଭର ନ ହେଉ; ତାକୁ ଦୁଇ ଖଣ୍ଡ କର।”
1KI 3:27 ସେତେବେଳେ ରାଜା ଉତ୍ତର କରି କହିଲେ, “ଏହାକୁ ଜୀବିତ ବାଳକଟି ଦିଅ, କୌଣସିମତେ ବଧ ନ କର; ସେ ତ ତାହାର ମାତା।”
1KI 3:28 ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ; କାରଣ, ସେମାନେ ଦେଖିଲେ ଯେ, ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର ଦତ୍ତ ଜ୍ଞାନ ଅଛି।
1KI 4:1 ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।
1KI 4:2 ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ।
1KI 4:3 ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ
1KI 4:4 ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;
1KI 4:5 ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍‍ ଯାଜକ ଓ ରାଜାଙ୍କ ମିତ୍ର ଥିଲା।
1KI 4:6 ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।
1KI 4:7 ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ।
1KI 4:8 ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍‍-ହୂର।
1KI 4:9 ମାକସ୍‍, ଶାଲବୀମ୍‍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍‍ରେ ବିନ୍‍-ଦେକର;
1KI 4:10 ଅରୁବୋତରେ ବିନ୍‍-ହେଷଦ୍‍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା;
1KI 4:11 ସମୁଦାୟ ଦୋର ଉପପର୍ବତରେ ବିନ୍‍-ଅବୀନାଦବ୍‍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍‍ ଥିଲା।
1KI 4:12 ତାନକ୍‍, ମଗିଦ୍ଦୋ, ବେଥ୍-ଶାନ୍‍ ଠାରୁ ଆବେଲ୍‍-ମହୋଲା ଓ ଯକମୀୟାମ୍‍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା।
1KI 4:13 ରାମୋତ୍‍-ଗିଲୀୟଦରେ ବିନ୍‍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍‍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା;
1KI 4:14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍‍।
1KI 4:15 ନପ୍ତାଲିରେ ଅହୀମାସ୍‍; ସେ ଶଲୋମନଙ୍କର କନ୍ୟା ବାସମତ୍‍କୁ ବିବାହ କରିଥିଲା।
1KI 4:16 ଆଶେର ଓ ବାଲୋତ୍‍ରେ ହୂଶୟର ପୁତ୍ର ବାନା।
1KI 4:17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍‍;
1KI 4:18 ବିନ୍ୟାମୀନ୍‍ରେ ଏଲାର ପୁତ୍ର ଶିମୀୟି;
1KI 4:19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍‍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।
1KI 4:20 ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ।
1KI 4:21 ପୁଣି, ଶଲୋମନ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ।
1KI 4:22 ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦା ଓ ଷାଠିଏ ମହଣ ସୁଜି,
1KI 4:23 ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା।
1KI 4:24 କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍‍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା।
1KI 4:25 ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ।
1KI 4:26 ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।
1KI 4:27 ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।
1KI 4:28 ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ।
1KI 4:29 ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।
1KI 4:30 ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।
1KI 4:31 କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍‍ ଓ ମାହୋଲର ପୁତ୍ର ହେମନ ଓ କଲ୍‍କୋଲ୍‍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।
1KI 4:32 ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।
1KI 4:33 ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ।
1KI 4:34 ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।
1KI 5:1 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା; କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା; ଆଉ ଦାଉଦ ସର୍ବଦା ହୂରମ୍‍ର ପ୍ରିୟପାତ୍ର ଥିଲେ।
1KI 5:2 ଏଣୁ ଶଲୋମନ ହୂରମ୍‍ ନିକଟକୁ ଏହି କଥା କହି ପଠାଇଲେ,
1KI 5:3 “ଆପଣ ଜାଣନ୍ତି, ମୋʼ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଘେରିଥିଲା।
1KI 5:4 ମାତ୍ର ଏବେ ସଦାପ୍ରଭୁ ମୋʼ ପରମେଶ୍ୱର ଚତୁର୍ଦ୍ଦିଗରେ ମୋତେ ବିଶ୍ରାମ ଦେଇଅଛନ୍ତି; ବିପକ୍ଷ କେହି ନାହିଁ, ବା ବିପଦ-ଘଟଣା କିଛି ନାହିଁ।
1KI 5:5 ଏହେତୁ ଦେଖନ୍ତୁ, ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବାକୁ ମନସ୍ଥ କରୁଅଛି, କାରଣ ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଥିଲେ, ‘ଆମ୍ଭେ ତୁମ୍ଭ ବଦଳେ ତୁମ୍ଭର ଯେଉଁ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା, ସେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’
1KI 5:6 ଏଣୁ ଏବେ ମୋʼ ପାଇଁ ଲିବାନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକମାନଙ୍କୁ ଆଜ୍ଞା ଦେଉନ୍ତୁ; ପୁଣି, ମୋʼ ଦାସମାନେ ଆପଣଙ୍କ ଦାସମାନଙ୍କ ସଙ୍ଗରେ ଥିବେ; ଆଉ ଆପଣ ଯାହା କହିବେ, ତଦନୁସାରେ ଆପଣଙ୍କ ଦାସମାନଙ୍କ ପାଇଁ ମୁଁ ଆପଣଙ୍କୁ ମୂଲ ଦେବି; କାରଣ, ଆପଣ ଜାଣନ୍ତି ଯେ, କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
1KI 5:7 ସେତେବେଳେ ହୂରମ୍‍ ଶଲୋମନଙ୍କର ଏହି କଥା ଶୁଣନ୍ତେ, ଅତି ଆନନ୍ଦିତ ହୋଇ କହିଲା, “ସଦାପ୍ରଭୁ ଆଜି ଧନ୍ୟ ହେଉନ୍ତୁ, ସେ ଏହି ମହାଗୋଷ୍ଠୀ ଉପରେ ଦାଉଦଙ୍କୁ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।”
1KI 5:8 ଏଉତ୍ତାରେ ହୂରମ୍‍ ଶଲୋମନଙ୍କ ନିକଟକୁ କହି ପଠାଇଲା, “ଆପଣ ମୋʼ ନିକଟକୁ ଯେଉଁ କଥା କହି ପଠାଇଲେ, ତାହା ମୁଁ ଶୁଣିଲି; ମୁଁ ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କର ସମସ୍ତ ବାଞ୍ଛା ସଫଳ କରିବି।
1KI 5:9 ମୋʼ ଦାସମାନେ ଲିବାନୋନଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି, ଆପଣ ଯେଉଁ ସ୍ଥାନ ନିରୂପଣ କରିବେ, ସେଠାକୁ ମୁଁ ଭେଳା ବାନ୍ଧି ସମୁଦ୍ର ପଥରେ ପଠାଇ ସେଠାରେ ତାହା ଫିଟାଇଦେବି, ତହୁଁ ଆପଣ ନେଇଯିବେ; ଆଉ ଆପଣ ମୋʼ ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇ ମୋʼ ବାଞ୍ଛା ସଫଳ କରିବେ।”
1KI 5:10 ଏହିରୂପେ ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ ଓ ଦେବଦାରୁ କାଷ୍ଠ ଦେଲା।
1KI 5:11 ପୁଣି, ଶଲୋମନ ହୂରମ୍‍ ଗୃହର ଖାଦ୍ୟ ନିମନ୍ତେ ତାହାକୁ କୋଡ଼ିଏ ହଜାର ମହଣ ଗହମ ଓ କୋଡ଼ିଏ ହଜାର ମହଣ ପେଷା ତେଲ ଦେଲେ; ଏହିରୂପେ ବର୍ଷକୁ ବର୍ଷ ଶଲୋମନ ହୂରମ୍‍କୁ ଦେଲେ।
1KI 5:12 ପୁଣି, ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ଶଲୋମନଙ୍କୁ ଜ୍ଞାନ ଦେଲେ; ଆଉ ହୂରମ୍‍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ଥିଲା ଓ ସେ ଦୁହେଁ ପରସ୍ପର ନିୟମ କଲେ।
1KI 5:13 ଏଥିଉତ୍ତାରେ ଶଲୋମନ ରାଜା ସମୁଦାୟ ଇସ୍ରାଏଲ ମଧ୍ୟରୁ ବେଠିକର୍ମ ନିମନ୍ତେ ଲୋକ ସଂଗ୍ରହ କଲେ; ତହିଁରେ ତିରିଶ ହଜାର ଲୋକ ସଂଗୃହୀତ ହେଲେ।
1KI 5:14 ପୁଣି, ସେ ପାଳି ଅନୁସାରେ ମାସକୁ ଦଶ ହଜାର ଲୋକ ଲିବାନୋନକୁ ପଠାଇଲେ; ସେମାନେ ମାସେ ଲେଖାଏଁ ଲିବାନୋନରେ ଓ ଦୁଇ ମାସ ଲେଖାଏଁ ଘରେ ରହିଲେ ଓ ଅଦୋନୀରାମ୍‍ ବେଠିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
1KI 5:15 ପୁଣି, ଶଲୋମନଙ୍କର ସତୁରି ହଜାର ଭାରବାହକ ଓ ପର୍ବତରେ ଅଶୀ ହଜାର ପଥର-କଟାଳୀ ଥିଲେ।
1KI 5:16 ଏହାଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ ଶଲୋମନଙ୍କର ତିନି ହଜାର ତିନି ଶହ ପ୍ରଧାନ କାର୍ଯ୍ୟାଧ୍ୟକ୍ଷ ନିଯୁକ୍ତ ଥିଲେ।
1KI 5:17 ପୁଣି, ପ୍ରସ୍ତୁତ ପ୍ରସ୍ତରରେ ଗୃହର ଭିତ୍ତିମୂଳ ସ୍ଥାପନ କରିବା ନିମନ୍ତେ ସେମାନେ ରାଜାଜ୍ଞାରେ ବୃହତ ପ୍ରସ୍ତର ଓ ମୂଲ୍ୟବାନ ପ୍ରସ୍ତର ଖୋଳିଲେ।
1KI 5:18 ଆଉ ଶଲୋମନଙ୍କର, ହୂରମ୍‍ର ରାଜମିସ୍ତ୍ରୀମାନେ ଓ ଗିବ୍ଲୀୟ ଲୋକମାନେ ସେସବୁର ଗଠନ କଲେ, ଏହିରୂପେ ସେମାନେ ଗୃହ ନିର୍ମାଣ ନିମନ୍ତେ କାଷ୍ଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
1KI 6:1 ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାରି ଆସିଲା ଉତ୍ତାରେ ଚାରି ଶହ ଅଶୀ ବର୍ଷରେ ଓ ଇସ୍ରାଏଲ ଉପରେ ଶଲୋମନଙ୍କର ରାଜତ୍ଵର ଚତୁର୍ଥ ବର୍ଷର ସିବ୍‍ ନାମକ ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ।
1KI 6:2 ପୁଣି, ଶଲୋମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ, ତହିଁର ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ ହାତ।
1KI 6:3 ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।
1KI 6:4 ପୁଣି, ଗୃହ ନିମନ୍ତେ ସେ ବନ୍ଦ ଜାଲିଝରକା ନିର୍ମାଣ କଲେ।
1KI 6:5 ପୁଣି, ସେ ଗୃହର କାନ୍ଥ ଚାରିଆଡ଼େ, ଅର୍ଥାତ୍‍, ମନ୍ଦିର ଓ ମହାପବିତ୍ର ସ୍ଥାନର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରି ନିର୍ମାଣ କଲେ।
1KI 6:6 ତହିଁରେ ତଳ ମହଲା ପାଞ୍ଚ ହାତ ପ୍ରସ୍ଥ, ମଧ୍ୟ ମହଲା ଛଅ ହାତ ପ୍ରସ୍ଥ ଓ ତୃତୀୟ ମହଲା ସାତ ହାତ ପ୍ରସ୍ଥ ଥିଲା। କାରଣ, କଡ଼ିକାଠ ଯେପରି ଗୃହର କାନ୍ଥରେ ବନ୍ଦ ନ ହୁଏ, ଏଥିପାଇଁ ସେ ଚାରିଆଡ଼େ ଗୃହର କାନ୍ଥର ବାହାର ଭାଗରେ ଆଧାର କଲେ।
1KI 6:7 ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥରଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା; ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି କଟାଳି, କୌଣସି ଲୌହାସ୍ତ୍ରର ଶବ୍ଦ ଶୁଣା ନ ଗଲା।
1KI 6:8 ମଧ୍ୟମ କୋଠରିମାନର ଦ୍ୱାର ଗୃହର ଦକ୍ଷିଣ ଭାଗରେ ଥିଲା; ପୁଣି, ଲୋକମାନେ ଘୂର୍ଣ୍ଣିତ ସୋପାନ ଦେଇ ମଧ୍ୟମ କୋଠରିକୁ ଓ ମଧ୍ୟମ କୋଠରିରୁ ତୃତୀୟ କୋଠରିକୁ ଚଢ଼ିଗଲେ।
1KI 6:9 ଏହିରୂପେ ସେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କଲେ, ଏରସ କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ।
1KI 6:10 ଆଉ, ସେ ସମୁଦାୟ ଗୃହକୁ ଲଗାଇ ପାଞ୍ଚ ପାଞ୍ଚ ହାତ ଉଚ୍ଚର ମହଲା ବନାଇଲେ ଓ ଏରସ କାଷ୍ଠ ଦ୍ୱାରା ଗୃହ ଉପରେ ସେହିସବୁର ଭାର ରହିଲା।
1KI 6:11 ଏଥିଉତ୍ତାରେ ଶଲୋମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
1KI 6:12 “ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଚାଲିବ; ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା।
1KI 6:13 ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ।”
1KI 6:14 ଏହିରୂପେ ଶଲୋମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ।
1KI 6:15 ସେ ଗୃହର ଭିତର କାନ୍ଥସବୁରେ ଏରସ କାଷ୍ଠର ପଟା ଦେଲେ; ଗୃହର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ; ପୁଣି, ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ।
1KI 6:16 ପୁଣି, ସେ ଗୃହର ପଶ୍ଚାତ୍‍ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ କାଷ୍ଠର ପଟା ଦେଲେ; ସେ ଭିତରେ ମହାପବିତ୍ର ସ୍ଥାନ, ଅର୍ଥାତ୍‍, ମହାପବିତ୍ର ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ।
1KI 6:17 ତହିଁରେ ଗୃହ, ଅର୍ଥାତ୍‍, ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ମନ୍ଦିର ଚାଳିଶ ହାତ ଦୀର୍ଘ ହେଲା।
1KI 6:18 ପୁଣି, ଗୃହ ଭିତରେ ଏରସ କାଷ୍ଠରେ କଳିକା ଓ ପ୍ରସ୍ପୁଟିତ ପୁଷ୍ପ ଖୋଦିତ କଲେ; ସବୁ ଏରସ କାଷ୍ଠର ଥିଲା; କିଛିମାତ୍ର ପ୍ରସ୍ତର ଦୃଶ୍ୟ ନୋହିଲା।
1KI 6:19 ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପନାର୍ଥେ ଅନ୍ତଃସ୍ଥ ଗୃହ ମଧ୍ୟରେ ସେ ମହାପବିତ୍ର ସ୍ଥାନ ପ୍ରସ୍ତୁତ କଲେ।
1KI 6:20 ଆଉ ସେହି ମହାପବିତ୍ର ସ୍ଥାନ ଭିତର କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ପ୍ରସ୍ଥ ଓ କୋଡ଼ିଏ ହାତ ଉଚ୍ଚ ଥିଲା, ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦି ଏରସ କାଷ୍ଠରେ ଆଚ୍ଛାଦନ କଲେ।
1KI 6:21 ଏହିରୂପେ ଶଲୋମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ମହାପବିତ୍ର ସ୍ଥାନ ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
1KI 6:22 ପୁଣି, ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ; ମଧ୍ୟ ମହାପବିତ୍ର ସ୍ଥାନର ଧୂପବେଦି ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ।
1KI 6:23 ପୁଣି, ସେ ମହାପବିତ୍ର ସ୍ଥାନ ମଧ୍ୟରେ ଦଶ ହାତ ଉଚ୍ଚ ଜୀତ କାଷ୍ଠର ଦୁଇ କିରୂବ ନିର୍ମାଣ କଲେ।
1KI 6:24 ଏକ କିରୂବର ଏକ ପକ୍ଷ ପାଞ୍ଚ ହାତ ଓ ଅନ୍ୟ ପକ୍ଷ ହିଁ ପାଞ୍ଚ ହାତ ଥିଲା; ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଥିଲା।
1KI 6:25 ସେରୂପେ ଅନ୍ୟ କିରୂବ ହିଁ ଦଶ ହାତ ଥିଲା; ଦୁଇ କିରୂବଯାକ ଏକ ମାପ ଓ ଏକ ଆକାରର ଥିଲେ।
1KI 6:26 ଏକ କିରୂବର ଉଚ୍ଚତା ଦଶ ହାତ, ଅନ୍ୟ କିରୂବର ମଧ୍ୟ ସେହିପରି ଥିଲା।
1KI 6:27 ପୁଣି, ସେ ସେହି କିରୂବଦ୍ୱୟକୁ ଅନ୍ତରାଗାର ମଧ୍ୟରେ ରଖିଲେ; ଆଉ ସେହି କିରୂବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ, ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା; ପୁଣି, ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା।
1KI 6:28 ତହୁଁ ସେ କିରୂବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ।
1KI 6:29 ପୁଣି, ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ।
1KI 6:30 ଆହୁରି ଗୃହ-ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ।
1KI 6:31 ଆଉ, ସେ ମହାପବିତ୍ର ସ୍ଥାନର ପ୍ରବେଶ-ଦ୍ୱାର ଜୀତ କାଷ୍ଠରେ ନିର୍ମାଣ କଲେ, ତହିଁର କପାଳୀ ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା।
1KI 6:32 ଏହିରୂପେ ସେ ଜୀତ କାଷ୍ଠରେ ଦୁଇ କବାଟ କଲେ; ତହିଁ ଉପରେ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନର ଆକୃତି ଖୋଦାଇଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ; ଆଉ କିରୂବ ଓ ଖର୍ଜ୍ଜୁରବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ।
1KI 6:33 ତଦ୍ରୂପ ମନ୍ଦିରର ପ୍ରବେଶ-ଦ୍ୱାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜୀତ କାଷ୍ଠର ଚୌକାଠ କଲେ;
1KI 6:34 ଆଉ, ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ; ଏକ କବାଟର ଦୁଇ ପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇ ପଟ ଦୋହରା ଥିଲା।
1KI 6:35 ପୁଣି, ସେ ତହିଁ ଉପରେ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ।
1KI 6:36 ପୁଣି, ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ।
1KI 6:37 ଚତୁର୍ଥ ବର୍ଷର ସିବ୍‍ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା।
1KI 6:38 ପୁଣି, ଏକାଦଶ ବର୍ଷର ବୂଲ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।
1KI 7:1 ଏଥିଉତ୍ତାରେ ଶଲୋମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ।
1KI 7:2 କାରଣ, ସେ ଲିବାନୋନ-ଅରଣ୍ୟ ନାମକ ଗୃହ ନିର୍ମାଣ କଲେ; ତହିଁର ଦୀର୍ଘତା ଏକ ଶହ ହାତ, ତହିଁର ପ୍ରସ୍ଥ ପଚାଶ ହାତ ଓ ତହିଁର ଉଚ୍ଚତା ତିରିଶ ହାତ, ଚାରି ଧାଡ଼ି ଏରସ କାଷ୍ଠର ସ୍ତମ୍ଭ ଉପରେ ଏରସ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ।
1KI 7:3 ଆଉ, ସ୍ତମ୍ଭମାନର ଉପରିସ୍ଥିତ ପଞ୍ଚଚାଳିଶ କଡ଼ି ଉପରେ ଏରସ କାଷ୍ଠର ଛାତ କଲେ; ଧାଡ଼ିକେ ପନ୍ଦର ଲେଖାଏଁ।
1KI 7:4 ପୁଣି, ତିନି ଧାଡ଼ି ଖିଡ଼ିକି ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା।
1KI 7:5 ଖିଡ଼ିକିର ସମସ୍ତ ଦ୍ୱାର ଓ ଚୌକାଠ ଚାରି ଚୌରସ ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା।
1KI 7:6 ଆହୁରି ସେ ସ୍ତମ୍ଭଶ୍ରେଣୀର ବାରଣ୍ଡା କଲେ; ତହିଁର ଦୀର୍ଘତା ପଚାଶ ହାତ, ପ୍ରସ୍ଥ ତିରିଶ ହାତ; ତହିଁ ସମ୍ମୁଖରେ ଆଉ ଏକ ବାରଣ୍ଡା କଲେ ଓ ତହିଁ ସମ୍ମୁଖରେ ସ୍ତମ୍ଭ ଓ ମୋଟ କଡ଼ିମାନ ଦେଲେ।
1KI 7:7 ପୁଣି, ସେ ବିଚାରାର୍ଥେ ସିଂହାସନର ବାରଣ୍ଡା, ଅର୍ଥାତ୍‍, ବିଚାର-ବାରଣ୍ଡା କଲେ; ଆଉ ଚଟାଣକୁ ଚଟାଣ ଏରସ କାଷ୍ଠରେ ଆଚ୍ଛାଦିତ କଲେ।
1KI 7:8 ଆଉ, ତାଙ୍କର ବାସଗୃହ, ବାରଣ୍ଡା ଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟ ପରି ଥିଲା। ଆଉ, ଶଲୋମନ ଆପଣା ଭାର୍ଯ୍ୟା ଫାରୋର କନ୍ୟା ନିମନ୍ତେ ସେହି ବାରଣ୍ଡା ପରି ଏକ ଗୃହ ମଧ୍ୟ ନିର୍ମାଣ କଲେ।
1KI 7:9 ଏହିସବୁ ଭିତ୍ତିମୂଳ ଠାରୁ ଛାତ ପର୍ଯ୍ୟନ୍ତ ଭିତରେ ଓ ବାହାରେ ଖୋଦିତ ପ୍ରସ୍ତରର ପରିମାଣାନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ୱାରା ନିର୍ମିତ ହେଲା। ପୁଣି, ବାହାରେ ବୃହତ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହିରୂପ ହେଲା।
1KI 7:10 ଆଉ ଦଶ ହାତ ଓ ଆଠ ହାତର ବଡ଼ ବଡ଼ ଓ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା।
1KI 7:11 ପୁଣି, ଉପରେ ପରିମାଣାନୁସାରେ ବହୁମୂଲ୍ୟ ଓ ଖୋଦିତ ପ୍ରସ୍ତର ଓ ଏରସ କାଷ୍ଠ ଥିଲା।
1KI 7:12 ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ-ବାରଣ୍ଡାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଓ ଏକ ଧାଡ଼ି ଏରସ-କଡ଼ି ଥିଲା।
1KI 7:13 ଏଥିଉତ୍ତାରେ ଶଲୋମନ ରାଜା ଲୋକ ପଠାଇ ହୂରମ୍‍କୁ ସୋରରୁ ଅଣାଇଲେ।
1KI 7:14 ସେ ନପ୍ତାଲି-ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତାହାର ପିତା ସୋର ନଗରସ୍ଥ ଏକ କାଂସ୍ୟକାର ଥିଲା; ପୁଣି, ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ଓ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ ଥିଲା। ପୁଣି, ସେ ଶଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା।
1KI 7:15 ଆଉ ସେ ଅଠର ହାତ ଉଚ୍ଚ ଓ ବାର ହାତ ପରିଧିରେ ଦୁଇ ପିତ୍ତଳ ସ୍ତମ୍ଭ ନିର୍ମାଣ କଲା।
1KI 7:16 ପୁଣି, ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ଡାଳି କଲା; ଏକ ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ଅନ୍ୟ ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଥିଲା।
1KI 7:17 ସ୍ତମ୍ଭ-ମଥାନର ସେହି ମୁଣ୍ଡାଳି ନିମନ୍ତେ ଜାଲିକାର୍ଯ୍ୟର ଜାଲି ଓ ଜଞ୍ଜିର କାର୍ଯ୍ୟର ମାଳା ଥିଲା, ଏକ ମୁଣ୍ଡାଳି ପାଇଁ ସାତ ଓ ଅନ୍ୟ ମୁଣ୍ଡାଳି ପାଇଁ ସାତ।
1KI 7:18 ଏହିପରି ସେ ସ୍ତମ୍ଭ ନିର୍ମାଣ କଲା; ସ୍ତମ୍ଭ-ମଥାନରେ ଥିବା ମୁଣ୍ଡାଳିର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲିକାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ ଦୁଇ ଧାଡ଼ି ଡାଳିମ୍ବ ଥିଲା ଓ ସେ ଅନ୍ୟ ମୁଣ୍ଡାଳି ନିମନ୍ତେ ତଦ୍ରୂପ କଲା।
1KI 7:19 ପୁଣି, ବାରଣ୍ଡା ଭିତର ସ୍ତମ୍ଭ-ମଥାନର ମୁଣ୍ଡାଳି ଚାରି ହାତ କଇଁଫୁଲ-କର୍ମବିଶିଷ୍ଟ ଥିଲା।
1KI 7:20 ଆଉ, ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ଡାଳି ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା; ପୁଣି, ଅନ୍ୟ ମୁଣ୍ଡାଳି ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ ଦୁଇ ଶହ ଡାଳିମ୍ବ ଥିଲା।
1KI 7:21 ଆହୁରି ସେ ମନ୍ଦିରର ବାରଣ୍ଡାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍‍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍‍ (ତହିଁରେ ବଳ) ଦେଲା।
1KI 7:22 ପୁଣି, ସେହି ସ୍ତମ୍ଭ-ମଥାନ ଉପରେ କଇଁଫୁଲ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।
1KI 7:23 ଏଥିଉତ୍ତାରେ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲା, ତାହା ଏକ ଫନ୍ଦରୁ ଅନ୍ୟ ଫନ୍ଦ ଯାଏ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ ଓ ତହିଁର ପରିଧି ତିରିଶ ହାତ ପରିମିତ ଥିଲା।
1KI 7:24 ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା, ତାହା ହାତକେ ଦଶ ଲେଖାଏଁ ସମୁଦ୍ରରୂପ ପାତ୍ରକୁ ବେଷ୍ଟନ କରି ରହିଲା; ପାତ୍ର ଢଳା ହେବା ବେଳେ ଏହି କଳିକାମାନ ଦୁଇ ଧାଡ଼ିରେ ଢଳା ଯାଇଥିଲା।
1KI 7:25 ଏହି ପାତ୍ର ଦ୍ୱାଦଶ ଗୋରୁ ଉପରେ ସ୍ଥାପିତ ଥିଲା, ସେମାନଙ୍କ ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ସେମାନଙ୍କ ଉପରେ ସମୁଦ୍ରରୂପ ପାତ୍ର ସ୍ଥାପିତ ଥିଲା ଓ ସେସମସ୍ତର ପଶ୍ଚାତ୍‍ଭାଗ ଭିତରକୁ ଥିଲା।
1KI 7:26 ସେହି ପାତ୍ର ଚାରି ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, କଇଁଫୁଲ ତୁଲ୍ୟ ଥିଲା; ତହିଁରେ ଦୁଇ ହଜାର ମହଣ ଧରିଲା।
1KI 7:27 ପୁଣି, ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ, ପ୍ରସ୍ଥ ଚାରି ହାତ ଓ ଉଚ୍ଚତା ତିନି ହାତ ଥିଲା।
1KI 7:28 ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହି ସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା;
1KI 7:29 ପୁଣି, ବିଟର ମଧ୍ୟବର୍ତ୍ତା ସେହି ସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି, ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା।
1KI 7:30 ଆହୁରି ପ୍ରତ୍ୟେକ ବଇଠିର ପିତ୍ତଳମୟ ଚାରି ଚକ୍ର, ପିତ୍ତଳର ଅଖ ଥିଲା ଓ ଚାରି କୋଣରେ ସ୍ଥାପିତ ଅବଲମ୍ବନ ଥିଲା; ସେହି ସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା।
1KI 7:31 ପୁଣି, ତହିଁର ମୁଣ୍ଡାଳି ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଓ ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶସବୁ ଗୋଲାକାର ନ ହୋଇ ଚତୁଷ୍କୋଣ ଥିଲା।
1KI 7:32 ପୁଣି, ମଧ୍ୟଦେଶ ତଳେ ଚାରି ଚକ୍ର ଓ ଚକ୍ରର ଅଖ ବଇଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା।
1KI 7:33 ଆଉ ସେହି ସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ, ନେମୀ, ନାଭି ଓ ଅରସବୁ ଢଳାକର୍ମର ଥିଲା।
1KI 7:34 ପୁଣି, ପ୍ରତ୍ୟେକ ବଇଠିକିର ଚାରି କୋଣରେ ଚାରି ଅବଲମ୍ବନ ଥିଲା, ସେହି ଅବଲମ୍ବନ ବଇଠିକି ଦେହରେ ନିର୍ମିତ ଥିଲା।
1KI 7:35 ଆଉ ବଇଠିକି ମୁଣ୍ଡରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବନ୍ଧନୀ ଥିଲା; ପୁଣି, ବଇଠିକି ଉପରିସ୍ଥ ଅବଲମ୍ବନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା।
1KI 7:36 ପୁଣି, ସେ ତହିଁର ଅବଲମ୍ବନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ, ସିଂହ ଓ ଖର୍ଜ୍ଜୁର ବୃକ୍ଷ ଖୋଦନ କରି ଚତୁର୍ଦ୍ଦିଗରେ ମାଳା ଦେଲା।
1KI 7:37 ଏହିରୂପେ ସେ ଏକ ଛାଞ୍ଚ, ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବଇଠିକିଯାକ ନିର୍ମାଣ କଲା।
1KI 7:38 ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି, ଦଶ ବଇଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା।
1KI 7:39 ପୁଣି, ସେ ଗୃହର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ୱରେ ପାଞ୍ଚ ବଇଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ୱରେ ପୂର୍ବ ଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା।
1KI 7:40 ପୁଣି, ହୂରମ୍‍ ଏହିସବୁ ପ୍ରକ୍ଷାଳନ-ପାତ୍ର ଓ କରଚୁଲି ଓ କୁଣ୍ଡ ନିର୍ମାଣ କଲା। ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ହୂରମ୍‍ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା, ସେସକଳ ସମାପ୍ତ କଲା;
1KI 7:41 ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ;
1KI 7:42 ଆଉ, ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ;
1KI 7:43 ଆଉ, ଦଶ ବଇଠିକି ଓ ସେହି ସବୁ ବଇଠିକି ଉପରେ ଦଶ ପ୍ରକ୍ଷାଳନ-ପାତ୍ର,
1KI 7:44 ଏକ ସମୁଦ୍ରରୂପ ପାତ୍ର, ସେହି ସମୁଦ୍ରପାତ୍ର ତଳେ ବାର ଗୋରୁ,
1KI 7:45 ହାଣ୍ଡି, କରଚୁଲି ଓ କୁଣ୍ଡ, ଏହି ଯେସକଳ ପାତ୍ର ହୂରମ୍‍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ୱଳ ପିତ୍ତଳର ଥିଲା।
1KI 7:46 ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ।
1KI 7:47 ଆଉ, ଅତ୍ୟନ୍ତ ବାହୁଲ୍ୟ ହେତୁ ଶଲୋମନ ସେହି ସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ।
1KI 7:48 ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍‍, ସ୍ୱର୍ଣ୍ଣ-ବେଦି ଓ ଦର୍ଶନୀୟ ରୁଟି ସ୍ଥାପନାର୍ଥେ ସ୍ୱର୍ଣ୍ଣର ମେଜ;
1KI 7:49 ପୁଣି, ମହାପବିତ୍ର ସ୍ଥାନ ସମ୍ମୁଖର ଦକ୍ଷିଣରେ ପାଞ୍ଚ, ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ, ସୁବର୍ଣ୍ଣର ପୁଷ୍ପ, ପ୍ରଦୀପ, ଚିମୁଟା,
1KI 7:50 ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍‍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍‍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍‌ଜା କଲେ।
1KI 7:51 ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ। ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍‍, ରୂପା, ସୁନା ଓ ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ଡାରରେ ରଖିଲେ।
1KI 8:1 ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ।
1KI 8:2 ତହିଁରେ ଏଥାନୀମ ନାମକ ସପ୍ତମ ମାସରେ ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ଶଲୋମନ ରାଜାଙ୍କ ନିକଟରେ ଏକତ୍ର ହେଲେ।
1KI 8:3 ପୁଣି, ଇସ୍ରାଏଲର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ।
1KI 8:4 ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ; ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ।
1KI 8:5 ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ-ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା।
1KI 8:6 ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱ ସ୍ଥାନକୁ, ଅର୍ଥାତ୍‍, ଗୃହର ମହାପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ।
1KI 8:7 କାରଣ, କିରୂବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ, ପୁଣି, କିରୂବମାନେ ସିନ୍ଦୁକ ଓ ତହିଁ ସାଙ୍ଗୀ ଉପର ଆଚ୍ଛାଦନ କରିଥିଲେ।
1KI 8:8 ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ, ତହିଁର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖସ୍ଥ ପବିତ୍ର ସ୍ଥାନରୁ ଦେଖାଗଲା; ମାତ୍ର ବାହାରେ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେଠାରେ ଅଛି।
1KI 8:9 ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା।
1KI 8:10 ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା;
1KI 8:11 ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।
1KI 8:12 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
1KI 8:13 ମୁଁ ନିଶ୍ଚୟ ତୁମ୍ଭ ପାଇଁ ଏକ ବସତି-ଗୃହ, ତୁମ୍ଭର ଅନନ୍ତକାଳ ବାସ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିଅଛି।”
1KI 8:14 ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି, ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
1KI 8:15 ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ଯେ ଆପଣା ମୁଖରେ ଆମ୍ଭ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
1KI 8:16 ‘ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; ମାତ୍ର ଆମ୍ଭେ ଆପଣା ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦଙ୍କୁ ମନୋନୀତ କଲୁ।’
1KI 8:17 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋହର ପିତା ଦାଉଦଙ୍କର ସଂକଳ୍ପ ଥିଲା।
1KI 8:18 ମାତ୍ର, ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଲେ, ‘ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ସଂକଳ୍ପ ଅଛି, ତୁମ୍ଭର ଏହି ସଂକଳ୍ପ କରିବା ଉତ୍ତମ;
1KI 8:19 ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ; ମାତ୍ର, ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’
1KI 8:20 ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ, ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି।
1KI 8:21 ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହାଙ୍କ ସେହି ନିୟମର ଆଧାର-ସିନ୍ଦୁକ ନିମନ୍ତେ ମୁଁ ତହିଁ ମଧ୍ୟରେ ଏକ ସ୍ଥାନ ନିରୂପଣ କରିଅଛି।”
1KI 8:22 ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ;
1KI 8:23 “ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
1KI 8:24 ତୁମ୍ଭେ ଆପଣା ଦାସ ମୋʼ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ; ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି, ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ।
1KI 8:25 ତୁମ୍ଭେ ମୋʼ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ଏହି ପ୍ରତିଜ୍ଞା ଏବେ ସଫଳ କର।’
1KI 8:26 ଏହେତୁ ହେ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭ ଦାସ ମୋʼ ପିତା ଦାଉଦଙ୍କ ପ୍ରତି ଯେଉଁ ବାକ୍ୟ କହିଅଛ, ତାହା ଦୃଢ଼ ହେଉ।
1KI 8:27 ମାତ୍ର, ପରମେଶ୍ୱର କʼଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋʼ ନିର୍ମିତ ଏହି ଗୃହ କʼଣ ପାରିବ?
1KI 8:28 ତଥାପି, ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର;
1KI 8:29 ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍‍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
1KI 8:30 ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।
1KI 8:31 କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ; ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,
1KI 8:32 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମର ଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ତାହାକୁ ଦୋଷୀ କର; ପୁଣି, ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
1KI 8:33 ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ସେମାନେ ତୁମ୍ଭ ପ୍ରତି ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି,
1KI 8:34 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର ଓ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେଠାକୁ ପୁନର୍ବାର ସେମାନଙ୍କୁ ଆଣ।
1KI 8:35 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ, ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି,
1KI 8:36 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କ ଗନ୍ତବ୍ୟ ସତ୍‍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର; ପୁଣି, ତୁମ୍ଭ ଲୋକମାନଙ୍କର ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର।
1KI 8:37 ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର କ୍ଷୟ କି ମ୍ଳାନି, ପଙ୍ଗପାଳ ବା କୀଟ ହୁଏ; ଯେବେ ସେମାନଙ୍କ ଶତ୍ରୁ ସେମାନଙ୍କ ଦେଶସ୍ଥ ନଗରସମୂହରେ ସେମାନଙ୍କୁ ଅବରୋଧ କରେ; କୌଣସି ମାରୀ ହୁଏ; କୌଣସି ରୋଗ ଘଟେ;
1KI 8:38 ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;
1KI 8:39 ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ; କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ-ସନ୍ତାନର ଅନ୍ତଃକରଣ ଜାଣୁଅଛ;
1KI 8:40 ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ସେମାନେ ତୁମ୍ଭଙ୍କୁ ଭୟ କରିବେ।
1KI 8:41 ଆହୁରି ଯେ ତୁମ୍ଭର ଇସ୍ରାଏଲ ଲୋକଙ୍କର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭ ନାମ ସକାଶୁ ଦୂର ଦେଶରୁ ଆସେ;
1KI 8:42 କାରଣ, ବିଦେଶୀମାନେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁର କଥା ଅବଶ୍ୟ ଶୁଣିବେ; ଏପରି ଲୋକ ଆସି ଯେବେ ଏହି ଗୃହ ଆଡ଼େ ପ୍ରାର୍ଥନା କରେ,
1KI 8:43 ତେବେ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
1KI 8:44 ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
1KI 8:45 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର ନିଷ୍ପତ୍ତି କର।
1KI 8:46 ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ଯେ ପାପ ନ କରେ, ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁ ଦେଶକୁ ନେଇଯାʼନ୍ତି;
1KI 8:47 ତେବେ ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ଅନୁତାପ କରନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ‘ଆମ୍ଭେମାନେ ପାପ କଲୁ ଓ ବିପଥଗାମୀ ହେଲୁ ଓ ଦୁଷ୍ଟପଣ କଲୁ;’
1KI 8:48 ଆଉ, ଯେଉଁ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ ଓ ତୁମ୍ଭ ମନୋନୀତ ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋʼ ନିର୍ମିତ ଗୃହ ଆଡ଼େ ମୁଖ କରି ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
1KI 8:49 ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କ ବିଚାର ନିଷ୍ପତ୍ତି କର;
1KI 8:50 ପୁଣି, ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ ଓ ତୁମ୍ଭ ବିରୁଦ୍ଧରେ କୃତ ସେମାନଙ୍କର ସମସ୍ତ ଅଧର୍ମ କ୍ଷମା କର; ପୁଣି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନେ ଯେପରି ଦୟା କରିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ସେମାନଙ୍କୁ ଦୟାପାତ୍ର କର।
1KI 8:51 କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;
1KI 8:52 ତୁମ୍ଭ ଦାସର ବିନତି ପ୍ରତି ଓ ତୁମ୍ଭ ଲୋକ ଇସ୍ରାଏଲର ବିନତି ପ୍ରତି ତୁମ୍ଭର ଚକ୍ଷୁ ପ୍ରସନ୍ନ ଥାଉ ଓ ସେମାନେ ଯେକୌଣସି ସମୟରେ ତୁମ୍ଭକୁ ଡାକି ପ୍ରାର୍ଥନା କରନ୍ତି, ସେସମୟରେ ତାହା ଶୁଣ।
1KI 8:53 କାରଣ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ କରିଅଛ।”
1KI 8:54 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ।
1KI 8:55 ପୁଣି, ସେ ଠିଆ ହୋଇ ଉଚ୍ଚସ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ,
1KI 8:56 “ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।
1KI 8:57 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଉନ୍ତୁ; ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ, କିଅବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ।
1KI 8:58 ତାହାଙ୍କର ସମସ୍ତ ପଥରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ତାହାଙ୍କ ସମସ୍ତ ଆଜ୍ଞା, ବିଧି ଓ ଶାସନ ପାଳନ କରିବା ପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣକୁ ଆପଣା ପ୍ରତି ଆକର୍ଷଣ କରନ୍ତୁ।
1KI 8:59 ଆଉ, ମୁଁ ଏହି ଯେସବୁ କଥାରେ ସଦାପ୍ରଭୁଙ୍କ ସମ୍ମୁଖରେ ନିବେଦନ କଲି, ତାହା ଦିବାରାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୋଚରରେ ଥାଉ, ପୁଣି, ପ୍ରତିଦିନର ପ୍ରୟୋଜନାନୁସାରେ ସେ ଆପଣା ଦାସର ବିଚାର ଓ ଆପଣା ଲୋକ ଇସ୍ରାଏଲର ବିଚାର ନିଷ୍ପତ୍ତି କରନ୍ତୁ;
1KI 8:60 ତହିଁରେ ସଦାପ୍ରଭୁ ଯେ ପରମେଶ୍ୱର, ତାହାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀସ୍ଥ ସମୁଦାୟ ଗୋଷ୍ଠୀ ଜ୍ଞାତ ହେବେ।
1KI 8:61 ଏହେତୁ ଆଜିର ନ୍ୟାୟ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିଧିରୂପ ପଥରେ ଚାଲିବା ପାଇଁ ଓ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ସିଦ୍ଧ ଥାଉ।”
1KI 8:62 ଏଉତ୍ତାରେ ରାଜା ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
1KI 8:63 ପୁଣି, ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ମଙ୍ଗଳାର୍ଥକ ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ଇସ୍ରାଏଲର ସମସ୍ତ ସନ୍ତାନ ସଦାପ୍ରଭୁଙ୍କ ଗୃହ ପ୍ରତିଷ୍ଠା କଲେ।
1KI 8:64 ସେହି ଦିନ ରାଜା ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ, ସେଠାରେ ସେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳମୟ ଯଜ୍ଞବେଦି ସାନ ଥିଲା।
1KI 8:65 ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍‍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ଆଉ ସାତ ଦିନ, ଏପରି ଚଉଦ ଦିନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ସବ କଲେ।
1KI 8:66 ଅଷ୍ଟମ ଦିନରେ ସେ ଲୋକମାନଙ୍କୁ ବିଦାୟ କରନ୍ତେ, ସେମାନେ ରାଜାଙ୍କୁ ଧନ୍ୟବାଦ କଲେ, ପୁଣି, ସଦାପ୍ରଭୁ ଆପଣା ଦାସ ଦାଉଦଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେସବୁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ଆପଣା ଆପଣା ତମ୍ବୁକୁ ଗଲେ।
1KI 9:1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,
1KI 9:2 ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବୀୟୋନ୍‍ରେ ଦର୍ଶନ ଦେଇଥିଲେ, ସେପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ।
1KI 9:3 ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଆମ୍ଭ ସାକ୍ଷାତରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଲୁ; ଆମ୍ଭର ନାମ ସଦାକାଳ ସ୍ଥାପନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ଗୃହ ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ପୁଣି, ତହିଁ ପ୍ରତି ଆମ୍ଭ ଦୃଷ୍ଟି ଓ ଆମ୍ଭ ଅନ୍ତଃକରଣ ନିତ୍ୟ ରହିବ।
1KI 9:4 ଆଉ ଆମ୍ଭେ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ, ତଦନୁସାରେ କର୍ମ କରିବା ପାଇଁ ଯଦି ତୁମ୍ଭେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି, ଆମ୍ଭ ବିଧି ଓ ଶାସନ ପାଳନ କରିବ;
1KI 9:5 ‘ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ହେବ ନାହିଁ,’ ଏହି ଯେଉଁ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତକାଳ ସ୍ଥିର କରିବା।
1KI 9:6 ମାତ୍ର ଯଦି ତୁମ୍ଭେମାନେ, ଅବା ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭ ପଶ୍ଚାତ୍‍ଗମନରୁ ଫେରିବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭ ସ୍ଥାପିତ ଆଜ୍ଞା ଓ ବିଧି ପାଳନ ନ କରିବ, ମାତ୍ର ଯାଇ ଅନ୍ୟ ଦେବଗଣକୁ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
1KI 9:7 ତେବେ ଆମ୍ଭେ ଇସ୍ରାଏଲକୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା; ପୁଣି, ଆପଣା ନାମ ନିମନ୍ତେ ଏହି ଯେଉଁ ଗୃହ ପବିତ୍ର କଲୁ, ତାହା ଆପଣା ଦୃଷ୍ଟିରୁ ଦୂର କରିବା ଓ ଇସ୍ରାଏଲ ସମୁଦାୟ ଗୋଷ୍ଠୀ ମଧ୍ୟରେ ଗଳ୍ପର ଓ ଉପହାସର ଏକ ବିଷୟ ହେବ;
1KI 9:8 ଆଉ ଏହି ଗୃହ ଏଡ଼େ ଉଚ୍ଚ ହେଲେ ହେଁ, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ବିଦ୍ରୂପ କରି କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ଗୃହ ପ୍ରତି ଏପରି କଲେ?’
1KI 9:9 ତହିଁରେ ଲୋକମାନେ ଉତ୍ତର କରିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।’”
1KI 9:10 ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା;
1KI 9:11 ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୂରମ୍‍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ଯୋଗାଇ ଦେଇଥିଲା।
1KI 9:12 ଏଉତ୍ତାରେ ହୂରମ୍‍ ଶଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ।
1KI 9:13 ତହୁଁ ସେ କହିଲା, “ହେ ମୋହର ଭାଇ, ଏସବୁ କିପରି ନଗର ମୋତେ ଦେଇଅଛ?” ପୁଣି, ସେ ସେହିସବୁର ନାମ କାବୂଲ ଦେଶ ଦେଲା, ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
1KI 9:14 ପୁଣି, ହୂରମ୍‍ ଏକ ଶହ କୋଡ଼ିଏ ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା।
1KI 9:15 ସଦାପ୍ରଭୁଙ୍କ ଗୃହ, ଆପଣା ନିଜ ଗୃହ, ମିଲ୍ଲୋ, ଯିରୂଶାଲମର ପ୍ରାଚୀର, ହାସୋର, ମଗିଦ୍ଦୋ ଓ ଗେଷର ନିର୍ମାଣ କରିବା ପାଇଁ ରାଜା ଶଲୋମନ ଯେଉଁ ବେଠିକର୍ମକାରୀମାନଙ୍କୁ ସଂଗ୍ରହ କରିଥିଲେ, ତହିଁର ବିବରଣ।
1KI 9:16 ମିସରର ରାଜା ଫାରୋ ଯାଇ ଗେଷର ହସ୍ତଗତ କରି ତାହା ଅଗ୍ନିରେ ଦଗ୍ଧ କରି ତନ୍ନିବାସୀ କିଣାନୀୟମାନଙ୍କୁ ବଧ କରି ତାହା ଯୌତୁକ ରୂପେ ଆପଣା କନ୍ୟା ଶଲୋମନଙ୍କର ଭାର୍ଯ୍ୟାକୁ ଦେଇଥିଲା।
1KI 9:17 ଏହେତୁ ଶଲୋମନ ଦେଶ ମଧ୍ୟରେ ଗେଷର, ଅଧଃସ୍ଥିତ ବେଥ୍-ହୋରଣ,
1KI 9:18 ବାଲତ୍‍ ଓ ପ୍ରାନ୍ତରସ୍ଥ ତାମୋର,
1KI 9:19 ଆଉ ଶଲୋମନଙ୍କର ଯେ ଯେ ଭଣ୍ଡାର ନଗର ଥିଲା, ତାହାସବୁ ଓ ରଥ ପାଇଁ ନଗର ଓ ଅଶ୍ୱାରୋହୀମାନଙ୍କ ପାଇଁ ନଗର, ପୁଣି, ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ସନ୍ତୁଷ୍ଟ ହେଲେ, ତାହାସବୁ ନିର୍ମାଣ କଲେ।
1KI 9:20 ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସକଳ ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ;
1KI 9:21 ଅର୍ଥାତ୍‍, ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ସମ୍ପୂର୍ଣ୍ଣ ରୂପେ ବିନାଶ କରିପାରି ନ ଥିଲେ, ସେମାନଙ୍କ ମଧ୍ୟରୁ ଶଲୋମନ ଆଜି ପର୍ଯ୍ୟନ୍ତ ବେଠିକର୍ମ କରିବା ପାଇଁ ଦାସ ସଂଗ୍ରହ କଲେ।
1KI 9:22 ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ତାଙ୍କ ରାଜଭୃତ୍ୟ, ତାଙ୍କ ଅଧିପତି, ତାଙ୍କର ସେନାପତି, ତାଙ୍କ ରଥ ଓ ଅଶ୍ୱାରୋହୀମାନଙ୍କ ଉପରେ ଅଧ୍ୟକ୍ଷ ଥିଲେ।
1KI 9:23 ସେମାନଙ୍କ ମଧ୍ୟରୁ ପାଞ୍ଚ ଶହ ପଚାଶ ଜଣ ଶଲୋମନଙ୍କର କର୍ମରେ ନିଯୁକ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ। ସେମାନେ କର୍ମକାରୀ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
1KI 9:24 ମାତ୍ର ଫାରୋର କନ୍ୟା ଦାଉଦ-ନଗରରୁ ଶଲୋମନଙ୍କ ଦ୍ୱାରା ତାହା ପାଇଁ ନିର୍ମିତ ଆପଣା ଗୃହକୁ ଆସିଲା; ତେବେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।
1KI 9:25 ପୁଣି, ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ଧୂପ ଜ୍ୱଳାଇ ବର୍ଷକେ ତିନି ଥର ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଏହିରୂପେ ସେ ଗୃହ ନିର୍ମାଣ ସମାପ୍ତ କଲେ।
1KI 9:26 ଏଥିଉତ୍ତାରେ ଶଲୋମନ ରାଜା ଇଦୋମ ଦେଶରେ ସୂଫ ସାଗରତୀରସ୍ଥ ଏଲତ୍‍ ନିକଟବର୍ତ୍ତୀ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
1KI 9:27 ପୁଣି, ହୂରମ୍‍ ସେହି ଜାହାଜରେ ଶଲୋମନଙ୍କର ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲା।
1KI 9:28 ଆଉ ସେମାନେ ଓଫୀରକୁ ଯାଇ ସେଠାରୁ ଚାରି ଶହ କୋଡ଼ିଏ ତାଳନ୍ତ ସୁନା ନେଇ ଶଲୋମନ ରାଜାଙ୍କ ନିକଟକୁ ଆଣିଲେ।
1KI 10:1 ଏଥିଉତ୍ତାରେ ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ନାମ ସମ୍ବନ୍ଧରେ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ତାଙ୍କୁ ପରୀକ୍ଷା କରିବା ପାଇଁ ଆସିଲେ।
1KI 10:2 ସେ ସୁଗନ୍ଧି ଦ୍ରବ୍ୟ ଓ ଅତି ପ୍ରଚୁର ସ୍ୱର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଯିରୂଶାଲମକୁ ଆସିଲା; ପୁଣି, ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲେ।
1KI 10:3 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ; ରାଜାଙ୍କର ବୋଧଗମ୍ୟ କୌଣସି ବିଷୟ ନ ଥିଲା, ସେ ତାହାକୁ ସବୁ କହିଲେ।
1KI 10:4 ପୁଣି, ଶିବାର ରାଣୀ ଶଲୋମନଙ୍କର ସମସ୍ତ ଜ୍ଞାନ, ତାଙ୍କର ନିର୍ମିତ ଗୃହ,
1KI 10:5 ତାଙ୍କର ମେଜର ଖାଦ୍ୟଦ୍ରବ୍ୟ, ତାଙ୍କର ଭୃତ୍ୟମାନଙ୍କ ଆସନ, ତାଙ୍କ ମନ୍ତ୍ରୀମାନଙ୍କ ସେବା, ସେମାନଙ୍କ ବସ୍ତ୍ର, ପାନପାତ୍ରବାହକଗଣ ଓ ସେ ସଦାପ୍ରଭୁଙ୍କ ଗୃହରେ କିପରି ଭାବେ ହୋମବଳି ଉତ୍ସର୍ଗ କଲେ, ଏହିସବୁ ଦେଖି ସେ ହତଜ୍ଞାନ ହେଲା।
1KI 10:6 ତହୁଁ ସେ ରାଜାଙ୍କୁ କହିଲେ, “ମୁଁ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲି, ତାହା ସତ୍ୟ।
1KI 10:7 ତଥାପି ମୁଁ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ସେ କଥା ବିଶ୍ୱାସ ନ କଲି; ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନ ଥିଲା; ମୁଁ ଯେଉଁ ସୁଖ୍ୟାତି ଶୁଣିଲି, ତଦପେକ୍ଷା ଆପଣଙ୍କ ଜ୍ଞାନ ଓ ଐଶ୍ୱର୍ଯ୍ୟ ଅଧିକ।
1KI 10:8 ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।
1KI 10:9 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ଉପବିଷ୍ଟ କରାଇବା ପାଇଁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ; ସଦାପ୍ରଭୁ ଇସ୍ରାଏଲକୁ ସଦାକାଳ ପ୍ରେମ କରନ୍ତି, ଏହେତୁ ବିଚାର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
1KI 10:10 ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା, ଆଉ ଅତି ପ୍ରଚୁର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେତେ ସୁଗନ୍ଧି ଦ୍ରବ୍ୟ ଦେଲା, ସେତେ ବହୁଳ ପରିମାଣରେ ଆଉ କେବେ ଆସି ନାହିଁ।
1KI 10:11 ଆଉ ହୂରମ୍‍ର ଯେଉଁ ଯେଉଁ ଜାହାଜରେ ଓଫୀରରୁ ସୁନା ଆସିଲା, ସେହି ସବୁରେ ମଧ୍ୟ ଓଫୀରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା।
1KI 10:12 ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ; ଏରୂପ ଚନ୍ଦନ କାଷ୍ଠ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଦେଖାଯାଇ ନାହିଁ।
1KI 10:13 ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, ତାହା ଛଡ଼ା ଶଲୋମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ। ଏଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।
1KI 10:14 ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁବର୍ଣ୍ଣ ଆସେ।
1KI 10:15 ଏହାଛଡ଼ା ପାଇକରମାନେ ଆଣିଲେ, ପୁଣି, ବଣିକମାନଙ୍କ ବ୍ୟବସାୟରୁ ଓ ମିଶ୍ରିତ ଗୋଷ୍ଠୀୟମାନଙ୍କ ସମସ୍ତ ରାଜାଠାରୁ ଓ ଦେଶାଧ୍ୟକ୍ଷମାନଙ୍କଠାରୁ ସୁବର୍ଣ୍ଣ ଆସିଲା।
1KI 10:16 ତହିଁରେ ଶଲୋମନ ରାଜା ପିଟାସୁନାରେ ଦୁଇ ଶହ ବଡ଼ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ଛଅ ଶହ ଶେକଲ ସୁନା ଲାଗିଲା।
1KI 10:17 ଆଉ ସେ ପିଟାସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ତିନି ମିନାସ୍ ସୁନା ଲାଗିଲା; ଆଉ ରାଜା ଲିବାନୋନ-ଅରଣ୍ୟ ଗୃହରେ ତାହାସବୁ ରଖିଲେ।
1KI 10:18 ଆହୁରି ରାଜା ହସ୍ତୀଦନ୍ତର ଗୋଟିଏ ବୃହତ ସିଂହାସନ ନିର୍ମାଣ କରି ଅତ୍ୟୁତ୍ତମ ସୁବର୍ଣ୍ଣରେ ମଡ଼ାଇଲେ।
1KI 10:19 ସେହି ସିଂହାସନର ଛଅ ପାବଚ୍ଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼ ଗୋଲାକାର ଥିଲା ଓ ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ।
1KI 10:20 ଆଉ ସେହି ଛଅ ପାବଚ୍ଛ ଉପରେ ଦୁଇପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା।
1KI 10:21 ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ-ଅରଣ୍ୟ ଗୃହର ସମସ୍ତ ପାତ୍ର ସୁଦ୍ଧା ସୁବର୍ଣ୍ଣର ଥିଲା; ରୂପାର କିଛି ନ ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା।
1KI 10:22 କାରଣ, ସମୁଦ୍ରରେ ହୂରମ୍‍ର ଜାହାଜ ସଙ୍ଗେ ରାଜାଙ୍କର ତର୍ଶୀଶଗାମୀ ଜାହାଜ ଥିଲା; ସେହି ତର୍ଶୀଶର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା, ହସ୍ତୀଦନ୍ତ, ବାନର ଓ ମୟୂର ନେଇ ଆସନ୍ତି।
1KI 10:23 ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ।
1KI 10:24 ଆଉ ପରମେଶ୍ୱର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତେ ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ।
1KI 10:25 ପୁଣି, ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣା ଭେଟି ରୂପେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ।
1KI 10:26 ଆଉ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ, ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
1KI 10:27 ପୁଣି, ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
1KI 10:28 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
1KI 10:29 ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଗଲା; ପୁଣି, ମିସରର ଏକ ଏକ ରଥ ଛଅ ଶହ ଶେକଲ ରୌପ୍ୟ ମୁଦ୍ରାରେ ଓ ଏକ ଏକ ଅଶ୍ୱ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରାରେ ଆସିଲା ଓ ଗଲା।
1KI 11:1 ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ;
1KI 11:2 ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଥିଲେ, “ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ;” ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ।
1KI 11:3 ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ।
1KI 11:4 କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା।
1KI 11:5 ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍‍ର ଓ ଅମ୍ମୋନୀୟମାନଙ୍କ ମିଲ୍‍କମ୍‍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍‍ଗାମୀ ହେଲେ।
1KI 11:6 ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍‍ଗାମୀ ନୋହିଲେ।
1KI 11:7 ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ମୋଲକ୍‍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।
1KI 11:8 ଏହିରୂପେ ତାଙ୍କର ଯେଉଁ ବିଦେଶୀୟା ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ବଳିଦାନ କଲେ, ସେହି ସମସ୍ତଙ୍କ ପାଇଁ ସେ ସେହିପରି କଲେ।
1KI 11:9 ଏହେତୁ ସଦାପ୍ରଭୁ ଶଲୋମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା; ସଦାପ୍ରଭୁ ତାଙ୍କୁ ଦୁଇ ଥର ଦର୍ଶନ ଦେଇଥିଲେ
1KI 11:10 ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତ୍‍ଗାମୀ ହେବାକୁ ନିଷେଧ କରିଥିଲେ; ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ, ତାହା ସେ ପ୍ରତିପାଳନ କଲେ ନାହିଁ।
1KI 11:11 ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା।
1KI 11:12 ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ; ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରି ନେବା।
1KI 11:13 ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ; ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଯିରୂଶାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା।”
1KI 11:14 ଏଥିଉତ୍ତାରେ ସଦାପ୍ରଭୁ ଇଦୋମୀୟ ହଦଦ୍‍କୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ; ସେ ଇଦୋମୀୟ ରାଜବଂଶଜ ଥିଲେ।
1KI 11:15 ଯେତେବେଳେ ଦାଉଦ ଇଦୋମରେ ଥିଲେ ଓ ଯୋୟାବ ସେନାପତି ହତ ଲୋକମାନଙ୍କୁ କବର ଦେବା ପାଇଁ ଯାଇ ଇଦୋମର ପ୍ରତ୍ୟେକ ପୁରୁଷକୁ ଆଘାତ କରିଥିଲା;
1KI 11:16 ସେତେବେଳେ ଯୋୟାବ ଓ ସମଗ୍ର ଇସ୍ରାଏଲ ଇଦୋମର ପ୍ରତ୍ୟେକ ପୁରୁଷକୁ ଉଚ୍ଛିନ୍ନ ନ କରିବା ପର୍ଯ୍ୟନ୍ତ ଛଅ ମାସ କାଳ ସେଠାରେ ରହିଥିଲେ;
1KI 11:17 ସେସମୟରେ ହଦଦ୍‍ ଓ ତାହା ସଙ୍ଗେ ତାହା ପିତାର ଦାସ କେତେକ ଇଦୋମୀୟ ଲୋକ ମିସରକୁ ପଳାଇ ଯାଇଥିଲେ; ସେତେବେଳେ ହଦଦ୍‍ ସାନ ବାଳକ ଥିଲା।
1KI 11:18 ସେମାନେ ମିଦୀୟନଠାରୁ ଉଠି ପାରଣକୁ ଆସିଲେ; ପୁଣି, ପାରଣରୁ ସଙ୍ଗରେ ଲୋକ ନେଇ ମିସରରେ ମିସରର ରାଜା ଫାରୋ ନିକଟରେ ଉପସ୍ଥିତ ହେଲେ; ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା।
1KI 11:19 ପୁଣି, ହଦଦ୍‍ ଫାରୋ ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେଷ୍‍ ରାଣୀର ଭଗିନୀକୁ ତାହା ସଙ୍ଗେ ବିବାହ ଦେଲା;
1KI 11:20 ଏଉତ୍ତାରେ ତହପନେଷ୍‍ର ଭଗିନୀ ତାହାର ଔରସରେ ଗନୁବତ୍‍ ନାମକ ପୁତ୍ର ପ୍ରସବ କଲା, ତହିଁରେ ତହପନେଷ୍‍ ଫାରୋର ଗୃହରେ ତାହାର ସ୍ତନ୍ୟତ୍ୟାଗ କରାଇଲା; ଆଉ ଗନୁବତ୍‍ ଫାରୋର ଗୃହରେ ଫାରୋର ପୁତ୍ରମାନଙ୍କ ସଙ୍ଗରେ ରହିଲା।
1KI 11:21 ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କରିଅଛି ଓ ସେନାପତି ଯୋୟାବ ମରିଅଛି, ଏହି ସମାଚାର ହଦଦ୍‍ ମିସରରେ ଶୁଣନ୍ତେ ଫାରୋକୁ କହିଲା, “ମୋତେ ପ୍ରସ୍ଥାନ କରିବାକୁ ଅନୁମତି ଦେଉନ୍ତୁ, ମୁଁ ସ୍ୱଦେଶକୁ ଯିବି।”
1KI 11:22 ତହିଁରେ ଫାରୋ ତାହାକୁ କହିଲା, “ମାତ୍ର ମୋʼ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ?” ଏଥିରେ ସେ ଉତ୍ତର କଲା, “କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ।”
1KI 11:23 ଆହୁରି ପରମେଶ୍ୱର ଇଲୀୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ, ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା;
1KI 11:24 ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା; ତହିଁ ଉତ୍ତାରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କରି ଦମ୍ମେଶକରେ ରାଜ୍ୟ କଲେ।
1KI 11:25 ଆଉ ସେ ହଦଦ୍‍ର କୃତ ମନ୍ଦ କର୍ମ ଛଡ଼ା ଶଲୋମନଙ୍କର ଯାବଜ୍ଜୀବନ ଇସ୍ରାଏଲର ବିପକ୍ଷ ହୋଇଥିଲା; ସେ ଇସ୍ରାଏଲକୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା।
1KI 11:26 ପୁଣି, ସରେଦା ନିବାସୀ ଇଫ୍ରୟିମୀୟ ନବାଟର ପୁତ୍ର ଶଲୋମନଙ୍କର ଦାସ ଯାରବୀୟାମ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣା ହସ୍ତ ଉଠାଇଲେ; ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା।
1KI 11:27 ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି; ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନ ସ୍ଥାନ ପୁନଃନିର୍ମାଣ କରୁଥିଲେ।
1KI 11:28 ସେସମୟରେ ଯାରବୀୟାମ ମହାବିକ୍ରମଶାଳୀ ପୁରୁଷ ଥିଲେ; ଏଣୁ ଶଲୋମନ ସେହି ଯୁବା ଲୋକଙ୍କୁ ପରିଶ୍ରମୀ ଦେଖି ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ।
1KI 11:29 ଘଟଣାକ୍ରମେ ସେହି ସମୟରେ ଯାରବୀୟାମ ଯିରୂଶାଲମର ବାହାରକୁ ଯାʼନ୍ତେ, ପଥରେ ଶୀଲୋନୀୟ ଅହୀୟ ଭବିଷ୍ୟଦ୍‍ବକ୍ତା ତାଙ୍କର ଦେଖା ପାଇଲା; ଅହୀୟ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।
1KI 11:30 ତହିଁରେ ଅହୀୟ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା।
1KI 11:31 ଆଉ ଯାରବୀୟାମଙ୍କୁ କହିଲା, “ତୁମ୍ଭେ ଆପଣା ପାଇଁ ଦଶ ଖଣ୍ଡ ନିଅ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରି ନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା।
1KI 11:32 ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଯିରୂଶାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ।
1KI 11:33 ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍‍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍‍କମ୍‍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି।
1KI 11:34 ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ, ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧିସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜ୍ଜୀବନ ଅଧିପତି କରି ରଖିବା;
1KI 11:35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା, ଅର୍ଥାତ୍‍, ଦଶ ଗୋଷ୍ଠୀ ତୁମ୍ଭକୁ ଦେବା।
1KI 11:36 ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ, ସେହି ଯିରୂଶାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା।
1KI 11:37 ପୁଣି, ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ ଉପରେ ରାଜା ହେବ।
1KI 11:38 ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ, ଆମ୍ଭ ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା।
1KI 11:39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ-ବଂଶକୁ କ୍ଳେଶ ଦେବା, ମାତ୍ର ସଦାକାଳ ନୁହେଁ।’”
1KI 11:40 ଉକ୍ତ କାରଣରୁ ଶଲୋମନ ଯାରବୀୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ; ମାତ୍ର ଯାରବୀୟାମ ଉଠି ମିସରକୁ ମିସରୀୟ ରାଜା ଶୀଶକ୍‍ ନିକଟକୁ ପଳାଇଲେ ଓ ଶଲୋମନଙ୍କର ମରଣ ପର୍ଯ୍ୟନ୍ତ ମିସରରେ ରହିଲେ।
1KI 11:41 ଶଲୋମନଙ୍କର ଅବଶିଷ୍ଟ ବିଷୟ ଓ ତାଙ୍କର ସମସ୍ତ କୃତ କର୍ମ ଓ ତାଙ୍କର ଜ୍ଞାନ କି ଶଲୋମନ ବିଷୟକ ପୁସ୍ତକରେ ଲିଖିତ ହୋଇ ନାହିଁ?
1KI 11:42 ଶଲୋମନ ଚାଳିଶ ବର୍ଷ ପର୍ଯ୍ୟନ୍ତ ଯିରୂଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ।
1KI 11:43 ତହିଁ ଉତ୍ତାରେ ଶଲୋମନ ମୃତ୍ୟୁବରଣ କଲେ ପୁଣି ଆପଣା ପିତୃଲୋକଙ୍କର ସହିତ ଆପଣା ପିତା ଦାଉଦ-ନଗରରେ କବର ପାଇଲେ; ତହୁଁ ତାଙ୍କ ପୁତ୍ର ରିହବୀୟାମ ତାଙ୍କର ପଦରେ ରାଜ୍ୟ କଲେ।
1KI 12:1 ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।
1KI 12:2 ଏଥିମଧ୍ୟରେ ନବାଟର ପୁତ୍ର ସେହି ଯେ ଯାରବୀୟାମ ଶଲୋମନ ରାଜାଙ୍କର ଛାମୁରୁ ପଳାଇ ମିସରରେ ଏଯାଏ ଥିଲେ, ସେ ତାଙ୍କର ମୃତ୍ୟୁୁ ସମ୍ବାଦ ପାଇଲେ; ସେ ମିସରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ।
1KI 12:3 ତହିଁରେ ଯାରବୀୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବୀୟାମଙ୍କ ନିକଟକୁ ଆସି ଏହି କଥା କହିଲେ,
1KI 12:4 “ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।”
1KI 12:5 ତହୁଁ ସେ ସେମାନଙ୍କୁ କହିଲେ, “ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋʼ ନିକଟକୁ ଆସ।” ତହିଁରେ ଲୋକମାନେ ଚାଲିଗଲେ।
1KI 12:6 ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
1KI 12:7 ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
1KI 12:8 ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।
1KI 12:9 ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ମୋତେ କହୁଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ?’”
1KI 12:10 ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋʼ ପିତାଙ୍କ କଟିଠାରୁ ମୋଟ।
1KI 12:11 ଏଥିପାଇଁ ମୋʼ ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”
1KI 12:12 ତୃତୀୟ ଦିନରେ ମୋʼ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ।
1KI 12:13 ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ;
1KI 12:14 ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋʼ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
1KI 12:15 ଏହିରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ଦ୍ୱାରା ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା।
1KI 12:16 ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।”
1KI 12:17 ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।
1KI 12:18 ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ଅଦୋନୀରାମ୍‍କୁ ପଠାଇଲେ; ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।
1KI 12:19 ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।
1KI 12:20 ଏଉତ୍ତାରେ ଯାରବୀୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା କେହି ଦାଉଦ-ବଂଶର ଅନୁଗାମୀ ହେଲା ନାହିଁ।
1KI 12:21 ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ଯିହୁଦାର ସମସ୍ତ ବଂଶର ଓ ବିନ୍ୟାମୀନ୍ ଗୋଷ୍ଠୀର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ଶଲୋମନଙ୍କର ପୁତ୍ର ରିହବୀୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା।
1KI 12:22 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
1KI 12:23 “ଯିହୁଦାର ରାଜା ଶଲୋମନର ପୁତ୍ର ରିହବୀୟାମକୁ, ପୁଣି, ଯିହୁଦା ଓ ବିନ୍ୟାମୀନ୍‍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ:
1KI 12:24 ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି।’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ।
1KI 12:25 ଏହି ସମୟରେ ଯାରବୀୟାମ ଇଫ୍ରୟିମର ପର୍ବତମୟ ଦେଶରେ ଶିଖିମ ନିର୍ମାଣ କରି ତହିଁରେ ବାସ କଲେ; ପୁଣି, ସେ ସେଠାରୁ ଯାଇ ପନୂୟେଲ ନିର୍ମାଣ କଲେ।
1KI 12:26 ତହୁଁ ଯାରବୀୟାମ ଆପଣା ମନେ ମନେ କହିଲେ, “ଏବେ ରାଜ୍ୟ ପୁନର୍ବାର ଦାଉଦ-ବଂଶର ଅଧୀନ ହେବ;
1KI 12:27 ଯେବେ ଏହି ଲୋକମାନେ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଯିହୁଦାର ରାଜା ରିହବୀୟାମ ପ୍ରତି ଫେରିବ; ତହିଁରେ ସେମାନେ ମୋତେ ବଧ କରି ଯିହୁଦାର ରାଜା ରିହବୀୟାମ ନିକଟକୁ ଫେରିଯିବେ।”
1KI 12:28 ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ; ପୁଣି, ସେ ଲୋକମାନଙ୍କୁ କହିଲେ, “ଯିରୂଶାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି; ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ।”
1KI 12:29 ତହୁଁ ସେ ଗୋଟିକୁ ବେଥେଲ୍‍ରେ ଓ ଅନ୍ୟଟିକୁ ଦାନ୍‍ରେ ସ୍ଥାପନ କଲେ।
1KI 12:30 ଏହି କର୍ମ ପାପର କାରଣ ହେଲା; କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ୍ ପର୍ଯ୍ୟନ୍ତ ସୁଦ୍ଧା ଗଲେ।
1KI 12:31 ଏଉତ୍ତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଯେଉଁମାନେ ଲେବୀ-ସନ୍ତାନ ନୁହନ୍ତି, ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ।
1KI 12:32 ପୁଣି, ଯାରବୀୟାମ ଅଷ୍ଟମ ମାସରେ, ମାସର ପଞ୍ଚଦଶ ଦିନରେ ଯିହୁଦାର ପର୍ବ ତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦିକୁ ଗଲେ; ଏହିରୂପେ ସେ ସ୍ୱନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବେଥେଲ୍‍ରେ ବଳିଦାନ କଲେ; ପୁଣି, ସେ ଆପଣାର କୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବେଥେଲ୍‍ରେ ସ୍ଥାପନ କଲେ।
1KI 12:33 ଏହିପରି ସେ ଅଷ୍ଟମ ମାସର ପଞ୍ଚଦଶ ଦିନରେ, ଅର୍ଥାତ୍‍, ଆପଣା ମନର ସଂକଳ୍ପିତ ମାସରେ ବେଥେଲ୍‍ସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକୁ ଗଲେ ଓ ସେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦିକୁ ଗଲେ।
1KI 13:1 ପୁଣି, ଯାରବୀୟାମ ଧୂପ ଜ୍ୱଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ସମୟରେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯିହୁଦାରୁ ପରମେଶ୍ୱରଙ୍କ ଏକ ଲୋକ ବେଥେଲ୍‍ରେ ଉପସ୍ଥିତ ହେଲା।
1KI 13:2 ପୁଣି, ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି କହିଲା, “ହେ ଯଜ୍ଞବେଦି, ଯଜ୍ଞବେଦି, ସଦାପ୍ରଭୁ ଏହିପରି କହନ୍ତି; ଦେଖ, ଦାଉଦ-ବଂଶରେ ଯୋଶୀୟ ନାମରେ ଏକ ସନ୍ତାନ ଜନ୍ମିବ; ପୁଣି, ଉଚ୍ଚସ୍ଥଳୀର ଯେଉଁ ଯାଜକମାନେ ତୁମ୍ଭ ଉପରେ ଧୂପ ଜ୍ୱଳାଉ ଅଛନ୍ତି, ସେମାନଙ୍କୁ ତୁମ୍ଭ ଉପରେ ସେ ବଳିଦାନ କରିବ ଓ ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।”
1KI 13:3 ଆହୁରି ସେ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲା, “ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।”
1KI 13:4 ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।
1KI 13:5 ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡ଼ି ହୋଇ ପଡ଼ିଲା।
1KI 13:6 ସେତେବେଳେ ରାଜା ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଲେ, “ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର।” ତହିଁରେ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।
1KI 13:7 ତହୁଁ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ମୋʼ ସଙ୍ଗେ ଗୃହକୁ ଆସି ଆରାମ କର, ମୁଁ ତୁମ୍ଭକୁ ପୁରସ୍କାର ଦେବି।”
1KI 13:8 ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ,
1KI 13:9 କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ।”
1KI 13:10 ତହୁଁ ସେ ଅନ୍ୟ ପଥରେ ଗଲା, ଯେଉଁ ପଥରେ ବେଥେଲ୍‍କୁ ଆସିଥିଲା, ସେ ପଥରେ ସେ ଫେରିଲା ନାହିଁ।
1KI 13:11 ସେହି ବେଥେଲ୍‍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ବାସ କରୁଥିଲା; ଆଉ ତାହାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ତାହା ନିକଟକୁ ଆସି ସେହି ଦିନ ପରମେଶ୍ୱରଙ୍କ ଲୋକ ବେଥେଲ୍‍ରେ ଯାହା ଯାହା କରିଥିଲା, ତାହାସବୁ ତାହାକୁ ଜଣାଇଲା; ମଧ୍ୟ ରାଜାଙ୍କୁ ସେ ଯେଉଁ ଯେଉଁ କଥା କହିଥିଲା, ତାହା ସେମାନେ ଆପଣା ପିତାକୁ ଜଣାଇଲେ।
1KI 13:12 ତହିଁରେ ସେମାନଙ୍କ ପିତା ସେମାନଙ୍କୁ ପଚାରିଲା, “ସେ କେଉଁ ପଥରେ ଗଲା?” ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ ଯେଉଁ ପଥରେ ଯାଇଥିଲା, ତାହା ତାହାର ପୁତ୍ରମାନେ ଦେଖିଥିଲେ।
1KI 13:13 ଏଥିରେ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ତାହା ପାଇଁ ଗଧ ସଜାନ୍ତେ, ସେ ତହିଁରେ ଚଢ଼ିଲା।
1KI 13:14 ଏଉତ୍ତାରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ଏକ ଅଲୋନ ବୃକ୍ଷ ମୂଳେ ତାହାକୁ ବସିଥିବାର ଦେଖିଲା; ପୁଣି, ସେ ତାହାକୁ ପଚାରିଲା, “ତୁମ୍ଭେ କି ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ କହିଲା, “ହଁ, ମୁଁ।”
1KI 13:15 ତେବେ ସେ ତାହାକୁ କହିଲା, “ମୋʼ ସଙ୍ଗେ ଗୃହକୁ ଆସ ଓ ଅନ୍ନ ଭୋଜନ କର।”
1KI 13:16 ତହିଁରେ ସେ କହିଲା, “ମୁଁ ତୁମ୍ଭ ସଙ୍ଗେ ଫେରି ନ ପାରେ, କି ତୁମ୍ଭ ସଙ୍ଗେ ଗୃହକୁ ଯାଇ ନ ପାରେ; କିଅବା ଏହି ସ୍ଥାନରେ ତୁମ୍ଭ ସଙ୍ଗେ ମୁଁ ଅନ୍ନ ଭୋଜନ କରିବି ନାହିଁ, କି ଜଳ ପାନ କରିବି ନାହିଁ;
1KI 13:17 କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ କୁହାଯାଇଅଛି, ତୁମ୍ଭେ ସେସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେ ପଥରେ ଫେରି ଆସିବ ନାହିଁ।”
1KI 13:18 ଏଥିରେ ସେ ତାହାକୁ କହିଲା, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍‍ବକ୍ତା; ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଏକ ଦୂତ ମୋତେ ଏହି କଥା କହିଲେ, ଯେପରି ସେ ଅନ୍ନ ଭୋଜନ ଓ ଜଳ ପାନ କରିବ, ଏଥିପାଇଁ ତୁମ୍ଭେ ତାହାକୁ ଫେରାଇ ଆପଣା ସଙ୍ଗେ ଗୃହକୁ ଆଣ।” ମାତ୍ର ସେ ତାହାକୁ ମିଥ୍ୟା କହିଲା।
1KI 13:19 ଏହେତୁ ସେ ତାହା ସଙ୍ଗେ ଫେରିଯାଇ ତାହା ଗୃହରେ ଅନ୍ନ ଭୋଜନ ଓ ଜଳ ପାନ କଲା।
1KI 13:20 ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍‍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା।
1KI 13:21 ଏଥିରେ ସେ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚସ୍ୱରରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରି ନାହଁ;
1KI 13:22 ମାତ୍ର ଫେରି ଆସିଅଛ, ପୁଣି, ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳ ପାନ ନ କର, ବୋଲି ସେ ତୁମ୍ଭକୁ କହିଥିଲେ, ‘ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳ ପାନ କରିଅଛ;’ ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରବିଷ୍ଟ ନୋହିବ।”
1KI 13:23 ଏଥିରେ ସେ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍‍, ସେ ଯାହାକୁ ଫେରାଇ ଆଣିଥିଲା, ସେହି ଭବିଷ୍ୟଦ୍‍ବକ୍ତା ପାଇଁ ଗଧ ସଜାଇଲା।
1KI 13:24 ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି, ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା।
1KI 13:25 ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ।
1KI 13:26 ଏଥିରେ ଯେଉଁ ଭବିଷ୍ୟଦ୍‍ବକ୍ତା ତାହାଙ୍କୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, “ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ୱରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।”
1KI 13:27 ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ଗଧ ସଜାଇଲେ।
1KI 13:28 ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି, ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା।
1KI 13:29 ପୁଣି, ସେ ଭବିଷ୍ୟଦ୍‍ବକ୍ତା ପରମେଶ୍ୱରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା; ଆଉ ସେହି ପ୍ରାଚୀନ ଭବିଷ୍ୟଦ୍‍ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା।
1KI 13:30 ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ।
1KI 13:31 ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ।
1KI 13:32 କାରଣ ସେ ବେଥେଲ୍‍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରୀୟାର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଉଚ୍ଚସ୍ୱରରେ ଯାହା କହିଅଛି, ତାହା ନିଶ୍ଚୟ ସଫଳ ହେବ।”
1KI 13:33 ଏ ଘଟଣା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ।
1KI 13:34 ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।
1KI 14:1 ସେହି ସମୟରେ ଯାରବୀୟାମଙ୍କର ପୁତ୍ର ଅବୀୟ ପୀଡ଼ିତ ହେଲା।
1KI 14:2 ତହୁଁ ଯାରବୀୟାମ ଆପଣା ଭାର୍ଯ୍ୟାକୁ କହିଲେ, “ମୁଁ ବିନୟ କରୁଅଛି, ଉଠ, ପୁଣି, ତୁମ୍ଭେ ଯାରବୀୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ଶୀଲୋକୁ ଯାଅ; ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋʼ ବିଷୟରେ ଯେ କହିଥିଲା, ସେହି ଅହୀୟ ଭବିଷ୍ୟଦ୍‍ବକ୍ତା ସେଠାରେ ଅଛି।
1KI 14:3 ପୁଣି, ଆପଣା ସଙ୍ଗେ ଦଶ ରୁଟି ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ; ବାଳକର କଅଣ ହେବ, ତାହା ସେ ତୁମ୍ଭକୁ ଜଣାଇବ।”
1KI 14:4 ଏଥିରେ ଯାରବୀୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ଶୀଲୋକୁ ଯାଇ ଅହୀୟର ଗୃହରେ ଉପସ୍ଥିତ ହେଲା। ସେହି ସମୟରେ ଅହୀୟ ଦେଖି ପାରୁ ନ ଥିଲା; କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା।
1KI 14:5 ଏଥିମଧ୍ୟରେ ସଦାପ୍ରଭୁ ଅହୀୟଙ୍କୁ କହିଲେ, “ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ।”
1KI 14:6 ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ, ଅହୀୟ ତାହାର ପାଦ-ଶବ୍ଦ ଶୁଣି କହିଲା, “ହେ ଯାରବୀୟାମଙ୍କର ଭାର୍ଯ୍ୟା, ତୁମ୍ଭେ ଭିତରକୁ ଆସ; କାହିଁକି ତୁମ୍ଭେ ଆପଣାକୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି।
1KI 14:7 ତୁମ୍ଭେ ଯାଇ ଯାରବୀୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ;
1KI 14:8 ଓ ଦାଉଦ-ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ; ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା, ତାହା ପରି ତୁମ୍ଭେ ହୋଇ ନାହଁ;
1KI 14:9 ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି, ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ;
1KI 14:10 ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।
1KI 14:11 ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।’
1KI 14:12 ଏନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ; ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ।
1KI 14:13 ପୁଣି, ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ; ମାତ୍ର ଯାରବୀୟାମ ସମ୍ପର୍କୀୟର କେବଳ ସେ ହିଁ କବର ପାଇବ; କାରଣ ଯାରବୀୟାମ-ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍‍ଭାବ ଦେଖାଯାଇଅଛି।
1KI 14:14 ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହି ଦିନ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବ; ମାତ୍ର କଅଣ? ଏବେ ତାହା ଘଟିବ।
1KI 14:15 କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ; ପୁଣି, ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନଭିନ୍ନ କରିବେ; ଯେହେତୁ ସେମାନେ ଆପଣାମାନଙ୍କର ଆଶେରା ମୂର୍ତ୍ତିମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି।
1KI 14:16 ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”
1KI 14:17 ଏଉତ୍ତାରେ ଯାରବୀୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା; ଆଉ ସେ ଗୃହର ଦ୍ୱାରବନ୍ଧ ନିକଟରେ ପହଞ୍ଚିଲା କ୍ଷଣେ ବାଳକ ମଲା।
1KI 14:18 ତହିଁରେ ସଦାପ୍ରଭୁ ଆପଣା ଦାସ ଅହୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ଯେପରି କହିଥିଲେ, ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ।
1KI 14:19 ଏହି ଯାରବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ସେ କିପରି ଯୁଦ୍ଧ କଲେ ଓ କିପରି ରାଜ୍ୟ କଲେ, ଦେଖ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖାଅଛି।
1KI 14:20 ପୁଣି, ଯାରବୀୟାମଙ୍କର ରାଜତ୍ୱକାଳ ବାଇଶ ବର୍ଷ; ତହିଁ ଉତ୍ତାରେ ସେ ମୃତ୍ୟୁବରଣ କଲା ପରେ ଆପଣା ପିତୃଗଣ ସହିତ କବର ପାଇଲେ ଓ ତାଙ୍କର ପୁତ୍ର ନାଦବ୍‍ ତାଙ୍କର ପଦରେ ରାଜ୍ୟ କଲେ।
1KI 14:21 ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି, ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ନୟମା ଯେ ଅମ୍ମୋନୀୟା ଥିଲେ।
1KI 14:22 ମାତ୍ର ଯିହୁଦା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା; ପୁଣି, ସେମାନଙ୍କ ପୂର୍ବପୁରୁଷମାନେ ଯାହା ଯାହା କରିଥିଲେ, ସେସବୁ ଅପେକ୍ଷା ସେମାନେ ଆପଣାମାନଙ୍କ କୃତ ପାପ ଦ୍ୱାରା ତାହାଙ୍କୁ ଅଧିକ କୋପାନ୍ୱିତ କଲେ।
1KI 14:23 କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ମୂଳେ ଆପଣାମାନଙ୍କ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ନିର୍ମାଣ କଲେ;
1KI 14:24 ପୁଣି, ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ।
1KI 14:25 ଆଉ ରିହବୀୟାମ ରାଜାଙ୍କର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ବିରୁଦ୍ଧରେ ଆସିଲା;
1KI 14:26 ପୁଣି, ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା; ସେ ସମସ୍ତ ପଦାର୍ଥ ନେଇଗଲା; ଆହୁରି ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ-ଢାଲ ନେଇଗଲା।
1KI 14:27 ଏଥିରେ ରିହବୀୟାମ ରାଜା ସେସବୁର ବଦଳେ ପିତ୍ତଳ-ଢାଲ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ।
1KI 14:28 ପୁଣି, ରାଜା ଯେତେ ଥର ସଦାପ୍ରଭୁଙ୍କ ଗୃହକୁ ଗଲେ, ସେତେଥର ପ୍ରହରୀମାନେ ତାହା ନେଇଗଲେ, ଆଉ ତାହାସବୁ ପ୍ରହରୀଶାଳାକୁ ଫେରାଇ ଆଣିଲେ।
1KI 14:29 ଏହି ରିହବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କିମ୍ବା ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 14:30 ଏହି ରିହବୀୟାମ ଓ ଯାରବୀୟାମଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଥିଲା।
1KI 14:31 ଏଉତ୍ତାରେ ରିହବୀୟାମ ମୃତ୍ୟୁବରଣ କଲେ ଓ ଆପଣା ପିତୃଲୋକଙ୍କ ସହିତ ଦାଉଦ-ନଗରରେ କବର ପାଇଲେ; ତାଙ୍କର ମାତାର ନାମ ନୟମା, ଯେ ଅମ୍ମୋନୀୟା ଥିଲେ। ଆଉ ତାଙ୍କର ପୁତ୍ର ଅବୀୟାମ ତାଙ୍କର ପଦରେ ରାଜ୍ୟ କଲେ।
1KI 15:1 ନବାଟର ପୁତ୍ର ଯାରବୀୟାମ ରାଜାଙ୍କର ରାଜତ୍ଵର ଅଠର ବର୍ଷରେ ଅବୀୟାମ ଯିହୁଦା ଉପରେ ରାଜତ୍ୱ କରିବାକୁ ଲାଗିଲେ।
1KI 15:2 ସେ ଯିରୂଶାଲମରେ ତିନି ବର୍ଷ ରାଜତ୍ୱ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା।
1KI 15:3 ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା।
1KI 15:4 ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଯିରୂଶାଲମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଯିରୂଶାଲମରେ ତାଙ୍କୁ ଏକ ପ୍ରଦୀପ ଦେଲେ।
1KI 15:5 କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ଦାଉଦ କରିଥିଲେ ଓ କେବଳ ହିତ୍ତୀୟ ଊରୀୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜ୍ଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।
1KI 15:6 ଆଉ ଯାରବୀୟାମଙ୍କର ଯାବଜ୍ଜୀବନ ତାଙ୍କର ଓ ରିହବୀୟାମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା।
1KI 15:7 ପୁଣି, ଅବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲେଖା ନାହିଁ? ଆଉ ଅବୀୟାମ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଥିଲା।
1KI 15:8 ପୁଣି, ଅବୀୟାମଙ୍କ ମୃତ୍ୟୁ ପରେ, ଲୋକମାନେ ତାହାଙ୍କୁ ଦାଉଦ-ନଗରରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆସା ତାହାଙ୍କ ପଦରେ ରାଜ୍ୟ କଲେ।
1KI 15:9 ଇସ୍ରାଏଲର ରାଜା ଯାରବୀୟାମଙ୍କର ରାଜତ୍ଵର କୋଡ଼ିଏ ବର୍ଷରେ ଆସା ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
1KI 15:10 ସେ ଯିରୂଶାଲମରେ ଏକଚାଳିଶ ବର୍ଷ ରାଜତ୍ୱ କଲେ, ଆଉ ତାଙ୍କର ମାତାମହୀର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା।
1KI 15:11 ପୁଣି, ଆସା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ।
1KI 15:12 ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ।
1KI 15:13 ମଧ୍ୟ ଆପଣା ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ଦେଲେ।
1KI 15:14 ମାତ୍ର ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଅନ୍ତଃକରଣ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା।
1KI 15:15 ପୁଣି, ସେ ଆପଣା ପିତାଙ୍କର ପ୍ରତିଷ୍ଠିତ, ଆପଣାର ପ୍ରତିଷ୍ଠିତ ରୂପା, ସୁନା ଓ ପାତ୍ରସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ।
1KI 15:16 ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କ ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା।
1KI 15:17 ଆଉ ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
1KI 15:18 ତହିଁରେ ଆସା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ, ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ ଓ ଆସା ରାଜା ହିଷୀୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍‍ହଦଦ୍‍ ନାମକ ଦମ୍ମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ,
1KI 15:19 “ମୋର ଓ ତୁମ୍ଭ ମଧ୍ୟରେ, ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟି ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।”
1KI 15:20 ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇୟୋନ୍‍, ଦାନ୍, ଆବେଲ୍‍-ବେଥ୍-ମାଖା, ସମୁଦାୟ କିନ୍ନେରତ୍‍ ଓ ନପ୍ତାଲିର ସମସ୍ତ ଦେଶ ପରାସ୍ତ କଲା।
1KI 15:21 ତହୁଁ ବାଶା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷାନ୍ତ ହୋଇ ତିର୍ସାରେ ବାସ କଲେ।
1KI 15:22 ତେବେ ଆସା ରାଜା ସମୁଦାୟ ଯିହୁଦା ନିକଟରେ ଘୋଷଣା କଲେ; କାହାକୁ ହିଁ ଛାଡ଼ିଲେ ନାହିଁ; ତହୁଁ ବାଶା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମା ନଗର ନିର୍ମାଣ କରିଥିଲେ, ତାହାସବୁ ସେମାନେ ବହି ନେଇଗଲେ। ତହିଁରେ ଆସା ରାଜା ବିନ୍ୟାମୀନ୍‍ର ଗେବା ଓ ମିସ୍ପା ନଗର ଦୃଢ଼ କଲେ।
1KI 15:23 ଏହି ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି, ଯେ ଯେ ନଗର ସେ ଦୃଢ଼ କରିଥିଲେ, ସେହି ସବୁ କଥା କି ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା।
1KI 15:24 ଏଥିଉତ୍ତାରେ ଆସାଙ୍କ ମୃତ୍ୟୁ ପରେ, ସେ ଆପଣା ପିତା ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ, ପୁଣି, ତାଙ୍କର ପୁତ୍ର ଯିହୋଶାଫଟ୍‍ ତାହାଙ୍କ ପଦରେ ରାଜ୍ୟ କଲେ।
1KI 15:25 ଯିହୁଦାର ଆସା ରାଜାଙ୍କର ରାଜତ୍ଵର ଦ୍ୱିତୀୟ ବର୍ଷରେ ଯାରବୀୟାମଙ୍କର ପୁତ୍ର ନାଦବ୍‍ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ।
1KI 15:26 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ସେହି ପାପରେ ଚାଲିଲେ।
1KI 15:27 ଏଥିଉତ୍ତାରେ ଇଷାଖର ବଂଶୀୟ ଅହୀୟର ପୁତ୍ର ବାଶା ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ପୁଣି, ବାଶା ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ନଗର ନିକଟରେ ତାଙ୍କୁ ବଧ କଲେ; କାରଣ ନାଦବ୍‍ ଓ ସମସ୍ତ ଇସ୍ରାଏଲ ସେସମୟରେ ଗିବ୍ବଥୋନ ଅବରୋଧ କରୁଥିଲେ।
1KI 15:28 ଯିହୁଦାର ଆସା ରାଜାଙ୍କ ରାଜତ୍ଵର ତୃତୀୟ ବର୍ଷରେ ବାଶା ନାଦବ୍‍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
1KI 15:29 ପୁଣି, ସେ ରାଜା ହେବାକ୍ଷଣେ ଯାରବୀୟାମଙ୍କର ସମୁଦାୟ ବଂଶକୁ ଉଚ୍ଛିନ୍ନ କଲେ; ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହୀୟ ହସ୍ତରେ ଯେଉଁ କଥା କହିଥିଲେ, ତଦନୁସାରେ ବାଶା ଯାରବୀୟାମଙ୍କର ଏକ ପ୍ରାଣୀକୁ ହିଁ ଅବଶିଷ୍ଟ ରଖିଲେ ନାହିଁ, ସମସ୍ତଙ୍କୁ ସଂହାର କଲେ।
1KI 15:30 କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ।
1KI 15:31 ଏହି ନାଦବ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସକଳ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 15:32 ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କର ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା।
1KI 15:33 ଯିହୁଦାର ଆସା ରାଜାଙ୍କର ରାଜତ୍ଵର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜତ୍ୱ କଲେ।
1KI 15:34 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଯାରବୀୟାମଙ୍କର ପଥରେ ଓ ଯଦ୍ଦ୍ୱାରା ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ଚାଲିଲେ।
1KI 16:1 ଏଥିଉତ୍ତାରେ ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନିର ପୁତ୍ର ଯେହୂଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
1KI 16:2 “ଯେପରି ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ; ମାତ୍ର ତୁମ୍ଭେ ଯାରବୀୟାମର ପଥରେ ଚାଲିଅଛ ଓ ଆପଣା ଲୋକ ଇସ୍ରାଏଲକୁ ପାପ କରାଇଅଛ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ;
1KI 16:3 ଦେଖ, ଆମ୍ଭେ ବାଶାକୁ ଓ ତାହାର ଗୃହକୁ ନିଃଶେଷ ରୂପେ ବିନାଶ କରିବା ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଯାରବୀୟାମର ଗୃହ ତୁଲ୍ୟ କରିବା।
1KI 16:4 ବାଶାର କେହି ନଗରରେ ମଲେ, କୁକ୍କୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାହାକୁ ଖାଇବେ।”
1KI 16:5 ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 16:6 ଏଥିଉତ୍ତାରେ ବାଶାଙ୍କ ମୃତ୍ୟୁ ପରେ, ସେ ତିର୍ସାରେ କବର ପାଇଲେ ଓ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜ୍ୟ କଲେ।
1KI 16:7 ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।
1KI 16:8 ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
1KI 16:9 ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ;
1KI 16:10 ଏପରି ସମୟରେ ସିମ୍ରି ଭିତରକୁ ଯାଇ ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
1KI 16:11 ପୁଣି, ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାଶାଙ୍କର ସମୁଦାୟ ବଂଶକୁ ସଂହାର କଲେ; ସେ ତାଙ୍କର କି ତାଙ୍କ ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଂସନ୍ତାନ ଅବଶିଷ୍ଟ ରଖିଲେ ନାହିଁ।
1KI 16:12 ଏହି ପ୍ରକାରେ ସଦାପ୍ରଭୁ ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ବାଶାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାଶାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ;
1KI 16:13 ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ।
1KI 16:14 ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 16:15 ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ।
1KI 16:16 ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ, ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି; ଏହେତୁ ସମସ୍ତ ଇସ୍ରାଏଲ ସେହି ଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
1KI 16:17 ତହୁଁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବ୍ବଥୋନରୁ ଯାତ୍ରା କରି ତିର୍ସା ଅବରୋଧ କଲେ।
1KI 16:18 ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ;
1KI 16:19 ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।
1KI 16:20 ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 16:21 ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।
1KI 16:22 ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗୀନତର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ; ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ।
1KI 16:23 ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ; ତିର୍ସାରେ ସେ ଛଅ ବର୍ଷ ରାଜ୍ୟ କଲେ।
1KI 16:24 ପୁଣି, ସେ ଦୁଇ ତାଳନ୍ତ ରୂପାରେ ଶେମରଠାରୁ ଶମିରୋଣ୍‍ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ଶେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ଶମରୀୟା ରଖିଲେ।
1KI 16:25 ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ।
1KI 16:26 କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ।
1KI 16:27 ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 16:28 ଅମ୍ରିଙ୍କ ମୃତ୍ୟୁ ପରେ, ସେ ଶମରୀୟାରେ କବରପ୍ରାପ୍ତ ହେଲେ; ପୁଣି, ତାଙ୍କର ପୁତ୍ର ଆହାବ ତାହାଙ୍କ ପଦରେ ରାଜ୍ୟ କଲେ।
1KI 16:29 ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କ ପୁତ୍ର ଆହାବ ଶମରୀୟାରେ ଇସ୍ରାଏଲ ଉପରେ ବାଇଶ ବର୍ଷ ରାଜ୍ୟ କଲେ।
1KI 16:30 ପୁଣି, ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ।
1KI 16:31 ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍‍ବାଲ ରାଜାର କନ୍ୟା ଈଷେବଲ୍‍କୁ ବିବାହ କଲେ ଓ ଯାଇ ବାଲ୍‍ର ସେବା କରି ତାହାକୁ ପ୍ରଣାମ କଲେ।
1KI 16:32 ଆଉ ସେ ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍‍ର ଗୃହରେ ବାଲ୍‍ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ।
1KI 16:33 ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ।
1KI 16:34 ତାଙ୍କର ସମୟରେ ବେଥେଲୀୟ ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ; ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦେଇ ଯାହା କହିଥିଲେ; ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ମୃତ୍ୟୁୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୂବର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।
1KI 17:1 ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିଶ୍‍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋʼ ବାକ୍ୟାନୁସାରେ ହେବ।”
1KI 17:2 ଏଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
1KI 17:3 ଯଥା, “ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟରେ ଆପଣାକୁ ଲୁଚାଅ।
1KI 17:4 ସେସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।”
1KI 17:5 ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟକୁ ଯାଇ ବାସ କଲେ।
1KI 17:6 ପୁଣି, କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି, ସନ୍ଧ୍ୟା ବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ; ଆଉ ସେ ନଦୀରୁ ପାନ କଲେ।
1KI 17:7 ପୁଣି, ଦେଶରେ ବୃଷ୍ଟି ନୋହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା।
1KI 17:8 ଏଥିଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
1KI 17:9 ଯଥା, “ଉଠ, ସୀଦୋନର ସାରିଫତ୍‍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।”
1KI 17:10 ତହିଁରେ ସେ ଉଠି ସାରିଫତ୍‍କୁ ଗଲେ ଓ ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଣ୍ଟୁଅଛି; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।”
1KI 17:11 ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋʼ ପାଇଁ ଖଣ୍ଡେ ରୁଟି ହାତରେ ଆଣ।”
1KI 17:12 ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋʼ ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋʼ ପାଇଁ ଓ ମୋʼ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।”
1KI 17:13 ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋʼ ପାଇଁ ଗୋଟିଏ ସାନ ପିଠା କରି ମୋʼ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର।
1KI 17:14 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।”
1KI 17:15 ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ।
1KI 17:16 ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ।
1KI 17:17 ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତ୍ରୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା; ପୁଣି, ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ, ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ।
1KI 17:18 ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋʼ ପୁତ୍ରକୁ ବଧ କରିବାକୁ ଆସିଅଛ!”
1KI 17:19 ତହୁଁ ଏଲୀୟ ତାହାକୁ କହିଲେ, “ମୋତେ ତୁମ୍ଭ ପୁତ୍ରକୁ ଦିଅ।” ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରିକୁ ଘେନିଯାଇ ଆପଣା ଶଯ୍ୟାରେ ତାହାକୁ ଶୁଆଇଲେ।
1KI 17:20 ପୁଣି, ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କʼଣ ଅମଙ୍ଗଳ ଘଟାଇଲ?”
1KI 17:21 ତହୁଁ ବାଳକ ଉପରେ ସେ ତିନି ଥର ଆପଣାକୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ।”
1KI 17:22 ଏଥିରେ ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ; ପୁଣି, ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ, ସେ ପୁନର୍ଜୀବିତ ହେଲା।
1KI 17:23 ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।”
1KI 17:24 ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।”
1KI 18:1 ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, “ତୁମ୍ଭେ ଯାଇ ଆହାବକୁ ଦେଖା ଦିଅ; ତହୁଁ ଆମ୍ଭେ ଭୂମିକୁ ବୃଷ୍ଟି ପଠାଇବା।”
1KI 18:2 ଏଥିରେ ଏଲୀୟ ଆହାବଙ୍କୁ ଦେଖା ଦେବା ପାଇଁ ଗମନ କଲେ। ସେହି ସମୟରେ ଶମରୀୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।
1KI 18:3 ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦୀୟକୁ ଡକାଇଲେ। (ସେହି ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା।
1KI 18:4 ପୁଣି, ଯେଉଁ ସମୟରେ ଈଷେବଲ୍‍ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକ ଶହ ଭବିଷ୍ୟଦ୍‍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା।)
1KI 18:5 ପୁଣି, ଆହାବ ଓବଦୀୟକୁ କହିଲେ, “ଦେଶ ମଧ୍ୟଦେଇ ସବୁ ଜଳ ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ; ହୋଇପାରେ, ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇ ପାରିବା, ତାହାହେଲେ ପଶୁମାନଙ୍କୁ ହରାଇବା ନାହିଁ।”
1KI 18:6 ତହୁଁ ସେମାନେ ସବୁଆଡ଼େ ଯିବା ପାଇଁ ଆପଣାମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ; ଆହାବ ଆପେ ଏକଆଡ଼େ ଗଲେ ଓ ଓବଦୀୟ ଆପେ ଅନ୍ୟଆଡ଼େ ଗଲା।
1KI 18:7 ଓବଦୀୟ ପଥରେ ଯାଉ ଯାଉ ଦେଖ, ଏଲୀୟ ତାହାକୁ ଭେଟିଲେ; ତହୁଁ ଓବଦୀୟ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, “ଆପଣ କʼଣ ମୋʼ ପ୍ରଭୁ ଏଲୀୟ?”
1KI 18:8 ତହିଁରେ ସେ ଉତ୍ତର କଲେ; “ହଁ, ମୁଁ; ଯାଅ, ତୁମ୍ଭ ପ୍ରଭୁକୁ କୁହ, ‘ଦେଖ, ଏଲୀୟ ଏଠାରେ ଅଛନ୍ତି।’”
1KI 18:9 ତହୁଁ ସେ କହିଲା, “ମୁଁ କିପରି ପାପ କରିଅଛି ଯେ, ଆପଣ ଆପଣା ଦାସଙ୍କୁ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରୁଅଛନ୍ତି?
1KI 18:10 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବିତ ଥିବା ପ୍ରମାଣେ କହୁଅଛି, ମୋʼ ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି, ଏପରି କୌଣସି ଗୋଷ୍ଠୀ କିମ୍ବା ରାଜ୍ୟ ନାହିଁ। ପୁଣି, ‘ସେ ଏଠାରେ ନାହିଁ’ ବୋଲି ସେମାନେ କହିଲେ, ସେ ସେହି ରାଜ୍ୟ ଓ ଗୋଷ୍ଠୀକୁ ଆପଣଙ୍କୁ ଦେଖି ନ ଥିବା ବିଷୟରେ ଶପଥ କରାଇଲେ।
1KI 18:11 ଏବେ ଆପଣ କହୁଅଛନ୍ତି, ‘ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି।’
1KI 18:12 ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ, ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ; ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି।
1KI 18:13 ଈଷେବଲ୍‍ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକ ଶତ ଭବିଷ୍ୟଦ୍‍ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କʼଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ?
1KI 18:14 ତଥାପି ଆପଣ ଏବେ କହୁଅଛନ୍ତି, ‘ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି;’ ତହିଁରେ ସେ ମୋତେ ବଧ କରିବେ।”
1KI 18:15 ତହୁଁ ଏଲୀୟ କହିଲେ, “ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖା ଦେବି।”
1KI 18:16 ଏଥିରେ ଓବଦୀୟ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା; ତହିଁରେ ଆହାବ ଏଲୀୟ ସହିତ ସାକ୍ଷାତ କରିବାକୁ ଗଲେ।
1KI 18:17 ପୁଣି, ଆହାବ ଏଲୀୟଙ୍କୁ ଦେଖିବାମାତ୍ର ଆହାବ ତାଙ୍କୁ କହିଲେ, “ହେ ଇସ୍ରାଏଲର ଦୁଃଖଦାୟକ, ଏ କʼଣ ତୁମ୍ଭେ?”
1KI 18:18 ତହୁଁ ସେ ଉତ୍ତର କଲେ, “ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍‍ ଦେବଗଣର ଅନୁଗାମୀ ହୋଇଅଛ।
1KI 18:19 ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍‍ର ମେଜରେ ଭୋଜନକାରୀ ବାଲ୍‍ର ଚାରି ଶହ ପଚାଶ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଆଶେରାର ଚାରି ଶହ ଭବିଷ୍ୟଦ୍‍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋʼ ନିକଟରେ ଏକତ୍ର କର।”
1KI 18:20 ତହିଁରେ ଆହାବ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ।
1KI 18:21 ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ।
1KI 18:22 ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, “ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍‍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍‍ର ଭବିଷ୍ୟଦ୍‍ବକ୍ତା ଚାରି ଶହ ପଚାଶ ଜଣ ଅଛନ୍ତି।
1KI 18:23 ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ।
1KI 18:24 ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ।” ଏଥିରେ ସମସ୍ତ ଲୋକ ଉତ୍ତର କଲେ, “ଏ କଥା ଉତ୍ତମ।”
1KI 18:25 ଏଥିଉତ୍ତାରେ ଏଲୀୟ ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ।”
1KI 18:26 ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍‍ ନାମରେ ଡାକି ପ୍ରାର୍ଥନା କରି କହିଲେ, “ହେ ବାଲ୍‍, ଆମ୍ଭମାନଙ୍କ କଥା ଶୁଣ।” ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ।
1KI 18:27 ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, “ଉଚ୍ଚସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ।”
1KI 18:28 ପୁଣି, ସେମାନେ ଉଚ୍ଚସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ।
1KI 18:29 ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ।
1KI 18:30 ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋʼ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ।
1KI 18:31 ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ।
1KI 18:32 ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ।
1KI 18:33 ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।”
1KI 18:34 ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ।
1KI 18:35 ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ।
1KI 18:36 ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୋ, ଅବ୍ରହାମର ଓ ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।”
1KI 18:37 ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋʼ କଥା ଶୁଣ, ହେ ସଦାପ୍ରଭୋ, ମୋʼ କଥା ଶୁଣ।
1KI 18:38 ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା।
1KI 18:39 ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”
1KI 18:40 ତହୁଁ ଏଲୀୟ ସେମାନଙ୍କୁ କହିଲେ, “ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍‍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।
1KI 18:41 ଏଥିଉତ୍ତାରେ ଏଲୀୟ ଆହାବଙ୍କୁ କହିଲେ, “ତୁମ୍ଭେ ଉଠିଯାଇ ଭୋଜନପାନ କର; କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି।”
1KI 18:42 ତହୁଁ ଆହାବ ଭୋଜନପାନ କରିବାକୁ ଉଠିଗଲେ। ପୁଣି, ଏଲୀୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଇଁପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ।
1KI 18:43 ପୁଣି, ସେ ଆପଣା ଦାସକୁ କହିଲେ, “ଉଠିଯାଇ ସମୁଦ୍ର ଆଡ଼େ ଅନାଅ।” ତହୁଁ ସେ ଉଠିଯାଇ ଅନାଇ କହିଲା, “କିଛି ନାହିଁ।” ଏଥିରେ ଏଲୀୟ କହିଲେ, “ପୁନର୍ବାର ସାତ ଥର ଯାଅ।”
1KI 18:44 ତହୁଁ ସେ ସପ୍ତମ ଥର କହିଲା, “ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି।” ଏଥିରେ ଏଲୀୟ କହିଲେ, “ଉଠିଯାଇ ଆହାବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ।”
1KI 18:45 ତହୁଁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା। ପୁଣି, ଆହାବ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ।
1KI 18:46 ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲୀୟଙ୍କ ଉପରେ ଅବସ୍ଥାନ କରନ୍ତେ, ସେ ଆପଣା କଟି ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କର ଆଗେ ଆଗେ ଦୌଡ଼ି ଗଲେ।
1KI 19:1 ଏଥିଉତ୍ତାରେ ଆହାବ ଏଲୀୟଙ୍କର କୃତ ସମସ୍ତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗରେ ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କୁ ବଧ କରିଥିଲେ, ତାହା ଈଷେବଲ୍‍କୁ ଜଣାଇଲେ।
1KI 19:2 ତହିଁରେ ଈଷେବଲ୍‍ ଏଲୀୟଙ୍କ ନିକଟକୁ ଦୂତ ପଠାଇ ଏହି କଥା କହିଲା, “ପ୍ରାୟ କାଲି ଏହି ସମୟକୁ ଯେବେ ମୁଁ ତୁମ୍ଭ ପ୍ରାଣକୁ ସେମାନଙ୍କ ଜଣକର ପ୍ରାଣ ତୁଲ୍ୟ ନ କରେ, ତେବେ ଦେବତାମାନେ ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
1KI 19:3 ତହୁଁ ଏଲୀୟ ଏହା ଦେଖି ଆପଣା ପ୍ରାଣ ସକାଶେ ଉଠିଯାଇ ଯିହୁଦାର ବେର୍‍ଶେବା ନଗରରେ ଉପସ୍ଥିତ ହେଲେ ଓ ସେଠାରେ ଆପଣା ଦାସକୁ ଛାଡ଼ିଲେ।
1KI 19:4 ମାତ୍ର ସେ ଆପେ ପ୍ରାନ୍ତର ଭିତରକୁ ଦିନକର ପଥ ଯାଇ ଏକ ରେତମବୃକ୍ଷ ମୂଳରେ ଉପସ୍ଥିତ ହୋଇ ବସିଲେ ଓ ଆପଣା ମୃତ୍ୟୁୁ-ପ୍ରାର୍ଥନା କରି କହିଲେ, “ଯଥେଷ୍ଟ ହେଲାଣି; ଏବେ ହେ ସଦାପ୍ରଭୋ, ମୋର ପ୍ରାଣ ନିଅ; କାରଣ ମୁଁ ଆପଣା ପୂର୍ବପୁରୁଷମାନଙ୍କଠାରୁ ଭଲ ନୁହେଁ।”
1KI 19:5 ତହୁଁ ସେ ରେତମବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ; ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର।”
1KI 19:6 ତହିଁରେ ସେ ଅନାନ୍ତେ, ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନପାନ କରି ପୁନର୍ବାର ଶୟନ କଲେ।
1KI 19:7 ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର; କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ।”
1KI 19:8 ତହୁଁ ସେ ଉଠି ଭୋଜନପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ।
1KI 19:9 ଆଉ ସେ ସେଠାସ୍ଥିତ ଏକ ଗହ୍ୱରରେ ଉପସ୍ଥିତ ହୋଇ ରାତ୍ରି କ୍ଷେପଣ କଲେ; ସେତେବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା ଓ ସେ ତାଙ୍କୁ କହିଲେ, “ଏଲୀୟ, ତୁମ୍ଭେ ଏଠାରେ କʼଣ କରୁଅଛ?”
1KI 19:10 ତହୁଁ ଏଲୀୟ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍‍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ ମୁଁ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋʼ ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
1KI 19:11 ଏଥିରେ ସେ କହିଲେ, “ତୁମ୍ଭେ ବାହାର ହୋଇ ଏହି ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୁଅ।” ଆଉ ଦେଖ, ସଦାପ୍ରଭୁ ନିକଟ ଦେଇ ଗମନ କଲେ, ତହିଁରେ ପ୍ରବଳ ଓ ପ୍ରଚଣ୍ଡ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣକୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ଡ ଖଣ୍ଡ କଲା; ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ; ପୁଣି, ବାୟୁ ଉତ୍ତାରେ ଭୂମିକମ୍ପ ହେଲା; ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ।
1KI 19:12 ଆଉ ଭୂମିକମ୍ପ ଉତ୍ତାରେ ଅଗ୍ନି ହେଲା; ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ; ପୁଣି, ଅଗ୍ନି ଉତ୍ତାରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
1KI 19:13 ତହୁଁ ଏଲୀୟ ତାହା ଶୁଣନ୍ତେ, ଆପଣା ବସ୍ତ୍ରରେ ମୁଖ ଆଚ୍ଛାଦନ କରି ବାହାରେ ଯାଇ ଗହ୍ୱର-ମୁଖ ନିକଟରେ ଠିଆ ହେଲେ। ତହିଁରେ ଦେଖ, ଏକ ରବ ତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, “ଏଲୀୟ, ତୁମ୍ଭେ ଏଠାରେ କଅଣ କରୁଅଛ?”
1KI 19:14 ତହୁଁ ସେ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍‍ଯୋଗୀ ହେଲି; କାରଣ ଇସ୍ରାଏଲ-ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭ ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋହର ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”
1KI 19:15 ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ଆପଣା ପଥରେ ଫେରି ଦମ୍ମେଶକ ପ୍ରାନ୍ତରକୁ ଯାଅ; ଆଉ ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ହସାୟେଲକୁ ଅରାମ ଉପରେ ରାଜାଭିଷିକ୍ତ କର;
1KI 19:16 ଆଉ ନିମ୍‍ଶିର ପୁତ୍ର ଯେହୂଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର; ଆଉ ଆବେଲ୍‍-ମହୋଲା ନିବାସୀ ଶାଫଟ୍‍ର ପୁତ୍ର ଇଲୀଶାୟଙ୍କୁ ତୁମ୍ଭ ପଦରେ ଭବିଷ୍ୟଦ୍‍ବକ୍ତା କରି ଅଭିଷେକ କର।
1KI 19:17 ତହିଁରେ ଯେଉଁ ଲୋକ ହସାୟେଲର ଖଡ୍ଗରୁ ବଞ୍ଚିବ, ଯେହୂ ତାହାଙ୍କୁ ବଧ କରିବ ଓ ଯେ ଯେହୂର ଖଡ୍ଗରୁ ବଞ୍ଚିବ, ତାହାକୁ ଇଲୀଶାୟ ବଧ କରିବ।
1KI 19:18 ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ଆପଣା ପାଇଁ ସାତ ସହସ୍ର ଲୋକ ଅବଶିଷ୍ଟ ରଖିବା, ଯେଉଁମାନଙ୍କର ଆଣ୍ଠୁ ବାଲ୍‍ ସମ୍ମୁଖରେ ନତ ହୋଇ ନାହିଁ ଓ ଯେଉଁମାନଙ୍କର ମୁଖ ତାହାକୁ ଚୁମ୍ବନ କରି ନାହିଁ।”
1KI 19:19 ଏଥିରେ ଏଲୀୟ ଏଠାରୁ ପ୍ରସ୍ଥାନ କରି ଶାଫଟ୍‍ର ପୁତ୍ର ଇଲୀଶାୟଙ୍କର ସନ୍ଧାନ ପାଇଲେ। ସେସମୟରେ ସେ ହଳ ବୁଲାଉଥିଲେ, ତାଙ୍କ ଆଗରେ ବାର ହଳ ବଳଦ ଥିଲେ, ପୁଣି, ସେ ଦ୍ୱାଦଶ ହଳରେ ଥିଲେ; ତହିଁରେ ଏଲୀୟ ତାଙ୍କ ନିକଟକୁ ଯାଇ ଆପଣା ବସ୍ତ୍ର ତାଙ୍କ ଉପରେ ପକାଇଲେ।
1KI 19:20 ତହିଁରେ ସେ ବଳଦ ଛାଡ଼ି ଏଲୀୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତ୍ତାରେ ମୁଁ ଆପଣଙ୍କ ପଛେ ଯିବି।” ତହୁଁ ଏଲୀୟ ତାଙ୍କୁ କହିଲେ, “ଫେରିଯାଅ; କିନ୍ତୁ ଚିନ୍ତା କର ଆମ୍ଭେ ତୁମ୍ଭର କଅଣ କଲୁ।”
1KI 19:21 ତହିଁରେ ସେ ତାଙ୍କ ପଶ୍ଚାତ୍‍ଗମନରୁ ଫେରିଗଲେ ଓ ସେହି ବଳଦ ହଳକ ନେଇ ବଧ କରି ଯୁଆଳି କାଠରେ ସେହି ମାଂସ ସିଦ୍ଧ କରି ଲୋକମାନଙ୍କୁ ଦିଅନ୍ତେ, ସେମାନେ ଭୋଜନ କଲେ। ତହୁଁ ସେ ଉଠି ଏଲୀୟଙ୍କର ପଶ୍ଚାତ୍‍ଗମନ କରି ତାଙ୍କର ପରିଚର୍ଯ୍ୟା କଲେ।
1KI 20:1 ଏଥିଉତ୍ତାରେ ଅରାମର ରାଜା ବିନ୍‍ହଦଦ୍‍ ଆପଣାର ସମସ୍ତ ସୈନ୍ୟ ଏକତ୍ର କଲା; ପୁଣି, ତାହା ସଙ୍ଗେ ବତିଶ ରାଜା, ଆଉ ଅଶ୍ୱ ଓ ରଥମାନ ଥିଲେ; ପୁଣି, ସେ ଯାଇ ଶମରୀୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲା।
1KI 20:2 ଆଉ ନଗର ମଧ୍ୟକୁ ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଦୂତଗଣ ପଠାଇ ତାଙ୍କୁ କହିଲା, “ବିନ୍‍ହଦଦ୍‍ ଏହି କଥା କହନ୍ତି,
1KI 20:3 ‘ତୁମ୍ଭର ରୂପା ଓ ତୁମ୍ଭର ସୁନା ମୋହର ଅଟେ, ତୁମ୍ଭର ଭାର୍ଯ୍ୟା ଓ ତୁମ୍ଭର ସନ୍ତାନମାନେ, ମଧ୍ୟ ସର୍ବୋତ୍ତମ ଯେତେ, ମୋହର ଅଟନ୍ତି।’”
1KI 20:4 ଏଥିରେ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ହିଁ ଆପଣଙ୍କର।”
1KI 20:5 ଏଉତ୍ତାରେ ଦୂତମାନେ ପୁନର୍ବାର ଆସି କହିଲେ, “ବିନ୍‍ହଦଦ୍‍ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ରୂପା, ଆପଣା ସୁନା, ଆପଣା ଭାର୍ଯ୍ୟା ଓ ଆପଣା ସନ୍ତାନମାନଙ୍କୁ ମୋʼ ହସ୍ତରେ ସମର୍ପଣ କର ବୋଲି ମୁଁ ତୁମ୍ଭକୁ କହି ପଠାଇଲି;
1KI 20:6 ମାତ୍ର କାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ଆପଣା ଦାସମାନଙ୍କୁ ପଠାଇବି, ଆଉ ସେମାନେ ତୁମ୍ଭ ଗୃହ ଓ ତୁମ୍ଭ ଦାସମାନଙ୍କ ଗୃହ ଅନୁସନ୍ଧାନ କରିବେ; ପୁଣି, ତୁମ୍ଭ ଦୃଷ୍ଟିରେ ଯାହା ଯାହା ମନୋହର, ତାହାସବୁ ସେମାନେ ହାତରେ ଧରି ନେଇଯିବେ।’”
1KI 20:7 ତେବେ ଇସ୍ରାଏଲର ରାଜା ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ବିଚାର କରି ଦେଖ, ଏ ଲୋକ କିପରି ଅନିଷ୍ଟ ଚେଷ୍ଟା କରୁଅଛି; କାରଣ ସେ ମୋʼ ଭାର୍ଯ୍ୟା ଓ ସନ୍ତାନଗଣ ପାଇଁ, ପୁଣି, ମୋହର ରୂପା ଓ ସୁନା ପାଇଁ ଲୋକ ପଠାନ୍ତେ, ମୁଁ ତାହାକୁ ମନା କଲି ନାହିଁ।”
1KI 20:8 ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମୁଦାୟ ଲୋକ ତାଙ୍କୁ କହିଲେ, “ଆପଣ ତାହାର କଥାରେ କର୍ଣ୍ଣ ନ ଦେଉନ୍ତୁ, ଅବା ସମ୍ମତ ନ ହେଉନ୍ତୁ।”
1KI 20:9 ଏହେତୁ ସେ ବିନ୍‍ହଦଦ୍‍ର ଦୂତମାନଙ୍କୁ କହିଲେ, “ମୋହର ପ୍ରଭୁ ମହାରାଜଙ୍କୁ କୁହ, ଆପଣ ପ୍ରଥମେ ଆପଣା ଦାସ ନିକଟକୁ ଯହିଁ ପାଇଁ ପଠାଇଥିଲେ, ସେସବୁ ମୁଁ କରିବି; ମାତ୍ର ଏହି କାର୍ଯ୍ୟ ମୁଁ କରି ପାରିବି ନାହିଁ।” ତହୁଁ ଦୂତମାନେ ପ୍ରସ୍ଥାନ କରି ତାହାକୁ ସମ୍ବାଦ ଦେଲେ।
1KI 20:10 ଏଉତ୍ତାରେ ବିନ୍‍ହଦଦ୍‍ ତାଙ୍କ ନିକଟକୁ ଲୋକ ପଠାଇ କହିଲା, “ଯେବେ ଶମରୀୟାର ଧୂଳି ମୋʼ ପଶ୍ଚାତ୍‍ଗାମୀ ସମସ୍ତ ଲୋକଙ୍କ ପୂର୍ଣ୍ଣ ମୁଷ୍ଟି ନିମନ୍ତେ ଯଥେଷ୍ଟ ହୁଏ, ତେବେ ଦେବତାମାନେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”
1KI 20:11 ତହୁଁ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ତାହାକୁ କୁହ, ଯେ ସଜ୍ଜା ପରିଧାନ କରେ, ସେ ସଜ୍ଜା ତ୍ୟାଗ କରିବା ଲୋକ ତୁଲ୍ୟ ଦର୍ପ ନ କରୁ।”
1KI 20:12 ବିନ୍‍ହଦଦ୍‍ ଓ ରାଜାମାନେ କୁଟୀରରେ ପାନ କରୁଥିବା ସମୟରେ ସେ ଏହି ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲା, “ଆପଣାମାନଙ୍କୁ ସଜାଅ।” ତହୁଁ ସେମାନେ ନଗର ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ।
1KI 20:13 ଏଥିମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ।’”
1KI 20:14 ତହିଁରେ ଆହାବ ପଚାରିଲେ, “କାହା ଦ୍ୱାରା?” ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ?” ତହିଁରେ ସେ ଉତ୍ତର କଲେ, “ତୁମ୍ଭେ।”
1KI 20:15 ତହୁଁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କୁ ଗଣନା କଲେ, ସେମାନେ ଦୁଇ ଶହ ବତିଶ ଜଣ ହେଲେ, ପୁଣି, ସେମାନଙ୍କ ଉତ୍ତାରେ ସମୁଦାୟ ଲୋକଙ୍କୁ, ଅର୍ଥାତ୍‍, ସମଗ୍ର ଇସ୍ରାଏଲ-ସନ୍ତାନଙ୍କୁ ଗଣନା କରନ୍ତେ, ସାତ ସହସ୍ର ଜଣ ହେଲେ।
1KI 20:16 ଏଉତ୍ତାରେ ସେମାନେ ମଧ୍ୟାହ୍ନ କାଳରେ ବାହାରିଲେ। ମାତ୍ର ବିନ୍‍ହଦଦ୍‍ ଓ ତାହାର ସାହାଯ୍ୟକାରୀ ବତିଶ ଜଣ ରାଜା କୁଟୀରରେ ପାନ କରି ମତ୍ତ ହେଉଥିଲେ।
1KI 20:17 ଏହି ସମୟରେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକେ ପ୍ରଥମେ ବାହାରିଲେ; ତହିଁରେ ବିନ୍‍ହଦଦ୍‍ ଲୋକ ପଠାନ୍ତେ, ସେମାନେ ତାହାକୁ ସମ୍ବାଦ ଦେଇ କହିଲେ, “ଶମରୀୟାରୁ ଲୋକେ ଆସିଅଛନ୍ତି।”
1KI 20:18 ତହୁଁ ସେ କହିଲା, “ସେମାନେ ସନ୍ଧି ପାଇଁ ଆସିଥିଲେ, ସେମାନଙ୍କୁ ଜୀବିତ ଧର, ପୁଣି, ଯୁଦ୍ଧ ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଜୀବିତ ଧର।”
1KI 20:19 ଏଥିମଧ୍ୟରେ ପ୍ରଦେଶର ଅଧିପତିମାନଙ୍କ ସେହି ଯୁବାମାନେ ଓ ସେମାନଙ୍କ ପଶ୍ଚାତ୍‍ଗାମୀ ସୈନ୍ୟଦଳ ନଗରରୁ ବାହାରିଲେ।
1KI 20:20 ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିଯୋଦ୍ଧାକୁ ବଧ କଲେ; ତହିଁରେ ଅରାମୀୟମାନେ ପଳାଇଲେ ଓ ଇସ୍ରାଏଲ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ପୁଣି, ଅରାମର ରାଜା ବିନ୍‍ହଦଦ୍‍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ଆରୋହଣ କରି ରକ୍ଷା ପାଇଲା।
1KI 20:21 ଏଥିରେ ଇସ୍ରାଏଲର ରାଜା ବାହାରକୁ ଯାଇ ଅଶ୍ୱ ଓ ରଥସକଳ ଆଘାତ କଲେ ଓ ଅରାମୀୟମାନଙ୍କୁ ମହାସଂହାରରେ ବଧ କଲେ।
1KI 20:22 ଏଉତ୍ତାରେ ସେହି ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଯାଅ, ଆପଣାକୁ ସବଳ କର ଓ ଯାହା କରୁଅଛ, ତାହା ବିଚାର କରି ଦେଖ; କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ୍ଭ ବିରୁଦ୍ଧରେ ଆସିବ।”
1KI 20:23 ଏଥିଉତ୍ତାରେ ଅରାମ-ରାଜାର ଦାସମାନେ ତାହାକୁ କହିଲେ, “ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି; ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ ହେଲେ; ମାତ୍ର ଆମ୍ଭେମାନେ ଯଦି ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚୟ ଅଧିକ ବଳବାନ ହେବା।
1KI 20:24 ଏଣୁ ଏହି କାର୍ଯ୍ୟ କରନ୍ତୁ; ରାଜାମାନଙ୍କର ପ୍ରତି ଜଣକୁ ଆପଣା ଆପଣା ସ୍ଥାନରୁ କାଢ଼ି ଦେଉନ୍ତୁ ଓ ସେମାନଙ୍କ ସ୍ଥାନରେ ସେନାପତିମାନଙ୍କୁ ରଖନ୍ତୁ;
1KI 20:25 ଆଉ ଆପଣ ଯେଉଁ ସୈନ୍ୟ ହରାଇଅଛନ୍ତି, ତାହାରି ପରି ସୈନ୍ୟ ଓ ଅଶ୍ୱ ବଦଳେ ଅଶ୍ୱ ଓ ରଥ ବଦଳେ ରଥ ସଂଗ୍ରହ କରନ୍ତୁ; ତହୁଁ ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା, ଆଉ ନିଶ୍ଚୟ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ବଳବାନ ହେବା।” ଏଥିରେ ରାଜା ସେମାନଙ୍କ କଥା ଶୁଣି ସେହିରୂପ କଲା।
1KI 20:26 ଏଥିଉତ୍ତାରେ ପର ବର୍ଷ ଉପସ୍ଥିତ ହୁଅନ୍ତେ, ବିନ୍‍ହଦଦ୍‍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକକୁ ଗଲା।
1KI 20:27 ତହିଁରେ ଇସ୍ରାଏଲ-ସନ୍ତାନଗଣ ଗଣିତ ହୋଇ ଖାଦ୍ୟ-ଦ୍ରବ୍ୟାଦି ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ପୁଣି, ଇସ୍ରାଏଲ ସନ୍ତାନମାନେ ଦୁଇ କ୍ଷୁଦ୍ର ଛାଗପଲ ପରି ସେମାନଙ୍କ ସମ୍ମୁଖରେ ଛାଉଣି ସ୍ଥାପନ କଲେ; ମାତ୍ର ଅରାମୀୟ ଲୋକମାନେ ଦେଶଯାକ ବ୍ୟାପିଲେ।
1KI 20:28 ତହିଁରେ ପରମେଶ୍ୱରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଅରାମୀୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା, ମାତ୍ର ତଳଭୂମିର ଦେବତା ନୁହନ୍ତି; ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜ୍ଞାତ ହେବ।’”
1KI 20:29 ପୁଣି, ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁଁ ସପ୍ତମ ଦିନରେ ଯୁଦ୍ଧ ସଂଘଟନ ହେଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ଏକ ଦିନରେ ଅରାମୀୟମାନଙ୍କର ଏକ ଲକ୍ଷ ପଦାତିକ ସୈନ୍ୟ ବଧ କଲେ।
1KI 20:30 ମାତ୍ର ଅବଶିଷ୍ଟ ସମସ୍ତେ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ; ଆଉ ଅବଶିଷ୍ଟ ସତାଇଶ ହଜାର ଲୋକଙ୍କ ଉପରେ ପାଚେରୀ ପଡ଼ିଲା। ପୁଣି, ବିନ୍‍ହଦଦ୍‍ ପଳାଇ ନଗରରେ ପ୍ରବେଶ କରି ଗୋଟିଏ ଭିତର କୋଠରିକୁ ଗଲା।
1KI 20:31 ଏଥିରେ ତାହାର ଦାସମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ଶୁଣିଅଛୁ ଯେ, ଇସ୍ରାଏଲ ବଂଶୀୟ ରାଜାମାନେ ଦୟାଳୁ ଅଟନ୍ତି; ଆମ୍ଭେମାନେ ଆପଣଙ୍କୁ ବିନୟ କରୁଅଛୁ, ଆସନ୍ତୁ, ଆମ୍ଭେମାନେ କଟିରେ ଅଖା ପିନ୍ଧି ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଉ; କେଜାଣି ସେ ଆପଣଙ୍କ ପ୍ରାଣ ବଞ୍ଚାଇବେ।”
1KI 20:32 ତହୁଁ ସେମାନେ କଟିରେ ଅଖା ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ଆପଣଙ୍କ ଦାସ ବିନ୍‍ହଦଦ୍‍ କହୁଅଛି, ‘ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ବଞ୍ଚାଉନ୍ତୁ।’” ଏଥିରେ ସେ କହିଲେ, “ସେ କʼଣ ଏଯାଏ ବଞ୍ଚିଅଛି? ସେ ତ ମୋହର ଭାଇ।”
1KI 20:33 ସେତେବେଳେ ସେହି ଲୋକମାନେ ଯତ୍ନପୂର୍ବକ ନିରୀକ୍ଷଣ କରି ତାହାର ମନ ସେପରି କି ନାହିଁ, ଏହା ଧରିବାକୁ ଚଞ୍ଚଳ ହେଲେ; ଆଉ ସେମାନେ କହିଲେ, “ଆପଣଙ୍କ ଭ୍ରାତା ବିନ୍‍ହଦଦ୍‍।” ତେବେ ସେ କହିଲେ, “ତୁମ୍ଭେମାନେ ଯାଇ ତାହାକୁ ଆଣ।” ତହୁଁ ବିନ୍‍ହଦଦ୍‍ ତାଙ୍କ ନିକଟକୁ ଆସନ୍ତେ, ସେ ତାହାକୁ ରଥ ଉପରକୁ ଅଣାଇଲେ।
1KI 20:34 ସେତେବେଳେ ବିନ୍‍ହଦଦ୍‍ ତାଙ୍କୁ କହିଲା, “ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋʼ ପିତା ଶମରୀୟାରେ ନଗରଗୁଡ଼ିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।
1KI 20:35 ଏଥିଉତ୍ତାରେ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ କେହି ଜଣେ ସଦାପ୍ରଭୁଙ୍କ ବାକ୍ୟରେ ଆପଣା ସଙ୍ଗୀକୁ କହିଲା, “ମୁଁ ବିନୟ କରୁଅଛି; ମୋତେ ମାର।” ମାତ୍ର ସେ ଲୋକ ତାକୁ ମାରିବା ପାଇଁ ମନା କଲା।
1KI 20:36 ତହୁଁ ସେ ତାହାକୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ମାନିଲ ନାହିଁ, ଏହେତୁ ଦେଖ, ତୁମ୍ଭେ ମୋʼ ନିକଟରୁ ପ୍ରସ୍ଥାନ କଲାକ୍ଷଣେ ସିଂହ ତୁମ୍ଭକୁ ବଧ କରିବ।” ଏଥିଉତ୍ତାରେ ସେ ପ୍ରସ୍ଥାନ କଲାକ୍ଷଣେ ସିଂହ ତାହାକୁ ଭେଟି ବଧ କଲା।
1KI 20:37 ପୁଣି, ସେ ଆଉ ଏକ ମନୁଷ୍ୟକୁ ଭେଟି କହିଲା, “ବିନୟ କରୁଅଛି, ମୋତେ ମାର।” ତହୁଁ ସେ ଲୋକ ତାହାକୁ ମାରିଲା ଓ ମାରି ମାରି ତାହାକୁ କ୍ଷତବିକ୍ଷତ କଲା।
1KI 20:38 ଏଥିରେ ଭବିଷ୍ୟଦ୍‍ବକ୍ତା ପ୍ରସ୍ଥାନ କରି ପଥରେ ରାଜାଙ୍କ ଅପେକ୍ଷାରେ ରହିଲା ଓ ଆପଣା ଚକ୍ଷୁ ଉପରେ ପାଗ ବାନ୍ଧି ଛଦ୍ମବେଶ ଧରିଲା।
1KI 20:39 ତହୁଁ ରାଜା ନିକଟ ଦେଇ ଯିବା ବେଳେ ସେ ଡାକ ପକାଇ ରାଜାଙ୍କୁ କହିଲା; “ଆପଣଙ୍କ ଦାସ ବାହାରି ଯୁଦ୍ଧ ମଧ୍ୟକୁ ଯାଇଥିଲା; ଆଉ ଦେଖନ୍ତୁ, ଜଣେ ମନୁଷ୍ୟ ମୋʼ ପାଖକୁ ଫେରି ଏକ ଲୋକକୁ ଆଣି କହିଲା, ‘ଏ ଲୋକକୁ ରଖ; ଯେବେ କୌଣସି ରୂପେ ତାହାର ସନ୍ଧାନ ନ ମିଳେ, ତେବେ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ, ନୋହିଲେ ତୁମ୍ଭେ ଏକ ତାଳନ୍ତ ରୂପା ଦେବ।’
1KI 20:40 ମାତ୍ର ଆପଣଙ୍କ ଦାସ ଏଣେତେଣେ କାର୍ଯ୍ୟରେ ବ୍ୟସ୍ତ ହେବା ବେଳେ ସେ ଚାଲିଗଲା।” ତହିଁରେ ଇସ୍ରାଏଲର ରାଜା ତାହାକୁ କହିଲେ, “ତୁମ୍ଭର ସେହି ପ୍ରକାର ଦଣ୍ଡ ହେବ; ତୁମ୍ଭେ ଆପେ ତାହା ନିଷ୍ପତ୍ତି କରିଅଛ।”
1KI 20:41 ଏଉତ୍ତାରେ ସେ ଶୀଘ୍ର ଆପଣା ଚକ୍ଷୁରୁ ପାଗ କାଢ଼ି ପକାଇଲା; ତହୁଁ ସେ ଯେ ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ, ଏହା ଇସ୍ରାଏଲର ରାଜା ଚିହ୍ନିଲେ।
1KI 20:42 ପୁଣି, ଭବିଷ୍ୟଦ୍‍ବକ୍ତା ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ନିଯୁକ୍ତ କରିଥିଲୁ, ତୁମ୍ଭେ ତାହାକୁ ଆପଣା ହସ୍ତରୁ ଛାଡ଼ି ଦେଇଅଛ, ‘ଏହେତୁ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ ଓ ତାହାର ଲୋକଙ୍କ ବଦଳେ ତୁମ୍ଭ ଲୋକମାନେ ଯିବେ।’”
1KI 20:43 ତହୁଁ ଇସ୍ରାଏଲର ରାଜା ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ।
1KI 21:1 ଏଉତ୍ତାରେ ଏହିପରି ଘଟିଲା; ଯିଷ୍ରିୟେଲରେ ଶମରୀୟାର ରାଜା ଆହାବଙ୍କର ଅଟ୍ଟାଳିକା ସନ୍ନିକଟରେ ଯିଷ୍ରିୟେଲୀୟ ନାବୋତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା।
1KI 21:2 ଏଣୁ ଆହାବ ନାବୋତକୁ କହିଲେ, “ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋʼ ଗୃହ ନିକଟରେ ଅଛି; ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁରୁ ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ଯଦି ତୁମ୍ଭକୁ ଭଲ ଦେଖାଯାଏ, ମୁଁ ରୂପା-ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି।”
1KI 21:3 ଏଥିରେ ନାବୋତ ଆହାବଙ୍କୁ କହିଲା, “ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି, ଏହା ସଦାପ୍ରଭୁ ନ କରନ୍ତୁ।”
1KI 21:4 ତହୁଁ ଆହାବ ଯିଷ୍ରିୟେଲୀୟ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ; କାରଣ ନାବୋତ କହିଥିଲା ଯେ, “ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ।” ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ।
1KI 21:5 ମାତ୍ର ତାଙ୍କ ଭାର୍ଯ୍ୟା ଈଷେବଲ୍‍ ତାଙ୍କ ନିକଟକୁ ଆସି କହିଲା, “ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ, ତୁମ୍ଭେ ଭୋଜନ କରୁ ନାହଁ?”
1KI 21:6 ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”
1KI 21:7 ତହୁଁ ତାଙ୍କର ଭାର୍ଯ୍ୟା ଈଷେବଲ୍‍ ତାଙ୍କୁ କହିଲା, “ତୁମ୍ଭେ କʼଣ ଏବେ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁ ନାହଁ? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ; ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”
1KI 21:8 ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା।
1KI 21:9 ପୁଣି, ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା, ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବୋତକୁ ଉଚ୍ଚସ୍ଥାନରେ ବସାଅ;
1KI 21:10 ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।
1KI 21:11 ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍‍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍‍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ।
1KI 21:12 ସେମାନେ ଉପବାସର ଘୋଷଣା କଲେ ଓ ନାବୋତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ।
1KI 21:13 ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ।
1KI 21:14 ତହିଁ ଉତ୍ତାରେ ସେମାନେ ଈଷେବଲ୍‍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି।
1KI 21:15 ଏଥିରେ ଈଷେବଲ୍‍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍‍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।”
1KI 21:16 ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।
1KI 21:17 ଏଥିଉତ୍ତାରେ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
1KI 21:18 ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି।
1KI 21:19 ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”
1KI 21:20 ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କʼଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରି କରିଅଛ।
1KI 21:21 ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି।
1KI 21:22 ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି।
1KI 21:23 ଆଉ ଈଷେବଲ୍‍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍‍କୁ ଖାଇବେ।”
1KI 21:24 ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ।
1KI 21:25 ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।
1KI 21:26 ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ।
1KI 21:27 ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ।
1KI 21:28 ତହୁଁ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
1KI 21:29 ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, “ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ; ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।”
1KI 22:1 ଏଥିଉତ୍ତାରେ ଅରାମ ଓ ଇସ୍ରାଏଲ ଯୁଦ୍ଧ ନ କରି ତିନି ବର୍ଷ ପର୍ଯ୍ୟନ୍ତ କ୍ଷାନ୍ତ ରହିଲେ।
1KI 22:2 ତହୁଁ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ନିକଟକୁ ଆସିଲେ।
1KI 22:3 ଏଥିରେ ଇସ୍ରାଏଲର ରାଜା ଆପଣା ଦାସମାନଙ୍କୁ କହିଲେ, “ରାମୋତ୍‍-ଗିଲୀୟଦ ଯେ ଆମ୍ଭମାନଙ୍କର ଅଟେ, ଏହା କʼଣ ତୁମ୍ଭେମାନେ ଜାଣ ନାହିଁ? ତଥାପି ଆମ୍ଭେମାନେ ନୀରବ ହୋଇ ରହି ଅରାମର ରାଜା ହସ୍ତରୁ ତାହା ନେଉ ନାହୁଁ।”
1KI 22:4 ପୁଣି, ସେ ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କʼଣ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ?” ତହିଁରେ ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ; “ମୁଁ ତୁମ୍ଭ ପରି, ମୋର ଲୋକ ତୁମ୍ଭ ଲୋକ ପରି, ମୋର ଅଶ୍ୱ ତୁମ୍ଭ ଅଶ୍ୱ ପରି।”
1KI 22:5 ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
1KI 22:6 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଊଣାଧିକ ଚାରି ଶହ ଲୋକ ଏକତ୍ର କରି ସେମାନଙ୍କୁ ପଚାରିଲେ, “ମୁଁ ରାମୋତ୍‍-ଗିଲୀୟଦ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବି କି କ୍ଷାନ୍ତ ହେବି?” ତହୁଁ ସେମାନେ କହିଲେ, “ଯାଉନ୍ତୁ; କାରଣ ପ୍ରଭୁ ମହାରାଜାଙ୍କ ହସ୍ତରେ ତାହା ସମର୍ପଣ କରିବେ।”
1KI 22:7 ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ବ୍ୟତୀତ ଯାହାକୁ ଆମ୍ଭେମାନେ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କି କେହି ଏଠାରେ ନାହିଁ?”
1KI 22:8 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛନ୍ତି, ଯାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ, ସେ ଇମ୍ଲର ପୁତ୍ର ମୀଖାୟ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ ନାହିଁ।” ତହୁଁ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।”
1KI 22:9 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
1KI 22:10 ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣାମାନଙ୍କ ରାଜବସ୍ତ୍ର ପିନ୍ଧି ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ମେଲାରେ ଆପଣା ଆପଣା ସିଂହାସନରେ ବସିଥିଲେ; ଆଉ ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବକ୍ତା ସମସ୍ତେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ।
1KI 22:11 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”
1KI 22:12 ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଇ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”
1KI 22:13 ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ମୁଁ ବିନୟ କରୁଅଛି, ତୁମ୍ଭର ବାକ୍ୟ ସେମାନଙ୍କର ଜଣକର ବାକ୍ୟ ତୁଲ୍ୟ ହେଉ, ଆଉ ତୁମ୍ଭେ ମଙ୍ଗଳର କଥା କୁହ।”
1KI 22:14 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ମୋତେ ଯାହା କହିବେ, ମୁଁ ତାହା ହିଁ କହିବି।”
1KI 22:15 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା କି କ୍ଷାନ୍ତ ହେବା?” ତହିଁରେ ସେ ଉତ୍ତର କଲା, “ଯାଉନ୍ତୁ, କୃତକାର୍ଯ୍ୟ ହେଉନ୍ତୁ; ସଦାପ୍ରଭୁ ତାହା ମହାରାଜଙ୍କ ହସ୍ତରେ ସମର୍ପଣ କରିବେ।”
1KI 22:16 ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?”
1KI 22:17 ଏଥିରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ଏମାନଙ୍କର କର୍ତ୍ତା ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।’”
1KI 22:18 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ଆମ୍ଭ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହିଲି ନାହିଁ?”
1KI 22:19 ପୁଣି, ମୀଖାୟ କହିଲା, “ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟଙ୍କୁ ଉଭା ହେବାର ଦେଖିଲି।
1KI 22:20 ତହିଁରେ ସଦାପ୍ରଭୁ କହିଲେ, ‘ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସଲାଇବ?’ ତହିଁରେ ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର କହିଲେ।
1KI 22:21 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସଲାଇବି।’
1KI 22:22 ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’ ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି।’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’
1KI 22:23 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
1KI 22:24 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?”
1KI 22:25 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକି ଯିବ, ସେହି ଦିନ ତାହା ଜାଣିବ।”
1KI 22:26 ପୁଣି, ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ନଗରାଧ୍ୟକ୍ଷ ଆମୋନ୍‍ର ଓ ରାଜପୁତ୍ର ଯୋୟାଶ୍‍ର ନିକଟକୁ ଫେରାଇ ନେଇଯାଅ;
1KI 22:27 ପୁଣି, କୁହ, ‘ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାକୁ କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ।’”
1KI 22:28 ତହିଁରେ ମୀଖାୟ କହିଲା, “ଯଦି ତୁମ୍ଭେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
1KI 22:29 ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ।
1KI 22:30 ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ଆଉ ଇସ୍ରାଏଲର ରାଜା ଛଦ୍ମବେଶ ଧରି ଯୁଦ୍ଧକୁ ଗଲେ।”
1KI 22:31 ମାତ୍ର ଅରାମର ରାଜା ଆପଣାର ବତିଶ ରଥାଧ୍ୟକ୍ଷଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
1KI 22:32 ଏହେତୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, “ଏ ଅବଶ୍ୟ ଇସ୍ରାଏଲର ରାଜା; ଆଉ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ତହିଁରେ ଯିହୋଶାଫଟ୍‍ ଡାକ ପକାଇଲେ।”
1KI 22:33 ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ ଫେରିଗଲେ।
1KI 22:34 ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲ ରାଜାଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”
1KI 22:35 ସେଦିନ ଯୁଦ୍ଧ ପ୍ରବଳ ହେଲା; ପୁଣି, ଲୋକମାନେ ଅରାମୀୟମାନଙ୍କ ସମ୍ମୁଖରେ ରାଜାଙ୍କୁ ତାଙ୍କର ରଥରେ ଠିଆ କରି ରଖିଲେ, ଆଉ ସେ ସନ୍ଧ୍ୟା ବେଳେ ମଲେ; ପୁଣି, ତାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା।
1KI 22:36 “ଆଉ ପ୍ରତ୍ୟେକେ ଆପଣା ନଗରକୁ ଓ ଆପଣା ଦେଶକୁ ଯାଅ,” ଏହି ଡାକ ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସୈନ୍ୟମାନଙ୍କର ସର୍ବତ୍ର ବ୍ୟାପିଗଲା।
1KI 22:37 ଏହିରୂପେ ରାଜା ମଲେ ଓ ଶମରୀୟାକୁ ଅଣାଗଲେ; ପୁଣି, ଲୋକମାନେ ରାଜାଙ୍କୁ ଶମରୀୟାରେ କବର ଦେଲେ।
1KI 22:38 ଆଉ ସେମାନେ ଶମରୀୟାର ପୁଷ୍କରିଣୀ ନିକଟରେ ରଥ ଧୋଇଲେ; ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକ୍କୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ଏହି ସ୍ଥାନରେ ବେଶ୍ୟାମାନେ ସ୍ନାନ କରନ୍ତି।
1KI 22:39 ଏହି ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ନିର୍ମିତ ହସ୍ତୀଦନ୍ତମୟ ଗୃହ ଓ ଯେ ଯେ ନଗର ସେ ନିର୍ମାଣ କରିଥିଲେ, ତାହାସବୁ କʼଣ ଇସ୍ରାଏଲ ରାଜାଗଣଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 22:40 ଏହିରୂପେ ଆହାବଙ୍କ ମୃତ୍ୟୁ ପରେ ଓ ତାହାଙ୍କ ପୁତ୍ର ଅହସୀୟ ତାହାଙ୍କ ପଦରେ ରାଜ୍ୟ କଲେ।
1KI 22:41 ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍‍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
1KI 22:42 ରାଜ୍ୟ କରିବାର ଆରମ୍ଭରେ ଯିହୋଶାଫଟ୍‍ଙ୍କର ବୟସ ପଞ୍ଚତିରିଶ ବର୍ଷ ହୋଇଥିଲା ଓ ସେ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ଅସୂବା, ସେ ଶିଲ୍‍ହିର କନ୍ୟା।
1KI 22:43 ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ସମସ୍ତ ପଥରେ ଚାଲିଲେ; ସେ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ; ତଥାପି ଉଚ୍ଚସ୍ଥଳୀମାନ ଉଚ୍ଛିନ୍ନ ନୋହିଲା; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
1KI 22:44 ପୁଣି, ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କ ସଙ୍ଗେ ସନ୍ଧି ସ୍ଥାପନ କଲେ।
1KI 22:45 ଏହି ଯିହୋଶାଫଟ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପ୍ରକାଶିତ ପରାକ୍ରମ ଓ ସେ କି ପ୍ରକାର ଯୁଦ୍ଧ କଲେ, ତାହାସବୁ କʼଣ ଯିହୁଦାର ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
1KI 22:46 ତାଙ୍କର ପିତା ଆସାଙ୍କର ସମୟରେ ଯେଉଁ ସଦୋମୀମାନେ ଅବଶିଷ୍ଟ ରହିଥିଲେ, ସେମାନଙ୍କୁ ସେ ଦେଶରୁ ଦୂର କରିଦେଲେ।
1KI 22:47 ସେହି ସମୟରେ ଇଦୋମରେ କେହି ରାଜା ନ ଥିଲା; ଜଣେ ପ୍ରତିନିଧି ରାଜ୍ୟ କଲା।
1KI 22:48 ଯିହୋଶାଫଟ୍‍ ସୁନା ପାଇଁ ଓଫୀରକୁ ଯିବା ସକାଶେ ତର୍ଶୀଶର ଜାହାଜମାନ ନିର୍ମାଣ କଲେ; ମାତ୍ର ତାହାସବୁ ଗଲା ନାହିଁ; କାରଣ ଇତ୍‍ସିୟୋନ-ଗେବରରେ ଜାହାଜମାନ ଭାଙ୍ଗିଗଲା।
1KI 22:49 ତେବେ ଆହାବଙ୍କର ପୁତ୍ର ଅହସୀୟ ଯିହୋଶାଫଟ୍‍ଙ୍କୁ କହିଲେ, “ମୋʼ ଦାସମାନେ ତୁମ୍ଭ ଦାସମାନଙ୍କ ସଙ୍ଗେ ଜାହାଜରେ ଯାଉନ୍ତୁ।” ମାତ୍ର ଯିହୋଶାଫଟ୍‍ ସମ୍ମତ ହେଲେ ନାହିଁ।
1KI 22:50 ଏଥିଉତ୍ତାରେ ଯିହୋଶାଫଟ୍‍ ଆପଣା ପିତୃଗଣ ସହିତ ଶୟନ କରି ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଲୋକଙ୍କ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।
1KI 22:51 ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ସତର ବର୍ଷରେ ଆହାବଙ୍କର ପୁତ୍ର ଅହସୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ।
1KI 22:52 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ସେ ଆପଣା ପିତାଙ୍କର ପଥରେ ଓ ଆପଣା ମାତାର ପଥରେ ଓ ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପଥରେ ଚାଲିଲେ।
1KI 22:53 ପୁଣି, ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍‍ର ସେବା ଓ ପୂଜା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ।
2KI 1:1 ଏଥିଉତ୍ତାରେ ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବ ଦେଶ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହ ଆଚରଣ କଲେ।
2KI 1:2 ପୁଣି ଅହସୀୟ ଶମରୀୟାସ୍ଥ ଆପଣା ଉପରିସ୍ଥ କୋଠରିର ଝରକା ଦେଇ ପଡ଼ି ପୀଡ଼ିତ ହେଲେ; ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, “ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ, ଏହା ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାର।”
2KI 1:3 ମାତ୍ର ସଦାପ୍ରଭୁଙ୍କ ଦୂତ ତିଶ୍‍ବୀୟ ଏଲୀୟଙ୍କୁ କହିଲେ, “ଉଠ, ଶମରୀୟା ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ‘ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବାକୁ ଯାଉଅଛ?’
2KI 1:4 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’” ଏଉତ୍ତାରେ ଏଲୀୟ ପ୍ରସ୍ଥାନ କଲେ।
2KI 1:5 ତହୁଁ ଦୂତମାନେ ଅହସୀୟଙ୍କର ନିକଟକୁ ଫେରି ଆସନ୍ତେ, ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହିଁକି ଫେରି ଆସିଲ?”
2KI 1:6 ଏଥିରେ ସେମାନେ ତାଙ୍କୁ କହିଲେ, “ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ‘ଯେଉଁ ରାଜା ତୁମ୍ଭମାନଙ୍କୁ ପଠାଇଅଛି, ତାହା ନିକଟକୁ ଫେରିଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ।’”
2KI 1:7 ତହିଁରେ ଅହସୀୟ ସେମାନଙ୍କୁ ପଚାରିଲେ, “ଯେ ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କି ପ୍ରକାର ଲୋକ?”
2KI 1:8 ତହୁଁ ସେମାନେ ତାଙ୍କୁ ଉତ୍ତର କଲେ, “ସେ ଲୋମଶ ମନୁଷ୍ୟ ଓ ତାହାର କଟି ଚର୍ମପଟୁକାରେ ବନ୍ଧା ଥିଲା।” ତହିଁରେ ରାଜା କହିଲେ, “ସେ ତ ତିଶ୍‍ବୀୟ ଏଲୀୟ।”
2KI 1:9 ତେବେ ରାଜା ଏଲୀୟଙ୍କ ନିକଟକୁ ଜଣେ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ପଚାଶପତି ଏଲୀୟଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ପଚାଶପତି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ତଳକୁ ଆସ।’”
2KI 1:10 ତହୁଁ ଏଲୀୟ ସେହି ପଚାଶପତିଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା।
2KI 1:11 ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ଶୀଘ୍ର ତଳକୁ ଆସ।’”
2KI 1:12 ଏଥିରେ ଏଲୀୟ ସେମାନଙ୍କୁ ଉତ୍ତର କରି କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ।” ତହୁଁ ପରମେଶ୍ୱରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା।
2KI 1:13 ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁପାତି ବିନୟ କରି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ।
2KI 1:14 ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଚାଶପତିଙ୍କୁ ଓ ସେମାନଙ୍କ ପଚାଶ ପଚାଶ ଲୋକଙ୍କୁ ଗ୍ରାସ କଲା; ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ବହୁମୂଲ୍ୟ ହେଉ।”
2KI 1:15 ଏଥିରେ ସଦାପ୍ରଭୁଙ୍କ ଦୂତ ଏଲୀୟଙ୍କୁ କହିଲେ, “ତାହା ସଙ୍ଗରେ ତଳକୁ ଯାଅ; ତାହାକୁ ଭୟ କର ନାହିଁ।” ତହୁଁ ଏଲୀୟ ଉଠି ପଚାଶପତି ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ।
2KI 1:16 ପୁଣି ସେ ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘କଥା ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋଣର ଦେବତା ବାଲ୍‍ସବୂବକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ, ତହିଁରୁ ତଳକୁ ଆସିବ ନାହଁ, ମାତ୍ର ନିଶ୍ଚୟ ମରିବ।’”
2KI 1:17 ଏଥିଉତ୍ତାରେ ଏଲୀୟଙ୍କ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ। ପୁଣି ତାଙ୍କର ପୁତ୍ର ନ ଥିବାରୁ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଯିହୋରାମ୍‍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।
2KI 1:18 ଏହି ଅହସୀୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତାନ୍ତ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 2:1 ଏଥିଉତ୍ତାରେ ସଦାପ୍ରଭୁ ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବା ପାଇଁ ଉଦ୍ୟତ ହୁଅନ୍ତେ, ଏଲୀୟ ଇଲୀଶାୟଙ୍କ ସହିତ ଗିଲ୍‍ଗଲ୍‍ରୁ ଗଲେ।
2KI 2:2 ପୁଣି ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ବେଥେଲ୍‍ ପର୍ଯ୍ୟନ୍ତ ପଠାଇଅଛନ୍ତି।” ତହିଁରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ବେଥେଲ୍‍କୁ ଗଲେ।
2KI 2:3 ସେତେବେଳେ ବେଥେଲ୍‍ ନିବାସୀ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ତହୁଁ ସେ କହିଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
2KI 2:4 ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, “ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି।” ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ଯିରୀହୋକୁ ଗଲେ।
2KI 2:5 ଏଥିରେ ଯିରୀହୋ ନିବାସୀ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ?” ସେ ଉତ୍ତର କଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
2KI 2:6 ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ।
2KI 2:7 ପୁଣି ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ।
2KI 2:8 ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।
2KI 2:9 ପୁଣି ସେମାନେ ପାର ହୋଇଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ନିଆଯିବା ପୂର୍ବରୁ ମାଗ।” ତହିଁରେ ଇଲୀଶାୟ କହିଲେ, “ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋʼ ଉପରେ ବର୍ତ୍ତୁ।”
2KI 2:10 ଏଥିରେ ଏଲୀୟ କହିଲେ, “ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ନିଆଯିବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ନ ହେଲେ, ବର୍ତ୍ତିବ ନାହିଁ।”
2KI 2:11 ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
2KI 2:12 ଆଉ ଇଲୀଶାୟ ତାହା ଦେଖି ଉଚ୍ଚସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ।
2KI 2:13 ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ।
2KI 2:14 ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।
2KI 2:15 ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍‍ବକ୍ତାଗଣଙ୍କ ଯେଉଁ ଦଳ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, “ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତହୁଁ ସେମାନେ ଇଲୀଶାୟଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ।
2KI 2:16 ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”
2KI 2:17 ତଥାପି ଇଲୀଶାୟ ଲଜ୍ଜିତ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରବର୍ତ୍ତାନ୍ତେ, ସେ କହିଲେ, “ପଠାଅ।” ଏହେତୁ ସେମାନେ ପଚାଶ ଲୋକ ପଠାଇଲେ, ଆଉ ସେମାନେ ତାଙ୍କୁ ତିନି ଦିନ ଖୋଜିଲେ, ମାତ୍ର ପାଇଲେ ନାହିଁ।
2KI 2:18 ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, “ନ ଯାଅ ବୋଲି ମୁଁ କʼଣ ତୁମ୍ଭମାନଙ୍କୁ କହି ନ ଥିଲି।”
2KI 2:19 ଏଥିଉତ୍ତାରେ ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ।”
2KI 2:20 ତହିଁରେ ସେ କହିଲେ, “ମୋʼ ନିକଟକୁ ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ।” ତହୁଁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ।
2KI 2:21 ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଏହି ଜଳ ଭଲ କଲି; ତାହା ମୃତ୍ୟୁୁଜନକ ଅବା ଫଳନାଶକ ଆଉ ହେବ ନାହିଁ।”
2KI 2:22 ଏହିରୂପେ ଇଲୀଶାୟଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି।
2KI 2:23 ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍‍କୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା।”
2KI 2:24 ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ସେତେବେଳେ ବନରୁ ଦୁଇ ଭଲ୍ଲୁକୀ ବାହାରି ଆସି ସେମାନଙ୍କ ମଧ୍ୟରୁ ବୟାଳିଶ ଜଣ ବାଳକଙ୍କୁ ବିଦୀର୍ଣ୍ଣ କଲେ।
2KI 2:25 ଏଥିଉତ୍ତାରେ ସେ ସେଠାରୁ କର୍ମିଲ ପର୍ବତକୁ ଗଲେ ଓ ସେଠାରୁ ଶମରୀୟାକୁ ଫେରିଗଲେ।
2KI 3:1 ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ।
2KI 3:2 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍‍ର ସ୍ତମ୍ଭ ଦୂର କରିଦେଲେ।
2KI 3:3 ତଥାପି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ।
2KI 3:4 ମୋୟାବର ରାଜା ମେଶା ମେଷାଧିକାରୀ ଥିଲା; ପୁଣି ସେ ଇସ୍ରାଏଲର ରାଜାଙ୍କୁ କର ରୂପେ ଏକ ଲକ୍ଷ ମେଷବତ୍ସର ଓ ଏକ ଲକ୍ଷ ମେଷର ଲୋମ ଦେଉଥାଏ।
2KI 3:5 ମାତ୍ର ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧରେ ଦ୍ରୋହାଚରଣ କଲା।
2KI 3:6 ସେହି ସମୟରେ ଯିହୋରାମ୍‍ ରାଜା ଶମରୀୟାରୁ ଯାଇ ସମୁଦାୟ ଇସ୍ରାଏଲକୁ ସଂଗ୍ରହ କଲେ।
2KI 3:7 ତହୁଁ ଯିହୋରାମ୍‍ ଯାଇ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ନିକଟକୁ ଲୋକ ପଠାଇ କହିଲେ, “ମୋୟାବର ରାଜା ମୋʼ ବିରୁଦ୍ଧରେ ଦ୍ରୋହାଚରଣ କରିଅଛି; ତୁମ୍ଭେ କʼଣ ମୋୟାବ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ଯିବ?” ତହୁଁ ସେ କହିଲେ, “ମୁଁ ଯିବି; ମୁଁ ତୁମ୍ଭ ପରି, ମୋʼ ଲୋକ ତୁମ୍ଭ ଲୋକ ପରି, ମୋʼ ଅଶ୍ୱ ତୁମ୍ଭ ଅଶ୍ୱ ପରି।”
2KI 3:8 ଆଉ ଯିହୋରାମ୍‍ କହିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ତହୁଁ ଯିହୋଶାଫଟ୍‍ ଉତ୍ତର କଲେ, “ଇଦୋମ ପ୍ରାନ୍ତର-ପଥ ଦେଇ।”
2KI 3:9 ତହୁଁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଓ ଇଦୋମର ରାଜା ଯାତ୍ରା କରି ସାତ ଦିନର ପଥ ବୁଲିକରି ଗଲେ; ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାଦ୍‍ଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ।
2KI 3:10 ଏଥିରେ ଇସ୍ରାଏଲର ରାଜା କହିଲେ, “ହାୟ! କାରଣ ମୋୟାବର ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏହି ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
2KI 3:11 ମାତ୍ର ଯିହୋଶାଫଟ୍‍ କହିଲେ, “ଆମ୍ଭେମାନେ ଯାହାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି କୌଣସି ଭବିଷ୍ୟଦ୍‍ବକ୍ତା କʼଣ ଏଠାରେ ନାହାନ୍ତି?” ଏଥିରେ ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଶାଫଟ୍‍ର ପୁତ୍ର ଇଲୀଶାୟ, ଯେ ଏଲୀୟଙ୍କ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”
2KI 3:12 ତେବେ ଯିହୋଶାଫଟ୍‍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କଠାରେ ଅଛି।” ତେଣୁ ଇସ୍ରାଏଲର ରାଜା ଓ ଯିହୋଶାଫଟ୍‍ ଓ ଇଦୋମର ରାଜା ତାଙ୍କ ନିକଟକୁ ଗଲେ।
2KI 3:13 ସେତେବେଳେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ତୁମ୍ଭ ସହିତ ମୋହର କʼଣ କରିବାର ଅଛି? ତୁମ୍ଭ ପିତାର ଭବିଷ୍ୟଦ୍‍ବକ୍ତାମାନଙ୍କ ନିକଟକୁ ଓ ତୁମ୍ଭ ମାତାର ଭବିଷ୍ୟଦ୍‍ବକ୍ତାମାନଙ୍କ ନିକଟକୁ ଯାଅ।” ତହିଁରେ ଇସ୍ରାଏଲର ରାଜା ତାଙ୍କୁ କହିଲେ, “ନାହିଁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
2KI 3:14 ପୁଣି ଇଲୀଶାୟ କହିଲେ, “ମୁଁ ଯାହାଙ୍କ ଛାମୁରେ ଠିଆ ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯେବେ ମୁଁ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କ ଉପସ୍ଥିତିକୁ ମର୍ଯ୍ୟାଦା ନ କରନ୍ତି, ତେବେ ନିଶ୍ଚୟ ମୁଁ ତୁମ୍ଭଆଡ଼େ ଅନାନ୍ତି ନାହିଁ, କି ତୁମ୍ଭକୁ ଦେଖନ୍ତି ନାହିଁ।
2KI 3:15 ତଥାପି ଏବେ ମୋʼ ନିକଟକୁ ଏକ ବାଦ୍ୟକର ଆଣ।” ତହୁଁ ବାଦ୍ୟକର ଆସି ବାଦ୍ୟ ବଜାନ୍ତେ, ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।
2KI 3:16 ତହିଁରେ ସେ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର।’
2KI 3:17 କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’
2KI 3:18 ଆହୁରି ସଦାପ୍ରଭୁଙ୍କ ଦୃଷ୍ଟିରେ ଏହା କେବଳ କ୍ଷୁଦ୍ର ବିଷୟ; ସେ ମୋୟାବୀୟମାନଙ୍କୁ ମଧ୍ୟ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
2KI 3:19 ପୁଣି ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗର ଓ ପ୍ରତ୍ୟେକ ଉତ୍ତମ ନଗର ଉଚ୍ଛିନ୍ନ କରିବ ଓ ପ୍ରତ୍ୟେକ ଉତ୍ତମ ବୃକ୍ଷ କାଟି ପକାଇବ ଓ ଜଳ-ନିର୍ଝରସକଳ ବନ୍ଦ କରିବ ଓ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡ ପ୍ରସ୍ତରରେ ନାଶ କରିବ।”
2KI 3:20 ଏଥିଉତ୍ତାରେ ପ୍ରାତଃକାଳୀନ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ଦେଖ, ଇଦୋମର ପଥ ଦେଇ ଜଳ ଆସିଲା ଓ ଜଳରେ ଦେଶ ପୂର୍ଣ୍ଣ ହେଲା।
2KI 3:21 ଏହି ସମୟରେ ମୋୟାବୀୟ ସମସ୍ତେ ଆପଣାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜାମାନଙ୍କର ଆସିବାର କଥା ଶୁଣି ସେମାନେ ଆପଣାମାନଙ୍କୁ, ଅର୍ଥାତ୍‍, ସଜ୍ଜା ପରିଧାନକ୍ଷମ ଓ ତଦଧିକ ବୟସ୍କ ଲୋକଙ୍କୁ ଏକତ୍ର କରି ଦେଶର ସୀମାରେ ଠିଆ ହୋଇଥିଲେ।
2KI 3:22 ପୁଣି ସେମାନେ ପ୍ରଭାତରେ ଉଠିବା ବେଳେ ସୂର୍ଯ୍ୟ ଜଳ ଉପରେ ଚକମକ ହେଉଥିଲା, ତହିଁରେ ମୋୟାବୀୟମାନେ ଆପଣା ସମ୍ମୁଖସ୍ଥ ଜଳକୁ ରକ୍ତ ତୁଲ୍ୟ ରଙ୍ଗ ଦେଖିଲେ।
2KI 3:23 ତେବେ ସେମାନେ କହିଲେ, “ଏହା ରକ୍ତ; ରାଜାମାନେ ନିଶ୍ଚୟ ବିନଷ୍ଟ ହୋଇଅଛନ୍ତି ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାକୁ ବଧ କରିଅଛନ୍ତି; ଏହେତୁ ହେ ମୋୟାବ, ଲୁଟିବାକୁ ଯାଅ।”
2KI 3:24 ତହୁଁ ସେମାନେ ଇସ୍ରାଏଲର ଛାଉଣିରେ ଉପସ୍ଥିତ ହୁଅନ୍ତେ, ଇସ୍ରାଏଲୀୟମାନେ ଉଠି ମୋୟାବୀୟମାନଙ୍କୁ ଆଘାତ କଲେ, ତେଣୁ ସେମାନେ ସେମାନଙ୍କ ସମ୍ମୁଖରୁ ପଳାଇଲେ; ପୁଣି ଇସ୍ରାଏଲୀୟମାନେ ମୋୟାବୀୟମାନଙ୍କୁ ଆଘାତ କରି କରି ଦେଶ ଭିତରକୁ ଅଗ୍ରସର ହେଲେ।
2KI 3:25 ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବନ୍ଦ କରିଦେଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍‍-ହେର୍‍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣୀଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ।
2KI 3:26 ସେସମୟରେ ମୋୟାବର ରାଜା ଆପଣା ପକ୍ଷରେ ଯୁଦ୍ଧ ଅତି ଅସହ୍ୟ ଦେଖି, ସେ ଇଦୋମର ରାଜା ନିକଟକୁ ଭେଦ କରି ଯିବା ପାଇଁ ଆପଣା ସଙ୍ଗେ ସାତ ଶହ ଖଡ୍ଗଧାରୀ ଲୋକ ନେଲା; ମାତ୍ର ସେମାନେ ପାରିଲେ ନାହିଁ।
2KI 3:27 ତହୁଁ ସେ ଆପଣା ଉତ୍ତରାଧିକାରୀ ଜ୍ୟେଷ୍ଠ ପୁତ୍ରକୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ତାହାକୁ ଉତ୍ସର୍ଗ କଲା। ତହିଁରେ ଇସ୍ରାଏଲ ବିରୁଦ୍ଧରେ ମହାକୋପ ଉପସ୍ଥିତ ହେଲା; ଏଥିଉତ୍ତାରେ ସେମାନେ ତାହା ନିକଟକୁ ପ୍ରସ୍ଥାନ କରି ସେମାନଙ୍କ ନିଜ ଦେଶକୁ ଫେରିଗଲେ।
2KI 4:1 ଭବିଷ୍ୟଦ୍‍ବକ୍ତାମାନଙ୍କ ଦଳର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ବିଧବା ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, “ଆପଣଙ୍କ ଦାସ ମୋʼ ସ୍ୱାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି।”
2KI 4:2 ତହିଁରେ ଇଲୀଶାୟ ତାହାକୁ କହିଲେ, “ମୁଁ ତୁମ୍ଭ ପାଇଁ କʼଣ କରିବି? ମୋତେ କୁହ; ଘରେ ତୁମ୍ଭର କʼଣ ଅଛି?” ଏଥିରେ ସେ କହିଲା, “ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ।”
2KI 4:3 ତହୁଁ ଇଲୀଶାୟ କହିଲେ, “ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍‍, ଶୂନ୍ୟପାତ୍ର ଉଧାର କରି ଆଣ; ଅଳ୍ପ ଉଧାର କର ନାହିଁ।
2KI 4:4 ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ।”
2KI 4:5 ତହୁଁ ସେହି ବିଧବା ଇଲୀଶାୟଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ୱାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା।
2KI 4:6 ତହୁଁ ପାତ୍ରସକଳ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, “ଆଉ ଗୋଟିଏ ପାତ୍ର ମୋʼ ନିକଟକୁ ଆଣ।” ଏଥିରେ ସେ ତାହାକୁ କହିଲା, “ଆଉ ପାତ୍ର ନାହିଁ।” ତହିଁରେ ତୈଳ ବନ୍ଦ ହେଲା।
2KI 4:7 ତେବେ ସେହି ବିଧବା ଆସି ପରମେଶ୍ୱରଙ୍କ ଲୋକଙ୍କୁ ତାହା ଜଣାଇଲା। ଏଥିରେ ସେ କହିଲେ, “ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଜୀବନ ଯାପନ କର।”
2KI 4:8 ଏଥିଉତ୍ତାରେ ଦିନକରେ ଇଲୀଶାୟ ଶୂନେମ ନଗରକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନ ଭୋଜନ ନିମନ୍ତେ ପ୍ରବର୍ତ୍ତାଇଲା। ଏଥିଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେଥର ଅନ୍ନ ଭୋଜନ ନିମନ୍ତେ ସେଠାକୁ ଗଲେ।
2KI 4:9 ଏଥିଉତ୍ତାରେ ସେହି ସ୍ତ୍ରୀ ଆପଣା ସ୍ୱାମୀକୁ କହିଲା, “ଦେଖ, ମୁଁ ଜାଣି ପାରୁଅଛି, ଏହି ଯେଉଁ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ୱରଙ୍କର ଏକ ପବିତ୍ର ଲୋକ ଅଟନ୍ତି।
2KI 4:10 ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ।”
2KI 4:11 ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକୁ ଯାଇ ଶୟନ କଲେ।
2KI 4:12 ପୁଣି ସେ ଆପଣା ଦାସ ଗିହେଜୀକୁ କହିଲେ, “ଏହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା।
2KI 4:13 ଏଥିରେ ଇଲୀଶାୟ ଗିହେଜୀକୁ କହିଲେ, “ତାଙ୍କୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ମୁଁ ତୁମ୍ଭ ନିମନ୍ତେ କʼଣ କରି ପାରିବି? ମୋତେ ତୁମ୍ଭ ସପକ୍ଷରେ ରାଜା କିମ୍ବା ସେନାପତିଙ୍କ ନିକଟରେ କିଛି କହିବାକୁ ଇଚ୍ଛା କରୁଅଛ କି?” ତହୁଁ ସେ ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି।”
2KI 4:14 ପୁଣି ଇଲୀଶାୟ କହିଲେ, “ତେବେ ତାହା ପାଇଁ କʼଣ କରାଯିବ?” ତହିଁରେ ଗିହେଜୀ ଉତ୍ତର କଲା, “ତାହାର ପୁତ୍ର ନାହିଁ ଓ ତାହାର ସ୍ୱାମୀ ବୃଦ୍ଧ।”
2KI 4:15 ତେବେ ଇଲୀଶାୟ କହିଲେ, “ତାଙ୍କୁ ଡାକ।” ଏଣୁ ସେ ତାଙ୍କୁ ଡାକନ୍ତେ, ସେ ଦ୍ୱାରରେ ଠିଆ ହେଲା।
2KI 4:16 ତହୁଁ ଇଲୀଶାୟ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ।” ଏଥିରେ ସେ ସ୍ତ୍ରୀ କହିଲା, “ନା, ହେ ମୋର ପ୍ରଭୋ, ହେ ପରମେଶ୍ୱରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ।”
2KI 4:17 ଏଥିଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା।
2KI 4:18 ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା ନିକଟକୁ ଗଲା।
2KI 4:19 ଆଉ ସେ ଆପଣା ପିତାଙ୍କୁ କହିଲା, “ମୋʼ ମସ୍ତକ, ମୋʼ ମସ୍ତକ।” ତହୁଁ ପିତା ଆପଣା ଦାସକୁ କହିଲା, “ତାହାର ମାତା ନିକଟକୁ ତାହାକୁ ଉଠାଇ ନେଇଯାଅ।”
2KI 4:20 ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା।
2KI 4:21 ଏଥିରେ ମାତା ଉପରକୁ ଯାଇ ପରମେଶ୍ୱରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ୱାର ବନ୍ଦ କରି ବାହାରି ଆସିଲା।
2KI 4:22 ପୁଣି ସେ ଆପଣା ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭୀରୁ ଗୋଟିଏ ମୋʼ ନିକଟକୁ ପଠାଇଦିଅ, ମୁଁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି।”
2KI 4:23 ତହିଁରେ ତାହାର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।” ଏଥିରେ ସେ କହିଲା, “ଭଲ ହେବ।”
2KI 4:24 ତହୁଁ ସେ ଗର୍ଦ୍ଦଭୀ ସଜାଇ ଆପଣା ଦାସକୁ କହିଲା, “ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଲାଇବାରେ ଢିଲା କର ନାହିଁ।”
2KI 4:25 ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟରେ ପହଞ୍ଚିଲା। ତହିଁରେ ପରମେଶ୍ୱରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକୁ କହିଲେ, “ଦେଖ, ସେଠାରେ ଶୁନେମୀୟା ସ୍ତ୍ରୀ;
2KI 4:26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ? ତୁମ୍ଭ ସ୍ୱାମୀର ମଙ୍ଗଳ ତ? ବାଳକର ମଙ୍ଗଳ ତ?” ତହୁଁ ସେ ଉତ୍ତର କଲା, “ମଙ୍ଗଳ।”
2KI 4:27 ଏଥିଉତ୍ତାରେ ସେ ପର୍ବତରେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା। ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼ ଠାରୁ ତାହା ଗୋପନରେ ରଖିଅଛନ୍ତି, ପୁଣି ତାହା ମୋତେ ଜଣାଇ ନାହାନ୍ତି।”
2KI 4:28 ଏଥିରେ ସେ ସ୍ତ୍ରୀ କହିଲା, “ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?”
2KI 4:29 ତହୁଁ ଇଲୀଶାୟ ଗିହେଜୀକୁ କହିଲେ, “ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ଯଦି ତୁମ୍ଭେ କୌଣସି ଲୋକକୁ ସାକ୍ଷାତ କର, ତାହାକୁ ନମସ୍କାର କର ନାହିଁ; ଆଉ ଯଦି କେହି ତୁମ୍ଭକୁ ନମସ୍କାର କରନ୍ତି, ତାହାକୁ ଫେରି ଉତ୍ତର ଦିଅ ନାହିଁ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖ।”
2KI 4:30 ଏଥିରେ ବାଳକର ମାତା କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ।
2KI 4:31 ଏଥିମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ। ଏହେତୁ ଗିହେଜୀ ଇଲୀଶାୟଙ୍କୁ ସାକ୍ଷାତ କରିବା ପାଇଁ ଫେରିଆସି ତାଙ୍କୁ ଜଣାଇ କହିଲା, “ବାଳକ ଜାଗି ନାହିଁ।”
2KI 4:32 ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି।
2KI 4:33 ଏହେତୁ ସେ ଭିତରକୁ ଯାଇ ନିଜେ ଓ ବାଳକ ଉଭୟେ ରହି ଦ୍ୱାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
2KI 4:34 ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ବମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା।
2KI 4:35 ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା।
2KI 4:36 ଏଥିରେ ସେ ଗିହେଜୀକୁ ଡାକି କହିଲେ, “ସେହି ଶୁନେମୀୟା ସ୍ତ୍ରୀକୁ ଡାକ।” ତହୁଁ ସେ ତାହାକୁ ଡାକିଲା। ଆଉ ସେ ତାଙ୍କ ନିକଟକୁ ଆସନ୍ତେ, ସେ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”
2KI 4:37 ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା।
2KI 4:38 ଏଥିଉତ୍ତାରେ ଇଲୀଶାୟ ପୁନର୍ବାର ଗିଲ୍‍ଗଲ୍‍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, “ଏକ ବଡ଼ ହଣ୍ଡା ବସାଇ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ନିମନ୍ତେ ଖାଦ୍ୟ ରନ୍ଧନ କର।”
2KI 4:39 ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ଡ ଖଣ୍ଡ କାଟି ଖାଦ୍ୟ-ହଣ୍ଡାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ।
2KI 4:40 ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ। ପୁଣି ଲୋକମାନେ ସେହି ଖାଦ୍ୟ ଭୋଜନ କରୁ କରୁ ଡାକ ପକାଇ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ମୃତ୍ୟୁୁ ଅଛି।” ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ।
2KI 4:41 ମାତ୍ର ଇଲୀଶାୟ କହିଲେ, “ତେବେ କିଛି ଅଟା ଆଣ।” ଆଉ ସେ ତାହା ହଣ୍ଡାରେ ପକାଇ କହିଲେ, “ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ।” ତହୁଁ ହଣ୍ଡାରେ କିଛି ମନ୍ଦ ରହିଲା ନାହିଁ।
2KI 4:42 ଏଥିଉତ୍ତାରେ ବାଲ୍‍-ଶାଲିଶାରୁ ଜଣେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୁଟି, ଅର୍ଥାତ୍‍, କୋଡ଼ିଏ ଯବ ରୁଟି ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”
2KI 4:43 ତହୁଁ ତାଙ୍କ ଦାସ କହିଲା, “କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’”
2KI 4:44 ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଅବଶିଷ୍ଟାଂଶ ରଖିଲେ।
2KI 5:1 ଅରାମୀୟ ରାଜାର ନାମାନ୍‍ ନାମକ ସେନାପତି ଆପଣା ପ୍ରଭୁଙ୍କ ଦୃଷ୍ଟିରେ ମହାନ ଓ ସମ୍ଭ୍ରାନ୍ତ ଲୋକ ଥିଲା, କାରଣ ତାହା ଦ୍ୱାରା ସଦାପ୍ରଭୁ ଅରାମୀୟମାନଙ୍କୁ ଜୟ ପ୍ରଦାନ କରିଥିଲେ; ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠୀ।
2KI 5:2 ଅରାମୀୟମାନେ ଦଳ ଦଳ ହୋଇ ବାହାରି ଇସ୍ରାଏଲ ଦେଶରୁ ଏକ କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିଲେ; ଆଉ ସେ ନାମାନ୍‍ର ଭାର୍ଯ୍ୟାର ସେବା କରୁଥିଲା।
2KI 5:3 ପୁଣି ସେ ଆପଣା କର୍ତ୍ତ୍ରୀକୁ କହିଲା, “ଆଃ, ଶମରୀୟାରେ ଯେଉଁ ଭବିଷ୍ୟଦ୍‍ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯେବେ ମୋʼ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ।”
2KI 5:4 ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁଙ୍କୁ ଜଣାଇ କହିଲା, “ଇସ୍ରାଏଲ ଦେଶର ବାଳିକା ଏପରି ଏପରି କହେ।”
2KI 5:5 ତହୁଁ ଅରାମର ରାଜା କହିଲା, “ତୁମ୍ଭେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଖଣ୍ଡେ ପତ୍ର ପଠାଇବି।” ତହୁଁ ସେ ଆପଣା ସଙ୍ଗେ ଦଶ ତାଳନ୍ତ ରୂପା ଓ ଛଅ ସହସ୍ର ସ୍ୱର୍ଣ୍ଣମୁଦ୍ରା ଓ ଦଶ ସାଜ ପୋଷାକ ନେଇ ପ୍ରସ୍ଥାନ କଲା।
2KI 5:6 ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା; ତହିଁରେ ଏହା ଲେଖାଥିଲା, ଯଥା, “ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ, ମୁଁ ଆପଣା ଦାସ ନାମାନ୍‍କୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ।”
2KI 5:7 ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ, ଆପଣା ବସ୍ତ୍ର ଚିରି କହିଲା, “ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏହି ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋʼ ନିକଟକୁ ପଠାଇଅଛି? କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି।”
2KI 5:8 ଏଥିଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛନ୍ତି, ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲୀଶାୟ, ରାଜାଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋʼ ନିକଟକୁ ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟଦ୍‍ବକ୍ତା ଅଛି, ଏହା ସେ ଜାଣିବ।”
2KI 5:9 ଏଣୁ ନାମାନ୍‍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା।
2KI 5:10 ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”
2KI 5:11 ମାତ୍ର ନାମାନ୍‍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋʼ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ।
2KI 5:12 ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା।
2KI 5:13 ଏଥିରେ ତାହାର ଦାସମାନେ ନାମାନ୍‍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍‍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।”
2KI 5:14 ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।
2KI 5:15 ଏଥିଉତ୍ତାରେ ନାମାନ୍‍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରିଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍‍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
2KI 5:16 ମାତ୍ର ଇଲୀଶାୟ କହିଲେ, “ମୁଁ ଯେଉଁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଅଛି, ସେ ଜୀବିତ ଥିବା ପ୍ରମାଣେ ମୁଁ କିଛି ଗ୍ରହଣ କରିବି ନାହିଁ।” ତହୁଁ ନାମାନ୍‍ ତାହା ଗ୍ରହଣ କରିବା ପାଇଁ ଇଲୀଶାୟଙ୍କୁ ବହୁତ ପ୍ରବର୍ତ୍ତାଇଲା, ମାତ୍ର ସେ ମନା କଲେ।
2KI 5:17 ଏଥିରେ ନାମାନ୍‍ କହିଲା, “ଏହା ନ କଲେ, ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣଙ୍କ ଦାସକୁ ଦୁଇ ଖଚରର ଭାର ମାଟି ଦିଆଯାଉ; କାରଣ ଆଜିଠାରୁ ଆପଣଙ୍କ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ହୋମ କି ବଳି ଉତ୍ସର୍ଗ କରିବ ନାହିଁ।
2KI 5:18 ଏହି ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ; ମୋʼ ପ୍ରଭୁ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ପାଇଁ ଯିବା ବେଳେ ମୋʼ ହସ୍ତରେ ନିର୍ଭର କଲେ, ମୁଁ ଯେବେ ରିମ୍ମୋନ୍‍ ମନ୍ଦିରରେ ପ୍ରଣାମ କରେ, ତେବେ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ବେଳେ ଏ ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ।”
2KI 5:19 ତହିଁରେ ଇଲୀଶାୟ ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ନାମାନ୍‍ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଅଳ୍ପ ଦୂର ବାଟ ଗଲା।
2KI 5:20 ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କର ଦାସ ଗିହେଜୀ କହିଲା, “ଦେଖ, ମୋʼ ପ୍ରଭୁ ଏହି ଅରାମୀୟ ନାମାନ୍‍ ଆଣିଥିବା କୌଣସି ଦ୍ରବ୍ୟ ତାହା ହାତରୁ ଗ୍ରହଣ ନ କରି ତାହାକୁ ଛାଡ଼ି ଦେଇଅଛନ୍ତି; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ତାହା ପଛେ ଦୌଡ଼ି ତାହାଠାରୁ କିଛି ନେବି।”
2KI 5:21 ତହୁଁ ଗିହେଜୀ ନାମାନ୍‍ର ପଛେ ପଛେ ଗଲା। ଏଥିରେ ନାମାନ୍‍ ଆପଣା ପଛେ ଜଣକୁ ଦୌଡ଼ିବାର ଦେଖି ତାହାକୁ ସାକ୍ଷାତ କରିବା ପାଇଁ ରଥରୁ ଓହ୍ଲାଇ ପଚାରିଲା, “ସବୁ କୁଶଳ ତ?”
2KI 5:22 ତହିଁରେ ସେ କହିଲା, “ସବୁ କୁଶଳ। ମୋʼ ପ୍ରଭୁ ମୋତେ ପଠାଇ କହିଅଛନ୍ତି, ‘ଦେଖ, ଏହିକ୍ଷଣେ ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ଦୁଇ ଯୁବା ଲୋକ ଆସିଲେ; ମୁଁ ବିନୟ କରୁଅଛି, ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’”
2KI 5:23 ଏଥିରେ ନାମାନ୍‍ କହିଲା, “ଅନୁଗ୍ରହ କରି ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ତାହାକୁ ବହୁତ ପ୍ରବର୍ତ୍ତାଇଲା ଓ ଦୁଇ ଥଳୀରେ ଦୁଇ ତାଳନ୍ତ ରୂପା ବାନ୍ଧି ଦୁଇ ସାଜ ପୋଷାକ ସହିତ ଆପଣା ଦୁଇ ଦାସ ଉପରେ ତାହା ଥୋଇଲା; ତହୁଁ ସେମାନେ ଗିହେଜୀର ଆଗେ ଆଗେ ତାହା ବହିନେଲେ।
2KI 5:24 ପୁଣି ଉପପର୍ବତରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ଗୃହରେ ରଖିଲା; ଆଉ ସେ ଲୋକମାନଙ୍କୁ ବିଦାୟ କରନ୍ତେ, ସେମାନେ ଚାଲିଗଲେ।
2KI 5:25 ମାତ୍ର ସେ ଭିତରକୁ ଯାଇ ଆପଣା ପ୍ରଭୁ ସମ୍ମୁଖରେ ଠିଆ ହେଲା। ତହିଁରେ ଇଲୀଶାୟ ତାହାକୁ ପଚାରିଲେ, “ଗିହେଜୀ, ତୁମ୍ଭେ କେଉଁଠାରୁ ଆସିଲ?” ତହୁଁ ସେ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”
2KI 5:26 ଏଥିରେ ଇଲୀଶାୟ ତାହାକୁ କହିଲେ, “ସେ ଲୋକ ତୁମ୍ଭକୁ ଭେଟିବା ପାଇଁ ଯେତେବେଳେ ଆପଣା ରଥରୁ ଫେରି ଆସିଲା, ସେତେବେଳେ ମୋହର ଅନ୍ତଃକରଣ କି ତୁମ୍ଭ ସଙ୍ଗରେ ଯାଇ ନ ଥିଲା? ଏ କି ରୂପା, ବସ୍ତ୍ର, ଜୀତକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ମେଷ, କି ଗୋରୁ, ଓ ଦାସ ଓ ଦାସୀ ଗ୍ରହଣ କରିବାର ସମୟ?
2KI 5:27 ଏହେତୁ ନାମାନ୍‍ର କୁଷ୍ଠରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଦାକାଳ ଲାଗି ରହିବ।” ଏଥିରେ ଗିହେଜୀ ହିମ ତୁଲ୍ୟ ଶ୍ୱେତ କୁଷ୍ଠଗ୍ରସ୍ତ ହୋଇ ତାଙ୍କ ସାକ୍ଷାତରୁ ବାହାରିଗଲା।
2KI 6:1 ଏକ ସମୟରେ ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଏହି ଯେଉଁ ସ୍ଥାନରେ ବାସ କରୁଅଛୁ, ତାହା ଆମ୍ଭମାନଙ୍କ ପାଇଁ ସଂକୀର୍ଣ୍ଣ।
2KI 6:2 ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଯର୍ଦ୍ଦନକୁ ଯାଇ ପ୍ରତି ଜଣ ସେଠାରୁ ଏକ ଏକ କଡ଼ିକାଠ ନେଇ ଆପଣାମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ।” ଏଥିରେ ଇଲୀଶାୟ ଉତ୍ତର ଦେଲେ, “ତୁମ୍ଭେମାନେ ଯାଅ।”
2KI 6:3 ତହୁଁ ଜଣେ କହିଲା, “ବିନୟ କରୁଅଛି, ଆପଣ ଅନୁଗ୍ରହ କରି ଆପଣା ଦାସମାନଙ୍କ ସଙ୍ଗରେ ଚାଲନ୍ତୁ।” ଏଥିରେ ଇଲୀଶାୟ ଉତ୍ତର ଦେଲେ, “ମୁଁ ଯିବି।”
2KI 6:4 ତହୁଁ ସେ ସେମାନଙ୍କ ସଙ୍ଗରେ ଗଲେ। ପୁଣି ସେମାନେ ଯର୍ଦ୍ଦନରେ ଉପସ୍ଥିତ ହୁଅନ୍ତେ, କାଠ କାଟିଲେ।
2KI 6:5 ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ି-ଲୁହା ଜଳରେ ପଡ଼ିଗଲା; ତହିଁରେ ସେ ଡକା ଛାଡ଼ି କହିଲା, “ହାୟ, ମୋʼ ପ୍ରଭୋ! ତାହା ତ ଉଧାରି-ବସ୍ତୁ।”
2KI 6:6 ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, “ତାହା କେଉଁ ସ୍ଥାନରେ ପଡ଼ିଲା?” ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇ ଦେଲା। ତହିଁରେ ଇଲୀଶାୟ ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ।
2KI 6:7 ଆଉ ଇଲୀଶାୟ କହିଲେ, “ତୁମ୍ଭେ ତାହା ଉଠାଇ ନିଅ।” ତହୁଁ ସେ ହାତ ବଢ଼ାଇ ତାହା ନେଲା।
2KI 6:8 ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ମାତ୍ର ସେ ଯେତେବେଳେ ଆପଣା ଦାସମାନଙ୍କ ସହିତ ମନ୍ତ୍ରଣା କରି କହେ, “କେବଳ ଏହି ଏହି ସ୍ଥାନରେ ମୋହର ଛାଉଣି ହେବ,”
2KI 6:9 ସେତେବେଳେ ପରମେଶ୍ୱରଙ୍କ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ କହି ପଠାନ୍ତି, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ; କାରଣ ଅରାମୀୟମାନେ ସେହି ସ୍ଥାନକୁ ଓହ୍ଲାଇ ଆସୁଅଛନ୍ତି।”
2KI 6:10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟ ଜଣାଇ ସତର୍କ କରାଇଥାଆନ୍ତି, ଇସ୍ରାଏଲର ରାଜା ସେହି ସ୍ଥାନକୁ ଲୋକ ପଠାନ୍ତି; ଏହିରୂପେ ସେ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ସେସ୍ଥାନରେ ଆପଣାକୁ ରକ୍ଷା କଲେ।
2KI 6:11 ପୁଣି ଏଥିସକାଶୁ ଅରାମୀୟ ରାଜାର ହୃଦୟ ଅତି ବ୍ୟସ୍ତ ହେଲା; ଏଣୁ ସେ ଆପଣା ଦାସମାନଙ୍କୁ ଡାକି ସେମାନଙ୍କୁ କହିଲା, “ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ରାଜାର ସପକ୍ଷ, ଏହା କʼଣ ତୁମ୍ଭେମାନେ ମୋତେ ଜଣାଇବ ନାହିଁ।”
2KI 6:12 ଏଥିରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, “ନା, ହେ ମୋʼ ପ୍ରଭୋ, ମହାରାଜ, ମାତ୍ର ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି, ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜାକୁ ଜଣାଏ।”
2KI 6:13 ତହୁଁ ଅରାମୀୟ ରାଜା କହିଲା, “ଯାଇ ଦେଖ, ଇଲୀଶାୟ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି।” ଏଥିଉତ୍ତାରେ ତାହାକୁ ସମ୍ବାଦ ଦିଆଗଲା ଯେ, “ଦେଖନ୍ତୁ, ସେ ଦୋଥନରେ ଅଛି।”
2KI 6:14 ଏହେତୁ ସେ ସେସ୍ଥାନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟଦଳ ପଠାଇଲା; ପୁଣି ସେମାନେ ରାତ୍ରିରେ ଆସି ନଗରର ଚତୁର୍ଦ୍ଦିଗ ବେଷ୍ଟନ କଲେ।
2KI 6:15 ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, “ହାୟ, ମୋହର ପ୍ରଭୋ! ଆମ୍ଭେମାନେ କଅଣ କରିବା?”
2KI 6:16 ତହିଁରେ ସେ ଉତ୍ତର କଲେ, “ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।”
2KI 6:17 ପୁଣି ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ସେ ଯେପରି ଦେଖି ପାରିବ, ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର।” ପୁଣି ସଦାପ୍ରଭୁ ସେହି ଯୁବା ଲୋକର ଚକ୍ଷୁ ମୁକ୍ତ କଲେ; ଆଉ ସେ ଦେଖିଲା; ପୁଣି ଦେଖ, ପର୍ବତ ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା।
2KI 6:18 ଏଥିଉତ୍ତାରେ ସୈନ୍ୟମାନେ ଇଲୀଶାୟଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।” ଏଥିରେ ସଦାପ୍ରଭୁ ଇଲୀଶାୟଙ୍କର ବାକ୍ୟାନୁସାରେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ।
2KI 6:19 ସେତେବେଳେ ଇଲୀଶାୟ ସେମାନଙ୍କୁ କହିଲେ, “ଏ ସେହି ପଥ ନୁହେଁ, କି ଏ ସେହି ନଗର ନୁହେଁ; ମୋʼ ପଛେ ପଛେ ଆସ, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଅଛ, ମୁଁ ତାହା ନିକଟକୁ ତୁମ୍ଭମାନଙ୍କୁ ନେଇଯିବି।” ତହୁଁ ଇଲୀଶାୟ ସେମାନଙ୍କୁ ଶମରୀୟାକୁ କଢ଼ାଇ ନେଲେ।
2KI 6:20 ଏଥିରେ ସେମାନେ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ଇଲୀଶାୟ କହିଲେ, “ହେ ସଦାପ୍ରଭୋ, ଏ ଲୋକମାନେ ଯେପରି ଦେଖି ପାରିବେ, ଏଥିପାଇଁ ସେମାନଙ୍କ ଚକ୍ଷୁ ମୁକ୍ତ କର।” ତହୁଁ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ମୁକ୍ତ କରନ୍ତେ, ସେମାନେ ଦେଖିଲେ, ଆଉ ଦେଖ, ସେମାନେ ଶମରୀୟାର ମଧ୍ୟରେ ଅଛନ୍ତି।
2KI 6:21 ତହିଁରେ ଇସ୍ରାଏଲର ରାଜା ସେମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋହର ପିତଃ, ମୁଁ କʼଣ ସେମାନଙ୍କୁ ଆଘାତ କରିବି? ମୁଁ କʼଣ ସେମାନଙ୍କୁ ଆଘାତ କରିବି?”
2KI 6:22 ତହୁଁ ଇଲୀଶାୟ ଉତ୍ତର ଦେଲେ, “ତୁମ୍ଭେ ସେମାନଙ୍କୁ ଆଘାତ କରିବ ନାହିଁ; ତୁମ୍ଭେ ଯେଉଁମାନଙ୍କୁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ବନ୍ଦୀ କରି ନେଇଅଛ, ସେମାନଙ୍କୁ କʼଣ ଆଘାତ କରିବ? ସେମାନଙ୍କ ସମ୍ମୁଖରେ ରୁଟି ଓ ଜଳ ରଖ, ସେମାନେ ଭୋଜନପାନ କରି ଆପଣା ପ୍ରଭୁ ନିକଟକୁ ଯାଆନ୍ତୁ।”
2KI 6:23 ତହିଁରେ ଇସ୍ରାଏଲର ରାଜା ସେମାନଙ୍କ ନିମନ୍ତେ ମହାଭୋଜ ପ୍ରସ୍ତୁତ କଲେ; ପୁଣି ସେମାନେ ଭୋଜନପାନ କଲା ଉତ୍ତାରେ ସେ ସେମାନଙ୍କୁ ବିଦାୟ କଲେ, ତହୁଁ ସେମାନେ ଆପଣାମାନଙ୍କ ପ୍ରଭୁଙ୍କ ନିକଟକୁ ଗଲେ। ଏଉତ୍ତାରେ ଅରାମର ସୈନ୍ୟଦଳ ଆଉ ଇସ୍ରାଏଲର ଦେଶକୁ ଆସିଲେ ନାହିଁ।
2KI 6:24 ଏଥିଉତ୍ତାରେ ଅରାମର ରାଜା ବିନ୍‍ହଦଦ୍‍ ଆପଣାର ସମସ୍ତ ସୈନ୍ୟ ଏକତ୍ର କରି ଯାଇ ଶମରୀୟାକୁ ଅବରୋଧ କଲା।
2KI 6:25 ତହିଁରେ ଶମରୀୟାରେ ମହାଦୁର୍ଭିକ୍ଷ ହେଲା; ଆଉ ଦେଖ, ଏକ ଗର୍ଦ୍ଦଭର ମୁଣ୍ଡ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତ ମଳର ଏକ କାବ୍‍ର ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେବା ପର୍ଯ୍ୟନ୍ତ ସେମାନେ ତାହା ଅବରୋଧ କଲେ।
2KI 6:26 ଏଥିରେ ଇସ୍ରାଏଲର ରାଜା ପ୍ରାଚୀର ଉପର ଦେଇ ଯିବା ସମୟରେ ଏକ ସ୍ତ୍ରୀ ତାଙ୍କ ପ୍ରତି ଡାକ ପକାଇ କହିଲା, “ହେ ମୋʼ ପ୍ରଭୋ, ମହାରାଜ, ସାହାଯ୍ୟ କରନ୍ତୁ।”
2KI 6:27 ତହିଁରେ ସେ କହିଲେ, “ଯେବେ ସଦାପ୍ରଭୁ ତୁମ୍ଭର ସାହାଯ୍ୟ ନ କରନ୍ତି, ତେବେ ମୁଁ କେଉଁଠାରୁ ତୁମ୍ଭକୁ ସାହାଯ୍ୟ କରିବି? କି ଖଳାରୁ କିଅବା ଦ୍ରାକ୍ଷାଯନ୍ତ୍ରରୁ?”
2KI 6:28 ଆହୁରି ରାଜା ତାହାକୁ କହିଲେ, “ତୁମ୍ଭର କି ଦୁଃଖ ହୋଇଅଛି?” ତହୁଁ ସେ ଉତ୍ତର ଦେଲା, “ଏହି ସ୍ତ୍ରୀ ମୋତେ କହିଲା, ‘ତୁମ୍ଭ ପୁଅଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ଖାଇବା, ପୁଣି ମୋʼ ପୁଅକୁ କାଲି ଖାଇବା।’”
2KI 6:29 ତହୁଁ ଆମ୍ଭେମାନେ ମୋʼ ପୁଅକୁ ସିଦ୍ଧ କରି ଖାଇଲୁ; ପୁଣି ଆରଦିନ ମୁଁ ତାହାକୁ କହିଲି, “ତୁମ୍ଭ ପୁଅକୁ ଦିଅ, ଆମ୍ଭେମାନେ ତାକୁ ଖାଇବା, ମାତ୍ର ସେ ଆପଣା ପୁଅକୁ ଲୁଚାଇଅଛି।”
2KI 6:30 ସେହି ସ୍ତ୍ରୀର ଏ କଥା ଶୁଣି ରାଜା ଆପଣା ବସ୍ତ୍ର ଚିରିଲେ; ସେତେବେଳେ ସେ ପ୍ରାଚୀର ଉପରେ ଯାଉଥିଲେ; ଆଉ ଲୋକମାନେ ଅନାଇ ଦେଖିଲେ ଯେ, ସେ ବସ୍ତ୍ର ତଳେ ଦେହରେ ଅଖା ପିନ୍ଧିଅଛନ୍ତି।
2KI 6:31 ତେବେ ସେ କହିଲେ, “ଯେବେ ଆଜି ଶାଫଟ୍‍ର ପୁତ୍ର ଇଲୀଶାୟର ମସ୍ତକ ତାହା ଦେହରେ ରହେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
2KI 6:32 ମାତ୍ର ଇଲୀଶାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ; ଏପରି ସମୟରେ ରାଜା ଆପଣା ସମ୍ମୁଖରୁ ଜଣେ ଲୋକ ପଠାଇଲେ; ମାତ୍ର ସେ ଦୂତ ଇଲୀଶାୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲୀଶାୟ ପ୍ରାଚୀନବର୍ଗଙ୍କୁ କହିଲେ, “ଏହି ନରହତ୍ୟାକାରୀର ପୁତ୍ର କିପରି ମୋହର ମସ୍ତକ ନେବା ପାଇଁ ଲୋକ ପଠାଇଅଛି, ଏହା କʼଣ ତୁମ୍ଭେମାନେ ଦେଖୁଅଛ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ଼ କରି ଧର; ତାହାର ପ୍ରଭୁର ପଦଶବ୍ଦ କʼଣ ତାହାର ପଛରେ ନାହିଁ?”
2KI 6:33 ପୁଣି ସେ ସେମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ଦେଖ, ସେହି ଦୂତ ତାଙ୍କ ନିକଟକୁ ଓହ୍ଲାଇ ଆସିଲା; ଆଉ ସେ କହିଲା, “ଦେଖ, ଏହି ଅମଙ୍ଗଳ ସଦାପ୍ରଭୁଙ୍କଠାରୁ; ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”
2KI 7:1 ସେତେବେଳେ ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଯିବ।’”
2KI 7:2 ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କʼଣ ଏ କଥା ହୋଇ ପାରିବ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”
2KI 7:3 ସେହି ସମୟରେ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଚାରି ଜଣ କୁଷ୍ଠୀ ଥିଲେ; ଆଉ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ?
2KI 7:4 ଯଦି କହୁ, ‘ଆମ୍ଭେମାନେ ନଗରରେ ପ୍ରବେଶ କରିବା,’ ତେବେ ନଗରରେ ଦୁର୍ଭିକ୍ଷ ଅଛି, ପୁଣି ଆମ୍ଭେମାନେ ସେଠାରେ ମରିବା; ଆଉ ଯଦି ଆମ୍ଭେମାନେ ଏଠାରେ ବସି ରହିବା, ତେବେ ମଧ୍ୟ ମରିବା। ଏହେତୁ ଆସ, ଆମ୍ଭେମାନେ ଅରାମୀୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ; ଯଦି ସେମାନେ ଆମ୍ଭମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମ୍ଭେମାନେ ବଞ୍ଚିବା; ଆଉ ଯଦି ଆମ୍ଭମାନଙ୍କୁ ମାରି ପକାଇବେ, ତେବେ ମରିବା।”
2KI 7:5 ଏଣୁ କୁଷ୍ଠୀମାନେ ଅରାମୀୟମାନଙ୍କ ଛାଉଣିକୁ ଯିବା ପାଇଁ ଗୋଧୂଳି ସମୟରେ ଉଠିଲେ; ଆଉ ସେମାନେ ଅରାମୀୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ, ଦେଖ, ସେଠାରେ କୌଣସି ମନୁଷ୍ୟ ନ ଥିଲେ।
2KI 7:6 କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ୱ ଶବ୍ଦ, ଅର୍ଥାତ୍‍, ମହାସୈନ୍ୟ ଶବ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି।”
2KI 7:7 ଏହେତୁ ଅରାମୀୟମାନଙ୍କ ସୈନ୍ୟଗଣ ଉଠି ଗୋଧୂଳି ସମୟରେ ପଳାଇଲେ, ଆଉ ସେମାନେ ଆପଣାମାନଙ୍କ ତମ୍ବୁ ଓ ଅଶ୍ୱ ଓ ଗର୍ଦ୍ଦଭ ଓ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣାମାନଙ୍କ ପ୍ରାଣରକ୍ଷାର୍ଥେ ପଳାଇଲେ।
2KI 7:8 ଏଥିଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ବୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇଯାଇ ଲୁଚାଇ ରଖିଲେ।
2KI 7:9 ତେବେ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ଭଲ କରୁ ନାହୁଁ; ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ଡ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ।”
2KI 7:10 ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି।”
2KI 7:11 ତହୁଁ ସେ ଦ୍ୱାରୀମାନଙ୍କୁ ଡାକନ୍ତେ, ସେମାନେ ରାଜଗୃହ ଭିତରେ ସମ୍ବାଦ ଦେଲେ।
2KI 7:12 ତହିଁରେ ରାଜା ରାତ୍ରିରେ ଉଠି ଆପଣା ଦାସମାନଙ୍କୁ କହିଲେ, “ଅରାମୀୟମାନେ ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି, ତାହା ମୁଁ ଏବେ ତୁମ୍ଭମାନଙ୍କ ପ୍ରତି ପ୍ରକାଶ କରିବି। ସେମାନେ ଜାଣନ୍ତି ଯେ, ଆମ୍ଭେମାନେ କ୍ଷୁଧାର୍ତ୍ତ ଅଛୁ; ଏହେତୁ ସେମାନେ ଛାଉଣିରୁ ବାହାରିଯାଇ ଆପଣାମାନଙ୍କୁ କ୍ଷେତ୍ରରେ ଲୁଚାଇ କହୁଛନ୍ତି, ସେମାନେ ନଗରରୁ ବାହାରିଲେ, ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଧରି ନଗରରେ ପ୍ରବେଶ କରିବା।”
2KI 7:13 ତହିଁରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ମୁଁ ବିନୟ କରୁଅଛି, ଆମ୍ଭେମାନେ କେତେକ ଲୋକ ପଠାଇ ଦେଖୁ, ସେମାନେ ନଗରରେ ଅବଶିଷ୍ଟ ଅଶ୍ୱମାନଙ୍କ ମଧ୍ୟରୁ ପାଞ୍ଚୋଟି ନେଇ ଯାଉନ୍ତୁ, ଦେଖନ୍ତୁ, ସେମାନେ ନଗରରେ ଅବଶିଷ୍ଟ ଇସ୍ରାଏଲର ସମସ୍ତ ଜନତା ସମାନ; ଦେଖନ୍ତୁ, ସେମାନେ ଇସ୍ରାଏଲର ସମସ୍ତ ନଷ୍ଟକଳ୍ପ ଜନତା ସମାନ।”
2KI 7:14 ଏହେତୁ ସେହି ଲୋକମାନେ ଅଶ୍ୱ ସହିତ ଦୁଇ ରଥ ନେଲେ ଓ ରାଜା ସେମାନଙ୍କୁ ଅରାମୀୟ ସୈନ୍ୟ ପଛେ ପଠାଇ କହିଲେ, “ଯାଇ ଦେଖ।”
2KI 7:15 ତହୁଁ ସେମାନେ ଯର୍ଦ୍ଦନ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ; ଆଉ ଦେଖ, ଅରାମୀୟମାନେ ତରତର ହୋଇ ଯାହା ପକାଇଦେଇ ଯାଇଥିଲେ, ଏପରି ବସ୍ତ୍ର ଓ ପାତ୍ରାଦିରେ ସମସ୍ତ ପଥ ପୂର୍ଣ୍ଣ ଥିଲା। ତେବେ ସେ ଦୂତମାନେ ଫେରିଆସି ରାଜାଙ୍କୁ ସମ୍ବାଦ ଦେଲେ।
2KI 7:16 ତହିଁରେ ଲୋକମାନେ ବାହାରକୁ ଯାଇ ଅରାମୀୟମାନଙ୍କ ଛାଉଣି ଲୁଟ କଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଗଲା।
2KI 7:17 ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ତାହାକୁ ନଗର-ଦ୍ୱାର ରକ୍ଷା କରିବା ପାଇଁ ନିଯୁକ୍ତ କଲେ; ଏଥିରେ ଲୋକମାନେ ନଗର-ଦ୍ୱାରରେ ତାହାକୁ ଦଳି ପକାଇଲେ, ତହିଁରେ ରାଜା ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଯିବା ବେଳେ ପରମେଶ୍ୱରଙ୍କ ଲୋକ ତାଙ୍କୁ ଯେପରି କହିଥିଲେ, ତଦନୁସାରେ ସେ ମଲା।
2KI 7:18 ପରମେଶ୍ୱରଙ୍କ ଲୋକ ରାଜାଙ୍କୁ ଏହି କଥା କହିଥିଲେ, “କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର-ଦ୍ୱାରରେ ଦୁଇ ପସୁରୀ ଯବ ଏକ ଶେକଲ ଓ ଏକ ପସୁରୀ ସରୁ ମଇଦା ଏକ ଶେକଲ ହେବ।”
2KI 7:19 ଆଉ ସେହି ସେନାପତି ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଥିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କʼଣ ଏପରି କଥା ହୋଇ ପାରିବ।” ତହିଁରେ ଇଲୀଶାୟ କହିଥିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ।”
2KI 7:20 ସେହିପରି ତାହା ପ୍ରତି ଘଟିଲା; କାରଣ ଲୋକମାନେ ନଗର-ଦ୍ୱାରରେ ତାହାକୁ ଦଳି ପକାନ୍ତେ, ସେ ମଲା।
2KI 8:1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ରକୁ ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଥିଲେ, “ଉଠ, ତୁମ୍ଭେ ଓ ତୁମ୍ଭ ପରିବାର ଯାଇ ଯେଉଁଠାରେ ପ୍ରବାସ କରିପାର, ସେଠାରେ ପ୍ରବାସ କର; କାରଣ ସଦାପ୍ରଭୁ ଦୁର୍ଭିକ୍ଷ ଆଜ୍ଞା କରିଅଛନ୍ତି; ଆଉ ତାହା ମଧ୍ୟ ସାତ ବର୍ଷ ପର୍ଯ୍ୟନ୍ତ ଦେଶରେ ରହିବ।”
2KI 8:2 ତହିଁରେ ସେ ସ୍ତ୍ରୀ ଉଠି ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟ ପ୍ରମାଣେ କର୍ମ କଲା; ଅର୍ଥାତ୍‍, ସେ ଆପଣା ପରିବାର ସହିତ ଯାଇ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ପ୍ରବାସ କଲା।
2KI 8:3 ପୁଣି ସାତ ବର୍ଷ ଶେଷରେ ସେ ସ୍ତ୍ରୀ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା; ଆଉ ସେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରିବାକୁ ରାଜାଙ୍କ ନିକଟକୁ ଗଲା।
2KI 8:4 ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସଙ୍ଗେ କଥାବାର୍ତ୍ତା କରୁ କରୁ କହିଲେ, “ମୁଁ ବିନୟ କରୁଅଛି, ଇଲୀଶାୟ ଯେ ଯେ ମହତ୍ କର୍ମ କରିଅଛନ୍ତି, ତାହାସବୁ ମୋତେ ଜଣାଅ।”
2KI 8:5 ତହିଁରେ ଇଲୀଶାୟ କିପରି ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି। ଏଥିରେ ଗିହେଜୀ କହିଲା, “ହେ ମୋର ପ୍ରଭୋ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଯାହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
2KI 8:6 ତହୁଁ ରାଜା ସେହି ସ୍ତ୍ରୀକୁ ପଚାରନ୍ତେ, ସେ ତାଙ୍କୁ ଜଣାଇଲା। ତହିଁରେ ରାଜା ତାହା ନିମନ୍ତେ ଏକ କର୍ମଚାରୀକୁ ନିଯୁକ୍ତ କରି କହିଲେ, “ଏହାର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର କ୍ଷେତ୍ରୋତ୍ପନ୍ନ ସମସ୍ତ ଫଳ ଏହାକୁ ଫେରାଇ ଦିଅ।”
2KI 8:7 ଏକ ସମୟରେ ଇଲୀଶାୟ ଦମ୍ମେଶକରେ ଉପସ୍ଥିତ ହେଲେ; ସେତେବେଳେ ଅରାମର ରାଜା ବିନ୍‍ହଦଦ୍‍ ପୀଡ଼ିତ ଥିଲା; “ପୁଣି ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି” ବୋଲି ତାହାକୁ ସମ୍ବାଦ ଦିଆଗଲା।
2KI 8:8 ତହିଁରେ ରାଜା ହସାୟେଲକୁ କହିଲା, “ଆପଣା ହସ୍ତରେ ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କରିବାକୁ ଯାଅ, ‘ଆଉ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ?’ ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାର।”
2KI 8:9 ଏଥିରେ ହସାୟେଲ ତାଙ୍କୁ ସାକ୍ଷାତ କରିବାକୁ ଗଲା ଓ ଦମ୍ମେଶକର ସକଳ ଉତ୍ତମ ବସ୍ତୁର ଚାଳିଶ ଓଟର ବୋଝ ଉପହାର ସଙ୍ଗେ ନେଇ ଆସି ତାଙ୍କ ସମ୍ମୁଖରେ ଉଭା ହୋଇ କହିଲା, “ଆପଣଙ୍କ ପୁତ୍ର ଅରାମର ରାଜା ବିନ୍‍ହଦଦ୍‍ ଆପଣଙ୍କ ନିକଟକୁ ମୋତେ ପଠାଇ ପଚାରୁଅଛନ୍ତି, ‘ମୁଁ କʼଣ ଏହି ପୀଡ଼ାରୁ ମୁକ୍ତ ହେବି?’”
2KI 8:10 ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।”
2KI 8:11 ସେତେବେଳେ ଇଲୀଶାୟ ତାହା ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେଲା; ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ।
2KI 8:12 ତହିଁରେ ହସାୟେଲ ପଚାରିଲା, “ମୋʼ ପ୍ରଭୁ କାହିଁକି ରୋଦନ କରୁଅଛନ୍ତି?” ଇଲୀଶାୟ ଉତ୍ତର କଲେ, “କାରଣ ଏହି, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେଉଁ ଅନିଷ୍ଟ କରିବ, ତାହା ମୁଁ ଜାଣେ; ତୁମ୍ଭେ ସେମାନଙ୍କ ଦୃଢ଼ ଗଡ଼ସବୁରେ ଅଗ୍ନି ଲଗାଇବ ଓ ତୁମ୍ଭେ ସେମାନଙ୍କ ଯୁବାମାନଙ୍କୁ ଖଡ୍ଗରେ ବଧ କରିବ ଓ ସେମାନଙ୍କ ଶିଶୁଗଣକୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବ ଓ ସେମାନଙ୍କ ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”
2KI 8:13 ଏଥିରେ ହସାୟେଲ କହିଲା, “ମାତ୍ର ଆପଣଙ୍କ ଦାସ, ଯେ ଗୋଟିଏ କୁକ୍କୁର ମାତ୍ର, ସେ କିଏ ଯେ, ଏହି ବଡ଼ କର୍ମ କରିବ?” ତହୁଁ ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ତୁମ୍ଭେ ଅରାମର ରାଜା ହେବ।”
2KI 8:14 ଏଥିଉତ୍ତାରେ ହସାୟେଲ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଆପଣା ପ୍ରଭୁ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲା, “ଇଲୀଶାୟ ତୁମ୍ଭକୁ କଅଣ କହିଲେ?” ତହୁଁ ହସାୟେଲ ଉତ୍ତର କଲା, “ସେ ମୋତେ ଜଣାଇଲେ ଯେ, ଆପଣ ନିଶ୍ଚୟ ମୁକ୍ତ ହେବେ।”
2KI 8:15 ମାତ୍ର ପରଦିନ ହସାୟେଲ ଶଯ୍ୟାଚ୍ଛାଦନ ନେଇ ଜଳରେ ବୁଡ଼ାଇ ରାଜାର ମୁଖ ଉପରେ ବିଛାଇ ଦିଅନ୍ତେ, ସେ ମଲା; ପୁଣି ହସାୟେଲ ତାହାର ପଦରେ ରାଜ୍ୟ କଲା।
2KI 8:16 ଆହାବଙ୍କର ପୁତ୍ର ଇସ୍ରାଏଲର ରାଜା ଯୋରାମ୍‍ଙ୍କ ରାଜତ୍ଵର ପଞ୍ଚମ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଯିହୋରାମ୍‍ ରାଜତ୍ୱ କରିବାକୁ ଆରମ୍ଭ କଲେ, ସେହି ସମୟରେ ଯିହୋଶାଫଟ୍‍ ଯିହୁଦାର ରାଜା ଥିଲେ।
2KI 8:17 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ।
2KI 8:18 ପୁଣି ସେ ଆହାବଙ୍କର ବଂଶାନୁସାରେ ଇସ୍ରାଏଲ ରାଜାମାନଙ୍କ ପଥରେ ଚାଲିଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ ଓ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 8:19 ତଥାପି ସଦାପ୍ରଭୁ ଦାଉଦଙ୍କୁ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ସେ ଆପଣା ଦାସ ଦାଉଦଙ୍କ ସକାଶୁ ଯିହୁଦାକୁ ବିନାଶ କରିବା ପାଇଁ ଅସମ୍ମତ ହେଲେ।
2KI 8:20 ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ।
2KI 8:21 ତହିଁରେ ଯୋରାମ୍‍ ଓ ତାଙ୍କ ସଙ୍ଗେ ସମସ୍ତ ରଥ ସାୟୀରକୁ ଯାତ୍ରା କଲେ; ପୁଣି ସେ ରାତ୍ରିକାଳରେ ଉଠି ଆପଣା ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ; ଏଥିରେ ଲୋକମାନେ ଆପଣା ଆପଣା ତମ୍ବୁକୁ ପଳାଇଲେ।
2KI 8:22 ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା। ସେହି ସମୟରେ ଲିବ୍‍ନା ନଗର ମଧ୍ୟ ବିଦ୍ରୋହୀ ହେଲା।
2KI 8:23 ଏହି ଯୋରାମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 8:24 ଏଥିଉତ୍ତାରେ ଯୋରାମ୍‍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଗଣ ସହିତ କବର ପାଇଲେ ଓ ତାଙ୍କର ପୁତ୍ର ଅହସୀୟ ତାଙ୍କ ପଦରେ ରାଜ୍ୟ କଲେ।
2KI 8:25 ଇସ୍ରାଏଲ ରାଜା ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ରାଜତ୍ଵର ଦ୍ୱାଦଶ ବର୍ଷରେ ଯିହୁଦା-ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 8:26 ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ବାଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଅଥଲୀୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ।
2KI 8:27 ପୁଣି ଅହସୀୟ ଆହାବ-ବଂଶର ପଥରେ ଚାଲି ଆହାବ-ବଂଶର କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ସେ ଆହାବ-ବଂଶର ଜାମାତା ଥିଲେ।
2KI 8:28 ଏଥିଉତ୍ତାରେ ସେ ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋତ୍‍-ଗିଲୀୟଦରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟ ଲୋକମାନେ ଯୋରାମ୍‍ଙ୍କୁ କ୍ଷତବିକ୍ଷତ କଲେ।
2KI 8:29 ଏହେତୁ ଯୋରାମ୍‍ ରାଜା ଅରାମର ରାଜା ହସାୟେଲ ବିରୁଦ୍ଧରେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ରାମାରେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ଆହାବଙ୍କର ପୁତ୍ର ଯୋରାମ୍‍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ତାଙ୍କୁ ଦେଖିବା ପାଇଁ ଯିଷ୍ରିୟେଲକୁ ଗଲେ।
2KI 9:1 ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍‍-ଗିଲୀୟଦକୁ ଯାଅ।
2KI 9:2 ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକୁ ନେଇଯାଅ।
2KI 9:3 ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
2KI 9:4 ତହିଁରେ ସେ ଯୁବା, ଅର୍ଥାତ୍‍, ସେହି ଯୁବା ଭବିଷ୍ୟଦ୍‍ବକ୍ତା ରାମୋତ୍‍-ଗିଲୀୟଦକୁ ଗଲେ।
2KI 9:5 ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।”
2KI 9:6 ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍‍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍‍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
2KI 9:7 ପୁଣି ଆମ୍ଭେ ଯେପରି ଈଷେବଲ୍‍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ।
2KI 9:8 କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
2KI 9:9 ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
2KI 9:10 ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍‍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ।
2KI 9:11 ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ।”
2KI 9:12 ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
2KI 9:13 ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
2KI 9:14 ଏଥିରେ ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂ ଯୋରାମ୍‍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍‍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍‍-ଗିଲୀୟଦ ରକ୍ଷା କରୁଥିଲେ।
2KI 9:15 ମାତ୍ର ଯୋରାମ୍‍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
2KI 9:16 ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍‍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍‍ଙ୍କୁ ଦେଖିବାକୁ ଆସିଥିଲେ।
2KI 9:17 ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍‍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
2KI 9:18 ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
2KI 9:19 ତହୁଁ ଯୋରାମ୍‍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
2KI 9:20 ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍‍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
2KI 9:21 ତେବେ ଯୋରାମ୍‍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍‍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
2KI 9:22 ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
2KI 9:23 ଏଥିରେ ଯୋରାମ୍‍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
2KI 9:24 ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍‍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
2KI 9:25 ତେବେ ଯେହୂ ଆପଣା ସେନାପତି ବିଦ୍‍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍‍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର:
2KI 9:26 ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
2KI 9:27 ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର।” ତହୁଁ ସେମାନେ ଯିବ୍ଲିୟିମ ନିକଟସ୍ଥ ଗୂର୍‍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ। ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ।
2KI 9:28 ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ।
2KI 9:29 ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ରାଜତ୍ଵର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିଥିଲେ।
2KI 9:30 ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍‍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା।
2KI 9:31 ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍‍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?”
2KI 9:32 ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।
2KI 9:33 ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍‍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍‍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।
2KI 9:34 ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”
2KI 9:35 ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
2KI 9:36 ଏହେତୁ ସେମାନେ ଫେରିଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍‍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍‍ର ମାଂସ ଖାଇବେ;
2KI 9:37 ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍‍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍‍ ବୋଲି ଲୋକେ କହିବେ ନାହିଁ।’”
2KI 10:1 ଶମରୀୟାରେ ଆହାବଙ୍କର ସତୁରି ପୁତ୍ର ଥିଲେ। ଏଣୁ ଯେହୂ ଶମରୀୟାରେ ଯିଷ୍ରିୟେଲର ଅଧ୍ୟକ୍ଷଗଣ, ପ୍ରାଚୀନମାନଙ୍କୁ ଓ ଆହାବଙ୍କର ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ, ଯଥା,
2KI 10:2 “ତୁମ୍ଭମାନଙ୍କ ପ୍ରଭୁର ପୁତ୍ରଗଣ ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ପୁଣି ରଥ ଓ ଅଶ୍ୱଗଣ, ମଧ୍ୟ ଏକ ପ୍ରାଚୀର-ବେଷ୍ଟିତ ନଗର ଓ ଅସ୍ତ୍ରଶସ୍ତ୍ର ତୁମ୍ଭମାନଙ୍କର ହସ୍ତଗତ ଅଛି।
2KI 10:3 ଏହେତୁ ତୁମ୍ଭମାନଙ୍କ ନିକଟରେ ଏହି ପତ୍ର ଉପସ୍ଥିତ ହେବା ମାତ୍ରେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରଗଣ ମଧ୍ୟରୁ ସର୍ବାପେକ୍ଷା ଉତ୍ତମ ଓ ଉପଯୁକ୍ତ ଜଣକୁ ବାଛ ଓ ତାହାକୁ ତାହାର ପିତାର ସିଂହାସନରେ ବସାଅ ଓ ତୁମ୍ଭେମାନେ ଆପଣା ପ୍ରଭୁର ବଂଶ ପକ୍ଷରେ ଯୁଦ୍ଧ କର।”
2KI 10:4 ମାତ୍ର ସେମାନେ ଅତିଶୟ ଭୀତ ହୋଇ କହିଲେ, “ଦେଖ, ସେ ଦୁଇ ରାଜା ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ; ତେବେ ଆମ୍ଭେମାନେ କିପରି ଠିଆ ହେବା?”
2KI 10:5 ଏହେତୁ ଗୃହାଧ୍ୟକ୍ଷ ଓ ନଗରାଧ୍ୟକ୍ଷ, ମଧ୍ୟ ପ୍ରାଚୀନମାନେ ଓ ସନ୍ତାନଗଣର ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ ଓ ଆପଣ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିବେ, ଆମ୍ଭେମାନେ ତାହାସବୁ କରିବୁ; ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା ଆପଣ କରନ୍ତୁ।”
2KI 10:6 ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।
2KI 10:7 ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
2KI 10:8 ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
2KI 10:9 ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
2KI 10:10 ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”
2KI 10:11 ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।
2KI 10:12 ଏଥିଉତ୍ତାରେ ଯେହୂ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ। ପୁଣି ସେ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମ-ଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
2KI 10:13 ଯେହୂ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର କଲେ, “ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ।”
2KI 10:14 ଏଥିରେ ଯେହୂ କହିଲେ, “ଏମାନଙ୍କୁ ଜିଅନ୍ତା ଧର।” ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ।
2KI 10:15 ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍‍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍‍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍‍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
2KI 10:16 ପୁଣି ଯେହୂ କହିଲେ, “ମୋʼ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍‍ଯୋଗ ଦେଖ।” ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ।
2KI 10:17 ଏଥିଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ।
2KI 10:18 ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍‍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।
2KI 10:19 ଏହେତୁ ଏବେ ବାଲ୍‍ର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍‍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍‍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ।
2KI 10:20 ଆଉ ଯେହୂ କହିଲେ, “ବାଲ୍‍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ନିରୂପଣ କର।” ତହୁଁ ସେମାନେ ତାହା ଘୋଷଣା କଲେ।
2KI 10:21 ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍‍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଆଉ ଲୋକମାନେ ବାଲ୍‍ର ମନ୍ଦିରକୁ ଆସନ୍ତେ, ବାଲ୍‍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା।
2KI 10:22 ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷଙ୍କୁ କହିଲେ, “ବାଲ୍‍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା।
2KI 10:23 ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍‍ ବାଲ୍‍ ମନ୍ଦିରକୁ ଗଲେ; ଆଉ ସେ ବାଲ୍‍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍‍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”
2KI 10:24 ଏଥିଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ। ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ିଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣର ବଦଳ ହେବ।”
2KI 10:25 ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବା କ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍‍ ମନ୍ଦିରର ଗୃହକୁ ଗଲେ।
2KI 10:26 ପୁଣି ସେମାନେ ବାଲ୍‍ ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।
2KI 10:27 ଆଉ ବାଲ୍‍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।
2KI 10:28 ଏହି ପ୍ରକାରେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍‍କୁ ଉଚ୍ଛିନ୍ନ କଲେ।
2KI 10:29 ତଥାପି ବେଥେଲ୍‍ ଓ ଦାନ୍‍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ୱାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ।
2KI 10:30 ଏଥିଉତ୍ତାରେ ସଦାପ୍ରଭୁ ଯେହୂଙ୍କୁ କହିଲେ, “ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା, ତଦନୁସାରେ ତୁମ୍ଭେ ଆହାବ-ବଂଶ ପ୍ରତି କରିଅଛ, ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।”
2KI 10:31 ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ।
2KI 10:32 ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା;
2KI 10:33 ଯର୍ଦ୍ଦନଠାରୁ ପୂର୍ବ ଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍‍ ଓ ରୁବେନ୍‍ ଓ ମନଃଶି-ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍‍, ଗିଲୀୟଦ ଓ ବାଶନକୁ ଆଘାତ କଲା।
2KI 10:34 ଯେହୂଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ସମସ୍ତ ପରାକ୍ରମ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 10:35 ପୁଣି ଯେହୂଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ। ତହିଁ ଉତ୍ତାରେ ତାଙ୍କର ପୁତ୍ର ଯିହୋୟାହସ୍‍ ତାଙ୍କ ପଦରେ ରାଜ୍ୟ କଲେ।
2KI 10:36 ଶମରୀୟାରେ ଇସ୍ରାଏଲ ଉପରେ ଯେହୂଙ୍କର ରାଜ୍ୟ କରିବାର ସମୟ ଅଠାଇଶ ବର୍ଷ ଥିଲା।
2KI 11:1 ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା।
2KI 11:2 ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶ୍‍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକୁ ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ।
2KI 11:3 ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା।
2KI 11:4 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା।
2KI 11:5 ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ,
2KI 11:6 ଓ ତୃତୀୟାଂଶ ସୂର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ।
2KI 11:7 ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ।
2KI 11:8 ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେକେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”
2KI 11:9 ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ।
2KI 11:10 ତହିଁରେ ଦାଉଦ ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା।
2KI 11:11 ତହୁଁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ।
2KI 11:12 ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”
2KI 11:13 ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଆସିଲା।
2KI 11:14 ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା।
2KI 11:15 ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।”
2KI 11:16 ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା।
2KI 11:17 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା।
2KI 11:18 ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।
2KI 11:19 ପୁଣି ଯିହୋୟାଦା ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ଯୋୟାଶ୍‍ ରାଜସିଂହାସନରେ ଉପବିଷ୍ଟ ହେଲେ।
2KI 11:20 ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।
2KI 11:21 ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।
2KI 12:1 ଯେହୂଙ୍କ ରାଜତ୍ଵର ସପ୍ତମ ବର୍ଷରେ ଯୋୟାଶ୍‍ ରାଜତ୍ୱ କରିବାକୁ ଆରମ୍ଭ କରି ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ସିବୀୟା, ସେ ବେର୍‍ଶେବା ନିବାସିନୀ ଥିଲେ।
2KI 12:2 ଯିହୋୟାଦା ଯାଜକ ଯୋୟାଶ୍‍ଙ୍କୁ ଯେତେ ଦିନ ଶିକ୍ଷା ଦେଲା, ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2KI 12:3 ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
2KI 12:4 ଏଥିଉତ୍ତାରେ ଯୋୟାଶ୍‍ ଯାଜକମାନଙ୍କୁ କହିଲେ, “ପବିତ୍ରୀକୃତ ବସ୍ତୁର ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍‍, ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ,
2KI 12:5 ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”
2KI 12:6 ମାତ୍ର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।
2KI 12:7 ତହିଁରେ ଯୋୟାଶ୍‍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁ ନାହଁ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନ ସ୍ଥାନ ନିମନ୍ତେ ତାହା ସମର୍ପଣ କର।”
2KI 12:8 ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।
2KI 12:9 ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।
2KI 12:10 ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।
2KI 12:11 ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ ସୂତ୍ରଧର ଓ ଗାନ୍ଥକ
2KI 12:12 ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ, ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନଃନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ।
2KI 12:13 ମାତ୍ର ସଦାପ୍ରଭୁଙ୍କ ଗୃହକୁ ଆନୀତ ସେହି ମୁଦ୍ରା ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ଡ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର, କିଅବା ରୌପ୍ୟ ପାତ୍ର ନିର୍ମିତ ହେଲା ନାହିଁ।
2KI 12:14 କାରଣ ସେମାନେ କର୍ମକାରୀମାନଙ୍କୁ ସେହି ମୁଦ୍ରା ଦେଇ ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ପୁନଃନିର୍ମାଣ କଲେ।
2KI 12:15 ମାତ୍ର ସେମାନେ କର୍ମକାରୀମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ମୁଦ୍ରା ସମର୍ପଣ କଲେ, ସେମାନଙ୍କଠାରୁ ହିସାବ ନେଲେ ନାହିଁ; କାରଣ ସେମାନେ ବିଶ୍ୱସ୍ତ ଭାବରେ କର୍ମ କଲେ।
2KI 12:16 ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା।
2KI 12:17 ସେସମୟରେ ଅରାମର ରାଜା ହସାୟେଲ ଯାତ୍ରା କରି ଗାଥ୍‍ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲା; ତହିଁ ଉତ୍ତାରେ ହସାୟେଲ ଯିରୂଶାଲମ ଆଡ଼କୁ ଯିବା ପାଇଁ ମୁଖ କଲା।
2KI 12:18 ତହିଁରେ ଯିହୁଦାର ରାଜା ଯୋୟାଶ୍‍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍‍ ଓ ଯିହୋରାମ୍‍ ଓ ଅହସୀୟ, ଯିହୁଦାର ଏହି ରାଜାମାନଙ୍କ ପ୍ରତିଷ୍ଠିତ ସମସ୍ତ ପବିତ୍ରୀକୃତ ବସ୍ତୁ ଓ ଆପଣାର ପବିତ୍ରୀକୃତ ବସ୍ତୁ ଓ ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ଓ ରାଜଗୃହସ୍ଥ ଭଣ୍ଡାରରେ ପ୍ରାପ୍ତ ସମସ୍ତ ସ୍ୱର୍ଣ୍ଣ ନେଇ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ; ତହୁଁ ସେ ଯିରୂଶାଲମରୁ ବାହାରିଗଲା।
2KI 12:19 ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 12:20 ଏଥିଉତ୍ତାରେ ତାଙ୍କର ଦାସମାନେ ଉଠି ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ଯୋୟାଶ୍‍ଙ୍କୁ ବଧ କଲେ।
2KI 12:21 ଶିମୀୟତର ପୁତ୍ର ଯୋଷାଖର୍‍ ଓ ଶୋମରର ପୁତ୍ର ଯିହୋଷାବଦ୍‍ ନାମକ ତାଙ୍କର ଏହି ଦାସମାନେ ତାଙ୍କୁ ଆଘାତ କରନ୍ତେ, ସେ ମଲେ; ତହିଁରେ ସେମାନେ ଦାଉଦ-ନଗରରେ ଯୋୟାଶ୍‍ଙ୍କୁ ତାଙ୍କର ପିତୃଲୋକଙ୍କ ସହିତ କବର ଦେଲେ; ପୁଣି ତାଙ୍କ ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।
2KI 13:1 ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍‍ଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ।
2KI 13:2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍‍ ତହିଁରୁ ବିମୁଖ ହେଲେ ନାହିଁ।
2KI 13:3 ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍‍ହଦଦ୍‍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ।
2KI 13:4 ପୁଣି ଯିହୋୟାହସ୍‍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଅତ୍ୟାଚାର କଲା, ସେମାନଙ୍କର ସେହି ଅତ୍ୟାଚାର ସେ ଦେଖିଲେ।
2KI 13:5 ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍‍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା।
2KI 13:6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।
2KI 13:7 ତଥାପି ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହି ସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ରହିଲା।
2KI 13:8 ଏହି ଯିହୋୟାହସ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 13:9 ଏଥିଉତ୍ତାରେ ଯିହୋୟାହସ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍‍ ତାଙ୍କର ପଦରେ ରାଜ୍ୟ କଲେ।
2KI 13:10 ଯିହୁଦାର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ୱ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ।
2KI 13:11 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ।
2KI 13:12 ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍‍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 13:13 ଏଥିଉତ୍ତାରେ ଯୋୟାଶ୍‍ ମୃତ୍ୟୁବରଣ କଲେ। ତହିଁରେ ଯାରବୀୟାମ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍‍ ଇସ୍ରାଏଲ ରାଜାମାନଙ୍କ ସହିତ ଶମରୀୟାରେ କବରପ୍ରାପ୍ତ ହେଲେ।
2KI 13:14 ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍‍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”
2KI 13:15 ଏଥିରେ ଇଲୀଶାୟ ତାଙ୍କୁ କହିଲେ, “ଧନୁ ଓ ତୀର ଧର,” ତହୁଁ ସେ ଧନୁ ଓ ତୀର ଧରିଲେ।
2KI 13:16 ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ଧନୁ ଉପରେ ତୁମ୍ଭ ହାତ ଦିଅ,” ତହୁଁ ସେ ତହିଁ ଉପରେ ହାତ ଦେଲେ। ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ।
2KI 13:17 ଆଉ ଇଲୀଶାୟ କହିଲେ, “ପୂର୍ବଆଡ଼ ଝରକା ଫିଟାଅ,” ତହିଁରେ ସେ ତାହା ଫିଟାଇଲେ। ତେବେ ଇଲୀଶାୟ କହିଲେ, “ତୀର ମାର,” ତହିଁରେ ସେ ତୀର ମାରିଲେ। ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ।”
2KI 13:18 ଆହୁରି ସେ କହିଲେ, “ତୀରସବୁ ନିଅ,” ତହିଁରେ ସେ ତାହାସବୁ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର,” ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ।
2KI 13:19 ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, “ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥାʼନ୍ତ; ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାʼନ୍ତ; ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ।”
2KI 13:20 ଏଥିଉତ୍ତାରେ ଇଲୀଶାୟଙ୍କ ମୃତ୍ୟୁୁ ହୁଅନ୍ତେ, ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ।
2KI 13:21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।
2KI 13:22 ଯିହୋୟାହସ୍‍ଙ୍କ ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଅତ୍ୟାଚାର କଲା।
2KI 13:23 ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ।
2KI 13:24 ଏଥିଉତ୍ତାରେ ଅରାମର ରାଜା ହସାୟେଲ ମଲା; ତହୁଁ ତାହାର ପୁତ୍ର ବିନ୍‍ହଦଦ୍‍ ତାହାର ପଦରେ ରାଜ୍ୟ କଲା।
2KI 13:25 ପୁଣି ଯୋୟାଶ୍‍ଙ୍କର ପିତା ଯିହୋୟାହାସ୍‍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ହସାୟେଲର ପୁତ୍ର ବିନ୍‍ହଦଦ୍‍ଠାରୁ ପୁନର୍ବାର ନେଲେ। ଯୋୟାଶ୍‍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ।
2KI 14:1 ଇସ୍ରାଏଲର ରାଜା ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶ୍‍ଙ୍କ ପୁତ୍ର ଅମତ୍‍ସୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 14:2 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିହୋୟଦ୍ଦନ୍‍, ସେ ଯିରୂଶାଲମ ନିବାସିନୀ ଥିଲେ।
2KI 14:3 ପୁଣି ଅମତ୍‍ସୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ନୁହେଁ; ସେ ଆପଣା ପିତା ଯୋୟାଶ୍‍ଙ୍କର କୃତ ସମସ୍ତ କର୍ମାନୁସାରେ କର୍ମ କଲେ।
2KI 14:4 ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
2KI 14:5 ଏଥିଉତ୍ତାରେ ତାଙ୍କ ହସ୍ତରେ ରାଜ୍ୟ ସ୍ଥିର ହେବା ମାତ୍ରେ ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଧ କଲେ।
2KI 14:6 “ମାତ୍ର ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ; କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ;” କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁୁଭୋଗ କରିବ, ମୋଶାଙ୍କର ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ ସେ ସେହି ହତ୍ୟାକାରୀମାନଙ୍କ ସନ୍ତାନଗଣର ପ୍ରାଣଦଣ୍ଡ କଲେ ନାହିଁ।
2KI 14:7 ସେ ଲବଣ ଉପତ୍ୟକାରେ ଇଦୋମର ଦଶ ସହସ୍ର ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ହସ୍ତଗତ କରି ତହିଁର ନାମ ଯକ୍ତେଲ ରଖିଲେ; ତାହା ଆଜି ପର୍ଯ୍ୟନ୍ତ ଅଛି।
2KI 14:8 ସେହି ସମୟରେ ଅମତ୍‍ସୀୟ ବାର୍ତ୍ତାବାହକ ପଠାଇ ଯେହୂଙ୍କର ପୌତ୍ର ଯିହୋୟାହସ୍‍ଙ୍କ ପୁତ୍ର, ଇସ୍ରାଏଲର ରାଜା ଯୋୟାଶ୍‍ଙ୍କୁ କହିଲେ, “ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା।”
2KI 14:9 ତହିଁରେ ଇସ୍ରାଏଲର ରାଜା ଯୋୟାଶ୍‍ ଯିହୁଦାର ରାଜା ଅମତ୍‍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନର କଣ୍ଟକଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ ଦିଅ,’ ଏଥିମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା।
2KI 14:10 ପ୍ରକୃତରେ ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ, ଆଉ ତୁମ୍ଭ ମନ ଗର୍ବିତ ହୋଇଅଛି; ସେହି ଗୌରବ ନେଇ ଘରେ ଥାଅ; ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା, ଦୁହେଁ କାହିଁକି ପତିତ ହେବ?”
2KI 14:11 ମାତ୍ର ଅମତ୍‍ସୀୟ ଶୁଣିଲେ ନାହିଁ। ଏଣୁ ଇସ୍ରାଏଲର ରାଜା ଯୋୟାଶ୍‍ ଗଲେ; ଆଉ ଯିହୁଦାର ଅଧିକାରସ୍ଥ ବେଥ୍-ଶେମଶରେ ସେ ଓ ଯିହୁଦା-ରାଜା ଅମତ୍‍ସୀୟ ପରସ୍ପର ମୁଖ ଦେଖାଦେଖି ହେଲେ।
2KI 14:12 ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।
2KI 14:13 ତହିଁରେ ଇସ୍ରାଏଲର ରାଜା ଯୋୟାଶ୍‍ ବେଥ୍-ଶେମଶରେ ଅହସୀୟଙ୍କର ପୌତ୍ର ଯୋୟାଶ୍‍ଙ୍କର ପୁତ୍ର ଯିହୁଦାର ରାଜା ଅମତ୍‍ସୀୟଙ୍କୁ ଧରି ଯିରୂଶାଲମକୁ ଆସିଲେ ଓ ଇଫ୍ରୟିମ ନଗର-ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ।
2KI 14:14 ପୁଣି ସେ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର, ମଧ୍ୟ ଲୋକମାନଙ୍କୁ ବନ୍ଧକ ରୂପେ ନେଇ ଶମରୀୟାକୁ ଫେରିଗଲେ।
2KI 14:15 ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ ଓ ସେ ଯିହୁଦାର ରାଜା ଅମତ୍‍ସୀୟଙ୍କ ସଙ୍ଗେ କିପ୍ରକାରେ ଯୁଦ୍ଧ କଲେ, ଏସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 14:16 ଏଥିଉତ୍ତାରେ ଯୋୟାଶ୍‍ ମୃତ୍ୟୁବରଣ କଲେ ଓ ଶମରୀୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ପାଇଲେ; ପୁଣି ତାଙ୍କର ପୁତ୍ର ଯାରବୀୟାମ ତାଙ୍କ ପଦରେ ରାଜ୍ୟ କଲେ।
2KI 14:17 ପୁଣି ଇସ୍ରାଏଲର ରାଜା ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ଙ୍କର ମୃତ୍ୟୁୁ ଉତ୍ତାରେ ଯିହୁଦାର ରାଜା ଯୋୟାଶ୍‍ଙ୍କର ପୁତ୍ର ଅମତ୍‍ସୀୟ ପନ୍ଦର ବର୍ଷ ବଞ୍ଚିଲେ।
2KI 14:18 ଏହି ଅମତ୍‍ସୀୟଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 14:19 ଏଥିଉତ୍ତାରେ ଲୋକମାନେ ଯିରୂଶାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ, ତହିଁରେ ସେ ଲାଖୀଶ୍‍କୁ ପଳାଇଲେ। ମାତ୍ର ସେମାନେ ତାଙ୍କ ପଛେ ପଛେ ଲାଖୀଶ୍‍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ।
2KI 14:20 ପୁଣି ସେମାନେ ଅଶ୍ୱମାନଙ୍କ ଉପରେ ରଖି ତାଙ୍କୁ ଆଣିଲେ ତହୁଁ ସେ ଯିରୂଶାଲମରେ ଆପଣା ପିତୃଗଣ ସହିତ ଦାଉଦ-ନଗରରେ କବର ପାଇଲେ।
2KI 14:21 ଏଥିଉତ୍ତାରେ ଯିହୁଦାର ସମସ୍ତ ଲୋକ ଷୋଳ ବର୍ଷ ବୟସ୍କ ଅସରୀୟଙ୍କୁ ନେଇ ତାଙ୍କର ପିତା ଅମତ୍‍ସୀୟଙ୍କ ପଦରେ ରାଜା କଲେ।
2KI 14:22 ରାଜା ଅମତ୍‍ସୀୟଙ୍କ ମୃତ୍ୟୁ ପରେ, ଅସରୀୟ ଏଲତ୍‍ ନଗର ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
2KI 14:23 ଯିହୁଦାର ରାଜା ଯୋୟାଶ୍‍ଙ୍କର ପୁତ୍ର ଅମତ୍‍ସୀୟଙ୍କ ରାଜତ୍ଵର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶ୍‍ଙ୍କର ପୁତ୍ର ଯାରବୀୟାମ ଶମରୀୟାରେ ରାଜତ୍ୱ କରିବାକୁ ଆରମ୍ଭ କରି ଏକଚାଳିଶ ବର୍ଷ ରାଜ୍ୟ କଲେ।
2KI 14:24 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
2KI 14:25 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅମିତ୍ତୟର ପୁତ୍ର ଗାଥ୍‍-ହେଫର ନିବାସୀ ଆପଣା ଦାସ ଯୂନସ ଭବିଷ୍ୟଦ୍‍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଆରବା ସମୁଦ୍ର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ହସ୍ତଗତ କଲେ।
2KI 14:26 କାରଣ ସଦାପ୍ରଭୁ ଦେଖିଲେ ଯେ, ଇସ୍ରାଏଲର ଦୁଃଖ ଅତ୍ୟନ୍ତ ତିକ୍ତ; ଯେଣୁ ବନ୍ଦୀ କି ମୁକ୍ତ କେହି ନ ଥିଲେ, କିଅବା ଇସ୍ରାଏଲର ସାହାଯ୍ୟକାରୀ କେହି ନ ଥିଲା।
2KI 14:27 ମାତ୍ର ସଦାପ୍ରଭୁ ଆକାଶମଣ୍ଡଳ ତଳୁ ଇସ୍ରାଏଲର ନାମ ଲୋପ କରିବାକୁ କହିଲେ ନାହିଁ; ଏଣୁ ସେ ଯୋୟାଶ୍‍ଙ୍କର ପୁତ୍ର ଯାରବୀୟାମଙ୍କ ହସ୍ତ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
2KI 14:28 ଏହି ଯାରବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ, ସେ କିପ୍ରକାରେ ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପ୍ରକାରେ ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ହସ୍ତଗତ କଲେ, ଏସବୁ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 14:29 ଏଥିଉତ୍ତାରେ ଯାରବୀୟାମଙ୍କ ମୃତ୍ୟୁ ପରେ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବରପ୍ରାପ୍ତ ହେଲେ; ପୁଣି ତାଙ୍କର ପୁତ୍ର ଜିଖରୀୟ ତାଙ୍କ ପଦରେ ରାଜ୍ୟ କଲେ।
2KI 15:1 ଇସ୍ରାଏଲର ରାଜା ଯାରବୀୟାମଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍‍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 15:2 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
2KI 15:3 ପୁଣି ସେ ଆପଣା ପିତା ଅମତ୍‍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2KI 15:4 ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
2KI 15:5 ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍‍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
2KI 15:6 ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 15:7 ଏଥିଉତ୍ତାରେ ଅସରୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ତାଙ୍କର ପଦରେ ରାଜ୍ୟ କଲେ।
2KI 15:8 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଯାରବୀୟାମଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ।
2KI 15:9 ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
2KI 15:10 ଆଉ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓ ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
2KI 15:11 ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
2KI 15:12 ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, “ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।” ଆଉ ସେହିପରି ହେଲା।
2KI 15:13 ଯିହୁଦାର ରାଜା ଉଷୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ ରାଜତ୍ୱ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ।
2KI 15:14 ଆଉ ଗାଦିର ପୁତ୍ର ମନହେମ୍‍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ।
2KI 15:15 ଏହି ଶଲ୍ଲୁମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
2KI 15:16 ଏଥିଉତ୍ତାରେ ମନହେମ୍‍ ତିର୍ସାଠାରୁ, ତିପ୍ସହ ଓ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ। ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ ନ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ।
2KI 15:17 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍‍ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ।
2KI 15:18 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ।
2KI 15:19 ଅଶୂରର ରାଜା ପୂଲ୍‍ ଦେଶର ବିରୁଦ୍ଧରେ ଆସନ୍ତେ, ମନହେମ୍‍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍‍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳନ୍ତ ରୂପା ଦେଲେ।
2KI 15:20 ପୁଣି ମନହେମ୍‍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍‍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଓ ଦେଶର ସେସ୍ଥାନରେ ରହିଲା ନାହିଁ।
2KI 15:21 ଏହି ମନହେମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 15:22 ଏଥିଉତ୍ତାରେ ମନହେମ୍‍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ।
2KI 15:23 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍‍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
2KI 15:24 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ।
2KI 15:25 ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ। ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
2KI 15:26 ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।
2KI 15:27 ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ।
2KI 15:28 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସବୁ ପାପରୁ ସେ ବିମୁଖ ହେଲେ ନାହିଁ।
2KI 15:29 ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍‍-ପିଲେସର୍ ଆସି ଇୟୋନ୍‍ ଓ ଆବେଲ୍‍-ବେଥ୍-ମାଖା ଓ ଯାନୋହ ଓ କେଦଶ ଓ ହାସୋର ଓ ଗିଲୀୟଦ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।
2KI 15:30 ଏଥିଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍‍ଙ୍କ ରାଜତ୍ଵର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ।
2KI 15:31 ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି।
2KI 15:32 ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍‍ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 15:33 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ।
2KI 15:34 ଯୋଥମ୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ।
2KI 15:35 ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ।
2KI 15:36 ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 15:37 ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ଓ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ।
2KI 15:38 ଏଥିଉତ୍ତାରେ ଯୋଥମ୍‍ ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।
2KI 16:1 ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ସତର ବର୍ଷରେ ଯିହୁଦାର ରାଜା ଯୋଥମ୍‍ଙ୍କର ପୁତ୍ର ଆହସ୍‌ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 16:2 ଆହସ୍‌ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
2KI 16:3 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ।
2KI 16:4 ପୁଣି ସେ ଉଚ୍ଚସ୍ଥଳୀମାନରେ ଓ ପର୍ବତଗଣ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
2KI 16:5 ସେତେବେଳେ ଅରାମର ରାଜା ରତ୍ସୀନ ଓ ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହ ଯୁଦ୍ଧ କରିବା ପାଇଁ ଯିରୂଶାଲମକୁ ଆସିଲେ। ପୁଣି ସେମାନେ ଆହସ୍‌ଙ୍କୁ ଅବରୋଧ କଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ।
2KI 16:6 ସେହି ସମୟରେ ଅରାମର ରାଜା ରତ୍ସୀନ, ଏଲତ୍‍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀୟମାନଙ୍କୁ ଏଲତ୍‍ରୁ ତଡ଼ିଦେଲା। ତହିଁରେ ଅରାମୀୟମାନେ ଏଲତ୍‍କୁ ଆସି ଆଜି ପର୍ଯ୍ୟନ୍ତ ସେଠାରେ ବାସ କରୁଅଛନ୍ତି।
2KI 16:7 ଏଥିରେ ଆହସ୍‌ ଅଶୂରର ରାଜା ତିଗ୍ଲାତ୍‍-ପିଲେସର୍ ନିକଟକୁ ଦୂତଗଣ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ତୁମ୍ଭର ପୁତ୍ର; ଆସ, ଅରାମର ରାଜା ହସ୍ତରୁ ଓ ଇସ୍ରାଏଲର ରାଜା ହସ୍ତରୁ ମୋତେ ଉଦ୍ଧାର କର, ଏମାନେ ମୋʼ ବିରୁଦ୍ଧରେ ଉଠୁଅଛନ୍ତି।”
2KI 16:8 ପୁଣି ଆହସ୍‌ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରରେ ପ୍ରାପ୍ତ ସୁନା ଓ ରୂପା ନେଇ ଅଶୂରର ରାଜା ନିକଟକୁ ଦର୍ଶନୀ ରୂପେ ପଠାଇଲେ।
2KI 16:9 ତହିଁରେ ଅଶୂରର ରାଜା ତାଙ୍କର କଥାରେ ମନୋଯୋଗ କଲା; ପୁଣି ଅଶୂରର ରାଜା ଦମ୍ମେଶକ ବିରୁଦ୍ଧରେ ଯାଇ ତାହା ହସ୍ତଗତ କରି ତହିଁର ଲୋକମାନଙ୍କୁ ବନ୍ଦୀ କରି କୀର୍‍ ନଗରକୁ ନେଇଗଲା ଓ ରତ୍ସୀନକୁ ବଧ କଲା।
2KI 16:10 ଏଥିଉତ୍ତାରେ ଆହସ୍‌ ରାଜା ଅଶୂରର ରାଜା ତିଗ୍ଲାତ୍‍-ପିଲେସର୍‌କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ୍‌ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ।
2KI 16:11 ତହୁଁ ଊରୀୟ ଯାଜକ ଏକ ଯଜ୍ଞବେଦି ନିର୍ମାଣ କଲା; ଆହସ୍‌ ରାଜା ଦମ୍ମେଶକରୁ ଯାହା ଯାହା ପଠାଇଥିଲେ, ତଦନୁସାରେ ଆହସ୍‌ ରାଜା ଦମ୍ମେଶକରୁ ଆସିବା ପୂର୍ବେ ଊରୀୟ ଯାଜକ ସକଳ କର୍ମ କଲା।
2KI 16:12 ପୁଣି ରାଜା ଦମ୍ମେଶକରୁ ଆସିଲା ଉତ୍ତାରେ ରାଜା ସେହି ଯଜ୍ଞବେଦି ଦେଖିଲେ; ଆଉ ରାଜା ସେହି ଯଜ୍ଞବେଦି ନିକଟକୁ ଯାଇ ତହିଁ ଉପରେ ବଳିଦାନ କଲେ।
2KI 16:13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଦଗ୍ଧ କରି ଓ ଆପଣା ପେୟ-ନୈବେଦ୍ୟ ଢାଳି ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିଲେ।
2KI 16:14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦିକୁ ମନ୍ଦିରର ସମ୍ମୁଖରୁ, ଅର୍ଥାତ୍‍, ଆପଣା ଯଜ୍ଞବେଦି ଓ ସଦାପ୍ରଭୁଙ୍କ ଗୃହର ମଧ୍ୟସ୍ଥାନରୁ ତାହା ଆଣି ଆପଣା ଯଜ୍ଞବେଦିର ଉତ୍ତର ଭାଗରେ ସ୍ଥାପନ କଲେ।
2KI 16:15 ଆହୁରି ଆହସ୍‌ ରାଜା ଊରୀୟ ଯାଜକକୁ ଆଜ୍ଞା ଦେଇ କହିଲେ, “ପ୍ରଭାତୀୟ ହୋମବଳି ଓ ସାୟଂକାଳୀନ ଭକ୍ଷ୍ୟ ନୈବେଦ୍ୟ ଓ ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ପୁଣି ଦେଶସ୍ଥ ସମଗ୍ର ଲୋକଙ୍କ ହୋମବଳି ଓ ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ଦଗ୍ଧ କର ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ବଳିଦାନର ସବୁ ରକ୍ତ ଛିଞ୍ଚି ଦିଅ; ମାତ୍ର ପ୍ରଶ୍ନକରଣାର୍ଥେ ପିତ୍ତଳ ଯଜ୍ଞବେଦି ମୋʼ ପାଇଁ ରହିବ।”
2KI 16:16 ଏହିରୂପେ ଊରୀୟ ଯାଜକ ଆହସ୍‌ ରାଜାଙ୍କର ଆଜ୍ଞା ପ୍ରମାଣେ ସବୁ କର୍ମ କଲା।
2KI 16:17 ପୁଣି ଆହସ୍‌ ରାଜା ବୈଠିକିମାନର ମଧ୍ୟଦେଶ କାଟି ତହିଁରୁ ପ୍ରକ୍ଷାଳନ-ପାତ୍ର ସ୍ଥାନାନ୍ତର କଲେ; ଆଉ ସମୁଦ୍ରରୂପ ପାତ୍ର ତଳେ ଯେଉଁ ଯେଉଁ ପିତ୍ତଳମୟ ଗୋରୁ ଥିଲା, ସେ ସବୁର ଉପରୁ ତାହା ନେଇ ପଥର ଚଟାଣ ଉପରେ ରଖିଲେ।
2KI 16:18 ଆଉ ସେମାନେ ବିଶ୍ରାମବାର ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ଯେଉଁ ବର୍ହିଦ୍ୱାର କରିଥିଲେ, ତାହା ସେ ଅଶୂରର ରାଜାର ଭୟରେ ସଦାପ୍ରଭୁଙ୍କ ମନ୍ଦିର ଆଡ଼କୁ ଫେରାଇଲେ।
2KI 16:19 ଏହି ଆହସ୍‌ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 16:20 ଏଥିଉତ୍ତାରେ ଆହସ୍‌ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ। ତହୁଁ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
2KI 17:1 ଯିହୁଦାର ରାଜା ଆହସ୍‌ଙ୍କ ରାଜତ୍ଵର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ନଅ ବର୍ଷ ରାଜ୍ୟ କଲେ।
2KI 17:2 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ମାତ୍ର ଆପଣା ପୂର୍ବବର୍ତ୍ତୀ ଇସ୍ରାଏଲ ରାଜାମାନଙ୍କ ତୁଲ୍ୟ ନୁହେଁ।
2KI 17:3 ତାଙ୍କ ବିରୁଦ୍ଧରେ ଅଶୂରର ରାଜା ଶଲ୍‍ମନେଷର ଆସିଲା; ତହିଁରେ ହୋଶେୟ ତାହାର ଦାସ ହେଲେ ଓ ତାହା ନିକଟକୁ ଦର୍ଶନୀ ଆଣିଲେ।
2KI 17:4 ଏଥିଉତ୍ତାରେ ଅଶୂରର ରାଜା ହୋଶେୟଙ୍କଠାରେ ଚକ୍ରାନ୍ତ ଭାବ ଦେଖିଲା; କାରଣ ସେ ମିସରର ସୋ ରାଜା ନିକଟକୁ ଦୂତଗଣ ପଠାଇଲେ, ପୁଣି ଅଶୂରର ରାଜାକୁ ଯେପରି ବର୍ଷକୁ ବର୍ଷ ଦର୍ଶନୀ ଦେଉଥିଲେ, ସେପରି ଆଉ ଦେଲେ ନାହିଁ; ଏଣୁ ଅଶୂରର ରାଜା ତାଙ୍କୁ ରୁଦ୍ଧ କରି କାରାଗାରରେ ବନ୍ଦ କଲା।
2KI 17:5 ତହିଁରେ ଅଶୂରର ରାଜା ସମସ୍ତ ଦେଶ ଆକ୍ରମଣ କଲା ଓ ଶମରୀୟାକୁ ଯାଇ ତାହା ତିନି ବର୍ଷ ପର୍ଯ୍ୟନ୍ତ ଅବରୋଧ କଲା।
2KI 17:6 ହୋଶେୟଙ୍କ ରାଜତ୍ଵର ନବମ ବର୍ଷରେ ଅଶୂରର ରାଜା ଶମରୀୟା ହସ୍ତଗତ କଲା ଓ ଇସ୍ରାଏଲକୁ ଅଶୂରକୁ ନେଇଯାଇ ହଲହରେ ଓ ହାବୋରରେ ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ରଖିଲା।
2KI 17:7 ଏଥିର କାରଣ ଏହି, ଇସ୍ରାଏଲ-ସନ୍ତାନଗଣର ଯେଉଁ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ, ଅର୍ଥାତ୍‍, ମିସରୀୟ ରାଜା ଫାରୋର ହସ୍ତାଧୀନରୁ ବାହାର କରି ଆଣିଥିଲେ, ତାହାଙ୍କ ବିରୁଦ୍ଧରେ ସେମାନେ ପାପ କରି ଅନ୍ୟ ଦେବଗଣକୁ ଭୟ କଲେ,
2KI 17:8 ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଓ ଇସ୍ରାଏଲ ରାଜାମାନଙ୍କ ସ୍ଥାପିତ ବିଧିରେ ଚାଲିଲେ।
2KI 17:9 ଆହୁରି ଇସ୍ରାଏଲ-ସନ୍ତାନଗଣ ଗୋପନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ଅଯଥାର୍ଥ କର୍ମ କଲେ ଓ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର-ବେଷ୍ଟିତ ନଗର ପର୍ଯ୍ୟନ୍ତ ଆପଣାମାନଙ୍କ ସକଳ ନଗରରେ ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କଲେ।
2KI 17:10 ଆଉ ସେମାନେ ଆପଣାମାନଙ୍କ ପାଇଁ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ମୂଳେ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ।
2KI 17:11 ପୁଣି ସେଠାସ୍ଥିତ ସକଳ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କ ସମ୍ମୁଖରୁ ଦୂରୀକୃତ ଅନ୍ୟ ଦେଶୀୟମାନଙ୍କ ତୁଲ୍ୟ ସେମାନେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଦୁଷ୍କର୍ମ କଲେ।
2KI 17:12 ପୁଣି “ତୁମ୍ଭେମାନେ ଏହି କର୍ମ କରିବ ନାହିଁ।” ବୋଲି ସଦାପ୍ରଭୁ ଯେଉଁ ଦେବତାମାନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ସେବା କଲେ।
2KI 17:13 ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍‍ବକ୍ତା ଓ ପ୍ରତ୍ୟେକ ଦର୍ଶକ ଦ୍ୱାରା ଇସ୍ରାଏଲ ପ୍ରତି ଓ ଯିହୁଦା ପ୍ରତି ସାକ୍ଷ୍ୟ ଦେଇ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ କୁପଥରୁ ଫେର, ଆଉ ଆମ୍ଭେ ତୁମ୍ଭମାନଙ୍କ ପିତୃଲୋକଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛୁ ଓ ଯାହା ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କ ହସ୍ତ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ଆମ୍ଭର ଆଜ୍ଞା ଓ ବିଧିସବୁ ପାଳନ କର।”
2KI 17:14 ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ।
2KI 17:15 ପୁଣି ସେମାନେ ତାହାଙ୍କର ବିଧି ଓ ସେମାନଙ୍କ ପିତୃଗଣ ସହିତ କୃତ ତାହାଙ୍କର ନିୟମ ଓ ସେମାନଙ୍କ ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ଆଉ ସେମାନେ ଅସାରତାର ଅନୁଗାମୀ ହୋଇ ଅସାର ହେଲେ ଓ ସଦାପ୍ରଭୁ ଯେଉଁମାନଙ୍କ ତୁଲ୍ୟ କର୍ମ ନ କରିବାକୁ ସେମାନଙ୍କୁ ଆଜ୍ଞା ଦେଇଥିଲେ; ଆପଣାମାନଙ୍କ ଚତୁର୍ଦ୍ଦିଗସ୍ଥ ସେହି ଅନ୍ୟଦେଶୀୟମାନଙ୍କର ପଶ୍ଚାଦ୍‍ଗାମୀ ହେଲେ।
2KI 17:16 ପୁଣି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ସକଳ ଆଜ୍ଞା ତ୍ୟାଗ କଲେ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ପ୍ରତିମା, ଅର୍ଥାତ୍‍, ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଆଉ ଆକାଶସ୍ଥ ବାହିନୀ ସକଳକୁ ପ୍ରଣାମ କଲେ ଓ ବାଲ୍‍ର ସେବା କଲେ।
2KI 17:17 ପୁଣି ସେମାନେ ଆପଣାମାନଙ୍କ ପୁତ୍ରକନ୍ୟାଗଣକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ, ପୁଣି ମନ୍ତ୍ର ଓ ଗଣକତା ବ୍ୟବହାର କଲେ, ଆଉ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ଆପଣାମାନଙ୍କୁ ବିକ୍ରୟ କଲେ।
2KI 17:18 ଏହେତୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତିଶୟ କ୍ରୁଦ୍ଧ ହେଲେ ଓ ସେମାନଙ୍କୁ ଆପଣା ଦୃଷ୍ଟିରୁ ଦୂର କଲେ। କେବଳ ଯିହୁଦା-ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲା ନାହିଁ।
2KI 17:19 ଯିହୁଦା ମଧ୍ୟ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଆଜ୍ଞାସବୁ ପ୍ରତିପାଳନ କଲେ ନାହିଁ, ମାତ୍ର ଇସ୍ରାଏଲର କୃତ ବିଧିରେ ଚାଲିଲେ।
2KI 17:20 ଏଣୁ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ବଂଶକୁ ଅଗ୍ରାହ୍ୟ କଲେ ଓ ସେମାନଙ୍କୁ କ୍ଳେଶ ଦେଲେ ଓ ଆପଣା ଦୃଷ୍ଟିରୁ ସେମାନଙ୍କୁ ଦୂର ନ କରିବା ପର୍ଯ୍ୟନ୍ତ ଲୁଟକାରୀମାନଙ୍କ ହସ୍ତରେ ସମର୍ପଣ କଲେ।
2KI 17:21 କାରଣ ସେ ଦାଉଦ ବଂଶରୁ ଇସ୍ରାଏଲକୁ ଛିନ୍ନ କଲେ; ଆଉ ସେମାନେ ନବାଟର ପୁତ୍ର ଯାରବୀୟାମଙ୍କୁ ରାଜା କଲେ ଓ ଯାରବୀୟାମ ଇସ୍ରାଏଲକୁ ସଦାପ୍ରଭୁଙ୍କ ଅନୁଗମନରୁ ତଡ଼ିଦେଇ ସେମାନଙ୍କୁ ଏକ ମହାପାପ କରାଇଲେ।
2KI 17:22 ପୁଣି ଇସ୍ରାଏଲ-ସନ୍ତାନଗଣ ଯାରବୀୟାମଙ୍କ କୃତ ସମସ୍ତ ପାପରେ ଚାଲିଲେ; ସେମାନେ ତହିଁରୁ ବିମୁଖ ହେଲେ ନାହିଁ।
2KI 17:23 ଶେଷରେ ସଦାପ୍ରଭୁ ଆପଣାର ସମସ୍ତ ସେବକ ଭବିଷ୍ୟଦ୍‍ବକ୍ତାଙ୍କ ହସ୍ତରେ ଯେପରି କହିଥିଲେ, ତଦନୁସାରେ ସେ ଆପଣା ଦୃଷ୍ଟିରୁ ଇସ୍ରାଏଲକୁ ଦୂର କଲେ। ତେଣୁ ଇସ୍ରାଏଲ ଆପଣାମାନଙ୍କ ଦେଶରୁ ଅଶୂରକୁ ନିଆଗଲେ ଓ ଆଜି ପର୍ଯ୍ୟନ୍ତ ସେଠାରେ ଅଛନ୍ତି।
2KI 17:24 ଏଥିଉତ୍ତାରେ ଅଶୂରର ରାଜା, ବାବିଲ ଓ କୂଥା ଓ ଅବ୍ଦା ଓ ହମାତ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲ-ସନ୍ତାନଗଣ ବଦଳେ ଶମରୀୟାର ନାନା ନଗରରେ ସେମାନଙ୍କୁ ସ୍ଥାପନ କଲା; ତହୁଁ ସେମାନେ ଶମରୀୟା ଅଧିକାର କରି ତହିଁର ନାନା ନଗରରେ ବାସ କଲେ।
2KI 17:25 ସେଠାରେ ସେମାନେ ଆପଣାମାନଙ୍କ ବସତିର ଆରମ୍ଭରେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ଏହେତୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ସିଂହଗଣ ପଠାଇଲେ ଓ ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ।
2KI 17:26 ଏଥିସକାଶୁ ସେମାନେ ଅଶୂରର ରାଜାକୁ କହିଲେ, ଆପଣ ଯେଉଁ ଗୋଷ୍ଠୀୟମାନଙ୍କୁ ନେଇ ଶମରୀୟାର ନଗରମାନରେ ସ୍ଥାପନ କରିଅଛନ୍ତି; ସେମାନେ ଏ ଦେଶୀୟ ଦେବତାର ରୀତି ଜାଣନ୍ତି ନାହିଁ। ଏଥିପାଇଁ ସେ ସେମାନଙ୍କ ମଧ୍ୟକୁ ସିଂହଗଣ ପଠାଇଅଛନ୍ତି, ଆଉ ଦେଖନ୍ତୁ, ସେମାନେ ଲୋକମାନଙ୍କୁ ବଧ କରୁଅଛନ୍ତି, କାରଣ ଲୋକମାନେ ଏ ଦେଶୀୟ ଦେବତାର ରୀତି ଜାଣନ୍ତି ନାହିଁ।
2KI 17:27 ଏଥିରେ ଅଶୂରର ରାଜା ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ଆଣିଅଛ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାକୁ ନେଇଯାଅ। ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେହି ଯାଜକ ସେଦେଶୀୟ ଦେବତାର ରୀତି ଲୋକମାନଙ୍କୁ ଶିଖାଉ।”
2KI 17:28 ତହିଁରେ ସେମାନେ ଯେଉଁ ଯାଜକମାନଙ୍କୁ ଶମରୀୟାରୁ ନେଇ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ବେଥେଲ୍‍ରେ ବାସ କଲା ଓ କିପ୍ରକାରେ ସଦାପ୍ରଭୁଙ୍କୁ ଭୟ କରିବା କର୍ତ୍ତବ୍ୟ, ତାହା ସେମାନଙ୍କୁ ଶିଖାଇଲା।
2KI 17:29 ତଥାପି ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣାର ଦେବତା ନିର୍ମାଣ କଲେ ଓ ଶମରୀୟ ଲୋକମାନେ ଉଚ୍ଚସ୍ଥଳୀମାନରେ ଯେସବୁ ଗୃହ ନିର୍ମାଣ କରିଥିଲେ; ତହିଁ ମଧ୍ୟରେ ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ନିବାସ-ନଗରରେ ଆପଣା ଆପଣାର ଦେବତା ସ୍ଥାପନ କଲେ।
2KI 17:30 ପୁଣି ବାବିଲୀୟ ଲୋକମାନେ ସୁକ୍କୋତ୍‍ ବନୋତ୍‍ ନିର୍ମାଣ କଲେ, ଓ କୂଥୀୟ ଲୋକମାନେ ନେର୍ଗଲ ନିର୍ମାଣ କଲେ, ଓ ହମାତୀୟ ଲୋକମାନେ ଅଶୀମା ନିର୍ମାଣ କଲେ,
2KI 17:31 ଓ ଅବ୍ବୀୟ ଲୋକମାନେ ନିଭସ୍‍ ଓ ତର୍ତ୍ତକ୍‍ ନିର୍ମାଣ କଲେ, ଓ ସଫର୍ବୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍‍ ଓ ଅନମ୍ମେଲକ୍‍ ଦେବତାମାନଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ସନ୍ତାନମାନଙ୍କୁ ଅଗ୍ନିରେ ଦଗ୍ଧ କଲେ।
2KI 17:32 ଏହିରୂପେ ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଭୟ କଲେ ଏବଂ ଆପଣାମାନଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉଚ୍ଚସ୍ଥଳୀ ସବୁର ଯାଜକମାନଙ୍କୁ ମଧ୍ୟ ନିଯୁକ୍ତ କଲେ। ସେମାନେ ସେମାନଙ୍କ ନିମନ୍ତେ ଉଚ୍ଚସ୍ଥଳୀର ଗୃହସବୁରେ ବଳିଦାନ କଲେ।
2KI 17:33 ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଭୟ କଲେ, ପୁଣି ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନେ ନୀତ ହୋଇଥିଲେ, ସେମାନଙ୍କ ରୀତି ଅନୁସାରେ ଆପଣା ଆପଣା ଦେବତାମାନଙ୍କର ମଧ୍ୟ ସେବା କଲେ।
2KI 17:34 ସେମାନେ ଆଜି ପର୍ଯ୍ୟନ୍ତ ପୂର୍ବ ରୀତି ଅନୁସାରେ କରୁଅଛନ୍ତି; ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି, କିଅବା ସଦାପ୍ରଭୁ ଯେଉଁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ, ତାଙ୍କ ସନ୍ତାନଗଣର ସେମାନଙ୍କର ବିଧି ଅନୁସାରେ ଓ ସେମାନଙ୍କ ଶାସନାନୁସାରେ ଓ ସେମାନଙ୍କୁ ଦତ୍ତ ତାହାଙ୍କର ବ୍ୟବସ୍ଥା ଓ ଆଜ୍ଞାନୁସାରେ କରୁ ନାହାନ୍ତି।
2KI 17:35 ସେହି ଯାକୁବ ସନ୍ତାନଗଣ ସଙ୍ଗେ ସଦାପ୍ରଭୁ ଏକ ନିୟମ କରି ସେମାନଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ ଅନ୍ୟ ଦେବଗଣକୁ ଭୟ କରିବ ନାହିଁ କି ସେମାନଙ୍କୁ ପ୍ରଣାମ କରିବ ନାହିଁ, କିଅବା ସେମାନଙ୍କର ସେବା କରି ସେମାନଙ୍କ ନିକଟରେ ବଳିଦାନ କରିବ ନାହିଁ;
2KI 17:36 ମାତ୍ର ଯେ ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ତୁମ୍ଭେମାନେ ଭୟ କରିବ ଓ ତାହାଙ୍କୁ ପ୍ରଣାମ କରିବ ଓ ତାହାଙ୍କ ନିକଟରେ ବଳିଦାନ କରିବ।
2KI 17:37 ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେ ଯେ ବିଧି, ଶାସନ, ବ୍ୟବସ୍ଥା ଓ ଆଜ୍ଞା ଲେଖିଅଛନ୍ତି, ତୁମ୍ଭେମାନେ ସଦାକାଳ ତାହା ପାଳନ କରିବାକୁ ମନୋଯୋଗ କରିବ; ଆଉ ତୁମ୍ଭେମାନେ ବିଦେଶୀୟ ଦେବତାଗଣକୁ ଭୟ କରିବ ନାହିଁ।
2KI 17:38 ପୁଣି ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ଯେଉଁ ନିୟମ କରିଅଛୁ, ତାହା ପାସୋରିବ ନାହିଁ କିଅବା ବିଦେଶୀୟ ଦେବତାଗଣକୁ ତୁମ୍ଭେମାନେ ଭୟ କରିବ ନାହିଁ।
2KI 17:39 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ ଭୟ କରିବ; ଆଉ ସେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।”
2KI 17:40 ତଥାପି ସେମାନେ ତାହା ଶୁଣିଲେ ନାହିଁ ଓ ଆପଣାମାନଙ୍କ ପୂର୍ବ ରୀତି ଅନୁସାରେ କର୍ମ କଲେ।
2KI 17:41 ଏହିରୂପେ ଉକ୍ତ ଗୋଷ୍ଠୀୟମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ଆପଣାମାନଙ୍କ ଖୋଦିତ ପ୍ରତିମାଗଣର ସେବା କଲେ; ସେମାନଙ୍କର ସନ୍ତାନଗଣ ଓ ସେମାନଙ୍କ ସନ୍ତାନଗଣର ସନ୍ତାନଗଣ ମଧ୍ୟ ଆପଣାମାନଙ୍କ ପୂର୍ବପୁରୁଷମାନଙ୍କ ତୁଲ୍ୟ ଆଜି ପର୍ଯ୍ୟନ୍ତ କରୁଅଛନ୍ତି।
2KI 18:1 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର ହୋଶେୟଙ୍କ ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ରାଜା ଆହସ୍‌ଙ୍କର ପୁତ୍ର ହିଜକୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।
2KI 18:2 ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅବୀ, ସେ ଜିଖରୀୟଙ୍କ କନ୍ୟା ଥିଲେ।
2KI 18:3 ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2KI 18:4 ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ-ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ।
2KI 18:5 ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ, ତାଙ୍କର ପରବର୍ତ୍ତୀ ଯିହୁଦାର ସମସ୍ତ ରାଜାଙ୍କ ମଧ୍ୟରେ କେହି ତାଙ୍କ ପରି ନ ଥିଲେ, କିଅବା ତାଙ୍କର ପୂର୍ବବର୍ତ୍ତୀମାନଙ୍କ ମଧ୍ୟରେ କେହି ନ ଥିଲେ।
2KI 18:6 କାରଣ ସେ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେଲେ, ସେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ, ଆଉ ସଦାପ୍ରଭୁ ମୋଶାଙ୍କୁ ଯାହା ଆଜ୍ଞା କରିଥିଲେ, ତାହାଙ୍କର ସେସବୁ ଆଜ୍ଞା ସେ ପାଳନ କଲେ।
2KI 18:7 ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; ସେ ଯେକୌଣସି ଆଡ଼େ ଗଲେ, ସେଆଡ଼େ କୁଶଳ ପ୍ରାପ୍ତ ହେଲେ। ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ।
2KI 18:8 ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର-ବେଷ୍ଟିତ ନଗର ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ସଂହାର କଲେ।
2KI 18:9 ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ଅର୍ଥାତ୍‍, ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ଵର ସପ୍ତମ ବର୍ଷରେ ଅଶୂରର ରାଜା ଶଲ୍‍ମନେଷର ଶମରୀୟା ପ୍ରତିକୂଳରେ ଆସି ତାହା ଅବରୋଧ କଲା।
2KI 18:10 ପୁଣି ତିନି ବର୍ଷର ଶେଷରେ ସେମାନେ ତାହା ହସ୍ତଗତ କଲେ; ହିଜକୀୟଙ୍କ ରାଜତ୍ଵର ଷଷ୍ଠ ବର୍ଷରେ, ଅର୍ଥାତ୍‍, ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ଵର ନବମ ବର୍ଷରେ ଶମରୀୟା ହସ୍ତଗତ କରାଗଲା।
2KI 18:11 ଏଥିଉତ୍ତାରେ ଅଶୂରର ରାଜା ଇସ୍ରାଏଲକୁ ଅଶୂରକୁ ନେଇଯାଇ ହଲହରେ ଓ ହାବୋରରେ, ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ସେମାନଙ୍କୁ ରଖିଲା।
2KI 18:12 କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କଲେ ନାହିଁ, ମାତ୍ର ତାହାଙ୍କ ନିୟମ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞାଲଙ୍ଘନ କଲେ ଓ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
2KI 18:13 ଏଥିଉତ୍ତାରେ ହିଜକୀୟ ରାଜାଙ୍କ ରାଜତ୍ଵର ଚଉଦ ବର୍ଷରେ ଅଶୂରର ରାଜା ସନ୍‍‌‌ହେରୀବ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।
2KI 18:14 ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍‍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋʼ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋʼ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନି ଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା।
2KI 18:15 ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।
2KI 18:16 ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।
2KI 18:17 ଏଥିଉତ୍ତାରେ ଅଶୂରର ରାଜା ଲାଖୀଶ୍‍ଠାରୁ ତର୍ତ୍ତାନ ଓ ରବ୍‍ସାରୀସ୍‍ ଓ ରବ୍‍ଶାକିକୁ ମହାସୈନ୍ୟ ସହିତ ଯିରୂଶାଲମକୁ ହିଜକୀୟ ରାଜାଙ୍କ ନିକଟକୁ ପଠାଇଲା। ତହୁଁ ସେମାନେ ଯାତ୍ରା କରି ଯିରୂଶାଲମକୁ ଆସିଲେ। ଆଉ ସେଠାରେ ଉପସ୍ଥିତ ହୁଅନ୍ତେ, ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
2KI 18:18 ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।
2KI 18:19 ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ “ହିଜକୀୟଙ୍କୁ କୁହ, ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ‘ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?
2KI 18:20 ଯୁଦ୍ଧ କରିବା ପାଇଁ ମନ୍ତ୍ରଣା ଓ ବଳ ଅଛି ବୋଲି ତୁମ୍ଭେ କହୁଅଛ, ମାତ୍ର ତାହା କେବଳ ବୃଥା କଥା। ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?
2KI 18:21 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
2KI 18:22 ମାତ୍ର ଯେବେ ତୁମ୍ଭେମାନେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଯିରୂଶାଲମରେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି?’
2KI 18:23 ଏବେ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯେବେ ତୁମ୍ଭେ ପାର, ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
2KI 18:24 ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ଫେରାଇ ଦେଇ ପାରିବ? କିପରି ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରୁଅଛ?
2KI 18:25 ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”
2KI 18:26 ଏଥିରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ଓ ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ। ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କହନ୍ତୁ।”
2KI 18:27 ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”
2KI 18:28 ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।
2KI 18:29 ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ନ ଦିଅ; କାରଣ ସେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।
2KI 18:30 କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ନ ଜନ୍ମାଉ।
2KI 18:31 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର।
2KI 18:32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶ, ଆଉ ତୈଳଜୀତ ଓ ମଧୁମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ତୁମ୍ଭମାନଙ୍କୁ ମଣାଇଲେ, ତାହାର କଥା ତୁମ୍ଭେମାନେ ଶୁଣ ନାହିଁ।
2KI 18:33 ନାନା ଗୋଷ୍ଠୀୟମାନଙ୍କ ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?
2KI 18:34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଓ ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?
2KI 18:35 ନାନା ଗୋଷ୍ଠୀୟ ସମସ୍ତ ଦେବତା ମଧ୍ୟରେ କିଏ ଆପଣା ଦେଶକୁ ମୋʼ ହସ୍ତରୁ ଉଦ୍ଧାର କରିଅଛି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”
2KI 18:36 ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ଗୋଟିଏ କଥା ଉତ୍ତର କଲେ ନାହିଁ। କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାଙ୍କର ଆଜ୍ଞା ଥିଲା।
2KI 18:37 ଏଥିଉତ୍ତାରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟଙ୍କ ନିକଟକୁ ଆସି ରବ୍‍ଶାକିର କଥାସବୁ ତାଙ୍କୁ ଜଣାଇଲେ।
2KI 19:1 ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ସଦାପ୍ରଭୁଙ୍କ ଗୃହକୁ ଗଲେ।
2KI 19:2 ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ ଓ ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କ ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲେ।
2KI 19:3 ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
2KI 19:4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।”
2KI 19:5 ଏହିରୂପେ ହିଜକୀୟ ରାଜାଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।
2KI 19:6 ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ କହିବ; ସଦାପ୍ରଭୁ ଏହା କହନ୍ତି, ‘ଅଶୂରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।
2KI 19:7 ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ। ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”
2KI 19:8 ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍‍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍‍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।
2KI 19:9 ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା, “ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତହୁଁ ସେ ହିଜକୀୟଙ୍କ ନିକଟକୁ ପୁନର୍ବାର ଦୂତମାନଙ୍କୁ ପଠାଇ କହିଲା,
2KI 19:10 “ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟଙ୍କୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।
2KI 19:11 ଦେଖ, ଅଶୂରୀୟ ରାଜାମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ତେବେ ତୁମ୍ଭେ କʼଣ ଉଦ୍ଧାର ପାଇବ?
2KI 19:12 ଆମ୍ଭ ପିତୃଲୋକମାନେ ଯେଉଁ ଗୋଶନ ଓ ହାରଣ ଓ ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?
2KI 19:13 ହମାତର ରାଜା ଓ ଅର୍ପଦର ରାଜା ଓ ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”
2KI 19:14 ତହିଁରେ ହିଜକୀୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଖୋଲିଲେ।
2KI 19:15 ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
2KI 19:16 ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେର ଓ ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଅ ଓ ଦେଖ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‍‌‌ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।
2KI 19:17 ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି,
2KI 19:18 ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ।
2KI 19:19 ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
2KI 19:20 ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍‍‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।
2KI 19:21 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି: ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି, ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।
2KI 19:22 ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ!
2KI 19:23 ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।
2KI 19:24 ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ସବୁ ନଦୀ ଶୁଷ୍କ କରିବା।
2KI 19:25 ଏହା କʼଣ ତୁମ୍ଭେ ଶୁଣି ନାହଁ, କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ, ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ? ଏହା ଏବେ ଆମ୍ଭେ ସଫଳ କରିଅଛୁ। ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି, ସେସବୁକୁ ଢିପି କରିବ।
2KI 19:26 ଏହେତୁ ତନ୍ନିବାସୀଗଣ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଲଜ୍ଜିତ ହେଲେ; ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ-ଛାତ ଉପରିସ୍ଥ ଘାସ, ଓ ଅପକ୍ୱ ଅବସ୍ଥାରେ ଶୁଷ୍କ ଶସ୍ୟ ତୁଲ୍ୟ ହେଲେ।
2KI 19:27 ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।
2KI 19:28 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
2KI 19:29 ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର।
2KI 19:30 ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।
2KI 19:31 କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକ, ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସିଦ୍ଧ କରିବ।
2KI 19:32 ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି: ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ। କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।
2KI 19:33 ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ।
2KI 19:34 କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।”
2KI 19:35 ଏଥିଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଲୋକ ସଂହାର କଲେ; ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇଅଛନ୍ତି।
2KI 19:36 ତହିଁରେ ଅଶୂରର ରାଜା ସନ୍‍‌‌ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।
2KI 19:37 ଏଥିଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର ଦୁଇ ପୁତ୍ର ଅଦ୍ରମ୍ମେଲକ୍‍ ଓ ଶରେତ୍ସର ତାହାକୁ ଖଡ୍ଗରେ ବଧ କଲେ; ତହୁଁ ସେମାନେ ଆରାରାଟ୍‍ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର୍‍ହଦ୍ଦୋନ୍‍ ତାହାର ପଦରେ ରାଜ୍ୟ କଲା।
2KI 20:1 ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”
2KI 20:2 ଏଥିରେ ସେ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ,
2KI 20:3 “ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।
2KI 20:4 ଏଥିଉତ୍ତାରେ ଯିଶାଇୟ ନଗରର ମଧ୍ୟଭାଗକୁ ବାହାରି ଯିବା ପୂର୍ବେ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା,
2KI 20:5 ଯଥା, “ଫେରିଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକୀୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ।
2KI 20:6 ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା; ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବା; ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା।”
2KI 20:7 ତହୁଁ ଯିଶାଇୟ କହିଲେ, “ଏକ ଡିମ୍ବିରି ଚକ୍ତି ଆଣ।” ତହିଁରେ ସେମାନେ ତାହା ଆଣି ବଥ ଉପରେ ଥୋଇଲେ, ଆଉ ସେ ସୁସ୍ଥ ହେଲେ।
2KI 20:8 ପୁଣି ହିଜକୀୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ସୁସ୍ଥ କରିବେ ଓ ମୁଁ ଯେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର କି ଚିହ୍ନ ହେବ।”
2KI 20:9 ତହିଁରେ ଯିଶାଇୟ କହିଲେ, “ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ; ଛାୟା କି ଆଗକୁ ଦଶ ପାହୁଣ୍ଡ ଯିବ, ଅବା ପଛକୁ ଦଶ ପାହୁଣ୍ଡ ଯିବ।”
2KI 20:10 ତହିଁରେ ହିଜକୀୟ ଉତ୍ତର କଲେ, “ଛାୟା ଆଗକୁ ଦଶ ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ; ନା; ମାତ୍ର ଛାୟା ପଛକୁ ଦଶ ପାହୁଣ୍ଡ ଫେରିଯାଉ।”
2KI 20:11 ତହୁଁ ଯିଶାଇୟ ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍‌ଙ୍କର ସୂର୍ଯ୍ୟ ଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ।
2KI 20:12 ସେହି ସମୟରେ ବଲ୍‍ଦନ୍‍ର ପୁତ୍ର ବରୋଦକ୍‍ ବଲ୍‍ଦନ୍ ନାମକ ବାବିଲର ରାଜା ହିଜକୀୟଙ୍କ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ସେ ହିଜକୀୟଙ୍କ ପୀଡ଼ିତ ହେବାର କଥା ଶୁଣିଥିଲା।
2KI 20:13 ତହିଁରେ ହିଜକୀୟ ସେମାନଙ୍କ କଥା ଶୁଣିଲେ ଓ ଆପଣା ବହୁମୂଲ୍ୟ ପଦାର୍ଥର ସମୁଦାୟ ଗୃହ, ରୂପା ଓ ସୁନା ଓ ସୁଗନ୍ଧି ଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲେ, ଏପରି କୌଣସି ଦ୍ରବ୍ୟ ତାଙ୍କ ଗୃହରେ କି ତାଙ୍କର ସମୁଦାୟ ରାଜ୍ୟରେ ନ ଥିଲା।
2KI 20:14 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ?” ତହିଁରେ ହିଜକୀୟ କହିଲେ, “ସେମାନେ ଦୂର ଦେଶ ବାବିଲରୁ ଆସିଅଛନ୍ତି।”
2KI 20:15 ଏଥିରେ ଯିଶାଇୟ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କି କି ବିଷୟ ଦେଖିଅଛନ୍ତି?” ତହୁଁ ହିଜକୀୟ ଉତ୍ତର କଲେ, “ମୋʼ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ନ ଦେଖାଇଲି, ଏପରି କୌଣସି ପଦାର୍ଥ ମୋʼ ଭଣ୍ଡାରସମୂହରେ ନାହିଁ।”
2KI 20:16 ଏଥିରେ ଯିଶାଇୟ ହିଜକୀୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ:
2KI 20:17 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି। ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।
2KI 20:18 ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।”
2KI 20:19 ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ।” ସେ ଆହୁରି କହିଲେ, “ଯେବେ ଆମ୍ଭ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହୁଏ, ତେବେ ତାହା କʼଣ (ଉତ୍ତମ) ନୁହେଁ?”
2KI 20:20 ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏହାସବୁ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 20:21 ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ; ଆଉ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।
2KI 21:1 ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ ଆଉ ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
2KI 21:2 ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 21:3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍‍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।
2KI 21:4 “ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
2KI 21:5 ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ।
2KI 21:6 ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
2KI 21:7 ଆହୁରି ସେ ମନ୍ଦିରରେ ଆପଣା ନିର୍ମିତ ଆଶେରାର ଖୋଦିତ ମୂର୍ତ୍ତି ସ୍ଥାପନ କଲେ। ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ଚିରକାଳ ସ୍ଥାପନ କରିବା।
2KI 21:8 ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛୁ ଓ ଆମ୍ଭ ସେବକ ମୋଶା ସେମାନଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛି, କେବଳ ତଦନୁସାରେ ଆଚରଣ କରିବାକୁ ଯଦି ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ଭ୍ରମଣ କରାଇବା ନାହିଁ।”
2KI 21:9 ମାତ୍ର ସେମାନେ ଶୁଣିଲେ ନାହିଁ; ପୁଣି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିବାକୁ ମନଃଶି ସେମାନଙ୍କୁ ଭୁଲାଇଲେ।
2KI 21:10 ଏଥିରେ ସଦାପ୍ରଭୁ ଆପଣା ସେବକ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଏହି କଥା କହିଲେ,
2KI 21:11 “ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ୱାରା ପାପ କରାଇଅଛି।
2KI 21:12 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଯିରୂଶାଲମ ଓ ଯିହୁଦା ଉପରେ ଏପରି ଅମଙ୍ଗଳ ଆଣିବା ଯେ, କେହି ତାହା ଶୁଣିଲେ ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।
2KI 21:13 ପୁଣି ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ରଜ୍ଜୁ ଓ ଆହାବ-ବଂଶର ଓଳମ ଟାଣିବା ଓ ମନୁଷ୍ୟ ଯେପରି ଥାଳୀ ପୋଛେ, ଆଉ ପୋଛୁ ପୋଛୁ ତାହା ଓଲଟପାଲଟ କରେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା।
2KI 21:14 ଆଉ ଆମ୍ଭେ ଆପଣା ଅଧିକାରର ଅବଶିଷ୍ଟାଂଶକୁ ଦୂର କରିବା ଓ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ଆପଣା ଶତ୍ରୁ ସମସ୍ତଙ୍କର ମୃଗୟା ଓ ଲୁଟ ସ୍ୱରୂପ ହେବେ।
2KI 21:15 କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ସେମାନେ ଆପଣା ପିତୃଗଣ ମିସରରୁ ବାହାରି ଆସିବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭକୁ ବିରକ୍ତ କରିଅଛନ୍ତି।”
2KI 21:16 ଆହୁରି ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଆପଣାର ସେହି ପାପ ଦ୍ୱାରା ଯିହୁଦାକୁ ପାପ କରାଇବା ଛଡ଼ା ସେ ବହୁତ ନିର୍ଦ୍ଦୋଷ ରକ୍ତପାତ କରି ଯିରୂଶାଲମକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ।
2KI 21:17 ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପାପ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 21:18 ଏଥିଉତ୍ତାରେ ମନଃଶି ମୃତ୍ୟୁବରଣ କଲେ ଓ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ୍‍, ଉଷର ଉଦ୍ୟାନରେ କବରପ୍ରାପ୍ତ ହେଲେ। ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।
2KI 21:19 ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ ତାଙ୍କର ମାତାର ନାମ ମଶୁଲ୍ଲେମତ୍‍, ସେ ଯଟ୍‍ବା ନିବାସୀ ହାରୁଷଙ୍କର କନ୍ୟା ଥିଲେ।
2KI 21:20 ପୁଣି ଆମୋନ୍‍ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 21:21 ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ, ସେ ସେହି ସମସ୍ତ ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ, ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ।
2KI 21:22 ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ।
2KI 21:23 ଆମୋନ୍‍ଙ୍କର ଦାସମାନେ ତାଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଙ୍କୁ ତାଙ୍କର ନିଜ ଗୃହରେ ବଧ କଲେ।
2KI 21:24 ମାତ୍ର ଯେଉଁମାନେ ଆମୋନ୍‍ ରାଜା ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶର ଲୋକମାନେ ବଧ କଲେ, ଆଉ ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କ ପୁତ୍ର ଯୋଶୀୟଙ୍କୁ ରାଜା କଲେ।
2KI 21:25 ଏହି ଆମୋନ୍‍ଙ୍କର କୃତ ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 21:26 ପୁଣି ସେ ଉଷର ଉଦ୍ୟାନସ୍ଥିତ ଆପଣା କବରରେ କବର ପାଇଲେ, ଆଉ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟ ରାଜ୍ୟ କଲେ।
2KI 22:1 ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ, ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିଦୀଦା, ସେ ବସ୍କତୀୟ ଅଦାୟାଙ୍କର କନ୍ୟା ଥିଲେ।
2KI 22:2 ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ, ପୁଣି ସେ ଡାହାଣ କିମ୍ବା ବାମ ପାର୍ଶ୍ୱକୁ ଫେରିଲେ ନାହିଁ।
2KI 22:3 ଏଥିଉତ୍ତାରେ ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ରାଜା, ମଶୁଲ୍ଲମ୍‍ର ପୌତ୍ର ଅତ୍‍ସଲୀୟର ପୁତ୍ର ଶାଫନ୍‍ ଲେଖକଙ୍କୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,
2KI 22:4 “ସଦାପ୍ରଭୁଙ୍କ ଗୃହକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଅଛନ୍ତି, ତାହା ଯେପରି ହିଲ୍‍କୀୟ ମହାଯାଜକ ଗଣିବ, ଏଥିପାଇଁ ତାହା ନିକଟକୁ ଯାଅ।
2KI 22:5 ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପଣ କରନ୍ତୁ ଓ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀମାନଙ୍କୁ,
2KI 22:6 ଅର୍ଥାତ୍‍, ସୂତ୍ରଧର ଓ ନିର୍ମାଣକାରୀ ଓ ରାଜମିସ୍ତ୍ରୀମାନଙ୍କୁ ଗୃହର ଭଗ୍ନ ସ୍ଥାନ ପୁନଃନିର୍ମାଣ କରିବା ପାଇଁ ଓ ଗୃହର ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦେଉନ୍ତୁ।”
2KI 22:7 ତଥାପି ସେମାନଙ୍କ ହସ୍ତରେ ଯେଉଁ ମୁଦ୍ରା ସମର୍ପିତ ହେଲା, ତହିଁର ହିସାବ ସେମାନଙ୍କଠାରୁ ନିଆଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।
2KI 22:8 ସେତେବେଳେ ହିଲ୍‍କୀୟ ମହାଯାଜକ ଶାଫନ୍‍ ଲେଖକଙ୍କୁ କହିଲା, “ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା-ପୁସ୍ତକ ପାଇଅଛୁ।” ଆଉ ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା।
2KI 22:9 ଏଥିଉତ୍ତାରେ ଶାଫନ୍‍ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ବାଦ ଦେଇ କହିଲା, “ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
2KI 22:10 ଆହୁରି ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, “ହିଲ୍‍କୀୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ଶାଫନ୍‍ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା।”
2KI 22:11 ଏଥିରେ ରାଜା ସେହି ବ୍ୟବସ୍ଥା-ପୁସ୍ତକରୁ ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
2KI 22:12 ପୁଣି ରାଜା ଯୋଶୀୟ ହିଲ୍‍କୀୟ ଯାଜକକୁ ଓ ଶାଫନ୍‍ର ପୁତ୍ର ଅହୀକାମକୁ ଓ ମୀଖାୟର ପୁତ୍ର ଅକ୍‍‌‌ବୋରକୁ ଓ ଶାଫନ୍‍ ଲେଖକଙ୍କୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ,
2KI 22:13 “ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ-ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନ ହେବାରୁ, ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି।”
2KI 22:14 ତହିଁରେ ହିଲ୍‍କୀୟ ଯାଜକ ଓ ଅହୀକାମ୍‍ ଓ ଅକ୍‍‌‌ବୋର ଓ ଶାଫନ୍‍ ଓ ଅସାୟ, ବସ୍ତ୍ରାଗାରର ରକ୍ଷକ ହର୍ହସର ପୌତ୍ର ତିକ୍‍ବର ପୁତ୍ର ଶଲ୍ଲୁମ୍‍ର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ। ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ଆଉ ସେମାନେ ତାହା ସଙ୍ଗେ କଥୋପକଥନ କଲେ।
2KI 22:15 ତହିଁରେ ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ସେମାନଙ୍କୁ କହିଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲେ, ତାହାକୁ କୁହ,
2KI 22:16 ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଯିହୁଦାର ରାଜା ଏହି ପୁସ୍ତକର ଯେଉଁ ଯେଉଁ ବାକ୍ୟ ପାଠ କରିଅଛି, ସେହି ସମସ୍ତ ଘଟାଇବା।
2KI 22:17 କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ବାଣ ହେବ ନାହିଁ।
2KI 22:18 ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲେ ଯେ ଯିହୁଦା-ରାଜା ଯୋଶୀୟ, ତାଙ୍କୁ ତୁମ୍ଭେମାନେ କହିବ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେସକଳ ବାକ୍ୟ କହିଅଛୁ, ଅର୍ଥାତ୍‍, ସେମାନେ ଯେ ଧ୍ୱଂସର ଓ ଅଭିଶାପର ପାତ୍ର ହେବେ,
2KI 22:19 ଏହି କଥା ଶୁଣି ତୁମ୍ଭର ଅନ୍ତଃକରଣ କୋମଳ ହେଲା, ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ନମ୍ର କଲ ଓ ଆପଣା ବସ୍ତ୍ର ଚିରିଲ ଓ ଆମ୍ଭ ଛାମୁରେ ରୋଦନ କଲ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
2KI 22:20 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ।
2KI 23:1 ଏଥିଉତ୍ତାରେ ରାଜା ଲୋକ ପଠାନ୍ତେ, ସେମାନେ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ତାଙ୍କ ନିକଟରେ ଏକତ୍ର କଲେ।
2KI 23:2 ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ତାଙ୍କ ସଙ୍ଗେ ଯିହୁଦାର ସମସ୍ତ ମନୁଷ୍ୟ ଓ ଯିରୂଶାଲମ ନିବାସୀ ସମସ୍ତେ ଓ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ସାନ ବଡ଼ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
2KI 23:3 ଏଥିରେ ରାଜା ସ୍ତମ୍ଭ ନିକଟରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି, ଏହି ପୁସ୍ତକରେ ଲିଖିତ ନିୟମ-ବାକ୍ୟ ସଫଳ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ଆଉ ସମୁଦାୟ ଲୋକ ସେହି ନିୟମରେ ସମ୍ମତ ହେଲେ।
2KI 23:4 ପୁଣି ରାଜା ଯୋଶୀୟ ସଦାପ୍ରଭୁଙ୍କ ମନ୍ଦିରରୁ ବାଲ୍‍ର ଓ ଆଶେରା ମୂର୍ତ୍ତିର ଓ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍‍କୀୟ ମହାଯାଜକକୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଜ୍ଞା କଲେ; ତହୁଁ ସେ ଯିରୂଶାଲମର ବାହାରେ କିଦ୍ରୋଣ ପଦାରେ ତାହାସବୁ ଦଗ୍ଧ କରି ତହିଁର ଭସ୍ମ ବେଥେଲ୍‍କୁ ନେଇଗଲେ।
2KI 23:5 ପୁଣି ଯିହୁଦାର ରାଜାମାନେ ଯେଉଁ ପୌତ୍ତଳିକ ପୁରୋହିତମାନଙ୍କୁ ଯିହୁଦା ଦେଶସ୍ଥ ନଗରସବୁର ଉଚ୍ଚସ୍ଥଳୀମାନରେ ଓ ଯିରୂଶାଲମର ଚତୁର୍ଦ୍ଦିଗର ସ୍ଥାନସବୁରେ ଧୂପ ଜ୍ୱଳାଇବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କୁ, ମଧ୍ୟ ଯେଉଁମାନେ ବାଲ୍‍ର, ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଗଣର ଓ ଆକାଶସ୍ଥ ବାହିନୀ ସକଳ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ, ସେସବୁକୁ ସେ ରହିତ କଲେ।
2KI 23:6 ଆଉ ଯୋଶୀୟ ସଦାପ୍ରଭୁଙ୍କ ଗୃହରୁ ଆଶେରା ମୂର୍ତ୍ତି ବାହାର କରି ଯିରୂଶାଲମର ବାହାରେ କିଦ୍ରୋଣ ନଦୀକୁ ଆଣିଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ ଓ ସେହି ଚୂର୍ଣ୍ଣ ସାଧାରଣ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।
2KI 23:7 ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହସବୁ ଭାଙ୍ଗି ପକାଇଲେ।
2KI 23:8 ପୁଣି ଯୋଶୀୟ ଯିହୁଦାର ନାନା ନଗରରୁ ସମସ୍ତ ଯାଜକଙ୍କୁ ଆଣିଲେ ଓ ଗେବାଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯେ ଯେ ସ୍ଥାନରେ ଯାଜକମାନେ ଧୂପ ଜ୍ୱଳାଇଥିଲେ, ସେସବୁ ଉଚ୍ଚସ୍ଥଳୀ ଅଶୁଚି କଲେ। ପୁଣି ସେ ନଗର-ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ, ନଗରାଧ୍ୟକ୍ଷ ଯିହୋଶୂୟର ଦ୍ୱାର-ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ନଗର ଦ୍ୱାରର ଉଚ୍ଚସ୍ଥଳୀସକଳ ଭାଙ୍ଗି ପକାଇଲେ।
2KI 23:9 ତଥାପି ଉଚ୍ଚସ୍ଥଳୀର ଯାଜକମାନେ ଯିରୂଶାଲମସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆସିଲେ ନାହିଁ, ମାତ୍ର ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ ଥାଇ ତାଡ଼ିଶୂନ୍ୟ ରୁଟି ଭୋଜନ କଲେ।
2KI 23:10 ପୁଣି କେହି ଯେପରି ମୋଲକ୍‍ ଉଦ୍ଦେଶ୍ୟରେ ଆପଣା ପୁତ୍ର କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ ନ କରାଇବ, ଏଥିପାଇଁ ସେ ହିନ୍ନୋମର ସନ୍ତାନଗଣ ଉପତ୍ୟକାସ୍ଥିତ ତୋଫତ୍‍ ନାମକ ସ୍ଥାନକୁ ଅଶୁଚି କଲେ।
2KI 23:11 ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରି ନିକଟସ୍ଥ ସଦାପ୍ରଭୁଙ୍କ ଗୃହର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇଗଲେ, ପୁଣି ସେ ସୂର୍ଯ୍ୟରଥସବୁ ଅଗ୍ନିରେ ଦଗ୍ଧ କଲେ।
2KI 23:12 ଆଉ ଯିହୁଦାର ରାଜାମାନେ ଆହସ୍‌ର ଉପରିସ୍ଥ କୋଠରି ଛାତ ଉପରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଯେ ଯେ ଯଜ୍ଞବେଦି ନିର୍ମାଣ କରିଥିଲେ, ରାଜା ସେସବୁକୁ ସେସ୍ଥାନରୁ ଭାଙ୍ଗି ପକାଇ ଚୂର୍ଣ୍ଣ କଲେ ଓ ତହିଁର ଧୂଳି କିଦ୍ରୋଣ ନଦୀରେ ଫୋପାଡ଼ି ଦେଲେ।
2KI 23:13 ପୁଣି ବିନାଶ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଯିରୂଶାଲମ ସମ୍ମୁଖରେ ଇସ୍ରାଏଲର ରାଜା ଶଲୋମନ ସୀଦୋନୀୟମାନଙ୍କ ଘୃଣାଯୋଗ୍ୟ ଅଷ୍ଟାରୋତ୍‍ ନିମନ୍ତେ ଓ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମିଲ୍‍କମ୍‍ ନିମନ୍ତେ ଯେ ଯେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ସେସବୁକୁ ରାଜା ଅଶୁଚି କଲେ।
2KI 23:14 ଆଉ ସେ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ।
2KI 23:15 ଆହୁରି ବେଥେଲ୍‍ରେ ଯେଉଁ ଯଜ୍ଞବେଦି ଥିଲା ଓ ଇସ୍ରାଏଲକୁ ପାପ କରାଇଥିଲେ ଯେ ନବାଟର ପୁତ୍ର ଯାରବୀୟାମ, ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶୀୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ, ପୁଣି ସେ ଉଚ୍ଚସ୍ଥଳୀ ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ, ଆଉ ଆଶେରାମୂର୍ତ୍ତିକୁ ଦଗ୍ଧ କଲେ।
2KI 23:16 ଏଥିଉତ୍ତାରେ ଯୋଶୀୟ ମୁଖ ଫେରାଇବା ବେଳେ ସେଠାର ପର୍ବତସ୍ଥିତ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରରୁ ଅସ୍ଥି ଅଣାଇଲେ, ଆଉ ପରମେଶ୍ୱରଙ୍କର ଯେଉଁ ଲୋକ ପୂର୍ବେ ଏହିସବୁ ବିଷୟ ପ୍ରଚାର କରିଥିଲେ, ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ସେହି ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ଦଗ୍ଧ କରି ତାହା ଅଶୁଚି କଲେ।
2KI 23:17 ତହୁଁ ସେ ପଚାରିଲେ, “ସେହି ଯେ ସ୍ତମ୍ଭ ଆମ୍ଭେ ଦେଖୁଅଛୁ, ତାହା କଅଣ?” ଏଥିରେ ନଗରର ଲୋକମାନେ ଉତ୍ତର କଲେ, “ପରମେଶ୍ୱରଙ୍କର ଯେଉଁ ଲୋକ ଯିହୁଦାରୁ ଆସି ଆପଣଙ୍କ କୃତ ଏହି ସକଳ ବିଷୟ ବେଥେଲ୍‍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ପ୍ରଚାର କରିଥିଲେ, ତାହା ତାଙ୍କର କବର।”
2KI 23:18 ତେବେ ରାଜା ଯୋଶୀୟ କହିଲେ, “ତାଙ୍କୁ ଛାଡ଼ିଦିଅ; କେହି ତାଙ୍କର ଅସ୍ଥି ସ୍ଥାନାନ୍ତର ନ କରୁ।” ଏହେତୁ ସେମାନେ ଶମରୀୟାରୁ ଆଗତ ଭବିଷ୍ୟଦ୍‍ବକ୍ତାଙ୍କର ଅସ୍ଥି ସହିତ ତାହାର ଅସ୍ଥି ଛାଡ଼ିଦେଲେ।
2KI 23:19 ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଶମରୀୟାର ନାନା ନଗରରେ ଯେ ଯେ ଉଚ୍ଚସ୍ଥଳୀର ଗୃହ ନିର୍ମାଣ କରିଥିଲେ, ଯୋଶୀୟ ସେସବୁ ମଧ୍ୟ ଦୂର କଲେ ଓ ବେଥେଲ୍‍ରେ ଯେପରି କର୍ମ କରିଥିଲେ, ସେସବୁ ପ୍ରତି ସେହିପରି କଲେ।
2KI 23:20 ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦିରେ ବଧ କରି, ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ; ଏଥିଉତ୍ତାରେ ସେ ଯିରୂଶାଲମକୁ ଫେରିଗଲେ।
2KI 23:21 ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଏହି ନିୟମ ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର।”
2KI 23:22 ପ୍ରକୃତରେ ଇସ୍ରାଏଲର ବିଚାରକାରୀ ବିଚାରକର୍ତ୍ତୃଗଣର ସମୟଠାରୁ, କିଅବା ଇସ୍ରାଏଲର ରାଜାମାନଙ୍କର ଓ ଯିହୁଦାର ରାଜାମାନଙ୍କର ସମସ୍ତ ସମୟରେ ଏପ୍ରକାର ନିସ୍ତାର ପର୍ବ ପାଳନ କରାଯାଇ ନ ଥିଲା।
2KI 23:23 ମାତ୍ର ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ପାଳନ କରାଗଲା।
2KI 23:24 ଆହୁରି ଯୋଶୀୟ ଯେପରି ସଦାପ୍ରଭୁଙ୍କ ଗୃହରେ ହିଲ୍‍କୀୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ଏଥିପାଇଁ ଯିହୁଦା ଦେଶରେ ଓ ଯିରୂଶାଲମରେ ଯେସବୁ ଭୂତୁଡ଼ିଆ, ଗୁଣିଆ, ଠାକୁର, ପୁତ୍ତଳି ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା, ସେ ତାହାସବୁ ଦୂର କଲେ।
2KI 23:25 ଆଉ ଯୋଶୀୟଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ, କିଅବା ଯୋଶୀୟଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ହେଲେ ନାହିଁ।
2KI 23:26 ତଥାପି ମନଃଶି ଯେସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ, ତହିଁ ସକାଶୁ ଯିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ।
2KI 23:27 ଆହୁରି ସଦାପ୍ରଭୁ କହିଲେ, “ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ, ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଯିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଯିରୂଶାଲମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କରିଅଛୁ, ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା।”
2KI 23:28 ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 23:29 ତାଙ୍କ ସମୟରେ ମିସରୀୟ ରାଜା ଫାରୋ-ନଖୋ ଅଶୂରୀୟ ରାଜାର ବିରୁଦ୍ଧରେ ଫରାତ୍‍ ନଦୀ ଆଡ଼କୁ ଯାତ୍ରା କଲା; ଆଉ ଯୋଶୀୟ ରାଜା ତାହା ବିରୁଦ୍ଧରେ ଯାତ୍ରା କଲେ ତହିଁରେ ଫାରୋ-ନଖୋ ତାଙ୍କୁ ଦେଖି ମଗିଦ୍ଦୋ ନିକଟରେ ତାଙ୍କୁ ବଧ କଲା।
2KI 23:30 ଏଥିଉତ୍ତାରେ ଯୋଶୀୟଙ୍କ ଦାସମାନେ ମଗିଦ୍ଦୋରୁ ଯିରୂଶାଲମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତହୁଁ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍‌ଙ୍କୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।
2KI 23:31 ଯିହୋୟାହସ୍‌ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ହମୁଟଲ୍‍, ସେ ଲିବ୍‍ନା ନିବାସୀ ଯିରିମୀୟର କନ୍ୟା ଥିଲେ।
2KI 23:32 ସେ ଆପଣା ପୂର୍ବପୁରୁଷଗଣର ସକଳ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 23:33 ପୁଣି ସେ ଯେପରି ଯିରୂଶାଲମରେ ରାଜ୍ୟ କରି ନ ପାରିବେ, ଏଥିପାଇଁ ଫାରୋ-ନଖୋ ହମାତ ଦେଶସ୍ଥ ରିବ୍ଲାରେ ତାଙ୍କୁ ବନ୍ଦ କରି ରଖିଲା ଓ ଦେଶ ଉପରେ ଏକ ଶହ ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ବସାଇଲା।
2KI 23:34 ତହୁଁ ଫାରୋ-ନଖୋ ଯୋଶୀୟଙ୍କର ପୁତ୍ର ଇଲିୟାକୀମ୍‍ଙ୍କୁ ତାଙ୍କର ପିତା ଯୋଶୀୟଙ୍କର ପଦରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍‍ ରଖିଲା; ମାତ୍ର ସେ ଯିହୋୟାହସ୍‌ଙ୍କୁ ନେଇଗଲା; ଆଉ ସେ ମିସରରେ ଉପସ୍ଥିତ ହୋଇ ସେଠାରେ ମଲେ।
2KI 23:35 ଏଥିଉତ୍ତାରେ ଯିହୋୟାକୀମ୍‍ ଫାରୋକୁ ସେହି ସକଳ ରୂପା ଓ ସୁନା ଦେଲେ; ମାତ୍ର ଫାରୋର ଆଜ୍ଞାନୁସାରେ ସେହି ସବୁ ଦେବା ନିମନ୍ତେ ସେ ଦେଶ ଉପରେ କର ବସାଇଲେ। ସେ ଫାରୋ-ନଖୋକୁ ଦେବା ନିମନ୍ତେ ପ୍ରତ୍ୟେକର ଉପରେ ନିରୂପିତ କର ଅନୁସାରେ ଦେଶର ଲୋକମାନଙ୍କଠାରୁ ସେହି ରୂପା ଓ ସୁନା ଆଦାୟ କଲେ।
2KI 23:36 ଯିହୋୟାକୀମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ସବୀଦା, ସେ ରୁମା ନିବାସୀ ପଦାୟର କନ୍ୟା ଥିଲେ।
2KI 23:37 ଏହି ଯିହୋୟାକୀମ୍‍ ଆପଣା ପୂର୍ବପୁରୁଷଗଣର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 24:1 ଯିହୋୟାକୀମ୍‍ଙ୍କ ରାଜତ୍ୱ ସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୁଦା ଉପରେ ଆକ୍ରମଣ କଲେ, ପୁଣି ଯିହୋୟାକୀମ୍‍ ତିନି ବର୍ଷ ତାହାର ଦାସ ହେଲେ; ତହିଁ ଉତ୍ତାରେ ସେ ଫେରି ତାହାର ବିଦ୍ରୋହୀ ହେଲେ।
2KI 24:2 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍‍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
2KI 24:3 ପ୍ରକୃତରେ ମନଃଶିର ପାପ ସକାଶୁ, ତାହାର ସମସ୍ତ କୃତକର୍ମାନୁସାରେ,
2KI 24:4 ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।
2KI 24:5 ଏହି ଯିହୋୟାକୀମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2KI 24:6 ଏଥିଉତ୍ତାରେ ଯିହୋୟାକୀମ୍‍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ଯିହୋୟାଖୀନ୍‍ ତାଙ୍କର ପଦରେ ରାଜ୍ୟ କଲେ।
2KI 24:7 ଏଥିଉତ୍ତାରେ ମିସରର ରାଜା ପୁନର୍ବାର ଆପଣା ଦେଶରୁ ଆଉ ଆସିଲେ ନାହିଁ; କାରଣ ବାବିଲର ରାଜା ମିସରର ନଦୀଠାରୁ ଫରାତ୍‍ ନଦୀ ପର୍ଯ୍ୟନ୍ତ ମିସରୀୟ ରାଜାଙ୍କର ସମସ୍ତ ଅଧିକାର ହସ୍ତଗତ କରିଥିଲେ।
2KI 24:8 ଯିହୋୟାଖୀନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଅଠର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ନହୁଷ୍ଟା, ସେ ଯିରୂଶାଲମ ନିବାସୀ ଇଲ୍‍ନାଥନ୍‍ର କନ୍ୟା।
2KI 24:9 ଯିହୋୟାଖୀନ୍‍ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 24:10 ସେସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସମାନେ ଯିରୂଶାଲମକୁ ଆସିଲେ, ତହିଁରେ ନଗର ଅବରୁଦ୍ଧ ହେଲା।
2KI 24:11 ପୁଣି ତାହାର ଦାସମାନେ ଅବରୋଧ କରୁଥିବା ସମୟରେ ବାବିଲର ରାଜା ନବୂଖଦ୍‍ନିତ୍ସର ନଗରରେ ଉପସ୍ଥିତ ହେଲା।
2KI 24:12 ତହିଁରେ ଯିହୁଦାର ରାଜା ଯିହୋୟାଖୀନ୍‍ ଓ ତାଙ୍କର ମାତା ଓ ତାଙ୍କର ଦାସମାନେ ଓ ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜା ନିକଟକୁ ବାହାରିଗଲେ; ପୁଣି ବାବିଲ ରାଜା ଆପଣା ରାଜତ୍ଵର ଅଷ୍ଟମ ବର୍ଷରେ ତାଙ୍କୁ ଧରିଲା।
2KI 24:13 ଆଉ ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ସେସ୍ଥାନରୁ ସଦାପ୍ରଭୁଙ୍କ ଗୃହର ସମସ୍ତ ଧନ ଓ ରାଜଗୃହର ଧନ ନେଇଗଲା ଓ ଇସ୍ରାଏଲର ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରରେ ଯେସକଳ ସ୍ୱର୍ଣ୍ଣମୟ ପାତ୍ର ନିର୍ମାଣ କରିଥିଲେ, ତାହାସବୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା।
2KI 24:14 ଆହୁରି ସେ ଯିରୂଶାଲମର ସମଗ୍ର ଲୋକଙ୍କୁ ଓ ଅଧିପତି ସମସ୍ତଙ୍କୁ ଓ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଏପରି ଦଶ ସହସ୍ର ବନ୍ଦୀଙ୍କୁ, ଆଉ ସମସ୍ତ ଶିଳ୍ପକାର ଓ କର୍ମକାରମାନଙ୍କୁ ନେଇଗଲା। ଦେଶର ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।
2KI 24:15 ଆହୁରି ନବୂଖଦ୍‍ନିତ୍ସର ଯିହୋୟାଖୀନ୍‍ଙ୍କୁ ବାବିଲକୁ ନେଇଗଲା ଏବଂ ରାଜାଙ୍କ ମାତାକୁ ଓ ରାଜାଙ୍କର ପତ୍ନୀମାନଙ୍କୁ ଓ ତାଙ୍କର ନପୁଂସକମାନଙ୍କୁ ଓ ଦେଶର ପ୍ରଧାନ ଲୋକମାନଙ୍କୁ ସେ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା।
2KI 24:16 ଆଉ ସମସ୍ତ ବଳବାନ ଲୋକଙ୍କୁ, ଅର୍ଥାତ୍‍, ସାତ ସହସ୍ର ଲୋକଙ୍କୁ ଓ ଏକ ସହସ୍ର ଶିଳ୍ପକାର ଓ କର୍ମକାର ଲୋକଙ୍କୁ ବାବିଲ ରାଜା ବନ୍ଦୀ କରି ବାବିଲକୁ ନେଇଗଲା, ଏସମସ୍ତେ ବଳବାନ ଓ ଯୁଦ୍ଧଯୋଗ୍ୟ ଥିଲେ।
2KI 24:17 ପୁଣି ବାବିଲର ରାଜା ଯିହୋୟାଖୀନ୍‍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।
2KI 24:18 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ହମୁଟଲ୍‍; ସେ ଲିବ୍‍ନା ନିବାସୀ ଯିରିମୀୟର କନ୍ୟା।
2KI 24:19 ଆଉ ସେ ଯିହୋୟାକୀମ୍‍ଙ୍କର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2KI 24:20 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦା ପ୍ରତି ଏପରି ଘଟଣା ଘଟିଲା; ଆଉ ସିଦିକୀୟ ବାବିଲ ରାଜା ନବୂଖଦ୍‍ନିତ୍ସରର ବିଦ୍ରୋହୀ ହେଲେ।
2KI 25:1 ଏଥିଉତ୍ତାରେ ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ ବାବିଲ ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
2KI 25:2 ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା।
2KI 25:3 ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶର ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟଦ୍ରବ୍ୟ ମିଳିଲା ନାହିଁ।
2KI 25:4 ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍‍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ଥିଲେ, ପୁଣି ରାଜା ସିଦିକୀୟ ଆରବା ପଥ ଦେଇ ଚାଲିଗଲେ।
2KI 25:5 ମାତ୍ର କଲ୍‍ଦୀୟମାନଙ୍କ ସୈନ୍ୟ ରାଜା ସିଦିକୀୟଙ୍କର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ତାଙ୍କୁ ଧରିଲେ; ତହିଁରେ ସିଦିକୀୟଙ୍କର ସକଳ ସୈନ୍ୟ ତାଙ୍କ ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
2KI 25:6 ତହୁଁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲେ; ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ଡାଜ୍ଞା କଲେ।
2KI 25:7 ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲେ।
2KI 25:8 ପଞ୍ଚମ ମାସରେ, ମାସର ସପ୍ତମ ଦିନରେ ବାବିଲ ରାଜା ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ଊଣେଇଶ ବର୍ଷରେ ବାବିଲ ରାଜାର ଦାସ ନବୂଷରଦନ୍‍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା।
2KI 25:9 ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ଆଉ ଯିରୂଶାଲମର ସମସ୍ତ ଗୃହ, ଅର୍ଥାତ୍‍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।
2KI 25:10 ପୁଣି ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍‍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗର ପ୍ରାଚୀର ଭଗ୍ନ କଲେ।
2KI 25:11 ଆଉ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ନଗରର ଅବଶିଷ୍ଟ ଲୋକମାନଙ୍କୁ ଓ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା।
2KI 25:12 ମାତ୍ର ପ୍ରହରୀବର୍ଗର ସେନାପତି ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମକାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା।
2KI 25:13 ଆହୁରି କଲ୍‍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକିସକଳ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ବାବିଲକୁ ନେଇଗଲେ।
2KI 25:14 ଆହୁରି ସେମାନେ ପାତ୍ର ଓ କରଚୁଲି ଓ କତୁରୀ ଓ ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ।
2KI 25:15 ଆଉ ପ୍ରହରୀବର୍ଗର ସେନାପତି ଅଙ୍ଗାରଧାନୀ ଓ କୁଣ୍ଡସବୁ, ଯାହା ସୁନାର ଥିଲା, ତାହା ସୁନା କରି, ପୁଣି ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
2KI 25:16 ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କ ନିର୍ମିତ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ବୈଠିକିସକଳ, ଏହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା।
2KI 25:17 ଏକ ସ୍ତମ୍ଭ ଅଠର ହାତ ଉଚ୍ଚ ଓ ତହିଁ ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ଆଉ ମୁଣ୍ଡାଳିର ଉଚ୍ଚ ତିନି ହାତ ମୁଣ୍ଡାଳି ଉପରେ ଚତୁର୍ଦ୍ଦିଗରେ ପିତ୍ତଳମୟ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ମଧ୍ୟ ଦ୍ୱିତୀୟ ସ୍ତମ୍ଭ ଜାଲିକର୍ମ ସହିତ ଏହି ପ୍ରକାର ଥିଲା।
2KI 25:18 ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ପ୍ରଧାନ ଯାଜକ ସରାୟଙ୍କୁ ଓ ଦ୍ୱିତୀୟ ଯାଜକ ସଫନୀୟଙ୍କୁ ଓ ତିନି ଜଣ ଦ୍ୱାରପାଳଙ୍କୁ ଧରିଲା।
2KI 25:19 ଆଉ ନବୂଷରଦନ୍‍ ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ନପୁଂସକକୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଓ ଦେଶର ଲୋକଗଣନାକାରୀ ଲେଖକ ସେନାପତିକୁ ଓ ନଗରରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକଙ୍କୁ ଧରିଲା।
2KI 25:20 ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜାଙ୍କ ନିକଟକୁ ନେଇଗଲା।
2KI 25:21 ତହିଁରେ ବାବିଲ ରାଜା ହମାତ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା।
2KI 25:22 ଆଉ ବାବିଲ ରାଜା ନବୂଖଦ୍‍ନିତ୍ସର ଯେଉଁମାନଙ୍କୁ ଛାଡ଼ି ଯାଇଥିଲା, ଏପରି ଯିହୁଦା ଦେଶରେ ଅବଶିଷ୍ଟ ଥିବା ଲୋକମାନଙ୍କ ଉପରେ ସେ ଶାଫନ୍‍ର ପୌତ୍ର ଅହୀକାମର ପୁତ୍ର ଗଦଲୀୟଙ୍କୁ ଶାସନକର୍ତ୍ତା ରୂପେ ନିଯୁକ୍ତ କଲା।
2KI 25:23 ଏଥିଉତ୍ତାରେ ବାବିଲ ରାଜା ଗଦଲୀୟଙ୍କୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ, ଅର୍ଥାତ୍‍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍‍ ଓ ନଟୋଫାତୀୟ ତନ୍‍ହୂମତର ପୁତ୍ର ସରାୟ ଓ ମାଖାଥୀୟର ପୁତ୍ର ଯାସନୀୟ ଓ ସେମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟଙ୍କ ନିକଟକୁ ଆସିଲେ।
2KI 25:24 ଏଥିରେ ଗଦଲୀୟ ସେମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି ସେମାନଙ୍କୁ କହିଲା, “କଲ୍‍ଦୀୟମାନଙ୍କର ଦାସମାନଙ୍କ ସକାଶୁ ଭୀତ ହୁଅ ନାହିଁ; ଦେଶରେ ବାସ କରି ବାବିଲ ରାଜାର ସେବା କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ।”
2KI 25:25 ମାତ୍ର ସପ୍ତମ ମାସରେ ରାଜବଂଶଜାତ ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ଦଶ ଜଣ ଆସିଲେ, ଆଉ ଗଦଲୀୟଙ୍କୁ, ପୁଣି ଯେଉଁ ଯିହୁଦୀୟମାନେ ଓ କଲ୍‍ଦୀୟମାନେ ତାହା ସଙ୍ଗେ ମିସ୍ପାରେ ଥିଲେ, ସେମାନଙ୍କୁ ଆଘାତ କରି ବଧ କଲେ।
2KI 25:26 ଏଥିଉତ୍ତାରେ ସାନ ବଡ଼ ସମସ୍ତ ଲୋକ ଓ ସେନାପତିଗଣ ଉଠି ମିସରକୁ ଗଲେ; କାରଣ ସେମାନେ କଲ୍‍ଦୀୟମାନଙ୍କ ଲାଗି ଭୀତ ହେଲେ।
2KI 25:27 ଏଥିଉତ୍ତାରେ ଯିହୁଦାର ରାଜା ଯିହୋୟାଖୀନ୍‍ଙ୍କର ବନ୍ଦୀତ୍ୱର ସଇଁତିରିଶ ବର୍ଷର ଦ୍ୱାଦଶ ମାସରେ ଓ ମାସର ସତାଇଶ ଦିନରେ ବାବିଲ ରାଜା ଇବିଲ୍‍-ମରୋଦକ୍‍ ରାଜ୍ୟ ଆରମ୍ଭ କରିବା ବର୍ଷରେ ଯିହୁଦାର ରାଜା ଯିହୋୟାଖୀନ୍‍ଙ୍କୁ କାରାଗାରରୁ ବାହାର କରି ତାଙ୍କର ମସ୍ତକ ଉନ୍ନତ କଲା।
2KI 25:28 ଆଉ, ସେ ତାଙ୍କୁ ପ୍ରୀତିବାକ୍ୟ କହିଲା ଓ ତାଙ୍କ ସଙ୍ଗେ ବାବିଲରେ ଥିବା ରାଜାମାନଙ୍କ ଆସନଠାରୁ ତାଙ୍କର ଆସନ ଉଚ୍ଚରେ ସ୍ଥାପନ କଲା।
2KI 25:29 ଆଉ, ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲେ।
2KI 25:30 ପୁଣି, ତାଙ୍କର ଦିନାତିପାତ ନିମନ୍ତେ ରାଜାଙ୍କଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲେ।
1CH 1:1 ଆଦମ, ଶେଥ, ଈନୋଶ;
1CH 1:2 କୟିନାନ, ମହଲଲେଲ, ଯେରଦ;
1CH 1:3 ହନୋକ, ମଥୂଶେଲହ, ଲେମକ;
1CH 1:4 ନୋହ, ଶେମ, ହାମ ଓ ଯେଫତ୍‍।
1CH 1:5 ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।
1CH 1:6 ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ।
1CH 1:7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍‍ ଥିଲେ।
1CH 1:8 ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ।
1CH 1:9 ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
1CH 1:10 ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
1CH 1:11 ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
1CH 1:12 ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
1CH 1:13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;
1CH 1:14 ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
1CH 1:15 ହିବ୍ବୀୟ, ଅର୍କୀୟ, ସିନୀୟ,
1CH 1:16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
1CH 1:17 ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍।
1CH 1:18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
1CH 1:19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍।
1CH 1:20 ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ,
1CH 1:21 ହଦୋରାମ, ଊଷଲ, ଦିକ୍ଲା,
1CH 1:22 ଓବଲ, ଅବୀମାୟେଲ୍, ଶିବା,
1CH 1:23 ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।
1CH 1:24 ଶେମ, ଅର୍ଫକ୍ଷଦ, ଶେଲହ;
1CH 1:25 ଏବର, ପେଲଗ୍‍, ରୀୟୂ;
1CH 1:26 ସରୁଗ, ନାହୋର, ତେରହ
1CH 1:27 ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ।
1CH 1:28 ଅବ୍ରହାମଙ୍କର ପୁତ୍ର ଇସ୍‌ହାକ ଓ ଇଶ୍ମାୟେଲ।
1CH 1:29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍ମା ଓ ଦୂମା, ମସା;
1CH 1:30 ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା;
1CH 1:31 ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
1CH 1:32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ।
1CH 1:33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
1CH 1:34 ପୁଣି, ଅବ୍ରହାମ ଇସ୍‌ହାକକୁ ଜାତ କଲେ। ସେହି ଇସ୍‌ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
1CH 1:35 ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
1CH 1:36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।
1CH 1:37 ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।
1CH 1:38 ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍।
1CH 1:39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।
1CH 1:40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।
1CH 1:41 ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାନ୍‍।
1CH 1:42 ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
1CH 1:43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା।
1CH 1:44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।
1CH 1:45 ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।
1CH 1:46 ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା।
1CH 1:47 ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
1CH 1:48 ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
1CH 1:49 ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ।
1CH 1:50 ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
1CH 1:51 ଏଥିଉତ୍ତାରେ ହଦଦ୍‍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା, ରାଜା ଯିଥେତ୍‍,
1CH 1:52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍;
1CH 1:53 ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍;
1CH 1:54 ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।
1CH 2:1 ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;
1CH 2:2 ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର।
1CH 2:3 ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।
1CH 2:4 ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।
1CH 2:5 ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।
1CH 2:6 ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
1CH 2:7 କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।
1CH 2:8 ପୁଣି, ଏଥନ୍‍ର ପୁତ୍ର ଅସରୀୟା।
1CH 2:9 ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ,
1CH 2:10 ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା।
1CH 2:11 ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
1CH 2:12 ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା।
1CH 2:13 ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;
1CH 2:14 ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
1CH 2:15 ଷଷ୍ଠ ଓତ୍ସମ୍‍‍କୁ, ସପ୍ତମ ଦାଉଦଙ୍କୁ ଜାତ କଲା;
1CH 2:16 ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।
1CH 2:17 ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।
1CH 2:18 ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର।
1CH 2:19 ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।
1CH 2:20 ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।
1CH 2:21 ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।
1CH 2:22 ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।
1CH 2:23 ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।
1CH 2:24 ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା।
1CH 2:25 ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍‍ ଓ ଅହୀୟ।
1CH 2:26 ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା।
1CH 2:27 ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।
1CH 2:28 ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର।
1CH 2:29 ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା।
1CH 2:30 ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା।
1CH 2:31 ଆଉ ଅପ୍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ।
1CH 2:32 ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।
1CH 2:33 ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।
1CH 2:34 ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା।
1CH 2:35 ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।
1CH 2:36 ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା,
1CH 2:37 ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା;
1CH 2:38 ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
1CH 2:39 ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା;
1CH 2:40 ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା;
1CH 2:41 ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।
1CH 2:42 ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।
1CH 2:43 ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା।
1CH 2:44 ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା।
1CH 2:45 ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା।
1CH 2:46 ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା।
1CH 2:47 ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍।
1CH 2:48 ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
1CH 2:49 ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା।
1CH 2:50 କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା;
1CH 2:51 ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା;
1CH 2:52 ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।
1CH 2:53 ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।
1CH 2:54 ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।
1CH 2:55 ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ।
1CH 3:1 ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍‍ଠାରୁ ଜାତ; ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;
1CH 3:2 ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;
1CH 3:3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।
1CH 3:4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି, ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ।
1CH 3:5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍‍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍‍ଶୂୟାଠାରୁ ଜାତ;
1CH 3:6 ଆହୁରି ୟିଭର ଓ ଇଲୀଶାମା ଓ ଇଲୀଫେଲଟ୍‍;
1CH 3:7 ନୋଗହ ଓ ନେଫଗ୍‍ ଓ ଯାଫୀୟ;
1CH 3:8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍‍, ଏହି ନଅ ଜଣ।
1CH 3:9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।
1CH 3:10 ପୁଣି, ଶଲୋମନଙ୍କର ପୁତ୍ର ରିହବୀୟାମ, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ୍‍;
1CH 3:11 ତାହାର ପୁତ୍ର ଯୋରାମ୍‍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍‍;
1CH 3:12 ତାହାର ପୁତ୍ର ଅମତ୍‍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍‍;
1CH 3:13 ତାହାର ପୁତ୍ର ଆହସ୍‌, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି;
1CH 3:14 ତାହାର ପୁତ୍ର ଆମୋନ୍‍, ତାହାର ପୁତ୍ର ଯୋଶୀୟ।
1CH 3:15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।
1CH 3:16 ପୁଣି, ଯିହୋୟାକୀମ୍‍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।
1CH 3:17 ବନ୍ଦୀ ଯିକନୀୟର ସନ୍ତାନଗଣ;
1CH 3:18 ତାହାର ପୁତ୍ର ଶଲ୍ଟୀୟେଲ, ମଲ୍‍କୀରାମ୍‍, ପଦାୟ, ଶିନତ୍ସର, ଯିକମୀୟ, ହୋଶାମା ଓ ନଦବିୟ।
1CH 3:19 ପଦାୟର ପୁତ୍ର ଯିରୁବ୍ବାବିଲ୍‍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍‍ର ସନ୍ତାନ ମଶୁଲ୍ଲମ୍‍ ଓ ହନାନୀୟ ଓ ଶଲୋମୀତ୍‍ ସେମାନଙ୍କର ଭଗିନୀ ଥିଲା।
1CH 3:20 ଆଉ ହଶୂବା, ଓହେଲ୍‍, ବେରିଖୀୟ, ହସଦୀୟ ଓ ଯୁଶବ-ହେଷଦ୍‍, ଏହି ପାଞ୍ଚ ଜଣ।
1CH 3:21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ।
1CH 3:22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍‍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍‍, ଛଅ ଜଣ।
1CH 3:23 ନିୟରୀୟର ସନ୍ତାନ ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ।
1CH 3:24 ପୁଣି, ଇଲୀୟୋଐନୟର ପୁତ୍ର ହୋଦବୀୟ, ଇଲୀୟାଶୀବ, ପ୍ଲାୟ, ଅକ୍କୂବ, ଯୋହାନନ୍‍, ଦଲୟିୟ ଓ ଅନାନି, ଏହି ସାତ ଜଣ।
1CH 4:1 ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍‍।
1CH 4:2 ପୁଣି, ଶୋବଲ୍‍ର ସନ୍ତାନ ରାୟା ଯହତ୍‍କୁ ଜାତ କଲା; ପୁଣି, ଯହତ୍‍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ।
1CH 4:3 ଐଟମ୍‍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍‍ବଶ; ଏମାନଙ୍କ ଭଗିନୀର ନାମ ହତ୍‍ସଲିଲ୍‍-ପୋନୀ ଥିଲା।
1CH 4:4 ଆଉ ଗଦୋରର ପିତା ପନୂୟେଲ ଓ ହୂଶଃର ପିତା ଏସର୍‍; ଏମାନେ ବେଥଲିହିମର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ।
1CH 4:5 ପୁଣି, ତକୋୟର ପିତା ଅସ୍‍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ।
1CH 4:6 ନାରା ତାହାର ଔରସରେ ଅହୁଷମକୁ, ହେଫରକୁ, ତୈମିନିକୁ ଓ ଅହସ୍ତରିକୁ ପ୍ରସବ କଲା। ଏମାନେ ନାରାର ସନ୍ତାନ।
1CH 4:7 ଆଉ ହିଲାର ସନ୍ତାନ ସେରତ୍‍, ୟସ୍‍ହାର ଓ ଇତ୍‍ନନ୍‍।
1CH 4:8 ପୁଣି, ହକ୍କୋସ୍‍ ଆନୂବକୁ, ସୋବେବାକୁ ଓ ହାରୁମ୍‍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା।
1CH 4:9 ପୁଣି, ଯାବେଷ୍‍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍‍ ରଖିଥିଲା, କାରଣ ସେ କହିଥିଲା, “ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ।”
1CH 4:10 ମାତ୍ର ଏହି ଯାବେଷ୍‍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, “ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର।” ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।
1CH 4:11 ଶୂହାର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍‍ର ପିତା।
1CH 4:12 ଇଷ୍ଟୋନ୍‍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।
1CH 4:13 କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍‍।
1CH 4:14 ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି, ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
1CH 4:15 ଆଉ ଯିଫୁନ୍ନିର ପୁତ୍ର କାଲେବଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ।
1CH 4:16 ଯିହଲିଲେର ପୁତ୍ରଗଣ; ସୀଫ୍‍, ସୀଫା, ତୀରିୟ ଓ ଅସାରେଲ।
1CH 4:17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍‍, ଏଫର ଓ ଯାଲୋନ୍‍ (ମେରଦ୍‍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍‍ବହକୁ ପ୍ରସବ କଲା।
1CH 4:18 ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ, ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା। ମାତ୍ର ସେମାନେ ଫାରୋର କନ୍ୟା ବିଥିୟାର ସନ୍ତାନ ଥିଲେ, ମେରଦ୍‍ ତାହାକୁ ବିବାହ କରିଥିଲା।
1CH 4:19 ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ।
1CH 4:20 ଆଉ, ଶିମୋନର ସନ୍ତାନ ଅମ୍ନୋନ, ରିଣ୍ଣ, ବିନ୍‍ହାନନ୍‍ ଓ ତୀଲୋନ୍‍। ଆଉ ଈଶୀର ସନ୍ତାନ ସୋହେତ୍‍ ଓ ବିନ୍‍-ସୋହେତ୍‍।
1CH 4:21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
1CH 4:22 ପୁଣି, ଯୋକୀମ୍‍, କୋଷେବାର ଲୋକମାନେ, ଯୋୟାଶ୍‍, ସାରଫ୍‍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍‍। ଏହା ଲିଖିତ ବିବରଣୀ ଅଟେ।
1CH 4:23 ଏମାନେ କୁମ୍ଭକାର, ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ।
1CH 4:24 ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍‍, ଯାରୀବ, ସେରହ, ଶୌଲ;
1CH 4:25 ତାହାର ପୁତ୍ର ଶଲ୍ଲୁମ୍‍, ତାହାର ପୁତ୍ର ମିବ୍‍ସମ୍‍, ତାହାର ପୁତ୍ର ମିଶ୍ମା।
1CH 4:26 ପୁଣି, ମିଶ୍ମାର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର, ତାହାର ପୁତ୍ର ଶିମୀୟି।
1CH 4:27 ଆଉ, ଶିମୀୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ।
1CH 4:28 ଆଉ, ସେମାନେ ବେର୍‍ଶେବାରେ, ମୋଲାଦାରେ, ହତ୍‍ସର-ଶୁୟାଲ୍‍ରେ,
1CH 4:29 ବିଲ୍‌ହାରେ, ଏତ୍ସମ୍‍ରେ, ତୋଲଦରେ,
1CH 4:30 ବଥୂୟେଲରେ, ହର୍ମାରେ, ସିକ୍ଲଗ୍‍ରେ,
1CH 4:31 ବେଥ୍-ମର୍କାବୋତ୍‍ରେ, ହତ୍‍ସର୍‍-ସୂଷୀମ୍‍ରେ, ବେଥ୍-ବିରୀରେ ଓ ଶାରୟିମ୍‍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।
1CH 4:32 ଆଉ, ଗ୍ରାମସୁଦ୍ଧା ଐଟମ୍‍, ଐନ୍‍, ରିମ୍ମୋନ୍‍, ତୋଖେନ୍‍ ଓ ଆଶନ୍‍, ଏହି ପାଞ୍ଚ ନଗର;
1CH 4:33 ପୁଣି, ବାଲ୍‍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି।
1CH 4:34 ଆଉ, ମଶୋବବ୍‍, ଯମ୍ଲେକ ଓ ଅମତ୍‍ସୀୟର ପୁତ୍ର ଯୋଶ
1CH 4:35 ଓ ଯୋୟେଲ, ପୁଣି, ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବିୟର ପୁତ୍ର ଯେହୂ;
1CH 4:36 ଇଲୀୟୋଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ, ଯିଶୀମିୟେଲ ଓ ବନାୟ;
1CH 4:37 ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମ୍ରିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫିୟିର ପୁତ୍ର ସୀଷଃ;
1CH 4:38 ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ।
1CH 4:39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ ସ୍ଥାନ, ଅର୍ଥାତ୍‍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ।
1CH 4:40 ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା; କାରଣ ହାମବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ।
1CH 4:41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।
1CH 4:42 ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍‍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଈଶୀର ସନ୍ତାନ ପ୍ଲଟୀୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର ପର୍ବତକୁ ଗଲେ।
1CH 4:43 ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
1CH 5:1 ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
1CH 5:2 କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
1CH 5:3 ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି।
1CH 5:4 ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍‍, ତାହାର ପୁତ୍ର ଶିମୀୟି;
1CH 5:5 ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍‍;
1CH 5:6 ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
1CH 5:7 ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ
1CH 5:8 ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।
1CH 5:9 ପୁଣି, ପୂର୍ବ ଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
1CH 5:10 ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
1CH 5:11 ପୁଣି, ଗାଦ୍‍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
1CH 5:12 ଯୋୟେଲ ପ୍ରଧାନ ଓ ଶାଫମ୍‍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍‍ ବାଶନରେ ରହିଲେ;
1CH 5:13 ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍‍, ଶେବଃ, ଯୋରୟ, ଯାକନ୍‍, ସୀୟ ଓ ଏବର, ସାତ ଜଣ।
1CH 5:14 ବୂଷ୍‍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
1CH 5:15 ଗୂନିର ପୌତ୍ର ଅବ୍‍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
1CH 5:16 ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
1CH 5:17 ଯିହୁଦାର ରାଜା ଯୋଥମ୍‍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
1CH 5:18 ରୁବେନ୍‍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
1CH 5:19 ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍‍ ଓ ନୋଦବ୍‍ ସହିତ ଯୁଦ୍ଧ କଲେ।
1CH 5:20 ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
1CH 5:21 ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍‍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇଗଲେ।
1CH 5:22 କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ।
1CH 5:23 ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍‍-ହର୍ମୋନ୍‍, ସନୀର୍‍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
1CH 5:24 ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
1CH 5:25 ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।
1CH 5:26 ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍‍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍‍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
1CH 6:1 ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।
1CH 6:2 କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର ଓ ହିବ୍ରୋଣ ଓ ଉଷୀୟେଲ।
1CH 6:3 ଅମ୍ରାମ୍‍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମର।
1CH 6:4 ଇଲୀୟାସର ପୀନହସ୍‍କୁ ଜାତ କଲା, ପୀନହସ୍‍ ଅବୀଶୂୟକୁ ଜାତ କଲା;
1CH 6:5 ପୁଣି, ଅବୀଶୂୟ ବୁକ୍କିକୁ ଜାତ କଲା ଓ ବୁକ୍କୁ ଉଷିକୁ ଜାତ କଲା;
1CH 6:6 ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍‍କୁ ଜାତ କଲା;
1CH 6:7 ମରାୟୋତ୍‍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା।
1CH 6:8 ଆଉ ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଅହୀମାସ୍‍କୁ ଜାତ କଲା;
1CH 6:9 ଅହୀମାସ୍‍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍‍କୁ ଜାତ କଲା;
1CH 6:10 ଆଉ ଯୋହାନନ୍‍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା।
1CH 6:11 ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା;
1CH 6:12 ପୁଣି, ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଶଲ୍ଲୁମ୍‍କୁ ଜାତ କଲା;
1CH 6:13 ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କୀୟ ଅସରୀୟକୁ ଜାତ କଲା;
1CH 6:14 ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋଷାଦକଙ୍କୁ ଜାତ କଲା।
1CH 6:15 ପୁଣି, ସଦାପ୍ରଭୁ ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇଗଲା।
1CH 6:16 ଲେବୀର ପୁତ୍ର ଗେର୍ଶୋମ, କହାତ ଓ ମରାରି ଥିଲେ।
1CH 6:17 ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍‍ନି ଓ ଶିମୀୟି।
1CH 6:18 କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ।
1CH 6:19 ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ।
1CH 6:20 ଗେର୍ଶୋମର (ସନ୍ତାନ); ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଯହତ୍‍, ତାହାର ପୁତ୍ର ସିମ୍ମ;
1CH 6:21 ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ।
1CH 6:22 କହାତର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର;
1CH 6:23 ତାହାର ପୁତ୍ର ଇଲ୍‍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର;
1CH 6:24 ତାହାର ପୁତ୍ର ତହତ, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ।
1CH 6:25 ଇଲ୍‍କାନାର ସନ୍ତାନ ଅମାସୟ ଓ ଅହୀମୋତ୍‍।
1CH 6:26 ଇଲ୍‍କାନା; ଇଲ୍‍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହତ୍‍;
1CH 6:27 ତାହାର ପୁତ୍ର ଇଲୀୟାବ୍‍, ତାହାର ପୁତ୍ର ଯିରୋହମ, ତାହାର ପୁତ୍ର ଇଲ୍‍କାନା।
1CH 6:28 ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ୱିତୀୟ ଅବୀୟ।
1CH 6:29 ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ;
1CH 6:30 ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ।
1CH 6:31 (ନିୟମ)ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।
1CH 6:32 ପୁଣି, ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ।
1CH 6:33 ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର;
1CH 6:34 ସେ ଇଲ୍‍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍‍ର ପୁତ୍ର, ସେ ତୋହର ପୁତ୍ର;
1CH 6:35 ସେ ସୂଫର ପୁତ୍ର, ସେ ଇଲ୍‍କାନାର ପୁତ୍ର, ସେ ମାହତ୍‍ର ପୁତ୍ର, ସେ ଅମାସୟର ପୁତ୍ର;
1CH 6:36 ସେ ଇଲ୍‍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର;
1CH 6:37 ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;
1CH 6:38 ସେ ଯିଷ୍‍ହରିର ପୁତ୍ର, ସେ କହାତର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର।
1CH 6:39 ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ର;
1CH 6:40 ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍‍କୀୟର ପୁତ୍ର;
1CH 6:41 ସେ ଇତ୍‍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର;
1CH 6:42 ସେ ଏଥନ୍‍ର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟିର ପୁତ୍ର।
1CH 6:43 ସେ ଯହତ୍‍ର ପୁତ୍ର, ସେ ଗେର୍ଶୋମର ପୁତ୍ର, ସେ ଲେବୀର ପୁତ୍ର।
1CH 6:44 ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;
1CH 6:45 ସେ ହଶବୀୟର ପୁତ୍ର, ସେ ଅମତ୍‍ସୀୟର ପୁତ୍ର, ସେ ହିଲ୍‍କୀୟର ପୁତ୍ର;
1CH 6:46 ସେ ଅମ୍ସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର;
1CH 6:47 ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର।
1CH 6:48 ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ।
1CH 6:49 ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ।
1CH 6:50 ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପୀନହସ୍‍, ତାହାର ପୁତ୍ର ଅବୀଶୂୟ
1CH 6:51 ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;
1CH 6:52 ତାହାର ପୁତ୍ର ମରାୟୋତ୍‍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍‍;
1CH 6:53 ତାହାର ପୁତ୍ର ସାଦୋକ, ତାହାର ପୁତ୍ର ଅହୀମାସ୍‍।
1CH 6:54 ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ। ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା,
1CH 6:55 ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା।
1CH 6:56 ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦିଆଗଲା।
1CH 6:57 ପୁଣି, ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗରସବୁ, ହିବ୍ରୋଣ; ଲିବ୍‍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି;
1CH 6:58 ହିଲେନ୍‍, ତହିଁର ତଳିଭୂମି, ଦବୀର, ତହିଁର ତଳିଭୂମି;
1CH 6:59 ଆଶନ୍‍, ତହିଁର ତଳିଭୂମି ଓ ବେଥ୍-ଶେମଶ, ତହିଁର ତଳିଭୂମି;
1CH 6:60 ପୁଣି, ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍‍, ତହିଁର ତଳିଭୂମି ଓ ଅନାଥୋତ୍‍, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା।
1CH 6:61 ପୁଣି, କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧ ବଂଶ, ଅର୍ଥାତ୍‍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା।
1CH 6:62 ଆଉ ଗେର୍ଶୋମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା।
1CH 6:63 ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ୍‍-ବଂଶଠାରୁ ଓ ଗାଦ୍‍ ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା।
1CH 6:64 ପୁଣି, ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ।
1CH 6:65 ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ।
1CH 6:66 ପୁଣି, କହାତ-ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ।
1CH 6:67 ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ; ତଳିଭୂମି ସହିତ ଗେଷର;
1CH 6:68 ତଳିଭୂମି ସହିତ ଯକମୀୟାମ୍‍ ଓ ତଳିଭୂମି ସହିତ ବେଥ୍-ହୋରଣ;
1CH 6:69 ତଳିଭୂମି ସହିତ ଅୟାଲୋନ୍‍ ଓ ତଳିଭୂମି ସହିତ ଗାଥ୍‍-ରିମ୍ମୋନ;
1CH 6:70 ପୁଣି, ମନଃଶିର ଅର୍ଦ୍ଧ ବଂଶଠାରୁ ତଳିଭୂମି ସହିତ ଆନେର୍‍ ଓ ତଳିଭୂମି ସହିତ ବିଲୀୟମ୍‍, ଏହିସବୁ ନଗର କହାତ-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ।
1CH 6:71 ଗେର୍ଶୋମର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍‍ ଓ ତଳିଭୂମି ସହିତ ଅଷ୍ଟାରୋତ୍‍;
1CH 6:72 ଆଉ ଇଷାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦଶ୍‍, ତଳିଭୂମି ସହିତ ଦାବରତ୍‍;
1CH 6:73 ତଳିଭୂମି ସହିତ ରାମୋତ୍‍ ଓ ତଳିଭୂମି ସହିତ ଆନେମ୍‍;
1CH 6:74 ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍‍, ତଳିଭୂମି ସହିତ ଅବଦୋନ୍‍;
1CH 6:75 ତଳିଭୂମି ସହିତ ହୁକ୍କୋକ୍‍ ଓ ତଳିଭୂମି ସହିତ ରହୋବ;
1CH 6:76 ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ, ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା।
1CH 6:77 ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍‍, ତଳିଭୂମି ସହିତ ତାବୋର୍‍ ଦିଆଗଲା।
1CH 6:78 ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବ ଦିଗରେ ରୁବେନ୍‍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର ଓ ତଳିଭୂମି ସହିତ ଯହସ
1CH 6:79 ଓ ତଳିଭୂମି ସହିତ କଦେମୋତ୍‍ ଓ ତଳିଭୂମି ସହିତ ମେଫାତ୍‍;
1CH 6:80 ଆଉ ଗାଦ୍‍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍‍, ତଳିଭୂମି ସହିତ ମହନୟିମ,
1CH 6:81 ତଳିଭୂମି ସହିତ ହିଷ୍‍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା।
1CH 7:1 ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
1CH 7:2 ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍‍ସମ୍‍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
1CH 7:3 ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
1CH 7:4 ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
1CH 7:5 ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
1CH 7:6 ଆଉ ବିନ୍ୟାମୀନ୍‍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
1CH 7:7 ଆଉ ବେଲାର ପୁତ୍ରଗଣ; ଇଷବୋନ୍‍, ଉଷି, ଉଷୀୟେଲ, ଯିରେମୋତ୍‍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
1CH 7:8 ଆଉ ବେଖରର ପୁତ୍ରଗଣ; ସମୀର୍‍, ଯୋୟାଶ୍‍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍‍, ଅବୀୟ, ଅନାଥୋତ୍‍ ଓ ଆଲେମତ୍‍। ଏସମସ୍ତେ ବେଖରର ସନ୍ତାନ।
1CH 7:9 ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
1CH 7:10 ଯିଦୀୟେଲର ପୁତ୍ର ବିଲ୍‍ହନ୍‍ ଏବଂ ବିଲ୍‍ହନ୍‍‍ର ପୁତ୍ରଗଣ ଯିୟୂଶ୍‍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍‍, ତର୍ଶୀଶ୍‍ ଓ ଅହୀଶହର;
1CH 7:11 ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
1CH 7:12 ଶୁପ୍ପୀମ୍‍ ମଧ୍ୟ ଓ ହୁପ୍ପୀମ୍‍, ଈର୍‍ର ସନ୍ତାନଗଣ, ହୂଶୀମ୍‍, ଅହେରର ସନ୍ତାନଗଣ।
1CH 7:13 ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍‍, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।
1CH 7:14 ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
1CH 7:15 ଏହି ମାଖୀର ହୁପ୍ପୀମ୍‍ ଓ ଶୁପ୍ପୀମ୍‍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍‍ଫାଦ୍‍ ଓ ସଲଫାଦର କନ୍ୟାମାନେ ଥିଲେ।
1CH 7:16 ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍‍ ଓ ରେକମ୍‍।
1CH 7:17 ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
1CH 7:18 ଆଉ ତାହାର ଭଗିନୀ ହମ୍ମୋଲେକତ୍‍, ଇଶ୍‍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
1CH 7:19 ଆଉ ଶମୀଦାର ପୁତ୍ର ଅହୀୟନ୍‍, ଶେଖମ୍‍, ଲିକ୍‍ହି ଓ ଅନୀୟାମ୍‍।
1CH 7:20 ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
1CH 7:21 ତାହାର ପୁତ୍ର ସାବଦ୍‍, ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
1CH 7:22 ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
1CH 7:23 ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
1CH 7:24 ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
1CH 7:25 ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
1CH 7:26 ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
1CH 7:27 ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
1CH 7:28 ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
1CH 7:29 ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
1CH 7:30 ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
1CH 7:31 ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ।
1CH 7:32 ପୁଣି, ହେବର, ଯଫ୍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
1CH 7:33 ଯଫ୍ଲେଟର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍ଲେଟ୍‍ର ସନ୍ତାନ।
1CH 7:34 ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
1CH 7:35 ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ।
1CH 7:36 ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର;
1CH 7:37 ବେତ୍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା।
1CH 7:38 ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
1CH 7:39 ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
1CH 7:40 ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।
1CH 8:1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;
1CH 8:2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
1CH 8:3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,
1CH 8:4 ଅବୀଶୂୟ, ନାମାନ୍‍, ଆହୋହ,
1CH 8:5 ଗେରା, ଶଫୂଫନ୍‍ ଓ ହୂରମ୍‍।
1CH 8:6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆଯାଇଥିଲେ।
1CH 8:7 ଆଉ ସେ ନାମାନ୍‍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍‍କୁ ଜାତ କଲା।
1CH 8:8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍‍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍‍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
1CH 8:9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍‍ର ଗର୍ଭରେ ଯୋବବ୍‍, ସିବୀୟ, ମେଶା ଓ ମଲକମ୍‍,
1CH 8:10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।
1CH 8:11 ଆଉ ସେ ହୂଶୀମ୍‍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
1CH 8:12 ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍‍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍‍ର ପତ୍ତନକାରୀ ଶେମଦ୍‍,
1CH 8:13 ବରୀୟ ଓ ଶେମା, ଏମାନେ ଅୟାଲୋନ୍‍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍‍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
1CH 8:14 ପୁଣି, ଅହୀୟୋ, ଶାଶକ୍‍, ଯେରେମୋତ୍‍,
1CH 8:15 ସବଦୀୟ, ଅରାଦ, ଏଦର,
1CH 8:16 ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
1CH 8:17 ଆଉ ସବଦୀୟ, ମଶୁଲ୍ଲମ୍‍, ହିଷ୍କି, ହେବର,
1CH 8:18 ଯିଷ୍ମରୟ, ଯିଷ୍‍ଲୀୟ ଓ ଯୋବବ୍‍ ଇଲ୍ପାଲର ପୁତ୍ର ଥିଲେ।
1CH 8:19 ଆଉ ଶିମୀୟିର ପୁତ୍ର ଯାକୀମ୍‍, ସିଖ୍ରି, ସବ୍‍ଦି,
1CH 8:20 ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍‍,
1CH 8:21 ଅଦାୟା, ବରାୟା ଓ ଶିମ୍ରତ୍‍;
1CH 8:22 ଆଉ ଶାଶକ୍‍ର ପୁତ୍ର ଯିଶ୍ପନ୍‍, ଏବର, ଇଲୀୟେଲ୍‍,
1CH 8:23 ଅବଦୋନ୍‍, ସିଖ୍ରି, ହାନନ୍‍,
1CH 8:24 ହନାନୀୟ, ଏଲମ୍‍, ଅନ୍ତୋଥୀୟ,
1CH 8:25 ଯିଫଦୀୟ ଓ ପନୂୟେଲ;
1CH 8:26 ଆଉ, ଯିରୋହମର ସନ୍ତାନ ଶମ୍‍ଶରୟ, ଶହରୀୟ, ଅଥଲୀୟ,
1CH 8:27 ଯାରିଶୀୟ, ଏଲୀୟ ଓ ସିଖ୍ରି;
1CH 8:28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
1CH 8:29 ଆଉ ଗିବୀୟୋନ୍‍ର ପିତା ଯିୟେଲ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
1CH 8:30 ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନାଦବ୍‍,
1CH 8:31 ଗଦୋର, ଅହୀୟୋ ଓ ସଖର;
1CH 8:32 ପୁଣି, ମିକ୍ଲୋତ୍‍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
1CH 8:33 ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
1CH 8:34 ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
1CH 8:35 ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତରେୟ ଓ ଆହସ୍‌।
1CH 8:36 ଆଉ, ଆହସ୍‌ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍‍, ଅସ୍ମାବତ୍‍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
1CH 8:37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
1CH 8:38 ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍। ଏସମସ୍ତେ ଆତ୍ସେଲର ପୁତ୍ର।
1CH 8:39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍।
1CH 8:40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍‍ର ସନ୍ତାନ।
1CH 9:1 ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ଵସ୍ତତା ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ।
1CH 9:2 ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗରସମୂହରେ ପ୍ରଥମେ ବସତି କଲେ।
1CH 9:3 ପୁଣି, ଯିହୁଦା-ସନ୍ତାନଗଣ ମଧ୍ୟରୁ, ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ, ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
1CH 9:4 ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିଙ୍କର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
1CH 9:5 ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ।
1CH 9:6 ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ।
1CH 9:7 ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବୀୟର ପୌତ୍ର ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ;
1CH 9:8 ଆଉ ଯିରୋହମର ପୁତ୍ର ଯିବ୍‍ନୀୟ ଓ ମିଖ୍ରିର ପୌତ୍ର ଉଷିର ପୁତ୍ର ଏଲା, ଆଉ ଇଦ୍‍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫଟୀୟର ପୁତ୍ର ମଶୁଲ୍ଲମ୍‍;
1CH 9:9 ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ। ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ।
1CH 9:10 ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍‍, ଯାଖୀନ୍‍
1CH 9:11 ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍‍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍‍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍‍ର ପୌତ୍ର ହିଲ୍‍କୀୟର ପୁତ୍ର ଅସରୀୟ,
1CH 9:12 ଆଉ ମଲ୍‍କୀୟର ପ୍ରପୌତ୍ର ପଶ୍‍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି, ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍‍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
1CH 9:13 ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଷାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ।
1CH 9:14 ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
1CH 9:15 ଆଉ ବକ୍‍ବକର, ହେରଶ୍‍, ଗାଲଲ୍‍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀକାର ପୁତ୍ର ମତ୍ତନୀୟ
1CH 9:16 ଓ ଯିଦୂଥୂନ୍‍‍ର ପ୍ରପୌତ୍ର ଗାଲଲ୍‍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍‍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
1CH 9:17 ଆଉ ଦ୍ୱାରପାଳ, ଶଲ୍ଲୁମ୍‍, ଅକ୍କୂବ, ଟଲ୍‍ମୋନ, ଅହୀମାନ୍‍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍‍ ପ୍ରଧାନ ଥିଲା।
1CH 9:18 ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।
1CH 9:19 ଏହି ଶଲ୍ଲୁମ୍‍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।
1CH 9:20 ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍‍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।
1CH 9:21 ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
1CH 9:22 ଦ୍ୱାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାର ଜଣ; ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ।
1CH 9:23 ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍‍, ତମ୍ବୁଗୃହର ଦ୍ୱାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ।
1CH 9:24 ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ।
1CH 9:25 ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
1CH 9:26 କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାରସମୂହର ଅଧ୍ୟକ୍ଷ ଥିଲେ।
1CH 9:27 ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
1CH 9:28 ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
1CH 9:29 ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।
1CH 9:30 ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।
1CH 9:31 ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍‍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ୱାନ୍ନ-ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା।
1CH 9:32 ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ।
1CH 9:33 ପୁଣି, ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା।
1CH 9:34 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
1CH 9:35 ଆଉ ଗିବୀୟୋନ୍‍ର ପିତା ଯିୟୀୟେଲ୍‍ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
1CH 9:36 ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନେର୍‍, ନାଦବ୍‍,
1CH 9:37 ଗଦୋର, ଅହୀୟୋ, ଜିଖରୀୟ ଓ ମିକ୍ଲୋତ୍‍।
1CH 9:38 ମିକ୍ଲୋତ୍‍ ଶିମୀୟାମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
1CH 9:39 ନେର୍‍ କୀଶ୍‍କୁ ଜାତ କଲା, କୀଶ୍‍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
1CH 9:40 ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
1CH 9:41 ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତହରେୟ ଓ ଆହସ୍‌।
1CH 9:42 ଆହସ୍‌ ଯାରହକୁ ଜାତ କଲା, ଯାରହ ଆଲେମତ୍‍, ଅସ୍ମାବତ୍‍ ଓ ସିମ୍ରିକୁ ଜାତ କଲା; ସିମ୍ରି ମୋତ୍ସାକୁ ଜାତ କଲା
1CH 9:43 ଓ ମୋତ୍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ।
1CH 9:44 ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍; ଏସମସ୍ତେ ଆତ୍ସେଲର ସନ୍ତାନ।
1CH 10:1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।
1CH 10:2 ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ, ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ।
1CH 10:3 ଏହିରୂପେ ଶାଉଲଙ୍କ ସଙ୍ଗେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଆହତ ହେଲେ।
1CH 10:4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ କୌତୁକ କରିବେ।” ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।
1CH 10:5 ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା।
1CH 10:6 ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ।
1CH 10:7 ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗରସବୁ ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।
1CH 10:8 ଏଥିଉତ୍ତାରେ ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।
1CH 10:9 ତହୁଁ ସେମାନେ ତାଙ୍କର ସଜ୍ଜା ଫିଟାଇ ତାଙ୍କର ମସ୍ତକ ଓ ସଜ୍ଜା ନେଇ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ।
1CH 10:10 ପୁଣି, ସେମାନେ ତାଙ୍କର ସଜ୍ଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ୍‍ ମନ୍ଦିରରେ ଟାଙ୍ଗି ଦେଲେ।
1CH 10:11 ଏଉତ୍ତାରେ ଯାବେଶ-ଗିଲୀୟଦୀୟ ସମସ୍ତେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ,
1CH 10:12 ସମସ୍ତ ବିକ୍ରମଶାଳୀ ଲୋକ ଉଠି ଶାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଯାବେଶକୁ ନେଇ ଆସିଲେ ଓ ଯାବେଶସ୍ଥ ଅଲୋନ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ।
1CH 10:13 ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ଵସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ।
1CH 10:14 ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।
1CH 11:1 ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
1CH 11:2 ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’”
1CH 11:3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
1CH 11:4 ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍‍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ।
1CH 11:5 ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା।
1CH 11:6 ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।
1CH 11:7 ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ।
1CH 11:8 ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍‍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ।
1CH 11:9 ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।
1CH 11:10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।
1CH 11:11 ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍‍ମୋନୀୟର ପୁତ୍ର ଯାଶ୍‍ବୀୟାମ୍‍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା।
1CH 11:12 ପୁଣି, ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା।
1CH 11:13 ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;
1CH 11:14 ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହା ଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
1CH 11:15 ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍‍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
1CH 11:16 ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
1CH 11:17 ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
1CH 11:18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,
1CH 11:19 “ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
1CH 11:20 ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
1CH 11:21 ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
1CH 11:22 ପରାକ୍ରାନ୍ତ କର୍ମକାରୀ କବ୍‍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
1CH 11:23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
1CH 11:24 ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
1CH 11:25 ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
1CH 11:26 ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍‍ହାନନ୍‍;
1CH 11:27 ହରୋରୀୟ ଶମ୍ମୋତ୍‍, ପଲୋନୀୟ ହେଲସ୍‍,
1CH 11:28 ତକୋୟୀୟ ଇକ୍‍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର;
1CH 11:29 ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;
1CH 11:30 ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍‍;
1CH 11:31 ବିନ୍ୟାମୀନ୍-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;
1CH 11:32 ଗାଶ୍‍-ନଦୀତୀର ନିବାସୀ ହୂରୟ, ଅର୍ବତୀୟ ଅବୀୟେଲ;
1CH 11:33 ବାହାରୁମୀୟ ଅସ୍ମାବତ୍‍, ଶାଲ୍‍ବୋନୀୟ ଇଲୀୟହବା;
1CH 11:34 ଗିଷୋନୀୟ ହାଷେମ୍‍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;
1CH 11:35 ହରାରୀୟ ସାଖରର ପୁତ୍ର ଅହୀୟାମ, ଊରର ପୁତ୍ର ଇଲୀଫାଲ;
1CH 11:36 ମଖେରାତୀୟ ହେଫର, ପଲୋନୀୟ ଅହୀୟ;
1CH 11:37 କର୍ମିଲୀୟ ହିଷ୍ରୟ, ଇଷ୍‍ବୟର ପୁତ୍ର ନାରୟ;
1CH 11:38 ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;
1CH 11:39 ଅମ୍ମୋନୀୟ ସେଲକ୍‍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
1CH 11:40 ଯିତ୍ରୀୟ ଈରା ଓ ଗାରେବ୍‍;
1CH 11:41 ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍‍,
1CH 11:42 ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;
1CH 11:43 ମାଖାର ପୁତ୍ର ହାନନ୍‍, ମିତ୍ନୀୟ ଯୋଶାଫଟ୍‍;
1CH 11:44 ଅଷ୍ଟାରୋତୀୟ ଉଷୀଅ; ଅରୋୟେରୀୟ ହୋଥମ୍‍ର ପୁତ୍ର ଶାମ୍‍ ଓ ଯିୟୀୟେଲ୍‍;
1CH 11:45 ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;
1CH 11:46 ମହବୀୟ, ଇଲୀୟେଲ୍‍, ଇଲ୍‍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;
1CH 11:47 ଇଲୀୟେଲ୍‍, ଓବେଦ୍‍ ଓ ମସୋବାୟୀୟ ଯାସୀୟେଲ୍‍।
1CH 12:1 ଯେଉଁ ସମୟରେ ଦାଉଦ କୀଶ୍‍ର ପୁତ୍ର ଶାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେହି ସମୟରେ ଏହି ଲୋକମାନେ ସିକ୍ଲଗ୍‍କୁ ତାଙ୍କ ନିକଟକୁ ଆସିଥିଲେ; ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ।
1CH 12:2 ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।
1CH 12:3 ସେମାନଙ୍କ ମଧ୍ୟରେ ପ୍ରଧାନ ଅହୀୟେଷର, ତହିଁ ଉତ୍ତାରେ ଯୋୟାଶ୍‍, ଏମାନେ ଗିବୀୟାଥୀୟ ଶମାୟର ପୁତ୍ର; ଅସ୍ମାବତ୍‍ର ପୁତ୍ର ଯିଷୀୟେଲ୍‍, ପେଲଟ୍‍, ଅନାଥୋତୀୟ ବରାଖା ଓ ଯେହୂ;
1CH 12:4 ପୁଣି, ଗିବୀୟୋନୀୟ ଯିଶ୍ମୟୀୟ, ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ; ଆଉ ଯିରିମୀୟ, ଯହସୀୟେଲ, ଯୋହାନନ୍‍, ଗଦେରାଥୀୟ ଯୋଷାବଦ୍‍;
1CH 12:5 ଇଲିୟଷୟ, ଯିରେମୋତ୍‍, ବାଲୀୟା, ଶେମରୀୟ, ହରୂଫୀୟ ଶଫଟୀୟ;
1CH 12:6 କୋରହୀୟ ଇଲ୍‍କାନା, ଯିଶୀୟ, ଅସରେଲ୍‍, ଯୋୟେଷର୍‍, ଯାଶ୍‍ବୀୟାମ୍‍;
1CH 12:7 ଆଉ ଗଦୋର ନିବାସୀ ଯିରୋହମର ପୁତ୍ର ଯୋୟେଲା ଓ ସବଦୀୟ।
1CH 12:8 ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।
1CH 12:9 ପ୍ରଥମ ଏସର୍‍, ଦ୍ୱିତୀୟ ଓବଦୀୟ, ତୃତୀୟ ଇଲୀୟାବ୍‍,
1CH 12:10 ଚତୁର୍ଥ ମିଶ୍ମନ୍ନା, ପଞ୍ଚମ ଯିରିମୀୟ,
1CH 12:11 ଷଷ୍ଠ ଅତ୍ତୟ, ସପ୍ତମ ଇଲୀୟେଲ୍‍;
1CH 12:12 ଅଷ୍ଟମ ଯୋହାନନ୍‍, ନବମ ଇଲ୍ସାବଦ୍‍;
1CH 12:13 ଦଶମ ଯିରିମୀୟ, ଏକାଦଶ ମଗ୍‍ବନ୍ନୟ।
1CH 12:14 ଗାଦ୍‍ର ଏହି ସନ୍ତାନମାନେ ସେନାପତି ଥିଲେ, ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର, ସେ ଏକ ଶତ ଲୋକର ଓ ଯେ ମହାନ, ସେ ଏକ ସହସ୍ର ଲୋକର ସମାନ ଥିଲା।
1CH 12:15 ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
1CH 12:16 ଆହୁରି ବିନ୍ୟାମୀନ୍ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ।
1CH 12:17 ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, “ଯଦି ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋʼ ନିକଟକୁ ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯଦି ତୁମ୍ଭେମାନେ ମୋʼ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ।”
1CH 12:18 ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ; ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ; କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି।” ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ।
1CH 12:19 ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶିୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, “ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ।”
1CH 12:20 ଦାଉଦ ସିକ୍ଲଗ୍‍କୁ ଯିବା ବେଳେ ମନଃଶି ସମ୍ବନ୍ଧୀୟ ଅଦ୍ନହ, ଯୋଷାବଦ୍‍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍‍, ଇଲୀହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ।
1CH 12:21 ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ।
1CH 12:22 ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ୱରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା।
1CH 12:23 ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।
1CH 12:24 ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ।
1CH 12:25 ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ ସାତ ହଜାର ଏକ ଶହ ଜଣ।
1CH 12:26 ଲେବୀ-ସନ୍ତାନଗଣ ମଧ୍ୟରୁ ଚାରି ହଜାର ଛଅ ଶହ ଜଣ।
1CH 12:27 ପୁଣି, ଯିହୋୟାଦା ହାରୋଣ-ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ ତିନି ହଜାର ସାତ ଶହ ଲୋକ ଥିଲେ।
1CH 12:28 ଆଉ ସାଦୋକ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲା ଓ ତାହାର ପିତୃବଂଶର ବାଇଶ ଜଣ ସେନାପତି ଥିଲେ।
1CH 12:29 ଶାଉଲଙ୍କର ଜ୍ଞାତି ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ତିନି ହଜାର ଲୋକ; କାରଣ ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ଶାଉଲଙ୍କ ବଂଶର ବଶତା ସ୍ୱୀକାର କଲେ।
1CH 12:30 ଇଫ୍ରୟିମ-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ।
1CH 12:31 ପୁଣି, ମନଃଶିର ଅର୍ଦ୍ଧ ବଂଶରୁ ଅଠର ହଜାର ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ମନୋନୀତ ଲୋକ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ।
1CH 12:32 ଆଉ ଇଷାଖର-ସନ୍ତାନଗଣ ମଧ୍ୟରୁ ଦୁଇ ଶହ ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ, ତାହା ଜାଣିଲେ; ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ।
1CH 12:33 ସବୂଲୂନ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ୱିମନା ନ ଥିଲେ।
1CH 12:34 ପୁଣି, ନପ୍ତାଲି ମଧ୍ୟରୁ ଏକ ହଜାର ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ ସଇଁତିରିଶ ହଜାର ଲୋକ ଥିଲେ।
1CH 12:35 ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ ଅଠାଇଶ ହଜାର ଛଅ ଶହ ଲୋକ ଥିଲେ।
1CH 12:36 ଆଶେର ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ, ଯୁଦ୍ଧ ସଜାଇବାକୁ ସମର୍ଥ ଚାଳିଶ ହଜାର ଲୋକ।
1CH 12:37 ଆଉ ଯର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ, ଗାଦୀୟ ଓ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ।
1CH 12:38 ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ।
1CH 12:39 ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ।
1CH 12:40 ଆହୁରି ଇଷାଖର, ସବୂଲୂନ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ, ଉଷ୍ଟ୍ର, ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ, ଅର୍ଥାତ୍‍, ସୂଜିର ଦ୍ରବ୍ୟ, ଡିମ୍ବିରି ଚକ୍ତି, ଦ୍ରାକ୍ଷାପେଣ୍ଡା, ଦ୍ରାକ୍ଷାରସ, ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।
1CH 13:1 ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ।
1CH 13:2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।
1CH 13:3 ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ୱେଷଣ କରି ନାହୁଁ।”
1CH 13:4 ତହିଁରେ ସମଗ୍ର ସମାଜ ସେହିପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା।
1CH 13:5 ତହୁଁ କିରୀୟଥ୍‍-ଯିୟାରୀମ୍‍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।
1CH 13:6 ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍‍, କିରୀୟଥ୍‍-ଯିୟାରୀମ୍‍ରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେହି ସ୍ଥାନକୁ ଗଲେ।
1CH 13:7 ପୁଣି, ସେମାନେ ଗୋଟିଏ ନୂତନ ଶଗଡ଼ରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବୋହି ଆଣିଲେ; ଆଉ ଉଷ ଓ ଅହୀୟୋ ଶଗଡ଼ ଚଳାଇଲେ।
1CH 13:8 ପୁଣି, ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।
1CH 13:9 ଆଉ ସେମାନେ କୀଦୋନ୍‍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା।
1CH 13:10 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ସକାଶୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା।
1CH 13:11 ପୁଣି, ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ “ପେରସ-ଉଷ” ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
1CH 13:12 ଆଉ ଦାଉଦ ସେହି ଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, “ମୁଁ କିପରି ପରମେଶ୍ୱରଙ୍କ ସିନ୍ଦୁକ ମୋʼ ନିକଟକୁ ଗୃହକୁ ଆଣିବି?”
1CH 13:13 ତହୁଁ ଦାଉଦ ଦାଉଦ-ନଗରକୁ ଆପଣା ନିକଟକୁ ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ।
1CH 13:14 ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି, ସଦାପ୍ରଭୁ ଓବେଦ୍‍-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।
1CH 14:1 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା।
1CH 14:2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା।
1CH 14:3 ପୁଣି, ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।
1CH 14:4 ଯିରୂଶାଲମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୂୟ, ଶୋବବ୍‍, ନାଥନ, ଶଲୋମନ,
1CH 14:5 ୟିଭର, ଇଲୀଶୂୟ, ଇଲ୍ପେଲଟ୍‍,
1CH 14:6 ନୋଗହ, ନେଫଗ୍‍, ଯାଫୀୟ,
1CH 14:7 ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍‍।
1CH 14:8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ।
1CH 14:9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ।
1CH 14:10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କʼଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କʼଣ ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
1CH 14:11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋʼ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ।
1CH 14:12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି, ଦାଉଦ ଆଜ୍ଞା କରନ୍ତେ, ସେହି ସବୁ ଅଗ୍ନିରେ ଦଗ୍ଧ କରାଗଲା।
1CH 14:13 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ।
1CH 14:14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ପଶ୍ଚାତ୍‍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
1CH 14:15 ପୁଣି, ତୁମ୍ଭେ ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”
1CH 14:16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ; ପୁଣି, ସେମାନେ ଗିବୀୟୋନ୍‍ଠାରୁ ଗେଷର ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ।
1CH 14:17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା; ପୁଣି, ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।
1CH 15:1 ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ।
1CH 15:2 ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।”
1CH 15:3 ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ।
1CH 15:4 ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
1CH 15:5 କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ;
1CH 15:6 ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ;
1CH 15:7 ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ;
1CH 15:8 ଇଲୀଶାଫନ୍‍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ;
1CH 15:9 ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ୍‍ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ;
1CH 15:10 ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ।
1CH 15:11 ପୁଣି, ଦାଉଦ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲ୍‍କୁ ଓ ଅମ୍ମୀନାଦବକୁ ଡାକି କହିଲେ,
1CH 15:12 “ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣାମାନଙ୍କୁ ପବିତ୍ର କର।”
1CH 15:13 କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।
1CH 15:14 ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ।
1CH 15:15 ପୁଣି, ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବୋହିଲେ।
1CH 15:16 ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର।
1CH 15:17 ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ;
1CH 15:18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।
1CH 15:19 ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ;
1CH 15:20 ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ;
1CH 15:21 ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।
1CH 15:22 ପୁଣି, ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା।
1CH 15:23 ଆଉ ବେରିଖୀୟ ଓ ଇଲ୍‍କାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
1CH 15:24 ପୁଣି, ଶବନୀୟ, ଯୋଶାଫଟ୍‍, ନଥନେଲ, ଅମାସୟ, ଜିଖରୀୟ, ବନାୟ ଓ ଇଲୀୟେଜର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍‍-ଇଦୋମ ଓ ଯିହୀୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ।
1CH 15:25 ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ;
1CH 15:26 ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।
1CH 15:27 ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା।
1CH 15:28 ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।
1CH 15:29 ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।
1CH 16:1 ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
1CH 16:2 ପୁଣି, ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।
1CH 16:3 ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣଙ୍କୁ ଏକ ଏକ ରୁଟି, ମାଂସର ଏକ ଏକ ଅଂଶ, ଏକ ଏକ ଖଣ୍ଡ ଦ୍ରାକ୍ଷାଚକ୍ତି ପରିବେଷଣ କଲେ।
1CH 16:4 ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ।
1CH 16:5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍‍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍‍, ବନାୟ, ଓବେଦ୍‍-ଇଦୋମ ଓ ଯିୟୀୟେଲ୍‍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ;
1CH 16:6 ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ।
1CH 16:7 ଆଉ ସେହି ଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ।
1CH 16:8 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।
1CH 16:9 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକର୍ମ ବିଷୟରେ କଥୋପକଥନ କର।
1CH 16:10 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।
1CH 16:11 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର।
1CH 16:12 ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,
1CH 16:13 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।
1CH 16:14 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି।
1CH 16:15 ତାହାଙ୍କ ନିୟମ ଚିରକାଳ ସ୍ମରଣ କର, ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି;
1CH 16:16 ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ ଓ ସେହି ଶପଥ ସେ ଇସ୍‌ହାକଙ୍କ ପ୍ରତି କରିଥିଲେ;
1CH 16:17 ପୁଣି, ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ ପ୍ରତି ସ୍ଥିର କଲେ।
1CH 16:18 ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ ଦେଶ ତୁମ୍ଭକୁ ଦେବା;”
1CH 16:19 ସେହି ସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ, ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ;
1CH 16:20 ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ।
1CH 16:21 ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ; ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ;
1CH 16:22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍‍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।”
1CH 16:23 ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର।
1CH 16:24 ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର।
1CH 16:25 କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି; ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ।
1CH 16:26 କାରଣ, ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।
1CH 16:27 ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ।
1CH 16:28 ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।
1CH 16:29 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର।
1CH 16:30 ସମୁଦାୟ ପୃଥିବୀ! ତାହାଙ୍କ ଛାମୁରେ କମ୍ପମାନ ହୁଅ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ।
1CH 16:31 ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
1CH 16:32 ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ;
1CH 16:33 ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ, ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି।
1CH 16:34 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
1CH 16:35 ଆଉ, ତୁମ୍ଭେମାନେ କୁହ, “ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା।”
1CH 16:36 ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
1CH 16:37 ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ
1CH 16:38 ଆଉ ଓବେଦ୍‍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍‍‍ର ପୁତ୍ର ଓବେଦ୍‍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ
1CH 16:39 ଆଉ, ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ
1CH 16:40 ସାଦୋକ ଯାଜକ ଓ ତାହାର ଯାଜକ-ଭ୍ରାତୃଗଣ ଗିବୀୟୋନ୍‍ସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ;
1CH 16:41 ପୁଣି, ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ ଓ ଯିଦୂଥୂନ୍‍; ପୁଣି, ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ।
1CH 16:42 ଆଉ, ହେମନ, ଯିଦୂଥୂନ୍‍ ତୂରୀ, କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନ୍‍‍ର ପୁତ୍ରମାନେ ଦ୍ୱାରପାଳ ହେଲେ।
1CH 16:43 ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ, ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ।
1CH 17:1 ଏଥିଉତ୍ତାରେ ଦାଉଦ ଆପଣା ଗୃହରେ ବାସ କରୁଥିବା ବେଳେ ସେ ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଏରସ କାଷ୍ଠନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଯବନିକା ମଧ୍ୟରେ ବାସ କରୁଅଛି।”
1CH 17:2 ତହିଁରେ ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି।”
1CH 17:3 ଏଉତ୍ତାରେ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
1CH 17:4 ଯାଅ, “ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ ନାହିଁ;
1CH 17:5 କାରଣ ଆମ୍ଭେ ଇସ୍ରାଏଲକୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ; ମାତ୍ର ଏ ତମ୍ବୁରୁ ସେ ତମ୍ବୁକୁ ଓ ଏକ ଆବାସରୁ ଅନ୍ୟ ଆବାସକୁ ଯାଇଅଛୁ।
1CH 17:6 ଆମ୍ଭେ ସମୁଦାୟ ଇସ୍ରାଏଲ ସହିତ ଯେଉଁସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକମାନଙ୍କୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା କରିଥିଲୁ, ଇସ୍ରାଏଲର ଏପରି କୌଣସି ବିଚାରକର୍ତ୍ତାକୁ, ତୁମ୍ଭେମାନେ କାହିଁକି ଆମ୍ଭ ପାଇଁ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କʼଣ ଆମ୍ଭେ କହିଅଛୁ?
1CH 17:7 ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ।
1CH 17:8 ପୁଣି, ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ନାମ କରିବା।
1CH 17:9 ଆଉ ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେ ସମୟାବଧି
1CH 17:10 ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ ନାଶ କରିବେ ନାହିଁ; ଆଉ ଆମ୍ଭେ ତୁମ୍ଭର ସମୁଦାୟ ଶତ୍ରୁଙ୍କୁ ଅବନତ କରିବା। ଆହୁରି ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ।
1CH 17:11 ପୁଣି, ଆପଣା ପିତୃଲୋକଙ୍କ ନିକଟକୁ ତୁମ୍ଭର ଯିବାର ଦିନ ପୂର୍ଣ୍ଣ ହେଲେ, ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ତୁମ୍ଭ ବଂଶ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।
1CH 17:12 ସେ ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ କରିବା।
1CH 17:13 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ପୁଣି, ତୁମ୍ଭ ପୂର୍ବବର୍ତ୍ତୀ ଶାସକଙ୍କଠାରୁ(ଶାଉଲ) ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଦୂର କରିବା ନାହିଁ;
1CH 17:14 ମାତ୍ର, ଆମ୍ଭେ ଆପଣା ଗୃହରେ ଓ ଆପଣା ରାଜ୍ୟରେ ତାହାକୁ ଅନନ୍ତକାଳ ସ୍ଥିର କରିବା ଓ ତାହାର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”
1CH 17:15 ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ଅନୁସାରେ କଥା କହିଲେ।
1CH 17:16 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?
1CH 17:17 ତଥାପି ହେ ପରମେଶ୍ୱର! ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା କହିଅଛ, ଆଉ ହେ ସଦାପ୍ରଭୁ ପରମେଶ୍ୱର! ତୁମ୍ଭେ ମୋତେ ଉଚ୍ଚପଦସ୍ଥ ମନୁଷ୍ୟର ଶ୍ରେଣୀଭୁକ୍ତ ବୋଲି ଜ୍ଞାନ କରିଅଛ।
1CH 17:18 ଏଣୁ ତୁମ୍ଭ ଦାସ ପ୍ରତି କୃତ ସମ୍ମାନ ବିଷୟରେ ଦାଉଦ ତୁମ୍ଭଙ୍କୁ ଆଉ କଅଣ କହିପାରେ? ତୁମ୍ଭେ ଆପଣା ଦାସକୁ ଜାଣୁଅଛ।
1CH 17:19 ହେ ସଦାପ୍ରଭୋ! ତୁମ୍ଭେ ଏହି ସକଳ ମହତ୍ ବିଷୟ ଜଣାଇବା ପାଇଁ ଆପଣା ଦାସ ସକାଶେ ଓ ଆପଣା ହୃଦୟାନୁସାରେ ଏହି ସକଳ ମହତ୍ କର୍ମ ସାଧନ କରିଅଛ।
1CH 17:20 ହେ ସଦାପ୍ରଭୋ! ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।
1CH 17:21 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ ଓ ମିସରରୁ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରୁ ନାନା ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ମହତ୍ ଓ ଭୟାନକ କର୍ମ ଦ୍ୱାରା ତୁମ୍ଭର ନାମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।
1CH 17:22 ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ଆପଣାର ଲୋକ କରିଅଛ, ଆଉ ହେ ସଦାପ୍ରଭୋ! ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ।
1CH 17:23 ଏବେ ହେ ସଦାପ୍ରଭୋ! ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ କଥା କହିଅଛ; ତାହା ଅନନ୍ତକାଳ ସ୍ଥିରୀକୃତ ହେଉ ଓ ତୁମ୍ଭେ ଯେପରି କହିଅଛ, ସେପରି କର।
1CH 17:24 ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସେ ଇସ୍ରାଏଲର ସପକ୍ଷ ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାପିତ ହୋଇଅଛି, ଏହି କଥା ଦ୍ୱାରା ତୁମ୍ଭର ନାମ ଅନନ୍ତକାଳ ସ୍ଥିରୀକୃତ ଓ ମହତ୍ ହେଉ।
1CH 17:25 କାରଣ, ହେ ମୋହର ପରମେଶ୍ୱର! ତୁମ୍ଭେ ମୋʼ ପାଇଁ ଏକ ବଂଶ ସ୍ଥାପନ କରିବ ବୋଲି ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବାକୁ ତୁମ୍ଭ ଦାସ ସାହସ ପାଇଅଛି।
1CH 17:26 ଏବେ ହେ ସଦାପ୍ରଭୋ! ତୁମ୍ଭେ ହିଁ ପରମେଶ୍ୱର, ପୁଣି, ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।
1CH 17:27 ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୋ, ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”
1CH 18:1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଓ ତହିଁର ଉପନଗରସକଳ ହରଣ କଲେ।
1CH 18:2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ।
1CH 18:3 ଆହୁରି ସୋବାର ରାଜା ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍‍ ପର୍ଯ୍ୟନ୍ତ ପରାସ୍ତ କଲେ।
1CH 18:4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;
1CH 18:5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦଦେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।
1CH 18:6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।
1CH 18:7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।
1CH 18:8 ପୁଣି, ଦାଉଦ ହଦଦେଷରର ଅଧିକାରସ୍ଥ ଟିଭତ୍‍ ଓ କୂନ୍‍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ।
1CH 18:9 ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍‍ର ରାଜା ତୟି ଶୁଣନ୍ତେ,
1CH 18:10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ପାଇଁ ଓ ହଦଦେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା।
1CH 18:11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ।
1CH 18:12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା।
1CH 18:13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।
1CH 18:14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ।
1CH 18:15 ପୁଣି, ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା।
1CH 18:16 ପୁଣି, ଅହୀଟୂବ୍‍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ଆଉ, ଶାବ୍ଶା ଲେଖକ ଥିଲା।
1CH 18:17 ପୁଣି, ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।
1CH 19:1 ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍‍ ମରନ୍ତେ, ତାହାର ପୁତ୍ର ତାହାର ପଦରେ ରାଜା ହେଲା।
1CH 19:2 ତହିଁରେ ଦାଉଦ କହିଲେ, “ମୁଁ ନାହଶର ପୁତ୍ର ହାନୂନ୍‍ ପ୍ରତି ଦୟା ପ୍ରକାଶ କରିବି, କାରଣ, ତାହାର ପିତା ମୋʼ ପ୍ରତି ଦୟା ପ୍ରକାଶ କରିଥିଲା।” ତେଣୁ, ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ହାନୂନ୍‍କୁ ସାନ୍ତ୍ୱନା କରିବା ନିମନ୍ତେ ଅମ୍ମୋନ-ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ।
1CH 19:3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି?”
1CH 19:4 ତହିଁରେ ହାନୂନ୍‍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା।
1CH 19:5 ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ, ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି, ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସ।”
1CH 19:6 ଏଥିରେ ଅମ୍ମୋନ-ସନ୍ତାନଗଣ ଆପଣାମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ, ହାନୂନ୍‍ ଓ ଅମ୍ମୋନ-ସନ୍ତାନଗଣ ଅରାମନହରୟିମ୍‍ ଓ ଅରାମ-ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ ଏକ ସହସ୍ର ତାଳନ୍ତ ରୂପା ପଠାଇଲେ।
1CH 19:7 ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି, ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ।
1CH 19:8 ଆଉ, ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ।
1CH 19:9 ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ନଗର-ଦ୍ୱାର ନିକଟରେ ଯୁଦ୍ଧ ସାଜିଲେ; ଆଉ ଯେଉଁ ରାଜାମାନେ ଆସିଥିଲେ, ସେମାନେ କ୍ଷେତ୍ରରେ ଅଲଗା ରହିଲେ।
1CH 19:10 ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା।
1CH 19:11 ଆଉ, ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବୀଶୟ ହସ୍ତରେ ସମର୍ପଣ କଲା; ତହୁଁ ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଆପଣାମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ।
1CH 19:12 ପୁଣି, ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି।
1CH 19:13 ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରସମୂହ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”
1CH 19:14 ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମୀୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହା ସମ୍ମୁଖରୁ ପଳାଇଲେ।
1CH 19:15 ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ; ତହୁଁ ଯୋୟାବ ଯିରୂଶାଲମକୁ ଆସିଲା।
1CH 19:16 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ବାହାର କରି ଆଣିଲେ। ହଦଦେଷରର ସେନାପତି ଶୋଫକ୍‍ ସେମାନଙ୍କର ଅଗ୍ରଣୀ ଥିଲା।
1CH 19:17 ତହୁଁ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହେଲେ, ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ, ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ।
1CH 19:18 ମାତ୍ର, ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି, ଦାଉଦ ଅରାମୀୟମାନଙ୍କର ସାତ ସହସ୍ର ରଥାରୂଢ଼ ଓ ଚାଳିଶ ହଜାର ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ଶୋଫକ୍‍କୁ ବଧ କଲେ।
1CH 19:19 ତହୁଁ ହଦଦେଷରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ; ପୁଣି, ଅରାମୀୟମାନେ ଅମ୍ମୋନ-ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।
1CH 20:1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥିମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।
1CH 20:2 ପୁଣି, ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ, ଆଉ ଦେଖିଲେ ଯେ, ତାହା ଏକ ତାଳନ୍ତ ପରିମିତ ସ୍ୱର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା। ପୁଣି, ତାହା ଦାଉଦଙ୍କର ମସ୍ତକରେ ଦିଆଗଲା; ଆଉ ସେ ସେହି ନଗରର ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ।
1CH 20:3 ଆହୁରି, ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁହ୍ରାଡ଼ି ଦ୍ୱାରା ଛେଦନ କଲେ। ଏହି ପ୍ରକାରେ ଦାଉଦ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।
1CH 20:4 ଏଥିଉତ୍ତାରେ ଗେଷରରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଲାଗିଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସିପ୍ପୀକୁ ବଧ କଲା, ଯେ ରଫାୟୀମର ଏକ ବଂଶଜ ଥିଲା ପୁଣି ସେମାନେ ପରାସ୍ତ ହେଲେ।
1CH 20:5 ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ଯାୟୀରର ପୁତ୍ର ଇଲ୍‍ହାନନ୍‍ ତନ୍ତୀର ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତର ଭ୍ରାତା ଲହମିକୁ ବଧ କଲା।
1CH 20:6 ଏଉତ୍ତାରେ ପୁନର୍ବାର ଗାଥ୍‍ ନଗରରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ; ପୁଣି, ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ।
1CH 20:7 ପୁଣି, ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଥନ ତାହାକୁ ବଧ କଲା।
1CH 20:8 ଏମାନେ ଗାଥ୍‍ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ବଧ ହେଲେ।
1CH 21:1 ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
1CH 21:2 ତହିଁରେ ଦାଉଦ ଯୋୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, “ଯାଅ, ବେର୍‍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋʼ ନିକଟକୁ ସମ୍ବାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି।”
1CH 21:3 ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋʼ ପ୍ରଭୁ ମହାରାଜ, ସେହି ସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?”
1CH 21:4 ତଥାପି ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା। ଏହେତୁ ଯୋୟାବ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଯିରୂଶାଲମରେ ଉପସ୍ଥିତ ହେଲା।
1CH 21:5 ପୁଣି, ଯୋୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା। ତହିଁରେ ସମସ୍ତ ଇସ୍ରାଏଲର ଏଗାର ଲକ୍ଷ ଖଡ୍ଗଧାରୀ ଲୋକ ଓ ଯିହୁଦାର ଚାରି ଲକ୍ଷ ସତୁରି ହଜାର ଖଡ୍ଗଧାରୀ ଲୋକ ଥିଲେ।
1CH 21:6 ମାତ୍ର, ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ୍-ଲୋକମାନଙ୍କୁ ଗଣନା କଲା ନାହିଁ; କାରଣ, ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା।
1CH 21:7 ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।
1CH 21:8 ତହୁଁ ଦାଉଦ ପରମେଶ୍ୱରଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର, ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ, ମୁଁ ଅତି ମୂର୍ଖର କର୍ମ କରିଅଛି।”
1CH 21:9 ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍‍କୁ କହିଲେ,
1CH 21:10 “ଯାଅ, ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’”
1CH 21:11 ତହିଁରେ ଗାଦ୍‍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା, ତାହା ଗ୍ରହଣ କର;
1CH 21:12 ତିନି ବର୍ଷ ଦୁର୍ଭିକ୍ଷ ହେବ; ଅବା ତୁମ୍ଭେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ୍ଗ ତୁମ୍ଭକୁ ଧରିବ; କିଅବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ୍ଗ ଭ୍ରମଣ କରିବ, ଅର୍ଥାତ୍‍, ଦେଶରେ ମହାମାରୀ ହେବ ଓ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ। ମୋʼ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର।”
1CH 21:13 ତହିଁରେ ଦାଉଦ ଗାଦ୍‍କୁ କହିଲେ, “ମୁଁ ବଡ଼ ଅସୁବିଧାରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ, ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର, ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
1CH 21:14 ତହୁଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଇସ୍ରାଏଲ ମଧ୍ୟରୁ ସତୁରି ହଜାର ଲୋକ ମଲେ।
1CH 21:15 ଏଉତ୍ତାରେ ପରମେଶ୍ୱର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା! ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା।
1CH 21:16 ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ୍ଗ ଯିରୂଶାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ।
1CH 21:17 ପୁଣି, ଦାଉଦ ପରମେଶ୍ୱରଙ୍କୁ କହିଲେ, “ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ୱର, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର, ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ।”
1CH 21:18 ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍‍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ।
1CH 21:19 ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍‍ର ବାକ୍ୟାନୁସାରେ ଦାଉଦ ଗଲେ।
1CH 21:20 ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି, ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ।
1CH 21:21 ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।
1CH 21:22 ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”
1CH 21:23 ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”
1CH 21:24 ଏଥିରେ ଦାଉଦ ରାଜା ଅରଣନକୁ କହିଲେ, “ନା; ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି; କାରଣ, ଯାହା ତୁମ୍ଭର, ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିଅବା ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।”
1CH 21:25 ତହୁଁ ଦାଉଦ ସେହି ସ୍ଥାନ ନିମନ୍ତେ ଛଅ ଶହ ଶେକଲ ସୁନା ତୌଲ କରି ଅରଣନକୁ ଦେଲେ।
1CH 21:26 ପୁଣି, ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ।
1CH 21:27 ପୁଣି, ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ; ତହିଁରେ ସେ ଆପଣା ଖଡ୍ଗ ପୁନର୍ବାର ତହିଁର କୋଷରେ ରଖିଲା।
1CH 21:28 ସେତେବେଳେ ସଦାପ୍ରଭୁ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ।
1CH 21:29 କାରଣ, ପ୍ରାନ୍ତରରେ ମୋଶାଙ୍କ ନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦି ସେହି ସମୟରେ ଗିବୀୟୋନ୍‍ସ୍ଥ ଉଚ୍ଚସ୍ଥଳୀରେ ଥିଲା।
1CH 21:30 ମାତ୍ର, ଦାଉଦ ପରମେଶ୍ୱରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇ ପାରିଲେ ନାହିଁ; କାରଣ, ସେ ସଦାପ୍ରଭୁଙ୍କ ଦୂତର ଖଡ୍ଗ ସକାଶୁ ଭୀତ ହୋଇଥିଲେ।
1CH 22:1 ସେତେବେଳେ ଦାଉଦ କହିଲେ, “ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର।”
1CH 22:2 ଏଥିଉତ୍ତାରେ ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି, ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ।
1CH 22:3 ଆଉ, ଦାଉଦ ଦ୍ୱାର-କବାଟର କଣ୍ଟା ନିମନ୍ତେ ଓ କବ୍‌ଜା ନିମନ୍ତେ ଅଧିକ ପରିମାଣର ଲୁହା ଓ ଅପରିମିତ ଅଧିକ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ।
1CH 22:4 ଆଉ, ଅସଂଖ୍ୟ ଏରସ କାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ଅଧିକ ପରିମାଣର ଏରସ କାଷ୍ଠ ଆଣିଲେ।
1CH 22:5 ଆଉ ଦାଉଦ କହିଲେ, “ମୋʼ ପୁତ୍ର ଶଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି, ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ସକାଶୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି।” ଏହିପରି ଦାଉଦ ଆପଣା ମୃତ୍ୟୁୁ ପୂର୍ବେ ଅଧିକ ପ୍ରଚୁର ପରିମାଣରେ ରୂପେ ଆୟୋଜନ କଲେ।
1CH 22:6 ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।
1CH 22:7 ଆଉ, ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା।
1CH 22:8 ମାତ୍ର, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ‘ତୁମ୍ଭେ ଅଧିକ ପରିମାଣର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ଅଧିକ ପରିମାଣର ରକ୍ତପାତ କରିଅଛ।
1CH 22:9 ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି, ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା;
1CH 22:10 ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା; ପୁଣି, ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନନ୍ତକାଳ ସ୍ଥାପନ କରିବା।’
1CH 22:11 ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର।
1CH 22:12 କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦିଅନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବ୍ୟବସ୍ଥା ପାଳନ କରି ପାରିବ।
1CH 22:13 ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁ ଯେଉଁ ବିଧି ଓ ଶାସନ ଦେଇଅଛନ୍ତି, ସେହି ସବୁ ଯଦି ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ଓ ସାହସିକ ହୁଅ; ଭୀତ କି ନିରାଶ ନ ହୁଅ।
1CH 22:14 ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା ଓ ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ।
1CH 22:15 ଆହୁରି, ତୁମ୍ଭ ନିକଟରେ ଅନେକ ଶିଳ୍ପକାର ଓ ପଥର-କଟାଳି, ପୁଣି, ପଥର ଓ କାଷ୍ଠର କର୍ମକାର ଓ ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି;
1CH 22:16 ସୁନା, ରୂପା ଓ ପିତ୍ତଳ ଓ ଲୁହାର କିଛି ସଂଖ୍ୟା ନାହିଁ; ଉଠ, କର୍ମ କର ଓ ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ।”
1CH 22:17 ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଆପଣା ପୁତ୍ର ଶଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ,
1CH 22:18 “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କʼଣ ଚତୁର୍ଦ୍ଦିଗରେ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି।
1CH 22:19 ଏଣୁ, ଏବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ଅନ୍ତଃକରଣ ଓ ପ୍ରାଣ ନିବେଶ କର; ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ, ସେଠାକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ପରମେଶ୍ୱରଙ୍କ ପବିତ୍ର ପାତ୍ରସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ୱରଙ୍କର ଆବାସ ନିର୍ମାଣ କର।”
1CH 23:1 ଏଥିଉତ୍ତାରେ ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
1CH 23:2 ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
1CH 23:3 ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶି ହଜାର ହେଲେ।
1CH 23:4 ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ;
1CH 23:5 ଆଉ ଚାରି ହଜାର ଲୋକ ଦ୍ୱାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ୱାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ।
1CH 23:6 ପୁଣି, ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ‍, କହାତ ଓ ମରାରି।
1CH 23:7 ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍‍ ଓ ଶିମୀୟି।
1CH 23:8 ଲାଦନ୍‍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍‍ ଓ ଯୋୟେଲ, ତିନି ଜଣ।
1CH 23:9 ଶିମୀୟିର ପୁତ୍ର; ଶଲୋମୀତ୍‍ ଓ ହସୀୟେଲ୍‍ ଓ ହାରଣ; ତିନି ଜଣ। ଏମାନେ ଲାଦନ୍‍ଙ୍କ ପିତୃବଂଶର ପ୍ରଧାନ ଥିଲେ।
1CH 23:10 ପୁଣି, ଶିମୀୟିର ପୁତ୍ର; ଯହତ୍‍, ସୀଷ, ଯିୟୂଶ୍‍ ଓ ବରୀୟ। ଏହି ଚାରି ଜଣ ଶିମୀୟିର ପୁତ୍ର ଥିଲେ।
1CH 23:11 ଯହତ୍‍ ପ୍ରଧାନ, ଦ୍ୱିତୀୟ ସୀଷ; ମାତ୍ର ଯିୟୂଶ୍‍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ।
1CH 23:12 କହାତର ପୁତ୍ର; ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ।
1CH 23:13 ଅମ୍ରାମ୍‍ର ପୁତ୍ର; ହାରୋଣ ଓ ମୋଶା; ପୁଣି, ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ।
1CH 23:14 ମାତ୍ର, ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ।
1CH 23:15 ମୋଶାଙ୍କର ପୁତ୍ର; ଗେର୍ଶୋମ ଓ ଇଲୀୟେଜର।
1CH 23:16 ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ।
1CH 23:17 ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ। ଏହି ଇଲୀୟେଜରର ଆଉ ପୁତ୍ର ନ ଥିଲେ, ମାତ୍ର, ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ।
1CH 23:18 ଯିଷ୍‍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍‍ ପ୍ରଧାନ ଥିଲା।
1CH 23:19 ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍‍ମୀୟାମ୍‍।
1CH 23:20 ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ।
1CH 23:21 ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍‍;
1CH 23:22 ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି, ସେମାନଙ୍କ ଜ୍ଞାତି କୀଶ୍‍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ।
1CH 23:23 ମୂଶିର ପୁତ୍ର ମହଲି, ଏଦର ଓ ଯେରେମୋତ୍‍, ତିନି ଜଣ।
1CH 23:24 ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି, କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ।
1CH 23:25 କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି,
1CH 23:26 ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବୋହିବାର ଆଉ ପ୍ରୟୋଜନ ହେବ ନାହିଁ।”
1CH 23:27 କାରଣ, ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଗଣିତ ହେଲେ।
1CH 23:28 କାରଣ, ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା;
1CH 23:29 ଆହୁରି ଦର୍ଶନୀୟ ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ;
1CH 23:30 ପୁଣି, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର;
1CH 23:31 ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା;
1CH 23:32 ଏହେତୁ ସେମାନେ ସମାଗମ-ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ।
1CH 24:1 ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରୋଣଙ୍କର ପୁତ୍ର ନାଦବ୍‍, ଅବୀହୂ, ଇଲୀୟାସର ଓ ଈଥାମର।
1CH 24:2 ମାତ୍ର ନାଦବ୍‍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।
1CH 24:3 ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ ଓ ଈଥାମରର ସନ୍ତାନ ଅହୀମେଲକ୍‍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ।
1CH 24:4 ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।
1CH 24:5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।
1CH 24:6 ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍‍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା।
1CH 24:7 ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍‍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;
1CH 24:8 ତୃତୀୟ ହାରୀମ୍‍ ପାଇଁ, ଚତୁର୍ଥ ସୀୟୋରୀମ୍‍ ପାଇଁ;
1CH 24:9 ପଞ୍ଚମ ମଲ୍‍କୀୟ ପାଇଁ; ଷଷ୍ଠ ମିୟାମୀନ୍‍ ପାଇଁ;
1CH 24:10 ସପ୍ତମ ହକ୍କୋସ୍‍ ପାଇଁ, ଅଷ୍ଟମ ଅବୀୟ ପାଇଁ;
1CH 24:11 ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ;
1CH 24:12 ଏକାଦଶ ଇଲୀୟାଶୀବ ପାଇଁ, ଦ୍ୱାଦଶ ଯାକୀମ୍‍ ପାଇଁ;
1CH 24:13 ତ୍ରୟୋଦଶ ହୁପ୍ପା ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ;
1CH 24:14 ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ;
1CH 24:15 ସପ୍ତଦଶ ହେଷୀର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ;
1CH 24:16 ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ;
1CH 24:17 ଏକବିଂଶ ଯାଖୀନ୍‍ ପାଇଁ, ଦ୍ୱାବିଂଶ ଗାମୂଲ୍‍ ପାଇଁ;
1CH 24:18 ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା।
1CH 24:19 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା।
1CH 24:20 ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା। ଅମ୍ରାମ୍‍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ।
1CH 24:21 ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ।
1CH 24:22 ଯିଷ୍‍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍‍; ଶଲୋମୀତ୍‍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍‍।
1CH 24:23 ହିବ୍ରୋଣର ପୁତ୍ର ଯିରୀୟ ପ୍ରଥମ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍‍ମୀୟାମ୍‍।
1CH 24:24 ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍‍।
1CH 24:25 ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ।
1CH 24:26 ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ।
1CH 24:27 ମରାରିର ସନ୍ତାନଗଣ ଯାସୀୟର ପୁତ୍ର ବିନୋ, ଶୋହମ୍‍, ସକ୍କୁର ଓ ଇବ୍ରି।
1CH 24:28 ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ।
1CH 24:29 କୀଶ୍‍ର କଥା; କୀଶ୍‍ର ପୁତ୍ର ଯିରହମେଲ।
1CH 24:30 ପୁଣି, ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍‍। ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ।
1CH 24:31 ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା, ସାଦୋକ ଓ ଅହୀମେଲକ୍‍, ପୁଣି, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି, ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା।
1CH 25:1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନ୍‍‍ର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍‍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
1CH 25:2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
1CH 25:3 ଯିଦୂଥୂନ୍‍‍ର କଥା; ଯିଦୂଥୂନ୍‍‍ର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନ୍‍‍ର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
1CH 25:4 ହେମନର କଥା; ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍‍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍‍ତି ଓ ରୋମାମ୍‍ତି-ଏଷର୍‍, ଯଶ୍‍ବକାଶା, ମଲ୍ଲୋଥି, ହୋଥୀର୍‍, ମହସୀୟୋତ୍‍;
1CH 25:5 ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।
1CH 25:6 ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍‍ ଓ ହେମନ ରାଜାଜ୍ଞାଧୀନ ଥିଲେ।
1CH 25:7 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ।
1CH 25:8 ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ।
1CH 25:9 ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ।
1CH 25:10 ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
1CH 25:11 ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:12 ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
1CH 25:13 ଷଷ୍ଠ ବୁକ୍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
1CH 25:14 ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
1CH 25:15 ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:16 ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
1CH 25:17 ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:18 ଏକାଦଶ ଅସରେଲ୍‍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:19 ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:20 ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:21 ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:22 ପଞ୍ଚଦଶ ପାଇଁ ଯେରେମୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:23 ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:24 ସପ୍ତଦଶ ପାଇଁ ଯଶ୍‍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:25 ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:26 ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:27 ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:28 ଏକବିଂଶ ପାଇଁ ହୋଥୀର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:29 ଦ୍ୱାବିଂଶ ପାଇଁ ଗିଦ୍ଦଲ୍‍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:30 ତ୍ରୟୋବିଂଶ ପାଇଁ ମହସୀୟୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
1CH 25:31 ଚତୁର୍ବିଂଶ ପାଇଁ ରୋମାମ୍‍ତି-ଏଷର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ।
1CH 26:1 ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।
1CH 26:2 ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,
1CH 26:3 ପଞ୍ଚମ ଏଲମ୍‍, ଷଷ୍ଠ ଯିହୋହାନନ୍‍, ସପ୍ତମ ଇଲୀହୋଐନୟ।
1CH 26:4 ପୁଣି, ଓବେଦ୍‍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍‍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ;
1CH 26:5 ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ।
1CH 26:6 ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ।
1CH 26:7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍‍, ଇଲୀଶାବଦ୍‍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ।
1CH 26:8 ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।
1CH 26:9 ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ।
1CH 26:10 ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା;
1CH 26:11 ଦ୍ୱିତୀୟ ହିଲ୍‍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ।
1CH 26:12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା।
1CH 26:13 ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ।
1CH 26:14 ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।
1CH 26:15 ଦକ୍ଷିଣ ଦିଗ ଓବେଦ୍‍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା।
1CH 26:16 ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍‍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍‍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା।
1CH 26:17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ।
1CH 26:18 ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ।
1CH 26:19 କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।
1CH 26:20 ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା।
1CH 26:21 ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,
1CH 26:22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।
1CH 26:23 ଅମ୍ରାମୀୟମାନଙ୍କ, ଯିଷ୍‍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ
1CH 26:24 ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା।
1CH 26:25 ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।
1CH 26:26 ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍‍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ।
1CH 26:27 ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ।
1CH 26:28 ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍‍ର ପୁତ୍ର ଶାଉଲ ଓ ନେର୍‍ର ପୁତ୍ର ଅବ୍‍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍‍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା।
1CH 26:29 ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।
1CH 26:30 ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।
1CH 26:31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।
1CH 26:32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।
1CH 27:1 ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:2 ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍‍ଦୀୟେଲର ପୁତ୍ର ଯାଶ୍‍ବୀୟାମ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:3 ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
1CH 27:4 ଦ୍ୱିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍‍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:5 ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:6 ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍‍ ଥିଲା।
1CH 27:7 ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:8 ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:9 ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍‍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:10 ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:11 ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:12 ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:13 ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:14 ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:15 ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍‍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
1CH 27:16 ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଜର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ।
1CH 27:17 ଲେବୀ-ବଂଶ ମଧ୍ୟରେ କମୂୟେଲର ପୁତ୍ର ହଶବୀୟ; ହାରୋଣ-ବଂଶ ମଧ୍ୟରେ ସାଦୋକ।
1CH 27:18 ଯିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।
1CH 27:19 ସବୂଲୂନ ବଂଶ ମଧ୍ୟରେ ଓବଦୀୟର ପୁତ୍ର ଯିଶ୍ମୟୀୟ; ନପ୍ତାଲି ବଂଶ ମଧ୍ୟରେ ଅସ୍ରୀୟେଲର ପୁତ୍ର ଯିରେମୋତ୍‍।
1CH 27:20 ଇଫ୍ରୟିମ-ସନ୍ତାନଗଣ ମଧ୍ୟରେ ଅସସୀୟର ପୁତ୍ର ହୋଶେୟ; ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ପଦାୟର ପୁତ୍ର ଯୋୟେଲ।
1CH 27:21 ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍ ବଂଶ ମଧ୍ୟରେ ଅବ୍‍ନରର ପୁତ୍ର ଯାସୀୟେଲ୍‍।
1CH 27:22 ଦାନ୍ ବଂଶ ମଧ୍ୟରେ ଯିରୋହମର ପୁତ୍ର ଅସରେଲ୍‍; ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ।
1CH 27:23 ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନ ବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ। କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ।
1CH 27:24 ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ, ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି, ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ।
1CH 27:25 ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍‍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।
1CH 27:26 ଆଉ କଲୂବର ପୁତ୍ର ଇଷ୍ରି କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
1CH 27:27 ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍‍ମୀୟ ସବ୍‍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
1CH 27:28 ପୁଣି, ଗାଦେରୀୟ ବାଲ୍‍ହାନନ୍‍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍‍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
1CH 27:29 ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି, ଅଦ୍‍ଲୟର ପୁତ୍ର ଶାଫଟ୍‍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା।
1CH 27:30 ଇଶ୍ମାୟେଲୀୟ ଓବୀଲ୍‍ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରୋଣୋଥୀୟ ଯେହଦୀୟ ଗର୍ଦ୍ଦଭୀଗଣର ଅଧ୍ୟକ୍ଷ ଥିଲା।
1CH 27:31 ହାଗରୀୟ ଯାଷୀଷ୍‍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।
1CH 27:32 ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ। ଆଉ ହକ୍‍ମୋନୀୟର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା।
1CH 27:33 ଅହୀଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୂଶୟ ରାଜମିତ୍ର ଥିଲା।
1CH 27:34 ଆଉ ଅହୀଥୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି, ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା।
1CH 28:1 ଏଥିଉତ୍ତାରେ ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି, ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ।
1CH 28:2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି।
1CH 28:3 ମାତ୍ର ପରମେଶ୍ୱର ମୋତେ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ।’
1CH 28:4 ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼ ଠାରେ ସନ୍ତୁଷ୍ଟ ହେଲେ;
1CH 28:5 ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି।
1CH 28:6 ଆଉ, ସେ ମୋତେ କହିଅଛନ୍ତି, ‘ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା।
1CH 28:7 ଆଉ, ଆଜିର ନ୍ୟାୟ ଯଦି ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା।’
1CH 28:8 ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ୱେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ।
1CH 28:9 ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ।
1CH 28:10 ଏବେ ସାବଧାନ ହୁଅ; କାରଣ ପବିତ୍ର ଆବାସ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି; ବଳବାନ ହୁଅ ଓ ତାହା କର।”
1CH 28:11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ;
1CH 28:12 ଆହୁରି, ସେ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ୱରଙ୍କ ଗୃହର ଭଣ୍ଡାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ଡାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ;
1CH 28:13 ମଧ୍ୟ ଯାଜକ ଓ ଲେବୀୟମାନଙ୍କ ପାଳି ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସମସ୍ତ କାର୍ଯ୍ୟ ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହରେ ସେବାର୍ଥକ ସମସ୍ତ ପାତ୍ର ନିମନ୍ତେ;
1CH 28:14 ଯଥା, ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍‍, ସ୍ୱର୍ଣ୍ଣମୟ ପାତ୍ର ନିମନ୍ତେ ସୁନା; ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍‍, ରୌପ୍ୟମୟ ପାତ୍ର ନିମନ୍ତେ ରୂପା ତୌଲି ଦେଲେ;
1CH 28:15 ମଧ୍ୟ ସ୍ୱର୍ଣ୍ଣମୟ ଦୀପବୃକ୍ଷସକଳ ନିମନ୍ତେ ଓ ତହିଁର ପ୍ରଦୀପ ନିମନ୍ତେ ତୌଲି ଦେଲେ, ଅର୍ଥାତ୍‍, ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ସୁନା ତୌଲି ଦେଲେ; ପୁଣି, ରୌପ୍ୟମୟ ଦୀପବୃକ୍ଷସକଳ, ଅର୍ଥାତ୍‍, ପ୍ରତ୍ୟେକ ଦୀପବୃକ୍ଷର ବ୍ୟବହାରାନୁସାରେ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ରୂପା ତୌଲି ଦେଲେ;
1CH 28:16 ଆଉ, ଦର୍ଶନୀୟ ରୁଟିର ମେଜସକଳ ମଧ୍ୟରୁ ପ୍ରତ୍ୟେକ ସ୍ୱର୍ଣ୍ଣମୟ ମେଜ ନିମନ୍ତେ ସୁନା ଓ ରୌପ୍ୟମୟ ମେଜସକଳ ନିମନ୍ତେ ରୂପା ତୌଲି ଦେଲେ;
1CH 28:17 ଆଉ, ତ୍ରିଶୂଳ ଓ କୁଣ୍ଡ ଓ ପାତ୍ରସକଳ ନିମନ୍ତେ ନିର୍ମଳ ସ୍ୱର୍ଣ୍ଣ; ପୁଣି, ସ୍ୱର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ;
1CH 28:18 ଆଉ, ଧୂପବେଦି ନିମନ୍ତେ ନିର୍ମଳ ସ୍ୱର୍ଣ୍ଣର ପରିମାଣ; ଆଉ ରଥ, ଅର୍ଥାତ୍‍, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଚ୍ଛାଦନକାରୀ ବିସ୍ତୃତପକ୍ଷ କିରୂବମାନଙ୍କ ନମୁନା ନିମନ୍ତେ ସ୍ୱର୍ଣ୍ଣ ଦେଲେ।
1CH 28:19 ଦାଉଦ କହିଲେ, “ଏହିସବୁ, ଅର୍ଥାତ୍‍, ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତ-ଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି।”
1CH 28:20 ଏଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର; ଭୟ ନ କର, ଅବା ନିରାଶ ନ ହୁଅ; କାରଣ ଆମ୍ଭର ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ଅଛନ୍ତି; ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସକଳ କର୍ମ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କି ତୁମ୍ଭକୁ ତ୍ୟାଗ କରିବେ ନାହିଁ।
1CH 28:21 ଆଉ ଦେଖ, ପରମେଶ୍ୱରଙ୍କ ଗୃହର ସମସ୍ତ ସେବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପାଳି ଅଛି; ଆଉ ସର୍ବପ୍ରକାର ସେବା ନିମନ୍ତେ ସର୍ବପ୍ରକାର କାର୍ଯ୍ୟରେ ଇଚ୍ଛୁକ ଓ ନିପୁଣ ଲୋକେ ତୁମ୍ଭ ନିକଟରେ ରହିବେ; ମଧ୍ୟ ସେନାପତିଗଣ ଓ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ତୁମ୍ଭର ଆଜ୍ଞାଧୀନ ହେବେ।”
1CH 29:1 ଏଥିଉତ୍ତାରେ ଦାଉଦ ରାଜା ସମଗ୍ର ସମାଜକୁ କହିଲେ, “ପରମେଶ୍ୱର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେ ଏବେ ମଧ୍ୟ ଅଳ୍ପ ବୟସ୍କ ଓ କୋମଳ, ପୁଣି, କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।
1CH 29:2 ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋʼ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୌହମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ; ଗୋମେଦକ ମଣି ଓ ଖଚନାର୍ଥକ ପ୍ରସ୍ତର, ଜଡ଼ିତ-କର୍ମାର୍ଥକ ପ୍ରସ୍ତର ଓ ନାନା ବର୍ଣ୍ଣର ପ୍ରସ୍ତର ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି।
1CH 29:3 ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋʼ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋʼ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି।
1CH 29:4 ଅର୍ଥାତ୍‍, ଗୃହର କାନ୍ଥରେ ମଡ଼ାଇବା ପାଇଁ ଓଫୀରର ସ୍ୱର୍ଣ୍ଣରୁ ତିନି ହଜାର ତାଳନ୍ତ ସ୍ୱର୍ଣ୍ଣ ଓ ସାତ ହଜାର ତାଳନ୍ତ ନିର୍ମଳ ରୂପା;
1CH 29:5 ସ୍ୱର୍ଣ୍ଣମୟ ଦ୍ରବ୍ୟ ନିମନ୍ତେ ସୁନା ଓ ରୌପ୍ୟମୟ ଦ୍ରବ୍ୟ ନିମନ୍ତେ ରୂପା ଓ ଶିଳ୍ପକାରମାନଙ୍କ ହସ୍ତରେ ଯାହା ଯାହା କରାଯିବ, ସେହି ସବୁ ପ୍ରକାରର କାର୍ଯ୍ୟ ନିମନ୍ତେ ଦେଉଅଛି। ଅତଏବ, ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କରିବାକୁ କିଏ ସ୍ୱେଚ୍ଛାରେ ଉଦ୍ୟତ ଅଛି?”
1CH 29:6 ତେବେ ପିତୃବଂଶର ଅଧିପତିମାନେ ଓ ଇସ୍ରାଏଲୀୟ ଗୋଷ୍ଠୀସମୂହର ଅଧିପତିମାନେ, ଆଉ ସହସ୍ର ଓ ଶତପତିମାନେ, ପୁଣି, ରାଜକାର୍ଯ୍ୟ-ଶାସକମାନେ ସ୍ୱେଚ୍ଛାରେ ଦାନ କଲେ;
1CH 29:7 ଆଉ ସେମାନେ ପରମେଶ୍ୱରଙ୍କ ଗୃହର ସେବା ନିମନ୍ତେ ପାଞ୍ଚ ହଜାର ତାଳନ୍ତ ସ୍ୱର୍ଣ୍ଣ, ଦଶ ହଜାର ଡାରିକ୍‍ ମୁଦ୍ରା, ଦଶ ହଜାର ତାଳନ୍ତ ରୂପା, ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ।
1CH 29:8 ପୁଣି, ଯେଉଁମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରାଦି ମିଳିଲା, ସେମାନେ ଗେର୍ଶୋନୀୟ ଯିହୀୟେଲର ହସ୍ତାଧୀନ ସଦାପ୍ରଭୁଙ୍କ ଭଣ୍ଡାର ଗୃହରେ ତାହାସବୁ ଦେଲେ।
1CH 29:9 ତହିଁରେ ଲୋକମାନେ ସ୍ୱେଚ୍ଛାପୂର୍ବକ ଦାନ କରିବାରୁ ଆନନ୍ଦ କଲେ, କାରଣ, ସେମାନେ ସିଦ୍ଧଚିତ୍ତରେ ସ୍ୱେଚ୍ଛାପୂର୍ବକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ; ପୁଣି, ଦାଉଦ ରାଜା ମଧ୍ୟ ମହାନନ୍ଦରେ ଆନନ୍ଦ କଲେ।
1CH 29:10 ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଆଉ ଦାଉଦ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପିତା ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ସଦାକାଳ ଧନ୍ୟ।
1CH 29:11 ହେ ସଦାପ୍ରଭୋ, ମହତ୍ତ୍ୱ, ପରାକ୍ରମ, ଶୋଭା, ଜୟ ଓ ପ୍ରତାପ ତୁମ୍ଭର; କାରଣ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଷୟ ତୁମ୍ଭର; ହେ ସଦାପ୍ରଭୋ, ରାଜ୍ୟ ତୁମ୍ଭର ଓ ତୁମ୍ଭେ ସକଳର ଉପରେ ମସ୍ତକ ରୂପେ ଉନ୍ନତ ଅଟ।
1CH 29:12 ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ।
1CH 29:13 ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ ଓ ତୁମ୍ଭ ଗୌରବାନ୍ୱିତ ନାମରେ ପ୍ରଶଂସା କରୁଅଛୁ।
1CH 29:14 ମାତ୍ର, ମୁଁ କିଏ ଓ ମୋହର ଲୋକମାନେ କିଏ ଯେ, ଆମ୍ଭେମାନେ ଏପରି ସ୍ୱେଚ୍ଛାପୂର୍ବକ ଏପ୍ରକାର ଦାନ କରିବାକୁ ସମର୍ଥ ହେବୁ? କାରଣ, ସମଗ୍ର ବିଷୟ ତୁମ୍ଭଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମ୍ଭେମାନେ ତୁମ୍ଭକୁ ଦେଇଅଛୁ।
1CH 29:15 କାରଣ, ଆମ୍ଭେମାନେ ଆପଣାମାନଙ୍କ ସମସ୍ତ ପୂର୍ବପୁରୁଷ ତୁଲ୍ୟ ତୁମ୍ଭ ସମ୍ମୁଖରେ ବିଦେଶୀ ଓ ପ୍ରବାସୀ; ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ତୁଲ୍ୟ ଓ ସ୍ଥାୟିତ୍ୱ କିଛି ନାହିଁ।
1CH 29:16 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ଆମ୍ଭେମାନେ ଏହି ଯେଉଁ ସକଳ ପଦାର୍ଥ ସଞ୍ଚୟ କରିଅଛୁ, ତାହା ତୁମ୍ଭ ହସ୍ତରୁ ଆସିଅଛି ଓ ସବୁ ତୁମ୍ଭ ନିଜର ଅଟେ।
1CH 29:17 ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ, ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି; ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି।
1CH 29:18 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର;
1CH 29:19 ପୁଣି, ତୁମ୍ଭର ଆଜ୍ଞା, ତୁମ୍ଭ ପ୍ରମାଣ-ବାକ୍ୟ ଓ ତୁମ୍ଭ ବିଧିସବୁ ପାଳନ କରିବା ପାଇଁ ଓ ଏହିସବୁ କାର୍ଯ୍ୟ କରିବା ପାଇଁ, ଆଉ, ମୁଁ ଯେଉଁ ପ୍ରାସାଦ ପାଇଁ ଆୟୋଜନ କରୁଅଛି, ତାହା ନିର୍ମାଣ କରିବା ପାଇଁ ମୋʼ ପୁତ୍ର ଶଲୋମନକୁ ସିଦ୍ଧ ଅନ୍ତଃକରଣ ଦିଅ।”
1CH 29:20 ଏଉତ୍ତାରେ ଦାଉଦ ସମଗ୍ର ସମାଜକୁ କହିଲେ, “ତୁମ୍ଭେମାନେ ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର।” ତହିଁରେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ ଓ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ପ୍ରଣାମ କଲେ।
1CH 29:21 ତହୁଁ ସେମାନେ ପରଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସହସ୍ର ଗୋରୁ, ଏକ ସହସ୍ର ମେଷ ଓ ଏକ ସହସ୍ର ମେଷଶାବକ ପେୟ-ନୈବେଦ୍ୟ ସହିତ ବଳିଦାନ କଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସମଗ୍ର ଇସ୍ରାଏଲ ନିମନ୍ତେ ଅଧିକ ପରିମାଣର ବଳି ଉତ୍ସର୍ଗ କଲେ।
1CH 29:22 ଆଉ ସେହି ଦିନ ମହାନନ୍ଦରେ ସଦାପ୍ରଭୁଙ୍କ ସାକ୍ଷାତରେ ଭୋଜନପାନ କଲେ। ପୁଣି, ସେମାନେ ଦାଉଦଙ୍କର ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ରାଜା କଲେ, ଆଉ ତାଙ୍କୁ ଅଗ୍ରଣୀ ହେବା ପାଇଁ ଓ ସାଦୋକକୁ ଯାଜକ ହେବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଭିଷେକ କଲେ।
1CH 29:23 ସେତେବେଳେ ଶଲୋମନ ଆପଣା ପିତା ଦାଉଦଙ୍କର ପଦରେ ରାଜା ରୂପେ ସଦାପ୍ରଭୁଙ୍କ ସିଂହାସନରେ ଉପବିଷ୍ଟ ହେଲେ ଓ କୁଶଳ ପ୍ରାପ୍ତ ହେଲେ ଓ ସମୁଦାୟ ଇସ୍ରାଏଲ ତାଙ୍କର ଆଜ୍ଞାକାରୀ ହେଲେ।
1CH 29:24 ପୁଣି, ସମସ୍ତ ଅଧିପତି ଓ ବୀରଗଣ ଓ ଦାଉଦ ରାଜାଙ୍କର ସମସ୍ତ ପୁତ୍ର ମଧ୍ୟ ଶଲୋମନ ରାଜାଙ୍କର ବଶୀଭୂତ ହେଲେ।
1CH 29:25 ଆଉ ସଦାପ୍ରଭୁ ସମଗ୍ର ଇସ୍ରାଏଲ ଦୃଷ୍ଟିରେ ଶଲୋମନଙ୍କୁ ଅତିଶୟ ମହାନ କଲେ ଓ ତାଙ୍କୁ ଏପରି ରାଜପ୍ରତାପ ଦାନ କଲେ ଯେ, ଇସ୍ରାଏଲ ମଧ୍ୟରେ ତାଙ୍କ ପୂର୍ବବର୍ତ୍ତୀ କୌଣସି ରାଜା ସେପରି ପ୍ରାପ୍ତ ହୋଇ ନ ଥିଲେ।
1CH 29:26 ଯିଶୀର ପୁତ୍ର ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ।
1CH 29:27 ଇସ୍ରାଏଲ ଉପରେ ତାଙ୍କର ରାଜତ୍ଵର ସମୟ ଚାଳିଶ ବର୍ଷ; ସେ ସାତ ବର୍ଷ ହିବ୍ରୋଣରେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
1CH 29:28 ତହିଁ ଉତ୍ତାରେ ସେ ଆୟୁଷ, ଧନ ଓ ସମ୍ଭ୍ରମରେ ପରିପୂର୍ଣ୍ଣ ହୋଇ ଉତ୍ତମ ବୃଦ୍ଧାବସ୍ଥାରେ ମଲେ; ପୁଣି, ତାଙ୍କ ପୁତ୍ର ଶଲୋମନ ତାଙ୍କ ପଦରେ ରାଜ୍ୟ କଲେ।
1CH 29:29 ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟାସବୁ, ଦେଖ, ଶାମୁୟେଲ ଦର୍ଶକର ଇତିହାସରେ ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଇତିହାସରେ ଓ ଗାଦ୍‍ ଦର୍ଶକର ଇତିହାସରେ ଲିଖିତ ଅଛି;
1CH 29:30 ତହିଁ ସଙ୍ଗେ ତାଙ୍କର ରାଜ୍ୟ ଶାସନ ଓ ତାଙ୍କର ପରାକ୍ରମ, ପୁଣି, ତାଙ୍କ ଉପରେ ଓ ଇସ୍ରାଏଲ ଉପରେ ଓ ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ଯାହା ଯାହା ଘଟିଲା, ସେସବୁର ବିବରଣ ଲେଖାଅଛି।
2CH 1:1 ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ।
2CH 1:2 ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ।
2CH 1:3 ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା।
2CH 1:4 ମାତ୍ର ଦାଉଦ କିରୀୟଥ୍‍-ଯିୟାରୀମ୍‍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ।
2CH 1:5 ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ।
2CH 1:6 ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
2CH 1:7 ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।”
2CH 1:8 ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ।
2CH 1:9 ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ।
2CH 1:10 ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?”
2CH 1:11 ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;
2CH 1:12 ଏଣୁ ଏହି କଥା ତୁମ୍ଭର ହୃଦ୍‍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।”
2CH 1:13 ତହୁଁ ଶଲୋମନ ଗିବୀୟୋନ୍‍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ।
2CH 1:14 ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।
2CH 1:15 ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
2CH 1:16 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ।
2CH 1:17 ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହି ସବୁ ଅଣାଯିବାର ରୀତି ଥିଲା।
2CH 2:1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ।
2CH 2:2 ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ।
2CH 2:3 ଆଉ ଶଲୋମନ ସୋରର ରାଜା ହୂରମ୍‍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋʼ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋʼ ପ୍ରତି ବ୍ୟବହାର କରନ୍ତୁ।
2CH 2:4 ଦେଖନ୍ତୁ, ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।
2CH 2:5 ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି।
2CH 2:6 ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।
2CH 2:7 ଏହେତୁ ମୋʼ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋʼ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳ ସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋʼ ନିକଟକୁ ପଠାଉନ୍ତୁ।
2CH 2:8 ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋʼ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;
2CH 2:9 ଆଉ ଦେଖନ୍ତୁ, ମୋʼ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ ହେବ।
2CH 2:10 ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”
2CH 2:11 ତହିଁରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, “ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।”
2CH 2:12 ହୂରମ୍‍ ଆହୁରି କହିଲା, “ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।
2CH 2:13 ଏବେ ମୁଁ ମୋʼ ପିତା ହୂରମ୍‍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,
2CH 2:14 ସେ ଦାନ୍ ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂର ବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋʼ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ।
2CH 2:15 ଏହେତୁ ମୋʼ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;
2CH 2:16 ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇଯିବେ।”
2CH 2:17 ଏଥିଉତ୍ତାରେ ଶଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ; ତହିଁରେ ଏକ ଲକ୍ଷ ତେପନ ହଜାର ଛଅ ଶହ ଲୋକ ମିଳିଲେ।
2CH 2:18 ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକଙ୍କୁ ନିଯୁକ୍ତ କଲେ।
2CH 3:1 ଏଥିଉତ୍ତାରେ ଶଲୋମନ ଯିରୂଶାଲମସ୍ଥ ମୋରୀୟା ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ, ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ, ଦାଉଦ ଯିବୂଷୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ।
2CH 3:2 ପୁଣି ସେ ଆପଣା ରାଜତ୍ଵର ଚତୁର୍ଥ ବର୍ଷର ଦ୍ୱିତୀୟ ମାସର ଦ୍ୱିତୀୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ।
2CH 3:3 ଶଲୋମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ, ତାହା ଏହି ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା।
2CH 3:4 ପୁଣି ଗୃହର ସମ୍ମୁଖସ୍ଥ ବାରଣ୍ଡାର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ଉଚ୍ଚତା ଶହେ କୋଡ଼ିଏ ହାତ ଥିଲା; ଆଉ ସେ ତହିଁର ଭିତର ଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ।
2CH 3:5 ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜ୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ।
2CH 3:6 ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ; ସେହି ସ୍ୱର୍ଣ୍ଣ ପର୍ବୟିମ ଦେଶର ସ୍ୱର୍ଣ୍ଣ ଥିଲା।
2CH 3:7 ମଧ୍ୟ ଗୃହ, କଡ଼ି, ଚଉକାଠ ଓ ତହିଁର କାନ୍ଥ ଓ ତହିଁର କବାଟସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ; ଆଉ କାନ୍ଥରେ କିରୂବାକୃତି ଖୋଦାଇଲେ।
2CH 3:8 ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ; ତହିଁର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଥିଲା; ଆଉ ସେ ଛଅ ଶହ ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ।
2CH 3:9 ଆଉ କଣ୍ଟାର ପରିମାଣ ପଚାଶ ଶେକଲ ସ୍ୱର୍ଣ୍ଣ ଥିଲା, ପୁଣି ସେ ଉପର କୋଠରିମାନ ସୁବର୍ଣ୍ଣରେ ମଡ଼ାଇଲେ।
2CH 3:10 ଆଉ ସେ ମହାପବିତ୍ର ଗୃହରେ ପିତୁଳା କର୍ମର ଦୁଇ କିରୂବ ନିର୍ମାଣ କଲେ ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
2CH 3:11 ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ଦୀର୍ଘ ଥିଲା; ଏକ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ସେହିପରି ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ସ୍ପର୍ଶ କଲା।
2CH 3:12 ଅନ୍ୟ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ମଧ୍ୟ ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ଲାଗିଲା।
2CH 3:13 ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ବିସ୍ତାରିତ ଥିଲା; ସେମାନେ ଚରଣରେ ଠିଆ ହେଲେ ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା।
2CH 3:14 ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ କ୍ଷୌମସୂତ୍ରର ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୂବଗଣର ଆକୃତି କଲେ।
2CH 3:15 ଆହୁରି ସେ ଗୃହ ସମ୍ମୁଖରେ ପଞ୍ଚତିରିଶ ହାତ ଉଚ୍ଚ ଦୁଇ ସ୍ତମ୍ଭ ନିର୍ମାଣ କଲେ ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳି ପାଞ୍ଚ ହାତ ଥିଲା।
2CH 3:16 ଆଉ ସେ ଗର୍ଭଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ ଓ ଏକ ଶହ ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ।
2CH 3:17 ଆଉ ସେ ମନ୍ଦିର ସମ୍ମୁଖରେ ସେହି ଦୁଇ ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ଵରେ ଏକ ଓ ବାମ ପାର୍ଶ୍ଵରେ ଏକ କରି ସ୍ଥାପନ କଲେ; ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଯାଖୀନ୍‍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୋୟସ୍‍ ରଖିଲେ।
2CH 4:1 ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଓ ତହିଁର ଉଚ୍ଚତା ଦଶ ହାତ।
2CH 4:2 ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ; ଆଉ ତହିଁର ପରିଧି ତିରିଶ ହାତ ଥିଲା।
2CH 4:3 ତହିଁ ତଳେ ବଳଦମାନର ଆକୃତି ଥିଲା, ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, ଦଶ ହାତ ଲେଖାଏଁ ଥାଇ ସମୁଦ୍ରରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ ଦୁଇ ଧାଡ଼ିରେ ଥିଲେ, ସମୁଦ୍ରରୂପ ପାତ୍ର ଢଳାଯିବା ସମୟରେ ତାହାସବୁ ଢଳା ଯାଇଥିଲେ।
2CH 4:4 ସେହି ପାତ୍ର ବାର ଗୋରୁ ଉପରେ ସ୍ଥାପିତ ଥିଲା, ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ପୁଣି ସମୁଦ୍ରରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାଦ୍‍ଭାଗସବୁ ଭିତରକୁ ଥିଲା।
2CH 4:5 ସେହି ପାତ୍ର ଚାରି ଅଙ୍ଗୁଳି ମୋଟ; ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ; କଇଁଫୁଲ ତୁଲ୍ୟ ଥିଲା; ତାହା ତିନି ହଜାର ମହଣ ଧରିଲା।
2CH 4:6 ଆହୁରି ସେ ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ରଖିଲେ; ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ; ମାତ୍ର ସମୁଦ୍ରରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା।
2CH 4:7 ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ ଦଶ ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ; ଆଉ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ।
2CH 4:8 ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ।
2CH 4:9 ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ ପ୍ରାଙ୍ଗଣ ଓ ପ୍ରାଙ୍ଗଣ-ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟସବୁ ପିତ୍ତଳରେ ମଡ଼ାଇଲେ।
2CH 4:10 ପୁଣି ସେ ପୂର୍ବଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲେ।
2CH 4:11 ଆଉ ହୂରମ୍‍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍‍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା।
2CH 4:12 ଅର୍ଥାତ୍‍, ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ
2CH 4:13 ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା।
2CH 4:14 ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା;
2CH 4:15 ଏକ ସମୁଦ୍ରରୂପ ପାତ୍ର ଓ ତହିଁ ତଳସ୍ଥ ବାର ଗୋରୁ
2CH 4:16 ମଧ୍ୟ ତାହାର ପିତା ହୂରମ୍‍ ଶଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜ୍ୱଳ ପିତ୍ତଳରେ ହାଣ୍ଡି ଓ କୋଦାଳ ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା।
2CH 4:17 ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସରେଦା ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ।
2CH 4:18 ଏହି ପ୍ରକାରେ ଶଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ; ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ।
2CH 4:19 ପୁଣି ଶଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ, ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦି ଓ ଦର୍ଶନୀୟ ରୁଟି ରଖିବାର ମେଜ;
2CH 4:20 ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜ୍ୱଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପସକଳ
2CH 4:21 ଓ ସ୍ୱର୍ଣ୍ଣମୟ ପୁଷ୍ପ, ପ୍ରଦୀପ ଓ ଚିମୁଟାସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ;
2CH 4:22 ଆଉ କତୁରୀ ଓ କୁଣ୍ଡ ଓ ଚାମଚ ଓ ଅଙ୍ଗାରଧାନୀଗୁଡ଼ିକ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ; ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର, ଅର୍ଥାତ୍‍, ମନ୍ଦିରର ଦ୍ୱାରସବୁ ସୁବର୍ଣ୍ଣର ଥିଲା।
2CH 5:1 ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍‍, ରୂପା, ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ।
2CH 5:2 ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ-ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ।
2CH 5:3 ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ।
2CH 5:4 ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ।
2CH 5:5 ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ।
2CH 5:6 ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା।
2CH 5:7 ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍‍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ୱୟର ପକ୍ଷ ତଳକୁ ଆଣିଲେ।
2CH 5:8 ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୂବମାନେ ଊର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ।
2CH 5:9 ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି।
2CH 5:10 ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ବ୍ୟତୀତ ତହିଁରେ ଆଉ କିଛି ନ ଥିଲା।
2CH 5:11 ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ।
2CH 5:12 ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍‍, ଆସଫ, ହେମନ, ଯିଦୂଥୂନ୍‍ ଓ ସେମାନଙ୍କ ପୁତ୍ର ଓ ଭାଇଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ,
2CH 5:13 ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, “ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ,” ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା
2CH 5:14 ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।
2CH 6:1 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
2CH 6:2 ମାତ୍ର ମୁଁ ତୁମ୍ଭ ପାଇଁ ଏକ ବାସଗୃହ ଓ ତୁମ୍ଭର ସଦାକାଳ ବାସ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛି।”
2CH 6:3 ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
2CH 6:4 ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆପଣା ମୁଖରେ ମୋʼ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
2CH 6:5 ‘ଆମ୍ଭେ ଆପଣା ଲୋକମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; କିଅବା ଆମ୍ଭ ଲୋକ ଇସ୍ରାଏଲର ଅଗ୍ରଣୀ ହେବା ପାଇଁ କୌଣସି ଲୋକ ମନୋନୀତ କରି ନାହୁଁ;
2CH 6:6 ମାତ୍ର ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯିରୂଶାଲମକୁ ମନୋନୀତ କରିଅଛୁ ଓ ଆମ୍ଭ ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।’
2CH 6:7 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋʼ ପିତା ଦାଉଦଙ୍କର ମନସ୍ଥ ଥିଲା।
2CH 6:8 ମାତ୍ର ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଲେ, ‘ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ମନସ୍ଥ ଅଛି, ତୁମ୍ଭର ଏହି ମନସ୍ଥ କରିବା ଉତ୍ତମ;
2CH 6:9 ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ; ମାତ୍ର ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’
2CH 6:10 ପୁଣି ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କ ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲେ।
2CH 6:11 ଆଉ ମୁଁ ତହିଁରେ ଇସ୍ରାଏଲ-ସନ୍ତାନଗଣ ସହିତ ସଦାପ୍ରଭୁଙ୍କ କୃତ ନିୟମର ଆଧାର-ସିନ୍ଦୁକ ସ୍ଥାପନ କରିଅଛି।”
2CH 6:12 ଏଥିଉତ୍ତାରେ ସେ ଇସ୍ରାଏଲର ସମସ୍ତ ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଆପଣା ହସ୍ତ ବିସ୍ତାର କରି ଠିଆ ହେଲେ;
2CH 6:13 କାରଣ ଶଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚ ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ; ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ,
2CH 6:14 “ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
2CH 6:15 ତୁମ୍ଭେ ଆପଣା ଦାସ ମୋʼ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ; ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ।
2CH 6:16 ତୁମ୍ଭେ ମୋʼ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ‘ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର।’
2CH 6:17 ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭ ଦାସ ଦାଉଦଙ୍କ ପ୍ରତି ଉକ୍ତ ତୁମ୍ଭର ବାକ୍ୟ ଦୃଢ଼ ହେଉ।
2CH 6:18 ମାତ୍ର ପରମେଶ୍ୱର କʼଣ ପୃଥିବୀରେ ମନୁଷ୍ୟମାନଙ୍କ ସଙ୍ଗରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭଙ୍କୁ ଧାରଣ କରି ନ ପାରେ; ତେବେ ଆମ୍ଭ ନିର୍ମିତ ଏହି ଗୃହ କʼଣ ପାରିବ?
2CH 6:19 ତଥାପି ହେ ସଦାପ୍ରଭୋ, ମୋର ପରମେଶ୍ୱର, ତୁମ୍ଭ ଦାସ ତୁମ୍ଭ ସମ୍ମୁଖରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର;
2CH 6:20 ତୁମ୍ଭେ ଯେଉଁ ସ୍ଥାନରେ ଆପଣା ନାମ ସ୍ଥାପନ କରିବ ବୋଲି କହିଅଛ, ସେହି ସ୍ଥାନ, ଅର୍ଥାତ୍‍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭର ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
2CH 6:21 ପୁଣି ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ଶୁଣି କ୍ଷମା କର।
2CH 6:22 କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ, ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ;
2CH 6:23 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ଦୋଷୀକୁ ପ୍ରତିଫଳ ଦିଅ; ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
2CH 6:24 ପୁଣି ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି;
2CH 6:25 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର, ପୁଣି ସେମାନଙ୍କୁ ଓ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ସେଠାକୁ ପୁନର୍ବାର ସେମାନଙ୍କୁ ଆଣ।
2CH 6:26 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ, ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି;
2CH 6:27 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କର ଗନ୍ତବ୍ୟ ସତ୍‍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର; ପୁଣି ତୁମ୍ଭ ଲୋକମାନଙ୍କ ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର।
2CH 6:28 ଯଦି ଦେଶରେ ଦୁର୍ଭିକ୍ଷ ହୁଏ, କିମ୍ବା ମହାମାରୀ ହୁଏ, ଶସ୍ୟର ଶୋଷ କି ମ୍ଳାନି, କିଅବା ପଙ୍ଗପାଳ ବା କୀଟ ହୁଏ; କିମ୍ବା ଯଦି ସେମାନଙ୍କ ଶତ୍ରୁଗଣ ସେମାନଙ୍କ ଦେଶସ୍ଥ ନଗରସମୂହରେ ସେମାନଙ୍କୁ ଅବରୋଧ କରନ୍ତି; କୌଣସି ମାରୀ କି କୌଣସି ରୋଗ ଘଟେ;
2CH 6:29 ତେବେ ଆପଣା ଆପଣା ପୀଡ଼ା ଓ ଦୁଃଖ ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ,
2CH 6:30 ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶ୍ରବଣ କରି କ୍ଷମା କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ, କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ ଜାଣୁଅଛ।
2CH 6:31 ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ତୁମ୍ଭ ପଥରେ ଚାଲିବା ପାଇଁ ସେମାନେ ତୁମ୍ଭଙ୍କୁ ଭୟ କରିବେ।
2CH 6:32 ଆହୁରି ଯେ ତୁମ୍ଭ ଇସ୍ରାଏଲ ଲୋକର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁ ସକାଶୁ ଦୂର ଦେଶରୁ ଆସେ ଓ ଆସି ଏହି ଗୃହ ଆଡ଼େ ପ୍ରାର୍ଥନା କରେ;
2CH 6:33 ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭଙ୍କୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
2CH 6:34 ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ, ଯେବେ ସେମାନେ ଆପଣା ଶତ୍ରୁଗଣ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋʼ ନିର୍ମିତ ଏହି ଗୃହ ଆଡ଼େ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
2CH 6:35 ତେବେ ତୁମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କର ବିଚାର ନିଷ୍ପତ୍ତି କର।
2CH 6:36 ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି (କାରଣ ଏପରି କୌଣସି ମନୁଷ୍ୟ ନାହିଁ ଯେ ପାପ କରେ ନାହିଁ), ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁର ହସ୍ତରେ ସମର୍ପଣ କଲେ, ଯେବେ ସେମାନେ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ କିମ୍ବା ନିକଟସ୍ଥ ଦେଶକୁ ନେଇଯାʼନ୍ତି;
2CH 6:37 ତଥାପି ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ପୁନର୍ବାର ଫେରନ୍ତି ଓ ଆପଣାମାନଙ୍କ ବନ୍ଦୀତ୍ୱ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ‘ଆମ୍ଭେମାନେ ପାପ କରିଅଛୁ ଓ ବିପଥଗାମୀ ଓ ଦୁଷ୍ଟପଣ କରିଅଛୁ;’
2CH 6:38 ଶତ୍ରୁଗଣ ସେମାନଙ୍କୁ ଯେଉଁ ଦେଶକୁ ବନ୍ଦୀ କରି ନେଇ ଯାଇଅଛନ୍ତି, ଆପଣାମାନଙ୍କର ସେହି ବନ୍ଦୀତ୍ୱ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ, ପୁଣି ତୁମ୍ଭ ମନୋନୀତ ନଗର ଓ ତୁମ୍ଭ ନାମ ନିମନ୍ତେ ଆମ୍ଭର ନିର୍ମିତ ଗୃହ ଆଡ଼େ ମୁଖ କରି ପ୍ରାର୍ଥନା କରନ୍ତି;
2CH 6:39 ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର; ଆଉ ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ କ୍ଷମା କର।
2CH 6:40 ଏବେ, ହେ ମୋହର ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଓ ତୁମ୍ଭର କର୍ଣ୍ଣ ନିବିଷ୍ଟ ଥାଉ।
2CH 6:41 ଏଣୁ ଏବେ, ହେ ସଦାପ୍ରଭୋ ପରମେଶ୍ୱର, ଉଠ, ତୁମ୍ଭେ ଓ ତୁମ୍ଭର ଶକ୍ତିରୂପ ସିନ୍ଦୁକ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର; ହେ ସଦାପ୍ରଭୋ ପରମେଶ୍ୱର, ତୁମ୍ଭର ଯାଜକମାନେ ପରିତ୍ରାଣରୂପ ବସ୍ତ୍ର ପରିଧାନ କରନ୍ତୁ ଓ ତୁମ୍ଭର ସାଧୁମାନେ ମଙ୍ଗଳରେ ଆନନ୍ଦ କରନ୍ତୁ।
2CH 6:42 ହେ ସଦାପ୍ରଭୋ ପରମେଶ୍ୱର, ଆପଣା ଅଭିଷିକ୍ତର ମୁଖ ଫେରାଇ ନ ଦିଅ; ଆପଣା ଦାସ ଦାଉଦଙ୍କ ପ୍ରତି ଦୟାସବୁ ସ୍ମରଣ କର।”
2CH 7:1 ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
2CH 7:2 ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା।
2CH 7:3 ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।”
2CH 7:4 ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
2CH 7:5 ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ।
2CH 7:6 ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସା ଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହି ସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ।
2CH 7:7 ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ।
2CH 7:8 ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍‍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ।
2CH 7:9 ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ।
2CH 7:10 ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ।
2CH 7:11 ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ।
2CH 7:12 ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ।
2CH 7:13 ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,
2CH 7:14 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।
2CH 7:15 ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ।
2CH 7:16 କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତକାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ।
2CH 7:17 ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;
2CH 7:18 ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା।
2CH 7:19 ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;
2CH 7:20 ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା।
2CH 7:21 ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ‘ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?’
2CH 7:22 ତହିଁରେ ଲୋକେ ଉତ୍ତର କରି କହିବେ, ‘ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇଅଛନ୍ତି।’”
2CH 8:1 ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ କୋଡ଼ିଏ ବର୍ଷ ମଧ୍ୟରେ ନିର୍ମାଣ କଲେ।
2CH 8:2 ତହିଁ ଉତ୍ତାରେ ହୂରମ୍‍ ଶଲୋମନଙ୍କୁ ଯେଉଁ ଯେଉଁ ଦେଇଥିଲା, ସେସବୁ ଶଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ-ସନ୍ତାନଗଣକୁ ବାସ କରାଇଲେ।
2CH 8:3 ଏଥିଉତ୍ତାରେ ଶଲୋମନ ହମାତ୍‍-ସୋବାକୁ ଯାଇ ତାହା ପରାସ୍ତ କଲେ।
2CH 8:4 ପୁଣି ସେ ପ୍ରାନ୍ତରରେ ତଦ୍ମୋର ନଗର ଓ ହମାତ୍ତରେ ଭଣ୍ଡାର-ନଗରସବୁ ନିର୍ମାଣ କଲେ।
2CH 8:5 ଆହୁରି ସେ ଉପରିସ୍ଥ ବେଥ୍-ହୋରଣ ଓ ନୀଚସ୍ଥ ବେଥ୍-ହୋରଣ, ପ୍ରାଚୀର-ବେଷ୍ଟିତ ଏହି ଦୁଇ ନଗର, ପ୍ରାଚୀର, ଦ୍ୱାର ଓ ଅର୍ଗଳ ସମେତ ନିର୍ମାଣ କଲେ;
2CH 8:6 ଆଉ ବାଲତ୍‍ ଓ ଶଲୋମନଙ୍କର ସମସ୍ତ ଭଣ୍ଡାର ନଗର ଓ ଆପଣାର ରଥମାନଙ୍କ ନିମନ୍ତେ ସମସ୍ତ ନଗର ଓ ଆପଣାର ଅଶ୍ୱାରୂଢ଼ମାନଙ୍କ ନିମନ୍ତେ ସମସ୍ତ ନଗର, ପୁଣି ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଆପଣାର ସନ୍ତୋଷାର୍ଥେ ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ଇଚ୍ଛା କଲେ, ତାହାସବୁ ସେ ନିର୍ମାଣ କଲେ।
2CH 8:7 ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସବୁ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ,
2CH 8:8 ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ବିନାଶ କରି ନ ଥିଲେ, ସେମାନଙ୍କ ମଧ୍ୟରୁ ଆଜିଯାଏ ବେଠିକର୍ମ କରିବା ପାଇଁ ଶଲୋମନ ଦାସ ସଂଗ୍ରହ କଲେ।
2CH 8:9 ମାତ୍ର ଶଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱାରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ।
2CH 8:10 ଆଉ ଏମାନଙ୍କ ମଧ୍ୟରୁ ଦୁଇ ଶହ ପଚାଶ ଜଣ ଶଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ, ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
2CH 8:11 ଏଉତ୍ତାରେ ଶଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ-ନଗରରୁ ତାହାକୁ ଆଣିଲେ; କାରଣ ସେ କହିଲେ, “ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେଉଁ ଯେଉଁ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି, ସେସବୁ ସ୍ଥାନ ପବିତ୍ର।”
2CH 8:12 ତହୁଁ ଶଲୋମନ ବାରଣ୍ଡା ସମ୍ମୁଖରେ ସଦାପ୍ରଭୁଙ୍କର ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ;
2CH 8:13 ସେ ମୋଶାଙ୍କର ଆଜ୍ଞା ପ୍ରମାଣେ ବିଶ୍ରାମବାରରେ, ଅମାବାସ୍ୟାରେ ଓ ବର୍ଷକେ ତିନି ଥର ନିରୂପିତ ପର୍ବରେ, ଅର୍ଥାତ୍‍, ତାଡ଼ିଶୂନ୍ୟ ରୁଟିର ପର୍ବରେ, ସପ୍ତାହର ପର୍ବରେ ଓ ତମ୍ବୁବାସ ପର୍ବରେ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବଳି ଉତ୍ସର୍ଗ କଲେ।
2CH 8:14 ଆଉ, ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ; ମଧ୍ୟ ଦ୍ୱାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ୱାରରେ ନିଯୁକ୍ତ କଲେ; କାରଣ ପରମେଶ୍ୱରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ।
2CH 8:15 ଆଉ ସେମାନେ କୌଣସି ବିଷୟରେ ଅବା ଭଣ୍ଡାର ବିଷୟରେ ଯାଜକମାନଙ୍କ ପ୍ରତି ଓ ଲେବୀୟମାନଙ୍କ ପ୍ରତି ରାଜାଙ୍କର ଆଜ୍ଞା ଅନ୍ୟଥା କଲେ ନାହିଁ।
2CH 8:16 ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପନ ଦିନକୁ ଓ ତହିଁର ସମାପ୍ତି ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ପ୍ରସ୍ତୁତ ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହ ସମ୍ପୂର୍ଣ୍ଣ ହେଲା।
2CH 8:17 ସେତେବେଳେ ଶଲୋମନ ଇଦୋମ୍‍ ଦେଶର ସମୁଦ୍ରତୀରସ୍ଥ ଇତ୍‍ସିୟୋନ-ଗେବରକୁ ଓ ଏଲତ୍‍କୁ ଗଲେ।
2CH 8:18 ତହୁଁ ହୂରମ୍‍ ଆପଣା ଦାସମାନଙ୍କ ହସ୍ତରେ ତାଙ୍କ ନିକଟକୁ ଜାହାଜ ଓ ସାମୁଦ୍ରିକ କାର୍ଯ୍ୟ ଜାଣିଥିବା ଦାସମାନଙ୍କୁ ପଠାଇଲା; ପୁଣି ସେମାନେ ଶଲୋମନଙ୍କର ଦାସମାନଙ୍କ ସଙ୍ଗେ ଓଫୀରକୁ ଯାଇ ସେଠାରୁ ଶଲୋମନ ରାଜାଙ୍କ ନିକଟକୁ ଚାରି ଶହ ପଚାଶ ତାଳନ୍ତ ସୁନା ଆଣିଲେ।
2CH 9:1 ଏଥିଉତ୍ତାରେ ଶିବା ଦେଶର ରାଣୀ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ଯିରୂଶାଲମରେ ଶଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଆସିଲା; ପୁଣି ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା।
2CH 9:2 ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ଶଲୋମନଙ୍କର ବୋଧାଗମ୍ୟ କୌଣସି ବିଷୟ ନ ଥିଲା, ଯାହା ସେ ତାହାକୁ କହିଲେ ନାହିଁ।
2CH 9:3 ପୁଣି ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ
2CH 9:4 ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠି ଯିବା ପାଇଁ ତାହାର ପାବଚ୍ଛ, ଏହିସବୁ ଦେଖି ହତଜ୍ଞାନ ହେଲା।
2CH 9:5 ତହୁଁ ସେ ରାଜାଙ୍କୁ କହିଲା, “ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ, ତାହା ସତ୍ୟ।
2CH 9:6 ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ; ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମାହାତ୍ମ୍ୟ ଆମ୍ଭକୁ କୁହାଯାଇ ନ ଥିଲା; ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ।
2CH 9:7 ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।
2CH 9:8 ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇ ଅଛନ୍ତି; ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତକାଳସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି; ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ।”
2CH 9:9 ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା ଓ ଅତି ବିସ୍ତର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେଉଁ ପ୍ରକାର ସୁଗନ୍ଧି ଦ୍ରବ୍ୟ ଦେଲା, ସେପ୍ରକାର ସୁଗନ୍ଧି ଦ୍ରବ୍ୟ ଆଉ ନ ଥିଲା।
2CH 9:10 ପୁଣି ହୂରମ୍‍ର ଯେଉଁ ଦାସମାନେ ଓ ଶଲୋମନଙ୍କର ଯେଉଁ ଦାସମାନେ ଓଫୀରରୁ ସୁବର୍ଣ୍ଣ ଆଣିଲେ, ସେମାନେ ମଧ୍ୟ ଚନ୍ଦନ କାଷ୍ଠ ଓ ମଣି ଆଣିଲେ।
2CH 9:11 ଆଉ ରାଜା ସେହି ଚନ୍ଦନ କାଷ୍ଠ ଦ୍ୱାରା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସୋପାନ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ପ୍ରସ୍ତୁତ କଲେ; ଏପରି ଚନ୍ଦନ କାଷ୍ଠ ପୂର୍ବରେ ଯିହୁଦା ଦେଶରେ ଦେଖାଯାଇ ନ ଥିଲା।
2CH 9:12 ପୁଣି ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, (ତାହା ଛଡ଼ା ରାଜାଙ୍କ ନିକଟକୁ ତାହାର ଆନୀତ ଦ୍ରବ୍ୟର ପ୍ରତିଦାନ କଲେ) ଏଥିଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।
2CH 9:13 ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁନା ଆସେ;
2CH 9:14 ତାହା ଛଡ଼ା ପାଇକର ଓ ବଣିକମାନେ ସୁନା ଆଣିଲେ; ପୁଣି ଆରବୀୟ ସମସ୍ତ ରାଜା ଓ ଦେଶାଧ୍ୟକ୍ଷମାନେ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ଆଣିଲେ।
2CH 9:15 ତହିଁରେ ଶଲୋମନ ରାଜା ପିଟାସୁନାରେ ଦୁଇ ଶହ ବଡ଼ ଢ଼ାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଳରେ ଛଅ ଶହ ଶେକଲ ସୁନା ଲାଗିଲା।
2CH 9:16 ପୁଣି, ସେ ପିଟାସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ; ପ୍ରତ୍ୟେକ ଢାଲରେ ତିନି ମିନାସ୍ ସୁନା ଲାଗିଲା; ଆଉ, ରାଜା ଲିବାନୋନ-ଅରଣ୍ୟ ଗୃହରେ ତାହାସବୁ ରଖିଲେ।
2CH 9:17 ଆହୁରି, ରାଜା ହସ୍ତୀଦନ୍ତର ଗୋଟିଏ ବୃହତ ସିଂହାସନ ନିର୍ମାଣ କରି ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ।
2CH 9:18 ସେହି ସିଂହାସନରେ ଏକ ସ୍ୱର୍ଣ୍ଣମୟ ପାଦପୀଠ ସହିତ ଛଅ ପାହାଚ ସିଂହାସନ ସଂଯୁକ୍ତ ହୋଇଥିଲା, ଆଉ ଆସନର ଦୁଇ ପାର୍ଶ୍ଵରେ ଦୁଇ ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ।
2CH 9:19 ସେହି ଛଅ ପାହାଚ ଉପରେ ଦୁଇପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ନୋହିଲା।
2CH 9:20 ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ-ଅରଣ୍ୟ ଗୃହର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା।
2CH 9:21 କାରଣ ହୂରମ୍‍ର ଦାସମାନଙ୍କ ସଙ୍ଗେ ରାଜାଙ୍କର ତର୍ଶୀଶଗାମୀ ଜାହାଜମାନ ଥିଲେ; ସେହି ତର୍ଶୀଶର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା ଓ ହସ୍ତୀଦନ୍ତ, ପୁଣି ବାନର ଓ ମୟୂର ନେଇ ଆସନ୍ତି।
2CH 9:22 ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କ ଅପେକ୍ଷା ମହାନ ହେଲେ।
2CH 9:23 ଆଉ ପରମେଶ୍ୱର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତହିଁର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ରାଜା ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ।
2CH 9:24 ପୁଣି, ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟି ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ।
2CH 9:25 ଆଉ ଶଲୋମନଙ୍କର ଅଶ୍ୱ ଓ ରଥ ନିମନ୍ତେ ଚାରି ହଜାର ଶାଳା ଥିଲା ଓ ବାର ହଜାର ଅଶ୍ୱାରୂଢ଼ ଥିଲେ, ଏସବୁକୁ ସେ ରଥ-ନଗରମାନରେ ଓ ଯିରୂଶାଲମରେ ରାଜାଙ୍କ ନିକଟରେ ରଖିଲେ।
2CH 9:26 ଆଉ, ସେ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କର ଦେଶ ଓ ମିସରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ।
2CH 9:27 ପୁଣି ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ।
2CH 9:28 ଆଉ ଲୋକମାନେ ମିସରରୁ ଓ ସମସ୍ତ ଦେଶରୁ ଶଲୋମନଙ୍କ ପାଇଁ ଅଶ୍ୱ ଆଣିଲେ।
2CH 9:29 ଶଲୋମନଙ୍କର ଅବଶିଷ୍ଟ ବୃତ୍ତାନ୍ତ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ଶୀଲୋନୀୟ ଅହୀୟର ଭବିଷ୍ୟଦ୍‍ବାକ୍ୟରେ ଓ ନବାଟର ପୁତ୍ର ଯାରବୀୟାମଙ୍କ ବିଷୟକ ଇଦ୍ଦୋ ଦର୍ଶକର ଦର୍ଶନ ମଧ୍ୟରେ କʼଣ ଲେଖା ନାହିଁ?
2CH 9:30 ଶଲୋମନ ଯିରୂଶାଲମରେ ଚାଳିଶ ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ।
2CH 9:31 ପୁଣି ଶଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ରିହବୀୟାମ ତାଙ୍କର ପଦରେ ରାଜ୍ୟ କଲେ।
2CH 10:1 ଏଥିଉତ୍ତାରେ ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।
2CH 10:2 ଏଥିମଧ୍ୟରେ ନବାଟର ପୁତ୍ର ଯାରବୀୟାମ, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।
2CH 10:3 ଆଉ, ଲୋକମାନେ ତାଙ୍କୁ ଡକାଇ ପଠାଇଲେ; ତହିଁରେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଆସି ରିହବୀୟାମଙ୍କୁ ଏହି କଥା କହିଲେ;
2CH 10:4 “ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କର ସେବା କରିବୁ।”
2CH 10:5 ତହୁଁ ସେ ସେମାନଙ୍କୁ କହିଲେ, “ତିନି ଦିନ ଉତ୍ତାରେ ପୁନର୍ବାର ଆମ୍ଭ ନିକଟକୁ ଆସ” ତହିଁରେ ଲୋକମାନେ ଚାଲିଗଲେ।
2CH 10:6 ଏଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବିତ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
2CH 10:7 ତେବେ ସେମାନେ ତାଙ୍କୁ କହିଲେ, “ଯେବେ ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
2CH 10:8 ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଠିଆ ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ।
2CH 10:9 ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ଆମ୍ଭକୁ କହୁଅଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭକୁ କି ପରାମର୍ଶ ଦେଉଅଛ?’”
2CH 10:10 ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର’ ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ, ‘ମୋହର କନିଷ୍ଠ ଅଙ୍ଗୁଳି ମୋହର ପିତାଙ୍କ କଟିଠାରୁ ମୋଟା।
2CH 10:11 ଏଥିପାଇଁ ମୋର ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’”
2CH 10:12 ଏଥିରେ “ତୃତୀୟ ଦିନରେ ମୋʼ ନିକଟକୁ ପୁଣି ଆସ” ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ତୃତୀୟ ଦିନ ରିହବୀୟାମଙ୍କ ନିକଟକୁ ଆସିଲେ
2CH 10:13 ତହିଁରେ ରାଜା ସେମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ରିହବୀୟାମ ରାଜା ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି
2CH 10:14 ସେହି ଯୁବାମାନଙ୍କ ମନ୍ତ୍ରଣାନୁସାରେ ସେମାନଙ୍କୁ ଏହି କଥା କହିଲେ, “ମୋହର ପିତା ତୁମ୍ଭମାନଙ୍କ ଯୁଆଳି ଭାରୀ କରିଥିଲେ, ମାତ୍ର ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।”
2CH 10:15 ଏରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ହାତରେ ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆଡ଼ୁ ଘଟିଲା।
2CH 10:16 ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କେଉଁ ଅଂଶ ଅଛି? ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ନିଜ ଘର କଥା ବୁଝ।” ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।
2CH 10:17 ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ।
2CH 10:18 ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ହଦୋରାମକୁ ପଠାଇଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ।
2CH 10:19 ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ।
2CH 11:1 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।
2CH 11:2 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2CH 11:3 “ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,
2CH 11:4 ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।
2CH 11:5 ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।
2CH 11:6 ସେ ବେଥଲିହିମ, ଐଟମ୍‍, ତକୋୟ,
2CH 11:7 ବେଥ୍-ସୁର, ସୋଖୋ, ଅଦୁଲ୍ଲମ,
2CH 11:8 ଗାଥ୍‍, ମାରେଶା, ସୀଫ୍‍,
2CH 11:9 ଅଦୋରୟୀମ୍‍, ଲାଖୀଶ୍‍, ଅସେକା,
2CH 11:10 ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର-ବେଷ୍ଟିତ ନଗରସବୁ ନିର୍ମାଣ କଲେ।
2CH 11:11 ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।
2CH 11:12 ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।
2CH 11:13 ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।
2CH 11:14 କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।
2CH 11:15 ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।
2CH 11:16 ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍‍ ଯିରୂଶାଲମକୁ ଆସିଲେ।
2CH 11:17 ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।
2CH 11:18 ପୁଣି, ରିହବୀୟାମ ମହଲତ୍‍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍‍ର ଓ ଯିଶୀର ପୁତ୍ର ଇଲୀୟାବ୍‍ର କନ୍ୟା ଅବୀହୟିଲର କନ୍ୟା ଥିଲା;
2CH 11:19 ସେ ତାଙ୍କ ଔରସରେ ଯିୟୂଶ୍‍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା
2CH 11:20 ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍‍କୁ ଜାତ କଲା।
2CH 11:21 ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।
2CH 11:22 ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟଙ୍କୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।
2CH 11:23 ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।
2CH 12:1 ଏଥିଉତ୍ତାରେ ରିହବୀୟାମଙ୍କର ରାଜ୍ୟ ସୁସ୍ଥିର ଓ ସେ ବଳବାନ ହୁଅନ୍ତେ, ସେ ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ବ୍ୟବସ୍ଥା ପରିତ୍ୟାଗ କଲେ।
2CH 12:2 ଆଉ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରିବାରୁ ରିହବୀୟାମ ରାଜାଙ୍କ ରାଜତ୍ଵର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ବିରୁଦ୍ଧରେ ଆସିଲା;
2CH 12:3 ତାହା ସଙ୍ଗେ ବାର ଶହ ରଥ, ଷାଠିଏ ହଜାର ଅଶ୍ୱାରୂଢ଼ ଥିଲେ ଓ ତାହା ସଙ୍ଗେ ମିସରରୁ ଅସଂଖ୍ୟ ଲୂବୀୟ ଓ ସୁକ୍କୀୟ ଓ କୂଶୀୟ ଲୋକ ଆସିଲେ।
2CH 12:4 ପୁଣି, ସେ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସବୁ ହସ୍ତଗତ କରି ଯିରୂଶାଲମ ପର୍ଯ୍ୟନ୍ତ ଆସିଲା।
2CH 12:5 ତହିଁରେ ଶମୟୀୟ ଭବିଷ୍ୟଦ୍‍ବକ୍ତା, ଶୀଶକ୍‍ ସକାଶୁ ଯିରୂଶାଲମରେ ଏକତ୍ରିତ ରିହବୀୟାମ ଓ ଯିହୁଦାର ଅଧିପତିମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଶୀଶକ୍‍ ହସ୍ତରେ ଛାଡ଼ିଦେଲୁ।”
2CH 12:6 ସେତେବେଳେ ଇସ୍ରାଏଲର ଅଧିପତିମାନେ ଓ ରାଜା ଆପଣାମାନଙ୍କୁ ନମ୍ର କଲେ ଓ କହିଲେ, “ସଦାପ୍ରଭୁ ଧର୍ମମୟ।”
2CH 12:7 ତହୁଁ ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି, ଏହା ସଦାପ୍ରଭୁ ଦେଖନ୍ତେ, ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; “ସେମାନେ ଆପଣମାନଙ୍କୁ ନମ୍ର କରିଅଛନ୍ତି; ଆମ୍ଭେ ସେମାନଙ୍କୁ ବିନାଶ କରିବା ନାହିଁ; ମାତ୍ର ଆମ୍ଭେ ସେମାନଙ୍କୁ କିଛି ସାହାଯ୍ୟ ପ୍ରଦାନ କରିବା ଓ ଶୀଶକ୍‍ର ହସ୍ତ ଦ୍ୱାରା ଯିରୂଶାଲମ ଉପରେ ଆମ୍ଭର କୋପ ଢଳାଯିବ ନାହିଁ।
2CH 12:8 ତଥାପି ଯେପରି ସେମାନେ ଆମ୍ଭର ସେବା ଓ ନାନା ଦେଶୀୟ ରାଜ୍ୟର ସେବା ଅନୁଭବ କରିବେ, ଏଥିପାଇଁ ସେମାନେ ତାହାର ଦାସ ହେବେ।”
2CH 12:9 ଏଉତ୍ତାରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ପ୍ରତିକୂଳରେ ଆସି ସଦାପ୍ରଭୁଙ୍କ ଗୃହର ସଞ୍ଚିତ ଧନ ଓ ରାଜଗୃହର ସଞ୍ଚିତ ଧନ ନେଇଗଲା; ସେ ସବୁ ନେଇଗଲା; ସେ ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ-ଢାଲସବୁ ହିଁ ନେଇଗଲା।
2CH 12:10 ତହୁଁ ରିହବୀୟାମ ରାଜା ସେହିସବୁର ପରିବର୍ତ୍ତେ ପିତ୍ତଳ-ଢାଲ ନିର୍ମାଣ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ।
2CH 12:11 ଆଉ ରାଜା ଯେତେ ଥର ସଦାପ୍ରଭୁଙ୍କ ଗୃହକୁ ଗଲେ, ସେତେଥର ପ୍ରହରୀମାନେ ଆସି ତାହା ନେଇଗଲେ, ପୁଣି ତାହାସବୁ ପ୍ରହରୀଶାଳାକୁ ଫେରାଇ ଆଣିଲେ।
2CH 12:12 ଆଉ, ସେ ଆପଣାକୁ ନମ୍ର କରନ୍ତେ, ତାଙ୍କ ଉପରୁ ସଦାପ୍ରଭୁଙ୍କ କୋପ ନିବୃତ୍ତ ହେଲା, ତହିଁରେ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ଆହୁରି ଯିହୁଦା ଦେଶ ମଧ୍ୟରେ ସଦ୍‍ଭାବ ଦେଖାଗଲା।
2CH 12:13 ଏହିରୂପେ ରିହବୀୟାମ ଯିରୂଶାଲମରେ ଆପଣାକୁ ବଳବାନ କରି ରାଜତ୍ୱ କଲେ; ରିହବୀୟାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକଚାଳିଶ ବର୍ଷ ବୟସ୍କ ହୋଇଥିଲେ, ଆଉ ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମ ନଗରରେ ସେ ସତର ବର୍ଷ ରାଜତ୍ୱ କଲେ; ତାଙ୍କ ମାତାର ନାମ ନୟମା, ସେ ଅମ୍ମୋନ ଦେଶୀୟା ଥିଲା।
2CH 12:14 ପୁଣି ସେ ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବିଷ୍ଟ ନ କରିବାରୁ କୁକର୍ମ କଲା।
2CH 12:15 ଏହି ରିହବୀୟାମଙ୍କ କର୍ମର ବୃତ୍ତାନ୍ତ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ବଂଶାବଳୀ କ୍ରମେ ଶମୟୀୟ ଭବିଷ୍ୟଦ୍‍ବକ୍ତାର ଓ ଇଦ୍ଦୋ ଦର୍ଶକର ଇତିହାସ ପୁସ୍ତକରେ କʼଣ ଲେଖା ନାହିଁ? ରିହବୀୟାମ ଓ ଯାରବୀୟାମ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଲା।
2CH 12:16 ଏଉତ୍ତାରେ ରିହବୀୟାମ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଅବୀୟ ତାଙ୍କ ପଦରେ ରାଜ୍ୟ କଲେ।
2CH 13:1 ଯାରବୀୟାମ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
2CH 13:2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଚାଲିଲା।
2CH 13:3 ଅବୀୟ ଚାରି ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଯାରବୀୟାମ ଆଠ ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା।
2CH 13:4 ତହିଁରେ ଅବୀୟ ଇଫ୍ରୟିମର ପର୍ବତମୟ ଦେଶସ୍ଥ ସୀମାରୟମ୍‍ ପର୍ବତରେ ଠିଆ ହୋଇ କହିଲେ, “ହେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଲୋକ, ମୋʼ କଥା ଶୁଣ;
2CH 13:5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍‍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କʼଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ?
2CH 13:6 ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି।
2CH 13:7 ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ।
2CH 13:8 ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି।
2CH 13:9 ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ? ଏଣୁ ଯେକେହି ଆପଣାର ପଦନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ।
2CH 13:10 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ; ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରୋଣ-ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି;
2CH 13:11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି; ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜ୍ୱଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି; କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ; ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ।
2CH 13:12 ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।”
2CH 13:13 ତଥାପି ଯାରବୀୟାମ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚାଦ୍ଦିଗରେ ଗୋପନରେ ସୈନ୍ୟ ରଖିଲେ; ଏଣୁ ଲୋକମାନେ ଯିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ।
2CH 13:14 ତହିଁରେ ଯିହୁଦା ପଛକୁ ଅନାନ୍ତେ, ଦେଖ, ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ; ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୂରୀଧ୍ୱନି କଲେ।
2CH 13:15 ସେତେବେଳେ ଯିହୁଦାର ଲୋକମାନେ ସିଂହନାଦ କଲେ; ଆଉ ଯିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବୀୟ ଓ ଯିହୁଦାର ସମ୍ମୁଖରେ ଯାରବୀୟାମଙ୍କୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ।
2CH 13:16 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
2CH 13:17 ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଛା ଲୋକ ହତ ହୋଇ ପଡ଼ିଲେ।
2CH 13:18 ଏହିରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଯିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ।
2CH 13:19 ଏଉତ୍ତାରେ ଅବୀୟ ଯାରବୀୟାମଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର, ଅର୍ଥାତ୍‍, ବେଥେଲ୍‍ ଓ ତହିଁର ଉପନଗର, ଯିଶାନା ଓ ତହିଁର ଉପନଗର, ପୁଣି ଇଫ୍ରୋଣ ଓ ତହିଁର ଉପନଗରସକଳ ହସ୍ତଗତ କରି ନେଲେ।
2CH 13:20 ପୁଣି ଅବୀୟଙ୍କର ଜୀବନ କାଳ ଯାଏ ଯାରବୀୟାମ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ।
2CH 13:21 ମାତ୍ର ଅବୀୟ ବେଳକୁ ବେଳ ବଳବାନ ହୋଇ ଉଠିଲେ, ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜାତ କଲେ।
2CH 13:22 ଏହି ଅବୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ୍ଦୋ ଭବିଷ୍ୟଦ୍‍ବକ୍ତାର ଟୀକାଗ୍ରନ୍ଥରେ ଲିଖିତ ଅଛି।
2CH 14:1 ଏଥିଉତ୍ତାରେ ଅବୀୟଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ, ଆଉ ତାଙ୍କର ପୁତ୍ର ଆସା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା।
2CH 14:2 ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ;
2CH 14:3 କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
2CH 14:4 ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ।
2CH 14:5 ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
2CH 14:6 ପୁଣି, ସେ ଯିହୁଦା ଦେଶରେ କେତେକ ପ୍ରାଚୀର-ବେଷ୍ଟିତ ନଗର ନିର୍ମାଣ କଲେ; କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା; ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ।
2CH 14:7 ଏହେତୁ ସେ ଯିହୁଦାକୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ନଗର ନିର୍ମାଣ କରି ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ, ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ; ଦେଶ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ; ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି।” ତହୁଁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ।
2CH 14:8 ଏହି ଆସାଙ୍କର ଯିହୁଦା ମଧ୍ୟରୁ ତିନି ଲକ୍ଷ ଢାଲ ଓ ବର୍ଚ୍ଛାଧାରୀ ଓ ବିନ୍ୟାମୀନ୍ ମଧ୍ୟରୁ ଦୁଇ ଲକ୍ଷ ଅଶୀ ହଜାର ଢାଲ ଓ ଧନୁର୍ଦ୍ଧାରୀ, ଏକ ସୈନ୍ୟଦଳ ଥିଲେ; ଏସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ।
2CH 14:9 ଏଉତ୍ତାରେ କୂଶଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା।
2CH 14:10 ସେତେବେଳେ ଆସା ତାହାକୁ ଭେଟିବାକୁ ଯାଆନ୍ତେ, ସେମାନେ ମାରେଶା ନିକଟସ୍ଥ ସଫାଥା ଉପତ୍ୟକାରେ ଯୁଦ୍ଧ ସଜାଇଲେ।
2CH 14:11 ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୋ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”
2CH 14:12 ଏଥିରେ ସଦାପ୍ରଭୁ ଆସା ସମ୍ମୁଖରେ ଓ ଯିହୁଦା ସମ୍ମୁଖରେ କୂଶୀୟମାନଙ୍କୁ ଆଘାତ କଲେ; ତହୁଁ କୂଶୀୟମାନେ ପଳାୟନ କଲେ।
2CH 14:13 ଏଉତ୍ତାରେ ଆସା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ତହିଁରେ କୂଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ, ସେମାନେ ଆଉ ସବଳ ହୋଇ ଉଠି ପାରିଲେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ; ଏଣୁ ଯିହୁଦା-ଲୋକମାନେ ଅପାର ଲୁଟଦ୍ରବ୍ୟ ବହିନେଲେ।
2CH 14:14 ଆଉ, ସେମାନେ ଗରାରର ଚତୁର୍ଦ୍ଦିଗସ୍ଥ ନଗରସବୁ ଆଘାତ କଲେ; କାରଣ ସଦାପ୍ରଭୁଙ୍କ ଭୟ ସେହି ସବୁ ନଗର ଉପରେ ଉପସ୍ଥିତ ହେଲା; ପୁଣି ସେମାନେ ସମସ୍ତ ନଗର ଲୁଟ କଲେ; କାରଣ ତହିଁ ମଧ୍ୟରେ ଅନେକ ଲୁଟଦ୍ରବ୍ୟ ଥିଲା।
2CH 14:15 ମଧ୍ୟ ସେମାନେ ପଶୁପଲର ତମ୍ବୁସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଓଟ ନେଇ ଯିରୂଶାଲମକୁ ଫେରିଗଲେ।
2CH 15:1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଓଦେଦ୍‍ର ପୁତ୍ର ଅସରୀୟ ଉପରେ ଅଧିଷ୍ଠାନ କଲେ;
2CH 15:2 ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, “ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍, ତୁମ୍ଭେମାନେ ମୋʼ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବାଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯଦି ତୁମ୍ଭେମାନେ ତାହାଙ୍କ ଅନ୍ୱେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।
2CH 15:3 ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।
2CH 15:4 ମାତ୍ର ସେମାନେ ଆପଣାମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରି ତାହାଙ୍କର ଅନ୍ୱେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ।
2CH 15:5 ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନ ଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ।
2CH 15:6 ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ୱର ସର୍ବପ୍ରକାର ସଙ୍କଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ।
2CH 15:7 ମାତ୍ର ତୁମ୍ଭେମାନେ ବଳବାନ ହୁଅ ଓ ଆପଣାମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ; କାରଣ ତୁମ୍ଭମାନଙ୍କ କର୍ମ ପୁରସ୍କୃତ ହେବ।”
2CH 15:8 ଏଥିରେ ଆସା ଏହିସବୁ କଥା ଓ ଓଦେଦ୍‍ ଭବିଷ୍ୟଦ୍‍ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍‍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ।
2CH 15:9 ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ୍ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ।
2CH 15:10 ଏହେତୁ ଆସାଙ୍କ ରାଜତ୍ଵର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ।
2CH 15:11 ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ
2CH 15:12 ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ,
2CH 15:13 ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ, ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ।
2CH 15:14 ଆହୁରି ସେମାନେ ଉଚ୍ଚସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ।
2CH 15:15 ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
2CH 15:16 ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ।
2CH 15:17 ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା।
2CH 15:18 ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ।
2CH 15:19 ପୁଣି, ଆସାଙ୍କ ରାଜତ୍ଵର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
2CH 16:1 ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
2CH 16:2 ତହିଁରେ ଆସା ସଦାପ୍ରଭୁଙ୍କର ଗୃହ ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ଆଣି ଦମ୍ମେଶକ ନିବାସୀ ଅରାମୀୟ ରାଜା ବିନ୍‍ହଦଦ୍‍ ନିକଟକୁ ପଠାଇ ଏହି କଥା କହିଲେ,
2CH 16:3 “ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା, ସେହିପରି ତୁମ୍ଭ ମୋʼ ମଧ୍ୟରେ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଅଛି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।”
2CH 16:4 ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ ନଗର ବିରୁଦ୍ଧରେ ପଠାଇଲା; ତହୁଁ ସେମାନେ ଇୟୋନ୍‍ ଓ ଦାନ୍ ଓ ଆବେଲ୍‍-ମୟିମ୍‍ ଓ ନପ୍ତାଲିରେ ସମସ୍ତ ଭଣ୍ଡାର ନଗର ପରାସ୍ତ କଲେ।
2CH 16:5 ତହିଁରେ ବାଶା ଏହି କଥା ଶୁଣି ରାମା ନଗର ଦୃଢ଼କରଣରୁ କ୍ଷାନ୍ତ ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା।
2CH 16:6 ତେବେ ଆସା ରାଜା ସମଗ୍ର ଯିହୁଦାର ଲୋକଙ୍କୁ ନେଲେ; ପୁଣି ବାଶା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମା ନଗର ନିର୍ମାଣ କରିଥିଲା, ତାହାସବୁ ସେମାନେ ବହି ନେଇଗଲେ; ଆଉ ତଦ୍ଦ୍ୱାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ।
2CH 16:7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ।
2CH 16:8 କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
2CH 16:9 କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”
2CH 16:10 ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।
2CH 16:11 ଦେଖ, ଏହି ଆସାଙ୍କର ଆଦ୍ୟନ୍ତ କ୍ରିୟାର ବୃତ୍ତାନ୍ତ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି।
2CH 16:12 ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ।
2CH 16:13 ଆଉ ଆସା ଆପଣା ରାଜତ୍ଵର ଏକଚାଳିଶ ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ।
2CH 16:14 ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
2CH 17:1 ଏଥିଉତ୍ତାରେ ତାଙ୍କର ପୁତ୍ର ଯିହୋଶାଫଟ୍‍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ।
2CH 17:2 ପୁଣି ସେ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀ-ଦଳ ସ୍ଥାପନ କଲେ।
2CH 17:3 ଆଉ, ଯିହୋଶାଫଟ୍‍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍‍ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ;
2CH 17:4 ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କଲେ, ଓ ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ।
2CH 17:5 ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ।
2CH 17:6 ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ।
2CH 17:7 ମଧ୍ୟ ସେ ଆପଣା ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍‍, ବିନ୍‍ହୟିଲ, ଓବଦୀୟ, ଜିଖରୀୟ, ନଥନେଲ ଓ ମୀଖାୟକୁ ପଠାଇଲେ;
2CH 17:8 ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍‍, ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍‍, ଯିହୋନାଥନ୍‍, ଅଦୋନୀୟ, ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍‍ ଯାଜକକୁ ପଠାଇଲେ।
2CH 17:9 ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ।
2CH 17:10 ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ।
2CH 17:11 ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ।
2CH 17:12 ତହିଁରେ ଯିହୋଶାଫଟ୍‍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର-ନଗରମାନ ନିର୍ମାଣ କଲେ।
2CH 17:13 ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ।
2CH 17:14 ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନହ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ।
2CH 17:15 ତାହା ଉତ୍ତାରେ ଯିହୋହାନନ୍‍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ।
2CH 17:16 ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ;
2CH 17:17 ପୁଣି, ବିନ୍ୟାମୀନ୍ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ;
2CH 17:18 ଆଉ ତାହା ଉତ୍ତାରେ ଯିହୋଷାବଦ୍‍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ।
2CH 17:19 ରାଜା ଯିହୁଦାର ସର୍ବତ୍ର ପ୍ରାଚୀର-ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ।
2CH 18:1 ଏହିରୂପେ ଯିହୋଶାଫଟ୍‍ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ; ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ।
2CH 18:2 ଆଉ, କେତେକ ବର୍ଷ ଉତ୍ତାରେ ସେ ଶମରୀୟା ଦେଶରେ ଆହାବଙ୍କୁ ଦର୍ଶନ କରିବାକୁ ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ।
2CH 18:3 ଇସ୍ରାଏଲର ରାଜା ଆହାବ ଯିହୁଦାର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ତୁମ୍ଭେ କି ମୋʼ ସଙ୍ଗେ ରାମୋତ୍‍-ଗିଲୀୟଦକୁ ଯିବ” ତହିଁରେ ସେ ଉତ୍ତର କଲେ, “ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି; ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ।”
2CH 18:4 ଆହୁରି ଯିହୋଶାଫଟ୍‍ ଇସ୍ରାଏଲର ରାଜାଙ୍କୁ କହିଲେ, “ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର।”
2CH 18:5 ତେବେ ଇସ୍ରାଏଲର ରାଜା ଭବିଷ୍ୟଦ୍‍ବକ୍ତାମାନଙ୍କର ଚାରି ଶହ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ; “ଆମ୍ଭେମାନେ କʼଣ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି?” ତହିଁରେ ସେମାନେ କହିଲେ, “ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ।”
2CH 18:6 ମାତ୍ର ଯିହୋଶାଫଟ୍‍ କହିଲେ, “ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟଦ୍‍ବକ୍ତା କେହି କି ଏଠାରେ ନାହିଁ?”
2CH 18:7 ତହିଁରେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଆଉ ଜଣେ ଅଛି, ତାହା ଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରି ପାରୁ; ମାତ୍ର ମୁଁ ତାହାକୁ ଘୃଣା କରେ; କାରଣ ସେ ମୋʼ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ; ସେ ଇମ୍ଲର ପୁତ୍ର ମୀଖାୟ,” ତହିଁରେ ଯିହୋଶାଫଟ୍‍ କହିଲେ, “ରାଜା ଏପରି ନ କହନ୍ତୁ।”
2CH 18:8 ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
2CH 18:9 ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍‍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ,
2CH 18:10 ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”
2CH 18:11 ତହିଁରେ ସବୁ ଭବିଷ୍ୟଦ୍‍ବକ୍ତା ତଦ୍ରୂପ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, “ରାମୋତ୍‍-ଗିଲୀୟଦକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ।”
2CH 18:12 ପୁଣି, ଯେଉଁ ଦୂତ ମୀଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, “ଦେଖ, ଭବିଷ୍ୟଦ୍‍ବକ୍ତାମାନଙ୍କର ବାକ୍ୟ ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି; ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ।”
2CH 18:13 ତହୁଁ ମୀଖାୟ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯାହା ମୋʼ ପରମେଶ୍ୱର କହିବେ, ତାହା ହିଁ ମୁଁ କହିବି।”
2CH 18:14 ଏଉତ୍ତାରେ ମୀଖାୟ ରାଜାଙ୍କ ନିକଟକୁ ଆସନ୍ତେ, ରାଜା ତାହାକୁ କହିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍‍-ଗିଲୀୟଦକୁ ଯିବା, କିଅବା ମୁଁ କ୍ଷାନ୍ତ ହେବି?” ତହୁଁ ସେ କହିଲା, “ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ; ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ।”
2CH 18:15 ଏଥିରେ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି।”
2CH 18:16 ତହିଁରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି; ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।”
2CH 18:17 ତହୁଁ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ଏ ମୋʼ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହି ନାହିଁ?”
2CH 18:18 ପୁଣି ମୀଖାୟ କହିଲା, “ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି।
2CH 18:19 ତହିଁରେ ସଦାପ୍ରଭୁ କହିଲେ, ‘ଇସ୍ରାଏଲର ରାଜା ଆହାବ ଯେପରି ରାମୋତ୍‍-ଗିଲୀୟଦକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସୁଲାଇବ?’ ତହିଁରେ ଜଣେ ଏପ୍ରକାର ଓ ଅନ୍ୟ ଜଣ ସେପ୍ରକାର କହିଲେ।
2CH 18:20 ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ‘ମୁଁ ତାହାକୁ ଫୁସୁଲାଇବି।’ ତହୁଁ ସଦାପ୍ରଭୁ ତାହାକୁ କହିଲେ, ‘କାହିଁରେ?’
2CH 18:21 ସେ କହିଲା, ‘ମୁଁ ଯାଇ ତାହାର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ହେବି’ ତେବେ ସେ କହିଲେ, ‘ତୁମ୍ଭେ ତାହାକୁ ଫୁସୁଲାଇବ, ମଧ୍ୟ କୃତକାର୍ଯ୍ୟ ହେବ; ଯାଅ, ସେପରି କର।’
2CH 18:22 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି; ପୁଣି ସଦାପ୍ରଭୁ ତୁମ୍ଭ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି।”
2CH 18:23 ସେତେବେଳେ କନାନାର ପୁତ୍ର ସିଦିକୀୟ ନିକଟକୁ ଆସି ମୀଖାୟର ଗାଲରେ ଚାପୁଡ଼ା ମାରି କହିଲା, “ସଦାପ୍ରଭୁଙ୍କ ଆତ୍ମା ତୋତେ କହିବା ପାଇଁ ମୋʼ ଠାରୁ କେଉଁ ବାଟେ ଗଲେ?”
2CH 18:24 ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକୁ ଯିବ, ସେହି ଦିନ ତାହା ଜାଣିବ।”
2CH 18:25 ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇଯାଅ;
2CH 18:26 ପୁଣି କୁହ, ‘ରାଜା ଏହି କଥା କହନ୍ତି, ଏହାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ।’”
2CH 18:27 ତହିଁରେ ମୀଖାୟ କହିଲା, “ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରି ଆସ, ତେବେ ସଦାପ୍ରଭୁ ମୋʼ ଦ୍ୱାରା କହି ନାହାନ୍ତି।” ଆହୁରି ସେ କହିଲା, “ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ।”
2CH 18:28 ଏଥିଉତ୍ତାରେ ଇସ୍ରାଏଲର ରାଜା ଓ ଯିହୁଦାର ଯିହୋଶାଫଟ୍‍ ରାଜା ରାମୋତ୍‍-ଗିଲୀୟଦକୁ ଗଲେ।
2CH 18:29 ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ।” ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ।
2CH 18:30 ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, “ତୁମ୍ଭେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର।”
2CH 18:31 ଏଣୁ ରଥାଧ୍ୟକ୍ଷମାନେ ଯିହୋଶାଫଟ୍‍ଙ୍କୁ ଦେଖି କହିଲେ, “ଏ ଇସ୍ରାଏଲର ରାଜା।” ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ; ମାତ୍ର ଯିହୋଶାଫଟ୍‍ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ; ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ।
2CH 18:32 ତହୁଁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ।
2CH 18:33 ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ-ରାଜାଙ୍କୁ ଆଘାତ କଲା; ତେଣୁ ସେ ଆପଣା ସାରଥିକୁ କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”
2CH 18:34 ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।
2CH 19:1 ଏଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଯିରୂଶାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ।
2CH 19:2 ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍‍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ।
2CH 19:3 ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରିଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍‍ଭାବ ପ୍ରକାଶ ପାଇଅଛି।”
2CH 19:4 ପୁଣି ଯିହୋଶାଫଟ୍‍ ଯିରୂଶାଲମରେ ବାସ କଲେ; ଆଉ ସେ ପୁନର୍ବାର ବେର୍‍ଶେବାଠାରୁ ଇଫ୍ରୟିମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟାତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ।
2CH 19:5 ଆଉ, ସେ ଦେଶର ସର୍ବତ୍ର ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
2CH 19:6 ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କର, ତାହା ବିବେଚନା କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ; ପୁଣି ବିଚାରରେ ସେ ତୁମ୍ଭର ସହାୟ ଅଟନ୍ତି।
2CH 19:7 ଏହେତୁ ସଦାପ୍ରଭୁଙ୍କ ଭୟ ତୁମ୍ଭମାନଙ୍କ ଉପରେ ଅଧିଷ୍ଠିତ ହେଉ; ସାବଧାନ ହୋଇ ତାହା କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ।”
2CH 19:8 ଆହୁରି, ଯିହୋଶାଫଟ୍‍ ଯିରୂଶାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ, ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ। ତହୁଁ ସେମାନେ ଯିରୂଶାଲମକୁ ଫେରିଗଲେ।
2CH 19:9 ପୁଣି, ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର।
2CH 19:10 ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ।
2CH 19:11 ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇଶ୍ମାୟେଲର ପୁତ୍ର ଯିହୁଦା-ବଂଶାଧ୍ୟକ୍ଷ ସବଦୀୟ ତୁମ୍ଭମାନଙ୍କ ଉପରେ ନିଯୁକ୍ତ ଅଛନ୍ତି; ମଧ୍ୟ ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।”
2CH 20:1 ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।
2CH 20:2 ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”
2CH 20:3 ତହିଁରେ ଯିହୋଶାଫଟ୍‍ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ; ପୁଣି ଯିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ।
2CH 20:4 ଆଉ, ଯିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ; ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଯିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ।
2CH 20:5 ଆଉ, ଯିହୋଶାଫଟ୍‍ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଯିହୁଦାର ଓ ଯିରୂଶାଲମର ସମାଜ ମଧ୍ୟରେ ଠିଆ ହେଲେ;
2CH 20:6 ଆଉ ସେ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ତୁମ୍ଭେ କʼଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କʼଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
2CH 20:7 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀମାନଙ୍କୁ ତଡ଼ିଦେଇ ଅନନ୍ତକାଳ ନିମନ୍ତେ ଆପଣା ମିତ୍ର ଅବ୍ରହାମ-ବଂଶକୁ ତାହା ଦେଇ ନାହଁ?
2CH 20:8 ଆଉ, ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରିଅଛନ୍ତି,
2CH 20:9 ‘ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ, କି ମହାମାରୀ, କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି, ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ।’
2CH 20:10 ଏବେ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣକୁ ଦେଖ, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ।
2CH 20:11 ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ୍ତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି।
2CH 20:12 ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ; ଅଥବା କଅଣ କରିବାକୁ ହେବ, ଏହା ଆମ୍ଭେମାନେ ଜାଣୁ ନାହୁଁ; କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି।”
2CH 20:13 ଏଥିରେ ସମଗ୍ର ଯିହୁଦା ଆପଣାମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ।
2CH 20:14 ତେବେ ସମାଜ ମଧ୍ୟରେ ଆସଫ-ବଂଶଜାତ ମତ୍ତନୀୟର ବୃଦ୍ଧ ପ୍ରପୌତ୍ର, ଯିୟୀୟେଲ୍‍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରୀୟର ପୁତ୍ର ଯହସୀୟେଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କର ଆତ୍ମା ଅଧିଷ୍ଠିତ ହେଲେ।
2CH 20:15 ତହୁଁ ସେ କହିଲେ, “ହେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀଗଣ, ତୁମ୍ଭେମାନେ, ଆଉ ହେ ମହାରାଜ ଯିହୋଶାଫଟ୍‍, ତୁମ୍ଭେ ଶୁଣ; ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ‘ଏହି ମହାଜନତା ସକାଶୁ ତୁମ୍ଭେମାନେ ଭୟ ନ କର, କି ନିରାଶ ନ ହୁଅ; କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର।
2CH 20:16 କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟି ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତଭାଗରେ ସେମାନଙ୍କୁ ପାଇବ।
2CH 20:17 ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆବଶ୍ୟକ ହେବ ନାହଁ; ହେ ଯିହୁଦା ଓ ଯିରୂଶାଲମ, ଆପଣାମାନଙ୍କୁ ସଜାଅ, ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ, ତାହା ଦେଖ;’ ଭୟ କର ନାହିଁ, କି ନିରାଶ ହୁଅ ନାହିଁ; କାଲି ସେମାନଙ୍କ ପ୍ରତିକୂଳରେ ଯାଅ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛନ୍ତି।”
2CH 20:18 ତହିଁରେ ଯିହୋଶାଫଟ୍‍ ମସ୍ତକ ନତ କରି ଭୂମିଷ୍ଠ ହେଲେ; ଆଉ ସମସ୍ତ ଯିହୁଦା ଓ ଯିରୂଶାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ।
2CH 20:19 ପୁଣି କହାତୀୟ-ସନ୍ତାନଗଣର ଓ କୋରହ-ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ।
2CH 20:20 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରିଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍‍ ଠିଆ ହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋʼ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
2CH 20:21 ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”
2CH 20:22 ଆଉ, ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।
2CH 20:23 କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
2CH 20:24 ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
2CH 20:25 ତହିଁରେ ଯିହୋଶାଫଟ୍‍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।
2CH 20:26 ତହୁଁ ଚତୁର୍ଥ ଦିନ ସେମାନେ ବରାଖା-ଉପତ୍ୟକାରେ ଏକତ୍ରିତ ହେଲେ; କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା-ଉପତ୍ୟକା ହୋଇଅଛି।
2CH 20:27 ଏଉତ୍ତାରେ ଯିହୁଦା ଓ ଯିରୂଶାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଯିହୋଶାଫଟ୍‍ ଆନନ୍ଦରେ ପୁନର୍ବାର ଯିରୂଶାଲମକୁ ଯିବା ପାଇଁ ଫେରିଲେ; କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ।
2CH 20:28 ଆଉ, ସେମାନେ ନେବଲ ଓ ବୀଣା ଓ ତୂରୀ ବଜାଇ ଯିରୂଶାଲମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ।
2CH 20:29 ତହିଁରେ ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା।
2CH 20:30 ଏହିରୂପେ ଯିହୋଶାଫଟ୍‍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
2CH 20:31 ଯିହୋଶାଫଟ୍‍ ଯିହୁଦା ଉପରେ ରାଜ୍ୟ କଲେ; ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଞ୍ଚତିରିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଅସୂବା, ଯେ ଶିଲ୍‍ହିର କନ୍ୟା ଥିଲେ।
2CH 20:32 ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2CH 20:33 ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; କିଅବା ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ।
2CH 20:34 ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ ପୁସ୍ତକରେ ଲେଖାଅଛି।
2CH 20:35 ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ;
2CH 20:36 ଯିହୋଶାଫଟ୍‍ ତର୍ଶୀଶକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
2CH 20:37 ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍‍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲା, “ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି।” ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶକୁ ଯାଇ ପାରିଲା ନାହିଁ।
2CH 21:1 ଏଥିଉତ୍ତାରେ ଯିହୋଶାଫଟ୍‍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଯିହୋରାମ୍‍ ତାଙ୍କର ପଦରେ ରାଜ୍ୟ କଲେ।
2CH 21:2 ଯିହୋଶାଫଟ୍‍ଙ୍କ ଔରସଜାତ ଅସରୀୟ, ଯିହୀୟେଲ, ଜିଖରୀୟ, ଅସରୀୟାହ, ମୀଖାୟେଲ ଓ ଶଫଟୀୟ ତାଙ୍କର ଭାଇ ଥିଲେ; ଏସମସ୍ତେ ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କର ପୁତ୍ର ଥିଲେ।
2CH 21:3 ପୁଣି, ସେମାନଙ୍କର ପିତା ସେମାନଙ୍କୁ ମହାସମ୍ପତ୍ତି, ରୂପା ଓ ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଓ ଯିହୁଦା ଦେଶସ୍ଥ ପ୍ରାଚୀର-ବେଷ୍ଟିତ ନଗର ଦାନ କଲେ; ମାତ୍ର ଯିହୋରାମ୍‍ ଜ୍ୟେଷ୍ଠ ହେବାରୁ ତାଙ୍କୁ ରାଜ୍ୟ ଦେଲେ।
2CH 21:4 ଏହି ଯିହୋରାମ୍‍ ଆପଣା ପିତାଙ୍କର ରାଜ୍ୟରେ ଅଧିଷ୍ଠିତ ହୋଇ ଆପଣାକୁ ବଳବାନ କରନ୍ତେ, ଆପଣାର ସମସ୍ତ ଭ୍ରାତାଙ୍କୁ, ମଧ୍ୟ ଇସ୍ରାଏଲର କେତେକ ଅଧିପତିଙ୍କୁ ଖଡ୍ଗରେ ବଧ କଲେ।
2CH 21:5 ଯିହୋରାମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ।
2CH 21:6 ପୁଣି ସେ ଆହାବଙ୍କର ବଂଶ ତୁଲ୍ୟ ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2CH 21:7 ତଥାପି ସଦାପ୍ରଭୁ ଦାଉଦଙ୍କ ସଙ୍ଗେ ଯେଉଁ ନିୟମ କରିଥିଲେ, ତହିଁ ସକାଶୁ, ପୁଣି ତାଙ୍କୁ ଓ ତାଙ୍କର ସନ୍ତାନଗଣକୁ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ଦାଉଦ-ବଂଶକୁ ବିନାଶ କରିବା ପାଇଁ ସମ୍ମତ ନୋହିଲେ।
2CH 21:8 ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ।
2CH 21:9 ତହିଁରେ ଯିହୋରାମ୍‍ ଆପଣା ସେନାପତିମାନଙ୍କୁ ଓ ଆପଣା ସଙ୍ଗେ ସମସ୍ତ ରଥ ନେଇ ଯାତ୍ରା କଲେ; ପୁଣି ସେ ରାତ୍ରିକାଳେ ଉଠି ଆପଣାର ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ।
2CH 21:10 ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା; ସେହି ସମୟରେ ମଧ୍ୟ ଲିବ୍‍ନା ତାହାର ଅଧୀନତାର ବିଦ୍ରୋହୀ ହେଲା; ଯେହେତୁ ସେ ସଦାପ୍ରଭୁ ଆପଣା ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
2CH 21:11 ଆହୁରି, ସେ ଯିହୁଦାର ନାନା ପର୍ବତରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଲେ ଓ ଯିହୁଦାକୁ ବିପଥରେ ନେଲେ।
2CH 21:12 ଏଉତ୍ତାରେ ତାଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କଠାରୁ ଏକ ପତ୍ର ଆସିଲା, ଯଥା, “ସଦାପ୍ରଭୁ ତୁମ୍ଭ ପିତା ଦାଉଦର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଆପଣା ପିତା ଯିହୋଶାଫଟ୍‍ର ପଥରେ କିଅବା ଯିହୁଦାର ରାଜା ଆସାର ପଥରେ ଗମନ କରି ନାହଁ;
2CH 21:13 ମାତ୍ର ଇସ୍ରାଏଲର ରାଜାମାନଙ୍କ ପଥରେ ଗମନ କରିଅଛ, ପୁଣି ଆହାବର ବଂଶ ତୁଲ୍ୟ ଯିହୁଦାକୁ ଓ ଯିରୂଶାଲମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ, ମଧ୍ୟ ତୁମ୍ଭଠାରୁ ଉତ୍ତମ ତୁମ୍ଭ ପିତୃବଂଶର ଭ୍ରାତୃଗଣକୁ ବଧ କରିଅଛ;
2CH 21:14 ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭ ସନ୍ତାନଗଣକୁ ଓ ତୁମ୍ଭ ପତ୍ନୀମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ମହାଘାତରେ ସଂହାର କରିବେ।
2CH 21:15 ପୁଣି, ତୁମ୍ଭେ ଅନ୍ତ୍ରପୀଡ଼ାରେ ମହାପୀଡ଼ିତ ହେବ, ଶେଷରେ ସେହି ପୀଡ଼ା ସକାଶୁ ତୁମ୍ଭ ଅନ୍ତ୍ର ଦିନକୁ ଦିନ ବାହରି ପଡ଼ିବ।”
2CH 21:16 ଏଥିଉତ୍ତାରେ ସଦାପ୍ରଭୁ ଯିହୋରାମ୍‍ଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୂଶୀୟମାନଙ୍କ ନିକଟସ୍ଥ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ।
2CH 21:17 ତହିଁରେ ସେମାନେ ଯିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି, ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ; ତହିଁରେ ତାଙ୍କର କନିଷ୍ଠ ପୁତ୍ର ଯିହୋୟାହସ୍‍ ବ୍ୟତୀତ ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ।
2CH 21:18 ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତ୍ରବ୍ୟାଧିରେ ଆଘାତ କଲେ।
2CH 21:19 ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
2CH 21:20 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ ଓ ସେ ପ୍ରିୟପାତ୍ର ନ ହୋଇ ମଲେ; ଆଉ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ ନୁହେଁ।
2CH 22:1 ଏଥିଉତ୍ତାରେ ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକୁ ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ।
2CH 22:2 ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ।
2CH 22:3 ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ।
2CH 22:4 ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ।
2CH 22:5 ମଧ୍ୟ ସେ ସେମାନଙ୍କ ପରାମର୍ଶନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍‍ଙ୍କ ସଙ୍ଗେ ରାମୋତ୍‍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍‍ଙ୍କୁ କ୍ଷତବିକ୍ଷତ କଲେ।
2CH 22:6 ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍‍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ।
2CH 22:7 ଅହସୀୟ ଯୋରାମ୍‍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍‍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍‍ଙ୍କ ସଙ୍ଗେ ଗଲେ।
2CH 22:8 ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ।
2CH 22:9 ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, “ଯେଉଁ ଯିହୋଶାଫଟ୍‍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ।” ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
2CH 22:10 ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।
2CH 22:11 ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍‍ ଅହସୀୟଙ୍କର ପୁତ୍ର ଯୋୟାଶ୍‍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍‍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।
2CH 22:12 ଏଉତ୍ତାରେ ଯୋୟାଶ୍‍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।
2CH 23:1 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଆପଣାକୁ ବଳବାନ କରି ଯିରୋହମର ପୁତ୍ର ଅସରୀୟ ଓ ଯିହୋହାନନ୍‍ର ପୁତ୍ର ଇଶ୍ମାୟେଲ, ଓବେଦ୍‍ର ପୁତ୍ର ଅସରୀୟ ଓ ଅଦାୟାର ପୁତ୍ର ମାସେୟ ଓ ସିଖ୍ରିର ପୁତ୍ର ଇଲୀଶାଫଟ୍‍, ଏହି ଶତପତିମାନଙ୍କୁ ଆପଣା ସଙ୍ଗେ ନିୟମରେ ଆବଦ୍ଧ କଲା।
2CH 23:2 ତହିଁରେ ସେମାନେ ଯିହୁଦାର ଚାରିଆଡ଼େ ଭ୍ରମଣ କରି ଯିହୁଦାର ସମସ୍ତ ନଗରରୁ ଲେବୀୟମାନଙ୍କୁ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କୁ ଏକତ୍ର କଲେ, ତହୁଁ ସେମାନେ ଯିରୂଶାଲମକୁ ଆସିଲେ।
2CH 23:3 ଏଉତ୍ତାରେ ସମଗ୍ର ସମାଜ ପରମେଶ୍ୱରଙ୍କ ଗୃହରେ ରାଜାଙ୍କ ସଙ୍ଗେ ନିୟମ କଲେ। ପୁଣି ଯିହୋୟାଦା ସେମାନଙ୍କୁ କହିଲା, “ଦେଖ, ଦାଉଦଙ୍କର ସନ୍ତାନଗଣ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ରାଜପୁତ୍ର ରାଜ୍ୟ କରିବେ।
2CH 23:4 ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁ ଯାଜକମାନେ ଓ ଲେବୀୟମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କର ତୃତୀୟାଂଶ ଦ୍ୱାରପାଳ ହେବେ।
2CH 23:5 ଓ ତୃତୀୟାଂଶ ରାଜଗୃହରେ ରହିବେ ଓ ତୃତୀୟାଂଶ ଭିତ୍ତିମୂଳ-ଦ୍ୱାରରେ ରହିବେ; ଆଉ ସମଗ୍ର ଲୋକ ସଦାପ୍ରଭୁଙ୍କ ଗୃହର ନାନା ପ୍ରାଙ୍ଗଣରେ ରହିବେ।
2CH 23:6 ମାତ୍ର ଯାଜକମାନଙ୍କର ଓ ପରିଚର୍ଯ୍ୟାକାରୀ ଲେବୀୟମାନଙ୍କର ବ୍ୟତୀତ ଆଉ କାହାକୁ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିବାକୁ ଦିଅ ନାହିଁ; ସେମାନେ ପବିତ୍ର, ଏଥିପାଇଁ ସେମାନେ ପ୍ରବେଶ କରିବେ; ମାତ୍ର ସମଗ୍ର ଲୋକ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କରିବେ।
2CH 23:7 ପୁଣି ଲେବୀୟମାନଙ୍କର ପ୍ରତ୍ୟେକେ ଆପଣା ଆପଣା ହାତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବେ; ଆଉ ଯେକେହି ଗୃହ ଭିତରକୁ ଆସେ, ସେ ହତ ହେଉ; ପୁଣି ରାଜା ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।”
2CH 23:8 ତହୁଁ ଲେବୀୟମାନେ ଓ ସମଗ୍ର ଯିହୁଦା, ଯିହୋୟାଦା ଯାଜକର ଆଜ୍ଞା ପ୍ରମାଣେ ସମସ୍ତ କର୍ମ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକଙ୍କୁ ନେଲେ; କାରଣ ଯିହୋୟାଦା ଯାଜକ ଲୋକମାନଙ୍କୁ ପାଳିରୁ ବିଦାୟ କରି ନ ଥିଲା।
2CH 23:9 ଆଉ, ଦାଉଦ ରାଜାଙ୍କର ଯେଉଁ ବର୍ଚ୍ଛା ଓ ଢାଲ ଓ ଚର୍ମ ପରମେଶ୍ୱରଙ୍କ ଗୃହରେ ଥିଲା, ତାହାସବୁ ଯିହୋୟାଦା ଯାଜକ ଶତପତିମାନଙ୍କୁ ଦେଲା।
2CH 23:10 ଆଉ, ସେ ସମସ୍ତ ଲୋକଙ୍କୁ, ସ୍ୱହସ୍ତରେ ଅସ୍ତ୍ରଧାରୀ ପ୍ରତି ଜଣକୁ ଗୃହର ଦକ୍ଷିଣ ପାର୍ଶ୍ୱର ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ରାଜାଙ୍କର ଚତୁର୍ଦ୍ଦିଗରେ ସ୍ଥାପନ କଲା।
2CH 23:11 ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।
2CH 23:12 ଏଥିରେ ଅଥଲୀୟା ଲୋକମାନଙ୍କ ଦୌଡ଼ା ଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ;
2CH 23:13 ଆଉ, ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର-ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୂରୀ ଅଛି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି; ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସା ଗାନ କରୁଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ, ରାଜଦ୍ରୋହ ବୋଲି ଡାକ ପକାଇଲେ।
2CH 23:14 ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, “ସୈନ୍ୟଶ୍ରେଣୀ ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେକେହି ତାହାର ପଶ୍ଚାଦ୍‍ଗାମୀ ହୁଏ, ସେ ଖଡ୍ଗରେ ହତ ହେଉ;” କାରଣ ଯାଜକ କହିଲା, “ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ କର ନାହିଁ।”
2CH 23:15 ତହୁଁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ; ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ।
2CH 23:16 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।
2CH 23:17 ଏଉତ୍ତାରେ ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ, ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଯଜ୍ଞବେଦି ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ।
2CH 23:18 ଆଉ, ଦାଉଦଙ୍କର ବିଧାନମତେ ଆନନ୍ଦ ଓ ଗାନ ସହିତ ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା।
2CH 23:19 ଆଉ, କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାରସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା।
2CH 23:20 ଏଥିଉତ୍ତାରେ ସେ ଶତପତିମାନଙ୍କୁ ଓ କୁଳୀନମାନଙ୍କୁ ଓ ଲୋକମାନଙ୍କର ଶାସନକର୍ତ୍ତାମାନଙ୍କୁ ଓ ଦେଶର ସମଗ୍ର ଲୋକଙ୍କୁ ନେଇ ରାଜାଙ୍କୁ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ଆଉ, ସେମାନେ ଉପର ଦ୍ୱାର ଦେଇ ରାଜଗୃହକୁ ଆସି ରାଜସିଂହାସନରେ ରାଜାଙ୍କୁ ବସାଇଲେ।
2CH 23:21 ସେତେବେଳେ ଦେଶର ସମସ୍ତ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ, ସେମାନେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ।
2CH 24:1 ଯୋୟାଶ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ଯେ ବେର୍‍ଶେବା ନିବାସିନୀ ଥିଲେ।
2CH 24:2 ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2CH 24:3 ଯିହୋୟାଦା ତାଙ୍କୁ ଦୁଇ କନ୍ୟା ବିବାହ କରାଇଲେ ଓ ତାଙ୍କର ପୁତ୍ରକନ୍ୟା ଜାତ ହେଲେ।
2CH 24:4 ଏଥିଉତ୍ତାରେ ସଦାପ୍ରଭୁଙ୍କ ଗୃହର ମରାମତି କରିବାକୁ ଯୋୟାଶ୍‍ଙ୍କର ମନ ହେଲା।
2CH 24:5 ତହିଁରେ ସେ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କରି କହିଲେ, “ତୁମ୍ଭେମାନେ ଯିହୁଦାର ସମସ୍ତ ନଗରକୁ ଯାଅ ଓ ବର୍ଷକୁ ବର୍ଷ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ ନିକଟରୁ ମୁଦ୍ରା ସଂଗ୍ରହ କର, ଏବଂ ଏହି କାର୍ଯ୍ୟ ଶୀଘ୍ର କର।” ତଥାପି ଲେବୀୟମାନେ ତାହା ଶୀଘ୍ର କଲେ ନାହିଁ।
2CH 24:6 ଏଥିରେ ରାଜା ପ୍ରଧାନ ଯିହୋୟାଦାକୁ ଡାକି କହିଲେ, “ସାକ୍ଷ୍ୟ-ତମ୍ବୁ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ମଣ୍ଡଳୀ ଦ୍ୱାରା ଯେଉଁ କର ନିରୂପିତ ହୋଇଅଛି, ତାହା ତୁମ୍ଭେ ଯିହୁଦା ଓ ଯିରୂଶାଲମରୁ ଆଣିବା ପାଇଁ କାହିଁକି ଲେବୀୟମାନଙ୍କୁ ଆଦେଶ କରି ନାହଁ?”
2CH 24:7 କାରଣ ସେହି ଦୁଷ୍ଟା ସ୍ତ୍ରୀ ଅଥଲୀୟାର ପୁତ୍ରମାନେ ପରମେଶ୍ୱରଙ୍କ ଗୃହ ଭଗ୍ନ କରିଥିଲେ; ମଧ୍ୟ ସଦାପ୍ରଭୁଙ୍କ ଗୃହର ସମସ୍ତ ପବିତ୍ରୀକୃତ ବସ୍ତୁ ବାଲ୍‍ ଦେବଗଣକୁ ଦେଲେ।
2CH 24:8 ରାଜା ଏହିପରି ଆଜ୍ଞା କରନ୍ତେ, ସେମାନେ ଏକ ସିନ୍ଦୁକ ନିର୍ମାଣ କରି ବାହାରେ ସଦାପ୍ରଭୁଙ୍କ ଗୃହର ଦ୍ୱାର ନିକଟରେ ରଖିଲେ।
2CH 24:9 ଆଉ, ପରମେଶ୍ୱରଙ୍କ ସେବକ ମୋଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଯିହୁଦା ଓ ଯିରୂଶାଲମରେ ଘୋଷଣା କରାଇଲେ।
2CH 24:10 ଏଥିରେ ଅଧିପତି ସମସ୍ତେ ଓ ସମଗ୍ର ଲୋକ ଆନନ୍ଦ କଲେ ଓ ସେମାନେ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ।
2CH 24:11 ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ୱ ସ୍ଥାନରେ ରଖିଲେ। ଏହିରୂପେ ସେମାନେ ପ୍ରତିଦିନ କଲେ ଓ ପ୍ରଚୁର ମୁଦ୍ରା ସଂଗ୍ରହ କଲେ।
2CH 24:12 ଆଉ, ରାଜା ଓ ଯିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାକର୍ମକାରୀମାନଙ୍କୁ ତାହା ଦେଲେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ମରାମତି ନିମନ୍ତେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ଓ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ।
2CH 24:13 ଏହିରୂପେ କର୍ମକାରୀମାନେ କାର୍ଯ୍ୟ କଲେ ଓ ସେମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ୱରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ।
2CH 24:14 ପୁଣି, ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ, ରାଜାଙ୍କର ଓ ଯିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ, ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର, ଅର୍ଥାତ୍‍, ପରିଚର୍ଯ୍ୟାର୍ଥକ ଓ ବଳିଦାନାର୍ଥକ ପାତ୍ର, ପୁଣି ଚାମଚ ଓ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା। ଆଉ, ସେମାନେ ଯିହୋୟାଦାର ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ।
2CH 24:15 ମାତ୍ର ଯିହୋୟାଦା ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ମଲା; ମରଣ ସମୟରେ ତାହାର ବୟସ ଏକ ଶହ ତିରିଶ ବର୍ଷ ହୋଇଥିଲା
2CH 24:16 ପୁଣି ଲୋକମାନେ ଦାଉଦ-ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ ମଧ୍ୟରେ, ଆଉ ପରମେଶ୍ୱର ଓ ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା।
2CH 24:17 ଯିହୋୟାଦାର ମରଣ ଉତ୍ତାରେ ଯିହୁଦାର ଅଧିପତିମାନେ ଆସି ରାଜାଙ୍କୁ ପ୍ରଣାମ କଲେ। ତହିଁରେ ରାଜା ସେମାନଙ୍କ କଥାରେ ମନୋଯୋଗ କଲେ।
2CH 24:18 ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
2CH 24:19 ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲେ; ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ। ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନୋହିଲେ।
2CH 24:20 ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, “ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି।”
2CH 24:21 ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ।
2CH 24:22 ଏହିରୂପେ, ତାହାର ପିତା ଯିହୋୟାଦା ଯୋୟାଶ୍‍ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ ନ କରି ସେ ତାହାର ପୁତ୍ରକୁ ବଧ କଲେ। ପୁଣି, ସେ ମରଣକାଳରେ କହିଲା, “ସଦାପ୍ରଭୁ ଏଥିପ୍ରତି ଦୃଷ୍ଟିପାତ କରନ୍ତୁ ଓ ତହିଁର ପରିଶୋଧ ନେଉନ୍ତୁ।”
2CH 24:23 ଏଥିଉତ୍ତାରେ ବର୍ଷ ଶେଷରେ ଅରାମୀୟ ସୈନ୍ୟ ତାଙ୍କର ପ୍ରତିକୂଳରେ ଆସିଲେ; ପୁଣି ସେମାନେ ଯିହୁଦା ଓ ଯିରୂଶାଲମକୁ ଆସି ଲୋକମାନଙ୍କ ମଧ୍ୟରୁ ସେମାନଙ୍କ ସମସ୍ତ ଅଧିପତିଙ୍କୁ ବିନାଶ କଲେ ଓ ସେମାନଙ୍କଠାରୁ ସକଳ ଲୁଟଦ୍ରବ୍ୟ ନେଇ ଦମ୍ମେଶକର ରାଜା ନିକଟକୁ ପଠାଇଲେ।
2CH 24:24 ଅରାମୀୟ ସୈନ୍ୟ ଅଳ୍ପ ଲୋକଦଳ ନେଇ ଆସିଥିଲେ; ତଥାପି ସଦାପ୍ରଭୁ ସେମାନଙ୍କ ହସ୍ତରେ ମହାସୈନ୍ୟଦଳକୁ ସମର୍ପଣ କଲେ, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ଏହିରୂପେ ସେମାନେ ଯୋୟାଶ୍‍ଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲେ।
2CH 24:25 ଆଉ, ସେମାନେ ତାଙ୍କ ନିକଟରୁ ପ୍ରସ୍ଥାନ କଲା ଉତ୍ତାରେ ତାଙ୍କର ନିଜ ଦାସମାନେ ଯିହୋୟାଦା ଯାଜକର ପୁତ୍ରମାନଙ୍କ ରକ୍ତପାତ ସକାଶୁ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ଶଯ୍ୟାରେ ତାଙ୍କୁ ବଧ କରନ୍ତେ, ସେ ମଲେ, କାରଣ ଅରାମୀୟ ସୈନ୍ୟ ତାଙ୍କୁ ମହାପୀଡ଼ିତାବସ୍ଥାରେ ଛାଡ଼ି ଯାଇଥିଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ କବର ଦେଲେ ନାହିଁ।
2CH 24:26 ଅମ୍ମୋନୀୟା ଶିମୀୟତର ପୁତ୍ର ସାବଦ୍‍ ଓ ମୋୟାବ ବଂଶୀୟା ଶିମ୍ରୀତର ପୁତ୍ର ଯିହୋଷାବଦ୍‍, ଏମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ।
2CH 24:27 ତାଙ୍କ ପୁତ୍ରମାନଙ୍କ କଥା ଓ ତାଙ୍କ ଉପରେ ଥିବା ଭାରର ଗୁରୁତ୍ୱ ଓ ପରମେଶ୍ୱରଙ୍କ ଗୃହର ପୁନଃନିର୍ମାଣ ବିବରଣ, ଦେଖ, ଏସବୁ ରାଜାବଳୀ ପୁସ୍ତକର ଟୀକାରେ ଲିଖିତ ଅଛି। ଏଉତ୍ତାରେ ତାଙ୍କର ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।
2CH 25:1 ଅମତ୍‍ସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିହୋୟଦ୍ଦନ୍‍, ସେ ଯିରୂଶାଲମ ନିବାସିନୀ ଥିଲେ।
2CH 25:2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ।
2CH 25:3 ତାଙ୍କର ରାଜ୍ୟ ସୁସ୍ଥିର ହୁଅନ୍ତେ, ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଧ କଲେ।
2CH 25:4 ତଥାପି ସେ ସେମାନଙ୍କ ସନ୍ତାନଗଣକୁ ବଧ କଲେ ନାହିଁ; “ମାତ୍ର ସନ୍ତାନଗଣ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନଗଣର ପ୍ରାଣଦଣ୍ଡ ହେବ ନାହିଁ,” କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁୁଭୋଗ କରିବ; ମୋଶାଙ୍କର ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ କର୍ମ କଲେ।
2CH 25:5 ଆହୁରି, ଅମତ୍‍ସୀୟ ଯିହୁଦା-ବଂଶକୁ ଏକତ୍ର କଲେ, ପୁଣି ସମସ୍ତ ଯିହୁଦା ଓ ବିନ୍ୟାମୀନ୍‍ର ପିତୃବଂଶାନୁସାରେ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ; ପୁଣି, ସେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ, ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ ତିନି ଲକ୍ଷ ବଛା ଲୋକ ପାଇଲେ।
2CH 25:6 ମଧ୍ୟ ସେ ଏକ ଶହ ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ ଏକ ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ।
2CH 25:7 ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, “ହେ ରାଜନ୍‍, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଉନ୍ତୁ; କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ, ଅର୍ଥାତ୍‍, ଇଫ୍ରୟିମର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି।
2CH 25:8 ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହେଉନ୍ତୁ; ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କ ଶକ୍ତି ଅଛି।”
2CH 25:9 ତହିଁରେ ଅମତ୍‍ସୀୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ଭଲ, ମାତ୍ର ମୁଁ ଇସ୍ରାଏଲ-ସୈନ୍ୟକୁ ଯେଉଁ ଏକ ଶହ ତାଳନ୍ତ ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କʼଣ କରିବା?” ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ; “ସଦାପ୍ରଭୁ ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି।”
2CH 25:10 ତହୁଁ ଅମତ୍‍ସୀୟ ଇଫ୍ରୟିମରୁ ଆପଣା ନିକଟକୁ ଆଗତ ସୈନ୍ୟଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ କଲେ; ଏଣୁ ଯିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ।
2CH 25:11 ଏଉତ୍ତାରେ ଅମତ୍‍ସୀୟ ସାହସିକ ହୋଇ ଆପଣା ଲୋକଙ୍କୁ କଢ଼ାଇ ନେଇ ଲବଣ ଉପତ୍ୟକାକୁ ଗଲେ ଓ ସେୟୀର-ସନ୍ତାନଗଣର ଦଶ ସହସ୍ର ଲୋକଙ୍କୁ ବଧ କଲେ।
2CH 25:12 ପୁଣି, ଯିହୁଦା-ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ସେଠାରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେମାନେ ସମସ୍ତେ ଚୂର୍ଣ୍ଣ ହୋଇଗଲେ।
2CH 25:13 ମାତ୍ର ଅମତ୍‍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବେଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟଦ୍ରବ୍ୟ ନେଲେ।
2CH 25:14 ଅମତ୍‍ସୀୟ ଇଦୋମୀୟମାନଙ୍କୁ ସଂହାର କରି ଫେରି ଆସିଲା ଉତ୍ତାରେ ସେ ସେୟୀର-ସନ୍ତାନମାନଙ୍କ ଦେବଗଣକୁ ଆଣି ଆପଣାର ଦେବତା ହେବା ପାଇଁ ସ୍ଥାପନ କଲେ, ସେମାନଙ୍କ ସମ୍ମୁଖରେ ପ୍ରଣାମ କରି ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
2CH 25:15 ଏହେତୁ ଅମତ୍‍ସୀୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ତାଙ୍କ ନିକଟକୁ ଏକ ଭବିଷ୍ୟଦ୍‍ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, “ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣଙ୍କ ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କାହିଁକି ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି?”
2CH 25:16 ସେ ତାଙ୍କୁ ଏହି କଥା କହିବା ବେଳେ, ରାଜା ତାହାକୁ କହିଲେ, “ଆମ୍ଭେମାନେ କʼଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ? କ୍ଷାନ୍ତ ହୁଅ! କାହିଁକି ମାଡ଼ ଖାଇବ?” ଏଥିରେ ଭବିଷ୍ୟଦ୍‍ବକ୍ତା କ୍ଷାନ୍ତ ହୋଇ କହିଲା, “ମୁଁ ଜାଣେ, ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋʼ ପରାମର୍ଶରେ କର୍ଣ୍ଣପାତ କରି ନାହାନ୍ତି।”
2CH 25:17 ଏଥିଉତ୍ତାରେ ଯିହୁଦାର ରାଜା ଅମତ୍‍ସୀୟ ପରାମର୍ଶ ନେଇ ଯେହୂଙ୍କର ପୌତ୍ର, ଯିହୋୟାହସ୍‍ଙ୍କର ପୁତ୍ର, ଇସ୍ରାଏଲର ରାଜା ଯୋୟାଶ୍‍ଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ପରସ୍ପର ମୁଖ ଦେଖାଦେଖି ହେବା।”
2CH 25:18 ତହିଁରେ ଇସ୍ରାଏଲର ରାଜା ଯୋୟାଶ୍‍ ଯିହୁଦାର ରାଜା ଅମତ୍‍ସୀୟଙ୍କ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନର କଣ୍ଟକଲତା ଲିବାନୋନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ମୋʼ ପୁତ୍ର ସଙ୍ଗେ ବିବାହ ଦିଅ;’ ଏଥିମଧ୍ୟରେ ଲିବାନୋନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା।
2CH 25:19 ଦେଖ, ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ ବୋଲି କହୁଅଛ; ତେଣୁ ଦର୍ପ କରିବା ପାଇଁ ତୁମ୍ଭ ମନ ତୁମ୍ଭକୁ ପ୍ରବୃତ୍ତି ଦେଉଅଛି; ଏବେ ଆପଣା ଘରେ ଥାଅ, ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୁଦା, ଦୁହେଁ କାହିଁକି ପତିତ ହେବ?”
2CH 25:20 ମାତ୍ର ଅମତ୍‍ସୀୟ ଶୁଣିଲେ ନାହିଁ; କାରଣ ଲୋକମାନେ ଇଦୋମୀୟ ଦେବଗଣର ଅନ୍ୱେଷଣ କରିବା ହେତୁରୁ ପରମେଶ୍ୱର ଯେପରି ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବେ, ଏଥିପାଇଁ ତାହାଙ୍କ ଆଡ଼ୁ ଏହି ଘଟଣା ହେଲା।
2CH 25:21 ତହୁଁ ଇସ୍ରାଏଲର ରାଜା ଯୋୟାଶ୍‍ ଗଲେ; ଆଉ ଯିହୁଦାର ଅଧିକାରସ୍ଥ ବେଥ୍-ଶେମଶରେ ସେ ଓ ଯିହୁଦାର ରାଜା ଅମତ୍‍ସୀୟ ପରସ୍ପର ମୁଖ ଦେଖାଦେଖି ହେଲେ।
2CH 25:22 ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା, ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।
2CH 25:23 ଆଉ, ଇସ୍ରାଏଲର ରାଜା ଯୋୟାଶ୍‍ ବେଥ୍-ଶେମଶରେ ଯିହୋୟାହସ୍‍ଙ୍କର ପୌତ୍ର, ଯୋୟାଶ୍‍ଙ୍କର ପୁତ୍ର, ଯିହୁଦାର ରାଜା ଅମତ୍‍ସୀୟଙ୍କୁ ଧରି ଯିରୂଶାଲମକୁ ଆଣିଲେ ଓ ଇଫ୍ରୟିମର ନଗର-ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ।
2CH 25:24 ପୁଣି, ପରମେଶ୍ୱରଙ୍କ ଗୃହରେ ଓବେଦ୍‍-ଇଦୋମର ଅଧୀନରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର ଓ ରାଜଗୃହର ଧନ, ମଧ୍ୟ ବନ୍ଧକ ଥିବା ଲୋକମାନଙ୍କୁ ନେଇ ଶମରୀୟାକୁ ଫେରିଗଲେ।
2CH 25:25 ଇସ୍ରାଏଲର ରାଜା ଯିହୋୟାହସ୍‍ଙ୍କର ପୁତ୍ର ଯୋୟାଶ୍‍ଙ୍କର ମୃତ୍ୟୁୁ ଉତ୍ତାରେ ଯିହୁଦାର ରାଜା ଯୋୟାଶ୍‍ଙ୍କର ପୁତ୍ର ଅମତ୍‍ସୀୟ ପନ୍ଦର ବର୍ଷ ବଞ୍ଚିଲେ।
2CH 25:26 ଏହି ଅମତ୍‍ସୀୟଙ୍କର ଅବଶିଷ୍ଟ କ୍ରିୟାର ଆଦ୍ୟନ୍ତ ବୃତ୍ତାନ୍ତ କʼଣ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
2CH 25:27 ଅମତ୍‍ସୀୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଯିରୂଶାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ତହିଁରେ ସେ ଲାଖୀଶ୍‍କୁ ପଳାଇଲେ; ମାତ୍ର ସେମାନେ ତାଙ୍କ ପଛେ ଲାଖୀଶ୍‍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ।
2CH 25:28 ପୁଣି, ସେମାନେ ଅଶ୍ୱମାନଙ୍କ ଉପରେ ତାଙ୍କୁ ଆଣି ଯିହୁଦା-ନଗରରେ ତାଙ୍କର ପିତୃଗଣ ସହିତ ତାଙ୍କୁ କବର ଦେଲେ।
2CH 26:1 ଏଥିଉତ୍ତାରେ ଯିହୁଦାର ଲୋକ ସମସ୍ତେ ଷୋଳ ବର୍ଷ ବୟସ୍କ ଉଷୀୟଙ୍କୁ ନେଇ ତାଙ୍କର ପିତା ଅମତ୍‍ସୀୟଙ୍କର ପଦରେ ତାଙ୍କୁ ରାଜା କଲେ।
2CH 26:2 ରାଜାଙ୍କ ମୃତ୍ୟୁ ପରେ ଉଷୀୟ ଏଲତ୍‍ ନଗର ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
2CH 26:3 ଉଷୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ।
2CH 26:4 ପୁଣି, ସେ ଆପଣା ପିତା ଅମତ୍‍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2CH 26:5 ଆଉ, ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରୀୟର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ ଓ ସେ ଯେତେ ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ସେତେ ସମୟ ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ।
2CH 26:6 ପୁଣି, ସେ ଯାଇ ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ; ଆଉ ଗାଥ୍‍-ନଗରର ପ୍ରାଚୀର ଓ ଯବ୍‍ନିର ପ୍ରାଚୀର ଓ ଅସ୍ଦୋଦର ପ୍ରାଚୀର ଭାଙ୍ଗି ପକାଇଲେ; ପୁଣି ଅସ୍ଦୋଦ ଦେଶରେ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ
2CH 26:7 ଆହୁରି, ପରମେଶ୍ୱର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଓ ଗୁରୁବାଲ୍‍-ନିବାସୀ ଆରବୀୟମାନଙ୍କ ଓ ମିୟୂନୀୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ।
2CH 26:8 ପୁଣି, ଅମ୍ମୋନୀୟମାନେ ଉଷୀୟଙ୍କୁ ଦର୍ଶନୀ ଦେଲେ ଓ ତାଙ୍କର ନାମ ମିସରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା; କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ।
2CH 26:9 ଆହୁରି, ଉଷୀୟ ଯିରୂଶାଲମର କୋଣ-ଦ୍ୱାରରେ ଓ ଉପତ୍ୟକା-ଦ୍ୱାରରେ ଓ ପ୍ରାଚୀର-କୋଣରେ ଦୁର୍ଗ ନିର୍ମାଣ କରି ତାହାସବୁ ଦୃଢ କଲେ।
2CH 26:10 ପୁଣି, ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ; ଆଉ, ପର୍ବତରେ ଓ ଫଳବତ୍‍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା-କୃଷକଗଣ ଥିଲେ; କାରଣ ସେ କୃଷିପ୍ରିୟ ଥିଲେ।
2CH 26:11 ଆହୁରି, ଉଷୀୟଙ୍କର ଯୁଦ୍ଧକାରୀ ସୈନ୍ୟସାମନ୍ତ ଥିଲେ, ସେମାନେ ରାଜାଙ୍କର ହନାନୀୟ ନାମକ ଏକ ସେନାପତିର ଅଧୀନରେ ଯିୟୀୟେଲ୍‍ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ।
2CH 26:12 ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା ଦୁଇ ହଜାର ଛଅ ଶହ ଥିଲା।
2CH 26:13 ପୁଣି, ସେମାନଙ୍କ ହସ୍ତାଧୀନରେ ତିନି ଲକ୍ଷ ସାତ ହଜାର ପାଞ୍ଚ ଶହ ଶିକ୍ଷିତ ସୈନ୍ୟ ଥିଲେ, ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ।
2CH 26:14 ପୁଣି, ଉଷୀୟ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟିଣୀ ପଥର ପ୍ରସ୍ତୁତ କଲେ।
2CH 26:15 ଆଉ, ସେ ଯିରୂଶାଲମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହାସବୁ ଦୁର୍ଗସବୁରେ ଓ ପ୍ରାଚୀର-ଚୂଡ଼ାରେ ରଖିଲେ ପୁଣି, ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା; କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ।
2CH 26:16 ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
2CH 26:17 ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;
2CH 26:18 ପୁଣି, ସେମାନେ ଉଷୀୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, “ହେ ଉଷୀୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ, ମାତ୍ର ହାରୋଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜ୍ୱଳାଇବା ପାଇଁ ପବିତ୍ରୀକୃତ ହୋଇଅଛନ୍ତି, ସେମାନଙ୍କର ଅଧିକାର ଅଟେ; ପବିତ୍ର ସ୍ଥାନରୁ ବାହାରି ଯାଉନ୍ତୁ; ଆପଣ ସତ୍ୟ-ଲଙ୍ଘନ କରିଅଛନ୍ତି; ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ।”
2CH 26:19 ସେତେବେଳେ ଉଷୀୟ କୋପାନ୍ୱିତ ହେଲେ; ପୁଣି ଧୂପ ଜ୍ୱଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା; ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦି ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା।
2CH 26:20 ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ, ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତହୁଁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ିଦେଲେ; ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ।
2CH 26:21 ତହିଁରେ ଉଷୀୟ ରାଜା ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ପୃଥକ ଗୃହରେ ବାସ କଲେ; କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ।
2CH 26:22 ଏହି ଉଷୀୟଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଲେଖିଲେ।
2CH 26:23 ଏହିରୂପେ ଉଷୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ; କାରଣ ସେମାନେ କହିଲେ, “ସେ କୁଷ୍ଠୀ;” ତହୁଁ ତାଙ୍କର ପୁତ୍ର ଯୋଥମ୍‍ ତାଙ୍କର ପଦରେ ରାଜ୍ୟ କଲେ।
2CH 27:1 ଯୋଥମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିରୁଶା, ଯେ ସାଦୋକର କନ୍ୟା ଥିଲେ।
2CH 27:2 ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ। ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ।
2CH 27:3 ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ।
2CH 27:4 ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ।
2CH 27:5 ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ; ତହିଁରେ ଅମ୍ମୋନ-ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ। ଅମ୍ମୋନ-ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ।
2CH 27:6 ଏହିରୂପେ ଯୋଥମ୍‍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ।
2CH 27:7 ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି।
2CH 27:8 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ।
2CH 27:9 ପୁଣି, ଯୋଥମ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।
2CH 28:1 ଆହସ୍‌ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
2CH 28:2 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ମଧ୍ୟ ବାଲ୍‍ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ।
2CH 28:3 ଆହୁରି, ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।
2CH 28:4 ପୁଣି, ସେ ଉଚ୍ଚସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
2CH 28:5 ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ-ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମ୍ମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ, ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ।
2CH 28:6 କାରଣ ରମଲୀୟର ପୁତ୍ର ପେକହ ଯିହୁଦାରେ ଏକ ଲକ୍ଷ କୋଡ଼ିଏ ହଜାର ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା; ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ।
2CH 28:7 ପୁଣି, ସିଖ୍ରି ନାମରେ ଇଫ୍ରୟିମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅସ୍ରୀକାମକୁ ଓ ରାଜାଙ୍କର ଦ୍ୱିତୀୟ (ସ୍ଥାନୀୟ) ଇଲ୍‍କାନାକୁ ବଧ କଲା।
2CH 28:8 ଆଉ, ଇସ୍ରାଏଲ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ, ପୁତ୍ର ଓ କନ୍ୟା, ଦୁଇ ଲକ୍ଷ ପ୍ରାଣୀକୁ ବନ୍ଦୀ କରି ନେଇଗଲେ, ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟଦ୍ରବ୍ୟ ନେଲେ ଓ ସେହି ଲୁଟ ଦ୍ରବ୍ୟସବୁ ଶମରୀୟାକୁ ଆଣିଲେ।
2CH 28:9 ମାତ୍ର ସେଠାରେ ଓଦେଦ୍‍ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟଦ୍‍ବକ୍ତା ଥିଲେ; ସେ ଶମରୀୟାକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ଯିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମ୍ଭେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ।
2CH 28:10 ଆଉ, ଏବେ ତୁମ୍ଭେମାନେ ଯିହୁଦାର ଓ ଯିରୂଶାଲମର ସନ୍ତାନସନ୍ତତିଗଣକୁ ଆପଣାମାନଙ୍କର ବନ୍ଧାଦାସ ଓ ବନ୍ଧାଦାସୀ କରି ରଖିବାକୁ ମନସ୍ଥ କରୁଅଛ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ କʼଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ୱକୃତ ଅପରାଧ ନାହିଁ?
2CH 28:11 ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ଫେରି ପଠାଇଦିଅ; କାରଣ ତୁମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି।”
2CH 28:12 ଏଥିରେ ଯିହୋହାନନ୍‍ର ପୁତ୍ର ଅସରୀୟ, ମଶିଲ୍ଲୋମୋତ୍‍ର ପୁତ୍ର ବେରିଖୀୟ ଓ ଶଲ୍ଲୁମ୍‍ର ପୁତ୍ର ଯିହିଷ୍କିୟ ଓ ହଦ୍‍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରୟିମ-ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ,
2CH 28:13 “ତୁମ୍ଭେମାନେ ବନ୍ଦୀମାନଙ୍କୁ ଏହି ସ୍ଥାନକୁ ଆଣିବ ନାହିଁ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧସକଳର ବୃଦ୍ଧି କରିବାକୁ ମନସ୍ଥ କରୁଅଛ; ଆମ୍ଭମାନଙ୍କର ଭାରୀ ଅପରାଧ ହୋଇଅଛି ଓ ଇସ୍ରାଏଲ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି।”
2CH 28:14 ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ।
2CH 28:15 ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ବସ୍ତ୍ରହୀନ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଦଭରେ ଚଢ଼ାଇ ଖର୍ଜ୍ଜୁରପୁର ଯିରୀହୋକୁ ସେମାନଙ୍କ ଭ୍ରାତୃଗଣ ନିକଟକୁ ନେଇଗଲେ; ଏଥିଉତ୍ତାରେ ସେମାନେ ଶମରୀୟାକୁ ଫେରି ଆସିଲେ।
2CH 28:16 ସେହି ସମୟରେ ଆହସ୍‌ ରାଜା ଆପଣାର ସାହାଯ୍ୟ ପାଇଁ ଅଶୂରୀୟ ରାଜାମାନଙ୍କ ନିକଟକୁ ଲୋକ ପଠାଇଲେ।
2CH 28:17 କାରଣ ଇଦୋମୀୟ ଲୋକମାନେ ପୁନର୍ବାର ଯିହୁଦା ଦେଶକୁ ଆସି ପରାସ୍ତ କରି ଅନେକଙ୍କୁ ବନ୍ଦୀ କରି ନେଇ ଯାଇଥିଲେ।
2CH 28:18 ପଲେଷ୍ଟୀୟମାନେ ମଧ୍ୟ ତଳଭୂମିର ଓ ଯିହୁଦା-ଦକ୍ଷିଣାଞ୍ଚଳର ନଗରମାନ ଆକ୍ରମଣ କରି ବେଥ୍-ଶେମଶ ଓ ଅୟାଲୋନ୍‍ ଓ ଗଦେରୋତ୍‍, ପୁଣି ସୋଖୋ ଓ ତହିଁର ଉପନଗର, ତିମ୍ନା ଓ ତହିଁର ଉପନଗର, ଗିମ୍‍ସୋ ଓ ତହିଁର ଉପନଗରସକଳ ହସ୍ତଗତ କରି ସେଠାରେ ବାସ କରୁଥିଲେ।
2CH 28:19 କାରଣ ଇସ୍ରାଏଲର ରାଜା ଆହସ୍‌ଙ୍କ ସକାଶୁ ସଦାପ୍ରଭୁ ଯିହୁଦାକୁ ଖର୍ବ କଲେ; ଯେଣୁ ସେ ଯିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟ-ଲଙ୍ଘନ କରିଥିଲେ।
2CH 28:20 ଏଥିଉତ୍ତାରେ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷର ତାଙ୍କ ନିକଟକୁ ଆସିଲା, ମାତ୍ର ତାଙ୍କୁ ବଳ ନ ଦେଇ କ୍ଳେଶ ଦେଲା।
2CH 28:21 କାରଣ ଆହସ୍‌ ସଦାପ୍ରଭୁଙ୍କ ଗୃହରୁ ଓ ରାଜାଙ୍କର ଓ ଅଧିପତିମାନଙ୍କ ଗୃହରୁ ଧନ ହରଣ କରି ଅଶୂରର ରାଜାଙ୍କୁ ଦେଲେ; ମାତ୍ର ତଦ୍ଦ୍ୱାରା ତାଙ୍କର ସାହାଯ୍ୟ ହେଲା ନାହିଁ।
2CH 28:22 ପୁଣି, ସେହି ଆହସ୍‌ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ-ଲଙ୍ଘନ କଲେ।
2CH 28:23 କାରଣ ଯେଉଁ ଦମ୍ମେଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ; ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ। ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ।
2CH 28:24 ଏଉତ୍ତାରେ ଆହସ୍‌ ପରମେଶ୍ୱରଙ୍କ ଗୃହର ପାତ୍ରସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ରସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟସବୁ ବନ୍ଦ କଲେ; ପୁଣି ସେ ଯିରୂଶାଲମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦି ନିର୍ମାଣ କଲେ।
2CH 28:25 ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ୱରଙ୍କୁ ବିରକ୍ତ କଲେ।
2CH 28:26 ତାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଆଦ୍ୟନ୍ତସକଳ ଆଚରଣ, ଦେଖ, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲେଖାଅଛି।
2CH 28:27 ଏଉତ୍ତାରେ ଆହସ୍‌ଙ୍କ ମୃତ୍ୟୁ ପରେ, ଲୋକମାନେ ଯିରୂଶାଲମରେ, ନଗର ମଧ୍ୟରେ ତାଙ୍କୁ କବର ଦେଲେ; କାରଣ ସେମାନେ ତାଙ୍କୁ ଇସ୍ରାଏଲର ରାଜାମାନଙ୍କ କବରକୁ ଆଣିଲେ ନାହିଁ; ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
2CH 29:1 ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଅଣତିରିଶ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଅବୀୟ, ଯେ ଜିଖରୀୟର କନ୍ୟା ଥିଲେ।
2CH 29:2 ପୁଣି, ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
2CH 29:3 ସେ ଆପଣା ରାଜତ୍ଵର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟସବୁ ଫିଟାଇ ସେସବୁର ମରାମତି କଲେ।
2CH 29:4 ପୁଣି, ସେ ଯାଜକ ଓ ଲେବୀୟମାନଙ୍କୁ ଆଣି ପୂର୍ବଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ,
2CH 29:5 “ହେ ଲେବୀୟମାନେ, ତୁମ୍ଭେମାନେ ମୋʼ କଥା ଶୁଣ; ଏବେ ଆପଣାମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୁଚିତା ଦୂର କର।
2CH 29:6 କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟ-ଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତାହାଙ୍କ ପ୍ରତି ଆପଣା ପିଠି ଦେଖାଇଅଛନ୍ତି।
2CH 29:7 ଆହୁରି, ସେମାନେ ବାରଣ୍ଡାର କବାଟସବୁ ବନ୍ଦ କରି ପ୍ରଦୀପସବୁ ଲିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ନାହାନ୍ତି, କିଅବା ହୋମବଳି ଉତ୍ସର୍ଗ କରି ନାହାନ୍ତି।
2CH 29:8 ଏହେତୁ ଯିହୁଦା ଓ ଯିରୂଶାଲମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା, ପୁଣି ତୁମ୍ଭେମାନେ ସ୍ୱଚକ୍ଷୁରେ ଦେଖୁଅଛ ଯେ, ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ, ଆଶଙ୍କାର ଓ ଶୀସ୍‍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି।
2CH 29:9 କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ରକନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି।
2CH 29:10 ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋʼ ମନରେ ଅଛି।
2CH 29:11 ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ; କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ, ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମ୍ଭେମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜ୍ୱଳାଇବ, ଏଥିପାଇଁ ସେ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି।”
2CH 29:12 ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାସୟର ପୁତ୍ର ମାହତ୍‍ ଓ ଅସରୀୟର ପୁତ୍ର ଯୋୟେଲ, ଆଉ ମରାରି-ସନ୍ତାନଗଣ ମଧ୍ୟରୁ ଅବ୍‍ଦିର ପୁତ୍ର କୀଶ୍‍ ଓ ଯିହଲିଲେଲର ପୁତ୍ର ଅସରୀୟ, ପୁଣି ଗେର୍ଶୋନୀୟମାନଙ୍କ ମଧ୍ୟରୁ ସିମ୍ମର ପୁତ୍ର ଯୋୟାହ ଓ ଯୋୟାହର ପୁତ୍ର ଏଦନ,
2CH 29:13 ଆଉ, ଇଲୀଶାଫନ୍‍ର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୀୟେଲ୍‍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
2CH 29:14 ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଯିହୀୟେଲ ଓ ଶିମୀୟି ଓ ଯିଦୂଥୂନ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ଶମୟୀୟ ଓ ଉଷୀୟେଲ, ଏହିସବୁ ଲେବୀୟ ଲୋକ ଉଠିଲେ।
2CH 29:15 ପୁଣି, ସେମାନେ ଆପଣା ଭ୍ରାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ।
2CH 29:16 ପୁଣି, ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ଶୁଚି କରିବା ପାଇଁ ଗଲେ, ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୁଚି ବସ୍ତୁ ପାଇଲେ, ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ ଆଉ, ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକୁ ବହି ନେଇଗଲେ।
2CH 29:17 ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବାରଣ୍ଡାକୁ ଆସିଲେ; ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ; ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ।
2CH 29:18 ତହୁଁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ ନିକଟକୁ ଯାଇ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦି ଓ ତହିଁର ପାତ୍ରସକଳ, ଦର୍ଶନୀୟ ରୁଟିର ମେଜ ଓ ତହିଁର ପାତ୍ରସକଳ ଶୁଚି କରିଅଛୁ।
2CH 29:19 ଆହୁରି, ଆହସ୍‌ ରାଜା ଆପଣା ରାଜତ୍ୱ ସମୟରେ ସତ୍ୟ-ଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ, ତାହାସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ; ଆଉ ଦେଖନ୍ତୁ, ତାହାସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଅଛି।”
2CH 29:20 ତହିଁ ଉତ୍ତାରେ ହିଜକୀୟ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ।
2CH 29:21 ପୁଣି, ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଯିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷଶାବକ ଓ ସାତ ଛାଗ ଆଣିଲେ। ତହିଁରେ ସେ ହାରୋଣ-ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ତାହାସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ।
2CH 29:22 ତେଣୁ ବୃଷସବୁ ବଧ କରାଯାʼନ୍ତେ, ଯାଜକମାନେ ରକ୍ତ ଗ୍ରହଣ କରି ବେଦି ଉପରେ ସେଚନ କଲେ; ପୁଣି ମେଷ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ; ଆହୁରି, ମେଷଶାବକ ବଧ କରାଯାʼନ୍ତେ, ସେମାନେ ଯଜ୍ଞବେଦି ଉପରେ ରକ୍ତ ସେଚନ କଲେ।
2CH 29:23 ଏଉତ୍ତାରେ ସେମାନେ ପାପାର୍ଥକ ବଳିରୂପ ଛାଗସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ; ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ;
2CH 29:24 ତହୁଁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦି ଉପରେ ସେମାନଙ୍କ ରକ୍ତ ଦ୍ୱାରା ପାପାର୍ଥକ ବଳି କଲେ; କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ।
2CH 29:25 ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍‍ର ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା ଏହି ଆଜ୍ଞା କରିଥିଲେ।
2CH 29:26 ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୂରୀ ନେଇ ଠିଆ ହେଲେ।
2CH 29:27 ଏଉତ୍ତାରେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ। ଯେତେବେଳେ ହୋମବଳି ଆରମ୍ଭ ହେଲା, ସେତେବେଳେ ତୂରୀ ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା।
2CH 29:28 ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୂରୀବାଦକମାନେ ତୂରୀ ବଜାଇଲେ; ହୋମବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା।
2CH 29:29 ପୁଣି, ସେମାନେ ବଳିଦାନ ସମାପ୍ତ କରନ୍ତେ, ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ଲୋକ ସମସ୍ତେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ।
2CH 29:30 ଆହୁରି, ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ ତହୁଁ ସେମାନେ ଆନନ୍ଦରେ ପ୍ରଶଂସା ଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ।
2CH 29:31 ସେତେବେଳେ ହିଜକୀୟ ଉତ୍ତର କରି କହିଲେ, “ଏବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ।” ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା, ସେମାନେ ହୋମବଳି ଆଣିଲେ।
2CH 29:32 ସମାଜ ଯେଉଁ ହୋମବଳି ଆଣିଲେ, ତହିଁର ସଂଖ୍ୟା, ଯଥା, ସତୁରି ବୃଷ ଓ ଏକ ଶହ ମେଷ ଓ ଦୁଇ ଶହ ମେଷଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି।
2CH 29:33 ପୁଣି ଛଅ ଶହ ବୃଷ ଓ ତିନି ସହସ୍ର ମେଷ ପବିତ୍ରୀକୃତ ହେଲେ।
2CH 29:34 ମାତ୍ର ଯାଜକମାନେ ଅଳ୍ପସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ି ପାରିଲେ ନାହିଁ। ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣାମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ; କାରଣ ଲେବୀୟମାନେ ଆପଣାମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ।
2CH 29:35 ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ-ନୈବେଦ୍ୟ ପ୍ରଚୁର ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା।
2CH 29:36 ଆଉ, ପରମେଶ୍ୱର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ; କାରଣ ଏହି କାର୍ଯ୍ୟ ଅକସ୍ମାତ୍‍ ସାଧିତ ହେଲା।
2CH 30:1 ଏଥିଉତ୍ତାରେ ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକୀୟ ସମଗ୍ର ଇସ୍ରାଏଲ ଓ ଯିହୁଦା ନିକଟକୁ ଲୋକ ପଠାଇଲେ, ପୁଣି ଇଫ୍ରୟିମ ଓ ମନଃଶି ନିକଟକୁ ମଧ୍ୟ ପତ୍ର ଲେଖିଲେ।
2CH 30:2 କାରଣ ରାଜା, ତାଙ୍କର ଅଧିପତିମାନେ ଓ ଯିରୂଶାଲମସ୍ଥ ସମଗ୍ର ସମାଜ ଦ୍ୱିତୀୟ ମାସରେ ନିସ୍ତାର ପର୍ବ ପାଳନ କରିବା ପାଇଁ ମନ୍ତ୍ରଣା କରିଥିଲେ।
2CH 30:3 କାରଣ ଯଥେଷ୍ଟ ସଂଖ୍ୟକ ଯାଜକ ଆପଣାମାନଙ୍କୁ ପବିତ୍ର କରି ନ ଥିବାରୁ, କିଅବା ଲୋକମାନେ ଯିରୂଶାଲମରେ ଏକତ୍ରିତ ହୋଇ ନ ଥିବାରୁ ସେସମୟରେ ସେମାନେ ତାହା ପାଳନ କରିପାରି ନ ଥିଲେ।
2CH 30:4 ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା।
2CH 30:5 ଏଣୁ ଲୋକମାନେ ଯେପରି ଯିରୂଶାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍‍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ। କାରଣ ସେମାନେ ଲିଖନାନୁସାରେ ଏରୂପ ବହୁସଂଖ୍ୟକ ହୋଇ ପାଳନ କରି ନ ଥିଲେ।
2CH 30:6 ତହିଁରେ ଦୂତମାନେ ରାଜା ଓ ତାଙ୍କର ଅଧିପତିମାନଙ୍କଠାରୁ ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସର୍ବତ୍ର ଗମନ କରି ରାଜାଜ୍ଞାନୁସାରେ ଏହି କଥା କହିଲେ, “ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଅବ୍ରହାମର ଓ ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର, ତହିଁରେ ସେ ଅଶୂର-ରାଜାଗଣ ହସ୍ତରୁ ରକ୍ଷିତ ତୁମ୍ଭମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ।
2CH 30:7 ଆଉ, ତୁମ୍ଭେମାନେ ଆପଣାମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ, ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ତେଣୁ ତୁମ୍ଭେମାନେ ଦେଖୁଅଛ ଯେ, ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ।
2CH 30:8 ତୁମ୍ଭେମାନେ ଆପଣାମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ; ମାତ୍ର ତୁମ୍ଭମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ଡ କ୍ରୋଧ ଯେପରି ନିବୃତ୍ତ ହେବ, ଏଥିପାଇଁ ଆପଣାମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି, ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେବା କର।
2CH 30:9 କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ।”
2CH 30:10 ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୂନ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ।
2CH 30:11 ତଥାପି ଆଶେରର ଓ ମନଃଶିର ଓ ସବୂଲୂନର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ।
2CH 30:12 ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା।
2CH 30:13 ତହୁଁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ।
2CH 30:14 ପୁଣି, ସେମାନେ ଉଠି ଯିରୂଶାଲମସ୍ଥ ଯଜ୍ଞବେଦିସବୁ ଦୂର କଲେ ଓ ଧୂପଦାହାର୍ଥକ ଯଜ୍ଞବେଦିସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ।
2CH 30:15 ଏଉତ୍ତାରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ; ତହିଁରେ ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହୋଇ ଆପଣାମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ।
2CH 30:16 ଆଉ, ସେମାନେ ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ; ଯାଜକମାନେ ଲେବୀୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ।
2CH 30:17 କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣାମାନଙ୍କୁ ପବିତ୍ର କରି ନ ଥିଲେ; ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବୀୟମାନଙ୍କ ଉପରେ ଥିଲା।
2CH 30:18 ଅସଂଖ୍ୟ ଲୋକ, ଅର୍ଥାତ୍‍, ଇଫ୍ରୟିମ ଓ ମନଃଶି, ଇଷାଖର ଓ ସବୂଲୂନ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ। କାରଣ ହିଜକୀୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
2CH 30:19 “ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ।”
2CH 30:20 ପୁଣି, ସଦାପ୍ରଭୁ ହିଜକୀୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।
2CH 30:21 ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତିଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ।
2CH 30:22 ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକୀୟ ଚିତ୍ତ ପ୍ରବୋଧକ କଥା କହିଲେ। ତହୁଁ ସେମାନେ ପର୍ବର ସାତ ଦିନସାରା ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ।
2CH 30:23 ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ।
2CH 30:24 ଏଣୁ ଯିହୁଦାର ରାଜା ହିଜକୀୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ।
2CH 30:25 ପୁଣି, ଯାଜକ ଓ ଲେବୀୟମାନଙ୍କ ସହିତ ଯିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଯିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ।
2CH 30:26 ଏହିରୂପେ ଯିରୂଶାଲମରେ ମହାନନ୍ଦ ହେଲା; କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କ ସମୟଠାରୁ ଯିରୂଶାଲମରେ ଏପରି ଆଉ ହୋଇ ନ ଥିଲା।
2CH 30:27 ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ ଆଶୀର୍ବାଦ କଲେ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା।
2CH 31:1 ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ୍ ମଧ୍ୟରୁ, ଆହୁରି ଇଫ୍ରୟିମ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରିଗଲେ।
2CH 31:2 ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ୱାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।
2CH 31:3 ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍‍, ପ୍ରଭାତୀୟ ଓ ସାୟଂକାଳୀନ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ।
2CH 31:4 ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ।
2CH 31:5 ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ-ସନ୍ତାନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ।
2CH 31:6 ପୁଣି, ଯିହୁଦାର ନଗରସମୂହରେ ବାସକାରୀ ଇସ୍ରାଏଲ ଓ ଯିହୁଦାର ସନ୍ତାନମାନେ ମଧ୍ୟ ଗୋମେଷର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ।
2CH 31:7 ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ।
2CH 31:8 ଏଉତ୍ତାରେ ହିଜକୀୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ।
2CH 31:9 ସେତେବେଳେ ହିଜକୀୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ,
2CH 31:10 ସାଦୋକ ବଂଶୀୟ ପ୍ରଧାନ ଯାଜକ ଅସରୀୟ ତାଙ୍କୁ ଉତ୍ତର କରି କହିଲା, “ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି; ତେଣୁ ଯାହା ଅବଶିଷ୍ଟ ରହିଅଛି, ତାହା ଏହି ବୃହତ ଦ୍ରବ୍ୟରାଶି।”
2CH 31:11 ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରି ପ୍ରସ୍ତୁତ କରିବାକୁ ଆଜ୍ଞା କଲେ; ତହୁଁ ସେମାନେ ତାହା ପ୍ରସ୍ତୁତ କଲେ।
2CH 31:12 ଏଉତ୍ତାରେ ଲୋକମାନେ ବିଶ୍ୱସ୍ତ ରୂପେ ଉପହାର, ଦଶମାଂଶ ଓ ପବିତ୍ରୀକୃତ ଦ୍ରବ୍ୟ ଆଣିଲେ; ଆଉ ତହିଁ ଉପରେ ଲେବୀୟ କୋନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ଶିମୀୟି ଦ୍ୱିତୀୟ ଥିଲା।
2CH 31:13 ପୁଣି, ଯିହୀୟେଲ ଓ ଅସସୀୟ, ନହତ୍‍, ଅସାହେଲ, ଯିରେମୋତ୍‍, ଯୋଷାବଦ୍‍, ଇଲୀୟେଲ୍‍, ଯିଷ୍ମଖୀୟ, ମାହତ୍‍, ବନାୟ, ଏମାନେ ହିଜକୀୟ ରାଜାଙ୍କର ଓ ପରମେଶ୍ୱରଙ୍କ ଗୃହାଧ୍ୟକ୍ଷ ଅସରୀୟର ନିଯୁକ୍ତି ଦ୍ୱାରା କୋନାନୀୟ ଓ ତାହାର ଭ୍ରାତା ଶିମୀୟିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ।
2CH 31:14 ଆଉ, ଲେବୀୟ ଯିମ୍ନାର ପୁତ୍ର କୋରି, ଯେ ପୂର୍ବଦିଗ ଦ୍ୱାରପାଳ ଥିଲା, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଉପରେ ନିଯୁକ୍ତ ହେଲା।
2CH 31:15 ପୁଣି, ତାହାର ଅଧୀନରେ ଏଦନ, ମିନ୍ୟାମୀନ, ଯେଶୂୟ, ଶମୟୀୟ, ଅମରୀୟ ଓ ଶଖନୀୟ, ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣା ଆପଣା ନିରୂପିତ ପଦରେ ରହିଲେ;
2CH 31:16 ସେମାନଙ୍କ ବ୍ୟତୀତ ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;
2CH 31:17 ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;
2CH 31:18 ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ରକନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;
2CH 31:19 ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ।
2CH 31:20 ହିଜକୀୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।
2CH 31:21 ଆଉ, ସେ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କରିବା ନିମନ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟ, ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ, ତାହାସବୁ ଆପଣା ସର୍ବାନ୍ତଃକରଣ ସହିତ କରି କୃତକାର୍ଯ୍ୟ ହେଲେ।
2CH 32:1 ଏହି ସକଳ ଘଟଣା ଓ ଏହି ବିଶ୍ୱସ୍ତତାର କର୍ମ ଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଆସି ଯିହୁଦାରେ ପ୍ରବେଶ କଲା ଓ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହାସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା।
2CH 32:2 ପୁଣି, ସନ୍‍‌‌ହେରୀବ ଆସିଅଛି ଓ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି, ହିଜକୀୟ ଏହା ଦେଖନ୍ତେ,
2CH 32:3 ସେ ନଗରର ବହିଃସ୍ଥିତ ନିର୍ଝରସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ; ଆଉ, ସେମାନେ ତାଙ୍କର ସାହାଯ୍ୟ କଲେ।
2CH 32:4 “ଏଣୁ ଅଶୂର-ରାଜାଗଣ ଆସି କାହିଁକି ଅନେକ ଜଳ ପାଇବେ?” ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶମଧ୍ୟବାହୀ ସ୍ରୋତ ବନ୍ଦ କଲେ।
2CH 32:5 ପୁଣି, ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିଃସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ-ନଗରସ୍ଥ ମିଲ୍ଲୋ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ।
2CH 32:6 ଆଉ, ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର-ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତ ପ୍ରବୋଧକ ବାକ୍ୟ କହିଲେ,
2CH 32:7 “ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ;
2CH 32:8 ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି।” ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।
2CH 32:9 ଏଥିଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖୀଶ୍‍ ନଗର ସମ୍ମୁଖରେ ଥିବା ବେଳେ ସେ ଯିରୂଶାଲମକୁ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ଓ ଯିରୂଶାଲମରେ ଉପସ୍ଥିତ ସମଗ୍ର ଯିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା,
2CH 32:10 “ଅଶୂରର ରାଜା ସନ୍‍‌‌ହେରୀବ ଏହି କଥା କହନ୍ତି, ତୁମ୍ଭେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଯିରୂଶାଲମରେ ରହୁଅଛ?
2CH 32:11 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଶୂର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମ୍ଭମାନଙ୍କୁ ସମର୍ପି ଦେବାକୁ କʼଣ ହିଜକୀୟ ମଣାଉ ନାହାନ୍ତି?
2CH 32:12 ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ ଆଜ୍ଞା କରି କି କହି ନାହାନ୍ତି, ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜ୍ୱଳାଇବ?
2CH 32:13 ମୁଁ ଓ ମୋʼ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେହି ସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରି ପାରିଲେ?
2CH 32:14 ମୋʼ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଃଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିଅଛି ଯେ, ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?
2CH 32:15 ଏହେତୁ ହିଜକୀୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଓ ମୋʼ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?”
2CH 32:16 ପୁଣି, ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ।
2CH 32:17 ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, “ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।”
2CH 32:18 ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଡାକି କହିଲେ।
2CH 32:19 ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।
2CH 32:20 ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
2CH 32:21 ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।
2CH 32:22 ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍‍‌‌ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ।
2CH 32:23 ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।
2CH 32:24 ସେହି ସମୟରେ ହିଜକୀୟଙ୍କୁ ସାଂଘାତିକ ପୀଡ଼ା ହୋଇଥିଲା; ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ।
2CH 32:25 ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ; କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
2CH 32:26 ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଯିରୂଶାଲମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ।
2CH 32:27 ଆଉ, ହିଜକୀୟଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା ପୁଣି, ସେ ରୂପା, ସୁନା, ବହୁମୂଲ୍ୟ ପ୍ରସ୍ତର, ସୁଗନ୍ଧି ଦ୍ରବ୍ୟ, ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ;
2CH 32:28 ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ।
2CH 32:29 ଆହୁରି, ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷାଦି ପ୍ରଚୁର ପଶୁଧନ ଆୟୋଜନ କଲେ; କାରଣ ପରମେଶ୍ୱର ତାଙ୍କୁ ବହୁତ ବହୁତ ସମ୍ପତ୍ତି ଦେଇଥିଲେ।
2CH 32:30 ଏହି ହିଜକୀୟ ମଧ୍ୟ ଗୀହୋନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦ-ନଗରର ପଶ୍ଚିମ ପାର୍ଶ୍ୱକୁ ଆଣିଲେ। ପୁଣି, ହିଜକୀୟ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ।
2CH 32:31 ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ।
2CH 32:32 ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକ ଅନ୍ତର୍ଗତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାର ଦର୍ଶନ ପୁସ୍ତକରେ ଲେଖାଅଛି।
2CH 32:33 ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ, ତହିଁରେ ଲୋକମାନେ ଦାଉଦ-ସନ୍ତାନଗଣର କବର ସ୍ଥାନର ଊର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ; ପୁଣି, ତାଙ୍କର ମରଣ ସମୟରେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।
2CH 33:1 ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।
2CH 33:2 ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2CH 33:3 କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।
2CH 33:4 ପୁଣି, “ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
2CH 33:5 ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
2CH 33:6 ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
2CH 33:7 ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
2CH 33:8 ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍‍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”
2CH 33:9 ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
2CH 33:10 ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।
2CH 33:11 ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।
2CH 33:12 ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।
2CH 33:13 ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
2CH 33:14 ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।
2CH 33:15 ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।
2CH 33:16 ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
2CH 33:17 ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
2CH 33:18 ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
2CH 33:19 ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।
2CH 33:20 ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।
2CH 33:21 ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ।
2CH 33:22 ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍‍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ।
2CH 33:23 ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍‍ ଅଧିକ ଅଧିକ ଅପରାଧ କଲେ।
2CH 33:24 ଏଉତ୍ତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ।
2CH 33:25 ମାତ୍ର ଯେଉଁମାନେ ଆମୋନ୍‍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ; ଆଉ, ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟଙ୍କୁ ରାଜା କଲେ।
2CH 34:1 ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।
2CH 34:2 ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।
2CH 34:3 ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।
2CH 34:4 ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍‍ ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।
2CH 34:5 ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।
2CH 34:6 ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।
2CH 34:7 ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।
2CH 34:8 ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍‍ସଲୀୟର ପୁତ୍ର ଶାଫନ୍‍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।
2CH 34:9 ତହୁଁ ସେମାନେ ହିଲ୍‍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।
2CH 34:10 ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;
2CH 34:11 ଅର୍ଥାତ୍‍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ ପ୍ରସ୍ତର ଓ ବରଗା ଓ କଡ଼ିକାଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।
2CH 34:12 ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍‍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍‍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍‍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।
2CH 34:13 ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।
2CH 34:14 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍‍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।
2CH 34:15 ତହିଁରେ ହିଲ୍‍କୀୟ ଶାଫନ୍‍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦେଲା।
2CH 34:16 ଆଉ, ଶାଫନ୍‍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, “ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।
2CH 34:17 ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ିନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”
2CH 34:18 ଆହୁରି, ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍‍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍‍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।
2CH 34:19 ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।
2CH 34:20 ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍‍ର ପୁତ୍ର ଅହୀକାମକୁ ଓ ମୀଖାର ପୁତ୍ର ଅବ୍‍ଦୋନ୍‍କୁ ଓ ଶାଫନ୍‍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,
2CH 34:21 “ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।”
2CH 34:22 ତହିଁରେ ହିଲ୍‍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍‍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।
2CH 34:23 ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,
2CH 34:24 ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।
2CH 34:25 କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।
2CH 34:26 ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
2CH 34:27 ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।
2CH 34:28 ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।
2CH 34:29 ଏଥିଉତ୍ତାରେ ରାଜା ଲୋକ ପଠାଇ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ।
2CH 34:30 ପୁଣି, ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସାନ ସମସ୍ତ ଲୋକ ଗମନ କଲେ; ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ-ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ।
2CH 34:31 ପୁଣି, ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ-ଲିଖିତ ନିୟମ-ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ।
2CH 34:32 ଆଉ, ଯିରୂଶାଲମର ଓ ବିନ୍ୟାମୀନ୍‍ର ଯେତେ ଲୋକ ବିଦ୍ୟମାନ ଥିଲେ, ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଯିରୂଶାଲମ ନିବାସୀମାନେ ପରମେଶ୍ୱରଙ୍କର, ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ।
2CH 34:33 ପୁଣି, ଯୋଶୀୟ ଇସ୍ରାଏଲ-ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନୋହିଲେ।
2CH 35:1 ଏଥିଉତ୍ତାରେ ଯୋଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ।
2CH 35:2 ପୁଣି, ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ।
2CH 35:3 ପୁଣି, ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ, ସେମାନଙ୍କୁ ସେ କହିଲେ, “ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ; ତୁମ୍ଭମାନଙ୍କ ସ୍କନ୍ଧରେ ଆଉ ଭାର ରହିବ ନାହିଁ; ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର।
2CH 35:4 ପୁଣି, ଇସ୍ରାଏଲର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ଶଲୋମନଙ୍କର ଲିଖନାନୁସାରେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର।
2CH 35:5 ଆଉ, ଲୋକମାନଙ୍କ ସନ୍ତାନଗଣର, ଅର୍ଥାତ୍‍, ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ।
2CH 35:6 ପୁଣି, ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର ଓ ମୋଶାଙ୍କ ହସ୍ତରେ (ଦତ୍ତ) ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ।”
2CH 35:7 ଏଉତ୍ତାରେ ଯୋଶୀୟ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ ତିରିଶ ହଜାର ପର୍ଯ୍ୟନ୍ତ ମେଷଶାବକ ଓ ଛାଗବତ୍ସ ଓ ତିନି ହଜାର ବୃଷ ଦେଲେ; ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା।
2CH 35:8 ପୁଣି, ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍‍କୀୟ ଓ ଜିଖରୀୟ ଓ ଯିହୀୟେଲ, ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ ଦୁଇ ହଜାର ଛଅ ଶହ ମେଷାଦିର ବତ୍ସ ଓ ତିନି ଶହ ବୃଷ ଦେଲେ।
2CH 35:9 ମଧ୍ୟ କୋନାନୀୟ ଓ ଶମୟୀୟ ଓ ନଥନେଲ ନାମକ ତାହାର ଭାଇମାନେ, ଆଉ ହଶବୀୟ ଓ ଯିୟୀୟେଲ୍‍ ଓ ଯୋଷାବଦ୍‍, ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ ପାଞ୍ଚ ସହସ୍ର ମେଷାଦିର ବତ୍ସ ଓ ପାଞ୍ଚ ଶହ ବୃଷ ଦେଲେ।
2CH 35:10 ଏହିରୂପେ କର୍ମର ଆୟୋଜନ ହୁଅନ୍ତେ, ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ।
2CH 35:11 ପୁଣି, ନିସ୍ତାର ପର୍ବର ବଳିସବୁ ବଧ କରାଯାʼନ୍ତେ, ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ।
2CH 35:12 ଆଉ, ମୋଶାଙ୍କ ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ।
2CH 35:13 ଏଉତ୍ତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ; ଆଉ, ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହାସବୁ ଶୀଘ୍ର ନେଇ ପରିବେଷଣ କଲେ।
2CH 35:14 ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ; କାରଣ ହାରୋଣ ସନ୍ତାନ-ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ; ଏହେତୁ ଲେବୀୟମାନେ ଆପଣାମାନଙ୍କ ପାଇଁ ଓ ହାରୋଣ-ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ।
2CH 35:15 ପୁଣି, ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଯିଦୂଥୂନ୍‍‍ର ଆଜ୍ଞାନୁସାରେ, ଆସଫ-ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ; ଆପଣା ଆପଣା ସେବାକାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ।
2CH 35:16 ଏହିରୂପେ ଯୋଶୀୟ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦିରେ ହୋମବଳି ଉତ୍ସର୍ଗକରଣାର୍ଥେ ସେହି ଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା।
2CH 35:17 ଏଣୁ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ ସାତ ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ।
2CH 35:18 ପୁଣି, ଶାମୁୟେଲ ଭବିଷ୍ୟଦ୍‍ବକ୍ତାଙ୍କର ଦିନଠାରୁ ଇସ୍ରାଏଲ ମଧ୍ୟରେ ଏପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇ ନ ଥିଲା; କିଅବା ଯୋଶୀୟ ଓ ଯାଜକମାନେ ଓ ଲେବୀୟମାନେ, ପୁଣି ଉପସ୍ଥିତ ସମଗ୍ର ଯିହୁଦା ଓ ଇସ୍ରାଏଲ ଓ ଯିରୂଶାଲମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ, ସେପରି ଇସ୍ରାଏଲର କୌଣସି ରାଜା କରି ନାହାନ୍ତି।
2CH 35:19 ଯୋଶୀୟଙ୍କର ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା।
2CH 35:20 ଏହିସବୁର ଉତ୍ତାରେ, ଅର୍ଥାତ୍‍, ଯୋଶୀୟ ମନ୍ଦିର ପ୍ରସ୍ତୁତ କରି ସାରିଲା ଉତ୍ତାରେ ମିସରର ରାଜା ନଖୋ ଫରାତ୍‍ ନଦୀ ନିକଟସ୍ଥ କର୍କମୀଶ୍‍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା; ତହୁଁ ଯୋଶୀୟ ତାହା ବିରୁଦ୍ଧରେ ଗଲେ;
2CH 35:21 ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍‍, ତୁମ୍ଭ ସଙ୍ଗେ ମୋହର କʼଣ କରିବାର ଅଛି? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;”
2CH 35:22 ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନୋହିଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖନିର୍ଗତ ନଖୋର ବାକ୍ୟରେ ମନୋଯୋଗ ନ କରି ମଗିଦ୍ଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ।
2CH 35:23 ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ; ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, “ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି।”
2CH 35:24 ତହୁଁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଯିରୂଶାଲମକୁ ଆଣିଲେ; ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀୟଙ୍କ ଲାଗି ସମଗ୍ର ଯିହୁଦା ଓ ଯିରୂଶାଲମ ଶୋକ କଲେ।
2CH 35:25 ପୁଣି, ଯିରିମୀୟ ଯୋଶୀୟଙ୍କ ଲାଗି ବିଳାପ କଲେ; ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି; ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ; ଆଉ ଦେଖ, ତାହା ବିଳାପ-ସଂହିତାରେ ଲିଖିତ ଅଛି।
2CH 35:26 ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ
2CH 35:27 ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ, ଦେଖ, ଇସ୍ରାଏଲ ଓ ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲିଖିତ ଅଛି।
2CH 36:1 ଏଥିଉତ୍ତାରେ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍‌ଙ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଯିରୂଶାଲମରେ ରାଜା କଲେ।
2CH 36:2 ଯିହୋୟାହସ୍‌ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ତେଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ରାଜ୍ୟ କଲେ।
2CH 36:3 ଏଥିଉତ୍ତାରେ ମିସରର ରାଜା ଯିରୂଶାଲମରେ ତାଙ୍କୁ ପଦଚ୍ୟୁତ କରି ଦେଶ ଉପରେ ଏକ ଶହ ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଅର୍ଥଦଣ୍ଡ ନିର୍ଦ୍ଧାରଣ କଲା।
2CH 36:4 ଆହୁରି, ମିସରର ରାଜା ତାଙ୍କର ଭ୍ରାତା ଇଲିୟାକୀମ୍‍ଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍‍ ରଖିଲା, ପୁଣି ନଖୋ ତାଙ୍କର ଭ୍ରାତା ଯିହୋୟାହସ୍‌ଙ୍କୁ ଧରି ମିସରକୁ ନେଇଗଲା।
2CH 36:5 ଯିହୋୟାକୀମ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ।
2CH 36:6 ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୂଖଦ୍‍ନିତ୍ସର ଆସି ବାବିଲକୁ ନେଇଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା।
2CH 36:7 ନବୂଖଦ୍‍ନିତ୍ସର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା।
2CH 36:8 ଏହି ଯିହୋୟାକୀମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି; ଏଉତ୍ତାରେ ତାଙ୍କର ପୁତ୍ର ଯିହୋୟାଖୀନ୍‍ ତାଙ୍କର ପଦରେ ରାଜ୍ୟ କଲେ।
2CH 36:9 ଯିହୋୟାଖୀନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ତିନି ମାସ ଦଶ ଦିନ ରାଜ୍ୟ କଲେ; ଆଉ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
2CH 36:10 ପୁଣି, ବର୍ଷର ପରିବର୍ତ୍ତନ ସମୟରେ ନବୂଖଦ୍‍ନିତ୍ସର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ରସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦିକୀୟଙ୍କୁ ଯିହୁଦା ଓ ଯିରୂଶାଲମ ଉପରେ ରାଜା କଲା।
2CH 36:11 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ;
2CH 36:12 ପୁଣି, ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ; ସେ ସଦାପ୍ରଭୁଙ୍କ ମୁଖନିର୍ଗତ ବାକ୍ୟର ପ୍ରକାଶକ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସମ୍ମୁଖରେ ଆପଣାକୁ ନମ୍ର କଲେ ନାହିଁ।
2CH 36:13 ମଧ୍ୟ ଯେଉଁ ନବୂଖଦ୍‍ନିତ୍ସର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା, ସେ ତାହାର ବିଦ୍ରୋହୀ ହେଲେ; ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ।
2CH 36:14 ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।
2CH 36:15 ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ;
2CH 36:16 ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।
2CH 36:17 ଏନିମନ୍ତେ ସେ କଲ୍‍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ।
2CH 36:18 ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା।
2CH 36:19 ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
2CH 36:20 ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
2CH 36:21 ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।
2CH 36:22 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା,
2CH 36:23 “ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ‘ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।’”
EZR 1:1 ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,
EZR 1:2 “ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି।
EZR 1:3 ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି।
EZR 1:4 ଆଉ, ଯେକେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ।”
EZR 1:5 ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ।
EZR 1:6 ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ।
EZR 1:7 ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା।
EZR 1:8 ପାରସ୍ୟର ରାଜା କୋରସ୍‍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରିଦେଲା।
EZR 1:9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ;
EZR 1:10 ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର,
EZR 1:11 ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।
EZR 2:1 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ।
EZR 2:2 ଏମାନେ ଯିରୁବ୍ବାବିଲ୍‍, ଯେଶୂୟ, ନିହିମୀୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ରହୂମ୍‍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା,
EZR 2:3 ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
EZR 2:4 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
EZR 2:5 ଆରହର ସନ୍ତାନ ସାତ ଶହ ପଞ୍ଚସ୍ତରି ଜଣ।
EZR 2:6 ଯେଶୂୟ ଓ ଯୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ବାର ଜଣ।
EZR 2:7 ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
EZR 2:8 ସତ୍ତୂର ସନ୍ତାନ ନଅ ଶହ ପଞ୍ଚଚାଳିଶ ଜଣ।
EZR 2:9 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
EZR 2:10 ବାନିର ସନ୍ତାନ ଛଅ ଶହ ବୟାଳିଶ ଜଣ।
EZR 2:11 ବେବୟର ସନ୍ତାନ ଛଅ ଶହ ତେଇଶ ଜଣ।
EZR 2:12 ଅସ୍ଗଦର ସନ୍ତାନ ଏକ ହଜାର ଦୁଇ ଶହ ବାଇଶ ଜଣ।
EZR 2:13 ଅଦୋନୀକାମର ସନ୍ତାନ ଛଅ ଶହ ଛଷଠି ଜଣ।
EZR 2:14 ବିଗ୍‍ବୟର ସନ୍ତାନ ଦୁଇ ହଜାର ଛପନ ଜଣ।
EZR 2:15 ଆଦୀନର ସନ୍ତାନ ଚାରି ଶହ ଚଉବନ ଜଣ।
EZR 2:16 ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
EZR 2:17 ବେତ୍ସୟର ସନ୍ତାନ ତିନି ଶହ ତେଇଶ ଜଣ।
EZR 2:18 ଯୋରାହର ସନ୍ତାନ ଏକ ଶହ ବାର ଜଣ।
EZR 2:19 ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ।
EZR 2:20 ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।
EZR 2:21 ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ।
EZR 2:22 ନଟୋଫାର ଲୋକ ଛପନ ଜଣ।
EZR 2:23 ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।
EZR 2:24 ଅସ୍ମାବତ୍‍ର ସନ୍ତାନ ବୟାଳିଶ ଜଣ।
EZR 2:25 କିରୀୟଥ୍‍-ଯିୟାରୀମ୍‍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ।
EZR 2:26 ରାମାର ଓ ଗେବାର ସନ୍ତାନ ଛଅ ଶହ ଏକୋଇଶ ଜଣ।
EZR 2:27 ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।
EZR 2:28 ବେଥେଲ୍‍ର ଓ ଅୟର ଲୋକ ଦୁଇ ଶହ ତେଇଶ ଜଣ।
EZR 2:29 ନବୋର ସନ୍ତାନ ବାବନ ଜଣ।
EZR 2:30 ମଗ୍‍ବୀଶର ସନ୍ତାନ ଏକ ଶହ ଛପନ ଜଣ।
EZR 2:31 ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
EZR 2:32 ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
EZR 2:33 ଲୋଦ୍‍ ଓ ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ପଚିଶ ଜଣ।
EZR 2:34 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
EZR 2:35 ସନାୟାର ସନ୍ତାନ ତିନି ହଜାର ଛଅ ଶହ ତିରିଶ ଜଣ।
EZR 2:36 ଯାଜକମାନଙ୍କ ସଂଖ୍ୟା; ଯେଶୂୟ-ବଂଶଜ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
EZR 2:37 ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
EZR 2:38 ପଶ୍‍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
EZR 2:39 ହାରୀମ୍‍‍ର ସନ୍ତାନ ଏକ ହଜାର ସତର ଜଣ।
EZR 2:40 ଲେବୀୟମାନଙ୍କ ସଂଖ୍ୟା; ହୋଦବୀୟର ସନ୍ତାନମାନଙ୍କ ମଧ୍ୟରୁ ଯେଶୂୟ ଓ କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ।
EZR 2:41 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠାଇଶ ଜଣ।
EZR 2:42 ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମ୍‍ର ସନ୍ତାନ, ଆଟେରର ସନ୍ତାନ, ଟଲ୍‍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ।
EZR 2:43 ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
EZR 2:44 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
EZR 2:45 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକ୍କୂବର ସନ୍ତାନଗଣ;
EZR 2:46 ହାଗାବର ସନ୍ତାନଗଣ, ଶମ୍‍ଲୟର ସନ୍ତାନଗଣ, ହାନନ୍‍ର ସନ୍ତାନଗଣ;
EZR 2:47 ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ;
EZR 2:48 ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ;
EZR 2:49 ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ, ବେଷୟର ସନ୍ତାନଗଣ;
EZR 2:50 ଅସ୍ନାର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
EZR 2:51 ବକ୍‍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
EZR 2:52 ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
EZR 2:53 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
EZR 2:54 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
EZR 2:55 ଶଲୋମନର ଦାସମାନଙ୍କ ସନ୍ତାନଗଣ; ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ;
EZR 2:56 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
EZR 2:57 ଶଫଟୀୟର ସନ୍ତାନଗଣ, ହଟୀଲର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୀର ସନ୍ତାନଗଣ;
EZR 2:58 ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ।
EZR 2:59 ପୁଣି ତେଲ୍‍-ମେଲହ, ତେଲ୍‍-ହର୍ଶା, କଋବ୍‍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
EZR 2:60 ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବାବନ ଜଣ।
EZR 2:61 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
EZR 2:62 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।
EZR 2:63 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ।
EZR 2:64 ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ଥିଲେ।
EZR 2:65 ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ। ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ।
EZR 2:66 ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
EZR 2:67 ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ।
EZR 2:68 ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱ ସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ।
EZR 2:69 ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍‌ମା ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ।
EZR 2:70 ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।
EZR 3:1 ଆଉ, ସପ୍ତମ ମାସ ଉପସ୍ଥିତ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ସେହି ସବୁ ନଗରରେ ଥିଲେ, ସେତେବେଳେ ଲୋକମାନେ ଏକ ବ୍ୟକ୍ତି ତୁଲ୍ୟ ଏକ ମନ ହୋଇ ଯିରୂଶାଲମରେ ଏକତ୍ରିତ ହେଲେ।
EZR 3:2 ତହିଁରେ ଯୋଷାଦକର ପୁତ୍ର ଯେଶୂୟ ଓ ତାହାର ଯାଜକ-ଭ୍ରାତୃଗଣ ଓ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ତାହାର ଭ୍ରାତୃଗଣ ଉଠି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
EZR 3:3 ପୁଣି, ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦିକୁ ତହିଁର ଭିତ୍ତିମୂଳ ଉପରେ ସ୍ଥାପନ କଲେ; ଆଉ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି, ଅର୍ଥାତ୍‍, ପ୍ରଭାତୀୟ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କଲେ।
EZR 3:4 ଏଥିଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;
EZR 3:5 ଏଥିଉତ୍ତାରେ ସେମାନେ ନିତ୍ୟ ହୋମବଳି, ଆଉ ଅମାବାସ୍ୟାର ଓ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କରିବାକୁ ଲାଗିଲେ।
EZR 3:6 ସପ୍ତମ ମାସର ପ୍ରଥମ ଦିନଠାରୁ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ; ମାତ୍ର ସେସମୟରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହୋଇ ନ ଥିଲା।
EZR 3:7 ଆଉ, ସେମାନେ ପାରସ୍ୟର ରାଜା କୋରସ୍‍ର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ ମୁଦ୍ରା ଦେଲେ; ପୁଣି ଲିବାନୋନଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଷ୍ଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ ଓ ପେୟଦ୍ରବ୍ୟ ଓ ତୈଳ ଦେଲେ।
EZR 3:8 ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହକୁ ସେମାନଙ୍କ ଆଗମନର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭ୍ରାତୃଗଣ ଓ ବନ୍ଦୀଦଶାରୁ ଯିରୂଶାଲମକୁ ଆଗତ ଲୋକ ସମସ୍ତେ ଆରମ୍ଭ କରି ସଦାପ୍ରଭୁଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ।
EZR 3:9 ସେତେବେଳେ ଯେଶୂୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍‍ମୀୟେଲ ଓ ତାହାର ପୁତ୍ରଗଣ, ଯିହୁଦାର ପୁତ୍ରଗଣ, ପରମେଶ୍ୱରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ; ହେନାଦଦର ପୁତ୍ରଗଣ, ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ (ତଦ୍ରୂପ କଲେ), ଏମାନେ ଲେବୀୟ ଲୋକ।
EZR 3:10 ଆଉ, ନିର୍ମାଣକାରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିରୂପଣାନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।
EZR 3:11 ପୁଣି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକଆରେକ ପ୍ରତି ଗାନ କରି କହିଲେ, “ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।” ଆଉ, ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ।
EZR 3:12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶର ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ଗୃହ ଦେଖିଥିଲେ, ସେମାନଙ୍କ ଦୃଷ୍ଟିଗୋଚରରେ ଏହି ଗୃହର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦ ସକାଶୁ ଜୟଧ୍ୱନି କଲେ;
EZR 3:13 ତହିଁରେ ଲୋକମାନେ ଆନନ୍ଦ ଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ପ୍ରଭେଦ କରି ପାରିଲେ ନାହିଁ; ଯେଣୁ ଲୋକମାନେ ଉଚ୍ଚସ୍ୱରରେ ମହାଧ୍ୱନି କଲେ, ଆଉ ତହିଁର ଶବ୍ଦ ଅତି ଦୂରକୁ ଶୁଣାଗଲା।
EZR 4:1 ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍‍ର ବିପକ୍ଷମାନେ ଶୁଣିଲେ।
EZR 4:2 ସେତେବେଳେ ସେମାନେ ଯିରୁବ୍ବାବିଲ୍‍ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସର୍‍ହଦ୍ଦୋନ୍‍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।”
EZR 4:3 ମାତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍‍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”
EZR 4:4 ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,
EZR 4:5 ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସ୍‍ର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ।
EZR 4:6 ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।
EZR 4:7 ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍‍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।
EZR 4:8 ରହୂମ୍‍ ମନ୍ତ୍ରୀ ଓ ଶିମ୍‍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୂଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ;
EZR 4:9 ରହୂମ୍‍ ମନ୍ତ୍ରୀ ଓ ଶିମ୍‍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ଦୀନୀୟ ଓ ଅଫର୍ସ୍ତଖୀୟ, ଟର୍ପଲୀୟ, ଅଫର୍ସୀୟ, ଅର୍କବୀୟ, ବାବିଲୀୟ, ଶୂଶନୀୟ, ଦେହ୍ୱୀୟ, ଏଲମୀୟ ଲୋକମାନେ,
EZR 4:10 ଆଉ, ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ, ପୁଣି ଶମରୀୟା ନଗରରେ ଓ (ଫରାତ୍‍) ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ, ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ।
EZR 4:11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁର ପ୍ରତିଲିପି ଏହି; “(ଫରାତ୍‍) ନଦୀ ସେପାରିସ୍ଥ ଲୋକ, ଆପଣଙ୍କ ଦାସମାନଙ୍କଠାରୁ,
EZR 4:12 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆପଣଙ୍କ ନିକଟରୁ ଆଗତ ଯିହୁଦୀୟ ଲୋକମାନେ ଯିରୂଶାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି; ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣସଂସ୍କାର କରିଅଛନ୍ତି।
EZR 4:13 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ, ପୁଣି ଶେଷରେ ତାହା ରାଜାଗଣର କ୍ଷତିକର ହେବ।
EZR 4:14 ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ, ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ।
EZR 4:15 ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ-ପୁସ୍ତକ ଅନୁସନ୍ଧାନ କରାଯାଉ; ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ, ଏହି ନଗର ବିଦ୍ରୋହୀ ନଗର, ଆଉ ରାଜାଗଣ ଓ ପ୍ରଦେଶସମୂହ ପ୍ରତି ଅନିଷ୍ଟକର, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି।
EZR 4:16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।”
EZR 4:17 ଏଥିରେ ରାଜା ମନ୍ତ୍ରୀ ରହୂମ୍‍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍‍ଶୟ ଓ ସେମାନଙ୍କ ଶମରୀୟା-ନିବାସୀ ଅନ୍ୟ ସଙ୍ଗୀମାନଙ୍କର, ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା, “ତୁମ୍ଭମାନଙ୍କର ମଙ୍ଗଳ ହେଉ।
EZR 4:18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ, ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇଅଛି।
EZR 4:19 ପୁଣି, ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାଆନ୍ତେ, ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜାଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି।
EZR 4:20 ମଧ୍ୟ ଯିରୂଶାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ; ଆଉ, ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
EZR 4:21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନ ହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନ ହେବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର।
EZR 4:22 ପୁଣି ସାବଧାନ, ଏହି ବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ?”
EZR 4:23 ତହିଁରେ ରହୂମ୍‍ ଓ କାର୍ଯ୍ୟାଧ୍ୟକ୍ଷ ଶିମ୍‍ଶୟ ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ପ୍ରତିଲିପି ପଢ଼ାଯାଆନ୍ତେ, ସେମାନେ ଶୀଘ୍ର ଯିରୂଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ।
EZR 4:24 ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
EZR 5:1 ଏଥିଉତ୍ତାରେ ହାଗୟ ଭବିଷ୍ୟଦ୍‍ବକ୍ତା ଓ ଇଦ୍ଦୋର ପୁତ୍ର ଯିଖରୀୟ, ଏହି ଭବିଷ୍ୟଦ୍‍ବକ୍ତାମାନେ ଯିହୁଦା ଓ ଯିରୂଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ; ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
EZR 5:2 ତହିଁରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ; ଆଉ, ପରମେଶ୍ୱରଙ୍କ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ।
EZR 5:3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?”
EZR 5:4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ; ସେମାନେ ପଚାରିଲେ, “ଏହି ନିର୍ମାଣକାରୀମାନଙ୍କ ନାମ କଅଣ?”
EZR 5:5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରୀୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ।
EZR 5:6 ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରୀୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ପ୍ରତିଲିପି;
EZR 5:7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖାଥିଲା; “ମହାରାଜ ଦାରୀୟାବସଙ୍କର ସର୍ବଶାନ୍ତି।
EZR 5:8 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।
EZR 5:9 ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ‘ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?’
EZR 5:10 ମଧ୍ୟ ଆମ୍ଭେମାନେ ଆପଣଙ୍କୁ ଜଣାଇବା ନିମନ୍ତେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ।
EZR 5:11 ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।
EZR 5:12 ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍‍ଦୀୟ ନବୂଖଦ୍‍ନିତ୍ସର ହସ୍ତରେ ସମର୍ପଣ କରନ୍ତେ, ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା।
EZR 5:13 ମାତ୍ର ବାବିଲର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍‍ ରାଜା ଆଜ୍ଞା କଲେ।
EZR 5:14 ଆହୁରି, ନବୂଖଦ୍‍ନିତ୍ସର ପରମେଶ୍ୱରଙ୍କ ଗୃହର ଯେସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହାସବୁ କୋରସ୍‍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ, ପୁଣି ତାହାସବୁ ଶେଶବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା;
EZR 5:15 ଆଉ, ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଯିରୂଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱ ସ୍ଥାନରେ ନିର୍ମିତ ହେଉ।
EZR 5:16 ତହିଁରେ ସେହି ଶେଶବସର ଆସି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ଆଉ, ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।
EZR 5:17 ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍‍ ରାଜା ଯିରୂଶାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ, ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।”
EZR 6:1 ସେତେବେଳେ ଦାରୀୟାବସ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା।
EZR 6:2 ପୁଣି, ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ନାମକ ରାଜଗୃହରେ ଏକ ନଳାକାର ପୁସ୍ତକ ପ୍ରାପ୍ତ ହେଲା, ତହିଁ ମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା।
EZR 6:3 “କୋରସ୍‍ ରାଜାଙ୍କ ରାଜତ୍ଵର ପ୍ରଥମ ବର୍ଷରେ କୋରସ୍‍ ରାଜା ଯିରୂଶାଲମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ;
EZR 6:4 ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ;
EZR 6:5 ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।”
EZR 6:6 “ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ;
EZR 6:7 ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱ ସ୍ଥାନରେ ନିର୍ମାଣ କରନ୍ତୁ।
EZR 6:8 ଆହୁରି, ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ, ଅର୍ଥାତ୍‍, ନଦୀ ସେପାରିସ୍ଥ ରାଜ-କରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ।
EZR 6:9 ପୁଣି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ;
EZR 6:10 ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ନିମନ୍ତେ ପ୍ରାର୍ଥନା କରିବେ।
EZR 6:11 ଆହୁରି ମୁଁ ଆଜ୍ଞା କରୁଅଛି ଯେ, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ।
EZR 6:12 ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।”
EZR 6:13 ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ତତ୍ତନୟ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ।
EZR 6:14 ଏଥିରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କର ଓ ଇଦ୍ଦୋର ପୁତ୍ର ଯିଖରୀୟଙ୍କ ଭବିଷ୍ୟଦ୍‍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିରକୁ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ, ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜା କୋରସ୍‍ ଓ ଦାରୀୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ।
EZR 6:15 ଦାରୀୟାବସ ରାଜାର ରାଜତ୍ଵର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା।
EZR 6:16 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦୀତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା-ଉତ୍ସବ ପାଳନ କଲେ।
EZR 6:17 ପୁଣି, ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ ଏକ ଶହ ବୃଷ, ଦୁଇ ଶହ ମେଷ, ଚାରି ଶହ ମେଷଶାବକ ଉତ୍ସର୍ଗ କଲେ; ଆଉ, ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ ବାରଗୋଟି ଛାଗ ଉତ୍ସର୍ଗ କଲେ।
EZR 6:18 ପୁଣି, ସେମାନେ ମୋଶା-ପୁସ୍ତକର ଲିଖନାନୁସାରେ ଯିରୂଶାଲମରେ ପରମେଶ୍ୱରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ।
EZR 6:19 ଏଥିଉତ୍ତାରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ୱର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ।
EZR 6:20 କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ; ସେସମସ୍ତେ ଶୁଚି ହୋଇଥିଲେ; ଏଣୁ ସେମାନେ ବନ୍ଦୀତ୍ୱର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ-ଭ୍ରାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ।
EZR 6:21 ଆଉ, ବନ୍ଦୀତ୍ୱର ପୁନରାଗତ ଇସ୍ରାଏଲ-ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ, ସେସମସ୍ତେ ଭୋଜନ କଲେ।
EZR 6:22 ପୁଣି, ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ; କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱର, ପରମେଶ୍ୱରଙ୍କ ଗୃହକାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ।
EZR 7:1 ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍‍କୀୟର ସନ୍ତାନ,
EZR 7:2 ହିଲ୍‍କୀୟ ଶଲ୍ଲୁମ୍‍ର ସନ୍ତାନ, ଶଲ୍ଲୁମ୍‍ ସାଦୋକର ସନ୍ତାନ, ସାଦୋକ ଅହୀଟୂବ୍‍ର ସନ୍ତାନ,
EZR 7:3 ଅହୀଟୂବ୍‍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍‍ର ସନ୍ତାନ,
EZR 7:4 ମରାୟୋତ୍‍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ,
EZR 7:5 ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍‍ର ସନ୍ତାନ, ପୀନହସ୍‍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର।
EZR 7:6 ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।
EZR 7:7 ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ।
EZR 7:8 ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍‍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
EZR 7:9 କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ।
EZR 7:10 ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।
EZR 7:11 ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍‍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା,
EZR 7:12 “ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,
EZR 7:13 ମୁଁ ଆଜ୍ଞା କରୁଅଛି ଯେ, ମୋʼ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ।
EZR 7:14 କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ୱାନୁସନ୍ଧାନ କରିବାକୁ,
EZR 7:15 ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,
EZR 7:16 ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହି ସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ;
EZR 7:17 ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।
EZR 7:18 ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ।
EZR 7:19 ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର।
EZR 7:20 ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ।
EZR 7:21 ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ,
EZR 7:22 ତାହାସବୁ ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ।
EZR 7:23 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ?
EZR 7:24 ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।
EZR 7:25 ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ।
EZR 7:26 ଆଉ, ଯେକେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜ-ବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ, ଯତ୍ନପୂର୍ବକ ତାହାର ଶାସନ କରାଯିବ।”
EZR 7:27 ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି,
EZR 7:28 ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋʼ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହିରୂପେ ମୋʼ ପ୍ରତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋʼ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି।
EZR 8:1 ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା,
EZR 8:2 ପୀନହସ୍‍ର ସନ୍ତାନଗଣ ମଧ୍ୟରୁ ଗେର୍ଶୋମ; ଈଥାମରର ସନ୍ତାନଗଣ ମଧ୍ୟରୁ ଦାନିୟେଲ; ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୂଶ୍‍।
EZR 8:3 ଶଖନୀୟର ସନ୍ତାନଗଣ ମଧ୍ୟରୁ; ପରିୟୋଶର ସନ୍ତାନଗଣ ମଧ୍ୟରୁ ଜିଖରୀୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ ଏକ ଶହ ପଚାଶ ଜଣ।
EZR 8:4 ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ସରହୀୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ ଦୁଇ ଶହ ପୁରୁଷ।
EZR 8:5 ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ।
EZR 8:6 ଆଉ, ଆଦୀନର ସନ୍ତାନଗଣ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍‍ ଓ ତାହା ସଙ୍ଗେ ପଚାଶ ପୁରୁଷ।
EZR 8:7 ପୁଣି, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଅଥଲୀୟର ପୁତ୍ର ଯିଶାୟାହ ଓ ତାହା ସଙ୍ଗେ ସତୁରି ପୁରୁଷ।
EZR 8:8 ଆଉ, ଶଫଟୀୟର ସନ୍ତାନଗଣ ମଧ୍ୟରୁ ମୀଖାୟେଲର ପୁତ୍ର ସବଦୀୟ ଓ ତାହା ସଙ୍ଗେ ଅଶୀ ପୁରୁଷ।
EZR 8:9 ଯୋୟାବର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଓବଦୀୟ ଓ ତାହା ସଙ୍ଗେ ଦୁଇ ଶହ ଅଠର ପୁରୁଷ।
EZR 8:10 ଆଉ, ଶଲୋମୀତ୍‍ର ସନ୍ତାନଗଣ ମଧ୍ୟରୁ ଯୋଷିଫୀୟର ପୁତ୍ର ଓ ତାହା ସଙ୍ଗେ ଏକ ଶହ ଷାଠିଏ ପୁରୁଷ।
EZR 8:11 ପୁଣି, ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରୀୟ ଓ ତାଙ୍କ ସଙ୍ଗେ ଅଠାଇଶ ପୁରୁଷ।
EZR 8:12 ଅସ୍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍‍ ଓ ତାହା ସଙ୍ଗେ ଏକ ଶହ ଦଶ ପୁରୁଷ।
EZR 8:13 ଆଉ, ଅଦୋନୀକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି, ଇଲୀଫେଲଟ୍‍, ଯିୟୀୟେଲ୍‍ ଓ ଶମୟୀୟ; ସେମାନଙ୍କ ସଙ୍ଗେ ଷାଠିଏ ପୁରୁଷ।
EZR 8:14 ଆଉ, ବିଗ୍‍ବୟର ସନ୍ତାନଗଣ ମଧ୍ୟରୁ ଊଥୟ ଓ ସକ୍କୁର ଓ ସେମାନଙ୍କ ସଙ୍ଗେ ସତୁରି ପୁରୁଷ।
EZR 8:15 ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ।
EZR 8:16 ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍‍ନାଥନ୍‍, ଯାରିବ, ଇଲ୍‍ନାଥନ୍‍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍‍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍‍ ଓ ଇଲ୍‍ନାଥନ୍‍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
EZR 8:17 ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି।
EZR 8:18 ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ;
EZR 8:19 ଆଉ, ହଶବୀୟ ଓ ତାହା ସଙ୍ଗେ ମରାରି-ସନ୍ତାନଗଣ ମଧ୍ୟରୁ ଯିଶାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ କୋଡ଼ିଏ ଜଣକୁ;
EZR 8:20 ଆଉ, ଦାଉଦ ଓ ଅଧିପତିମାନେ ଯେଉଁ ନଥୀନୀୟମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଶହ କୋଡ଼ିଏ ଜଣ ନଥୀନୀୟ ଲୋକ ଆଣିଲେ; ଏସମସ୍ତଙ୍କ ନାମ ଲିଖିତ ହେଲା।
EZR 8:21 ଏଥିଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ।
EZR 8:22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା; “ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି, ସେସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି; ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି।” ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ।
EZR 8:23 ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ; ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ।
EZR 8:24 ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍‍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି;
EZR 8:25 ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି;
EZR 8:26 ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା;
EZR 8:27 ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।
EZR 8:28 ପୁଣି, ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ରସକଳ ମଧ୍ୟ ପବିତ୍ର ଅଟେ; ଆଉ, ଏହି ରୂପା ଓ ସୁନା ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।
EZR 8:29 ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହର କୋଠରିରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃ ବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର।”
EZR 8:30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ।
EZR 8:31 ଏଥିଉତ୍ତାରେ ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ; ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ।
EZR 8:32 ତହିଁରେ ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ।
EZR 8:33 ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ରସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୌଲା ଯାଇ ଊରୀୟ ଯାଜକର ପୁତ୍ର ମରେମୋତ୍‍ ହସ୍ତରେ ଦିଆଗଲା; ତାହା ସଙ୍ଗେ ପୀନହସ୍‍ର ପୁତ୍ର ଇଲୀୟାସର ଥିଲା; ଆଉ, ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍‍ ଓ ବିନ୍ନୁୟିର ପୁତ୍ର ନୋୟଦୀୟ, ଏହି ଲେବୀୟମାନେ ଥିଲେ;
EZR 8:34 ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ଓଜନ ଲେଖାଗଲା।
EZR 8:35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ବାର ବୃଷ, ଛୟାନବେ ମେଷ, ସତସ୍ତରି ମେଷଶାବକ, ପାପାର୍ଥକ ବଳି ନିମନ୍ତେ ବାର ଛାଗ ଉତ୍ସର୍ଗ କଲେ; ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା।
EZR 8:36 ଏଥିଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞା ପତ୍ର ସମର୍ପଣ କଲେ; ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ସାହାଯ୍ୟ କଲେ।
EZR 9:1 ଏହିସବୁ କର୍ମ ସମାପ୍ତ ହେଲା ଉତ୍ତାରେ ଅଧିପତିମାନେ ଆମ୍ଭ ନିକଟକୁ ଆସି କହିଲେ, “ଇସ୍ରାଏଲ ଲୋକମାନେ ଓ ଯାଜକମାନେ ଓ ଲେବୀୟମାନେ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର, ଅର୍ଥାତ୍‍, କିଣାନୀୟ, ହିତ୍ତୀୟ, ପରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମାନୁସାରେ କରୁଅଛନ୍ତି।
EZR 9:2 କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି; ଏହିରୂପେ ପବିତ୍ର ବଂଶ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି; ଆହୁରି, ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”
EZR 9:3 ତହିଁରେ ମୁଁ ଏହି କଥା ଶୁଣନ୍ତେ, ଆପଣା ବସ୍ତ୍ର ଓ ଚୋଗା ଚିରି ଆପଣା ମସ୍ତକ ଓ ଦାଢ଼ିର କେଶ ଛିଣ୍ଡାଇ ବିସ୍ମିତ ହୋଇ ବସିଲି।
EZR 9:4 ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି।
EZR 9:5 ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋʼ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁପାତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,
EZR 9:6 “ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି।
EZR 9:7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।
EZR 9:8 ପୁଣି, ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କୁ କିଞ୍ଚିତ୍‍ ଆଶ୍ୱାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଓ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି।
EZR 9:9 କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁର ଭଗ୍ନ ସ୍ଥାନ ପୁନଃନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜାଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି।
EZR 9:10 ଏବେ ହେ ଆମ୍ଭମାନଙ୍କ ପରମେଶ୍ୱର, ଏଥିଉତ୍ତାରେ ଆମ୍ଭେମାନେ ଆଉ କଅଣ କହିବା?
EZR 9:11 ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ଅଶୁଚିତା ଦ୍ୱାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୁଚିତାରେ ପରିପୂର୍ଣ୍ଣ କରିଅଛି।
EZR 9:12 ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭେମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।
EZR 9:13 ଏଣୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କ ଦୁଷ୍କର୍ମ ଓ ମହାଦୋଷ ସକାଶୁ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଲେ ହେଁ ତୁମ୍ଭେ ଯେ ଆମ୍ଭମାନଙ୍କ ଅପରାଧର ଉଚିତ ଦଣ୍ଡରୁ ଊଣା ଦଣ୍ଡ ଆମ୍ଭମାନଙ୍କୁ ଦେଇଅଛ ଓ ଆମ୍ଭମାନଙ୍କର ଏପରି ଅବଶିଷ୍ଟ ଲୋକ ରଖିଅଛ,
EZR 9:14 ଏହା ଦେଖି ଆମ୍ଭେମାନେ କʼଣ ପୁନର୍ବାର ତୁମ୍ଭର ଆଜ୍ଞାଲଙ୍ଘନ କରିବୁ ଓ ଏହି ଘୃଣାଯୋଗ୍ୟ କର୍ମକାରୀ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ କୁଟୁମ୍ବିତା କରିବୁ? କଲେ ତୁମ୍ଭେ କʼଣ ଆମ୍ଭମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ କ୍ରୁଦ୍ଧ ହେବ ନାହିଁ? ତହିଁରେ କେହି ଅବଶିଷ୍ଟ କି ରକ୍ଷିତ ରହିବେ ନାହିଁ।
EZR 9:15 ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ; କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ; ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ; କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”
EZR 10:1 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।
EZR 10:2 ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।
EZR 10:3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।
EZR 10:4 ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
EZR 10:5 ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ।
EZR 10:6 ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍‍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳ ପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ।
EZR 10:7 ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
EZR 10:8 ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
EZR 10:9 ତହୁଁ ଯିହୁଦା ଓ ବିନ୍ୟାମୀନ୍‍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ।
EZR 10:10 ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।
EZR 10:11 ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
EZR 10:12 ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।
EZR 10:13 ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।
EZR 10:14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
EZR 10:15 ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।
EZR 10:16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।
EZR 10:17 ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।
EZR 10:18 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଜର, ଯାରିବ ଓ ଗଦଲୀୟ।
EZR 10:19 ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରିଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ।
EZR 10:20 ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ
EZR 10:21 ଓ ହାରୀମ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ;
EZR 10:22 ଆଉ, ପଶ୍‍ହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍‍ ଓ ଇଲୀୟାସା।
EZR 10:23 ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍‍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଜର;
EZR 10:24 ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍‍ ଓ ଟେଲମ୍‍ ଓ ଊରି।
EZR 10:25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ।
EZR 10:26 ଆଉ, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍‍ଦି ଓ ଯେରେମୋତ୍‍ ଓ ଏଲୀୟ।
EZR 10:27 ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯେରେମୋତ୍‍ ଓ ସାବଦ୍‍ ଓ ଅସୀସା
EZR 10:28 ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍‍, ହନାନୀୟ, ସବ୍ବେୟ, ଅତ୍ତଲୟ;
EZR 10:29 ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍‍, ମଲ୍ଲୁକ ଓ ଅଦାୟା, ଯାଶୂବ ଓ ଶାଲ, ଯିରେମୋତ୍‍।
EZR 10:30 ଆଉ, ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍‍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;
EZR 10:31 ଆଉ, ହାରୀମ୍‍‍ର ସନ୍ତାନଗଣ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ;
EZR 10:32 ବିନ୍ୟାମୀନ୍, ମଲ୍ଲୁକ, ଶେମରୀୟ;
EZR 10:33 ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍‍, ଇଲୀଫେଲଟ୍‍, ଯିରେମୟ, ମନଃଶି, ଶିମୀୟି;
EZR 10:34 ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍‍ ଓ ଉୟେଲ;
EZR 10:35 ବନାୟ, ବେଦୀୟା, କଲୂହୂ;
EZR 10:36 ବନୀୟ, ମରେମୋତ୍‍, ଇଲୀୟାଶୀବ;
EZR 10:37 ମତ୍ତନୀୟ, ମତ୍ତନୟ ଓ ଯାଶୟ;
EZR 10:38 ଆଉ, ବାନି ଓ ବିନ୍ନୁୟି, ଶିମୀୟି;
EZR 10:39 ଶେଲିମୀୟ ଓ ନାଥନ ଓ ଅଦାୟା;
EZR 10:40 ମଗ୍ନଦ୍‍ବୟ, ଶାଶୟ, ଶାରୟ;
EZR 10:41 ଅସରେଲ୍‍ ଓ ଶେଲିମୀୟ, ଶେମରୀୟ;
EZR 10:42 ଶଲ୍ଲୁମ୍‍, ଅମରୀୟ, ଯୋଷେଫ।
EZR 10:43 ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍‍, ମତ୍ତଥୀୟ, ସାବଦ୍‍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ;
EZR 10:44 ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।
NEH 1:1 ହଖଲୀୟର ପୁତ୍ର ନିହିମୀୟାଙ୍କର ବାକ୍ୟ। କୋଡ଼ିଏତମ ବର୍ଷର କିଶ୍ଲେବ୍‍ ମାସରେ ମୁଁ ଶୂଶନ୍‍ ରାଜଧାନୀରେ ଥିଲି।
NEH 1:2 ତହିଁରେ ହନାନି ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ ଏକ ଜଣ ଓ ଯିହୁଦାରୁ କେତେକ ଲୋକ ଆସିଲେ; ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୂଶାଲମ ବିଷୟରେ ପଚାରିଲି।
NEH 1:3 ସେତେବେଳେ ସେମାନେ ମୋତେ କହିଲେ, “ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି; କାରଣ ଯିରୂଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି।”
NEH 1:4 ତହୁଁ ମୁଁ ଏହି କଥା ଶୁଣିବାମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି,
NEH 1:5 “ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ;
NEH 1:6 ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ-ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ; ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ।
NEH 1:7 ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହାସବୁ ଆମ୍ଭେମାନେ ପାଳନ କରି ନାହୁଁ।
NEH 1:8 ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ସତ୍ୟ-ଲଙ୍ଘନ କଲେ, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା;
NEH 1:9 ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା; ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର।’
NEH 1:10 ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ।
NEH 1:11 ହେ ପ୍ରଭୋ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ; ଆଉ, ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର, ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।” ଏସମୟରେ ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।
NEH 2:1 ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏତମ ବର୍ଷରେ ନୀସନ୍‍ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ କେବେ ଦୁଃଖିତ ହୋଇ ନ ଥିଲି।
NEH 2:2 ଏଥିରେ ରାଜା ମୋତେ ପଚାରିଲେ, “ତୁମ୍ଭେ ତ ପୀଡ଼ିତ ହୋଇ ନାହଁ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ।” ତହିଁରେ ମୁଁ ଅତିଶୟ ଭୀତ ହେଲି।
NEH 2:3 ପୁଣି, ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହେଉନ୍ତୁ; ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବର ସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ?”
NEH 2:4 ଏଥିରେ ରାଜା ମୋତେ କହିଲେ, “ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ?” ତହୁଁ ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି।
NEH 2:5 ପୁଣି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।”
NEH 2:6 ତହୁଁ ରାଜା ମୋତେ ପଚାରିଲେ, “(ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ?” ଏହିରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ।
NEH 2:7 ଆହୁରି, ମୁଁ ରାଜାଙ୍କୁ କହିଲି, “ଯେବେ ମହାରାଜଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ;
NEH 2:8 ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ୱାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶ ଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ।” ତହିଁରେ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।
NEH 2:9 ଏହାପରେ ମୁଁ ନଦୀ ସେପାରିର ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି, ରାଜା ମୋʼ ସଙ୍ଗେ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଥିଲେ।
NEH 2:10 ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।
NEH 2:11 ଏହିରୂପେ ମୁଁ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ରହିଲି।
NEH 2:12 ତହୁଁ ରାତ୍ରିରେ ମୁଁ ଓ ମୋʼ ସଙ୍ଗେ କେତେକ ଲୋକ ଉଠିଲୁ; ପୁଣି, ମୋର ପରମେଶ୍ୱର ଯିରୂଶାଲମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ, ତାହା ମୁଁ କାହାକୁ ଜଣାଇଲି ନାହିଁ; ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି, ତାହା ଛଡ଼ା ଅନ୍ୟ ପଶୁ ମୋʼ ସଙ୍ଗରେ ନ ଥିଲା।
NEH 2:13 ପୁଣି, ମୁଁ ରାତ୍ରିରେ ବାହାରି ଉପତ୍ୟକା-ଦ୍ୱାର ଦେଇ ନାଗକୂପ ଓ ଖତ-ଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୂଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିରେ ଦଗ୍ଧ ହୋଇଥିବା ଦ୍ୱାରସବୁ ଦେଖିଲି।
NEH 2:14 ତହୁଁ ମୁଁ ନିର୍ଝରଦ୍ୱାର ଓ ରାଜାଙ୍କର ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି; ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନ ଥିଲା।
NEH 2:15 ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ୱକୁ ଗମନ କରି ପ୍ରାଚୀର ଦେଖିଲି; ତହୁଁ ମୁଁ ବୁଲି ଉପତ୍ୟକା-ଦ୍ୱାର ଦେଇ ପ୍ରବେଶ କରି ଫେରି ଆସିଲି।
NEH 2:16 ମାତ୍ର ମୁଁ କେଉଁଆଡ଼େ ଗଲି ଓ କଅଣ କଲି, ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ; ଆଉ, ସେପର୍ଯ୍ୟନ୍ତ ମୁଁ ଯିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନ ଥିଲି।
NEH 2:17 ଏହାପରେ ମୁଁ ସେମାନଙ୍କୁ କହିଲି, “ଆମ୍ଭେମାନେ କି ପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଯିରୂଶାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ; ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାର ପାତ୍ର ନୋହିବା, ଏଥିପାଇଁ ଯିରୂଶାଲମର ପ୍ରାଚୀର ନିର୍ମାଣ କରୁ।”
NEH 2:18 ତହୁଁ ମୋʼ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ, ମଧ୍ୟ ମୋʼ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, “ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା।” ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣାମାନଙ୍କ ହସ୍ତ ସବଳ କଲେ।
NEH 2:19 ମାତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍‍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?”
NEH 2:20 ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି, “ଯେ ସ୍ୱର୍ଗସ୍ଥ ପରମେଶ୍ୱର, ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ; ଆମ୍ଭେମାନେ ତାହାଙ୍କର ଦାସ ଏଥିପାଇଁ ଉଠି ନିର୍ମାଣ କରିବୁ; ମାତ୍ର ଯିରୂଶାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ।”
NEH 3:1 ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।
NEH 3:2 ତାହାଙ୍କ ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ, ଓ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା।
NEH 3:3 ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ।
NEH 3:4 ପୁଣି, ସେମାନଙ୍କ ନିକଟରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍‍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା।
NEH 3:5 ପୁଣି, ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ; ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ।
NEH 3:6 ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍‍ ପୁରାତନ ଦ୍ୱାରର ମରାମତି କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
NEH 3:7 ପୁଣି, ସେମାନଙ୍କ ନିକଟରେ ଗିବୀୟୋନୀୟ ମଲାଟୀୟ ଓ ମେରୋଣୋଥୀୟ ଯାଦୋନ ଲୋକମାନେ ମରାମତି କଲେ, ସେମାନେ ଗିବୀୟୋନ୍‍ ଓ ମିସ୍ପା ନଗରର ମୁଖ୍ୟ ଥିଲେ, ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା।
NEH 3:8 ତାହା ନିକଟରେ ସ୍ୱର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ ମରାମତି କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ।
NEH 3:9 ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ମରାମତି କଲା।
NEH 3:10 ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହଶ୍‍ବନୀୟର ପୁତ୍ର ହଟୂଶ୍‍ ମରାମତି କଲା।
NEH 3:11 ହାରୀମ୍‍‍ର ପୁତ୍ର ମଲ୍‍କୀୟ ଓ ପହତ୍‍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ।
NEH 3:12 ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍‍ ଓ ତାହାର କନ୍ୟାମାନେ ମରାମତି କଲେ।
NEH 3:13 ହାନୂନ୍‍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ମରାମତି କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲେ, ଆଉ ଖତ-ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।
NEH 3:14 ପୁଣି, ବେଥ୍-ହକ୍କେରମ୍‍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍‍କୀୟ ଖତ ଦ୍ୱାରର ମରାମତି କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା।
NEH 3:15 ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍‍ହୋଷିର ପୁତ୍ର ଶଲ୍ଲୁନ୍‍ ନିର୍ଝର ଦ୍ୱାରର ମରାମତି କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ମରାମତି କଲା)।
NEH 3:16 ତାହା ନିକଟରେ ବେଥ୍-ସୁର ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍‍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା।
NEH 3:17 ତାହା ନିକଟରେ ଲେବୀୟମାନେ, ଅର୍ଥାତ୍‍, ବାନିର ପୁତ୍ର ରହୂମ୍‍ ମରାମତି କଲା। ତାହା ନିକଟରେ କିୟୀଲା ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଶବୀୟ ଆପଣା ପ୍ରଦେଶ ପକ୍ଷରେ ମରାମତି କଲା।
NEH 3:18 ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ, ଅର୍ଥାତ୍‍, କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦର ପୁତ୍ର ବବୟ ମରାମତି କଲା।
NEH 3:19 ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍‍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ମରାମତି କଲା।
NEH 3:20 ତାହା ନିକଟରେ ସବ୍ବୟର ପୁତ୍ର ବାରୂକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲୀୟାଶୀବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
NEH 3:21 ତତ୍ପରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ଇଲିୟାଶୀବ୍‍ର ଗୃହ ଦ୍ୱାରଠାରୁ ଇଲୀୟାଶୀବର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
NEH 3:22 ପୁଣି, ପ୍ରାନ୍ତରବାସୀ ଯାଜକମାନେ ମରାମତି କଲେ।
NEH 3:23 ସେମାନଙ୍କ ଉତ୍ତାରେ ବିନ୍ୟାମୀନ୍ ଓ ହଶୂବ ଆପଣାମାନଙ୍କ ଗୃହ ସମ୍ମୁଖରେ ମରାମତି କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରୀୟ ଆପଣା ଗୃହ ନିକଟରେ ମରାମତି କଲା।
NEH 3:24 ହେନାଦଦ୍‍ର ପୁତ୍ର ବିନ୍ନୁୟି ଅସରୀୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
NEH 3:25 ଉଷୟର ପୁତ୍ର ପାଲାଲ୍‍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ମରାମତି କଲା। ତାହାଙ୍କ ପରେ ପରିୟୋଶର ପୁତ୍ର ପଦାୟ ମରାମତି କଲା।
NEH 3:26 ଏହି ସମୟରେ ଓଫଲରେ ବାସ କରୁଥିବା ନଥୀନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ମରାମତି କଲେ।
NEH 3:27 ତାହା ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲେ।
NEH 3:28 ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ମରାମତି କଲେ।
NEH 3:29 ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।
NEH 3:30 ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍‍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ଆପଣା କୋଠରି ସମ୍ମୁଖରେ ମରାମତି କଲା।
NEH 3:31 ତାହା ପରେ ମଲ୍‍କୀୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍‍ ଦ୍ୱାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା।
NEH 3:32 ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।
NEH 4:1 ମାତ୍ର ଆମ୍ଭେମାନେ ପ୍ରାଚୀର ଗଢ଼ୁଅଛୁ ବୋଲି ଶୁଣି ସନ୍‍ବଲ୍ଲଟ୍‍ କୁପିତ ଓ ଅତିଶୟ ବିରକ୍ତ ହୋଇ ଯିହୁଦୀୟମାନଙ୍କୁ ପରିହାସ କଲା।
NEH 4:2 ଆଉ, ସେ ଆପଣା ଭ୍ରାତୃଗଣ ଓ ଶମରୀୟା ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀୟମାନେ କଅଣ କରୁଅଛନ୍ତି? ସେମାନେ କʼଣ ଗଡ଼ବନ୍ଦି କରି ରହିବେ? ସେମାନେ କʼଣ ବଳିଦାନ କରିବେ? ସେମାନେ କʼଣ ଦିନକରେ ସମାପ୍ତ କରିବେ? ସେମାନେ କʼଣ କାନ୍ଥଡ଼ାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ?”
NEH 4:3 ଏହି ସମୟରେ ଅମ୍ମୋନୀୟ ଟୋବୀୟ ତାହା ପାଖରେ ଥିଲା, ଆଉ ସେ କହିଲା, “ମଧ୍ୟ ସେମାନେ ଯାହା ଗଢ଼ୁଅଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପାଚେରୀ ଭାଙ୍ଗି ପକାଇବ।”
NEH 4:4 ହେ ଆମ୍ଭମାନଙ୍କ ପରମେଶ୍ୱର, ଶ୍ରବଣ କର; କାରଣ ଆମ୍ଭେମାନେ ତୁଚ୍ଛୀକୃତ ହେଉଅଛୁ; ସେମାନଙ୍କ ପରିହାସ ସେମାନଙ୍କ ନିଜ ମସ୍ତକରେ ବର୍ତ୍ତାଅ ଓ ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟିତ ହେବାକୁ ସମର୍ପଣ କର;
NEH 4:5 ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜିତ ନ ହେଉ; କାରଣ ନିର୍ମାଣକାରୀମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି।
NEH 4:6 ଏହିରୂପେ ଆମ୍ଭେମାନେ ପ୍ରାଚୀର ଗଢ଼ିଲୁ ଓ ତହିଁର ଉଚ୍ଚତାର ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା; ଯେଣୁ କର୍ମ କରିବାକୁ ଲୋକମାନଙ୍କର ମନ ଥିଲା।
NEH 4:7 ମାତ୍ର ଯିରୂଶାଲମ ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଭଗ୍ନସ୍ଥାନସବୁ ବନ୍ଦ ହେବାକୁ ଲାଗୁଅଛି, ଏହା ଶୁଣି ସନ୍‍ବଲ୍ଲଟ୍‍ ଓ ଟୋବୀୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ କ୍ରୁଦ୍ଧ ହେଲେ।
NEH 4:8 ପୁଣି, ସେସମସ୍ତେ ଯିରୂଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ କରିବାକୁ ଏକତ୍ର ଚକ୍ରାନ୍ତ କଲେ।
NEH 4:9 ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।
NEH 4:10 ସେତେବେଳେ ଯିହୁଦା କହିଲା, “ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି; ଏଣୁ ଆମ୍ଭେମାନେ ପ୍ରାଚୀର ଗଢ଼ି ପାରୁ ନାହୁଁ।”
NEH 4:11 ପୁଣି, ଆମ୍ଭମାନଙ୍କ ବିପକ୍ଷମାନେ କହିଲେ, “ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।”
NEH 4:12 ଆଉ, ସେମାନଙ୍କ ନିକଟବାସୀ ଯିହୁଦୀୟମାନେ ସବୁ ସ୍ଥାନରୁ ଆସି ଆମ୍ଭମାନଙ୍କୁ ଦଶ ଥର କହିଲେ, “ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରି ଆସିବାକୁ ହେବ।”
NEH 4:13 ଏହେତୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି।
NEH 4:14 ତହୁଁ ମୁଁ ଦୃଷ୍ଟିପାତ କଲି ଓ ଉଠି କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲି; “ତୁମ୍ଭେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଓ ଭୟଙ୍କର ଅଟନ୍ତି, ଆଉ ତୁମ୍ଭେମାନେ ଆପଣା ଆପଣା ଭ୍ରାତୃଗଣ, ପୁତ୍ର ଓ କନ୍ୟାଗଣ, ଆପଣା ଆପଣା ଭାର୍ଯ୍ୟାଗଣ ଓ ଗୃହ ନିମନ୍ତେ ଯୁଦ୍ଧ କର।”
NEH 4:15 ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣାଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି, ଏହା ସେମାନେ ଶୁଣନ୍ତେ, ଆମ୍ଭେମାନେ ପ୍ରତ୍ୟେକେ ପ୍ରାଚୀରରେ ଆପଣା ଆପଣା କାର୍ଯ୍ୟକୁ ଫେରିଗଲୁ।
NEH 4:16 ଆଉ, ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ଓ ସାଞ୍ଜୁଆ ଧରି ରହିଲେ; ପୁଣି, ଅଧ୍ୟକ୍ଷମାନେ ଯିହୁଦାର ସମଗ୍ର ଗୋଷ୍ଠୀର ପଛରେ ରହିଲେ।
NEH 4:17 ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବହିଲେ, ସେମାନେ ଆପେ ଆପେ ଭାର ଉଠାଇଲେ, ପ୍ରତି ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ;
NEH 4:18 ଆଉ, ନିର୍ମାଣକାରୀମାନଙ୍କର ପ୍ରତ୍ୟେକେ ଆପଣା ଆପଣା କଟିଦେଶରେ ଖଡ୍ଗ ବାନ୍ଧି ସେହିପରି କାର୍ଯ୍ୟ କଲେ। ପୁଣି, ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା।
NEH 4:19 ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟ ଭାରୀ ଓ ବିସ୍ତୀର୍ଣ୍ଣ, ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଏକଆରେକଠାରୁ ଦୂରରେ ଅଛୁ;
NEH 4:20 ଏହେତୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ; ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।”
NEH 4:21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ, ପୁଣି ପ୍ରତ୍ୟୁଷ ସମୟଠାରୁ ତାରା ଦେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ।
NEH 4:22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୂଶାଲମ ଭିତରେ ରହନ୍ତୁ, ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।”
NEH 4:23 ଏହିରୂପେ ଆମ୍ଭେ କି ଆମ୍ଭ ଭାଇମାନେ କି ଆମ୍ଭ ଦାସମାନେ କିଅବା ଆମ୍ଭ ପଶ୍ଚାଦ୍‍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ, ପ୍ରତି ଜଣ ଆପଣା ଆପଣା ଅସ୍ତ୍ରଶସ୍ତ୍ର ସହିତ ଜଳ ନିକଟକୁ ଗଲୁ।
NEH 5:1 ଏଥିଉତ୍ତାରେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣ ସ୍ୱର ଉତ୍ତୋଳନ କଲେ।
NEH 5:2 କାରଣ କେହି କେହି କହିଲେ, “ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ସମେତ ଅନେକ ଲୋକ ଅଟୁ; ତେଣୁ ଆମ୍ଭେମାନେ ଶସ୍ୟ ନେଇ ତାହା ଖାଇ ବଞ୍ଚିବା।”
NEH 5:3 ମଧ୍ୟ ଆଉ କେହି କେହି କହିଲେ, “ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଯେପରି ଦୁର୍ଭିକ୍ଷ ସମୟରେ ଆମ୍ଭମାନଙ୍କୁ ଶସ୍ୟ ମିଳୁ।”
NEH 5:4 ଆହୁରି, କେତେକ କହିଲେ, “ଆମ୍ଭେମାନେ ରାଜ-କର ପୈଠ କରିବା ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ।
NEH 5:5 ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ; ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିଅଛୁ, ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସୀ ହୋଇ ସାରିଲେଣି; ଆମ୍ଭମାନଙ୍କର ଆଉ କିଛି ଆୟତ୍ତ ନାହିଁ; କାରଣ ଅନ୍ୟ ଲୋକମାନେ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଅଧିକାର କରିଅଛନ୍ତି।”
NEH 5:6 ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥାସବୁ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲି।
NEH 5:7 ପୁଣି, ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ।” ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲି।
NEH 5:8 ଆଉ, ମୁଁ ସେମାନଙ୍କୁ କହିଲି, “ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାମର୍ଥ୍ୟରେ ମୁକ୍ତ କରିଅଛୁ, ଏବେ ତୁମ୍ଭେମାନେ କʼଣ ଆପଣା ଭାଇମାନଙ୍କୁ ବିକ୍ରି କରିବ? ଓ ସେମାନେ କʼଣ ଆମ୍ଭମାନଙ୍କ ନିକଟରେ ବିକାଯିବେ?” ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇ ପାରିଲେ ନାହିଁ।
NEH 5:9 ଆହୁରି, ମୁଁ କହିଲି, “ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟଦେଶୀୟମାନଙ୍କର ତିରସ୍କାରକୁ ରୋକିବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଭୟରେ ଆଚରଣ କରିବା କʼଣ ତୁମ୍ଭମାନଙ୍କର ଉଚିତ ନୁହେଁ?
NEH 5:10 ମଧ୍ୟ ମୁଁ, ମୋʼ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମାତ୍ର ଆମ୍ଭେମାନେ ଏହି ଋଣ ଉପରେ ସୁଧ ନେବା ବନ୍ଦ କରିବା ଉଚିତ।
NEH 5:11 ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜୀତକ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ସୁଧ ତୁମ୍ଭେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ।”
NEH 5:12 ତହିଁରେ ସେମାନେ କହିଲେ, “ଆମ୍ଭେମାନେ ଯାହା ନେଇଥିଲୁ ତାହା ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ।” ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।
NEH 5:13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, “ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ୱର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ।” ତହିଁରେ ସମସ୍ତ ସମାଜ କହିଲେ “ଆମେନ୍‍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥିଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।
NEH 5:14 ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍‍, ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ, ମୁଁ ଓ ମୋʼ ଭ୍ରାତୃଗଣ ଦେଶାଧ୍ୟକ୍ଷର ଖାଦ୍ୟ ଭୋଗ କଲୁ ନାହିଁ।
NEH 5:15 ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ; ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ।
NEH 5:16 ଆହୁରି, ମୁଁ ଏହି ପ୍ରାଚୀର-କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ; ପୁଣି, ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ।
NEH 5:17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ ଏକ ଶହ ପଚାଶ ଲୋକ ମୋʼ ଭୋଜନାସନରେ ବସିଲେ।
NEH 5:18 ସେସମୟରେ ପ୍ରତିଦିନ ଏକ ବଳଦ ଓ ଛଅଗୋଟି ବଛା ମେଷ ପ୍ରସ୍ତୁତ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପ୍ରସ୍ତୁତ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ଖାଦ୍ୟ ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଭୟଙ୍କର ହୋଇଥିଲା।
NEH 5:19 ହେ ମୋହର ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଯେଉଁ କାର୍ଯ୍ୟ କରିଅଛି, ମୋʼ ପକ୍ଷରେ ମଙ୍ଗଳ ନିମନ୍ତେ ତାହାସବୁ ସ୍ମରଣ କର।
NEH 6:1 ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।
NEH 6:2 ସେତେବେଳେ ସନ୍‍ବଲ୍ଲଟ୍‍ ଓ ଗେଶମ୍‍ ମୋʼ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ।” ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ।
NEH 6:3 ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ; ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି?”
NEH 6:4 ଏହି ପ୍ରକାରେ ସେମାନେ ଚାରି ଥର ମୋʼ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି।
NEH 6:5 ଏହାପରେ ସନ୍‍ବଲ୍ଲଟ୍‍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋʼ ନିକଟକୁ ପଠାଇଲା।
NEH 6:6 ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍‍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।
NEH 6:7 ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍‍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।”
NEH 6:8 ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।
NEH 6:9 ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି” ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର।
NEH 6:10 ଏହାପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”
NEH 6:11 ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।”
NEH 6:12 ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋʼ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍‍ବଲ୍ଲଟ୍‍ ତାହାକୁ ବେତନ ଦେଇଥିଲେ।
NEH 6:13 ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା।
NEH 6:14 ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍‍ବଲ୍ଲଟ୍‍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍‍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍‍ବକ୍ତା, ସେମାନଙ୍କୁ ସ୍ମରଣ କର।
NEH 6:15 ତହୁଁ ବାବନ ଦିନ ମଧ୍ୟରେ ଇଲୂଲ ମାସର ପଚିଶତମ ଦିନରେ ପ୍ରାଚୀର ସମାପ୍ତ ହେଲା।
NEH 6:16 ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ।
NEH 6:17 ଆହୁରି, ସେସମୟରେ ଯିହୁଦାର କୁଳୀନମାନେ ଟୋବୀୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବୀୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା।
NEH 6:18 କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍‍ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ।
NEH 6:19 ଆହୁରି, ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋʼ କଥାସବୁ ତାହାକୁ ଜଣାଇଲେ। ଆଉ, ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବୀୟ ନାନା ପତ୍ର ପଠାଇଲା।
NEH 7:1 ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ।
NEH 7:2 ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।
NEH 7:3 ଆଉ, ମୁଁ ସେମାନଙ୍କୁ କହିଲି, “ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ୱାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ୱାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ।”
NEH 7:4 ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।
NEH 7:5 ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋʼ ମନରେ ପ୍ରବୃତ୍ତି ଦେଲେ। ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
NEH 7:6 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
NEH 7:7 ଏମାନେ ଯିରୁବ୍ବାବିଲ୍‍, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
NEH 7:8 ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
NEH 7:9 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
NEH 7:10 ଆରହର ସନ୍ତାନ ଛଅ ଶହ ବାବନ ଜଣ।
NEH 7:11 ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ।
NEH 7:12 ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
NEH 7:13 ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ।
NEH 7:14 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
NEH 7:15 ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ।
NEH 7:16 ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ।
NEH 7:17 ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ।
NEH 7:18 ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ।
NEH 7:19 ବିଗ୍‍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ।
NEH 7:20 ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ।
NEH 7:21 ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
NEH 7:22 ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ।
NEH 7:23 ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ।
NEH 7:24 ହାରୀଫର ସନ୍ତାନ ଏକ ଶହ ବାର ଜଣ।
NEH 7:25 ଗିବୀୟୋନ୍‍ର ସନ୍ତାନ ପଞ୍ଚାନବେ ଜଣ।
NEH 7:26 ବେଥଲିହିମ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ।
NEH 7:27 ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।
NEH 7:28 ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ।
NEH 7:29 କିରୀୟଥ୍‍-ଯିୟାରୀମ୍‍ର, କଫୀରାର ଓ ବେରୋତର ଲୋକ ସାତ ଶହ ତେୟାଳିଶ ଜଣ।
NEH 7:30 ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
NEH 7:31 ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।
NEH 7:32 ବେଥେଲ୍‍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
NEH 7:33 ଅନ୍ୟ ନବୋର ଲୋକ ବାବନ ଜଣ।
NEH 7:34 ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
NEH 7:35 ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
NEH 7:36 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
NEH 7:37 ଲୋଦ୍‍, ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ।
NEH 7:38 ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ।
NEH 7:39 ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
NEH 7:40 ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
NEH 7:41 ପଶ୍‍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
NEH 7:42 ହାରୀମ୍‍‍ର ସନ୍ତାନ ଏକ ହଜାର ସତର ଜଣ।
NEH 7:43 ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ, ଯେଶୂୟର ସନ୍ତାନ, କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ।
NEH 7:44 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ।
NEH 7:45 ଦ୍ୱାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମ୍‍ର ସନ୍ତାନ, ଆଟେରର ସନ୍ତାନ, ଟଲ୍‍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶି ଜଣ।
NEH 7:46 ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
NEH 7:47 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
NEH 7:48 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍‍ମୟର ସନ୍ତାନଗଣ;
NEH 7:49 ହାନନ୍‍ର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
NEH 7:50 ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
NEH 7:51 ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
NEH 7:52 ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
NEH 7:53 ବକ୍‍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
NEH 7:54 ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
NEH 7:55 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
NEH 7:56 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
NEH 7:57 ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
NEH 7:58 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
NEH 7:59 ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୋନ୍‍ର ସନ୍ତାନଗଣ।
NEH 7:60 ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ।
NEH 7:61 ପୁଣି, ତେଲ୍‍-ମେଲହ, ତେଲ୍‍-ହର୍ଶା, କଋବ୍‍, ଅଦ୍ଦୋନ୍‍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
NEH 7:62 ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବୟାଳିଶ ଜଣ।
NEH 7:63 ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
NEH 7:64 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।
NEH 7:65 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।
NEH 7:66 ଆଉ, ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ।
NEH 7:67 ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ।
NEH 7:68 ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
NEH 7:69 ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗଧ ଥିଲେ।
NEH 7:70 ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍‍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।
NEH 7:71 ଆଉ, ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ଡ ରୂପା କାମ ପାଇଁ ଦେଲେ।
NEH 7:72 ଅନ୍ୟ ଲୋକ ସମସ୍ତେ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ଡ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
NEH 7:73 ଏହାପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ ଓ ଗାୟକମାନେ, ଆଉ କେତେକ ଲୋକମାନେ ଓ ନଥୀନୀୟମାନେ (ମନ୍ଦିରର ସେବକମାନେ) ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଆଉ ସପ୍ତମ ମାସ ବେଳକୁ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ।
NEH 8:1 ପୁଣି, ସମସ୍ତ ଲୋକ ଏକ ଉଦ୍ଦେଶ୍ୟରେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ; ଆଉ, ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା-ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ।
NEH 8:2 ତହିଁରେ ସପ୍ତମ ମାସର ପ୍ରଥମ ଦିନରେ, ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝି ପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲେ।
NEH 8:3 ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ, ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲେ; ଆଉ, ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା-ପୁସ୍ତକ ପ୍ରତି ନିବିଷ୍ଟ ରହିଲା।
NEH 8:4 ଆଉ, ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠର ମଞ୍ଚ ଉପରେ ଠିଆ ହେଲେ; ଆଉ, ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତ୍ତଥୀୟ, ଶେମା, ଅନାୟ, ଊରୀୟ, ହିଲ୍‍କୀୟ ଓ ମାସେୟ ଠିଆ ହେଲେ; ପୁଣି, ତାହାର ବାମ ପାର୍ଶ୍ଵରେ ପଦାୟ, ମୀଶାୟେଲ, ମଲ୍‍କୀୟ, ହଶୂମ, ହଶ୍‍ବଦ୍ଦାନା, ଜିଖରୀୟ ଓ ମଶୁଲ୍ଲମ୍‍ ଠିଆ ହେଲେ।
NEH 8:5 ଏଉତ୍ତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲେ; କାରଣ ସେ ସମସ୍ତ ଲୋକଙ୍କ ଊର୍ଦ୍ଧ୍ୱରେ ଠିଆ ହୋଇଥିଲେ; ପୁଣି, ସେ ପୁସ୍ତକ ଫିଟାନ୍ତେ, ସମସ୍ତ ଲୋକ ଠିଆ ହେଲେ।
NEH 8:6 ତହୁଁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍‍, ଆମେନ୍‍ ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
NEH 8:7 ଆହୁରି, ଯେଶୂୟ ଓ ବାନି ଓ ଶେରେବୀୟ, ଯାମୀନ୍‍, ଅକ୍କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ, ଅସରୀୟ, ଯୋଷାବଦ୍‍, ହାନନ୍‍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ; ଆଉ, ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ।
NEH 8:8 ପୁଣି, ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ, ତହୁଁ ଲୋକମାନେ ପଠନ ବୁଝି ପାରିଲେ।
NEH 8:9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।
NEH 8:10 ଆଉ, ନିହିମୀୟା ସେମାନଙ୍କୁ କହିଲା, “ଆପଣା ଆପଣା ପଥରେ ଯାଅ, ଚିକଣ ଦ୍ରବ୍ୟ ଭୋଜନ କର ଓ ମିଠା ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇ ନାହିଁ, ତାହା ନିକଟକୁ କିଛି ଅଂଶ ପଠାଅ; କାରଣ ଆଜିର ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ, ତୁମ୍ଭେମାନେ ଦୁଃଖିତ ନ ହୁଅ; ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ।”
NEH 8:11 ଏହିରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, “ନୀରବ ହୁଅ, ଆଜି ପବିତ୍ର ଦିନ! ତୁମ୍ଭେମାନେ ଦୁଃଖିତ ନ ହୁଅ।”
NEH 8:12 ଏଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟସବୁ ବୁଝିବାରୁ ସେମାନେ ସମସ୍ତେ ଭୋଜନପାନ କରିବାକୁ ଓ କିଛି ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ।
NEH 8:13 ପୁଣି, ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଅଧ୍ୟାପକ ଏଜ୍ରା ନିକଟରେ ଏକତ୍ରିତ ହେଲେ।
NEH 8:14 ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖା ଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ-ସନ୍ତାନଗଣ ପତ୍ରକୁଟୀରରେ କିପରି ବାସ କରିବେ;
NEH 8:15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, “ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦି ଶାଖା ଓ ଖର୍ଜ୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।”
NEH 8:16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ।
NEH 8:17 ପୁଣି, ବନ୍ଦୀତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ; ନୂନର ପୁତ୍ର ଯେଶୂୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସେପରି ଆନନ୍ଦ କରି ନ ଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା।
NEH 8:18 ଆହୁରି, ଏଜ୍ରା ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ। ପୁଣି, ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ; ଆଉ, ବ୍ୟବସ୍ଥାନୁସାରେ ଅଷ୍ଟମ ଦିନ ମହାସଭା ହେଲା।
NEH 9:1 ସେହି ମାସର ଚବିଶତମ ଦିନରେ ଇସ୍ରାଏଲ-ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ।
NEH 9:2 ଆଉ, ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ କଲେ, ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପୂର୍ବପୁରୁଷଗଣଙ୍କ ଅପରାଧ ସ୍ୱୀକାର କଲେ।
NEH 9:3 ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ।
NEH 9:4 ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍‍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ।
NEH 9:5 ଯେଶୂୟ ଓ କଦ୍‍ମୀୟେଲ, ବାନି, ହଶବନୀୟ, ଶେରେବୀୟ, ହୋଦୀୟ, ଶବନୀୟ ଓ ପଥାହୀୟ, ଓ ଲେବୀୟମାନେ କହିଲେ, “ଉଠ, ଅନାଦିକାଳରୁ ଅନନ୍ତକାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର; ପୁଣି, ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
NEH 9:6 କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।
NEH 9:7 ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ, ତୁମ୍ଭେ ଅବ୍ରାମଙ୍କୁ ମନୋନୀତ କଲ ଓ କଲ୍‍ଦୀୟମାନଙ୍କ ଊର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରହାମ ନାମ ଦେଲ;
NEH 9:8 ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ, ପୁଣି କିଣାନୀୟ, ହିତ୍ତୀୟ, ଇମୋରୀୟ ଓ ପରିଷୀୟ ଓ ଯିବୂଷୀୟ ଓ ଗିର୍ଗାଶୀୟ ଲୋକମାନଙ୍କ ଦେଶ ଦେବାକୁ, ଅର୍ଥାତ୍‍, ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ, ପୁଣି ଆପଣା ବାକ୍ୟ ସଫଳ କରିଅଛ; କାରଣ ତୁମ୍ଭେ ଧର୍ମମୟ।
NEH 9:9 ଏଥିଉତ୍ତାରେ ତୁମ୍ଭେ ମିସର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ;
NEH 9:10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ; କାରଣ ମିସରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।
NEH 9:11 ପୁଣି, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ; ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ।
NEH 9:12 ଆହୁରି, ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ।
NEH 9:13 ମଧ୍ୟ ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ;
NEH 9:14 ଆଉ, ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ଆଦେଶ କଲ;
NEH 9:15 ପୁଣି, ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲେ, ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇ ଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲେ।
NEH 9:16 ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ,
NEH 9:17 ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
NEH 9:18 ହଁ, ଏପରିକି ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କରି କହିଲେ, ‘ଯେଉଁ ଦେବତା ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି,’ ଏହା କହି ପ୍ରଭୁଙ୍କୁ ମହା ଅପମାନ କଲେ;
NEH 9:19 ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ; ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ।
NEH 9:20 ଆହୁରି, ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନ୍ନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
NEH 9:21 ତୁମ୍ଭେ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ, ସେମାନଙ୍କର କିଛି ଅଭାବ ହେଲା ନାହିଁ; ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ।
NEH 9:22 ଆହୁରି, ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ; ତହୁଁ ସେମାନେ ସୀହୋନ ଦେଶ, ଅର୍ଥାତ୍‍, ହିଷ୍‍ବୋନ ରାଜାର ଦେଶ ଓ ବାଶନର ଓଗ୍‍ ରାଜାର ଦେଶ ଅଧିକାର କଲେ।
NEH 9:23 ଆହୁରି, ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ।
NEH 9:24 ଏହିରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ, ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜାଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
NEH 9:25 ତହିଁରେ ସେମାନେ ପ୍ରାଚୀର-ବେଷ୍ଟିତ ନଗରସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ; ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ।
NEH 9:26 ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।
NEH 9:27 ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
NEH 9:28 ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ; ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ, ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ।
NEH 9:29 ପୁଣି, ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ; ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନଯୋଗ କଲେ ନାହିଁ ଓ ଆପଣା ଆପଣା ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ।
NEH 9:30 ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟଦ୍‍ବକ୍ତାଗଣ ଦେଇ ସେମାନଙ୍କୁ ଚେତାବନୀ ଦେଲ; ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ; ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ହସ୍ତରେ ସମର୍ପଣ କଲ।
NEH 9:31 ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ, ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ; କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ।
NEH 9:32 ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ, ଅଶୂରୀୟ ରାଜାଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜାଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟଦ୍‍ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଳେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
NEH 9:33 ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
NEH 9:34 ପୁଣି, ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରି ନାହାନ୍ତି।
NEH 9:35 ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି, କିଅବା ଆପଣା ଆପଣା ଦୁଷ୍କର୍ମରୁ ଫେରି ନାହାନ୍ତି।
NEH 9:36 ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ! ପୁଣି ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
NEH 9:37 ଆଉ, ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜାଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନେ ସେହି ଦେଶର ପ୍ରଚୁର ଫଳ ଉତ୍ପନ୍ନ କରି ଭୋଗ କରୁଅଛନ୍ତି; ମଧ୍ୟ ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି, ଆଉ ଆମ୍ଭେମାନେ ମହାକ୍ଳେଶରେ ଅଛୁ।”
NEH 9:38 ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।
NEH 10:1 ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;
NEH 10:2 ସରାୟ, ଅସରୀୟ, ଯିରିମୀୟ;
NEH 10:3 ପଶ୍‍ହୂର, ଅମରୀୟ, ମଲ୍‍କୀୟ;
NEH 10:4 ହଟୂଶ୍‍, ଶବନୀୟ, ମଲ୍ଲୂକ;
NEH 10:5 ହାରୀମ୍‍, ମରେମୋତ୍‍, ଓବଦୀୟ;
NEH 10:6 ଦାନିୟେଲ, ଗିନ୍ନଥୋନ, ବାରୂକ;
NEH 10:7 ମଶୁଲ୍ଲମ୍‍, ଅବୀୟ, ମିୟାମୀନ୍‍।
NEH 10:8 ମାସିୟ, ବିଲ୍‍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ।
NEH 10:9 ଆଉ, ଲେବୀୟଗଣ, ଯଥା, ଅସନିୟର ପୁତ୍ର ଯେଶୂୟ; ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କଦ୍‍ମୀୟେଲ।
NEH 10:10 ପୁଣି, ସେମାନଙ୍କର ଭ୍ରାତୃଗଣ, ଶବନୀୟ, ହୋଦୀୟ, କଲିଟ, ପଲାୟ, ହାନନ୍‍;
NEH 10:11 ମୀକା, ରହୋବ, ହଶବୀୟ;
NEH 10:12 ସକ୍କୁର, ଶେରେବୀୟ, ଶବନୀୟ;
NEH 10:13 ହୋଦୀୟ, ବାନି, ବନୀନୁ।
NEH 10:14 ଲୋକମାନଙ୍କର ପ୍ରଧାନବର୍ଗ, ଯଥା, ପରିୟୋଶ, ପହତ୍‍-ମୋୟାବ, ଏଲମ୍‍; ସତ୍ତୂ, ବାନି;
NEH 10:15 ବୁନ୍ନି, ଅସ୍ଗଦ, ବେବୟ;
NEH 10:16 ଅଦୋନୀୟ, ବିଗ୍‍ବୟ, ଆଦୀନ;
NEH 10:17 ଆଟେର, ହିଜକୀୟ, ଅସୂର;
NEH 10:18 ହୋଦୀୟ, ହଶୂମ, ବେତ୍ସୟ,
NEH 10:19 ହାରୀଫ, ଅନାଥୋତ୍‍, ନୋବୟ;
NEH 10:20 ମଗ୍‍ପୀୟସ୍‍, ମଶୁଲ୍ଲମ୍‍, ହେଷୀର;
NEH 10:21 ମଶେଷବେଲ୍‍, ସାଦୋକ, ଯଦ୍ଦୁୟ;
NEH 10:22 ପ୍ଲଟୀୟ, ହାନନ୍‍, ଅନାୟ;
NEH 10:23 ହୋଶେୟ, ହନାନୀୟ, ହଶୂବ;
NEH 10:24 ହଲୋହେଶ, ପିଲହ, ଶୋବେକ;
NEH 10:25 ରହୂମ୍‍, ହଶବ୍‍ନା, ମାସେୟ,
NEH 10:26 ପୁଣି, ଅହୀୟ, ହାନନ୍‍, ଅନାନ୍‍;
NEH 10:27 ମଲ୍ଲୂକ, ହାରୀମ୍‍, ବାନା।
NEH 10:28 ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;
NEH 10:29 ସେମାନେ ଆପଣାମାନଙ୍କ ଭ୍ରାତୃଗଣ, ଆପଣାମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ୱରଙ୍କ ଦାସ ମୋଶାଙ୍କ ଦ୍ୱାରା ଦତ୍ତ ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗ-ପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ;
NEH 10:30 ଆଉ କହିଲେ, “ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ, କିଅବା ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ;”
NEH 10:31 ଆଉ, ଦେଶସ୍ଥ ଲୋକମାନେ ବିଶ୍ରାମବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକ୍ରି କରିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମବାରରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ; ଆଉ, ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ।
NEH 10:32 ଆହୁରି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବାକାର୍ଯ୍ୟ ନିମନ୍ତେ,
NEH 10:33 ଅର୍ଥାତ୍‍, ଦର୍ଶନୀୟ ରୁଟିର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମବାରର, ଅମାବାସ୍ୟାର ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତି ବର୍ଷ ଏକ ଏକ ଶେକଲର ତୃତୀୟାଂଶ ଦାନ କରିବା ଭାର ଆପଣାମାନଙ୍କ ଉପରେ ନେବାର ବିଧାନ କଲୁ।
NEH 10:34 ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଜ୍ୱଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍‍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ।
NEH 10:35 ଆହୁରି, ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ,
NEH 10:36 ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ,
NEH 10:37 ପୁଣି, ଆମ୍ଭମାନଙ୍କ ଚକଟା ମଇଦାର ପ୍ରାଥମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରିକୁ ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ; କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି-ନଗରରେ ଦଶମାଂଶ ଆଦାୟ କରନ୍ତି।
NEH 10:38 ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ-ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ; ଆଉ, ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର-କୋଠରିକୁ ଦଶମାଂଶର ଦଶମାଂଶ ଆଣିବେ।
NEH 10:39 କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ ଯାଜକମାନେ, ଆଉ ଦ୍ୱାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥାʼନ୍ତି, ସେଠାକୁ ଇସ୍ରାଏଲ-ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ।
NEH 11:1 ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
NEH 11:2 ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
NEH 11:3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
NEH 11:4 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍‍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
NEH 11:5 ଆଉ, ବାରୂକର ପୁତ୍ର ମାସେୟ, ସେହି ବାରୂକ କଲ୍‍ହୋଷିର ପୁତ୍ର, କଲ୍‍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍‍ର ପୁତ୍ର, ଯୋୟାରୀବ୍‍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
NEH 11:6 ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀରପୁରୁଷ ଯିରୂଶାଲମରେ ବାସ କଲେ।
NEH 11:7 ବିନ୍ୟାମୀନ୍‍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍‍ ଯୋୟେଦ୍‍ର ପୁତ୍ର, ଯୋୟେଦ୍‍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
NEH 11:8 ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
NEH 11:9 ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
NEH 11:10 ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍‍ର ପୁତ୍ର ଯିଦୟୀୟ, ଯାଖୀନ୍‍,
NEH 11:11 ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମ୍‍ର ପୁତ୍ର, ମଶୁଲ୍ଲମ୍‍ ସାଦୋକର ପୁତ୍ର, ସାଦୋକ ମରାୟୋତ୍‍ର ପୁତ୍ର, ମରାୟୋତ୍‍ ଅହୀଟୂବ୍‍ର ପୁତ୍ର, ଅହୀଟୂବ୍‍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
NEH 11:12 ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମର ପୁତ୍ର ଅଦାୟା, ସେହି ଯିରୋହମ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍‍ହୂରର ପୁତ୍ର, ପଶ୍‍ହୂର ମଲ୍‍କୀୟର ପୁତ୍ର,
NEH 11:13 ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍‍ର ପୁତ୍ର ଅମଶୟ, ସେହି ଅସରେଲ୍‍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍‍ର ପୁତ୍ର, ମଶିଲ୍ଲେମୋତ୍‍ ଇମ୍ମେରର ପୁତ୍ର,
NEH 11:14 ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍‍ଦୋଲୀମ୍‌ର ପୁତ୍ର ସବ୍‍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
NEH 11:15 ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍‍ର ପୁତ୍ର ଶମୟୀୟ, ସେହି ହଶୂବ୍‍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
NEH 11:16 ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍‍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
NEH 11:17 ଆଉ, ଆସଫର ବଂଶଜାତ ସବ୍‍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍‍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ୍-ବଂଶଜାତ ଗାଲଲ୍‍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍‍ଦ।
NEH 11:18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
NEH 11:19 ଆହୁରି, ଦ୍ୱାରପାଳ ଅକ୍କୂବ, ଟଲ୍‍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
NEH 11:20 ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
NEH 11:21 ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
NEH 11:22 ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
NEH 11:23 କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
NEH 11:24 ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍‍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
NEH 11:25 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍‍, କିରୀୟଥ୍‍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍‍ସେଲ ଓ ତହିଁର ଗ୍ରାମରେ;
NEH 11:26 ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
NEH 11:27 ଆଉ ହତ୍‍ସର-ଶୁୟାଲ୍‍ରେ, ବେର୍‍ଶେବା ଓ ତହିଁର ଉପନଗରରେ;
NEH 11:28 ଆଉ ସିକ୍ଲଗ୍‍ରେ, ମକୋନା ଓ ତହିଁର ଉପନଗରରେ;
NEH 11:29 ଆଉ ଐନ୍‍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
NEH 11:30 ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍‍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍‍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
NEH 11:31 ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍‍ମସ୍‍ ଓ ଅୟାରେ, ବେଥେଲ୍‍ ଓ ତହିଁର ଉପନଗରରେ;
NEH 11:32 ଅନାଥୋତ୍‍, ନୋବ ଓ ଅନନୀୟାରେ;
NEH 11:33 ହାସୋର, ରାମା, ଗିତ୍ତୟିମରେ;
NEH 11:34 ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;
NEH 11:35 ଲୋଦ୍‍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
NEH 11:36 ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ।
NEH 12:1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;
NEH 12:2 ଅମରୀୟ, ମଲ୍ଲୂକ, ହଟୂଶ୍‍,
NEH 12:3 ଶଖନୀୟ, ରହୂମ୍‍, ମରେମୋତ୍‍;
NEH 12:4 ଇଦ୍ଦୋ, ଗିନ୍ନଥୋୟ, ଅବୀୟ;
NEH 12:5 ମିୟାମୀନ୍‍, ମୋୟଦୀୟ, ବିଲ୍ଗା;
NEH 12:6 ଶମୟୀୟ ଓ ଯୋୟାରୀବ୍‍, ଯିଦୟୀୟ;
NEH 12:7 ସଲ୍ଲ, ଆମୋକ, ହିଲ୍‍କୀୟ, ଯିଦୟୀୟ। ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ।
NEH 12:8 ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍‍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନୀୟ, ଏହି ମତ୍ତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ।
NEH 12:9 ମଧ୍ୟ ସେମାନଙ୍କର ଭ୍ରାତା ବକ୍‍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ।
NEH 12:10 ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍,
NEH 12:11 ଯୋୟାଦ୍‍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ।
NEH 12:12 ପୁଣି, ଯୋୟାକୀମ୍‍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ;
NEH 12:13 ଯିରିମୀୟ-ବଂଶର ହନାନୀୟ; ଏଜ୍ରା-ବଂଶର ମଶୁଲ୍ଲମ୍‍; ଅମରୀୟ-ବଂଶର ଯିହୋହାନନ୍‍;
NEH 12:14 ମଲ୍ଲୁକି-ବଂଶର ଯୋନାଥନ, ଶବନୀୟ-ବଂଶର ଯୋଷେଫ;
NEH 12:15 ହାରୀମ-ବଂଶର ଅଦନ୍‍; ମରାୟୋତ୍‍-ବଂଶର ହିଲ୍‍କୟ;
NEH 12:16 ଇଦ୍ଦୋ-ବଂଶର ଜିଖରୀୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍‍;
NEH 12:17 ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍‍ଟେୟ;
NEH 12:18 ବିଲ୍ଗା-ବଂଶର ଶମ୍ମୂୟ; ଶମୟୀୟ-ବଂଶର ଯିହୋନାଥନ୍‍;
NEH 12:19 ଆଉ, ଯୋୟାରୀବ୍‍-ବଂଶର ମତ୍ତନୟ; ଯିଦୟୀୟ-ବଂଶର ଉଷି;
NEH 12:20 ସଲ୍ଲୟ-ବଂଶର କଲ୍ଲୟ;
NEH 12:21 ଆମୋକ-ବଂଶର ଏବର; ହିଲ୍‍କୀୟ-ବଂଶର ହଶବୀୟ; ଯିଦୟୀୟ-ବଂଶର ନଥନେଲ।
NEH 12:22 ଇଲୀୟାଶୀବ, ଯୋୟାଦ୍‍ ଓ ଯୋହାନନ୍‍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରୀୟାବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ।
NEH 12:23 ଲେବୀ ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲୀୟାଶୀବର ପୁତ୍ର ଯୋହାନନ୍‍ର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା।
NEH 12:24 ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍‍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
NEH 12:25 ମତ୍ତନୀୟ ଓ ବକ୍‍ବୁକୀୟ, ଓବଦୀୟ, ମଶୁଲ୍ଲମ୍‍, ଟଲ୍‍ମୋନ, ଅକ୍କୂବ, ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର-ଗୃହସକଳର ପ୍ରହରୀକର୍ମ କଲେ।
NEH 12:26 ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ୍‍ ସମୟରେ, ଆଉ ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ।
NEH 12:27 ଏଥିଉତ୍ତାରେ ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।
NEH 12:28 ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ;
NEH 12:29 ମଧ୍ୟ ବେଥ୍-ଗିଲ୍‍ଗଲରୁ, ଆଉ ଗେବା ଓ ଅସ୍ମାବତ୍‍ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୂଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ।
NEH 12:30 ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।
NEH 12:31 ଏଥିଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ୱାର ଆଡ଼କୁ ଗଲେ;
NEH 12:32 ପୁଣି, ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ,
NEH 12:33 ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍‍,
NEH 12:34 ଯିହୁଦା ଓ ବିନ୍ୟାମୀନ୍ ଓ ଶମୟୀୟ ଓ ଯିରିମୀୟ
NEH 12:35 ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୁରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଜିଖରୀୟ
NEH 12:36 ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ୍‍, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ;
NEH 12:37 ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ।
NEH 12:38 ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;
NEH 12:39 ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।
NEH 12:40 ଏହିରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ;
NEH 12:41 ଆଉ ଇଲୀୟାକୀମ୍‍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋଐନୟ, ଜିଖରୀୟ, ହନାନୀୟ, ତୂରୀବାଦକ, ଏହି ଯାଜକମାନେ;
NEH 12:42 ଆଉ, ମାସେୟ ଓ ଶମୟୀୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍‍ ଓ ମଲ୍‍କୀୟ ଓ ଏଲମ୍‍ ଓ ଏସର୍‍, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହିୟ ଉଚ୍ଚସ୍ୱରରେ ଗାନ କଲେ।
NEH 12:43 ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୂଶାଲମର ଆନନ୍ଦଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।
NEH 12:44 ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା।
NEH 12:45 ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ଶୁଚି ହେଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ।
NEH 12:46 କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।
NEH 12:47 ପୁଣି, ଯିରୁବ୍ବାବିଲ୍‍ ଓ ନିହିମୀୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ।
NEH 13:1 ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,
NEH 13:2 କାରଣ ସେମାନେ ଅନ୍ନ ଓ ଜଳ ନେଇ ଇସ୍ରାଏଲ-ସନ୍ତାନଗଣକୁ ସାକ୍ଷାତ କଲେ ନାହିଁ, ମାତ୍ର ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ବିଲୀୟମ୍‍କୁ ବେତନ ଦେଲେ; ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
NEH 13:3 ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
NEH 13:4 ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,
NEH 13:5 ଇଲୀୟାଶୀବ ଟୋବୀୟ ନିମନ୍ତେ ଏକ ବୃହତ କୋଠରି ପ୍ରସ୍ତୁତ କରିଥିଲା, ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ; ଆଉ, ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ।
NEH 13:6 ମାତ୍ର ମୁଁ ଏସବୁ ସମୟରେ ଯିରୂଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର ବତିଶ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ପାଇଁ ଅନୁମତି ମାଗିଲି;
NEH 13:7 ଏଉତ୍ତାରେ ମୁଁ ଯିରୂଶାଲମକୁ ଆସି ଇଲୀୟାଶୀବ, ଟୋବୀୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରି ପ୍ରସ୍ତୁତ କରି ଯେଉଁ ଭୁଲ୍ କରିଥିଲା, ତାହା ବୁଝିଲି।
NEH 13:8 ଏଥିରେ ମୁଁ ଅତ୍ୟନ୍ତ କ୍ରୋଧିତ ହୋଇ ସେହି କୋଠରିରୁ ଟୋବୀୟର ସମସ୍ତ ଗୃହସାମଗ୍ରୀ ବାହାର କରି ଫୋପାଡ଼ି ଦେଲି।
NEH 13:9 ତହୁଁ ମୁଁ ଆଜ୍ଞା କରନ୍ତେ, ସେମାନେ କୋଠରିସବୁ ଶୁଚି କଲେ; ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
NEH 13:10 ଆହୁରି, ମୁଁ ଦେଖିଲି ଯେ, ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନ ଥିଲା; ତେଣୁ ପ୍ରତ୍ୟେକେ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ମନ୍ଦିର ଛାଡ଼ି ଆପଣା ଆପଣା ଭୂମିକୁ ଗଲେ।
NEH 13:11 ତହିଁରେ “କାହିଁକି ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି?” ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି, ପୁଣି, ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି।
NEH 13:12 ତହୁଁ ସମଗ୍ର ଯିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ।
NEH 13:13 ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍‍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।
NEH 13:14 ହେ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି, ମୋହର କୃତ ସେହି ସୁକର୍ମସବୁ ଲିଭାଇ ନ ଦିଅ।
NEH 13:15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମବାରରେ ଦ୍ରାକ୍ଷା ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର, ମଧ୍ୟ ବିଶ୍ରାମବାରରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଓ ସର୍ବପ୍ରକାର ବୋଝ ଯିରୂଶାଲମକୁ ଆଣିବାର ଦେଖିଲି; ପୁଣି, ଯେଉଁ ଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହି ଦିନ ମୁଁ ସେମାନଙ୍କ ଚେତାବନୀ ଦେଲି।
NEH 13:16 ମଧ୍ୟ ନଗରରେ ସୋରୀୟ ଲୋକେ ବାସ କରୁଥିଲେ, ସେମାନେ ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରେୟ ଦ୍ରବ୍ୟ ଆଣି ବିଶ୍ରାମବାରରେ ଯିହୁଦାର ସନ୍ତାନଗଣ ନିକଟରେ ଓ ଯିରୂଶାଲମରେ ବିକ୍ରି କଲେ।
NEH 13:17 ତହିଁରେ ମୁଁ ଯିହୁଦାର ନେତାମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଏ କି କୁକର୍ମ କରୁଅଛ?
NEH 13:18 ତୁମ୍ଭମାନଙ୍କ ପିତୃପୁରୁଷମାନେ କʼଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ, ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ।”
NEH 13:19 ଏଉତ୍ତାରେ ବିଶ୍ରାମବାର ପୂର୍ବେ ଯିରୂଶାଲମର ଦ୍ୱାରସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟସବୁ ବନ୍ଦ କରିବାକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଗତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି; ପୁଣି, ବିଶ୍ରାମବାର କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରସମୂହରେ ନିଯୁକ୍ତ କଲି।
NEH 13:20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଏକ ଦୁଇ ଥର ଯିରୂଶାଲମ ବାହାରେ ରାତ୍ରି କ୍ଷେପଣ କଲେ।
NEH 13:21 ତହିଁରେ ମୁଁ ସେମାନଙ୍କୁ ଚେତାବନୀ ଦେଇ ସେମାନଙ୍କୁ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟଠାରୁ ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।
NEH 13:22 ଏଉତ୍ତାରେ ମୁଁ ଲେବୀୟମାନଙ୍କୁ ବିଶ୍ରାମବାର ପବିତ୍ର କରିବା ନିମନ୍ତେ ଆପଣା ଆପଣାକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ରକ୍ଷା କରିବାକୁ ଆଜ୍ଞା କଲି। ହେ ମୋହର ପରମେଶ୍ୱର, ମୋʼ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଦୟାର ମହତ୍ତ୍ୱାନୁସାରେ ମୋତେ ରକ୍ଷା କର।
NEH 13:23 ସେହି ସମୟରେ ମଧ୍ୟ ଯେଉଁ ଯିହୁଦୀୟମାନେ ଅସ୍ଦୋଦ, ଅମ୍ମୋନ ଓ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି;
NEH 13:24 ପୁଣି, ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ।
NEH 13:25 ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।
NEH 13:26 ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରି ନ ଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।
NEH 13:27 ତେବେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିବା ଦ୍ୱାରା ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଏହିସବୁ ମହାପାପ କରିବାକୁ କି ଆମ୍ଭେମାନେ ତୁମ୍ଭମାନଙ୍କ କଥା ଶୁଣିବୁ?”
NEH 13:28 ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।
NEH 13:29 ହେ ମୋହର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ-ପଦକୁ, ଆଉ ଯାଜକ-ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି।
NEH 13:30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି;
NEH 13:31 ଆଉ, ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋହର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।
EST 1:1 ଅକ୍ଷଶ୍ୱେରଶ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ ପ୍ରଦେଶ ଉପରେ ରାଜ୍ୟ କଲେ।
EST 1:2 ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍‍ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ,
EST 1:3 ଆପଣା ରାଜତ୍ଵର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ; ତହିଁରେ ପାରସ୍ୟ ଓ ମାଦୀୟା ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ।
EST 1:4 ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍‍, ଏକ ଶତ ଅଶୀ ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲେ।
EST 1:5 ତହୁଁ ଏସବୁ ଦିନ ଗତ ହୁଅନ୍ତେ, ରାଜା ଶୂଶନ୍‍ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ ସାତ ଦିନ ପର୍ଯ୍ୟନ୍ତ ଭୋଜ କଲେ।
EST 1:6 ସେଠାରେ କାର୍ପାସନିର୍ମିତ, ଶୁକ୍ଳ, ହରିତ୍‍ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା, ତାହା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜ୍ଜୁ ଦ୍ୱାରା ରୌପ୍ୟମୟ କଡ଼ାରେ ମର୍ମର ସ୍ତମ୍ଭରେ ବନ୍ଧା ଥିଲା, ପୁଣି ରକ୍ତ ଓ ଶୁକ୍ଳ ଓ ପୀତ ଓ କୃଷ୍ଣବର୍ଣ୍ଣ ମର୍ମର ପ୍ରସ୍ତର ନିର୍ମିତ ଚଟାଣ ଉପରେ ସ୍ୱର୍ଣ୍ଣ ଓ ରୌପ୍ୟମୟ ଆସନ ଥିଲା।
EST 1:7 ଆଉ, ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାଙ୍କ ଉଦାରତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ।
EST 1:8 ଯଦ୍ୟପି ପାନ କରିବା ବିଧିଗତ ଥିଲା; କିନ୍ତୁ କାହାରି ପାଇଁ ପାନ କରିବା ବାଧ୍ୟତାମୂଳକ କରାଯାଇ ନ ଥିଲା; କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛାନୁସାରେ ପାନ କରିବାର ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲେ।
EST 1:9 ମଧ୍ୟ ରାଣୀ ବଷ୍ଟୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ।
EST 1:10 ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ,
EST 1:11 ତୁମ୍ଭେମାନେ ଲୋକମାନଙ୍କୁ ଓ ଅଧିପତିଗଣଙ୍କୁ ବଷ୍ଟୀ ରାଣୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ତାହାଙ୍କୁ ରାଜମୁକୁଟରେ ଭୂଷିତା କରି ରାଜାଙ୍କ ଛାମୁକୁ ଆଣ, ଯେଣୁ ସେ ପରମସୁନ୍ଦରୀ ଥିଲେ।
EST 1:12 ମାତ୍ର ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାଙ୍କ କଥିତ ଆଜ୍ଞାରେ ଆସିବାକୁ ଅସମ୍ମତା ହେଲା; ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାଙ୍କ ଅନ୍ତରରେ କ୍ରୋଧ ପ୍ରଜ୍ୱଳିତ ହେଲା।
EST 1:13 ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା;
EST 1:14 ଆଉ, [ଏହି ସମୟରେ] କର୍ଶନା, ଶେଥର, ଅଦ୍‍ମାଥା, ତର୍ଶୀଶ, ମେରସ୍‍, ମେର୍ସନା ଓ ମମୁଖନ୍‍ ରାଜାଙ୍କ ନିକଟବର୍ତ୍ତୀ ଥିଲେ; ଏହି ସାତ ଜଣ ପାରସ୍ୟ ଓ ମାଦୀୟା ଦେଶର ଅଧିପତି, ରାଜାଙ୍କ ମୁଖଦର୍ଶନକାରୀ, ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ)
EST 1:15 (ରାଜା ପଚାରିଲେ) “ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷଶ୍ୱେରଶ ରାଜାଙ୍କ ଆଜ୍ଞା ନ ମାନିବାରୁ ବ୍ୟବସ୍ଥାନୁସାରେ ଆମ୍ଭେମାନେ ତାହାଙ୍କୁ କଅଣ କରିବା?”
EST 1:16 ଏଥିରେ ମମୁଖନ୍‍ ରାଜାଙ୍କ ଓ ଅଧିପତିଗଣଙ୍କ ସାକ୍ଷାତରେ ଉତ୍ତର ଦେଲା, “ବଷ୍ଟୀ ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛନ୍ତି।
EST 1:17 କାରଣ ରାଣୀଙ୍କ ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପି ଯିବ, ‘ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀ ରାଣୀଙ୍କୁ ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲେ ନାହିଁ;’ ଏହି ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ।
EST 1:18 ଆଉ, ପାରସ୍ୟ ଓ ମାଦୀୟାର ଯେଉଁ କୁଳୀନା ସ୍ତ୍ରୀଗଣ ରାଣୀଙ୍କ ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାଙ୍କ ସମସ୍ତ ଅଧିପତିଙ୍କୁ ଏହିରୂପେ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।
EST 1:19 ଏନିମନ୍ତେ ଯେବେ ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜା ତାହାର ରାଣୀପଦ ଅନ୍ୟକୁ ଦିଅନ୍ତୁ ଯେ ତାହା ଅପେକ୍ଷା ଅଧିକ ଉତ୍ତମ ଅଟନ୍ତି।
EST 1:20 ଆହୁରି, ରାଜ୍ୟ ବୃହତ, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲେ, ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ।”
EST 1:21 ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ, ରାଜା ମମୁଖନ୍‍ର ପରାମର୍ଶନୁସାରେ କର୍ମ କଲେ।
EST 1:22 ତହୁଁ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାଙ୍କ ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲେ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।
EST 2:1 ଏହିସବୁ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜାଙ୍କ କ୍ରୋଧ ଶାନ୍ତ ହୁଅନ୍ତେ, ସେ ବଷ୍ଟୀକୁ ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲେ।
EST 2:2 ତେଣୁ ରାଜାଙ୍କ ସେବାକାରୀ ଭୃତ୍ୟମାନେ ତାହାଙ୍କୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ଵେଷଣ କରାଯାଉ।
EST 2:3 ଆଉ, ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଚାରୀଗଣ ନିଯୁକ୍ତ କରନ୍ତୁ; ସେମାନେ ସେହି ସବୁ ସୁନ୍ଦରୀ ଯୁବତୀ କନ୍ୟାଗଣକୁ ଶୂଶନ୍‍ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ; ପୁଣି, ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ,
EST 2:4 ତହିଁ ଉତ୍ତାରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟିକାରିଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ;” ଏହି କଥାରେ ରାଜାଙ୍କ ସନ୍ତୋଷ ହୁଅନ୍ତେ, ସେ ସେପରି କଲେ।
EST 2:5 ସେହି ସମୟରେ ମର୍ଦ୍ଦଖୟ ନାମେ ଜଣେ ଯିହୁଦୀୟ ଲୋକ ଶୂଶନ୍‍ ରାଜଧାନୀରେ ଥିଲେ, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମୀୟିର ପୌତ୍ର, କୀଶ୍‍ର ପ୍ରପୌତ୍ର।
EST 2:6 ଯେଉଁ ଲୋକମାନେ ଯିହୁଦାର ରାଜା ଯିକନୀୟ ସହିତ ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ, ସେମାନଙ୍କ ସହିତ (କୀଶ୍‍) ଯିରୂଶାଲମଠାରୁ ନିର୍ବାସିତ ହୋଇଥିଲେ।
EST 2:7 ମର୍ଦ୍ଦଖୟ ଆପଣା ପିତୃବ୍ୟର କନ୍ୟା ହଦସାକୁ, ଅର୍ଥାତ୍‍, ଏଷ୍ଟରଙ୍କୁ ପ୍ରତିପାଳନ କଲେ; କାରଣ ତାହାର ପିତା କି ମାତା ନ ଥିଲେ, ସେହି କନ୍ୟା ପରମସୁନ୍ଦରୀ ଓ ସୁବଦନା ଥିଲେ; ତାହାର ପିତାମାତା ମଲା ଉତ୍ତାରେ ମର୍ଦ୍ଦଖୟ ତାହାଙ୍କୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲେ।
EST 2:8 ଏଉତ୍ତାରୁ ରାଜାଙ୍କ ସେହି ବାକ୍ୟ ଓ ଆଜ୍ଞା ପ୍ରଚାରିତ ହୁଅନ୍ତେ, ଶୂଶନ୍‍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟର ହିଁ ରାଜପୁରୀକୁ ସ୍ତ୍ରୀରକ୍ଷକ ହେଗୟ ନିକଟକୁ ନିଆଗଲା।
EST 2:9 ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା; ଏଣୁ ସେ ଶୀଘ୍ର ଅଙ୍ଗରାଗାର୍ଥକ ଦ୍ରବ୍ୟାଦିର ଯେ ଯେ ଅଂଶ ତାହାଙ୍କୁ ଦେବାର ହୁଅଇ, ତାହା ଓ ରାଜଗୃହରୁ ମନୋନୀତା ସାତ ଦାସୀ ତାହାଙ୍କୁ ଦେଲା; ଆଉ, ସେ ତାହାଙ୍କୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା।
EST 2:10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲେ ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ତାହାଙ୍କୁ ଆଜ୍ଞା କରିଥିଲେ।
EST 2:11 ଏଥିଉତ୍ତାରେ ଏଷ୍ଟର କିପରି ଅଛି ଓ ତାହା ପ୍ରତି କʼଣ କରାଯିବ, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ଅନ୍ତଃପୁରର ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲେ।
EST 2:12 ପୁଣି, ଦ୍ୱାଦଶ ମାସ ପର୍ଯ୍ୟନ୍ତ ସ୍ତ୍ରୀଲୋକଙ୍କ ନିୟମିତ ସେବା ପାଇଲା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ନିକଟକୁ ଏକ ଏକ କନ୍ୟାର ଯିବାର ପାଳି ଉପସ୍ଥିତ ହେଲା; କାରଣ ସେମାନଙ୍କ ଅଙ୍ଗସଂସ୍କାରରେ ଏତେ ଦିନ ଲାଗିଲା, ଅର୍ଥାତ୍‍, ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା;
EST 2:13 ପୁଣି, ରାଜା ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହି ନିୟମ ଥିଲା ଯେ, ସେ କୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସଙ୍ଗେ ନେବା ନିମନ୍ତେ ତାହା ତାକୁ ଦିଆଯାଉଥିଲା।
EST 2:14 ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପତ୍ନୀଗଣର ରକ୍ଷକ ରାଜନପୁଂସକ ଶାଶ୍‍ଗସର ନିକଟକୁ ଦ୍ୱିତୀୟ ଅନ୍ତଃପୁରକୁ ଫେରି ଆସିଲେ; ରାଜା ତାହା ପ୍ରତି ତୁଷ୍ଟ ହୋଇ ଯେପର୍ଯ୍ୟନ୍ତ ତାହାର ନାମ ଧରି ନ ଡକାଇଲେ, ସେ ରାଜା ନିକଟକୁ ପୁନର୍ବାର ଯିବ ନାହିଁ।
EST 2:15 ଏଉତ୍ତାରୁ ମର୍ଦ୍ଦଖୟ ଆପଣା ପିତୃବ୍ୟ ଅବୀହୟିଲର ଯେଉଁ ଏଷ୍ଟର ନାମ୍ନୀ କନ୍ୟାକୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲେ, ରାଜା ନିକଟକୁ ତାହାର ଯିବାର ପାଳି ପଡ଼ନ୍ତେ, ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟ ଯାହା ଯାହା ନିରୂପଣ କରିଥିଲେ, ତାହା ଛଡ଼ା ସେ ଆଉ କିଛି ମାଗିଲା ନାହିଁ; ତଥାପି ଯେଉଁମାନେ ଏଷ୍ଟର ପ୍ରତି ଦୃଷ୍ଟି କଲେ, ସେସମସ୍ତେ ତାହାଙ୍କୁ ଅନୁଗ୍ରହ କଲେ।
EST 2:16 ରାଜାଙ୍କ ରାଜତ୍ଵର ସପ୍ତମ ବର୍ଷର ଦଶମ ମାସରେ, ଅର୍ଥାତ୍‍, ଟେବେତ୍‍ ମାସରେ, ଏଷ୍ଟର ରାଜଗୃହକୁ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।
EST 2:17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରଙ୍କୁ ଅଧିକ ପ୍ରେମ କଲେ, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲେ।
EST 2:18 ଏଥିଉତ୍ତାରେ ରାଜା ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟରଙ୍କ ଭୋଜ ବୋଲି ମହାଭୋଜ ପ୍ରସ୍ତୁତ କଲେ ଓ ସବୁ ପ୍ରଦେଶର କର-ମୋଚନ କଲେ ଓ ରାଜାଙ୍କ ଉଦାରତାନୁସାରେ ଦାନ କଲେ।
EST 2:19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିଲେ।
EST 2:20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ; କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲେ, ସେତେବେଳେ ମଧ୍ୟ ସେପରି ତାହାର ଆଜ୍ଞା ପାଳନ କଲେ।
EST 2:21 ସେହି ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ, ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍‍ଥନ୍‍ ଓ ତେରଶ୍‍ ନାମରେ ରାଜଗୃହର ଦୁଇ ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଚେଷ୍ଟା କଲେ।
EST 2:22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀଙ୍କୁ ଜଣାଇଲେ; ପୁଣି, ଏଷ୍ଟର ମର୍ଦ୍ଦଖୟ ନାମ ନେଇ ରାଜାଙ୍କୁ ତାହା ଜଣାଇଲେ।
EST 2:23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ, ସେହି ଦୁଇ ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାଙ୍କ ସାକ୍ଷାତରେ ଇତିହାସ ପୁସ୍ତକରେ ଲେଖାଗଲା।
EST 3:1 ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।
EST 3:2 ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍‍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ।
EST 3:3 ଏଣୁ ରାଜଦ୍ୱାରବର୍ତ୍ତୀ ରାଜାଙ୍କ ଦାସଗଣ ମର୍ଦ୍ଦଖୟଙ୍କୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”
EST 3:4 ଏହିରୂପେ ସେମାନେ ପ୍ରତିଦିନ ତାହାଙ୍କୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ; ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍‍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ।
EST 3:5 ଯେତେବେଳେ ହାମନ୍‍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।
EST 3:6 ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲେ; କାରଣ ସେମାନେ ତାହାଙ୍କୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍‍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍‍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲେ,
EST 3:7 ଆଉ, ସେହି ବିଷୟରେ ଅକ୍ଷଶ୍ୱେରଶ ରାଜାଙ୍କ ରାଜତ୍ଵର ଦ୍ୱାଦଶ ବର୍ଷର ନୀସନ୍‍ ନାମକ ପ୍ରଥମ ମାସରେ ହାମନ୍‍ର ସାକ୍ଷାତରେ ଅଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ (କ୍ରମାଗତ) ସେମାନେ ପ୍ରତିଦିନ ଓ ପ୍ରତି ମାସ “ପୂର,” ଅର୍ଥାତ୍‍, ଗୁଲିବାଣ୍ଟ କଲେ।
EST 3:8 ଏଥିଉତ୍ତାରେ ହାମନ୍‍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।
EST 3:9 ମହାରାଜା ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।”
EST 3:10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଦେଲେ।
EST 3:11 “ପୁଣି, ରାଜା ହାମନ୍‍କୁ କହିଲେ, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
EST 3:12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍‍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
EST 3:13 ପୁଣି, ଏକ ଦିନରେ, ଅର୍ଥାତ୍‍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାଙ୍କ ସବୁ ପ୍ରଦେଶକୁ ପ୍ରେରିତ ହେଲେ।
EST 3:14 ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା।
EST 3:15 ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ, ପୁଣି ସେହି ଆଜ୍ଞା ଶୂଶନ୍‍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍‍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍‍ ନଗର ଉଦ୍‍ବିଗ୍ନ ହେଲା।
EST 4:1 ମର୍ଦ୍ଦଖୟ ଏହିସବୁ ବିଷୟ ଗୋଚର ହୁଅନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲେ।
EST 4:2 ପୁଣି, ସେ ରାଜଦ୍ୱାରର ସମ୍ମୁଖ ପର୍ଯ୍ୟନ୍ତ ଗଲେ, କାରଣ ଅଖା ପିନ୍ଧି କାହାକୁ ରାଜଦ୍ୱାରରେ ପ୍ରବେଶ କରିବାର ଅନୁମତି ନ ଥିଲା।
EST 4:3 ଆଉ, ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ପହଞ୍ଚିଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା, ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
EST 4:4 ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ।
EST 4:5 ଏଥିରେ ରାଜାଙ୍କ ଦ୍ୱାରା ଏଷ୍ଟରଙ୍କ ସେବାରେ ନିଯୁକ୍ତ ହଥକ୍‍ ନାମକ ରାଜନପୁଂସକକୁ ଏଷ୍ଟର ଡାକି, କʼଣ ହେଲା ଓ କାହିଁକି ତାହା ହେଲା, ଏହା ଜାଣିବା ନିମନ୍ତେ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାହାଙ୍କୁ ଆଜ୍ଞା ଦେଲେ।
EST 4:6 ତହିଁରେ ହଥକ୍‍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦି ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲେ।
EST 4:7 ପୁଣି, ମର୍ଦ୍ଦଖୟ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍‍ ରାଜଭଣ୍ଡାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲେ, ତାହା ତାହାଙ୍କୁ କହିଲେ।
EST 4:8 ଆହୁରି ମଧ୍ୟ, “ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ୍‍ରେ ଦତ୍ତ ହୋଇଥିଲା, ତହିଁର ଏକ ପ୍ରତିଲିପି ଏଷ୍ଟରଙ୍କୁ ଦେଖାଇ ଜ୍ଞାତ କରାଇବାକୁ ଦେଲେ; ଆଉ, ଏଷ୍ଟର ଯେପରି ଆପଣା ଲୋକଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବେ,” ଏପରି ଆଦେଶ କରିବାକୁ କହିଲେ।
EST 4:9 ତହୁଁ ହଥକ୍‍ ଆସି ମର୍ଦ୍ଦଖୟର କଥା ଏଷ୍ଟରଙ୍କୁ ଜଣାଇଲେ।
EST 4:10 ଏଉତ୍ତାରୁ ଏଷ୍ଟର ହଥକ୍‍କୁ ଏହି କଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲେ, ଯଥା,
EST 4:11 “ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ, ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି, କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି, ସେହି ବଞ୍ଚେ, ଏହା ରାଜାଙ୍କର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି; ମାତ୍ର ଆଜକୁ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
EST 4:12 ସେମାନେ ଏଷ୍ଟରଙ୍କ ଏହି କଥା ମର୍ଦ୍ଦଖୟଙ୍କୁ କହିଲେ।
EST 4:13 ତେଣୁ ମର୍ଦ୍ଦଖୟ ଏଷ୍ଟରଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜଗୃହରେ ଥିବାରୁ ଯେ ରକ୍ଷା ପାଇବ, ଏହା ମନରେ ଭାବ ନାହିଁ।
EST 4:14 ଯେବେ ତୁମ୍ଭେ ଏହି ସମୟରେ ସର୍ବତୋଭାବେ ନୀରବ ହୋଇ ରୁହ, ତେବେ ଅନ୍ୟ କୌଣସି ସ୍ଥାନରୁ ଯିହୁଦୀୟମାନଙ୍କର ଉପକାର ଓ ଉଦ୍ଧାର ଉତ୍ପନ୍ନ ହେବ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ବିନଷ୍ଟ ହେବ; କିଏ ଜାଣେ, ତୁମ୍ଭେ ଏପରି ସମୟ ନିମନ୍ତେ ରାଜ୍ୟ ପାଇଅଛ?”
EST 4:15 ଏଥିରେ ଏଷ୍ଟର ମର୍ଦ୍ଦଖୟଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲେ,
EST 4:16 “ତୁମ୍ଭେ ଯାଇ ଶୂଶନ୍‍ରେ ଉପସ୍ଥିତ ସମସ୍ତ ଯିହୁଦୀୟ ଲୋକଙ୍କୁ ଏକତ୍ର କରି ମୋʼ ନିମନ୍ତେ ଉପବାସ କର, ପୁଣି ତିନି ଦିନ ଯାଏ ଦିନରେ କିଅବା ରାତ୍ରିରେ କିଛି ଭୋଜନ କର ନାହିଁ ଓ କିଛି ପାନ କର ନାହିଁ; ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ; ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି; ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି।”
EST 4:17 ତେଣୁ ମର୍ଦ୍ଦଖୟ ଚାଲିଯାଇ ଏଷ୍ଟରଙ୍କ ସମସ୍ତ ଆଜ୍ଞାନୁସାରେ କର୍ମ କଲେ।
EST 5:1 ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ।
EST 5:2 ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ।
EST 5:3 ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।”
EST 5:4 ଏଷ୍ଟର ଉତ୍ତର କଲେ, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍‍ ଆଜି ସେହି ଭୋଜକୁ ଆଗମନ କରନ୍ତୁ।”
EST 5:5 ଏଥିରେ ରାଜା କହିଲେ, “ଏଷ୍ଟରଙ୍କ କଥାନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନ୍‍କୁ କୁହ;” ଏଥିଉତ୍ତାରେ ରାଜା ଓ ହାମନ୍‍ ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ଆସିଲେ।
EST 5:6 ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ କହିଲେ, ତୁମ୍ଭର ନିବେଦନ କଅଣ? “ତାହା ତୁମ୍ଭକୁ ଦତ୍ତ ହେବ; ପୁଣି, ତୁମ୍ଭର ପ୍ରାର୍ଥନା କଅଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ।”
EST 5:7 ତହିଁରେ ଏଷ୍ଟର ଉତ୍ତର ଦେଲେ, “ମୋହର ନିବେଦନ ଓ ପ୍ରାର୍ଥନା ଏହି;
EST 5:8 ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ୍‍ ଆସନ୍ତୁ, ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି।”
EST 5:9 ତହିଁରେ ସେହି ଦିନ ହାମନ୍‍ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରକୁ ଗଲା; ମାତ୍ର ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲେ।
EST 5:10 ତଥାପି ହାମନ୍‍ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶ୍‍କୁ ଡକାଇ ଆଣିଲେ।
EST 5:11 ଆଉ, ହାମନ୍‍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିପରି ତାହାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲେ।
EST 5:12 ହାମନ୍‍ ଆହୁରି କହିଲେ, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋʼ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି; ପୁଣି, କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି।
EST 5:13 ମାତ୍ର ଯେପର୍ଯ୍ୟନ୍ତ ମୁଁ ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ।”
EST 5:14 ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରେ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।
EST 6:1 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।
EST 6:2 ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କ ନପୁଂସକ ବିଗ୍‍ଥନ୍‍ ଓ ତେରଶ୍‍ ନାମକ ଦୁଇ ଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲେ।
EST 6:3 ଏଣୁ ରାଜା ପଚାରିଲେ, “ଏଥିପାଇଁ ମର୍ଦ୍ଦଖୟଙ୍କୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି?” ରାଜାଙ୍କ ସେବାକାରୀ ଦାସମାନେ କହିଲେ, “ତାହାଙ୍କ ପାଇଁ କିଛି କରାଯାଇ ନାହିଁ।”
EST 6:4 ତହୁଁ ରାଜା ପଚାରିଲେ, “ପ୍ରାଙ୍ଗଣରେ କିଏ କିଛି?” ଏହି ସମୟରେ ହାମନ୍‍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟଙ୍କୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲେ।
EST 6:5 ତେଣୁ ରାଜାଙ୍କ ଦାସମାନେ ତାହାଙ୍କୁ କହିଲେ, ଦେଖନ୍ତୁ, “ହାମନ୍‍ ପ୍ରାଙ୍ଗଣରେ ଠିଆ ହୋଇଅଛି।” ତେବେ ରାଜା କହିଲେ, “ସେ ଭିତରକୁ ଆସୁ।”
EST 6:6 ତହିଁରେ ହାମନ୍‍ ଭିତରକୁ ଆସନ୍ତେ, ରାଜା ତାହାଙ୍କୁ କହିଲେ, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ?” ହାମନ୍‍ ମନେ ମନେ ଭାଳିଲେ, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
EST 6:7 ଏଣୁ ହାମନ୍‍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
EST 6:8 ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ୱ ଅଣାଯାଉ।
EST 6:9 ଆଉ, ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ।’”
EST 6:10 ଏଥିରେ ରାଜା ହାମନ୍‍କୁ କହିଲେ, “ତୁମ୍ଭେ ଏହା ଶୀଘ୍ର କର; ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର; ତୁମ୍ଭେ ଯେସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ।”
EST 6:11 ତେଣୁ ହାମନ୍‍ ସେହି ବସ୍ତ୍ର ଓ ଅଶ୍ୱ ନେଇ ମର୍ଦ୍ଦଖୟଙ୍କୁ ବସ୍ତ୍ରାନ୍ୱିତ କଲେ ଓ ଅଶ୍ୱାରୋହଣ କରାଇ ନଗରର ଦାଣ୍ଡରେ ବୁଲାଇଲେ, ପୁଣି “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ;” ଏହି କଥା ତାହାର ଆଗେ ଆଗେ ଘୋଷଣା କଲେ।
EST 6:12 ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍‍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।
EST 6:13 ପୁଣି, ହାମନ୍‍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାର୍ଯ୍ୟା ସେରଶ୍‍କୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲେ; ତହିଁରେ ତାହାଙ୍କର ଜ୍ଞାନୀ ଲୋକମାନେ ଓ ତାହାଙ୍କ ଭାର୍ଯ୍ୟା ସେରଶ୍‍ ତାହାଙ୍କୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାଙ୍କୁ ଜୟ କରି ପାରିବ ନାହିଁ; ମାତ୍ର ତାହାର ସାକ୍ଷାତରେ ନିତାନ୍ତ ପତିତ ହେବ।”
EST 6:14 ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ହାମନ୍‍କୁ ନେବା ପାଇଁ ଚଞ୍ଚଳ ହେଲେ।
EST 7:1 ଏହିରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍‍ ଭୋଜନ କରିବାକୁ ଉପସ୍ଥିତ ହେଲେ।
EST 7:2 ରାଜା ସେହି ଦ୍ୱିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ ପୁନର୍ବାର କହିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ପ୍ରାର୍ଥନା କଅଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ।”
EST 7:3 ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, “ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆଯାଉନ୍ତୁ।
EST 7:4 କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ। ଯଦି ଆମ୍ଭେମାନେ କେବଳ ଦାସ ଓ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି।”
EST 7:5 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି, ସେ କିଏ? ଓ ସେ କେଉଁଠାରେ ଅଛି?”
EST 7:6 ଏଷ୍ଟର କହିଲେ, “ଏହି ଦୁଷ୍ଟ ହାମନ୍‍ ଜଣେ ବିପକ୍ଷ ଓ ଶତ୍ରୁ ଅଟେ;” ତହିଁରେ ରାଜା ଓ ରାଣୀଙ୍କ ସାକ୍ଷାତରେ ହାମନ୍‍ ଭୀତ ହେଲେ।
EST 7:7 ଆଉ, ରାଜା କ୍ରୋଧରେ ଦ୍ରାକ୍ଷାରସ-ପାନଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା; ତହିଁରେ ରାଜା ଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍‍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣ ମାଗିବାକୁ ଠିଆ ହେଲେ।
EST 7:8 ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସ-ପାନଶାଳାକୁ ଲେଉଟି ଆସିଲେ; ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲେ, ହାମନ୍‍ ତହିଁ ଉପରେ ପଡ଼ିଥିଲେ; ତେଣୁ ରାଜା କହିଲେ, “ଏ କʼଣ ଗୃହ ମଧ୍ୟରେ ମୋʼ ସାକ୍ଷାତରେ ରାଣୀଙ୍କୁ ବଳାତ୍କାର କରିବ? ଏହି କଥା ରାଜା ମୁଖରୁ ବାହାରିବା ମାତ୍ର ଲୋକମାନେ ହାମନ୍‍ର ମୁଖ ଢାଙ୍କି ପକାଇଲେ।”
EST 7:9 ଏଥିଉତ୍ତାରେ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲେ, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍‍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନ୍‍ର ଗୃହରେ ସ୍ଥାପିତ ହୋଇଅଛି,” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶୀ ଦିଅ।”
EST 7:10 ଏଥିରେ ହାମନ୍‍ ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶୀକାଠ ପ୍ରସ୍ତୁତ କରିଥିଲେ, ତହିଁ ଉପରେ ସେମାନେ ହାମନ୍‍କୁ ଫାଶୀ ଦେଲେ; ତହିଁରେ ରାଜାଙ୍କ କ୍ରୋଧ ଶାନ୍ତ ହେଲା।
EST 8:1 ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମନ୍‍ର ଗୃହାଦି ଦେଲା, ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲେ; କାରଣ ମର୍ଦ୍ଦଖୟ ଆପଣାର କଅଣ ହୁଏ, ଏହା ଏଷ୍ଟର ଜଣାଇଥିଲେ।
EST 8:2 ଏଥିରେ ରାଜା ହାମନ୍‍ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲେ, ତାହା କାଢ଼ି ମର୍ଦ୍ଦଖୟଙ୍କୁ ଦେଲେ, ପୁଣି ଏଷ୍ଟର ହାମନ୍‍ର ଗୃହ ଉପରେ ମର୍ଦ୍ଦଖୟଙ୍କୁ ନିଯୁକ୍ତ କଲେ।
EST 8:3 ଏଷ୍ଟର ରାଜାଙ୍କ ନିକଟରେ ପୁନର୍ବାର ନିବେଦନ କଲେ, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମନ୍‍ର କୃତ ଅମଙ୍ଗଳ ଓ ତାହାର କଳ୍ପିତ କଳ୍ପନା ନିବାରଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲେ।
EST 8:4 ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ଡ ବିସ୍ତାର କରନ୍ତେ, ଏଷ୍ଟର ଉଠି ରାଜା ଛାମୁରେ ଠିଆ ହୋଇ କହିଲେ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ଯେବେ ମୁଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି,
EST 8:5 ପୁଣି, “ଏହି କର୍ମ ମହାରାଜାଙ୍କ ଦୃଷ୍ଟିରେ ଯଥାର୍ଥ ବୋଧ ହୁଏ, ଆଉ ମୁଁ ମହାରାଜାଙ୍କର ତୁଷ୍ଟିକାରିଣୀ ଅଟେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍ ଯେସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲେ, ତାହା ଅନ୍ୟଥା କରିବାକୁ ଲେଖାଯାଉ;
EST 8:6 ଯେହେତୁ ମୋʼ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ, ତାହା ଦେଖି ମୁଁ କିପରି ସହି ପାରିବି? ପୁଣି, ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହି ପାରିବି?”
EST 8:7 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ ଓ ଯିହୁଦୀୟ ମର୍ଦ୍ଦଖୟଙ୍କୁ କହିଲେ, “ଦେଖ, ମୁଁ ଏଷ୍ଟରଙ୍କୁ ହାମନ୍‍ର ଗୃହ ଦେଲି, ଲୋକମାନେ ହାମନ୍‍କୁ ଫାଶୀକାଠରେ ଫାଶୀ ଦେଇଅଛନ୍ତି, କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲେ।
EST 8:8 ମଧ୍ୟ ତୁମ୍ଭେମାନେ ରାଜା ନାମରେ ଯିହୁଦୀୟମାନଙ୍କ ନିକଟକୁ ଆପଣା ଆପଣା ଇଚ୍ଛାନୁସାରେ ପତ୍ର ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର; କାରଣ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ନ ପାରେ।”
EST 8:9 ତେଣୁ ତୃତୀୟ ମାସର, ଅର୍ଥାତ୍‍, ସୀବନ ମାସର ତେଇଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶହ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକୁ ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା।
EST 8:10 ପୁଣି, ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହନାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା।
EST 8:11 ତଦ୍ଦ୍ୱାରା ଅକ୍ଷଶ୍ୱେରଶ ରାଜାଙ୍କ ସବୁ ପ୍ରଦେଶରେ ଏକ ଦିନରେ, ଅର୍ଥାତ୍‍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ
EST 8:12 ପ୍ରତ୍ୟେକ ନଗରର ସବୁ ଯିହୁଦୀୟଙ୍କୁ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣରକ୍ଷାର୍ଥେ ଠିଆ ହେବାକୁ, ପୁଣି ଯେଉଁ ଗୋଷ୍ଠୀ ଓ ପ୍ରଦେଶ ସେମାନଙ୍କର ବିପକ୍ଷତା କରିବେ, ସେମାନଙ୍କ ସାମର୍ଥ୍ୟ ଓ ସେମାନଙ୍କ ବାଳକ ଓ ସ୍ତ୍ରୀସକଳକୁ ସଂହାର ଓ ବଧ ଓ ବିନାଶ କରିବାକୁ, ପୁଣି ସେମାନଙ୍କର ସମସ୍ତ ଦ୍ରବ୍ୟ ଲୁଟିବାକୁ ରାଜା ଅନୁମତି ଦେଲେ।
EST 8:13 ଆଉ, ସେହି ଦିନ ଯେପରି ଯିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରିଶୋଧ ନେବାକୁ ପ୍ରସ୍ତୁତ ହେବେ, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଓ ସମୁଦାୟ ଲୋକଙ୍କ ନିକଟରେ ପ୍ରଚାରିତ ହେବା ନିମନ୍ତେ ସେହି ଆଜ୍ଞାପତ୍ରର ଏକ ପ୍ରତିଲିପି ଦିଆଗଲା।
EST 8:14 ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୂଢ଼ ବାର୍ତ୍ତାବାହକମାନେ ରାଜାଜ୍ଞାରେ ତ୍ୱରିତ ପ୍ରବର୍ତ୍ତିତ ହୋଇ ଚାଲିଗଲେ; ପୁଣି, ଶୂଶନ୍‍ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।
EST 8:15 ଏଉତ୍ତାରୁ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି, ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ, ସରୁ ଓ ଧୂମ୍ରବର୍ଣ୍ଣ ଉତ୍ତରୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇ ରାଜା ଛାମୁରୁ ବାହାରକୁ ଗଲ; ତହିଁରେ ଶୂଶନ୍‍ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା।
EST 8:16 ଆଉ, ଯିହୁଦୀୟମାନଙ୍କର ଦୀପ୍ତି ଓ ଆନନ୍ଦ ଓ ହର୍ଷ ଓ ସମ୍ଭ୍ରମର ଉଦୟ ହେଲା।
EST 8:17 ପୁଣି, ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମପତ୍ର ଉପସ୍ଥିତ ହେଲା, ସେହି ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ, ଆମୋଦ, ଭୋଜ ଓ ମଙ୍ଗଳର ଦିନ ହେଲା, ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ; ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୀତ ହେଲେ।
EST 9:1 ଏଥିମଧ୍ୟରେ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର କାର୍ଯ୍ୟକାରୀ ସମୟ ନିକଟ ହେଲା; ଅର୍ଥାତ୍‍, ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ, ସେହି ଦିନ ଏପରି ବିପରୀତ ଘଟଣା ହେଲା ଯେ, ଯିହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
EST 9:2 ସେତେବେଳେ ଯିହୁଦୀୟମାନେ ଆପଣାମାନଙ୍କ ହିଂସାଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକ୍ଷଶ୍ୱେରଶ ରାଜାଙ୍କ ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ, ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇ ପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କ ସକାଶୁ ଭୀତ ହୋଇଥିଲେ।
EST 9:3 ଆଉ, ପ୍ରଦେଶାଧିପତି ଓ କ୍ଷିତିପାଳ ଓ ଶାସନକର୍ତ୍ତା ଓ ରାଜ-କର୍ମକାରୀମାନେ ଯିହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦଖୟ ସକାଶେ ସେମାନେ ଭୟଭୀତ ହୋଇଥିଲେ।
EST 9:4 ଯେହେତୁ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ମହାନ ଥିଲେ ଓ ତାହାର ଯଶ ସର୍ବ ପ୍ରଦେଶରେ ବ୍ୟାପ୍ତ ହେଲା; କାରଣ ସେହି ମର୍ଦ୍ଦଖୟ ଅଧିକ ଶକ୍ତିଶାଳୀ ହେଲେ।
EST 9:5 ପୁଣି, ଯିହୁଦୀୟମାନେ ଆପଣାମାନଙ୍କ ସମସ୍ତ ଶତ୍ରୁଙ୍କୁ ଖଡ୍ଗାଘାତ ଓ ସଂହାର ଓ ବିନାଶ କଲେ; ସେମାନେ ଆପଣାମାନଙ୍କ ଘୃଣାକାରୀଗଣ ପ୍ରତି ଯାହା ଇଚ୍ଛା, ତାହା କଲେ।
EST 9:6 ଏହିରୂପେ ଯିହୁଦୀୟମାନେ ଶୂଶନ୍‍ ରାଜଧାନୀରେ ପାଞ୍ଚ ଶତ ଲୋକଙ୍କୁ ବଧ ଓ ବିନାଶ କଲେ।
EST 9:7 ପୁଣି, ପର୍ଶନ୍ଦାଥ ଓ ଦଲ୍‍ଫୋନ ଓ ଅସ୍‍ପାଥ
EST 9:8 ଓ ପୋରାଥ ଓ ଅଦଲୀୟ ଓ ଅରିଦାଥ
EST 9:9 ଓ ପର୍ମସ୍ତ ଓ ଅରୀଷୟ ଓ ଅରୀଦୟ ଓ ବୟିଷାଥ,
EST 9:10 ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍‍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ, ମାତ୍ର ଲୁଟ କରିବାକୁ ସେମାନେ ହସ୍ତକ୍ଷେପ କଲେ ନାହିଁ।
EST 9:11 ଯେଉଁମାନେ ଶୂଶନ୍‍ ରାଜଧାନୀରେ ହତ ହେଲେ, ସେମାନଙ୍କର ସଂଖ୍ୟା ସେହି ଦିନରେ ରାଜା ଛାମୁକୁ ଆସନ୍ତେ,
EST 9:12 ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯିହୁଦୀୟମାନେ ଶୂଶନ୍‍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନ୍‍ର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାଙ୍କ ଅବଶିଷ୍ଟ ପ୍ରଦେଶ ସକଳରେ କଅଣ କରି ନ ଥିବେ! ଏବେ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ? ତାହା ସିଦ୍ଧ ହେବ।”
EST 9:13 ତହୁଁ ଏଷ୍ଟର କହିଲେ, “ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ଶୂଶନ୍‍ସ୍ଥ ଯିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ, ଆଉ ହାମନ୍‍ର ଦଶ ପୁତ୍ର ଫାଶୀକାଠରେ ଟଙ୍ଗା ଯାଉନ୍ତୁ।”
EST 9:14 ଏଥିରେ “ସେପରି କରାଯିବାକୁ” ରାଜା ଆଜ୍ଞା ଦେଲେ ପୁଣି, ସେହି ଆଜ୍ଞା ଶୂଶନ୍‍ରେ ପ୍ରଚାରିତ ହେଲା; ତହିଁରେ ଲୋକମାନେ ହାମନ୍‍ର ଦଶ ପୁତ୍ରଙ୍କୁ ଫାଶୀକାଠରେ ଟଙ୍ଗାଇଲେ।
EST 9:15 ଆଉ, ଶୂଶନ୍‍ସ୍ଥ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ଶୂଶନ୍‍ରେ ତିନି ଶତ ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।
EST 9:16 ଏଥିମଧ୍ୟରେ ରାଜାଙ୍କ ନାନା ପ୍ରଦେଶ ନିବାସୀ ଅନ୍ୟ ସକଳ ଯିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ; ପୁଣି, ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର ପଞ୍ଚସ୍ତରି ସହସ୍ର ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।
EST 9:17 ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା; ପୁଣି, ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
EST 9:18 ମାତ୍ର ଶୂଶନ୍‍ସ୍ଥ ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ ଓ ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ।
EST 9:19 ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍‍, ପ୍ରାଚୀରହୀନ ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।
EST 9:20 ଏଥିଉତ୍ତାରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲେ ଓ ଅକ୍ଷଶ୍ୱେରଶ ରାଜାଙ୍କ ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲେ।
EST 9:21 ଆଉ, ଯେଉଁ ଦୁଇ ଦିନ ଯିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା,
EST 9:22 ପ୍ରତି ବର୍ଷ ସେହି ମାସର ସେହି ଦୁଇ ଦିନ, ଅର୍ଥାତ୍‍, ଅଦର ମାସର ଚତୁର୍ଦ୍ଦଶ ଓ ପଞ୍ଚଦଶ ଦିନକୁ ସେମାନେ ଯେପରି ଭୋଜନପାନ ଓ ଆନନ୍ଦର ଓ ପରସ୍ପର ଅଂଶ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପ୍ରେରଣ କରିବାର ଦିନ କରି ମାନିବେ, ଏହି ଆଜ୍ଞା ଦେଲେ।
EST 9:23 ତହିଁରେ ଯିହୁଦୀୟମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ତଦ୍ରୂପ ବ୍ୟବହାର କରିବାକୁ ସମ୍ମତ ହେଲେ;
EST 9:24 କାରଣ ସମୁଦାୟ ଯିହୁଦୀୟ-ଲୋକର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର, ଅର୍ଥାତ୍‍, ଗୁଲିବାଣ୍ଟ କରିଥିଲେ।
EST 9:25 ମାତ୍ର ରାଜା ଛାମୁକୁ (ଏ ବିଷୟ) ଆସନ୍ତେ, ସେ ଏହି ଆଜ୍ଞାପତ୍ର ଦେଲା, ହାମନ୍‍ ଯିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ-ସଂକଳ୍ପ କରିଅଛି, ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀକାଠରେ ଟଙ୍ଗା ଯାଉନ୍ତୁ।
EST 9:26 ଏନିମନ୍ତେ ପୂର ନାମାନୁସାରେ ସେହି ଦୁଇ ଦିନର ନାମ ପୂରୀମ୍‍ ହେଲା। ପୁଣି, ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ଆପଣା ଆପଣା ବଂଶର ଓ ଯିହୁଦୀ-ମତାବଲମ୍ବୀଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ,
EST 9:27 ତତ୍‍ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ।
EST 9:28 ଆଉ, ସମସ୍ତ ପୁରୁଷ-ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ; ପୁଣି, ଏହି ପୂରୀମ୍‍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶ ମଧ୍ୟରୁ ସେହି ଦୁଇ ଦିନର ସ୍ମରଣ ଲୁପ୍ତ ହେବ ନାହିଁ।
EST 9:29 ଅବୀହୟିଲର କନ୍ୟା ଏଷ୍ଟର ରାଣୀ ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍‍-ଦିନବିଷୟକ ଏହି ଦ୍ୱିତୀୟ ପତ୍ର ସ୍ଥିରକରଣାର୍ଥେ ସମ୍ପୂର୍ଣ୍ଣ କ୍ଷମତା ସହିତ ଲେଖିଲେ।
EST 9:30 ପୁଣି, ଯିହୁଦୀୟ ମର୍ଦ୍ଦଖୟ ଓ ଏଷ୍ଟର ରାଣୀ ଯିହୁଦୀୟମାନଙ୍କ ନିମନ୍ତେ ଉପବାସ ଓ କ୍ରନ୍ଦନ ବିଷୟକ ଯେଉଁ ଆଜ୍ଞା ଦେଇଥିଲେ ଓ ସେମାନଙ୍କର ଆପଣାମାନଙ୍କ ପାଇଁ ଓ ଆପଣାମାନଙ୍କ ବଂଶ ପାଇଁ ଯାହା ସ୍ଥିର କରିଥିଲେ,
EST 9:31 ତଦନୁସାରେ ମର୍ଦ୍ଦଖୟ ନିରୂପିତ କାଳରେ ପୂରୀମ୍‍ର ସେହି ଦୁଇ ଦିନର ପାଳନ ସ୍ଥିର କରିବା ନିମନ୍ତେ ଅକ୍ଷଶ୍ୱେରଶ ରାଜାଙ୍କ ଅଧୀନସ୍ଥ ଏକ ଶହ ସତାଇଶ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଶାନ୍ତି ଓ ସତ୍ୟ-ବାକ୍ୟଯୁକ୍ତ ପତ୍ର ପ୍ରେରଣ କଲେ।
EST 9:32 ଏହିରୂପେ ଏଷ୍ଟରଙ୍କ ଆଜ୍ଞା ଦ୍ୱାରା ପୂରୀମ୍‍-ଦିନର ବିଧି ସ୍ଥିରୀକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।
EST 10:1 ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପସମୂହରେ କର ବସାଇଲେ।
EST 10:2 ପୁଣି, ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟଙ୍କୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚପଦରେ ନିଯୁକ୍ତ କଲେ, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟା ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ?
EST 10:3 କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାଙ୍କ ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭ୍ରାତୃସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ୱେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲେ।
JOB 1:1 ଊଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା; ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଥିଲା।
JOB 1:2 ପୁଣି, ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ।
JOB 1:3 ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା।
JOB 1:4 ଆଉ, ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ; ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନ ଓ ପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ।
JOB 1:5 ପୁଣି, ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ, ଆୟୁବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ପାଇଁ ହୋମବଳି ଉତ୍ସର୍ଗ କଲା; କାରଣ ଆୟୁବ କହିଲା, “ହୋଇପାରେ, ଆମ୍ଭର ପିଲାମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ଅଭିଶାପ କରିଥିବେ।” ଏହିରୂପେ ଆୟୁବ ସର୍ବଦା କଲା।
JOB 1:6 ଦିନକରେ ପରମେଶ୍ୱରଙ୍କ ଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା।
JOB 1:7 ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।”
JOB 1:8 ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ?”
JOB 1:9 ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଆୟୁବ କʼଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି?
JOB 1:10 ତୁମ୍ଭେ କʼଣ ତାହାର ଚତୁର୍ଦ୍ଦିଗରେ, ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇ ନାହଁ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି।
JOB 1:11 ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ।”
JOB 1:12 ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି; କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ।” ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା।
JOB 1:13 ଆଉ, ଦିନେ ତାହାର ପୁତ୍ର ଓ କନ୍ୟାଗଣ ଆପଣାମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ,
JOB 1:14 ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, “ବଳଦମାନେ ହଳ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଦଭୀମାନେ ଚରୁଥିଲେ;
JOB 1:15 ଏଥିମଧ୍ୟରେ ଶିବାୟୀୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ; ଆହୁରି, ସେମାନେ ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”
JOB 1:16 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆକାଶରୁ ପରମେଶ୍ୱରଙ୍କ ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”
JOB 1:17 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “କଲ୍‍ଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”
JOB 1:18 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ;
JOB 1:19 ଏଥିମଧ୍ୟରେ, ଦେଖନ୍ତୁ, ପ୍ରାନ୍ତର ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରି କୋଣରେ ଲାଗନ୍ତେ, ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”
JOB 1:20 ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା;
JOB 1:21 ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”
JOB 1:22 ଏହିସବୁରେ ଆୟୁବ ପାପ କଲା ନାହିଁ, ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ।
JOB 2:1 ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା।
JOB 2:2 ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।”
JOB 2:3 ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।”
JOB 2:4 ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ।
JOB 2:5 ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସକୁ ଆଘାତ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ।”
JOB 2:6 ତହିଁରେ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର।”
JOB 2:7 ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରିଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାଆରେ ତାହାକୁ ଆଘାତ କଲା।
JOB 2:8 ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା।
JOB 2:9 ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।”
JOB 2:10 ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କʼଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
JOB 2:11 ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍‍ ଓ ଶୂହୀୟ ବିଲ୍‍ଦଦ୍‍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ।
JOB 2:12 ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚସ୍ୱରରେ ରୋଦନ କଲେ; ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ।
JOB 2:13 ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ।
JOB 3:1 ଏଥିଉତ୍ତାରେ ଆୟୁବ ମୁଖ ଫିଟାଇ ଆପଣା ଜନ୍ମଦିନକୁ ଅଭିଶାପ ଦେଲା।
JOB 3:2 ପୁଣି, ଆୟୁବ ଉତ୍ତର କରି କହିଲା;
JOB 3:3 “ଯେଉଁ ଦିନ ମୁଁ ଜାତ ହେଲି ଓ ‘ପୁତ୍ରସନ୍ତାନ ଗର୍ଭସ୍ଥ ହେଲା’ ବୋଲି ଯେଉଁ ରାତ୍ରି କହିଲା, ତାହା ଲୁପ୍ତ ହେଉ;
JOB 3:4 ସେ ଦିନ ଅନ୍ଧକାରମୟ ହେଉ; ପରମେଶ୍ୱର ଊର୍ଦ୍ଧ୍ୱରୁ ତହିଁର ତତ୍ତ୍ୱ ନ କରନ୍ତୁ, କିଅବା ତହିଁ ଉପରେ ଦୀପ୍ତି ପ୍ରକାଶ ନ ପାଉ।
JOB 3:5 ଅନ୍ଧକାର ଓ ମୃତ୍ୟୁୁଚ୍ଛାୟା ତାହାକୁ ଆପଣାର ବୋଲି ଦାବି କରନ୍ତୁ; ମେଘ ତହିଁ ଉପରେ ଅବସ୍ଥାନ କରୁ; ଦିବସ ଅନ୍ଧକାରକାରୀ ସମସ୍ତେ ତାହାର ତ୍ରାସ ଜନ୍ମାଉନ୍ତୁ।
JOB 3:6 ନିବିଡ଼ ଅନ୍ଧକାର ସେହି ରାତ୍ରିକୁ ଆକ୍ରମଣ କରୁ; ତାହା ବର୍ଷର ଦିବସଶ୍ରେଣୀ ମଧ୍ୟରେ ଆନନ୍ଦ ନ କରୁ; ତାହା ମାସ-ସଂଖ୍ୟା ମଧ୍ୟରେ ନ ଆସୁ।
JOB 3:7 ଦେଖ, ସେହି ରାତ୍ରି ବନ୍ଧ୍ୟା ହେଉ; ତହିଁ ମଧ୍ୟରେ କୌଣସି ଆନନ୍ଦର ସ୍ୱର ପ୍ରବେଶ ନ କରୁ।
JOB 3:8 ଯେଉଁମାନେ ଦିବସକୁ ଅଭିଶାପ ଦିଅନ୍ତି, ଯେଉଁମାନେ ଲିବିୟାଥନକୁ ଜଗାଇବାକୁ ନିପୁଣ, ସେମାନେ ତାହାକୁ ଅଭିଶାପ ଦେଉନ୍ତୁ।
JOB 3:9 ତହିଁର ସନ୍ଧ୍ୟାକାଳୀନ ନକ୍ଷତ୍ରଗଣ ଅନ୍ଧକାରମୟ ହେଉ; ସେ ଦୀପ୍ତିର ଅପେକ୍ଷା କରୁ, ମାତ୍ର କିଛି ନ ପାଉ; କିଅବା ସେ ଅରୁଣର ନେତ୍ରପଲକ ଦର୍ଶନ ନ କରୁ;
JOB 3:10 କାରଣ ସେ ମୋʼ ମାତୃଗର୍ଭର କବାଟ ରୁଦ୍ଧ କଲା ନାହିଁ, କିଅବା ଦୁଃଖକୁ ମୋର ଦୃଷ୍ଟିରୁ ଗୁପ୍ତ କଲା ନାହିଁ।
JOB 3:11 ମୁଁ କାହିଁକି ଗର୍ଭରୁ ମଲି ନାହିଁ? ଉଦରରୁ ପଡ଼ିବା ମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ?
JOB 3:12 ଜାନୁଯୁଗଳ କାହିଁକି ମୋତେ ଗ୍ରହଣ କଲା? ଅବା ମୋହର ପାନ ନିମନ୍ତେ ସ୍ତନ୍ୟ କାହିଁକି ପ୍ରସ୍ତୁତ ଥିଲା?
JOB 3:13 ତାହା ହୋଇ ନ ଥିଲେ, ମୁଁ ଏବେ ଶୟନ କରି ଶାନ୍ତିରେ ଥାʼନ୍ତି; ମୁଁ ନିଦ୍ରିତ ହୋଇ ବିଶ୍ରାମରେ ଥାʼନ୍ତି;
JOB 3:14 ଯେଉଁମାନେ ଆପଣାମାନଙ୍କ ନିମନ୍ତେ ଉଜାଡ଼ ସ୍ଥାନ ନିର୍ମାଣ କରିଥିଲେ, ଏପରି ରାଜା ଓ ପୃଥିବୀର ମନ୍ତ୍ରୀଗଣ ସହିତ ଥାʼନ୍ତି;
JOB 3:15 ଯେଉଁମାନେ ରୂପାରେ ଆପଣାମାନଙ୍କ ଗୃହ ପରିପୂର୍ଣ୍ଣ କରିଥିଲେ, ଏପରି ସ୍ୱର୍ଣ୍ଣାଧିକାରୀ ଅଧିପତିମାନଙ୍କ ସଙ୍ଗେ ଥାʼନ୍ତି;
JOB 3:16 ଅବା ମୁଁ ଗୁପ୍ତ ଗର୍ଭସ୍ରାବ ତୁଲ୍ୟ ପ୍ରାଣହୀନ ହୋଇଥାʼନ୍ତି; ଯେଉଁମାନେ କେବେ ଆଲୁଅ ଦର୍ଶନ କଲେ ନାହିଁ, ଏପରି ଶିଶୁ ତୁଲ୍ୟ ହୋଇଥାʼନ୍ତି।
JOB 3:17 ସେହି ସ୍ଥାନରେ ଦୁଷ୍ଟଗଣ କ୍ଳେଶ ଦେବାରୁ ନିବୃତ୍ତ ଓ ସେହି ସ୍ଥାନରେ ପରିଶ୍ରାନ୍ତ ବିଶ୍ରାମପ୍ରାପ୍ତ।
JOB 3:18 ସେହି ସ୍ଥାନରେ ବନ୍ଦୀଗଣ ଏକତ୍ର ଆରାମରେ ଅଛନ୍ତି; ସେମାନେ କାର୍ଯ୍ୟଶାସକର ରବ ଶୁଣନ୍ତି ନାହିଁ।
JOB 3:19 ସେଠାରେ ସାନ ଓ ବଡ଼ ଅଛନ୍ତି; ପୁଣି, ଦାସ ଆପଣା କର୍ତ୍ତାଠାରୁ ମୁକ୍ତ ଅଟେ।
JOB 3:20 ଦୁଃଖଗ୍ରସ୍ତ ଲୋକକୁ କାହିଁକି ଦୀପ୍ତି ଦିଆଯାଏ ଓ ତିକ୍ତପ୍ରାଣକୁ କାହିଁକି ଜୀବନ ଦିଆଯାଏ;
JOB 3:21 ସେମାନେ ମରଣ ଇଚ୍ଛା କରନ୍ତି, ମାତ୍ର ତାହା ଆସେ ନାହିଁ; ସେମାନେ ପୋତା-ଧନ ଅପେକ୍ଷା ତହିଁ ପାଇଁ ଅଧିକ ଖୋଳନ୍ତି;
JOB 3:22 ସେମାନେ କବର ପାଇ ପାରିଲେ ଆହ୍ଲାଦ କରନ୍ତି, ମହାନନ୍ଦରେ ଉଲ୍ଲସିତ ହୁଅନ୍ତି?
JOB 3:23 ଯାହାର ପଥ ଗୁପ୍ତ ଓ ଯାହାର ଚତୁର୍ଦ୍ଦିଗରେ ପରମେଶ୍ୱର ବାଡ଼ ଦେଇଅଛନ୍ତି, ଏପରି ଲୋକକୁ କାହିଁକି ଦୀପ୍ତି ଦିଆଯାଏ?
JOB 3:24 କାରଣ ମୁଁ ଭୋଜନ କରିବା ପୂର୍ବେ ମୋହର ହାହାକାର ଆସେ, ମୋହର ଗର୍ଜ୍ଜନ ଜଳ ତୁଲ୍ୟ ଢଳାଯାଏ।
JOB 3:25 ଯେଣୁ ମୁଁ ଯାହା ଭୟ କରେ, ତାହା ହିଁ ମୋʼ ପ୍ରତି ଘଟେ, ଆଉ ମୁଁ ଯହିଁ ବିଷୟରେ ଭୀତ, ତାହା ହିଁ ମୋʼ ନିକଟରେ ଉପସ୍ଥିତ ହୁଏ।
JOB 3:26 ମୁଁ ଆରାମରେ କି ଶାନ୍ତିରେ ନାହିଁ, କିଅବା ମୋହର ବିଶ୍ରାମ ନାହିଁ; କେବଳ କ୍ଳେଶ ଘଟୁଅଛି।”
JOB 4:1 ଏଥିରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
JOB 4:2 “କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କʼଣ ଦୁଃଖିତ ହେବ? ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷାନ୍ତ କରିପାରେ?
JOB 4:3 ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ।
JOB 4:4 ତୁମ୍ଭର ବାକ୍ୟ ପଡୁଥିବା ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ।
JOB 4:5 ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳାନ୍ତ ହେଉଅଛ; ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ।
JOB 4:6 ପରମେଶ୍ୱର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ୱାସଭୂମି ନୁହେଁ କି? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି?
JOB 4:7 ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି? ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି?
JOB 4:8 ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି।
JOB 4:9 ସେମାନେ ପରମେଶ୍ୱରଙ୍କ ନିଶ୍ୱାସ ଦ୍ୱାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ୱାରା ସଂହାରିତ ହୁଅନ୍ତି।
JOB 4:10 ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦନ୍ତ ଭଗ୍ନ ହୁଏ।
JOB 4:11 ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯାʼନ୍ତି।
JOB 4:12 କଥା ଗୋଟିଏ ଗୁପ୍ତରେ ମୋʼ ନିକଟରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍‍ ଶବ୍ଦ ପାଇଲା।
JOB 4:13 ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି, ଏପରି ରାତ୍ରିର ସ୍ୱପ୍ନଦର୍ଶନରୁ ଜାତ ଭାବନା ସମୟରେ,
JOB 4:14 ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା।
JOB 4:15 ତହିଁରେ ମୋʼ ସମ୍ମୁଖରେ ଏକ ଆତ୍ମା ଚାଲିଗଲା; ମୋʼ ଶରୀର ରୋମାଞ୍ଚିତ ହୋଇ ଉଠିଲା।
JOB 4:16 ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ; ମୋʼ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା; ସବୁ ନିଃଶବ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି,
JOB 4:17 ‘ମର୍ତ୍ତ୍ୟର ମନୁଷ୍ୟ କʼଣ ପରମେଶ୍ୱରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କʼଣ ଅଧିକ ଶୁଚି ହେବ?
JOB 4:18 ଦେଖ, ସେ ଆପଣା ଦାସଗଣକୁ ବିଶ୍ୱାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି;
JOB 4:19 ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି।
JOB 4:20 ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି; ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ।
JOB 4:21 ସେମାନଙ୍କ ତମ୍ବୁର ରଜ୍ଜୁ କʼଣ ସେମାନଙ୍କ ଅନ୍ତରରେ ଛିଣ୍ଡା ନ ଯାଏ? ସେମାନେ ଜ୍ଞାନରହିତ ହୋଇ ମରନ୍ତି।’
JOB 5:1 ଏବେ ଡାକ, ତୁମ୍ଭକୁ ଉତ୍ତର ଦେବାକୁ କʼଣ କେହି ଅଛି? ପୁଣି, ପବିତ୍ରଗଣ ମଧ୍ୟରୁ ତୁମ୍ଭେ କାହାର ଅନୁସରଣ କରିବ?
JOB 5:2 କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ।
JOB 5:3 ଅଜ୍ଞାନର ଚେର ମାଡ଼ିବାର ମୁଁ ଦେଖିଅଛି; ମାତ୍ର ହଠାତ୍‍ ତାହାର ବାସସ୍ଥାନକୁ ମୁଁ ଅଭିଶାପ ଦେଲି।
JOB 5:4 ତାହାର ସନ୍ତାନଗଣ ସୁରକ୍ଷାଠାରୁ ଦୂରରେ ଅଛନ୍ତି ଓ ସେମାନେ ନଗର-ଦ୍ୱାରରେ ମର୍ଦ୍ଦିତ ହୁଅନ୍ତି, ଅବା ସେମାନଙ୍କୁ ଉଦ୍ଧାର କରିବାକୁ କେହି ନ ଥାଏ।
JOB 5:5 କ୍ଷୁଧିତ ଲୋକ ସେମାନଙ୍କର ଶସ୍ୟ ଖାଇଯାʼନ୍ତି ଓ କଣ୍ଟା ମଧ୍ୟରୁ ହିଁ ତାହା ନେଇଯାʼନ୍ତି, ଆଉ ଜାଲ ସେମାନଙ୍କ ସମ୍ପତ୍ତିକୁ ଚାହିଁକରି ଥାଏ।
JOB 5:6 କାରଣ କ୍ଳେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କିଅବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ;
JOB 5:7 ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ, ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ।
JOB 5:8 ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି।
JOB 5:9 ପରମେଶ୍ୱର ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟକର୍ମ କରନ୍ତି;
JOB 5:10 ସେ ପୃଥିବୀରେ ବୃଷ୍ଟି ପ୍ରଦାନ କରନ୍ତି ଓ କ୍ଷେତ୍ରକୁ ଜଳ ପଠାନ୍ତି।
JOB 5:11 ଏହିରୂପେ ସେ ନୀଚ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି ଓ ଶୋକାର୍ତ୍ତମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି।
JOB 5:12 ସେ ଧୂର୍ତ୍ତମାନଙ୍କର କଳ୍ପନା ବ୍ୟର୍ଥ କରନ୍ତି, ତେଣୁ ସେମାନଙ୍କ ହସ୍ତ ସେମାନଙ୍କ କାର୍ଯ୍ୟ ସାଧନ କରିପାରେ ନାହିଁ।
JOB 5:13 ସେ ବୁଦ୍ଧିମାନ ଲୋକଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି ଓ କୁଟିଳମନାମାନଙ୍କ ମନ୍ତ୍ରଣା ଶୀଘ୍ର ବିଫଳ ହୁଏ।
JOB 5:14 ସେମାନେ ଦିନ ବେଳେ ଅନ୍ଧକାରଗ୍ରସ୍ତ ହୁଅନ୍ତି, ପୁଣି ମଧ୍ୟାହ୍ନରେ ରାତ୍ରିକାଳର ନ୍ୟାୟ ଦରାଣ୍ଡି ହୁଅନ୍ତି।
JOB 5:15 ମାତ୍ର ସେ ଦୀନହୀନକୁ ସେମାନଙ୍କ ଖଡ୍ଗରୂପ ମୁଖରୁ ଓ ପରାକ୍ରମୀମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି।
JOB 5:16 ଏହେତୁ ଦରିଦ୍ର ଭରସା ପାଏ ଓ ଅଧର୍ମ ନିଜ ମୁଖ ବନ୍ଦ କରେ।
JOB 5:17 ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି, ସେ ମନୁଷ୍ୟ ଧନ୍ୟ; ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର।
JOB 5:18 କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି; ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ;
JOB 5:19 ସେ ଛଅଗୋଟି ସଙ୍କଟରୁ ତୁମ୍ଭକୁ ଉଦ୍ଧାର କରିବେ; ଆହୁରି, ସାତ ସଙ୍କଟରୁ ତୁମ୍ଭକୁ କୌଣସି ଅମଙ୍ଗଳ ସ୍ପର୍ଶ କରିବ ନାହିଁ।
JOB 5:20 ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ।
JOB 5:21 ଜିହ୍ୱାର କୋରଡ଼ା-ପ୍ରହାରରୁ ତୁମ୍ଭେ ଗୋପନରେ ରଖାଯିବ; କିଅବା ବିନାଶ ଉପସ୍ଥିତ ହେଲେ ତୁମ୍ଭେ ଭୀତ ନୋହିବ।
JOB 5:22 ତୁମ୍ଭେ ବିନାଶ ଓ ଦୁର୍ଭିକ୍ଷ ପ୍ରତି ହସିବ; ଅଥବା ପୃଥିବୀର ପଶୁଗଣ ବିଷୟରେ ଭୟଗ୍ରସ୍ତ ନୋହିବ।
JOB 5:23 କାରଣ ପଦାର ପଥର ସଙ୍ଗେ ତୁମ୍ଭର ଚୁକ୍ତି ହେବ ଓ ପଦାର ପଶୁଗଣ ତୁମ୍ଭ ସଙ୍ଗେ ଶାନ୍ତିରେ ରହିବେ।
JOB 5:24 ପୁଣି, ତୁମ୍ଭର ତମ୍ବୁ ଶାନ୍ତିରେ ଅଛି, ଏହା ତୁମ୍ଭେ ଜାଣିବ ଓ ତୁମ୍ଭେ ଆପଣା ପଶୁଶାଳାକୁ ଗଲେ କିଛି ହଜି ନ ଥିବାର ଦେଖିବ।
JOB 5:25 ମଧ୍ୟ ତୁମ୍ଭର ବଂଶ ବହୁସଂଖ୍ୟକ ଓ ତୁମ୍ଭର ସନ୍ତାନସନ୍ତତି ଭୂମିର ତୃଣ ପରି ହେବାର ଜାଣିବ।
JOB 5:26 ତୁମ୍ଭେ ଯଥା ସମୟରେ ଆନୀତ ଶସ୍ୟବିଡ଼ା ତୁଲ୍ୟ ପୂର୍ଣ୍ଣାୟୁ ହୋଇ ଆପଣା କବରକୁ ଆସିବ।
JOB 5:27 ଦେଖ, ଆମ୍ଭେମାନେ ତାହା ଅନୁସନ୍ଧାନ କରିଅଛୁ, ତାହା ସେପରି ଅଟେ; ତାହା ଶୁଣ ଓ ଆପଣା ମଙ୍ଗଳ ନିମନ୍ତେ ତାହା ଜ୍ଞାତ ହୁଅ।”
JOB 6:1 ଏଥିରେ ଆୟୁବ ଉତ୍ତର କରି କହିଲା,
JOB 6:2 “ଆହା, ଯଦି ମୋହର ଦୁଃଖ ତୌଲା ଯାଇଥାʼନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥାʼନ୍ତା!
JOB 6:3 ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି।
JOB 6:4 କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋʼ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି।
JOB 6:5 ଘାସ ଥିଲେ କʼଣ ବନ୍ୟ ଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
JOB 6:6 ଅସ୍ୱାଦ ଦ୍ରବ୍ୟ କʼଣ ଲବଣ ବିନା ଭୋଜନ କରାଯାଇପାରେ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି?
JOB 6:7 ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋʼ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ।
JOB 6:8 ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ।
JOB 6:9 ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ; ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ!
JOB 6:10 ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ।
JOB 6:11 ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି?
JOB 6:12 ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
JOB 6:13 ମୋʼ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋʼ ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କʼଣ ସତ୍ୟ ନୁହେଁ?
JOB 6:14 କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।
JOB 6:15 ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି;
JOB 6:16 ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;
JOB 6:17 ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱ ସ୍ଥାନରୁ ଅନ୍ତର୍ହିତ ହୁଏ।
JOB 6:18 ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକୁ ଯାଇ ବିନଷ୍ଟ ହୁଅନ୍ତି।
JOB 6:19 ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ।
JOB 6:20 ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ।
JOB 6:21 ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ।
JOB 6:22 ‘ମୋତେ କିଛି ଦିଅ,’ ଅବା ‘ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋʼ ପାଇଁ ଉପହାର ଯାଚ,’
JOB 6:23 କିଅବା ‘ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର,’ ଅଥବା ‘ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି?’
JOB 6:24 ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ।
JOB 6:25 ସରଳ ବାକ୍ୟ କିପରି ପ୍ରବଳ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ?
JOB 6:26 ତୁମ୍ଭେମାନେ କʼଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ।
JOB 6:27 ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ।
JOB 6:28 ଏହେତୁ ଏବେ ଅନୁଗ୍ରହ କରି ମୋʼ ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ।
JOB 6:29 ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ।
JOB 6:30 ମୋʼ ଜିହ୍ୱାରେ କʼଣ ଅନ୍ୟାୟ ଅଛି? ମୋହର ରସନେନ୍ଦ୍ରିୟ କʼଣ ଅନିଷ୍ଟ ବିଷୟ ବାରି ନ ପାରେ?
JOB 7:1 ପୃଥିବୀରେ କʼଣ ମନୁଷ୍ୟର ଯୁଦ୍ଧ ହୁଏ ନାହିଁ? ଓ ତାହାର ଦିନସମୂହ କʼଣ ବେତନଜୀବୀର ଦିନ ତୁଲ୍ୟ ନୁହେଁ?
JOB 7:2 ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ;
JOB 7:3 ମୁଁ ସେପରି ଅସାରତାବିଶିଷ୍ଟ ମାସମାନର ଅଧିକାରୀ କରାଯାଇଅଛି ଓ କ୍ଳାନ୍ତିଜନକ ରାତ୍ରିମାନ ମୋʼ ପାଇଁ ନିରୂପିତ ହୋଇଅଛି।
JOB 7:4 ମୁଁ ଶୟନ କାଳରେ କହେ, ‘କେବେ ମୁଁ ଉଠିବି?’ ମାତ୍ର ରାତ୍ରି ଦୀର୍ଘ ହୁଏ; ଆଉ, ମୁଁ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଛଟପଟ ହେଉଥାଏ।
JOB 7:5 ମୋହର ମାଂସ କୀଟ ଓ ଧୂଳିଟେଳା ପରିହିତ; ମୋହର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ।
JOB 7:6 ମୋହର ଦିନ ତନ୍ତୀର ନଳୀଠାରୁ ଶୀଘ୍ରଗାମୀ ଓ ଭରସା ବିନା ବ୍ୟୟ ହୋଇଯାଏ।
JOB 7:7 ଆହେ, ମୋହର ପ୍ରାଣ ବାୟୁ ମାତ୍ର ବୋଲି ସ୍ମରଣ କର; ମୋହର ଚକ୍ଷୁ ଆଉ ମଙ୍ଗଳ ଦେଖିବ ନାହିଁ।
JOB 7:8 ଯାହାର ଚକ୍ଷୁ ମୋତେ ଦେଖେ, ସେ ଆଉ ମୋତେ ଦେଖିବ ନାହିଁ; ମୋʼ ପ୍ରତି ତୁମ୍ଭର ଦୃଷ୍ଟି ପଡ଼ିବ, ମାତ୍ର ମୁଁ ନ ଥିବି।
JOB 7:9 ମେଘ ଯେପରି କ୍ଷୟ ପାଇ ଅନ୍ତର୍ହିତ ହୁଏ, ସେପରି ଯେ ପାତାଳକୁ ଓହ୍ଲାଇଯାଏ, ସେ ଆଉ ଉଠି ଆସିବ ନାହିଁ।
JOB 7:10 ସେ ଆଉ ଆପଣା ଗୃହକୁ ଫେରି ଆସିବ ନାହିଁ, କିଅବା ତାହାର ବାସସ୍ଥାନ ତାହାକୁ ଆଉ ଚିହ୍ନିବ ନାହିଁ।
JOB 7:11 ଏହେତୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ; ମୁଁ ଆପଣା ମନର ବେଦନାରେ କଥା କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି।
JOB 7:12 ମୁଁ କʼଣ ସମୁଦ୍ର ଅବା ତିମିମତ୍ସ୍ୟ ଯେ, ତୁମ୍ଭେ ମୋʼ ଉପରେ ପ୍ରହରୀ ରଖୁଅଛ?
JOB 7:13 ମୋʼ ପଲଙ୍କ ମୋତେ ସାନ୍ତ୍ୱନା ଦେବ, ମୋହର ଶଯ୍ୟା ମୋର ଦୁଃଖ ଉପଶମ କରିବ ବୋଲି କହିଲା ବେଳେ,
JOB 7:14 ତୁମ୍ଭେ ସ୍ୱପ୍ନରେ ମୋତେ ଭୟ ଦେଖାଉଅଛ ଓ ନାନା ଦର୍ଶନ ଦ୍ୱାରା ମୋତେ ତ୍ରାସଯୁକ୍ତ କରୁଅଛ।
JOB 7:15 ତେଣୁ ମୋହର ପ୍ରାଣ ମୋହର ଏହି ଅସ୍ଥି ଅପେକ୍ଷା ଶ୍ୱାସରୋଧ ଓ ମରଣ ପସନ୍ଦ କରେ।
JOB 7:16 ମୁଁ ଆପଣା ପ୍ରାଣକୁ ଘୃଣା କରେ, ମୁଁ ସର୍ବଦା ବଞ୍ଚିବାକୁ ଇଚ୍ଛା କରେ ନାହିଁ; ମୋତେ ଛାଡ଼; କାରଣ ମୋହର ଆୟୁ ଅସାର।
JOB 7:17 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ପ୍ରତି ମନୋଯୋଗ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ,
JOB 7:18 ଆଉ, ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ?
JOB 7:19 ତୁମ୍ଭେ କେତେ କାଳ ମୋʼ ଠାରୁ ଆପଣା ଦୃଷ୍ଟି ଫେରାଇବ ନାହିଁ, କିଅବା ମୁଁ ଆପଣା ଛେପ ଢୋକିବା ପର୍ଯ୍ୟନ୍ତ ମୋତେ ଛାଡ଼ିଦେବ ନାହିଁ?
JOB 7:20 ହେ ମନୁଷ୍ୟ-ପ୍ରହରୀ, ମୁଁ ପାପ କଲେ ତୁମ୍ଭର କʼଣ କରେ? କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ରୂପେ ରଖିଅଛ? ତେଣୁ ମୁଁ ଆପଣା ପ୍ରତି ଭାର ସ୍ୱରୂପ ହେଉଅଛି?
JOB 7:21 ପୁଣି, ତୁମ୍ଭେ କାହିଁକି ମୋହର ଅପରାଧ କ୍ଷମା କରୁ ନାହଁ ଓ ମୋହର ଅଧର୍ମ ଦୂର କରୁ ନାହଁ? କାରଣ ଏବେ ମୁଁ ଧୂଳିରେ ଶୟନ କରିବି; ପୁଣି, ତୁମ୍ଭେ ଯତ୍ନପୂର୍ବକ ମୋହର ଅନ୍ଵେଷଣ କରିବ, ମାତ୍ର ମୁଁ ନ ଥିବି।”
JOB 8:1 ଏଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା,
JOB 8:2 “ତୁମ୍ଭେ କେତେ କାଳ ଏହିସବୁ କଥା କହିବ? ଓ ତୁମ୍ଭ ମୁଖର ବାକ୍ୟ କେତେ କାଳ ପ୍ରବଳ ବାୟୁ ତୁଲ୍ୟ ହେବ?
JOB 8:3 ପରମେଶ୍ୱର କʼଣ ବିଚାର ବିପରୀତ କରନ୍ତି? ଅଥବା ସର୍ବଶକ୍ତିମାନ କʼଣ ନ୍ୟାୟ ବିପରୀତ କରନ୍ତି?
JOB 8:4 ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି;
JOB 8:5 ଯଦି ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ;
JOB 8:6 ଯଦି ତୁମ୍ଭେ ନିର୍ମଳ ଓ ସରଳ ଥାʼନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ।
JOB 8:7 ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା।
JOB 8:8 କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର;
JOB 8:9 କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁ ନାହୁଁ, ଯେଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ସ୍ୱରୂପ;
JOB 8:10 ସେମାନେ କʼଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କʼଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ?
JOB 8:11 ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?
JOB 8:12 ତାହା ସତେଜ ଥାଉ ଥାଉ ଓ କଟା ନୋହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ।
JOB 8:13 ଯେଉଁମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ,
JOB 8:14 ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ୱରୂପ।
JOB 8:15 ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ; ସେ ତାହା ଦୃଢ଼ କରି ଅବଲମ୍ବନ କରିବ, ମାତ୍ର ତାହା ରହିବ ନାହିଁ।
JOB 8:16 ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ।
JOB 8:17 ତାହାର ଚେର ପ୍ରସ୍ତରରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ।
JOB 8:18 ଯଦି ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ୱୀକାର କରି କହିବ, ‘ମୁଁ ତୁମ୍ଭକୁ ଦେଖି ନାହିଁ।’
JOB 8:19 ଦେଖ, ଏହି ତାହାର ଗତିର ଆମୋଦ, ଏଉତ୍ତାରେ ଭୂମିରୁ ଅନ୍ୟମାନେ ଉଠିବେ।
JOB 8:20 ଦେଖ, ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିଅବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ।
JOB 8:21 ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ୱନିରେ ପୂର୍ଣ୍ଣ କରିବେ।
JOB 8:22 ତୁମ୍ଭର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ।”
JOB 9:1 ଏଥିରେ ଆୟୁବ ଉତ୍ତର କରି କହିଲା,
JOB 9:2 “ଏହା ସତ୍ୟ ବୋଲି ମୁଁ ନିଶ୍ଚୟ ଜାଣେ; ମାତ୍ର କିପରି ମନୁଷ୍ୟ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରେ?
JOB 9:3 ସେ ତାହା ସଙ୍ଗେ ବାଦାନୁବାଦ କରିବାକୁ ଇଚ୍ଛା କଲେ, ମନୁଷ୍ୟ ତାହାଙ୍କୁ ସହସ୍ର କଥା ମଧ୍ୟରୁ ଗୋଟିକର ଉତ୍ତର ଦେଇ ପାରିବ ନାହିଁ।
JOB 9:4 ସେ ମନରେ ଜ୍ଞାନବାନ ଓ ବଳରେ ପରାକ୍ରାନ୍ତ; କିଏ ତାହାଙ୍କ ବିରୁଦ୍ଧରେ ଆପଣାକୁ ପ୍ରବଳ କରି ମଙ୍ଗଳ ପାଇଅଛି?
JOB 9:5 ସେ ପର୍ବତଗଣକୁ ସ୍ଥାନାନ୍ତର କରନ୍ତି, ସେ ଆପଣା କ୍ରୋଧରେ ସେମାନଙ୍କୁ ଓଲଟାଇ ପକାଇବା ବେଳେ ସେମାନେ ତାହା ଜାଣନ୍ତି ନାହିଁ।
JOB 9:6 ସେ ପୃଥିବୀକୁ ସ୍ୱ ସ୍ଥାନରୁ ହଲାଇ ଦିଅନ୍ତି ଓ ତହିଁର ସ୍ତମ୍ଭମାନ ଟଳଟଳ ହୁଏ।
JOB 9:7 ସେ ବାରଣ କଲେ, ସୂର୍ଯ୍ୟ ଉଦିତ ହୁଏ ନାହିଁ ଓ ସେ ତାରାଗଣକୁ ବନ୍ଦ କରି ମୁଦ୍ରାଙ୍କିତ କରନ୍ତି।
JOB 9:8 ସେ ଏକାକୀ ଆକାଶମଣ୍ଡଳ ପ୍ରସାରନ୍ତି ଓ ସମୁଦ୍ରର ତରଙ୍ଗ ଉପରେ ଗମନ କରନ୍ତି।
JOB 9:9 ସେ ସପ୍ତର୍ଷି, ମୃଗଶୀର୍ଷ ଓ କୃତ୍ତିକା ଓ ଦକ୍ଷିଣସ୍ଥ ମଣ୍ଡଳ ସୃଷ୍ଟି କରନ୍ତି।
JOB 9:10 ସେ ଅନୁଦ୍ଦେଶ୍ୟ ମହାକାର୍ଯ୍ୟ ଓ ଅସଂଖ୍ୟ ଆଶ୍ଚର୍ଯ୍ୟକ୍ରିୟା କରନ୍ତି।
JOB 9:11 ଦେଖ, ସେ ମୋʼ ନିକଟରେ ଗମନ କରନ୍ତି, ମାତ୍ର ମୁଁ ତାହାଙ୍କୁ ଦେଖେ ନାହିଁ; ମଧ୍ୟ ସେ ଚାଲିଗଲେ, ମୁଁ ତାହାଙ୍କୁ ଚିହ୍ନେ ନାହିଁ।
JOB 9:12 ଦେଖ, ସେ ଶିକାର ଧରିଲେ, କିଏ ତାହାଙ୍କୁ ନିବାରଣ କରିପାରେ? ତୁମ୍ଭେ କଅଣ କରୁଅଛ, ଏହା କିଏ ତାହାଙ୍କୁ କହିବ?
JOB 9:13 ପରମେଶ୍ୱର ଆପଣା କ୍ରୋଧ ପ୍ରତ୍ୟାହାର କରିବେ ନାହିଁ; ରାହବର ସହାୟଗଣ ତାହାଙ୍କ ପାଦ ତଳେ ନତ ହୁଅନ୍ତି।
JOB 9:14 ତେବେ ମୁଁ ତାହାଙ୍କୁ କେତେ ଅଳ୍ପ ଉତ୍ତର ଦେବି? ଓ ତାହାଙ୍କ ସଙ୍ଗେ ଯୁକ୍ତି କରିବାକୁ ଆପଣା କଥା ବାଛିବି?
JOB 9:15 ମୁଁ ଧାର୍ମିକ ହେଲେ ହେଁ ତାହାଙ୍କୁ ଉତ୍ତର ଦିଅନ୍ତି ନାହିଁ; ମୁଁ ଆପଣା ବିପକ୍ଷ ନିକଟରେ ବିନତି କରନ୍ତି।
JOB 9:16 ଯଦି ମୁଁ ଡାକିଥାʼନ୍ତି ଓ ସେ ମୋତେ ଉତ୍ତର ଦେଇଥାʼନ୍ତେ, ତେବେ ହେଁ ସେ ମୋʼ ରବରେ ମନୋଯୋଗ କଲେ ବୋଲି ମୁଁ ବିଶ୍ୱାସ କରନ୍ତି ନାହିଁ।
JOB 9:17 କାରଣ ସେ ବତାସରେ ମୋତେ ଭାଙ୍ଗି ପକାନ୍ତି ଓ ଅକାରଣରେ ମୋହର କ୍ଷତ ବୃଦ୍ଧି କରନ୍ତି।
JOB 9:18 ସେ ମୋତେ ନିଶ୍ୱାସ ମାରିବାକୁ ଦିଅନ୍ତି ନାହିଁ, ମାତ୍ର ମୋତେ ତିକ୍ତତାରେ ପୂର୍ଣ୍ଣ କରନ୍ତି।
JOB 9:19 ଆମ୍ଭେମାନେ ବିକ୍ରମୀର ବଳର କଥା କହିଲେ, ଦେଖ, ସେ ଅଛନ୍ତି! ଓ ବିଚାରର କଥା କହିଲେ, କିଏ ମୋʼ ପାଇଁ ସମୟ ନିରୂପଣ କରିବ?
JOB 9:20 ମୁଁ ଧାର୍ମିକ ହେଲେ ହେଁ ମୋର ନିଜ ମୁଖ ମୋତେ ଦୋଷୀ କରିବ। ମୁଁ ସିଦ୍ଧ ହେଲେ ହେଁ ମୋତେ କୁଟିଳ ବୋଲି ତାହା ପ୍ରମାଣ କରିବ।
JOB 9:21 ମୁଁ ସିଦ୍ଧ, ମୁଁ ଆପଣାକୁ ମାନ୍ୟ କରେ ନାହିଁ; ମୁଁ ଆପଣା ଜୀବନକୁ ତୁଚ୍ଛ କରେ।
JOB 9:22 ସବୁ ତ ସମାନ; ଏଥିପାଇଁ ମୁଁ କହେ, ସେ ସିଦ୍ଧ ଓ ଦୁଷ୍ଟକୁ ସଂହାର କରନ୍ତି।
JOB 9:23 ଯଦି କୋରଡ଼ା ହଠାତ୍‍ ମାରି ପକାଏ, ସେ ନିର୍ଦ୍ଦୋଷର ପରୀକ୍ଷାରେ ହସିବେ।
JOB 9:24 ପୃଥିବୀ ଦୁଷ୍ଟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି; ସେ ତହିଁର ବିଚାରକର୍ତ୍ତୃଗଣର ମୁଖ ଆଚ୍ଛାଦନ କରନ୍ତି; ଯଦି ସେ ନ କରନ୍ତି, ତେବେ ଆଉ କିଏ?
JOB 9:25 ମୋହର ଦିନସବୁ ଡାକ ଅପେକ୍ଷା ଶୀଘ୍ରଗାମୀ; ତାହାସବୁ ପଳାଇଯାଏ, କୌଣସି ମଙ୍ଗଳର ଦର୍ଶନ ପାଏ ନାହିଁ।
JOB 9:26 ତାହାସବୁ ବେଗଗାମୀ ଜାହାଜ ପରି ଓ ଶିକାର ଉପରେ ଝାମ୍ପ ମାରିବା ଉତ୍କ୍ରୋଶ ପକ୍ଷୀ ପରି ଚାଲିଯାଏ।
JOB 9:27 ଯଦି ମୁଁ କହେ, ‘ମୁଁ ଆପଣା ବିଳାପ ଭୁଲିଯିବି, ମୁଁ ଆପଣା ବିଷଣ୍ଣ ମୁଖ ଦୂର କରି ହୃଷ୍ଟଚିତ୍ତ ହେବି;’
JOB 9:28 ମୁଁ ଆପଣା ସକଳ ଦୁଃଖ ବିଷୟରେ ଭୀତ ହୁଏ, ମୁଁ ଜାଣେ, ତୁମ୍ଭେ ମୋତେ ନିର୍ଦ୍ଦୋଷ ଜ୍ଞାନ କରିବ ନାହିଁ।
JOB 9:29 ମୁଁ ଦୋଷୀକୃତ ହେବି; ତେବେ ମୁଁ କାହିଁକି ବୃଥା ପରିଶ୍ରମ କରୁଅଛି?
JOB 9:30 ଯଦି ମୁଁ ହିମଜଳରେ ଆପଣାକୁ ଧୌତ କରେ ଓ ଆପଣା ହସ୍ତ ଅତିଶୟ ପରିଷ୍କାର କରେ,
JOB 9:31 ତେବେ ହେଁ ତୁମ୍ଭେ ମୋତେ ଗର୍ତ୍ତରେ ମଗ୍ନ କରିବ ଓ ମୋହର ନିଜ ବସ୍ତ୍ର ମୋତେ ଘୃଣା କରିବ।
JOB 9:32 କାରଣ ସେ ମୋʼ ପରି ମନୁଷ୍ୟ ନୁହନ୍ତି ଯେ, ମୁଁ ତାହାଙ୍କୁ ଉତ୍ତର ଦେବି ଓ ଆମ୍ଭେମାନେ ଏକତ୍ର ବିଚାର ସ୍ଥାନକୁ ଆସିବା।
JOB 9:33 ଆମ୍ଭ ଦୁହିଁଙ୍କ ଉପରେ ହସ୍ତାର୍ପଣ କରିବାକୁ ସମର୍ଥ କୌଣସି ମଧ୍ୟସ୍ଥ ଆମ୍ଭମାନଙ୍କ ମଧ୍ୟରେ ନାହିଁ।
JOB 9:34 ସେ ମୋʼ ଠାରୁ ଆପଣା ଯଷ୍ଟି ଦୂର କରନ୍ତୁ ଓ ତାହାଙ୍କ ଭୟଙ୍କରତା ମୋତେ ଭୀତ ନ କରୁ;
JOB 9:35 ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେହିପରି ନୁହେଁ।
JOB 10:1 ମୋʼ ପ୍ରାଣ ମୋʼ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି।
JOB 10:2 ମୁଁ ପରମେଶ୍ୱରଙ୍କୁ କହିବି, ମୋତେ ଦୋଷୀ କର ନାହିଁ; କାହିଁକି ମୋʼ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ।
JOB 10:3 ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କʼଣ ତୁମ୍ଭ ପ୍ରତି ଭଲ?
JOB 10:4 ତୁମ୍ଭର କʼଣ ଚର୍ମର ଚକ୍ଷୁ ଅଛି? ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କʼଣ ସେପରି ଦେଖୁଅଛ?
JOB 10:5 ତୁମ୍ଭର ଆୟୁ କʼଣ ମନୁଷ୍ୟର ଆୟୁ ତୁଲ୍ୟ, ଅବା ତୁମ୍ଭର ବର୍ଷସମୂହ କʼଣ ମନୁଷ୍ୟର ଦିନସମୂହ ତୁଲ୍ୟ
JOB 10:6 ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛ ଓ ମୋହର ପାପ ଅନ୍ଵେଷଣ କରୁଅଛ?
JOB 10:7 ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁ ଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ।
JOB 10:8 ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ଓ ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି; ତଥାପି ତୁମ୍ଭେ ମୋତେ ସଂହାର କରୁଅଛ।
JOB 10:9 ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛ ଓ ତୁମ୍ଭେ କʼଣ ମୋତେ ପୁନର୍ବାର ଧୂଳି କରିବ?
JOB 10:10 ତୁମ୍ଭେ କʼଣ ଦୁଗ୍ଧ ନ୍ୟାୟ ମୋତେ ଢାଳି ନାହଁ ଓ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ?
JOB 10:11 ତୁମ୍ଭେ ମୋତେ ଚର୍ମ ଓ ମାଂସରେ ବସ୍ତ୍ରାନ୍ୱିତ କରିଅଛ, ପୁଣି ଅସ୍ଥି ଓ ଶିରାରେ ମୋତେ ଏକତ୍ର ବୁଣିଅଛ।
JOB 10:12 ତୁମ୍ଭେ ମୋତେ ଜୀବନ ଓ ଅନୁଗ୍ରହ ଦାନ କରିଅଛ ଓ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି।
JOB 10:13 ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ; ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର;
JOB 10:14 ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛ ଓ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ।
JOB 10:15 ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ, ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁ ଓ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ।
JOB 10:16 ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ଓ ତୁମ୍ଭେ ପୁନର୍ବାର ମୋʼ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ।
JOB 10:17 ତୁମ୍ଭେ ମୋʼ ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛ ଓ ତୁମ୍ଭେ ମୋʼ ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ; ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ।
JOB 10:18 ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ? ମୁଁ ପ୍ରାଣତ୍ୟାଗ କରିଥାʼନ୍ତି ଓ କୌଣସି ଚକ୍ଷୁ ମୋତେ ଦେଖି ନ ଥାʼନ୍ତା,
JOB 10:19 ମୁଁ ଅଜାତର ତୁଲ୍ୟ ହୋଇଥାʼନ୍ତି; ମୁଁ ଗର୍ଭରୁ କବରକୁ ଘେନା ଯାଇଥାʼନ୍ତି।
JOB 10:20 ମୋହର ଦିନ କʼଣ ଅଳ୍ପ ନୁହେଁ? ତେବେ କ୍ଷାନ୍ତ ହୁଅ,
JOB 10:21 ମୋତେ ଛାଡ଼ିଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ, ଏପରି ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି;
JOB 10:22 ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ; ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନ ଓ ସେଠାରେ ଦୀପ୍ତି ଅନ୍ଧକାରର ସମାନ।”
JOB 11:1 ଏଥିରେ ନାମାଥୀୟ ସୋଫର ଉତ୍ତର କରି କହିଲା,
JOB 11:2 “ଏତେ କଥାର କି କିଛି ଉତ୍ତର ଦିଆଯିବ ନାହିଁ? ଓ ବକୁଆ ଲୋକ କʼଣ ନିର୍ଦ୍ଦୋଷ ଗଣାଯିବ?
JOB 11:3 ତୁମ୍ଭର ଦର୍ପ କʼଣ ଲୋକମାନଙ୍କୁ ନୀରବ କରିବ? ଓ ତୁମ୍ଭେ ପରିହାସ କଲେ, କେହି କʼଣ ତୁମ୍ଭକୁ ଲଜ୍ଜିତ କରିବ ନାହିଁ?
JOB 11:4 କାରଣ ତୁମ୍ଭେ କହୁଅଛ, ‘ମୋହର ବାକ୍ୟ ଶୁଦ୍ଧ, ମୁଁ ତୁମ୍ଭ ଦୃଷ୍ଟିରେ ଶୁଚି।’
JOB 11:5 ମାତ୍ର ଆହା, ଯେବେ ପରମେଶ୍ୱର କଥା କହନ୍ତେ ଓ ତୁମ୍ଭ ପ୍ରତିକୂଳରେ ଆପଣା ଓଷ୍ଠାଧର ଫିଟାନ୍ତେ;
JOB 11:6 ପୁଣି, ଜ୍ଞାନର ନିଗୂଢ଼ ତତ୍ତ୍ୱ, ଅର୍ଥାତ୍‍, ତହିଁର ବହୁବିଧ ଫଳଦାୟକ କର୍ମଣ୍ୟତା ତୁମ୍ଭକୁ ଜ୍ଞାତ କରାନ୍ତେ! ଏହେତୁ ଜାଣ ଯେ, ପରମେଶ୍ୱର ତୁମ୍ଭ ଅପରାଧ ଅପେକ୍ଷା ଊଣା ପରିଶୋଧ ତୁମ୍ଭଠାରୁ ନେଉଅଛନ୍ତି।
JOB 11:7 ତୁମ୍ଭେ କʼଣ ଅନୁସନ୍ଧାନ ଦ୍ୱାରା ପରମେଶ୍ୱରଙ୍କୁ ପାଇ ପାର? ତୁମ୍ଭେ କʼଣ ସର୍ବଶକ୍ତିମାନଙ୍କର ସମ୍ପୂର୍ଣ୍ଣ ତତ୍ତ୍ୱ ପାଇ ପାର?
JOB 11:8 ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର? ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର?
JOB 11:9 ତହିଁର ପରିମାଣ ପୃଥିବୀ ଅପେକ୍ଷା ଦୀର୍ଘ ଓ ସମୁଦ୍ର ଅପେକ୍ଷା ପ୍ରଶସ୍ତ।
JOB 11:10 ଯଦି ପରମେଶ୍ୱର ଚାଲିଯାʼନ୍ତି ଓ ବନ୍ଦ କରନ୍ତି ଓ ବିଚାର ସଭାକୁ ଡାକନ୍ତି, ତେବେ କିଏ ତାହାଙ୍କୁ ବାରଣ କରିପାରେ?
JOB 11:11 କାରଣ ସେ ଅସାର ଲୋକଙ୍କୁ ଜାଣନ୍ତି; ସେ ଆଲୋଚନା ନ କରି ହିଁ ଅଧର୍ମ ଦେଖନ୍ତି।
JOB 11:12 ଜଣେ ଅସାର ମନୁଷ୍ୟ ବୁଦ୍ଧିବାନ ହୋଇ ପାରିବ, କିନ୍ତୁ ଯେବେ ବନ୍ୟ ଗର୍ଦ୍ଦଭଶାବକ ମନୁଷ୍ୟକୁ ଜାତ କରିବ।
JOB 11:13 ଯଦି ତୁମ୍ଭେ ଯଥାର୍ଥ ରୂପେ ଆପଣା ଅନ୍ତଃକରଣ ସୁସ୍ଥିର କରି ତାହାଙ୍କ ଆଡ଼େ ଆପଣା ହସ୍ତ ବିସ୍ତାର କର;
JOB 11:14 ଯଦି ତୁମ୍ଭ ହସ୍ତରେ ଅଧର୍ମ ଥାଏ, ତାହା ଦୂର କରିଦିଅ ଓ ଅଧର୍ମକୁ ତୁମ୍ଭ ତମ୍ବୁରେ ବାସ କରିବାକୁ ନ ଦିଅ;
JOB 11:15 ତେବେ ତୁମ୍ଭେ ନିଶ୍ଚୟ କଳଙ୍କରହିତ ହୋଇ ଆପଣା ମୁଖ ଟେକିବ; ଆହୁରି, ତୁମ୍ଭେ ସୁସ୍ଥିର ହେବ ଓ ଭୟ କରିବ ନାହିଁ;
JOB 11:16 ତୁମ୍ଭେ ଆପଣା ଦୁଃଖ ପାସୋରି ପକାଇବ; ବହିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ;
JOB 11:17 ତୁମ୍ଭର ଜୀବନ ମଧ୍ୟାହ୍ନ ଅପେକ୍ଷା ନିର୍ମଳ ହେବ; ଅନ୍ଧକାର ଥିଲେ ହେଁ ତାହା ପ୍ରଭାତ ତୁଲ୍ୟ ହେବ।
JOB 11:18 ପୁଣି, ଭରସା ଥିବାରୁ ତୁମ୍ଭେ ନିର୍ବିଘ୍ନରେ ରହିବ; ଆହୁରି, ତୁମ୍ଭେ ଆପଣା ଚତୁର୍ଦ୍ଦିଗ ଅନ୍ଵେଷଣ କରି ନିରାପଦରେ ବିଶ୍ରାମ କରିବ।
JOB 11:19 ମଧ୍ୟ ତୁମ୍ଭେ ଶୟନ କଲେ, କେହି ତୁମ୍ଭକୁ ଭୀତ କରିବ ନାହିଁ; ବରଞ୍ଚ ଅନେକେ ତୁମ୍ଭ ନିକଟରେ ନିବେଦନ କରିବେ।
JOB 11:20 ମାତ୍ର ଦୁଷ୍ଟମାନଙ୍କର ଚକ୍ଷୁ ନିସ୍ତେଜ ହେବ ଓ ସେମାନଙ୍କର ପଳାଇବାର ବାଟ ରହିବ ନାହିଁ, ଆଉ ସେମାନଙ୍କର ଭରସା ପ୍ରାଣତ୍ୟାଗରେ ପରିଣତ ହେବ।”
JOB 12:1 ତହୁଁ ଆୟୁବ ଉତ୍ତର କରି କହିଲା,
JOB 12:2 “ତୁମ୍ଭେମାନେ ତ ଲୋକ, ସନ୍ଦେହ ନାହିଁ, ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଜ୍ଞାନ ମରିଯିବ।
JOB 12:3 ମାତ୍ର ତୁମ୍ଭମାନଙ୍କ ପରି ଆମ୍ଭର ବୁଦ୍ଧି ଅଛି; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ; ହଁ, ଏପରି କଥାସବୁ କିଏ ନ ଜାଣେ?
JOB 12:4 ମୁଁ ମୋହର ବନ୍ଧୁମାନଙ୍କ ନିମନ୍ତେ ହାସ୍ୟାସ୍ପଦ ଲୋକ ତୁଲ୍ୟ ହୋଇଅଛି, ମୁଁ ପରମେଶ୍ୱରଙ୍କୁ ଡାକନ୍ତେ, ସେ ମୋତେ ଉତ୍ତର ଦେଲେ; ଧାର୍ମିକ, ସିଦ୍ଧ ଲୋକ ହାସ୍ୟାସ୍ପଦ ହୋଇଅଛି।
JOB 12:5 ସୁଖରେ ଥିବା ଲୋକର ବୋଧରେ ବିପଦ ତୁଚ୍ଛନୀୟ; ଯେଉଁମାନଙ୍କର ପାଦ ଖସିଯାଏ, ସେମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ।
JOB 12:6 ଡକାୟତମାନଙ୍କର ତମ୍ବୁ ନିରାପଦ ହୁଏ ଓ ପରମେଶ୍ୱରଙ୍କୁ ବିରକ୍ତ କରିବା ଲୋକେ ନିର୍ବିଘ୍ନରେ ରହନ୍ତି; ପରମେଶ୍ୱର ସେମାନଙ୍କ ହସ୍ତରେ ବହୁତ ଦିଅନ୍ତି।
JOB 12:7 ମାତ୍ର ଏବେ ପଶୁମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଶିକ୍ଷା ଦେବେ ଓ ଆକାଶର ପକ୍ଷୀମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଜଣାଇବେ;
JOB 12:8 ଅବା ପୃଥିବୀକୁ ବୋଲ, ସେ ତୁମ୍ଭକୁ ଶିକ୍ଷା ଦେବ ଓ ସମୁଦ୍ରର ମତ୍ସ୍ୟମାନେ ତୁମ୍ଭ ପ୍ରତି ପ୍ରକାଶ କରିବେ।
JOB 12:9 ସଦାପ୍ରଭୁଙ୍କ ହସ୍ତ ଯେ ଏହା କରିଅଛି, ଏସକଳ ଦ୍ୱାରା କିଏ ନ ଜାଣେ?
JOB 12:10 ତାହାଙ୍କ ହସ୍ତରେ ପ୍ରତ୍ୟେକ ଜୀବର ପ୍ରାଣ ଓ ସମୁଦାୟ ନରବଂଶର ଶ୍ୱାସବାୟୁ ଅଛି।
JOB 12:11 ଯେପରି ରସନା ଖାଦ୍ୟର ଆସ୍ୱାଦ ପାଏ, ସେପରି କର୍ଣ୍ଣ କʼଣ କଥାର ପରୀକ୍ଷା ନ କରେ?
JOB 12:12 ପ୍ରାଚୀନମାନଙ୍କଠାରେ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ।
JOB 12:13 ତାହାଙ୍କଠାରେ ଜ୍ଞାନ ଓ ପରାକ୍ରମ ଥାଏ; ତାହାଙ୍କର ମନ୍ତ୍ରଣା ଓ ବୁଦ୍ଧି ଅଛି।
JOB 12:14 ଦେଖ, ସେ ଭାଙ୍ଗି ପକାନ୍ତି, ଆଉ ତାହା ପୁନଃନିର୍ମିତ ହୋଇ ନ ପାରେ; ସେ ମନୁଷ୍ୟକୁ ରୁଦ୍ଧ କଲେ, ଆଉ ମୁକୁଳା ହୋଇ ନ ପାରେ।
JOB 12:15 ଦେଖ, ସେ ଜଳରାଶିକି ଅଟକାଇଲେ, ତାହାସବୁ ଶୁଷ୍କ ହୋଇଯାଏ; ପୁନର୍ବାର ସେ ତାହା ପଠାଇଦେଲେ, ତାହା ପୃଥିବୀକୁ ଓଲଟପାଲଟ କରି ପକାଏ।
JOB 12:16 ତାହାଙ୍କଠାରେ ବଳ ଓ ଫଳଦାୟକ କର୍ମଣ୍ୟତା ଥାଏ; ଭ୍ରାନ୍ତ ଓ ଭ୍ରାମକ ତାହାଙ୍କର।
JOB 12:17 ସେ ମନ୍ତ୍ରୀମାନଙ୍କୁ ଲୁଟିତ କରି ନେଇଯାʼନ୍ତି ଓ ବିଚାରକର୍ତ୍ତୃଗଣକୁ ସେ ନିର୍ବୋଧ କରନ୍ତି।
JOB 12:18 ସେ ରାଜାମାନଙ୍କର ବନ୍ଧନ ମୁକ୍ତ କରନ୍ତି ଓ କଟିବନ୍ଧନୀରେ ସେମାନଙ୍କ କଟି ବାନ୍ଧନ୍ତି।
JOB 12:19 ସେ ଯାଜକମାନଙ୍କୁ ଲୁଟିତ କରି ନେଇଯାʼନ୍ତି ଓ ବିକ୍ରମୀମାନଙ୍କୁ ପରାସ୍ତ କରନ୍ତି।
JOB 12:20 ସେ ବିଶ୍ୱସ୍ତମାନଙ୍କ ବଚନ ଅନ୍ୟଥା କରନ୍ତି ଓ ପ୍ରାଚୀନମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।
JOB 12:21 ସେ ଅଧିକାରୀମାନଙ୍କ ଉପରେ ତୁଚ୍ଛତା ଢାଳନ୍ତି; ଓ ବଳବାନର ପଟୁକା ଫିଟାଇ ପକାନ୍ତି।
JOB 12:22 ସେ ଅନ୍ଧକାରରୁ ନିଗୂଢ଼ ବିଷୟ ପ୍ରକାଶ କରନ୍ତି ଓ ମୃତ୍ୟୁୁଚ୍ଛାୟାକୁ ଆଲୁଅକୁ ଆଣନ୍ତି।
JOB 12:23 ସେ ଗୋଷ୍ଠୀୟମାନଙ୍କୁ ବୃଦ୍ଧି କରନ୍ତି ଓ ସେମାନଙ୍କୁ ବିନାଶ କରନ୍ତି; ସେ ଗୋଷ୍ଠୀୟମାନଙ୍କୁ ବାହାରେ ବିସ୍ତୀର୍ଣ୍ଣ କରନ୍ତି ଓ ସେମାନଙ୍କୁ ଭିତରେ ଆଣନ୍ତି।
JOB 12:24 ସେ ପୃଥିବୀସ୍ଥ ଲୋକମାନଙ୍କ ପ୍ରଧାନବର୍ଗର ହୃଦୟ ହରଣ କରନ୍ତି ଓ ସେ ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି।
JOB 12:25 ସେମାନେ ଆଲୁଅରହିତ ହୋଇ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି, ସେ ସେମାନଙ୍କୁ ମତ୍ତ ଲୋକ ପରି ଟଳମଳ କରାନ୍ତି।
JOB 13:1 ଦେଖ, ମୋହର ଚକ୍ଷୁ ଏହିସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି।
JOB 13:2 ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ।
JOB 13:3 ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ।
JOB 13:4 ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ।
JOB 13:5 ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା।
JOB 13:6 ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର।
JOB 13:7 ତୁମ୍ଭେମାନେ କʼଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ?
JOB 13:8 ତୁମ୍ଭେମାନେ କʼଣ ତାହାଙ୍କର ମୁଖାପେକ୍ଷା କରିବ, ତୁମ୍ଭେମାନେ କʼଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ?
JOB 13:9 ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ? କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କʼଣ ତାହାଙ୍କୁ ଭୁଲାଇବ?
JOB 13:10 ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ, ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ।
JOB 13:11 ତାହାଙ୍କର ମହତ୍ତ୍ୱ କʼଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କʼଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ?
JOB 13:12 ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ।
JOB 13:13 ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ, ହେଉ।
JOB 13:14 ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି?
JOB 13:15 ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।
JOB 13:16 ଏହା ହିଁ ମୋହର ମୁକ୍ତି ସ୍ୱରୂପ ହେବ; କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ।
JOB 13:17 ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ।
JOB 13:18 ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି; ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି।
JOB 13:19 ମୋʼ ସଙ୍ଗେ ଯେ ବିବାଦ କରିବ, ସେ କିଏ? କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି।
JOB 13:20 କେବଳ ଦୁଇ କଥା ମୋʼ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ।
JOB 13:21 ତୁମ୍ଭ ହସ୍ତ ମୋʼ ଠାରୁ ଦୂରକୁ କାଢ଼ି ନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ।
JOB 13:22 ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି; ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ।
JOB 13:23 ମୋହର ଅପରାଧ ଓ ପାପ କେତେ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ।
JOB 13:24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ?
JOB 13:25 ତୁମ୍ଭେ କʼଣ ଉଡ଼ନ୍ତା ପତ୍ରକୁ ଡରାଇବ? ଓ ତୁମ୍ଭେ କʼଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ?
JOB 13:26 କାରଣ ତୁମ୍ଭେ ମୋʼ ବିରୁଦ୍ଧରେ ତିକ୍ତ କଥା ଲେଖୁଅଛ ଓ ମୋʼ ଯୌବନ କାଳର ଅପରାଧ ଭୋଗ କରାଉଅଛ;
JOB 13:27 ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ; ତୁମ୍ଭେ ମୋʼ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ;
JOB 13:28 ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ।
JOB 14:1 ସ୍ତ୍ରୀଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ।
JOB 14:2 ସେ ପୁଷ୍ପ ତୁଲ୍ୟ ପ୍ରସ୍ପୁଟିତ ହୋଇ କଟାଯାଏ; ମଧ୍ୟ ସେ ଛାୟା ତୁଲ୍ୟ ବହିଯାଇ ସ୍ଥିର ନ ଥାଏ।
JOB 14:3 ଆଉ, ତୁମ୍ଭେ ଏପରି ଜଣକ ଉପରେ କʼଣ ଆପଣା ଦୃଷ୍ଟି ରଖୁଅଛ ଓ ଆପଣା ନିକଟକୁ ବିଚାରାର୍ଥେ କʼଣ ମୋତେ ଆଣୁଅଛ?
JOB 14:4 ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ? ଜଣେ ନାହିଁ।
JOB 14:5 ତାହାର ଦିନସବୁ ନିର୍ଣ୍ଣୀତ, ତାହାର ମାସ-ସଂଖ୍ୟା ତୁମ୍ଭଠାରେ ଅଛି ଓ ତୁମ୍ଭେ ତାହାର ସୀମା ନିରୂପଣ କରିଅଛ, ଏଣୁ ସେ ତାହା ଲଙ୍ଘନ କରିପାରେ ନାହିଁ?
JOB 14:6 ଏହେତୁ ସେ ଯେପରି ବେତନଜୀବୀ ତୁଲ୍ୟ ଆପଣା ଦିନ ଭୋଗ କରିବା ପର୍ଯ୍ୟନ୍ତ ବିଶ୍ରାମ ପାଇ ପାରିବ, ଏଥିପାଇଁ ତାହାଠାରୁ ଦୃଷ୍ଟି ଫେରାଅ।
JOB 14:7 କାରଣ ବୃକ୍ଷ ବିଷୟରେ ଆଶା ଥାଏ, ତାହା କଟାଗଲେ ପୁନର୍ବାର ପଲ୍ଲବିତ ହେବ ଓ ତହିଁର କୋମଳ ଶାଖାର ଅଭାବ ହେବ ନାହିଁ।
JOB 14:8 ଯଦ୍ୟପି ତହିଁର ମୂଳ ମୃତ୍ତିକାରେ ପୁରୁଣା ହୋଇଯାଏ ଓ ତହିଁର ଗଣ୍ଡି ଭୂମିରେ ମରିଯାଏ;
JOB 14:9 ତଥାପି ଜଳର ଗନ୍ଧ ପାଇଲେ, ତାହା ପଲ୍ଲବିତ ହେବ ଓ ରୋପିତ ବୃକ୍ଷ ତୁଲ୍ୟ ଶାଖାବିଶିଷ୍ଟ ହେବ।
JOB 14:10 ମାତ୍ର ମନୁଷ୍ୟ ମରେ ଓ କ୍ଷୟ ପାଏ; ହଁ, ମନୁଷ୍ୟ ପ୍ରାଣତ୍ୟାଗ କରେ, ପୁଣି ସେ କେଉଁଠାରେ ଥାଏ?
JOB 14:11 ଯେପରି ସମୁଦ୍ରରୁ ଜଳ ବାହାରି ଯାଏ ଓ ନଦୀ କ୍ଷୟପ୍ରାପ୍ତ ଓ ଶୁଷ୍କ ହୁଏ;
JOB 14:12 ସେପରି ମନୁଷ୍ୟ ଶୟନ କଲେ ଆଉ ଉଠେ ନାହିଁ; ଆକାଶମଣ୍ଡଳ ଲୋପ ନ ପାଇବା ପର୍ଯ୍ୟନ୍ତ ସେମାନେ ଜାଗ୍ରତ ହେବେ ନାହିଁ, କିଅବା ନିଦ୍ରାରୁ ଉତ୍ଥାପିତ ହେବେ ନାହିଁ।
JOB 14:13 ଆଃ, ତୁମ୍ଭେ ଯେବେ ପାତାଳରେ ମୋତେ ଲୁଚାଇ ରଖନ୍ତ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ଯେବେ ମୋତେ ଗୋପନରେ ରଖନ୍ତ, ଯେବେ ମୋʼ ପାଇଁ ସମୟ ନିରୂପଣ କରି ମୋତେ ସ୍ମରଣ କରନ୍ତ!
JOB 14:14 ଯଦି ମନୁଷ୍ୟର ମୃତ୍ୟୁ ହୁଏ ତେବେ କʼଣ ସେ ପୁନର୍ବାର ବଞ୍ଚିବ? ମୋହର ମୁକ୍ତି ଉପସ୍ଥିତ ନୋହିବା ପର୍ଯ୍ୟନ୍ତ ମୁଁ ଆପଣା ଯୁଦ୍ଧର ସମସ୍ତ ଦିନ ଅପେକ୍ଷା କରିବି।
JOB 14:15 ତେବେ ତୁମ୍ଭେ ଡାକିବ ଓ ମୁଁ ତୁମ୍ଭକୁ ଉତ୍ତର ଦେବି; ତୁମ୍ଭେ ଆପଣା ହସ୍ତକୃତ କର୍ମ ପ୍ରତି କରୁଣା କରିବ।
JOB 14:16 ମାତ୍ର ଏବେ ତୁମ୍ଭେ ମୋʼ ପାଦଗତି ଗଣନା କରୁଅଛ; ତୁମ୍ଭେ କʼଣ ମୋʼ ପାପ ପ୍ରତି ନିରୀକ୍ଷଣ କରୁ ନାହଁ?
JOB 14:17 ମୋହର ଅପରାଧ ଥଳୀରେ ମୋହରାଙ୍କିତ ହୋଇଅଛି ଓ ତୁମ୍ଭେ ମୋʼ ଅଧର୍ମ ବାନ୍ଧି ରଖୁଅଛ।
JOB 14:18 ଆଉ, ପର୍ବତ ପଡ଼ିଲେ ନିଶ୍ଚୟ ଲୁପ୍ତ ହୁଏ ଓ ଶୈଳ ଆପଣା ସ୍ଥାନରୁ ଅନ୍ତରିତ ହୁଏ;
JOB 14:19 ଜଳ ପ୍ରସ୍ତରକୁ କ୍ଷୟ କରେ; ଜଳର ପ୍ଲାବନ ପୃଥିବୀର ଧୂଳି ଧୋଇନିଏ ଓ ତୁମ୍ଭେ ମନୁଷ୍ୟର ଆଶା ନାଶ କରୁଅଛ।
JOB 14:20 ତୁମ୍ଭେ ସଦାକାଳ ତାହା ଉପରେ ଜୟଯୁକ୍ତ ହେଉଅଛ, ତେଣୁ ସେ ଚାଲିଯାଏ; ତୁମ୍ଭେ ତାହାର ମୁଖ ପରିବର୍ତ୍ତନ କରି ତାହାକୁ ଦୂର କରି ଦେଉଅଛ।
JOB 14:21 ତାହାର ସନ୍ତାନଗଣ ସମ୍ଭ୍ରମ ପ୍ରାପ୍ତ ହେଲେ, ସେ ତାହା ଜାଣେ ନାହିଁ; ପୁଣି, ସେମାନେ ଅବନତ ହେଲେ, ସେ ସେମାନଙ୍କ ବିଷୟ ବୋଧ ପାଏ ନାହିଁ।
JOB 14:22 ମାତ୍ର ତାହାର ନିଜ ମାଂସ ବ୍ୟଥା ଭୋଗ କରେ ଓ ତାହାର ପ୍ରାଣ ଅନ୍ତରେ ବ୍ୟାକୁଳ ହୁଏ।”
JOB 15:1 ଏଥିଉତ୍ତାରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
JOB 15:2 “ଜ୍ଞାନୀ ଲୋକ କʼଣ ଅସାର ଜ୍ଞାନରେ ଉତ୍ତର ଦେବ? ଓ ପୂର୍ବୀୟ ବାୟୁରେ ଆପଣା ଉଦର ପୂର୍ଣ୍ଣ କରିବ?
JOB 15:3 ସେ କʼଣ ଅନର୍ଥକ କଥାରେ ଓ ନିଷ୍ଫଳ ବାକ୍ୟରେ ଯୁକ୍ତି କରିବ?
JOB 15:4 ହଁ, ତୁମ୍ଭେ ତ ଭୟ ଦୂର କରି ଦେଉଅଛ ଓ ପରମେଶ୍ୱରଙ୍କ ସାକ୍ଷାତରେ ଭକ୍ତି କ୍ଷୀଣ କରୁଅଛ।
JOB 15:5 କାରଣ ତୁମ୍ଭର ଅପରାଧ ତୁମ୍ଭ ମୁଖକୁ ଶିଖାଉଅଛି ଓ ତୁମ୍ଭେ ଧୂର୍ତ୍ତର ଜିହ୍ୱା ପସନ୍ଦ କରୁଅଛ।
JOB 15:6 ତୁମ୍ଭର ନିଜ ମୁଖ ତୁମ୍ଭକୁ ଦୋଷୀ କରୁଅଛି, ମୁଁ କରୁ ନାହିଁ; ଆହୁରି, ତୁମ୍ଭ ନିଜ ଓଷ୍ଠାଧର ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
JOB 15:7 ମନୁଷ୍ୟମାନଙ୍କ ମଧ୍ୟରେ ତୁମ୍ଭେ କʼଣ ପ୍ରଥମଜାତ? ଅବା ପର୍ବତଗଣ ପୂର୍ବରୁ ତୁମ୍ଭେ କʼଣ ଉତ୍ପନ୍ନ ହୋଇଥିଲ?
JOB 15:8 ତୁମ୍ଭେ କʼଣ ପରମେଶ୍ୱରଙ୍କର ଗୁପ୍ତ ମନ୍ତ୍ରଣା ଶୁଣିଅଛ? ଓ ତୁମ୍ଭେ କʼଣ ଜ୍ଞାନ ଆତ୍ମସାତ୍‍ କରୁଅଛ?
JOB 15:9 ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମ୍ଭେ ଜାଣୁଅଛ? ଆମ୍ଭମାନଙ୍କର ଅବୁଝା କେଉଁ କଥା ତୁମ୍ଭେ ବୁଝୁଅଛ?
JOB 15:10 ପକ୍ୱକେଶ ବିଶିଷ୍ଟ ଓ ତୁମ୍ଭ ପିତା ଅପେକ୍ଷା ପ୍ରାଚୀନ ଅତି ବୃଦ୍ଧ ଲୋକେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।
JOB 15:11 ପରମେଶ୍ୱରଙ୍କ ସାନ୍ତ୍ୱନା-ବାକ୍ୟ ତୁମ୍ଭ ପ୍ରତି କି କ୍ଷୁଦ୍ର ବିଷୟ ଓ ତୁମ୍ଭ ସହିତ କୋମଳ ଆଳାପ କି ତଦ୍ରୂପ?
JOB 15:12 ତୁମ୍ଭ ମନ ତୁମ୍ଭକୁ କାହିଁକି ବିପଥରେ ନେଇଯାଏ? ଓ ତୁମ୍ଭର ଚକ୍ଷୁ କାହିଁକି ମଟ୍‍ମଟ୍‍ କରେ
JOB 15:13 ଯେ, ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ଆତ୍ମାକୁ ଉଠାଉଅଛ ଓ ଆପଣା ମୁଖରୁ ଏପରି କଥା ବାହାରିବାକୁ ଦେଉଅଛ?
JOB 15:14 ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ? ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ, ସେ ଧାର୍ମିକ ହୋଇପାରେ?
JOB 15:15 ଦେଖ, ସେ ଆପଣା ପବିତ୍ରଗଣଠାରେ ବିଶ୍ୱାସ କରନ୍ତି ନାହିଁ; ଆହୁରି, ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ।
JOB 15:16 ତେବେ ଘୃଣାର୍ହ ଓ ଭ୍ରଷ୍ଟ, ଅଧର୍ମକୁ ଜଳ ପରି ପାନକାରୀ ଯେ ମନୁଷ୍ୟ, ସେ କେଡ଼େ ନ୍ୟୂନ!
JOB 15:17 ମୁଁ ତୁମ୍ଭକୁ ଦେଖାଇବି, ମୋʼ କଥା ଶୁଣ; ମୁଁ ଯାହା ଦେଖିଅଛି, ତାହା ପ୍ରକାଶ କରିବି;
JOB 15:18 ଜ୍ଞାନୀମାନେ ଆପଣା ଆପଣା ପିତୃଲୋକଙ୍କଠାରୁ ତାହା ପାଇ କହିଅଛନ୍ତି ଓ ଗୁପ୍ତ କରି ନାହାନ୍ତି;
JOB 15:19 କେବଳ ସେମାନଙ୍କୁ ଦେଶ ଦତ୍ତ ହୋଇଥିଲା ଓ କୌଣସି ବିଦେଶୀ ସେମାନଙ୍କ ମଧ୍ୟରେ ଗତାୟାତ କଲା ନାହିଁ;
JOB 15:20 ଦୁଷ୍ଟ ଲୋକ ଆପଣାର ଯାବଜ୍ଜୀବନ, ଅର୍ଥାତ୍‍, ଉପଦ୍ରବ ପାଇଁ ନିରୂପିତ ବର୍ଷ ଯାଏ କ୍ଳେଶ ଭୋଗ କରେ।
JOB 15:21 ତାହାର କର୍ଣ୍ଣରେ ତ୍ରାସଜନକ ଶବ୍ଦ ଥାଏ, ସୌଭାଗ୍ୟ ସମୟରେ ଲୁଣ୍ଠନକାରୀ ତାହାକୁ ଆକ୍ରମଣ କରିବ;
JOB 15:22 ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ୱାସ କରେ ନାହିଁ ଓ ସେ ଖଡ୍ଗ ନିମନ୍ତେ ଅପେକ୍ଷିତ;
JOB 15:23 ସେ ଖାଦ୍ୟ ନିମନ୍ତେ ବାହାରେ ବୁଲି କହଇ, ତାହା କାହିଁ? ଅନ୍ଧକାରର ଦିନ ତାହାର ସନ୍ନିକଟ ବୋଲି ସେ ଜାଣେ।
JOB 15:24 ସଙ୍କଟ ଓ ମନସ୍ତାପ ତାହାକୁ ଭୀତ କରେ; ଯୁଦ୍ଧାର୍ଥେ ସସଜ୍ଜ ରାଜା ତୁଲ୍ୟ ତାହା ତାହାକୁ ପରାସ୍ତ କରେ;
JOB 15:25 କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛି ଓ ସର୍ବଶକ୍ତିମାନଙ୍କ ପ୍ରତିକୂଳରେ ଗର୍ବାଚରଣ କରୁଅଛି;
JOB 15:26 ସେ ଶକ୍ତଗ୍ରୀବ ହୋଇ ଆପଣା ଢାଲର ସ୍ଥୂଳ ଅଂଶ ଦେଖାଇ ତାହାଙ୍କ ଉପରକୁ ଦୌଡ଼େ;
JOB 15:27 ସେ ଆପଣା ମେଦରେ ଆପଣା ମୁଖ ଆଚ୍ଛାଦନ କଲା ଓ କଟିଦେଶ ହୃଷ୍ଟପୁଷ୍ଟ କଲା;
JOB 15:28 ଆଉ, ସେ ଉଜାଡ଼-ନଗରରେ ନିବାସୀରହିତ ଓ ଢିପି ହେବାକୁ ଉଦ୍ୟତ ଗୃହରେ ବାସ କଲା।
JOB 15:29 ଏଣୁ ସେ ଧନବାନ ହେବ ନାହିଁ, ଅବା ତାହାର ସମ୍ପତ୍ତି ସ୍ଥାୟୀ ହେବ ନାହିଁ; କିଅବା ସେମାନଙ୍କର ଉତ୍ପନ୍ନ ଫଳ ଭୂମିକୁ ଓହଳିବ ନାହିଁ।
JOB 15:30 ସେ ଅନ୍ଧକାରରୁ ପ୍ରସ୍ଥାନ କରିବ ନାହିଁ, ଅଗ୍ନିଶିଖା ତାହାର ଶାଖା ଶୁଷ୍କ କରିବ ଓ ପରମେଶ୍ୱରଙ୍କ ମୁଖର ନିଶ୍ୱାସରେ ସେ ଉଡ଼ିଯିବ।
JOB 15:31 ସେ ଆପଣାକୁ ଭ୍ରାନ୍ତ କରି ଅସାରତାରେ ବିଶ୍ୱାସ ନ କରୁ; କାରଣ ଅସାରତା ହିଁ ତାହାର ପୁରସ୍କାର ହେବ।
JOB 15:32 ତାହା ଆପଣା ସମୟ ପୂର୍ବେ ଶେଷ ପାଇବ ଓ ତାହାର ଶାଖା ସତେଜ ହେବ ନାହିଁ।
JOB 15:33 ସେ ଦ୍ରାକ୍ଷାଲତା ନ୍ୟାୟ ଆପଣା ଅପକ୍ୱ ଫଳ ଝାଡ଼ି ପକାଇବ ଓ ଜୀତବୃକ୍ଷ ନ୍ୟାୟ ଆପଣା ଫୁଲ ପକାଇ ଦେବ।
JOB 15:34 କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ବୁସବୁ ଗ୍ରାସ କରିବ।
JOB 15:35 ସେମାନେ ଅନିଷ୍ଟ ଗର୍ଭଧାରଣ କରି ଅଧର୍ମ ପ୍ରସବ କରନ୍ତି ଓ ସେମାନଙ୍କ ଉଦର ପ୍ରତାରଣା ପ୍ରସ୍ତୁତ କରେ।”
JOB 16:1 ଏଥିରେ ଆୟୁବ ଉତ୍ତର କରି କହିଲା,
JOB 16:2 “ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
JOB 16:3 ଅସାର କଥାରେ କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି?
JOB 16:4 ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।
JOB 16:5 ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।
JOB 16:6 ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
JOB 16:7 ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।
JOB 16:8 ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ।
JOB 16:9 ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।
JOB 16:10 ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି; ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।
JOB 16:11 ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।
JOB 16:12 ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।
JOB 16:13 ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।
JOB 16:14 ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।
JOB 16:15 ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।
JOB 16:16 ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି।
JOB 16:17 ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।
JOB 16:18 ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ।
JOB 16:19 ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
JOB 16:20 ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;
JOB 16:21 ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।
JOB 16:22 କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।
JOB 17:1 ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି, ମୋʼ ନିମନ୍ତେ କବର ପ୍ରସ୍ତୁତ ଅଛି।
JOB 17:2 ନିଶ୍ଚୟ ପରିହାସକମାନେ ମୋʼ ନିକଟରେ ଅଛନ୍ତି ଓ ସେମାନଙ୍କ ବିରୋଧ ମୋʼ ଚକ୍ଷୁଗୋଚରରେ ଅଛି।
JOB 17:3 ହେ ପରମେଶ୍ୱର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋʼ ପାଇଁ ଲଗା ହୁଏ; ଆଉ କିଏ ମୋʼ ହାତରେ ହାତ ଦେବ?
JOB 17:4 କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ; ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ।
JOB 17:5 ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ, ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ।
JOB 17:6 ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି; ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି।
JOB 17:7 ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି ଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି।
JOB 17:8 ସରଳ ଲୋକେ ଏଥିରେ ଚମତ୍କୃତ ହେବେ ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ।
JOB 17:9 ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ ଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ।
JOB 17:10 ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ; ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ।
JOB 17:11 ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ, ଅର୍ଥାତ୍‍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା।
JOB 17:12 ସେମାନେ ରାତ୍ରିକୁ ଦିନ କରନ୍ତି; ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି।
JOB 17:13 ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି;
JOB 17:14 ଯଦି ମୁଁ କ୍ଷୟକୁ କହିଅଛି, ‘ତୁମ୍ଭେ ମୋହର ପିତା;’ କୀଟକୁ କହିଅଛି, ‘ତୁମ୍ଭେ ମୋହର ମାତା’ ଓ ‘ଭଗିନୀ;’
JOB 17:15 ତେବେ ମୋହର ଭରସା କାହିଁ? ଓ ମୋହର ଭରସା କିଏ ଦେଖିବ?
JOB 17:16 ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।”
JOB 18:1 ଏଥିଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା, ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ?
JOB 18:2 “ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା।
JOB 18:3 ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ?
JOB 18:4 କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ, ତୁମ୍ଭ ପାଇଁ କʼଣ ପୃଥିବୀ ପରିତ୍ୟକ୍ତ ହେବ? ଅବା ଶୈଳ କʼଣ ସ୍ୱ ସ୍ଥାନରୁ ଦୂରୀକୃତ ହେବ?
JOB 18:5 ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ।
JOB 18:6 ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ।
JOB 18:7 ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ।
JOB 18:8 ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ।
JOB 18:9 ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ।
JOB 18:10 ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି।
JOB 18:11 ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ।
JOB 18:12 ତାହାର ବଳ କ୍ଷୁଧାରେ କ୍ଷୀଣ ହେବ ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ।
JOB 18:13 ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ, ହଁ, ମୃତ୍ୟୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ।
JOB 18:14 ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ।
JOB 18:15 ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ, ତାହାର ନିବାସ ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ।
JOB 18:16 ତଳେ ତାହାର ମୂଳ ଶୁଷ୍କ ହେବ ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ।
JOB 18:17 ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ ଓ ପଥରେ କେହି ତାହାର ନାମ ଧରିବ ନାହିଁ।
JOB 18:18 ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ।
JOB 18:19 ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ ସ୍ଥାନରେ କେହି ରହିବେ ନାହିଁ।
JOB 18:20 ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ବିନାଶର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚିମବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ।
JOB 18:21 ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି।”
JOB 19:1 ଏଥିରେ ଆୟୁବ ଉତ୍ତର କରି କହିଲା,
JOB 19:2 “ତୁମ୍ଭେମାନେ କେତେ କାଳ ମୋʼ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ?
JOB 19:3 ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋʼ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ।
JOB 19:4 ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋʼ ସଙ୍ଗେ ଥାଏ।
JOB 19:5 ଯଦି ତୁମ୍ଭେମାନେ ନିତାନ୍ତ ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;
JOB 19:6 ତେବେ ଜାଣ ଯେ, ପରମେଶ୍ୱର ମୋʼ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି।
JOB 19:7 ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ।
JOB 19:8 ସେ ମୋʼ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି।
JOB 19:9 ସେ ମୋʼ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋʼ ମସ୍ତକରୁ ମୁକୁଟ ନେଇଅଛନ୍ତି।
JOB 19:10 ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି।
JOB 19:11 ମଧ୍ୟ ସେ ମୋʼ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି।
JOB 19:12 ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋʼ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋʼ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି।
JOB 19:13 ସେ ମୋହର ଜ୍ଞାତିମାନଙ୍କୁ ମୋʼ ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।
JOB 19:14 ମୋʼ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି।
JOB 19:15 ମୋʼ ଗୃହନିବାସୀମାନେ ଓ ମୋʼ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି।
JOB 19:16 ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ।
JOB 19:17 ମୋʼ ନିଶ୍ୱାସ ମୋʼ ଭାର୍ଯ୍ୟା ପ୍ରତି ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ।
JOB 19:18 ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋʼ ବିରୁଦ୍ଧରେ କଥା କହନ୍ତି।
JOB 19:19 ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି।
JOB 19:20 ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।
JOB 19:21 ହେ ମୋହର ମିତ୍ରମାନେ, ମୋʼ ପ୍ରତି ଦୟା କର, ମୋʼ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।
JOB 19:22 ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋʼ ମାଂସରେ ତୃପ୍ତ ହେଉ ନାହଁ?
JOB 19:23 ଆହା, ଏବେ ମୋʼ କଥାସବୁ ଯେବେ ଲେଖାଯାʼନ୍ତା! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!
JOB 19:24 ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା!
JOB 19:25 ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;
JOB 19:26 ପୁଣି, ମୋହର ଚର୍ମ ଏହିରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;
JOB 19:27 ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।
JOB 19:28 ମୋʼ ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା?
JOB 19:29 ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।”
JOB 20:1 ଏଥିଉତ୍ତାରେ ନାମାଥୀୟ ସୋଫର ଉତ୍ତର କରି କହିଲା,
JOB 20:2 “ଏଥିପାଇଁ ମୋର ଅନ୍ତରସ୍ଥ ଚଞ୍ଚଳତା ସକାଶୁ ମୋହର ଚିନ୍ତା ମୋତେ ଉତ୍ତର ଦିଏ।
JOB 20:3 ମୁଁ ଯେଉଁ ଅନୁଯୋଗ ଶୁଣିଲି, ତାହା ମୋତେ ଲଜ୍ଜିତ କରେ ଏବଂ ମୋହର ବୁଦ୍ଧିବିଶିଷ୍ଟ ଆତ୍ମା ମୋତେ ଉତ୍ତର ଦିଏ।
JOB 20:4 ତୁମ୍ଭେ କʼଣ ଏହା ଜାଣ ନାହିଁ ଯେ, ପୁରାତନ କାଳରୁ, ପୃଥିବୀରେ ମନୁଷ୍ୟର ସ୍ଥାପନଠାରୁ
JOB 20:5 ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?
JOB 20:6 ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ;
JOB 20:7 ତଥାପି ସେ ଆପଣା ମଳ ତୁଲ୍ୟ ଅନନ୍ତକାଳ ନଷ୍ଟ ହେବ; ଯେଉଁମାନେ ତାହାକୁ ଦେଖିଥିଲେ, ସେମାନେ କହିବେ, ସେ କାହିଁ?
JOB 20:8 ସେ ସ୍ୱପ୍ନ ତୁଲ୍ୟ ଉଡ଼ିଯିବ, ଆଉ ଦେଖାଯିବ ନାହିଁ; ହଁ, ସେ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ଦୂରୀକୃତ ହେବ।
JOB 20:9 ଯେଉଁ ଚକ୍ଷୁ ତାହାକୁ ଦେଖିଲା, ଆଉ ତାହାକୁ ଦେଖିବ ନାହିଁ; କିଅବା ତାହାର ବାସସ୍ଥାନ ତାହାକୁ ଆଉ ଦେଖିବ ନାହିଁ।
JOB 20:10 ତାହାର ସନ୍ତାନଗଣ ଦରିଦ୍ରମାନଙ୍କର ଅନୁଗ୍ରହ ଚେଷ୍ଟା କରିବେ ଓ ତାହାର ସନ୍ତାନଗଣ ତାହାର ସମ୍ପତ୍ତି ଫେରାଇ ଦେବେ।
JOB 20:11 ତାହାର ଅସ୍ଥି ତାହାର ଯୌବନରେ ପରିପୂର୍ଣ୍ଣ, ମାତ୍ର ତାହା ତାହା ସଙ୍ଗେ ଧୂଳିରେ ଶୟନ କରିବ।
JOB 20:12 ଯଦ୍ୟପି ଦୁଷ୍ଟତା ତାହାର ମୁଖକୁ ସୁମିଷ୍ଟ ଲାଗେ, ଯଦ୍ୟପି ସେ ଆପଣା ଜିହ୍ୱା ତଳେ ତାହା ଲୁଚାଇ ରଖେ;
JOB 20:13 ଯଦ୍ୟପି ସେ ତାହା ଯାକି ରଖି ନ ଛାଡ଼େ, ମାତ୍ର ଆପଣା ମୁଖ ମଧ୍ୟରେ ରଖିଥାଏ;
JOB 20:14 ତଥାପି ତାହାର ଆହାର ଉଦରରେ ବିକୃତ ହୁଏ, ତାହା ତାହାର ଅନ୍ତରରେ କାଳସର୍ପର ଗରଳ ସ୍ୱରୂପ।
JOB 20:15 ସେ ଧନ ଗ୍ରାସ କରିଅଛି ଓ ସେ ପୁନର୍ବାର ତାହା ଉଦ୍ଗାର କରିବ; ପରମେଶ୍ୱର ତାହାର ଉଦରରୁ ତାହାସବୁ ଦୂର କରିବେ।
JOB 20:16 ସେ କାଳସର୍ପର ବିଷ ଚୁଷିବ; ବିଷଧରର ଜିହ୍ୱା ତାହାକୁ ବଧ କରିବ।
JOB 20:17 ସେ ନଦୀମାନ, ଅର୍ଥାତ୍‍, ମଧୁ ଓ ନବନୀତ ପ୍ରବାହୀ ସ୍ରୋତମାନ ଦେଖିବ ନାହିଁ।
JOB 20:18 ସେ ଯହିଁ ପାଇଁ ପରିଶ୍ରମ କଲା, ତାହା ଫେରାଇ ଦେବ ଓ ଗ୍ରାସ କରିବ ନାହିଁ; ସେ ଆପଣା ପ୍ରାପ୍ତ ସମ୍ପତ୍ତି ଅନୁସାରେ ଆନନ୍ଦ କରିବ ନାହିଁ।
JOB 20:19 କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।
JOB 20:20 ସେ ଆପଣା ଅନ୍ତରରେ କିଛି ଶାନ୍ତି ପାଇଲା ନାହିଁ, ଏଣୁ ସେ ଆପଣା ଇଷ୍ଟ ବସ୍ତୁରୁ କିଛି ହିଁ ରକ୍ଷା କରି ପାରିବ ନାହିଁ।
JOB 20:21 ଯାହା ସେ ଗ୍ରାସ କଲା ନାହିଁ, ଏପରି କିଛି ନ ଥିଲା; ଏହେତୁ ତାହାର ସୁଦଶା ସ୍ଥାୟୀ ରହିବ ନାହିଁ।
JOB 20:22 ସେ ଆପଣା ପ୍ରଚୁରତାର ପୂର୍ଣ୍ଣତାରେ କଷ୍ଟ ଭୋଗ କରିବ; ଦୁର୍ଦ୍ଦଶାଗ୍ରସ୍ତ ପ୍ରତ୍ୟେକର ହସ୍ତ ତାହାକୁ ଆକ୍ରମଣ କରିବ।
JOB 20:23 ସେ ଆପଣା ଉଦର ପୂର୍ଣ୍ଣ କରିବାକୁ ଉଦ୍ୟତ ହେବା ସମୟରେ ପରମେଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ ଓ ସେ ଭୋଜନ କରୁଥିବା ସମୟରେ ତାହା ଉପରେ ତାହା ବୃଷ୍ଟି କରିବେ।
JOB 20:24 ସେ ଲୌହ ଅସ୍ତ୍ର ନିକଟରୁ ପଳାଇବ, ଆଉ ପିତ୍ତଳଧନୁର ତୀର ତାହାକୁ ବିଦ୍ଧ କରିବ।
JOB 20:25 ସେ ତାହା ଟାଣେ ଓ ତାହା ତାହାର ଶରୀରରୁ ବାହାରି ଆସେ; ହଁ, ତାହାର ପିତ୍ତସ୍ଥଳୀରୁ ତେଜସ୍କର ତୀରାଗ୍ର ନିର୍ଗତ ହୁଏ; ସେ ନାନା ଭୟରେ ଆକ୍ରାନ୍ତ।
JOB 20:26 ସମୁଦାୟ ଅନ୍ଧକାର ତାହାର ଧନ ରୂପେ ସଞ୍ଚିତ ହୁଏ; ମନୁଷ୍ୟର ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ; ତାହା ତାହାର ତମ୍ବୁରେ ଅବଶିଷ୍ଟସକଳ ଭସ୍ମ କରିବ।
JOB 20:27 ଆକାଶମଣ୍ଡଳ ତାହାର ଅଧର୍ମ ପ୍ରକାଶ କରିବ ଓ ପୃଥିବୀ ତାହାର ବିପକ୍ଷରେ ଉଠିବ।
JOB 20:28 ତାହାର ଗୃହର ସମ୍ପତ୍ତି ଉଡ଼ିଯିବ, ପରମେଶ୍ୱରଙ୍କ କ୍ରୋଧର ଦିନରେ ତାହାର ସର୍ବସ୍ୱ ବହିଯିବ।
JOB 20:29 ପରମେଶ୍ୱରଙ୍କଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର।”
JOB 21:1 ଏଥିରେ ଆୟୁବ ଉତ୍ତର କରି କହିଲା,
JOB 21:2 “ମନୋଯୋଗ କରି ମୋʼ କଥା ଶୁଣ ଓ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ହେଉ।
JOB 21:3 ମୋତେ ଅନୁମତି ଦିଅ, ମୁଁ ମଧ୍ୟ କଥା କହିବି ଓ ମୁଁ କହିସାରିଲା ଉତ୍ତାରେ ଉପହାସ କରୁଥାଅ।
JOB 21:4 ମୋʼ ଗୁହାରି କʼଣ ମନୁଷ୍ୟ ନିକଟରେ? ତେବେ ମୁଁ କାହିଁକି ଅଧୈର୍ଯ୍ୟ ନୋହିବି?
JOB 21:5 ମୋତେ ନିରୀକ୍ଷଣ କରି ଚମତ୍କୃତ ହୁଅ ଓ ତୁମ୍ଭମାନଙ୍କ ମୁଖରେ ଆପଣା ଆପଣା ହାତ ଦିଅ।
JOB 21:6 ମୁଁ ସ୍ମରଣ କଲେ ବ୍ୟାକୁଳ ହୁଏ ଓ ମୋʼ ଶରୀର କମ୍ପିତ ହୁଏ।
JOB 21:7 ଦୁଷ୍ଟମାନେ କାହିଁକି ଜୀବିତ ଥାʼନ୍ତି, ବୃଦ୍ଧ ହୁଅନ୍ତି ଓ ପରାକ୍ରମରେ ବର୍ଦ୍ଧିଷ୍ଣୁ ହୁଅନ୍ତି?
JOB 21:8 ସେମାନଙ୍କ ବଂଶ ସେମାନଙ୍କ ସଙ୍ଗେ ସେମାନଙ୍କ ସାକ୍ଷାତରେ ଓ ସେମାନଙ୍କ ସନ୍ତାନସନ୍ତତି ସେମାନଙ୍କ ଦୃଷ୍ଟିଗୋଚରରେ ସ୍ଥିରୀକୃତ ହୁଅନ୍ତି।
JOB 21:9 ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିଅବା ସେମାନଙ୍କ ଉପରେ ପରମେଶ୍ୱରଙ୍କର ଯଷ୍ଟି ନ ଥାଏ।
JOB 21:10 ସେମାନଙ୍କ ବୃଷ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ; ସେମାନଙ୍କର ଗାଭୀ ପ୍ରସବ କରେ ଓ ଗର୍ଭପାତ କରେ ନାହିଁ।
JOB 21:11 ସେମାନେ ଆପଣା ଆପଣା ବାଳକଗଣକୁ ପଲ ପରି ବାହାରେ ପଠାନ୍ତି ଓ ସେମାନଙ୍କ ସନ୍ତାନଗଣ ନୃତ୍ୟ କରନ୍ତି।
JOB 21:12 ସେମାନେ ତବଲା ଓ ବୀଣା ବଜାଇ ଗାନ କରନ୍ତି ଓ ବଂଶୀଧ୍ୱନିରେ ଆନନ୍ଦ କରନ୍ତି।
JOB 21:13 ସେହି ଦୁଷ୍ଟମାନେ ସମୃଦ୍ଧିରେ ଆପଣା ଆପଣା ଦିନ କ୍ଷେପଣ କରନ୍ତି ଓ ଏକ ନିମିଷରେ ପାତାଳକୁ ଓହ୍ଲାଇଯାʼନ୍ତି।
JOB 21:14 ତଥାପି ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ; କାରଣ ଆମ୍ଭେମାନେ ତୁମ୍ଭ ମାର୍ଗ ବିଷୟକ ଜ୍ଞାନ ବାଞ୍ଛା କରୁ ନାହୁଁ।
JOB 21:15 ସର୍ବଶକ୍ତିମାନ କିଏ ଯେ, ଆମ୍ଭେମାନେ ତାହାଙ୍କର ସେବା କରିବା? ଓ ତାହାଙ୍କ ନିକଟରେ ପ୍ରାର୍ଥନା କଲେ, ଆମ୍ଭେମାନେ କି ଲାଭ ପାଇବା?’
JOB 21:16 ଦେଖ, ସେମାନଙ୍କର ସୁଖ ସମୃଦ୍ଧି ସେମାନଙ୍କ ହସ୍ତରେ ନାହିଁ; ଦୁଷ୍ଟମାନଙ୍କ ମନ୍ତ୍ରଣା ମୋʼ ଠାରୁ ଦୂରରେ ଥାଏ।
JOB 21:17 କେତେ ଥର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯାଏ? ସେମାନଙ୍କ ବିପଦ ସେମାନଙ୍କ ଉପରେ ପଡ଼େ? ଓ ପରମେଶ୍ୱର ଆପଣା କ୍ରୋଧରେ କ୍ଳେଶ ବିତରଣ କରନ୍ତି?
JOB 21:18 ସେମାନେ ବାୟୁ ଆଗରେ କୁଟା ପରି ଓ ବତାସରେ ଉଡ଼ନ୍ତା ତୁଷ ପରି ହୁଅନ୍ତି?
JOB 21:19 ତୁମ୍ଭେମାନେ କହୁଅଛ, ‘ପରମେଶ୍ୱର ତାହାର ସନ୍ତାନଗଣ ନିମନ୍ତେ ତାହାର ଅଧର୍ମ ସଞ୍ଚୟ କରନ୍ତି।’ ସେ ତାହାକୁ ହିଁ ପ୍ରତିଫଳ ଦେଉନ୍ତୁ, ତହିଁରେ ସେ ତାହା ଜାଣିବ।
JOB 21:20 ତାହାର ନିଜ ଚକ୍ଷୁ ତାହାର ବିନାଶ ଦେଖୁ ଓ ସେ ସର୍ବଶକ୍ତିମାନଙ୍କ କ୍ରୋଧ ପାନ କରୁ।
JOB 21:21 କାରଣ ମଧ୍ୟଭାଗରୁ ତାହାର ମାସ-ସଂଖ୍ୟା କଟାଗଲେ, ତାହାର ପଶ୍ଚାଦ୍‍ବର୍ତ୍ତୀ ବଂଶରେ କି ତାହାର କିଛି ସନ୍ତୋଷ ଥାଏ?
JOB 21:22 ପରମେଶ୍ୱର ଊର୍ଦ୍ଧ୍ୱବାସୀମାନଙ୍କର ଶାସନ କରନ୍ତି, ଏଣୁ କେହି କି ତାହାଙ୍କୁ ଜ୍ଞାନ ଶିଖାଇବ?
JOB 21:23 କେହି ସମ୍ପୂର୍ଣ୍ଣ ବିଶ୍ରାମ ଓ ଶାନ୍ତି ଭୋଗ କରି ବଳବିଶିଷ୍ଟ ହୋଇ ମରେ;
JOB 21:24 ତାହାର ସ୍ତନ ଦୁଗ୍ଧରେ ପରିପୂର୍ଣ୍ଣ ଓ ତାହାର ଅସ୍ଥିର ମେଦ ସତେଜ ଥାଏ।
JOB 21:25 ଆଉ, କେହି ପ୍ରାଣର ତିକ୍ତତାରେ ମରେ ଓ କେତେବେଳେ ମଙ୍ଗଳର ଆସ୍ୱାଦ ପାଏ ନାହିଁ।
JOB 21:26 ଏମାନେ ଏକ ସମାନ ମାଟିରେ ଶୟନ କରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ।
JOB 21:27 ଦେଖ, ମୁଁ ତୁମ୍ଭମାନଙ୍କର ବିଚାରସବୁ ଓ ମୋʼ ବିରୁଦ୍ଧରେ ତୁମ୍ଭମାନଙ୍କର ଅନ୍ୟାୟକଳ୍ପିତ ସଂକଳ୍ପସବୁ ଜାଣେ।
JOB 21:28 କାରଣ ତୁମ୍ଭେମାନେ କହୁଅଛ, ‘ସେହି ଅଧିପତିର ଗୃହ କାହିଁ? ଓ ସେହି ଦୁଷ୍ଟର ବସତି-ତମ୍ବୁ କାହିଁ?’
JOB 21:29 ତୁମ୍ଭେମାନେ କʼଣ ପଥିକମାନଙ୍କୁ ପଚାରି ନାହଁ? ଓ ତୁମ୍ଭେମାନେ କʼଣ ସେମାନଙ୍କ ଲକ୍ଷଣ ଜାଣ ନାହିଁ ଯେ,
JOB 21:30 ଦୁଷ୍ଟ ଲୋକ ବିପଦର ଦିନ ପର୍ଯ୍ୟନ୍ତ ରକ୍ଷିତ? ଓ ସେମାନେ କୋପର ଦିନ ପର୍ଯ୍ୟନ୍ତ ଘେନାଯାʼନ୍ତି?
JOB 21:31 ତାହାର ସମ୍ମୁଖରେ କିଏ ତାହାର ପଥ ପ୍ରକାଶ କରିବ? ଓ କିଏ ତାହାର କୃତ କର୍ମର ଫଳ ତାହାକୁ ଦେବ?
JOB 21:32 ତଥାପି ସେ କବରକୁ ବହାଯିବ ଓ କବର ଉପରେ ପ୍ରହରୀ ରହିବ।
JOB 21:33 ଉପତ୍ୟକାର ମୃତ୍ତିକା ତାହା ପ୍ରତି ମିଷ୍ଟ ହେବ, ଯେପରି ତାହା ପୂର୍ବରେ ଅସଂଖ୍ୟ ଲୋକ, ସେପରି ତାହାର ପଶ୍ଚାତ୍‍ ସମସ୍ତ ଲୋକ ଗମନ କରିବେ।
JOB 21:34 ତେବେ କିପରି ତୁମ୍ଭେମାନେ ମୋତେ ବୃଥାରେ ସାନ୍ତ୍ୱନା ଦେଉଅଛ, ତୁମ୍ଭମାନଙ୍କ ଉତ୍ତରରେ ତ କେବଳ ମିଥ୍ୟା ଥାଏ।”
JOB 22:1 ଏଥିଉତ୍ତାରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
JOB 22:2 “ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ? ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ।
JOB 22:3 ତୁମ୍ଭେ ଯେ ଧାର୍ମିକ ଅଟ, ଏହା କʼଣ ସର୍ବଶକ୍ତିମାନଙ୍କ ସୁଖର କାରଣ? ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କʼଣ ତାହାଙ୍କ ପ୍ରତି ଲାଭଜନକ?
JOB 22:4 ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କʼଣ ତୁମ୍ଭକୁ ଅନୁଯୋଗ କରନ୍ତି ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି?
JOB 22:5 ତୁମ୍ଭର ଦୁଷ୍ଟତା କʼଣ ବଡ଼ ନୁହେଁ? ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ।
JOB 22:6 ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ।
JOB 22:7 ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ।
JOB 22:8 ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା।
JOB 22:9 ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି।
JOB 22:10 ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି।
JOB 22:11 ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି।
JOB 22:12 ପରମେଶ୍ୱର କʼଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି? ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ!
JOB 22:13 ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
JOB 22:14 ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି।’
JOB 22:15 ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
JOB 22:16 ସେମାନେ ଅକାଳରେ ଛିଣ୍ଡାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା;
JOB 22:17 ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ’ ଓ ‘ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭମାନଙ୍କ ପାଇଁ କʼଣ କରିପାରନ୍ତି?’
JOB 22:18 ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ; ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ।
JOB 22:19 ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି,
JOB 22:20 ‘ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି।’
JOB 22:21 ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; ତଦ୍ଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ।
JOB 22:22 ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର।
JOB 22:23 ଯଦି ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ଫେରିବ, ଯଦି ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ।
JOB 22:24 ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇଦିଅ;
JOB 22:25 ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ।
JOB 22:26 କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ।
JOB 22:27 ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ।
JOB 22:28 ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ; ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ।
JOB 22:29 ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ କାରଣ ପରମେଶ୍ୱର ନମ୍ର ଲୋକକୁ ରକ୍ଷା କରିବେ।
JOB 22:30 ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ; ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ୱାରା ସେ ଉଦ୍ଧାର ପାଇବ।”
JOB 23:1 ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ;
JOB 23:2 ମୋହର ଅଭିଯୋଗ ଅପେକ୍ଷା ମୋହର ପୀଡ଼ା ଭାରୀ।
JOB 23:3 ଆହା, ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି, ଯେବେ ଏହା ଜାଣନ୍ତି, ତେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇ ପାରନ୍ତି!
JOB 23:4 ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଓ ଯୁକ୍ତିରେ ଆପଣା ମୁଖ ପୂର୍ଣ୍ଣ କରନ୍ତି।
JOB 23:5 ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତେ, ତାହା ଜାଣନ୍ତି ଓ ସେ ଯାହା ମୋତେ କହନ୍ତେ, ତାହା ବୁଝନ୍ତି।
JOB 23:6 ସେ କʼଣ ଆପଣା ମହାପରାକ୍ରମରେ ମୋʼ ସଙ୍ଗେ ବିରୋଧ କରିବେ? ନା; ମାତ୍ର ସେ ମୋʼ ପ୍ରତି ମନୋଯୋଗ କରିବେ।
JOB 23:7 ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରି ପାରିବ, ତହିଁରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି।
JOB 23:8 ଦେଖ, ମୁଁ ପୂର୍ବ ଆଡ଼କୁ ଯାଏ, ମାତ୍ର ସେ ସେଠାରେ ନାହାନ୍ତି ଓ ପଶ୍ଚିମ ଆଡ଼କୁ ଯାଏ, ମାତ୍ର ତାହାଙ୍କୁ ଦେଖି ପାରେ ନାହିଁ;
JOB 23:9 ସେ କାର୍ଯ୍ୟ କଲା ବେଳେ ଉତ୍ତର ଦିଗକୁ ଯାଏ, ମାତ୍ର ତାହାଙ୍କର ଦର୍ଶନ ପାଇ ନ ପାରେ; ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ନ ପାରେ।
JOB 23:10 ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।
JOB 23:11 ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ଓ ବିପଥଗାମୀ ହୋଇ ନାହିଁ।
JOB 23:12 ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି।
JOB 23:13 ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି।
JOB 23:14 କାରଣ ମୋʼ ପାଇଁ ଯାହା ନିରୂପିତ, ତାହା ସେ ସଫଳ କରନ୍ତି ଓ ତାହାଙ୍କର ଏହି ପ୍ରକାର ଅନେକ କର୍ମ ଅଛି।
JOB 23:15 ଏନିମନ୍ତେ ମୁଁ ତାହାଙ୍କ ସାକ୍ଷାତରେ ବ୍ୟାକୁଳ ହେଉଅଛି; ମୁଁ ବିବେଚନା କଲେ, ତାହାଙ୍କ ସକାଶେ ଭୀତ ହେଉଅଛି।
JOB 23:16 କାରଣ ପରମେଶ୍ୱର ମୋʼ ହୃଦୟକୁ କ୍ଷୀଣ କରିଅଛନ୍ତି ଓ ସର୍ବଶକ୍ତିମାନ ମୋତେ ବ୍ୟାକୁଳ କରିଅଛନ୍ତି;
JOB 23:17 ଯେଣୁ ମୁଁ ଅନ୍ଧକାର ପୂର୍ବରୁ ଉଚ୍ଛିନ୍ନ ନୋହିଲି, କିଅବା ସେ ମୋʼ ମୁଖରୁ ନିବିଡ଼ ଅନ୍ଧକାର ଆଚ୍ଛନ୍ନ କଲେ ନାହିଁ।
JOB 24:1 କାହିଁକି ସର୍ବଶକ୍ତିମାନଙ୍କ ଦ୍ୱାରା ସମୟ ନିରୂପିତ ହୋଇ ନାହିଁ ଓ ତାହାଙ୍କୁ ଜାଣିବା ଲୋକମାନେ କାହିଁକି ତାହାଙ୍କ ଦିନ ଦେଖନ୍ତି ନାହିଁ?
JOB 24:2 କେହି କେହି ଭୂମିର ସୀମାଚିହ୍ନ ଘୁଞ୍ଚାନ୍ତି, ସେମାନେ ବଳରେ ମେଷପଲ ହରଣ କରି ଚରାନ୍ତି।
JOB 24:3 ସେମାନେ ପିତୃହୀନର ଗର୍ଦ୍ଦଭ ଅଡ଼ାଇ ନିଅନ୍ତି, ବିଧବାର ଗୋରୁ ବନ୍ଧକ ରୂପେ ନିଅନ୍ତି।
JOB 24:4 ସେମାନେ ଦୀନହୀନକୁ ବାଟରୁ ତଡ଼ି ଦିଅନ୍ତି; ଦେଶସ୍ଥ ଦରିଦ୍ରମାନେ ଏକତ୍ର ଲୁଚନ୍ତି।
JOB 24:5 ଦେଖ, ସେମାନେ ପ୍ରାନ୍ତରସ୍ଥ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଆପଣା ଆପଣା କାର୍ଯ୍ୟରେ ବାହାରି ଯତ୍ନପୂର୍ବକ ଆହାର ଅନ୍ଵେଷଣ କରନ୍ତି; ଅରଣ୍ୟ ସେମାନଙ୍କ ବାଳକଗଣ ନିମନ୍ତେ ଆହାର ଉତ୍ପନ୍ନ କରେ।
JOB 24:6 ସେମାନେ କ୍ଷେତ୍ରରେ ଆପଣାମାନଙ୍କ ଖାଦ୍ୟ କାଟନ୍ତି ଓ ଦୁଷ୍ଟର ଦ୍ରାକ୍ଷାକ୍ଷେତ୍ରର ଅବଶିଷ୍ଟ ଫଳ ସାଉଣ୍ଟନ୍ତି।
JOB 24:7 ସେମାନେ ସାରାରାତ୍ରି ବସ୍ତ୍ର ବିନା ଉଲଙ୍ଗ ହୋଇ ଶୟନ କରନ୍ତି ଓ ଶୀତକାଳରେ ସେମାନଙ୍କର ଆଚ୍ଛାଦନ ବସ୍ତ୍ର ନ ଥାଏ।
JOB 24:8 ସେମାନେ ପର୍ବତରେ ବୃଷ୍ଟିରେ ତିନ୍ତନ୍ତି, ପୁଣି ଆଶ୍ରୟ ଅଭାବରୁ ଶୈଳରେ ଶରଣ ନିଅନ୍ତି।
JOB 24:9 କେହି କେହି ପିତୃହୀନକୁ ମାତୃସ୍ତନରୁ ଛଡ଼ାଇ ନିଅନ୍ତି ଓ ଦରିଦ୍ରଠାରୁ ବନ୍ଧକ ନିଅନ୍ତି;
JOB 24:10 ଏହେତୁ ସେମାନେ ବସ୍ତ୍ର ବିନା ଉଲଙ୍ଗ ହୋଇ ବୁଲନ୍ତି ଓ କ୍ଷୁଧିତ ହୋଇ ଶସ୍ୟବିଡ଼ା ବହନ୍ତି;
JOB 24:11 ସେମାନେ ଏହି ଲୋକମାନଙ୍କ ପ୍ରାଚୀର ଭିତରେ ତୈଳ ପ୍ରସ୍ତୁତ କରନ୍ତି ଓ ସେମାନଙ୍କ ଦ୍ରାକ୍ଷାଯନ୍ତ୍ର ଦଳି ତୃଷିତ ହୁଅନ୍ତି।
JOB 24:12 ଜନପୂର୍ଣ୍ଣ ନଗରରୁ ଲୋକେ କାତରୋକ୍ତି କରନ୍ତି, ଆହତ ଲୋକର ପ୍ରାଣ ଡାକ ପକାଏ; ତଥାପି ପରମେଶ୍ୱର ଏହା ଦୋଷ ରୂପେ ଗଣନା କରନ୍ତି ନାହିଁ।
JOB 24:13 ସେମାନଙ୍କର କେହି କେହି ଆଲୁଅର ବିଦ୍ରୋହୀ; ତହିଁର ମାର୍ଗ ସେମାନେ ଜାଣନ୍ତି ନାହିଁ, ଅବା ତହିଁର ପଥରେ ରହନ୍ତି ନାହିଁ।
JOB 24:14 ହତ୍ୟାକାରୀ ପ୍ରଭାତ ସମୟରେ ଉଠି ଦରିଦ୍ର ଓ ଦୀନହୀନକୁ ବଧ କରେ ଓ ରାତ୍ରିରେ ସେ ଚୋର ପରି ହୁଏ।
JOB 24:15 ପାରଦାରିକର ଚକ୍ଷୁ ମଧ୍ୟ ସନ୍ଧ୍ୟାକାଳର ଅପେକ୍ଷା କରି କହେ, କେହି ମୋତେ ଦେଖିବ ନାହିଁ ଓ ସେ ଆପଣା ମୁଖ ଅନ୍ୟ ରୂପ କରେ।
JOB 24:16 ସେମାନେ ଅନ୍ଧକାରରେ ଗୃହ ସିନ୍ଧି କରନ୍ତି; ସେମାନେ ଦିନ ବେଳେ ଲୁଚି ରହନ୍ତି, ସେମାନେ ଆଲୁଅ ଜାଣନ୍ତି ନାହିଁ।
JOB 24:17 କାରଣ ସେସମସ୍ତଙ୍କ ପ୍ରତି ପ୍ରଭାତ ମୃତ୍ୟୁଚ୍ଛାୟା ପରି ଅଟେ; ସେମାନେ ମୃତ୍ୟୁୁଚ୍ଛାୟାର ଭୟାନକତା ଜାଣନ୍ତି।”
JOB 24:18 “ସେ ଜଳ ଉପରେ ଶୀଘ୍ରଗାମୀ; ଦେଶରେ ସେମାନଙ୍କ ଅଧିକାର ଅଭିଶପ୍ତ ଅଟେ; ସେ ଦ୍ରାକ୍ଷାକ୍ଷେତ୍ରର ପଥ ଆଡ଼କୁ ଫେରେ ନାହିଁ।
JOB 24:19 ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମଜଳକୁ, ସେପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ।
JOB 24:20 ଗର୍ଭ ତାହାକୁ ପାସୋରି ଯିବ; କୀଟ ସୁସ୍ୱାଦୁ ଭକ୍ଷ୍ୟ ପରି ତାହାକୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ; ପୁଣି, ଅଧର୍ମ ବୃକ୍ଷ ପରି ଭଙ୍ଗାଯିବ।
JOB 24:21 ସେ ନିଃସନ୍ତାନା ବନ୍ଧ୍ୟାକୁ ଗ୍ରାସ କରେ ଓ ବିଧବାର ମଙ୍ଗଳ କରେ ନାହିଁ।
JOB 24:22 ସେ ଆପଣା ଶକ୍ତିରେ ବିକ୍ରମୀ ଲୋକକୁ ମଧ୍ୟ ଟାଣି ପକାଏ, ସେ ଉଠିଲେ କାହାରି ଜୀବନର ସ୍ଥିରତା ନ ଥାଏ।
JOB 24:23 ପରମେଶ୍ୱର ସେମାନଙ୍କୁ ନିରାପଦରେ ରହିବାକୁ ଦିଅନ୍ତି ଓ ସେମାନେ ତହିଁରେ ନିର୍ଭର ରଖନ୍ତି ଓ ତାହାଙ୍କ ଦୃଷ୍ଟି ସେମାନଙ୍କ ମାର୍ଗରେ ଥାଏ।
JOB 24:24 ସେମାନେ ଉନ୍ନତ ହୁଅନ୍ତି; ତଥାପି ଅଳ୍ପ କାଳରେ ଅନ୍ତର୍ହିତ ହୁଅନ୍ତି; ହଁ, ସେମାନେ ଅବନତ ହୁଅନ୍ତି, ସେମାନେ ଅନ୍ୟ ସମସ୍ତଙ୍କ ପରି ପଥରୁ ଘେନାଯାʼନ୍ତି, ଆଉ ଶସ୍ୟଶିଁଷାର ଅଗ୍ରଭାଗ ପରି କଟାଯାʼନ୍ତି।
JOB 24:25 ପୁଣି, ବର୍ତ୍ତମାନ ଯଦି ଏପରି ନ ହୁଏ, ତେବେ କିଏ ଆମ୍ଭକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରିବ ଓ ଆମ୍ଭ କଥାକୁ ନିରର୍ଥକ କରିବ?”
JOB 25:1 ଏଥିରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା,
JOB 25:2 “ପ୍ରଭୁତ୍ୱ ଓ ଭୟ ତାହାଙ୍କଠାରେ ଥାଏ; ସେ ଆପଣା ଉଚ୍ଚସ୍ଥାନରେ ଶାନ୍ତି ସମ୍ପାଦନ କରନ୍ତି।
JOB 25:3 ତାହାଙ୍କ ସୈନ୍ୟଦଳର କି କୌଣସି ସଂଖ୍ୟା ଅଛି? କାହା ଉପରେ ତାହାଙ୍କ ଦୀପ୍ତି ଉଦିତ ନ ହୁଏ?
JOB 25:4 ତେବେ ମନୁଷ୍ୟ କିପରି ପରମେଶ୍ୱରଙ୍କ ଛାମୁରେ ଧାର୍ମିକ ହୋଇ ପାରିବ? ଅବା ସ୍ତ୍ରୀଜାତ ଲୋକ କିପରି ଶୁଚି ହୋଇ ପାରିବ?
JOB 25:5 ଦେଖ, ତାହାଙ୍କ ଦୃଷ୍ଟିରେ ଚନ୍ଦ୍ର ହିଁ ନିସ୍ତେଜ ଅଟେ ଓ ତାରାଗଣ ନିର୍ମଳ ନୁହନ୍ତି;
JOB 25:6 ତେବେ କୀଟମାତ୍ର ମନୁଷ୍ୟ କʼଣ! ଓ କୃମିମାତ୍ର ମନୁଷ୍ୟ-ସନ୍ତାନ କʼଣ?”
JOB 26:1 ତହିଁରେ ଆୟୁବ ଉତ୍ତର କରି କହିଲା,
JOB 26:2 “ତୁମ୍ଭେ କିପରି ବଳହୀନ ଲୋକର ସାହାଯ୍ୟ କରିଅଛ! ତୁମ୍ଭେ କିପରି ଦୁର୍ବଳ ବାହୁକୁ ଉଦ୍ଧାର କରିଅଛ!
JOB 26:3 ତୁମ୍ଭେ କିପରି ଜ୍ଞାନହୀନ ଲୋକକୁ ପରାମର୍ଶ ଦେଇଅଛ ଓ ପ୍ରଚୁର ରୂପେ ବିଜ୍ଞତା ପ୍ରକାଶ କରିଅଛ!
JOB 26:4 ତୁମ୍ଭେ କାହାକୁ କଥା କହୁଅଛ? ତୁମ୍ଭଠାରୁ କାହାର ଆତ୍ମା ନିର୍ଗତ ହେଲା?”
JOB 26:5 “ବିଲ୍‍ଦଦ୍‍ ଉତ୍ତର କରି କହିଲା, ପ୍ରେତଗଣ, ଜଳରାଶି ଓ ତନ୍ନିବାସୀଗଣ ତଳେ କମ୍ପିତ ହୁଅନ୍ତି।
JOB 26:6 ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ବିନାଶ ସ୍ଥାନର କୌଣସି ଆବରଣ ନାହିଁ।
JOB 26:7 ସେ ଶୂନ୍ୟ ଉପରେ ଉତ୍ତର-କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି।
JOB 26:8 ସେ ଆପଣା ନିବିଡ଼ ମେଘମାଳରେ ଜଳରାଶିକି ବାନ୍ଧନ୍ତି ଓ ତହିଁ ତଳେ ମେଘ ଚିରି ଯାଏ ନାହିଁ।
JOB 26:9 ସେ ଆପଣା ସିଂହାସନର ମୁଖ ବନ୍ଦ କରନ୍ତି ଓ ତହିଁ ଉପରେ ଆପଣା ମେଘ ବିସ୍ତୀର୍ଣ୍ଣ କରନ୍ତି।
JOB 26:10 ସେ ଦୀପ୍ତି ଓ ଅନ୍ଧକାରର ପ୍ରାନ୍ତ ପର୍ଯ୍ୟନ୍ତ ଜଳରାଶି ଉପରେ ସୀମା ନିର୍ଣ୍ଣୟ କରିଅଛନ୍ତି।
JOB 26:11 ଆକାଶମଣ୍ଡଳର ସ୍ତମ୍ଭସକଳ ତାହାଙ୍କ ଅନୁଯୋଗରେ କମ୍ପିତ ଓ ଚମତ୍କୃତ ହୁଅନ୍ତି।
JOB 26:12 ସେ ଆପଣା ପରାକ୍ରମରେ ସମୁଦ୍ରକୁ ମନ୍ଥନ କରନ୍ତି ଓ ଆପଣା ବୁଦ୍ଧିରେ ରାହବକୁ ବିଦ୍ଧ କରନ୍ତି।
JOB 26:13 ତାହାଙ୍କ ଶ୍ୱାସ ଦ୍ୱାରା ଆକାଶମଣ୍ଡଳ ସୁଶୋଭିତ ହୁଏ; ତାହାଙ୍କ ହସ୍ତ ଶୀଘ୍ରଗାମୀ ନାଗକୁ ବିଦ୍ଧ କରିଅଛି।
JOB 26:14 ଦେଖ, ଏହିସବୁ ତାହାଙ୍କ ମାର୍ଗର ପ୍ରାନ୍ତଭାଗ ମାତ୍ର; ଆଉ, ତାହାଙ୍କ ବିଷୟରେ ଆମ୍ଭେମାନେ କେଡ଼େ ଈଷତ୍‍ କ୍ଷୀଣ ସ୍ୱର ଶୁଣୁଥାଉ! ମାତ୍ର ତାହାଙ୍କ ପରାକ୍ରମର ଗର୍ଜ୍ଜନ କିଏ ବୁଝିପାରେ?”
JOB 27:1 ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା,
JOB 27:2 “ପରମେଶ୍ୱର, ଯେ ମୋହର ସ୍ୱତ୍ୱ ହରଣ କରିଅଛନ୍ତି; ସର୍ବଶକ୍ତିମାନ, ଯେ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି;
JOB 27:3 (କାରଣ ଏବେ ହେଁ ମୋର ଜୀବନ ମୋʼ ମଧ୍ୟରେ ସୁସ୍ଥ ଅଛି ଓ ମୋʼ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି); ସେ ଜୀବିତ ଥିବା ପ୍ରମାଣେ,
JOB 27:4 ନିଶ୍ଚୟ ମୋʼ ଓଷ୍ଠାଧର ଅଧର୍ମର କଥା କହିବ ନାହିଁ ଓ ମୋହର ଜିହ୍ୱା ପ୍ରତାରଣାର କଥା ଉଚ୍ଚାରଣ କରିବ ନାହିଁ।
JOB 27:5 ମୁଁ ଯେ ତୁମ୍ଭମାନଙ୍କୁ ନିର୍ଦ୍ଦୋଷ କରିବି, ଏହା କଦାପି ନ ହେଉ; ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ।
JOB 27:6 ମୁଁ ଆପଣା ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ; ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋʼ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ।
JOB 27:7 ମୋହର ଶତ୍ରୁ ଦୁଷ୍ଟର ପରି ହେଉ ଓ ମୋʼ ପ୍ରତିକୂଳରେ ଉଠିବା ଲୋକ ଅଧାର୍ମିକ ତୁଲ୍ୟ ହେଉ।
JOB 27:8 କାରଣ ଭକ୍ତିହୀନ ଲାଭ ପ୍ରାପ୍ତ ହେଲେ ହେଁ, ପରମେଶ୍ୱର ତାହାର ପ୍ରାଣ ହରଣ କଲେ, ତାହାର ପ୍ରତ୍ୟାଶା କଅଣ?
JOB 27:9 ତାହା ଉପରେ ଦୁଃଖ ଉପସ୍ଥିତ ହେଲେ କି ପରମେଶ୍ୱର ତାହାର କ୍ରନ୍ଦନ ଶୁଣିବେ?
JOB 27:10 ସେ କି ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରେ ଆନନ୍ଦ କରିବ ଓ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବ?
JOB 27:11 ମୁଁ ପରମେଶ୍ୱରଙ୍କ ହସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବି; ଯାହା ସର୍ବଶକ୍ତିମାନଙ୍କଠାରେ ଅଛି, ତାହା ମୁଁ ଗୋପନ କରିବି ନାହିଁ।
JOB 27:12 ଦେଖ, ତୁମ୍ଭେ ସମସ୍ତେ ନିଜେ ତାହା ଦେଖିଅଛ; ତେବେ କାହିଁକି ତୁମ୍ଭେମାନେ ସମ୍ପୂର୍ଣ୍ଣ ଅସାର ହୋଇଅଛ?”
JOB 27:13 “ପରମେଶ୍ୱରଙ୍କ ନିକଟରେ ଦୁଷ୍ଟ ଲୋକର ଏହି ବାଣ୍ଟ ଓ ଉପଦ୍ରବୀମାନେ ସର୍ବଶକ୍ତିମାନଙ୍କଠାରୁ ଏହି ଅଧିକାରପ୍ରାପ୍ତ ହୁଅନ୍ତି।
JOB 27:14 ଯେବେ ତାହାର ସନ୍ତାନଗଣ ବୃଦ୍ଧି ପାଆନ୍ତି, ତେବେ ଖଡ୍ଗ ନିମନ୍ତେ ଓ ତାହାର ସନ୍ତାନସନ୍ତତି ଭକ୍ଷ୍ୟରେ ତୃପ୍ତ ହେବେ ନାହିଁ।
JOB 27:15 ତାହାର ଅବଶିଷ୍ଟ ଲୋକମାନେ ମୃତ୍ୟୁୁରେ କବରସ୍ଥ ହେବେ ଓ ସେମାନଙ୍କର ବିଧବାମାନେ କିଛି ବିଳାପ କରିବେ ନାହିଁ।
JOB 27:16 ଯଦ୍ୟପି ସେ ଧୂଳି ପରି ରୂପା ଗଦା କରେ ଓ କର୍ଦ୍ଦମ ପରି ବସ୍ତ୍ର ପ୍ରସ୍ତୁତ କରେ,
JOB 27:17 ସେ ତାହା କରିପାରେ, ତଥାପି ଧାର୍ମିକ ଲୋକେ ତାହା ପରିଧାନ କରିବେ ଓ ନିର୍ଦ୍ଦୋଷ ଲୋକେ ରୂପା ବିଭାଗ କରି ନେବେ।
JOB 27:18 ସେ କୀଟ ପରି ଓ ଜଗୁଆଳିର କୃତ କୁଟୀର ପରି ଆପଣା ଗୃହ ନିର୍ମାଣ କରେ।
JOB 27:19 ସେ ଧନୀ ହୋଇ ଶୟନ କରେ, ମାତ୍ର ସେ ସଂଗୃହୀତ ହେବ ନାହିଁ; ସେ ଆପଣା ଚକ୍ଷୁ ଫିଟାଏ, ଆଉ ସେ ନ ଥାଏ।
JOB 27:20 ଜଳରାଶି ପରି ତାହାକୁ ଭୟ ଆକ୍ରମଣ କରେ; ରାତ୍ରିରେ ତୋଫାନ ତାହାକୁ ଅପହରଣ କରିନିଏ।
JOB 27:21 ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ ଓ ସେ ତାହାକୁ ସ୍ୱ ସ୍ଥାନରୁ ଝାଡ଼ି ନିଏ।
JOB 27:22 କାରଣ ପରମେଶ୍ୱର ଦୟା ନ କରି ତାହା ପ୍ରତି ତୀର ନିକ୍ଷେପ କରିବେ; ସେ ତାହାଙ୍କ ହସ୍ତରୁ ପଳାଇବାକୁ ଇଚ୍ଛା କରିବ।
JOB 27:23 ଲୋକମାନେ ତାହା ପ୍ରତି ହାତତାଳି ମାରିବେ ଓ ଶୀଷ୍‍ ମାରି ତାହାକୁ ସ୍ୱ ସ୍ଥାନରୁ ଦୂର କରିବେ।
JOB 28:1 ନିଶ୍ଚୟ ରୂପାର ଆକର ଅଛି ଓ ଲୋକମାନେ ଯେଉଁ ସୁବର୍ଣ୍ଣ ପରିଷ୍କାର କରନ୍ତି, ତହିଁର ସ୍ଥାନ ଅଛି।
JOB 28:2 ମୃତ୍ତିକାରୁ ଲୁହା କଢ଼ାଯାଏ ଓ ଧାତୁ ପ୍ରସ୍ତରରୁ ପିତ୍ତଳ ତରଳାଯାଏ।
JOB 28:3 ମନୁଷ୍ୟ ଅନ୍ଧକାରର ସୀମା ନିର୍ଣ୍ଣୟ କରେ ଓ ପ୍ରାନ୍ତସୀମା ପର୍ଯ୍ୟନ୍ତ ନିବିଡ଼ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାସ୍ଥିତ ପ୍ରସ୍ତରସବୁ ଅନୁସନ୍ଧାନ କରେ।
JOB 28:4 ସେ ମନୁଷ୍ୟମାନଙ୍କ ପ୍ରବାସ-ସ୍ଥାନରୁ ଦୂରରେ ସୁଡ଼ଙ୍ଗ ଖୋଳେ; ସେମାନେ ନିକଟଗାମୀ ଚରଣ ଦ୍ୱାରା ବିସ୍ମୃତ ହୁଅନ୍ତି; ସେମାନେ ମନୁଷ୍ୟମାନଙ୍କଠାରୁ ଦୂରରେ ଝୁଲନ୍ତି, ସେମାନେ ଏଣେତେଣେ ଦୋହଲନ୍ତି।
JOB 28:5 ମୃତ୍ତିକାରୁ ଖାଦ୍ୟ ଉତ୍ପନ୍ନ ହୁଏ ଓ ତହିଁର ଅଧୋଭାଗ ଅଗ୍ନି ଦ୍ୱାରା ଲଣ୍ଡଭଣ୍ଡ ହେଲା ପରି ହୁଏ।
JOB 28:6 ତହିଁର ପ୍ରସ୍ତର ନୀଳକାନ୍ତମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ।
JOB 28:7 କୌଣସି ଶିକାରୀ ପକ୍ଷୀ ସେହି ପଥ ଜାଣେ ନାହିଁ, କିଅବା ବାଜପକ୍ଷୀର ଚକ୍ଷୁ ହିଁ ତାହା ଦେଖି ନାହିଁ;
JOB 28:8 ଦର୍ପୀ ପଶୁଗଣ ତହିଁରେ ଗତାୟାତ କରି ନାହାନ୍ତି, ଅବା ଭୟାନକ ସିଂହ ତହିଁ ନିକଟ ଦେଇ ଯାଇ ନାହିଁ।
JOB 28:9 ମନୁଷ୍ୟ ଦୃଢ଼ ଶୈଳ ଉପରେ ଆପଣା ହାତ ଦିଏ; ସେ ପର୍ବତଗଣକୁ ସମୂଳେ ଓଲଟାଇ ପକାଏ।
JOB 28:10 ସେ ଶୈଳ ମଧ୍ୟରେ ନାଳ କାଟେ ଓ ତାହାର ଚକ୍ଷୁ ସର୍ବପ୍ରକାର ବହୁମୂଲ୍ୟ ଦ୍ରବ୍ୟ ଦେଖେ।
JOB 28:11 ନ ଝରିବା ପାଇଁ ସେ ଜଳସ୍ରୋତ ବନ୍ଦ କରେ; ଆଉ, ସେ ଆଲୁଅକୁ ଗୁପ୍ତ ଦ୍ରବ୍ୟ ଆଣେ।
JOB 28:12 ମାତ୍ର ଜ୍ଞାନ କେଉଁଠାରେ ପ୍ରାପ୍ତ ହୁଏ? ଓ ବୁଦ୍ଧିର ସ୍ଥାନ କାହିଁ?
JOB 28:13 ମନୁଷ୍ୟ ତହିଁର ମୂଲ୍ୟ ଜାଣେ ନାହିଁ; କିଅବା ଜୀବିତମାନଙ୍କ ଦେଶରେ ତାହା ମିଳେ ନାହିଁ।
JOB 28:14 ବାରିଧି କହେ, ‘ତାହା ମୋʼ ଠାରେ ନାହିଁ;’ ପୁଣି, ସମୁଦ୍ର କହେ, ‘ତାହା ମୋʼ ଠାରେ ନାହିଁ।’
JOB 28:15 ସୁବର୍ଣ୍ଣ ଦ୍ୱାରା ତାହା ପ୍ରାପ୍ତ ହୋଇ ନ ପାରେ, କିଅବା ତହିଁର ମୂଲ୍ୟାର୍ଥେ ରୂପା ତୌଲା ଯିବ ନାହିଁ।
JOB 28:16 ଓଫୀରର ସୁବର୍ଣ୍ଣ ଦ୍ୱାରା ତହିଁର ମୂଲ୍ୟ କରାଯାଇ ନ ପାରେ, ବହୁମୂଲ୍ୟ ଗୋମେଦକ ଅବା ନୀଳକାନ୍ତମଣି ଦ୍ୱାରା ନୁହେଁ।
JOB 28:17 ସ୍ୱର୍ଣ୍ଣ ଓ କାଚ ତହିଁର ସମାନ ହୋଇ ନ ପାରେ; କିଅବା ଶୁଦ୍ଧ ସ୍ୱର୍ଣ୍ଣାଭରଣ ତହିଁର ପରିବର୍ତ୍ତ ହେବ ନାହିଁ।
JOB 28:18 ତହିଁ ନିକଟରେ ପ୍ରବାଳ ଓ ସ୍ପଟିକର କଥା କୁହାଯାଏ ନାହିଁ; କାରଣ ପଦ୍ମରାଗ ମଣି ଅପେକ୍ଷା ଜ୍ଞାନର ମୂଲ୍ୟ ଅଧିକ।
JOB 28:19 କୂଶଦେଶୀୟ ପୀତମଣି ତହିଁର ସମାନ ହେବ ନାହିଁ, କିଅବା ନିର୍ମଳ ସୁବର୍ଣ୍ଣରେ ତହିଁର ମୂଲ୍ୟ କରାଯିବ ନାହିଁ।
JOB 28:20 ତେବେ ଜ୍ଞାନ କେଉଁଠାରୁ ଆସେ? ଓ ବୁଦ୍ଧିର ସ୍ଥାନ କାହିଁ?
JOB 28:21 ତାହା ତ ସମସ୍ତ ପ୍ରାଣୀଙ୍କ ଚକ୍ଷୁରୁ ଗୁପ୍ତ ଓ ଆକାଶର ପକ୍ଷୀମାନଙ୍କଠାରୁ ଆବୃତ କରାଯାଇଅଛି।
JOB 28:22 ବିନାଶ ଓ ମୃତ୍ୟୁୁ କହନ୍ତି, ‘ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ।’
JOB 28:23 ପରମେଶ୍ୱର ତହିଁର ପଥ ଜାଣନ୍ତି ଓ ସେ ତହିଁର ସ୍ଥାନ ଜ୍ଞାତ ଅଛନ୍ତି।
JOB 28:24 କାରଣ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅନାଇ ଓ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥାନ ଦେଖି
JOB 28:25 ବାୟୁର ଓଜନ ନିରୂପଣ କରନ୍ତି ଓ ପରିମାଣ ଦ୍ୱାରା ଜଳ ପରିମିତ କରନ୍ତି।
JOB 28:26 ଯେତେବେଳେ ସେ ବୃଷ୍ଟିର ନିୟମ ନିରୂପଣ କଲେ ଓ ମେଘଗର୍ଜ୍ଜନର ବିଦ୍ୟୁତ୍ ପାଇଁ ପଥ ସ୍ଥିର କଲେ;
JOB 28:27 ସେତେବେଳେ ସେ ତାହା ଦେଖିଲେ ଓ ତାହା ପ୍ରଚାର କଲେ; ସେ ତାହା ସ୍ଥାପନ କଲେ, ଆଉ ତହିଁର ତଦନ୍ତ କଲେ।
JOB 28:28 ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି।’”
JOB 29:1 ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା,
JOB 29:2 “ଆହା, ମୁଁ ପୂର୍ବବର୍ତ୍ତୀ ମାସସବୁରେ, ପରମେଶ୍ୱର ମୋତେ ଜଗି ରଖିଥିବା ଦିନସମୂହରେ ଯେପରି ଥିଲି, ସେପରି ଯେବେ ଥାʼନ୍ତି;
JOB 29:3 ସେତେବେଳେ ତାହାଙ୍କ ପ୍ରଦୀପ ମୋʼ ମସ୍ତକ ଉପରେ ଆଲୁଅ ଦେଲା ଓ ମୁଁ ତାହାଙ୍କ ଦୀପ୍ତିରେ ଅନ୍ଧକାର ଦେଇ ଗମନ କଲି;
JOB 29:4 ମୁଁ ଉତ୍ତମ ଅବସ୍ଥାରେ ଥିଲି, ସେତେବେଳେ ମୋʼ ତମ୍ବୁ ଉପରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ଥିଲା;
JOB 29:5 ସେତେବେଳେ ସର୍ବଶକ୍ତିମାନ ପରମେଶ୍ୱର ମୋʼ ସଙ୍ଗରେ ଥିଲେ ଓ ମୋହର ସନ୍ତାନଗଣ ମୋʼ ଚତୁଃପାର୍ଶ୍ୱରେ ଥିଲେ;
JOB 29:6 ସେତେବେଳେ ମୋହର ଚରଣ ଦୁଗ୍ଧରେ ଧୌତ ହେଲା ଓ ଶୈଳ ମୋʼ ପାଇଁ ତୈଳ-ନଦୀ ବହାଇଲା।
JOB 29:7 ମୁଁ ନଗର-ଦ୍ୱାରକୁ ଯାଇ ଛକସ୍ଥାନରେ ଆପଣା ଆସନ ପ୍ରସ୍ତୁତ କଲେ,
JOB 29:8 ଯୁବା ଲୋକମାନେ ମୋତେ ଦେଖି ଲୁଚିଲେ ଓ ବୃଦ୍ଧ ଲୋକମାନେ ଉଠି ଠିଆ ହେଲେ।
JOB 29:9 ଅଧିପତିମାନେ କଥାବାର୍ତ୍ତା କରିବାରୁ ନିବୃତ୍ତ ହେଲେ ଓ ଆପଣା ଆପଣା ମୁଖରେ ହାତ ଦେଲେ;
JOB 29:10 କୁଳୀନମାନଙ୍କ ରବ ନିରସ୍ତ ହେଲା ଓ ସେମାନଙ୍କ ଜିହ୍ୱା ସେମାନଙ୍କ ମୁଖର ତାଳୁକାରେ ଲାଗି ରହିଲା।
JOB 29:11 କାରଣ କର୍ଣ୍ଣ ମୋʼ କଥା ଶୁଣନ୍ତେ, ମୋତେ କଲ୍ୟାଣ କଲା ଓ ଚକ୍ଷୁ ମୋତେ ଦେଖନ୍ତେ, ମୋʼ ପକ୍ଷରେ ସାକ୍ଷ୍ୟ ଦେଲା;
JOB 29:12 ଯେହେତୁ ମୁଁ ଆର୍ତ୍ତନାଦକାରୀ ଦରିଦ୍ରକୁ, ମଧ୍ୟ ଅସହାୟ ପିତୃହୀନକୁ ଉଦ୍ଧାର କଲି।
JOB 29:13 ନଷ୍ଟକଳ୍ପ ଲୋକର କଲ୍ୟାଣ ମୋʼ ଉପରେ ବର୍ତ୍ତିଲା ଓ ମୁଁ ବିଧବାର ହୃଦୟକୁ ଆନନ୍ଦରେ ଗାନ କରାଇଲି।
JOB 29:14 ମୁଁ ଧାର୍ମିକତା ପରିଧାନ କଲି ଓ ତାହା ମୋତେ ପରିଧାନ କଲା; ମୋହର ନ୍ୟାୟ ଆବରଣ ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା।
JOB 29:15 ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି।
JOB 29:16 ମୁଁ ଦୀନହୀନ ପ୍ରତି ପିତା ସ୍ୱରୂପ ଥିଲି ଓ ମୋʼ ଅଜ୍ଞାତ ଲୋକର ଗୁହାରି ମୁଁ ତଦନ୍ତ କଲି।
JOB 29:17 ଆଉ, ମୁଁ ଅଧାର୍ମିକର କଳପାଟି ଭାଙ୍ଗି ପକାଇଲି ଓ ତାହାର ଦନ୍ତରୁ ଶିକାର ଛଡ଼ାଇ ନେଲି।
JOB 29:18 ସେହି ସମୟରେ ମୁଁ କହିଲି, ମୁଁ ଆପଣା ବସାରେ ମରିବି ଓ ମୁଁ ବାଲୁକା ପରି ଆପଣା ଦିନ ବୃଦ୍ଧି କରିବି;
JOB 29:19 ମୋହର ଚେର ଜଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି ଓ ମୋହର ଶାଖା ଉପରେ ରାତ୍ରିସାରା କାକର ଥାଏ;
JOB 29:20 ମୋହର ଗୌରବ ମୋʼ ଠାରେ ସତେଜ ଥାଏ ଓ ମୋʼ ଧନୁ ମୋʼ ହସ୍ତରେ ନୂତନୀକୃତ ହୁଏ।
JOB 29:21 ଲୋକମାନେ ମୋʼ ଆଡ଼େ କର୍ଣ୍ଣ ଦେଇ ଅପେକ୍ଷା କଲେ ଓ ମୋହର ପରାମର୍ଶ ପାଇଁ ନୀରବ ରହିଲେ।
JOB 29:22 ମୋʼ କଥା ଉତ୍ତାରେ ସେମାନେ ଆଉ କଥା କହିଲେ ନାହିଁ; ପୁଣି, ମୋʼ କଥା ସେମାନଙ୍କ ଉପରେ ଟୋପା ଟୋପା ହୋଇ ପଡ଼ିଲା।
JOB 29:23 ଆଉ, ଯେପରି ବୃଷ୍ଟି ପାଇଁ, ସେପରି ସେମାନେ ମୋʼ ପାଇଁ ଅପେକ୍ଷା କଲେ ଓ ଯେପରି ଶେଷ ବୃଷ୍ଟି ପାଇଁ, ସେପରି ସେମାନେ ଆପଣା ଆପଣା ମୁଖ ପ୍ରଶସ୍ତ କରି ମେଲା କଲେ।
JOB 29:24 ମୁଁ ସେମାନଙ୍କ ପ୍ରତି ହସିଲେ ସେମାନେ ବିଶ୍ୱାସ କଲେ ନାହିଁ ଓ ମୋʼ ମୁଖର ତେଜ ନିସ୍ତେଜ କଲେ ନାହିଁ।
JOB 29:25 ମୁଁ ସେମାନଙ୍କ ପଥ ମନୋନୀତ କରି ପ୍ରଧାନ ହୋଇ ବସିଲି ଓ ସୈନ୍ୟଦଳ ମଧ୍ୟରେ ରାଜା ପରି ଓ ଶୋକାର୍ତ୍ତମାନଙ୍କର ସାନ୍ତ୍ୱନାକାରୀ ପରି ବାସ କଲି।
JOB 30:1 ଲୋକମାନେ ମୋତେ ପରିହାସ କରନ୍ତି, ସେମାନଙ୍କ ପିତୃଗଣକୁ ମୁଁ ଆପଣା ପଲରକ୍ଷକ କୁକ୍କୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି।
JOB 30:2 ସେମାନଙ୍କ ବାହୁ ବଳରେ ମୋହର କି ଲାଭ ହୋଇପାରେ? ସେମାନଙ୍କର ଯୌବନାବସ୍ଥା ନଷ୍ଟ ହୋଇଅଛି।
JOB 30:3 ସେମାନେ ଦରିଦ୍ରତା ଓ ଦୁର୍ଭିକ୍ଷ ସକାଶୁ କ୍ଷୀଣ ହୋଇଅଛନ୍ତି; ସେମାନେ ଘୋର ଉତ୍ସନ୍ନତା ଓ ଶୂନ୍ୟତାରେ ଶୁଷ୍କ ଭୂମି ଚର୍ବଣ କରନ୍ତି।
JOB 30:4 ସେମାନେ ବୁଦା ନିକଟରୁ ବିସ୍ୱାଦୁ ଶାକ ଛିଣ୍ଡାନ୍ତି ଓ ରେତମବୃକ୍ଷର ମୂଳ ସେମାନଙ୍କର ଆହାର।
JOB 30:5 ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ତାଡ଼ିତ ହୋଇଅଛନ୍ତି; ଲୋକେ ଯେପରି ଚୋର ପଛରେ, ସେହିପରି ସେମାନଙ୍କ ପଛରେ ଡାକ ପକାନ୍ତି।
JOB 30:6 ସେମାନେ ଉପତ୍ୟକାର ବିଦୀର୍ଣ୍ଣ ସ୍ଥାନରେ, ପୃଥିବୀର ଓ ଶୈଳର ଗର୍ତ୍ତରେ ବାସ କରିବେ।
JOB 30:7 ସେମାନେ ବୁଦା ମଧ୍ୟରେ ଗଧ ପରି ବୋବାନ୍ତି; ସେମାନେ ବିଛୁଆତି ବନରେ ରୁଣ୍ଡ ହୁଅନ୍ତି।
JOB 30:8 ସେମାନେ ମୂର୍ଖମାନଙ୍କର ସନ୍ତାନ, ସେମାନେ ଇତର ଲୋକଙ୍କ ସନ୍ତାନ; ସେମାନେ କୋରଡ଼ା ଖାଇ ଦେଶରୁ ତଡ଼ା ଯାଇଥିଲେ।
JOB 30:9 ମାତ୍ର ଏବେ ମୁଁ ସେମାନଙ୍କର ଗୀତ ସ୍ୱରୂପ ହୋଇଅଛି; ହଁ, ମୁଁ ସେମାନଙ୍କର ଗଳ୍ପ ସ୍ୱରୂପ ହୋଇଅଛି।
JOB 30:10 ସେମାନେ ମୋତେ ଘୃଣା କରନ୍ତି, ସେମାନେ ମୋʼ ଠାରୁ ଦୂରରେ ଠିଆ ହୁଅନ୍ତି ଓ ମୋʼ ମୁଖରେ ଛେପ ପକାଇବାକୁ ଡରନ୍ତି ନାହିଁ।
JOB 30:11 କାରଣ ସେ ଆପଣା ରଜ୍ଜୁ ଫିଟାଇ ମୋତେ କ୍ଳେଶ ଦେଇଅଛନ୍ତି, ଏଣୁ ସେମାନେ ମୋʼ ସାକ୍ଷାତରେ ଲଗାମ ପକାଇ ଦେଇଅଛନ୍ତି।
JOB 30:12 ଇତର ଲୋକମାନେ ମୋʼ ଡାହାଣରେ ଉଠନ୍ତି; ସେମାନେ ମୋʼ ଚରଣ ଘୁଞ୍ଚାଇ ଦିଅନ୍ତି ଓ ସେମାନେ ମୋʼ ବିରୁଦ୍ଧରେ ବିନାଶର ମାର୍ଗ ପ୍ରସ୍ତୁତ କରନ୍ତି।
JOB 30:13 ସେମାନେ ମୋର ପଥ ବିଗାଡ଼ନ୍ତି, ସେମାନେ ମୋʼ ବିପଦକୁ ଅଗ୍ରସର କରନ୍ତି, ଅନ୍ୟର ସହାୟ ବିନା ହିଁ ସେମାନେ ତାହା କରନ୍ତି।
JOB 30:14 ସେମାନେ ପ୍ରଶସ୍ତ ଭଗ୍ନ ସ୍ଥାନ ଦେଇ ଆସିଲା ପରି ଆସନ୍ତି; ଉଜାଡ଼ ମଧ୍ୟରେ ସେମାନେ ମୋʼ ଉପରେ ଗଡ଼ନ୍ତି।
JOB 30:15 ନାନା ପ୍ରକାର ତ୍ରାସ ମୋତେ ଆକ୍ରମଣ କରିଅଛି, ତାହାସବୁ ବାୟୁ ପରି ମୋହର ସମ୍ଭ୍ରମ ଘଉଡ଼ାନ୍ତି ଓ ମୋହର ମଙ୍ଗଳ ମେଘ ପରି ବହି ଯାଇଅଛି।
JOB 30:16 ପୁଣି, ଏବେ ମୋର ପ୍ରାଣ ମୋʼ ଅନ୍ତରରେ ତରଳି ଯାଏ; କ୍ଳେଶର ଦିନସବୁ ମୋତେ ଆକ୍ରାନ୍ତ କରିଅଛି।
JOB 30:17 ରାତ୍ରିକାଳରେ ମୋହର ଅସ୍ଥିସବୁ ମୋʼ ଭିତରେ ବିଦ୍ଧ ହୁଏ ଓ ମୋତେ କାମୁଡ଼ିବା ବେଦନାସବୁ ବିଶ୍ରାମ ନିଅନ୍ତି ନାହିଁ।
JOB 30:18 ମୋʼ ରୋଗର ପ୍ରବଳ ଶକ୍ତିରେ ମୋʼ ବସ୍ତ୍ର ବିକୃତ ହୋଇଅଛି; ତାହା ମୋʼ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ।
JOB 30:19 ସେ ମୋତେ ପଙ୍କରେ ପକାଇ ଦେଇଅଛନ୍ତି, ଆଉ ମୁଁ ଧୂଳି ଓ ଭସ୍ମ ପରି ହୋଇଅଛି।
JOB 30:20 ମୁଁ ତୁମ୍ଭକୁ ଡାକ ପକାଉଅଛି, ମାତ୍ର ତୁମ୍ଭେ ମୋତେ ଉତ୍ତର ଦିଅ ନାହିଁ। ମୁଁ ଠିଆ ହେଲେ, ତୁମ୍ଭେ ମୋତେ ଅନାଉଅଛ।
JOB 30:21 ତୁମ୍ଭେ ମୋʼ ପ୍ରତି ନିଷ୍ଠୁର ହୋଇ ଯାଇଅଛ; ତୁମ୍ଭେ ଆପଣା ହସ୍ତର ପରାକ୍ରମରେ ମୋତେ ତାଡ଼ନା କରୁଅଛ।
JOB 30:22 ତୁମ୍ଭେ ମୋତେ ବାୟୁକୁ ଉଠାଇ ତହିଁ ଉପରେ ମୋତେ ଚଢ଼ାଉଅଛ ଓ ବତାସରେ ତୁମ୍ଭେ ମୋତେ ଲୀନ କରୁଅଛ।
JOB 30:23 କାରଣ ମୁଁ ଜାଣେ, ତୁମ୍ଭେ ମୋତେ ମୃତ୍ୟୁୁ ନିକଟକୁ ଓ ସମସ୍ତ ପ୍ରାଣୀ ପାଇଁ ନିରୂପିତ ଗୃହକୁ ଆଣିବ।
JOB 30:24 ନିଶ୍ଚୟ ଭଗ୍ନ ଗୃହାଦିର ରାଶି ବିରୁଦ୍ଧରେ ସେ ଆପଣା ହସ୍ତ ବଢ଼ାଇବେ ନାହିଁ; ତଥାପି ଜଣେ ଆପଣା ବିନାଶ ସମୟରେ ଏହିସବୁ ବିଷୟ ସକାଶୁ ଆର୍ତ୍ତନାଦ କରିପାରେ।
JOB 30:25 ମୁଁ କି ଦୁଃଖରେ ଥିବା ଲୋକ ପାଇଁ ରୋଦନ କଲି ନାହିଁ? ଦୀନହୀନ ପାଇଁ କି ମୋହର ପ୍ରାଣ ଦୁଃଖିତ ନୋହିଲା?
JOB 30:26 ମୁଁ ମଙ୍ଗଳ ଅପେକ୍ଷା କରିବା ବେଳେ ଅମଙ୍ଗଳ ଉପସ୍ଥିତ ହେଲା; ପୁଣି, ମୁଁ ଆଲୁଅର ଅପେକ୍ଷା କଲା ବେଳେ ଅନ୍ଧକାର ଆସିଲା।
JOB 30:27 ମୋʼ ଅନ୍ତ୍ର ଫୁଟେ, ବିଶ୍ରାମ କରେ ନାହିଁ; ମୋʼ ଉପରେ କ୍ଳେଶର ଦିନସବୁ ଉପସ୍ଥିତ ହୋଇଅଛି।
JOB 30:28 ମୁଁ ସୂର୍ଯ୍ୟ ବିନା ମ୍ଳାନ ହୋଇ ବୁଲୁଥାଏ; ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।
JOB 30:29 ମୁଁ ଶୃଗାଳମାନଙ୍କର ଭାଇ ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି।
JOB 30:30 ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋʼ ଠାରୁ ଝଡ଼ି ପଡ଼ୁଅଛି ଓ ମୋʼ ଅସ୍ଥିସବୁ ଉତ୍ତାପରେ ଦଗ୍ଧ ହେଉଅଛି।
JOB 30:31 ତେଣୁ ମୋହର ବୀଣା ଶୋକରେ ଓ ମୋହର ବଂଶୀ କ୍ରନ୍ଦନକାରୀମାନଙ୍କ ସ୍ୱରରେ ପରିଣତ ହୋଇଅଛି।
JOB 31:1 ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି; ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି?
JOB 31:2 କାରଣ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅଂଶ କଅଣ ଓ ଉପରିସ୍ଥ ସର୍ବଶକ୍ତିମାନଙ୍କଠାରୁ ପ୍ରାପ୍ତ ଅଧିକାର କଅଣ?
JOB 31:3 ତାହା କି ଅଧାର୍ମିକମାନଙ୍କ ପ୍ରତି ବିପଦ ଓ ଅଧର୍ମାଚାରୀମାନଙ୍କ ପ୍ରତି ଦୁର୍ଗତି ନୁହେଁ?
JOB 31:4 ସେ କି ମୋହର ମାର୍ଗସବୁ ଦେଖନ୍ତି ନାହିଁ ଓ ମୋହର ପାଦଗତି ଗଣନ୍ତି ନାହିଁ?
JOB 31:5 ଯଦି ମୁଁ ଅସାରତାରେ ଗତାୟାତ କରିଥାଏ ଓ ମୋହର ପାଦ ପ୍ରବଞ୍ଚନା-ପଥରେ ବ୍ୟଗ୍ର ହୋଇଥାଏ;
JOB 31:6 ତେବେ ମୁଁ ଧର୍ମ ନିକ୍ତିରେ ତୌଲାଯାଏ, ତହିଁରେ ପରମେଶ୍ୱର ମୋହର ସରଳତା ଜାଣି ପାରିବେ।
JOB 31:7 ଯଦି ମୋହର ପାଦ ବିପଥରେ ଯାଇଥାଏ ଓ ମୋହର ଅନ୍ତଃକରଣ ମୋʼ ଚକ୍ଷୁ ଅନୁସାରେ ଚାଲିଥାଏ ଓ ଯଦି ମୋʼ ହସ୍ତରେ କୌଣସି କଳଙ୍କ ଲାଗିଥାଏ;
JOB 31:8 ତେବେ ମୁଁ ବୁଣେ ଓ ଅନ୍ୟ ଭୋଗ କରୁ; ମୋʼ କ୍ଷେତ୍ରର ଶସ୍ୟ ମୂଳୋତ୍ପାଟିତ ହେଉ।
JOB 31:9 ଯଦି ମୋହର ହୃଦୟ କୌଣସି ସ୍ତ୍ରୀ ପ୍ରତି ଲୁବ୍ଧ ହୋଇଥାଏ ଓ ମୁଁ ଆପଣା ପ୍ରତିବାସୀର ଦ୍ୱାର ନିକଟରେ ଲୁଚି ବସିଥାଏ;
JOB 31:10 ତେବେ ମୋʼ ଭାର୍ଯ୍ୟା ଅନ୍ୟର ଚକି ପେଷୁ ଓ ଅନ୍ୟମାନେ ତାହାକୁ ଭୋଗ କରନ୍ତୁ।
JOB 31:11 କାରଣ ତାହା ଗୁରୁତର ଦୋଷ; ଆଉ, ତାହା ବିଚାରକର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ;
JOB 31:12 କାରଣ ତାହା ସର୍ବନାଶକ ଗ୍ରାସକାରୀ ଅଗ୍ନି ଓ ମୋʼ ସର୍ବସ୍ୱର ମୂଳୋତ୍ପାଟିତ କରନ୍ତା।
JOB 31:13 ମୋʼ ଦାସ କି ଦାସୀ ମୋʼ ସଙ୍ଗେ ବିରୋଧ କଲେ, ଯଦି ମୁଁ ସେମାନଙ୍କର ଗୁହାରି ତୁଚ୍ଛ କରିଥାଏ;
JOB 31:14 ତେବେ ପରମେଶ୍ୱର ଉଠିଲେ, ମୁଁ କଅଣ କରିବି? ଓ ସେ ବିଚାର କଲେ, ମୁଁ ତାହାଙ୍କୁ କି ଉତ୍ତର ଦେବି?
JOB 31:15 ଯେ ମୋତେ ଗର୍ଭରେ ନିର୍ମାଣ କଲେ, ସେ କି ତାହାକୁ ନିର୍ମାଣ କଲେ ନାହିଁ? ଓ ଏକ ବ୍ୟକ୍ତି କି ଗର୍ଭରେ ଆମ୍ଭମାନଙ୍କୁ ଗଢ଼ି ନାହାନ୍ତି?
JOB 31:16 ଯଦି ମୁଁ ଦରିଦ୍ରମାନଙ୍କୁ ସେମାନଙ୍କ ବାଞ୍ଛିତ ବିଷୟରୁ ଅଟକାଇଥାଏ, ଅବା ବିଧବାର ଦୃଷ୍ଟି ମ୍ଳାନ କରିଥାଏ;
JOB 31:17 ଅଥବା ଆପଣାର ଖାଦ୍ୟ ଏକା ଖାଇଥାଏ ଓ ପିତୃହୀନ ତହିଁରୁ ଖାଇ ନ ଥାଏ;
JOB 31:18 (ମାତ୍ର ପିତା ନିକଟରେ ବଢ଼ିଲା ପରି ସେ ମୋହର ବାଲ୍ୟାବସ୍ଥାରୁ ମୋʼ ନିକଟରେ ବଢ଼ିଲା ଓ ମୋʼ ଜନ୍ମଠାରୁ ମୁଁ ବିଧବାର ପଥଦର୍ଶକ ହୋଇଅଛି।)
JOB 31:19 ମୁଁ କାହାକୁ ବସ୍ତ୍ରାଭାବରେ ମୃତକଳ୍ପ, ଅବା ଦୀନହୀନକୁ ଉଲଙ୍ଗ ଦେଖିଲେ,
JOB 31:20 ଯଦି ତାହାର କଟିଦେଶ ମୋତେ ଆଶୀର୍ବାଦ କରି ନ ଥାଏ ଓ ସେ ମୋʼ ମେଷଲୋମରେ ଉଷ୍ଣ ହୋଇ ନ ଥାଏ;
JOB 31:21 ମୁଁ ନଗର-ଦ୍ୱାରରେ ନିଜ ଉପକାରୀକୁ ଦେଖି ଯଦି ପିତୃହୀନ ବିରୁଦ୍ଧରେ ଆପଣା ହସ୍ତ ଉଠାଇଥାଏ;
JOB 31:22 ତେବେ ମୋʼ ସ୍କନ୍ଧ ସନ୍ଧିସ୍ଥାନରୁ ଖସି ପଡ଼ୁ ଓ ମୋʼ ବାହୁ ଅସ୍ଥିରୁ ଭାଙ୍ଗିଯାଉ।
JOB 31:23 କାରଣ ପରମେଶ୍ୱରଙ୍କଠାରୁ ବିପଦ ମୋʼ ପ୍ରତି ଭୟାନକ ଥିଲା ଓ ତାହାଙ୍କ ମହତ୍ତ୍ୱ ସକାଶୁ ମୁଁ କିଛି କରି ପାରିଲି ନାହିଁ।
JOB 31:24 ଯଦି ମୁଁ ସୁବର୍ଣ୍ଣକୁ ଆଶାଭୂମି କରିଥାଏ ଓ ତୁମ୍ଭେ ମୋହର ଆଶ୍ରୟ ବୋଲି ଶୁଦ୍ଧ ସୁବର୍ଣ୍ଣକୁ କହିଥାଏ;
JOB 31:25 ମୋହର ସମ୍ପଦ ଅତିଶୟ ହେବାରୁ ଓ ମୋହର ହସ୍ତ ବହୁତ ଲାଭ କରିବାରୁ ଯଦି ମୁଁ ଆନନ୍ଦ କରିଥାଏ;
JOB 31:26 ସୂର୍ଯ୍ୟ ଦୀପ୍ତି ଦେବା ବେଳେ ଓ ଚନ୍ଦ୍ର ଜ୍ୟୋସ୍ନାରେ ଗତି କରିବା ବେଳେ ଯଦି ମୁଁ ତହିଁ ପ୍ରତି ଦୃଷ୍ଟି କରିଥାଏ;
JOB 31:27 ପୁଣି, ମୋହର ଅନ୍ତଃକରଣ ଗୋପନରେ ପ୍ରଲୋଭିତ ହୋଇଥାଏ ଓ ମୋʼ ମୁଖ ମୋʼ ହସ୍ତକୁ ଚୁମ୍ବନ କରିଥାଏ;
JOB 31:28 ତେବେ ତାହା ହିଁ ବିଚାରକର୍ତ୍ତୃଗଣ ଦ୍ୱାରା ଦଣ୍ଡନୀୟ ଅପରାଧ ହୁଅନ୍ତା; ପୁଣି, ମୁଁ ଊର୍ଦ୍ଧ୍ୱବାସୀ ପରମେଶ୍ୱରଙ୍କ ନିକଟରେ ମିଥ୍ୟାବାଦୀ ହୁଅନ୍ତି।
JOB 31:29 ମୋʼ ଘୃଣାକାରୀର ବିନାଶରେ ଯଦି ମୁଁ ଆନନ୍ଦ କରିଥାଏ, ଅବା ଅମଙ୍ଗଳ ତାହାର ଉଦ୍ଦେଶ୍ୟ ପାଇବା ବେଳେ ଦର୍ପ କରିଥାଏ;
JOB 31:30 (ମାତ୍ର ମୁଁ ଅଭିଶାପ ଦେଇ ତାହାର ଜୀବନ ମାଗିବା ନିମନ୍ତେ ପାପ କରିବାକୁ ଆପଣା ମୁଖ ଦେଇ ନାହିଁ);
JOB 31:31 ମୋʼ ତମ୍ବୁସ୍ଥିତ ଲୋକେ କି କହି ନ ଥାʼନ୍ତି, ‘ତାହାର ଦତ୍ତ ମାଂସରେ ଯେ ତୃପ୍ତ ହୋଇ ନାହିଁ, ଏପରି ଜଣକୁ କିଏ ପାଇ ପାରେ?’
JOB 31:32 ବିଦେଶୀ ଦାଣ୍ଡରେ ରାତ୍ରି କ୍ଷେପଣ କଲା ନାହିଁ; ମାତ୍ର ମୁଁ ପଥିକ ନିମନ୍ତେ ଦ୍ୱାର ମୁକ୍ତ କଲି;
JOB 31:33 ଯଦି ମୁଁ ଆପଣା ବକ୍ଷସ୍ଥଳରେ ନିଜ ଅଧର୍ମ ଗୁପ୍ତ କରିବା ଦ୍ୱାରା ଆଦମ ପରି ଆପଣା ଅପରାଧ ଢାଙ୍କିଥାଏ;
JOB 31:34 ମହାଜନତାକୁ ଭୟ କରିବାରୁ ଓ ଗୋଷ୍ଠୀୟମାନଙ୍କ ତୁଚ୍ଛତା ମୋତେ ତ୍ରସ୍ତ କରିବାରୁ ଯଦି ମୁଁ ନୀରବ ହୋଇ ଦ୍ୱାର ବାହାରକୁ ଯାଇ ନ ଥାଏ -
JOB 31:35 ଆଃ, କେହି ଯଦି ମୋʼ କଥା ଶୁଣିବାକୁ ଥାʼନ୍ତା! (ଏହି ଦେଖ ମୋହର ସ୍ୱାକ୍ଷର, ସର୍ବଶକ୍ତିମାନ ପରମେଶ୍ୱର ମୋତେ ଉତ୍ତର ଦେଉନ୍ତୁ), ଓ ମୋʼ ପ୍ରତିବାଦୀ ମୋହର ଯେଉଁ ଦୋଷପତ୍ର ଲେଖିଅଛି, ତାହା ଯଦି ମୁଁ ପାଆନ୍ତି!
JOB 31:36 ତେବେ ନିଶ୍ଚୟ ମୁଁ ଆପଣା ସ୍କନ୍ଧରେ ତାହା ବହନ୍ତି ଓ ମୁକୁଟ ପରି ତାହା ବାନ୍ଧନ୍ତି।
JOB 31:37 ମୁଁ ଆପଣା ପାଦଗତିର ସଂଖ୍ୟା ତାହାକୁ ଜଣାନ୍ତି; ଶାସକ ପରି ତାହାର ନିକଟକୁ ଯାଆନ୍ତି।
JOB 31:38 ଯଦି ମୋʼ ଭୂମି ମୋʼ ପ୍ରତିକୂଳରେ କ୍ରନ୍ଦନ କରେ ଓ ତହିଁର ଲଙ୍ଗଳ-ଶିଆରସବୁ ଏକତ୍ର ରୋଦନ କରନ୍ତି;
JOB 31:39 ଯଦି ମୁଁ ମୂଲ୍ୟ ବିନା ତହିଁର ଫଳ ଭୋଗ କରିଥାଏ, ଅବା ତହିଁର ଅଧିକାରୀମାନଙ୍କ ପ୍ରାଣନାଶର କାରଣ ହୋଇଥାଏ;
JOB 31:40 ତେବେ ଗହମ ବଦଳେ କଣ୍ଟକଲତା ଓ ଯବ ବଦଳେ ବିଷବୃକ୍ଷ ବଢ଼ୁ।” ଆୟୁବଙ୍କ କଥା ସମାପ୍ତ ହେଲା।
JOB 32:1 ଏହିରୂପେ ଆୟୁବ ନିଜ ଦୃଷ୍ଟିରେ ଧାର୍ମିକ ହେବାରୁ ଏହି ତିନି ଜଣ ଉତ୍ତର ଦେବାରୁ କ୍ଷାନ୍ତ ହେଲେ।
JOB 32:2 ତହିଁରେ ରାମ୍‍ ଗୋଷ୍ଠୀଜାତ ବୂଷୀୟ ବାରଖେଲର ପୁତ୍ର ଇଲୀହୂର କ୍ରୋଧ ପ୍ରଜ୍ୱଳିତ ହେଲା; ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା।
JOB 32:3 ମଧ୍ୟ ତାହାର ତିନି ବନ୍ଧୁଙ୍କ ପ୍ରତିକୂଳରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେମାନେ କୌଣସି ଉତ୍ତର ଦେଇ ନ ପାରିଲେ ହେଁ ଆୟୁବକୁ ଦୋଷୀ କରିଥିଲେ।
JOB 32:4 ସେମାନେ ଇଲୀହୂଠାରୁ ପ୍ରାଚୀନ ଥିବାରୁ ଇଲୀହୂ ଆୟୁବକୁ କଥା କହିବା ପାଇଁ ଅପେକ୍ଷା କରିଥିଲା।
JOB 32:5 ପୁଣି, ସେ ସେହି ତିନି ଜଣଙ୍କ ମୁଖରେ କୌଣସି ଉତ୍ତର ନ ଥିବାର ଦେଖି ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
JOB 32:6 ଏଥିଉତ୍ତାରେ ବୂଷୀୟ ବାରଖେଲର ପୁତ୍ର ଇଲୀହୂ ଉତ୍ତର କରି କହିଲା, “ମୁଁ ଯୁବା ଲୋକ, ଆଉ ତୁମ୍ଭେମାନେ ଅତି ବୃଦ୍ଧ; ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମ୍ଭମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ।
JOB 32:7 ମୁଁ କହିଲି, ‘ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ।’
JOB 32:8 ମାତ୍ର ମନୁଷ୍ୟ ମଧ୍ୟରେ ଗୋଟିଏ ଆତ୍ମା ଅଛି ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିଶ୍ୱାସ ସେମାନଙ୍କୁ ବୁଦ୍ଧି ଦିଏ।
JOB 32:9 ବଡ଼ ଲୋକେ ଯେ ଜ୍ଞାନବାନ, ତାହା ନୁହେଁ, ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି, ତାହା ନୁହେଁ।
JOB 32:10 ଏଥିପାଇଁ ମୁଁ କହିଲି, ‘ମୋʼ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’
JOB 32:11 ଦେଖ, ମୁଁ ତୁମ୍ଭମାନଙ୍କ କଥା ପାଇଁ ଅପେକ୍ଷା କଲି, କଅଣ କହିବାକୁ ହେବ, ଏହା ତୁମ୍ଭେମାନେ ଅନୁସନ୍ଧାନ କରିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଯୁକ୍ତି ପାଇଁ ମନୋଯୋଗ କଲି।
JOB 32:12 ଆହୁରି, ମୁଁ ତୁମ୍ଭମାନଙ୍କ କଥାରେ ମନ ଦେଲି, ପୁଣି ଦେଖ, ଆୟୁବକୁ ବୋଧ ଦେବାକୁ, ଅବା ତାହାର କଥାର ଉତ୍ତର ଦେବାକୁ ତୁମ୍ଭମାନଙ୍କ ମଧ୍ୟରେ କେହି ନ ଥିଲା।
JOB 32:13 ସାବଧାନ, କେଜାଣି ତୁମ୍ଭେମାନେ କହିବ, ଆମ୍ଭେମାନେ ଜ୍ଞାନ ପାଇଅଛୁ; ପରମେଶ୍ୱର ତାହାକୁ ପରାସ୍ତ କରି ପାରିବେ, ମନୁଷ୍ୟ ନୁହେଁ;
JOB 32:14 କାରଣ ସେ ମୋʼ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ।
JOB 32:15 ସେମାନେ ବିସ୍ମିତ ଅଛନ୍ତି, ସେମାନେ ଆଉ ଉତ୍ତର ଦିଅନ୍ତି ନାହିଁ, ସେମାନଙ୍କର କୌଣସି କଥା କହିବାକୁ ନାହିଁ।
JOB 32:16 ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି, ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି ମୁଁ ଅପେକ୍ଷା କରିବି?
JOB 32:17 ମୁଁ ମଧ୍ୟ ଆପଣାର ଉତ୍ତର ଦେବି, ମୁଁ ଆପଣାର ମତ ପ୍ରକାଶ କରିବି।
JOB 32:18 କାରଣ ମୁଁ ବାକ୍ୟରେ ପରିପୂର୍ଣ୍ଣ। ମୋହର ଅନ୍ତରସ୍ଥ ଆତ୍ମା ମୋତେ ପ୍ରବର୍ତ୍ତାଏ।
JOB 32:19 ଦେଖ, ମୋʼ ଉଦର ବନ୍ଦ ଦ୍ରାକ୍ଷାରସ ତୁଲ୍ୟ; ନୂତନ କୁମ୍ପା ପରି ତାହା ଫାଟିବାକୁ ଉଦ୍ୟତ।
JOB 32:20 ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି।
JOB 32:21 ବିନୟ କରୁଅଛି, ମୋତେ କୌଣସି ଲୋକର ମୁଖାପେକ୍ଷା କରିବାକୁ ଦିଅ ନାହିଁ; କିଅବା ମୁଁ କୌଣସି ଲୋକର ଚାଟୁବାଦ କରିବି ନାହିଁ।
JOB 32:22 କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।
JOB 33:1 ଯାହାହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର।
JOB 33:2 ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି, ମୋʼ ଜିହ୍ୱା ମୋʼ ମୁଖ ଭିତରେ କଥା କହିଅଛି।
JOB 33:3 ମୋʼ ବାକ୍ୟ ମୋʼ ଅନ୍ତଃକରଣର ସରଳତା ପ୍ରକାଶ କରିବ ଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ।
JOB 33:4 ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି।
JOB 33:5 ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ, ମୋʼ ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ।
JOB 33:6 ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ, ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି।
JOB 33:7 ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ, କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ।
JOB 33:8 ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛ ଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା,
JOB 33:9 ‘ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋʼ ଠାରେ ଅଧର୍ମ ନାହିଁ;
JOB 33:10 ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;
JOB 33:11 ସେ ଯନ୍ତାରେ ମୋହର ପାଦ ରଖନ୍ତି, ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି।’
JOB 33:12 ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ; କାରଣ ପରମେଶ୍ୱର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି।
JOB 33:13 ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ।
JOB 33:14 ପରମେଶ୍ୱର ଥରେ କହନ୍ତି, ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ;
JOB 33:15 ସ୍ୱପ୍ନରେ, ରାତ୍ରିକାଳୀନ ଦର୍ଶନରେ; ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ,
JOB 33:16 ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି,
JOB 33:17 ତଦ୍ଦ୍ୱାରା ସେ ମନୁଷ୍ୟକୁ ତାହାର ସଂକଳ୍ପରୁ ନିବୃତ୍ତ କରନ୍ତି ଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି।
JOB 33:18 ସେ ତାହାର ପ୍ରାଣକୁ ଗର୍ତ୍ତରୁ ଓ ତାହାର ଜୀବନକୁ ଖଡ୍ଗାଘାତରୁ ଅଟକାଇ ରଖନ୍ତି।
JOB 33:19 ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ;
JOB 33:20 ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ।
JOB 33:21 ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ।
JOB 33:22 ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାର କର ସନ୍ନିକଟ ହୁଏ।
JOB 33:23 ଯଦି ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁ ତାହା ସଙ୍ଗେ ଜଣେ ଦୂତ, ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ;
JOB 33:24 ତେବେ ସେ ତାହାକୁ କୃପା କରି କହିବେ, ‘ଗର୍ତ୍ତଗମନରୁ ତାହାକୁ ଉଦ୍ଧାର କର, ମୁଁ ପ୍ରାୟଶ୍ଚିତ୍ତ ପାଇଅଛି।
JOB 33:25 ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ; ସେ ଆପଣା ଯୌବନ ଦିନ ପୁନର୍ବାର ପାଇବ;’
JOB 33:26 ସେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି; ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ; ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି।
JOB 33:27 ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ‘ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ।
JOB 33:28 ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ।’
JOB 33:29 ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ, ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ,
JOB 33:30 ପରମେଶ୍ୱର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥର ଏହିସବୁ ବ୍ୟବହାର କରନ୍ତି।
JOB 33:31 ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି।
JOB 33:32 ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ; କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା।
JOB 33:33 ନୋହିଲେ ମୋʼ କଥା ଶୁଣ; ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି।”
JOB 34:1 ଆହୁରି ଇଲୀହୂ ଉତ୍ତର କରି କହିଲା,
JOB 34:2 “ହେ ଜ୍ଞାନୀମାନେ, ମୋʼ କଥା ଶୁଣ, ହେ ବିଜ୍ଞମାନେ, ମୋʼ କଥାରେ କର୍ଣ୍ଣ ଦିଅ।
JOB 34:3 କାରଣ ସ୍ୱାଦ ଯେପରି ଭକ୍ଷ୍ୟର ସ୍ୱାଦ ବୁଝେ, କର୍ଣ୍ଣ ସେପରି ବାକ୍ୟର ପରୀକ୍ଷା କରେ।
JOB 34:4 ଯାହା ଯଥାର୍ଥ, ତାହା ଆମ୍ଭେମାନେ ଆପଣାମାନଙ୍କ ପାଇଁ ମନୋନୀତ କରୁ; ଯାହା ଭଲ, ତାହା ଆମ୍ଭେମାନେ ଆପଣାମାନଙ୍କ ମଧ୍ୟରେ ନିଶ୍ଚୟ କରୁ।
JOB 34:5 କାରଣ ଆୟୁବ କହିଅଛି, ‘ମୁଁ ଧାର୍ମିକ, ପୁଣି ପରମେଶ୍ୱର ମୋହର ନ୍ୟାୟ ହରଣ କରିଅଛନ୍ତି;
JOB 34:6 ମୁଁ ନ୍ୟାୟବାନ ହେଲେ ହେଁ ମିଥ୍ୟାବାଦୀ ଗଣିତ ହୋଇଅଛି; ମୁଁ ଅପରାଧରହିତ ହେଲେ ହେଁ ମୋହର କ୍ଷତି ପ୍ରତିକାରହୀନ।’
JOB 34:7 ଆୟୁବ ପରି କେଉଁ ଲୋକ ଅଛି? ସେ ଜଳ ପରି ନିନ୍ଦା ପାନ କରେ।
JOB 34:8 ସେ ଅଧର୍ମାଚାରୀମାନଙ୍କ ସଙ୍ଗେ ଯାଏ ଓ ଦୁଷ୍ଟ ଲୋକମାନଙ୍କ ସଙ୍ଗେ ଗମନାଗମନ କରେ।
JOB 34:9 କାରଣ ସେ କହିଅଛି, ‘ପରମେଶ୍ୱରଙ୍କଠାରେ ଆନନ୍ଦ କଲେ, ମନୁଷ୍ୟର କିଛି ଲାଭ ନାହିଁ।’
JOB 34:10 ହେ ବୁଦ୍ଧିମାନ ଲୋକେ, ମୋʼ କଥା ଶୁଣ; ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ।
JOB 34:11 ମନୁଷ୍ୟର କର୍ମାନୁସାରେ ସେ ତାହାକୁ ଫଳ ଦେବେ ଓ ପ୍ରତ୍ୟେକ ଲୋକକୁ ତାହାର ଆଚରଣ ପ୍ରମାଣେ ଫଳ ଭୋଗ କରାଇବେ।
JOB 34:12 ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ, ସର୍ବଶକ୍ତିମାନ ବିଚାର ବିପରୀତ କରିବେ ନାହିଁ।
JOB 34:13 କିଏ ତାହାଙ୍କୁ ପୃଥିବୀର କର୍ତ୍ତୃତ୍ୱଭାର ଦେଲା? ଅବା କିଏ ସମୁଦାୟ ଜଗତର ନିରୂପଣ କରିଅଛି?
JOB 34:14 ଯଦି ସେ ମନୁଷ୍ୟ ଉପରେ ଆପଣା ମନ ଦେବେ, ଯଦି ସେ ତାହାର ଆତ୍ମା ଓ ନିଶ୍ୱାସ ଆପଣା ନିକଟରେ ସଂଗ୍ରହ କରିବେ;
JOB 34:15 ତେବେ ସକଳ ପ୍ରାଣୀ ଏକତ୍ର ବିନଷ୍ଟ ହେବେ ଓ ମନୁଷ୍ୟ ପୁନର୍ବାର ଧୂଳିରେ ମିଶିଯିବ।
JOB 34:16 ତୁମ୍ଭର ବିବେଚନା ଥିଲେ, ଏହା ଶୁଣ; ମୋʼ ବାକ୍ୟର ରବରେ ମନୋଯୋଗ କର।
JOB 34:17 ଯେ ନ୍ୟାୟ ଘୃଣା କରେ, ସେ କି ଶାସନ କରିବ? ଓ ଯେ ଧାର୍ମିକ ଓ ପରାକ୍ରମୀ, ତାହାଙ୍କୁ କି ତୁମ୍ଭେ ଦୋଷୀ କରିବ?
JOB 34:18 ରାଜାକୁ, ‘ତୁମ୍ଭେ ଅଧମ;’ ଅବା ଅଧିପତିମାନଙ୍କୁ, ‘ତୁମ୍ଭେମାନେ ଦୁଷ୍ଟ’ ବୋଲି କହିବାର କି ଉପଯୁକ୍ତ?
JOB 34:19 ତେବେ ପରମେଶ୍ୱର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ?
JOB 34:20 ସେମାନେ ମୁହୂର୍ତ୍ତକେ, ଅର୍ଦ୍ଧରାତ୍ରରେ ହିଁ ମରନ୍ତି; ଲୋକମାନେ କମ୍ପିତ ହୋଇ ପ୍ରାଣତ୍ୟାଗ କରନ୍ତି ଓ ବିକ୍ରମୀ ବିନା ହସ୍ତକ୍ଷେପରେ ଦୂରୀକୃତ ହୁଅନ୍ତି।
JOB 34:21 କାରଣ ମନୁଷ୍ୟର ମାର୍ଗ ପ୍ରତି ପରମେଶ୍ୱରଙ୍କ ଦୃଷ୍ଟି ଅଛି ଓ ସେ ତାହାର ସବୁ ଗତି ଦେଖନ୍ତି।
JOB 34:22 ଯେଉଁଠାରେ ଅଧର୍ମାଚାରୀଗଣ ଲୁଚି ପାରନ୍ତି, ଏପରି ଅନ୍ଧକାର ଓ ମୃତ୍ୟୁଚ୍ଛାୟା ନାହିଁ।
JOB 34:23 କାରଣ ମନୁଷ୍ୟର ପରମେଶ୍ୱରଙ୍କ ସାକ୍ଷାତରେ ବିଚାରାର୍ଥେ ଯିବାକୁ ହେବ ବୋଲି ତାହା ବିଷୟ ଦୀର୍ଘ ବିବେଚନା କରିବାର ତାହାଙ୍କର ଆବଶ୍ୟକ ନାହିଁ।
JOB 34:24 ସେ ଅନୁଦ୍ଦେଶ୍ୟ ଉପାୟରେ ପରାକ୍ରାନ୍ତ ଲୋକମାନଙ୍କୁ ଖଣ୍ଡ ଖଣ୍ଡ କରନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ସ୍ଥାପନ କରନ୍ତି।
JOB 34:25 ଏହେତୁ ସେ ସେମାନଙ୍କ କର୍ମର ତତ୍ତ୍ୱ ନିଅନ୍ତି; ପୁଣି, ସେ ରାତ୍ରିରେ ସେମାନଙ୍କୁ ଓଲଟାଇ ପକାନ୍ତି, ତହିଁରେ ସେମାନେ ବିନଷ୍ଟ ହୁଅନ୍ତି।
JOB 34:26 ସେ ଅନ୍ୟମାନଙ୍କ ଦୃଷ୍ଟିଗୋଚରରେ ଦୁଷ୍ଟ ଲୋକଙ୍କୁ ପ୍ରହାର କଲା ପରି ସେମାନଙ୍କୁ ପ୍ରହାର କରନ୍ତି;
JOB 34:27 କାରଣ ସେମାନେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ଓ ତାହାଙ୍କର କୌଣସି ମାର୍ଗ ଆଦର କରିବାକୁ ଅନିଚ୍ଛୁକ ହେଲେ;
JOB 34:28 ଏହିରୂପେ ସେମାନେ ତାହାଙ୍କ ଛାମୁରେ ଦରିଦ୍ରର କ୍ରନ୍ଦନ ଉପସ୍ଥିତ କରାଇଲେ, ତହୁଁ ସେ ଦୁଃଖୀର କ୍ରନ୍ଦନ ଶୁଣିଲେ।
JOB 34:29 ସେ ଶାନ୍ତି ଦେଲେ, କିଏ ଦୋଷ ଦେଇ ପାରେ? ଓ ସେ ଆପଣା ମୁଖ ଆଚ୍ଛାଦନ କଲେ, କିଏ ତାହାଙ୍କୁ ଦେଖି ପାରେ? ଏହା କୌଣସି ଗୋଷ୍ଠୀ ଅବା କୌଣସି ବ୍ୟକ୍ତି ପ୍ରତି କରାଗଲେ, ଏକ ସମାନ ଥାଏ;
JOB 34:30 ଏଣୁ ଅଧାର୍ମିକ ଲୋକ ରାଜତ୍ୱ କରେ ନାହିଁ, ଲୋକମାନଙ୍କୁ ଫାନ୍ଦରେ ପକାଇବାକୁ କେହି ନ ଥାଏ।
JOB 34:31 କାରଣ କେହି କି ପରମେଶ୍ୱରଙ୍କୁ କହିଅଛି, ‘ମୁଁ ଶାସ୍ତି ଭୋଗ କରୁଅଛି, ଆଉ ଦୋଷ କରିବି ନାହିଁ;
JOB 34:32 ଯାହା ମୁଁ ଜାଣୁ ନାହିଁ, ତାହା ତୁମ୍ଭେ ମୋତେ ଶିଖାଅ; ଯଦି ମୁଁ ଅପରାଧ କରିଅଛି, ତେବେ ଆଉ ତାହା କରିବି ନାହିଁ?’
JOB 34:33 ତାହାଙ୍କ ଦତ୍ତ ପ୍ରତିଫଳ କି ତୁମ୍ଭ ଇଚ୍ଛାମତ ହେବ ଯେ, ତୁମ୍ଭେ ତାହା ଅଗ୍ରାହ୍ୟ କରୁଅଛ? କାରଣ ମନୋନୀତ କରିବାର ତୁମ୍ଭର କର୍ମ, ମୋହର ନୁହେଁ; ଏଥିପାଇଁ ଯାହା ତୁମ୍ଭେ ଜାଣ, ତାହା କୁହ।
JOB 34:34 ବୁଦ୍ଧିମାନ ଲୋକେ ଏବଂ ମୋʼ କଥା ଶ୍ରବଣକାରୀ ପ୍ରତ୍ୟେକ ଜ୍ଞାନୀ ଲୋକ ମୋତେ କହିବେ;
JOB 34:35 ‘ଆୟୁବ ନ ଜାଣି କଥା କହେ ଓ ତାହାର କଥାସବୁ ଜ୍ଞାନବର୍ଜ୍ଜିତ।’
JOB 34:36 ଆୟୁବ ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ହେଉ, କାରଣ ସେ ଦୁଷ୍ଟ ଲୋକମାନଙ୍କ ପରି ଉତ୍ତର ଦେଇଅଛି।
JOB 34:37 ଯେଣୁ ସେ ଆପଣା ପାପରେ ବିଦ୍ରୋହଭାବ ଯୋଗ କରୁଅଛି, ସେ ଆମ୍ଭମାନଙ୍କ ମଧ୍ୟରେ ହାତତାଳି ଦେଉଅଛି ଓ ପରମେଶ୍ୱରଙ୍କ ପ୍ରତିକୂଳରେ ଅନେକ କଥା କହୁଅଛି।”
JOB 35:1 ଆହୁରି, ଇଲୀହୂ ଉତ୍ତର କରି କହିଲା,
JOB 35:2 “ତୁମ୍ଭେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ? ଅବା କହୁଅଛ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ?
JOB 35:3 ଏଥିପାଇଁ କି ତୁମ୍ଭେ କହୁଅଛ, ‘ଏଥିରୁ ମୋହର କେଉଁ ଫଳ ହେବ? ଓ ପାପ କଲେ ଯେଉଁ ଲାଭ ହୁଅନ୍ତା, ତହିଁରୁ କେଉଁ ଅଧିକ ଲାଭ ମୋହର ହେବ?’
JOB 35:4 ମୁଁ ତୁମ୍ଭକୁ ଓ ତୁମ୍ଭ ସଙ୍ଗେ ତୁମ୍ଭ ସଙ୍ଗୀମାନଙ୍କୁ ଉତ୍ତର ଦେବି।
JOB 35:5 ଗଗନମଣ୍ଡଳ ପ୍ରତି ଦୃଷ୍ଟି କରି ଅନାଅ ଓ ତୁମ୍ଭ ଅପେକ୍ଷା ଉଚ୍ଚ ଆକାଶମଣ୍ଡଳକୁ ଦେଖ।
JOB 35:6 ତୁମ୍ଭେ ପାପ କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କଅଣ କର? ଓ ତୁମ୍ଭର ଅପରାଧ ବୃଦ୍ଧି ପାଇଲେ, ତାହାଙ୍କ ପ୍ରତି ତୁମ୍ଭେ କଅଣ କର?
JOB 35:7 ତୁମ୍ଭେ ଧାର୍ମିକ ହେଲେ, ତାହାଙ୍କୁ କଅଣ ଦିଅ? ଅବା ସେ ତୁମ୍ଭ ହସ୍ତରୁ କଅଣ ପାଆନ୍ତି?
JOB 35:8 ତୁମ୍ଭର ଦୁଷ୍ଟତା ତୁମ୍ଭ ତୁଲ୍ୟ ମନୁଷ୍ୟର କ୍ଷତି କରିପାରେ ଓ ତୁମ୍ଭର ଧାର୍ମିକତା ମନୁଷ୍ୟ-ସନ୍ତାନର ଲାଭ କରିପାରେ।
JOB 35:9 ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି; ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି।
JOB 35:10 ‘ମାତ୍ର ଯେ ରାତ୍ରିକାଳେ ଗାନ ପ୍ରଦାନ କରନ୍ତି, ଯେ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଶିକ୍ଷା ଦିଅନ୍ତି
JOB 35:11 ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମ୍ଭମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି?’ ଏହା କେହି ନ କହେ।
JOB 35:12 ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ।
JOB 35:13 ନିଶ୍ଚୟ ପରମେଶ୍ୱର ଅସାର କଥା ଶୁଣିବେ ନାହିଁ, କିଅବା ସର୍ବଶକ୍ତିମାନ ତାହା ଆଦର କରିବେ ନାହିଁ।
JOB 35:14 ତୁମ୍ଭେ ତ କହୁଅଛ, ମୁଁ ପରମେଶ୍ୱରଙ୍କୁ ଦେଖୁ ନାହିଁ, ବିଚାର ତାହାଙ୍କ ସମ୍ମୁଖରେ ଅଛି ଓ ମୁଁ ତାହାଙ୍କୁ ଅପେକ୍ଷା କରୁଅଛି; ତେବେ ମୁଁ ଏହି କଥାକୁ କେତେ ଅନାଦର କରିବି।
JOB 35:15 ମାତ୍ର ଏବେ, ସେ ନିଜ କ୍ରୋଧରେ ଶାସ୍ତି ଦେଇ ନାହାନ୍ତି, କିଅବା ଅହଙ୍କାର ପ୍ରତି ବଡ଼ ମନୋଯୋଗ କରନ୍ତି ନାହିଁ;
JOB 35:16 ଏଥିପାଇଁ ଆୟୁବ ଅସାର କଥାରେ ଆପଣା ମୁଖ ଫିଟାଏ; ସେ ଅନେକ ଜ୍ଞାନବର୍ଜ୍ଜିତ କଥା କହେ।”
JOB 36:1 ଇଲୀହୂ ଆହୁରି କହିଲା,
JOB 36:2 “ଟିକିଏ ସମ୍ଭାଳ, ମୁଁ ତୁମ୍ଭକୁ ଜଣାଇବି; କାରଣ ପରମେଶ୍ୱରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି।
JOB 36:3 ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଓ ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି;
JOB 36:4 କାରଣ ପ୍ରକୃତରେ ମୋହର କଥା ମିଥ୍ୟା ନୁହେଁ। ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି।
JOB 36:5 ଦେଖ, ପରମେଶ୍ୱର ପରାକ୍ରମୀ ଓ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିବଳରେ ପରାକ୍ରମୀ ଅଟନ୍ତି।
JOB 36:6 ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ; ମାତ୍ର ଦୁଃଖଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି।
JOB 36:7 ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ; ମାତ୍ର ସେ ସିଂହାସନୋପବିଷ୍ଟ ରାଜାଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ଓ ସେମାନେ ଉନ୍ନତ ହୁଅନ୍ତି।
JOB 36:8 ପୁଣି, ଯଦି ସେମାନେ ଜଞ୍ଜିରରେ ବନ୍ଧାଯାʼନ୍ତି ଓ ଦୁଃଖରୂପ ରଜ୍ଜୁରେ ଧରାଯାʼନ୍ତି,
JOB 36:9 ତେବେ ସେ ସେମାନଙ୍କର କ୍ରିୟା, ସେମାନଙ୍କର ଅପରାଧ ଓ ସେମାନଙ୍କର ଗର୍ବାଚରଣ ସେମାନଙ୍କୁ ଦେଖାନ୍ତି।
JOB 36:10 ମଧ୍ୟ ଶିକ୍ଷା ପ୍ରତି ସେ ସେମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି ଓ ଅଧର୍ମରୁ ଫେରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଅନ୍ତି।
JOB 36:11 ଯଦି ସେମାନେ ଶୁଣି ତାହାଙ୍କର ସେବା କରିବେ, ତେବେ ସେମାନେ ସମୃଦ୍ଧିରେ ଆପଣା ଆପଣା ଦିନ ଓ ସୁଖରେ ଆପଣା ଆପଣା ବର୍ଷ କ୍ଷେପଣ କରିବେ।
JOB 36:12 ମାତ୍ର ସେମାନେ ନ ଶୁଣିଲେ, ଖଡ୍ଗରେ ବିନଷ୍ଟ ହେବେ ଓ ଜ୍ଞାନବର୍ଜ୍ଜିତ ହୋଇ ମରିବେ।
JOB 36:13 ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ।
JOB 36:14 ସେମାନେ ଯୌବନ କାଳରେ ମରନ୍ତି ଓ ଅଶୁଚି ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଜୀବନ ବିନଷ୍ଟ ହୁଏ।
JOB 36:15 ସେ ଦୁଃଖୀଲୋକକୁ ତାହାର ଦୁଃଖ ଦ୍ୱାରା ଉଦ୍ଧାର କରନ୍ତି ଓ ଉପଦ୍ରବ ଦ୍ୱାରା ସେମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି।
JOB 36:16 ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ଓ ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା।
JOB 36:17 ମାତ୍ର ତୁମ୍ଭେ ଦୁଷ୍ଟର ବିଚାରରେ ପୂର୍ଣ୍ଣ ଅଛ; ବିଚାର ଓ ଶାସ୍ତି ତୁମ୍ଭକୁ ଧରିଅଛି।
JOB 36:18 କୋପ ଅଛି, ଯେପରି ତୁମ୍ଭେ ଆପଣା ପ୍ରଚୁରତା ଦ୍ୱାରା ଭ୍ରାନ୍ତ ନ ହୁଅ; କିଅବା ପ୍ରାୟଶ୍ଚିତ୍ତର ମହତ୍ତ୍ୱ ତୁମ୍ଭକୁ ନ ଭୁଲାଏ, ଏଥିପାଇଁ ସାବଧାନ।
JOB 36:19 ତୁମ୍ଭେ ଯେପରି ଦୁଃଖଗ୍ରସ୍ତ ନୋହିବ, ଏଥିପାଇଁ ତୁମ୍ଭର ଧନ ଓ ବଳର ସମସ୍ତ ପ୍ରତାପ କି ପ୍ରଚୁର ହେବ?
JOB 36:20 ଯେଉଁ ରାତ୍ରିରେ ଗୋଷ୍ଠୀୟମାନେ ସ୍ୱ ସ୍ୱ ସ୍ଥାନରେ ଉଚ୍ଛିନ୍ନ ହୁଅନ୍ତି, ସେହି ରାତ୍ରି ବାଞ୍ଛା କର ନାହିଁ।
JOB 36:21 ସାବଧାନ, ଅଧର୍ମକୁ ଆଦର କର ନାହିଁ; କାରଣ ତୁମ୍ଭେ ଦୁଃଖଭୋଗ ଅପେକ୍ଷା ଏହା ହିଁ ମନୋନୀତ କରିଅଛ।
JOB 36:22 ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି?
JOB 36:23 କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ, ‘ତୁମ୍ଭେ ଅଧର୍ମ କରିଅଛ?’
JOB 36:24 ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି।
JOB 36:25 ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ।
JOB 36:26 ଦେଖ, ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ।
JOB 36:27 କାରଣ ସେ ଜଳବିନ୍ଦୁସବୁ ଆକର୍ଷଣ କରନ୍ତି, ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ।
JOB 36:28 ଆକାଶ ତାହା ଢାଳି ଦିଏ ଓ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ।
JOB 36:29 ମେଘମାଳର ପ୍ରସାରଣ ଓ ତାହାଙ୍କ ଚନ୍ଦ୍ରାତପର ଗର୍ଜ୍ଜନ କି କେହି ବୁଝିପାରେ?
JOB 36:30 ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ନିଜ ଦୀପ୍ତି ବିସ୍ତାର କରନ୍ତି; ପୁଣି, ସେ ସମୁଦ୍ରର ତଳଭାଗ ଆବୃତ କରନ୍ତି।
JOB 36:31 କାରଣ ସେ ଏସବୁ ଦ୍ୱାରା ଗୋଷ୍ଠୀବର୍ଗର ଶାସନ କରନ୍ତି; ସେ ବହୁଳ ପରିମାଣରେ ଆହାର ଦିଅନ୍ତି।
JOB 36:32 ସେ ବିଜୁଳିରେ ଆପଣା ହସ୍ତ ଆଚ୍ଛାଦନ କରନ୍ତି ଓ ଲକ୍ଷ୍ୟ ସ୍ଥଳ ଆଘାତ କରିବାକୁ ଆଜ୍ଞା ଦିଅନ୍ତି।
JOB 36:33 ତହିଁର ଶବ୍ଦ ତାହାଙ୍କ ବିଷୟରେ ପରିଚୟ ଦିଏ, ପଶୁପଲ ମଧ୍ୟ ଆଗାମୀ ତୋଫାନ ବିଷୟ ଜଣାନ୍ତି।
JOB 37:1 ଏଥିରେ ମଧ୍ୟ ମୋହର ହୃଦୟ କମ୍ପମାନ ହେଉଅଛି ଓ ସ୍ୱ ସ୍ଥାନରୁ ଅନ୍ତରିତ ହେଉଅଛି।
JOB 37:2 ତୁମ୍ଭେମାନେ ପରମେଶ୍ୱରଙ୍କ ରବର ଶବ୍ଦ ଓ ତାହାଙ୍କ ମୁଖନିର୍ଗତ ସ୍ୱର ଶୁଣ।
JOB 37:3 ସେ ତାହା ସମୁଦାୟ ଆକାଶର ଅଧଃସ୍ଥାନକୁ ଓ ଆପଣା ବିଜୁଳିକୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରେରଣ କରନ୍ତି।
JOB 37:4 ତହିଁ ପଛେ ଏକ ରବ ଗର୍ଜ୍ଜନ କରଇ, ସେ ଆପଣା ମହତ୍ତ୍ୱର ରବରେ ବଜ୍ରନାଦ କରନ୍ତି ଓ ତାହାଙ୍କ ରବ ଶୁଣାଗଲା ବେଳେ ସେ ତାହାସବୁ ନିବୃତ୍ତ କରନ୍ତି ନାହିଁ।
JOB 37:5 ପରମେଶ୍ୱର ଆପଣା ରବରେ ଆଶ୍ଚର୍ଯ୍ୟ ରୂପେ ଗର୍ଜ୍ଜନ କରନ୍ତି; ସେ ଆମ୍ଭମାନଙ୍କ ବୋଧର ଅଗମ୍ୟ ମହତ କାର୍ଯ୍ୟ କରନ୍ତି।
JOB 37:6 କାରଣ ସେ ହିମକୁ କହନ୍ତି, ତୁମ୍ଭେ ପୃଥିବୀରେ ପଡ଼; ସେ ସାମାନ୍ୟ ବୃଷ୍ଟିକୁ ଓ ଆପଣାର ପ୍ରବଳ ବୃଷ୍ଟିକୁ ସେହିପରି କହନ୍ତି।
JOB 37:7 ଯେପରି ତାହାଙ୍କର ସୃଷ୍ଟ ସମସ୍ତ ମନୁଷ୍ୟ ତାହା ଜାଣି ପାରିବେ, ଏଥିପାଇଁ ସେ ପ୍ରତ୍ୟେକ ମନୁଷ୍ୟର ହସ୍ତ ମୋହରାଙ୍କିତ କରନ୍ତି।
JOB 37:8 ସେତେବେଳେ ପଶୁମାନେ ଆଶ୍ରୟ ସ୍ଥାନକୁ ଯାʼନ୍ତି ଓ ଆପଣା ଆପଣା ଗହ୍ୱରରେ ରହନ୍ତି।
JOB 37:9 ଦକ୍ଷିଣସ୍ଥ ମଣ୍ଡଳରୁ ବତାସ ଆସେ ଓ ଉତ୍ତରରୁ ଶୀତ ଆସେ।
JOB 37:10 ପରମେଶ୍ୱରଙ୍କ ନିଶ୍ୱାସରେ ହିମାନୀ ଜନ୍ମେ ଓ ଜଳରାଶିର ବିସ୍ତୃତି ସଂକୀର୍ଣ୍ଣ ହୁଏ।
JOB 37:11 ଆହୁରି, ସେ ନିବିଡ଼ ମେଘକୁ ଆର୍ଦ୍ରତାରେ ପୂର୍ଣ୍ଣ କରନ୍ତି; ସେ ଆପଣା ବିଜୁଳିର ମେଘ ବିସ୍ତାର କରନ୍ତି।
JOB 37:12 ଆଉ, ସେ ଯାହା କିଛି ଆଜ୍ଞା କରନ୍ତି, ତାହା ବାସଯୋଗ୍ୟ ଭୂମଣ୍ଡଳରେ ସାଧନ କରିବା ପାଇଁ ତାହାଙ୍କ ଚାଳନ ଦ୍ୱାରା ତାହା ଘୂରେ।
JOB 37:13 ଦଣ୍ଡ ନିମନ୍ତେ, ବା ଆପଣା ଦେଶ ନିମନ୍ତେ, ଅଥବା ଦୟା ନିମନ୍ତେ ହେଉ, ସେ ତାହା ଘଟାନ୍ତି।
JOB 37:14 ହେ ଆୟୁବ, ଏଥିରେ କର୍ଣ୍ଣପାତ କର; ସ୍ଥିର ହୋଇ ଠିଆ ହୁଅ ଓ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକ୍ରିୟାସବୁ ବିବେଚନା କର।
JOB 37:15 ପରମେଶ୍ୱର କିପରି ସେମାନଙ୍କ ଉପରେ ଆପଣା ଆଜ୍ଞାଭାର ଥୁଅନ୍ତି ଓ ଆପଣା ମେଘର ବିଜୁଳିକୁ ଦୀପ୍ତିମାନ କରନ୍ତି, ଏହା କି ତୁମ୍ଭେ ଜାଣ?
JOB 37:16 ତୁମ୍ଭେ କି ମେଘମାଳର ସମତୌଲ, ପରମ ଜ୍ଞାନୀଙ୍କର ଆଶ୍ଚର୍ଯ୍ୟକ୍ରିୟାସବୁ ଜାଣ?
JOB 37:17 ଦକ୍ଷିଣ ବାୟୁ ସକାଶୁ ପୃଥିବୀ ସ୍ତବ୍ଧ ଥିବା ବେଳେ ତୁମ୍ଭର ବସ୍ତ୍ର କିପରି ଉଷ୍ଣ ହୁଏ?
JOB 37:18 ତୁମ୍ଭେ କି ଛାଞ୍ଚରେ ଢଳା ଦର୍ପଣ ପରି ଦୃଢ ଆକାଶମଣ୍ଡଳକୁ ତାହାଙ୍କ ସଙ୍ଗେ ବିସ୍ତାର କରିପାର?
JOB 37:19 ତାହାଙ୍କୁ କଅଣ କହିବା, ତାହା ଆମ୍ଭମାନଙ୍କୁ ଶିଖାଅ; କାରଣ ଅନ୍ଧକାର ସକାଶୁ ଆମ୍ଭେମାନେ ଆପଣା କଥା ସଜାଇ ପାରୁ ନାହୁଁ।
JOB 37:20 ମୁଁ କଥା କହିବାକୁ ଇଚ୍ଛା କରେ ବୋଲି କି ତାହାଙ୍କୁ କୁହାଯିବ? ଅବା କୌଣସି ମନୁଷ୍ୟ କି ଗ୍ରାସି ହୋଇ ଯିବାକୁ ଇଚ୍ଛା କରିବ?
JOB 37:21 ପୁଣି, ଏତେବେଳେ ଲୋକମାନେ ଆକାଶସ୍ଥ ତେଜସ୍କର ଦୀପ୍ତି ଦେଖନ୍ତି ନାହିଁ; ମାତ୍ର ବାୟୁ ବହି ତାହା ପରିଷ୍କାର କରେ।
JOB 37:22 ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ; ପରମେଶ୍ୱରଙ୍କଠାରେ ଭୟାନକ ମହତ୍ତ୍ୱ ଥାଏ।
JOB 37:23 ସର୍ବଶକ୍ତିମାନ ପରମେଶ୍ୱର! ଆମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇ ନ ପାରୁ; ସେ ପରାକ୍ରମରେ ଶ୍ରେଷ୍ଠ; ପୁଣି, ସେ ବିଚାର ଓ ପ୍ରଚୁର ନ୍ୟାୟଗୁଣ ହେତୁ କ୍ଳେଶ ଦେବେ ନାହିଁ।
JOB 37:24 ଏଣୁ ନରଗଣ ତାହାଙ୍କୁ ଭୟ କରନ୍ତି; ଯେଉଁମାନେ ଅନ୍ତଃକରଣରେ ଜ୍ଞାନୀ, ସେ ସେମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ।”
JOB 38:1 ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ,
JOB 38:2 “ଏ କିଏ ଯେ, ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି?
JOB 38:3 ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।
JOB 38:4 ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ।
JOB 38:5 ତୁମ୍ଭେ କି ଜାଣ, କିଏ ତହିଁର ପରିମାଣ ନିରୂପଣ କଲା? ଅବା କିଏ ତହିଁ ଉପରେ ପରିମାପକ ରଜ୍ଜୁ ପ୍ରସାରିଲା?
JOB 38:6 କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା? ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିବା ବେଳେ
JOB 38:7 ଓ ପରମେଶ୍ୱରଙ୍କ ଦୂତଗଣ ଆନନ୍ଦରେ ଜୟଧ୍ୱନି କରିବା ବେଳେ କିଏ ତହିଁର କୋଣ-ପ୍ରସ୍ତର ବସାଇଲା?
JOB 38:8 ଅବା ଯେତେବେଳେ ଗର୍ଭରୁ ନିର୍ଗତ ହେବା ତୁଲ୍ୟ ସମୁଦ୍ର ବାହାରିଲା, ଯେତେବେଳେ ଆମ୍ଭେ ମେଘକୁ ତହିଁର ବସ୍ତ୍ର ସ୍ୱରୂପ
JOB 38:9 ଓ ନିବିଡ଼ ଅନ୍ଧକାରକୁ ତହିଁର ଗୁଡ଼ାଇବା ବସ୍ତ୍ର ସ୍ୱରୂପ କଲୁ,
JOB 38:10 ପୁଣି ତହିଁ ନିମନ୍ତେ ଆମ୍ଭେ ଆପଣା ବିଧି ନିରୂପଣ କରି ଅର୍ଗଳ ଓ କବାଟ ସ୍ଥାପନ କଲୁ,
JOB 38:11 ‘ତୁମ୍ଭେ ଏପର୍ଯ୍ୟନ୍ତ ଆସିବ, ମାତ୍ର ଆଉ ବଢ଼ିବ ନାହିଁ ଓ ଏହିଠାରେ ତୁମ୍ଭର ଗର୍ବିତ ତରଙ୍ଗ ନିବାରିତ ହେବ ବୋଲି କହିଲୁ; ସେତେବେଳେ କିଏ କବାଟ ଦେଇ ସମୁଦ୍ରକୁ ରୁଦ୍ଧ କଲା?’
JOB 38:12 ଯେପରି ପ୍ରଭାତ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅବଲମ୍ବନ କରିବ ଓ ଦୁଷ୍ଟମାନେ ପୃଥିବୀରୁ ଝଡ଼ି ପଡ଼ିବେ;
JOB 38:13 ଏଥିପାଇଁ ତୁମ୍ଭେ କି ଆପଣା ଦିନର ଆରମ୍ଭଠାରୁ ପ୍ରଭାତକୁ ଆଜ୍ଞା ଦେଉଅଛ ଓ ଅରୁଣକୁ ତହିଁର ଉଦୟ ସ୍ଥାନ ଜଣାଇଅଛ?
JOB 38:14 ମୋହରାଙ୍କିତ ମୃତ୍ତିକା ତୁଲ୍ୟ ତାହା ରୂପାନ୍ତରିତ ହୁଏ; ଓ ସକଳ ପଦାର୍ଥ ବସ୍ତ୍ର ତୁଲ୍ୟ ଦେଖାଯାଏ;
JOB 38:15 ଦୁଷ୍ଟମାନଙ୍କଠାରୁ ସେମାନଙ୍କ ଦୀପ୍ତି ନିବାରିତ ହୁଏ ଓ ଉଚ୍ଚ ବାହୁ ଭଗ୍ନ ହୁଏ।
JOB 38:16 ତୁମ୍ଭେ କି ସମୁଦ୍ରର ଝର ପର୍ଯ୍ୟନ୍ତ ପ୍ରବେଶ କରିଅଛ? ଅବା ତୁମ୍ଭେ କି ବାରିଧିର ଗୁପ୍ତସ୍ଥଳୀମାନଙ୍କରେ ଗତାୟାତ କରିଅଛ?
JOB 38:17 ତୁମ୍ଭ ନିକଟରେ କି ମୃତ୍ୟୁର ଦ୍ୱାରସବୁ ପ୍ରକାଶିତ ହୋଇଅଛି? ଅବା ତୁମ୍ଭେ କି ମୃତ୍ୟୁୁଚ୍ଛାୟାର ଦ୍ୱାରସବୁ ଦେଖିଅଛ?
JOB 38:18 ତୁମ୍ଭେ କି ପୃଥିବୀର ବିସ୍ତୃତି ବୁଝିଅଛ? ଏସବୁ ଯଦି ଜାଣ, ପ୍ରକାଶ କର।
JOB 38:19 ଦୀପ୍ତିର ବାସସ୍ଥାନକୁ ପଥ କାହିଁ? ଓ ଅନ୍ଧକାରର ସ୍ଥାନ କେଉଁଠାରେ?
JOB 38:20 ତୁମ୍ଭେ କି ତହିଁର ସୀମାକୁ ତାହାକୁ ନେଇପାର? ଓ ତହିଁର ଗୃହ-ପଥ କି ଚିହ୍ନିପାର?
JOB 38:21 ସନ୍ଦେହ ନାହିଁ, ତୁମ୍ଭେ ଜାଣ, କାରଣ ସେତେବେଳେ ତୁମ୍ଭେ ଜନ୍ମ ହୋଇଥିଲ ଓ ତୁମ୍ଭ ଦିନର ସଂଖ୍ୟା ବହୁତ!
JOB 38:22 ତୁମ୍ଭେ ହିମ ଭଣ୍ଡାରରେ ପ୍ରବେଶ କରିଅଛ? ଅବା ଆମ୍ଭେ ସଙ୍କଟ କାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଯେଉଁ ଶିଳାବୃଷ୍ଟି ସଞ୍ଚୟ କରିଅଛୁ,
JOB 38:23 ତହିଁର ଭଣ୍ଡାର କି ତୁମ୍ଭେ ଦେଖିଅଛ?
JOB 38:24 କେଉଁ ପଥରେ ଦୀପ୍ତି ବିଭକ୍ତ ହୁଏ, ଅବା ପୂର୍ବୀୟ ବାୟୁ ପୃଥିବୀରେ ବ୍ୟାପ୍ତ ହୁଏ?
JOB 38:25 ଜଳପ୍ଳାବନ ନିମନ୍ତେ ପ୍ରଣାଳୀ ଓ ମେଘଗର୍ଜ୍ଜନର ବିଜୁଳି ନିମନ୍ତେ ପଥ କାଟି
JOB 38:26 କିଏ ପୃଥିବୀର ନିର୍ଜନ ସ୍ଥାନରେ ଓ ନରଶୂନ୍ୟ ପ୍ରାନ୍ତରରେ ବର୍ଷାଇବାକୁ,
JOB 38:27 ମରୁଭୂମି ଓ ଶୁଷ୍କସ୍ଥାନ ତୃପ୍ତ କରିବାକୁ ଓ କୋମଳ ତୃଣ ଅଙ୍କୁରିତ ହେବାକୁ ଦିଅନ୍ତି?
JOB 38:28 ବୃଷ୍ଟିର କି ପିତା ଅଛି? ଅବା କିଏ ଶିଶିର ବିନ୍ଦୁସବୁ ଜାତ କରିଅଛି?
JOB 38:29 କାହାର ଗର୍ଭରୁ ହିମାନୀ ନିର୍ଗତ ହୋଇଅଛି? ଓ କିଏ ଆକାଶର ତୁଷାରକୁ ଜନ୍ମ ଦେଇଅଛି?
JOB 38:30 ଜଳରାଶି ପ୍ରସ୍ତରାଚ୍ଛାଦିତ ହେଲା ପରି ହୁଏ ଓ ବାରିଧିର ଉପରଭାଗ ଜମାଟ ହୁଏ।
JOB 38:31 ତୁମ୍ଭେ କି କୃତ୍ତିକା-ନକ୍ଷତ୍ରପୁଞ୍ଜ ବାନ୍ଧିପାର? ଓ ମୃଗଶୀର୍ଷର ବନ୍ଧନ ଫିଟାଇପାର?
JOB 38:32 ତୁମ୍ଭେ କି ରାଶିଗଣକୁ ସ୍ୱ ସ୍ୱ ଋତୁରେ ଚଳାଇପାର? ଅବା ତୁମ୍ଭେ କି ସ୍ୱାତୀ ଓ ତହିଁର ସହଚରଗଣକୁ ପଥ ଦେଖାଇପାର?
JOB 38:33 ତୁମ୍ଭେ କି ଆକାଶମଣ୍ଡଳର ବିଧାନସବୁ ଜାଣ? ତୁମ୍ଭେ କି ପୃଥିବୀରେ ତହିଁର କର୍ତ୍ତୃତ୍ୱ ସ୍ଥାପନ କରିପାର?
JOB 38:34 ଯେପରି ଅପାର ଜଳ ତୁମ୍ଭକୁ ଆଚ୍ଛନ୍ନ କରି ପାରିବ, ଏଥିପାଇଁ ତୁମ୍ଭେ କି ମେଘ ପର୍ଯ୍ୟନ୍ତ ଆପଣା ରବ ଉଠାଇପାର?
JOB 38:35 ବିଜୁଳି ଯେପରି ଯିବେ ଓ ତୁମ୍ଭକୁ କହିବେ, ‘ଆମ୍ଭେମାନେ ଏଠାରେ ଅଛୁ,’ ଏଥିପାଇଁ କି ତୁମ୍ଭେ ସେମାନଙ୍କୁ ପଠାଇପାର?
JOB 38:36 କିଏ ଅନ୍ତରେ ଜ୍ଞାନ ସ୍ଥାପନ କରିଅଛି? ଅବା ମନକୁ କିଏ ବୁଦ୍ଧି ଦେଇଅଛି?
JOB 38:37 କିଏ ଜ୍ଞାନ ଦ୍ୱାରା ମେଘମାଳ ଗଣନା କରିପାରେ?
JOB 38:38 ଧୂଳି ରାଶୀକୃତ ହୋଇ ଟେଳା ବାନ୍ଧିବା ବେଳେ କିଏ ଆକାଶସ୍ଥ କୁମ୍ପାସବୁ ଢାଳି ଦେଇ ପାରେ?
JOB 38:39 ତୁମ୍ଭେ କି ସିଂହୀ ପାଇଁ ଶିକାର ଖୋଜିବ? ଅବା ଯୁବା ସିଂହମାନେ ଆପଣା ଆପଣା ଗୁହାରେ ଶୟନ କଲା ବେଳେ ଓ ଛକି ବସିବା ପାଇଁ ଗୁପ୍ତ ସ୍ଥାନରେ ଥିବା ବେଳେ
JOB 38:40 ତୁମ୍ଭେ କି ସେମାନଙ୍କ କ୍ଷୁଧା ନିବାରଣ କରିପାର?
JOB 38:41 ଡାମରା କାଉର ଛୁଆମାନେ ପରମେଶ୍ୱରଙ୍କ ନିକଟରେ ରାବ କରି ଖାଦ୍ୟ ଅଭାବରେ ଭ୍ରମଣ କଲା ବେଳେ କିଏ ତାହାକୁ ଆହାର ଯୋଗାଇ ଦିଏ?
JOB 39:1 ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବକାଳ ଜାଣ? ଅବା ହରିଣୀର ପ୍ରସବରୀତି ନିର୍ଣ୍ଣୟ କରିପାର?
JOB 39:2 ତୁମ୍ଭେ କି ସେମାନଙ୍କର ଗର୍ଭମାସ ଗଣନା କରିପାର? ସେମାନଙ୍କର ପ୍ରସବ-ସମୟ କି ତୁମ୍ଭେ ଜାଣ?
JOB 39:3 ସେମାନେ ନଇଁ ପଡ଼ିଲେ, ଛୁଆ ପ୍ରସବ କରି ଆପଣା ଦୁଃଖ ଦୂର କରନ୍ତି।
JOB 39:4 ସେମାନଙ୍କ ଛୁଆମାନେ ହୃଷ୍ଟପୁଷ୍ଟ ହୁଅନ୍ତି, ମେଲା ପଦାରେ ବଢ଼ନ୍ତି; ସେମାନେ ବାହାରିଯାଇ ଆସନ୍ତି ନାହିଁ।
JOB 39:5 କିଏ ବନ୍ୟ ଗର୍ଦ୍ଦଭକୁ ସ୍ୱାଧୀନ କରି ଛାଡ଼ି ଦେଇଅଛି? ଅବା କିଏ ବନ୍ୟ ଗର୍ଦ୍ଦଭର ବନ୍ଧନ ମୁକ୍ତ କରିଅଛି?
JOB 39:6 ଆମ୍ଭେ ବନକୁ ତାହାର ଗୃହ ଓ ଲବଣ ଭୂମିକୁ ତାହାର ନିବାସ ସ୍ଥାନ କରିଅଛୁ।
JOB 39:7 ସେ ନଗରର ଚହଳ ତୁଚ୍ଛ କରେ, କିଅବା ଅଡ଼ାଇବା ଲୋକର ଉଚ୍ଚ ଶବ୍ଦ ଶୁଣେ ନାହିଁ।
JOB 39:8 ପର୍ବତଶ୍ରେଣୀ ତାହାର ଚରାସ୍ଥାନ ଓ ସେ ସର୍ବପ୍ରକାର ସତେଜ ତୃଣାଦି ଅନ୍ଵେଷଣ କରେ।
JOB 39:9 ଅରଣା ଷଣ୍ଢ କି ତୁମ୍ଭର ସେବା କରିବାକୁ ସନ୍ତୁଷ୍ଟ ହେବ? ଅବା ସେ କି ତୁମ୍ଭ କୁଣ୍ଡ ପାଖରେ ରହିବ?
JOB 39:10 ତୁମ୍ଭେ କି ଅରଣା ଷଣ୍ଢକୁ ତାହାର ବନ୍ଧନରେ ବାନ୍ଧି ଲଙ୍ଗଳଶିଆରରେ ଚଳାଇପାର? ଅବା ସେ କି ତୁମ୍ଭ ପଛେ ପଛେ ଉପତ୍ୟକାରେ ମଇ ଦେବ?
JOB 39:11 ତାହାର ବହୁତ ବଳ ଥିବାରୁ ତୁମ୍ଭେ କି ତାହାକୁ ବିଶ୍ୱାସ କରିବ? ଅବା ତୁମ୍ଭେ କି ଆପଣା କର୍ମ ତାହାକୁ ସମର୍ପଣ କରିବ?
JOB 39:12 ସେ ତୁମ୍ଭ ଶସ୍ୟ ଗୃହକୁ ଆଣିବ ଓ ତୁମ୍ଭ ଖଳାର ଶସ୍ୟ ସଂଗ୍ରହ କରିବ ବୋଲି କି ତୁମ୍ଭେ ତାହାଠାରେ ନିର୍ଭର କରିବ?
JOB 39:13 ଓଟପକ୍ଷୀଣୀର ପକ୍ଷ ଉଲ୍ଲାସ କରେ; ମାତ୍ର ତାହାର ଡେଣା ଓ ପର କି ସ୍ନେହଶୀଳ?
JOB 39:14 କାରଣ ସେ ଭୂମିରେ ଆପଣା ଅଣ୍ଡା ଛାଡ଼େ ଓ ଧୂଳିରେ ତାହା ଉଷ୍ଣ କରେ,
JOB 39:15 ଆଉ ପାଦରେ ତାହା ଭଗ୍ନ ଅବା ବନ୍ୟ ପଶୁ ଦ୍ୱାରା ତାହା ଦଳିତ ହେବ ବୋଲି ପାସୋରି ଯାଏ।
JOB 39:16 ତାହାର ଛୁଆମାନେ ତାହାର ନିଜର ନ ଥିଲା ପରି ସେ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଏ; ତାହାର ପ୍ରସବବେଦନା ବିଫଳ ହେଲେ ହେଁ ସେ ନିଶ୍ଚିନ୍ତ ଥାଏ;
JOB 39:17 କାରଣ ପରମେଶ୍ୱର ତାହାକୁ ଜ୍ଞାନରହିତ କରିଅଛନ୍ତି, ଅଥବା ସେ ତାହାକୁ ବୁଦ୍ଧି ଦେଇ ନାହାନ୍ତି।
JOB 39:18 ସେ ଉପରକୁ ଉଠିଲେ, ଅଶ୍ୱ ଓ ଅଶ୍ୱାରୋହୀକି ପରିହାସ କରେ।
JOB 39:19 ତୁମ୍ଭେ କି ଅଶ୍ୱକୁ ତାହାର ବିକ୍ରମ ଦେଇଅଛ? ତୁମ୍ଭେ କି କମ୍ପମାନ କେଶରରେ ତାହାର ଗ୍ରୀବାଦେଶ ଭୂଷିତ କରିଅଛ?
JOB 39:20 ତୁମ୍ଭେ କି ତାହାକୁ ପଙ୍ଗପାଳ ପରି କୁଦିବାକୁ ଦେଇଅଛ? ତାହାର ନାସାଶବ୍ଦର ତେଜ ଭୟାନକ।
JOB 39:21 ସେ ଉପତ୍ୟକାରେ ଖୁରା ମାରେ ଓ ଆପଣା ବଳରେ ଆନନ୍ଦ କରନ୍ତେ ସେ ସସଜ୍ଜ ଯୋଦ୍ଧାମାନଙ୍କୁ ଭେଟିବାକୁ ଯାଏ।
JOB 39:22 ସେ ଭୟକୁ ପରିହାସ କରେ ଓ ଉଦ୍‍ବିଗ୍ନ ହୁଏ ନାହିଁ; କିଅବା ଖଡ୍ଗ ସମ୍ମୁଖରୁ ଫେରେ ନାହିଁ।
JOB 39:23 ତୂଣ, ଝଲମଲ ବର୍ଚ୍ଛା ଓ ଶୂଳ ତାହା ପ୍ରତିକୂଳରେ ଝନ୍‍ଝନ୍‍ ଶବ୍ଦ କରେ।
JOB 39:24 ସେ ପ୍ରଚଣ୍ଡତା ଓ କ୍ରୋଧରେ ଭୂମି ଗ୍ରାସି ପକାଏ; କିଅବା ଏହା ତୂରୀ ଶବ୍ଦ ବୋଲି ବିଶ୍ୱାସ କରେ ନାହିଁ।
JOB 39:25 ଯେତେ ଥର ତୂରୀ ବାଜେ, ସେତେଥର ସେ ହିଁ ହିଁ ଶବ୍ଦ କରେ! ଓ ସେ ଦୂରରୁ ସଂଗ୍ରାମର, ସେନାପତିମାନଙ୍କର ହୁଙ୍କାର ଓ ସିଂହନାଦର ଗନ୍ଧ ପାଏ।
JOB 39:26 ତୁମ୍ଭ ଜ୍ଞାନରେ କି ବାଜପକ୍ଷୀ ଉପରକୁ ଉଡ଼େ ଓ ଦକ୍ଷିଣ ଦିଗକୁ ଆପଣା ପକ୍ଷ ବିସ୍ତାର କରେ?
JOB 39:27 ଉତ୍କ୍ରୋଶ ପକ୍ଷୀ ତୁମ୍ଭ ଆଜ୍ଞାରେ କି ଉପରକୁ ଉଠେ ଓ ଊର୍ଦ୍ଧ୍ୱରେ ଆପଣା ବସା କରେ?
JOB 39:28 ସେ ଶୈଳରେ ବାସ କରେ, ସେଠାରେ ତାହାର ବସା, ସେ ଶୈଳାଗ୍ରରେ ଓ ଦୁର୍ଗମ ସ୍ଥାନରେ ଥାଏ।
JOB 39:29 ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ।
JOB 39:30 ତାହାର ଛୁଆମାନେ ମଧ୍ୟ ରକ୍ତ ଚୁଷନ୍ତି; ଯେଉଁଠାରେ ହତ ଲୋକ, ସେହିଠାରେ ସେ ଥାଏ।”
JOB 40:1 ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ,
JOB 40:2 “ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ।”
JOB 40:3 ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,
JOB 40:4 “ଦେଖ, ମୁଁ ଅକିଞ୍ଚନା; ତୁମ୍ଭକୁ କି ଉତ୍ତର ଦେବି? ମୁଁ ନିଜ ମୁଖରେ ଆପଣା ହାତ ଦିଏ।
JOB 40:5 ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇ ଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ।”
JOB 40:6 ଏଥିଉତ୍ତାରେ ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ,
JOB 40:7 “ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।
JOB 40:8 ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ?
JOB 40:9 ଅବା ତୁମ୍ଭର ବାହୁ କି ପରମେଶ୍ୱରଙ୍କ ବାହୁ ତୁଲ୍ୟ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର?
JOB 40:10 ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ୱରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର।
JOB 40:11 ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକୁ ଅନାଇ ତାହାକୁ ନତ କର।
JOB 40:12 ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ।
JOB 40:13 ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ ସେମାନଙ୍କ ମୁଖ ବାନ୍ଧି ପକାଅ।
JOB 40:14 ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ୱୀକାର କରିବା।
JOB 40:15 ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ।
JOB 40:16 ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ।
JOB 40:17 ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ।
JOB 40:18 ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି।
JOB 40:19 ସେ ପରମେଶ୍ୱରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ୍ଗ ତାହାକୁ ସ୍ପର୍ଶ କରିପାରେ।
JOB 40:20 ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି।
JOB 40:21 ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ।
JOB 40:22 ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶୀ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ।
JOB 40:23 ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ।
JOB 40:24 ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ? ଅବା ରଜ୍ଜୁ ଦ୍ୱାରା ତାହାର ନାସିକା ଫୋଡ଼ିବ?
JOB 41:1 ତୁମ୍ଭେ କି ବନଶୀ ଦ୍ୱାରା ଲିବିୟାଥନକୁ ଓଟାରି ପାର? ଅବା ରଜ୍ଜୁରେ ତାହାର ଜିହ୍ୱା ତଳକୁ ଚାପିପାର?
JOB 41:2 ତୁମ୍ଭେ କି ତାହାର ନାସାରେ ଦଉଡ଼ି ଦେଇ ପାର? ଅବା ଅଙ୍କୁଶରେ ତାହାର ଥୋମଣି ଫୋଡ଼ିପାର?
JOB 41:3 ସେ କି ତୁମ୍ଭ ନିକଟରେ ଅନେକ ବିନତି କରିବ? ଅବା ସେ କି ତୁମ୍ଭକୁ କୋମଳ କଥା କହିବ?
JOB 41:4 ତୁମ୍ଭେ ତାହାକୁ ଚିରକାଳ ଦାସ କରି ରଖିବା ପାଇଁ ସେ କି ତୁମ୍ଭ ସଙ୍ଗେ ନିୟମ କରିବ?
JOB 41:5 ପକ୍ଷୀ ସଙ୍ଗେ ଖେଳିଲା ପରି ତୁମ୍ଭେ କି ତାହା ସଙ୍ଗେ ଖେଳିବ? ଅବା ତୁମ୍ଭେ କି ଆପଣା ବାଳିକାମାନଙ୍କ ନିମନ୍ତେ ତାହାକୁ ବାନ୍ଧି ରଖିବ?
JOB 41:6 ମତ୍ସ୍ୟଧାରୀଦଳ କି ତାହାକୁ ବାଣିଜ୍ୟ ଦ୍ରବ୍ୟ କରିବେ? ସେମାନେ କି ବଣିକମାନଙ୍କ ମଧ୍ୟରେ ତାହାକୁ ଭାଗବିଭାଗ କରିବେ?
JOB 41:7 ତୁମ୍ଭେ କି ଲୌହ ଅଙ୍କୁଶରେ ତାହାର ଚର୍ମ, ଅବା ତେଣ୍ଟାରେ ତାହାର ମସ୍ତକ ବିନ୍ଧିପାର?
JOB 41:8 ତାହା ଉପରେ ତୁମ୍ଭେ ହସ୍ତକ୍ଷେପ କର; ଯୁଦ୍ଧ ସ୍ମରଣ କର, ପୁଣି ସେପରି ଆଉ କର ନାହିଁ।
JOB 41:9 ଦେଖ, ତାହା ବିଷୟକ ପ୍ରତ୍ୟାଶା ବୃଥା; କେହି ତାହାକୁ ଦେଖିବାମାତ୍ର କି ତଳେ ପଡ଼ିଯିବ ନାହିଁ?
JOB 41:10 ତାହାକୁ ଯେ ଜଗାଇବ, ଏପରି ସାହସିକ କେହି ନାହିଁ; ତେବେ ଆମ୍ଭ ସମ୍ମୁଖରେ କିଏ ଛିଡ଼ା ହୋଇପାରେ?
JOB 41:11 କିଏ ଆଗେ ଆମ୍ଭକୁ ଦେଇଅଛି ଯେ, ଆମ୍ଭେ ତାହାକୁ ପରିଶୋଧ କରିବା? ସମୁଦାୟ ଆକାଶମଣ୍ଡଳ ତଳେ ଯାହା କିଛି ଅଛି, ସବୁ ହିଁ ଆମ୍ଭର।
JOB 41:12 ତାହାର ଅଙ୍ଗପ୍ରତ୍ୟଙ୍ଗ, ଅବା ମହାପରାକ୍ରମ, ଅବା ତାହାର ସୁନ୍ଦର ଗଠନ ବିଷୟରେ ଆମ୍ଭେ ନୀରବ ରହିବା ନାହିଁ।
JOB 41:13 ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ?
JOB 41:14 କିଏ ତାହାର ମୁଖରୁ କବାଟ ଫିଟାଇପାରେ? ତାହାର ଦନ୍ତର ଚତୁର୍ଦ୍ଦିଗରେ ତ୍ରାସ ଥାଏ।
JOB 41:15 ତାହାର ଶକ୍ତ କାତିସବୁ ତାହାର ଦର୍ପର ବିଷୟ, ତାହା ଦୃଢ଼ ରୂପେ ମୋହରାଙ୍କିତ ହେଲା ପରି ଏକତ୍ର ବନ୍ଦ ହୋଇଅଛି।
JOB 41:16 ଏକଆରେକର ଏତେ ନିକଟ ଯେ, ବାୟୁ ତହିଁରେ ପ୍ରବେଶ କରିପାରେ ନାହିଁ।
JOB 41:17 ତାହାସବୁ ପରସ୍ପର ସଂଯୁକ୍ତ; ତାହାସବୁ ଏପରି ଏକତ୍ର ଲାଗି ରହିଅଛି ଯେ, ଭିନ୍ନ କରାଯାଇପାରେ ନାହିଁ।
JOB 41:18 ତାହାର ଛିଙ୍କରୁ ଆଲୁଅ ଝଟକେ ଓ ତାହାର ଚକ୍ଷୁ ଅରୁଣର ଚକ୍ଷୁପତା ସଦୃଶ।
JOB 41:19 ତାହାର ମୁଖରୁ ଜ୍ୱଳନ୍ତ ମଶାଲ ନିର୍ଗତ ହୁଏ ଓ ଅଗ୍ନିକଣା ଉଡ଼େ।
JOB 41:20 ଯେପରି ରନ୍ଧାହାଣ୍ଡିରୁ ଓ ଜ୍ୱଳନ୍ତ ତୃଣରୁ, ସେପରି ତାହାର ନାସାରନ୍ଧ୍ରରୁ ଧୂମ ନିର୍ଗତ ହୁଏ।
JOB 41:21 ତାହାର ନିଶ୍ୱାସ ଅଙ୍ଗାର ଜ୍ୱଳାଏ ଓ ତାହାର ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
JOB 41:22 ତାହାର ଗ୍ରୀବାରେ ଶକ୍ତି ଅବସ୍ଥିତି କରେ ଓ ତାହା ସମ୍ମୁଖରେ ତ୍ରାସ ନୃତ୍ୟ କରେ।
JOB 41:23 ତାହାର ମାଂସର ପରସ୍ତ ଏକତ୍ର ସଂଯୁକ୍ତ ଥାଏ; ତାହାସବୁ ତାହା ଉପରେ ଦୃଢ଼ବଦ୍ଧ ଥାଏ; ତାହାସବୁ ଘୁଞ୍ଚାଯାଇ ପାରେ ନାହିଁ।
JOB 41:24 ତାହାର ହୃଦୟ ପ୍ରସ୍ତର ପରି ଦୃଢ଼ ଓ ଚକିର ତଳପଟ ପରି ଦୃଢ଼।
JOB 41:25 ସେ ଉଠିଲେ, ବିକ୍ରମୀମାନେ ଭୟଗ୍ରସ୍ତ ହୁଅନ୍ତି; ଭୟ ସକାଶୁ ସେମାନେ ହତବୁଦ୍ଧି ହୁଅନ୍ତି।
JOB 41:26 କେହି ତାହା ଉପରେ ଖଡ୍ଗ ଲଗାଇଲେ, କିଛି ହୁଏ ନାହିଁ; ବର୍ଚ୍ଛା, ଶୂଳ କି ତୀକ୍ଷ୍ଣ ତୀର ବିଫଳ ହୁଏ।
JOB 41:27 ସେ ଲୁହାକୁ କୁଟା ପରି ଓ ପିତ୍ତଳକୁ ସଢ଼ା କାଠ କରି ଗଣେ।
JOB 41:28 ତୀର ତାହାକୁ ତଡ଼ାଇ ପାରେ ନାହିଁ ଓ ଛାଟିଣୀ ପଥର ତାହା ପ୍ରତି ନଡ଼ା ପରି ହୁଏ।
JOB 41:29 ଗଦା ତୃଣ ତୁଲ୍ୟ ଗଣିତ ହୁଏ; ବର୍ଚ୍ଛା ବଳରେ ଆସିବା ବେଳେ ସେ ହସେ।
JOB 41:30 ତାହାର ନିମ୍ନଭାଗ ତୀକ୍ଷ୍ଣ ଖପରା ପରି; ସେ କାଦୁଅ ଉପରେ କଣ୍ଟାର ମଇ ଚଳାଏ।
JOB 41:31 ସେ ଗଭୀର ଜଳକୁ ହାଣ୍ଡି ଜଳ ପରି ଫୁଟାଏ; ସେ ସମୁଦ୍ରକୁ ଲେପ ପରି କରେ।
JOB 41:32 ସେ ଆପଣା ପଛେ ପଛେ ପଥ ଉଜ୍ଜ୍ୱଳ କରେ; କେହି ମନେ କରିପାରେ, ଜଳଧି ପକ୍ୱକେଶ ହେଲା;
JOB 41:33 ପୃଥିବୀରେ ତାହା ପରି ଭୟରହିତ ହୋଇ କେହି ସୃଷ୍ଟ ହୋଇ ନାହିଁ।
JOB 41:34 ସେ ସକଳ ଉଚ୍ଚ ବିଷୟ ଦେଖେ, ସେ ଯାବତୀୟ ଗର୍ବର ସନ୍ତାନଗଣ ଉପରେ ରାଜା ଅଟେ।”
JOB 42:1 ଏଥିଉତ୍ତାରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,
JOB 42:2 “ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ।
JOB 42:3 ‘ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ?’ ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି।
JOB 42:4 ବିନୟ କରୁଅଛି, ‘ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ।’
JOB 42:5 ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି,
JOB 42:6 ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି।”
JOB 42:7 ସଦାପ୍ରଭୁ ଆୟୁବକୁ ଏହିସବୁ କଥା କହିଲା ଉତ୍ତାରେ, ସଦାପ୍ରଭୁ ତୈମନୀୟ ଇଲୀଫସ୍‍କୁ କହିଲେ, “ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି; କାରଣ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।
JOB 42:8 ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।”
JOB 42:9 ତହିଁରେ ତୈମନୀୟ ଇଲୀଫସ୍‍ ଓ ଶୂହୀୟ ବିଲ୍‍ଦଦ୍‍ ଓ ନାମାଥୀୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ଗ୍ରାହ୍ୟ କଲେ।
JOB 42:10 ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ।
JOB 42:11 ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ।
JOB 42:12 ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ।
JOB 42:13 ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ।
JOB 42:14 ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍ସୀୟା ଓ ତୃତୀୟାର ନାମ କେରଣ-ହପ୍‍ପୁକ୍‍ ଦେଲା।
JOB 42:15 ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା।
JOB 42:16 ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା।
JOB 42:17 ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।
PSA 1:1 ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ,
PSA 1:2 ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ।
PSA 1:3 ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ।
PSA 1:4 ଦୁଷ୍ଟମାନେ ସେପ୍ରକାର ନୁହନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି।
PSA 1:5 ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ।
PSA 1:6 କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।
PSA 2:1 ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡ଼ଯନ୍ତ୍ର କରନ୍ତି?
PSA 2:2 ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି,
PSA 2:3 “ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ।”
PSA 2:4 ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
PSA 2:5 ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ;
PSA 2:6 “ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।”
PSA 2:7 ମୁଁ ସେହି ବିଧାନ ପ୍ରଚାର କରିବି; ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର; ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।
PSA 2:8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
PSA 2:9 ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।”
PSA 2:10 ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର।
PSA 2:11 ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର।
PSA 2:12 ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେସମସ୍ତେ ଧନ୍ୟ।
PSA 3:1 ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ। ହେ ସଦାପ୍ରଭୋ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି। ମୋʼ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ।
PSA 3:2 ଅନେକେ ମୋʼ ପ୍ରାଣ ବିଷୟରେ କହନ୍ତି, ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପରିତ୍ରାଣ ନାହିଁ। [ସେଲା]
PSA 3:3 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ; ମୋହର ଗୌରବ ଓ ମୋʼ ମସ୍ତକ ଉଠାଇବା କର୍ତ୍ତା ଅଟ।
PSA 3:4 ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [ସେଲା]
PSA 3:5 ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।
PSA 3:6 ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।
PSA 3:7 ହେ ସଦାପ୍ରଭୋ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର। କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ; ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।
PSA 3:8 ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର; ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। [ସେଲା]
PSA 4:1 ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋହର ଧର୍ମସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ; ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ।
PSA 4:2 ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ କରିବ? [ସେଲା]
PSA 4:3 ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ ପୃଥକ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ।
PSA 4:4 ଭୀତ ହୁଅ ଓ ପାପ କର ନାହିଁ; ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। [ସେଲା]
PSA 4:5 ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
PSA 4:6 ଅନେକେ କହନ୍ତି, “କିଏ ଆମ୍ଭମାନଙ୍କୁ ମଙ୍ଗଳ ଦେଖାଇବ?” ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ ପ୍ରକାଶ କର।
PSA 4:7 ତୁମ୍ଭେ ମୋʼ ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ ଅପେକ୍ଷା ଅଧିକ।
PSA 4:8 ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ ହେ ସଦାପ୍ରଭୋ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ।
PSA 5:1 ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୋʼ ବାକ୍ୟରେ କର୍ଣ୍ଣ ଦିଅ, ମୋହର କାକୂକ୍ତି ବିବେଚନା କର।
PSA 5:2 ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ।
PSA 5:3 ହେ ସଦାପ୍ରଭୋ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି।
PSA 5:4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ; ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ।
PSA 5:5 ଅହଙ୍କାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ; ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ।
PSA 5:6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।
PSA 5:7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି; ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି।
PSA 5:8 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣ ସକାଶୁ ତୁମ୍ଭେ ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ; ମୋʼ ସମ୍ମୁଖରେ ତୁମ୍ଭର ପଥ ସରଳ କର।
PSA 5:9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।
PSA 5:10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର; ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ; ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।
PSA 5:11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ; ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।
PSA 5:12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୋ, ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।
PSA 6:1 ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ।
PSA 6:2 ହେ ସଦାପ୍ରଭୋ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି; ହେ ସଦାପ୍ରଭୋ, ମୋତେ ସୁସ୍ଥ କର; କାରଣ ମୋʼ ର ଅସ୍ଥିସବୁ ବ୍ୟାକୁଳ ହେଉଅଛି।
PSA 6:3 ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି; ପୁଣି, ତୁମ୍ଭେ, ହେ ସଦାପ୍ରଭୋ, ଆଉ କେତେ କାଳ?
PSA 6:4 ହେ ସଦାପ୍ରଭୋ, ଫେର, ମୋʼ ପ୍ରାଣକୁ ଉଦ୍ଧାର କର; ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର।
PSA 6:5 କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ; ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ?
PSA 6:6 ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି; ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ, ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ।
PSA 6:7 ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ; ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ।
PSA 6:8 ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ; କାରଣ ସଦାପ୍ରଭୁ ମୋʼ ରୋଦନର ରବ ଶୁଣିଅଛନ୍ତି।
PSA 6:9 ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି; ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ।
PSA 6:10 ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ; ସେମାନେ ଫେରିଯିବେ, ସେମାନେ ହଠାତ୍‍ ଲଜ୍ଜିତ ହେବେ।
PSA 7:1 ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ। ହେ ସଦାପ୍ରଭୋ ମୋʼ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,
PSA 7:2 ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।
PSA 7:3 ହେ ସଦାପ୍ରଭୋ ମୋହର ପରମେଶ୍ୱର, ଯଦି ମୁଁ ଏହା କରିଥାଏ, ଯଦି ମୋʼ ହସ୍ତରେ ଅଧର୍ମ ଥାଏ;
PSA 7:4 ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି);
PSA 7:5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି, ମୋʼ ଗୌରବକୁ ଧୂଳିସାତ୍‍ କରୁ। [ସେଲା]
PSA 7:6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟବିଚାର କର।
PSA 7:7 ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର।
PSA 7:8 ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।
PSA 7:9 ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।
PSA 7:10 ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି।
PSA 7:11 ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।
PSA 7:12 ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ୍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି।
PSA 7:13 ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।
PSA 7:14 ଦେଖ, ସେ ଅଧର୍ମରୂପ ପ୍ରସବବେଦନାରେ ଆକ୍ରାନ୍ତ ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।
PSA 7:15 ସେ କୂପ ଖୋଳି ଗଭୀର କରିଅଛି, ପୁଣି, ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି।
PSA 7:16 ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।
PSA 7:17 ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।
PSA 8:1 ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଆମ୍ଭମାନଙ୍କର ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ।
PSA 8:2 ତୁମ୍ଭେ ଶତ୍ରୁ ଓ ପ୍ରତିହିଂସକକୁ ଦମନ କରିବା ପାଇଁ ଆପଣା ବିପକ୍ଷଗଣ ସକାଶୁ ଶିଶୁ ଓ ଦୁଗ୍ଧପୋଷ୍ୟମାନଙ୍କ ମୁଖରୁ ପରାକ୍ରମ ପ୍ରତିପନ୍ନ କରିଅଛ।
PSA 8:3 ମୁଁ ତୁମ୍ଭ ଅଙ୍ଗୁଳିକୃତ ତୁମ୍ଭ ଆକାଶମଣ୍ଡଳ, ତୁମ୍ଭର ନିରୂପିତ ଚନ୍ଦ୍ର ଓ ନକ୍ଷତ୍ରଗଣକୁ ବିବେଚନା କଲେ (କହେ,)
PSA 8:4 ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ? ଓ ମାନବଜାତି କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ?
PSA 8:5 ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ।
PSA 8:6 ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ;
PSA 8:7 ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ;
PSA 8:8 ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ।
PSA 8:9 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ।
PSA 9:1 ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ। ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି।
PSA 9:2 ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି; ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 9:3 ମୋହର ଶତ୍ରୁମାନେ ଫେରିଯିବା ବେଳେ ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି।
PSA 9:4 କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ; ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ।
PSA 9:5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ, ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ।
PSA 9:6 ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି, ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି; ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି।
PSA 9:7 ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ; ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି।
PSA 9:8 ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ, ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ।
PSA 9:9 ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ। ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ;
PSA 9:10 ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ; କାରଣ ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।
PSA 9:11 ସିୟୋନ ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର; ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର।
PSA 9:12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି; ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।
PSA 9:13 ହେ ସଦାପ୍ରଭୋ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା, ମୋʼ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର।
PSA 9:14 ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି। ସିୟୋନ କନ୍ୟାର ନଗର-ଦ୍ୱାରରେ ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।
PSA 9:15 ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି; ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି।
PSA 9:16 ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି; ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି। [ହିଗାୟୋନ୍‍, ସେଲା]
PSA 9:17 ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେମାନେ ସମସ୍ତେ ପାତାଳକୁ ଚାଲିଯିବେ।
PSA 9:18 କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ।
PSA 9:19 ହେ ସଦାପ୍ରଭୋ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ; ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ।
PSA 9:20 ହେ ସଦାପ୍ରଭୋ, ସେମାନଙ୍କୁ ଭୟଗ୍ରସ୍ତ କର; ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। [ସେଲା]
PSA 10:1 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ? ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ?
PSA 10:2 ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ; ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ।
PSA 10:3 କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।
PSA 10:4 ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ, ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର।
PSA 10:5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।
PSA 10:6 ସେ ଆପଣା ମନେ ମନେ କହେ, “ମୋʼ ପ୍ରତି କିଛି ବିପଦ ଘଟିବ ନାହିଁ; ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି।”
PSA 10:7 ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ; ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ।
PSA 10:8 ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ; ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ; ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ।
PSA 10:9 ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ, ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ; ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ।
PSA 10:10 ସେ ଛକି ବସେ, ସେ ନଇଁ ପଡ଼େ, ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି।
PSA 10:11 ସେ ଆପଣା ମନେ ମନେ କହେ, “ପରମେଶ୍ୱର ପାସୋରି ଯାଇଅଛନ୍ତି; ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ।”
PSA 10:12 ହେ ସଦାପ୍ରଭୋ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ; ଦୁଃଖୀମାନଙ୍କୁ ପାସୋର ନାହିଁ।
PSA 10:13 ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ ଓ “ତୁମ୍ଭେ ଅନୁସନ୍ଧାନ କରିବ ନାହିଁ” ବୋଲି ସେ ଆପଣା ମନେ ମନେ କହେ?
PSA 10:14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ।
PSA 10:15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗିଦିଅ; ଆଉ, ତୁମ୍ଭେ ମନ୍ଦ ଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।
PSA 10:16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।
PSA 10:17 ହେ ସଦାପ୍ରଭୋ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;
PSA 10:18 ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।
PSA 11:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
PSA 11:2 କାରଣ ଦେଖ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।
PSA 11:3 ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କʼଣ କରି ପାରିବ?
PSA 11:4 ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ।
PSA 11:5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
PSA 11:6 ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।
PSA 11:7 କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।
PSA 12:1 ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।
PSA 12:2 ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି। ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।
PSA 12:3 ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;
PSA 12:4 ସେମାନେ କହନ୍ତି, “ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?”
PSA 12:5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।”
PSA 12:6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।
PSA 12:7 ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।
PSA 12:8 ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।
PSA 13:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ପର୍ଯ୍ୟନ୍ତ ମୋତେ ପାସୋରିବ? ତୁମ୍ଭେ କେତେ କାଳ ମୋʼ ଠାରୁ ଆପଣା ମୁଖ ଲୁଚାଇବ?
PSA 13:2 ମୁଁ ସାରାଦିନ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବି? କେତେ କାଳ ମୋʼ ଶତ୍ରୁ ମୋʼ ଉପରେ ଉଚ୍ଚୀକୃତ ହେବ?
PSA 13:3 ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ବିବେଚନା କର ଓ ମୋତେ ଉତ୍ତର ଦିଅ; ମୋହର ଚକ୍ଷୁ ସତେଜ କର, ନୋହିଲେ ମୁଁ ମୃତ୍ୟୁୁ-ନିଦ୍ରାରେ ନିଦ୍ରାଗତ ହେବି;
PSA 13:4 କେଜାଣି ମୋʼ ଶତ୍ରୁ କହିବ, “ମୁଁ ତାହାକୁ ଜୟ କରିଅଛି,” ଆଉ, ମୁଁ ଘୁଞ୍ଚାଗଲେ, ମୋହର ବିପକ୍ଷଗଣ ଉଲ୍ଲାସ କରିବେ।
PSA 13:5 ମାତ୍ର ମୁଁ ତୁମ୍ଭ ଦୟାରେ ଭରସା ରଖିଅଛି; ତୁମ୍ଭ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ;
PSA 13:6 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି।
PSA 14:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୂଢ଼ ମନେ ମନେ କହିଅଛି, “ପରମେଶ୍ୱର ନାହାନ୍ତି।” ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସୁକର୍ମକାରୀ କେହି ନାହିଁ।
PSA 14:2 ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି।
PSA 14:3 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।
PSA 14:4 ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ମୋʼ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।
PSA 14:5 ସେଠାରେ ସେମାନେ ମହାଭୟଗ୍ରସ୍ତ ହୋଇଥିଲେ; କାରଣ ପରମେଶ୍ୱର ଧାର୍ମିକ-ବଂଶ ମଧ୍ୟରେ ଅଛନ୍ତି।
PSA 14:6 ତୁମ୍ଭେମାନେ ଦୁଃଖୀର ମନ୍ତ୍ରଣାକୁ ଲଜ୍ଜାର ବିଷୟ କରୁଅଛ, ମାତ୍ର ସଦାପ୍ରଭୁ ତାହାର ଆଶ୍ରୟ ଅଟନ୍ତି।
PSA 14:7 ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହେଉ! ଯଦି ସଦାପ୍ରଭୁ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣନ୍ତି ତେବେ ଯାକୁବ ଉଲ୍ଲାସ କରିବ ଓ ଇସ୍ରାଏଲ ଆନନ୍ଦିତ ହେବ।
PSA 15:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭ ଆବାସରେ କିଏ ପ୍ରବାସ କରି ପାରିବ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରି ପାରିବ?
PSA 15:2 ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା ଅନ୍ତଃକରଣରେ ସତ୍ୟ କହେ।
PSA 15:3 ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ।
PSA 15:4 ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ।
PSA 15:5 ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚା ଯିବ ନାହିଁ।
PSA 16:1 ଦାଉଦଙ୍କର ମିକ୍ତାମ୍‍ (ଗୀତରତ୍ନ।) ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ।
PSA 16:2 ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।”
PSA 16:3 ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ।
PSA 16:4 ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିଅବା ମୁଁ ସେମାନଙ୍କ ଦେବତାଗଣର ନାମ ଆପଣା ଓଷ୍ଠାଧରରେ ନେବି ନାହିଁ।
PSA 16:5 ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ।
PSA 16:6 ମୋʼ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି।
PSA 16:7 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ।
PSA 16:8 ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।
PSA 16:9 ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋʼ ଶରୀର ମଧ୍ୟ ନିରାପଦରେ ବାସ କରିବ।
PSA 16:10 କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ।
PSA 16:11 ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।
PSA 17:1 ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୋ, ନ୍ୟାୟବାଦ ଶୁଣ, ମୋʼ କାକୂକ୍ତିରେ ମନୋଯୋଗ କର; ନିଷ୍କପଟ ଓଷ୍ଠରୁ ନିର୍ଗତ ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର।
PSA 17:2 ତୁମ୍ଭ ଛାମୁରୁ ମୋʼ ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ।
PSA 17:3 ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ; ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ; ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।
PSA 17:4 ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି।
PSA 17:5 ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସି ଯାଇ ନାହିଁ।
PSA 17:6 ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋʼ ପ୍ରତି କର୍ଣ୍ଣ ଡେର ଓ ମୋʼ ର କଥା ଶୁଣ।
PSA 17:7 ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।
PSA 17:8 ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,
PSA 17:9 ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।
PSA 17:10 ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି।
PSA 17:11 ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍‍ କରିବାକୁ ଚାହିଁ ରହିଥାʼନ୍ତି।
PSA 17:12 ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ।
PSA 17:13 ହେ ସଦାପ୍ରଭୋ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ୍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋʼ ପ୍ରାଣକୁ ଉଦ୍ଧାର କର;
PSA 17:14 ହେ ସଦାପ୍ରଭୋ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହ-ଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର; ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯାʼନ୍ତି।
PSA 17:15 ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।
PSA 18:1 ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ, ହେ ମୋହର ବଳ ସ୍ୱରୂପ ସଦାପ୍ରଭୋ, ମୁଁ ତୁମ୍ଭଙ୍କୁ ପ୍ରେମ କରେ।
PSA 18:2 ସଦାପ୍ରଭୁ ମୋହର ଶୈଳ, ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି; ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ।
PSA 18:3 ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ନିସ୍ତାର ପାଇବି।
PSA 18:4 ମୃତ୍ୟୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପାଧମତାରୂପ ପ୍ଲାବନ ମୋତେ ଭୟଗ୍ରସ୍ତ କଲା।
PSA 18:5 ପାତାଳର ରଜ୍ଜୁସବୁ ମୋʼ ଚାରିଆଡ଼େ ଥିଲା; ମୃତ୍ୟୁର ଫାନ୍ଦ ମୋʼ ଉପରେ ପଡ଼ିଲା।
PSA 18:6 ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋʼ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି, ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।
PSA 18:7 ସେତେବେଳେ ପୃଥିବୀ ଟଳଟଳ ଓ କମ୍ପିତ ହେଲା, ପର୍ବତଗଣର ଭିତ୍ତିମୂଳ ମଧ୍ୟ ବିଚଳିତ ହେଲା ଓ ତାହାଙ୍କ କୋପ ସକାଶୁ ଟଳଟଳ ହେଲା।
PSA 18:8 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।
PSA 18:9 ସେ ଆକାଶମଣ୍ଡଳକୁ ହିଁ ନୁଆଁଇ ତଳକୁ ଆସିଲେ; ଆଉ, ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା।
PSA 18:10 ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।
PSA 18:11 ସେ ଅନ୍ଧକାରକୁ ଆପଣାର ଗୁପ୍ତ ସ୍ଥାନ ଓ ଜଳମୟ ଅନ୍ଧକାରକୁ, ଗଗନମଣ୍ଡଳର ନିବିଡ଼ ମେଘମାଳକୁ ଆପଣା ଚତୁର୍ଦ୍ଦିଗରେ ଆବାସ ସ୍ୱରୂପ କଲେ।
PSA 18:12 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ନିର୍ଗତ କଲା।
PSA 18:13 ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।
PSA 18:14 ଆଉ, ସେ ଆପଣା ତୀର ପ୍ରେରଣ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ହଁ, ଅନେକ ବିଜୁଳି ପଠାଇ ସେମାନଙ୍କୁ ବ୍ୟାକୁଳ କଲେ।
PSA 18:15 ସେତେବେଳେ, ହେ ସଦାପ୍ରଭୋ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସ ବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।
PSA 18:16 ସେ ଊର୍ଦ୍ଧ୍ୱରୁ ହସ୍ତ ବିସ୍ତାର କରି ମୋତେ ଧରିଲେ; ସେ ଆପଣା ଜଳରାଶିରୁ ମୋତେ ଓଟାରି ଆଣିଲେ,
PSA 18:17 ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ଉଦ୍ଧାର କଲେ, କାରଣ ସେମାନେ ମୋʼ ଅପେକ୍ଷା ଅତି ପରାକ୍ରାନ୍ତ ଥିଲେ।
PSA 18:18 ସେମାନେ ମୋହର ବିପଦ ଦିନରେ ମୋତେ ଆକ୍ରମଣ କଲେ; ମାତ୍ର ସଦାପ୍ରଭୁ ମୋତେ ଉଦ୍ଧାର କଲେ।
PSA 18:19 ମଧ୍ୟ ସେ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋʼ ଠାରେ ସନ୍ତୁଷ୍ଟ ହେବାରୁ ମୋତେ ଉଦ୍ଧାର କଲେ।
PSA 18:20 ସଦାପ୍ରଭୁ ମୋହର ଧର୍ମାନୁସାରେ ମୋତେ ପୁରସ୍କାର ଦେଲେ; ମୋʼ ହସ୍ତର ଶୌଚ ଅନୁସାରେ ସେ ମୋତେ ଫଳ ଦେଲେ।
PSA 18:21 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।
PSA 18:22 ଆଉ, ତାହାଙ୍କ ଶାସନସବୁ ମୋʼ ସମ୍ମୁଖରେ ଥିଲା, ପୁଣି, ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ।
PSA 18:23 ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।
PSA 18:24 ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋʼ ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇଅଛନ୍ତି।
PSA 18:25 ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ; ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ;
PSA 18:26 ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ। ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ;
PSA 18:27 କାରଣ ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।
PSA 18:28 ଯେଣୁ ତୁମ୍ଭେ ମୋʼ ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋʼ ପରମେଶ୍ୱର ମୋʼ ଅନ୍ଧକାରକୁ ଆଲୁଅମୟ କରିବେ।
PSA 18:29 କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋʼ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ।
PSA 18:30 ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।
PSA 18:31 କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ?
PSA 18:32 ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।
PSA 18:33 ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋʼ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
PSA 18:34 ସେ ମୋʼ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋʼ ବାହୁ ପିତ୍ତଳ ଧନୁ ନୁଆଁଏ।
PSA 18:35 ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
PSA 18:36 ତୁମ୍ଭେ ମୋʼ ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋʼ ପାଦ ଖସି ଯାଇ ନାହିଁ।
PSA 18:37 ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବା ଯାଏ ମୁଁ ଫେରି ଆସିବି ନାହିଁ।
PSA 18:38 ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋʼ ପଦ ତଳେ ପତିତ ହେବେ।
PSA 18:39 କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋʼ କଟି ବାନ୍ଧିଅଛ; ମୋʼ ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ।
PSA 18:40 ମଧ୍ୟ ତୁମ୍ଭେ ମୋʼ ଶତ୍ରୁମାନଙ୍କୁ ମୋʼ ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି।
PSA 18:41 ସେମାନେ ଡାକ ପକାଇଲେ, ମାତ୍ର ଉଦ୍ଧାର କରିବାକୁ କେହି ନ ଥିଲା, ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
PSA 18:42 ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି।
PSA 18:43 ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।
PSA 18:44 ସେମାନେ ମୋର ବିଷୟ ଶୁଣିବାମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ।
PSA 18:45 ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିବେ।
PSA 18:46 ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।
PSA 18:47 ସେହି ପରମେଶ୍ୱର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି।
PSA 18:48 ସେ ମୋʼ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ।
PSA 18:49 ଏହେତୁ, ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।
PSA 18:50 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି ଓ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ପ୍ରତି ଓ ତାହାର ବଂଶ ପ୍ରତି ଅନନ୍ତକାଳ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରନ୍ତି।
PSA 19:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।
PSA 19:2 ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ।
PSA 19:3 କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ।
PSA 19:4 ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,
PSA 19:5 ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ।
PSA 19:6 ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ; ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ।
PSA 19:7 ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ
PSA 19:8 ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ; ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ।
PSA 19:9 ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ। ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ।
PSA 19:10 ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ; ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।
PSA 19:11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ; ତହିଁର ପ୍ରତିପାଳନରେ ମହାଫଳ ଥାଏ।
PSA 19:12 ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।
PSA 19:13 ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ; ତାହାସବୁ ମୋʼ ଉପରେ କର୍ତ୍ତୃତ୍ୱ ନ କରୁ; ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି।
PSA 19:14 ହେ ସଦାପ୍ରଭୋ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋʼ ମୁଖର ବାକ୍ୟ ଓ ମୋʼ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ।
PSA 20:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ;
PSA 20:2 ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;
PSA 20:3 ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; [ସେଲା]
PSA 20:4 ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ।
PSA 20:5 ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ।
PSA 20:6 ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତଙ୍କୁ ଉଦ୍ଧାର କରନ୍ତି, ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।
PSA 20:7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।
PSA 20:8 ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ।
PSA 20:9 ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ।
PSA 21:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ ତୁମ୍ଭ ପରିତ୍ରାଣରେ ସେ କେଡ଼େ ମହାନନ୍ଦ କରିବେ!
PSA 21:2 ତୁମ୍ଭେ ତାଙ୍କୁ ତାଙ୍କ ମନର ବାଞ୍ଛା ପ୍ରଦାନ କରିଅଛ, ଓ ତାଙ୍କ ମୁଖର ନିବେଦନ ଅସ୍ୱୀକାର କରି ନାହଁ। [ସେଲା]
PSA 21:3 କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କର ସମ୍ମୁଖବର୍ତ୍ତୀ ହେଉଅଛ; ତୁମ୍ଭେ ତାଙ୍କ ମସ୍ତକରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଦେଉଅଛ।
PSA 21:4 ସେ ତୁମ୍ଭ ନିକଟରେ ଜୀବନ ପ୍ରାର୍ଥନା କଲେ, ତୁମ୍ଭେ ତାହା ତାଙ୍କୁ ଦେଲ; ଆହୁରି, ଅନନ୍ତକାଳସ୍ଥାୟୀ ଦୀର୍ଘାୟୁ ଦାନ କଲ।
PSA 21:5 ତୁମ୍ଭ କୃତ ପରିତ୍ରାଣରେ ତାଙ୍କର ମହାଗୌରବ ହୋଇଅଛି; ତୁମ୍ଭେ ତାଙ୍କ ଉପରେ ସମ୍ଭ୍ରମ ଓ ପ୍ରତାପ ଅର୍ପଣ କରୁଅଛ;
PSA 21:6 କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।
PSA 21:7 କାରଣ ରାଜା ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି, ପୁଣି, ସର୍ବୋପରିସ୍ଥଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁରୁ ସେ ବିଚଳିତ ନୋହିବେ।
PSA 21:8 ତୁମ୍ଭ ହସ୍ତ ତୁମ୍ଭ ଶତ୍ରୁ ସମସ୍ତଙ୍କୁ ଧରିବ; ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭର ଘୃଣାକାରୀମାନଙ୍କୁ ଧରିବ।
PSA 21:9 ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କୁ ପ୍ରଜ୍ୱଳିତ ଭାଟି ତୁଲ୍ୟ କରିବ। ସଦାପ୍ରଭୁ ଆପଣା କୋପରେ ସେମାନଙ୍କୁ ଗ୍ରାସ କରିବେ, ପୁଣି, ଅଗ୍ନି ସେମାନଙ୍କୁ ଭକ୍ଷଣ କରିବ।
PSA 21:10 ତୁମ୍ଭେ ପୃଥିବୀରୁ ସେମାନଙ୍କର ଫଳ ଓ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ବଂଶ ଲୋପ କରିବ।
PSA 21:11 କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରିପାରନ୍ତି ନାହିଁ।
PSA 21:12 ତୁମ୍ଭେ ସେମାନଙ୍କର ପୃଷ୍ଠ ଫେରାଇବ, ତୁମ୍ଭେ ସେମାନଙ୍କ ମୁଖ ବିରୁଦ୍ଧରେ ଆପଣା ଧନୁର୍ଗୁଣ ସଜ୍ଜିତ କରିବ।
PSA 21:13 ହେ ସଦାପ୍ରଭୋ, ନିଜ ବଳରେ ଉନ୍ନତ ହୁଅ; ତହିଁରେ ଆମ୍ଭେମାନେ ତୁମ୍ଭ ପରାକ୍ରମର ଗାନ ଓ ପ୍ରଶଂସା କରିବା।
PSA 22:1 ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍‍-ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ। ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ?
PSA 22:2 ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ, ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ।
PSA 22:3 ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍, ତୁମ୍ଭେ ପବିତ୍ର ଅଟ।
PSA 22:4 ଆମ୍ଭମାନଙ୍କ ପୂର୍ବପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ; ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ।
PSA 22:5 ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ।
PSA 22:6 ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ।
PSA 22:7 ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି; ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି,
PSA 22:8 “ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; ସେ ତାହାକୁ ଉଦ୍ଧାର କରନ୍ତୁ; ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।”
PSA 22:9 ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ।
PSA 22:10 ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ।
PSA 22:11 ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ।
PSA 22:12 ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; ବାଶନ ଦେଶର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି।
PSA 22:13 ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ ମୋʼ ପ୍ରତି ମୁଖ ମେଲାଇ ଅଛନ୍ତି।
PSA 22:14 ମୁଁ ଜଳ ପରି ଢଳା ହେଉଅଛି ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି। ମୋହର ହୃଦୟ ମହମ ପରି ହୋଇଅଛି; ତାହା ମୋʼ ଅନ୍ତ୍ର ମଧ୍ୟରେ ତରଳି ଯାଏ।
PSA 22:15 ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି; ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି, ତୁମ୍ଭେ ମୋହର ମୃତ୍ୟୁର ଧୂଳି କି ଆଣିଅଛ।
PSA 22:16 କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି; ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି।
PSA 22:17 ମୁଁ ଆପଣା ଅସ୍ଥିସବୁ ଗଣିପାରେ; ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି।
PSA 22:18 ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି।
PSA 22:19 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ।
PSA 22:20 ଖଡ୍ଗରୁ ମୋʼ ପ୍ରାଣକୁ ଓ କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର।
PSA 22:21 ସିଂହର ମୁଖରୁ ମୋତେ ନିସ୍ତାର କର; ହଁ, ଅରଣା ଷଣ୍ଢର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ।
PSA 22:22 ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି।
PSA 22:23 ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ।
PSA 22:24 କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି। କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ।
PSA 22:25 ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସାଭୂମି; ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି।
PSA 22:26 ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ।
PSA 22:27 ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ।
PSA 22:28 କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି।
PSA 22:29 ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ; ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ।
PSA 22:30 ଏକ ବଂଶ ତାହାଙ୍କର ସେବା କରିବେ; ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ।
PSA 22:31 ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି।
PSA 23:1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ।
PSA 23:2 ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।
PSA 23:3 ସେ ମୋʼ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି।
PSA 23:4 ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।
PSA 23:5 ତୁମ୍ଭେ ମୋʼ ଶତ୍ରୁଗଣଙ୍କ ସାକ୍ଷାତରେ ମୋʼ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ; ମୋʼ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି।
PSA 23:6 ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।
PSA 24:1 ଦାଉଦଙ୍କର ଗୀତ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।
PSA 24:2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।
PSA 24:3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?
PSA 24:4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।
PSA 24:5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।
PSA 24:6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। [ସେଲା]
PSA 24:7 ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
PSA 24:8 ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ।
PSA 24:9 ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
PSA 24:10 ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। [ସେଲା]
PSA 25:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।
PSA 25:2 ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ।
PSA 25:3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।
PSA 25:4 ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।
PSA 25:5 ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।
PSA 25:6 ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। କାରଣ ତାହା ଅନାଦିକାଳୀନ।
PSA 25:7 ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।
PSA 25:8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।
PSA 25:9 ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।
PSA 25:10 ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।
PSA 25:11 ହେ ସଦାପ୍ରଭୋ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।
PSA 25:12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।
PSA 25:13 ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ।
PSA 25:14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।
PSA 25:15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।
PSA 25:16 ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।
PSA 25:17 ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।
PSA 25:18 ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର।
PSA 25:19 ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।
PSA 25:20 ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।
PSA 25:21 ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମ୍ଭର ଅନୁସରଣ କରେ।
PSA 25:22 ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର।
PSA 26:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି।
PSA 26:2 ହେ ସଦାପ୍ରଭୋ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର।
PSA 26:3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋʼ ଦୃଷ୍ଟିଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି।
PSA 26:4 ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ।
PSA 26:5 ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ।
PSA 26:6 ହେ ସଦାପ୍ରଭୋ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି,
PSA 26:7 ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି।
PSA 26:8 ହେ ସଦାପ୍ରଭୋ, ମୁଁ ତୁମ୍ଭର ନିବାସ-ଗୃହକୁ ଓ ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ।
PSA 26:9 ପାପୀମାନଙ୍କ ସଙ୍ଗେ ମୋʼ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋʼ ଜୀବନକୁ ସଂଗ୍ରହ କର ନାହିଁ।
PSA 26:10 ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ।
PSA 26:11 ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; ମୋତେ ମୁକ୍ତ କର ଓ ମୋʼ ପ୍ରତି ସଦୟ ହୁଅ।
PSA 26:12 ମୋʼ ଚରଣ ସମଭୂମିରେ ଠିଆ ହେଉଅଛି; ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି।
PSA 27:1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋʼ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି?
PSA 27:2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।
PSA 27:3 ସୈନ୍ୟଦଳ ମୋʼ ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ; ଯଦି ଯୁଦ୍ଧ ମୋʼ ବିରୁଦ୍ଧରେ ଉଠେ, ତେବେ ମଧ୍ୟ ମୁଁ ସାହସିକ ହେବି।
PSA 27:4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି।
PSA 27:5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ।
PSA 27:6 ଏଣୁ ଏବେ ମୋʼ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 27:7 ହେ ସଦାପ୍ରଭୋ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; ମୋʼ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ।
PSA 27:8 ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,” ମୋʼ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୋ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।”
PSA 27:9 ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।
PSA 27:10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।
PSA 27:11 ହେ ସଦାପ୍ରଭୋ, ମୋହର ଶତ୍ରୁଗଣ ସକାଶୁ ମୋତେ ତୁମ୍ଭର ମାର୍ଗ ଶିଖାଅ; ଓ ସରଳ ପଥରେ ମୋତେ କଢ଼ାଇ ନିଅ।
PSA 27:12 ମୋʼ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ; କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ ମାରିବା ଲୋକେ ମୋʼ ବିରୁଦ୍ଧରେ ଉଠିଅଛନ୍ତି।
PSA 27:13 ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି।
PSA 27:14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।
PSA 28:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; ହେ ମୋହର ଶୈଳ, ମୋʼ ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋʼ ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି।
PSA 28:2 ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ, ତୁମ୍ଭ ମହାପବିତ୍ର ସ୍ଥାନ ଆଡ଼େ ଆପଣା ହସ୍ତ ଟେକିବା ବେଳେ, ମୋʼ ନିବେଦନର ରବ ଶ୍ରବଣ କର।
PSA 28:3 ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ।
PSA 28:4 ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।
PSA 28:5 ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ।
PSA 28:6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ସେ ମୋʼ ନିବେଦନର ରବ ଶୁଣିଅଛନ୍ତି।
PSA 28:7 ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋʼ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।
PSA 28:8 ସଦାପ୍ରଭୁ ସେମାନଙ୍କର ବଳ ଓ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି।
PSA 28:9 ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।
PSA 29:1 ଦାଉଦଙ୍କର ଗୀତ। ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର।
PSA 29:2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର।
PSA 29:3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ।
PSA 29:4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।
PSA 29:5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; ହଁ, ସଦାପ୍ରଭୁ ଲିବାନୋନର ଏରସ ବୃକ୍ଷସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି।
PSA 29:6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି।
PSA 29:7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ।
PSA 29:8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି।
PSA 29:9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ “ଗୌରବ, ଗୌରବ” ବୋଲି କହନ୍ତି।
PSA 29:10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି।
PSA 29:11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।
PSA 30:1 ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ।
PSA 30:2 ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।
PSA 30:3 ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।
PSA 30:4 ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।
PSA 30:5 କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।
PSA 30:6 ମୁଁ ଆପଣା ସମୃଦ୍ଧି ସମୟରେ କହିଲି, ମୁଁ କେବେ ବିଚଳିତ ନୋହିବି।
PSA 30:7 ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି।
PSA 30:8 ହେ ସଦାପ୍ରଭୋ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି।
PSA 30:9 ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ? ଧୂଳି କି ତୁମ୍ଭର ପ୍ରଶଂସା କରିବ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ?
PSA 30:10 ହେ ସଦାପ୍ରଭୋ, ଶୁଣ ଓ ମୋʼ ପ୍ରତି ଦୟା କର; ସଦାପ୍ରଭୋ, ତୁମ୍ଭେ ମୋହର ସହାୟ ହୁଅ।
PSA 30:11 ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;
PSA 30:12 ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।
PSA 31:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ; ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର।
PSA 31:2 ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର; ତୁମ୍ଭେ ମୋʼ ପ୍ରତି ଦୃଢ଼ ଶୈଳ, ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ।
PSA 31:3 କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ; ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।
PSA 31:4 ସେମାନେ ଗୋପନରେ ମୋʼ ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର; କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ।
PSA 31:5 ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ; ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।
PSA 31:6 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ; ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।
PSA 31:7 ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି; କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ; ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋʼ ପ୍ରାଣର ତତ୍ତ୍ୱ ନେଇଅଛ।
PSA 31:8 ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ; ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।
PSA 31:9 ହେ ସଦାପ୍ରଭୋ, ମୋʼ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ; ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।
PSA 31:10 କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ ମୋହର ବର୍ଷ ବହି ଯାଉଅଛି; ମୋʼ ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛି ଓ ମୋର ଅସ୍ଥିସବୁ କ୍ଷୟ ପାଉଅଛି।
PSA 31:11 ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ ଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି, ମୋତେ ବାହାରେ ଦେଖିଲା ଲୋକମାନେ ମୋʼ ନିକଟରୁ ପଳାଇଲେ।
PSA 31:12 ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି; ମୁଁ ଭଗ୍ନ ପାତ୍ର ସଦୃଶ।
PSA 31:13 କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା; ସେମାନେ ମୋʼ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ ମୋʼ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।
PSA 31:14 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନିଏ; ମୁଁ କହେ, “ତୁମ୍ଭେ ମୋହର ପରମେଶ୍ୱର।”
PSA 31:15 ମୋହର ସମୟ ସବୁ ତୁମ୍ଭର ହସ୍ତଗତ; ମୋʼ ଶତ୍ରୁଗଣ ହସ୍ତରୁ ଓ ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।
PSA 31:16 ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର; ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।
PSA 31:17 ହେ ସଦାପ୍ରଭୋ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି; ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।
PSA 31:18 ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ, ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।
PSA 31:19 ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ, ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ, ତାହା କିପରି ମହତ୍!
PSA 31:20 ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ; ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।
PSA 31:21 ସଦାପ୍ରଭୁ ଧନ୍ୟ ହେଉନ୍ତୁ; କାରଣ ସେ ଦୃଢ଼ ନଗରରେ ମୋʼ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।
PSA 31:22 ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି ଆପଣା ଅଧୈର୍ଯ୍ୟରେ କହିଥିଲି; ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋʼ ନିବେଦନର ରବ ଶୁଣିଲ।
PSA 31:23 ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର; ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।
PSA 31:24 ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।
PSA 32:1 ଦାଉଦଙ୍କ ଗୀତ। ଯାହାର ଅପରାଧ କ୍ଷମା, ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ।
PSA 32:2 ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ।
PSA 32:3 ମୁଁ ମୌନ ହୋଇଥିବା ବେଳେ ଦିନସାରା ଆର୍ତ୍ତନାଦ କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା।
PSA 32:4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋʼ ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। [ସେଲା]
PSA 32:5 ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। [ସେଲା]
PSA 32:6 ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍‍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ; ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ।
PSA 32:7 ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ; ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ। [ସେଲା]
PSA 32:8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।
PSA 32:9 ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ; ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।
PSA 32:10 ଦୁଷ୍ଟକୁ ଅନେକ ଦୁଃଖ ଘଟିବ; ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ, ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ।
PSA 32:11 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ; ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।
PSA 33:1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
PSA 33:2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।
PSA 33:3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର।
PSA 33:4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ।
PSA 33:5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;
PSA 33:6 ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।
PSA 33:7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି।
PSA 33:8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।
PSA 33:9 ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା।
PSA 33:10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି।
PSA 33:11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।
PSA 33:12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।
PSA 33:13 ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି;
PSA 33:14 ସେ ଆପଣା ନିବାସ-ସ୍ଥାନରୁ ପୃଥିବୀନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;
PSA 33:15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି।
PSA 33:16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।
PSA 33:17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।
PSA 33:18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି,
PSA 33:19 ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।
PSA 33:20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ।
PSA 33:21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ।
PSA 33:22 ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।
PSA 34:1 ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୋʼ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ।
PSA 34:2 ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ; ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ।
PSA 34:3 ଆହେ, ମୋʼ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର, ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।
PSA 34:4 ମୁଁ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଓ ସେ ମୋତେ ଉତ୍ତର ଦେଲେ, ପୁଣି, ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ।
PSA 34:5 ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ ହେଲେ; ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ।
PSA 34:6 ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ।
PSA 34:7 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।
PSA 34:8 ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ; ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ।
PSA 34:9 ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର; କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ।
PSA 34:10 ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ; ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।
PSA 34:11 ହେ ବାଳକମାନେ, ଆସ, ମୋʼ କଥା ଶୁଣ; ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି।
PSA 34:12 ଯେ ଜୀବନ ବାଞ୍ଛା କରେ ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ?
PSA 34:13 ତୁମ୍ଭେ ହିଂସାରୁ ଆପଣା ଜିହ୍ୱା ଓ ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର।
PSA 34:14 ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
PSA 34:15 ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି।
PSA 34:16 ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ।
PSA 34:17 ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ।
PSA 34:18 ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।
PSA 34:19 ଧାର୍ମିକର ବିପଦ ଅନେକ; ମାତ୍ର ସେହିସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି।
PSA 34:20 ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି; ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ।
PSA 34:21 ଦୁଷ୍ଟତା ଦୁଷ୍ଟକୁ ସଂହାର କରିବ; ଧାର୍ମିକର ଘୃଣାକାରୀ ଦୋଷୀକୃତ ହେବ।
PSA 34:22 ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି; ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।
PSA 35:1 ଦାଉଦଙ୍କର ଗୀତ। ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର। ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ଯୁଦ୍ଧ କର।
PSA 35:2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ।
PSA 35:3 ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ।
PSA 35:4 ମୋʼ ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟ ଚିନ୍ତକମାନେ ବିମୁଖ ଓ ବିବ୍ରତ ହେଉନ୍ତୁ।
PSA 35:5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ।
PSA 35:6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ।
PSA 35:7 ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳିଅଛନ୍ତି।
PSA 35:8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।
PSA 35:9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ।
PSA 35:10 ମୋହର ଅସ୍ଥିସକଳ କହିବ, “ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ।”
PSA 35:11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁଅଛନ୍ତି।
PSA 35:12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ।
PSA 35:13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି ପୁଣି, ମୋହର ପ୍ରାର୍ଥନାର ଉତ୍ତର ମୋତେ ମିଳିଲା ନାହିଁ।
PSA 35:14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି।
PSA 35:15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷାନ୍ତ ନୋହିଲେ;
PSA 35:16 ଭୋଜରେ ପାଷାଣ୍ଡ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦନ୍ତ ଘର୍ଷଣ କଲେ।
PSA 35:17 ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ୱଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର ଆତ୍ମାକୁ ରକ୍ଷା କର।
PSA 35:18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
PSA 35:19 ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ। କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ।
PSA 35:20 ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତ ଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି।
PSA 35:21 ହଁ, ସେମାନେ ମୋʼ ବିରୁଦ୍ଧରେ କଥା କହିଲେ; ସେମାନେ କହିଲେ, “ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି।”
PSA 35:22 ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।
PSA 35:23 ହେ ମୋହର ପରମେଶ୍ୱର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ।
PSA 35:24 ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ।
PSA 35:25 “ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା,” ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; “ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ” ବୋଲି ସେମାନେ ନ କହନ୍ତୁ।
PSA 35:26 ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ।
PSA 35:27 ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ।
PSA 35:28 ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ।
PSA 36:1 ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ଦୁଷ୍ଟର ଅପରାଧ ମୋʼ ହୃଦୟ ମଧ୍ୟରେ କହେ, ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।
PSA 36:2 କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।
PSA 36:3 ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର; ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
PSA 36:4 ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ; ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ; ସେ ମନ୍ଦତା ଘୃଣା କରେ ନାହିଁ।
PSA 36:5 ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ; ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ।
PSA 36:6 ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ; ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ; ହେ ସଦାପ୍ରଭୋ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।
PSA 36:7 ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ! ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
PSA 36:8 ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ; ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
PSA 36:9 କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
PSA 36:10 ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।
PSA 36:11 ଅହଙ୍କାରୀର ଚରଣ ମୋʼ ବିରୁଦ୍ଧରେ ନ ଆସୁ ଓ ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।
PSA 36:12 ହେଇ, ଅଧର୍ମାଚାରୀମାନେ ପତିତ ହେଲେ; ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।
PSA 37:1 ଦାଉଦଙ୍କର ଗୀତ। ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ, କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ।
PSA 37:2 କାରଣ ସେମାନେ ଘାସ ପରି ଶୀଘ୍ର କଟାଯିବେ ଓ କୋମଳ ତୃଣ ପରି ଶୁଷ୍କ ହେବେ।
PSA 37:3 ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।
PSA 37:4 ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।
PSA 37:5 ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର; ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ।
PSA 37:6 ଆଉ, ସେ ଦୀପ୍ତି ତୁଲ୍ୟ ତୁମ୍ଭର ଧର୍ମ ଓ ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ।
PSA 37:7 ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ; ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ।
PSA 37:8 କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।
PSA 37:9 କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ।
PSA 37:10 ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟ ଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ।
PSA 37:11 ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ।
PSA 37:12 ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ।
PSA 37:13 ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।
PSA 37:14 ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି।
PSA 37:15 ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।
PSA 37:16 ଅନେକ ଦୁଷ୍ଟ ଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।
PSA 37:17 କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ ଧାର୍ମିକକୁ ଧରି ରଖିବେ।
PSA 37:18 ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ।
PSA 37:19 ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ; ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।
PSA 37:20 ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ; ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ ନିଃଶେଷିତ ହୋଇଯିବେ।
PSA 37:21 ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ। ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ।
PSA 37:22 କାରଣ ତାହାଙ୍କର ଆଶୀର୍ବାଦ ପ୍ରାପ୍ତ ଲୋକେ ଦେଶାଧିକାର କରିବେ; ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ
PSA 37:23 ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି।
PSA 37:24 ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ; କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି।
PSA 37:25 ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ।
PSA 37:26 ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।
PSA 37:27 ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।
PSA 37:28 କାରଣ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଆନ୍ତି ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ; ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି; ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ।
PSA 37:29 ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ।
PSA 37:30 ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ।
PSA 37:31 ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି; ତାହାର କୌଣସି ପାଦଗତି ଖସିଯିବ ନାହିଁ।
PSA 37:32 ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ।
PSA 37:33 ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ; କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ।
PSA 37:34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ ରକ୍ଷା କର, ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ କରିବେ; ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା ଦେଖିବ।
PSA 37:35 ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି।
PSA 37:36 ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ ନ ଥିଲା; ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ।
PSA 37:37 ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ ନିରୀକ୍ଷଣ କର; କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।
PSA 37:38 ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ ହେବେ; ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ।
PSA 37:39 ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ ହୁଏ; ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି।
PSA 37:40 ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି; ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ କରନ୍ତି, କାରଣ ସେମାନେ ତାହାଙ୍କର ଶରଣାଗତ।
PSA 38:1 ଦାଉଦଙ୍କର ଗୀତ, ସ୍ମରଣୋପାୟ। ହେ ସଦାପ୍ରଭୋ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ; କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ।
PSA 38:2 କାରଣ ତୁମ୍ଭର ତୀରସବୁ ମୋʼ ଠାରେ ବିଦ୍ଧ ରହିଅଛି ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି।
PSA 38:3 ତୁମ୍ଭ କୋପ ସକାଶୁ ମୋʼ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ; ପୁଣି, ମୋʼ ପାପ ସକାଶୁ ମୋʼ ଅସ୍ଥିରେ କିଛି ଆରାମ ନାହିଁ।
PSA 38:4 କାରଣ ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ।
PSA 38:5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି।
PSA 38:6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ।
PSA 38:7 କାରଣ ମୋʼ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ।
PSA 38:8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି।
PSA 38:9 ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ।
PSA 38:10 ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋʼ ଠାରୁ ଗଲାଣି।
PSA 38:11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋʼ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି।
PSA 38:12 ମଧ୍ୟ ଯେଉଁମାନେ ମୋʼ ପ୍ରାଣ ଚାହାନ୍ତି, ସେମାନେ ମୋʼ ପାଇଁ ଫାନ୍ଦ ପାତନ୍ତି; ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି, ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି।
PSA 38:13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ; ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ।
PSA 38:14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ, ଏପରି ଲୋକ ତୁଲ୍ୟ ହୁଏ।
PSA 38:15 କାରଣ ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଭରସା ରଖେ; ହେ ପ୍ରଭୋ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ।
PSA 38:16 କାରଣ ମୁଁ କହିଲି, “କେଜାଣି ମୋହର ଶତ୍ରୁମାନେ ମୋʼ ଉପରେ ଆନନ୍ଦ କରିବେ; ମୋʼ ପାଦ ଖସିଗଲା ବେଳେ ସେମାନେ ମୋʼ ପ୍ରତିକୂଳରେ ଦର୍ପ କରନ୍ତି।”
PSA 38:17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋହର ଦୁଃଖ ସର୍ବଦା ମୋʼ ସମ୍ମୁଖରେ ଥାଏ।
PSA 38:18 ମୁଁ ଆପଣା ଅପରାଧ ପ୍ରକାଶ କରିବି; ମୁଁ ଆପଣା ପାପ ଲାଗି ଖେଦିତ ହେବି।
PSA 38:19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ; ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି।
PSA 38:20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ।
PSA 38:21 ହେ ସଦାପ୍ରଭୋ, ମୋତେ ପରିତ୍ୟାଗ କର ନାହିଁ; ହେ ମୋହର ପରମେଶ୍ୱର, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।
PSA 38:22 ହେ ପ୍ରଭୋ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।
PSA 39:1 ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍‍ ପାଇଁ ଦାଉଦଙ୍କର ଗୀତ। ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି।”
PSA 39:2 ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ ନିବୃତ୍ତ ରହିଲି; ତହିଁରେ ମୋହର ଦୁଃଖ ପ୍ରବଳ ହେଲା;
PSA 39:3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି; ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି; ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;
PSA 39:4 “ହେ ସଦାପ୍ରଭୋ, ମୋହର ଅନ୍ତିମକାଳ ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ; ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।
PSA 39:5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। [ସେଲା]
PSA 39:6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ।
PSA 39:7 ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।
PSA 39:8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।
PSA 39:9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ।
PSA 39:10 ମୋʼ ଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।
PSA 39:11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର। [ସେଲା]
PSA 39:12 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ; ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।
PSA 39:13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋʼ ଠାରୁ ଦୃଷ୍ଟି ଫେରାଅ।”
PSA 40:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।
PSA 40:2 ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ।
PSA 40:3 ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।
PSA 40:4 ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି, ଅହଙ୍କାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ।
PSA 40:5 ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭର କୃତ ଆଶ୍ଚର୍ଯ୍ୟକର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ।
PSA 40:6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।
PSA 40:7 ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।
PSA 40:8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।”
PSA 40:9 ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।
PSA 40:10 ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ; ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।
PSA 40:11 ହେ ସଦାପ୍ରଭୋ, ତୁମ୍ଭେ ମୋʼ ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।
PSA 40:12 କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋʼ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି।
PSA 40:13 ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୋ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ।
PSA 40:14 ମୋʼ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ।
PSA 40:15 ଯେଉଁମାନେ ମୋତେ “ହଁ ହଁ” ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।
PSA 40:16 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, “ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।”
PSA 40:17 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋʼ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ।
PSA 41:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।
PSA 41:2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ ପୃଥିବୀରେ ଆଶୀର୍ବାଦ ପ୍ରାପ୍ତ ହେବ; ପୁଣି, ସଦାପ୍ରଭୁ ତାହାକୁ ତାହାର ଶତ୍ରୁଗଣର ଇଚ୍ଛାରେ ସମର୍ପଣ କରିବେ ନାହିଁ।
PSA 41:3 ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ; ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର।
PSA 41:4 ମୁଁ କହିଲି, “ହେ ସଦାପ୍ରଭୋ, ମୋʼ ପ୍ରତି ଦୟା କର; ମୋʼ ପ୍ରାଣକୁ ସୁସ୍ଥ କର; କାରଣ ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି।”
PSA 41:5 ମୋହର ଶତ୍ରୁଗଣ ମୋʼ ବିରୁଦ୍ଧରେ ହିଂସାର କଥା କହି ବୁଲନ୍ତି, “ସେ କେବେ ମରିବ ଓ ତାହାର ନାମ ଲୁପ୍ତ ହେବ?”
PSA 41:6 ପୁଣି ସେ ଯଦି ମୋତେ ଦେଖିବାକୁ ଆସେ, ସେ କହେ; ତାହାର ହୃଦୟ ଆପଣା ପାଇଁ ଅଧର୍ମ ସଞ୍ଚୟ କରେ; ସେ ବାହାରେ ଯାଇ ତାହା କହି ବୁଲେ।
PSA 41:7 ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋʼ ବିରୁଦ୍ଧରେ ଫୁସ୍‍ ଫୁସ୍‍ କରନ୍ତି; ସେମାନେ ମୋʼ ବିପକ୍ଷରେ ଅନିଷ୍ଟ କଳ୍ପନା କରନ୍ତି।
PSA 41:8 ସେମାନେ କହନ୍ତି, କୌଣସି ମନ୍ଦ ବ୍ୟାଧି ତାହାଠାରେ ଲାଗି ରହିଅଛି; ଏବେ ସେ ପଡ଼ିଅଛି, ଆଉ ଉଠିବ ନାହିଁ।
PSA 41:9 ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି, ଯେ ମୋହର ରୁଟି ଖାଇଲା, ସେ ଆମ୍ଭ ବିରୁଦ୍ଧରେ ଆପଣା ଗୋଇଠି ଉଠାଇଅଛି।
PSA 41:10 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ପ୍ରତି ଦୟା କରି ମୋତେ ଉଠାଅ, ତହିଁରେ ମୁଁ ସେମାନଙ୍କୁ ପ୍ରତିଫଳ ଦେବି।
PSA 41:11 ମୋହର ଶତ୍ରୁ ମୋʼ ଉପରେ ଜୟଧ୍ୱନି କରୁ ନାହିଁ, ଏଥିସକାଶୁ ମୁଁ ଜାଣେ ଯେ, ତୁମ୍ଭେ ମୋʼ ଠାରେ ସନ୍ତୁଷ୍ଟ ଅଛ।
PSA 41:12 ତୁମ୍ଭେ ମୋʼ ସରଳତାରେ ମୋତେ ଧରି ରଖୁଅଛ।
PSA 41:13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍‍, ଆମେନ୍‍।
PSA 42:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍‍ (ପ୍ରବୋଧନ)। ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ।
PSA 42:2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି?
PSA 42:3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?”
PSA 42:4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି।
PSA 42:5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? ତୁ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛୁ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି।
PSA 42:6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋʼ ଅନ୍ତରରେ ଶୋକାକୁଳ ହେଉଅଛି; ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ ମିତ୍‍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି।
PSA 42:7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପରେ ଯାଇଅଛି।
PSA 42:8 ତଥାପି ସଦାପ୍ରଭୁ ଦିନ ବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ।
PSA 42:9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, “ତୁମ୍ଭେ କାହିଁକି ମୋତେ ପାସୋରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି ବୁଲୁଅଛି?”
PSA 42:10 ମୋʼ ଅସ୍ଥିରେ ଖଡ୍ଗ ପରି ମୋʼ ବିପକ୍ଷଗଣ ମୋତେ ତିରସ୍କାର କରନ୍ତି; କାରଣ ସେମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ୱର କାହାନ୍ତି?
PSA 42:11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ପୁଣି, ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।
PSA 43:1 ହେ ପରମେଶ୍ୱର, ମୋହର ବିଚାର କର ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର; ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର।
PSA 43:2 କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର ଅଟ; ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି?
PSA 43:3 ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ।
PSA 43:4 ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ ବୀଣା ଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
PSA 43:5 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ଓ ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି।
PSA 44:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେ ତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
PSA 44:2 ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ୱହସ୍ତରେ ତଡ଼ିଦେଇ ସେମାନଙ୍କୁ ରୋପଣ କରିଥିଲ; ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ।
PSA 44:3 କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।
PSA 44:4 ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା ଅଟ; ପୁଣି ତୁମ୍ଭେ ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ଦିଅ।
PSA 44:5 ତୁମ୍ଭ ଦ୍ୱାରା ଆମ୍ଭେମାନେ ବିପକ୍ଷଗଣକୁ ତଳେ ପକାଇବା; ତୁମ୍ଭ ନାମ ଦ୍ୱାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ଦଳି ପକାଇବା।
PSA 44:6 ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ, କିଅବା ମୋʼ ଖଡ୍ଗ ମୋତେ ଉଦ୍ଧାର କରିବ ନାହିଁ।
PSA 44:7 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ ଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ।
PSA 44:8 ଆମ୍ଭେମାନେ ସାରାଦିନ ପରମେଶ୍ୱରଙ୍କଠାରେ ଦର୍ପ କରିଅଛୁ ଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା। [ସେଲା]
PSA 44:9 ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ ଓ ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ; ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁ ନାହଁ।
PSA 44:10 ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ ଦେଉଅଛ ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ ଆମ୍ଭମାନଙ୍କୁ ଲୁଣ୍ଠନ କରୁଅଛନ୍ତି।
PSA 44:11 ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।
PSA 44:12 ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ।
PSA 44:13 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।
PSA 44:14 ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର ବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ।
PSA 44:15 ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, ଶତ୍ରୁ ଓ ପ୍ରତିହିଂସକ ସକାଶୁ,
PSA 44:16 ସାରାଦିନ ମୋʼ ଅପମାନ ମୋʼ ସମ୍ମୁଖରେ ଥାଏ ଓ ମୋʼ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।
PSA 44:17 ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।
PSA 44:18 ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ ଓ ମୃତ୍ୟୁୁଚ୍ଛାୟାରେ ଆଚ୍ଛନ୍ନ କରିଅଛ ବୋଲି
PSA 44:19 ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇ ନାହିଁ।
PSA 44:20 ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;
PSA 44:21 ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ ନାହିଁ? କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।
PSA 44:22 ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷ ତୁଲ୍ୟ ଗଣିତ ହେଉଅଛୁ।
PSA 44:23 ଜାଗ, ହେ ପ୍ରଭୋ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ? ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।
PSA 44:24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ, ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ ହେଉଅଛ?
PSA 44:25 କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ; ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି।
PSA 44:26 ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର।
PSA 45:1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ପ୍ରେମ ଗୀତ। ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି; ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ; ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।
PSA 45:2 ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର; ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି; ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି।
PSA 45:3 ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ, ଆପଣା ମହିମା ଓ ପ୍ରଭାବ ବାନ୍ଧ।
PSA 45:4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ; ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।
PSA 45:5 ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି; ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ।
PSA 45:6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ; ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।
PSA 45:7 ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ; ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି।
PSA 45:8 ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ; ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।
PSA 45:9 ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି; ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି।
PSA 45:10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର; ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;
PSA 45:11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ। କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।
PSA 45:12 ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ; ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ।
PSA 45:13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା; ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ।
PSA 45:14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ; ତାଙ୍କର ପଶ୍ଚାଦ୍‍ବର୍ତ୍ତିନୀ ସହଚରୀ କୁମାରୀଗଣ ତୁମ୍ଭ ନିକଟକୁ ଅଣାଯିବେ।
PSA 45:15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ; ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ;
PSA 45:16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ, ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ।
PSA 45:17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି; ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।
PSA 46:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।
PSA 46:2 ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;
PSA 46:3 ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ, ତହିଁର ପ୍ଲାବନରେ ପର୍ବତଗଣ କମ୍ପିତ ହେଲେ ହେଁ ଆମ୍ଭେମାନେ ଭୟ କରିବା ନାହିଁ। [ସେଲା]
PSA 46:4 ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ ପରମେଶ୍ୱରଙ୍କ ନଗରକୁ, ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ।
PSA 46:5 ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ ନାହିଁ। ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।
PSA 46:6 ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ ହେଲେ; ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।
PSA 46:7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ, ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।
PSA 46:8 ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ, ସେ ପୃଥିବୀରେ କି ପ୍ରକାର ଉଜାଡ଼ କରିଅଛନ୍ତି!
PSA 46:9 ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି; ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି; ସେ ରଥସବୁ ଅଗ୍ନିରେ ପୋଡ଼ି ପକାନ୍ତି।
PSA 46:10 “କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।”
PSA 46:11 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [ସେଲା]
PSA 47:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
PSA 47:2 କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା।
PSA 47:3 ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ।
PSA 47:4 ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟପାତ୍ର ଯାକୁବର ଗୌରବ ସ୍ୱରୂପ। [ସେଲା]
PSA 47:5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି।
PSA 47:6 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର।
PSA 47:7 କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର।
PSA 47:8 ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।
PSA 47:9 ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି।
PSA 48:1 ଗୀତ: କୋରହ-ସନ୍ତାନମାନଙ୍କର ଗୀତ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
PSA 48:2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।
PSA 48:3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।
PSA 48:4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ ଏକ ସଙ୍ଗେ ଗମନ କଲେ।
PSA 48:5 ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;
PSA 48:6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।
PSA 48:7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶ ନଗରର ଜାହାଜସବୁ ଭାଙ୍ଗିଥାଅ।
PSA 48:8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। [ସେଲା]
PSA 48:9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।
PSA 48:10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।
PSA 48:11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ।
PSA 48:12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର।
PSA 48:13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।
PSA 48:14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।
PSA 49:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ,
PSA 49:2 ନୀଚ ଓ ଉଚ୍ଚ, ଧନୀ ଓ ଦରିଦ୍ର ସମସ୍ତେ, ଏକତ୍ର କର୍ଣ୍ଣପାତ କର।
PSA 49:3 ମୋହର ମୁଖ ଜ୍ଞାନର କଥା କହିବ ଓ ମୋʼ ଅନ୍ତଃକରଣର ଧ୍ୟାନ ବୁଦ୍ଧି ବିଷୟକ ହେବ।
PSA 49:4 ମୁଁ ଦୃଷ୍ଟାନ୍ତରେ କର୍ଣ୍ଣପାତ କରିବି; ମୁଁ ବୀଣା ଯନ୍ତ୍ରରେ ଆପଣା ଗୁପ୍ତ ବିଷୟ ବ୍ୟାଖ୍ୟା କରିବି।
PSA 49:5 ଯେତେବେଳେ ଅଧର୍ମ ମୋʼ ଗୋଇଠି ପାଖରେ ମୋତେ ଘେରେ, ଏପରି ବିପଦ ସମୟରେ କାହିଁକି ଭୟ କରିବି?
PSA 49:6 ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି;
PSA 49:7 ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ ମୁକ୍ତ କରି ନ ପାରେ।
PSA 49:8 କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ ଦେଇ ନ ପାରେ;
PSA 49:9 କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ ଓ ଅନନ୍ତକାଳ ଅସାଧ୍ୟ।
PSA 49:10 ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ ମରନ୍ତି, ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯାʼନ୍ତି।
PSA 49:11 ସେମାନଙ୍କ କବର ସ୍ଥାନ ଯେ ଚିରକାଳ ଓ ସେମାନଙ୍କ ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର ଆନ୍ତରିକ ବିଚାର; ସେମାନେ ଆପଣା ଆପଣା ନାମାନୁସାରେ ଆପଣା ଆପଣା ଭୂମିର ନାମ ରଖନ୍ତି।
PSA 49:12 ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ; ସେ ବିନାଶ୍ୟ ପଶୁ ତୁଲ୍ୟ।
PSA 49:13 ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ; ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ କଥା ପସନ୍ଦ କରନ୍ତି। [ସେଲା]
PSA 49:14 ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ; ମୃତ୍ୟୁୁ ସେମାନଙ୍କର ପାଳକ ହେବ; ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ; ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ।
PSA 49:15 ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର ପ୍ରାଣ ମୁକ୍ତ କରିବେ; କାରଣ ସେ ମୋତେ ଗ୍ରହଣ କରିବେ। [ସେଲା]
PSA 49:16 କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଲେ, ତୁମ୍ଭେ ଭୀତ ହୁଅ ନାହିଁ;
PSA 49:17 କାରଣ ମରଣକାଳରେ ସେ କିଛି ନେଇଯିବ ନାହିଁ; ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାଦ୍‍ଗମନ କରିବ ନାହିଁ।
PSA 49:18 ଯଦ୍ୟପି ସେ ଜୀବଦ୍ଦଶାରେ ଆପଣା ପ୍ରାଣର ଧନ୍ୟବାଦ କଲା, ଆଉ, ତୁମ୍ଭେ ଆପଣାର ଭଲ କଲେ, ଲୋକେ ତୁମ୍ଭର ପ୍ରଶଂସା କରନ୍ତି;
PSA 49:19 ତଥାପି ସେ ଆପଣା ପୂର୍ବପୁରୁଷଗଣ ନିକଟକୁ ଯିବ; ସେମାନେ କଦାପି ଦୀପ୍ତି ଦେଖିବେ ନାହିଁ।
PSA 49:20 ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ କରେ, ସେ ବିନାଶ୍ୟ ପଶୁ ତୁଲ୍ୟ।
PSA 50:1 ଆସଫର ଗୀତ। ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତି ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି।
PSA 50:2 ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ ପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି।
PSA 50:3 ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ ରହିବେ ନାହିଁ; ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ ଓ ତାହାଙ୍କ ଚତୁର୍ଦ୍ଦିଗ ଅତ୍ୟନ୍ତ ଝଡ଼ମୟ ହେବ।
PSA 50:4 ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ;
PSA 50:5 “ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର।”
PSA 50:6 ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ; କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା। [ସେଲା]
PSA 50:7 “ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା; ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେବା; ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର,
PSA 50:8 ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା କରିବା ନାହିଁ; ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ ଅଛି।
PSA 50:9 ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ କିମ୍ବା ତୁମ୍ଭ ଖୁଆଡ଼ରୁ ଛାଗର ବଳିଦାନ ନେବା ନାହିଁ।
PSA 50:10 କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ ଓ ସହସ୍ର ସହସ୍ର ପର୍ବତସ୍ଥ ପଶୁ ଆମ୍ଭର।
PSA 50:11 ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ ଓ ବିଲର ପଶୁସବୁ ଆମ୍ଭର।
PSA 50:12 ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ; କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର।
PSA 50:13 ଆମ୍ଭେ କʼଣ ବୃଷମାଂସ ଭୋଜନ କରିବା, ଅବା ଛାଗରକ୍ତ ପାନ କରିବା?
PSA 50:14 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ ବଳି ଉତ୍ସର୍ଗ କର ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର;
PSA 50:15 ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।”
PSA 50:16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି, “ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ, ତୁମ୍ଭର କି ଅଧିକାର?
PSA 50:17 କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ।
PSA 50:18 ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ ହୋଇଅଛ ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ।
PSA 50:19 ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ।
PSA 50:20 ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ; ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ।
PSA 50:21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ; ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ; ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।”
PSA 50:22 “ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର, ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା, ପୁଣି, ଉଦ୍ଧାର କରିବାକୁ କେହି ନ ଥିବ।
PSA 50:23 ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ; ଯେଉଁ ଜନ ଆପଣା ଗତି ସରଳ କରେ, ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”
PSA 51:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
PSA 51:2 ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର।
PSA 51:3 କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି।
PSA 51:4 ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ।
PSA 51:5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା।
PSA 51:6 ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।
PSA 51:7 ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
PSA 51:8 ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
PSA 51:9 ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋʼ ଅପରାଧସବୁ ମାର୍ଜନା କର।
PSA 51:10 ହେ ପରମେଶ୍ୱର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
PSA 51:11 ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋʼ ଠାରୁ ନିଅ ନାହିଁ।
PSA 51:12 ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।
PSA 51:13 ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।
PSA 51:14 ହେ ପରମେଶ୍ୱର, ମୋʼ ତ୍ରାଣର ପରମେଶ୍ୱର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ।
PSA 51:15 ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ, ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।
PSA 51:16 କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।
PSA 51:17 ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।
PSA 51:18 ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।
PSA 51:19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।
PSA 52:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍‍; ଦାଉଦ ଅହୀମେଲକ୍‍ର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍‍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ। ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ?
PSA 52:2 ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି।
PSA 52:3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। [ସେଲା]
PSA 52:4 ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ।
PSA 52:5 ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। [ସେଲା]
PSA 52:6 ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ,
PSA 52:7 “ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।”
PSA 52:8 ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି।
PSA 52:9 ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ତୁମ୍ଭ ସଦ୍‍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ।
PSA 53:1 ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ସ୍ୱରରେ ଦାଉଦଙ୍କର ମସ୍କୀଲ୍‍। “ପରମେଶ୍ୱର ନାହାନ୍ତି” ବୋଲି ମୂର୍ଖ ଆପଣା ମନେ ମନେ କହିଅଛି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ।
PSA 53:2 ବିବେଚକ କେହି ଅଛି କି ନାହିଁ, ପରମେଶ୍ୱରଙ୍କର ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ପରମେଶ୍ୱର ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ।
PSA 53:3 ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି; ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ।
PSA 53:4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ? ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋʼ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।
PSA 53:5 ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ।
PSA 53:6 ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା! ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ ହେବେ।
PSA 54:1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର।
PSA 54:2 ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋʼ ମୁଖର କଥାରେ କର୍ଣ୍ଣପାତ କର।
PSA 54:3 କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ପୁଣି, ଦୁରନ୍ତ ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। [ସେଲା]
PSA 54:4 ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; ପ୍ରଭୁ ମୋʼ ପ୍ରାଣରକ୍ଷକ ଅଟନ୍ତି।
PSA 54:5 ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର।
PSA 54:6 ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ।
PSA 54:7 ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି।
PSA 55:1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। ହେ ପରମେଶ୍ୱର, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର; ମୋʼ ବିନତିରୁ ଆପଣାକୁ ଲୁଚାଅ ନାହିଁ।
PSA 55:2 ମୋʼ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;
PSA 55:3 କାରଣ ସେମାନେ ମୋʼ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି।
PSA 55:4 ମୋʼ ଅନ୍ତରରେ ମୋʼ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋʼ ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି।
PSA 55:5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
PSA 55:6 “ଯଦି କପୋତ ପରି ମୋହର ପକ୍ଷ ଥାʼନ୍ତା! ଏଣୁ ମୁଁ କହିଲି, ଆଃ, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।
PSA 55:7 ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ ପ୍ରାନ୍ତରରେ ବାସ କରନ୍ତି। [ସେଲା]
PSA 55:8 ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।”
PSA 55:9 ହେ ପ୍ରଭୋ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।
PSA 55:10 ଶତ୍ରୁମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି; ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।
PSA 55:11 ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।
PSA 55:12 କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ; କଲେ ତାହା ମୁଁ ସହ୍ୟ କରିପାରନ୍ତି; କିଅବା ମୋହର ଘୃଣାକାରୀ ମୋʼ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;
PSA 55:13 ମାତ୍ର ମୋʼ ପରି ମନୁଷ୍ୟ, ମୋହର ସଙ୍ଗୀ ଓ ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।
PSA 55:14 ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ କଲୁ।
PSA 55:15 ମୃତ୍ୟୁୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, କାରଣ ସେମାନଙ୍କ ବାସ ସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
PSA 55:16 ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି; ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।
PSA 55:17 ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ପ୍ରାର୍ଥନା କରି ରୋଦନ କରିବି; ଆଉ, ସେ ମୋʼ ରବ ଶୁଣିବେ।
PSA 55:18 ସେ ମୋʼ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋʼ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋʼ ସଙ୍ଗେ ବିରୋଧକାରୀ ଅନେକ ଥିଲେ।
PSA 55:19 ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, ସେ ଚିରକାଳ ବିଦ୍ୟମାନ, [ସେଲା] ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ।
PSA 55:20 ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି; ସେ ଆପଣା ନିୟମ ଲଙ୍ଘନ କରିଅଛି।
PSA 55:21 ତାହାର ମୁଖ ଲବଣୀ ତୁଲ୍ୟ ଚିକ୍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।
PSA 55:22 ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
PSA 55:23 ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।
PSA 56:1 ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍‍-ଏଲମ୍‍ ରହୋକୀମ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ପଲେଷ୍ଟୀୟମାନେ ତାଙ୍କୁ ଗାଥ୍‍ ନଗରରେ ଧରିବା ସମୟରେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋʼ ପ୍ରତି ଉପଦ୍ରବ କରଇ।
PSA 56:2 ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ; କାରଣ ଦର୍ପରେ ମୋʼ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ।
PSA 56:3 ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି।
PSA 56:4 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋର କଅଣ କରି ପାରିବ?
PSA 56:5 ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋʼ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ।
PSA 56:6 ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋʼ ପ୍ରାଣର ଅପେକ୍ଷା କରିଅଛନ୍ତି।
PSA 56:7 ସେମାନେ କʼଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।
PSA 56:8 ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କʼଣ ତୁମ୍ଭ ପୁସ୍ତକରେ ନାହିଁ?
PSA 56:9 ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋʼ ଶତ୍ରୁଗଣ ଫେରିଯିବେ; ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ।
PSA 56:10 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।
PSA 56:11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କʼଣ କରି ପାରିବ?
PSA 56:12 ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।
PSA 56:13 କାରଣ ତୁମ୍ଭେ ମୃତ୍ୟୁୁରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କʼଣ ପତନରୁ ମୋʼ ଚରଣକୁ ଉଦ୍ଧାର କରିବ ନାହିଁ?
PSA 57:1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋʼ ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
PSA 57:2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ, ମୋʼ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି।
PSA 57:3 ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ, ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; [ସେଲା] ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ।
PSA 57:4 ମୁଁ ସିଂହମାନଙ୍କ ମଧ୍ୟରେ ଅଛି; ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।
PSA 57:5 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।
PSA 57:6 ସେମାନେ ମୋʼ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି; ମୋʼ ପ୍ରାଣ ଅବନତ ହୋଇଅଛି; ସେମାନେ ମୋʼ ସମ୍ମୁଖରେ ଗର୍ତ୍ତ ଖୋଳିଅଛନ୍ତି; ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। [ସେଲା]
PSA 57:7 ହେ ପରମେଶ୍ୱର, ମୋʼ ଚିତ୍ତ ସୁସ୍ଥିର ଅଛି, ମୋʼ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।
PSA 57:8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।
PSA 57:9 ହେ ପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
PSA 57:10 କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।
PSA 57:11 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।
PSA 58:1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍‍। ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ? ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ?
PSA 58:2 ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ; ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ।
PSA 58:3 ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି।
PSA 58:4 ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ; ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ;
PSA 58:5 ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ।
PSA 58:6 ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ; ହେ ସଦାପ୍ରଭୋ, ଯୁବା ସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ।
PSA 58:7 ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ; ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ।
PSA 58:8 ଯେଉଁ ଶାମୁକା ଯାଉ ଯାଉ ତରଳି ଯାଏ ଓ ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ।
PSA 58:9 ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରିବା ପୂର୍ବରୁ ସେ କଞ୍ଚା ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ।
PSA 58:10 ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ।
PSA 58:11 ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି; ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି।
PSA 59:1 ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। ହେ ମୋହର ପରମେଶ୍ୱର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।
PSA 59:2 ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
PSA 59:3 କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।
PSA 59:4 ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି; ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର।
PSA 59:5 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ; କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। [ସେଲା]
PSA 59:6 ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି।
PSA 59:7 ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?”
PSA 59:8 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।
PSA 59:9 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
PSA 59:10 ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; ପରମେଶ୍ୱର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।
PSA 59:11 ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ; ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ, ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।
PSA 59:12 ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।
PSA 59:13 ଯେପରି ସେମାନେ ଆଉ ନ ଥିବେ, ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର; ପୁଣି, ପରମେଶ୍ୱର ଯେ ଯାକୁବ ମଧ୍ୟରେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। [ସେଲା]
PSA 59:14 ଆଉ, ସେମାନେ ସନ୍ଧ୍ୟା ବେଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତୁ ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।
PSA 59:15 ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ। ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।
PSA 59:16 ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।
PSA 59:17 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।
PSA 60:1 ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; ଅରାମନହରୟିମ୍‍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
PSA 60:2 ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ; ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳଟଳ ହେଉଅଛି।
PSA 60:3 ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ; ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।
PSA 60:4 ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। [ସେଲା]
PSA 60:5 ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।
PSA 60:6 ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍କୋତ ଉପତ୍ୟକାକୁ ମାପିବା।
PSA 60:7 ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର; ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ; ଯିହୁଦା ଆମ୍ଭର ରାଜଦଣ୍ଡ।
PSA 60:8 ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା; ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚଧ୍ୱନି କର।”
PSA 60:9 କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ଦେଶ ପର୍ଯ୍ୟନ୍ତ କଢ଼ାଇ ନେବ?
PSA 60:10 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
PSA 60:11 ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।
PSA 60:12 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।
PSA 61:1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର।
PSA 61:2 ମୋʼ ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ।
PSA 61:3 କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ।
PSA 61:4 ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି।
PSA 61:5 କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ।
PSA 61:6 ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ।
PSA 61:7 ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର।
PSA 61:8 ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି।
PSA 62:1 ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍‍‍ର ରୀତି ଅନୁସାରେ ଦାଉଦଙ୍କର ଗୀତ। ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ।
PSA 62:2 କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି।
PSA 62:3 ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମ୍ଭେ ସମସ୍ତେ କେତେ କାଳ ଲାଗିଥିବ?
PSA 62:4 ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି; ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ; ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଅଭିଶାପ ଦିଅନ୍ତି। [ସେଲା]
PSA 62:5 ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ।
PSA 62:6 କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି।
PSA 62:7 ମୋହର ପରିତ୍ରାଣ ଓ ମୋହର ଗୌରବ ପରମେଶ୍ୱରଙ୍କଠାରେ ଅଛି; ମୋʼ ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି।
PSA 62:8 ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର; ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। [ସେଲା]
PSA 62:9 ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା; ତୌଲରେ ସେମାନେ ଉପରକୁ ଉଠିବେ; ସେମାନେ ସମସ୍ତେ ଅସାରରୁ ଲଘୁ।
PSA 62:10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ।
PSA 62:11 ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇ ଥର ଏହା ଶୁଣିଅଛୁ ଯେ, ପରାକ୍ରମ ପରମେଶ୍ୱରଙ୍କର ଅଟଇ।
PSA 62:12 ଆହୁରି, ହେ ପ୍ରଭୋ; ତୁମ୍ଭଠାରେ ଦୟା ଥାଏ; କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ।
PSA 63:1 ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋʼ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋʼ ଶରୀର ତୁମ୍ଭ ପାଇଁ ଲାଳସା କରେ।
PSA 63:2 ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି।
PSA 63:3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ।
PSA 63:4 ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି;
PSA 63:5 ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ ଓ ମୋʼ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ।
PSA 63:6 ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ।
PSA 63:7 କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି।
PSA 63:8 ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ।
PSA 63:9 ମାତ୍ର ଯେଉଁମାନେ ମୋʼ ପ୍ରାଣନାଶର ଚେଷ୍ଟା କରନ୍ତି, ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ।
PSA 63:10 ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ; ସେମାନେ ଶୃଗାଳର ଖାଦ୍ୟ ହେବେ।
PSA 63:11 ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।
PSA 64:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋʼ କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର।
PSA 64:2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;
PSA 64:3 ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି
PSA 64:4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।
PSA 64:5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖିବ?”
PSA 64:6 ସେମାନେ ଅଧର୍ମ କଳ୍ପନା କରନ୍ତି; “ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।
PSA 64:7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; ସେଥିରେ ସେମାନେ ହଠାତ୍‍ ଆହତ ହେବେ।
PSA 64:8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;
PSA 64:9 ପୁଣି, ସକଳ ମନୁଷ୍ୟ ଭୟ କରିବେ, ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।
PSA 64:10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ। ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।
PSA 65:1 ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ। ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।
PSA 65:2 ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।
PSA 65:3 ଅପରାଧ ମୋʼ ଉପରେ ପ୍ରବଳ ହୁଏ; ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ।
PSA 65:4 ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ; ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍, ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।
PSA 65:5 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ; ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ ସମସ୍ତଙ୍କର ବିଶ୍ୱାସଭୂମି ଅଟ।
PSA 65:6 ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ;
PSA 65:7 ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ।
PSA 65:8 ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି; ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍ଗମକୁ ଆନନ୍ଦମୟ କରିଥାଅ।
PSA 65:9 ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ, ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ; ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ; ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ।
PSA 65:10 ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ; ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ; ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ; ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ;
PSA 65:11 ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ।
PSA 65:12 ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।
PSA 65:13 ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି; ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି; ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।
PSA 66:1 ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ। ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
PSA 66:2 ତାହାଙ୍କ ନାମର ମହିମା କୀର୍ତ୍ତନ କର; ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।
PSA 66:3 ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର! ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।
PSA 66:4 ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ; ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।”
PSA 66:5 ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ; ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।
PSA 66:6 ସେ ସମୁଦ୍ରକୁ ଶୁଷ୍କ ଭୂମି କଲେ; ଲୋକମାନେ ନଦୀ ମଧ୍ୟଦେଇ ପାଦରେ ଗମନ କଲେ; ସେହି ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ।
PSA 66:7 ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି; ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ; ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। [ସେଲା]
PSA 66:8 ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;
PSA 66:9 ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ।
PSA 66:10 କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ; ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।
PSA 66:11 ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ, ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ।
PSA 66:12 ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ; ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ; ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।
PSA 66:13 ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି, ମୁଁ ସଙ୍କଟରେ ଥିଲା ବେଳେ
PSA 66:14 ମୋʼ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି ଓ ମୋʼ ମୁଖ ଯାହା କହିଅଛି, ମୋହର ସେହି ସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି।
PSA 66:15 ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ ହୃଷ୍ଟପୁଷ୍ଟ ହୋମବଳି ଉତ୍ସର୍ଗ କରିବି; ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। [ସେଲା]
PSA 66:16 ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ, ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।
PSA 66:17 ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି ଓ ମୋʼ ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ।
PSA 66:18 ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋʼ କଥା ଶୁଣିବେ ନାହିଁ;
PSA 66:19 ମାତ୍ର ନିଶ୍ଚୟ ପରମେଶ୍ୱର ମୋʼ କଥା ଶୁଣିଅଛନ୍ତି, ସେ ମୋʼ ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି।
PSA 66:20 ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ମୋହର ପ୍ରାର୍ଥନା କିଅବା ମୋʼ ଠାରୁ ଆପଣା ଦୟା ଦୂର କରି ନାହାନ୍ତି।
PSA 67:1 ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ। ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରନ୍ତୁ ଓ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମ୍ଭମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। [ସେଲା]
PSA 67:2 ତହିଁରେ ପୃଥିବୀରେ ତୁମ୍ଭର ପଥ ଓ ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ।
PSA 67:3 ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା କରନ୍ତୁ; ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
PSA 67:4 ଦେଶୀୟମାନେ ଆହ୍ଲାଦିତ ହେଉନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ; କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀୟବର୍ଗର ବିଚାର କରିବ ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। [ସେଲା]
PSA 67:5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ; ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
PSA 67:6 ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ।
PSA 67:7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; ପୁଣି, ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ।
PSA 68:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ। ପରମେଶ୍ୱର ଉଠନ୍ତୁ, ତାହାଙ୍କ ଶତ୍ରୁଗଣ ଛିନ୍ନଭିନ୍ନ ହେଉନ୍ତୁ; ତାହାଙ୍କ ଘୃଣାକାରୀମାନେ ମଧ୍ୟ ତାହାଙ୍କ ସାକ୍ଷାତରୁ ପଳାଉନ୍ତୁ।
PSA 68:2 ଯେପରି ଧୂମ ଚାଳିତ ହୁଏ, ସେହିପରି ସେମାନଙ୍କୁ ଚଳାଅ; ଯେପରି ଅଗ୍ନି ସମ୍ମୁଖରେ ମହମ ତରଳି ଯାଏ, ସେହିପରି ପରମେଶ୍ୱରଙ୍କ ସାକ୍ଷାତରେ ଦୁଷ୍ଟମାନେ ବିନଷ୍ଟ ହେଉନ୍ତୁ।
PSA 68:3 ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ; ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ।
PSA 68:4 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।
PSA 68:5 ପରମେଶ୍ୱର ଆପଣା ପବିତ୍ର ବାସ ସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା ଅଟନ୍ତି।
PSA 68:6 ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି; ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; ମାତ୍ର ବିଦ୍ରୋହୀମାନେ ଶୁଷ୍କ ଭୂମିରେ ବାସ କରନ୍ତି।
PSA 68:7 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ଆଗରେ ଯିବା ବେଳେ, ତୁମ୍ଭେ ପ୍ରାନ୍ତର ଦେଇ ଯାତ୍ରା କରିବା ବେଳେ, [ସେଲା]
PSA 68:8 ପୃଥିବୀ କମ୍ପିଲା, ପରମେଶ୍ୱରଙ୍କ ସାକ୍ଷାତରେ ଆକାଶମଣ୍ଡଳ ମଧ୍ୟ ବୃଷ୍ଟିପାତ କଲା; ସେହି ସୀନୟ ପରମେଶ୍ୱରଙ୍କର, ଇସ୍ରାଏଲର ପରମେଶ୍ୱରଙ୍କ ସାକ୍ଷାତରେ କମ୍ପିଲା।
PSA 68:9 ହେ ପରମେଶ୍ୱର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ, ତୁମ୍ଭ ଅଧିକାର କ୍ଳାନ୍ତ ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର କଲ।
PSA 68:10 ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ; ହେ ପରମେଶ୍ୱର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀମାନଙ୍କ ପାଇଁ ଆୟୋଜନ କଲ।
PSA 68:11 ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି; ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି।
PSA 68:12 ସୈନ୍ୟଶ୍ରେଣୀର ରାଜାଗଣ ପଳାୟନ କରନ୍ତି, ସେମାନେ ପଳାୟନ କରନ୍ତି; ପୁଣି, ଗୃହସ୍ଥିତା ସ୍ତ୍ରୀ ଲୁଟଦ୍ରବ୍ୟ ବିଭାଗ କରେ।
PSA 68:13 ଯେଉଁ କପୋତର ହରିତ୍‍ ସୁବର୍ଣ୍ଣ-ମଣ୍ଡିତ ଡେଣା, ତାହାର ରୌପ୍ୟ-ମଣ୍ଡିତ ପରସବୁ ପରି ତୁମ୍ଭେମାନେ କି ମେଷଶାଳା ମଧ୍ୟରେ ଶୟନ କରିବ?
PSA 68:14 ସଲମୋନ୍‍ରେ ହିମପାତ ବେଳେ ଯେପରି, ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା ବେଳେ ସେପରି ହେଲା।
PSA 68:15 ବାଶନର ପର୍ବତ ପରମେଶ୍ୱରଙ୍କ ପର୍ବତ; ବାଶନର ପର୍ବତ ଏକ ଉଚ୍ଚ ପର୍ବତ।
PSA 68:16 ହେ ଉଚ୍ଚ ପର୍ବତଗଣ, ପରମେଶ୍ୱର ଆପଣା ନିବାସ ନିମନ୍ତେ ଯେଉଁ ପର୍ବତ ବାଞ୍ଛା କରିଅଛନ୍ତି, ତହିଁ ପ୍ରତି ତୁମ୍ଭେମାନେ କାହିଁକି କୁଟିଳ ଦୃଷ୍ଟି କରୁଅଛ? ଅବଶ୍ୟ ସଦାପ୍ରଭୁ ତହିଁରେ ସଦାକାଳ ବାସ କରିବେ।
PSA 68:17 ପରମେଶ୍ୱରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ; ଯେପରି ପ୍ରଭୁ ଆପଣା ପବିତ୍ର ସ୍ଥାନ ସୀନୟରେ, ସେପରି ସେସବୁର ମଧ୍ୟରେ ଅଛନ୍ତି।
PSA 68:18 ତୁମ୍ଭେ ଊର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ; ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନପ୍ରାପ୍ତ ହୋଇଅଛ।
PSA 68:19 ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ; ସେହି ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ। [ସେଲା]
PSA 68:20 ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି; ଓ ମୃତ୍ୟୁୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ।
PSA 68:21 ମାତ୍ର ପରମେଶ୍ୱର ଆପଣା ଶତ୍ରୁମାନଙ୍କ ମସ୍ତକ ଓ ଯେଉଁ ଜନ ନିଜ ଅପରାଧରେ ଅଗ୍ରସର, ତାହାର କେଶଯୁକ୍ତ କପାଳ ବିନ୍ଧି ପକାଇବେ।
PSA 68:22 ପ୍ରଭୁ କହିଲେ, “ଆମ୍ଭେ ବାଶନରୁ ପୁନର୍ବାର ଆଣିବା, ଆମ୍ଭେ ସମୁଦ୍ରର ଗଭୀର ସ୍ଥଳରୁ ପୁନର୍ବାର ସେମାନଙ୍କୁ ଆଣିବା;
PSA 68:23 ତହିଁରେ ତୁମ୍ଭେ ରକ୍ତରେ ଆପଣା ଚରଣ ବୁଡ଼ାଇବ, ତୁମ୍ଭ କୁକ୍କୁରଗଣର ଜିହ୍ୱା ତୁମ୍ଭ ଶତ୍ରୁମାନଙ୍କଠାରୁ ଅଂଶ ପାଇବ।”
PSA 68:24 ହେ ପରମେଶ୍ୱର, ଲୋକମାନେ ତୁମ୍ଭର ଗତି, ଅର୍ଥାତ୍‍, ପବିତ୍ର ସ୍ଥାନକୁ ଆମ୍ଭ ପରମେଶ୍ୱର ଆମ୍ଭ ରାଜାଙ୍କ ଗତି ଦେଖିଅଛନ୍ତି।
PSA 68:25 ଦାରାବାଦ୍ୟବାଦିନୀ କୁମାରୀମାନଙ୍କ ମଧ୍ୟରେ ଗାୟକମାନେ ଆଗେ ଆଗେ, ବାଦ୍ୟକରମାନେ ପଛେ ପଛେ ଗମନ କଲେ।
PSA 68:26 ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ୱରଙ୍କର ଧନ୍ୟବାଦ କର, ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 68:27 କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା, ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, ସବୂଲୂନର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।
PSA 68:28 ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ।
PSA 68:29 ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।
PSA 68:30 ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି ରୌପ୍ୟଖଣ୍ଡସବୁ ପଦ ତଳେ ଦଳି ପକାଅ; ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି।
PSA 68:31 ମିସର ଦେଶରୁ ଅଧିପତିମାନେ ଆସିବେ; କୂଶ ପରମେଶ୍ୱରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ।
PSA 68:32 ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର; ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; [ସେଲା]
PSA 68:33 ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।
PSA 68:34 ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ କର; ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ ଆକାଶମଣ୍ଡଳରେ ରହିଅଛି।
PSA 68:35 ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ; ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି। ପରମେଶ୍ୱର ଧନ୍ୟ ହେଉନ୍ତୁ।
PSA 69:1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋତେ ପରିତ୍ରାଣ କର; କାରଣ ମୋʼ ବେକ ପର୍ଯ୍ୟନ୍ତ ଜଳରାଶି ଆସିଅଛି।
PSA 69:2 ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ; ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋʼ ଉପର ଦେଇ ଯାଉଅଛି।
PSA 69:3 ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି; ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ।
PSA 69:4 ଅକାରଣରେ ମୋତେ ଘୃଣା କରିବା ଲୋକେ ମୋʼ ମସ୍ତକର କେଶଠାରୁ ଅନେକ; ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ; ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି।
PSA 69:5 ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ।
PSA 69:6 ହେ ପ୍ରଭୋ, ସୈନ୍ୟାଧିପତି ସଦାପ୍ରଭୋ, ତୁମ୍ଭର ଅନୁସରଣକାରୀମାନେ ମୋʼ ଦେଇ ଲଜ୍ଜିତ ନ ହେଉନ୍ତୁ; ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋʼ ଦେଇ ଅପମାନିତ ନ ହେଉନ୍ତୁ।
PSA 69:7 କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି। ଲଜ୍ଜା ମୋʼ ମୁଖ ଆଚ୍ଛାଦନ କରିଅଛି।
PSA 69:8 ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି।
PSA 69:9 କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି। ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋʼ ଉପରେ ପଡ଼ିଅଛି।
PSA 69:10 ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ, ତାହା ମୋʼ ନିନ୍ଦାର ବିଷୟ ହେଲା।
PSA 69:11 ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ, ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି।
PSA 69:12 ନଗର-ଦ୍ୱାରରେ ବସିବା ଲୋକମାନେ ମୋʼ ବିଷୟରେ ଗଳ୍ପ କରନ୍ତି ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି।
PSA 69:13 ମାତ୍ର ହେ ସଦାପ୍ରଭୋ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି; ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ।
PSA 69:14 ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ; ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ।
PSA 69:15 ଜଳପ୍ଲାବନ ମୋତେ ମଗ୍ନ ନ କରୁ, କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ; ପୁଣି, ଗର୍ତ୍ତ ମୋʼ ଉପରେ ଆପଣା ମୁଖ ବନ୍ଦ ନ କରୁ।
PSA 69:16 ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋʼ ପ୍ରତି ଫେର।
PSA 69:17 ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ; କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ।
PSA 69:18 ମୋʼ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର; ମୋʼ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର।
PSA 69:19 ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ; ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି।
PSA 69:20 ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି; ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।
PSA 69:21 ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ।
PSA 69:22 ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ।
PSA 69:23 ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର।
PSA 69:24 ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳିଦିଅ ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ।
PSA 69:25 ସେମାନଙ୍କର ବସତି ସ୍ଥାନ ଶୂନ୍ୟ ହେଉ; ସେମାନଙ୍କ ତମ୍ବୁରେ କେହି ବାସ ନ କରୁ।
PSA 69:26 କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।
PSA 69:27 ସେମାନଙ୍କ ଅପରାଧରେ ଅପରାଧ ଯୋଗ କର ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ।
PSA 69:28 ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ।
PSA 69:29 ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ; ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ।
PSA 69:30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି।
PSA 69:31 ପୁଣି, ତାହା ଗୋରୁ ଅବା ଶୃଙ୍ଗ ଓ ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ।
PSA 69:32 ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି; ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ।
PSA 69:33 କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ।
PSA 69:34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ।
PSA 69:35 କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ; ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ।
PSA 69:36 ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ; ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।
PSA 70:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ। ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ; ହେ ସଦାପ୍ରଭୋ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ।
PSA 70:2 ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରିଯାଇ ଅପମାନିତ ହେଉନ୍ତୁ।
PSA 70:3 ଯେଉଁମାନେ “ହଁ, ହଁ” ବୋଲି କହନ୍ତି, ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ।
PSA 70:4 ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ “ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ,
PSA 70:5 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, ମୋʼ ପକ୍ଷରେ ସତ୍ୱର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ବ କର ନାହିଁ।
PSA 71:1 ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।
PSA 71:2 ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର; ମୋʼ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର।
PSA 71:3 ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋʼ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ; ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ; କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ।
PSA 71:4 ହେ ମୋହର ପରମେଶ୍ୱର, ଦୁଷ୍ଟ ଲୋକ ହସ୍ତରୁ, ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର।
PSA 71:5 କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ମୋହର ଭରସା; ମୋʼ ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି।
PSA 71:6 ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ।
PSA 71:7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।
PSA 71:8 ମୋହର ମୁଖ ତୁମ୍ଭ ପ୍ରଶଂସାରେ ଓ ସାରାଦିନ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ।
PSA 71:9 ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ; ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ।
PSA 71:10 କାରଣ ମୋହର ଶତ୍ରୁଗଣ ମୋʼ ବିଷୟରେ କଥା କହନ୍ତି ଓ ମୋʼ ପ୍ରାଣ ପାଇଁ ଜଗିବା ଲୋକମାନେ ଏକତ୍ର ମନ୍ତ୍ରଣା କରି କହନ୍ତି ଯେ,
PSA 71:11 ପରମେଶ୍ୱର ତାହାକୁ ପରିତ୍ୟାଗ କରିଅଛନ୍ତି, ପଛେ ପଛେ ଗୋଡ଼ାଇ ତାହାକୁ ଧର; କାରଣ ଉଦ୍ଧାର କରିବାକୁ କେହି ନାହିଁ।
PSA 71:12 ହେ ପରମେଶ୍ୱର, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ପରମେଶ୍ୱର, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।
PSA 71:13 ମୋʼ ପ୍ରାଣର ବିପକ୍ଷମାନେ ଲଜ୍ଜିତ ଓ ଉଚ୍ଛିନ୍ନ ହେଉନ୍ତୁ; ଯେଉଁମାନେ ମୋହର କ୍ଷତି ଚେଷ୍ଟା କରନ୍ତି, ସେମାନେ ନିନ୍ଦା ଓ ଅପମାନରେ ଆଚ୍ଛନ୍ନ ହେଉନ୍ତୁ।
PSA 71:14 ମାତ୍ର ମୁଁ ନିରନ୍ତର ଭରସା କରିବି, ପୁଣି, ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି।
PSA 71:15 ମୋହର ମୁଖ ସାରାଦିନ ତୁମ୍ଭର ଧର୍ମ ଓ ତୁମ୍ଭର ପରିତ୍ରାଣ ବର୍ଣ୍ଣନା କରିବ; କାରଣ ମୁଁ ତହିଁର ସଂଖ୍ୟା ଜାଣେ ନାହିଁ।
PSA 71:16 ମୁଁ ପ୍ରଭୁ, ସଦାପ୍ରଭୁଙ୍କ ପରାକ୍ରମର ସକଳ କ୍ରିୟା ସହିତ ଉପସ୍ଥିତ ହେବି। ମୁଁ ତୁମ୍ଭର, କେବଳ ତୁମ୍ଭର ଧର୍ମ ବିଷୟ ବର୍ଣ୍ଣନା କରିବି।
PSA 71:17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ ଶିକ୍ଷା ଦେଇ ଆସୁଅଛ; ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ପ୍ରଚାର କରିଅଛି।
PSA 71:18 ହେ ପରମେଶ୍ୱର, ମୁଁ ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବାହୁ ବଳ, ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ, ବୃଦ୍ଧ ଓ ପକ୍ୱକେଶ ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ।
PSA 71:19 ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି?
PSA 71:20 ଆମ୍ଭମାନଙ୍କୁ ଅନେକ ଓ ଦାରୁଣ କ୍ଳେଶ ଦେଖାଇଅଛ ଯେ ତୁମ୍ଭେ, ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ।
PSA 71:21 ତୁମ୍ଭେ ମୋହର ମହତ୍ତ୍ୱ ବଢ଼ାଅ ଓ ଫେରି ମୋତେ ସାନ୍ତ୍ୱନା ଦିଅ।
PSA 71:22 ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, ମଧ୍ୟ ତୁମ୍ଭର, ଅର୍ଥାତ୍‍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି; ହେ ଇସ୍ରାଏଲର ଧର୍ମସ୍ୱରୂପ, ମୁଁ ବୀଣା ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 71:23 ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ ମୋହର ଓଷ୍ଠାଧର ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ ଅତିଶୟ ଆହ୍ଲାଦ କରିବ।
PSA 71:24 ମୋହର ଜିହ୍ୱା ମଧ୍ୟ ସାରାଦିନ ତୁମ୍ଭ ଧର୍ମ ବିଷୟ କହିବ; କାରଣ ମୋହର ଅନିଷ୍ଟ ଚେଷ୍ଟାକାରୀମାନେ ଲଜ୍ଜିତ ଓ ହତାଶ ହୋଇଅଛନ୍ତି।
PSA 72:1 ଶଲୋମନଙ୍କର ଗୀତ। ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର।
PSA 72:2 ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ।
PSA 72:3 ଧର୍ମ ଦ୍ୱାରା ପର୍ବତଗଣ ଓ ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ।
PSA 72:4 ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ।
PSA 72:5 ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ ଲୋକମାନେ ତୁମ୍ଭଙ୍କୁ ଭୟ କରିବେ।
PSA 72:6 କଟାଘାସରେ ବୃଷ୍ଟି ତୁଲ୍ୟ ଓ ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ।
PSA 72:7 ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ।
PSA 72:8 ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ।
PSA 72:9 ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ।
PSA 72:10 ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; ଶିବାର ଓ ସବାର ରାଜାଗଣ ଭେଟି ଦାନ କରିବେ।
PSA 72:11 ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।
PSA 72:12 କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ।
PSA 72:13 ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।
PSA 72:14 ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ ବହୁମୂଲ୍ୟ ହେବ।
PSA 72:15 ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ; ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ। ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ।
PSA 72:16 ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ; ତହିଁର ଫଳ ଲିବାନୋନ ତୁଲ୍ୟ ହଲିବ; ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ।
PSA 72:17 ତାହାଙ୍କ ନାମ ଅନନ୍ତକାଳ ରହିବ; ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ।
PSA 72:18 ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, କେବଳ ସେ ଆଶ୍ଚର୍ଯ୍ୟକର୍ମ କରନ୍ତି;
PSA 72:19 ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। ଆମେନ୍‍, ଆମେନ୍‍।
PSA 72:20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ।
PSA 73:1 ଆସଫର ଗୀତ। ପରମେଶ୍ୱର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି।
PSA 73:2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା।
PSA 73:3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।
PSA 73:4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ।
PSA 73:5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ।
PSA 73:6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ।
PSA 73:7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି।
PSA 73:8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି।
PSA 73:9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ।
PSA 73:10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା ନିଗିଡ଼ାଯାଏ।
PSA 73:11 ଆଉ, ସେମାନେ କହନ୍ତି, “ପରମେଶ୍ୱର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି?”
PSA 73:12 ଦେଖ, ଏମାନେ ଦୁଷ୍ଟ ଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି।
PSA 73:13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;
PSA 73:14 କାରଣ ମୁଁ ଦିନସାରା ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି।
PSA 73:15 “ଏରୂପ କହିବି” ବୋଲି ଯଦି ମୁଁ କହିଥାʼନ୍ତି ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ୱାସଘାତକତା କରିଥାʼନ୍ତି।
PSA 73:16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା;
PSA 73:17 ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷ ଫଳ ବିବେଚନା କଲି।
PSA 73:18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ।
PSA 73:19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି।
PSA 73:20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ।
PSA 73:21 ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା।
PSA 73:22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି।
PSA 73:23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ।
PSA 73:24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
PSA 73:25 ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ।
PSA 73:26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ୱର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି।
PSA 73:27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ।
PSA 73:28 ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି।
PSA 74:1 ଆସଫର ମସ୍କୀଲ୍‍। ହେ ପରମେଶ୍ୱର, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ? ତୁମ୍ଭ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ କ୍ରୋଧାନଳର ଧୂମ ଉଠୁଅଛି?
PSA 74:2 ପୂର୍ବକାଳରେ ଯାହାକୁ ତୁମ୍ଭେ କିଣିଅଛ, ତୁମ୍ଭେ ଯାହାକୁ ଆପଣା ଅଧିକାରର ବଂଶ ହେବା ପାଇଁ ମୁକ୍ତ କରିଅଛ, ତୁମ୍ଭର ସେହି ମଣ୍ଡଳୀକୁ ଓ ତୁମ୍ଭର ବାସସ୍ଥାନ ସିୟୋନ ପର୍ବତକୁ ସ୍ମରଣ କର।
PSA 74:3 ଏହି ଚିରକାଳୀନ କାନ୍ଥଡ଼ା ଆଡ଼େ ଆପଣା ଚରଣ ପକାଅ, ଶତ୍ରୁ ଧର୍ମଧାମରେ ସବୁ ନାଶ କରିଅଛି।
PSA 74:4 ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ-ସ୍ଥାନ ମଧ୍ୟରେ ଗର୍ଜ୍ଜନ କରିଅଛନ୍ତି; ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ୱଜା ସ୍ଥାପନ କରିଅଛନ୍ତି।
PSA 74:5 ନିବିଡ଼ ଅରଣ୍ୟରେ କୁହ୍ରାଡ଼ି ଉଠାଇବା ଲୋକମାନଙ୍କ ପରି ସେମାନେ ଦେଖାଗଲେ।
PSA 74:6 ପୁଣି, ଏବେ ସେମାନେ ଟାଙ୍ଗିଆ ଓ ହାତୁଡ଼ି ଦ୍ୱାରା ଏକାବେଳେ ତହିଁର ଖୋଦିତ କର୍ମସବୁ ଭାଙ୍ଗି ପକାନ୍ତି।
PSA 74:7 ସେମାନେ ତୁମ୍ଭ ଧର୍ମଧାମରେ ଅଗ୍ନି ଲଗାଇ ଅଛନ୍ତି; ସେମାନେ ତୁମ୍ଭ ନାମର ବାସସ୍ଥାନକୁ ଅଶୁଚି କରି ଭୂମିସାତ୍‍ କରିଅଛନ୍ତି।
PSA 74:8 ସେମାନେ ମନେ ମନେ କହିଲେ, “ଆମ୍ଭେମାନେ ଏକାବେଳେ ସେମାନଙ୍କୁ ଉଚ୍ଛିନ୍ନ କରୁ;” ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ସମାଗମ-ସ୍ଥାନ ଦଗ୍ଧ କରିଅଛନ୍ତି।
PSA 74:9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ; କୌଣସି ଭବିଷ୍ୟଦ୍‍ବକ୍ତା ଆଉ ନାହିଁ; କିଅବା ଏପରି କେତେ କାଳ ହେବ, ଏହା ଜାଣିବା ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।
PSA 74:10 ହେ ପରମେଶ୍ୱର, ବିପକ୍ଷ କେତେ କାଳ ନିନ୍ଦା କରିବ? ଶତ୍ରୁ କି ସଦାକାଳ ତୁମ୍ଭ ନାମ ନିନ୍ଦା କରିବ?
PSA 74:11 ତୁମ୍ଭେ ଆପଣା ହସ୍ତ, ଆପଣା ଦକ୍ଷିଣ ହସ୍ତ କାହିଁକି ସଂକୋଚି ରଖୁଅଛ? ଆପଣା ବକ୍ଷସ୍ଥଳରୁ ତାହା ବାହାର କରି ସେମାନଙ୍କୁ ସଂହାର କର।
PSA 74:12 ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି।
PSA 74:13 ତୁମ୍ଭେ ଆପଣା ପରାକ୍ରମରେ ସମୁଦ୍ରକୁ ଦୁଇ ଭାଗ କଲ; ତୁମ୍ଭେ ଜଳରେ ନାଗଗଣର ମସ୍ତକ ଭାଙ୍ଗି ପକାଇଲ;
PSA 74:14 ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲ, ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
PSA 74:15 ତୁମ୍ଭେ ନିର୍ଝର ଓ ପ୍ଲାବନକୁ ବିଭକ୍ତ କଲ; ତୁମ୍ଭେ ମହାନଦୀସବୁ ଶୁଷ୍କ କଲ।
PSA 74:16 ଦିବସ ତୁମ୍ଭର, ରାତ୍ରି ହିଁ ତୁମ୍ଭର; ତୁମ୍ଭେ ଦୀପ୍ତି ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
PSA 74:17 ତୁମ୍ଭେ ପୃଥିବୀର ସମସ୍ତ ସୀମା ସ୍ଥାପନ କରିଅଛ; ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
PSA 74:18 ହେ ସଦାପ୍ରଭୋ, ଶତ୍ରୁ ଧିକ୍କାର କରିଅଛି ଓ ମୂଢ଼ ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର।
PSA 74:19 ତୁମ୍ଭ ଘୁଘୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର ନାହିଁ, ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ ନାହିଁ।
PSA 74:20 ନିୟମ ପ୍ରତି ଦୃଷ୍ଟି ରଖ; କାରଣ ପୃଥିବୀର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟର ବସତିରେ ପରିପୂର୍ଣ୍ଣ।
PSA 74:21 ଉପଦ୍ରବଗ୍ରସ୍ତ ଲୋକ ଲଜ୍ଜିତ ହୋଇ ଫେରି ନ ଯାଉ! ଦରିଦ୍ର ଓ ଦୀନହୀନ ତୁମ୍ଭ ନାମର ପ୍ରଶଂସା କରନ୍ତୁ।
PSA 74:22 ହେ ପରମେଶ୍ୱର, ଉଠ, ଆପଣାର ବିବାଦ ନିଷ୍ପନ୍ନ କର; ମୂଢ଼ ଲୋକ କିପରି ସାରାଦିନ ତୁମ୍ଭଙ୍କୁ ଧିକ୍କାର କରୁଅଛି, ସ୍ମରଣ କର।
PSA 74:23 ତୁମ୍ଭ ବିପକ୍ଷଗଣର ରବ ବିସ୍ମୃତ ହୁଅ ନାହିଁ; ତୁମ୍ଭ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କର କଳହ ନିରନ୍ତର ଉଠୁଅଛି।
PSA 75:1 ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଆସଫର ଗୀତ। ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ; ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ ନାମ ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରନ୍ତି।
PSA 75:2 ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା।
PSA 75:3 ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି; ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ। [ସେଲା]
PSA 75:4 ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,” ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ;
PSA 75:5 ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।”
PSA 75:6 କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ, କିଅବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ।
PSA 75:7 ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି; ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି।
PSA 75:8 ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି; ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି; ନିଶ୍ଚୟ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ।
PSA 75:9 ମାତ୍ର ମୁଁ ସଦାକାଳ ପ୍ରଚାର କରିବି, ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।
PSA 75:10 ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା। ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ।
PSA 76:1 ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ। ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି; ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।
PSA 76:2 ମଧ୍ୟ ଶାଲେମ୍‍ରେ ତାହାଙ୍କର ଆବାସ ଓ ସିୟୋନରେ ତାହାଙ୍କର ବାସସ୍ଥାନ।
PSA 76:3 ସେଠାରେ ସେ ଧନୁତୀରସବୁ, ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା]
PSA 76:4 ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।
PSA 76:5 ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି; ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।
PSA 76:6 ହେ ଯାକୁବର ପରମେଶ୍ୱର, ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।
PSA 76:7 ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ?
PSA 76:8 ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ; ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ
PSA 76:9 ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ ନୀରବ ହେଲା। [ସେଲା]
PSA 76:10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।
PSA 76:11 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।
PSA 76:12 ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।
PSA 77:1 ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍‍‍ର ରୀତି ଅନୁସାରେ ଆସଫର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ।
PSA 77:2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।
PSA 77:3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। [ସେଲା]
PSA 77:4 ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
PSA 77:5 ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
PSA 77:6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
PSA 77:7 “ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ? ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ?
PSA 77:8 ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା? ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ?
PSA 77:9 ପରମେଶ୍ୱର କʼଣ କୃପାମୟ ହେବାକୁ ପାସୋରିଅଛନ୍ତି? ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି?” [ସେଲା]
PSA 77:10 ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା; ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”
PSA 77:11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି।
PSA 77:12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି।
PSA 77:13 ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ; ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ?
PSA 77:14 ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
PSA 77:15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।
PSA 77:16 ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା, ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା; ମଧ୍ୟ ବାରିଧି କମ୍ପିତ ହେଲା।
PSA 77:17 ମେଘମାଳ ଜଳ ବୃଷ୍ଟି କଲେ, ଆକାଶ ଗର୍ଜ୍ଜନ କଲା; ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା।
PSA 77:18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା; ବିଜୁଳି ଜଗତକୁ ଆଲୁଅମୟ କଲା; ପୃଥିବୀ କମ୍ପିତ ଓ ଥରହର ହେଲା।
PSA 77:19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା।
PSA 77:20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।
PSA 78:1 ଆସଫର ମସ୍କୀଲ୍‍। ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ; ମୋʼ ମୁଖର ବାକ୍ୟରେ କର୍ଣ୍ଣପାତ କର।
PSA 78:2 ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି;
PSA 78:3 ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
PSA 78:4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ-କର୍ମସକଳ ବର୍ଣ୍ଣନା କରିବା।
PSA 78:5 କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;
PSA 78:6 ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ;
PSA 78:7 ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ;
PSA 78:8 ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।
PSA 78:9 ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ ସଂଗ୍ରାମ ଦିନରେ ହଟିଗଲେ।
PSA 78:10 ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;
PSA 78:11 ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲିଗଲେ।
PSA 78:12 ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟକର୍ମ କଲେ।
PSA 78:13 ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ; ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ।
PSA 78:14 ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।
PSA 78:15 ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ, ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ।
PSA 78:16 ସେ ଶୈଳରୁ ସ୍ରୋତ ବାହାର କଲେ ଓ ନଦୀ ତୁଲ୍ୟ ଜଳ ବହାଇଲେ।
PSA 78:17 ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।
PSA 78:18 ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ।
PSA 78:19 ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ?
PSA 78:20 ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା ଓ ସ୍ରୋତ ପ୍ରବାହିତ ହେଲା; ସେ କି ଅନ୍ନ ମଧ୍ୟଦେଇ ପାରନ୍ତି? ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ?”
PSA 78:21 ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା;
PSA 78:22 କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ।
PSA 78:23 ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ ଓ ଆକାଶର ଦ୍ୱାର ମୁକ୍ତ କଲେ।
PSA 78:24 ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
PSA 78:25 ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ।
PSA 78:26 ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ।
PSA 78:27 ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ, ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ;
PSA 78:28 ସେ ସେମାନଙ୍କ ଛାଉଣି ମଧ୍ୟରେ, ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ।
PSA 78:29 ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ।
PSA 78:30 ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ, ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ
PSA 78:31 ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।
PSA 78:32 ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ।
PSA 78:33 ଏହେତୁ ସେ ଅସାରତାରେ ସେମାନଙ୍କ ଦିନ ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ,
PSA 78:34 ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ; ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ।
PSA 78:35 ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।
PSA 78:36 ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।
PSA 78:37 କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା, କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
PSA 78:38 ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି ଆପଣା କୋପ ଉତ୍ତେଜ କଲେ ନାହିଁ।
PSA 78:39 ଆଉ, ସେମାନେ ଯେ ମାଂସ ମାତ୍ର ଓ ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ।
PSA 78:40 ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।
PSA 78:41 ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।
PSA 78:42 ସେମାନେ ତାହାଙ୍କର ହସ୍ତ ଓ ଯେଉଁ ଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ
PSA 78:43 ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ ଓ ସୋୟନ-ପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ;
PSA 78:44 ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ କରିବାରୁ ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ ସ୍ମରଣ କଲେ ନାହିଁ।
PSA 78:45 ସେ ସେମାନଙ୍କ ମଧ୍ୟକୁ ଦଂଶକ ଝିଙ୍କ ପଠାଇଲେ, ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ବେଙ୍ଗ ପଠାଇଲେ, ସେସବୁ ସେମାନଙ୍କୁ ବିନାଶ କଲେ।
PSA 78:46 ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ।
PSA 78:47 ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମ ଦ୍ୱାରା ସେମାନଙ୍କ ଡିମ୍ବିରିବୃକ୍ଷ ନଷ୍ଟ କଲେ।
PSA 78:48 ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ।
PSA 78:49 ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ।
PSA 78:50 ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ, ସେ ମୃତ୍ୟୁୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ;
PSA 78:51 ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ, ହାମ୍‍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ;
PSA 78:52 ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ।
PSA 78:53 ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ, ତେଣୁ ସେମାନେ ଉଦ୍‍ବିଗ୍ନ ନୋହିଲେ, ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା।
PSA 78:54 ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ।
PSA 78:55 ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ିଦେଲେ ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରିଦେଲେ ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ।
PSA 78:56 ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ;
PSA 78:57 ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ।
PSA 78:58 କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ। ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ।
PSA 78:59 ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ;
PSA 78:60 ଏପରିକି, ସେ ଶୀଲୋସ୍ଥିତ ଆବାସ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ।
PSA 78:61 ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।
PSA 78:62 ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ ଓ ଆପଣା ଅଧିକାର ପ୍ରତି କ୍ରୋଧ ହେଲେ।
PSA 78:63 ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ ହେଲା ନାହିଁ।
PSA 78:64 ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ।
PSA 78:65 ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି, ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।
PSA 78:66 ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ; ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।
PSA 78:67 ଆହୁରି, ସେ ଯୋଷେଫର ବଂଶକୁ ଅଗ୍ରାହ୍ୟ କଲେ ଓ ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ।
PSA 78:68 ମାତ୍ର ଯିହୁଦା ଗୋଷ୍ଠୀକୁ, ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
PSA 78:69 ଆଉ, ସେ ଉଚ୍ଚ ଗଗନ ତୁଲ୍ୟ ଓ ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ।
PSA 78:70 ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।
PSA 78:71 ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।
PSA 78:72 ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।
PSA 79:1 ଆସଫର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।
PSA 79:2 ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି, ତୁମ୍ଭ ସଦ୍‍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି।
PSA 79:3 ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା।
PSA 79:4 ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ।
PSA 79:5 ହେ ସଦାପ୍ରଭୋ, କେତେ କାଳ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ? ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ?
PSA 79:6 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ।
PSA 79:7 କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି।
PSA 79:8 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ; ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ। କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ।
PSA 79:9 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର।
PSA 79:10 ଅନ୍ୟ ଦେଶୀୟମାନେ କାହିଁକି କହିବେ, ସେମାନଙ୍କର ପରମେଶ୍ୱର କାହାନ୍ତି? ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ।
PSA 79:11 ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର।
PSA 79:12 ପୁଣି, ହେ ପ୍ରଭୋ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି, ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ।
PSA 79:13 ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ, ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା; ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା।
PSA 80:1 ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍-ଏଦୂତ୍‍ ସ୍ୱରରେ ଆସଫର ଗୀତ। ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ।
PSA 80:2 ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର।
PSA 80:3 ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
PSA 80:4 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ?
PSA 80:5 ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ।
PSA 80:6 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ; ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି।
PSA 80:7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
PSA 80:8 ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ।
PSA 80:9 ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।
PSA 80:10 ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ।
PSA 80:11 ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
PSA 80:12 କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ, ପଥିକସବୁ ତାହା ଛିଣ୍ଡାଇ ପକାଉଅଛନ୍ତି?
PSA 80:13 ବନରୁ ବରାହ ଆସି ତାହା ଉଜାଡ଼ି ପକାଏ ଓ ବିଲର ପଶୁଗଣ ତାହା ଖାଇଯାʼନ୍ତି।
PSA 80:14 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର
PSA 80:15 ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ।
PSA 80:16 ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି; ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି।
PSA 80:17 ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ।
PSA 80:18 ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ; ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।
PSA 80:19 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ; ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।
PSA 81:1 ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ। ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର; ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
PSA 81:2 ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।
PSA 81:3 ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ।
PSA 81:4 କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ।
PSA 81:5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।
PSA 81:6 “ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା।
PSA 81:7 ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା]
PSA 81:8 ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା; ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ!
PSA 81:9 ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ।
PSA 81:10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।
PSA 81:11 ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ।
PSA 81:12 ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ିଦେଲୁ।
PSA 81:13 ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା!
PSA 81:14 ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ।
PSA 81:15 ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ; ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।
PSA 81:16 ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।”
PSA 82:1 ଆସଫର ଗୀତ। ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି; ସେ ଦେବତାମାନଙ୍କ ବିଚାର କରନ୍ତି।
PSA 82:2 “ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ? [ସେଲା]
PSA 82:3 ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।
PSA 82:4 ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।”
PSA 82:5 ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।
PSA 82:6 ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।
PSA 82:7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ।”
PSA 82:8 ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ।
PSA 83:1 ଗୀତ, ଆସଫର ଗୀତ। ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ।
PSA 83:2 କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇଅଛନ୍ତି।
PSA 83:3 ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି।
PSA 83:4 ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”
PSA 83:5 କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;
PSA 83:6 ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ,
PSA 83:7 ଗବାଲ, ଅମ୍ମୋନ, ଅମାଲେକ୍‍ ଓ ସୋରନି ବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
PSA 83:8 ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। [ସେଲା]
PSA 83:9 ମିଦୀୟନ ଦେଶ ପ୍ରତି, କୀଶୋନ୍‍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ୍‍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର।
PSA 83:10 ସେମାନେ ଐନ୍‍-ଦୋର ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ।
PSA 83:11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍‍ ଓ ସେବ୍‍ର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର;
PSA 83:12 ସେମାନେ କହିଲେ, “ଆସ, ଆମ୍ଭେମାନେ ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।”
PSA 83:13 ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର।
PSA 83:14 ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ;
PSA 83:15 ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର।
PSA 83:16 ହେ ସଦାପ୍ରଭୋ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
PSA 83:17 ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ; ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;
PSA 83:18 ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ।
PSA 84:1 ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ହେ ସୈନ୍ୟାଧିପତି ସଦାପ୍ରଭୋ, ତୁମ୍ଭର ଆବାସ କିପରି ପ୍ରିୟତମ!
PSA 84:2 ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ।
PSA 84:3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,
PSA 84:4 ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା]
PSA 84:5 ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ।
PSA 84:6 ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି; ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ।
PSA 84:7 ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି।
PSA 84:8 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର। [ସେଲା]
PSA 84:9 ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ।
PSA 84:10 କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।
PSA 84:11 କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।
PSA 84:12 ହେ ସୈନ୍ୟାଧିପତି ପରମେଶ୍ୱର, ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ।
PSA 85:1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।
PSA 85:2 ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ, ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। [ସେଲା]
PSA 85:3 ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ; ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।
PSA 85:4 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର।
PSA 85:5 ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ? ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ?
PSA 85:6 ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ, ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ?
PSA 85:7 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର।
PSA 85:8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ; କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍‍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ; ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ।
PSA 85:9 ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି।
PSA 85:10 ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି।
PSA 85:11 ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି; ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି।
PSA 85:12 ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।
PSA 85:13 ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।
PSA 86:1 ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ।
PSA 86:2 ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ୱରପରାୟଣ; ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର।
PSA 86:3 ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ।
PSA 86:4 ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।
PSA 86:5 ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
PSA 86:6 ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର।
PSA 86:7 ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ।
PSA 86:8 ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ।
PSA 86:9 ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ।
PSA 86:10 କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ।
PSA 86:11 ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର।
PSA 86:12 ହେ ପ୍ରଭୋ, ମୋʼ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି।
PSA 86:13 କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ।
PSA 86:14 ହେ ପରମେଶ୍ୱର, ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋʼ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି।
PSA 86:15 ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
PSA 86:16 ଆହେ, ମୋʼ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି, ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର।
PSA 86:17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋʼ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ସଦାପ୍ରଭୋ, ତୁମ୍ଭେ ମୋତେ ସାହାଯ୍ୟ କରିଅଛ ଓ ସାନ୍ତ୍ୱନା ଦେଇଅଛ।
PSA 87:1 ଗୀତ; କୋରହ-ସନ୍ତାନଗଣର ଗୀତ। ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।
PSA 87:2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।
PSA 87:3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା]
PSA 87:4 ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ; “ଏହି ଜଣ ସେଠାରେ ଜାତ ହେଲା।”
PSA 87:5 ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;” ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।
PSA 87:6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, “ଏଜଣ ସେଠାରେ ଜାତ ହେଲା” ବୋଲି ଗଣନା କରିବେ। [ସେଲା]
PSA 87:7 ଗାୟକ ଓ ନର୍ତ୍ତକମାନେ କହିବେ, “ମୋହର ସବୁ ଝର ତୁମ୍ଭଠାରେ ଅଛି।”
PSA 88:1 ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍। ସଦାପ୍ରଭୋ, ମୋʼ ପରିତ୍ରାଣର ପରମେଶ୍ୱର, ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;
PSA 88:2 ମୋʼ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋʼ କାକୂକ୍ତିରେ କର୍ଣ୍ଣପାତ କର;
PSA 88:3 କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।
PSA 88:4 ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; ମୁଁ ଅସହାୟ ଲୋକର ସମାନ।
PSA 88:5 ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ ସ୍ମରଣ କରୁ ନାହଁ ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।
PSA 88:6 ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।
PSA 88:7 ତୁମ୍ଭର କୋପ ମୋʼ ଉପରେ ପ୍ରବଳ ହୋଇ ରହୁଅଛି ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। [ସେଲା]
PSA 88:8 ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋʼ ଠାରୁ ଦୂରରେ ରଖିଅଛ; ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ। ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।
PSA 88:9 କ୍ଳେଶ ସକାଶୁ ମୋʼ ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।
PSA 88:10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ? ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ? [ସେଲା]
PSA 88:11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ?
PSA 88:12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ?
PSA 88:13 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।
PSA 88:14 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋʼ ପ୍ରାଣକୁ ପରିତ୍ୟାଗ କରୁଅଛ? ତୁମ୍ଭେ କାହିଁକି ମୋʼ ଠାରୁ ଆପଣା ମୁଖ ଲୁଚାଉଅଛ?
PSA 88:15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।
PSA 88:16 ତୁମ୍ଭ ପ୍ରଚଣ୍ଡ କୋପ ମୋʼ ଉପର ଦେଇ ଯାଇଅଛି; ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।
PSA 88:17 ତାହାସବୁ ସାରାଦିନ ଜଳ ପରି ମୋʼ ଚାରିଆଡ଼େ ଉପସ୍ଥିତ; ତାହାସବୁ ଏକତ୍ର ମୋʼ ଚାରିଆଡ଼େ ବେଷ୍ଟନ କଲେ।
PSA 88:18 ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋʼ ଠାରୁ ଦୂରରେ ଓ ମୋʼ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।
PSA 89:1 ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍। ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି; ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି।
PSA 89:2 କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି; “ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।”
PSA 89:3 “ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ।
PSA 89:4 ‘ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।’” [ସେଲା]
PSA 89:5 ହେ ସଦାପ୍ରଭୋ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ, ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ।
PSA 89:6 କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇପାରେ? ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର
PSA 89:7 ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ-ସନ୍ତାନଗଣ ମଧ୍ୟରେ କିଏ ଅଛି?
PSA 89:8 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ତୁଲ୍ୟ ବିକ୍ରମୀ କିଏ? ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ।
PSA 89:9 ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ; ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ କରୁଅଛ।
PSA 89:10 ତୁମ୍ଭେ ରାହବକୁ ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ କରିଅଛ; ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିଅଛ।
PSA 89:11 ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର; ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ।
PSA 89:12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,
PSA 89:13 ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ; ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ।
PSA 89:14 ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।
PSA 89:15 ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ; ହେ ସଦାପ୍ରଭୋ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି।
PSA 89:16 ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।
PSA 89:17 କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।
PSA 89:18 କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।
PSA 89:19 ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ, ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ; ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।
PSA 89:20 ଆମ୍ଭେ ଆପଣା ଦାସ ଦାଉଦଙ୍କୁ ପାଇଅଛୁ; ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ;
PSA 89:21 ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ; ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ।
PSA 89:22 ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।
PSA 89:23 ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।
PSA 89:24 ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ; ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।
PSA 89:25 ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।
PSA 89:26 ସେ ଆମ୍ଭଙ୍କୁ ଡାକି କହିବ, ‘ତୁମ୍ଭେ ଆମ୍ଭର ପିତା, ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।’
PSA 89:27 ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।
PSA 89:28 ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
PSA 89:29 ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।
PSA 89:30 ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭ ଶାସନରେ ନ ଚାଲନ୍ତି;
PSA 89:31 ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;
PSA 89:32 ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।
PSA 89:33 ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
PSA 89:34 ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।
PSA 89:35 ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ; ଆମ୍ଭେ ଦାଉଦଙ୍କୁ ମିଥ୍ୟା କହିବା ନାହିଁ।
PSA 89:36 ତାହାର ବଂଶ ସଦାକାଳ ରହିବ ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ।
PSA 89:37 ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ।” [ସେଲା]
PSA 89:38 ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।
PSA 89:39 ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ; ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ।
PSA 89:40 ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ; ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ।
PSA 89:41 ପଥ ଦେଇ ଯିବା ଲୋକ ସମସ୍ତେ ତାହାକୁ ଲୁଟ କରନ୍ତି; ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି।
PSA 89:42 ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ କରିଅଛ; ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ।
PSA 89:43 ହଁ, ତୁମ୍ଭେ ତାହାର ଖଡ୍ଗଧାର ଫେରାଉଅଛ ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ।
PSA 89:44 ତୁମ୍ଭେ ତାହାର ରାଜଦଣ୍ଡ ନିବୃତ୍ତ କରିଅଛ ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ।
PSA 89:45 ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ; ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ। [ସେଲା]
PSA 89:46 ହେ ସଦାପ୍ରଭୋ, କେତେ କାଳ, ତୁମ୍ଭେ କି ସଦାକାଳ ଆପଣାକୁ ଲୁଚାଇବ? କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ?
PSA 89:47 ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର; ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ-ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ!
PSA 89:48 ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ?
PSA 89:49 ହେ ପ୍ରଭୋ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ?
PSA 89:50 ହେ ପ୍ରଭୋ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା ବକ୍ଷସ୍ଥଳରେ ବହୁଅଛି, ଏହା ସ୍ମରଣ କର।
PSA 89:51 ହେ ସଦାପ୍ରଭୋ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା କରିଅଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
PSA 89:52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, ଆମେନ୍‍, ଆମେନ୍‍।
PSA 90:1 ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା। ହେ ପ୍ରଭୋ, ତୁମ୍ଭେ ପୁରୁଷାନୁକ୍ରମରେ ଆମ୍ଭମାନଙ୍କର ବାସସ୍ଥାନ ହୋଇ ଆସିଅଛ।
PSA 90:2 ପର୍ବତଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।
PSA 90:3 ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ। ପୁଣି, କହୁଅଛ, “ହେ ମନୁଷ୍ୟ-ସନ୍ତାନଗଣ, ଫେର।”
PSA 90:4 କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ ଓ ରାତ୍ରିର ଏକ ପ୍ରହରର ସମାନ।
PSA 90:5 ଯେପରି ପ୍ଲାବନରେ, ସେପରି ତୁମ୍ଭେ ସେମାନଙ୍କୁ ଭସାଇ ନେଉଅଛ; ସେମାନେ ସ୍ୱପ୍ନ ତୁଲ୍ୟ। ପ୍ରାତଃକାଳରେ ସେମାନେ ବଢ଼ନ୍ତା ତୃଣ ତୁଲ୍ୟ।
PSA 90:6 ପ୍ରାତଃକାଳରେ ତାହା ସତେଜ ହୋଇ ବଢ଼ଇ; ସନ୍ଧ୍ୟାକାଳରେ ତାହା କଟାଯାଇ ଶୁଖଇ।
PSA 90:7 କାରଣ ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ପାଉ, ପୁଣି, ତୁମ୍ଭ କୋପରେ ଆମ୍ଭେମାନେ ବ୍ୟସ୍ତ ହେଉ।
PSA 90:8 ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ।
PSA 90:9 କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ; କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ।
PSA 90:10 ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ବଳ ଓ ପରିଶ୍ରମ ଦୁଃଖ ମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ।
PSA 90:11 ତୁମ୍ଭ କ୍ରୋଧର ପ୍ରବଳତା ଓ ତୁମ୍ଭ ପ୍ରତି ଉପଯୁକ୍ତ ଭୟ ପ୍ରମାଣେ ତୁମ୍ଭର କୋପ କିଏ ବୁଝେ?
PSA 90:12 ଯେପରି ଆମ୍ଭେମାନେ ଜ୍ଞାନବିଶିଷ୍ଟ ଅନ୍ତଃକରଣ ପାଇ ପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ।
PSA 90:13 ହେ ସଦାପ୍ରଭୋ, ଫେର; କେତେ କାଳ? ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ।
PSA 90:14 ପ୍ରଭାତରେ ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର; ତହିଁରେ ଆମ୍ଭେମାନେ ଯାବଜ୍ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା।
PSA 90:15 ଯେତେ ଦିନ ଆମ୍ଭମାନଙ୍କୁ ଦୁଃଖ ଦେଇଅଛ ଓ ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ, ତଦନୁସାରେ ଆମ୍ଭମାନଙ୍କୁ ଆନନ୍ଦିତ କର।
PSA 90:16 ତୁମ୍ଭ ଦାସଗଣ ପ୍ରତି ତୁମ୍ଭର କର୍ମ ଓ ସେମାନଙ୍କ ସନ୍ତାନଗଣ ପ୍ରତି ତୁମ୍ଭର ମହିମା ପ୍ରକାଶିତ ହେଉ।
PSA 90:17 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଉପରେ ଅଧିଷ୍ଠାନ କରୁ; ଆଉ, ତୁମ୍ଭେ ଆମ୍ଭମାନଙ୍କ ହସ୍ତକୃତ କର୍ମ ଆମ୍ଭମାନଙ୍କ ପକ୍ଷରେ ସ୍ଥାୟୀ କର; ହଁ, ଆମ୍ଭମାନଙ୍କର ହସ୍ତକୃତ କର୍ମ ତୁମ୍ଭେ ସ୍ଥାୟୀ କର।
PSA 91:1 ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।
PSA 91:2 ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।”
PSA 91:3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
PSA 91:4 ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।
PSA 91:5 ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,
PSA 91:6 ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ।
PSA 91:7 ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ।
PSA 91:8 ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ।
PSA 91:9 କାରଣ ହେ ସଦାପ୍ରଭୋ, ତୁମ୍ଭେ ମୋହର ଆଶ୍ରୟ। ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ।
PSA 91:10 ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।
PSA 91:11 କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।
PSA 91:12 ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ।
PSA 91:13 ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।
PSA 91:14 ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା।
PSA 91:15 ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।
PSA 91:16 ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା।
PSA 92:1 ଗୀତ: ବିଶ୍ରାମବାର ନିମିତ୍ତକ ଗୀତ। ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ, ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର,
PSA 92:2 ପୁଣି, ଦଶତାର-ଯନ୍ତ୍ର ଓ ନେବଲରେ, ବୀଣାର ଗମ୍ଭୀର ଧ୍ୱନିରେ,
PSA 92:3 ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ।
PSA 92:4 ଯେହେତୁ ହେ ସଦାପ୍ରଭୋ, ତୁମ୍ଭେ ନିଜ କର୍ମରେ ମୋତେ ଆନନ୍ଦିତ କରିଅଛ; ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି।
PSA 92:5 ହେ ସଦାପ୍ରଭୋ, ତୁମ୍ଭର କର୍ମସବୁ କିପରି ମହତ! ତୁମ୍ଭର ସଂକଳ୍ପସବୁ ଅତି ଗଭୀର।
PSA 92:6 ଜ୍ଞାନହୀନ ଲୋକ ଜାଣେ ନାହିଁ; କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ;
PSA 92:7 ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି, ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ।
PSA 92:8 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଊର୍ଦ୍ଧ୍ୱବାସୀ।
PSA 92:9 କାରଣ ହେ ସଦାପ୍ରଭୋ, ଦେଖ, ତୁମ୍ଭ ଶତ୍ରୁଗଣ, ଦେଖ, ତୁମ୍ଭର ଶତ୍ରୁଗଣ ବିନଷ୍ଟ ହେବେ; ଅଧର୍ମାଚାରୀ ସମସ୍ତେ ଚ୍ଛିନ୍ନଭିନ୍ନ ହେବେ।
PSA 92:10 ମାତ୍ର ତୁମ୍ଭେ ଅରଣା ଷଣ୍ଢର ଶୃଙ୍ଗ ପରି ମୋହର ଶୃଙ୍ଗ ଉନ୍ନତ କରିଅଛ; ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି।
PSA 92:11 ମୋʼ ଶତ୍ରୁଗଣ ଉପରେ ମୋହର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି, ମୋʼ ବିରୁଦ୍ଧରେ ଉଠିବା କୁକର୍ମକାରୀମାନଙ୍କ ଉପରେ ମୋହର ବାଞ୍ଛା ସଫଳ ହେବାର ମୋହର କର୍ଣ୍ଣ ଶୁଣିଅଛି।
PSA 92:12 ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।
PSA 92:13 ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି, ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ।
PSA 92:14 ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ; ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ;
PSA 92:15 ତଦ୍ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥିକ, ଏହା ପ୍ରକାଶିତ ହେବ; ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
PSA 93:1 ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ।
PSA 93:2 ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦିକାଳରୁ ବିଦ୍ୟମାନ।
PSA 93:3 ହେ ସଦାପ୍ରଭୋ, ନଦୀସକଳ ବଢ଼ି ଉଠିଅଛନ୍ତି, ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇଅଛନ୍ତି; ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି।
PSA 93:4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
PSA 93:5 ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।
PSA 94:1 ହେ ସଦାପ୍ରଭୋ, ପ୍ରତିଫଳଦାତା ପରମେଶ୍ୱର, ହେ ପ୍ରତିଫଳଦାତା ପରମେଶ୍ୱର, ଆପଣା କ୍ରୋଧ ଦେଖାଅ।
PSA 94:2 ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଅହଙ୍କାରୀମାନଙ୍କୁ ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ।
PSA 94:3 ହେ ସଦାପ୍ରଭୋ, ଦୁଷ୍ଟମାନେ କେତେ କାଳ, ଦୁଷ୍ଟମାନେ କେତେ କାଳ ଜୟଧ୍ୱନି କରିବେ?
PSA 94:4 ସେମାନେ କେତେ କାଳ ଅହଙ୍କାରରେ କଥା ଉଚ୍ଚାରଣ କରି କହିବେ? ଅଧର୍ମାଚାରୀ ସମସ୍ତେ ଦର୍ପ କରନ୍ତି।
PSA 94:5 ହେ ସଦାପ୍ରଭୋ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ କରନ୍ତି ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି।
PSA 94:6 ସେମାନେ ବିଧବା, ବିଦେଶୀକୁ ବଧ କରନ୍ତି ଓ ପିତୃହୀନମାନଙ୍କୁ ହତ୍ୟା କରନ୍ତି।
PSA 94:7 ପୁଣି, “ସଦାପ୍ରଭୁ ଦେଖିବେ ନାହିଁ, କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ, ଏହା ସେମାନେ କହନ୍ତି।”
PSA 94:8 ହେ ଲୋକଙ୍କ ମଧ୍ୟରେ ପଶୁବତ୍‍ ଲୋକେ, ତୁମ୍ଭେମାନେ ବିବେଚନା କର; ହେ ମୂଢ଼ଗଣ, ତୁମ୍ଭେମାନେ କେବେ ଜ୍ଞାନବାନ ହେବ?
PSA 94:9 ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ? ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ?
PSA 94:10 ଯେ ଗୋଷ୍ଠୀବର୍ଗକୁ ଶାସନ କରନ୍ତି, ଯେ ମନୁଷ୍ୟକୁ ଜ୍ଞାନ ଶିକ୍ଷା ଦିଅନ୍ତି, ସେ କି ଶାସ୍ତି ଦେବେ ନାହିଁ?
PSA 94:11 ମନୁଷ୍ୟର କଳ୍ପନାସବୁ ଅସାର ବୋଲି ସଦାପ୍ରଭୁ ଜାଣନ୍ତି।
PSA 94:12 ହେ ସଦାପ୍ରଭୋ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ,
PSA 94:13 ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ ଶିକ୍ଷା ଦିଅ, ସେ ଲୋକ ଧନ୍ୟ।
PSA 94:14 କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ, କିଅବା ଆପଣା ଅଧିକାର ପରିତ୍ୟାଗ କରିବେ ନାହିଁ।
PSA 94:15 ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ; ପୁଣି, ସରଳାନ୍ତଃକରଣ ଲୋକ ସମସ୍ତେ ତହିଁର ଅନୁଗାମୀ ହେବେ।
PSA 94:16 କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ? କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ?
PSA 94:17 ସଦାପ୍ରଭୁ ମୋହର ସହାୟ ହୋଇ ନ ଥିଲେ ମୋହର ପ୍ରାଣ ଶୀଘ୍ର ନୀରବ ସ୍ଥାନରେ ବାସ କରିଥାʼନ୍ତା।
PSA 94:18 “ମୋହର ପାଦ ଖସି ଯାଉଛି” ବୋଲି କହିଲା ବେଳେ, ହେ ସଦାପ୍ରଭୋ, ତୁମ୍ଭର ଦୟା ମୋତେ ଧରି ରଖିଲା।
PSA 94:19 ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ।
PSA 94:20 ବିଧାନ ଦ୍ୱାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ ସିଂହାସନର କି ତୁମ୍ଭ ସଙ୍ଗେ ସମ୍ବନ୍ଧତା ହେବ?
PSA 94:21 ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ ହୁଅନ୍ତି ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି।
PSA 94:22 ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ ଓ ମୋʼ ପରମେଶ୍ୱର ମୋହର ଆଶ୍ରୟ ଶୈଳ ହୋଇଅଛନ୍ତି।
PSA 94:23 ପୁଣି, ସେ ଦୁଷ୍ଟତା ଲୋକମାନଙ୍କ ଅଧର୍ମ ସେମାନଙ୍କ ଉପରେ ବର୍ତ୍ତାଇଅଛନ୍ତି, ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ କରିବେ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଉଚ୍ଛିନ୍ନ କରିବେ।
PSA 95:1 ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ।
PSA 95:2 ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ।
PSA 95:3 କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।
PSA 95:4 ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ; ପର୍ବତଗଣର ଶିଖ ମଧ୍ୟ ତାହାଙ୍କର।
PSA 95:5 ସମୁଦ୍ର ମଧ୍ୟ ତାହାଙ୍କର, ସେ ତାହା ସୃଷ୍ଟି କଲେ; ପୁଣି, ଶୁଷ୍କ ଭୂମି ତାହାଙ୍କ ହସ୍ତନିର୍ମିତ।
PSA 95:6 ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;
PSA 95:7 କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ।
PSA 95:8 ଯେପରି ମିରୀବାଃ ନିକଟରେ ଉତ୍ତେଜିତ ହେବା ସମୟରେ, ଯେପରି ପ୍ରାନ୍ତର ମଧ୍ୟରେ ମଃସା ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ;
PSA 95:9 ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ, ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ।
PSA 95:10 ଆମ୍ଭେ ଚାଳିଶ ବର୍ଷ ଯାଏ ସେହି ବଂଶ ପ୍ରତି ବିରକ୍ତ ଥିଲୁ, ପୁଣି କହିଲୁ, “ଏହି ଲୋକମାନେ ଅନ୍ତଃକରଣରେ ଭ୍ରାନ୍ତ ଓ ସେମାନେ ଆମ୍ଭର ପଥ ଜାଣି ନାହାନ୍ତି;”
PSA 95:11 ଏହେତୁ ସେମାନେ ଆମ୍ଭ ବିଶ୍ରାମରେ ପ୍ରବେଶ କରିବେ ନାହିଁ ବୋଲି ଆମ୍ଭେ ଆପଣା କୋପରେ ଶପଥ କଲୁ।
PSA 96:1 ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
PSA 96:2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର; ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର।
PSA 96:3 ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର।
PSA 96:4 କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ।
PSA 96:5 କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା।
PSA 96:6 ସମ୍ଭ୍ରମ ଓ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ; ଶକ୍ତି ଓ ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ।
PSA 96:7 ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର।
PSA 96:8 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ପ୍ରାଙ୍ଗଣକୁ ଆସ।
PSA 96:9 ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର; ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ।
PSA 96:10 “ସଦାପ୍ରଭୁ ରାଜ୍ୟ କରନ୍ତି, ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ; ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ।”
PSA 96:11 ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର; ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;
PSA 96:12 କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ; ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ;
PSA 96:13 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି; ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।
PSA 97:1 ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ; ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ।
PSA 97:2 ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ।
PSA 97:3 ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ ଓ ତାହାଙ୍କ ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍ଧ କରେ।
PSA 97:4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା; ପୃଥିବୀ ଦେଖି କମ୍ପିଲା।
PSA 97:5 ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ, ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ।
PSA 97:6 ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି।
PSA 97:7 ଖୋଦିତ ପ୍ରତିମାଗଣର ସେବକ ସମସ୍ତେ ଓ ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହେଉନ୍ତୁ; ହେ ସମସ୍ତ ଦେବତାଗଣ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର।
PSA 97:8 ହେ ସଦାପ୍ରଭୋ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି ଆନନ୍ଦିତ ହେଲା ଓ ଯିହୁଦାର କନ୍ୟାଗଣ ଉଲ୍ଲସିତ ହେଲେ।
PSA 97:9 କାରଣ ହେ ସଦାପ୍ରଭୋ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ; ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।
PSA 97:10 ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର; ସେ ଆପଣା ସଦ୍‍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି। ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;
PSA 97:11 ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସରଳମନାମାନଙ୍କ ପାଇଁ ଆନନ୍ଦ ବୁଣା ଯାଇଅଛି।
PSA 97:12 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ପୁଣି, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।
PSA 98:1 ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି।
PSA 98:2 ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି।
PSA 98:3 ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି।
PSA 98:4 ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; ଉଚ୍ଚଧ୍ୱନି କର, ଆନନ୍ଦଗାନ କର ଓ ପ୍ରଶଂସା ଗାନ କର।
PSA 98:5 ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
PSA 98:6 ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।
PSA 98:7 ସମୁଦ୍ର ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ;
PSA 98:8 ନଦ-ନଦୀଗଣ କରତାଳି ଦେଉନ୍ତୁ; ପର୍ବତଗଣ ଏକ ସଙ୍ଗେ ଆନନ୍ଦଗାନ କରନ୍ତୁ;
PSA 98:9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର କରିବେ।
PSA 99:1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।
PSA 99:2 ସଦାପ୍ରଭୁ ସିୟୋନରେ ମହାନ ଓ ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ।
PSA 99:3 ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; ସେ ପବିତ୍ର ଅଟନ୍ତି।
PSA 99:4 ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ।
PSA 99:5 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; ସେ ପବିତ୍ର ଅଟନ୍ତି।
PSA 99:6 ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।
PSA 99:7 ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।
PSA 99:8 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ। ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ।
PSA 99:9 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।
PSA 100:1 ଧନ୍ୟବାଦାର୍ଥକ ଗୀତ। ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
PSA 100:2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ।
PSA 100:3 ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ; ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ; ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ।
PSA 100:4 ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର; ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର।
PSA 100:5 କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ।
PSA 101:1 ଦାଉଦଙ୍କର ଗୀତ। ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। ହେ ସଦାପ୍ରଭୋ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 101:2 ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; ଆହା, ତୁମ୍ଭେ କେବେ ମୋʼ ନିକଟକୁ ଆସିବ? ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି।
PSA 101:3 ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ; ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ; ତାହା ମୋʼ ଠାରେ ଲିପ୍ତ ହେବ ନାହିଁ।
PSA 101:4 କୁଟିଳ ଅନ୍ତଃକରଣ ମୋʼ ନିକଟରୁ ଦୂର ହେବ; ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ।
PSA 101:5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ।
PSA 101:6 ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋʼ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ। ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ।
PSA 101:7 ଯେ ପ୍ରତାରଣା କରେ, ସେ ମୋʼ ଗୃହ ମଧ୍ୟରେ ବାସ କରିବ ନାହିଁ। ଯେ ମିଥ୍ୟା କହେ, ସେ ମୋʼ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ।
PSA 101:8 ମୁଁ ଅଧର୍ମାଚାରୀ ସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି।
PSA 102:1 ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।
PSA 102:2 ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।
PSA 102:3 କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।
PSA 102:4 ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।
PSA 102:5 ମୋହର ହାହାକାର ଶବ୍ଦ ସକାଶୁ ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ।
PSA 102:6 ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।
PSA 102:7 ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;
PSA 102:8 ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି।
PSA 102:9 କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।
PSA 102:10 ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।
PSA 102:11 ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।
PSA 102:12 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।
PSA 102:13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ।
PSA 102:14 ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।
PSA 102:15 ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।
PSA 102:16 କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;
PSA 102:17 ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।
PSA 102:18 ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।
PSA 102:19 କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;
PSA 102:20 ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;
PSA 102:21 ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,
PSA 102:22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;
PSA 102:23 ସଦାପ୍ରଭୁ ଜୀବନର ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ।
PSA 102:24 ମୁଁ କହିଲି, “ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।”
PSA 102:25 ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।
PSA 102:26 ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।
PSA 102:27 ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।
PSA 102:28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।
PSA 103:1 ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।
PSA 103:2 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;
PSA 103:3 ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି;
PSA 103:4 ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି;
PSA 103:5 ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି; ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ।
PSA 103:6 ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି।
PSA 103:7 ସେ ମୋଶାଙ୍କୁ ଆପଣା ପଥ ଓ ଇସ୍ରାଏଲ-ସନ୍ତାନଗଣକୁ ଆପଣା କ୍ରିୟାସବୁ ଜଣାଇଲେ।
PSA 103:8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ।
PSA 103:9 ସେ ନିରନ୍ତର ଧମକାଇବେ ନାହିଁ; କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ।
PSA 103:10 ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି।
PSA 103:11 କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ।
PSA 103:12 ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।
PSA 103:13 ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ ବହଇ, ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ ବହନ୍ତି।
PSA 103:14 କାରଣ ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ଯେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି।
PSA 103:15 ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ; ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ।
PSA 103:16 ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ।
PSA 103:17 ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି,
PSA 103:18 ପୁଣି, ପାଳନାର୍ଥେ ତାହାଙ୍କ ନିୟମସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କର ଧର୍ମ ପୁତ୍ରପୌତ୍ରାଦିକ୍ରମେ ଥାଏ।
PSA 103:19 ସଦାପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି; ପୁଣି, ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ।
PSA 103:20 ହେ ସଦାପ୍ରଭୁଙ୍କ ବାକ୍ୟସାଧକ ଓ ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ, ବଳରେ ପରାକ୍ରାନ୍ତ ଦୂତଗଣ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।
PSA 103:21 ହେ ସଦାପ୍ରଭୁଙ୍କର ପରିଚାରକ ଓ ତାହାଙ୍କ ଅଭିମତସାଧକ ସୈନ୍ୟ ସକଳ, ତୁମ୍ଭେମାନେ ତାହାଙ୍କର ଧନ୍ୟବାଦ କର।
PSA 103:22 ହେ ସଦାପ୍ରଭୁଙ୍କ ହସ୍ତକୃତ କର୍ମସକଳ, ତୁମ୍ଭେମାନେ ତାହାଙ୍କ ରାଜ୍ୟର ସର୍ବତ୍ର ତାହାଙ୍କର ଧନ୍ୟବାଦ କର; ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 104:1 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ; ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
PSA 104:2 ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
PSA 104:3 ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଠ ପକାଇଅଛ; ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ।
PSA 104:4 ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅଗ୍ନିଶିଖାକୁ ଆପଣାର ପରିଚାରକ କର।
PSA 104:5 ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, ତାହା କଦାପି ବିଚଳିତ ହେବ ନାହିଁ।
PSA 104:6 ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; ପର୍ବତଗଣ ଉପରେ ଜଳରାଶି ଠିଆ ହେଲା।
PSA 104:7 ତୁମ୍ଭ ଧମକରେ ସେସବୁ ପଳାଇଲେ; ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ;
PSA 104:8 ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ।
PSA 104:9 ସେମାନେ ଯେପରି ସୀମା ଲଙ୍ଘନ ନ କରିବେ ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ, ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ।
PSA 104:10 ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; ତାହା ପର୍ବତଗଣ ମଧ୍ୟରେ ଧାଏଁ;
PSA 104:11 ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି।
PSA 104:12 ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, ସେମାନେ ଡାଳ ମଧ୍ୟରେ ଗାନ କରନ୍ତି।
PSA 104:13 ସେ ଆପଣା ସ୍ବର୍ଗରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି; ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ।
PSA 104:14 ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
PSA 104:15 ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
PSA 104:16 ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ; ଲିବାନୋନରେ ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ;
PSA 104:17 ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି; ଦେବଦାରୁ ବୃକ୍ଷ ଚରଳର ଗୃହ।
PSA 104:18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ, ଶୈଳସବୁ ଶାଫନ୍‍ର ଆଶ୍ରୟ।
PSA 104:19 ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି; ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
PSA 104:20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ; ତହିଁରେ ସକଳ ବନ-ପଶୁ ବାହାରି ଭ୍ରମଣ କରନ୍ତି।
PSA 104:21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି।
PSA 104:22 ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯାʼନ୍ତି ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି।
PSA 104:23 ମନୁଷ୍ୟ ଆପଣା କାର୍ଯ୍ୟକୁ ଓ ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ।
PSA 104:24 ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ! ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ।
PSA 104:25 ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, ତହିଁ ମଧ୍ୟରେ ଜଳଚର, କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।
PSA 104:26 ତହିଁରେ ଜାହାଜ ଗତାୟାତ କରେ; ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ ଥାଏ।
PSA 104:27 ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି।
PSA 104:28 ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି। ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି।
PSA 104:29 ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି; ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ, ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯାʼନ୍ତି।
PSA 104:30 ତୁମ୍ଭେ ଆପଣା ଆତ୍ମା ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି; ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ।
PSA 104:31 ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ।
PSA 104:32 ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍ଗାର କରନ୍ତି।
PSA 104:33 ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 104:34 ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ; ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।
PSA 104:35 ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 105:1 ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ।
PSA 105:2 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର।
PSA 105:3 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ।
PSA 105:4 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର।
PSA 105:5 ହେ ତାହାଙ୍କ ଦାସ ଅବ୍ରହାମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ,
PSA 105:6 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର।
PSA 105:7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ।
PSA 105:8 ସେ ଆପଣା ନିୟମ, ଅର୍ଥାତ୍‍, ଯେଉଁ ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଥିଲେ,
PSA 105:9 ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ ଆପଣାର ଯେଉଁ ଶପଥ ସେ ଇସ୍‌ହାକ ନିକଟରେ କରିଥିଲେ, ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି।
PSA 105:10 ପୁଣି, ସେ ଯାକୁବ ପ୍ରତି ତାହା ବିଧି ରୂପେ ଓ ଇସ୍ରାଏଲ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଦୃଢ଼ କରି କହିଲେ,
PSA 105:11 “ଆମ୍ଭେ ତୁମ୍ଭମାନଙ୍କର ନିର୍ଣ୍ଣୀତ ଅଧିକାର ରୂପେ ତୁମ୍ଭକୁ କିଣାନ ଦେଶ ଦେବା।”
PSA 105:12 ସେହି ସମୟରେ ସେମାନେ ସଂଖ୍ୟାରେ ଅଳ୍ପ ଲୋକ ଓ ଅତି ଅଳ୍ପ, ପୁଣି ସେହି ଦେଶରେ ପ୍ରବାସୀ ଥିଲେ।
PSA 105:13 ଆଉ, ସେମାନେ ଗୋଷ୍ଠୀରୁ ଗୋଷ୍ଠୀ ନିକଟରେ, ଏକ ରାଜ୍ୟରୁ ଅନ୍ୟ ବଂଶ ନିକଟରେ ଭ୍ରମଣ କଲେ।
PSA 105:14 ସେ ସେମାନଙ୍କର ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ; ଆହୁରି, ସେ ସେମାନଙ୍କ ସକାଶେ ରାଜାଗଣକୁ ଅନୁଯୋଗ କରି କହିଲେ;
PSA 105:15 “ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ।”
PSA 105:16 ଏଥିଉତ୍ତାରେ ସେ ଦେଶରେ ଦୁର୍ଭିକ୍ଷ ଆଜ୍ଞା କଲେ; ସେ ଭକ୍ଷ୍ୟରୂପ ସମଗ୍ର ଯଷ୍ଟି ଭଗ୍ନ କଲେ।
PSA 105:17 ସେ ସେମାନଙ୍କ ଆଗରେ ଏକ ମନୁଷ୍ୟକୁ ପଠାଇଲେ; ଯୋଷେଫ ଦାସ ହେବା ପାଇଁ ବିକ୍ରୀତ ହେଲା;
PSA 105:18 ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ; ସେ ଲୌହ ଶୃଙ୍ଖଳରେ ରଖାଗଲା;
PSA 105:19 ଶେଷରେ ତାହାର ବଚନ ସଫଳ ହେଲା; ସଦାପ୍ରଭୁଙ୍କ ବାକ୍ୟ ତାହାକୁ ପରୀକ୍ଷା କଲା।
PSA 105:20 ତହୁଁ ରାଜା ଲୋକ ପଠାଇ ତାହାକୁ ମୁକ୍ତ କଲା; ନରପତି ତାହାକୁ ମୁକ୍ତ କରି ଛାଡ଼ିଦେଲା।
PSA 105:21 ସେ ଆପଣାର ଅଧିପତିମାନଙ୍କୁ ଇଚ୍ଛାନୁସାରେ ବନ୍ଧନ କରିବା ପାଇଁ ଓ ଆପଣାର ମନ୍ତ୍ରୀମାନଙ୍କୁ ଜ୍ଞାନ ଶିକ୍ଷା ଦେବା ପାଇଁ;
PSA 105:22 ତାହାକୁ ଆପଣା ଗୃହର ପ୍ରଭୁ ଓ ଆପଣା ସକଳ ସମ୍ପତ୍ତିର କର୍ତ୍ତା କଲା।
PSA 105:23 ଇସ୍ରାଏଲ ମଧ୍ୟ ମିସର ଦେଶକୁ ଆସିଲା ଓ ଯାକୁବ ହାମ୍‍ ଦେଶରେ ପ୍ରବାସ କଲା।
PSA 105:24 ଏଥିଉତ୍ତାରେ ସେ ଆପଣା ଲୋକମାନଙ୍କୁ ଅତିଶୟ ବୃଦ୍ଧି କଲେ ଓ ସେମାନଙ୍କ ବିପକ୍ଷଗଣ ଅପେକ୍ଷା ସେମାନଙ୍କୁ ବଳବାନ କଲେ।
PSA 105:25 ସେ ଆପଣା ଲୋକମାନଙ୍କୁ ଘୃଣା କରିବା ପାଇଁ ଓ ଆପଣା ଦାସମାନଙ୍କ ସହିତ ଧୂର୍ତ୍ତ ବ୍ୟବହାର କରିବା ପାଇଁ ସେମାନଙ୍କ ମନପରିବର୍ତ୍ତନ କଲେ।
PSA 105:26 ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା ମନୋନୀତ ହାରୋଣଙ୍କୁ ପଠାଇଲେ।
PSA 105:27 ସେମାନେ ଲୋକମାନଙ୍କ ମଧ୍ୟରେ ତାହାଙ୍କର ବିବିଧ ଲକ୍ଷଣ ଓ ହାମ୍‍ ଦେଶରେ ନାନା ଅଦ୍ଭୁତ କର୍ମ ପ୍ରକାଶ କଲେ।
PSA 105:28 ସେ ଅନ୍ଧକାର ପଠାଇ ଦେଶକୁ ଅନ୍ଧକାରମୟ କଲେ; ଆଉ, ସେମାନେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
PSA 105:29 ସେ ସେମାନଙ୍କ ଜଳସବୁ ରକ୍ତ କଲେ ଓ ମାଛସବୁ ମାରି ପକାଇଲେ।
PSA 105:30 ସେମାନଙ୍କ ଦେଶ ଓ ସେମାନଙ୍କ ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା।
PSA 105:31 ସେ ଆଜ୍ଞା କରନ୍ତେ, ଦଂଶକର ଝିଙ୍କ ଓ ସେମାନଙ୍କ ସକଳ ଅଞ୍ଚଳରେ ଉକୁଣିଆ ପୋକ ଉପସ୍ଥିତ ହେଲେ।
PSA 105:32 ସେ ସେମାନଙ୍କୁ ବୃଷ୍ଟି ବଦଳେ ଶିଳା ଓ ସେମାନଙ୍କ ଦେଶରେ ଶିଖାଯୁକ୍ତ ଅଗ୍ନି ଦେଲେ।
PSA 105:33 ମଧ୍ୟ ସେ ସେମାନଙ୍କ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷସବୁ ଆଘାତ କଲେ ଓ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
PSA 105:34 ସେ ଆଜ୍ଞା କରନ୍ତେ, ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ;
PSA 105:35 ପୁଣି, ସେମାନଙ୍କ ଦେଶର ସବୁ ତୃଣ ଖାଇ ପକାଇଲେ ଓ ସେମାନଙ୍କ ଭୂମିର ଫଳସବୁ ଗ୍ରାସ କଲେ।
PSA 105:36 ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ, ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ କଲେ।
PSA 105:37 ଆଉ, ସେ ରୂପା ଓ ସୁନା ସହିତ ସେମାନଙ୍କୁ ବାହାର କରି ଆଣିଲେ ଓ ତାହାଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ନ ଥିଲା।
PSA 105:38 ସେମାନେ ପ୍ରସ୍ଥାନ କରନ୍ତେ, ମିସର ଆନନ୍ଦିତ ହେଲା; କାରଣ ସେମାନଙ୍କ ବିଷୟକ ଭୟ ସେମାନଙ୍କ ଉପରେ ପଡ଼ିଥିଲା।
PSA 105:39 ସେ ଚନ୍ଦ୍ରାତପ ନିମନ୍ତେ ମେଘ ବିସ୍ତାର କଲେ ଓ ରାତ୍ରିରେ ଆଲୁଅ ଦେବା ପାଇଁ ଅଗ୍ନି ଦେଲେ।
PSA 105:40 ସେମାନେ ମାଗନ୍ତେ, ସେ ଭାଟୋଇ ପକ୍ଷୀମାନଙ୍କୁ ଆଣିଲେ ଓ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ପରିତୃପ୍ତ କଲେ।
PSA 105:41 ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା; ତାହା ଶୁଷ୍କ ଭୂମିରେ ନଦୀ ତୁଲ୍ୟ ପ୍ରବାହିତ ହେଲା।
PSA 105:42 କାରଣ ସେ ଆପଣା ପବିତ୍ର ବାକ୍ୟ ଓ ଆପଣା ଦାସ ଅବ୍ରହାମଙ୍କୁ ସ୍ମରଣ କଲେ।
PSA 105:43 ପୁଣି, ସେ ଆପଣା ଲୋକମାନଙ୍କୁ ଆନନ୍ଦ ସହିତ ଓ ଆପଣା ମନୋନୀତମାନଙ୍କୁ ଗାୟନ ସହିତ ବାହାର କରି ଆଣିଲେ।
PSA 105:44 ଯେପରି ସେମାନେ ତାହାଙ୍କ ବିଧିସବୁ ରକ୍ଷା କରିବେ ଓ ତାହାଙ୍କର ବ୍ୟବସ୍ଥାସବୁ ପାଳନ କରିବେ,
PSA 105:45 ଏଥିପାଇଁ ସେ ଗୋଷ୍ଠୀୟବର୍ଗର ଦେଶସବୁ ସେମାନଙ୍କୁ ଦେଲେ ଓ ସେମାନେ ଜନବୃନ୍ଦର ପରିଶ୍ରମର ଫଳାଧିକାରୀ ହେଲେ; ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 106:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ। ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।
PSA 106:2 ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା କରିପାରେ? ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ?
PSA 106:3 ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ।
PSA 106:4 ହେ ସଦାପ୍ରଭୋ, ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର; ତୁମ୍ଭେ ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ;
PSA 106:5 ତହିଁରେ ମୁଁ ତୁମ୍ଭ ମନୋନୀତ ଲୋକଙ୍କର ସମୃଦ୍ଧି ଦେଖିବି, ତୁମ୍ଭ ଲୋକମାନଙ୍କ ଆନନ୍ଦରେ ଆନନ୍ଦ କରିବି, ତୁମ୍ଭ ଅଧିକାର ସହିତ ଦର୍ପ କରିବି।
PSA 106:6 ଆମ୍ଭେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣ ତୁଲ୍ୟ ପାପ କରିଅଛୁ, ଆମ୍ଭେମାନେ ଅପରାଧ କରିଅଛୁ, ଆମ୍ଭେମାନେ ଅଧର୍ମ କରିଅଛୁ।
PSA 106:7 ଆମ୍ଭମାନଙ୍କ ପିତୃପୁରୁଷମାନେ ମିସରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ବୁଝିଲେ ନାହିଁ; ସେମାନେ ତୁମ୍ଭ ଦୟାର ବାହୁଲ୍ୟ ସ୍ମରଣ କଲେ ନାହିଁ; ମାତ୍ର ସମୁଦ୍ର ନିକଟରେ, ସୂଫ ସାଗର ନିକଟରେ ହେଁ ବିଦ୍ରୋହାଚରଣ କଲେ।
PSA 106:8 ତେବେ ହେଁ ସେ ଆପଣା ମହାପରାକ୍ରମର ପରିଚୟ ଦେବା ନିମନ୍ତେ ଆପଣା ନାମ ସକାଶୁ ସେମାନଙ୍କୁ ପରିତ୍ରାଣ କଲେ।
PSA 106:9 ଆହୁରି, ସେ ସୂଫ ସାଗରକୁ ଧମକାନ୍ତେ, ତାହା ଶୁଷ୍କ ହେଲା; ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଘେନିଗଲେ।
PSA 106:10 ଆଉ, ସେ ସେମାନଙ୍କ ଘୃଣାକାରୀ ଲୋକର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ କଲେ।
PSA 106:11 ପୁଣି, ଜଳରାଶି ସେମାନଙ୍କ ବିପକ୍ଷଗଣକୁ ଆଚ୍ଛାଦନ କଲା; ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ।
PSA 106:12 ସେତେବେଳେ ତାହାଙ୍କ ଲୋକମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ; ସେମାନେ ତାହାଙ୍କର ପ୍ରଶଂସା ଗାନ କଲେ।
PSA 106:13 ସେମାନେ ତାହାଙ୍କ କର୍ମସକଳ ଶୀଘ୍ର ପାସୋରିଗଲେ; ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ;
PSA 106:14 ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।
PSA 106:15 ତହିଁରେ ସେ ସେମାନଙ୍କ ପ୍ରାର୍ଥିତ ବିଷୟ ଦେଲେ; ମାତ୍ର ସେମାନଙ୍କ ପ୍ରାଣରେ କ୍ଷୀଣତା ପ୍ରେରଣ କଲେ।
PSA 106:16 ଆହୁରି, ସେମାନେ ଛାଉଣିରେ ମୋଶାଙ୍କ ପ୍ରତି ଓ ସଦାପ୍ରଭୁଙ୍କର ସଦ୍‍ଭକ୍ତ ହାରୋଣଙ୍କ ପ୍ରତି ଈର୍ଷାଭାବ ବହିଲେ।
PSA 106:17 ପୃଥିବୀ ଫାଟିଯାଇ ଦାଥନକୁ ଗ୍ରାସ କଲା ଓ ଅବୀରାମର ଦଳକୁ ଆଚ୍ଛାଦନ କଲା।
PSA 106:18 ପୁଣି, ସେମାନଙ୍କ ଦଳ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା; ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।
PSA 106:19 ସେମାନେ ହୋରେବରେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢଳା ପ୍ରତିମାକୁ ପ୍ରଣାମ କଲେ।
PSA 106:20 ଏହିରୂପେ, ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା ସହିତ ଆପଣାମାନଙ୍କ ଗୌରବସ୍ୱରୂପଙ୍କୁ ପରିବର୍ତ୍ତନ କଲେ।
PSA 106:21 ଯେ ମିସରରେ ବିବିଧ ମହତ କର୍ମ, ହାମ୍‍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସାଗର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ;
PSA 106:22 ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ।
PSA 106:23 ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।
PSA 106:24 ଆହୁରି, ସେମାନେ ମନୋରମ ଦେଶକୁ ତୁଚ୍ଛ କଲେ, ସେମାନେ ତାହାଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ।
PSA 106:25 ମାତ୍ର ଆପଣା ଆପଣା ତମ୍ବୁରେ ବଚସା କଲେ, ଆଉ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।
PSA 106:26 ଏହେତୁ ସେ ପ୍ରାନ୍ତରରେ ସେମାନଙ୍କୁ ନିପାତ କରିବା ପାଇଁ ଓ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କ ବଂଶକୁ ନିପାତ କରିବା ପାଇଁ
PSA 106:27 ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବା ପାଇଁ ସେମାନଙ୍କ ପ୍ରତି ଆପଣା ହସ୍ତ ଉଠାଇଲେ।
PSA 106:28 ଆହୁରି, ସେମାନେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ ଓ ମୃତମାନଙ୍କର ବଳି ଭୋଜନ କଲେ।
PSA 106:29 ଏହିରୂପେ ସେମାନେ ଆପଣା ଆପଣା କ୍ରିୟା ଦ୍ୱାରା ତାହାଙ୍କୁ ବିରକ୍ତ କଲେ; ତହୁଁ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରକାଶିତ ହେଲା।
PSA 106:30 ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା ସାଧନ କଲା; ତହିଁରେ ମହାମାରୀ ନିବୃତ୍ତ ହେଲା।
PSA 106:31 ଏଣୁ ତାହା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
PSA 106:32 ଆହୁରି, ସେମାନେ ମିରୀବାଃ ଜଳ ନିକଟରେ ତାହାଙ୍କୁ କ୍ରୁଦ୍ଧ କଲେ, ତେଣୁ ସେମାନଙ୍କ ସକାଶୁ ମୋଶାଙ୍କର ବିପଦ ଘଟିଲା,
PSA 106:33 ଯେହେତୁ ସେମାନେ ମୋଶାଙ୍କ ଆତ୍ମା ପ୍ରତିକୂଳରେ ବିଦ୍ରୋହୀ ହୁଅନ୍ତେ, ସେ ଆପଣା ଓଷ୍ଠାଧରରେ ଅବିବେଚନାର କଥା କହିଲେ।
PSA 106:34 ସେମାନେ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗୋଷ୍ଠୀବର୍ଗକୁ ବିନାଶ କଲେ ନାହିଁ।
PSA 106:35 ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ ଓ ସେମାନଙ୍କ କ୍ରିୟାସବୁ ଶିଖିଲେ।
PSA 106:36 ଆଉ, ସେମାନଙ୍କ ଦେବତାଗଣର ସେବା କଲେ; ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା।
PSA 106:37 ହଁ, ସେମାନେ ଭୂତଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ ବଳିଦାନ କଲେ।
PSA 106:38 ପୁଣି, ସେମାନେ କିଣାନ ଦେଶର ଦେବତାଗଣ ଉଦ୍ଦେଶ୍ୟରେ ବଳିଦାନ କରି ନିର୍ଦ୍ଦୋଷ ରକ୍ତ, ଅର୍ଥାତ୍‍, ଆପଣା ଆପଣା ପୁତ୍ରକନ୍ୟାଗଣର ରକ୍ତପାତ କଲେ; ତହିଁରେ ଦେଶ ରକ୍ତରେ ଅଶୁଚି ହେଲା।
PSA 106:39 ଏହିରୂପେ ସେମାନେ ଆପଣା ଆପଣା କାର୍ଯ୍ୟ ଦ୍ୱାରା ଅପବିତ୍ର ହେଲେ ଓ ବ୍ୟବହାରରେ ବ୍ୟଭିଚାର କଲେ।
PSA 106:40 ଏହେତୁ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ପ୍ରଜ୍ୱଳିତ ହେଲା, ପୁଣି, ସେ ଆପଣା ଅଧିକାରକୁ ଘୃଣା କଲେ।
PSA 106:41 ଆଉ, ସେ ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ଘୃଣାକାରୀମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ;
PSA 106:42 ସେମାନଙ୍କ ଶତ୍ରୁଗଣ ମଧ୍ୟ ସେମାନଙ୍କ ପ୍ରତି ଉପଦ୍ରବ କଲେ, ପୁଣି, ସେମାନେ ସେମାନଙ୍କ ହସ୍ତ ତଳେ ବଶୀଭୂତ ହେଲେ।
PSA 106:43 ଅନେକ ଥର ସେ ସେମାନଙ୍କୁ ଉଦ୍ଧାର କଲେ; ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ବିଦ୍ରୋହୀ ହେଲେ ଓ ଆପଣା ଆପଣା ଅଧର୍ମରେ କ୍ଷୀଣ ହେଲେ।
PSA 106:44 ତଥାପି ସେ ସେମାନଙ୍କ କାକୂକ୍ତି ଶୁଣି ସେମାନଙ୍କ ଦୁର୍ଦ୍ଦଶାରେ ମନୋଯୋଗ କଲେ।
PSA 106:45 ପୁଣି, ସେମାନଙ୍କ ପକ୍ଷରେ ସେ ଆପଣା ନିୟମ ସ୍ମରଣ କଲେ ଓ ନିଜର ଦୟାର ବାହୁଲ୍ୟ ଅନୁସାରେ ସେମାନଙ୍କ ପ୍ରତି କୃପା କଲେ।
PSA 106:46 ଆହୁରି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେ ସେମାନଙ୍କ ମନରେ ଦୟା ଜନ୍ମାଇଲେ।
PSA 106:47 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମକୁ ଧନ୍ୟବାଦ ଦେବା ପାଇଁ, ତୁମ୍ଭ ପ୍ରଶଂସାରେ ଦର୍ପ କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କର ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କୁ ସଂଗ୍ରହ କର।
PSA 106:48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ। ପୁଣି, ସମୁଦାୟ ଲୋକ “ଆମେନ୍‍” କୁହନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 107:1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 107:2 ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,
PSA 107:3 ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ।
PSA 107:4 ସେମାନେ ପ୍ରାନ୍ତରରେ ନିର୍ଜନ ପଥରେ ଭ୍ରମଣ କଲେ; ସେମାନେ କୌଣସି ବସତି-ନଗର ପାଇଲେ ନାହିଁ।
PSA 107:5 କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା।
PSA 107:6 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ।
PSA 107:7 ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ ପାରିବେ, ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନିଗଲେ।
PSA 107:8 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।
PSA 107:9 ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି।
PSA 107:10 କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ,
PSA 107:11 ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁୁଚ୍ଛାୟାରେ ବସିଲେ;
PSA 107:12 ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା।
PSA 107:13 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ।
PSA 107:14 ସେ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ।
PSA 107:15 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
PSA 107:16 ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି।
PSA 107:17 ମୂର୍ଖମାନେ ଆପଣା ଆପଣା ଅପରାଧ ଓ ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି।
PSA 107:18 ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ ଓ ସେମାନେ ମୃତ୍ୟୁୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି।
PSA 107:19 ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି।
PSA 107:20 ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।
PSA 107:21 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।
PSA 107:22 ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
PSA 107:23 ଯେଉଁମାନେ ଜାହାଜ ଚଢ଼ି ସମୁଦ୍ରଯାତ୍ରା କରନ୍ତି, ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି,
PSA 107:24 ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ ଗଭୀର ଜଳରେ ତାହାଙ୍କର ଅଦ୍ଭୁତ ବ୍ୟାପାର ଦେଖନ୍ତି।
PSA 107:25 ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ଡ ବାୟୁ ଉଠଇ, ତଦ୍ଦ୍ୱାରା ସମୁଦ୍ରର ତରଙ୍ଗମାଳା ଉଠେ।
PSA 107:26 ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ ଗଭୀର ଜଳକୁ ଉତ୍ତରନ୍ତି; ବିପଦ ସକାଶୁ ଲୋକମାନଙ୍କ ପ୍ରାଣ ତରଳି ଯାଏ।
PSA 107:27 ସେମାନେ ମତ୍ତ ଲୋକ ପରି ଏଣେତେଣେ ଦୋହଲି ଢଳି ପଡ଼ନ୍ତି ଓ ସେମାନଙ୍କ ବୁଦ୍ଧି ହଜିଯାଏ।
PSA 107:28 ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କରନ୍ତି।
PSA 107:29 ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ।
PSA 107:30 ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ ଆନନ୍ଦ କରନ୍ତି; ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ କରାନ୍ତି।
PSA 107:31 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
PSA 107:32 ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ।
PSA 107:33 ସେ ନଦ-ନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି।
PSA 107:34 ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ ଉର୍ବରା ଦେଶକୁ ଲବଣ-ପ୍ରାନ୍ତର କରନ୍ତି।
PSA 107:35 ସେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଝରମୟ କରନ୍ତି।
PSA 107:36 ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର ନିର୍ମାଣ କରିବେ ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ
PSA 107:37 ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ, ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି।
PSA 107:38 ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ତହିଁରେ ସେମାନେ ଅତିଶୟ ବୃଦ୍ଧି ପାଆନ୍ତି; ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି ନାହିଁ।
PSA 107:39 ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ ଦ୍ୱାରା ନ୍ୟୂନୀକୃତ ଓ ଅବନତ ହୁଅନ୍ତି।
PSA 107:40 ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, ପୁଣି, ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି।
PSA 107:41 ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ କରନ୍ତି ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି।
PSA 107:42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ; ପୁଣି, ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ।
PSA 107:43 ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି, ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ।
PSA 108:1 ଦାଉଦଙ୍କର ଗାନାର୍ଥକ ଗୀତ। ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି।
PSA 108:2 ହେ ନେବଲ ଓ ବୀଣେ, ଜାଗ; ମୁଁ ନିଜେ ଅତି ପ୍ରଭାତରେ ଜାଗିବି।
PSA 108:3 ହେ ସଦାପ୍ରଭୋ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
PSA 108:4 ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;
PSA 108:5 ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।
PSA 108:6 ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ।
PSA 108:7 ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍କୋତ ଉପତ୍ୟକା ମାପିବି।
PSA 108:8 ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋʼ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ଡ।
PSA 108:9 ମୋୟାବ ମୋʼ ପ୍ରକ୍ଷାଳନ-ପାତ୍ର; ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି। ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି।”
PSA 108:10 କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି?
PSA 108:11 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
PSA 108:12 ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।
PSA 108:13 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।
PSA 109:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋହର ପ୍ରଶଂସାପାତ୍ର ପରମେଶ୍ୱର, ନୀରବ ହୁଅ ନାହିଁ;
PSA 109:2 କାରଣ ଲୋକମାନେ ମୋʼ ବିରୁଦ୍ଧରେ ଦୁଷ୍ଟତାରୂପ ମୁଖ ଓ ପ୍ରବଞ୍ଚନାରୂପ ମୁଖ ଫିଟାଇ ଅଛନ୍ତି। ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋʼ ସଙ୍ଗେ କଥା କହିଅଛନ୍ତି।
PSA 109:3 ଆହୁରି, ସେମାନେ ଦ୍ୱେଷ ବାକ୍ୟରେ ମୋତେ ଘେରିଅଛନ୍ତି ଓ ବିନା କାରଣରେ ମୋʼ ସଙ୍ଗେ ଯୁଦ୍ଧ କରିଅଛନ୍ତି।
PSA 109:4 ମୋʼ ପ୍ରେମ ପାଲଟେ ସେମାନେ ମୋହର ବିପକ୍ଷ ହୋଇଅଛନ୍ତି; ମାତ୍ର ମୁଁ ପ୍ରାର୍ଥନାରେ ପ୍ରବୃତ୍ତ।
PSA 109:5 ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।
PSA 109:6 ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର; ପୁଣି, ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ ହେଉ।
PSA 109:7 ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ; ପୁଣି, ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ।
PSA 109:8 ତାହାର ଆୟୁ ଅଳ୍ପ ହେଉ ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ।
PSA 109:9 ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ ଓ ତାହାର ଭାର୍ଯ୍ୟା ବିଧବା ହେଉ।
PSA 109:10 ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ୱେଷଣ କରନ୍ତୁ।
PSA 109:11 ମହାଜନ ତାହାର ସର୍ବସ୍ୱ ଧରୁ; ଆଉ, ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
PSA 109:12 ତାହା ପ୍ରତି କୃପା ପ୍ରକାଶ କରିବାକୁ କେହି ନ ଥାଉ, କିଅବା ତାହାର ପିତୃହୀନ ସନ୍ତାନଗଣକୁ କେହି ଦୟା କରିବାକୁ ନ ରହୁ।
PSA 109:13 ତାହାର ବଂଶ ଉଚ୍ଛିନ୍ନ ହେଉ; ଆସନ୍ତା ପୁରୁଷରେ ତାହାଙ୍କ ନାମ ଲୁପ୍ତ ହେଉ।
PSA 109:14 ତାହାର ପିତୃପୁରୁଷଙ୍କ ଅପରାଧ ସଦାପ୍ରଭୁଙ୍କ ସ୍ମରଣରେ ଥାଉ ଓ ତାହାର ମାତାର ପାପ ଲୁପ୍ତ ନ ହେଉ।
PSA 109:15 ସଦାପ୍ରଭୁ ଯେପରି ସେମାନଙ୍କ ସ୍ମରଣ ପୃଥିବୀରୁ ଉଚ୍ଛିନ୍ନ କରିବେ, ଏଥିପାଇଁ ସେମାନେ ତାହାଙ୍କ ସାକ୍ଷାତରେ ସର୍ବଦା ଥାଉନ୍ତୁ।
PSA 109:16 ସେ ଦୟା ପ୍ରକାଶ କରିବାକୁ ସ୍ମରଣ କଲା ନାହିଁ। ମାତ୍ର ଦୁଃଖୀ, ଦୀନହୀନ ଓ ଭଗ୍ନାନ୍ତଃକରଣ ଲୋକଙ୍କୁ ବଧ କରିବା ପାଇଁ ତାଡ଼ନା କଲା।
PSA 109:17 ଆହୁରି, ସେ ଅଭିଶାପ ଭଲ ପାଇଲା ଓ ତାହା ତାହା ପ୍ରତି ଘଟିଲା; ଆଉ, ସେ ଆଶୀର୍ବାଦରେ ସନ୍ତୁଷ୍ଟ ହେଲା ନାହିଁ, ଏଣୁ ତାହା ତାହାଠାରୁ ଦୂର ହେଲା।
PSA 109:18 ମଧ୍ୟ ସେ ବସ୍ତ୍ର ପରି ଅଭିଶାପ ପରିଧାନ କଲା, ପୁଣି, ତାହା ଜଳ ପରି ତାହାର ଅନ୍ତରରେ ଓ ତୈଳ ପରି ତାହାର ଅସ୍ଥିରେ ପ୍ରବିଷ୍ଟ ହେଲା।
PSA 109:19 ଏଣୁ ତାହା ତାହାର ପରିଧେୟ ବସ୍ତ୍ର ପରି ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।
PSA 109:20 ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।
PSA 109:21 ମାତ୍ର, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ନାମ ସକାଶୁ ମୋʼ ପ୍ରତି ବ୍ୟବହାର କର; ତୁମ୍ଭର ଦୟା ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
PSA 109:22 କାରଣ ମୁଁ ଦୁଃଖୀ ଓ ଦୀନହୀନ ଅଟେ, ଓ ମୋʼ ଅନ୍ତରରେ ମୋʼ ହୃଦୟ କ୍ଷତବିକ୍ଷତ ହୋଇଅଛି।
PSA 109:23 ମୁଁ ଅପରାହ୍ନର ଛାୟା ତୁଲ୍ୟ ଅତୀତ; ମୁଁ ପଙ୍ଗପାଳ ନ୍ୟାୟ ଚାଳିତ ହେଉଅଛି।
PSA 109:24 ଉପବାସରେ ମୋʼ ଆଣ୍ଠୁ ଦୁର୍ବଳ ଅଛି ଓ ମେଦର ଅଭାବରୁ ମୋʼ ମାଂସ କ୍ଷୀଣ ହୁଏ।
PSA 109:25 ଆହୁରି, ମୁଁ ସେମାନଙ୍କ ନିକଟରେ ନିନ୍ଦାପାତ୍ର ହୋଇଅଛି; ସେମାନେ ମୋତେ ଦେଖିଲେ ମୁଣ୍ଡ ହଲାନ୍ତି।
PSA 109:26 ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୋହର ସାହାଯ୍ୟ କର; ତୁମ୍ଭ ଦୟାନୁସାରେ ମୋହର ପରିତ୍ରାଣ କର।
PSA 109:27 ତହିଁରେ ଏହି ତୁମ୍ଭର ହସ୍ତ ବୋଲି ଓ ତୁମ୍ଭେ ସଦାପ୍ରଭୁ ଏହା କରିଅଛ ବୋଲି ସେମାନେ ଜାଣିବେ।
PSA 109:28 ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର; ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।
PSA 109:29 ମୋʼ ବିପକ୍ଷମାନେ ଅପମାନରେ ବସ୍ତ୍ରାନ୍ୱିତ ହେବେ, ପୁଣି, ସେମାନେ ଉତ୍ତରୀୟ ବସ୍ତ୍ର ତୁଲ୍ୟ ନିଜ ଲଜ୍ଜାରେ ଆଚ୍ଛନ୍ନ ହେଉନ୍ତୁ।
PSA 109:30 ମୁଁ ନିଜ ମୁଖରେ ସଦାପ୍ରଭୁଙ୍କୁ ଅତିଶୟ ଧନ୍ୟବାଦ ଦେବି; ପୁଣି, ଲୋକସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା କରିବି।
PSA 109:31 କାରଣ ସେ ଦୀନହୀନକୁ ତାହାର ପ୍ରାଣର ବିଚାରକାରୀମାନଙ୍କଠାରୁ ତ୍ରାଣ କରିବା ନିମନ୍ତେ ତାହାର ଡାହାଣରେ ଠିଆ ହେବେ।
PSA 110:1 ଦାଉଦଙ୍କର ଗୀତ। ସଦାପ୍ରଭୁ ମୋʼ ପ୍ରଭୁଙ୍କୁ କହନ୍ତି, “ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ।”
PSA 110:2 ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ଡ ପ୍ରେରଣ କରିବେ; ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର।
PSA 110:3 ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ।
PSA 110:4 ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟଥା କରିବେ ନାହିଁ, “ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”
PSA 110:5 ତୁମ୍ଭ ଦକ୍ଷିଣରେ ସ୍ଥିତ ପ୍ରଭୁ ଆପଣା କୋପର ଦିନରେ ରାଜାଗଣକୁ ଚୂର୍ଣ୍ଣ କରିବେ।
PSA 110:6 ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ, ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ; ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ।
PSA 110:7 ସେ ପଥ ମଧ୍ୟରେ ସ୍ରୋତଜଳ ପାନ କରିବେ; ଏହେତୁ ସେ ଆପଣା ମସ୍ତକ ଉଠାଇବେ।
PSA 111:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
PSA 111:2 ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି।
PSA 111:3 ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ।
PSA 111:4 ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।
PSA 111:5 ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ।
PSA 111:6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି।
PSA 111:7 ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ।
PSA 111:8 ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।
PSA 111:9 ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି; ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ।
PSA 111:10 ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।
PSA 112:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ।
PSA 112:2 ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ ସରଳ ଲୋକର ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।
PSA 112:3 ତାହାର ଗୃହରେ ଧନସମ୍ପତ୍ତି ଥାଏ ଓ ତାହାର ଧର୍ମ ସଦାକାଳସ୍ଥାୟୀ
PSA 112:4 ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ; ସେ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ।
PSA 112:5 ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ।
PSA 112:6 କାରଣ ସେ କଦାପି ବିଚଳିତ ନୋହିବ; ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
PSA 112:7 ସେ କୁସମ୍ବାଦ ଶୁଣି ଭୀତ ହେବ ନାହିଁ। ତାହାର ଚିତ୍ତ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସ୍ଥିର ଥାଏ।
PSA 112:8 ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି ଦେଖିବା ପର୍ଯ୍ୟନ୍ତ, ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ।
PSA 112:9 ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି; ତାହାର ଧର୍ମ ସଦାକାଳସ୍ଥାୟୀ; ସମ୍ଭ୍ରମରେ ତାହାର ଶୃଙ୍ଗ ଉନ୍ନତ ହେବ।
PSA 112:10 ଦୁଷ୍ଟ ଲୋକ ତାହା ଦେଖିବ ଓ ବିରକ୍ତ ହେବ; ସେ ଆପଣା ଦନ୍ତ ଘର୍ଷଣ କରିବ ଓ ତରଳି ଯିବ; ଦୁଷ୍ଟମାନଙ୍କର ବାଞ୍ଛା ବିନଷ୍ଟ ହେବ।
PSA 113:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
PSA 113:2 ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।
PSA 113:3 ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ।
PSA 113:4 ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। ଯାହାଙ୍କର ଆସନ ଊର୍ଦ୍ଧ୍ୱରେ,
PSA 113:5 ଯେ ଆକାଶ ଓ ପୃଥିବୀକୁ ଦେଖିବା ପାଇଁ ଆପଣାକୁ ନତ କରନ୍ତି,
PSA 113:6 ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କିଏ?
PSA 113:7 ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ,
PSA 113:8 ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି।
PSA 113:9 ସେ ବନ୍ଧ୍ୟା ସ୍ତ୍ରୀକୁ ଗୃହିଣୀ ଓ ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 114:1 ଯେତେବେଳେ ଇସ୍ରାଏଲ ମିସରରୁ ଓ ଯାକୁବ ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;
PSA 114:2 ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,
PSA 114:3 ସମୁଦ୍ର ତାହା ଦେଖି ପଳାଇଲା; ଯର୍ଦ୍ଦନ ଉଜାଣି ବହିଲା।
PSA 114:4 ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ।
PSA 114:5 ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ?
PSA 114:6 ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ?
PSA 114:7 ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ;
PSA 114:8 ସେ ଶୈଳକୁ ଜଳାଶୟ, ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ।
PSA 115:1 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା ନାମକୁ ଗୌରବାନ୍ୱିତ କର।
PSA 115:2 “ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି,” ଏହା ଅନ୍ୟ ଦେଶୀୟମାନେ କାହିଁକି କହିବେ?
PSA 115:3 ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି; ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି।
PSA 115:4 ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।
PSA 115:5 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ; ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ।
PSA 115:6 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ;
PSA 115:7 ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ; ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ; କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ।
PSA 115:8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।
PSA 115:9 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
PSA 115:10 ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
PSA 115:11 ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।
PSA 115:12 ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; ସେ ଇସ୍ରାଏଲ ବଂଶକୁ ଆଶୀର୍ବାଦ କରିବେ; ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ।
PSA 115:13 ସେ ସଦାପ୍ରଭୁଙ୍କ ଭୟକାରୀ ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ।
PSA 115:14 ସଦାପ୍ରଭୁ ତୁମ୍ଭମାନଙ୍କୁ, ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ।
PSA 115:15 ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର ଅଟ।
PSA 115:16 ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ; ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି।
PSA 115:17 ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ;
PSA 115:18 ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଧନ୍ୟବାଦ କରିବା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 116:1 ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋʼ ରବ ଓ ବିନତି ଶୁଣିଅଛନ୍ତି।
PSA 116:2 ସେ ମୋʼ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବା ଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।
PSA 116:3 ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି।
PSA 116:4 ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋʼ ପ୍ରାଣକୁ ଉଦ୍ଧାର କର।”
PSA 116:5 ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।
PSA 116:6 ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।
PSA 116:7 ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।
PSA 116:8 ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।
PSA 116:9 ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।
PSA 116:10 ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; “ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,”
PSA 116:11 ମୁଁ ଚଞ୍ଚଳ ଭାବରେ କହିଲି, “ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।”
PSA 116:12 ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି?
PSA 116:13 ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
PSA 116:14 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।
PSA 116:15 ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।
PSA 116:16 ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।
PSA 116:17 ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
PSA 116:18 ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,
PSA 116:19 ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 117:1 ହେ ସର୍ବଦେଶୀୟମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର।
PSA 117:2 କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 118:1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 118:2 ଇସ୍ରାଏଲ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
PSA 118:3 ହାରୋଣ-ବଂଶ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
PSA 118:4 ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
PSA 118:5 ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି; ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ।
PSA 118:6 ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରିପାରେ?
PSA 118:7 ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ; ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି।
PSA 118:8 ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
PSA 118:9 ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
PSA 118:10 ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
PSA 118:11 ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
PSA 118:12 ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ; ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
PSA 118:13 ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ; ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ।
PSA 118:14 ସଦାପ୍ରଭୁ ମୋହର ବଳ ଓ ଗାନ; ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି।
PSA 118:15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
PSA 118:16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
PSA 118:17 ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
PSA 118:18 ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।
PSA 118:19 ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି; ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
PSA 118:20 ଏହି ସଦାପ୍ରଭୁଙ୍କ ଦ୍ୱାର; ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ।
PSA 118:21 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି।
PSA 118:22 ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି।
PSA 118:23 ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।
PSA 118:24 ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।
PSA 118:25 ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର; ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର।
PSA 118:26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।
PSA 118:27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।
PSA 118:28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।
PSA 118:29 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।
PSA 119:1 ଆଲେଫ୍‍। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।
PSA 119:2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
PSA 119:3 ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; ସେମାନେ ତାହାଙ୍କ ପଥରେ ଗମନ କରନ୍ତି।
PSA 119:4 ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।
PSA 119:5 ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି ମୋହର ଗତି ସୁସ୍ଥିର ହୁଅନ୍ତା!
PSA 119:6 ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ।
PSA 119:7 ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।
PSA 119:8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି; ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ। ବୈତ୍‍।
PSA 119:9 ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।
PSA 119:10 ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।
PSA 119:11 ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।
PSA 119:12 ହେ ସଦାପ୍ରଭୋ, ତୁମ୍ଭେ ଧନ୍ୟ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
PSA 119:13 ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।
PSA 119:14 ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି।
PSA 119:15 ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି।
PSA 119:16 ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ। ଗିମେଲ୍‍।
PSA 119:17 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର; ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି।
PSA 119:18 ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
PSA 119:19 ମୁଁ ପୃଥିବୀରେ ପ୍ରବାସୀ; ତୁମ୍ଭର ଆଜ୍ଞାସବୁ ମୋʼ ଠାରୁ ଲୁଚାଅ ନାହିଁ।
PSA 119:20 ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ ମୋʼ ପ୍ରାଣ କ୍ଷୀଣ ହୁଏ।
PSA 119:21 ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ।
PSA 119:22 ମୋʼ ଠାରୁ ନିନ୍ଦା ଓ ଅପମାନ ଦୂର କର; କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି।
PSA 119:23 ଅଧିପତିମାନେ ମଧ୍ୟ ବସି ମୋʼ ବିରୁଦ୍ଧରେ କଥା କହିଲେ; ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା।
PSA 119:24 ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। ଦାଲତ୍‍।
PSA 119:25 ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।
PSA 119:26 ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ; ତୁମ୍ଭର ବିଧିସବୁ ମୋତେ ଶିଖାଅ।
PSA 119:27 ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ; ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ ଧ୍ୟାନ କରିବି।
PSA 119:28 ଶୋକ ସକାଶୁ ମୋʼ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।
PSA 119:29 ମୋʼ ଠାରୁ ମିଥ୍ୟାମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।
PSA 119:30 ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।
PSA 119:31 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ; ହେ ସଦାପ୍ରଭୋ, ମୋତେ ଲଜ୍ଜିତ କର ନାହିଁ।
PSA 119:32 ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି। ହେ।
PSA 119:33 ହେ ସଦାପ୍ରଭୋ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।
PSA 119:34 ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
PSA 119:35 ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; କାରଣ ତହିଁରେ ମୁଁ ଆନନ୍ଦ କରେ।
PSA 119:36 ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋʼ ଚିତ୍ତର ସ୍ନେହ ଜନ୍ମାଅ।
PSA 119:37 ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
PSA 119:38 ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।
PSA 119:39 ମୋହର ଭୟଜନକ ନିନ୍ଦା ଦୂର କର; କାରଣ ତୁମ୍ଭର ଶାସନସକଳ ଉତ୍ତମ।
PSA 119:40 ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; ତୁମ୍ଭ ଧର୍ମରେ ମୋତେ ସଚେତ କର। ବୌ।
PSA 119:41 ହେ ସଦାପ୍ରଭୋ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋʼ ପ୍ରତି ବର୍ତ୍ତୁ।
PSA 119:42 ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।
PSA 119:43 ପୁଣି, ମୋʼ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ; କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।
PSA 119:44 ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି।
PSA 119:45 ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।
PSA 119:46 ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
PSA 119:47 ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
PSA 119:48 ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି। ସୟିନ୍‍।
PSA 119:49 ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
PSA 119:50 ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
PSA 119:51 ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
PSA 119:52 ହେ ସଦାପ୍ରଭୋ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
PSA 119:53 ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।
PSA 119:54 ମୋʼ ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।
PSA 119:55 ହେ ସଦାପ୍ରଭୋ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।
PSA 119:56 ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି। ହେତ୍।
PSA 119:57 ସଦାପ୍ରଭୁ ମୋହର ଅଂଶ; ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।
PSA 119:58 ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋʼ ପ୍ରତି ଦୟାଳୁ ହୁଅ।
PSA 119:59 ମୁଁ ଆପଣା ଗତିସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।
PSA 119:60 ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।
PSA 119:61 ଦୁଷ୍ଟମାନଙ୍କର ରଜ୍ଜୁ ମୋʼ ଚାରିଆଡ଼େ ଜଡ଼ିତ ହେଲା; ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।
PSA 119:62 ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।
PSA 119:63 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।
PSA 119:64 ହେ ସଦାପ୍ରଭୋ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; ତୁମ୍ଭ ବିଧିସବୁ ମୋତେ ଶିଖାଅ। ଟେଟ୍‍।
PSA 119:65 ହେ ସଦାପ୍ରଭୋ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।
PSA 119:66 ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ। କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।
PSA 119:67 ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।
PSA 119:68 ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; ମୋତେ ତୁମ୍ଭ ବିଧିସବୁ ଶିଖାଅ।
PSA 119:69 ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି; ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।
PSA 119:70 ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।
PSA 119:71 ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋʼ ପକ୍ଷରେ ଭଲ ହେଲା।
PSA 119:72 ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋʼ ପ୍ରତି ଉତ୍ତମ। ଇୟୂଦ୍‍।
PSA 119:73 ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।
PSA 119:74 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।
PSA 119:75 ହେ ସଦାପ୍ରଭୋ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।
PSA 119:76 ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।
PSA 119:77 ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋʼ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।
PSA 119:78 ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।
PSA 119:79 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋʼ କତିକି ଫେରନ୍ତୁ, ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।
PSA 119:80 ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧିସବୁରେ ମୋʼ ଅନ୍ତଃକରଣ ସିଦ୍ଧ ହେଉ। କଫ୍‍।
PSA 119:81 ତୁମ୍ଭ ପରିତ୍ରାଣ ପାଇଁ ମୋʼ ପ୍ରାଣ କ୍ଷୀଣ ହୁଏ; ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।
PSA 119:82 ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ? ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।
PSA 119:83 କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।
PSA 119:84 ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେ କେବେ ମୋʼ ତାଡ଼ନାକାରୀମାନଙ୍କର ବିଚାର କରିବ?
PSA 119:85 ଅହଙ୍କାରୀମାନେ ମୋʼ ପାଇଁ ଗର୍ତ୍ତ ଖୋଳିଅଛନ୍ତି, ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି।
PSA 119:86 ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।
PSA 119:87 ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ; ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।
PSA 119:88 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ଜୀବନକୁ ରକ୍ଷା କର; ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି। ଲାମଦ୍‍।
PSA 119:89 ହେ ସଦାପ୍ରଭୋ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।
PSA 119:90 ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।
PSA 119:91 ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; କାରଣ ସମସ୍ତେ ତୁମ୍ଭର ଦାସ।
PSA 119:92 ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥାʼନ୍ତି।
PSA 119:93 ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
PSA 119:94 ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
PSA 119:95 ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
PSA 119:96 ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ। ମେମ୍‍।
PSA 119:97 ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
PSA 119:98 ତୁମ୍ଭ ଆଜ୍ଞାସବୁ ମୋତେ ମୋʼ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋʼ ସଙ୍ଗେ ଥାଏ।
PSA 119:99 ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
PSA 119:100 ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
PSA 119:101 ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
PSA 119:102 ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
PSA 119:103 ମୋʼ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର! ହଁ, ମୋʼ ମୁଖକୁ ତାହା ମଧୁ ଅପେକ୍ଷା ମଧୁର!
PSA 119:104 ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ନୂନ୍‍।
PSA 119:105 ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ।
PSA 119:106 ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
PSA 119:107 ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୋ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
PSA 119:108 ହେ ସଦାପ୍ରଭୋ, ନିବେଦନ କରୁଅଛି, ମୋʼ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
PSA 119:109 ମୋʼ ପ୍ରାଣ ନିରନ୍ତର ବିପଦରେ ଥାଏ; ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।
PSA 119:110 ଦୁଷ୍ଟମାନେ ମୋʼ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
PSA 119:111 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋʼ ଚିତ୍ତର ଆହ୍ଲାଦଜନକ।
PSA 119:112 ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ୍‍।
PSA 119:113 ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।
PSA 119:114 ତୁମ୍ଭେ ମୋʼ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
PSA 119:115 ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋʼ ନିକଟରୁ ଦୂର ହୁଅ।
PSA 119:116 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋʼ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
PSA 119:117 ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।
PSA 119:118 ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛଜ୍ଞାନ କରିଅଛ; କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।
PSA 119:119 ତୁମ୍ଭେ ପୃଥିବୀସ୍ଥ ସମସ୍ତ ଦୁଷ୍ଟଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।
PSA 119:120 ତୁମ୍ଭ ଭୟ ସକାଶୁ ମୋʼ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ। ଅଇନ୍‍।
PSA 119:121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; ମୋʼ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
PSA 119:122 ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; ଅହଙ୍କାରୀମାନଙ୍କୁ ମୋʼ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।
PSA 119:123 ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି।
PSA 119:124 ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ।
PSA 119:125 ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।
PSA 119:126 ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।
PSA 119:127 ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।
PSA 119:128 ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ପେ।
PSA 119:129 ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; ଏଥିପାଇଁ ମୋʼ ପ୍ରାଣ ତାହାସବୁ ପାଳନ କରେ।
PSA 119:130 ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; ତାହା ନିର୍ବୋଧକୁ ବୋଧ ଦିଏ।
PSA 119:131 ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ ଫର୍ଚ୍ଚା କରି ଫିଟାଇ ପକାଇଲି।
PSA 119:132 ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋʼ ପ୍ରତି ଫେର ଓ ମୋତେ ଦୟା କର।
PSA 119:133 ତୁମ୍ଭ ବାକ୍ୟାନୁସାରେ ମୋʼ ପାଦଗତି ସଜାଡ଼ ଓ ମୋʼ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।
PSA 119:134 ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।
PSA 119:135 ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।
PSA 119:136 ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ।
PSA 119:137 ହେ ସଦାପ୍ରଭୋ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନସକଳ ସରଳ।
PSA 119:138 ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।
PSA 119:139 ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରିଅଛନ୍ତି।
PSA 119:140 ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।
PSA 119:141 ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।
PSA 119:142 ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।
PSA 119:143 କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।
PSA 119:144 ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି। କଫ।
PSA 119:145 ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ; ମୁଁ ତୁମ୍ଭର ବିଧି ପାଳନ କରିବି।
PSA 119:146 ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।
PSA 119:147 ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।
PSA 119:148 ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।
PSA 119:149 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ; ହେ ସଦାପ୍ରଭୋ, ଆପଣା ଶାସନାନୁସାରେ ମୋତେ ସଚେତ କର।
PSA 119:150 ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି; ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।
PSA 119:151 ହେ ସଦାପ୍ରଭୋ, ତୁମ୍ଭେ ନିକଟବର୍ତ୍ତୀ ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।
PSA 119:152 ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ, ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ। ରେଶ୍‍।
PSA 119:153 ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର; କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।
PSA 119:154 ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର; ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
PSA 119:155 ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।
PSA 119:156 ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।
PSA 119:157 ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।
PSA 119:158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
PSA 119:159 ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, ଏହା ବିବେଚନା କର; ହେ ସଦାପ୍ରଭୋ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।
PSA 119:160 ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ଶିନ୍‍।
PSA 119:161 ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।
PSA 119:162 କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।
PSA 119:163 ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।
PSA 119:164 ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।
PSA 119:165 ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି; ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।
PSA 119:166 ହେ ସଦାପ୍ରଭୋ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି, ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।
PSA 119:167 ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।
PSA 119:168 ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି। କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି। ତୌ।
PSA 119:169 ହେ ସଦାପ୍ରଭୋ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।
PSA 119:170 ମୋʼ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।
PSA 119:171 ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।
PSA 119:172 ମୋʼ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।
PSA 119:173 ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।
PSA 119:174 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।
PSA 119:175 ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।
PSA 119:176 ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; ଆପଣା ଦାସକୁ ଖୋଜ; କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।
PSA 120:1 ଆରୋହଣ ଗୀତ। ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ।
PSA 120:2 ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋʼ ପ୍ରାଣକୁ ଉଦ୍ଧାର କର।
PSA 120:3 ହେ ପ୍ରବଞ୍ଚକ ଜିହ୍ୱେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?
PSA 120:4 ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।
PSA 120:5 ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।
PSA 120:6 ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
PSA 120:7 ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।
PSA 121:1 ଆରୋହଣ ଗୀତ। ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି; କେଉଁଠାରୁ ମୋହର ସାହାଯ୍ୟ ଆସିବ?
PSA 121:2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।
PSA 121:3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।
PSA 121:4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।
PSA 121:5 ସଦାପ୍ରଭୁ ତୁମ୍ଭର ରକ୍ଷକ; ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।
PSA 121:6 ଦିବସରେ ସୂର୍ଯ୍ୟ, କିଅବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।
PSA 121:7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।
PSA 121:8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।
PSA 122:1 ଆରୋହଣ ଗୀତ; ଦାଉଦଙ୍କ ରଚିତ। “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି।
PSA 122:2 ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;
PSA 122:3 ହେ ଯିରୂଶାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ;
PSA 122:4 ଗୋଷ୍ଠୀବର୍ଗ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ନିମନ୍ତେ ସେଠାରେ ଆରୋହଣ କରନ୍ତି।
PSA 122:5 କାରଣ ସେଠାରେ ବିଚାରାର୍ଥକ ସିଂହାସନ, ଦାଉଦ-ବଂଶର ସିଂହାସନସବୁ ସ୍ଥାପିତ ଅଛି।
PSA 122:6 ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ ଉନ୍ନତି କରିବେ।
PSA 122:7 ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ।
PSA 122:8 ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ କହିବି, ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ।
PSA 122:9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।
PSA 123:1 ଆରୋହଣ ଗୀତ। ହେ ସ୍ୱର୍ଗୋପବିଷ୍ଟ ସଦାପ୍ରଭୁ, ମୁଁ ତୁମ୍ଭଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରେ।
PSA 123:2 ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ; ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ।
PSA 123:3 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ଦୟା କର, ଆମ୍ଭମାନଙ୍କୁ ଦୟା କର; କାରଣ ଆମ୍ଭେମାନେ ଅବଜ୍ଞାରେ ଅତିଶୟ ପୂର୍ଣ୍ଣ ହୋଇଅଛୁ।
PSA 123:4 ସୁଖଶାଳୀମାନଙ୍କ ଉପହାସରେ ଓ ଅହଙ୍କାରୀମାନଙ୍କ ଅବଜ୍ଞାରେ ଆମ୍ଭମାନଙ୍କ ପ୍ରାଣ ଅତିଶୟ ପୂର୍ଣ୍ଣ ହୋଇଅଛି।
PSA 124:1 ଆରୋହଣ ଗୀତ; ଦାଉଦଙ୍କ ରଚିତ। ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, ଇସ୍ରାଏଲ ଏବେ କହୁନ୍ତୁ;
PSA 124:2 ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ;
PSA 124:3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ;
PSA 124:4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା
PSA 124:5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା।
PSA 124:6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି।
PSA 124:7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ।
PSA 124:8 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ।
PSA 125:1 ଆରୋହଣ ଗୀତ। ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର ରଖନ୍ତି, ସେମାନେ ଅଟଳ ଓ ନିତ୍ୟସ୍ଥାୟୀ ସିୟୋନ ପର୍ବତ ତୁଲ୍ୟ।
PSA 125:2 ଯେପରି ଯିରୂଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସେପରି ଆଜିଠାରୁ ସଦାକାଳ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁର୍ଦ୍ଦିଗରେ ଥାଆନ୍ତି।
PSA 125:3 କାରଣ ଧାର୍ମିକମାନେ ଯେପରି ଅଧର୍ମ ପ୍ରତି ହସ୍ତ ନ ବଢ଼ାଇବେ, ଏଥିପାଇଁ ଧାର୍ମିକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବ ନାହିଁ।
PSA 125:4 ହେ ସଦାପ୍ରଭୋ, ଯେଉଁମାନେ ମଙ୍ଗଳ-ସ୍ୱଭାବବିଶିଷ୍ଟ ଓ ଅନ୍ତଃକରଣରେ ସରଳ, ସେମାନଙ୍କର ମଙ୍ଗଳ କର।
PSA 125:5 ମାତ୍ର ଯେଉଁମାନେ ଆପଣା ଆପଣା ବକ୍ର ପଥରେ ବିପଥଗାମୀ ହୁଅନ୍ତି, ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀମାନଙ୍କ ସଙ୍ଗେ କଢ଼ାଇ ନେବେ। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
PSA 126:1 ଆରୋହଣ ଗୀତ। ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ।
PSA 126:2 ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ୱା ଗାୟନରେ ପରିପୂର୍ଣ୍ଣ ହେଲା; ସେତେବେଳେ ଗୋଷ୍ଠୀବର୍ଗ ମଧ୍ୟରେ ଲୋକମାନେ କହିଲେ, “ସଦାପ୍ରଭୁ ଏମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି।”
PSA 126:3 ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ।
PSA 126:4 ହେ ସଦାପ୍ରଭୋ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର।
PSA 126:5 ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।
PSA 126:6 ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
PSA 127:1 ଆରୋହଣ ଗୀତ; ଶଲୋମନଙ୍କ ରଚିତ। ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି; ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ।
PSA 127:2 ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା। କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି।
PSA 127:3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର।
PSA 127:4 ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।
PSA 127:5 ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ; ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବେ ନାହିଁ।
PSA 128:1 ଆରୋହଣ ଗୀତ। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ।
PSA 128:2 କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ; ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
PSA 128:3 ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ; ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ।
PSA 128:4 ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
PSA 128:5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରିବେ; ଆଉ, ତୁମ୍ଭେ ଯାବଜ୍ଜୀବନ ଯିରୂଶାଲମର ମଙ୍ଗଳ ଦେଖିବ।
PSA 128:6 ହଁ, ତୁମ୍ଭେ ଆପଣା ସନ୍ତାନଗଣର ସନ୍ତାନ ଦେଖିବ। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
PSA 129:1 ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା ଆରୋହଣ ଗୀତ। “ମୋʼ ଯୌବନଠାରୁ ମୋʼ ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି, ଇସ୍ରାଏଲ ଏବେ କୁହନ୍ତୁ;
PSA 129:2 ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋʼ ଉପରେ ଜୟୀ ହୋଇ ନାହାନ୍ତି।
PSA 129:3 କୃଷକମାନେ ମୋʼ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।”
PSA 129:4 ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।
PSA 129:5 ସିୟୋନକୁ ଘୃଣା କରିବା ଲୋକ ସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।
PSA 129:6 ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
PSA 129:7 ଯଦ୍ଦ୍ୱାରା କଟାଳି ଆପଣା ହସ୍ତ, ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
PSA 129:8 “କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,” ଏହା ପଥିକମାନେ କହନ୍ତି ନାହିଁ।
PSA 130:1 ଆରୋହଣ ଗୀତ। ହେ ସଦାପ୍ରଭୋ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।
PSA 130:2 ହେ ପ୍ରଭୋ, ମୋʼ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋʼ ବିନତି-ରବରେ ମନୋଯୋଗ କରୁ।
PSA 130:3 ହେ ସଦାପ୍ରଭୋ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୋ, କିଏ ଠିଆ ହେବ?
PSA 130:4 ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।
PSA 130:5 ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋʼ ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।
PSA 130:6 ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋʼ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।
PSA 130:7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।
PSA 130:8 ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।
PSA 131:1 ଆରୋହଣ ଗୀତ; ଦାଉଦଙ୍କ ରଚିତ। ହେ ସଦାପ୍ରଭୋ, ମୋʼ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋʼ ଦୃଷ୍ଟି ଗର୍ବୀ ନୁହେଁ; କିଅବା ମୁଁ ମହତ୍ ମହତ୍ ବ୍ୟାପାରରେ, ଅଥବା ମୋʼ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁ ନାହିଁ।
PSA 131:2 ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି, ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି; ମୋʼ ପ୍ରାଣ ମୋʼ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି।
PSA 131:3 ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କଠାରେ ଭରସା ରଖ।
PSA 132:1 ଆରୋହଣ ଗୀତ। ହେ ସଦାପ୍ରଭୋ, ଦାଉଦ ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର;
PSA 132:2 ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା;
PSA 132:3 “ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ,
PSA 132:4 ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ କରିବି ନାହିଁ, କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ।
PSA 132:5 ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ।”
PSA 132:6 ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ।
PSA 132:7 ଆମ୍ଭେମାନେ ସଦାପ୍ରଭୁଙ୍କ ଆବାସକୁ ଯିବା; ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା।
PSA 132:8 ହେ ସଦାପ୍ରଭୋ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର।
PSA 132:9 ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ; ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ।
PSA 132:10 ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ ମୁଖ ଫେରାଇ ଦିଅ ନାହିଁ।
PSA 132:11 ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି; ସେ ତହିଁରୁ ଫେରିବେ ନାହିଁ। “ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ ବସାଇବା।
PSA 132:12 ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ।”
PSA 132:13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।
PSA 132:14 “ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ।
PSA 132:15 ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା; ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା।
PSA 132:16 ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣ ରୂପ ବସ୍ତ୍ର ପିନ୍ଧାଇବା ଓ ତାହାର ସଦ୍‍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ।
PSA 132:17 ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ।
PSA 132:18 ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ରାଜ୍ୟ ଉନ୍ନତି ହେବ।”
PSA 133:1 ଆରୋହଣ ଗୀତ, ଦାଉଦଙ୍କ ରଚିତ। ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର!
PSA 133:2 ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ, ଅର୍ଥାତ୍‍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା।
PSA 133:3 ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ ଜୀବନ ଆଜ୍ଞା କଲେ।
PSA 134:1 ଆରୋହଣ ଗୀତ। ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ସେବା କରୁଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 134:2 ତୁମ୍ଭେମାନେ ଧର୍ମଧାମ ଆଡ଼େ ଆପଣା ଆପଣା ହସ୍ତ ଉଠାଅ ଓ ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 134:3 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
PSA 135:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର।
PSA 135:2 ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ
PSA 135:3 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; କାରଣ ତାହା ମନୋହର।
PSA 135:4 ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।
PSA 135:5 କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ।
PSA 135:6 ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।
PSA 135:7 ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି; ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
PSA 135:8 ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ ସଂହାର କଲେ।
PSA 135:9 ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ।
PSA 135:10 ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ, ପରାକ୍ରାନ୍ତ ରାଜାମାନଙ୍କୁ,
PSA 135:11 ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓଗ୍‍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।
PSA 135:12 ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ, ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ।
PSA 135:13 ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ; ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ-ପରମ୍ପରାରେ ଥାଏ।
PSA 135:14 ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
PSA 135:15 ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।
PSA 135:16 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ, ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;
PSA 135:17 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ।
PSA 135:18 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।
PSA 135:19 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;
PSA 135:20 ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
PSA 135:21 ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 136:1 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:2 ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:3 ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:4 ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟକର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:5 ଯେ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ; ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ।
PSA 136:6 ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ; ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:7 ଯେ ମହାଜ୍ୟୋତିର୍ଗଣ ନିର୍ମାଣ କଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:8 ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ (ନିର୍ମାଣ କଲେ ସେ); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:9 ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ (ନିର୍ମାଣ କଲେ ସେ); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:10 ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:11 ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:12 ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:13 ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:14 ତହିଁ ମଧ୍ୟଦେଇ ଇସ୍ରାଏଲକୁ ପାର କରାଇଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:15 ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:16 ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ କରାଇଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:17 ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:18 ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:19 ଇମୋରୀୟମାନଙ୍କ ରାଜା ସୀହୋନକୁ ବଧ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:20 ପୁଣି, ବାଶନର ରାଜା ଓଗ୍‍କୁ ବଧ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:21 ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:22 ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
PSA 136:23 ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:24 ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:25 ସବୁ ପ୍ରାଣୀକୁ ଆହାର ଦିଅନ୍ତି ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 136:26 ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
PSA 137:1 ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ।
PSA 137:2 ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ।
PSA 137:3 କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
PSA 137:4 ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା?
PSA 137:5 ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ।
PSA 137:6 ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ।
PSA 137:7 ହେ ସଦାପ୍ରଭୋ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”
PSA 137:8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।
PSA 137:9 ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।
PSA 138:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି; ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
PSA 138:2 ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।
PSA 138:3 ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, ତୁମ୍ଭେ ମୋʼ ପ୍ରାଣକୁ ବଳ ଦେଇ ସାହସିକ କଲ।
PSA 138:4 ହେ ସଦାପ୍ରଭୋ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ, କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି।
PSA 138:5 ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ; କାରଣ ସଦାପ୍ରଭୁଙ୍କ ଗୌରବ ମହତ୍।
PSA 138:6 ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି; ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି।
PSA 138:7 ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ ରଖିବ, ତୁମ୍ଭେ ମୋʼ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ।
PSA 138:8 ସଦାପ୍ରଭୁ ମୋʼ ସମ୍ପର୍କୀୟ ବିଷୟ ସାଧନ କରିବେ; ହେ ସଦାପ୍ରଭୋ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ; ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ।
PSA 139:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ।
PSA 139:2 ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ, ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ।
PSA 139:3 ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋହର ସକଳ ଗତି ଜାଣୁଅଛ।
PSA 139:4 କାରଣ ହେ ସଦାପ୍ରଭୋ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋʼ ଜିହ୍ୱାରେ ନାହିଁ।
PSA 139:5 ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ ଓ ମୋʼ ଉପରେ ଆପଣା ହସ୍ତ ରଖିଅଛ।
PSA 139:6 ଏହି ପ୍ରକାର ଜ୍ଞାନ ମୋʼ ପ୍ରତି ଅତି ଆଶ୍ଚର୍ଯ୍ୟ; ତାହା ଉଚ୍ଚ, ମୋʼ ବୋଧର ଅଗମ୍ୟ।
PSA 139:7 ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି? ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି?
PSA 139:8 ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ
PSA 139:9 ଯଦି ମୁଁ ଅରୁଣର ପକ୍ଷ ଧରେ ଓ ସମୁଦ୍ରର ପ୍ରାନ୍ତସୀମାରେ ବାସ କରେ;
PSA 139:10 ସେଠାରେ ହେଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ।
PSA 139:11 ଯଦି ମୁଁ କହେ, ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ କରିବ ଓ ମୋʼ ଚତୁର୍ଦ୍ଦିଗସ୍ଥ ଆଲୁଅ ରାତ୍ରି ହେବ,
PSA 139:12 ତେବେ ଅନ୍ଧକାର ହିଁ ତୁମ୍ଭଠାରୁ ଲୁଚାଏ ନାହିଁ, ବରଞ୍ଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ; ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ।
PSA 139:13 କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା; ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ।
PSA 139:14 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ।
PSA 139:15 ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।
PSA 139:16 ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।
PSA 139:17 ହେ ପରମେଶ୍ୱର, ଆହୁରି ତୁମ୍ଭର ସଂକଳ୍ପସକଳ ମୋʼ ପ୍ରତି କିପରି ବହୁମୂଲ୍ୟ! ତହିଁର ସଂଖ୍ୟା କିପରି ଅଧିକ!
PSA 139:18 ମୁଁ ସେସବୁ ଗଣନା କରିବାକୁ ଗଲେ, ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ; ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଥାଏ।
PSA 139:19 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ; ଏହେତୁ ହେ ହତ୍ୟାକାରୀ ଲୋକମାନେ, ତୁମ୍ଭେମାନେ ମୋʼ ନିକଟରୁ ଦୂର ହୁଅ।
PSA 139:20 କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ କଥା କହନ୍ତି ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି।
PSA 139:21 ହେ ସଦାପ୍ରଭୋ, ତୁମ୍ଭ ଘୃଣାକାରୀମାନଙ୍କୁ ମୁଁ କʼଣ ଘୃଣା କରୁ ନାହିଁ? ଓ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଉଠନ୍ତି, ସେମାନଙ୍କ ପ୍ରତି ମୁଁ କʼଣ ବିରକ୍ତ ହେଉ ନାହିଁ?
PSA 139:22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ; ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ।
PSA 139:23 ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ ମୋʼ ଅନ୍ତଃକରଣର ପରିଚୟ ନିଅ; ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପସବୁ ଜ୍ଞାତ ହୁଅ;
PSA 139:24 ଆଉ, ମୋʼ ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ, ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ।
PSA 140:1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।
PSA 140:2 ସେମାନେ ମନେ ମନେ କୁକଳ୍ପନା କରନ୍ତି; ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି।
PSA 140:3 ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି; ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]
PSA 140:4 ହେ ସଦାପ୍ରଭୋ, ଦୁଷ୍ଟର ହସ୍ତରୁ ମୋତେ ରଖ; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର; ସେମାନେ ବିପଥକୁ ମୋʼ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।
PSA 140:5 ଅହଙ୍କାରୀମାନେ ଗୋପନରେ ମୋʼ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି। ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି; ସେମାନେ ମୋʼ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା]
PSA 140:6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋହର ପରମେଶ୍ୱର; ହେ ସଦାପ୍ରଭୋ, ମୋʼ ନିବେଦନର ରବରେ କର୍ଣ୍ଣପାତ କର।
PSA 140:7 ହେ ମୋʼ ପରିତ୍ରାଣର ବଳ ସ୍ୱରୂପ, ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଯୁଦ୍ଧର ଦିନରେ ମୋʼ ମସ୍ତକ ରକ୍ଷା କରିଅଛ।
PSA 140:8 ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ; ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା]
PSA 140:9 ଯେଉଁମାନେ ମୋତେ ଘେରିଅଛନ୍ତି, ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।
PSA 140:10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ। ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।
PSA 140:11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।
PSA 140:12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
PSA 140:13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ; ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।
PSA 141:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋʼ ପକ୍ଷରେ ସତ୍ୱର ହୁଅ; ମୁଁ ଡାକିବା ବେଳେ ମୋʼ ରବରେ କର୍ଣ୍ଣ ଦିଅ।
PSA 141:2 ସୁଗନ୍ଧି ଧୂପ ପରି ମୋʼ ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ।
PSA 141:3 ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; ମୋʼ ଓଷ୍ଠାଧରର କବାଟ ରକ୍ଷା କର।
PSA 141:4 ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।
PSA 141:5 ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ; ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।
PSA 141:6 ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି; ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ।
PSA 141:7 କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି।
PSA 141:8 କାରଣ ହେ ପ୍ରଭୋ ସଦାପ୍ରଭୋ, ମୋʼ ଦୃଷ୍ଟି ତୁମ୍ଭଆଡ଼େ ଅଛି; ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋʼ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ।
PSA 141:9 ମୋʼ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର।
PSA 141:10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ।
PSA 142:1 ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା। ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;
PSA 142:2 ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ; ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ।
PSA 142:3 ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋʼ ଗମନ ପଥରେ ସେମାନେ ମୋʼ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।
PSA 142:4 ମୋʼ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋʼ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।
PSA 142:5 ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ; ମୁଁ କହିଲି, ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ।
PSA 142:6 ମୋʼ କାକୂକ୍ତିରେ ମନୋଯୋଗ କର; କାରଣ ମୁଁ ଅତି ଅଧୋନତ ହୋଇଅଛି; ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; କାରଣ ସେମାନେ ମୋʼ ଅପେକ୍ଷା ବଳବାନ।
PSA 142:7 କାରାଗାରରୁ ମୋʼ ପ୍ରାଣ ଉଦ୍ଧାର କର, ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି; ଧାର୍ମିକମାନେ ମୋତେ ବେଷ୍ଟନ କରିବେ; କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।
PSA 143:1 ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।
PSA 143:2 ନିଜ ଦାସକୁ ବିଚାରରେ ଆଣ ନାହିଁ; କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।
PSA 143:3 ଶତ୍ରୁ ମୋʼ ପ୍ରାଣକୁ ତାଡ଼ନା କରିଅଛି; ସେ ମୋʼ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି; ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛି।
PSA 143:4 ଏହେତୁ ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି; ମୋʼ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।
PSA 143:5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।
PSA 143:6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁଅଛି; ଶୁଷ୍କ ଭୂମି ତୁଲ୍ୟ ମୋʼ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। [ସେଲା]
PSA 143:7 ହେ ସଦାପ୍ରଭୋ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ; କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।
PSA 143:8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; କାରଣ ମୁଁ ତୁମ୍ଭଠାରେ ଭରସା ରଖେ; ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।
PSA 143:9 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।
PSA 143:10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋହର ପରମେଶ୍ୱର; ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।
PSA 143:11 ହେ ସଦାପ୍ରଭୋ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର; ତୁମ୍ଭ ଧର୍ମରେ ମୋʼ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।
PSA 143:12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋʼ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର ଓ ମୋʼ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; କାରଣ ମୁଁ ତୁମ୍ଭର ଦାସ।
PSA 144:1 ଦାଉଦଙ୍କର ଗୀତ। ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋʼ ହସ୍ତକୁ ଯୁଦ୍ଧ ଶିଖାନ୍ତି ଓ ମୋʼ ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି।
PSA 144:2 ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା, ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି; ସେ ଗୋଷ୍ଠୀସମୂହକୁ ମୋʼ ପଦ ତଳେ ବଶୀଭୂତ କରନ୍ତି।
PSA 144:3 ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ? ସେ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର?
PSA 144:4 ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ।
PSA 144:5 ହେ ସଦାପ୍ରଭୋ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ; ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ।
PSA 144:6 ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର।
PSA 144:7 ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ; ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର; ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ
PSA 144:8 ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।
PSA 144:9 ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
PSA 144:10 ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦଙ୍କୁ କ୍ଷତିକାରକ ଖଡ୍ଗରୁ ରକ୍ଷା କରନ୍ତି।
PSA 144:11 ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ, ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।
PSA 144:12 ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନାବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;
PSA 144:13 ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;
PSA 144:14 ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି, ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ହେବ ନାହିଁ;
PSA 144:15 ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ!
PSA 145:1 ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,
PSA 145:2 ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
PSA 145:3 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।
PSA 145:4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।
PSA 145:5 ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।
PSA 145:6 ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।
PSA 145:7 ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।
PSA 145:8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।
PSA 145:9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
PSA 145:10 ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;
PSA 145:11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,
PSA 145:12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।
PSA 145:13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।
PSA 145:14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।
PSA 145:15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।
PSA 145:16 ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।
PSA 145:17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,
PSA 145:18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।
PSA 145:19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।
PSA 145:20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।
PSA 145:21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।
PSA 146:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର।
PSA 146:2 ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।
PSA 146:3 ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ।
PSA 146:4 ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ; ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ।
PSA 146:5 ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ, ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ;
PSA 146:6 ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି;
PSA 146:7 ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।
PSA 146:8 ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
PSA 146:9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।
PSA 146:10 ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 147:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ; ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।
PSA 147:2 ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି; ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି।
PSA 147:3 ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।
PSA 147:4 ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।
PSA 147:5 ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ।
PSA 147:6 ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।
PSA 147:7 ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;
PSA 147:8 ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି, ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି, ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
PSA 147:9 ସେ ପଶୁକୁ ତାହାର ଆହାର ଦିଅନ୍ତି ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।
PSA 147:10 ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହନ୍ତି; ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି।
PSA 147:11 ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।
PSA 147:12 ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର;
PSA 147:13 କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।
PSA 147:14 ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି; ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି।
PSA 147:15 ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି; ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ।
PSA 147:16 ସେ ମେଷଲୋମ ପରି ତୁଷାର ଦିଅନ୍ତି; ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।
PSA 147:17 ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି; ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ?
PSA 147:18 ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି; ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ।
PSA 147:19 ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।
PSA 147:20 ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି; ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 148:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର; ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର।
PSA 148:2 ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
PSA 148:3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
PSA 148:4 ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
PSA 148:5 ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।
PSA 148:6 ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି; ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।
PSA 148:7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ତିମିଙ୍ଗିଳ ଓ ସକଳ ବାରିଧି;
PSA 148:8 ଅଗ୍ନି ଓ ଶିଳା, ହିମ ଓ ବାଷ୍ପ; ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ;
PSA 148:9 ପର୍ବତ ଓ ସକଳ ଉପପର୍ବତ; ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ;
PSA 148:10 ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ; ଉରୋଗାମୀ ଓ ଉଡ୍ଡୀୟମାନ ପକ୍ଷୀଗଣ;
PSA 148:11 ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ; ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।
PSA 148:12 ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;
PSA 148:13 ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ; ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।
PSA 148:14 ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇଅଛନ୍ତି, ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର ଓ ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ-ସନ୍ତାନଗଣର ପ୍ରଶଂସାର ବିଷୟ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 149:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର।
PSA 149:2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।
PSA 149:3 ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ।
PSA 149:4 କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ।
PSA 149:5 ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ;
PSA 149:6 ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ।
PSA 149:7 ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,
PSA 149:8 ସେମାନଙ୍କ ରାଜାଗଣକୁ ଶିକୁଳିରେ ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,
PSA 149:9 ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PSA 150:1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର ପ୍ରଶଂସା କର;
PSA 150:2 ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର। ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା କର।
PSA 150:3 ତୂରୀଧ୍ୱନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର।
PSA 150:4 ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର।
PSA 150:5 ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର;
PSA 150:6 ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
PRO 1:1 ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ଶଲୋମନଙ୍କ ହିତୋପଦେଶ;
PRO 1:2 ଜ୍ଞାନ ଓ ଉପଦେଶ ବୁଝିବାକୁ; ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ;
PRO 1:3 ସୁଆଚରଣ, ସାଧୁତା ଓ ସୁବିବେଚନା ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ;
PRO 1:4 ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକକୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ;
PRO 1:5 ଯେପରି ଜ୍ଞାନବାନ ଲୋକ (ତାହା) ଶୁଣି ପାଣ୍ଡିତ୍ୟରେ ବୃଦ୍ଧି ପାଇବ ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ;
PRO 1:6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।
PRO 1:7 ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି।
PRO 1:8 ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।
PRO 1:9 ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ ଓ ଗଳଦେଶର ହାର ସ୍ୱରୂପ ହେବ।
PRO 1:10 ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ, ତୁମ୍ଭେ ସମ୍ମତ ହୁଅ ନାହିଁ।
PRO 1:11 ସେମାନେ ଯଦି କହନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;
PRO 1:12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;
PRO 1:13 ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା, ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,
PRO 1:14 ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ; ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ;”
PRO 1:15 ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;
PRO 1:16 ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁ ଯାଏ।
PRO 1:17 କୌଣସି ପକ୍ଷୀର ଆଖି ଆଗରେ ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ।
PRO 1:18 ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।
PRO 1:19 ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରେ।
PRO 1:20 ଜ୍ଞାନ ରାସ୍ତାରେ ଉଚ୍ଚସ୍ୱରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;
PRO 1:21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକେ; ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ନଗର ମଧ୍ୟରେ ଆପଣା ବାକ୍ୟ ଉଚ୍ଚାରଣ କରି କହେ;
PRO 1:22 “ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ?
PRO 1:23 ମୋʼ ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।
PRO 1:24 ଯେହେତୁ ମୁଁ ଡାକିଲି, ପୁଣି, ତୁମ୍ଭେମାନେ ମନା କଲ; ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;
PRO 1:25 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ଉପଦେଶ ତୁଚ୍ଛଜ୍ଞାନ କଲ, ପୁଣି ମୋହର କୌଣସି ଅନୁଯୋଗକୁ ଚାହିଁଲ ନାହିଁ;
PRO 1:26 ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି, ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି।
PRO 1:27 ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମ୍ଭମାନଙ୍କର ବିପଦ ଆସିବ; ଯେତେବେଳେ କ୍ଳେଶ ଓ ବେଦନା ତୁମ୍ଭମାନଙ୍କ ପ୍ରତି ଘଟିବ;
PRO 1:28 ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ; ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।
PRO 1:29 କାରଣ ସେମାନେ ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ;
PRO 1:30 ସେମାନେ ମୋହର କୌଣସି ଉପଦେଶ ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟ ଜ୍ଞାନ କଲେ।
PRO 1:31 ଏଥିପାଇଁ ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୋଗିବେ ଓ ଆପଣା ଆପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ।
PRO 1:32 ହଁ, ନିର୍ବୋଧମାନଙ୍କର ବିପଥଗମନ ସେମାନଙ୍କୁ ବିନାଶ କରିବ ଓ ଅଜ୍ଞାନମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ସଂହାର କରିବ।
PRO 1:33 ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ।”
PRO 2:1 ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋʼ କଥା ଗ୍ରହଣ କର ଓ ମୋʼ ଆଜ୍ଞାସବୁ ମନରେ ରଖ;
PRO 2:2 ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର;
PRO 2:3 ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର;
PRO 2:4 ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର;
PRO 2:5 ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
PRO 2:6 ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
PRO 2:7 ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି।
PRO 2:8 ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ।
PRO 2:9 ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ।
PRO 2:10 କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି, ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ;
PRO 2:11 ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ।
PRO 2:12 ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି,
PRO 2:13 ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି;
PRO 2:14 ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ;
PRO 2:15 ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ।
PRO 2:16 ଆଉ, ଯେଉଁ ପରସ୍ତ୍ରୀ ଚାଟୁବାଦିନୀ, ଯେ ଆପଣା ଯୌବନ କାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ,
PRO 2:17 ଯାହାର ଗୃହ ମୃତ୍ୟୁୁ ଆଡ଼େ
PRO 2:18 ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ,
PRO 2:19 ଏପରି ପରସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ।
PRO 2:20 ଏନିମନ୍ତେ ତୁମ୍ଭେ ସତ୍‍ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର,
PRO 2:21 ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି, ସିଦ୍ଧ ଲୋକମାନେ ତହିଁରେ ସୁସ୍ଥିର ରହିବେ।
PRO 2:22 ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ।
PRO 3:1 ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।
PRO 3:2 ଯେହେତୁ ତଦ୍ଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ।
PRO 3:3 ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।
PRO 3:4 ତାହା କଲେ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ।
PRO 3:5 ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।
PRO 3:6 ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।
PRO 3:7 ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।
PRO 3:8 ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ।
PRO 3:9 ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।
PRO 3:10 ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
PRO 3:11 ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।
PRO 3:12 କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି।
PRO 3:13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ।
PRO 3:14 ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ।
PRO 3:15 ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।
PRO 3:16 ତାହାର ଡାହାଣ ହସ୍ତରେ ଦୀର୍ଘାୟୁ, ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ।
PRO 3:17 ତାହାର ପଥସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ।
PRO 3:18 ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ।
PRO 3:19 ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ।
PRO 3:20 ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଚ୍ଛୁଳି ଉଠେ, ପୁଣି, ମେଘରୁ କାକର ଟୋପା ଟୋପା ପଡ଼େ।
PRO 3:21 ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର।
PRO 3:22 ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ।
PRO 3:23 ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ।
PRO 3:24 ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ, ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ।
PRO 3:25 ହଠାତ୍‍ ଉତ୍ପନ୍ନ ଆଶଙ୍କାକୁ କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ।
PRO 3:26 ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ।
PRO 3:27 ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।
PRO 3:28 ଆପଣା ନିକଟରେ ଦ୍ରବ୍ୟ ଥିଲେ, ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ।
PRO 3:29 ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ।
PRO 3:30 ମନୁଷ୍ୟ ତୁମ୍ଭର କ୍ଷତି ନ କଲେ, ଅକାରଣରେ ତାହା ସହିତ ବିରୋଧ କର ନାହିଁ।
PRO 3:31 ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି, ତାହାର କୌଣସି ପଥ ମନୋନୀତ କର ନାହିଁ।
PRO 3:32 କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ।
PRO 3:33 ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି।
PRO 3:34 ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।
PRO 3:35 ଜ୍ଞାନବାନ ଲୋକେ ସମ୍ମାନର ଅଧିକାରୀ ହେବେ, ମାତ୍ର ଲଜ୍ଜା ଅଜ୍ଞାନମାନଙ୍କ ଉନ୍ନତି ହେବ।
PRO 4:1 ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର।
PRO 4:2 ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ।
PRO 4:3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।
PRO 4:4 ପିତା ମୋତେ ଶିକ୍ଷା ଦେଇ କହିଲେ, “ତୁମ୍ଭ ମନରେ ମୋହର କଥାସବୁ ରଖ, ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।
PRO 4:5 ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
PRO 4:6 ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।
PRO 4:7 ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର।
PRO 4:8 ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ।
PRO 4:9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”
PRO 4:10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ; ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ।
PRO 4:11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି।
PRO 4:12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ; ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ।
PRO 4:13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ିଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ।
PRO 4:14 କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ।
PRO 4:15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; ତହିଁରୁ ବିମୁଖ ହୋଇ ଚାଲିଯାଅ।
PRO 4:16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ।
PRO 4:17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି; ପୁଣି, ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି।
PRO 4:18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।
PRO 4:19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ।
PRO 4:20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର; ମୋʼ ବାକ୍ୟରେ କର୍ଣ୍ଣ ଡେର।
PRO 4:21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।
PRO 4:22 ଯେହେତୁ ତାହା ଯେଉଁମାନେ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ।
PRO 4:23 ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।
PRO 4:24 ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ।
PRO 4:25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ।
PRO 4:26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ।
PRO 4:27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।
PRO 5:1 ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;
PRO 5:2 ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରି ପାରିବ।
PRO 5:3 ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ।
PRO 5:4 କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ।
PRO 5:5 ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ; ତାହାର ପାଦ ସିଧା କବରରେ ପଡ଼େ;
PRO 5:6 ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ; ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ।
PRO 5:7 ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
PRO 5:8 ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହର ଦ୍ୱାର ନିକଟକୁ ଯାଅ ନାହିଁ।
PRO 5:9 କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ;
PRO 5:10 କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ;
PRO 5:11 ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ, ତୁମ୍ଭେ କେଜାଣି ବିଳାପ କରିବ,
PRO 5:12 ଆଉ କହିବ, “ମୁଁ ଉପଦେଶ କିପରି ଘୃଣା କଲି! ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା!
PRO 5:13 ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ, ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ,
PRO 5:14 ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି।”
PRO 5:15 ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର।
PRO 5:16 ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ?
PRO 5:17 ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ।
PRO 5:18 ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର।
PRO 5:19 ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।
PRO 5:20 ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ?
PRO 5:21 ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି।
PRO 5:22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ।
PRO 5:23 ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ।
PRO 6:1 ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ,
PRO 6:2 ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ।
PRO 6:3 ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର।
PRO 6:4 ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିଅବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ।
PRO 6:5 ଆପଣାକୁ ହରିଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର।
PRO 6:6 ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।
PRO 6:7 ତାହାର ବିଚାରକର୍ତ୍ତା କିମ୍ବା ଅଧ୍ୟକ୍ଷ କିମ୍ବା ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ,
PRO 6:8 ପୁଣି, ଫସଲ ସମୟରେ ଆହାର ସଞ୍ଚୟ କରେ।
PRO 6:9 ହେ ଅଳସୁଆ, ତୁମ୍ଭେ କେତେ କାଳ ଶୋଇ ରହିଥିବ? ତୁମ୍ଭେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ?
PRO 6:10 ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
PRO 6:11 ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭର ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
PRO 6:12 ବେଲିଆଲ୍ ସନ୍ତାନ, ଅପରାଧୀ ମନୁଷ୍ୟ; ସେ ସର୍ବଦା କୁଟିଳ ମୁଖ କରି ଚାଲେ;
PRO 6:13 ସେ ଆଖିରେ ଠାରଇ, ସେ ଗୋଡ଼ରେ କଥା କହଇ, ସେ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ;
PRO 6:14 ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରେ; ସେ କଳିର ବୀଜ ବୁଣେ।
PRO 6:15 ଏଣୁ ତାହାର ବିପଦ ହଠାତ୍‍ ଉପସ୍ଥିତ ହେବ, ପୁଣି, ସେ ପ୍ରତିକାର ବିନା ଅକସ୍ମାତ୍‍ ଭଗ୍ନ ହେବ।
PRO 6:16 ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ।
PRO 6:17 ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ;
PRO 6:18 ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ;
PRO 6:19 ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
PRO 6:20 ହେ ମୋହର ପୁତ୍ର, ତୁମ୍ଭେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି, ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ।
PRO 6:21 ତାହା ସର୍ବଦା ତୁମ୍ଭ ହୃଦୟରେ ବାନ୍ଧି ରଖ, ଆପଣା ଗଳଦେଶରେ ବାନ୍ଧ।
PRO 6:22 ତୁମ୍ଭେ ଚାଲିବା ବେଳେ ତାହା ତୁମ୍ଭକୁ ପଥ ଦେଖାଇବ, ଆଉ ଶୋଇବା ବେଳେ ତାହା ତୁମ୍ଭର ପ୍ରହରୀ ହେବ; ତୁମ୍ଭେ ଜାଗିବା ବେଳେ ତାହା ତୁମ୍ଭ ସଙ୍ଗେ ଆଳାପ କରିବ।
PRO 6:23 ଯେହେତୁ ସେହି ଆଜ୍ଞା ପ୍ରଦୀପ ଓ ସେହି ଆଦେଶ ଆଲୁଅ; ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ;
PRO 6:24 ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ୱାର ଚାଟୁବାଦରୁ ରକ୍ଷା କରିବ।
PRO 6:25 ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ।
PRO 6:26 ଯେହେତୁ ବେଶ୍ୟା ସକାଶୁ ଅନ୍ନ-ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରେ।
PRO 6:27 କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କʼଣ ପୋଡ଼ି ଯିବ ନାହିଁ?
PRO 6:28 ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କʼଣ ଫୋଟକା ହେବ ନାହିଁ?
PRO 6:29 ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନୋହିବ।
PRO 6:30 ଚୋର କ୍ଷୁଧିତ ହୋଇ ପ୍ରାଣରକ୍ଷାର୍ଥେ ଯଦି ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ।
PRO 6:31 ମାତ୍ର ସେ ଧରା ପଡ଼ିଲେ, ତାକୁ ସାତ ଗୁଣ ଫେରାଇ ଦେବାକୁ ହେବ; ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ପଡ଼ିବ।
PRO 6:32 ଜଣେ ବ୍ୟଭିଚାରୀ ପୁରୁଷ ନିତାନ୍ତ ନିର୍ବୋଧ; ଯେ ନିଜ ପ୍ରାଣନାଶ କରିବ, ସେ ହିଁ ତାହା କରେ।
PRO 6:33 ସେ ଆଘାତ ଓ ଅପମାନ ପାଇବ; ପୁଣି, ତାହାର କଳଙ୍କ ମାର୍ଜିତ ହେବ ନାହିଁ।
PRO 6:34 ଯେହେତୁ ସ୍ତ୍ରୀ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ; ପ୍ରତିହିଂସା କରିବା ବେଳେ ସେ କିଛି କ୍ଷମା କରିବ ନାହିଁ।
PRO 6:35 ସେ କୌଣସି ପ୍ରାୟଶ୍ଚିତ୍ତକୁ ଗ୍ରାହ୍ୟ କରିବ ନାହିଁ; କିଅବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ।
PRO 7:1 ହେ ମୋହର ପୁତ୍ର, ମୋହର କଥାସବୁ ପାଳନ କର ଓ ମୋହର ଆଜ୍ଞାସବୁ ଆପଣା ହୃଦୟରେ ସଞ୍ଚୟ କରି ରଖ।
PRO 7:2 ମୋହର ଆଜ୍ଞାସବୁ ପାଳନ କର, ତହିଁରେ ତୁମ୍ଭେ ବଞ୍ଚିବ ଓ ଆପଣା ଚକ୍ଷୁର ତାରା ପରି ମୋହର ବ୍ୟବସ୍ଥା ରକ୍ଷା କର।
PRO 7:3 ତୁମ୍ଭର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ; ତୁମ୍ଭର ହୃଦୟ-ପଟାରେ ତାହାସବୁ ଲେଖି ରଖ।
PRO 7:4 ଜ୍ଞାନକୁ କୁହ, “ତୁମ୍ଭେ ମୋହର ଭଗିନୀ,” ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ।
PRO 7:5 ତହିଁରେ ସେମାନେ ପରସ୍ତ୍ରୀଠାରୁ, ଅର୍ଥାତ୍‍, ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ।
PRO 7:6 ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି;
PRO 7:7 ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବା ଲୋକ
PRO 7:8 ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା।
PRO 7:9 ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ।
PRO 7:10 ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା, ସେ ବେଶ୍ୟାବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ।
PRO 7:11 ସେ ବଡ଼ ତୁଣ୍ଡେଈ ଓ ଅବାଧ୍ୟା, ତାହାର ପାଦ ନିଜ ଗୃହରେ ରହେ ନାହିଁ।
PRO 7:12 ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ।
PRO 7:13 ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା, ଆଉ ନିର୍ଲଜ ମୁଖରେ ତାହାକୁ କହିଲା
PRO 7:14 “ମଙ୍ଗଳାର୍ଥକ ବଳି ମୋʼ ନିକଟରେ ଅଛି; ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି।
PRO 7:15 ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯତ୍ନରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି।
PRO 7:16 ମୁଁ ସୁଜନୀ ଓ ମିସରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇଅଛି।
PRO 7:17 ପୁଣି, ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ମୋହର ଶଯ୍ୟା ସୁବାସିତ କରିଅଛି।
PRO 7:18 ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେଉ।
PRO 7:19 ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରକୁ ଯାତ୍ରା କରିଅଛନ୍ତି।
PRO 7:20 ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି, ସେ ପୂର୍ଣ୍ଣିମା ସମୟରେ ଫେରି ଆସିବେ।”
PRO 7:21 ଏହିରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା, ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା।
PRO 7:22 ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ, ସେହିପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା।
PRO 7:23 ଆଉ, ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା।
PRO 7:24 ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ ଓ ମୋʼ ମୁଖର ବାକ୍ୟରେ ମନୋନିବେଶ କର।
PRO 7:25 ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ।
PRO 7:26 ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଅଛି, ହଁ, ତାହାର ହତ ଲୋକସକଳ ଅପାର।
PRO 7:27 ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ।
PRO 8:1 ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ୱର କରେ ନାହିଁ?
PRO 8:2 ସେ ପଥପାର୍ଶ୍ୱସ୍ଥ ଉଚ୍ଚସ୍ଥାନ ମୁଣ୍ଡରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ।
PRO 8:3 ସେ ନଗର-ଦ୍ୱାର ନିକଟରେ, ନଗରର ପ୍ରବେଶ-ଦ୍ୱାରରେ, ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରେ ଡାକି କହେ,
PRO 8:4 “ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି।
PRO 8:5 ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ।
PRO 8:6 ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି।
PRO 8:7 ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ।
PRO 8:8 ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କିମ୍ବା କୁଟିଳ କିଛି ନାହିଁ।
PRO 8:9 ଯେ ତାହା ବୁଝେ, ତାହା ପ୍ରତି ସେହି ସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ।
PRO 8:10 ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର।
PRO 8:11 ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।
PRO 8:12 ମୁଁ ଜ୍ଞାନ, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି, ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ।
PRO 8:13 ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ।
PRO 8:14 ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋʼ ଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼ ଠାରେ ବଳ ଅଛି।
PRO 8:15 ମୋʼ ଦ୍ୱାରା ରାଜାମାନେ ରାଜତ୍ୱ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି।
PRO 8:16 ମୋʼ ଦ୍ୱାରା ଅଧିପତିମାନେ, କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି।
PRO 8:17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯତ୍ନରେ ମୋହର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଇବେ।
PRO 8:18 ମୋʼ ଠାରେ ଧନ ଓ ସମ୍ଭ୍ରମ, ପୁଣି, ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି।
PRO 8:19 ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ।
PRO 8:20 ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ,
PRO 8:21 ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ;
PRO 8:22 ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ।
PRO 8:23 ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
PRO 8:24 ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି;
PRO 8:25 ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି;
PRO 8:26 ସେହି ସମୟରେ ଭୂମି, କିମ୍ବା ପ୍ରାନ୍ତର, କିମ୍ବା ଜଗତସ୍ଥ ଧୂଳିର ଅଗ୍ରିମାଂଶ ସଦାପ୍ରଭୁ ସୃଷ୍ଟି କରି ନ ଥିଲେ।
PRO 8:27 ଯେଉଁ ସମୟରେ ସେ ଆକାଶମଣ୍ଡଳ ସ୍ଥାପନ କଲେ, ସେହି ସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ,
PRO 8:28 ପୁଣି ଉପରିସ୍ଥ ଆକାଶମଣ୍ଡଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା;
PRO 8:29 ଜଳସମୂହ ଯେପରି ତାହାଙ୍କ ଆଜ୍ଞାଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ;
PRO 8:30 ସେହି ସମୟରେ ମୁଁ ତାହାଙ୍କ ନିକଟରେ ରାଜମିସ୍ତ୍ରୀ ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି।
PRO 8:31 ପୁଣି, ତାହାଙ୍କ ଭୂମଣ୍ଡଳରେ ଆନନ୍ଦ କଲି ଓ ମନୁଷ୍ୟ-ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା।
PRO 8:32 ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ।
PRO 8:33 ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ।
PRO 8:34 ଯେ ମୋʼ କଥା ଶୁଣେ ଓ ମୋʼ ଦ୍ୱାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ୱାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ।
PRO 8:35 ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହପ୍ରାପ୍ତ ହେବ।
PRO 8:36 ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେଉଁ ସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି।”
PRO 9:1 ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି;
PRO 9:2 ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି।
PRO 9:3 ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ,
PRO 9:4 “ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ;” ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ,
PRO 9:5 “ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର।
PRO 9:6 ହେ ଅବୋଧ ଲୋକମାନେ, ଅବୋଧମାନଙ୍କର ସଙ୍ଗ ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ।”
PRO 9:7 ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ।
PRO 9:8 ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ।
PRO 9:9 ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ।
PRO 9:10 ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ।
PRO 9:11 ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ।
PRO 9:12 ତୁମ୍ଭେ ଜ୍ଞାନୀ ହେଲେ, ଆପଣା ନିମନ୍ତେ ଜ୍ଞାନୀ ହେବ; ଯଦି ନିନ୍ଦା କର, ଆପେ ତାହା ବୋହିବ।
PRO 9:13 ଅଜ୍ଞାନା ସ୍ତ୍ରୀଲୋକ କଳିହୁଡ଼ୀ; ସେ ଅବୋଧ ଓ କିଛି ଜାଣେ ନାହିଁ।
PRO 9:14 ସେ ଆପଣା ଗୃହର ଦ୍ୱାର ନିକଟରେ ଓ ନଗରର ଉଚ୍ଚସ୍ଥାନରେ ଆସନ ପାରି ବସେ।
PRO 9:15 ସେ ନିକଟ ଦେଇ ନିଜ ନିଜ ପଥରେ ସଳଖେ ଯିବାର ପଥିକମାନଙ୍କୁ ଡାକି କହେ,
PRO 9:16 “ଯେ ଅବୋଧ, ସେ ଏଠାକୁ ଆସୁ” ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,
PRO 9:17 “ଚୌର୍ଯ୍ୟଜଳ ମିଷ୍ଟ ଓ ଗୋପନ ଅନ୍ନ ସୁସ୍ୱାଦୁ।”
PRO 9:18 ମାତ୍ର ସେହି ଲୋକ ଜାଣେ ନାହିଁ ଯେ, ମୃତ ଲୋକମାନେ ସେଠାରେ ଥାʼନ୍ତି, ପୁଣି, ତାହାର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି।
PRO 10:1 ଶଲୋମନଙ୍କର ହିତୋପଦେଶ। ଜ୍ଞାନବାନ ପୁତ୍ର ପିତାର ଆନନ୍ଦ ଜନ୍ମାଏ; କିନ୍ତୁ ହୀନବୁଦ୍ଧି ପୁତ୍ର ତାହା ମାତାର ଶୋକର କାରଣ।
PRO 10:2 ଦୁଷ୍ଟତା-ଜାତ ଧନ କିଛି ଫଳ ଦିଏ ନାହିଁ; ମାତ୍ର ଧାର୍ମିକତା ମୃତ୍ୟୁୁରୁ ଉଦ୍ଧାର କରେ।
PRO 10:3 ସଦାପ୍ରଭୁ ଧାର୍ମିକର ପ୍ରାଣକୁ କ୍ଷୁଧାରେ କ୍ଷୀଣ ହେବାକୁ ଦେବେ ନାହିଁ; ମାତ୍ର ସେ ଦୁଷ୍ଟର କାମନା ସଫଳ କରନ୍ତି ନାହିଁ।
PRO 10:4 ଯେଉଁ ଲୋକ ଶିଥିଳ ହସ୍ତରେ କର୍ମ କରେ, ସେ ଦରିଦ୍ର ହୁଅଇ; ମାତ୍ର କର୍ମଶୀଳର ହସ୍ତ ଧନବାନ କରେ।
PRO 10:5 ଗ୍ରୀଷ୍ମକାଳରେ ଯେ ସଞ୍ଚୟ କରେ, ସେ ବୁଦ୍ଧିମାନ ପୁତ୍ର; ମାତ୍ର ଫସଲ ସମୟରେ ଯେ ନିଦ୍ରିତ ଥାଏ, ସେହି ପୁତ୍ର ଲଜ୍ଜାଜନକ।
PRO 10:6 ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ତ୍ତେ; ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ।
PRO 10:7 ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ।
PRO 10:8 ଯେ ଅନ୍ତଃକରଣରେ ଜ୍ଞାନୀ, ସେ ଆଜ୍ଞା ଗ୍ରହଣ କରିବ; ମାତ୍ର ମୂର୍ଖ ପତିତ ହେବ।
PRO 10:9 ସରଳାଚାରୀ ନିର୍ଭୟରେ ଚାଲେ, ମାତ୍ର ବକ୍ରଗାମୀ ଜଣା ପଡ଼ିବ।
PRO 10:10 ଯେ ଆଖିରେ ଠାର ମାରେ, ସେ ଦୁଃଖ ଜନ୍ମାଏ, ପୁଣି, ଅଜ୍ଞାନ ବକୁଆ ପତିତ ହେବ।
PRO 10:11 ଧାର୍ମିକର ମୁଖ ଜୀବନର ନିର୍ଝର, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ।
PRO 10:12 ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ।
PRO 10:13 ସୁବିବେକୀର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
PRO 10:14 ଜ୍ଞାନୀମାନେ ବିଦ୍ୟା ସଞ୍ଚୟ କରନ୍ତି, ମାତ୍ର ଅଜ୍ଞାନର ମୁଖ ଉପସ୍ଥିତ ବିନାଶ ସ୍ୱରୂପ।
PRO 10:15 ଧନୀର ଧନ ତାହାର ଦୃଢ଼ ନଗର, ଦରିଦ୍ରମାନଙ୍କ ଦରିଦ୍ରତା ସେମାନଙ୍କର ବିନାଶ।
PRO 10:16 ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ।
PRO 10:17 ଉପଦେଶ ଯେ ମାନେ, ସେ ଜୀବନ-ପଥରେ ଚାଲେ; ମାତ୍ର ଯେ ଅନୁଯୋଗ ତ୍ୟାଗ କରେ, ସେ ଭ୍ରାନ୍ତ ହୁଏ।
PRO 10:18 ଯେ ହିଂସା ଆଚ୍ଛାଦନ କରେ, ତାହାର ଓଷ୍ଠାଧର ମିଥ୍ୟାବାଦୀ; ପୁଣି, ଯେ ଅପବାଦ ରଚନା କରେ, ସେ ଅଜ୍ଞାନ।
PRO 10:19 ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ।
PRO 10:20 ଧାର୍ମିକର ଜିହ୍ୱା ମନୋନୀତ ରୂପା ତୁଲ୍ୟ, ମାତ୍ର ଦୁଷ୍ଟର ହୃଦୟ ଅଳ୍ପ ମୂଲ୍ୟ।
PRO 10:21 ଧାର୍ମିକର ଓଷ୍ଠାଧର ଅନେକଙ୍କୁ ପ୍ରତିପାଳନ କରେ, ମାତ୍ର ଅଜ୍ଞାନମାନେ ନିର୍ବୋଧତା ସକାଶୁ ମରନ୍ତି।
PRO 10:22 ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି, ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ।
PRO 10:23 କୁକ୍ରିୟା କରିବାର ଅଜ୍ଞାନର କୌତୁକ, ସେହିପରି ଜ୍ଞାନ ବୁଦ୍ଧିମାନ ଲୋକର।
PRO 10:24 ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାହା ପ୍ରତି; ମାତ୍ର ଧାର୍ମିକର ମନୋବାଞ୍ଛା ତାହାକୁ ଦିଆଯିବ।
PRO 10:25 ଘୂର୍ଣ୍ଣିବାୟୁ ବହିଲେ ଦୁଷ୍ଟ ଆଉ ନ ଥାଏ, ମାତ୍ର ଧାର୍ମିକ ଅନନ୍ତକାଳସ୍ଥାୟୀ ମୂଳଦୁଆ ସ୍ୱରୂପ।
PRO 10:26 ଯେପରି ଦନ୍ତକୁ କଟୁ ରସ ଓ ଚକ୍ଷୁକୁ ଧୂଆଁ, ସେପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ।
PRO 10:27 ସଦାପ୍ରଭୁଙ୍କ ବିଷୟକ ଭୟ ଦିନ ବଢ଼ାଏ, ମାତ୍ର ଦୁଷ୍ଟର ବର୍ଷ ଊଣା କରାଯିବ।
PRO 10:28 ଧାର୍ମିକର ଆଶା ଆନନ୍ଦଜନକ ହେବ, ମାତ୍ର ଦୁଷ୍ଟର ଭରସା କ୍ଷୟ ପାଇବ।
PRO 10:29 ସଦାପ୍ରଭୁଙ୍କ ପଥ ସରଳାଚାରୀମାନଙ୍କ ପ୍ରତି ଦୃଢ଼ ଗଡ଼; ମାତ୍ର କୁକର୍ମକାରୀମାନଙ୍କ ପ୍ରତି ତାହା ବିନାଶଜନକ।
PRO 10:30 ଧାର୍ମିକ କେବେ ହେଁ ଘୁଞ୍ଚା ଯିବ ନାହିଁ; ମାତ୍ର ଦୁଷ୍ଟ ଦେଶବାସୀ ହେବ ନାହିଁ।
PRO 10:31 ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ।
PRO 10:32 ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ।
PRO 11:1 ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର।
PRO 11:2 ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ।
PRO 11:3 ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।
PRO 11:4 ପରମେଶ୍ୱରଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ, ମାତ୍ର ଧାର୍ମିକତା ମୃତ୍ୟୁୁରୁ ରକ୍ଷା କରେ।
PRO 11:5 ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ।
PRO 11:6 ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ।
PRO 11:7 ଦୁଷ୍ଟ ମଲେ, ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ।
PRO 11:8 ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ।
PRO 11:9 ଭକ୍ତିହୀନ ଲୋକ ଆପଣା ମୁଖରେ ପ୍ରତିବାସୀକୁ ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାର ପ୍ରାପ୍ତ ହୁଏ।
PRO 11:10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ; ପୁଣି, ଦୁଷ୍ଟର ବିନାଶ ହେଲେ, ଜୟଧ୍ୱନି ହୁଏ।
PRO 11:11 ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ।
PRO 11:12 ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।
PRO 11:13 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ, ମାତ୍ର ଯାହାର ବିଶ୍ୱସ୍ତ ମନ, ସେ କଥା ଗୁପ୍ତରେ ରଖେ।
PRO 11:14 ସୁପରାମର୍ଶ ଅଭାବରେ ଜାତିର ପତନ ହୁଏ, ପୁଣି, ବହୁସଂଖ୍ୟକ ପରାମର୍ଶଦାତାଙ୍କ ଉପରେ ଜାତିର ନିରାପତ୍ତା ନିର୍ଭର କରେ।
PRO 11:15 ଅଜଣା ଲୋକ ପାଇଁ ଯେ ମଧ୍ୟସ୍ଥ ହୁଏ, ସେ ଅବଶ୍ୟ କ୍ଳେଶ ପାଏ; ମାତ୍ର ମଧ୍ୟସ୍ଥ ହେବାକୁ ଯେ ଘୃଣା କରେ, ସେ ନିରାପଦରେ ଥାଏ।
PRO 11:16 ଅନୁଗ୍ରହଜନିକା ସ୍ତ୍ରୀ ଗୌରବ ଧରି ରଖେ, ପୁଣି, ଉପଦ୍ରବୀ ଲୋକେ ସମ୍ପତ୍ତି ଧରି ରଖନ୍ତି।
PRO 11:17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ; ମାତ୍ର ଯେ ନିର୍ଦ୍ଦୟ, ସେ ଆପଣା ଦେହକୁ ଦୁଃଖ ଦିଏ।
PRO 11:18 ଦୁଷ୍ଟ ଲୋକ ମିଥ୍ୟା ଉପାର୍ଜ୍ଜନ କରେ, ମାତ୍ର ଯେ ଧର୍ମବୀଜ ବୁଣେ, ତାହାର ନିଶ୍ଚିତ ପୁରସ୍କାର ଅଛି।
PRO 11:19 ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ଜୀବନ ପାଇବ; ପୁଣି, କୁକର୍ମର ପଛେ ଯେ ଧାଏଁ, ସେ ଆପଣା ମୃତ୍ୟୁୁ ଘଟାଏ।
PRO 11:20 କୁଟିଳମନା ଲୋକେ ସଦାପ୍ରଭୁଙ୍କର ଘୃଣାପାତ୍ର, ମାତ୍ର ସରଳାଚାରୀମାନେ ତାହାଙ୍କର ତୁଷ୍ଟିକର।
PRO 11:21 ମନ୍ଦ ଲୋକ ହାତ ଧରାଧରି ହେଲେ ହେଁ ଅଦଣ୍ଡିତ ନୋହିବେ, ମାତ୍ର ଧାର୍ମିକର ବଂଶ ରକ୍ଷାପ୍ରାପ୍ତ ହେବେ।
PRO 11:22 ଘୁଷୁରିର ଥୋମଣିରେ ଯେପରି ସୁବର୍ଣ୍ଣ ନଥ, ସେପରି ସୁବିଚାରତ୍ୟାଗିନୀ ରୂପବତୀ ସ୍ତ୍ରୀ।
PRO 11:23 ଧାର୍ମିକମାନଙ୍କ ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ।
PRO 11:24 କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି, କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ।
PRO 11:25 ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି, ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ।
PRO 11:26 ଶସ୍ୟ ଯେ ଅଟକ କରି ରଖେ, ତାହାକୁ ଲୋକମାନେ ଅଭିଶାପ ଦେବେ, ମାତ୍ର ଯେଉଁ ବ୍ୟକ୍ତି ତାହା ବିକ୍ରୟ କରେ, ତାହାର ମସ୍ତକରେ ଆଶୀର୍ବାଦ ବର୍ତ୍ତେ।
PRO 11:27 ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ, ପୁଣି ଯେ ପରର ମନ୍ଦ କରିବାକୁ ଖୋଜେ, ତାହା ପ୍ରତି ତାହା ହିଁ ଘଟିବ।
PRO 11:28 ଆପଣା ଧନରେ ଯେ ନିର୍ଭର ରଖେ, ସେ ପତିତ ହେବ; ମାତ୍ର ଧାର୍ମିକ ଲୋକ ସତେଜ ପତ୍ର ପରି ପ୍ରଫୁଲ୍ଲ ହେବ।
PRO 11:29 ଆପଣା ପରିବାରକୁ ଯେ ଦୁଃଖ ଦିଏ, ସେ ବାୟୁରୂପ ଅଧିକାର ପାଏ; ପୁଣି, ଅଜ୍ଞାନ ବିଜ୍ଞ ବ୍ୟକ୍ତିର ଦାସ ହେବ।
PRO 11:30 ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ, ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ।
PRO 11:31 ଦେଖ, ପୃଥିବୀରେ ଧାର୍ମିକଗଣ ହିଁ ପ୍ରତିଫଳ ପାʼନ୍ତି, ତେବେ ଦୁଷ୍ଟ ଓ ପାପୀଗଣ କʼଣ ତତୋଧିକ ପାଇବେ ନାହିଁ?
PRO 12:1 ଯେଉଁ ଲୋକ ଅନୁଶାସନ ଭଲ ପାଏ, ସେ ଜ୍ଞାନ ଭଲ ପାଏ; ମାତ୍ର ଯେ ଅନୁଯୋଗ ଘୃଣା କରେ, ସେ ପଶୁ ତୁଲ୍ୟ।
PRO 12:2 ସତ୍‍ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବ, ମାତ୍ର କୁକଳ୍ପନାକାରୀକୁ ସେ ଦୋଷୀ କରିବେ।
PRO 12:3 ଦୁଷ୍ଟତା ଦ୍ୱାରା କୌଣସି ମନୁଷ୍ୟ ସୁସ୍ଥିର ହେବ ନାହିଁ, କିନ୍ତୁ ଧାର୍ମିକର ମୂଳ କେବେ ଘୁଞ୍ଚା ଯିବ ନାହିଁ।
PRO 12:4 ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ; ମାତ୍ର ଲଜ୍ଜାଦାୟିନୀ ସ୍ତ୍ରୀ ତାହାର ହାଡ଼ସବୁର କ୍ଷୟ ସ୍ୱରୂପ।
PRO 12:5 ଧାର୍ମିକମାନଙ୍କର ସଂକଳ୍ପ ଯଥାର୍ଥ; ମାତ୍ର ଦୁଷ୍ଟମାନଙ୍କର ପରାମର୍ଶ ପ୍ରବଞ୍ଚନାଯୁକ୍ତ।
PRO 12:6 ଦୁଷ୍ଟମାନେ ରକ୍ତପାତ କରିବା ପାଇଁ ଛକି ବସିବାର କଥା କହନ୍ତି, ମାତ୍ର ସରଳ ଲୋକମାନଙ୍କର ମୁଖ ସେମାନଙ୍କୁ ରକ୍ଷା କରେ।
PRO 12:7 ଦୁଷ୍ଟମାନେ ଉତ୍ପାଟିତ ହୋଇ ଆଉ ନ ଥାଆନ୍ତି, ମାତ୍ର ଧାର୍ମିକମାନଙ୍କର ଗୃହ ସ୍ଥାୟୀ ହେବ।
PRO 12:8 ମନୁଷ୍ୟ ଆପଣା ସୁବୁଦ୍ଧି ଅନୁସାରେ ପ୍ରଶଂସା ପାଇବ, ମାତ୍ର ଯାହାର କୁଟିଳ ଅନ୍ତଃକରଣ, ସେ ତୁଚ୍ଛୀକୃତ ହେବ।
PRO 12:9 ଯେଉଁ ଲୋକ ତୁଚ୍ଛୀକୃତ, ଆଉ ଯାହାର ଦାସ ଅଛି, ସେ ଖାଦ୍ୟହୀନ ଆତ୍ମପ୍ରଶଂସୀଠାରୁ ଶ୍ରେଷ୍ଠ।
PRO 12:10 ଧାର୍ମିକ ମନୁଷ୍ୟ ଆପଣା ପଶୁର ପ୍ରାଣକୁ ଆଦର କରେ, ମାତ୍ର ଦୁଷ୍ଟମାନଙ୍କର କରୁଣା ନିଷ୍ଠୁର।
PRO 12:11 ଯେ ଆପଣା ଭୂମି ଚାଷ କରେ, ସେ ଯଥେଷ୍ଟ ଆହାର ପାଇବ; ମାତ୍ର ଯେ ଅସାର ବିଷୟରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।
PRO 12:12 ଦୁଷ୍ଟ ଲୋକ କୁକର୍ମକାରୀମାନଙ୍କ ଜାଲକୁ ଲୋଭ କରେ; ମାତ୍ର ଧାର୍ମିକର ମୂଳ ଫଳଦାୟକ।
PRO 12:13 ଦୁଷ୍ଟ ଆପଣା ଓଷ୍ଠର ଅଧର୍ମ ସକାଶୁ ଫାନ୍ଦରେ ପଡିଥାଏ, ମାତ୍ର ଧାର୍ମିକ ଦୁଃଖରୁ ଉଦ୍ଧାର ପାଇବ।
PRO 12:14 ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ, ପୁଣି, ମନୁଷ୍ୟର ହସ୍ତକୃତ କର୍ମଫଳ ତାହାକୁ ଦିଆଯିବ।
PRO 12:15 ଅଜ୍ଞାନର ପଥ ତାହାର ନିଜ ଦୃଷ୍ଟିରେ ଯଥାର୍ଥ; ମାତ୍ର ଯେ ଜ୍ଞାନବାନ, ସେ ପରାମର୍ଶ ଶୁଣେ।
PRO 12:16 ଅଜ୍ଞାନର ବିରକ୍ତି ହଠାତ୍‍ ପ୍ରକାଶ ପାଏ; ମାତ୍ର ଚତୁର ଲୋକ ଲଜ୍ଜା ଢାଙ୍କେ।
PRO 12:17 ସତ୍ୟ ସାକ୍ଷୀ ନ୍ୟାୟ ପ୍ରକାଶ କରେ; ମାତ୍ର ମିଥ୍ୟାସାକ୍ଷୀ ପ୍ରବଞ୍ଚନା ପ୍ରକାଶ କରେ।
PRO 12:18 କାହାର କାହାର ବାଚାଳତା ଖଡ୍ଗାଘାତ ପରି; ମାତ୍ର ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ।
PRO 12:19 ସତ୍ୟବାଦୀ ଓଷ୍ଠ ନିତ୍ୟସ୍ଥାୟୀ ହେବ; ମାତ୍ର ମିଥ୍ୟାବାଦୀ ଜିହ୍ୱା ପଲକ ମାତ୍ର।
PRO 12:20 ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ; ମାତ୍ର ଶାନ୍ତି-ପରାମର୍ଶଦାତାମାନଙ୍କର ଆନନ୍ଦ ହୁଏ।
PRO 12:21 ଧାର୍ମିକ ପ୍ରତି କୌଣସି ବିପଦ ଘଟିବ ନାହିଁ; ମାତ୍ର ଦୁଷ୍ଟ ଲୋକ ଅନିଷ୍ଟରେ ପରିପୂର୍ଣ୍ଣ ହେବ।
PRO 12:22 ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ; ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି, ସେମାନେ ତାହାଙ୍କର ତୁଷ୍ଟିକର।
PRO 12:23 ଚତୁର ଲୋକ ଜ୍ଞାନ ଆଚ୍ଛାଦନ କରେ; ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
PRO 12:24 କର୍ମଶୀଳର ହସ୍ତ କର୍ତ୍ତୃତ୍ୱ କରିବ; ମାତ୍ର ଅଳସୁଆ ଲୋକ ବେଠି କରିବ।
PRO 12:25 ମନୁଷ୍ୟର ଚିନ୍ତା ମନକୁ ନତ କରେ; ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।
PRO 12:26 ଧାର୍ମିକ ଲୋକ ଆପଣା ପ୍ରତିବାସୀର ପଥଦର୍ଶକ; ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ।
PRO 12:27 ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ; ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମୀର ପକ୍ଷରେ।
PRO 12:28 ଧାର୍ମିକତାରୂପ ପଥରେ ଜୀବନ ଥାଏ; ପୁଣି, ତହିଁର ଗମନ-ମାର୍ଗରେ ମୃତ୍ୟୁୁ ନ ଥାଏ।
PRO 13:1 ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ; ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ।
PRO 13:2 ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳ ଭୋଗ କରେ; ମାତ୍ର ବିଶ୍ୱାସଘାତକର ପ୍ରାଣ ଦୌରାତ୍ମ୍ୟ ଭୋଗ କରେ।
PRO 13:3 ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।
PRO 13:4 ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ, ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ।
PRO 13:5 ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ; ମାତ୍ର ଦୁଷ୍ଟ ଲୋକ ଦୁର୍ଗନ୍ଧ ସ୍ୱରୂପ, ଆଉ ସେ ଲଜ୍ଜା ଭୋଗ କରେ।
PRO 13:6 ଧାର୍ମିକତା ସରଳ-ପଥଗାମୀକୁ ରକ୍ଷା କରେ; ମାତ୍ର ଦୁଷ୍ଟତା ପାପୀକୁ ଓଲଟାଇ ପକାଏ।
PRO 13:7 କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ; କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି।
PRO 13:8 ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ୍ତ ସ୍ୱରୂପ; ମାତ୍ର ଦରିଦ୍ର ଲୋକ ଧମକ ଶୁଣେ ନାହିଁ।
PRO 13:9 ଧାର୍ମିକର ଦୀପ୍ତି ଆନନ୍ଦ କରେ; ମାତ୍ର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
PRO 13:10 ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ; ମାତ୍ର ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି।
PRO 13:11 ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ, ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ।
PRO 13:12 ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ।
PRO 13:13 ଯେଉଁ ଲୋକ ଉପଦେଶ ତୁଚ୍ଛ କରେ, ସେ ଆପଣା ଉପରକୁ ବିନାଶ ଆଣେ; ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ।
PRO 13:14 ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ଜ୍ଞାନବାନ‍ର ବ୍ୟବସ୍ଥା ଜୀବନ-ଝର ସ୍ୱରୂପ ଅଟେ।
PRO 13:15 ସୁବୁଦ୍ଧିର ଫଳ ଅନୁଗ୍ରହ, ମାତ୍ର ବିଶ୍ୱାସଘାତକର ପଥ କଠିନ ଅଟେ।
PRO 13:16 ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ; ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
PRO 13:17 ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ; ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ।
PRO 13:18 ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ; ମାତ୍ର ଯେ ଅନୁଯୋଗ ଘେନେ, ସେ ମର୍ଯ୍ୟାଦା ପାଇବ।
PRO 13:19 ବାଞ୍ଛାସିଦ୍ଧି ପ୍ରାଣକୁ ମିଷ୍ଟ ଲାଗେ; ପୁଣି, ମନ୍ଦ ତ୍ୟାଗ କରିବାର ମୂର୍ଖ ଲୋକର ଘୃଣା ବିଷୟ।
PRO 13:20 ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ; ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ।
PRO 13:21 ପାପୀମାନଙ୍କ ପଛେ ମନ୍ଦ ଗୋଡ଼ାଏ; ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ।
PRO 13:22 ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
PRO 13:23 ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ; ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ।
PRO 13:24 ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ।
PRO 13:25 ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ।
PRO 14:1 ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ।
PRO 14:2 ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ; ମାତ୍ର ବିପଥଗାମୀ ତାହାଙ୍କୁ ତୁଚ୍ଛ କରେ।
PRO 14:3 ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ; ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ।
PRO 14:4 ଗୋରୁ ନ ଥିଲେ, କୁଣ୍ଡ ନିର୍ମଳ ଥାଏ; ପୁଣି, ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ।
PRO 14:5 ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ; କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ।
PRO 14:6 ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ; ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ।
PRO 14:7 ମୂର୍ଖ ନିକଟକୁ ଗଲେ, ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ।
PRO 14:8 ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ; ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର।
PRO 14:9 ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି; ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ।
PRO 14:10 ଅନ୍ତଃକରଣ ଆପଣାର ତିକ୍ତତା ଜାଣେ; ପୁଣି, ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗୀ ହୁଏ ନାହିଁ।
PRO 14:11 ଦୁଷ୍ଟମାନଙ୍କ ଗୃହ ନିପାତ ହେବ; ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ।
PRO 14:12 ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ; ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ।
PRO 14:13 ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ।
PRO 14:14 ଅନ୍ତଃକରଣରେ ବିପଥଗାମୀ ଆପଣା ଆଚରଣର ଫଳରେ ପରିପୂର୍ଣ୍ଣ ହେବ; ପୁଣି, ଉତ୍ତମ ଲୋକ ଆପଣାରୁ ପରିତୃପ୍ତ ହେବ।
PRO 14:15 ନିର୍ବୋଧ ଲୋକ ସବୁ କଥା ବିଶ୍ୱାସ କରେ; ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ।
PRO 14:16 ଜ୍ଞାନୀ ଲୋକ ସତର୍କ ଥାଏ ଓ ମନ୍ଦକୁ ଛାଡ଼ିଦିଏ; ମାତ୍ର ମୂର୍ଖ ଲୋକ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
PRO 14:17 ଯେ ହଠାତ୍‍ କ୍ରୋଧୀ, ସେ ଅଜ୍ଞାନର କର୍ମ କରେ; ପୁଣି, କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର।
PRO 14:18 ଅସତର୍କ ଲୋକମାନେ ଅଜ୍ଞାନତାରୂପ ଅଧିକାର ପାʼନ୍ତି; ମାତ୍ର ଚତୁର ଲୋକେ ଜ୍ଞାନରୂପ ମୁକୁଟରେ ବିଭୂଷିତ ହୁଅନ୍ତି।
PRO 14:19 ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ଛାମୁରେ ଓ ଦୁଷ୍ଟମାନେ ଧାର୍ମିକଗଣର ଦ୍ୱାରରେ ଦଣ୍ଡବତ କରନ୍ତି।
PRO 14:20 ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଏ; ମାତ୍ର ଧନବାନର ଅନେକ ବନ୍ଧୁ ଥାʼନ୍ତି।
PRO 14:21 ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।
PRO 14:22 ଅନିଷ୍ଟ ଚିନ୍ତାକାରୀଗଣ କʼଣ ଭ୍ରାନ୍ତ ହୁଅନ୍ତି ନାହିଁ? ମାତ୍ର ମଙ୍ଗଳ ଚିନ୍ତାକାରୀଗଣ ପ୍ରତି ଦୟା ଓ ସତ୍ୟତା ବର୍ତ୍ତେ।
PRO 14:23 ସବୁ ପ୍ରକାର ପରିଶ୍ରମରେ ଫଳ ଅଛି; ପୁଣି, ଓଷ୍ଠାଧରର କଥାମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ।
PRO 14:24 ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ; ପୁଣି, ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।
PRO 14:25 ସତ୍ୟ ସାକ୍ଷୀ ଅନ୍ୟର ଜୀବନକୁ ରକ୍ଷା କରେ; ମାତ୍ର ମିଥ୍ୟାବାଦୀ ପ୍ରବଞ୍ଚନାଜନକ।
PRO 14:26 ସଦାପ୍ରଭୁ ବିଷୟକ ଭୟ ଦୃଢ଼ ବିଶ୍ୱାସଭୂମି; ଆଉ, ତାହାଙ୍କ ସନ୍ତାନମାନେ ଆଶ୍ରୟ ସ୍ଥାନ ପାଇବେ।
PRO 14:27 ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର ଝର ସ୍ୱରୂପ।
PRO 14:28 ପ୍ରଜା ବାହୁଲ୍ୟରେ ରାଜାର ସମ୍ଭ୍ରମ; ପୁଣି, ପ୍ରଜା ଅଭାବରେ ଭୂପତିର ବିନାଶ।
PRO 14:29 ଯେ କ୍ରୋଧ କରିବାରେ ଧୀର, ସେ ବଡ଼ ବୁଦ୍ଧିମାନ; ପୁଣି, ହଠାତ୍‍ କ୍ରୋଧୀ ଅଜ୍ଞାନତାରୂପ ଧ୍ୱଜା ଟେକେ।
PRO 14:30 ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ; ପୁଣି, ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।
PRO 14:31 ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ଯେ ଦରିଦ୍ରକୁ ଦୟା କରେ, ସେ ତାହାଙ୍କୁ ଆଦର କରେ।
PRO 14:32 ଦୁଷ୍ଟ ଲୋକ ଆପଣା ମନ୍ଦକର୍ମରେ ବିନାଶ ହୁଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।
PRO 14:33 ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ; ପୁଣି, ମୂର୍ଖର ଆନ୍ତରିକ ଭାବ ଜଣାଯିବ।
PRO 14:34 ଧାର୍ମିକତା ରାଜ୍ୟର ଉନ୍ନତି ଜନ୍ମାଏ; ମାତ୍ର ପାପ ନରଗଣର ଅପମାନ।
PRO 14:35 ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହପାତ୍ର; ପୁଣି, ଯେ ଲଜ୍ଜା ଜନ୍ମାଏ, ତାହା ପ୍ରତି ସେ କ୍ରୋଧ କରନ୍ତି।
PRO 15:1 କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।
PRO 15:2 ଜ୍ଞାନୀମାନଙ୍କ ଜିହ୍ୱା ପ୍ରକୃତ ରୂପେ ଜ୍ଞାନ ବ୍ୟକ୍ତ କରେ; ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଉଦ୍ଗାର କରେ।
PRO 15:3 ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ।
PRO 15:4 ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।
PRO 15:5 ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ; ପୁଣି, ଅନୁଯୋଗ ଯେ ଘେନେ, ସେ ବୁଦ୍ଧି ପ୍ରାପ୍ତ ହୁଏ।
PRO 15:6 ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ; ପୁଣି, ଦୁଷ୍ଟର ଆୟରେ କ୍ଳେଶ ଥାଏ।
PRO 15:7 ଜ୍ଞାନବାନ‍ର ଓଷ୍ଠାଧର ବିଦ୍ୟା ବିତରଣ କରେ; ମାତ୍ର ମୂର୍ଖର ମନ ସେପରି କରେ ନାହିଁ।
PRO 15:8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ; ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର।
PRO 15:9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ; ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି।
PRO 15:10 ବିପଥଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ; ପୁଣି, ଯେଉଁ ଲୋକ ଅନୁଯୋଗ ଘୃଣା କରେ, ସେ ମରିବ।
PRO 15:11 ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ; ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ?
PRO 15:12 ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ, ସେ ଜ୍ଞାନୀର ନିକଟକୁ ଯାଏ ନାହିଁ।
PRO 15:13 ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ; ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ।
PRO 15:14 ବୁଦ୍ଧିମାନର ମନ ଜ୍ଞାନ ଖୋଜେ; ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ।
PRO 15:15 ଦୁଃଖୀ ଲୋକର ସବୁ ଦିନ ଅମଙ୍ଗଳ; ମାତ୍ର ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ।
PRO 15:16 ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ।
PRO 15:17 ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷା ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ।
PRO 15:18 କ୍ରୋଧୀ ଲୋକ କଳି ଜନ୍ମାଏ; ପୁଣି, କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ।
PRO 15:19 ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ।
PRO 15:20 ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ; ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
PRO 15:21 ନିର୍ବୋଧ ପ୍ରତି ଅଜ୍ଞାନତା ଆନନ୍ଦଜନକ; ମାତ୍ର ବୁଦ୍ଧିମାନ ଲୋକ ଆପଣା ଗତି ସରଳ କରେ।
PRO 15:22 ମନ୍ତ୍ରଣା ଅଭାବରେ ସଂକଳ୍ପ ବିଫଳ ହୁଏ; ମାତ୍ର ବହୁତ ମନ୍ତ୍ରୀ ଦ୍ୱାରା ତାହା ସ୍ଥିରୀକୃତ ହୁଏ।
PRO 15:23 ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ!
PRO 15:24 ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।
PRO 15:25 ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ; ମାତ୍ର ବିଧବାର ସୀମା ସେ ସ୍ଥିର କରିବେ;
PRO 15:26 କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ; ମାତ୍ର ମନୋହର କଥା ଶୁଚି।
PRO 15:27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ, ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ।
PRO 15:28 ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ; ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଢାଳି ପକାଏ।
PRO 15:29 ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଆନ୍ତି; ପୁଣି, ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
PRO 15:30 ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ; ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ।
PRO 15:31 ଯେଉଁ କର୍ଣ୍ଣ ଜୀବନଦାୟକ ଅନୁଯୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ।
PRO 15:32 ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣକୁ ତୁଚ୍ଛ କରେ; ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
PRO 15:33 ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ; ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।
PRO 16:1 ଅନ୍ତଃକରଣର କଳ୍ପନା ମନୁଷ୍ୟର ଅଟେ; ମାତ୍ର ଜିହ୍ୱାର ଉତ୍ତର ସଦାପ୍ରଭୁଙ୍କଠାରୁ ହୁଏ।
PRO 16:2 ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ; ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ତୌଲନ୍ତି।
PRO 16:3 ସଦାପ୍ରଭୁଙ୍କୁ ତୁମ୍ଭର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମ୍ଭର ସଂକଳ୍ପ ସ୍ଥିରୀକୃତ ହେବ।
PRO 16:4 ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି; ଦୁଷ୍ଟକୁ ମଧ୍ୟ ଦୁର୍ଦ୍ଦିନ ନିମନ୍ତେ।
PRO 16:5 ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ଡିତ ନୋହିବ।
PRO 16:6 ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
PRO 16:7 ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ, ସେ ତାହାର ଶତ୍ରୁମାନଙ୍କୁ ମଧ୍ୟ ତାହା ସହିତ ଶାନ୍ତିରେ ବାସ କରାନ୍ତି।
PRO 16:8 ଅନ୍ୟାୟ ସହିତ ପ୍ରଚୁର ଆୟରୁ ଧାର୍ମିକତା ସହିତ ଅଳ୍ପ ଭଲ।
PRO 16:9 ମନୁଷ୍ୟର ମନ ଆପଣା ପଥ ବିଷୟ କଳ୍ପନା କରେ; ମାତ୍ର ସଦାପ୍ରଭୁ ତାହାର ଗତି ନିରୂପଣ କରନ୍ତି।
PRO 16:10 ରାଜାର ଓଷ୍ଠରେ ଦିବ୍ୟ-ବାକ୍ୟ ଥାଏ, ତାହାର ମୁଖ ବିଚାରରେ ସତ୍ୟ-ଲଙ୍ଘନ କରିବ ନାହିଁ।
PRO 16:11 ଯଥାର୍ଥ ବିଶା ଓ ଦଣ୍ଡି ସଦାପ୍ରଭୁଙ୍କର ଓ ଥଳୀରେ ଥିବା ବଟଖରାସବୁ ତାହାଙ୍କର କର୍ମ।
PRO 16:12 କୁକର୍ମ କରିବାର ରାଜାମାନଙ୍କର ଘୃଣା ବିଷୟ; ଯେହେତୁ ଧାର୍ମିକତାରେ ସିଂହାସନ ସ୍ଥିରୀକୃତ ହୁଏ।
PRO 16:13 ଧର୍ମଯୁକ୍ତ ଓଷ୍ଠ ରାଜାମାନଙ୍କର ତୁଷ୍ଟିକର, ପୁଣି, ଯଥାର୍ଥବାଦୀକୁ ସେମାନେ ପ୍ରେମ କରନ୍ତି।
PRO 16:14 ରାଜାର କ୍ରୋଧ ମୃତ୍ୟୁର ଦୂତ ପରି; ମାତ୍ର ଜ୍ଞାନୀ ଲୋକ ତାହା ଶାନ୍ତ କରେ।
PRO 16:15 ରାଜାର ପ୍ରସନ୍ନ ବଦନରେ ଜୀବନ ଥାଏ, ପୁଣି ତାହାର ଅନୁଗ୍ରହ ଶେଷ ବର୍ଷାର ମେଘ ସ୍ୱରୂପ।
PRO 16:16 ସୁନା ଅପେକ୍ଷା ଜ୍ଞାନ ଲାଭ କରିବା, ପୁଣି, ରୂପା ଅପେକ୍ଷା ବରଞ୍ଚ ସୁବିବେଚନା ଲାଭ ମନୋନୀତ କରିବାର କିପରି ଉତ୍ତମ!
PRO 16:17 ମନ୍ଦତା ତ୍ୟାଗ କରିବାର ସରଳ ଲୋକମାନଙ୍କର ରାଜଦାଣ୍ଡ, ଯେଉଁ ଲୋକ ଆପଣା ପଥ ଜଗି ଚାଲେ, ସେ ଆପଣା ପ୍ରାଣ ରକ୍ଷା କରେ।
PRO 16:18 ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି, ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ।
PRO 16:19 ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ୟ ଭାଗ କରିବା ଅପେକ୍ଷା ଦୀନାତ୍ମା ସହିତ ନମ୍ର ହେବାର ଭଲ।
PRO 16:20 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରେ, ସେ ମଙ୍ଗଳ ପାଏ, ପୁଣି ସଦାପ୍ରଭୁଙ୍କଠାରେ ଯେ ନିର୍ଭର କରେ, ସେ ଧନ୍ୟ।
PRO 16:21 ମନରେ ଜ୍ଞାନୀ ଲୋକ ବୁଦ୍ଧିମାନ ବିଖ୍ୟାତ ହୁଏ, ପୁଣି, ଓଷ୍ଠାଧରର ମିଷ୍ଟତା ପାଣ୍ଡିତ୍ୟ ବଢ଼ାଏ।
PRO 16:22 ସଦ୍‍ବୁଦ୍ଧି, ତାହା ପାଇଥିବା ଲୋକ ପ୍ରତି ଜୀବନର ଝର ସ୍ୱରୂପ ଅଟେ; ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
PRO 16:23 ଜ୍ଞାନବାନ‍ର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ, ପୁଣି, ତାହାର ବାକ୍ୟ ପାଣ୍ଡିତ୍ୟ ବଢ଼ାଏ।
PRO 16:24 ମନୋହର ଭାଷା ମଧୁଚାକ ସଦୃଶ, ତାହା ମନକୁ ସୁମିଷ୍ଟ, ଅସ୍ଥିକୁ ସ୍ୱାସ୍ଥ୍ୟ।
PRO 16:25 ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ।
PRO 16:26 ପରିଶ୍ରମକାରୀର କ୍ଷୁଧା ତାହା ନିମନ୍ତେ ପରିଶ୍ରମ କରେ, ଯେହେତୁ ତାହାର ମୁଖ ତହିଁ ପାଇଁ ତାହାକୁ ବାଧ୍ୟ କରେ।
PRO 16:27 ଦୁଷ୍ଟ ଲୋକ ଅନିଷ୍ଟ କଳ୍ପନା କରେ, ପୁଣି, ତାହାର ଓଷ୍ଠରେ ଜ୍ୱଳନ୍ତା ଅଗ୍ନି ପରି ଥାଏ।
PRO 16:28 କୁଟିଳ ମନୁଷ୍ୟ କଳି ବୁଣେ, ପୁଣି କର୍ଣ୍ଣେଜପ ବିଶେଷ ମିତ୍ରଗଣକୁ ବିଭିନ୍ନ କରେ।
PRO 16:29 ଅତ୍ୟାଚାରୀ ଆପଣା ପ୍ରତିବାସୀକୁ ଭୁଲାଏ, ପୁଣି, ତାହାକୁ କୁପଥରେ କଢ଼ାଇ ନିଏ।
PRO 16:30 ଯେଉଁ ଲୋକ ଆପଣା ଚକ୍ଷୁ ମୁଦେ, ସେ କୁଟିଳ ବିଷୟ କଳ୍ପନା କରିବାକୁ ତାହା କରେ; ଯେ ଆପଣା ଓଷ୍ଠାଧରକୁ ଚିପେ, ସେ ମନ୍ଦ କର୍ମ ସିଦ୍ଧ କରେ।
PRO 16:31 ପକ୍ୱକେଶ ଶୋଭାଜନକ ମୁକୁଟ, ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
PRO 16:32 ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ; ପୁଣି, ଯେ ନିଜ ଆତ୍ମା ଉପରେ କର୍ତ୍ତୃତ୍ୱ କରେ, ସେ ନଗର ଜୟକାରୀ ଅପେକ୍ଷା ଭଲ।
PRO 16:33 ଗୁଲିବାଣ୍ଟ କୋଳରେ ପକାଯାଏ, ମାତ୍ର ତହିଁର ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ହୁଏ।
PRO 17:1 ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଶୁଖିଲା ରୁଟି ଖଣ୍ଡେ ଭଲ।
PRO 17:2 ଯେଉଁ ଦାସ ବୁଦ୍ଧିପୂର୍ବକ ଚଳେ, ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଭାଇମାନଙ୍କ ସଙ୍ଗରେ ଅଧିକାରର ବାଣ୍ଟ ପାଏ।
PRO 17:3 କୋୟିରେ ରୂପାର ଓ ଉହ୍ମାଇରେ ସୁନାର ପରୀକ୍ଷା ହୁଏ; ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
PRO 17:4 କୁକ୍ରିୟାକାରୀ ଲୋକ ଦୁଷ୍ଟ ଓଷ୍ଠାଧରର କଥା ଶୁଣେ, ପୁଣି, ମିଥ୍ୟାବାଦୀ ହିଂସ୍ର ଜିହ୍ୱାରେ କର୍ଣ୍ଣପାତ କରେ।
PRO 17:5 ଯେଉଁ ଲୋକ ଦରିଦ୍ରକୁ ପରିହାସ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ବିପଦରେ ଯେ ଆନନ୍ଦ କରେ, ସେ ଅଦଣ୍ଡିତ ରହିବ ନାହିଁ।
PRO 17:6 ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ; ପୁଣି, ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।
PRO 17:7 ବାକ୍‍ପଟୁ ଓଷ୍ଠ ମୂଢ଼ର ଅନୁପଯୁକ୍ତ, ମିଥ୍ୟାବାଦୀ ଓଷ୍ଠାଧର କୁଳୀନର ଅଧିକ ଅନୁପଯୁକ୍ତ।
PRO 17:8 ଗ୍ରାହକର ଦୃଷ୍ଟିରେ ଦାନ ବହୁମୂଲ୍ୟ ମଣି ତୁଲ୍ୟ, ତାହା ଯେଉଁ ଦିଗରେ ଫେରେ, ସେହି ଦିଗରେ ସଫଳ ହୁଏ।
PRO 17:9 ଯେ ଅଧର୍ମ କ୍ଷମା କରେ, ସେ ପ୍ରେମ ଖୋଜେ; ମାତ୍ର ଯେ ପୁନଃ ପୁନଃ ଗୋଟିଏ କଥା ଉତ୍ଥାପନ କରେ, ସେ ବିଶେଷ ମିତ୍ରଗଣକୁ ଅଲଗା କରେ।
PRO 17:10 ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନ‍କୁ ପଦେ ଅନୁଯୋଗ ଅଧିକ କାଟେ।
PRO 17:11 ଦୁର୍ଜ୍ଜନ କେବଳ ବିଦ୍ରୋହ ଖୋଜେ, ଏଣୁ ତାହା ବିରୁଦ୍ଧରେ ନିଷ୍ଠୁର ଦୂତ ପଠାଯିବ।
PRO 17:12 ଛୁଆହରା ଭଲ୍ଲୁକୀ ପଛେ ମନୁଷ୍ୟକୁ ଭେଟୁ, ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।
PRO 17:13 ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।
PRO 17:14 କଳିର ଆରମ୍ଭ କେହି ବନ୍ଧ କାଟି ଜଳ ଛାଡ଼ିଦେବା ପରି; ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼।
PRO 17:15 ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ରୂପେ ଘୃଣିତ।
PRO 17:16 ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ କାହିଁକି ଧନ ଥାଏ? ତାହାର ତ ବୁଦ୍ଧି ନାହିଁ।
PRO 17:17 ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ।
PRO 17:18 ନିର୍ବୋଧ ଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।
PRO 17:19 ଯେ କଳି ଭଲ ପାଏ, ସେ ଅପରାଧ ହିଁ ଭଲ ପାଏ; ପୁଣି, ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।
PRO 17:20 ଯାହାର କୁଟିଳ ଅନ୍ତଃକରଣ, ସେ ମଙ୍ଗଳ ପାଏ ନାହିଁ; ପୁଣି, ଯାହାର ବକ୍ରବାଦୀ ଜିହ୍ୱା, ସେ ଆପଦରେ ପଡ଼େ।
PRO 17:21 ମୂର୍ଖର ଜନ୍ମଦାତା ଆପଣାର ଶୋକ ସଞ୍ଚୟ କରେ; ପୁଣି, ମୂଢ଼ର ପିତା ଆନନ୍ଦ ପାଏ ନାହିଁ।
PRO 17:22 ଆନନ୍ଦିତ ହୃଦୟ ଉତ୍ତମ ଔଷଧ; ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
PRO 17:23 ଦୁଷ୍ଟ ଲୋକ ବିଚାରର ମାର୍ଗ ବଙ୍କା କରିବାକୁ ଅଣ୍ଟାରୁ ଲାଞ୍ଚ ନିଏ।
PRO 17:24 ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ, ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।
PRO 17:25 ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ଆପଣା ଜନନୀର ଦୁଃଖର କାରଣ ହୁଏ।
PRO 17:26 ଧାର୍ମିକକୁ ଶାସ୍ତି ଦେବାର ଅବା କୁଳୀନ ଲୋକଙ୍କୁ ସେମାନଙ୍କ ସରଳତା ସକାଶୁ ପ୍ରହାର କରିବାର ଉଚିତ ନୁହେଁ।
PRO 17:27 ଯେ ଅଳ୍ପ ବାକ୍ୟ ବ୍ୟୟ କରେ, ତାହାର ଜ୍ଞାନ ଥାଏ; ପୁଣି, ଯାହାର ଶାନ୍ତ ଆତ୍ମା, ସେ ବୁଦ୍ଧିମାନ।
PRO 17:28 ଅଜ୍ଞାନ ହିଁ ତୁନି ହେଲେ, ଜ୍ଞାନବାନ ଗଣିତ ହୁଏ; ପୁଣି, ସେ ଆପଣା ଓଷ୍ଠ ବନ୍ଦ କଲେ, ବୁଦ୍ଧିମାନ ଗଣିତ ହୁଏ।
PRO 18:1 ଯେ ଆପଣାକୁ ଅନ୍ୟଠାରୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ୱଜ୍ଞାନ ବିରୁଦ୍ଧରେ କନ୍ଦଳ କରେ।
PRO 18:2 ମୂର୍ଖ ଲୋକ ବୁଦ୍ଧିରେ ସନ୍ତୋଷ ପାଏ ନାହିଁ, କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ।
PRO 18:3 ଦୁଷ୍ଟ ଆସିଲେ ଅବଜ୍ଞା ଆସେ, ପୁଣି, ଅପମାନ ସଙ୍ଗେ ଦୁର୍ନାମ ଆସେ।
PRO 18:4 ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳ ତୁଲ୍ୟ, ପୁଣି, ଜ୍ଞାନର ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ।
PRO 18:5 ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ।
PRO 18:6 ମୂର୍ଖର ଓଷ୍ଠ ବିବାଦରେ ପ୍ରବର୍ତ୍ତେ, ପୁଣି, ତାହାର ମୁଖ ମାଡ଼ ଖାଇବାକୁ ଡାକେ।
PRO 18:7 ମୂର୍ଖର ମୁଖ ତାହାର ବିନାଶର କାରଣ, ପୁଣି, ତାହାର ଓଷ୍ଠ ଆପଣା ପ୍ରାଣର ଫାନ୍ଦ ସ୍ୱରୂପ।
PRO 18:8 କାନେ କାନେ କହିବା ଲୋକର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ।
PRO 18:9 ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶ କର ଭାଇ।
PRO 18:10 ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଏ।
PRO 18:11 ଧନବାନର ଧନ ତାହାର ଦୃଢ଼ ନଗର, ପୁଣି, ତାହାର ବୋଧରେ ଉଚ୍ଚ ପ୍ରାଚୀର ସ୍ୱରୂପ।
PRO 18:12 ବିନାଶ ସମ୍ମୁଖରେ ମନୁଷ୍ୟର ମନ ଗର୍ବିତ ହୁଏ, ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
PRO 18:13 ଯେ ଶୁଣିବା ପୂର୍ବେ ଉତ୍ତର କରେ, ତାହା ତାହାର ପ୍ରତି ଅଜ୍ଞାନତା ଓ ଲଜ୍ଜା।
PRO 18:14 ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳି ପାରେ; ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ?
PRO 18:15 ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ।
PRO 18:16 ମନୁଷ୍ୟର ଭେଟି ତାହା ପାଇଁ ପଥ ପରିଷ୍କାର କରେ, ପୁଣି, ବଡ଼ ଲୋକମାନଙ୍କ ଛାମୁକୁ ତାହାକୁ ଆଣେ।
PRO 18:17 ଯେଉଁ ଲୋକ ପ୍ରଥମେ ଆପଣା ବିବାଦ ଜଣାଏ, ସେ ଧାର୍ମିକ ଦେଖାଯାଏ, ମାତ୍ର ତାହାର ପ୍ରତିବାସୀ ଆସି ତାହାକୁ ପରୀକ୍ଷା କରେ।
PRO 18:18 ଗୁଲିବାଣ୍ଟ ବିରୋଧ ମେଣ୍ଟଣ କରେ ଓ ବଳବାନମାନଙ୍କୁ ପୃଥକ କରେ।
PRO 18:19 ବିରକ୍ତ ଭ୍ରାତା ଦୃଢ଼ ନଗର ଅପେକ୍ଷା ଦୁର୍ଜେୟ; ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।
PRO 18:20 ମନୁଷ୍ୟର ଉଦର ତାହାର ମୁଖର ଫଳରେ ପୂର୍ଣ୍ଣ ହୁଏ, ପୁଣି, ସେ ଆପଣା ଓଷ୍ଠର ଉପାର୍ଜ୍ଜନରେ ତୃପ୍ତ ହୁଏ।
PRO 18:21 ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।
PRO 18:22 ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
PRO 18:23 ଦରିଦ୍ର ଲୋକ ବିନୟ କରେ; ମାତ୍ର ଧନବାନ କଠିନ ଉତ୍ତର ଦିଏ।
PRO 18:24 ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି।
PRO 19:1 ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ, ସେ କୁଟିଳୋଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ।
PRO 19:2 ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ; ପୁଣି, ଯେ ବେଗ କରି ପାଦ ପକାଏ, ସେ ପାପ କରେ।
PRO 19:3 ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି, ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ।
PRO 19:4 ଧନ ବହୁତ ମିତ୍ର ଲାଭ କରେ; ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ।
PRO 19:5 ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ।
PRO 19:6 ଅନେକେ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି, ପୁଣି, ପ୍ରତି ଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି।
PRO 19:7 ଦରିଦ୍ରର ସମସ୍ତ ଭ୍ରାତା ତାହାକୁ ଘୃଣା କରନ୍ତି; ତାହାର ମିତ୍ରମାନେ ତାହାଠୁଁ କେତେ ଅଧିକ ଦୂରକୁ ନ ଯିବେ! ସେ ଆଳାପ ଚେଷ୍ଟା କରେ, ମାତ୍ର ସେମାନେ ନାହାନ୍ତି।
PRO 19:8 ଯେଉଁ ଲୋକ ବୁଦ୍ଧି ଲାଭ କରେ, ସେ ଆପଣା ପ୍ରାଣକୁ ପ୍ରେମ କରେ; ଯେ ବିବେଚନା ରକ୍ଷା କରେ, ସେ ମଙ୍ଗଳ ପାଏ।
PRO 19:9 ମିଥ୍ୟାସାକ୍ଷୀ ଅଦଣ୍ଡିତ ନୋହିବ; ପୁଣି, ମିଥ୍ୟାବାଦୀ ବିନଷ୍ଟ ହେବ।
PRO 19:10 ମୂର୍ଖର ସୁଖଭୋଗ ଅନୁପଯୁକ୍ତ; ଅଧିପତିମାନଙ୍କ ଉପରେ ଦାସର କର୍ତ୍ତୃତ୍ୱ ତତୋଧିକ ଅନୁପଯୁକ୍ତ।
PRO 19:11 ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ।
PRO 19:12 ରାଜାର କୋପ ସିଂହ ଗର୍ଜ୍ଜନ ପରି; ମାତ୍ର ତାହାର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।
PRO 19:13 ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ; ପୁଣି, ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି।
PRO 19:14 ଗୃହ ଓ ଧନ ମାତା-ପିତାଙ୍କଠାରୁ ପ୍ରାପ୍ତ ଅଧିକାର; ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।
PRO 19:15 ଆଳସ୍ୟ ଘୋର ନିଦ୍ରାରେ ପକାଏ; ପୁଣି, ଅଳସ ପ୍ରାଣୀ କ୍ଷୁଧା ଭୋଗ କରିବ।
PRO 19:16 ପରମେଶ୍ୱରଙ୍କ ଆଜ୍ଞାପାଳନକାରୀ ଆପଣା ପ୍ରାଣ ରକ୍ଷା କରେ; ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ।
PRO 19:17 ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।
PRO 19:18 ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି; ପୁଣି, ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ।
PRO 19:19 ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ, ଯେହେତୁ ତୁମ୍ଭେ ତାହାକୁ ଥରେ ଉଦ୍ଧାର କଲେ, ତାହା ତୁମ୍ଭକୁ ପୁନର୍ବାର କରିବାକୁ ହେବ।
PRO 19:20 ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।
PRO 19:21 ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ।
PRO 19:22 ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ।
PRO 19:23 ସଦାପ୍ରଭୁଙ୍କ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ, ସେ ତୃପ୍ତ ହୋଇ ବାସ କରିବ; ଆପଦ ତାହାର ନିକଟ ଦେଇ ଯିବ ନାହିଁ।
PRO 19:24 ଅଳସୁଆ ଆପଣା ଥାଳୀରେ ହାତ ବୁଡ଼ାଇଲେ, ଆଉ ଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ।
PRO 19:25 ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ; ପୁଣି, ବୁଦ୍ଧିମାନ‍କୁ ଅନୁଯୋଗ କଲେ, ସେ ଜ୍ଞାନ ବୁଝିବ।
PRO 19:26 ଯେଉଁ ପୁତ୍ର ଆପଣା ପିତାର ଧନ ନଷ୍ଟ କରେ, ପୁଣି, ଆପଣା ମାତାକୁ ତଡ଼ି ଦିଏ, ସେ ଲଜ୍ଜାକର ଓ ଅପମାନଜନକ।
PRO 19:27 ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ଭୁଲାଏ, ତାହା ଶୁଣିବାରୁ ନିବୃତ୍ତ ହୁଅ।
PRO 19:28 ପାଷାଣ୍ଡ ସାକ୍ଷୀ ନ୍ୟାୟ ବିଚାରକୁ ନିନ୍ଦା କରେ ଓ ଦୁଷ୍ଟର ମୁଖ ଅଧର୍ମ ଗିଳେ।
PRO 19:29 ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି।
PRO 20:1 ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ; ଯେକେହି ତଦ୍ଦ୍ୱାରା ଭ୍ରାନ୍ତ ହୁଏ, ସେ ଜ୍ଞାନବାନ ନୁହେଁ।
PRO 20:2 ରାଜାର ଭୟଙ୍କରତା ସିଂହ ଗର୍ଜ୍ଜନ ପରି; ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ଆପଣା ପ୍ରାଣ ବିରୁଦ୍ଧରେ ପାପ କରେ।
PRO 20:3 ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ; ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରେ।
PRO 20:4 ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ; ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।
PRO 20:5 ମନୁଷ୍ୟର ମନର ମନ୍ତ୍ରଣା ଗଭୀର ଜଳ ତୁଲ୍ୟ, ମାତ୍ର ବୁଦ୍ଧିମାନ ଲୋକ ତାହା କାଢ଼ିବ।
PRO 20:6 ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି; ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇ ପାରେ?
PRO 20:7 ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ, ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।
PRO 20:8 ଯେଉଁ ରାଜା ବିଚାରାସନରେ ବସେ, ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟସବୁ ଉଡ଼ାଇ ଦିଏ।
PRO 20:9 ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ?
PRO 20:10 ନାନା ପ୍ରକାର ବଟଖରା ଓ ନାନା ପ୍ରକାର ପରିମାଣ ଉଭୟ ସମାନ ରୂପେ ସଦାପ୍ରଭୁଙ୍କର ଘୃଣିତ।
PRO 20:11 ଆପଣାର କର୍ମ ନିର୍ମଳ ଓ ସରଳ କି ନାହିଁ, ଏହା ଗୋଟିଏ ପିଲା ସୁଦ୍ଧା ଆପଣାର କର୍ମ ଦ୍ୱାରା ଆପଣାର ପରିଚୟ ଦିଏ।
PRO 20:12 ଶୁଣିବା କାନ ଓ ଦେଖିବା ଆଖି, ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଅଛନ୍ତି।
PRO 20:13 ନିଦ୍ରାକୁ ଭଲ ପାଅ ନାହିଁ, ନୋହିଲେ ତୁମ୍ଭେ ଦରିଦ୍ର ହେବ; ତୁମ୍ଭ ଚକ୍ଷୁ ଫିଟାଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।
PRO 20:14 କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ,” ମାତ୍ର ଆପଣା ବାଟରେ ଗଲା ବେଳେ ଦର୍ପ କରେ।
PRO 20:15 ସୁବର୍ଣ୍ଣ ଅଛି ଓ ଅନେକ ମୁକ୍ତା ହିଁ ଅଛି, ମାତ୍ର ଜ୍ଞାନବିଶିଷ୍ଟ ଓଷ୍ଠ ଅମୂଲ୍ୟ ରତ୍ନ।
PRO 20:16 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ୍‍ ହୁଏ, ତାହାକୁ ବନ୍ଧକ ରଖ।
PRO 20:17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ; ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ।
PRO 20:18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ; ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।
PRO 20:19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ; ଏନିମନ୍ତେ ଯେ ଆପଣା ଓଷ୍ଠ ଖୋଲା ରଖେ, ତାହା ସଙ୍ଗରେ ବ୍ୟବହାର କର ନାହିଁ।
PRO 20:20 ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ।
PRO 20:21 ପ୍ରଥମରେ କୌଣସି ଅଧିକାର ହଠାତ୍‍ ମିଳିପାରେ; ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।
PRO 20:22 “ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା,” ତୁମ୍ଭେ ଏପରି କଥା କୁହ ନାହିଁ, ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମ୍ଭକୁ ଉଦ୍ଧାର କରିବେ।
PRO 20:23 ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ, ପୁଣି, ଅଯଥାର୍ଥ ଦଣ୍ଡି ଭଲ ନୁହେଁ।
PRO 20:24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ; ତେଣୁ ମନୁଷ୍ୟ ଆପଣା ବାଟ କିପରି ବୁଝି ପାରିବ?
PRO 20:25 ଏହା ପବିତ୍ର ବୋଲି ହଠାତ୍‍ କହିବାର ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।
PRO 20:26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ପାଛୁଡ଼ି ପକାଇ ସେମାନଙ୍କ ଉପରେ ଚକ୍ର ବୁଲାଏ।
PRO 20:27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ।
PRO 20:28 ଦୟା ଓ ସତ୍ୟତା ରାଜାକୁ ରକ୍ଷା କରେ; ପୁଣି, ଦୟା ଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।
PRO 20:29 ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ, ବୃଦ୍ଧମାନଙ୍କର ପକ୍ୱକେଶ ସେମାନଙ୍କର ଶୋଭା।
PRO 20:30 କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ, ପୁଣି, ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ।
PRO 21:1 ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁଆଡ଼େ ଇଚ୍ଛା, ସେଆଡ଼େ ତାହା ଫେରାନ୍ତି।
PRO 21:2 ମନୁଷ୍ୟର ସବୁ ଗତି ଆପଣା ଦୃଷ୍ଟିରେ ଯଥାର୍ଥ, ମାତ୍ର ସଦାପ୍ରଭୁ ହୃଦୟସବୁ ତୌଲନ୍ତି।
PRO 21:3 ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ।
PRO 21:4 ଦୁଷ୍ଟ ଲୋକମାନଙ୍କ ପ୍ରଦୀପ ସ୍ୱରୂପ ଯେ ଅହଙ୍କାର-ଦୃଷ୍ଟି ଓ ଗର୍ବିତ ମନ, ତାହା ପାପଜନକ।
PRO 21:5 କର୍ମଶୀଳର ସଂକଳ୍ପରୁ କେବଳ ପ୍ରଚୁରତା ଜନ୍ମେ ମାତ୍ର ପ୍ରତ୍ୟେକ ହଠାତ୍‍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ।
PRO 21:6 ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି।
PRO 21:7 ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ଉଡ଼ାଇ ଘେନିଯିବ; ଯେହେତୁ ସେମାନେ ନ୍ୟାୟ କରିବାକୁ ନାସ୍ତି କରନ୍ତି।
PRO 21:8 ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର; ମାତ୍ର ପବିତ୍ର ଲୋକର କର୍ମ ସଳଖ।
PRO 21:9 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
PRO 21:10 ଦୁଷ୍ଟ ଲୋକର ମନ ଅନିଷ୍ଟ ପାଞ୍ଚେ, ପୁଣି, ତାହାର ଦୃଷ୍ଟିରେ ତାହାର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ।
PRO 21:11 ନିନ୍ଦକକୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ ହୁଏ; ପୁଣି, ବୁଦ୍ଧିମାନ‍କୁ ବୁଝାଇଦେଲେ, ସେ ଜ୍ଞାନବାନ ହୁଏ।
PRO 21:12 ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟ ବିବେଚନା କରେ; ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ।
PRO 21:13 ଯେଉଁ ଲୋକ ଦୀନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।
PRO 21:14 ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ, ପୁଣି, ଅଣ୍ଟିରେ ଦତ୍ତ ଲାଞ୍ଚ ପ୍ରଚଣ୍ଡ କୋପ ଶାନ୍ତ କରେ।
PRO 21:15 ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ; ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।
PRO 21:16 ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ, ସେ ପ୍ରେତମାନଙ୍କ ସଭାରେ ବାସ କରିବ।
PRO 21:17 ଯେଉଁ ଲୋକ ଆମୋଦ ଭଲ ପାଏ, ସେ ଦରିଦ୍ର ହେବ; ପୁଣି, ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ, ସେ ଧନବାନ ହେବ ନାହିଁ।
PRO 21:18 ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ; ପୁଣି, ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ।
PRO 21:19 କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବସତି କରିବାର ଭଲ।
PRO 21:20 ଜ୍ଞାନବାନ‍ର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଓ ତୈଳ ଥାଏ; ମାତ୍ର ମୂର୍ଖ ଲୋକ ତାହା ଗ୍ରାସ କରେ।
PRO 21:21 ଯେଉଁ ଜନ ଧାର୍ମିକତା ଓ ଦୟାର ପଶ୍ଚାଦ୍‍ବର୍ତ୍ତୀ, ସେ ଜୀବନ ଓ ଧାର୍ମିକତା ଓ ସମ୍ମାନ ପାଏ।
PRO 21:22 ଜ୍ଞାନୀ ଲୋକ ବଳବାନର ନଗରରେ ଚଢ଼ି ପ୍ରବେଶ କରେ, ପୁଣି, ତହିଁର ସାହସଦାୟୀ ବଳ ତଳକୁ ଆଣେ।
PRO 21:23 ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ, ସେ କ୍ଳେଶରୁ ଆପଣା ପ୍ରାଣ ରକ୍ଷା କରେ।
PRO 21:24 ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ, ସେ ଅହଙ୍କାରର ଗାରିମାରେ କର୍ମ କରେ।
PRO 21:25 ଅଳସୁଆର ବାଞ୍ଛିତ ବିଷୟ ତାହାର ମୃତ୍ୟୁୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ।
PRO 21:26 କେହି କେହି ଦିନସାରା ଅତ୍ୟନ୍ତ ଲୋଭ କରନ୍ତି; ମାତ୍ର ଧାର୍ମିକ ଲୋକ ଦାନ କରେ, କାତର ହୁଏ ନାହିଁ।
PRO 21:27 ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ଆଣିଲେ ତାହା କେତେ ଅଧିକ ଘୃଣିତ।
PRO 21:28 ମିଥ୍ୟାସାକ୍ଷୀ ବିନଷ୍ଟ ହେବ; ମାତ୍ର ଯେଉଁ ଲୋକ ଶୁଣେ, ସେ ଅଖଣ୍ଡ୍ୟ କଥା କହିବ।
PRO 21:29 ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ, ମାତ୍ର ସରଳ ଲୋକ ଆପଣା ବାଟ ସୁସ୍ଥିର କରେ।
PRO 21:30 ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କିମ୍ବା ବୁଦ୍ଧି କିମ୍ବା ମନ୍ତ୍ରଣା ନାହିଁ।
PRO 21:31 ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ; ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ହୁଏ।
PRO 22:1 ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ।
PRO 22:2 ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି; ସଦାପ୍ରଭୁ ସେସମସ୍ତଙ୍କର ସୃଷ୍ଟିକର୍ତ୍ତା।
PRO 22:3 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।
PRO 22:4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
PRO 22:5 କୁଟିଳ ଲୋକମାନଙ୍କ ପଥରେ କଣ୍ଟା ଓ ଫାନ୍ଦ ଥାଏ; ଯେ ଆପଣା ପ୍ରାଣ ରକ୍ଷା କରେ, ସେ ସେସବୁରୁ ଦୂରରେ ରହିବ।
PRO 22:6 ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।
PRO 22:7 ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଋଣୀ ମହାଜନର ଦାସ ହୁଏ।
PRO 22:8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଓ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
PRO 22:9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ; ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
PRO 22:10 ନିନ୍ଦକକୁ ବାହାର କରିଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ।
PRO 22:11 ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ।
PRO 22:12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ରକ୍ଷା କରେ; ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି।
PRO 22:13 ଅଳସ ଲୋକ କହେ, ବାହାରେ ସିଂହ ଅଛି; ମୁଁ ସଡ଼କରେ ହତ ହେବି।
PRO 22:14 ପରସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ।
PRO 22:15 ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି, ଶାସନବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
PRO 22:16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ; ପୁଣି, ଯେ ଧନୀକୁ ଦାନ କରେ, ତାହାକୁ କେବଳ ଅଭାବ ଘଟିବ।
PRO 22:17 ତୁମ୍ଭେ ଆପଣା କର୍ଣ୍ଣ ଡେରି ଜ୍ଞାନବାନ‍ମାନଙ୍କ କଥା ଶୁଣ; ପୁଣି, ମୋʼ ବିଦ୍ୟାରେ ଆପଣା ମନ ଲଗାଅ।
PRO 22:18 ଯେହେତୁ ତୁମ୍ଭେ ତାହା ହୃଦୟରେ ରଖିଲେ ଓ ତୁମ୍ଭ ଓଷ୍ଠାଧର ସଙ୍ଗେ ତାହା ଏକତ୍ର ସଂଯୁକ୍ତ ହେଲେ, ଆହ୍ଲାଦଜନକ ହେବ।
PRO 22:19 ସଦାପ୍ରଭୁଙ୍କଠାରେ ଯେପରି ତୁମ୍ଭର ନିର୍ଭର ରହିବ, ଏଥିପାଇଁ ମୁଁ ଆଜି ତୁମ୍ଭକୁ, ବିଶେଷ ରୂପେ ତୁମ୍ଭକୁ ଏହିସବୁ କଥା ଜଣାଇଲି।
PRO 22:20 ତୁମ୍ଭକୁ ସତ୍ୟତାରୂପ ବାକ୍ୟର ନିଶ୍ଚୟତା ଜଣାଇବାକୁ, ପୁଣି, ଯେଉଁମାନେ ତୁମ୍ଭକୁ ପଠାନ୍ତି,
PRO 22:21 ତୁମ୍ଭେ ଯେପରି ସେମାନଙ୍କୁ ସତ୍ୟ ଉତ୍ତର ଦେଇ ପାର, ଏଥିପାଇଁ ମୁଁ କʼଣ ତୁମ୍ଭ ପ୍ରତି ଯୁକ୍ତିରେ ଓ ବିଦ୍ୟାରେ ଉତ୍କୃଷ୍ଟ ବାକ୍ୟ ଲେଖି ନାହିଁ?
PRO 22:22 ଦୀନହୀନକୁ ଦୀନହୀନ ଜାଣି ତାହାର ଦ୍ରବ୍ୟ ହରଣ କର ନାହିଁ, ପୁଣି, ନଗର-ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ।
PRO 22:23 ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି, ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।
PRO 22:24 ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି, କ୍ରୋଧୀ ଲୋକ ସହିତ ଗମନ କର ନାହିଁ।
PRO 22:25 କଲେ, ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।
PRO 22:26 ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ଋଣୀର ଲଗା ହୁଅନ୍ତି, ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅ ନାହିଁ।
PRO 22:27 ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ?
PRO 22:28 ତୁମ୍ଭର ପିତୃପୁରୁଷମାନେ ଯେଉଁ ପୁରାତନ ସୀମା ସ୍ଥାପନ କରିଅଛନ୍ତି, ତାହା ଘୁଞ୍ଚାଅ ନାହିଁ।
PRO 22:29 ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ।
PRO 23:1 ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ, ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର।
PRO 23:2 ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ।
PRO 23:3 ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ; ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ।
PRO 23:4 ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ; ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ।
PRO 23:5 ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।
PRO 23:6 କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ, ପୁଣି, ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ;
PRO 23:7 କାରଣ ସେ ଯେରୂପ ମନରେ ନିଜେ ଭାବେ, ସେ ସେରୂପ ଅଟେ; ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ, ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ।
PRO 23:8 ତୁମ୍ଭେ ଯେଉଁ ଅଳ୍ପ ଖାଇଅଛ, ତାହା ଉଦ୍ଗାର କରିବ; ପୁଣି, ତୁମ୍ଭର ମଧୁର ବାକ୍ୟ ହରାଇବ।
PRO 23:9 ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ, ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।
PRO 23:10 ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ।
PRO 23:11 କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ; ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।
PRO 23:12 ଉପଦେଶରେ ତୁମ୍ଭର ମନ ଓ ଜ୍ଞାନର ବାକ୍ୟରେ ତୁମ୍ଭର କର୍ଣ୍ଣ ଦିଅ।
PRO 23:13 ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ; ତୁମ୍ଭେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ।
PRO 23:14 ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
PRO 23:15 ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ।
PRO 23:16 ହଁ, ତୁମ୍ଭ ଓଷ୍ଠ ଯଥାର୍ଥ କଥା କହିଲେ, ମୋହର ଅନ୍ତଃକରଣ ଆହ୍ଲାଦିତ ହେବ।
PRO 23:17 ତୁମ୍ଭ ମନ ପାପୀଗଣକୁ ଈର୍ଷା ନ କରୁ, ପୁଣି, ତୁମ୍ଭେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ।
PRO 23:18 କାରଣ ପୁରସ୍କାର ନିତାନ୍ତ ଅଛି ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
PRO 23:19 ହେ ମୋହର ପୁତ୍ର, ଶୁଣ, ଜ୍ଞାନୀ ହୁଅ, ପୁଣି, ତୁମ୍ଭ ମନକୁ ସତ୍‍ପଥରେ କଢ଼ାଇ ନିଅ।
PRO 23:20 ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସ-ଭୋକ୍ତାମାନଙ୍କ ସଙ୍ଗୀ ହୁଅ ନାହିଁ।
PRO 23:21 କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ; ପୁଣି ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।
PRO 23:22 ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି, ମାତା ବୃଦ୍ଧା ହେଲେ, ତାହାକୁ ତୁଚ୍ଛ କର ନାହିଁ।
PRO 23:23 ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ।
PRO 23:24 ଧାର୍ମିକର ପିତା ଅତିଶୟ ଆନନ୍ଦ କରେ, ପୁଣି, ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ।
PRO 23:25 ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହେଉନ୍ତୁ, ତୁମ୍ଭର ଗର୍ଭଧାରିଣୀ ଆନନ୍ଦ କରୁ।
PRO 23:26 ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋʼ ପଥରେ ତୁଷ୍ଟ ହେଉ।
PRO 23:27 କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଂକୀର୍ଣ୍ଣ କୂପ ଅଟେ।
PRO 23:28 ଆହୁରି ସେ ଡକାୟତ ପରି ଛକି ବସେ, ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ।
PRO 23:29 କାହାର ହାହାକାର? କାହାର ଓକାର? କାହାର କଳି? କାହାର ବକାବକି? କାହାର ଅକାରଣ କ୍ଷତ? କାହାର ରକ୍ତବର୍ଣ୍ଣ ଚକ୍ଷୁ?
PRO 23:30 ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁ କାଳ ବସିଥାʼନ୍ତି, ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର।
PRO 23:31 ଦ୍ରାକ୍ଷାରସ ରଙ୍ଗିୟା ହେଲେ, ପାତ୍ରରେ ଚକମକାଇଲେ ଓ ସହଜେ ଗଳାଧଃକରଣ ହେଲେ, ତୁମ୍ଭେ ତାକୁ ଅନାଅ ନାହିଁ।
PRO 23:32 ଶେଷରେ ତାହା ସର୍ପ ପରି କାମୁଡ଼େ ଓ କାଳସର୍ପ ତୁଲ୍ୟ ଦଂଶନ କରେ।
PRO 23:33 ତୁମ୍ଭର ଚକ୍ଷୁ ବିପରୀତ ବିଷୟ ଦେଖିବ, ତୁମ୍ଭ ହୃଦୟ କୁଟିଳ କଥା କହିବ।
PRO 23:34 ପୁଣି, ତୁମ୍ଭେ ସମୁଦ୍ର ମଧ୍ୟରେ ଶୟନକାରୀ କିଅବା ଜାହାଜର ମାସ୍ତୁଲ ଉପରେ ଶୟନକାରୀ ଲୋକ ତୁଲ୍ୟ ହେବ।
PRO 23:35 ତୁମ୍ଭେ କହିବ, ସେମାନେ ମୋତେ ମାଇଲେ, ମାତ୍ର ମୁଁ କ୍ଷତି ପାଇ ନାହିଁ; ସେମାନେ ମୋତେ ପ୍ରହାର କଲେ, ମାତ୍ର ମୁଁ କିଛି ଜାଣି ନାହିଁ; ମୁଁ କେବେ ଜାଗିବି? ପୁନର୍ବାର ମୁଁ ତାହା ଖୋଜିବି।
PRO 24:1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।
PRO 24:2 କାରଣ ସେମାନଙ୍କ ଅନ୍ତଃକରଣ ଦୌରାତ୍ମ୍ୟ କଳ୍ପନା କରେ, ପୁଣି, ସେମାନଙ୍କ ଓଷ୍ଠ ଅନିଷ୍ଟ କଥା କହେ।
PRO 24:3 ଜ୍ଞାନରେ ଗୃହ ନିର୍ମିତ ହୁଏ ଓ ବୁଦ୍ଧିରେ ତାହା ସ୍ଥିର ହୁଏ;
PRO 24:4 ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ।
PRO 24:5 ଜ୍ଞାନବାନ ଲୋକ ବଳବାନ, ପୁଣି, ବିଦ୍ୱାନ୍‍ ଲୋକ ବଳ ବଢ଼ାଏ।
PRO 24:6 ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ; ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ।
PRO 24:7 ଅଜ୍ଞାନ ପ୍ରତି ଜ୍ଞାନ ଅତି ଉଚ୍ଚ; ସେ ନଗର-ଦ୍ୱାରରେ ଆପଣା ମୁଖ ଫିଟାଏ ନାହିଁ।
PRO 24:8 ଯେଉଁ ଲୋକ ମନ୍ଦ କରିବାକୁ ଚିନ୍ତା କରେ, ଲୋକମାନେ ତାହାକୁ କୁସନ୍ଧାନୀ ବୋଲି କହିବେ।
PRO 24:9 ଅଜ୍ଞାନର ସଂକଳ୍ପ ପାପଯୁକ୍ତ; ପୁଣି, ନିନ୍ଦକ ମନୁଷ୍ୟମାନଙ୍କ ନିକଟରେ ଘୃଣିତ।
PRO 24:10 ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।
PRO 24:11 ମୃତ୍ୟୁୁ ନିମନ୍ତେ ନିଆଯିବା ଲୋକମାନଙ୍କୁ ଉଦ୍ଧାର କର ଓ ହତ ହେବା ନିମନ୍ତେ ଉଦ୍ୟତ ଲୋକମାନଙ୍କୁ ରକ୍ଷା କରିବା ପାଇଁ କ୍ଷାନ୍ତ ହୁଅ ନାହିଁ।
PRO 24:12 ଯଦି ତୁମ୍ଭେ କୁହ, ଦେଖ, ଆମ୍ଭେମାନେ ଏହା ଜାଣି ନାହୁଁ, ତେବେ ଅନ୍ତଃକରଣ ତୌଲିବା କର୍ତ୍ତା କʼଣ ତାହା ବୁଝନ୍ତି ନାହିଁ? ପୁଣି, ତୁମ୍ଭ ପ୍ରାଣର ରକ୍ଷାକର୍ତ୍ତା କʼଣ ତାହା ଜାଣନ୍ତି ନାହିଁ? ଆଉ, ସେ କʼଣ ପ୍ରତି ଜଣକୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ?
PRO 24:13 ହେ ମୋହର ପୁତ୍ର, ତୁମ୍ଭେ ମଧୁ ଖାଅ, ଯେହେତୁ ତାହା ଭଲ; ପୁଣି, ମଧୁଚାକ ଖାଅ, ଯେହେତୁ ତାହା ତୁମ୍ଭ ତୁଣ୍ଡକୁ ସୁସ୍ୱାଦୁ ଲାଗିବ।
PRO 24:14 ଜ୍ଞାନ ତୁମ୍ଭ ପ୍ରାଣ ପ୍ରତି ସେହି ପ୍ରକାର ବୋଲି ତୁମ୍ଭେ ଜାଣିବ; ତୁମ୍ଭେ ତାହା ପାଇଲେ, ପୁରସ୍କାର ଥିବାରୁ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
PRO 24:15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ; ତାହାର ବିଶ୍ରାମ-ସ୍ଥାନ ଲୁଟ କର ନାହିଁ।
PRO 24:16 ଯେଣୁ ଧାର୍ମିକ ସାତ ଥର ପଡ଼ିଲେ ହେଁ ପୁନର୍ବାର ଉଠେ; ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି।
PRO 24:17 ତୁମ୍ଭର ଶତ୍ରୁ ପତିତ ହେଲେ ଆନନ୍ଦ କର ନାହିଁ, ମଧ୍ୟ ସେ ଝୁଣ୍ଟି ପଡ଼ିଲେ, ତୁମ୍ଭର ଚିତ୍ତ ହୃଷ୍ଟ ନ ହେଉ;
PRO 24:18 କେଜାଣି ସଦାପ୍ରଭୁ ତାହା ଦେଖି ଅସନ୍ତୁଷ୍ଟ ହୁଅନ୍ତି ଓ ତାହାଠାରୁ ଆପଣା କ୍ରୋଧ ଫେରାନ୍ତି।
PRO 24:19 ମନ୍ଦକର୍ମକାରୀମାନଙ୍କ ସକାଶୁ ବିରକ୍ତ ହୁଅ ନାହିଁ; ପୁଣି, ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।
PRO 24:20 କାରଣ ମନ୍ଦ ଲୋକର କୌଣସି ପୁରସ୍କାର ହେବ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
PRO 24:21 ହେ ମୋହର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର, ପୁଣି, ଚଞ୍ଚଳମତିମାନଙ୍କ ସଙ୍ଗରେ ଲିପ୍ତ ହୁଅ ନାହିଁ।
PRO 24:22 କାରଣ ହଠାତ୍‍ ସେମାନଙ୍କର ବିପଦ ଘଟିବ; ପୁଣି, ସେହି ଉଭୟର ସଂହାର କିଏ ଜାଣେ?
PRO 24:23 ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା। ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।
PRO 24:24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ।
PRO 24:25 ମାତ୍ର ଯେଉଁମାନେ ତାହାକୁ ଅନୁଯୋଗ କରନ୍ତି, ସେମାନଙ୍କର ଆନନ୍ଦ ହେବ; ପୁଣି, ଉତ୍ତମ ଆଶୀର୍ବାଦ ସେମାନଙ୍କ ଉପରେ ବର୍ତ୍ତେ।
PRO 24:26 ଯେ ଯଥାର୍ଥ ଉତ୍ତର ଦିଏ, ସେ ଓଷ୍ଠାଧର ଚୁମ୍ବନ କରେ।
PRO 24:27 ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର, କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର; ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର।
PRO 24:28 ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।
PRO 24:29 “ସେ ମୋʼ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏରୂପ କୁହ ନାହିଁ।”
PRO 24:30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ନିକଟ ଦେଇ ଗଲି।
PRO 24:31 ପୁଣି, ଦେଖ, ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି, ତହିଁର ପଥର ପାଚେରୀସବୁ ଭଗ୍ନ ହୋଇଅଛି।
PRO 24:32 ତହୁଁ ମୁଁ ଅନାଇଲି, ପୁଣି, ମନୋଯୋଗ କଲି; ମୁଁ ଦେଖିଲି ଓ ଉପଦେଶ ପାଇଲି।
PRO 24:33 ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
PRO 24:34 ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
PRO 25:1 ନିମ୍ନଲିଖିତ ହିତୋପଦେଶ ସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଜକୀୟର ଅଧିକାରୀମାନେ ତାହା ଉତ୍ତାରି ଥିଲେ।
PRO 25:2 ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ।
PRO 25:3 ଉଚ୍ଚତା ହେତୁ ସ୍ୱର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ।
PRO 25:4 ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରୀ ପାଇଁ ଏକ ପାତ୍ର ବାହାର ହେବ।
PRO 25:5 ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ।
PRO 25:6 ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି, ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ।
PRO 25:7 କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ “ଏଠାକୁ ଆସ” ବୋଲି ତୁମ୍ଭକୁ କୁହାଯିବା ଭଲ।
PRO 25:8 ବିବାଦ କରିବାକୁ ହଠାତ୍‍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?
PRO 25:9 ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି, ପରର ଗୋପନୀୟ କଥା ପ୍ରକାଶ କର ନାହିଁ।
PRO 25:10 ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ।
PRO 25:11 ଯଥୋଚିତମତେ କଥିତ ବାକ୍ୟ ରୂପାପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।
PRO 25:12 ସୁବର୍ଣ୍ଣ କର୍ଣ୍ଣକୁଣ୍ଡଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି।
PRO 25:13 ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
PRO 25:14 ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି।
PRO 25:15 ଦୀର୍ଘସହିଷ୍ଣୁତା ଦ୍ୱାରା ଶାସନକର୍ତ୍ତା ମଣାଯାଏ, ପୁଣି, କୋମଳ ଜିହ୍ୱା ଅସ୍ଥି ଭଗ୍ନ କରେ।
PRO 25:16 ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ।
PRO 25:17 ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ୱଚିତ ପଡ଼ୁ, ନୋହିଲେ ତୁମ୍ଭ ବିଷୟରେ କ୍ଳାନ୍ତ ହୋଇ ସେ ତୁମ୍ଭକୁ ଘୃଣା କରିବ।
PRO 25:18 ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ତୀର ସ୍ୱରୂପ;
PRO 25:19 ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ବିଶ୍ୱାସ, ଭଗ୍ନ ଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
PRO 25:20 ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ଘା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି।
PRO 25:21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;
PRO 25:22 ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ୱଳ ଅଙ୍ଗାର ରାଶି କରି ଥୋଇବ, ପୁଣି, ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
PRO 25:23 ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ୱା କ୍ରୋଧଦୃଷ୍ଟିର ଉତ୍ପାଦକ।
PRO 25:24 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ।
PRO 25:25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ।
PRO 25:26 ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ।
PRO 25:27 ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ।
PRO 25:28 ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ।
PRO 26:1 ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ।
PRO 26:2 ଯେପରି ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ତାଳଚୋଞ୍ଚ ଉଡ଼ୁଥିବା ବେଳେ, ସେପରି ଅକାରଣରେ ଦତ୍ତ ଅଭିଶାପ ନିକଟକୁ ଆସେ ନାହିଁ।
PRO 26:3 ଅଶ୍ୱ ପାଇଁ କୋରଡ଼ା ଗର୍ଦ୍ଦଭ ପାଇଁ ଲଗାମ, ପୁଣି, ମୂର୍ଖର ପିଠି ପାଇଁ ବାଡ଼ି।
PRO 26:4 ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ ନାହିଁ, ଦେଲେ ତୁମ୍ଭେ ମଧ୍ୟ ତାହାର ସମାନ ହେବ।
PRO 26:5 ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ, ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।
PRO 26:6 ମୂର୍ଖ ହାତରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ।
PRO 26:7 ନେଙ୍ଗଡ଼ାର ଚରଣ ଯେପରି ନଡ଼ନଡ଼, ଅଜ୍ଞାନର ମୁଖରେ ସେପରି ହିତୋପଦେଶ ବାକ୍ୟ।
PRO 26:8 ଯେପରି ପ୍ରସ୍ତରରାଶିରେ ମଣିର ଥଳୀ, ସେପରି ସେ, ଯେ ମୂର୍ଖକୁ ସମ୍ମାନ ଦିଏ।
PRO 26:9 ମତ୍ତ ଲୋକର ହସ୍ତରେ ଉଠାଯିବା କଣ୍ଟକ ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ସେପରି।
PRO 26:10 ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ, ଯେ ମୂର୍ଖକୁ ବେତନ ଦିଏ ଓ ଯେ ପଥିକକୁ ବେତନ ଦିଏ।
PRO 26:11 ଆପଣା ବାନ୍ତି ପ୍ରତି ଫେରିବା କୁକ୍କୁର ଯେପରି, ପୁନଃ ପୁନଃ ଆପଣା ଅଜ୍ଞାନତାର କର୍ମ କରିବା ମୂର୍ଖ ସେପରି।
PRO 26:12 ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।
PRO 26:13 ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।”
PRO 26:14 ଯେପରି କବ୍‍ଜାରେ କବାଟ ବୁଲେ, ସେପରି ଅଳସୁଆ ଆପଣା ଶଯ୍ୟାରେ ଥାଇ କରେ।
PRO 26:15 ଅଳସୁଆ ଥାଳୀରେ ହାତ ବୁଡ଼ାଇ ଆଉ ଥରେ ତାହା ମୁଖକୁ ନେବାକୁ ଥକିଯାଏ।
PRO 26:16 ସାତ ଜଣ ସୁବିଚାରସିଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ।
PRO 26:17 ଯେଉଁ ଲୋକ ପଥରେ ଯାଉ ଯାଉ ଆପଣାର ଅସମ୍ପର୍କୀୟ ବିବାଦରେ ରାଗାନ୍ୱିତ ହୁଏ, ସେ କୁକ୍କୁର କାନ ଧରିବା ଲୋକ ତୁଲ୍ୟ।
PRO 26:18 ଅଗ୍ନିବାଣ, ତୀର ଓ ମୃତ୍ୟୁୁ ନିକ୍ଷେପକାରୀ ବାତୁଳ ଯେପରି;
PRO 26:19 ଆପଣା ପ୍ରତିବାସୀକୁ ଯେଉଁ ଲୋକ ଭୁଲାଇ କହେ, “ମୁଁ କʼଣ କୌତୁକ କରୁ ନାହିଁ?” ସେ ସେପରି।
PRO 26:20 କାଷ୍ଠ ଶେଷ ହେଲେ ଅଗ୍ନି ଲିଭିଯାଏ, କର୍ଣ୍ଣେଜପ ନ ଥିଲେ କଳି ନିବୃତ୍ତ ହୁଏ।
PRO 26:21 ଯେପରି ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଓ ଅଗ୍ନିକୁ କାଷ୍ଠ, ସେପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ।
PRO 26:22 କର୍ଣ୍ଣେଜପର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ।
PRO 26:23 ଅନୁରାଗୀ ଓଷ୍ଠ ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ।
PRO 26:24 ଘୃଣାକାରୀ ଆପଣା ଓଷ୍ଠରେ କପଟ କରେ, ମାତ୍ର ମନରେ ପ୍ରବଞ୍ଚନା ରଖେ।
PRO 26:25 ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ, ଯେହେତୁ ତାହାର ହୃଦୟରେ ସାତୋଟି ଘୃଣ୍ୟ ବିଷୟ ଥାଏ।
PRO 26:26 ତାହାର ଘୃଣା କପଟରେ ଆପଣାକୁ ଆବୃତ କଲେ ହେଁ ତାହାର ମନ୍ଦତା ସଭାରେ ପ୍ରକାଶ ପାଇବ।
PRO 26:27 ଯେ ଖାତ ଖୋଳେ, ସେ ଆପେ ତହିଁ ଭିତରେ ପଡ଼ିବ; ପୁଣି, ଯେ ପଥର ଗଡ଼ାଏ, ତାହା ତାହାର ଉପରକୁ ନେଉଟିବ।
PRO 26:28 ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ; ପୁଣି, ଚାଟୁବାଦୀ ମୁଖ ସର୍ବନାଶ ଜନ୍ମାଏ।
PRO 27:1 ତୁମ୍ଭେ କାଲିର ବିଷୟରେ ଦର୍ପ କଥା କୁହ ନାହିଁ; ଯେହେତୁ ଏକ ଦିନ କଅଣ ଉତ୍ପାଦନ କରିବ, ତାହା ତୁମ୍ଭକୁ ଜଣା ନାହିଁ।
PRO 27:2 ଅନ୍ୟ ଲୋକ ତୁମ୍ଭର ପ୍ରଶଂସା କରୁ, ମାତ୍ର ତୁମ୍ଭର ନିଜ ମୁଖ ତାହା ନ କରୁ; ଅପର ଲୋକ କରୁ, ମାତ୍ର ତୁମ୍ଭ ନିଜ ଓଷ୍ଠ ତାହା ନ କରୁ।
PRO 27:3 ଭାରୀ ପଥର ଓ ଗୁରୁ ବାଲି; ମାତ୍ର ଅଜ୍ଞାନର ବିରକ୍ତି, ସେ ଦୁଇରୁ ଭାରୀ।
PRO 27:4 କୋପ ନିଷ୍ଠୁର ଓ କ୍ରୋଧ ପ୍ରଳୟକାରୀ; ମାତ୍ର ଅନ୍ତର୍ଜ୍ୱାଳା ଆଗରେ କିଏ ଠିଆ ହୋଇପାରେ?
PRO 27:5 ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
PRO 27:6 ପ୍ରେମକାରୀର କ୍ଷତ ବିଶ୍ୱାସନୀୟ; ମାତ୍ର ଶତ୍ରୁର ଚୁମ୍ବନ ବହୁଳ।
PRO 27:7 ତୃପ୍ତ ପ୍ରାଣୀ ମହୁଚାକକୁ ଘୃଣା କରେ; ମାତ୍ର କ୍ଷୁଧାର୍ତ୍ତ ପ୍ରାଣୀକୁ ତିକ୍ତ ଦ୍ରବ୍ୟସବୁ ମିଷ୍ଟ।
PRO 27:8 ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାରୁ ଭ୍ରମଣକାରୀ ପକ୍ଷୀର ତୁଲ୍ୟ।
PRO 27:9 ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୂପ କରେ।
PRO 27:10 ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ; ପୁଣି, ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ; ଦୂରସ୍ଥ ଭାଇଠାରୁ ନିକଟସ୍ଥ ପ୍ରତିବାସୀ ଭଲ।
PRO 27:11 ହେ ମୋହର ପୁତ୍ର, ଜ୍ଞାନବାନ ହୁଅ ଓ ମୋʼ ମନକୁ ଆହ୍ଲାଦିତ କର; ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
PRO 27:12 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
PRO 27:13 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେ ପରସ୍ତ୍ରୀ ପାଇଁ ଜାମିନ୍‍ ହୁଏ, ତାହାକୁ ବନ୍ଧକ ରଖ।
PRO 27:14 ଯେଉଁ ଲୋକ ଅତି ପ୍ରଭାତରେ ଉଠି ଆପଣା ମିତ୍ରକୁ ଉଚ୍ଚ ରବରେ ଆଶୀର୍ବାଦ କରେ, ତାହାର ସେହି କର୍ମ ତାହା ପ୍ରତି ଅଭିଶାପ ରୂପେ ଗଣିତ ହେବ।
PRO 27:15 ଭାରୀ ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ, ଏ ଦୁଇ ଏକ ସମାନ ଅଟନ୍ତି।
PRO 27:16 ଯେ ତାକୁ ଅଟକାଏ, ସେ ବାୟୁକୁ ଅଟକାଏ ଓ ତାହାର ଦକ୍ଷିଣ ହସ୍ତ ତୈଳ ଉପରେ ପଡ଼େ।
PRO 27:17 ଯେପରି ଲୁହା ଲୁହାକୁ ସତେଜ କରେ, ସେପରି ମନୁଷ୍ୟ ଆପଣା ବନ୍ଧୁର ମୁଖ ସତେଜ କରେ।
PRO 27:18 ଯେକେହି ଡିମ୍ବିରିବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ; ପୁଣି, ଯେ ଆପଣା ପ୍ରଭୁ ପ୍ରତି ମନୋଯୋଗୀ ଥାଏ, ସେ ସମ୍ମାନ ପାଏ।
PRO 27:19 ଯେପରି ଜଳ ମୁଖକୁ ମୁଖ ଦେଖାଏ, ସେପରି ହୃଦୟ ମନୁଷ୍ୟକୁ ମନୁଷ୍ୟ ଦେଖାଏ।
PRO 27:20 ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେପରି ମନୁଷ୍ୟର ଇଚ୍ଛାସକଳ କେତେବେଳେ ତୃପ୍ତ ନୁହେଁ।
PRO 27:21 କୋୟିରେ ରୂପା, ଉହ୍ମାଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।
PRO 27:22 ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢିଙ୍କିରେ କୁଟିଲେ ହେଁ ତାହାର ଅଜ୍ଞାନତା ଛାଡ଼ିଯିବ ନାହିଁ।
PRO 27:23 ତୁମ୍ଭେ ଆପଣା ମେଷପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ ହୁଅ, ପୁଣି ଆପଣା ପଶୁପଲ ବିଷୟରେ ଉତ୍ତମ ରୂପେ ମନୋଯୋଗ କର।
PRO 27:24 କାରଣ ସମ୍ପତ୍ତି ଅନନ୍ତକାଳସ୍ଥାୟୀ ନୁହେଁ ଓ ମୁକୁଟ କʼଣ ପୁରୁଷାନୁକ୍ରମରେ ଥାଏ?
PRO 27:25 ଘାସ କଟା ହେଲେ କଅଁଳ ଘାସ ପ୍ରକାଶ ପାଏ, ଆଉ ପର୍ବତମାନର ତୃଣ ସଂଗୃହୀତ ହୁଏ।
PRO 27:26 ମେଷଛୁଆମାନେ ତୁମ୍ଭକୁ ବସ୍ତ୍ର ଦେବେ; ପୁଣି, ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ।
PRO 27:27 ପୁଣି, ଛେଳିଦୁଧ ତୁମ୍ଭର ଓ ତୁମ୍ଭ ପରିବାରର ଭକ୍ଷ୍ୟ ପାଇଁ ଯଥେଷ୍ଟ ହେବ; ଆଉ, ତୁମ୍ଭ ଦାସୀମାନଙ୍କ ପାଇଁ ଉପଜୀବିକା ହେବ।
PRO 28:1 କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ; ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ।
PRO 28:2 ଦେଶର ଅଧର୍ମ ସକାଶୁ ତହିଁର ଅଧିପତି ଅନେକ ହୁଅନ୍ତି; ମାତ୍ର ବୁଦ୍ଧିମାନ ଓ ଜ୍ଞାନବାନ ଲୋକମାନଙ୍କ ଦ୍ୱାରା ତହିଁର ସ୍ଥିରତା ଦୀର୍ଘ ହୁଏ।
PRO 28:3 ଯେଉଁ ଦରିଦ୍ର ଲୋକ ଦୀନହୀନକୁ ଉପଦ୍ରବ କରେ, ସେ ପ୍ଲାବନକାରୀ ବୃଷ୍ଟି ପରି; ତହିଁରେ ଭକ୍ଷ୍ୟର ଅଭାବ ଘଟେ।
PRO 28:4 ବ୍ୟବସ୍ଥାତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି, ପୁଣି, ଆଜ୍ଞା ପାଳିବା ଲୋକମାନେ ସେମାନଙ୍କ ସହିତ ବିରୋଧ କରନ୍ତି।
PRO 28:5 ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ, ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ସବୁ ବିଷୟ ବୁଝନ୍ତି।
PRO 28:6 ଦ୍ୱିପଥଗାମୀ କୁଟିଳ ଲୋକ ଧନୀ ହେଲେ ହେଁ ତାହା ଅପେକ୍ଷା ଆପଣା ସିଦ୍ଧତାରେ ଗମନକାରୀ ଦରିଦ୍ର ଲୋକ ଭଲ।
PRO 28:7 ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର; ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ।
PRO 28:8 ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ, ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ।
PRO 28:9 ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।
PRO 28:10 ଯେଉଁ ଲୋକ ସରଳ ଲୋକକୁ ମନ୍ଦ ପଥରେ ଯିବାକୁ ଭୁଲାଏ, ସେ ସ୍ୱକୃତ ଖାତରେ ଆପେ ପଡ଼ିବ; ମାତ୍ର ସିଦ୍ଧ ଲୋକେ ମଙ୍ଗଳ ଅଧିକାର କରିବେ।
PRO 28:11 ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ; ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।
PRO 28:12 ଧାର୍ମିକମାନେ ଜୟ କଲେ ମହାଗୌରବ ହୁଏ; ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ ଲୋକେ ଆପଣାକୁ ଲୁଚାନ୍ତି।
PRO 28:13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।
PRO 28:14 ଯେଉଁ ଲୋକ ସବୁବେଳେ କୁକର୍ମ କରିବାକୁ ଭୟ ରଖେ, ସେ ଧନ୍ୟ; ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।
PRO 28:15 ଯେପରି ଗର୍ଜ୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ; ସେପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା।
PRO 28:16 ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
PRO 28:17 ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ; କେହି ତାହାକୁ ନ ଅଟକାଉ।
PRO 28:18 ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ, ସେ ରକ୍ଷା ପାଏ; ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍‍ ପଡ଼ିବ।
PRO 28:19 ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ; ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ।
PRO 28:20 ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।
PRO 28:21 ମୁଖାପେକ୍ଷା କରିବା ଭଲ ନୁହେଁ। କିଅବା ଖଣ୍ଡେ ରୁଟି ପାଇଁ ଅଧର୍ମ କରିବା ଭଲ ନୁହେଁ।
PRO 28:22 କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ, ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ।
PRO 28:23 ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ।
PRO 28:24 ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାର କର ସଙ୍ଗୀ।
PRO 28:25 ବହୁପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ, ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ, ସେ ହୃଷ୍ଟପୁଷ୍ଟ ହେବ।
PRO 28:26 ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ, ସେ ମୂର୍ଖ; ମାତ୍ର ଯେ ଜ୍ଞାନରେ ଚାଲେ, ସେ ରକ୍ଷା ପାଇବ।
PRO 28:27 ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ।
PRO 28:28 ଦୁଷ୍ଟମାନେ ଉନ୍ନତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି; ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।
PRO 29:1 ଯେଉଁ ଲୋକ ଥରକୁଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍‍ ଭଗ୍ନ ହେବ।
PRO 29:2 ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି; ମାତ୍ର ଦୁଷ୍ଟ ଲୋକ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି।
PRO 29:3 ଯେଉଁ ଲୋକ ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଆନନ୍ଦିତ କରେ; ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
PRO 29:4 ରାଜା ସୁବିଚାର ଦ୍ୱାରା ଦେଶ ସୁସ୍ଥିର କରେ; ମାତ୍ର ଯେ ଉପହାରପ୍ରିୟ, ସେ ତାହା ଉଜାଡ଼ି ପକାଏ।
PRO 29:5 ଯେଉଁ ଲୋକ ଆପଣା ପ୍ରତିବାସୀର ଚାଟୁବାଦ କରେ, ସେ ତାହାର ପାଦ ପାଇଁ ଜାଲ ପ୍ରସାରେ।
PRO 29:6 ମନ୍ଦ ଲୋକର ଅଧର୍ମରେ ଫାନ୍ଦ ଥାଏ; ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।
PRO 29:7 ଧାର୍ମିକ ଲୋକ ଦୀନହୀନମାନଙ୍କ ଗୁହାରି ବିଷୟରେ ବିଜ୍ଞ; ମାତ୍ର ତାହା ଜାଣିବା ପାଇଁ ଦୁଷ୍ଟ ଲୋକର ବୁଦ୍ଧି ନାହିଁ।
PRO 29:8 ନିନ୍ଦକମାନେ ନଗରକୁ ପ୍ରଜ୍ୱଳିତ କରନ୍ତି; ମାତ୍ର ଜ୍ଞାନୀମାନେ କ୍ରୋଧ ନିବାରଣ କରନ୍ତି।
PRO 29:9 ଅଜ୍ଞାନ ସହିତ ଜ୍ଞାନବାନ‍ର ବିବାଦ ହେଲେ, ସେ କ୍ରୋଧ କଲେ କି ହସିଲେ, କିଛି ଶାନ୍ତି ନାହିଁ।
PRO 29:10 ରକ୍ତପାତପ୍ରିୟ ଲୋକମାନେ ସିଦ୍ଧ ବ୍ୟକ୍ତିକୁ ଘୃଣା କରନ୍ତି; ପୁଣି, ସେମାନେ ସରଳ ଲୋକର ପ୍ରାଣ ଖୋଜନ୍ତି।
PRO 29:11 ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ; ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତ କରେ।
PRO 29:12 ଶାସନକର୍ତ୍ତା ଯେବେ ମିଥ୍ୟା କଥାରେ କାନ ଡେରେ, ତେବେ ତାହାର ସେବକ ସବୁ ଦୁଷ୍ଟ ହୁଅନ୍ତି।
PRO 29:13 ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି।
PRO 29:14 ଯେଉଁ ରାଜା ବିଶ୍ୱସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ, ତାହାର ସିଂହାସନ ସଦାକାଳ ସୁସ୍ଥିର ହେବ।
PRO 29:15 ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ; ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ, ସେ ତାହାର ମାତାକୁ ଲଜ୍ଜା ଦିଏ।
PRO 29:16 ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ; ମାତ୍ର ଧାର୍ମିକମାନେ ସେମାନଙ୍କର ନିପାତ ଦେଖିବେ।
PRO 29:17 ଆପଣା ପୁତ୍ରକୁ ଶାସ୍ତି ଦେଲେ, ସେ ତୁମ୍ଭକୁ ଶାନ୍ତି ଦେବ; ପୁଣି, ସେ ତୁମ୍ଭ ପ୍ରାଣକୁ ସୁଖ ଦେବ।
PRO 29:18 ଈଶ୍ୱରୀୟ ପ୍ରତ୍ୟାଦେଶ ଅଭାବରେ ଲୋକମାନେ ବିନଷ୍ଟ ହୁଅନ୍ତି; ମାତ୍ର ଯେଉଁ ଲୋକ ବ୍ୟବସ୍ଥା ପାଳେ, ସେ ଧନ୍ୟ।
PRO 29:19 କଥାମାତ୍ରରେ ଦାସର ଦମନ ହୁଏ ନାହିଁ; ଯେହେତୁ ସେ ବୁଝିଲେ ହେଁ ମନୋଯୋଗ କରେ ନାହିଁ।
PRO 29:20 ତୁମ୍ଭେ କି କଥାରେ ଚଞ୍ଚଳ ଲୋକକୁ ଦେଖୁଅଛ? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।
PRO 29:21 ଯେ ପିଲାଦିନୁ ଆପଣା ଦାସକୁ ଗେହ୍ଲା କରି ପାଳେ, ଶେଷରେ ସେହି ଦାସ ତାହାର ପୁତ୍ର ହୋଇ ଉଠେ।
PRO 29:22 କ୍ରୋଧୀ ଲୋକ ବିବାଦ ଜନ୍ମାଏ, ପୁଣି, ରାଗାନ୍ଧ ଲୋକ ବହୁତ ଅଧର୍ମ କରେ।
PRO 29:23 ମନୁଷ୍ୟର ଅହଙ୍କାର ତାହାକୁ ନତ କରିବ; ମାତ୍ର ଯାହାର ଆତ୍ମା ବିନତ, ସେ ସମ୍ମାନ ପାଇବ।
PRO 29:24 ଚୋରର ଭାଗୀ ଆପଣା ପ୍ରାଣକୁ ଘୃଣା କରେ, ସେ ରାଣ କରାଇବାର କଥା ଶୁଣେ, କିନ୍ତୁ କିଛି ପ୍ରକାଶ କରେ ନାହିଁ।
PRO 29:25 ଲୋକଭୟ ଫାନ୍ଦଜନକ; ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।
PRO 29:26 ଅନେକେ ଶାସନକର୍ତ୍ତାର ଅନୁଗ୍ରହ ଚାହାନ୍ତି; ମାତ୍ର ମନୁଷ୍ୟର ବିଚାର ସଦାପ୍ରଭୁଙ୍କଠାରୁ ହୁଏ।
PRO 29:27 ଅଧର୍ମକାରୀ ଲୋକ ଧାର୍ମିକର ଘୃଣା ବିଷୟ, ପୁଣି, ସରଳ-ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷୟ ହୁଏ।
PRO 30:1 ଯାକିର ପୁତ୍ର ଆଗୁରର କଥା: ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଈଥୀୟେଲକୁ, ଅର୍ଥାତ୍‍, ଈଥୀୟେଲ ଓ ଉକଲକୁ କହେ:
PRO 30:2 ଅବଶ୍ୟ ମୁଁ ମନୁଷ୍ୟ ଅପେକ୍ଷା ପଶୁବତ୍‍, ପୁଣି, ମୋʼ ଠାରେ ମନୁଷ୍ୟର ବିବେଚନା ନାହିଁ।
PRO 30:3 ମୁଁ ଜ୍ଞାନ ଶିଖି ନାହିଁ, ଅବା ଧର୍ମସ୍ୱରୂପଙ୍କ ବିଷୟକ ବିଦ୍ୟା ମୋʼ ଠାରେ ନାହିଁ।
PRO 30:4 କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି? କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି? କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି? ତାହାଙ୍କର ନାମ କଅଣ? ତାହାଙ୍କ ପୁତ୍ରର ନାମ କଅଣ? ଏହା ଯେବେ ଜାଣ, ତେବେ କୁହ।
PRO 30:5 ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ; ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ।
PRO 30:6 ତାହାଙ୍କ ବାକ୍ୟରେ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଅନୁଯୋଗ କରିବେ, ପୁଣି, ତୁମ୍ଭେ ମିଥ୍ୟାବାଦୀ ଜଣା ପଡ଼ିବ।
PRO 30:7 ମୁଁ ତୁମ୍ଭ ନିକଟରେ ଏ ଦୁଇ ବର ମାଗିଅଛି, ମୁଁ ମରିବା ପୂର୍ବରୁ ତାହା ମୋତେ ଦେବାକୁ ଅସମ୍ମତ ହୁଅ ନାହିଁ।
PRO 30:8 ଅସାରତା ଓ ମିଥ୍ୟା କଥା ମୋʼ ଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋʼ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର।
PRO 30:9 ନୋହିଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିଅବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି।
PRO 30:10 ଦାସର ପ୍ରଭୁ ନିକଟରେ ତାହାର ଅପବାଦ କର ନାହିଁ, କଲେ ସେ ତୁମ୍ଭକୁ ଅଭିଶାପ ଦେବ ଓ ତୁମ୍ଭେ ଅପରାଧୀ ଗଣିତ ହେବ।
PRO 30:11 ଯେଉଁମାନେ ଆପଣା ପିତାକୁ ଶାପ ଦିଅନ୍ତି, ପୁଣି, ଆପଣା ମାତାକୁ ଆଶୀର୍ବାଦ କରନ୍ତି ନାହିଁ, ଏପରି ଏକ ବଂଶ ଅଛି।
PRO 30:12 ଆପଣା ଦୃଷ୍ଟିରେ ନିର୍ମଳ, ଏପରି ଏକ ବଂଶ ଅଛି, ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇ ନାହାନ୍ତି।
PRO 30:13 ଏକ ବଂଶ ଅଛି, ଆଃ, ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ! ସେମାନଙ୍କ ଚକ୍ଷୁର ପତା ଉତ୍ଥିତ ହୋଇଅଛି।
PRO 30:14 ପୃଥିବୀରୁ ଦୁଃଖୀମାନଙ୍କୁ ଓ ମନୁଷ୍ୟଗଣ ମଧ୍ୟରୁ ଦରିଦ୍ରମାନଙ୍କୁ ଗ୍ରାସ କରିବା ପାଇଁ ଯେଉଁମାନଙ୍କର ଦନ୍ତ ଖଡ୍ଗ ପରି ଓ କଳଦନ୍ତ ଛୁରୀ ପରି, ଏପରି ଏକ ବଂଶ ଅଛି।
PRO 30:15 ଜୋକର ଦୁଇ କନ୍ୟା ଅଛନ୍ତି, ଯେଉଁମାନେ କହନ୍ତି “ଦିଅ, ଦିଅ।” ତିନୋଟି ବସ୍ତୁ ଅଛି, ଯାହା କେବେ ତୃପ୍ତ ନୁହେଁ, ପୁଣି, ଚାରି ବସ୍ତୁ କେବେ କହେ ନାହିଁ, “ଯଥେଷ୍ଟ ହେଲା।”
PRO 30:16 ପାତାଳ ଓ ବନ୍ଧ୍ୟା-ଗର୍ଭ; ଜଳରେ ଅତୃପ୍ତ ଭୂମି, ଓ ଅଗ୍ନି ଯେ କହେ ନାହିଁ, ଯଥେଷ୍ଟ ହେଲା।
PRO 30:17 ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ, ପୁଣି, ଉତ୍କ୍ରୋଶ ପକ୍ଷୀର ଛୁଆମାନେ ତାହା ଖାଇବେ।
PRO 30:18 ତିନି କଥା ମୋହର ବୋଧାଗମ୍ୟ, ପୁଣି, ଚାରି କଥା ମୁଁ ଜାଣୁ ନାହିଁ।
PRO 30:19 ଆକାଶରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।
PRO 30:20 ସେହି ପ୍ରକାର ବ୍ୟଭିଚାରିଣୀ ସ୍ତ୍ରୀର ଗତି, ସେ ଖାଇ ମୁହଁ ପୋଛି ଦିଏ ଓ କହେ, ଆମ୍ଭେ କିଛି ଅଧର୍ମ କରି ନାହୁଁ।
PRO 30:21 ତିନି କଥାର ଭାରରେ ପୃଥିବୀ କମ୍ପିତ ହୁଏ, ପୁଣି ଚାରି କଥାର ଭାରରେ ମଧ୍ୟ, ତାହା ସେ ସହିପାରେ ନାହିଁ;
PRO 30:22 ରାଜତ୍ୱପ୍ରାପ୍ତ ଦାସର ଭାର ଓ ଆହାରରେ ପରିତୃପ୍ତ ମୂଢ଼ର ଭାର; ବିବାହ ହେବା ଘୃଣ୍ୟ ସ୍ତ୍ରୀର ଭାର;
PRO 30:23 ପୁଣି, ଆପଣା କର୍ତ୍ତ୍ରୀର ଉତ୍ତରାଧିକାରିଣୀ ଦାସୀର ଭାର।
PRO 30:24 ଚାରି ପ୍ରାଣୀ ପୃଥିବୀରେ ସାନ, ମାତ୍ର ଅତିଶୟ ଜ୍ଞାନବାନ,
PRO 30:25 ପିମ୍ପୁଡ଼ିଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମକାଳରେ ଆହାର ସଞ୍ଚୟ କରନ୍ତି।
PRO 30:26 ଶାଫନ୍‍ ଜନ୍ତୁଗଣ ଶକ୍ତିହୀନ ଜାତି, ତଥାପି ସେମାନେ ଶୈଳରେ ଆପଣା ଆପଣା ବସା ନିର୍ମାଣ କରନ୍ତି।
PRO 30:27 ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେସମସ୍ତେ ଦଳବଦ୍ଧ ହୋଇ ଗମନ କରନ୍ତି।
PRO 30:28 ପୁଣି, ଝିଟିପିଟି ହସ୍ତ ଦ୍ୱାରା ଧରାଯାଏ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ।
PRO 30:29 ତିନି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି, ପୁଣି, ଚାରି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି;
PRO 30:30 ପଶୁମାନଙ୍କ ମଧ୍ୟରେ ବିକ୍ରମୀ ସିଂହ କାହା ସମ୍ମୁଖରୁ ଫେରେ ନାହିଁ।
PRO 30:31 ଯୁଦ୍ଧାଶ୍ୱ; ଛାଗ ଓ ରାଜା, ଯାହା ବିରୁଦ୍ଧରେ କେହି ଉଠେ ନାହିଁ।
PRO 30:32 ଯେବେ ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିଅବା ଯେବେ କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ।
PRO 30:33 କାରଣ ଯେପରି ଦୁଗ୍ଧ ମନ୍ଥନରେ ଲବଣୀ ବାହାରେ ଓ ନାସିକା ମନ୍ଥନରେ ରକ୍ତ ବାହାରେ; ତଦ୍ରୂପ କ୍ରୋଧ ମନ୍ଥନରେ ବିବାଦ ବାହାରେ।
PRO 31:1 ଲମୂୟେଲ ରାଜାର କଥା: ଅର୍ଥାତ୍‍, ତାହାର ମାତା ତାହାକୁ ଯାହା ଶିଖାଇଥିଲା, ସେହି ଭାରୋକ୍ତି।
PRO 31:2 ହେ ମୋହର ପୁତ୍ର, ହେ ମୋʼ ଗର୍ଭର ପୁତ୍ର, ହେ ମୋʼ ମାନତର ପୁତ୍ର, କଅଣ କହିବି?
PRO 31:3 ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି, ତହିଁରେ ଗତି କର ନାହିଁ।
PRO 31:4 ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ।
PRO 31:5 ସେମାନେ ପାନ କଲେ, ବ୍ୟବସ୍ଥା ପାସୋରି ଦୁଃଖୀସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ।
PRO 31:6 ମୃତକଳ୍ପ ଲୋକକୁ ମଦ୍ୟ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
PRO 31:7 ସେ ଲୋକ ପାନ କରି ଆପଣା ଦରିଦ୍ରତା ପାସୋରୁ ଓ ଆପଣା କ୍ଳେଶ ଆଉ ମନରେ ନ କରୁ।
PRO 31:8 ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ।
PRO 31:9 ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି, ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
PRO 31:10 ଗୁଣବତୀ ସ୍ତ୍ରୀ କିଏ ପାଇ ପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।
PRO 31:11 ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ।
PRO 31:12 ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।
PRO 31:13 ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ।
PRO 31:14 ସେ ବାଣିଜ୍ୟ-ଜାହାଜ ତୁଲ୍ୟ; ସେ ଦୂରରୁ ଆପଣା ଆହାର ଆଣେ।
PRO 31:15 ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରେ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
PRO 31:16 ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
PRO 31:17 ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ।
PRO 31:18 ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ; ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ।
PRO 31:19 ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ।
PRO 31:20 ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ।
PRO 31:21 ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି।
PRO 31:22 ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି, ସେ ଶୁଭ୍ର କ୍ଷୌମବସ୍ତ୍ର ଓ ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ।
PRO 31:23 ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ।
PRO 31:24 ସେ ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି, ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ।
PRO 31:25 ବଳ ଓ ଶୋଭା ତାହାର ବସ୍ତ୍ର ସ୍ୱରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ।
PRO 31:26 ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ।
PRO 31:27 ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି, ଆଳସ୍ୟର ଆହାର ଖାଏ ନାହିଁ।
PRO 31:28 ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ;
PRO 31:29 “ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ।”
PRO 31:30 ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।
PRO 31:31 ତାହାର ହାତର ଫଳ ତାହାକୁ ଦିଅ, ପୁଣି, ତାହାର ନିଜ କର୍ମ ନଗର-ଦ୍ୱାରରେ ତାହାର ପ୍ରଶଂସା କରୁ।
ECC 1:1 ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା।
ECC 1:2 ଉପଦେଶକ କହୁଅଛନ୍ତି, “ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।”
ECC 1:3 ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହିସବୁରୁ କି ଲାଭ?
ECC 1:4 ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ; କିନ୍ତୁ ପୃଥିବୀ ସଦାକାଳ ଥାଏ।
ECC 1:5 ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।
ECC 1:6 ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ; ଆପଣା ପଥରେ ସର୍ବଦା ଘୂରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।
ECC 1:7 ନଦୀସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ; ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।
ECC 1:8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ; ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
ECC 1:9 ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ; ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।
ECC 1:10 ଯାହା ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।
ECC 1:11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।
ECC 1:12 ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।
ECC 1:13 ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।
ECC 1:14 ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 1:15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।
ECC 1:16 ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋʼ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।”
ECC 1:17 ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି।
ECC 1:18 କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ; ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।
ECC 2:1 ମୁଁ ଆପଣା ମନେ ମନେ କହିଲି, “ଆସ, ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ୱାରା ପରୀକ୍ଷା କରିବି; ଏହେତୁ ସୁଖଭୋଗ କର; ଆଉ ଦେଖ, ତାହା ମଧ୍ୟ ଅସାର।”
ECC 2:2 ମୁଁ ହାସ୍ୟ ବିଷୟରେ କହିଲି, “ତାହା ପାଗଳାମି”, ଆନନ୍ଦ ବିଷୟରେ କହିଲି, “ତାହା କଅଣ କରେ?”
ECC 2:3 ମୁଁ କିପରି ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ-ସନ୍ତାନଗଣର ଯାବଜ୍ଜୀବନ କଅଣ କରିବା ଭଲ, ଏହା ଜାଣି ପାରିବା ପର୍ଯ୍ୟନ୍ତ କିପରି ଅଜ୍ଞାନତା ଅବଲମ୍ବନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି, ଏହି ସମୟରେ ମଧ୍ୟ ମୋହର ମନ ଜ୍ଞାନରେ ମୋତେ ପଥ ପ୍ରଦର୍ଶନ କରୁଥିଲା।
ECC 2:4 ମୁଁ ଆପଣା ନିମନ୍ତେ ମହତ୍ ମହତ୍ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି;
ECC 2:5 ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି, ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି;
ECC 2:6 ମୁଁ ବୃକ୍ଷର ଚାରା ଉତ୍ପାଦକ ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି;
ECC 2:7 ମୁଁ ଦାସଦାସୀଗଣ କ୍ରୟ କଲି ଓ ମୋହର ଗୃହରୁ ଜାତ ଦାସଗଣ ଥିଲେ; ଆହୁରି ମୋʼ ପୂର୍ବେ ଯିରୂଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ;
ECC 2:8 ମୁଁ ରୂପା ଓ ସୁନା, ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି; ମୁଁ ଗାୟକ ଓ ଗାୟିକା, ଆଉ ମନୁଷ୍ୟ-ସନ୍ତାନଗଣର ତୁଷ୍ଟିକାରଣୀ ଅନେକ ଉପପତ୍ନୀ ପାଇଲି।
ECC 2:9 ଏହିରୂପେ ମୋʼ ପୂର୍ବେ ଯିରୂଶାଲମରେ ଯେଉଁମାନେ ଥିଲେ, ସେହି ସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି; ମଧ୍ୟ ମୋହର ଜ୍ଞାନ ମୋʼ ଠାରେ ରହିଲା।
ECC 2:10 ପୁଣି, ମୋʼ ଚକ୍ଷୁ ଯାହା ଦେଖି ଯାହା କଲା, ତାହା ମୁଁ ତାହାକୁ ନିଷେଧ କଲି ନାହିଁ; ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋହର ସମସ୍ତ ପରିଶ୍ରମ ସକାଶୁ ମୋହର ହୃଦୟ ଆନନ୍ଦ କଲା; ପୁଣି, ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।
ECC 2:11 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ଯେଉଁ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ, ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।
ECC 2:12 ଏଥିଉତ୍ତାରେ ମୁଁ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ଦେଖିବାକୁ ପ୍ରବୃତ୍ତ ହେଲି; କାରଣ ଯେଉଁ ଲୋକ ରାଜାଙ୍କ ପରେ ଆସେ, ସେ କଅଣ କରିବ? ଯାହା କରାଯାଇଅଛି, ତାହା ହିଁ ମାତ୍ର।
ECC 2:13 ତହୁଁ ମୁଁ ଦେଖିଲି, ଯେପରି ଅନ୍ଧକାର ଅପେକ୍ଷା ଦୀପ୍ତି ଉତ୍ତମ, ସେପରି ଅଜ୍ଞାନତା ଅପେକ୍ଷା ଜ୍ଞାନ ଉତ୍ତମ।
ECC 2:14 ଜ୍ଞାନବାନ‍ର ଚକ୍ଷୁ ତାହାର ମସ୍ତକରେ ଥାଏ, ପୁଣି ମୂର୍ଖ ଅନ୍ଧକାରରେ ଭ୍ରମଣ କରେ, ତଥାପି ସମସ୍ତଙ୍କ ପ୍ରତି ଏକ ଦଶା ଘଟେ, ଏହା ମୁଁ ଦେଖିଲି।
ECC 2:15 ତହିଁରେ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି?” ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର।
ECC 2:16 କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଭବିଷ୍ୟତରେ ସମସ୍ତେ ଭୁଲି ଯାଇଥିବେ। ଆହା! ମୂର୍ଖ ଯେପରି ମରେ, ଜ୍ଞାନୀ ମଧ୍ୟ ସେପରି ମରେ।
ECC 2:17 ତହୁଁ ମୁଁ ଜୀବନକୁ ଘୃଣା କଲି; ଯେହେତୁ ସୂର୍ଯ୍ୟ ତଳେ କୃତକାର୍ଯ୍ୟ ମୋʼ ପ୍ରତି କ୍ଲେଶବୋଧକ ହେଲା; କାରଣ ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 2:18 ପୁଣି, ସୂର୍ଯ୍ୟ ତଳେ ମୁଁ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ମୋହର ସେହି ସବୁ ପରିଶ୍ରମକୁ ମୁଁ ଘୃଣା କଲି; କାରଣ ମୋହର ଉତ୍ତରାଧିକାରୀ ପାଇଁ ତାହାସବୁ ଛାଡ଼ି ଯିବାକୁ ହେବ।
ECC 2:19 ଆଉ, ସେ ଜ୍ଞାନୀ କି ମୂର୍ଖ ହେବ, କିଏ ଜାଣେ? ତଥାପି ମୁଁ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୋଇ ଜ୍ଞାନ ପ୍ରକାଶ କଲି, ସେ ମୋହର ସେହି ସକଳ ପରିଶ୍ରମର ଫଳାଧିକାରୀ ହେବ; ଏହା ହିଁ ଅସାର।
ECC 2:20 ଏହେତୁ ସୂର୍ଯ୍ୟ ତଳେ ମୁଁ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେହି ସମସ୍ତ ବିଷୟରେ ଆପଣା ଅନ୍ତଃକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି।
ECC 2:21 କାରଣ ଏକ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ; ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ। ଏହା ହିଁ ଅସାର ଓ ଅତି ମନ୍ଦ।
ECC 2:22 ତେବେ ସୂର୍ଯ୍ୟ ତଳେ ମନୁଷ୍ୟ ଯେଉଁ ଯେଉଁ ପରିଶ୍ରମରେ ଓ ହୃଦୟର ଚିନ୍ତାରେ ପରିଶ୍ରାନ୍ତ ହୁଏ, ସେସବୁରୁ ସେ କʼଣ ପାଏ?
ECC 2:23 କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର କାର୍ଯ୍ୟ ମନସ୍ତାପଜନକ; ରାତ୍ରିରେ ମଧ୍ୟ ତାହାର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।
ECC 2:24 ଭୋଜନ ଓ ପାନ ପୁଣି ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ। ମଧ୍ୟ ମୁଁ ଦେଖିଲି, ଏହା ପରମେଶ୍ୱରଙ୍କ ହସ୍ତରୁ ହୁଏ।
ECC 2:25 କାରଣ ତାହାଙ୍କ ବିନା କିଏ ଭୋଜନ କରି ପାରିବ ଅବା ସୁଖଭୋଗ କରି ପାରିବ?
ECC 2:26 ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି; ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପୀକୁ ସେ କାର୍ଯ୍ୟ ଦିଅନ୍ତି। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 3:1 ସବୁ ବିଷୟର ଉଚିତ ସମୟ ଅଛି ଓ ଆକାଶ ତଳେ ସବୁ ଉଦ୍ଦେଶ୍ୟର ଉଚିତ ସମୟ ଅଛି;
ECC 3:2 ଜନ୍ମ ହେବାର ସମୟ ଓ ମରିବାର ସମୟ; ରୋପିବାର ସମୟ, ଯାହା ରୋପିତ ହେଲା, ତାହା ଉପାଡ଼ିବାର ସମୟ;
ECC 3:3 ବଧ କରିବାର ସମୟ ଓ ସୁସ୍ଥ କରିବାର ସମୟ; ଭାଙ୍ଗିବାର ସମୟ ଓ ନିର୍ମାଣ କରିବାର ସମୟ,
ECC 3:4 ରୋଦନ କରିବାର ସମୟ ଓ ହସିବାର ସମୟ; ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ;
ECC 3:5 ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ,
ECC 3:6 ଅନ୍ଵେଷଣ କରିବାର ସମୟ ଓ ହଜାଇବାର ସମୟ; ରଖିବାର ସମୟ ଓ ପକାଇ ଦେବାର ସମୟ;
ECC 3:7 ଚିରିବାର ସମୟ ଓ ସିଲେଇ କରିବାର ସମୟ; ନୀରବ ରହିବାର ସମୟ ଓ କଥା କହିବାର ସମୟ;
ECC 3:8 ପ୍ରେମ କରିବାର ସମୟ ଓ ଘୃଣା କରିବାର ସମୟ; ଯୁଦ୍ଧର ସମୟ ଓ ଶାନ୍ତିର ସମୟ ଅଛି।
ECC 3:9 କର୍ମକାରୀ ବ୍ୟକ୍ତିର ଆପଣା ପରିଶ୍ରମରେ କି ଲାଭ?
ECC 3:10 ପରମେଶ୍ୱର ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବା ପାଇଁ ଯେଉଁ କାର୍ଯ୍ୟ ଦେଇଅଛନ୍ତି, ତାହା ମୁଁ ଦେଖିଅଛି।
ECC 3:11 ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି; ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତକାଳ ରଖିଅଛନ୍ତି; ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇ ପାରେ ନାହିଁ।
ECC 3:12 ମୁଁ ଜାଣେ ଯେ, ଯାବଜ୍ଜୀବନ ଆନନ୍ଦ ଓ ସୁକର୍ମ କରିବା ଅପେକ୍ଷା ସେମାନଙ୍କର ଆଉ କୌଣସି ମଙ୍ଗଳ ବିଷୟ ନାହିଁ।
ECC 3:13 ଆହୁରି, ପ୍ରତ୍ୟେକ ମନୁଷ୍ୟ ଭୋଜନପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ, ଏହା ପରମେଶ୍ୱରଙ୍କ ଦାନ।
ECC 3:14 ମୁଁ ଜାଣେ ଯେ, ପରମେଶ୍ୱର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ; ତାହା ବଢ଼ାଯାଇ ନ ପାରେ, କିଅବା ତାହା ଊଣା କରାଯାଇ ନ ପାରେ; ଆଉ ମନୁଷ୍ୟମାନେ ପରମେଶ୍ୱରଙ୍କ ସମ୍ମୁଖରେ ଭୀତ ହେବା ପାଇଁ ସେ ତାହା କରିଅଛନ୍ତି।
ECC 3:15 ଯାହା ଅଛି, ତାହା ଥିଲା; ପୁଣି, ଯାହା ହେବ, ତାହା ହିଁ ଥିଲା; ଆଉ, ଯାହା ଗତ ହୋଇଅଛି, ପରମେଶ୍ୱର ତାହା ପୁନର୍ବାର ଅନ୍ଵେଷଣ କରନ୍ତି।
ECC 3:16 ଆହୁରି, ମୁଁ ସୂର୍ଯ୍ୟ ତଳେ ବିଚାର ସ୍ଥାନରେ ଦେଖିଲି, ସେଠାରେ ଦୁଷ୍ଟତା ଅଛି, ପୁଣି ଧର୍ମସ୍ଥାନରେ ଦେଖିଲି, ସେଠାରେ ହେଁ ଦୁଷ୍ଟତା ଅଛି।
ECC 3:17 ମୁଁ ମନେ ମନେ କହିଲି, “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ; କାରଣ ପ୍ରତ୍ୟେକ ମନସ୍କାମନା ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।”
ECC 3:18 ମୁଁ ମନେ ମନେ କହିଲି, “ପରମେଶ୍ୱର ଯେପରି ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରିବେ ଓ ସେମାନେ ନିଜେ ଯେ କେବଳ ପଶୁ ତୁଲ୍ୟ, ଏହା ଯେପରି ସେମାନେ ଦେଖିବେ, ଏଥିପାଇଁ ସେମାନଙ୍କ ସକାଶୁ ଏହା ହେଉଅଛି।”
ECC 3:19 କାରଣ ମନୁଷ୍ୟ-ସନ୍ତାନଗଣ ପ୍ରତି ଯାହା ଘଟେ, ପଶୁମାନଙ୍କ ପ୍ରତି ତାହା ଘଟେ; ସମସ୍ତଙ୍କ ପ୍ରତି ହିଁ ଏକରୂପ ଘଟଣା ଘଟେ; ଏ ଯେପରି ମରେ, ସେ ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣବାୟୁ ଏକ; ଆଉ, ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ; କାରଣ ସବୁ ଅସାର।
ECC 3:20 ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।
ECC 3:21 ମନୁଷ୍ୟର ଆତ୍ମା ଊର୍ଦ୍ଧ୍ୱଗାମୀ ଓ ପଶୁର ଆତ୍ମା ପୃଥିବୀର ଅଧୋଗାମୀ ହୁଏ ବୋଲି କିଏ ଜାଣେ?
ECC 3:22 ଏହେତୁ ମନୁଷ୍ୟ ସ୍ୱକର୍ମରେ ଆନନ୍ଦ କରିବା ଅପେକ୍ଷା ଆଉ ତାହାର କିଛି ଅଧିକ ମଙ୍ଗଳ ନାହିଁ ବୋଲି ମୁଁ ଦେଖିଲି; କାରଣ ଏହା ହିଁ ତାହାର ଅଧିକାର; ଆଉ, ତାହା ପରେ ଯାହା ଘଟିବ, ତାହା ଦେଖିବା ପାଇଁ କିଏ ତାହାକୁ ଫେରାଇ ଆଣି ପାରେ?
ECC 4:1 ଏଥିଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଅତ୍ୟାଚାର ସବୁ ଦେଖିଲି; ଆଉ ଦେଖ, ଅତ୍ୟାଚାରପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ, ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ।
ECC 4:2 ଏହେତୁ ମୁଁ ବର୍ତ୍ତମାନ ଜୀବିତ ଲୋକମାନଙ୍କ ଅପେକ୍ଷା ଏଥି ପୂର୍ବରୁ ମୃତମାନଙ୍କର ଅଧିକ ପ୍ରଶଂସା କଲି;
ECC 4:3 ମାତ୍ର ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ଜନ୍ମି ନାହିଁ ଓ ସୂର୍ଯ୍ୟ ତଳେ କୃତ ମନ୍ଦ କର୍ମ ଦେଖି ନାହିଁ, ତାହାକୁ ମୁଁ ସେହି ଉଭୟଙ୍କ ଅପେକ୍ଷା ଅଧିକ ଉତ୍ତମ ଜ୍ଞାନ କଲି।
ECC 4:4 ତହୁଁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ, ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 4:5 ମୂର୍ଖ ଆପଣା ହସ୍ତ ଏକତ୍ର ମୁଠା କରି ଆପଣା ମାଂସ ଭୋଜନ କରେ।
ECC 4:6 ପରିଶ୍ରମ ଓ ବାୟୁର ପଶ୍ଚାଦ୍ଧାବନ ସହିତ ଦୁଇ ମୁଠି ଅପେକ୍ଷା ଶାନ୍ତି ସହିତ ଏକ ମୁଠି ଭଲ।
ECC 4:7 ତେବେ ମୁଁ ଫେରି ସୂର୍ଯ୍ୟ ତଳେ ଅସାରତା ଦେଖିଲି।
ECC 4:8 କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ।
ECC 4:9 ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
ECC 4:10 ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକୁ ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର।
ECC 4:11 ଆହୁରି, ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ଣ ହୁଅନ୍ତି; ମାତ୍ର ଜଣେ କିପରି ଏକାକୀ ଉଷ୍ଣ ହୋଇପାରେ?
ECC 4:12 ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ।
ECC 4:13 ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ କରିବାକୁ ଜାଣେ ନାହିଁ, ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ ଯୁବା ଲୋକ ଭଲ।
ECC 4:14 କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା; ଆହୁରି, ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା।
ECC 4:15 ମୁଁ ସୂର୍ଯ୍ୟ ତଳେ ଗମନକାରୀ ସମସ୍ତ ପ୍ରାଣୀକୁ ଦେଖିଲି ଯେ, ସେମାନେ ସେହି ଯୁବାର, ଯେଉଁ ଦ୍ୱିତୀୟ ବ୍ୟକ୍ତି ଏହାର ସ୍ଥାନରେ ଉଠିଲା, ତାହାର ସଙ୍ଗୀ।
ECC 4:16 ସେ ଯେଉଁମାନଙ୍କର ଅଧ୍ୟକ୍ଷ ହେଲା, ସେହି ଲୋକମାନେ ଅସଂଖ୍ୟ; ତଥାପି ଉତ୍ତରକାଳୀନ ଲୋକମାନେ ତାହାଠାରେ ଆନନ୍ଦ କରିବେ ନାହିଁ। ନିଶ୍ଚୟ ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 5:1 ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ।
ECC 5:2 ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ; କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ; ଏହେତୁ ତୁମ୍ଭେ କଥା କହିବା ପୁର୍ବରୁ ଭଲ ଭାବରେ ଚିନ୍ତା କର।
ECC 5:3 କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ; ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ।
ECC 5:4 ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର।
ECC 5:5 ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ।
ECC 5:6 ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭୁଲବଶତଃ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ?
ECC 5:7 କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏହିପରି ଘଟେ; ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ଭୟ କର।
ECC 5:8 ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି।
ECC 5:9 ଆହୁରି, ପୃଥିବୀର ଫଳ ସମସ୍ତଙ୍କ ନିମନ୍ତେ; କ୍ଷେତ୍ର ଦ୍ୱାରା ରାଜା ଆପେ ସେବିତ ହୁଅନ୍ତି।
ECC 5:10 ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର।
ECC 5:11 ସମ୍ପତ୍ତି ବୃଦ୍ଧି ପାଇଲେ, ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି; ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ?
ECC 5:12 ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ; ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
ECC 5:13 ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;
ECC 5:14 ଆଉ, ଦୁର୍ଘଟଣା ଦ୍ୱାରା ସେହି ସବୁ ଧନ କ୍ଷୟ ପାଏ; ପୁଣି, ସେ ପୁତ୍ର ଜାତ କଲେ, ତାହା ହସ୍ତରେ କିଛି ନ ଥାଏ।
ECC 5:15 ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା, ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ, ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇ ପାରିବ, ଏପରି କିଛି ସଙ୍ଗେ ନେବ ନାହିଁ।
ECC 5:16 ପୁଣି, ସେ ଯେପରି ଆସିଲା, ସର୍ବତୋଭାବେ ଯେ ସେପରି ଯିବ, ଏହା ହିଁ ବ୍ୟାଧି ସ୍ୱରୂପ ଅନିଷ୍ଟ; ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ, ତାହାର କି ଲାଭ?
ECC 5:17 ଆହୁରି, ସେ ଯାବଜ୍ଜୀବନ ଅନ୍ଧକାରରେ ଆହାର କରେ, ପୁଣି ସେ ଅତିଶୟ ବିରକ୍ତ ହୁଏ, ଆଉ ତାହାକୁ ପୀଡ଼ା ଓ କୋପ ଘଟେ।
ECC 5:18 ଦେଖ, ଭୋଜନ ଓ ପାନ କରିବାର ଓ ପରମେଶ୍ୱରଙ୍କ ଦତ୍ତ ପରମାୟୁ ମଧ୍ୟରେ ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସମସ୍ତ ପରିଶ୍ରମରେ ସୁଖଭୋଗ କରିବାର, ଏହା ହିଁ ତାହା ପକ୍ଷରେ ଉତ୍ତମ ଓ ମନୋହର ବୋଲି ମୁଁ ଦେଖିଅଛି; କାରଣ ଏହା ହିଁ ତାହାର ଅଂଶ।
ECC 5:19 ଆହୁରି, ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ, ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ୱରଙ୍କ ଦାନ।
ECC 5:20 ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ୱର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି।
ECC 6:1 ସୂର୍ଯ୍ୟ ତଳେ ମୁଁ ଏକ ଦୁଃଖର ବିଷୟ ଦେଖିଅଛି, ଆଉ ତାହା ମନୁଷ୍ୟମାନଙ୍କ ପକ୍ଷରେ ଭାରୀ;
ECC 6:2 ପରମେଶ୍ୱର କାହାକୁ କାହାକୁ ଏତେ ଧନ, ସମ୍ପତ୍ତି ଓ ସମ୍ଭ୍ରମ ଦିଅନ୍ତି ଯେ, ତାହାର ମନୋବାଞ୍ଛା ପୂର୍ଣ୍ଣ କରିବାକୁ କୌଣସି ବିଷୟର ଅଭାବ ନ ଥାଏ, ତଥାପି ତାହା ଭୋଗ କରିବା ପାଇଁ ପରମେଶ୍ୱର ତାହାକୁ କ୍ଷମତା ଦିଅନ୍ତି ନାହିଁ, ମାତ୍ର ଅନ୍ୟ ଲୋକ ତାହା ଭୋଗ କରେ; ଏହା ଅସାର ଓ ମନ୍ଦ ବ୍ୟାଧି ସ୍ୱରୂପ।
ECC 6:3 ଯଦି କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯଦି ସୁଖରେ ତୃପ୍ତ ନ ହୁଏ, ଆହୁରି ଯଦି ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ଶିଶୁଟି ଉତ୍ତମ ଅଟେ;
ECC 6:4 କାରଣ ଏହି ମୃତ ଜାତ ଶିଶୁ ବାଷ୍ପ ତୁଲ୍ୟ ଆସେ ଓ ଅନ୍ଧକାରରେ ଯାଏ, ଆଉ ତାହାର ନାମ ଅନ୍ଧକାରରେ ଆଚ୍ଛନ୍ନ ହୁଏ;
ECC 6:5 ଆହୁରି, ଏହି ଶିଶୁ ସୂର୍ଯ୍ୟ ଦେଖି ନାହିଁ କି ଜାଣି ନାହିଁ; ତଥାପି ଏହି ମୃତ ଜାତ ଶିଶୁ ସେ ଲୋକ ଅପେକ୍ଷା ଅଧିକ ବିଶ୍ରାମ ପାଏ;
ECC 6:6 ପୁଣି, ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି ଦୁଇଗୁଣ ସହସ୍ର ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାʼନ୍ତି?
ECC 6:7 ମନୁଷ୍ୟର ସମସ୍ତ ପରିଶ୍ରମ ତାହାର ମୁଖ ନିମନ୍ତେ, ତଥାପି ଭୋଜନର ଆକାଂକ୍ଷା ପୂର୍ଣ୍ଣ ହୁଏ ନାହିଁ।
ECC 6:8 ଏଣୁ ମୂର୍ଖ ଅପେକ୍ଷା ଜ୍ଞାନୀର କି ଲାଭ? ଆଉ, ଜୀବିତମାନଙ୍କ ସାକ୍ଷାତରେ ଚଳିବାକୁ ଜାଣେ ଯେଉଁ ଦରିଦ୍ର ଲୋକ, ତାହାର ଅବା କି ଲାଭ?
ECC 6:9 ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ; ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।
ECC 6:10 ଯାହା ହୋଇଅଛି, ଅନେକ କାଳ ହେଲା ତହିଁର ନାମ ଦିଆଯାଇଥିଲା, ଆଉ ସେ ମର୍ତ୍ତ୍ୟ ବୋଲି ଜଣା; ପୁଣି, ସେ ଆପଣା ଅପେକ୍ଷା ପରାକ୍ରାନ୍ତ ସଙ୍ଗେ ବିରୋଧ କରି ନ ପାରେ।
ECC 6:11 ଅସାରତାବର୍ଦ୍ଧକ ଅନେକ କଥା ଅଛି, ତହିଁରେ ମନୁଷ୍ୟର କି ଲାଭ?
ECC 6:12 କାରଣ ମନୁଷ୍ୟ ଛାୟା ତୁଲ୍ୟ ଆପଣାର ଯେଉଁ ଅସାର ଜୀବନର ଦିନସବୁ କ୍ଷେପଣ କରେ, ସେହି ଜୀବନ କାଳରେ ତାହାର ମଙ୍ଗଳ କଅଣ, ଏହା କିଏ ଜାଣେ? ଆଉ, ମନୁଷ୍ୟର ମରଣାନ୍ତେ ସୂର୍ଯ୍ୟ ତଳେ ଯାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ?
ECC 7:1 ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।
ECC 7:2 ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ।
ECC 7:3 ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।
ECC 7:4 ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ।
ECC 7:5 ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ।
ECC 7:6 କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେପରି; ଏହା ହିଁ ଅସାର।
ECC 7:7 ନିଶ୍ଚୟ ଅନ୍ୟାୟ ଧନଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ ଓ ଲାଞ୍ଚ ବୁଦ୍ଧି ନଷ୍ଟ କରେ।
ECC 7:8 କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ; ପୁଣି, ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ।
ECC 7:9 କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ।
ECC 7:10 “ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଅଣ,” ଏହା ନ କୁହ, କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁ ନାହଁ।
ECC 7:11 ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ; ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ।
ECC 7:12 କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ; ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ।
ECC 7:13 ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର; କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରିପାରେ?
ECC 7:14 ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।
ECC 7:15 ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।
ECC 7:16 ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ?
ECC 7:17 ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିଅବା ନିର୍ବୋଧ ହୁଅ ନାହିଁ; ଆପଣା କାଳ ପୂର୍ବରେ କାହିଁକି ମରିବ?
ECC 7:18 ଏହା ଧରି ରଖିବାର, ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ; କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ଏହିସବୁରୁ ଉତ୍ତୀର୍ଣ୍ଣ ହେବ।
ECC 7:19 ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ ଦଶ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳ ସ୍ୱରୂପ ଅଟେ।
ECC 7:20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।
ECC 7:21 ମଧ୍ୟ ଯେତେ କଥା କୁହାଯାଏ, ସେହି ସବୁରେ ମନୋଯୋଗ କର ନାହିଁ; କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ;
ECC 7:22 କାରଣ ତୁମ୍ଭ ମନ ଜାଣେ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଅଭିଶାପ ଦେଇଅଛ।
ECC 7:23 ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋʼ ଠାରୁ ଦୂର ଥିଲା।
ECC 7:24 ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ?
ECC 7:25 ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ପାଗଳାମି, ଏହା ଜାଣିବାକୁ ମୁଁ ଫେରିଲି ଓ ମୋହର ମନ ତାହା ଅନୁସନ୍ଧାନ ଓ ଅନ୍ଵେଷଣ କରିବାକୁ ନିବିଷ୍ଟ ହେଲା।
ECC 7:26 ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ।
ECC 7:27 ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି;
ECC 7:28 ମୋହର ପ୍ରାଣ ଆଜି ପର୍ଯ୍ୟନ୍ତ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇ ନାହିଁ; ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି; ମାତ୍ର ସେହି ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ।
ECC 7:29 ଦେଖ, ମୁଁ ଏତିକି ମାତ୍ର ପାଇଅଛି ଯେ, ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ; ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ଵେଷଣ କରିଅଛନ୍ତି।
ECC 8:1 ଜ୍ଞାନବାନ‍ର ତୁଲ୍ୟ କିଏ ଅଛି? ଓ କିଏ ବିଷୟର ଭାବାର୍ଥ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ।
ECC 8:2 ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ୱରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର।
ECC 8:3 ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ; କୌଣସି ମନ୍ଦ ବିଷୟର ସପକ୍ଷରେ ଠିଆ ହୁଅ ନାହିଁ; କାରଣ ଯାହା ତାଙ୍କର ଇଚ୍ଛା, ସେ ତାହା କରନ୍ତି।
ECC 8:4 ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହିପାରେ?
ECC 8:5 ଯେ ଆଜ୍ଞା ପାଳନ କରେ, ସେ କୌଣସି ମନ୍ଦ ବିଷୟ ଜାଣିବ ନାହିଁ; ପୁଣି ଜ୍ଞାନୀର ମନ ସମୟ ଓ ବିଚାର ଜାଣେ;
ECC 8:6 କାରଣ ପ୍ରତ୍ୟେକ ଅଭିପ୍ରାୟ ପାଇଁ ସମୟ ଓ ବିଚାର ଅଛି; ଯେହେତୁ ମନୁଷ୍ୟର ଦୁଃଖ ତାହା ପକ୍ଷରେ ଅତିଶୟ;
ECC 8:7 କାରଣ କଅଣ ଘଟିବ, ତାହା ସେ ଜାଣେ ନାହିଁ ଓ କିପ୍ରକାରେ ତାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ?
ECC 8:8 ଶ୍ୱାସବାୟୁ ଅଟକାଇ ରଖିବା ପାଇଁ ଶ୍ୱାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ; କିଅବା ମରଣ ଦିନ ଉପରେ ତାହାର କିଛି କ୍ଷମତା ନାହିଁ; ପୁଣି, ସେହି ଯୁଦ୍ଧରୁ ଛାଡ଼ ନାହିଁ; ଅଥବା ଦୁଷ୍ଟତାରେ ଆସକ୍ତ ଲୋକକୁ ଦୁଷ୍ଟତା ଉଦ୍ଧାର କରିବ ନାହିଁ।
ECC 8:9 ଏହିସବୁ ମୁଁ ଦେଖିଅଛି ଓ ସୂର୍ଯ୍ୟ ତଳେ ଯେଉଁ ପ୍ରତ୍ୟେକ କାର୍ଯ୍ୟ କରାଯାଏ, ତହିଁରେ ମୁଁ ମନୋଯୋଗ କରିଅଛି; କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ।
ECC 8:10 ଆହୁରି, ମୁଁ ଦୁଷ୍ଟମାନଙ୍କୁ କବରପ୍ରାପ୍ତ ହେବା ଦେଖିଲି; ପୁଣି ଯଥାର୍ଥ କର୍ମକାରୀମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ; ଏହା ହିଁ ଅସାର ଦେଖିଲି।
ECC 8:11 କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ଅତି ଶୀଘ୍ର ସମ୍ପାଦନ ନ ହେବାରୁ ମନୁଷ୍ୟ-ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ।
ECC 8:12 ଯଦ୍ୟପି ପାପୀ ଶହେ ଥର ଦୁଷ୍କର୍ମ କରି ଦୀର୍ଘଜୀବୀ ହୁଏ, ତଥାପି ମୁଁ ନିଶ୍ଚୟ ଜାଣେ ଯେ, ପରମେଶ୍ୱରଙ୍କ ଭୟକାରୀମାନେ ତାହାଙ୍କ ଛାମୁରେ ଭୀତ ହୁଅନ୍ତି ବୋଲି ସେମାନଙ୍କର ମଙ୍ଗଳ ହେବ;
ECC 8:13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ, କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରିବ ନାହିଁ; କାରଣ ସେ ପରମେଶ୍ୱରଙ୍କ ଛାମୁରେ ଭୀତ ନୁହେଁ।
ECC 8:14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ; କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମାନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମାନୁଯାୟୀ ଫଳ ଘଟେ; ମୁଁ କହିଲି, ଏହା ହିଁ ଅସାର।
ECC 8:15 ତହୁଁ ମୁଁ ଆନନ୍ଦର ପ୍ରଶଂସା କଲି, କାରଣ ଭୋଜନ ଓ ପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟ ତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ; ଯେଣୁ ସେ ସୂର୍ଯ୍ୟ ତଳେ ପରମେଶ୍ୱରଙ୍କ ଦତ୍ତ ତାହାର ପରମାୟୁ ମଧ୍ୟରେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସବୁରେ ଏହା ହିଁ ତାହାର ସହବର୍ତ୍ତୀ ହେବ।
ECC 8:16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ସାଧିତ କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି (କାରଣ ଦିବାରାତ୍ର ଯାହାର ଚକ୍ଷୁ ନିଦ୍ରା ଦେଖେ ନାହିଁ, ଏପରି ଲୋକ ମଧ୍ୟ ଅଛନ୍ତି);
ECC 8:17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ସାଧିତ କାର୍ଯ୍ୟର ତତ୍ତ୍ୱ ପାଇ ନ ପାରେ; କାରଣ ତାହା ଅନ୍ଵେଷଣ କରିବା ପାଇଁ ମନୁଷ୍ୟ ଯେତେ ପରିଶ୍ରମ କଲେ ହେଁ ତାହା ପାଇ ପାରିବ ନାହିଁ; ଆହୁରି, ଜ୍ଞାନୀ ଲୋକ ତାହା ଜାଣିବାକୁ ଚିନ୍ତା କଲେ ହେଁ ତହିଁର ତତ୍ତ୍ୱ ପାଇବାକୁ ସମର୍ଥ ହେବ ନାହିଁ।
ECC 9:1 ମୁଁ ଏହିସବୁ ବିଷୟରେ ମନୋନିବେଶ କରି ଅନୁସନ୍ଧାନ କଲି; ଧାର୍ମିକ ଓ ଜ୍ଞାନୀ, ଆଉ ସେମାନଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ହସ୍ତଗତ; ଏହା ପ୍ରେମ କି ଘୃଣା, ତାହା ମନୁଷ୍ୟ ଜାଣେ ନାହିଁ; ସବୁ ସେମାନଙ୍କ ସମ୍ମୁଖରେ ଥାଏ।
ECC 9:2 ସବୁ ବିଷୟ ସମସ୍ତଙ୍କ ପ୍ରତି ସମାନ ଘଟେ; ଧାର୍ମିକ ଓ ଦୁଷ୍ଟ, ସୁଶୀଳ, ପୁଣି ଶୁଚି ଓ ଅଶୁଚି; ଯଜ୍ଞକାରୀ ଓ ଅଯଜ୍ଞକାରୀ, ସମସ୍ତଙ୍କ ପ୍ରତି ଏକ ଘଟଣା ହୁଏ; ସୁଶୀଳ ଯେପରି, ପାପୀ ସେପରି; ପୁଣି, ଶପଥକାରୀ ଯେପରି, ଶପଥ ଭୟକାରୀ ସେପରି।
ECC 9:3 ସୂର୍ଯ୍ୟ ତଳେ ଯେତେ କାର୍ଯ୍ୟ କରାଯାଏ, ତହିଁ ମଧ୍ୟରେ ଦୁଃଖର ବିଷୟ ଏହି ଯେ, ସମସ୍ତଙ୍କ ପ୍ରତି ସମାନ ଘଟଣା ହୁଏ; ଆହୁରି ମଧ୍ୟ ମନୁଷ୍ୟ-ସନ୍ତାନଗଣର ହୃଦୟ ଦୁଷ୍ଟତାରେ ପରିପୂର୍ଣ୍ଣ ଓ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କ ହୃଦୟରେ ପାଗଳାମି ଥାଏ, ପୁଣି ତହିଁ ଉତ୍ତାରେ ସେମାନେ ମୃତମାନଙ୍କ ନିକଟକୁ ଯାଆନ୍ତି।
ECC 9:4 କାରଣ ଯେଉଁ ଲୋକ ଜୀବିତ ଲୋକସମୂହ ମଧ୍ୟରେ ମିଶ୍ରିତ, ତାହାର ଭରସା ଥାଏ; ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକ୍କୁର ଭଲ।
ECC 9:5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।
ECC 9:6 ଯେପରି ସେମାନଙ୍କର ପ୍ରେମ, ସେପରି ସେମାନଙ୍କର ଘୃଣା ଓ ଈର୍ଷା ନଷ୍ଟ ହୁଏ; କିଅବା ସୂର୍ଯ୍ୟ ତଳେ ଯାହା କିଛି କରାଯାଏ, ତହିଁରେ ଅନନ୍ତକାଳ ସେମାନଙ୍କର କୌଣସି ଅଂଶ ନ ଥାଏ।
ECC 9:7 ତୁମ୍ଭେ ଆପଣା ମାର୍ଗରେ ଯାଅ, ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର; କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି।
ECC 9:8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।
ECC 9:9 ସୂର୍ଯ୍ୟ ତଳେ ପରମେଶ୍ୱର ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି, ତୁମ୍ଭର ସେହି ଅସାର ଆୟୁଷର ସମସ୍ତ ଦିନ ଆପଣା ପ୍ରିୟତମା ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର; କାରଣ ଜୀବନ ମଧ୍ୟରେ ଓ ସୂର୍ଯ୍ୟ ତଳେ ତୁମ୍ଭେ ଯେଉଁ ପରିଶ୍ରମ କରୁଅଛ, ସେହି ପରିଶ୍ରମ ମଧ୍ୟରେ ଏହା ହିଁ ତୁମ୍ଭର ଅଂଶ।
ECC 9:10 ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।
ECC 9:11 ମୁଁ ଫେରି ସୂର୍ଯ୍ୟ ତଳେ ଦେଖିଲି ଯେ, ଦ୍ରୁତଗାମୀମାନଙ୍କୁ ବାଜି, କି ବୀରମାନଙ୍କୁ ଜୟ, ଅବା ଜ୍ଞାନୀମାନଙ୍କୁ ଅନ୍ନ, କିଅବା ବୁଦ୍ଧିମାନ ଲୋକମାନଙ୍କୁ ଧନ, ଅଥବା ପଣ୍ଡିତମାନଙ୍କୁ ଅନୁଗ୍ରହପ୍ରାପ୍ତ ହୁଏ ନାହିଁ, ମାତ୍ର ସମସ୍ତଙ୍କ ପ୍ରତି ସମୟ ଓ ଆକସ୍ମିକ ଘଟଣା ଘଟେ।
ECC 9:12 କାରଣ ମନୁଷ୍ୟ ମଧ୍ୟ ଆପଣା ମୃତ୍ୟୁର ସମୟ ଜାଣେ ନାହିଁ; ଯେପରି ମତ୍ସ୍ୟଗଣ ଅଶୁଭ ଜାଲରେ ପଡ଼ନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦରେ ଧରାଯାଆନ୍ତି, ସେହିପରି ମନୁଷ୍ୟ-ସନ୍ତାନଗଣ ଅକସ୍ମାତ୍‍ ଉପସ୍ଥିତ ବିପଦ ସମୟରେ ଧରାପଡ଼ନ୍ତି।
ECC 9:13 ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏହି ପ୍ରକାର ଜ୍ଞାନ ଦେଖିଅଛି, ଆଉ ତାହା ମୋʼ ଦୃଷ୍ଟିରେ ମହତ୍ ବୋଧ ହେଲା;
ECC 9:14 ଯଥା, ଅଳ୍ପ ଲୋକବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା; ଆଉ, ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲା ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲା।
ECC 9:15 ଏପରି ସମୟରେ ତାହା ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା, ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା; ତଥାପି ସେହି ଦରିଦ୍ର ଲୋକକୁ କେହି ସ୍ମରଣ କଲା ନାହିଁ।
ECC 9:16 ତେବେ ମୁଁ କହିଲି, “ବଳ ଅପେକ୍ଷା ଜ୍ଞାନ ଉତ୍ତମ; ତଥାପି ଦରିଦ୍ର ଲୋକର ଜ୍ଞାନ ତୁଚ୍ଛୀକୃତ ହୁଏ ଓ ତାହାର ବାକ୍ୟ ଶୁଣାଯାଏ ନାହିଁ।”
ECC 9:17 ମୂର୍ଖମାନଙ୍କ ମଧ୍ୟରେ ଶାସନକାରୀର ଚିତ୍କାର ଅପେକ୍ଷା ଶାନ୍ତରେ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ।
ECC 9:18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ; ମାତ୍ର ଜଣେ ପାପୀ ବହୁ ମଙ୍ଗଳ ନାଶ କରେ।
ECC 10:1 ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।
ECC 10:2 ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।
ECC 10:3 ଆହୁରି, ମୂର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ, ପୁଣି ସେ ପ୍ରତ୍ୟେକକୁ କହେ ଯେ, ସେ ମୂର୍ଖ।
ECC 10:4 ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧଭାବ ଉତ୍ପନ୍ନ ହେଲେ, ଆପଣା ସ୍ଥାନ ଛାଡ଼ ନାହିଁ; କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ମହା ଅନିଷ୍ଟ କ୍ଷାନ୍ତ ହୁଏ।
ECC 10:5 ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;
ECC 10:6 ମୂର୍ଖତା ଅତି ଉଚ୍ଚପଦରେ ସ୍ଥାପିତ ହୁଏ, ପୁଣି ଧନୀ ନୀଚ ସ୍ଥାନରେ ବସେ।
ECC 10:7 ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି।
ECC 10:8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ, ତାହାକୁ ସର୍ପ କାମୁଡ଼ିବ।
ECC 10:9 ଯେଉଁ ଲୋକ ପଥର ଖୋଳେ, ସେ ତଦ୍ଦ୍ୱାରା ଆଘାତ ପାଇବ; ପୁଣି, ଯେ କାଠ ଚିରେ, ସେ ତଦ୍ଦ୍ୱାରା ଆପଦଗ୍ରସ୍ତ ହୁଏ।
ECC 10:10 ଲୁହା ଦନ୍ଥରା ହେଲେ ଯଦି କେହି ତାହାର ଦାଢ଼ ନ ପଜାଏ, ତେବେ ତାହା ଉତ୍ତାରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ; ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ।
ECC 10:11 ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ।
ECC 10:12 ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ; ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ।
ECC 10:13 ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ଦୁଃଖଦାୟୀ ପାଗଳାମି ଅଟେ।
ECC 10:14 ମୂର୍ଖ ବହୁତ କଥା କହେ; ତଥାପି କଅଣ ହେବ, ମନୁଷ୍ୟ ଜାଣେ ନାହିଁ; ଆଉ, ତାହା ଉତ୍ତାରେ ଯାହା ଘଟିବ, କିଏ ତାହାକୁ ଜଣାଇ ପାରେ?
ECC 10:15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।
ECC 10:16 ହେ ଦେଶ, ତୁମ୍ଭର ରାଜା ଯଦି ବାଳକ ହୁଏ ଓ ତୁମ୍ଭର ଅଧିପତିଗଣ ଯଦି ପ୍ରଭାତରେ ଭୋଜନ କରନ୍ତି, ତେବେ ତୁମ୍ଭେ ସନ୍ତାପର ପାତ୍ର।
ECC 10:17 ହେ ଦେଶ, କୁଳୀନର ପୁତ୍ର ଯେବେ ତୁମ୍ଭର ରାଜା ହୁଏ ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ, ମାତ୍ର ବଳ ନିମନ୍ତେ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ!
ECC 10:18 ଆଳସ୍ୟରେ ଛାତ ବସିଯାଏ, ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ।
ECC 10:19 ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ; ଧନସବୁ କାର୍ଯ୍ୟରେ ଆସେ।
ECC 10:20 ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ; ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ; କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନିଯିବ ଓ ପକ୍ଷଧାରୀ ସେ କଥା ଜଣାଇ ଦେବ।
ECC 11:1 ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ।
ECC 11:2 ସାତଜଣକୁ, ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର; କାରଣ ପୃଥିବୀରେ କି ବିପଦ ଘଟିବ, ତାହା ତୁମ୍ଭେ ଜାଣ ନାହିଁ।
ECC 11:3 ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି; ପୁଣି, ବୃକ୍ଷ ଯଦି ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ, ତେବେ ଯେଉଁ ସ୍ଥାନରେ ପଡ଼େ, ସେହି ସ୍ଥାନରେ ରହିବ।
ECC 11:4 ଯେଉଁ ଲୋକ ପବନକୁ ଅନାଏ, ସେ ବୁଣିବ ନାହିଁ ଓ ଯେଉଁ ଲୋକ ମେଘକୁ ଅନାଏ, ସେ କାଟିବ ନାହିଁ।
ECC 11:5 ତୁମ୍ଭେ ଯେପରି ବାୟୁର ଗତି, ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ, ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ।
ECC 11:6 ତୁମ୍ଭେ ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ; କାରଣ ଏହା ଅବା ତାହା ସିଦ୍ଧ ହେବ, ଅବା ଉଭୟ ସମାନ ଉତ୍ତମ ହେବ, ଏହା ତୁମ୍ଭେ ଜାଣ ନାହିଁ।
ECC 11:7 ପ୍ରକୃତରେ ଆଲୁଅ ସୁଖଦାୟକ, ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର।
ECC 11:8 ହଁ, ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ, ତେବେ ସେହି ସବୁରେ ସେ ଆନନ୍ଦ କରୁ; ମାତ୍ର ଅନ୍ଧକାରର ଦିନସବୁ ସେ ମନେ ରଖୁ, କାରଣ ସେହି ଦିନସବୁ ଅନେକ ହେବ। ଯାହା ଯାହା ଘଟେ, ସବୁ ଅସାର।
ECC 11:9 ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ, ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ; ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ ହୁଅ।
ECC 11:10 ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର ଓ ଆପଣା ଶରୀରରୁ ଦୁଃଖ ଦୂର କର; କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର।
ECC 12:1 ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି।
ECC 12:2 ସେହି ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବେ, ପୁଣି ବୃଷ୍ଟି ଉତ୍ତାରେ ପୁନର୍ବାର ମେଘ ହେବ;
ECC 12:3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ହେବାରୁ କର୍ମରୁ ନିବୃତ୍ତ ହେବେ, ପୁଣି ଝରକାରେ ଦୃଷ୍ଟିକାରିଣୀମାନେ ଅନ୍ଧକାରଗ୍ରସ୍ତା ହେବେ;
ECC 12:4 ଓ ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ, ସେହି ସମୟରେ ପେଷଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକ ଜାଗି ଉଠିବ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ;
ECC 12:5 ଆହୁରି, ସେମାନେ ଉଚ୍ଚସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;
ECC 12:6 ସେହି ସମୟରେ ରୂପାର ତାର ହୁଗୁଳା ହେବ, ସୁବର୍ଣ୍ଣ ପାତ୍ର ଭଗ୍ନ ହେବ, ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ ଓ କୂପରେ ଚକ୍ର ଭଗ୍ନ ହେବ;
ECC 12:7 ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ।
ECC 12:8 ଉପଦେଶକ କହନ୍ତି, ଅସାରର ଅସାର, ସବୁ ହିଁ ଅସାର।
ECC 12:9 ଆହୁରି, ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲେ; ପୁଣି, ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ କ୍ରମ ଅନୁସାରେ ସଜାଡ଼ି ରଖିଲେ।
ECC 12:10 ଉପଦେଶକ ମନୋହର ବାକ୍ୟ ଓ ଯାହା ସରଳ ଭାବରେ ଲେଖାଗଲା, ସେହି ସତ୍ୟ ବାକ୍ୟ ପାଇବାକୁ ଅନ୍ଵେଷଣ କଲେ।
ECC 12:11 ଜ୍ଞାନବାନ‍ର ବାକ୍ୟସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବଦ୍ଧ ଲୌହ କଣ୍ଟକ ସ୍ୱରୂପ, ତାହାସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି।
ECC 12:12 ଆହୁରି, ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ; ପୁଣି, ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ।
ECC 12:13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।
ECC 12:14 ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।
SOL 1:1 ଶଲୋମନଙ୍କର ପରମ ଗୀତ।
SOL 1:2 ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
SOL 1:3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
SOL 1:4 ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।
SOL 1:5 ହେ ଯିରୂଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣା, ତଥାପି ସୁନ୍ଦରୀ।
SOL 1:6 ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋʼ ପ୍ରତି କୁଦୃଷ୍ଟି କର ନାହିଁ। ମୋʼ ମାତାର ସନ୍ତାନଗଣ ମୋʼ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।
SOL 1:7 ହେ ମୋʼ ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ପଲ ଚରାଉଅଛ, ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରାଉଅଛ, ତାହା ମୋତେ ଜଣାଅ; କାରଣ ତୁମ୍ଭ ସଖାଗଣର ପଲ ନିକଟରେ ମୁଁ କାହିଁକି ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି?
SOL 1:8 ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ଯଦି ତୁମ୍ଭେ ନ ଜାଣ, ତେବେ ତୁମ୍ଭେ ପଲର ପଦଚିହ୍ନ ଧରି ଗମନ କର ଓ ମେଷପାଳକମାନଙ୍କ ତମ୍ବୁ ନିକଟରେ ଆପଣା ଛେଳିଛୁଆମାନଙ୍କୁ ଚରାଅ।
SOL 1:9 ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।
SOL 1:10 ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ, ତୁମ୍ଭ ଗଳଦେଶ ରତ୍ନହାରରେ ସୁଶୋଭିତ।
SOL 1:11 ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା।
SOL 1:12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋʼ ସୁଗନ୍ଧିର ସୁବାସ ବ୍ୟାପ୍ତ ହେଲା।
SOL 1:13 ମୋହର ପ୍ରିୟତମ ମୋʼ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋʼ ପ୍ରତି ଅଟନ୍ତି।
SOL 1:14 ମୋʼ ପ୍ରିୟତମ ମୋʼ ପ୍ରତି ଐନଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।
SOL 1:15 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ, ଦେଖ, ତୁମ୍ଭେ ସୁନ୍ଦରୀ ଅଟ; ତୁମ୍ଭର ଚକ୍ଷୁ କପୋତ ତୁଲ୍ୟ।
SOL 1:16 ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର; ଆହୁରି, ଆମ୍ଭମାନଙ୍କ ଶଯ୍ୟା ହରିଦ୍‍ବର୍ଣ୍ଣ ଅଟେ।
SOL 1:17 ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଷ୍ଠ ଆମ୍ଭମାନଙ୍କର ବରଗା।
SOL 2:1 ମୁଁ ଶାରୋଣର ଗୋଲାପ ଏବଂ ଉପତ୍ୟକାର କଇଁଫୁଲ ଅଟେ।
SOL 2:2 ଯେପରି କଣ୍ଟକ ମଧ୍ୟରେ କଇଁଫୁଲ, ସେହିପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା।
SOL 2:3 ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ। ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋʼ ତୁଣ୍ଡକୁ ସ୍ୱାଦ ଲାଗିଲା।
SOL 2:4 ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ, ମୋʼ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା।
SOL 2:5 ତୁମ୍ଭେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ୱାସ ଦିଅ; କାରଣ ମୁଁ ପ୍ରେମପୀଡ଼ିତା।
SOL 2:6 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ।
SOL 2:7 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ।
SOL 2:8 ଏହି ତ ମୋʼ ପ୍ରିୟତମଙ୍କ ରବ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି।
SOL 2:9 ମୋହର ପ୍ରିୟତମ ହରିଣ ଓ ତରୁଣ ମୃଗ ତୁଲ୍ୟ; ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
SOL 2:10 ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।
SOL 2:11 କାରଣ, ଦେଖ, ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା;
SOL 2:12 ଭୂମିରେ ପୁଷ୍ପ ପ୍ରସ୍ପୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ କପୋତର ରବ ଶୁଣା ଯାଉଅଛି;
SOL 2:13 ଡିମ୍ବିରିବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।
SOL 2:14 ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର।
SOL 2:15 ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷାକ୍ଷେତ୍ରନାଶକ ଶୃଗାଳମାନଙ୍କୁ, କ୍ଷୁଦ୍ର ଶୃଗାଳମାନଙ୍କୁ ଧର; କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।”
SOL 2:16 ମୋʼ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ କଇଁଫୁଲବନ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।
SOL 2:17 ହେ ମୋହର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମ୍ଭେ ଫେରିଆସି ବେଥର ପର୍ବତଶ୍ରେଣୀସ୍ଥ ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।
SOL 3:1 ଯାହାଙ୍କୁ ମୋହର ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ରାତ୍ରିକାଳେ ଆପଣା ଶଯ୍ୟାରେ ଖୋଜିଲି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।
SOL 3:2 “ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ଗଳି ଗଳି ଓ ଛକେ ଛକେ ଖୋଜିବି;” ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।
SOL 3:3 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ; ମୁଁ ସେମାନଙ୍କୁ ପଚାରିଲି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, “ତାଙ୍କୁ କି ତୁମ୍ଭେମାନେ ଦେଖିଲ?”
SOL 3:4 ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ଉତ୍ତାରେ ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ପାଇଲି; ମୁଁ ଆପଣା ମାତୃଗୃହକୁ ଓ ମୋʼ ଗର୍ଭଧାରିଣୀଙ୍କ ଅନ୍ତଃପୁରକୁ ନ ଆଣିବା ପର୍ଯ୍ୟନ୍ତ ତାଙ୍କୁ ଧରି ରଖିଲି, ଆଉ ଯିବାକୁ ଦେଲି ନାହିଁ।
SOL 3:5 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
SOL 3:6 ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ?
SOL 3:7 ଦେଖ, ତାହା ଶଲୋମନଙ୍କର ବିଶ୍ରାମର ଆସନ; ତହିଁ ଚତୁର୍ଦ୍ଦିଗରେ ଇସ୍ରାଏଲୀୟ ବୀରଗଣ ମଧ୍ୟରୁ ଷାଠିଏ ଜଣ ବୀର ଅଛନ୍ତି।
SOL 3:8 ସେମାନେ ସମସ୍ତେ ଖଡ୍ଗଧାରୀ ଓ ଯୁଦ୍ଧରେ ନିପୁଣ; ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ୱ ସ୍ୱ ଖଡ୍ଗ ବନ୍ଧା ଥାଏ।
SOL 3:9 ଶଲୋମନ ରାଜା ଆପଣା ପାଇଁ ଲିବାନୋନର କାଷ୍ଠର ଏକ ପାଲିଙ୍କି ନିର୍ମାଣ କଲେ।
SOL 3:10 ସେ ତହିଁର ସ୍ତମ୍ଭସବୁ ରୂପାର, ତହିଁର ତଳଭାଗ ସୁନାର, ତହିଁର ଆସନ ବାଇଗଣିଆ ରଙ୍ଗର କଲେ, ତହିଁର ମଧ୍ୟଭାଗ ଯିରୂଶାଲମର କନ୍ୟାମାନଙ୍କର ଦ୍ୱାରା ପ୍ରେମରେ ମଣ୍ଡିତ।
SOL 3:11 ହେ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ, ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି।
SOL 4:1 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ; ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ; ତୁମ୍ଭର କେଶ ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।
SOL 4:2 ତୁମ୍ଭର ଦନ୍ତ-ପଂକ୍ତି ନୂତନ ଲୋମକଟା, ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।
SOL 4:3 ତୁମ୍ଭର ଓଷ୍ଠାଧର ସିନ୍ଦୂର ବର୍ଣ୍ଣ ସୂତା ତୁଲ୍ୟ ଓ ତୁମ୍ଭର ମୁଖ ମନୋହର; ଓଢ଼ଣି ତଳେ ତୁମ୍ଭ ଗାଲ ଡାଳିମ୍ବ ତୁଲ୍ୟ।
SOL 4:4 ତୁମ୍ଭର ଗଳଦେଶ ଅସ୍ତ୍ରାଗାର ନିମନ୍ତେ ନିର୍ମିତ ଦାଉଦଙ୍କ ଦୁର୍ଗ ତୁଲ୍ୟ, ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ, ବୀରଗଣର ସକଳ ଢାଲ ଟଙ୍ଗାଗଲା।
SOL 4:5 କଇଁଫୁଲ ବନରେ ଚରିବାର ଯାଆଁଳା ହରିଣ ଛୁଆ ତୁଲ୍ୟ ତୁମ୍ଭର ସ୍ତନଯୁଗଳ।
SOL 4:6 ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ-ପର୍ବତ ଓ କୁନ୍ଦୁରୁ-ଉପପର୍ବତକୁ ଯିବି।
SOL 4:7 ହେ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ; ତୁମ୍ଭଠାରେ କୌଣସି ଖୁଣ ନାହିଁ।
SOL 4:8 ହେ ମୋହର କନ୍ୟେ, ମୋʼ ସଙ୍ଗେ ଲିବାନୋନରୁ, ମୋʼ ସଙ୍ଗେ ଲିବାନୋନରୁ ଆସ; ଅମାନାର ଶୃଙ୍ଗରୁ, ସନୀର୍‍ ଓ ହର୍ମୋଣର ଶୃଙ୍ଗରୁ, ସିଂହମାନଙ୍କ ଗହ୍ୱରରୁ, ଚିତାବାଘମାନଙ୍କ ପର୍ବତରୁ ତଳକୁ ଆସ।
SOL 4:9 ହେ ମୋହର ପ୍ରିୟେ, ହେ ମୋହର କନ୍ୟା, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ; ତୁମ୍ଭେ ଆପଣାର ଏକଦୃଷ୍ଟିରେ, ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ।
SOL 4:10 ହେ ମୋହର ପ୍ରିୟେ, ମୋହର କନ୍ୟା, ତୁମ୍ଭର ପ୍ରେମ କିପରି ମନୋରମ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ! ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ!
SOL 4:11 ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।
SOL 4:12 ମୋହର ପ୍ରିୟେ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ; ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକାର ସଦୃଶ୍ୟ।
SOL 4:13 ତୁମ୍ଭର ପଲ୍ଲବ ବହୁମୂଲ୍ୟ ଫଳବିଶିଷ୍ଟ ଡାଳିମ୍ବ ଉପବନ; ମେହେନ୍ଦି, ସୁଗନ୍ଧି ବୃକ୍ଷର ଚାରାବିଶିଷ୍ଟ,
SOL 4:14 ଜଟାମାଂସୀ ଓ କୁଙ୍କୁମ, ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ ଓ ଅଗୁରୁ, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ।
SOL 4:15 ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ।
SOL 4:16 ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ; ମୋʼ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ। ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।
SOL 5:1 ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର।
SOL 5:2 ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋʼ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋʼ ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।”
SOL 5:3 ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି; କିପରି ପୁନର୍ବାର ତାହା ମଳିନ କରିବି?
SOL 5:4 ମୋʼ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।
SOL 5:5 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି; କିଳିଣୀର ବେଣ୍ଟ ଉପରେ ମୋʼ ହସ୍ତରୁ ଗନ୍ଧରସ, ମୋʼ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
SOL 5:6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।
SOL 5:7 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର-ରକ୍ଷକମାନେ ମୋʼ ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।
SOL 5:8 ହେ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋʼ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ।
SOL 5:9 ହେ ନାରୀଗଣ ମଧ୍ୟରେ ପରମାସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ?
SOL 5:10 ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ।
SOL 5:11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ।
SOL 5:12 ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ; ଦୁଗ୍ଧରେ ଧୌତ ଓ ଯଥାସ୍ଥାନରେ ସ୍ଥାପିତ।
SOL 5:13 ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ; ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ।
SOL 5:14 ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ; ତାଙ୍କ ଶରୀର ନୀଳକାନ୍ତମଣି-ମଣ୍ଡିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ।
SOL 5:15 ତାଙ୍କ ଗୋଡ଼ ଦୁଇଟି ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗୀରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ; ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
SOL 5:16 ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ; ହଁ, ସେ ସର୍ବତୋଭାବେ ମନୋହର। ହେ ଯିରୂଶାଲମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା।
SOL 6:1 ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି କୁହ?
SOL 6:2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଅଛନ୍ତି।
SOL 6:3 ମୁଁ ଆପଣା ପ୍ରିୟତମଙ୍କର ଓ ମୋʼ ପ୍ରିୟତମ ମୋହର; ସେ କଇଁଫୁଲ ବନରେ ଆପଣା ପଲ ଚରାନ୍ତି।
SOL 6:4 ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ।
SOL 6:5 ତୁମ୍ଭେ ମୋʼ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲୀୟଦ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।
SOL 6:6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।
SOL 6:7 ତୁମ୍ଭ ଓଢ଼ଣା ତଳେ ତୁମ୍ଭର ଗାଲ ଡାଳିମ୍ବଖଣ୍ଡ ସଦୃଶ।
SOL 6:8 ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି।
SOL 6:9 ମାତ୍ର ମୋʼ କପୋତୀ, ମୋʼ ଶୁଦ୍ଧମତି ଅଦ୍ୱିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
SOL 6:10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ?
SOL 6:11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍‍ରୋଟ୍‍ ଉଦ୍ୟାନକୁ ଗଲି।
SOL 6:12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋʼ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା।
SOL 6:13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?
SOL 7:1 ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
SOL 7:2 ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ; ତୁମ୍ଭର ଉଦର କଇଁଫୁଲ-ମଣ୍ଡିତ ଗହମରାଶି ତୁଲ୍ୟ।
SOL 7:3 ତୁମ୍ଭର ସ୍ତନଯୁଗଳ ହରିଣୀର ଯାଆଁଳା ଛୁଆ ତୁଲ୍ୟ।
SOL 7:4 ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ; ତୁମ୍ଭ ନେତ୍ରଯୁଗଳ ବେଥ୍‍-ରବ୍ବୀମ ନଗର-ଦ୍ୱାର ନିକଟସ୍ଥ ହିଷ୍‍ବୋନ ସରୋବର ସଦୃଶ; ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ୟ।
SOL 7:5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ, ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ; ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି।
SOL 7:6 ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହାରିଣୀ!
SOL 7:7 ତୁମ୍ଭ ଶରୀରର ଦୀର୍ଘତା ଖର୍ଜ୍ଜୁର ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ।
SOL 7:8 ମୁଁ କହିଲି, “ମୁଁ ଖର୍ଜ୍ଜୁର ବୃକ୍ଷ ଆରୋହଣ କରିବି, ମୁଁ ତହିଁର ବାହୁଙ୍ଗା ଧରିବି;” ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ ହେଉ; ପୁଣି, ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ;
SOL 7:9 ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋʼ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ।
SOL 7:10 ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋʼ ପ୍ରତି ଅଛି।
SOL 7:11 ଆସ, ମୋʼ ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ; ଆମ୍ଭେମାନେ ପଲ୍ଲୀଗ୍ରାମରେ କାଳ କ୍ଷେପଣ କରୁ।
SOL 7:12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ; ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ; ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି।
SOL 7:13 ଦୂଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
SOL 8:1 ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି, ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ! ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି; ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ।
SOL 8:2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି, ସେ ମୋତେ ଶିକ୍ଷା ଦିଅନ୍ତେ; ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ, ମୋହର ଡାଳିମ୍ବରସ ପାନ କରାନ୍ତି।
SOL 8:3 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।
SOL 8:4 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
SOL 8:5 ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
SOL 8:6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା।
SOL 8:7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
SOL 8:8 ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇ ନାହିଁ; ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କଅଣ କରିବା?
SOL 8:9 ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।
SOL 8:10 ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି।
SOL 8:11 ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା।
SOL 8:12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।
SOL 8:13 ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
SOL 8:14 ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।
ISA 1:1 ଆମୋସର ପୁତ୍ର ଯିଶାଇୟଙ୍କର ଦର୍ଶନ, ସେ ଯିହୁଦା-ରାଜାଗଣ ଉଷୀୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯିହୁଦା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
ISA 1:2 ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।
ISA 1:3 ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ଡକୁ ଚିହ୍ନେ; ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ।”
ISA 1:4 ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।
ISA 1:5 ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି।
ISA 1:6 ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ; କେବଳ କ୍ଷତ, ଦାଗ ଓ ପୂଜପୂର୍ଣ୍ଣ ଘା; ସେହି ସବୁ ଟିପା କିମ୍ବା ବନ୍ଧାଯାଇ ନାହିଁ, କିଅବା ତୈଳ ଦ୍ୱାରା କୋମଳ କରାଯାଇ ନାହିଁ।
ISA 1:7 ତୁମ୍ଭମାନଙ୍କର ଦେଶ ଧ୍ୱଂସସ୍ଥାନ; ତୁମ୍ଭମାନଙ୍କର ନଗରସବୁ ଅଗ୍ନିରେ ଦଗ୍ଧ; ତୁମ୍ଭମାନଙ୍କର ଭୂମି ବିଦେଶୀମାନେ ତୁମ୍ଭମାନଙ୍କର ସାକ୍ଷାତରେ ଗ୍ରାସ କରନ୍ତି, ତାହା ବିଦେଶୀମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସସ୍ଥାନ ହୋଇଅଛି।
ISA 1:8 ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର, କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି।
ISA 1:9 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ଅତି ଅଳ୍ପ ଲୋକ ଅବଶିଷ୍ଟ ରଖି ନ ଥିଲେ, ଆମ୍ଭେମାନେ ସଦୋମର ତୁଲ୍ୟ ହୋଇଥାʼନ୍ତୁ, ଆମ୍ଭେମାନେ ହମୋରାର ତୁଲ୍ୟ ହୋଇଥାʼନ୍ତୁ।
ISA 1:10 ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।
ISA 1:11 ସଦାପ୍ରଭୁ କହନ୍ତି, “ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ? ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କିମ୍ବା ମେଷ କିମ୍ବା ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ।
ISA 1:12 ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି?
ISA 1:13 ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ତୁମ୍ଭର ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ।
ISA 1:14 ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ; ସେହି ସବୁ ଆମ୍ଭ ପ୍ରତି କ୍ଲେଶକର; ଆମ୍ଭେ ସେହି ସବୁ ବହିବାକୁ କ୍ଳାନ୍ତ ହୋଇଅଛୁ।
ISA 1:15 ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ।
ISA 1:16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
ISA 1:17 ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।”
ISA 1:18 ସଦାପ୍ରଭୁ କହନ୍ତି, “ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେହି ସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।
ISA 1:19 ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ।
ISA 1:20 ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”
ISA 1:21 ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି! ସେ ନ୍ୟାୟ-ବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।
ISA 1:22 ତୁମ୍ଭର ରୂପା ଖାଦ ହୋଇଅଛି, ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି।
ISA 1:23 ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।
ISA 1:24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, “ଶୁଣ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା;
ISA 1:25 ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;
ISA 1:26 ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାରକର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା; ତହିଁ ଉତ୍ତାରେ ତୁମ୍ଭେ ଧର୍ମପୁରୀ, ବିଶ୍ୱସ୍ତ ନଗରୀ ବୋଲି ବିଖ୍ୟାତ ହେବ।”
ISA 1:27 ସିୟୋନ ନ୍ୟାୟବିଚାର ଦ୍ୱାରା ଓ ତାହାର ଫେରି ଆସିବା ଲୋକମାନେ ଧାର୍ମିକତା ଦ୍ୱାରା ମୁକ୍ତି ପାଇବେ।
ISA 1:28 ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ।
ISA 1:29 କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ ବୃକ୍ଷ ବିଷୟରେ ଲଜ୍ଜିତ ହେବେ, ପୁଣି, ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ।
ISA 1:30 ଯେହେତୁ ତୁମ୍ଭେମାନେ ଶୁଷ୍କପତ୍ର ଅଲୋନ ବୃକ୍ଷ ଓ ନିର୍ଜଳ ଉଦ୍ୟାନ ତୁଲ୍ୟ ହେବ।
ISA 1:31 ପୁଣି, ବଳବାନ ଲୋକ ଛଣପଟ ପରି ଓ ତାହାର କର୍ମ ଅଗ୍ନିକଣା ପରି ହେବ; ସେ ଦୁଇ ଏକତ୍ର ଜ୍ୱଳିବ ଓ କେହି ତାହା ଲିଭାଇବ ନାହିଁ।
ISA 2:1 ଆମୋସର ପୁତ୍ର ଯିଶାଇୟ, ଯିହୁଦା ଓ ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ।
ISA 2:2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
ISA 2:3 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
ISA 2:4 ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
ISA 2:5 ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ।
ISA 2:6 କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି।
ISA 2:7 ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ।
ISA 2:8 ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳି ନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।
ISA 2:9 ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ।
ISA 2:10 ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ।
ISA 2:11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
ISA 2:12 କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;
ISA 2:13 ଅର୍ଥାତ୍‍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ ଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ;
ISA 2:14 ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ;
ISA 2:15 ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ;
ISA 2:16 ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।
ISA 2:17 ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ; ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।
ISA 2:18 ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ।
ISA 2:19 ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।
ISA 2:20 ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;
ISA 2:21 ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।
ISA 2:22 ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷାନ୍ତ ହୁଅ; କାରଣ ସେ କାହା ମଧ୍ୟରେ ଗଣ୍ୟ?
ISA 3:1 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମ ଓ ଯିହୁଦାଠାରୁ ଯଷ୍ଟି ଓ ଯଷ୍ଟିକା, ଅର୍ଥାତ୍‍, ଅନ୍ନ ସ୍ୱରୂପ ସମସ୍ତ ଯଷ୍ଟି ଓ ଜଳ ସ୍ୱରୂପ ସମସ୍ତ ଯଷ୍ଟିକା ଦୂର କରୁଅଛନ୍ତି;
ISA 3:2 ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;
ISA 3:3 ପଚାଶପତି, ସମ୍ଭ୍ରାନ୍ତ ମନୁଷ୍ୟ, ମନ୍ତ୍ରୀ, ନିପୁଣ ଶିଳ୍ପକର ଓ ନିପୁଣ ଶୁଭାଶୁଭବାଦୀ (ଦୂରୀକୃତ ହେବେ)।
ISA 3:4 ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।
ISA 3:5 ଆଉ, ଲୋକମାନେ ଏକ ଜଣ ଅନ୍ୟ ଜଣ ଦ୍ୱାରା ଓ ପ୍ରତ୍ୟେକ ଲୋକ ଆପଣା ପ୍ରତିବାସୀ ଦ୍ୱାରା ଉପଦ୍ରୁତ ହେବେ; ବାଳକ ପ୍ରାଚୀନଙ୍କ ବିରୁଦ୍ଧରେ ଓ ଅଧମ ଲୋକ ସମ୍ଭ୍ରାନ୍ତ ଲୋକ ବିରୁଦ୍ଧରେ ଗର୍ବାଚରଣ କରିବ।
ISA 3:6 କେହି କେହି ଆପଣା ଭ୍ରାତାକୁ ତାହାର ପିତୃଗୃହରେ ଧରି କହିବେ, “ତୁମ୍ଭର ବସ୍ତ୍ର ଅଛି, ତୁମ୍ଭେ ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ, ପୁଣି, ଏହି ନିପତିତ (ରାଜ୍ୟ) ତୁମ୍ଭ ହସ୍ତାଧୀନ ହେଉ;”
ISA 3:7 ସେ ସେହି ଦିନ ଆପଣା ରବ ଉଠାଇ କହିବ “ମୁଁ ଚିକିତ୍ସକ ହେବି ନାହିଁ; କାରଣ ମୋʼ ଗୃହରେ ଖାଦ୍ୟ କିମ୍ବା ବସ୍ତ୍ର ନାହିଁ; ତୁମ୍ଭେମାନେ ମୋତେ ଲୋକମାନଙ୍କର ଶାସନକର୍ତ୍ତା କର ନାହିଁ।”
ISA 3:8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ୱିତ କରିବା ପାଇଁ ସେମାନଙ୍କର ଜିହ୍ୱା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ।
ISA 3:9 ସେମାନଙ୍କ ମୁଖର ଆକାର ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦିଏ; ପୁଣି, ସେମାନେ ସଦୋମର ନ୍ୟାୟ ଆପଣାମାନଙ୍କ ପାପ ପ୍ରକାଶ କରି ଗୋପନ କରନ୍ତି ନାହିଁ। ସେମାନଙ୍କ ପ୍ରାଣର ସନ୍ତାପ ହେବ! କାରଣ ସେମାନେ ଆପଣାମାନଙ୍କର ଅନିଷ୍ଟ ଆପେ କରିଅଛନ୍ତି।
ISA 3:10 ତୁମ୍ଭେମାନେ ଧାର୍ମିକର ବିଷୟରେ କୁହ ଯେ, ତାହାର ମଙ୍ଗଳ ହେବ, ଯେହେତୁ ସେମାନେ ଆପଣା ଆପଣା କର୍ମର ଫଳ ଭୁଞ୍ଜିବେ।
ISA 3:11 ଦୁଷ୍ଟ ଲୋକର ସନ୍ତାପ ହେବ! ତାହାର ଅମଙ୍ଗଳ ଘଟିବ; କାରଣ ତାହାର ହସ୍ତକୃତ କର୍ମର ପ୍ରତିଫଳ ତାହାକୁ ଦିଆଯିବ।
ISA 3:12 ମୋʼ ଲୋକମାନଙ୍କ ବିଷୟ ଦେଖିଲେ, ବାଳକମାନେ ମୋʼ ଲୋକମାନଙ୍କର ଉପଦ୍ରବକାରୀ ଓ ସ୍ତ୍ରୀମାନେ ସେମାନଙ୍କ ଉପରେ ଶାସନ କରନ୍ତି। ହେ ମୋହର ଲୋକମାନେ, ତୁମ୍ଭର ପଥଦର୍ଶକମାନେ ତୁମ୍ଭକୁ ଭୁଲାନ୍ତି ଓ ତୁମ୍ଭ ଗମନର ପଥ ନଷ୍ଟ କରନ୍ତି।
ISA 3:13 ସଦାପ୍ରଭୁ ପ୍ରତିବାଦ କରିବାକୁ ଠିଆ ହେଉଅଛନ୍ତି, ଗୋଷ୍ଠୀୟମାନଙ୍କର ବିଚାର କରିବାକୁ ଠିଆ ହେଉଅଛନ୍ତି।
ISA 3:14 ସଦାପ୍ରଭୁ ଆପଣା ଲୋକମାନଙ୍କର ପ୍ରାଚୀନବର୍ଗର ଓ ଅଧିପତିଗଣର ସହିତ ବିଚାରରେ ଉପସ୍ଥିତ ହେବେ; “ତୁମ୍ଭେମାନେ ହିଁ ଦ୍ରାକ୍ଷାକ୍ଷେତ୍ର ଗ୍ରାସ କରିଅଛ; ଦରିଦ୍ରମାନଙ୍କଠାରୁ ଲୁଟିତ ଦ୍ରବ୍ୟ ତୁମ୍ଭମାନଙ୍କ ଗୃହରେ ଅଛି;”
ISA 3:15 “ତୁମ୍ଭେମାନେ ଯେ ଆମ୍ଭ ଲୋକମାନଙ୍କୁ ଦଳି ପକାଉଅଛ ଓ ଦରିଦ୍ରମାନଙ୍କ ମୁଖ ଘଷି ପକାଉଅଛ, ଏଥିରେ ତୁମ୍ଭମାନଙ୍କ ଅଭିପ୍ରାୟ କʼଣ?” ପ୍ରଭୁ, ବାହିନୀଗଣର ସଦାପ୍ରଭୁ ଏହି କଥା କହନ୍ତି।
ISA 3:16 ଆହୁରି ସଦାପ୍ରଭୁ କହିଲେ, “ସିୟୋନର କନ୍ୟାଗଣ ଅହଙ୍କାରିଣୀ ଓ ଆପଣା ଆପଣା ଗ୍ରୀବା ଲମ୍ବାଇ ଓ କଟାକ୍ଷ କରି ଗମନ କରନ୍ତି, ଗମନ କରୁ କରୁ ଚଞ୍ଚଳ ପାଦସଞ୍ଚାର ଓ ଚରଣରେ ରୁଣୁଝୁଣୁ ଶବ୍ଦ କରନ୍ତି;
ISA 3:17 ଏହେତୁ ପ୍ରଭୁ ସିୟୋନର କନ୍ୟାଗଣର ମସ୍ତକ କାଛୁମୟ କରିବେ ଓ ସଦାପ୍ରଭୁ ସେମାନଙ୍କର ଗୁପ୍ତ ସ୍ଥାନ ଅନାବୃତ କରିବେ।”
ISA 3:18 ସେହି ଦିନ ପ୍ରଭୁ ସେମାନଙ୍କର ଗର୍ବ ସ୍ୱରୂପ ନୂପୁର, ଜାଲିବସ୍ତ୍ର, ଚନ୍ଦ୍ରହାର;
ISA 3:19 କର୍ଣ୍ଣଭୂଷଣ, ଚୁଡ଼ି, ଘୁମୁଟା;
ISA 3:20 ଶିରୋଭୂଷଣ, ପାଦର ବଳା, କଟିବନ୍ଧନୀ, ଅତରଧାନୀ, କବଚ;
ISA 3:21 ମୁଦି, ନଥ;
ISA 3:22 ଉତ୍ସବକାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ, ଗାଞ୍ଜିଆ;
ISA 3:23 ଦର୍ପଣ, ସୂକ୍ଷ୍ମ ବସ୍ତ୍ର, ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।
ISA 3:24 ତହିଁରେ ସୁଗନ୍ଧି ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ପୂଜ, କଟିବନ୍ଧନୀର ପରିବର୍ତ୍ତେ ରଜ୍ଜୁ, ସୁନ୍ଦର କେଶବିନ୍ୟାସ ବଦଳରେ କେଶ-ଶୂନ୍ୟତା ଓ ଆବରଣ ବସ୍ତ୍ର ପରିବର୍ତ୍ତେ ଚଟର ପଟୁକା; ସୌନ୍ଦର୍ଯ୍ୟ ବଦଳରେ ପୋଡ଼ାଦାଗ ହେବ।
ISA 3:25 ତୁମ୍ଭର ପୁରୁଷମାନେ ଖଡ୍ଗାଘାତରେ ଓ ତୁମ୍ଭର ବିକ୍ରମୀଗଣ ଯୁଦ୍ଧରେ ପତିତ ହେବେ।
ISA 3:26 ସିୟୋନର ନଗରଦ୍ୱାରସକଳ ଶୋକ ଓ ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।
ISA 4:1 ସେହି ଦିନ ସାତ ଜଣ ସ୍ତ୍ରୀ ଜଣେ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ନିଜ ଅନ୍ନ ଭୋଜନ କରିବୁ ଓ ନିଜ ବସ୍ତ୍ର ପିନ୍ଧିବୁ; କେବଳ ତୁମ୍ଭ ନାମରେ ଆମ୍ଭେମାନେ ଖ୍ୟାତ ହେଉ; ତୁମ୍ଭେ ଆମ୍ଭମାନଙ୍କର ଅପମାନ ଦୂର କର।”
ISA 4:2 ସେହି ଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ।
ISA 4:3 ପୁଣି, ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିୟୋନର କନ୍ୟାଗଣର ମଳ ଧୌତ କରିବେ ଓ ଯିରୂଶାଲମ ମଧ୍ୟରୁ ତହିଁର ରକ୍ତ ଦୂର କରିଦେବେ;
ISA 4:4 ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍‍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।
ISA 4:5 ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ।
ISA 4:6 ପୁଣି, ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ, ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ।
ISA 5:1 ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା;
ISA 5:2 ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
ISA 5:3 ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର।
ISA 5:4 ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?
ISA 5:5 ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ;
ISA 5:6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
ISA 5:7 ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।
ISA 5:8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!
ISA 5:9 ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, “ନିଶ୍ଚୟ ଅନେକ ଗୃହ ଧ୍ୱଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ।
ISA 5:10 କାରଣ ଦଶ ଏକର ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”
ISA 5:11 ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ବ କରନ୍ତି, ସେମାନେ ସନ୍ତାପର ପାତ୍ର!
ISA 5:12 ସେମାନଙ୍କ ଭୋଜିରେ ବୀଣା, ନେବଲ, ତବଲା, ବଂଶୀ ଓ ଦ୍ରାକ୍ଷାରସ ଥାଏ; ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି।
ISA 5:13 ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକସମୂହ ତୃଷାରେ ଶୁଷ୍କ ହେଉଅଛନ୍ତି।
ISA 5:14 ଏଥିପାଇଁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ, ସେମାନଙ୍କର ଲୋକସମୂହ, ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି।
ISA 5:15 ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ;
ISA 5:16 ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ୱର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି।
ISA 5:17 ସେହି ସମୟରେ ମେଷଶାବକମାନେ ଆପଣା ଚରାସ୍ଥାନରେ ଚରିବା ପରି ଚରିବେ, ପୁଣି, ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ୱଂସସ୍ଥାନ ଭୋଗ କରିବେ।
ISA 5:18 ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶଗଡ଼ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର!
ISA 5:19 ସେମାନେ କହନ୍ତି, “ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ୱରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ।”
ISA 5:20 ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର!
ISA 5:21 ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!
ISA 5:22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;
ISA 5:23 ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର!
ISA 5:24 ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନିଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।
ISA 5:25 ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ISA 5:26 ପୁଣି, ସେ ଦୂରଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍‍ ଦେବେ, ପୁଣି, ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ;
ISA 5:27 ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;
ISA 5:28 ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍‍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;
ISA 5:29 ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ; ଆହୁରି, ସେମାନେ ଗର୍ଜ୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।
ISA 5:30 ପୁଣି, ସେମାନେ ସେହି ଦିନ ସମୁଦ୍ରର ଗର୍ଜ୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜ୍ଜନ କରିବେ; ତହିଁରେ ଯଦି କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି, ସେହି ସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ।
ISA 6:1 ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା।
ISA 6:2 ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ।
ISA 6:3 ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”
ISA 6:4 ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।
ISA 6:5 ତେବେ ମୁଁ କହିଲି, “ହାୟ ହାୟ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି!”
ISA 6:6 ଏଥିଉତ୍ତାରେ ସେହି ସରାଫଗଣ ମଧ୍ୟରୁ ଏକ ଜଣ ମୋʼ ନିକଟକୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା, ସେ ଯଜ୍ଞବେଦିରୁ ଚିମୁଟା ଦ୍ୱାରା ତାହା ନେଇଥିଲେ;
ISA 6:7 ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।”
ISA 6:8 ଏଥିଉତ୍ତାରେ “ମୁଁ କାହାକୁ ପଠାଇବି? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।”
ISA 6:9 ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ‘ତୁମ୍ଭେମାନେ ଶୁଣୁଅଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଅଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।’
ISA 6:10 ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରୀ କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ।”
ISA 6:11 ତେବେ ମୁଁ ପଚାରିଲି, “ହେ ପ୍ରଭୋ, କେତେ କାଳ ଯାଏ?” ତହିଁରେ ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ,
ISA 6:12 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।
ISA 6:13 ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ; ଏଲା ଓ ଅଲୋନ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ; ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ।”
ISA 7:1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍‍ର ପୁତ୍ର ଆହସ୍‌ର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ।
ISA 7:2 ଏଥିଉତ୍ତାରେ ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି। ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା।
ISA 7:3 ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସ୍‌ର ସଙ୍ଗେ ସାକ୍ଷାତ କରିବାକୁ ଯାଅ।
ISA 7:4 ଓ ତାହାକୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍‍, ରତ୍ସୀନ, ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ।
ISA 7:5 କାରଣ ଅରାମ, ମଧ୍ୟ ଇଫ୍ରୟିମ ଓ ରମଲୀୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି,
ISA 7:6 ଆସ, ଆମ୍ଭେମାନେ ଯିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମ୍ଭମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ, ଅର୍ଥାତ୍‍, ଟାବେଲର ପୁତ୍ରକୁ ସ୍ଥାପନ କରୁ।
ISA 7:7 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ସ୍ଥିର ହେବ ନାହିଁ ଅବା ସିଦ୍ଧ ହିଁ ହେବ ନାହିଁ।
ISA 7:8 କାରଣ ଅରାମର ମସ୍ତକ ଦମ୍ମେଶକ ଓ ଦମ୍ମେଶକର ମସ୍ତକ ରତ୍ସୀନ; ପୁଣି, ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଖଣ୍ଡ ଖଣ୍ଡ ହୋଇ ଏପରି ଭଗ୍ନ ହେବ ଯେ, ସେ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ;
ISA 7:9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର। ଯଦି ତୁମ୍ଭେମାନେ ବିଶ୍ୱାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ।’”
ISA 7:10 ଏଥିଉତ୍ତାରେ ସଦାପ୍ରଭୁ ଆହସ୍‌କୁ ଆହୁରି କହିଲେ,
ISA 7:11 “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ, ମାଗ।”
ISA 7:12 ମାତ୍ର ଆହସ୍‌ କହିଲା, “ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ।”
ISA 7:13 ଏଥିରେ ସେ କହିଲେ, “ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟର ଧୈର୍ଯ୍ୟକୁ ପରୀକ୍ଷା କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋʼ ପରମେଶ୍ୱରଙ୍କ ଧୈର୍ଯ୍ୟ ମଧ୍ୟ ପରୀକ୍ଷା କରିବ?
ISA 7:14 ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।
ISA 7:15 ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦହି ଓ ମଧୁ ଖାଇବ।
ISA 7:16 କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ।
ISA 7:17 ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍‍, ଅଶୂରର ରାଜାକୁ ଆଣିବେ।”
ISA 7:18 ପୁଣି, ସେହି ଦିନ ସଦାପ୍ରଭୁ ମିସର ଦେଶୀୟ ନଦୀସବୁର ପ୍ରାନ୍ତସ୍ଥ ମକ୍ଷିକାର ପ୍ରତି ଓ ଅଶୂର ଦେଶୀୟ ମହୁମାଛି ପ୍ରତି ଶିଷ୍‍ ଦେବେ।
ISA 7:19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକାସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ।
ISA 7:20 ସେହି ଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍‍, ଅଶୂରର ରାଜା ଦ୍ୱାରା ମସ୍ତକ, ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ୱାରା ଦାଢ଼ି ମଧ୍ୟ ନଷ୍ଟ ହେବ।
ISA 7:21 ସେହି ଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇଗୋଟି ମେଷ ପୋଷିଲେ,
ISA 7:22 ସେମାନଙ୍କ ଦତ୍ତ ଦୁଗ୍ଧର ବାହୁଲ୍ୟରେ ସେ ଦହି ଖାଇବ; କାରଣ ଦେଶ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଦହି ଓ ମଧୁ ଖାଇବେ।
ISA 7:23 ଆହୁରି, ଯେଉଁ ଯେଉଁ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେହି ଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।
ISA 7:24 ପୁଣି, ସମୁଦାୟ ଦେଶ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବାରୁ ଲୋକେ ତୀର ଓ ଧନୁ ନେଇ ସେସ୍ଥାନକୁ ଯିବେ।
ISA 7:25 ଆଉ, ଯେସବୁ ପର୍ବତ କୋଡ଼ିରେ ଖୋଳା ହୋଇଥିଲା, ତୁମ୍ଭେ କାନକୋଳି ଓ କଣ୍ଟକ ବନର ଭୟରେ ସେ ସ୍ଥାନକୁ ଗମନ କରିବ ନାହିଁ, ମାତ୍ର ତାହା ବଳଦର ଚରାସ୍ଥାନ ଓ ମେଷର ପାଦ ତଳେ ଦଳିତ ହେବାର ସ୍ଥାନ ହେବ।
ISA 8:1 ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ଖଣ୍ଡ ବୃହତ ଫଳକ ନେଇ ପ୍ରଚଳିତ ଅକ୍ଷରରେ ତହିଁ ଉପରେ ଏହି କଥା ଲେଖ, ମହେର-ଶାଲଲହାଶ୍‍-ବସ୍‍ (ଲୁଟିତ ଶୀଘ୍ର ଆସୁଅଛି, ଲୁଟିତ ଦ୍ରବ୍ୟ ଶୀଘ୍ର ଗମନ କରୁଅଛି)”
ISA 8:2 ଆଉ, ମୁଁ ପ୍ରମାଣର ନିମନ୍ତେ ଊରୀୟ ଯାଜକ ଓ ଯିବୋରିଖୀୟର ପୁତ୍ର ଜିଖରୀୟକୁ ଆପଣାର ବିଶ୍ୱସ୍ତ ସାକ୍ଷୀ କରିବି।
ISA 8:3 ଏଥିଉତ୍ତାରେ ମୁଁ ଭବିଷ୍ୟଦ୍‍ବକ୍ତ୍ରୀ ସହ ଶୟନ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା। ତେବେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲହାଶ୍‍-ବସ୍‍ ରଖ।
ISA 8:4 କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦମ୍ମେଶକ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।”
ISA 8:5 ଏଥିଉତ୍ତାରେ ସଦାପ୍ରଭୁ ମୋତେ ପୁନର୍ବାର କହିଲେ,
ISA 8:6 “ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରି ରତ୍ସୀନ ଓ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି;
ISA 8:7 ଏହେତୁ ଦେଖ, ପ୍ରଭୁ ଏବେ ନଦୀର ପ୍ରବଳ, ଅପାର ଜଳ ସ୍ୱରୂପ ଅଶୂରର ରାଜାକୁ ଓ ତାହାର ସମସ୍ତ ପ୍ରତାପକୁ ସେମାନଙ୍କ ଉପରେ ଆଣୁଅଛନ୍ତି; ତହୁଁ ସେ ଆପଣାର ସମସ୍ତ ଜଳପ୍ରଣାଳୀ ଉପରେ ବଢ଼ି ଆପଣାର ବନ୍ଧ ଉପର ଦେଇ ଚାଲିଯିବ;
ISA 8:8 ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”
ISA 8:9 ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକ ସମସ୍ତେ, ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ।
ISA 8:10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ; ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।
ISA 8:11 କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ଓ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ ନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ,
ISA 8:12 ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; “ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ; କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ।
ISA 8:13 ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ।
ISA 8:14 ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ, ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ।
ISA 8:15 ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।”
ISA 8:16 ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର।
ISA 8:17 ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି।
ISA 8:18 ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତ ନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ।
ISA 8:19 ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?”
ISA 8:20 ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।
ISA 8:21 ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;
ISA 8:22 ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ, ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ।
ISA 9:1 ମାତ୍ର ପୂର୍ବେ (ଯେଉଁ ଦେଶ) ବେଦନାଗ୍ରସ୍ତ ଥିଲା, ତାହା ଅନ୍ଧକାର ହୋଇ ରହିବ ନାହିଁ। ପୂର୍ବକାଳରେ ସେ ସବୂଲୂନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ।
ISA 9:2 ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହା ଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି।
ISA 9:3 ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟିତ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,
ISA 9:4 କାରଣ ମିଦୀୟନର ଦିନରେ ଯେପରି, ସେହିପରି ତୁମ୍ଭେ ତାହାର ଭାର ସ୍ୱରୂପ ଯୁଆଳି ଓ ତାହାର ସ୍କନ୍ଧସ୍ଥିତ ବାହୁଙ୍ଗି, ତାହାର ଉପଦ୍ରବକାରୀର ଦଣ୍ଡ ଭାଙ୍ଗି ପକାଇଅଛ।
ISA 9:5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ।
ISA 9:6 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ।
ISA 9:7 ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।
ISA 9:8 ଯାକୁବ ମଧ୍ୟକୁ ପ୍ରଭୁ ଏକ ବାକ୍ୟ ପ୍ରେରଣ କଲେ ଓ ତାହା ଇସ୍ରାଏଲ ଉପରେ ପଡ଼ିଅଛି,
ISA 9:9 ପୁଣି ସମସ୍ତ ଲୋକ, ଇଫ୍ରୟିମ ଓ ଶମରୀୟାର ନିବାସୀମାନେ ହିଁ ତାହା ଜାଣିବେ; ସେମାନେ ଅହଙ୍କାରରେ ଓ ଦର୍ପଚିତ୍ତରେ କହନ୍ତି,
ISA 9:10 “ଇଟାସବୁ ପଡ଼ି ଯାଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ କଟା ପ୍ରସ୍ତରରେ ନିର୍ମାଣ କରିବା; ଡିମ୍ବିରି ବୃକ୍ଷସବୁ ହଣା ହୋଇଅଛି ନିଶ୍ଚୟ, ମାତ୍ର ଆମ୍ଭେମାନେ ତହିଁ ପରିବର୍ତ୍ତରେ ଏରସ ବୃକ୍ଷ ବଢ଼ାଇବା।”
ISA 9:11 ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;
ISA 9:12 ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ISA 9:13 ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।
ISA 9:14 ଏହେତୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଙ୍ଗୁଳ, ତାଳବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ।
ISA 9:15 ପ୍ରାଚୀନ ଓ ସମ୍ଭ୍ରାନ୍ତ ଲୋକ ସେହି ମସ୍ତକ, ପୁଣି, ମିଥ୍ୟା ଶିକ୍ଷାଦାୟୀ ଭବିଷ୍ୟଦ୍‍ବକ୍ତା ଲାଙ୍ଗୁଳ,
ISA 9:16 କାରଣ ଏହି ଲୋକମାନଙ୍କର ପଥପ୍ରଦର୍ଶକମାନେ ସେମାନଙ୍କୁ ଭ୍ରାନ୍ତ କରାନ୍ତି, ପୁଣି, ଯେଉଁମାନେ ସେମାନଙ୍କ ଦ୍ୱାରା ପଥ କଢ଼ାଯାʼନ୍ତି, ସେମାନେ ବିନଷ୍ଟ ହୁଅନ୍ତି।
ISA 9:17 ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହିଁ, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମିଥ୍ୟାବାଦୀ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ISA 9:18 ଯେହେତୁ ଦୁଷ୍ଟତା ଅଗ୍ନି ପରି ଜ୍ୱଳେ; ତାହା କାନକୋଳି ଓ କଣ୍ଟକ ବୃକ୍ଷ ଗ୍ରାସ କରେ; ଆହୁରି, ତାହା ବନର ନିବିଡ଼ ସ୍ଥାନରେ ଜ୍ୱଳି ଘନ ମେଘ ତୁଲ୍ୟ ଧୂମ ହୋଇ ଉପରକୁ ଉଠେ।
ISA 9:19 ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଦେଶ ଦଗ୍ଧ ହୋଇଅଛି; ମଧ୍ୟ ଲୋକମାନେ ଅଗ୍ନି ପାଇଁ କାଷ୍ଠ ତୁଲ୍ୟ ଅଟନ୍ତି; କେହି ଆପଣା ଭ୍ରାତାକୁ ଦୟା କରେ ନାହିଁ।
ISA 9:20 ତହିଁରେ ଲୋକେ ଦକ୍ଷିଣ ହସ୍ତରେ ଛଡ଼ାଇବେ, ପୁଣି, କ୍ଷୁଧିତ ହେବେ; ପୁଣି, ବାମ ହସ୍ତରେ ଭୋଜନ କରିବେ ଓ ତୃପ୍ତ ହେବେ ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ବାହୁର ମାଂସ ଭୋଜନ କରିବେ;
ISA 9:21 ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର ପ୍ରତିକୂଳ ହେବେ, ପୁଣି, ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ISA 10:1 ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି, ସେମାନେ ସନ୍ତାପର ପାତ୍ର!
ISA 10:2 ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।
ISA 10:3 ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ? ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ?
ISA 10:4 ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ISA 10:5 ହାୟ ଅଶୂର! ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି।
ISA 10:6 ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।
ISA 10:7 ତଥାପି ତାହାର ଅଭିପ୍ରାୟ ସେହିପରି ନୁହେଁ, କିଅବା ତାହାର ହୃଦୟ ସେହିପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି।
ISA 10:8 କାରଣ ସେ କହେ, “ଆମ୍ଭର ସେନାପତିଗଣ ସମସ୍ତେ କି ରାଜା ନୁହନ୍ତି?
ISA 10:9 କଲ୍‍ନୋ ସହର କି କର୍କମୀଶ୍‍ ସହର ତୁଲ୍ୟ ନୁହେଁ? ହମାତ୍‍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ? ଶମରୀୟା କି ଦମ୍ମେଶକ ତୁଲ୍ୟ ନୁହେଁ?
ISA 10:10 ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;
ISA 10:11 ଆମ୍ଭେ ଶମରୀୟା ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ, ଯିରୂଶାଲମ ଓ ତାହାର ପ୍ରତିମାଗଣ ପ୍ରତି କʼଣ ସେହିପରି କରିବା ନାହିଁ?”
ISA 10:12 ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା।
ISA 10:13 କାରଣ ସେ କହିଅଛି, “ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ୱାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି;
ISA 10:14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।”
ISA 10:15 କୁହ୍ରାଡ଼ି କʼଣ ତଦ୍ଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ? କରତ କʼଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ଡ ଉଠାନ୍ତି, ଦଣ୍ଡ କʼଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କʼଣ ତାହାକୁ ଉଠାଇବ?
ISA 10:16 ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ।
ISA 10:17 ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ୱରୂପ ହେବ ଓ ତାହାର ଧର୍ମସ୍ୱରୂପ ଅଗ୍ନିଶିଖା ସଦୃଶ ହେବେ, ଆଉ ତାହା ଜ୍ୱଳି ଗୋଟିଏ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷସବୁ ଗ୍ରାସ କରିବ।
ISA 10:18 ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ; ତହିଁରେ ଧ୍ୱଜାଧାରୀ କ୍ଷୀଣ ହେବା ବେଳେ ଯେପରି ହୁଏ, ସେହିପରି ହେବ।
ISA 10:19 ପୁଣି, ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ, ଗୋଟିଏ ବାଳକ ତାହା ଲେଖି ପାରିବ।
ISA 10:20 ପୁଣି, ସେହି ଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ।
ISA 10:21 ଅବଶିଷ୍ଟାଂଶ, ଅର୍ଥାତ୍‍, ଯାକୁବର ଅବଶିଷ୍ଟାଂଶ, ପରାକ୍ରାନ୍ତ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ।
ISA 10:22 କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରି ଆସିବେ; ଧାର୍ମିକତାର ବଢ଼ି ସ୍ୱରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି।
ISA 10:23 ଯେହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା, ନିରୂପିତ ଉଚ୍ଛିନ୍ନତା, ସିଦ୍ଧ କରିବେ।
ISA 10:24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ହେ ସିୟୋନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅଶୂର ମିସରର ରୀତି ଅନୁସାରେ ତୁମ୍ଭକୁ ଦଣ୍ଡାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ।
ISA 10:25 କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କ ବିନାଶରେ ଆମ୍ଭର କୋପ ସିଦ୍ଧ ହେବ।
ISA 10:26 ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେହିପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ଡ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ।
ISA 10:27 ପୁଣି, ସେହି ଦିନରେ ତାହାର ବୋଝ ତୁମ୍ଭ ସ୍କନ୍ଧରୁ ଓ ତାହାର ଯୁଆଳି ତୁମ୍ଭ ଗ୍ରୀବାରୁ ଦୂର କରାଯିବ, ପୁଣି ଅଭିଷେକ ସକାଶୁ ଯୁଆଳି ବିନଷ୍ଟ ହେବ।”
ISA 10:28 ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟଦେଇ ଯାଇଅଛି; ସେ ମିକ୍‍ମସରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି;
ISA 10:29 ସେମାନେ ଘାଟି ପାର ହୋଇ ଯାଇଅଛନ୍ତି; ସେମାନେ ଗେବାରେ ବସା କରିଅଛନ୍ତି; ରାମା କମ୍ପୁଅଛି; ଶାଉଲର ଗିବୀୟା ପଳାୟନ କରିଅଛି।
ISA 10:30 ଆଗୋ ଗଲ୍ଲୀମର କନ୍ୟେ, ତୁମ୍ଭେ ଆପଣା ରବରେ ଉଚ୍ଚ ଶବ୍ଦ କର, ହେ ଲୟିଶ୍‍, କର୍ଣ୍ଣପାତ କର, ଆଃ ଦୁଃଖିନୀ ଅନାଥୋତ୍‍,
ISA 10:31 ମଦମେନା ପଳାତକ ହୋଇଅଛି; ଗେବୀମ ନିବାସୀମାନେ ପଳାଇବା ପାଇଁ ଏକତ୍ର ହେଉଅଛନ୍ତି।
ISA 10:32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।
ISA 10:33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।
ISA 10:34 ସେ ଲୌହ ଦ୍ୱାରା ବନର ନିବିଡ଼ ସ୍ଥାନସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ୱାରା ଲିବାନୋନ ନିପାତିତ ହେବ।
ISA 11:1 ଏଥିଉତ୍ତାରେ ଯିଶୀର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ;
ISA 11:2 ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;
ISA 11:3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ,
ISA 11:4 ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ; ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ।
ISA 11:5 ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।
ISA 11:6 ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ।
ISA 11:7 ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ; ଆଉ, ସିଂହ ବଳଦ ପରି ନଡ଼ା ଖାଇବ।
ISA 11:8 ପୁଣି, ସ୍ତନ୍ୟପାୟୀ ଶିଶୁ କାଳସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତସ୍ତନ୍ୟ ବାଳକ କୃଷ୍ଣସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ।
ISA 11:9 ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।
ISA 11:10 ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ-ସ୍ଥାନ ଗୌରବାନ୍ୱିତ ହେବ।
ISA 11:11 ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମ୍‍, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ୱୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ।
ISA 11:12 ପୁଣି, ସେ ଗୋଷ୍ଠୀବର୍ଗ ନିମନ୍ତେ ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ଚତୁଷ୍କୋଣରୁ ଇସ୍ରାଏଲର ତାଡ଼ିତ ଲୋକମାନଙ୍କୁ ଏକତ୍ର କରିବେ ଓ ଯିହୁଦାର ଛିନ୍ନଭିନ୍ନ ଲୋକମାନଙ୍କୁ ସଂଗ୍ରହ କରିବେ।
ISA 11:13 ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଲେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ; ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ ଓ ଯିହୁଦା ଇଫ୍ରୟିମକୁ କ୍ଲେଶ ଦେବ ନାହିଁ।
ISA 11:14 ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟିତ କରିବେ; ସେମାନେ ଇଦୋମ ଓ ମୋୟାବ ଉପରେ ହସ୍ତକ୍ଷେପ କରିବେ ଓ ଅମ୍ମୋନର ଲୋକମାନେ ସେମାନଙ୍କର ଆଜ୍ଞାବହ ହେବେ।
ISA 11:15 ପୁଣି, ସଦାପ୍ରଭୁ ମିସରୀୟ ସମୁଦ୍ରର ଜିହ୍ୱା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ୱାରା ନଦୀ ଉପରେ ଆପଣା ହସ୍ତ ହଲାଇବେ, ଆଉ ତାହାକୁ ପ୍ରହାର କରି ସପ୍ତସ୍ରୋତ କରିବେ ଓ ଲୋକମାନଙ୍କୁ ଶୁଷ୍କ ପଦରେ ତହିଁ ମଧ୍ୟଦେଇ ଗମନ କରାଇବେ।
ISA 11:16 ପୁଣି, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଯେପରି ତାହା ନିମନ୍ତେ ହୋଇଥିଲା, ସେହିପରି ତାହାଙ୍କ ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ, ଅର୍ଥାତ୍‍, ଅଶୂର ଦେଶରୁ ଅବଶିଷ୍ଟାଂଶ ଲୋକମାନଙ୍କ ନିମନ୍ତେ ଏକ ରାଜପଥ ହେବ।
ISA 12:1 ସେହି ଦିନରେ ତୁମ୍ଭେ କହିବ, “ହେ ସଦାପ୍ରଭୋ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ୱନା କରୁଅଛ।”
ISA 12:2 ଦେଖ, “ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବାଃ ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।”
ISA 12:3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।
ISA 12:4 ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର।
ISA 12:5 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ।
ISA 12:6 ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”
ISA 13:1 ବାବିଲ ବିଷୟକ ବାର୍ତ୍ତା, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ।
ISA 13:2 ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରନ୍ତୁ।
ISA 13:3 ଆମ୍ଭେ ଆପଣା ପବିତ୍ର ଲୋକମାନଙ୍କୁ ଆଦେଶ କରିଅଛୁ, ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍‍, ଆମ୍ଭର ଦର୍ପିତ ଉଲ୍ଲାସକାରୀଗଣଙ୍କୁ ଆହ୍ୱାନ କରିଅଛୁ।
ISA 13:4 ପର୍ବତମାନରେ ମହାଜନତାର ନ୍ୟାୟ ଲୋକସମୂହର ରବ ହେଉଅଛି! ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି! ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି।
ISA 13:5 ସେମାନେ, ଅର୍ଥାତ୍‍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତଭାଗରୁ ଆସୁଅଛନ୍ତି।
ISA 13:6 ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ।
ISA 13:7 ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ;
ISA 13:8 ପୁଣି, ସେମାନେ ଭୟଭୀତ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରାନ୍ତ କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ପରସ୍ପରର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ।
ISA 13:9 ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି।
ISA 13:10 କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ।
ISA 13:11 ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା।
ISA 13:12 ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଅଳ୍ପ କରିବା।
ISA 13:13 ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ।
ISA 13:14 ତହିଁରେ ଏପରି ଘଟିବ ଯେ, ତାଡ଼ିତ ହରିଣର ନ୍ୟାୟ ଓ ଅରକ୍ଷକ ମେଷ ତୁଲ୍ୟ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ଗୋଷ୍ଠୀ ପ୍ରତି ଫେରିବେ ଓ ପ୍ରତ୍ୟେକେ ଆପଣା ଆପଣା ଦେଶ ଆଡ଼କୁ ପଳାୟନ କରିବେ।
ISA 13:15 ଯେକୌଣସି ଲୋକର ଉଦ୍ଦେଶ୍ୟ ମିଳିବ, ତାହାକୁ ଅସ୍ତ୍ରବିଦ୍ଧ ହେବ ଓ ଯେକୌଣସି ଲୋକକୁ ଧରାଯିବ, ସେ ଖଡ୍ଗରେ ପତିତ ହେବ।
ISA 13:16 ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।
ISA 13:17 ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା, ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ।
ISA 13:18 ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ।
ISA 13:19 ପୁଣି, ରାଜ୍ୟସମୂହର ଗୌରବ ସ୍ୱରୂପ ଓ କଲ୍‍ଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ, ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ।
ISA 13:20 ତାହା କଦାପି ବସତି ସ୍ଥାନ ହେବ ନାହିଁ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ।
ISA 13:21 ମାତ୍ର ବନ୍ୟ ପଶୁମାନେ ସେହି ସ୍ଥାନରେ ଶୟନ କରିବେ ଓ ସେମାନଙ୍କର ଗୃହ ଚିତ୍କାରକାରୀ ଜନ୍ତୁରେ ପରିପୂର୍ଣ୍ଣ ହେବ; ଓଟପକ୍ଷୀ ସେଠାରେ ବାସ କରିବେ ଓ ଛାଗମାନେ ସେଠାରେ ନୃତ୍ୟ କରିବେ।
ISA 13:22 ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ।
ISA 14:1 କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି, ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ।
ISA 14:2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।
ISA 14:3 ପୁଣି, ଯେଉଁ ଦିନ ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଦୁଃଖ ଓ କ୍ଲେଶରୁ ଓ ଯେଉଁ କଠୋର ଦାସତ୍ୱରେ ତୁମ୍ଭକୁ ଦାସ୍ୟକର୍ମ କରିବାକୁ ହେଲା, ତହିଁରୁ ବିଶ୍ରାମ ଦେବେ,
ISA 14:4 ସେହି ଦିନ ତୁମ୍ଭେ ବାବିଲ ରାଜା ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, “ଉପଦ୍ରବକାରୀ କିପରି ଶେଷ ହୋଇଅଛି! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି!
ISA 14:5 ଯେଉଁମାନେ କୋପରେ ନାନା ଗୋଷ୍ଠୀକୁ ଅନବରତ ଆଘାତ କଲେ ଓ ନାନା ଦେଶୀୟ ଲୋକଙ୍କୁ କ୍ରୋଧରେ ଶାସନ କରି ଅନିବାରିତ ରୂପେ ତାଡ଼ନା କଲେ,
ISA 14:6 ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଓ ଶାସନକର୍ତ୍ତାମାନଙ୍କ ରାଜଦଣ୍ଡ ଭାଙ୍ଗି ପକାଇଅଛନ୍ତି।
ISA 14:7 ସମୁଦାୟ ପୃଥିବୀ ଶାନ୍ତ ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି।
ISA 14:8 ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ‘ତୁମ୍ଭେ ଭୂମିସାତ୍‍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।’
ISA 14:9 ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି।
ISA 14:10 ସେମାନେ ସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ, ‘ତୁମ୍ଭେ ମଧ୍ୟ କʼଣ ଆମ୍ଭମାନଙ୍କ ପରି କ୍ଷୀଣବଳ ହେଲ? ତୁମ୍ଭେ କʼଣ ଆମ୍ଭମାନଙ୍କର ସମାନ ହେଲ?’
ISA 14:11 ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି।
ISA 14:12 ହେ ପ୍ରଭାତୀତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ!
ISA 14:13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ‘ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
ISA 14:14 ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।’
ISA 14:15 ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ।
ISA 14:16 ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ‘ଯେ ପୃଥିବୀକୁ କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;
ISA 14:17 ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?’
ISA 14:18 ଗୋଷ୍ଠୀବର୍ଗର ରାଜାଗଣ, ସେମାନଙ୍କର ସମସ୍ତେ ହିଁ, ସମ୍ଭ୍ରମରେ ଆପଣା ଆପଣା ଗୃହରେ ଶୟନ କରୁଅଛନ୍ତି।
ISA 14:19 ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ୍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ।
ISA 14:20 ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ, କାରଣ ତୁମ୍ଭେ ଆପଣା ଦେଶ ଉଚ୍ଛିନ୍ନ କରିଅଛ, ତୁମ୍ଭେ ଆପଣା ଲୋକମାନଙ୍କୁ ବଧ କରିଅଛ, କୁକ୍ରିୟାକାରୀମାନଙ୍କ ବଂଶର ନାମ ଅନନ୍ତକାଳ ଉଲ୍ଲିଖିତ ହେବ ନାହିଁ।
ISA 14:21 ତାହାର ସନ୍ତାନଗଣ ଉଠି ଯେପରି ପୃଥିବୀ ଅଧିକାର ନ କରନ୍ତି ଓ ଜଗତକୁ ନଗରରେ ପରିପୂର୍ଣ୍ଣ ନ କରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପୂର୍ବପୁରୁଷଗଣର ଅପରାଧ ସକାଶୁ ସେମାନଙ୍କ ପାଇଁ ହତ୍ୟାସ୍ଥାନ ପ୍ରସ୍ତୁତ କର।”
ISA 14:22 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା, ସଦାପ୍ରଭୁ କହନ୍ତି, ଆମ୍ଭେ ବାବିଲରୁ ନାମ ଓ ଅବଶିଷ୍ଟାଂଶ, ପୁତ୍ର ଓ ପୌତ୍ର, ଉଚ୍ଛିନ୍ନ କରିବା,”
ISA 14:23 ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡୁ ଦ୍ୱାରା ତାହାକୁ ଝାଡ଼ି ପକାଇବା।”
ISA 14:24 ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, “ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେହିପରି ସ୍ଥିର ହେବ;
ISA 14:25 ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ।”
ISA 14:26 ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି।
ISA 14:27 କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?
ISA 14:28 ଯେଉଁ ବର୍ଷରେ ଆହସ୍‌ ରାଜାଙ୍କର ମୃତ୍ୟୁୁ ହେଲା, ସେହି ବର୍ଷର ଏହି ଭାବବାଣୀ।
ISA 14:29 “ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ।
ISA 14:30 ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଓ ଦୀନହୀନମାନେ ନିରାପଦରେ ଶୟନ କରିବେ; ପୁଣି, ଆମ୍ଭେ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭର ମୂଳ ନଷ୍ଟ କରିବା ଓ ତୁମ୍ଭର ଅବଶିଷ୍ଟାଂଶ ସଂହାରିତ ହେବ।
ISA 14:31 ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ।”
ISA 14:32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, “ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି।”
ISA 15:1 ମୋୟାବ ବିଷୟକ ଭବିଷ୍ୟତବାଣୀ। ମୋୟାବର ଆର ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍‍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା।
ISA 15:2 ସେ ରୋଦନ କରିବା ପାଇଁ ବୈଥତ୍‍କୁ ଓ ଦୀବୋନ୍‍କୁ, ଉଚ୍ଚସ୍ଥଳୀକି ଯାଇଅଛି; ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; ସେହି ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି।
ISA 15:3 ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି।
ISA 15:4 ହିଷ୍‍ବୋନ ଓ ଇଲୀୟାଲୀ କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ ପର୍ଯ୍ୟନ୍ତ ଶୁଣା ଯାଉଅଛି; ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି।
ISA 15:5 ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ୍‍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି।
ISA 15:6 କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ୍‍ବର୍ଣ୍ଣର କିଛି ହିଁ ନାହିଁ।
ISA 15:7 ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।
ISA 15:8 କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍‍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍‍ ପର୍ଯ୍ୟନ୍ତ ଯାଇଅଛି।
ISA 15:9 କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।
ISA 16:1 ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲା ସହରଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ।
ISA 16:2 କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ।
ISA 16:3 ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ।
ISA 16:4 ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି।
ISA 16:5 ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ।
ISA 16:6 ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ।
ISA 16:7 ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତ ସହରର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ।
ISA 16:8 ଯେହେତୁ ହିଷ୍‍ବୋନ ସହରର କ୍ଷେତ୍ରସବୁ ଓ ସିବ୍‍ମା ନଗରର ଦ୍ରାକ୍ଷାଲତା ମ୍ଳାନ ହେଉଅଛି; ଗୋଷ୍ଠୀବର୍ଗର ଅଧ୍ୟକ୍ଷଗଣ ତହିଁର ମନୋନୀତ ଚାରାସବୁ ଭାଙ୍ଗି ପକାଇଅଛନ୍ତି; ସେହି ସବୁ ଯାସେର ନଗର ପର୍ଯ୍ୟନ୍ତ ଗଲେ, ପ୍ରାନ୍ତର ପର୍ଯ୍ୟନ୍ତ ଏଣେତେଣେ ଗଲେ; ତାହାର ଶାଖାସବୁ ଚାରିଆଡ଼େ ବିସ୍ତୃତ ହେଲା, ସେହି ସବୁ ସମୁଦ୍ର ପାର ହୋଇଗଲେ।
ISA 16:9 ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।
ISA 16:10 ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ୱନି ହେବ ନାହିଁ; କେହି ପଦ ଦ୍ୱାରା ଚାପି ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦଧ୍ୱନି ନିବୃତ୍ତ କରିଅଛୁ।
ISA 16:11 ଏହି କାରଣରୁ ଆମ୍ଭର ନାଡ଼ୀ ମୋୟାବର ପାଇଁ ଓ ଆମ୍ଭର ଅନ୍ତର କୀର୍ହେରସର ପାଇଁ ବୀଣା ପରି ବାଜୁଅଛି।
ISA 16:12 ପୁଣି, ମୋୟାବ ଆପେ ଉପସ୍ଥିତ ହେବା ବେଳେ ଓ ଉଚ୍ଚସ୍ଥଳୀରେ ଆପଣାକୁ କ୍ଳାନ୍ତ କରି ପ୍ରାର୍ଥନା କରିବା ପାଇଁ ଧର୍ମଧାମରେ ପ୍ରବେଶ କରିବା ବେଳେ ସେ କୃତାର୍ଥ ହେବ ନାହିଁ।
ISA 16:13 ବିଗତ ସମୟରେ ସଦାପ୍ରଭୁ ମୋୟାବ ବିଷୟରେ ଏହି କଥା କହିଥିଲେ।
ISA 16:14 ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, “ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ।”
ISA 17:1 ଦମ୍ମେଶକ ବିଷୟକ ଭାବବାଣୀ। ଦେଖ, ଦମ୍ମେଶକ ଆଉ ନଗର ନ ହୋଇ ଦୂରୀକୃତ ହୋଇଅଛି, ତାହା କାନ୍ଥଡ଼ାର ଢ଼ିପି ହେବ।
ISA 17:2 ଅରୋୟରର ନଗରସବୁ ପରିତ୍ୟକ୍ତ ହୋଇଅଛି; ସେହି ସବୁ ପଶୁପଲର ପାଇଁ ହେବ, ସେମାନେ ସେଠାରେ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।
ISA 17:3 ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦମ୍ମେଶକରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ସବୁ ଇସ୍ରାଏଲ-ସନ୍ତାନଗଣର ଗୌରବ ତୁଲ୍ୟ ହେବ।
ISA 17:4 ଆଉ, ସେହି ଦିନରେ ଯାକୁବର ଗୌରବ ହ୍ରାସ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ;
ISA 17:5 ଆଉ, ଯେପରି ଶସ୍ୟ କାଟିବା ଲୋକ କ୍ଷେତ୍ରସ୍ଥ ଶସ୍ୟ ସଂଗ୍ରହ କରିବା ବେଳେ ଓ ତାହାର ହସ୍ତ ଶିଷା କାଟିବା ବେଳେ, କିଅବା ଯେପରି କେହି ରଫାୟୀମ ତଳଭୂମିରେ ପତିତ ଶିଷା ସାଉଣ୍ଟିବା ବେଳେ ହୁଏ, ସେହିପରି ହେବ।
ISA 17:6 ତଥାପି ଜୀତବୃକ୍ଷର ଫଳ ଝାଡ଼ି ନେଲା ଉତ୍ତାରେ ଯେପରି ତାହାର ଉଚ୍ଚତମ ଶାଖାରେ ଦୁଇ ତିନି ଗୋଟା ଫଳ ଓ ଫଳବାନ ବୃକ୍ଷର ବାହାରସ୍ଥ ଶାଖାରେ ଚାରି ପାଞ୍ଚ ଗୋଟା ଫଳ ଥାଏ, ସେହିପରି ତାହାର କିଛି ଅବଶିଷ୍ଟ ରହିବ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି।
ISA 17:7 ସେହି ଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ।
ISA 17:8 ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ।
ISA 17:9 ସେହି ଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ-ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ।
ISA 17:10 କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ୱରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ୱରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ;
ISA 17:11 ତୁମ୍ଭେ ରୋପଣ କରିବା ଦିନ ତହିଁର ଚାରିଆଡ଼େ ବାଡ଼ ଦେଉଅଛ ଓ ପ୍ରାତଃକାଳରେ ତୁମ୍ଭେ ଆପଣା ବୀଜକୁ ପୁଷ୍ପିତ କରାଉଅଛ; ମାତ୍ର ଦୁଃଖ ଓ ପ୍ରତିକାରହୀନ ଶୋକ ସମୟରେ ଫଳ ଉଡ଼ିଯାଏ।
ISA 17:12 ଆଃ! ଅନେକ ଗୋଷ୍ଠୀର କୋଳାହଳ, ସେମାନେ ସମୁଦ୍ରର କଲ୍ଲୋଳର ତୁଲ୍ୟ କଲ୍ଲୋଳ ଧ୍ୱନି କରୁଅଛନ୍ତି; ନାନା ଦେଶୀୟଗଣ ମାଡ଼ି ଆସୁଅଛନ୍ତି, ସେମାନେ ପ୍ରବଳ ବଢ଼ି ପରି ମାଡ଼ି ଆସୁଅଛନ୍ତି!
ISA 17:13 ନାନା ଦେଶୀୟଗଣ, ମହାଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ।
ISA 17:14 ଦେଖ, ସନ୍ଧ୍ୟାକାଳେ ତ୍ରାସ ଓ ପ୍ରଭାତର ପୂର୍ବେ ସେମାନେ ନାହାନ୍ତି। ଆମ୍ଭମାନଙ୍କ ଲୁଟିତକାରୀମାନଙ୍କର ଅଂଶ ଓ ଆମ୍ଭମାନଙ୍କ ଅପହରଣକାରୀମାନଙ୍କ ବାଣ୍ଟ ଏହି।
ISA 18:1 ଆଃ! କୂଶଦେଶୀୟ ନଦୀଗଣର ସେପାରିସ୍ଥିତ ପକ୍ଷର ଶବ୍ଦବିଶିଷ୍ଟ ଦେଶ;
ISA 18:2 ସେ ସମୁଦ୍ର ପଥରେ ନଳନିର୍ମିତ ନୌକାରେ ଜଳ ଉପରେ ଦୂତଗଣକୁ ପ୍ରେରଣ କରି କହେ, ହେ ଦ୍ରୁତଗାମୀ ଦୂତଗଣ, ଯେଉଁ ଗୋଷ୍ଠୀୟ ଲୋକେ ଦୀର୍ଘକାୟ ଓ ଚିକ୍କଣ, ଯେଉଁ ଜନବୃନ୍ଦ ଅଦ୍ୟାବଧି ଭୟଙ୍କର; ଯେଉଁ ଗୋଷ୍ଠୀୟ ଲୋକେ ପରିମାଣ କରନ୍ତି ଓ ଦଳିତ କରନ୍ତି, ଯେଉଁମାନଙ୍କ ଦେଶ ନଦ-ନଦୀରେ ବିଭକ୍ତ, ତୁମ୍ଭେମାନେ ସେମାନଙ୍କ ନିକଟକୁ ଯାଅ!
ISA 18:3 ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।
ISA 18:4 କାରଣ ସଦାପ୍ରଭୁ ଆମ୍ଭକୁ ଏହିପରି କହିଅଛନ୍ତି, “ଖରା ସମୟରେ ନିର୍ମଳ ତାପ ପରି, ଶସ୍ୟଚ୍ଛେଦନକାଳୀନ ତାପ ସମୟରେ ଶିଶିରଯୁକ୍ତ ମେଘ ପରି ଆମ୍ଭେ କ୍ଷାନ୍ତ ହେବା ଓ ଆପଣା ବାସ ସ୍ଥାନରେ ଥାଇ ନିରୀକ୍ଷଣ କରିବା।”
ISA 18:5 ଯେହେତୁ ଦ୍ରାକ୍ଷା ସଞ୍ଚୟ କରିବା ପୂର୍ବେ ମୁକୁଳ ହୋଇଗଲା ଉତ୍ତାରେ ଓ ପୁଷ୍ପ ଦ୍ରାକ୍ଷାଫଳ ହୋଇ ପାଚୁଥିବା ସମୟରେ ସେ ଦାଆ ନେଇ ତହିଁର ପଲ୍ଲବ କାଟି ପକାଇବେ ଓ ତହିଁର ବିସ୍ତାରିତ ଶାଖାସବୁ ଛେଦନ କରି ପକାଇବେ।
ISA 18:6 ପର୍ବତସ୍ଥ ଦୁରନ୍ତ ପକ୍ଷୀଗଣ ଓ ପୃଥିବୀର ପଶୁଗଣ ନିମନ୍ତେ ସେହି ସବୁ ପରିତ୍ୟକ୍ତ ହେବ; ଦୁରନ୍ତ ପକ୍ଷୀଗଣ ତହିଁ ଉପରେ ଗ୍ରୀଷ୍ମକାଳ କ୍ଷେପଣ କରିବେ ଓ ପୃଥିବୀର ପଶୁସବୁ ତହିଁ ଉପରେ ଶୀତକାଳ କ୍ଷେପଣ କରିବେ।
ISA 18:7 ସେହି ସମୟରେ ଦୀର୍ଘକାୟ ଓ ଚିକ୍କଣ ଓ ଅଦ୍ୟାବଧି ଭୟଙ୍କର ଏକ ଗୋଷ୍ଠୀୟ ଲୋକେ; ଯେଉଁମାନେ ପରିମାଣ କରନ୍ତି ଓ ପଦ ତଳେ ଦଳିତ କରନ୍ତି, ଯେଉଁମାନଙ୍କର ଦେଶ ନଦ-ନଦୀରେ ବିଭକ୍ତ, ଏପରି ଏକ ଜନବୃନ୍ଦ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉପହାର ରୂପେ ସୈନ୍ୟାଧିପତି ସଦାପ୍ରଭୁଙ୍କର ନାମବିଶିଷ୍ଟ ସ୍ଥାନ ସିୟୋନ ପର୍ବତକୁ ଅଣାଯିବେ।
ISA 19:1 ମିସର ବିଷୟକ ଭବିଷ୍ୟତବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
ISA 19:2 ପୁଣି, ଆମ୍ଭେ ମିସରୀୟମାନଙ୍କୁ ମିସରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।
ISA 19:3 ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।
ISA 19:4 ଆଉ, ଆମ୍ଭେ ମିସରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ISA 19:5 ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ।
ISA 19:6 ଆଉ, ନଦୀସବୁ ଦୁର୍ଗନ୍ଧ ହେବ; ମିସରର ସ୍ରୋତସବୁ ସାନ ହୋଇ ଶୁଖିଯିବ; ନଳ ଓ ଜଳଜ ତୃଣ ଶୁଷ୍କ ହୋଇଯିବ।
ISA 19:7 ନୀଳ ନଦୀ ନିକଟସ୍ଥ, ନୀଳ ନଦୀର ତୀରବର୍ତ୍ତୀ ପଡ଼ିଆସବୁ ଓ ନୀଳ ନଦୀ ନିକଟରେ ଯାହା କିଛି ବୁଣାଯାଏ, ସେହି ସବୁ ଶୁଷ୍କ ହୋଇ ଉଡ଼ିଯିବ ଓ ଆଉ ରହିବ ନାହିଁ।
ISA 19:8 କେଉଟମାନେ ମଧ୍ୟ ବିଳାପ କରିବେ ଓ ଯେଉଁମାନେ ନୀଳ ନଦୀରେ ବନଶୀ ପକାନ୍ତି, ସେମାନେ ସମସ୍ତେ ଶୋକ କରିବେ, ପୁଣି, ଯେଉଁମାନେ ଜଳରେ ଜାଲ ପ୍ରସାରନ୍ତି, ସେମାନେ ଅବସନ୍ନ ହେବେ।
ISA 19:9 ଆହୁରି, ଯେଉଁମାନେ ପରିଷ୍କୃତ ଛଣପଟର କାର୍ଯ୍ୟ କରନ୍ତି ଓ ଯେଉଁମାନେ ଶୁକ୍ଳବସ୍ତ୍ର ବୁଣନ୍ତି, ସେମାନେ ଲଜ୍ଜିତ ହେବେ।
ISA 19:10 ପୁଣି, ତାହାର ସ୍ତମ୍ଭସକଳ ଭଙ୍ଗାଯାଇ ଖଣ୍ଡ ଖଣ୍ଡ ହେବ, ବେତନ ପାଇଁ କାର୍ଯ୍ୟ କରିବା ଲୋକ ସମସ୍ତେ ପ୍ରାଣରେ ଦୁଃଖିତ ହେବେ।
ISA 19:11 ସୋୟନର ଅଧିପତିମାନେ ନିତାନ୍ତ ନିର୍ବୋଧ ଅଟନ୍ତି; ଫାରୋର ବିଜ୍ଞବର ମନ୍ତ୍ରୀଗଣର ମନ୍ତ୍ରଣା ପଶୁବତ୍‍ ହୋଇଅଛି; ତୁମ୍ଭେମାନେ କିପରି କରି ଫାରୋକୁ କହୁଅଛ, ଆମ୍ଭେ ଜ୍ଞାନୀମାନଙ୍କର ପୁତ୍ର, ପ୍ରାଚୀନ ରାଜାଗଣର ସନ୍ତାନ?
ISA 19:12 ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ।
ISA 19:13 ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣ-ପ୍ରସ୍ତର ସ୍ୱରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।
ISA 19:14 ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇପଡ଼େ, ସେହିପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।
ISA 19:15 ପୁଣି, ମସ୍ତକ କିମ୍ବା ଲାଙ୍ଗୁଳ, କିମ୍ବା ତାଳବାହୁଙ୍ଗା କିମ୍ବା ଜଳଜ ତୃଣ ଯାହା କରିପାରେ, ଏପରି କୌଣସି କାର୍ଯ୍ୟ ମିସର ପାଇଁ କରାଯିବ ନାହିଁ।
ISA 19:16 ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।
ISA 19:17 ମିସର ପ୍ରତି ଯିହୁଦା ଦେଶ ତ୍ରାସଜନକ ହେବ, ସୈନ୍ୟାଧିପତି ସଦାପ୍ରଭୁ ତାହାର ପ୍ରତିକୂଳରେ ଯେଉଁ ମନ୍ତ୍ରଣା କରନ୍ତି, ତହିଁ ସକାଶୁ ଯେ ପ୍ରତ୍ୟେକ ଲୋକକୁ ଯିହୁଦାର ନାମ କୁହାଯାଏ, ସେ ଭୀତ ହେବ।
ISA 19:18 ସେହି ଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।
ISA 19:19 ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ।
ISA 19:20 ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ୱରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ।
ISA 19:21 ପୁଣି, ମିସରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ସେହି ଦିନ ମିସରୀୟମାନେ ସଦାପ୍ରଭୁଙ୍କୁ ଜାଣିବେ; ଆହୁରି, ସେମାନେ ବଳି ଓ ନୈବେଦ୍ୟ ଦେଇ ଆରାଧନା କରିବେ ଓ ସଦାପ୍ରଭୁଙ୍କ ନିକଟରେ ମାନତ କରି ତାହା ପୂର୍ଣ୍ଣ କରିବେ।
ISA 19:22 ପୁଣି, ସଦାପ୍ରଭୁ ମିସରକୁ ପ୍ରହାର କରିବେ, ପ୍ରହାର କରିବେ ଓ ସୁସ୍ଥ କରିବେ; ପୁଣି, ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ, ତହିଁରେ ସେ ସେମାନଙ୍କର ବିନତି ଗ୍ରାହ୍ୟ କରି ସେମାନଙ୍କୁ ସୁସ୍ଥ କରିବେ।
ISA 19:23 ସେହି ଦିନ ମିସରଠାରୁ ଅଶୂରକୁ ଏକ ରାଜପଥ ପଡ଼ିବ, ତହିଁରେ ଅଶୂରୀୟମାନେ ମିସରକୁ ଓ ମିସରୀୟମାନେ ଅଶୂରକୁ ଯାତାୟାତ କରିବେ; ପୁଣି, ମିସରୀୟମାନେ ଅଶୂରୀୟମାନଙ୍କ ସଙ୍ଗେ ଆରାଧନା କରିବେ।
ISA 19:24 ସେହି ଦିନ ଇସ୍ରାଏଲ, ମିସର ଓ ଅଶୂରର ସଙ୍ଗେ ତୃତୀୟ ହୋଇ ପୃଥିବୀ ମଧ୍ୟରେ ଆଶୀର୍ବାଦର ପାତ୍ର ହେବ;
ISA 19:25 କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କହିଅଛନ୍ତି, ଆମ୍ଭର ଲୋକ ମିସର, ଆମ୍ଭର ହସ୍ତକୃତ କର୍ମ ଅଶୂର ଓ ଆମ୍ଭର ଅଧିକାର ଇସ୍ରାଏଲ ଆଶୀର୍ବାଦଯୁକ୍ତ ହେଉନ୍ତୁ।
ISA 20:1 ଅଶୂରର ରାଜା ସର୍ଗୋନର ପ୍ରେରିତ ତର୍ତ୍ତାନ ସେନାଧ୍ୟକ୍ଷ ଯେଉଁ ବର୍ଷ ଅସ୍ଦୋଦକୁ ଆସି ତାହା ପ୍ରତିକୂଳରେ ଯୁଦ୍ଧ କରି ହସ୍ତଗତ କଲା;
ISA 20:2 ସେହି ସମୟରେ ଆମୋସର ପୁତ୍ର ଯିଶାଇୟ ଦ୍ୱାରା ସଦାପ୍ରଭୁ ଏହି କଥା କହିଲେ, “ଯାଅ, ତୁମ୍ଭ କଟିଦେଶରୁ ଚଟବସ୍ତ୍ର ଫିଟାଅ ଓ ତୁମ୍ଭ ପାଦରୁ ପାଦୁକା କାଢ଼,” ତହିଁରେ ସେ ତାହା କରି ବିବସ୍ତ୍ର ଓ ଶୂନ୍ୟପଦ ହୋଇ ଭ୍ରମଣ କଲା।
ISA 20:3 ତେବେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ମିସର ଓ କୂଶ ଦେଶ ପ୍ରତି ଏକ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ହେବା ପାଇଁ ଯେପରି ତିନି ବର୍ଷ ବିବସ୍ତ୍ର ଓ ଶୂନ୍ୟପଦ ହୋଇ ଭ୍ରମଣ କରିଅଛି;
ISA 20:4 ସେହିପରି ଅଶୂରର ରାଜା ମିସରୀୟମାନଙ୍କ ଲଜ୍ଜାର ନିମନ୍ତେ ଆବାଳବୃଦ୍ଧ ମିସରୀୟ ବନ୍ଦୀ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର, ଶୂନ୍ୟପଦ ଓ ଅନାବୃତ କଟି କରି ଘେନିଯିବ।
ISA 20:5 ତହିଁରେ ଲୋକମାନେ ଆପଣାମାନଙ୍କର ବିଶ୍ୱାସଭୂମି କୂଶ ଓ ଆପଣାମାନଙ୍କର ଦର୍ପ ସ୍ୱରୂପ ମିସର ସକାଶୁ ନିରାଶ ଓ ଲଜ୍ଜିତ ହେବେ।
ISA 20:6 ପୁଣି, ସେହି ଦିନ ଏହି ସମୁଦ୍ର ଅଞ୍ଚଳସ୍ଥ ନିବାସୀମାନେ କହିବେ, ‘ଦେଖ, ଅଶୂରର ରାଜାଠାରୁ ଉଦ୍ଧାର ପାଇବା ପାଇଁ ସାହାଯ୍ୟ ନିମନ୍ତେ ଯେଉଁଠାକୁ ପଳାଇଲୁ, ଆମ୍ଭମାନଙ୍କର ସେହି ବିଶ୍ୱାସଭୂମି ଏହି ପ୍ରକାର; ତେବେ ଆମ୍ଭେମାନେ ଅବା କିପରି ବଞ୍ଚିବା?’”
ISA 21:1 ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।
ISA 21:2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।
ISA 21:3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
ISA 21:4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।
ISA 21:5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।
ISA 21:6 କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;
ISA 21:7 ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”
ISA 21:8 ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନ ବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,
ISA 21:9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି।” ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”
ISA 21:10 ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି।
ISA 21:11 ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?”
ISA 21:12 ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”
ISA 21:13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।
ISA 21:14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।
ISA 21:15 କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।
ISA 21:16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ;
ISA 21:17 ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।”
ISA 22:1 ଦର୍ଶନ ଉପତ୍ୟକା ବିଷୟକ ଭାବବାଣୀ। ଏବେ ତୁମ୍ଭର କʼଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ?
ISA 22:2 ହେ ଆନନ୍ଦ ଧ୍ୱନିପୂର୍ଣ୍ଣେ, କୋଳାହଳଯୁକ୍ତେ ନଗରୀ, ଉଲ୍ଲାସପ୍ରିୟେ ପୁରୀ; ତୁମ୍ଭର ହତ ଲୋକମାନେ ଖଡ୍ଗରେ ହତ ହୋଇ ନାହାନ୍ତି, କିଅବା ସେମାନେ ଯୁଦ୍ଧରେ ମରି ନାହାନ୍ତି।
ISA 22:3 ତୁମ୍ଭର ଶାସନକର୍ତ୍ତା ସମସ୍ତେ ଏକାବେଳେ ପଳାଇଲେ, ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ଗଲେ; ତୁମ୍ଭ ମଧ୍ୟରେ ପ୍ରାପ୍ତ ସମସ୍ତ ଲୋକ ଏକତ୍ର ବନ୍ଧା ଗଲେ, ସେମାନେ ଦୂରକୁ ପଳାଇଲେ।
ISA 22:4 ଏଥିପାଇଁ ମୁଁ କହିଲି, “ମୋତେ ଛାଡ଼ି ଅନ୍ୟଆଡ଼େ ଅନାଅ, ମୁଁ ଅତିଶୟ ରୋଦନ କରିବି; ମୋʼ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ ମୋତେ ସାନ୍ତ୍ୱନା କରିବା ପାଇଁ ଚେଷ୍ଟା କର ନାହିଁ।”
ISA 22:5 କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର, ଦଳନର, ବ୍ୟାକୁଳତାର ପ୍ରାଚୀର ଭଗ୍ନ ହେବାର ଓ ପର୍ବତଗଣ ପ୍ରତି ଆର୍ତ୍ତନାଦ କରିବାର ଦିନ ଏହି।
ISA 22:6 ପୁଣି, ଏଲମ୍‍ ରଥାରୋହୀ, ଅଶ୍ୱାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍‍ ଢାଲ ଅନାବୃତ କଲା।
ISA 22:7 ପୁଣି, ତୁମ୍ଭର ଅତି ଉତ୍କୃଷ୍ଟ ଉପତ୍ୟକାସବୁ ରଥମାନଙ୍କରେ ପରିପୂର୍ଣ୍ଣ ଥିଲା ଓ ଅଶ୍ୱାରୋହୀମାନେ ନଗର-ଦ୍ୱାରରେ ସସଜ୍ଜ ହୋଇଥିଲେ।
ISA 22:8 ପୁଣି, ସେ ଯିହୁଦାର ଓଢ଼ଣା କାଢ଼ି ପକାଇଲେ ଓ ସେହି ଦିନ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି କଲ।
ISA 22:9 ଆଉ, ଦାଉଦ-ନଗରର ଭଗ୍ନ ସ୍ଥାନ ଅନେକ ବୋଲି ତୁମ୍ଭେମାନେ ଦେଖିଲ ଓ ନୀଚସ୍ଥ ପୁଷ୍କରିଣୀର ଜଳସବୁ ଏକତ୍ର କଲ।
ISA 22:10 ପୁଣି, ତୁମ୍ଭେମାନେ ଯିରୂଶାଲମସ୍ଥ ଗୃହସବୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।
ISA 22:11 ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ; ମାତ୍ର ଯେ ଏହା ସାଧନ କଲେ, ତୁମ୍ଭେମାନେ ତାହାଙ୍କ ପ୍ରତି ଅନାଇଲ ନାହିଁ, କିଅବା ଯେ ଦୀର୍ଘକାଳରୁ ଏଥିର ସଂକଳ୍ପ କଲେ, ତୁମ୍ଭେମାନେ ତାହାଙ୍କୁ ଆଦର କଲ ନାହିଁ।
ISA 22:12 ପୁଣି, ସେହି ଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ରୋଦନ ଓ ବିଳାପ ଓ ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବନ୍ଧନ କରିବାକୁ ଡାକିଲେ;
ISA 22:13 ମାତ୍ର ଦେଖ, ଆମୋଦ ପ୍ରମୋଦ, ଗୋବଧ ଓ ମେଷହନନ, ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ ହେଉଅଛି; “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”
ISA 22:14 ପୁଣି, ସୈନ୍ୟାଧିପତି ସଦାପ୍ରଭୁ ସ୍ୱୟଂ ଆମ୍ଭ କର୍ଣ୍ଣଗୋଚରରେ ପ୍ରକାଶ କଲେ, “ନିଶ୍ଚୟ ତୁମ୍ଭମାନଙ୍କର ମରଣକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଏହି ଅପରାଧ କ୍ଷମା ହେବ ନାହିଁ,” ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏରୂପ କହନ୍ତି।
ISA 22:15 ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଏହି କୋଷାଧ୍ୟକ୍ଷ ନିକଟକୁ, ଅର୍ଥାତ୍‍, ଗୃହର ଅଧ୍ୟକ୍ଷ ଶିବ୍‍ନ ନିକଟକୁ ଯାଇ କୁହ,
ISA 22:16 ‘ତୁମ୍ଭେ ଏଠାରେ କଅଣ କରୁଅଛ? ଓ ଏଠାରେ ତୁମ୍ଭର କିଏ ଅଛି ଯେ, ତୁମ୍ଭେ ଆପଣା ପାଇଁ ଏକ କବର ଖୋଳିଅଛ? ସେ ତ ଉଚ୍ଚସ୍ଥାନରେ ଆପଣା କବର ଖୋଳିଅଛି ଓ ଶୈଳରେ ଆପଣା ନିମନ୍ତେ ବାସସ୍ଥାନ ଖୋଦନ କରିଅଛି!
ISA 22:17 ଦେଖ, ବୀରର ନ୍ୟାୟ ସଦାପ୍ରଭୁ ବଳରେ ତୁମ୍ଭକୁ ଫୋପାଡ଼ି ଦେବେ, ହଁ, ସେ ଦୃଢ଼ ରୂପେ ତୁମ୍ଭକୁ ଗୁଡ଼ାଇବେ।
ISA 22:18 ନିଶ୍ଚୟ ସେ ପେଣ୍ଡୁ ପରି ତୁମ୍ଭକୁ ବୁଲାଇ ଓ ଘୂରାଇ ଏକ ପ୍ରଶସ୍ତ ଦେଶରେ ନିକ୍ଷେପ କରିବେ; ସେଠାରେ ତୁମ୍ଭେ ମରିବ ଓ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥସବୁ ରହିବ, ତୁମ୍ଭେ ଆପଣା ପ୍ରଭୁଙ୍କ ଗୃହର କଳଙ୍କ ସ୍ୱରୂପ।
ISA 22:19 ପୁଣି, ଆମ୍ଭେ ତୁମ୍ଭକୁ ତୁମ୍ଭ ପଦରୁ ତଡ଼ିଦେବା ଓ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ଆଣି ତଳକୁ ପକାଇବେ।
ISA 22:20 ଆଉ, ସେହି ଦିନ ଆମ୍ଭେ ଆପଣା ଦାସକୁ, ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍କୁ ଡାକିବା;
ISA 22:21 ପୁଣି, ଆମ୍ଭେ ତୁମ୍ଭର ଚୋଗା ତାହାକୁ ପରିଧାନ କରାଇବା ଓ ତୁମ୍ଭ କଟିବନ୍ଧନୀରେ ତାହାକୁ ବଳବାନ କରିବା ଓ ତୁମ୍ଭର କର୍ତ୍ତୃତ୍ୱାଧିକାର ତାହା ହସ୍ତରେ ସମର୍ପଣ କରିବା; ତହିଁରେ ସେ ଯିରୂଶାଲମ ନିବାସୀମାନଙ୍କର ଓ ଯିହୁଦା ବଂଶର ପିତା ହେବ।
ISA 22:22 ପୁଣି, ଆମ୍ଭେ ଦାଉଦ-ବଂଶର ଚାବି ତାହାର ସ୍କନ୍ଧରେ ରଖିବା, ସେ ଫିଟାଇଲେ, କେହି ବନ୍ଦ କରିବ ନାହିଁ ଓ ସେ ବନ୍ଦ କଲେ, କେହି ଫିଟାଇବ ନାହିଁ।
ISA 22:23 ଆଉ, ଆମ୍ଭେ ଖିଲ ପରି ଏକ ଦୃଢ଼ ସ୍ଥାନରେ ତାହାକୁ ବିଦ୍ଧ କରିବା ଓ ସେ ଆପଣା ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ।
ISA 22:24 ପୁଣି, ଲୋକମାନେ ତାହାର ପିତୃବଂଶର ସକଳ ଗୌରବ, ସନ୍ତାନସନ୍ତତି ଓ ପାନପାତ୍ରଠାରୁ କଳସ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ।
ISA 22:25 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଖିଲ ଦୃଢ଼ ସ୍ଥାନରେ ବଦ୍ଧ ଥିଲା, ତାହା ସେହି ଦିନ ଅପସରି ଯିବ ଓ ତାହା ଖୋଦିତ ହୋଇ ତଳେ ପଡ଼ିବ, ପୁଣି ତାହା ଉପରେ ଥିବାର ବୋଝ ନଷ୍ଟ ହେବ, କାରଣ ସଦାପ୍ରଭୁ ଏହା କହିଅଛନ୍ତି।’”
ISA 23:1 ସୋର ବିଷୟକ ଭାବବାଣୀ। ହେ ତର୍ଶୀଶର ଜାହାଜସକଳ, ତୁମ୍ଭେମାନେ ହାହାକାର କର; କାରଣ ତାହା ଏପରି ଉଚ୍ଛିନ୍ନ ହେଲା ଯେ, ତହିଁ ମଧ୍ୟରେ କୌଣସି ଗୃହ ନାହିଁ, କିମ୍ବା ପ୍ରବେଶିବାର ପଥ ନାହିଁ; କିତ୍ତୀମ ଦେଶରୁ ଏହା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
ISA 23:2 ହେ ଦ୍ୱୀପନିବାସୀମାନେ, ତୁମ୍ଭେମାନେ ନୀରବ ହୁଅ; ସମୁଦ୍ର ପାରଗାମୀ ସୀଦୋନୀୟ ବଣିକମାନେ ତୁମ୍ଭ (ଦେଶ)କୁ ପରିପୂର୍ଣ୍ଣ କଲେ।
ISA 23:3 ପୁଣି, ମହାଜଳରାଶିରେ ଷୀୟୋରର ବୀଜ ଓ ନୀଳ ନଦୀର ଶସ୍ୟ ତାହାର ଆୟ ଥିଲା; ପୁଣି, ତାହା ନାନା ଦେଶୀୟମାନଙ୍କର ଗଞ୍ଜ ସ୍ୱରୂପ ଥିଲା।
ISA 23:4 ହେ ସୀଦୋନ, ତୁମ୍ଭେ ଲଜ୍ଜିତ ହୁଅ, କାରଣ ସାଗର, ସାଗରର ଦୃଢ଼ ଦୁର୍ଗ ଏହି କଥା କହିଅଛି, “ଆମ୍ଭେ ପ୍ରସବବେଦନା ଭୋଗି ନାହୁଁ, ପ୍ରସବ କରି ନାହୁଁ କିଅବା ଯୁବକଗଣର ପ୍ରତିପାଳନ କରି ନାହୁଁ, କିମ୍ବା ଯୁବତୀଗଣର ଭରଣପୋଷଣ କରି ନାହୁଁ।”
ISA 23:5 ଏହି ସମ୍ବାଦ ମିସରରେ ଉପସ୍ଥିତ ହେଲେ, ଲୋକମାନେ ସୋର ବିଷୟକ ସମ୍ବାଦରେ ଅତ୍ୟନ୍ତ ବ୍ୟଥିତ ହେବେ।
ISA 23:6 ତୁମ୍ଭେମାନେ ପାର ହୋଇ ତର୍ଶୀଶ‌କୁ ଯାଅ; ହେ ଦ୍ୱୀପନିବାସୀମାନେ, ହାହାକାର କର।
ISA 23:7 ଏହି କି ତୁମ୍ଭମାନଙ୍କର ଉଲ୍ଲାସକାରିଣୀ ନଗରୀ? ଏହା ପ୍ରାଚୀନ କାଳରେ ହେଁ ପ୍ରାଚୀନ ଥିଲା; ଏହାର ଚରଣ ଦୂର ଦେଶରେ ପ୍ରବେଶ କରିବା ପାଇଁ ଏହାକୁ ନେଇଗଲା।
ISA 23:8 ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି?
ISA 23:9 ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା ଓ ପୃଥିବୀର ସମ୍ଭ୍ରାନ୍ତ ଲୋକ ସମସ୍ତଙ୍କୁ ତୁଚ୍ଛନୀୟ କରିବା ନିମନ୍ତେ ଏହି ମନ୍ତ୍ରଣା କରିଅଛନ୍ତି।
ISA 23:10 ଆଗୋ ତର୍ଶୀଶର କନ୍ୟେ, ତୁମ୍ଭେ ନୀଳ ନଦୀ ତୁଲ୍ୟ ଆପଣା ଦେଶ ମଧ୍ୟଦେଇ ଯାଅ, ତୁମ୍ଭର କଟିବନ୍ଧନ ଆଉ ନାହିଁ।
ISA 23:11 ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟସକଳକୁ ହଲାଇ ଅଛନ୍ତି; ସଦାପ୍ରଭୁ କିଣାନର ଦୃଢ଼ ଦୁର୍ଗସବୁ ଉଚ୍ଛିନ୍ନ କରିବା ନିମନ୍ତେ ତାହାର ପ୍ରତିକୂଳରେ ଆଜ୍ଞା କରିଅଛନ୍ତି।
ISA 23:12 ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ, ପାର ହୋଇ କିତ୍ତୀମକୁ ଯାଅ; ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ।”
ISA 23:13 କଲ୍‍ଦୀୟମାନଙ୍କର ଦେଶକୁ ଦେଖ; ଏହି ଲୋକେ ଆଉ ନାହାନ୍ତି; ବନ୍ୟ ଜନ୍ତୁଗଣ ନିମନ୍ତେ ଅଶୂରୀୟ ତାହା ନିରୂପଣ କରିଅଛି; ସେମାନେ ଦୁର୍ଗ କରି ତାହାର ଅଟ୍ଟାଳିକାସକଳ ଉତ୍ପାଟନ କଲେ; ସେ ତାହା କାନ୍ଥଡ଼ାର ଢ଼ିପି କଲା।
ISA 23:14 ହେ ତର୍ଶୀଶର ଜାହାଜସମୂହ, ହାହାକାର କର, କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଉଚ୍ଛିନ୍ନ ହେଲା।
ISA 23:15 ସେହି ଦିନ ଏପରି ଘଟିବ ଯେ, ଏକ ରାଜାର ଅଧିକାରର ସମୟ ପ୍ରମାଣେ ସୋର ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ମୃତ ହେବ; ସତୁରି ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସୋର ପ୍ରତି ଘଟିବ।
ISA 23:16 ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର; ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ, ଏଥିପାଇଁ ମଧୁର ତାଳରେ ବଜାଅ, ଅନେକ ଗୀତ ଗାଅ।
ISA 23:17 ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟାବୃତ୍ତି କରିବ।
ISA 23:18 ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।
ISA 24:1 ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି।
ISA 24:2 ତହିଁରେ ଯେପରି ଲୋକମାନଙ୍କର, ସେହିପରି ଯାଜକର; ଯେପରି ଦାସର, ସେହିପରି ତାହାର କର୍ତ୍ତାର; ଯେପରି ଦାସୀର, ସେହିପରି ତାହାର କର୍ତ୍ତ୍ରୀର; ଯେପରି କ୍ରୟକାରୀର, ସେହିପରି ବିକ୍ରୟକାରୀର; ଯେପରି ମହାଜନର, ସେହିପରି ଖାତକର; ଯେପରି ସୁଧଗ୍ରାହୀର, ସେହିପରି ସୁଧଦାତାର ପ୍ରତି ଘଟିବ।
ISA 24:3 ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।
ISA 24:4 ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି।
ISA 24:5 ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି।
ISA 24:6 ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି; ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି।
ISA 24:7 ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି।
ISA 24:8 ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି।
ISA 24:9 ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ; ସୁରାପାୟୀମାନଙ୍କୁ ସୁରା ତିକ୍ତ ଲାଗିବ।
ISA 24:10 ନିର୍ଜନ ନଗର ଭଗ୍ନ ହୋଇଅଛି; କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ ହୋଇଅଛି।
ISA 24:11 ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ; ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି।
ISA 24:12 ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।
ISA 24:13 କାରଣ ଯେପରି ଜୀତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେହିପରି ପୃଥିବୀସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରେ ଘଟିବ।
ISA 24:14 ଏମାନେ ଉଚ୍ଚ ରବ କରିବେ, ଏମାନେ ଆନନ୍ଦଧ୍ୱନି କରିବେ; ସଦାପ୍ରଭୁଙ୍କର ମହିମା ସକାଶୁ ସେମାନେ ସମୁଦ୍ରରୁ ଉଚ୍ଚଧ୍ୱନି କରିବେ।
ISA 24:15 ଏହେତୁ ତୁମ୍ଭେମାନେ ପୂର୍ବଦେଶରେ ସଦାପ୍ରଭୁଙ୍କର, ଅର୍ଥାତ୍‍, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପସମୂହରେ ପ୍ରକାଶ କର।
ISA 24:16 ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରାନ୍ତ ସୀମାରୁ ଶୁଣିଅଛୁ। ମାତ୍ର ମୁଁ କହିଲି, “ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି! ମୁଁ ସନ୍ତାପର ପାତ୍ର! ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଅଛନ୍ତି; ହଁ, ବିଶ୍ୱାସଘାତକମାନେ ଅତିଶୟ ବିଶ୍ୱାସଘାତକତା କରିଅଛନ୍ତି।”
ISA 24:17 ହେ ପୃଥିବୀନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି।
ISA 24:18 ଆଉ, ଏପରି ଘଟିବ, କେହି ଯଦି ଭୟର ଶବ୍ଦରୁ ପଳାଏ, ସେ ଗର୍ତ୍ତରେ ପଡ଼ିବ; କେହି ଗର୍ତ୍ତ ମଧ୍ୟରୁ ଉଠି ଆସିଲେ, ସେ ଫାନ୍ଦରେ ଧରାଯିବ; କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ମୁକ୍ତ ଅଛି ଓ ପୃଥିବୀର ମୂଳସବୁ କମ୍ପମାନ ହେଉଅଛି।
ISA 24:19 ପୃଥିବୀ ନିତାନ୍ତ ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତାନ୍ତ ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି।
ISA 24:20 ପୃଥିବୀ ମତ୍ତ ଲୋକ ପରି ଟଳଟଳ ହେବ ଓ କୁଡ଼ିଆ ଘର ପରି ଏଣେତେଣେ ଦୋହଲିବ; ଆଉ, ତାହାର ଅପରାଧ ତାହା ଉପରେ ଭାରୀ ହେବ, ତହିଁରେ ସେ ପଡ଼ିବ, ଆଉ ଉଠିବ ନାହିଁ।
ISA 24:21 ପୁଣି, ସେହି ଦିନ ସଦାପ୍ରଭୁ ଊର୍ଦ୍ଧ୍ୱରେ ଊର୍ଦ୍ଧ୍ୱସ୍ଥମାନଙ୍କର ସୈନ୍ୟସାମନ୍ତକୁ ଓ ଭୂମଣ୍ଡଳରେ ଭୂମଣ୍ଡଳସ୍ଥ ରାଜାଗଣଙ୍କୁ ପ୍ରତିଫଳ ଦେବେ।
ISA 24:22 ତହିଁରେ ଯେପରି ବନ୍ଦୀମାନେ କୂପରେ ଏକତ୍ରୀକୃତ ହୁଅନ୍ତି, ସେହିପରି ସେମାନେ ଏକତ୍ରୀକୃତ ହୋଇ ବନ୍ଦୀଗୃହରେ ରୁଦ୍ଧ ହେବେ, ପୁଣି, ଅନେକ ଦିନ ଉତ୍ତାରେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରାଯିବ।
ISA 24:23 ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବ; କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ, ଯିରୂଶାଲମରେ ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ୱ କରିବେ।
ISA 25:1 ହେ ସଦାପ୍ରଭୋ, ତୁମ୍ଭେ ମୋହର ପରମେଶ୍ୱର; ମୁଁ ତୁମ୍ଭର ଗୌରବ କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି; କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍‍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ୱସ୍ତତାରେ ଓ ସତ୍ୟରେ ସାଧନ କରିଅଛ।
ISA 25:2 ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀର-ବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ।
ISA 25:3 ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ।
ISA 25:4 କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ।
ISA 25:5 ଯେପରି ତୁମ୍ଭେ ଶୁଷ୍କ ଦେଶରେ ତାପକୁ, ସେହିପରି ବିଦେଶୀମାନଙ୍କର କୋଳାହଳକୁ ନିବାରଣ କରିବ; ଯେପରି ମେଘର ଛାୟା ଦ୍ୱାରା ତାପ, ସେହିପରି ଭୟଙ୍କର ଲୋକମାନଙ୍କର ଗାୟନ ଧ୍ୱନି କ୍ଷାନ୍ତ କରାଯିବ।
ISA 25:6 ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ।
ISA 25:7 ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ।
ISA 25:8 ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।
ISA 25:9 ପୁଣି, ସେହି ଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।”
ISA 25:10 କାରଣ ଏହି ପର୍ବତରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ, ଆଉ ଯେପରି କୁଟା ଖତଗଦାର ଜଳରେ ପଦ ତଳେ ଦଳିତ ହୁଏ, ସେହିପରି ମୋୟାବ ସ୍ୱ ସ୍ଥାନରେ ଦଳିତ ହେବ।
ISA 25:11 ଆଉ, ପହଁରିବା ଲୋକ ଯେପରି ପହଁରିବା ପାଇଁ ହସ୍ତ ବିସ୍ତାର କରେ, ସେହିପରି ସେ ତହିଁ ମଧ୍ୟରେ ଆପଣା ହସ୍ତ ବିସ୍ତାର କରିବ; ମାତ୍ର ତାହାର ହସ୍ତ-କୌଶଳ ସମେତ ସେ ତାହାର ଗର୍ବ ଖର୍ବ କରିବେ।
ISA 25:12 ପୁଣି, ସେ ତୁମ୍ଭର ଉଚ୍ଚ ପ୍ରାଚୀରଯୁକ୍ତ ଦୃଢ଼ ଦୁର୍ଗ ନିପାତ କରି ନତ କରିଅଛନ୍ତି ଓ ତାହା ଭୂମିସାତ୍‍ କରି ଧୂଳିରେ ମିଶାଇ ଅଛନ୍ତି।
ISA 26:1 ସେହି ଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ; “ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ୱରୂପ କରିବେ।
ISA 26:2 ସତ୍ୟପାଳନକାରୀ ଧାର୍ମିକ ଗୋଷ୍ଠୀ ଯେପରି ପ୍ରବେଶ କରି ପାରିବେ, ଏଥିପାଇଁ ତୁମ୍ଭେମାନେ ନଗରର ଦ୍ୱାରସବୁ ମୁକ୍ତ କର।
ISA 26:3 ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ।
ISA 26:4 ତୁମ୍ଭେମାନେ ସଦାକାଳ ସଦାପ୍ରଭୁଙ୍କଠାରେ ନିର୍ଭର ରଖ; କାରଣ ସଦାପ୍ରଭୁ ଯିହୋବାଃଙ୍କଠାରେ ଅନନ୍ତକାଳସ୍ଥାୟୀ ଶୈଳ ଅଛି।
ISA 26:5 ପୁଣି, ସେ ଊର୍ଦ୍ଧ୍ୱସ୍ଥାନ ନିବାସୀମାନଙ୍କୁ, ଉନ୍ନତ ନଗରକୁ ଅବନତ କରିଅଛନ୍ତି; ସେ ତାହା ଅବନତ କରି ଭୂମିସାତ୍‍ କରନ୍ତି; ସେ ତାହାକୁ ଧୂଳିରେ ମିଶାଇ ଦିଅନ୍ତି।
ISA 26:6 ପାଦ, ଦରିଦ୍ରମାନଙ୍କର ପାଦ ଓ ଦୀନହୀନମାନଙ୍କ ପାଦବିକ୍ଷେପ ତାହା ଦଳିତ କରିବ।”
ISA 26:7 ଧାର୍ମିକର ମାର୍ଗ ସରଳ; ଯଥାର୍ଥିକ ଯେ ତୁମ୍ଭେ, ତୁମ୍ଭେ ଧାର୍ମିକର ପଥ ଦେଖାଉଅଛ।
ISA 26:8 ହେ ସଦାପ୍ରଭୋ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗରେ ତୁମ୍ଭ ଅପେକ୍ଷାରେ ରହିଅଛୁ; ତୁମ୍ଭର ନାମ ଓ ତୁମ୍ଭର ସ୍ମରଣ ଚିହ୍ନ ପ୍ରତି ଆମ୍ଭମାନଙ୍କର ପ୍ରାଣର ଆକାଂକ୍ଷା ଅଛି।
ISA 26:9 ରାତ୍ରିକାଳରେ ମୁଁ ଆପଣା ପ୍ରାଣ ସହିତ ତୁମ୍ଭର ଆକାଂକ୍ଷା କରିଅଛି; ହଁ, ମୁଁ ଆପଣା ଅନ୍ତରସ୍ଥ ଆତ୍ମା ସହିତ ଶୀଘ୍ର ତୁମ୍ଭର ଅନ୍ୱେଷଣ କରିବି; କାରଣ ପୃଥିବୀରେ ତୁମ୍ଭର ଶାସନସକଳ ପ୍ରକାଶିତ ହେଲେ ଜଗନ୍ନିବାସୀମାନେ ଧର୍ମ ଶିକ୍ଷା କରନ୍ତି।
ISA 26:10 ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ; ସରଳତାର ଦେଶରେ ସେ ଅନ୍ୟାୟ କରିବ ଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ।
ISA 26:11 ହେ ସଦାପ୍ରଭୋ, ତୁମ୍ଭର ହସ୍ତ ଉତ୍ଥିତ ହୋଇଅଛି, ତଥାପି ସେମାନେ ଦେଖନ୍ତି ନାହିଁ, ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଉଦ୍‍ଯୋଗ ଦେଖି ସେମାନେ ଲଜ୍ଜିତ ହେବେ; ହଁ, ଅଗ୍ନି ତୁମ୍ଭ ବିପକ୍ଷଗଣକୁ ଗ୍ରାସ କରିବ।
ISA 26:12 ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଶାନ୍ତି ନିରୂପଣ କରିବ; କାରଣ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କର ସକଳ କାର୍ଯ୍ୟ ସାଧନ କରିଅଛ।
ISA 26:13 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ଛଡ଼ା ଅନ୍ୟ ପ୍ରଭୁମାନେ ଆମ୍ଭମାନଙ୍କ ଉପରେ ରାଜତ୍ୱ କରିଥିଲେ, ମାତ୍ର କେବଳ ତୁମ୍ଭ ଦ୍ୱାରା ଆମ୍ଭେମାନେ ତୁମ୍ଭ ନାମର କୀର୍ତ୍ତନ କରିବା।
ISA 26:14 ସେମାନେ ମରିଅଛନ୍ତି, ସେମାନେ ଆଉ ଜୀବିତ ହେବେ ନାହିଁ; ସେମାନେ ମୃତ ହୋଇଅଛନ୍ତି, ସେମାନେ ଉଠିବେ ନାହିଁ; ଏହେତୁ ତୁମ୍ଭେ ପ୍ରତିଫଳ ଦେଇ ସେମାନଙ୍କୁ ସଂହାର କରିଅଛ ଓ ସେମାନଙ୍କ ସ୍ମରଣ ଲୁପ୍ତ କରିଅଛ।
ISA 26:15 ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ, ହେ ସଦାପ୍ରଭୋ, ତୁମ୍ଭେ ଏହି ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ; ତୁମ୍ଭେ ଗୌରବାନ୍ୱିତ ହୋଇଅଛ; ତୁମ୍ଭେ ଦେଶର ସୀମାସକଳ ବିସ୍ତାର କରିଅଛ।
ISA 26:16 ହେ ସଦାପ୍ରଭୋ, ସଙ୍କଟ ସମୟରେ ସେମାନେ ତୁମ୍ଭର ଅନ୍ୱେଷଣ କରିଅଛନ୍ତି, ତୁମ୍ଭର ଶାସ୍ତି ସେମାନଙ୍କ ଉପରେ ଥିବା ବେଳେ ସେମାନେ ପ୍ରାର୍ଥନା ଢାଳି ପକାଇଲେ।
ISA 26:17 ଗର୍ଭିଣୀ ପ୍ରସବକାଳର ନିକଟବର୍ତ୍ତୀ ହେବା ବେଳେ ଯେପରି ବ୍ୟଥିତା ହୁଏ ଓ ବେଦନାରେ କ୍ରନ୍ଦନ କରେ, ସେହିପରି ହେ ସଦାପ୍ରଭୋ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ହୋଇଅଛୁ।
ISA 26:18 ଆମ୍ଭେମାନେ ଗର୍ଭିଣୀ ହୋଇଅଛୁ, ଆମ୍ଭେମାନେ ବ୍ୟଥିତା ହୋଇ ବାୟୁ ପ୍ରସବ କରିଅଛୁ; ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ; କିଅବା ଜଗନ୍ନିବାସୀମାନେ ଭୂମିଷ୍ଠ ହୋଇ ନାହାନ୍ତି।
ISA 26:19 ତୁମ୍ଭର ମୃତମାନେ ଜୀବିତ ହେବେ; ମୋହର ଶବସବୁ ଉଠିବେ। ହେ ଧୂଳିନିବାସୀମାନେ, ତୁମ୍ଭେମାନେ ଉଠି ଗାନ କର; କାରଣ ତୁମ୍ଭର ଶିଶିର ତୃଣର ଶିଶିର ତୁଲ୍ୟ ଓ ଭୂମି ମୃତମାନଙ୍କୁ ବାହାର କରିଦେବ।
ISA 26:20 ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପକ୍ଷଣ ଆପଣାକୁ ଲୁଚାଅ।
ISA 26:21 କାରଣ ଦେଖ, ସଦାପ୍ରଭୁ ପୃଥିବୀ ନିବାସୀମାନଙ୍କର ଅପରାଧ ସକାଶେ ସେମାନଙ୍କୁ ଶାସ୍ତି ଦେବା ପାଇଁ ଆପଣା ସ୍ଥାନରୁ ବାହାର ହୋଇ ଆସୁଅଛନ୍ତି; ପୃଥିବୀ ହିଁ ଆପଣା ମଧ୍ୟସ୍ଥ ରକ୍ତ ପ୍ରକାଶ କରିବ ଓ ଆପଣା ହତ ଲୋକମାନଙ୍କୁ ଆଉ ଆଚ୍ଛାଦନ କରିବ ନାହିଁ।
ISA 27:1 ସେହି ଦିନ ସଦାପ୍ରଭୁ ଆପଣାର ନିର୍ଦ୍ଦୟ, ବୃହତ ଓ ଶକ୍ତିଶାଳୀ ଖଡ୍ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବୀୟାଥନକୁ ପ୍ରତିଫଳ ଦେବେ; ଆଉ, ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ।
ISA 27:2 ସେହି ଦିନରେ ଏକ ଦ୍ରାକ୍ଷାକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର।
ISA 27:3 ଆମ୍ଭେ ସଦାପ୍ରଭୁ ତାହା ରକ୍ଷା କରୁ; ଆମ୍ଭେ ନିମିଷକୁ ନିମିଷ ତହିଁରେ ଜଳ ସେଚନ କରିବା; କେହି ଯେପରି ତାହାର କ୍ଷତି ନ କରେ, ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା।
ISA 27:4 ଆମ୍ଭଠାରେ କ୍ରୋଧ ନାହିଁ; ଆଃ, ଯଦି କାନକୋଳି ଓ କଣ୍ଟକ ବୃକ୍ଷସବୁ ଯୁଦ୍ଧରେ ଆମ୍ଭର ବିପକ୍ଷ ହୁଅନ୍ତେ! ତେବେ ଆମ୍ଭେ ଆକ୍ରମଣ କରି ସେହି ସବୁକୁ ଏକାବେଳେ ଦଗ୍ଧ କରନ୍ତୁ।
ISA 27:5 ନଚେତ୍ ଆମ୍ଭ ସଙ୍ଗେ ମିଳନ କରିବା ପାଇଁ ସେ ଆମ୍ଭ ପରାକ୍ରମର ଅବଲମ୍ବନ କରୁ; ହଁ, ସେ ଆମ୍ଭ ସଙ୍ଗେ ମିଳନ କରୁ।
ISA 27:6 ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ; ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ।
ISA 27:7 ତାହାର ପ୍ରହାରକାରୀମାନଙ୍କୁ ସେ ଯେପରି ପ୍ରହାର କଲେ, ସେହିପରି ସେ କି ତାହାକୁ ପ୍ରହାର କରିଅଛନ୍ତି? ଅବା, ତାହା ଦ୍ୱାରା ହତ ଲୋକମାନଙ୍କ ତୁଲ୍ୟ ସେ କି ହତ ହୋଇଅଛି?
ISA 27:8 ତୁମ୍ଭେ ତାହାକୁ ବାହାର କରିବା ବେଳେ ପରିତ୍ରାଣକ୍ରମେ ତାହା ସଙ୍ଗେ ବିବାଦ କରୁଅଛ; ସେ ପୂର୍ବୀୟ ବାୟୁ ଦିନରେ ନିଜ ପ୍ରବଳ ବାୟୁ ଦ୍ୱାରା ତାହାକୁ ସ୍ଥାନାନ୍ତରିତ କରିଅଛନ୍ତି।
ISA 27:9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ।
ISA 27:10 କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି; ସେହି ସ୍ଥାନରେ ଗୋବତ୍ସ ଚରିବ ଓ ଶୟନ କରିବ, ପୁଣି, ବୃକ୍ଷର ଶାଖାସବୁ ଗ୍ରାସ କରିବ।
ISA 27:11 ତହିଁର ଡାଳସବୁ ଶୁଷ୍କ ହେଲେ ଭଙ୍ଗାଯିବ; ସ୍ତ୍ରୀମାନେ ଆସି ତହିଁରେ ଅଗ୍ନି ଲଗାଇବେ; କାରଣ ସେହି ଲୋକମାନେ ବୁଦ୍ଧିହୀନ; ଏହେତୁ ଯେ ସେମାନଙ୍କୁ ନିର୍ମାଣ କଲେ, ସେ ସେମାନଙ୍କ ପ୍ରତି ଦୟା କରିବେ ନାହିଁ ଓ ଯେ ସେମାନଙ୍କୁ ଗଢ଼ିଲେ, ସେ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।
ISA 27:12 ସେହି ଦିନ ସଦାପ୍ରଭୁ ପ୍ଲାବିତ ନଦୀ ସୀମା ମିସରର ସ୍ରୋତ ପର୍ଯ୍ୟନ୍ତ ଆପଣା ଫଳ ଝାଡ଼ିବେ, ପୁଣି, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏକ ଏକ ହୋଇ ସଂଗୃହୀତ ହେବ।
ISA 27:13 ଆଉ, ସେହି ଦିନରେ ଏକ ବୃହତ ତୂରୀ ବାଜିବ; ପୁଣି, ଅଶୂର ଦେଶରେ ନଷ୍ଟକଳ୍ପ ଓ ମିସର ଦେଶରେ ତାଡ଼ିତ ଲୋକମାନେ ଆସିବେ; ପୁଣି, ସେମାନେ ଯିରୂଶାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ।
ISA 28:1 ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର!
ISA 28:2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ।
ISA 28:3 ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ;
ISA 28:4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ।
ISA 28:5 ସେହି ଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ୱରୂପ ହେବେ;
ISA 28:6 ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର-ଦ୍ୱାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ୱରୂପ ହେବେ।
ISA 28:7 ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ୱାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍‍ବକ୍ତା ସୁରାପାନ ଦ୍ୱାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ୱାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି।
ISA 28:8 କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।
ISA 28:9 “ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ?
ISA 28:10 କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ।”
ISA 28:11 ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ୱାରା ଏହି ଲୋକମାନଙ୍କୁ କଥା କହିବେ;
ISA 28:12 ସେ ସେମାନଙ୍କୁ କହିଲେ, “ଏହି ବିଶ୍ରାମ, ତୁମ୍ଭେମାନେ କ୍ଳାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି, ପୁଣି, ଏହି ତ ଆରାମ,” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ।
ISA 28:13 ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍‍ ପଡ଼ି ଭଗ୍ନ ହେବେ, ଫାନ୍ଦରେ ପଡ଼ିବେ ଓ ଧୃତ ହେବେ, ଏଥିପାଇଁ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ ହେବ।
ISA 28:14 ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
ISA 28:15 ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,”
ISA 28:16 ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ୱରୂପ ବହୁମୂଲ୍ୟ କୋଣ-ପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ୱାସ କରେ, ସେ ଚଞ୍ଚଳ ହେବ ନାହିଁ।
ISA 28:17 ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।”
ISA 28:18 ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ।
ISA 28:19 ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ।
ISA 28:20 କାରଣ, ଆପଣାକୁ ଲମ୍ବାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର।
ISA 28:21 ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେହିପରି ଉଠିବେ, ଯେପରି ଗିବୀୟୋନ୍‍ର ତଳଭୂମିରେ, ସେହିପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ।
ISA 28:22 ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ।
ISA 28:23 ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର।
ISA 28:24 କୃଷକ ବୀଜ ବୁଣିବା ପାଇଁ କʼଣ ନିତ୍ୟ ହଳ ବୁଲାଏ? ସେ କʼଣ ନିତ୍ୟ ଶିଆର କରି ଆପଣାର ଭୂମିର ଟେଳା ଭାଙ୍ଗେ?
ISA 28:25 ସେ କʼଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚି ଦିଏ ନାହିଁ ଓ ଜୀରା ବୁଣେ ନାହିଁ ଓ ଧାଡ଼ି ଧାଡ଼ି କରି ଗହମ, ନିରୂପିତ ସ୍ଥାନରେ ଯବ ଓ କ୍ଷେତ୍ରର ସୀମାରେ କʼଣ ଜହ୍ନା ବୁଣେ ନାହିଁ?
ISA 28:26 କାରଣ, ତାହାର ପରମେଶ୍ୱର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି।
ISA 28:27 ଯେହେତୁ କଳାଜୀରା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ; ମାତ୍ର କଳାଜୀରା ଯଷ୍ଟିରେ ଓ ଜୀରା ଦଣ୍ଡରେ ପିଟାଯାଏ।
ISA 28:28 ରୁଟିର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ; ଆଉ, ଯଦ୍ୟପି ତାହାର ଶକଟ ଚକ୍ର ଓ ତାହାର ଅଶ୍ୱଗଣ ତାହା ଛିନ୍ନଭିନ୍ନ କରି ପକାନ୍ତି, ତଥାପି ସେ ତାହା ଚୂର୍ଣ୍ଣ କରେ ନାହିଁ।
ISA 28:29 ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ, ସେ ମନ୍ତ୍ରଣାରେ ଆଶ୍ଚର୍ଯ୍ୟ ଓ ଜ୍ଞାନରେ ମହାନ।
ISA 29:1 ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର! ବର୍ଷକୁ ବର୍ଷ ଯୋଗ କର; ପର୍ବମାନ ପାଳି ଅନୁକ୍ରମେ ଆସୁ;
ISA 29:2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।
ISA 29:3 ପୁଣି, ଆମ୍ଭେ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବା ଓ ଗଡ଼ବନ୍ଦୀ କରି ତୁମ୍ଭକୁ ବେଷ୍ଟନ କରିବା ଓ ତୁମ୍ଭ ପ୍ରତିକୂଳରେ ଅବରୋଧକ ଉପାୟ ପ୍ରସ୍ତୁତ କରିବା।
ISA 29:4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍‍ ଫୁସ୍‍ ଶବ୍ଦ ଉଠିବ।
ISA 29:5 ମାତ୍ର ତୁମ୍ଭ ଶତ୍ରୁଗଣର ଲୋକସମୂହ ସୂକ୍ଷ୍ମ ଧୂଳିର ନ୍ୟାୟ ହେବ ଓ ଭୟଙ୍କରମାନଙ୍କର ଲୋକସମୂହ ଉଡ଼ିଯିବା ତୁଷ ପରି ହେବ; ଏକ ନିମିଷରେ ହଠାତ୍‍ ଏହା ଘଟିବ।
ISA 29:6 ସୈନ୍ୟାଧିପତି ସଦାପ୍ରଭୁ ମେଘ ଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।
ISA 29:7 ପୁଣି, ସର୍ବଗୋଷ୍ଠୀୟ ଯେଉଁ ଲୋକସମୂହ ଅରୀୟେଲ ବିରୁଦ୍ଧରେ ଯୁଦ୍ଧ କରନ୍ତି, ଅର୍ଥାତ୍‍, ଯେଉଁମାନେ ତାହାର ଓ ତାହାର ଦୃଢ଼ ଦୁର୍ଗ ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ସଙ୍କଟାପନ୍ନ କରନ୍ତି, ସେସମସ୍ତେ ସ୍ୱପ୍ନ ତୁଲ୍ୟ, ରାତ୍ରିକାଳୀନ ଦର୍ଶନ ତୁଲ୍ୟ ହେବେ।
ISA 29:8 ଆଉ, ଯେପରି କ୍ଷୁଧିତ ଲୋକ ସ୍ୱପ୍ନରେ ଭୋଜନ କରୁଅଛି ବୋଲି ଦେଖେ, ମାତ୍ର ଜାଗ୍ରତ ହେଲେ, ତାହାର ପ୍ରାଣ ଶୂନ୍ୟ ଥାଏ; ଅବା ଯେପରି ତୃଷିତ ଲୋକ ଜଳ ପାନ କରୁଅଛି ବୋଲି ସ୍ୱପ୍ନରେ ଦେଖେ, ମାତ୍ର ଜାଗ୍ରତ ହେଲେ ଦେଖ, ସେ ଦୁର୍ବଳ ଥାଏ ଓ ତାହାର ପ୍ରାଣ ତୃଷିତ ଥାଏ, ସିୟୋନ ପର୍ବତର ପ୍ରତିକୂଳରେ ଯୁଦ୍ଧକାରୀ ସର୍ବଗୋଷ୍ଠୀୟ ଲୋକସମୂହ ସେହିପରି ହେବେ।
ISA 29:9 ତୁମ୍ଭେମାନେ ସ୍ଥଗିତ ଓ ଚମତ୍କୃତ ହୁଅ; ଆମୋଦ କରି ଅନ୍ଧ ହୁଅ; ସେମାନେ ମତ୍ତ ଅଛନ୍ତି, ମାତ୍ର ଦ୍ରାକ୍ଷାରସରେ ନୁହେଁ; ସେମାନେ ଟଳଟଳ ହୁଅନ୍ତି, ମାତ୍ର ସୁରାପାନରେ ନୁହେଁ।
ISA 29:10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଅଛନ୍ତି ଓ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣରୂପ ଚକ୍ଷୁ ମୁଦ୍ରିତ କରିଅଛନ୍ତି ଓ ଦର୍ଶକଗଣ ସ୍ୱରୂପ ତୁମ୍ଭମାନଙ୍କର ମସ୍ତକ ସେ ଆଚ୍ଛାଦିତ କରିଅଛନ୍ତି।
ISA 29:11 ପୁଣି, ଯାବତୀୟ ଦର୍ଶନ ତୁମ୍ଭମାନଙ୍କର ପ୍ରତି ମୁଦ୍ରାଙ୍କବଦ୍ଧ ପୁସ୍ତକର ବାକ୍ୟ ତୁଲ୍ୟ ହୋଇଅଛି, କେହି ଶିକ୍ଷିତ ଲୋକକୁ ତାହା ଦେଇ ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ଏହା ମୁଦ୍ରାଙ୍କବଦ୍ଧ, ଏଣୁ ମୁଁ ପାଠ କରି ନ ପାରେ।”
ISA 29:12 ଆଉ, ସେହି ପୁସ୍ତକ ଅଶିକ୍ଷିତ ଲୋକକୁ ଦେଇ, ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ମୁଁ ଶିକ୍ଷିତ ଲୋକ ନୁହେଁ।”
ISA 29:13 ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।
ISA 29:14 ଏହେତୁ ଦେଖ, ଆମ୍ଭେ ଏହି ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ କର୍ମ, ଅର୍ଥାତ୍‍, ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର୍ମ କରିବା, ପୁଣି, ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚାଯିବ।”
ISA 29:15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?”
ISA 29:16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”
ISA 29:17 ଅତି ଅଳ୍ପ କାଳ ଉତ୍ତାରେ ଲିବାନୋନ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ହେବ ନାହିଁ?
ISA 29:18 ପୁଣି, ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି, ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ।
ISA 29:19 ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।
ISA 29:20 କାରଣ ଭୟଙ୍କର ଲୋକ ଅକିଞ୍ଚନା ହୋଇଅଛି, ନିନ୍ଦକ ନିବୃତ୍ତ ହେଉଅଛି ଓ ଯେଉଁମାନେ ଅଧର୍ମ ପାଇଁ ଜଗି ରହନ୍ତି, ସେସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି;
ISA 29:21 ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର-ଦ୍ୱାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।
ISA 29:22 ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ।
ISA 29:23 ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ।
ISA 29:24 ଯେଉଁମାନେ ଭ୍ରାନ୍ତମନା, ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ-କଥା ଶିଖିବେ।”
ISA 30:1 ସଦାପ୍ରଭୁ କହନ୍ତି, “ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର!
ISA 30:2 ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି।
ISA 30:3 ଏହେତୁ ଫାରୋର ବଳ ତୁମ୍ଭମାନଙ୍କର ଲଜ୍ଜାଜନକ ହେବ ଓ ମିସରର ଛାୟାରେ ଆଶ୍ରୟ ନେବା ତୁମ୍ଭମାନଙ୍କର ଅପମାନଜନକ ହେବ।
ISA 30:4 କାରଣ ତାହାର ଅଧିପତିମାନେ ସୋୟନରେ ଅଛନ୍ତି ଓ ତାହାର ରାଜଦୂତଗଣ ହାନେଷକୁ ଆସିଅଛନ୍ତି।
ISA 30:5 ଯେଉଁ ଗୋଷ୍ଠୀ ସେମାନଙ୍କର ଉପକାର କରି ନ ପାରନ୍ତି, ସେମାନଙ୍କ ବିଷୟରେ ସେସମସ୍ତେ ଲଜ୍ଜିତ ହେବେ, ସେ ଗୋଷ୍ଠୀ ସାହାଯ୍ୟକାରୀ କିମ୍ବା ଉପକାରଜନକ ନୁହନ୍ତି, ମାତ୍ର ଲଜ୍ଜା ଓ ଦୁର୍ନାମ ସ୍ୱରୂପ ଅଟନ୍ତି।”
ISA 30:6 ଦକ୍ଷିଣର ପଶୁଗଣ ବିଷୟକ ଭବିଷ୍ୟତବାଣୀ। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ୱାରା ସେମାନଙ୍କର ଉପକାର ହେବ ନାହିଁ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍‍ଜା ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି।
ISA 30:7 କାରଣ ମିସର ମିଥ୍ୟା ଓ ବୃଥାରେ ସାହାଯ୍ୟ କରେ; ଏଥିପାଇଁ ଆମ୍ଭେ ତାହାକୁ ନିଷ୍କର୍ମରେ ଉପବିଷ୍ଟ ରାହବ ବୋଲି ନାମ ଦେଇଅଛୁ।
ISA 30:8 ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନନ୍ତକାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ନଳାକାର ପୁସ୍ତକରେ ତାହା ଲିପିବଦ୍ଧ କର।
ISA 30:9 କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;
ISA 30:10 ସେମାନେ ଦର୍ଶକଗଣକୁ କହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହନ୍ତି, ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର;
ISA 30:11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ିଦିଅ, ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।”
ISA 30:12 ଏହେତୁ ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି, ଉପଦ୍ରବ ଓ କୁଟିଳତାରେ ବିଶ୍ୱାସ କରି ତହିଁ ଉପରେ ନିର୍ଭର ରଖୁଅଛ;
ISA 30:13 ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍‍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ।
ISA 30:14 ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେହିପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେ; ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ଡରୁ ଜଳ ନେବା ଭଳି ଖଣ୍ଡେ ଖପରା ହିଁ ତହିଁରୁ ମିଳିବ ନାହିଁ।”
ISA 30:15 କାରଣ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କହିଲେ, “ଫେରିଲେ ଓ ଶାନ୍ତ ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ; ସୁସ୍ଥିରତା ଓ ବିଶ୍ୱାସରେ ତୁମ୍ଭମାନଙ୍କର ବଳ ହେବ, ପୁଣି, ତୁମ୍ଭେମାନେ ଅସମ୍ମତ ହେଲ।”
ISA 30:16 ମାତ୍ର ତୁମ୍ଭେମାନେ କହିଲ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ;” ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, “ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା;” ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍‍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ।
ISA 30:17 ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡ ସ୍ୱରୂପ ହୋଇ ଅବଶିଷ୍ଟ ରହିବ।
ISA 30:18 ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।
ISA 30:19 ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବାମାତ୍ରେ ତୁମ୍ଭକୁ ଉତ୍ତର ଦେବେ।
ISA 30:20 ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଲେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ।
ISA 30:21 ପୁଣି, ଦକ୍ଷିଣରେ କିମ୍ବା ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, “ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର।”
ISA 30:22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମାଗଣର ମଣ୍ଡନ ଓ ଛାଞ୍ଚରେ ଢଳା ସ୍ୱର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେହି ସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ, ଏଠାରୁ ବାହାରି ଯାଅ।
ISA 30:23 ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେହି ଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ।
ISA 30:24 ମଧ୍ୟ ଭୂମି ଚାଷକାରୀ ବଳଦ, ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ।
ISA 30:25 ଆଉ, ଯେଉଁ ମହାହତ୍ୟା ଦିନରେ ଦୁର୍ଗସବୁ ପତିତ ହେବ, ସେହି ଦିନରେ ପ୍ରତ୍ୟେକ ଉଚ୍ଚ ପର୍ବତରେ, ପ୍ରତ୍ୟେକ ଉଚ୍ଚ ଗିରିରେ ନଦୀ ଓ ଜଳସ୍ରୋତ ହେବ।
ISA 30:26 ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେହି ଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ।
ISA 30:27 ଦେଖ, ସଦାପ୍ରଭୁଙ୍କର ନାମ ତାହାଙ୍କ କ୍ରୋଧରେ ପ୍ରଜ୍ୱଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି; ତାହାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାହାଙ୍କର ଜିହ୍ୱା ସର୍ବଗ୍ରାସକ ଅଗ୍ନି ତୁଲ୍ୟ;
ISA 30:28 ପୁଣି, ତାହାଙ୍କର ଶ୍ୱାସବାୟୁ ପ୍ଲାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ।
ISA 30:29 ପବିତ୍ର ଉତ୍ସବ ପାଳନର ରାତ୍ରିରେ ଯେପରି, ସେହିପରି ତୁମ୍ଭେମାନେ ଗାନ କରିବ; ପୁଣି, ଲୋକେ ଯେପରି ସଦାପ୍ରଭୁଙ୍କ ପର୍ବତକୁ, ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେହିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ।
ISA 30:30 ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ଡତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ, ଝଡ଼ ଓ ଶିଳାବୃଷ୍ଟି ଦ୍ୱାରା ଆପଣାର ପ୍ରତାପାନ୍ୱିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ।
ISA 30:31 କାରଣ ସଦାପ୍ରଭୁଙ୍କ ରବରେ ଅଶୂର ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ, ସେ ତାହାକୁ ଦଣ୍ଡାଘାତ କରିବେ।
ISA 30:32 ପୁଣି, ଯେଉଁ ନିରୂପିତ ଯଷ୍ଟି ସଦାପ୍ରଭୁ ତାହା ଉପରେ ଥୋଇବେ, ତହିଁର ପ୍ରତ୍ୟେକ ଆଘାତ ସମୟରେ ତବଲା ଓ ବୀଣା ବାଜିବ ଓ ସେ ସେମାନଙ୍କ ସହିତ ମହାଯୁଦ୍ଧ କରିବେ।
ISA 30:33 କାରଣ ତୋଫତ୍‍ (ଅଗ୍ନିକୁଣ୍ଡ) ପୂର୍ବକାଳରୁ ନିର୍ମିତ ହୋଇଅଛି ଓ ତାହା ରାଜାର ନିମନ୍ତେ ପ୍ରସ୍ତୁତ ହୋଇଅଛି; ସେ ତାହାକୁ ଗଭୀର ଓ ପ୍ରଶସ୍ତ କରିଅଛନ୍ତି, ତହିଁର ସ୍ତୂପ ଅଗ୍ନି ଓ ପ୍ରଚୁର କାଷ୍ଠମୟ; ପୁଣି, ସଦାପ୍ରଭୁଙ୍କ ଫୁତ୍କାର ଗନ୍ଧକ ସ୍ରୋତନ୍ୟାୟ ତାହା ପ୍ରଜ୍ୱଳିତ କରେ।
ISA 31:1 ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ୱଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ୱାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ୱେଷଣ ନ କରନ୍ତି, ସେମାନେ ସନ୍ତାପର ପାତ୍ର!
ISA 31:2 ତଥାପି ସେ ମଧ୍ୟ ଜ୍ଞାନବାନ ଓ ସେ ଅମଙ୍ଗଳ ଘଟାଇବେ, ପୁଣି, ଆପଣା ବାକ୍ୟ ଅନ୍ୟଥା କରିବେ ନାହିଁ; ମାତ୍ର ସେ କୁକ୍ରିୟାକାରୀମାନଙ୍କ ବଂଶର ପ୍ରତିକୂଳରେ ଓ ଅଧର୍ମାଚାରୀମାନଙ୍କ ସହାୟଗଣର ପ୍ରତିକୂଳରେ ଉଠିବେ।
ISA 31:3 ମିସରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହନ୍ତି ଓ ସେମାନଙ୍କ ଅଶ୍ୱଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ।
ISA 31:4 କାରଣ ସଦାପ୍ରଭୁ ଆମ୍ଭକୁ ଏହି କଥା କହନ୍ତି, “ଯେପରି ସିଂହ ଓ ଯୁବା ସିଂହ ଆପଣା ଶିକାର ଉପରେ ଗର୍ଜ୍ଜନ କରେ, ଅନେକ ଅନେକ ମେଷପାଳକ ତାହା ବିରୁଦ୍ଧରେ ଡକାଗଲେ ହେଁ ସେ ସେମାନଙ୍କ ରବରେ ଉଦ୍‍ବିଗ୍ନ ହୁଏ ନାହିଁ, କିଅବା ସେମାନଙ୍କ କୋଳାହଳରେ ଆପଣାକୁ ଅବନତ କରେ ନାହିଁ, ସେହିପରି ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ ଓ ତହିଁର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ।
ISA 31:5 ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ରକ୍ଷା କରନ୍ତି, ସେହିପରି ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମକୁ ରକ୍ଷା କରିବେ; ସେ ତାହାକୁ ରକ୍ଷା କରି ଉଦ୍ଧାର କରିବେ, ସେ ତାହାକୁ ନିସ୍ତାର କରି ରକ୍ଷା କରିବେ।”
ISA 31:6 ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଅତିଶୟ ଦ୍ରୋହାଚରଣ କରି ଯାହାଙ୍କଠାରୁ ବିମୁଖ ହୋଇଅଛ, ତାହାଙ୍କ ନିକଟକୁ ଫେରି ଆସ।
ISA 31:7 କାରଣ ସେହି ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ହସ୍ତନିର୍ମିତ ରୌପ୍ୟପ୍ରତିମା ଓ ସ୍ୱର୍ଣ୍ଣ-ପ୍ରତିମାରୂପ ପାପବସ୍ତୁ ପକାଇ ଦେବ।
ISA 31:8 “ସେହି ସମୟରେ ଅଶୂରୀୟ ଖଡ୍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ୍ଗରେ ନୁହେଁ; ପୁଣି ଖଡ୍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ୍ଗ ନୁହେଁ; ଆଉ, ସେ ଖଡ୍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ।
ISA 31:9 ପୁଣି, ତ୍ରାସପ୍ରଯୁକ୍ତ ତାହାର ଶୈଳ ଅନ୍ତର୍ହିତ ହେବ ଓ ତାହାର ଅଧିପତିମାନେ ଧ୍ୱଜା ଦେଖି ଉଦ୍‍ବିଗ୍ନ ହେବେ,” ସିୟୋନରେ ଯାହାଙ୍କର ଅଗ୍ନି ଓ ଯିରୂଶାଲମରେ ଯାହାଙ୍କର ଅଗ୍ନିକୁଣ୍ଡ ଅଛି, ସେହି ସଦାପ୍ରଭୁ ଏହି କଥା କହନ୍ତି।
ISA 32:1 ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ।
ISA 32:2 ପୁଣି, ପ୍ରତ୍ୟେକେ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ ଶୈଳର ଛାୟା ସ୍ୱରୂପ ହେବେ।
ISA 32:3 ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ।
ISA 32:4 ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ୱା ସହଜରେ ସ୍ପଷ୍ଟ କଥା କହିବ।
ISA 32:5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ହେବ ନାହିଁ।
ISA 32:6 କାରଣ ପାଷାଣ୍ଡତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ।
ISA 32:7 ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍‍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ୱାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ।
ISA 32:8 ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ।
ISA 32:9 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର।
ISA 32:10 ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍‍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।
ISA 32:11 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍‍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ।
ISA 32:12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରି ହେବେ।
ISA 32:13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;
ISA 32:14 କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ;
ISA 32:15 ଶେଷରେ ଊର୍ଦ୍ଧ୍ୱରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ।
ISA 32:16 ସେତେବେଳେ ପ୍ରାନ୍ତରରେ ନ୍ୟାୟବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ।
ISA 32:17 ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ; ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ।
ISA 32:18 ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।
ISA 32:19 ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ।
ISA 32:20 ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ।
ISA 33:1 ଆପେ ଲୁଟିତ ନୋହିଲେ ହେଁ ଲୁଟୁଅଛ ଯେ ତୁମ୍ଭେ; ପୁଣି, ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା ନ କଲେ ହେଁ ବିଶ୍ୱାସଘାତକତା କରୁଅଛ ଯେ ତୁମ୍ଭେ, ତୁମ୍ଭେ ସନ୍ତାପର ପାତ୍ର! ତୁମ୍ଭେ ଲୁଟିବାର ସମାପ୍ତ କଲା ଉତ୍ତାରେ ଲୁଟିତ ହେବ ଓ ବିଶ୍ୱାସଘାତକତା କରିବାର ସମାପ୍ତ କଲା ଉତ୍ତାରେ ଲୋକମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।
ISA 33:2 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି କୃପା କର; ଆମ୍ଭେମାନେ ତୁମ୍ଭର ଅପେକ୍ଷା କରିଅଛୁ; ତୁମ୍ଭେ ପ୍ରତି ପ୍ରଭାତ ସେମାନଙ୍କର ବାହୁ ସ୍ୱରୂପ ହୁଅ, ସଙ୍କଟ ସମୟରେ ମଧ୍ୟ ଆମ୍ଭମାନଙ୍କର ଉଦ୍ଧାର ସ୍ୱରୂପ ହୁଅ।
ISA 33:3 କୋଳାହଳର ଶବ୍ଦରେ ଗୋଷ୍ଠୀୟମାନେ ପଳାୟନ କଲେ, ତୁମ୍ଭେ ଉଠନ୍ତେ, ଅନ୍ୟ ଦେଶୀୟମାନେ ଛିନ୍ନଭିନ୍ନ ହେଲେ।
ISA 33:4 ପୁଣି, ଯେପରି ପତଙ୍ଗ ସଂଗ୍ରହ କରେ, ସେହିପରି ତୁମ୍ଭମାନଙ୍କର ଲୁଟିତ ସଂଗୃହୀତ ହେବ; ଯେପରି ଫଡ଼ିଙ୍ଗମାନେ ଡିଆଁ ମାରନ୍ତି, ସେହିପରି ଲୋକମାନେ ତହିଁ ଉପରେ ଡିଆଁ ମାରିବେ।
ISA 33:5 ସଦାପ୍ରଭୁ ଉନ୍ନତ; କାରଣ ସେ ଊର୍ଦ୍ଧ୍ୱଲୋକରେ ବାସ କରନ୍ତି; ସେ ସିୟୋନକୁ ନ୍ୟାୟବିଚାର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।
ISA 33:6 ପୁଣି, ତୁମ୍ଭ ସମୟରେ ସୁସ୍ଥିରତା ହେବ; ପରିତ୍ରାଣର, ଜ୍ଞାନର ଓ ବୁଦ୍ଧିର ବାହୁଲ୍ୟ ହେବ; ସଦାପ୍ରଭୁ ବିଷୟକ ଭୟ ତାହାର ଭଣ୍ଡାର।
ISA 33:7 ଦେଖ, ସେମାନଙ୍କର ବିକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଅଛନ୍ତି; ସନ୍ଧି-ଅନ୍ୱେଷଣକାରୀ ଦୂତମାନେ ଅତିଶୟ ରୋଦନ କରୁଅଛନ୍ତି।
ISA 33:8 ରାଜପଥସବୁ ନରଶୂନ୍ୟ, ପଥିକ କେହି ନାହିଁ; ସେ ନିୟମ ଭାଙ୍ଗିଅଛି, ସେ ନଗରସବୁକୁ ତୁଚ୍ଛ କରିଅଛି, ସେ ମନୁଷ୍ୟକୁ ଗଣେ ନାହିଁ।
ISA 33:9 ଦେଶ ବିଳାପ କରି ମଳିନ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ଶୁଷ୍କ ହେଉଅଛି; ଶାରୋଣ ଅରଣ୍ୟ ତୁଲ୍ୟ ହୋଇଅଛି; ପୁଣି ବାଶନ ଓ କର୍ମିଲ ପତ୍ର ଝାଡ଼ି ଦେଉଅଛନ୍ତି।
ISA 33:10 ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା,” “ଆମ୍ଭେ ଏବେ ଆପଣାକୁ ଉଠାଇବା; ଆମ୍ଭେ ଏବେ ଉନ୍ନତ ହେବା।
ISA 33:11 ତୁମ୍ଭେମାନେ ତୁଷରୂପ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ; ତୁମ୍ଭମାନଙ୍କର ଅଗ୍ନିବତ୍‍ ଶ୍ୱାସବାୟୁ ତୁମ୍ଭମାନଙ୍କୁ ଗ୍ରାସ କରିବ।
ISA 33:12 ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।
ISA 33:13 ହେ ଦୂରବର୍ତ୍ତୀ ଲୋକ ସମସ୍ତେ, ତୁମ୍ଭେମାନେ ଆମ୍ଭ କୃତ କର୍ମର କଥା ଶୁଣ; ପୁଣି, ହେ ନିକଟବର୍ତ୍ତୀ ଲୋକ ସମସ୍ତେ, ତୁମ୍ଭେମାନେ ଆମ୍ଭର ପରାକ୍ରମ ସ୍ୱୀକାର କର।”
ISA 33:14 ସିୟୋନରେ ପାପୀମାନେ ଭୀତ ଅଟନ୍ତି; ଅଧାର୍ମିକମାନଙ୍କୁ କମ୍ପ ହଠାତ୍‍ ଆକ୍ରମଣ କରିଅଛି। ଆମ୍ଭମାନଙ୍କ ମଧ୍ୟରୁ କିଏ ସର୍ବଗ୍ରାସକ ଅଗ୍ନିରେ ବାସ କରିପାରେ? ଆମ୍ଭମାନଙ୍କ ମଧ୍ୟରୁ କିଏ ଅନନ୍ତକାଳସ୍ଥାୟୀ ଜ୍ୱଳନରେ ବାସ କରିପାରେ?
ISA 33:15 ଯେଉଁ ଲୋକ ଧର୍ମରୂପ ପଥରେ ଚାଲେ ଓ ଯେ ସରଳ କଥା କହେ; ଯେଉଁ ଲୋକ ଉପଦ୍ରବଜାତ ଲାଭ ତୁଚ୍ଛ କରେ ଓ ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଏ, ଯେ ରକ୍ତପାତ କଥାର ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରେ, ପୁଣି ଦୁଷ୍କର୍ମର ଦର୍ଶନରୁ ଆପଣା ଚକ୍ଷୁ ମୁଦ୍ରିତ କରେ;
ISA 33:16 ସେ ଉଚ୍ଚସ୍ଥାନରେ ବାସ କରିବ; ଶୈଳଗଣର ଦୁରାକ୍ରମ ସ୍ଥାନ ତାହାର ଦୁର୍ଗ ସ୍ୱରୂପ ହେବ; ତାହାର ଭକ୍ଷ୍ୟ ତାହାକୁ ଦିଆଯିବ; ତାହାର ଜଳର ଅଭାବ ହେବ ନାହିଁ।
ISA 33:17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ; ଏକ ଦୂରବ୍ୟାପୀ ଦେଶ ଦେଖିବ।
ISA 33:18 ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ? ମୁଦ୍ରା ତୌଲକାରୀ କାହିଁ? ଦୁର୍ଗ ଗଣନାକାରୀ କାହିଁ?
ISA 33:19 ତୁମ୍ଭେ ସେହି ଦୁରନ୍ତ ଗୋଷ୍ଠୀକୁ, ଅର୍ଥାତ୍‍, ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣି ପାରିଲ ନାହିଁ, ଯେଉଁମାନଙ୍କର ବିଦେଶୀୟ ଭାଷା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।
ISA 33:20 ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି ସ୍ଥାନ ଯିରୂଶାଲମକୁ ଦେଖିବ, ତାହା ଅଟଳ ତମ୍ବୁ ସ୍ୱରୂପ, ତହିଁର କିଳାସବୁ କେବେ ଉପୁଡ଼ା ଯିବ ନାହିଁ, କିଅବା ତହିଁର କୌଣସି ରଜ୍ଜୁ ଛିଣ୍ଡିବ ନାହିଁ।
ISA 33:21 ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ, ପ୍ରଶସ୍ତ ନଦ-ନଦୀ ଓ ସ୍ରୋତସମୂହର ସ୍ଥାନ ସ୍ୱରୂପ ହେବେ; ସେହି ସ୍ଥାନରେ ଆହୁଲାଯୁକ୍ତ କୌଣସି ପୋତ ଗମନ କରିବ ନାହିଁ, କିଅବା ଭୟଙ୍କର ଜାହାଜ ତାହା ପାର ହେବ ନାହିଁ।
ISA 33:22 କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।
ISA 33:23 ତୁମ୍ଭର ପାଲ-ଦଉଡ଼ିସବୁ ହୁଗୁଳା ହୋଇଅଛି, ସେହି ସବୁ ଆପଣା ମାସ୍ତୁଲକୁ ଦୃଢ଼ ଓ ପାଲକୁ ବିସ୍ତାର କରି ପାରିଲା ନାହିଁ; ସେତେବେଳେ ବିସ୍ତର ଲୁଟିତ ଦ୍ରବ୍ୟ ବିଭାଗ କରାଗଲା; ଛୋଟା ଲୋକ ଲୁଟିତ ଦ୍ରବ୍ୟ ଧରିଲା।
ISA 33:24 ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ; ତନ୍ନିବାସୀଲୋକମାନଙ୍କର ଅପରାଧ କ୍ଷମା କରାଯିବ।
ISA 34:1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନସକଳ ପଦାର୍ଥ ଶ୍ରବଣ କରୁ।
ISA 34:2 କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି।
ISA 34:3 ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ।
ISA 34:4 ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ।
ISA 34:5 କାରଣ ଆମ୍ଭର ଖଡ୍ଗ ସ୍ୱର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ।
ISA 34:6 ସଦାପ୍ରଭୁଙ୍କ ଖଡ୍ଗ ରକ୍ତରେ ପରିତୃପ୍ତ, ମେଦରେ ଓ ଛାଗଗଣର ଗୁର୍ଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ଡ ହେବ।
ISA 34:7 ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ।
ISA 34:8 କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ବନ୍ଧୀୟ ପ୍ରତିଫଳର ବର୍ଷ।
ISA 34:9 ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ।
ISA 34:10 ତାହା ଦିବାରାତ୍ର ନିର୍ବାଣ ହେବ ନାହିଁ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନନ୍ତକାଳ ତାହାର ମଧ୍ୟଦେଇ କେହି ଗମନ କରିବ ନାହିଁ।
ISA 34:11 ମାତ୍ର ପାଣିଭେଳା ଓ ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଓ ଡାମରା କାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଓ ଶୂନ୍ୟତାରୂପ ଓଳମ ଟାଣିବେ।
ISA 34:12 ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ; ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।
ISA 34:13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକଲତା ବଢ଼ିବ, ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ।
ISA 34:14 ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଓ ଛାଗ ଦେବତା ଆପଣା ସଙ୍ଗୀକୁ ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ-ସ୍ଥାନ ପାଇବ।
ISA 34:15 ସେହି ସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ବ ଦେବ ଓ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ।
ISA 34:16 ତୁମ୍ଭେମାନେ ସଦାପ୍ରଭୁଙ୍କ ନଳାକାର ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ହେବ ନାହିଁ, କେହି ଆପଣା ସଙ୍ଗିନୀବିହୀନ ହେବ ନାହିଁ; କାରଣ ମୋʼ ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି।
ISA 34:17 ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦାକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ।
ISA 35:1 ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ।
ISA 35:2 ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ।
ISA 35:3 ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର।
ISA 35:4 ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।”
ISA 35:5 ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ।
ISA 35:6 ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ।
ISA 35:7 ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ।
ISA 35:8 ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ।
ISA 35:9 ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ;
ISA 35:10 ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।
ISA 36:1 ହିଜକୀୟ ରାଜାଙ୍କ ରାଜତ୍ଵର ଚତୁର୍ଦ୍ଦଶ ବର୍ଷରେ ଅଶୂରର ରାଜା ସନ୍‍‌‌ହେରୀବ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସବୁର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା।
ISA 36:2 ତହିଁରେ ଅଶୂରର ରାଜା ରବ୍‍ଶାକିକୁ ମହାସୈନ୍ୟ ସହିତ ଲାଖୀଶ୍‍ଠାରୁ ଯିରୂଶାଲମକୁ ହିଜକୀୟ ରାଜା ନିକଟକୁ ପଠାଇଲା। ଆଉ, ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।
ISA 36:3 ତେବେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ।
ISA 36:4 ତହିଁରେ ରବ୍‍ଶାକି ସେମାନଙ୍କୁ କହିଲା, “ଏବେ ତୁମ୍ଭେମାନେ ହିଜକୀୟକୁ କୁହ, ‘ମହାରାଜ ଅଶୂରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ, ତାହା କିରୂପ ବିଶ୍ୱାସ?
ISA 36:5 ମୁଁ କହୁଅଛି, ଯୁଦ୍ଧ କରିବା ପାଇଁ ତୁମ୍ଭର ମନ୍ତ୍ରଣା ଓ ବଳ କେବଳ ବୃଥା କଥା; ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?
ISA 36:6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
ISA 36:7 ମାତ୍ର ଯଦି ତୁମ୍ଭେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ; ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦିସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଯିରୂଶାଲମକୁ କହିଅଛି, ତୁମ୍ଭେମାନେ ଏହି ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ, ସେ କʼଣ ସେହି ନୁହନ୍ତି?
ISA 36:8 ଏହେତୁ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
ISA 36:9 ତେବେ କିପରି ତୁମ୍ଭେ ମୋʼ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ବିମୁଖ କରି ପାରିବ, ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିସର ଉପରେ ବିଶ୍ୱାସ କରିବ?
ISA 36:10 ମୁଁ କʼଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି? ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।’”
ISA 36:11 ଏଥିରେ ଇଲିୟାକୀମ୍‍, ଶିବ୍‍ନ ଓ ଯୋୟାହ ରବ୍‍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଆପଣା ଦାସମାନଙ୍କୁ କୁହନ୍ତୁ; କାରଣ ଆମ୍ଭେମାନେ ତାହା ବୁଝୁଅଛୁ; ପୁଣି, ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ ଯିହୁଦୀୟ ଭାଷାରେ ନ କୁହନ୍ତୁ।”
ISA 36:12 ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହିସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”
ISA 36:13 ତହୁଁ ରବ୍‍ଶାକି ଠିଆ ହୋଇ ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ ଏହି କଥା କହିଲା, “ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥା ଶୁଣ।
ISA 36:14 ରାଜା ଏହି କଥା କହନ୍ତି, ‘ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ଦିଅ ନାହିଁ; କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରି ପାରିବ ନାହିଁ;
ISA 36:15 କିଅବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ ଓ ଏହି ନଗର ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ହିଜକୀୟ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ନ କରାଉ।
ISA 36:16 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ କତିକି ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର;
ISA 36:17 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ ତୁମ୍ଭମାନଙ୍କୁ ନେଇଯିବି।
ISA 36:18 ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?
ISA 36:19 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଦେବତାମାନେ କାହାନ୍ତି? ଓ ସେମାନେ କʼଣ ମୋʼ ହସ୍ତରୁ ଶମରୀୟାକୁ ଉଦ୍ଧାର କରିଅଛନ୍ତି?
ISA 36:20 ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋʼ ହସ୍ତରୁ ଆପଣାମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋʼ ହସ୍ତରୁ ଯିରୂଶାଲମକୁ ଉଦ୍ଧାର କରିବେ?’”
ISA 36:21 ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ତାହାକୁ ପଦେ ମାତ୍ର ଉତ୍ତର କଲେ ନାହିଁ; କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାର ଆଜ୍ଞା ଥିଲା।
ISA 36:22 ତହିଁରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍‍ଶାକିର କଥାସବୁ ତାହାକୁ ଜଣାଇଲେ।
ISA 37:1 ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ଗୃହକୁ ଗଲା।
ISA 37:2 ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ, ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲା।
ISA 37:3 ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ‘ଆଜି ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
ISA 37:4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’”
ISA 37:5 ଏହିରୂପେ ହିଜକୀୟ ରାଜାର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।
ISA 37:6 ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ ଏହିପରି କହିବ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଦାସମାନେ ଆମ୍ଭଙ୍କୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।
ISA 37:7 ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ; ଆଉ, ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”
ISA 37:8 ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍‍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍‍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।
ISA 37:9 ପୁଣି, ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା ଯେ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି; ଏହା ଶୁଣି ସେ ହିଜକୀୟ ନିକଟକୁ ଦୂତଗଣ ପଠାଇ କହିଲା,
ISA 37:10 “ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟକୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।
ISA 37:11 ଦେଖ, ଅଶୂରୀୟ ରାଜାମାନେ ନିଃଶେଷ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ଆଉ, ତୁମ୍ଭେ କʼଣ ଉଦ୍ଧାର ପାଇବ?
ISA 37:12 ମୋʼ ପିତୃଲୋକମାନେ ଯେଉଁ ଗୋଶନ, ହାରଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଳଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?
ISA 37:13 ହମାତର ରାଜା, ଅର୍ପଦର ରାଜା, ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”
ISA 37:14 ତହିଁରେ ହିଜକୀୟ ଦୂତଗଣର ହସ୍ତରୁ ପତ୍ର ଗ୍ରହଣ କରି ତାହା ପାଠ କଲା; ଆଉ, ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲା।
ISA 37:15 ଆଉ, ହିଜକୀୟ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
ISA 37:16 “ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
ISA 37:17 ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେରି ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଇ ଦେଖ; ପୁଣି, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‍‌‌ହେରୀବ ଯାହା କହି ପଠାଇଅଛି, ତାହାର ସେହି ସବୁ କଥା ଶୁଣ।
ISA 37:18 ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ, ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି
ISA 37:19 ଓ ସେମାନଙ୍କର ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନୁହନ୍ତି, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି।
ISA 37:20 ଏଣୁ ଏବେ, ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
ISA 37:21 ଏଉତ୍ତାରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକୀୟ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍‍‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କରିବାରୁ,
ISA 37:22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।
ISA 37:23 ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ତ।
ISA 37:24 ତୁମ୍ଭେ ଆପଣା ଦାସଗଣ ଦ୍ୱାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ: ଆଉ, ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି, ଆମ୍ଭେ ତାହାର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।
ISA 37:25 ଆମ୍ଭେ ଖୋଳି ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ନଦୀସବୁ ଶୁଷ୍କ କରିବା।
ISA 37:26 କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ, ଏହା କʼଣ ତୁମ୍ଭେ ଶୁଣି ନାହଁ? ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି ସେହି ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ।
ISA 37:27 ଏହେତୁ ତନ୍ନିବାସୀମାନେ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍‍ବିଗ୍ନ ହେଲେ; ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ, ଗୃହଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
ISA 37:28 ତୁମ୍ଭର ବସିବାର, ବାହାରେ ଯିବାର, ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ।
ISA 37:29 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
ISA 37:30 ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ; ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ; ପୁଣି, ତୃତୀୟ ବର୍ଷ ବୀଜ ବୁଣି ଶସ୍ୟ କାଟିବ ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଗ କରିବ।
ISA 37:31 ପୁଣି, ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।
ISA 37:32 କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିୟୋନ ପର୍ବତରୁ ବାହାରିବେ; ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍‍ଯୋଗ ଏହା ସିଦ୍ଧ କରିବ।
ISA 37:33 ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।
ISA 37:34 ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ ଓ ସେ ଏହି ନଗରକୁ ଆସିବ ନାହିଁ।
ISA 37:35 କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା।”
ISA 37:36 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ସହସ୍ର ଲୋକ ସଂହାର କଲେ; ପୁଣି, ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସମସ୍ତେ ମୃତ ଶବ।
ISA 37:37 ତହିଁରେ ଅଶୂରର ରାଜା ସନ୍‍‌‌ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।
ISA 37:38 ଏଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ଅଦ୍ରମ୍ମେଲକ୍‍ ଓ ଶରେତ୍ସର ନାମକ ତାହାର ଦୁଇ ପୁତ୍ର ତାହାକୁ ଖଡ୍ଗରେ ବଧ କଲେ। ତହୁଁ ସେମାନେ ଆରାରାଟ୍‍ ଦେଶକୁ ପଳାୟନ କଲେ। ପୁଣି, ତାହାର ପୁତ୍ର ଏସର୍‍ହଦ୍ଦୋନ୍‍ ତାହାର ପଦରେ ରାଜ୍ୟ କଲା।
ISA 38:1 ସେହି ସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାହା ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”
ISA 38:2 ଏଥିରେ ହିଜକୀୟ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
ISA 38:3 “ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ, ହିଜକୀୟ ଅତିଶୟ ରୋଦନ କଲା।
ISA 38:4 ସେତେବେଳେ ଯିଶାଇୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
ISA 38:5 “ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।
ISA 38:6 ପୁଣି, ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା।’”
ISA 38:7 ଆଉ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ;
ISA 38:8 ଦେଖ, ଆମ୍ଭେ ଆହସ୍‌ର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ଡ ପଛକୁ ଫେରାଇ ଆଣିବା। ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା।
ISA 38:9 ଯିହୁଦାର ରାଜା ହିଜକୀୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ଉତ୍ତାରେ ଏହା ଲେଖିଲା, ଯଥା,
ISA 38:10 ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ କରିବି; ମୁଁ ଆପଣା ବର୍ଷସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
ISA 38:11 ମୁଁ କହିଲି ମୁଁ ସଦାପ୍ରଭୁଙ୍କୁ, ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କୁ ଦେଖିବି ନାହିଁ; ମୁଁ ଜଗନ୍ନିବାସୀମାନଙ୍କ ସହିତ ମନୁଷ୍ୟକୁ ଆଉ ଦେଖିବି ନାହିଁ।
ISA 38:12 ମୋହର ଆୟୁ ଦୂରୀକୃତ ହୋଇଅଛି ଓ ମେଷପାଳକର ତମ୍ବୁ ପରି ମୋʼ ଠାରୁ ସ୍ଥାନାନ୍ତରିତ ହୋଇଅଛି; ମୁଁ ତନ୍ତୀ ପରି ଆପଣା ଜୀବନ ଗୁଡ଼ାଇଅଛି; ସେ ମୋତେ ତନ୍ତରୁ କାଟି ପକାଇବେ; ଏକ ଦିବାରାତ୍ର ମଧ୍ୟରେ ସେ ମୋତେ ଶେଷ କରିବେ।
ISA 38:13 ମୁଁ ପ୍ରଭାତ ପର୍ଯ୍ୟନ୍ତ ଆପଣାକୁ ସୁସ୍ଥିର କଲି; ଯେପରି ସିଂହ, ସେହିପରି ସେ ମୋହର ଅସ୍ଥିସବୁ ଚୂର୍ଣ୍ଣ କରୁଅଛନ୍ତି; ଏକ ଦିବାରାତ୍ର ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
ISA 38:14 ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେହିପରି ମୁଁ ଚିଁ ଚିଁ ଶବ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।
ISA 38:15 ମୁଁ କଅଣ କହିବି? ସେ ତ ମୋତେ କହିଅଛନ୍ତି, ମଧ୍ୟ ଆପେ ତାହା ସାଧନ କରିଅଛନ୍ତି; ମୁଁ ଆପଣା ପ୍ରାଣର ତିକ୍ତତା ସକାଶୁ ଆପଣାର ସବୁ ବର୍ଷଯାକ ଧୀରେ ଧୀରେ ଗମନ କରିବି।
ISA 38:16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି, ଆଉ ତହିଁରେ ହିଁ ସମ୍ପୂର୍ଣ୍ଣ ରୂପେ ମୋʼ ଆତ୍ମାର ଜୀବନ ଅଛି, ଏହେତୁ ତୁମ୍ଭେ ମୋତେ ସୁସ୍ଥ କରି ସଜୀବ କର।
ISA 38:17 ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ।
ISA 38:18 ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେ; ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି।
ISA 38:19 ଯେପରି ଆଜି ମୁଁ କରୁଅଛି, ସେହିପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ।
ISA 38:20 ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ; ଏହେତୁ ଆମ୍ଭେମାନେ ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବୁ।
ISA 38:21 ଯିଶାଇୟ କହିଥିଲେ, “ସେମାନେ ଡିମ୍ବିରି ଚକ୍ତି ନେଇ ସ୍ପୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ।”
ISA 38:22 ହିଜକୀୟ ମଧ୍ୟ କହିଥିଲା, “ମୁଁ ଯେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର ଚିହ୍ନ କଅଣ?”
ISA 39:1 ସେହି ସମୟରେ ବଲ୍‍ଦନ୍‍ର ପୁତ୍ର ବାବିଲର ରାଜା ମରୋଦକ୍‍-ବଲ୍‍ଦନ୍‍ ହିଜକୀୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ବାଦ ସେ ଶୁଣିଥିଲା।
ISA 39:2 ତହିଁରେ ହିଜକୀୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣାର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧି ଦ୍ରବ୍ୟ, ବହୁମୂଲ୍ୟ ତୈଳ ଓ ଆପଣା ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲା; ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲା, ଏପରି କୌଣସି ଦ୍ରବ୍ୟ ତାହାର ଗୃହରେ କିମ୍ବା ତାହାର ସମୁଦାୟ ରାଜ୍ୟରେ ନ ଥିଲା।
ISA 39:3 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, “ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ?” ତହିଁରେ ହିଜକୀୟ କହିଲା, “ସେମାନେ ଦୂର ଦେଶ ବାବିଲରୁ ମୋʼ ନିକଟକୁ ଆସିଅଛନ୍ତି।”
ISA 39:4 ଏଥିରେ ସେ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କଅଣ ଦେଖିଅଛନ୍ତି?” ତହୁଁ ହିଜକୀୟ ଉତ୍ତର କଲା, “ମୋʼ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋʼ ଭଣ୍ଡାରସମୂହରେ ନାହିଁ।”
ISA 39:5 ଏଥିରେ ଯିଶାଇୟ ହିଜକୀୟକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁଙ୍କର ବାକ୍ୟ ଶୁଣ।
ISA 39:6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।
ISA 39:7 ଆଉ, ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।”
ISA 39:8 ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ।” ସେ ଆହୁରି କହିଲା, “କାରଣ ମୋʼ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”
ISA 40:1 ମୋʼ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର, ଏହା ତୁମ୍ଭମାନଙ୍କର ପରମେଶ୍ୱର କହନ୍ତି।
ISA 40:2 ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତ ପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର।
ISA 40:3 ଏକ ଜଣର ରବ ପ୍ରଚାର କରେ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର।
ISA 40:4 ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ;
ISA 40:5 ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”
ISA 40:6 ଏକ ଜଣର ରବ କହେ, “ପ୍ରଚାର କର,” ତହିଁରେ ଜଣେ କହିଲା, “କଅଣ ପ୍ରଚାର କରିବା?” ମର୍ତ୍ତ୍ୟ ମାତ୍ର ତୃଣ ସ୍ୱରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ;
ISA 40:7 ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମ୍ଳାନ ହୁଏ; କାରଣ ତହିଁ ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ, ନିଶ୍ଚୟ ଲୋକମାନେ ତୃଣ ସ୍ୱରୂପ।
ISA 40:8 ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ; ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।
ISA 40:9 ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ; ହେ ଯିରୂଶାଲମ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ବଳରେ ଉଚ୍ଚସ୍ୱର କର, ଉଚ୍ଚସ୍ୱର କର, ଭୟ କର ନାହିଁ; ଯିହୁଦାର ନଗରସମୂହକୁ କୁହ, “ହେଇ ଦେଖ, ତୁମ୍ଭମାନଙ୍କ ପରମେଶ୍ୱର!”
ISA 40:10 ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି।
ISA 40:11 ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
ISA 40:12 କିଏ ଆପଣା ହସ୍ତର ପୋଷରେ ଜଳରାଶି ମାପିଅଛନ୍ତି, ଚାଖଣ୍ଡ ଦ୍ୱାରା ଆକାଶମଣ୍ଡଳର ପରିମାଣ କରିଅଛନ୍ତି ଓ ଗୌଣୀରେ ପୃଥିବୀର ଧୂଳିସବୁ ଭରିଅଛନ୍ତି, ପର୍ବତଗଣକୁ ନିକ୍ତିରେ ଓ ଉପପର୍ବତଗଣକୁ ତରାଜୁରେ ତୌଲି ଅଛନ୍ତି?
ISA 40:13 ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି?
ISA 40:14 ସେ କାହାର ସହିତ ମନ୍ତ୍ରଣା କଲେ, କିଏ ତାହାଙ୍କୁ ଶିକ୍ଷା ଦେଲା ଓ ବିଚାରର ପଥ ତାହାଙ୍କୁ ଶିଖାଇଲା ଓ ଜ୍ଞାନ ଶିକ୍ଷା ଦେଲା ଓ ବିବେଚନାର ମାର୍ଗ ତାହାଙ୍କୁ ଦେଖାଇଲା?
ISA 40:15 ଦେଖ, ଗୋଷ୍ଠୀୟମାନେ କଳସର ଜଳବିନ୍ଦୁ ପରି ଓ ନିକ୍ତିର ଧୂଳି କଣିକା ତୁଲ୍ୟ ଗଣ୍ୟ ଅଟନ୍ତି; ଦେଖ, ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି।
ISA 40:16 ପୁଣି, ଲିବାନୋନ ଜାଳ ପାଇଁ ଓ ତହିଁର ପଶୁଗଣ ହୋମବଳି ପାଇଁ ଯଥେଷ୍ଟ ନୁହନ୍ତି।
ISA 40:17 ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର; ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି।
ISA 40:18 ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଅବା କେଉଁ ମୂର୍ତ୍ତିକୁ ତାହାଙ୍କ ସଦୃଶ କରିବ?
ISA 40:19 ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ।
ISA 40:20 ଯେଉଁ ଲୋକ ଏହି ପ୍ରକାର ଉପହାର ପାଇଁ ଅତି ଦରିଦ୍ର, ସେ ଅପଚ୍ୟ କୌଣସି କାଷ୍ଠ ମନୋନୀତ କରେ, ସେ ଅଟଳ ଏକ ଖୋଦିତ ପ୍ରତିମା ନିର୍ମାଣ କରିବା ପାଇଁ ଜଣେ ନିପୁଣ ଶିଳ୍ପକରର ଅନ୍ୱେଷଣ କରେ।
ISA 40:21 ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ?
ISA 40:22 ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି;
ISA 40:23 ସେ ଭୂପତିମାନଙ୍କୁ ଅକିଞ୍ଚିତ କରନ୍ତି; ସେ ପୃଥିବୀର ବିଚାରକର୍ତ୍ତାମାନଙ୍କୁ ମୂଲ୍ୟହୀନ କରନ୍ତି।
ISA 40:24 ହଁ, ସେମାନେ ରୋପିତ ହୋଇ ନାହାନ୍ତି; ହଁ, ସେମାନେ ବୁଣାଯାଇ ନାହାନ୍ତି; ହଁ, ସେମାନଙ୍କ ଗଣ୍ଡିର ଚେର ଭୂମିରେ ମାଡ଼ି ନାହିଁ, ଆହୁରି ସେ ସେମାନଙ୍କ ଉପରେ ଫୁଙ୍କ ଦିଅନ୍ତି, ତହିଁରେ ସେମାନେ ଶୁଷ୍କ ହୁଅନ୍ତି ଓ ଘୂର୍ଣ୍ଣିବାୟୁ ନଡ଼ା ପରି ସେମାନଙ୍କୁ ଉଡ଼ାଇ ନିଏ।
ISA 40:25 ଏହେତୁ ସେହି ଧର୍ମସ୍ୱରୂପ କହନ୍ତି, ଆମ୍ଭେ ଯାହାର ସମାନ ହୋଇ ପାରିବୁ, ଏପରି କାହା ସଙ୍ଗରେ ତୁମ୍ଭେମାନେ ଆମ୍ଭର ଉପମା ଦେବ?
ISA 40:26 ଊର୍ଦ୍ଧ୍ୱଦୃଷ୍ଟି କରି ଦେଖ, ଏହି ସମସ୍ତଙ୍କୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ।
ISA 40:27 “ଆମ୍ଭର ପଥ ସଦାପ୍ରଭୁଙ୍କଠାରୁ ଗୁପ୍ତ ଓ ଆମ୍ଭର ବିଚାର ଆମ୍ଭ ପରମେଶ୍ୱରଙ୍କ ଜ୍ଞାନର ଅତୀତ,” ହେ ଯାକୁବ, ତୁମ୍ଭେ କାହିଁକି ଏହା କହୁଅଛ, ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା କହୁଅଛ?
ISA 40:28 ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ।
ISA 40:29 ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି।
ISA 40:30 ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ;
ISA 40:31 ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ।
ISA 41:1 ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।
ISA 41:2 ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।
ISA 41:3 ସେ ସେମାନଙ୍କର ପଛେ ଗୋଡ଼ାଏ, ଯେଉଁ ପଥରେ ସେ ପଦାର୍ପଣ କରି ନାହିଁ, ସେହି ପଥରେ ହେଁ ସେ ନିରାପଦରେ ଅଗ୍ରସର ହୁଏ।
ISA 41:4 ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ୱାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ।
ISA 41:5 ଦ୍ୱୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।
ISA 41:6 ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ “ସାହସିକ ହୁଅ” ବୋଲି ପ୍ରତ୍ୟେକେ ଆପଣା ଭାଇକୁ କହିଲେ।
ISA 41:7 ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ “ଯୋଡ଼ କର୍ମ ଉତ୍ତମ ହୋଇଅଛି” ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।
ISA 41:8 ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;
ISA 41:9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, “ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;”
ISA 41:10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
ISA 41:11 ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।
ISA 41:12 ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନା ହେବେ।
ISA 41:13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, “ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।”
ISA 41:14 ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
ISA 41:15 ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ତୁଷ ତୁଲ୍ୟ କରିବ।
ISA 41:16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।
ISA 41:17 ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ୱା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
ISA 41:18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ନଦ-ନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝରମାନ ଫିଟାଇବା; ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଜଳ ନିର୍ଝର କରିବା।
ISA 41:19 ଆମ୍ଭେ ପ୍ରାନ୍ତରରେ ଏରସ, ଶିଟୀମ୍‍ ଓ ମେହେନ୍ଦି ଓ ତୈଳବୃକ୍ଷ ରୋପଣ କରିବା; ଆମ୍ଭେ ମରୁଭୂମିରେ ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ଲଗାଇବା;
ISA 41:20 ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ।
ISA 41:21 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।”
ISA 41:22 ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ; ଆଦ୍ୟର ବିଷୟମାନ କଅଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ।
ISA 41:23 ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।
ISA 41:24 ଦେଖ, ତୁମ୍ଭେମାନେ ଅକିଞ୍ଚିତ ଓ ତୁମ୍ଭମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁ; ଯେଉଁ ଲୋକ ତୁମ୍ଭମାନଙ୍କୁ ମନୋନୀତ କରେ, ସେ ଘୃଣାସ୍ପଦ।
ISA 41:25 ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ୱାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
ISA 41:26 ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଆଦ୍ୟରୁ କିଏ ଏହା ପ୍ରକାଶ କରିଅଛି? ପୁଣି, ସେ ଧାର୍ମିକ ବୋଲି ଯେପରି ଆମ୍ଭେମାନେ କହି ପାରିବା, ଏଥିପାଇଁ ପୂର୍ବରୁ କିଏ ଏହା ପ୍ରକାଶ କରିଅଛି? ହଁ, ପ୍ରକାଶକାରୀ କେହି ନାହିଁ, ହଁ, ଦେଖାଇବା ଲୋକ କେହି ନାହିଁ, ହଁ, ତୁମ୍ଭମାନଙ୍କ କଥା ଶୁଣିବା ଲୋକ କେହି ନାହିଁ।
ISA 41:27 ଆମ୍ଭେ ପ୍ରଥମେ ସିୟୋନକୁ କହିବା, “ଦେଖ, ସେମାନଙ୍କୁ ଦେଖ,” ପୁଣି ଆମ୍ଭେ ଯିରୂଶାଲମକୁ ସୁସମାଚାର ଆଣିବାର ଏକ ଲୋକ ଦେବା।
ISA 41:28 ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
ISA 41:29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।
ISA 42:1 ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟବିଚାର ଆଣିବେ।
ISA 42:2 ସେ ଚିତ୍କାର କିମ୍ବା ଉଚ୍ଚ ଶବ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ।
ISA 42:3 ସେ ଛେଚା-ନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟବିଚାର ଆଣିବେ।
ISA 42:4 ସେ ପୃଥିବୀରେ ନ୍ୟାୟବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ହେବେ ନାହିଁ; ଆଉ, ଦ୍ୱୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ।
ISA 42:5 ଯେ ଆକାଶମଣ୍ଡଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି;
ISA 42:6 “ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ୱାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ,
ISA 42:7 ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ଓ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ କରି ନିଯୁକ୍ତ କରିବୁ।
ISA 42:8 ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।
ISA 42:9 ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେହି ସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍‍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ।”
ISA 42:10 ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ୱୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର।
ISA 42:11 ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ।
ISA 42:12 ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ୱୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।
ISA 42:13 ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍‍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ୱର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।
ISA 42:14 ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା।
ISA 42:15 ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦ-ନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।
ISA 42:16 ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେହି ସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ।
ISA 42:17 ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ “ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର” ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ।
ISA 42:18 ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ।
ISA 42:19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?
ISA 42:20 ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।
ISA 42:21 ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ।
ISA 42:22 ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟିତ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ।
ISA 42:23 ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍‍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି?
ISA 42:24 ଯାକୁବକୁ ଲୁଟିତ ସ୍ୱରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି?
ISA 42:25 ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ୱଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ।
ISA 43:1 ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର।
ISA 43:2 ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।
ISA 43:3 କାରଣ ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ; ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିସର ଓ ତୁମ୍ଭ ପରିବର୍ତ୍ତେ କୂଶ ଓ ସବା ଦେଶ ଦେଇଅଛୁ।
ISA 43:4 ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ; ଏହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା।
ISA 43:5 ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ଆମ୍ଭେ ପୂର୍ବ ଦିଗରୁ ତୁମ୍ଭ ବଂଶକୁ ଆଣିବା ଓ ପଶ୍ଚିମ ଦିଗରୁ ତୁମ୍ଭକୁ ସଂଗ୍ରହ କରିବା;
ISA 43:6 ଆମ୍ଭେ ଉତ୍ତର ଦିଗକୁ କହିବା, ‘ଛାଡ଼ିଦିଅ’ ଓ ଦକ୍ଷିଣ ଦିଗକୁ କହିବା, ‘ଅଟକାଇ ରଖ ନାହିଁ;’ ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ;
ISA 43:7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।”
ISA 43:8 ଚକ୍ଷୁ ଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର, ଏହି ଲୋକଙ୍କୁ ବାହାର କରି ଆଣ।
ISA 43:9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।
ISA 43:10 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।
ISA 43:11 ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ।
ISA 43:12 ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।”
ISA 43:13 “ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?”
ISA 43:14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍‍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।
ISA 43:15 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”
ISA 43:16 ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି;
ISA 43:17 ଯେ ରଥ ଓ ଅଶ୍ୱ, ସୈନ୍ୟ ଓ ବୀରଗଣକୁ ବାହାର କରି ଆଣନ୍ତି; ସେମାନେ ଏକତ୍ର ତଳେ ଶୋଇ ଆଉ ଉଠିବେ ନାହିଁ, ସେମାନେ ଲୁପ୍ତ ଓ ଛଣପଟ ପରି ଲିଭିଯାʼନ୍ତି; ସେହି ସଦାପ୍ରଭୁ ଏହି କଥା କହନ୍ତି;
ISA 43:18 “ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ।
ISA 43:19 ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ-ନଦୀ କରିବା।
ISA 43:20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦ-ନଦୀ ଯୋଗାଉ;
ISA 43:21 ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।
ISA 43:22 ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ବିଷୟରେ କ୍ଳାନ୍ତ ହୋଇଅଛ।
ISA 43:23 ତୁମ୍ଭେ ଆପଣା ହୋମାର୍ଥକ ମେଷାଦି ଆମ୍ଭ ନିକଟକୁ ଆଣି ନାହଁ; କିଅବା ତୁମ୍ଭେ ଆପଣା ବଳିଦାନ ଦ୍ୱାରା ଆମ୍ଭର ସମାଦର କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ୍ୟକର୍ମ କରାଇ ନାହୁଁ; କିଅବା କୁନ୍ଦୁରୁ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରାଇ ନାହୁଁ।
ISA 43:24 ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।
ISA 43:25 ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।
ISA 43:26 ଆମ୍ଭଙ୍କୁ ସ୍ମରଣ କରାଅ; ଆମ୍ଭେମାନେ ପରସ୍ପରର ବିଚାର କରୁ; ତୁମ୍ଭେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା କଥା କୁହ।
ISA 43:27 ତୁମ୍ଭର ଆଦିପିତା ପାପ କଲା ଓ ତୁମ୍ଭର ମଧ୍ୟସ୍ଥିମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି।
ISA 43:28 ଏନିମନ୍ତେ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା, ଆମ୍ଭେ ଯାକୁବକୁ ଅଭିଶାପ ଓ ଇସ୍ରାଏଲକୁ ନିନ୍ଦାପାତ୍ର କରିବା।
ISA 44:1 ତଥାପି ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ, ଏବେ ଶୁଣ;
ISA 44:2 ଯେ ତୁମ୍ଭକୁ ନିର୍ମାଣ କଲେ ଓ ଗର୍ଭରୁ ତୁମ୍ଭକୁ ଗଢ଼ିଲେ, ଯେ ତୁମ୍ଭର ସାହାଯ୍ୟ କରିବେ, ସେହି ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଯିଶୁରୁଣ, ଭୟ କର ନାହିଁ।
ISA 44:3 କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା; ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ଢାଳିବା;
ISA 44:4 ତହିଁରେ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶୀ ବୃକ୍ଷ ତୁଲ୍ୟ ତୃଣ ମଧ୍ୟରେ ଅଙ୍କୁରିତ ହେବେ।
ISA 44:5 ଏକ ଜଣ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର;’ ଅନ୍ୟ ଜଣ ଯାକୁବ ନାମରେ ଆପଣାକୁ ଖ୍ୟାତ କରିବ; ଆଉ, ଜଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱହସ୍ତରେ ସ୍ୱାକ୍ଷର କରିବ ଓ ଇସ୍ରାଏଲୀୟ କୁଳ ନାମରେ ଆପଣାକୁ ପ୍ରସିଦ୍ଧ କରିବ।”
ISA 44:6 ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।
ISA 44:7 ଆମ୍ଭେ ସେହି ପୁରାତନ ଲୋକଙ୍କୁ ସ୍ଥାପନ କରିବା ସମୟଠାରୁ ଆମ୍ଭ ତୁଲ୍ୟ କିଏ ଆହ୍ୱାନ କରିବ ଓ ତାହା ପ୍ରକାଶ କରିବ ଓ ଯଥାକ୍ରମେ ଆମ୍ଭ ପାଇଁ ତାହା ସଜାଇବ? ପୁଣି, ଯାହା ଯାହା ନିକଟବର୍ତ୍ତୀ ଓ ଯାହା ଯାହା ଘଟିବ, ତାହା ସେମାନେ ପ୍ରକାଶ କରନ୍ତୁ।
ISA 44:8 ତୁମ୍ଭେମାନେ କମ୍ପିତ କିଅବା ଭୀତ ହୁଅ ନାହିଁ; ଆମ୍ଭେ କʼଣ ପୂର୍ବରୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରି ନାହୁଁ ଓ ତୁମ୍ଭମାନଙ୍କୁ ତାହା ଜଣାଇ ନାହୁଁ? ତୁମ୍ଭେମାନେ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ କି ପରମେଶ୍ୱର ଅଛନ୍ତି? ଅନ୍ୟ ଶୈଳ ନାହିଁ; ଆମ୍ଭେ କାହାକୁ ଜାଣୁ ନା।”
ISA 44:9 ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେମାନେ ସମସ୍ତେ ଅସାର ଓ ସେମାନଙ୍କର ମନୋହର ବିଷୟମାନ ଉପକାରକ ହେବ ନାହିଁ; ସେମାନେ ଯେପରି ଲଜ୍ଜିତ ହେବେ, ଏଥିପାଇଁ ସେମାନଙ୍କର ନିଜ ସାକ୍ଷୀଗଣ ଦେଖନ୍ତି ନାହିଁ, କିଅବା ଜାଣନ୍ତି ନାହିଁ।
ISA 44:10 ଯାହା କୌଣସି ବିଷୟରେ ଉପକାରକ ନୁହେଁ, ଏପରି ଦେବତା କିଏ ନିର୍ମାଣ କରିଅଛି, ଅବା ଖୋଦିତ ପ୍ରତିମା କିଏ ଛାଞ୍ଚରେ ଢାଳିଅଛି?
ISA 44:11 ଦେଖ, ତାହାର ସହାୟ ସମସ୍ତେ ଲଜ୍ଜିତ ହେବେ; ପୁଣି, ଶିଳ୍ପକାରୀମାନେ ମନୁଷ୍ୟ ମାତ୍ର; ସେସମସ୍ତେ ଏକତ୍ର ହେଉନ୍ତୁ, ସେମାନେ ଛିଡ଼ା ହେଉନ୍ତୁ; ସେମାନେ କମ୍ପିତ ହେବେ, ସେମାନେ ଏକାବେଳେ ଲଜ୍ଜିତ ହେବେ।
ISA 44:12 କର୍ମକାର ଲୌହ ଅସ୍ତ୍ର ନିର୍ମାଣ କରି ତପ୍ତ ଅଙ୍ଗାରରେ କର୍ମ କରେ ଓ ହାତୁଡ଼ିରେ ତାହା ଗଢ଼ି ନିଜର ବଳିଷ୍ଠ ବାହୁରେ ତାହା ପ୍ରସ୍ତୁତ କରେ; ହଁ, ସେ କ୍ଷୁଧିତ ହୁଏ ଓ ତାହାର ବଳ ଊଣା ପଡ଼ିଯାଏ, ସେ ଜଳ ପାନ ନ କରି କ୍ଳାନ୍ତ ହୁଏ।
ISA 44:13 ସୂତ୍ରଧର ସୂତା ଟାଣେ; ସେ ସିନ୍ଦୁର ଦ୍ୱାରା ଚିହ୍ନ ଦିଏ, ସେ ରନ୍ଦା ବୁଲାଇ ଆକୃତି କରି କମ୍ପାସ ଦ୍ୱାରା ଚିହ୍ନ ଦିଏ ଓ ଗୃହରେ ବାସ କରାଇବା ନିମନ୍ତେ ମନୁଷ୍ୟର ଆକୃତି ଓ ସୌନ୍ଦର୍ଯ୍ୟ ଅନୁସାରେ ତାହା ନିର୍ମାଣ କରେ।
ISA 44:14 ସେ ଆପଣା ନିମନ୍ତେ ଏରସ ବୃକ୍ଷ କାଟେ, ତର୍ସା ଓ ଅଲୋନ ବୃକ୍ଷ ନିଏ, ସେ ବନବୃକ୍ଷ ମଧ୍ୟରୁ ଗୋଟିଏ ବୃକ୍ଷ ଆପଣା ପାଇଁ ଦୃଢ଼ କରେ; ସେ ଦେବଦାରୁ ବୃକ୍ଷ ରୋପଣ କରେ ଓ ବୃଷ୍ଟି ତାହା ବଢ଼ାଏ।
ISA 44:15 ଏଉତ୍ତାରେ ତାହା ମନୁଷ୍ୟର ଜାଳେଣି କାଷ୍ଠ ହୁଏ; ସେ ତହିଁରୁ କିଛି ନେଇ ଅଗ୍ନି ତାପ ନିଏ; ଆଉ, ସେ ତାହା ଜାଳି ରୁଟି ପାକ କରେ; ଆହୁରି, ଗୋଟିଏ ଦେବତା କରି ତାହା ପୂଜା କରେ; ସେ ଗୋଟିଏ ଖୋଦିତ ପ୍ରତିମା କରି ତାହା ଆଗରେ ଦଣ୍ଡବତ କରେ।
ISA 44:16 ସେ ତହିଁରୁ ଏକ ଅଂଶ ଅଗ୍ନିରେ ପୋଡ଼େ; ଅନ୍ୟ ଅଂଶରେ ସେ ମାଂସ ପାକ କରି ଭୋଜନ କରେ ଓ ଶୂଲ୍ୟମାଂସ ପ୍ରସ୍ତୁତ କରି ତୃପ୍ତ ହୁଏ, ଆହୁରି ସେ ଅଗ୍ନି ତାପ ନେଇ କହେ, “ଆଃ, ଆମ୍ଭେ ଉଷ୍ଣ ହେଲୁ, ଆମ୍ଭେ ଅଗ୍ନି ଦେଖିଲୁ।”
ISA 44:17 ପୁଣି, ସେ ତହିଁର ଅବଶିଷ୍ଟାଂଶ ଦ୍ୱାରା ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ; ସେ ତାହା ଆଗରେ ଦଣ୍ଡବତ କରି ପୂଜା କରେ ଓ ତାହା ନିକଟରେ ପ୍ରାର୍ଥନା କରି କହେ, “ଆମ୍ଭକୁ ଉଦ୍ଧାର କର, ତୁମ୍ଭେ ଆମ୍ଭର ଦେବତା।”
ISA 44:18 ସେମାନେ ଜାଣନ୍ତି ନାହିଁ, କିଅବା ବିବେଚନା କରନ୍ତି ନାହିଁ, କାରଣ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି।
ISA 44:19 କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, “ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ୱଳ; ଅଙ୍ଗାର ନେଇ ରୁଟି ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା? ଆମ୍ଭେ କି ଖଣ୍ଡେ କାଷ୍ଠ ଆଗରେ ଦଣ୍ଡବତ କରିବା?”
ISA 44:20 ସେ ଭସ୍ମ ଭୋଜନ କରେ; ସେ ଯେପରି ଆପଣା ପ୍ରାଣ ଉଦ୍ଧାର କରି ନ ପାରେ, “କିଅବା ଆମ୍ଭ ଡାହାଣ ହସ୍ତରେ କି ମିଥ୍ୟା ନାହିଁ,” ଏହା କହି ନ ପାରେ, ଏଥିପାଇଁ ଭ୍ରାନ୍ତ ଚିତ୍ତ ତାହାକୁ ବିପଥଗାମୀ କରିଅଛି।
ISA 44:21 ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେ ଏହିସବୁ କଥା ସ୍ମରଣ କର, କାରଣ ତୁମ୍ଭେ ଆମ୍ଭର ଦାସ; ଆମ୍ଭେ ତୁମ୍ଭକୁ ଗଢ଼ିଅଛୁ; ତୁମ୍ଭେ ଆମ୍ଭର ଦାସ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ଦ୍ୱାରା ବିସ୍ମୃତ ହେବ ନାହିଁ।
ISA 44:22 ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁ; ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।
ISA 44:23 ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଅଛନ୍ତି; ହେ ପୃଥିବୀର ଅଧଃସ୍ଥାନସକଳ, ଆନନ୍ଦଧ୍ୱନି କର; ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବୃକ୍ଷ, ତୁମ୍ଭେମାନେ ଉଚ୍ଚସ୍ୱରରେ ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଅଛନ୍ତି ଓ ଇସ୍ରାଏଲ ମଧ୍ୟରେ ଆପଣାକୁ ଗୌରବାନ୍ୱିତ କରିବେ।
ISA 44:24 ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି; “ଆମ୍ଭେ ସଦାପ୍ରଭୁ, ଆମ୍ଭେ ସବୁ କାର୍ଯ୍ୟ ସାଧନ କରୁ ଆମ୍ଭେ ଏକାକୀ ଆକାଶମଣ୍ଡଳ ବିସ୍ତାର କରୁ; ଆମ୍ଭେ ପୃଥିବୀକୁ ପ୍ରସାର କରୁ; ଆମ୍ଭର ସଙ୍ଗୀ କିଏ?
ISA 44:25 ଆମ୍ଭେ ମିଥ୍ୟାବାଦୀମାନଙ୍କର (ଦତ୍ତ) ଲକ୍ଷଣସବୁ ବିଫଳ କରୁ ଓ ମନ୍ତ୍ରଜ୍ଞମାନଙ୍କୁ ଉନ୍ମତ୍ତ କରୁ; ଆମ୍ଭେ ଜ୍ଞାନୀମାନଙ୍କୁ ପଛକୁ ହଟାଇ ଦେଉ ଓ ସେମାନଙ୍କର ଜ୍ଞାନ ମୂର୍ଖତା କରୁ;
ISA 44:26 ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁ; ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ‘ସେହି ସବୁ ପୁନଃନିର୍ମିତ ହେବ,’ ‘ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନସବୁ ପୁନର୍ବାର ପତ୍ତନ କରିବା;’
ISA 44:27 ଆମ୍ଭେ ଅଗାଧ ଜଳକୁ କହୁ, ‘ଶୁଷ୍କ ହୁଅ; ପୁଣି ଆମ୍ଭେ ତୁମ୍ଭର ନଦ-ନଦୀସବୁ ଶୁଷ୍କ କରିବା;’
ISA 44:28 ଆମ୍ଭେ କୋରସ୍‍ ବିଷୟରେ କହୁ, ‘ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ;’ ସେ ଯିରୂଶାଲମ ବିଷୟରେ କହିବ, ‘ତାହା ପୁନଃନିର୍ମିତ ହେବ’ ଓ ମନ୍ଦିରକୁ କହିବ, ‘ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ।’”
ISA 45:1 ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍‍, କୋରସ୍‍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଡାହାଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାରସବୁ ବନ୍ଦ ହେବ ନାହିଁ;
ISA 45:2 “ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;
ISA 45:3 ପୁଣି, ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା, ତହିଁରେ ତୁମ୍ଭର ନାମ ଧରି ଆହ୍ୱାନକାରୀ ଆମ୍ଭେ ଯେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଅଟୁ, ଏହା ତୁମ୍ଭେ ଜାଣି ପାରିବ।
ISA 45:4 ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।
ISA 45:5 ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;
ISA 45:6 ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
ISA 45:7 ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
ISA 45:8 ହେ ଆକାଶମଣ୍ଡଳ, ତୁମ୍ଭେମାନେ ଉପରୁ ବର୍ଷଣ କର, ମେଘମାଳ ଧର୍ମବୃଷ୍ଟି କରୁ; ଯେପରି ପରିତ୍ରାଣ ଉତ୍ପନ୍ନ ହେବ, ଏଥିପାଇଁ ପୃଥିବୀ ବିଦୀର୍ଣ୍ଣ ହେଉ ଓ ସେ ଧାର୍ମିକତା ଏକତ୍ର ଅଙ୍କୁରିତ କରାଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରିଅଛୁ।
ISA 45:9 ଯେ ଆପଣା ସୃଷ୍ଟିକର୍ତ୍ତାଙ୍କ ସଙ୍ଗେ ବିରୋଧ କରେ, ସେ ସନ୍ତାପର ପାତ୍ର! ପୃଥିବୀର ଖପରା ମଧ୍ୟରେ ଖଣ୍ଡେ ଖପରା ମାତ୍ର! ମୃତ୍ତିକା କʼଣ ତାʼର ଗଢ଼ିବା ଲୋକକୁ କହିବ, ‘ତୁମ୍ଭେ କଅଣ ନିର୍ମାଣ କରୁଅଛ?’ ଅବା ତୁମ୍ଭର କର୍ମ କʼଣ କହିବ, ‘ତାହାର ହସ୍ତ ନାହିଁ?’
ISA 45:10 ଯେ ପିତାକୁ କହେ, ‘ତୁମ୍ଭେ କଅଣ ଜନ୍ମାଉଅଛ,’ ଅବା ସ୍ତ୍ରୀଲୋକକୁ କହେ, ‘ତୁମ୍ଭେ କଅଣ ପ୍ରସବ କରୁଅଛ? ସେ ସନ୍ତାପର ପାତ୍ର!’”
ISA 45:11 ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ୱରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, “ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
ISA 45:12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ତହିଁ ମଧ୍ୟରେ ମନୁଷ୍ୟର ସୃଷ୍ଟି କରିଅଛୁ; ଆମ୍ଭେ, ଆମ୍ଭର ହସ୍ତ ହିଁ ଆକାଶମଣ୍ଡଳ ବିସ୍ତୀର୍ଣ୍ଣ କରିଅଛି ଓ ତହିଁର ସକଳ ବିଷୟକୁ ଆମ୍ଭେ ଆଜ୍ଞା ଦେଇଅଛୁ।
ISA 45:13 ଆମ୍ଭେ ଧର୍ମରେ ତାହାକୁ ଉତ୍ପନ୍ନ କରିଅଛୁ ଓ ଆମ୍ଭେ ତାହାର ସକଳ ପଥ ସରଳ କରିବା; ସେ ଆମ୍ଭର ନଗର ନିର୍ମାଣ କରିବ ଓ ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ଛାଡ଼ିଦେବ, ମୂଲ୍ୟ ନିମନ୍ତେ କିଅବା ପୁରସ୍କାର ନିମନ୍ତେ ନୁହେଁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ISA 45:14 ସଦାପ୍ରଭୁ ଏହି କଥା କହନ୍ତି, “ମିସରର ପରିଶ୍ରମର, କୂଶର ବାଣିଜ୍ୟର ଫଳ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ; ସେମାନେ ତୁମ୍ଭର ପଶ୍ଚାଦ୍‍ଗାମୀ ହେବେ; ଶୃଙ୍ଖଳରେ ଆବଦ୍ଧ ହୋଇ ସେମାନେ ଆସିବେ; ପୁଣି, ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ନିଶ୍ଚୟ ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି; ତାହାଙ୍କ ବିନୁ ଆଉ କେହି ନାହିଁ, ଆଉ କେହି ପରମେଶ୍ୱର ନାହାନ୍ତି।’”
ISA 45:15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଆତ୍ମଗୋପନକାରୀ ପରମେଶ୍ୱର ଅଟ।
ISA 45:16 ସେମାନେ ଲଜ୍ଜିତ ହେବେ, ହଁ, ସେମାନେ ସମସ୍ତେ ବିବ୍ରତ ହେବେ; ପ୍ରତିମା ନିର୍ମାଣକାରୀ ସମସ୍ତେ ଏକାସଙ୍ଗେ ଅପମାନଗ୍ରସ୍ତ ହେବେ।
ISA 45:17 ମାତ୍ର ଇସ୍ରାଏଲ, ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପ୍ରାପ୍ତ ହେବ; ତୁମ୍ଭେମାନେ ଯୁଗଯୁଗାନ୍ତ ପର୍ଯ୍ୟନ୍ତ ଲଜ୍ଜିତ କିଅବା ବିବ୍ରତ ହେବ ନାହିଁ।
ISA 45:18 କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; “ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
ISA 45:19 ଆମ୍ଭେ ଗୋପନରେ ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ; ‘ତୁମ୍ଭେମାନେ ବୃଥାରେ ଆମ୍ଭର ଅନ୍ୱେଷଣ କର,’ ଏହା ଆମ୍ଭେ ଯାକୁବ ବଂଶକୁ କହି ନାହୁଁ, ଆମ୍ଭେ ସଦାପ୍ରଭୁ ଧର୍ମବାଦୀ, ଆମ୍ଭେ ସଠିକ୍ କଥା ପ୍ରକାଶ କରୁ।
ISA 45:20 ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।
ISA 45:21 ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବକାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ୱର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ।
ISA 45:22 ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ।
ISA 45:23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ‘ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।’
ISA 45:24 ଲୋକେ ଆମ୍ଭ ଉଦ୍ଦେଶ୍ୟରେ କହିବେ, କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି। ତାହାଙ୍କ ନିକଟକୁ ଲୋକମାନେ ଆସିବେ, ପୁଣି ଯେଉଁମାନେ ତାହାଙ୍କ ପ୍ରତି ବିରକ୍ତ ହୋଇଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ।
ISA 45:25 ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧାର୍ମିକୀକୃତ ହେବେ ଓ ଦର୍ପ କରିବେ।”
ISA 46:1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବୋହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳାନ୍ତ ପଶୁ ପ୍ରତି ଭାର ହୋଇଅଛି।
ISA 46:2 ସେମାନେ ନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି; ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ମାତ୍ର ଆପେ ବନ୍ଦୀ ହୋଇ ଯାଇଅଛନ୍ତି।
ISA 46:3 “ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ; ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ୱାରା ବୁହା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ;
ISA 46:4 ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ୱକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବୋହିବା; ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବୋହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା।
ISA 46:5 ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ, ଆମ୍ଭେମାନେ ସମାନ ହେବା?
ISA 46:6 ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରୀକୁ ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ଡବତ କରି ପୂଜା କରନ୍ତି।
ISA 46:7 ସେମାନେ ତାହାକୁ ସ୍କନ୍ଧରେ ବହନ କରନ୍ତି ଓ ତାହାକୁ ବୋହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇ ପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରି ପାରିବ ନାହିଁ।
ISA 46:8 ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ୱ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର।
ISA 46:9 ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ ନାହିଁ; ଆମ୍ଭେ ପରମେଶ୍ୱର, ଆମ୍ଭ ତୁଲ୍ୟ କେହି ନାହିଁ;
ISA 46:10 ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ‘ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନସ୍କାମନା ସିଦ୍ଧ କରିବା,’
ISA 46:11 ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକୁ, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ୱାନ କରୁ; ଆମ୍ଭେ କହିଅଛୁ, ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା।
ISA 46:12 ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତଃକରଣ ଲୋକେ, ଆମ୍ଭର କଥା ଶୁଣ।
ISA 46:13 ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ହେବ ନାହିଁ ଓ ଆମ୍ଭ ପରିତ୍ରାଣର ବିଳମ୍ବ ହେବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିୟୋନରେ ପରିତ୍ରାଣ ସ୍ଥାପନ କରିବା।”
ISA 47:1 ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍‍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ।
ISA 47:2 ଚକି ନେଇ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ପୋଷାକ କାଢ଼ି ପକାଅ, ପାଦ ଅନାବୃତ କର, ନଦ-ନଦୀରେ ଚାଲି କରି ଯାଅ।
ISA 47:3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ, ହଁ, ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ।
ISA 47:4 ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ।
ISA 47:5 ଆଗୋ କଲ୍‍ଦୀୟମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ; କାରଣ ରାଜ୍ୟସମୂହର କର୍ତ୍ତୃତ୍ୱକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ହେବ ନାହିଁ।
ISA 47:6 ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ।
ISA 47:7 ପୁଣି, ତୁମ୍ଭେ କହିଲ, “ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା;” ଏହେତୁ ତୁମ୍ଭେ ଏହିସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ।
ISA 47:8 ଏହେତୁ ଗୋ ସୁଖଭୋଗିନୀ, ଏବେ ଏହା ଶୁଣ, ତୁମ୍ଭେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ; ଆମ୍ଭେ ବିଧବା ପରି ବସିବା ନାହିଁ, କିଅବା ସନ୍ତାନ-ବିରହ ଜାଣିବା ନାହିଁ,”
ISA 47:9 ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ୱ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
ISA 47:10 କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ; ତୁମ୍ଭେ କହିଅଛ, “କେହି ଆମ୍ଭକୁ ଦେଖୁ ନାହିଁ,” ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ;”
ISA 47:11 ଏହେତୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ, ତୁମ୍ଭେ ତହିଁର ଉଦୟ ଜାଣିବ ନାହିଁ; ପୁଣି, ତୁମ୍ଭ ଉପରେ ବିପଦ ପଡ଼ିବ, ତୁମ୍ଭେ ତାହା ଦୂର କରି ପାରିବ ନାହିଁ; ଆଉ, ଯାହା ତୁମ୍ଭେ ଜାଣୁ ନାହଁ, ଏପରି ବିନାଶ ହଠାତ୍‍ ତୁମ୍ଭ ଉପରେ ଘଟିବ।
ISA 47:12 ତୁମ୍ଭେ ବାଲ୍ୟକାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ।
ISA 47:13 ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଠିଆ ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
ISA 47:14 ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ୱଳନ୍ତ ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ୱରୂପ ହେବ ନାହିଁ।
ISA 47:15 ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।
ISA 48:1 ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ, ତୁମ୍ଭେମାନେ ଏହି କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ନାମ କୀର୍ତ୍ତନ କରୁଅଛ, ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ।
ISA 48:2 କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
ISA 48:3 “ଆମ୍ଭେ ପୂର୍ବକାଳର କଥା ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ; ହଁ, ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ; ଆମ୍ଭେ ତାହା କଲୁ ଓ ଅକସ୍ମାତ୍‍ ସେହି ସବୁ ଘଟିଲା।
ISA 48:4 ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ।
ISA 48:5 ଏଥିପାଇଁ ଆମ୍ଭେ ପ୍ରାଚୀନ କାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ; ନୋହିଲେ ଅବା ତୁମ୍ଭେ କୁହନ୍ତ, ଆମ୍ଭର ଦେବତା ଏହା କରିଅଛି, ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି।
ISA 48:6 ତୁମ୍ଭେ ଶୁଣିଅଛ; ଏହିସବୁ ଦେଖ ଓ ତୁମ୍ଭେମାନେ କି ତାହା ପ୍ରକାଶ କରିବ ନାହିଁ? ଏହି ସମୟଠାରୁ ଆମ୍ଭେ ତୁମ୍ଭକୁ ନୂତନ ବିଷୟ, ଅର୍ଥାତ୍‍, ତୁମ୍ଭର ଅଜ୍ଞାତ ନିଗୂଢ଼ ବିଷୟ ଦେଖାଇଅଛୁ।
ISA 48:7 ସେହି ସବୁ ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସୃଷ୍ଟ ହେଲା; ଆଜି ଦିନର ପୂର୍ବେ ତୁମ୍ଭେ ତାହା ଶୁଣିଲ ନାହିଁ; ନୋହିଲେ ଅବା ଦେଖ, ଆମ୍ଭେ ସେହି ସବୁ ଜାଣିଲୁ ବୋଲି ତୁମ୍ଭେ କୁହନ୍ତ।
ISA 48:8 ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ୱାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ।
ISA 48:9 ଆମ୍ଭେ ଯେପରି ତୁମ୍ଭକୁ ଉଚ୍ଛିନ୍ନ ନ କରୁ, ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ବରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷାନ୍ତ ହେବା।
ISA 48:10 ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ।
ISA 48:11 ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।
ISA 48:12 ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର; ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅନ୍ତ।
ISA 48:13 ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଡାହାଣ ହସ୍ତ ଗଗନମଣ୍ଡଳ ବିସ୍ତାର କରିଅଛି; ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।”
ISA 48:14 “ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍‍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।
ISA 48:15 ଆମ୍ଭେ, ଆମ୍ଭେ ହିଁ ବାକ୍ୟ କହିଅଛୁ; ହଁ, ଆମ୍ଭେ ତାହାକୁ ଆହ୍ୱାନ କରିଅଛୁ; ଆମ୍ଭେ ତାହାକୁ ଆଣିଅଛୁ, ଆଉ ସେ ଆପଣା ପଥରେ କୃତକାର୍ଯ୍ୟ ହେବ।
ISA 48:16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ; ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁ; ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ;” ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି।
ISA 48:17 ସଦାପ୍ରଭୁ ତୁମ୍ଭର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ, ଏହି କଥା କହନ୍ତି; “ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ।
ISA 48:18 ଆଃ, ତୁମ୍ଭେ ଯଦି ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା;
ISA 48:19 ତୁମ୍ଭର ବଂଶ ମଧ୍ୟ ବାଲୁକା ତୁଲ୍ୟ ଓ ତୁମ୍ଭର ଔରସଜାତ ସନ୍ତାନଗଣ ତହିଁର କଣିକାସମୂହର ତୁଲ୍ୟ ହୋଇଥାʼନ୍ତେ; ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିଅବା ବିନଷ୍ଟ ହୋଇ ନ ଥାʼନ୍ତା।”
ISA 48:20 ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍‍ଦୀୟମାନଙ୍କ ମଧ୍ୟରୁ ପଳାଅ; ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”
ISA 48:21 ପୁଣି, ସେ ମରୁଭୂମି ଦେଇ ସେମାନଙ୍କୁ ଗମନ କରାଇବା ବେଳେ ସେମାନେ ତୃଷାର୍ତ୍ତ ନୋହିଲେ, ସେ ସେମାନଙ୍କ ନିମନ୍ତେ ଶୈଳରୁ ଜଳସ୍ରୋତ ବୁହାଇଲେ, ଆହୁରି ସେ ଶୈଳକୁ ବିଦୀର୍ଣ୍ଣ କଲେ, ପୁଣି ତହିଁରୁ ଜଳ ନିର୍ଗତ ହେଲା।
ISA 48:22 ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନଙ୍କର କିଛି ଶାନ୍ତି ନାହିଁ।”
ISA 49:1 ହେ ଦ୍ୱୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;
ISA 49:2 ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି;
ISA 49:3 ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।”
ISA 49:4 ମାତ୍ର ମୁଁ କହିଲି, “ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।”
ISA 49:5 ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି);
ISA 49:6 ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
ISA 49:7 ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
ISA 49:8 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;
ISA 49:9 ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
ISA 49:10 ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
ISA 49:11 ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ।
ISA 49:12 ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍‍ ଦେଶରୁ ଆସିବେ।”
ISA 49:13 ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
ISA 49:14 ମାତ୍ର ସିୟୋନ କହିଲା, “ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।”
ISA 49:15 “ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
ISA 49:16 ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
ISA 49:17 ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ସନ୍ନ କଲେ, ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
ISA 49:18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।”
ISA 49:19 କାରଣ ନିଶ୍ଚୟ ଏବେ ତୁମ୍ଭେ, “ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।
ISA 49:20 ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ‘ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’
ISA 49:21 ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?’”
ISA 49:22 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆପଣା ଧ୍ୱଜା ଟେକିବା; ତହିଁରେ ସେମାନେ ତୁମ୍ଭ ପୁତ୍ରଗଣକୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଯିବେ।
ISA 49:23 ପୁଣି, ରାଜାଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକୁ ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”
ISA 49:24 ବୀରଠାରୁ କି ଲୁଟିତ ଦ୍ରବ୍ୟ ହରଣ କରାଯିବ, ଅବା ନ୍ୟାୟରେ ବନ୍ଦୀକୃତ ଲୋକମାନେ କି ମୁକ୍ତ କରାଯିବେ?
ISA 49:25 ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, “ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।
ISA 49:26 ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ।”
ISA 50:1 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ?” “ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।
ISA 50:2 ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦ-ନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।
ISA 50:3 ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ ଓ ଚଟବସ୍ତ୍ରକୁ ସେହି ସବୁର ଆଚ୍ଛାଦନ କରୁ।”
ISA 50:4 ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି।
ISA 50:5 ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ।
ISA 50:6 ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ।
ISA 50:7 କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।
ISA 50:8 ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ।
ISA 50:9 ଦେଖ, ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ମୋତେ ଦୋଷୀ କରିବ କିଏ? ଦେଖ, ସେମାନେ ସମସ୍ତେ ବସ୍ତ୍ର ପରି ପୁରୁଣା ହେବେ; କୀଟ ସେମାନଙ୍କୁ ଗ୍ରାସ କରିବ।
ISA 50:10 ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁ।
ISA 50:11 ଅଗ୍ନି ଜ୍ୱଳାଉଅଛ, ଅଗ୍ନିଖୁଣ୍ଟାରେ ଆପଣାମାନଙ୍କୁ ବେଷ୍ଟନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ଦେଖ: ତୁମ୍ଭେମାନେ ଆପଣାମାନଙ୍କ ଅଗ୍ନିଶିଖା ଓ ଆପଣାମାନଙ୍କ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋʼ ହସ୍ତରୁ ଏହା ତୁମ୍ଭେମାନେ ପାଇବ; ତୁମ୍ଭେମାନେ ଶୋକରେ ଶୟନ କରିବ।
ISA 51:1 “ହେ ଧର୍ମର ଅନୁଗାମୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭେମାନେ ଆମ୍ଭର କଥା ଶୁଣ: ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ, ତହିଁ ପ୍ରତି ଦୃଷ୍ଟିପାତ କର।
ISA 51:2 ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କର; କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ୱାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ।
ISA 51:3 କାରଣ ସଦାପ୍ରଭୁ ସିୟୋନକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ଉତ୍ସନ୍ନ ସ୍ଥାନସବୁକୁ ସାନ୍ତ୍ୱନା କରିଅଛନ୍ତି; ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିଅଛନ୍ତି; ଆନନ୍ଦ ଓ ଉଲ୍ଲାସ, ଧନ୍ୟବାଦ ଓ ସଙ୍ଗୀତ ଧ୍ୱନି ତହିଁ ମଧ୍ୟରେ ହେବ।
ISA 51:4 ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ମନୋଯୋଗ କର; ହେ ଆମ୍ଭର ଦେଶୀୟ ଲୋକେ, ଆମ୍ଭ କଥାରେ କର୍ଣ୍ଣପାତ କର: କାରଣ ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ ଓ ଆମ୍ଭେ ଗୋଷ୍ଠୀବର୍ଗର ଦୀପ୍ତି ନିମନ୍ତେ ଆମ୍ଭର ବିଚାର ସ୍ଥାପନ କରିବା।
ISA 51:5 ଆମ୍ଭର ଧର୍ମ ନିକଟବର୍ତ୍ତୀ, ଆମ୍ଭର ପରିତ୍ରାଣ ନିର୍ଗତ ହୋଇଅଛି ଓ ଆମ୍ଭର ବାହୁ ଗୋଷ୍ଠୀବର୍ଗର ବିଚାର କରିବ; ଦ୍ୱୀପଗଣ ଆମ୍ଭର ଅପେକ୍ଷାରେ ରହିବେ ଓ ଆମ୍ଭର ବାହୁରେ ପ୍ରତ୍ୟାଶା ରଖିବେ।
ISA 51:6 ତୁମ୍ଭେମାନେ ଆକାଶମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର; କାରଣ ଆକାଶମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ ଓ ଭୂମଣ୍ଡଳ ବସ୍ତ୍ର ତୁଲ୍ୟ ଜୀର୍ଣ୍ଣ ହେବ, ପୁଣି ତନ୍ନିବାସୀଗଣ ସେହିରୂପେ ମରିଯିବେ; ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ଧର୍ମ ଲୁପ୍ତ ହେବ ନାହିଁ।
ISA 51:7 ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି, ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ, ଅଥବା ସେମାନଙ୍କ ନିନ୍ଦାରେ ଉଦ୍‍ବିଗ୍ନ ହୁଅ ନାହିଁ।
ISA 51:8 କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ; ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ବଂଶାନୁକ୍ରମେ ରହିବ।”
ISA 51:9 ହେ ସଦାପ୍ରଭୁଙ୍କ ବାହୁ, ଜାଗ, ଜାଗ, ବଳ ପରିଧାନ କର, ଯେପରି ପୂର୍ବକାଳରେ, ପ୍ରାଚୀନ କାଳର ବଂଶାନୁକ୍ରମେ ସମୟରେ, ସେହିପରି ଜାଗ। ଯେ ରାହବକୁ ଖଣ୍ଡ ଖଣ୍ଡ କରି କାଟିଲେ, ଯେ ନାଗକୁ ବିଦ୍ଧ କଲେ, ସେ କି ତୁମ୍ଭେ ନୁହଁ?
ISA 51:10 ଯେ ସମୁଦ୍ରକୁ, ମହାବାରିଧିର ଜଳସମୂହକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ନିମନ୍ତେ ସମୁଦ୍ରର ଗଭୀର ସ୍ଥାନକୁ ପଥ କଲେ, ସେ କି ତୁମ୍ଭେ ନୁହଁ?
ISA 51:11 ପୁଣି, ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଆନନ୍ଦଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ; ନିତ୍ୟସ୍ଥାୟୀ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।
ISA 51:12 “ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରନ୍ତି, ସେ ଆମ୍ଭେ, ଆମ୍ଭେ ହିଁ ଅଟୁ; ମୃତ୍ୟୁର ଅଧୀନ ମନୁଷ୍ୟକୁ ଓ ଯେ ତୃଣ ତୁଲ୍ୟ କରାଯିବ, ଏପରି ମନୁଷ୍ୟର ସନ୍ତାନକୁ ଭୟ କରୁଅଛ,
ISA 51:13 ପୁଣି ଆକାଶମଣ୍ଡଳ ବିସ୍ତାରକାରୀ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନକାରୀ ତୁମ୍ଭ ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କୁ ଭୁଲିଅଛ ଓ ଉପଦ୍ରବୀ ବିନାଶ କରିବାକୁ ଉଦ୍ୟତ ହେବା ବେଳେ ତାହାର କୋପ ସକାଶୁ ସାରାଦିନ ନିରନ୍ତର ଭୟ କରୁଅଛ ଯେ ତୁମ୍ଭେ, ତୁମ୍ଭେ ତ କିଏ? ଆଉ, ସେ ଉପଦ୍ରବୀର କୋପ କାହିଁ?
ISA 51:14 ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ; ପୁଣି, ସେ ମରି ଗର୍ତ୍ତକୁ ଯିବ ନାହିଁ, ଅଥବା ତାହାର ଖାଦ୍ୟର ଅଭାବ ହେବ ନାହିଁ।
ISA 51:15 କାରଣ କଲ୍ଳୋଳସକଳ ଗର୍ଜ୍ଜନ କରିବା ନିମନ୍ତେ ଯେ ସମୁଦ୍ରକୁ ବ୍ୟସ୍ତ କରନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
ISA 51:16 ପୁଣି, ଆକାଶମଣ୍ଡଳ ରୋପଣ କରିବାର, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିବାର ଓ ‘ତୁମ୍ଭେ ଆମ୍ଭର ଲୋକ,’ ଏହା ସିୟୋନକୁ କହିବା ପାଇଁ ଆମ୍ଭେ ତୁମ୍ଭ ମୁଖରେ ଆପଣା ବାକ୍ୟ ରଖିଅଛୁ ଓ ଆପଣା ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ।”
ISA 51:17 ହେ ଯିରୂଶାଲମ, ଜାଗ, ଜାଗ, ଠିଆ ହୁଅ, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ ତାହାଙ୍କ କୋପରୂପ ପାନପାତ୍ର ନେଇ ପାନ କରିଅଛ; ତୁମ୍ଭେ ମତ୍ତତାଜନକ ବୃହତ ପାତ୍ରରୁ ପାନ କରି ତାହା ଶେଷ କରିଅଛ।
ISA 51:18 ସେ ଯେଉଁ ପୁତ୍ରଗଣକୁ ପ୍ରସବ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାକୁ କଢ଼ାଇ ନେବାକୁ କେହି ନାହିଁ; କିଅବା ସେ ଯେଉଁ ପୁତ୍ରଗଣକୁ ପ୍ରତିପାଳନ କରିଅଛି, ସେ ସମସ୍ତଙ୍କ ମଧ୍ୟରେ ତାହାର ହସ୍ତ ଧରି ନେବା ପାଇଁ କେହି ନାହିଁ।
ISA 51:19 ଏହି ଦୁଇ ବିଷୟ ତୁମ୍ଭ ପ୍ରତି ଘଟିଅଛି; ତୁମ୍ଭ ପାଇଁ କିଏ ବିଳାପ କରିବ? ଶୂନ୍ୟତା ଓ ବିନାଶ, ପୁଣି ଦୁର୍ଭିକ୍ଷ ଓ ଖଡ୍ଗ; ଆମ୍ଭେ କିପରି ତୁମ୍ଭକୁ ସାନ୍ତ୍ୱନା କରିବା?
ISA 51:20 ଜାଲରେ ବଦ୍ଧ ହରିଣର ପ୍ରାୟ ତୁମ୍ଭର ପୁତ୍ରଗଣ ମୂର୍ଚ୍ଛିତ ହୋଇଅଛନ୍ତି, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ ପଡ଼ିଅଛନ୍ତି; ସେମାନେ ସଦାପ୍ରଭୁଙ୍କ କୋପରେ, ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।
ISA 51:21 ଏଣୁକରି ହେ ଦୁଃଖିନୀ ଓ ବିନା ଦ୍ରାକ୍ଷାରସରେ ମତ୍ତା ଯେ ତୁମ୍ଭେ, ତୁମ୍ଭେ ଏବେ ଏହା ଶୁଣ;
ISA 51:22 ତୁମ୍ଭ ପ୍ରଭୁ, ସଦାପ୍ରଭୁ ଓ ଆପଣା ଲୋକମାନଙ୍କର ପକ୍ଷବାଦୀ ତୁମ୍ଭ ପରମେଶ୍ୱର ଏହି କଥା କହନ୍ତି, “ଦେଖ, ଆମ୍ଭେ ମତ୍ତତାଜନକ ପାନପାତ୍ର, ଅର୍ଥାତ୍‍, ଆମ୍ଭ କୋପରୂପ ବୃହତ ପାନପାତ୍ର ତୁମ୍ଭ ହସ୍ତରୁ କାଢ଼ି ନେଇଅଛୁ; ତୁମ୍ଭେ ଆଉ ତାହା ପାନ କରିବ ନାହିଁ;
ISA 51:23 ପୁଣି, ଯେଉଁମାନେ ତୁମ୍ଭକୁ କ୍ଲେଶ ଦିଅନ୍ତି, ସେମାନଙ୍କ ହସ୍ତରେ ଆମ୍ଭେ ତାହା ଦେବା; ସେମାନେ ତୁମ୍ଭ ପ୍ରାଣକୁ କହିଅଛନ୍ତି, ‘ନଇଁ ପଡ଼, ଆମ୍ଭେମାନେ ତୁମ୍ଭ ଉପର ଦେଇ ଗମନ କରିବା:’ ଆଉ, ତୁମ୍ଭେ ଭୂମି ଓ ସଡ଼କ ପରି ଗମନକାରୀମାନଙ୍କ ନିମନ୍ତେ ଆପଣା ପିଠି ପାତି ଦେଇଅଛ।”
ISA 52:1 ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
ISA 52:2 ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।
ISA 52:3 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିନାମୂଲ୍ୟରେ ବିକ୍ରୀତ ହୋଇଥିଲ, ଆଉ ବିନାମୂଲ୍ୟରେ ମୁକ୍ତ କରାଯିବ।
ISA 52:4 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ; ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା।
ISA 52:5 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ଲୋକମାନେ ତ ଅକାରଣରେ ନିଆଯାଉଅଛନ୍ତି, ଆମ୍ଭେ ଏଠାରେ ଥାଇ କଅଣ କରୁଅଛୁ? ସଦାପ୍ରଭୁ କହନ୍ତି, ସେମାନଙ୍କ ଉପରେ କର୍ତ୍ତୃତ୍ୱକାରୀମାନେ ଗର୍ଜ୍ଜନ କରୁଅଛନ୍ତି ଓ ଆମ୍ଭର ନାମ ସାରାଦିନ ନିରନ୍ତର ନିନ୍ଦିତ ହେଉଅଛି।
ISA 52:6 ଏଥିପାଇଁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ; ଏଥିପାଇଁ ଯେ କଥା କହନ୍ତି, ସେ ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ; ଦେଖ, ସେ ଆମ୍ଭେ।”
ISA 52:7 ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି” ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ!
ISA 52:8 ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ।
ISA 52:9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।
ISA 52:10 ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିବେ।
ISA 52:11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
ISA 52:12 କାରଣ ତୁମ୍ଭେମାନେ ତରତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ପଶ୍ଚାଦ୍‍ବର୍ତ୍ତୀ ହେବେ।
ISA 52:13 ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ।
ISA 52:14 ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ,
ISA 52:15 ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ।
ISA 53:1 ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?
ISA 53:2 କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ।
ISA 53:3 ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ।
ISA 53:4 ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ।
ISA 53:5 ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।
ISA 53:6 ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।
ISA 53:7 ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ।
ISA 53:8 ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ।
ISA 53:9 ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ।
ISA 53:10 ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ।
ISA 53:11 ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ।
ISA 53:12 ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳିଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
ISA 54:1 “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ।
ISA 54:2 ତୁମ୍ଭେ ଆପଣା ତମ୍ବୁର ସ୍ଥାନ ବଢ଼ାଅ ଓ ସେମାନେ ତୁମ୍ଭ ବାସସ୍ଥାନର ଯବନିକାସବୁ ବିସ୍ତାର କରନ୍ତୁ; ବ୍ୟୟର ଆଶଙ୍କା କର ନାହିଁ; ତୁମ୍ଭର ଦଉଡ଼ିସବୁ ଲମ୍ବାଇ ଦିଅ ଓ କିଳାସବୁ ଦୃଢ଼ କର।
ISA 54:3 କାରଣ ତୁମ୍ଭେ ଡାହାଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଓ ନରଶୂନ୍ୟ ନଗରସମୂହକୁ ବସତି ସ୍ଥାନ କରାଇବେ।
ISA 54:4 ଭୟ କର ନାହିଁ; କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ।
ISA 54:5 କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।
ISA 54:6 କାରଣ ତୁମ୍ଭ ପରମେଶ୍ୱର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।
ISA 54:7 ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା।
ISA 54:8 ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି।
ISA 54:9 କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
ISA 54:10 ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।
ISA 54:11 ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
ISA 54:12 ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା।
ISA 54:13 ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।
ISA 54:14 ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ହେବ ନାହିଁ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
ISA 54:15 ଦେଖ, ଲୋକମାନେ ଏକମେଳ ହୋଇ ପାରନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ଯେକେହି ତୁମ୍ଭ ବିପକ୍ଷରେ ଏକମେଳ ହୁଏ, ସେ ତୁମ୍ଭ ହେତୁ ପତିତ ହେବ।
ISA 54:16 ଦେଖ, ଯେଉଁ ଲୌହକାର କୋଇଲାକୁ ଅଗ୍ନି ଦେଇ ତାତିରେ ଓ ଆପଣା କାର୍ଯ୍ୟ ନିମନ୍ତେ ଅସ୍ତ୍ର ନିର୍ମାଣ କରେ, ଆମ୍ଭେ ତାହାର ସୃଷ୍ଟି କରିଅଛୁ ଓ ବିନାଶକରଣାର୍ଥେ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
ISA 54:17 ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ଓ ଯେ ପ୍ରତ୍ୟେକ ଜିହ୍ୱା ବିଚାରରେ ତୁମ୍ଭ ବିରୁଦ୍ଧରେ ଉଠେ, ତୁମ୍ଭେ ତାହାକୁ ଦୋଷୀ କରିବ। ସଦାପ୍ରଭୁଙ୍କ ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ସେମାନଙ୍କର ଧାର୍ମିକତା ଏହି,” ଏହା ସଦାପ୍ରଭୁ କହନ୍ତି।
ISA 55:1 “ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
ISA 55:2 ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।
ISA 55:3 କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍‍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।
ISA 55:4 ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।
ISA 55:5 ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି।
ISA 55:6 ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର।
ISA 55:7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।
ISA 55:8 ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।
ISA 55:9 କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।
ISA 55:10 ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ;
ISA 55:11 ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।
ISA 55:12 ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।
ISA 55:13 କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ; ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନସ୍ୱରୂପ ହେବ।”
ISA 56:1 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ନ୍ୟାୟବିଚାର ପାଳନ କର; ଧର୍ମକର୍ମ କର; କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସନ୍ନିକଟ।
ISA 56:2 ଯେଉଁ ମନୁଷ୍ୟ ଏହା କରେ ଓ ଯେଉଁ ମନୁଷ୍ୟ-ସନ୍ତାନ ଏହା ଦୃଢ଼ ରୂପେ ଅବଲମ୍ବନ କରେ; ଯେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁ ପ୍ରକାର କୁକର୍ମରୁ ଆପଣା ହସ୍ତକୁ ନିବାରଣ କରେ, ସେ ଧନ୍ୟ।”
ISA 56:3 “ନିଶ୍ଚୟ ସଦାପ୍ରଭୁ ଆପଣା ଲୋକମାନଙ୍କଠାରୁ ମୋତେ ପୃଥକ କରିବେ,” ଏହା ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ଲୋକ ନ କହୁ; ଅଥବା “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ଏହା ନପୁଂସକ ନ କହୁ।”
ISA 56:4 କାରଣ, ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମବାର ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;”
ISA 56:5 “ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତକାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।
ISA 56:6 ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍‍, ଯେଉଁମାନେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;
ISA 56:7 ସେହି ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନାଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ।
ISA 56:8 ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।”
ISA 56:9 ହେ କ୍ଷେତ୍ରସ୍ଥ ପଶୁସବୁ, ହେ ବନସ୍ଥ ସମସ୍ତ ପଶୁ, ତୁମ୍ଭେମାନେ ଗ୍ରାସ କରିବାକୁ ଆସ।
ISA 56:10 ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପାʼନ୍ତି।
ISA 56:11 ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
ISA 56:12 ପ୍ରତ୍ୟେକେ କହନ୍ତି, “ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ଆମ୍ଭେମାନେ ସୁରାପାନରେ ମତ୍ତ ହେବା; ପୁଣି, ଯେପରି ଆଜି, ସେହିପରି କାଲି ହେବ, ତାହା ଅପରିମିତ ମହାଦିନ ହେବ।”
ISA 57:1 ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁ ନାହିଁ; ପୁଣି, ଭକ୍ତ ଲୋକମାନେ ନିଆଯାଉଅଛନ୍ତି, ଧାର୍ମିକମାନେ ଯେ ଆସନ୍ତା ବିପଦରୁ ନିଆଯାଉଅଛନ୍ତି, ଏହା କେହି ବିବେଚନା କରୁ ନାହିଁ।
ISA 57:2 ସେ ଶାନ୍ତିରେ ପ୍ରବେଶ କରେ; ସରଳ-ପଥଗାମୀମାନେ ପ୍ରତ୍ୟେକେ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି।
ISA 57:3 ହେ ଗଣିକାର ପୁତ୍ରଗଣ, ପାରଦାରିକ ଓ ବେଶ୍ୟାର ବଂଶ, ତୁମ୍ଭେମାନେ ନିକଟକୁ ଆସ।
ISA 57:4 ତୁମ୍ଭେମାନେ କାହାକୁ ଉପହାସ କରୁଅଛ? ତୁମ୍ଭେମାନେ କାହାଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ? ତୁମ୍ଭେମାନେ କି ଅଧର୍ମର ସନ୍ତାନ ଓ ଅସତ୍ୟତାର ବଂଶ ନୁହଁ?
ISA 57:5 ତୁମ୍ଭେମାନେ ଅଲୋନ ବୃକ୍ଷଗଣ ମଧ୍ୟରେ, ପ୍ରତ୍ୟେକ ହରିତ୍‍ପୂର୍ଣ୍ଣ ବୃକ୍ଷ ତଳେ ଆସକ୍ତିରୂପ ଅନଳରେ ଆପଣାମାନଙ୍କୁ କି ଉତ୍ତପ୍ତ କରୁ ନାହଁ; ତୁମ୍ଭେମାନେ ନାନା ଉପତ୍ୟକାରେ, ଶୈଳଗଣର ଫାଟ ତଳେ ସନ୍ତାନଗଣକୁ କି ବଧ କରୁ ନାହଁ?
ISA 57:6 ଉପତ୍ୟକାର ଚିକ୍କଣ ପ୍ରସ୍ତରସକଳ ମଧ୍ୟରେ ତୁମ୍ଭର ଅଂଶ, ସେହି ସବୁ ତୁମ୍ଭର ଅଧିକାର; ଆଉ, ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟ-ନୈବେଦ୍ୟ ଢାଳିଅଛ, ନୈବେଦ୍ୟ ଉତ୍ସର୍ଗ କରିଅଛ। ଏହିସବୁ ସକାଶୁ ଆମ୍ଭେ କି ଶାନ୍ତ ହେବା?
ISA 57:7 ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ତୁମ୍ଭେ ଆପଣା ଶଯ୍ୟା ପାତିଅଛ; ସେହି ସ୍ଥାନକୁ ମଧ୍ୟ ତୁମ୍ଭେ ବଳିଦାନ କରିବା ପାଇଁ ଯାଇଅଛ।
ISA 57:8 ପୁଣି, କବାଟ ଓ ଚୌକାଠର ପଛରେ ତୁମ୍ଭେ ତୁମ୍ଭର ସ୍ମରଣାର୍ଥକ ସ୍ତମ୍ଭ ସ୍ଥାପନ କରିଅଛ; କାରଣ ତୁମ୍ଭେ ଆମ୍ଭ ଛଡ଼ା ଅନ୍ୟ ପ୍ରତି ଆପଣାକୁ ଅନାବୃତ କରି ଉପରକୁ ଯାଇଅଛ; ତୁମ୍ଭେ ଆପଣା ଶଯ୍ୟା ବଢ଼ାଇ ସେମାନଙ୍କ ସଙ୍ଗେ ନିୟମ କରିଅଛ; ତୁମ୍ଭେ ଯେଉଁଠାରେ ସେମାନଙ୍କ ଶଯ୍ୟା ଦେଖିଲ, ତାହା ଭଲ ପାଇଅଛ।
ISA 57:9 ପୁଣି, ତୁମ୍ଭେ ତୈଳ ଘେନି ମଲେକ୍ ଦେବତା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ।
ISA 57:10 ତୁମ୍ଭେ ଆପଣା ମାର୍ଗର ଦୀର୍ଘତା ହେତୁ କ୍ଳାନ୍ତ ହୋଇଥିଲ, ତଥାପି ଆଉ ଭରସା ନାହିଁ ବୋଲି କହିଲ ନାହିଁ; ତୁମ୍ଭର ବଳ ସତେଜ ହେଲା ବୋଲି ବୋଧ ପାଇଲ, ଏଥିପାଇଁ ତୁମ୍ଭେ କ୍ଳାନ୍ତ ହେଲ ନାହିଁ।
ISA 57:11 ପୁଣି, କାହାର ସକାଶୁ ତୁମ୍ଭେ ଏପରି ତ୍ରାସଯୁକ୍ତା ଓ ଭୀତା ହୋଇଅଛ ଯେ, ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ସ୍ମରଣ କରି ନାହଁ, କିଅବା ଆପଣା ମନ ତହିଁରେ ଦେଇ ନାହଁ? ଆମ୍ଭେ କି ଦୀର୍ଘ କାଳ ନୀରବ ରହି ନାହୁଁ, ତେଣୁ ତୁମ୍ଭେ କି ଆମ୍ଭକୁ ଭୟ କରୁ ନାହଁ?
ISA 57:12 ଆମ୍ଭେ ତୁମ୍ଭର ଧାର୍ମିକତା ପ୍ରକାଶ କରିବା; ପୁଣି, ତୁମ୍ଭର କର୍ମସକଳ ତୁମ୍ଭର ଉପକାରୀ ହେବ ନାହିଁ।
ISA 57:13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ତୁମ୍ଭେ କାନ୍ଦିବା ବେଳେ ସେମାନେ ଉଦ୍ଧାର କରନ୍ତୁ; ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ, ଏକ ନିଶ୍ୱାସ ସେସମସ୍ତଙ୍କୁ ନେଇଯିବ; କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତର ଅଧିକାରୀ ହେବ।
ISA 57:14 ଆଉ, ସେ କହିବେ, “ତୁମ୍ଭେମାନେ ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର, ଆମ୍ଭ ଲୋକମାନଙ୍କ ପଥରୁ ବିଘ୍ନ ଦୂର କର।”
ISA 57:15 କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ପବିତ୍ର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ।
ISA 57:16 କାରଣ ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ, ଅଥବା ନିରନ୍ତର କ୍ରୋଧ କରିବା ନାହିଁ; କଲେ, ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।
ISA 57:17 ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ କ୍ରୁଦ୍ଧ ହୋଇ ତାହାକୁ ଆଘାତ କଲୁ, ଆମ୍ଭେ ଆପଣା ମୁଖ ଲୁଚାଇ କ୍ରୁଦ୍ଧ ହେଲୁ, ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଚାଲିଲା।
ISA 57:18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ତାହାକୁ ସୁସ୍ଥ କରିବା; ମଧ୍ୟ ଆମ୍ଭେ ତାହାକୁ ପଥ କଢ଼ାଇବା, ପୁଣି ତାହାକୁ ଓ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବା।
ISA 57:19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ; ସଦାପ୍ରଭୁ କହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ଶାନ୍ତି, ଶାନ୍ତି ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।
ISA 57:20 ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ।
ISA 57:21 ଆମ୍ଭର ପରମେଶ୍ୱର କହନ୍ତି, ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।”
ISA 58:1 “ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ, ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ।
ISA 58:2 ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
ISA 58:3 ସେମାନେ କୁହନ୍ତି, ‘ଆମ୍ଭେମାନେ କାହିଁକି ଉପବାସ କରିଅଛୁ ଓ ତୁମ୍ଭେ ଦୃଷ୍ଟି କରୁ ନାହଁ?’ ଆମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଲେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ? ଦେଖ, ତୁମ୍ଭେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ।
ISA 58:4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।
ISA 58:5 ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କʼଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ?
ISA 58:6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,
ISA 58:7 କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?
ISA 58:8 ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ; ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍‍ବର୍ତ୍ତୀ ହେବ।
ISA 58:9 ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ‘ଆମ୍ଭେ ଉପସ୍ଥିତ ଅଛୁ।’ ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର;
ISA 58:10 ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;
ISA 58:11 ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ।
ISA 58:12 ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବକାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।
ISA 58:13 ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ; ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ; ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ:
ISA 58:14 ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; ପୁଣି, ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀମାନରେ ଆରୋହଣ କରାଇବା; ଆଉ, ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା: କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି।”
ISA 59:1 ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
ISA 59:2 ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ।
ISA 59:3 କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ, ଓ ତୁମ୍ଭମାନଙ୍କର ଜିହ୍ୱା ଦୁଷ୍ଟତା ବକେ;
ISA 59:4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ; ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।
ISA 59:5 ସେମାନେ କାଳସର୍ପର ଡିମ୍ବ ଫୁଟାନ୍ତି ଓ ମାକଡ଼ସାର ଜାଲ ବୁଣନ୍ତି; ଯେ ସେମାନଙ୍କର ଡିମ୍ବ ଖାଏ, ସେ ମରେ, ଆଉ ତାହା ଦଳିତ ହେଲେ ତହିଁରୁ କାଳସର୍ପ ବାହାର ହୁଏ।
ISA 59:6 ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ; ସେମାନଙ୍କର କର୍ମସବୁ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ଦୌରାତ୍ମ୍ୟର କାର୍ଯ୍ୟ ଥାଏ।
ISA 59:7 ସେମାନଙ୍କର ଚରଣ ଦୁଷ୍କର୍ମର ଆଡ଼େ ଦୌଡ଼େ ଓ ସେମାନେ ନିର୍ଦ୍ଦୋଷର ରକ୍ତପାତ କରିବାକୁ ବେଗଗାମୀ ହୁଅନ୍ତି; ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା; ସେମାନଙ୍କ ପଥରେ ଉଚ୍ଛିନ୍ନତା ଓ ବିନାଶ ଥାଏ।
ISA 59:8 ଶାନ୍ତିର ବାଟ ସେମାନେ ଜାଣନ୍ତି ନାହିଁ ଓ ସେମାନଙ୍କ ମାର୍ଗରେ କୌଣସି ବିଚାର ନାହିଁ; ସେମାନେ ଆପଣାମାନଙ୍କ ପାଇଁ ବକ୍ର ପଥ କରିଅଛନ୍ତି; ଯେକେହି ତହିଁରେ ଗମନ କରେ, ସେ ଶାନ୍ତି ଜାଣେ ନାହିଁ।
ISA 59:9 ଏନିମନ୍ତେ ବିଚାର ଆମ୍ଭମାନଙ୍କଠାରୁ ଦୂରରେ ଥାଏ, ଧାର୍ମିକତା ଆମ୍ଭମାନଙ୍କ ସଙ୍ଗ ଧରେ ନାହିଁ; ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର ଦେଖ, ଅନ୍ଧକାର; ଆଲୁଅର ଅପେକ୍ଷା କରୁ, ମାତ୍ର ଆମ୍ଭେମାନେ ଅନ୍ଧାରରେ ଭ୍ରମଣ କରୁ।
ISA 59:10 ଆମ୍ଭେମାନେ ଅନ୍ଧ ଲୋକ ପରି କାନ୍ଥ ପାଇଁ ଦରାଣ୍ଡି ହେଉ, ହଁ, ଚକ୍ଷୁହୀନ ଲୋକମାନଙ୍କ ପରି ଆମ୍ଭେମାନେ ଦରାଣ୍ଡି ହେଉ; ଆମ୍ଭେମାନେ ସନ୍ଧ୍ୟାବେଳ ପରି ମଧ୍ୟାହ୍ନ କାଳରେ ଝୁଣ୍ଟି ପଡ଼ୁ; ଆମ୍ଭେମାନେ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରେ ମୃତ ଲୋକଙ୍କ ପରି ଅଛୁ।
ISA 59:11 ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ; ଆମ୍ଭେମାନେ ବିଚାରର ଅପେକ୍ଷା କରୁ, ମାତ୍ର ତାହା ନାହିଁ; ପରିତ୍ରାଣର ଅପେକ୍ଷା କରୁ, ମାତ୍ର ତାହା ଆମ୍ଭମାନଙ୍କଠାରୁ ଦୂରରେ ଅଛି।
ISA 59:12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
ISA 59:13 ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
ISA 59:14 ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି; ଛକସ୍ଥାନରେ ସତ୍ୟତାର ପତନ ହୋଇଅଛି ଓ ସରଳତା ପ୍ରବେଶ କରି ପାରୁ ନାହିଁ।
ISA 59:15 ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ; ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
ISA 59:16 ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ; ଏହେତୁ ତାହାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାହାଙ୍କର ଧାର୍ମିକତା ହିଁ ତାହାଙ୍କୁ ଧରି ରଖିଲା।
ISA 59:17 ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ; ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ରରୂପେ ଉଦ୍‍ଯୋଗରୂପ ବସ୍ତ୍ର ପିନ୍ଧିଲେ।
ISA 59:18 ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।
ISA 59:19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।
ISA 59:20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”
ISA 59:21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
ISA 60:1 ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି।
ISA 60:2 କାରଣ, ଦେଖ, ଅନ୍ଧକାର ପୃଥିବୀକୁ ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ।
ISA 60:3 ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ।
ISA 60:4 ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେମାନେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି; ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ବାହୁରେ ଅଣାଯିବେ।
ISA 60:5 ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
ISA 60:6 ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେହି ସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ, କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ।
ISA 60:7 କେଦାରର ସମଗ୍ର ମେଷପଲ ତୁମ୍ଭ ନିକଟରେ ଏକତ୍ରୀକୃତ ହେବେ, ନବାୟୋତ୍‍ର ମେଷଗଣ ତୁମ୍ଭର ପରିଚର୍ଯ୍ୟା କରିବେ; ସେମାନେ ସୁଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦିର ଉପରକୁ ଆସିବେ, ପୁଣି ଆମ୍ଭେ ଆପଣାର ଭୂଷଣ ସ୍ୱରୂପ ଗୃହକୁ ଭୂଷିତ କରିବା।
ISA 60:8 ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ?
ISA 60:9 ନିଶ୍ଚୟ ଦ୍ୱୀପସମୂହ ଆମ୍ଭର ଅପେକ୍ଷା କରିବେ, ପୁଣି ତର୍ଶୀଶର ଜାହାଜସକଳ ଅଗ୍ରଗାମୀ ହୋଇ ଆପଣା ଆପଣା ସଙ୍ଗରେ ସେମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭ ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ନିମନ୍ତେ ଆସିବେ, କାରଣ ସେ ତୁମ୍ଭକୁ ଶୋଭିତ କରିଅଛନ୍ତି।
ISA 60:10 ପୁଣି, ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ସେମାନଙ୍କର ରାଜାଗଣ ତୁମ୍ଭର ପରିଚର୍ଯ୍ୟା କରିବେ; କାରଣ ଆମ୍ଭେ ଆପଣା କୋପରେ ତୁମ୍ଭକୁ ପ୍ରହାର କଲୁ, ମାତ୍ର ଆପଣା ଅନୁଗ୍ରହରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିଅଛୁ।
ISA 60:11 ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜାଗଣ ବନ୍ଦୀ ହୋଇ ଯେପରି ତୁମ୍ଭ ନିକଟକୁ ଅଣାଯିବେ, ଏଥିପାଇଁ ତୁମ୍ଭ ନଗରର ଦ୍ୱାରସକଳ ନିରନ୍ତର ମୁକ୍ତ ଥିବ, ଦିବାରାତ୍ର ସେହି ସବୁ ବନ୍ଦ ହେବ ନାହିଁ।
ISA 60:12 କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ।
ISA 60:13 ଲିବାନୋନର ଗୌରବ ତୁମ୍ଭ ନିକଟକୁ ଆସିବ, ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନ ସୁଶୋଭିତ କରିବା ପାଇଁ ଆସିବେ, ପୁଣି ଆମ୍ଭେ ଆପଣା ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା।
ISA 60:14 ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ।
ISA 60:15 ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା।
ISA 60:16 ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।
ISA 60:17 ଆମ୍ଭେ ପିତ୍ତଳର ପାଲଟେ ସୁବର୍ଣ୍ଣ ଆଣିବା ଓ ଲୁହାର ପାଲଟେ ରୂପା, କାଷ୍ଠର ପାଲଟେ ପିତ୍ତଳ ଓ ପ୍ରସ୍ତର ପାଲଟେ ଲୁହା ଆଣିବା; ଆହୁରି, ଆମ୍ଭେ ତୁମ୍ଭର ଅଧ୍ୟକ୍ଷ ପଦରେ ଶାନ୍ତିକୁ ଓ ତୁମ୍ଭର ଅଧିକାରୀ ପଦରେ ଧାର୍ମିକତାକୁ ନିଯୁକ୍ତ କରିବା।
ISA 60:18 ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଉଚ୍ଛିନ୍ନତା ଓ ବିନାଶର କଥା ଆଉ ଶୁଣାଯିବ ନାହିଁ; ମାତ୍ର ତୁମ୍ଭେ ଆପଣା ପ୍ରାଚୀରସମୂହର ନାମ ପରିତ୍ରାଣ ଓ ଆପଣା ନଗରଦ୍ୱାରସକଳର ନାମ ପ୍ରଶଂସା ରଖିବ।
ISA 60:19 ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନନ୍ତକାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ଗୌରବ ସ୍ୱରୂପ ହେବେ।
ISA 60:20 ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ହେବ ନାହିଁ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତକାଳସ୍ଥାୟୀ ଜ୍ୟୋତିଃ ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ।
ISA 60:21 ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି।
ISA 60:22 କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ; ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା।
ISA 61:1 ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ;
ISA 61:2 ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ;
ISA 61:3 ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।
ISA 61:4 ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ, ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ।
ISA 61:5 ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ।
ISA 61:6 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ।
ISA 61:7 ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।
ISA 61:8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା।
ISA 61:9 ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।
ISA 61:10 ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।
ISA 61:11 କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।
ISA 62:1 ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ।
ISA 62:2 ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ।
ISA 62:3 ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
ISA 62:4 ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ।
ISA 62:5 ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
ISA 62:6 ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ।
ISA 62:7 ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ।
ISA 62:8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
ISA 62:9 ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ।
ISA 62:10 ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ୱାର ମଧ୍ୟଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ।
ISA 62:11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।”
ISA 62:12 ପୁଣି, ଲୋକମାନେ ସେମାନଙ୍କୁ ପବିତ୍ର ଲୋକ, ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ, ଆଉ, ତୁମ୍ଭେ ଅନ୍ୱେଷିତା, ଅପରିତ୍ୟକ୍ତା ନଗରୀ ବୋଲି ଖ୍ୟାତ ହେବ।
ISA 63:1 ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ? “ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”
ISA 63:2 ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ର ପରି କାହିଁକି?
ISA 63:3 “ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।
ISA 63:4 କାରଣ ପ୍ରତିଶୋଧର ଦିନ ଆମ୍ଭ ଚିତ୍ତରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
ISA 63:5 ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
ISA 63:6 ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣରକ୍ତ ଢାଳି ପକାଇଲୁ।”
ISA 63:7 ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା।
ISA 63:8 କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
ISA 63:9 ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
ISA 63:10 ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।
ISA 63:11 ସେତେବେଳେ ସେମାନେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ,
ISA 63:12 ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,
ISA 63:13 ଯେ ପ୍ରାନ୍ତରରେ ଗମନ କରିବା ଅଶ୍ୱ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
ISA 63:14 ଉପତ୍ୟକାକୁ ଓହ୍ଲାଇ ଯିବା ପଶୁପଲ ତୁଲ୍ୟ ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ; ଏହି ପ୍ରକାରେ ତୁମ୍ଭେ ଆପଣା ନିମନ୍ତେ ଏକ ଗୌରବାନ୍ୱିତ ନାମ ସ୍ଥାପନାର୍ଥେ ଆପଣା ଲୋକମାନଙ୍କୁ ଗମନ କରାଇଲ।
ISA 63:15 ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍‍ଯୋଗ ଓ ତୁମ୍ଭର ବିକ୍ରମକାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ ମୋʼ ପ୍ରତି ନିବୃତ୍ତ ହୋଇଅଛି।
ISA 63:16 ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି।
ISA 63:17 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ୱରୂପ ଗୋଷ୍ଠୀଗଣର ସକାଶୁ ଫେର।
ISA 63:18 ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି।
ISA 63:19 ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ।
ISA 64:1 ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ,
ISA 64:2 ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ!
ISA 64:3 ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ।
ISA 64:4 କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ।
ISA 64:5 ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା?
ISA 64:6 କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।
ISA 64:7 ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।
ISA 64:8 ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।
ISA 64:9 ହେ ସଦାପ୍ରଭୋ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିରକାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।
ISA 64:10 ତୁମ୍ଭର ପବିତ୍ର ନଗରସବୁ ପ୍ରାନ୍ତର ହୋଇଅଛି, ସିୟୋନ ପ୍ରାନ୍ତର ହୋଇଅଛି, ଯିରୂଶାଲମ ଧ୍ୱଂସସ୍ଥାନ ହୋଇଅଛି।
ISA 64:11 ଆମ୍ଭମାନଙ୍କର ପିତୃଲୋକମାନେ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କଲେ, ଆମ୍ଭମାନଙ୍କର ସେହି ପବିତ୍ର ଓ ସୁନ୍ଦର ଗୃହ ଅଗ୍ନିରେ ଦଗ୍ଧ ହୋଇଅଛି ଓ ଆମ୍ଭମାନଙ୍କର ମନୋରମ୍ୟ ବିଷୟସବୁ ଉଚ୍ଛିନ୍ନ ହୋଇଅଛି।
ISA 64:12 ହେ ସଦାପ୍ରଭୁ, ଏହିସବୁ ହେଲେ ହେଁ ତୁମ୍ଭେ କି ଆପଣାକୁ କ୍ଷାନ୍ତ କରି ରଖିବ? ତୁମ୍ଭେ କି ତୁନି ହୋଇ ରହି ଆମ୍ଭମାନଙ୍କୁ ଅତ୍ୟନ୍ତ କ୍ଲେଶ ଦେବ?
ISA 65:1 ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, “ଆମ୍ଭକୁ ଦେଖ, ଆମ୍ଭକୁ ଦେଖ” ବୋଲି ଆମ୍ଭେ କହିଲୁ।
ISA 65:2 ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ସାରାଦିନ ଆପଣା ହସ୍ତ ବିସ୍ତାର କରିଅଛୁ;
ISA 65:3 ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଗୁଡ଼ିଏ ଇଟା ଉପରେ ଧୂମ ଜ୍ୱଳାଇ ଆମ୍ଭ ମୁଖ ଆଗରେ ନିତ୍ୟ ନିତ୍ୟ ଆମ୍ଭକୁ ବିରକ୍ତ କରନ୍ତି;
ISA 65:4 ସେମାନେ କବର ସ୍ଥାନ ମଧ୍ୟରେ ବସନ୍ତି ଓ ଗୁପ୍ତ ସ୍ଥାନରେ ବସା କରନ୍ତି; ସେମାନେ ଶୂକର ମାଂସ ଭୋଜନ କରନ୍ତି ଓ ସେମାନଙ୍କ ପାତ୍ରରେ ଘୃଣାଯୋଗ୍ୟ ମାଂସର ଝୋଳ ଥାଏ;
ISA 65:5 ସେମାନେ କହନ୍ତି, ସ୍ୱ ସ୍ଥାନରେ ଛିଡ଼ା ହୁଅ, “ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର;” ଏମାନେ ଆମ୍ଭ ନାସିକାରେ ଧର୍ମସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।
ISA 65:6 ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; “ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,
ISA 65:7 ସଦାପ୍ରଭୁ କହନ୍ତି, ପର୍ବତଗଣ ଉପରେ ଧୂପ ଜ୍ୱଳାଇଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।”
ISA 65:8 ସଦାପ୍ରଭୁ ଏହି କଥା କହନ୍ତି, “ଦ୍ରାକ୍ଷାପେଣ୍ଡାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; ସେହିପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
ISA 65:9 ପୁଣି, ଆମ୍ଭେ ଯାକୁବଠାରୁ ଏକ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତଗଣର ଏକ ଅଧିକାରୀ ଉତ୍ପନ୍ନ କରିବା ଓ ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି କରିବେ।
ISA 65:10 ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍‍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।
ISA 65:11 ମାତ୍ର ସଦାପ୍ରଭୁଙ୍କୁ ତ୍ୟାଗ କରୁଅଛ, ଆମ୍ଭ ପବିତ୍ର ପର୍ବତକୁ ପାସୋରୁଅଛ, ଭାଗ୍ୟ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀର ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂର୍ଣ୍ଣ କରୁଅଛ ଯେ ତୁମ୍ଭେମାନେ,
ISA 65:12 ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”
ISA 65:13 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ;
ISA 65:14 ଦେଖ, ଆମ୍ଭର ଦାସମାନେ ଚିତ୍ତର ସୁଖ ସକାଶୁ ଗାନ କରିବେ, ମାତ୍ର ତୁମ୍ଭେମାନେ ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବ।
ISA 65:15 ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
ISA 65:16 ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।
ISA 65:17 କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବକାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।
ISA 65:18 ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ।
ISA 65:19 ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; ପୁଣି, ତହିଁ ମଧ୍ୟରେ ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ।
ISA 65:20 ସେସମୟରୁ ସେସ୍ଥାନରେ ଅଳ୍ପ ଦିନର ଶିଶୁ କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ; କାରଣ ବାଳକ ଏକ ଶତ ବର୍ଷ ବୟଃକ୍ରମରେ ମରିବ ଓ ପାପୀ ଏକ ଶତ ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ।
ISA 65:21 ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
ISA 65:22 ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳ ପର୍ଯ୍ୟନ୍ତ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ।
ISA 65:23 ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦର ପାଇଁ ପ୍ରସବ କରିବେ ନାହିଁ; କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ, ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ରର ବଂଶ।
ISA 65:24 ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
ISA 65:25 କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; ପୁଣି, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, ସଦାପ୍ରଭୁ ଏହା କହନ୍ତି।”
ISA 66:1 ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ-ସ୍ଥାନ ହେବ?
ISA 66:2 କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
ISA 66:3 ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
ISA 66:4 ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”
ISA 66:5 ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ “ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ‘ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ;’ ମାତ୍ର ସେମାନେ ଲଜ୍ଜିତ ହେବେ।
ISA 66:6 ନଗରରୁ କଳହର ରବ, ମନ୍ଦିରରୁ ରବ, ଯେ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦିଅନ୍ତି, ସେହି ସଦାପ୍ରଭୁଙ୍କର ରବ!
ISA 66:7 ବେଦନାର ପୂର୍ବେ ସେ ପ୍ରସବ କଲା; ଗର୍ଭବେଦନା ଆସିବା ପୂର୍ବେ ପୁତ୍ରସନ୍ତାନ ଭୂମିଷ୍ଠ ହେଲା।
ISA 66:8 ଏପ୍ରକାର କଥା କିଏ ଶୁଣିଅଛି? ଏପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀୟ ଲୋକେ କି ଏକାବେଳେ ଜନ୍ମ ହେବେ? ସିୟୋନ ଗର୍ଭବେଦନା ପାଇବା ମାତ୍ରେ, ସେ ଆପଣା ସନ୍ତାନଗଣକୁ ପ୍ରସବ କଲା।
ISA 66:9 ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରସବକାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ? ତୁମ୍ଭର ପରମେଶ୍ୱର କହନ୍ତି, ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭରୋଧ କରିବା?
ISA 66:10 ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର;
ISA 66:11 ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।”
ISA 66:12 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ୱର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟପାନ କରିବ ଓ ତୁମ୍ଭେମାନେ ବାହୁରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ।
ISA 66:13 ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।
ISA 66:14 ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ।
ISA 66:15 କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ୱଳିତ ଅଗ୍ନି ଦ୍ୱାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।
ISA 66:16 କାରଣ ସଦାପ୍ରଭୁ ଅଗ୍ନି ଦ୍ୱାରା ଓ ଆପଣା ଖଡ୍ଗ ଦ୍ୱାରା ଯାବତୀୟ ମର୍ତ୍ତ୍ୟ ସହିତ ବିବାଦ ନିଷ୍ପନ୍ନ କରିବେ; ତହିଁରେ ସଦାପ୍ରଭୁଙ୍କ ଦ୍ୱାରା ହତ ଲୋକ ଅନେକ ହେବେ।
ISA 66:17 ସଦାପ୍ରଭୁ କହନ୍ତି, ଯେଉଁମାନେ ମଧ୍ୟବର୍ତ୍ତୀ ଏକ ଜଣର ପଶ୍ଚାତ୍‍ ଉଦ୍ୟାନକୁ ଯିବା ପାଇଁ ଆପଣାମାନଙ୍କୁ ପବିତ୍ର ଓ ଶୁଚି କରନ୍ତି, ଶୂକର ମାଂସ ଓ ଘୃଣ୍ୟ ଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ଏକତ୍ର ବିନଷ୍ଟ ହେବେ।
ISA 66:18 କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।
ISA 66:19 ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ, ତର୍ଶୀଶ, ପୂଲ୍‍ ଓ ଲୁଦ୍‍, ଯେଉଁମାନେ ଧନୁର୍ଦ୍ଧାରୀ, ତୁବଲ୍‍ ଓ ଯବନ, ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି, କିଅବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।
ISA 66:20 ପୁଣି, ସଦାପ୍ରଭୁ କହନ୍ତି, ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ୱ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ।
ISA 66:21 ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ନିମନ୍ତେ ଲୋକ ଗ୍ରହଣ କରିବା, ଏହା ସଦାପ୍ରଭୁ କହନ୍ତି।
ISA 66:22 କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।
ISA 66:23 ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ, ଏହା ସଦାପ୍ରଭୁ କହନ୍ତି।
ISA 66:24 ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।”
JER 1:1 ବିନ୍ୟାମୀନ୍ ପ୍ରଦେଶୀୟ ଅନାଥୋତ୍‍ ନିବାସୀ ଯାଜକମାନଙ୍କର ମଧ୍ୟବର୍ତ୍ତୀ ହିଲ୍‍କୀୟଙ୍କ ପୁତ୍ର ଯିରିମୀୟଙ୍କ ବାକ୍ୟ;
JER 1:2 ଆମୋନ୍‍ର ପୁତ୍ର, ଯିହୁଦା ଦେଶର ରାଜା ଯୋଶୀୟର ରାଜତ୍ଵର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା।
JER 1:3 ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ଵର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।
JER 1:4 ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
JER 1:5 “ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।”
JER 1:6 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ! ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”
JER 1:7 ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
JER 1:8 ସେମାନଙ୍କ ସକାଶୁ ଭୀତ ହୁଅ ନାହିଁ; କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।”
JER 1:9 ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ; ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;
JER 1:10 ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”
JER 1:11 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”
JER 1:12 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଭଲ ଦେଖିଅଛ; କାରଣ ଆମ୍ଭେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ।”
JER 1:13 ପୁଣି, ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଗୋଟିଏ ରନ୍ଧା ହଣ୍ଡା; ଦେଖୁଅଛି; ତହିଁର ମୁଖ ଉତ୍ତର ଦିଗରୁ (ଢଳିଅଛି)।”
JER 1:14 ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶ ନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।
JER 1:15 କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟସମୂହର ସମୁଦାୟ ଗୋଷ୍ଠୀଙ୍କୁ ଡାକିବା; ତହିଁରେ ସେମାନେ ଆସି ଯିରୂଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ଓ ଯିହୁଦାର ନଗରସମୂହର ସମ୍ମୁଖରେ ଆପଣା ଆପଣା ସିଂହାସନ ସ୍ଥାପନ କରିବେ।
JER 1:16 ତହିଁରେ ସେମାନେ ଆମ୍ଭକୁ ପରିତ୍ୟାଗ କରିବାରେ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାରେ ଓ ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ପ୍ରଣାମ କରିବାରେ ଯେଉଁ ଯେଉଁ ଦୁଷ୍ଟତା କରିଅଛନ୍ତି; ସେସକଳର ବିରୁଦ୍ଧରେ ଆମ୍ଭେ ଆପଣା ବିଚାର ପ୍ରକାଶ କରିବା।
JER 1:17 ଏହେତୁ ତୁମ୍ଭେ ଆପଣା କଟି ବାନ୍ଧି ଉଠ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେମାନଙ୍କୁ କୁହ; ସେମାନଙ୍କ ସକାଶୁ ଉଦ୍‍ବିଗ୍ନ ହୁଅ ନାହିଁ; ହେଲେ, ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉଦ୍‍ବିଗ୍ନ କରିବା।
JER 1:18 କାରଣ ଦେଖ, ଆମ୍ଭେ ଆଜି ସମଗ୍ର ଦେଶ ବିରୁଦ୍ଧରେ, ଯିହୁଦାର ରାଜାଗଣ ବିରୁଦ୍ଧରେ, ତହିଁର ଅଧିପତିଗଣର ବିରୁଦ୍ଧରେ, ତହିଁର ଯାଜକମାନଙ୍କ ବିରୁଦ୍ଧରେ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ, ତୁମ୍ଭକୁ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ।
JER 1:19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।”
JER 2:1 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
JER 2:2 “ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍‍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।
JER 2:3 ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି।
JER 2:4 ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
JER 2:5 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍‍ଗମନ କରି ନିଜେ ଅସାର ହୋଇଅଛନ୍ତି?
JER 2:6 ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ।
JER 2:7 ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ।
JER 2:8 ‘ସଦାପ୍ରଭୁ କାହାନ୍ତି,’ ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍‍ବକ୍ତାମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍‍ଗମନ କଲେ।
JER 2:9 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।
JER 2:10 ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?
JER 2:11 ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି।
JER 2:12 ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହାଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି।
JER 2:13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।
JER 2:14 ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି?
JER 2:15 ଯୁବା ସିଂହମାନେ ତାହା ଉପରେ ଗର୍ଜ୍ଜନ ଓ ହୁଙ୍କାର କରିଅଛନ୍ତି ଓ ସେମାନେ ତାହାର ଦେଶ ଉଜାଡ଼ କରିଅଛନ୍ତି; ତାହାର ନଗରସବୁ ଦଗ୍ଧ ହୋଇ ନିବାସବିହୀନ ହୋଇଅଛି।
JER 2:16 ଆହୁରି ନୋଫର ଓ ତଫନ୍‍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି।
JER 2:17 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନିଯିବା ସମୟରେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ?
JER 2:18 ଆଉ, ଏବେ ଶୀହୋରର ଜଳ ପାନ କରିବା ନିମନ୍ତେ ତୁମ୍ଭେ ମିସରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍‍ ନଦୀର ଜଳ ପାନ କରିବା ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?
JER 2:19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ।
JER 2:20 ପୂର୍ବକାଳରେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନସକଳ ଛେଦନ କଲୁ; ଆଉ, ତୁମ୍ଭେ କହିଲ, ‘ଆମ୍ଭେ ଦାସ୍ୟକର୍ମ କରିବା ନାହିଁ;’ କାରଣ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭେ ବ୍ୟଭିଚାର କରିବା ପାଇଁ ନତ ହୋଇଅଛ।
JER 2:21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?
JER 2:22 ପ୍ରଭୁ, ସଦାପ୍ରଭୁ କହନ୍ତି, ଯଦ୍ୟପି ତୁମ୍ଭେ ଆପଣାକୁ ସୋଡ଼ାରେ ଧୌତ କର ଓ ବହୁତ ସାବୁନ ଲଗାଅ, ତଥାପି ଆମ୍ଭ ଦୃଷ୍ଟିରେ ତୁମ୍ଭ ଅଧର୍ମ ଚିହ୍ନିତ ହୋଇ ରହିଅଛି।
JER 2:23 ‘ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍‍ ଦେବଗଣର ପଶ୍ଚାଦ୍‍ଗାମୀ ହୋଇ ନାହୁଁ ବୋଲି’ ତୁମ୍ଭେ କିପରି କହିପାର? ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ, ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ; ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;
JER 2:24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ? ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।
JER 2:25 ‘ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ; ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ; ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି ଓ ମୁଁ ସେମାନଙ୍କର ପଶ୍ଚାଦ୍‍ଗାମିନୀ ହେବି।’
JER 2:26 ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍‍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;
JER 2:27 ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,’ ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ବିପଦ ସମୟରେ ସେମାନେ କହିବେ, ‘ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।’
JER 2:28 ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ; କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି।
JER 2:29 ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ? ସଦାପ୍ରଭୁ କହନ୍ତି, ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।
JER 2:30 ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ; ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ; ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଗ୍ରାସ କରିଅଛି।
JER 2:31 ହେ ବର୍ତ୍ତମାନ କାଳର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର, ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ୱରୂପ, ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି, ‘ଆମ୍ଭେମାନେ ବନ୍ଧନଛିଣ୍ଡା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’
JER 2:32 କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରିଅଛନ୍ତି।
JER 2:33 ତୁମ୍ଭେ ପ୍ରେମର ଚେଷ୍ଟାରେ କିପରି ଆପଣା ପଥ ସଜାଡ଼ୁଅଛ! ଏହି କାରଣରୁ ଦୁଷ୍ଟା ସ୍ତ୍ରୀମାନଙ୍କୁ ହିଁ ତୁମ୍ଭେ ଆପଣା ପଥ ଶିଖାଇଅଛ।
JER 2:34 ଆହୁରି, ତୁମ୍ଭ ବସ୍ତ୍ରର ଅଞ୍ଚଳରେ ନିର୍ଦ୍ଦୋଷ ଦୀନହୀନମାନଙ୍କ ପ୍ରାଣର ରକ୍ତ ଦେଖାଯାଏ; ତାହା ସିନ୍ଧି କାଟିବା ସ୍ଥାନରେ ନୁହେଁ, ମାତ୍ର ଏହିସବୁର ଉପରେ ଆମ୍ଭେ ଦେଖିଅଛୁ।
JER 2:35 ତଥାପି ତୁମ୍ଭେ କହିଲ, ‘ଆମ୍ଭେ ନିର୍ଦ୍ଦୋଷ; ଅବଶ୍ୟ ଆମ୍ଭଠାରୁ ତାହାଙ୍କର କ୍ରୋଧ ଫେରିଅଛି।’ ତୁମ୍ଭେ କହୁଅଛ, ‘ଆମ୍ଭେ ପାପ କରି ନାହୁଁ,’ ଏହେତୁ ଦେଖ, ଆମ୍ଭେ ତୁମ୍ଭର ବିଚାର କରିବା।
JER 2:36 ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।
JER 2:37 ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।
JER 3:1 ଲୋକେ କହନ୍ତି, ‘କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ?’ ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ? ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ!
JER 3:2 ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନସବୁ ଦେଖ; ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ? ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ; ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ୱାରା ଦେଶ ଅଶୁଚି କରିଅଛ।
JER 3:3 ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ ବର୍ଷା ହୋଇ ନାହିଁ; ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ, ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ।
JER 3:4 ତୁମ୍ଭେ କି ଏହି ସମୟଠାରୁ ଆମ୍ଭ ନିକଟରେ ପ୍ରାର୍ଥନା କରି ନ କହିବ, ‘ହେ ମୋର ପିତଃ, ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ?
JER 3:5 ସେ କି ସଦାକାଳ କ୍ରୁଦ୍ଧ ହୋଇଥିବେ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ?’ ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।”
JER 3:6 ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛି।
JER 3:7 ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ସେ ଆମ୍ଭ ନିକଟକୁ ଫେରି ଆସିବ, ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।
JER 3:8 ଆଉ, ଆମ୍ଭେ ଦେଖିଲୁ, ବିପଥଗାମୀନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା।
JER 3:9 ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା।
JER 3:10 ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି, ଏହା ସଦାପ୍ରଭୁ କହନ୍ତି।”
JER 3:11 ଆଉ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ଆପଣାକୁ ଧାର୍ମିକା ଦେଖାଇଅଛି।
JER 3:12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।
JER 3:13 ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।
JER 3:14 ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ଫେର; କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ; ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;
JER 3:15 ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।
JER 3:16 ସଦାପ୍ରଭୁ କହନ୍ତି, ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ।
JER 3:17 ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ।
JER 3:18 ସେହି ସମୟରେ ଯିହୁଦା ବଂଶ, ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
JER 3:19 ମାତ୍ର ଆମ୍ଭେ କହିଲୁ, ଆମ୍ଭ ସନ୍ତାନଗଣ ମଧ୍ୟରେ କିପରି ତୁମ୍ଭକୁ ସ୍ଥାନ ଦେବା ଓ ମନୋରମ ଏକ ଦେଶ, ନାନା ଦେଶୀୟମାନଙ୍କର ପରମ ରତ୍ନ ସ୍ୱରୂପ ଏକ ଅଧିକାର ତୁମ୍ଭକୁ ଦାନ କରିବା? ପୁଣି, ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ହେ ମୋର ପିତଃ ବୋଲି ଡାକିବ ଓ ଆମ୍ଭ ପଶ୍ଚାଦ୍‍ଗମନରୁ ବିମୁଖ ହେବ ନାହିଁ।
JER 3:20 ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା ବିଶ୍ୱାସଘାତକତାପୂର୍ବକ ଆପଣା ସ୍ୱାମୀକୁ ଛାଡ଼ିଯାଏ, ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି ସେହି ପ୍ରକାର ବିଶ୍ୱାସଘାତକତା କରିଅଛ।”
JER 3:21 ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀମାନରେ ଏକ ସ୍ୱର, ଇସ୍ରାଏଲ-ସନ୍ତାନଗଣର ରୋଦନ ଓ କାକୂକ୍ତି ଶୁଣାଯାଏ; କାରଣ ସେମାନେ କୁଟିଳ ପଥଗାମୀ ଓ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ପକାଇଅଛନ୍ତି।
JER 3:22 “ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟ।
JER 3:23 ଉପପର୍ବତସମୂହରୁ, ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତାନ୍ତ ବ୍ୟର୍ଥ; ନିତାନ୍ତ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି।
JER 3:24 ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟକାଳରୁ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣଙ୍କୁ ଗ୍ରାସ କରିଅଛି।
JER 3:25 ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କରି ନାହୁଁ।”
JER 4:1 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ, ଯଦି ତୁମ୍ଭେ ଫେରିବ, ତେବେ ଆମ୍ଭ ନିକଟକୁ ତୁମ୍ଭେ ଫେରି ଆସିବ; ଆଉ, ଯଦି ତୁମ୍ଭେ ଆମ୍ଭ ଦୃଷ୍ଟିରୁ ତୁମ୍ଭର ଘୃଣାଯୋଗ୍ୟ ବିଷୟସବୁ ଦୂର କରିବ, ତେବେ ତୁମ୍ଭେ ସ୍ଥାନାନ୍ତରୀକୃତ ହେବ ନାହିଁ;
JER 4:2 ଆଉ, ତୁମ୍ଭେ ସତ୍ୟରେ, ନ୍ୟାୟରେ ଓ ଧାର୍ମିକତାରେ ଜୀବିତ ସଦାପ୍ରଭୁଙ୍କ ନାମରେ ଶପଥ କରିବ; ତହିଁରେ ନାନା ଦେଶୀୟମାନେ ତାହାଙ୍କଠାରେ ଆପଣାମାନଙ୍କୁ ଆଶୀର୍ବାଦର ପାତ୍ର କରିବେ ଓ ତାହାଙ୍କଠାରେ ଦର୍ପ କରିବେ।”
JER 4:3 କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ପଡ଼ିଆ ଭୂମି ଚାଷ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।
JER 4:4 ହେ ଯିହୁଦାର ଲୋକେ ଓ ଯିରୂଶାଲମର ନିବାସୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ସୁନ୍ନତ କର ଓ ଆପଣା ଆପଣା ହୃଦୟର ଅଗ୍ରଚର୍ମ କାଢ଼ି ପକାଅ; ନୋହିଲେ ତୁମ୍ଭମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ଆମ୍ଭର କୋପ ଅଗ୍ନି ତୁଲ୍ୟ ବାହାରି ପ୍ରଜ୍ୱଳିତ ହେବ ଓ କେହି ତାହା ଲିଭାଇ ପାରିବ ନାହିଁ।”
JER 4:5 ତୁମ୍ଭେମାନେ ଯିହୁଦାରେ ପ୍ରଚାର କର ଓ ଯିରୂଶାଲମରେ ଘୋଷଣା କର; “ଆଉ କୁହ, ତୁମ୍ଭେମାନେ ଦେଶରେ ତୂରୀ ବଜାଅ; ଉଚ୍ଚସ୍ୱର କରି କୁହ, ‘ତୁମ୍ଭେମାନେ ଏକତ୍ର ହୁଅ, ଆସ, ଆମ୍ଭେମାନେ ଦୃଢ଼ ନଗରମାନଙ୍କୁ ଯାଉ।’
JER 4:6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।
JER 4:7 ସିଂହ ଆପଣା ଗହ୍ୱରରୁ ବାହାରିଅଛି, ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି; ତୁମ୍ଭ ନଗରସମୂହ ଯେପରି ଉଚ୍ଛିନ୍ନ, ନିବାସୀବିହୀନ ହେବ, ଏଥିପାଇଁ ତୁମ୍ଭ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରିଅଛି।
JER 4:8 ଏଥିସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।”
JER 4:9 ପୁଣି ସଦାପ୍ରଭୁ କହନ୍ତି, “ସେହି ଦିନ ରାଜାର ହୃଦୟ ଓ ଅଧିପତିଗଣର ହୃଦୟ କ୍ଷୟ ପାଇବ ଓ ଯାଜକଗଣ ଚମତ୍କୃତ ହେବେ ଓ ଭବିଷ୍ୟଦ୍‍ବକ୍ତାମାନେ ବିସ୍ମୟାପନ୍ନ ହେବେ।”
JER 4:10 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ ତୁମ୍ଭମାନଙ୍କର ଶାନ୍ତି ହେବ ବୋଲି କହି ନିଶ୍ଚୟ ଅତିଶୟ ଭ୍ରାନ୍ତ କରିଅଛ; ଯେହେତୁ ଖଡ୍ଗ ପ୍ରାଣକୁ ଆଘାତ କରୁଅଛି।”
JER 4:11 ସେହି ସମୟରେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ କୁହାଯିବ, “ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କର କନ୍ୟା ଆଡ଼କୁ ଉଷ୍ମ ବାୟୁ ଆସୁଅଛି, ତାହା ଶସ୍ୟ ଝାଡ଼ିବା କି ପରିଷ୍କାର କରିବା ନିମନ୍ତେ ନୁହେଁ;
JER 4:12 ସେହି ସବୁ ସ୍ଥାନରୁ ଘୂର୍ଣ୍ଣିବାୟୁ ଆମ୍ଭ ସପକ୍ଷରେ ଆସିବ; ଏବେ ଆମ୍ଭେ ହିଁ ଲୋକମାନଙ୍କ ବିରୁଦ୍ଧରେ ଦଣ୍ଡାଜ୍ଞା ପ୍ରକାଶ କରିବା।”
JER 4:13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ।
JER 4:14 ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ?
JER 4:15 କାରଣ ଦାନ୍ ନଗରଠାରୁ ଏକ ରବ ପ୍ରଚାର କରେ ଓ ଇଫ୍ରୟିମ ପର୍ବତମାଳାରୁ ଅମଙ୍ଗଳ ଘୋଷଣା କରେ;
JER 4:16 ତୁମ୍ଭେମାନେ ନାନା ଦେଶୀୟମାନଙ୍କୁ ଜଣାଅ; ଦେଖ, ଯିରୂଶାଲମ ବିରୁଦ୍ଧରେ ଘୋଷଣା କର, “ଦୂର ଦେଶରୁ ଅବରୋଧକାରୀମାନେ ଆସୁଅଛନ୍ତି ଓ ସେମାନେ ଯିହୁଦାର ନଗରସମୂହର ବିରୁଦ୍ଧରେ ହୁଙ୍କାର କରୁଅଛନ୍ତି।
JER 4:17 ସେମାନେ କ୍ଷେତ୍ର ରକ୍ଷକମାନଙ୍କ ପରି ତାହାର ଚାରିଆଡ଼େ ଅଛନ୍ତି, କାରଣ ସଦାପ୍ରଭୁ କହନ୍ତି, ସେ ଆମ୍ଭର ବିଦ୍ରୋହାଚାରିଣୀ ହୋଇଅଛି।
JER 4:18 ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟା ଏହିସବୁ ତୁମ୍ଭ ପ୍ରତି ଘଟାଇଅଛି; ଏହା ତୁମ୍ଭ ଦୁଷ୍ଟତାର ଫଳ, ହଁ, ତାହା ତିକ୍ତ, ହଁ, ତାହା ମର୍ମଭେଦକ।”
JER 4:19 ହାୟ, ମୋହର ପ୍ରାଣ! ମୋହର ପ୍ରାଣ! ମୁଁ ହୃଦୟରେ ବ୍ୟଥିତ ଅଛି; ମୋର ହୃଦୟ ମୋʼ ମଧ୍ୟରେ ଅସ୍ଥିର ହେଉଅଛି; ମୁଁ ନୀରବ ରହି ନ ପାରେ; କାରଣ ହେ ମୋହର ପ୍ରାଣ, ତୁମ୍ଭେ ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିଅଛ।
JER 4:20 ବିନାଶ ଉପରେ ବିନାଶ ପ୍ରଚାରିତ ହେଉଅଛି; କାରଣ ସମୁଦାୟ ଦେଶ ଉଚ୍ଛିନ୍ନ ହୋଇଅଛି; ଅକସ୍ମାତ୍‍ ମୋହର ତମ୍ବୁ, ଏକ ନିମିଷ ମଧ୍ୟରେ ମୋହର ଆବରଣସବୁ ଉଚ୍ଛିନ୍ନ ହେଲା।
JER 4:21 ମୁଁ କେତେ କାଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି?
JER 4:22 “କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ନିପୁଣ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ଜ୍ଞାନ ନାହିଁ।”
JER 4:23 ମୁଁ ପୃଥିବୀକୁ ଅନାଇଲି, ଆଉ ଦେଖ, ତାହା ନିର୍ଜନ ଓ ଶୂନ୍ୟ ଥିଲା; ଆକାଶମଣ୍ଡଳକୁ ଅନାଇଲି, ଆଉ ତହିଁରେ ଦୀପ୍ତି ନ ଥିଲା।
JER 4:24 ମୁଁ ପର୍ବତମାଳାକୁ ଅନାଇଲି, ଆଉ ଦେଖ, ସେସବୁ କମ୍ପିଲେ ଓ ଉପପର୍ବତସବୁ ଏଣେତେଣେ ଦୋହଲିଲେ।
JER 4:25 ମୁଁ ଅନାଇଲି, ଆଉ ଦେଖ, କେହି ମନୁଷ୍ୟ ନ ଥିଲା ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।
JER 4:26 ମୁଁ ଅନାଇଲି, ଆଉ ଦେଖ, ସଦାପ୍ରଭୁଙ୍କ ଛାମୁରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧ ସମ୍ମୁଖରେ ଉର୍ବରା କ୍ଷେତ୍ର, ମରୁଭୂମି ଓ ତହିଁର ନଗରସକଳ ଭଗ୍ନ ହୋଇଥିଲା।
JER 4:27 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ସମୁଦାୟ ଦେଶ ଧ୍ୱଂସସ୍ଥାନ ହେବ; ତଥାପି ଆମ୍ଭେ ସମ୍ପୂର୍ଣ୍ଣ ରୂପେ ନାଶ କରିବା ନାହିଁ।
JER 4:28 ଏଥିସକାଶୁ ପୃଥିବୀ ଶୋକ କରିବ ଓ ଉପରିସ୍ଥ ଆକାଶମଣ୍ଡଳ ଅନ୍ଧକାର ହେବ; କାରଣ ଆମ୍ଭେ ଏହା କହିଅଛୁ, ଆମ୍ଭେ ଏହା ମନରେ ସ୍ଥିର କରିଅଛୁ ଓ ଆମ୍ଭେ ଦୁଃଖିତ ହୋଇ ନାହୁଁ, କିଅବା ଆମ୍ଭେ ଏଥିରୁ ଫେରିବୁ ନାହିଁ।”
JER 4:29 ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀମାନଙ୍କ ରବ ସକାଶୁ ସମୁଦାୟ ନଗର ପଳାୟନ କରେ; ସେମାନେ ନିବିଡ଼ ବନକୁ ଯାଆନ୍ତି ଓ ଶୈଳ ଉପରେ ଚଢ଼ନ୍ତି; ପ୍ରତ୍ୟେକ ନଗର ତ୍ୟକ୍ତ ହୋଇଅଛି ଓ ତହିଁ ମଧ୍ୟରେ ଜଣେ ମନୁଷ୍ୟ ସୁଦ୍ଧା ବାସ କରେ ନାହିଁ।
JER 4:30 ଆଉ, ତୁମ୍ଭେ ଯେତେବେଳେ ଉଚ୍ଛିନ୍ନ ହେବ, ସେତେବେଳେ ତୁମ୍ଭେ କଅଣ କରିବ? ଯଦ୍ୟପି ତୁମ୍ଭେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରୁଅଛ, ଯଦ୍ୟପି ତୁମ୍ଭେ ସୁବର୍ଣ୍ଣ ଅଳଙ୍କାରରେ ଆପଣାକୁ ଭୂଷିତା କରୁଅଛ, ଯଦ୍ୟପି ତୁମ୍ଭେ ଅଞ୍ଜନ ଦ୍ୱାରା ଆପଣା ଚକ୍ଷୁ ପ୍ରସାରୁଅଛ, ତଥାପି ତୁମ୍ଭେ ବ୍ୟର୍ଥରେ ଆପଣାକୁ ସୁନ୍ଦର କରୁଅଛ; ତୁମ୍ଭର ଜାରପୁରୁଷମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି।
JER 4:31 କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀ ସ୍ତ୍ରୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘ ନିଶ୍ୱାସ ଛାଡ଼ି ଓ ଆପଣା ହାତ ପ୍ରସାରି କହୁଅଛି, “ହାୟ ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋʼ ପ୍ରାଣ ମୂର୍ଚ୍ଛିତ ହେଲା।”
JER 5:1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ, ଆଉ ତହିଁର ଛକସ୍ଥାନ ସବୁରେ ଖୋଜ, ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।
JER 5:2 ସେମାନେ ଜୀବିତ ସଦାପ୍ରଭୁ ବୋଲି କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।
JER 5:3 ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କʼଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ୱୀକାର କରିଅଛନ୍ତି।
JER 5:4 ତହିଁରେ ମୁଁ କହିଲି, “ନିଶ୍ଚୟ ଏମାନେ ଦରିଦ୍ର; ଏମାନେ ଅଜ୍ଞାନ; କାରଣ ଏମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କର ଶାସନ ଜାଣନ୍ତି ନାହିଁ;
JER 5:5 ମୁଁ ବଡ଼ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି; କାରଣ ସେମାନେ ସଦାପ୍ରଭୁଙ୍କର ପଥ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଶାସନ ଜାଣନ୍ତି।” ମାତ୍ର ଏମାନେ ଏକମନା ହୋଇ ଯୁଆଳି ଭାଙ୍ଗିଅଛନ୍ତି ଓ ବନ୍ଧନସବୁ ଛିଣ୍ଡାଇ ପକାଇଅଛନ୍ତି।
JER 5:6 ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟାକାଳର କେନ୍ଦୁଆ ବାଘ ସେମାନଙ୍କୁ ବିନାଶ କରିବ, ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ, ଯେ ପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ; କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି।
JER 5:7 “ଆମ୍ଭେ କିପରି ତୁମ୍ଭକୁ କ୍ଷମା କରି ପାରିବା? ତୁମ୍ଭର ସନ୍ତାନଗଣ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଯେଉଁମାନେ ଈଶ୍ୱର ନୁହନ୍ତି, ସେମାନଙ୍କ ନାମରେ ଶପଥ କରିଅଛନ୍ତି; ଆମ୍ଭେ ଯେତେବେଳେ ସେମାନଙ୍କୁ ପରିତୃପ୍ତ ରୂପେ ଭୋଜନ କରାଇଲୁ, ସେତେବେଳେ ସେମାନେ ବ୍ୟଭିଚାର କଲେ ଓ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ଏକତ୍ର ହେଲେ।
JER 5:8 ସେମାନେ ପ୍ରଭାତରେ ସୁପୋଷିତ ଅଶ୍ୱ ତୁଲ୍ୟ ହେଲେ; ପ୍ରତ୍ୟେକେ ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ହିଁ ହିଁ ହେଲେ।
JER 5:9 ସଦାପ୍ରଭୁ କହନ୍ତି, ଆମ୍ଭେ କʼଣ ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭର ପ୍ରାଣ କʼଣ ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?
JER 5:10 ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ ଯାଇ ସେମାନଙ୍କୁ ବିନାଶ କର; ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର; କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ।
JER 5:11 ସଦାପ୍ରଭୁ କହନ୍ତି, ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ବିଶ୍ୱାସଘାତକତା କରିଅଛନ୍ତି।
JER 5:12 ସେମାନେ ସଦାପ୍ରଭୁଙ୍କୁ ଅସ୍ୱୀକାର କରି କହିଲେ, ‘ଏ ତ ସେ ନୁହନ୍ତି; ପୁଣି, ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଘଟିବ ନାହିଁ; କିଅବା ଆମ୍ଭେମାନେ ଖଡ୍ଗ କି ଦୁର୍ଭିକ୍ଷ ଦେଖିବା ନାହିଁ;
JER 5:13 ଆଉ, ଭବିଷ୍ୟଦ୍‍ବକ୍ତାମାନେ ବାୟୁ ତୁଲ୍ୟ ହେବେ ଓ ସେମାନଙ୍କ ଅନ୍ତରରେ ବାକ୍ୟ ନାହିଁ; ସେମାନଙ୍କ ପ୍ରତି ଏହିରୂପେ କରାଯିବ।’”
JER 5:14 ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।
JER 5:15 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା; ସେ ବଳବାନ ଗୋଷ୍ଠୀ, ପ୍ରାଚୀନ ଗୋଷ୍ଠୀ, ସେହି ଗୋଷ୍ଠୀର ଭାଷା ତୁମ୍ଭେ ଜାଣ ନାହିଁ, କିଅବା ସେମାନଙ୍କର କଥା ତୁମ୍ଭେ ବୁଝ ନାହିଁ।
JER 5:16 ସେମାନଙ୍କର ତୂଣ ଖୋଲା କବର ତୁଲ୍ୟ, ସେମାନେ ସମସ୍ତେ ବୀରପୁରୁଷ।
JER 5:17 ପୁଣି, ସେମାନେ ତୁମ୍ଭର ଶସ୍ୟ ଓ ତୁମ୍ଭ ପୁତ୍ରକନ୍ୟାଗଣର ଭକ୍ଷ୍ୟଦ୍ରବ୍ୟ ଗ୍ରାସ କରିବେ; ସେମାନେ ତୁମ୍ଭର ମେଷପଲ ଓ ଗୋପଲ ଗ୍ରାସ କରିବେ; ସେମାନେ ତୁମ୍ଭର ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ଗ୍ରାସ କରିବେ; ତୁମ୍ଭେ ଆପଣାର ଯେଉଁ ସୁଦୃଢ଼ ନଗରମାନରେ ବିଶ୍ୱାସ କରିଅଛ, ସେସବୁକୁ ସେମାନେ ଖଡ୍ଗରେ ନିପାତ କରିବେ।”
JER 5:18 ମାତ୍ର ସଦାପ୍ରଭୁ କହନ୍ତି, “ସେସମୟରେ ହେଁ ଆମ୍ଭେ ତୁମ୍ଭମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ନାହିଁ।
JER 5:19 ଆଉ, ତୁମ୍ଭେମାନେ ଯେତେବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର କାହିଁକି ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି,’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ନିଜ ଦେଶରେ ଯେପରି ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବତାଗଣର ସେବା କରିଅଛ, ସେପରି ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’”
JER 5:20 ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଚାର କରି କୁହ,
JER 5:21 “ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ଚକ୍ଷୁ ଥାଉ ଥାଉ ଦେଖୁ ନାହଁ; କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଏହି କଥା ଶୁଣ;
JER 5:22 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ କି ଆମ୍ଭକୁ ଭୟ କରୁ ନାହଁ? ସମୁଦ୍ର ଯେପରି ଉଲ୍ଲଙ୍ଘନ କରି ନ ପାରିବ, ଏଥିପାଇଁ ନିତ୍ୟସ୍ଥାୟୀ ବିଧିକ୍ରମେ ତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ, ଆମ୍ଭ ସାକ୍ଷାତରେ ତୁମ୍ଭେମାନେ କି କମ୍ପବାନ ହେବ ନାହିଁ? ତହିଁର ତରଙ୍ଗମାଳା ଉଚ୍ଚକୁ ଉଠେ, ତଥାପି କୃତାର୍ଥ ହୋଇପାରେ ନାହିଁ, କଲ୍ଲୋଳ ଧ୍ୱନି କରେ, ତଥାପି ସୀମା ଅତିକ୍ରମ କରିପାରେ ନାହିଁ।
JER 5:23 ମାତ୍ର ଲୋକମାନଙ୍କର ମନ ଅବାଧ୍ୟ ଓ ପ୍ରତିକୂଳାଚାରୀ; ସେମାନେ ଅବାଧ୍ୟ ହୋଇ ଚାଲି ଯାଇଅଛନ୍ତି।
JER 5:24 ଅଥବା ଯେ ଯଥା ସମୟରେ ଆଦ୍ୟ ଓ ଶେଷ ବୃଷ୍ଟିର ପ୍ରଦାନକର୍ତ୍ତା; ଯେ ଆମ୍ଭମାନଙ୍କ ନିମନ୍ତେ ଶସ୍ୟଚ୍ଛେଦନର ନିରୂପିତ ସପ୍ତାହମାନ ରକ୍ଷା କରନ୍ତି, ଆସ, ଏବେ ଆମ୍ଭେମାନେ ସେହି ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ, ଏହା ସେମାନେ ମନେ ମନେ କହନ୍ତି ନାହିଁ।
JER 5:25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅନ୍ୟଥା କରିଅଛି ଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି।
JER 5:26 କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି; ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।
JER 5:27 ଯେପରି ପିଞ୍ଜର ପକ୍ଷୀରେ ପୂର୍ଣ୍ଣ, ସେପରି ସେମାନଙ୍କର ଗୃହ ଛଳରେ ପୂର୍ଣ୍ଣ; ଏହେତୁ ସେମାନେ ଉନ୍ନତ ଓ ଆହୁରି ଆହୁରି ଧନବନ୍ତ ହୋଇଅଛନ୍ତି।
JER 5:28 ସେମାନେ ଆହୁରି ଆହୁରି ମୋଟା ଓ ଚିକ୍କଣ ହୁଅନ୍ତି, ହଁ, ସେମାନେ ଦୁଷ୍କ୍ରିୟାର ସୀମା ଅତିକ୍ରମ କରନ୍ତି; ସେମାନେ ଗୁହାରି ବିଚାର କରନ୍ତି ନାହିଁ, ପିତୃହୀନମାନଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କର ଗୁହାରି ବିଚାର କରନ୍ତି ନାହିଁ; ପୁଣି, ଦରିଦ୍ରମାନଙ୍କର ବିଚାର ସେମାନେ ନିଷ୍ପତ୍ତି କରନ୍ତି ନାହିଁ।
JER 5:29 ସଦାପ୍ରଭୁ କହନ୍ତି, ଆମ୍ଭେ କି ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭର ପ୍ରାଣ କି ଏହି ପ୍ରକାର ଲୋକଙ୍କଠାରୁ ପରିଶୋଧ ନେବ ନାହିଁ?”
JER 5:30 ଦେଶ ମଧ୍ୟରେ ଗୋଟିଏ ଆଶ୍ଚର୍ଯ୍ୟ ଓ ଭୟାନକ ବିଷୟ ଘଟିଅଛି;
JER 5:31 ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି; ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି; ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ?
JER 6:1 ହେ ବିନ୍ୟାମୀନ୍ ଲୋକମାନେ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର, ତକୋୟ ସହରରେ ତୂରୀ ବଜାଅ ଓ ବେଥ୍-ହକ୍କେରମ୍‍ ନଗରରେ ଧ୍ୱଜା ଟେକ; କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ନିରୀକ୍ଷଣ କରୁଅଛି।
JER 6:2 ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟାକୁ ଆମ୍ଭେ ସଂହାର କରିବା।
JER 6:3 ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗେ ନେଇ ତାହା ନିକଟକୁ ଆସିବେ; ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣା ଆପଣା ତମ୍ବୁ ସ୍ଥାପନ କରିବେ; ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ପଲ ଚରାଇବେ।
JER 6:4 “ତୁମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ ଆୟୋଜନ କର; ଉଠ, ଆମ୍ଭେମାନେ ମଧ୍ୟାହ୍ନ କାଳରେ ଯାତ୍ରା କରୁ,” “ହାୟ ହାୟ, କାରଣ ଦିନ ଅବସାନ ହେଉଅଛି, ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।”
JER 6:5 “ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।”
JER 6:6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ; ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
JER 6:7 ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ; ତାହା ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ; ପୁଣି, ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
JER 6:8 ହେ ଯିରୂଶାଲମ, ତୁମ୍ଭେ ଶିକ୍ଷା ଗ୍ରହଣ କର, ନୋହିଲେ ଆମ୍ଭର ପ୍ରାଣ ତୁମ୍ଭଠାରୁ ବିଚ୍ଛିନ୍ନ ହେବ ଓ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ, ବସତିହୀନ ସ୍ଥାନ କରିବା।”
JER 6:9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”
JER 6:10 ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି? ଦେଖ, ସେମାନଙ୍କର କର୍ଣ୍ଣ ବନ୍ଦ ଅଛି ଓ ସେମାନେ ଶୁଣି ପାରନ୍ତି ନାହିଁ; ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି; ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ।
JER 6:11 ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି; ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇଅଛି; “ସଡ଼କରେ ବାଳକମାନଙ୍କ ଉପରେ ଓ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ; କାରଣ ସ୍ୱାମୀ ଓ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ।
JER 6:12 ପୁଣି, ସେମାନଙ୍କର ଗୃହ ଓ ସେମାନଙ୍କର କ୍ଷେତ୍ର ଓ ସେମାନଙ୍କର ଭାର୍ଯ୍ୟା ଏକାବେଳେ ଅନ୍ୟମାନଙ୍କର ହେବ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦେଶନିବାସୀମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କରିବା।”
JER 6:13 “ଯେହେତୁ ସେମାନଙ୍କର କ୍ଷୁଦ୍ରଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ; ପୁଣି ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି।
JER 6:14 ଆହୁରି, ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି ଶାନ୍ତି’ ବୋଲି କହି ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି।
JER 6:15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”
JER 6:16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ; ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।’
JER 6:17 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପ୍ରହରୀଗଣ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ;’ ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବା ନାହିଁ।’
JER 6:18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।
JER 6:19 ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା, କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।
JER 6:20 ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।
JER 6:21 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ଥୋଇବା; ତଦ୍ଦ୍ୱାରା ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗେ ଝୁଣ୍ଟି ପଡ଼ିବେ; ପ୍ରତିବାସୀ ଓ ତାହାର ମିତ୍ର ବିନଷ୍ଟ ହେବେ।’”
JER 6:22 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।
JER 6:23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।”
JER 6:24 ଆମ୍ଭେମାନେ ସେ ବିଷୟର ଜନରବ ଶୁଣିଅଛୁ; ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରିଅଛି।
JER 6:25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି।
JER 6:26 ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼; ଅଦ୍ୱିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଓ ଅତିଶୟ ବିଳାପ କର; କାରଣ ବିନାଶକ ଅକସ୍ମାତ୍‍ ଆମ୍ଭମାନଙ୍କୁ ଆକ୍ରମଣ କରିବ।
JER 6:27 “ତୁମ୍ଭେ ଯେପରି ଆମ୍ଭ ଲୋକମାନଙ୍କର ପଥ ଜ୍ଞାତ ହୋଇ ପରୀକ୍ଷା କରି ପାରିବ, ଏଥିପାଇଁ ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭକୁ ଏକ ଉଚ୍ଚ ଗୃହ ଓ ଦୁର୍ଗ ସ୍ୱରୂପ କରିଅଛୁ।
JER 6:28 ସେସମସ୍ତେ ଦାରୁଣ ଅବାଧ୍ୟ, ଚାରିଆଡ଼େ ନିନ୍ଦା ଘେନି ବୁଲନ୍ତି; ସେମାନେ ପିତ୍ତଳ ଓ ଲୁହା ପରି; ସେସମସ୍ତେ ଭ୍ରଷ୍ଟାଚାରୀ।
JER 6:29 ଭାଟି ପ୍ରଚଣ୍ଡ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି; ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି; କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି।
JER 6:30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।”
JER 7:1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 7:2 “ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ୱାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
JER 7:3 ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ଶୁଧୁରାଅ, ତହିଁରେ ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ବାସ କରାଇବା।
JER 7:4 ‘ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର,’ ଏହି ମିଥ୍ୟା କଥାରେ ବିଶ୍ୱାସ କର ନାହିଁ।
JER 7:5 କାରଣ ଯଦି ତୁମ୍ଭେମାନେ ଆପଣା ଆପଣା ଆଚାର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଶୁଧୁରାଅ; ଯଦି ତୁମ୍ଭେମାନେ ମନୁଷ୍ୟ ଓ ତାହାର ପ୍ରତିବାସୀ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବିଚାର ନିଷ୍ପତ୍ତି କର;
JER 7:6 ଯଦି ତୁମ୍ଭେମାନେ ବିଦେଶୀ, ପିତୃହୀନ ଓ ବିଧବା ପ୍ରତି ଉପଦ୍ରବ ନ କର ଓ ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ ନ କର, କିଅବା ଆପଣା ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବଗଣର ପଶ୍ଚାଦ୍‍ଗାମୀ ନ ହୁଅ;
JER 7:7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।
JER 7:8 ଦେଖ, ଯଦ୍ଦ୍ୱାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ୱାସ କରୁଅଛ।
JER 7:9 ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରିବ,
JER 7:10 ତହୁଁ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ ଠିଆ ହେବ, ଆଉ କହିବ, ‘ଆମ୍ଭେମାନେ ଉଦ୍ଧାର ପାଇଲୁ;’ ଯେପରି ଏହିସବୁ ଘୃଣାଯୋଗ୍ୟ କର୍ମ କରି ପାରୁ?
JER 7:11 ଆମ୍ଭ ନାମରେ ଖ୍ୟାତ ଏହି ଗୃହ ତୁମ୍ଭମାନଙ୍କ ଦୃଷ୍ଟିରେ କି ଚୋରମାନଙ୍କର ଗହ୍ୱର ହୋଇଅଛି? ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତାହା ଦେଖିଅଛୁ।
JER 7:12 ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ।
JER 7:13 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଏହିସବୁ କର୍ମ କରିଅଛ ଓ ଆମ୍ଭେ ପ୍ରତ୍ୟୁଷରେ ଉଠି କଥା କହିଲେ ହେଁ ତୁମ୍ଭେମାନେ ଶୁଣିଲ ନାହିଁ ଓ ଆମ୍ଭେ ଡାକିଲେ ହେଁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ;
JER 7:14 ଏହେତୁ ଆମ୍ଭେ ଶୀଲୋ ପ୍ରତି ଯେରୂପ କରିଅଛୁ, ଆମ୍ଭ ନାମରେ ଖ୍ୟାତ ଏହି ଯେଉଁ ଗୃହରେ ତୁମ୍ଭେମାନେ ବିଶ୍ୱାସ କରୁଅଛ, ତାହା ପ୍ରତି; ପୁଣି ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ସ୍ଥାନ ପ୍ରତି ଆମ୍ଭେ ତଦ୍ରୂପ କରିବା!
JER 7:15 ଆଉ, ଆମ୍ଭେ ତୁମ୍ଭମାନଙ୍କର ଭ୍ରାତୃଗଣକୁ, ଅର୍ଥାତ୍‍, ଇଫ୍ରୟିମର ସମୁଦାୟ ବଂଶକୁ ଯେପରି ଦୂର କରିଅଛୁ, ସେପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କରିବା।
JER 7:16 ଏଣୁକରି ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ କାତରୋକ୍ତି ଅବା ପ୍ରାର୍ଥନା ଉତ୍ସର୍ଗ କର ନାହିଁ, ଆମ୍ଭ ନିକଟରେ ନିବେଦନ କର ନାହିଁ; କାରଣ ଆମ୍ଭେ ତୁମ୍ଭ କଥା ଶୁଣିବା ନାହିଁ।
JER 7:17 ସେମାନେ ଯିହୁଦାର ନଗର ଓ ଯିରୂଶାଲମର ସଡ଼କସବୁରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁ ନାହଁ?
JER 7:18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।
JER 7:19 ସଦାପ୍ରଭୁ କହନ୍ତି, ସେମାନେ କʼଣ ଆମ୍ଭକୁ ବିରକ୍ତ କରନ୍ତି? ବରଞ୍ଚ ଆପଣାମାନଙ୍କ ମୁଖର ବିବର୍ଣ୍ଣତା ନିମନ୍ତେ କʼଣ ଆପଣାମାନଙ୍କୁ ବିରକ୍ତ ନ କରନ୍ତି?
JER 7:20 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଏହି ସ୍ଥାନ ଉପରେ ମନୁଷ୍ୟ ଓ ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ, ଏହିସବୁର ଉପରେ ଆମ୍ଭର କ୍ରୋଧ ଓ କୋପ ଢଳାଯିବ; ତାହା ଦଗ୍ଧ କରିବ ଓ ନିର୍ବାଣ ହେବ ନାହିଁ।”
JER 7:21 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ଅନ୍ୟାନ୍ୟ ବଳି ସହିତ ତୁମ୍ଭମାନଙ୍କର ହୋମବଳି ଯୋଗ କରି ମାଂସ ଭୋଜନ କର।
JER 7:22 କାରଣ ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ, ସେହି ଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ କହିଲୁ ନାହିଁ କି ଆଜ୍ଞା ଦେଲୁ ନାହିଁ;
JER 7:23 ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ତୁମ୍ଭେମାନେ ଆମ୍ଭ ରବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ, ସେସବୁ ପଥରେ ତୁମ୍ଭେମାନେ ଚାଲ, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ।
JER 7:24 ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍‍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ।
JER 7:25 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ମିସର ଦେଶରୁ ବାହାର ହୋଇ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇବା ନିମନ୍ତେ ନିତ୍ୟ ନିତ୍ୟ ପ୍ରତ୍ୟୁଷରେ ଉଠି ତୁମ୍ଭମାନଙ୍କ ନିକଟକୁ ସେମାନଙ୍କୁ ପଠାଇଅଛୁ;
JER 7:26 ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ।
JER 7:27 ଆଉ, ତୁମ୍ଭେ ଏହିସବୁ କଥା ସେମାନଙ୍କୁ କହିବ; ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ; ତୁମ୍ଭେ ସେମାନଙ୍କୁ ଡାକିବ; ମାତ୍ର ସେମାନେ ତୁମ୍ଭକୁ ଉତ୍ତର ଦେବେ ନାହିଁ।
JER 7:28 ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ ଓ ଶିକ୍ଷା ଗ୍ରହଣ କରି ନାହାନ୍ତି, ସେମାନେ ଏହି ଗୋଷ୍ଠୀ; ସତ୍ୟତା ଲୁପ୍ତ ଓ ତାହା ସେମାନଙ୍କ ମୁଖରୁ ଉଚ୍ଛିନ୍ନ ହୋଇଅଛି।
JER 7:29 ହେ ଯିରୂଶାଲମ, ଆପଣା ମସ୍ତକର କେଶ କାଟି ପକାଇଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର; କାରଣ ସଦାପ୍ରଭୁ ଆପଣାର କ୍ରୋଧପାତ୍ର ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଅଛନ୍ତି।’
JER 7:30 ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ଯିହୁଦାର ସନ୍ତାନଗଣ କରିଅଛନ୍ତି; ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ଅଶୁଚି କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତୁ ତହିଁ ମଧ୍ୟରେ ରଖିଅଛନ୍ତି।
JER 7:31 ସେମାନେ ଆପଣା ଆପଣା ପୁତ୍ରକନ୍ୟାଗଣକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତ୍‍ର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି; ଏହା ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ।
JER 7:32 ଏନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ତାହା ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି; କାରଣ ଆଉ ସ୍ଥାନ ନ ଥିବାଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।
JER 7:33 ତହିଁରେ ଏହି ଲୋକମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ; ଆଉ, ସେମାନଙ୍କୁ କେହି ତଡ଼ି ଦେବ ନାହିଁ।
JER 7:34 ସେସମୟରେ ଆମ୍ଭେ ଯିହୁଦାର ନଗରସବୁରେ ଓ ଯିରୂଶାଲମର ସଡ଼କସବୁରେ, ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରକନ୍ୟାର ଧ୍ୱନି ନିବୃତ୍ତ କରାଇବା; କାରଣ ଦେଶ ଧ୍ୱଂସସ୍ଥାନ ହେବ।
JER 8:1 ସଦାପ୍ରଭୁ କହନ୍ତି, ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍‍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।
JER 8:2 ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ।
JER 8:3 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଥିବା ସମସ୍ତଙ୍କ ପ୍ରତି ଜୀବନ ଅପେକ୍ଷା ବରଞ୍ଚ ମୃତ୍ୟୁୁ ବାଞ୍ଛନୀୟ ହେବ।
JER 8:4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ମନୁଷ୍ୟ ପଡ଼ିଲେ, କʼଣ ଆଉ ଉଠେ ନାହିଁ? ବିପଥରେ ଗଲେ, କʼଣ ଆଉ ଫେରେ ନାହିଁ?
JER 8:5 ତେବେ ଯିରୂଶାଲମସ୍ଥ ଏହି ଲୋକମାନେ ଚିରକାଳ ବିପଥଗମନରେ କାହିଁକି ବିପଥଗାମୀ ହୋଇଅଛନ୍ତି? ସେମାନେ ପ୍ରବଞ୍ଚନା ଦୃଢ଼ ରୂପେ ଧରନ୍ତି, ସେମାନେ ଫେରିବାକୁ ଅସମ୍ମତ।
JER 8:6 ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ‘ହାୟ ହାୟ, ମୁଁ କʼଣ କରିଅଛି! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ;’ ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।
JER 8:7 ହଁ, ଆକାଶଗାମିନୀ ଚରଳ ଆପଣାର ନିରୂପିତ ସମୟ ଜାଣେ; ଆଉ, କପୋତ, ତାଳଚୋଞ୍ଚ ଓ ସାରସ ଆପଣା ଆପଣାର ଆସିବାର କାଳ ରକ୍ଷା କରନ୍ତି; ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।
JER 8:8 ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି, ଏହି କଥା ତୁମ୍ଭେମାନେ କିପରି କହୁଅଛ? ମାତ୍ର, ଦେଖ, ଅଧ୍ୟାପକମାନଙ୍କର ମିଥ୍ୟା ଲେଖନୀ ମିଥ୍ୟା ଗଢ଼ିଅଛି।
JER 8:9 ଜ୍ଞାନୀମାନେ ଲଜ୍ଜିତ ହୋଇଅଛନ୍ତି, ସେମାନେ ଘାବରା ଓ ଧରା ହୋଇଅଛନ୍ତି; ଦେଖ, ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି; ଆଉ, ସେମାନଙ୍କର ଜ୍ଞାନ କି ପ୍ରକାର?
JER 8:10 ଏହେତୁ ଆମ୍ଭେ ଅନ୍ୟମାନଙ୍କୁ ସେମାନଙ୍କର ଭାର୍ଯ୍ୟାଗଣ ଓ ଅନ୍ୟ ଅନ୍ୟ ଅଧିକାରୀଙ୍କୁ ସେମାନଙ୍କର କ୍ଷେତ୍ରସବୁ ଦେବା; କାରଣ ସେମାନଙ୍କର କ୍ଷୁଦ୍ରଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ଲୋଭାସକ୍ତ, ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ମିଥ୍ୟାଚରଣ କରନ୍ତି।
JER 8:11 ପୁଣି, ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି, ଶାନ୍ତି’ ବୋଲି କହି ଆମ୍ଭ ଲୋକମାନଙ୍କ କନ୍ୟାର କ୍ଷତ ଉପରେ ଉପରେ ସୁସ୍ଥ କରନ୍ତି।
JER 8:12 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କʼଣ ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ।
JER 8:13 ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।”
JER 8:14 ଆମ୍ଭେମାନେ କାହିଁକି ତୁନି ହୋଇ ବସୁଅଛୁ? ଏକତ୍ରିତ ହୁଅ, ଆସ, ଆମ୍ଭେମାନେ ପ୍ରାଚୀର-ବେଷ୍ଟିତ ନଗରମାନରେ ପ୍ରବେଶ କରୁ ଓ ସେଠାରେ ନୀରବ ହେଉ; କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ ବୋଲି ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଅଛନ୍ତି ଓ ବିଷବୃକ୍ଷର ରସ ପାନ କରିବାକୁ ଦେଇଅଛନ୍ତି।
JER 8:15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ!
JER 8:16 “ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି; ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି; କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;
JER 8:17 ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ,” ଏହା ସଦାପ୍ରଭୁ କହନ୍ତି।
JER 8:18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରିପାରନ୍ତି! ମୋର ମଧ୍ୟରେ ମୋʼ ହୃଦୟ ମୂର୍ଚ୍ଛିତ।
JER 8:19 ଦେଖ, ଅତି ଦୂର ଦେଶରୁ ମୋʼ ଲୋକଙ୍କ କନ୍ୟାର ଆର୍ତ୍ତନାଦ; “ସଦାପ୍ରଭୁ କʼଣ ସିୟୋନରେ ନାହାନ୍ତି? ତହିଁର ରାଜା କʼଣ ତହିଁ ମଧ୍ୟରେ ନାହାନ୍ତି?” “ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି?”
JER 8:20 “ଶସ୍ୟସଂଗ୍ରହର ସମୟ ଗତ ହେଲା, ଗ୍ରୀଷ୍ମକାଳ ଶେଷ ହେଲା, ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହୋଇ ନାହିଁ।”
JER 8:21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
JER 8:22 ଗିଲୀୟଦରେ କʼଣ ଔଷଧ ନାହିଁ? ସେଠାରେ କʼଣ ବୈଦ୍ୟ ନାହାନ୍ତି? ତେବେ ମୋʼ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ?
JER 9:1 ଆଃ, ଯେବେ ମୋହର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝର ସ୍ୱରୂପ ହୁଅନ୍ତା, ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରିପାରନ୍ତି!
JER 9:2 ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥାʼନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।
JER 9:3 ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ, ଏହା ସଦାପ୍ରଭୁ କହନ୍ତି।
JER 9:4 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ମିତ୍ରଗଣ ବିଷୟରେ ସାବଧାନ ହୁଅ ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ; କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ମିତ୍ର ନିନ୍ଦା ଘେନି ବୁଲିବ।
JER 9:5 ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି।
JER 9:6 ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି; ସଦାପ୍ରଭୁ କହନ୍ତି, ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।
JER 9:7 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବା ଓ ସେମାନଙ୍କୁ ପରୀକ୍ଷା କରିବା; କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହାଛଡ଼ା ଆଉ କଅଣ କରିବା?
JER 9:8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ; ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି।
JER 9:9 ସଦାପ୍ରଭୁ କହନ୍ତି, ଆମ୍ଭେ କʼଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ? ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କʼଣ ପରିଶୋଧ ନେବ ନାହିଁ?
JER 9:10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।
JER 9:11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
JER 9:12 ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ? ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ?
JER 9:13 ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;
JER 9:14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।
JER 9:15 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ, ଅର୍ଥାତ୍‍, ଏହି ଲୋକମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା।
JER 9:16 ଆହୁରି, ଯେଉଁମାନଙ୍କୁ ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷମାନେ ଜାଣି ନାହାନ୍ତି, ଏପରି ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା; ପୁଣି, ଆମ୍ଭେ ଯେପର୍ଯ୍ୟନ୍ତ ସେମାନଙ୍କୁ ସଂହାର ନ କରୁ, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”
JER 9:17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;
JER 9:18 ଆମ୍ଭମାନଙ୍କର ଚକ୍ଷୁ ଯେପରି ଲୋତକରେ ଭାସିଯିବ ଓ ଆମ୍ଭମାନଙ୍କ ଚକ୍ଷୁପତାରୁ ଜଳଧାରା ନିର୍ଗତ ହେବ, ଏଥିପାଇଁ ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ହାହାକାର କରନ୍ତୁ।
JER 9:19 କାରଣ ସିୟୋନଠାରୁ ଏହି ହାହାକାର ଶବ୍ଦ ଶୁଣା ଯାଉଅଛି, ‘ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ! ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍‍ କରିବାରୁ ଆମ୍ଭେମାନେ ଦେଶ ତ୍ୟାଗ କରି ଅତିଶୟ ଲଜ୍ଜିତ ହୋଇଅଛୁ।’”
JER 9:20 ତଥାପି ଆଗୋ ସ୍ତ୍ରୀମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ତୁମ୍ଭମାନଙ୍କର କର୍ଣ୍ଣ ତାହାଙ୍କର ମୁଖନିର୍ଗତ ବାକ୍ୟ ଗ୍ରହଣ କରୁ, ଆଉ ତୁମ୍ଭେମାନେ ଆପଣା ଆପଣା କନ୍ୟାମାନଙ୍କୁ ହାହାକାର କରିବାର ଓ ପ୍ରତ୍ୟେକେ ଆପଣା ପ୍ରତିବାସିନୀକୁ ବିଳାପ କରିବାର ଶିକ୍ଷା ଦିଅ।
JER 9:21 କାରଣ ମୃତ୍ୟୁୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।
JER 9:22 କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ମନୁଷ୍ୟମାନଙ୍କର ଶବ ଖତ ପରି ଓ ଶସ୍ୟଚ୍ଛେଦକର ପଶ୍ଚାତ୍‍ ପଡ଼ିଥିବା ଅଳ୍ପ ଅଳ୍ପ ଶସ୍ୟ ପରି କ୍ଷେତ୍ରରେ ପଡ଼ି ରହିବ, କେହି ସେସବୁକୁ ସଂଗ୍ରହ କରିବେ ନାହିଁ।’”
JER 9:23 ସଦାପ୍ରଭୁ ଏହି କଥା କହନ୍ତି, “ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;
JER 9:24 ମାତ୍ର ଯେବେ କେହି ଦର୍ପ କରେ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ; ଆମ୍ଭେ ସଦାପ୍ରଭୁ, ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ, କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ।
JER 9:25 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି;
JER 9:26 ଆମ୍ଭେ ମିସରକୁ ଓ ଯିହୁଦାକୁ, ଇଦୋମକୁ, ଅମ୍ମୋନ-ସନ୍ତାନଗଣକୁ ଓ ମୋୟାବକୁ, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ପ୍ରାନ୍ତରବାସୀ ସମସ୍ତଙ୍କୁ ଦଣ୍ଡ ଦେବା; କାରଣ ସକଳ ଗୋଷ୍ଠୀ ଅସୁନ୍ନତ, ପୁଣି ସମଗ୍ର ଇସ୍ରାଏଲ ବଂଶ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
JER 10:1 ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ;
JER 10:2 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଅନ୍ୟଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।
JER 10:3 ଅନ୍ୟଦେଶୀୟମାନଙ୍କର ବିଧିସକଳ ଅସାର; ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ।
JER 10:4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।
JER 10:5 ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ; ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ। ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁ କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।”
JER 10:6 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ; ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ।
JER 10:7 ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।
JER 10:8 ସେମାନେ ସମସ୍ତେ ପଶୁବତ୍‍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର।
JER 10:9 ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ, ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତନିର୍ମିତ; ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତ କର୍ମ।
JER 10:10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।
JER 10:11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, “ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।”
JER 10:12 ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;
JER 10:13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
JER 10:14 ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ଓ ଜ୍ଞାନହୀନ ହୋଇଅଛି; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।
JER 10:15 ସେସବୁ ଅସାର ଓ ଭ୍ରାନ୍ତିର କର୍ମ; ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।
JER 10:16 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି; କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
JER 10:17 ହେ ଅବରୁଦ୍ଧ ସ୍ଥାନ ନିବାସୀନ୍‍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।
JER 10:18 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”
JER 10:19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”
JER 10:20 ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି; ମୋର ବାଳକମାନେ ମୋʼ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି, ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ।
JER 10:21 କାରଣ ପାଳକଗଣ ପଶୁବତ୍‍ ହୋଇଅଛନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି; ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
JER 10:22 କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।
JER 10:23 ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ; ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ।
JER 10:24 ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର; କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ।
JER 10:25 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ; କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି, ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି।
JER 11:1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ଯଥା,
JER 11:2 “ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ କୁହ;
JER 11:3 ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏକ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବା ବିଷୟକ ଆମ୍ଭର ଶପଥ ଆଜିକାର ନ୍ୟାୟ ସିଦ୍ଧ କରିବା ନିମନ୍ତେ,
JER 11:4 ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ,
JER 11:5 ଅର୍ଥାତ୍‍, ଆମ୍ଭ ରବରେ ଅବଧାନ କର ଓ ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁ, ସେସକଳ ଅନୁସାରେ କର୍ମ କର; ତହିଁରେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ସେହି ନିୟମର କଥା ଯେଉଁ ଲୋକ ନ ଶୁଣେ, ସେ ଅଭିଶପ୍ତ ହେଉ!” ତହିଁରେ ମୁଁ ଉତ୍ତର ଦେଇ କହିଲି, “ହେ ସଦାପ୍ରଭୁ, ଆମେନ୍‍।”
JER 11:6 ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୂଶାଲମର ସବୁ ସଡ଼କରେ ଏହିସବୁ କଥା ପ୍ରଚାର କରି କୁହ, ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ତାହା ପାଳନ କର।
JER 11:7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର।
JER 11:8 ତଥାପି ସେମାନେ ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କଲେ; ଏନିମନ୍ତେ ଆମ୍ଭେ ପାଳନ କରିବା ପାଇଁ ସେମାନଙ୍କୁ ଯେଉଁ ନିୟମ ଆଦେଶ କଲୁ, ତହିଁର ସକଳ କଥା ସେମାନଙ୍କ ଉପରେ ବର୍ତ୍ତାଇଲୁ, ତଥାପି ସେମାନେ ପାଳନ କଲେ ନାହିଁ।”
JER 11:9 ଆଉ, ସଦାପ୍ରଭୁ ମୋତେ କହିଲେ, “ଯିହୁଦାର ଲୋକମାନଙ୍କ ମଧ୍ୟରେ ଓ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରେ ଏକ ଚକ୍ରାନ୍ତ ଦେଖାଯାଏ।
JER 11:10 ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ସେମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ପ୍ରତି ସେମାନେ ଫେରିଅଛନ୍ତି ଓ ସେମାନେ ଅନ୍ୟ ଦେବଗଣର ସେବା କରିବା ପାଇଁ ସେମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି; ଇସ୍ରାଏଲ ବଂଶ ଓ ଯିହୁଦା ବଂଶ, ସେମାନଙ୍କ ପୂର୍ବପୁରୁଷଗଣର ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।
JER 11:11 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା, ସେମାନେ ତହିଁରୁ ରକ୍ଷା ପାଇ ପାରିବେ ନାହିଁ; ପୁଣି, ସେମାନେ ଆମ୍ଭ ନିକଟରେ ଆର୍ତ୍ତସ୍ୱର କରିବେ, ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
JER 11:12 ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ୱଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ୱର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ।
JER 11:13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍‍, ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।
JER 11:14 ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
JER 11:15 ଆମ୍ଭ ଗୃହରେ ଆମ୍ଭ ପ୍ରିୟାର କି କାର୍ଯ୍ୟ? କାରଣ ସେ ଅନେକଙ୍କ ସଙ୍ଗେ ବ୍ୟଭିଚାର କରିଅଛି ଓ ତୁମ୍ଭ ନିକଟରୁ ପବିତ୍ର ମାଂସ ଅନ୍ତରିତ ହୋଇଅଛି, ଦୁଷ୍କର୍ମ କଲା ବେଳେ ତୁମ୍ଭେ ଆନନ୍ଦ କରୁଅଛ।
JER 11:16 ସଦାପ୍ରଭୁ ତୁମ୍ଭକୁ ମନୋହର ଫଳରେ ସୁନ୍ଦର ହରିତ୍‍ବର୍ଣ୍ଣ ଜୀତବୃକ୍ଷ ବୋଲି ନାମ ଦେଲେ; ଲୋକସମୂହର ମହାଶବ୍ଦ ସହକାରେ, ସେ ତହିଁ ଉପରେ ଅଗ୍ନି ଜ୍ୱଳାଇ ଅଛନ୍ତି ଓ ତହିଁର ଶାଖାସବୁ ଭଗ୍ନ ହୋଇଅଛି।
JER 11:17 ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।”
JER 11:18 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ ଜ୍ଞାନ ଦିଅନ୍ତେ, ମୁଁ ତାହା ଜାଣିଲି; ସେସମୟରେ ତୁମ୍ଭେ ମୋତେ ସେମାନଙ୍କର କ୍ରିୟା ଦେଖାଇଲ।
JER 11:19 ମାତ୍ର ମୁଁ ହତ୍ୟା ନିମନ୍ତେ ନିଆଯାଉଥିବା ଶାନ୍ତ ମେଷଶାବକ ଓ ବଳଦ ପରି ଥିଲି; “ପୁଣି, ଆମ୍ଭେମାନେ ଫଳସୁଦ୍ଧା ବୃକ୍ଷ ନଷ୍ଟ କରୁ ଓ ତାହାର ନାମ ଯେପରି ଆଉ ସ୍ମରଣରେ ନ ଥାଏ, ଏଥିପାଇଁ ଜୀବିତ ଲୋକମାନଙ୍କ ଦେଶରୁ ତାହାକୁ କାଟି ପକାଉ,” ଏହି କଥା କହି ସେମାନେ ଯେ ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଥିଲେ, ଏହା ମୁଁ ଜାଣି ନ ଥିଲି।
JER 11:20 ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ନ୍ୟାୟରେ ବିଚାର କରୁଥାଅ, ତୁମ୍ଭେ ମର୍ମ ଓ ଚିତ୍ତର ପରୀକ୍ଷା କରୁଥାଅ, ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ଦାନ ମୋତେ ଦେଖିବାକୁ ଦିଅ; କାରଣ ମୁଁ ତୁମ୍ଭ ନିକଟରେ ଆପଣା ଗୁହାରି ପ୍ରକାଶ କରିଅଛି।
JER 11:21 ଏହେତୁ “ଅନାଥୋତ୍‍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ;
JER 11:22 ଏନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା; ଯୁବାଗଣ ଖଡ୍ଗରେ ମରିବେ; ସେମାନଙ୍କର ପୁତ୍ର ଓ କନ୍ୟାଗଣ ଦୁର୍ଭିକ୍ଷରେ ମରିବେ;
JER 11:23 ସେମାନଙ୍କର ଅବଶିଷ୍ଟ କେହି ରହିବେ ନାହିଁ; କାରଣ ଆମ୍ଭେ ଅନାଥୋତ୍‍ ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କର ପ୍ରତିଫଳ ପ୍ରାପ୍ତିର ବର୍ଷ ଆଣିବା।”
JER 12:1 ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି?
JER 12:2 ତୁମ୍ଭେ ସେମାନଙ୍କୁ ରୋପଣ କରିଅଛ, ସେମାନେ ବଦ୍ଧମୂଳ ହୋଇଅଛନ୍ତି; ସେମାନେ ବଢ଼ନ୍ତି, ହଁ, ସେମାନେ ଫଳ ଫଳନ୍ତି; ତୁମ୍ଭେ ସେମାନଙ୍କ ମୁଖର ନିକଟରେ ଓ ସେମାନଙ୍କ ଅନ୍ତଃକରଣରୁ ଦୂରରେ ଅଛ।
JER 12:3 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଅଛ; ତୁମ୍ଭେ ମୋତେ ଦେଖୁଅଛ ଓ ତୁମ୍ଭ ପ୍ରତି ମୋର ମନ କିପରି, ତାହା ପରୀକ୍ଷା କରୁଅଛ; ତୁମ୍ଭେ ସେମାନଙ୍କୁ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ଟାଣି ଆଣ ଓ ହତ୍ୟା ଦିନର ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖ।
JER 12:4 କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି; କାରଣ ଲୋକମାନେ କହିଲେ, “ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।”
JER 12:5 “ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ?
JER 12:6 କାରଣ ତୁମ୍ଭର ଭାଇମାନେ ଓ ପିତୃବଂଶ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛନ୍ତି; ସେମାନେ ତୁମ୍ଭ ପଛେ ପଛେ ଉଚ୍ଚରେ ଡାକ ପକାଇଅଛନ୍ତି; ସେମାନେ ତୁମ୍ଭକୁ ମିଷ୍ଟ କଥା କହିଲେ ହେଁ ସେମାନଙ୍କୁ ବିଶ୍ୱାସ କର ନାହିଁ।”
JER 12:7 “ଆମ୍ଭେ ଆପଣା ଗୃହ ତ୍ୟାଗ କରିଅଛୁ, ଆମ୍ଭେ ଆପଣା ଅଧିକାର ଛାଡ଼ି ଦେଇଅଛୁ; ଆମ୍ଭେ ଆପଣା ପ୍ରାଣର ପ୍ରିୟତମାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।
JER 12:8 ଆମ୍ଭର ଅଧିକାର ଆମ୍ଭ ପ୍ରତି ଅରଣ୍ୟସ୍ଥ ସିଂହ ପରି ହୋଇଅଛି; ସେ ଆମ୍ଭ ବିରୁଦ୍ଧରେ ହୁଙ୍କାର କରିଅଛି; ଏଥିପାଇଁ ଆମ୍ଭେ ତାହାକୁ ଘୃଣା କରିଅଛୁ।
JER 12:9 ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ, ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି? ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।
JER 12:10 ଅନେକ ପଲରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି, ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି, ସେମାନେ ଆମ୍ଭର ମନୋରମ ଭୂମିକୁ ଧ୍ୱଂସିତ ପ୍ରାନ୍ତର କରିଅଛନ୍ତି।
JER 12:11 ସେମାନେ ତାହା ଧ୍ୱଂସସ୍ଥାନ କରିଅଛନ୍ତି; ତାହା ଧ୍ୱଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ୱଂସିତ ହେଉଅଛି।
JER 12:12 ଧ୍ୱଂସକାରୀମାନେ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରିସକଳର ଉପରକୁ ଆସିଅଛନ୍ତି; କାରଣ ସଦାପ୍ରଭୁଙ୍କ ଖଡ୍ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି; କୌଣସି ପ୍ରାଣୀର ଶାନ୍ତି ନାହିଁ।
JER 12:13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି, ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ; ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବ।”
JER 12:14 ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ଯେଉଁ ଅଧିକାର ଭୋଗ କରିବାକୁ ଦେଇଅଛୁ, ତାହା ସ୍ପର୍ଶକାରୀ ଆମ୍ଭର ଦୁଷ୍ଟ ପ୍ରତିବାସୀସକଳର ବିରୁଦ୍ଧରେ ସଦାପ୍ରଭୁ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କରିବା ଓ ସେମାନଙ୍କ ମଧ୍ୟରୁ ଯିହୁଦା-ବଂଶକୁ ଉତ୍ପାଟନ କରିବା।
JER 12:15 ପୁଣି, ସେମାନଙ୍କୁ ଉତ୍ପାଟନ କଲା ଉତ୍ତାରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା ଓ ଆମ୍ଭେ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଭୂମିକୁ ପୁନର୍ବାର ଆଣିବା।
JER 12:16 ଆଉ, ସେମାନେ ଯେପରି ବାଲ୍‍ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେପରି ସଦାପ୍ରଭୁ ଜୀବିତ ବୋଲି, ଆମ୍ଭ ନାମରେ ଶପଥ କରିବା ପାଇଁ ଯଦି ଆମ୍ଭ ଲୋକମାନଙ୍କର ଆଚରଣ ଯତ୍ନପୂର୍ବକ ଶିଖିବେ, ତେବେ ସେମାନେ ଆମ୍ଭ ଲୋକମାନଙ୍କ ମଧ୍ୟରେ ସ୍ଥାପିତ ହେବେ।
JER 12:17 ମାତ୍ର ଯଦି ସେମାନେ ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ଉତ୍ପାଟନ କରିବା, ଉତ୍ପାଟନ କରି ତାହା ନଷ୍ଟ କରିବା, ଏହା ସଦାପ୍ରଭୁ କହନ୍ତି।”
JER 13:1 ସଦାପ୍ରଭୁ ମୋତେ ଏହି କଥା କହିଲେ, “ତୁମ୍ଭେ ଯାଇ ମସିନା ନିର୍ମିତ ଏକ ପଟୁକା କିଣି ତାହା ଆପଣା କଟିଦେଶରେ ବାନ୍ଧ ଓ ଜଳରେ ତାହା ରଖ ନାହିଁ।”
JER 13:2 ତହିଁରେ ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପଟୁକା କିଣି ଆପଣା କଟିଦେଶରେ ବାନ୍ଧିଲି।
JER 13:3 ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
JER 13:4 “ଯଥା, ଉଠ, ତୁମ୍ଭ କଟିଦେଶରେ ଥିବା ଯେଉଁ ପଟୁକା ତୁମ୍ଭେ କିଣିଅଛ, ତାହା ନେଇ ଫରାତ୍‍ ନଦୀ ନିକଟକୁ ଯାଇ, ସେଠାସ୍ଥିତ ଏକ ଶୈଳ ଛିଦ୍ରରେ ଲୁଚାଇ ରଖ।”
JER 13:5 ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୁଁ ଯାଇ ଫରାତ୍‍ ନଦୀ ନିକଟରେ ତାହା ଲୁଚାଇ ରଖିଲି।
JER 13:6 ପୁଣି, ଅନେକ ଦିନ ଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଉଠି ଫରାତ୍‍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଚାଇ ରଖିବା ପାଇଁ ଆମ୍ଭେ ଆଜ୍ଞା କଲୁ, ତାହା ସେଠାରୁ ନିଅ।”
JER 13:7 ତେବେ ମୁଁ ଫରାତ୍‍ ନଦୀ ନିକଟକୁ ଯାଇ ସେହି ପଟୁକା ଲୁଚାଇ ରଖିଥିବା ସ୍ଥାନ ଖୋଳି ତାହା ନେଲି; ଆଉ ଦେଖ, ସେ ପଟୁକା ନଷ୍ଟ ହୋଇଅଛି, ତାହା ଆଉ କୌଣସି କର୍ମର ଯୋଗ୍ୟ ନୁହେଁ।
JER 13:8 ତେବେ “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
JER 13:9 ଯଥା, ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ପ୍ରକାରେ ଯିହୁଦାର ଦର୍ପ ଓ ଯିରୂଶାଲମର ମହାଦର୍ପ ଚୂର୍ଣ୍ଣ କରିବା।
JER 13:10 ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍‍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।
JER 13:11 କାରଣ ସଦାପ୍ରଭୁ କହନ୍ତି, ମନୁଷ୍ୟର କଟିଦେଶରେ ପଟୁକା ଯେରୂପ ସଂଲଗ୍ନ ଥାଏ, ତଦ୍ରୂପ ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା-ବଂଶକୁ ଆମ୍ଭର ଲୋକ, କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ କରିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ; ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।
JER 13:12 ଏହେତୁ ତୁମ୍ଭେ ସେମାନଙ୍କୁ ଏହି କଥା କହିବ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ପ୍ରତ୍ୟେକ କଳସ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ;’ ତହିଁରେ ସେମାନେ ତୁମ୍ଭକୁ କହିବେ, ‘ପ୍ରତ୍ୟେକ କଳସ ଯେ ଦ୍ରାକ୍ଷାରସରେ ପୂର୍ଣ୍ଣ କରାଯିବ, ଏହା କʼଣ ଆମ୍ଭେମାନେ ଜାଣୁ ନାହୁଁ?’
JER 13:13 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ, ଅର୍ଥାତ୍‍ ଦାଉଦର ସିଂହାସନୋପବିଷ୍ଟ ରାଜାଗଣଙ୍କୁ ଓ ଯାଜକମାନଙ୍କୁ, ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଓ ଯିରୂଶାଲମ ନିବାସୀ ସମସ୍ତଙ୍କୁ ମତ୍ତତାରେ ପୂର୍ଣ୍ଣ କରିବା।
JER 13:14 ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।’”
JER 13:15 ତୁମ୍ଭେମାନେ ଶୁଣ ଓ କର୍ଣ୍ଣପାତ କର; ଅହଙ୍କାର କର ନାହିଁ; କାରଣ ସଦାପ୍ରଭୁ କଥା କହିଅଛନ୍ତି।
JER 13:16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେ ଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ; ପୁଣି, ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁୁଚ୍ଛାୟାରେ ଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ, ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ।
JER 13:17 ମାତ୍ର ଯଦି ତୁମ୍ଭେମାନେ ଏ କଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।
JER 13:18 ତୁମ୍ଭେ ରାଜାକୁ ଓ ରାଜମାତାକୁ କୁହ, “ତୁମ୍ଭେମାନେ ଆପଣାମାନଙ୍କୁ ନମ୍ର କରି ବସ; କାରଣ ତୁମ୍ଭମାନଙ୍କର ମସ୍ତକାଭରଣ, ଅର୍ଥାତ୍‍, ଗୌରବ ମୁକୁଟ ତଳେ ପଡ଼ିଅଛି।
JER 13:19 ଦକ୍ଷିଣ ପ୍ରଦେଶୀୟ ନଗରସବୁ ରୁଦ୍ଧ ହୋଇଅଛି ଓ ତାହା ଫିଟାଇବାକୁ କେହି ନାହିଁ; ସମୁଦାୟ ଯିହୁଦା ନିର୍ବାସିତ ହୋଇଅଛି; ତାହା ସମ୍ପୂର୍ଣ୍ଣ ରୂପେ ନିର୍ବାସିତ ହୋଇଅଛି।
JER 13:20 ତୁମ୍ଭେମାନେ ଚକ୍ଷୁ ଖୋଲି ଉତ୍ତର ଦିଗରୁ ଆସନ୍ତା ଲୋକମାନଙ୍କୁ ଦେଖ; ତୁମ୍ଭକୁ ଯେଉଁ ପଲ ଦତ୍ତ ହୋଇଥିଲା, ତୁମ୍ଭର ସେହି ସୁନ୍ଦର ପଲ କାହିଁ?
JER 13:21 ତୁମ୍ଭେ ଯେଉଁମାନଙ୍କୁ ନିଜେ ଆପଣା ବିରୁଦ୍ଧରେ ଶିକ୍ଷା ଦେଇଅଛ, ତୁମ୍ଭର ସେହି ମିତ୍ରମାନଙ୍କୁ ଯେତେବେଳେ ସେ ତୁମ୍ଭର ମସ୍ତକ ସ୍ୱରୂପ କରି ନିଯୁକ୍ତ କରିବେ, ସେତେବେଳେ ତୁମ୍ଭେ କଅଣ କହିବ? ପ୍ରସବକାଳରେ ଯେପରି ସ୍ତ୍ରୀଲୋକ, ସେହିପରି ତୁମ୍ଭେ କି ବେଦନାଗ୍ରସ୍ତ ହେବ ନାହିଁ?
JER 13:22 ପୁଣି ଯଦି ତୁମ୍ଭେ ମନେ ମନେ ପଚାରିବ, ମୋʼ ପ୍ରତି ଏପରି ଦଶା କାହିଁକି ଘଟିଲା? (ତେବେ ଶୁଣ,) ତୁମ୍ଭ ଅଧର୍ମର ବାହୁଲ୍ୟରୁ ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି ଓ ତୁମ୍ଭର ଗୋଇଠି ଦୌରାତ୍ମ୍ୟ ଭୋଗ କରୁଅଛି।
JER 13:23 କୂଶୀୟ ଲୋକ କି ଆପଣା ଚର୍ମ ଓ ଚିତାବାଘ କି ଆପଣା ଚିତ୍ରବର୍ଣ୍ଣ ବଦଳାଇ ପାରେ? ତାହାହେଲେ, କୁକର୍ମ କରିବାକୁ ଅଭ୍ୟସ୍ତ ଯେ ତୁମ୍ଭେମାନେ, ତୁମ୍ଭେମାନେ କି ସୁକର୍ମ କରି ପାରିବ?
JER 13:24 ଏନିମନ୍ତେ ପ୍ରାନ୍ତରସ୍ଥ ବାୟୁ ସମ୍ମୁଖରେ ଉଡ଼ନ୍ତା ନଡ଼ା ପରି ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବା।
JER 13:25 ସଦାପ୍ରଭୁ କହନ୍ତି, ଆମ୍ଭଠାରୁ ଏହି ତୁମ୍ଭର ବାଣ୍ଟ ଓ ପରିମିତ ଅଂଶ; କାରଣ ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ମିଥ୍ୟାରେ ବିଶ୍ୱାସ କରିଅଛ।
JER 13:26 ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳ ତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।
JER 13:27 ଆମ୍ଭେ କ୍ଷେତ୍ରସ୍ଥ ଗିରିଗଣ ଉପରେ ତୁମ୍ଭର ଘୃଣ୍ୟ କର୍ମ, ତୁମ୍ଭର ବ୍ୟଭିଚାର, ତୁମ୍ଭର ହିଁ ହିଁ ହେବାର ଓ ତୁମ୍ଭର ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ହେ ଯିରୂଶାଲମ, ତୁମ୍ଭେ ସନ୍ତାପର ପାତ୍ର! ତୁମ୍ଭେ ଶୁଚିକୃତ ହେବାକୁ ମଙ୍ଗୁ ନାହଁ; ଆହୁରି କେତେ କାଳ ଏପରି ହେବ?”
JER 14:1 ଅନାବୃଷ୍ଟି ବିଷୟରେ ଯିରିମୀୟଙ୍କ ନିକଟରେ ଉପସ୍ଥିତ ସଦାପ୍ରଭୁଙ୍କର ବାକ୍ୟ।
JER 14:2 “ଯିହୁଦା ଶୋକ କରୁଅଛି ଓ ତହିଁର ନଗରଦ୍ୱାରସକଳ କ୍ଷୀଣ ହୋଇଅଛି, ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ୱର ଊର୍ଦ୍ଧ୍ୱକୁ ଉଠିଅଛି।
JER 14:3 ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି; ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ; ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି; ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।
JER 14:4 ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।
JER 14:5 ହଁ, ତୃଣ ନ ଥିବାରୁ ହରିଣୀ ମଧ୍ୟ ପଦାରେ ପ୍ରସବ କରି ଆପଣା ଛୁଆ ତ୍ୟାଗ କରିଯାଏ।
JER 14:6 ପୁଣି, ବନ୍ୟ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି; ତୃଣ ନ ଥିବାରୁ ସେମାନଙ୍କର ଚକ୍ଷୁ କ୍ଷୀଣ ହୁଏ।”
JER 14:7 “ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କର ବିପଥଗମନ ଅପାର; ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
JER 14:8 ହେ ଇସ୍ରାଏଲର ଆଶାଭୂମି, ସଙ୍କଟ ସମୟରେ ତାହାର ଉଦ୍ଧାରକର୍ତ୍ତା, ତୁମ୍ଭେ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି କ୍ଷେପଣ କରିବା ପାଇଁ ଆସିବା ପଥିକ ତୁଲ୍ୟ କାହିଁକି ହେବ?
JER 14:9 ତୁମ୍ଭେ କାହିଁକି ବିସ୍ମିତ ମନୁଷ୍ୟ ତୁଲ୍ୟ କିଅବା ଉଦ୍ଧାର କରିବାକୁ ଅସମର୍ଥ ବୀର ତୁଲ୍ୟ ହେବ; ତଥାପି ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ ଓ ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।”
JER 14:10 ସଦାପ୍ରଭୁ ଏହି ଲୋକମାନଙ୍କ ବିଷୟରେ ଏହି କଥା କହନ୍ତି, “ସେମାନେ ଏହି ପ୍ରକାର ଭ୍ରମଣ କରିବାକୁ ଭଲ ପାଇଅଛନ୍ତି; ସେମାନେ ଆପଣା ଆପଣା ଚରଣକୁ ଅଟକାଇ ନାହାନ୍ତି; ଏହେତୁ ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ; ସେ ଏବେ ସେମାନଙ୍କ ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କର ସମସ୍ତ ପାପର ପ୍ରତିଫଳ ଦେବେ।”
JER 14:11 ଆହୁରି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏହି ଲୋକମାନଙ୍କ ପକ୍ଷରେ ମଙ୍ଗଳ ପ୍ରାର୍ଥନା କର ନାହିଁ।
JER 14:12 ସେମାନେ ଉପବାସ କଲେ, ଆମ୍ଭେ ସେମାନଙ୍କର କାତରୋକ୍ତି ଶୁଣିବା ନାହିଁ; ପୁଣି, ସେମାନେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ, ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ନାହିଁ; ମାତ୍ର ଆମ୍ଭେ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।”
JER 14:13 ତହିଁରେ ମୁଁ କହିଲି, “ହାୟ ପ୍ରଭୁ, ସଦାପ୍ରଭୁ! ଦେଖ, ‘ତୁମ୍ଭେମାନେ ଖଡ୍ଗ ଦେଖିବ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ, ମାତ୍ର ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦୃଢ଼ ଶାନ୍ତି ଦେବା ବୋଲି ଭବିଷ୍ୟଦ୍‍ବକ୍ତାମାନେ ଏହି କଥା ସେମାନଙ୍କୁ କହନ୍ତି।’”
JER 14:14 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହି ନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।
JER 14:15 ଏହେତୁ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ସେହି ଭବିଷ୍ୟଦ୍‍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।
JER 14:16 ପୁଣି, ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନେ ଦୁର୍ଭିକ୍ଷ ଓ ଖଡ୍ଗ ହେତୁରୁ ଯିରୂଶାଲମର ନାନା ସଡ଼କରେ ପକାଯିବେ; ପୁଣି, ସେମାନଙ୍କୁ ସେମାନଙ୍କ ଭାର୍ଯ୍ୟା ଓ ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ କବର ଦେବା ପାଇଁ କେହି ନ ଥିବେ; କାରଣ ଆମ୍ଭେ ସେମାନଙ୍କ ଦୁଷ୍ଟତା ସେମାନଙ୍କ ଉପରେ ଢାଳି ଦେବା।
JER 14:17 ଆଉ, ତୁମ୍ଭେ ସେମାନଙ୍କୁ ଏହି କଥା କହିବ, ‘ଦିବାରାତ୍ର ଆମ୍ଭ ଚକ୍ଷୁରୁ ଜଳଧାରା ବହୁ, ତାହା ନିବୃତ୍ତ ନ ହେଉ; କାରଣ ଆମ୍ଭ ଲୋକମାନଙ୍କର ଅନୂଢ଼ା କନ୍ୟା, ମହା କ୍ଷତରେ, ମହା ଦୁଃଖଦାୟକ ଆଘାତରେ ଭଗ୍ନ ହୋଇଅଛି।
JER 14:18 ଆମ୍ଭେ ଯଦି ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ଦେଖ, ସେଠାରେ ଖଡ୍ଗରେ ହତ ଲୋକ! ପୁଣି, ଆମ୍ଭେ ଯଦି ନଗରରେ ପ୍ରବେଶ କରୁ, ତେବେ ଦେଖ, ସେଠାରେ ଦୁର୍ଭିକ୍ଷରେ ପୀଡ଼ିତ ଲୋକ! କାରଣ ଭବିଷ୍ୟଦ୍‍ବକ୍ତା ଓ ଯାଜକ ଉଭୟ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’”
JER 14:19 ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି? କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ!
JER 14:20 ହେ ସଦାପ୍ରଭୁ, ଆମ୍ଭେମାନେ ଆପଣାମାନଙ୍କ ଦୁଷ୍ଟତା ଓ ଆମ୍ଭମାନଙ୍କ ପିତୃଲୋକମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ; କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
JER 14:21 ତୁମ୍ଭେ ଆପଣା ନାମ ସକାଶୁ ଆମ୍ଭମାନଙ୍କୁ ଘୃଣା କର ନାହିଁ; ଆପଣା ଗୌରବ ସିଂହାସନର ଅପମାନ କର ନାହିଁ; ସ୍ମରଣ କର, ଆମ୍ଭମାନଙ୍କ ସହିତ ତୁମ୍ଭର କୃତ ନିୟମ ଭଗ୍ନ କର ନାହିଁ।
JER 14:22 ଅନ୍ୟଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରିପାରେ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।
JER 15:1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।
JER 15:2 ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସଦାପ୍ରଭୁ ଏହି କଥା କହନ୍ତି, ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ, ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ, ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀସ୍ଥାନକୁ ଯାଉନ୍ତୁ।’
JER 15:3 ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ବଧ କରିବା ନିମନ୍ତେ ଖଡ୍ଗ, ବିଦୀର୍ଣ୍ଣ କରିବା ନିମନ୍ତେ କୁକ୍କୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ, ଏହି ଚାରି ଜାତିକୁ ସେମାନଙ୍କ ଉପରେ ନିଯୁକ୍ତ କରିବା।
JER 15:4 ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
JER 15:5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ?
JER 15:6 ସଦାପ୍ରଭୁ କହନ୍ତି, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ; ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ; ଆମ୍ଭେ କ୍ଷମା କରି କରି କ୍ଳାନ୍ତ ହୋଇଅଛୁ।
JER 15:7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
JER 15:8 ଆମ୍ଭ ସାକ୍ଷାତରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ଅପେକ୍ଷା ବହୁସଂଖ୍ୟକ ହୋଇଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ଯୁବାଗଣର ମାତା ବିରୁଦ୍ଧରେ ବିନାଶକ ଏକ ଜଣକ ମଧ୍ୟାହ୍ନ କାଳରେ ଆଣିଅଛୁ; ଆମ୍ଭେ ଅକସ୍ମାତ୍‍ ତାହା ପ୍ରତି ଦୁଃଖ ଓ ଆଶଙ୍କା ଉପସ୍ଥିତ କରାଇଅଛୁ।
JER 15:9 ସାତ ସନ୍ତାନପ୍ରସୂତା ସ୍ତ୍ରୀ କ୍ଷୀଣା ହେଉଅଛି; ସେ ପ୍ରାଣତ୍ୟାଗ କରିଅଛି; ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଅଛି; ସେ ଲଜ୍ଜିତା ଓ ହତାଶା ହୋଇଅଛି; ପୁଣି, ସେମାନଙ୍କର ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ସମ୍ମୁଖରେ ଖଡ୍ଗରେ ସମର୍ପଣ କରିବା,” ଏହା ସଦାପ୍ରଭୁ କହନ୍ତି।
JER 15:10 ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।
JER 15:11 ସଦାପ୍ରଭୁ କହିଲେ, “ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା; ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।
JER 15:12 ଲୌହ, ଉତ୍ତର ଦେଶୀୟ ଲୌହ ଓ ପିତ୍ତଳ କି କେହି ଭାଙ୍ଗିପାରେ?
JER 15:13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।
JER 15:14 ପୁଣି, ଆମ୍ଭେ ସେସମସ୍ତଙ୍କୁ ତୁମ୍ଭ ଶତ୍ରୁଗଣର ସଙ୍ଗରେ ତୁମ୍ଭ ଅଜ୍ଞାତ ଏକ ଦେଶକୁ ନେଇଯିବା; କାରଣ ଆମ୍ଭର କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ ହୋଇଅଛି, ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।”
JER 15:15 ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ।
JER 15:16 ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି; ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା; କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
JER 15:17 ମୁଁ ଆମୋଦ-ପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ, କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି; କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।
JER 15:18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି? ତୁମ୍ଭେ କି ମୋʼ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ?
JER 15:19 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯଦି ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା; ପୁଣି, ତୁମ୍ଭେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ; ସେମାନେ ତୁମ୍ଭ ନିକଟକୁ ଫେରି ଆସିବେ, ମାତ୍ର ତୁମ୍ଭେ ସେମାନଙ୍କ ନିକଟକୁ ଫେରିଯିବ ନାହିଁ।
JER 15:20 ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା; ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
JER 15:21 ପୁଣି, ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟାନକ ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
JER 16:1 ସଦାପ୍ରଭୁଙ୍କର ବାକ୍ୟ ଆହୁରି ମୋʼ ନିକଟରେ ଉପସ୍ଥିତ ହେଲା,
JER 16:2 ଯଥା, “ତୁମ୍ଭେ ଏହି ସ୍ଥାନରେ ବିବାହ କରିବ ନାହିଁ, କିଅବା ପୁତ୍ରକନ୍ୟା ଜାତ କରିବ ନାହିଁ।
JER 16:3 କାରଣ ଏହି ସ୍ଥାନରେ ଜାତ ପୁତ୍ର ଓ କନ୍ୟାଗଣ ବିଷୟରେ ଓ ଏହି ଦେଶରେ ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ, ଆଉ ସେମାନଙ୍କ ଜନ୍ମଦାତା ପିତୃଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି।
JER 16:4 ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁୁରେ ପ୍ରାଣତ୍ୟାଗ କରିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, କିଅବା ସେମାନଙ୍କୁ କବର ଦିଆଯିବ ନାହିଁ, ସେମାନେ ଭୂମି ଉପରେ ଖତ ପରି ହେବେ; ଆଉ, ସେମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ସଂହାରିତ ହେବେ; ପୁଣି, ସେମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।
JER 16:5 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଶୋକ ଗୃହରେ ପ୍ରବେଶ କର ନାହିଁ, କିଅବା ସେମାନଙ୍କ ପାଇଁ ବିଳାପ ଅଥବା କ୍ରନ୍ଦନ କରିବା ପାଇଁ ଯାଅ ନାହିଁ; କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଶାନ୍ତି ଓ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ହରଣ କରିଅଛୁ।
JER 16:6 ଏହି ଦେଶରେ ମହାନ ଓ କ୍ଷୁଦ୍ର ଉଭୟ ଲୋକ ମରିବେ; ସେମାନଙ୍କୁ କବର ଦିଆଯିବ ନାହିଁ, ଅଥବା ଲୋକେ ସେମାନଙ୍କ ନିମନ୍ତେ ବିଳାପ କରିବେ ନାହିଁ, କିଅବା ସେମାନଙ୍କ ନିମନ୍ତେ ଆପଣା ଆପଣା ଅଙ୍ଗରେ ଅସ୍ତ୍ରାଘାତ ଅଥବା ମସ୍ତକ ମୁଣ୍ଡନ କରିବେ ନାହିଁ;
JER 16:7 କିଅବା ମୃତ ଲୋକମାନଙ୍କ ନିମନ୍ତେ ଶୋକକାରୀମାନଙ୍କୁ ସାନ୍ତ୍ୱନା କରିବା ପାଇଁ ଲୋକେ ରୁଟି ଭାଙ୍ଗିବେ ନାହିଁ; ଅଥବା ଆପଣା ଆପଣା ପିତା ଓ ମାତା ନିମନ୍ତେ ପାନ କରିବା ପାଇଁ ସାନ୍ତ୍ୱନାସୂଚକ ପାତ୍ର ଦେବେ ନାହିଁ।
JER 16:8 ପୁଣି, ତୁମ୍ଭେ ଭୋଜନପାନ କରିବା ନିମନ୍ତେ ସେମାନଙ୍କ ସଙ୍ଗେ ବସିବା ପାଇଁ କୌଣସି ଭୋଜି ଗୃହକୁ ଯିବ ନାହିଁ।
JER 16:9 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ଓ ତୁମ୍ଭମାନଙ୍କ ସମୟରେ ଏହି ସ୍ଥାନରୁ ଆମୋଦ-ପ୍ରମୋଦର ଧ୍ୱନି ଓ ଆନନ୍ଦର ଧ୍ୱନି, ବରର ରବ ଓ କନ୍ୟାର ରବ ନିବୃତ୍ତ କରାଇବା।
JER 16:10 ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ‘ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି? ଅବା ଆମ୍ଭମାନଙ୍କର ଅପରାଧ କି? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ କି ପାପ କରିଅଛୁ?’
JER 16:11 ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି, ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି।
JER 16:12 ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁ ନାହଁ;
JER 16:13 ଏହେତୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଦେଶରେ ନିକ୍ଷେପ କରିବା; ଆଉ, ସେଠାରେ ତୁମ୍ଭେମାନେ ଦିବାରାତ୍ର ଅନ୍ୟ ଦେବଗଣର ସେବା କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ କିଛିମାତ୍ର ଅନୁଗ୍ରହ କରିବା ନାହିଁ।’”
JER 16:14 ଏନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ‘ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;’
JER 16:15 ମାତ୍ର ‘ଇସ୍ରାଏଲ-ସନ୍ତାନଗଣକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ସେ ସେମାନଙ୍କୁ ତଡ଼ି ଦେଇଥିଲେ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ପୁଣି, ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲୁ, ସେମାନଙ୍କର ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଆଣିବା।
JER 16:16 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଅନେକ ଧୀବର ଅଣାଇବା, ତହିଁରେ ସେମାନେ ମତ୍ସ୍ୟ ପରି ସେମାନଙ୍କୁ ଧରିବେ; ପୁଣି, ତହିଁ ଉତ୍ତାରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା, ତହିଁରେ ସେମାନେ ପ୍ରତ୍ୟେକ ପର୍ବତରୁ ଓ ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଅନୁସନ୍ଧାନ କରି ଆଣିବେ।
JER 16:17 କାରଣ ସେମାନଙ୍କର ସମସ୍ତ ପଥରେ ଆମ୍ଭର ଦୃଷ୍ଟି ଅଛି; ସେମାନେ ଆମ୍ଭ ସାକ୍ଷାତରୁ ଲୁଚା ନୁହନ୍ତି, କିଅବା ସେମାନଙ୍କର ଅଧର୍ମ ଆମ୍ଭ ଦୃଷ୍ଟିରେ ଅଗୋଚର ନୁହେଁ।
JER 16:18 ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା, କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।”
JER 16:19 ହେ ମୋର ବଳ, ମୋର ଦୃଢ଼ ଦୁର୍ଗ ଓ ବିପଦ ସମୟରେ ମୋର ଆଶ୍ରୟ ସ୍ୱରୂପ ସଦାପ୍ରଭୁ, ପୃଥିବୀର ପ୍ରାନ୍ତସକଳରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା, ଅର୍ଥାତ୍‍, ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।
JER 16:20 ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ? ସେ ତ ଈଶ୍ୱର ନୁହେଁ।”
JER 16:21 “ଏନିମନ୍ତେ ଦେଖ, ଆମ୍ଭେ ସେମାନଙ୍କୁ ଜ୍ଞାତ କରାଇବା, ଆମେ ଏହି ଏକ ଥର ସେମାନଙ୍କୁ ଆମ୍ଭର ହସ୍ତ ଓ ଆମ୍ଭର ପରାକ୍ରମ ଜ୍ଞାତ କରାଇବା; ତହିଁରେ ଆମ୍ଭର ନାମ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ।”
JER 17:1 “ଯିହୁଦାର ପାପ ଲୌହ ଲେଖନୀରେ ଓ ହୀରକର କଣ୍ଟକ ଦ୍ୱାରା ଲିଖିତ ଅଛି; ତାହା ସେମାନଙ୍କର ହୃଦୟ ଫଳକରେ ଓ ତୁମ୍ଭମାନଙ୍କ ଯଜ୍ଞବେଦିର ଶୃଙ୍ଗରେ ଖୋଦିତ ହୋଇଅଛି।
JER 17:2 ପୁଣି, ସେମାନଙ୍କର ସନ୍ତାନଗଣ ଉଚ୍ଚ ଗିରିସ୍ଥିତ ହରିତ୍‍ପୂର୍ଣ୍ଣ ବୃକ୍ଷ ନିକଟରେ ସେମାନଙ୍କର ଯଜ୍ଞବେଦି ଓ ଆଶେରା ମୂର୍ତ୍ତିସକଳ ସ୍ମରଣ କରନ୍ତି।
JER 17:3 ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀସକଳ ଲୁଟିତ ହେବା ପାଇଁ ଦେବା।
JER 17:4 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ। ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା; କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।”
JER 17:5 ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।
JER 17:6 ସେ ମରୁଭୂମିସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ, ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ; ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବ।
JER 17:7 ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ।
JER 17:8 କାରଣ ସେ ଜଳ ନିକଟରେ ରୋପିତ ଓ ନଦୀ କୂଳରେ ବିସ୍ତୃତମୂଳ ବୃକ୍ଷ ତୁଲ୍ୟ ହେବ ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ; ଆଉ, ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ, କିଅବା ତାହାର ଫଳ ଫଳିବାର ନିବୃତ୍ତ ହେବ ନାହିଁ।”
JER 17:9 ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ?
JER 17:10 “ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ।”
JER 17:11 ଯେଉଁ ତିତ୍ତିର ପକ୍ଷୀ ଆପଣାର ଅପ୍ରସୂତ ଛୁଆମାନଙ୍କୁ ସଂଗ୍ରହ କରେ, ଅନ୍ୟାୟରେ ଧନ ସଞ୍ଚୟକାରୀ ଲୋକ ତାହାରି ତୁଲ୍ୟ; ତାହାର ପରମାୟୁ ମଧ୍ୟରେ ସେ ଧନ ତାହାକୁ ଛାଡ଼ିଯିବ ଓ ଆପଣାର ଅନ୍ତିମ କାଳରେ ସେ ମୂଢ଼ ହେବ।
JER 17:12 ଆଦିକାଳରୁ ଊର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ, ଆମ୍ଭମାନଙ୍କର ଧର୍ମଧାମ ଅଟେ।
JER 17:13 ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋʼ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।
JER 17:14 ହେ ସଦାପ୍ରଭୁ, ମୋତେ ସୁସ୍ଥ କର, ତହିଁରେ ମୁଁ ସୁସ୍ଥ ହେବି, ମୋତେ ପରିତ୍ରାଣ କର, ତହିଁରେ ମୁଁ ପରିତ୍ରାଣ ପାଇବି; କାରଣ ତୁମ୍ଭେ ମୋର ପ୍ରଶଂସାଭୂମି।
JER 17:15 ଦେଖ, ସେମାନେ ମୋତେ କୁହନ୍ତି, “ସଦାପ୍ରଭୁଙ୍କର ବାକ୍ୟ କାହିଁ। ତାହା ଏବେ ଉପସ୍ଥିତ ହେଉ।”
JER 17:16 ମୁଁ ତ ତୁମ୍ଭ ପଛେ ପଛେ ମେଷପାଳକର କାର୍ଯ୍ୟ କରିବାରୁ ବିମୁଖ ହେବା ପାଇଁ ବେଗଗାମୀ ହୋଇ ନାହିଁ; କିଅବା ସେହି ଅମଙ୍ଗଳର ଦିନ ଚାହିଁ ନାହିଁ; ତୁମ୍ଭେ ଜାଣୁଅଛ; ମୋʼ ଓଷ୍ଠରୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।
JER 17:17 ମୋʼ ପ୍ରତି ତ୍ରାସଜନକ ହୁଅ ନାହିଁ; ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।
JER 17:18 ଯେଉଁମାନେ ମୋତେ ତାଡ଼ନା କରନ୍ତି, ସେମାନେ ଲଜ୍ଜିତ ହେଉନ୍ତୁ, ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ସେମାନେ ନିରାଶ ହେଉନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ; ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।
JER 17:19 ସଦାପ୍ରଭୁ ମୋତେ ଏହି କଥା କହିଲେ, “ଯିହୁଦାର ରାଜାଗଣ ଯେଉଁ ଦ୍ୱାର ଦେଇ ଭିତରେ ଯାଆନ୍ତି ଓ ବାହାରେ ଆସନ୍ତି, ଲୋକମାନଙ୍କ ସନ୍ତାନଗଣର ସେହି ଦ୍ୱାରରେ ଓ ଯିରୂଶାଲମର ସକଳ ଦ୍ୱାରରେ ଯାଇ ଠିଆ ହୁଅ;
JER 17:20 ଆଉ, ସେମାନଙ୍କୁ କୁହ, ‘ହେ ଯିହୁଦାର ରାଜାଗଣ, ହେ ସମୁଦାୟ ଯିହୁଦା ଓ ହେ ଯିରୂଶାଲମର ନିବାସୀ ସମସ୍ତେ, ତୁମ୍ଭେମାନେ ଯେତେ ଲୋକ ଏହିସବୁ ଦ୍ୱାର ଦେଇ ପ୍ରବେଶ କରିଥାଅ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
JER 17:21 ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହ ନାହିଁ, କିଅବା ଯିରୂଶାଲମର ଦ୍ୱାର ଦେଇ ତାହା ଭିତରକୁ ଆଣ ନାହିଁ;
JER 17:22 ଅଥବା ବିଶ୍ରାମ ଦିନରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ, କିଅବା ତୁମ୍ଭେମାନେ କୌଣସି କାର୍ଯ୍ୟ କର ନାହିଁ; ମାତ୍ର ତୁମ୍ଭେମାନେ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ।
JER 17:23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।
JER 17:24 ପୁଣି, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର-ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହି ଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର;
JER 17:25 ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ଓ ଅଧିପତିଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୂଶାଲମର ନିବାସୀମାନେ ଏହି ନଗର-ଦ୍ୱାର ଦେଇ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।
JER 17:26 ପୁଣି, ଲୋକମାନେ ଯିହୁଦାର ନଗରସମୂହରୁ, ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମୀନ୍ ଦେଶରୁ ଓ ନିମ୍ନ ଭୂମିରୁ ଓ ପାର୍ବତୀୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ କୁନ୍ଦୁରୁ ନେଇ, ଆଉ ପ୍ରଶଂସାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ।
JER 17:27 ମାତ୍ର ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ୱାରସମୂହରେ ଅଗ୍ନି ଜ୍ୱଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ ଓ ତାହା ନିର୍ବାଣ ହେବ ନାହିଁ।’”
JER 18:1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କ ନିକଟରୁ ଏହି ବାକ୍ୟ ଉପସ୍ଥିତ ହେଲା;
JER 18:2 “ତୁମ୍ଭେ ଉଠି କୁମ୍ଭକାରର ଗୃହକୁ ଯାଅ, ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”
JER 18:3 ତେବେ ମୁଁ କୁମ୍ଭକାର ଗୃହକୁ ଗଲି, ଆଉ ଦେଖ, ସେ ଚକ୍ରରେ ଆପଣା କର୍ମ କରୁଥିଲା।
JER 18:4 କୁମ୍ଭକାର ମୃତ୍ତିକାର ଯେଉଁ ପାତ୍ର ନିର୍ମାଣ କରୁଥିଲା, ତାହା ତାହାର ହସ୍ତରେ ବିଗିଡ଼ି ଯିବାରୁ କୁମ୍ଭକାର ତାହା ନେଇ ଆପଣା ଇଚ୍ଛାନୁସାରେ ଆଉ ଗୋଟିଏ ପାତ୍ର ନିର୍ମାଣ କଲା।
JER 18:5 ତହୁଁ ମୋʼ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 18:6 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ।
JER 18:7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;
JER 18:8 ସେତେବେଳେ ଯେଉଁ ଗୋଷ୍ଠୀ ବିଷୟରେ ଆମ୍ଭେ କହିଅଛୁ, ସେମାନେ ଯଦି ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି, ତେବେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ଆମ୍ଭେ ମନରେ କଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
JER 18:9 ପୁଣି, ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀକୁ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା;
JER 18:10 ସେତେବେଳେ ସେ ଯଦି ଆମ୍ଭର ରବ ନ ମାନି ଆମ୍ଭ ଦୃଷ୍ଟିରେ ଦୁଷ୍କର୍ମ କରେ, ତେବେ ଆମ୍ଭେ ତାହା ପ୍ରତି ଯେଉଁ ମଙ୍ଗଳ କରିବାର କଥା କହିଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
JER 18:11 ଏନିମନ୍ତେ ଏବେ ତୁମ୍ଭେ ଯିହୁଦାର ଲୋକମାନଙ୍କ ଓ ଯିରୂଶାଲମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ; ଏବେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ଆପଣା ପଥ ଓ ଆପଣା ଆପଣା କ୍ରିୟାର ଶୋଧନ କର।’
JER 18:12 ମାତ୍ର ସେମାନେ କହନ୍ତି, ‘ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା।’
JER 18:13 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଏବେ ନାନା ଦେଶୀୟମାନଙ୍କ ମଧ୍ୟରେ ପଚାର, ଏପରି କଥା କିଏ ଶୁଣିଅଛି; ଇସ୍ରାଏଲର ଅନୂଢ଼ା କନ୍ୟା ଅତ୍ୟନ୍ତ ରୋମାଞ୍ଚଜନକ କାର୍ଯ୍ୟ କରିଅଛି।
JER 18:14 ଲିବାନୋନର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ? କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ?
JER 18:15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;
JER 18:16 ଏଥିରେ ସେମାନଙ୍କର ଦେଶକୁ ବିସ୍ମୟର ଓ ନିତ୍ୟ ଶୀସ୍‍ ଶବ୍ଦର ପାତ୍ର କରନ୍ତି; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମୟାପନ୍ନ ହୋଇ ଆପଣା ମସ୍ତକ ହଲାଇବ।
JER 18:17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।”
JER 18:18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍‍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
JER 18:19 ହେ ସଦାପ୍ରଭୁ, ମୋʼ ପ୍ରତି ମନୋଯୋଗ କର ଓ ମୋʼ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।
JER 18:20 ମଙ୍ଗଳର ପରିଶୋଧରେ କି ଅମଙ୍ଗଳ କରାଯିବ? କାରଣ ସେମାନେ ମୋʼ ପ୍ରାଣ ପାଇଁ ଗର୍ତ୍ତ ଖୋଳିଅଛନ୍ତି। ମୁଁ ସେମାନଙ୍କଠାରୁ ତୁମ୍ଭର ପ୍ରଚଣ୍ଡ କ୍ରୋଧ ଫେରାଇବା ନିମନ୍ତେ ସେମାନଙ୍କ ପକ୍ଷରେ ମଙ୍ଗଳଜନକ କଥା କହିବା ପାଇଁ କିପରି ତୁମ୍ଭ ସମ୍ମୁଖରେ ଠିଆ ହେଲି, ଏହା ସ୍ମରଣ କର।
JER 18:21 ଏହେତୁ ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଦୁର୍ଭିକ୍ଷରେ ସମର୍ପଣ କର ଓ ସେମାନଙ୍କୁ ଖଡ୍ଗର ପରାକ୍ରମରେ ଛାଡ଼ିଦିଅ; ଆଉ, ସେମାନଙ୍କର ଭାର୍ଯ୍ୟାମାନେ ସନ୍ତାନହୀନା ଓ ବିଧବା ହେଉନ୍ତୁ ଓ ସେମାନଙ୍କର ପୁରୁଷମାନେ ମୃତ୍ୟୁୁରେ ସଂହାରିତ ହେଉନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ଖଡ୍ଗରେ ହତ ହେଉନ୍ତୁ।
JER 18:22 ତୁମ୍ଭେ ଯେଉଁ ସମୟରେ ହଠାତ୍‍ ସେମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ଆଣିବ, ସେହି ସମୟରେ ସେମାନଙ୍କର ସକଳ ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ; କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳିଅଛନ୍ତି ଓ ମୋʼ ଚରଣ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।
JER 18:23 ତଥାପି ହେ ସଦାପ୍ରଭୁ, ମୋତେ ବଧ କରିବା ପାଇଁ ସେମାନଙ୍କର ମନ୍ତ୍ରଣାସବୁ ତୁମ୍ଭେ ଜାଣୁଅଛ; ତୁମ୍ଭେ ସେମାନଙ୍କର ଅଧର୍ମ କ୍ଷମା କର ନାହିଁ, କିଅବା ତୁମ୍ଭ ଦୃଷ୍ଟିରୁ ସେମାନଙ୍କ ପାପ ଲିଭାଇ ଦିଅ ନାହିଁ; ମାତ୍ର ସେମାନେ ତୁମ୍ଭ ସମ୍ମୁଖରେ ନିପାତିତ ହେଉନ୍ତୁ; ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କ ପ୍ରତି ବ୍ୟବହାର କର।
JER 19:1 ସଦାପ୍ରଭୁ ଏହି କଥା କହିଲେ, “ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର, ଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,
JER 19:2 ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;
JER 19:3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା, ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ।
JER 19:4 କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି।
JER 19:5 ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍‍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।
JER 19:6 ଏଥିନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି।
JER 19:7 ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ୍ଗ ଦ୍ୱାରା ଓ ସେମାନଙ୍କ ପ୍ରାଣ ଅନ୍ୱେଷଣକାରୀମାନଙ୍କ ହସ୍ତ ଦ୍ୱାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା।
JER 19:8 ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍‍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍‍ ଶବ୍ଦ କରିବ।
JER 19:9 ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ।’
JER 19:10 ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ,
JER 19:11 ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବର ସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।
JER 19:12 ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍‍ ତୁଲ୍ୟ କରିବା।
JER 19:13 ତହିଁରେ ଅଶୁଚିକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜାଗଣର ଗୃହ, ଅର୍ଥାତ୍‍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ଡଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍‍ ସ୍ଥାନ ତୁଲ୍ୟ ହେବ।’”
JER 19:14 ଏଥିଉତ୍ତାରେ ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍‍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ;
JER 19:15 “ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।”
JER 20:1 ଯିରିମୀୟ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍‍ହୂର ତାହା ଶୁଣିଲା।
JER 20:2 ତହିଁରେ ପଶ୍‍ହୂର ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା।
JER 20:3 ପୁଣି, ତହିଁ ପରଦିନ ପଶ୍‍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍‍ହୂର ନ ରଖି, ମାଗୋରମୀଷାବୀବ୍‍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।
JER 20:4 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ।
JER 20:5 ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।
JER 20:6 ପୁଣି, ହେ ପଶ୍‍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।”
JER 20:7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି; ତୁମ୍ଭେ ମୋʼ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ; ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି।
JER 20:8 କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; “ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚସ୍ୱର କରେ;” କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ସାରାଦିନ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।
JER 20:9 ଯଦି ପୁଣି, “ମୁଁ ତାହାଙ୍କ ବିଷୟ କହିବି ନାହିଁ, କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ,” ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ମୋʼ ହୃଦୟରେ ଥିଲା ପରି ହୁଏ, ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ।
JER 20:10 କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି, “ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା; କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାଠାରୁ ପରିଶୋଧ ନେବା।”
JER 20:11 ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋʼ ସଙ୍ଗରେ ଅଛନ୍ତି; ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ; ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ, ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ।
JER 20:12 ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ, ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ, ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ; କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି।
JER 20:13 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।
JER 20:14 ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ; ମୋʼ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।
JER 20:15 ତୁମ୍ଭର ପୁତ୍ରସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇ ଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ।
JER 20:16 ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ, ସେ ଲୋକ ସେହି ସବୁ ନଗର ତୁଲ୍ୟ ହେଉ; ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ;
JER 20:17 କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ; ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥାʼନ୍ତେ ଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥାʼନ୍ତା।
JER 20:18 ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି?
JER 21:1 ସିଦିକୀୟ ରାଜା ଯେଉଁ ସମୟରେ ମଲ୍‍କୀୟର ପୁତ୍ର ପଶ୍‍ହୂରକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟଙ୍କ ନିକଟକୁ ପଠାଇ କହିଲା,
JER 21:2 “ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ,” ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
JER 21:3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;
JER 21:4 ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁ ସକଳ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କ ସହିତ ପ୍ରାଚୀରର ବାହାରେ ଯୁଦ୍ଧ କରୁଅଛ, ଆମ୍ଭେ ସେହି ସବୁକୁ ଫେରାଇ ଦେବା ଓ ଆମ୍ଭେ ଏହି ନଗର ମଧ୍ୟରେ ସେସବୁକୁ ସଂଗ୍ରହ କରିବା।
JER 21:5 ପୁଣି, ଆମ୍ଭେ ଆପେ ବିସ୍ତୃତ ହସ୍ତ ଓ ବଳବାନ ବାହୁ ଦ୍ୱାରା କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା।
JER 21:6 ଆଉ, ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା; ସେମାନେ ମହାମାରୀରେ ମରିବେ।
JER 21:7 ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍‍, ଏହି ନଗରର ଯେଉଁ ସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’
JER 21:8 ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖୁଅଛୁ।
JER 21:9 ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରିଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ।
JER 21:10 କାରଣ ସଦାପ୍ରଭୁ କହନ୍ତି, ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।
JER 21:11 ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ;
JER 21:12 ହେ ଦାଉଦ ବଂଶ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରଭାତରେ ବିଚାର ନିଷ୍ପତ୍ତି କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର, ନୋହିଲେ ତୁମ୍ଭମାନଙ୍କ ଦୁଷ୍ଟାଚରଣ ହେତୁରୁ ଆମ୍ଭର ପ୍ରଚଣ୍ଡ କ୍ରୋଧ ଅଗ୍ନି ତୁଲ୍ୟ ବାହାରି ଦଗ୍ଧ କରିବ ଓ କେହି ତାହା ଲିଭାଇ ପାରିବ ନାହିଁ।’
JER 21:13 ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ତୁମ୍ଭେମାନେ କହୁଅଛ, ‘ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ? ଅବା କିଏ ଆମ୍ଭମାନଙ୍କ ନିବାସ ସ୍ଥାନରେ ପ୍ରବେଶ କରିବ?’
JER 21:14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା; ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ୱଳାଇବା, ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”
JER 22:1 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା କୁହ।
JER 22:2 ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍‍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ୱାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।
JER 22:3 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।
JER 22:4 କାରଣ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ୱାର ଦେଇ ପ୍ରବେଶ କରିବେ।
JER 22:5 ମାତ୍ର ଯଦି ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ।
JER 22:6 କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ ଓ ଲିବାନୋନର ଶୃଙ୍ଗ ସ୍ୱରୂପ ଅଟ; ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ୱରୂପ କରିବା।
JER 22:7 ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇଦେବେ।
JER 22:8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକୁ କହିବେ, ‘ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ?’
JER 22:9 ତହିଁରେ ସେମାନେ ଉତ୍ତର କରିବେ, ‘କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ପ୍ରଣାମ ଓ ସେବା କଲେ।’”
JER 22:10 ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମ ଦେଶ ଆଉ ଦେଖିବ ନାହିଁ।
JER 22:11 ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲୁମ୍‍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରିଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
JER 22:12 “ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ୱ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ।”
JER 22:13 “ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରିମାନ ନିର୍ମାଣ କରେ; ଯେ ବିନା ବେତନରେ ଆପଣା ପ୍ରତିବାସୀକୁ ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ;
JER 22:14 ଯେ କହେ, ‘ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା’ ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!
JER 22:15 ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ ଯତ୍ନ କରିବା ହେତୁରୁ କି ରାଜତ୍ୱ କରିବ? ତୁମ୍ଭର ପିତା କି ଭୋଜନପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ? ତହିଁରେ ତାହାର ମଙ୍ଗଳ ହେଲା।
JER 22:16 ସେ ଦରିଦ୍ର ଓ ଦୀନହୀନମାନଙ୍କ ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ?
JER 22:17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ।”
JER 22:18 ଏଥିପାଇଁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; “ଲୋକମାନେ, ହାୟ, ଆମ୍ଭର ଭାଇ! ଅବା ହାୟ, ଭଉଣୀ! କହି ତାହା ପାଇଁ ବିଳାପ କରିବେ ନାହିଁ; ‘ହାୟ, ପ୍ରଭୁ!’ ଅବା ‘ହାୟ, ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।
JER 22:19 ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ୱାର ବାହାରେ ପକାଯିବ।”
JER 22:20 “ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ୱର କର ଓ ଅବାରୀମ୍‍ରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି।
JER 22:21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ‘ମୁଁ ଶୁଣିବି ନାହିଁ;’ ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।
JER 22:22 ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବ ଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ; ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ସକାଶୁ ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ।
JER 22:23 ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ।”
JER 22:24 “ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍‍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;
JER 22:25 ପୁଣି, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍‍, ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ କଲ୍‍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା।
JER 22:26 ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା। ଆଉ, ସେଠାରେ ତୁମ୍ଭେମାନେ ମରିବ।
JER 22:27 ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ, ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ।”
JER 22:28 ଏହି କନୀୟ କି ତୁଚ୍ଛୀକୃତ ଭଗ୍ନ ପାତ୍ର? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ।
JER 22:29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।
JER 22:30 ସଦାପ୍ରଭୁ ଏହି କଥା କହନ୍ତି, “ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ହେବ ନାହିଁ ବୋଲି ତୁମ୍ଭେମାନେ ଲେଖ; କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ସମୃଦ୍ଧି ହେବ ନାହିଁ।”
JER 23:1 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!”
JER 23:2 ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; “ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରି ନାହଁ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା।
JER 23:3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହି ସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।
JER 23:4 ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା, ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ହେବେ ନାହିଁ, କିଅବା ସେମାନଙ୍କର କେହି ଅନୁପସ୍ଥିତ ହେବେ ନାହିଁ, ଏହା ସଦାପ୍ରଭୁ କହନ୍ତି।
JER 23:5 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।
JER 23:6 ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।
JER 23:7 ଏଣୁକରି ‘ସଦାପ୍ରଭୁ କହନ୍ତି, ଦେଖ, ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;’
JER 23:8 ମାତ୍ର ‘ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।”
JER 23:9 ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟ। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି।
JER 23:10 କାରଣ ଦେଶ ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।
JER 23:11 “କାରଣ ଭବିଷ୍ୟଦ୍‍ବକ୍ତା ଓ ଯାଜକ ଉଭୟ ପାଷାଣ୍ଡ; ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ।
JER 23:12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।
JER 23:13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।
JER 23:14 ଯିରୂଶାଲମର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେମାନେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”
JER 23:15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍‍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପିଅଛି।”
JER 23:16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।
JER 23:17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’”
JER 23:18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?
JER 23:19 ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ଡ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
JER 23:20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
JER 23:21 “ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
JER 23:22 ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ।
JER 23:23 ସଦାପ୍ରଭୁ କହନ୍ତି, ଆମ୍ଭେ କି ନିକଟରେ ପରମେଶ୍ୱର ଅଟୁ ଓ ଦୂରରେ ପରମେଶ୍ୱର ନୋହୁଁ?
JER 23:24 ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?
JER 23:25 ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ ବୋଲି କହି’ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ।
JER 23:26 ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍‍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍‍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ?
JER 23:27 ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍‍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ୱପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି।
JER 23:28 ଯେଉଁ ଭବିଷ୍ୟଦ୍‍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ସଦାପ୍ରଭୁ କହନ୍ତି, ଶସ୍ୟ ନିକଟରେ ପାଳ କଅଣ?
JER 23:29 ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ?
JER 23:30 ଏଥିପାଇଁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।
JER 23:31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।
JER 23:32 ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ୱାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ।
JER 23:33 ପୁଣି, ଯେତେବେଳେ ଏହି ଲୋକମାନେ, ଅବା ଭବିଷ୍ୟଦ୍‍ବକ୍ତା, ଅବା କୌଣସି ଯାଜକ ତୁମ୍ଭକୁ ପଚାରିବେ, ‘ସଦାପ୍ରଭୁଙ୍କର ଭାରୋକ୍ତି କଅଣ?’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଭାରୋକ୍ତି କଅଣ! ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା, ଏହା ସଦାପ୍ରଭୁଙ୍କର ଉକ୍ତି।’
JER 23:34 ଆଉ, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ,’ ଏହି କଥା ଭବିଷ୍ୟଦ୍‍ବକ୍ତା, ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା।
JER 23:35 ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଓ ଆପଣା ଭ୍ରାତାକୁ ଏହି କଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?’
JER 23:36 ପୁଣି, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ’ ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ପ୍ରତ୍ୟାଦେଶ ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟସକଳ ବିପରୀତ କରିଅଛ।
JER 23:37 ତୁମ୍ଭେ ଭବିଷ୍ୟଦ୍‍ବକ୍ତାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ଓ ‘ସଦାପ୍ରଭୁ କି କଥା କହିଅଛନ୍ତି?’
JER 23:38 ମାତ୍ର ‘ସଦାପ୍ରଭୁଙ୍କର ଭାରୋକ୍ତି,’ ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତି: ‘ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ,’ ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହୁଅଛ।’
JER 23:39 ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତାନ୍ତ ପାସୋରିବା, ପୁଣି, ତୁମ୍ଭମାନଙ୍କୁ ଓ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା;
JER 23:40 ଆଉ, ଯାହା ବିସ୍ମୃତ ହେବ ନାହିଁ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଓ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା।”
JER 24:1 ବାବିଲର ରାଜା ନବୂଖଦ୍‍ନିତ୍ସର, ଯିହୋୟାକୀମ୍‍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍‍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକର ଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖାଯାଇଅଛି।
JER 24:2 ଏକ ଡାଲାରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ଅତି ଉତ୍ତମ ଡିମ୍ବିରି ଥିଲା; ପୁଣି, ଅନ୍ୟ ଡାଲାରେ ଅତି ମନ୍ଦ ଡିମ୍ବିରି ଫଳ ଥିଲା, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।
JER 24:3 ତେବେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଅତି ମନ୍ଦ, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।”
JER 24:4 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା।
JER 24:5 “ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍‍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ବିରି ଫଳ ତୁଲ୍ୟ ଜ୍ଞାନ କରିବା।
JER 24:6 କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ।
JER 24:7 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।
JER 24:8 ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।
JER 24:9 ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ିଦେବା, ସେହି ସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା।
JER 24:10 ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା।”
JER 25:1 ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ସେହି ବର୍ଷ ବାବିଲର ରାଜା ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ପ୍ରଥମ ବର୍ଷ ଥିଲା;
JER 25:2 ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ସମସ୍ତ ଲୋକ ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ନିକଟରେ ସେହି ବାକ୍ୟ ପ୍ରଚାର କରି କହିଲେ;
JER 25:3 “ଆମୋନ୍‍ର ପୁତ୍ର ଯିହୁଦାର ରାଜା ଯୋଶୀୟଙ୍କ ରାଜତ୍ଵର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ ବର୍ଷଯାକ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହୋଇଅଛି ଓ ମୁଁ ପ୍ରତ୍ୟୁଷରେ ଉଠି ତାହା ତୁମ୍ଭମାନଙ୍କୁ କହିଅଛି, ମାତ୍ର ତାହା ତୁମ୍ଭେମାନେ ଶୁଣି ନାହଁ।
JER 25:4 ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।
JER 25:5 ମୁଁ କହିଅଛି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଆଚରଣର ଦୁଷ୍ଟତାରୁ ଫେର, ତହିଁରେ ସଦାପ୍ରଭୁ ପୁରାତନ କାଳରୁ ସଦାକାଳ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁ ମଧ୍ୟରେ ତୁମ୍ଭେମାନେ ବାସ କରିବ;
JER 25:6 ଆଉ, ଅନ୍ୟ ଦେବଗଣର ସେବା ଓ ସେମାନଙ୍କୁ ପ୍ରଣାମ କରିବା ନିମନ୍ତେ ସେମାନଙ୍କ ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ହସ୍ତକୃତ କର୍ମ ଦ୍ୱାରା ମୋତେ ବିରକ୍ତ କର ନାହିଁ ଓ ତହିଁରେ ମୁଁ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବି ନାହିଁ।’
JER 25:7 ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ କଥାରେ ଅବଧାନ କରି ନାହଁ ଓ ଆପଣାମାନଙ୍କ ଅମଙ୍ଗଳ ନିମନ୍ତେ ନିଜ ହସ୍ତକୃତ କର୍ମ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କରିଅଛ।
JER 25:8 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟରେ ଅବଧାନ କରି ନାହଁ;
JER 25:9 ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍‍ ଶବ୍ଦର ବିଷୟ ଓ ଚିରକାଳର ଉତ୍ସନ୍ନ ସ୍ଥାନ କରିବା।
JER 25:10 ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରର ରବ ଓ କନ୍ୟାର ରବ, ଚକିର ଶବ୍ଦ ଓ ପ୍ରଦୀପର ଆଲୁଅ ଦୂର କରିବା।
JER 25:11 ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ୱ କରିବେ।
JER 25:12 ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।
JER 25:13 ଆଉ, ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଅର୍ଥାତ୍‍, ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମୀୟଙ୍କ ଦ୍ୱାରା ପ୍ରଚାରିତ ଯେ ଯେ ଭବିଷ୍ୟଦ୍‍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ଆମ୍ଭେ ସେହି ଦେଶ ପ୍ରତି ସଫଳ କରିବା।
JER 25:14 କାରଣ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ସେମାନଙ୍କୁ ହିଁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ, ଆଉ ଆମ୍ଭେ ସେମାନଙ୍କ କ୍ରିୟାନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”
JER 25:15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋତେ ଏହି କଥା କହନ୍ତି, “ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ।
JER 25:16 ତହିଁରେ ସେମାନେ ତାହା ପାନ କରି ଏଣେତେଣେ ଟଳଟଳ ହେବେ, ପୁଣି ଆମ୍ଭେ ସେମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ସକାଶୁ ସେମାନେ ଉନ୍ମତ୍ତ ହେବେ।”
JER 25:17 ତହିଁରେ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ସଦାପ୍ରଭୁ ମୋତେ ଯେଉଁ ଯେଉଁ ଗୋଷ୍ଠୀ ନିକଟକୁ ପଠାଇଲେ, ସେହି ସମସ୍ତଙ୍କୁ ତାହା ପାନ କରାଇଲି;
JER 25:18 ଅର୍ଥାତ୍‍, ଆଜିର ତୁଲ୍ୟ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର, ଆଉ ଶୀସ୍‍ ଶବ୍ଦର ଓ ଅଭିଶାପର ବିଷୟ ହେବା ନିମନ୍ତେ ଯିରୂଶାଲମକୁ, ଯିହୁଦାର ନଗରସମୂହକୁ, ଆଉ ତହିଁର ରାଜା ଓ ଅଧିପତିମାନଙ୍କୁ ପାନ କରାଇଲି।
JER 25:19 ମିସରର ରାଜା ଫାରୋକୁ, ତାହାର ଦାସଗଣକୁ ଓ ଅଧିପତିଗଣକୁ ଓ ତାହାର ସମସ୍ତ ଲୋକଙ୍କୁ;
JER 25:20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;
JER 25:21 ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ;
JER 25:22 ପୁଣି, ସୋରର ସମସ୍ତ ରାଜାଙ୍କୁ ଓ ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ;
JER 25:23 ଦଦାନ, ତେମା ଓ ବୂଷ୍‍, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ସମସ୍ତ ଲୋକଙ୍କୁ;
JER 25:24 ପୁଣି, ଆରବୀୟ ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ;
JER 25:25 ଆଉ, ସିମ୍ରିର ସମସ୍ତ ରାଜାଙ୍କୁ, ଏଲମ୍‍ର ସମସ୍ତ ରାଜାଙ୍କୁ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ;
JER 25:26 ପୁଣି, ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ଯାବତୀୟ ରାଜାଙ୍କୁ, ପରସ୍ପରର ସହିତ ଓ ଭୂମଣ୍ଡଳର ଉପରିସ୍ଥ ଜଗତର ସମୁଦାୟ ରାଜ୍ୟକୁ ପାନ କରାଇଲି; ଆଉ, ସେମାନଙ୍କ ଉତ୍ତାରେ ଶେଶକର ରାଜା ପାନ କରିବ।
JER 25:27 ଆଉ, ତୁମ୍ଭେ ସେମାନଙ୍କୁ କହିବ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଯେଉଁ ଖଡ୍ଗ ପଠାଇବା, ତହିଁ ହେତୁ ପତିତ ହୋଇ ଆଉ ଉଠ ନାହିଁ।’
JER 25:28 ଆଉ, ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିରୂପେ କଥା କହନ୍ତି, ତୁମ୍ଭେମାନେ ଅବଶ୍ୟ ପାନ କରିବ।
JER 25:29 କାରଣ ଦେଖ, ଆମ୍ଭେ ଆମ୍ଭ ନାମରେ ଖ୍ୟାତ ନଗର ପ୍ରତି ଅମଙ୍ଗଳ ଘଟାଇବାକୁ ଆରମ୍ଭ କରିଅଛୁ ଓ ତୁମ୍ଭେମାନେ କି ନିତାନ୍ତ ଅଦଣ୍ଡିତ ହେବ? ତୁମ୍ଭେମାନେ ଅଦଣ୍ଡିତ ହେବ ନାହିଁ, କାରଣ ଆମ୍ଭେ ପୃଥିବୀନିବାସୀ ସମସ୍ତଙ୍କ ଉପରେ ଖଡ୍ଗ ଆହ୍ୱାନ କରିବା,’ ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
JER 25:30 ଏହେତୁ ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ‘ସଦାପ୍ରଭୁ ଊର୍ଦ୍ଧ୍ୱରୁ ହୁଙ୍କାର କରିବେ ଓ ଆପଣା ପବିତ୍ର ବାସସ୍ଥାନରୁ ଆପଣା ରବ ଶୁଣାଇବେ; ସେ ଆପଣା ଖୁଆଡ଼ ଉପରେ ମହାହୁଙ୍କାର କରିବେ; ସେ ଦ୍ରାକ୍ଷାମର୍ଦ୍ଦନକାରୀମାନଙ୍କ ପରି ପୃଥିବୀର ନିବାସୀ ସମୁଦାୟଙ୍କ ବିରୁଦ୍ଧରେ ସିଂହନାଦ କରିବେ।
JER 25:31 ପୃଥିବୀର ସୀମା ପର୍ଯ୍ୟନ୍ତ ଗୋଟିଏ ଧ୍ୱନି ବ୍ୟାପିବ; କାରଣ ନାନା ଗୋଷ୍ଠୀୟମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି, ସେ ସବୁ ପ୍ରାଣୀର ବିଚାର କରିବେ; ପୁଣି, ଦୁଷ୍ଟମାନଙ୍କୁ ସେ ଖଡ୍ଗରେ ସମର୍ପଣ କରିବେ,’ ଏହା ସଦାପ୍ରଭୁ କହନ୍ତି।
JER 25:32 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ ଓ ପୃଥିବୀର ପ୍ରାନ୍ତ ସୀମାରୁ ଏକ ମହାତୋଫାନ ଉଠିବ।
JER 25:33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।
JER 25:34 ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ହେ ମେଷଗଣର ଅଗ୍ରଗଣ୍ୟମାନେ, ତୁମ୍ଭେମାନେ ଭସ୍ମରେ ଗଡ଼; କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହେଲା, ଆଉ ଆମ୍ଭେ ତୁମ୍ଭମାନଙ୍କୁ ଖଣ୍ଡ ଖଣ୍ଡ କରି ଭାଙ୍ଗିବା ଓ ତୁମ୍ଭେମାନେ ମନୋହର ପାତ୍ର ତୁଲ୍ୟ ପଡ଼ିଯିବ।
JER 25:35 ପୁଣି, ମେଷପାଳକମାନେ ପଳାଇବାର ବାଟ ପାଇବେ ନାହିଁ ଓ ପଲର ଅଗ୍ରଗଣ୍ୟମାନେ ରକ୍ଷା ପାଇବେ ନାହିଁ।
JER 25:36 ମେଷପାଳକମାନଙ୍କର କ୍ରନ୍ଦନର ଶବ୍ଦ ଓ ମେଷର ଅଗ୍ରଗଣ୍ୟମାନଙ୍କର ହାହାକାର ଶବ୍ଦ ଶୁଣାଯାଏ। କାରଣ ସଦାପ୍ରଭୁ ସେମାନଙ୍କର ଚରାସ୍ଥାନ ଉଜାଡ଼ କରୁଅଛନ୍ତି।
JER 25:37 ଆଉ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଶାନ୍ତିଯୁକ୍ତ ଖୁଆଡ଼ସବୁ ନିଃଶବ୍ଦ ହେଉଅଛି।
JER 25:38 ସେ ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି; ତାହାଙ୍କର ଉତ୍ପୀଡ଼କ ଖଡ୍ଗର ଭୟଙ୍କରତା ସକାଶୁ ଓ ତାହାଙ୍କର ପ୍ରଚଣ୍ଡ କ୍ରୋଧ ସକାଶୁ ଦେଶ ବିସ୍ମୟ ସ୍ଥାନ ହୋଇଅଛି।”
JER 26:1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ରାଜତ୍ଵର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା,
JER 26:2 “ଯଥା, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୁଅ ଓ ସଦାପ୍ରଭୁଙ୍କ ଗୃହରେ ପ୍ରମାଣ କରିବା ପାଇଁ ଯିହୁଦାର ନଗରସମୂହରୁ ଆଗତ ଲୋକମାନଙ୍କୁ ଯେଉଁ ସକଳ କଥା କହିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହାସବୁ ସେମାନଙ୍କୁ କୁହ; ଗୋଟିଏ କଥା ଛାଡ଼ ନାହିଁ।
JER 26:3 ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା।
JER 26:4 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ,
JER 26:5 ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯଦି ତୁମ୍ଭେମାନେ ମନୋଯୋଗ ନ କରିବ;
JER 26:6 ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’”
JER 26:7 ପୁଣି, ଯିରିମୀୟ ସଦାପ୍ରଭୁଙ୍କ ଗୃହରେ ଏହିସବୁ କଥା କହିବାର ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ଶୁଣିଲେ।
JER 26:8 ଆଉ, ଯିରିମୀୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାପିତ ସକଳ କଥା କହିବାର ସମାପ୍ତ କଲା ଉତ୍ତାରେ, ଯାଜକ, ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ତାଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।
JER 26:9 ‘ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ?’” ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ଏକତ୍ରିତ ହେଲେ।
JER 26:10 ଏଥିଉତ୍ତାରେ ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ଗୃହକୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ।
JER 26:11 ତହିଁରେ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ, ଅଧିପତିମାନଙ୍କୁ ଓ ଲୋକ ସମସ୍ତଙ୍କୁ ଏହି କଥା କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ।”
JER 26:12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍‍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।
JER 26:13 ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ।
JER 26:14 ମାତ୍ର ଦେଖ, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି: ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋʼ ପ୍ରତି କର।
JER 26:15 କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”
JER 26:16 ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”
JER 26:17 ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ଲୋକମାନଙ୍କ ସମସ୍ତ ସମାଜକୁ ଏହି କଥା କହିଲେ,
JER 26:18 “ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’
JER 26:19 ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକ ସମସ୍ତେ କʼଣ ତାହାଙ୍କୁ କୌଣସିମତେ ବଧ କରିଥିଲେ? ହିଜକୀୟ କʼଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କʼଣ କ୍ଷାନ୍ତ ନୋହିଲେ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ।”
JER 26:20 ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟଥ୍‍-ଯିୟାରୀମସ୍ଥ ଶମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ।
JER 26:21 ତହିଁରେ ଯିହୋୟାକୀମ୍‍ ରାଜା, ଆପଣା ବୀରମାନଙ୍କ ଓ ସମସ୍ତ ଅଧିପତିମାନଙ୍କ ସହିତ ସେହି କଥା ଶୁଣନ୍ତେ, ରାଜା ତାହାକୁ ବଧ କରିବାକୁ ଚେଷ୍ଟା କଲା; ମାତ୍ର ଊରୀୟ ଏହା ଶୁଣି ଭୀତ ହୋଇ ମିସରକୁ ପଳାଇଗଲା।
JER 26:22 ତହିଁରେ ଯିହୋୟାକୀମ୍‍ ରାଜା ମିସରକୁ ଲୋକ ପଠାଇଲା, ଅର୍ଥାତ୍‍, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍କୁ ଓ ତାହା ସଙ୍ଗେ ଅନ୍ୟ କେତେକ ଲୋକଙ୍କୁ ମିସରକୁ ପଠାଇଲା;
JER 26:23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍‍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ୍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର ସ୍ଥାନରେ ତାହାର ଶବ ପକାଇଦେଲା।
JER 26:24 ମାତ୍ର ଶାଫନ୍‍ର ପୁତ୍ର ଅହୀକାମ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ।
JER 27:1 ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଆରମ୍ଭ ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା।
JER 27:2 ଯଥା, ସଦାପ୍ରଭୁ ମୋତେ ଏହି କଥା କହନ୍ତି, “ତୁମ୍ଭେ କେତେକ ବନ୍ଧନୀ ଓ ଯୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧରେ ରଖ;
JER 27:3 ପୁଣି, ଯେଉଁ ଦୂତଗଣ ଯିହୁଦାର ରାଜା ସିଦିକୀୟ ନିକଟକୁ ଯିରୂଶାଲମକୁ ଆସିଅଛନ୍ତି, ସେମାନଙ୍କ ହସ୍ତ ଦ୍ୱାରା ସେସବୁ ଇଦୋମର ରାଜା ଓ ମୋୟାବର ରାଜା, ଅମ୍ମୋନ-ସନ୍ତାନଗଣର ରାଜା, ସୋରର ରାଜା ଓ ସୀଦୋନର ରାଜା ନିକଟକୁ ତାହା ପଠାଅ;
JER 27:4 ଆଉ, ଆପଣା ଆପଣା କର୍ତ୍ତାମାନଙ୍କୁ ଏହି କଥା କହିବା ପାଇଁ ସେମାନଙ୍କୁ ଏହି ଆଦେଶ ଦିଅ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା କର୍ତ୍ତାଙ୍କୁ ଏହି କଥା କହିବ;
JER 27:5 ଆମ୍ଭେ ଆପଣାର ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ପୃଥିବୀ ଓ ପୃଥିବୀନିବାସୀ ମନୁଷ୍ୟ ଓ ପଶୁ ସୃଷ୍ଟି କରିଅଛୁ; ଆଉ, ଯାହାକୁ ତାହା ଦେବା ପାଇଁ ଆମ୍ଭଙ୍କୁ ଉଚିତ ଦେଖାଯାଏ, ତାହାକୁ ଆମ୍ଭେ ତାହା ଦେଉ।
JER 27:6 ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ।
JER 27:7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।
JER 27:8 ପୁଣି, ଯେଉଁ ଦେଶ ଓ ରାଜ୍ୟ ସେହି ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସ୍ୟକର୍ମ କରିବେ ନାହିଁ ଓ ବାବିଲର ରାଜାର ଯୁଆଳି ତଳେ ଆପଣା ଆପଣା ବେକ ରଖିବେ ନାହିଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେ ଦେଶକୁ ତାହାର ହସ୍ତ ଦ୍ୱାରା ସଂହାରିତ ନ କରିବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଦଣ୍ଡ ଦେବା।
JER 27:9 ମାତ୍ର ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ମନ୍ତ୍ରଜ୍ଞମାନେ, ସ୍ୱପ୍ନଦର୍ଶକମାନେ, ଗଣକମାନେ ଓ ମାୟାବୀମାନେ, ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ ବୋଲି ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ କଥାରେ ତୁମ୍ଭେମାନେ ମନୋଯୋଗ କର ନାହିଁ;
JER 27:10 କାରଣ ତୁମ୍ଭମାନଙ୍କୁ ସ୍ୱଦେଶରୁ ଦୂରୀକୃତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ିଦେଲେ ତୁମ୍ଭେମାନେ ଯେପରି ନଷ୍ଟ ହେବ, ଏଥିପାଇଁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।
JER 27:11 ମାତ୍ର ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଯୁଆଳି ତଳେ ଆପଣାମାନଙ୍କର ବେକ ଦେବେ ଓ ତାହାର ଦାସ୍ୟକର୍ମ କରିବେ, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ସ୍ୱଦେଶରେ ରହିବାକୁ ଦେବା, ସେମାନେ ସେଠାରେ କୃଷିକର୍ମ କରି ବାସ କରିବେ।’”
JER 27:12 ଏଥିଉତ୍ତାରେ ମୁଁ ସେହି ସମସ୍ତ ବାକ୍ୟାନୁସାରେ ଯିହୁଦାର ରାଜା ସିଦିକୀୟକୁ ଏହି କଥା କହିଲି, “ତୁମ୍ଭେମାନେ ଆପଣା ଆପଣା ବେକ ବାବିଲ ରାଜାର ଯୁଆଳି ତଳେ ଦେଇ ତାହାର ଓ ତାହାର ଲୋକମାନଙ୍କର ଦାସ୍ୟକର୍ମ କର, ତହିଁରେ ବଞ୍ଚିବ।
JER 27:13 ଯେଉଁ ଦେଶୀୟ ଲୋକେ ବାବିଲ ରାଜାର ଦାସ୍ୟକର୍ମ କରିବେ ନାହିଁ, ସେମାନଙ୍କ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି, ତଦନୁସାରେ ତୁମ୍ଭେମାନେ, ଅର୍ଥାତ୍‍, ତୁମ୍ଭେ ଓ ତୁମ୍ଭର ଲୋକମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା କାହିଁକି ମରିବ?
JER 27:14 ପୁଣି, ‘ତୁମ୍ଭେମାନେ ବାବିଲ ରାଜାର ଦାସ୍ୟକର୍ମ କରିବ ନାହିଁ’ ବୋଲି ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କୁ କହନ୍ତି, ସେମାନଙ୍କ ବାକ୍ୟରେ ମନୋଯୋଗ କର ନାହିଁ; ଯେହେତୁ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।
JER 27:15 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ମାତ୍ର ଆମ୍ଭେ ଯେପରି ତୁମ୍ଭମାନଙ୍କୁ ତଡ଼ି ଦେବୁ ଓ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଭବିଷ୍ୟଦ୍‍ବକ୍ତାମାନେ ଯେପରି ବିନଷ୍ଟ ହେବେ, ଏଥିପାଇଁ ସେମାନେ ମିଥ୍ୟାରେ ଆମ୍ଭ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।”
JER 27:16 ଆହୁରି, ମୁଁ ଯାଜକମାନଙ୍କୁ ଓ ଏହି ସମସ୍ତ ଲୋକଙ୍କୁ କହିଲି, “ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହନ୍ତି, ‘ଦେଖ, ସଦାପ୍ରଭୁଙ୍କ ଗୃହର ପାତ୍ରସକଳ ଅଳ୍ପ କାଳ ମଧ୍ୟରେ ବାବିଲରୁ ଅଣାଯିବ,’ ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; କାରଣ ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି।
JER 27:17 ତୁମ୍ଭେମାନେ ସେମାନଙ୍କ କଥାରେ ମନୋଯୋଗ କର ନାହିଁ; ବାବିଲ ରାଜାର ଦାସ୍ୟକର୍ମ କର; ତହିଁରେ ବଞ୍ଚିବ; ଏହି ନଗର କାହିଁକି ଉତ୍ସନ୍ନ ସ୍ଥାନ ହେବ?
JER 27:18 ମାତ୍ର ଯଦି ସେମାନେ ଭବିଷ୍ୟଦ୍‍ବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ୟ ଯଦି ସେମାନଙ୍କଠାରେ ଥାଏ, ତେବେ ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଯେସକଳ ପାତ୍ର ଅବଶିଷ୍ଟ ଅଛି, ତାହା ଯେପରି ବାବିଲକୁ ନ ଯାଏ, ଏଥିପାଇଁ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ବିନତି କରନ୍ତୁ।
JER 27:19 କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଯିହୋୟାକୀମ୍‍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଆଉ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ବନ୍ଦୀ କରି ଯିରୂଶାଲମରୁ ବାବିଲକୁ ନେଇଯିବା ସମୟରେ,
JER 27:20 ଯେଉଁ ସ୍ତମ୍ଭଦ୍ୱୟ ଓ ସମୁଦ୍ରପାତ୍ର, ବୈଠିକି ଓ ଯେସମସ୍ତ ପାତ୍ର ସଙ୍ଗରେ ନେଇ ନ ଥିଲା, ଯାହା ଏହି ନଗରରେ ଅବଶିଷ୍ଟ ଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
JER 27:21 ହଁ, ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଅବଶିଷ୍ଟ ଥିବା ସେହି ସକଳ ପାତ୍ର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
JER 27:22 ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ, ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।”
JER 28:1 ଏଥିଉତ୍ତାରେ ସେହି ବର୍ଷ, ଅର୍ଥାତ୍‍, ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍‍ ନିବାସୀ ଅସୂରର ପୁତ୍ର ହନାନୀୟ ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା,
JER 28:2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ।
JER 28:3 ବାବିଲର ରାଜା ନବୂଖଦ୍‍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା।
JER 28:4 ପୁଣି, ଯିହୋୟାକୀମ୍‍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।”
JER 28:5 ତହିଁରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ,
JER 28:6 ଅର୍ଥାତ୍‍, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଏହା କହିଲେ, “ଆମେନ୍‍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
JER 28:7 ତଥାପି ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମଗ୍ର ଲୋକଙ୍କ କର୍ଣ୍ଣଗୋଚରରେ ଏହି ଯେଉଁ କଥା କହିଅଛି, ତାହା ଶୁଣ।
JER 28:8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍‍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛନ୍ତି।
JER 28:9 ଯେଉଁ ଭବିଷ୍ୟଦ୍‍ବକ୍ତା ଶାନ୍ତିର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍‍ବକ୍ତାଙ୍କର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇଅଛନ୍ତି ବୋଲି ଜଣା ପଡ଼େ।”
JER 28:10 ତହିଁରେ ହନାନୀୟ ଭବିଷ୍ୟଦ୍‍ବକ୍ତା ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ିନେଇ ତାହା ଭାଙ୍ଗି ପକାଇଲା।
JER 28:11 ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍‍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।” ଏଥିରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଆପଣା ବାଟରେ ଚାଲିଗଲେ।
JER 28:12 ହନାନୀୟ ଭବିଷ୍ୟଦ୍‍ବକ୍ତା ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 28:13 “ତୁମ୍ଭେ ଯାଇ ହନାନୀୟକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ।
JER 28:14 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ।’”
JER 28:15 ତହିଁରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ହନାନୀୟ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଉଅଛ।
JER 28:16 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’”
JER 28:17 ତହିଁରେ ହନାନୀୟ ଭବିଷ୍ୟଦ୍‍ବକ୍ତା ସେହି ବର୍ଷର ସପ୍ତମ ମାସରେ ମଲେ।
JER 29:1 ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,
JER 29:2 ଯିରିମୀୟ ଭବିଷ୍ୟଦ୍‍ବକ୍ତା ନିର୍ବାସିତ ଲୋକମାନଙ୍କର ଅବଶିଷ୍ଟ ପ୍ରାଚୀନବର୍ଗଙ୍କର ଓ ନବୂଖଦ୍‍ନିତ୍ସର ଦ୍ୱାରା ନିର୍ବାସାର୍ଥେ ଯିରୂଶାଲମଠାରୁ ବାବିଲକୁ ନୀତ ଯାଜକମାନଙ୍କର, ଭବିଷ୍ୟଦ୍‍ବକ୍ତାଗଣଙ୍କ ଓ ସମସ୍ତ ଲୋକମାନଙ୍କର ନିକଟକୁ ଯେଉଁ ପତ୍ର ଲେଖି,
JER 29:3 ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍‍ର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,
JER 29:4 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯିରୂଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସକଳ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି;
JER 29:5 ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କର;
JER 29:6 ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।
JER 29:7 ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ।
JER 29:8 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭମାନଙ୍କର ମଧ୍ୟବର୍ତ୍ତୀ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାମାନେ ଓ ଗଣକମାନେ ତୁମ୍ଭମାନଙ୍କୁ ନ ଭୁଲାଉନ୍ତୁ, ଅଥବା ତୁମ୍ଭେମାନେ ଯେଉଁ ସ୍ୱପ୍ନ ଦର୍ଶନ କର, ତୁମ୍ଭମାନଙ୍କର ସେହି ସବୁ ସ୍ୱପ୍ନରେ ମନୋଯୋଗ କର ନାହିଁ।
JER 29:9 କାରଣ ସେମାନେ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।
JER 29:10 ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।
JER 29:11 କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ।
JER 29:12 ପୁଣି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା।
JER 29:13 ଆଉ, ତୁମ୍ଭେମାନେ ଆମ୍ଭଙ୍କୁ ଅନ୍ୱେଷଣ କରିବ ଓ ସର୍ବାନ୍ତଃକରଣ ସହିତ ଆମ୍ଭଙ୍କୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ।
JER 29:14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଜାତିମାନଙ୍କ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହି ସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ଏହା ସଦାପ୍ରଭୁ କହନ୍ତି; ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।
JER 29:15 ସଦାପ୍ରଭୁ ବାବିଲରେ ଆମ୍ଭମାନଙ୍କ ନିମନ୍ତେ ଭବିଷ୍ୟଦ୍‍ବକ୍ତାଗଣ ଉତ୍ପନ୍ନ କରିଅଛନ୍ତି ବୋଲି ତୁମ୍ଭେମାନେ କହିଅଛ।
JER 29:16 ଏହେତୁ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ଓ ଏହି ନଗରରେ ବାସକାରୀ ସମସ୍ତ ଲୋକଙ୍କର, ଅର୍ଥାତ୍‍, ତୁମ୍ଭର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କ ସଙ୍ଗେ ବନ୍ଦୀ ହୋଇଯାଇ ନାହାନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;
JER 29:17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ପଠାଇବା ଓ ଘୃଣାଜନକ ଯେଉଁ ଡିମ୍ବିରି ଫଳ ଅତି ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ତାହାରି ତୁଲ୍ୟ ସେମାନଙ୍କୁ କରିବା।
JER 29:18 ପୁଣି, ଆମ୍ଭେ ଯେ ଯେ ଗୋଷ୍ଠୀ ମଧ୍ୟକୁ ସେମାନଙ୍କୁ ତଡ଼ି ଦେଇଅଛୁ, ସେସମସ୍ତଙ୍କ ମଧ୍ୟରେ ସେମାନଙ୍କୁ ଅଭିଶାପର, ବିସ୍ମୟର, ଶୀସ୍‍ ଶବ୍ଦର ଓ ନିନ୍ଦାର ପାତ୍ର ହେବା ନିମନ୍ତେ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ନେଇ ସେମାନଙ୍କ ପଛେ ପଛେ ଗୋଡ଼ାଇବା ଓ ପୃଥିବୀର ସମସ୍ତ ରାଜ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷେପ କରିବା;
JER 29:19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ସେହି ବାକ୍ୟରେ ମନୋଯୋଗ କରି ନାହାନ୍ତି; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟ ଶୁଣିବାକୁ ସମ୍ମତ ହେଲ ନାହିଁ।
JER 29:20 ଏହେତୁ ଆମ୍ଭ ଦ୍ୱାରା ଯିରୂଶାଲମରୁ ବାବିଲକୁ ପ୍ରେରିତ ନିର୍ବାସିତ ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
JER 29:21 ‘କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;
JER 29:22 ପୁଣି, ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ବ୍ୟକ୍ତିର ଉପଲକ୍ଷ୍ୟରେ ଏହି ଅଭିଶାପର କଥା ପ୍ରଚଳିତ ହେବ, ଯଥା, ବାବିଲର ରାଜା ସିଦିକୀୟ ଓ ଆହାବଙ୍କୁ ଯେପରି ଅଗ୍ନିରେ ଦଗ୍ଧ କରିଥିଲେ, ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କୁ କରନ୍ତୁ।
JER 29:23 କାରଣ ସେମାନେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କାର୍ଯ୍ୟ କରିଅଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ବ୍ୟଭିଚାର କରିଅଛନ୍ତି, ପୁଣି, ଆମ୍ଭେ ଯାହା ଆଜ୍ଞା କରି ନାହୁଁ, ଏପରି ମିଥ୍ୟା କଥା ଆମ୍ଭ ନାମରେ କହିଅଛନ୍ତି, ସଦାପ୍ରଭୁ କହନ୍ତି, ଆମ୍ଭେ ଜାଣୁ ଓ ଆମ୍ଭେ ସାକ୍ଷୀ ଅଛୁ।’”
JER 29:24 ଆହୁରି, ତୁମ୍ଭେ ନିହିଲାମୀୟ ଶମୟୀୟର ବିଷୟରେ ଏହି କଥା କହିବ,
JER 29:25 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ନିକଟକୁ ଓ ମାସେୟର ପୁତ୍ର ସଫନୀୟ ଯାଜକ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଇଅଛ, ଯଥା,
JER 29:26 ‘କେହି ବାତୁଳ ହୋଇ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଇଲେ, ତାହାକୁ ହରିକାଠରେ ଓ ବେଡ଼ିରେ ରଖିବା ପାଇଁ ସଦାପ୍ରଭୁଙ୍କ ଗୃହରେ ତୁମ୍ଭେମାନେ ଯେପରି ରକ୍ଷକ ସ୍ୱରୂପ ହେବ, ଏଥିପାଇଁ ଯିହୋୟାଦା ଯାଜକର ବଦଳରେ ସଦାପ୍ରଭୁ ତୁମ୍ଭକୁ ଯାଜକ କରିଅଛନ୍ତି।
JER 29:27 ଏହେତୁ ଅନାଥୋତୀୟ ଯେଉଁ ଯିରିମୀୟ ତୁମ୍ଭମାନଙ୍କ ନିକଟରେ ଆପଣାକୁ ଭବିଷ୍ୟଦ୍‍ବକ୍ତା ପରି ଦେଖାଉଅଛି, ତୁମ୍ଭେ କାହିଁକି ତାହାକୁ ଧମକ ଦେଇ ନାହଁ?
JER 29:28 ସେ କାରଣରୁ ସେ ବାବିଲରେ ଆମ୍ଭମାନଙ୍କ ନିକଟକୁ ପଠାଇ କହିଅଛି, ନିର୍ବାସିତ କାଳ ଦୀର୍ଘ, ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଭୋଗ କର।’”
JER 29:29 ଏଥିଉତ୍ତାରେ ସଫନୀୟ ଯାଜକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ କର୍ଣ୍ଣଗୋଚରରେ ଏହି ପତ୍ର ପାଠ କଲା।
JER 29:30 ତହିଁ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
JER 29:31 “ତୁମ୍ଭେ ନିର୍ବାସିତ ସମସ୍ତ ଲୋକ ପ୍ରତି ଏହି କଥା କହି ପଠାଅ, ନିହିଲାମୀୟ ଶମୟୀୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ଆମ୍ଭେ ଶମୟୀୟକୁ ନ ପଠାଇଲେ ହେଁ ସେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି ଓ ମିଥ୍ୟା କଥାରେ ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି,
JER 29:32 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିହିଲାମୀୟ ଶମୟୀୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା; ଏହି ଲୋକମାନଙ୍କ ମଧ୍ୟରେ ବାସ କରିବା ପାଇଁ ତାହାର କେହି ରହିବେ ନାହିଁ; ଆଉ, ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ, ଏହା ସଦାପ୍ରଭୁ କହନ୍ତି; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”
JER 30:1 ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
JER 30:2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଯେଉଁ ସକଳ କଥା କହିଅଛୁ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ।
JER 30:3 କାରଣ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି, ସଦାପ୍ରଭୁ କହନ୍ତି; ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”
JER 30:4 ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁଙ୍କର କଥିତ ବାକ୍ୟ ଏହି।
JER 30:5 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେମାନେ କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, କିନ୍ତୁ ଶାନ୍ତିର ଶବ୍ଦ ନୁହେଁ।
JER 30:6 କୌଣସି ପୁରୁଷର ପ୍ରସବବେଦନା ହେଉଅଛି କି ନାହିଁ, ତୁମ୍ଭେମାନେ ପଚାରି ବୁଝ; ପ୍ରସବବେଦନାର ସମୟରେ ଯେପରି ସ୍ତ୍ରୀଲୋକର, ସେପରି ପ୍ରତ୍ୟେକ ପୁରୁଷର ଆପଣା କଟିଦେଶରେ ହସ୍ତ ଦେବାର ଓ ସମସ୍ତଙ୍କର ମୁଖ ମଳିନ ହେବାର ଆମ୍ଭେ କାହିଁକି ଦେଖୁଅଛୁ?
JER 30:7 ହାୟ ହାୟ! ସେ ଦିନ ମହତ, ତାହା ତୁଲ୍ୟ ଦିନ ଆଉ ନାହିଁ, ତାହା ଯାକୁବର ସଙ୍କଟ କାଳ; ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।
JER 30:8 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହି ଦିନ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା; ପୁଣି, ବିଦେଶୀମାନେ ଆଉ ଆପଣାମାନଙ୍କର ଦାସ୍ୟକର୍ମ ତାହାକୁ କରାଇବେ ନାହିଁ।
JER 30:9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା, ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।
JER 30:10 “ଏହେତୁ ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ; କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ, ପୁଣି ଯାକୁବ ଫେରିଆସି ଶାନ୍ତିରେ ଓ ନିରାପଦରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।
JER 30:11 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା ପାଇଁ ତୁମ୍ଭ ସଙ୍ଗରେ ଅଛୁ; ହଁ, ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛୁ, ସେହି ସମସ୍ତଙ୍କୁ ନିଃଶେଷ ରୂପେ ସଂହାର କରିବା, ମାତ୍ର ତୁମ୍ଭକୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ବିବେଚନାପୂର୍ବକ ତୁମ୍ଭକୁ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।
JER 30:12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘାʼ ବ୍ୟଥାଜନକ।
JER 30:13 ତୁମ୍ଭର କ୍ଷତ ଯେପରି ବନ୍ଧା ଯିବ, ଏଥିପାଇଁ ତୁମ୍ଭ ସପକ୍ଷରେ ପ୍ରତିବାଦ କରିବାକୁ କେହି ନାହିଁ, ତୁମ୍ଭର ସ୍ୱାସ୍ଥ୍ୟଜନକ ଔଷଧ ନାହିଁ।
JER 30:14 ତୁମ୍ଭର ପ୍ରେମକାରୀ ସମସ୍ତେ ତୁମ୍ଭକୁ ପାସୋରିଅଛନ୍ତି; ସେମାନେ ତୁମ୍ଭକୁ ଖୋଜନ୍ତି ନାହିଁ; କାରଣ ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।
JER 30:15 ତୁମ୍ଭେ ଆପଣା କ୍ଷତ ସକାଶୁ କାହିଁକି କ୍ରନ୍ଦନ କରୁଅଛ? ତୁମ୍ଭର ବେଦନା ଅପ୍ରତୀକାର୍ଯ୍ୟ, ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ ଆମ୍ଭେ ତୁମ୍ଭ ପ୍ରତି ଏହିସବୁ କରିଅଛୁ।
JER 30:16 ଏହେତୁ ଯେଉଁମାନେ ତୁମ୍ଭକୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ ଓ ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକ ଜଣର ବନ୍ଦୀତ୍ୱ ସ୍ଥାନକୁ ଯିବେ ଓ ଯେଉଁମାନେ ତୁମ୍ଭକୁ ଲୁଟନ୍ତି, ସେମାନେ ଲୁଟିତ ହେବେ; ଯେଉଁମାନେ ତୁମ୍ଭର ଦ୍ରବ୍ୟ ହରଣ କରନ୍ତି, ସେହି ସମସ୍ତଙ୍କର ଦ୍ରବ୍ୟ ଆମ୍ଭେ ହରଣ କରାଇବା।
JER 30:17 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘାʼ ସବୁ ସୁସ୍ଥ କରିବା; କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି, ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।
JER 30:18 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।
JER 30:19 ଆଉ, ସେହି ସ୍ଥାନ ମଧ୍ୟରୁ ଧନ୍ୟବାଦ ଓ ଆନନ୍ଦକାରୀମାନଙ୍କର ଧ୍ୱନି ନିର୍ଗତ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବୃଦ୍ଧି କରିବା ଓ ସେମାନେ ଅଳ୍ପସଂଖ୍ୟକ ହେବେ ନାହିଁ; ଆହୁରି, ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା ଓ ସେମାନେ କ୍ଷୁଦ୍ର ହେବେ ନାହିଁ।
JER 30:20 ସେମାନଙ୍କର ସନ୍ତାନଗଣ ମଧ୍ୟ ପୂର୍ବ ପରି ହେବେ ଓ ସେମାନଙ୍କର ମଣ୍ଡଳୀ ଆମ୍ଭ ସାକ୍ଷାତରେ ସ୍ଥିରୀକୃତ ହେବ ଓ ଯେଉଁମାନେ ସେମାନଙ୍କର ଉପଦ୍ରବ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ଶାସ୍ତି ଦେବା।
JER 30:21 ପୁଣି, ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ ଓ ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ନିର୍ଗତ ହେବେ; ଆଉ, ଆମ୍ଭେ ତାଙ୍କୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭ ନିକଟକୁ ଆସିବା ପାଇଁ ଯେ ସାହସ କରିଅଛନ୍ତି, ସେ କିଏ?
JER 30:22 ପୁଣି, ତୁମ୍ଭେମାନେ ଆମ୍ଭର ଲୋକ ହେବ, ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।”
JER 30:23 ଦେଖ, ସଦାପ୍ରଭୁଙ୍କର ତୋଫାନ, ଅର୍ଥାତ୍‍, ତାହାଙ୍କର ପ୍ରଚଣ୍ଡ କ୍ରୋଧ, ସର୍ବନାଶକାରୀ ତୋଫାନ ନିର୍ଗତ ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
JER 30:24 ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିବା ପର୍ଯ୍ୟନ୍ତ ତାହାଙ୍କର ପ୍ରଜ୍ୱଳିତ କ୍ରୋଧ ନିବୃତ୍ତ ହେବ ନାହିଁ; ତୁମ୍ଭେମାନେ ଅନ୍ତିମ କାଳରେ ଏହା ବୁଝିବ।
JER 31:1 “ସଦାପ୍ରଭୁ କହନ୍ତି, ସେହି ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”
JER 31:2 ସଦାପ୍ରଭୁ ଏହି କଥା କହନ୍ତି, “ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହପ୍ରାପ୍ତ ହେଲେ, ଅର୍ଥାତ୍‍, ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲା ବେଳେ ଇସ୍ରାଏଲ ତାହା ପ୍ରାପ୍ତ ହେଲା।”
JER 31:3 “ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ।
JER 31:4 ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା ଓ ତୁମ୍ଭେ ଗଢ଼ାଯିବ; ତୁମ୍ଭେ ପୁନର୍ବାର ଆପଣା ତବଲରେ ବିଭୂଷିତା ହେବ ଓ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।
JER 31:5 ତୁମ୍ଭେ ପୁନର୍ବାର ଶମରୀୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ରୋପଣକାରୀମାନେ ରୋପଣ କରି ତହିଁର ଫଳ ଭୋଗ କରିବେ।
JER 31:6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ।’”
JER 31:7 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ୱନି କର; ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର।’
JER 31:8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ।
JER 31:9 ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।
JER 31:10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, ‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ।’
JER 31:11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।
JER 31:12 ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ।
JER 31:13 ସେତେବେଳେ କୁମାରୀଗଣ ନୃତ୍ୟରେ, ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ, କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା, ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା।
JER 31:14 ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
JER 31:15 ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ କଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି।”
JER 31:16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର; କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ, ଏହା ସଦାପ୍ରଭୁ କହନ୍ତି; ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ।
JER 31:17 ସଦାପ୍ରଭୁ କହନ୍ତି, ତୁମ୍ଭର ଅନ୍ତିମକାଳ ବିଷୟରେ ପ୍ରତ୍ୟାଶା ଅଛି; ଆଉ, ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣାମାନଙ୍କର ସୀମାକୁ ଆସିବେ।
JER 31:18 ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି ଏହି ପ୍ରକାର କହିବା ଶୁଣିଅଛୁ, ‘ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ ଓ ମୁଁ ଶାସ୍ତି ଭୋଗ କରିଅଛି; ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି; କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ୱର।
JER 31:19 ମୁଁ ଫେରିଲା ଉତ୍ତାରେ ନିତାନ୍ତ ଅନୁତାପ କଲି ଓ ଶିକ୍ଷା ପାଇଲା ଉତ୍ତାରେ ଆପଣା ଊରୁ ଦେଶରେ ଆଘାତ କଲି; ମୁଁ ଆପଣା ଯୌବନ କାଳରେ ଅପମାନ ଭୋଗ କରିବାରୁ ଲଜ୍ଜିତ ଓ ବ୍ୟାକୁଳ ହେଲି।’
JER 31:20 ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର? ସେ କି ଆନନ୍ଦଦାୟୀ ବାଳକ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି।
JER 31:21 ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥ ଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର; ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜପଥରେ ମନୋନିବେଶ କର; ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ।
JER 31:22 ହେ ବିପଥଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ? କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।”
JER 31:23 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: “ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, ‘ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।’
JER 31:24 ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ।
JER 31:25 କାରଣ ଆମ୍ଭେ କ୍ଳାନ୍ତ ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ।”
JER 31:26 ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋʼ ପ୍ରତି ସୁଖଦାୟକ ଥିଲା।
JER 31:27 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁ ରୂପ ବୀଜ ବପନ କରିବା, ଏପରି ସମୟ ଆସୁଅଛି।
JER 31:28 ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁ ଜଗି ରହିବା, ଏହା ସଦାପ୍ରଭୁ କହନ୍ତି।
JER 31:29 ‘ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦାନ୍ତ ଖଟା ହୋଇଅଛି,’ ଏପରି କଥା ସେସମୟରେ ଆଉ କୁହାଯିବ ନାହିଁ।
JER 31:30 ମାତ୍ର ପ୍ରତ୍ୟେକ ଲୋକ ନିଜ ଅଧର୍ମ ସକାଶୁ ମରିବ, ଆଉ ଯେଉଁ ଜନ ଅମ୍ଳ ଦ୍ରାକ୍ଷାଫଳ ଖାଏ, ତାହାରି ଦାନ୍ତ ଖଟା ହେବ।
JER 31:31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି;
JER 31:32 ମିସର ଦେଶରୁ ସେମାନଙ୍କର ପୂର୍ବପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।
JER 31:33 ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ;
JER 31:34 ପୁଣି, ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
JER 31:35 ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି, ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜ୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି:
JER 31:36 “ଯଦି ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ, ତେବେ ଇସ୍ରାଏଲ ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ,” ଏହା ସଦାପ୍ରଭୁ କହନ୍ତି।
JER 31:37 ସଦାପ୍ରଭୁ ଏହି କଥା କହନ୍ତି: “ଯଦି ଊର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳ ପରିମିତ ହୋଇପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରିଦେବା,” ଏହା ସଦାପ୍ରଭୁ କହନ୍ତି।
JER 31:38 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି।
JER 31:39 ଆଉ, ସେଠାରୁ ପରିମାଣ ରଜ୍ଜୁ ଗାରେବ୍‍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ବୁଲି ଗୋୟା ପର୍ଯ୍ୟନ୍ତ ଯିବ।
JER 31:40 ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବଦିଗସ୍ଥ ଅଶ୍ୱଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦାକାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ହେବ ନାହିଁ।”
JER 32:1 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଦଶମ ବର୍ଷରେ, ଅର୍ଥାତ୍‍, ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଯେଉଁ ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
JER 32:2 ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।
JER 32:3 ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, “ତୁମ୍ଭେ କାହିଁକି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଏହା କହୁଅଛ, ‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ;
JER 32:4 ଆଉ, ଯିହୁଦାର ରାଜା ସିଦିକୀୟ କଲ୍‍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲର ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ତାହାର ଚକ୍ଷୁ ଦେଖିବ;
JER 32:5 ପୁଣି, ସେ ସିଦିକୀୟକୁ ବାବିଲକୁ ଘେନିଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍‍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”
JER 32:6 ଏଥିଉତ୍ତାରେ ଯିରିମୀୟ କହିଲେ, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
JER 32:7 ଦେଖ, ତୁମ୍ଭ ପିତୃବ୍ୟ ଶଲ୍ଲୁମ୍‍ର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, ‘ଅନାଥୋତ୍‍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ଆପଣା ପାଇଁ କ୍ରୟ କର; କାରଣ କ୍ରୟ ଦ୍ୱାରା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି।’
JER 32:8 ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋʼ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋʼ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍‍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।
JER 32:9 ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲଠାରୁ ଅନାଥୋତ୍‍ସ୍ଥିତ ସେହି କ୍ଷେତ୍ର କ୍ରୟ କରି ତହିଁର ମୂଲ୍ୟ ସତର ଶେକଲ ରୂପା ତୌଲି ତାହାକୁ ଦେଲି।
JER 32:10 ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।
JER 32:11 ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍‍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି;
JER 32:12 ପୁଣି, ମୋʼ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ ଓ କ୍ରୟପତ୍ରରେ ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ଓ ପ୍ରହରୀ ପ୍ରାଙ୍ଗଣରେ ଉପବିଷ୍ଟ ସମସ୍ତ ଯିହୁଦୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରୀୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।
JER 32:13 ଆଉ, ସେମାନଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି,
JER 32:14 ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇ ଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।
JER 32:15 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହି ଦେଶରେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରାଯିବ।’
JER 32:16 ନେରୀୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ଉତ୍ତାରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
JER 32:17 ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ; ତୁମ୍ଭର ଅସାଧ୍ୟ କିଛି ହିଁ ନାହିଁ;
JER 32:18 ତୁମ୍ଭେ ସହସ୍ର ସହସ୍ରର ପ୍ରତି ଦୟା ପ୍ରକାଶ କରୁଅଛ ଓ ପିତୃଗଣର ଅଧର୍ମର ପ୍ରତିଫଳ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର କ୍ରୋଡ଼ରେ ଦେଉଅଛ; ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ;
JER 32:19 ତୁମ୍ଭେ ମନ୍ତ୍ରଣାରେ ମହାନ ଓ କ୍ରିୟାରେ ପରାକ୍ରାନ୍ତ; ପ୍ରତ୍ୟେକ ଲୋକକୁ ତାହାର ଗତି ଓ କ୍ରିୟାନୁସାରେ ସମୁଚିତ ଫଳ ଦେବା ନିମନ୍ତେ ମନୁଷ୍ୟ-ସନ୍ତାନଗଣର ସକଳ ପଥ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଥାଏ।
JER 32:20 ତୁମ୍ଭେ ମିସର ଦେଶରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ଦେଖାଇଲ, ଆଜି ପର୍ଯ୍ୟନ୍ତ ହିଁ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରେ ଦେଖାଉଅଛ, ପୁଣି ଆଜିର ନ୍ୟାୟ ଆପଣାର ନାମ ପ୍ରସିଦ୍ଧ କରୁଅଛ।
JER 32:21 ତୁମ୍ଭେ ଚିହ୍ନ, ଅଦ୍ଭୁତ ଲକ୍ଷଣ, ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ ମହତ ଭୟାନକତ୍ତ୍ୱ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିସର ଦେଶରୁ ବାହାର କରି ଆଣିଲ;
JER 32:22 ଆଉ, ଏହି ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ;
JER 32:23 ପୁଣି, ସେମାନେ ଆସି ତାହା ଅଧିକାର କଲେ; ମାତ୍ର ସେମାନେ ତୁମ୍ଭ ରବରେ ମନୋଯୋଗ କଲେ ନାହିଁ; କିଅବା ତୁମ୍ଭ ବ୍ୟବସ୍ଥା ପଥରେ ଚାଲିଲେ ନାହିଁ; ତୁମ୍ଭେ ସେମାନଙ୍କୁ ଯାହା ଯାହା ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ହିଁ ପାଳନ କରି ନାହାନ୍ତି; ଏହେତୁ ତୁମ୍ଭେ ଏହିସବୁ ଅମଙ୍ଗଳ ସେମାନଙ୍କ ଉପରେ ଘଟାଇଅଛ।
JER 32:24 ଏହିସବୁ ବନ୍ଧ ଦେଖ, ସେମାନେ ଜୟ କରିବା ପାଇଁ ନଗରକୁ ଆସିଅଛନ୍ତି; ପୁଣି, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ସକାଶୁ ନଗର ବିରୁଦ୍ଧରେ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କ ହସ୍ତରେ ତାହା ଦତ୍ତ ହେଉଅଛି; ଆଉ, ତୁମ୍ଭେ ଯାହା କହିଅଛ, ତାହା ସଫଳ ହେଉଅଛି; ପୁଣି ଦେଖ, ତୁମ୍ଭେ ଏହା ଦେଖୁଅଛ।
JER 32:25 ପୁଣି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ମୋତେ କହିଅଛ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ; ମାତ୍ର ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି।’”
JER 32:26 ତାହା ପରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
JER 32:27 “ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି?
JER 32:28 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ କଲ୍‍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ।
JER 32:29 ଆଉ, ଯେଉଁ କଲ୍‍ଦୀୟମାନେ ଏହି ନଗର ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି, ସେମାନେ ପ୍ରବେଶ କରି ଏହି ନଗରରେ ଅଗ୍ନି ଲଗାଇବେ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ଯେଉଁ ସକଳ ଗୃହର ଛାତ ଉପରେ ଲୋକମାନେ ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲେ, ସେହି ସବୁ ଗୃହ ସହିତ ଏହି ନଗର ଅଗ୍ନିରେ ଦଗ୍ଧ କରିବେ।
JER 32:30 କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।
JER 32:31 କାରଣ ସେମାନେ ଏହି ନଗର ନିର୍ମାଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ହିଁ ତାହା ଆମ୍ଭ କ୍ରୋଧ ଓ କୋପର କାରଣ ହୋଇ ଆସୁଅଛି; ତହିଁ ସକାଶୁ ତାହା ଆମ୍ଭ ସମ୍ମୁଖରୁ ଦୂରୀକୃତ ହେବାର ଯୋଗ୍ୟ ହୋଇଅଛି।
JER 32:32 କାରଣ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ, ଅର୍ଥାତ୍‍, ସେମାନେ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକଗଣ ଓ ଭବିଷ୍ୟଦ୍‍ବକ୍ତାଗଣ, ଆଉ ଯିହୁଦାର ଲୋକମାନେ ଓ ଯିରୂଶାଲମ ନିବାସୀମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ନାନା ପ୍ରକାର ଦୁଷ୍କ୍ରିୟା କରିଅଛନ୍ତି।
JER 32:33 ସେମାନେ ଆମ୍ଭ ପ୍ରତି ମୁଖ ନ ଫେରାଇ ପିଠି ଫେରାଇ ଅଛନ୍ତି; ଆଉ, ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଲେ ହେଁ, ପ୍ରଭାତରେ ଉଠି ଶିକ୍ଷା ଦେଲେ ହେଁ ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମନୋଯୋଗ କରି ନାହାନ୍ତି।
JER 32:34 ମାତ୍ର ଆମ୍ଭ ନାମରେ ଖ୍ୟାତ ଗୃହକୁ ଅଶୁଚି କରିବା ପାଇଁ ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରନ୍ତି।
JER 32:35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।
JER 32:36 ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ‘ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ତାହା ବାବିଲର ରାଜାର ହସ୍ତରେ ଅର୍ପିତ ହୋଇଅଛି,’ ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
JER 32:37 ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।
JER 32:38 ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା;
JER 32:39 ଆଉ, ସେମାନଙ୍କର ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର ମଙ୍ଗଳ ନିମନ୍ତେ ସେମାନେ ଯେପରି ସଦାକାଳ ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା;
JER 32:40 ପୁଣି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ଯେ ସେମାନଙ୍କଠାରୁ ବିମୁଖ ନ ହେବା, ଏହି ଭାବର ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା ଓ ସେମାନେ ଯେପରି ଆମ୍ଭଠାରୁ ଦୂର ହେବେ ନାହିଁ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତଃକରଣରେ ସ୍ଥାପନ କରିବା।
JER 32:41 ଆହୁରି, ଆମ୍ଭେ ସେମାନଙ୍କର ମଙ୍ଗଳ କରିବା ପାଇଁ ସେମାନଙ୍କ ବିଷୟରେ ଆନନ୍ଦ କରିବା ଓ ଆମ୍ଭେ ଆପଣାର ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସେମାନଙ୍କୁ ଏହି ଦେଶରେ ନିଶ୍ଚୟ ରୋପଣ କରିବା।
JER 32:42 କାରଣ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଏହି ଲୋକମାନଙ୍କ ଉପରେ ଏହିସବୁ ମହା ଅମଙ୍ଗଳ ଯେପରି ଘଟାଇଅଛୁ, ସେପରି ଆମ୍ଭେ ସେମାନଙ୍କୁ ଯେ ଯେ ମଙ୍ଗଳର ପ୍ରତିଜ୍ଞା କରିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା।
JER 32:43 ପୁଣି, ଏହି ଯେଉଁ ଦେଶ ବିଷୟରେ ତୁମ୍ଭେମାନେ କୁହ, ଏହା ମନୁଷ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନ ହୋଇ କଲ୍‍ଦୀୟମାନଙ୍କ ହସ୍ତରେ ଦତ୍ତ ହୋଇଅଛି, ତହିଁ ମଧ୍ୟରେ କ୍ଷେତ୍ର କ୍ରୟ କରାଯିବ।
JER 32:44 ବିନ୍ୟାମୀନ୍ ପ୍ରଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗରସମୂହରେ, ପାର୍ବତୀୟ ପ୍ରଦେଶସ୍ଥ ନାନା ନଗରରେ, ପୁଣି ନିମ୍ନ ଭୂମିସ୍ଥ ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ନଗରସମୂହରେ ଲୋକମାନେ ମୂଲ୍ୟ ଦେଇ କ୍ଷେତ୍ର କ୍ରୟ କରିବେ ଓ କ୍ରୟପତ୍ର ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ ଓ ସାକ୍ଷୀ ରଖିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।”
JER 33:1 ଆହୁରି, ଯିରିମୀୟ, ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
JER 33:2 “ଏହି କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ, ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି; ସଦାପ୍ରଭୁ ତାହାଙ୍କର ନାମ;
JER 33:3 ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା।
JER 33:4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜାଗଣର ଯେସକଳ ଗୃହ ବନ୍ଧ ଓ ଖଡ୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
JER 33:5 ଲୋକମାନେ କଲ୍‍ଦୀୟମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆସନ୍ତି, ମାତ୍ର ଯେଉଁମାନଙ୍କୁ ଆମ୍ଭେ ଆପଣା କ୍ରୋଧରେ ଓ ପ୍ରଚଣ୍ଡ କୋପରେ ବଧ କରିଅଛୁ ଓ ଯେଉଁମାନଙ୍କ ସକଳ ଦୁଷ୍ଟତା ସକାଶୁ ଆମ୍ଭେ ଏହି ନଗରଠାରୁ ଆପଣା ମୁଖ ଲୁଚାଇଅଛୁ, ସେହି ଲୋକମାନଙ୍କ ଶବରେ ସେସବୁ ଗୃହ ପରିପୂର୍ଣ୍ଣ ହେବ।
JER 33:6 ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା, ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା।
JER 33:7 ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା।
JER 33:8 ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା।
JER 33:9 ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।
JER 33:10 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍‍, ଧ୍ୱଂସିତ, ନରଶୂନ୍ୟ, ନିବାସୀବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ
JER 33:11 ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବକାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।
JER 33:12 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।
JER 33:13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗରସମୂହରେ, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ୍ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ।
JER 33:14 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାର ସମୟ ଆସୁଅଛି।
JER 33:15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟବିଚାର ଓ ଧର୍ମ ପ୍ରଚଳିତ କରିବେ।
JER 33:16 ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।
JER 33:17 କାରଣ ସଦାପ୍ରଭୁ ଏହି କଥା କହନ୍ତି: ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ,
JER 33:18 କିଅବା ଆମ୍ଭ ସମ୍ମୁଖରେ ହୋମ ଉତ୍ସର୍ଗ, ଭକ୍ଷ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ଯାଜକମାନଙ୍କ ସମ୍ପର୍କୀୟ ଲୋକର ଅଭାବ ହେବ ନାହିଁ।”
JER 33:19 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 33:20 “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯଦି ଦିବସ ସମ୍ବନ୍ଧୀୟ ଆମ୍ଭର ନିୟମ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ଏରୂପ ଭଗ୍ନ କରିପାର ଯେ, ଯଥା ସମୟରେ ଦିବସ କି ରାତ୍ରି ନ ହୁଏ;
JER 33:21 ତେବେ ଆମ୍ଭ ଦାସ ଦାଉଦର ସିଂହାସନରେ ବସି ରାଜ୍ୟ କରିବା ପାଇଁ ତାହାର ସନ୍ତାନର ଅଭାବ ହେବ ନାହିଁ ବୋଲି ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଅଛି, ତାହା ମଧ୍ୟ ଭଗ୍ନ କରାଯାଇ ପାରିବ; ଆଉ, ଆମ୍ଭର ପରିଚାରକ ଲେବୀୟ ଯାଜକମାନଙ୍କ ସହିତ ଆମ୍ଭର ନିୟମ ମଧ୍ୟ ଭଗ୍ନ କରାଯାଇ ପାରିବ।
JER 33:22 ଆକାଶମଣ୍ଡଳସ୍ଥ ସୈନ୍ୟଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା।”
JER 33:23 ଆଉ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 33:24 “ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ? ସେମାନେ କହିଅଛନ୍ତି, ‘ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି।’ ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ।
JER 33:25 ସଦାପ୍ରଭୁ ଏହି କଥା କହନ୍ତି, ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ, ଆମ୍ଭେ ଯଦି ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ,
JER 33:26 ତାହାହେଲେ ଆମ୍ଭେ ଯାକୁବର ଓ ଆମ୍ଭ ଦାସ ଦାଉଦର ବଂଶକୁ ଅଗ୍ରାହ୍ୟ କରି ଅବ୍ରହାମର, ଇସ୍‌ହାକର ଓ ଯାକୁବର ବଂଶ ଉପରେ ଶାସନକର୍ତ୍ତା କରିବା ପାଇଁ ତାହାର ବଂଶରୁ ଲୋକ ଗ୍ରହଣ କରିବା ନାହିଁ। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା ଓ ସେମାନଙ୍କ ପ୍ରତି ଦୟା କରିବା।”
JER 34:1 ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଓ ତାହାର କର୍ତ୍ତୃତ୍ୱାଧୀନ ଭୂଖଣ୍ଡର ସମସ୍ତ ରାଜ୍ୟ ଆଉ ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ନଗରସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା:
JER 34:2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।
JER 34:3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।
JER 34:4 ତଥାପି ହେ ସିଦିକୀୟ ଯିହୁଦାର ରାଜନ୍‍, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି, ତୁମ୍ଭେ ଖଡ୍ଗ ଦ୍ୱାରା ମରିବ ନାହିଁ;
JER 34:5 ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପଦାହ କରିବେ; ଆଉ, ‘ହାୟ ପ୍ରଭୋ! ହାୟ ପ୍ରଭୋ!’ ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।”
JER 34:6 ତହୁଁ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିରୂଶାଲମରେ ଯିହୁଦାର ରାଜା ସିଦିକୀୟକୁ ଏହିସବୁ କଥା କହିଲେ।
JER 34:7 ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟସକଳ ନଗର ଅର୍ଥାତ୍‍ ଲାଖୀଶ୍‍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର-ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
JER 34:8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକୁ ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍‍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,
JER 34:9 ଏପରି ମୁକ୍ତି ଘୋଷଣାର ନିୟମ ସିଦିକୀୟ ରାଜା ଯିରୂଶାଲମସ୍ଥ ସବୁ ଲୋକଙ୍କ ସହିତ ସ୍ଥିର କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
JER 34:10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରିଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରିଦେଲେ;
JER 34:11 ମାତ୍ର ତହିଁ ଉତ୍ତାରେ ସେମାନେ ଫେରି ଯେଉଁ ଦାସଦାସୀମାନଙ୍କୁ ମୁକ୍ତ କରି ବିଦାୟ କରି ଦେଇଥିଲେ, ସେମାନଙ୍କୁ ପୁନର୍ବାର ଅଣାଇ ଆପଣାମାନଙ୍କ ଦାସଦାସୀ ହେବା ନିମନ୍ତେ ବଶୀଭୂତ କଲେ।
JER 34:12 ଏହେତୁ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
JER 34:13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭେ ମିସର ଦେଶରୁ ଦାସଗୃହରୁ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଏକ ନିୟମ କଲୁ, ଯଥା,
JER 34:14 ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବିକ୍ରୀତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକେ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାକୁ ମୁକ୍ତ କରିବ;’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭ ବାକ୍ୟ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ।
JER 34:15 ପୁଣି, ତୁମ୍ଭେମାନେ ଏଥିପୂର୍ବେ ଫେରି ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିଲ ଓ ଆମ୍ଭ ନାମରେ ଖ୍ୟାତ ଗୃହରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ
JER 34:16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।
JER 34:17 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା।
JER 34:18 ପୁଣି, ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି, ଯେଉଁମାନେ ଗୋବତ୍ସକୁ ଦୁଇ ଖଣ୍ଡ କରି ତନ୍ମଧ୍ୟ ଦେଇ ଗମନ କରିବା ବେଳେ ଆମ୍ଭ ସମ୍ମୁଖରେ ଯେଉଁ ନିୟମ କଲେ, ସେହି ନିୟମର କଥା ପାଳନ କରି ନାହାନ୍ତି, ସେମାନଙ୍କୁ,
JER 34:19 ଅର୍ଥାତ୍‍, ଯିହୁଦାର ଅଧିପତିଗଣକୁ ଓ ଯିରୂଶାଲମର ଅଧିପତିଗଣକୁ, ନପୁଂସକଗଣକୁ ଓ ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ, ଯେଉଁମାନେ ଗୋବତ୍ସର ଦୁଇ ଖଣ୍ଡର ମଧ୍ୟଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା;
JER 34:20 ଆମ୍ଭେ ସେମାନଙ୍କୁ ହିଁ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନଙ୍କର ଶବ ଖେଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।
JER 34:21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।
JER 34:22 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆଜ୍ଞା ଦ୍ୱାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
JER 35:1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ଅଧିକାର ସମୟରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା,
JER 35:2 “ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କ ସଙ୍ଗେ ଆଳାପ କର ଓ ସଦାପ୍ରଭୁଙ୍କ ଗୃହର ଏକ କୋଠରିକୁ ଆଣି ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”
JER 35:3 ତହୁଁ ମୁଁ ହବତ୍ସିନୀୟର ପୌତ୍ର, ଯିରିମୀୟର ପୁତ୍ର ଯାସନୀୟକୁ ଓ ତାହାର ଭ୍ରାତୃଗଣକୁ ଓ ତାହାର ସବୁ ପୁତ୍ରଙ୍କୁ, ଆଉ ସମୁଦାୟ ରେଖବୀୟ ବଂଶକୁ ସଙ୍ଗେ ନେଇ,
JER 35:4 ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ୱରଙ୍କ ଲୋକ ଯିଗ୍‍ଦଲୀୟର ପୁତ୍ର ହାନନ୍‍ର ପୁତ୍ରମାନଙ୍କର କୋଠରିକୁ ନେଇଗଲି, ସେହି କୋଠରି ଶଲ୍ଲୁମ୍‍ର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରି ଉପରେ, ଅଧିପତିଗଣର କୋଠରି ନିକଟରେ ଥିଲା;
JER 35:5 ପୁଣି, ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସପୂର୍ଣ୍ଣ କେତେକ ପାତ୍ର ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”
JER 35:6 ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ; କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍‍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ;
JER 35:7 ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ କିଅବା ବୀଜ ବୁଣିବ ନାହିଁ, ଅଥବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ, ଅବା ତହିଁର ଅଧିକାରୀ ହେବ ନାହିଁ; ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’
JER 35:8 ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍‍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;
JER 35:9 ଅଥବା ଆମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର କି ଶସ୍ୟକ୍ଷେତ୍ର ବା ବୀଜ ନାହିଁ;
JER 35:10 ମାତ୍ର ଆମ୍ଭେମାନେ ତମ୍ବୁରେ ବାସ କରି, ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦବ୍‍ର ସମସ୍ତ ଆଜ୍ଞା ପ୍ରମାଣେ କର୍ମ କରି ଆସୁଅଛୁ।
JER 35:11 ମାତ୍ର ବାବିଲର ରାଜା ନବୂଖଦ୍‍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କଲ୍‍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,’ ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।”
JER 35:12 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
JER 35:13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେ ଯାଇ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମର ନିବାସୀମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରିବା ପାଇଁ କି ଶିକ୍ଷା ଗ୍ରହଣ କରିବ ନାହିଁ?
JER 35:14 ରେଖବର ପୁତ୍ର ଯିହୋନାଦବ୍‍ ଆପଣା ସନ୍ତାନଗଣକୁ ଦ୍ରାକ୍ଷାରସ ପାନ ନ କରିବା ପାଇଁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହେଉଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରନ୍ତି ନାହିଁ; କାରଣ ସେମାନେ ଆପଣା ପିତୃପୁରୁଷର ଆଜ୍ଞା ପାଳନ କରନ୍ତି, ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ପ୍ରଭାତରେ ଉଠି କହିଅଛୁ; ଆଉ, ତୁମ୍ଭେମାନେ ଆମ୍ଭ କଥାରେ ମନୋଯୋଗ କରି ନାହଁ।
JER 35:15 ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ‘ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍‍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ;’ ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।
JER 35:16 ରେଖବର ପୁତ୍ର ଯିହୋନାଦବ୍‍ର ସନ୍ତାନଗଣ ସେମାନଙ୍କ ପ୍ରତି ଆଜ୍ଞାପିତ ପିତୃପୁରୁଷର ଆଜ୍ଞା ପ୍ରତିପାଳନ କରିଅଛନ୍ତି, ମାତ୍ର ଏହି ଲୋକମାନେ ଆମ୍ଭ କଥାରେ ମନୋଯୋଗ କରି ନାହାନ୍ତି।
JER 35:17 ଏହେତୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ଯିହୁଦାର ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହାସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ସେମାନଙ୍କୁ କଥା କହିଅଛୁ, ମାତ୍ର ସେମାନେ ଶୁଣି ନାହାନ୍ତି ଓ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”
JER 35:18 ପୁଣି, ଯିରିମୀୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷ ଯିହୋନାଦବ୍‍ର ଆଜ୍ଞା ମାନିଅଛ ଓ ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ,
JER 35:19 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଆମ୍ଭ ସମ୍ମୁଖରେ ଠିଆ ହେବା ପାଇଁ ରେଖବର ପୁତ୍ର ଯିହୋନାଦବ୍‍ ବଂଶୀୟ ଲୋକର ଅଭାବ କଦାପି ହେବ ନାହିଁ।”
JER 36:1 ଏଥିଉତ୍ତାରେ ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
JER 36:2 “ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ୱ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ।
JER 36:3 ହୋଇପାରେ, ଆମ୍ଭେ ଯିହୁଦା ବଂଶ ପ୍ରତି ଯେସକଳ ଅମଙ୍ଗଳ ଘଟାଇବାର ସଂକଳ୍ପ କରିଅଛୁ, ସେମାନେ ତାହାସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ, ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା।”
JER 36:4 ତହିଁରେ ଯିରିମୀୟ ନେରୀୟର ପୁତ୍ର ବାରୂକକୁ ଡାକିଲେ; ଆଉ, ବାରୂକ ଯିରିମୀୟଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ବାକ୍ୟସବୁ ତାହାର ମୁଖରୁ ଶୁଣି ଏକ ନଳାକାର ପୁସ୍ତକରେ ଲେଖିଲା।
JER 36:5 ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ;
JER 36:6 ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।
JER 36:7 ହୋଇପାରେ, ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି।”
JER 36:8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।
JER 36:9 ଏଥିଉତ୍ତାରେ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ପଞ୍ଚମ ବର୍ଷର ନବମ ମାସରେ, ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୂଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ।
JER 36:10 ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନ ନିକଟରେ, ଶାଫନ୍‍ ଲେଖକର ପୁତ୍ର ଗମରୀୟର କୋଠରିରେ, ସେହି ନଳାକାର ପୁସ୍ତକରୁ ଯିରିମୀୟଙ୍କ କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।
JER 36:11 ପୁଣି, ଶାଫନ୍‍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,
JER 36:12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍‍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍, ଶାଫନ୍‍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।
JER 36:13 ତେବେ ବାରୂକ ଲୋକମାନଙ୍କ କର୍ଣ୍ଣଗୋଚରରେ ନଳାକାର ପୁସ୍ତକ ପାଠ କଲା ବେଳେ ମୀଖାୟ ଯାହା ଯାହା ଶୁଣିଥିଲା, ସେସବୁ କଥା ସେମାନଙ୍କୁ ଜଣାଇଲା।
JER 36:14 ଏହେତୁ ଅଧିପତି ସମସ୍ତେ କୂଶୀର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୁଦୀକୁ ବାରୂକ ନିକଟକୁ ପଠାଇ କହିଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନିଆସ।” ତହିଁରେ ନେରୀୟର ପୁତ୍ର ବାରୂକ ନଳାକାର ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା।
JER 36:15 ତହିଁରେ ସେମାନେ ତାହାକୁ କହିଲେ, “ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତହୁଁ ବାରୂକ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
JER 36:16 ସେତେବେଳେ ସେମାନେ ସବୁ କଥା ଶୁଣି ଭୟରେ ଏକଆରେକ ପ୍ରତି ଅନାଇଲେ, ଆଉ ବାରୂକକୁ କହିଲେ, “ଆମ୍ଭେମାନେ ରାଜାଙ୍କୁ ଏହିସବୁ କଥାର ବିଷୟ ଅବଶ୍ୟ ଜ୍ଞାତ କରାଇବୁ।”
JER 36:17 ପୁଣି, ସେମାନେ ବାରୂକକୁ ପଚାରିଲେ, “କହିଲ, ତୁମ୍ଭେ କିପରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ?”
JER 36:18 ତହିଁରେ ବାରୂକ ସେମାନଙ୍କୁ ଉତ୍ତର କଲା, “ସେ ଆପଣା ମୁଖରେ ଏହିସବୁ କଥା ମୋʼ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳୀ ନେଇ ନଳାକାର ପୁସ୍ତକରେ ଲେଖିଲି।”
JER 36:19 ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
JER 36:20 ଏଥିଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ; ମାତ୍ର ନଳାକାର ପୁସ୍ତକଟି ଇଲୀଶାମା ଲେଖକର କୋଠରିରେ ଛାଡ଼ି ଯାଇଥିଲେ; ଆଉ, ସେମାନେ ରାଜାର କର୍ଣ୍ଣଗୋଚରରେ ଏସବୁ କଥା ଜଣାଇଲେ।
JER 36:21 ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
JER 36:22 ଏହି ସମୟରେ, ଅର୍ଥାତ୍‍, ନବମ ମାସରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ ଓ ତାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜ୍ୱଳୁଥିଲା।
JER 36:23 ଏଥିଉତ୍ତାରେ ଯିହୁଦୀ ନଳାକାର ପୁସ୍ତକରୁ ତିନି ଚାରି ପତ୍ର ପାଠ କଲା ଉତ୍ତାରେ ରାଜା କଲମତ୍ରାସରେ ତାହା କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇଦେଲେ, ତହୁଁ ସେହି ପାତ୍ରରେ ଥିବା ଅଗ୍ନିରେ ସମୁଦାୟ ନଳାକାର ପୁସ୍ତକ ଭସ୍ମସାତ୍‍ ହେଲା।
JER 36:24 ମାତ୍ର ରାଜା କିଅବା ତାହାର ଦାସଗଣ, ଯେଉଁମାନେ ସେହି ସବୁ ବାକ୍ୟ ଶୁଣିଲେ, ସେମାନେ କେହି ଭୀତ ହେଲେ ନାହିଁ, କିଅବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ।
JER 36:25 ଆହୁରି, ରାଜା ଯେପରି ନଳାକାର ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍‍ନାଥନ୍‍, ଦଲୟିୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।
JER 36:26 ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲକୁ ଓ ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍‍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।
JER 36:27 ଯିରିମୀୟଙ୍କ ମୁଖରୁ ଶୁଣି ବାରୂକ ଯେସକଳ ବାକ୍ୟ ଲେଖିଥିଲା, ସେହି ସମସ୍ତ ନଳାକାର ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
JER 36:28 “ଯିହୁଦାର ରାଜା ଯିହୋୟାକୀମ୍‍ ଯେଉଁ ନଳାକାର ପୁସ୍ତକ ପୋଡ଼ି ପକାଇଅଛି, ସେହି ପ୍ରଥମ ନଳାକାର ପୁସ୍ତକରେ ଲିଖିତ ଆଦ୍ୟ ସକଳ ବାକ୍ୟ, ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ।
JER 36:29 ପୁଣି, ଯିହୁଦାର ରାଜା ଯିହୋୟାକୀମ୍‍ ବିଷୟରେ ତୁମ୍ଭେ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି: ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ, ଏପରି କଥା ତୁମ୍ଭେ କାହିଁକି ଲେଖିଅଛ? ଏହା କହି ତୁମ୍ଭେ ଏହି ନଳାକାର ପୁସ୍ତକ ଦଗ୍ଧ କରିଅଛ।
JER 36:30 ଏହେତୁ ଯିହୁଦାର ରାଜା ଯିହୋୟାକୀମ୍‍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ରହିବ ନାହିଁ; ଆଉ ତାହାର ମୃତ ଶରୀର ଦିନ ବେଳେ ଖରାରେ ଓ ରାତ୍ରି ବେଳେ କାକରରେ ପକାଯିବ।
JER 36:31 ପୁଣି, ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା; ଆଉ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା; ମାତ୍ର ସେମାନେ ଶୁଣିଲେ ନାହିଁ।’”
JER 36:32 ତହୁଁ ଯିରିମୀୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରୀୟର ପୁତ୍ର ବାରୂକ ଲେଖକଙ୍କୁ ଦେଲେ; ଯିହୁଦାର ରାଜା ଯିହୋୟାକୀମ୍‍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲା, ତହିଁର ସମସ୍ତ କଥା ସେ ଯିରିମୀୟଙ୍କ ମୁଖରୁ ଶୁଣି ତହିଁରେ ଲେଖିଲା; ପୁଣି, ତାହା ଛଡ଼ା ସେହି ପ୍ରକାର ଆଉ ଅନେକ କଥା ତହିଁରେ ଯୁକ୍ତ କରାଗଲା।
JER 37:1 ଏଥିଉତ୍ତାରେ ଯିହୋୟାକୀମ୍‍ର ପୁତ୍ର କନୀୟର ପଦରେ ଯୋଶୀୟର ପୁତ୍ର ସିଦିକୀୟ ରାଜା ହୋଇ ରାଜତ୍ୱ କଲା; ବାବିଲର ରାଜା ନବୂଖଦ୍‍ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।
JER 37:2 ମାତ୍ର ସେ, କିଅବା ତାହାର ଦାସମାନେ ଅବା ଦେଶସ୍ଥ ଲୋକମାନେ, ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
JER 37:3 ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”
JER 37:4 ସେହି ସମୟରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ଗତାୟାତ କରୁଥିଲେ; କାରଣ ସେମାନେ ତାଙ୍କୁ କାରାଗାରରେ ବନ୍ଦୀ କରି ନ ଥିଲେ।
JER 37:5 ଆଉ, ଫାରୋର ସୈନ୍ୟ ମିସର ଦେଶରୁ ବାହାର ହୋଇ ଆସିଥିଲେ; ଏଣୁ ଯିରୂଶାଲମ ଅବରୋଧକାରୀ କଲ୍‍ଦୀୟମାନେ ସେମାନଙ୍କର ସମାଚାର ଶୁଣି ଯିରୂଶାଲମରୁ ଚାଲିଗଲେ।
JER 37:6 ସେତେବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
JER 37:7 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ: ‘ଦେଖ, ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି, ସେମାନେ ଆପଣାମାନଙ୍କର ନିଜ ଦେଶ ମିସରକୁ ଫେରିଯିବେ।
JER 37:8 ପୁଣି, କଲ୍‍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’
JER 37:9 ସଦାପ୍ରଭୁ ଏହି କଥା କହନ୍ତି; କଲ୍‍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ; କାରଣ ସେମାନେ ଯିବେ ନାହିଁ।
JER 37:10 ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
JER 37:11 କଲ୍‍ଦୀୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରୋର ସୈନ୍ୟ ଭୟରେ ଯିରୂଶାଲମରୁ ଚାଲି ଯାଇଥିଲେ, ସେସମୟରେ ଏପରି ଘଟିଥିଲା ଯେ,
JER 37:12 ଯିରିମୀୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମୀନ୍ ପ୍ରଦେଶକୁ ଯିବା ପାଇଁ ଯିରୂଶାଲମରୁ ବାହାରିଲେ।
JER 37:13 ପୁଣି, ସେ ବିନ୍ୟାମୀନ୍ ନାମକ ନଗର-ଦ୍ୱାରରେ ଉପସ୍ଥିତ ହେବା ବେଳେ ସେଠାରେ ପ୍ରହରୀଗଣର ଜଣେ ଅଧ୍ୟକ୍ଷ ଥିଲା, ତାହାର ନାମ ଯିରୀୟ, ସେ ହନାନୀୟର ପୌତ୍ର ଶେଲିମୀୟର ପୁତ୍ର; ପୁଣି, ସେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଧରି କହିଲା, “ତୁମ୍ଭେ କଲ୍‍ଦୀୟମାନଙ୍କର ପକ୍ଷକୁ ଯାଉଅଛ।”
JER 37:14 ସେତେବେଳେ ଯିରିମୀୟ କହିଲେ, “ଏ ମିଥ୍ୟା କଥା; ମୁଁ କଲ୍‍ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ;” ତଥାପି ଯିରୀୟ ଯିରିମୀୟଙ୍କ କଥା ନ ଶୁଣି ତାଙ୍କୁ ଧରି ଅଧିପତିମାନଙ୍କ ନିକଟକୁ ନେଇଗଲା।
JER 37:15 ପୁଣି, ଅଧିପତିମାନେ ଯିରିମୀୟଙ୍କ ପ୍ରତି କ୍ରୁଦ୍ଧ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ ଲେଖକର ଗୃହସ୍ଥିତ କାରାଗାରରେ ରଖିଲେ; କାରଣ ସେମାନେ ସେସ୍ଥାନକୁ କାରାଗାର କରିଥିଲେ।
JER 37:16 ଯିରିମୀୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରିରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ।
JER 37:17 ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ତହିଁରେ ଯିରିମୀୟ କହିଲେ, “ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”
JER 37:18 ଆହୁରି, ଯିରିମୀୟ ସିଦିକୀୟ ରାଜାକୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ, ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ, ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି?
JER 37:19 ଆପଣମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ, ସେମାନେ ଏବେ କାହାନ୍ତି?
JER 37:20 ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”
JER 37:21 ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଯିରିମୀୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ, ପୁଣି ନଗରରେ ସବୁ ରୁଟି ଶେଷ ନ ହେବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
JER 38:1 ଏଥିଉତ୍ତାରେ ମତ୍ତନର ପୁତ୍ର ଶଫଟୀୟ, ପଶ୍‍ହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍‍କୀୟର ପୁତ୍ର ପଶ୍‍ହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କ କଥିତ ଏହି ବାକ୍ୟ ଶୁଣିଲେ, ଯଥା,
JER 38:2 “ସଦାପ୍ରଭୁ ଏହି କଥା କହନ୍ତି, ଯେକେହି ଏହି ନଗରରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍‍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ।”
JER 38:3 ସଦାପ୍ରଭୁ ଏହି କଥା କହନ୍ତି, “ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ।”
JER 38:4 ତହିଁରେ ଅଧିପତିମାନେ ରାଜାକୁ କହିଲେ, “ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି।”
JER 38:5 ଏଥିରେ ସିଦିକୀୟ ରାଜା କହିଲା, “ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି; କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି।”
JER 38:6 ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ, ମଲ୍‍କୀୟ ରାଜପୁତ୍ରର କୂପରେ ପକାଇଦେଲେ; ଅର୍ଥାତ୍‍, ସେମାନେ ରଜ୍ଜୁ ଦ୍ୱାରା ଯିରିମୀୟଙ୍କୁ ଓହ୍ଲାଇ ଦେଲେ। ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ।
JER 38:7 ଏଥିମଧ୍ୟରେ ସେମାନେ ଯିରିମୀୟଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି, ରାଜଗୃହସ୍ଥିତ ଏବଦ୍‍-ମେଲକ ନାମକ ଜଣେ କୂଶୀୟ ନପୁଂସକ ଲୋକ ଶୁଣିଲା; ସେସମୟରେ ରାଜା ବିନ୍ୟାମୀନ୍ ଦ୍ୱାରରେ ଉପବିଷ୍ଟ ଥିଲା।
JER 38:8 ଏବଦ୍‍-ମେଲକ ରାଜଗୃହରୁ ବାହାରି ରାଜାକୁ କହିଲା,
JER 38:9 “ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ।”
JER 38:10 ସେତେବେଳେ ରାଜା କୂଶୀୟ ଏବଦ୍‍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମୀୟ ଭବିଷ୍ୟଦ୍‍ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ।”
JER 38:11 ତହିଁରେ ଏବଦ୍‍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ଡାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମୀୟଙ୍କୁ ଦେଲା।
JER 38:12 ପୁଣି, କୂଶୀୟ ଏବଦ୍‍-ମେଲକ ଯିରିମୀୟଙ୍କୁ କହିଲା, “ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ।”
JER 38:13 ତହିଁରେ ଯିରିମୀୟ ସେପରି କଲେ। ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି, ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
JER 38:14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”
JER 38:15 ତେବେ ଯିରିମୀୟ ସିଦିକୀୟକୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ? ଆଉ, ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋʼ କଥା ଶୁଣିବେ ନାହିଁ।”
JER 38:16 ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”
JER 38:17 ସେତେବେଳେ ଯିରିମୀୟ ସିଦିକୀୟକୁ କହିଲେ, “ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ, ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ; ପୁଣି, ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ।
JER 38:18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।”
JER 38:19 ଏଥିରେ ସିଦିକୀୟ ରାଜା ଯିରିମୀୟଙ୍କୁ କହିଲା, “ଯେଉଁ ଯିହୁଦୀ ଲୋକମାନେ କଲ୍‍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ସେମାନେ ମୋତେ ପରିହାସ କରିବେ।”
JER 38:20 ମାତ୍ର ଯିରିମୀୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ବିନୟ କରୁଅଛି, ମୋʼ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ; ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ।
JER 38:21 ମାତ୍ର ଯଦି ଆପଣ ବାହାରି ଯିବା ପାଇଁ ଅସମ୍ମତ ହୁଅନ୍ତି, ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇ ଅଛନ୍ତି, ତାହା ଏହି:
JER 38:22 ଦେଖନ୍ତୁ, ଯେତେ ସ୍ତ୍ରୀଲୋକ ଯିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି, ସେମାନେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ, ‘ତୁମ୍ଭର ସୁହୃଦମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି; ଆଉ, ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’
JER 38:23 ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍‍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।”
JER 38:24 ଏଥିରେ ସିଦିକୀୟ ଯିରିମୀୟଙ୍କୁ କହିଲା, “ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ।
JER 38:25 ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯଦି ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ‘ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ, ତାହା ଆମ୍ଭମାନଙ୍କୁ ଜଣାଅ; ସେ କଥା, ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି, ତାହା, ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’
JER 38:26 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି।’”
JER 38:27 ଏଥିଉତ୍ତାରେ ଅଧିପତି ସମସ୍ତେ ଯିରିମୀୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ; ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ। ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ; କାରଣ କଥା ପ୍ରକାଶ ପାଇଲା ନାହିଁ।
JER 38:28 ତହିଁରେ ଯିରୂଶାଲମର ପରାଜୟ ଦିନ ପର୍ଯ୍ୟନ୍ତ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
JER 39:1 ଏଥିଉତ୍ତାରେ ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ;
JER 39:2 ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,
JER 39:3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍‍, ନେର୍ଗଲ ଶରେତ୍ସର, ସମ୍‍ଗର-ନବୋ, ଶର୍ସଖୀମ୍‍, ରବ୍‍ସାରୀସ୍‍, ନେର୍ଗଲ ଶରେତ୍ସର, ରବମାଗ୍‍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।
JER 39:4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରବା ପଥରେ ଚାଲିଗଲା।
JER 39:5 ମାତ୍ର କଲ୍‍ଦୀୟମାନଙ୍କ ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍‍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ଆଣିଲେ, ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା।
JER 39:6 ପୁଣି, ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।
JER 39:7 ଆହୁରି, ସେ ସିଦିକୀୟର ଚକ୍ଷୁ ଉପାଡ଼ି ତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଦ୍ଧ କଲା।
JER 39:8 ପୁଣି, କଲ୍‍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।
JER 39:9 ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍‍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଗଲା।
JER 39:10 ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍‍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
JER 39:11 ପୁଣି, ବାବିଲର ରାଜା ନବୂଖଦ୍‍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍କୁ ଏହି ଆଜ୍ଞା କଲା,
JER 39:12 “ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ; ପୁଣି, ସେ ଯେପରି ତୁମ୍ଭକୁ କହନ୍ତି, ସେପରି ତାଙ୍କ ପ୍ରତି କର।”
JER 39:13 ତହିଁରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଓ ନବୂଶସ୍‍ବନ୍‍, ରବ୍‍ସାରୀସ୍‍ ଓ ନେର୍ଗଲ ଶରେତ୍ସର, ରବମାଗ୍‍ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ।
JER 39:14 ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
JER 39:15 ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
JER 39:16 “ତୁମ୍ଭେ ଯାଇ କୂଶୀୟ ଏବଦ୍‍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ।
JER 39:17 ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।
JER 39:18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି।’”
JER 40:1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
JER 40:2 ପ୍ରହରୀବର୍ଗର ସେନାପତି ଯିରିମୀୟଙ୍କୁ ନେଇ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳର କଥା କହିଥିଲେ:
JER 40:3 ଆଉ, ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ, ସେପରି କରିଅଛନ୍ତି; ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି।
JER 40:4 ଆଉ, ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ଦିଶେ, ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି; ମାତ୍ର ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ନ ଦିଶେ, ତେବେ କ୍ଷାନ୍ତ ହୁଅ; ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି; ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ, ସେଠାକୁ ଯାଅ।”
JER 40:5 ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍‍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଫେରିଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା।
JER 40:6 ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ।
JER 40:7 ଏଥିଉତ୍ତାରେ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ।
JER 40:8 ତହିଁରେ ସେମାନେ, ଅର୍ଥାତ୍‍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍‍ ଓ ଯୋନାଥନ, ତନ୍‍ହୂମତର ପୁତ୍ର ସରାୟ ଓ ନଟୋଫାତୀୟ ଏଫର ପୁତ୍ରମାନେ ଆଉ ମାଖାଥୀୟର ପୁତ୍ର ଯାସନୀୟ, ଏମାନେ, ପୁଣି ଏମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟ ନିକଟକୁ ଗଲେ।
JER 40:9 ପୁଣି, ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍‍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ, ବାବିଲ ରାଜାର ଦାସ ହୋଇ ଦେଶରେ ବାସ କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ।
JER 40:10 ଦେଖ, ଯେଉଁ କଲ୍‍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।”
JER 40:11 ଆଉ, ମୋୟାବରେ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ, ଆଉ ଇଦୋମରେ ଓ ଅନ୍ୟାନ୍ୟ ସକଳ ଦେଶରେ ଯେଉଁ ଯିହୁଦୀୟମାନେ ଥିଲେ, ସେମାନେ ଯେତେବେଳେ ଶୁଣିଲେ ଯେ, ବାବିଲର ରାଜା ଯିହୁଦାର ଏକ ଅଂଶ ଲୋକ ଅବଶିଷ୍ଟ ରଖିଅଛି ଓ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କରିଅଛି;
JER 40:12 ସେତେବେଳେ ସେହି ଯିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ, ସେସକଳ ସ୍ଥାନରୁ ଫେରି ଯିହୁଦା ଦେଶକୁ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, ଆଉ ପ୍ରଚୁର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।
JER 40:13 ଆହୁରି, କାରେହର ପୁତ୍ର ଯୋହାନନ୍‍ ଓ ପଦାରେ ଅବସ୍ଥିତ ସେନାପତିସକଳ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ,
JER 40:14 ଆଉ ତାହାକୁ କହିଲେ, “ଅମ୍ମୋନ-ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି?” ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ।
JER 40:15 ତହିଁରେ କାରେହର ପୁତ୍ର ଯୋହାନନ୍‍ ମିସ୍ପାରେ ଗଦଲୀୟଙ୍କୁ ଗୋପନରେ କହିଲା, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନୀୟର ପୁତ୍ର ଇଶ୍ମାୟେଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ; ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?”
JER 40:16 ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ କାରେହର ପୁତ୍ର ଯୋହାନନ୍‍କୁ କହିଲା, “ତୁମ୍ଭେ ଏ କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭେ ଇଶ୍ମାୟେଲ ବିଷୟରେ ମିଥ୍ୟା କଥା କହୁଅଛ।”
JER 41:1 ଏଥିଉତ୍ତାରେ ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ।
JER 41:2 ସେତେବେଳେ ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ସେହି ଦଶ ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ, ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ଖଡ୍ଗାଘାତରେ ବଧ କଲେ।
JER 41:3 ଆହୁରି, ମିସ୍ପାରେ ଗଦଲୀୟ ସଙ୍ଗେ ଥିବା ସମସ୍ତ ଯିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲ୍‍ଦୀୟମାନେ ଦେଖାଗଲେ, ସେମାନଙ୍କୁ, ଅର୍ଥାତ୍‍, ଯୋଦ୍ଧାମାନଙ୍କୁ ଇଶ୍ମାୟେଲ ବଧ କଲା।
JER 41:4 ପୁଣି, ସେ ଗଦଲୀୟଙ୍କୁ ବଧ କଲା ଉତ୍ତାରେ, ସେ ବିଷୟ କେହି ନ ଜାଣିବା ପୂର୍ବରୁ,
JER 41:5 ଶିଖିମ, ଶୀଲୋ ଓ ଶମରୀୟାରୁ ଅଶୀ ଜଣ ପୁରୁଷ କ୍ଷୌର ଦାଢ଼ି ଓ ଛିନ୍ନବସ୍ତ୍ର ପରିହିତ ହୋଇ, ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି, ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ।
JER 41:6 ତହିଁରେ ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା; ଆଉ, ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରି କରି ଗଲା; ପୁଣି, ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ, ସେ ସେମାନଙ୍କୁ କହିଲା, “ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଆସ।”
JER 41:7 ଏଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ।
JER 41:8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ।
JER 41:9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।
JER 41:10 ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଅହୀକାମ୍‍‍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ-ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
JER 41:11 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍‍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ,
JER 41:12 ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନୀୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବୀୟୋନ୍‍ସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ।
JER 41:13 ସେତେବେଳେ ଇଶ୍ମାୟେଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍‍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
JER 41:14 ତହିଁରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା, ସେସମସ୍ତେ ଲେଉଟି କାରେହର ପୁତ୍ର ଯୋହାନନ୍‍ ନିକଟକୁ ଫେରି ଆସିଲେ।
JER 41:15 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଆଠ ଜଣ ଲୋକ ସହିତ ଯୋହାନନ୍‍ ନିକଟରୁ ପଳାଇ ଅମ୍ମୋନ-ସନ୍ତାନଗଣର ନିକଟକୁ ଗଲା।
JER 41:16 ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍‍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍‍, ଗିବୀୟୋନ୍‍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।
JER 41:17 ଆଉ, ସେମାନେ କଲ୍‍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍‍ହମ୍‍ରେ ବାସ କଲେ;
JER 41:18 କାରଣ ନଥନୀୟର ପୁତ୍ର ଇଶ୍ମାୟେଲ, ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବଧ କରିବା ହେତୁରୁ ସେମାନେ କଲ୍‍ଦୀୟମାନଙ୍କ ବିଷୟରେ ଭୀତ ହୋଇଥିଲେ।
JER 42:1 ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍‍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସି କହିଲେ,
JER 42:2 “ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କର ନିବେଦନ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆପଣ ଆମ୍ଭମାନଙ୍କ ନିମନ୍ତେ, ଅର୍ଥାତ୍‍, ଅବଶିଷ୍ଟ ଏହି ସକଳ ଲୋକଙ୍କ ନିମନ୍ତେ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ; କାରଣ ଆପଣ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛନ୍ତି, ଆମ୍ଭେମାନେ ଅନେକ ଥିଲୁ, ଏବେ ଅଳ୍ପମାତ୍ର ରହିଅଛୁ।
JER 42:3 ତହିଁରେ କେଉଁ ପଥ ଆମ୍ଭମାନଙ୍କର ଗନ୍ତବ୍ୟ ଓ କେଉଁ କର୍ମ ଆମ୍ଭମାନଙ୍କର କର୍ତ୍ତବ୍ୟ, ଏହା ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଜ୍ଞାତ କରାଇବେ।”
JER 42:4 ସେତେବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି; ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେକୌଣସି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ କରିବି ନାହିଁ।”
JER 42:5 ତହିଁରେ ସେମାନେ ଯିରିମୀୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯଦି ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହେଉନ୍ତୁ।
JER 42:6 ତାହା ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ମାନିଲେ, ଆମ୍ଭମାନଙ୍କର ମଙ୍ଗଳ ହେବ।”
JER 42:7 ଏଥିଉତ୍ତାରେ ଦଶ ଦିନ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
JER 42:8 ତହିଁରେ ସେ କାରେହର ପୁତ୍ର ଯୋହାନନ୍‍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ,
JER 42:9 “ତୁମ୍ଭେମାନେ ଯାହାଙ୍କ ନିକଟରେ ଆପଣାମାନଙ୍କର ନିବେଦନ ଜଣାଇବାକୁ ମୋତେ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
JER 42:10 ଯଦି ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ମାଣ କରିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷାନ୍ତ ହେଲୁ।
JER 42:11 ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ, ସଦାପ୍ରଭୁ କହନ୍ତି, ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ।
JER 42:12 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା, ତହିଁରେ ସେ ତୁମ୍ଭମାନଙ୍କ ପ୍ରତି ଦୟା ବହି ତୁମ୍ଭମାନଙ୍କ ଦେଶକୁ ତୁମ୍ଭମାନଙ୍କୁ ପ୍ରତ୍ୟାଗମନ କରାଇବ।
JER 42:13 ମାତ୍ର ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ନ ମାନି ଯଦି କୁହ,
JER 42:14 ନା; ମାତ୍ର ଆମ୍ଭେମାନେ ମିସର ଦେଶକୁ ଯିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ, କି ତୂରୀ ଶବ୍ଦ ଶୁଣିବା ନାହିଁ, କିଅବା ଖାଦ୍ୟର ଅଭାବ ଭୋଗିବା ନାହିଁ; ଆଉ, ସେଠାରେ ଆମ୍ଭେମାନେ ବାସ କରିବା।
JER 42:15 ଏହେତୁ ହେ ଯିହୁଦାର ଅବଶିଷ୍ଟ ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ: ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଯଦି ମିସରରେ ପ୍ରବେଶ କରିବା ପାଇଁ ନିତାନ୍ତ ଉତ୍ସୁକ ହୁଅ ଓ ସେଠାରେ ପ୍ରବାସ କରିବା ପାଇଁ ଯାଅ;
JER 42:16 ତେବେ ଏହା ଘଟିବ ଯେ, ଯେଉଁ ଖଡ୍ଗକୁ ତୁମ୍ଭେମାନେ ଭୟ କରୁଅଛ, ତାହା ତୁମ୍ଭମାନଙ୍କର ପଛେ ଗୋଡ଼ାଇ ମିସରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୀତ ହେଉଅଛ, ତାହା ମିସର ଦେଶରେ ତୁମ୍ଭମାନଙ୍କର ପଛେ ପଛେ ଲାଗି ରହିବ ଓ ସେଠାରେ ତୁମ୍ଭେମାନେ ମରିବ।
JER 42:17 ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।
JER 42:18 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ।
JER 42:19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ‘ତୁମ୍ଭେମାନେ ମିସରକୁ ଯାଅ ନାହିଁ,’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।
JER 42:20 ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’
JER 42:21 ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।
JER 42:22 ଏହେତୁ ଏବେ ନିଶ୍ଚୟ ଜାଣ ଯେ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଯିବା ପାଇଁ ବାଞ୍ଛା କରୁଅଛ, ସେ ସ୍ଥାନରେ ତୁମ୍ଭେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”
JER 43:1 ଏଥିଉତ୍ତାରେ ଯିରିମୀୟ ଏହିସବୁ କଥା, ଅର୍ଥାତ୍‍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ,
JER 43:2 ହୋଶୋୟୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍‍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ; ‘ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ,’ ଏ କଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି;
JER 43:3 ମାତ୍ର କଲ୍‍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି।”
JER 43:4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।
JER 43:5 ମାତ୍ର କାରେହର ପୁତ୍ର ଯୋହାନନ୍‍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍‍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ,
JER 43:6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,
JER 43:7 ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍‍ହେଷର ପର୍ଯ୍ୟନ୍ତ ଗଲେ।
JER 43:8 ଏଥିଉତ୍ତାରେ ତଫନ୍‍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
JER 43:9 “ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍‍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;
JER 43:10 ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ।
JER 43:11 ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁୁଯୋଗ୍ୟ ଲୋକଙ୍କୁ ମୃତ୍ୟୁୁରେ, ବନ୍ଦୀତ୍ୱର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ଖଡ୍ଗଯୋଗ୍ୟ ଲୋକଙ୍କୁ ଖଡ୍ଗରେ ସମର୍ପଣ କରିବ।
JER 43:12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ଘୋଡ଼ାଇଥାଏ, ସେହିପରି ସେ ମିସର ଦେଶ ଦ୍ୱାରା ଆପଣାକୁ ଘୋଡ଼ାଇବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ।
JER 43:13 ଆହୁରି, ସେ ମିସର ଦେଶସ୍ଥ ବେଥ୍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ।’”
JER 44:1 ଯେଉଁ ଯିହୁଦୀୟମାନେ ମିସର ଦେଶରେ ବାସ କଲେ, ଯେଉଁମାନେ ମିଗ୍‍ଦୋଲରେ ଓ ତଫନ୍‍ହେଷରରେ ଓ ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ, ସେସମସ୍ତଙ୍କ ବିଷୟରେ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି, ଯଥା,
JER 44:2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ଯିରୂଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ, ତାହା ତୁମ୍ଭେମାନେ ଦେଖିଅଛ; ଆଉ ଦେଖ, ସେସବୁ ଆଜି ଉତ୍ସନ୍ନ ସ୍ଥାନ ହୋଇ ରହିଅଛି, ସେଠାରେ କୌଣସି ମନୁଷ୍ୟ ବାସ କରେ ନାହିଁ;
JER 44:3 କାରଣ ସେମାନେ ଆମ୍ଭକୁ ବିରକ୍ତ କରିବା ପାଇଁ ଦୁଷ୍ଟତା କଲେ, ଅର୍ଥାତ୍‍, ସେମାନେ ଆପଣାମାନଙ୍କର ଓ ତୁମ୍ଭମାନଙ୍କର, ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାକୁ ଓ ସେମାନଙ୍କର ସେବା କରିବାକୁ ଗଲେ।
JER 44:4 ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।
JER 44:5 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା ଆପଣା ଆପଣା ଦୁଷ୍ଟତାରୁ ଫେରିବା ପାଇଁ, ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଆଉ ଧୂପ ନ ଜ୍ୱଳାଇବା ପାଇଁ କର୍ଣ୍ଣପାତ କଲେ ନାହିଁ।
JER 44:6 ଏହେତୁ ଆମ୍ଭର ପ୍ରଚଣ୍ଡ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ୱଳିତ ହେଲା, ପୁଣି ଆଜିର ସଦୃଶ୍ୟ ସେସବୁ ଉତ୍ସନ୍ନ ଓ ଧ୍ୱଂସିତ ହୋଇଅଛି।
JER 44:7 ଏନିମନ୍ତେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏବେ ଏହି କଥା କହନ୍ତି, ତୁମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣ ବିରୁଦ୍ଧରେ ଏହି ମହାପାପ କରୁଅଛ? ଏହା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦାର ମଧ୍ୟରୁ ଉଚ୍ଛିନ୍ନ କରିବ, ଆପଣାମାନଙ୍କର କାହାକୁ ହିଁ ଅବଶିଷ୍ଟ ରଖିବ ନାହିଁ;
JER 44:8 ତୁମ୍ଭେମାନେ ଏହି ଯେ ମିସର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏହି ସ୍ଥାନରେ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ କାହିଁକି ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ଉଚ୍ଛିନ୍ନ ହେବ ଓ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ଅଭିଶାପ ଓ ନିନ୍ଦାର ପାତ୍ର ହେବ।
JER 44:9 ଯିହୁଦା ଦେଶରେ ଓ ଯିରୂଶାଲମର ସମସ୍ତ ପଥରେ କୃତ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କର ଦୁଷ୍କ୍ରିୟା ଓ ଯିହୁଦା-ରାଜାଗଣର ଦୁଷ୍କ୍ରିୟା ଓ ସେମାନଙ୍କ ଭାର୍ଯ୍ୟାଗଣର ଦୁଷ୍କ୍ରିୟା, ଆଉ ତୁମ୍ଭମାନଙ୍କର ନିଜର ଦୁଷ୍କ୍ରିୟା ଓ ତୁମ୍ଭମାନଙ୍କର ଭାର୍ଯ୍ୟାଗଣର ଦୁଷ୍କ୍ରିୟା କି ତୁମ୍ଭେମାନେ ପାସୋରିଅଛ?
JER 44:10 ସେମାନେ ଆଜି ପର୍ଯ୍ୟନ୍ତ ଚୂର୍ଣ୍ଣମନା ହୋଇ ନାହାନ୍ତି, କିଅବା ସେମାନେ ଭୟ କରି ନାହାନ୍ତି, ଅଥବା ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ଓ ବିଧି ସ୍ଥାପନ କଲୁ, ତଦନୁସାରେ ଆଚରଣ କରି ନାହାନ୍ତି।
JER 44:11 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା।
JER 44:12 ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।
JER 44:13 କାରଣ ଆମ୍ଭେ ଯେପରି ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୂଶାଲମକୁ ଦଣ୍ଡ ଦେଇଅଛୁ, ତଦ୍ରୂପ ମିସର ଦେଶରେ ବାସକାରୀମାନଙ୍କୁ ଦଣ୍ଡ ଦେବା;
JER 44:14 ତହିଁରେ ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରିଯାଇ ସେଠାରେ ବାସ କରିବା ପାଇଁ ବାଞ୍ଛା କରି ମିସର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉତ୍ତୀର୍ଣ୍ଣ କି ରକ୍ଷାପ୍ରାପ୍ତ ହେବେ ନାହିଁ: କାରଣ ପଳାତକ ଲୋକମାନଙ୍କ ଛଡ଼ା ଆଉ କେହି ଫେରିଯିବେ ନାହିଁ।”
JER 44:15 ସେତେବେଳେ ଯେଉଁମାନେ, ଆପଣା ସ୍ତ୍ରୀମାନେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାନ୍ତି ବୋଲି ଜାଣିଲେ, ସେମାନେ ଓ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ, ଅର୍ଥାତ୍‍, ମିସରର ପଥ୍ରୋଷ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମୀୟଙ୍କୁ ଉତ୍ତର ଦେଇ କହିଲେ,
JER 44:16 “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସେହି କଥା ଆମ୍ଭେମାନେ ଶୁଣିବୁ ନାହିଁ।
JER 44:17 ମାତ୍ର ଆମ୍ଭମାନଙ୍କ ମୁଖରୁ ଯେ ପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍‍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜାଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବୁ ଓ ପେୟ-ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।
JER 44:18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ-ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ।”
JER 44:19 ପୁଣି, “ଆମ୍ଭେମାନେ ଯେଉଁ ସମୟରେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲୁ ଓ ପେୟ-ନୈବେଦ୍ୟ ଢାଳିଲୁ, ସେତେବେଳେ ଆପଣା ଆପଣା ସ୍ୱାମୀର ଅନୁମତି ବିନା କି ତାହାର ପୂଜା ନିମନ୍ତେ ପିଷ୍ଟକ ପ୍ରସ୍ତୁତ କଲୁ ଓ ତାହା ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଲୁ?”
JER 44:20 ତହିଁରେ ଯିରିମୀୟ ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସେହି ପ୍ରତ୍ୟୁତ୍ତରକାରୀ ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ କହିଲେ,
JER 44:21 “ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?
JER 44:22 ତହିଁରେ ତୁମ୍ଭମାନଙ୍କର ଦୁଷ୍କ୍ରିୟା ସକାଶୁ ଓ ତୁମ୍ଭମାନଙ୍କର କୃତ ଘୃଣାଯୋଗ୍ୟ କର୍ମ ସକାଶୁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ; ଏହେତୁ ତୁମ୍ଭମାନଙ୍କର ଦେଶ ଆଜିର ସଦୃଶ୍ୟ ଉତ୍ସନ୍ନ ଓ ବିସ୍ମୟଜନକ, ଅଭିଶପ୍ତ ଓ ନିବାସୀବିହୀନ ହୋଇଅଛି।
JER 44:23 ତୁମ୍ଭେମାନେ ଧୂପ ଜ୍ୱଳାଇଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ରବରେ ମନୋଯୋଗ କରି ନାହଁ, ପୁଣି ତାହାଙ୍କର ବ୍ୟବସ୍ଥା ବିଧି ଓ ପ୍ରମାଣ-ବାକ୍ୟାନୁସାରେ ଆଚରଣ କରି ନାହଁ; ଏଥିପାଇଁ ଆଜିର ସଦୃଶ୍ୟ ଏହି ଅମଙ୍ଗଳ ତୁମ୍ଭମାନଙ୍କ ପ୍ରତି ଘଟିଅଛି।”
JER 44:24 ଆହୁରି, ଯିରିମୀୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିସର ଦେଶରେ ଥିବା ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ:
JER 44:25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ-ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ, ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।
JER 44:26 ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, ‘ପ୍ରଭୁ ସଦାପ୍ରଭୁ ଜୀବିତ’ ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।
JER 44:27 ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଜଗି ରହିବା; ତହିଁରେ ମିସର ଦେଶସ୍ଥ ସମୁଦାୟ ଯିହୁଦୀ ଲୋକ ନିଃଶେଷ ନ ହେବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେବେ।
JER 44:28 ପୁଣି, ଖଡ୍ଗରୁ ରକ୍ଷାପ୍ରାପ୍ତ ଅଳ୍ପସଂଖ୍ୟକ ଲୋକ ମିସର ଦେଶରୁ ଯିହୁଦା ଦେଶକୁ ଫେରିଯିବେ; ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିସର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକ ସମସ୍ତେ, ଆମ୍ଭର କି ସେମାନଙ୍କର କାହାର ବାକ୍ୟ ଅଟଳ ହେବ, ଏହା ଜାଣିବେ।
JER 44:29 ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବ, ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ।
JER 44:30 ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକୀୟକୁ ତାହାର ପ୍ରାଣନାଶର ଚେଷ୍ଟାକାରୀ ଶତ୍ରୁ ବାବିଲର ରାଜା ନବୂଖଦ୍‍ନିତ୍ସର ହସ୍ତରେ ସମର୍ପଣ କଲୁ, ସେପରି ଆମ୍ଭେ ମିସରର ରାଜା ଫାରୋ ହଫ୍ରାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ଓ ତାହାର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା।”
JER 45:1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ନେରୀୟର ପୁତ୍ର ବାରୂକ ଏହି ସମସ୍ତ କଥା ଯିରିମୀୟଙ୍କ ମୁଖରୁ ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ତାହାକୁ ଏହି କଥା କହିଲେ,
JER 45:2 “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି;
JER 45:3 ତୁମ୍ଭେ କହିଲ, ‘ହାୟ, ହାୟ, ମୁଁ ଏବେ ସନ୍ତାପର ପାତ୍ର! କାରଣ ସଦାପ୍ରଭୁ ମୋʼ ବେଦନାରେ ଦୁଃଖ ଯୋଗ କରିଅଛନ୍ତି; ମୁଁ କାତରୋକ୍ତି କରି କରି କ୍ଳାନ୍ତ ହେଉଅଛି ଓ ମୋର କିଛି ବିଶ୍ରାମ ନାହିଁ।’
JER 45:4 ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା।
JER 45:5 ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ? ତାହା ଚେଷ୍ଟା କର ନାହିଁ, କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।”
JER 46:1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
JER 46:2 ମିସର ବିଷୟ। ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍‍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍‍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା।
JER 46:3 “ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।
JER 46:4 ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।
JER 46:5 ଆମ୍ଭେ ସେମାନଙ୍କୁ ଉଦ୍‍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ? ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି; ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି।
JER 46:6 ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ; ଉତ୍ତର ଦିଗରେ ଫରାତ୍‍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି।
JER 46:7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ସେ କିଏ?
JER 46:8 ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି, ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ଆଉ ସେ କହୁଅଛି, ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି; ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି।
JER 46:9 ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍‍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।
JER 46:10 କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ; ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ; କାରଣ ଫରାତ୍‍ ନଦୀ ନିକଟସ୍ଥ ଉତ୍ତର ଦେଶରେ ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି।
JER 46:11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
JER 46:12 ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”
JER 46:13 ବାବିଲର ରାଜା ନବୂଖଦ୍‍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
JER 46:14 “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍‍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍‍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।
JER 46:15 ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ? ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ।
JER 46:16 ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ, ସେମାନେ ପରସ୍ପର ଉପରେ ପଡ଼ିଲେ; ପୁଣି, ସେମାନେ କହିଲେ, ‘ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇ ଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।’
JER 46:17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’
JER 46:18 ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ।
JER 46:19 ଆଗୋ ମିସର ନିବାସିନୀ କନ୍ୟେ, ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର; କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ।
JER 46:20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।
JER 46:21 ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ; କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି, ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ, କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟ ସେମାନଙ୍କର ନିକଟରେ ଉପସ୍ଥିତ ହେଲା।
JER 46:22 ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେ ଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ, ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ।
JER 46:23 ସଦାପ୍ରଭୁ କହନ୍ତି, ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁ ସେମାନେ ତାହା ହାଣି ପକାଇବେ; କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।
JER 46:24 ମିସରର କନ୍ୟା ଲଜ୍ଜିତା ହେବ; ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।”
JER 46:25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;
JER 46:26 ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା। ପୁଣି, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ସେ ଦେଶ ପୂର୍ବକାଳର ନ୍ୟାୟ ବସତି ସ୍ଥାନ ହେବ।
JER 46:27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରିଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।
JER 46:28 ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହି ସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।”
JER 47:1 ଫାରୋ ଘସା ନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
JER 47:2 “ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଚ୍ଛୁଳୁଅଛି, ତାହା ପ୍ଲାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।
JER 47:3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;
JER 47:4 କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ଦିନ ଆସୁଅଛି; ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର, କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।
JER 47:5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ?
JER 47:6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶାନ୍ତ ଓ କ୍ଷାନ୍ତ ହୁଅ।
JER 47:7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିପରି କ୍ଷାନ୍ତ ହୋଇପାର? ସେ ଅସ୍କିଲୋନର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।”
JER 48:1 ମୋୟାବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା; କିରୀୟାଥୟିମ୍‍ ଲଜ୍ଜିତ ହେଲା, ତାହା ଧୃତ ହେଲା; ମିସ୍ଗନ୍‍ ଲଜ୍ଜିତ ଓ ଭଗ୍ନ ହେଲା।
JER 48:2 ମୋୟାବର ପ୍ରଶଂସା ଆଉ ତ ନାହିଁ; ଲୋକମାନେ ହିଷ୍‍ବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି, ‘ଆସ, ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେଉ। ହେ ମଦ୍‍ମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ; ଖଡ୍ଗ ତୁମ୍ଭ ପଶ୍ଚାଦ୍‍ଗାମୀ ହେବ।
JER 48:3 “ହୋରୋନୟିମଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ!
JER 48:4 ମୋୟାବ ନଷ୍ଟ ହେଲା; ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
JER 48:5 କାରଣ ଲୂହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ; ଯେହେତୁ ହୋରୋନୟିମର ଗଡ଼ନ୍ତି ପଥରେ ସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
JER 48:6 ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ହୁଅ।
JER 48:7 କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।
JER 48:8 ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ; ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ।
JER 48:9 “ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ; ତାହାର ନଗରସକଳ ଧ୍ୱଂସିତ ହେବ, ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ।
JER 48:10 “ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଅଭିଶପ୍ତ ହେଉ ଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଅଭିଶପ୍ତ ହେଉ।
JER 48:11 “ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି, ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇଯାଇ ନାହିଁ; ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।
JER 48:12 ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା, ଆଉ ସେମାନେ ତାହାକୁ ଢାଳି ଦେବେ ଓ ତାହାର ପାତ୍ରସକଳ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ, ଏପରି ସମୟ ଆସୁଅଛି।
JER 48:13 ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍‍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
JER 48:14 ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ ଏହା ତୁମ୍ଭେମାନେ କିପରି କହୁଅଛ?
JER 48:15 ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଲାଇ ଯାଇଅଛନ୍ତି, ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି।
JER 48:16 ମୋୟାବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଳେଶ ଅତି ଶୀଘ୍ର ଆସୁଅଛି।
JER 48:17 ତାହାର ଚତୁର୍ଦ୍ଦିଗସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ତାହାର ପାଇଁ ବିଳାପ କର, ଆଉ କୁହ, ‘ଏହି ଦୃଢ଼ ଦଣ୍ଡ, ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି!’
JER 48:18 ହେ ଦୀବୋନ୍ ନିବାସିନୀ କନ୍ୟେ, ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଲାଇ ଆସି ତୃଷାରେ ବସ; କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି, ସେ ତୁମ୍ଭର ଦୃଢ଼ ଦୁର୍ଗସବୁ ନଷ୍ଟ କରିଅଛି।
JER 48:19 ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; କଅଣ କରାଯାଇଅଛି କୁହ?
JER 48:20 ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି; ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।
JER 48:21 ପୁଣି, ମୋୟାବ ଦେଶୀୟ ଦୂରସ୍ଥ କିଅବା ନିକଟସ୍ଥ ସମସ୍ତ ନଗର ଉପରେ,
JER 48:22 ଅର୍ଥାତ୍‍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ, ଯହସ ଓ ମେଫାତ୍‍ ଦୀବୋନ୍, ନବୋ ଓ ବେଥ୍-ଦିବ୍ଳାଥୟିମ:
JER 48:23 କିରୀୟାଥୟିମ୍‍, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍‍;
JER 48:24 କରୀୟୋଥ୍‍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଚାରଦଣ୍ଡ ଉପସ୍ଥିତ ହୋଇଅଛି।
JER 48:25 ସଦାପ୍ରଭୁ କହନ୍ତି, ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।
JER 48:26 ତୁମ୍ଭେମାନେ ତାହାକୁ ମତ୍ତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି; ପୁଣି, ମୋୟାବ ଆପଣା ବାନ୍ତିରେ ଗଡ଼ିବ, ମଧ୍ୟ ସେ ପରିହାସାସ୍ପଦ ହେବ।
JER 48:27 ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇ ନ ଥିଲା? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା? ତୁମ୍ଭେ ଯେତେ ଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ।
JER 48:28 ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ନଗରସବୁ ତ୍ୟାଗ କରି ଶୈଳରେ ବାସ କର ଓ ଗର୍ତ୍ତର ମୁଖ ପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ।
JER 48:29 ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।
JER 48:30 ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର କ୍ରୋଧ ଜାଣୁ, ତାହା କିଛି ନୁହେଁ, ତାହାର ଗର୍ବସବୁ କିଛି ହିଁ ସାଧନ କରି ନାହିଁ।
JER 48:31 ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।
JER 48:32 ହେ ସିବ୍‍ମାର ଦ୍ରାକ୍ଷାଲତା, ଯାସେରର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା; ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା, ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା; ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଉପସ୍ଥିତ ହେଲା।
JER 48:33 ମୋୟାବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି; ପୁଣି, ଆମ୍ଭେ ଦ୍ରାକ୍ଷାକୁଣ୍ଡସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ; କେହି ହର୍ଷନାଦରେ ଦ୍ରାକ୍ଷାମର୍ଦ୍ଦନ କରିବ ନାହିଁ; ସେହି ନାଦ ହର୍ଷନାଦ ହେବ ନାହିଁ।
JER 48:34 ହିଷ୍‍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ, ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ, ଇଗ୍ଲତ୍‍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାର ଶବ୍ଦ ଉଠାଇଅଛନ୍ତି; କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।
JER 48:35 ଆହୁରି, ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।
JER 48:36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।
JER 48:37 କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି; ସମସ୍ତଙ୍କ ହସ୍ତରେ କଟା ଦାଗ ଓ କଟିଦେଶରେ ଚଟବସ୍ତ୍ର ଅଛି।
JER 48:38 ମୋୟାବର ସମସ୍ତ ଗୃହ-ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।
JER 48:39 ସେ କିପରି ଭଗ୍ନ ହୋଇଅଛି! ଲୋକେ କିପରି ବିଳାପ କରୁଅଛନ୍ତି! ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇଅଛି! ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଭୟସ୍ଥାନ ହେବ।”
JER 48:40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।
JER 48:41 କରୀୟୋଥ୍‍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍‍ ଆକ୍ରାନ୍ତ ହେଲା, ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।
JER 48:42 ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।
JER 48:43 ସଦାପ୍ରଭୁ କହନ୍ତି, ହେ ମୋୟାବ ନିବାସୀନ୍‍, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
JER 48:44 ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବ ଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଉପରେ, ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।
JER 48:45 ଯେଉଁମାନେ ପଳାଇଗଲେ, ସେମାନେ ବଳହୀନ ହୋଇ ହିଷ୍‍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍‍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।
JER 48:46 ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର! କମୋଶର ଲୋକମାନେ ବିନଷ୍ଟ ହେଲେ; କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
JER 48:47 ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ମୋୟାବର ବିଚାର କଥା ଏତିକି।
JER 49:1 ଅମ୍ମୋନ-ସନ୍ତାନଗଣର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର କି ପୁତ୍ର ନାହିଁ? ତାହାର ଉତ୍ତରାଧିକାରୀ କି କେହି ନାହିଁ? ତେବେ ମିଲ୍‍କମ୍‍ କାହିଁକି ଗାଦ୍‍ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି?
JER 49:2 ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ, ଏହା ସଦାପ୍ରଭୁ କହନ୍ତି।
JER 49:3 ହେ ହିଷ୍‍ବୋନ, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; କାରଣ ମିଲ୍‍କମ୍‍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ।
JER 49:4 ଗୋ ବିପଥଗାମିନୀ କନ୍ୟେ, ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ? ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ‘ମୋʼ ନିକଟକୁ କିଏ ଆସିବ?’
JER 49:5 ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ସବୁରୁ ତୁମ୍ଭ ପ୍ରତି ଭୟ ଘଟାଇବା; ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥରେ ତାଡ଼ିତ ହେବ, ପୁଣି ଯେଉଁ ଜନ ପଥ ହୁଡ଼େ, ତାହାକୁ ସଂଗ୍ରହ କରିବା ପାଇଁ କେହି ନ ଥିବ।
JER 49:6 ତଥାପି ସଦାପ୍ରଭୁ କହନ୍ତି, ଏଥିଉତ୍ତାରେ ଆମ୍ଭେ ଅମ୍ମୋନ-ସନ୍ତାନଗଣକୁ ବନ୍ଦୀତ୍ୱାବସ୍ଥାରୁ ପୁନର୍ବାର ଫେରାଇ ଆଣିବା।”
JER 49:7 ଇଦୋମର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୈମନ୍‍ରେ କି ଆଉ ଜ୍ଞାନ ନାହିଁ? ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି? ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି?
JER 49:8 ହେ ଦଦାନ ନିବାସୀଗଣ, ତୁମ୍ଭେମାନେ ପଳାଅ, ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର; କାରଣ ଆମ୍ଭେ ତାହା ଉପରେ ଏଷୌର ବିପଦ, ତାହାକୁ ପ୍ରତିଫଳ ଦେବାର ସମୟ ଆଣିବା।
JER 49:9 ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ତୁମ୍ଭ ନିକଟକୁ ଆସିଲେ, ସେମାନେ କି ସାଉଣ୍ଟିବା ପାଇଁ କିଛି ଫଳ ଛାଡ଼ିବେ ନାହିଁ? ଯଦି ଚୋରମାନେ ରାତ୍ରିରେ ଆସିବେ, ତେବେ ସେମାନେ ଯଥେଷ୍ଟ ପାଇବା ପର୍ଯ୍ୟନ୍ତ କି କ୍ଷତି କରିବେ ନାହିଁ?
JER 49:10 ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ, ତାହାର ଗୁପ୍ତ ସ୍ଥାନସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ; ତାହାର ବଂଶ, ତାହାର ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ।
JER 49:11 ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।
JER 49:12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତାନ୍ତ ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ଡିତ ହେବ? ତୁମ୍ଭେ ଅଦଣ୍ଡିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ।
JER 49:13 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନ ସ୍ଥାନ ହେବ।”
JER 49:14 ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି, ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ।
JER 49:15 କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ।
JER 49:16 ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଲାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।
JER 49:17 ପୁଣି, “ଇଦୋମ ବିସ୍ମୟର ବିଷୟ ହେବ; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବେ।
JER 49:18 ସଦାପ୍ରଭୁ କହନ୍ତି, ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହ ସଦୃଶ୍ୟ ତାହାର ଉତ୍ପାଟନ ହେବ, କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ; କିଅବା କୌଣସି ମନୁଷ୍ୟ-ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
JER 49:19 ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍‍ ତାହା ନିକଟରୁ ତାହାକୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି?
JER 49:20 ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ୍‍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ, ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
JER 49:21 ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି, ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
JER 49:22 ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”
JER 49:23 ଦମ୍ମେଶକର ବିଷୟ। “ହମାତ୍‍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି; ସମୁଦ୍ରରେ ଉଦ୍‍ବେଗ ଦେଖାଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ।
JER 49:24 ଦମ୍ମେଶକ କ୍ଷୀଣବଳ ହୋଇଅଛି, ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି; ଯେପରି ପ୍ରସବକାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି।
JER 49:25 ଏହି ପ୍ରଶଂସିତ ନଗର ଓ ଆମ୍ଭର ଆନନ୍ଦଜନକ ନଗର କାହିଁକି ପରିତ୍ୟକ୍ତ ହୋଇ ନାହିଁ?
JER 49:26 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।
JER 49:27 ପୁଣି, ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା, ତହିଁରେ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।”
JER 49:28 “ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
JER 49:29 ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲସବୁ ନେଇଯିବେ; ସେମାନଙ୍କର ଯବନିକା ଓ ସେମାନଙ୍କର ଯାବତୀୟ ପାତ୍ର ଓ ଓଟଗଣକୁ ସେମାନେ ଆପଣାମାନଙ୍କ ନିମନ୍ତେ ନେଇଯିବେ, ଆଉ ‘ଚତୁର୍ଦ୍ଦିଗରେ ଆଶଙ୍କା’ ବୋଲି ଉଚ୍ଚସ୍ୱରରେ ସେମାନଙ୍କୁ କହିବେ।
JER 49:30 ସଦାପ୍ରଭୁ କହନ୍ତି, ହେ ହାସୋର ନିବାସୀମାନେ, ପଳାୟନ କର, ଦୂରରେ ଭ୍ରମଣ କର, ଗଭୀର ସ୍ଥାନରେ ବାସ କର; କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି ଓ ତୁମ୍ଭମାନଙ୍କ ବିରୁଦ୍ଧରେ ଗୋଟିଏ ସଂକଳ୍ପ ସ୍ଥିର କରିଅଛି।
JER 49:31 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଉଠ, ଯେଉଁ ଗୋଷ୍ଠୀ କବାଟ ଓ ହୁଡ଼ୁକାବିହୀନ ହୋଇ ନିରାପଦରେ ଓ ନିଶ୍ଚିନ୍ତରେ ଏକଲା ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଯାତ୍ରା କର।
JER 49:32 ସେମାନଙ୍କର ଓଟଗଣ ଲୁଟିତ ବସ୍ତୁ ହେବେ ଓ ସେମାନଙ୍କର ଅନେକ ଅନେକ ପଶୁ ଲୁଟିତ ହେବେ; ପୁଣି, ଯେଉଁ ଲୋକମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ଚାରିଆଡ଼ରୁ ସେମାନଙ୍କର ବିପଦ ଆଣିବା, ଏହା ସଦାପ୍ରଭୁ କହନ୍ତି।
JER 49:33 ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟ-ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”
JER 49:34 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଆରମ୍ଭ ସମୟରେ ଏଲମ୍‍ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
JER 49:35 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏଲମ୍‍ର ଧନୁ, ଅର୍ଥାତ୍‍, ସେମାନଙ୍କ ବଳର ଅଗ୍ରିମାଂଶ ଭାଙ୍ଗି ପକାଇବା।
JER 49:36 ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ୍‍ ଉପରେ ବହାଇବା ଓ ସେହି ସବୁ ବାୟୁ ଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆଉ, ଏଲମ୍‍ର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ।
JER 49:37 ପୁଣି, ଆମ୍ଭେ ଏଲମ୍‍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା, ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।
JER 49:38 ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମ୍‍ରେ ଆପଣା ସିଂହାସନ ସ୍ଥାପନ କରିବା ଓ ସେସ୍ଥାନରୁ ରାଜାକୁ ଓ ଅଧିପତିଗଣକୁ ଉଚ୍ଛିନ୍ନ କରିବା।
JER 49:39 ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍‍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।”
JER 50:1 ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍‍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
JER 50:2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍‍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
JER 50:3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
JER 50:4 ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
JER 50:5 ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
JER 50:6 ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମ-ସ୍ଥାନ ପାସୋରିଅଛନ୍ତି।
JER 50:7 ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’
JER 50:8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍‍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
JER 50:9 କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହାଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।
JER 50:10 ପୁଣି, କଲ୍‍ଦୀୟା ଲୁଟିତ ଦ୍ରବ୍ୟ ହେବ, ସଦାପ୍ରଭୁ କହନ୍ତି, ଯେଉଁମାନେ ତାହା ଲୁଟିବେ, ସେସମସ୍ତେ ପରିତୃପ୍ତ ହେବେ।
JER 50:11 ହେ ଆମ୍ଭର ଅଧିକାର ଅପହରଣକାରୀମାନେ, ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ, ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
JER 50:12 ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ; ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ; ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍‍ ହେବ, ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।
JER 50:13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବ।
JER 50:14 ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ, ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ; କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
JER 50:15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।
JER 50:16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରିଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।
JER 50:17 ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି; ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍‍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।
JER 50:18 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଅଶୂରର ରାଜାକୁ ଯେପରି ଦଣ୍ଡ ଦେଇଅଛୁ, ସେପରି ବାବିଲର ରାଜାକୁ ଓ ତାହାର ଦେଶକୁ ଆମ୍ଭେ ଦଣ୍ଡ ହେବା।
JER 50:19 ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।
JER 50:20 ସଦାପ୍ରଭୁ କହନ୍ତି, ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।
JER 50:21 ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥୟିମ୍‍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ; ସେମାନଙ୍କର ପଶ୍ଚାତ୍‍ ପଶ୍ଚାତ୍‍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।
JER 50:22 ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
JER 50:23 ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
JER 50:24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାନ୍ଦ ପାତିଅଛୁ, ଆଉ ତୁମ୍ଭେ ନ ଜାଣି ତହିଁରେ ଧରା ପଡ଼ିଅଛ, ତୁମ୍ଭର ଅନୁସନ୍ଧାନ ମିଳିଅଛି, ମଧ୍ୟ ତୁମ୍ଭେ ଧରା ପଡ଼ିଅଛ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଅଛ।
JER 50:25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍‍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।
JER 50:26 ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ, ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର; ତାହାର କିଛି ଅବଶିଷ୍ଟ ରଖ ନାହିଁ।
JER 50:27 ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
JER 50:28 ଯେଉଁ ପଳାତକମାନେ ଓ ବାବିଲ ଦେଶରୁ ରକ୍ଷାପ୍ରାପ୍ତ ଲୋକମାନେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର, ହଁ, ତାହାଙ୍କ ମନ୍ଦିର ହେତୁରୁ ପ୍ରତିଶୋଧ ନେବାର ବିଷୟ ସିୟୋନରେ ପ୍ରକାଶ କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କର ରବ।
JER 50:29 ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।
JER 50:30 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।
JER 50:31 ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, କାରଣ ତୁମ୍ଭର ଦିନ, ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
JER 50:32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।
JER 50:33 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି; ସେମାନଙ୍କୁ ଛାଡ଼ିଦେବାକୁ ଅସମ୍ମତ ହେଉଅଛନ୍ତି;
JER 50:34 (ମାତ୍ର) ସେମାନଙ୍କର ମୁକ୍ତିଦାତା ବଳବାନ; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ, ସେ ପୃଥିବୀକୁ ଶାନ୍ତ ଓ ବାବିଲ ନିବାସୀମାନଙ୍କୁ ଉଦ୍‍ବିଗ୍ନ କରିବା ନିମନ୍ତେ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।
JER 50:35 ସଦାପ୍ରଭୁ କହନ୍ତି, କଲ୍‍ଦୀୟମାନଙ୍କ ଉପରେ, ବାବିଲ ନିବାସୀମାନଙ୍କ ଉପରେ, ତାହାର ଅଧିପତିମାନଙ୍କ ଓ ଜ୍ଞାନୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି।
JER 50:36 ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ; ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।
JER 50:37 ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ; ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।
JER 50:38 ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
JER 50:39 ଏଥିପାଇଁ ବନ-ପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ; ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରାଯିବ ନାହିଁ।
JER 50:40 ସଦାପ୍ରଭୁ କହନ୍ତି, ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା, ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
JER 50:41 ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
JER 50:42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
JER 50:43 ବାବିଲର ରାଜା ସେମାନଙ୍କ ବିଷୟରେ ଜନରବ ଶୁଣିଅଛି ଓ ତାହାର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ତାହାକୁ ଆକ୍ରାନ୍ତ କରିଅଛି।
JER 50:44 ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍‍ ତାହା ନିକଟରୁ ସେମାନଙ୍କୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି?”
JER 50:45 ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍‍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ; ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ମଧ୍ୟ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କର ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
JER 50:46 ବାବିଲ ଶତ୍ରୁହସ୍ତଗତ ହେବାର ଶବ୍ଦରେ ପୃଥିବୀ କମ୍ପୁଅଛି ଓ ଗୋଷ୍ଠୀଗଣ ମଧ୍ୟରେ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
JER 51:1 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ଲେବ-କାମାଇ ନିବାସୀମାନଙ୍କ ବିରୁଦ୍ଧରେ ଏକ ବିନାଶକ ବାୟୁ ଉତ୍ପନ୍ନ କରିବା।
JER 51:2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।
JER 51:3 ଧନୁର୍ଦ୍ଧାରୀ ଆପଣା ଧନୁରେ ଗୁଣ ନ ଦେଉ ଓ ସେ ଆପଣା ସାଞ୍ଜୁଆ ପିନ୍ଧି ଉତ୍ଥିତ ନ ହେଉ; ତୁମ୍ଭେମାନେ ତାହାର ଯୁବକଗଣକୁ ଦୟା କର ନାହିଁ; ତାହାର ସୈନ୍ୟସକଳକୁ ସମ୍ପୂର୍ଣ୍ଣ ରୂପେ ବିନାଶ କର।
JER 51:4 ତହିଁରେ ସେମାନେ କଲ୍‍ଦୀୟ ଦେଶରେ ହତ ଓ ରାଜଦାଣ୍ଡରେ ବିଦ୍ଧ ହୋଇ ପଡ଼ିବେ।
JER 51:5 କାରଣ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧ ଦୋଷରେ ସେମାନଙ୍କ ଦେଶ ପରିପୂର୍ଣ୍ଣ ହେଲେ ମଧ୍ୟ ଇସ୍ରାଏଲ କିଅବା ଯିହୁଦା ଆପଣା ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି।
JER 51:6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ।
JER 51:7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।
JER 51:8 ବାବିଲ ଅକସ୍ମାତ୍‍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।
JER 51:9 ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ମାତ୍ର ସେ ସୁସ୍ଥ ହେଲା ନାହିଁ; ଆସ, ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପ୍ରତ୍ୟେକେ ଆପଣା ଆପଣା ଦେଶକୁ ଯାଉ; କାରଣ ତାହାର ଦଣ୍ଡ ଗଗନସ୍ପର୍ଶୀ ଓ ଆକାଶ ପର୍ଯ୍ୟନ୍ତ ଉଚ୍ଚୀକୃତ ଅଛି।
JER 51:10 ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି; ଆସ, ଆମ୍ଭେମାନେ ସିୟୋନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର କ୍ରିୟା ପ୍ରକାଶ କରୁ।
JER 51:11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।
JER 51:12 ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର, ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ: କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ, ତାହା ସଂକଳ୍ପ କରି ସିଦ୍ଧ କରିଅଛନ୍ତି।
JER 51:13 ହେ ଜଳରାଶିର ଉପରେ ବାସକାରିଣୀ ଓ ଧନ ସମ୍ପତ୍ତିରେ ଐଶ୍ୱର୍ଯ୍ୟଶାଳିନୀ, ତୁମ୍ଭର ଅନ୍ତିମକାଳ, ତୁମ୍ଭର ଅନ୍ୟାୟ ଲାଭର ସୀମା ଉପସ୍ଥିତ।
JER 51:14 ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭକୁ ପତଙ୍ଗ ପରି ଜନତାରେ ପୂର୍ଣ୍ଣ କରିବା; ଆଉ, ସେମାନେ ତୁମ୍ଭ ବିରୁଦ୍ଧରେ ସିଂହନାଦ ଉଠାଇବେ।
JER 51:15 ସେ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନମଣ୍ଡଳ ବିସ୍ତାର କରିଅଛନ୍ତି।
JER 51:16 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଅଇ ଓ ପୃଥିବୀର ପ୍ରାନ୍ତରୁ ସେ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଦ୍ୟୁତ୍ ସୃଷ୍ଟି କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
JER 51:17 ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ହୋଇଅଛି ଓ ଜ୍ଞାନବିହୀନ ଅଟେ; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଛାଞ୍ଚରେ ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ଶ୍ୱାସବାୟୁ ନାହିଁ।
JER 51:18 ସେସବୁ ଅସାର ଓ ମାୟାର କର୍ମ; ପୁଣି, ପ୍ରତିଫଳ ପାଇବା ସମୟରେ ସେମାନେ ବିନଷ୍ଟ ହେବେ।
JER 51:19 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏସବୁର ପରି ନୁହନ୍ତି। କାରଣ ସେ ସକଳ ବସ୍ତୁର ଗଠନକାରୀ; ପୁଣି, ଇସ୍ରାଏଲ ତାହାଙ୍କର ଅଧିକାର ସ୍ୱରୂପ ବଂଶ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
JER 51:20 ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ; ପୁଣି, ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ନାନା ରାଜ୍ୟକୁ ସଂହାର କରିବା;
JER 51:21 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ଅଶ୍ୱ ଓ ତଦାରୋହୀକୁ ଚୂର୍ଣ୍ଣ କରିବା, ଆଉ ରଥ ଓ ତଦାରୋହୀକୁ ଚୂର୍ଣ୍ଣ କରିବା;
JER 51:22 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପୁରୁଷ ଓ ସ୍ତ୍ରୀକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ ବୃଦ୍ଧ ଓ ବାଳକକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ ଯୁବକ ଓ ଯୁବତୀକି ଚୂର୍ଣ୍ଣ କରିବା;
JER 51:23 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପାଳକ ଓ ତାହାର ପଲକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ କୃଷକକୁ ଓ ତାହାର ହଳ ବଳଦକୁ ଚୂର୍ଣ୍ଣ କରିବା; ଆଉ, ତୁମ୍ଭ ଦ୍ୱାରା ଆମ୍ଭେ ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଚୂର୍ଣ୍ଣ କରିବା।
JER 51:24 ପୁଣି, ଆମ୍ଭେ ବାବିଲକୁ ଓ କଲ୍‍ଦୀୟ ନିବାସୀସକଳକୁ, ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ସେମାନଙ୍କ କୃତ ସକଳ ଦୁଷ୍କର୍ମର ପ୍ରତିଫଳ ଦେବା, ଏହା ସଦାପ୍ରଭୁ କହନ୍ତି।
JER 51:25 ହେ ବିନାଶକ ପର୍ବତ, ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ; ଆଉ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଶୈଳରୁ ତୁମ୍ଭକୁ ଗଡ଼ାଇ ପକାଇ ଏକ ଦଗ୍ଧ ପର୍ବତ କରିବା।
JER 51:26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।
JER 51:27 ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ, ଗୋଷ୍ଠୀୟମାନଙ୍କୁ ତାହା ବିରୁଦ୍ଧରେ ପ୍ରସ୍ତୁତ କର, ଆରାରାଟ୍‍, ମିନ୍ନି ଓ ଅସ୍କିନସ୍‍, ଏହିସବୁ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ, ତାହାର ବିରୁଦ୍ଧରେ ସେନାପତି ବର୍ଗଙ୍କୁ ନିଯୁକ୍ତ କର ଓ କର୍କଶ ପତଙ୍ଗ ପରି ଅଶ୍ୱଗଣକୁ ପଠାଅ।
JER 51:28 ତାହାର ବିରୁଦ୍ଧରେ ଗୋଷ୍ଠୀୟମାନଙ୍କୁ, ମାଦୀୟ ରାଜାଗଣଙ୍କୁ, ସେମାନଙ୍କର ଦେଶାଧ୍ୟକ୍ଷ ଓ ତହିଁର ଅଧିପତିଗଣକୁ ଓ ତାହାର କର୍ତ୍ତୃତ୍ୱାଧୀନ ସମୁଦାୟ ଦେଶକୁ ପ୍ରସ୍ତୁତ କର।
JER 51:29 ପୁଣି, ଦେଶ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି, କାରଣ ବାବିଲ ଦେଶକୁ ଧ୍ୱଂସିତ ଓ ନିବାସୀଶୂନ୍ୟ କରିବା ପାଇଁ ବାବିଲ ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
JER 51:30 ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।
JER 51:31 ବାବିଲ ରାଜାର ନଗର ଚତୁର୍ଦ୍ଦିଗରେ ହସ୍ତଗତ ହୋଇଅଛି, ଏହି ସମ୍ବାଦ ତାହାକୁ ଦେବା ନିମନ୍ତେ ଏକ ଧାଉଡ଼ିଆ ଅନ୍ୟ ଧାଉଡ଼ିଆର ଓ ଏକ ଦୂତ ଅନ୍ୟ ଦୂତ ସହିତ ଭେଟିବାକୁ ଦୌଡ଼ିବେ,
JER 51:32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।
JER 51:33 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ; ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।”
JER 51:34 “ବାବିଲର ରାଜା ନବୂଖଦ୍‍ନିତ୍ସର ମୋତେ ଗ୍ରାସ କରିଅଛି, ସେ ମୋତେ ଚୂର୍ଣ୍ଣ କରିଅଛି, ସେ ମୋତେ ଶୂନ୍ୟପାତ୍ର ସ୍ୱରୂପ କରିଅଛି, ସେ ନାଗସର୍ପ ପରି ମୋତେ ଗ୍ରାସ କରିଅଛି, ମୋହର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି, ସେ ମୋତେ ଦୂର କରିଦେଇଅଛି।”
JER 51:35 ସିୟୋନ ନିବାସିନୀ କହିବ, “ମୋʼ ପ୍ରତି ଓ ମୋʼ ମାଂସ ପ୍ରତି କୃତ ଦୌରାତ୍ମ୍ୟ ବାବିଲ ଉପରେ ବର୍ତ୍ତୁ” ଓ ଯିରୂଶାଲମ କହିବ, “ମୋʼ ରକ୍ତର ଦାୟ କଲ୍‍ଦୀୟ ନିବାସୀମାନଙ୍କ ଉପରେ ବର୍ତ୍ତୁ।”
JER 51:36 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା। ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।
JER 51:37 ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।
JER 51:38 ସେମାନେ ଏକତ୍ର ଯୁବା ସିଂହ ପରି ଗର୍ଜ୍ଜନ କରିବେ; ସେମାନେ ସିଂହଛୁଆ ପରି ଘୋରନାଦ କରିବେ।
JER 51:39 ସଦାପ୍ରଭୁ କହନ୍ତି, ସେମାନେ ଉତ୍ତପ୍ତ ହେଲା ଉତ୍ତାରେ ଆମ୍ଭେ ସେମାନଙ୍କର ଭୋଜ ପ୍ରସ୍ତୁତ କରିବା, ପୁଣି ସେମାନେ ଯେପରି ଆହ୍ଲାଦିତ ହେବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ମତ୍ତ କରିବା, ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ।
JER 51:40 ଆମ୍ଭେ ସେମାନଙ୍କୁ ମେଷଗଣର ତୁଲ୍ୟ, ଛାଗମାନଙ୍କ ସହିତ ମେଷଗଣର ତୁଲ୍ୟ ବଧ ସ୍ଥାନକୁ ଆଣିବା।
JER 51:41 ଶେଶକ୍‍ କିପରି ପରହସ୍ତଗତ ହୋଇଅଛି! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍‍ ଧରା ପଡ଼ିଅଛି! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି!
JER 51:42 ବାବିଲ ଉପରେ ସମୁଦ୍ର ମାଡ଼ି ଆସିଅଛି; ସେ ତହିଁର ଲହରୀମାଳାରେ ଆଚ୍ଛାଦିତ ହୋଇଅଛି।
JER 51:43 ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କ ଭୂମି ଓ ପ୍ରାନ୍ତର ହୋଇଅଛି, ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ, କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ-ସନ୍ତାନ ଗମନାଗମନ କରେ ନାହିଁ।
JER 51:44 ପୁଣି, ଆମ୍ଭେ ବାବିଲରେ ବେଲ୍ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
JER 51:45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
JER 51:46 ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।
JER 51:47 ଏହେତୁ ଦେଖ, ଯେଉଁ ସମୟରେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ତାହାର ସମୁଦାୟ ଦେଶ ଲଜ୍ଜିତ ହେବ, ଆଉ ତାହାର ହତ ଲୋକମାନେ ତାହା ମଧ୍ୟରେ ପଡ଼ିବେ, ଏପରି ସମୟ ଆସୁଅଛି।
JER 51:48 ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି, ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।
JER 51:49 ବାବିଲ ଯେପରି ଇସ୍ରାଏଲର ହତ ଲୋକମାନଙ୍କୁ ନିପାତିତ କରାଇଅଛି, ସେପରି ସମୁଦାୟ ଦେଶର ହତ ଲୋକମାନେ ବାବିଲରେ ପତିତ ହେବେ।
JER 51:50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
JER 51:51 ‘ଆମ୍ଭେମାନେ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ; ଅପମାନ ଆମ୍ଭମାନଙ୍କ ମୁଖକୁ ଆଚ୍ଛାଦିତ କରିଅଛି; କାରଣ ବିଦେଶୀମାନେ ସଦାପ୍ରଭୁଙ୍କ ଗୃହର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।’
JER 51:52 ଏଣୁକରି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ତାହାର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା, ଏପରି ସମୟ ଆସୁଅଛି ଓ କ୍ଷତବିକ୍ଷତ ଲୋକମାନେ ତାହାର ଦେଶର ସର୍ବତ୍ର କାତରୋକ୍ତି କରିବେ।
JER 51:53 ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
JER 51:54 ବାବିଲରୁ କ୍ରନ୍ଦନର ରବ ଓ କଲ୍‍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି!
JER 51:55 କାରଣ ସଦାପ୍ରଭୁ ବାବିଲକୁ ଉଚ୍ଛିନ୍ନ କରୁଅଛନ୍ତି ଓ ତହିଁ ମଧ୍ୟରୁ ମହାରବ କ୍ଷାନ୍ତ କରୁଅଛନ୍ତି; ସେମାନଙ୍କର ତରଙ୍ଗସକଳ ଜଳରାଶି ପରି ଗର୍ଜ୍ଜନ କରୁଅଛି, ସେମାନଙ୍କର କଲ୍ଲୋଳ ଧ୍ୱନି ଶୁଣା ଯାଉଅଛି।
JER 51:56 କାରଣ ତାହା ବିରୁଦ୍ଧରେ, ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି, ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି; କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି, ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
JER 51:57 ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା; ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ।
JER 51:58 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ; ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ; ଆଉ ସେମାନେ କ୍ଳାନ୍ତ ହେବେ।”
JER 51:59 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ମହସେୟର ପୌତ୍ର ନେରୀୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସରାୟକୁ ଯାହା ଆଜ୍ଞା କରିଥିଲେ, ତହିଁର ବୃତ୍ତାନ୍ତ। ଏହି ସରାୟ ରାଜଗୃହର ପ୍ରଧାନ ଅଧ୍ୟକ୍ଷ ଥିଲା।
JER 51:60 ଆଉ, ବାବିଲର ଭବିଷ୍ୟତ ଅମଙ୍ଗଳର ସକଳ କଥା, ଅର୍ଥାତ୍‍, ବାବିଲ ବିଷୟରେ ଏହି ଯେସକଳ କଥା ଲିଖିତ ଅଛି, ତାହା ଯିରିମୀୟ ଗୋଟିଏ ନଳାକାର ପୁସ୍ତକରେ ଲେଖିଲେ।
JER 51:61 ପୁଣି, ଯିରିମୀୟ ସରାୟକୁ କହିଲେ, “ଦେଖ, ତୁମ୍ଭେ ବାବିଲରେ ଉପସ୍ଥିତ ହେଲା ଉତ୍ତାରେ ଏହିସବୁ କଥା ପାଠ କରିବ,
JER 51:62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’
JER 51:63 ପୁଣି, ଏହି ନଳାକାର ପୁସ୍ତକ ପାଠ କରିବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍‍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ;
JER 51:64 ଆଉ, ତୁମ୍ଭେ କହିବ, ‘ଆମ୍ଭେ (ସଦାପ୍ରଭୁ) ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁ ସକାଶୁ ସେ ଏରୂପ ମଗ୍ନ ହୋଇ ପୁନର୍ବାର ଉଠିବ ନାହିଁ; ପୁଣି, ଲୋକମାନେ କ୍ଳାନ୍ତ ହେବେ।’” ଯିରିମୀୟଙ୍କ ବାକ୍ୟ ଏତିକି।
JER 52:1 ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ଥିଲା ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲା; ତାହାର ମାତାର ନାମ ହମୁଟଲ୍‍, ସେ ଲିବ୍‍ନା ନିବାସୀ ଯିରିମୀୟଙ୍କ କନ୍ୟା ଥିଲା।
JER 52:2 ଆଉ, ସେ ଯିହୋୟାକୀମ୍‍ର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା।
JER 52:3 କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦାରେ ଏପରି ଘଟଣା ଘଟିଲା। ଆଉ, ସିଦିକୀୟ ବାବିଲ ରାଜାର ବିଦ୍ରୋହୀ ହେଲା।
JER 52:4 ଏଥିଉତ୍ତାରେ ତାହାଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ, ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
JER 52:5 ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା।
JER 52:6 ଚତୁର୍ଥ ମାସରେ, ସେହି ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ।
JER 52:7 ତେବେ, ନଗରରେ ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍‍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ; ପୁଣି, ଲୋକମାନେ ଆରବା ପଥ ଦେଇ ଚାଲିଗଲେ।
JER 52:8 ମାତ୍ର କଲ୍‍ଦୀୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟକୁ ଧରିଲେ; ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
JER 52:9 ତହୁଁ ସେମାନେ ରାଜାକୁ ଧରି ହମାତ୍‍ ଦେଶସ୍ଥ ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲେ; ତହିଁରେ ସେ ତାହା ପ୍ରତି ଦଣ୍ଡାଜ୍ଞା କଲା।
JER 52:10 ଆଉ, ବାବିଲର ରାଜା ସିଦିକୀୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା; ସେ ଯିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା।
JER 52:11 ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।
JER 52:12 ପଞ୍ଚମ ମାସରେ, ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍‍ନିତ୍ସର ରାଜାଙ୍କ ରାଜତ୍ଵର ଊଣେଇଶ ବର୍ଷରେ, ବାବିଲ ରାଜାର ସମ୍ମୁଖରେ ଦଣ୍ଡାୟମାନ ନବୂଷରଦନ୍‍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା।
JER 52:13 ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍‍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।
JER 52:14 ଆଉ, ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍‍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
JER 52:15 ସେତେବେଳେ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଲୋକମାନଙ୍କ ମଧ୍ୟରୁ ନିତାନ୍ତ ଦରିଦ୍ରମାନଙ୍କୁ ଓ ନଗରର ଅବଶିଷ୍ଟ ଲୋକମାନଙ୍କୁ, ଆଉ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା।
JER 52:16 ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା।
JER 52:17 ପୁଣି, କଲ୍‍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳସବୁ ବାବିଲକୁ ନେଇଗଲେ।
JER 52:18 ଆହୁରି, ସେମାନେ ହାଣ୍ଡି ଓ କରଚୁଲି, କତୁରୀ, କୁଣ୍ଡ, ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ।
JER 52:19 ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
JER 52:20 ଶଲୋମନ ରାଜା ସଦାପ୍ରଭୁଙ୍କ ଗୃହ ନିମନ୍ତେ ଯେଉଁ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ତହିଁର ତଳସ୍ଥ ଦ୍ୱାଦଶ ପିତ୍ତଳମୟ ବୃଷରୂପ ବୈଠିକି ନିର୍ମାଣ କରିଥିଲେ, ସେହି ସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା।
JER 52:21 ପୁଣି, ସେହି ଦୁଇ ସ୍ତମ୍ଭ, ପ୍ରତ୍ୟେକର ଉଚ୍ଚ ଅଠର ହାତ ଓ ପରିଧି ବାର ହାତ ଓ ତହିଁର ସ୍ଥୂଳତା ଚାରି ଅଙ୍ଗୁଳି ଓ ତାହା ଫମ୍ପା ଥିଲା।
JER 52:22 ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା।
JER 52:23 ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା; ଜାଲିକର୍ମର ଉପରେ ଚାରିଆଡ଼େ ଏକ ଶତ ଡାଳିମ୍ବାକୃତି ଥିଲା।
JER 52:24 ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା।
JER 52:25 ଆଉ, ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ଜଣ ଅଧ୍ୟକ୍ଷଙ୍କୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ସାତଜଣକୁ ଓ ଦେଶର ଲୋକଗଣନାକାରୀ ସେନାପତିର ଲେଖକଙ୍କୁ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକକୁ ଧରିଲା।
JER 52:26 ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା।
JER 52:27 ତହିଁରେ ବାବିଲର ରାଜା ହମାତ୍‍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା।
JER 52:28 ନବୂଖଦ୍‍ନିତ୍ସର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା, ସେହି ଲୋକମାନଙ୍କର ସଂଖ୍ୟା ଏହି; ସପ୍ତମ ବର୍ଷରେ ତିନି ସହସ୍ର ତେଇଶ ଜଣ ଯିହୁଦୀ ଲୋକ;
JER 52:29 ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ଅଠର ବର୍ଷରେ ସେ ଯିରୂଶାଲମରୁ ଆଠ ଶହ ବତିଶ ଲୋକ ବନ୍ଦୀ କରି ନେଇଗଲା;
JER 52:30 ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ତେଇଶ ବର୍ଷରେ ନବୂଷରଦନ୍‍ ପ୍ରହରୀବର୍ଗର ସେନାପତି, ସାତ ଶହ ପଇଁଚାଳିଶ ଜଣ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା; ସର୍ବସୁଦ୍ଧା ଚାରି ସହସ୍ର ଛʼ ଶତ ଲୋକ ଥିଲେ।
JER 52:31 ଏଥିଉତ୍ତାରେ ଯିହୁଦାର ରାଜା ଯିହୋୟାଖୀନ୍‍ର ବନ୍ଦୀତ୍ୱର ସଇଁତିରିଶ ବର୍ଷର ଦ୍ୱାଦଶ ମାସରେ ଓ ସେହି ମାସର ପଚିଶ ଦିନରେ ବାବିଲର ରାଜା ଇବିଲ୍‍-ମରୋଦକ୍‍ ଆପଣା ରାଜତ୍ଵର ପ୍ରଥମ ବର୍ଷରେ, ଯିହୁଦାର ରାଜା ଯିହୋୟାଖୀନ୍‍କୁ କାରାଗାରରୁ ବାହାର କରି ତାହାର ମସ୍ତକ ଉନ୍ନତ କଲା;
JER 52:32 ଆଉ, ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା,
JER 52:33 ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲା।
JER 52:34 ପୁଣି, ତାହାର ଦିନାତିପାତ ନିମନ୍ତେ ବାବିଲର ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।
LAM 1:1 ହାୟ ହାୟ, ଲୋକରେ ପରିପୂର୍ଣ୍ଣ ନଗରୀ କିପରି ଏକାକିନୀ ହୋଇ ବସିଅଛି! ସେ କିପରି ବିଧବା ତୁଲ୍ୟ ହୋଇଅଛି! ଯେ ଗୋଷ୍ଠୀଗଣ ମଧ୍ୟରେ ପ୍ରଧାନା ଥିଲା ଓ ପ୍ରଦେଶସମୂହ ମଧ୍ୟରେ ରାଣୀ ଥିଲା, ସେ କିପରି କରଦାୟିନୀ ହୋଇଅଛି!
LAM 1:2 ସେ ରାତ୍ରିରେ ଅତିଶୟ ରୋଦନ କରେ, ତାହାର ଲୋତକ ଗାଲରେ ପଡ଼ିଅଛି; ତାହାର ସମସ୍ତ ପ୍ରେମିକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ତାହାର ବନ୍ଧୁ ସମସ୍ତେ ତାହାକୁ ପ୍ରବଞ୍ଚନା କରିଅଛନ୍ତି, ସେମାନେ ତାହାର ଶତ୍ରୁ ହୋଇଅଛନ୍ତି।
LAM 1:3 ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇ ଯାଇଅଛି; ସେ ନାନା ଗୋଷ୍ଠୀ ମଧ୍ୟରେ ବାସ କରେ, ମାତ୍ର ସେ କିଛି ବିଶ୍ରାମ ପାଏ ନାହିଁ; ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାହାକୁ ଧରିଅଛନ୍ତି।
LAM 1:4 ସିୟୋନର ପଥସକଳ ଶୋକ କରଇ, କାରଣ କେହି ମହାସଭାକୁ ଆସେ ନାହିଁ; ତାହାର ଦ୍ୱାରସବୁ ଶୂନ୍ୟ, ତାହାର ଯାଜକମାନେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି; ତାହାର କୁମାରୀଗଣ ଦୁଃଖଗ୍ରସ୍ତ ଓ ସେ ନିଜେ ମନଃପୀଡ଼ା ପାଇଅଛି।
LAM 1:5 ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି, ତାହାର ଶତ୍ରୁମାନେ ସମୃଦ୍ଧ ହୋଇଅଛନ୍ତି; କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଳେଶ ଦେଇଅଛନ୍ତି; ତାହାର ଶିଶୁ ସନ୍ତାନଗଣ ବିପକ୍ଷର ସମ୍ମୁଖରେ ବନ୍ଦୀ ହୋଇ ଯାଇଅଛନ୍ତି।
LAM 1:6 ସିୟୋନ କନ୍ୟାର ଦୀପ୍ତି ତାହାଠାରୁ ଯାଇଅଛି। ତାହାର ଅଧିପତିଗଣ ଚରାଣି ସ୍ଥାନ ନ ପାଇବା ହରିଣୀମାନଙ୍କ ପରି ହୋଇଅଛନ୍ତି, ପୁଣି ସେମାନେ ପଛେ ଗୋଡ଼ାଇବା ଲୋକର ଆଗେ ଆଗେ ଶକ୍ତିହୀନ ହୋଇ ଗମନ କରିଅଛନ୍ତି।
LAM 1:7 ନିଜ ଦୁଃଖ ଓ ଦୁର୍ଗତିର ସମୟରେ, ଯିରୂଶାଲମ ଆପଣା ପୂର୍ବକାଳର ମନୋହର ବିଷୟସବୁ ସ୍ମରଣ କରୁଅଛି। ଯେତେବେଳେ ତାହାର ଲୋକମାନେ ବିପକ୍ଷର ହସ୍ତରେ ପଡ଼ିଲେ ଓ କେହି ତାହାର ସାହାଯ୍ୟ କଲେ ନାହିଁ, ସେତେବେଳେ ବିପକ୍ଷଗଣ ତାହାକୁ ଦେଖି ତାହାର ଉତ୍ସନ୍ନତାରେ ଉପହାସ କଲେ।
LAM 1:8 ଯିରୂଶାଲମ ଅତିଶୟ ପାପ କରିଅଛି, ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି; ଯେଉଁମାନେ ତାହାକୁ ସମ୍ମାନ କଲେ, ସେମାନେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲଙ୍ଗତା ଦେଖିଅଛନ୍ତି; ହଁ, ସେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛି, ସେ ପଛକୁ ମୁଖ ଫେରାଉଅଛି।
LAM 1:9 ତାହାର ଅଶୁଚିତା ତାହାର ବସ୍ତ୍ରର ଅଞ୍ଚଳରେ ଥିଲା; ସେ ଆପଣାର ଶେଷ ଦଶା ସ୍ମରଣ କଲା ନାହିଁ; ଏଥିପାଇଁ ସେ ଆଶ୍ଚର୍ଯ୍ୟଜନକ ରୂପେ ଅଧଃପତିତ ହୋଇଅଛି; ତାହାର ସାନ୍ତ୍ୱନାକାରୀ କେହି ନାହାନ୍ତି। ହେ ସଦାପ୍ରଭୁ, ମୋହର ଦୁଃଖ ଦେଖ, କାରଣ ଶତ୍ରୁ ଆପଣାକୁ ବଡ଼ କରିଅଛି।
LAM 1:10 ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି; ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି।
LAM 1:11 ତାହାର ଲୋକସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି, ସେମାନେ ଆହାର ଖୋଜୁଅଛନ୍ତି; ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀସବୁ ଦେଇଅଛନ୍ତି। ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି।
LAM 1:12 ହେ ପଥିକ ସମସ୍ତେ, ଏହା କି ତୁମ୍ଭମାନଙ୍କ ପ୍ରତି କିଛି ନୁହେଁ? ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି? ତଦ୍ଦ୍ୱାରା ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧର ଦିନରେ ମୋତେ କ୍ଳେଶଯୁକ୍ତ କରିଅଛନ୍ତି।
LAM 1:13 ସେ ଊର୍ଦ୍ଧ୍ୱରୁ ମୋʼ ଅସ୍ଥିସକଳର ମଧ୍ୟକୁ ଅଗ୍ନି ପ୍ରେରଣ କରିଅଛନ୍ତି, ଆଉ ତାହା ସେସବୁକୁ ପରାସ୍ତ କରଇ; ସେ ମୋʼ ଚରଣ ପାଇଁ ଜାଲ ପାତିଅଛନ୍ତି, ସେ ମୋତେ ଫେରାଇ ଅଛନ୍ତି; ସେ ମୋତେ ଅନାଥିନୀ ଓ ଦିନସାରା ମୂର୍ଚ୍ଛିତ କରିଅଛନ୍ତି।
LAM 1:14 ମୋର ଅଧର୍ମରୂପ ଯୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧାଯାଇଅଛି; ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋʼ ସ୍କନ୍ଧ ଉପରକୁ ଆସିଅଛି; ସେ ମୋʼ ବଳ ଖର୍ବ କରିଅଛନ୍ତି; ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି।
LAM 1:15 ପ୍ରଭୁ ମୋହର ମଧ୍ୟବର୍ତ୍ତୀ ବୀର ସମସ୍ତଙ୍କୁ ଅକିଞ୍ଚନା କରିଅଛନ୍ତି; ସେ ମୋʼ ଯୁବକଗଣକୁ ଦଳି ପକାଇବା ପାଇଁ ମୋʼ ବିରୁଦ୍ଧରେ ଏକ ମହାସଭା ଆହ୍ୱାନ କରିଅଛନ୍ତି; ଦ୍ରାକ୍ଷାକୁଣ୍ଡରେ ମର୍ଦ୍ଦନ କଲା ପରି ପ୍ରଭୁ ଯିହୁଦାର କୁମାରୀକୁ ମର୍ଦ୍ଦନ କରିଅଛନ୍ତି।
LAM 1:16 ଏହିସବୁ ବିଷୟର ଲାଗି ମୁଁ କ୍ରନ୍ଦନ କରୁଅଛି; ମୋର ଚକ୍ଷୁ, ମୋର ଚକ୍ଷୁ ଜଳର ନିର୍ଝର ହୋଇଅଛି; କାରଣ ମୋʼ ସାନ୍ତ୍ୱନାକାରୀ ଯେ ମୋହର ପ୍ରାଣକୁ ଆଶ୍ୱାସ ଦିଅନ୍ତା; ସେ ମୋʼ ଠାରୁ ଦୂରରେ ଅଛି; ଶତ୍ରୁ ଜୟଯୁକ୍ତ ହେବାରୁ ମୋର ସନ୍ତାନଗଣ ଅନାଥ ହୋଇଅଛନ୍ତି।
LAM 1:17 ସିୟୋନ ଆପଣା ହସ୍ତ ପ୍ରସାରୁଅଛି; ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ଯାକୁବର ଚତୁର୍ଦ୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି; ଯିରୂଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି।
LAM 1:18 ସଦାପ୍ରଭୁ ଧାର୍ମିକ ଅଟନ୍ତି; ମୁଁ ତାହାଙ୍କ ଆଜ୍ଞାର ପ୍ରତିକୂଳାଚରଣ କରିଅଛି; ହେ ଗୋଷ୍ଠୀସକଳ, ବିନୟ କରୁଅଛି, ତୁମ୍ଭେମାନେ ଶୁଣ ଓ ମୋହର ଦୁଃଖ ଦେଖ; ମୋହର କୁମାରୀଗଣ ଓ ଯୁବକଗଣ ବନ୍ଦୀତ୍ୱ ସ୍ଥାନକୁ ଯାଇଅଛନ୍ତି।
LAM 1:19 ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ପ୍ରବଞ୍ଚନା କଲେ; ମୋର ଯାଜକମାନେ ଓ ମୋର ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ, ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ।
LAM 1:20 ହେ ସଦାପ୍ରଭୁ, ଦେଖ; କାରଣ ମୁଁ ବିପଦଗ୍ରସ୍ତା; ମୋହର ଅନ୍ତ୍ର ବ୍ୟଥିତ ହେଉଅଛି; ମୋର ହୃଦୟ ମୋʼ ଅନ୍ତରରେ ବିକାରପ୍ରାପ୍ତ ହେଉଅଛି; କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି; ବାହାରେ ଖଡ୍ଗ ବଧ କରୁଅଛି, ଗୃହରେ ମୃତ୍ୟୁୁ ଥିଲା ପରି ହେଉଅଛି।
LAM 1:21 ଲୋକମାନେ ମୋହର ଦୀର୍ଘ ନିଶ୍ୱାସ ଶୁଣିଅଛନ୍ତି; ମୋତେ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ମୋର ଶତ୍ରୁ ସମସ୍ତେ ମୋʼ ବିପଦର କଥା ଶୁଣିଅଛନ୍ତି; ତୁମ୍ଭେ ତାହା ଘଟାଇଅଛ ବୋଲି ସେମାନେ ଆନନ୍ଦିତ ଅଟନ୍ତି; ତୁମ୍ଭେ ଯେଉଁ ଦିନର କଥା ପ୍ରଚାର କରିଅଛ, ତାହା ଉପସ୍ଥିତ କରିବ, ପୁଣି ସେମାନେ ମୋହର ତୁଲ୍ୟ ହେବେ।
LAM 1:22 ସେମାନଙ୍କର ସକଳ ଦୁଷ୍ଟତା ତୁମ୍ଭ ସମ୍ମୁଖରେ ପ୍ରବେଶ ହେଉ ଓ ତୁମ୍ଭେ ମୋହର ସକଳ ଆଜ୍ଞାଲଙ୍ଘନ ସକାଶୁ ମୋʼ ପ୍ରତି ଯେରୂପ କରିଅଛ, ସେମାନଙ୍କ ପ୍ରତି ସେରୂପେ କର; କାରଣ ମୋହର ଦୀର୍ଘ ନିଶ୍ୱାସ ଅନେକ ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।
LAM 2:1 ପ୍ରଭୁ ଆପଣା କ୍ରୋଧରେ ସିୟୋନ କନ୍ୟାକୁ କିପରି ମେଘାଚ୍ଛନ୍ନ କରିଅଛନ୍ତି! ସେ ଇସ୍ରାଏଲର ଶୋଭା ସ୍ୱର୍ଗରୁ ପୃଥିବୀକୁ ପକାଇ ଦେଇଅଛନ୍ତି, ପୁଣି ଆପଣା କ୍ରୋଧର ଦିନରେ ଆପଣା ପାଦପୀଠ ସ୍ମରଣ କରି ନାହାନ୍ତି।
LAM 2:2 ପ୍ରଭୁ ଯାକୁବର ସକଳ ବାସସ୍ଥାନ ଗ୍ରାସ କରିଅଛନ୍ତି ଓ ଦୟା କରି ନାହାନ୍ତି, ସେ ଆପଣା କୋପରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗସବୁ ଉତ୍ପାଟନ କରିଅଛନ୍ତି; ସେସବୁକୁ ସେ ଭୂମିସାତ୍‍ କରିଅଛନ୍ତି ରାଜ୍ୟ ଓ ତହିଁର ଅଧିପତିଗଣକୁ ସେ ଅଶୁଚି କରିଅଛନ୍ତି।
LAM 2:3 ସେ ପ୍ରଚଣ୍ଡ କ୍ରୋଧରେ ଇସ୍ରାଏଲର ଶୃଙ୍ଗସବୁ କାଟି ପକାଇଅଛନ୍ତି; ସେ ଶତ୍ରୁ ସମ୍ମୁଖରୁ ଆପଣା ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଅଛନ୍ତି; ଆଉ, ସେ ଅଗ୍ନିଶିଖା ପରି ଯାକୁବକୁ ପ୍ରଜ୍ୱଳିତ କରିଅଛନ୍ତି, ତାହା ଚତୁର୍ଦ୍ଦିଗ ଗ୍ରାସ କରଇ।
LAM 2:4 ସେ ଶତ୍ରୁ ତୁଲ୍ୟ ଆପଣା ଧନୁରେ ଗୁଣ ଦେଇଅଛନ୍ତି, ସେ ବିପକ୍ଷ ପରି ଆପଣା ଦକ୍ଷିଣ ହସ୍ତ ଟେକି ଠିଆ ହୋଇଅଛନ୍ତି ଓ ଚକ୍ଷୁର ସୁଖଜନକ ସକଳକୁ ବଧ କରିଅଛନ୍ତି; ସେ ସିୟୋନ କନ୍ୟାର ତମ୍ବୁ ମଧ୍ୟରେ ଆପଣା କୋପ ଅଗ୍ନି ପରି ଢାଳି ଦେଇଅଛନ୍ତି।
LAM 2:5 ପ୍ରଭୁ ଶତ୍ରୁ ତୁଲ୍ୟ ହୋଇଅଛନ୍ତି, ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି; ସେ ତାହାର ଅଟ୍ଟାଳିକାସକଳ ଗ୍ରାସ କରିଅଛନ୍ତି, ସେ ତାହାର ଦୁର୍ଗସବୁ ଧ୍ୱଂସ କରିଅଛନ୍ତି; ଆଉ, ସେ ଯିହୁଦାର କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।
LAM 2:6 ସେ ଉଦ୍ୟାନସ୍ଥ ତମ୍ବୁ ପରି ଆପଣା ଆବାସ-ତମ୍ବୁ ବଳପୂର୍ବକ ଦୂର କରିଅଛନ୍ତି; ସେ ଆପଣା ସମାଜ-ସ୍ଥାନ ନଷ୍ଟ କରିଅଛନ୍ତି; ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମବାର ବିସ୍ମୃତ କରାଇଅଛନ୍ତି ଓ ଆପଣା କ୍ରୋଧର ପ୍ରଚଣ୍ଡତାରେ ରାଜା ଓ ଯାଜକକୁ ତୁଚ୍ଛଜ୍ଞାନ କରିଅଛନ୍ତି।
LAM 2:7 ପ୍ରଭୁ ଆପଣା ଯଜ୍ଞବେଦି ଦୂର କରିଅଛନ୍ତି, ସେ ଆପଣା ପବିତ୍ର ସ୍ଥାନ ଘୃଣା କରିଅଛନ୍ତି, ସେ ତାହାର ଅଟ୍ଟାଳିକାର ଭିତ୍ତିଗୁଡ଼ିକୁ ଶତ୍ରୁ ହସ୍ତରେ ସମର୍ପଣ କରିଅଛନ୍ତି; ସେମାନେ ସଦାପ୍ରଭୁଙ୍କ ଗୃହ ମଧ୍ୟରେ ମହାସଭାର ଦିନ ତୁଲ୍ୟ ଚହଳ କରିଅଛନ୍ତି।
LAM 2:8 ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଅଛନ୍ତି; ସେ ସୂତ୍ର ଟାଣିଅଛନ୍ତି, ସେ ବିନାଶକରଣରୁ ଆପଣା ହସ୍ତ ନିବୃତ୍ତ କରି ନାହାନ୍ତି; ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇଅଛନ୍ତି; ସେମାନେ ଏକ ସମୟରେ ନିସ୍ତେଜ ହୋଇଅଛନ୍ତି।
LAM 2:9 ତାହାର ନଗରଦ୍ୱାରସକଳ ଭୂମିରେ ମଗ୍ନ ହୋଇଅଛି; ସେ ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ କରିଅଛନ୍ତି; ଯେଉଁ ଗୋଷ୍ଠୀୟମାନଙ୍କର ବ୍ୟବସ୍ଥା ନାହିଁ, ସେମାନଙ୍କ ମଧ୍ୟରେ ତାହାର ରାଜା ଓ ଅଧିପତିଗଣ ଅଛନ୍ତି; ହଁ, ତାହାର ଭବିଷ୍ୟଦ୍‍ବକ୍ତାଗଣ ସଦାପ୍ରଭୁଙ୍କଠାରୁ କୌଣସି ଦର୍ଶନ ପାʼନ୍ତି ନାହିଁ।
LAM 2:10 ସିୟୋନ କନ୍ୟାର ପ୍ରାଚୀନଗଣ ଭୂମିରେ ବସୁଅଛନ୍ତି, ସେମାନେ ନୀରବ ହୋଇ ରହିଅଛନ୍ତି; ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇଅଛନ୍ତି; ସେମାନେ କଟିଦେଶରେ ଚଟ ବାନ୍ଧି ଅଛନ୍ତି; ଯିରୂଶାଲମର କୁମାରୀଗଣ ଭୂମିକୁ ଆପଣା ଆପଣା ମସ୍ତକ ଅବନତ କରିଅଛନ୍ତି।
LAM 2:11 ମୋହର ଚକ୍ଷୁ ଲୋତକରେ କ୍ଷୀଣ ହୁଅଇ, ମୋର ଅନ୍ତ୍ର ବ୍ୟଥିତ ହୁଅଇ, ମୋʼ ଲୋକଙ୍କ କନ୍ୟାର ବିନାଶ ହେତୁ ମୋହର କଲିଜା ଭୂମିରେ ଢଳା ଯାଇଅଛି; କାରଣ ନଗରର ପଥସମୂହରେ ବାଳକ ବାଳିକା ଓ ସ୍ତନ୍ୟପାୟୀ ଶିଶୁମାନେ ମୂର୍ଚ୍ଛାପନ୍ନ ହେଉଅଛନ୍ତି।
LAM 2:12 ଶସ୍ୟ ଓ ଦ୍ରାକ୍ଷାରସ କାହିଁ? ଏହି କଥା ଆପଣା ଆପଣା ମାତାକୁ କହୁ କହୁ, ସେମାନେ ନଗରର ପଥସମୂହରେ କ୍ଷତବିକ୍ଷତ ଲୋକ ପରି ମୂର୍ଚ୍ଛାପନ୍ନ ହୁଅନ୍ତି, ସେମାନେ ଆପଣା ଆପଣା ମାତାର କୋଳରେ ପ୍ରାଣତ୍ୟାଗ କରନ୍ତି।
LAM 2:13 ଆଗୋ ଯିରୂଶାଲମର କନ୍ୟେ, ମୁଁ ତୁମ୍ଭକୁ କିପରି ସାନ୍ତ୍ୱନା ଦେବି? ମୁଁ କାହା ସହିତ ତୁମ୍ଭର ଉପମା ଦେବି? ଆଗୋ ସିୟୋନ କୁମାରୀ, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ କାହାର ସମାନ ତୁମ୍ଭକୁ କରିବି? କାରଣ ତୁମ୍ଭର କ୍ଷତ ସମୁଦ୍ର ପରି ବଡ଼; କିଏ ତୁମ୍ଭକୁ ସୁସ୍ଥ କରିପାରେ?
LAM 2:14 ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଦର୍ଶନ ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।
LAM 2:15 ପଥିକମାନେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; ସେମାନେ ଶୀସ୍‍ ଶବ୍ଦ କରି ଓ ଯିରୂଶାଲମର କନ୍ୟାଆଡ଼େ ମସ୍ତକ ହଲାଇ କୁହନ୍ତି, ଯେଉଁ ନଗରକୁ ଲୋକେ ସୌନ୍ଦର୍ଯ୍ୟର ସିଦ୍ଧି ଓ ସମୁଦାୟ ପୃଥିବୀର ଆନନ୍ଦ ସ୍ୱରୂପ ବୋଲି କହିଲେ, ତାହା କି ଏହି?
LAM 2:16 ତୁମ୍ଭର ଶତ୍ରୁ ସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ପରିହାସ କରନ୍ତି; ସେମାନେ ଶୀସ୍‍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ।
LAM 2:17 ସଦାପ୍ରଭୁ ଯାହା ସଂକଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି।
LAM 2:18 ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।
LAM 2:19 ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।
LAM 2:20 ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ? ଯାଜକ ଓ ଭବିଷ୍ୟଦ୍‍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ?
LAM 2:21 ଯୁବକ ଓ ବୃଦ୍ଧ ଲୋକ ବାଟର ଭୂମିରେ ପଡ଼ିଅଛନ୍ତି; ଆମ୍ଭର କୁମାରୀ ଓ ଯୁବକଗଣ ଖଡ୍ଗରେ ହତ ହୋଇ ପଡ଼ିଅଛନ୍ତି; ତୁମ୍ଭେ ସେମାନଙ୍କୁ ଆପଣା କ୍ରୋଧର ଦିନରେ ବଧ କରିଅଛ; ତୁମ୍ଭେ ଦୟା ନ କରି ହତ୍ୟା କରିଅଛ।
LAM 2:22 ତୁମ୍ଭେ ମୋର ଚତୁର୍ଦ୍ଦିଗସ୍ଥ ଆଶଙ୍କାସକଳକୁ ମହାସଭା ଦିନର ନ୍ୟାୟ ଆହ୍ୱାନ କରିଅଛ। ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇ ନ ଥିଲେ, କି ଅବଶିଷ୍ଟ ରହି ନ ଥିଲେ; ଯେଉଁମାନଙ୍କୁ ମୁଁ ଲାଳନପାଳନ କରିଅଛି, ସେମାନଙ୍କୁ ମୋର ଶତ୍ରୁ ସଂହାର କରିଅଛି।
LAM 3:1 ଯେ ତାହାଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା କ୍ଳେଶ ଦେଖିଅଛି, ମୁଁ ସେହି ମନୁଷ୍ୟ।
LAM 3:2 ସେ ମୋତେ ଆଲୁଅରେ ନୁହେଁ, ଅନ୍ଧକାରରେ ଚଳାଇ ଅଛନ୍ତି।
LAM 3:3 ସେ ନିଶ୍ଚୟ ମୋʼ ବିରୁଦ୍ଧରେ ଦିନସାରା ଆପଣା ହସ୍ତ ପୁନଃ ପୁନଃ ଫେରାଉ ଅଛନ୍ତି।
LAM 3:4 ସେ ମୋହର ମାଂସ ଓ ମୋର ଚର୍ମ ଜୀର୍ଣ୍ଣ କରିଅଛନ୍ତି; ସେ ମୋହର ଅସ୍ଥିସବୁ ଭାଙ୍ଗି ପକାଇଅଛନ୍ତି।
LAM 3:5 ସେ ମୋତେ ଅବରୁଦ୍ଧ କରିଅଛନ୍ତି, ସେ ମୋତେ ତିକ୍ତତା ଓ ଶ୍ରାନ୍ତିରେ ବେଷ୍ଟିତ କରିଅଛନ୍ତି।
LAM 3:6 ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛନ୍ତି।
LAM 3:7 ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରିଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।
LAM 3:8 ହଁ, ମୁଁ ସାହାଯ୍ୟ ପାଇଁ ଆର୍ତ୍ତସ୍ୱର କଲେ, ସେ ମୋହର ପ୍ରାର୍ଥନା ଅଗ୍ରାହ୍ୟ କରନ୍ତି।
LAM 3:9 ସେ କଟା ପଥରରେ ମୋହର ପଥ ଅବରୋଧ କରିଅଛନ୍ତି, ସେ ମୋର ପଥସବୁ ବକ୍ର କରିଅଛନ୍ତି।
LAM 3:10 ସେ ମୋʼ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।
LAM 3:11 ସେ ମୋର ପଥ ବିପଥ କରି ମୋତେ ଟାଣି ଖଣ୍ଡ ଖଣ୍ଡ କରିଅଛନ୍ତି; ସେ ମୋତେ ଅନାଥ କରିଅଛନ୍ତି।
LAM 3:12 ସେ ଆପଣା ଧନୁରେ ଗୁଣ ଦେଇଅଛନ୍ତି ଓ ମୋତେ ତୀର ଲକ୍ଷ୍ୟ କରି ରଖିଅଛନ୍ତି।
LAM 3:13 ସେ ଆପଣା ତୂଣର ଶର ମୋହର ହୃଦୟରେ ପ୍ରବେଶ କରାଇଅଛନ୍ତି।
LAM 3:14 ମୁଁ ନିଜ ଲୋକସକଳର ଉପହାସର ବିଷୟ ଓ ଦିନସାରା ସେମାନଙ୍କର ଗାୟନ ହୋଇଅଛି।
LAM 3:15 ସେ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି, ସେ ନାଗଦଅଣାରେ ମୋତେ ପୂରିତ କରିଅଛନ୍ତି।
LAM 3:16 ଆହୁରି, ସେ କଙ୍କରରେ ମୋର ଦନ୍ତ ଭାଙ୍ଗିଅଛନ୍ତି, ସେ ଭସ୍ମରେ ମୋତେ ଆଚ୍ଛାଦିତ କରିଅଛନ୍ତି।
LAM 3:17 ପୁଣି, ତୁମ୍ଭେ ମୋହର ପ୍ରାଣକୁ ଶାନ୍ତିରୁ ଦୂରରେ ରଖିଅଛ; ମୁଁ ଆନନ୍ଦ ପାସୋରି ଯାଇଅଛି।
LAM 3:18 ଏଣୁ ମୁଁ କହିଲି, “ମୋହର ବଳ ଓ ସଦାପ୍ରଭୁଙ୍କଠାରେ ମୋର ପ୍ରତ୍ୟାଶା ନଷ୍ଟ ହୋଇଅଛି।”
LAM 3:19 ମୋହର ଦୁଃଖ ଓ ଦୁର୍ଗତି ସ୍ମରଣ କର, ତାହା ନାଗଦଅଣା ଓ ବିଷ ସ୍ୱରୂପ।
LAM 3:20 ମୋହର ପ୍ରାଣ ଏପର୍ଯ୍ୟନ୍ତ ତାହା ସ୍ମରଣରେ ରଖୁଅଛି ଓ ମୋʼ ଅନ୍ତରରେ ଅବସନ୍ନ ହେଉଅଛି।
LAM 3:21 ମୁଁ ଏହା ମନରେ ସ୍ମରଣ କରୁଥାଏ, ଏଥିପାଇଁ ମୋହର ଭରସା ଅଛି।
LAM 3:22 ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ।
LAM 3:23 ସେହି ସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।
LAM 3:24 ମୋର ପ୍ରାଣ କୁହେ, “ସଦାପ୍ରଭୁ ମୋହର ବାଣ୍ଟ ସ୍ୱରୂପ; ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି।”
LAM 3:25 ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି।
LAM 3:26 ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ।
LAM 3:27 ଯୌବନ କାଳରେ ଯୁଆଳି ବୋହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ।
LAM 3:28 ସେ ଏକାକୀ ବସି ନୀରବ ହୋଇ ରହୁ, କାରଣ ସେ ତାହାର ସ୍କନ୍ଧରେ ଯୁଆଳି ରଖିଅଛନ୍ତି।
LAM 3:29 ସେ ଧୂଳିରେ ଆପଣା ମୁଖ ରଖୁ; ତାହାହେଲେ ଅବା ଭରସା ଥାଇପାରେ।
LAM 3:30 ଯେ ତାହାକୁ ପ୍ରହାର କରେ, ସେ ତାହାକୁ ଆପଣା ଗାଲ ଦେଖାଇ ଦେଉ; ସେ ପୂର୍ଣ୍ଣ ଅପମାନରେ ପରିପୂର୍ଣ୍ଣ ହେଉ।
LAM 3:31 କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ।
LAM 3:32 କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ।
LAM 3:33 କାରଣ ସେ ମନୁଷ୍ୟ-ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଳେଶ କିଅବା ଦୁଃଖ ଦିଅନ୍ତି ନାହିଁ।
LAM 3:34 ପୃଥିବୀର ବନ୍ଦୀସକଳ ପଦ ତଳେ ଦଳିତ ହେବାର,
LAM 3:35 ସର୍ବୋପରିସ୍ଥଙ୍କ ସମ୍ମୁଖରେ ମନୁଷ୍ୟର ସତ୍ତ୍ୱ ଅନ୍ୟଥା ହେବାର,
LAM 3:36 ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ।
LAM 3:37 ପ୍ରଭୁ ଆଜ୍ଞା ନ କଲେ, ଯେ କଥା କହେ ଓ ତାହା ସିଦ୍ଧ ହୁଏ, ଏପରି କିଏ ଅଛି?
LAM 3:38 ସର୍ବୋପରିସ୍ଥଙ୍କ ମୁଖରୁ ଅମଙ୍ଗଳ ଓ ମଙ୍ଗଳ କି ନିର୍ଗତ ହୁଏ ନାହିଁ?
LAM 3:39 ଜୀବିତ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ, ଆପଣା ପାପର ଦଣ୍ଡ ସକାଶୁ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ?
LAM 3:40 ଆମ୍ଭେମାନେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ।
LAM 3:41 ଆମ୍ଭେମାନେ ସ୍ୱର୍ଗ ନିବାସୀ ପରମେଶ୍ୱରଙ୍କ ଆଡ଼େ କୃତାଞ୍ଜଳିପୂର୍ବକ ଆପଣା ଆପଣା ହୃଦୟ ଉଠାଉ।
LAM 3:42 “ଆମ୍ଭେମାନେ ଆଜ୍ଞାଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ; ତୁମ୍ଭେ କ୍ଷମା କରି ନାହଁ।
LAM 3:43 ତୁମ୍ଭେ କ୍ରୋଧରେ ଆଚ୍ଛନ୍ନ ହୋଇ ଆମ୍ଭମାନଙ୍କ ପଛେ ପଛେ ଗୋଡ଼ାଇଅଛ; ତୁମ୍ଭେ ବଧ କରିଅଛ, ତୁମ୍ଭେ ଦୟା କରି ନାହଁ।
LAM 3:44 ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦ କରି ଯାଇ ନ ପାରେ, ଏଥିପାଇଁ ତୁମ୍ଭେ ଆପଣାକୁ ମେଘରେ ଆଚ୍ଛନ୍ନ କରିଅଛ।
LAM 3:45 ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ୟ ବସ୍ତୁ ତୁଲ୍ୟ କରିଅଛ।
LAM 3:46 ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଆମ୍ଭମାନଙ୍କ ବିରୁଦ୍ଧରେ ଆପଣା ଆପଣା ମୁଖ ଫର୍ଚ୍ଚା କରି ମେଲାଇ ଅଛନ୍ତି।
LAM 3:47 ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି।
LAM 3:48 ମୋʼ ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋʼ ଚକ୍ଷୁରୁ ଜଳଧାରା ବହୁଅଛି।
LAM 3:49 ଯେପର୍ଯ୍ୟନ୍ତ ସଦାପ୍ରଭୁ ସ୍ୱର୍ଗରୁ ଅନାଇ ନ ଦେଖନ୍ତି,
LAM 3:50 ସେଯାଏ, ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ।
LAM 3:51 ମୋʼ ନଗରୀର ସକଳ କନ୍ୟାଙ୍କ ସକାଶୁ ମୋହର ଚକ୍ଷୁ ମୋʼ ପ୍ରାଣକୁ ଦୁଃଖ ଆଣେ।
LAM 3:52 ବିନା କାରଣରେ ଯେଉଁମାନେ ମୋହର ଶତ୍ରୁ, ସେମାନେ ମୋତେ ପକ୍ଷୀ ପରି ମୃଗୟା କରିଅଛନ୍ତି।
LAM 3:53 ସେମାନେ ଗର୍ତ୍ତରେ ମୋର ପ୍ରାଣ ସଂହାର କରି ମୋʼ ଉପରେ ପ୍ରସ୍ତର ପକାଇଅଛନ୍ତି।
LAM 3:54 ମୋʼ ମସ୍ତକର ଉପର ଦେଇ ଜଳ ବହିଗଲା ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି।
LAM 3:55 ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ ତୁମ୍ଭ ନାମରେ ପ୍ରାର୍ଥନା କଲି।
LAM 3:56 ତୁମ୍ଭେ ମୋହର ରବ ଶୁଣିଲ ମୋର ନିଶ୍ୱାସ, ମୋହର ଆର୍ତ୍ତନାଦ ପ୍ରତି ଆପଣା କର୍ଣ୍ଣ ଲୁଚାଅ ନାହିଁ।
LAM 3:57 ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ; ତୁମ୍ଭେ କହିଲ, ଭୟ କର ନାହିଁ।
LAM 3:58 ହେ ପ୍ରଭୁ, ତୁମ୍ଭେ ମୋʼ ପ୍ରାଣର ବିବାଦସକଳର ସପକ୍ଷରେ ପ୍ରତିବାଦ କରିଅଛ; ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
LAM 3:59 ହେ ସଦାପ୍ରଭୁ, ମୋʼ ପ୍ରତି କୃତ ଅନ୍ୟାୟ ତୁମ୍ଭେ ଦେଖିଅଛ; ତୁମ୍ଭେ ମୋହର ବିଚାର ନିଷ୍ପତ୍ତି କର।
LAM 3:60 ତୁମ୍ଭେ ସେମାନଙ୍କର ପ୍ରତିଶୋଧ ଓ ମୋʼ ବିରୁଦ୍ଧରେ ସେମାନଙ୍କର କୃତ ସଂକଳ୍ପସବୁ ଦେଖିଅଛ।
LAM 3:61 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ତିରସ୍କାର ଓ ମୋʼ ବିରୁଦ୍ଧରେ ସେମାନଙ୍କର କୃତ ସଂକଳ୍ପସବୁ ଶୁଣିଅଛ;
LAM 3:62 ମୋʼ ବିରୁଦ୍ଧରେ ଉଠିଲା ଲୋକମାନଙ୍କ ଓଷ୍ଠାଧରର କଥା ଓ ଦିନଯାକ ମୋʼ ବିରୁଦ୍ଧରେ ସେମାନଙ୍କ କଳ୍ପନାସବୁ ତୁମ୍ଭେ ଶୁଣିଅଛ।
LAM 3:63 ତୁମ୍ଭେ ସେମାନଙ୍କର ବସିବାର ଓ ଉଠିବାର ନିରୀକ୍ଷଣ କର; ମୁଁ ସେମାନଙ୍କର ଗାୟନ ସ୍ୱରୂପ ହୋଇଅଛି।
LAM 3:64 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବ।
LAM 3:65 ତୁମ୍ଭେ ସେମାନଙ୍କୁ ଚିତ୍ତର କଠିନତା, ତୁମ୍ଭର ଅଭିଶାପ ଦେବ।
LAM 3:66 ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।”
LAM 4:1 ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି।
LAM 4:2 ହାୟ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି!
LAM 4:3 ଶୃଗାଳମାନେ ହିଁ ସ୍ତନ ଦିଅନ୍ତି, ସେମାନେ ଆପଣା ଆପଣା ଛୁଆମାନଙ୍କୁ ଦୁଗ୍ଧ ପାନ କରାନ୍ତି; ମୋʼ ଲୋକଙ୍କର କନ୍ୟା ପ୍ରାନ୍ତରସ୍ଥ ଉଷ୍ଟ୍ରପକ୍ଷୀ ପରି ନିଷ୍ଠୁରା ହୋଇଅଛି।
LAM 4:4 ତୃଷା ହେତୁରୁ ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଅଛି; ବାଳକ ବାଳିକାମାନେ ରୁଟି ମାଗନ୍ତି ଓ କେହି ସେମାନଙ୍କୁ ତାହା ଭାଙ୍ଗି ଦିଏ ନାହିଁ।
LAM 4:5 ଯେଉଁମାନେ ସୁଖାଦ୍ୟ ଭୋଜନ କଲେ, ସେମାନେ ଦାଣ୍ଡରେ ଅନାଥ ହୋଇଅଛନ୍ତି; ଯେଉଁମାନେ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହେଲେ, ସେମାନେ ଖତରାଶି ଅବଲମ୍ବନ କରନ୍ତି।
LAM 4:6 କାରଣ ଯେ ଏକ ନିମିଷ ମଧ୍ୟରେ ଉତ୍ପାଟିତ ହେଲା ଓ ଯାହାକୁ କାହାରି ହସ୍ତ ଆକ୍ରମଣ ନ କଲା, ଏପରି ଯେ ସଦୋମ, ତାହାର ପାପ ଅପେକ୍ଷା ମୋʼ ଲୋକଙ୍କ କନ୍ୟାର ଅଧର୍ମ ଅଧିକ ଅଟେ।
LAM 4:7 ତାହାର କୁଳୀନ ଲୋକମାନେ ହିମ ଅପେକ୍ଷା ନିର୍ମଳ, ସେମାନେ ଦୁଗ୍ଧ ଅପେକ୍ଷା ଶୁକ୍ଳ ଥିଲେ, ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ, ସେମାନଙ୍କର କାନ୍ତି ନୀଳକାନ୍ତମଣି ତୁଲ୍ୟ ଥିଲା।
LAM 4:8 ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯାʼନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,
LAM 4:9 କ୍ଷୁଧାରେ ହତ ହେବା ଲୋକମାନଙ୍କ ଅପେକ୍ଷା ଖଡ୍ଗରେ ହତ ହେବା ଲୋକମାନେ ଭଲ; କାରଣ ଏମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟର ଅଭାବରୂପ ଶୂଳରେ ବିଦ୍ଧ ହୋଇ କ୍ଷୟ ପାଆନ୍ତି।
LAM 4:10 ସ୍ନେହବତୀ ସ୍ତ୍ରୀଗଣର ହସ୍ତ ଆପଣା ଆପଣା ପିଲାମାନଙ୍କୁ ରାନ୍ଧିଅଛି; ମୋʼ ଲୋକଙ୍କ କନ୍ୟାର ବିନାଶ ସମୟରେ ଶିଶୁମାନେ ସେମାନଙ୍କର ଆହାର ହେଲେ।
LAM 4:11 ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି।
LAM 4:12 ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୂଶାଲମର ଦ୍ୱାରସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜାଗଣ କିଅବା ଜଗନ୍ନିବାସୀ ସମସ୍ତେ ବିଶ୍ୱାସ କଲେ ନାହିଁ।
LAM 4:13 ତହିଁ ମଧ୍ୟରେ ଯେଉଁମାନେ ଧାର୍ମିକଗଣର ରକ୍ତପାତ କରିଅଛନ୍ତି, ସେହି ଭବିଷ୍ୟଦ୍‍ବକ୍ତାଗଣର ପାପ ଓ ଯାଜକଗଣର ଅଧର୍ମ ସକାଶୁ ଏହା ହୋଇଅଛି।
LAM 4:14 ସେମାନେ ଅନ୍ଧ ଲୋକମାନଙ୍କ ପରି ଦାଣ୍ଡରେ ଭ୍ରମଣ କରନ୍ତି, ସେମାନେ ରକ୍ତରେ ଅଶୁଚି ହୋଇଅଛନ୍ତି, ଏଣୁ ଲୋକେ ସେମାନଙ୍କର ବସ୍ତ୍ର ସ୍ପର୍ଶ କରି ନ ପାରନ୍ତି।
LAM 4:15 ଲୋକେ ସେମାନଙ୍କୁ ଡାକି କହିଲେ, “ହେ ଅଶୁଚି ଲୋକମାନେ, ଦୂର ହୁଅ! ଦୂର ହୁଅ, ଦୂର ହୁଅ, ସ୍ପର୍ଶ କର ନାହିଁ!” ସେମାନେ ପଳାଇ ଭ୍ରମଣ କଲା ବେଳେ ନାନା ଗୋଷ୍ଠୀ ମଧ୍ୟରୁ ଲୋକେ କହିଲେ, “ସେମାନେ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
LAM 4:16 ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କୁ ଛିନ୍ନଭିନ୍ନ କରିଅଛି; ସେ ସେମାନଙ୍କ ପ୍ରତି ଆଉ ଦୃଷ୍ଟିପାତ କରିବେ ନାହିଁ; ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ, ସେମାନେ ପ୍ରାଚୀନଗଣକୁ ଅନୁଗ୍ରହ କଲେ ନାହିଁ।
LAM 4:17 ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ।
LAM 4:18 ସେମାନେ ଆମ୍ଭମାନଙ୍କର ପାଦବିକ୍ଷେପ ଛକି ରହିଅଛନ୍ତି, ଆମ୍ଭେମାନେ ଆପଣା ଦାଣ୍ଡରେ ବୁଲି ନ ପାରୁ; ଆମ୍ଭମାନଙ୍କର ଶେଷ ନିକଟ, ଆମ୍ଭମାନଙ୍କର ଆୟୁ ସମ୍ପୂର୍ଣ୍ଣ ହେଲା; କାରଣ ଆମ୍ଭମାନଙ୍କର ଶେଷ କାଳ ଉପସ୍ଥିତ;
LAM 4:19 ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ।
LAM 4:20 ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସ ସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା।
LAM 4:21 ହେ ଊଷ ଦେଶ ନିବାସିନୀ ଇଦୋମର କନ୍ୟେ, ତୁମ୍ଭେ ଆନନ୍ଦ କର ଓ ପୁଲକିତା ହୁଅ; ସେହି ପାନପାତ୍ର ତୁମ୍ଭ ନିକଟକୁ ହିଁ ଯିବ; ତୁମ୍ଭେ ମତ୍ତା ହେବ ଓ ଆପଣାକୁ ଉଲଙ୍ଗିନୀ କରିବ।
LAM 4:22 ହେ ସିୟୋନର କନ୍ୟେ, ତୁମ୍ଭ ଅଧର୍ମର ଦଣ୍ଡ ସମ୍ପୂର୍ଣ୍ଣ ହୋଇଅଛି; ସେ ତୁମ୍ଭକୁ ବନ୍ଦୀତ୍ୱ ସ୍ଥାନକୁ ଆଉ ନେଇଯିବେ ନାହିଁ; ହେ ଇଦୋମର କନ୍ୟେ, ସେ ତୁମ୍ଭ ଅଧର୍ମର ପ୍ରତିଫଳ ଦେବେ; ସେ ତୁମ୍ଭର ପାପସବୁ ଅନାବୃତ କରିବେ।
LAM 5:1 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଯାହା ଘଟିଅଛି, ତାହା ସ୍ମରଣ କର; ଅବଲୋକନ କରି ଆମ୍ଭମାନଙ୍କ ଅପମାନ ଦେଖ।
LAM 5:2 ଆମ୍ଭମାନଙ୍କ ଅଧିକାର ବିଦେଶୀୟମାନଙ୍କର ହସ୍ତକୁ ଯାଇଅଛି, ଆମ୍ଭମାନଙ୍କର ଗୃହସବୁ ପର ଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
LAM 5:3 ଆମ୍ଭେମାନେ ଅନାଥ ଓ ପିତୃହୀନ, ଆମ୍ଭମାନଙ୍କର ମାତୃଗଣ ବିଧବା ତୁଲ୍ୟ ହୋଇଅଛନ୍ତି।
LAM 5:4 ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।
LAM 5:5 ଆମ୍ଭମାନଙ୍କ ପଛରେ ଗୋଡ଼ାଇବା ଲୋକମାନେ ଆମ୍ଭମାନଙ୍କର ବେକ ଧରିଅଛନ୍ତି; ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ କିଛି ବିଶ୍ରାମ ପାଇ ନାହୁଁ।
LAM 5:6 ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ ମିସରୀୟମାନଙ୍କୁ ଓ ଅଶୂରୀୟମାନଙ୍କୁ ହାତ ଦେଇଅଛୁ।
LAM 5:7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଅଛନ୍ତି, ଆଉ ସେମାନେ ମରିଅଛନ୍ତି; ପୁଣି, ଆମ୍ଭେମାନେ ସେମାନଙ୍କର ଅଧର୍ମ ବହନ କରିଅଛୁ।
LAM 5:8 ଦାସମାନେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି; ସେମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନାହିଁ।
LAM 5:9 ପ୍ରାନ୍ତରରେ ଖଡ୍ଗ ଥିବାରୁ ଆମ୍ଭେମାନେ ଆପଣା ଆପଣା ପ୍ରାଣ ସଙ୍କଟରେ ଖାଦ୍ୟ ପାଉଅଛୁ।
LAM 5:10 ଦୁର୍ଭିକ୍ଷର ଜ୍ୱଳନ୍ତ ତାପ ହେତୁରୁ, ଆମ୍ଭମାନଙ୍କ ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
LAM 5:11 ସେମାନେ ସିୟୋନରେ ସ୍ତ୍ରୀମାନଙ୍କୁ, ଯିହୁଦାର ନଗରସମୂହରେ କୁମାରୀଗଣକୁ ଭ୍ରଷ୍ଟା କଲେ।
LAM 5:12 ଅଧିପତିମାନେ ସେମାନଙ୍କ ହସ୍ତ ଦ୍ୱାରା ଟଙ୍ଗା ହୋଇଥିଲେ; ପ୍ରାଚୀନ ଲୋକମାନଙ୍କ ମୁଖ ସମାଦୃତ ନୋହିଲା।
LAM 5:13 ଯୁବା ଲୋକମାନେ ଚକି ବହିଲେ, ଆଉ ପିଲାମାନେ କାଷ୍ଠ ଭାରରେ ଝୁଣ୍ଟି ପଡ଼ିଲେ।
LAM 5:14 ପ୍ରାଚୀନମାନେ ନଗରଦ୍ୱାରରୁ, ଯୁବା ଲୋକମାନେ ଆପଣା ବାଦ୍ୟରୁ ନିବୃତ୍ତ ହୋଇଅଛନ୍ତି।
LAM 5:15 ଆମ୍ଭମାନଙ୍କ ଚିତ୍ତର ଆନନ୍ଦ ନିବୃତ୍ତ ହୋଇଅଛି; ଆମ୍ଭମାନଙ୍କର ନୃତ୍ୟ ଶୋକରେ ପରିଣତ ହୋଇଅଛି।
LAM 5:16 ଆମ୍ଭମାନଙ୍କ ମସ୍ତକରୁ ମୁକୁଟ ଖସି ପଡ଼ିଅଛି; ଧିକ୍‍ ଆମ୍ଭମାନଙ୍କୁ! କାରଣ ଆମ୍ଭେମାନେ ପାପ କରିଅଛୁ।
LAM 5:17 ଏଥିପାଇଁ ଆମ୍ଭମାନଙ୍କ ଅନ୍ତଃକରଣ କ୍ଷୀଣ ହୋଇଅଛି; ଏହିସବୁ କାରଣରୁ ଆମ୍ଭମାନଙ୍କର ଚକ୍ଷୁ ଧନ୍ଦଳା ହୋଇଅଛି।
LAM 5:18 କାରଣ ସିୟୋନ ପର୍ବତ ଉଚ୍ଛିନ୍ନ ସ୍ଥାନ ହୋଇଅଛି; କୋକିଶିଆଳିମାନେ ତହିଁ ଉପରେ ଭ୍ରମଣ କରନ୍ତି।
LAM 5:19 ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ ତୁମ୍ଭ ସିଂହାସନ ପୁରୁଷାନୁକ୍ରମେ ଥାଏ।
LAM 5:20 ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁଅଛ, ଆଉ ଏତେ ଦୀର୍ଘ କାଳ ଆମ୍ଭମାନଙ୍କୁ ପରିତ୍ୟାଗ କରୁଅଛ?
LAM 5:21 ହେ ସଦାପ୍ରଭୁ, ତୁମ୍ଭ ପ୍ରତି ଆମ୍ଭମାନଙ୍କୁ ଫେରାଅ, ତହିଁରେ ଆମ୍ଭେମାନେ ଫେରି ଆସିବା; ପୂର୍ବ କାଳ ପରି ନୂତନ ସମୟ ଆମ୍ଭମାନଙ୍କୁ ଦିଅ।
LAM 5:22 ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ସର୍ବତୋଭାବରେ ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।
EZE 1:1 ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲର କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ୱର୍ଗ ମୁକ୍ତ ହେଲା, ତହିଁରେ ମୁଁ ପରମେଶ୍ୱରଙ୍କଠାରୁ ଦର୍ଶନମାନ ଦେଖିଲି।
EZE 1:2 ରାଜା ଯିହୋୟାଖୀନ୍‍ର ବନ୍ଦୀ ହେବାର ପଞ୍ଚମ ବର୍ଷର, ସେହି ମାସର ପଞ୍ଚମ ଦିନରେ,
EZE 1:3 କଲ୍‍ଦୀୟମାନଙ୍କ ଦେଶରେ କବାର ନଦୀ କୂଳରେ ବୂଷିର ପୁତ୍ର ଯିହିଜିକଲ ଯାଜକଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା; ପୁଣି, ସେଠାରେ ସଦାପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିଲା।
EZE 1:4 ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା।
EZE 1:5 ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା।
EZE 1:6 ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା।
EZE 1:7 ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ।
EZE 1:8 ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା;
EZE 1:9 ସେମାନଙ୍କର ପକ୍ଷ ପରସ୍ପର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ପଛକୁ ଫେରିଲେ ନାହିଁ; ମାତ୍ର ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ।
EZE 1:10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ-ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।
EZE 1:11 ପୁଣି, ଉପର ଭାଗରେ ସେମାନଙ୍କର ମୁଖ ଓ ପକ୍ଷ ବିଭିନ୍ନ ଥିଲା; ପ୍ରତ୍ୟେକର ଦୁଇ ଦୁଇ ପକ୍ଷ ପରସ୍ପର ସଂଯୁକ୍ତ ଥିଲା ଓ ଦୁଇ ଦୁଇ ପକ୍ଷ ସେମାନଙ୍କର ଶରୀର ଆଚ୍ଛାଦନ କଲା।
EZE 1:12 ପୁଣି, ସେମାନେ ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ; ଯେଉଁଆଡ଼େ ଯିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲା, ସେହିଆଡ଼େ ସେମାନେ ଗମନ କଲେ; ଗମନ ସମୟରେ ସେମାନେ ଫେରିଲେ ନାହିଁ।
EZE 1:13 ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା।
EZE 1:14 ପୁଣି, ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍‍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ।
EZE 1:15 ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲା ବେଳେ, ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ୱରେ ସେମାନଙ୍କ ଚାରି ମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା।
EZE 1:16 ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଓ ଚାରିର ରୂପ ଏକ-ପ୍ରକାର; ପୁଣି, ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା।
EZE 1:17 ଗମନ କଲା ବେଳେ ସେହି ଚାରି ଚକ୍ର ଆପଣା ଆପଣାର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
EZE 1:18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର; ପୁଣି, ସେମାନଙ୍କର ସେହି ଚାରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।
EZE 1:19 ଆଉ, ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଚଳିଲେ; ପୁଣି, ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ଚକ୍ରସବୁ ମଧ୍ୟ ଉତ୍ଥାପିତ ହେଲେ।
EZE 1:20 ଯେକୌଣସି ସ୍ଥାନକୁ ଯିବାର ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା, ସେସ୍ଥାନକୁ ସେମାନେ ଗଲେ; ଗମନ କରିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉଠିଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
EZE 1:21 ସେମାନେ ଗମନ କଲା ବେଳେ ଏମାନେ ଗମନ କଲେ ଓ ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ଆଉ, ସେମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉତ୍ଥାପିତ ହେଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
EZE 1:22 ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବିସ୍ତାରିତ ଥିଲା।
EZE 1:23 ଆଉ, ସେହି ଶୂନ୍ୟର ତଳେ ସେମାନଙ୍କର ପକ୍ଷସବୁ ପରସ୍ପର ପ୍ରତି ପ୍ରସାରିତ ହୋଇ ସମାନ ଥିଲା; ପ୍ରତ୍ୟେକର ଶରୀର ଆଚ୍ଛାଦନ କରିବା ପାଇଁ ଏପାଖରେ ଦୁଇ ଓ ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ସେପାଖରେ ଦୁଇ ପକ୍ଷ ଥିଲା।
EZE 1:24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।
EZE 1:25 ପୁଣି, ସେମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟର ଉପରେ ଏକ ରବ ହେଲା; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।
EZE 1:26 ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ୱରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଊର୍ଦ୍ଧ୍ୱ ଭାଗରେ ଥିଲା।
EZE 1:27 ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଊର୍ଦ୍ଧ୍ୱରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା।
EZE 1:28 ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।
EZE 2:1 ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା।”
EZE 2:2 ସେ କଥା କହିବା ବେଳେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି।
EZE 2:3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି।
EZE 2:4 ସେହି ସନ୍ତାନମାନେ ନିର୍ଲଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’
EZE 2:5 ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ।
EZE 2:6 ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‍ବିଗ୍ନ ହୁଅ ନାହିଁ।
EZE 2:7 ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ।
EZE 2:8 ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।”
EZE 2:9 ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା;
EZE 2:10 ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ଓ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।
EZE 3:1 ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର; ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ।”
EZE 3:2 ତହିଁରେ ମୁଁ ଆପଣା ମୁଖ ଫିଟାନ୍ତେ, ସେ ମୋତେ ସେହି ନଳାକାର ପୁସ୍ତକ ଭୋଜନ କରାଇଲେ।
EZE 3:3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉ, ତାହା ତୁମ୍ଭେ ଜଠରରେ ଗ୍ରହଣ କରି ଆପଣା ଉଦର ପୂର୍ଣ୍ଣ କର!” ତହିଁରେ ମୁଁ ତାହା ଭୋଜନ କଲି; ଆଉ, ମିଷ୍ଟତା ସକାଶୁ ତାହା ମୋʼ ମୁଖକୁ ମଧୁପରି ଲାଗିଲା।
EZE 3:4 ଏଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ସେମାନଙ୍କୁ ଆମ୍ଭର ବାକ୍ୟସକଳ କୁହ।
EZE 3:5 କାରଣ ତୁମ୍ଭେ କୌଣସି ବିଦେଶୀୟ ଓ କଠିନ ଭାଷାବାଦୀ ଗୋଷ୍ଠୀ ନିକଟକୁ ପ୍ରେରିତ ନ ହୋଇ ଇସ୍ରାଏଲ ବଂଶ ନିକଟକୁ ପ୍ରେରିତ ହେଉଅଛ;
EZE 3:6 ଯେଉଁମାନଙ୍କର ଭାଷା ତୁମ୍ଭେ ବୁଝି ନ ପାର, ଏପରି ବିଦେଶୀୟ ଓ କଠିନ ଭାଷାବାଦୀ ଅନେକ ଗୋଷ୍ଠୀ ନିକଟକୁ ତୁମ୍ଭେ ପ୍ରେରିତ ହେଉ ନାହଁ। ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପଠାଇଲେ, ସେମାନେ ନିଶ୍ଚୟ ତୁମ୍ଭର କଥା ଶୁଣନ୍ତେ।
EZE 3:7 ମାତ୍ର ଇସ୍ରାଏଲ ବଂଶ ତୁମ୍ଭ କଥା ଶୁଣିବେ ନାହିଁ; କାରଣ ସେମାନେ ଆମ୍ଭ କଥା ଶୁଣିବେ ନାହିଁ; ସମୁଦାୟ ଇସ୍ରାଏଲ ବଂଶ ଶକ୍ତଗ୍ରୀବ ଓ କଠିନ ଚିତ୍ତ ଅଟନ୍ତି।
EZE 3:8 ଦେଖ, ଆମ୍ଭେ ସେମାନଙ୍କ ମୁଖର ପ୍ରତିକୂଳରେ ତୁମ୍ଭର ମୁଖ ଓ ସେମାନଙ୍କ କପାଳର ପ୍ରତିକୂଳରେ ତୁମ୍ଭର କପାଳ ଦୃଢ଼ କରିଅଛୁ।
EZE 3:9 ଆମ୍ଭେ ଚକ୍‍ମକି ପ୍ରସ୍ତର ଅପେକ୍ଷା ଦୃଢ଼ ହୀରକ ତୁଲ୍ୟ ତୁମ୍ଭର କପାଳ କରିଅଛୁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ସେମାନଙ୍କୁ ଭୟ କର ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‍ବିଗ୍ନ ହୁଅ ନାହିଁ।”
EZE 3:10 ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହି ସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର।
EZE 3:11 ପୁଣି, ତୁମ୍ଭ ଲୋକଙ୍କର ନିର୍ବାସିତ ସନ୍ତାନଗଣ ନିକଟକୁ ଯାଇ ସେମାନଙ୍କୁ କୁହ; ସେମାନେ ଶୁଣନ୍ତୁ ଅବା ନ ଶୁଣନ୍ତୁ, ସେମାନଙ୍କୁ ଜଣାଅ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’”
EZE 3:12 ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇଲେ, ତହିଁରେ ମୁଁ ଆପଣା ପଶ୍ଚାତରେ, “ଧନ୍ୟ ସଦାପ୍ରଭୁଙ୍କର ମହିମା,” ଏହି କଥା ମହା ଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି।
EZE 3:13 ପୁଣି, ସେହି ଜୀବିତ ପ୍ରାଣୀମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କରନ୍ତେ, ମୁଁ ତହିଁର ଶବ୍ଦ ଓ ସେମାନଙ୍କ ପାର୍ଶ୍ୱସ୍ଥ ଚକ୍ରର ଶବ୍ଦ, ଏହି ମହା ଖରତର ଶବ୍ଦ ଶୁଣିଲି।
EZE 3:14 ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ; ତହୁଁ ମୁଁ ଦୁଃଖିତ ଓ ପରମେଶ୍ୱରଙ୍କ ଆତ୍ମାରେ ତାପିତ ହୋଇ ଗମନ କଲି, ପୁଣି, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ପ୍ରବଳ ଥିଲା।
EZE 3:15 ତେବେ ମୁଁ ତେଲଆବୀବକୁ, କବାର ନଦୀତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି ଓ ସେମାନେ ଯେଉଁ ସ୍ଥାନରେ ବାସ କଲେ, ସେହି ସ୍ଥାନରେ ସେମାନଙ୍କ ମଧ୍ୟରେ ସ୍ତବ୍ଧ ହୋଇ ସାତ ଦିନ ବସି ରହିଲି।
EZE 3:16 ଏଥିଉତ୍ତାରେ ସାତ ଦିନ ସମାପ୍ତ ହେଲା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା:
EZE 3:17 “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।
EZE 3:18 ‘ତୁମ୍ଭେ ନିଶ୍ଚୟ ମରିବ,’ ଏହି କଥା ଯେତେବେଳେ ଆମ୍ଭେ ଦୁଷ୍ଟକୁ କହୁ; ସେତେବେଳେ ତୁମ୍ଭେ ଯଦି ତାହାକୁ ଚେତନା ନ ଦିଅ, କିଅବା ତାହାର ପ୍ରାଣ ରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ; ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା।
EZE 3:19 ତଥାପି ତୁମ୍ଭେ ଯଦି ଦୁଷ୍ଟକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରୁ ନ ଫେରେ, ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ।
EZE 3:20 ପୁନର୍ବାର କୌଣସି ଧାର୍ମିକ ଲୋକ ଯଦି ଆପଣା ଧର୍ମରୁ ଫେରି ଅଧର୍ମ କରେ ଓ ଆମ୍ଭେ ତାହା ସମ୍ମୁଖରେ ବାଧା ରଖୁ, ତେବେ ସେ ମରିବ; ତୁମ୍ଭେ ତାହାକୁ ଚେତନା ନ ଦେବା ସକାଶୁ ସେ ଆପଣା ପାପରେ ମରିବ ଓ ତାହାର ଧର୍ମକର୍ମସବୁ ସ୍ମରଣ କରାଯିବ ନାହିଁ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା।
EZE 3:21 ତଥାପି ଧାର୍ମିକ ଲୋକ ଯେପରି ପାପ ନ କରିବ, ଏଥିପାଇଁ ତୁମ୍ଭେ ଧାର୍ମିକ ଲୋକକୁ ଚେତନା ଦେଲେ, ସେ ଯଦି ପାପ ନ କରେ, ତେବେ ସେ ଚେତନା ଗ୍ରହଣ କରିବା ସକାଶୁ ନିଶ୍ଚୟ ବଞ୍ଚିବ ଓ ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ।”
EZE 3:22 ଏଥିଉତ୍ତାରେ ସେହି ସ୍ଥାନରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠାନ କଲା; ପୁଣି, ସେ ମୋତେ କହିଲେ, “ତୁମ୍ଭେ ଉଠି ପଦାଭୂମିକୁ ବାହାରି ଯାଅ, ଆଉ ଆମ୍ଭେ ସେଠାରେ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବା!”
EZE 3:23 ତହିଁରେ ମୁଁ ଉଠି ପଦାଭୂମିକୁ ବାହାରିଗଲି; ଆଉ ଦେଖ, କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ତାହାର ତୁଲ୍ୟ ସଦାପ୍ରଭୁଙ୍କର ମହିମା ସେହି ସ୍ଥାନରେ ଉପସ୍ଥିତ ହେଲା; ତହୁଁ ମୁଁ ଉବୁଡ଼ ହେଲି।
EZE 3:24 ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ପୁଣି, ସେ ମୋʼ ସଙ୍ଗେ କଥାବାର୍ତ୍ତା କରି ମୋତେ କହିଲେ, “ଯାଅ, ତୁମ୍ଭେ ଆପଣା ଗୃହ ଭିତରେ ଆପଣାକୁ ରୁଦ୍ଧ କରି ରଖ।
EZE 3:25 ମାତ୍ର ହେ ମନୁଷ୍ୟ-ସନ୍ତାନ, ଦେଖ, ଲୋକମାନେ ତୁମ୍ଭ ଉପରେ ରଜ୍ଜୁ ଦେଇ ତଦ୍ଦ୍ୱାରା ତୁମ୍ଭକୁ ବାନ୍ଧିବେ, ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ;
EZE 3:26 ପୁଣି, ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ତହିଁରେ ତୁମ୍ଭେ ଘୁଙ୍ଗା ହେବ ଓ ସେମାନଙ୍କର ଭର୍ତ୍ସନାକାରୀ ହେବ ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି।
EZE 3:27 ମାତ୍ର ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ସମୟରେ ତୁମ୍ଭ ମୁଖ ଫିଟାଇବା, ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି;’ ଯେ ଶୁଣେ, ସେ ଶୁଣୁ ଓ ଯେ ନ ଶୁଣେ, ସେ ନ ଶୁଣୁ; କାରଣ ସେମାନେ ବିଦ୍ରୋହୀ ବଂଶ!”
EZE 4:1 ଆହୁରି, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍‍, ଯିରୂଶାଲମର ଛବି ଅଙ୍କିତ କର;
EZE 4:2 ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।
EZE 4:3 ପୁଣି, ଏକ ଖଣ୍ଡ ଲୁହାର କହ୍ରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର; ଆଉ, ତୁମ୍ଭର ମୁଖ ତହିଁ ପ୍ରତି ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ ହେବ।
EZE 4:4 ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।
EZE 4:5 କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍‍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।
EZE 4:6 ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।
EZE 4:7 ଆଉ, ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ସୈନ୍ୟ ବେଷ୍ଟନ ପ୍ରତି ମୁଖ ରଖିବ ଓ ତହିଁ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବ।
EZE 4:8 ପୁଣି, ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧୁଅଛୁ, ଏଣୁ ତୁମ୍ଭେ ତୁମ୍ଭର ଅବରୋଧର ଦିନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।
EZE 4:9 ଆହୁରି, ତୁମ୍ଭେ ଆପଣା ପାଇଁ ଗହମ, ଯବ, ଶିମ, ମସୁର, କାଙ୍ଗୁ ଓ ଜହ୍ନା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର; ତୁମ୍ଭେ ଯେଉଁ ତିନି ଶହ ନବେ ଦିନ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟାନୁସାରେ ତାହା ଭୋଜନ କରିବ।
EZE 4:10 ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।
EZE 4:11 ଆଉ, ତୁମ୍ଭେ ପରିମାଣ ଅନୁସାରେ ଏକ ହୀନ୍‍ର ଷଷ୍ଠାଂଶ ଜଳ ପାନ କରିବ; ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।
EZE 4:12 ପୁଣି, ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଯବ ପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ!”
EZE 4:13 ପୁଣି, ସଦାପ୍ରଭୁ କହିଲେ, “ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ଅଶୁଚି ରୁଟି ଖାଇବେ।”
EZE 4:14 ସେତେବେଳେ ମୁଁ କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ଦେଖ, ମୋର ପ୍ରାଣ ଅଶୁଚି ହୋଇ ନାହିଁ, ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ କିଅବା ପଶୁ ଦ୍ୱାରା ବିଦୀର୍ଣ୍ଣ କିଛି ହିଁ ଭୋଜନ କରି ନାହିଁ; ଅଥବା ଘୃଣାଯୋଗ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ!”
EZE 4:15 ତହିଁରେ ସେ ମୋତେ କହିଲେ, “ଦେଖ, ଆମ୍ଭେ ମନୁଷ୍ୟର ବିଷ୍ଠା ବଦଳେ ଗୋମୟ ତୁମ୍ଭକୁ ଦେଲୁ, ଆଉ ତୁମ୍ଭେ ତହିଁ ଉପରେ ଆପଣା ରୁଟି ପାକ କରିବ।”
EZE 4:16 ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;
EZE 4:17 ତହିଁରେ ଅନ୍ନ ଓ ଜଳର ଅଭାବରେ ସେମାନେ ପରସ୍ପର ପ୍ରତି ବିସ୍ମୟାପନ୍ନ ହୋଇ ଆପଣା ଆପଣା ଅଧର୍ମରେ କ୍ଷୀଣ ହେବେ।”
EZE 5:1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ତୀକ୍ଷ୍ଣ ଖଡ୍ଗ, ବାରିକର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବ; ତହୁଁ ନିକିତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ।
EZE 5:2 ତହିଁର ତୃତୀୟାଂଶ ନେଇ ଅବରୋଧ କାଳ ସମାପ୍ତ ହେଲେ ନଗରର ମଧ୍ୟସ୍ଥାନରେ ଅଗ୍ନିରେ ଦଗ୍ଧ କରିବ; ପୁଣି, ତୃତୀୟାଂଶ ନେଇ ତହିଁର ଚତୁର୍ଦ୍ଦିଗରେ ଖଡ୍ଗରେ କାଟିବ; ଆଉ, ତୃତୀୟାଂଶ ନେଇ ବାୟୁରେ ଉଡ଼ାଇ ଦେବ ଓ ଆମ୍ଭେ ତହିଁର ପଛେ ପଛେ ଖଡ୍ଗ ନିଷ୍କୋଷ କରିବା।
EZE 5:3 ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ
EZE 5:4 ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ ବଂଶ ମଧ୍ୟକୁ ଆସିବ।
EZE 5:5 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଏ ଯିରୂଶାଲମ; ଆମ୍ଭେ ଏହାକୁ ଗୋଷ୍ଠୀଗଣ ମଧ୍ୟରେ ସ୍ଥାପନ କରିଅଛୁ ଓ ତାହାର ଚତୁର୍ଦ୍ଦିଗରେ ନାନା ଦେଶ ଅଛି।
EZE 5:6 ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରି ନାହାନ୍ତି!
EZE 5:7 ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ
EZE 5:8 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା।
EZE 5:9 ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା।
EZE 5:10 ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା।
EZE 5:11 ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ।
EZE 5:12 ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ୍ଗ ଦ୍ୱାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ ଖଡ୍ଗ ନିଷ୍କୋଷ କରିବା।
EZE 5:13 ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶାନ୍ତ ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ୱାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ।
EZE 5:14 ଆହୁରି, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ ପଥିକମାନଙ୍କ ଦୃଷ୍ଟିରେ ଉତ୍ସନ୍ନ ସ୍ଥାନ ଓ ନିନ୍ଦାର ପାତ୍ର କରିବା।
EZE 5:15 ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର ଓ ଆଶ୍ଚର୍ଯ୍ୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ;
EZE 5:16 ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀରଗୁଡ଼ିକ ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା;
EZE 5:17 ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
EZE 6:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 6:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ପ୍ରତି ଆପଣା ମୁଖ କରି ସେମାନଙ୍କ ପ୍ରତି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର,
EZE 6:3 ଆଉ, କୁହ, ହେ ଇସ୍ରାଏଲର ପର୍ବତଗଣ ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ପର୍ବତଗଣକୁ ଓ ଉପପର୍ବତଗଣକୁ, ଜଳପ୍ରଣାଳୀ ଓ ଉପତ୍ୟକା ସମୂହକୁ ଏହି କଥା କହନ୍ତି; ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଖଡ୍ଗ ଆଣିବା ଓ ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳୀସକଳ ବିନଷ୍ଟ କରିବା।
EZE 6:4 ପୁଣି, ତୁମ୍ଭମାନଙ୍କର ଯଜ୍ଞବେଦିମାନ ଧ୍ୱଂସ ଓ ତୁମ୍ଭମାନଙ୍କ ସୂର୍ଯ୍ୟପ୍ରତିମାଗଣ ଭଗ୍ନ ହେବେ ଓ ଆମ୍ଭେ ତୁମ୍ଭମାନଙ୍କର ହତ ଲୋକମାନଙ୍କୁ ତୁମ୍ଭମାନଙ୍କ ଦେବତାଗଣର ସମ୍ମୁଖରେ ପକାଇଦେବା।
EZE 6:5 ଆଉ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ଶବ ସେମାନଙ୍କ ପ୍ରତିମାଗଣର ସମ୍ମୁଖରେ ରଖିବା ଓ ତୁମ୍ଭମାନଙ୍କର ଅସ୍ଥିସବୁ ଆମ୍ଭେ ତୁମ୍ଭମାନଙ୍କ ଯଜ୍ଞବେଦିମାନର ଚାରିଆଡ଼େ ବିଞ୍ଚି ଦେବା।
EZE 6:6 ତୁମ୍ଭମାନଙ୍କର ଯାବତୀୟ ବସତି ସ୍ଥାନର ନଗରସକଳ ଉତ୍ସନ୍ନ ହେବ ଓ ଉଚ୍ଚସ୍ଥଳୀସବୁ ଧ୍ୱଂସ ହେବ, ତହିଁରେ ତୁମ୍ଭମାନଙ୍କର ଯଜ୍ଞବେଦିସବୁ ଉତ୍ସନ୍ନ, ଧ୍ୱଂସ ହେବ ଓ ତୁମ୍ଭମାନଙ୍କର ଦେବତାଗଣ ଭଗ୍ନ ଓ ରହିତ ହେବେ ଓ ତୁମ୍ଭମାନଙ୍କର ସୂର୍ଯ୍ୟପ୍ରତିମାଗଣ ଉଚ୍ଛିନ୍ନ ହେବେ, ଆଉ ତୁମ୍ଭମାନଙ୍କର ହସ୍ତକୃତ କର୍ମସବୁ ଲୁପ୍ତ ହେବ।
EZE 6:7 ପୁଣି, ହତ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପତିତ ହେବେ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 6:8 ତଥାପି ଆମ୍ଭେ ଏକ ଅବଶିଷ୍ଟାଂଶ ରଖିବା, ତୁମ୍ଭେମାନେ ନାନା ଦେଶରେ ଛିନ୍ନଭିନ୍ନ ହେବା ସମୟରେ ତୁମ୍ଭମାନଙ୍କର କେତେକ ଲୋକ ଗୋଷ୍ଠୀଗଣ ମଧ୍ୟରେ ଖଡ୍ଗରୁ ରକ୍ଷା ପାଇବେ।
EZE 6:9 ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍‍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ୱାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।
EZE 6:10 ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ; ଆମ୍ଭେ ସେମାନଙ୍କ ପ୍ରତି ଏହି ଅମଙ୍ଗଳ ଘଟାଇବାର କଥା ବୃଥା କହି ନାହୁଁ।”
EZE 6:11 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ କରାଘାତ, ପଦାଘାତ କର ଓ ଇସ୍ରାଏଲ ବଂଶର ସକଳ ଘୃଣାଯୋଗ୍ୟ ଦୁଷ୍କ୍ରିୟା ସକାଶୁ କୁହ, ହାୟ ହାୟ! କାରଣ ସେମାନେ ଖଡ୍ଗରେ, ଦୁର୍ଭିକ୍ଷରେ ଓ ମହାମାରୀରେ ପତିତ ହେବେ।
EZE 6:12 ଯେଉଁ ଲୋକ ଦୂରରେ ଅଛି, ସେ ମହାମାରୀରେ ମରିବ; ଯେଉଁ ଲୋକ ନିକଟରେ ଅଛି, ସେ ଖଡ୍ଗ ଦ୍ୱାରା ପତିତ ହେବ; ଯେଉଁ ଲୋକ ଅବଶିଷ୍ଟ ରହେ ଓ ଅବରୁଦ୍ଧ ହୁଏ, ସେ ଦୁର୍ଭିକ୍ଷରେ ମରିବ; ଏହି ପ୍ରକାରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସମ୍ପନ୍ନ କରିବା।
EZE 6:13 ପୁଣି, ଯେତେବେଳେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ, ସକଳ ପର୍ବତ ଶୃଙ୍ଗରେ, ପ୍ରତ୍ୟେକ ହରିତ୍‍ବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ନିବିଡ଼ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ସେମାନେ ଆପଣା ଆପଣାର ସକଳ ଦେବତା ଉଦ୍ଦେଶ୍ୟରେ ସୌରଭାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସକଳ ସ୍ଥାନରେ ସେମାନଙ୍କ ଯଜ୍ଞବେଦିର ଚତୁର୍ଦ୍ଦିଗରେ ଦେବତାଗଣର ମଧ୍ୟରେ ସେମାନଙ୍କ ହତ ଲୋକମାନେ ରହିବେ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 6:14 ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ପ୍ରାନ୍ତରଠାରୁ ଦିବ୍ଲା ପର୍ଯ୍ୟନ୍ତ ସେମାନଙ୍କର ସମୁଦାୟ ବସତି-ଦେଶକୁ ଧ୍ୱଂସ ଓ ଶୂନ୍ୟ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 7:1 ଆହୁରି, ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 7:2 “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି; ଅନ୍ତିମକାଳ, ଦେଶର ଚାରି କୋଣରେ ଅନ୍ତିମକାଳ ଉପସ୍ଥିତ ହୋଇଅଛି।
EZE 7:3 ଏବେ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।
EZE 7:4 ଆମ୍ଭେ ତୁମ୍ଭ ପ୍ରତି ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଆମ୍ଭେ ଦୟା କରିବା ନାହିଁ; ମାତ୍ର ତୁମ୍ଭ ଆଚରଣର ଫଳ ଆମ୍ଭେ ତୁମ୍ଭ ଉପରେ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସବୁ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 7:5 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଅମଙ୍ଗଳ ହିଁ ଅମଙ୍ଗଳ; ଦେଖ, ତାହା ଆସୁଅଛି।
EZE 7:6 ଅନ୍ତିମକାଳ ଉପସ୍ଥିତ, ସେହି ଅନ୍ତିମକାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି।
EZE 7:7 ହେ ଦେଶ ନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ, ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ; ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ।
EZE 7:8 ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳି ଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା, ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।
EZE 7:9 ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ।
EZE 7:10 ଦେଖ, ସେହି ଦିନ, ଦେଖ, ତାହା ଆସୁଅଛି; ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା; ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି।
EZE 7:11 ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତାରୂପ ଯଷ୍ଟି ହୋଇଅଛି; ସେମାନଙ୍କର କେହି କିଅବା ସେମାନଙ୍କର ଲୋକସମୂହ କିଅବା ସେମାନଙ୍କର ଧନ ରହିବ ନାହିଁ; ଅଥବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ।
EZE 7:12 ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ।
EZE 7:13 ଯେହେତୁ ସେମାନେ ଜୀବିତ ଥିଲେ ହେଁ ବିକ୍ରୟକାରୀ ବିକ୍ରୀତ ଅଧିକାରକୁ ଫେରିଯିବ ନାହିଁ; କାରଣ ଏହି ଦର୍ଶନ ସେହି ସ୍ଥାନସ୍ଥ ସମୁଦାୟ ଲୋକସମୂହ ବିଷୟକ ଅଟେ, କେହି ଫେରିଯିବେ ନାହିଁ; ପୁଣି, ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ।
EZE 7:14 ସେମାନେ ତୂରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି; ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ ଆମ୍ଭର କୋପ ଅଛି।
EZE 7:15 ବାହାରେ ଖଡ୍ଗ, ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି; ଯେଉଁ ଲୋକ କ୍ଷେତ୍ରରେ ଅଛି, ସେ ଖଡ୍ଗରେ ମରିବ ଓ ଯେ ନଗର ମଧ୍ୟରେ ଅଛି, ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ।
EZE 7:16 ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ।
EZE 7:17 ସମସ୍ତଙ୍କର ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ଦୁର୍ବଳ ହେବ।
EZE 7:18 ମଧ୍ୟ ସେମାନେ କଟିଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ; ଆଉ, ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ।
EZE 7:19 ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ; ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ; ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି।
EZE 7:20 ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ୱରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ; ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ।
EZE 7:21 ପୁଣି, ଆମ୍ଭେ ତାହା ମୃଗୟା ସ୍ୱରୂପେ ବିଦେଶୀମାନଙ୍କର ଓ ଲୁଟିତ ଦ୍ରବ୍ୟ ସ୍ୱରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ତାହା ଅପବିତ୍ର କରିବେ।
EZE 7:22 ଆହୁରି, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା, ତହିଁରେ ସେମାନେ ଆମ୍ଭର ନିଭୃତ ସ୍ଥାନ ଅପବିତ୍ର କରିବେ; ଆଉ, ଡକାୟତମାନେ ତହିଁ ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।
EZE 7:23 ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ଅଟେ।
EZE 7:24 ଏଥିପାଇଁ ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକଙ୍କୁ ଆଣିବା, ତହିଁରେ ସେମାନେ ଏମାନଙ୍କର ଗୃହସବୁ ଅଧିକାର କରିବେ; ମଧ୍ୟ ଆମ୍ଭେ ବଳବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା; ତହିଁରେ ସେମାନଙ୍କର ପବିତ୍ର ସ୍ଥାନସବୁ ଅପବିତ୍ର ହେବ।
EZE 7:25 ବିନାଶ ଆସୁଅଛି; ସେମାନେ ଶାନ୍ତି ଅନ୍ଵେଷଣ କରିବେ; ପୁଣି, କିଛି ପାଇବେ ନାହିଁ।
EZE 7:26 ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ; ତହିଁରେ ସେମାନେ ଭବିଷ୍ୟଦ୍‍ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।
EZE 7:27 ରାଜା ଶୋକ କରିବ ଓ ଅଧିପତି ଉତ୍ସନ୍ନତାରୂପ ବସ୍ତ୍ରରେ ପରିହିତ ହେବ ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ; ଆମ୍ଭେ ସେମାନଙ୍କର ଆଚରଣାନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା ଓ ସେମାନଙ୍କର ଯୋଗ୍ୟତାନୁସାରେ ସେମାନଙ୍କର ବିଚାର କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 8:1 ଏଥିଉତ୍ତାରେ ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ମୁଁ ଆପଣା ଗୃହରେ ବସିଥିଲି ଓ ଯିହୁଦାର ପ୍ରାଚୀନମାନେ ମୋʼ ସମ୍ମୁଖରେ ବସିଥିଲେ, ଏପରି ସମୟରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା।
EZE 8:2 ତହିଁରେ ମୁଁ ଦେଖିଲି, ଆଉ ଦେଖ, ଅଗ୍ନିର ଆଭା ତୁଲ୍ୟ ଏକ ମୂର୍ତ୍ତି; ତାହାଙ୍କ କଟିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଓ ତାହାଙ୍କ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଆକୃତି।
EZE 8:3 ପୁଣି, ସେ ଏକ ହସ୍ତର ଆକୃତି ବିସ୍ତାର କରି ମୋʼ ମସ୍ତକର କେଶ ଧରିଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନକୁ ଉଠାଇଲେ ଓ ଈଶ୍ୱରୀୟ ଦର୍ଶନକ୍ରମେ ଯିରୂଶାଲମକୁ, ଭିତର ପ୍ରାଙ୍ଗଣର ଉତ୍ତରାଭିମୁଖ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ; ସେହି ସ୍ଥାନରେ ଅନ୍ତର୍ଜ୍ୱାଳାଜନକ ଅନ୍ତର୍ଜ୍ୱାଳା ପ୍ରତିମା ସ୍ଥାପିତ ଥିଲା।
EZE 8:4 ଆଉ ଦେଖ, ପଦାଭୂମିରେ ମୁଁ ଦେଖିଥିବା ଦୃଶ୍ୟ ପ୍ରମାଣେ ସେହି ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ବିଦ୍ୟମାନ ଥିଲା।
EZE 8:5 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏବେ ଚକ୍ଷୁ ଖୋଲି ଉତ୍ତର ଦିଗର ପଥ ପ୍ରତି ଅନାଅ।” ତହୁଁ ମୁଁ ଚକ୍ଷୁ ଖୋଲି ଉତ୍ତର ଦିଗସ୍ଥ ପଥ ଆଡ଼େ ଅନାଇଲି, ଆଉ ଦେଖ, ଯଜ୍ଞବେଦିର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନରେ ସେହି ପ୍ରତିମା ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧ ଓ ଈର୍ଷାପରାୟଣ କରିଥିଲା।
EZE 8:6 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସେମାନେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁଅଛ, ଆମ୍ଭେ ଯେପରି ଆପଣା ଧର୍ମଧାମରୁ ଦୂରକୁ ଯିବା, ଏଥିପାଇଁ ଇସ୍ରାଏଲ ବଂଶ ଏଠାରେ ମହା ମହା ଘୃଣାଯୋଗ୍ୟ କର୍ମ କରୁଅଛନ୍ତି। ମାତ୍ର ଏଥିଉତ୍ତାରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ।”
EZE 8:7 ପୁଣି, ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟି କରନ୍ତେ, ଦେଖ, କାନ୍ଥ ମଧ୍ୟରେ ଗୋଟିଏ ଛିଦ୍ର ଅଛି।
EZE 8:8 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି କାନ୍ଥ ଖୋଳ; ତହୁଁ ମୁଁ ସେହି କାନ୍ଥ ଖୋଳନ୍ତେ, ଦେଖ, ଗୋଟିଏ ଦ୍ୱାର ଅଛି।”
EZE 8:9 ଏଥିରେ ସେ ମୋତେ କହିଲେ, “ଭିତରକୁ ଯାଅ, ଆଉ, ଏଠାରେ ସେମାନେ ଯେଉଁ ଯେଉଁ ଦୁଷ୍ଟ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା ଦେଖ।”
EZE 8:10 ତହୁଁ ମୁଁ ଭିତରକୁ ଯାଇ ଦେଖିଲି; ଆଉ ଦେଖ, ଚତୁର୍ଦ୍ଦିଗସ୍ଥ କାନ୍ଥରେ ସର୍ବପ୍ରକାର ଉରୋଗାମୀ ଜନ୍ତୁର, ଘୃଣାଯୋଗ୍ୟ ପଶୁର ଓ ଇସ୍ରାଏଲ ବଂଶର ସକଳ ଦେବତାର ପ୍ରତିମୂର୍ତ୍ତି ଚିତ୍ରିତ ହୋଇଅଛି।
EZE 8:11 ପୁଣି, ସେହିସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟସ୍ଥାନରେ ଶାଫନ୍‍ର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି।
EZE 8:12 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକେ ଆପଣା ଆପଣା ପ୍ରତିମାଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖିଲ? କାରଣ ସେମାନେ କହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ; ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି।”
EZE 8:13 ସେ ଆହୁରି ମୋତେ କହିଲେ, “ଏଉତ୍ତାରେ ତୁମ୍ଭେ ପୁନର୍ବାର ସେମାନଙ୍କର କୃତ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ।”
EZE 8:14 ତହିଁରେ ସେ ସଦାପ୍ରଭୁଙ୍କ ଗୃହର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ମୋତେ ଆଣିଲେ; ଆଉ ଦେଖ, ସ୍ତ୍ରୀମାନେ ସେଠାରେ ବସି ତମ୍ମୁଷର (ଦେବତା) ପାଇଁ କ୍ରନ୍ଦନ କରୁଅଛନ୍ତି।
EZE 8:15 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏଉତ୍ତାରେ ତୁମ୍ଭେ ଏହା ଅପେକ୍ଷା ପୁନର୍ବାର ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ।”
EZE 8:16 ଏଥିଉତ୍ତାରେ ସେ ମୋତେ ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ, ଆଉ ଦେଖ, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ଊଣାଧିକ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ପ୍ରତି ପିଠି କରି ଓ ପୂର୍ବଦିଗ ପ୍ରତି ମୁଖ କରିଅଛନ୍ତି; ଆଉ, ସେମାନେ ପୂର୍ବଦିଗ ପ୍ରତି ସୂର୍ଯ୍ୟକୁ ପ୍ରଣାମ କଲେ।
EZE 8:17 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏହି ସ୍ଥାନରେ ଯିହୁଦା ବଂଶ ଯେଉଁ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା କି ସେମାନଙ୍କ ପକ୍ଷୀରେ ଲଘୁ ବିଷୟ? କାରଣ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି ଓ ଆମ୍ଭକୁ କ୍ରୋଧାନ୍ୱିତ କରିବା ପାଇଁ ପୁନର୍ବାର ଫେରିଅଛନ୍ତି; ଆଉ ଦେଖ, ସେମାନେ ଆପଣା ଆପଣା ନାସିକାଗ୍ରରେ ଶାଖା ରଖନ୍ତି।
EZE 8:18 ଏଥିପାଇଁ ଆମ୍ଭେ ମଧ୍ୟ କୋପରେ ବ୍ୟବହାର କରିବା; ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ; ଆଉ, ଯଦ୍ୟପି ସେମାନେ ଆମ୍ଭ କର୍ଣ୍ଣଗୋଚରରେ ଉଚ୍ଚସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”
EZE 9:1 ତେବେ ସେ ଉଚ୍ଚସ୍ୱରରେ ମୋʼ କର୍ଣ୍ଣରେ ଏହି କଥା କହିଲେ, “ତୁମ୍ଭେମାନେ ନଗରରେ ନିଯୁକ୍ତ କର୍ମଚାରୀମାନଙ୍କୁ ନିକଟକୁ ଅଣାଅ, ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।”
EZE 9:2 ଏଥିରେ ଦେଖ, ଉତ୍ତର ଦିଗସ୍ଥ ଉଚ୍ଚତର ଦ୍ୱାରର ପଥରୁ ଛଅ ଜଣ ପୁରୁଷ ଆସିଲେ, ସେମାନଙ୍କର ପ୍ରତ୍ୟେକର ହସ୍ତରେ ସଂହାରକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲେ, ତାଙ୍କର ପାର୍ଶ୍ୱରେ ଲେଖକର କାଳୀଘଡ଼ି ଥିଲା। ପୁଣି, ସେମାନେ ଭିତରକୁ ଯାଇ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ।
EZE 9:3 ପୁଣି, ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୂବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା; ଆଉ, ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳୀଘଡ଼ିଧାରୀ ପୁରୁଷକୁ ଡାକିଲେ।
EZE 9:4 ପୁଣି, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ନଗରର ମଧ୍ୟଦେଇ, ଯିରୂଶାଲମର ମଧ୍ୟଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେଉଁ ଲୋକମାନେ ଦୀର୍ଘ ନିଃଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି, ସେମାନଙ୍କର କପାଳରେ ଚିହ୍ନ ଦିଅ।”
EZE 9:5 ଆଉ, ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣଗୋଚରରେ କହିଲେ, “ତୁମ୍ଭେମାନେ ତାହାର ପଛେ ପଛେ ନଗର ମଧ୍ୟକୁ ଯାଇ ସଂହାର କର; ଚକ୍ଷୁଲଜ୍ଜା କି ଦୟା କର ନାହିଁ।
EZE 9:6 ବୃଦ୍ଧ, ଯୁବା, କୁମାରୀ, ଶିଶୁ ଓ ସ୍ତ୍ରୀଲୋକ ସମସ୍ତଙ୍କୁ ନିଃଶେଷ ରୂପେ ବଧ କର; ମାତ୍ର ଯେଉଁମାନଙ୍କଠାରେ ଚିହ୍ନ ଅଛି, ସେମାନଙ୍କ ନିକଟକୁ ଯାଅ ନାହିଁ; ଆଉ, ଆମ୍ଭର ଧର୍ମଧାମଠାରୁ ଆରମ୍ଭ କର।” ତହିଁରେ ସେମାନେ ଗୃହର ସମ୍ମୁଖସ୍ଥିତ ପ୍ରାଚୀନଗଣଠାରୁ ଆରମ୍ଭ କଲେ।
EZE 9:7 ପୁଣି, ସେ ସେମାନଙ୍କୁ କହିଲେ, “ଗୃହ ଅଶୁଚି କର ଓ ହତ ଲୋକରେ ପ୍ରାଙ୍ଗଣସବୁ ପରିପୂର୍ଣ୍ଣ କର; ତୁମ୍ଭେମାନେ ବାହାରି ଯାଅ।” ତହିଁରେ ସେମାନେ ବାହାରିଯାଇ ନଗର ମଧ୍ୟରେ ସଂହାର କଲେ।
EZE 9:8 ଆଉ, ସେମାନେ ଯେତେବେଳେ ସଂହାର କରୁଥିଲେ, ସେତେବେଳେ ମୁଁ ଅବଶିଷ୍ଟ ରହିଲି, ତହିଁରେ ମୁଁ ଉବୁଡ଼ ହୋଇ କ୍ରନ୍ଦନ କରି କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ତୁମ୍ଭେ କି ଯିରୂଶାଲମ ଉପରେ ଆପଣା କୋପ ଢାଳି ଦେଇ ଇସ୍ରାଏଲର ସମୁଦାୟ ଅବଶିଷ୍ଟାଂଶକୁ ବିନାଶ କରିବ?”
EZE 9:9 ତହିଁରେ ସେ ମୋତେ କହିଲେ, “ଇସ୍ରାଏଲ ଓ ଯିହୁଦା ବଂଶର ଅଧର୍ମ ଅତ୍ୟନ୍ତ ବଡ଼ ଓ ଦେଶ ରକ୍ତରେ ପରିପୂର୍ଣ୍ଣ, ଆଉ ନଗର ଅନ୍ୟାୟ ବିଚାରରେ ପରିପୂର୍ଣ୍ଣ ହୋଇଅଛି; କାରଣ ସେମାନେ କହନ୍ତି, ‘ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି ଓ ସଦାପ୍ରଭୁ ଦେଖନ୍ତି ନାହିଁ।’
EZE 9:10 ଏହେତୁ ଆମ୍ଭେ ମଧ୍ୟ ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ, ମାତ୍ର ଆମ୍ଭେ ସେମାନଙ୍କ ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା।”
EZE 9:11 ଏଉତ୍ତାରେ ଦେଖ, ଶୁକ୍ଳବସ୍ତ୍ର ପରିହିତ ଓ ଆପଣା ପାର୍ଶ୍ୱରେ କାଳୀଘଡ଼ିଧାରୀ ସେହି ପୁରୁଷ ସମ୍ବାଦ ଦେଇ କହିଲେ, “ଆପଣ ଆମ୍ଭକୁ ଯେପରି ଆଜ୍ଞା କଲେ, ଆମ୍ଭେ ସେହିପରି କରିଅଛୁ।”
EZE 10:1 ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।
EZE 10:2 ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍‍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।
EZE 10:3 ସେହି ପୁରୁଷ ଯିବା ସମୟରେ କିରୂବମାନେ ଗୃହର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିଲେ ଓ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
EZE 10:4 ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।
EZE 10:5 ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।
EZE 10:6 ପୁଣି, ତୁମ୍ଭେ ଘୂର୍ଣ୍ଣାୟମାନ ଚକ୍ର ମଧ୍ୟରୁ, ଅର୍ଥାତ୍‍, କିରୂବଗଣର ମଧ୍ୟସ୍ଥାନରୁ ଅଗ୍ନି ନିଅ, ଏହି କଥା କହି ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଆଜ୍ଞା କଲା ବେଳେ ସେହି ପୁରୁଷ ଯାଇ ଗୋଟିଏ ଚକ୍ର ପାର୍ଶ୍ୱରେ ଠିଆ ହେଲେ।
EZE 10:7 ତହିଁରେ ସେହି କିରୂବ, କିରୂବମାନଙ୍କ ମଧ୍ୟରୁ, କିରୂବମାନଙ୍କର ମଧ୍ୟସ୍ଥିତ ଅଗ୍ନିକୁ ଆପଣା ହସ୍ତ ବଢ଼ାଇ ତହିଁରୁ କିଛି ନେଇ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ।
EZE 10:8 ଆଉ, କିରୂବମାନଙ୍କ ମଧ୍ୟରେ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଏକ ଆକୃତି ଦେଖାଗଲା।
EZE 10:9 ପୁଣି, ମୁଁ ଅନାଇଲି, ଆଉ ଦେଖ, ଏକ କିରୂବର ପାର୍ଶ୍ୱରେ ଏକ ଚକ୍ର ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ୍ର, ଏହିରୂପ କିରୂବମାନଙ୍କ ପାର୍ଶ୍ୱରେ ଚାରି ଚକ୍ର ଥିଲା; ଆଉ, ସେହି ଚକ୍ରମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା।
EZE 10:10 ସେମାନଙ୍କର ଆକୃତି ଏହି, ଚକ୍ର ମଧ୍ୟରେ ଚକ୍ର ଥିଲା ପରି ସେହି ଚାରିର ଏକ ଆକୃତି ଥିଲା।
EZE 10:11 ଗମନ କରିବା ବେଳେ ସେମାନେ ଆପଣାମାନଙ୍କର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ, ମାତ୍ର ମସ୍ତକର ସମ୍ମୁଖ ସ୍ଥାନକୁ ତାହାର ପଶ୍ଚାତରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
EZE 10:12 ପୁଣି, ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୃଷ୍ଠ, ହସ୍ତ ଓ ପକ୍ଷ, ଆଉ ଚକ୍ରସବୁ, ଅର୍ଥାତ୍‍, ସେହି ଚାରି ଚକ୍ର ଚାରିଆଡ଼େ ଚକ୍ଷୁରେ ପୂର୍ଣ୍ଣ ଥିଲା।
EZE 10:13 ଆଉ, ମୋʼ କର୍ଣ୍ଣଗୋଚରରେ ସେହି ଚକ୍ରମାନଙ୍କୁ ଘୂର୍ଣ୍ଣାୟମାନ ଚକ୍ର ବୋଲି କୁହାଗଲା।
EZE 10:14 ପୁଣି, ପ୍ରତ୍ୟେକର ଚାରି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ୱିତୀୟର ମୁଖ ମନୁଷ୍ୟର ମୁଖ, ତୃତୀୟ ସିଂହର ମୁଖ ଓ ଚତୁର୍ଥ ଉତ୍କ୍ରୋଶ ପକ୍ଷୀର ମୁଖ।
EZE 10:15 ଆଉ, କିରୂବଗଣ ଊର୍ଦ୍ଧ୍ୱକୁ ଉଠିଲେ। ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀକୁ ଦେଖିଥିଲି, ସେ ଏହି।
EZE 10:16 କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ୱରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ।
EZE 10:17 ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ପୁଣି, ସେମାନେ ଉପରକୁ ଉଠିବା ବେଳେ ଏମାନେ ସେମାନଙ୍କର ସଙ୍ଗେ ସଙ୍ଗେ ଉପରକୁ ଉଠିଲେ; କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ୍ରସବୁରେ ଥିଲା।
EZE 10:18 ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା।
EZE 10:19 ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।
EZE 10:20 ମୁଁ କବାର ନଦୀ ନିକଟରେ ଇସ୍ରାଏଲର ପରମେଶ୍ୱରଙ୍କର ବାହନ ଏହି ଜୀବିତ ପ୍ରାଣୀକୁ ଦେଖିଥିଲି; ଆଉ, ସେମାନେ କିରୂବ ବୋଲି ମୁଁ ଜାଣିଲି।
EZE 10:21 ସେମାନଙ୍କର ପ୍ରତ୍ୟେକର ଚାରି ଚାରି ମୁଖ ଓ ଚାରି ଚାରି ପକ୍ଷ ଥିଲା; ଆଉ, ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଆକୃତି ଥିଲା।
EZE 10:22 ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ।
EZE 11:1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।
EZE 11:2 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଂକଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;
EZE 11:3 ସେମାନେ କହନ୍ତି, ‘ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।’
EZE 11:4 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”
EZE 11:5 ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋʼ ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ, “କୁହ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏପ୍ରକାର କଥା କହିଅଛ; ତୁମ୍ଭମାନଙ୍କ ମନରେ ଯେଉଁ ଯେଉଁ ବିଷୟ ଉଠୁଅଛି, ତାହା ଆମ୍ଭେ ଜାଣୁ।
EZE 11:6 ତୁମ୍ଭେମାନେ ଏହି ନଗରରେ ଆପଣାମାନଙ୍କର ହତ ଲୋକଙ୍କ ସଂଖ୍ୟା ବୃଦ୍ଧି କରିଅଛ ଓ ତହିଁର ପଥସବୁ ହତ ଲୋକରେ ପୂର୍ଣ୍ଣ କରିଅଛ।
EZE 11:7 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ହତ ଲୋକଙ୍କୁ ତୁମ୍ଭେମାନେ ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ପୁଣି ଏହି ନଗର ହଣ୍ଡା ଅଟେ; ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।
EZE 11:8 ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ; ଆଉ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା।
EZE 11:9 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ବିଚାର ସାଧନ କରିବା।
EZE 11:10 ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 11:11 ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।
EZE 11:12 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
EZE 11:13 ପୁଣି, ମୁଁ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”
EZE 11:14 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 11:15 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣକୁ, ହଁ, ତୁମ୍ଭର ଭ୍ରାତୃଗଣକୁ, ତୁମ୍ଭର କୁଟୁମ୍ବବର୍ଗୀୟ ଲୋକମାନଙ୍କୁ ଓ ସମୁଦାୟ ଇସ୍ରାଏଲ ବଂଶୀୟ ସମସ୍ତଙ୍କୁ କହିଅଛନ୍ତି, ‘ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଅ; ଏହି ଦେଶ ଅଧିକାରାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି;’
EZE 11:16 ଏହେତୁ ତୁମ୍ଭେ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।’
EZE 11:17 ଏଥିପାଇଁ ତୁମ୍ଭେ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହି ସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।’
EZE 11:18 ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।
EZE 11:19 ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
EZE 11:20 ତହିଁରେ ସେମାନେ ଆମ୍ଭର ବିଧିମତେ ଆଚରଣ କରିବେ ଓ ଆମ୍ଭର ନିୟମସବୁ ମାନ୍ୟ କରି ପାଳନ କରିବେ; ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
EZE 11:21 ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 11:22 ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡ଼ିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା।
EZE 11:23 ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।
EZE 11:24 ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍‍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ୱଗମନ କଲା।
EZE 11:25 ଏଥିରେ ସଦାପ୍ରଭୁ ମୋତେ ଯେଉଁ ଯେଉଁ ବିଷୟ ଦେଖାଇଥିଲେ, ସେହି ସକଳ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।
EZE 12:1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
EZE 12:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବିଦ୍ରୋହୀ ଲୋକମାନଙ୍କ ମଧ୍ୟରେ ବାସ କରୁଅଛ, ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଦେଖନ୍ତି ନାହିଁ, ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଶୁଣନ୍ତି ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ।
EZE 12:3 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ନିର୍ବାସନ ନିମନ୍ତେ କରିବା ପାଇଁ ସମ୍ବଳ ପ୍ରସ୍ତୁତ କର, ଆଉ ସେମାନଙ୍କ ସାକ୍ଷାତରେ ଦିନ ବେଳେ ପ୍ରସ୍ଥାନ କର, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସ୍ୱ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରିବ। ହୋଇପାରେ, ବିଦ୍ରୋହୀ ବଂଶ ହେଲେ ହେଁ ସେମାନେ ବିବେଚନା କରିବେ।
EZE 12:4 ତୁମ୍ଭେ ଦିନ ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଆପଣା ସମ୍ବଳ ବାହାର କରି ଆଣିବ; ଆଉ, ଲୋକେ ଯେପରି ନିର୍ବାସାର୍ଥେ ପ୍ରସ୍ଥାନ କରନ୍ତି, ସେହିପରି ତୁମ୍ଭେ ସନ୍ଧ୍ୟା ବେଳେ ସେମାନଙ୍କ ସାକ୍ଷାତରେ ପ୍ରସ୍ଥାନ କରିବ।
EZE 12:5 ତୁମ୍ଭେ ସେମାନଙ୍କ ସାକ୍ଷାତରେ କାନ୍ଥ ଖୋଳ ଓ ତାହା ମଧ୍ୟଦେଇ ତୁମ୍ଭର ଜିନିଷ ସହ ତୁମ୍ଭେ ବାହାରି ଯାଅ।
EZE 12:6 ସେମାନଙ୍କ ସାକ୍ଷାତରେ ତୁମ୍ଭର ଜିନିଷ ଆପଣା କାନ୍ଧରେ ବହିବ ଓ ଅନ୍ଧକାର ବେଳେ ତାହା ନେଇଯିବ; ତୁମ୍ଭେ ଯେପରି ଭୂମି ନ ଦେଖିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ; କାରଣ ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ କରି ଆମ୍ଭେ ତୁମ୍ଭକୁ ରଖିଅଛୁ।”
EZE 12:7 ତହିଁରେ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି; ମୁଁ ପ୍ରସ୍ଥାନକାଳୀନ ସମ୍ବଳ ତୁଲ୍ୟ ଦିନ ବେଳେ ଆପଣା ସମ୍ବଳ ବାହାର କରି ଆଣିଲି ଓ ସନ୍ଧ୍ୟା ବେଳେ ନିଜ ହସ୍ତରେ କାନ୍ଥ ଖୋଳିଲି; ମୁଁ ଅନ୍ଧକାର ବେଳେ ତାହା ବାହାର କରି ସେମାନଙ୍କ ସାକ୍ଷାତରେ ଆପଣା କାନ୍ଧରେ ବୋହି ନେଲି।
EZE 12:8 ପୁଣି, ପ୍ରଭାତ କାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 12:9 “ହେ ମନୁଷ୍ୟ-ସନ୍ତାନ, ‘ତୁମ୍ଭେ କʼଣ କରୁଅଛ’ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?
EZE 12:10 ତୁମ୍ଭେ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଭାର ଯିରୂଶାଲମସ୍ଥ ଅଧିପତିର ଓ ସେମାନେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି, ସେହି ସମୁଦାୟ ଇସ୍ରାଏଲ ବଂଶର ସମ୍ପର୍କୀୟ ଅଟେ।’
EZE 12:11 ତୁମ୍ଭେ କୁହ, ମୁଁ ତୁମ୍ଭମାନଙ୍କର ଚିହ୍ନସ୍ୱରୂପ ଅଟେ: ‘ମୁଁ ଯେପରି କଲି, ସେମାନଙ୍କ ପ୍ରତି ସେହିପରି କରାଯିବ; ସେମାନେ ନିର୍ବାସିତ ହୋଇ ବନ୍ଦୀତ୍ୱ ସ୍ଥାନକୁ ଯିବେ।’
EZE 12:12 ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ଅଧିପତି ଅନ୍ଧକାର ସମୟରେ ଆପଣା କାନ୍ଧରେ ଭାର ବୋହି ବାହାରି ଯିବ; ଲୋକମାନେ ବୋହି ନେବା ପାଇଁ କାନ୍ଥ ଖୋଳିବେ; ସେ ଆପଣା ମୁଖ ଆଚ୍ଛାଦନ କରିବ, କାରଣ ସେ ଚକ୍ଷୁରେ ଭୂମି ଦେଖିବ ନାହିଁ।
EZE 12:13 ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍‍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେହି ସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।
EZE 12:14 ପୁଣି, ତାହାର ସାହାଯ୍ୟ କରିବାକୁ ଯେଉଁମାନେ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେମାନଙ୍କୁ ଓ ତାହାର ସୈନ୍ୟଦଳ ସମସ୍ତଙ୍କୁ ଆମ୍ଭେ ସବୁ ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ପଶ୍ଚାତ ଆମ୍ଭେ ଖଡ୍ଗ ନିଷ୍କୋଷ କରିବା।
EZE 12:15 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶ ମଧ୍ୟରେ ସେମାନଙ୍କୁ ଏଣେତେଣେ ବିକ୍ଷିପ୍ତ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 12:16 ମାତ୍ର ଆମ୍ଭେ ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବା, ତହିଁରେ ସେମାନେ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ଯିବେ, ସେମାନଙ୍କ ନିକଟରେ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟାସକଳ ପ୍ରକାଶ କରିବେ; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 12:17 ଆହୁରି ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ପୁଣି ସେ ମୋତେ କହିଲେ,
EZE 12:18 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କମ୍ପି କମ୍ପି ଆପଣା ଆହାର ଭୋଜନ କର, ଆଉ ଥରି ଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର;
EZE 12:19 ପୁଣି, ଦେଶର ଲୋକମାନଙ୍କୁ କୁହ, ଯିରୂଶାଲମ ନିବାସୀମାନଙ୍କର ଓ ଇସ୍ରାଏଲ ଦେଶର ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେମାନେ ଚିନ୍ତିତ ହୋଇ ଆପଣା ଆପଣା ଆହାର ଭୋଜନ କରିବେ ଓ ବିସ୍ମିତ ହୋଇ ଆପଣା ଆପଣାର ଜଳ ପାନ କରିବେ, କାରଣ ନିବାସୀମାନଙ୍କର ଦୌରାତ୍ମ୍ୟ ସକାଶୁ ସେମାନଙ୍କ ଦେଶ ଓ ତନ୍ମଧ୍ୟସ୍ଥିତ ସର୍ବସ୍ୱରୁ ଶୂନ୍ୟ ହେବ।
EZE 12:20 ଆଉ, ବସତିବିଶିଷ୍ଟ ନଗରସବୁ ନଷ୍ଟ ଓ ଦେଶ ଧ୍ୱଂସସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
EZE 12:21 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 12:22 “ହେ ମନୁଷ୍ୟ-ସନ୍ତାନ, ‘କାଳ ବିଳମ୍ବ ହେଉଅଛି, ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି ବୋଲି ତୁମ୍ଭେମାନେ ଇସ୍ରାଏଲ ଦେଶରେ ଯେଉଁ ପ୍ରବାଦ ଶୁଣିଅଛ, ତାହା କି?’
EZE 12:23 ଏହେତୁ ସେମାନଙ୍କୁ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଏହି ପ୍ରବାଦ ଲୋପ କରିବା ଓ ଇସ୍ରାଏଲ ମଧ୍ୟରେ ଲୋକମାନେ ପ୍ରବାଦ ରୂପେ ଆଉ ତାହା ବ୍ୟବହାର କରିବେ ନାହିଁ;’ ମାତ୍ର ସେମାନଙ୍କୁ କୁହ, ସମୟ ଓ ପ୍ରତ୍ୟେକ ଦର୍ଶନର ସଫଳତା ସନ୍ନିକଟ।
EZE 12:24 କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।
EZE 12:25 କାରଣ ଆମ୍ଭେ ସଦାପ୍ରଭୁ; ଆମ୍ଭେ କଥା କହିବା ଓ ଯେଉଁ କଥା ଆମ୍ଭେ କହିବା, ତାହା ସଫଳ ହେବ; ଆଉ, ବିଳମ୍ବ ହେବ ନାହିଁ; କାରଣ ହେ ବିଦ୍ରୋହୀ ବଂଶ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ବର୍ତ୍ତମାନ କାଳରେ କଥା କହିବା ଓ ତାହା ସଫଳ କରିବା।”
EZE 12:26 ପୁନର୍ବାର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 12:27 “ହେ ମନୁଷ୍ୟ-ସନ୍ତାନ, ଦେଖ, ଇସ୍ରାଏଲ ବଂଶୀୟ ଲୋକମାନେ କହନ୍ତି, ସେ ଲୋକ ଯେଉଁ ଦର୍ଶନ ପାଏ, ତାହା ଅନେକ ବିଳମ୍ବର କଥା ଓ ସେ ଅତି ଦୂରବର୍ତ୍ତୀ କାଳର ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଅଛି।
EZE 12:28 ଏହେତୁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭ ବାକ୍ୟର କୌଣସି କଥା ଆଉ ବିଳମ୍ବ ନୋହିବ, ମାତ୍ର ଆମ୍ଭେ ଯେଉଁ ବାକ୍ୟ କହିବା, ତାହା ସଫଳ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 13:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ପୁଣି ସେ ମୋତେ କହିଲେ,
EZE 13:2 “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର; ଆଉ, ଯେଉଁମାନେ ନିଜ ହୃଦୟରୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;’
EZE 13:3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମୂଢ଼ ଭବିଷ୍ୟଦ୍‍ବକ୍ତାମାନେ କିଛି ଦର୍ଶନ ପ୍ରାପ୍ତ ନ ହୋଇ ଆପଣା ଆପଣା ଆତ୍ମାର ପଶ୍ଚାଦ୍‍ଗମନ କରନ୍ତି, ସେମାନେ ସନ୍ତାପର ପାତ୍ର।
EZE 13:4 ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ଉଜଡ଼ା ସ୍ଥାନର ବିଲୁଆ ତୁଲ୍ୟ ହୋଇଅଛନ୍ତି।
EZE 13:5 ତୁମ୍ଭେମାନେ ପ୍ରାଚୀରର ଭଗ୍ନସ୍ଥାନର ଉପରକୁ ଯାଇ ନାହଁ, କିଅବା ସଦାପ୍ରଭୁଙ୍କ ଦିନରେ ସଂଗ୍ରାମରେ ଠିଆ ହେବା ନିମନ୍ତେ ଇସ୍ରାଏଲ ବଂଶ ପାଇଁ ବେଢ଼ା ଦୃଢ଼ କରି ନାହଁ।
EZE 13:6 ‘ସଦାପ୍ରଭୁ ଏହି କଥା କହନ୍ତି’ ବୋଲି ଯେଉଁମାନେ କହନ୍ତି, ସେମାନେ ଅସାର ଦର୍ଶନ ପାଇଅଛନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ିଅଛନ୍ତି, ଆଉ, ସଦାପ୍ରଭୁ ସେମାନଙ୍କୁ ପଠାଇ ନାହାନ୍ତି; ପୁଣି, ବାକ୍ୟ ସିଦ୍ଧ ହେବ ବୋଲି ସେମାନେ ଲୋକମାନଙ୍କର ପ୍ରତ୍ୟାଶା ଜନ୍ମାଇ ଅଛନ୍ତି।
EZE 13:7 ଆମ୍ଭେ କଥା ନ କହିଲେ ହେଁ, ‘ସଦାପ୍ରଭୁ କହନ୍ତି’ ବୋଲି କହୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ କି ଅସାର ଦର୍ଶନ ପାଇ ନାହଁ ଓ ତୁମ୍ଭେମାନେ କି ମିଥ୍ୟା ମନ୍ତ୍ର ଉଚ୍ଚାରଣ କରି ନାହଁ?”
EZE 13:8 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ତୁମ୍ଭେମାନେ ଅସାର ବାକ୍ୟ କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳ ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 13:9 ପୁଣି, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଆନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ନ୍ତି, ଆମ୍ଭର ହସ୍ତ ସେମାନଙ୍କର ପ୍ରତିକୂଳ ହେବ; ସେମାନେ ଆମ୍ଭ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ, କିଅବା ଇସ୍ରାଏଲ ବଂଶର ବଂଶାବଳୀ ମଧ୍ୟରେ ସେମାନେ ଲିଖିତ ହେବେ ନାହିଁ, ଅଥବା ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 13:10 ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି’ ଅଛି ବୋଲି କହି ଆମ୍ଭ ଲୋକମାନଙ୍କୁ ଭୁଲାଇ ଅଛନ୍ତି; ଆଉ, କେହି କାନ୍ଥ ନିର୍ମାଣ କଲେ ଦେଖ, ସେମାନେ ଅମିଶ୍ରିତ ମସଲାରେ ତାହା ଲେପନ କରନ୍ତି,
EZE 13:11 ଏଥିପାଇଁ, ବିଶେଷ ରୂପେ ଅମିଶ୍ରିତ ମସଲାରେ କାନ୍ଥ ଲେପନକାରୀମାନଙ୍କୁ କୁହ ଯେ, ତାହା ପଡ଼ିଯିବ; ପ୍ଲାବନକାରୀ ବୃଷ୍ଟି ହେବ; ହେ ବୃହତ ଶିଳାସକଳ, ତୁମ୍ଭେମାନେ ବୃଷ୍ଟି ହେବ ଓ ପ୍ରଚଣ୍ଡ ବାୟୁ ତାହା ବିଦାରଣ କରିବ।
EZE 13:12 ଦେଖ, କାନ୍ଥ ଯେତେବେଳେ ପଡ଼ିଯିବ, ସେତେବେଳେ ତୁମ୍ଭମାନଙ୍କୁ କି କୁହା ନ ଯିବ, ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?
EZE 13:13 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆପଣା କୋପରେ ପ୍ରଚଣ୍ଡ ବାୟୁ ଦ୍ୱାରା ତାହା ବିଦାରଣ କରିବା; ଆମ୍ଭ କ୍ରୋଧରେ ପ୍ଲାବନକାରୀ ବୃଷ୍ଟି ହେବ ଓ କୋପରେ ବୃହତ ବୃହତ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ କରିବ।
EZE 13:14 ଏହିରୂପେ ତୁମ୍ଭେମାନେ ଅମିଶ୍ରିତ ମସଲାରେ ଯେଉଁ କାନ୍ଥ ଲେପନ କରିଅଛ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ତାହା ଭୂମିସାତ୍‍ କରିବା, ତହିଁରେ ତାହାର ଭିତ୍ତିମୂଳ ଅନାବୃତ ହେବ; ଆଉ, ତାହା ପଡ଼ିଯିବ ଓ ତୁମ୍ଭେମାନେ ତହିଁ ମଧ୍ୟରେ ବିନଷ୍ଟ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 13:15 ଏହି ପ୍ରକାରେ ଆମ୍ଭେ ସେହି କାନ୍ଥ ଉପରେ ଓ ଯେଉଁମାନେ ଅମିଶ୍ରିତ ମସଲାରେ ତାହା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ସଫଳ କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ କହିବା, ସେହି କାନ୍ଥ ଆଉ ନାହିଁ ଓ ତାହା ଲେପନକାରୀମାନେ,
EZE 13:16 ଅର୍ଥାତ୍‍, ଯେଉଁମାନେ ଯିରୂଶାଲମ ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି, ଇସ୍ରାଏଲର ସେହି ଭବିଷ୍ୟଦ୍‍ବକ୍ତାମାନେ ଆଉ ନାହାନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 13:17 ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ,
EZE 13:18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ତ୍ରୀମାନେ ପ୍ରାଣ ମୃଗୟାର୍ଥେ ସବୁ କହୁଣୀ ଉପରେ ମୁଚୁଳା ସିଲାଇ କରନ୍ତି ଓ ସର୍ବଆକୃତିର ଲୋକଙ୍କ ମସ୍ତକ ନିମନ୍ତେ ଆବରଣୀ ପ୍ରସ୍ତୁତ କରନ୍ତି, ସେମାନେ ସନ୍ତାପର ପାତ୍ରୀ! ତୁମ୍ଭେମାନେ କି ଆମ୍ଭ ଲୋକମାନଙ୍କ ପ୍ରାଣକୁ ମୃଗୟା କରି ଆପଣାମାନଙ୍କ ନିମନ୍ତେ ପ୍ରାଣ ଜୀଅନ୍ତା ରଖିବ?
EZE 13:19 ପୁଣି, ଆମ୍ଭର ଯେଉଁ ଲୋକମାନେ ମିଥ୍ୟା କଥା ଶୁଣନ୍ତି, ସେମାନଙ୍କୁ ମିଥ୍ୟା କଥା କହି, ବଧର ଅଯୋଗ୍ୟ ପ୍ରାଣକୁ ବଧ କରିବା ପାଇଁ ଓ ବଞ୍ଚିବାର ଅଯୋଗ୍ୟ ପ୍ରାଣକୁ ଜୀବିତ ରଖିବା ପାଇଁ ତୁମ୍ଭେମାନେ ମୁଠିଏ ମୁଠିଏ ଯବ ଓ ଖଣ୍ଡିଏ ଖଣ୍ଡିଏ ରୁଟି ନିମନ୍ତେ ଆମ୍ଭ ଲୋକଙ୍କ ମଧ୍ୟରେ ଆମ୍ଭକୁ ଅଶୁଚି କରିଅଛ।
EZE 13:20 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭେମାନେ ଆପଣାମାନଙ୍କର ଯେଉଁ ମୁଚୁଳା ଦ୍ୱାରା ପ୍ରାଣୀମାନଙ୍କୁ ଉଡ଼ାଇ ଶିକାର କରୁଅଛ, ଆମ୍ଭେ ତହିଁର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭମାନଙ୍କ ଭୁଜରୁ ସେହି ସବୁ ମୁଚୁଳା ଚିରି ପକାଇବା; ଆଉ, ଆମ୍ଭେ ପ୍ରାଣୀମାନଙ୍କୁ, ଅର୍ଥାତ୍‍, ତୁମ୍ଭେମାନେ ଯେଉଁ ପ୍ରାଣୀମାନଙ୍କୁ ଉଡ଼ାଇ ମୃଗୟା କରୁଅଛ, ଆମ୍ଭେ ସେମାନଙ୍କୁ ମୁକ୍ତ କରିଦେବା।
EZE 13:21 ମଧ୍ୟ ଆମ୍ଭେ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବା ଓ ଆମ୍ଭ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା, ସେମାନେ ମୃଗୟାକୃତ ହେବା ନିମନ୍ତେ, ଆଉ ତୁମ୍ଭମାନଙ୍କ ହସ୍ତଗତ ହେବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 13:22 ଆମ୍ଭେ ଯେଉଁ ଧାର୍ମିକ ଲୋକକୁ ବିଷଣ୍ଣ କରି ନାହୁଁ, ତୁମ୍ଭେମାନେ ମିଥ୍ୟା କଥା ଦ୍ୱାରା ତାହାର ଅନ୍ତଃକରଣକୁ ଦୁଃଖାର୍ତ୍ତ କରିଅଛ, ପୁଣି, ଦୁଷ୍ଟ ଲୋକ ବଞ୍ଚିବା ନିମନ୍ତେ ଯେପରି ଆପଣା କୁପଥରୁ ଫେରିବ ନାହିଁ, ଏଥିପାଇଁ ତାହାର ହସ୍ତ ସବଳ କରିଅଛ;
EZE 13:23 ଏସକାଶୁ ତୁମ୍ଭେମାନେ ଅସାର ଦର୍ଶନ ଆଉ ଦେଖିବ ନାହିଁ, କିଅବା ମନ୍ତ୍ର ପଢ଼ିବ ନାହିଁ; ପୁଣି, ଆମ୍ଭେ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
EZE 14:1 ଏଥିଉତ୍ତାରେ ଇସ୍ରାଏଲର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ମୋʼ ନିକଟକୁ ଆସି ମୋʼ ସମ୍ମୁଖରେ ବସିଲେ।
EZE 14:2 ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 14:3 “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା?
EZE 14:4 ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍‍ବିଷୟରେ ଉତ୍ତର ଦେବା;
EZE 14:5 ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।
EZE 14:6 ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ।
EZE 14:7 କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍‍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
EZE 14:8 ପୁଣି, ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ଚିହ୍ନ ଓ ଦୃଷ୍ଟାନ୍ତର ନିମନ୍ତେ ବିସ୍ମୟାସ୍ପଦ କରିବା, ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 14:9 ଆଉ, ଭବିଷ୍ୟଦ୍‍ବକ୍ତା ଭ୍ରାନ୍ତ ହୋଇ ଯଦି କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟଦ୍‍ବକ୍ତାଙ୍କୁ ଭ୍ରାନ୍ତ କରାଇଅଛୁ, ଆମ୍ଭେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ୍ଭ ଇସ୍ରାଏଲ ଲୋକଙ୍କ ମଧ୍ୟରୁ ତାହାକୁ ବିନଷ୍ଟ କରିବା।
EZE 14:10 ପୁଣି, ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ; ଭବିଷ୍ୟଦ୍‍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ;
EZE 14:11 ତହିଁରେ ଇସ୍ରାଏଲ ବଂଶ ଆମ୍ଭଠାରୁ ଆଉ ବିପଥଗାମୀ ହେବେ ନାହିଁ, କିଅବା ଆପଣାମାନଙ୍କର ସକଳ ଆଜ୍ଞାଲଙ୍ଘନ ଦ୍ୱାରା ସେମାନେ ଆଉ ଆପଣାମାନଙ୍କୁ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 14:12 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 14:13 “ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ-ଲଙ୍ଘନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;
EZE 14:14 ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥାʼନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 14:15 ଆମ୍ଭେ ଯଦି ଦେଶ ମଧ୍ୟରେ ହିଂସ୍ରକ ପଶୁଗଣକୁ ଗତାୟାତ କରାଉ, ଆଉ ସେମାନେ ତାହା ଏରୂପ ବିନଷ୍ଟ କରନ୍ତି ଯେ, ଦେଶ ଧ୍ୱଂସର ସ୍ଥାନ ହୁଏ ଓ ପଶୁମାନଙ୍କ ଭୟରେ କୌଣସି ମନୁଷ୍ୟ ତହିଁ ମଧ୍ୟରେ ଗତାୟାତ ନ କରେ;
EZE 14:16 ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କି କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ; କେବଳ ସେମାନେ ଉଦ୍ଧାର ପାଇବେ, ମାତ୍ର ଦେଶ ଧ୍ୱଂସସ୍ଥାନ ହେବ।
EZE 14:17 ଅଥବା ଆମ୍ଭେ ଯଦି ସେହି ଦେଶ ବିରୁଦ୍ଧରେ ଖଡ୍ଗ ଆଣୁ, ଆଉ ଆଜ୍ଞା କରୁ, ‘ହେ ଖଡ୍ଗ, ଦେଶ ମଧ୍ୟଦେଇ ଗମନ କର’ ଓ ଆମ୍ଭେ ମନୁଷ୍ୟ ଓ ପଶୁକୁ ତହିଁ ମଧ୍ୟରୁ ଉଚ୍ଛିନ୍ନ କରୁ,
EZE 14:18 ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ, ମାତ୍ର କେବଳ ନିଜେ ନିଜେ ଉଦ୍ଧାର ପ୍ରାପ୍ତ ହେବେ।
EZE 14:19 ଅଥବା ଆମ୍ଭେ ଯଦି ସେହି ଦେଶକୁ ମହାମାରୀ ପଠାଉ, ଆଉ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା ପାଇଁ ତହିଁ ଉପରେ ଆମ୍ଭର କୋପ ଢାଳି ରକ୍ତ ବହାଉ;
EZE 14:20 ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।
EZE 14:21 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ଉଚ୍ଛିନ୍ନ କରିବା ପାଇଁ ଯେତେବେଳେ ଯିରୂଶାଲମ ବିରୁଦ୍ଧରେ ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରକ ପଶୁ ଓ ମହାମାରୀ, ଆମ୍ଭର ଏହି ଚାରି ମହାଦଣ୍ଡ ପଠାଇବା, ସେତେବେଳେ ଆଉ କେତେ ଅଧିକ ନ ଘଟିବ?
EZE 14:22 ତଥାପି ଦେଖ, ତହିଁ ମଧ୍ୟରେ ପୁତ୍ର ଓ କନ୍ୟାଗଣ ଉଭୟର ଅବଶିଷ୍ଟାଂଶ ରହି ବାହାରେ ଅଣାଯିବେ; ଦେଖ, ସେମାନେ ତୁମ୍ଭମାନଙ୍କ ନିକଟକୁ ଆସିବେ ଓ ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟାସକଳ ଦେଖିବ; ପୁଣି, ଆମ୍ଭେ ଯିରୂଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ, ତାହା ପ୍ରତି ଯେସକଳ ବର୍ତ୍ତାଇଅଛୁ, ତହିଁ ବିଷୟରେ ତୁମ୍ଭେମାନେ ସାନ୍ତ୍ୱନା ପାଇବ।
EZE 14:23 ଆଉ, ସେମାନେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବେ, ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟା ଦେଖିଲେ ଜାଣିବ ଯେ, ଆମ୍ଭେ ତହିଁ ମଧ୍ୟରେ ଯାହା ଯାହା କରିଅଛୁ, ସେହି ସବୁ ଅକାରଣରେ କରି ନାହୁଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 15:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 15:2 “ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ?
EZE 15:3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ?
EZE 15:4 ଦେଖ, ଜାଳ ହେବା ପାଇଁ ତାହା ଅଗ୍ନିରେ ପକାଗଲା; ଅଗ୍ନି ତାହାର ଦୁଇ ମୁଣ୍ଡ ଗ୍ରାସ କଲା ଓ ତହିଁର ମଧ୍ୟଭାଗ ଦଗ୍ଧ ହେଲା ତାହା କି କୌଣସି କାର୍ଯ୍ୟକୁ ଆସିବ?
EZE 15:5 ଦେଖ, ଅବିକଳ ଥିବା ବେଳେ ତାହା କୌଣସି କାର୍ଯ୍ୟର ଯୋଗ୍ୟ ନୋହିଲା; ଅଗ୍ନି ଗ୍ରାସ କଲା ଉତ୍ତାରେ ଓ ତାହା ଦଗ୍ଧ ହେଲା ଉତ୍ତାରେ ତାହା କି କୌଣସି କାର୍ଯ୍ୟର ଅଧିକ ଅଯୋଗ୍ୟ ନୋହିବ?
EZE 15:6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଯେପରି ବନସ୍ଥ ଗଛସବୁର ମଧ୍ୟସ୍ଥିତ ଦ୍ରାକ୍ଷାଲତାକୁ ଅଗ୍ନିରେ ଜାଳ ହେବା ପାଇଁ ନିରୂପଣ କରିଅଛୁ, ସେହିପରି ଆମ୍ଭେ ଯିରୂଶାଲମ ନିବାସୀମାନଙ୍କୁ ନିରୂପଣ କରିବା।
EZE 15:7 ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ସେମାନେ ଅଗ୍ନିରୁ ବାହାରି ଯିବେ, ମାତ୍ର ଅଗ୍ନି ସେମାନଙ୍କୁ ଗ୍ରାସ କରିବ; ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 15:8 ଆଉ, ଆମ୍ଭେ ଦେଶକୁ ଧ୍ୱଂସର ସ୍ଥାନ କରିବା, କାରଣ ସେମାନେ ସତ୍ୟ-ଲଙ୍ଘନ କରିଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 16:1 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 16:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ,
EZE 16:3 ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା।
EZE 16:4 ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ।
EZE 16:5 ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା; ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ଘୃଣାଯୋଗ୍ୟ ଅବସ୍ଥା ସକାଶୁ ଖୋଲା ପଡ଼ିଆରେ ଫୋପଡ଼ା ଯାଇଥିଲ।
EZE 16:6 ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ‘ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ;’ ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।
EZE 16:7 ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ।
EZE 16:8 ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।
EZE 16:9 ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ।
EZE 16:10 ଆହୁରି, ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲୁ, ପୁଣି, ପଟ୍ଟବସ୍ତ୍ରରେ ବିଭୂଷିତା କଲୁ।
EZE 16:11 ଆହୁରି, ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ, ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ।
EZE 16:12 ପୁଣି, ଆମ୍ଭେ ତୁମ୍ଭ ନାସିକାରେ ନଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲୁ।
EZE 16:13 ଏରୂପେ ତୁମ୍ଭେ ସୁନା, ରୂପାରେ ବିଭୂଷିତା ହେଲ, ତୁମ୍ଭର ବସ୍ତ୍ର ଶୁଭ୍ର କ୍ଷୌମସୂତ୍ର, ପଟ୍ଟ ଦ୍ୱାରା ନିର୍ମିତ ଓ ଶିଳ୍ପକର୍ମରେ ବିଚିତ୍ର ହେଲା; ତୁମ୍ଭେ ସରୁ ମଇଦା ଓ ମଧୁ ଓ ତୈଳ ଭୋଜନ କଲ। ପୁଣି, ତୁମ୍ଭେ ପରମାସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ପ୍ରାପ୍ତ ହେଲ।
EZE 16:14 ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା।
EZE 16:15 ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା।
EZE 16:16 ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ ନୁହେଁ।
EZE 16:17 ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;
EZE 16:18 ପୁଣି, ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
EZE 16:19 ମଧ୍ୟ ସରୁ ମଇଦା, ତୈଳ ଓ ମଧୁ, ଆଦି ଆମ୍ଭର ଯେଉଁ ଖାଦ୍ୟ ଦ୍ୱାରା ଆମ୍ଭେ ତୁମ୍ଭକୁ ପ୍ରତିପାଳନ କଲୁ, ତାହା ତୁମ୍ଭେ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ, ଆଉ ଏପ୍ରକାର ହୋଇଥିଲା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 16:20 ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ।
EZE 16:21 ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ?
EZE 16:22 ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।
EZE 16:23 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭକୁ ଧିକ୍‍ ଧିକ୍‍! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ,
EZE 16:24 ତୁମ୍ଭେ ପ୍ରତିମା ପୂଜା କରିବାକୁ ଆପଣା ନିମନ୍ତେ ମନ୍ଦିର ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ।
EZE 16:25 ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ।
EZE 16:26 ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ।
EZE 16:27 ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ।
EZE 16:28 ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ।
EZE 16:29 ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍‍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।
EZE 16:30 ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।
EZE 16:31 ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ।
EZE 16:32 ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ।
EZE 16:33 ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ।
EZE 16:34 ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦ୍‍ଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ।
EZE 16:35 ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
EZE 16:36 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ;
EZE 16:37 ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ।
EZE 16:38 ବିବାହ ନିୟମ ଲଙ୍ଘନକାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା।
EZE 16:39 ଆମ୍ଭେ, ମଧ୍ୟ ତୁମ୍ଭକୁ ସେମାନଙ୍କ ହସ୍ତରେ ସମର୍ପଣ କରିବା, ତହିଁରେ ସେମାନେ ତୁମ୍ଭର ମନ୍ଦିର ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀସବୁ ଉତ୍ପାଟନ କରିବେ; ପୁଣି, ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାରସବୁ ହରଣ କରି ନେବେ; ଆଉ, ସେମାନେ ତୁମ୍ଭକୁ ବିବସନା ଓ ଉଲଙ୍ଗିନୀ କରି ଛାଡ଼ି ଦେବେ।
EZE 16:40 ଆହୁରି, ସେମାନେ ତୁମ୍ଭ ବିରୁଦ୍ଧରେ ଏକ ସମାଜ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ଆପଣା ଆପଣା ଖଡ୍ଗରେ ତୁମ୍ଭକୁ ବିନ୍ଧିବେ।
EZE 16:41 ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ।
EZE 16:42 ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ।
EZE 16:43 ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।
EZE 16:44 ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ‘ମାତା ଯେସନ, କନ୍ୟା ତେସନ।’
EZE 16:45 ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା।
EZE 16:46 ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
EZE 16:47 ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେ କରି, ତୁମ୍ଭେ ଆପଣାର ସମସ୍ତ ଆଚାରବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ।
EZE 16:48 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ତୁମ୍ଭର ଭଗିନୀ ସଦୋମ, ତାହାର କନ୍ୟାଗଣ ତୁମ୍ଭ ପରି ଓ ତୁମ୍ଭ କନ୍ୟାଗଣ ପରି କର୍ମ କରି ନାହାନ୍ତି।
EZE 16:49 ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ।
EZE 16:50 ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ।
EZE 16:51 ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ।
EZE 16:52 ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର।
EZE 16:53 ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା;
EZE 16:54 ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହି ସବୁ ସକାଶୁ ଲଜ୍ଜିତ ହେବ।
EZE 16:55 ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
EZE 16:56 କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ।
EZE 16:57 ସେହି ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇ ନ ଥିଲା, ପାଇଲା ଉତ୍ତାରେ ତୁମ୍ଭର ତୁଚ୍ଛକାରିଣୀ ଅରାମର କନ୍ୟାଗଣ ଓ ତାହାର ଚତୁର୍ଦ୍ଦିଗ ନିବାସିନୀ ସମସ୍ତେ, ପଲେଷ୍ଟୀୟମାନଙ୍କର କନ୍ୟାଗଣ ଚାରି ଦିଗରେ ତୁମ୍ଭର ଅପମାନ କଲେ।
EZE 16:58 ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣା ବ୍ୟଭିଚାର ଓ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିଅଛ।
EZE 16:59 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଶପଥ ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ଆମ୍ଭେ ତୁମ୍ଭ ପ୍ରତି ସେହିରୂପ ବ୍ୟବହାର କରିବା।
EZE 16:60 ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା।
EZE 16:61 ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।
EZE 16:62 ପୁଣି, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
EZE 16:63 ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 17:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 17:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ;
EZE 17:3 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କ୍ରୋଶ ପକ୍ଷୀର ପକ୍ଷ ଥିଲା, ତାହାର ପକ୍ଷ ବଡ଼, ଡେଣା ଦୀର୍ଘ ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ, ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା:
EZE 17:4 ସେ ତହିଁର ସାନ ସାନ ପଲ୍ଲବର ଉଚ୍ଚତମ ପଲ୍ଲବ କାଟି ବାଣିଜ୍ୟ ଦେଶକୁ ନେଇ ବଣିକମାନଙ୍କର ଗୋଟିଏ ନଗରରେ ରଖିଲା।
EZE 17:5 ଆହୁରି, ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିରେ ତାହା ରୋପଣ କଲା; ସେ ଜଳରାଶିର ନିକଟରେ ବାଇଶୀ ବୃକ୍ଷ ତୁଲ୍ୟ ତାହା ରୋପଣ କଲା।
EZE 17:6 ତହୁଁ ତାହା ବଢ଼ି ଅଳ୍ପ ଉଚ୍ଚ ଦ୍ରାକ୍ଷାଲତା ପରି ବଢ଼ିଲା, ତହିଁର ଶାଖାସବୁ ତାହାର ସମ୍ମୁଖ ହେଲା ଓ ତହିଁର ମୂଳ ତାହାର ତଳେ ରହିଲା; ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖାବିଶିଷ୍ଟ ଓ ପଲ୍ଲବିତ ହେଲା।
EZE 17:7 ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
EZE 17:8 ତାହା ଯେପରି ଶାଖାବିଶିଷ୍ଟ ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।
EZE 17:9 ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
EZE 17:10 ହଁ, ଦେଖ, ରୋପିତ ହୋଇଅଛି ବୋଲି ତାହା କି କୃତକାର୍ଯ୍ୟ ହେବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା କି ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇ ନ ଯିବ? ବଢ଼ିବା କିଆରିରେ ତାହା ଶୁଷ୍କ ହୋଇଯିବ।”
EZE 17:11 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 17:12 “ତୁମ୍ଭେ ସେହି ବିଦ୍ରୋହୀ-ବଂଶକୁ କୁହ, ତୁମ୍ଭେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇଗଲା;
EZE 17:13 ପୁଣି, ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନୋହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ
EZE 17:14 ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା।
EZE 17:15 ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ?
EZE 17:16 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।
EZE 17:17 ପୁଣି, ଅନେକ ଲୋକଙ୍କୁ ଉଚ୍ଛିନ୍ନ କରିବା ପାଇଁ ସେମାନେ ଯେତେବେଳେ ବନ୍ଧ ବାନ୍ଧିବେ ଓ ଗଡ଼ ନିର୍ମାଣ କରିବେ, ସେତେବେଳେ ଫାରୋ ଆପଣାର ପରାକ୍ରାନ୍ତ ସୈନ୍ୟସାମନ୍ତ ଓ ମହାସୈନ୍ୟଦଳ ଦ୍ୱାରା ଯୁଦ୍ଧରେ ତାହାର ସାହାଯ୍ୟ କରିବ ନାହିଁ।
EZE 17:18 କାରଣ, ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି ଓ ଦେଖ, ସେ ଆପଣା ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି; ସେ ରକ୍ଷା ପାଇବ ନାହିଁ।
EZE 17:19 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ତୁଚ୍ଛ କରିଅଛି ଓ ଆମ୍ଭର ଯେଉଁ ନିୟମ ଭଙ୍ଗ କରିଅଛି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତହିଁର ପ୍ରତିଫଳ ତାହାର ମସ୍ତକରେ ବର୍ତ୍ତାଇବା।
EZE 17:20 ପୁଣି, ଆମ୍ଭେ ଆପଣା ଜାଲ ତାହା ଉପରେ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ, ଆଉ ଆମ୍ଭେ ତାହାକୁ ବାବିଲକୁ ନେଇଯିବା ଓ ସେ ଆମ୍ଭ ବିରୁଦ୍ଧରେ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କରିଅଛି, ତହିଁ ସକାଶୁ ସେହି ସ୍ଥାନରେ ଆମ୍ଭେ ତାହାର ବିଚାର କରିବା।
EZE 17:21 ପୁଣି, ତାହାର ସକଳ ସୈନ୍ୟଦଳ ମଧ୍ୟରୁ ପଳାତକ ସମସ୍ତେ ଖଡ୍ଗରେ ପତିତ ହେବେ ଓ ଅବଶିଷ୍ଟ ଥିବା ଲୋକମାନେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ ହେବେ; ତହିଁରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
EZE 17:22 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗ ନେଇ ତାହା ସ୍ଥାପନ କରିବା; ଆମ୍ଭେ ତାହାର ଉଚ୍ଚତମ ପଲ୍ଲବମାନର ମଧ୍ୟରୁ ଗୋଟିଏ କୋମଳ ପଲ୍ଲବ କାଟି ନେଇ ଏକ ଉଚ୍ଚ ଓ ଉନ୍ନତ ପର୍ବତରେ ରୋପଣ କରିବା;
EZE 17:23 ଇସ୍ରାଏଲର ଉଚ୍ଚତମ ପର୍ବତରେ ଆମ୍ଭେ ତାହା ରୋପଣ କରିବା, ତହିଁରେ ତାହା ଶାଖାବିଶିଷ୍ଟ ଓ ଫଳବାନ ହୋଇ ଉତ୍ତମ ଏରସ ବୃକ୍ଷ ହେବ; ତହିଁର ତଳେ ସର୍ବଜାତୀୟ ପକ୍ଷୀ ବାସ କରିବେ; ସେମାନେ ତହିଁର ଶାଖାମାନର ଛାୟାରେ ବାସ କରିବେ।
EZE 17:24 ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ।”
EZE 18:1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା,
EZE 18:2 “ପିତାମାତା ‘ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ସନ୍ତାନଗଣର ଦନ୍ତ ଖଟା ହୋଇଅଛି, ଏହି ଯେଉଁ ପ୍ରବାଦ ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ କହୁଅଛ,’ ଏଥିରେ ତୁମ୍ଭମାନଙ୍କର ଅଭିପ୍ରାୟ କି?
EZE 18:3 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦ କହିବାର କାରଣ ଆଉ ପାଇବ ନାହିଁ।
EZE 18:4 ଦେଖ, ଯାବତୀୟ ପ୍ରାଣ ଆମ୍ଭର; ପିତାର ପ୍ରାଣ ଯେପରି, ପୁତ୍ରର ପ୍ରାଣ ହିଁ ସେହିପରି ଆମ୍ଭର; ଯେଉଁ ପ୍ରାଣୀ ପାପ କରେ, ସେହି ମରିବ।
EZE 18:5 ମାତ୍ର ଯଦି ମନୁଷ୍ୟ ଧାର୍ମିକ ହୁଏ, ନ୍ୟାୟ ଓ ଧର୍ମାଚରଣ କରେ,
EZE 18:6 ପୁଣି, ଯେ ପର୍ବତଗଣର ଉପରେ ଭୋଜନ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଅଥବା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ, କିଅବା ଋତୁମତୀ ସ୍ତ୍ରୀର ନିକଟକୁ ଆସି ନାହିଁ;
EZE 18:7 ପୁଣି, ଯେ କାହାରି ପ୍ରତି ଅନ୍ୟାୟ କରି ନାହିଁ, ମାତ୍ର ଋଣୀକୁ ତାହାର ବନ୍ଧକି ଦ୍ରବ୍ୟ ଫେରାଇ ଦେଇଅଛି, ଉପଦ୍ରବ କରି କାହାରି କିଛି ଅପହରଣ କରି ନାହିଁ, ଆପଣାର ଭକ୍ଷ୍ୟ କ୍ଷୁଧିତକୁ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି;
EZE 18:8 ଯେ ସୁଧ ପାଇଁ ଋଣ ଦେଇ ନାହିଁ, କିଅବା କିଛି ବୃଦ୍ଧି ନେଇ ନାହିଁ, ଯେ ଅଧର୍ମରୁ ଆପଣା ହସ୍ତ ଫେରାଇଅଛି, ମନୁଷ୍ୟ ମନୁଷ୍ୟର ମଧ୍ୟରେ ଯଥାର୍ଥ ବିଚାର କରିଅଛି,
EZE 18:9 ଆମ୍ଭର ବିଧିମତେ ଆଚରଣ କରିଅଛି ଓ ସତ୍ୟ ବ୍ୟବହାର କରିବା ନିମନ୍ତେ ଆମ୍ଭର ଶାସନସକଳ ପାଳନ କରିଅଛି, ସେହି ଲୋକ ଧାର୍ମିକ, ପ୍ରଭୁ, ସଦାପ୍ରଭୁ କହନ୍ତି, ସେ ଅବଶ୍ୟ ବଞ୍ଚିବ।
EZE 18:10 ଯଦି ସେହି ଲୋକର ପୁତ୍ର ଡକାୟତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ
EZE 18:11 ଓ ସେହି ସବୁ କର୍ତ୍ତବ୍ୟ କର୍ମ ମଧ୍ୟରୁ କୌଣସି କର୍ତ୍ତବ୍ୟ କର୍ମ ନ କରେ, ମାତ୍ର ଯେ ପର୍ବତଗଣର ଉପରେ ଭୋଜନ କରିଅଛି ଓ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରିଅଛି,
EZE 18:12 ଦରିଦ୍ର ଦୀନହୀନର ପ୍ରତି ଅନ୍ୟାୟ କରିଅଛି, ଦୌରାତ୍ମ୍ୟ ଦ୍ୱାରା ଅପହରଣ କରିଅଛି, ବନ୍ଧକି ଦ୍ରବ୍ୟ ଫେରାଇ ଦେଇ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରିଅଛି,
EZE 18:13 ଘୃଣାଯୋଗ୍ୟ କ୍ରିୟା କରିଅଛି, ସୁଧ ପାଇଁ ଋଣ ଦେଇଅଛି ଓ ବୃଦ୍ଧି ଗ୍ରହଣ କରିଅଛି, ସେ କି ବଞ୍ଚିବ? ସେ ବଞ୍ଚିବ ନାହିଁ, ସେ ଏହିସବୁ ଘୃଣାଯୋଗ୍ୟ କ୍ରିୟା କରିଅଛି; ସେ ନିଶ୍ଚୟ ମରିବ, ତାହାର ରକ୍ତ ତାହାର ଉପରେ ବର୍ତ୍ତିବ।
EZE 18:14 ଆହୁରି ଦେଖ, ଯଦି ସେହି ଲୋକର ପୁତ୍ର ଆପଣା ପିତାର କୃତ ପାପସକଳ ଦେଖେ ଓ ଭୟ କରି ସେହିପରି କାର୍ଯ୍ୟ ନ କରେ,
EZE 18:15 ଯେ ପର୍ବତଗଣ ଉପରେ ଭୋଜନ କରି ନାହିଁ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ,
EZE 18:16 କିଅବା କାହାରି ପ୍ରତି ଅନ୍ୟାୟ କରି ନାହିଁ, କୌଣସି ବନ୍ଧକି ଦ୍ରବ୍ୟ ଗ୍ରହଣ କରି ନାହିଁ, କିଅବା ଦୌରାତ୍ମ୍ୟ ଦ୍ୱାରା ଅପହରଣ କରି ନାହିଁ, ମାତ୍ର କ୍ଷୁଧିତକୁ ଆପଣା ଭକ୍ଷ୍ୟ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି,
EZE 18:17 ଯେ ଦରିଦ୍ର ପ୍ରତି ଉପଦ୍ରବରୁ ଆପଣା ହସ୍ତ ଫେରାଇଅଛି, ସୁଧ କି ବୃଦ୍ଧି ଗ୍ରହଣ କରି ନାହିଁ, ଆମ୍ଭର ଶାସନସକଳ ପାଳନ କରିଅଛି, ଆମ୍ଭ ବିଧି ଅନୁଯାୟୀ ଆଚରଣ କରିଅଛି; ସେ ଆପଣା ପିତାର ଅଧର୍ମ ସକାଶୁ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ।
EZE 18:18 ମାତ୍ର ତାହାର ପିତା ନିର୍ଦ୍ଦୟ ଭାବରେ ଉପଦ୍ରବ କଲା, ଦୌରାତ୍ମ୍ୟ ଦ୍ୱାରା ଆପଣା ଭ୍ରାତାର ଦ୍ରବ୍ୟ ଅପହରଣ କଲା ଓ ଆପଣା ଲୋକମାନଙ୍କ ମଧ୍ୟରେ ଅନୁଚିତ କାର୍ଯ୍ୟ କଲା, ଏଥିପାଇଁ ଦେଖ, ସେ ଆପଣା ଅଧର୍ମରେ ମରିବ।
EZE 18:19 ତଥାପି ତୁମ୍ଭେମାନେ କହୁଅଛ, କାହିଁକି ପୁତ୍ର ପିତାର ଅଧର୍ମର ଭାର ବହେ ନାହିଁ? ପୁତ୍ର ଯଦି ନ୍ୟାୟ ଓ ଧର୍ମାଚରଣ କରିଅଛି, ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିଅଛି, ତେବେ ସେ ନିଶ୍ଚୟ ବଞ୍ଚିବ।
EZE 18:20 ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।
EZE 18:21 ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
EZE 18:22 ତାହାର କୃତ କୌଣସି ଅପରାଧ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ଯେଉଁ ଧର୍ମାଚରଣ କରିଅଛି, ତଦ୍ଦ୍ୱାରା ବଞ୍ଚିବ।
EZE 18:23 ପ୍ରଭୁ, ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ?
EZE 18:24 ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।
EZE 18:25 ତଥାପି ତୁମ୍ଭେମାନେ କହୁଅଛ, ‘ପ୍ରଭୁଙ୍କର ପଥ ସରଳ ନୁହେଁ।’ ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?
EZE 18:26 ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ତହିଁରେ ମରେ, ସେତେବେଳେ ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ମରିବ।
EZE 18:27 ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ।
EZE 18:28 ସେ ବିବେଚନା କରେ ଓ ଆପଣା କୃତ ସମସ୍ତ ଅପରାଧରୁ ଫେରେ, ଏଥିପାଇଁ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
EZE 18:29 ତଥାପି ଇସ୍ରାଏଲ ବଂଶ କହନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ? ହେ ଇସ୍ରାଏଲ ବଂଶ, ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?
EZE 18:30 ଏଥିପାଇଁ ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ।
EZE 18:31 ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରିଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?
EZE 18:32 ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ।”
EZE 19:1 “ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,
EZE 19:2 ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।
EZE 19:3 ତାହାର ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା; ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
EZE 19:4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରାପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।
EZE 19:5 ଅପେକ୍ଷା କରି ଆପଣା ଆପଣା ଆଶା ବିଫଳ ହେବାର ଦେଖି ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିଏ ନେଇ ତାକୁ ଯୁବା ସିଂହ କଲା।
EZE 19:6 ପୁଣି, ସେ ସିଂହମାନଙ୍କ ମଧ୍ୟରେ ଗତାୟାତ କରି ଯୁବା ସିଂହ ହୋଇ ଉଠିଲା; ଆହୁରି ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
EZE 19:7 ଆଉ, ସେ ସେମାନଙ୍କର ଅଟ୍ଟାଳିକାସବୁ ଜାଣିଲା ଓ ସେମାନଙ୍କର ନଗରସବୁ ଉଜାଡ଼ କଲା; ଆଉ, ତାହାର ଗର୍ଜ୍ଜନର ଶବ୍ଦ ସକାଶୁ ଦେଶ ଓ ତହିଁର ପୂର୍ଣ୍ଣତାସକଳ ଶୂନ୍ୟ ହେଲା।
EZE 19:8 ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ; ଆଉ, ସେମାନେ ତାହାର ଉପରେ ଆପଣାମାନଙ୍କର ଜାଲ ପ୍ରସାରିଲେ; ସେ ସେମାନଙ୍କ ଗର୍ତ୍ତରେ ଧରାପଡ଼ିଲା।
EZE 19:9 ଆଉ, ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରରେ ରଖି ବାବିଲ ରାଜା ନିକଟକୁ ନେଇଗଲେ; ଇସ୍ରାଏଲର ପର୍ବତସମୂହରେ ତାହାର ହୁଙ୍କାର ଶବ୍ଦ ଯେପରି ଆଉ ଶୁଣା ନ ଯାଏ, ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ।
EZE 19:10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।
EZE 19:11 ପୁଣି, କର୍ତ୍ତୃତ୍ୱକାରୀମାନଙ୍କର ରାଜଦଣ୍ଡ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା, ଗହଳ ଶାଖାମାନର ମଧ୍ୟରେ ସେହି ସବୁ ଦୀର୍ଘତାରେ ଉଚ୍ଚୀକୃତ ହୋଇଥିଲା, ଆଉ ସେହି ସବୁ ସ୍ୱ ଉଚ୍ଚତାରେ ଓ ଶାଖାର ବାହୁଲ୍ୟରେ ଦେଖାଗଲା।
EZE 19:12 ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା; ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହେଲା; ଅଗ୍ନି ସେହି ସବୁକୁ ଗ୍ରାସ କଲା।
EZE 19:13 ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।
EZE 19:14 ଆଉ, ତାହାର ଶାଖା ଦଣ୍ଡସମୂହରୁ ଅଗ୍ନି ନିର୍ଗତ ହୋଇ ତାହାର ଫଳ ଗ୍ରାସ କରିଅଛି; ଏହେତୁ ରାଜଦଣ୍ଡ ହେବା ପାଇଁ ତାହାର ଗୋଟିଏ ଦୃଢ଼ ଶାଖା ନାହିଁ।” ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।
EZE 20:1 ଏଥିଉତ୍ତାରେ ସପ୍ତମ ବର୍ଷର ପଞ୍ଚମ ମାସରେ, ମାସର ଦଶମ ଦିନରେ, ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ସଦାପ୍ରଭୁଙ୍କ ନିକଟରେ ପଚାରିବା ପାଇଁ ଆସି ମୋʼ ସମ୍ମୁଖରେ ବସିଲେ।
EZE 20:2 ସେତେବେଳେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 20:3 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ସଙ୍ଗେ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ କି ଆମ୍ଭ ନିକଟରେ ପଚାରିବାକୁ ଆସିଅଛ? ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବାକୁ ଦେବା ନାହିଁ।
EZE 20:4 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ସେମାନଙ୍କର ବିଚାର କରିବ? ତୁମ୍ଭେ କି ସେମାନଙ୍କର ବିଚାର କରିବ? ସେମାନଙ୍କ ପୂର୍ବପୁରୁଷଗଣର ଘୃଣାଯୋଗ୍ୟ କ୍ରିୟାସକଳ ସେମାନଙ୍କୁ ଜ୍ଞାତ କରାଅ,
EZE 20:5 ଆଉ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ମନୋନୀତ କଲୁ ଓ ଯାକୁବର କୁଳଜାତ ବଂଶ ସପକ୍ଷରେ ଆପଣା ହସ୍ତ ଉଠାଇଲୁ ଓ ମିସର ଦେଶରେ ସେମାନଙ୍କ ନିକଟରେ ଆପଣାର ପରିଚୟ ଦେଲୁ, ସେମାନଙ୍କ ସପକ୍ଷରେ ଆପଣା ହସ୍ତ ଉଠାଇ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବୋଲି କହିଲୁ;
EZE 20:6 ସେହି ଦିନ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ପାଇଁ ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯେଉଁ ଦେଶ ଅନୁସନ୍ଧାନ କରିଥିଲୁ, ସର୍ବ ଦେଶର ଗୌରବ ସ୍ୱରୂପ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବା ପାଇଁ ଆମ୍ଭେ ସେମାନଙ୍କ ସପକ୍ଷରେ ଆପଣା ହସ୍ତ ଉଠାଇଲୁ;
EZE 20:7 ଆଉ, ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କର ଓ ମିସରୀୟ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
EZE 20:8 ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚାରୀ ହେଲେ ଓ ଆମ୍ଭର କଥା ଶୁଣିବାକୁ ଅସମ୍ମତ ହେଲେ; ସେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କଲେ ନାହିଁ, କିଅବା ମିସରୀୟ ପ୍ରତିମାଗଣକୁ ଛାଡ଼ିଲେ ନାହିଁ; ତହିଁରେ ଆମ୍ଭେ ମିସର ଦେଶ ମଧ୍ୟରେ ସେମାନଙ୍କ ପ୍ରତିକୂଳରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
EZE 20:9 ତଥାପି ସେମାନେ ଯେଉଁମାନଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ, ମିସର ଦେଶରୁ ବାହାର କରି ଆଣିବା ଦ୍ୱାରା ଆପଣାର ପରିଚୟ ଦେଇଥିଲୁ, ସେହି ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।
EZE 20:10 ଏହିରୂପେ ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରାଇ ପ୍ରାନ୍ତରକୁ ଆଣିଲୁ।
EZE 20:11 ପୁଣି, ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ଶାସନସକଳ ଜ୍ଞାତ କରାଇଲୁ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ!
EZE 20:12 ଆହୁରି ମଧ୍ୟ ଆମ୍ଭେ ଯେ ସେମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଯେପରି ସେମାନେ ଜାଣିବେ, ଏଥିପାଇଁ ଆମ୍ଭର ଓ ସେମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବା ନିମନ୍ତେ ଆମ୍ଭେ ଆପଣାର ବିଶ୍ରାମ ଦିନସକଳ ସେମାନଙ୍କୁ ଦେଲୁ।
EZE 20:13 ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟନ୍ତ ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
EZE 20:14 ତଥାପି ଯେଉଁ ଗୋଷ୍ଠୀଗଣ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେମାନଙ୍କ ଦୃଷ୍ଟିରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।
EZE 20:15 ଆହୁରି ମଧ୍ୟ ସର୍ବ ଦେଶର ଗୌରବ ସ୍ୱରୂପ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଆମ୍ଭେ ସେମାନଙ୍କୁ ଦେଇଥିଲୁ, ସେହି ଦେଶକୁ ସେମାନଙ୍କୁ ନ ଆଣିବା ପାଇଁ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ଉଠାଇଲୁ;
EZE 20:16 କାରଣ ସେମାନଙ୍କ ଅନ୍ତଃକରଣ ସେମାନଙ୍କ ପ୍ରତିମାଗଣର ଅନୁଗାମୀ ହେବାରୁ ସେମାନେ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ, ଆଉ ଆମ୍ଭ ବିଶ୍ରାମ ଦିନସକଳ ଅପବିତ୍ର କଲେ।
EZE 20:17 ତଥାପି ସେମାନଙ୍କୁ ବିନାଶ କରିବା ପାଇଁ ଆମ୍ଭର ଲଜ୍ଜ୍ୟା ହେଲା, ଏଣୁ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କଲୁ ନାହିଁ।
EZE 20:18 ପୁଣି, ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ ଆପଣାମାନଙ୍କର ପିତୃଗଣର ବିଧି ଅନୁସାରେ ଚାଲ ନାହିଁ କିଅବା ସେମାନଙ୍କର ଶାସନସକଳ ମାନ ନାହିଁ, ଅଥବା ସେମାନଙ୍କ ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କର ନାହିଁ;
EZE 20:19 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ; ଆମ୍ଭର ବିଧିରୂପ ପଥରେ ଚାଲ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କର;
EZE 20:20 ପୁଣି, ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କର; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତାହାସବୁ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନସ୍ୱରୂପ ହେବ।
EZE 20:21 ମାତ୍ର ସେହି ସନ୍ତାନଗଣ ଆମ୍ଭର ବିଦ୍ରୋହାଚରଣ କଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କଲେ ନାହିଁ, ମନୁଷ୍ୟ ତାହା ପାଳନ କଲେ, ତହିଁରେ ସେ ବଞ୍ଚିବ; ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ; ତହିଁରେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।
EZE 20:22 ତଥାପି ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେହି ଗୋଷ୍ଠୀୟମାନଙ୍କ ନିକଟରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ହସ୍ତ ସମ୍ବରଣ କଲୁ ଓ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।
EZE 20:23 ମାତ୍ର ଆମ୍ଭେ ନାନା ଗୋଷ୍ଠୀୟ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ ଓ ନାନା ଦେଶରେ ସେମାନଙ୍କୁ ନିକ୍ଷେପ କରିବୁ ବୋଲି ସେମାନଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଲୁ;
EZE 20:24 କାରଣ ସେମାନେ ଆମ୍ଭର ଶାସନସକଳ ପାଳନ କଲେ ନାହିଁ, ମାତ୍ର ଆମ୍ଭର ବିଧିସକଳ ଅଗ୍ରାହ୍ୟ କଲେ ଓ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ, ପୁଣି, ସେମାନଙ୍କ ପିତୃବର୍ଗର ପ୍ରତିମାଗଣ ପ୍ରତି ସେମାନଙ୍କର ଦୃଷ୍ଟି ରହିଲା।
EZE 20:25 ଆହୁରି ମଧ୍ୟ ଯାହା ସେମାନଙ୍କର ମଙ୍ଗଳଜନକ ନୁହେଁ, ଏପରି ବିଧି ଓ ଯହିଁରେ ସେମାନେ ବଞ୍ଚିବେ ନାହିଁ, ଏପରି ଶାସନସବୁ ଆମ୍ଭେ ସେମାନଙ୍କୁ ଦେଲୁ;
EZE 20:26 ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଯେପରି ସେମାନେ ଜାଣିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ବିନାଶ କରିବା ନିମନ୍ତେ, ସେମାନେ ଗର୍ଭାଶୟ ମୁକ୍ତକାରୀ ସମସ୍ତ ସନ୍ତାନକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଦ୍ୱାରା ଯେଉଁ ଉପହାର ପ୍ରଦାନ କଲେ, ତହିଁରେ ଆମ୍ଭେ ସେମାନଙ୍କୁ ଅଶୁଚି କରାଇଲୁ।
EZE 20:27 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ସଙ୍ଗେ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ଏଥିରେ ମଧ୍ୟ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଆମ୍ଭର ନିନ୍ଦା କରିଅଛନ୍ତି।
EZE 20:28 କାରଣ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଥିଲୁ, ସେହି ଦେଶକୁ ଯେତେବେଳେ ସେମାନଙ୍କୁ ଆଣିଲୁ, ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେହି ସ୍ଥାନରେ ବଳିଦାନ କଲେ ଓ ସେହି ସ୍ଥାନରେ ସେମାନେ (ଆମ୍ଭର) ବିରକ୍ତିଜନକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସ୍ଥାନରେ ମଧ୍ୟ ଆପଣାମାନଙ୍କର ସୁଗନ୍ଧିଯୁକ୍ତ ଦ୍ରବ୍ୟ ରଖିଲେ ଓ ସେହି ସ୍ଥାନରେ ଆପଣାମାନଙ୍କର ପେୟ-ନୈବେଦ୍ୟ ଢାଳିଲେ।
EZE 20:29 ତହିଁରେ ଆମ୍ଭେ ସେମାନଙ୍କୁ କହିଲୁ, ତୁମ୍ଭେମାନେ ଯେଉଁ ଉଚ୍ଚସ୍ଥଳୀକି ଯାଅ, ତାହାର ଅଭିପ୍ରାୟ ଏହି କି? ଏଣୁ ଆଜି ପର୍ଯ୍ୟନ୍ତ ତହିଁର ନାମ ବାମା (ଉଚ୍ଚସ୍ଥଳୀ) ରହିଅଛି।
EZE 20:30 ଏଣୁକରି ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ କି ଆପଣାମାନଙ୍କର ପୂର୍ବପୁରୁଷଗଣର ରୀତି ଅନୁସାରେ ଆପଣାମାନଙ୍କୁ ଅଶୁଚି କରୁଅଛ? ଓ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ବ୍ୟଭିଚାରୀ ହେଉଅଛ?
EZE 20:31 ଆଉ, ଯେତେବେଳେ ତୁମ୍ଭେମାନେ ଆପଣା ଆପଣା ଉପହାର ଦାନ କରୁଅଛ, ଆପଣା ଆପଣା ସନ୍ତାନଗଣକୁ ଅଗ୍ନି ମଧ୍ୟଦେଇ ଗମନ କରାଉଅଛ, ସେତେବେଳେ ତୁମ୍ଭେମାନେ କି ଆଜି ପର୍ଯ୍ୟନ୍ତ ଆପଣା ଆପଣା ପ୍ରତିମାଗଣ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରୁ ନାହଁ? ତେବେ ହେ ଇସ୍ରାଏଲ ବଂଶ, ଆମ୍ଭେ କି ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବାକୁ ଦେବା? ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ଆମ୍ଭ ନିକଟରେ ପଚାରିବା ପାଇଁ ଦେବା ନାହିଁ;
EZE 20:32 ପୁଣି, ‘ଆମ୍ଭେମାନେ କାଷ୍ଠ ଓ ପ୍ରସ୍ତରର ସେବା କରି ଅନ୍ୟଦେଶୀୟମାନଙ୍କର ଓ ନାନା ଦେଶ ନିବାସୀ ଗୋଷ୍ଠୀମାନଙ୍କ ତୁଲ୍ୟ ହେବା ବୋଲି ଏହି ଯେଉଁ କଥା ତୁମ୍ଭମାନଙ୍କ ମନରେ ଉଠୁଅଛି ଓ ଯାହା ତୁମ୍ଭେମାନେ କହୁଅଛ,’ ତାହା କେବେ ଘଟିବ ନାହିଁ।
EZE 20:33 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପବର୍ଷଣ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କ ଉପରେ ରାଜା ହେବା;
EZE 20:34 ପୁଣି, ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବା ଓ ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ଛିନ୍ନଭିନ୍ନ ହୋଇଅଛ, ସେହି ସବୁ ସ୍ଥାନରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା;
EZE 20:35 ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗୋଷ୍ଠୀସମୂହର ପ୍ରାନ୍ତରକୁ ଆଣି ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭମାନଙ୍କ ସହିତ ବିଚାର କରିବା।
EZE 20:36 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମିସର ଦେଶର ପ୍ରାନ୍ତରରେ ଯେପରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସହିତ ବିଚାର କରିଥିଲୁ, ସେହିପରି ତୁମ୍ଭମାନଙ୍କ ସହିତ ବିଚାର କରିବା।
EZE 20:37 ଆଉ, ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବା ଓ ଆମ୍ଭେ ତୁମ୍ଭମାନଙ୍କୁ ନିୟମରୂପ ବନ୍ଧନରେ ଆବଦ୍ଧ କରିବା;
EZE 20:38 ପୁଣି, ଆମ୍ଭେ ବିଦ୍ରୋହୀମାନଙ୍କୁ ଓ ଆମ୍ଭ ବିରୁଦ୍ଧରେ ଅପରାଧକାରୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ଝାଡ଼ି ଦୂର କରିଦେବା; ସେମାନେ ଯେଉଁ ଦେଶରେ ପ୍ରବାସ କରୁଅଛନ୍ତି, ସେ ଦେଶରୁ ଆମ୍ଭେ ସେମାନଙ୍କୁ ବାହାର କରି ଆଣିବା, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 20:39 ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି କଥା କହନ୍ତି; ତୁମ୍ଭେମାନେ ଯଦି ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ତୁମ୍ଭେମାନେ ପ୍ରତ୍ୟେକେ ଯାଇ ଏବେ ଓ ଏଥିଉତ୍ତାରେ ମଧ୍ୟ ଆପଣା ଆପଣା ପ୍ରତିମାଗଣର ସେବା କର; ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ।
EZE 20:40 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ପବିତ୍ର ପର୍ବତରେ, ଇସ୍ରାଏଲର ଉଚ୍ଚତମ ପର୍ବତରେ, ସମୁଦାୟ ଇସ୍ରାଏଲ ବଂଶ, ସେମାନଙ୍କର ସମସ୍ତେ ହିଁ ସେଠାରେ ଦେଶ ମଧ୍ୟରେ ଆମ୍ଭର ସେବା କରିବେ; ସେହି ସ୍ଥାନରେ ଆମ୍ଭେ ସେମାନଙ୍କୁ ଗ୍ରାହ୍ୟ କରିବା ଓ ସେହି ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତୁ ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଚାହିଁବା।
EZE 20:41 ଯେଉଁ ସମୟରେ ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବା ଓ ଯେଉଁ ଯେଉଁ ଦେଶରେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ରହିଅଛ, ସେହି ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସୁଗନ୍ଧିଯୁକ୍ତ ଆଘ୍ରାଣାର୍ଥକ ଦ୍ରବ୍ୟ ତୁଲ୍ୟ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କଠାରେ ଗୋଷ୍ଠୀଗଣର ସାକ୍ଷାତରେ ପବିତ୍ରୀକୃତ ହେବା।
EZE 20:42 ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଲୁ, ଇସ୍ରାଏଲର ସେହି ଦେଶକୁ ଆମ୍ଭେ ଯେତେବେଳେ ତୁମ୍ଭମାନଙ୍କୁ ଆଣିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 20:43 ଆଉ, ଯହିଁରେ ତୁମ୍ଭେମାନେ ଆପଣାମାନଙ୍କୁ ଅଶୁଚି କରିଅଛ, ଆପଣାମାନଙ୍କର ସେହି ଆଚାର ବ୍ୟବହାର ଓ କ୍ରିୟାସକଳ ତୁମ୍ଭେମାନେ ସେଠାରେ ସ୍ମରଣ କରିବ ଓ ଆପଣାମାନଙ୍କର କୃତ ସମସ୍ତ କୁକ୍ରିୟା ସକାଶୁ ଆପଣାମାନଙ୍କୁ ଘୃଣା କରିବ।
EZE 20:44 ପୁଣି, ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେତେବେଳେ ତୁମ୍ଭମାନଙ୍କର ଦୁଷ୍ଟ ଆଚାର ବ୍ୟବହାରାନୁସାରେ ନୁହେଁ, କିଅବା ତୁମ୍ଭମାନଙ୍କର ଭ୍ରଷ୍ଟ କ୍ରିୟାନୁସାରେ ନୁହେଁ, ମାତ୍ର ଆପଣା ନାମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା, ସେତେବେଳେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
EZE 20:45 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 20:46 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦକ୍ଷିଣ ଦିଗ ପ୍ରତି ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ପ୍ରତି ଆପଣା ବାକ୍ୟ ବର୍ଷଣ କର, ଆଉ ଦକ୍ଷିଣ ପ୍ରାନ୍ତରସ୍ଥ ଅରଣ୍ୟ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
EZE 20:47 ପୁଣି, ଦକ୍ଷିଣ ଦିଗର ଅରଣ୍ୟକୁ କୁହ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ଜ୍ୱଳାଇବା, ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କ ବୃକ୍ଷକୁ ଗ୍ରାସ କରିବ; ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ ଓ ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ମୁଖ ତଦ୍ଦ୍ୱାରା ଦଗ୍ଧ ହେବ।
EZE 20:48 ତହିଁରେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଯେ ଜ୍ୱଳାଇଅଛୁ, ଏହା ସମସ୍ତ ପ୍ରାଣୀ ଦେଖିବେ, ତହିଁର ନିର୍ବାଣ ନୋହିବ।”
EZE 20:49 ଏଥିରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ସେମାନେ ମୋʼ ବିଷୟରେ କହନ୍ତି, ସେ ଲୋକ କି ଦୃଷ୍ଟାନ୍ତ-ବାକ୍ୟବାଦୀ ନୁହେଁ?”
EZE 21:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 21:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ପ୍ରତି ଆପଣା ମୁଖ ରଖ, ପବିତ୍ର ସ୍ଥାନ ସମୂହର ପ୍ରତି ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର,
EZE 21:3 ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା।
EZE 21:4 ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା, ଏଥିପାଇଁ ଆମ୍ଭର ଖଡ୍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ;
EZE 21:5 ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ।
EZE 21:6 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ୱାସ ଛାଡ଼; ତୁମ୍ଭେ ଆପଣା କଟି ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ୱାସ ଛାଡ଼ିବ।
EZE 21:7 ଆଉ, ‘ତୁମ୍ଭେ କାହିଁକି ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛ?’ ଏ କଥା ଯଦି ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳାନ୍ତ ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ,’” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 21:8 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 21:9 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି; କୁହ, ଖଡ୍ଗ, ଖଡ୍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜିତ ହୋଇଅଛି;
EZE 21:10 ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି; ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା? ଆମ୍ଭ ପୁତ୍ରର ରାଜଦଣ୍ଡ ଯାବତୀୟ କାଷ୍ଠକୁ ତୁଚ୍ଛ କରେ।
EZE 21:11 ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି।
EZE 21:12 ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ୍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁ ଦେଶରେ ଆଘାତ କର।
EZE 21:13 କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି, ସେହି ତୁଚ୍ଛକାରୀ ରାଜଦଣ୍ଡ ଆଉ ନ ରହେ, ତେବେ ତହିଁରେ ହିଁ କି? ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 21:14 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ୍ଗ, ଆହତ ଲୋକମାନଙ୍କର ଖଡ୍ଗ ଦୁଇଗୁଣ, ତିନିଗୁଣ ହେଉ; ତାହା ଆହତ ମହତ ଲୋକର ଖଡ୍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ।
EZE 21:15 ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ଅନେକ ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ୱାର ବିରୁଦ୍ଧରେ ଖଡ୍ଗର ଅଗ୍ରଭାଗ ରଖିଅଛୁ; ଆଃ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି।
EZE 21:16 ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ପ୍ରତି ଯାଅ; ଯେକୌଣସି ପ୍ରତି ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର)।
EZE 21:17 ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା,” ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
EZE 21:18 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 21:19 “ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ ମୁଣ୍ଡରେ ଚିହ୍ନିତ କର।
EZE 21:20 ଅମ୍ମୋନ-ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ୍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର।
EZE 21:21 କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍‍, ଦୁଇ ପଥର ମୁଣ୍ଡରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ ନିରୀକ୍ଷଣ କଲା।
EZE 21:22 ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍‍, ସେହି ସ୍ଥାନରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ୱରରେ ସିଂହନାଦ କରିବାକୁ, ନଗରର ଦ୍ୱାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା।
EZE 21:23 ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍‍, ଯେଉଁମାନେ ଥରକୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ; ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ।
EZE 21:24 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ଆଜ୍ଞା-ଲଙ୍ଘନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ, ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣରେ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ।
EZE 21:25 ପୁଣି, ହେ ଆହତ ଦୁଷ୍ଟ ଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;
EZE 21:26 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେହିପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର।
EZE 21:27 ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା।
EZE 21:28 ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ,
EZE 21:29 ଖଡ୍ଗ, ଖଡ୍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ୍ ପରି ହେବ, ଏଥିପାଇଁ ତାହା ମାର୍ଜିତ ହୋଇଅଛି।
EZE 21:30 ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ। ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା।
EZE 21:31 ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍‍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା।
EZE 21:32 ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ; ତୁମ୍ଭେ ଆଉ ସ୍ମୃତିପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।”
EZE 22:1 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 22:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ବିଚାର କରିବ? ତୁମ୍ଭେ କି ଏହି ରକ୍ତମୟୀ ନଗରୀର ବିଚାର କରିବ? ତେବେ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ତାହାକୁ ଜ୍ଞାତ କରାଅ।
EZE 22:3 ପୁଣି, ତୁମ୍ଭେ ତାହାକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ନଗରୀ! ତୁମ୍ଭେ ଆପଣାର କାଳ ଉପସ୍ଥିତ କରାଇବା ନିମନ୍ତେ ଆପଣା ମଧ୍ୟରେ ରକ୍ତପାତ କରୁଅଛ ଓ ଆପଣାକୁ ଅଶୁଚି କରିବା ନିମନ୍ତେ ଆପଣା ପାଇଁ ପ୍ରତିମାଗଣ ନିର୍ମାଣ କରୁଅଛ।
EZE 22:4 ତୁମ୍ଭେ ଯେଉଁ ରକ୍ତପାତ କରିଅଛ, ତଦ୍ଦ୍ୱାରା ଦୋଷୀ ହୋଇଅଛ ଓ ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ; ଆଉ, ତୁମ୍ଭେ ଆପଣାର ଦିନ ନିକଟବର୍ତ୍ତୀ କରାଇଅଛ ଓ ମଧ୍ୟ ଆପଣା ଆୟୁର ଶେଷାଂଶରେ ଉପସ୍ଥିତ ହୋଇଅଛ; ଏଣୁ ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ନିକଟରେ ନିନ୍ଦାର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛୁ।
EZE 22:5 ହେ ଦୁର୍ନାମୀ ଓ କଳହପୂର୍ଣ୍ଣେ, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।
EZE 22:6 ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକେ ଆପଣା ଆପଣା ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି।
EZE 22:7 ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ବିଦେଶୀ ପ୍ରତି ଉପଦ୍ରବ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ପିତୃହୀନ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।
EZE 22:8 ତୁମ୍ଭେ ଆମ୍ଭର ପବିତ୍ର ବସ୍ତୁସକଳ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛ।
EZE 22:9 ରକ୍ତପାତ କରିବା ପାଇଁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ରହିଅଛନ୍ତି ଓ ତୁମ୍ଭ ମଧ୍ୟରେ ଲୋକମାନେ ପର୍ବତ ଉପରେ ଭୋଜନ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଲମ୍ପଟାଚରଣ କରିଅଛନ୍ତି।
EZE 22:10 ତୁମ୍ଭ ମଧ୍ୟରେ ଲୋକମାନେ ଆପଣା ଆପଣା ପିତାର ଆବରଣୀୟ ଅନାବୃତ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଋତୁ ସମୟରେ ଅଶୁଚି ଥିବା ସ୍ତ୍ରୀକୁ ବଳାତ୍କାର କରିଅଛନ୍ତି।
EZE 22:11 ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।
EZE 22:12 ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ, ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 22:13 ଏଥିପାଇଁ ଦେଖ, ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହୋଇଅଛି, ତହିଁ ନିମନ୍ତେ ଆମ୍ଭେ ଆପଣା ହସ୍ତ ଦେଇଅଛୁ।
EZE 22:14 ଯେଉଁ ଦିନ ଆମ୍ଭେ ତୁମ୍ଭଠାରୁ ନିକାଶ ନେବା, ସେହି ଦିନ ତୁମ୍ଭ ଅନ୍ତଃକରଣ କି ସହି ପାରିବ, ଅବା ତୁମ୍ଭର ହସ୍ତ କି ସବଳ ହୋଇ ପାରିବ? ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ଏହା ସିଦ୍ଧ କରିବା।
EZE 22:15 ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବା; ଆଉ, ଆମ୍ଭେ ତୁମ୍ଭର ଅଶୁଚିତା ତୁମ୍ଭଠାରୁ ନାଶ କରିବା।
EZE 22:16 ଆଉ, ତୁମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ଆପଣା ସକାଶୁ ଅପବିତ୍ର ହେବ,” ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
EZE 22:17 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 22:18 “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି; ସେମାନେ ସମସ୍ତେ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି; ସେମାନେ ରୂପାର ଖାଦ ସ୍ୱରୂପ,
EZE 22:19 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୂଶାଲମ ମଧ୍ୟରେ ଏକତ୍ର କରିବା।
EZE 22:20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ ଓ ଲୁହା, ସୀସା ଓ ଦସ୍ତା ଏକତ୍ର କରି, ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି; ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେହି ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ତରଳାଇବା।
EZE 22:21 ହଁ, ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧରୂପ ଅଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହୁଁ ତୁମ୍ଭେମାନେ ତହିଁ ମଧ୍ୟରେ ତରଳି ଯିବ।
EZE 22:22 ଯେପରି ରୂପା ଉହ୍ମେଇ ମଧ୍ୟରେ ତରଳାଯାଏ, ସେହିପରି ତୁମ୍ଭେମାନେ ତହିଁ ମଧ୍ୟରେ ତରଳା ଯିବ; ତହିଁରେ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଯେ ଆପଣା କୋପ ଢାଳିଅଛୁ, ଏହା ତୁମ୍ଭେମାନେ ଜାଣିବ।”
EZE 22:23 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 22:24 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ତାହାକୁ କୁହ, ଯେଉଁ ଦେଶ ପରିଷ୍କୃତ ହୋଇ ନାହିଁ, କିଅବା କ୍ରୋଧର ଦିନରେ ଯହିଁ ଉପରେ ବୃଷ୍ଟି ହୋଇ ନାହିଁ, ତୁମ୍ଭେ ଏପରି ଦେଶ ଅଟ।
EZE 22:25 ତାହାର ଭବିଷ୍ୟଦ୍‍ବକ୍ତାମାନେ ତହିଁ ମଧ୍ୟରେ ଚକ୍ରାନ୍ତ କରନ୍ତି, ସେମାନେ ମୃଗୟା ବିଦାରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ପରି; ସେମାନେ ପ୍ରାଣୀମାନଙ୍କୁ ଗ୍ରାସ କରିଅଛନ୍ତି; ସେମାନେ ଧନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ତହିଁ ମଧ୍ୟରେ ଅନେକଙ୍କୁ ବିଧବା କରିଅଛନ୍ତି।
EZE 22:26 ତାହାର ଯାଜକମାନେ ଆମ୍ଭ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି ଓ ଆମ୍ଭର ପବିତ୍ର ବସ୍ତୁସବୁ ଅପବିତ୍ର କରିଅଛନ୍ତି; ସେମାନେ ପବିତ୍ର ଓ ସାମାନ୍ୟ ବିଷୟ ମଧ୍ୟରେ କିଛି ହିଁ ପ୍ରଭେଦ ରଖି ନାହାନ୍ତି, କିଅବା ଶୁଚି ଅଶୁଚି ମଧ୍ୟରେ ବିଶେଷ କରିବା ପାଇଁ ଲୋକମାନଙ୍କୁ ଶିଖାଇ ନାହାନ୍ତି, ପୁଣି, ଆମ୍ଭ ବିଶ୍ରାମ ଦିନ ପ୍ରତି ସେମାନଙ୍କ ଚକ୍ଷୁ ମୁଦ୍ରିତ କରିଅଛନ୍ତି, ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଅପବିତ୍ରୀକୃତ ହେଉଅଛୁ।
EZE 22:27 ତାହାର ଅଧିପତିମାନେ ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ ଓ ପ୍ରାଣୀମାନଙ୍କୁ ବିନାଶ କରିବା ପାଇଁ ମୃଗୟା ବିଦାରିବାକୁ ଉତ୍ସୁକ, କେନ୍ଦୁଆଗଣ ପରି ତହିଁ ମଧ୍ୟରେ ଅଛନ୍ତି।
EZE 22:28 ପୁଣି, ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଇ ଓ ସଦାପ୍ରଭୁ କହି ନ ଥିଲେ ହେଁ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହିଅଛନ୍ତି’ ବୋଲି ସେମାନଙ୍କ ନିକଟରେ ମିଥ୍ୟା ମନ୍ତ୍ର ପାଠ କରି ଅମିଶ୍ରିତ ମସଲାରେ ସେମାନଙ୍କ କାନ୍ଥ ଲେପନ କରିଅଛନ୍ତି।
EZE 22:29 ଦେଶସ୍ଥ ଲୋକମାନେ ଉପଦ୍ରବ କରିଅଛନ୍ତି ଓ ପରର ଦ୍ରବ୍ୟ ବଳପୂର୍ବକ ଅପହରଣ କରିଅଛନ୍ତି; ହଁ, ସେମାନେ ଦରିଦ୍ର ଓ ଦୀନହୀନକୁ କ୍ଳେଶ ଦେଇଅଛନ୍ତି ଓ ବିଦେଶୀ ପ୍ରତି ଅନ୍ୟାୟପୂର୍ବକ ଉପଦ୍ରବ କରିଅଛନ୍ତି।
EZE 22:30 ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
EZE 22:31 ଏହେତୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦେଇଅଛୁ; ଆମ୍ଭେ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ; ସେମାନଙ୍କ ନିଜ କାର୍ଯ୍ୟର ଫଳ ସେମାନଙ୍କର ମସ୍ତକରେ ବର୍ତ୍ତାଇଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 23:1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 23:2 “ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;
EZE 23:3 ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।
EZE 23:4 ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ବୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ବୁ); ସେମାନେ ଆମ୍ଭର ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ।
EZE 23:5 ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,
EZE 23:6 ସେମାନେ ନୀଳାମ୍ବର ପରିହିତ, ଦେଶାଧ୍ୟକ୍ଷ, ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ୱାରୋହୀ ଥିଲେ।
EZE 23:7 ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା।
EZE 23:8 ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।
EZE 23:9 ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍‍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ।
EZE 23:10 ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ।
EZE 23:11 ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା କ୍ରିୟା ଅପେକ୍ଷା ତାହାର ବେଶ୍ୟା କ୍ରିୟା ଅଧିକ ଥିଲା।
EZE 23:12 ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟନ୍ତ ସୁନ୍ଦର ବସ୍ତ୍ର ପରିହିତ, ଅଶ୍ୱାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ।
EZE 23:13 ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ।
EZE 23:14 ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍‍, କଲ୍‍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା,
EZE 23:15 ସେମାନଙ୍କ କଟିରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେମାନେ ସମସ୍ତେ ଦେଖିବାକୁ କଲ୍‍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ।
EZE 23:16 ପୁଣି, ସେ ସେମାନଙ୍କୁ ଦେଖିବାମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍‍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା।
EZE 23:17 ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମ ଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ୱାରା ତାହାକୁ ଅଶୁଚି କଲେ, ପୁଣି, ସେମାନଙ୍କ ଦ୍ୱାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା।
EZE 23:18 ଏହିରୂପେ ସେ ଆପଣା ବେଶ୍ୟା କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା; ତହୁଁ ଆମ୍ଭର ପ୍ରାଣ ଯେପରି ତାହାର ଭଗିନୀଠାରୁ ବିମୁଖ ହୋଇଥିଲା, ସେହିପରି ତାହାଠାରୁ ମଧ୍ୟ ବିମୁଖ ହେଲା।
EZE 23:19 ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା।
EZE 23:20 ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ୱଗଣର ପରି ରେତଃବିଶିଷ୍ଟ, ସେମାନଙ୍କ ଉପପତିମାନଙ୍କଠାରେ ସେ ଆସକ୍ତା ହେଲା।
EZE 23:21 ଏହି ପ୍ରକାରେ ମିସରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଟିପିଥିଲେ, ତୁମ୍ଭେ ଆପଣା ଯୌବନ କାଳର ସେହି ଲମ୍ପଟାଚରଣ ସ୍ମରଣ କରୁଅଛ।”
EZE 23:22 ଏନିମନ୍ତେ ହେ ଅହଲୀବା, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ତୁମ୍ଭର ସେହି ପ୍ରେମିକମାନଙ୍କୁ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଉଠାଇବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା;
EZE 23:23 ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍‍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେମାନେ ସମସ୍ତେ ମନୋହର ଯୁବା ଲୋକ। ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ୱାରୋହୀ।
EZE 23:24 ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।
EZE 23:25 ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ୱାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ୱାରା ଗ୍ରାସିତ ହେବେ।
EZE 23:26 ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ।
EZE 23:27 ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ।
EZE 23:28 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା;
EZE 23:29 ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା କ୍ରିୟା ପ୍ରକାଶିତ ହେବ।
EZE 23:30 ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।
EZE 23:31 ତୁମ୍ଭେ ଆପଣାର ଭଗିନୀର ପଥରେ ଗମନ କରିଅଛ; ଏଥିପାଇଁ ଆମ୍ଭେ ତାହାର ପାନପାତ୍ର ତୁମ୍ଭ ହସ୍ତରେ ଦେବା।
EZE 23:32 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆପଣା ଭଗିନୀର ପାତ୍ରରେ ପାନ କରିବ, ତାହା ଗଭୀର ଓ ବଡ଼; ତୁମ୍ଭେ ହାସ୍ୟ ଓ ଉପହାସର ବିଷୟ ହେବ; ସେହି ପାତ୍ର ବହୁତ ଧାରଣ କରେ।
EZE 23:33 ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ୱଂସରୂପ ପାତ୍ରରେ, ତୁମ୍ଭ ଭଗିନୀ ଶମରୀୟାର ପାତ୍ରରେ ପରିପୂର୍ଣ୍ଣ ହେବ।
EZE 23:34 ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ଡ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
EZE 23:35 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”
EZE 23:36 ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;
EZE 23:37 କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।
EZE 23:38 ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି।
EZE 23:39 କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି।
EZE 23:40 ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
EZE 23:41 ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ।
EZE 23:42 ଆଉ, ତାହା ସଙ୍ଗେ ନିଶ୍ଚିନ୍ତ ଲୋକସମୂହର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
EZE 23:43 ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ।
EZE 23:44 ପୁଣି, ଲୋକେ ଯେପରି ବେଶ୍ୟା ସହ ଶୟନ କରନ୍ତି, ସେହିପରି ସେମାନେ ତାହା ସହ ଶୟନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ସହ ଶୟନ କଲେ।
EZE 23:45 ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି।”
EZE 23:46 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଜନସମାଜ ଆଣିବା, ପୁଣି, ଏଣେତେଣେ ଟଳଟଳ ଓ ଲୁଟିତ ହେବା ପାଇଁ ସେମାନଙ୍କୁ ସମର୍ପଣ କରିବା।
EZE 23:47 ପୁଣି, ସେହି ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗରେ ବଧ କରିବେ; ସେମାନେ ସେମାନଙ୍କର ପୁତ୍ରକନ୍ୟାଗଣକୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ।
EZE 23:48 ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ।
EZE 23:49 ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ବନ୍ଧୀୟ ପାପସକଳର ଭାର ବୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”
EZE 24:1 ପୁନର୍ବାର ନବମ ବର୍ଷର ଦଶମ ମାସରେ, ମାସର ଦଶମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 24:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦିନର ନାମ, ଅର୍ଥାତ୍‍, ଆଜି ଦିନର ନାମ ଲେଖି ରଖ; ଆଜି ଦିନରେ ବାବିଲର ରାଜା ଯିରୂଶାଲମ ନିକଟବର୍ତ୍ତୀ ହେଲା।
EZE 24:3 ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହଣ୍ଡା ଚଢ଼ାଅ, ତାହା ଚଢ଼ାଅ ଓ ମଧ୍ୟ ତହିଁ ଭିତରେ ଜଳ ଢାଳିଦିଅ;
EZE 24:4 ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
EZE 24:5 ପଲ ମଧ୍ୟରୁ ଉତ୍ତମ ପଶୁ ନିଅ ଓ ହଣ୍ଡା ତଳେ ଅସ୍ଥିସବୁ ସଜାଅ; ତାହା ଉତ୍ତମ ରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।
EZE 24:6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେହି ରକ୍ତପୂର୍ଣ୍ଣା ନଗରୀ, ସେହି ହଣ୍ଡା, ଯହିଁର କଳଙ୍କ ତହିଁ ମଧ୍ୟରେ ଅଛି ଓ ଯହିଁର କଳଙ୍କ ତହିଁ ମଧ୍ୟରୁ ବାହାର ହୋଇ ନାହିଁ, ସେ ସନ୍ତାପର ପାତ୍ର! ତୁମ୍ଭେ ଖଣ୍ଡ ଖଣ୍ଡ କରି ତାହା ବାହାର କର; ତହିଁ ବିଷୟରେ ଗୁଲିବାଣ୍ଟ କରାଯାଇ ନାହିଁ।
EZE 24:7 କାରଣ ତାହାର ରକ୍ତ ତାହା ମଧ୍ୟରେ ଅଛି; ସେ ଶୁଷ୍କ ଶୈଳ ଉପରେ ତାହା ରଖିଲା; ସେ ଧୂଳିରେ ତାହା ଆଚ୍ଛାଦିତ କରିବା ପାଇଁ ଭୂମିରେ ତାହା ଢାଳିଲା ନାହିଁ;
EZE 24:8 ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।
EZE 24:9 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ରକ୍ତପୂର୍ଣ୍ଣା ନଗରୀ ସନ୍ତାପର ପାତ୍ର! ଆମ୍ଭେ ମଧ୍ୟ ରାଶି ବଡ଼ କରିବା।
EZE 24:10 କାଠ ଗଦା କର, ଅଗ୍ନି ଜ୍ୱଳାଅ, ମାଂସ ଉତ୍ତମ ରୂପେ ସିଦ୍ଧ କର, ଝୋଳ ବହଳ କର ଓ ଅସ୍ଥିସବୁ ଦଗ୍ଧ ହେଉ।
EZE 24:11 ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
EZE 24:12 ସେ ପରିଶ୍ରମ କରି କରି ଆପଣାକୁ କ୍ଳାନ୍ତ କରିଅଛି; ତଥାପି ତାହାର ମହାକଳଙ୍କ ତାହା ମଧ୍ୟରୁ ଯାଏ ନାହିଁ; ତାହାର କଳଙ୍କ ଅଗ୍ନି ଦ୍ୱାରା ଯାଏ ନାହିଁ।
EZE 24:13 ତୁମ୍ଭର ଅଶୌଚର ଲମ୍ପଟତା ଅଛି; ଆମ୍ଭେ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ, ଏଥିପାଇଁ ତୁମ୍ଭ ଉପରେ ଆମ୍ଭେ ଆପଣା କୋପ ଶାନ୍ତ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ଅଶୌଚରୁ ଆଉ ଶୁଚୀକୃତ ନୋହିବ।
EZE 24:14 ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ସିଦ୍ଧ ହେବ ଓ ଆମ୍ଭେ ଏହା ସାଧନ କରିବା; ଆମ୍ଭେ ଫେରିଯିବା ନାହିଁ, କିଅବା ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; ଅଥବା ଆମ୍ଭେ ଅନୁତାପ କରିବା ନାହିଁ; ତୁମ୍ଭର ଆଚରଣ ଅନୁସାରେ ଓ ତୁମ୍ଭର କ୍ରିୟାନୁସାରେ ସେମାନେ ତୁମ୍ଭର ବିଚାର କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 24:15 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 24:16 “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ତୁମ୍ଭ ନୟନର ପ୍ରୀତିପାତ୍ରକୁ ଏକ ଆଘାତରେ ହରଣ କରିବା; ତଥାପି ତୁମ୍ଭେ ବିଳାପ କି କ୍ରନ୍ଦନ କରିବ ନାହିଁ, କିଅବା ତୁମ୍ଭର ଚକ୍ଷୁରୁ ଲୋତକ ଧାର ବହିବ ନାହିଁ।
EZE 24:17 ଦୀର୍ଘ ନିଃଶ୍ୱାସ ଛାଡ଼, ମାତ୍ର ଉଚ୍ଚ କରି ନୁହେଁ; ମୃତ ଲୋକ ପାଇଁ ବିଳାପ କର ନାହିଁ, ଆପଣା ମସ୍ତକରେ ଶିରୋଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ, ପୁଣି, ଲୋକମାନଙ୍କର ରୁଟି ଖାଅ ନାହିଁ।”
EZE 24:18 ତହିଁରେ ମୁଁ ପ୍ରାତଃକାଳରେ ଲୋକମାନଙ୍କ ସଙ୍ଗେ କଥା କହିଲି; ପୁଣି, ସନ୍ଧ୍ୟା ବେଳେ ମୋର ଭାର୍ଯ୍ୟା ମଲା, ତହିଁରେ ପ୍ରାତଃକାଳରେ ମୁଁ ଆଜ୍ଞାନୁସାରେ କର୍ମ କଲି।
EZE 24:19 ତହୁଁ ଲୋକମାନେ ମୋତେ କହିଲେ, “ତୁମ୍ଭେ ଯେ ଏରୂପ କରୁଅଛ, ଏସବୁ ଆମ୍ଭମାନଙ୍କ ପ୍ରତି କଅଣ, ଏହା କି ଆମ୍ଭମାନଙ୍କୁ କହିବ ନାହିଁ?”
EZE 24:20 ତହିଁରେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 24:21 ‘ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭମାନଙ୍କର ବଳର ଦର୍ପ ସ୍ୱରୂପ, ତୁମ୍ଭମାନଙ୍କ ନୟନର ପ୍ରୀତିପାତ୍ର ଓ ତୁମ୍ଭମାନଙ୍କ ପ୍ରାଣର ସ୍ନେହପାତ୍ର, ଏପରି ଯେ ଆମ୍ଭର ଧର୍ମଧାମ, ଆମ୍ଭେ ତାହା ଅପବିତ୍ର କରିବା, ପୁଣି, ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣକୁ ତୁମ୍ଭେମାନେ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ୍ଗରେ ପତିତ ହେବେ।
EZE 24:22 ତହିଁରେ ଆମ୍ଭେ ଯେପରି କରିଅଛୁ, ତୁମ୍ଭେମାନେ ସେହିପରି କରିବ; ତୁମ୍ଭେମାନେ ଆପଣା ଆପଣା ଓଷ୍ଠାଧର ଆଚ୍ଛାଦନ କରିବ ନାହିଁ, କିଅବା ଲୋକମାନଙ୍କର ରୁଟି ଖାଇବ ନାହିଁ।
EZE 24:23 ପୁଣି, ତୁମ୍ଭମାନଙ୍କର ଶିରୋଭୂଷଣ ତୁମ୍ଭମାନଙ୍କ ମସ୍ତକରେ ଓ ତୁମ୍ଭମାନଙ୍କ ପାଦୁକା ତୁମ୍ଭମାନଙ୍କ ପାଦରେ ରହିବ; ତୁମ୍ଭେମାନେ ବିଳାପ କିମ୍ବା କ୍ରନ୍ଦନ କରିବ ନାହିଁ; ମାତ୍ର ତୁମ୍ଭେମାନେ ଆପଣା ଆପଣା ଅଧର୍ମରେ କ୍ଷୀଣ ହୋଇଯିବ ଓ ଏକ ଜଣ ଆରେକର ନିକଟରେ ବିଳାପ କରିବ।
EZE 24:24 ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବେ; ସେ ଯେପରି କରିଅଛନ୍ତି, ତୁମ୍ଭେମାନେ ସର୍ବପ୍ରକାରେ ସେହିପରି କରିବ; ଏହା ଯେତେବେଳେ ଘଟିବ, ସେତେବେଳେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’
EZE 24:25 ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଯେଉଁ ଦିନ ସେମାନଙ୍କର ବଳ, ସେମାନଙ୍କର ଗୌରବଜନକ ଆନନ୍ଦ, ସେମାନଙ୍କର ନୟନର ପ୍ରୀତିପାତ୍ର ଓ ଯହିଁରେ ସେମାନେ ଆପଣା ଚିତ୍ତ ଆସକ୍ତ କରନ୍ତି, ସେମାନଙ୍କର ପୁତ୍ର ଓ କନ୍ୟାଗଣ ସେମାନଙ୍କଠାରୁ ହରଣ କରିବା,
EZE 24:26 ସେ ଦିନ ତାହା ତୁମ୍ଭ କର୍ଣ୍ଣଗୋଚର କରାଇବା ନିମନ୍ତେ ପଳାତକ ଲୋକ କି ତୁମ୍ଭ ନିକଟକୁ ଆସିବ ନାହିଁ?
EZE 24:27 ସେ ଦିନ ପଳାତକ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ, ତହିଁରେ ତୁମ୍ଭେ ଆଉ ଘୁଙ୍ଗା ନ ହୋଇ କଥା କହିବ; ଏହିରୂପେ ତୁମ୍ଭେ ସେମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 25:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 25:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ପ୍ରତି ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
EZE 25:3 ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
EZE 25:4 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ।
EZE 25:5 ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 25:6 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି, ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ।
EZE 25:7 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟିତ ଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
EZE 25:8 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ,
EZE 25:9 ଏଥିପାଇଁ ଦେଖ, ଆମ୍ଭେ ନଗର ସମୂହଠାରୁ ମୋୟାବର ପାର୍ଶ୍ୱ ମୁକ୍ତ କରିବା, ଅର୍ଥାତ୍‍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ୱରୂପ ବେଥ୍-ଯିଶିମୋତ ବାଲ୍‍-ମୀୟୋନ୍‍ ଓ କିରୀୟାଥୟିମ୍‍ ପ୍ରତି,
EZE 25:10 ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି, ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
EZE 25:11 ଆମ୍ଭେ ମୋୟାବ ଉପରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 25:12 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,
EZE 25:13 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍‍ଠାରୁ ତାହା ଧ୍ୱଂସର ସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ୍ଗରେ ପତିତ ହେବେ।
EZE 25:14 ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ୱାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 25:15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି,
EZE 25:16 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ରତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା।
EZE 25:17 ପୁଣି, ଆମ୍ଭେ ପ୍ରଚଣ୍ଡ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେହି ସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 26:1 ଏଥିଉତ୍ତାରେ ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 26:2 “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର ସହର କହିଅଛି, ‘ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା;’
EZE 26:3 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ସମୁଦ୍ର ଯେପରି ତରଙ୍ଗ ଉଠାଏ, ସେହିପରି ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀଙ୍କୁ ଉଠାଇବା।
EZE 26:4 ତହିଁରେ ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ, ଆମ୍ଭେ ମଧ୍ୟ ତାହାର ଧୂଳିସବୁ ଚାଞ୍ଛି ପକାଇ ତାକୁ ଶୁଷ୍କ ଶୈଳ କରିବା।
EZE 26:5 ସେ ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ; ଆଉ, ସେ ଗୋଷ୍ଠୀୟମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ।
EZE 26:6 ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ୍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 26:7 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ୱ, ରଥ, ଅଶ୍ୱାରୋହୀଗଣ, ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା।
EZE 26:8 ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।
EZE 26:9 ପୁଣି, ସେ ତୁମ୍ଭ ପ୍ରାଚୀରରେ ଦୁର୍ଗଭେଦକ ଯନ୍ତ୍ର ସ୍ଥାପନ କରିବ ଓ ତାହାର ଅସ୍ତ୍ରଶସ୍ତ୍ର ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ।
EZE 26:10 ତାହାର ଅଶ୍ୱଗଣର ବାହୁଲ୍ୟ ସକାଶୁ ସେମାନଙ୍କର ଧୂଳି ତୁମ୍ଭକୁ ଆଚ୍ଛାଦନ କରିବ; ଲୋକେ ଭଗ୍ନ ପ୍ରାଚୀର ବିଶିଷ୍ଟ ନଗରରେ ପ୍ରବେଶ କଲା ପରି, ଯେତେବେଳେ ସେ ତୁମ୍ଭ ନଗର-ଦ୍ୱାରରେ ପ୍ରବେଶ କରିବ, ସେତେବେଳେ ଅଶ୍ୱାରୋହୀଗଣର, ଶଗଡ଼ ଓ ରଥସମୂହର ଶବ୍ଦରେ ତୁମ୍ଭର ପ୍ରାଚୀରସବୁ କମ୍ପି ଉଠିବ।
EZE 26:11 ସେ ଆପଣା ଅଶ୍ୱଗଣର ଖୁରାରେ ତୁମ୍ଭର ସଡ଼କସବୁ ଦଳି ପକାଇବ; ସେ ତୁମ୍ଭ ଲୋକମାନଙ୍କୁ ଖଡ୍ଗରେ ବଧ କରିବ ଓ ତୁମ୍ଭର ପରାକ୍ରମସୂଚକ ସ୍ତମ୍ଭସକଳ ଭୂମିସାତ୍‍ କରିବ।
EZE 26:12 ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।
EZE 26:13 ପୁଣି, ଆମ୍ଭେ ତୁମ୍ଭର ଗାୟନ ଶବ୍ଦ ନିବୃତ୍ତ କରାଇବା ଓ ତୁମ୍ଭ ବୀଣାର ଧ୍ୱନି ଆଉ ଶୁଣାଯିବ ନାହିଁ।
EZE 26:14 ପୁଣି, ଆମ୍ଭେ ତୁମ୍ଭକୁ ଶୁଷ୍କ ଶୈଳ କରିବା; ତୁମ୍ଭେ ଜାଲ ପ୍ରସାରିବାର ସ୍ଥାନ ହେବ; ତୁମ୍ଭେ ଆଉ ନିର୍ମିତ ନୋହିବ କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 26:15 ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ?
EZE 26:16 ସେତେବେଳେ ସମୁଦ୍ରର ଅଧିପତିସକଳ ଆପଣା ଆପଣା ସିଂହାସନରୁ ଓହ୍ଲାଇବେ ଓ ଆପଣା ଆପଣା ଚୋଗା ତ୍ୟାଗ କରି ଶିଳ୍ପକର୍ମର ବସ୍ତ୍ର ଫିଟାଇ ପକାଇବେ; ସେମାନେ ତ୍ରାସରୂପ ବସ୍ତ୍ର ପରିଧାନ କରିବେ; ସେମାନେ ଭୂମିରେ ବସିବେ ଓ ଅନୁକ୍ଷଣ ତ୍ରାସଯୁକ୍ତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ।
EZE 26:17 ପୁଣି, ସେମାନେ ତୁମ୍ଭ ବିଷୟରେ ବିଳାପ କରି ତୁମ୍ଭକୁ କହିବେ, ‘ହେ ସମୁଦ୍ର ବ୍ୟବସାୟୀମାନଙ୍କର ନିବାସଭୂମି ପ୍ରସିଦ୍ଧ ନଗରୀ, ତୁମ୍ଭେ କିପରି ବିନଷ୍ଟ ହୋଇଅଛ! ସେ ତ ସମୁଦ୍ରରେ ପରାକ୍ରାନ୍ତ ଥିଲା; ସେ ଓ ତାହାର ନିବାସୀଗଣ ସେଠାରେ ଗତାୟାତକାରୀ ସମସ୍ତଙ୍କ ପ୍ରତି ଭୟଜନକ ଥିଲେ।
EZE 26:18 ଏବେ ତୁମ୍ଭର ପତନ ଦିନରେ ଦ୍ୱୀପସମୂହ କମ୍ପମାନ ହେବେ; ହଁ, ତୁମ୍ଭ ପ୍ରସ୍ଥାନରେ ସମୁଦ୍ରବର୍ତ୍ତୀ ଦ୍ୱୀପସବୁ ବିହ୍ୱଳ ହେବେ।’
EZE 26:19 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସମୟରେ ଆମ୍ଭେ ତୁମ୍ଭକୁ ନିବାସୀବିହୀନ ନଗରସମୂହର ତୁଲ୍ୟ ଉଚ୍ଛିନ୍ନ-ନଗର କରିବା; ଯେଉଁ ସମୟରେ ଆମ୍ଭେ ଗଭୀର ସାଗରକୁ ତୁମ୍ଭ ଉପରକୁ ଆଣିବା ଓ ମହାଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ:
EZE 26:20 ସେହି ସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭର ବସତି ସ୍ଥାନ ରହିବ ନାହିଁ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା;
EZE 26:21 ଆମ୍ଭେ ତୁମ୍ଭକୁ ଭୟଙ୍କରୀ କରିବା, ତୁମ୍ଭେ ଆଉ ନ ଥିବ; ଯଦ୍ୟପି ତୁମ୍ଭର ଅନ୍ଵେଷଣ କରାଯିବ, ତଥାପି ତୁମ୍ଭର ଉଦ୍ଦେଶ୍ୟ ଆଉ କେବେ ମିଳିବ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 27:1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 27:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;
EZE 27:3 ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ ସ୍ଥାନ ନିବାସିନୀ; ଅନେକ ଦ୍ୱୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମସୁନ୍ଦରୀ,
EZE 27:4 ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।”
EZE 27:5 ସେମାନେ ସନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତା କାଠପଟା ସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି।
EZE 27:6 ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
EZE 27:7 ତୁମ୍ଭର ଧ୍ୱଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ୱୀପସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
EZE 27:8 ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
EZE 27:9 ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ।
EZE 27:10 ପାରସ୍ୟ, ଲୁଦ୍‍ ଓ ପୂଟ୍‍ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ।
EZE 27:11 ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମନ୍ତ ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଗାମ୍ମାଦୀୟମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ; ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି।
EZE 27:12 “ସବୁ ପ୍ରକାର ଧନର ବାହୁଲ୍ୟ ସକାଶୁ ତର୍ଶୀଶ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:13 ଯବନ, ତୁବଲ୍‍ ଓ ମେଶକ୍‍ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:14 ତୋଗର୍ମା ବଂଶୀୟ ଲୋକମାନେ ଅଶ୍ୱ, ଯୁଦ୍ଧାଶ୍ୱ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:15 ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ୱୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହାତୀର ଦନ୍ତ ଶୃଙ୍ଗ ଓ ଅବଲୁସ୍‍ କାଷ୍ଠ ଆଣିଲେ।
EZE 27:16 ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:17 ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:18 ସର୍ବପ୍ରକାର ଧନର ବାହୁଲ୍ୟ କ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ସକାଶୁ ଦମ୍ମେଶକ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍‍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ।
EZE 27:19 ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍‍ ଓ ସୁଗନ୍ଧି ବଚ ଥିଲା।
EZE 27:20 ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା।
EZE 27:21 ଆରବ ଓ କେଦାରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ।
EZE 27:22 ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।
EZE 27:23 ହାରଣ ଓ କନ୍ନୀ ଓ ଏଦନ, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍‍ ତୁମ୍ଭର ବ୍ୟବସାୟୀ ଥିଲେ।
EZE 27:24 ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ।
EZE 27:25 ତର୍ଶୀଶର ଜାହାଜସକଳ ତୁମ୍ଭର ବ୍ୟବସାୟକାରୀ ପଥିକ ସ୍ୱରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ୱିତା ଥିଲ।
EZE 27:26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି।
EZE 27:27 ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ।
EZE 27:28 ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ଉପନଗରସମୂହ କମ୍ପିତ ହେବେ।
EZE 27:29 ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଲାଇ ଆସି ସ୍ଥଳରେ ଠିଆ ହେବେ,
EZE 27:30 ପୁଣି, ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;
EZE 27:31 ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ଡନ କରି କଟିଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ।
EZE 27:32 ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ‘ସୋର ପରି, ଯେ ସମୁଦ୍ର ମଧ୍ୟସ୍ଥାନରେ ନିସ୍ତବ୍ଧା ହେଲା, ତାହା ପରି କିଏ ଅଛି?
EZE 27:33 ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରିଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲ; ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜାଗଣକୁ ଧନୀ କଲ।
EZE 27:34 ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
EZE 27:35 ଦ୍ୱୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜାଗଣ ଅତ୍ୟନ୍ତ ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷଣ୍ଣ ହୋଇଅଛି।
EZE 27:36 ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍‍ ଶବ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି, ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ।’”
EZE 28:1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 28:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋରର ଅଧିପତିକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି ଓ ତୁମ୍ଭେ କହିଅଛ, ‘ମୁଁ ଈଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ଈଶ୍ୱରଙ୍କ ଆସନରେ ବସିଅଛି,’ ମାତ୍ର ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିଲେ ହେଁ ତୁମ୍ଭେ ତ ଈଶ୍ୱର ନୁହଁ, ମନୁଷ୍ୟ ମାତ୍ର ଅଟ।
EZE 28:3 ଦେଖ, ତୁମ୍ଭେ ଦାନିୟେଲ ଅପେକ୍ଷା ଜ୍ଞାନୀ; କୌଣସି ନିଗୂଢ଼ କଥା ଲୋକମାନେ ତୁମ୍ଭଠାରୁ ଗୋପନ କରି ନ ପାରନ୍ତି:
EZE 28:4 ତୁମ୍ଭେ ଆପଣା ଜ୍ଞାନ ଓ ବୁଦ୍ଧି ଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ;
EZE 28:5 ତୁମ୍ଭେ ଆପଣାର ମହା ଜ୍ଞାନ ଦ୍ୱାରା ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇଅଛ, ଆଉ ତୁମ୍ଭର ଧନ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।
EZE 28:6 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିବା ସକାଶୁ,
EZE 28:7 ଦେଖ, ଆମ୍ଭେ ବିଦେଶୀୟମାନଙ୍କୁ, ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା; ତହିଁରେ ସେମାନେ ତୁମ୍ଭର ଜ୍ଞାନରୂପ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରିବେ ଓ ତୁମ୍ଭର ଶୋଭା ଭ୍ରଷ୍ଟ କରିବେ।
EZE 28:8 ସେମାନେ ତୁମ୍ଭକୁ ଗର୍ତ୍ତକୁ ଓହ୍ଲାଇ ଆଣିବେ ଓ ତୁମ୍ଭେ ସମୁଦ୍ରମାନଙ୍କର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ୍ୟୁୁ ତୁଲ୍ୟ ମୃତ୍ୟୁୁଭୋଗ କରିବ।
EZE 28:9 ତଥାପି ତୁମ୍ଭେ କି ଆପଣା ବଧକାରୀର ସାକ୍ଷାତରେ କହିବ, ‘ମୁଁ ଈଶ୍ୱର?’ ମାତ୍ର ତୁମ୍ଭେ ତ ଆପଣା ଆଘାତକାରୀର ହସ୍ତରେ ମନୁଷ୍ୟ ମାତ୍ର ଅଟ, ଈଶ୍ୱର ନୁହଁ।
EZE 28:10 ତୁମ୍ଭେ ବିଦେଶୀୟମାନଙ୍କ ହସ୍ତରେ ଅସୁନ୍ନତ ଲୋକମାନଙ୍କ ତୁଲ୍ୟ ମରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 28:11 ଆହୁରି ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 28:12 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋରର ରାଜା ବିଷୟରେ ବିଳାପ କର ଓ ତାହାକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି। ତୁମ୍ଭେ ଜ୍ଞାନରେ ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟରେ ସିଦ୍ଧ, ଉଭୟର ମୁଦ୍ରାଙ୍କ କରୁଅଛ।
EZE 28:13 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ; ଚୁଣୀ, ପୀତମଣି ଓ ହୀରକ, ବୈଦୁର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମ୍ଭର ଆଚ୍ଛାଦନ ଥିଲା; ତୁମ୍ଭର ତବଲ ଓ ବଂଶୀର ଶିଳ୍ପକାର୍ଯ୍ୟ ତୁମ୍ଭ ମଧ୍ୟରେ ଥିଲା; ତୁମ୍ଭେ ସୃଷ୍ଟ ହେବା ଦିନ ସେହି ସବୁ ପ୍ରସ୍ତୁତ ହୋଇଥିଲା।
EZE 28:14 ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ; ପୁଣି, ଆମ୍ଭେ ତୁମ୍ଭକୁ ସ୍ଥାପନ କଲୁ, ତହିଁରେ ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ଥିଲ; ତୁମ୍ଭେ ଅଗ୍ନିମୟ ପ୍ରସ୍ତରସକଳର ମଧ୍ୟରେ ଗମନାଗମନ କଲ।
EZE 28:15 ତୁମ୍ଭ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ।
EZE 28:16 ତୁମ୍ଭ ବାଣିଜ୍ୟର ବାହୁଲ୍ୟରେ ସେମାନେ ତୁମ୍ଭ ଆଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ କଲେ, ଆଉ ତୁମ୍ଭେ ପାପ କରିଅଛ; ଏଥିପାଇଁ ଆମ୍ଭେ ଅଶୁଚି ବସ୍ତୁ ତୁଲ୍ୟ ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛୁ; ଆଉ ହେ ଆଚ୍ଛାଦନକାରୀ କିରୂବ, ଅଗ୍ନିମୟ ପ୍ରସ୍ତରସକଳର ମଧ୍ୟରୁ ଆମ୍ଭେ ତୁମ୍ଭକୁ ବିନାଶ କରିଅଛୁ।
EZE 28:17 ତୁମ୍ଭର ସୌନ୍ଦର୍ଯ୍ୟ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ ଆପଣାର ଶୋଭା ସକାଶୁ ନିଜ ଜ୍ଞାନ ଭ୍ରଷ୍ଟ କରିଅଛ; ଆମ୍ଭେ ତୁମ୍ଭକୁ ଭୂମିରେ ନିକ୍ଷେପ କରିଅଛୁ, ରାଜାମାନେ ଯେପରି ତୁମ୍ଭକୁ ଦେଖିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସମ୍ମୁଖରେ ତୁମ୍ଭକୁ ରଖିଅଛୁ।
EZE 28:18 ତୁମ୍ଭେ ଆପଣାର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ଆପଣାର ପବିତ୍ର ସ୍ଥାନସକଳ ଅପବିତ୍ର କରିଅଛ; ଏଥିପାଇଁ ଆମ୍ଭେ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କରି ଆଣିଅଛୁ, ତାହା ତୁମ୍ଭକୁ ଗ୍ରାସ କରିଅଛି, ପୁଣି, ଆମ୍ଭେ ତୁମ୍ଭକୁ ଦର୍ଶନକାରୀ ସକଳର ସାକ୍ଷାତରେ ଭୂମିରେ ଭସ୍ମ କରିଅଛୁ।
EZE 28:19 ଗୋଷ୍ଠୀଗଣ ମଧ୍ୟରେ ଯେଉଁମାନେ ତୁମ୍ଭକୁ ଜାଣନ୍ତି, ସେମାନେ ସମସ୍ତେ ତୁମ୍ଭ ବିଷୟରେ ବିସ୍ମୟାପନ୍ନ ହେବେ; ତୁମ୍ଭେ ଭୟଙ୍କର ହୋଇଅଛ ଓ ତୁମ୍ଭେ ଆଉ କେବେ ନ ଥିବ।”
EZE 28:20 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
EZE 28:21 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୀଦୋନ ପ୍ରତି ଆପଣା ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
EZE 28:22 ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୀଦୋନ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ଗୌରବାନ୍ୱିତ ହେବା; ପୁଣି, ଆମ୍ଭେ ଯେତେବେଳେ ନଗର ମଧ୍ୟରେ ଦଣ୍ଡାଜ୍ଞା ସଫଳ କରିବା ଓ ତହିଁ ମଧ୍ୟରେ ପବିତ୍ର ରୂପେ ପ୍ରତିଷ୍ଠିତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଲୋକମାନେ ଜାଣିବେ।
EZE 28:23 କାରଣ ଆମ୍ଭେ ନଗର ମଧ୍ୟକୁ ମହାମାରୀ ଓ ତାହାର ସମସ୍ତ ଛକକୁ ରକ୍ତ ପଠାଇବା; ପୁଣି, ତାହାର ଚତୁର୍ଦ୍ଦିଗସ୍ଥିତ ଖଡ୍ଗ ଦ୍ୱାରା ଆହତ ଲୋକମାନେ ତାହା ମଧ୍ୟରେ ପତିତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଲୋକମାନେ ଜାଣିବେ।
EZE 28:24 ପୁଣି, ଇସ୍ରାଏଲ ବଂଶର ଚତୁର୍ଦ୍ଦିଗସ୍ଥିତ ଯେଉଁ ଲୋକମାନେ ସେମାନଙ୍କୁ ଅବଜ୍ଞା କଲେ, ସେମାନଙ୍କ ମଧ୍ୟରୁ କୌଣସି ଲୋକ ସେମାନଙ୍କର ଶୂଳଜନକ କାନକୋଳି କଣ୍ଟା ଅଥବା ବ୍ୟଥାଦାୟକ କଣ୍ଟକ ଆଉ ନୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 28:25 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଯେତେବେଳେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା ଓ ନାନା ଦେଶୀୟମାନଙ୍କ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ପ୍ରତିପନ୍ନ ହେବା, ସେତେବେଳେ ଆମ୍ଭେ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲୁ, ସେମାନେ ଆପଣାମାନଙ୍କର ସେହି ଦେଶରେ ବାସ କରିବେ।
EZE 28:26 ପୁଣି, ସେମାନେ ତହିଁ ମଧ୍ୟରେ ନିରାପଦରେ ବାସ କରିବେ; ହଁ, ଆମ୍ଭେ ସେମାନଙ୍କର ଅବଜ୍ଞାକାରୀ ଚତୁର୍ଦ୍ଦିଗସ୍ଥିତ ସକଳ ଲୋକଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲା ଉତ୍ତାରେ ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ଆଉ ନିରାପଦରେ ବାସ କରିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଏହା ସେମାନେ ଜାଣିବେ।”
EZE 29:1 ଦଶମ ବର୍ଷର ଦଶମ ମାସ, ମାସର ଦ୍ୱାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 29:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି, ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
EZE 29:3 ଏହି କଥା କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ମିସରର ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ କୁମ୍ଭୀର, ତୁମ୍ଭେ କହିଅଛ, ‘ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି।’
EZE 29:4 ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା।
EZE 29:5 ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ିଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କିମ୍ବା ସଞ୍ଚିତ ହେବ ନାହିଁ; ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ।
EZE 29:6 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ। କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି।
EZE 29:7 ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।
EZE 29:8 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ୍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା।
EZE 29:9 ପୁଣି, ମିସର ଦେଶ ଧ୍ୱଂସିତ ଓ ଶୂନ୍ୟସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’
EZE 29:10 ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି, ଆମ୍ଭେ ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପୁଣି କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତାନ୍ତ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବା।
EZE 29:11 କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି ସ୍ଥାନ ନୋହିବ।
EZE 29:12 ପୁଣି, ଆମ୍ଭେ ମିସର ଦେଶକୁ ଧ୍ୱଂସିତ ଦେଶସମୂହର ମଧ୍ୟରେ ଧ୍ୱଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ୱଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
EZE 29:13 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ମିସରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା;
EZE 29:14 ଆଉ, ଆମ୍ଭେ ମିସରର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମସ୍ଥାନ ପଥ୍ରୋଷ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି, ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ।
EZE 29:15 ନାନା ରାଜ୍ୟ ମଧ୍ୟରେ ତାହା ନୀଚତମ ହେବ ଓ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ୱ କରିବେ ନାହିଁ।
EZE 29:16 ଆଉ, ଇସ୍ରାଏଲ ବଂଶ ମିସରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ୱାସଭୂମି ଆଉ ହେବ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 29:17 ଏଥିଉତ୍ତାରେ ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 29:18 “ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍‍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମନ୍ତ ସୋରଠାରୁ କିଛି ବେତନ ପାଇଲେ ନାହିଁ;
EZE 29:19 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ମିସର ଦେଶ ଦେବା; ତହିଁରେ ସେ ତାହାର ମହାଜନତାକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି, ଏହା ତାହାର ସୈନ୍ୟସାମନ୍ତର ବେତନ ହେବ।
EZE 29:20 ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 29:21 ସେହି ଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 30:1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 30:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେହି ଦିନ!
EZE 30:3 କାରଣ ସେହି ଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେହି ଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟଦେଶୀୟମାନଙ୍କର କାଳ ହେବ।
EZE 30:4 ପୁଣି, ମିସର ବିରୁଦ୍ଧରେ ଖଡ୍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଧନସମ୍ପତ୍ତି ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ।
EZE 30:5 କୂଶ ଓ ପୂଟ୍‍ ଓ ଲୁଦ୍‍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି, କୂବ୍‍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ୍ଗରେ ପତିତ ହେବେ।
EZE 30:6 ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପର୍ଯ୍ୟନ୍ତ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ୍ଗ ଦ୍ୱାରା ପତିତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 30:7 ପୁଣି, ସେମାନେ ଧ୍ୱଂସିତ ନଗରସମୂହ ମଧ୍ୟରେ ଧ୍ୱଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ।
EZE 30:8 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 30:9 ସେହି ଦିନ ନିଶ୍ଚିନ୍ତ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେହିପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି।
EZE 30:10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ମିସରର ଲୋକସମୂହ ଶେଷ କରିବା।
EZE 30:11 ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ।
EZE 30:12 ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା; ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ୱାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
EZE 30:13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି, ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା।
EZE 30:14 ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ୱଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବା।
EZE 30:15 ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଓ ଆମ୍ଭେ ନୋ-ନଗରର ଲୋକସମୂହକୁ ଉଚ୍ଛିନ୍ନ କରିବା।
EZE 30:16 ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ।
EZE 30:17 ଓନ୍‍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।
EZE 30:18 ଆମ୍ଭେ ଯେତେବେଳେ ତଫନ୍‍ହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ଯିବେ।
EZE 30:19 ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 30:20 ଏଥିଉତ୍ତାରେ ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 30:21 “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ୍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ୱାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ।
EZE 30:22 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଓ ଆମ୍ଭେ ତାହାର ହସ୍ତରୁ ଖଡ୍ଗ ଖସାଇ ପକାଇବା।
EZE 30:23 ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସରୀୟମାନଙ୍କୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
EZE 30:24 ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ୍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ।
EZE 30:25 ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ୱୟ ଟେକି ଧରିବା ଓ ଫାରୋର ବାହୁଦ୍ୱୟ ତଳକୁ ଓହଳି ପଡ଼ିବ; ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ୍ଗ ଦେବା ଓ ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 30:26 ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 31:1 ଏଥିଉତ୍ତାରେ ଏକାଦଶ ବର୍ଷର ତୃତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 31:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ କୁହ; ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ?
EZE 31:3 ଦେଖ, ଅଶୂର ଲିବାନୋନସ୍ଥ ଏରସ ବୃକ୍ଷ ସ୍ୱରୂପ ଥିଲା, ତାହାର ସୁନ୍ଦର ଘନଚ୍ଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା।
EZE 31:4 ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା।
EZE 31:5 ଏସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେହି ସବୁ ଦୀର୍ଘ ହେଲା।
EZE 31:6 ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
EZE 31:7 ଏହି ପ୍ରକାରେ ସେ ଆପଣା ମହତ୍ତ୍ୱରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
EZE 31:8 ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍‍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା।
EZE 31:9 ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ୱାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ।
EZE 31:10 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
EZE 31:11 ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ।
EZE 31:12 ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି।
EZE 31:13 ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;
EZE 31:14 ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେମାନେ ସମସ୍ତେ ମୃତ୍ୟୁୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି।
EZE 31:15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ।
EZE 31:16 ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍‍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ।
EZE 31:17 ସେମାନେ ହିଁ ତାହା ସହିତ ପାତାଳକୁ, ଖଡ୍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ୱରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ।
EZE 31:18 ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ୍ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାହାର ସମସ୍ତ ଲୋକ ଏପରି ଅଟନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 32:1 ଏଥିଉତ୍ତାରେ ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 32:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମ୍ଭେ ଜଳଚର କୁମ୍ଭୀର ସଦୃଶ ଅଟ; ପୁଣି, ତୁମ୍ଭେ ଆପଣା ନଦୀସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ହଲାଇ ସେମାନଙ୍କର ନଦୀସମୂହକୁ ଗୋଳିଆ କରିଅଛ।
EZE 32:3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
EZE 32:4 ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ିଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା।
EZE 32:5 ଆମ୍ଭେ ପର୍ବତଗଣର ଉପରେ ତୁମ୍ଭର ମାଂସ ପକାଇବା ଓ ତୁମ୍ଭର ଦୀର୍ଘ ଶବରେ ଉପତ୍ୟକାସକଳ ପୂର୍ଣ୍ଣ କରିବା।
EZE 32:6 ଆହୁରି, ତୁମ୍ଭେ ଯେଉଁ ଦେଶରେ ପହଁରୁଅଛ, ସେହି ଦେଶକୁ ପର୍ବତ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭ ରକ୍ତରେ ସିକ୍ତ କରିବା ଓ ଜଳପ୍ରଣାଳୀସକଳ ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
EZE 32:7 ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା; ଆମ୍ଭେ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବା ଓ ଚନ୍ଦ୍ର ଆପଣାର ଜ୍ୟୋତ୍ସ୍ନା ଦେବ ନାହିଁ।
EZE 32:8 ଆକାଶର ସକଳ ଉଜ୍ଜ୍ୱଳ ଜ୍ୟୋତିକୁ ଆମ୍ଭେ ତୁମ୍ଭ ଉପରେ ଅନ୍ଧକାରମୟ କରିବା ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ସ୍ଥାପନ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 32:9 ଆହୁରି ଆମ୍ଭେ ତୁମ୍ଭର ଅଜ୍ଞାତ ଦେଶସମୂହ ପର୍ଯ୍ୟନ୍ତ ନାନା ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟ ବ୍ୟସ୍ତ କରିବା।
EZE 32:10 ହଁ, ଆମ୍ଭେ ଅନେକ ଗୋଷ୍ଠୀକୁ ତୁମ୍ଭର ବିଷୟରେ ଚମତ୍କୃତ କରାଇବା, ଆଉ ସେମାନଙ୍କ ରାଜାଗଣର ସାକ୍ଷାତରେ ଆମ୍ଭେ ଆପଣା ଖଡ୍ଗ ଚଳାଇବା ବେଳେ ସେମାନେ ଅତିଶୟ ଭୀତ ହେବେ; ଆଉ, ତୁମ୍ଭର ପତନ ଦିନ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରାଣ ବିଷୟରେ ଭୟରେ କମ୍ପିତ ହେବେ।
EZE 32:11 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।
EZE 32:12 ଆମ୍ଭେ ତୁମ୍ଭର ଲୋକ ସମସ୍ତଙ୍କୁ ବୀରଗଣର ଖଡ୍ଗ ଦ୍ୱାରା ନିପାତ କରିବା; ସେମାନେ ସମସ୍ତେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଅଟନ୍ତି; ଆଉ, ସେମାନେ ମିସରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁର ଲୋକ ସମସ୍ତେ ବିନଷ୍ଟ ହେବେ।
EZE 32:13 ଆହୁରି, ଆମ୍ଭେ ଅପାର ଜଳ ନିକଟରୁ ତହିଁର ସମସ୍ତ ପଶୁ ବିନାଶ କରିବା; ତହିଁରେ ମନୁଷ୍ୟର ଚରଣ ତାହା ଆଉ ହଲାଇବ ନାହିଁ, ଅବା ପଶୁଗଣର ଖୁରା ତାହା ଚହଲାଇବ ନାହିଁ।
EZE 32:14 ସେତେବେଳେ ଆମ୍ଭେ ସେମାନଙ୍କର ଜଳ ନିର୍ମଳ କରିବା ଓ ସେମାନଙ୍କର ନଦୀସମୂହକୁ ତୈଳ ପରି ବହାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 32:15 ଯେତେବେଳେ ଆମ୍ଭେ ମିସର ଦେଶକୁ ଧ୍ୱଂସସ୍ଥାନ ଓ ଶୂନ୍ୟ କରିବା, ଯହିଁରେ ସେ ପରିପୂର୍ଣ୍ଣ ହୋଇଥିଲା, ସେହି ସବୁ ତହିଁରୁ ରହିତ କରିବା, ଯେତେବେଳେ ଆମ୍ଭେ ତନ୍ନିବାସୀ ସମସ୍ତଙ୍କୁ ଆଘାତ କରିବା, ସେତେବେଳେ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 32:16 ଏହି ବିଳାପ ଗୀତ ଲୋକେ ଗାନ କରିବେ; ଗୋଷ୍ଠୀୟମାନଙ୍କର କନ୍ୟାଗଣ ବିଳାପ କରି ଏହା ଗାନ କରିବେ; ମିସରର ଉଦ୍ଦେଶ୍ୟରେ ଓ ତାହାର ସକଳ ଲୋକସମୂହର ଉଦ୍ଦେଶ୍ୟରେ ବିଳାପ କରି ଗାନ କରିବେ ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 32:17 ଦ୍ୱାଦଶ ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
EZE 32:18 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକମାନଙ୍କ ବିଷୟରେ ହାହାକାର କର, ପୁଣି, ସେମାନଙ୍କୁ, ଅର୍ଥାତ୍‍, ତାହାକୁ ଓ ବିଖ୍ୟାତ ଗୋଷ୍ଠୀୟମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧୋଭୁବନରେ ପକାଇଦିଅ।
EZE 32:19 ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର।
EZE 32:20 ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସେ ଖଡ୍ଗରେ ସମର୍ପିତ ହୋଇଅଛି; ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଟାଣି ନିଅ।
EZE 32:21 ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ; ସେମାନେ, ଅର୍ଥାତ୍‍, ଖଡ୍ଗ ଦ୍ୱାରା ହତ ଅସୁନ୍ନତ ଲୋକମାନେ ଓହ୍ଲାଇ ଯାଇଅଛନ୍ତି; ସେମାନେ ସ୍ଥିର ହୋଇ ଶୟନ କରନ୍ତି।
EZE 32:22 ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି; ତାହାର କବରସକଳ ତାହାର ଚତୁର୍ଦ୍ଦିଗରେ ଅଛି; ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି;
EZE 32:23 ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି।
EZE 32:24 ସେହି ସ୍ଥାନରେ ଏଲମ୍‍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି।
EZE 32:25 ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହୋଇଅଛନ୍ତି; କାରଣ ସେମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ, ଏବେ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରିଅଛନ୍ତି; ସେ ହତ ଲୋକମାନଙ୍କ ମଧ୍ୟରେ ରଖାଯାଇଅଛି।
EZE 32:26 ସେହି ସ୍ଥାନରେ ମେଶକ୍‍, ତୁବଲ୍‍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ୍ଗ ଦ୍ୱାରା ପତିତ ହେଲେ; କାରଣ ସେମାନେ ଜୀବିତ ଲୋକମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ।
EZE 32:27 ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ୍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ।
EZE 32:28 ମାତ୍ର ତୁମ୍ଭେ ଅସୁନ୍ନତମାନଙ୍କ ମଧ୍ୟରେ ଭଗ୍ନ ହେବ ଓ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରିବ।
EZE 32:29 ସେହି ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିସକଳ ଅଛନ୍ତି, ସେମାନେ ଆପଣାମାନଙ୍କର ପରାକ୍ରମରେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ରଖା ଯାଇଅଛନ୍ତି; ସେମାନେ ଅସୁନ୍ନତ ଲୋକମାନଙ୍କ ଓ ଗର୍ତ୍ତଗାମୀମାନଙ୍କ ସହିତ ଶୟନ କରିବେ।
EZE 32:30 ସେହି ସ୍ଥାନରେ ଉତ୍ତର ଦେଶୀୟ ଅଧିପତିମାନେ, ସେମାନଙ୍କର ସମସ୍ତେ ଓ ଯାବତୀୟ ସୀଦୋନୀୟ ଲୋକ ଅଛନ୍ତି, ସେମାନେ ହତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି; ସେମାନେ ଆପଣାମାନଙ୍କର ପରାକ୍ରମ ଦ୍ୱାରା ଯେଉଁ ଭୟ ଜନ୍ମାଇଲେ, ତହିଁ ବିଷୟରେ ଲଜ୍ଜିତ ହୋଇଅଛନ୍ତି; ଆଉ, ଅସୁନ୍ନତ ଅବସ୍ଥାରେ ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରନ୍ତି।
EZE 32:31 ଫାରୋ ସେମାନଙ୍କୁ ଦେଖିବ ଓ ଆପଣାର ଲୋକସମୂହ ସମସ୍ତର ବିଷୟରେ ସାନ୍ତ୍ୱନା ପାଇବ; ହଁ, ଫାରୋ ଓ ତାହାର ସମସ୍ତ ସୈନ୍ୟ ଖଡ୍ଗ ଦ୍ୱାରା ହତ ହୋଇଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 32:32 କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ; ଆଉ ସେ, ଅର୍ଥାତ୍‍, ଫାରୋ ଓ ତାହାର ଲୋକସମୂହ ସମସ୍ତେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 33:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 33:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକମାନଙ୍କର ସନ୍ତାନଗଣକୁ କୁହ ଓ ସେମାନଙ୍କୁ କୁହ, ଆମ୍ଭେ କୌଣସି ଦେଶ ବିରୁଦ୍ଧରେ ଖଡ୍ଗ ଆଣିଲେ, ସେ ଦେଶର ଲୋକମାନେ ଯଦି ଆପଣାମାନଙ୍କ ମଧ୍ୟରୁ କୌଣସି ଏକ ବ୍ୟକ୍ତିକୁ ନେଇ ତାହାକୁ ଆପଣାମାନଙ୍କର ପ୍ରହରୀ କରି ନିଯୁକ୍ତ କରନ୍ତି;
EZE 33:3 ସେହି ବ୍ୟକ୍ତି ଦେଶ ବିରୁଦ୍ଧରେ ଖଡ୍ଗ ଆସିବାର ଦେଖିଲେ, ଯଦି ତୂରୀ ବଜାଏ ଓ ଲୋକମାନଙ୍କୁ ସଚେତନ କରାଏ;
EZE 33:4 ତେବେ ଯେକେହି ତହିଁରେ ତୂରୀର ଶବ୍ଦ ଶୁଣି ସଚେତନ ନ ହୁଏ, ପୁଣି, ଖଡ୍ଗ ଉପସ୍ଥିତ ହୋଇ ତାହାକୁ ସଂହାର କରେ, ତେବେ ତାହାର ରକ୍ତ ତାହାର ନିଜ ମସ୍ତକରେ ବର୍ତ୍ତିବ।
EZE 33:5 ସେ ତୂରୀର ଶବ୍ଦ ଶୁଣି ସଚେତନ ହେଲା ନାହିଁ; ତାହାର ରକ୍ତ ତାହାରି ଉପରେ ବର୍ତ୍ତିବ; ଯେହେତୁ ସେ ସଚେତନ ହୋଇଥିଲେ, ଆପଣା ପ୍ରାଣ ବଞ୍ଚାଇ ଥାʼନ୍ତା।
EZE 33:6 ମାତ୍ର ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ, ପୁଣି, ଲୋକମାନେ ସଚେତନ ନ ହୁଅନ୍ତି, ଆଉ ଖଡ୍ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ସଂହାର କରେ; ତେବେ ସେ ନିଜ ଅଧର୍ମରେ ସଂହାରିତ ହେଲା, ମାତ୍ର ଆମ୍ଭେ ତାହାର ରକ୍ତର ପରିଶୋଧ ସେହି ପ୍ରହରୀର ହସ୍ତରୁ ନେବା।
EZE 33:7 ଏହିରୂପେ ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ତୁମ୍ଭେ ଆମ୍ଭ ମୁଖରୁ ବାକ୍ୟ ଶୁଣି ଆମ୍ଭ ପକ୍ଷରୁ ସେମାନଙ୍କୁ ସଚେତନ କର।
EZE 33:8 ଆମ୍ଭେ ଯେତେବେଳେ ଦୁଷ୍ଟକୁ କହୁ, ‘ହେ ଦୁଷ୍ଟ ଲୋକ, ତୁମ୍ଭେ ନିଶ୍ଚୟ ମରିବ,’ ସେତେବେଳେ ତୁମ୍ଭେ ତାହାର ପଥ ବିଷୟରେ ସେହି ଦୁଷ୍ଟ ଲୋକକୁ ସଚେତନ କରିବା ପାଇଁ ଯଦି କିଛି ନ କୁହ; ତେବେ ସେହି ଦୁଷ୍ଟ ନିଜ ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପରିଶୋଧ ନେବା।
EZE 33:9 ତଥାପି ତୁମ୍ଭେ ସେହି ଦୁଷ୍ଟକୁ ତାହାର ପଥରୁ ଫେରିବା ନିମନ୍ତେ ତଦ୍‍ବିଷୟରେ ସଚେତନ କଲେ, ଯଦି ସେ ନ ଫେରେ, ତେବେ ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ବଞ୍ଚାଇବ।
EZE 33:10 ଆଉ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶକୁ କୁହ; ତୁମ୍ଭେମାନେ ଏପ୍ରକାର କହୁଅଛ, ‘ଆମ୍ଭମାନଙ୍କର ଆଜ୍ଞାଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ତହିଁରେ ହିଁ କ୍ଷୟ ପାଉଅଛୁ; ତେବେ ଆମ୍ଭେମାନେ କିପରି କରି ବଞ୍ଚିବା?’
EZE 33:11 ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ, ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି; ତୁମ୍ଭେମାନେ ଫେର, ଆପଣା ଆପଣା କୁପଥରୁ ଫେର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?
EZE 33:12 ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞାଲଙ୍ଘନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେହି ଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେହି ଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ।
EZE 33:13 ସେ ଅବଶ୍ୟ ବଞ୍ଚିବ, ଏହି କଥା ଆମ୍ଭେ ଧାର୍ମିକକୁ କହିଲେ, ସେ ଯଦି ଆପଣା ଧର୍ମରେ ନିର୍ଭର ରଖି ଅଧର୍ମ କରେ, ତେବେ ତାହାର କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ, ମାତ୍ର ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ସେ ମରିବ।
EZE 33:14 ପୁନଶ୍ଚ ତୁମ୍ଭେ ଅବଶ୍ୟ ମରିବ, ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯଦି ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ;
EZE 33:15 ସେହି ଦୁଷ୍ଟ ଲୋକ ଯଦି ବନ୍ଧକି ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନ କରି ଜୀବନଦାୟକ ବିଧିରୂପ ପଥରେ ଚାଲେ; ତେବେ ସେ ଅବଶ୍ୟ ବଞ୍ଚିବ, ସେ ମରିବ ନାହିଁ।
EZE 33:16 ତାହାର କୃତ କୌଣସି ପାପ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ନ୍ୟାୟ ଓ ଧର୍ମାଚରଣ କରିଅଛି; ସେ ଅବଶ୍ୟ ବଞ୍ଚିବ।
EZE 33:17 ତଥାପି ତୁମ୍ଭ ଲୋକଙ୍କର ସନ୍ତାନଗଣ କହୁଅଛନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ; ମାତ୍ର ପ୍ରକୃତରେ ସେମାନଙ୍କର ପଥ ସରଳ ନୁହେଁ।
EZE 33:18 ଧାର୍ମିକ ଲୋକ ଆପଣା ଧାର୍ମିକତାରୁ ଫେରି ଅଧର୍ମ କଲେ, ସେ ତହିଁରେ ହିଁ ମରିବ।
EZE 33:19 ପୁଣି, ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କଲେ, ସେ ତହିଁରେ ବଞ୍ଚିବ।
EZE 33:20 ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଆଚାର ବ୍ୟବହାର ଅନୁସାରେ ବିଚାର କରିବା।”
EZE 33:21 ଏଥିଉତ୍ତାରେ ଆମ୍ଭମାନଙ୍କ ନିର୍ବାସନର ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୂଶାଲମରୁ ପଳାତକ ଏକ ଜଣ ମୋʼ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।”
EZE 33:22 ସେହି ପଳାତକ ଆସିବାର ପୂର୍ବେ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଥିଲା; ଆଉ, ପ୍ରାତଃକାଳରେ ସେ ପଳାତକ ଆସିବା ପର୍ଯ୍ୟନ୍ତ ସେ ମୋର ମୁଖ ଫିଟାଇଥିଲେ; ତେବେଠାରୁ ମୋର ମୁଖ ଫିଟା ରହିଲା ଓ ଆଉ ମୁଁ ଘୁଙ୍ଗା ହୋଇ ରହିଲି ନାହିଁ।
EZE 33:23 ଏଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 33:24 “ହେ ମନୁଷ୍ୟ-ସନ୍ତାନ, ଯେଉଁମାନେ ଇସ୍ରାଏଲ ଦେଶର, ସେହି ସକଳ ଉତ୍ସନ୍ନ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ଅବ୍ରହାମ ଏକମାତ୍ର ଥିଲେ, ଆଉ ସେ ଦେଶ ଅଧିକାର କଲେ; ମାତ୍ର ଆମ୍ଭେମାନେ ଅନେକ ଲୋକ; ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦତ୍ତ ହୋଇଅଛି।
EZE 33:25 ଏଥିପାଇଁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ରକ୍ତ ସହିତ ମାଂସ ଖାଉଅଛ ଓ ଆପଣା ଆପଣା ପ୍ରତିମାଗଣ ପ୍ରତି ଦୃଷ୍ଟି ଟେକୁଅଛ ଓ ରକ୍ତପାତ କରୁଅଛ; ଆଉ, ତୁମ୍ଭେମାନେ କି ଦେଶ ଅଧିକାର କରିବ?
EZE 33:26 ତୁମ୍ଭେମାନେ ଆପଣା ଆପଣା ଖଡ୍ଗରେ ନିର୍ଭର କରୁଅଛ ଓ ଘୃଣାଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଅଶୁଚି କରୁଅଛ, ଆଉ ତୁମ୍ଭେମାନେ କି ଦେଶ ଅଧିକାର କରିବ?
EZE 33:27 ଏହି ପ୍ରକାରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଜୀବିତ ଥିବା ପ୍ରମାଣେ ଉତ୍ସନ୍ନ ସ୍ଥାନ ସକଳରେ ଥିବା ଲୋକମାନେ ନିଶ୍ଚୟ ଖଡ୍ଗ ଦ୍ୱାରା ପତିତ ହେବେ ଓ ଯେଉଁ ଜନ ପଡ଼ିଆରେ ଅଛି, ଆମ୍ଭେ ତାହାକୁ ଭକ୍ଷ୍ୟ ରୂପେ ପଶୁମାନଙ୍କୁ ଦେବା, ଆଉ ଯେଉଁମାନେ ଦୃଢ଼ ଦୁର୍ଗରେ ଓ ଗୁହାରେ ଥାʼନ୍ତି, ସେମାନେ ମହାମାରୀରେ ମରିବେ।
EZE 33:28 ପୁଣି, ଆମ୍ଭେ ଦେଶକୁ ଧ୍ୱଂସିତ ଓ ବିସ୍ମୟର ସ୍ଥାନ କରିବା, ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ; ପୁଣି, ଇସ୍ରାଏଲର ପର୍ବତଗଣ ଧ୍ୱଂସିତ ହେବ, ତହିଁରେ କେହି ତହିଁ ମଧ୍ୟଦେଇ ଗମନ କରିବେ ନାହିଁ।
EZE 33:29 ଆମ୍ଭେ ସେମାନଙ୍କର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେତେବେଳେ ଦେଶକୁ ଧ୍ୱଂସିତ ଓ ନିର୍ଜନ ସ୍ଥାନ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 33:30 ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ଲୋକଙ୍କର ସନ୍ତାନମାନେ କାନ୍ଥ ନିକଟରେ ଓ ଗୃହମାନଙ୍କର ସକଳ ଦ୍ୱାରଦେଶରେ ତୁମ୍ଭ ବିଷୟରେ କଥାବାର୍ତ୍ତା କରନ୍ତି, ଆଉ ପରସ୍ପର, ପ୍ରତ୍ୟେକେ ଆପଣା ଭ୍ରାତାକୁ କହନ୍ତି, ‘ଆସ, ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ଆଗତ କଥା ଶୁଣୁ।’
EZE 33:31 ପୁଣି, ସେମାନେ ଲୋକମାନଙ୍କ ପରି ତୁମ୍ଭ ନିକଟକୁ ଆସନ୍ତି ଓ ଆମ୍ଭ ଲୋକଙ୍କ ପରି ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ; କାରଣ ସେମାନେ ମୁଖରେ ବହୁତ ପ୍ରେମ ଦେଖାନ୍ତି, ମାତ୍ର ସେମାନଙ୍କର ଅନ୍ତଃକରଣ ସେମାନଙ୍କର ଲାଭର ଅନୁଗାମୀ ହୁଏ।
EZE 33:32 ଆଉ ଦେଖ, ଯାହାର ମଧୁର ସ୍ୱର ଅଛି ଓ ଯେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାରେ, ଏପରି ଲୋକର ଅତି ମନୋହର ଗୀତ ସ୍ୱରୂପ ତୁମ୍ଭେ ସେମାନଙ୍କ ନିକଟରେ ଅଟ; କାରଣ ସେମାନେ ତୁମ୍ଭର କଥା ଶୁଣନ୍ତି, ମାତ୍ର ତାହା ପାଳନ କରନ୍ତି ନାହିଁ।
EZE 33:33 ପୁଣି, ଏହା ଯେତେବେଳେ ଘଟିବ, ଦେଖ, ଘଟିବାର ନିକଟ ହେଲାଣି, ସେତେବେଳେ ସେମାନଙ୍କ ମଧ୍ୟରେ ଯେ ଜଣେ ଭବିଷ୍ୟଦ୍‍ବକ୍ତା ଥିଲେ, ଏହା ସେମାନେ ଜାଣିବେ।”
EZE 34:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 34:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?
EZE 34:3 ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷର ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ।
EZE 34:4 ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁ; ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ।
EZE 34:5 ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ।
EZE 34:6 ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।
EZE 34:7 ଏହେତୁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
EZE 34:8 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;
EZE 34:9 ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
EZE 34:10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ।
EZE 34:11 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା।
EZE 34:12 କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା।
EZE 34:13 ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତ ସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି ସ୍ଥାନରେ ଚରାଇବା।
EZE 34:14 ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ।
EZE 34:15 ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।
EZE 34:16 ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।
EZE 34:17 ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।
EZE 34:18 ଉତ୍ତମ ଚରାଣୀ ସ୍ଥାନରେ ଚରିବାର, ମାତ୍ର ଚରାଣୀର ଅବଶିଷ୍ଟାଂଶ ପାଦ ତଳେ ଦଳିବାର ଓ ନିର୍ମଳ ଜଳ ପାନ କରିବାର, ମାତ୍ର ତହିଁର ଅବଶିଷ୍ଟାଂଶ ଆପଣା ପାଦରେ ଗୋଳିଆ କରିବାର, ଏହା କି ତୁମ୍ଭମାନଙ୍କୁ କ୍ଷୁଦ୍ର ବିଷୟ ଦିଶୁଅଛି?
EZE 34:19 ମାତ୍ର ତୁମ୍ଭେମାନେ ଯାହା ପାଦରେ ଦଳିଅଛ, ଆମ୍ଭର ମେଷଗଣ ତାହା ଭୋଜନ କରନ୍ତି ଓ ଯାହା ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ତାହା ସେମାନେ ପାନ କରନ୍ତି।
EZE 34:20 ଏହେତୁ ସେମାନଙ୍କୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ମେଣ୍ଢା ଓ କ୍ଷୀଣ ମେଣ୍ଢା ମଧ୍ୟରେ ବିଚାର କରିବା।
EZE 34:21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଛିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ;
EZE 34:22 ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ମେଷର ଓ ମେଷର ମଧ୍ୟରେ ବିଚାର କରିବା।
EZE 34:23 ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍‍, ଆମ୍ଭର ଦାସ ଦାଉଦଙ୍କୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।
EZE 34:24 ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
EZE 34:25 ଆଉ, ଆମ୍ଭେ ସେମାନଙ୍କ ପକ୍ଷରେ ଶାନ୍ତିର ନିୟମ ସ୍ଥିର କରିବା ଓ ହିଂସ୍ରକ ପଶୁଗଣକୁ ଦେଶରୁ ଶେଷ କରିବା; ତହିଁରେ ସେମାନେ ନିରାପଦରେ ପ୍ରାନ୍ତରରେ ବାସ କରିବେ ଓ ବନରେ ଶୟନ କରିବେ।
EZE 34:26 ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।
EZE 34:27 ଆଉ, କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ, ପୁଣି, ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ; ଆଉ, ଆମ୍ଭେ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିଲେ ଓ ସେମାନଙ୍କୁ ଦାସତ୍ୱ କରାଇବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 34:28 ପୁଣି, ସେମାନେ ଆଉ ଅନ୍ୟଦେଶୀୟମାନଙ୍କର ଲୁଟ ସ୍ୱରୂପ ହେବେ ନାହିଁ, କିଅବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ; ମାତ୍ର ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ।
EZE 34:29 ପୁଣି, ଆମ୍ଭେ ସେମାନଙ୍କର ସୁଖ୍ୟାତି ନିମନ୍ତେ ଏକ ଉଦ୍ୟାନ ଉତ୍ପନ୍ନ କରିବା, ତହିଁରେ ସେମାନେ ଦେଶରେ ଦୁର୍ଭିକ୍ଷ ସକାଶୁ ଆଉ କ୍ଷୟ ପାଇବେ ନାହିଁ, କିଅବା ଅନ୍ୟଦେଶୀୟମାନଙ୍କର ଅପମାନ ଆଉ ଭୋଗ କରିବେ ନାହିଁ।
EZE 34:30 ତହିଁରେ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଯେ ସେମାନଙ୍କର ସହବର୍ତ୍ତୀ ଅଟୁ ଓ ସେମାନେ, ଅର୍ଥାତ୍‍, ଇସ୍ରାଏଲ ବଂଶ ଯେ ଆମ୍ଭର ଲୋକ ଅଟନ୍ତି, ଏହା ସେମାନେ ଜାଣିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 34:31 ପୁଣି, ଆମ୍ଭର ମେଷ, ଆମ୍ଭର ଚରାଣୀ ସ୍ଥାନର ମେଷ ଯେ ତୁମ୍ଭେମାନେ, ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 35:1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 35:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ତାହାକୁ କୁହ,
EZE 35:3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସ ଓ ଶୂନ୍ୟର ସ୍ଥାନ କରିବା।
EZE 35:4 ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
EZE 35:5 ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍‍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ୍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;
EZE 35:6 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ।
EZE 35:7 ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ଶୂନ୍ୟ ଓ ଧ୍ୱଂସର ସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା।
EZE 35:8 ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।
EZE 35:9 ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 35:10 ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ‘ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋʼ ର ହେବ’ ଓ ଆମ୍ଭେମାନେ ତାହା ଅଧିକାର କରିବା,
EZE 35:11 ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ସକାଶୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା।
EZE 35:12 ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍‍, ‘ସେହି ସବୁ ଧ୍ୱଂସସ୍ଥାନ ଓ ସେହି ସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ।’
EZE 35:13 ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।
EZE 35:14 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
EZE 35:15 ଇସ୍ରାଏଲ ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ।”
EZE 36:1 “ଆଉ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପର୍ବତଗଣକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
EZE 36:2 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଶତ୍ରୁ ତୁମ୍ଭ ବିରୁଦ୍ଧରେ କହିଅଛି, ‘ଭଲ ହେଲା, ଭଲ ହେଲା! ଓ ସେହି ପ୍ରାଚୀନ ଉଚ୍ଚସ୍ଥଳୀସକଳ ଆମ୍ଭମାନଙ୍କର ଅଧିକୃତ ହେଲା,’
EZE 36:3 ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭମାନଙ୍କୁ ଗୋଷ୍ଠୀୟମାନଙ୍କ ଅବଶିଷ୍ଟାଂଶ ଅଧିକାର କରିବା ପାଇଁ ଲୋକମାନେ ତୁମ୍ଭମାନଙ୍କୁ ଧ୍ୱଂସ ଓ ଚତୁର୍ଦ୍ଦିଗରେ ଗ୍ରାସ କରିଅଛନ୍ତି, ଆଉ ତୁମ୍ଭେମାନେ ବକୁଆମାନଙ୍କ ଓଷ୍ଠଗତ ଓ ଲୋକମାନଙ୍କ ନିନ୍ଦାର ପାତ୍ର ହୋଇଅଛ;
EZE 36:4 ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ୱଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟିତ ଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେହି ସବୁକୁ ସଦାପ୍ରଭୁ ଏହି କଥା କହନ୍ତି;
EZE 36:5 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେଉଁମାନେ ଆପଣାମାନଙ୍କ ସର୍ବାନ୍ତଃକରଣର ଆନନ୍ଦରେ ଓ ପ୍ରାଣର ଈର୍ଷାରେ, ଲୁଟିତ ଦ୍ରବ୍ୟ ରୂପେ ନିକ୍ଷେପ କରିବା ପାଇଁ ଆମ୍ଭ ଦେଶକୁ ଆପଣାମାନଙ୍କର ଅଧିକାର ବୋଲି ନିରୂପଣ କରିଅଛନ୍ତି, ଗୋଷ୍ଠୀୟମାନଙ୍କର ସେହି ଅବଶିଷ୍ଟାଂଶର ବିରୁଦ୍ଧରେ ଓ ସମୁଦାୟ ଇଦୋମର ବିରୁଦ୍ଧରେ ଆମ୍ଭେ ନିତାନ୍ତ ଆପଣା ଅନ୍ତରାଗ୍ନିର ଜ୍ୱାଳାରେ କହିଅଛୁ;
EZE 36:6 ଏଣୁ ଇସ୍ରାଏଲର ଦେଶ ବିଷୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ ପର୍ବତ ଓ ଉପପର୍ବତଗଣକୁ, ଜଳପ୍ରବାହ ଓ ଉପତ୍ୟକାସକଳକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନ ଭୋଗ କରିବାରୁ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଓ କୋପରେ କଥା କହିଅଛୁ;
EZE 36:7 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆପଣା ହସ୍ତ ଉଠାଇ କହିଅଛୁ, ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଅନ୍ୟ ଦେଶୀୟମାନେ ନିଶ୍ଚୟ ଆପଣାମାନଙ୍କ ଅପମାନ ଭୋଗ କରିବେ।
EZE 36:8 ମାତ୍ର ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ଆପଣାମାନଙ୍କର ଶାଖା ବାହାର କରିବ ଓ ଆମ୍ଭର ଇସ୍ରାଏଲର ଲୋକଙ୍କ ନିମନ୍ତେ ଆପଣା ଆପଣାର ଫଳ ଉତ୍ପନ୍ନ କରିବ; କାରଣ ସେମାନଙ୍କର ଆଗମନ ସନ୍ନିକଟ।
EZE 36:9 ଯେହେତୁ ଦେଖ, ଆମ୍ଭେ ତୁମ୍ଭମାନଙ୍କର ସପକ୍ଷ ଅଟୁ ଓ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ତହିଁରେ ତୁମ୍ଭେମାନେ ଚାଷ କରାଯାଇ ବୁଣାଯିବ।
EZE 36:10 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ସମସ୍ତ ଇସ୍ରାଏଲ ବଂଶକୁ, ତହିଁର ସମଗ୍ରକୁ ବୃଦ୍ଧି କରିବା; ତହିଁରେ ନଗରସମୂହ ବସତି ସ୍ଥାନ ହେବ ଓ ଧ୍ୱଂସସ୍ଥାନ ସକଳ ପୁନଃନିର୍ମିତ ହେବ;
EZE 36:11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ବୃଦ୍ଧି କରିବା, ତହିଁରେ ସେମାନେ ବର୍ଦ୍ଧିଷ୍ଣୁ ହୋଇ ସନ୍ତାନସନ୍ତତି ବିଶିଷ୍ଟ ହେବେ; ଆଉ, ଆମ୍ଭେ ତୁମ୍ଭମାନଙ୍କୁ ପୂର୍ବକାଳର ନ୍ୟାୟ ବସତି କରାଇବା ଓ ତୁମ୍ଭମାନଙ୍କ ପ୍ରତି ଆଦ୍ୟ କାଳ ଅପେକ୍ଷା ଅଧିକ ମଙ୍ଗଳ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 36:12 ଆହୁରି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍‍, ଆମ୍ଭର ଇସ୍ରାଏଲ ଲୋକଙ୍କୁ ଗତାୟାତ କରାଇବା ଓ ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ, ଆଉ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ, ପୁଣି, ତୁମ୍ଭେ ଏହି ସମୟଠାରୁ ଆଉ ସେମାନଙ୍କୁ ସନ୍ତାନବିହୀନ କରିବ ନାହିଁ।
EZE 36:13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେମାନେ ତୁମ୍ଭକୁ କହନ୍ତି, ‘ହେ ଦେଶ, ତୁମ୍ଭେ ମନୁଷ୍ୟ ଗ୍ରାସକ ଓ ନିଜ ଦେଶୀୟମାନଙ୍କର ନାଶକ ହୋଇଅଛ,’
EZE 36:14 ଏଥିପାଇଁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିଅବା ତୁମ୍ଭ ଦେଶୀୟମାନଙ୍କର ନାଶ ଆଉ କରିବ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
EZE 36:15 ଅଥବା ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଅପମାନ ବାକ୍ୟ ଆଉ ଶୁଣାଇବା ନାହିଁ ଓ ତୁମ୍ଭେ ଗୋଷ୍ଠୀୟମାନଙ୍କର ନିନ୍ଦାବାକ୍ୟର ଭାର ଆଉ ବହିବ ନାହିଁ ଓ ନିଜ ଦେଶୀୟମାନଙ୍କର ବିଘ୍ନ ଆଉ ଜନ୍ମାଇବ ନାହିଁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 36:16 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 36:17 “ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ନିଜ ଦେଶରେ ବାସ କରିବା ବେଳେ ସେମାନେ ଆପଣାମାନଙ୍କର ଆଚରଣ ଓ କ୍ରିୟା ଦ୍ୱାରା ତାହା ଅଶୁଚି କଲେ; ସେମାନଙ୍କର ଆଚରଣ ଆମ୍ଭ ସାକ୍ଷାତରେ ସ୍ତ୍ରୀଲୋକର ପୃଥକ ସ୍ଥିତିକାଳୀନ ଅଶୌଚର ତୁଲ୍ୟ ଥିଲା।
EZE 36:18 ଏନିମନ୍ତେ ସେମାନେ ଦେଶରେ ରକ୍ତ ଢାଳିବା ସକାଶୁ ଓ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଢାଳିଲୁ,
EZE 36:19 ଆଉ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲୁ ଓ ସେମାନେ ନାନା ଦେଶରେ ବିକ୍ଷିପ୍ତ ହେଲେ; ସେମାନଙ୍କର ଆଚରଣ ଅନୁସାରେ ଓ ସେମାନଙ୍କର କ୍ରିୟାନୁସାରେ ଆମ୍ଭେ ସେମାନଙ୍କର ବିଚାର କଲୁ।
EZE 36:20 ପୁଣି, ଯେଉଁ ସ୍ଥାନକୁ ସେମାନେ ଗଲେ, ସେହି ସ୍ଥାନରେ ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ସେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କଲେ; ତହିଁରେ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାହାଙ୍କ ଦେଶରୁ ବାହାରି ଯାଇଅଛନ୍ତି।’
EZE 36:21 ତଥାପି ଇସ୍ରାଏଲ ବଂଶ ନାନା ଗୋଷ୍ଠୀୟମାନଙ୍କ ମଧ୍ୟକୁ ଯାଇ ଆମ୍ଭର ଯେଉଁ ପବିତ୍ର ନାମ ଅପବିତ୍ର କଲେ, ସେହି ପବିତ୍ର ନାମ ସକାଶୁ ଆମ୍ଭର ଦୟା ଜାତ ହେଲା।
EZE 36:22 ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏପରି କରୁ ନାହୁଁ, ମାତ୍ର ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟକୁ ଯାଇ ଯାହା ଅପବିତ୍ର କରିଅଛ, ଆମ୍ଭ ନିଜର ସେହି ପବିତ୍ର ନାମ ସକାଶୁ କରୁଅଛୁ।
EZE 36:23 ପୁଣି, ଯାହା ନାନା ଗୋଷ୍ଠୀ ମଧ୍ୟରେ ଅପବିତ୍ରୀକୃତ ହୋଇଅଛି, ଯାହା ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଅପବିତ୍ର କରିଅଛ, ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା; ଆଉ, ଯେତେବେଳେ ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 36:24 କାରଣ ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବା ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭମାନଙ୍କର ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବା।
EZE 36:25 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।
EZE 36:26 ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।
EZE 36:27 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ପରମେଶ୍ୱରଙ୍କ ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧିରୂପ ପଥରେ ଚଳାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କରିବ।
EZE 36:28 ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରିବ ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।
EZE 36:29 ଆଉ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସକଳ ଅଶୌଚରୁ ପରିତ୍ରାଣ କରିବା ଓ ଆମ୍ଭେ ଶସ୍ୟକୁ ଆହ୍ୱାନ କରି ତାହା ବୃଦ୍ଧି କରିବା ଓ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ପକାଇବା ନାହିଁ।
EZE 36:30 ପୁଣି, ଆମ୍ଭେ ବୃକ୍ଷର ଫଳ ଓ କ୍ଷେତ୍ରର ଶସ୍ୟ ବୃଦ୍ଧି କରିବା, ତହିଁରେ ତୁମ୍ଭେମାନେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଦୁର୍ଭିକ୍ଷ ସକାଶୁ ଆଉ ନିନ୍ଦା ପାଇବ ନାହିଁ।
EZE 36:31 ସେହି ସମୟରେ ତୁମ୍ଭେମାନେ ଆପଣାମାନଙ୍କର ମନ୍ଦ ଆଚରଣ ଓ ଯାହା ଉତ୍ତମ ନ ଥିଲା, ଏପରି କ୍ରିୟାସକଳ ସ୍ମରଣ କରିବ; ଆଉ, ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସକାଶୁ ଓ ଆପଣାମାନଙ୍କର ଘୃଣାଯୋଗ୍ୟ କ୍ରିୟା ସକାଶୁ ଆପଣାମାନଙ୍କର ଦୃଷ୍ଟିରେ ଆପେ ଘୃଣାସ୍ପଦ ହେବ।
EZE 36:32 ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଜ୍ଞାତ ହୁଅ ଯେ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏହା କରୁ ନାହୁଁ; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଆପଣା ଆପଣାର ଆଚରଣ ସକାଶୁ ଲଜ୍ଜିତ ଓ ବିଷଣ୍ଣ ହୁଅ।
EZE 36:33 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଯେଉଁ ଦିନ ଆମ୍ଭେ ତୁମ୍ଭମାନଙ୍କର ସକଳ ଅଧର୍ମରୁ ତୁମ୍ଭମାନଙ୍କୁ ଶୁଚି କରିବା, ସେହି ଦିନ ଆମ୍ଭେ ନଗରସକଳକୁ ବସତିବିଶିଷ୍ଟ କରାଇବା ଓ ଉତ୍ସନ୍ନ ସ୍ଥାନସକଳ ନିର୍ମିତ ହେବ।
EZE 36:34 ପୁଣି, ଯେଉଁ ଦେଶ ପଥିକସକଳର ଦୃଷ୍ଟିରେ ଧ୍ୱଂସସ୍ଥାନ ହୋଇଥିଲା, ତହିଁରେ କୃଷିକାର୍ଯ୍ୟ କରାଯିବ।
EZE 36:35 ତହିଁରେ ଲୋକମାନେ କହିବେ, ‘ଏହି ଧ୍ୱଂସିତ ଦେଶ ଏଦନ ଉଦ୍ୟାନ ତୁଲ୍ୟ ହୋଇଅଛି; ଆଉ, ଏହି ଶୂନ୍ୟ, ଧ୍ୱଂସିତ ଓ ଉତ୍ପାଟିତ ନଗରସକଳ ପ୍ରାଚୀର-ବେଷ୍ଟିତ ଓ ବସତି ସ୍ଥାନ ହୋଇଅଛି।’
EZE 36:36 ସେତେବେଳେ ଆମ୍ଭେ ସଦାପ୍ରଭୁ ଯେ ଉତ୍ପାଟିତ ସ୍ଥାନସବୁ ନିର୍ମାଣ କରିଅଛୁ ଓ ଧ୍ୱଂସିତ ସ୍ଥାନରେ ରୋପଣ କରିଅଛୁ, ଏହା ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଅବଶିଷ୍ଟ ଗୋଷ୍ଠୀୟମାନେ ଜ୍ଞାତ ହେବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ଆମ୍ଭେ ଏହା ସଫଳ କରିବା।
EZE 36:37 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତଥାପି ଆମ୍ଭେ ଯେପରି ଇସ୍ରାଏଲ ବଂଶ ପକ୍ଷରେ ଏହା ସଫଳ କରିବା, ଏଥିପାଇଁ ଆମ୍ଭ ନିକଟରେ ସେମାନଙ୍କୁ ପ୍ରାର୍ଥନା କରିବାକୁ ହେବ; ଆମ୍ଭେ ପଲ ପରି ସେମାନଙ୍କର ପୁରୁଷଗଣଙ୍କୁ ବୃଦ୍ଧି କରିବା।
EZE 36:38 ଯେପରି ବଳିଯୋଗ୍ୟ ମେଷପଲ, ଯେପରି ନିରୂପିତ ପର୍ବମାନର ସମୟରେ ଯିରୂଶାଲମର ପଲ; ସେହିପରି ଶୂନ୍ୟ ନଗରସକଳ ପଲ ପଲ ମନୁଷ୍ୟରେ ପରିପୂର୍ଣ୍ଣ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 37:1 ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା।
EZE 37:2 ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା।
EZE 37:3 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।”
EZE 37:4 ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ‘ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
EZE 37:5 ପ୍ରଭୁ, ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ।
EZE 37:6 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’”
EZE 37:7 ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା।
EZE 37:8 ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା।
EZE 37:9 ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।”
EZE 37:10 ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।
EZE 37:11 ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ।
EZE 37:12 ଏଥିପାଇଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା।
EZE 37:13 ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
EZE 37:14 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ଦେବା, ତହିଁରେ ତୁମ୍ଭେମାନେ ଜୀବିତ ହେବ, ପୁଣି, ଆମ୍ଭେ ତୁମ୍ଭମାନଙ୍କ ନିଜ ଦେଶରେ ତୁମ୍ଭମାନଙ୍କୁ ବସାଇବା; ତହିଁରେ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସଫଳ କରିଅଛୁ ବୋଲି ତୁମ୍ଭେମାନେ ଜାଣିବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 37:15 ସଦାପ୍ରଭୁଙ୍କ ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 37:16 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯିହୁଦା ନିମନ୍ତେ ଓ ତାହାର ସଖା ଇସ୍ରାଏଲ-ସନ୍ତାନଗଣ ନିମନ୍ତେ;’ ତହିଁ ଉତ୍ତାରେ ଆଉ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯୋଷେଫ ନିମନ୍ତେ, ଇଫ୍ରୟିମର ଓ ତାହାର ସଖା ସମୁଦାୟ ଇସ୍ରାଏଲ ବଂଶର ଯଷ୍ଟି;’
EZE 37:17 ଆଉ, ସେହି ଦୁଇ ଯଷ୍ଟି ଯେପରି ତୁମ୍ଭ ହସ୍ତରେ ଏକ ହେବ, ଏଥିପାଇଁ ସେହି ଦୁଇ ଯଷ୍ଟିକୁ ପରସ୍ପର ସହିତ ଯୋଡ଼।
EZE 37:18 ପୁଣି, ତୁମ୍ଭ ଲୋକଙ୍କର ସନ୍ତାନଗଣ ଯେତେବେଳେ ତୁମ୍ଭଙ୍କୁ କହିବେ, ‘ଏଥିରେ ତୁମ୍ଭର କି ଅଭିପ୍ରାୟ, ଏହା କି ତୁମ୍ଭେ ଆମ୍ଭମାନଙ୍କୁ ଜଣାଇବ ନାହିଁ?’
EZE 37:19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଇଫ୍ରୟିମର ହସ୍ତରେ ଥିବା ଯୋଷେଫର ଯଷ୍ଟି, ପୁଣି, ତାହାର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା; ଆଉ, ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ, ଅର୍ଥାତ୍‍, ଯିହୁଦାର ଯଷ୍ଟି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା, ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଯଷ୍ଟି ହେବେ।
EZE 37:20 ଆଉ, ତୁମ୍ଭେ ଯେଉଁ ଦୁଇ ଯଷ୍ଟିରେ ଲେଖିବ, ତାହା ସେମାନଙ୍କ ସାକ୍ଷାତରେ ତୁମ୍ଭ ହସ୍ତରେ ରହିବ।
EZE 37:21 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
EZE 37:22 ଆଉ, ସେହି ଦେଶରେ ଇସ୍ରାଏଲର ସକଳ ପର୍ବତ ଉପରେ ଆମ୍ଭେ ଏମାନଙ୍କୁ ଏକ ଗୋଷ୍ଠୀ କରିବା ଓ ଏକ ରାଜା ଯେ ସମସ୍ତଙ୍କର ରାଜା ହେବେ, ପୁଣି, ସେମାନେ ଆଉ ଦୁଇ ଗୋଷ୍ଠୀ ନୋହିବେ, କିଅବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ।
EZE 37:23 ପୁଣି, ସେମାନେ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା କିଅବା ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ଅଥବା ଆପଣାମାନଙ୍କର କୌଣସି ଆଜ୍ଞାଲଙ୍ଘନ ଦ୍ୱାରା ଆପଣାମାନଙ୍କୁ ଆଉ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଯେଉଁ ସକଳ ବାସ ସ୍ଥାନରେ ପାପ କରିଅଛନ୍ତି, ସେମାନଙ୍କର ସେହି ସକଳ ବାସସ୍ଥାନରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରି ଶୁଚି କରିବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
EZE 37:24 ପୁଣି, ଆମ୍ଭର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ ଓ ସେହି ସମସ୍ତଙ୍କର ଏକ ପାଳକ ହେବେ; ସେମାନେ ମଧ୍ୟ ଆମ୍ଭର ଶାସନ ପଥରେ ଚାଲିବେ ଓ ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିବେ।
EZE 37:25 ଆଉ, ଆମ୍ଭେ ଆପଣା ଦାସ ଯାକୁବକୁ ଯେଉଁ ଦେଶ ଦେଇଅଛୁ ଓ ଯହିଁ ମଧ୍ୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ବାସ କଲେ, ସେହି ଦେଶରେ ସେମାନେ ବାସ କରିବେ; ପୁଣି, ସେମାନେ, ଅର୍ଥାତ୍‍, ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କ ସନ୍ତାନଗଣର ସନ୍ତାନମାନେ ସଦାକାଳ ତହିଁ ମଧ୍ୟରେ ବାସ କରିବେ; ଆଉ, ଆମ୍ଭର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।
EZE 37:26 ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦାକାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
EZE 37:27 ଆମ୍ଭର ଆବାସ ମଧ୍ୟ ସେମାନଙ୍କ ସଙ୍ଗରେ ରହିବ; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।
EZE 37:28 ପୁଣି, ଯେତେବେଳେ ଆମ୍ଭର ପବିତ୍ର ସ୍ଥାନ ସେମାନଙ୍କ ମଧ୍ୟରେ ସଦାକାଳ ରହିବ, ସେତେବେଳେ ଆମ୍ଭେ ଯେ ଇସ୍ରାଏଲର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।”
EZE 38:1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
EZE 38:2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ମାଗୋଗ୍‍ ଦେଶୀୟ ଗୋଗ୍‍ ପ୍ରତି ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ,
EZE 38:3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ।
EZE 38:4 ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା, ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ସୈନ୍ୟ ସମସ୍ତଙ୍କୁ, ଅଶ୍ୱ ଓ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବା, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ସଜ୍ଜାରେ ସୁସଜ୍ଜିତ, ଫଳକ ଓ ଢାଲଧାରୀ ମହାସମାଜ, ସେମାନଙ୍କର ସମସ୍ତେ ଖଡ୍ଗଧାରୀ ଅଟନ୍ତି;
EZE 38:5 ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍‍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ;
EZE 38:6 ଗୋମର ଓ ତାହାର ସମସ୍ତ ଲୋକଦଳ; ଉତ୍ତର ଦିଗର ପ୍ରାନ୍ତସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଲୋକଦଳକୁ; ଏହି ପ୍ରକାର ଅନେକ ଗୋଷ୍ଠୀୟମାନଙ୍କୁ ତୁମ୍ଭ ସଙ୍ଗେ ଆଣିବା।
EZE 38:7 ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ।
EZE 38:8 ଅନେକ ଦିନ ଉତ୍ତାରେ ତୁମ୍ଭର ତତ୍ତ୍ୱାନୁସନ୍ଧାନ କରାଯିବ; ଶେଷ ବର୍ଷମାନର ମଧ୍ୟରେ ତୁମ୍ଭେ, ଖଡ୍ଗରୁ ପୁନରାନୀତ, ଅନେକ ଗୋଷ୍ଠୀ ମଧ୍ୟରୁ ସଂଗୃହୀତ ଦେଶକୁ, ଇସ୍ରାଏଲର ଚିର ଉତ୍ସନ୍ନ ପର୍ବତ ସକଳକୁ ଆସିବ; ମାତ୍ର ତାହା ନାନା ଗୋଷ୍ଠୀ ମଧ୍ୟରୁ ବାହାରେ ଆନୀତ ହୋଇଅଛି, ଆଉ ସେମାନେ, ସେମାନଙ୍କର ସମସ୍ତେ ନିରାପଦରେ ବାସ କରିବେ।
EZE 38:9 ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।
EZE 38:10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ସମୟରେ ନାନା ବିଷୟ ତୁମ୍ଭ ମନରେ ପଡ଼ିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ;
EZE 38:11 ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ;
EZE 38:12 ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)।
EZE 38:13 ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ‘ତୁମ୍ଭେ କି ଲୁଟିବାକୁ ଆସିଅଛ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ?’
EZE 38:14 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଗୋଗ୍‍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେହି ଦିନ ଯେତେବେଳେ ଆମ୍ଭ ଇସ୍ରାଏଲର ଲୋକମାନେ ନିରାପଦରେ ବାସ କରିବେ, ସେତେବେଳେ ତୁମ୍ଭେ କି ତାହା ଜାଣିବ ନାହିଁ?
EZE 38:15 ପୁଣି, ତୁମ୍ଭେ ଆପଣା ସ୍ଥାନ, ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ଆସିବେ, ସେମାନେ ସମସ୍ତେ ଅଶ୍ୱାରୋହୀ ମହାସମାଜ ଓ ବିକ୍ରମୀ ସୈନ୍ୟସାମନ୍ତ;
EZE 38:16 ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍‍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା।
EZE 38:17 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍‍, ଯେଉଁମାନେ ସେହି କାଳରେ ଅନେକ ବର୍ଷ ଯାଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍‍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି?
EZE 38:18 ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ଗୋଗ୍‍ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ, ସେହି ସମୟରେ ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ।
EZE 38:19 କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ;
EZE 38:20 ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍‍ ହେବ।
EZE 38:21 ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ।
EZE 38:22 ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଲାବନକାରୀ ବୃଷ୍ଟି, ବୃହତ ବୃହତ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା।
EZE 38:23 ପୁଣି, ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
EZE 39:1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗୋଗ୍‍ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
EZE 39:2 ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;
EZE 39:3 ପୁଣି, ଆମ୍ଭେ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବା।
EZE 39:4 ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭେ ପତିତ ହେବ, ତୁମ୍ଭର ସକଳ ସୈନ୍ୟଦଳ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ପତିତ ହେବେ; ଆମ୍ଭେ ସବୁ ପ୍ରକାର ହିଂସ୍ରକ ପକ୍ଷୀଗୁଡ଼ିକୁ ଓ କ୍ଷେତ୍ରସ୍ଥ ପଶୁଗଣର ଗ୍ରାସର ନିମନ୍ତେ ତୁମ୍ଭକୁ ସମର୍ପଣ କରିବା।
EZE 39:5 ତୁମ୍ଭେ ପଡ଼ିଆରେ ପତିତ ହେବ; କାରଣ ଆମ୍ଭେ ଏହା କହିଅଛୁ, ପ୍ରଭୁ, ସଦାପ୍ରଭୁ ଏହା କହନ୍ତି।
EZE 39:6 ପୁଣି, ଆମ୍ଭେ ମାଗୋଗ୍‍ର ଉପରେ ଓ ଦ୍ୱୀପସମୂହରେ ନିରାପଦରେ ବାସକାରୀମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
EZE 39:7 ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
EZE 39:8 ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଯେଉଁ ଦିନର ବିଷୟ ଆମ୍ଭେ କହିଅଛୁ, ଏହା ସେହି ଦିନ।
EZE 39:9 ପୁଣି, ଇସ୍ରାଏଲର ନଗରସମୂହରେ ବାସକାରୀ ଲୋକମାନେ ବାହାରେ ଯାଇ, ଢାଲ ଓ ଫଳକ, ଧନୁ ଓ ତୀର, ଆଉ ଯଷ୍ଟି ଓ ବର୍ଚ୍ଛା, ଏହି ସକଳ ଅସ୍ତ୍ରଶସ୍ତ୍ର ଅଗ୍ନିରେ ଜଳାଇବେ, ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେହି ସବୁ ନେଇ ଅଗ୍ନିରେ ଜ୍ୱଳାଇବେ;
EZE 39:10 ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 39:11 ପୁଣି, ଆମ୍ଭେ ସେହି ଦିନ ଗୋଗ୍‍କୁ ଇସ୍ରାଏଲ ମଧ୍ୟରେ କବର ସ୍ଥାନ ନିମନ୍ତେ, ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ଦେବା; ତାହା ପଥିକମାନଙ୍କର ଗମନ ରୋଧ କରିବ ଓ ସେତୁ ସ୍ଥାନରେ ଲୋକମାନେ ଗୋଗ୍‍କୁ ଓ ତାହାର ସମସ୍ତ ଲୋକସମୂହକୁ କବର ଦେବେ; ଆଉ, ସେହି ସ୍ଥାନକୁ ସେମାନେ ହାମୋନ-ଗୋଗ୍‍ର ଉପତ୍ୟକା ବୋଲି ନାମ ଦେବେ।
EZE 39:12 ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।
EZE 39:13 ହଁ, ଦେଶର ସମସ୍ତ ଲୋକ ସେମାନଙ୍କୁ କବର ଦେବେ; ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଗୌରବାନ୍ୱିତ ହେବା ଦିନ ସେମାନଙ୍କ ପକ୍ଷରେ ତାହା ଯଶ ସ୍ୱରୂପ ହେବ।
EZE 39:14 ପୁଣି, ସେମାନେ ନିତ୍ୟ କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କୁ ପୃଥକ କରିବେ, ସେହି ଲୋକମାନେ ଦେଶ ଶୁଚି କରିବା ପାଇଁ, ପଥିକମାନଙ୍କ ମଧ୍ୟରୁ ଭୂମିରେ ଅବଶିଷ୍ଟ ଥିବା ଲୋକମାନଙ୍କୁ କବର ଦେବା ନିମନ୍ତେ ଦେଶ ମଧ୍ୟଦେଇ ଗମନ କରିବେ; ସାତ ମାସ ଶେଷ ହେଲା ଉତ୍ତାରେ ସେମାନେ ଅନୁସନ୍ଧାନ କରିବେ।
EZE 39:15 ପୁଣି, ସେହି ଗମନକାରୀମାନେ ଦେଶ ମଧ୍ୟଦେଇ ଗମନ କରିବେ ଓ କେହି ମନୁଷ୍ୟର ଅସ୍ଥି ଦେଖିଲେ ସେ ତାହା ନିକଟରେ ଗୋଟିଏ ଚିହ୍ନ ରଖିବ, ତହୁଁ କବର ଦେବା ଲୋକମାନେ ହାମୋନ-ଗୋଗ୍‍ ଉପତ୍ୟକାରେ ତାହାର କବର ଦେବେ।
EZE 39:16 ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।
EZE 39:17 ପୁଣି, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟ ପଶୁକୁ କୁହ, ତୁମ୍ଭେମାନେ ଏକତ୍ର ହୋଇ ଆସ; ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଚାରିଆଡ଼େ ଏକତ୍ର ହୁଅ, ଆମ୍ଭେ ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭମାନଙ୍କ ନିମନ୍ତେ ଯଜ୍ଞ, ଏକ ମହାଯଜ୍ଞ କରୁଅଛୁ।
EZE 39:18 ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।
EZE 39:19 ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଯଜ୍ଞ କରୁଅଛୁ, ଆମ୍ଭର ସେହି ଯଜ୍ଞରୁ ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ମେଦ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।
EZE 39:20 ଆଉ, ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 39:21 ପୁଣି, ଆମ୍ଭେ ଗୋଷ୍ଠୀଗଣଙ୍କ ମଧ୍ୟରେ ଆପଣାର ଗୌରବ ସ୍ଥାପନ କରିବା, ତହିଁରେ ଆମ୍ଭେ ଯାହା ସଫଳ କରିଅଛୁ, ଆମ୍ଭର ସେହି ଶାସନ ଓ ଆମ୍ଭେ ସେମାନଙ୍କ ଉପରେ ଆପଣାର ଯେଉଁ ହସ୍ତ ଥୋଇଅଛୁ, ତାହା ସକଳ ଗୋଷ୍ଠୀ ଦେଖିବେ।
EZE 39:22 ଏହିରୂପେ ସେହି ଦିନ ଓ ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।
EZE 39:23 ପୁଣି, ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ଅଧର୍ମ ସକାଶୁ ବନ୍ଦୀ ହୋଇ ଯାଇଥିଲେ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ ଅପରାଧ କରିବାରୁ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ; ତହୁଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣର ହସ୍ତରେ ସମର୍ପଣ କଲୁ, ତହିଁରେ ସେମାନେ ସମସ୍ତେ ଖଡ୍ଗ ଦ୍ୱାରା ହତ ହେଲେ।
EZE 39:24 ସେମାନଙ୍କର ଅଶୁଚିତା, ଆଉ ସେମାନଙ୍କର ଅପରାଧ ଅନୁସାରେ ଆମ୍ଭେ ସେମାନଙ୍କ ପ୍ରତି ବ୍ୟବହାର କଲୁ ଓ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ।
EZE 39:25 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏବେ ଆମ୍ଭେ ଯାକୁବର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବା; ଆଉ, ଆମ୍ଭେ ଆପଣା ପବିତ୍ର ନାମ ପକ୍ଷରେ ଉଦ୍‍ଯୋଗୀ ହେବା।
EZE 39:26 ପୁଣି, ସେମାନେ ଯେତେବେଳେ ଆପଣାମାନଙ୍କ ଦେଶରେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ନ ଦେଖାଇବ, ଯେତେବେଳେ ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରୁ ସେମାନଙ୍କୁ ପୁନର୍ବାର ଆଣିବା ଓ ସେମାନଙ୍କ ଶତ୍ରୁଗଣର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା, ଆଉ ଅନେକ ଗୋଷ୍ଠୀ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା;
EZE 39:27 ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ-ଲଙ୍ଘନ କଲେ, ସେହି ସକଳ ସତ୍ୟ-ଲଙ୍ଘନର ଫଳ ଭୋଗ କରିବେ।
EZE 39:28 ପୁଣି, ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲୁ ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛୁ, ଏହା ସେମାନେ ଜାଣିବେ; ପୁଣି, ଆମ୍ଭେ ସେମାନଙ୍କର କାହାକୁ ହିଁ ଆଉ ସେଠାରେ ଅବଶିଷ୍ଟ ରଖିବା ନାହିଁ।
EZE 39:29 ଆଉ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ; କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 40:1 ଆମ୍ଭମାନଙ୍କ ନିର୍ବାସନର ପଚିଶ ବର୍ଷରେ, ବର୍ଷର ଆରମ୍ଭରେ ମାସର ଦଶମ ଦିନରେ, ଅର୍ଥାତ୍‍, ନଗର ନିପାତିତ ହେଲା ଉତ୍ତାରେ ଚତୁର୍ଦ୍ଦଶ ବର୍ଷର ଉକ୍ତ ଦିବସରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ଥିଲା ଓ ସେ ମୋତେ ସେହି ସ୍ଥାନରେ ଉପସ୍ଥିତ କରାଇଲେ।
EZE 40:2 ଈଶ୍ୱରୀୟ ଦର୍ଶନରେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ, ତହିଁ ଉପରେ, ଦକ୍ଷିଣ ଦିଗରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା।
EZE 40:3 ସେ ମୋତେ ସେହି ସ୍ଥାନକୁ ନେଇଗଲେ, ଆଉ ଦେଖ, ସେଠାରେ ଏକ ପୁରୁଷ ଥିଲେ, ପିତ୍ତଳର ଆଭା ତୁଲ୍ୟ ତାଙ୍କର ଆଭା, ତାଙ୍କ ହସ୍ତରେ ଛଣପଟର ଏକ ରଜ୍ଜୁ ଓ ପରିମାପକ ଏକ ନଳ ଥିଲା ଓ ସେ ଦ୍ୱାରରେ ଠିଆ ହୋଇଥିଲେ।
EZE 40:4 ଏଥିରେ ସେ ପୁରୁଷ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା, ସେହି ସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର; କାରଣ ଆମ୍ଭେ ଯେପରି ସେହି ସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନୀତ ହୋଇଅଛ; ତୁମ୍ଭେ ଯାହା ଯାହା ଦେଖିବ, ତାହାସବୁ ଇସ୍ରାଏଲ ବଂଶକୁ ଜ୍ଞାତ କରାଅ।”
EZE 40:5 ଆଉ ଦେଖ, ଗୃହର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ଦଣ୍ଡ ଥିଲା, ତାହା ଛଅ ହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ; ତହିଁରେ ସେ ଗୃହର ସ୍ଥୂଳତା ଏକ ହାତ ଓ ଉଚ୍ଚତା ଏକ ହାତ ମାପିଲେ।
EZE 40:6 ଏଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରକୁ ଆସି ତହିଁର ପାବଚ୍ଛ ଦେଇ ଉପରକୁ ଉଠିଲେ; ଆଉ, ଦ୍ୱାରର ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ମାପିଲେ।
EZE 40:7 ପୁଣି, ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ହାତ ଦୀର୍ଘ ଓ ଏକ ହାତ ପ୍ରସ୍ଥ ଥିଲା; ଆଉ, ପ୍ରତ୍ୟେକ କ୍ଷୁଦ୍ର କୋଠରିର ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ଥିଲା ଓ ଗୃହାଭିମୁଖ ଦ୍ୱାରର ବାରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ହାତ ଥିଲା।
EZE 40:8 ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ସେ ଏକ ହାତ ମାପିଲେ।
EZE 40:9 ତହୁଁ ସେ ଦ୍ୱାରର ବାରଣ୍ଡା ଆଠ ହାତ ମାପିଲେ ଓ ତହିଁର ଉପସ୍ତମ୍ଭସକଳ ଦୁଇ ହାତ ଥିଲା; ପୁଣି, ଦ୍ୱାରର ବାରଣ୍ଡା ଗୃହ ପ୍ରତି ଥିଲା।
EZE 40:10 ଆଉ, ପୂର୍ବାଭିମୁଖ ଦ୍ୱାରର କ୍ଷୁଦ୍ର କୋଠରି ଏପାଖରେ ତିନି ଓ ସେପାଖରେ ତିନି ଥିଲା; ସେ ତିନିର ମାପ ଏକ ସମାନ ଥିଲା; ଆଉ, ଏପାଖ ଓ ସେପାଖ ସ୍ତମ୍ଭସବୁର ଏକ ସମାନ ମାପ ଥିଲା।
EZE 40:11 ପୁଣି, ସେ ଦ୍ୱାରର ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ଦ୍ୱାରର ଦୀର୍ଘତା ତେର ହାତ ମାପିଲେ,
EZE 40:12 ଆଉ କ୍ଷୁଦ୍ର କୋଠରିସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ଧାର ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା।
EZE 40:13 ପୁଣି, ସେ ଏକ କ୍ଷୁଦ୍ର କୋଠରିର ଛାତଠାରୁ ଅନ୍ୟ କ୍ଷୁଦ୍ର କୋଠରିର ଛାତ ପର୍ଯ୍ୟନ୍ତ ଦ୍ୱାରର ପ୍ରସ୍ଥ ପଚିଶ ହାତ ମାପିଲେ; ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା।
EZE 40:14 ଉପସ୍ତମ୍ଭସକଳ ମଧ୍ୟ ସେ ଷାଠିଏ ହାତ ମାପିଲେ; ପୁଣି, ପ୍ରାଙ୍ଗଣ ଉପସ୍ତମ୍ଭ ପର୍ଯ୍ୟନ୍ତ ଗଲା, ଚାରିଆଡ଼େ ଦ୍ୱାର ଥିଲା।
EZE 40:15 ପୁଣି, ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଚାଶ ହାତ ଥିଲା।
EZE 40:16 ପୁଣି, ଦ୍ୱାର ଭିତରେ ଚାରିଆଡ଼େ କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭସକଳର ବନ୍ଦ ଜଳାକବାଟି ଥିଲା ଓ ମଣ୍ଡପସକଳରେ ମଧ୍ୟ ତଦ୍ରୂପ ଥିଲା, ଆଉ ଜଳାକବାଟିସବୁ ଭିତରେ ଚାରିଆଡ଼େ ଥିଲା ଓ ପ୍ରତ୍ୟେକ ଉପସ୍ତମ୍ଭ ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।
EZE 40:17 ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ, ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରି ଓ ନିର୍ମିତ ଚଟାଣ ଥିଲା; ସେହି ଚଟାଣ ଉପରେ ତିରିଶ କୋଠରି ଥିଲା।
EZE 40:18 ପୁଣି, ସେହି ଚଟାଣ ଦ୍ୱାରସକଳର ପାର୍ଶ୍ୱରେ, ଦ୍ୱାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ।
EZE 40:19 ତେବେ ସେ ନିମ୍ନତର ଦ୍ୱାରର ଅଗ୍ରଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ, ପୂର୍ବ ଓ ଉତ୍ତର ଉଭୟ ଦିଗରେ ଏକ ଶହ ହାତ।
EZE 40:20 ପୁଣି, ସେ ବାହାର ପ୍ରାଙ୍ଗଣର ଉତ୍ତରାଭିମୁଖ ଦ୍ୱାରର ଦୀର୍ଘତା ଓ ପ୍ରସ୍ଥ ମାପିଲେ।
EZE 40:21 ଆଉ, ତହିଁର ଏକ ପାର୍ଶ୍ୱରେ ତିନି, ଅନ୍ୟ ପାର୍ଶ୍ୱରେ ତିନି କ୍ଷୁଦ୍ର କୋଠରି ଓ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳର ପରିମାଣ ପ୍ରଥମ ଦ୍ୱାରର ପରିମାଣ ତୁଲ୍ୟ, ଅର୍ଥାତ୍‍, ତହିଁର ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
EZE 40:22 ପୁଣି, ତହିଁର ଜଳାକବାଟି, ମଣ୍ଡପ ଓ ଖର୍ଜ୍ଜୁର ବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାହାଚ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା।
EZE 40:23 ଆଉ, ଉତ୍ତର ଓ ପୂର୍ବ ଦୁଇଆଡ଼େ, ଅନ୍ୟ ଦ୍ୱାରର ସମ୍ମୁଖରେ ଭିତର ପ୍ରାଙ୍ଗଣକୁ ଗୋଟିଏ ଦ୍ୱାର ଥିଲା; ପୁଣି, ସେ ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକ ଶହ ହାତ ମାପିଲେ।
EZE 40:24 ଏଥିଉତ୍ତାରେ ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ୱାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳ ପରିମାଣ କଲେ।
EZE 40:25 ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
EZE 40:26 ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।
EZE 40:27 ଆଉ, ଦକ୍ଷିଣ ଆଡ଼ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା; ତହୁଁ ସେ ଦକ୍ଷିଣ ଆଡ଼ର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକ ଶହ ହାତ ମାପିଲେ।
EZE 40:28 ଏଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ୱାର ମାପିଲେ;
EZE 40:29 ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ଆଉ, ତହିଁରେ ଓ ତହିଁର ମଣ୍ଡପରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ପଚାଶ ହାତ ଦୀର୍ଘ ଓ ପଚିଶ ହାତ ପ୍ରସ୍ଥ ଥିଲା।
EZE 40:30 ପୁଣି, ତହିଁର ଚାରିଆଡ଼େ ପଚିଶ ହାତ ଦୀର୍ଘ ପାଞ୍ଚ ହାତ ପ୍ରସ୍ଥ ମଣ୍ଡପ ଥିଲା।
EZE 40:31 ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ଆଉ, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
EZE 40:32 ଏଥିଉତ୍ତାରେ ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ୱାର ମାପିଲେ।
EZE 40:33 ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।
EZE 40:34 ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
EZE 40:35 ତହୁଁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;
EZE 40:36 ତହିଁର କ୍ଷୁଦ୍ର କୋଠରି, ଉପସ୍ତମ୍ଭ ଓ ମଣ୍ଡପସକଳ ମାପିଲେ; ଆଉ, ତହିଁରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।
EZE 40:37 ପୁଣି, ତହିଁର ଉପସ୍ତମ୍ଭସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା; ଆଉ, ସେହି ଉପସ୍ତମ୍ଭସକଳର ଉପରେ ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
EZE 40:38 ପୁଣି, ଦ୍ୱାରମାନର ନିକଟସ୍ଥ ଉପସ୍ତମ୍ଭସକଳର ପାଖରେ ଦ୍ୱାରବିଶିଷ୍ଟ ଏକ କୋଠରି ଥିଲା; ସେଠାରେ ସେମାନେ ହୋମବଳି ଧୌତ କଲେ
EZE 40:39 ଆଉ, ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଧ କରିବା ପାଇଁ ଦ୍ୱାର ବାରଣ୍ଡାର ଏପାଖରେ ଦୁଇ ମେଜ ଓ ସେପାଖରେ ଦୁଇ ମେଜ ଥିଲା।
EZE 40:40 ପୁଣି, ଦ୍ୱାରର ପାର୍ଶ୍ୱରେ ବାହାରେ ଓ ଉତ୍ତର ଦ୍ୱାର ଉପରକୁ ଯିବାର ପ୍ରବେଶ ସ୍ଥାନ ନିକଟରେ ଏପାଖରେ ଦୁଇ ମେଜ ଥିଲା ଓ ଦ୍ୱାର ବାରଣ୍ଡାର ସେପାଖରେ ଦୁଇ ମେଜ ଥିଲା;
EZE 40:41 ଦ୍ୱାର ପାର୍ଶ୍ୱର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା।
EZE 40:42 ଆଉ, ହୋମବଳି ନିମନ୍ତେ କଟା ପ୍ରସ୍ତରର ଚାରି ମେଜ ଥିଲା, ତହିଁର ଦୀର୍ଘତା ଦେଢ଼ ହାତ ଓ ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚ ଏକ ହାତ; ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖାଗଲା।
EZE 40:43 ପୁଣି, ଚାରି ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା; ଆଉ, ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା।
EZE 40:44 ଆଉ, ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରି ଥିଲା, ସେହି ସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେହି ସବୁର ମୁଖ ଦକ୍ଷିଣ ପ୍ରତି ଥିଲା; ପୂର୍ବ-ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରିର ମୁଖ ଉତ୍ତର ପ୍ରତି ଥିଲା।
EZE 40:45 ପୁଣି, ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖ କୋଠରିଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।
EZE 40:46 ଆଉ, ଯେଉଁ କୋଠରିର ମୁଖ ଉତ୍ତର ଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି।”
EZE 40:47 ଏଉତ୍ତାରେ ସେ ପ୍ରାଙ୍ଗଣ ମାପିଲେ, ତାହା ଏକ ଶହ ହାତ ଦୀର୍ଘ, ଏକ ଶହ ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦି ଥିଲା।
EZE 40:48 ତେବେ ସେ ମୋତେ ଗୃହର ବାରଣ୍ଡାକୁ ଆଣି ବାରଣ୍ଡାରେ ସ୍ଥିତ ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ, ସେ ପ୍ରତ୍ୟେକ ଏପାଖେ ପାଞ୍ଚ ହାତ, ସେପାଖେ ପାଞ୍ଚ ହାତ; ପୁଣି, ଦ୍ୱାରର ପ୍ରସ୍ଥ ଏପାଖେ ତିନି ହାତ, ସେପାଖେ ତିନି ହାତ ଥିଲା।
EZE 40:49 ବାରଣ୍ଡାର ଦୀର୍ଘ କୋଡ଼ିଏ ହାତ; ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା।
EZE 41:1 ଏଥିଉତ୍ତାରେ ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ବୁର ପ୍ରସ୍ଥ ହିଁ ଏତିକି।
EZE 41:2 ପୁଣି, ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।
EZE 41:3 ତେବେ ସେ ଭିତରକୁ ଯାଇ ପ୍ରବେଶ ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ ସ୍ଥାନ ଛଅ ହାତ; ଆଉ, ପ୍ରବେଶ ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ।
EZE 41:4 ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେ; ଆଉ, ସେ ମୋତେ କହିଲେ, “ଏହା ମହାପବିତ୍ର ସ୍ଥାନ ଅଟେ।”
EZE 41:5 ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ୱସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ।
EZE 41:6 ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ୱସ୍ଥ କୋଠରି ସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ୱସ୍ଥ କୋଠରି ସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରି ସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ।
EZE 41:7 ପୁଣି, ପାର୍ଶ୍ୱସ୍ଥ କୋଠରି ସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା।
EZE 41:8 ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ଚଉତରା ଥିଲା; ପାର୍ଶ୍ୱସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ହାତ ଥିଲା।
EZE 41:9 ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ୱସ୍ଥ କୋଠରିର ସ୍ଥାନ ଥିଲା।
EZE 41:10 କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା।
EZE 41:11 ପୁଣି, ପାର୍ଶ୍ୱସ୍ଥ କୋଠରିସକଳର ଦ୍ୱାର ସେହି ଅବଶିଷ୍ଟ ସ୍ଥାନ ପ୍ରତି ଥିଲା, ଗୋଟିଏ ଦ୍ୱାର ଉତ୍ତର ପ୍ରତି ଓ ଅନ୍ୟ ଦ୍ୱାର ଦକ୍ଷିଣ ପ୍ରତି ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।
EZE 41:12 ପୁଣି, ପଶ୍ଚିମ ଦିଗସ୍ଥ ପୃଥକ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା।
EZE 41:13 ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ।
EZE 41:14 ଆହୁରି, ପୂର୍ବ ଦିଗରେ ଗୃହର ଓ ପୃଥକ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ।
EZE 41:15 ଏଥିଉତ୍ତାରେ ପୃଥକ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍‍, ତାହାର ପଶ୍ଚାତ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବାରଣ୍ଡା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବାରଣ୍ଡା (ମାପିଲେ);
EZE 41:16 ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟିସବୁ ଓ ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା;
EZE 41:17 ଦ୍ୱାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା।)
EZE 41:18 ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକର୍ମ ଥିଲା, କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା।
EZE 41:19 ଏହିରୂପେ ଏକ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ୱସ୍ଥ ଖର୍ଜ୍ଜୁର ବୃକ୍ଷ ପ୍ରତି ଯୁବା ସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା।
EZE 41:20 ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା।
EZE 41:21 ମନ୍ଦିରର ଦ୍ୱାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା।
EZE 41:22 ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲା; ପୁଣି, ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି।”
EZE 41:23 ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ୱାର ଥିଲା।
EZE 41:24 ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍‍, ଏକ ଦ୍ୱାରର ଦୁଇ ପଟ ଓ ଅନ୍ୟ ଦ୍ୱାରର ଦୁଇ ପଟ ଥିଲା।
EZE 41:25 ପୁଣି, ସେହି ସବୁରେ, ଅର୍ଥାତ୍‍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବାରଣ୍ଡାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା।
EZE 41:26 ଆଉ, ବାରଣ୍ଡାର ପାର୍ଶ୍ୱରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ୱସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।
EZE 42:1 ତହିଁ ଉତ୍ତାରେ ସେ ମୋତେ ଉତ୍ତର ଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରିରେ ଉପସ୍ଥିତ କରାଇଲେ।
EZE 42:2 ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା।
EZE 42:3 ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା।
EZE 42:4 ପୁଣି, କୋଠରିସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା।
EZE 42:5 ଉପରିସ୍ଥ କୋଠରି ସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରି ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା।
EZE 42:6 କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେହି ସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରିସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା।
EZE 42:7 ପୁଣି, କୋଠରିସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରିସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା।
EZE 42:8 କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରିସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି, ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା।
EZE 42:9 ପୁଣି, ବାହାର ପ୍ରାଙ୍ଗଣରୁ ସେହି ସବୁ କୋଠରିକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ ସ୍ଥାନ ପଡ଼ିଲା।
EZE 42:10 ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରି ଶ୍ରେଣୀ ଥିଲା।
EZE 42:11 ଆଉ, ସେହି ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରିସକଳର ପଥ ପରି ଥିଲା; ସେହି ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେହି ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା।
EZE 42:12 ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରିସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍‍, ସେହି ସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।
EZE 42:13 ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେହି ସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ।
EZE 42:14 ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ।”
EZE 42:15 ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ।
EZE 42:16 ସେ ପରିମାପକ ଦଣ୍ଡ ଦ୍ୱାର ପୂର୍ବ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
EZE 42:17 ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ଚତୁର୍ଦ୍ଦିଗ ପାଞ୍ଚ ଶହ ଦଣ୍ଡ ହେଲା।
EZE 42:18 ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ଦଣ୍ଡରେ ତାହା ପାଞ୍ଚ ଶହ ଦଣ୍ଡ ହେଲା।
EZE 42:19 ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ଦଣ୍ଡରେ ପାଞ୍ଚ ଶହ ଦଣ୍ଡ ମାପିଲେ।
EZE 42:20 ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚ ଶହ ଓ ପ୍ରସ୍ଥରେ ପାଞ୍ଚ ଶହ (ଦଣ୍ଡ) ଥିଲା।
EZE 43:1 ଏଥିଉତ୍ତାରେ ସେ ମୋତେ ଦ୍ୱାରକୁ, ଅର୍ଥାତ୍‍, ପୂର୍ବାଭିମୁଖ ଦ୍ୱାର ନିକଟକୁ ଆଣିଲେ;
EZE 43:2 ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।
EZE 43:3 ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍‍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି।
EZE 43:4 ପୁଣି, ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା।
EZE 43:5 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ; ଆଉ ଦେଖ, ସଦାପ୍ରଭୁଙ୍କ ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା।
EZE 43:6 ପୁଣି, ଗୃହ ମଧ୍ୟରୁ ଏକ ଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋʼ ପାଖରେ ଠିଆ ହେଲେ।
EZE 43:7 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ ବଂଶ, ଅର୍ଥାତ୍‍, ସେମାନେ ଓ ସେମାନଙ୍କ ରାଜାଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜାଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।
EZE 43:8 ସେମାନେ ଆମ୍ଭର ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଆପଣାମାନଙ୍କର ଦ୍ୱାର-ପ୍ରବେଶ ସ୍ଥାନ ଓ ଆମ୍ଭ ଦ୍ୱାରବନ୍ଧ ନିକଟରେ ଆପଣାମାନଙ୍କର ଦ୍ୱାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା, ପୁଣି, ଆପଣାମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି; ଏନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ।
EZE 43:9 ଏବେ ସେମାନେ ଆପଣାମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣାମାନଙ୍କର ରାଜାଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ, ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା।
EZE 43:10 ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ; ଆଉ, ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ।
EZE 43:11 ପୁଣି, ସେମାନେ ଯଦି ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ-ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ।
EZE 43:12 ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ। ଦେଖ, ଏହା ହିଁ ଗୃହର ବ୍ୟବସ୍ଥା।
EZE 43:13 ପୁଣି, ହାତ ଅନୁସାରେ ଯଜ୍ଞବେଦିର ପରିମାଣ ଏହି; (ପ୍ରତି ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ) ବେଦିର ମୂଳ ଏକ ହାତ ଓ ପ୍ରସ୍ଥ ଏକ ହାତ, ଆଉ ଚତୁର୍ଦ୍ଦିଗରେ ତହିଁର ପ୍ରାନ୍ତ ଧାର ଏକ ଚାଖଣ୍ଡ ପରିମିତ ହେବ; ଏହା ଯଜ୍ଞବେଦିର ତଳଭାଗ।
EZE 43:14 ପୁଣି, ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ଯ୍ୟନ୍ତ ଦୁଇ ହାତ ଓ ପ୍ରସ୍ଥ ଏକ ହାତ ହେବ। ଆଉ, ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ ଚାରି ହାତ ଓ ପ୍ରସ୍ଥ ଏକ ହାତ ହେବ।
EZE 43:15 ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ।
EZE 43:16 ଯଜ୍ଞବେଦିର ଅଗ୍ନିସ୍ଥାନ ବାର ହାତ ଦୀର୍ଘ ଓ ବାର ହାତ ପ୍ରସ୍ଥ; ତହିଁର ଚାରି ଦିଗ ସମାନ ହେବ।
EZE 43:17 ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ।”
EZE 43:18 ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପୁଣି, ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ସିଞ୍ଚନ କରିବା ନିମନ୍ତେ ଯଜ୍ଞବେଦି ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ବନ୍ଧୀୟ ବିଧି ଏହି।
EZE 43:19 ପ୍ରଭୁ, ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ।
EZE 43:20 ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକୁ ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
EZE 43:21 ଆହୁରି, ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ।
EZE 43:22 ପୁଣି, ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ; ଆଉ, ସେମାନେ ବୃଷ ନେଇ ଯେପରି କରିଥିଲେ, ସେହିପରି ଯଜ୍ଞବେଦିକୁ ଶୁଚି କରିବେ।
EZE 43:23 ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ।
EZE 43:24 ପୁଣି, ତୁମ୍ଭେ ସେହି ସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେହି ସବୁର ଉପରେ ଲବଣ ସିଞ୍ଚନ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ।
EZE 43:25 ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ; ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ।
EZE 43:26 ସାତ ଦିନ ପର୍ଯ୍ୟନ୍ତ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ।
EZE 43:27 ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
EZE 44:1 ଏଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ, ପୁଣି, ଦ୍ୱାର ବନ୍ଦ ଥିଲା।
EZE 44:2 ପୁଣି, ସଦାପ୍ରଭୁ ମୋତେ କହିଲେ, “ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଅବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି; ଏଥିପାଇଁ ତାହା ବନ୍ଦ ରହିବ।
EZE 44:3 କେବଳ ଅଧିପତି, ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ; ସେ ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।”
EZE 44:4 ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି।
EZE 44:5 ପୁଣି, ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସଦାପ୍ରଭୁଙ୍କ ଗୃହର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ଆମ୍ଭେ ତୁମ୍ଭକୁ କହିଅଛୁ, ତୁମ୍ଭେ ଉତ୍ତମ ରୂପେ ମନୋଯୋଗ କରି ତାହା ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ଗୃହରେ ପ୍ରବେଶ କରିବାର ଓ ପବିତ୍ର ସ୍ଥାନରୁ ବାହାରିବାର ସକଳ ବିଷୟରେ ଉତ୍ତମ ରୂପେ ମନୋଯୋଗ କର।
EZE 44:6 ପୁଣି, ତୁମ୍ଭେ ବିଦ୍ରୋହୀମାନଙ୍କୁ, ଅର୍ଥାତ୍‍, ଇସ୍ରାଏଲ ବଂଶକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ହେ ଇସ୍ରାଏଲ ବଂଶ, ତୁମ୍ଭମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ହେଉ,
EZE 44:7 କାରଣ ତୁମ୍ଭେମାନେ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ ବିଦେଶୀୟ ଲୋକମାନଙ୍କୁ ଆମ୍ଭ ପବିତ୍ର ସ୍ଥାନରେ ରହିବା ପାଇଁ ତୁମ୍ଭେମାନେ ଆମ୍ଭର ଭକ୍ଷ୍ୟ, ମେଦ ଓ ରକ୍ତ ଉତ୍ସର୍ଗ କଲା ବେଳେ ଆମ୍ଭର ସେହି ଗୃହକୁ ଅପବିତ୍ର କରିବା ପାଇଁ ସେମାନଙ୍କୁ ଭିତରକୁ ଆଣିଅଛ ଓ ତୁମ୍ଭମାନଙ୍କର ଅଧର୍ମସକଳ ବୃଦ୍ଧି କରିବା ନିମନ୍ତେ ସେମାନେ ଆମ୍ଭର ନିୟମ ଭଗ୍ନ କରିଅଛନ୍ତି।
EZE 44:8 ପୁଣି, ତୁମ୍ଭେମାନେ ଆମ୍ଭର ପବିତ୍ର ବସ୍ତୁସକଳର ରକ୍ଷଣୀୟ ରକ୍ଷା କରି ନାହଁ, ମାତ୍ର ତୁମ୍ଭେମାନେ ଆମ୍ଭର ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବା ପାଇଁ ଆପଣାମାନଙ୍କ ନିମନ୍ତେ ରକ୍ଷକ ନିଯୁକ୍ତ କରିଅଛ।
EZE 44:9 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଯେସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।
EZE 44:10 ମାତ୍ର ଇସ୍ରାଏଲ ବିପଥଗମନ କରିବା ସମୟରେ ଯେଉଁ ଲେବୀୟମାନେ ଆମ୍ଭଠାରୁ ଦୂରକୁ ଯାଇଥିଲେ, ଆପଣା ଆପଣା ଦେବଗଣର ପଶ୍ଚାଦ୍‍ଗାମୀ ହୋଇ ଆମ୍ଭଠାରୁ ବିପଥରେ ଗମନ କରିଥିଲେ, ସେମାନେ ଆପଣା ଆପଣା ଅଧର୍ମ ବହନ କରିବେ।
EZE 44:11 ତଥାପି ସେମାନେ ଗୃହର ଦ୍ୱାରସକଳର ଦ୍ୱାରୀ ହୋଇ ଓ ଗୃହରେ ପରିଚର୍ଯ୍ୟା କରି ଆମ୍ଭ ପବିତ୍ର ସ୍ଥାନର ପରିଚାରକ ହେବେ; ସେମାନେ ଲୋକମାନଙ୍କ ନିମନ୍ତେ ହୋମବଳି ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବେ ଓ ଲୋକମାନଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ସେମାନଙ୍କ ସମ୍ମୁଖରେ ଠିଆ ହେବେ।
EZE 44:12 କାରଣ ପ୍ରତିମାଗଣର ସାକ୍ଷାତରେ ସେମାନେ ଲୋକମାନଙ୍କର ପରିଚର୍ଯ୍ୟା କଲେ ଓ ଇସ୍ରାଏଲ ବଂଶର ଅଧର୍ମଜନକ ବିଘ୍ନ ସ୍ୱରୂପ ହେଲେ। ଏଥିପାଇଁ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଉଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ଓ ସେମାନେ ଆପଣାମାନଙ୍କର ଅଧର୍ମ ବହନ କରିବେ।
EZE 44:13 ପୁଣି, ସେମାନେ ଆମ୍ଭ ଯାଜକର କର୍ମ ସାଧନ କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ନାହିଁ ଅଥବା ସେମାନେ ଆମ୍ଭର ପବିତ୍ର ଦ୍ରବ୍ୟସକଳର ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ, ଅତି ପବିତ୍ର ଦ୍ରବ୍ୟସକଳ ନିକଟକୁ ଆସିବେ ନାହିଁ; ମାତ୍ର ସେମାନେ ଆପଣାମାନଙ୍କର ଅପମାନ ଓ ଆପଣାମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିବେ।
EZE 44:14 ତଥାପି ଗୃହର ସବୁ ସେବାକାର୍ଯ୍ୟ ନିମନ୍ତେ ଓ ତହିଁ ମଧ୍ୟରେ ଯେସକଳ କାର୍ଯ୍ୟ କରାଯିବ, ତହିଁ ନିମନ୍ତେ ଆମ୍ଭେ ସେମାନଙ୍କୁ ଗୃହର ରକ୍ଷଣୀୟ ବିଷୟର ରକ୍ଷକ କରିବା।
EZE 44:15 ମାତ୍ର ଇସ୍ରାଏଲ ସନ୍ତାନମାନେ ଆମ୍ଭଠାରୁ ବିପଥଗମନ କରିବା ସମୟରେ ସାଦୋକର ସନ୍ତାନ ଯେଉଁ ଲେବୀୟ ଯାଜକଗଣ ଆମ୍ଭ ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କଲେ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ଓ ଆମ୍ଭ ଉଦ୍ଦେଶ୍ୟରେ ମେଦ ଓ ରକ୍ତ; ଉତ୍ସର୍ଗ କରିବା ନିମନ୍ତେ ଆମ୍ଭ ସମ୍ମୁଖରେ ଠିଆ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
EZE 44:16 ସେମାନେ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବେ ଓ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ମେଜ ନିକଟକୁ ଆସିବେ, ଆଉ ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିବେ।
EZE 44:17 ପୁଣି, ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ପ୍ରବେଶ କରିବା ସମୟରେ ମସିନାର ବସ୍ତ୍ର ପରିଧାନ କରିବେ, ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ଓ ଭିତରେ ପରିଚର୍ଯ୍ୟା କଲା ବେଳେ କୌଣସି ଲୋମନିର୍ମିତ ବସ୍ତ୍ର ପରିଧାନ କରିବେ ନାହିଁ।
EZE 44:18 ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ଶିରୋଭୂଷଣ ଓ କଟିଦେଶରେ ମସିନା ଜଙ୍ଘିଆ ଥିବ; ଯଦ୍ଦ୍ୱାରା ଝାଳ ଜାତ ହୁଏ, ଏପରି କୌଣସି ବନ୍ଧନୀରେ ସେମାନେ ଆପଣା କଟି ବାନ୍ଧିବେ ନାହିଁ।
EZE 44:19 ପୁଣି, ଯେତେବେଳେ ସେମାନେ ବାହାର ପ୍ରାଙ୍ଗଣକୁ, ଅର୍ଥାତ୍‍, ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବେ, ସେତେବେଳେ ସେମାନେ ଆପଣାମାନଙ୍କ ପରିଚର୍ଯ୍ୟାର୍ଥକ ବସ୍ତ୍ର କାଢ଼ି ପବିତ୍ର କୋଠରିରେ ରଖିବେ ଓ ଆପଣାମାନଙ୍କ ସେହି ବସ୍ତ୍ର ଦ୍ୱାରା ଯେପରି ଲୋକମାନଙ୍କୁ ପବିତ୍ର ନ କରନ୍ତି, ଏଥିପାଇଁ ଅନ୍ୟ ବସ୍ତ୍ର ପରିଧାନ କରିବେ।
EZE 44:20 ସେମାନେ ଆପଣାମାନଙ୍କର ମସ୍ତକ କ୍ଷୌର କରିବେ ନାହିଁ କିଅବା ଆପଣାମାନଙ୍କର କେଶ ଦୀର୍ଘ ହେବାକୁ ଦେବେ ନାହିଁ; ସେମାନେ କେବଳ କେଶ କର୍ତ୍ତନ କରିବେ।
EZE 44:21 ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ କୌଣସି ଯାଜକ ଦ୍ରାକ୍ଷାରସ ପାନ କରିବେ ନାହିଁ।
EZE 44:22 ପୁଣି, ସେମାନେ ବିଧବା କିଅବା ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶଜାତ ଅନୂଢ଼ା ସ୍ତ୍ରୀକୁ ଅଥବା ମୃତ ଯାଜକର ବିଧବାକୁ ବିବାହ କରିବେ।
EZE 44:23 ପୁଣି, ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର, ଆଉ, ଅଶୁଚି ଓ ଶୁଚିର ପ୍ରଭେଦ ଶିଖାଇବେ।
EZE 44:24 ଆଉ, ବିବାଦ ଉପସ୍ଥିତ ହେଲେ, ସେମାନେ ବିଚାର କରିବା ପାଇଁ ଠିଆ ହେବେ; ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ; ପୁଣି, ସେମାନେ ଆମ୍ଭର ନିରୂପିତ ସମସ୍ତ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧିସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କରିବେ।
EZE 44:25 ପୁଣି, ସେମାନେ ଆପଣାମାନଙ୍କୁ ଅଶୁଚି କରିବା ପାଇଁ କୌଣସି ମୃତ ଲୋକର ଶବ ନିକଟକୁ ଆସିବେ ନାହିଁ; ମାତ୍ର ପିତା ଅବା ମାତା ଅବା ପୁତ୍ର ଅବା କନ୍ୟା, ଭ୍ରାତା ଅବା ଅବିବାହିତା ଭଗିନୀ ନିମନ୍ତେ ସେମାନେ ଆପଣାମାନଙ୍କୁ ଅଶୁଚି କରି ପାରିବେ।
EZE 44:26 ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ ସାତ ଦିନ ଗଣିତ ହେବ।
EZE 44:27 ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ସେ ପବିତ୍ର ସ୍ଥାନରେ ପରିଚର୍ଯ୍ୟା କରିବା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯାଏ, ସେହି ଦିନ ସେ ଆପଣାର ପାପାର୍ଥକ ବଳି ଉତ୍ସର୍ଗ କରିବ।
EZE 44:28 ଆଉ, ସେମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ; ଆମ୍ଭେ ସେମାନଙ୍କର ଉତ୍ତରାଧିକାର ଓ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦେବ ନାହିଁ, ଆମ୍ଭେ ସେମାନଙ୍କର ଅଧିକାର ଅଟୁ।
EZE 44:29 ସେମାନେ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ; ଆଉ, ଇସ୍ରାଏଲ ମଧ୍ୟରେ ଯାବତୀୟ ବର୍ଜିତ ଦ୍ରବ୍ୟ ସେମାନଙ୍କର ହେବ।
EZE 44:30 ପୁଣି, ସବୁ ଦ୍ରବ୍ୟର ପ୍ରଥମ ଫଳର ଅଗ୍ରିମାଂଶ ଓ ତୁମ୍ଭମାନଙ୍କର ଯାବତୀୟ ଉପହାର ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ; ମଧ୍ୟ ତୁମ୍ଭେମାନେ ଆପଣା ଆପଣା ଗୃହରେ ଆଶୀର୍ବାଦ ଅବସ୍ଥିତି କରାଇବା ପାଇଁ ଯାଜକକୁ ଆପଣା ଆପଣା ସୁଜିର ଅଗ୍ରିମାଂଶ ଦେବ।
EZE 44:31 ସ୍ୱୟଂମୃତ ଅବା ବିଦୀର୍ଣ୍ଣ କୌଣସି ପକ୍ଷୀ କିମ୍ବା ପଶୁ ଯାଜକମାନେ ଭୋଜନ କରିବେ ନାହିଁ।
EZE 45:1 ଆହୁରି, ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେହି ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ; ତହିଁର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ହାତ ହେବ; ତାହା ଚତୁର୍ଦ୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ।
EZE 45:2 ତହିଁ ମଧ୍ୟରୁ ପାଞ୍ଚ ଶହ ନଳ ଦୀର୍ଘ, ପାଞ୍ଚ ଶହ ଦଣ୍ଡ ପ୍ରସ୍ଥ ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ ପଚାଶ ହାତ ପରିମିତ ତଳଭୂମି ରହିବ।
EZE 45:3 ଆଉ, ଏହି ପରିମିତ ଅଂଶରୁ ତୁମ୍ଭେ ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି ମାପିବ; ପୁଣି, ତହିଁ ମଧ୍ୟରେ ଧର୍ମଧାମ, ମହାପବିତ୍ର ସ୍ଥାନ ହେବ।
EZE 45:4 ଦେଶର ଏହି ଅଂଶ ପବିତ୍ର ଅଟେ; ଯେଉଁ ଯାଜକମାନେ, ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ।
EZE 45:5 ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରି ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।
EZE 45:6 ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।
EZE 45:7 ପୁଣି, ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏପାଖରେ ଓ ସେପାଖରେ ରହିବ, ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ପ୍ରତି ଓ ପୂର୍ବ ପାର୍ଶ୍ୱରେ ପୂର୍ବ ପ୍ରତି ବିସ୍ତୃତ ହେବ; ଆଉ, ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ।
EZE 45:8 ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍‍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।
EZE 45:9 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 45:10 ତୁମ୍ଭେମାନେ ଯଥାର୍ଥ ତରାଜୁ, ଯଥାର୍ଥ ଐଫା ଓ ଯଥାର୍ଥ ବାତ୍‍ ରଖିବ।
EZE 45:11 ବାତ୍‍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍‍ର ଏକ ସମାନ ପରିମାଣ ହେବ; ତହିଁର ପରିମାଣ ହୋମର ଅନୁସାରେ ହେବ।
EZE 45:12 ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା ହେବ।
EZE 45:13 ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ; ଗହମର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଓ ଯବର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଦେବ;
EZE 45:14 ପୁଣି, ବାତ୍‍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍‍ର ଦଶମାଂଶ ହେବ, କୋର ଦଶ ବାତ୍‍, ଅର୍ଥାତ୍‍, ଏକ ହୋମର; କାରଣ ଦଶ ବାତ୍‍ରେ ଏକ ହୋମର ହୁଏ;
EZE 45:15 ଆଉ, ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ ପଲର ଦୁଇ ଶହ ମେଷ ମଧ୍ୟରୁ ଏକ ମେଷ (ନେବ); ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 45:16 ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।
EZE 45:17 ପୁଣି, ପର୍ବାଦିରେ, ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ; ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ।
EZE 45:18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ।
EZE 45:19 ପୁଣି, ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦି ଥାକର ଚାରି କୋଣର ଉପରେ, ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ।
EZE 45:20 ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
EZE 45:21 ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ, ତାହା ସାତ ଦିନର ପର୍ବ ହେବ; ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
EZE 45:22 ପୁଣି, ସେହି ଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ।
EZE 45:23 ଆଉ, ପର୍ବର ସାତ ଦିନ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ, ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷ ଓ ସାତ ମେଷ, ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।
EZE 45:24 ପୁଣି, ସେ ଏକ ଏକ ବୃଷ ସଙ୍ଗେ ଏକ ଏକ ଐଫା, ଏକ ଏକ ମେଷ ସଙ୍ଗେ ଏକ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ଏକ ହୀନ୍‍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ।
EZE 45:25 ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଏହିରୂପ, ଅର୍ଥାତ୍‍, ପାପାର୍ଥକ ବଳିର, ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର, ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।
EZE 46:1 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର ଛଅ ଦିନସାରା ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ।
EZE 46:2 ପୁଣି, ଅଧିପତି ବାହାର ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରି ଦ୍ୱାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ୱାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ।
EZE 46:3 ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।
EZE 46:4 ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ।
EZE 46:5 ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍‍ ତୈଳ ଦେବେ।
EZE 46:6 ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ, ଛଅ ମେଷଶାବକ ଓ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ;
EZE 46:7 ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍‍ ତୈଳ ଦେବେ।
EZE 46:8 ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ୱାର ବାରଣ୍ଡା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।
EZE 46:9 ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ୱାରର ପଥ ଦେଇ ବାହାରି ଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ୱାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ୱାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ୱାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ।
EZE 46:10 ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ।
EZE 46:11 ଆଉ, ପର୍ବ ଓ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍‍ ତୈଳ ଦେବେ।
EZE 46:12 ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ୱାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହୁଁ ସେ ବାହାରି ଯିବେ ଓ ବାହାରିଗଲା ଉତ୍ତାରେ ଦ୍ୱାର ବନ୍ଦ କରାଯିବ।
EZE 46:13 ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ।
EZE 46:14 ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍‍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ।
EZE 46:15 ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।
EZE 46:16 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଅଧିପତି ଯଦି ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାର କ୍ରମେ ତାହା ଭୋଗ କରିବେ।
EZE 46:17 ମାତ୍ର ସେ ଯଦି ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ।
EZE 46:18 ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ନ ଯାʼନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ।”
EZE 46:19 ଏଉତ୍ତାରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକୁ ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ ଭାଗରେ ଏକ ସ୍ଥାନ ଥିଲା।
EZE 46:20 ପୁଣି, ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି, ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ।”
EZE 46:21 ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।
EZE 46:22 ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀର-ବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା।
EZE 46:23 ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହି ସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା।
EZE 46:24 ଏଥିରେ ସେ ମୋତେ କହିଲେ, “ସବୁ ପାକ ଗୃହ, ଏହି ସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”
EZE 47:1 ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା।
EZE 47:2 ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା।
EZE 47:3 ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା।
EZE 47:4 ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା।
EZE 47:5 ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା।
EZE 47:6 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ?” ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ।
EZE 47:7 ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା।
EZE 47:8 ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ।
EZE 47:9 ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ।
EZE 47:10 ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍‍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ।
EZE 47:11 ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ।
EZE 47:12 ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”
EZE 47:13 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ତୁମ୍ଭେମାନେ ଇସ୍ରାଏଲ ବଂଶର ଦ୍ୱାଦଶ ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି; ଯୋଷେଫ ଏକରୁ ଅଧିକ ଅଂଶ ପାଇବ।
EZE 47:14 ଆଉ, ତୁମ୍ଭମାନଙ୍କର ଏକ ଯେପରି, ଅନ୍ୟ ସେହିପରି, ତାହା ଉତ୍ତରାଧିକାର ରୂପେ ପାଇବ; ତଦ୍‍ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ।
EZE 47:15 ପୁଣି, ଦେଶର ସୀମା ଏହି ହେବ; ଉତ୍ତର ଦିଗରେ, ହିତ୍‍ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦ୍‍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ;
EZE 47:16 ହମାତ୍‍, ବରୋଥା, ଦମ୍ମେଶକର ଓ ହମାତ୍‍ର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହତ୍‍ତ୍ସରହତ୍ତୀକୋନ୍‍।
EZE 47:17 ପୁଣି, ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତ୍‍ସର-ଐନନ୍‍ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତ୍‍ର ସୀମା। ଏହା ଉତ୍ତର ସୀମା।
EZE 47:18 ଆଉ, ପୂର୍ବ ଦିଗରେ ହୌରଣ, ଦମ୍ମେଶକ ଓ ଗିଲୀୟଦ, ଆଉ ଇସ୍ରାଏଲ ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ; ତୁମ୍ଭେମାନେ ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା।
EZE 47:19 ଆଉ, ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍‍-କାଦେଶସ୍ଥ ଜଳ, ମିସରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।
EZE 47:20 ପୁଣି, ଦକ୍ଷିଣ ସୀମାଠାରୁ ହମାତ୍‍ର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।
EZE 47:21 ଏହିରୂପେ ତୁମ୍ଭେମାନେ ଇସ୍ରାଏଲର ଗୋଷ୍ଠୀ ଅନୁସାରେ ଆପଣାମାନଙ୍କ ମଧ୍ୟରେ ଏହି ଦେଶ ବିଭାଗ କରିବ।
EZE 47:22 ପୁଣି, ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ; ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ; ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ।
EZE 47:23 ଆଉ, ବିଦେଶୀୟ ଲୋକ ଯେଉଁ ଗୋଷ୍ଠୀ ମଧ୍ୟରେ ପ୍ରବାସ କରେ, ସେହି ସ୍ଥାନରେ ତୁମ୍ଭେମାନେ ତାହାକୁ ଅଧିକାର ଦେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 48:1 ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍‍ର ପ୍ରବେଶ ସ୍ଥାନକୁ ଯିବାର ହିତ୍‍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ ଦମ୍ମେଶକର ସୀମା ନିକଟସ୍ଥ ହତ୍‍ସର-ଐନନ୍‍, ହମାତ୍‍ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ୍, ଏକ ଅଂଶ।
EZE 48:2 ଆଉ, ଦାନ୍‍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ।
EZE 48:3 ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
EZE 48:4 ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ।
EZE 48:5 ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ।
EZE 48:6 ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ୍‍, ଏକ ଅଂଶ।
EZE 48:7 ଆଉ, ରୁବେନ୍‍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ।
EZE 48:8 ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ଦଣ୍ଡ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ।
EZE 48:9 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ।
EZE 48:10 ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍‍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ।
EZE 48:11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେହିପରି ବିପଥଗାମୀ ହେଲେ ନାହିଁ।
EZE 48:12 ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ।
EZE 48:13 ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ।
EZE 48:14 ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
EZE 48:15 ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ।
EZE 48:16 ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚ ଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚ ଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚ ଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚ ଶହ ନଳ ହେବ।
EZE 48:17 ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇ ଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇ ଶହ ପଚାଶ, ପୂର୍ବ ଆଡ଼େ ଦୁଇ ଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇ ଶହ ପଚାଶ ନଳ ଭୂମି ରହିବ।
EZE 48:18 ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ପ୍ରତି ଦଶ ହଜାର; ପଶ୍ଚିମ ପ୍ରତି ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ।
EZE 48:19 ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ।
EZE 48:20 ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ।
EZE 48:21 ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍‍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ।
EZE 48:22 ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନ୍‍ର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ।
EZE 48:23 ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନ୍‍ର ଏକ ଅଂଶ।
EZE 48:24 ବିନ୍ୟାମୀନ୍‍ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ
EZE 48:25 ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ।
EZE 48:26 ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ।
EZE 48:27 ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦ୍‍ର ଏକ ଅଂଶ।
EZE 48:28 ପୁଣି, ଗାଦ୍‍ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍‍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍‍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ।
EZE 48:29 ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
EZE 48:30 ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି
EZE 48:31 ଓ ନଗରର ଦ୍ୱାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ୱାର ହେବ; ଅର୍ଥାତ୍‍, ରୁବେନ୍‍ର ଏକ ଦ୍ୱାର; ଯିହୁଦାର ଏକ ଦ୍ୱାର; ଲେବୀର ଏକ ଦ୍ୱାର;
EZE 48:32 ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍‍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍‍ର ଏକ ଦ୍ୱାର, ଦାନ୍‍ର ଏକ ଦ୍ୱାର;
EZE 48:33 ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;
EZE 48:34 ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍‍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।
EZE 48:35 ଚତୁର୍ଦ୍ଦିଗ ଅଠର ହଜାର ଦଣ୍ଡ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନ,’ ସେହି ଦିନଠାରୁ ନଗରର ଏହି ନାମ ହେବ।”
DAN 1:1 ଯିହୁଦାର ରାଜା ଯିହୋୟାକୀମ୍‍ର ଶାସନ କାଳର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍‍ନିତ୍ସର ଯିରୂଶାଲମକୁ ଆସି ତାହା ଅବରୋଧ କଲା।
DAN 1:2 ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍‍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହି ସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।
DAN 1:3 ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍‍, ରାଜକୀୟ ଓ କୁଳୀନ ବଂଶରୁ
DAN 1:4 ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍‍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍‍କୁ କହିଲା।
DAN 1:5 ଆଉ, ସେମାନେ ଯେପରି ତିନି ବର୍ଷର ଶେଷରେ ରାଜାଙ୍କ ନିକଟରେ ଠିଆ ହେବେ, ଏଥିପାଇଁ ରାଜା ସେମାନଙ୍କ ନିମନ୍ତେ ରାଜାର ଆହାରୀୟ ଦ୍ରବ୍ୟରୁ ଓ ପାନୀୟ ଦ୍ରାକ୍ଷାରସରୁ ଦୈନିକ ଅଂଶ ଦେବା ପାଇଁ ଓ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିପୋଷଣ କରିବା ପାଇଁ ନିରୂପଣ କଲା।
DAN 1:6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।
DAN 1:7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।
DAN 1:8 ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିଙ୍କୁ ନିବେଦନ କଲେ।
DAN 1:9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
DAN 1:10 ତହିଁରେ ନପୁଂସକାଧିପତି ଦାନିୟେଲଙ୍କୁ କହିଲା, ଯେ ତୁମ୍ଭମାନଙ୍କର ଭକ୍ଷ୍ୟ ଓ ପାନୀୟ ଦ୍ରବ୍ୟ ନିରୂପଣ କରିଅଛନ୍ତି, “ମୁଁ ଆପଣାର ପ୍ରଭୁ ସେହି ମହାରାଜାଙ୍କୁ ଭୟ କରେ; କାରଣ ସେ ତୁମ୍ଭମାନଙ୍କର ସମବୟସ୍କ ଯୁବାମାନଙ୍କର ମୁଖ ଅପେକ୍ଷା ତୁମ୍ଭମାନଙ୍କ ମୁଖ କାହିଁକି ମଳିନ ଦେଖିବେ? ତାହାହେଲେ, ତୁମ୍ଭେମାନେ ରାଜାଙ୍କ ନିକଟରେ ମୋର ମସ୍ତକକୁ ସଂଶୟାପନ୍ନ କରିବ।”
DAN 1:11 ତହିଁରେ ନପୁଂସକାଧିପତି ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟଙ୍କ ଉପରେ ଯେଉଁ ଗୃହାଧ୍ୟକ୍ଷକୁ ନିଯୁକ୍ତ କରିଥିଲା, ତାହାକୁ ଦାନିୟେଲ କହିଲେ;
DAN 1:12 “ଅନୁଗ୍ରହ କରି ଆପଣା ଦାସମାନଙ୍କୁ ଦଶ ଦିନ ପରୀକ୍ଷା କରନ୍ତୁ; ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ।
DAN 1:13 ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନକାରୀ ଯୁବାମାନଙ୍କର ମୁଖ ଦେଖାଯାଉ; ତହିଁରେ ଆପଣ ଯେପରି ଦେଖନ୍ତି, ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ।”
DAN 1:14 ତହିଁରେ ସେ ଏହି ବିଷୟରେ ସେମାନଙ୍କ କଥା ଗ୍ରାହ୍ୟ କରି ଦଶ ଦିନ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କଲା।
DAN 1:15 ପୁଣି, ଦଶ ଦିନର ଶେଷରେ ରାଜକୀୟ ଆହାର ଭୋଜନକାରୀ ସକଳ ଯୁବାଙ୍କ ମୁଖ ଅପେକ୍ଷା ସେମାନଙ୍କ ମୁଖ ସୁନ୍ଦର ଦେଖାଗଲା ଓ ସେମାନେ ଅଧିକ ହୃଷ୍ଟପୃଷ୍ଟ ଦେଖାଗଲେ।
DAN 1:16 ଏଥିରେ ଗୃହାଧ୍ୟକ୍ଷ ସେମାନଙ୍କର ସେହି ଭକ୍ଷ୍ୟ ଓ ପାନୀୟ ଦ୍ରାକ୍ଷାରସ ବନ୍ଦ କରି ସେମାନଙ୍କୁ ଶସ୍ୟ ଦେଲା।
DAN 1:17 ଆଉ, ପରମେଶ୍ୱର ସେହି ଚାରି ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ, ବୁଦ୍ଧି ଓ ନିପୁଣତା ଦେଲେ ପୁଣି, ଦାନିୟେଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
DAN 1:18 ଆଉ, ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ, ନପୁଂସକାଧିପତି ସେମାନଙ୍କୁ ନବୂଖଦ୍‍ନିତ୍ସରର ଛାମୁକୁ ଆଣିଲା।
DAN 1:19 ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖାଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।
DAN 1:20 ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।
DAN 1:21 ପୁଣି, ଦାନିୟେଲ କୋରସ୍‍ ରାଜାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ।
DAN 2:1 ଏଥିଉତ୍ତାରେ ନବୂଖଦ୍‍ନିତ୍ସରର ଶାସନ କାଳର ଦ୍ୱିତୀୟ ବର୍ଷରେ, ନବୂଖଦ୍‍ନିତ୍ସର ସ୍ୱପ୍ନ ଦେଖିଲା; ତହିଁରେ ତାହାର ଆତ୍ମା ଉଦ୍‍ବିଗ୍ନ ହେଲା ଓ ତାହାର ନିଦ୍ରା ଭଗ୍ନ ହେଲା।
DAN 2:2 ତହୁଁ ରାଜାକୁ ତାହାର ସ୍ୱପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍‍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ।
DAN 2:3 ପୁଣି, ରାଜା ସେମାନଙ୍କୁ କହିଲା, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି, ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ମନ ଚିନ୍ତିତ ହେଉଅଛି।”
DAN 2:4 ତହିଁରେ କଲ୍‍ଦୀୟମାନେ ଅରାମୀୟ ଭାଷାରେ ରାଜାକୁ କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ; ଆପଣଙ୍କ ଦାସମାନଙ୍କୁ ସ୍ୱପ୍ନଟି ଜଣାଉନ୍ତୁ, ଆମ୍ଭେମାନେ ତହିଁର ଅର୍ଥ ପ୍ରକାଶ କରିବୁ।”
DAN 2:5 ରାଜା କଲ୍‍ଦୀୟମାନଙ୍କୁ ଉତ୍ତର ଦେଇ କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି; ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋତେ ନ ଜଣାଅ, ତେବେ ତୁମ୍ଭେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବ ଓ ତୁମ୍ଭମାନଙ୍କର ଗୃହ ଖତରାଶି କରାଯିବ।
DAN 2:6 ମାତ୍ର ଯଦି ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼ ଠାରୁ ଦାନ, ପୁରସ୍କାର ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର।”
DAN 2:7 ସେମାନେ ଦ୍ୱିତୀୟ ଥର ଉତ୍ତର ଦେଇ କହିଲେ, “ମହାରାଜା, ଆପଣା ଦାସମାନଙ୍କୁ ସ୍ୱପ୍ନଟି ଜଣାଉନ୍ତୁ, ତହିଁରେ ଆମ୍ଭେମାନେ ଅର୍ଥ ପ୍ରକାଶ କରିବୁ।”
DAN 2:8 ରାଜା ଉତ୍ତର କରି କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି, ଏହା ଦେଖି ତୁମ୍ଭେମାନେ ସମୟ ବିଳମ୍ବ କରିବାର ଇଚ୍ଛା କରୁଅଛ, ଏହା ମୁଁ ନିଶ୍ଚୟ ଜାଣେ।
DAN 2:9 ମାତ୍ର ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା-ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
DAN 2:10 କଲ୍‍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରି ପାରିବ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ; କାରଣ କୌଣସି ରାଜା, ପ୍ରଭୁ କିଅବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିଅବା ଗଣକକୁ ଅଥବା କଲ୍‍ଦୀୟକୁ ଏପରି କଥା ପଚାରି ନାହାନ୍ତି।
DAN 2:11 ପୁଣି, ମହାରାଜା ଯାହା ଚାହାନ୍ତି, ତାହା ଅସାଧାରଣ ବିଷୟ ଓ ଯେଉଁମାନଙ୍କର ନିବାସ ମାଂସ ଦେହରେ ନୁହେଁ, ସେହି ଦେବଗଣ ବିନୁ ଆଉ କେହି ମହାରାଜାଙ୍କ ଛାମୁରେ ତାହା ପ୍ରକାଶ କରି ନ ପାରେ।”
DAN 2:12 ଏହି କାରଣରୁ ରାଜା କ୍ରୁଦ୍ଧ ଓ ପ୍ରଚଣ୍ଡ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ୍‍ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲା।
DAN 2:13 ତହିଁରେ ଆଜ୍ଞା ପ୍ରଚାରିତ ହେଲା ଯେ, ବିଦ୍ୱାନ୍‍ ଲୋକମାନେ ହତ ହେବେ; ଆଉ, ଲୋକମାନେ ଦାନିୟେଲ ଓ ତାଙ୍କର ସଙ୍ଗୀମାନଙ୍କୁ ବଧ କରିବା ପାଇଁ ଅନ୍ଵେଷଣ କଲେ।
DAN 2:14 ସେତେବେଳେ ଅରୀୟୋକ୍‍ ନାମକ ଯେଉଁ ରାଜସେନାପତି ବାବିଲୀୟ ବିଦ୍ୱାନ୍‍ମାନଙ୍କୁ ବଧ କରିବା ପାଇଁ ନିର୍ଗତ ହୋଇଥିଲା, ତାହାକୁ ଦାନିୟେଲ ବିବେଚନାରେ ଓ ଜ୍ଞାନରେ ଉତ୍ତର ଦେଲେ;
DAN 2:15 ସେ ରାଜସେନାପତି ଅରୀୟୋକ୍‍କୁ ଉତ୍ତର କରି କହିଲେ, “ରାଜାଜ୍ଞା ଏଡ଼େ ବ୍ୟଗ୍ର କାହିଁକି?” ତହିଁରେ ଅରୀୟୋକ୍‍ ଦାନିୟେଲଙ୍କୁ ବୃତ୍ତାନ୍ତ ଜଣାଇଲା।
DAN 2:16 ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆପଣା ପାଇଁ ଗୋଟିଏ ସମୟ ନିରୂପଣ କରିବାକୁ ପ୍ରାର୍ଥନା କଲେ, ତାହା କଲେ ମହାରାଜାଙ୍କ ନିକଟରେ ସ୍ୱପ୍ନର ଅର୍ଥ ପ୍ରକାଶ କରିବି ବୋଲି କହିଲେ।
DAN 2:17 ଏଥିରେ ଦାନିୟେଲ ଆପଣା ଗୃହକୁ ଗଲେ, ଆଉ ସେ ଓ ତାଙ୍କର ସଙ୍ଗୀମାନେ ଯେପରି ବାବିଲର ଅନ୍ୟାନ୍ୟ ବିଦ୍ୱାନ୍‍ମାନଙ୍କ ସଙ୍ଗେ ବିନଷ୍ଟ ନୋହିବେ,
DAN 2:18 ଏଥିପାଇଁ ଏହି ନିଗୂଢ଼ ବିଷୟରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆପଣା ସଙ୍ଗୀ ହନାନୀୟ, ମୀଶାୟେଲ ଓ ଅସରୀୟକୁ ସେହି ବୃତ୍ତାନ୍ତ ଜଣାଇଲେ।
DAN 2:19 ଏଥିଉତ୍ତାରେ ରାତ୍ରିକାଳୀନ ଦର୍ଶନରେ ସେହି ନିଗୂଢ଼ ବିଷୟ ଦାନିୟେଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ।
DAN 2:20 ଦାନିୟେଲ ଉତ୍ତର କରି କହିଲେ, “ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ଜ୍ଞାନ ଓ ପରାକ୍ରମ ତାହାଙ୍କର;
DAN 2:21 ଆଉ, ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି; ସେ ରାଜାଗଣକୁ ପଦଚ୍ୟୁତ କରନ୍ତି ଓ ରାଜାଗଣକୁ ପଦସ୍ଥ କରନ୍ତି; ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ବିବେଚନା ଦିଅନ୍ତି;
DAN 2:22 ସେ ଗଭୀର ଓ ଗୁପ୍ତ ବିଷୟସବୁ ପ୍ରକାଶ କରନ୍ତି; ଅନ୍ଧକାରରେ ଯାହା ଅଛି, ତାହା ସେ ଜାଣନ୍ତି ଓ ତାହାଙ୍କ ନିକଟରେ ଜ୍ୟୋତିଃ ବାସ କରଇ।
DAN 2:23 ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି, ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ ଓ ତୁମ୍ଭ ନିକଟରେ ଆମ୍ଭମାନଙ୍କର ନିବେଦନର ବିଷୟ ଏବେ ମୋତେ ଜଣାଇଅଛ; କାରଣ ତୁମ୍ଭେ ରାଜାର କଥା ଆମ୍ଭମାନଙ୍କୁ ଜଣାଇଅଛ।”
DAN 2:24 ଏହେତୁ ବାବିଲୀୟ ବିଦ୍ୱାନ୍‍ଗଣକୁ ବିନାଶ କରିବା ପାଇଁ ରାଜାର ନିଯୁକ୍ତ ଅରୀୟୋକ୍‍ ନିକଟକୁ ଦାନିୟେଲ ଗଲେ; ସେ ଯାଇ ତାହାକୁ ଏହିପରି କହିଲେ, “ବାବିଲୀୟ ବିଦ୍ୱାନ୍‍ମାନଙ୍କୁ ବଧ ନ କରନ୍ତୁ; ରାଜାଙ୍କ ଛାମୁକୁ ମୋତେ ନେଇ ଯାଉନ୍ତୁ, ମୁଁ ରାଜାଙ୍କ ନିକଟରେ ଅର୍ଥ ପ୍ରକାଶ କରିବି।”
DAN 2:25 ତହିଁରେ ଅରୀୟୋକ୍‍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଇ ରାଜାକୁ ଏରୂପ କହିଲା, “ନିର୍ବାସିତ ଯିହୁଦାର ସନ୍ତାନଗଣ ମଧ୍ୟରେ ମୁଁ ଜଣେ ମନୁଷ୍ୟ ପାଇଅଛି, ସେ ମହାରାଜାଙ୍କୁ ଅର୍ଥ ଜଣାଇବେ।”
DAN 2:26 ରାଜା ସେହି ଦାନିୟେଲ, ଯାହାଙ୍କ ନାମ ବେଲ୍‍ଟଶତ୍ସର ଥିଲା, ତାଙ୍କୁ ଉତ୍ତର କରି କହିଲା, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର?”
DAN 2:27 ଦାନିୟେଲ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ୱାନ୍‍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରିପାରନ୍ତି ନାହିଁ;
DAN 2:28 ମାତ୍ର ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ଏପରି ଏକ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ଆଉ ଅନ୍ତିମ କାଳରେ ଯାହା ଯାହା ଘଟିବ, ତାହା ସେ ମହାରାଜା ନବୂଖଦ୍‍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଆପଣଙ୍କ ସ୍ୱପ୍ନ ଓ ଶଯ୍ୟା ଉପରେ ଆପଣଙ୍କ ମନର ଦର୍ଶନ ଏହି;
DAN 2:29 ହେ ମହାରାଜ, ଶଯ୍ୟା ଉପରେ ଆପଣଙ୍କ ମନରେ ଭବିଷ୍ୟଦ୍‍ ଘଟଣା ବିଷୟକ ଚିନ୍ତା ଉପସ୍ଥିତ ହେଲା; ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେ ଯାହା ଘଟିବ, ତାହା ଆପଣଙ୍କ ପ୍ରତି ପ୍ରକାଶ କରିଅଛନ୍ତି।
DAN 2:30 ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋʼ ର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପ୍ରକାଶିତ ହୋଇଅଛି, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ ପ୍ରତି ପ୍ରକାଶିତ ହୋଇଅଛି।
DAN 2:31 ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।
DAN 2:32 ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ,
DAN 2:33 ତାହାର ଚରଣ ଲୌହମୟ ଓ ତାହାର ପାଦର କିଛି ଅଂଶ ଲୌହମୟ, କିଛି ମୃତ୍ତିକାମୟ ଥିଲା।
DAN 2:34 ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା।
DAN 2:35 ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।
DAN 2:36 ସ୍ୱପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ।
DAN 2:37 ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।
DAN 2:38 ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟ-ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।
DAN 2:39 ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।
DAN 2:40 ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ।
DAN 2:41 ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।
DAN 2:42 ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ।
DAN 2:43 ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ।
DAN 2:44 ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାପି ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।
DAN 2:45 କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥିଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇଅଛନ୍ତି; ପୁଣି, ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।”
DAN 2:46 ସେତେବେଳେ ରାଜା ନବୂଖଦ୍‍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲା।
DAN 2:47 ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, “ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ୱର ଈଶ୍ୱରଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି।”
DAN 2:48 ତହୁଁ ରାଜା ଦାନିୟେଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲା, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ୱାନ୍‍ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲା।
DAN 2:49 ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।
DAN 3:1 ରାଜା ନବୂଖଦ୍‍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅ ହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା; ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସେ ତାହା ସ୍ଥାପନ କଲା।
DAN 3:2 ତହିଁରେ ରାଜା ନବୂଖଦ୍‍ନିତ୍ସର ସେହି ଯେଉଁ ପ୍ରତିମା ସ୍ଥାପନ କରିଥିଲା, ତାହାର ପ୍ରତିଷ୍ଠା କରିବାକୁ ଆସିବା ପାଇଁ କ୍ଷିତିପାଳମାନଙ୍କୁ, ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷଗଣଙ୍କୁ, ବିଚାରକର୍ତ୍ତାଗଣଙ୍କୁ, କୋଷାଧ୍ୟକ୍ଷଗଣଙ୍କୁ, ବ୍ୟବସ୍ଥାପକଗଣଙ୍କୁ, ବେବର୍ତ୍ତାଗଣଙ୍କୁ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣଙ୍କୁ ଏକତ୍ର କରିବା ପାଇଁ ରାଜା ନବୂଖଦ୍‍ନିତ୍ସର ଲୋକ ପ୍ରେରଣ କଲା।
DAN 3:3 ତହିଁରେ କ୍ଷିତିପାଳମାନେ, ରାଜପ୍ରତିନିଧିମାନେ ଓ ଦେଶାଧ୍ୟକ୍ଷଗଣ, ବିଚାରକର୍ତ୍ତାଗଣ, କୋଷାଧ୍ୟକ୍ଷଗଣ, ବ୍ୟବସ୍ଥାପକଗଣ, ବେବର୍ତ୍ତାଗଣ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣ, ରାଜା ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାର ପ୍ରତିଷ୍ଠା କରିବା ପାଇଁ ଏକତ୍ର ହେଲେ, ଆଉ ସେମାନେ ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ।
DAN 3:4 ତହୁଁ ଘୋଷକ ଉଚ୍ଚସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ନାନା ଭାଷାବାଦୀଗଣ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଯାଉଅଛି,
DAN 3:5 ଯେଉଁ ସମୟରେ ତୁମ୍ଭେମାନେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ ଓ ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖଦ୍‍ନିତ୍ସରଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମା ସମ୍ମୁଖରେ ଉବୁଡ଼ ହୋଇ ପ୍ରଣାମ କରିବ।
DAN 3:6 ପୁଣି, ଯେକୌଣସି ଲୋକ ମୁହଁ ମାଡ଼ି ପ୍ରଣାମ ନ କରିବ, ସେ ସେହି ଦଣ୍ଡରେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ।”
DAN 3:7 ଏହେତୁରୁ ଯେତେବେଳେ ସମସ୍ତ ଲୋକ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁ ପ୍ରକାର ବାଦ୍ୟ ଶୁଣିଲେ, ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀୟ ବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କଲେ।
DAN 3:8 ଏଥିପାଇଁ ସେହି ସମୟରେ କେତେକ କଲ୍‍ଦୀୟ ଲୋକ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ।
DAN 3:9 ସେମାନେ ନବୂଖଦ୍‍ନିତ୍ସର ରାଜାକୁ ଉତ୍ତର କରି କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ।
DAN 3:10 ହେ ମହାରାଜ, ଆପଣ ଆଜ୍ଞା କରିଅଛନ୍ତି ଯେ, ଯେକେହି ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେ ଉବୁଡ଼ ହୋଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ;
DAN 3:11 ପୁଣି, ଯେକୌଣସି ଲୋକ ଉବୁଡ଼ ହୋଇ ପ୍ରଣାମ ନ କରିବ, ସେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ;
DAN 3:12 ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।”
DAN 3:13 ତହିଁରେ ନବୂଖଦ୍‍ନିତ୍ସର ପ୍ରଚଣ୍ଡ କ୍ରୋଧ ଓ କୋପରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ଆଣିବା ପାଇଁ ଆଜ୍ଞା କଲା। ତହୁଁ ଲୋକମାନେ ସେମାନଙ୍କୁ ରାଜାର ଛାମୁକୁ ଆଣିଲେ।
DAN 3:14 ନବୂଖଦ୍‍ନିତ୍ସର ସେମାନଙ୍କୁ ଉତ୍ତର କରି କହିଲା, “ହେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ କି ମନସ୍ଥ ହୋଇ ମୋର ଦେବତାର ସେବା କରୁ ନାହଁ, କିଅବା ମୋʼ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହଁ?
DAN 3:15 ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋʼ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବ?”
DAN 3:16 ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ରାଜାକୁ ଉତ୍ତର କରି କହିଲେ, “ହେ ନବୂଖଦ୍‍ନିତ୍ସର, ଏହି ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।
DAN 3:17 ଯଦି ସେହିପରି ହୁଏ, ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
DAN 3:18 ମାତ୍ର ଯଦି ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେଉନ୍ତୁ।”
DAN 3:19 ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।
DAN 3:20 ପୁଣି, ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା।
DAN 3:21 ତହୁଁ ସେହି ପୁରୁଷମାନେ ଆପଣା ଆପଣା ପାୟଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ।
DAN 3:22 ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା, ଏଥିପାଇଁ ଯେଉଁ ଲୋକମାନେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ଟେକି ଧରିଥିଲେ, ସେମାନେ ଅଗ୍ନିଶିଖାରେ ହତ ହେଲେ।
DAN 3:23 ପୁଣି ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ଏହି ତିନି ଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ।
DAN 3:24 ଏଥିରେ ରାଜା ନବୂଖଦ୍‍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣା ମନ୍ତ୍ରୀମାନଙ୍କୁ କହିଲା, “ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନ ଥିଲୁ?” ସେମାନେ ରାଜାକୁ ଉତ୍ତର କରି କହିଲେ, “ସତ୍ୟ ମହାରାଜ।”
DAN 3:25 ରାଜା ଉତ୍ତର କରି କହିଲା, “ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ; ପୁଣି, ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ।”
DAN 3:26 ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।”
DAN 3:27 ପୁଣି, କ୍ଷିତିପାଳ, ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ, ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରି ନାହିଁ, କିଅବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇ ନାହିଁ, ଅଥବା ସେମାନଙ୍କର ପାୟଜାମା ବିକୃତ ହୋଇ ନାହିଁ, କିଅବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ।
DAN 3:28 ନବୂଖଦ୍‍ନିତ୍ସର କହିଲା, “ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।
DAN 3:29 ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବେ ଓ ସେମାନଙ୍କର ଗୃହ ଖତରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।”
DAN 3:30 ଏଥିରେ ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା।
DAN 4:1 ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍‍ନିତ୍ସର ରାଜାର (ବିଜ୍ଞାପନ); “ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ।
DAN 4:2 ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ ବୋଧ ହେଲା।
DAN 4:3 ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
DAN 4:4 ମୁଁ ନବୂଖଦ୍‍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।
DAN 4:5 ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।
DAN 4:6 ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍‍ ଲୋକଙ୍କୁ ମୋʼ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;
DAN 4:7 ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନେ ମୋʼ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।
DAN 4:8 ମାତ୍ର ଅବଶେଷରେ ମୋʼ ଦେବତାର ନାମାନୁସାରେ ବେଲ୍‍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋʼ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,
DAN 4:9 ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍‍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।
DAN 4:10 ଶଯ୍ୟା ଉପରେ ମୋʼ ମନର ଦର୍ଶନ ଏହି ପ୍ରକାର ଥିଲା; ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ।
DAN 4:11 ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା, ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା।
DAN 4:12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ।
DAN 4:13 ମୁଁ ଶଯ୍ୟା ଉପରେ ମୋʼ ମନର ଦର୍ଶନକ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
DAN 4:14 ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ‘ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚି ଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।
DAN 4:15 ତଥାପି ଭୂମିରେ ତାହାର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ;
DAN 4:16 ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।
DAN 4:17 ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।’
DAN 4:18 ମୁଁ ରାଜା ନବୂଖଦ୍‍ନିତ୍ସର ଏହି ସ୍ୱପ୍ନ ଦେଖିଅଛି; ଏବେ ହେ ବେଲ୍‍ଟଶତ୍ସର, ତୁମ୍ଭେ ଅର୍ଥ ଜଣାଅ, କାରଣ ମୋʼ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ୍‍ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି; ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି।”
DAN 4:19 ତହିଁରେ ବେଲ୍‍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍‍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ।” ବେଲ୍‍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
DAN 4:20 ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା;
DAN 4:21 ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା;
DAN 4:22 ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
DAN 4:23 ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।
DAN 4:24 ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି।
DAN 4:25 ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
DAN 4:26 ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ।
DAN 4:27 ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।”
DAN 4:28 ରାଜା ନବୂଖଦ୍‍ନିତ୍ସର ପ୍ରତି ଏହିସବୁ ଘଟିଲା।
DAN 4:29 ବାର ମାସର ଶେଷରେ ସେ ବାବିଲର ରାଜପ୍ରାସାଦରେ ବୁଲୁଥିଲା।
DAN 4:30 “ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?”
DAN 4:31 ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, “ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।
DAN 4:32 ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
DAN 4:33 ସେହି ଦଣ୍ଡରେ ନବୂଖଦ୍‍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
DAN 4:34 ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
DAN 4:35 ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ “ତୁମ୍ଭେ କʼଣ କରୁଅଛ” ଏହା ତାହାଙ୍କୁ କହି ନ ପାରେ।
DAN 4:36 ସେହି ସମୟରେ ମୋʼ ବୁଦ୍ଧି ମୋʼ କତିକି ଫେରି ଆସିଲା ଓ ମୋʼ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋʼ କତିକି ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା।
DAN 4:37 ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।
DAN 5:1 ରାଜା ବେଲ୍‍ଶତ୍ସର ଆପଣାର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା।
DAN 5:2 ପୁଣି, ତାହାର ପିତା ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍‍ଶତ୍ସର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା।
DAN 5:3 ତହିଁରେ ଯିରୂଶାଲମସ୍ଥ ମନ୍ଦିରରୁ, ଅର୍ଥାତ୍‍, ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ; ପୁଣି, ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ସବୁରେ ପାନ କଲେ।
DAN 5:4 ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ।
DAN 5:5 ସେହି ଦଣ୍ଡରେ ମନୁଷ୍ୟ ହସ୍ତର ଅଙ୍ଗୁଳି ଆସି ରାଜପ୍ରାସାଦର କାନ୍ଥର ଲେପନ ଉପରେ ଦୀପାଧାରର ନିକଟରେ ଲେଖିଲା, ଆଉ ହସ୍ତର ଯେଉଁ ଅଂଶ ଲେଖିଲା, ରାଜା ତାହା ଦେଖିଲା।
DAN 5:6 ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍‍ବିଗ୍ନ କଲା; ପୁଣି, ତାହାର କଟିଦେଶରେ ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା।
DAN 5:7 ରାଜା ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍‍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”
DAN 5:8 ତହିଁରେ ରାଜାର ସମସ୍ତ ବିଦ୍ୱାନ୍‍ ଲୋକ ଭିତରକୁ ଆସିଲେ; ମାତ୍ର ସେମାନେ ଲେଖା ପଢ଼ି ପାରିଲେ ନାହିଁ, କିଅବା ରାଜାକୁ ତହିଁର ଅର୍ଥ ଜଣାଇ ପାରିଲେ ନାହିଁ।
DAN 5:9 ତେଣୁ ରାଜା ବେଲ୍‍ଶତ୍ସର ଅତିଶୟ ଉଦ୍‍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।
DAN 5:10 ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍‍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍‍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ।
DAN 5:11 ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍‍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ;
DAN 5:12 କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍‍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।”
DAN 5:13 ତହୁଁ ଦାନିୟେଲଙ୍କୁ ରାଜାର ଛାମୁକୁ ଅଣାଗଲା ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜା ଯିହୁଦା ଦେଶରୁ ଯେଉଁମାନଙ୍କୁ ଆଣିଥିଲେ, ସେହି ନିର୍ବାସିତ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଯେଉଁ ଦାନିୟେଲ ଥିଲେ, ସେ କି ତୁମ୍ଭେ?
DAN 5:14 ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ।
DAN 5:15 ବର୍ତ୍ତମାନ ଏହି ଲେଖା ପଢ଼ିବା ପାଇଁ ଓ ତହିଁର ଅର୍ଥ ମୋତେ ଜଣାଇବା ପାଇଁ ବିଦ୍ୱାନ୍‍ ଓ ଗଣକମାନେ ମୋʼ ନିକଟକୁ ଅଣା ଯାଇଅଛନ୍ତି; ମାତ୍ର ସେମାନେ ତହିଁର ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
DAN 5:16 ମାତ୍ର ତୁମ୍ଭ ବିଷୟରେ ମୁଁ ଶୁଣିଅଛି ଯେ, ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଦୂର କରିପାର; ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇପାର, ତେବେ ତୁମ୍ଭେ ବାଇଗଣିଆ ବର୍ଣ୍ଣର ବସ୍ତ୍ରରେ ବସ୍ତ୍ରାନ୍ୱିତ ହେବ, ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଦିଆଯିବ ଓ ତୁମ୍ଭେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”
DAN 5:17 ସେତେବେଳେ ଦାନିୟେଲ ରାଜାର ଛାମୁରେ ଉତ୍ତର କରି କହିଲେ, “ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି।
DAN 5:18 ହେ ମହାରାଜ, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍‍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ;
DAN 5:19 ଆଉ, ସେ ତାଙ୍କୁ ଏପରି ମହିମା ଦେବାରୁ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ; ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ବଧ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଜୀବିତ ରଖିଲେ; ପୁଣି, ଯାହାକୁ ତାଙ୍କର ଇଚ୍ଛା, ସେ ତାହାକୁ ଉନ୍ନତ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଅବନତ କଲେ।
DAN 5:20 ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା,
DAN 5:21 ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି।
DAN 5:22 ଆଉ ହେ ବେଲ୍‍ଶତ୍ସର, ତାଙ୍କର ପୁତ୍ର ଯେ ଆପଣ, ଆପଣ ଏସବୁ ଜାଣିଲେ ହେଁ ଆପଣା ଅନ୍ତଃକରଣ ନମ୍ର କରି ନାହାନ୍ତି;
DAN 5:23 ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାʼନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେହି ସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।
DAN 5:24 ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା।
DAN 5:25 ପୁଣି, ଯାହା ଲିଖିତ ହେଲା, ତାହା ଏହି, ମିନେ ମିନେ, ତକେଲ, ଉପାରସୀନ।
DAN 5:26 ଏହାର ଅର୍ଥ ଏହି ମିନେ, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
DAN 5:27 ତକେଲ, ଆପଣ ନିକ୍ତିରେ ତୌଲା ଯାଇଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
DAN 5:28 ପୀରସ୍‍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”
DAN 5:29 ସେତେବେଳେ ବେଲ୍‍ଶତ୍ସର ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣ ହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ, ତାଙ୍କ ବିଷୟରେ ଏହା ଘୋଷଣା କଲେ।
DAN 5:30 ସେହି ରାତ୍ରିରେ କଲ୍‍ଦୀୟମାନଙ୍କର ରାଜା ବେଲ୍‍ଶତ୍ସର ବଧ କରାଗଲା।
DAN 5:31 ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।
DAN 6:1 ଦାରୀୟାବସ ସମୁଦାୟ ରାଜ୍ୟରେ ଏକ ଶହ କୋଡ଼ିଏ ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ
DAN 6:2 ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ ତିନି ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା; ଏହି ତିନି ଜଣ ମଧ୍ୟରେ ଦାନିୟେଲ ଏକ ଜଣ ଥିଲେ।
DAN 6:3 ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।
DAN 6:4 ଏଥିରେ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ରାଜକର୍ମ ବିଷୟରେ ଦାନିୟେଲଙ୍କର ଦୋଷ ଅନୁସନ୍ଧାନ କଲେ; ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇ ପାରିଲେ ନାହିଁ, କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ଦେଖାଗଲା ନାହିଁ।
DAN 6:5 ତହୁଁ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ବ୍ୟବସ୍ଥା ସମ୍ବନ୍ଧରେ, ତାହାର ଦୋଷ ନ ଧରିଲେ ଆଉ କୌଣସି ବିଷୟରେ ଦୋଷ ପାଇବା ନାହିଁ।”
DAN 6:6 ଏଥିରେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନେ ରାଜା ନିକଟରେ ଏକତ୍ର ହୋଇ ତାହାକୁ ଏହି ପ୍ରକାର କହିଲେ, “ମହାରାଜ ଦାରୀୟାବସ, ଚିରଜୀବୀ ହେଉନ୍ତୁ।
DAN 6:7 ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ।
DAN 6:8 ଏବେ ହେ ମହାରାଜ, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ-ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।”
DAN 6:9 ଏଣୁ ରାଜା ଦାରୀୟାବସ ସେହି ଲେଖା ଓ ନିଷେଧ-ବିଧିରେ ସ୍ୱାକ୍ଷର କଲା।
DAN 6:10 ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାʼନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।
DAN 6:11 ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିୟେଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ।
DAN 6:12 ସେତେବେଳେ ସେମାନେ ରାଜାର ନିକଟକୁ ଯାଇ ରାଜକୀୟ ନିଷେଧ-ବିଧି ବିଷୟରେ ତାଙ୍କ ଛାମୁରେ କହିଲେ, ଯଥା; “ହେ ମହାରାଜ, ଯେଉଁ କୌଣସି ଲୋକ ତିରିଶ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ, ଏପରି ଏକ ନିଷେଧ ପତ୍ରରେ କି ଆପଣ ସ୍ୱାକ୍ଷର କରି ନାହାନ୍ତି?” ରାଜା ଉତ୍ତର କରି କହିଲା, “ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”
DAN 6:13 ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ।”
DAN 6:14 ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା।
DAN 6:15 ଏଥିରେ ସେହି ଲୋକମାନେ ରାଜାର ନିକଟରେ ଏକତ୍ର ହୋଇ ରାଜାକୁ କହିଲେ, “ହେ ମହାରାଜ, ଆପଣ ଜାଣନ୍ତୁ, ରାଜା କୌଣସି ନିଷେଧାଜ୍ଞା ଅବା ବିଧି ସ୍ଥାପନ କଲେ, ତାହା ଯେ ପରିବର୍ତ୍ତିତ ହୋଇ ନ ପାରେ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି।”
DAN 6:16 ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, “ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।”
DAN 6:17 ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା।
DAN 6:18 ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା।
DAN 6:19 ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା।
DAN 6:20 ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି?”
DAN 6:21 ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ।”
DAN 6:22 ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।
DAN 6:23 ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
DAN 6:24 ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ।
DAN 6:25 ସେତେବେଳେ ଦାରୀୟାବସ ସମୁଦାୟ ପୃଥିବୀନିବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କ ନିକଟକୁ ପତ୍ର ଲେଖିଲା; “ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟ ରୂପରେ ଶାନ୍ତି ହେଉ।
DAN 6:26 ମୁଁ ଏହି ଆଜ୍ଞା କରୁଅଛି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ; ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ।
DAN 6:27 ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”
DAN 6:28 ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ୱ ସମୟରେ ଓ ପାରସିକ କୋରସ୍‍ର ରାଜତ୍ୱ ସମୟରେ ଉନ୍ନତି ଲାଭ କଲେ।
DAN 7:1 ବାବିଲର ରାଜା ବେଲ୍‍ଶତ୍ସରର ରାଜତ୍ଵର ପ୍ରଥମ ବର୍ଷରେ ଦାନିୟେଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ; ତହୁଁ ସେ ସେହି ସ୍ୱପ୍ନ ଲେଖି କଥାର ସାର ପ୍ରକାଶ କଲେ।
DAN 7:2 ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ଦର୍ଶନକ୍ରମେ ଦେଖିଲି ଯେ, ଦେଖ, ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା।
DAN 7:3 ପୁଣି, ଏକଆରେକଠାରୁ ଭିନ୍ନ ଚାରି ବୃହତ ପଶୁ ସମୁଦ୍ରରୁ ଉଠି ଆସିଲେ।
DAN 7:4 ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କ୍ରୋଶ ପକ୍ଷୀ ପରି ତାହାର ଡେଣା ଥିଲା; ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି ଦୁଇ ଚରଣରେ ତାକୁ ଠିଆ କରାଗଲା, ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।
DAN 7:5 ଏଥିଉତ୍ତାରେ ଦେଖ, ଆଉ ଗୋଟିଏ, ଅର୍ଥାତ୍‍, ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ଡ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ‘ଉଠ, ଅନେକ ଲୋକଙ୍କୁ ଗ୍ରାସ କର।’
DAN 7:6 ଏଉତ୍ତାରେ ମୁଁ ଦେଖିଲି, ଦେଖ, ଚିତାବାଘ ସଦୃଶ ଆଉ ଗୋଟିଏ ପଶୁ, ତାହାର ପିଠିରେ ପକ୍ଷୀର ଚାରି ଡେଣା ଥିଲା; ମଧ୍ୟ ସେ ପଶୁର ଚାରି ମସ୍ତକ ଥିଲା ଆଉ, ତାହାକୁ କର୍ତ୍ତୃତ୍ୱ ଦିଆଗଲା।
DAN 7:7 ଏଥିଉତ୍ତାରେ ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଦେଖ, ଚତୁର୍ଥ ପଶୁ, ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ ଓ ତାହାର ବଡ଼ ବଡ଼ ଲୌହମୟ ଦନ୍ତ ଥିଲା; ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ଯାହା ରହିଲା, ତାହା ପଦ ତଳେ ଦଳିତ କଲା; ଆଉ, ସେ ତାହାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ; ପୁଣି ତାହାର ଦଶ ଶୃଙ୍ଗ ଥିଲା।
DAN 7:8 ମୁଁ ସେହି ଶୃଙ୍ଗମାନର ବିଷୟ ଭାବନା କରୁ କରୁ ଦେଖ, ସେହିସବୁର ମଧ୍ୟରେ ଆଉ ଗୋଟିଏ ଶୃଙ୍ଗ ଉଠିଲା, ତାହା କ୍ଷୁଦ୍ର, ତାହା ସମ୍ମୁଖରେ ପ୍ରଥମ ଶୃଙ୍ଗମାନର ମଧ୍ୟରୁ ତିନିଗୋଟି ଶୃଙ୍ଗ ସମୂଳେ ଉତ୍ପାଟିତ ହେଲା; ପୁଣି ଦେଖ, ଏହି ଶୃଙ୍ଗରେ ମନୁଷ୍ୟର ଚକ୍ଷୁ ତୁଲ୍ୟ ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା।
DAN 7:9 ମୁଁ ଦେଖୁ ଦେଖୁ, କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନିଶିଖାମୟ ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି।
DAN 7:10 ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା; ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ ଓ ଅୟୁତ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାର-ସଭା ବସିଲା ଓ ପୁସ୍ତକମାନ ଫିଟାଗଲା।
DAN 7:11 ସେହି ଶୃଙ୍ଗର କଥିତ ଦର୍ପ-ବାକ୍ୟର ରବ ସକାଶୁ ସେହି ସମୟରେ ମୁଁ ଅନାଇଲି; ମୁଁ ଦେଖିଲି ଯେ, ଶେଷରେ ସେ ପଶୁ ହତ ହେଲା ଓ ତାହାର ଶରୀର ବିନଷ୍ଟ ହେଲା ଓ ସେ ଅଗ୍ନିରେ ଦଗ୍ଧ ହେବା ପାଇଁ ସମର୍ପିତ ହେଲା।
DAN 7:12 ପୁଣି, ଅନ୍ୟ ପଶୁମାନଙ୍କଠାରୁ ସେମାନଙ୍କର କର୍ତ୍ତୃତ୍ୱ ନିଆଗଲା; ତଥାପି ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସେମାନଙ୍କର ଆୟୁ ଦୀର୍ଘ କରାଗଲା।
DAN 7:13 ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ, ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ; ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ।
DAN 7:14 ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।
DAN 7:15 ମୁଁ ଦାନିୟେଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।
DAN 7:16 ମୋର ନିକଟରେ ଯେଉଁମାନେ ଠିଆ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏକ ଜଣର ନିକଟକୁ ମୁଁ ଯାଇ ଏସବୁର ତଥ୍ୟ ପଚାରିଲି। ତହିଁରେ ସେ ମୋତେ ସେହିସବୁର ଅର୍ଥ ଜଣାଇ କହିଲେ।
DAN 7:17 ‘ସେହି ଚାରି ବୃହତ ପଶୁ ଚାରି ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ।
DAN 7:18 ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିରକାଳ, ଅର୍ଥାତ୍‍, ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’
DAN 7:19 ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୌହମୟ ଓ ନଖସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି;
DAN 7:20 ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍‍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।
DAN 7:21 ମୁଁ ଦେଖିଲି, ଆଉ ସେହି ଶୃଙ୍ଗ ପବିତ୍ରଗଣଙ୍କ ସଙ୍ଗେ ଯୁଦ୍ଧ କଲା ଓ ସେମାନଙ୍କୁ ଜୟ କଲା;
DAN 7:22 ଶେଷରେ ସେହି ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ବିଚାର ଭାର ଦତ୍ତ ହେଲା ଓ ପବିତ୍ରଗଣଙ୍କର ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା।
DAN 7:23 ସେ ଏହିରୂପେ କହିଲେ, ‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ, ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ, ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ ତାହା ଭାଙ୍ଗି ପକାଇବ।
DAN 7:24 ପୁଣି, ସେହି ଦଶ ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ, ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ; ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ। ସେ ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ ଓ ସେ ତିନି ରାଜାଙ୍କୁ ଦମନ କରିବ।
DAN 7:25 ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ; ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।
DAN 7:26 ମାତ୍ର ବିଚାର-ସଭା ବସିବ ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ।
DAN 7:27 ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା, ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ; ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।’
DAN 7:28 ଏଠାରେ ବୃତ୍ତାନ୍ତର ଶେଷ ମୁଁ ଦାନିୟେଲ, ମୋର ଭାବନା ମୋତେ ଉଦ୍‍ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା, ମାତ୍ର ମୁଁ ସେ କଥା ଆପଣା ମନରେ ରଖିଲି।”
DAN 8:1 ବେଲ୍‍ଶତ୍ସର ରାଜାର ରାଜତ୍ଵର ତୃତୀୟ ବର୍ଷରେ ମୁଁ ଦାନିୟେଲ ପ୍ରଥମ ଦର୍ଶନର ଉତ୍ତାରେ ଆଉ ଏକ ଦର୍ଶନ ପାଇଲି।
DAN 8:2 ପୁଣି, ମୁଁ ଦର୍ଶନକ୍ରମେ ଦେଖିଲି; ମୁଁ ଦେଖୁ ଦେଖୁ ଦେଖିଲି ଯେ, ମୁଁ ଏଲମ୍‍ ପ୍ରଦେଶସ୍ଥ ଶୂଶନ୍‍ ରାଜଗୃହରେ ଅଛି; ଆଉ, ସେହି ଦର୍ଶନରେ ମୁଁ ଦେଖିଲି ଯେ, ମୁଁ ଉଳୟ ନଦୀ ନିକଟରେ ଅଛି।
DAN 8:3 ତହିଁରେ ମୁଁ ଚକ୍ଷୁ ଖୋଲି ଦେଖିଲି ଯେ, ଦେଖ, ନଦୀ ସମ୍ମୁଖରେ ଏକ ମେଷ ଠିଆ ହୋଇଅଛି, ତାହାର ଦୁଇ ଶୃଙ୍ଗ ଓ ସେହି ଦୁଇ ଶୃଙ୍ଗ ଉଚ୍ଚ; ମାତ୍ର ଏକ ଶୃଙ୍ଗ ଅନ୍ୟ ଅପେକ୍ଷା ଉଚ୍ଚ ଓ ଯାହା ଉଚ୍ଚ, ତାହା ପଶ୍ଚାତ୍‍ ଉତ୍ପନ୍ନ ହେଲା।
DAN 8:4 ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା।
DAN 8:5 ପୁଣି, ମୁଁ ଏହି ବିଷୟ ବିବେଚନା କରୁ କରୁ ଦେଖିଲି ଯେ, ଦେଖ, ଏକ ଛାଗ ପଶ୍ଚିମ ଦିଗରୁ ସମୁଦାୟ ପୃଥିବୀ ପାର ହୋଇ ଆସିଲା ଓ ସେ ଭୂମି ସ୍ପର୍ଶ କଲା ନାହିଁ; ଆଉ, ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଗୋଟିଏ ବିଲକ୍ଷଣ ଶୃଙ୍ଗ ଥିଲା।
DAN 8:6 ଆଉ, ମୁଁ ଯେଉଁ ଦୁଇ ଶୃଙ୍ଗବିଶିଷ୍ଟ ମେଷକୁ ନଦୀ ସମ୍ମୁଖରେ ଠିଆ ହେବାର ଦେଖିଲି, ତାହା ଆଡ଼କୁ ସେ ଆସି ଆପଣା ବଳର ପ୍ରଚଣ୍ଡତାରେ ତାହା ଉପରକୁ ଧାଇଁଲା।
DAN 8:7 ପୁଣି, ମୁଁ ଦେଖିଲି ଯେ, ସେ ସେହି ମେଷ ନିକଟକୁ ଆସିଲା ଓ ତାହା ଉପରେ ପ୍ରଚଣ୍ଡ କ୍ରୋଧରେ ଉତ୍ତେଜିତ ହୋଇ ସେହି ମେଷକୁ ଆଘାତ କଲା ଓ ତାହାର ଦୁଇ ଶୃଙ୍ଗ ଭାଙ୍ଗି ପକାଇଲା ଓ ତାହା ସମ୍ମୁଖରେ ଠିଆ ହେବା ପାଇଁ ସେହି ମେଷର ଆଉ ଶକ୍ତି ରହିଲା ନାହିଁ; ମାତ୍ର ସେ ଛାଗ ତାହାକୁ ଭୂମିରେ ପକାଇ ପଦରେ ଦଳିଲା, ଆଉ ତାହାର ହସ୍ତରୁ ସେହି ମେଷକୁ ଉଦ୍ଧାର କରିବା ପାଇଁ କେହି ନ ଥିଲା।
DAN 8:8 ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।
DAN 8:9 ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।
DAN 8:10 ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା।
DAN 8:11 ହଁ, ସେହି ବାହିନୀଗଣର ଅଧିପତି ବିରୁଦ୍ଧରେ ଆପଣାର ବଡ଼ାଇ କରି ତାହାଙ୍କଠାରୁ ନିତ୍ୟ ହୋମାର୍ଥକ ବଳି ଅପହରଣ କଲା ଓ ତାହାଙ୍କ ଧର୍ମଧାମ ନିପାତିତ ହେଲା।
DAN 8:12 ପୁଣି, ଆଜ୍ଞାଲଙ୍ଘନ ସକାଶୁ ନିତ୍ୟ ହୋମବଳି ସହିତ ବାହିନୀ ତାହା ହସ୍ତରେ ସମର୍ପିତ ହେଲା ଓ ସେ ସତ୍ୟତାକୁ ଭୂମିରେ ନିପାତ କଲା, ଆଉ ସ୍ଵେଚ୍ଛାମତ କର୍ମ କରି ସଫଳତା ଲାଭ କଲା।
DAN 8:13 ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, “ନିତ୍ୟ ହୋମବଳି ଓ ଧ୍ୱଂସକାରୀ ଆଜ୍ଞାଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ?”
DAN 8:14 ତହିଁରେ ସେ ମୋତେ କହିଲେ, “ଦୁଇ ହଜାର ତିନି ଶହ ସନ୍ଧ୍ୟା ଓ ପ୍ରାତଃକାଳ ପର୍ଯ୍ୟନ୍ତ; ତହିଁ ଉତ୍ତାରେ ଧର୍ମଧାମ ପରିଷ୍କୃତ ହେବ।”
DAN 8:15 ଏଥିଉତ୍ତାରେ ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ।
DAN 8:16 ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”
DAN 8:17 ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।”
DAN 8:18 ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ।
DAN 8:19 ଆଉ, ସେ ମୋତେ କହିଲେ, “ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା।
DAN 8:20 ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା।
DAN 8:21 ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବାର ବୃହତ ଶୃଙ୍ଗ ପ୍ରଥମ ରାଜା।
DAN 8:22 ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ।
DAN 8:23 ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା-ଲଙ୍ଘନକାରୀମାନଙ୍କର ଆଜ୍ଞାଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ।
DAN 8:24 ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
DAN 8:25 ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ।
DAN 8:26 ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।”
DAN 8:27 ଏଥିଉତ୍ତାରେ ମୁଁ ଦାନିୟେଲ କ୍ଳାନ୍ତ ହେଲି ଓ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି; ତହିଁ ଉତ୍ତାରେ ମୁଁ ଉଠି ରାଜକାର୍ଯ୍ୟ କଲି; ଆଉ, ମୁଁ ସେହି ଦର୍ଶନରେ ଚମତ୍କୃତ ହେଲି, ମାତ୍ର କେହି ସେ ଦର୍ଶନ ବୁଝିଲେ ନାହିଁ।
DAN 9:1 ମାଦୀୟ ବଂଶଜାତ ଅକ୍ଷଶ୍ୱେରଶର ପୁତ୍ର ଯେ ଦାରୀୟାବସ କଲ୍‍ଦୀୟ ରାଜ୍ୟ ଉପରେ ରାଜା ନିଯୁକ୍ତ ହୋଇଥିଲା, ତାହାର ପ୍ରଥମ ବର୍ଷରେ।
DAN 9:2 ତାହାର ଶାସନ କାଳର ପ୍ରଥମ ବର୍ଷରେ ମୁଁ, ଦାନିୟେଲ, ଶାସ୍ତ୍ର ଦ୍ୱାରା ବର୍ଷର ସଂଖ୍ୟା, ଅର୍ଥାତ୍‍, ଯିରୂଶାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କର ନିକଟରେ ଉପସ୍ଥିତ ହୋଇଥିଲା, ତାହା ମୁଁ ବୁଝିଲି।
DAN 9:3 ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ଵେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି।
DAN 9:4 ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, “ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ।
DAN 9:5 ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ।
DAN 9:6 ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭମାନଙ୍କର ରାଜାଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ।
DAN 9:7 ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ-ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର)।
DAN 9:8 ହେ ସଦାପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜାଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
DAN 9:9 ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ୱରଙ୍କର ଅଟେ; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ
DAN 9:10 ଓ ସେ ଆପଣା ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥା ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରି ନାହୁଁ।
DAN 9:11 ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି, ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଥଗାମୀ ହୋଇଅଛନ୍ତି, ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ।
DAN 9:12 ପୁଣି, ସେ ଆମ୍ଭମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ୱାରା ଆମ୍ଭମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମ୍ଭମାନଙ୍କର ବିଚାର କଲେ, ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ, ଆପଣାର ସେହି ବାକ୍ୟ ସେ ସଫଳ କରିଅଛନ୍ତି; କାରଣ ଯିରୂଶାଲମ ପ୍ରତି ଯାହା କରାଯାଇଅଛି, ସମୁଦାୟ ଆକାଶମଣ୍ଡଳ ତଳେ ସେପରି କରାଯାଇ ନାହିଁ।
DAN 9:13 ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କରି ନାହୁଁ।
DAN 9:14 ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।
DAN 9:15 ଏଣୁ ଏବେ ହେ ପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ବଳବାନ ହସ୍ତ ଦ୍ୱାରା ମିସର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ; ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
DAN 9:16 ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।
DAN 9:17 ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।
DAN 9:18 ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ; ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଉଚ୍ଛିନ୍ନତା ପ୍ରତି ଓ ତୁମ୍ଭ ନାମରେ ଖ୍ୟାତ ଏହି ନଗର ପ୍ରତି ଦୃଷ୍ଟିପାତ କର; କାରଣ ଆମ୍ଭେମାନେ ନିଜ ଧାର୍ମିକତା ସକାଶୁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭ ଛାମୁରେ ଆମ୍ଭମାନଙ୍କର ନିବେଦନ ଉତ୍ସର୍ଗ କରୁଅଛୁ।
DAN 9:19 ହେ ପ୍ରଭୁ, ଶୁଣ; ହେ ପ୍ରଭୁ, କ୍ଷମା କର; ହେ ପ୍ରଭୁ, ମନୋଯୋଗ କରି କର୍ମ କର; ବିଳମ୍ବ ନ କର; ହେ ମୋʼ ର ପରମେଶ୍ୱର, ନିଜ ସକାଶେ କର୍ମ କର, କାରଣ ତୁମ୍ଭର ନଗର ଓ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”
DAN 9:20 ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋʼ ର ପାପ ଓ ମୋʼ ର ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି, ଆଉ ମୋʼ ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି;
DAN 9:21 ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନରେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦେଶପ୍ରାପ୍ତ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ।
DAN 9:22 ପୁଣି, ସେ ମୋତେ ଶିକ୍ଷା ଦେଲେ ଓ ମୋʼ ସଙ୍ଗେ କଥାବାର୍ତ୍ତା କରି କହିଲେ, “ହେ ଦାନିୟେଲ, ମୁଁ ଏବେ ତୁମ୍ଭକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି।
DAN 9:23 ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟନ୍ତ ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ।
DAN 9:24 ଆଜ୍ଞାଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍‍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।
DAN 9:25 ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃନିର୍ମିତ ହେବ।
DAN 9:26 ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।
DAN 9:27 ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକଙ୍କ ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶ କର ଉପରେ କ୍ରୋଧ ଢଳାଯିବ।”
DAN 10:1 ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ତୃତୀୟ ବର୍ଷରେ ବେଲ୍‍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା ଓ ତାହା ସତ୍ୟ, ତାହା ଏକ ମହାଯୁଦ୍ଧ ବିଷୟ; ପୁଣି, ସେ ତାହା ବୁଝିଲେ ଓ ସେହି ଦର୍ଶନ ବିଷୟ ତାଙ୍କୁ ଜ୍ଞାତ ହେଲା।
DAN 10:2 ସେହି ସମୟରେ ମୁଁ, ଦାନିୟେଲ, ପୂର୍ଣ୍ଣ ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି।
DAN 10:3 ପୂର୍ଣ୍ଣ ତିନି ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ, କିଅବା ମାଂସ ଅବା ଦ୍ରାକ୍ଷାରସ ମୋʼ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ।
DAN 10:4 ପୁଣି, ପ୍ରଥମ ମାସର ଚତୁର୍ବିଂଶ ଦିନରେ ମୁଁ ହିଦ୍ଦେକଲ ନାମକ ମହାନଦୀ ତୀରରେ ଥିବା ବେଳେ,
DAN 10:5 ମୁଁ ଚକ୍ଷୁ ଖୋଲି ଦେଖିଲି, ଆଉ ଦେଖ, ଶୁକ୍ଳବସ୍ତ୍ର ପରିହିତ ଏକ ମନୁଷ୍ୟ, ତାଙ୍କ କଟି ଉଫସର ନିର୍ମଳ ସୁବର୍ଣ୍ଣ ବନ୍ଧନୀରେ ବଦ୍ଧ ହୋଇଥିଲା;
DAN 10:6 ମଧ୍ୟ ତାଙ୍କ ଶରୀର ବୈଦୁର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍‍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ।
DAN 10:7 ପୁଣି, ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି; କାରଣ ମୋର ସଙ୍ଗୀ ଲୋକମାନେ ସେହି ଦର୍ଶନ ଦେଖିଲେ ନାହିଁ; ମାତ୍ର ସେମାନେ ଅତିଶୟ କମ୍ପିତ ହେଲେ ଓ ଆପଣା ଆପଣାକୁ ଲୁଚାଇବା ପାଇଁ ପଳାଇଲେ।
DAN 10:8 ତହିଁରେ ମୁଁ ଏକାକୀ ରହି ଏହି ମହା ଦର୍ଶନ ଦେଖିଲି ଓ ମୋʼ ଠାରେ କିଛି ବଳ ରହିଲା ନାହିଁ; କାରଣ ମୋର ତେଜ କ୍ଷୟରେ ପରିଣତ ହେଲା ଓ ମୁଁ କିଛି ବଳ ରଖି ପାରିଲି ନାହିଁ।
DAN 10:9 ତଥାପି ମୁଁ ତାଙ୍କ ବାକ୍ୟର ରବ ଶୁଣିଲି; ଆଉ, ଯେତେବେଳେ ମୁଁ ତାଙ୍କ ବାକ୍ୟର ରବ ଶୁଣିଲି, ସେତେବେଳେ ମୁଁ ଉବୁଡ଼ ହୋଇ ଘୋର ନିଦ୍ରାରେ ପଡ଼ିଥିଲି।
DAN 10:10 ଏଥିରେ ଦେଖ, ଏକ ହସ୍ତ ସ୍ପର୍ଶ କରି ମୋତେ ଆଣ୍ଠୁ ଓ ହସ୍ତ ପାପୁଲିରେ ନିର୍ଭର କରାଇଲା।
DAN 10:11 ପୁଣି, ସେ ମୋତେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ଦାନିୟେଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ, ତାହା ବୁଝ ଓ ସିଧା ହୋଇ ଠିଆ ହୁଅ; କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ;” ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି।
DAN 10:12 ଏଥିରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନୋନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।
DAN 10:13 ମାତ୍ର ପାରସ୍ୟ ରାଜ୍ୟର ଅଧିପତି ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା; ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମୀଖାୟେଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ; ଆଉ, ଆମ୍ଭେ ସେହି ସ୍ଥାନରେ ପାରସ୍ୟର ରାଜାଗଣର ସଙ୍ଗରେ ରହିଲୁ।
DAN 10:14 ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି।”
DAN 10:15 ସେ ମୋତେ ଏରୂପ କଥା କହିଲା ଉତ୍ତାରେ ମୁଁ ଭୂମି ଆଡ଼େ ମୁଖ କରି ଅବାକ୍ ହେଲି।
DAN 10:16 ଏଥିରେ ଦେଖ, ମନୁଷ୍ୟ-ସନ୍ତାନଗଣର ଆକୃତିବିଶିଷ୍ଟ ଏକ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ; ତହୁଁ ମୁଁ ଆପଣା ମୁଖ ଫିଟାଇ ମୋʼ ସମ୍ମୁଖରେ ଠିଆ ହେବା ବ୍ୟକ୍ତିଙ୍କୁ କହିଲି, “ହେ ମୋର ପ୍ରଭୁ, ଏହି ଦର୍ଶନ ସକାଶୁ ମୋର ବେଦନା ମୋତେ ଆକ୍ରାନ୍ତ କରିଅଛି ଓ ମୁଁ କିଛିମାତ୍ର ବଳ ରକ୍ଷା କରି ପାରୁ ନାହିଁ।
DAN 10:17 କାରଣ ମୋର ଏହି ପ୍ରଭୁଙ୍କର ଦାସ କିପ୍ରକାରେ ଏହି ମୋʼ ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିପାରେ? ସେହିକ୍ଷଣେ ମୋʼ ଠାରେ କିଛି ବଳ ଅବା ମୋʼ ମଧ୍ୟରେ ଶ୍ୱାସ ରହିଲା ନାହିଁ।”
DAN 10:18 ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।
DAN 10:19 ପୁଣି, ସେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ମନୁଷ୍ୟ, ଭୟ କର ନାହିଁ; ତୁମ୍ଭର ଶାନ୍ତି ହେଉ, ସବଳ ହୁଅ, ସବଳ ହୁଅ!” ସେ ମୋତେ ଏହା କହନ୍ତେ, ମୁଁ ସବଳ ହୋଇ କହିଲି, “ମୋର ପ୍ରଭୁ କୁହନ୍ତୁ କାରଣ ତୁମ୍ଭେ ମୋତେ ସବଳ କରିଅଛ।”
DAN 10:20 ତହିଁରେ ସେ କହିଲେ, “ଆମ୍ଭେ କି ନିମନ୍ତେ ତୁମ୍ଭ ନିକଟକୁ ଆସିଅଛୁ, ତାହା କି ତୁମ୍ଭେ ଜାଣ? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବା ପାଇଁ ଫେରିଯିବା; ଆଉ, ଆମ୍ଭେ ବାହାରିଲେ, ଦେଖ, ଗ୍ରୀସ୍‍ର ଅଧିପତି ଆସିବ।
DAN 10:21 ମାତ୍ର ସତ୍ୟଗ୍ରନ୍ଥରେ ଯାହା ଲିଖିତ ଅଛି, ତାହା ଆମ୍ଭେ ତୁମ୍ଭଙ୍କୁ ଜଣାଇବୁ; ଏମାନଙ୍କ ବିରୁଦ୍ଧରେ ଆମ୍ଭର ସାହାଯ୍ୟ କରିବା ପାଇଁ ତୁମ୍ଭମାନଙ୍କର ଅଧିପତି ମୀଖାୟେଲ ବିନୁ ଆଉ କେହି ନାହାନ୍ତି।
DAN 11:1 ପୁଣି, ମାଦୀୟ ଦାରୀୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ।
DAN 11:2 ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା। ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେହି ସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍‍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।
DAN 11:3 ତହୁଁ ଏକ ବିକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହାକର୍ତ୍ତୃତ୍ୱରେ ଶାସନ କରିବ ଓ ସ୍ଵେଚ୍ଛାନୁସାରେ କର୍ମ କରିବ।
DAN 11:4 ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ୱାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ।
DAN 11:5 ପୁଣି, ଦକ୍ଷିଣ ଦେଶର (ମିସର) ରାଜା ଶକ୍ତିଶାଳୀ ହେବ କିନ୍ତୁ ତାହାର ଅଧିପତିମାନଙ୍କ ମଧ୍ୟରୁ ଜଣେ ତାହା ଅପେକ୍ଷା ଅଧିକ ବଳବାନ ହୋଇ କର୍ତ୍ତୃତ୍ୱ ପ୍ରାପ୍ତ ହେବ; ତାହାର ରାଜ୍ୟ ଏକ ବୃହତ ରାଜ୍ୟ ହେବ।
DAN 11:6 ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁ ବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେହି ସମୟରେ ଯେ ତାହାକୁ ବଳ ଦେଲା, ସମସ୍ତେ ସମର୍ପିତ ହେବେ।
DAN 11:7 ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଜଣେ ସ୍ୱ ସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକୁ ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ;
DAN 11:8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।
DAN 11:9 ପୁଣି, ସେ ଦକ୍ଷିଣ ଦେଶୀୟ ରାଜାର ରାଜ୍ୟକୁ ଆସିବ, ମାତ୍ର ଆପଣା ଦେଶକୁ ସେ ଫେରିଯିବ।
DAN 11:10 ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା-ସୈନିକ ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲିଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।
DAN 11:11 ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ବିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବ; ତହିଁରେ ସେ (ଉତ୍ତର ଦେଶୀୟ ରାଜା) ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର (ଦକ୍ଷିଣ ଦେଶର ରାଜାଙ୍କ) ହସ୍ତରେ ସମର୍ପିତ ହେବ।
DAN 11:12 ପୁଣି, ସେହି ଜନତା ଉତ୍ଥାପିତ ହେଲେ, ତାହାର ଚିତ୍ତ ଗର୍ବିତ ହେବ ଓ ସେ ଅୟୁତ ଅୟୁତ ଲୋକଙ୍କୁ ନିପାତ କରିବ; ତଥାପି ସେ ଜୟଯୁକ୍ତ ନୋହିବ।
DAN 11:13 ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍‍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ।
DAN 11:14 ପୁଣି, ସେହି ସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ।
DAN 11:15 ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ; ତହିଁରେ ଦକ୍ଷିଣ ଦେଶର ସହାୟଗଣ ଓ ମନୋନୀତ ଲୋକମାନେ ପ୍ରତିବାଧା ଦେଇ ପାରିବେ ନାହିଁ; କିଅବା ପ୍ରତିବାଧା କରିବା ପାଇଁ କୌଣସି ଶକ୍ତି ରହିବ ନାହିଁ।
DAN 11:16 ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ (ଇସ୍ରାଏଲ) ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ।
DAN 11:17 ପୁଣି, ସେ ଆପଣା ସମୁଦାୟ ରାଜ୍ୟର ପରାକ୍ରମ ସହିତ ଆସିବା ପାଇଁ ଆପଣା ମନସ୍ଥ କରିବ ଓ ସରଳ ଲୋକମାନେ ତାହା ସଙ୍ଗରେ ଆସିବେ; ସେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବ; ସେ ନଷ୍ଟ କରିବା ପାଇଁ ନାରୀଗଣର କନ୍ୟା ତାହାକୁ ଦେବ; ମାତ୍ର କନ୍ୟା ସ୍ଥିର ରହିବ ନାହିଁ, କିଅବା ତାହା ପାଇଁ ହେବ ନାହିଁ।
DAN 11:18 ଏଥିଉତ୍ତାରେ ସେ ଦ୍ୱୀପଗଣର ବିରୁଦ୍ଧରେ ଯାଇ ଅନେକଙ୍କୁ ହସ୍ତଗତ କରିବ; ମାତ୍ର ଜଣେ ଅଧିପତି ତାହାର କୃତ ଅପମାନ ନିବୃତ କରାଇବ; ଆହୁରି, ସେ ତାହାର ଅପମାନ ତାହା ଉପରେ ବର୍ତ୍ତାଇବ।
DAN 11:19 ତହୁଁ ସେ ଆପଣା ଦେଶର ଦୁର୍ଗସକଳର ଆଡ଼େ ଫେରିବ; ମାତ୍ର ସେ ଝୁଣ୍ଟି ପତିତ ହେବ; ପୁଣି, ଦେଖାଯିବ ନାହିଁ।
DAN 11:20 ଏଥିଉତ୍ତାରେ ଯେଉଁ ଜନ ତାହାର ପଦ ପ୍ରାପ୍ତ ହେବ, ସେ ରାଜ୍ୟର ଶୋଭା ସ୍ଥାନର ମଧ୍ୟଦେଇ ଯିବା ପାଇଁ ଜଣେ ପ୍ରଜାପୀଡ଼କକୁ ପ୍ରେରଣ କରିବ; ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ, କିଅବା ଯୁଦ୍ଧରେ ନୁହେଁ।
DAN 11:21 ପୁଣି, ଯାହାକୁ ସେମାନେ ରାଜାର ସମ୍ମାନ ଦେଇ ନ ଥିଲେ, ଏପରି ଜଣେ ତୁଚ୍ଛ ଲୋକ ତାହାର ପଦ ପ୍ରାପ୍ତ ହେବ; ମାତ୍ର ସେ ନିଶ୍ଚିନ୍ତ ସମୟରେ ଆସିବ ଓ ଚାଟୁବାକ୍ୟ ଦ୍ୱାରା ରାଜ୍ୟ ପାଇବ।
DAN 11:22 ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ୱାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ମଧ୍ୟ ଭଗ୍ନ ହେବ।
DAN 11:23 ପୁଣି, ତାହାର ସହିତ ଚୁକ୍ତି ସ୍ଥିର କରାଗଲା ପରେ ସେ ପ୍ରତାରଣାପୂର୍ବକ କାର୍ଯ୍ୟ କରିବ; କାରଣ ସେ ଆସି ଅଳ୍ପ ଲୋକ ଦ୍ୱାରା ପରାକ୍ରମୀ ହେବ।
DAN 11:24 ସେ ନିଶ୍ଚିନ୍ତ ସମୟରେ ଦେଶର ଅତ୍ୟୁତ୍ତମ ସ୍ଥାନରେ ପ୍ରବେଶ କରିବ ଓ ତାହାର ପିତୃ ଓ ପିତାମହଗଣ ଯାହା କରି ନ ଥିଲେ, ତାହା ସେ କରିବ; ସେ ସେମାନଙ୍କ ମଧ୍ୟରେ ଲୁଟିତ ଦ୍ରବ୍ୟ ଓ ଅପହୃତ ବସ୍ତୁ ଓ ଧନ ବିଞ୍ଚି ଦେବ ଓ ଦୃଢ଼ ଗଡ଼ସକଳର ବିରୁଦ୍ଧରେ ସେ କିଛି କାଳ କୌଶଳ କଳ୍ପନା କରିବ।
DAN 11:25 ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ ଓ ପରାକ୍ରାନ୍ତ ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ।
DAN 11:26 ଯେଉଁମାନେ ତାହାର ଆହାର ଭୋଜନ କରନ୍ତି, ସେମାନେ ତାହାକୁ ବିନାଶ କରିବେ, ପୁଣି ତାହାର ସୈନ୍ୟଦଳ ବହି ଯିବେ ଓ ଅନେକେ ହତ ହୋଇ ପଡ଼ିବେ।
DAN 11:27 ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ।
DAN 11:28 ସେତେବେଳେ ସେ ଅନେକ ସମ୍ପତ୍ତି ନେଇ ଆପଣା ଦେଶକୁ ଫେରିଯିବ ଓ ତାହାର ଚିତ୍ତ ପବିତ୍ର ନିୟମର ପ୍ରତିଫଳ ହେବ; ଆଉ, ସେ ସ୍ଵେଚ୍ଛାମତ କର୍ମ କରି ଆପଣା ଦେଶକୁ ଫେରିଯିବ।
DAN 11:29 ନିରୂପିତ କାଳରେ ସେ ଫେରି ଦକ୍ଷିଣ ଦେଶରେ ପ୍ରବେଶ କରିବ; ମାତ୍ର ପୂର୍ବକାଳରେ ଯେପରି ହୋଇଥିଲା, ଶେଷ କାଳରେ ସେପରି ନୋହିବ।
DAN 11:30 କାରଣ କିତ୍ତୀମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରିଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରିଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ।
DAN 11:31 ଆଉ, ତାହାର ପକ୍ଷସ୍ଥ ସୈନ୍ୟଗଣ ଉଠି ଧର୍ମଧାମ, ଅର୍ଥାତ୍‍, ଦୁର୍ଗ ଅଶୁଚି କରିବେ ଓ ନିତ୍ୟ ନୈବେଦ୍ୟ ନିବୃତ୍ତ କରିବେ, ଆଉ ସର୍ବନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରିବେ।
DAN 11:32 ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ।
DAN 11:33 ଆଉ, ଲୋକମାନଙ୍କ ମଧ୍ୟରେ ଜ୍ଞାନୀମାନେ ଅନେକଙ୍କୁ ଉପଦେଶ ଦେବେ; ତଥାପି ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଖଡ୍ଗରେ, ଅଗ୍ନିଶିଖାରେ, ବନ୍ଦୀଦଶାରେ ଓ ଲୁଟରେ ପତିତ ହେବେ।
DAN 11:34 ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ; ମାତ୍ର ଅନେକେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କ ସହିତ ଯୋଗ ଦେବେ।
DAN 11:35 ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ।
DAN 11:36 ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ୱରଗଣର ଈଶ୍ୱରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ।
DAN 11:37 ସେ ଆପଣା ପୂର୍ବପୁରୁଷଗଣର ଦେବତାମାନଙ୍କୁ ମାନିବ ନାହିଁ; ଅଥବା ସ୍ତ୍ରୀମାନଙ୍କ ବାଞ୍ଛାକୁ କିଅବା କୌଣସି ଦେବତାକୁ ମାନିବ ନାହିଁ; କାରଣ ସେ ସମସ୍ତଙ୍କ ଅପେକ୍ଷା ଆପଣାକୁ ବଡ଼ କରିବ।
DAN 11:38 ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ।
DAN 11:39 ପୁଣି, ସେ ବିଦେଶୀୟ ଦେବତାର ସାହାଯ୍ୟରେ ଦୃଢ଼ତମ ଦୁର୍ଗମାନର ପ୍ରତିକୂଳରେ କାର୍ଯ୍ୟ କରିବ, ଯେକେହି ତାହାକୁ ସ୍ୱୀକାର କରିବ, ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ପାରିତୋଷିକ ରୂପେ ଭୂମି ବିଭାଗ କରିବ।
DAN 11:40 ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ।
DAN 11:41 ସେ ମଧ୍ୟ ରମ୍ୟ (ଇସ୍ରାଏଲ) ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ।
DAN 11:42 ଆହୁରି, ସେ ନାନା ଦେଶ ଉପରେ ଆପଣା ହସ୍ତ ପ୍ରସାରିବ ଓ ମିସର ଦେଶ ରକ୍ଷା ପାଇବ ନାହିଁ।
DAN 11:43 ମାତ୍ର ମିସରର ସୁନା ଓ ରୂପାର ଭଣ୍ଡାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୂବୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ।
DAN 11:44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍‍ବିଗ୍ନ କରିବ; ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ।
DAN 11:45 ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମକାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ।
DAN 12:1 ସେହି ସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେହି ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟର ସମୟ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେଉଁ ପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେହି ସମୟରେ ଉଦ୍ଧାର ପାଇବେ।
DAN 12:2 ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ।
DAN 12:3 ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।
DAN 12:4 ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ କରି ଓ ଏହି ନଳାକାର ପୁସ୍ତକ ମୁଦ୍ରାଙ୍କନ କରି ରଖ; ଅନେକେ ଏଣେତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ।”
DAN 12:5 ସେତେବେଳେ ମୁଁ ଦାନିୟେଲ ଅନାଇଲି, ଆଉ ଦେଖ, ଅନ୍ୟ ଦୁଇ ଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏପାଖରେ ଓ ଅନ୍ୟ ଜଣ ନଦୀତୀରର ସେପାଖରେ।
DAN 12:6 ପୁଣି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀର ଜଳ ଉପରେ ସ୍ଥିତ ଯେଉଁ ମନୁଷ୍ୟ, ତାଙ୍କୁ ଜଣେ କହିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟର ଶେଷ ପର୍ଯ୍ୟନ୍ତ କେତେ ବର୍ଷ ଲାଗିବ?”
DAN 12:7 ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ।”
DAN 12:8 ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, “ହେ ମୋର ପ୍ରଭୁ, ଏହିସବୁର ପରିଣାମ କʼଣ ହେବ?”
DAN 12:9 ତହିଁରେ ସେ କହିଲେ, “ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର; କାରଣ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ ଓ ମୁଦ୍ରାଙ୍କିତ ହୋଇଅଛି।
DAN 12:10 ଅନେକେ ଆପଣାମାନଙ୍କୁ ପରିଷ୍କୃତ ଓ ଶୁକ୍ଳ କରିବେ ଓ ପବିତ୍ରୀକୃତ ହେବେ; ମାତ୍ର ଦୁଷ୍ଟମାନେ ଦୁଷ୍ଟାଚରଣ କରିବେ ଓ ଦୁଷ୍ଟମାନଙ୍କ ମଧ୍ୟରୁ କେହି ବୁଝିବେ ନାହିଁ; ମାତ୍ର ଜ୍ଞାନୀ ଲୋକମାନେ ବୁଝିବେ।
DAN 12:11 ପୁଣି, ଯେଉଁ ସମୟରେ ନିତ୍ୟ ନୈବେଦ୍ୟ ନିବୃତ୍ତ ହେବ ଓ ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ, ସେହି ସମୟଠାରୁ ଏକ ହଜାର ଦୁଇ ଶହ ନବେ ଦିନ ହେବ।
DAN 12:12 ଯେଉଁ ଜନ ଅପେକ୍ଷାରେ ରହେ ଓ ଏକ ହଜାର ତିନି ଶହ ପଞ୍ଚତିରିଶ ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ।
DAN 12:13 ମାତ୍ର ଶେଷ କାଳ ପର୍ଯ୍ୟନ୍ତ ତୁମ୍ଭେ ଆପଣା ପଥରେ ଗମନ କର; କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ଆପଣା ଅଧିକାରରେ ଠିଆ ହେବ।”
HOS 1:1 ଯିହୁଦାର ରାଜାଗଣ ଉଷୀୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା।
HOS 1:2 ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, “ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”
HOS 1:3 ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା।
HOS 1:4 ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।
HOS 1:5 ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା।”
HOS 1:6 ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା। ଆଉ, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ରୁହାମା ରଖ; କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।
HOS 1:7 ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”
HOS 1:8 ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା।
HOS 1:9 ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।”
HOS 1:10 ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, “ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହାଯାଇଥିଲା, ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ, “ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”
HOS 1:11 ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ; କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।
HOS 2:1 ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତୃଗଣଙ୍କୁ ଅମ୍ମି ଓ ଆପଣାମାନଙ୍କର ଭଗିନୀଗଣଙ୍କୁ ରୁହାମା ବୋଲି କୁହ।
HOS 2:2 “ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
HOS 2:3 ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା; ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା;
HOS 2:4 ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ, କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ।
HOS 2:5 ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, ‘ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନା ବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି।’
HOS 2:6 ଏଥିପାଇଁ ଦେଖ, ଆମ୍ଭେ କଣ୍ଟା ଦ୍ୱାରା ତୁମ୍ଭର ପଥ ରୁଦ୍ଧ କରିବା ଓ ଆମ୍ଭେ ତାହାର ବିରୁଦ୍ଧରେ ବାଡ଼ ବାନ୍ଧିବା, ତହିଁରେ ସେ ଆପଣା ପଥ ପାଇବ ନାହିଁ।
HOS 2:7 ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, ‘ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।’
HOS 2:8 ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ, ସେମାନେ ସେହି ରୂପା, ସୁନା ବାଲ୍‍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ।
HOS 2:9 ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା, ଯାହା ଦ୍ୱାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା, ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା।
HOS 2:10 ପୁଣି, ଏବେ ଆମ୍ଭେ ତାହାର ପ୍ରେମିକଗଣର ସାକ୍ଷାତରେ ତାହାର ଭ୍ରଷ୍ଟତା ପ୍ରକାଶ କରିବା ଓ ଆମ୍ଭ ହସ୍ତରୁ କେହି ତାହାକୁ ଉଦ୍ଧାର କରିବେ ନାହିଁ।
HOS 2:11 ଆହୁରି, ଆମ୍ଭେ ତାହାର ସକଳ ଆମୋଦ, ତାହାର ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ଓ ତାହାର ମହାସଭା ସକଳ ବନ୍ଦ କରିବା।
HOS 2:12 ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ବିଷୟରେ କହିଥିଲା ଏହିସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି, ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହି ସବୁକୁ ଅରଣ୍ୟ କରିବା, ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ।
HOS 2:13 ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ୱଳାଇଲା, ସେହି ବାଲ୍‍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା; ସେହି ସମୟରେ ସେ କର୍ଣ୍ଣକୁଣ୍ଡଳ ଓ ଅଳଙ୍କାର ଇତ୍ୟାଦିରେ ଆପଣାକୁ ଭୂଷିତା କରି ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା, ଏହା ସଦାପ୍ରଭୁ କହନ୍ତି।
HOS 2:14 ଏଥିନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତ ପ୍ରବୋଧକ କଥା କହିବା।
HOS 2:15 ପୁଣି, ସେହି ସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର ଓ ଭରସାରୂପ ଦ୍ୱାର ନିମନ୍ତେ ଆଖୋର୍‍ ଉପତ୍ୟକା ଦେବା; ପୁଣି, ସେ ଯେପରି ଆପଣା ଯୌବନ କାଳରେ ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା, ସେପରି ସେହି ସ୍ଥାନରେ ଉତ୍ତର କରିବ।
HOS 2:16 ଆଉ, ସଦାପ୍ରଭୁ କହନ୍ତି, ସେହି ଦିନ ତୁମ୍ଭେ ଆମ୍ଭକୁ ‘ଈଶୀ’ (ଆମ୍ଭର ସ୍ୱାମୀ) ବୋଲି ଡାକିବ ଓ ‘ବାଲୀ’ (କର୍ତ୍ତା) ବୋଲି ଆଉ ଡାକିବ ନାହିଁ।
HOS 2:17 କାରଣ ଆମ୍ଭେ ତାହାର ମୁଖରୁ ବାଲ୍‍ ଦେବଗଣର ନାମସବୁ ଦୂର କରିବା, ପୁଣି ସେହି ନାମସବୁ ପୁନର୍ବାର ଧରାଯିବ ନାହିଁ।
HOS 2:18 ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା।
HOS 2:19 ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍‍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ-ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା।
HOS 2:20 ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।
HOS 2:21 ଆହୁରି, ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ଉତ୍ତର ଦେବା, ଆମ୍ଭେ ଆକାଶମଣ୍ଡଳକୁ ଉତ୍ତର ଦେବା ଓ ଆକାଶମଣ୍ଡଳ ପୃଥିବୀକୁ ଉତ୍ତର ଦେବ;
HOS 2:22 ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;
HOS 2:23 ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, ତୁମ୍ଭେ ଆମ୍ଭର ଲୋକ ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”
HOS 3:1 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ କହିଲେ, “ଇସ୍ରାଏଲ-ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେ ମଧ୍ୟ ଓ ଦ୍ରାକ୍ଷାଚକ୍ତି ଭଲ ପାଇଲେ ମଧ୍ୟ ସଦାପ୍ରଭୁ ଯେପରି ସେମାନଙ୍କୁ ପ୍ରେମ କରନ୍ତି, ସେହିପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର।”
HOS 3:2 ତହିଁରେ ମୁଁ ପନ୍ଦର ରୌପ୍ୟ ମୁଦ୍ରା, ଏକ ହୋମର ଓ ଅର୍ଦ୍ଧ ହୋମର ଯବ ଦେଇ ସେ ସ୍ତ୍ରୀକୁ କିଣିଲି;
HOS 3:3 ଆଉ, ମୁଁ ତାହାକୁ କହିଲି, “ତୁମ୍ଭେ ଅନେକ ଦିନ ପର୍ଯ୍ୟନ୍ତ ମୋʼ ନିମନ୍ତେ ରହିବ; ତୁମ୍ଭେ ବେଶ୍ୟାବୃତ୍ତି କରିବ ନାହିଁ ଓ ତୁମ୍ଭେ ଅନ୍ୟ କୌଣସି ପୁରୁଷର ଭାର୍ଯ୍ୟା ହେବ ନାହିଁ ଓ ମୁଁ ମଧ୍ୟ ତୁମ୍ଭ ପ୍ରତି ସେହିପରି ବ୍ୟବହାର କରିବି।”
HOS 3:4 କାରଣ ଇସ୍ରାଏଲ-ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
HOS 3:5 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ।
HOS 4:1 ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; କାରଣ ଦେଶରେ ସତ୍ୟ ଅବା ଦୟା କିଅବା ପରମେଶ୍ୱର ବିଷୟକ ଜ୍ଞାନ ନ ଥିବାରୁ ଦେଶନିବାସୀଗଣ ସହିତ ସଦାପ୍ରଭୁଙ୍କର ବିବାଦ ଅଛି।
HOS 4:2 ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ; ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।
HOS 4:3 ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ, କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ ଦୁର୍ବଳ ହେବେ; ହଁ, ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ଦୂରୀକୃତ ହେବେ।
HOS 4:4 ତଥାପି କୌଣସି ମନୁଷ୍ୟ ବିବାଦ ନ କରୁ, କିଅବା କୌଣସି ମନୁଷ୍ୟ ଅନୁଯୋଗ ନ କରୁ; କାରଣ ତୁମ୍ଭର ଲୋକମାନେ ଯାଜକ ସହିତ ବିବାଦକାରୀ ଲୋକମାନଙ୍କର ତୁଲ୍ୟ ଅଟନ୍ତି।
HOS 4:5 ପୁଣି, ତୁମ୍ଭେ ଦିନ ବେଳେ ଝୁଣ୍ଟି ପଡ଼ିବ ଓ ଭବିଷ୍ୟଦ୍‍ବକ୍ତା ମଧ୍ୟ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ; ଆଉ, ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା।
HOS 4:6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।
HOS 4:7 ସେମାନେ ଯେତେ ଅଧିକ ବୃଦ୍ଧି ପାଇଲେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କଲେ; ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା।
HOS 4:8 ସେମାନେ ଆମ୍ଭ ଲୋକମାନଙ୍କ ପାପରେ ପ୍ରତିପୋଷିତ ହୁଅନ୍ତି, ଆଉ ସେମାନଙ୍କ ଅଧର୍ମରେ ଆପଣା ଆପଣା ଅନ୍ତଃକରଣକୁ ଆସକ୍ତ କରନ୍ତି।
HOS 4:9 ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ; ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।
HOS 4:10 ତହିଁରେ ସେମାନେ ଭୋଜନ କଲେ ମଧ୍ୟ ତୃପ୍ତ ହେବେ ନାହିଁ; ବ୍ୟଭିଚାର କଲେ ମଧ୍ୟ ବହୁବଂଶ ହେବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି।
HOS 4:11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।
HOS 4:12 ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।
HOS 4:13 ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍‍ନି ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ; ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି।
HOS 4:14 ତୁମ୍ଭର କନ୍ୟାଗଣ ବେଶ୍ୟାଚାର କଲା ବେଳେ ଓ ତୁମ୍ଭର ବଧୂଗଣ ବ୍ୟଭିଚାର କଲା ବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା ନାହିଁ; କାରଣ ସେମାନେ ଆପେ ବେଶ୍ୟାମାନଙ୍କ ସଙ୍ଗେ ଦେବଗଣର ମନ୍ଦିରକୁ ଯାଆନ୍ତି ଓ ମାହାରୀମାନଙ୍କ ସଙ୍ଗେ ବଳିଦାନ କରନ୍ତି; ଯେଉଁ ଲୋକମାନେ ବୁଝନ୍ତି ନାହିଁ, ସେମାନେ ଉତ୍ପାଟିତ ହେବେ।
HOS 4:15 ହେ ଇସ୍ରାଏଲ, ତୁମ୍ଭେ ଯଦ୍ୟପି ବେଶ୍ୟାବୃତ୍ତି କର, ତଥାପି ଯିହୁଦା ସେପରି ଦୋଷଗ୍ରସ୍ତ ନ ହେଉ; ଆଉ, ତୁମ୍ଭେମାନେ ଗିଲ୍‍ଗଲ୍‍ରେ ଉପସ୍ଥିତ ହୁଅ ନାହିଁ, କିଅବା ବେଥ୍-ଆବନକୁ ଯାଅ ନାହିଁ; ଅଥବା ସେଠାରେ ଜୀବିତ ସଦାପ୍ରଭୁ ବୋଲି ଶପଥ କର ନାହିଁ।
HOS 4:16 କାରଣ ସ୍ଵେଚ୍ଛାଚାରିଣୀ ଗାଭୀ ତୁଲ୍ୟ ଇସ୍ରାଏଲ ଆପେ ସ୍ଵେଚ୍ଛାଚାରୀ ହୋଇଅଛି; ଏବେ ସଦାପ୍ରଭୁ ସେମାନଙ୍କୁ ମେଷଶାବକ ପରି ପ୍ରଶସ୍ତ ସ୍ଥାନରେ ଚରାଇବେ।
HOS 4:17 ଇଫ୍ରୟିମ ପ୍ରତିମାଗଣ ପ୍ରତି ଆସକ୍ତ ହୋଇଅଛି; ତାକୁ ଛାଡ଼ିଦିଅ।
HOS 4:18 ସେମାନଙ୍କର ପେୟଦ୍ରବ୍ୟ ଅମ୍ଳ ହୋଇଅଛି; ସେମାନେ ଅବିରତ ବେଶ୍ୟାଗମନ କରନ୍ତି; ତାହାର ଶାସନକର୍ତ୍ତାମାନେ ଅପମାନକୁ ଅତିଶୟ ଭଲ ପାଆନ୍ତି।
HOS 4:19 ବାୟୁ ତାହାକୁ ଆପଣା ପକ୍ଷରେ ଆଚ୍ଛାଦନ କରିଅଛି ଓ ସେମାନେ ଆପଣାମାନଙ୍କର ବଳିଦାନ ସକାଶୁ ଲଜ୍ଜିତ ହେବେ।
HOS 5:1 ହେ ଯାଜକଗଣ, ଏହା ଶୁଣ, ହେ ଇସ୍ରାଏଲ ବଂଶ, ମନୋଯୋଗ କର, ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ; ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ।
HOS 5:2 ପୁଣି, ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି; ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ।
HOS 5:3 ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ; କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି।
HOS 5:4 ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ; କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।
HOS 5:5 ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ; ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ।
HOS 5:6 ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ; ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ; କାରଣ ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି।
HOS 5:7 ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।
HOS 5:8 ତୁମ୍ଭେମାନେ ଗିବୀୟାରେ ଶିଙ୍ଗା ଧ୍ୱନି କର, ରାମାରେ ତୂରୀ ବଜାଅ; ବେଥ୍-ଆବନରେ ଭୟାନକ ସିଂହନାଦ କର; ତୁମ୍ଭ ପଛେ, ହେ ବିନ୍ୟାମୀନ୍,
HOS 5:9 ଭର୍ତ୍ସନା ଦିନରେ ଇଫ୍ରୟିମ ଧ୍ୱଂସର ସ୍ଥାନ ହେବ; ଯାହା ନିଶ୍ଚୟ ଘଟିବ, ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ।
HOS 5:10 ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।
HOS 5:11 ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି।
HOS 5:12 ଏଥିସକାଶୁ ଆମ୍ଭେ ଇଫ୍ରୟିମ ପକ୍ଷରେ କୀଟ ସ୍ୱରୂପ ଓ ଯିହୁଦା ବଂଶ ପକ୍ଷରେ କ୍ଷୟ ସ୍ୱରୂପ ହୋଇଅଛୁ।
HOS 5:13 ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା; ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ।
HOS 5:14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।
HOS 5:15 ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା; ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।
HOS 6:1 “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରିଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।
HOS 6:2 ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।
HOS 6:3 ପୁଣି, ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍‍ଗମନ କରୁ; ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ; ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, ଭୂମି-ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।”
HOS 6:4 ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃକାଳୀନ ମେଘ ତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।
HOS 6:5 ଏଥିପାଇଁ ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଚ୍ଛେଦନ କରିଅଛୁ; ଆମ୍ଭେ ଆପଣା ମୁଖନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ ଓ ତୁମ୍ଭର ଦଣ୍ଡାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ।
HOS 6:6 କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।
HOS 6:7 ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି।
HOS 6:8 ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।
HOS 6:9 ପୁଣି, ଡକାୟତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି, ସେପରି ଯାଜକ ଦଳ ଶିଖିମ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି; ହଁ, ସେମାନେ ଭ୍ରଷ୍ଟାଚରଣ କରିଅଛନ୍ତି।
HOS 6:10 ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ, ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି।
HOS 6:11 ଆହୁରି ହେ ଯିହୁଦା, ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବା, ସେତେବେଳେ ତୁମ୍ଭ ପାଇଁ (ଦଣ୍ଡରୂପ) ଶସ୍ୟଚ୍ଛେଦନ ସମୟ ନିରୂପିତ ଅଛି।
HOS 7:1 ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ; କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାୟତ ଦଳ ବାହାରେ ଲୁଟ କରନ୍ତି।
HOS 7:2 ପୁଣି, ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ; ଏବେ ସେମାନଙ୍କର ନିଜ କାର୍ଯ୍ୟସବୁ ସେମାନଙ୍କୁ ଘେରିଅଛି; ସେହି ସବୁ ଆମ୍ଭ ସମ୍ମୁଖରେ ଅଛି।
HOS 7:3 ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ ଓ ଆପଣାମାନଙ୍କ ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରନ୍ତି।
HOS 7:4 ସେମାନେ ସମସ୍ତେ ବ୍ୟଭିଚାରୀ; ସେମାନେ ରୁଟି ପ୍ରସ୍ତୁତକାରୀ ଦ୍ୱାରା ଉତ୍ତପ୍ତ ତନ୍ଦୁର ସ୍ୱରୂପ; ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନି ପ୍ରଜ୍ୱଳିତ କରିବାରୁ ନିବୃତ୍ତ ହୁଏ।
HOS 7:5 ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ; ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା।
HOS 7:6 କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁର ପରି ପ୍ରସ୍ତୁତ କରିଅଛନ୍ତି; ସେମାନଙ୍କର କ୍ରୋଧ ରାତ୍ରିସାରା କୁହୁଳୁ ଥାଏ; ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳଇ।
HOS 7:7 ସେମାନେ ସମସ୍ତେ ତନ୍ଦୁର ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି; ସେମାନଙ୍କର ସମସ୍ତ ରାଜାଗଣ ପତିତ ହୋଇଅଛନ୍ତି; ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।
HOS 7:8 ଗୋଷ୍ଠୀଗଣ ମଧ୍ୟରେ ଇଫ୍ରୟିମ ଆପେ ମିଶ୍ରିତ ହୁଅଇ; ଇଫ୍ରୟିମ ଓଲଟା ହୋଇ ନ ଥିବା ପିଠା ତୁଲ୍ୟ।
HOS 7:9 ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ; ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ୱକେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ।
HOS 7:10 ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ନାହାନ୍ତି, କିଅବା ଏହିସବୁ ଘଟିଲେ ମଧ୍ୟ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି।
HOS 7:11 ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ; ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି।
HOS 7:12 ଯେତେବେଳେ ସେମାନେ ଯିବେ, ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା; ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା; ସେମାନଙ୍କ ସମାଜ ଯେପରି ଶୁଣିଅଛନ୍ତି, ସେହିପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।
HOS 7:13 ସେମାନେ ସନ୍ତାପର ପାତ୍ର! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।
HOS 7:14 ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି; ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି; ସେମାନେ ଶସ୍ୟ ଓ ଦ୍ରାକ୍ଷାରସ ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି, ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି।
HOS 7:15 ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ମଧ୍ୟ ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି।
HOS 7:16 ସେମାନେ ଫେରି ଆସନ୍ତି ସତ୍ୟ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କ ଅଧିପତିମାନେ ଆପଣା ଆପଣା ଜିହ୍ୱାର ପ୍ରଚଣ୍ଡତା ସକାଶୁ ଖଡ୍ଗ ଦ୍ୱାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ।
HOS 8:1 ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ଶତ୍ରୁ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ କରିଅଛନ୍ତି।
HOS 8:2 ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, “ହେ ଆମ୍ଭର ପରମେଶ୍ୱର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ।”
HOS 8:3 ଯାହା ଉତ୍ତମ, ତାହା ଇସ୍ରାଏଲ ଅଗ୍ରାହ୍ୟ କରିଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ।
HOS 8:4 ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।
HOS 8:5 ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମାକୁ ଅଗ୍ରାହ୍ୟ କରିଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି! ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?
HOS 8:6 କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକାର ଏହା ନିର୍ମାଣ କରିଅଛି, ତାହା ପରମେଶ୍ୱର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ।
HOS 8:7 କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯଦି ଉତ୍ପନ୍ନ କରିବେ, ବିଦେଶୀୟମାନେ ତାହା ଗ୍ରାସ କରିବେ।
HOS 8:8 ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।
HOS 8:9 କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି।
HOS 8:10 ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବେତନ ଦେଲେ ମଧ୍ୟ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ସକାଶୁ ନ୍ୟୂନ ହେବାକୁ ଲାଗିଲେଣି।
HOS 8:11 କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି।
HOS 8:12 ଆମ୍ଭେ ଦଶ ସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ମଧ୍ୟ ସେହି ସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ।
HOS 8:13 ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ। ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରିଯିବେ।
HOS 8:14 କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀର-ବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସକଳ ଗ୍ରାସ କରିବ।
HOS 9:1 ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ; କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ, ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ।
HOS 9:2 ଶସ୍ୟ ଖଳା କିଅବା ଦ୍ରାକ୍ଷାପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁ ଓ ନୂତନ ଦ୍ରାକ୍ଷାରସରୁ ସେମାନେ ବଞ୍ଚିତ ହେବେ।
HOS 9:3 ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ; ମାତ୍ର ଇଫ୍ରୟିମ ମିସରକୁ ଫେରିଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ।
HOS 9:4 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ, କିଅବା ସେହି ସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ। ସେମାନଙ୍କର ବଳିଦାନସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ; ଯେଉଁମାନେ ତାହା ଭୋଜନ କରିବେ, ସେମାନେ ସମସ୍ତେ ଅଶୁଚି ହେବେ; କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧାର ତୃପ୍ତି ନିମନ୍ତେ ହେବ; ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ।
HOS 9:5 ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଅଣ କରିବ?
HOS 9:6 କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି, ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ଫିସ (ମିସରର ରାଜଧାନୀ) ସେମାନଙ୍କୁ କବର ଦେବ। ସେମାନଙ୍କର ରୂପାର ମନୋହର ପଦାର୍ଥସବୁ ବିଛୁଆତି ଗଛର ଅଧିକାର ହେବ; ସେମାନଙ୍କ ତମ୍ବୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ।
HOS 9:7 ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ। ଭବିଷ୍ୟଦ୍‍ବକ୍ତା ନିର୍ବୋଧ, ଆତ୍ମା ପ୍ରାପ୍ତ ଲୋକ ଉତ୍ତେଜିତ, କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼।
HOS 9:8 ଇଫ୍ରୟିମ ମୋʼ ପରମେଶ୍ୱରଙ୍କ ସହିତ ପ୍ରହରୀ ଥିଲା; ଭବିଷ୍ୟଦ୍‍ବକ୍ତାଙ୍କର ସକଳ ପଥରେ ଶିକାରୀର ଫାନ୍ଦ ଓ ତାହାର ପରମେଶ୍ୱରଙ୍କ ଗୃହରେ ଶତ୍ରୁତାଭାବ ଅଛି।
HOS 9:9 ଗିବୀୟାର ସମୟରେ ଯେପରି, ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି; ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ।
HOS 9:10 ସଦାପ୍ରଭୁ କହନ୍ତି, ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; ଆମ୍ଭେ ଡିମ୍ବିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ବିରି ଫଳ ସଦୃଶ୍ୟ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଦେଖିଲୁ; ମାତ୍ର ସେମାନେ ବାଲ୍‍-ପିୟୋରର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।
HOS 9:11 ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ; ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ହେବ ନାହିଁ।
HOS 9:12 ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ; ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ!
HOS 9:13 ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରୟିମ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି; ମାତ୍ର ଇଫ୍ରୟିମ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ।
HOS 9:14 ହେ ସଦାପ୍ରଭୁ, ସେମାନଙ୍କୁ ଦିଅ; ତୁମ୍ଭେ ସେମାନଙ୍କୁ କଅଣ ଦେବ? ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ।
HOS 9:15 ସେମାନଙ୍କର ଦୁଷ୍ଟତାସକଳ ଗିଲ୍‍ଗଲ୍‍ରେ ଅଛି; କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ; ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା; ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ; ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ।
HOS 9:16 ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି; ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ, ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା।
HOS 9:17 ମୋର ପରମେଶ୍ୱର ସେମାନଙ୍କୁ ଦୂର କରିଦେବେ, କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ; ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ।
HOS 10:1 ଇସ୍ରାଏଲ ଆପଣା ଦ୍ରାକ୍ଷାଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି; ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି।
HOS 10:2 ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି; ଏବେ ସେମାନେ ଦୋଷୀ ଗଣାଯିବେ; ସେ ସେମାନଙ୍କର ଯଜ୍ଞବେଦିସବୁକୁ ଆଘାତ କରିବେ, ସେ ସେମାନଙ୍କର ସ୍ତମ୍ଭସବୁକୁ ନଷ୍ଟ କରିବେ।
HOS 10:3 ଅବଶ୍ୟ ଏବେ ସେମାନେ କହିବେ, “ଆମ୍ଭମାନଙ୍କର ରାଜା ନାହିଁ; କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁ ନାହୁଁ, ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଅଣ କରି ପାରିବ?”
HOS 10:4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ।
HOS 10:5 ଶମରୀୟା ନିବାସୀଗଣ ବେଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ; କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।
HOS 10:6 ତାହା ମଧ୍ୟ ଯାରେବ ରାଜାର ଭେଟି ନିମନ୍ତେ ଅଶୂରକୁ ନୀତ ହେବ; ଇଫ୍ରୟିମ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ।
HOS 10:7 ଶମରୀୟାର ରାଜା ଜଳ ଉପରିସ୍ଥ ଫେଣ ତୁଲ୍ୟ ଉଚ୍ଛିନ୍ନ ହେଲା।
HOS 10:8 ଆହୁରି, ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀସକଳ ବିନଷ୍ଟ ହେବ; କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦି ଉପରେ ଉତ୍ପନ୍ନ ହେବ; ଆଉ, ସେମାନେ ପର୍ବତଗଣକୁ କହିବେ, ଆମ୍ଭମାନଙ୍କୁ ଘୋଡ଼ାଅ ଓ ଉପପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼।
HOS 10:9 ହେ ଇସ୍ରାଏଲ, ତୁମ୍ଭେ ଗିବୀୟାର ସମୟଠାରୁ ପାପ କରି ଆସିଅଛ; ଅଧର୍ମର ସନ୍ତାନଗଣର ବିରୁଦ୍ଧ ଯୁଦ୍ଧ ଯେପରି ଗିବୀୟାରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେହି ସ୍ଥାନରେ ଠିଆ ହେଲେ।
HOS 10:10 ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ।
HOS 10:11 ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ; ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।
HOS 10:12 ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି।
HOS 10:13 ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ।
HOS 10:14 ଏଥିନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ଶଲମନ ବେଥ୍-ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗସକଳ ବିନଷ୍ଟ ହେବ; ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା।
HOS 10:15 ତୁମ୍ଭର ମହା ଦୁଷ୍ଟତା ସକାଶୁ ବେଥେଲ୍‍ ତୁମ୍ଭ ପ୍ରତି ସେହି ପ୍ରକାର କରିବ; ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ।
HOS 11:1 ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।
HOS 11:2 ମାତ୍ର ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ; ସେମାନେ ବାଲ୍‍ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ।
HOS 11:3 ତଥାପି ଆମ୍ଭେ ଇଫ୍ରୟିମକୁ ଚାଲିବା ପାଇଁ ଶିଖାଇଲୁ; ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବୋହିଲୁ; ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ।
HOS 11:4 ଆମ୍ଭେ ମନୁଷ୍ୟର ବନ୍ଧନୀ, ଅର୍ଥାତ୍‍, ପ୍ରେମରଜ୍ଜୁ ଦ୍ୱାରା ସେମାନଙ୍କୁ ଆକର୍ଷଣ କଲୁ ଓ ଆମ୍ଭେ ସେମାନଙ୍କ କଳପାଟିରୁ ଯୁଆଳି ଉଠାଇ ନେବା ଲୋକ ତୁଲ୍ୟ ହେଲୁ ଓ ଆମ୍ଭେ ସେମାନଙ୍କ ଆଗରେ ଖାଦ୍ୟ ରଖିଲୁ।
HOS 11:5 ସେ ମିସର ଦେଶକୁ ଫେରିଯିବ ନାହିଁ; ମାତ୍ର ଅଶୂରୀୟ ତାହାର ରାଜା ହେବ, କାରଣ ସେ ଫେରି ଆସିବାକୁ ଅସମ୍ମତ ହେଲା।
HOS 11:6 ପୁଣି, ସେମାନଙ୍କର ନିଜ ମନ୍ତ୍ରଣା ସକାଶୁ ସେମାନଙ୍କ ନଗରସକଳର ଉପରେ ଖଡ୍ଗ ପଡ଼ିବ, ତାହାର ଅର୍ଗଳ ସକଳକୁ ସଂହାର କରିବ ଓ ସେମାନଙ୍କୁ ଗ୍ରାସ କରିବ।
HOS 11:7 ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି; ଲୋକମାନେ ଊର୍ଦ୍ଧ୍ୱସ୍ଥଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ମଧ୍ୟ କେହି ତାହାଙ୍କର ପ୍ରଶଂସା କରେ ନାହିଁ।
HOS 11:8 ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି।
HOS 11:9 ଆମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତା ସଫଳ କରିବା ନାହିଁ, ଆମ୍ଭେ ଇଫ୍ରୟିମକୁ ବିନାଶ କରିବା ପାଇଁ ଫେରିବା ନାହିଁ; କାରଣ ଆମ୍ଭେ ପରମେଶ୍ୱର ଅଟୁ; ମନୁଷ୍ୟ ନୋହୁଁ; ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ; ଆମ୍ଭେ ନଗର ମଧ୍ୟରେ ପ୍ରବେଶ କରିବା ନାହିଁ।
HOS 11:10 ଆମ୍ଭେ ସିଂହ ତୁଲ୍ୟ ଗର୍ଜ୍ଜନ କଲେ, ସେମାନେ ସଦାପ୍ରଭୁଙ୍କର ପଶ୍ଚାଦ୍‍ଗମନ କରିବେ, ଆଉ ଆମ୍ଭେ ଗର୍ଜ୍ଜନ କଲେ ପଶ୍ଚିମ ଦିଗରୁ ସନ୍ତାନମାନେ ଥରଥର ହୋଇ ଆସିବେ।
HOS 11:11 ସେମାନେ ପକ୍ଷୀ ପରି ମିସରରୁ ଓ କପୋତ ପରି ଅଶୂର ଦେଶରୁ ଥରଥର ହୋଇ ଆସିବେ; ପୁଣି, ଆମ୍ଭେ ସେମାନଙ୍କୁ ସେମାନଙ୍କ ଗୃହରେ ବାସ କରାଇବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
HOS 11:12 ଇଫ୍ରୟିମ ମିଥ୍ୟା କଥାରେ ଓ ଇସ୍ରାଏଲ ବଂଶ ପ୍ରବଞ୍ଚନାରେ ଆମ୍ଭକୁ ଘେରୁଅଛନ୍ତି; ମାତ୍ର ଯିହୁଦା ଏବେ ମଧ୍ୟ ପରମେଶ୍ୱରଙ୍କ ସହିତ କର୍ତ୍ତୃତ୍ୱ କରୁଅଛି ଓ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ହୋଇ ରହିଅଛି।
HOS 12:1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ପଠାନ୍ତି।
HOS 12:2 ଆହୁରି, ସଦାପ୍ରଭୁଙ୍କ ଓ ଯିହୁଦା ମଧ୍ୟରେ ବିବାଦ ଅଛି, ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ଡ ଦେବେ; ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ।
HOS 12:3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା;
HOS 12:4 ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା; ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା; ସେ ବେଥେଲ୍‍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ।
HOS 12:5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର; ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ।
HOS 12:6 ଏଥିନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର; ଦୟା ଓ ନ୍ୟାୟବିଚାର ପାଳନ କର ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ।
HOS 12:7 ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; ସେ ଉପଦ୍ରବ କରିବାକୁ ଭଲ ପାଏ।
HOS 12:8 ପୁଣି, ଇଫ୍ରୟିମ କହିଲା, “ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ଆପଣା ନିମନ୍ତେ ସମ୍ପତ୍ତି ପାଇଅଛି; ମୋʼ ର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋʼ ଠାରେ ପାଇବେ ନାହିଁ।”
HOS 12:9 ମାତ୍ର ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ; ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ବୁରେ ବାସ କରାଇବା।
HOS 12:10 ଆହୁରି, ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ନିକଟରେ କଥା କହିଅଛୁ ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ; ଆଉ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଦୃଷ୍ଟାନ୍ତର କଥା ବ୍ୟବହାର କରିଅଛୁ।
HOS 12:11 ଯଦି ଗିଲୀୟଦରେ କିଛି ଅଧର୍ମ ଅଛି, ତେବେ ସେମାନେ ସର୍ବତୋଃଭାବେ ଅସାର; ଗିଲ୍‍ଗଲ୍‍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି।
HOS 12:12 ପୁଣି, ଯାକୁବ ଅରାମ ଦେଶକୁ ପଳାଇଗଲା ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା।
HOS 12:13 ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ ଓ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ସେ ରକ୍ଷିତ ହେଲା।
HOS 12:14 ଇଫ୍ରୟିମ ଅତିଶୟ ବିରକ୍ତ କରାଇଅଛି; ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ।
HOS 13:1 ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।
HOS 13:2 ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍‍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।
HOS 13:3 ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।
HOS 13:4 ତଥାପି ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ ଓ ଆମ୍ଭ ବ୍ୟତୀତ ଅନ୍ୟ ତ୍ରାଣକର୍ତ୍ତା ନାହିଁ।
HOS 13:5 ଆମ୍ଭେ ପ୍ରାନ୍ତରରେ ଓ ମହାମରୁଭୂମିରେ ତୁମ୍ଭକୁ ଜାଣିଲୁ।
HOS 13:6 ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରିଅଛନ୍ତି।
HOS 13:7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;
HOS 13:8 ଆମ୍ଭେ ଛୁଆହରା ଭଲ୍ଲୁକୀ ପରି ସେମାନଙ୍କୁ ହାବୁଡ଼ିବା ଓ ସେମାନଙ୍କର ବକ୍ଷକୁ ବିଦୀର୍ଣ୍ଣ କରିବା; ଆଉ, ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା; ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ।
HOS 13:9 ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ।
HOS 13:10 ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ? “ମୋତେ ରାଜା ଓ ଅଧିପତିଗଣ ଦିଅ” ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି?
HOS 13:11 ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।
HOS 13:12 ଇଫ୍ରୟିମର ଅଧର୍ମ ବନ୍ଧାଯାଇଅଛି; ତାହାର ପାପ ସଞ୍ଚିତ ହୋଇଅଛି।
HOS 13:13 ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ; ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ-ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ ନୁହେଁ।
HOS 13:14 ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ।
HOS 13:15 ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।
HOS 13:16 ଶମରୀୟା ଆପଣା ଦୋଷର ଫଳ ଭୋଗ କରିବ; କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି; ସେମାନେ ଖଡ୍ଗରେ ପତିତ ହେବେ; ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ; ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ।
HOS 14:1 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ।
HOS 14:2 ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; ତାହାଙ୍କୁ କୁହ, “ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର; ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା।
HOS 14:3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ‘ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ’ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।”
HOS 14:4 ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା, ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି।
HOS 14:5 ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; ସେ କଇଁଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନର ତୁଲ୍ୟ ମୂଳ ବାନ୍ଧିବ।
HOS 14:6 ତାହାର ଶାଖାସବୁ ବିସ୍ତାରିତ ହେବ ଓ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ ଓ ତାହାର ସୁବାସ ଲିବାନୋନ ପରି ହେବ।
HOS 14:7 ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ; ସେମାନେ ଶସ୍ୟ ପରି ସଂଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ; ତହିଁର ସୁବାସ ଲିବାନୋନର ଦ୍ରାକ୍ଷାରସ ତୁଲ୍ୟ ହେବ।
HOS 14:8 ଇଫ୍ରୟିମ କହିବ, “ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ?” ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ।
HOS 14:9 ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ। ବୁଦ୍ଧିମାନ କିଏ? ସେ ଏସବୁ ଜାଣିବ, କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ; ମାତ୍ର ଆଜ୍ଞା-ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ।
JOE 1:1 ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
JOE 1:2 ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି?
JOE 1:3 ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।
JOE 1:4 ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
JOE 1:5 ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।
JOE 1:6 ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ ଓ ତାହାର କଳଦନ୍ତ ଏକ ବୃହତ ସିଂହର କଳଦନ୍ତ ତୁଲ୍ୟ।
JOE 1:7 ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି; ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି; ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।
JOE 1:8 ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।
JOE 1:9 ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି; ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।
JOE 1:10 କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି, ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।
JOE 1:11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।
JOE 1:12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।
JOE 1:13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।
JOE 1:14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣଙ୍କୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
JOE 1:15 ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।
JOE 1:16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ?
JOE 1:17 ବିହନସବୁ ଟେଳା ତଳେ ପଚି ଯାଉଅଛି; ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି; କାରଣ ଶସ୍ୟ ଶୁଷ୍କ ହୋଇଅଛି।
JOE 1:18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।
JOE 1:19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।
JOE 1:20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।
JOE 2:1 ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର! ଦେଶ ନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ; କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ।
JOE 2:2 ତାହା ତିମିର ଓ ଅନ୍ଧକାରମୟ ଦିନ, ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ, ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି; ମହତୀ ଓ ବଳବତୀ ଏକ ଗୋଷ୍ଠୀ, ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ, କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ।
JOE 2:3 ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି; ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର; ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ।
JOE 2:4 ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି।
JOE 2:5 ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି, ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ, ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ।
JOE 2:6 ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ; ସମସ୍ତଙ୍କର ମୁଖ ମଳିନ।
JOE 2:7 ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି; ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ।
JOE 2:8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି; ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।
JOE 2:9 ସେମାନେ ନଗର ଉପରେ କୁଦନ୍ତି; ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି; ସେମାନେ ଗୃହ ଉପରେ ଚଢ଼ନ୍ତି; ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।
JOE 2:10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ; ଆକାଶମଣ୍ଡଳ ଥରଥର ହୁଏ; ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।
JOE 2:11 ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ ଆପଣା ରବ ଉଚ୍ଚାରଣ କରନ୍ତି; କାରଣ ତାହାଙ୍କର ଛାଉଣି ଅତି ବଡ଼; କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ। କାରଣ ସଦାପ୍ରଭୁଙ୍କର ଦିନ ମହତ୍ ଓ ଅତି ଭୟାନକ; ଆଉ କିଏ ତାହା ସହ୍ୟ କରିପାରେ?
JOE 2:12 ତଥାପି ସଦାପ୍ରଭୁ କହନ୍ତି, “ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।
JOE 2:13 ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର” ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ସେ କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।
JOE 2:14 କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍‍ ଆଶୀର୍ବାଦ, ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ରଖିଯିବେ।
JOE 2:15 ସିୟୋନରେ ତୂରୀ ବଜାଅ ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;
JOE 2:16 ଲୋକମାନଙ୍କୁ ଏକତ୍ର କର, ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର, ବାଳକ, ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର; ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ।
JOE 2:17 ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ, ଆଉ ସେମାନେ କହନ୍ତୁ, “ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର ଓ ଅନ୍ୟ ଦେଶୀୟମାନେ ଯେପରି ସେମାନଙ୍କ ଉପରେ ଶାସନ ନ କରିବେ, ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ; ‘ସେମାନଙ୍କର ପରମେଶ୍ୱର କାହାନ୍ତି,’ ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ?”
JOE 2:18 ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍‍ଯୋଗୀ ହେଲେ ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ।
JOE 2:19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପଠାଇଦେବା, ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ; ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।
JOE 2:20 ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା, ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ିଦେଇ ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ, ଆଉ ସେମାନଙ୍କର ପଶ୍ଚାଦ୍‍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ିଦେବା; ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ, କାରଣ ସେ ମହତ୍ କର୍ମମାନ କରିଅଛନ୍ତି।
JOE 2:21 ହେ ଦେଶ, ଭୟ କର ନାହିଁ, ଉଲ୍ଲସିତ ହୋଇ ଆନନ୍ଦ କର; କାରଣ ସଦାପ୍ରଭୁ ମହତ୍ କର୍ମମାନ କରିଅଛନ୍ତି।
JOE 2:22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ; କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଫଳୁଅଛି, ଡିମ୍ବିରିବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।
JOE 2:23 ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର; କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ।
JOE 2:24 ପୁଣି, ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ ଓ କୁଣ୍ଡସବୁ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
JOE 2:25 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟଦଳ, ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।
JOE 2:26 ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।
JOE 2:27 ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ, ଏହା ତୁମ୍ଭେମାନେ ଜାଣିବ; ପୁଣି, ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।
JOE 2:28 ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।
JOE 2:29 ଆଉ, ସେହି ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।
JOE 2:30 ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା।
JOE 2:31 ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।
JOE 2:32 ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ; କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ, ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ, ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।
JOE 3:1 କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ, ଯେତେବେଳେ ଆମ୍ଭେ ଯିହୁଦା ଓ ଯିରୂଶାଲମର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା,
JOE 3:2 ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି ସେମାନଙ୍କୁ ଯିହୋଶାଫଟ୍‍ (ସଦାପ୍ରଭୁଙ୍କ ବିଚାର) ଉପତ୍ୟକାକୁ ଓହ୍ଲାଇ ଆଣିବା; ଆଉ, ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା, କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରି ଆମ୍ଭର ଦେଶ ବିଭାଗ କରିଅଛନ୍ତି।
JOE 3:3 ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।
JOE 3:4 ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ? ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ? ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ, ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।
JOE 3:5 କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ, ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ;
JOE 3:6 ଆହୁରି ଯିହୁଦାର ସନ୍ତାନଗଣକୁ ଓ ଯିରୂଶାଲମର ସନ୍ତାନଗଣକୁ ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ ଗ୍ରୀସ୍‍ର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ।
JOE 3:7 ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;
JOE 3:8 ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା, ତହିଁରେ ସେମାନେ ସେମାନଙ୍କୁ ଦୂର ଗୋଷ୍ଠୀୟ ଶିବାୟୀୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।”
JOE 3:9 ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର; ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ; ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ।
JOE 3:10 ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ୍ଗ ଗଢ଼ାଅ ଓ ଆପଣା ଆପଣା ଦାଆ ଭାଙ୍ଗି ବର୍ଚ୍ଛା ଗଢ଼: ଦୁର୍ବଳ ଲୋକ କହୁ, ମୁଁ ବଳବାନ।
JOE 3:11 ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀସକଳ, ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର; ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଲାଇ ଆଣ।
JOE 3:12 ଗୋଷ୍ଠୀବର୍ଗ ଉଦ୍‍ଯୋଗୀ ହୋଇ ଉଠନ୍ତୁ ଓ ଯିହୋଶାଫଟ୍‍ର ଉପତ୍ୟକାକୁ ଆସନ୍ତୁ; କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା।
JOE 3:13 ତୁମ୍ଭେମାନେ ଦାʼ ଲଗାଅ କାରଣ ଶସ୍ୟ ପାଚିଅଛି; ତୁମ୍ଭେମାନେ ଆସି ଦଳନ କର; କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛି, କୁଣ୍ଡସବୁ ଉଚ୍ଛୁଳି ପଡ଼ୁଅଛି; କାରଣ ସେମାନଙ୍କର ଦୁଷ୍ଟତା ବଡ଼।
JOE 3:14 ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟ! କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି।
JOE 3:15 ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି।
JOE 3:16 ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ହେବେ ଓ ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ହେବେ।
JOE 3:17 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ; ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ।
JOE 3:18 ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
JOE 3:19 ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ୱଂସସ୍ଥାନ ହେବ ଓ ଇଦୋମ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।
JOE 3:20 ମାତ୍ର ଯିହୁଦା ଚିରକାଳ ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ।
JOE 3:21 ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତକୁ ନିର୍ଦ୍ଦୋଷ କରି ନାହୁଁ, ତାହା ନିର୍ଦ୍ଦୋଷ କରିବା। କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।
AMO 1:1 ଯିହୁଦାର ରାଜା ଉଷୀୟର ଅଧିକାର ସମୟରେ ଓ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ଅଧିକାର ସମୟରେ, ଭୂମିକମ୍ପର ଦୁଇ ବର୍ଷର ପୂର୍ବରେ ତକୋୟସ୍ଥ ଗୋପାଳକମାନଙ୍କର ମଧ୍ୟବର୍ତ୍ତୀ ଆମୋଷ ଇସ୍ରାଏଲ ବିଷୟରେ ଯେଉଁ ଯେଉଁ ଦର୍ଶନ ପାଇଲେ, ତଦ୍‍ବିଷୟକ ତାଙ୍କର ବାକ୍ୟ।
AMO 1:2 ପୁଣି ସେ କହିଲେ, “ସଦାପ୍ରଭୁ ସିୟୋନରୁ ଗର୍ଜ୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ମେଷପାଳକମାନଙ୍କର ଚରାଣି ସ୍ଥାନସକଳ ଶୋକ କରିବ ଓ କର୍ମିଲର ଶିଖର ଶୁଷ୍କ ହେବ।”
AMO 1:3 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଦମ୍ମେଶକର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଲୌହମୟ ଶସ୍ୟମର୍ଦ୍ଦନ ଯନ୍ତ୍ରରେ ଗିଲୀୟଦକୁ ମର୍ଦ୍ଦନ କରିଅଛନ୍ତି;
AMO 1:4 ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।
AMO 1:5 ପୁଣି, ଆମ୍ଭେ ଦମ୍ମେଶକର ଅର୍ଗଳ ଭାଙ୍ଗି ପକାଇବା ଓ ଆବନ ଉପତ୍ୟକାରୁ ନିବାସକାରୀକୁ ଓ ବେଥ୍-ଏଦନ ବଂଶରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା। ପୁଣି, ସଦାପ୍ରଭୁ କହନ୍ତି, ଅରାମର ଲୋକମାନେ ନିର୍ବାସିତ ହୋଇ କୀର୍‍କୁ ଯିବେ।”
AMO 1:6 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଘସାର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଇଦୋମର ହସ୍ତରେ ସମର୍ପଣ କରିବା ପାଇଁ ସମୁଦାୟ ଲୋକଙ୍କୁ ବନ୍ଦୀ କରି ନେଇଗଲେ।
AMO 1:7 ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।
AMO 1:8 ଆଉ, ଆମ୍ଭେ ଅସ୍ଦୋଦରୁ ନିବାସକାରୀକୁ ଓ ଅସ୍କିଲୋନରୁ ରାଜଦଣ୍ଡଧାରୀକୁ ଉଚ୍ଛିନ୍ନ କରିବା; ଆମ୍ଭେ ଇକ୍ରୋଣ ସହରର ବିପକ୍ଷରେ ଆପଣା ହସ୍ତ ଫେରାଇବା ଓ ପଲେଷ୍ଟୀୟମାନଙ୍କର ଅବଶିଷ୍ଟାଂଶ ବିନଷ୍ଟ ହେବେ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
AMO 1:9 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ;
AMO 1:10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।”
AMO 1:11 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଇଦୋମର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଖଡ୍ଗ ଧରି ଆପଣା ଭ୍ରାତାକୁ ଗୋଡ଼ାଇଲା ଓ ସବୁ ଦୟା ପରିତ୍ୟାଗ କଲା, ତାହାର କ୍ରୋଧ ନିତ୍ୟ ବିଦୀର୍ଣ୍ଣ କଲା ଓ ସେ ଆପଣା କୋପ ସଦାକାଳ ରଖିଲା।
AMO 1:12 ମାତ୍ର ଆମ୍ଭେ ତୈମନ୍‍ ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ବସ୍ରାର ଅଟ୍ଟାଳିକାସବୁ ଗ୍ରାସ କରିବ।”
AMO 1:13 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଅମ୍ମୋନ-ସନ୍ତାନଗଣର ତିନି, ହଁ, ଚାରି ଅପରାଧ ସକାଶୁ ସେମାନଙ୍କର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ଆପଣାମାନଙ୍କର ସୀମା ବୃଦ୍ଧି କରିବା ନିମନ୍ତେ ଗିଲୀୟଦର ଗର୍ଭିଣୀ ସ୍ତ୍ରୀମାନଙ୍କର ଉଦର ଚିରି ପକାଇଅଛନ୍ତି।
AMO 1:14 ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।
AMO 1:15 ପୁଣି, ସେମାନଙ୍କର ରାଜା, ସେ ଓ ତାହାର ଅଧିପତିଗଣ ଏକ ସଙ୍ଗେ ନିର୍ବାସିତ ହୋଇଯିବେ। ଏହା ସଦାପ୍ରଭୁ କହନ୍ତି।”
AMO 2:1 ସଦାପ୍ରଭୁ ଏହି କଥା କହନ୍ତି, “ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;
AMO 2:2 ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥ୍‍ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;
AMO 2:3 ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା ଓ ତାହା ସଙ୍ଗେ ତହିଁର ସମସ୍ତ ଅଧିପତିଙ୍କୁ ସଂହାର କରିବା।” ଏହା ସଦାପ୍ରଭୁ କହନ୍ତି।
AMO 2:4 ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ, ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;
AMO 2:5 ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ।”
AMO 2:6 ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
AMO 2:7 ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି; ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀଠାରେ ଗମନ କରନ୍ତି;
AMO 2:8 ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ ବନ୍ଧକି ବସ୍ତ୍ରର ଉପରେ ଶୟନ କରନ୍ତି, ଆଉ ସେମାନେ ଅର୍ଥଦଣ୍ଡପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି।
AMO 2:9 ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ; ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।
AMO 2:10 ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।
AMO 2:11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍‍ବକ୍ତାଗଣ ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ। ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ-ସନ୍ତାନଗଣ, ଏପରି କି ହୋଇ ନାହିଁ?”
AMO 2:12 ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ।
AMO 2:13 “ଦେଖ, ହଳାରେ ପୂର୍ଣ୍ଣ ଶଗଡ଼ ଯେପରି ଚାପେ, ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।
AMO 2:14 ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ, ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;
AMO 2:15 ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ; ଯେ ଅଶ୍ୱାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;
AMO 2:16 ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ, ସେ ଉଲଙ୍ଗ ହୋଇ ସେଦିନ ପଳାଇଯିବ।” ଏହା ସଦାପ୍ରଭୁ କହନ୍ତି।
AMO 3:1 ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ଏହା ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ, ଅର୍ଥାତ୍‍, ଯେଉଁ ସମୁଦାୟ ଗୋଷ୍ଠୀକୁ ଆମ୍ଭେ ମିସର ଦେଶରୁ ବାହାର କରି ଆଣିଲୁ, ସେମାନଙ୍କ ବିରୁଦ୍ଧରେ କହିଅଛନ୍ତି,
AMO 3:2 “ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ କେବଳ ତୁମ୍ଭମାନଙ୍କର ପରିଚୟ ଆମ୍ଭେ ନେଇଅଛୁ; ଏଥିପାଇଁ ତୁମ୍ଭମାନଙ୍କର ସକଳ ଅଧର୍ମର ପ୍ରତିଫଳ ଆମ୍ଭେ ତୁମ୍ଭମାନଙ୍କୁ ଦେବା।
AMO 3:3 ଏକ ପରାମର୍ଶ ନ ହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ?
AMO 3:4 ଶିକାର ନ ପାଇଲେ କି ସିଂହ ବନ ମଧ୍ୟରେ ଗର୍ଜ୍ଜନ କରିବ? କୌଣସି ପଶୁ ନ ଧରିଲେ କି ଯୁବା ସିଂହ ଆପଣା ଗର୍ତ୍ତରେ ହୁଙ୍କାର କରିବ?
AMO 3:5 ଫାନ୍ଦ ନ ପାତିଲେ କି ପକ୍ଷୀ ଜାଲରେ ଧରାଯାଇ ଭୂମିରେ ପଡ଼ିବ? କିଛି ନ ଧରିଲେ ଜାଲ କି ଭୂମିରୁ ଛିଟିକି ଉଠିବ?
AMO 3:6 ନଗର ମଧ୍ୟରେ ତୂରୀ ବଜାଗଲେ ଲୋକମାନେ କି ଭୀତ ହେବେ ନାହିଁ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ?
AMO 3:7 ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ପ୍ରକାଶ ନ କରି କିଛି କରନ୍ତି ନାହିଁ।
AMO 3:8 ସିଂହ ଗର୍ଜ୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର ନ କରିବ?”
AMO 3:9 ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”
AMO 3:10 କାରଣ ସଦାପ୍ରଭୁ କହନ୍ତି, “ଯେଉଁମାନେ ଆପଣା ଆପଣା ଅଟ୍ଟାଳିକାରେ ଦୌରାତ୍ମ୍ୟ ଓ ଲୁଟିତ ଦ୍ରବ୍ୟ ସଞ୍ଚୟ କରନ୍ତି, ସେମାନେ ନ୍ୟାୟ କରିବାକୁ ଜାଣନ୍ତି ନାହିଁ।”
AMO 3:11 ଏନିମନ୍ତେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଏକ ଜଣ ବିପକ୍ଷ ଦେଶର ଚତୁର୍ଦ୍ଦିଗରେ (ଉଠିବ); ଆଉ, ସେ ତୁମ୍ଭଠାରୁ ତୁମ୍ଭର ବଳ ନତ କରିବ ଓ ତୁମ୍ଭର ଅଟ୍ଟାଳିକାସବୁ ଲୁଟିତ ହେବ।”
AMO 3:12 ସଦାପ୍ରଭୁ ଏହି କଥା କହନ୍ତି, “ମେଷପାଳକ ଯେପରି ସିଂହ ମୁଖରୁ ଦୁଇ ଗୋଡ଼ ଅବା କାନରୁ ଖଣ୍ଡେ ରକ୍ଷା କରେ, ସେପରି ଇସ୍ରାଏଲର ଯେଉଁ ସନ୍ତାନଗଣ ଶମରୀୟାରେ ଖଟର କୋଣରେ ଓ ଶଯ୍ୟାର ପାଟଗଦି ଉପରେ ବସନ୍ତି, ସେମାନେ ରକ୍ଷା କରାଯିବେ।”
AMO 3:13 “ତୁମ୍ଭେମାନେ ଏହା ଶୁଣ ଓ ଯାକୁବ ବଂଶ ବିରୁଦ୍ଧରେ ସାକ୍ଷ୍ୟ ଦିଅ, ଏହା ପ୍ରଭୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର କହନ୍ତି।
AMO 3:14 କାରଣ ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ତାହାର ସମସ୍ତ ଅପରାଧର ପ୍ରତିଫଳ ଦେବା, ସେହି ଦିନ ଆମ୍ଭେ ବେଥେଲ୍‍ସ୍ଥ ଯଜ୍ଞବେଦିସକଳକୁ ହିଁ ପ୍ରତିଫଳ ଦେବା, ତହିଁରେ ଯଜ୍ଞବେଦିର ଶୃଙ୍ଗସକଳ କଟାଯାଇ ଭୂମିରେ ପଡ଼ିବ।
AMO 3:15 ପୁଣି, ଆମ୍ଭେ ଶୀତକାଳର ଗୃହକୁ ଓ ଗ୍ରୀଷ୍ମକାଳର ଗୃହକୁ ଆଘାତ କରିବା; ଆଉ, ହସ୍ତୀଦନ୍ତର ଗୃହସକଳ ନଷ୍ଟ ହେବ ଓ ବଡ଼ ବଡ଼ ଗୃହ ଲୁପ୍ତ ହେବ।” ଏହା ସଦାପ୍ରଭୁ କହନ୍ତି।
AMO 4:1 “ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ‘ଆଣ, ଆମ୍ଭେମାନେ ପାନ କରିବା।’
AMO 4:2 ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି, ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ, ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।
AMO 4:3 ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନ ସ୍ଥାନ ଦେଇ ବାହାରି ଯିବ ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।” ଏହା ସଦାପ୍ରଭୁ କହନ୍ତି।
AMO 4:4 “ତୁମ୍ଭେମାନେ ବେଥେଲ୍‍କୁ ଯାଇ ଅପରାଧ କର; ଗିଲ୍‍ଗଲ୍‍କୁ ଯାଇ ଅପରାଧ ବୃଦ୍ଧି କର; ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;
AMO 4:5 ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର; କାରଣ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
AMO 4:6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସ ସ୍ଥାନରେ ଅନ୍ନ-ଅଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
AMO 4:7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।
AMO 4:8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
AMO 4:9 “ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ; ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରିବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
AMO 4:10 “ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ; ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ; ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
AMO 4:11 “ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ, ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
AMO 4:12 “ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା; ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା, ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।”
AMO 4:13 କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି, ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି। ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
AMO 5:1 ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି ଯେଉଁ ବିଳାପର ବାକ୍ୟ କହୁଅଛୁ, ତାହା ଶୁଣ।
AMO 5:2 “ଇସ୍ରାଏଲର କୁମାରୀ ପତିତ ହୋଇଅଛି, ସେ ଆଉ ଉଠିବ ନାହିଁ; ସେ ଆପଣା ଭୂମିରେ ଫିଙ୍ଗା ଯାଇଅଛି; ତାହାକୁ ଉଠାଇବାକୁ କେହି ନାହିଁ।”
AMO 5:3 କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁ ନଗରରୁ ସହସ୍ର ହୋଇ ବାହାରିଲେ, ତହିଁରେ ଇସ୍ରାଏଲ ବଂଶର ଏକ ଶହ ଅବଶିଷ୍ଟ ରହିବେ, ଆଉ ଯେଉଁ ସ୍ଥାନରୁ ଏକ ଶହ ବାହାରିଲେ, ତହିଁରେ ଦଶ ଅବଶିଷ୍ଟ ରହିବେ।”
AMO 5:4 କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ।
AMO 5:5 ମାତ୍ର ବେଥେଲ୍‍ର ଅନ୍ଵେଷଣ କର ନାହିଁ, କିଅବା ଗିଲ୍‍ଗଲ୍‍ରେ ପ୍ରବେଶ କର ନାହିଁ ଓ ବେର୍‍ଶେବାକୁ ଯାଅ ନାହିଁ; କାରଣ ଗିଲ୍‍ଗଲ୍‍ ନିଶ୍ଚୟ ନିର୍ବାସିତ ହେବ ଓ ବେଥେଲ୍‍ ବିନଷ୍ଟ ହେବ।
AMO 5:6 ସଦାପ୍ରଭୁଙ୍କର ଅନ୍ଵେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ; ନୋହିଲେ ସେ ଯୋଷେଫ ବଂଶରେ ଅଗ୍ନି ପରି ଜ୍ୱଳି ଉଠିବେ, ତାହା ଗ୍ରାସ କରିବ ଓ ତାହା ଲିଭାଇବା ପାଇଁ ବେଥେଲ୍‍ରେ କେହି ନ ଥିବ।
AMO 5:7 ବିଚାରକୁ ତିକ୍ତ ଫଳରେ ପରିଣତକାରୀ ଓ ନ୍ୟାୟକୁ ଭୂମିସାତ୍‍କାରୀମାନେ;
AMO 5:8 ଯେ କୃତ୍ତିକାର ଓ ମୃଗଶୀର୍ଷର ସୃଷ୍ଟି କରିଅଛନ୍ତି, ଯେ ମୃତ୍ୟୁୁରୂପ ଛାୟାକୁ ପ୍ରଭାତରେ ପରିଣତ କରନ୍ତି, ଯେ ଦିବସକୁ ରାତ୍ରି ତୁଲ୍ୟ ଅନ୍ଧକାରମୟ କରନ୍ତି; ଯେ ସମୁଦ୍ରର ଜଳସମୂହକୁ ଆହ୍ୱାନ କରି ପୃଥିବୀ ଉପରେ ଢାଳନ୍ତି; ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କର। ସଦାପ୍ରଭୁ ତାହାଙ୍କର ନାମ।
AMO 5:9 ସେ ବଳବାନ ଉପରେ ହଠାତ୍‍ ସର୍ବନାଶ ଉପସ୍ଥିତ କରାନ୍ତି, ତହିଁରେ ଦୁର୍ଗ ଉପରେ ସର୍ବନାଶ ଉପସ୍ଥିତ ହୁଏ।
AMO 5:10 ଯେ ନଗର-ଦ୍ୱାରରେ ଅନୁଯୋଗ କରେ, ଲୋକମାନେ ତାହାକୁ ହିଂସା କରନ୍ତି ଓ ଯେ ଯଥାର୍ଥ କଥା କହେ, ସେମାନେ ତାହାକୁ ଘୃଣା କରନ୍ତି।
AMO 5:11 ତୁମ୍ଭେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ; ଏଥିପାଇଁ ତୁମ୍ଭେମାନେ କଟା ପଥରର ଗୃହ ନିର୍ମାଣ କରିଅଛ ସତ୍ୟ, ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ; ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ;
AMO 5:12 କାରଣ ତୁମ୍ଭମାନଙ୍କର ଅପରାଧ କିପରି ବହୁବିଧ ଓ ତୁମ୍ଭମାନଙ୍କର ପାପସକଳ କିପରି ପ୍ରବଳ, ଏହା ଆମ୍ଭେ ଜାଣୁ; ତୁମ୍ଭେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର-ଦ୍ୱାରରେ ଦୀନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ।
AMO 5:13 ଏଥିପାଇଁ ଯେଉଁ ଜନ ବୁଦ୍ଧିମାନ, ସେ ଏପରି ସମୟରେ ନୀରବ ହୋଇ ରହିବ; କାରଣ ସମୟ ମନ୍ଦ ଅଟେ।
AMO 5:14 ତୁମ୍ଭେମାନେ ଯେପରି ବଞ୍ଚିବ, ଏଥିପାଇଁ ମନ୍ଦ ଚେଷ୍ଟା ନ କର, ଭଲ ଚେଷ୍ଟା କର; ତହିଁରେ ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
AMO 5:15 ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର-ଦ୍ୱାରରେ ନ୍ୟାୟବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।
AMO 5:16 ଏଥିପାଇଁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର ସଦାପ୍ରଭୁ ଏହି କଥା କହନ୍ତି, “ଛକସ୍ଥାନ ସକଳରେ ହାହାକାର ଶବ୍ଦ ହେବ ଓ ରାଜଦାଣ୍ଡସକଳରେ ଲୋକମାନେ ହାୟ! ହାୟ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।
AMO 5:17 ପୁଣି, ଦ୍ରାକ୍ଷାକ୍ଷେତ୍ର ସକଳରେ ହାହାକାର ଶବ୍ଦ ହେବ;” “କାରଣ ଆମ୍ଭେ ତୁମ୍ଭର ମଧ୍ୟଦେଇ ଗମନ କରିବା।” ଏହା ସଦାପ୍ରଭୁ କହନ୍ତି।
AMO 5:18 ହାୟ, ହାୟ, ସଦାପ୍ରଭୁଙ୍କର ଦିନ ବାଞ୍ଛାକାରୀମାନେ! ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଦିନ ବାଞ୍ଛା କରୁଅଛ? ତାହା ଅନ୍ଧକାରମୟ, ଦୀପ୍ତିମୟ ନୁହେଁ।
AMO 5:19 କୌଣସି ମନୁଷ୍ୟ ସିଂହଠାରୁ ପଳାଇ ଯେପରି ଭଲ୍ଲୁକର ହାବୁଡ଼ରେ ପଡ଼ିଲା, ଅଥବା ଗୃହ ମଧ୍ୟରେ ପ୍ରବେଶ କରି କାନ୍ଥ ଉପରେ ହସ୍ତ ଦିଅନ୍ତେ, ସର୍ପ ତାହାକୁ ଦଂଶନ କଲା, (ସେହି ଦିନ ସଦୃଶ୍ୟ)
AMO 5:20 ସଦାପ୍ରଭୁଙ୍କର ଦିନ ଦୀପ୍ତିମୟ ନ ହୋଇ କି ଅନ୍ଧକାରମୟ ହେବ ନାହିଁ? ତହିଁରେ କିଛି ଆଲୁଅ ନ ଥାଇ କି ଘୋର ଅନ୍ଧକାରମୟ ହେବ ନାହିଁ?
AMO 5:21 “ଆମ୍ଭେ ତୁମ୍ଭମାନଙ୍କର ପର୍ବସବୁ ଘୃଣା କରୁ, ଆମ୍ଭେ ତାହା ତୁଚ୍ଛଜ୍ଞାନ କରୁ, ଆମ୍ଭେ ତୁମ୍ଭମାନଙ୍କର ମହାସଭାରେ କିଛି ସନ୍ତୁଷ୍ଟ ହେବା ନାହିଁ।
AMO 5:22 ହଁ, ତୁମ୍ଭେମାନେ ଆମ୍ଭ ନିକଟରେ ତୁମ୍ଭମାନଙ୍କର ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ମଧ୍ୟ ଆମ୍ଭେ ତାହା ଗ୍ରାହ୍ୟ କରିବା ନାହିଁ; କିଅବା ମଙ୍ଗଳାର୍ଥକ ବଳିରୂପ ତୁମ୍ଭମାନଙ୍କର ପୁଷ୍ଟ ପଶୁଗଣ ପ୍ରତି ଦୃଷ୍ଟି କରିବା ନାହିଁ।
AMO 5:23 ତୁମ୍ଭେମାନେ ଆମ୍ଭ ନିକଟରୁ ତୁମ୍ଭମାନଙ୍କ ଗାୟନର କୋଳାହଳ ଦୂର କର; କାରଣ ଆମ୍ଭେ ତୁମ୍ଭମାନଙ୍କ ନେବଲ ଯନ୍ତ୍ରର ବାଦ୍ୟ ଶୁଣିବା ନାହିଁ।
AMO 5:24 ମାତ୍ର ନ୍ୟାୟବିଚାର ଜଳରାଶି ତୁଲ୍ୟ ଓ ଧାର୍ମିକତା ପ୍ରବଳ ସ୍ରୋତ ତୁଲ୍ୟ ବହିଯାଉ।
AMO 5:25 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭ ନିକଟକୁ ବଳିଦାନ ଓ ନୈବେଦ୍ୟ ଆଣିଲ?
AMO 5:26 ହଁ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯାହା ନିର୍ମାଣ କର, ଏପରି ରାଜା ସିକୂତକୁ ଓ କୀୟନ ନାମକ ତୁମ୍ଭମାନଙ୍କର ପ୍ରତିମାଗଣକୁ, ତୁମ୍ଭମାନଙ୍କର ଦେବତାର ତାରାକୁ ବହନ କରିଅଛ।
AMO 5:27 ଏଥିନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ବାସାର୍ଥେ ଦମ୍ମେଶକର ଅପର ପାରିକୁ ଗମନ କରାଇବା। ଏହା ସଦାପ୍ରଭୁ କହନ୍ତି, ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
AMO 6:1 ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁମାନଙ୍କ ନିକଟକୁ ଇସ୍ରାଏଲ ବଂଶ ଆସନ୍ତି, ଏପରି ଯେ ସିୟୋନସ୍ଥ ସୁଖରେ ଥିବା ଲୋକମାନେ ଓ ଶମରୀୟା ପର୍ବତସ୍ଥ ନିରାପଦରେ ଥିବା ଲୋକମାନେ, ସେମାନେ ସନ୍ତାପର ପାତ୍ର!
AMO 6:2 ତୁମ୍ଭେମାନେ କଲନେ ସହରକୁ ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ; ତହିଁ ଉତ୍ତାରେ ପଲେଷ୍ଟୀୟମାନଙ୍କର ଗାଥ୍‍ ନଗରକୁ ଯାଅ; ସେହି ସବୁ କି ଏହି (ଦୁଇ) ରାଜ୍ୟ ଅପେକ୍ଷା ଉତ୍ତମ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ସୀମା ଅପେକ୍ଷା ବଡ଼?
AMO 6:3 ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି ଓ ଦୌରାତ୍ମ୍ୟର ଆସନକୁ ନିକଟବର୍ତ୍ତୀ କରାଉଅଛନ୍ତି;
AMO 6:4 ସେମାନେ ହସ୍ତୀଦନ୍ତ ଶଯ୍ୟାରେ ଶୟନ କରନ୍ତି ଓ ଖଟ ଉପରେ ଆପଣା ଆପଣା ଶରୀର ଲମ୍ବାଉଅଛନ୍ତି, ଆଉ ପଲରୁ ମେଷଶାବକ ଓ ଗୋଠରୁ ଗୋବତ୍ସ ଆଣି ଭୋଜନ କରନ୍ତି;
AMO 6:5 ନେବଲ ଯନ୍ତ୍ରରେ ଅନର୍ଥକ ଗୀତ ଗାନ କରନ୍ତି, ଦାଉଦଙ୍କ ସଦୃଶ୍ୟ ଆପଣାମାନଙ୍କ ନିମନ୍ତେ ନାନା ବାଦ୍ୟଯନ୍ତ୍ର ନିର୍ମାଣ କରନ୍ତି;
AMO 6:6 ବଡ଼ ବଡ଼ ପାତ୍ରରେ ଦ୍ରାକ୍ଷାରସ ପାନ କରନ୍ତି ଓ ଉତ୍କୃଷ୍ଟ ତୈଳରେ ଆପଣାମାନଙ୍କୁ ମର୍ଦ୍ଦନ କରନ୍ତି; ମାତ୍ର ଯୋଷେଫଙ୍କ କ୍ଲେଶରେ ସେମାନେ ଦୁଃଖିତ ହୁଅନ୍ତି ନାହିଁ।
AMO 6:7 ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ ଓ ଶରୀର ଲମ୍ବକାରୀମାନଙ୍କର ହର୍ଷନାଦ ଲୁପ୍ତ ହେବ।”
AMO 6:8 ପ୍ରଭୁ ସଦାପ୍ରଭୁ ଆପଣା ନାମରେ ଶପଥ କରିଅଛନ୍ତି, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯାକୁବର ଗୌରବକୁ ଘୃଣା କରୁ ଓ ତାହାର ଅଟ୍ଟାଳିକାସବୁକୁ ତୁଚ୍ଛଜ୍ଞାନ କରୁ; ଏଥିପାଇଁ ଆମ୍ଭେ ନଗର ଓ ତନ୍ମଧ୍ୟସ୍ଥ ଯାବତୀୟକୁ ପର ହସ୍ତରେ ସମର୍ପଣ କରିବା।”
AMO 6:9 ତହିଁରେ ଏକ ଗୃହରେ ଯଦି ଦଶ ଜଣ ଅବଶିଷ୍ଟ ରହିବେ, ତେବେ ସମସ୍ତେ ମରିବେ।
AMO 6:10 ପୁଣି, ଗୃହ ମଧ୍ୟରୁ ଅସ୍ଥିସକଳ ବାହାର କରି ଆଣିବା ପାଇଁ କୌଣସି ଲୋକର ପିତୃବ୍ୟ, ଶବଦାହକାରୀ ତାହାକୁ ଉଠାଇଲା ଉତ୍ତାରେ ଗୃହର ଅନ୍ତରସ୍ଥ ଲୋକକୁ ପଚାରିବ, “ଏବେ ହେଁ ତୁମ୍ଭର କି ଆଉ କିଏ ଅଛି?” ତେବେ ସେ କହିବ, “ନାହିଁ।” ସେତେବେଳେ ସେ କହିବ, “ତୁନି ହୁଅ; କାରଣ ସଦାପ୍ରଭୁଙ୍କର ନାମ ଆମ୍ଭମାନଙ୍କର ଉଚ୍ଚାରଣ କରିବାର ନୁହେଁ।”
AMO 6:11 କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
AMO 6:12 ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ? କେହି ବଳଦ ନେଇ କି ସେଠାରେ ଚାଷ କରିବ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ତିକ୍ତ ଫଳରେ ପରିଣତ କରିଅଛ;
AMO 6:13 ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ ଆପଣା ବଳରେ କି କରନିମ୍ ଲାଭ କରି ନାହୁଁ?”
AMO 6:14 ଏହେତୁ ଦେଖ, ହେ ଇସ୍ରାଏଲ ବଂଶ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଗୋଷ୍ଠୀକୁ ଉଠାଇବା; ତହିଁରେ ସେମାନେ ହମାତର ପ୍ରବେଶ ସ୍ଥାନଠାରୁ ଆରବା ସ୍ରୋତ ମାର୍ଗ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ୍ଲେଶ ଦେବେ।”
AMO 7:1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା।
AMO 7:2 ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର! ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”
AMO 7:3 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
AMO 7:4 ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପେ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥାʼନ୍ତା।
AMO 7:5 ଏପରି ସମୟରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ; ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”
AMO 7:6 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ତାହା ମଧ୍ୟ ହେବ ନାହିଁ,” ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
AMO 7:7 ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ।
AMO 7:8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;
AMO 7:9 ପୁଣି, ଇସ୍‌ହାକର ଉଚ୍ଚସ୍ଥଳୀସକଳ ଧ୍ୱଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ବିନଷ୍ଟ ହେବ; ଆଉ ଆମ୍ଭେ ଖଡ୍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା।”
AMO 7:10 ଯେତେବେଳେ ବେଥେଲ୍‍ର ଯାଜକ ଅମତ୍‍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, “ଇସ୍ରାଏଲ ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ।
AMO 7:11 କାରଣ ଆମୋଷ ଏରୂପ କହୁଅଛନ୍ତି, ‘ଯାରବୀୟାମ ଖଡ୍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ।’”
AMO 7:12 ଆହୁରି, ଅମତ୍‍ସୀୟ ଆମୋଷଙ୍କୁ କହିଲା, “ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
AMO 7:13 ମାତ୍ର ବେଥେଲ୍‍ରେ ପୁନର୍ବାର ଆଉ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ; କାରଣ ତାହା ରାଜାଙ୍କର ପବିତ୍ର ସ୍ଥାନ ଓ ତାହା ରାଜକୀୟ ଗୃହ ଅଟେ।”
AMO 7:14 ତହିଁରେ ଆମୋଷ ଉତ୍ତର କରି ଅମତ୍‍ସୀୟଙ୍କୁ କହିଲେ, “ମୁଁ ଭବିଷ୍ୟଦ୍‍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍‍ବକ୍ତାଙ୍କ ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମ୍ବିରି ବୃକ୍ଷର କୃଷକ ଥିଲି;
AMO 7:15 ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍‍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ‘ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।’
AMO 7:16 ଏଥିପାଇଁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ତୁମ୍ଭେ କହୁଅଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍‌ହାକ ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ।’
AMO 7:17 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ରକନ୍ୟାଗଣ ଖଡ୍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ଦଉଡ଼ି ଦ୍ୱାରା ବିଭାଗ କରାଯିବ; ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ।’”
AMO 8:1 ପ୍ରଭୁ ସଦାପ୍ରଭୁ ମୋତେ ଏହିପରି ଦେଖାଇଲେ; ଦେଖ, ଏକ ଡାଲା ଗ୍ରୀଷ୍ମକାଳୀନ ଫଳ।
AMO 8:2 ପୁଣି, ସେ କହିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଏକ ଡାଲା ଗ୍ରୀଷ୍ମକାଳୀନ ଫଳ।” ତେବେ ସଦାପ୍ରଭୁ ମୋତେ କହିଲେ, “ଆମ୍ଭର ଲୋକ ଇସ୍ରାଏଲର ଅନ୍ତିମକାଳ ଉପସ୍ଥିତ ହୋଇଅଛି; ଆମ୍ଭେ ପୁନର୍ବାର ସେମାନଙ୍କୁ ଆଉ ଛାଡ଼ି ଯିବା ନାହିଁ।”
AMO 8:3 ପୁଣି, “ସେହି ଦିନ ମନ୍ଦିରର ଗାନ ସବୁ ହାହାକାର ହେବ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି; ଶବ ଅନେକ ହେବ; ଲୋକମାନେ ପ୍ରତ୍ୟେକ ସ୍ଥାନରେ ନୀରବ ହୋଇ ସେମାନଙ୍କୁ ପକାଇବେ।”
AMO 8:4 ହେ ଦୀନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମ୍ଭେମାନେ ଏହା ଶୁଣ।
AMO 8:5 “ତୁମ୍ଭେମାନେ ଐଫା ସାନ କରି ଓ ଶେକଲ ବଡ଼ କରି, ଆଉ ଛଳନାରୂପ ତରାଜୁରେ ଅଯଥାର୍ଥ କାରବାର କରି କହୁଅଛ, ଅମାବାସ୍ୟା କେତେବେଳେ ଗତ ହେବ, ଆମ୍ଭେମାନେ ଯେପରି ଶସ୍ୟ ବିକ୍ରୟ କରିବୁ? ବିଶ୍ରାମ ଦିନ କେବେ ଗତ ହେବ, ଆମ୍ଭେମାନେ ଯେପରି ଗହମ ବାହାର କରିବୁ?
AMO 8:6 ଆମ୍ଭେମାନେ ଯେପରି ରୂପା ଦେଇ ଦରିଦ୍ରକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ କ୍ରୟ କରିବୁ ଓ ତ୍ୟାଗ ଯୋଗ୍ୟ ଗହମ ବିକ୍ରୟ କରିବୁ।”
AMO 8:7 ସଦାପ୍ରଭୁ ଯାକୁବର ଗୌରବ ନେଇ ଏହି ଶପଥ କରିଅଛନ୍ତି, “ଆମ୍ଭେ ନିଶ୍ଚୟ ସେମାନଙ୍କର କୌଣସି କର୍ମ କେବେ ପାସୋରିବା ନାହିଁ।
AMO 8:8 ଦେଶ କି ଏଥିନିମନ୍ତେ କମ୍ପିତ ହେବ ନାହିଁ ଓ ତନ୍ନିବାସୀ ସମସ୍ତେ କି ଶୋକ କରିବେ ନାହିଁ? ହଁ, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ତୁଲ୍ୟ ବଢ଼ି ଉଠିବ ଓ ମିସରର ନୀଳ ନଦୀ ତୁଲ୍ୟ ଉଚ୍ଛୁଳି ପୁନର୍ବାର ହ୍ରାସ ହେବ।”
AMO 8:9 ପ୍ରଭୁ ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ମଧ୍ୟାହ୍ନ କାଳରେ ସୂର୍ଯ୍ୟକୁ ଅସ୍ତଗତ କରାଇବା ଓ ନିର୍ମଳ ଦିନରେ ଆମ୍ଭେ ଦେଶକୁ ଅନ୍ଧକାରମୟ କରିବା।
AMO 8:10 ପୁଣି, ଆମ୍ଭେ ତୁମ୍ଭମାନଙ୍କର ସକଳ ଉତ୍ସବକୁ ଶୋକରେ ଓ ତୁମ୍ଭମାନଙ୍କର ଗାୟନ ସବୁକୁ ବିଳାପରେ ପରିଣତ କରିବା; ଆଉ, ଆମ୍ଭେ ସମସ୍ତଙ୍କର କଟିଦେଶ ଚଟବସ୍ତ୍ରରେ ପରିହିତ କରାଇବା ଓ ପ୍ରତ୍ୟେକ ମସ୍ତକ ଟାଙ୍ଗରା କରାଇବା; ପୁଣି, ଆମ୍ଭେ ସେହି ଶୋକକୁ ଅଦ୍ୱିତୀୟ ପୁତ୍ରର ଶୋକ ତୁଲ୍ୟ ଓ ତହିଁର ଶେଷକୁ ଦାରୁଣ ଦୁଃଖ ଦିନର ତୁଲ୍ୟ କରାଇବା।”
AMO 8:11 ପ୍ରଭୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ।
AMO 8:12 ଲୋକମାନେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ; ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ଵେଷଣ କରିବା ପାଇଁ ଏଣେତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ।
AMO 8:13 ସେହି ଦିନ ସୁନ୍ଦରୀ କୁମାରୀଗଣ ଓ ଯୁବକମାନେ ତୃଷାରେ ମୂର୍ଚ୍ଛାପନ୍ନ ହେବେ।
AMO 8:14 ଯେଉଁମାନେ ଶମରୀୟାର ପାପ ନେଇ ଶପଥ କରନ୍ତି, ଆଉ କହନ୍ତି, ‘ହେ ଦାନ୍, ତୁମ୍ଭ ଦେବତା ଜୀବିତ ଥିବା ପ୍ରମାଣେ’ ଓ ବେର୍‍ଶେବାର ଦେବତା ଜୀବିତ ଥିବା ପ୍ରମାଣେ, ସେମାନେ ହିଁ ପତିତ ହେବେ, ଆଉ କେବେ ଉଠିବେ ନାହିଁ।”
AMO 9:1 ମୁଁ ଯଜ୍ଞବେଦି ନିକଟରେ ପ୍ରଭୁଙ୍କୁ ଠିଆ ହେବାର ଦେଖିଲି; ଆଉ, ସେ କହିଲେ, “ଦ୍ୱାରର ସମ୍ମୁଖ ସ୍ଥାନ ଯେପରି ହଲିବ, ଏଥିପାଇଁ ସ୍ତମ୍ଭର ମୁଣ୍ଡାଳିରେ ଆଘାତ କର ଓ ସମସ୍ତଙ୍କର ମସ୍ତକ ଉପରେ ତାହା ଖଣ୍ଡ ଖଣ୍ଡ କରି ପକାଅ; ପୁଣି, ଆମ୍ଭେ ସେମାନଙ୍କ ଶେଷାଂଶକୁ ଖଡ୍ଗରେ ବଧ କରିବା; ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ।
AMO 9:2 ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।
AMO 9:3 ପୁଣି, ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ ହେଁ ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା ଓ ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ ହେଁ ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ।
AMO 9:4 ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।”
AMO 9:5 କାରଣ ଯେ ପୃଥିବୀକୁ ସ୍ପର୍ଶ କରନ୍ତେ, ତାହା ତରଳି ଯାଏ, ଆଉ ତନ୍ନିବାସୀ ସମସ୍ତେ ଶୋକ କରନ୍ତି; ସେ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଅଟନ୍ତି; ପୁଣି, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ପରି ବଢ଼ି ଉଠିବ ଓ ମିସରର ନୀଳ ନଦୀ ତୁଲ୍ୟ ପୁନର୍ବାର ହ୍ରାସ ହେବ।
AMO 9:6 ଯେ ଆକାଶରେ ଆପଣା କୋଠରି ଶ୍ରେଣୀ ନିର୍ମାଣ କରନ୍ତି ଓ ପୃଥିବୀ ଉପରେ ଆପଣା ଚନ୍ଦ୍ରାତପ ସ୍ଥାପନ କରିଅଛନ୍ତି; ଯେ ସମୁଦ୍ରର ଜଳସମୂହକୁ ଡାକି ପୃଥିବୀ ଉପରେ ଢାଳନ୍ତି; ତାହାଙ୍କର ନାମ ସଦାପ୍ରଭୁ।
AMO 9:7 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ-ସନ୍ତାନଗଣ,” “ତୁମ୍ଭେମାନେ ଆମ୍ଭ ନିକଟରେ କି କୂଶୀୟ ସନ୍ତାନଗଣର ତୁଲ୍ୟ ନୁହଁ? ଆମ୍ଭେ କି ଇସ୍ରାଏଲକୁ ମିସର ଦେଶରୁ ଓ ପଲେଷ୍ଟୀୟମାନଙ୍କୁ କପ୍ତୋର ଦେଶରୁ ଓ ଅରାମୀୟମାନଙ୍କୁ କୀର୍‍ ଦେଶରୁ ଆଣି ନାହୁଁ?
AMO 9:8 ଦେଖ, ପ୍ରଭୁ ସଦାପ୍ରଭୁଙ୍କର ଚକ୍ଷୁ ଏହି ପାପିଷ୍ଠ ରାଜ୍ୟ ଉପରେ ଅଛି ଓ ଆମ୍ଭେ ପୃଥିବୀରୁ ତାହା ଉଚ୍ଛିନ୍ନ କରିବା; କେବଳ ଯାକୁବ ବଂଶକୁ ଆମ୍ଭେ ନିଃଶେଷ ରୂପେ ଉଚ୍ଛିନ୍ନ କରିବା ନାହିଁ,” ଏହା ସଦାପ୍ରଭୁ କହନ୍ତି।
AMO 9:9 “କାରଣ ଦେଖ, ଆମ୍ଭେ ଆଜ୍ଞା କରିବା ଓ ଆମ୍ଭେ ଯାବତୀୟ ଗୋଷ୍ଠୀ ମଧ୍ୟରେ ଇସ୍ରାଏଲ ବଂଶକୁ ଚାଲୁଣୀର ଶସ୍ୟକୁ ଚଲାଇବା ପରି ଚଲାଇବା, ତଥାପି ଏକ କଣିକା ଭୂମିରେ ପଡ଼ିବ ନାହିଁ।
AMO 9:10 ଆମ୍ଭ ଲୋକମାନଙ୍କ ମଧ୍ୟରୁ ଯେଉଁ ପାପୀମାନେ କୁହନ୍ତି, ‘ଅମଙ୍ଗଳ ଦୌଡ଼ି ଆମ୍ଭମାନଙ୍କୁ ଧରିବ ନାହିଁ; କିଅବା ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେବ ନାହିଁ,’ ସେସମସ୍ତେ ଖଡ୍ଗ ଦ୍ୱାରା ହତ ହେବେ।
AMO 9:11 ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍ଥାପନ କରିବା ଓ ତହିଁର ଫଟା ସ୍ଥାନସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;
AMO 9:12 ତହିଁରେ ସେମାନେ ଆମ୍ଭ ନାମରେ ଖ୍ୟାତ ଇଦୋମର ଅବଶିଷ୍ଟାଂଶକୁ ଓ ଯାବତୀୟ ଗୋଷ୍ଠୀକୁ ଅଧିକାର କରିବେ।” ଏହି କର୍ମର ସାଧନକର୍ତ୍ତା ସଦାପ୍ରଭୁ ଏହା କହନ୍ତି।
AMO 9:13 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ହଳବାହକ ଶସ୍ୟ କଟାଳିର ପଛେ ଓ ଦ୍ରାକ୍ଷାପେଷକ ବୀଜବୁଣାଳୀର ପଛେ ଲାଗି ରହିବ, ଏପରି ସମୟ ଆସୁଅଛି ଓ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବ, ଆଉ ଉପପର୍ବତସକଳ ତରଳି ଯିବେ।
AMO 9:14 ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ୱଂସିତ ନଗରସବୁ ପୁନଃନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
AMO 9:15 ପୁଣି, ଆମ୍ଭେ ସେମାନଙ୍କୁ ସେମାନଙ୍କ ଦେଶରେ ରୋପଣ କରିବା, ତହିଁରେ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନେ ଆଉ ଉତ୍ପାଟିତ ହେବେ ନାହିଁ।” ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର କହନ୍ତି।
OBA 1:1 ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, “ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।”
OBA 1:2 ଦେଖ, ଆମ୍ଭେ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର କରିଅଛୁ; ତୁମ୍ଭେ ଅତିଶୟ ତୁଚ୍ଛୀକୃତ ଅଟ।
OBA 1:3 ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, “ଆମ୍ଭକୁ ଭୂମିକୁ ଓହ୍ଲାଇ ଆଣିବ କିଏ?”
OBA 1:4 ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।
OBA 1:5 (ତୁମ୍ଭେ କିପରି ଉଚ୍ଛିନ୍ନ ହୋଇଅଛ!) ଯଦି ଚୋରମାନେ ତୁମ୍ଭ ନିକଟକୁ ଆସନ୍ତି, ଯଦି ଡକାୟତମାନେ ରାତ୍ରିରେ ଆସନ୍ତି, ଯଦି ସେମାନେ କି ଯଥେଷ୍ଟ ପାଇବା ପର୍ଯ୍ୟନ୍ତ ଚୋରି କରିବେ ନାହିଁ? ଯେବେ ଦ୍ରାକ୍ଷାଫଳ ସଞ୍ଚୟକାରୀମାନେ ତୁମ୍ଭ ନିକଟକୁ ଆସନ୍ତି, ତେବେ ସେମାନେ କି ଗୋଟାଇବା ପାଇଁ କିଛି ଦ୍ରାକ୍ଷାଫଳ ଛାଡ଼ିବେ ନାହିଁ?
OBA 1:6 ଏଷୌର ସକଳ ବିଷୟ କିପରି ଅନୁସନ୍ଧାନ କରାଯାଇଅଛି! ତାହାର ଗୁପ୍ତ ଧନସବୁ କିପରି ଅନ୍ଵେଷଣ କରାଯାଇଅଛି!
OBA 1:7 ତୁମ୍ଭର ସହାୟ ସମସ୍ତ ଲୋକ ତୁମ୍ଭକୁ ତୁମ୍ଭ ବାଟରେ ଆଣି ସୀମାରେ ପହଞ୍ଚାଇ ଅଛନ୍ତି; ଯେଉଁମାନେ ତୁମ୍ଭର ମିତ୍ର ଥିଲେ, ସେମାନେ ତୁମ୍ଭକୁ ପ୍ରବଞ୍ଚନା କରି ପରାଭବ କରିଅଛନ୍ତି; ଯେଉଁମାନେ ତୁମ୍ଭର ଅନ୍ନ ଭୋଜନ କରନ୍ତି, ସେମାନେ ତୁମ୍ଭ ତଳେ ଫାନ୍ଦ ପାତିଅଛନ୍ତି; ଇଦୋମରେ କିଛି ବୁଦ୍ଧି ନାହିଁ।
OBA 1:8 ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ କି ଇଦୋମରୁ ଜ୍ଞାନୀମାନଙ୍କୁ ଓ ଏଷୌର ପର୍ବତରୁ ବୁଦ୍ଧି ବିନଷ୍ଟ କରିବା ନାହିଁ?
OBA 1:9 ପୁଣି, ହେ ତୈମନ୍‍, ଏଷୌର ପର୍ବତରୁ ହତ୍ୟା ଦ୍ୱାରା ଯେପରି ପ୍ରତ୍ୟେକ ଜଣ ଉଚ୍ଛିନ୍ନ ହେବେ, ଏହି ଅଭିପ୍ରାୟରେ ତୁମ୍ଭର ବୀରଗଣ ଉଦ୍‍ବିଗ୍ନ ହେବେ।
OBA 1:10 ତୁମ୍ଭର ଭ୍ରାତା ଯାକୁବ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ତୁମ୍ଭେ ଲଜ୍ଜାରେ ଆଚ୍ଛନ୍ନ ହେବ, ପୁଣି ତୁମ୍ଭେ ଚିରକାଳ ଉଚ୍ଛିନ୍ନ ହେବ।
OBA 1:11 ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବୋହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ୱାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ।
OBA 1:12 ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ।
OBA 1:13 ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ।
OBA 1:14 ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ (ଶତ୍ରୁ ହସ୍ତରେ) ସମର୍ପଣ କର ନାହିଁ।
OBA 1:15 କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ; ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେହିପରି କରାଯିବ; ତୁମ୍ଭ କୃତ ବ୍ୟବହାରର (ପ୍ରତିଫଳ) ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।
OBA 1:16 କାରଣ ତୁମ୍ଭେମାନେ ଆମ୍ଭ ପବିତ୍ର ପର୍ବତରେ ଯେପରି ପାନ କରିଅଛ, ସେପରି ସମୁଦାୟ ଗୋଷ୍ଠୀ ନିତ୍ୟ ନିତ୍ୟ ପାନ କରିବେ, ହଁ, ସେମାନେ ପାନ କରୁ କରୁ ଗିଳି ପକାଇବେ, ପୁଣି ଅଜାତର ତୁଲ୍ୟ ହେବେ।
OBA 1:17 ମାତ୍ର ରକ୍ଷାପ୍ରାପ୍ତ ଲୋକମାନେ ସିୟୋନରେ ଥିବେ ଓ ତାହା ପବିତ୍ର ହେବ; ଆଉ, ଯାକୁବର ବଂଶ ଆପଣାମାନଙ୍କର ଅଧିକାର ଭୋଗ କରିବେ।
OBA 1:18 ପୁଣି, ଯାକୁବର ବଂଶ ଅଗ୍ନି ସ୍ୱରୂପ ଓ ଯୋଷେଫର ବଂଶ ଅଗ୍ନିଶିଖା ସ୍ୱରୂପ ହେବେ, ଆଉ ଏଷୌର ବଂଶ ନଡ଼ା ସ୍ୱରୂପ ହେବେ, ଆଉ ସେମାନେ ତହିଁ ମଧ୍ୟରେ ଜ୍ୱଳି ତାହା ଗ୍ରାସ କରିବେ; ତହିଁରେ ଏଷୌ ବଂଶର କେହି ଅବଶିଷ୍ଟ ରହିବେ ନାହିଁ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।
OBA 1:19 ପୁଣି, ଦକ୍ଷିଣର ଲୋକମାନେ ଏଷୌର ପର୍ବତ ଓ ନିମ୍ନ ଭୂମିର ଲୋକମାନେ ପଲେଷ୍ଟୀୟମାନଙ୍କ ଦେଶ ଅଧିକାର କରିବେ ଓ ସେମାନେ ଇଫ୍ରୟିମର ଭୂମି ଓ ଶମରୀୟାର ଭୂମି ଅଧିକାର କରିବେ ଓ ବିନ୍ୟାମୀନ୍ ଗିଲୀୟଦକୁ ଅଧିକାର କରିବ।
OBA 1:20 ପୁଣି, କିଣାନୀୟମାନଙ୍କର ମଧ୍ୟବର୍ତ୍ତୀ ନିର୍ବାସିତ ଇସ୍ରାଏଲ-ସନ୍ତାନଗଣର ଏହି ସୈନ୍ୟସାମନ୍ତ ସାରିଫତ୍‍ ନଗର ପର୍ଯ୍ୟନ୍ତ ଅଧିକାର କରିବେ ଓ ଯିରୂଶାଲମର ଯେଉଁ ନିର୍ବାସିତ ଲୋକମାନେ ସଫାରଦରେ ଅଛନ୍ତି, ସେମାନେ ଦକ୍ଷିଣସ୍ଥ ନଗରସକଳ ଅଧିକାର କରିବେ।
OBA 1:21 ପୁଣି, ଏଷୌର ପର୍ବତର ବିଚାର କରିବା ନିମନ୍ତେ ଉଦ୍ଧାରକର୍ତ୍ତାମାନେ ସିୟୋନ ପର୍ବତକୁ ଆସିବେ; ପୁଣି, ରାଜ୍ୟ ସଦାପ୍ରଭୁଙ୍କର ହେବ।
JON 1:1 ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
JON 1:2 “ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।”
JON 1:3 ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ।
JON 1:4 ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା।
JON 1:5 ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର, ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ।
JON 1:6 ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।”
JON 1:7 ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା।
JON 1:8 ସେତେବେଳେ ସେମାନେ ତାଙ୍କୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?”
JON 1:9 ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।”
JON 1:10 ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।”
JON 1:11 ସେତେବେଳେ ସେମାନେ ତାଙ୍କୁ କହିଲେ, “ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” କାରଣ, ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା।
JON 1:12 ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।”
JON 1:13 ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା।
JON 1:14 ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”
JON 1:15 ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା।
JON 1:16 ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ।
JON 1:17 ପୁଣି, ଯେତେବେଳେ ସେମାନେ ଯୂନସଙ୍କୁ ସମୁଦ୍ରରେ ପକାଇଦେଲେ, ତାହାଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ।
JON 2:1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ।
JON 2:2 ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ।
JON 2:3 କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପର ଦେଇ ଗଲା।
JON 2:4 ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।
JON 2:5 ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା; ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା; ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା।
JON 2:6 ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି; ମୋʼ ପଶ୍ଚାତ୍‍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା; ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ।
JON 2:7 ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।
JON 2:8 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।
JON 2:9 ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି; ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।”
JON 2:10 ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।
JON 3:1 ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା;
JON 3:2 “ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।”
JON 3:3 ତହିଁରେ ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା।
JON 3:4 ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।”
JON 3:5 ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ।
JON 3:6 ଏଥିଉତ୍ତାରେ ଏହିସବୁ ବାର୍ତ୍ତା ନୀନିବୀ ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ପାଉଁଶରେ ବସିଲେ।
JON 3:7 ପୁଣି, ରାଜାର ଓ ଅଧ୍ୟକ୍ଷମାନଙ୍କର ଆଜ୍ଞାନୁସାରେ ସେ ନୀନିବୀର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା, “ମନୁଷ୍ୟ କି ପଶୁ କିଅବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ; ସେମାନେ ଭୋଜନ କି ଜଳ ପାନ ନ କରନ୍ତୁ;
JON 3:8 ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ; ଆହୁରି, ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ।
JON 3:9 କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।”
JON 3:10 ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।
JON 4:1 ମାତ୍ର ଯୂନସ ଏଥିରେ ମହା ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଲେ।
JON 4:2 ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି? ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି; କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି।
JON 4:3 ଏହେତୁ ହେ ସଦାପ୍ରଭୁ, ବିନତି କରେ, ଏବେ ମୋʼ ପ୍ରାଣ ମୋʼ ଠାରୁ ନିଅ; କାରଣ ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।”
JON 4:4 ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ କ୍ରୋଧ କରି କି ଭଲ କରୁଅଛ?”
JON 4:5 ତେବେ ଯୂନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ, ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ, ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ।
JON 4:6 ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଯୂନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଯୂନସ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ।
JON 4:7 ମାତ୍ର ତହିଁ ଆରଦିନ ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା।
JON 4:8 ପୁଣି, ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ; ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁୁ-ପ୍ରାର୍ଥନା କରି କହିଲେ, “ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।”
JON 4:9 ଏଥିରେ ପରମେଶ୍ୱର ଯୂନସଙ୍କୁ କହିଲେ, “ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ?” ତହିଁରେ ସେ କହିଲେ, “ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ।”
JON 4:10 ପୁଣି, ସଦାପ୍ରଭୁ କହିଲେ, “ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି, ତହିଁ ପାଇଁ ତୁମ୍ଭେ ପରିଶ୍ରମ କରି ନାହଁ, କିଅବା ତାହା ବଢ଼ାଇ ନାହଁ; ତାହା ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା।
JON 4:11 ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନୀନିବୀ ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା?”
MIC 1:1 ଯିହୁଦା ଦେଶୀୟ ଯୋଥମ୍‍, ଆହସ୍‌ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
MIC 1:2 ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।
MIC 1:3 କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଲାଇ ଆସି ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।
MIC 1:4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।
MIC 1:5 କାରଣ ଯାକୁବର ଆଜ୍ଞାଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞାଲଙ୍ଘନ କଅଣ? ତାହା କି ଶମରୀୟା ନୁହେଁ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହି ସବୁ କି ଯିରୂଶାଲମ ନୁହେଁ?
MIC 1:6 ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା।
MIC 1:7 ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।
MIC 1:8 ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା।
MIC 1:9 କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର, ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।
MIC 1:10 ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।
MIC 1:11 ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବେଥ୍-ସେଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।
MIC 1:12 କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।
MIC 1:13 ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
MIC 1:14 ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ ଅକଷୀବ୍‍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;
MIC 1:15 ଆହୁରି, ହେ ମାରେଶା ଗ୍ରାମର ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ।
MIC 1:16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।
MIC 2:1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।
MIC 2:2 ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି।
MIC 2:3 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ, ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁ କିଅବା ଗର୍ବ କରି ଚାଲି ପାରିବ ନାହିଁ; କାରଣ ତାହା ଦୁଃସମୟ ଅଟେ।
MIC 2:4 ସେହି ଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ, “ଆମ୍ଭମାନଙ୍କର ସର୍ବନାଶ ହେଲା; ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରିଅଛନ୍ତି; ସେ କିପରି ଆମ୍ଭଠାରୁ ତାହା ଦୂର କରିଅଛନ୍ତି। ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦେଇଅଛନ୍ତି।”
MIC 2:5 ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁ ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ।
MIC 2:6 ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, “ସେମାନେ ଏପରି ପ୍ରଚାର କରନ୍ତି। ଯଦି ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ ନାହିଁ” ତେବେ ଅପମାନ ଘୁଞ୍ଚିବ ନାହିଁ।
MIC 2:7 ହେ ଯାକୁବର ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? ଏହିସବୁ କି ତାହାଙ୍କର କର୍ମ? ଏହା କୁହାଯିବ? ଯେଉଁ ଜନ ସରଳ ଆଚରଣ କରେ, ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ?
MIC 2:8 ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତ ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ।
MIC 2:9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ।
MIC 2:10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ-ସ୍ଥାନ ନୁହେଁ; ଯେହେତୁ ଅଶୁଚିତା ବିନାଶ, ଅର୍ଥାତ୍‍, ଭୟାନକ ବିନାଶ କରୁଅଛି।
MIC 2:11 ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍‍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍‍ବକ୍ତା ହେବ।
MIC 2:12 ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; ନିଜ ଚରାଣି ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେହିପରି ମନୁଷ୍ୟର ବାହୁଲ୍ୟ ସକାଶୁ ସେମାନେ ମହାଶବ୍ଦ କରିବେ।
MIC 2:13 ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି; ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି; ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।
MIC 3:1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ ନୁହେଁ?
MIC 3:2 ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି ଦୁଷ୍କର୍ମ ଭଲ ପାଉଅଛ; ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ;
MIC 3:3 ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ ଓ ସେମାନଙ୍କର ଚର୍ମ ଛଡ଼ାଇ ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ; ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି, ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ।
MIC 3:4 ସେହି ସମୟରେ ସେମାନେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରିବେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେବେ ନାହିଁ; ବରଞ୍ଚ ସେମାନଙ୍କର ଦୁଷ୍କ୍ରିୟାନୁସାରେ ସେ ସେହି ସମୟରେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବେ।
MIC 3:5 ଯେଉଁ ଭବିଷ୍ୟଦ୍‍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, “ଶାନ୍ତି ଶାନ୍ତି” ବୋଲି କହନ୍ତି ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି:
MIC 3:6 ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; ଆଉ, ଭବିଷ୍ୟଦ୍‍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ।
MIC 3:7 ପୁଣି, ଦର୍ଶକମାନେ ଲଜ୍ଜିତ ଓ ମନ୍ତ୍ରବେତ୍ତାମାନେ ଉଦ୍‍ବିଗ୍ନ ହେବେ; ହଁ, ସେମାନେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ; କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ।
MIC 3:8 ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ ଓ ଇସ୍ରାଏଲକୁ ତାହାର ପାପ ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ-ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ।
MIC 3:9 ହେ ଯାକୁବ ବଂଶର ପ୍ରଧାନବର୍ଗ ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, ତୁମ୍ଭେମାନେ ନ୍ୟାୟବିଚାର ଘୃଣା କରୁଅଛ ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ।
MIC 3:10 ସେମାନେ ସିୟୋନକୁ ରକ୍ତରେ ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି।
MIC 3:11 ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”
MIC 3:12 ଏହେତୁ ତୁମ୍ଭମାନଙ୍କ ସକାଶୁ ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ ଓ ଯିରୂଶାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।
MIC 4:1 ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
MIC 4:2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
MIC 4:3 ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
MIC 4:4 ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।
MIC 4:5 କାରଣ ଯାବତୀୟ ଗୋଷ୍ଠୀ ଆପଣା ଆପଣା ଦେବତାର ନାମରେ ଚାଲିବେ, ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା।
MIC 4:6 ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, ପୁଣି ଯେ ତାଡ଼ିତ ହୋଇଅଛି ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା।
MIC 4:7 ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ।
MIC 4:8 ପୁଣି, ହେ ପଲର ଦୁର୍ଗ, ହେ ସିୟୋନ କନ୍ୟାର ଗିରି, ତାହା ତୁମ୍ଭ ନିକଟକୁ ଆସିବ, ହଁ ପୂର୍ବକାଳର ରାଜ୍ୟ, ଯିରୂଶାଲମ କନ୍ୟାର ରାଜ୍ୟ ଆସିବ।
MIC 4:9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି?
MIC 4:10 ହେ ସିୟୋନ କନ୍ୟେ, ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର; କାରଣ ଏବେ ତୁମ୍ଭେ ନଗରରୁ ବାହାରିଯାଇ ପଦାରେ ବାସ କରିବ ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; ସେଠାରେ ତୁମ୍ଭେ ଉଦ୍ଧାର ପାଇବ; ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ ତୁମ୍ଭକୁ ମୁକ୍ତ କରିବେ।
MIC 4:11 ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, ସେମାନେ କହନ୍ତି, “ସେ ଅଶୁଚି ହେଉ ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।”
MIC 4:12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ, ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; କାରଣ ସେ ସେମାନଙ୍କୁ ଶସ୍ୟବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି।
MIC 4:13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
MIC 5:1 ହେ ସୈନ୍ୟଦଳର କନ୍ୟେ, ଏବେ ତୁମ୍ଭେ ଦଳ ଦଳ ହୋଇ ଆପଣାକୁ ଏକତ୍ର କର; ସେମାନେ ଆମ୍ଭମାନଙ୍କ ପ୍ରତିକୂଳରେ ସୈନ୍ୟ ବେଷ୍ଟନ କରିଅଛନ୍ତି; ସେମାନେ ଇସ୍ରାଏଲର ବିଚାରକର୍ତ୍ତାର ଗାଲରେ ଦଣ୍ଡାଘାତ କରିବେ।
MIC 5:2 ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।
MIC 5:3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।
MIC 5:4 ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ।
MIC 5:5 ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ; ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ, ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା।
MIC 5:6 ପୁଣି, ସେମାନେ ଖଡ୍ଗ ଦ୍ୱାରା ଅଶୂରୀୟର ଦେଶ ଓ ନିମ୍ରୋଦ୍‍ ଦେଶର ପ୍ରବେଶ-ସ୍ଥାନସକଳ ଉଚ୍ଛିନ୍ନ କରିବେ; ପୁଣି, ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସି ଆମ୍ଭମାନଙ୍କ ସୀମାରେ ପଦାର୍ପଣ କଲେ ସେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
MIC 5:7 ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।
MIC 5:8 ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, ମେଷପଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନ ଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ, ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।
MIC 5:9 ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ।
MIC 5:10 ଆହୁରି, ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ରଥସବୁ ନଷ୍ଟ କରିବା;
MIC 5:11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;
MIC 5:12 ପୁଣି, ଆମ୍ଭେ ତୁମ୍ଭ ହସ୍ତରୁ ମାୟାବୀତ୍ୱ ଉଚ୍ଛିନ୍ନ କରିବା ଓ ଗଣକମାନେ ତୁମ୍ଭ ମଧ୍ୟରେ ଆଉ ନ ଥିବେ;
MIC 5:13 ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା; ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ।
MIC 5:14 ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା।
MIC 5:15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ, ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା।
MIC 6:1 ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ।
MIC 6:2 ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ।
MIC 6:3 “ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ।
MIC 6:4 ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।
MIC 6:5 ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍‍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।”
MIC 6:6 “ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା? ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା?
MIC 6:7 ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?”
MIC 6:8 ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
MIC 6:9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। ତୁମ୍ଭେମାନେ ଦଣ୍ଡ ଓ ତନ୍ନିରୂପଣକାରୀଙ୍କୁ ମାନ।
MIC 6:10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି?
MIC 6:11 ଆମ୍ଭେ କି ଦୁଷ୍ଟତାର ନିକ୍ତିରେ ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା।
MIC 6:12 ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ।
MIC 6:13 ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ।
MIC 6:14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା।
MIC 6:15 ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ।
MIC 6:16 କାରଣ ଅମ୍ରିଙ୍କର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍‍ ଶବ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।
MIC 7:1 ହାୟ, ମୁଁ ସନ୍ତାପର ପାତ୍ର! କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, ମୁଁ ସେହିପରି ହୋଇଅଛି; ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ଡା ନାହିଁ; ମୋର ପ୍ରାଣ ଆଦ୍ୟପକ୍ୱ ଡିମ୍ବିରି ଫଳ ଲାଳସା କରେ।
MIC 7:2 ଧାର୍ମିକ ଲୋକ ପୃଥିବୀରୁ ଉଚ୍ଛିନ୍ନ ହୋଇଅଛି ଓ ମନୁଷ୍ୟମାନଙ୍କ ମଧ୍ୟରେ ସରଳ ଲୋକ କେହି ନାହିଁ; ସେମାନେ ସମସ୍ତେ ରକ୍ତପାତ କରିବାକୁ ଛକି ବସନ୍ତି; ପ୍ରତ୍ୟେକ ଲୋକ ଆପଣା ଆପଣା ଭ୍ରାତାକୁ ଜାଲରେ ଧରିବାକୁ ଚେଷ୍ଟା କରଇ।
MIC 7:3 ଯାହା ମନ୍ଦ, ତାହା ଯତ୍ନପୂର୍ବକ କରିବା ପାଇଁ ତହିଁ ଉପରେ ସେମାନଙ୍କର ହସ୍ତ ଅଛି; ଅଧିପତି ଚାହେଁ ଓ ବିଚାରକର୍ତ୍ତା ପୁରସ୍କାର ପାଇଁ ପ୍ରସ୍ତୁତ ଆଉ, ବଡ଼ ଲୋକ ଆପଣା ପ୍ରାଣର ହିଂସାଭାବ ମୁଖରେ ବ୍ୟକ୍ତ କରେ; ଏହିରୂପେ ସେମାନେ ବସ୍ତ୍ର ତୁଲ୍ୟ ତାହା ଏକତ୍ର ବୁଣନ୍ତି।
MIC 7:4 ସେମାନଙ୍କ ମଧ୍ୟରେ ସବୁଠାରୁ ଉତ୍ତମ ଲୋକ କାନକୋଳି ବୃକ୍ଷ ତୁଲ୍ୟ; ସବୁଠାରୁ ସରଳ ଲୋକ କଣ୍ଟାବାଡ଼ ଅପେକ୍ଷା ମନ୍ଦ; ତୁମ୍ଭ ପ୍ରହରୀଗଣର ଦିନ ଓ ତୁମ୍ଭର ଦଣ୍ଡ ଉପସ୍ଥିତ; ଏବେ ସେମାନଙ୍କର ବ୍ୟାକୁଳତା ଜନ୍ମିବ।
MIC 7:5 ତୁମ୍ଭେମାନେ ମିତ୍ରଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକଠାରେ ବିଶ୍ୱାସ କର ନାହିଁ; ତୁମ୍ଭ ବକ୍ଷସ୍ଥଳରେ ଶୟନକାରିଣୀଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର।
MIC 7:6 କାରଣ ପୁତ୍ର ପିତାକୁ ଅମାନ୍ୟ କରେ, କନ୍ୟା ଆପଣା ମାତାର ବିରୁଦ୍ଧରେ, ପୁତ୍ରବଧୂ ଆପଣା ଶାଶୁର ବିରୁଦ୍ଧରେ ଉଠେ; ଆପଣା ପରିବାରର ଲୋକେ ମନୁଷ୍ୟର ଶତ୍ରୁ ହୁଅନ୍ତି।
MIC 7:7 ମାତ୍ର ମୁଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି; ମୋʼ ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି; ମୋʼ ପରମେଶ୍ୱର ମୋର କଥା ଶୁଣିବେ।
MIC 7:8 ହେ ମୋର ଶତ୍ରୁ, ମୋର ପ୍ରତିକୂଳରେ ଆନନ୍ଦ କର ନାହିଁ; ମୁଁ ପଡ଼ିଲେ ଉଠିବି; ମୁଁ ଅନ୍ଧକାରରେ ବସିଲେ ସଦାପ୍ରଭୁ ମୋର ଦୀପ୍ତି ସ୍ୱରୂପ ହେବେ।
MIC 7:9 ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି, ଏଥିପାଇଁ ଯେପର୍ଯ୍ୟନ୍ତ ସେ ମୋʼ ବିବାଦର ସପକ୍ଷବାଦୀ ହୋଇ ମୋର ବିଚାର ନିଷ୍ପତ୍ତି ନ କରନ୍ତି, ସେପର୍ଯ୍ୟନ୍ତ ମୁଁ ତାହାଙ୍କ କ୍ରୋଧରୂପ ଭାର ବହନ କରିବି; ସେ ମୋତେ ବାହାର କରି ଆଲୁଅକୁ ଆଣିବେ ଓ ମୁଁ ତାହାଙ୍କର ଧାର୍ମିକତା ଦେଖିବି।
MIC 7:10 ସେତେବେଳେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର କାହାନ୍ତି ବୋଲି ଯେ ମୋତେ କହିଥିଲା, ମୋର ସେହି ଶତ୍ରୁ ତାହା ଦେଖିବ ଓ ଲଜ୍ଜା ତାହାକୁ ଆଚ୍ଛନ୍ନ କରିବ; ମୋର ଚକ୍ଷୁ ତାହାକୁ ଦେଖିବ; ଏବେ ସେ ପଥର କାଦୁଅ ପରି ଦଳିତ ହେବ।
MIC 7:11 ତୁମ୍ଭ ବେଢ଼ାର ନିର୍ମାଣ ଦିନ ଉପସ୍ଥିତ! ସେହି ଦିନ ବିଧାନ ଦୂରକୁ ଅନ୍ତରିତ ହେବ।
MIC 7:12 ସେଦିନ ତୁମ୍ଭ ନିକଟକୁ ଲୋକମାନେ ଆସିବେ, ଅଶୂରରୁ ଓ ମିସରର ନଗରସମୂହରୁ ଓ ମିସରଠାରୁ ନଦୀ ପର୍ଯ୍ୟନ୍ତ ଓ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଯାବତୀୟ ପର୍ବତରୁ ଆସିବେ।
MIC 7:13 ତଥାପି ନିବାସୀଗଣର ସକାଶୁ ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ।
MIC 7:14 ତୁମ୍ଭେ ଆପଣା ପାଞ୍ଚଣ ନେଇ ଆପଣା ଲୋକମାନଙ୍କୁ, ଅର୍ଥାତ୍‍, ଏକାକୀ ବାସକାରୀ ଆପଣା ପୈତୃକ ଅଧିକାର ସ୍ୱରୂପ ପଲକୁ, କର୍ମିଲର ମଧ୍ୟସ୍ଥିତ ଅରଣ୍ୟରେ ଚରାଅ; ସେମାନେ ପୂର୍ବକାଳର ନ୍ୟାୟ ବାଶନରେ ଓ ଗିଲୀୟଦରେ ଚରନ୍ତୁ।
MIC 7:15 ମିସର ଦେଶରୁ ତୁମ୍ଭର ବାହାର ହୋଇ ଆସିବା ଦିନର ନ୍ୟାୟ ଆମ୍ଭେ ତାହାକୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖାଇବା।
MIC 7:16 ଗୋଷ୍ଠୀୟ ବର୍ଗ ତାହା ଦେଖି ଆପଣାମାନଙ୍କର ସମସ୍ତ ପରାକ୍ରମ ବିଷୟରେ ଲଜ୍ଜିତ ହେବେ; ସେମାନେ ଆପଣା ଆପଣା ମୁଖରେ ହସ୍ତ ଦେବେ, ସେମାନଙ୍କର କର୍ଣ୍ଣ ବଧିର ହେବ।
MIC 7:17 ସେମାନେ ସର୍ପ ପରି ଧୂଳି ଚାଟିବେ; ସେମାନେ କମ୍ପି କମ୍ପି ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ନ୍ୟାୟ ଆପଣା ଆପଣା ଗୋପନୀୟ ସ୍ଥାନରୁ ବାହାର ହୋଇ ଆସିବେ; ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ଆସିବେ ଓ ତୁମ୍ଭ ସକାଶୁ ଭୀତ ହେବେ।
MIC 7:18 ତୁମ୍ଭ ତୁଲ୍ୟ ପରମେଶ୍ୱର କିଏ? ତୁମ୍ଭେ ଅଧର୍ମ କ୍ଷମା କରିଥାଅ ଓ ଆପଣା ଅଧିକାରର ଅବଶିଷ୍ଟାଂଶ ଲୋକଙ୍କର ଆଜ୍ଞା-ଲଙ୍ଘନର ପ୍ରତି ଉପେକ୍ଷା କରିଥାଅ; ସେ ଚିରକାଳ ଆପଣା କ୍ରୋଧ ରଖନ୍ତି ନାହିଁ, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି।
MIC 7:19 ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ।
MIC 7:20 ତୁମ୍ଭେ ପୂର୍ବକାଳଠାରୁ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପ୍ରତି ଯାହା ଶପଥ କରିଅଛ, ଯାକୁବ ପ୍ରତି ସେହି ସତ୍ୟ ଓ ଅବ୍ରହାମ ପ୍ରତି ସେହି ଦୟା ପାଳନ କରିବ।
NAH 1:1 ନୀନିବୀ ବିଷୟକ ବାର୍ତ୍ତା। ଇଲକୋଶୀୟ ନାହୂମଙ୍କର ଦର୍ଶନ ପୁସ୍ତକ।
NAH 1:2 ସଦାପ୍ରଭୁ (ସ୍ୱଗୌରବ ରକ୍ଷଣେ) ଉଦ୍‍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି; ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି; ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି।
NAH 1:3 ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନ ଓ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ; ଘୂର୍ଣ୍ଣିବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦଧୂଳି।
NAH 1:4 ସେ ସମୁଦ୍ରକୁ ଧମକାଇ ଶୁଷ୍କ କରନ୍ତି ଓ ନଦ-ନଦୀସକଳ ନିର୍ଜଳ କରନ୍ତି; ବାଶନ ଅଞ୍ଚଳ ଓ କର୍ମିଲ ପର୍ବତ ମ୍ଳାନ ହୁଏ ଓ ଲିବାନୋନର ପୁଷ୍ପ ମ୍ଳାନ ହୁଏ।
NAH 1:5 ତାହାଙ୍କ ଆଗରେ ପର୍ବତଗଣ କମ୍ପିତ ହୁଅନ୍ତି ଓ ଉପପର୍ବତସବୁ ତରଳି ଯାʼନ୍ତି; ଆଉ, ତାହାଙ୍କ ସାକ୍ଷାତରେ ପୃଥିବୀ କମ୍ପିତ ହୁଏ, ହଁ ଜଗତ ଓ ତନ୍ନିବାସୀ ସମସ୍ତେ କମ୍ପିତ ହୁଅନ୍ତି।
NAH 1:6 ତାହାଙ୍କ କ୍ରୋଧ ସମ୍ମୁଖରେ କିଏ ଠିଆ ହୋଇପାରେ? ଓ ତାହାଙ୍କ କ୍ରୋଧର ପ୍ରଚଣ୍ଡତାରେ କିଏ ରହିପାରେ? ତାହାଙ୍କ କୋପ ଅଗ୍ନି ତୁଲ୍ୟ ଢଳାଯାଏ ଓ ତାହାଙ୍କ ଦ୍ୱାରା ଶୈଳସବୁ ବିଦୀର୍ଣ୍ଣ ହୁଏ।
NAH 1:7 ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି; ଆଉ, ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି; ସେମାନଙ୍କୁ ସେ ଜାଣନ୍ତି।
NAH 1:8 ମାତ୍ର ସେ ପ୍ଲାବନକାରୀ ବନ୍ୟା ଦ୍ୱାରା ସେହି ସ୍ଥାନ ନିଃଶେଷ ରୂପେ ସଂହାର କରିବେ ଓ ଆପଣା ଶତ୍ରୁଗଣକୁ ଅନ୍ଧକାରକୁ ତଡ଼ି ଦେବେ।
NAH 1:9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।
NAH 1:10 କାରଣ ସେମାନେ ଜଡ଼ିତ କଣ୍ଟକର ନ୍ୟାୟ ଓ ମଦ୍ୟପାନରେ ତିନ୍ତିବା ପରି ହେଲେ ହେଁ ଶୁଷ୍କ ନଡ଼ା ତୁଲ୍ୟ ନିଃଶେଷ ରୂପେ ଗ୍ରାସିତ ହେବେ।
NAH 1:11 ସଦାପ୍ରଭୁଙ୍କ ବିରୁଦ୍ଧରେ ଯେ କୁସଂକଳ୍ପ କରେ, ଯେ ଦୁଷ୍କ୍ରିୟା କରିବାକୁ ପରାମର୍ଶ ଦିଏ, ଏପରି ଏକ ଜଣ ତୁମ୍ଭ ମଧ୍ୟରୁ ବାହାର ହୋଇ ଯାଇଅଛି।
NAH 1:12 ସଦାପ୍ରଭୁ ଏହି କଥା କହନ୍ତି; “ସେମାନେ ସମ୍ପୂର୍ଣ୍ଣ ଶକ୍ତିବିଶିଷ୍ଟ ଓ ବହୁସଂଖ୍ୟକ ହେଲେ ହେଁ ସେହିପରି କଟାଯିବେ ଓ ସେମାନେ ବୋହି ଚାଲିଯିବେ। ଯଦ୍ୟପି ଆମ୍ଭେ ତୁମ୍ଭକୁ କ୍ଳେଶ ଦେଇଅଛୁ, ତଥାପି ଆମ୍ଭେ ତୁମ୍ଭକୁ ଆଉ କ୍ଳେଶ ଦେବା ନାହିଁ।
NAH 1:13 ପୁଣି, ଏବେ ଆମ୍ଭେ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା।”
NAH 1:14 ପୁଣି, ସଦାପ୍ରଭୁ ତୁମ୍ଭ ବିଷୟରେ ଏହି ଆଜ୍ଞା କରିଅଛନ୍ତି ଯେ, “ତୁମ୍ଭ ନାମରୂପ ବୀଜ ଆଉ ବୁଣା ନୋହିବ; ତୁମ୍ଭ ଦେବାଳୟରେ ଆମ୍ଭେ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମା ଉଚ୍ଛିନ୍ନ କରିବା; ଆମ୍ଭେ ତୁମ୍ଭର କବର ପ୍ରସ୍ତୁତ କରିବା; କାରଣ ତୁମ୍ଭେ ପାପାଧମ ଅଟ।”
NAH 1:15 ଯେ ସୁସମାଚାର ଆଣେ ଓ ଶାନ୍ତି ପ୍ରଚାର କରେ, ପର୍ବତଗଣର ଉପରେ ତାହାର ଚରଣ ଦେଖ! ହେ ଯିହୁଦା, ତୁମ୍ଭେ ଆପଣା ଉତ୍ସବସକଳ ପାଳନ କର ଓ ଆପଣା ମାନତସବୁ ପୂର୍ଣ୍ଣ କର; କାରଣ ସେହି ଦୁଷ୍ଟ ତୁମ୍ଭ ମଧ୍ୟରେ ଆଉ ଗତାୟାତ କରିବେ ନାହିଁ; ଯେହେତୁ ସେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛନ୍ତି।
NAH 2:1 ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର।
NAH 2:2 କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ସଦୃଶ୍ୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶତ୍ରୁମାନେ ସେମାନଙ୍କୁ ଧ୍ୱଂସ କରିଅଛନ୍ତି; ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି।
NAH 2:3 ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍‍ଚକ୍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ।
NAH 2:4 ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।
NAH 2:5 ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି।
NAH 2:6 ନଦୀର ଦ୍ୱାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି।
NAH 2:7 ପୁଣି, ରାଣୀ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି।
NAH 2:8 ମାତ୍ର ନୀନିବୀ ପୂର୍ବକାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ୱରୂପା ହୋଇଅଛି; ତଥାପି ସେମାନେ ସମସ୍ତେ ପଳାୟନ କରନ୍ତି; “ଠିଆ ହୁଅ, ଠିଆ ହୁଅ” କହିଲେ ମଧ୍ୟ କେହି ପଛକୁ ଅନାନ୍ତି ନାହିଁ।
NAH 2:9 ତୁମ୍ଭେମାନେ ରୂପା ଲୁଣ୍ଠନ କର, ସୁନା ଲୁଣ୍ଠନ କର, କାରଣ ସବୁ ପ୍ରକାର ମନୋହର ସାମଗ୍ରୀର ଐଶ୍ୱର୍ଯ୍ୟ ସ୍ୱରୂପ ଭଣ୍ଡାରର ସୀମା ନାହିଁ।
NAH 2:10 ସେ (ନୀନିବୀ) ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି; ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି, ସମସ୍ତ କଟିରେ ବେଦନା ଅଛି ଓ ସେହି ସମସ୍ତଙ୍କର ମୁଖ ମଳିନ ହୋଇଅଛି।
NAH 2:11 ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହଶାବକ ଭ୍ରମଣ କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ?
NAH 2:12 ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକଙ୍କ ଗଳା ଚିପି ମାରିଅଛି, ଆଉ ଆପଣା ଗହ୍ୱର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି।
NAH 2:13 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଆମ୍ଭେ ତାହାର ରଥସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ୍ଗ ତୁମ୍ଭର ଯୁବା ସିଂହଗଣକୁ ଗ୍ରାସ କରିବ; ପୁଣି, ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ।
NAH 3:1 ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଣ୍ଠନ କରିବା ଛାଡେ ନାହିଁ।
NAH 3:2 କୋରଡ଼ାର ଶବ୍ଦ, ଚକ୍ରସମୂହର ଘର ଘର ଶବ୍ଦ; ନାଚିବା ଅଶ୍ୱଗଣ ଓ କୁଦିବା ରଥ;
NAH 3:3 ଅଶ୍ୱାରୋହୀ ଆରୋହଣ କରିବାର, ଆଉ ଚକ୍‍ଚକ୍ ଖଡ୍ଗ ଓ ଝଲମଲ ବର୍ଚ୍ଛା; ପୁଣି, ଅପାର ହତ ଲୋକ ଓ ଶବର ଏକ ମହାଢିପି; ଆଉ, ଶବ ସଂଖ୍ୟାର ସୀମା ନାହିଁ; ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି;
NAH 3:4 ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ।
NAH 3:5 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା।
NAH 3:6 ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା।
NAH 3:7 ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେମାନେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଧ୍ୱଂସ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା?
NAH 3:8 ଯେଉଁ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ ତୁମ୍ଭେ କି ଶ୍ରେଷ୍ଠ?
NAH 3:9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।
NAH 3:10 ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ୱ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ଆଉ ତାହାର ବଡ଼ ଲୋକ ସମସ୍ତେ ଶିକୁଳିରେ ବନ୍ଧା ହେଲେ।
NAH 3:11 ତୁମ୍ଭେ ମଧ୍ୟ ମତ୍ତ ହେବ, ତୁମ୍ଭେ ଲୁଚାଯିବ; ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ୱେଷଣ କରିବ।
NAH 3:12 ତୁମ୍ଭର ଦୁର୍ଗସବୁ ଆଦ୍ୟପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହି ସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।
NAH 3:13 ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗରଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।
NAH 3:14 ଅବରୋଧର ସମୟ ନିମନ୍ତେ ଜଳ କାଢ଼ି ଆଣ, ତୁମ୍ଭର ଦୁର୍ଗସବୁ ଦୃଢ଼ କର; କାଦୁଅକୁ ଯାଇ ମାଟି ଚକଟ, ଇଟା ଭାଟି ଦୃଢ଼ କର।
NAH 3:15 ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ୍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର।
NAH 3:16 ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ; ପତଙ୍ଗ ନଷ୍ଟ କରି ଉଡ଼ିଯାଏ।
NAH 3:17 ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଦଳ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାʼନ୍ତି, ତାହା ଜଣାଯାଏ ନାହିଁ।
NAH 3:18 ହେ ଅଶୂରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି; ତୁମ୍ଭର ପ୍ରତାପାନ୍ୱିତ ଲୋକମାନେ ବିଶ୍ରାମ କରୁଅଛନ୍ତି; ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନଭିନ୍ନ ହୋଇଅଛନ୍ତି। ଆଉ, ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ।
NAH 3:19 ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି, ସେମାନେ ସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ?
HAB 1:1 ଏହି ବାର୍ତ୍ତା ଯାହା ହବକ୍କୂକ ଭବିଷ୍ୟଦ୍‍ବକ୍ତା ଦର୍ଶନରେ ପାଇଥିଲେ।
HAB 1:2 ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ? ମୁଁ “ଦୌରାତ୍ମ୍ୟ” ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ଓ ତୁମ୍ଭେ ଉଦ୍ଧାର କରିବ ନାହିଁ।
HAB 1:3 ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ ଓ କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ? କାରଣ ମୋʼ ସମ୍ମୁଖରେ ଧନାପହାର ଓ ଦୌରାତ୍ମ୍ୟ ଥାଏ; ପୁଣି, ବିବାଦ ହୁଏ ଓ ବିରୋଧ ବଢ଼ି ଉଠେ।
HAB 1:4 ଏଥିପାଇଁ ବ୍ୟବସ୍ଥା ନିସ୍ତେଜ ହୋଇଅଛି ଓ ବିଚାର କେବେ ନିଷ୍ପନ୍ନ ହେଉ ନାହିଁ; କାରଣ ଦୁର୍ଜ୍ଜନମାନେ ଧାର୍ମିକକୁ ଘେରନ୍ତି; ଏଥିପାଇଁ ବିଚାର ବିପରୀତ ହୋଇପଡ଼େ।
HAB 1:5 ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଓ ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହାଗଲେ ହେଁ ତୁମ୍ଭେମାନେ ତାହା ବିଶ୍ୱାସ କରିବ ନାହିଁ।
HAB 1:6 କାରଣ ଦେଖ, ଯେଉଁ କଲ୍‍ଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି।
HAB 1:7 ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ।
HAB 1:8 ଆହୁରି, ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁ ଅଛନ୍ତି।
HAB 1:9 ସେମାନେ ସମସ୍ତେ ଦୌରାତ୍ମ୍ୟ କରିବା ପାଇଁ ଆସୁଅଛନ୍ତି; ପୂର୍ବୀୟ ବାୟୁ ତୁଲ୍ୟ ସେମାନଙ୍କ ମୁଖ ବ୍ୟଗ୍ର ଭାବରେ ରଖାଯାଇଅଛି ଓ ସେମାନେ ବନ୍ଦୀଗଣକୁ ବାଲୁକାର ନ୍ୟାୟ ଏକତ୍ର କରୁଅଛନ୍ତି।
HAB 1:10 ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୂପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ।
HAB 1:11 ଏଉତ୍ତାରେ ସେ ବାୟୁ ତୁଲ୍ୟ ବହି ବ୍ୟାପି ଯିବ ଓ ସେ, ଅର୍ଥାତ୍‍, ଯାହାର ଶକ୍ତି ତାହାର ଦେବତା, ସେ ଦଣ୍ଡନୀୟ ହେବ।
HAB 1:12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳ ସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।
HAB 1:13 ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ?
HAB 1:14 ଓ ମନୁଷ୍ୟକୁ ସମୁଦ୍ରର ମତ୍ସ୍ୟ ପରି ଓ ଯେଉଁମାନଙ୍କର ଅଧ୍ୟକ୍ଷ କେହି ନାହିଁ, ଏପରି ଉରୋଗାମୀ କୀଟ ପରି କାହିଁକି କରୁଅଛ?
HAB 1:15 ସେ ସମସ୍ତଙ୍କୁ ବନଶୀରେ ଧରି ନିଏ, ସେ ଆପଣା ଜାଲରେ ସେମାନଙ୍କୁ ଧରେ ଓ ଆପଣା ଟଣା ଜାଲରେ ସେମାନଙ୍କୁ ଏକତ୍ର କରେ; ତହିଁ ସକାଶୁ ସେ ଆନନ୍ଦିତ ଓ ଉଲ୍ଲସିତ ହୁଏ।
HAB 1:16 ଏଥିପାଇଁ ସେ ଆପଣା ଜାଲ ଉଦ୍ଦେଶ୍ୟରେ ବଳିଦାନ କରେ ଓ ଆପଣା ଟଣା ଜାଲ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଏ; କାରଣ ତାହା ଦ୍ୱାରା ତାହାର ବାଣ୍ଟ ପୁଷ୍ଟ ହୁଏ ଓ ତାହାର ଖାଦ୍ୟ ଯଥେଷ୍ଟ ହୁଏ।
HAB 1:17 ଏନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ଦୟା ନ କରି କି ଗୋଷ୍ଠୀଗଣକୁ ନିରନ୍ତର ବଧ କରୁଥିବ?
HAB 2:1 ମୁଁ ଆପଣା ପ୍ରହରୀ ସ୍ଥାନରେ ଠିଆ ହେବି ଓ ଦୁର୍ଗର ଉପରେ ରହିବି, ଆଉ ସେ ମୋʼ ଗୁହାରି ବିଷୟରେ ମୋତେ କି କଥା କହିବେ ଓ ମୁଁ କି ଉତ୍ତର ଦେବି, ଏହା ନିରୀକ୍ଷଣ କରି ବୁଝିବି।
HAB 2:2 ଏଥିଉତ୍ତାରେ ସଦାପ୍ରଭୁ ମୋତେ ଉତ୍ତର ଦେଇ କହିଲେ, “ଏହି ଦର୍ଶନର କଥା ଲେଖ ଓ ଯେ ପାଠ କରେ, ସେ ଯେପରି ଦୌଡ଼ି ପାରିବ, ଏଥିପାଇଁ ପଟାରେ ସୁସ୍ପଷ୍ଟ କରି ଖୋଳ।
HAB 2:3 କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ।
HAB 2:4 ଦେଖ, ତାହାର ପ୍ରାଣ ଗର୍ବରେ ଫୁଲିଅଛି, ତାହା ସରଳ ନୁହେଁ; ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ୱାସ ଦ୍ୱାରା ବଞ୍ଚିବ।
HAB 2:5 ଆହୁରି, ଧନ ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।”
HAB 2:6 ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, “ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର!”
HAB 2:7 ଯେଉଁମାନେ ତୁମ୍ଭକୁ ଦଂଶନ କରିବେ, ସେମାନେ କି ହଠାତ୍‍ ଉଠିବେ ନାହିଁ? ଯେଉଁମାନେ ତୁମ୍ଭକୁ ବିରକ୍ତ କରିବେ, ସେମାନେ କି ଜାଗ୍ରତ ହେବେ ନାହିଁ? ଓ ତୁମ୍ଭେ କି ସେମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ ନାହିଁ?
HAB 2:8 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଲୁଟିଅଛ, ଏଥିପାଇଁ ମନୁଷ୍ୟମାନଙ୍କର ରକ୍ତପାତ, ଆଉ ଦେଶ, ନଗର ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଜନବୃନ୍ଦର ସମସ୍ତ ଶେଷାଂଶ ତୁମ୍ଭକୁ ଲୁଟିବେ।
HAB 2:9 ଯେଉଁ ଜନ ଉଚ୍ଚରେ ଆପଣା ବସା କରିବା ପାଇଁ, ବିପଦର ହସ୍ତରୁ ଉଦ୍ଧାର କରିବା ପାଇଁ ଆପଣା ବଂଶ ନିମନ୍ତେ କୁଲାଭ ଉପାର୍ଜ୍ଜନ କରେ, ସେ ସନ୍ତାପର ପାତ୍ର!
HAB 2:10 ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବା ଦ୍ୱାରା ଆପଣା ବଂଶର ଲଜ୍ଜାଜନକ ମନ୍ତ୍ରଣା କରିଅଛ ଓ ଆପଣା ପ୍ରାଣ ବିରୁଦ୍ଧରେ ପାପ କରିଅଛ।
HAB 2:11 କାରଣ କାନ୍ଥ ଭିତରୁ ପଥର ଡାକ ପକାଇବ ଓ କାଠ ମଧ୍ୟରୁ କଡ଼ିକାଠ ତହିଁର ଉତ୍ତର ଦେବ।
HAB 2:12 ଯେଉଁ ଜନ ରକ୍ତପାତ ଦ୍ୱାରା ନଗର ନିର୍ମାଣ କରେ ଓ ଅଧର୍ମ ଦ୍ୱାରା ନଗର ସ୍ଥାପନ କରେ, ସେ ସନ୍ତାପର ପାତ୍ର!
HAB 2:13 ଦେଖ, ଜନବୃନ୍ଦ ଅଗ୍ନିର ନିମନ୍ତେ ପରିଶ୍ରମ କରନ୍ତି ଓ ଗୋଷ୍ଠୀଗଣ ଅସାରତାର ନିମନ୍ତେ ଆପଣାମାନଙ୍କୁ କ୍ଳାନ୍ତ କରନ୍ତି, ଏହା କି ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ ନାହିଁ?
HAB 2:14 କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେହିପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।
HAB 2:15 ଯେଉଁ ଜନ ଆପଣା ପ୍ରତିବାସୀର ଉଲଙ୍ଗତା ଦେଖିବା ନିମନ୍ତେ ତାହାକୁ ପାନ କରିବାକୁ ଦିଏ, ତହିଁ ସଙ୍ଗେ ଆପଣାର ବିଷ ମିଶାଇ ତାହାକୁ ମତ୍ତ କରେ, ସେ ସନ୍ତାପର ପାତ୍ର!
HAB 2:16 ତୁମ୍ଭେ ଗୌରବ ବଦଳରେ ଅପମାନରେ ପରିପୂର୍ଣ୍ଣ ହୋଇଅଛ। ତୁମ୍ଭେ ମଧ୍ୟ ପାନ କରି ଅସୁନ୍ନତର ନ୍ୟାୟ ହୁଅ! ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାନପାତ୍ର ତୁମ୍ଭଆଡ଼େ ଫେରାଯିବ ଓ ତୁମ୍ଭ ଗୌରବର ଉପରେ ଘୃଣାଜନକ ଲଜ୍ଜା ବର୍ତ୍ତିବ।
HAB 2:17 କାରଣ ମନୁଷ୍ୟମାନଙ୍କର ରକ୍ତପାତ ଓ ଦେଶ ପ୍ରତି, ନଗର ପ୍ରତି ଓ ତନ୍ନିବାସୀ ସମସ୍ତଙ୍କ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ଲିବାନୋନର ପ୍ରତି କୃତ ଦୌରାତ୍ମ୍ୟ ଓ ପଶୁଗଣର ତ୍ରାସଜନକ ସଂହାର ତୁମ୍ଭକୁ ଆଚ୍ଛନ୍ନ କରିବ।
HAB 2:18 ଖୋଦିତ ପ୍ରତିମାରେ କି ଲାଭ ଯେ, ତହିଁର ନିର୍ମାଣକର୍ତ୍ତା ତାହା ଖୋଦନ କରେ? ଛାଞ୍ଚରେ ଢଳା ପ୍ରତିମାରେ ଓ ମିଥ୍ୟା ଶିକ୍ଷକରେ କି ଲାଭ ଯେ, ଆପଣାର ନିର୍ମିତ ବସ୍ତୁର ନିର୍ମାଣକାରୀ ତହିଁରେ ବିଶ୍ୱାସ କରି ମୂକ ଦେବତା ନିର୍ମାଣ କରେ?
HAB 2:19 ଯେଉଁ ଜନ କାଷ୍ଠକୁ କହେ, ଜାଗ୍ରତ ହୁଅ; ମୂକ ପ୍ରସ୍ତରକୁ କହେ ଉଠ, ସେ ସନ୍ତାପର ପାତ୍ର! ସେ କି ଶିକ୍ଷା ଦେବ? ଦେଖ, ତାହା ସୁନା ଓ ରୂପାରେ ମଣ୍ଡିତ, ତହିଁ ମଧ୍ୟରେ କିଛି ହିଁ ଶ୍ୱାସବାୟୁ ନାହିଁ।
HAB 2:20 ମାତ୍ର ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି; ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ ନୀରବ ହୋଇ ରହନ୍ତୁ।
HAB 3:1 ହବକ୍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାର୍ଥନା। ସ୍ୱରଶିଗୀୟୋନତ୍‍।
HAB 3:2 ହେ ସଦାପ୍ରଭୁ, ମୁଁ ତୁମ୍ଭ ବିଷୟକ ବାର୍ତ୍ତା ଶୁଣି ଭୀତ ଅଛି; ହେ ସଦାପ୍ରଭୁ, ବର୍ଷମାନର ମଧ୍ୟରେ ଆପଣା କର୍ମ ସଜୀବ କର, ବର୍ଷମାନର ମଧ୍ୟରେ ତାହା ଜ୍ଞାତ କରାଅ; କୋପ ସମୟରେ ଦୟା ସ୍ମରଣ କର।
HAB 3:3 ପରମେଶ୍ୱର ତୈମନ୍‍ରୁ ଆସିଲେ ଓ ଯେ ଧର୍ମମୟ, ସେ ପାରଣ ପର୍ବତରୁ ଆସିଲେ। ସେଲା ତାହାଙ୍କର ପ୍ରତାପ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲା, ଆଉ ପୃଥିବୀ ତାହାଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ହେଲା।
HAB 3:4 ପୁଣି, ତାହାଙ୍କର ତେଜ ଦୀପ୍ତି ତୁଲ୍ୟ ହେଲା; ତାହାଙ୍କ ହସ୍ତରୁ କିରଣ ନିର୍ଗତ ହେଲା; ଆଉ, ସେ ସ୍ଥାନ ତାହାଙ୍କ ପରାକ୍ରମର ଅନ୍ତରାଳ।
HAB 3:5 ତାହାଙ୍କ ଆଗେ ଆଗେ ମହାମାରୀ ଗମନ କଲା, ଆଉ ତାହାଙ୍କ ପଦଚିହ୍ନରୁ ଅଗ୍ନିବାଣ ନିର୍ଗତ ହେଲା।
HAB 3:6 ସେ ଠିଆ ହୋଇ ପୃଥିବୀର ପରିମାଣ କଲେ। ସେ ଦୃଷ୍ଟିପାତ କରି ଗୋଷ୍ଠୀଗଣକୁ ଭିନ୍ନ ଭିନ୍ନ କରି ତଡ଼ିଦେଲେ; ଆଉ, ଚିରସ୍ଥାୟୀ ପର୍ବତଗଣ ଛିନ୍ନଭିନ୍ନ କରାଗଲେ, ନିତ୍ୟସ୍ଥାୟୀ ଉପପର୍ବତଗଣ ନତ ହେଲେ; ତାହାଙ୍କର ଗତି ପୁରାତନ କାଳର ଗତି ତୁଲ୍ୟ ଥିଲା।
HAB 3:7 ମୁଁ କୂଶନର ତମ୍ବୁସକଳକୁ କ୍ଳେଶରେ ଥିବାର ଦେଖିଲି; ମିଦୀୟନ ଦେଶର ଯବନିକାସକଳ କମ୍ପିତ ହେଲା।
HAB 3:8 ସଦାପ୍ରଭୁ କି ନଦ-ନଦୀ ପ୍ରତି ଅସନ୍ତୁଷ୍ଟ ହେଲେ? ତୁମ୍ଭର କ୍ରୋଧ କି ନଦ-ନଦୀର ଉପରେ ବର୍ତ୍ତିଲା, ଅବା ତୁମ୍ଭର କୋପ କି ସମୁଦ୍ରର ଉପରେ ବର୍ତ୍ତିଲା ଯେ, ତୁମ୍ଭେ ଆପଣା ଅଶ୍ୱଗଣର ଉପରେ, ଆପଣା ତ୍ରାଣ ସ୍ୱରୂପ ରଥସମୂହରେ ଆରୋହଣ କଲ?
HAB 3:9 ତୁମ୍ଭର ଧନୁ ଅନାବୃତ ହେଲା; ଗୋଷ୍ଠୀଗଣର ପ୍ରତି ଶପଥ ସ୍ଥିରୀକୃତ ବାକ୍ୟ ହେଲା। ସେଲା। ତୁମ୍ଭେ ନଦ-ନଦୀ ଦ୍ୱାରା ପୃଥିବୀକୁ ବିଦୀର୍ଣ୍ଣ କଲ।
HAB 3:10 ପର୍ବତଗଣ ତୁମ୍ଭଙ୍କୁ ଦେଖି ଭୀତ ହେଲେ; ପ୍ରଚଣ୍ଡ ଜଳରାଶି ବହିଗଲା; ବାରିଧି ଆପଣା ରବ ଶୁଣାଇଲା ଓ ଆପଣା ହସ୍ତ ଉଚ୍ଚକୁ ଉଠାଇଲା।
HAB 3:11 ତୁମ୍ଭର ବାଣସ୍ୱରୂପ ଦୀପ୍ତିର ଗତିରେ, ତୁମ୍ଭର ଝଲମଲ ବର୍ଚ୍ଛାର ତେଜରେ ସୂର୍ଯ୍ୟ ଓ ଚନ୍ଦ୍ର ଆପଣା ଆପଣା ବାସ ସ୍ଥାନରେ ସ୍ଥଗିତ ହୋଇ ରହିଲେ।
HAB 3:12 ତୁମ୍ଭେ କୋପରେ ପୃଥିବୀ ମଧ୍ୟଦେଇ ଯାତ୍ରା କଲ। ତୁମ୍ଭେ କ୍ରୋଧରେ ଗୋଷ୍ଠୀଗଣକୁ (ଶସ୍ୟ ପରି) ମର୍ଦ୍ଦନ କଲ।
HAB 3:13 ତୁମ୍ଭେ ଆପଣା ଲୋକମାନଙ୍କର ପରିତ୍ରାଣ ନିମନ୍ତେ, ଆପଣା ଅଭିଷେକୀର ପରିତ୍ରାଣ ନିମନ୍ତେ ଯାତ୍ରା କଲ। ତୁମ୍ଭେ ଦୁଷ୍ଟର ଗୃହରୁ ମସ୍ତକ ଚୂର୍ଣ୍ଣ କଲ, ତୁମ୍ଭେ କଣ୍ଠସରିକି ମୂଳଦୁଆ ଅନାବୃତ କଲ। ସେଲା।
HAB 3:14 ତୁମ୍ଭେ ତାହାର ନିଜ ଯଷ୍ଟି ଦ୍ୱାରା ତାହାର ଯୋଦ୍ଧାମାନଙ୍କର ମସ୍ତକ ବିଦ୍ଧ କଲ: ସେମାନେ ମୋତେ ଛିନ୍ନଭିନ୍ନ କରିବା ପାଇଁ ଘୂର୍ଣ୍ଣବାୟୁର ନ୍ୟାୟ ଆସିଲେ; ଦରିଦ୍ରକୁ ଗୋପନରେ ଗ୍ରାସ କରିବା ପାଇଁ ସେମାନଙ୍କର ଆନନ୍ଦ ଥିଲା।
HAB 3:15 ତୁମ୍ଭେ ଆପଣା ଅଶ୍ୱଗଣ ଦ୍ୱାରା ସମୁଦ୍ରକୁ, ମହାଜଳରାଶିକୁ ଦଳି ପକାଇଲ।
HAB 3:16 ମୁଁ ଶୁଣିଲି ଓ ମୋʼ ଉଦର କମ୍ପିଲା, ସେହି ରବରେ ମୋର ଓଷ୍ଠାଧର ଥରଥର ହେଲା; ମୋʼ ଅସ୍ଥିସକଳରେ ପଚାଭାବ ପ୍ରବେଶ କଲା ଓ ମୁଁ ସ୍ୱ ସ୍ଥାନରେ କମ୍ପିତ ହେଲି; ତହିଁରେ ଯେଉଁମାନେ ସୈନ୍ୟଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ, ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ।
HAB 3:17 କାରଣ ଯଦ୍ୟପି ଡିମ୍ବିରିବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ନ ଧରିବ; ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ନ ଥିବ;
HAB 3:18 ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି।
HAB 3:19 ପ୍ରଭୁ ସଦାପ୍ରଭୁ ମୋର ବଳ ସ୍ୱରୂପ ଓ ସେ ମୋର ଚରଣ ହରିଣୀର ଚରଣ ସଦୃଶ କରନ୍ତି, ପୁଣି ମୋର ଉଚ୍ଚସ୍ଥଳୀରେ ମୋତେ ଗମନ କରାଇବେ। ମୋର ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ।
ZEP 1:1 ଆମୋନ୍‍ଙ୍କ ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାର ସମୟରେ, ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
ZEP 1:2 ସଦାପ୍ରଭୁ କହନ୍ତି, “ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା,”
ZEP 1:3 “ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା; ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା,” ଏହା ସଦାପ୍ରଭୁ କହନ୍ତି।
ZEP 1:4 ପୁଣି, “ଆମ୍ଭେ ଯିହୁଦାର ବିରୁଦ୍ଧରେ ଓ ଯିରୂଶାଲମର ନିବସୀସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା; ଆମ୍ଭେ ଏହି ସ୍ଥାନରୁ ବାଲ୍‍ର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ;
ZEP 1:5 ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍‍କମ୍‍ ନାମରେ ଶପଥ କରି ପ୍ରଣାମ କରନ୍ତି;
ZEP 1:6 ଆଉ, ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍‍ଗମନରୁ ବିମୁଖ ହୋଇଅଛନ୍ତି; ପୁଣି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି, କିଅବା ତାହାଙ୍କର ଅନୁସନ୍ଧାନ କରି ନାହାନ୍ତି, ସେସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା।”
ZEP 1:7 ତୁମ୍ଭେ ପ୍ରଭୁ ସଦାପ୍ରଭୁଙ୍କ ଛାମୁରେ ନୀରବ ହୁଅ; କାରଣ ସଦାପ୍ରଭୁଙ୍କର ଦିନ ସନ୍ନିକଟ; କାରଣ ସଦାପ୍ରଭୁ ଏକ ଯଜ୍ଞର ଆୟୋଜନ କରିଅଛନ୍ତି, ସେ ଆପଣା ନିମନ୍ତ୍ରିତଗଣକୁ ପବିତ୍ର କରିଅଛନ୍ତି।
ZEP 1:8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ “ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା।
ZEP 1:9 ଆଉ, ଯେଉଁମାନେ ଚୌକାଠ ଡେଇଁ କରି ଯାʼନ୍ତି, ଯେଉଁମାନେ ଆପଣାମାନଙ୍କ କର୍ତ୍ତାର ଗୃହ ଦୌରାତ୍ମ୍ୟରେ ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ସେହି ଦିନ ଦଣ୍ଡ ଦେବା।”
ZEP 1:10 ପୁଣି, ସଦାପ୍ରଭୁ କହନ୍ତି, “ସେହି ଦିନ ମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ।
ZEP 1:11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।
ZEP 1:12 ପୁଣି, ସେହି ସମୟରେ ଆମ୍ଭେ ପ୍ରଦୀପ ଜ୍ୱଳାଇ ଯିରୂଶାଲମର ଅନ୍ଵେଷଣ କରିବା; ଆଉ, ଯେଉଁମାନେ ଆପଣା ଆପଣା ମଳ ଉପରେ ସୁସ୍ଥିର ହୋଇ ବସିଅଛନ୍ତି ଓ ମନେ ମନେ କହନ୍ତି, ସଦାପ୍ରଭୁ ମଙ୍ଗଳ କରିବେ ନାହିଁ କିଅବା ଅମଙ୍ଗଳ କରିବେ ନାହିଁ, ସେମାନଙ୍କୁ ଆମ୍ଭେ ଦଣ୍ଡ ଦେବା।
ZEP 1:13 ପୁଣି, ସେମାନଙ୍କର ସମ୍ପତ୍ତି ଲୁଟିତ ହେବ ଓ ସେମାନଙ୍କର ଗୃହ ଧ୍ୱଂସସ୍ଥାନ ହେବ; ଆହୁରି ସେମାନେ ଗୃହ ନିର୍ମାଣ କରିବେ, ମାତ୍ର ତହିଁରେ ବାସ କରିବେ ନାହିଁ; ଆଉ, ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ମାତ୍ର ତହିଁରୁ ଦ୍ରାକ୍ଷାରସ ପାନ କରିବେ ନାହିଁ।”
ZEP 1:14 ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା ଅର୍ଥାତ୍‍, ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି; ବୀରପୁରୁଷ ସେହି ସ୍ଥାନରେ ଅତିଶୟ ରୋଦନ କରୁଅଛି।
ZEP 1:15 ସେହି ଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଳେଶର ଦିନ, ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ, ମେଘ ଓ ନିବିଡ଼ ଅନ୍ଧକାରର ଦିନ,
ZEP 1:16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀର-ବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ।
ZEP 1:17 ପୁଣି, ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ, କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି; ଆଉ, ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳାଯିବ।
ZEP 1:18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।
ZEP 2:1 ହେ ଲଜ୍ଜାହୀନ ଗୋଷ୍ଠୀ, ତୁମ୍ଭେମାନେ ଏକତ୍ର ହୁଅ, ହଁ, ଏକତ୍ର ହୁଅ;
ZEP 2:2 ଆଜ୍ଞା ସଫଳ ହେବା ପୂର୍ବେ, ଦିନ ତୁଷ ପରି ଉଡ଼ିଯିବା ପୂର୍ବେ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ, ସଦାପ୍ରଭୁଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ ଏକତ୍ର ହୁଅ।
ZEP 2:3 ହେ ଦେଶସ୍ଥ ନମ୍ର ଲୋକମାନେ, ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ଵେଷଣ କର, ଧର୍ମର ଅନ୍ଵେଷଣ କର, ନମ୍ରତାର ଅନ୍ଵେଷଣ କର; ହୋଇପାରେ, ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମ୍ଭେମାନେ ଗୁପ୍ତ ସ୍ଥାନରେ ରଖାଯିବ।
ZEP 2:4 କାରଣ ଘସା ସହର ପରିତ୍ୟକ୍ତ ଓ ଅସ୍କିଲୋନ ସହର ଧ୍ୱଂସସ୍ଥାନ ହେବ! ଅସ୍ଦୋଦ ସହର ମଧ୍ୟାହ୍ନ ସମୟରେ ତାଡ଼ିତ ହେବ ଓ ଇକ୍ରୋଣ ସହର ମୂଳ ଉତ୍ପାଟିତ ହେବ।
ZEP 2:5 ସମୁଦ୍ର କୂଳ ନିବାସୀଗଣ, କରେଥୀୟ ଗୋଷ୍ଠୀ ସନ୍ତାପର ପାତ୍ର। ହେ ପଲେଷ୍ଟୀୟମାନଙ୍କର ଦେଶ କିଣାନ, ତୁମ୍ଭମାନଙ୍କର ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ଅଛି; ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ତହିଁରେ ତୁମ୍ଭ ମଧ୍ୟରେ ନିବାସୀ କେହି ରହିବ ନାହିଁ।
ZEP 2:6 ପୁଣି, ସମୁଦ୍ର କୂଳ ଚରାସ୍ଥାନ, ମେଷପାଳକମାନଙ୍କର କୁଟୀର ଓ ମେଷପଲର ଖୁଆଡ଼ ହେବ।
ZEP 2:7 ଆଉ, ସେହି ସମୁଦ୍ର କୂଳ ଯିହୁଦା ବଂଶର ଅବଶିଷ୍ଟାଂଶ ପାଇଁ ହେବ; ସେମାନେ ସେହି ସ୍ଥାନରେ ଆପଣା ଆପଣା ମେଷପଲ ଚରାଇବେ; ସନ୍ଧ୍ୟାକାଳରେ ସେମାନେ ଅସ୍କିଲୋନସ୍ଥିତ ନାନା ଗୃହରେ ଶୟନ କରିବେ; କାରଣ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କର ତତ୍ତ୍ୱାବଧାନ କରିବେ ଓ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବେ।
ZEP 2:8 “ମୋୟାବର ଧିକ୍କାର ଓ ଅମ୍ମୋନ-ସନ୍ତାନଗଣ ଯେଉଁ ତିରସ୍କାର ବାକ୍ୟରେ ଆମ୍ଭର ଲୋକମାନଙ୍କୁ ଧିକ୍କାର କରିଅଛନ୍ତି ଓ ସେମାନଙ୍କ ସୀମାର ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।”
ZEP 2:9 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋୟାବ ସଦୋମର ତୁଲ୍ୟ ଓ ଅମ୍ମୋନ-ସନ୍ତାନଗଣ ହମୋରାର ତୁଲ୍ୟ, ବିଛୁଆତି ଗଛର ଆଶ୍ରୟ ଓ ଲବଣର ଆକର ଓ ଚିରକାଳ ଧ୍ୱଂସସ୍ଥାନ ହେବ; ଆମ୍ଭ ଲୋକମାନଙ୍କର ଶେଷାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଗୋଷ୍ଠୀର ଅବଶିଷ୍ଟାଂଶ ସେମାନଙ୍କୁ ଅଧିକାର କରିବେ।”
ZEP 2:10 ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।
ZEP 2:11 ସଦାପ୍ରଭୁ ସେମାନଙ୍କ ପ୍ରତି ଭୟଙ୍କର ହେବେ; କାରଣ ସେ ପୃଥିବୀସ୍ଥ ଯାବତୀୟ ଦେବତାକୁ କ୍ଷୀଣ କରିବେ; ପୁଣି, ଲୋକମାନେ ଓ ଗୋଷ୍ଠୀଗଣର ଦ୍ୱୀପସକଳ ଆପଣା ଆପଣା ସ୍ଥାନରୁ ତାହାକୁ ପ୍ରଣାମ କରିବେ।
ZEP 2:12 ହେ କୂଶୀୟ ଲୋକ, ତୁମ୍ଭେମାନେ ମଧ୍ୟ ଆମ୍ଭ ଖଡ୍ଗ ଦ୍ୱାରା ହତ ହେବ।
ZEP 2:13 ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂର ଦେଶକୁ ବିନଷ୍ଟ କରିବେ। ଆଉ, ସେ ନୀନିବୀ ସହରକୁ ଧ୍ୱଂସସ୍ଥାନ ଓ ପ୍ରାନ୍ତର ପରି ଶୁଷ୍କ କରିବେ।
ZEP 2:14 ଆଉ, ତହିଁ ମଧ୍ୟରେ ପଶୁପଲ ଓ ଗୋଷ୍ଠୀଗଣର ଯାବତୀୟ ପଶୁ ଶୟନ କରିବେ; ପାଣିଭେଳା ପକ୍ଷୀ ଓ ଝିଙ୍କ ଜନ୍ତୁ ତହିଁର ସ୍ତମ୍ଭମାନର ମଥାଣି ଉପରେ ରାତ୍ରି କ୍ଷେପଣ କରିବେ; ଝରକାରେ ସେମାନଙ୍କ ରବ ଶୁଣାଯିବ; ଚୌକାଠର ଉପରେ ଉଚ୍ଛିନ୍ନତା ରହିବ; କାରଣ ସେ ତାହାର ଏରସ କାଷ୍ଠର କର୍ମ ଅନାବୃତ କରିଅଛନ୍ତି।
ZEP 2:15 ଯେଉଁ ନଗରୀ ନିଶ୍ଚିନ୍ତ ରୂପେ ବାସ କରି ମନେ ମନେ କହିଥିଲା, ମୁଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ, ସେହି ଉଲ୍ଲାସକାରିଣୀ ନଗରୀ ଏହି; ସେ କିପରି ଧ୍ୱଂସିତ ଓ ପଶୁମାନଙ୍କର ଶୟନ ସ୍ଥାନ ହୋଇଅଛି! ଯେକେହି ତହିଁର ନିକଟ ଦେଇ ଯିବ, ସେ ଶୀଷ୍‍ ଶବ୍ଦ କରି ଆପଣା ହାତ ହଲାଇବ।
ZEP 3:1 ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ।
ZEP 3:2 ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ; ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ।
ZEP 3:3 ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜ୍ଜନକାରୀ ସିଂହ ସଦୃଶ୍ୟ; ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।
ZEP 3:4 ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି; ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି।
ZEP 3:5 ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ; ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ।
ZEP 3:6 ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ୱଂସିତ ହୋଇଅଛି; ଆମ୍ଭେ ସେମାନଙ୍କର ପଥସକଳ ଧ୍ୱଂସ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ; ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ।
ZEP 3:7 ଆମ୍ଭେ କହିଲୁ, “ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବ; ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ ସ୍ଥାନ ଉଚ୍ଛିନ୍ନ ହେବ ନାହିଁ; ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ।”
ZEP 3:8 ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।
ZEP 3:9 ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।
ZEP 3:10 ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ।
ZEP 3:11 ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ।
ZEP 3:12 ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ।
ZEP 3:13 ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।”
ZEP 3:14 ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର।
ZEP 3:15 ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ।
ZEP 3:16 ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।
ZEP 3:17 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
ZEP 3:18 ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା।
ZEP 3:19 ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା; ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା; ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।
ZEP 3:20 ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା; କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା,” ଏହା ସଦାପ୍ରଭୁ କହନ୍ତି।
HAG 1:1 ଦାରୀୟାବସ ରାଜାଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକର ନିକଟରେ ଉପସ୍ଥିତ ହେଲା,
HAG 1:2 “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ।”
HAG 1:3 ସେତେବେଳେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
HAG 1:4 “ଏହି ଗୃହ ଭଗ୍ନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକ ମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି?
HAG 1:5 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
HAG 1:6 ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ।
HAG 1:7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର।
HAG 1:8 ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।
HAG 1:9 ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ? ଏହି, ଆମ୍ଭର ଗୃହ ଭଗ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ।
HAG 1:10 ଏଥିପାଇଁ ତୁମ୍ଭମାନଙ୍କ ସକାଶୁ ଆକାଶ ଶିଶିରରହିତ ହୋଇଅଛି ଓ ପୃଥିବୀ ଆପଣା ଫଳରହିତ ହୋଇଅଛି।
HAG 1:11 ପୁଣି, ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ମାରୁଡ଼ିକୁ ଆହ୍ୱାନ କଲୁ।”
HAG 1:12 ସେତେବେଳେ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ୍‍ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ଯେଉଁସବୁ ବାକ୍ୟ ପ୍ରେରଣ କରିଥିଲେ, ସେହି ସବୁରେ ମନୋଯୋଗ କଲେ; ଆଉ, ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ।
HAG 1:13 ତହିଁରେ ସଦାପ୍ରଭୁଙ୍କର ଦୂତ ହାଗୟ ଲୋକମାନଙ୍କୁ ସଦାପ୍ରଭୁଙ୍କର ସମ୍ବାଦ ଜଣାଇ କହିଲେ, “ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ସଙ୍ଗେ ସଙ୍ଗେ ଅଛୁ।”
HAG 1:14 ପୁଣି, ସଦାପ୍ରଭୁ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍ଙ୍କ ଆତ୍ମାକୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ଆତ୍ମାକୁ, ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ; ତହିଁରେ ସେମାନେ ଦାରୀୟାବସ ରାଜାଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ଚତୁର୍ବିଂଶ ଦିନରେ ଆସି,
HAG 1:15 ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ।
HAG 2:1 ସପ୍ତମ ମାସ, ମାସର ଏକବିଂଶ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
HAG 2:2 “ଏବେ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍ଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କୁ ଓ ଲୋକମାନଙ୍କର ଅବଶିଷ୍ଟାଂଶକୁ କୁହ,
HAG 2:3 ‘ଏହି ଗୃହକୁ ତାହାର ପୂର୍ବ ଐଶ୍ୱର୍ଯ୍ୟାବସ୍ଥାରେ ଯେ ଦେଖିଲା, ତୁମ୍ଭମାନଙ୍କ ମଧ୍ୟରେ ଏପରି ଅବଶିଷ୍ଟ କିଏ ଅଛି? ତେବେ, ବର୍ତ୍ତମାନ ତୁମ୍ଭେମାନେ ତାହା କି ପ୍ରକାର ଦେଖୁଅଛ? ତାହା କି ତୁମ୍ଭମାନଙ୍କ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ ନୁହେଁ?
HAG 2:4 ତଥାପି ସଦାପ୍ରଭୁ କହନ୍ତି, ହେ ଯିରୁବ୍ବାବିଲ୍‍, ତୁମ୍ଭେ ଏବେ ବଳବାନ ହୁଅ; ଆଉ, ହେ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକ, ତୁମ୍ଭେ ବଳବାନ ହୁଅ; ପୁଣି, ହେ ଦେଶସ୍ଥ ଲୋକ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ କାର୍ଯ୍ୟ କର, ଏହା ସଦାପ୍ରଭୁ କହନ୍ତି;
HAG 2:5 କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ମିସର ଦେଶରୁ ବାହାରି ଆସିବା ବେଳେ ଓ ଆମ୍ଭ ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଯେଉଁ ନିୟମ ସ୍ଥିର କଲୁ, ସେହି ନିୟମର ବାକ୍ୟ ପ୍ରମାଣେ ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ; ତୁମ୍ଭେମାନେ ଭୟ କର ନାହିଁ।
HAG 2:6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କ ଭୂମିକୁ ହଲାଇବା;
HAG 2:7 ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ, ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
HAG 2:8 ରୂପା ଆମ୍ଭର ଓ ସୁନା ଆମ୍ଭର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
HAG 2:9 ଏହି ଗୃହର ପୂର୍ବକାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ପୁଣି, ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।’”
HAG 2:10 ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
HAG 2:11 ଏବେ ଯାଜକମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ,
HAG 2:12 ‘କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯଦି ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିଅବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟ ଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ?’” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ନା।”
HAG 2:13 ସେତେବେଳେ ହାଗୟ କହିଲେ, “ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ?” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ତାହା ଅଶୁଚି ହେବ।”
HAG 2:14 ତେବେ ହାଗୟ ଉତ୍ତର କରି କହିଲେ, “ସଦାପ୍ରଭୁ କହନ୍ତି, ଆମ୍ଭ ସାକ୍ଷାତରେ ଏହି ଲୋକମାନେ ଓ ଏହି ଗୋଷ୍ଠୀ ତଦ୍ରୂପ ଅଟନ୍ତି ଓ ସେମାନଙ୍କର ହସ୍ତକୃତ ଯାବତୀୟ କର୍ମ ତଦ୍ରୂପ ଅଟେ; ଆଉ, ସେହି ସ୍ଥାନରେ ଯାହା ସେମାନେ ଉତ୍ସର୍ଗ କରନ୍ତି, ତାହା ଅଶୁଚି ଅଟେ।
HAG 2:15 ଏବେ ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନର ପୂର୍ବ, ଅର୍ଥାତ୍‍, ସଦାପ୍ରଭୁଙ୍କ ମନ୍ଦିରରେ ପ୍ରସ୍ତର ଉପରେ ପ୍ରସ୍ତର ସ୍ଥାପିତ ହେବା ପୂର୍ବ ଦିନସକଳ ବିବେଚନା କର;
HAG 2:16 ସେହି ସକଳ ସମୟରେ କେହି କୋଡ଼ିଏ ପରିମାଣବିଶିଷ୍ଟ ଶସ୍ୟ ଗଦା ନିକଟକୁ ଆସିଲେ, କେବଳ ତହିଁର ଦଶ ପରିମାଣ ହେଲା; କେହି ଦ୍ରାକ୍ଷାରସ କୁଣ୍ଡରୁ ପଚାଶ ପାତ୍ର ନେବାକୁ ଆସିଲେ, କେବଳ ତହିଁର କୋଡ଼ିଏ ପାତ୍ର ହେଲା।
HAG 2:17 ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି।
HAG 2:18 ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନ ଓ ତହିଁର ପୂର୍ବ ଦିନଠାରୁ ବିବେଚନା କର, ନବମ ମାସର ଚତୁର୍ବିଂଶ ଦିନରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ଦିନଠାରୁ ବିବେଚନା କର।
HAG 2:19 ଅମାରରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି? ଯେପରି ଏପର୍ଯ୍ୟନ୍ତ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷର, ଡାଳିମ୍ବ ଓ ଜୀତବୃକ୍ଷର ଫଳ ଫଳି ନାହିଁ; ମାତ୍ର ଆଜିଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା।”
HAG 2:20 ଏଥିଉତ୍ତାରେ ମାସର ଚତୁର୍ବିଂଶ ଦିନ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ହାଗୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
HAG 2:21 “ଯିହୁଦାର ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍ଙ୍କୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀକୁ ହଲାଇବା;
HAG 2:22 ଆମ୍ଭେ ରାଜ୍ୟସମୂହର ସିଂହାସନ ଓଲଟାଇ ପକାଇବା ଓ ଗୋଷ୍ଠୀଗଣର ସକଳ ରାଜ୍ୟର ପରାକ୍ରମ ବିନଷ୍ଟ କରିବା; ଆଉ, ଆମ୍ଭେ ରଥ ଓ ରଥାରୋହୀମାନଙ୍କୁ ଓଲଟାଇ ପକାଇବା; ପୁଣି ଅଶ୍ୱ ଓ ଅଶ୍ୱାରୋହୀମାନେ ଆପଣା ଭ୍ରାତାର ଖଡ୍ଗ ଦ୍ୱାରା ପତିତ ହେବେ।
HAG 2:23 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଶଲ୍ଟୀୟେଲର ପୁତ୍ର, ଆମ୍ଭର ଦାସ ଯିରୁବ୍ବାବିଲ୍‍, ସେଦିନ ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା ଓ ତୁମ୍ଭକୁ ମୁଦ୍ରାର୍ଥକ ଅଙ୍ଗୁରୀୟ ସ୍ୱରୂପ କରିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”
ZEC 1:1 ଦାରୀୟାବସର ରାଜତ୍ଵର ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
ZEC 1:2 “ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।
ZEC 1:3 ଏଥିପାଇଁ ତୁମ୍ଭେ ଏହି ଲୋକମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ପ୍ରତି ଫେର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ZEC 1:4 ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣର ତୁଲ୍ୟ ହୁଅ ନାହିଁ, ଯେଉଁମାନଙ୍କୁ ଡାକି ପୂର୍ବକାଳର ଭବିଷ୍ୟଦ୍‍ବକ୍ତାମାନେ ଉଚ୍ଚସ୍ୱରରେ କହିଲେ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଏବେ ଫେର।’ ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା ଆମ୍ଭ ପ୍ରତି କର୍ଣ୍ଣପାତ କଲେ ନାହିଁ, ଏହା ସଦାପ୍ରଭୁ କହନ୍ତି।
ZEC 1:5 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ଏମାନେ କେଉଁଠାରେ? ଓ ଭବିଷ୍ୟଦ୍‍ବକ୍ତାମାନେ, ଏମାନେ କି ଚିରକାଳ ବଞ୍ଚନ୍ତି?
ZEC 1:6 ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
ZEC 1:7 ଦାରୀୟାବସର ଦ୍ୱିତୀୟ ବର୍ଷ ଏଗାରତମ ମାସର, ଅର୍ଥାତ୍‍, ଶବାଟ ମାସର ଚବିଶତମ ଦିନରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
ZEC 1:8 “ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ।
ZEC 1:9 ଏଥିରେ ମୁଁ କହିଲି, ‘ହେ ମହାଶୟ, ଏସବୁ କଅଣ?’ ତହିଁରେ ମୋʼ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, ‘ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।’
ZEC 1:10 ଏଥିରେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ପୁରୁଷ ଉତ୍ତର କରି କହିଲେ, ‘ପୃଥିବୀରେ ଏଣେତେଣେ ଗମନାଗମନ କରିବା ପାଇଁ ସଦାପ୍ରଭୁ ଏମାନଙ୍କୁ ପଠାଇଅଛନ୍ତି।’
ZEC 1:11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’
ZEC 1:12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’
ZEC 1:13 ପୁଣି, ମୋʼ ସହିତ କଥା କହୁଥିବା ଦୂତକୁ ସଦାପ୍ରଭୁ ଉତ୍ତର କରି ମଙ୍ଗଳ କଥା ଓ ନାନା ସାନ୍ତ୍ୱନାଦାୟକ କଥା କହିଲେ।
ZEC 1:14 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।
ZEC 1:15 ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।
ZEC 1:16 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ZEC 1:17 ‘ଆହୁରି ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସମୃଦ୍ଧି ହେତୁ ଆମ୍ଭର ନଗରସକଳ ଚତୁର୍ଦ୍ଦିଗରେ ପୁନର୍ବାର ବିସ୍ତୀର୍ଣ୍ଣ ହେବ; ସଦାପ୍ରଭୁ ପୁନର୍ବାର ସିୟୋନକୁ ସାନ୍ତ୍ୱନା କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।’”
ZEC 1:18 ଏଥିଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖିଲି।
ZEC 1:19 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”
ZEC 1:20 ପୁଣି, ସଦାପ୍ରଭୁ ମୋତେ ଚାରି ଜଣ କମାର ଦେଖାଇଲେ।
ZEC 1:21 ତେବେ ମୁଁ କହିଲି, “ଏମାନେ କଅଣ କରିବା ପାଇଁ ଆସିଅଛନ୍ତି?” ତହିଁରେ ସେ କହିଲେ, “ସେହି ଶୃଙ୍ଗସକଳ ଯିହୁଦାକୁ ଏପରି ଛିନ୍ନଭିନ୍ନ କଲେ ଯେ, କୌଣସି ମନୁଷ୍ୟ ଆପଣା ମସ୍ତକ ଉଠାଇ ପାରିଲା ନାହିଁ; ମାତ୍ର ଯେଉଁ ଗୋଷ୍ଠୀଗଣ ଯିହୁଦା ଦେଶକୁ ଛିନ୍ନଭିନ୍ନ କରିବା ପାଇଁ ତାହା ବିରୁଦ୍ଧରେ ଆପଣା ଆପଣା ଶୃଙ୍ଗ ଉଠାଇଲେ, ସେମାନଙ୍କୁ ଭୟ ଦେଖାଇବା ପାଇଁ ଓ ସେମାନଙ୍କର ଶୃଙ୍ଗ ଭାଙ୍ଗି ପକାଇବା ପାଇଁ ଏମାନେ ଆସିଅଛନ୍ତି।”
ZEC 2:1 ଏଥିଉତ୍ତାରେ ମୁଁ ଚକ୍ଷୁ ମେଲି ଅନାଇଲି, ଆଉ ଦେଖ, ଆପଣା ହସ୍ତରେ ପରିମାପକ ରଜ୍ଜୁଧାରୀ ଏକ ପୁରୁଷକୁ ଦେଖିଲି।
ZEC 2:2 ତେବେ ମୁଁ କହିଲି, “ଆପଣ କେଉଁଠାକୁ ଯାଉଅଛନ୍ତି?” ତହୁଁ ସେ ମୋତେ କହିଲେ, “ଯିରୂଶାଲମକୁ ମାପିବା ପାଇଁ, ତହିଁର ଓସାର କେତେ ଓ ତହିଁର ଲମ୍ବା କେତେ, ଏହା ଦେଖିବା ପାଇଁ ଯାଉଅଛୁ।”
ZEC 2:3 ଆଉ ଦେଖ, ମୋʼ ସଙ୍ଗେ କଥା କହୁଥିବା ଦୂତ ବାହାର ହେଲେ ଓ ଆଉ ଜଣେ ଦୂତ ତାଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ବାହାରିଲେ,
ZEC 2:4 ପୁଣି, ତାହାଙ୍କୁ କହିଲେ, “ଦୌଡ଼, ଏହି ଯୁବା ଲୋକକୁ କୁହ ‘ଯିରୂଶାଲମର ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି ସ୍ଥାନ ହେବ।
ZEC 2:5 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀର ସ୍ୱରୂପ ହେବା ଓ ଆମ୍ଭେ ସେମାନଙ୍କ ମଧ୍ୟରେ ମହିମା ସ୍ୱରୂପ ହେବା।’”
ZEC 2:6 “ଆହେ, ଆହେ, ଉତ୍ତର ଦେଶରୁ ପଳାଅ, ଏହା ସଦାପ୍ରଭୁ କହନ୍ତି। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ, ଏହା ସଦାପ୍ରଭୁ କହନ୍ତି।
ZEC 2:7 ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।
ZEC 2:8 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ସେ ମୋତେ ସମାଦର କରି ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ମୋʼ ର ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।
ZEC 2:9 ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀଗଣର ଲୁଟିତ ବସ୍ତୁ ସ୍ୱରୂପ ହେବେ ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।
ZEC 2:10 ଗୋ ସିୟୋନ କନ୍ୟେ, ଗାନ କରି ଉଲ୍ଲାସ କର କାରଣ ଦେଖ, ଆମ୍ଭେ ଆସୁଅଛୁ ଓ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ଏହା ସଦାପ୍ରଭୁ କହନ୍ତି।
ZEC 2:11 ପୁଣି, ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ; ଆଉ, ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
ZEC 2:12 ଆଉ, ସଦାପ୍ରଭୁ ପବିତ୍ର ଦେଶରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।
ZEC 2:13 ହେ ପ୍ରାଣୀସବୁ, ସଦାପ୍ରଭୁଙ୍କ ସାକ୍ଷାତରେ ନୀରବ ହୁଅ; କାରଣ ସେ ଆପଣା ପବିତ୍ର ଆବାସ ମଧ୍ୟରୁ ଜାଗି ଉଠିଅଛନ୍ତି।”
ZEC 3:1 ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟ ମହାଯାଜକ ଦୂତ ସମ୍ମୁଖରେ ଠିଆ ହୋଇଥିବା, ଓ ତାଙ୍କୁ ନିନ୍ଦା କରିବା ପାଇଁ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ।
ZEC 3:2 ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, “ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ଏ କି ଅଗ୍ନିରୁ କଢ଼ା ଖଣ୍ଡେ ପୋଡ଼ା କାଠଖଣ୍ଡ ନୁହେଁ?”
ZEC 3:3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ।
ZEC 3:4 ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, “ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ।” ପୁଣି, ତାଙ୍କୁ ସେ କହିଲେ, “ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରିଅଛୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା।”
ZEC 3:5 ସେତେବେଳେ ମୁଁ କହିଲି, “ଲୋକମାନେ ଏହାର ମସ୍ତକରେ ନିର୍ମଳ ପଗଡ଼ି ଦିଅନ୍ତୁ!” ତହିଁରେ ସେମାନେ ତାଙ୍କ ମସ୍ତକରେ ନିର୍ମଳ ପଗଡ଼ି ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ।
ZEC 3:6 ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ,
ZEC 3:7 “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯଦି ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ତୁମ୍ଭେ ଆମ୍ଭର ଆଜ୍ଞା ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଓ ପ୍ରସ୍ଥାନର ଅଧିକାର ଦେବା।
ZEC 3:8 ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ! କାରଣ ସେମାନେ ଚିହ୍ନସ୍ୱରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା।
ZEC 3:9 କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ! ଏକ ପ୍ରସ୍ତରର ଉପରେ ସାତ ପାର୍ଶ୍ୱ ଅଛି; ତହିଁର ମୁଦ୍ରାରେ ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା।
ZEC 3:10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”
ZEC 4:1 ଏଉତ୍ତାରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ଆସି ମୋତେ ନିଦ୍ରାରୁ ଉଠିଥିବା ମନୁଷ୍ୟ ପରି ଜଗାଇଲେ।
ZEC 4:2 ପୁଣି, ସେ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତୋଟି ନଳ ଅଛି।
ZEC 4:3 ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ୱରେ।”
ZEC 4:4 ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁର ଅର୍ଥ କʼଣ?”
ZEC 4:5 ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, “ଏସବୁର ଅର୍ଥ କଅଣ, ତାହା କି ତୁମ୍ଭେ ଜାଣି ନାହଁ?” ପୁଣି, ତହିଁରେ ମୁଁ କହିଲି, “ହେ ମହାଶୟ, ଜାଣି ନାହିଁ।”
ZEC 4:6 ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍‍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ZEC 4:7 ହେ ବୃହତ ପର୍ବତ, ତୁମ୍ଭେ କିଏ ଯିରୁବ୍ବାବିଲ୍‍ଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ୱନି କରି ସେ ମସ୍ତକ ସ୍ୱରୂପ ପ୍ରସ୍ତର ବାହାର କରି ଆଣିବ?”
ZEC 4:8 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ZEC 4:9 “ଯିରୁବ୍ବାବିଲ୍‍ଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
ZEC 4:10 କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍‍, ସମୁଦାୟ ପୃଥିବୀର ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲ୍‍ଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ।”
ZEC 4:11 ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, “ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ୱରେ ଓ ତହିଁର ବାମ ପାର୍ଶ୍ୱରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କʼଣ?”
ZEC 4:12 ପୁଣି, ମୁଁ ଦ୍ୱିତୀୟ ଥର ତାଙ୍କୁ ଉତ୍ତର କରି କହିଲି, “ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ୱରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କʼଣ?”
ZEC 4:13 ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ?” ତହୁଁ ମୁଁ କହିଲି, “ହେ ମହାଶୟ, ଜାଣେ ନାହିଁ।”
ZEC 4:14 ତେବେ ସେ କହିଲେ, “ଏମାନେ ସମୁଦାୟ ଭୂମଣ୍ଡଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।”
ZEC 5:1 ଏଉତ୍ତାରେ ମୁଁ ପୁନର୍ବାର ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ।
ZEC 5:2 ପୁଣି, ଦୂତ ମୋତେ କହିଲେ, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ ଉତ୍ତର କଲି, “ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି ତହିଁର ଲମ୍ବା କୋଡ଼ିଏ ହାତ ଓ ଓସାର ଦଶ ହାତ।”
ZEC 5:3 ତେବେ ସେ ମୋତେ କହିଲେ, “ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ୱ ଅନୁସାରେ ପରିଷ୍କୃତ ହେବ।
ZEC 5:4 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ଗ୍ରାସ କରିବ।”
ZEC 5:5 ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, “ଏବେ ତୁମ୍ଭେ ଊର୍ଦ୍ଧ୍ୱକୁ ଦୃଷ୍ଟି କର, ଏହି ଯାହା ଆସୁଅଛି, ତାହା କଅଣ?”
ZEC 5:6 ତହିଁରେ ମୁଁ କହିଲି, “ଏ କଅଣ?” ତହୁଁ ସେ କହିଲେ, “ଏହା ଐଫା-ପାତ୍ର, ଯାହା ଆସୁଅଛି,” ସେ ଆହୁରି କହିଲେ, “ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପାପ ଅଟେ।”
ZEC 5:7 ଆଉ ଦେଖ, ପାତ୍ରର ଠିପି ଉପରକୁ ଉଠାଗଲା ଆଉ, ସେହି ପାତ୍ର ମଧ୍ୟରେ ଏକ ସ୍ତ୍ରୀ ବସିଅଛି।
ZEC 5:8 ପୁଣି, ସେ ମୋତେ କହିଲେ, “ଏହା ଦୁଷ୍ଟତା!” ଆଉ, ସେ ସେହି ସ୍ତ୍ରୀକୁ ପାତ୍ର ମଧ୍ୟରେ ପକାଇଦେଲେ ଓ ତହିଁର ମୁହଁକୁ ବନ୍ଦ କରିଦେଲେ।
ZEC 5:9 ସେତେବେଳେ ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ପାତ୍ରକୁ ଉଠାଇଲେ।
ZEC 5:10 ତହିଁରେ ଯେଉଁ ଦୂତ ମୋʼ ସହିତ କଥା କହୁଥିଲେ, ମୁଁ ତାଙ୍କୁ କହିଲି, “ଏମାନେ କେଉଁ ସ୍ଥାନକୁ ପାତ୍ର ବହି ନେଉଅଛନ୍ତି?”
ZEC 5:11 ଏଥିରେ ସେ ମୋତେ କହିଲେ, “ଶିନୀୟର ଦେଶରେ ସେହି ପାତ୍ର ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେହି ପାତ୍ର ଆପଣା ସ୍ଥାନରେ ସ୍ଥାପନ କରାଯିବ।”
ZEC 6:1 ଏଉତ୍ତାରେ ମୁଁ ପୁନର୍ବାର ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଦୁଇ ପର୍ବତ ମଧ୍ୟରୁ ଚାରିଗୋଟି ରଥ ନିର୍ଗତ ହେଲା ସେହି ପର୍ବତ ପିତ୍ତଳମୟ ଥିଲା।
ZEC 6:2 ପ୍ରଥମ ରଥରେ ରକ୍ତବର୍ଣ୍ଣ ଅଶ୍ୱଗଣ ଓ ଦ୍ୱିତୀୟ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ।
ZEC 6:3 ଆଉ, ତୃତୀୟ ରଥରେ ଶ୍ୱେତବର୍ଣ୍ଣ ଅଶ୍ୱଗଣ, ପୁଣି ଚତୁର୍ଥ ରଥରେ ବିନ୍ଦୁଚିତ୍ରିତ ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ଥିଲେ।
ZEC 6:4 ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁ କଅଣ?”
ZEC 6:5 ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, “ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି।
ZEC 6:6 ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ ଅଛନ୍ତି, ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛି; ଶ୍ଵେତବର୍ଣ୍ଣ ଅଶ୍ୱଗଣ ପଶ୍ଚିମ ଦେଶ ଆଡ଼େ ଗଲେ; ଆଉ, ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ।
ZEC 6:7 ପୁଣି, ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ବାହାରିଲେ ଓ ପୃଥିବୀର ଏଣେତେଣେ ଗମନାଗମନ କରିବା ପାଇଁ ଅନୁମତି ଚାହିଁଲେ;” ତହିଁରେ ସେ କହିଲେ, “ତୁମ୍ଭେମାନେ ଏଠାରୁ ଯାଅ, ପୃଥିବୀର ଏଣେତେଣେ ଗମନାଗମନ କର,” ତହୁଁ ସେମାନେ ପୃଥିବୀର ଏଣେତେଣେ ଗମନାଗମନ କଲେ।
ZEC 6:8 ସେତେବେଳେ ସେ ମୋତେ ଡାକି କହିଲେ, “ଦେଖ, ଯେଉଁମାନେ ଉତ୍ତର ଦେଶ ଆଡ଼େ ଗମନ କରୁଅଛନ୍ତି, ସେମାନେ ଉତ୍ତର ଦେଶରେ ଆମ୍ଭର ଆତ୍ମାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିଅଛନ୍ତି।”
ZEC 6:9 ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ZEC 6:10 “ନିର୍ବାସିତ ଲୋକମାନଙ୍କଠାରୁ, ଅର୍ଥାତ୍‍, ହିଲ୍‍ଦୟ, ଟୋବୀୟ ଓ ଯିଦୟୀୟଠାରୁ ଦାନ ଗ୍ରହଣ କର; ଆଉ, ସେମାନେ ଯେଉଁ ସଫନୀୟର ପୁତ୍ର ଯୋଶୀୟର ଗୃହକୁ ବାବିଲଠାରୁ ଆସିଅଛନ୍ତି, ତୁମ୍ଭେ ସେହି ଗୃହକୁ ଯାଅ।
ZEC 6:11 ହଁ, ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ମସ୍ତକରେ ଦିଅ।
ZEC 6:12 ପୁଣି, ତାଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ!
ZEC 6:13 ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ବୁଝାବଣା ହେବ।’
ZEC 6:14 ପୁଣି, ସଦାପ୍ରଭୁଙ୍କ ମନ୍ଦିରରେ ଏହି ମୁକୁଟମାନ ହେଲେମର ଓ ଟୋବୀୟର ଓ ଯିଦୟୀୟର, ଆଉ ସଫନୀୟର ପୁତ୍ର ହେନର ସ୍ମରଣାର୍ଥେ ରହିବ।
ZEC 6:15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।”
ZEC 7:1 ପୁଣି, ଦାରୀୟାବସ ରାଜାର ରାଜତ୍ଵର ଚତୁର୍ଥ ବର୍ଷରେ, କିଶ୍ଲେବ୍‍ ନାମକ ନବମ ମାସର ଚତୁର୍ଥ ଦିନରେ ଯିଖରୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
ZEC 7:2 ସେହି ସମୟରେ ବେଥେଲ୍‍ସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ସେମାନଙ୍କର ଲୋକମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ବିନତି କରିବା ପାଇଁ ପ୍ରେରଣ କରିଥିଲେ,
ZEC 7:3 ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଏହି କଥା ପଚାରିଲେ, ସେମାନେ କହିଲେ, “ମୁଁ ଏତେ ବର୍ଷ ଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ଉପବାସ କରି ବିଳାପ କରିବି?”
ZEC 7:4 ସେତେବେଳେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ZEC 7:5 ଦେଶର ସମଗ୍ର ଲୋକଙ୍କୁ ଓ ଯାଜକମାନଙ୍କୁ ଏହି କଥା କୁହ, “ତୁମ୍ଭେମାନେ ଏହି ସତୁରି ବର୍ଷଯାକ, ପଞ୍ଚମ ମାସରେ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲା ବେଳେ ତୁମ୍ଭେମାନେ କି ପ୍ରକୃତରେ ଆମ୍ଭ ଉଦ୍ଦେଶ୍ୟରେ ଉପବାସ କଲ?
ZEC 7:6 ପୁଣି, ତୁମ୍ଭେମାନେ ଭୋଜନ କଲା ବେଳେ ଓ ପାନ କଲା ବେଳେ କି ଆପଣାମାନଙ୍କ ପାଇଁ ଭୋଜନ କରୁ ନାହଁ ଓ ଆପଣାମାନଙ୍କ ପାଇଁ ପାନ କରୁ ନାହଁ?
ZEC 7:7 ଯିରୂଶାଲମ ବସତିବିଶିଷ୍ଟ ଓ ସମୃଦ୍ଧ ଅବସ୍ଥାରେ ଥିବା ବେଳେ, ପୁଣି ତହିଁର ଚତୁର୍ଦ୍ଦିଗସ୍ଥ ନଗରସକଳ, ଆଉ ଦକ୍ଷିଣ ଦେଶ ଓ ନିମ୍ନଭୂମି ବସତିବିଶିଷ୍ଟ ଥିବା ବେଳେ ସଦାପ୍ରଭୁ ପୂର୍ବକାଳର ଭବିଷ୍ୟଦ୍‍ବକ୍ତାଗଣଙ୍କ ଦ୍ୱାରା ଯେଉଁ ସକଳ ବାକ୍ୟ ପ୍ରଚାର କରାଇଅଛନ୍ତି, ତାହା କି ତୁମ୍ଭମାନଙ୍କର ଶୁଣିବାର ଉଚିତ ନୁହେଁ?”
ZEC 7:8 ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିଖରୀୟଙ୍କ ନିକଟରେ ଉପସ୍ଥିତ ହେଲା,
ZEC 7:9 “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର।
ZEC 7:10 ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”
ZEC 7:11 ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ଶକ୍ତଗ୍ରୀବ ହେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ।
ZEC 7:12 ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ୱାରା ପୂର୍ବକାଳର ଭବିଷ୍ୟଦ୍‍ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ, ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥିସକାଶୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରୁ ମହାକୋପ ଉପସ୍ଥିତ ହେଲା।
ZEC 7:13 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ମୁଁ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ଆମ୍ଭେ ଶୁଣିବା ନାହିଁ,
ZEC 7:14 ମାତ୍ର ଯେଉଁ ଗୋଷ୍ଠୀଗଣକୁ ସେମାନେ ଜାଣି ନାହାନ୍ତି, ସେହି ସମସ୍ତଙ୍କ ମଧ୍ୟରେ ଘୂର୍ଣ୍ଣିବାୟୁ ଦ୍ୱାରା ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଏହି ପ୍ରକାରେ ସେମାନଙ୍କ ଦେଶ ଧ୍ୱଂସର ସ୍ଥାନ ହେଲା, ତହିଁରେ କୌଣସି ମନୁଷ୍ୟ ତହିଁର ମଧ୍ୟଦେଇ ଗମନାଗମନ କଲା ନାହିଁ; କାରଣ ସେମାନେ ସୁନ୍ଦର ଦେଶକୁ ଧ୍ୱଂସର ସ୍ଥାନ କଲେ।”
ZEC 8:1 ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ZEC 8:2 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସିୟୋନର ପାଇଁ ମହା ଅନ୍ତର୍ଜ୍ୱାଳାରେ ଜ୍ୱଳୁଅଛୁ ଓ ତାହା ପାଇଁ ଆମ୍ଭେ ପ୍ରଚଣ୍ଡ କୋପରେ ଜ୍ୱଳୁଅଛୁ।
ZEC 8:3 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।
ZEC 8:4 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ବୃଦ୍ଧ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ ଓ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରିବେ।
ZEC 8:5 ପୁଣି, ଦାଣ୍ଡରେ ଖେଳିବା ପାଇଁ ବାଳକ ଓ ବାଳିକାରେ ନଗରର ପଥସବୁ ପରିପୂର୍ଣ୍ଣ ହେବ।
ZEC 8:6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।
ZEC 8:7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେ ଆପଣା ଲୋକମାନଙ୍କୁ ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଉଦ୍ଧାର କରନ୍ତି!
ZEC 8:8 ପୁଣି, ଆମ୍ଭେ ସେମାନଙ୍କୁ ଆଣିବା, ତହିଁରେ ସେମାନେ ଯିରୂଶାଲମ ମଧ୍ୟରେ ବାସ କରିବେ; ଆଉ, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସତ୍ୟ ଓ ଧାର୍ମିକତାରେ ସେମାନଙ୍କର ପରମେଶ୍ୱର ହେବା।”
ZEC 8:9 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହ, ଅର୍ଥାତ୍‍, ମନ୍ଦିରର ନିର୍ମାଣ ନିମନ୍ତେ ଯେଉଁ ଦିନ ତହିଁର ଭିତ୍ତିମୂଳ ସ୍ଥାପିତ ହୋଇଥିଲା, ସେହି ସମୟରେ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଥିଲେ, ସେମାନଙ୍କ ମୁଖରୁ ଏହି ସକଳ କଥା ବର୍ତ୍ତମାନ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କର ହସ୍ତ ସବଳ ହେଉ।
ZEC 8:10 କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।
ZEC 8:11 ମାତ୍ର ଏବେ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କର ପ୍ରତି ପୂର୍ବକାଳର ପରି ହେବା ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ZEC 8:12 କାରଣ ଶାନ୍ତିଯୁକ୍ତ ବୀଜ ବୁଣାଯିବ। ଦ୍ରାକ୍ଷାଲତା ଫଳବତୀ ହେବ ଓ ଭୂମି ଆପଣା ଫଳ ଉତ୍ପନ୍ନ କରିବ, ଆଉ ଆକାଶ ଆପଣା ଶିଶିର ଦାନ କରିବ ଓ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କୁ ଏହି ସମସ୍ତର ଅଧିକାରୀ କରାଇବା।
ZEC 8:13 ପୁଣି, ହେ ଯିହୁଦା ବଂଶ ଓ ଇସ୍ରାଏଲ ବଂଶ, ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟରେ ଯେପରି ଅଭିଶାପ ସ୍ୱରୂପ ହୋଇଥିଲ, ସେପରି ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ତୁମ୍ଭେମାନେ ଆଶୀର୍ବାଦ ସ୍ୱରୂପ ହେବ। ଭୟ କର ନାହିଁ, ମାତ୍ର ତୁମ୍ଭମାନଙ୍କର ହସ୍ତ ସବଳ ହେଉ।”
ZEC 8:14 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ZEC 8:15 ସେପରି ଆମ୍ଭେ ବର୍ତ୍ତମାନ ସମୟରେ ଯିରୂଶାଲମ ପ୍ରତି ଓ ଯିହୁଦା ବଂଶ ପ୍ରତି ମଙ୍ଗଳ କରିବା ପାଇଁ ପୁନର୍ବାର ସଂକଳ୍ପ କରିଅଛୁ; ତୁମ୍ଭେମାନେ ଭୟ କର ନାହିଁ।
ZEC 8:16 ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର;
ZEC 8:17 ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି।”
ZEC 8:18 ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
ZEC 8:19 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।
ZEC 8:20 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ନାନା ଗୋଷ୍ଠୀ ଓ ଅନେକ ନଗରର ନିବାସୀମାନେ ଆସିବେ।
ZEC 8:21 ପୁଣି, ଏକ ନଗରର ନିବାସୀମାନେ ଅନ୍ୟ ନଗରକୁ ଯାଇ କହିବେ, ‘ଆସ, ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଶୀଘ୍ର ଯାଉ; ମୁଁ ମଧ୍ୟ ଯିବି।’
ZEC 8:22 ହଁ, ଅନେକ ଦେଶର ଲୋକେ ଓ ବଳବାନ ଗୋଷ୍ଠୀଗଣ ଯିରୂଶାଲମରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଓ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସିବେ।
ZEC 8:23 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସେହି ସମୟରେ ଏପରି ଘଟିବ ଯେ, ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ‘ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।’”
ZEC 9:1 ହଦ୍ରକ୍‍ ଦେଶ ପ୍ରତି ଓ ଦମ୍ମେଶକ ତହିଁର ବିଶ୍ରାମ-ସ୍ଥାନ ପ୍ରତି ସଦାପ୍ରଭୁଙ୍କର ବାକ୍ୟ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ ବଂଶର ଦୃଷ୍ଟି ସଦାପ୍ରଭୁଙ୍କ ପ୍ରତି ଅଛି।
ZEC 9:2 ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍‍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।
ZEC 9:3 ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା।
ZEC 9:4 ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ।
ZEC 9:5 ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟନ୍ତ ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ।
ZEC 9:6 ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
ZEC 9:7 ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦନ୍ତ ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ ଓ ଇକ୍ରୋଣ ଯିବୂଷୀୟ ତୁଲ୍ୟ ହେବ।
ZEC 9:8 ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ୱଚକ୍ଷୁରେ ଦେଖିଅଛୁ।
ZEC 9:9 ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍‍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
ZEC 9:10 ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ।
ZEC 9:11 ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ।
ZEC 9:12 ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ।
ZEC 9:13 କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍‍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା।
ZEC 9:14 ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
ZEC 9:15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।
ZEC 9:16 ପୁଣି, ସେହି ଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଆପଣା ଲୋକମାନଙ୍କୁ ପଲ ସ୍ୱରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତର ସ୍ୱରୂପ ତାହାଙ୍କ ଦେଶର ଊର୍ଦ୍ଧ୍ୱରେ ଉତ୍ଥାପିତ ହେବେ।
ZEC 9:17 ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।
ZEC 10:1 ତୁମ୍ଭେମାନେ ଶେଷ ବୃଷ୍ଟି ସମୟରେ ସଦାପ୍ରଭୁଙ୍କ ନିକଟରେ, ଅର୍ଥାତ୍‍, ଯେ ବିଜୁଳିର ସୃଷ୍ଟି କରନ୍ତି, ସେହି ସଦାପ୍ରଭୁଙ୍କ ନିକଟରେ ବୃଷ୍ଟି ମାଗ ତହିଁରେ ସେ ପ୍ରଚୁର ବୃଷ୍ଟି ଦେଇ ପ୍ରତ୍ୟେକ ଜଣଙ୍କ କ୍ଷେତ୍ରରେ ତୃଣ ଦେବେ।
ZEC 10:2 କାରଣ ଦେବାଦେବୀଗଣ ଅସାର କଥା କହିଅଛନ୍ତି ଓ ମନ୍ତ୍ରପାଠକମାନେ ମିଥ୍ୟା ଦର୍ଶନ ପାଇଅଛନ୍ତି ଓ ସେମାନେ ମିଥ୍ୟା ସ୍ୱପ୍ନର କଥା କହିଅଛନ୍ତି, ସେମାନେ ବୃଥାରେ ସାନ୍ତ୍ୱନା ଦିଅନ୍ତି; ଏଥିପାଇଁ ଲୋକମାନେ ମେଷଗଣ ପରି ଆପଣା ଆପଣା ପଥରେ ଗମନ କରନ୍ତି, ସେମାନେ କ୍ଳେଶଯୁକ୍ତ ଅଟନ୍ତି, କାରଣ ସେମାନଙ୍କର ପାଳକ କେହି ନାହାନ୍ତି।
ZEC 10:3 “ପାଳକମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି ଓ ଆମ୍ଭେ ଅଧ୍ୟକ୍ଷଗଣକୁ ଶାସ୍ତି ଦେବା; କାରଣ ସୈନ୍ୟାଧିପତି ସଦାପ୍ରଭୁ ଆପଣା ପଲ ଯିହୁଦା ବଂଶର ତତ୍ତ୍ୱାନୁସନ୍ଧାନ କରିଅଛନ୍ତି ଓ ସେମାନଙ୍କୁ ଆପଣାର ସୁନ୍ଦର ଯୁଦ୍ଧ-ଅଶ୍ୱ ତୁଲ୍ୟ କରିବେ।
ZEC 10:4 ତାଙ୍କଠାରୁ କୋଣର ପ୍ରସ୍ତର, ତାଙ୍କଠାରୁ ପ୍ରେକ, ତାଙ୍କଠାରୁ ଯୁଦ୍ଧ-ଧନୁ, ତାଙ୍କଠାରୁ ପ୍ରତ୍ୟେକ ଶାସନକାରୀ ଏକତ୍ର ଉତ୍ପନ୍ନ ହେବେ।
ZEC 10:5 ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।
ZEC 10:6 ଆଉ, ଆମ୍ଭେ ଯିହୁଦା-ବଂଶକୁ ବଳବାନ କରିବା ଓ ଆମ୍ଭେ ଯୋଷେଫର ବଂଶକୁ ଉଦ୍ଧାର କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଆଣିବା, କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି; ଆଉ, ଆମ୍ଭ ଦ୍ୱାରା ପରିତ୍ୟକ୍ତ ନୋହିଲା ଲୋକର ତୁଲ୍ୟ ସେମାନେ ହେବେ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।
ZEC 10:7 ପୁଣି, ଇଫ୍ରୟିମର ଲୋକମାନେ ବୀରପୁରୁଷ ପରି ହେବେ ଓ ଦ୍ରାକ୍ଷାରସରେ ଆନନ୍ଦ କଲା ପରି ସେମାନଙ୍କ ଅନ୍ତଃକରଣ ଆନନ୍ଦ କରିବ; ହଁ, ସେମାନଙ୍କର ସନ୍ତାନଗଣ ତାହା ଦେଖିବେ ଓ ଆନନ୍ଦ କରିବେ; ସେମାନଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।
ZEC 10:8 ଆମ୍ଭେ ସେମାନଙ୍କ ପାଇଁ ଶୀଷ୍‍ ଶବ୍ଦ କରି ସେମାନଙ୍କୁ ଏକତ୍ର କରିବା; କାରଣ ଆମ୍ଭେ ସେମାନଙ୍କୁ ମୁକ୍ତ କରିବା ଓ ସେମାନେ ଯେପରି ବହୁବଂଶ ହୋଇଥିଲେ, ସେପରି ବହୁବଂଶ ହେବେ।
ZEC 10:9 ପୁଣି, ଆମ୍ଭେ ଯେବେ ଗୋଷ୍ଠୀଗଣ ମଧ୍ୟରେ ସେମାନଙ୍କୁ ବିଚ୍ଛିନ୍ନ କରିବା ତେବେ ସେମାନେ ନାନା ଦୂର ଦେଶରେ ଆମ୍ଭକୁ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣା ସନ୍ତାନଗଣର ସହିତ ଜୀବିତ ହୋଇ ରହିବେ ଓ ଫେରି ଆସିବେ।
ZEC 10:10 ଆହୁରି, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ପୁନର୍ବାର ଫେରାଇ ଆଣିବା ଓ ଅଶୂର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା; ଆଉ, ଆମ୍ଭେ ସେମାନଙ୍କୁ ଗିଲୀୟଦ ଓ ଲିବାନୋନ ଦେଶକୁ ଆଣିବା ଯେପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ସ୍ଥାନ ଅଣ୍ଟିବ ନାହିଁ।
ZEC 10:11 ପୁଣି, ସେ ଦୁଃଖରୂପ ସାଗର ପାରି ହେବେ ଓ ସମୁଦ୍ରର ତରଙ୍ଗ ସମୂହକୁ ପ୍ରହାର କରିବେ ଓ ନୀଳ ନଦୀର ଗଭୀର ସ୍ଥାନସକଳ ଶୁଷ୍କ ହେବ; ତହିଁରେ ଅଶୂରର ଗର୍ବ ଖର୍ବ ହେବ ଓ ମିସରର ରାଜଦଣ୍ଡ ଦୂରୀକୃତ ହେବ।
ZEC 10:12 ପୁଣି, ଆମ୍ଭେ ସଦାପ୍ରଭୁଙ୍କଠାରେ ସେମାନଙ୍କୁ ବଳବାନ କରିବା ଓ ସେମାନେ ତାହାଙ୍କ ନାମରେ ଗମନାଗମନ କରିବେ,” ଏହା ସଦାପ୍ରଭୁ କହନ୍ତି।
ZEC 11:1 ହେ ଲିବାନୋନ, ତୁମ୍ଭର ଏରସ ବୃକ୍ଷ ସକଳକୁ ଅଗ୍ନି ଯେପରି ଗ୍ରାସ କରିବ, ଏଥିପାଇଁ ତୁମ୍ଭର କବାଟସବୁ ଖୋଲି ଦିଅ।
ZEC 11:2 ହେ ଦେବଦାରୁ ବୃକ୍ଷ, ହାହାକାର କର, କାରଣ ଏରସ ବୃକ୍ଷ ପତିତ ହେଲା, ମନୋହର ବୃକ୍ଷସବୁ ନଷ୍ଟ ହେଲା; ହେ ବାଶନର ଅଲୋନ ବୃକ୍ଷସବୁ, ହାହାକାର କର, କାରଣ ଦୁର୍ଗମ ବନ ଭୂମିସାତ୍‍ ହେଲା।
ZEC 11:3 ମେଷପାଳକଗଣର ହାହାକାର ରବ! କାରଣ ସେମାନଙ୍କର ଗୌରବ ନଷ୍ଟ ହେଲା। ଯୁବା ସିଂହଗଣର ଗର୍ଜ୍ଜନ ରବ! କାରଣ ଯର୍ଦ୍ଦନର ଦର୍ପସ୍ଥାନ ନଷ୍ଟ ହେଲା।
ZEC 11:4 ସଦାପ୍ରଭୁ ମୋʼ ପରମେଶ୍ୱର ଏହି କଥା କହିଲେ, “ଏହି ବଧ ହେବାକୁ ଥିବା ପଲକୁ ଚରାଅ।
ZEC 11:5 ସେମାନଙ୍କୁ ଯେଉଁମାନେ କ୍ରୟ କରି ବଧ କରନ୍ତି ମାତ୍ର ଦଣ୍ଡ ପାଆନ୍ତି ନାହିଁ; ଆଉ, ଯେଉଁମାନେ ସେମାନଙ୍କୁ ବିକ୍ରୟ କରନ୍ତି, ସେମାନେ କହନ୍ତି, ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ମୁଁ ଧନୀ ହୋଇଅଛି ଓ ସେମାନଙ୍କର ନିଜ ପାଳକମାନେ ସେମାନଙ୍କୁ ଦୟା କରି ନାହାନ୍ତି।
ZEC 11:6 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦେଶ ନିବାସୀମାନଙ୍କୁ ଆଉ ଦୟା କରିବା ନାହିଁ; ମାତ୍ର ଦେଖ, ଆମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣକୁ ତାହାର ପ୍ରତିବାସୀର ହସ୍ତରେ ଓ ତାହାର ରାଜାର ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ଦେଶକୁ ଆଘାତ କରିବେ ଓ ସେମାନଙ୍କ ହସ୍ତରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରିବା ନାହିଁ।”
ZEC 11:7 ଏଥିରେ ମୁଁ ସେହି ବଧ ନିମନ୍ତେ ଥିବା ପଲକୁ, ଓ ପ୍ରକୃତ ପଲମାନଙ୍କୁ ଚରାଇଲି; ପୁଣି, ମୁଁ ଦୁଇଗୋଟି ଯଷ୍ଟି ନେଇ ଗୋଟିକର ନାମ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲି ଆଉ, ମୁଁ ପଲ ଚରାଇଲି।
ZEC 11:8 ଆଉ, ମୁଁ ଏକ ମାସ ମଧ୍ୟରେ ତିନି ଜଣ ପାଳକଙ୍କୁ ଉଚ୍ଛିନ୍ନ କଲି; କାରଣ ସେମାନଙ୍କ ବିଷୟରେ ମୋର ପ୍ରାଣ ବିରକ୍ତି ହୋଇଥିଲା, ମଧ୍ୟ ସେମାନଙ୍କ ପ୍ରାଣ ମୋତେ ଘୃଣା କଲା।
ZEC 11:9 ସେତେବେଳେ ମୁଁ କହିଲି, “ମୁଁ ତୁମ୍ଭମାନଙ୍କୁ ଚରାଇବି ନାହିଁ; ଯେ ମରିବ, ସେ ମରୁ ଓ ଯାହାର ଉଚ୍ଛିନ୍ନ ହେବାର ଅଛି, ସେ ଉଚ୍ଛିନ୍ନ ହେଉ ଓ ଯେଉଁମାନେ ଅବଶିଷ୍ଟ ରହନ୍ତି, ସେମାନଙ୍କର ଏକ ଜଣ ଅନ୍ୟର ମାଂସ ଖାଉ।”
ZEC 11:10 ପୁଣି, ମୁଁ ଆପଣା ଶୋଭା ନାମକ ଯଷ୍ଟି ନେଲି ଓ ସବୁ ଗୋଷ୍ଠୀ ସଙ୍ଗରେ ମୁଁ ଯେଉଁ ନିୟମ କରିଥିଲି, ତାହା ଭାଙ୍ଗିବା ନିମନ୍ତେ ସେହି ଯଷ୍ଟିକୁ ଖଣ୍ଡ ଖଣ୍ଡ କରି କାଟିଲି।
ZEC 11:11 ଆଉ, ତାହା ସେହି ଦିନ ଭଗ୍ନ ହେଲା; ତହିଁରେ ପଲର ଯତ୍ନ ଯେଉଁମାନେ ନିଅନ୍ତି ମୋʼ କଥାରେ ମନୋଯୋଗ କଲେ; ସେମାନେ ତାହା ଯେ ସଦାପ୍ରଭୁଙ୍କର ବାକ୍ୟ, ଏହା ଜାଣିଲେ।
ZEC 11:12 ପୁଣି, ମୁଁ ସେମାନଙ୍କୁ କହିଲି, “ଯଦି ତୁମ୍ଭେମାନେ ଭଲ ବୋଧ କର, ତେବେ ମୋର ବେତନ ମୋତେ ଦିଅ; ନୋହିଲେ କ୍ଷାନ୍ତ ହୁଅ।” ତହିଁରେ ସେମାନେ ମୋର ବେତନ ନିମନ୍ତେ ତିରିଶ ରୌପ୍ୟ ମୁଦ୍ରା ତୌଲି କରିଦେଲେ।
ZEC 11:13 ଆଉ, ସଦାପ୍ରଭୁ ମୋତେ କହିଲେ, “ଏହା କୁମ୍ଭକାର ନିକଟରେ ପକାଇଦିଅ, ଏହି ବିଲକ୍ଷଣ ମୂଲ୍ୟରେ ସେମାନେ ଆମ୍ଭର ମୂଲ୍ୟ ନିର୍ଣ୍ଣୟ କରିଅଛନ୍ତି।” ତହିଁରେ ମୁଁ ସେହି ତିରିଶ ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ଗୃହରେ କୁମ୍ଭକାର ନିକଟରେ ପକାଇଦେଲି
ZEC 11:14 ଏଉତ୍ତାରେ ମୁଁ ବନ୍ଧନୀ ନାମକ ମୋହର ଅନ୍ୟ ଯଷ୍ଟି ନେଇ ଯିହୁଦାର ଓ ଇସ୍ରାଏଲର ମଧ୍ୟରେ ଭ୍ରାତୃଭାବ ଭଗ୍ନ କରିବା ନିମନ୍ତେ ତାହା ଖଣ୍ଡ ଖଣ୍ଡ କରି କାଟିଲି।
ZEC 11:15 ଏଥିଉତ୍ତାରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ପୁନର୍ବାର ଏକ ନିର୍ବୋଧ ମେଷପାଳକର ସଜ ନିଅ।
ZEC 11:16 କାରଣ ଦେଖ, ଆମ୍ଭେ ଦେଶ ମଧ୍ୟରେ ଏକ ପାଳକ ଉତ୍ପନ୍ନ କରାଇବା, ସେ ଉଚ୍ଛିନ୍ନ ଲୋକମାନଙ୍କର ତତ୍ତ୍ୱାବଧାନ କରିବ ନାହିଁ, କିଅବା, ଭଗ୍ନାଙ୍ଗମାନଙ୍କୁ ସୁସ୍ଥ କରିବ ନାହିଁ; ଅଥବା ସୁସ୍ଥମାନଙ୍କୁ ଚରାଇବ ନାହିଁ, ମାତ୍ର ସେ ହୃଷ୍ଟପୁଷ୍ଟ ମେଷଗଣର ମାଂସ ଭୋଜନ କରିବ ଓ ସେମାନଙ୍କର ଖୁରା ଖଣ୍ଡ ଖଣ୍ଡ କରି ବିଦୀର୍ଣ୍ଣ କରିବ।
ZEC 11:17 ଯେଉଁ ଅକର୍ମଣ୍ୟ ପାଳକ ପଲ ତ୍ୟାଗ କରେ, ସେ ସନ୍ତାପର ପାତ୍ର! ତାହାର ବାହୁରେ ଓ ଡାହାଣ ଚକ୍ଷୁରେ ଖଡ୍ଗ ପଡ଼ିବ; ତାହାର ବାହୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହେବ ଓ ତାହାର ଡାହାଣ ଚକ୍ଷୁ ସମ୍ପୂର୍ଣ୍ଣ ଅନ୍ଧ ହେବ।”
ZEC 12:1 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ। ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି।
ZEC 12:2 “ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ।
ZEC 12:3 ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।
ZEC 12:4 ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଆତଙ୍କରେ ଓ ଆରୋହୀକୁ ପାଗଳାମିରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧ କରିବା।
ZEC 12:5 ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ‘ଯିରୂଶାଲମର ନିବାସୀମାନେ ଆମର ବଳ ସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି।’
ZEC 12:6 ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱ ସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।
ZEC 12:7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ।
ZEC 12:8 ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ।
ZEC 12:9 ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେହି ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେହି ଦିନ ନଷ୍ଟ କରିବାକୁ ମନସ୍ଥ କରିବା।
ZEC 12:10 ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍‍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ।
ZEC 12:11 ସେଦିନ ମଗିଦ୍ଦୋନ୍‍ ଉପତ୍ୟକାରେ ହଦଦ୍‍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହାଶୋକ ହେବ।
ZEC 12:12 ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ନିଜେ ନିଜେ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ନାଥନ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ;
ZEC 12:13 ଲେବୀ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ଶିମୀୟିର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ;
ZEC 12:14 ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ।
ZEC 13:1 ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ।
ZEC 13:2 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରାଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା।
ZEC 13:3 ଆଉ, କେହି ଯଦି ପୁନର୍ବାର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ, ତେବେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଅଛ;’ ଆଉ, ସେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ତାହାର ଜନ୍ମଦାତା ପିତା ଓ ମାତା ତାହାକୁ ଅସ୍ତ୍ରବିଦ୍ଧ କରିବେ।
ZEC 13:4 ପୁଣି, ସେହି ଦିନ ଭବିଷ୍ୟଦ୍‍ବକ୍ତାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ପ୍ରତ୍ୟେକେ ଆପଣା ଆପଣା ଦର୍ଶନ ବିଷୟରେ ଲଜ୍ଜିତ ହେବେ ଓ ପ୍ରତାରଣା କରିବା ପାଇଁ ସେମାନେ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।
ZEC 13:5 ମାତ୍ର ସେ କହିବ, ‘ମୁଁ ଭବିଷ୍ୟଦ୍‍ବକ୍ତା ନୁହେଁ, ମୁଁ କୃଷକ, କାରଣ ବାଲ୍ୟକାଳରୁ ମୁଁ କ୍ରୀତଦାସ ହୋଇଅଛି।’
ZEC 13:6 ପୁଣି, ତୁମ୍ଭର ଦୁଇ ବାହୁ ମଧ୍ୟରେ ଏହି କ୍ଷତଦାଗସବୁ କଅଣ? ଏହା କେହି ତାହାକୁ ପଚାରିଲେ, ସେ ଉତ୍ତର କରିବ, ‘ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଥିଲି, ଏହିସବୁ ସେହି।’”
ZEC 13:7 “ହେ ଖଡ୍ଗ, ଆମ୍ଭ ପାଳକର ବିରୁଦ୍ଧରେ ଓ ଆମ୍ଭ ସଖା-ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ପାଳକକୁ ଆଘାତ କର, ତହିଁରେ ମେଷଗଣ ଛିନ୍ନଭିନ୍ନ ହୋଇଯିବେ ଓ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା।
ZEC 13:8 ପୁଣି, ସଦାପ୍ରଭୁ କହନ୍ତି, ସମୁଦାୟ ଦେଶର ଦୁଇ ଅଂଶ ଲୋକ ଉଚ୍ଛିନ୍ନ ହୋଇ ମରିବେ; ମାତ୍ର ତୃତୀୟାଂଶ ତହିଁ ମଧ୍ୟରେ ଛଡ଼ାଯିବେ।
ZEC 13:9 ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା। ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆମ୍ଭେ କହିବା, ‘ଏମାନେ ଆମ୍ଭର ଲୋକ’ ଆଉ, ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ZEC 14:1 ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେହି ସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ।
ZEC 14:2 କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇଯିବେ ମାତ୍ର ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ।
ZEC 14:3 ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହି ସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।
ZEC 14:4 ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ।
ZEC 14:5 ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।
ZEC 14:6 ପୁଣି, ସେହି ଦିନ ଏପରି ଘଟିବ ଯେ, ଦୀପ୍ତି, ଥଣ୍ଡା, ବା ବରଫ ହେବ ନାହିଁ।
ZEC 14:7 ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ୱ ସଦାପ୍ରଭୁଙ୍କୁ ଜଣା; ତାହା ଦିନ ନୁହେଁ କି ରାତ୍ରି ନୁହେଁ; ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ।
ZEC 14:8 ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ।
ZEC 14:9 ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ।
ZEC 14:10 ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ।
ZEC 14:11 ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ରହିବ ନାହିଁ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ।
ZEC 14:12 ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମହାମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ୱା କ୍ଷୟ ପାଇବ।
ZEC 14:13 ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।
ZEC 14:14 ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି, ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ।
ZEC 14:15 ପୁଣି, ସେହି ସବୁ ଛାଉଣିରେ ଯେଉଁ ଅଶ୍ୱ, ଖଚର, ଓଟ ଓ ଗଧ ଓ ସବୁ ପ୍ରକାର ପଶୁ ଥିବେ, ସେମାନଙ୍କ ପ୍ରତି ଯେଉଁ ମହାମାରୀ ଘଟିବ, ତାହା ସେହି ମହାମାରୀ ପରି ହେବ।
ZEC 14:16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ।
ZEC 14:17 ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ।
ZEC 14:18 ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ।
ZEC 14:19 ଏହା ମିସରର ଦଣ୍ଡ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ଡ ହେବ।
ZEC 14:20 ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ।
ZEC 14:21 ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।
MAL 1:1 ମଲାଖିଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା।
MAL 1:2 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ। ତଥାପି ତୁମ୍ଭେମାନେ କହୁଅଛ, ‘ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ?’” ସଦାପ୍ରଭୁ କହନ୍ତି, “ଏଷୌ କି ଯାକୁବର ଭାଇ ନ ଥିଲା? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।
MAL 1:3 ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”
MAL 1:4 ଇଦୋମ କହୁଅଛି, “ଆମ୍ଭେମାନେ ନିପାତିତ ହୋଇଅଛୁ ନିଶ୍ଚୟ, ମାତ୍ର ଆମ୍ଭେମାନେ ଫେରି ଉଜାଡ଼ ସ୍ଥାନସବୁ ନିର୍ମାଣ କରିବା।” ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେମାନେ ନିର୍ମାଣ କରିବେ, ମାତ୍ର ଆମ୍ଭେ ଭାଙ୍ଗି ପକାଇବା ଆଉ, ଲୋକମାନେ ସେମାନଙ୍କୁ ଦୁଷ୍ଟତାର ଦେଶ ଓ ପରମେଶ୍ୱରଙ୍କର ନିତ୍ୟ କ୍ରୋଧର ପାତ୍ର ସ୍ୱରୂପ ଗୋଷ୍ଠୀ ବୋଲି ନାମ ଦେବେ।”
MAL 1:5 ପୁଣି, ତୁମ୍ଭମାନଙ୍କର ସ୍ଵଚକ୍ଷୁ ତାହା ଦେଖିବ ଓ ତୁମ୍ଭେମାନେ କହିବ, “ସଦାପ୍ରଭୁ ଇସ୍ରାଏଲର ସୀମାର ବାହାରେ ମଧ୍ୟ ମହାନ ଅଟନ୍ତି।”
MAL 1:6 “ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’
MAL 1:7 ଆମ୍ଭ ଯଜ୍ଞବେଦିର ଉପରେ ଅଶୁଚି ରୁଟି ଉତ୍ସର୍ଗ କରି, ତଥାପି ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭକୁ ଅଶୁଚି କରିଅଛୁ? ସଦାପ୍ରଭୁଙ୍କ ମେଜ ଯେ ତୁଚ୍ଛ,’ ଏହା କହି, ତାହା କରୁଅଛ।
MAL 1:8 ପୁଣି, ତୁମ୍ଭେମାନେ ଯଜ୍ଞ ନିମନ୍ତେ ଯେତେବେଳେ ଅନ୍ଧ ପଶୁ ଉତ୍ସର୍ଗ କର, ତାହା କʼଣ ମନ୍ଦ ନୁହେଁ? ଓ ଯେତେବେଳେ ଲେଙ୍ଗଡ଼ା ଓ ରୋଗୀ ପଶୁ ଉତ୍ସର୍ଗ କର, ସେ କʼଣ ମନ୍ଦ ନୁହେଁ? ଏବେ ତୁମ୍ଭର ଦେଶାଧ୍ୟକ୍ଷକୁ ତାହା ଭେଟି ଦିଅ; ସେ କି ତୁମ୍ଭ ପ୍ରତି ପ୍ରସନ୍ନ ହେବେ? ଅବା ସେ କି ତୁମ୍ଭଙ୍କୁ ଗ୍ରହଣ କରିବେ? ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 1:9 ଆଉ, ପରମେଶ୍ୱର ଯେପରି ଆମ୍ଭମାନଙ୍କ ପ୍ରତି ଦୟାଳୁ ହେବେ, ଏଥିପାଇଁ ତାହାଙ୍କର ଅନୁଗ୍ରହ ପ୍ରାର୍ଥନା କରୁଅଛ; ମାତ୍ର ତୁମ୍ଭମାନଙ୍କ ଏପରି ଆଚରଣ ଦେଖି ସେ କʼଣ ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ? ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 1:10 ଆଃ, ତୁମ୍ଭେମାନେ ଯେପରି ବୃଥାରେ ଆମ୍ଭ ଯଜ୍ଞବେଦି ଉପରେ ଅଗ୍ନି ଜ୍ୱଳାଇ ନ ପାରିବ, ଏଥିପାଇଁ କବାଟ ବନ୍ଦ କରିବାକୁ ଯଦି ତୁମ୍ଭମାନଙ୍କ ମଧ୍ୟରେ ଜଣେ ଥାଆନ୍ତା! ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କଠାରେ ଆମ୍ଭର କିଛି ସନ୍ତୋଷ ନାହିଁ, ଆଉ ତୁମ୍ଭମାନଙ୍କ ହସ୍ତରୁ ଆମ୍ଭେ ନୈବେଦ୍ୟ ଗ୍ରହଣ କରିବା ନାହିଁ।
MAL 1:11 କାରଣ ସୂର୍ଯ୍ୟର ଉଦୟଠାରୁ ତହିଁର ଅସ୍ତ ହେବା ପର୍ଯ୍ୟନ୍ତ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ ଓ ପ୍ରତ୍ୟେକ ସ୍ଥାନରେ ଆମ୍ଭ ନାମ ଉଦ୍ଦେଶ୍ୟରେ ଧୂପ ଓ ପବିତ୍ର ନୈବେଦ୍ୟ ଉତ୍ସର୍ଗ କରାଯାଉଅଛି; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ମହତ୍ ଅଟେ।
MAL 1:12 ମାତ୍ର ସଦାପ୍ରଭୁଙ୍କର ମେଜ ଅଶୁଚି ହୋଇଅଛି ଓ ତହିଁର ଫଳ, ଅର୍ଥାତ୍‍, ତାହାଙ୍କର ଖାଦ୍ୟ ତୁଚ୍ଛ, ଏହା କହି ତୁମ୍ଭେମାନେ ସେହି ନାମକୁ ଅଶୁଚି କରୁଅଛ।
MAL 1:13 ଆହୁରି, ତୁମ୍ଭେମାନେ କହୁଅଛ, ‘ଦେଖ, ଏହା କିପରି କ୍ଳାନ୍ତିଜନକ’ ଓ ତୁମ୍ଭେମାନେ ତାହା ତୁଚ୍ଛଜ୍ଞାନ କରିଅଛ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଆଉ, ତୁମ୍ଭେମାନେ ବଳାତ୍କାରରେ ଧୃତ ଓ ଲେଙ୍ଗଡ଼ା ଓ ରୋଗୀ ପଶୁ ଆଣିଅଛ; ଏହିରୂପେ ତୁମ୍ଭେମାନେ ନୈବେଦ୍ୟ ଆଣୁଅଛ; ଏହା କି ଆମ୍ଭେ ତୁମ୍ଭମାନଙ୍କ ହସ୍ତରୁ ଗ୍ରହଣ କରିବା? ଏହା ସଦାପ୍ରଭୁ କହନ୍ତି।
MAL 1:14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଅଭିଶପ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ମହାନ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।”
MAL 2:1 “ଏବେ ହେ ଯାଜକଗଣ, ତୁମ୍ଭମାନଙ୍କ ପ୍ରତି ଏହି ଆଜ୍ଞା।
MAL 2:2 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯଦି ତୁମ୍ଭେମାନେ ନ ଶୁଣିବ ଓ ଆମ୍ଭ ନାମକୁ ଗୌରବ ଦେବା ନିମନ୍ତେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ଉପରେ ଅଭିଶାପ ପ୍ରେରଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ଆଶୀର୍ବାଦସକଳକୁ ଅଭିଶାପ ଦେବା; ହଁ, ସେହି ସବୁକୁ ଅଭିଶାପ ଦେଇ ସାରିଅଛୁ, କାରଣ ତୁମ୍ଭେମାନେ ତହିଁରେ ମନୋଯୋଗ କରୁ ନାହଁ।
MAL 2:3 ଦେଖ, ଆମ୍ଭେ ତୁମ୍ଭମାନଙ୍କ ସନ୍ତାନଗଣଙ୍କୁ ଧମକାଇବା ଓ ତୁମ୍ଭମାନଙ୍କ ମୁଖରେ ମଳ, ଅର୍ଥାତ୍‍, ତୁମ୍ଭମାନଙ୍କ ବଳିସକଳର ମଳ ପ୍ରସାରିବା; ଆଉ, ତୁମ୍ଭେମାନେ ତହିଁ ସଙ୍ଗେ ନୀତ ହେବ।
MAL 2:4 ତହିଁରେ ଲେବୀ ସହିତ ଆମ୍ଭର ନିୟମ ଯେପରି ହେବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଯେ ଏହି ଆଜ୍ଞା ପ୍ରେରଣ କରିଅଛୁ, ଏହା ତୁମ୍ଭେମାନେ ଜାଣିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 2:5 ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଥିଲା, ତାହା ଜୀବନ ଓ ଶାନ୍ତିକର ଥିଲା; ଆଉ, ସେ ଯେପରି ଆମ୍ଭକୁ ଭୟ କରିବ, ଏଥିପାଇଁ ଆମ୍ଭେ ତାହାକୁ ତାହା ଦେଲୁ, ପୁଣି ସେ ଆମ୍ଭକୁ ଭୟ କଲା ଓ ଆମ୍ଭ ନାମର ସମ୍ଭ୍ରମ କଲା।
MAL 2:6 ତାହାର ମୁଖରେ ସତ୍ୟର ବ୍ୟବସ୍ଥା ଥିଲା, ତାହାର ଓଷ୍ଠାଧରରେ ଅନ୍ୟାୟ ଦେଖାଗଲା ନାହିଁ; ସେ ଶାନ୍ତିରେ ଓ ସରଳତାରେ ଆମ୍ଭ ସଙ୍ଗେ ଗମନାଗମନ କଲା ଓ ଅନେକଙ୍କୁ ଅଧର୍ମରୁ ଫେରାଇଲା।
MAL 2:7 କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ।
MAL 2:8 ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ବିପଥଗମନ କରିଅଛ ଓ ଅନେକଙ୍କୁ ବ୍ୟବସ୍ଥା ପଥରେ ଝୁଣ୍ଟାଇ ଅଛ; ତୁମ୍ଭେମାନେ ଲେବୀର ନିୟମ ଭ୍ରଷ୍ଟ କରିଅଛ।
MAL 2:9 ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।”
MAL 2:10 ଆମ୍ଭ ସମସ୍ତଙ୍କର କି ଏକ ପିତା ନାହାନ୍ତି? ଏକ ପରମେଶ୍ୱର କି ଆମ୍ଭମାନଙ୍କୁ ସୃଷ୍ଟି କରି ନାହାନ୍ତି? ଆମ୍ଭେମାନେ ଆପଣାମାନଙ୍କ ପିତାଙ୍କର ନିୟମ ଅପବିତ୍ର କରି ପ୍ରତ୍ୟେକ ଲୋକ କାହିଁକି ଆପଣା ଆପଣା ଭ୍ରାତା ପ୍ରତି ବିଶ୍ୱାସଘାତକତା କରୁଅଛୁ?
MAL 2:11 ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟ କ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।
MAL 2:12 ଯେଉଁ ଜନ ଏହି କର୍ମ କରେ, ସଦାପ୍ରଭୁ ଯାକୁବର ତମ୍ବୁସକଳରୁ ତାହାର ସମ୍ପର୍କୀୟ, ଯେକେହି ହୁଅନ୍ତୁ ଓ ଏପରିକି ଯେକେହି ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ଉତ୍ସର୍ଗ କରୁ, ତାହାକୁ ମଧ୍ୟ ଉଚ୍ଛିନ୍ନ କରିବେ।
MAL 2:13 ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ, କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ।
MAL 2:14 ତଥାପି ତୁମ୍ଭେମାନେ କହୁଅଛ, “ଏଥିର କାରଣ କଅଣ?” ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ।
MAL 2:15 ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ୍ନ କରିବା ନିମନ୍ତେ ଚେଷ୍ଟା କଲେ। ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ।
MAL 2:16 “କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।”
MAL 2:17 ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ? ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି, ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି?” ଏପରି କହି କ୍ଳାନ୍ତ କରୁଅଛ।
MAL 3:1 “ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍‍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 3:2 ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ;
MAL 3:3 ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ।
MAL 3:4 ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।
MAL 3:5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 3:6 “କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ; ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୋଇ ନାହିଁ।
MAL 3:7 ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟଠାରୁ ତୁମ୍ଭେମାନେ ଆମ୍ଭର ବିଧିସବୁ ଲଙ୍ଘନ କରିଅଛ ଓ ସେହି ସବୁ ପାଳନ କରି ନାହଁ। ଆମ୍ଭ ନିକଟକୁ ଫେରି ଆସ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ଫେରିବା?”
MAL 3:8 ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିବ? ତଥାପି ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଚୋରି କରୁଅଛ। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ତୁମ୍ଭର ଦ୍ରବ୍ୟ ଦଶମାଂଶରେ ଓ ନୈବେଦ୍ୟରେ ଚୋରି କରିଅଛୁ?”
MAL 3:9 ତୁମ୍ଭେମାନେ ଅଭିଶାପରେ ଅଭିଶପ୍ତ ହୋଇଅଛ; କାରଣ ତୁମ୍ଭେମାନେ, ହଁ, ଏହିସବୁ ଗୋଷ୍ଠୀ ଆମ୍ଭର ଦ୍ରବ୍ୟ ଚୋରି କରିଅଛି।
MAL 3:10 ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାରସବୁ ମୁକ୍ତ କରି, ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ,
MAL 3:11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଗ୍ରାସକାରୀକୁ ଧମକାଇବା, ତହିଁରେ ସେ ତୁମ୍ଭମାନଙ୍କ ଭୂମିର ଫଳ ନଷ୍ଟ କରିବ ନାହିଁ; କିଅବା କ୍ଷେତ୍ରରେ ତୁମ୍ଭମାନଙ୍କର ଦ୍ରାକ୍ଷାଲତାର ଫଳ ଅକାଳରେ ଝଡ଼ିବ ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 3:12 ସମସ୍ତ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 3:13 ସଦାପ୍ରଭୁ କହନ୍ତି, “ଆମ୍ଭ ବିରୁଦ୍ଧରେ ତୁମ୍ଭମାନଙ୍କର କଥାସବୁ କଠିନ ହୋଇଅଛି ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତଥାପି ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ?’
MAL 3:14 ତୁମ୍ଭେମାନେ କହିଅଛ, ‘ପରମେଶ୍ୱରଙ୍କର ସେବା କରିବାରେ କି ଲାଭ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?
MAL 3:15 ପୁଣି, ଏବେ ଆମ୍ଭେମାନେ ଅହଙ୍କାରୀକୁ ସୁଖୀ କହୁ; ହଁ, ଦୁଷ୍ଟାଚାରୀମାନେ ବର୍ଦ୍ଧିଷ୍ଣୁ ହୁଅନ୍ତି; ହଁ, ଯେଉଁମାନେ ପରମେଶ୍ୱରଙ୍କର ପରୀକ୍ଷା କରନ୍ତି, ସେମାନେ ରକ୍ଷା ପାଆନ୍ତି।’”
MAL 3:16 ସେହି ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକଆରେକର ସଙ୍ଗେ କଥାବାର୍ତ୍ତା କଲେ; ଆଉ, ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ନଳାକାର ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା।
MAL 3:17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ଆମ୍ଭର ଲୋକ, ଅର୍ଥାତ୍‍, ଆମ୍ଭର ସଞ୍ଚିତ ଧନ ହେବେ; ପୁଣି, କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେହିପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା।
MAL 3:18 ସେତେବେଳେ ତୁମ୍ଭେମାନେ, ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ।
MAL 4:1 କାରଣ ଦେଖ, ସେହି ଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
MAL 4:2 ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ।
MAL 4:3 ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ, ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।
MAL 4:4 ଆମ୍ଭେ ହୋରେବରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନସକଳ ଆଦେଶ କଲୁ, ଆମ୍ଭ ଦାସ ମୋଶାଙ୍କର ସେହି ବ୍ୟବସ୍ଥା ତୁମ୍ଭେମାନେ ସ୍ମରଣ କର।
MAL 4:5 ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରେରଣ କରିବା।
MAL 4:6 ପୁଣି, ଆମ୍ଭେ ଆସି ଯେପରି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେହି ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ।”
MAT 1:1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
MAT 1:2 ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଲେ, ଇସ୍‌ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
MAT 1:3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
MAT 1:4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
MAT 1:5 ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
MAT 1:6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,
MAT 1:7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
MAT 1:8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,
MAT 1:9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍‌ଙ୍କୁ ଜନ୍ମ ଦେଲେ, ଆହସ୍‌ ହିଜକୀୟଙ୍କୁ ଜନ୍ମ ଦେଲେ,
MAT 1:10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ,
MAT 1:11 ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।
MAT 1:12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,
MAT 1:13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ,
MAT 1:14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,
MAT 1:15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ,
MAT 1:16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।
MAT 1:17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
MAT 1:18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
MAT 1:19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
MAT 1:20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି।
MAT 1:21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
MAT 1:22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
MAT 1:23 “ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”
MAT 1:24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;
MAT 1:25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
MAT 2:1 ହେରୋଦ ରାଜାଙ୍କ ସମୟରେ ଯିହୂଦିୟା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବ ଦିଗରେ ଥିବା ଦେଶରୁ କେତେକ ପଣ୍ଡିତ ଯିରୂଶାଲମ ସହରକୁ ଆସି କହିଲେ,
MAT 2:2 “ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ।”
MAT 2:3 ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍‌ବିଗ୍ନ ହେଲେ;
MAT 2:4 ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିବା ପାଇଁ ଚେଷ୍ଟା କଲେ।
MAT 2:5 ସେମାନେ ତାହାଙ୍କୁ କହିଲେ, ଯିହୂଦିୟା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖାଅଛି,
MAT 2:6 “ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଆସିବେ।”
MAT 2:7 ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ।
MAT 2:8 ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, “ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।”
MAT 2:9 ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା।
MAT 2:10 ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
MAT 2:11 ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।
MAT 2:12 ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ।
MAT 2:13 ସେମାନେ ଚାଲିଯିବା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଅ, ପୁଣି, ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ।”
MAT 2:14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ,
MAT 2:15 ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ।”
MAT 2:16 ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି ରାଗିଗଲେ, ଆଉ ସେମାନଙ୍କ ନିକଟରୁ ଉତ୍ତମ ରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ କମ୍ ବୟସ୍କ ଯେତେ ବାଳକ ବେଥଲିହିମ ପୁଣି, ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ।
MAT 2:17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
MAT 2:18 “ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।”
MAT 2:19 ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ,
MAT 2:20 “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି।”
MAT 2:21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ।
MAT 2:22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦିୟା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲୀ ଅଞ୍ଚଳକୁ ପଳାଇଗଲେ
MAT 2:23 ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, “ସେ ନାଜରିତୀୟ ବୋଲି ଖ୍ୟାତ ହେବେ।”
MAT 3:1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
MAT 3:2 “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
MAT 3:3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, “ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।’”
MAT 3:4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।
MAT 3:5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ,
MAT 3:6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
MAT 3:7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
MAT 3:8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
MAT 3:9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
MAT 3:10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
MAT 3:11 ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
MAT 3:12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
MAT 3:13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ।
MAT 3:14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?”
MAT 3:15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ।
MAT 3:16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।
MAT 3:17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
MAT 4:1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ,
MAT 4:2 ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ।
MAT 4:3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।”
MAT 4:4 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।’”
MAT 4:5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,
MAT 4:6 “ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ‘ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
MAT 4:7 ଯୀଶୁ ତାହାଙ୍କୁ କହିଲେ, “ଆହୁରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ।’”
MAT 4:8 ପୁନଶ୍ଚ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା,
MAT 4:9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା।
MAT 4:10 ତହିଁରେ ଯୀଶୁ ତାହାକୁ କହିଲେ, “ଦୂର ହ, ଶୟତାନ, କାରଣ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ।’”
MAT 4:11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।
MAT 4:12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ;
MAT 4:13 ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
MAT 4:14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
MAT 4:15 “ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱସ୍ଥ ଅଣଯିହୁଦୀମାନଙ୍କ ଗାଲିଲୀ,
MAT 4:16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା।”
MAT 4:17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
MAT 4:18 ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
MAT 4:19 ସେ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
MAT 4:20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
MAT 4:21 ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ।
MAT 4:22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ।
MAT 4:23 ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ,
MAT 4:24 ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ।
MAT 4:25 ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍‌‌ଗମନ କଲେ।
MAT 5:1 ଲୋକମାନଙ୍କୁ ଦେଖି ଯୀଶୁ ପାହାଡ ଉପରକୁ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ।
MAT 5:2 ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ,
MAT 5:3 “ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
MAT 5:4 ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ।
MAT 5:5 ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ।
MAT 5:6 ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ।
MAT 5:7 ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ।
MAT 5:8 ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ଦର୍ଶନ ପାଇବେ।
MAT 5:9 ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ସନ୍ତାନ ଭାବରେ ପରିଚିତ ହେବେ।
MAT 5:10 ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
MAT 5:11 ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ।
MAT 5:12 ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।
MAT 5:13 ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ।
MAT 5:14 ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ;
MAT 5:15 କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ।
MAT 5:16 ସେପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।
MAT 5:17 ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି।
MAT 5:18 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
MAT 5:19 ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।
MAT 5:20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
MAT 5:21 ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ‘ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ।’
MAT 5:22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ।
MAT 5:23 ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ,
MAT 5:24 ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର।
MAT 5:25 ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ।
MAT 5:26 ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।
MAT 5:27 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ବ୍ୟଭିଚାର କର ନାହିଁ।’
MAT 5:28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ-ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି।
MAT 5:29 ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ।
MAT 5:30 ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ।
MAT 5:31 ଆହୁରି ଉକ୍ତ ଅଛି, ‘ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ।’
MAT 5:32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।
MAT 5:33 ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ‘ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ।’
MAT 5:34 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ବରଙ୍କ ସିଂହାସନ;
MAT 5:35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମ ସହରର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;
MAT 5:36 ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ।
MAT 5:37 କିନ୍ତୁ ତୁମ୍ଭମାନଙ୍କ ହଁ କଥା ‘ହଁ’ ହେଉ, ନା କଥା ‘ନା’ ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ।
MAT 5:38 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ;’
MAT 5:39 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ।
MAT 5:40 ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ବସ୍ତ୍ର ମଧ୍ୟ ଦେଇଦିଅ।
MAT 5:41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ।
MAT 5:42 ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ।
MAT 5:43 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର।’
MAT 5:44 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
MAT 5:45 ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି।
MAT 5:46 ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ?
MAT 5:47 ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର? ଅଣଯିହୁଦୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ?
MAT 5:48 ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
MAT 6:1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
MAT 6:2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
MAT 6:3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
MAT 6:4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
MAT 6:5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
MAT 6:6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
MAT 6:7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
MAT 6:8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
MAT 6:9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
MAT 6:10 ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
MAT 6:11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
MAT 6:12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
MAT 6:13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
MAT 6:14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
MAT 6:15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
MAT 6:16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
MAT 6:17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
MAT 6:18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
MAT 6:19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
MAT 6:20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
MAT 6:21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
MAT 6:22 ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
MAT 6:23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
MAT 6:24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
MAT 6:25 ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
MAT 6:26 ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
MAT 6:27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
MAT 6:28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
MAT 6:29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
MAT 6:30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
MAT 6:31 ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
MAT 6:32 କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
MAT 6:33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
MAT 6:34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
MAT 7:1 ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ।
MAT 7:2 କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ।
MAT 7:3 ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ?
MAT 7:4 ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି!
MAT 7:5 ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ।
MAT 7:6 ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହିସବୁ ସେମାନଙ୍କ ପାଦ ତଳେ ଦଳି ଦେବେ ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିଦେବେ।
MAT 7:7 ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ।
MAT 7:8 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ଆଘାତ କରେ, ତାହା ନିମନ୍ତେ ଫିଟାଇ ଦିଆଯିବ।
MAT 7:9 କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ,
MAT 7:10 କିଅବା ମାଛ ମାଗିଲେ ତାହାକୁ ସର୍ପ ଦେବ?
MAT 7:11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ!
MAT 7:12 ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର।
MAT 7:13 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ।
MAT 7:14 ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ।
MAT 7:15 ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ!
MAT 7:16 ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି?
MAT 7:17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ।
MAT 7:18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ।
MAT 7:19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ।
MAT 7:20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ।
MAT 7:21 ମୋତେ ‘ପ୍ରଭୁ, ପ୍ରଭୁ’ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ।
MAT 7:22 ସେ ଦିନ ଅନେକେ ମୋତେ କହିବେ, ‘ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ?’ ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ?
MAT 7:23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ‘ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ।’
MAT 7:24 ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ।
MAT 7:25 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା।
MAT 7:26 ଆଉ ଯେ କେହି ମୋହର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୂର୍ଖ ଲୋକ ଭଳି ହେବ।
MAT 7:27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା।”
MAT 7:28 ଯୀଶୁ ଏହିସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ,
MAT 7:29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
MAT 8:1 ଯୀଶୁ ପାହାଡ ଉପରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ।
MAT 8:2 ଆଉ ଦେଖ, ଜଣେ କୁଷ୍ଠରୋଗୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
MAT 8:3 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା।
MAT 8:4 ଆଉ ଯୀଶୁ ତାହାକୁ କହିଲେ, “ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ନିଜକୁ ଯାଜକଙ୍କୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର।”
MAT 8:5 ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ,
MAT 8:6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି।
MAT 8:7 ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।”
MAT 8:8 କିନ୍ତୁ ଶତ-ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
MAT 8:9 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ।
MAT 8:10 ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।
MAT 8:11 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ,
MAT 8:12 ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
MAT 8:13 ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା।
MAT 8:14 ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
MAT 8:15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ।
MAT 8:16 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ,
MAT 8:17 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “‘ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।’”
MAT 8:18 ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ।
MAT 8:19 ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
MAT 8:20 ସେଥିରେ ଯୀଶୁ ତାହାକୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
MAT 8:21 ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
MAT 8:22 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ।”
MAT 8:23 ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ।
MAT 8:24 ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ।
MAT 8:25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।
MAT 8:26 ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।
MAT 8:27 ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।
MAT 8:28 ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ।
MAT 8:29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
MAT 8:30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା।
MAT 8:31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ।
MAT 8:32 ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ।
MAT 8:33 ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ।
MAT 8:34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।
MAT 9:1 ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।
MAT 9:2 ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”
MAT 9:3 ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି।
MAT 9:4 ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?
MAT 9:5 କାରଣ କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା’ ବୋଲି କହିବା, ବା, ‘ଉଠ, ଚାଲ’ ବୋଲି କହିବା?
MAT 9:6 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ।”
MAT 9:7 ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।
MAT 9:8 ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ବର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।
MAT 9:9 ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
MAT 9:10 ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ।
MAT 9:11 ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?”
MAT 9:12 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି।
MAT 9:13 କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
MAT 9:14 ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
MAT 9:15 ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।
MAT 9:16 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।
MAT 9:17 ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ।”
MAT 9:18 ଯୀଶୁ ସେମାନଙ୍କୁ ଏହିସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋହର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ।
MAT 9:19 ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ।
MAT 9:20 ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା,
MAT 9:21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
MAT 9:22 କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, “ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
MAT 9:23 ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, “ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି”
MAT 9:24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
MAT 9:25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା।
MAT 9:26 ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା।
MAT 9:27 ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
MAT 9:28 ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରିପାରେ, ତାହା କି ବିଶ୍ୱାସ କରୁଅଛ?” ସେମାନେ କହିଲେ ହଁ, ପ୍ରଭୁ।
MAT 9:29 ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।”
MAT 9:30 ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, “ଦେଖ, ଏ ବିଷୟ ଯେପରି କେହି ନ ଜାଣେ।”
MAT 9:31 ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।
MAT 9:32 ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
MAT 9:33 ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା। ସେଥିରେ ଲୋକ ସମୂହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ।
MAT 9:34 କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି।
MAT 9:35 ଏହାପରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ।
MAT 9:36 ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ।
MAT 9:37 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ,
MAT 9:38 ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।”
MAT 10:1 ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ।
MAT 10:2 ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ,
MAT 10:3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,
MAT 10:4 କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
MAT 10:5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
MAT 10:6 ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ।
MAT 10:7 ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।
MAT 10:8 ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
MAT 10:9 ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି
MAT 10:10 କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ।
MAT 10:11 ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ।
MAT 10:12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;
MAT 10:13 ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ।
MAT 10:14 ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
MAT 10:15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”
MAT 10:16 “ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।
MAT 10:17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ,
MAT 10:18 ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୁଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ।
MAT 10:19 କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ।
MAT 10:20 ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି।
MAT 10:21 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।
MAT 10:22 ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
MAT 10:23 କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।
MAT 10:24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
MAT 10:25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।”
MAT 10:26 “ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
MAT 10:27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର।
MAT 10:28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର।
MAT 10:29 ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
MAT 10:30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି।
MAT 10:31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
MAT 10:32 “ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି।
MAT 10:33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି।”
MAT 10:34 “ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି।
MAT 10:35 କାରଣ ମୁଁ ‘ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢ଼ାଇବାକୁ ଆସିଅଛି,
MAT 10:36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’
MAT 10:37 ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ।
MAT 10:38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ।
MAT 10:39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।”
MAT 10:40 “ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
MAT 10:41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ।
MAT 10:42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।”
MAT 11:1 ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।
MAT 11:2 ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,
MAT 11:3 ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
MAT 11:4 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;
MAT 11:5 ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
MAT 11:6 ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”
MAT 11:7 ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
MAT 11:8 ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
MAT 11:9 ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;
MAT 11:10 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
MAT 11:11 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।
MAT 11:12 ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।
MAT 11:13 କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।
MAT 11:14 ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।
MAT 11:15 ଯାହାର କାନ ଅଛି, ସେ ଶୁଣୁ।
MAT 11:16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
MAT 11:17 ‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’
MAT 11:18 କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’
MAT 11:19 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”
MAT 11:20 ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
MAT 11:21 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
MAT 11:22 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
MAT 11:23 ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା।
MAT 11:24 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।”
MAT 11:25 ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
MAT 11:26 ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।
MAT 11:27 ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
MAT 11:28 ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
MAT 11:29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
MAT 11:30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”
MAT 12:1 ସେହି ସମୟରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ।
MAT 12:2 କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି।
MAT 12:3 ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ?
MAT 12:4 ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।
MAT 12:5 କିମ୍ବା ବିଶ୍ରାମବାର ଦିନରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଷ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହଁ?
MAT 12:6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି।
MAT 12:7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ।
MAT 12:8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
MAT 12:9 ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ।
MAT 12:10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?
MAT 12:11 କିନ୍ତୁ ସେ ସେମାନଙ୍କୁ କହିଲେ, “ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାର ଦିନରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି?
MAT 12:12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।
MAT 12:13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା।
MAT 12:14 କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ।
MAT 12:15 ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
MAT 12:16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
MAT 12:17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
MAT 12:18 ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
MAT 12:19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
MAT 12:20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
MAT 12:21 ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
MAT 12:22 ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା।
MAT 12:23 ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି?
MAT 12:24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍‌ଜିବୂଲ୍‍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ।
MAT 12:25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।
MAT 12:26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ?
MAT 12:27 ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
MAT 12:28 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
MAT 12:29 ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ।
MAT 12:30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
MAT 12:31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ।
MAT 12:32 ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।”
MAT 12:33 “ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ।
MAT 12:34 ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।
MAT 12:35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ।
MAT 12:36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
MAT 12:37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ।”
MAT 12:38 ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ।
MAT 12:39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
MAT 12:40 କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ।
MAT 12:41 ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
MAT 12:42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
MAT 12:43 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ।
MAT 12:44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ।
MAT 12:45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
MAT 12:46 ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ।
MAT 12:47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି।
MAT 12:48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?”
MAT 12:49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ,
MAT 12:50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”
MAT 13:1 ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ।
MAT 13:2 ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ।
MAT 13:3 ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ “ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା।
MAT 13:4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।
MAT 13:5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
MAT 13:6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା।
MAT 13:7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା।
MAT 13:8 ମାତ୍ର ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶ ଗୁଣ।
MAT 13:9 ଯିଏ ଶୁଣିବାକୁ ଇଚ୍ଛା କରୁଅଛି, ସେ ଶୁଣୁ।”
MAT 13:10 ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି?
MAT 13:11 ସେ ଉତ୍ତର ଦେଲେ, “କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ।
MAT 13:12 ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
MAT 13:13 ‘ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି।
MAT 13:14 ଆଉ ଯିଶାଇୟ ଭାବବାଦୀଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
MAT 13:15 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’
MAT 13:16 କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ।
MAT 13:17 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
MAT 13:18 “ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ।
MAT 13:19 ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
MAT 13:20 ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ,
MAT 13:21 ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ।
MAT 13:22 ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ।
MAT 13:23 କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶ ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”
MAT 13:24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ;
MAT 13:25 ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ।
MAT 13:26 ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା।
MAT 13:27 ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ‘ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?’
MAT 13:28 ସେ ସେମାନଙ୍କୁ କହିଲେ, ‘ଜଣେ ଶତ୍ରୁ ଏହା କରିଅଛି।’ ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଅଣ ଆପଣଙ୍କର ଇଚ୍ଛା?
MAT 13:29 କିନ୍ତୁ ସେ କହିଲେ, ‘ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ।
MAT 13:30 ଶସ୍ୟ ନ କାଟିବା ଯାଏ ଦୁହିଁକୁ ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ।’”
MAT 13:31 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା।
MAT 13:32 ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାକଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି।”
MAT 13:33 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, “ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା।”
MAT 13:34 ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,
MAT 13:35 ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା।
MAT 13:36 ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ।
MAT 13:37 ସେ ଉତ୍ତର ଦେଲେ, “ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର;
MAT 13:38 କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ;
MAT 13:39 ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ।
MAT 13:40 ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ।
MAT 13:41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,
MAT 13:42 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।
MAT 13:43 ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ। ଯାହାର କାନ ଅଛି, ସେ ଶୁଣୁ।”
MAT 13:44 “ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ। ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା।”
MAT 13:45 “ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି।
MAT 13:46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା।”
MAT 13:47 “ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ।
MAT 13:48 ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ।
MAT 13:49 ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ,
MAT 13:50 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।”
MAT 13:51 “ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ” ସେମାନେ ତାହାଙ୍କୁ କହିଲେ ହଁ।
MAT 13:52 ସେଥିରେ ସେ ସେମାନଙ୍କୁ କହିଲେ, “ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ।”
MAT 13:53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ।
MAT 13:54 ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା?
MAT 13:55 ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ?
MAT 13:56 ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା?
MAT 13:57 ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
MAT 13:58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ।
MAT 14:1 ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ,
MAT 14:2 ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
MAT 14:3 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
MAT 14:4 କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
MAT 14:5 ଆଉ, ସେ ତାହାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।
MAT 14:6 କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା।
MAT 14:7 ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ।
MAT 14:8 ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ।
MAT 14:9 ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ।
MAT 14:10 ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ,
MAT 14:11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଆ ନିକଟକୁ ତାହା ନେଇଗଲା।
MAT 14:12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ।
MAT 14:13 ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ। ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ;
MAT 14:14 ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ।
MAT 14:15 ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ।
MAT 14:16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।”
MAT 14:17 ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି।
MAT 14:18 ସେ କହିଲେ, “ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ।”
MAT 14:19 ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ।
MAT 14:20 ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ।
MAT 14:21 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ।
MAT 14:22 ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
MAT 14:23 ଲୋକସମୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ।
MAT 14:24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା।
MAT 14:25 କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ,
MAT 14:26 ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ।
MAT 14:27 କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ “ସାହସ ଧର ଏ ତ ମୁଁ, ଭୟ କର ନାହିଁ।”
MAT 14:28 ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ।
MAT 14:29 ସେ କହିଲେ, “ଆସ।” ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ।
MAT 14:30 ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
MAT 14:31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, “ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?”
MAT 14:32 ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା।
MAT 14:33 ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ବରଙ୍କ ପୁତ୍ର।
MAT 14:34 ସେମାନେ ସମୁଦ୍ର ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚିଲେ।
MAT 14:35 ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ;
MAT 14:36 ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ।
MAT 15:1 ସେହି ସମୟରେ ଯିରୂଶାଲମ ସହରରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ,
MAT 15:2 ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ।
MAT 15:3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର?
MAT 15:4 ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’
MAT 15:5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’
MAT 15:6 ‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ।
MAT 15:7 ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,
MAT 15:8 ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
MAT 15:9 ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’”
MAT 15:10 ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ;
MAT 15:11 ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।”
MAT 15:12 ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କଅଣ ଏହା ଜାଣନ୍ତି?
MAT 15:13 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାନ୍ତି, ସେ ସବୁ ଉତ୍ପାଟିତ ହେବ।
MAT 15:14 ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ।”
MAT 15:15 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ।
MAT 15:16 ଯୀଶୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଅବୋଧ?”
MAT 15:17 “ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ଶୌଚ ଦ୍ୱାରା ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ?
MAT 15:18 କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ।
MAT 15:19 କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
MAT 15:20 ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ।”
MAT 15:21 ଯୀଶୁ ସେହି ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।
MAT 15:22 ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ, ମୋହର ଝିଅଟି ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି।
MAT 15:23 କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି।
MAT 15:24 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ।”
MAT 15:25 କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋହର ଉପକାର କରନ୍ତୁ।
MAT 15:26 ମାତ୍ର ସେ ଉତ୍ତର ଦେଲେ, “ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
MAT 15:27 କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି।
MAT 15:28 ସେଥିରେ ଯୀଶୁ ଉତ୍ତର ଦେଲେ, “ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ।” ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା।
MAT 15:29 ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ।
MAT 15:30 ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ।
MAT 15:31 ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
MAT 15:32 ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ।”
MAT 15:33 ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା?
MAT 15:34 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ।
MAT 15:35 ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,
MAT 15:36 ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହିସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ।
MAT 15:37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ।
MAT 15:38 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ।
MAT 15:39 ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ।
MAT 16:1 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
MAT 16:2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’
MAT 16:3 ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
MAT 16:4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।
MAT 16:5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।
MAT 16:6 ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
MAT 16:7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।
MAT 16:8 କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
MAT 16:9 ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,
MAT 16:10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
MAT 16:11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”
MAT 16:12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।
MAT 16:13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?”
MAT 16:14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
MAT 16:15 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
MAT 16:16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର।
MAT 16:17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି।
MAT 16:18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।
MAT 16:19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
MAT 16:20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।
MAT 16:21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
MAT 16:22 ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।
MAT 16:23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
MAT 16:24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।
MAT 16:25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
MAT 16:26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
MAT 16:27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
MAT 16:28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ।”
MAT 17:1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ୍ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
MAT 17:2 ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା।
MAT 17:3 ପୁଣି, ଦେଖ, ମୋଶା ଓ ଏଲୀୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା।
MAT 17:4 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
MAT 17:5 ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ଏହାଙ୍କ ବାକ୍ୟ ଶୁଣ।”
MAT 17:6 ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ।
MAT 17:7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।”
MAT 17:8 ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
MAT 17:9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ନ ଉଠିବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ କୁହ ନାହିଁ।”
MAT 17:10 ପୁଣି, ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ତେବେ ଶାସ୍ତ୍ରୀମାନେ କାହିଁକି କହନ୍ତି ଯେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ?
MAT 17:11 ସେ ଉତ୍ତର ଦେଲେ, “ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ,
MAT 17:12 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ତ ଆସି ସାରିଲେଣି, ମାତ୍ର ଲୋକେ ତାହାଙ୍କୁ ନ ଚିହ୍ନି ଯାହା ଇଚ୍ଛା, ତାହା ହିଁ ତାହାଙ୍କ ପ୍ରତି କରିଅଛନ୍ତି। ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହାତରେ ଦୁଃଖଭୋଗ କରିବାକୁ ଯାଉଅଛନ୍ତି।”
MAT 17:13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ।
MAT 17:14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,
MAT 17:15 ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି।
MAT 17:16 ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରିପାରିଲେ ନାହିଁ।
MAT 17:17 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ଏଠିକି ମୋ ପାଖକୁ ଆଣ।”
MAT 17:18 ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା।
MAT 17:19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ।
MAT 17:20 ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା’ ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ।
MAT 17:21 କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ।”
MAT 17:22 ଆଉ ସେମାନେ ଗାଲିଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି,
MAT 17:23 ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ। ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ।”
MAT 17:24 ଏଥିମଧ୍ୟରେ ସେମାନେ କଫର୍ନାହୂମ ନଗରକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କଅଣ ମନ୍ଦିରର କର ଦିଅନ୍ତି ନାହିଁ?
MAT 17:25 ସେ କହିଲେ, ହଁ, ଦିଅନ୍ତି। ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, “ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?”
MAT 17:26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, “ତେବେ ତ ପୁତ୍ରମାନେ ମୁକ୍ତ।
MAT 17:27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ-ମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ।”
MAT 18:1 ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତେବେ ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ?
MAT 18:2 ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ,
MAT 18:3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
MAT 18:4 ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ।
MAT 18:5 ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;
MAT 18:6 କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
MAT 18:7 ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର।
MAT 18:8 ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
MAT 18:9 ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
MAT 18:10 ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।
MAT 18:11 [କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି।]
MAT 18:12 ତୁମ୍ଭେମାନେ କଅଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କଅଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ?
MAT 18:13 ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ।
MAT 18:14 ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ।
MAT 18:15 ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ।
MAT 18:16 କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।
MAT 18:17 ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୁଦୀ ଓ କରଗ୍ରାହୀ ପରି ହେଉ।
MAT 18:18 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହିସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହିସବୁ ମୁକ୍ତ ରହିବ।
MAT 18:19 ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ।
MAT 18:20 କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି।”
MAT 18:21 ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
MAT 18:22 କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,
MAT 18:23 ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ। ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ।
MAT 18:24 ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା।
MAT 18:25 କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା-ପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ।
MAT 18:26 ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’
MAT 18:27 ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ।
MAT 18:28 କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ଏକ ଶହ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ।
MAT 18:29 ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’
MAT 18:30 ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା।
MAT 18:31 ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ।
MAT 18:32 ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ ‘ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି;
MAT 18:33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’
MAT 18:34 ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ।
MAT 18:35 ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।”
MAT 19:1 ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦ୍ଦନ ନଦୀର ଆରପାରରେ ଥିବା ଯିହୂଦିୟା ପ୍ରଦେଶ ସୀମାରେ ଉପସ୍ଥିତ ହେଲେ।
MAT 19:2 ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ।
MAT 19:3 ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ?
MAT 19:4 ସେ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,”
MAT 19:5 ଆଉ କହିଲେ, “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ?”
MAT 19:6 “ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ।”
MAT 19:7 ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ?
MAT 19:8 ଯୀଶୁ ସେମାନଙ୍କୁ କହିଲେ, “କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା।”
MAT 19:9 “ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ।”
MAT 19:10 ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ।
MAT 19:11 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସମସ୍ତେ ଏହି କଥା ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରିପାରନ୍ତି।
MAT 19:12 କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି। ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”
MAT 19:13 ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ। ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ।
MAT 19:14 କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର।”
MAT 19:15 ଆଉ, ସେ ସେମାନଙ୍କ ଉପରେ ହାତ ରଖି ସେଠାରୁ ଚାଲିଗଲେ।
MAT 19:16 ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି?
MAT 19:17 ସେ ତାହାଙ୍କୁ କହିଲେ, “ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର।”
MAT 19:18 ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, “ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ,
MAT 19:19 ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର।”
MAT 19:20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି?
MAT 19:21 ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
MAT 19:22 କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା।
MAT 19:23 ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ।
MAT 19:24 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।”
MAT 19:25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
MAT 19:26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ବରଙ୍କର ସମସ୍ତ ସାଧ୍ୟ।”
MAT 19:27 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କଅଣ ପାଇବା?
MAT 19:28 ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
MAT 19:29 “ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ।
MAT 19:30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।”
MAT 20:1 “କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ।
MAT 20:2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ।
MAT 20:3 ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ,
MAT 20:4 ‘ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି;’ ଆଉ ସେମାନେ ଗଲେ।
MAT 20:5 ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ।
MAT 20:6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?’
MAT 20:7 ସେମାନେ ତାହାଙ୍କୁ କହିଲେ, ‘କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ।’
MAT 20:8 ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’
MAT 20:9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ।
MAT 20:10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ।
MAT 20:11 କିନ୍ତୁ ତାହା ପାଇ ସେମାନେ ଘରର କର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
MAT 20:12 ‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’
MAT 20:13 କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ‘ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ?
MAT 20:14 ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା।
MAT 20:15 ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋହର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?’
MAT 20:16 ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ।”
MAT 20:17 ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ,
MAT 20:18 “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ,
MAT 20:19 ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ।”
MAT 20:20 ସେତେବେଳେ ଜେବଦୀଙ୍କ ସ୍ତ୍ରୀ ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ।
MAT 20:21 ସେଥିରେ ସେ ତାହାଙ୍କୁ ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?” ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ।
MAT 20:22 କିନ୍ତୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର?”
MAT 20:23 ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।”
MAT 20:24 ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ।
MAT 20:25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଅଣଯିହୁଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ।
MAT 20:26 ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
MAT 20:27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ,
MAT 20:28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି।”
MAT 20:29 ସେମାନେ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ।
MAT 20:30 ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
MAT 20:31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
MAT 20:32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?”
MAT 20:33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ।
MAT 20:34 ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ।
MAT 21:1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ବୈଥ୍‌ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ।
MAT 21:2 “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ ନିକଟକୁ ନେଇଆସ।
MAT 21:3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।”
MAT 21:4 ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା,
MAT 21:5 ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋʼ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ।
MAT 21:6 ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କାମ କଲେ,
MAT 21:7 ପୁଣି, ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ।
MAT 21:8 ପୁଣି, ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ।
MAT 21:9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।
MAT 21:10 ଆଉ ସେ ଯିରୂଶାଲମ ସହରରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା।
MAT 21:11 ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।
MAT 21:12 ପରେ ଯୀଶୁ ଈଶ୍ବରଙ୍କ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କିଣାବିକା କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
MAT 21:13 ଆଉ ଯୀଶୁ ସେମାନଙ୍କୁ କହିଲେ, “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ବାସସ୍ଥାନ କରୁଅଛ।’”
MAT 21:14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ।
MAT 21:15 କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦଙ୍କ ସନ୍ତାନ ବୋଲି ଉଚ୍ଚସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
MAT 21:16 ପୁଣି, ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, “ହଁ, ‘ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ,’ ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?”
MAT 21:17 ଆଉ, ସେ ସେମାନଙ୍କୁ ଛାଡ଼ିଦେଇ ଯିରୂଶାଲମ ସହରରୁ ବାହାରି ବେଥନୀୟାକୁ ଯାଇ ସେଠାରେ ରାତି କଟାଇଲେ।
MAT 21:18 ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ,
MAT 21:19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା।
MAT 21:20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା?
MAT 21:21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିବୃକ୍ଷ ପ୍ରତି ଯେପରି ହୋଇଅଛି, କେବଳ ଯେ ସେପରି ହେବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ତାହାହେଲେ ତାହା ହେବ।
MAT 21:22 ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।”
MAT 21:23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
MAT 21:24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି।
MAT 21:25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା? ସ୍ୱର୍ଗରୁ ବା ମନୁଷ୍ୟଠାରୁ?” ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
MAT 21:26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି।
MAT 21:27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ସେ ମଧ୍ୟ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
MAT 21:28 “ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ‘ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର।’”
MAT 21:29 ସେ ଉତ୍ତର ଦେଲା, “‘ମୋହର ଇଚ୍ଛା ନାହିଁ,’ କିନ୍ତୁ ପରେ ଅନୁତାପ କରି ଗଲା।
MAT 21:30 ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ‘ମହାଶୟ, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ।’
MAT 21:31 ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା?” ସେମାନେ କହିଲେ, “ପ୍ରଥମ ଜଣକ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି।
MAT 21:32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।”
MAT 21:33 “ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ।
MAT 21:34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ।
MAT 21:35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫୋପାଡ଼ି ମାରିପକାଇଲେ।
MAT 21:36 ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ।
MAT 21:37 ‘କିନ୍ତୁ ମୋହର ପୁଅକୁ ସେମାନେ ମାନ୍ୟ କରିବେ,’ ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ।
MAT 21:38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ‘ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ।’
MAT 21:39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ।
MAT 21:40 ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?”
MAT 21:41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁର ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ।
MAT 21:42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’
MAT 21:43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ।
MAT 21:44 ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ।”
MAT 21:45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ।
MAT 21:46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।
MAT 22:1 ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ,
MAT 22:2 “ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ,
MAT 22:3 ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ।
MAT 22:4 ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ‘ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇଅଛି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ,’
MAT 22:5 କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,
MAT 22:6 ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ।
MAT 22:7 କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍‍ କଲେ।
MAT 22:8 ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ।
MAT 22:9 ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର।
MAT 22:10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା।
MAT 22:11 କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ-ବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ,
MAT 22:12 ହେ ବନ୍ଧୁ, ତୁମ୍ଭେ ବିବାହ-ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା।
MAT 22:13 ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ‘ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।
MAT 22:14 କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ।’”
MAT 22:15 ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ।
MAT 22:16 ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ।
MAT 22:17 ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କଅଣ? କାଇସର ସମ୍ରାଟଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
MAT 22:18 କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, “ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ?”
MAT 22:19 “ସେହି କରର ମୁଦ୍ରା ମୋତେ ଦେଖାଅ।” ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣିଲେ।
MAT 22:20 ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର?
MAT 22:21 ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, “ତେବେ କାଇସର ସମ୍ରାଟଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।”
MAT 22:22 ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ।
MAT 22:23 ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ,
MAT 22:24 ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
MAT 22:25 ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା;
MAT 22:26 ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ।
MAT 22:27 ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା।
MAT 22:28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ।
MAT 22:29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ।
MAT 22:30 କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
MAT 22:31 ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ବର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?
MAT 22:32 ‘ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର।’ ସେ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର।”
MAT 22:33 ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
MAT 22:34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,
MAT 22:35 ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ,
MAT 22:36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?
MAT 22:37 ସେ ତାହାଙ୍କୁ କହିଲେ, “‘ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର।’
MAT 22:38 ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା।
MAT 22:39 ଦ୍ୱିତୀୟଟି ଏହାର ସଦୃଶ, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’
MAT 22:40 ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ।”
MAT 22:41 ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ,
MAT 22:42 “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।”
MAT 22:43 ଯୀଶୁ ସେମାନଙ୍କୁ କହିଲେ, “ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି?
MAT 22:44 ‘ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
MAT 22:45 ଅତଏବ, ଦାଉଦ ଯଦି ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
MAT 22:46 ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
MAT 23:1 ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ,
MAT 23:2 “ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବାର ଅଧିକାର ପାଇଅଛନ୍ତି।
MAT 23:3 ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ।
MAT 23:4 ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ।
MAT 23:5 ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
MAT 23:6 ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ,
MAT 23:7 ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି।
MAT 23:8 କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ।
MAT 23:9 ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି।
MAT 23:10 ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ।
MAT 23:11 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ।
MAT 23:12 ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ।”
MAT 23:13 “କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ।
MAT 23:14 [ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ।]
MAT 23:15 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ।
MAT 23:16 ହାୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ଆବଦ୍ଧ।
MAT 23:17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କଅଣ ଶ୍ରେଷ୍ଠ?
MAT 23:18 ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ଆବଦ୍ଧ।
MAT 23:19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟା ଶ୍ରେଷ୍ଠ?
MAT 23:20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;
MAT 23:21 ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
MAT 23:22 ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ବରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ।
MAT 23:23 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ।
MAT 23:24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।
MAT 23:25 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ।
MAT 23:26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ।
MAT 23:27 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ। ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ;
MAT 23:28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ।”
MAT 23:29 “ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ,
MAT 23:30 ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃ-ପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ।
MAT 23:31 ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ।
MAT 23:32 ତୁମ୍ଭେମାନେ ନିଜ ନିଜ ପିତୃ-ପୁରୁଷଙ୍କର ପରିମାଣ ପୂର୍ଣ୍ଣ କର।
MAT 23:33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ?
MAT 23:34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁ ନଗର ତାଡ଼ନା କରିବ,
MAT 23:35 ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଜିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ।
MAT 23:36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ।”
MAT 23:37 “ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
MAT 23:38 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି।
MAT 23:39 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,’ ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।”
MAT 24:1 ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ,
MAT 24:2 “ତୁମ୍ଭେମାନେ କଅଣ ଏହି ସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
MAT 24:3 ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ।
MAT 24:4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
MAT 24:5 କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
MAT 24:6 ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ।
MAT 24:7 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।
MAT 24:8 କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
MAT 24:9 ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ।
MAT 24:10 ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
MAT 24:11 ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ,
MAT 24:12 ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ।
MAT 24:13 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
MAT 24:14 ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ।
MAT 24:15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
MAT 24:16 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ;
MAT 24:17 ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ;
MAT 24:18 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ।
MAT 24:19 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର,
MAT 24:20 କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
MAT 24:21 କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
MAT 24:22 ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ।
MAT 24:23 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
MAT 24:24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।
MAT 24:25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।
MAT 24:26 ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ।
MAT 24:27 କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ।
MAT 24:28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।”
MAT 24:29 “ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍‍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’
MAT 24:30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
MAT 24:31 ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
MAT 24:32 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
MAT 24:33 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ।
MAT 24:34 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
MAT 24:35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
MAT 24:36 “କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି।
MAT 24:37 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ।
MAT 24:38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ,
MAT 24:39 ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ।
MAT 24:40 ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ;
MAT 24:41 ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।
MAT 24:42 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
MAT 24:43 କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ।
MAT 24:44 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
MAT 24:45 “ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ?
MAT 24:46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
MAT 24:47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ।
MAT 24:48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି
MAT 24:49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ,
MAT 24:50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ,
MAT 24:51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
MAT 25:1 “ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ।
MAT 25:2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ।
MAT 25:3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ,
MAT 25:4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ।
MAT 25:5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ।
MAT 25:6 କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର’, ଏପରି କୋଳାହଳ ହେଲା।
MAT 25:7 ସେତେବେଳେ କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ।
MAT 25:8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତୈଳରୁ ଆମକୁ ଅଳ୍ପ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି।
MAT 25:9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ଯଦି ଆମେ ତୁମକୁ ଅଳ୍ପ ଦେବୁ, ତେବେ ତୁମଠାରେ ଓ ଆମଠାରେ ମଧ୍ୟ ଅଣ୍ଟିବ ନାହିଁ, ବରଂ ତୁମେ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ।
MAT 25:10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା।
MAT 25:11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ।
MAT 25:12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ।
MAT 25:13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।”
MAT 25:14 “ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ମଧ୍ୟ ସେହିପରି ଅଟେ।
MAT 25:15 ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ।
MAT 25:16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା।
MAT 25:17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା।
MAT 25:18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା।
MAT 25:19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ।
MAT 25:20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଅଛି।
MAT 25:21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
MAT 25:22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଅଛି।
MAT 25:23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
MAT 25:24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି।
MAT 25:25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ।
MAT 25:26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କଅଣ ଜାଣିଥିଲୁ?
MAT 25:27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ୍ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାଆନ୍ତି।
MAT 25:28 ‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ।
MAT 25:29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
MAT 25:30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।’”
MAT 25:31 “ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ,
MAT 25:32 ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,
MAT 25:33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ।
MAT 25:34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ;
MAT 25:35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ;
MAT 25:36 ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ।
MAT 25:37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ?
MAT 25:38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଗ୍ନ ଦେଖି ବସ୍ତ୍ର ପରିଧାନ କରାଇଲୁ?
MAT 25:39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
MAT 25:40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ।
MAT 25:41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ,
MAT 25:42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;
MAT 25:43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ।
MAT 25:44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଗ୍ନ, ପୀଡ଼ିତ କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ?
MAT 25:45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ।
MAT 25:46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।”
MAT 26:1 ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ,
MAT 26:2 “ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ।”
MAT 26:3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,
MAT 26:4 ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;
MAT 26:5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
MAT 26:6 ଯୀଶୁ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଥିବା ସମୟରେ,
MAT 26:7 ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
MAT 26:8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି?
MAT 26:9 ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।
MAT 26:10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି।
MAT 26:11 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି।
MAT 26:12 ଆଉ, ସେ ମୋହର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି।
MAT 26:13 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
MAT 26:14 ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା,
MAT 26:15 ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟ-ମୁଦ୍ରା ତୌଲି କରିଦେଲେ।
MAT 26:16 ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
MAT 26:17 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
MAT 26:18 ଯୀଶୁ କହିଲେ, “ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି।”
MAT 26:19 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
MAT 26:20 ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ।
MAT 26:21 ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
MAT 26:22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କଅଣ ମୁଁ?
MAT 26:23 ସେ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।
MAT 26:24 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
MAT 26:25 ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ସେ ତାହାକୁ କହିଲେ, “ତୁମ୍ଭେ କହିଅଛ।”
MAT 26:26 ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋହର ଶରୀର।”
MAT 26:27 ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ,
MAT 26:28 “ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ।
MAT 26:29 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ।”
MAT 26:30 ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ।
MAT 26:31 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖାଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।
MAT 26:32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି।”
MAT 26:33 କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ।
MAT 26:34 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
MAT 26:35 ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ।
MAT 26:36 ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
MAT 26:37 ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ।
MAT 26:38 ସେତେବେଳେ ସେ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ।”
MAT 26:39 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, “ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ଦୁଃଖର ପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
MAT 26:40 ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ?
MAT 26:41 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
MAT 26:42 ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।”
MAT 26:43 ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା।
MAT 26:44 ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ।
MAT 26:45 ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
MAT 26:46 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
MAT 26:47 ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ୍ଗ ଓ ଯଷ୍ଟି ଧରି ଆସିଲେ।
MAT 26:48 ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ।
MAT 26:49 ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା।
MAT 26:50 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର।” ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
MAT 26:51 ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
MAT 26:52 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭର ଖଡ୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ୍ଗ ଦ୍ୱାରା ବିନଷ୍ଟ ହେବେ।
MAT 26:53 ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ?
MAT 26:54 ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ?”
MAT 26:55 ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
MAT 26:56 ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି।” ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
MAT 26:57 ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ।
MAT 26:58 କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ।
MAT 26:59 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,
MAT 26:60 ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ,
MAT 26:61 ଏହି ଲୋକଟା କହିଥିଲା, ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ।
MAT 26:62 ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
MAT 26:63 କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?
MAT 26:64 ଯୀଶୁ ତାହାଙ୍କୁ କହିଲେ, “ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
MAT 26:65 ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ବର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ଆବଶ୍ୟକ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ବର ନିନ୍ଦା ଶୁଣିଲେ,
MAT 26:66 ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ।
MAT 26:67 ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
MAT 26:68 ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?
MAT 26:69 ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
MAT 26:70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ।
MAT 26:71 ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା।
MAT 26:72 ପୁଣି, ସେ ଶପଥ ନେଇ ପୁନର୍ବାର ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ।
MAT 26:73 ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି।
MAT 26:74 ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ।
MAT 26:75 ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
MAT 27:1 ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ,
MAT 27:2 ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ।
MAT 27:3 ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ଫେରାଇ ଆଣି କହିଲା,
MAT 27:4 ମୁଁ ନିର୍ଦ୍ଦୋଷକୁ ମୃତ୍ୟୁ ହସ୍ତରେ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି?
MAT 27:5 ତୁ ତାହା ବୁଝ୍। ତହିଁରେ ସେ ରୌପ୍ୟ-ମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା।
MAT 27:6 କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ-ମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ମନ୍ଦିରର ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ।
MAT 27:7 ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ।
MAT 27:8 ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି।
MAT 27:9 ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟ-ମୁଦ୍ରା ସେମାନେ ନେଇ
MAT 27:10 ମୋ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ।
MAT 27:11 ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜା? ଯୀଶୁ କହିଲେ, “ଆପଣ କହୁଅଛନ୍ତି।”
MAT 27:12 ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ।
MAT 27:13 ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ?
MAT 27:14 ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ।
MAT 27:15 କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା।
MAT 27:16 ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା।
MAT 27:17 ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ?
MAT 27:18 କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ।
MAT 27:19 ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି।
MAT 27:20 ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ।
MAT 27:21 ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ।
MAT 27:22 ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ।
MAT 27:23 ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ।
MAT 27:24 ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରିପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ।
MAT 27:25 ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ।
MAT 27:26 ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
MAT 27:27 ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ।
MAT 27:28 ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ ଲୋହିତବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ,
MAT 27:29 ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାନୁ ପାତି ଏହା କହି ତାହାଙ୍କୁ ପରିହାସ କଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର।
MAT 27:30 ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ।
MAT 27:31 ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ।
MAT 27:32 ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାଙ୍କୁ ବାଧ୍ୟ କଲେ।
MAT 27:33 ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ
MAT 27:34 ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ।
MAT 27:35 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ,
MAT 27:36 ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ।
MAT 27:37 ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ।
MAT 27:38 ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ।
MAT 27:39 ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ,
MAT 27:40 ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ।
MAT 27:41 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ,
MAT 27:42 ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା।
MAT 27:43 ସେ ଈଶ୍ବରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ବରଙ୍କ ପୁତ୍ର।
MAT 27:44 ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ।
MAT 27:45 ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା।
MAT 27:46 ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍, “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”
MAT 27:47 ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି।
MAT 27:48 ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା।
MAT 27:49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା।
MAT 27:50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ।
MAT 27:51 ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,
MAT 27:52 ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା,
MAT 27:53 ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ପବିତ୍ର ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ।
MAT 27:54 ଶତ-ସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ ଏବଂ କହିଲେ, ସତ୍ୟ, ଏ ଈଶ୍ବରଙ୍କ ପୁତ୍ର ଥିଲେ।
MAT 27:55 ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ;
MAT 27:56 ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।
MAT 27:57 ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ।
MAT 27:58 ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ।
MAT 27:59 ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ,
MAT 27:60 ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ।
MAT 27:61 ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।
MAT 27:62 ତହିଁ ଆରଦିନ, ଅର୍ଥାତ୍‍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ,
MAT 27:63 ମହାଶୟ, ଆମ୍ଭମାନଙ୍କର ମନେ ପଡ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି।
MAT 27:64 ଅତଏବ, ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ।
MAT 27:65 ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ-ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର।
MAT 27:66 ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।
MAT 28:1 ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସମାଧି ଦେଖିବାକୁ ଆସିଲେ।
MAT 28:2 ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ।
MAT 28:3 ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ହିମ ପରି ଧଳା ରଙ୍ଗ ଥିଲା,
MAT 28:4 ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ।
MAT 28:5 କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ।
MAT 28:6 ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ।
MAT 28:7 ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି।
MAT 28:8 ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ।
MAT 28:9 ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ।” ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ।
MAT 28:10 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ।”
MAT 28:11 ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀ-ଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
MAT 28:12 ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ,
MAT 28:13 ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ।
MAT 28:14 ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା।
MAT 28:15 ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି।
MAT 28:16 କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ।
MAT 28:17 ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ।
MAT 28:18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି।
MAT 28:19 ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
MAT 28:20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”
MAR 1:1 ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
MAR 1:2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
MAR 1:3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
MAR 1:4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
MAR 1:5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
MAR 1:6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
MAR 1:7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
MAR 1:8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
MAR 1:9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
MAR 1:10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
MAR 1:11 ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
MAR 1:12 ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
MAR 1:13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
MAR 1:14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
MAR 1:15 “କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
MAR 1:16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
MAR 1:17 ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
MAR 1:18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
MAR 1:19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
MAR 1:20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
MAR 1:21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
MAR 1:22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
MAR 1:23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
MAR 1:24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
MAR 1:25 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
MAR 1:26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
MAR 1:27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
MAR 1:28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
MAR 1:29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
MAR 1:30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
MAR 1:31 ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
MAR 1:32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
MAR 1:33 ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
MAR 1:34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
MAR 1:35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
MAR 1:36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
MAR 1:37 ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
MAR 1:38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍‍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
MAR 1:39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
MAR 1:40 ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
MAR 1:41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
MAR 1:42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
MAR 1:43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
MAR 1:44 “ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
MAR 1:45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
MAR 2:1 କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା।
MAR 2:2 ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
MAR 2:3 ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,
MAR 2:4 କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ।
MAR 2:5 ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”
MAR 2:6 କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,
MAR 2:7 ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
MAR 2:8 ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ?
MAR 2:9 କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା?
MAR 2:10 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,
MAR 2:11 “ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।”
MAR 2:12 ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।
MAR 2:13 ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
MAR 2:14 ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
MAR 2:15 ଆଉ ଯୀଶୁ ତାହାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ।
MAR 2:16 ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ-ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି!
MAR 2:17 ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
MAR 2:18 ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
MAR 2:19 ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ।
MAR 2:20 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ।
MAR 2:21 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ।
MAR 2:22 ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”
MAR 2:23 ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ।
MAR 2:24 ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ,
MAR 2:25 ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
MAR 2:26 ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
MAR 2:27 ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ।
MAR 2:28 ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।”
MAR 3:1 ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା।
MAR 3:2 ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି।
MAR 3:3 ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।”
MAR 3:4 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।
MAR 3:5 ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।
MAR 3:6 ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
MAR 3:7 ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍‌ଗମନ କଲେ; ଆଉ ଯିହୂଦିୟା ପ୍ରଦେଶ,
MAR 3:8 ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
MAR 3:9 ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନୌକା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
MAR 3:10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
MAR 3:11 ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ବରଙ୍କ ପୁତ୍ର।
MAR 3:12 ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ।
MAR 3:13 ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ।
MAR 3:14 ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
MAR 3:15 ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
MAR 3:16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ।
MAR 3:17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍‍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
MAR 3:18 ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,
MAR 3:19 ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
MAR 3:20 ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
MAR 3:21 ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି।
MAR 3:22 ଆଉ, ଯିରୂଶାଲମ ସହରରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍‌ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ।
MAR 3:23 ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, “ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?
MAR 3:24 ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।
MAR 3:25 ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ।
MAR 3:26 ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
MAR 3:27 ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରିପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ।
MAR 3:28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ବର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
MAR 3:29 କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ।
MAR 3:30 ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।”
MAR 3:31 ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ।
MAR 3:32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି।
MAR 3:33 ସେ ସେମାନଙ୍କୁ ଉତ୍ତର ଦେଲେ, “ମୋହର ମାଆ ଓ ଭାଇମାନେ କିଏ?”
MAR 3:34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ।
MAR 3:35 ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।”
MAR 4:1 ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ।
MAR 4:2 ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ!
MAR 4:3 “ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା।
MAR 4:4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।
MAR 4:5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
MAR 4:6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା।
MAR 4:7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ।
MAR 4:8 ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
MAR 4:9 ପୁଣି, ସେ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
MAR 4:10 ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ।
MAR 4:11 ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,
MAR 4:12 ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’”
MAR 4:13 ଯୀଶୁ ପୁଣି, ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ?
MAR 4:14 ବୁଣାଳୀ ବାକ୍ୟ ବୁଣେ।
MAR 4:15 ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
MAR 4:16 ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି,
MAR 4:17 କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ।
MAR 4:18 ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ,
MAR 4:19 ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ।
MAR 4:20 ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”
MAR 4:21 ପୁନଶ୍ଚ ସେ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ?
MAR 4:22 କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି।
MAR 4:23 ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
MAR 4:24 ଯୀଶୁ ପୁଣି, ସେମାନଙ୍କୁ କହିଲେ, “କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ। ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ।
MAR 4:25 କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ।”
MAR 4:26 ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ;
MAR 4:27 ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
MAR 4:28 ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ।
MAR 4:29 କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।”
MAR 4:30 ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
MAR 4:31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
MAR 4:32 ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।”
MAR 4:33 ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ,
MAR 4:34 ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।
MAR 4:35 ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆରପାରିକୁ ଯିବା।”
MAR 4:36 ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, ପୁଣି, ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା।
MAR 4:37 ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା।
MAR 4:38 ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ?
MAR 4:39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, “ତୁନି ହ, ଚୁପ୍ କର୍।” ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା।
MAR 4:40 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କଅଣ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ?”
MAR 4:41 ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି?
MAR 5:1 ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ।
MAR 5:2 ଯୀଶୁ ନୌକାରୁ ଓହ୍ଲାଇବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।
MAR 5:3 ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
MAR 5:4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା।
MAR 5:5 ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା।
MAR 5:6 ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା,
MAR 5:7 ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ତୁମ୍ଭକୁ ଈଶ୍ବରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ।
MAR 5:8 କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, “ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।”
MAR 5:9 ଆଉ ଯୀଶୁ ତାହାକୁ ପଚାରିଲେ, “ତୋର ନାଁ କଅଣ?” ସେ ତାହାକୁ କହିଲା, ମୋହର ନାଁ ବାହିନୀ, ଯେଣୁ ଆମେ ଅନେକ।
MAR 5:10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା।
MAR 5:11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା।
MAR 5:12 ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ।
MAR 5:13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା।
MAR 5:14 ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଅଛି ବୋଲି ଦେଖିବାକୁ ଆସିଲେ।
MAR 5:15 ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍‍ ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ।
MAR 5:16 ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
MAR 5:17 ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ।
MAR 5:18 ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା।
MAR 5:19 କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, “ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ।”
MAR 5:20 ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲେ; ସେଥିରେ ସମସ୍ତେ ଚମତ୍କୃତ ହେଲେ।
MAR 5:21 ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକୁ ବାହୁଡ଼ିଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ ସେ ସମୁଦ୍ରକୂଳରେ ରହିଲେ।
MAR 5:22 ସେତେବେଳେ ସମାଜଗୃହ ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ,
MAR 5:23 ପୁଣି, ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ।
MAR 5:24 ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
MAR 5:25 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ,
MAR 5:26 ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା,
MAR 5:27 ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା;
MAR 5:28 କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
MAR 5:29 ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା।
MAR 5:30 ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ି କହିଲେ, “କିଏ ମୋହର ଲୁଗା ଛୁଇଁଲା?”
MAR 5:31 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, “କିଏ ମୋତେ ଛୁଇଁଲା?”
MAR 5:32 କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ।
MAR 5:33 ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା।
MAR 5:34 ତହିଁରେ ଯୀଶୁ ତାହାକୁ କହିଲେ, “ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ।”
MAR 5:35 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି?
MAR 5:36 କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜଗୃହର ଅଧ୍ୟକ୍ଷଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”
MAR 5:37 ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ।
MAR 5:38 ସେମାନେ ସମାଜଗୃହର ଅଧ୍ୟକ୍ଷଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ,
MAR 5:39 ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି।” ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
MAR 5:40 କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
MAR 5:41 ଆଉ ପିଲାର ହାତ ଧରି ତାହାକୁ କହିଲେ, “ଟଲିଥାକୁମ୍,” ଅର୍ଥାତ୍‍ “ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍।”
MAR 5:42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଭିତ ହୋଇଗଲେ।
MAR 5:43 ପୁଣି, କେହି ଯେପରି ଏହି ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ।
MAR 6:1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ।
MAR 6:2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ?
MAR 6:3 ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ।
MAR 6:4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
MAR 6:5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ।
MAR 6:6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।
MAR 6:7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,
MAR 6:8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
MAR 6:9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ।
MAR 6:10 ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।
MAR 6:11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”
MAR 6:12 ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
MAR 6:13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
MAR 6:14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
MAR 6:15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲୀୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ।
MAR 6:16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି।
MAR 6:17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
MAR 6:18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
MAR 6:19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
MAR 6:20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।
MAR 6:21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
MAR 6:22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା।
MAR 6:23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା।
MAR 6:24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ।
MAR 6:25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ।
MAR 6:26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ।
MAR 6:27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
MAR 6:28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା।
MAR 6:29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।
MAR 6:30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ।
MAR 6:31 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା।
MAR 6:32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ।
MAR 6:33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ।
MAR 6:34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ।
MAR 6:35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
MAR 6:36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ।
MAR 6:37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା?
MAR 6:38 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।” ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ।
MAR 6:39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।
MAR 6:40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ।
MAR 6:41 ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ।
MAR 6:42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ,
MAR 6:43 ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ।
MAR 6:44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ।
MAR 6:45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍‌ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
MAR 6:46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ।
MAR 6:47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ।
MAR 6:48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ।
MAR 6:49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
MAR 6:50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍‌ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।”
MAR 6:51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ,
MAR 6:52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।
MAR 6:53 ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ।
MAR 6:54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି,
MAR 6:55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ।
MAR 6:56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହିସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।
MAR 7:1 ପରେ ଫାରୂଶୀମାନେ ଓ ଯିରୂଶାଲମ ସହରରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ।
MAR 7:2 ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍‍ ଅଧୁଆ ହାତରେ ଖାଇବା ଦେଖିଲେ।
MAR 7:3 ଫାରୂଶୀମାନେ ଓ ସମସ୍ତ ଯିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ।
MAR 7:4 ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି।
MAR 7:5 ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?
MAR 7:6 ସେ ସେମାନଙ୍କୁ କହିଲେ, “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
MAR 7:7 ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’
MAR 7:8 ତୁମ୍ଭେମାନେ ଈଶ୍ବରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।”
MAR 7:9 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ!
MAR 7:10 କାରଣ ମୋଶା କହିଅଛନ୍ତି, ‘ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’
MAR 7:11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍‍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି,
MAR 7:12 ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ;
MAR 7:13 ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ।”
MAR 7:14 ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋʼ କଥା ଶୁଣ ଓ ବୁଝ।
MAR 7:15 ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହିସବୁ ତାହାକୁ ଅଶୁଚି କରେ।
MAR 7:16 [ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।]”
MAR 7:17 ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ।
MAR 7:18 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାହାକୁ ଅଶୁଚି କରିପାରେ ନାହିଁ,
MAR 7:19 କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶୌଚ ଦ୍ୱାରା ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କଅଣ ବୁଝୁ ନାହଁ?”
MAR 7:20 ଆଉ ସେ କହିଲେ, “ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ।
MAR 7:21 କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ,
MAR 7:22 ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା;
MAR 7:23 ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ।”
MAR 7:24 ଏଥିଉତ୍ତାରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ, ଆଉ ଗୋଟିଏ ଗୃହରେ ପ୍ରବେଶ କରି, କେହି ଯେପରି ତାହା ନ ଜାଣେ, ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହି ପାରିଲେ ନାହିଁ।
MAR 7:25 ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା।
MAR 7:26 ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍‍ ସ୍ତ୍ରୀଲୋକ ଥିଲା। ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା।
MAR 7:27 ସେଥିରେ ସେ ତାହାକୁ କହିଲେ, “ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
MAR 7:28 କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି।
MAR 7:29 ସେଥିରେ ଯୀଶୁ ତାହାକୁ କହିଲେ, “ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି।”
MAR 7:30 ପୁଣି, ସେ ଘରକୁ ଯାଇ ପିଲାଟି ଶଯ୍ୟାରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା।
MAR 7:31 ପୁନର୍ବାର ସେ ସୋର ସହରର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲି ସହରର ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ।
MAR 7:32 ଆଉ ଲୋକେ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ।
MAR 7:33 ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଅଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ,
MAR 7:34 ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, “ଇପ୍‌ପଥଃ,” ଅର୍ଥାତ୍‍ “ଫିଟିଯା।”
MAR 7:35 ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟ ରୂପେ କଥା କହିବାକୁ ଲାଗିଲା।
MAR 7:36 ପୁଣି, ଏ ବିଷୟ କାହାରିକୁ ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ।
MAR 7:37 ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି।
MAR 8:1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
MAR 8:2 “ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
MAR 8:3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।”
MAR 8:4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
MAR 8:5 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି।
MAR 8:6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
MAR 8:7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
MAR 8:8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ।
MAR 8:9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।
MAR 8:10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍‌ମନୂଥା ଅଞ୍ଚଳକୁ ଆସିଲେ।
MAR 8:11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
MAR 8:12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
MAR 8:13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।
MAR 8:14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।
MAR 8:15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
MAR 8:16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।
MAR 8:17 ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
MAR 8:18 ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
MAR 8:19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
MAR 8:20 “ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।
MAR 8:21 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”
MAR 8:22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
MAR 8:23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
MAR 8:24 ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
MAR 8:25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
MAR 8:26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, “ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।”
MAR 8:27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?”
MAR 8:28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
MAR 8:29 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
MAR 8:30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ।
MAR 8:31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ।
MAR 8:32 ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
MAR 8:33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
MAR 8:34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
MAR 8:35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
MAR 8:36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
MAR 8:37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
MAR 8:38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”
MAR 9:1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
MAR 9:2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
MAR 9:3 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ।
MAR 9:4 ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ।
MAR 9:5 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
MAR 9:6 କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ।
MAR 9:7 ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।
MAR 9:8 ପୁଣି, ହଠାତ୍‍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
MAR 9:9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।
MAR 9:10 ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
MAR 9:11 ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି?
MAR 9:12 ସେଥିରେ ସେ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖାଅଛି?
MAR 9:13 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖାଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।
MAR 9:14 ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି।
MAR 9:15 ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ।
MAR 9:16 ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ?
MAR 9:17 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
MAR 9:18 ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
MAR 9:19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ।
MAR 9:20 ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
MAR 9:21 ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
MAR 9:22 ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ।
MAR 9:23 ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ।
MAR 9:24 ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ।
MAR 9:25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।
MAR 9:26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା।
MAR 9:27 କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
MAR 9:28 ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ?
MAR 9:29 ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
MAR 9:30 ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
MAR 9:31 କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।
MAR 9:32 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
MAR 9:33 ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ?
MAR 9:34 କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ।
MAR 9:35 ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ।
MAR 9:36 ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
MAR 9:37 ଯେ କେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ କେବଳ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
MAR 9:38 ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ।
MAR 9:39 କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ମହତର କାର୍ଯ୍ୟ କରି ହଠାତ୍‍ ମୋହର ନିନ୍ଦା କରିପାରିବ, ଏପରି ଲୋକ କେହି ନାହିଁ;
MAR 9:40 କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ।
MAR 9:41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
MAR 9:42 ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
MAR 9:43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍‍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
MAR 9:44 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।]
MAR 9:45 ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।
MAR 9:46 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।]
MAR 9:47 ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ;
MAR 9:48 କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।
MAR 9:49 ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
MAR 9:50 ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
MAR 10:1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ଯିହୂଦିୟା ପ୍ରଦେଶର ସୀମା ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି, ଶିକ୍ଷା ଦେବାକୁ ଲାଗିଲେ।
MAR 10:2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ?
MAR 10:3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି?”
MAR 10:4 ସେମାନେ କହିଲେ, ତ୍ୟାଗପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ମୋଶା ଅନୁମତି ଦେଇଅଛନ୍ତି।
MAR 10:5 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲେଖିଅଛନ୍ତି।
MAR 10:6 କିନ୍ତୁ ସୃଷ୍ଟିର ଆରମ୍ଭରୁ ଈଶ୍ବର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।
MAR 10:7 ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କଠାରୁ ଅଲଗା ହେବ, ଆଉ ସେମାନେ ଦୁହେଁ ଏକାଙ୍ଗ ହେବେ।
MAR 10:8 ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି।
MAR 10:9 ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଭିନ୍ନ ନ କରୁ।”
MAR 10:10 ପରେ ଶିଷ୍ୟମାନେ ଘରେ ଯୀଶୁଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ।
MAR 10:11 ସେଥିରେ ସେ ସେମାନଙ୍କୁ କହିଲେ, “ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ;
MAR 10:12 ଆଉ, ଯଦି ସ୍ତ୍ରୀ ଆପଣା ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ।”
MAR 10:13 ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ।
MAR 10:14 ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, “ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର।
MAR 10:15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ବରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ।”
MAR 10:16 ପୁଣି, ଯୀଶୁ ଶିଶୁମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ।
MAR 10:17 ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି?
MAR 10:18 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ଉତ୍ତମ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ।
MAR 10:19 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ‘ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।’”
MAR 10:20 ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି।
MAR 10:21 ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, “ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
MAR 10:22 କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା।
MAR 10:23 ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବେ!”
MAR 10:24 ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ। କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, “ବତ୍ସଗଣ, ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର!
MAR 10:25 ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ।”
MAR 10:26 ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
MAR 10:27 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ବରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ବରଙ୍କ ନିମନ୍ତେ ସମସ୍ତ ସାଧ୍ୟ।”
MAR 10:28 ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ।
MAR 10:29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
MAR 10:30 ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ।
MAR 10:31 କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।”
MAR 10:32 ସେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ଶିଷ୍ୟମାନେ ବିସ୍ମୟାନ୍ୱିତ ଓ ପଛରେ ଆସୁଥିବା ଲୋକେ ଭୀତ ହୋଇଥିଲେ। ଏଣୁ ସେ ପୁନର୍ବାର ବାର ଶିଷ୍ୟଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ।
MAR 10:33 ଯୀଶୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ,
MAR 10:34 ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।”
MAR 10:35 ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ।
MAR 10:36 ତହୁଁ ସେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?”
MAR 10:37 ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ।
MAR 10:38 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇପାର?”
MAR 10:39 ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପାରୁ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି, ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ;
MAR 10:40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।”
MAR 10:41 ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ।
MAR 10:42 ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଯେଉଁମାନେ ଅଣଯିହୁଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୁଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ।
MAR 10:43 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
MAR 10:44 ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ।
MAR 10:45 କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି।”
MAR 10:46 ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା।
MAR 10:47 ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ।
MAR 10:48 ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ।
MAR 10:49 ସେଥିରେ ଯୀଶୁ ଠିଆ ହୋଇ କହିଲେ, “ତାହାକୁ ଡାକ।” ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି।
MAR 10:50 ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା।
MAR 10:51 ଯୀଶୁ ତାହାକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ।
MAR 10:52 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।” ତତ୍‌କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା।
MAR 11:1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍‌ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
MAR 11:2 “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ।
MAR 11:3 ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।”
MAR 11:4 ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ।
MAR 11:5 ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ?
MAR 11:6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।
MAR 11:7 ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ।
MAR 11:8 ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ।
MAR 11:9 ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!
MAR 11:10 ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!
MAR 11:11 ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।
MAR 11:12 ତହିଁ ଆରଦିନ ବେଥନୀୟାରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
MAR 11:13 ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରିବୃକ୍ଷ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା।
MAR 11:14 ସେଥିରେ ଯୀଶୁ ତାହାକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।” ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ।
MAR 11:15 ତାହା ପରେ ସେମାନେ ଯିରୂଶାଲମ ସହରକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
MAR 11:16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,
MAR 11:17 ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, “ଏହା କଅଣ ଲେଖା ନାହିଁ, ‘ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ?’ କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ଗହ୍ୱର କରିଅଛ।”
MAR 11:18 ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରିପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ।
MAR 11:19 ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ।
MAR 11:20 ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିବୃକ୍ଷଟି ମୂଳରୁ ଶୁଖିଯାଇଥିବା ଦେଖିଲେ।
MAR 11:21 ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି।
MAR 11:22 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କଠାରେ ବିଶ୍ୱାସ ରଖ।
MAR 11:23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ।
MAR 11:24 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ।
MAR 11:25 ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।
MAR 11:26 [କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।]”
MAR 11:27 ପରେ ସେମାନେ ପୁନର୍ବାର ଯିରୂଶାଲମ ସହରକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ,
MAR 11:28 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
MAR 11:29 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି।
MAR 11:30 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।”
MAR 11:31 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
MAR 11:32 ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ।
MAR 11:33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
MAR 12:1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।
MAR 12:2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ।
MAR 12:3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ।
MAR 12:4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ।
MAR 12:5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।
MAR 12:6 ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ।
MAR 12:7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
MAR 12:8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
MAR 12:9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।
MAR 12:10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
MAR 12:11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
MAR 12:12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
MAR 12:13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
MAR 12:14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
MAR 12:15 ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
MAR 12:16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
MAR 12:17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।” ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ।
MAR 12:18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ,
MAR 12:19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
MAR 12:20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
MAR 12:21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା,
MAR 12:22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
MAR 12:23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
MAR 12:24 ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?
MAR 12:25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
MAR 12:26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର?
MAR 12:27 ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
MAR 12:28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?
MAR 12:29 ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;
MAR 12:30 ‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’
MAR 12:31 ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”
MAR 12:32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;
MAR 12:33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।
MAR 12:34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
MAR 12:35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି?
MAR 12:36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
MAR 12:37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
MAR 12:38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର,
MAR 12:39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
MAR 12:40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
MAR 12:41 ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
MAR 12:42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା।
MAR 12:43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି;
MAR 12:44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”
MAR 13:1 ଯୀଶୁ ମନ୍ଦିରରୁ ବାହାରିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ!
MAR 13:2 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ କଅଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
MAR 13:3 ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
MAR 13:4 ପୁଣି, ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ।
MAR 13:5 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
MAR 13:6 ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
MAR 13:7 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ।
MAR 13:8 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
MAR 13:9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।
MAR 13:10 ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ।
MAR 13:11 ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି।
MAR 13:12 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;
MAR 13:13 ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।”
MAR 13:14 “କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
MAR 13:15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
MAR 13:16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ।
MAR 13:17 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର!
MAR 13:18 କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
MAR 13:19 କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ବରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
MAR 13:20 ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି।
MAR 13:21 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
MAR 13:22 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ।
MAR 13:23 କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି।”
MAR 13:24 “ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ‘ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
MAR 13:25 ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।’
MAR 13:26 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ।
MAR 13:27 ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
MAR 13:28 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
MAR 13:29 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ।
MAR 13:30 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପିଢ଼ି କୌଣସି ପ୍ରକାରେ ଲୋପ ପାଇବ ନାହିଁ।
MAR 13:31 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
MAR 13:32 “କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି।
MAR 13:33 ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ।
MAR 13:34 ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି।
MAR 13:35 ଅତଏବ, କାଳେ ଗୃହକର୍ତ୍ତା ହଠାତ୍‍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
MAR 13:36 ଏଥିନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
MAR 13:37 ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ‘ଜାଗ୍ରତ ଥାଅ।’”
MAR 14:1 ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ।
MAR 14:2 କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
MAR 14:3 ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
MAR 14:4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
MAR 14:5 ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ।
MAR 14:6 କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି।
MAR 14:7 କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।
MAR 14:8 ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।
MAR 14:9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
MAR 14:10 ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା।
MAR 14:11 ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା।
MAR 14:12 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
MAR 14:13 ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ;
MAR 14:14 ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ?
MAR 14:15 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।”
MAR 14:16 ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
MAR 14:17 ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ।
MAR 14:18 ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
MAR 14:19 ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ?
MAR 14:20 ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।
MAR 14:21 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
MAR 14:22 ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।”
MAR 14:23 ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ।
MAR 14:24 ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ।
MAR 14:25 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।”
MAR 14:26 ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
MAR 14:27 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି, ‘ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’
MAR 14:28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।”
MAR 14:29 ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ।
MAR 14:30 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
MAR 14:31 କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ।
MAR 14:32 ପରେ ସେମାନେ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
MAR 14:33 ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ।
MAR 14:34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।”
MAR 14:35 ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ।
MAR 14:36 ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
MAR 14:37 ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ?
MAR 14:38 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
MAR 14:39 ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ।
MAR 14:40 ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ।
MAR 14:41 ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
MAR 14:42 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
MAR 14:43 ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ।
MAR 14:44 ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ।
MAR 14:45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା।
MAR 14:46 ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
MAR 14:47 କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
MAR 14:48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ?
MAR 14:49 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।”
MAR 14:50 ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
MAR 14:51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
MAR 14:52 ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
MAR 14:53 ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ।
MAR 14:54 ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ।
MAR 14:55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
MAR 14:56 କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
MAR 14:57 ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ,
MAR 14:58 ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି।
MAR 14:59 କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
MAR 14:60 ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
MAR 14:61 କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି?
MAR 14:62 ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
MAR 14:63 ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ?
MAR 14:64 ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ।
MAR 14:65 ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
MAR 14:66 ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
MAR 14:67 ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
MAR 14:68 କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
MAR 14:69 ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ।
MAR 14:70 କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ।
MAR 14:71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ।
MAR 14:72 ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।
MAR 15:1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
MAR 15:2 ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
MAR 15:3 ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ।
MAR 15:4 ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି।
MAR 15:5 କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ।
MAR 15:6 ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ।
MAR 15:7 ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା।
MAR 15:8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ।
MAR 15:9 ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା?
MAR 15:10 କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ।
MAR 15:11 ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଂ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ।
MAR 15:12 କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା?
MAR 15:13 ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
MAR 15:14 ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
MAR 15:15 ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
MAR 15:16 ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍‍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ।
MAR 15:17 ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ;
MAR 15:18 ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ।
MAR 15:19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ।
MAR 15:20 ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ।
MAR 15:21 ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ।
MAR 15:22 ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ।
MAR 15:23 ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ।
MAR 15:24 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ।
MAR 15:25 ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ।
MAR 15:26 ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା।
MAR 15:27 ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ।
MAR 15:28 [ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।]
MAR 15:29 ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ,
MAR 15:30 କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର।
MAR 15:31 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ।
MAR 15:32 ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।
MAR 15:33 ଦିନ ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ଦିନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
MAR 15:34 ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍ “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?”
MAR 15:35 ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଅଛି।
MAR 15:36 ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା।
MAR 15:37 କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ।
MAR 15:38 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା।
MAR 15:39 ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତ-ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଥିଲେ।
MAR 15:40 କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି, ଶଲୋମୀ ଥିଲେ;
MAR 15:41 ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍‌ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମ ସହରକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ।
MAR 15:42 ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍‍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
MAR 15:43 ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ।
MAR 15:44 କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି?
MAR 15:45 ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ।
MAR 15:46 ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ।
MAR 15:47 ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।
MAR 16:1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।
MAR 16:2 ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା।
MAR 16:3 ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା।
MAR 16:4 ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି।
MAR 16:5 ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
MAR 16:6 ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ।
MAR 16:7 କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।
MAR 16:8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।
MAR 16:9 [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍‌ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ।
MAR 16:10 ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ।
MAR 16:11 ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ।
MAR 16:12 ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ,
MAR 16:13 ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ।
MAR 16:14 ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ।
MAR 16:15 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର।
MAR 16:16 ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ।
MAR 16:17 ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ,
MAR 16:18 ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।”
MAR 16:19 ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।
MAR 16:20 କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।]
LUK 1:1 ଆରମ୍ଭରୁ ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
LUK 1:2 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି।
LUK 1:3 ଅତଏବ, ହେ ମାନ୍ୟବର ଥୀୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି,
LUK 1:4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି।
LUK 1:5 ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ।
LUK 1:6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
LUK 1:7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।
LUK 1:8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
LUK 1:9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
LUK 1:10 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ।
LUK 1:11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ।
LUK 1:12 ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ।
LUK 1:13 କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
LUK 1:14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ।
LUK 1:15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
LUK 1:16 ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ।
LUK 1:17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।
LUK 1:18 ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି।
LUK 1:19 ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ବରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି।
LUK 1:20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।
LUK 1:21 ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ।
LUK 1:22 କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ।
LUK 1:23 ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ।
LUK 1:24 ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
LUK 1:25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।
LUK 1:26 ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
LUK 1:27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ।
LUK 1:28 ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।
LUK 1:29 କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ।
LUK 1:30 ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ।
LUK 1:31 ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
LUK 1:32 ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
LUK 1:33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ।
LUK 1:34 କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ।
LUK 1:35 ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
LUK 1:36 ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
LUK 1:37 କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ।
LUK 1:38 ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
LUK 1:39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
LUK 1:40 ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ।
LUK 1:41 ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
LUK 1:42 ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ।
LUK 1:43 ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା?
LUK 1:44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା।
LUK 1:45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।
LUK 1:46 ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
LUK 1:47 ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି;
LUK 1:48 କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
LUK 1:49 କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
LUK 1:50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।
LUK 1:51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
LUK 1:52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
LUK 1:53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
LUK 1:54 ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
LUK 1:55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।”
LUK 1:56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
LUK 1:57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
LUK 1:58 ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ।
LUK 1:59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ।
LUK 1:60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ।
LUK 1:61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ।
LUK 1:62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ।
LUK 1:63 ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ।
LUK 1:64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ।
LUK 1:65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ,
LUK 1:66 ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
LUK 1:67 ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
LUK 1:68 “ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
LUK 1:69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,
LUK 1:70 ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ,
LUK 1:71 ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
LUK 1:72 ଯେପରି ସେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
LUK 1:73 ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
LUK 1:74 ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,
LUK 1:75 ପବିତ୍ରତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି।
LUK 1:76 ଆଉ ହେ ଶିଶୁ, ତୁ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
LUK 1:77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
LUK 1:78 ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ବରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ, ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ,
LUK 1:79 ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ (ବାପ୍ତିଜକ ଯୋହନ) ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।”
LUK 1:80 ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।
LUK 2:1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
LUK 2:2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।
LUK 2:3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
LUK 2:4 ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରୁ ଯିହୂଦିୟା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
LUK 2:5 ତାହାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
LUK 2:6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା,
LUK 2:7 ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
LUK 2:8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ।
LUK 2:9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।
LUK 2:10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
LUK 2:11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
LUK 2:12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
LUK 2:13 ପୁଣି, ହଠାତ୍‍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
LUK 2:14 “ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”
LUK 2:15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
LUK 2:16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
LUK 2:17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
LUK 2:18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
LUK 2:19 କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ।
LUK 2:20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।
LUK 2:21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
LUK 2:22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
LUK 2:23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
LUK 2:24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ।
LUK 2:25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ।
LUK 2:26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
LUK 2:27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
LUK 2:28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
LUK 2:29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
LUK 2:30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
LUK 2:31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
LUK 2:32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”
LUK 2:33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
LUK 2:34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
LUK 2:35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍‌‌ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ।
LUK 2:36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
LUK 2:37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
LUK 2:38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
LUK 2:39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।
LUK 2:40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
LUK 2:41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ।
LUK 2:42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
LUK 2:43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
LUK 2:44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
LUK 2:45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ।
LUK 2:46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
LUK 2:47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
LUK 2:48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ।
LUK 2:49 ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?”
LUK 2:50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
LUK 2:51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
LUK 2:52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।
LUK 3:1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ
LUK 3:2 ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ବରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା।
LUK 3:3 ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,
LUK 3:4 ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
LUK 3:5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
LUK 3:6 ପୁଣି, ସମସ୍ତ ମନୁଷ୍ୟ ଈଶ୍ବରଙ୍କ ପରିତ୍ରାଣ ଦେଖିବେ।
LUK 3:7 ଅତଏବ, ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
LUK 3:8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
LUK 3:9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
LUK 3:10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା?
LUK 3:11 ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।
LUK 3:12 କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା?
LUK 3:13 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।
LUK 3:14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।
LUK 3:15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
LUK 3:16 ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
LUK 3:17 ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ।
LUK 3:18 ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
LUK 3:19 କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
LUK 3:20 ସେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ।
LUK 3:21 ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
LUK 3:22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।
LUK 3:23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
LUK 3:24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
LUK 3:25 ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
LUK 3:26 ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
LUK 3:27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
LUK 3:28 ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,
LUK 3:29 ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
LUK 3:30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର,
LUK 3:31 ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
LUK 3:32 ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
LUK 3:33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର,
LUK 3:34 ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
LUK 3:35 ନାହୋର ସରୁଗଙ୍କ ପୁତ୍ର, ସରୁଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
LUK 3:36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
LUK 3:37 ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
LUK 3:38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର।
LUK 4:1 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।
LUK 4:2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ।
LUK 4:3 ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ।
LUK 4:4 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ।’”
LUK 4:5 ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା।
LUK 4:6 ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ।
LUK 4:7 ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ।
LUK 4:8 ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣ ଈଶ୍ବରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।’”
LUK 4:9 ପୁଣି, ସେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼;
LUK 4:10 କାରଣ ଶାସ୍ତ୍ରରେ ଲେଖାଅଛି, “‘ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
LUK 4:11 ଆଉ ଲେଖାଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
LUK 4:12 ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କର ନାହିଁ।’”
LUK 4:13 ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା।
LUK 4:14 ଏହାପରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା।
LUK 4:15 ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ।
LUK 4:16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।
LUK 4:17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
LUK 4:18 “ପ୍ରଭୁଙ୍କ ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
LUK 4:19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି।”
LUK 4:20 ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକଙ୍କୁ ତାହା ଫେରାଇଦେଇ ବସିଲେ। ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା।
LUK 4:21 ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, “ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା।”
LUK 4:22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?
LUK 4:23 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ‘ହେ ବୈଦ୍ୟ, ନିଜେ ନିଜକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର।’”
LUK 4:24 ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ।
LUK 4:25 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ;
LUK 4:26 ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ।
LUK 4:27 ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।”
LUK 4:28 ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ,
LUK 4:29 ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ;
LUK 4:30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
LUK 4:31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ,
LUK 4:32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା।
LUK 4:33 ଦିନେ ସମାଜଗୃହରେ ଜଣେ ଅଶୁଚି ଭୂତାତ୍ମାବିଷ୍ଟ ଲୋକ ଥିଲା; ସେ ଉଚ୍ଚସ୍ୱରରେ ଚିତ୍କାର କଲା,
LUK 4:34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କର ସେହି ପବିତ୍ର ବ୍ୟକ୍ତି।
LUK 4:35 ଯୀଶୁ ତାହାକୁ ଧମକ ଦେଇ କହିଲେ “ଚୁପ୍ କର୍, ଏହାଠାରୁ ବାହାରିଯା।” ସେଥିରେ ସେହି ଭୂତ ତାହାକୁ ମଧ୍ୟ ସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରିଗଲା।
LUK 4:36 ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୋହି ହେଲେ, ଏ କି କଥା? ସେ ଅଶୁଚି ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି।
LUK 4:37 ସେଥିରେ ତାହାଙ୍କ ବିଷୟରେ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସବୁଆଡ଼େ ବ୍ୟାପିଗଲା।
LUK 4:38 ପରେ ସେ ସମାଜଗୃହରୁ ଉଠି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ।
LUK 4:39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେହିକ୍ଷଣି ଉଠି ସେମାନଙ୍କ ସେବା କରିବାକୁ ଲାଗିଲେ।
LUK 4:40 ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନେ ଥିଲେ, ସେ ସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।
LUK 4:41 ପୁଣି, ଭୂତମାନେ ମଧ୍ୟ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ। ଆଉ, ଯୀଶୁ ସେମାନଙ୍କୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।
LUK 4:42 ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।
LUK 4:43 କିନ୍ତୁ ସେ ସେମାନଙ୍କୁ କହିଲେ, “ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି।”
LUK 4:44 ପୁଣି, ସେ ଯିହୂଦିୟା ପ୍ରଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।
LUK 5:1 ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;
LUK 5:2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ।
LUK 5:3 ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ, ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ।
LUK 5:4 ସେ କଥା ଶେଷ କରି ଶିମୋନଙ୍କୁ କହିଲେ, “ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ।”
LUK 5:5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି।
LUK 5:6 ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା।
LUK 5:7 ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା।
LUK 5:8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଚାଲିଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ।
LUK 5:9 କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ;
LUK 5:10 ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ଆଶ୍ଚର୍ଯ୍ୟାନ୍ୱିତ ହେଲେ। ପୁଣି, ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ।”
LUK 5:11 ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ।
LUK 5:12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
LUK 5:13 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା।
LUK 5:14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର।”
LUK 5:15 କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
LUK 5:16 ମାତ୍ର ସେ କେହି ନ ଥିବା ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ।
LUK 5:17 ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦିୟା ପ୍ରଦେଶ ଓ ଯିରୂଶାଲମ ସହରରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ। ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା।
LUK 5:18 ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ।
LUK 5:19 କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ।
LUK 5:20 ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, “ହେ ବନ୍ଧୁ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି।”
LUK 5:21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କହିବାକୁ ଲାଗିଲେ, ଏ ଯେ ଈଶ୍ବର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
LUK 5:22 କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କଅଣ ତର୍କବିତର୍କ କରୁଅଛ?
LUK 5:23 କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା,’ ବା, ‘ଉଠ, ଚାଲ ବୋଲି କହିବା?’
LUK 5:24 କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ।”
LUK 5:25 ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ।
LUK 5:26 ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ।
LUK 5:27 ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।”
LUK 5:28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ।
LUK 5:29 ପୁଣି, ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ।
LUK 5:30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ?
LUK 5:31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି।
LUK 5:32 ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ-ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି।”
LUK 5:33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି।
LUK 5:34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇପାର?
LUK 5:35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ।”
LUK 5:36 ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, “କେହି ନୂଆ ଲୁଗାରୁ ତାଳି ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।
LUK 5:37 ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେରଖେ ନାହିଁ; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ପଡ଼ିଯିବ, ଆଉ କୁମ୍ପା ନଷ୍ଟ ହେବ।
LUK 5:38 କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।
LUK 5:39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ‘ପୁରୁଣା ତ ଭଲ।’”
LUK 6:1 ଥରେ ବିଶ୍ରାମବାର ଦିନରେ ସେ ଶସ୍ୟକ୍ଷେତ୍ର ଦେଇ ଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇ ଛିଣ୍ଡାଇ ହାତରେ ମଳି ଖାଉଥିଲେ।
LUK 6:2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନାହିଁ, ତାହା ତୁମ୍ଭେମାନେ କାହିଁକି କରୁଅଛ?
LUK 6:3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ ଭୋକିଲା ଥିବା ସମୟରେ ସେ କଅଣ କରିଥିଲେ, ତାହା ସୁଦ୍ଧା କି ତୁମ୍ଭେମାନେ ପଢ଼ି ନାହଁ?
LUK 6:4 ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ନେଇ ଖାଇଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
LUK 6:5 ଆଉ, ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
LUK 6:6 ସେ ଆଉ ଏକ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା।
LUK 6:7 ଆଉ, ସେ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି।
LUK 6:8 କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, “ଉଠ, ମଝିରେ ଠିଆ ହୁଅ।” ପୁଣି, ସେ ଉଠି ଠିଆ ହେଲା।
LUK 6:9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ଜୀବନ ରକ୍ଷା କରିବା ନା ବିନାଶ କରିବା?”
LUK 6:10 ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାକୁ କହିଲେ, “ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା।
LUK 6:11 କିନ୍ତୁ ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କଅଣ କରିପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ।
LUK 6:12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସାରା ରାତ୍ରି ବିତାଇଲେ।
LUK 6:13 ସକାଳ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ବାର ଜଣକୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ,
LUK 6:14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ,
LUK 6:15 ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି,
LUK 6:16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତୀୟ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
LUK 6:17 ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦିୟା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ;
LUK 6:18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ;
LUK 6:19 ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା।
LUK 6:20 ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, “ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କର।
LUK 6:21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ।
LUK 6:22 ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ।
LUK 6:23 ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ।”
LUK 6:24 “କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖ ଭୋଗ କରିଅଛ।
LUK 6:25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ।
LUK 6:26 ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ।
LUK 6:27 କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର;
LUK 6:28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର।
LUK 6:29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ବସ୍ତ୍ର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ମନା କର ନାହିଁ।
LUK 6:30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ।
LUK 6:31 ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କର।
LUK 6:32 ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି।
LUK 6:33 ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି।
LUK 6:34 ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି।
LUK 6:35 ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧ ନେବାର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ବରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି।
LUK 6:36 ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ।”
LUK 6:37 “ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;
LUK 6:38 ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଯିବ।
LUK 6:39 ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କଅଣ ଅନ୍ଧକୁ ବାଟ କଢ଼ାଇପାରେ? ସେମାନେ କଅଣ ଉଭୟେ ଗାତରେ ପଡ଼ିବେ ନାହିଁ?
LUK 6:40 ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ।
LUK 6:41 ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ?
LUK 6:42 ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ।”
LUK 6:43 “କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ।
LUK 6:44 କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟାଗଛରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ।
LUK 6:45 ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।
LUK 6:46 ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି କହୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ?
LUK 6:47 ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି।
LUK 6:48 ସେ ଏପରି ଜଣେ ଘର ନିର୍ମାଣକାରୀ ଲୋକ ପରି, ଯେ ଗଭୀର ଗାତ ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ, ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳ ଭାବରେ ଧକ୍କା ମାରିଲା, କିନ୍ତୁ ତାହା ହଲାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ନିର୍ମାଣ କରାଯାଇଥିଲା।
LUK 6:49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ପଥର ଉପରେ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳ ଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା।”
LUK 7:1 ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ।
LUK 7:2 ସେ ସମୟରେ ଜଣେ ଶତ-ସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।
LUK 7:3 ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାହାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ପାଖକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ।
LUK 7:4 ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;
LUK 7:5 କାରଣ ସେ ଆମ୍ଭ ଯିହୁଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି।
LUK 7:6 ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତ-ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
LUK 7:7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
LUK 7:8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।
LUK 7:9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”
LUK 7:10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ।
LUK 7:11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
LUK 7:12 ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।
LUK 7:13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।”
LUK 7:14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।”
LUK 7:15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
LUK 7:16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।
LUK 7:17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
LUK 7:18 ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।
LUK 7:19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
LUK 7:20 ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
LUK 7:21 ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ।
LUK 7:22 ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
LUK 7:23 ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ।
LUK 7:24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
LUK 7:25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
LUK 7:26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।
LUK 7:27 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
LUK 7:28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।”
LUK 7:29 ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;
LUK 7:30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
LUK 7:31 “ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ?
LUK 7:32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’
LUK 7:33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’
LUK 7:34 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’
LUK 7:35 ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନମାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହୋଇଅଛି।”
LUK 7:36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
LUK 7:37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
LUK 7:38 ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
LUK 7:39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା।
LUK 7:40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ।
LUK 7:41 “ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା।
LUK 7:42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”
LUK 7:43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।”
LUK 7:44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।
LUK 7:45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ।
LUK 7:46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା।
LUK 7:47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।”
LUK 7:48 ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।”
LUK 7:49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?
LUK 7:50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”
LUK 8:1 ଏଥିର ଅଳ୍ପ ସମୟ ପରେ ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଯାତ୍ରା କରିବାକୁ ଲାଗିଲେ, ଆଉ ବାର ଜଣ ଶିଷ୍ୟ ତାହାଙ୍କ ସାଙ୍ଗରେ ଥିଲେ,
LUK 8:2 ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍‍ ମଗ୍‌ଦଲୀନୀ ନାମକ ମରୀୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ,
LUK 8:3 ହେରୋଦଙ୍କ ପରିଚାଳକ ଖୂଜା ଓ ତାହାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ।
LUK 8:4 ବହୁସଂଖ୍ୟକ ଲୋକ ଏକତ୍ର ହୁଅନ୍ତେ ଓ ନଗରୁ ନଗରୁ ଲୋକେ ତାହାଙ୍କ ନିକଟକୁ ଆସନ୍ତେ ସେ ଦୃଷ୍ଟାନ୍ତ ଦେଇ କହିଲେ,
LUK 8:5 “ଜଣେ ବୁଣାଳୀ ଆପଣା ବିହନ ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳି ହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ।
LUK 8:6 ଆଉ କେତେକ ପଥର ଉପରେ ପଡ଼ିଲା, ପୁଣି, ଗଜା ହୋଇ ରସ ନ ପାଇବାରୁ ଶୁଖିଗଲା।
LUK 8:7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା।
LUK 8:8 ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଳିଲା।” ସେ ଏହା କହୁ କହୁ ଉଚ୍ଚସ୍ୱରରେ କହିଲେ, “ଯାହାର ଶୁଣିବା ପାଇଁ କାନ ଅଛି, ସେ ଶୁଣୁ।”
LUK 8:9 ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତର ଅର୍ଥ କଅଣ ବୋଲି ପଚାରିବାକୁ ଲାଗିଲେ।
LUK 8:10 ସେଥିରେ ସେ କହିଲେ, ଈଶ୍ବରଙ୍କ ରାଜ୍ୟର ରହସ୍ୟ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ଟାନ୍ତରେ କୁହାଯାଏ, “‘ଯେପରି ସେମାନେ ଦେଖୁ ଦେଖୁ ଦେଖିପାରିବେ ନାହିଁ ଓ ଶୁଣୁ ଶୁଣୁ ବୁଝିପାରିବେ ନାହିଁ।’”
LUK 8:11 “ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ବରଙ୍କ ବାକ୍ୟ,
LUK 8:12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ନେଇଯାଏ।
LUK 8:13 ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି।
LUK 8:14 ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସାଂସାରିକ ଚିନ୍ତା, ଧନ ଓ ସୁଖଭୋଗର ବଶବର୍ତ୍ତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି, ପରିପକ୍ୱ ଫଳ ଉତ୍ପନ୍ନ କରନ୍ତି ନାହିଁ।
LUK 8:15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ, ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧୈର୍ଯ୍ୟ ସହକାରେ ଫଳ ଫଳନ୍ତି।”
LUK 8:16 “କେହି ଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।
LUK 8:17 କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ।
LUK 8:18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସାବଧାନ; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ କରେ, ତାହା ସୁଦ୍ଧା ତାହାଠାରୁ ନିଆଯିବ।”
LUK 8:19 ତାହାଙ୍କ ମାଆ ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ଦେଖା କରିପାରୁ ନ ଥିଲେ।
LUK 8:20 ସେଥିରେ ତାହାଙ୍କୁ ଏହି ଖବର ଦିଆଗଲା, ଆପଣଙ୍କର ମାଆ ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରି ବାହାରେ ଠିଆ ହୋଇଅଛନ୍ତି।
LUK 8:21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମାଆ ଓ ଭାଇମାନେ।”
LUK 8:22 ସେହି ସମୟରେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେ ସେମାନଙ୍କୁ କହିଲେ, “ଆସ, ହ୍ରଦର ଆରପାରିକୁ ଯିବା।” ସେଥିରେ ସେମାନେ ନୌକା ଫିଟାଇଦେଲେ।
LUK 8:23 କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ଯୀଶୁ ଶୋଇପଡ଼ିଥିଲେ। ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ।
LUK 8:24 ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ। ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହିସବୁ ବନ୍ଦ ହୋଇ ସୁସ୍ଥିର ହେଲା।
LUK 8:25 ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ କାହିଁ?” କିନ୍ତୁ ସେମାନେ ଭୀତ ଓ ଚକିତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
LUK 8:26 ପରେ ସେମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ।
LUK 8:27 ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି-ସ୍ଥାନରେ ରହୁଥିଲା।
LUK 8:28 ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ।
LUK 8:29 କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ। ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଜଞ୍ଜିର ଓ ବେଡ଼ିସବୁ ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
LUK 8:30 ଯୀଶୁ ତାହାଙ୍କୁ ପଚାରିଲେ, “ତୋର ନାଁ କଅଣ?” ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ।
LUK 8:31 ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ।
LUK 8:32 ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ।
LUK 8:33 ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ।
LUK 8:34 ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ।
LUK 8:35 ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ।
LUK 8:36 ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ।
LUK 8:37 ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ।
LUK 8:38 କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା;
LUK 8:39 ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, “ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ବର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହିସବୁ ବର୍ଣ୍ଣନା କର।” ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା।
LUK 8:40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।
LUK 8:41 ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ଅଧ୍ୟକ୍ଷ ଥିଲେ। ସେ ଯୀଶୁଙ୍କ ପାଦ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ,
LUK 8:42 କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା। କିନ୍ତୁ ସେ ଯାଉଥିବା ସମୟରେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
LUK 8:43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ ସମସ୍ତ ପୁଞ୍ଜି ସୁସ୍ଥ ହେବା ପାଇଁ ବୈଦ୍ୟମାନଙ୍କଠାରେ ଖର୍ଚ୍ଚ କରିଥିଲା କିନ୍ତୁ ସୁସ୍ଥ ହୋଇପାରି ନ ଥିଲା,
LUK 8:44 ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା।
LUK 8:45 ସେଥିରେ ଯୀଶୁ କହିଲେ, “କିଏ ମୋତେ ଛୁଇଁଲା?” ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି।
LUK 8:46 କିନ୍ତୁ ଯୀଶୁ କହିଲେ, “କେହି ଜଣେ ମୋତେ ଛୁଇଁଲା, କାରଣ ମୋʼଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି।”
LUK 8:47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।
LUK 8:48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଝିଅ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା।”
LUK 8:49 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ।
LUK 8:50 କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, “ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ।”
LUK 8:51 ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ।
LUK 8:52 ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ। ସେଥିରେ ସେ କହିଲେ, “ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି।”
LUK 8:53 କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
LUK 8:54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, “ଆଗୋ ବାଳିକା, ଉଠ।”
LUK 8:55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ।
LUK 8:56 ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।
LUK 9:1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
LUK 9:2 ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
LUK 9:3 ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
LUK 9:4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
LUK 9:5 ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
LUK 9:6 ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
LUK 9:7 ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
LUK 9:8 ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
LUK 9:9 କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
LUK 9:10 ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍‌ସାଇଦା ନାମକ ନଗରକୁ ଚାଲିଗଲେ।
LUK 9:11 କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
LUK 9:12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
LUK 9:13 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
LUK 9:14 କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
LUK 9:15 ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
LUK 9:16 ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
LUK 9:17 ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
LUK 9:18 ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
LUK 9:19 ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
LUK 9:20 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
LUK 9:21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
LUK 9:22 “ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
LUK 9:23 ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
LUK 9:24 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
LUK 9:25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
LUK 9:26 ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
LUK 9:27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
LUK 9:28 ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
LUK 9:29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
LUK 9:30 ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
LUK 9:31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
LUK 9:32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
LUK 9:33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
LUK 9:34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
LUK 9:35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
LUK 9:36 ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
LUK 9:37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
LUK 9:38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
LUK 9:39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍‍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
LUK 9:40 ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
LUK 9:41 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
LUK 9:42 ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
LUK 9:43 ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
LUK 9:44 “ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
LUK 9:45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
LUK 9:46 ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
LUK 9:47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
LUK 9:48 “ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
LUK 9:49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
LUK 9:50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
LUK 9:51 ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
LUK 9:52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
LUK 9:53 କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
LUK 9:54 ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
LUK 9:55 କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
LUK 9:56 ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
LUK 9:57 ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
LUK 9:58 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
LUK 9:59 ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
LUK 9:60 ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
LUK 9:61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
LUK 9:62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
LUK 10:1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ।
LUK 10:2 ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର।
LUK 10:3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି।
LUK 10:4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।
LUK 10:5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ।
LUK 10:6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ।
LUK 10:7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ।
LUK 10:8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର,
LUK 10:9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ।
LUK 10:10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
LUK 10:11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ।
LUK 10:12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।”
LUK 10:13 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
LUK 10:14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ।
LUK 10:15 ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
LUK 10:16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।
LUK 10:17 ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି।
LUK 10:18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।
LUK 10:19 ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ।
LUK 10:20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”
LUK 10:21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
LUK 10:22 “ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
LUK 10:23 ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ।
LUK 10:24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
LUK 10:25 ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି?
LUK 10:26 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?”
LUK 10:27 ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
LUK 10:28 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।”
LUK 10:29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ?
LUK 10:30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
LUK 10:31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ।
LUK 10:32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
LUK 10:33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ,
LUK 10:34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ।
LUK 10:35 ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’”
LUK 10:36 “ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?”
LUK 10:37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”
LUK 10:38 ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
LUK 10:39 ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।
LUK 10:40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।
LUK 10:41 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ,
LUK 10:42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।”
LUK 11:1 ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଅନ୍ତୁ।
LUK 11:2 ଏଥିରେ ସେ ସେମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ‘ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ।
LUK 11:3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
LUK 11:4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକୁ କ୍ଷମା କରୁ। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ।’”
LUK 11:5 ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ‘ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
LUK 11:6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋʼ ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋʼ ପାଖରେ କିଛି ନାହିଁ,’
LUK 11:7 ଆଉ ସେ ଭିତରୁ ଏପରି ଉତ୍ତର ଦେବ, ‘ମୋତେ କଷ୍ଟ ଦିଅ ନାହିଁ; ଦ୍ୱାର ବନ୍ଦ ହେଲାଣି, ଆଉ ମୋହର ପିଲାମାନେ ମୋʼ ସାଙ୍ଗରେ ଶୋଇଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ?’
LUK 11:8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ।
LUK 11:9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ।
LUK 11:10 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ଆଘାତ କରେ, ତାହା ନିମନ୍ତେ ଦ୍ୱାର ଫିଟାଇଦିଆଯିବ।
LUK 11:11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?
LUK 11:12 କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ?
LUK 11:13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!”
LUK 11:14 ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା। ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ।
LUK 11:15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ।
LUK 11:16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ।
LUK 11:17 କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ।
LUK 11:18 ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ।
LUK 11:19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
LUK 11:20 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
LUK 11:21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
LUK 11:22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ।
LUK 11:23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।”
LUK 11:24 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ‘ମୋହର ସେହି ଘରକୁ ଫେରିଯିବି;’
LUK 11:25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ।
LUK 11:26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।”
LUK 11:27 ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ।
LUK 11:28 ମାତ୍ର ସେ କହିଲେ, “ନା, ବରଂ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ।”
LUK 11:29 ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, “ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
LUK 11:30 କାରଣ ଯୂନସ ଯେପରି ନୀନିବୀ ସହରର ଲୋକମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ।
LUK 11:31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
LUK 11:32 ନୀନିବୀ ସହରର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
LUK 11:33 “କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।
LUK 11:34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।
LUK 11:35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ।
LUK 11:36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।”
LUK 11:37 ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
LUK 11:38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ।
LUK 11:39 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ।
LUK 11:40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ?
LUK 11:41 ବରଂ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ।
LUK 11:42 କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ବରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ।
LUK 11:43 ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ।
LUK 11:44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।”
LUK 11:45 ଏଥିରେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି।
LUK 11:46 ସେ କହିଲେ, “ହାୟ, ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଅଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ।
LUK 11:47 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ସେମାନଙ୍କୁ ବଧ କରିଥିଲେ।
LUK 11:48 ଅତଏବ ତୁମ୍ଭମାନଙ୍କ ପିତୃ-ପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ।
LUK 11:49 ତେଣୁ ଈଶ୍ବର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,
LUK 11:50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
LUK 11:51 ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ।
LUK 11:52 ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ।”
LUK 11:53 ଆଉ, ସେ ସେଠାରୁ ବାହାରିଗଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି
LUK 11:54 ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପକାଇ ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।
LUK 12:1 ଏଥିମଧ୍ୟରେ ଅସଂଖ୍ୟ ଅସଂଖ୍ୟ ଲୋକ ଏକତ୍ର ହୋଇ ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ; ସେତେବେଳେ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ଫାରୂଶୀମାନଙ୍କ ଖମୀର ସ୍ୱରୂପ କପଟତା ବିଷୟରେ ସାବଧାନ ହୋଇଥାଅ।
LUK 12:2 କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
LUK 12:3 ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ।”
LUK 12:4 “କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।
LUK 12:5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର।
LUK 12:6 ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ବର ଭୁଲିଯାଆନ୍ତି ନାହିଁ।
LUK 12:7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
LUK 12:8 “ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ;
LUK 12:9 କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ।
LUK 12:10 ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ।
LUK 12:11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;
LUK 12:12 କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ।”
LUK 12:13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋʼର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।
LUK 12:14 କିନ୍ତୁ ସେ ତାହାଙ୍କୁ କହିଲେ, “ହେ ଭାଇ, କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା?”
LUK 12:15 ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।”
LUK 12:16 ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, “ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା।
LUK 12:17 ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କଅଣ କରିବି? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ।
LUK 12:18 ପୁଣି, ସେ କହିଲା, ଏହା କରିବି; ମୋହର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,
LUK 12:19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
LUK 12:20 କିନ୍ତୁ ଈଶ୍ବର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ?
LUK 12:21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ବରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ।”
LUK 12:22 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ।
LUK 12:23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।
LUK 12:24 କାଉମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଅମାର ନାହିଁ, ଆଉ ଈଶ୍ବର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ!
LUK 12:25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ?
LUK 12:26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ?
LUK 12:27 କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଦେଖ, ସେଗୁଡ଼ିକ କିପରି ସୂତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ।
LUK 12:28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ!
LUK 12:29 ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ,
LUK 12:30 କାରଣ ଜଗତର ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ବର ଜାଣନ୍ତି।
LUK 12:31 ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।”
LUK 12:32 “ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ମହା ଆନନ୍ଦ।
LUK 12:33 ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଝୋଲି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,
LUK 12:34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।”
LUK 12:35 “ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
LUK 12:36 ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରି ଆସି ଦ୍ୱାରରେ ଆଘାତ କରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ।
LUK 12:37 ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ।
LUK 12:38 ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ।
LUK 12:39 କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ।
LUK 12:40 ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
LUK 12:41 ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି?
LUK 12:42 ପ୍ରଭୁ କହିଲେ, “ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ?
LUK 12:43 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
LUK 12:44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ।
LUK 12:45 କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ,
LUK 12:46 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ।
LUK 12:47 ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ,
LUK 12:48 ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”
LUK 12:49 “ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା?
LUK 12:50 ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି।
LUK 12:51 ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି।
LUK 12:52 କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ।
LUK 12:53 ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।”
LUK 12:54 ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, “ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ;
LUK 12:55 ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ।
LUK 12:56 ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?”
LUK 12:57 “ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ଯେ ଉଚିତ୍ କଅଣ?
LUK 12:58 କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ।
LUK 12:59 ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।”
LUK 13:1 ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ।
LUK 13:2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
LUK 13:3 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ।
LUK 13:4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
LUK 13:5 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ।”
LUK 13:6 ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ।
LUK 13:7 ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?
LUK 13:8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,
LUK 13:9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”
LUK 13:10 ଥରେ ସେ ବିଶ୍ରାମବାର ଦିନରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ।
LUK 13:11 ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରିପାରୁ ନ ଥିଲା।
LUK 13:12 ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, “ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ।”
LUK 13:13 ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା।
LUK 13:14 କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।
LUK 13:15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, “ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାର ଦିନରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ?
LUK 13:16 ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇଥିବା ଅବ୍ରହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କଅଣ ବିଶ୍ରାମବାର ଦିନରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା?”
LUK 13:17 ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ।
LUK 13:18 ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି?
LUK 13:19 ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ।”
LUK 13:20 ସେ ଆହୁରି କହିଲେ, “ମୁଁ କାହା ସହିତ ଈଶ୍ବରଙ୍କ ରାଜ୍ୟର ତୁଳନା କରିବି?
LUK 13:21 ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।”
LUK 13:22 ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ।
LUK 13:23 ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ,
LUK 13:24 “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
LUK 13:25 ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’
LUK 13:26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ;
LUK 13:27 ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ।
LUK 13:28 ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ବରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।
LUK 13:29 ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ବରଙ୍କ ରାଜ୍ୟରେ ଭୋଜନରେ ବସିବେ।
LUK 13:30 ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ।”
LUK 13:31 ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି।
LUK 13:32 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ‘ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି।’
LUK 13:33 ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମ ସହରର ବାହାରେ ଭାବବାଦୀର ନିହତ ହେବା ଉଚିତ୍ ନୁହେଁ।”
LUK 13:34 “ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
LUK 13:35 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,’ ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।”
LUK 14:1 ଥରେ ସେ ବିଶ୍ରାମବାର ଦିନରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ।
LUK 14:2 ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲେ।
LUK 14:3 ସେଥିରେ ଯୀଶୁ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, “ବିଶ୍ରାମବାର ଦିନରେ ସୁସ୍ଥ କରିବା ବିଧିସଙ୍ଗତ କି ନୁହେଁ? କିନ୍ତୁ ସେମାନେ ନୀରବ ରହିଲେ।”
LUK 14:4 ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ।
LUK 14:5 ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାର ଦିନରେ ସେହିକ୍ଷଣି ଉଠାଇବ ନାହିଁ?”
LUK 14:6 ଆଉ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ।
LUK 14:7 ପୁଣି, ନିମନ୍ତ୍ରିତ ଲୋକମାନେ କେମିତି ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ୍ୟ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,
LUK 14:8 “ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହ ଭୋଜକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ, କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବେ,
LUK 14:9 ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ‘ଏହାଙ୍କୁ ସ୍ଥାନ ଦିଅ;’ ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ।
LUK 14:10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ‘ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ;’ ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ।
LUK 14:11 କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”
LUK 14:12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, “ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ।
LUK 14:13 କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;
LUK 14:14 ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ।”
LUK 14:15 ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ବରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ।
LUK 14:16 କିନ୍ତୁ ସେ ତାହାଙ୍କୁ କହିଲେ, “ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;
LUK 14:17 ଆଉ, ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ‘ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି।’
LUK 14:18 କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲେ, ‘ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର।’
LUK 14:19 ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର।
LUK 14:20 ଅନ୍ୟ ଜଣେ କହିଲା, ‘ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ।’
LUK 14:21 ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ‘ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ।’
LUK 14:22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି।
LUK 14:23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ‘ରାଜଦାଣ୍ଡ ଓ ବାଡ଼ ଆଡ଼କୁ ଯାଇ ଲୋକମାନଙ୍କୁ ଆସିବା ପାଇଁ କୁହ, ଯେପରି ମୋହର ଗୃହ ପୂର୍ଣ୍ଣ ହୁଏ।’
LUK 14:24 ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜର ଆସ୍ୱାଦ ପାଇବ ନାହିଁ।”
LUK 14:25 ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ଯାଉଥିଲେ, ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ,
LUK 14:26 “କେହି ଯେବେ ମୋʼ ପାଖକୁ ଆସି ନିଜର ପିତା, ମାତା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ମୋʼଠାରୁ ଅଧିକ ପ୍ରିୟ ମନେ କରେ, ତେବେ ସେ ମୋହର ଶିଷ୍ୟ ହୋଇପାରେ ନାହିଁ।
LUK 14:27 ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ।
LUK 14:28 କାରଣ ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀ-ଗୃହ ତିଆରି କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ପାଇଁ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ?
LUK 14:29 କାଳେ ସେ ମୂଳଦୁଆ ପଥର ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ,
LUK 14:30 ଏ ଲୋକଟା ତିଆରି କରିବାକୁ ଆରମ୍ଭ କରି ଶେଷ କରିପାରିଲା ନାହିଁ।
LUK 14:31 କିମ୍ବା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ, କୋଡ଼ିଏ ହଜାର ସୈନ୍ୟ ଘେନି ତାହାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶ ହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ?
LUK 14:32 ଯଦି ପାରନ୍ତି ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି।
LUK 14:33 ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ।”
LUK 14:34 “ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦ ଦିଏ ନାହିଁ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ?
LUK 14:35 ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
LUK 15:1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ।
LUK 15:2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!
LUK 15:3 ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
LUK 15:4 “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
LUK 15:5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,
LUK 15:6 ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’
LUK 15:7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”
LUK 15:8 “ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ?
LUK 15:9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’
LUK 15:10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”
LUK 15:11 ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ।
LUK 15:12 ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ।
LUK 15:13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।
LUK 15:14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା।
LUK 15:15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ;
LUK 15:16 ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ।
LUK 15:17 ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି।
LUK 15:18 ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
LUK 15:19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ।
LUK 15:20 ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
LUK 15:21 ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ।
LUK 15:22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ,
LUK 15:23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
LUK 15:24 କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ।
LUK 15:25 ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
LUK 15:26 ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା।
LUK 15:27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି।
LUK 15:28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ।
LUK 15:29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
LUK 15:30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ।
LUK 15:31 ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
LUK 15:32 କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”
LUK 16:1 ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, “ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ,
LUK 16:2 ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ।
LUK 16:3 ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି। ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି।
LUK 16:4 ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି।
LUK 16:5 ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ।
LUK 16:6 ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ।
LUK 16:7 ତାହା ପରେ ସେ ଆଉ ଜଣକୁ କହିଲା, ‘ତୁମ୍ଭେ କେତେ ଧାର ନେଇଅଛ?’ ସେ କହିଲା, ‘ଶହେ ଭରଣ ଗହମ।’ ସେ ତାହାକୁ କହିଲା, ‘ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ।’
LUK 16:8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ।
LUK 16:9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ।
LUK 16:10 ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ।
LUK 16:11 ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
LUK 16:12 ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ?
LUK 16:13 କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରିପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାରିବ ନାହିଁ।”
LUK 16:14 ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
LUK 16:15 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ।
LUK 16:16 ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି।
LUK 16:17 କିନ୍ତୁ ଇଶ୍ବରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ।
LUK 16:18 ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।”
LUK 16:19 “ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା;
LUK 16:20 କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା,
LUK 16:21 ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ।
LUK 16:22 କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା।
LUK 16:23 ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା।
LUK 16:24 ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’
LUK 16:25 କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ।
LUK 16:26 ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’
LUK 16:27 ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ,
LUK 16:28 କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’
LUK 16:29 କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’
LUK 16:30 ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’
LUK 16:31 କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’”
LUK 17:1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
LUK 17:2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
LUK 17:3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
LUK 17:4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
LUK 17:5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
LUK 17:6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
LUK 17:7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
LUK 17:8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
LUK 17:9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
LUK 17:10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
LUK 17:11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
LUK 17:12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
LUK 17:13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
LUK 17:14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
LUK 17:15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
LUK 17:16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
LUK 17:17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
LUK 17:18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
LUK 17:19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
LUK 17:20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
LUK 17:21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
LUK 17:22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
LUK 17:23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
LUK 17:24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
LUK 17:25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
LUK 17:26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
LUK 17:27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
LUK 17:28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
LUK 17:29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
LUK 17:30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
LUK 17:31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
LUK 17:32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
LUK 17:33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
LUK 17:34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
LUK 17:35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
LUK 17:36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
LUK 17:37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
LUK 18:1 କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ,
LUK 18:2 “ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ବରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ।
LUK 18:3 ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା।
LUK 18:4 ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ‘ଯଦିବା ମୁଁ ଈଶ୍ବରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ,
LUK 18:5 ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ।’”
LUK 18:6 ସେଥିରେ ପ୍ରଭୁ କହିଲେ, “ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ।
LUK 18:7 ତେବେ ଈଶ୍ବରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
LUK 18:8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଅଣ ବିଶ୍ୱାସ ଦେଖିବେ?”
LUK 18:9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,
LUK 18:10 “ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ।
LUK 18:11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ‘ହେ ଈଶ୍ବର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ;
LUK 18:12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ।’
LUK 18:13 କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗ ଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, ‘ହେ ଈଶ୍ବର, ମୁଁ ପାପୀ ମୋତେ ଦୟା କରନ୍ତୁ।’
LUK 18:14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”
LUK 18:15 ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ।
LUK 18:16 କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର।
LUK 18:17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ବରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ।”
LUK 18:18 ଜଣେ ଯିହୁଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍‌ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି?
LUK 18:19 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ।
LUK 18:20 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।”
LUK 18:21 ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି।
LUK 18:22 ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, “ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
LUK 18:23 କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ।
LUK 18:24 ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରନ୍ତି!
LUK 18:25 କାରଣ ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।”
LUK 18:26 ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
LUK 18:27 କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।”
LUK 18:28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ।
LUK 18:29 ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ଗୃହ କିମ୍ବା ସ୍ତ୍ରୀ କିମ୍ବା ଭାଇ କିମ୍ବା ପିତାମାତା କିମ୍ବା ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି
LUK 18:30 ସେମାନେ ଇହକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ।”
LUK 18:31 ପରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
LUK 18:32 କାରଣ ସେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ,
LUK 18:33 ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିନରେ ସେ ପୁନର୍ବାର ଉଠିବେ।”
LUK 18:34 କିନ୍ତୁ ଶିଷ୍ୟମାନେ ଏହିସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି, ଯାହା କୁହାଯାଉଥିଲା, ସେ ସବୁ ବୁଝୁ ନ ଥିଲେ।
LUK 18:35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା।
LUK 18:36 ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା।
LUK 18:37 ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି।
LUK 18:38 ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ।
LUK 18:39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କରନ୍ତୁ।
LUK 18:40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ,
LUK 18:41 “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି।
LUK 18:42 ଯୀଶୁ ତାହାକୁ କହିଲେ, “ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
LUK 18:43 ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ବରଙ୍କ ପ୍ରଶଂସା କଲେ।
LUK 19:1 ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
LUK 19:2 ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।
LUK 19:3 ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
LUK 19:4 ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
LUK 19:5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”
LUK 19:6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
LUK 19:7 ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
LUK 19:8 କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
LUK 19:9 ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
LUK 19:10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”
LUK 19:11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ବରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
LUK 19:12 ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।
LUK 19:13 ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର।
LUK 19:14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ।
LUK 19:15 ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ।
LUK 19:16 ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି।
LUK 19:17 ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
LUK 19:18 ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
LUK 19:19 ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
LUK 19:20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
LUK 19:21 କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
LUK 19:22 ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
LUK 19:23 ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
LUK 19:24 ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ।
LUK 19:25 ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
LUK 19:26 ‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
LUK 19:27 କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”
LUK 19:28 ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
LUK 19:29 ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
LUK 19:30 “ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
LUK 19:31 ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’”
LUK 19:32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
LUK 19:33 ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
LUK 19:34 ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।
LUK 19:35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
LUK 19:36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ।
LUK 19:37 ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
LUK 19:38 ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା।
LUK 19:39 ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
LUK 19:40 ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।”
LUK 19:41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
LUK 19:42 “ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
LUK 19:43 ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ,
LUK 19:44 ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
LUK 19:45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ,
LUK 19:46 “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ।”
LUK 19:47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
LUK 19:48 କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରିପାରୁ ନ ଥିଲେ।
LUK 20:1 ଏଥିମଧ୍ୟରେ ଦିନେ ଯୀଶୁ ଯେତେବେଳେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ପ୍ରାଚୀନମାନଙ୍କ ସହିତ ଆସି ତାହାଙ୍କୁ କହିଲେ,
LUK 20:2 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ, ଅବା, ଯେ ତୁମ୍ଭକୁ ଏ ଅଧିକାର ଦେଲା, ସେ କିଏ, ଆମ୍ଭମାନଙ୍କୁ କୁହ?
LUK 20:3 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ କୁହ,
LUK 20:4 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ଥିଲା?”
LUK 20:5 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
LUK 20:6 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ।
LUK 20:7 ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ।
LUK 20:8 ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
LUK 20:9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ।
LUK 20:10 ଆଉ କୃଷକମାନେ ଯେପରି ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥିନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଶୂନ୍ୟ ହସ୍ତରେ ଫେରାଇଦେଲେ।
LUK 20:11 ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ;
LUK 20:12 ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ।
LUK 20:13 ସେଥିରେ ଦ୍ରାକ୍ଷାକ୍ଷେତ୍ରର ମାଲିକ କହିଲେ, ମୁଁ କଅଣ କରିବି? ମୋହର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ।
LUK 20:14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ।
LUK 20:15 ଆଉ ସେମାନେ ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। ଅତଏବ ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କଅଣ କରିବେ?
LUK 20:16 ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।”
LUK 20:17 କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତେବେ ଏହି ଯେଉଁ ବାକ୍ୟ ଲେଖାଅଛି, ତାହାର ଅର୍ଥ କଅଣ, ‘ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା?’
LUK 20:18 ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ।”
LUK 20:19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୂର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।
LUK 20:20 ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ।
LUK 20:21 ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି।
LUK 20:22 କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ବିଧିସଙ୍ଗତ କି ନୁହେଁ?
LUK 20:23 କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, “ମୋତେ ଗୋଟିଏ ମୁଦ୍ରା ଦେଖାଅ।
LUK 20:24 ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି?” ସେମାନେ କହିଲେ, କାଇସରଙ୍କର।
LUK 20:25 ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ବରଙ୍କର, ତାହା ଈଶ୍ବରଙ୍କୁ ଦିଅ।
LUK 20:26 ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ।
LUK 20:27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,
LUK 20:28 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
LUK 20:29 ଆଚ୍ଛା, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
LUK 20:30 ପରେ ଦ୍ୱିତୀୟଟି ଓ ତୃତୀୟଟି ତାହାକୁ ଗ୍ରହଣ କଲେ;
LUK 20:31 ସେହି ପ୍ରକାର ସାତ ଜଣଯାକ ନିଃସନ୍ତାନ ହୋଇ ମଲେ।
LUK 20:32 ଶେଷରେ ସ୍ତ୍ରୀଟି ମଧ୍ୟ ମଲା।
LUK 20:33 ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
LUK 20:34 ଯୀଶୁ ସେମାନଙ୍କୁ କହିଲେ, “ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି,
LUK 20:35 କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ;
LUK 20:36 ପୁଣି, ସେମାନେ ଆଉ ମରି ପାରନ୍ତି ନାହିଁ, କାରଣ ସେମାନେ ଦୂତମାନଙ୍କ ପରି ରୁହନ୍ତି ଏବଂ ପୁନରୁତ୍ଥାନର ସନ୍ତାନ ହେବାରୁ ଈଶ୍ବରଙ୍କ ସନ୍ତାନ ଅଟନ୍ତି।
LUK 20:37 ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ‘ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର’ ବୋଲି କହି ସୂଚନା ଦେଇଅଛନ୍ତି।
LUK 20:38 ସେ ତ ମୃତମାନଙ୍କ ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି।”
LUK 20:39 ସେଥିରେ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଉତ୍ତର ଦେଲେ, ହେ ଗୁରୁ, ଆପଣ ଠିକ୍ କହିଲେ।
LUK 20:40 କାରଣ ସେମାନେ ତାହାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଆଉ ସାହସ କଲେ ନାହିଁ।
LUK 20:41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି?
LUK 20:42 କାରଣ ଦାଉଦ ନିଜେ ଗୀତସଂହିତା ପୁସ୍ତକରେ କହନ୍ତି, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
LUK 20:43 ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
LUK 20:44 ଅତଏବ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ଦାଉଦର ସନ୍ତାନ?”
LUK 20:45 ପରେ ସେ ସମସ୍ତ ଲୋକଙ୍କ ଆଗରେ ଶିଷ୍ୟମାନଙ୍କୁ କହିଲେ,
LUK 20:46 “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
LUK 20:47 ସେମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି ଓ ଛଳନାରେ ବହୁତ ସମୟ ଧରି ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
LUK 21:1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।
LUK 21:2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,
LUK 21:3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
LUK 21:4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”
LUK 21:5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
LUK 21:6 “ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
LUK 21:7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ?
LUK 21:8 ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।
LUK 21:9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ।”
LUK 21:10 ତାହା ପରେ ସେ ସେମାନଙ୍କୁ କହିଲେ, “ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
LUK 21:11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।
LUK 21:12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
LUK 21:13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ।
LUK 21:14 ଅତଏବ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
LUK 21:15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।
LUK 21:16 କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,
LUK 21:17 ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ।
LUK 21:18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
LUK 21:19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”
LUK 21:20 “କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମ ସହରକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ।
LUK 21:21 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
LUK 21:22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ।
LUK 21:23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
LUK 21:24 ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୁଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୁଦୀମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।”
LUK 21:25 “ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
LUK 21:26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ।
LUK 21:27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ।
LUK 21:28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ।”
LUK 21:29 ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, “ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
LUK 21:30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
LUK 21:31 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ।
LUK 21:32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
LUK 21:33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
LUK 21:34 “କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍‍ ତୁମ୍ଭମାନଙ୍କ ଉପରେ ପଡ଼େ;
LUK 21:35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ।
LUK 21:36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ।”
LUK 21:37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତି ରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ।
LUK 21:38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ।
LUK 22:1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।
LUK 22:2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
LUK 22:3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
LUK 22:4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।
LUK 22:5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
LUK 22:6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
LUK 22:7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
LUK 22:8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”
LUK 22:9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
LUK 22:10 ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
LUK 22:11 ‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
LUK 22:12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।”
LUK 22:13 ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
LUK 22:14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
LUK 22:15 ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି।
LUK 22:16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”
LUK 22:17 ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
LUK 22:18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
LUK 22:19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
LUK 22:20 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
LUK 22:21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
LUK 22:22 କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!”
LUK 22:23 ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
LUK 22:24 ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
LUK 22:25 ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି।
LUK 22:26 କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ।
LUK 22:27 କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
LUK 22:28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
LUK 22:29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
LUK 22:30 ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
LUK 22:31 “ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
LUK 22:32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।”
LUK 22:33 ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
LUK 22:34 କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।”
LUK 22:35 ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ।
LUK 22:36 ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ।
LUK 22:37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।”
LUK 22:38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
LUK 22:39 ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
LUK 22:40 ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
LUK 22:41 ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
LUK 22:42 “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
LUK 22:43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
LUK 22:44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା।
LUK 22:45 ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
LUK 22:46 ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।”
LUK 22:47 ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା।
LUK 22:48 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
LUK 22:49 ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା?
LUK 22:50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ।
LUK 22:51 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
LUK 22:52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
LUK 22:53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।”
LUK 22:54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
LUK 22:55 ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
LUK 22:56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
LUK 22:57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
LUK 22:58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
LUK 22:59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
LUK 22:60 କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;
LUK 22:61 ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
LUK 22:62 ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
LUK 22:63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
LUK 22:64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?
LUK 22:65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
LUK 22:66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
LUK 22:67 କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
LUK 22:68 ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
LUK 22:69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।”
LUK 22:70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”
LUK 22:71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।
LUK 23:1 ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ।
LUK 23:2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି।
LUK 23:3 ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
LUK 23:4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ।
LUK 23:5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ତ ଗାଲିଲୀ ପ୍ରଦେଶଠାରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ଶିକ୍ଷା ଦେଇ ଲୋକସାଧାରଣଙ୍କୁ ମତାଉଅଛି।
LUK 23:6 କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କଅଣ ଜଣେ ଗାଲିଲୀୟ?
LUK 23:7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ।
LUK 23:8 ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ।
LUK 23:9 ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ।
LUK 23:10 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ର ଭାବରେ ଅଭିଯୋଗ କରୁଥିଲେ।
LUK 23:11 ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ।
LUK 23:12 ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା।
LUK 23:13 ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ,
LUK 23:14 ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ।
LUK 23:15 ହେରୋଦ ମଧ୍ୟ ପାଇ ନାହାନ୍ତି କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ;
LUK 23:16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ
LUK 23:17 [ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା।]
LUK 23:18 ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର।
LUK 23:19 ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା।
LUK 23:20 ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ।
LUK 23:21 କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ।
LUK 23:22 ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା।
LUK 23:23 ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା।
LUK 23:24 ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ;
LUK 23:25 କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ।
LUK 23:26 ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀରୁ ଆସୁଥିବା ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ।
LUK 23:27 ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍‍ଗମନ କରୁଥିଲେ।
LUK 23:28 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ଗୋ ଯିରୂଶାଲମ ସହରର କନ୍ୟାମାନେ, ମୋʼ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;
LUK 23:29 କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାନ୍ତି ଓ ସ୍ତନ୍ୟପାନ କରାଇ ନାହାନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି।
LUK 23:30 ସେତେବେଳେ ‘ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼,’ ‘ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ।’
LUK 23:31 କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?”
LUK 23:32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ।
LUK 23:33 ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ।
LUK 23:34 ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ।
LUK 23:35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ। ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ବରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ।
LUK 23:36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ,
LUK 23:37 ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର।
LUK 23:38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୁଦୀମାନଙ୍କର ରାଜା।”
LUK 23:39 ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର।
LUK 23:40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ବରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ?
LUK 23:41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି।
LUK 23:42 ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ।
LUK 23:43 ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।”
LUK 23:44 ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା,
LUK 23:45 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା।
LUK 23:46 ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।” ଏହା କହି ସେ ପ୍ରାଣତ୍ୟାଗ କଲେ।
LUK 23:47 ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ।
LUK 23:48 ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ।
LUK 23:49 କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ।
LUK 23:50 ଆଉ ଦେଖ, ଯିହୂଦିୟା ପ୍ରଦେଶରେ ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଯିହୁଦୀମାନଙ୍କର ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
LUK 23:51 ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ।
LUK 23:52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ,
LUK 23:53 ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧି-ସ୍ଥାନରେ ତାହାଙ୍କୁ ଥୋଇଲେ।
LUK 23:54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା
LUK 23:55 ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ,
LUK 23:56 ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।
LUK 24:1 ଆଉ ବିଶ୍ରାମବାର ଦିନରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି-ସ୍ଥାନ ନିକଟକୁ ଗଲେ।
LUK 24:2 ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ,
LUK 24:3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।
LUK 24:4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;
LUK 24:5 ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ?
LUK 24:6 ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି। “ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ,”
LUK 24:7 ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର।
LUK 24:8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ,
LUK 24:9 ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଶିଷ୍ୟମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଏହିସବୁ ସମ୍ବାଦ ଦେଲେ।
LUK 24:10 ଏମାନେ ମଗ୍‌ଦଲୀନୀ ମରୀୟମ, ଯୋହାନା, ଯାକୁବଙ୍କ ମାତା ମରୀୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହିସବୁ ବିଷୟ ଜଣାଇଲେ।
LUK 24:11 ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ।
LUK 24:12 [କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ।]
LUK 24:13 ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ
LUK 24:14 ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ।
LUK 24:15 ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ;
LUK 24:16 କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ।
LUK 24:17 ସେ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କଅଣ?” ସେଥିରେ ସେମାନେ ବିଷଣ୍ଣ ମୁଖରେ ଠିଆ ହୋଇ ରହିଲେ।
LUK 24:18 ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କଅଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ?
LUK 24:19 ସେ ସେମାନଙ୍କୁ ପଚାରିଲେ, “କି କି ପ୍ରକାର ଘଟଣା?” ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ବର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ,
LUK 24:20 ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ।
LUK 24:21 କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହା ଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା।
LUK 24:22 ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ
LUK 24:23 ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି।
LUK 24:24 ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ।
LUK 24:25 ସେଥିରେ ସେ ସେମାନଙ୍କୁ କହିଲେ, “ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,
LUK 24:26 ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କଅଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା?”
LUK 24:27 ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ।
LUK 24:28 ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ।
LUK 24:29 କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି। ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ।
LUK 24:30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ।
LUK 24:31 ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।
LUK 24:32 ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା?
LUK 24:33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମ ସହରକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶ ଶିଷ୍ୟମାନଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ;
LUK 24:34 ସେମାନେ କହୁଥିଲେ ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି।
LUK 24:35 ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହିସବୁ ବର୍ଣ୍ଣନା କରିବାକୁ ଲାଗିଲେ।
LUK 24:36 କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।”
LUK 24:37 ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ।
LUK 24:38 ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି?
LUK 24:39 ଏ ଯେ ସ୍ୱୟଂ ମୁଁ, ମୋହର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ।”
LUK 24:40 [ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।]
LUK 24:41 ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?”
LUK 24:42 ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ।
LUK 24:43 ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ।
LUK 24:44 ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।”
LUK 24:45 ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ;
LUK 24:46 ଆଉ ସେମାନଙ୍କୁ କହିଲେ, “ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ,
LUK 24:47 ପୁଣି, ଯିରୂଶାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ।
LUK 24:48 ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ
LUK 24:49 ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ।”
LUK 24:50 ତତ୍ପରେ ସେ ସେମାନଙ୍କୁ ବେଥନୀୟାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ।
LUK 24:51 ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ।
LUK 24:52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମ ସହରକୁ ବାହୁଡ଼ିଗଲେ,
LUK 24:53 ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ବରଙ୍କ ସ୍ତବ କରିବାକୁ ଲାଗିଲେ।
JOH 1:1 ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ।
JOH 1:2 ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ।
JOH 1:3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।
JOH 1:4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ।
JOH 1:5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।
JOH 1:6 ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।
JOH 1:7 ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
JOH 1:8 ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
JOH 1:9 ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।
JOH 1:10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।
JOH 1:11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
JOH 1:12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;
JOH 1:13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ।
JOH 1:14 ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।
JOH 1:15 ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
JOH 1:16 ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ।
JOH 1:17 କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।
JOH 1:18 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।
JOH 1:19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,
JOH 1:20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ।
JOH 1:21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା।
JOH 1:22 ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି?
JOH 1:23 ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’”
JOH 1:24 ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ।
JOH 1:25 ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି?
JOH 1:26 ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ;
JOH 1:27 ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
JOH 1:28 ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।
JOH 1:29 ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି।
JOH 1:30 ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
JOH 1:31 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି।
JOH 1:32 ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ।
JOH 1:33 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି।
JOH 1:34 ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।
JOH 1:35 ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;
JOH 1:36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ।
JOH 1:37 ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ।
JOH 1:38 ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ?” ସେମାନେ ତାହାଙ୍କୁ ପଚାରିଲେ, ରାବ୍‌ବୀ (ଅର୍ଥାତ୍‍ ଗୁରୁ), ଆପଣ କେଉଁଠାରେ ରୁହନ୍ତି?
JOH 1:39 ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା ହୋଇଥିଲା।
JOH 1:40 ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ।
JOH 1:41 ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ) ଦେଖା ପାଇଅଛୁ।
JOH 1:42 ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍‍ ପିତର) ନାମରେ ଖ୍ୟାତ ହେବ।”
JOH 1:43 ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାହାଙ୍କୁ କହିଲେ, “ମୋହର ଅନୁଗମନ କର।”
JOH 1:44 ଫିଲିପ୍ପ ବେଥ୍‌ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରିୟ ଓ ପିତରଙ୍କର ନଗର ଥିଲା।
JOH 1:45 ଫିଲିପ୍ପ ନିଥନିୟେଲଙ୍କୁ ଦେଖା ପାଇ ତାହାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।
JOH 1:46 ନିଥନିୟେଲ ତାହାଙ୍କୁ ପଚାରିଲେ, “ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ?” ଫିଲିପ୍ପ ତାହାଙ୍କୁ କହିଲେ, “ଆସି ଦେଖ।”
JOH 1:47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାହାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।”
JOH 1:48 ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”
JOH 1:49 ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ବରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।
JOH 1:50 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମ୍ବିରିବୃକ୍ଷ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍-ମହତ‍୍ ବିଷୟ ଦେଖିବ।”
JOH 1:51 ପୁଣି, ସେ ତାହାଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।”
JOH 2:1 ତୃତୀୟ ଦିବସରେ ଗାଲିଲୀର କାନ୍ନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ;
JOH 2:2 ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ।
JOH 2:3 ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ।
JOH 2:4 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ।”
JOH 2:5 ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର।
JOH 2:6 ଆଉ, ସେଠାରେ ଯିହୁଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ ଛଅଗୋଟା ପଥର ଜାହାଲା ରଖାଯାଇଥିଲା।
JOH 2:7 ଯୀଶୁ ସେମାନଙ୍କୁ କହିଲେ, “ଜାହାଲାଗୁଡ଼ିକରେ ପାଣି ଭର୍ତ୍ତି କର।” ସେଥିରେ ସେମାନେ ସେହିସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ।
JOH 2:8 ଆଉ, ସେ ସେମାନଙ୍କୁ କହିଲେ, “ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ।” ସେଥିରେ ସେମାନେ ଘେନିଗଲେ।
JOH 2:9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସରେ ପରିବର୍ତ୍ତନ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ,
JOH 2:10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ।
JOH 2:11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ।
JOH 2:12 ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ।
JOH 2:13 ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଗଲେ।
JOH 2:14 ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା-ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା-ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ;
JOH 2:15 ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ;
JOH 2:16 ଆଉ, ସେ କାପ୍ତା-ବ୍ୟବସାୟୀମାନଙ୍କୁ କହିଲେ, “ଏଗୁଡ଼ିକ ଏଠାରୁ ଘେନିଯାଅ, ମୋହର ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।”
JOH 2:17 ତୁମ୍ଭ ଗୃହ ନିମନ୍ତେ ଉଦ୍‌ଯୋଗ ମୋତେ ଗ୍ରାସ କରିବ, ଏହା ଲେଖାଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା।
JOH 2:18 ସେଥିରେ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ?
JOH 2:19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି।”
JOH 2:20 ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କଅଣ ତାହାକୁ ତିନି ଦିନରେ ତୋଳି ଦେବ?
JOH 2:21 କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ।
JOH 2:22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ।
JOH 2:23 ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମ ସହରରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ,
JOH 2:24 କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣିଥିଲେ,
JOH 2:25 ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କଅଣ ଅଛି, ତାହା ସେ ଆପେ ଜାଣିଥିଲେ।
JOH 3:1 ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା।
JOH 3:2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ।
JOH 3:3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖି ପାରେ ନାହିଁ।”
JOH 3:4 ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କଅଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ?
JOH 3:5 ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ।
JOH 3:6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା।
JOH 3:7 ‘ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ’ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ।
JOH 3:8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।”
JOH 3:9 ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହିସବୁ କିପରି ହୋଇପାରେ?
JOH 3:10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ?
JOH 3:11 ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ।
JOH 3:12 ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ?
JOH 3:13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।
JOH 3:14 ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ,
JOH 3:15 ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।”
JOH 3:16 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
JOH 3:17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।
JOH 3:18 ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ।
JOH 3:19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।
JOH 3:20 କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ।
JOH 3:21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।
JOH 3:22 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ।
JOH 3:23 ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ।
JOH 3:24 ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ।
JOH 3:25 ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା।
JOH 3:26 ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି।
JOH 3:27 ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ।
JOH 3:28 ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ।
JOH 3:29 ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି।
JOH 3:30 ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି।
JOH 3:31 ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ।
JOH 3:32 ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ।
JOH 3:33 ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି।
JOH 3:34 କାରଣ ଈଶ୍ବର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି ନାହିଁ।
JOH 3:35 ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି।
JOH 3:36 ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ।
JOH 4:1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
JOH 4:2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
JOH 4:3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।
JOH 4:4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା।
JOH 4:5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
JOH 4:6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
JOH 4:7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।”
JOH 4:8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ।
JOH 4:9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ।
JOH 4:10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”
JOH 4:11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
JOH 4:12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
JOH 4:13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
JOH 4:14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।”
JOH 4:15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।
JOH 4:16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।”
JOH 4:17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ;
JOH 4:18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।”
JOH 4:19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି।
JOH 4:20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି।
JOH 4:21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋʼ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
JOH 4:22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
JOH 4:23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି।
JOH 4:24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।”
JOH 4:25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
JOH 4:26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।”
JOH 4:27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
JOH 4:28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
JOH 4:29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
JOH 4:30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ।
JOH 4:31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ।
JOH 4:32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।”
JOH 4:33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା?
JOH 4:34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।
JOH 4:35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
JOH 4:36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି।
JOH 4:37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
JOH 4:38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।”
JOH 4:39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
JOH 4:40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ।
JOH 4:41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।
JOH 4:42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
JOH 4:43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ।
JOH 4:44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ।
JOH 4:45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ।
JOH 4:46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା।
JOH 4:47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା।
JOH 4:48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।”
JOH 4:49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ।
JOH 4:50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ।
JOH 4:51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
JOH 4:52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।
JOH 4:53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।
JOH 4:54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।
JOH 5:1 ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ।
JOH 5:2 ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ।
JOH 5:3 ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;
JOH 5:4 କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।]
JOH 5:5 ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା।
JOH 5:6 ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?”
JOH 5:7 ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋʼ ଆଗରୁ ପଶିଯାଏ।
JOH 5:8 ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।”
JOH 5:9 ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା।
JOH 5:10 ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ।
JOH 5:11 କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।”
JOH 5:12 ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ?
JOH 5:13 କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ।
JOH 5:14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।”
JOH 5:15 ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।
JOH 5:16 ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ।
JOH 5:17 ମାତ୍ର ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି।”
JOH 5:18 ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ବରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ବରଙ୍କ ସହିତ ସମାନ କରୁଥିଲେ।
JOH 5:19 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରିପାରନ୍ତି ନାହିଁ। କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହିସବୁ ସେପ୍ରକାରେ କରନ୍ତି।
JOH 5:20 କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହିସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥିନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ।
JOH 5:21 ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି।
JOH 5:22 ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି।
JOH 5:23 ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ।
JOH 5:24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି।
JOH 5:25 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ।
JOH 5:26 କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି;
JOH 5:27 ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ।
JOH 5:28 ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି,
JOH 5:29 ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।”
JOH 5:30 “ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ।
JOH 5:31 ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ।
JOH 5:32 ମୋʼ ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋʼ ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ।
JOH 5:33 ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି;
JOH 5:34 କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହିସବୁ କହୁଅଛି।
JOH 5:35 ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ।
JOH 5:36 କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।
JOH 5:37 ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
JOH 5:38 ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ।
JOH 5:39 ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।
JOH 5:40 କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋʼ ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ।
JOH 5:41 ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ,
JOH 5:42 ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ବରଙ୍କ ପ୍ରେମ ନାହିଁ।
JOH 5:43 ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ।
JOH 5:44 ତୁମ୍ଭେମାନେ କିପରି ବିଶ୍ୱାସ କରିପାର? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ।
JOH 5:45 ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି।
JOH 5:46 କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାଆନ୍ତ, ତେବେ ମୋତେ ବିଶ୍ୱାସ କରିଥାଆନ୍ତ, ଯେଣୁ ସେ ମୋʼ ବିଷୟରେ ଲେଖିଅଛନ୍ତି।
JOH 5:47 କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ?”
JOH 6:1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ହ୍ରଦର ଆରପାରିକୁ ଗଲେ।
JOH 6:2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ।
JOH 6:3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।
JOH 6:4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା।
JOH 6:5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?”
JOH 6:6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।
JOH 6:7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ।
JOH 6:8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି,
JOH 6:9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ?
JOH 6:10 ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ।
JOH 6:11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ।
JOH 6:12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।”
JOH 6:13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ।
JOH 6:14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି।
JOH 6:15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।
JOH 6:16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
JOH 6:17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ,
JOH 6:18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା।
JOH 6:19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ।
JOH 6:20 କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।”
JOH 6:21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା।
JOH 6:22 ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ।
JOH 6:23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
JOH 6:24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ।
JOH 6:25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ?
JOH 6:26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ।
JOH 6:27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ବର ମୁଦ୍ରାଙ୍କିତ କଲେ।”
JOH 6:28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ?
JOH 6:29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।”
JOH 6:30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ?
JOH 6:31 ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ।
JOH 6:32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
JOH 6:33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।”
JOH 6:34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ।
JOH 6:35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।
JOH 6:36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି।
JOH 6:37 ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
JOH 6:38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି।
JOH 6:39 ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା।
JOH 6:40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି।
JOH 6:41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ,” ସେ ଏହା କହିବାରୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
JOH 6:42 ଏ କଅଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କଅଣ ଏହାର ପିତାମାତାକୁ ଜାଣୁ ନାହୁଁ? ତେବେ “ମୁଁ ସ୍ୱର୍ଗରୁ ଅବତରଣ କରିଅଛି” ବୋଲି ସେ ଏବେ କିପରି କହୁଅଛି?
JOH 6:43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆପଣା ଆପଣା ମଧ୍ୟରେ ବଚସା କର ନାହିଁ।
JOH 6:44 ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋʼ ନିକଟକୁ ଆସିପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି।
JOH 6:45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ‘ସମସ୍ତେ ଈଶ୍ବରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ।’ ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋʼ ନିକଟକୁ ଆସେ।
JOH 6:46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି।
JOH 6:47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି।
JOH 6:48 ମୁଁ ଜୀବନଦାୟକ ଆହାର।
JOH 6:49 ତୁମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ।
JOH 6:50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ।
JOH 6:51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।”
JOH 6:52 ଏଥିରେ ଯିହୁଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
JOH 6:53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ।
JOH 6:54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି।
JOH 6:55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ।
JOH 6:56 ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ।
JOH 6:57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋʼ ହେତୁ ଜୀବିତ ରହିବ।
JOH 6:58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।”
JOH 6:59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ।
JOH 6:60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ?
JOH 6:61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି?
JOH 6:62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ?
JOH 6:63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ।
JOH 6:64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ।
JOH 6:65 ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋʼ ନିକଟକୁ ଆସିପାରେ ନାହିଁ।”
JOH 6:66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ।
JOH 6:67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?”
JOH 6:68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି;
JOH 6:69 ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ।
JOH 6:70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ କଅଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”
JOH 6:71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା।
JOH 7:1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।
JOH 7:2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
JOH 7:3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,
JOH 7:4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।
JOH 7:5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।
JOH 7:6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।
JOH 7:7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।
JOH 7:8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”
JOH 7:9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।
JOH 7:10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।
JOH 7:11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?
JOH 7:12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି।
JOH 7:13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।
JOH 7:14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।
JOH 7:15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?
JOH 7:16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।
JOH 7:17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।
JOH 7:18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।
JOH 7:19 ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
JOH 7:20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?
JOH 7:21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।
JOH 7:22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।
JOH 7:23 ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?
JOH 7:24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”
JOH 7:25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?
JOH 7:26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?
JOH 7:27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
JOH 7:28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
JOH 7:29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”
JOH 7:30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
JOH 7:31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?
JOH 7:32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।
JOH 7:33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।
JOH 7:34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”
JOH 7:35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?
JOH 7:36 “ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?
JOH 7:37 ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।
JOH 7:38 ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”
JOH 7:39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
JOH 7:40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।
JOH 7:41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?
JOH 7:42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?
JOH 7:43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
JOH 7:44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।
JOH 7:45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
JOH 7:46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।
JOH 7:47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?
JOH 7:48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
JOH 7:49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।
JOH 7:50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
JOH 7:51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
JOH 7:52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।
JOH 7:53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,
JOH 8:1 କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ।
JOH 8:2 ତହିଁ ଆରଦିନ ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
JOH 8:3 ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ,
JOH 8:4 ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି।
JOH 8:5 ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କଅଣ କହୁଅଛନ୍ତି?
JOH 8:6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥିନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ।
JOH 8:7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ।
JOH 8:8 ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ।
JOH 8:9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।
JOH 8:10 ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାହାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି? କେହି କଅଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ?
JOH 8:11 ସେ କହିଲା, କେହି ନାହିଁ, ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ।]
JOH 8:12 ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, “ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ।”
JOH 8:13 ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ।
JOH 8:14 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ।
JOH 8:15 ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ।
JOH 8:16 କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋʼ ସାଙ୍ଗରେ ଅଛନ୍ତି।
JOH 8:17 ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ବ୍ୟବସ୍ଥାରେ ମଧ୍ୟ ଲେଖାଅଛି।
JOH 8:18 ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି।”
JOH 8:19 ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି? ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣିଥାଆନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ।”
JOH 8:20 ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ନିଯୁକ୍ତ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
JOH 8:21 ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ।”
JOH 8:22 ତେଣୁ ଯିହୁଦୀମାନେ କହିବାକୁ ଲାଗିଲେ, ଏ କଅଣ ଆତ୍ମହତ୍ୟା କରିବ ବୋଲି କହୁଅଛି, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ?”
JOH 8:23 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ୍ନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ୍ନ; ତୁମ୍ଭେମାନେ ଜଗତରୁ ଉତ୍ପନ୍ନ, ମୁଁ ଜଗତରୁ ଉତ୍ପନ୍ନ ନୁହେଁ।”
JOH 8:24 ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, “ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ।”
JOH 8:25 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ? ଯୀଶୁ ସେମାନଙ୍କୁ କହିଲେ, “ପ୍ରାରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଯାହା କହିଅଛି।
JOH 8:26 ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋହର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହିସବୁ ଜଗତକୁ ଜଣାଉଅଛି।”
JOH 8:27 ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ।
JOH 8:28 ଅତଏବ, ଯୀଶୁ କହିଲେ, “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ।
JOH 8:29 ମୋହର ପ୍ରେରଣକର୍ତ୍ତା ମୋʼ ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ।”
JOH 8:30 ସେ ଏହି ସମସ୍ତ କଥା କହନ୍ତେ, ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।
JOH 8:31 ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୁଦୀମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,
JOH 8:32 ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ।”
JOH 8:33 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ?
JOH 8:34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ।
JOH 8:35 ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ।
JOH 8:36 ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ।
JOH 8:37 ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ।
JOH 8:38 ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହିସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହିସବୁ କର।”
JOH 8:39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା। ଯୀଶୁ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;
JOH 8:40 କିନ୍ତୁ ଯେ ଈଶ୍ବରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରି ଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ।
JOH 8:41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ବର।
JOH 8:42 ଯୀଶୁ ସେମାନଙ୍କୁ କହିଲେ, “ଈଶ୍ବର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ବରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ।”
JOH 8:43 ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ।
JOH 8:44 ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା। ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ। ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା।
JOH 8:45 କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ।
JOH 8:46 ମୋʼ ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ?
JOH 8:47 ଯେ ଈଶ୍ବରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ବରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ବରଙ୍କଠାରୁ ଉତ୍ପନ୍ନ ନୁହଁ।
JOH 8:48 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କଅଣ ଆମ୍ଭେମାନେ ଠିକ୍ କହୁ ନାହୁଁ?
JOH 8:49 ଯୀଶୁ ଉତ୍ତର ଦେଲେ, “ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ।
JOH 8:50 କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି।
JOH 8:51 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ।”
JOH 8:52 ଯିହୁଦୀ ଲୋକମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ।
JOH 8:53 ତୁ କଅଣ ଆମ୍ଭମାନଙ୍କ ପୂର୍ବପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ?
JOH 8:54 ଯୀଶୁ ଉତ୍ତର ଦେଲେ, “ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ବର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି;
JOH 8:55 ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ। ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ।
JOH 8:56 ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ।”
JOH 8:57 ସେଥିରେ ଯିହୁଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏଁ ପଚାଶ ବର୍ଷ ବୟସ ହୋଇ ନାହିଁ, ତୁମ୍ଭେ କଅଣ ଅବ୍ରହାମଙ୍କୁ ଦେଖିଅଛ?
JOH 8:58 ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି।”
JOH 8:59 ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ।
JOH 9:1 ଯୀଶୁ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ।
JOH 9:2 ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା?
JOH 9:3 ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।
JOH 9:4 ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି।
JOH 9:5 ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।”
JOH 9:6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ,
JOH 9:7 ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।
JOH 9:8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?
JOH 9:9 କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି।
JOH 9:10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
JOH 9:11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।
JOH 9:12 ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ।
JOH 9:13 ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ।
JOH 9:14 ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର।
JOH 9:15 ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି।
JOH 9:16 ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
JOH 9:17 ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଅଛୁ? ସେ କହିଲା, ସେ ଜଣେ ଭାବବାଦୀ।
JOH 9:18 ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ।
JOH 9:19 ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
JOH 9:20 ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
JOH 9:21 କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ।
JOH 9:22 ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ।
JOH 9:23 ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
JOH 9:24 ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ।
JOH 9:25 ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି।
JOH 9:26 ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
JOH 9:27 ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
JOH 9:28 ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ।
JOH 9:29 ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ।
JOH 9:30 ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା।
JOH 9:31 ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି।
JOH 9:32 କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା।
JOH 9:33 ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
JOH 9:34 ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ।
JOH 9:35 ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ?”
JOH 9:36 ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି?
JOH 9:37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।”
JOH 9:38 ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା।
JOH 9:39 ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।”
JOH 9:40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
JOH 9:41 ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”
JOH 10:1 “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ;
JOH 10:2 କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ।
JOH 10:3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ।
JOH 10:4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି;
JOH 10:5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।”
JOH 10:6 ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ।
JOH 10:7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର।
JOH 10:8 ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ।
JOH 10:9 ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
JOH 10:10 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି।
JOH 10:11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ।
JOH 10:12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
JOH 10:13 କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ।
JOH 10:14 ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ,
JOH 10:15 ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ।
JOH 10:16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।
JOH 10:17 ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ।
JOH 10:18 କେହି ମୋʼଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି।”
JOH 10:19 ଏହି ସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା।
JOH 10:20 ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ?
JOH 10:21 ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ?
JOH 10:22 ସେତେବେଳେ ଯିରୂଶାଲମ ସହରରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ,
JOH 10:23 ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ।
JOH 10:24 ସେଥିରେ ଯିହୁଦୀ ଲୋକମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ।
JOH 10:25 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି;
JOH 10:26 କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ।
JOH 10:27 ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,
JOH 10:28 ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ।
JOH 10:29 ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ।
JOH 10:30 ମୁଁ ଓ ପିତା ଏକ।
JOH 10:31 ଯିହୁଦୀ ଲୋକମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ।
JOH 10:32 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ?”
JOH 10:33 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ ପଥର ଫୋପାଡ଼ୁଅଛୁ।
JOH 10:34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ବରଗଣ?
JOH 10:35 ଯେଉଁମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ବରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ),
JOH 10:36 ତାହାହେଲେ ଯାହାଙ୍କୁ ଈଶ୍ବର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ବରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ବର ନିନ୍ଦା କରୁଅଛୁ ବୋଲି କହୁଅଛ?
JOH 10:37 ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ;
JOH 10:38 କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋʼ ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ୱାସ କର।”
JOH 10:39 ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ।
JOH 10:40 ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନ ନଦୀର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ।
JOH 10:41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ;
JOH 10:42 ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
JOH 11:1 ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ।
JOH 11:2 ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ।
JOH 11:3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି।
JOH 11:4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।”
JOH 11:5 ଯୀଶୁ, ମାର୍ଥା ଏବଂ ତାହାଙ୍କ ଭଉଣୀ ଏବଂ ଲାଜାରଙ୍କୁ ସ୍ନେହ କରୁଥିଲେ।
JOH 11:6 ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ।
JOH 11:7 ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।”
JOH 11:8 ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି?
JOH 11:9 ଯୀଶୁ ଉତ୍ତର ଦେଲେ, “ଦିନରେ କଅଣ ବାର ଘଣ୍ଟା ନାହିଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ;
JOH 11:10 କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।”
JOH 11:11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।”
JOH 11:12 ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ।
JOH 11:13 ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ।
JOH 11:14 ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, “ଲାଜାର ମରିଯାଇଅଛନ୍ତି;
JOH 11:15 ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା।”
JOH 11:16 ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା।
JOH 11:17 ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି।
JOH 11:18 ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା,
JOH 11:19 ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ।
JOH 11:20 ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ।
JOH 11:21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାଆନ୍ତା।
JOH 11:22 କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ।
JOH 11:23 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।”
JOH 11:24 ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ।
JOH 11:25 ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
JOH 11:26 ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?”
JOH 11:27 ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ।
JOH 11:28 ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରୀୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି।
JOH 11:29 ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ।
JOH 11:30 ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ।
JOH 11:31 ଅତଏବ, ଯେଉଁ ଯିହୁଦୀମାନେ ତାହାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ।
JOH 11:32 ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରୀୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋʼ ଭାଇ ମରି ନ ଥାଆନ୍ତା।
JOH 11:33 ଅତଏବ, ଯୀଶୁ ତାହାଙ୍କୁ ଓ ତାହାଙ୍କ ସହିତ ଆସିଥିବା ଯିହୁଦୀ ଲୋକମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଉତ୍ତେଜିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଙ୍କଳ୍ପରେ ପଚାରିଲେ,
JOH 11:34 “ତାଙ୍କୁ କେଉଁଠାରେ ରଖିଅଛ?” ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ।
JOH 11:35 ଯୀଶୁ କାନ୍ଦିଲେ।
JOH 11:36 ସେଥିରେ ଯିହୁଦୀ ଲୋକମାନେ କହିଲେ, ଦେଖ, ସେ ତାହାଙ୍କୁ କିପରି ସ୍ନେହ କରୁଥିଲେ।
JOH 11:37 କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧବ୍ୟକ୍ତିର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନ ଥାଆନ୍ତେ?
JOH 11:38 ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତାʼ ମୁହଁରେ ଗୋଟାଏ ପଥର ଥିଲା।
JOH 11:39 ଯୀଶୁ କହିଲେ, “ଏହି ପଥର ଘୁଞ୍ଚାଇଦିଅ।” ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି।
JOH 11:40 ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ବରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ?” ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ।
JOH 11:41 ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି।
JOH 11:42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।”
JOH 11:43 ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
JOH 11:44 ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”
JOH 11:45 ଅତଏବ, ଯିହୁଦୀ ଲୋକମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରୀୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
JOH 11:46 ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ।
JOH 11:47 ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କଅଣ କରୁଅଛୁ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି।
JOH 11:48 ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟ ଅଧିକାରୀମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ।
JOH 11:49 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ;
JOH 11:50 ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ।
JOH 11:51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
JOH 11:52 ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ।
JOH 11:53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ।
JOH 11:54 ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ।
JOH 11:55 ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମ ସହରକୁ ଯାତ୍ରା କଲେ।
JOH 11:56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ?
JOH 11:57 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।
JOH 12:1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ।
JOH 12:2 ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ।
JOH 12:3 ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା।
JOH 12:4 କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା,
JOH 12:5 ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା?
JOH 12:6 ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା।
JOH 12:7 ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ।
JOH 12:8 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।”
JOH 12:9 ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ।
JOH 12:10 କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ,
JOH 12:11 କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।
JOH 12:12 ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି
JOH 12:13 ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ହୋଶାନ୍ନା।” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।”
JOH 12:14 ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖାଅଛି,
JOH 12:15 ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
JOH 12:16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା।
JOH 12:17 ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ।
JOH 12:18 ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ।
JOH 12:19 ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି।
JOH 12:20 ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ।
JOH 12:21 ସେମାନେ ଗାଲିଲୀସ୍ଥ ବେଥ୍‌ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା।
JOH 12:22 ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ।
JOH 12:23 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ।
JOH 12:24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ।
JOH 12:25 ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ।
JOH 12:26 କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।”
JOH 12:27 “ଏବେ ମୋହର ପ୍ରାଣ ଉଦ୍‌ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି।
JOH 12:28 ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ।
JOH 12:29 ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି।
JOH 12:30 ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି।
JOH 12:31 ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ।
JOH 12:32 ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି।
JOH 12:33 ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।”
JOH 12:34 ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ?
JOH 12:35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ।
JOH 12:36 ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।
JOH 12:37 କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ,
JOH 12:38 ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?”
JOH 12:39 ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି,
JOH 12:40 “ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।”
JOH 12:41 ଯିଶାଇୟ ଏହିସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ।
JOH 12:42 ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ,
JOH 12:43 କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ।
JOH 12:44 ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ;
JOH 12:45 ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ।
JOH 12:46 ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି।
JOH 12:47 କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି।
JOH 12:48 ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ।
JOH 12:49 କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି;
JOH 12:50 ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।”
JOH 13:1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ।
JOH 13:2 ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା,
JOH 13:3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି,
JOH 13:4 ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ।
JOH 13:5 ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ।
JOH 13:6 କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି?
JOH 13:7 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।”
JOH 13:8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।”
JOH 13:9 ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ।
JOH 13:10 ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।”
JOH 13:11 କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ।
JOH 13:12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ?
JOH 13:13 ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି।
JOH 13:14 ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ।
JOH 13:15 କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି।
JOH 13:16 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ।
JOH 13:17 ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ।
JOH 13:18 ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା।
JOH 13:19 ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି।
JOH 13:20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”
JOH 13:21 ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
JOH 13:22 ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ।
JOH 13:23 ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ।
JOH 13:24 ଅତଏବ, ଶିମୋନ ପିତର ତାହାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ।
JOH 13:25 ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ?
JOH 13:26 ତେଣୁ ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ।
JOH 13:27 ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାହାକୁ କହିଲେ, “ଯାହା କରୁଅଛ, ତାହା ଶୀଘ୍ର କର।”
JOH 13:28 କିନ୍ତୁ ସେ କି ଉଦ୍ଦେଶ୍ୟରେ ତାହାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ।
JOH 13:29 କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାହାକୁ କହିଲେ ବୋଲି କେହି କେହି ମନେ କଲେ।
JOH 13:30 ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ।
JOH 13:31 ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ।
JOH 13:32 ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ।
JOH 13:33 ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି।
JOH 13:34 ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର।
JOH 13:35 ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ।”
JOH 13:36 ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।”
JOH 13:37 ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି।
JOH 13:38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
JOH 14:1 “ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କର, ମୋʼ ଠାରେ ମଧ୍ୟ ବିଶ୍ୱାସ କର।
JOH 14:2 ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି;
JOH 14:3 ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି।
JOH 14:4 ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ।”
JOH 14:5 ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ?
JOH 14:6 ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।
JOH 14:7 ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।”
JOH 14:8 ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।
JOH 14:9 ଯୀଶୁ ତାହାଙ୍କୁ କହିଲେ, “ଫିଲିପ୍ପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ?
JOH 14:10 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି।
JOH 14:11 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର।
JOH 14:12 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି।
JOH 14:13 ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋʼ ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି।
JOH 14:14 ଯଦି ତୁମ୍ଭେମାନେ ମୋʼ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି।”
JOH 14:15 “ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ।
JOH 14:16 ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ,
JOH 14:17 ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ।
JOH 14:18 ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି।
JOH 14:19 ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ।
JOH 14:20 ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋʼ ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ।
JOH 14:21 ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି।”
JOH 14:22 ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କଅଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି?
JOH 14:23 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା।
JOH 14:24 ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର।
JOH 14:25 ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି।
JOH 14:26 କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋʼ ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ।
JOH 14:27 ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ କି ଭୟଗ୍ରସ୍ତ ନ ହେଉ।
JOH 14:28 ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି ଆସୁଅଛି, ମୋହର ଏହି କଥା ତ ଶୁଣିଅଛ। ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋʼଠାରୁ ମହାନ।
JOH 14:29 ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି।
JOH 14:30 ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋʼ ଠାରେ ତାହାର କିଛି ହିଁ ନାହିଁ;
JOH 14:31 କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥିନିମନ୍ତେ ଏପରି ଘଟୁଅଛି। ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ।”
JOH 15:1 “ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ।
JOH 15:2 ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି।
JOH 15:3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ।
JOH 15:4 ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ।
JOH 15:5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।
JOH 15:6 କେହି ଯେବେ ମୋʼ ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ।
JOH 15:7 ଯଦି ତୁମ୍ଭେମାନେ ମୋʼ ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ।
JOH 15:8 ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ।
JOH 15:9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ।
JOH 15:10 ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ।
JOH 15:11 ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି।
JOH 15:12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା।
JOH 15:13 ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ।
JOH 15:14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।
JOH 15:15 ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି।
JOH 15:16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;
JOH 15:17 ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।”
JOH 15:18 “ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ।
JOH 15:19 ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ।
JOH 15:20 ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ।
JOH 15:21 କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ।
JOH 15:22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ।
JOH 15:23 ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ।
JOH 15:24 ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି।
JOH 15:25 ‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି।
JOH 15:26 ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ;
JOH 15:27 ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।”
JOH 16:1 “ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି।
JOH 16:2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।
JOH 16:3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି।
JOH 16:4 ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥିନିମନ୍ତେ ମୁଁ ଏହିସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହିସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।”
JOH 16:5 “କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ।
JOH 16:6 ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି।
JOH 16:7 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି।
JOH 16:8 ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ;
JOH 16:9 ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ;
JOH 16:10 ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ;
JOH 16:11 ନ୍ୟାୟବିଚାର ବିଷୟରେ କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି।
JOH 16:12 ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ।
JOH 16:13 କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।
JOH 16:14 ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋʼ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।
JOH 16:15 ଯାହା ଯାହା ପିତାଙ୍କର, ସେହିସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।”
JOH 16:16 “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ।”
JOH 16:17 ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି,” ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କଅଣ?
JOH 16:18 ଏଣୁ ସେମାନେ କହିଲେ, “ଅଳ୍ପ ସମୟ” ବୋଲି ଏ କଅଣ କହୁଅଛନ୍ତି? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ।
JOH 16:19 ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ‘ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କଅଣ ପରସ୍ପର ବାଦାନୁବାଦ କରୁଅଛ?’
JOH 16:20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ; ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ।
JOH 16:21 ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ।
JOH 16:22 ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ।
JOH 16:23 ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋʼ ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ।
JOH 16:24 ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ।”
JOH 16:25 “ମୁଁ ତୁମ୍ଭମାନଙ୍କୁ ଉପମା ଦ୍ୱାରା ଏହି ସମସ୍ତ କଥା କହିଅଛି; ସମୟ ଆସୁଅଛି, ଯେତେବେଳେ ମୁଁ ଆଉ ଉପମା ଦ୍ୱାରା ତୁମ୍ଭମାନଙ୍କୁ କହିବି ନାହିଁ, କିନ୍ତୁ ପିତାଙ୍କ ବିଷୟ ସ୍ପଷ୍ଟ ରୂପେ ତୁମ୍ଭମାନଙ୍କୁ ଜଣାଇବି।
JOH 16:26 ସେ ଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;
JOH 16:27 କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ବରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ।
JOH 16:28 ମୁଁ ପିତାଙ୍କ ନିକଟରୁ ଜଗତକୁ ଆସିଅଛି; ପୁନର୍ବାର ମୁଁ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଯାଉଅଛି।”
JOH 16:29 ତାହାଙ୍କ ଶିଷ୍ୟମାନେ କହିଲେ, ଦେଖନ୍ତୁ, ବର୍ତ୍ତମାନ ଆପଣ ସ୍ପଷ୍ଟ ରୂପେ କହୁଅଛନ୍ତି ଓ ଉପମା-କଥା ଆଉ କହୁ ନାହାନ୍ତି।
JOH 16:30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ବରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ।
JOH 16:31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ଏବେ ବିଶ୍ୱାସ କରୁଅଛ?
JOH 16:32 ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋʼ ସାଙ୍ଗରେ ଅଛନ୍ତି।
JOH 16:33 ତୁମ୍ଭେମାନେ ଯେପରି ମୋʼ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି।”
JOH 17:1 ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି,
JOH 17:2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ।
JOH 17:3 ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ।
JOH 17:4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି।
JOH 17:5 ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର।”
JOH 17:6 “ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି।
JOH 17:7 ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି;
JOH 17:8 କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି।
JOH 17:9 ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର;
JOH 17:10 ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି।
JOH 17:11 ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ସେହି ନାମରେ ସେମାନଙ୍କୁ ରକ୍ଷା କର ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି।
JOH 17:12 ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ସେହି ନାମରେ ରକ୍ଷା କରି ଅାସିଅଛି ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ।”
JOH 17:13 “କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି।
JOH 17:14 ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି।
JOH 17:15 ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି।
JOH 17:16 ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି।
JOH 17:17 ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ।
JOH 17:18 ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି।
JOH 17:19 ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି।”
JOH 17:20 “ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋʼ ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି,
JOH 17:21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋʼ ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ।
JOH 17:22 ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି;
JOH 17:23 ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋʼ ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ।
JOH 17:24 ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା।
JOH 17:25 ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି;
JOH 17:26 ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି।”
JOH 18:1 ଯୀଶୁ ଏହିସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ।
JOH 18:2 ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ।
JOH 18:3 ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା।
JOH 18:4 ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?”
JOH 18:5 ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା।
JOH 18:6 ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ।
JOH 18:7 ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ।
JOH 18:8 ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।”
JOH 18:9 ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।”
JOH 18:10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍‍ଖ।
JOH 18:11 ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?”
JOH 18:12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ
JOH 18:13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ।
JOH 18:14 ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା।
JOH 18:15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ;
JOH 18:16 କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ।
JOH 18:17 ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ କହିଲେ, ମୁଁ ନୁହେଁ।
JOH 18:18 ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ।
JOH 18:19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ।
JOH 18:20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ।
JOH 18:21 ମୋତେ କାହିଁକି ପଚାରୁଅଛନ୍ତି? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।”
JOH 18:22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ?
JOH 18:23 ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ?”
JOH 18:24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
JOH 18:25 ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ।
JOH 18:26 ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
JOH 18:27 ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା।
JOH 18:28 ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ।
JOH 18:29 ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ?
JOH 18:30 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ।
JOH 18:31 ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ।
JOH 18:32 ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ।
JOH 18:33 ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା?
JOH 18:34 ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋʼ ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?”
JOH 18:35 ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ?
JOH 18:36 ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।”
JOH 18:37 ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।”
JOH 18:38 ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।
JOH 18:39 କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା?
JOH 18:40 ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା।
JOH 19:1 ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ।
JOH 19:2 ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ;
JOH 19:3 ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ।
JOH 19:4 ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ।
JOH 19:5 ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ!
JOH 19:6 ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ।
JOH 19:7 ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି
JOH 19:8 ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ;
JOH 19:9 ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ।
JOH 19:10 ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ?
JOH 19:11 ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।”
JOH 19:12 ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ।
JOH 19:13 ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି “ପ୍ରସ୍ତରମଣ୍ଡପ” ଯାହାକୁ ଏବ୍ରୀ ଭାଷାରେ “ଗବ୍‍ବଥା” ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ।
JOH 19:14 ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା!
JOH 19:15 ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ।
JOH 19:16 ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ।
JOH 19:17 ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‌ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ।
JOH 19:18 ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ।
JOH 19:19 ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା।
JOH 19:20 ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା।
JOH 19:21 ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ।
JOH 19:22 ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ।
JOH 19:23 ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା।
JOH 19:24 ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, “ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ।” ତେଣୁ ସୈନ୍ୟମାନେ ଏହାସବୁ କଲେ।
JOH 19:25 କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍‌ଦଲୀନୀ ମରୀୟମ ଠିଆ ହୋଇଥିଲେ।
JOH 19:26 ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!”
JOH 19:27 ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ।
JOH 19:28 ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।”
JOH 19:29 ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ।
JOH 19:30 ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ।
JOH 19:31 ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ।
JOH 19:32 ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ।
JOH 19:33 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ,
JOH 19:34 କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା।
JOH 19:35 ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି।
JOH 19:36 କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ।
JOH 19:37 ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।
JOH 19:38 ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ।
JOH 19:39 ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।
JOH 19:40 ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ।
JOH 19:41 ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା।
JOH 19:42 ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।
JOH 20:1 ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‌ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।
JOH 20:2 ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, ସେମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ।
JOH 20:3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ।
JOH 20:4 ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,
JOH 20:5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।
JOH 20:6 ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,
JOH 20:7 ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି।
JOH 20:8 ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ;
JOH 20:9 କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ପୁନରୁତ୍ଥାନ ହେବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ।
JOH 20:10 ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ।
JOH 20:11 କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ,
JOH 20:12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ।
JOH 20:13 ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ।
JOH 20:14 ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ।
JOH 20:15 ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି।
JOH 20:16 ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ।
JOH 20:17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’”
JOH 20:18 ମଗ୍‌ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।
JOH 20:19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
JOH 20:20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ।
JOH 20:21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।”
JOH 20:22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର।
JOH 20:23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”
JOH 20:24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ।
JOH 20:25 ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ।
JOH 20:26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
JOH 20:27 ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।”
JOH 20:28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର।
JOH 20:29 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।”
JOH 20:30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ;
JOH 20:31 କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।
JOH 21:1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ;
JOH 21:2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ।
JOH 21:3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ।
JOH 21:4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ।
JOH 21:5 ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ।
JOH 21:6 ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ।
JOH 21:7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ;
JOH 21:8 କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ।
JOH 21:9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ।
JOH 21:10 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।”
JOH 21:11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ।
JOH 21:12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।
JOH 21:13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ।
JOH 21:14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।
JOH 21:15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।”
JOH 21:16 ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।”
JOH 21:17 ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ।
JOH 21:18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।”
JOH 21:19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”
JOH 21:20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ।
JOH 21:21 ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ?
JOH 21:22 ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।”
JOH 21:23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।
JOH 21:24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।
JOH 21:25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
ACT 1:1 ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ,
ACT 1:2 ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ ଲେଖିଅଛି।
ACT 1:3 ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ।
ACT 1:4 ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
ACT 1:5 କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
ACT 1:6 ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?”
ACT 1:7 ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ।
ACT 1:8 କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।”
ACT 1:9 ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା।
ACT 1:10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,
ACT 1:11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।
ACT 1:12 ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ ଥିଲା।
ACT 1:13 ସେମାନେ, ଅର୍ଥାତ୍‍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍‌ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ।
ACT 1:14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ।
ACT 1:15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ),
ACT 1:16 ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;
ACT 1:17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା।
ACT 1:18 ଏହି ଲୋକ (ଯିହୂଦା) ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା;
ACT 1:19 ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍‌ଦମା”, ଅର୍ଥାତ୍‍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା।
ACT 1:20 ଆଉ, ଗୀତସଂହିତା ପୁସ୍ତକରେ ଲେଖାଅଛି, “‘ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ।’ ଏବଂ, ‘ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ।’
ACT 1:21 ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ,
ACT 1:22 ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ।”
ACT 1:23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍‍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାହାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ,
ACT 1:24 “ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,
ACT 1:25 ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।”
ACT 1:26 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।
ACT 2:1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ।
ACT 2:2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍‍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା,
ACT 2:3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା।
ACT 2:4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
ACT 2:5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ।
ACT 2:6 ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ।
ACT 2:7 ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି?
ACT 2:8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
ACT 2:9 ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ, କାପ୍ପାଦକିଆ, ପନ୍ତ ଓ ଏସିଆ,
ACT 2:10 ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ,
ACT 2:11 ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ।
ACT 2:12 ଆଉ, ସମସ୍ତେ ଆଚମ୍ଭିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ?
ACT 2:13 କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।
ACT 2:14 କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ।
ACT 2:15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର।
ACT 2:16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏହା ସେହି ଘଟଣା ଅଟେ;
ACT 2:17 ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।
ACT 2:18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ।
ACT 2:19 ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା।
ACT 2:20 ପ୍ରଭୁଙ୍କର ମହତ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ।
ACT 2:21 ଆଉ, ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ।
ACT 2:22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି;
ACT 2:23 ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ;
ACT 2:24 କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ।
ACT 2:25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, “‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ACT 2:26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
ACT 2:27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।
ACT 2:28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’”
ACT 2:29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି।
ACT 2:30 ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ।
ACT 2:31 ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ।
ACT 2:32 ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ।
ACT 2:33 ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
ACT 2:34 କାରଣ ଦାଉଦ ରାଜା ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
ACT 2:35 ‘ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’”
ACT 2:36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି।
ACT 2:37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
ACT 2:38 ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ।
ACT 2:39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।”
ACT 2:40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ।”
ACT 2:41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।
ACT 2:42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ।
ACT 2:43 ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା।
ACT 2:44 ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ।
ACT 2:45 ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ।
ACT 2:46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ବରଙ୍କ ପ୍ରଶଂସା କରୁଥିଲେ।
ACT 2:47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।
ACT 3:1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍‍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।
ACT 3:2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ।
ACT 3:3 ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା
ACT 3:4 ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, “ଆମ୍ଭମାନଙ୍କ ଆଡ଼କୁ ଚାହଁ।”
ACT 3:5 ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା।
ACT 3:6 କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ।
ACT 3:7 ପୁଣି, ସେ ତାହାର ଡାହାଣ ହାତ ଧରି ତାହାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତାହାର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା,
ACT 3:8 ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ବରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା।
ACT 3:9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ,
ACT 3:10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ଭିତ ହେଲେ।
ACT 3:11 ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ।
ACT 3:12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?
ACT 3:13 ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ।
ACT 3:14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ,
ACT 3:15 କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ।
ACT 3:16 ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି।
ACT 3:17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ।
ACT 3:18 କିନ୍ତୁ ଈଶ୍ବର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହିସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି।
ACT 3:19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ,
ACT 3:20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍‍ ଯୀଶୁଙ୍କୁ ସେ ପ୍ରେରଣ କରିବେ।
ACT 3:21 ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ।
ACT 3:22 ମୋଶା ତ କହିଥିଲେ, ପ୍ରଭୁ ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହିସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ।
ACT 3:23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ।
ACT 3:24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି
ACT 3:25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି।
ACT 3:26 ଈଶ୍ବର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି।
ACT 4:1 ପିତର ଏବଂ ଯୋହନ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;
ACT 4:2 ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ।
ACT 4:3 ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା।
ACT 4:4 ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା।
ACT 4:5 ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମ ସହରରେ ଏକତ୍ରିତ ହେଲେ;
ACT 4:6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ।
ACT 4:7 ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ?
ACT 4:8 ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ,
ACT 4:9 ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି?
ACT 4:10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।
ACT 4:11 “‘ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା, ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର।’
ACT 4:12 ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।”
ACT 4:13 ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ,
ACT 4:14 ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ।
ACT 4:15 ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କଅଣ କରିବା?
ACT 4:16 କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂଶାଲମ ସହରନିବାସୀ ସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ;
ACT 4:17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା।
ACT 4:18 ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ।
ACT 4:19 କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ବରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ବରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ
ACT 4:20 କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ।
ACT 4:21 ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ,
ACT 4:22 କାରଣ ଯେଉଁ ଲୋକଠାରେ ସେହି ସୁସ୍ଥତାର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।
ACT 4:23 ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହିସବୁ ଜଣାଇଲେ।
ACT 4:24 ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ବରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ।
ACT 4:25 ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, “‘ଅଣଯିହୁଦୀମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ?
ACT 4:26 ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ, ପୃଥିବୀର ରାଜାମାନେ ଠିଆ ହେଲେ, ପୁଣି, ଶାସନକର୍ତ୍ତାମାନେ ଏକତ୍ର ହେଲେ।’
ACT 4:27 କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୁଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ,
ACT 4:28 ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା, ତାହା କରିବାକୁ ଏକତ୍ର ହେଲେ।
ACT 4:29 ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ,
ACT 4:30 ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ସୁସ୍ଥ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର।”
ACT 4:31 ସେମାନେ ପ୍ରାର୍ଥନା କଲା ଉତ୍ତାରେ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ, ତାହା କମ୍ପି ଉଠିଲା, ପୁଣି, ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ ହୋଇ, ସାହସରେ ଈଶ୍ବରଙ୍କ ବାକ୍ୟ କହିବାକୁ ଲାଗିଲେ।
ACT 4:32 ବିଶ୍ୱାସକାରୀ ଲୋକସମୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା।
ACT 4:33 ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା।
ACT 4:34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ,
ACT 4:35 ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା।
ACT 4:36 ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅର୍ଥାତ୍‍ ସାନ୍ତ୍ୱନାର ପୁତ୍ର),
ACT 4:37 ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ।
ACT 5:1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା, ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ।
ACT 5:2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା।
ACT 5:3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି?
ACT 5:4 ବିକ୍ରୟ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ନିକଟରେ ମିଥ୍ୟା କହିଲ।
ACT 5:5 ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ।
ACT 5:6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ।
ACT 5:7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା।
ACT 5:8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।
ACT 5:9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।
ACT 5:10 ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।
ACT 5:11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।
ACT 5:12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ,
ACT 5:13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହିହେଲେ ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ,
ACT 5:14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ,
ACT 5:15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।
ACT 5:16 ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।
ACT 5:17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ
ACT 5:18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ।
ACT 5:19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,
ACT 5:20 ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ।
ACT 5:21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ।
ACT 5:22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
ACT 5:23 ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ।
ACT 5:24 ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ।
ACT 5:25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି।
ACT 5:26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ।
ACT 5:27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ,
ACT 5:28 ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ସମସ୍ତ ଯିରୂଶାଲମ ସହରରେ ଆପଣା ଶିକ୍ଷାରେ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ।
ACT 5:29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ।
ACT 5:30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର ତାହାଙ୍କୁ ଉଠାଇଅଛନ୍ତି।
ACT 5:31 ପୁଣି, ସେ ଯେପରି ଇସ୍ରାଏଲକୁ ମନ-ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତ କରିଅଛନ୍ତି।
ACT 5:32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ବର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ।
ACT 5:33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ।
ACT 5:34 କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ,
ACT 5:35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ।
ACT 5:36 କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।
ACT 5:37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ।
ACT 5:38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ;
ACT 5:39 କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।
ACT 5:40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ।
ACT 5:41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
ACT 5:42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।
ACT 6:1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା।
ACT 6:2 ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ।
ACT 6:3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;
ACT 6:4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା।
ACT 6:5 ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି,
ACT 6:6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ।
ACT 6:7 ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।
ACT 6:8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ।
ACT 6:9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
ACT 6:10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।
ACT 6:11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ।
ACT 6:12 ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ,
ACT 6:13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ,
ACT 6:14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ।
ACT 6:15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ।
ACT 7:1 ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ ଅଭିଯୋଗ କି ସତ୍ୟ?
ACT 7:2 ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ,
ACT 7:3 ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ।
ACT 7:4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ,
ACT 7:5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।
ACT 7:6 ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।
ACT 7:7 ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ।
ACT 7:8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ।
ACT 7:9 ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ବର ତାହାଙ୍କ ସହିତ ଥିଲେ,
ACT 7:10 ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।
ACT 7:11 ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ।
ACT 7:12 କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ।
ACT 7:13 ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ।
ACT 7:14 ତାହାପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇ ପଠାଇଲେ। ସେଥିରେ ଯାକୁବ ମିସରକୁ ଗଲେ,
ACT 7:15 ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ,
ACT 7:16 ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।
ACT 7:17 କିନ୍ତୁ ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ।
ACT 7:18 ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ।
ACT 7:19 ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ।
ACT 7:20 ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ବରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ।
ACT 7:21 ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇ ନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ।
ACT 7:22 ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ।
ACT 7:23 ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।
ACT 7:24 ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟ ଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ।
ACT 7:25 ତାହାଙ୍କ ହସ୍ତ ଦ୍ୱାରା ଈଶ୍ବର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ।
ACT 7:26 ପରଦିନ ସେମାନେ ପରସ୍ପର ମଧ୍ୟରେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ?
ACT 7:27 କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା?
ACT 7:28 କାଲି ଯେପରି ସେହି ମିସରୀୟ ବ୍ୟକ୍ତିକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ?
ACT 7:29 ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।
ACT 7:30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ।
ACT 7:31 ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
ACT 7:32 ଆମ୍ଭେ ତୁମ୍ଭ ପିତୃ-ପୁରୁଷମାନଙ୍କ ଈଶ୍ବର, ଅବ୍ରହାମ, ଇସ୍‌ହାକ ଓ ଯାକୁବର ଈଶ୍ବର। ସେଥିରେ ମୋଶା କମ୍ପି ଉଠି, ଭଲ ରୂପେ ଦେଖିବାକୁ ସାହସ କଲେ ନାହିଁ।
ACT 7:33 ତାହାପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି।
ACT 7:34 ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି।
ACT 7:35 କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ବର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ।
ACT 7:36 ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ।
ACT 7:37 ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ।
ACT 7:38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃ-ପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ।
ACT 7:39 ଆମ୍ଭମାନଙ୍କର ପିତୃ-ପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
ACT 7:40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।
ACT 7:41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।
ACT 7:42 କିନ୍ତୁ ଈଶ୍ବର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖାଅଛି, “‘ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
ACT 7:43 ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ। ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’
ACT 7:44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ।
ACT 7:45 ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।
ACT 7:46 ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ।
ACT 7:47 କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ।
ACT 7:48 ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
ACT 7:49 ‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?
ACT 7:50 ଆମ୍ଭର ହସ୍ତ କଅଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ?’
ACT 7:51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି।
ACT 7:52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
ACT 7:53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।”
ACT 7:54 ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ।
ACT 7:55 କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ,
ACT 7:56 “ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।”
ACT 7:57 କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ,
ACT 7:58 ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ।
ACT 7:59 ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।”
ACT 7:60 ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।
ACT 8:1 ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।
ACT 8:2 ତଥାପି କେତେକ ଭକ୍ତ ଲୋକମାନେ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ।
ACT 8:3 କିନ୍ତୁ ଶାଉଲ ଘରେ ଘରେ ପଶି ବିଶ୍ୱାସୀ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ।
ACT 8:4 ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ।
ACT 8:5 ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ।
ACT 8:6 ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ।
ACT 8:7 କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ।
ACT 8:8 ସେଥିରେ ସେ ନଗରରେ ମହା ଆନନ୍ଦ ହେଲା।
ACT 8:9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଲୋକମାନଙ୍କୁ ଆଚମ୍ଭିତ କରୁଥିଲା;
ACT 8:10 ଈଶ୍ବରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ।
ACT 8:11 ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ଭିତ କରିଥିଲା।
ACT 8:12 କିନ୍ତୁ ଫିଲିପ୍ପ ଈଶ୍ବରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ।
ACT 8:13 ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ଭିତ ହେବାକୁ ଲାଗିଲା।
ACT 8:14 ଶମିରୋଣର ଲୋକମାନେ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ଯେତେବେଳେ ଯିରୂଶାଲମ ସହରରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।
ACT 8:15 ସେମାନେ ଯାଇ, ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ,
ACT 8:16 କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ।
ACT 8:17 ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ।
ACT 8:18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ପବିତ୍ର ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,
ACT 8:19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ।
ACT 8:20 କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ବରଙ୍କ ଦାନ କିଣିବାକୁ ଭାବିଲ।
ACT 8:21 ଏହି ବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ବରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ।
ACT 8:22 ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ-ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ;
ACT 8:23 କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି।
ACT 8:24 ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।
ACT 8:25 ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମ ସହରକୁ ବାହୁଡ଼ିଗଲେ।
ACT 8:26 ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମ ସହରରୁ ଗଜ୍ଜା ସହର ଆଡ଼କୁ ଯାଇଅଛି, ସେହି ପଥକୁ ଯାଅ। ତାହା ମରୁଭୂମି।
ACT 8:27 ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ;
ACT 8:28 ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ।
ACT 8:29 ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର।
ACT 8:30 ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି?
ACT 8:31 ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି? ଆଉ, ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ।
ACT 8:32 ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, “ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକ ଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ।
ACT 8:33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।”
ACT 8:34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବା ଆଉ କାହା ବିଷୟରେ?
ACT 8:35 ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ।
ACT 8:36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି?
ACT 8:37 [ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି।]
ACT 8:38 ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ।
ACT 8:39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ।
ACT 8:40 କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ନଗରରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ।
ACT 9:1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ,
ACT 9:2 ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ।
ACT 9:3 ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍‍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା।
ACT 9:4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?”
ACT 9:5 ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, “ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।”
ACT 9:6 “କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।”
ACT 9:7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ।
ACT 9:8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।
ACT 9:9 ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ।
ACT 9:10 ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ।
ACT 9:11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;
ACT 9:12 ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।”
ACT 9:13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି।
ACT 9:14 ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି।
ACT 9:15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ; କାରଣ ସେ ଅଣଯିହୁଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
ACT 9:16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।”
ACT 9:17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍‍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି।
ACT 9:18 ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କଅଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,
ACT 9:19 ଆଉ ସେ ଭୋଜନ କରି ବଳ ପାଇଲେ। ଏଥିଉତ୍ତାରେ ସେ ଦମ୍ମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
ACT 9:20 ପୁଣି, ଯୀଶୁ ଯେ ଈଶ୍ବରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ।
ACT 9:21 ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ଭିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ?
ACT 9:22 କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ।
ACT 9:23 ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
ACT 9:24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,
ACT 9:25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।
ACT 9:26 ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।
ACT 9:27 କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
ACT 9:28 ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି,
ACT 9:29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ।
ACT 9:30 ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।
ACT 9:31 ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।
ACT 9:32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ।
ACT 9:33 ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା।
ACT 9:34 ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼। ସେଥିରେ ସେ ସେହିକ୍ଷଣି ଉଠିଲେ।
ACT 9:35 ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ।
ACT 9:36 ଯାଫୋ ସହରରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ-କ୍ରିୟାରେ ପୂର୍ଣ୍ଣ ଥିଲେ।
ACT 9:37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ।
ACT 9:38 ପୁଣି, ଲୂଦ ଯାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ।
ACT 9:39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ।
ACT 9:40 କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ।
ACT 9:41 ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ।
ACT 9:42 ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
ACT 9:43 ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ।
ACT 10:1 କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ;
ACT 10:2 ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ।
ACT 10:3 ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ।
ACT 10:4 ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି।
ACT 10:5 ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର;
ACT 10:6 ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ।
ACT 10:7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,
ACT 10:8 ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ।
ACT 10:9 ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
ACT 10:10 ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ,
ACT 10:11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;
ACT 10:12 ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି।
ACT 10:13 ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।”
ACT 10:14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ।
ACT 10:15 ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।”
ACT 10:16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।
ACT 10:17 ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
ACT 10:18 ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ।
ACT 10:19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି।
ACT 10:20 ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ।
ACT 10:21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ?
ACT 10:22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।
ACT 10:23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।
ACT 10:24 ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ।
ACT 10:25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ।
ACT 10:26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ।
ACT 10:27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
ACT 10:28 ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି।
ACT 10:29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି?
ACT 10:30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
ACT 10:31 ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି।
ACT 10:32 ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି।
ACT 10:33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ।
ACT 10:34 ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,
ACT 10:35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି।
ACT 10:36 ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ।
ACT 10:37 ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି,
ACT 10:38 ଅର୍ଥାତ୍‍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ।
ACT 10:39 ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ।
ACT 10:40 ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;
ACT 10:41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,
ACT 10:42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ।
ACT 10:43 ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।
ACT 10:44 ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ।
ACT 10:45 ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ;
ACT 10:46 କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ବରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ।
ACT 10:47 ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ?
ACT 10:48 ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ।
ACT 11:1 ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦିୟା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ।
ACT 11:2 ଆଉ, ଯେତେବେଳେ ପିତର ଯିରୂଶାଲମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,
ACT 11:3 ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ।
ACT 11:4 କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ,
ACT 11:5 ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି,
ACT 11:6 ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟ-ପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି,
ACT 11:7 ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, “ହେ ପିତର, ଉଠ, ବଧ କରି ଭୋଜନ କର।”
ACT 11:8 କିନ୍ତୁ ମୁଁ କହିଲି, ନାହିଁ ପ୍ରଭୁ, ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ।
ACT 11:9 କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ।”
ACT 11:10 ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା।
ACT 11:11 ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ।
ACT 11:12 ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ। ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ।
ACT 11:13 ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ;
ACT 11:14 ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ।
ACT 11:15 ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ।
ACT 11:16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, “ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
ACT 11:17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ବର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ବରଙ୍କୁ ପ୍ରତିରୋଧ କରିପାରିଥାନ୍ତି?
ACT 11:18 ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ବରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ବର ଅଣଯିହୁଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ-ପରିବର୍ତ୍ତନ ଦାନ କରିଅଛନ୍ତି।
ACT 11:19 ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନୀକିଆ ଅଞ୍ଚଳ, ସାଇପ୍ରସ୍ ଦ୍ୱୀପ ଓ ଆନ୍ତିୟଖିଆ ସହର ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ।
ACT 11:20 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ACT 11:21 ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ।
ACT 11:22 ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ।
ACT 11:23 ସେ ଉପସ୍ଥିତ ହୋଇ ଈଶ୍ବରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ;
ACT 11:24 କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ।
ACT 11:25 ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ,
ACT 11:26 ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ।
ACT 11:27 ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମ ସହରରୁ ଆନ୍ତିୟଖିଆକୁ ଆସିଲେ।
ACT 11:28 ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା।
ACT 11:29 ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦିୟା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ,
ACT 11:30 ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ।
ACT 12:1 ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ।
ACT 12:2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ।
ACT 12:3 ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା।
ACT 12:4 ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ।
ACT 12:5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।
ACT 12:6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।
ACT 12:7 ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା।
ACT 12:8 ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ। ସେ ସେପରି କଲେ। ଆଉ ସେ ତାହାଙ୍କୁ କହିଲେ, ଆପଣା ବସ୍ତ୍ର ପିନ୍ଧି ମୋହର ପଛେ ପଛେ ଆସ।
ACT 12:9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ।
ACT 12:10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ।
ACT 12:11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।
ACT 12:12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।
ACT 12:13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା।
ACT 12:14 ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା।
ACT 12:15 ସେମାନେ ତାହାକୁ କହିଲେ, ତୁ ବାୟାଣୀ। କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା। ସେମାନେ କହିଲେ, ଏ ତାଙ୍କର ଦୂତ।
ACT 12:16 କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ।
ACT 12:17 କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ। ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ।
ACT 12:18 ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା।
ACT 12:19 ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୂଦିୟା ପ୍ରଦେଶରୁ କାଇସରିୟା ସହରକୁ ଯାଇ ସେଠାରେ ରହିଲେ।
ACT 12:20 ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା।
ACT 12:21 ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ;
ACT 12:22 ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ।
ACT 12:23 ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ।
ACT 12:24 କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା।
ACT 12:25 ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।
ACT 13:1 ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍‍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ।
ACT 13:2 ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର।
ACT 13:3 ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ।
ACT 13:4 ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ।
ACT 13:5 ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ।
ACT 13:6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ।
ACT 13:7 ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ।
ACT 13:8 କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା।
ACT 13:9 ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ,
ACT 13:10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ?
ACT 13:11 ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା।
ACT 13:12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।
ACT 13:13 ପରେ ପାଉଲ ଓ ତାହାଙ୍କ ସଙ୍ଗୀମାନେ ପାଫ ସହରରୁ ଜଳଯାତ୍ରା କରି ପଂଫୂଲିଆ ଦେଶରେ ପର୍ଗୀ ସହରକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲମ ସହରକୁ ବାହୁଡ଼ିଗଲେ।
ACT 13:14 ସେମାନେ ପର୍ଗୀଠାରୁ ଯାତ୍ରା କରି ପିସିଦିଆ ଦେଶରେ ଆନ୍ତିୟଖିଆ ସହରରେ ପହଞ୍ଚିଲେ, ଆଉ ବିଶ୍ରାମବାର ଦିନରେ ସମାଜଗୃହକୁ ଯାଇ ବସିଲେ।
ACT 13:15 ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।
ACT 13:16 ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ବର ଭୟକାରୀମାନେ, ଶ୍ରବଣ କରନ୍ତୁ।
ACT 13:17 ଏହି ଇସ୍ରାଏଲ ଜାତିର ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ।
ACT 13:18 ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,
ACT 13:19 ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶହ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଦେଶ ଅଧିକାରସ୍ୱରୂପେ ଦେଲେ।
ACT 13:20 ଏଥିଉତ୍ତାରେ ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
ACT 13:21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।
ACT 13:22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।
ACT 13:23 ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍‍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି।
ACT 13:24 ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;
ACT 13:25 ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
ACT 13:26 ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି।
ACT 13:27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
ACT 13:28 ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ।
ACT 13:29 ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ।
ACT 13:30 କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
ACT 13:31 ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ।
ACT 13:32 ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
ACT 13:33 ଈଶ୍ବର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଦ୍ବିତୀୟ ଗୀତସଂହିତାରେ ମଧ୍ୟ ଲେଖାଅଛି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।”
ACT 13:34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏହି ବିଷୟରେ ସେ ଏହି ପ୍ରକାର କହିଅଛନ୍ତି, “‘ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।’
ACT 13:35 ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”
ACT 13:36 ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ବରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃ-ପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ;
ACT 13:37 କିନ୍ତୁ ଯାହାଙ୍କୁ ଈଶ୍ବର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାନ୍ତି।
ACT 13:38 ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି,
ACT 13:39 ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି।
ACT 13:40 ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ,
ACT 13:41 “‘ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି, ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ, ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ, ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।’”
ACT 13:42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ।
ACT 13:43 ସଭା ସମାପ୍ତ ହେଲା ଉତ୍ତାରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ବରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ।
ACT 13:44 ପୁଣି, ପରବର୍ତ୍ତୀ ବିଶ୍ରାମବାର ଦିନରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ବରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ।
ACT 13:45 କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗିଲେ।
ACT 13:46 ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ,
ACT 13:47 କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, “‘ଆମ୍ଭେ ତୁମ୍ଭକୁ ଅଣଯିହୁଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।’”
ACT 13:48 ଅଣଯିହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ବରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ,
ACT 13:49 ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା।
ACT 13:50 କିନ୍ତୁ ଯିହୁଦୀମତାବଲମ୍ବୀ ଅଣଯିହୁଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ।
ACT 13:51 ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟ ସହରକୁ ଗଲେ,
ACT 13:52 ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ।
ACT 14:1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ପାଉଲ ଓ ବର୍ଣ୍ଣବ୍ବା ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ।
ACT 14:2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।
ACT 14:3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ।
ACT 14:4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ।
ACT 14:5 ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,
ACT 14:6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,
ACT 14:7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ACT 14:8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା।
ACT 14:9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,
ACT 14:10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।
ACT 14:11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି।
ACT 14:12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ।
ACT 14:13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ।
ACT 14:14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍‍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
ACT 14:15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
ACT 14:16 ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ।
ACT 14:17 ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।
ACT 14:18 ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।
ACT 14:19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।
ACT 14:20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ।
ACT 14:21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ,
ACT 14:22 ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।
ACT 14:23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
ACT 14:24 ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ,
ACT 14:25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ।
ACT 14:26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ।
ACT 14:27 ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।
ACT 14:28 ଆଉ ସେମାନେ ସେହି ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
ACT 15:1 ଏଥିମଧ୍ୟରେ କେତେକ ଲୋକ ଯିହୂଦିୟା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ।
ACT 15:2 ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।
ACT 15:3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ।
ACT 15:4 ପରେ ସେମାନେ ଯିରୂଶାଲମ ସହରରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ।
ACT 15:5 କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।
ACT 15:6 ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ।
ACT 15:7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
ACT 15:8 ସର୍ବାନ୍ତର୍ଯ୍ୟାମୀ ଈଶ୍ବର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି।
ACT 15:9 ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି।
ACT 15:10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି?
ACT 15:11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ।
ACT 15:12 ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ।
ACT 15:13 ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ।
ACT 15:14 ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି।
ACT 15:15 ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି,
ACT 15:16 “‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା,
ACT 15:17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।
ACT 15:18 ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’
ACT 15:19 ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;
ACT 15:20 କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ଯୌନକ୍ରିୟା, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ।
ACT 15:21 କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”
ACT 15:22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍‍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ,
ACT 15:23 ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୁଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର।
ACT 15:24 ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି;
ACT 15:25 ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି,
ACT 15:26 ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ।
ACT 15:27 ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ।
ACT 15:28 କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା;
ACT 15:29 ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ।
ACT 15:30 ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ।
ACT 15:31 ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ।
ACT 15:32 ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ।
ACT 15:33 ଆଉ ସେମାନେ ସେଠାରେ କେତେକ କାଳ ରହିଲା ପରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ,
ACT 15:34 [କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ମନେ କଲେ।]
ACT 15:35 ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ACT 15:36 କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହି ସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା।
ACT 15:37 ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା,
ACT 15:38 କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ୍ ମନେ କଲେ ନାହିଁ।
ACT 15:39 ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ ସାଇପ୍ରସ୍ ଦ୍ବୀପକୁ ଗମନ କଲେ,
ACT 15:40 କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,
ACT 15:41 ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀ-ସମୂହକୁ ସୁସ୍ଥିର କଲେ।
ACT 16:1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ।
ACT 16:2 ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାହାଙ୍କ ସୁଖ୍ୟାତି କରୁଥିଲେ।
ACT 16:3 ତାହାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ ବୋଲି ସମସ୍ତେ ଜାଣିଥିଲେ।
ACT 16:4 ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ।
ACT 16:5 ଏହି ପ୍ରକାରେ ମଣ୍ଡଳୀ-ସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।
ACT 16:6 ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,
ACT 16:7 ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆ ପ୍ରଦେଶକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।
ACT 16:8 ସେମାନେ ମୂସିଆ ପାଖ ଦେଇ ତ୍ରୋୟା ସହରକୁ ଆସିଲେ।
ACT 16:9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।
ACT 16:10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।
ACT 16:11 ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ,
ACT 16:12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।
ACT 16:13 ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ।
ACT 16:14 ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ।
ACT 16:15 ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
ACT 16:16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।
ACT 16:17 ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ବରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି।
ACT 16:18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।
ACT 16:19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ।
ACT 16:20 ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି।
ACT 16:21 ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି।
ACT 16:22 ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ।
ACT 16:23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ।
ACT 16:24 ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ।
ACT 16:25 କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ।
ACT 16:26 ସେତେବେଳେ ହଠାତ୍‍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା।
ACT 16:27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ।
ACT 16:28 କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ।
ACT 16:29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
ACT 16:30 ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
ACT 16:31 ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ।
ACT 16:32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ।
ACT 16:33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ।
ACT 16:34 ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ।
ACT 16:35 ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ।
ACT 16:36 ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ।
ACT 16:37 କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ।
ACT 16:38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ,
ACT 16:39 ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ।
ACT 16:40 ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ।
ACT 17:1 ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।
ACT 17:2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,
ACT 17:3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।
ACT 17:4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।
ACT 17:5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।
ACT 17:6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି।
ACT 17:7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।
ACT 17:8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ।
ACT 17:9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ।
ACT 17:10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ।
ACT 17:11 ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।
ACT 17:12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।
ACT 17:13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।
ACT 17:14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ।
ACT 17:15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।
ACT 17:16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା।
ACT 17:17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ।
ACT 17:18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ ଦର୍ଶନଶାସ୍ତ୍ରର କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ।
ACT 17:19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି?
ACT 17:20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ।
ACT 17:21 ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ।
ACT 17:22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି।
ACT 17:23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି।
ACT 17:24 ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ,
ACT 17:25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି।
ACT 17:26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,
ACT 17:27 ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି।
ACT 17:28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।”
ACT 17:29 ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ।
ACT 17:30 ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;
ACT 17:31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି।
ACT 17:32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା।
ACT 17:33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ।
ACT 17:34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।
ACT 18:1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ।
ACT 18:2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ,
ACT 18:3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ।
ACT 18:4 ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍‍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
ACT 18:5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ।
ACT 18:6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି।
ACT 18:7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା।
ACT 18:8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ।
ACT 18:9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ,
ACT 18:10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।”
ACT 18:11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ।
ACT 18:12 କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,
ACT 18:13 ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ।
ACT 18:14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା,
ACT 18:15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ।
ACT 18:16 ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ।
ACT 18:17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ।
ACT 18:18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ।
ACT 18:19 ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ।
ACT 18:20 ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ,
ACT 18:21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ।
ACT 18:22 କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ।
ACT 18:23 ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡ଼ିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ।
ACT 18:24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ।
ACT 18:25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ;
ACT 18:26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ।
ACT 18:27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ,
ACT 18:28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ।
ACT 19:1 ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।
ACT 19:2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ।
ACT 19:3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ।
ACT 19:4 ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍‍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ।
ACT 19:5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,
ACT 19:6 ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ।
ACT 19:7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ।
ACT 19:8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ।
ACT 19:9 କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ।
ACT 19:10 ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଏସିଆ-ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।
ACT 19:11 ପୁଣି, ଈଶ୍ବର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ,
ACT 19:12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ।
ACT 19:13 କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି।
ACT 19:14 ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ।
ACT 19:15 ସେଥିରେ ମନ୍ଦ-ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ?
ACT 19:16 ସେତେବେଳେ ମନ୍ଦ-ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ।
ACT 19:17 ଏହି କଥା ଏଫିସ ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଜାଣିଲେ। ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା।
ACT 19:18 ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,
ACT 19:19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ରୂପା ମୁଦ୍ରା ବୋଲି ଦେଖିଲେ।
ACT 19:20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।
ACT 19:21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।
ACT 19:22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ।
ACT 19:23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା।
ACT 19:24 କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା।
ACT 19:25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
ACT 19:26 ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
ACT 19:27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି।
ACT 19:28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
ACT 19:29 ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଆର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ।
ACT 19:30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
ACT 19:31 ଆଉ ଏସିଆର ପ୍ରଧାନ କର୍ମକାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ।
ACT 19:32 ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ।
ACT 19:33 ଆଉ ଯିହୁଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା।
ACT 19:34 କିନ୍ତୁ ସେ ଜଣେ ଯିହୁଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
ACT 19:35 ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
ACT 19:36 ଅତଏବ ଏହିସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନାରେ କୌଣସି କର୍ମ ନ କରିବା ଉଚିତ।
ACT 19:37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି।
ACT 19:38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
ACT 19:39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ।
ACT 19:40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ।
ACT 19:41 ଏହା କହି ସେ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଲେ।
ACT 20:1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।
ACT 20:2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍‍କୁ ଆସିଲେ।
ACT 20:3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।
ACT 20:4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।
ACT 20:5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ।
ACT 20:6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।
ACT 20:7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ।
ACT 20:8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା।
ACT 20:9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା।
ACT 20:10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି।
ACT 20:11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
ACT 20:12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ।
ACT 20:13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।
ACT 20:14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ,
ACT 20:15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ।
ACT 20:16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।
ACT 20:17 ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ।
ACT 20:18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,
ACT 20:19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
ACT 20:20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ,
ACT 20:21 ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ।
ACT 20:22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;
ACT 20:23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି।
ACT 20:24 କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି।
ACT 20:25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ।
ACT 20:26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି।
ACT 20:27 ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି।
ACT 20:28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
ACT 20:29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ,
ACT 20:30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ।
ACT 20:31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ।
ACT 20:32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି।
ACT 20:33 ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି।
ACT 20:34 ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ।
ACT 20:35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।
ACT 20:36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
ACT 20:37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,
ACT 20:38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।
ACT 21:1 ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ।
ACT 21:2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ।
ACT 21:3 ପରେ ସାଇପ୍ରସ୍ ଦ୍ୱୀପ ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟା ଅଞ୍ଚଳକୁ ଯାତ୍ରା କରି ସୋର ସହରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା।
ACT 21:4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।
ACT 21:5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,
ACT 21:6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ।
ACT 21:7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ।
ACT 21:8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।
ACT 21:9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ।
ACT 21:10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ।
ACT 21:11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ।
ACT 21:12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ।
ACT 21:13 ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।
ACT 21:14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।
ACT 21:15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ।
ACT 21:16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍‍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।
ACT 21:17 ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ।
ACT 21:18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ।
ACT 21:19 ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ବର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
ACT 21:20 ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‌ଯୋଗୀ।
ACT 21:21 ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି।
ACT 21:22 ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ।
ACT 21:23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି;
ACT 21:24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ।
ACT 21:25 କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ।
ACT 21:26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ।
ACT 21:27 ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ,
ACT 21:28 ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି।
ACT 21:29 କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ।
ACT 21:30 ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା।
ACT 21:31 ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା।
ACT 21:32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
ACT 21:33 ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ।
ACT 21:34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେକଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାହାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ।
ACT 21:35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
ACT 21:36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।
ACT 21:37 ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍‍ ଜାଣ?
ACT 21:38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ?
ACT 21:39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୁଦୀ, କିଲିକିୟା ଅଞ୍ଚଳର, ତାର୍ଷ ନାମକ ଏକ ପ୍ରସିଦ୍ଧ ସହରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି।
ACT 21:40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଙ୍କେତ କଲେ; ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,
ACT 22:1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ।
ACT 22:2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ।
ACT 22:3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;
ACT 22:4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି।
ACT 22:5 ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।
ACT 22:6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍‍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା।
ACT 22:7 ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?”
ACT 22:8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।”
ACT 22:9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ।
ACT 22:10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।”
ACT 22:11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି।
ACT 22:12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,
ACT 22:13 ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି।
ACT 22:14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି,
ACT 22:15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ।
ACT 22:16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ।
ACT 22:17 ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି।
ACT 22:18 ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।”
ACT 22:19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;
ACT 22:20 ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି।
ACT 22:21 ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।”
ACT 22:22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ୍ ନୁହେଁ।
ACT 22:23 ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,
ACT 22:24 ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ।
ACT 22:25 ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
ACT 22:26 ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ।
ACT 22:27 ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ।
ACT 22:28 ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ।
ACT 22:29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।
ACT 22:30 କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
ACT 23:1 ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାର-ବ୍ୟବହାର କରି ଆସିଅଛି।
ACT 23:2 ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ।
ACT 23:3 ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
ACT 23:4 ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ବରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ?
ACT 23:5 ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।
ACT 23:6 ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍‍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି।
ACT 23:7 ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା।
ACT 23:8 କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି।
ACT 23:9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।
ACT 23:10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ।
ACT 23:11 ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, “ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମ ସହରରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।”
ACT 23:12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
ACT 23:13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ।
ACT 23:14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ।
ACT 23:15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ।
ACT 23:16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ।
ACT 23:17 ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି।
ACT 23:18 ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି।
ACT 23:19 ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି?
ACT 23:20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି।
ACT 23:21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି।
ACT 23:22 ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।
ACT 23:23 ପରେ ସେ ଦୁଇ ଜଣ ଶତ-ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।
ACT 23:24 ପୁଣି, ସେମାନେ ଯେପରି ପାଉଲଙ୍କୁ ଅଶ୍ବବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ।
ACT 23:25 ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ,
ACT 23:26 ମହାମହିମ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କୁ, କ୍ଲାଉଦିଅ ଲୂସୀୟାଙ୍କର ନମସ୍କାର।
ACT 23:27 ଯିହୁଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିବା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମୀୟ ବୋଲି ଜାଣି ଏହାକୁ ଉଦ୍ଧାର କଲି।
ACT 23:28 କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଚ୍ଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି।
ACT 23:29 ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି।
ACT 23:30 ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।
ACT 23:31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ।
ACT 23:32 ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ।
ACT 23:33 ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ।
ACT 23:34 ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିୟାର ଲୋକ, ଏହା ଜାଣି ସେ କହିଲେ,
ACT 23:35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା। ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ।
ACT 24:1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।
ACT 24:2 ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,
ACT 24:3 ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ।
ACT 24:4 କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି।
ACT 24:5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;
ACT 24:6 ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ।
ACT 24:7 କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍‍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ,
ACT 24:8 ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ।
ACT 24:9 ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ।
ACT 24:10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି।
ACT 24:11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି
ACT 24:12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି,
ACT 24:13 ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ।
ACT 24:14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ;
ACT 24:15 ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି।
ACT 24:16 ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ।
ACT 24:17 ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି।
ACT 24:18 ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ;
ACT 24:19 ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା।
ACT 24:20 ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି,
ACT 24:21 କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ।
ACT 24:22 କିନ୍ତୁ ଫେଲୀକ୍ସ୍‌ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା।
ACT 24:23 ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।
ACT 24:24 କେତେକ ଦିନ ପରେ ଫେଲୀକ୍ସ୍‌ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ।
ACT 24:25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍‌ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।
ACT 24:26 ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
ACT 24:27 କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।
ACT 25:1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ,
ACT 25:2 ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାହାଙ୍କ ନିକଟରେ ଆବେଦନ କଲେ।
ACT 25:3 ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ।
ACT 25:4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ।
ACT 25:5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
ACT 25:6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ।
ACT 25:7 ସେ ଆସନ୍ତେ ଯିରୂଶାଲମ ସହରରୁ ଆଗତ ଯିହୁଦୀମାନେ ତାହାଙ୍କ ଚାରିଆଡ଼େ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରିପାରିଲେ ନାହିଁ।
ACT 25:8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ।
ACT 25:9 କିନ୍ତୁ ଫେଷ୍ଟସ୍ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମ ସହରକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ?
ACT 25:10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି।
ACT 25:11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରିବେ ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି।
ACT 25:12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।
ACT 25:13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍‌ଙ୍କୁ ସାକ୍ଷାତ କଲେ।
ACT 25:14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍‌ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି।
ACT 25:15 ମୁଁ ଯିରୂଶାଲମ ସହରରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ।
ACT 25:16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ।
ACT 25:17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି।
ACT 25:18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ,
ACT 25:19 କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା।
ACT 25:20 ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମ ସହରକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି।
ACT 25:21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାହାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି।
ACT 25:22 ସେଥିରେ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ।
ACT 25:23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍‌ଙ୍କ ଆଦେଶ ଅନୁସାରେ ପାଉଲ ଅଣାଗଲେ।
ACT 25:24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମ ସହରରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ୍ ନୁହେଁ ବୋଲି ଚିତ୍କାର କଲେ।
ACT 25:25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି।
ACT 25:26 ମୋହର ପ୍ରଭୁଙ୍କ ଛାମୁକୁ ତାହାର ବିଷୟରେ ଲେଖିବା ନିମନ୍ତେ ମୋହର କୌଣସି ନିଶ୍ଚିତ ବିଷୟ ନାହିଁ। ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାହାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;
ACT 25:27 କାରଣ ବନ୍ଦୀକୁ ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି।
ACT 26:1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା। ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷ ସମର୍ଥନ କରିବାକୁ ଲାଗିଲେ,
ACT 26:2 ହେ ରାଜନ ଆଗ୍ରିପ୍ପା, ଯିହୁଦୀମାନେ ମୋ ବିରୁଦ୍ଧରେ ଯେ ସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ବନ୍ଧରେ ମୁଁ ଯେ ଆଜି ଆପଣଙ୍କ ଛାମୁରେ ଆତ୍ମପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇଅଛି, ଏଥିପାଇଁ ମୁଁ ଆପଣାକୁ ସମୃଦ୍ଧିମାନ ମନେ କରୁଅଛି,
ACT 26:3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି।
ACT 26:4 ଯୌବନକାଳାବଧି ଆଦ୍ୟରୁ ସ୍ୱଜାତି ମଧ୍ୟରେ ଓ ଯିରୂଶାଲମ ସହରରେ ମୋହର ଆଚାର-ବ୍ୟବହାର ଯିହୁଦୀମାନେ ସମସ୍ତେ ଜାଣନ୍ତି;
ACT 26:5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନଯାପନ କଲି।
ACT 26:6 ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ନିକଟରେ ଈଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି।
ACT 26:7 ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ବରଙ୍କ ସେବା କରୁଅଛନ୍ତି। ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି।
ACT 26:8 ଈଶ୍ବର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ୱସ୍ତ ବୋଲି ବୋଧ ହୁଏ?
ACT 26:9 ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି।
ACT 26:10 ଆଉ, ଯିରୂଶାଲମ ସହରରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,
ACT 26:11 ଆଉ ସମସ୍ତ ସମାଜଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି, ସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ନତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଧା ସେମାନଙ୍କୁ ତାଡ଼ନା କରୁଥିଲି।
ACT 26:12 ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେଶକକୁ ଯାଉଥିବା ସମୟରେ,
ACT 26:13 ହେ ରାଜନ, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ ମୋହର ଓ ମୋʼ ସହଯାତ୍ରୀମାନଙ୍କ ଚତୁଃଦିଗରେ ପ୍ରକାଶମାନ ହେବାର ଦେଖିଲି।
ACT 26:14 ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର।”
ACT 26:15 ସେଥିରେ ମୁଁ କହିଲି, ପ୍ରଭୁ, ଆପଣ କିଏ? ତେଣୁ ପ୍ରଭୁ କହିଲେ “ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି।
ACT 26:16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।
ACT 26:17 ସ୍ୱଜାତି ଓ ଅଣଯିହୁଦୀମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ବରଙ୍କ ପ୍ରତି ଫେରନ୍ତି, ପୁଣି, ପାପ କ୍ଷମା ଓ ଆମ୍ଭଠାରେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି,
ACT 26:18 ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ।”
ACT 26:19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ,
ACT 26:20 କିନ୍ତୁ ପ୍ରଥମେ ଦମ୍ମେଶକର ଓ ଯିରୂଶାଲମ ସହରର ଲୋକମାନଙ୍କ ନିକଟରେ, ପରେ ଯିହୂଦିୟା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି, ଅଣଯିହୁଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ-ପରିବର୍ତ୍ତନ କରି ଈଶ୍ବରଙ୍କ ପ୍ରତି ଫେରିଆସନ୍ତି ଓ ମନ-ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି।
ACT 26:21 ଏହି କାରଣରୁ କେତେକ ଯିହୁଦୀମାନେ ମନ୍ଦିର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ।
ACT 26:22 ଅତଏବ, ଈଶ୍ବରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ “କ୍ଷୁଦ୍ର ଓ ମହାନ” ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି, ପୁଣି, ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହିସବୁ ଛଡ଼ା ଆଉ କିଛି କହୁ ନାହିଁ,
ACT 26:23 ଅର୍ଥାତ୍‍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ପୁଣି, ପ୍ରଥମେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ ସ୍ୱଜାତି ଓ ଅଣଯିହୁଦୀମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ।
ACT 26:24 ଏହି ପ୍ରକାରେ ସେ ଅାତ୍ମପକ୍ଷ ସମର୍ଥନ କରୁଥିବା ସମୟରେ ଫେଷ୍ଟସ୍ ଉଚ୍ଚସ୍ୱରରେ କହିଲେ, ପାଉଲ, ତୁମ୍ଭେ ପାଗଳ; ବହୁ ବିଦ୍ୟା ତୁମ୍ଭକୁ ପାଗଳ କରୁଅଛି।
ACT 26:25 କିନ୍ତୁ ପାଉଲ କହିଲେ, ହେ ମହାମହିମ ଫେଷ୍ଟସ୍, ମୁଁ ପାଗଳ ନୁହେଁ, ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି।
ACT 26:26 ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାହାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହି ସମସ୍ତ ବିଷୟର କୌଣସି କଥା ତାଙ୍କର ଅଜଣା ନାହିଁ ବୋଲି ମୋହର ବିଶ୍ୱାସ; ଏହା ତ ଗୋପନରେ କରା ହୋଇ ନାହିଁ।
ACT 26:27 ହେ ରାଜନ ଆଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ।
ACT 26:28 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିୟାନ କରିପାର ବୋଲି ମନେ କରୁଅଛ।
ACT 26:29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋହର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛି।
ACT 26:30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ,
ACT 26:31 ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହିଁ।
ACT 26:32 ଆଉ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା।
ACT 27:1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ଆଗସ୍ତିୟ ରାଜକୀୟ ସୈନ୍ୟଦଳର ଯୂଲିଅସ୍ ନାମକ ଜଣେ ଶତ-ସେନାପତିଙ୍କ ହସ୍ତରେ ସମର୍ପିତ ହେଲେ।
ACT 27:2 ସେଥିରେ ଏସିଆ ପ୍ରଦେଶର ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ଥେସଲନୀକୀ ସହରରେ ମାକିଦନିଆ ନଗରରୁ ଆରିସ୍ତାର୍ଖ ନାମକ ଜଣେ ବ୍ୟକ୍ତି ଆମ୍ଭମାନଙ୍କ ସାଙ୍ଗରେ ଥିଲେ।
ACT 27:3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ।
ACT 27:4 ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ ସାଇପ୍ରସ୍ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି,
ACT 27:5 କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ।
ACT 27:6 ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ।
ACT 27:7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
ACT 27:8 ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ।
ACT 27:9 ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
ACT 27:10 ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି।
ACT 27:11 କିନ୍ତୁ ଶତ-ସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ।
ACT 27:12 ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।
ACT 27:13 ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ।
ACT 27:14 କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା।
ACT 27:15 ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ।
ACT 27:16 ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
ACT 27:17 ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ।
ACT 27:18 ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
ACT 27:19 ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ।
ACT 27:20 ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା।
ACT 27:21 ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ୍ ଥିଲା।
ACT 27:22 ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ।
ACT 27:23 ଯେଣୁ ମୁଁ ଯେଉଁ ଈଶ୍ବରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,
ACT 27:24 ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି।
ACT 27:25 ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ବରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ।
ACT 27:26 କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ।
ACT 27:27 ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ।
ACT 27:28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ।
ACT 27:29 କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ।
ACT 27:30 ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ,
ACT 27:31 ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ।
ACT 27:32 ସେଥିରେ ସୈନ୍ୟମାନେ ନୌକାର ଦଉଡିସବୁ କାଟିଦେଇ ତାହାକୁ ଜଳରେ ପକାଇଦେଲେ।
ACT 27:33 ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି।
ACT 27:34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।
ACT 27:35 ସେ ଏହିସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ।
ACT 27:36 ସେଥିରେ ସେମାନେ ସମସ୍ତେ ସାହସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ।
ACT 27:37 ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ।
ACT 27:38 ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,
ACT 27:39 ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ।
ACT 27:40 ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ।
ACT 27:41 କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ ଲାଗିଗଲା; ତାହାର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା।
ACT 27:42 ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ,
ACT 27:43 କିନ୍ତୁ ଶତ-ସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମେ ସ୍ଥଳକୁ ଯାଆନ୍ତୁ,
ACT 27:44 ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ। ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ।
ACT 28:1 ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ।
ACT 28:2 ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ।
ACT 28:3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା।
ACT 28:4 ବର୍ବରମାନେ ତାହାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ।
ACT 28:5 କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ।
ACT 28:6 ସେ ଯେ ଫୁଲିଯିବେ କିମ୍ବା ହଠାତ୍‍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା।
ACT 28:7 ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ।
ACT 28:8 ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ।
ACT 28:9 ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ;
ACT 28:10 ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ।
ACT 28:11 ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ।
ACT 28:12 ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ,
ACT 28:13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ;
ACT 28:14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ।
ACT 28:15 ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ।
ACT 28:16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।
ACT 28:17 ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି।
ACT 28:18 ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ;
ACT 28:19 କିନ୍ତୁ ଯିହୁଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ।
ACT 28:20 ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି।
ACT 28:21 ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି।
ACT 28:22 କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି।
ACT 28:23 ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
ACT 28:24 ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ।
ACT 28:25 ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ,
ACT 28:26 “ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
ACT 28:27 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’”
ACT 28:28 ଅତଏବ ଈଶ୍ବରଙ୍କ ଏହି ପରିତ୍ରାଣ ଅଣଯିହୁଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ।
ACT 28:29 [ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।]
ACT 28:30 ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ,
ACT 28:31 ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ବରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।
ROM 1:1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
ROM 1:2 ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
ROM 1:3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
ROM 1:4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
ROM 1:5 ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
ROM 1:6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
ROM 1:7 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ROM 1:8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
ROM 1:9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
ROM 1:10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
ROM 1:11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
ROM 1:12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
ROM 1:13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
ROM 1:14 ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
ROM 1:15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
ROM 1:16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।
ROM 1:17 ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
ROM 1:18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
ROM 1:19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
ROM 1:20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ।
ROM 1:21 କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
ROM 1:22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
ROM 1:23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
ROM 1:24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
ROM 1:25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍।
ROM 1:26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
ROM 1:27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
ROM 1:28 ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
ROM 1:29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
ROM 1:30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
ROM 1:31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
ROM 1:32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।
ROM 2:1 ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ।
ROM 2:2 ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ।
ROM 2:3 ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ?
ROM 2:4 କିମ୍ବା ଈଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ-ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର ଉତ୍ତମତା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?
ROM 2:5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
ROM 2:6 ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;
ROM 2:7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,
ROM 2:8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।
ROM 2:9 ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
ROM 2:10 ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ।
ROM 2:11 କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
ROM 2:12 ଯେଣୁ ଯେତେ ମୋଶାଙ୍କ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ବିଚାରିତ ହେବେ,
ROM 2:13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।
ROM 2:14 ଯେଣୁ ଅଣଯିହୁଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;
ROM 2:15 କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
ROM 2:16 ଯେଉଁ ଦିନରେ ଈଶ୍ବର, ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ।
ROM 2:17 କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ବରଙ୍କଠାରେ ଗର୍ବ କରୁଅଛ,
ROM 2:18 ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
ROM 2:19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
ROM 2:20 ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ,
ROM 2:21 ତେବେ ଯଦି ତୁମ୍ଭେ ଯେ ପରକୁ ଶିକ୍ଷା ଦେଉଅଛ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?
ROM 2:22 ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ? ତୁମ୍ଭେ ଯେ ପ୍ରତିମା ଘୃଣା କରୁଅଛ, କଅଣ ମନ୍ଦିର ଲୁଣ୍ଠନ କରୁଅଛ?
ROM 2:23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ?
ROM 2:24 କାରଣ ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବରଙ୍କ ନାମ ନିନ୍ଦିତ ହେଉଅଛି।”
ROM 2:25 ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ।
ROM 2:26 ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
ROM 2:27 ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ।
ROM 2:28 କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
ROM 2:29 କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ବରଙ୍କଠାରୁ ପ୍ରାପ୍ତ ହୁଏ।
ROM 3:1 ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ।
ROM 3:2 ସର୍ବପ୍ରଥମେ, ଈଶ୍ବରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା।
ROM 3:3 ତେବେ କଅଣ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ବରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ?
ROM 3:4 ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ବର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖାଅଛି, “ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ।”
ROM 3:5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ବରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ବର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟର ବିଚାର ଅନୁସାରେ କହୁଅଛି।
ROM 3:6 ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ବର କିପରି ଜଗତର ବିଚାର କରିବେ?
ROM 3:7 କିନ୍ତୁ ଯଦି ମୋହର ମିଥ୍ୟା ଦ୍ୱାରା ଈଶ୍ବରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି?
ROM 3:8 ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା? ଏମାନଙ୍କର ଦଣ୍ଡ ଯଥାର୍ଥ।
ROM 3:9 ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,
ROM 3:10 ଯେପରି ଲେଖାଅଛି, “ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ,
ROM 3:11 ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ବରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ;
ROM 3:12 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ।
ROM 3:13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,
ROM 3:14 ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ;
ROM 3:15 ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
ROM 3:16 ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
ROM 3:17 ପୁଣି, ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ।
ROM 3:18 ଈଶ୍ବରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ।”
ROM 3:19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;
ROM 3:20 କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ।
ROM 3:21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ବରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
ROM 3:22 ଅର୍ଥାତ୍‍, ଈଶ୍ବରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
ROM 3:23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି,
ROM 3:24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି।
ROM 3:25 ଈଶ୍ବର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ ଏବଂ ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,
ROM 3:26 ପୁଣି, ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି।
ROM 3:27 ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ୱାରା? ନା, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।
ROM 3:28 ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ।
ROM 3:29 କିମ୍ବା ଈଶ୍ବର କି କେବଳ ଯିହୁଦୀମାନଙ୍କର ଈଶ୍ବର? ସେ କି ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ବର ନୁହଁନ୍ତି? ହଁ, ଅଣଯିହୁଦୀମାନଙ୍କର ମଧ୍ୟ।
ROM 3:30 କାରଣ ଈଶ୍ବର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ।
ROM 3:31 ତେବେ, ଆମ୍ଭେମାନେ କି ବିଶ୍ୱାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ।
ROM 4:1 ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷ ଅବ୍ରହାମ କଅଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା?
ROM 4:2 କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ବରଙ୍କ ନିକଟରେ ନୁହେଁ।
ROM 4:3 କାରଣ ପବିତ୍ର ଶାସ୍ତ୍ର କଅଣ କୁହେ? ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
ROM 4:4 ଯେ କର୍ମ କରେ, ତାହା ପକ୍ଷରେ ତାହାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ।
ROM 4:5 କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତେବେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ।
ROM 4:6 ଏହି ପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ବର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାହାକୁ ଧନ୍ୟ ବୋଲି କହନ୍ତି, ଯଥା,
ROM 4:7 “ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ।
ROM 4:8 ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ।”
ROM 4:9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ନା ଅସୁନ୍ନତିପ୍ରାପ୍ତମାନଙ୍କୁ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
ROM 4:10 ତେବେ, ତାହା କିପରି ଗଣିତ ହେଲା? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ।
ROM 4:11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
ROM 4:12 ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇପାରନ୍ତି, ଅର୍ଥାତ୍‍ ଯେଉଁମାନେ ସୁନ୍ନତପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ।
ROM 4:13 କାରଣ ଅବ୍ରହାମ କିମ୍ବା ତାହାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା।
ROM 4:14 ଯେଣୁ ଯଦି ବ୍ୟବସ୍ଥାବଲମ୍ବୀମାନେ ଅଧିକାରୀ ହୁଅନ୍ତି, ତାହାହେଲେ ବିଶ୍ୱାସ ବ୍ୟର୍ଥ କରାଯାଇଅଛି ଓ ପ୍ରତିଜ୍ଞା ନିଷ୍ଫଳ କରାଯାଇଅଛି।
ROM 4:15 କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ।
ROM 4:16 ଏଣୁ ଏହି ପ୍ରତିଜ୍ଞା ବିଶ୍ୱାସ ହେତୁ ପ୍ରାପ୍ତ ହୁଏ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ୱାରା ସମସ୍ତ ବଂଶ ପକ୍ଷରେ, କେବଳ ବ୍ୟବସ୍ଥାବଲମ୍ବୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ୱାସାବଲମ୍ବୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ;
ROM 4:17 ଯେଉଁ ଈଶ୍ବରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ବରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।
ROM 4:18 “ଏହିପରି ତୁମ୍ଭର ବଂଶ ହେବ,” ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ।
ROM 4:19 ତାହାଙ୍କ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍‍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ,
ROM 4:20 ବରଂ ଈଶ୍ବରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,
ROM 4:21 କିନ୍ତୁ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ।
ROM 4:22 ଏଥିପାଇଁ ମଧ୍ୟ ଏହା ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
ROM 4:23 ତାହାଙ୍କ ପକ୍ଷରେ ଯେ ଗଣିତ ହେଲା, ଏହା କେବଳ ତାହାଙ୍କ ନିମନ୍ତେ ଲିଖିତ ହୋଇ ନାହିଁ,
ROM 4:24 ମାତ୍ର ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଲେଖା ହୋଇଅଛି; କାରଣ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କଲେ, ତାହାଙ୍କଠାରେ ବିଶ୍ୱାସ କରୁଅଛୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ତାହା ଗଣିତ ହେବ;
ROM 4:25 ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ପୁନରୁତ୍ଥିତ ହେଲେ।
ROM 5:1 ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
ROM 5:2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ବରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।
ROM 5:3 କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,
ROM 5:4 ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ।
ROM 5:5 ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ପ୍ରେମ ପ୍ରବାହିତ ହୋଇଅଛି।
ROM 5:6 କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ।
ROM 5:7 ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ।
ROM 5:8 କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି।
ROM 5:9 ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇବା।
ROM 5:10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।
ROM 5:11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।
ROM 5:12 ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ।
ROM 5:13 କାରଣ ମୋଶା ବ୍ୟବସ୍ଥା ପ୍ରାପ୍ତ କରିବା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ;
ROM 5:14 ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ।
ROM 5:15 କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ବରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା।
ROM 5:16 ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା;
ROM 5:17 ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ।
ROM 5:18 ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା।
ROM 5:19 କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ।
ROM 5:20 ଏହା ଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
ROM 5:21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ।
ROM 6:1 ତେବେ, ଆମ୍ଭେମାନେ କଅଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା?
ROM 6:2 ତାହା କେବେ ହେଁ ନ ହେଉ। ପାପ ପ୍ରତି ମୃତ୍ୟୁ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମ୍ଭେମାନେ ଜୀବନ କାଟିବା?
ROM 6:3 ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ?
ROM 6:4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
ROM 6:5 କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା।
ROM 6:6 ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି,
ROM 6:7 ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି।
ROM 6:8 କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ।
ROM 6:9 ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ।
ROM 6:10 କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ବରଙ୍କ ପ୍ରତି ଜୀବିତ ଅଟନ୍ତି।
ROM 6:11 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର।
ROM 6:12 ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ;
ROM 6:13 କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର।
ROM 6:14 କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ।
ROM 6:15 ତେବେ କଅଣ? ଆମ୍ଭେମାନେ ଯେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥିନିମନ୍ତେ କି ପାପ କରିବା? ତାହା କେବେ ହେଁ ନ ହେଉ।
ROM 6:16 ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତାଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍‍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କଅଣ ଜାଣ ନାହିଁ?
ROM 6:17 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ,
ROM 6:18 ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ।
ROM 6:19 ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର।
ROM 6:20 କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ।
ROM 6:21 ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ।
ROM 6:22 କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ବରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ।
ROM 6:23 କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।
ROM 7:1 ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି।
ROM 7:2 ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ।
ROM 7:3 ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାହାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ।
ROM 7:4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ।
ROM 7:5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,
ROM 7:6 କିନ୍ତୁ ଯେପରି ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାରେ ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ।
ROM 7:7 ତେବେ, ଆମ୍ଭେମାନେ କଅଣ କହିବା? ମୋଶାଙ୍କ ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି।
ROM 7:8 କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋʼ ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ବ୍ୟବସ୍ଥା ବିନା ପାପ ମୃତ।
ROM 7:9 ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;
ROM 7:10 ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋʼ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା।
ROM 7:11 କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା।
ROM 7:12 ଅତଏବ, ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ।
ROM 7:13 ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ।
ROM 7:14 ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ।
ROM 7:15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।
ROM 7:16 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ।
ROM 7:17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋʼ ଠାରେ ବାସ କରୁଥିବା ପାପ ତାହା କରୁଅଛି।
ROM 7:18 କାରଣ ମୋʼ ଠାରେ, ଅର୍ଥାତ୍‍, ମୋʼ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ।
ROM 7:19 କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ।
ROM 7:20 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋʼ ଠାରେ ବାସ କରୁଥିବା ପାପ ତାହା କରେ।
ROM 7:21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୋʼଠାରେ କାର୍ଯ୍ୟ କରେ, ତାହା ମୁଁ ଦେଖୁଅଛି।
ROM 7:22 କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ବରଙ୍କ ବ୍ୟବସ୍ଥାରେ ଆନନ୍ଦ କରେ,
ROM 7:23 କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋହର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ।
ROM 7:24 ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
ROM 7:25 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ବରଙ୍କର ଧନ୍ୟବାଦ ହେଉ। ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ବରଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ବ୍ୟବସ୍ଥାର ଦାସ ଅଟେ।
ROM 8:1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ।
ROM 8:2 କାରଣ ଜୀବନଦାୟକ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି।
ROM 8:3 ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
ROM 8:4 ଯେପରି ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ।
ROM 8:5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।
ROM 8:6 କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
ROM 8:7 ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
ROM 8:8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ।
ROM 8:9 କିନ୍ତୁ ଈଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ।
ROM 8:10 କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ।
ROM 8:11 ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।
ROM 8:12 ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ;
ROM 8:13 କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ।
ROM 8:14 ଯେଣୁ ଯେତେ ଲୋକ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ବରଙ୍କ ସନ୍ତାନ।
ROM 8:15 କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ।
ROM 8:16 ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ସେହି ପବିତ୍ର ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି,
ROM 8:17 ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ବରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ।
ROM 8:18 କାରଣ ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ।
ROM 8:19 ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ବରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି।
ROM 8:20 କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତାହାର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାହାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
ROM 8:21 ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ବରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ।
ROM 8:22 କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ।
ROM 8:23 ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।
ROM 8:24 କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ?
ROM 8:25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।
ROM 8:26 ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
ROM 8:27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ପବିତ୍ର ଆତ୍ମାଙ୍କ ଭାବ କଅଣ, ତାହା ମଧ୍ୟ ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।
ROM 8:28 ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ବର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।
ROM 8:29 କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।
ROM 8:30 ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
ROM 8:31 ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?
ROM 8:32 ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?
ROM 8:33 ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି।
ROM 8:34 କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।
ROM 8:35 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ?
ROM 8:36 ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”
ROM 8:37 ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।
ROM 8:38 କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ,
ROM 8:39 ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।
ROM 9:1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
ROM 9:2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
ROM 9:3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
ROM 9:4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
ROM 9:5 ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍‍।
ROM 9:6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
ROM 9:7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
ROM 9:8 ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
ROM 9:9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
ROM 9:10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍‌ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
ROM 9:11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
ROM 9:12 ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
ROM 9:13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
ROM 9:14 ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
ROM 9:15 କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
ROM 9:16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
ROM 9:17 ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
ROM 9:18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
ROM 9:19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
ROM 9:20 କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
ROM 9:21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
ROM 9:22 କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
ROM 9:23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
ROM 9:24 ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
ROM 9:25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
ROM 9:26 ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
ROM 9:27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
ROM 9:28 ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
ROM 9:29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
ROM 9:30 ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
ROM 9:31 କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
ROM 9:32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
ROM 9:33 ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”
ROM 10:1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
ROM 10:2 କାରଣ ଈଶ୍ବରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‌ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ।
ROM 10:3 ଯେଣୁ ଈଶ୍ବରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ବରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।
ROM 10:4 କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି।
ROM 10:5 କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ।
ROM 10:6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, କିଏ ସ୍ୱର୍ଗାରୋହଣ କରିବ (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ନିମନ୍ତେ)?”
ROM 10:7 “ଅବା ‘କିଏ ପାତାଳକୁ ଅବତରଣ କରିବ’” (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)?
ROM 10:8 କିନ୍ତୁ ତାହା କଅଣ କହେ? “ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି,” ଅର୍ଥାତ୍‍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।
ROM 10:9 ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
ROM 10:10 କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ।
ROM 10:11 ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।
ROM 10:12 କାରଣ ଯିହୁଦୀ ଓ ଗ୍ରୀକ୍‍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ।
ROM 10:13 କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।
ROM 10:14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?
ROM 10:15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।”
ROM 10:16 କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?”
ROM 10:17 ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ।
ROM 10:18 କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”
ROM 10:19 କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, “ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା।”
ROM 10:20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”
ROM 10:21 କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, “ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।”
ROM 11:1 ତେବେ ମୁଁ କହେ, ଈଶ୍ବର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ।
ROM 11:2 ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି,
ROM 11:3 “ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି।”
ROM 11:4 କିନ୍ତୁ ତାହାଙ୍କୁ ଈଶ୍ବର କଅଣ ଉତ୍ତର ଦିଅନ୍ତି? “ଯେଉଁମାନେ ଅନ୍ୟ ବାଆଲ୍ ଦେବତା ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ।”
ROM 11:5 ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି।
ROM 11:6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।
ROM 11:7 ତେବେ କଅଣ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
ROM 11:8 ଯେପରି ଲେଖାଅଛି, “ଈଶ୍ବର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ।”
ROM 11:9 ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ।
ROM 11:10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ।”
ROM 11:11 ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।
ROM 11:12 ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!
ROM 11:13 କିନ୍ତୁ ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ଅଣଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,
ROM 11:14 ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍‍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ।
ROM 11:15 କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?
ROM 11:16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।
ROM 11:17 କିନ୍ତୁ ଯଦି ଘରୋଇ ଜୀତବୃକ୍ଷର କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତବୃକ୍ଷର ଶାଖା ହେଲେ ହେଁ ସେହି ଘରୋଇ ଜୀତବୃକ୍ଷରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
ROM 11:18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।
ROM 11:19 ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥିନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି।
ROM 11:20 ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
ROM 11:21 କାରଣ ଯଦି ଈଶ୍ବର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ।
ROM 11:22 ଅତଏବ, ଈଶ୍ବରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ବରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ।
ROM 11:23 ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ବର ସମର୍ଥ ଅଟନ୍ତି।
ROM 11:24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!
ROM 11:25 କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍‍, ଯେପର୍ଯ୍ୟନ୍ତ ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
ROM 11:26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।
ROM 11:27 ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ।”
ROM 11:28 ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃ-ପୁରୁଷଙ୍କ ସକାଶେ ସେମାନେ ଈଶ୍ବରଙ୍କ ପ୍ରିୟପାତ୍ର।
ROM 11:29 କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
ROM 11:30 ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ବରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ଯିହୁଦୀମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ,
ROM 11:31 ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି।
ROM 11:32 କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି।
ROM 11:33 ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ!
ROM 11:34 “କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି?”
ROM 11:35 “ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?”
ROM 11:36 “ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍।”
ROM 12:1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
ROM 12:2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।
ROM 12:3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
ROM 12:4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ,
ROM 12:5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।
ROM 12:6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;
ROM 12:7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
ROM 12:8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।
ROM 12:9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ROM 12:10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
ROM 12:11 ଉଦ୍‍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
ROM 12:12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ;
ROM 12:13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
ROM 12:14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
ROM 12:15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର।
ROM 12:16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
ROM 12:17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
ROM 12:18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ।
ROM 12:19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”
ROM 12:20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ; ଯଦି ସେ ତୃଷିତ ତାହାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”
ROM 12:21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
ROM 13:1 ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ବରଙ୍କ ଦ୍ୱାରା ନିଯୁକ୍ତ।
ROM 13:2 ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ବରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ।
ROM 13:3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,
ROM 13:4 କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି।
ROM 13:5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ।
ROM 13:6 ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ବରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି।
ROM 13:7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।
ROM 13:8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।
ROM 13:9 କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
ROM 13:10 ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ବ୍ୟବସ୍ଥା ସଫଳ କରେ।
ROM 13:11 ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହିସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ।
ROM 13:12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।
ROM 13:13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ।
ROM 13:14 ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ।
ROM 14:1 ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।
ROM 14:2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।
ROM 14:3 ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।
ROM 14:4 ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି।
ROM 14:5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।
ROM 14:6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
ROM 14:7 କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ।
ROM 14:8 ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ।
ROM 14:9 କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ।
ROM 14:10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
ROM 14:11 ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
ROM 14:12 ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
ROM 14:13 ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
ROM 14:14 ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
ROM 14:15 କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ।
ROM 14:16 ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
ROM 14:17 କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ।
ROM 14:18 ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
ROM 14:19 ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ।
ROM 14:20 ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।
ROM 14:21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।
ROM 14:22 ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।
ROM 14:23 କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ।
ROM 15:1 ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ।
ROM 15:2 ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ।
ROM 15:3 କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖାଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋʼ ଉପରେ ପଡ଼ିଲା।
ROM 15:4 ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି।
ROM 15:5 ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ବର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ,
ROM 15:6 ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର।
ROM 15:7 ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର।
ROM 15:8 କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,
ROM 15:9 ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି, “ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
ROM 15:10 ପୁନଶ୍ଚ ସେ କହନ୍ତି, “ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।”
ROM 15:11 ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।”
ROM 15:12 ପୁନର୍ବାର ଯିଶାଇୟ କହନ୍ତି, “ଯିଶୀଙ୍କ ମୂଳ ରହିବ, ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
ROM 15:13 ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।
ROM 15:14 ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି।
ROM 15:15 ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି।
ROM 15:16 କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।
ROM 15:17 ଏଣୁ ଈଶ୍ବରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି।
ROM 15:18 କାରଣ ଅଣଯିହୁଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋʼ ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ।
ROM 15:19 ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,
ROM 15:20 ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;
ROM 15:21 ଯେପରି ଲେଖାଅଛି, “ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ, ଆଉ ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
ROM 15:22 ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି;
ROM 15:23 କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ,
ROM 15:24 ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି।
ROM 15:25 କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମ ସହରକୁ ଯାଉଅଛି।
ROM 15:26 କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି।
ROM 15:27 ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ।
ROM 15:28 ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି।
ROM 15:29 ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି।
ROM 15:30 ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି,
ROM 15:31 ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
ROM 15:32 ପୁଣି, ଈଶ୍ବରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ।
ROM 15:33 ଶାନ୍ତିଦାତା ଈଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ, ଆମେନ୍‍।
ROM 16:1 କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
ROM 16:2 ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାହାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାହାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋʼ ନିଜର ଉପକାର କରିଅଛନ୍ତି।
ROM 16:3 “ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;
ROM 16:4 ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୁଦୀମାନଙ୍କ ମଣ୍ଡଳୀ-ସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;
ROM 16:5 ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏସିଆର ପ୍ରଥମ ଫଳ ସ୍ୱରୂପ ଅଟନ୍ତି।
ROM 16:6 ମରୀୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ।
ROM 16:7 ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି।
ROM 16:8 ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ।
ROM 16:9 ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ।
ROM 16:10 ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ। ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ।
ROM 16:11 ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ। ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ।
ROM 16:12 ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ। ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି।
ROM 16:13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।
ROM 16:14 ଅସୁଙ୍କ୍ରିତ, ଫ୍ଳେଗୋନ୍‍, ହର୍ମୀସ୍‍, ପାତ୍ରବା, ହର୍ମାସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ।
ROM 16:15 ଫିଲଲଗ ଓ ଯୂଲିଅ, ନୀରୂସ୍‍ ଓ ତାହାଙ୍କ ଭଉଣୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ।
ROM 16:16 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।”
ROM 16:17 ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ୍ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;
ROM 16:18 କାରଣ ଏହିପରି ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
ROM 16:19 ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍‍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।
ROM 16:20 ଆଉ ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ROM 16:21 ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ROM 16:22 ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି।
ROM 16:23 ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ROM 16:24 [ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍‍।]
ROM 16:25 ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା,
ROM 16:26 ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି,
ROM 16:27 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍‍।
1CO 1:1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା,
1CO 1:2 କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ପତ୍ର; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,
1CO 1:3 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
1CO 1:4 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଈଶ୍ବରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
1CO 1:5 କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ;
1CO 1:6 ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି।
1CO 1:7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;
1CO 1:8 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ।
1CO 1:9 ଈଶ୍ବର ବିଶ୍ୱସ୍ତ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ।
1CO 1:10 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ।
1CO 1:11 କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋʼ ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି।
1CO 1:12 ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।
1CO 1:13 ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
1CO 1:14 କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ,
1CO 1:15 ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକୁ ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
1CO 1:16 ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛି, ଏହା ଛଡ଼ା ମୁଁ ଆଉ କାହାରିକୁ ବାପ୍ତିସ୍ମ ଦେଇଅଛି ବୋଲି ମୋହର ମନେ ପଡ଼ୁ ନାହିଁ।
1CO 1:17 କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କରିନାହାଁନ୍ତି, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କରିଅଛନ୍ତି; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ବ୍ୟର୍ଥ ହୁଏ।
1CO 1:18 କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ।
1CO 1:19 ଯେଣୁ ଏହା ଲେଖାଅଛି, “ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା।”
1CO 1:20 ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି?
1CO 1:21 କାରଣ ଈଶ୍ବରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ବରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ଵାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ବର ସନ୍ତୁଷ୍ଟ ହେଲେ।
1CO 1:22 କାରଣ ଯିହୁଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍‍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି,
1CO 1:23 କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୁଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୁଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ,
1CO 1:24 କିନ୍ତୁ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ବରଙ୍କ ଶକ୍ତି ଓ ଈଶ୍ବରଙ୍କ ଜ୍ଞାନସ୍ୱରୂପ ଅଟନ୍ତି।
1CO 1:25 ଯେଣୁ ଈଶ୍ବରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ବରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ।
1CO 1:26 କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାନ୍ତି;
1CO 1:27 କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ବରଙ୍କ ଛାମୁରେ ଗର୍ବ ନ କରେ,
1CO 1:28 ଏଥିପାଇଁ ଈଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖମାନଙ୍କୁ ମନୋନୀତ କଲେ, ପୁଣି, ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଈଶ୍ବର ଜଗତର ଦୁର୍ବଳମାନଙ୍କୁ ମନୋନୀତ କଲେ,
1CO 1:29 ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ବର ଜଗତର ନୀଚ ଓ ତୁଚ୍ଛ ଲୋକମାନଙ୍କୁ, ହଁ, ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ।
1CO 1:30 କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ବରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍‍, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହୋଇଅଛନ୍ତି।
1CO 1:31 ଅତଏବ, ଯେପରି ଲେଖାଅଛି, “ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।”
1CO 2:1 ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ।
1CO 2:2 କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି।
1CO 2:3 ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି;
1CO 2:4 ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ,
1CO 2:5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା।
1CO 2:6 ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ,
1CO 2:7 ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ।
1CO 2:8 ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ;
1CO 2:9 କିନ୍ତୁ ଯେପରି ଲେଖାଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।”
1CO 2:10 କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।
1CO 2:11 କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ବରଙ୍କ ବିଷୟସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ।
1CO 2:12 ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ।
1CO 2:13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ।
1CO 2:14 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ।
1CO 2:15 ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ।
1CO 2:16 ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।
1CO 3:1 ହେ ଭାଇମାନେ, ମୁଁ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହି ପାରିଲି ନାହିଁ, କିନ୍ତୁ ଶାରୀରିକମନା ଲୋକଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି।
1CO 3:2 ମୁଁ ତୁମ୍ଭମାନଙ୍କୁ ଦୁଗ୍ଧ ପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମ୍ଭେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନ ଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇ ନାହଁ,
1CO 3:3 ଯେଣୁ, ଏପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ। କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁ ନାହଁ?
1CO 3:4 ଯେହେତୁ ଯେତେବେଳେ ଜଣେ କୁହେ, ମୁଁ ପାଉଲଙ୍କର, ପୁଣି, ଆଉ ଜଣେ କୁହେ, ମୁଁ ଆପଲ୍ଲଙ୍କର, ସେତେବେଳେ ତୁମ୍ଭେମାନେ କି ଶାରୀରିକ ନୁହଁ?
1CO 3:5 ଆପଲ୍ଲ କିଏ? ପାଉଲ ବା କିଏ? ସେମାନେ ତ ସେବକ ମାତ୍ର, ଯେଉଁମାନଙ୍କ ଦ୍ୱାରା, ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି, ତଦନୁସାରେ ତୁମ୍ଭେମାନେ ବିଶ୍ୱାସ କରିଅଛ।
1CO 3:6 ମୁଁ ରୋପଣ କରିଅଛି, ଆପଲ୍ଲ ଜଳ ସେଚନ କରିଅଛନ୍ତି, କିନ୍ତୁ ଈଶ୍ବର ବୃଦ୍ଧି ସାଧନ କରିଅଛନ୍ତି।
1CO 3:7 ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ବର, ସେ ସାର।
1CO 3:8 ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ।
1CO 3:9 କାରଣ ଆମ୍ଭେମାନେ ଈଶ୍ବରଙ୍କ ସହକର୍ମୀ ତୁମ୍ଭେମାନେ ଈଶ୍ବରଙ୍କ କ୍ଷେତ୍ର, ଈଶ୍ବରଙ୍କ ଗୃହ।
1CO 3:10 ମୋତେ ଦିଆଯାଇଥିବା ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରେ, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରେ। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରେ, ସେ ସମ୍ବନ୍ଧରେ ସାବଧାନ ହେଉ।
1CO 3:11 କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି, ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ।
1CO 3:12 କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ,
1CO 3:13 ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର, ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର, ସେହି ଅଗ୍ନି ପରୀକ୍ଷା କରିବ।
1CO 3:14 ଯେ ଯାହା ନିର୍ମାଣ କରିଅଛି, ତାହାର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ;
1CO 3:15 ଯଦି କାହାରି କର୍ମ ପୋଡ଼ିଯିବ, ତାହାର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ।
1CO 3:16 ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର, ଆଉ ଈଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;
1CO 3:17 ଯଦି କୌଣସି ଲୋକ ଈଶ୍ବରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ବର ତାହାକୁ ନଷ୍ଟ କରିବେ କାରଣ ଈଶ୍ବରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ।
1CO 3:18 କେହି ଆପଣାକୁ ପ୍ରବଞ୍ଚନା ନ କରୁ। ଯଦି କୌଣସି ଲୋକ ଏହି ଯୁଗରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ।
1CO 3:19 କାରଣ ଏହି ଜଗତର ଜ୍ଞାନ ଈଶ୍ବରଙ୍କ ନିକଟରେ ମୂର୍ଖତା। ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, “ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି,”
1CO 3:20 ପୁନଶ୍ଚ, “ଜ୍ଞାନୀମାନଙ୍କର ତର୍କବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି।”
1CO 3:21 ଅତଏବ, କେହି ମନୁଷ୍ୟଠାରେ ଗର୍ବ ନ କରୁ;
1CO 3:22 କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର ପାଉଲ କୁହ କି ଆପଲ୍ଲ କୁହ କି କୈଫା କୁହ, ଜଗତ କୁହ କି ଜୀବନ କୁହ କି ମରଣ କୁହ, ବର୍ତ୍ତମାନ ବିଷୟ କୁହ କି ଭବିଷ୍ୟତ ବିଷୟ କୁହ, ସମସ୍ତ ହିଁ ତୁମ୍ଭମାନଙ୍କର,
1CO 3:23 ଏବଂ ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ପୁଣି, ଖ୍ରୀଷ୍ଟ ଈଶ୍ବରଙ୍କର।
1CO 4:1 ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ବରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ।
1CO 4:2 ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ।
1CO 4:3 କିନ୍ତୁ ତୁମ୍ଭମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାରସଭା ଦ୍ୱାରା ବିଚାରିତ ହେବା ମୋʼ ପକ୍ଷରେ ଅତି ସାମାନ୍ୟ ବିଷୟ, ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ।
1CO 4:4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ।
1CO 4:5 ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ପ୍ରଶଂସା ପାଇବ।
1CO 4:6 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହିସବୁ କଥା ମୋʼ ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ, ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ।
1CO 4:7 କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?
1CO 4:8 ଇତିମଧ୍ୟରେ ତୁମ୍ଭେମାନେ କଅଣ ପରିତୃପ୍ତ ହୋଇଗଲଣି? ଇତିମଧ୍ୟରେ ତୁମ୍ଭେମାନେ କଅଣ ଧନବାନ ହୋଇଗଲଣି? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିପାରିଥାଆନ୍ତୁ।
1CO 4:9 କାରଣ ମୋହର ମନେ ହୁଏ, ଆମ୍ଭେମାନେ ଯେ ପ୍ରେରିତ, ଆମ୍ଭମାନଙ୍କୁ ଈଶ୍ବର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ।
1CO 4:10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ।
1CO 4:11 ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ
1CO 4:12 ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ,
1CO 4:13 ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ।
1CO 4:14 ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି।
1CO 4:15 କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି।
1CO 4:16 ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ।
1CO 4:17 ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ।
1CO 4:18 ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେ କରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି।
1CO 4:19 କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଆସିବି; ପୁଣି, ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି!
1CO 4:20 କାରଣ ଈଶ୍ବରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ।
1CO 4:21 ତୁମ୍ଭମାନଙ୍କର ଇଚ୍ଛା କଅଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଆସିବି ନା ପ୍ରେମ ଓ ମୃଦୁତାର ଆତ୍ମା ଘେନି ଆସିବି?
1CO 5:1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୁଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।
1CO 5:2 ପୁଣି, ଯେ ଏହି କର୍ମ କରିଅଛି, ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ, ଏଥିନିମନ୍ତେ ଶୋକାର୍ତ୍ତ ନ ହୋଇ ବରଂ କି ଗର୍ବ କରୁଅଛ?
1CO 5:3 କିନ୍ତୁ ମୁଁ ଶରୀରରେ ଅନୁପସ୍ଥିତ ହେଲେ ସୁଦ୍ଧା ଆତ୍ମାରେ ଉପସ୍ଥିତ ଥାଇ, ଯେ ଏହି ପ୍ରକାର କର୍ମ କରିଅଛି, ଉପସ୍ଥିତ ଥିଲା ପରି ପ୍ରଭୁ ଯୀଶୁଙ୍କ ନାମରେ ତାହାର ବିଚାର କରିସାରିଅଛି,
1CO 5:4 ଅର୍ଥାତ୍‍, ତୁମ୍ଭେମାନେ ଓ ମୋହର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଶକ୍ତି ସହକାରେ ସମବେତ ହୋଇ ଏହା ସ୍ଥିର କରିଅଛୁ ଯେ,
1CO 5:5 ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ।
1CO 5:6 ତୁମ୍ଭମାନଙ୍କର ଏପରି ଗର୍ବ କରିବା ଭଲ ନୁହେଁ। ତୁମ୍ଭେମାନେ କି ଜାଣ ନାହିଁ ଯେ, ଅଳ୍ପ ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ?
1CO 5:7 ତୁମ୍ଭେମାନେ ତ ଖମୀରଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରିପକାଅ; କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍‍ ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି।
1CO 5:8 ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ।
1CO 5:9 ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମ୍ଭମାନଙ୍କୁ ମୋହର ପତ୍ରରେ ଲେଖିଥିଲି;
1CO 5:10 ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ;
1CO 5:11 କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରି ଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ।
1CO 5:12 କାରଣ ମଣ୍ଡଳୀ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କଅଣ ଅଛି? ମଣ୍ଡଳୀ ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ?
1CO 5:13 କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ବର କରିବେ। ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ।
1CO 6:1 ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ?
1CO 6:2 ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏ କଥା କି ତୁମ୍ଭେମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ?
1CO 6:3 ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ?
1CO 6:4 ତେବେ ଐହିକ ଜୀବନର କଥା ବା କଅଣ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କଅଣ ବିଚାର କରିବା ନିମନ୍ତେ ନିଯୁକ୍ତ କର?
1CO 6:5 ମୁଁ ତୁମ୍ଭମାନଙ୍କୁ ଲଜ୍ଜା କରାଇବା ପାଇଁ ଏହା କହୁଅଛି। ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କଅଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ?
1CO 6:6 ମାତ୍ର ଜଣେ ବିଶ୍ୱାସୀ ଭାଇ ଅନ୍ୟ ବିଶ୍ୱାସୀ ଭାଇ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ!
1CO 6:7 ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ?
1CO 6:8 କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ।
1CO 6:9 ଅବା, ଅଧାର୍ମିକମାନେ ଯେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍‍ ଆଚାରୀ
1CO 6:10 କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
1CO 6:11 ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
1CO 6:12 ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ।
1CO 6:13 ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ବର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ;
1CO 6:14 ଈଶ୍ବର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ।
1CO 6:15 ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ।
1CO 6:16 କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।”
1CO 6:17 କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ।
1CO 6:18 ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ।
1CO 6:19 ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ;
1CO 6:20 ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର।
1CO 7:1 ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ;
1CO 7:2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ।
1CO 7:3 ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।
1CO 7:4 ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।
1CO 7:5 ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।
1CO 7:6 କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ।
1CO 7:7 ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା। ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ପାଇଅଛି।
1CO 7:8 କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।
1CO 7:9 ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।
1CO 7:10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,
1CO 7:11 (କିନ୍ତୁ ଯଦି ସେ ସ୍ୱାମୀଠାରୁ ପୃଥକ୍ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ।
1CO 7:12 କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାହାକୁ ପରିତ୍ୟାଗ ନ କରୁ।
1CO 7:13 ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ।
1CO 7:14 କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।
1CO 7:15 ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି।
1CO 7:16 ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
1CO 7:17 କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
1CO 7:18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।
1CO 7:19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର।
1CO 7:20 ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ।
1CO 7:21 ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର।
1CO 7:22 କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ।
1CO 7:23 ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ସେଥିପାଇଁ ମନୁଷ୍ୟର ଦାସ ହୁଅ ନାହିଁ।
1CO 7:24 ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ।
1CO 7:25 କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଦୟାରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।
1CO 7:26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ।
1CO 7:27 ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ।
1CO 7:28 କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା।
1CO 7:29 କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।
1CO 7:30 ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ;
1CO 7:31 ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।
1CO 7:32 କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା। ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ;
1CO 7:33 କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତାହାର ମନ ବିଭକ୍ତ ହୁଏ।
1CO 7:34 ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ।
1CO 7:35 ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।
1CO 7:36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।
1CO 7:37 କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ।
1CO 7:38 ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ।
1CO 7:39 ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।
1CO 7:40 କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।
1CO 8:1 ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।
1CO 8:2 ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ;
1CO 8:3 କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ।
1CO 8:4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।
1CO 8:5 କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),
1CO 8:6 ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ।
1CO 8:7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
1CO 8:8 କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।
1CO 8:9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।
1CO 8:10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?
1CO 8:11 ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି।
1CO 8:12 ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।
1CO 8:13 ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ।
1CO 9:1 ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?
1CO 9:2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।
1CO 9:3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।
1CO 9:4 ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
1CO 9:5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
1CO 9:6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ?
1CO 9:7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?
1CO 9:8 ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ?
1CO 9:9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି?
1CO 9:10 ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
1CO 9:11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ?
1CO 9:12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
1CO 9:13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
1CO 9:14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
1CO 9:15 କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
1CO 9:16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
1CO 9:17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।
1CO 9:18 ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
1CO 9:19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।
1CO 9:20 ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
1CO 9:21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
1CO 9:22 ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
1CO 9:23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
1CO 9:24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।
1CO 9:25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
1CO 9:26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।
1CO 9:27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।
1CO 10:1 କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃ-ପୁରୁଷ ସମସ୍ତେ ମେଘ ତଳେ ଥିଲେ,
1CO 10:2 ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ,
1CO 10:3 ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ
1CO 10:4 ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ),
1CO 10:5 ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ବରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ।
1CO 10:6 ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥିନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି।
1CO 10:7 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ।”
1CO 10:8 ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ।
1CO 10:9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ।
1CO 10:10 ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ।
1CO 10:11 ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି।
1CO 10:12 ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥିନିମନ୍ତେ ସେ ସାବଧାନ ହେଉ।
1CO 10:13 ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ବର ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ।
1CO 10:14 ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମାପୂଜାରୁ ପଳାୟନ କର।
1CO 10:15 ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର।
1CO 10:16 ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
1CO 10:17 କାରଣ ରୁଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ।
1CO 10:18 ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହଁନ୍ତି?
1CO 10:19 ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି?
1CO 10:20 ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୁଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହିସବୁ ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ।
1CO 10:21 ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇପାର ନାହିଁ।
1CO 10:22 ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ?
1CO 10:23 ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ।
1CO 10:24 କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ।
1CO 10:25 ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର,
1CO 10:26 କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର।
1CO 10:27 ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର।
1CO 10:28 କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;
1CO 10:29 ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାହାର ବିବେକ ସକାଶେ। ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ?
1CO 10:30 ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି?
1CO 10:31 ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ବରଙ୍କ ଗୌରବ ନିମନ୍ତେ ସବୁ କର।
1CO 10:32 ଯିହୁଦୀ ବା ଗ୍ରୀକ୍‍ ବା ଈଶ୍ବରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,
1CO 10:33 ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ।
1CO 11:1 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।
1CO 11:2 ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।
1CO 11:3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।
1CO 11:4 ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ।
1CO 11:5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।
1CO 11:6 କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ, ତେବେ ସେ କେଶ ମଧ୍ୟ କାଟିପକାଉ; କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହାହେଲେ ସେ ମସ୍ତକ ଆଚ୍ଛାଦନ କରୁ।
1CO 11:7 ପୁରୁଷ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତାହାର ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ।
1CO 11:8 କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି।
1CO 11:9 ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷର ସୃଷ୍ଟି ହେଲା ନାହିଁ; କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା।
1CO 11:10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧିକାରର ଚିହ୍ନ ଘେନିବା ଉଚିତ।
1CO 11:11 ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ। କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ,
1CO 11:12 ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ଉତ୍ପନ୍ନ।
1CO 11:13 ତୁମ୍ଭେମାନେ ନିଜେ ନିଜେ ବିଚାର କର, ମସ୍ତକ ଆଚ୍ଛାଦନ ନ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କଅଣ ଉପଯୁକ୍ତ?
1CO 11:14 ପ୍ରକୃତି ନିଜେ କି ତୁମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ, ପୁରୁଷ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ,
1CO 11:15 କିନ୍ତୁ ସ୍ତ୍ରୀ ଦୀର୍ଘ କେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ? କାରଣ ଆବରଣ ସ୍ୱରୂପେ ତାହାର କେଶ ତାହାକୁ ଦିଆଯାଇଅଛି।
1CO 11:16 କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ, ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ, କିମ୍ବା ଈଶ୍ବରଙ୍କ ମଣ୍ଡଳୀ-ସମୂହର ମଧ୍ୟ ନାହିଁ।
1CO 11:17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।
1CO 11:18 କାରଣ ପ୍ରଥମରେ ମୁଁ ଶୁଣୁଅଛି ଯେ, ମଣ୍ଡଳୀ ସ୍ୱରୂପେ ତୁମ୍ଭମାନଙ୍କର ସମାଗମ ସମୟରେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ଘଟିଥାଏ, ଆଉ ମୁଁ କେତେ ପରିମାଣରେ ଏହା ବିଶ୍ୱାସ କରୁଅଛି।
1CO 11:19 ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ।
1CO 11:20 ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;
1CO 11:21 କାରଣ ଭୋଜନ ସମୟରେ ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରେ, ସେଥିପାଇଁ ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ।
1CO 11:22 କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ।
1CO 11:23 କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,
1CO 11:24 “ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
1CO 11:25 ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
1CO 11:26 କାରଣ ଯେତେ ଥର ତୁମ୍ଭେମାନେ ଏହି ରୁଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ।
1CO 11:27 ଅତଏବ, ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ।
1CO 11:28 କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୁଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ।
1CO 11:29 କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ଜାଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ।
1CO 11:30 ଏହି ହେତୁ ତୁମ୍ଭମାନଙ୍କ ମଧ୍ୟରେ ଅନେକେ ଦୁର୍ବଳ ଓ ପୀଡ଼ିତ, ପୁଣି, ଅନେକେ ମହାନିଦ୍ରାପ୍ରାପ୍ତ ଅଟନ୍ତି।
1CO 11:31 କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ।
1CO 11:32 ଆଉ, ଜଗତ ସହିତ ଯେପରି ଦଣ୍ଡାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ୱାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।
1CO 11:33 ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।
1CO 11:34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।
1CO 12:1 ହେ ଭାଇମାନେ, ଆତ୍ମିକ ଦାନ ସମ୍ବନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
1CO 12:2 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୁଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ।
1CO 12:3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ବରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ “ଯୀଶୁ ଅଭିଶପ୍ତ” ବୋଲି କୁହେ ନାହିଁ, ପୁଣି, କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ “ଯୀଶୁ ପ୍ରଭୁ” ବୋଲି କହିପାରେ ନାହିଁ।
1CO 12:4 ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ;
1CO 12:5 ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ;
1CO 12:6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ବର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।
1CO 12:7 କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ।
1CO 12:8 କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ,
1CO 12:9 ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି,
1CO 12:10 ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ।
1CO 12:11 କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି।
1CO 12:12 କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ।
1CO 12:13 ଯେଣୁ ଆମ୍ଭେମାନେ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ।
1CO 12:14 କାରଣ ଶରୀର ତ ଏକ ଅଙ୍ଗ ନୁହେଁ, ମାତ୍ର ଅନେକ।
1CO 12:15 ପାଦ ଯଦି କହେ, ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।
1CO 12:16 ପୁଣି, କାନ ଯଦି କହେ, ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।
1CO 12:17 ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ? ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଶୁଂଘିବା କେଉଁଠାରେ?
1CO 12:18 କିନ୍ତୁ ଈଶ୍ବର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି।
1CO 12:19 ଆଉ, ଯଦି ସେ ସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର କେଉଁଠାରେ?
1CO 12:20 କିନ୍ତୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ।
1CO 12:21 ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହିପାରେ ନାହିଁ, କିଅବା ତୋʼଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହିପାରେ ନାହିଁ।
1CO 12:22 ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହିସବୁ ଏକାନ୍ତ ପ୍ରୟୋଜନୀୟ;
1CO 12:23 ପୁଣି, ଶରୀରର ଯେଉଁ ସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ, ସେହିସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ; ଆଉ ଆମ୍ଭମାନଙ୍କ ଅନାଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ,
1CO 12:24 କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ।
1CO 12:25 ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ବର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି।
1CO 12:26 ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାହାର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତାହାର ସହିତ ଆନନ୍ଦ କରନ୍ତି।
1CO 12:27 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ।
1CO 12:28 ପୁଣି, ଈଶ୍ବର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି।
1CO 12:29 ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ?
1CO 12:30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି?
1CO 12:31 କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର। ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି।
1CO 13:1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟା କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି।
1CO 13:2 ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ।
1CO 13:3 ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ।
1CO 13:4 ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ,
1CO 13:5 ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ,
1CO 13:6 ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ;
1CO 13:7 ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ।
1CO 13:8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।
1CO 13:9 କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ।
1CO 13:10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ।
1CO 13:11 ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି।
1CO 13:12 କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା ଯେତେବେଳେ ଯୀଶୁ ପୁନର୍ବାର ଆସିବେ; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି।
1CO 13:13 ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ।
1CO 14:1 ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
1CO 14:2 କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
1CO 14:3 କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
1CO 14:4 ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
1CO 14:5 ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
1CO 14:6 ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
1CO 14:7 ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
1CO 14:8 ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
1CO 14:9 ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
1CO 14:10 ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
1CO 14:11 ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
1CO 14:12 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
1CO 14:13 ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
1CO 14:14 କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
1CO 14:15 ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
1CO 14:16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍‍ କହିବ?
1CO 14:17 ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
1CO 14:18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
1CO 14:19 ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
1CO 14:20 ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
1CO 14:21 ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
1CO 14:22 ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
1CO 14:23 ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
1CO 14:24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
1CO 14:25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
1CO 14:26 ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
1CO 14:27 ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
1CO 14:28 କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
1CO 14:29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
1CO 14:30 କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
1CO 14:31 କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
1CO 14:32 ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
1CO 14:33 କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
1CO 14:34 ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
1CO 14:35 ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
1CO 14:36 କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
1CO 14:37 କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
1CO 14:38 କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
1CO 14:39 ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
1CO 14:40 କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।
1CO 15:1 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି;
1CO 15:2 ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।
1CO 15:3 କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ,
1CO 15:4 ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ;
1CO 15:5 ସେ କୈଫାଙ୍କୁ, ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ;
1CO 15:6 ଏଉତ୍ତାରେ ଏକାଥରେ ପାଞ୍ଚ ଶହଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରାପ୍ରାପ୍ତ କରିଅଛନ୍ତି।
1CO 15:7 ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତମାନଙ୍କୁ ଦର୍ଶନ ଦେଲେ;
1CO 15:8 ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ।
1CO 15:9 କାରଣ ଈଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ।
1CO 15:10 କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ବରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ବରଙ୍କ ଅନୁଗ୍ରହ ତାହା କରିଅଛି।
1CO 15:11 ଅତଏବ ମୁଁ ହୁଏ, ବା ସେମାନେ ହୁଅନ୍ତୁ, ଏହି ପ୍ରକାରେ ଆମ୍ଭେମାନେ ପ୍ରଚାର କରୁଥାଉ, ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଥାଅ।
1CO 15:12 ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି?
1CO 15:13 ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
1CO 15:14 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମ୍ଭମାନଙ୍କ ବିଶ୍ୱାସ ମଧ୍ୟ ବୃଥା,
1CO 15:15 ପୁଣି, ଆମ୍ଭେମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ। କାରଣ ଆମ୍ଭେମାନେ ଈଶ୍ବରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥାଆନ୍ତୁ ଯେ, ସେ ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି ମାତ୍ର ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ସେ ତାହାଙ୍କୁ ଉଠାଇ ନାହାନ୍ତି;
1CO 15:16 ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି;
1CO 15:17 ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ।
1CO 15:18 ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ କରିଅଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇଅଛନ୍ତି।
1CO 15:19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ।
1CO 15:20 କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି।
1CO 15:21 କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି।
1CO 15:22 ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ।
1CO 15:23 କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ;
1CO 15:24 ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ଈଶ୍ବର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ।
1CO 15:25 କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ।
1CO 15:26 ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ;
1CO 15:27 କାରଣ ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ। ଯେତେବେଳେ ସେ କହନ୍ତି, ସମସ୍ତ ବିଷୟ ବଶୀଭୂତ କରାଯାଇଅଛି, ଏହା ସ୍ପଷ୍ଟ, ସମସ୍ତ ବିଷୟ ଯେ ତାହାଙ୍କର ବଶୀଭୂତ କଲେ, ସେ ସେହି ସବୁର ଅନ୍ତର୍ଗତ ନୁହଁନ୍ତି।
1CO 15:28 ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ, ଯେ ସମସ୍ତ ବିଷୟ ତାହାଙ୍କର ବଶୀଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବଶୀଭୂତ ହେବେ, ଯେପରି ଈଶ୍ବର ସର୍ବେସର୍ବା ହୁଅନ୍ତି।
1CO 15:29 ମୃତମାନଙ୍କ ଉତ୍ଥାନ ନ ହେଲେ, ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି, ସେମାନେ କଅଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ନ ହୁଅନ୍ତି, ତେବେ ସେମାନଙ୍କ ନିମନ୍ତେ ସେମାନେ କାହିଁକି ବାପ୍ତିଜିତ ହୁଅନ୍ତି?
1CO 15:30 ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?
1CO 15:31 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି।
1CO 15:32 ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ-ପଶୁମାନଙ୍କ ସଦୃଶ ଲୋକମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”
1CO 15:33 ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ।
1CO 15:34 ଯଥାର୍ଥ ରୂପେ ଜାଗ୍ରତ ହୁଅ, ପାପ ନ କର; କାରଣ କାହାରି କାହାରି ଈଶ୍ବରଙ୍କ ବିଷୟରେ ଜ୍ଞାନ ନାହିଁ; ମୁଁ ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି।
1CO 15:35 କିନ୍ତୁ କେହି କହିବ, ମୃତମାନେ କିପରି ଉତ୍ଥିତ ହୁଅନ୍ତି? କି ପ୍ରକାର ଶରୀରରେ ସେମାନେ ଆସନ୍ତି?
1CO 15:36 ହେ ନିର୍ବୋଧ, ତୁମ୍ଭେ ନିଜେ ଯାହା ବୁଣ, ତାହା ନ ମଲେ ସଜୀବ ହୁଏ ନାହିଁ,
1CO 15:37 ଆଉ, ଯାହା ତୁମ୍ଭେ ବୁଣ, ତାହା ଶରୀର ନୁହେଁ ଯାହା ଉତ୍ପନ୍ନ ହେବ, କିନ୍ତୁ ତାହା କେବଳ ଦାନାମାତ୍ର ଅଟେ, ତାହା ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ।
1CO 15:38 କିନ୍ତୁ ଈଶ୍ବର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦେଇଥାଆନ୍ତି।
1CO 15:39 ସମସ୍ତ ଶରୀର ଏକ-ପ୍ରକାର ଶରୀର ନୁହେଁ, ମାତ୍ର ମନୁଷ୍ୟମାନଙ୍କ ଏକ-ପ୍ରକାର ଶରୀର, ପଶୁମାନଙ୍କର ଅନ୍ୟ ପ୍ରକାର ଶରୀର, ପୁଣି, ପକ୍ଷୀମାନଙ୍କର ଆଉ ଏକ-ପ୍ରକାର ଶରୀର ଓ ମତ୍ସ୍ୟମାନଙ୍କର ଅନ୍ୟ ପ୍ରକାର ଶରୀର।
1CO 15:40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକ-ପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟ ପ୍ରକାର ତେଜ।
1CO 15:41 ସୂର୍ଯ୍ୟର ଏକ-ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।
1CO 15:42 ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର। କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ;
1CO 15:43 ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ୱାରା ଉତ୍ଥିତ ହୁଏ;
1CO 15:44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି।
1CO 15:45 ଏହିପରି ଶାସ୍ତ୍ରରେ ମଧ୍ୟ ଲେଖାଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ।
1CO 15:46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ।
1CO 15:47 ପ୍ରଥମ ମନୁଷ୍ୟ ପାର୍ଥିବ, ମୃତ୍ତିକାରେ ନିର୍ମିତ, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆଗତ।
1CO 15:48 ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ, ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ।
1CO 15:49 ଆଉ, ଆମ୍ଭେମାନେ ଯେପରି ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା।
1CO 15:50 ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତ-ମାଂସ ଈଶ୍ବରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ।
1CO 15:51 ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ,
1CO 15:52 କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନୀରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି, ଆମ୍ଭେମାନେ ପରିବର୍ତ୍ତିତ ହେବା।
1CO 15:53 କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ।
1CO 15:54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ସଫଳ ହେବ,
1CO 15:55 “ଜୟ ମୃତ୍ୟୁକୁ ଗ୍ରାସ କରିଅଛି।” “ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?”
1CO 15:56 ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ମୋଶାଙ୍କ ବ୍ୟବସ୍ଥା;
1CO 15:57 କିନ୍ତୁ ଯେଉଁ ଈଶ୍ବର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ।
1CO 15:58 ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ।
1CO 16:1 ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତୀୟ ମଣ୍ଡଳୀ-ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।
1CO 16:2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।
1CO 16:3 ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମ ସହରକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି;
1CO 16:4 ପୁଣି, ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋʼ ସାଙ୍ଗରେ ଯିବେ।
1CO 16:5 କିନ୍ତୁ ମୁଁ ମାକିଦନିଆ ଅଞ୍ଚଳ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,
1CO 16:6 ଆଉ, ହୋଇପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେତେବେଳେ ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।
1CO 16:7 କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି।
1CO 16:8 କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;
1CO 16:9 କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି।
1CO 16:10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,
1CO 16:11 ଏଣୁ କେହି ତାହାଙ୍କୁ ତୁଚ୍ଛଜ୍ଞାନ ନ କରୁ। କିନ୍ତୁ ସେ ଯେପରି ମୋʼ ନିକଟକୁ ଆସି ପାରନ୍ତି, ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି।
1CO 16:12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।
1CO 16:13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।
1CO 16:14 ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ।
1CO 16:15 ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟା ଅଞ୍ଚଳର ପ୍ରଥମ ମନ-ପରିବର୍ତ୍ତନ କରିଥିବା ସ୍ୱରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
1CO 16:16 ଏହି ପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି।
1CO 16:17 ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,
1CO 16:18 ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହି ପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର।
1CO 16:19 ଏସିଆର ମଣ୍ଡଳୀ-ସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଆକ୍ୱିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
1CO 16:20 ଭାଇମାନେ ସମସ୍ତେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
1CO 16:21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି।
1CO 16:22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।
1CO 16:23 ମାରାନାଥା। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ;
1CO 16:24 ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ।
2CO 1:1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;
2CO 1:2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
2CO 1:3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ବର;
2CO 1:4 ଈଶ୍ବରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି।
2CO 1:5 କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର।
2CO 1:6 କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ; କିମ୍ବା ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ୱନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି।
2CO 1:7 ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ।
2CO 1:8 କାରଣ, ହେ ଭାଇମାନେ, ଏସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;
2CO 1:9 ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ବର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;
2CO 1:10 ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି, ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;
2CO 1:11 ତୁମ୍ଭେମାନେ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁତ ଧନ୍ୟବାଦ ଦିଆଯାଏ।
2CO 1:12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।
2CO 1:13 କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ,
2CO 1:14 ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି।
2CO 1:15 ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର,
2CO 1:16 ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୂଦିୟା ପ୍ରଦେଶକୁ ଯାତ୍ରା କରିପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି।
2CO 1:17 ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଅସ୍ଥିର ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ?
2CO 1:18 କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।
2CO 1:19 କାରଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋʼ ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି।
2CO 1:20 ଯେଣୁ ଈଶ୍ବରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ବରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍‍ କହିଥାଉ।
2CO 1:21 ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର;
2CO 1:22 ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି।
2CO 1:23 କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ।
2CO 1:24 ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।
2CO 2:1 ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି।
2CO 2:2 ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ?
2CO 2:3 ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ।
2CO 2:4 କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।
2CO 2:5 କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି।
2CO 2:6 ଅଧିକାଂଶଙ୍କ ଦ୍ୱାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ;
2CO 2:7 ଏଣୁ କାଳେ ଏପରି ଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ।
2CO 2:8 ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି।
2CO 2:9 କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି।
2CO 2:10 କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି,
2CO 2:11 ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ। କାରଣ ଆମ୍ଭେମାନେ ତାହାର ସମସ୍ତ ଦୁଷ୍ଟ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁଁ।
2CO 2:12 ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ,
2CO 2:13 ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି।
2CO 2:14 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି,
2CO 2:15 କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ବରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,
2CO 2:16 ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ?
2CO 2:17 ସେହି ଅନେକ ଲୋକ ଯେପରି ଈଶ୍ବରଙ୍କ ବାକ୍ୟ ବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ବରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।
2CO 3:1 ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ? କିମ୍ବା କାହାରି କାହାରି ପରି କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ?
2CO 3:2 ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ର-ସ୍ୱରୂପ;
2CO 3:3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର-ସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ।
2CO 3:4 ଆଉ, ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି।
2CO 3:5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ବରଙ୍କଠାରୁ;
2CO 3:6 ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାନ୍ତି, ମାତ୍ର ପବିତ୍ର ଆତ୍ମାଙ୍କ, ଅର୍ଥାତ୍‍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ପବିତ୍ର ଆତ୍ମା ଜୀବନଦାୟକ;
2CO 3:7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ଲୋକମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
2CO 3:8 ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ?
2CO 3:9 କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ।
2CO 3:10 ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି।
2CO 3:11 କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ।
2CO 3:12 ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ,
2CO 3:13 ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିରଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେପ୍ରକାରେ ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁନାହୁଁ।
2CO 3:14 କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ।
2CO 3:15 ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ,
2CO 3:16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ।
2CO 3:17 ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା।
2CO 3:18 କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯିଏ ଆତ୍ମା ଅଟନ୍ତି, ତାହାଙ୍କଠାରୁ ଏହିସବୁ ହେଉଅଛି।
2CO 4:1 ଅତଏବ, ଆମ୍ଭେମାନେ ଦୟା ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ,
2CO 4:2 ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟସବୁ ପରିତ୍ୟାଗ କରିଅଛୁ; ଏଣୁ ଆମ୍ଭେମାନେ ଧୂର୍ତ୍ତତାରେ ଆଚରଣ କରୁ ନାହୁଁ ଅବା ଈଶ୍ବରଙ୍କ ବାକ୍ୟ ଛଳରେ ବ୍ୟବହାର କରୁ ନାହୁଁ, କିନ୍ତୁ ସତ୍ୟ ପ୍ରକାଶ ଦ୍ୱାରା ଈଶ୍ବରଙ୍କ ସାକ୍ଷାତରେ ପ୍ରତ୍ୟେକ ମନୁଷ୍ୟର ବିବେକ ନିକଟରେ ଆପଣା ଆପଣାକୁ ଯୋଗ୍ୟ ଦେଖାଉଅଛ।
2CO 4:3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ;
2CO 4:4 ଈଶ୍ବରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍‍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି।
2CO 4:5 କାରଣ ଆମ୍ଭେମାନେ ଆପଣା ଆପଣାକୁ ପ୍ରଚାର କରୁ ନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ପୁଣି, ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମ୍ଭମାନଙ୍କର ସେବକ, ଏହା ପ୍ରଚାର କରୁ।
2CO 4:6 ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି।
2CO 4:7 ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;
2CO 4:8 ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ;
2CO 4:9 ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ;
2CO 4:10 ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ।
2CO 4:11 କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ।
2CO 4:12 ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି।
2CO 4:13 “ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ;
2CO 4:14 କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ।
2CO 4:15 ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ।
2CO 4:16 ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି।
2CO 4:17 କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି;
2CO 4:18 ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ।
2CO 5:1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ।
2CO 5:2 ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;
2CO 5:3 ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଗ୍ନ ଦେଖାଯିବା ନାହିଁ।
2CO 5:4 କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥିନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
2CO 5:5 ଆଉ ଯେ ଏଥିନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ବର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ପବିତ୍ର ଆତ୍ମା ମଧ୍ୟ ଦାନ କରିଅଛନ୍ତି।
2CO 5:6 ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ।
2CO 5:7 (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ),
2CO 5:8 ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ।
2CO 5:9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା।
2CO 5:10 କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ।
2CO 5:11 ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ।
2CO 5:12 ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ।
2CO 5:13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ।
2CO 5:14 କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;
2CO 5:15 ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନଯାପନ କରନ୍ତି।
2CO 5:16 ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ।
2CO 5:17 ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି।
2CO 5:18 କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି;
2CO 5:19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।
2CO 5:20 ଅତଏବ, ଈଶ୍ବର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ବରଙ୍କ ସହିତ ସମ୍ମିଳିତ ହୁଅ।
2CO 5:21 ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ବରଙ୍କର ଧାର୍ମିକତାସ୍ୱରୂପ ହେଉ।
2CO 6:1 ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
2CO 6:2 କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହା-ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ।
2CO 6:3 ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,
2CO 6:4 ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
2CO 6:5 ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,
2CO 6:6 ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ,
2CO 6:7 ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,
2CO 6:8 ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ,
2CO 6:9 ଅପରିଚିତ ତୁଲ୍ୟ, ଅଥବା ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥବା ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
2CO 6:10 ଅଥବା ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥବା ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ବରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।
2CO 6:11 ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି।
2CO 6:12 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ସଙ୍କୁଚିତ ନୁହେଁ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ।
2CO 6:13 ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ।
2CO 6:14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?
2CO 6:15 ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ?
2CO 6:16 ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”
2CO 6:17 ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା”
2CO 6:18 “ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି।”
2CO 7:1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
2CO 7:2 ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅ; ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ।
2CO 7:3 ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା।
2CO 7:4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
2CO 7:5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।
2CO 7:6 ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ବର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
2CO 7:7 ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।
2CO 7:8 ଯେଣୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତଥାପି ମୁଁ ସେଥିସକାଶେ ଦୁଃଖିତ ନୁହେଁ; ସେହି ପତ୍ର ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା
2CO 7:9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନ-ପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।
2CO 7:10 କାରଣ ଈଶ୍ବରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ-ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।
2CO 7:11 ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‌ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ।
2CO 7:12 ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି। ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ।
2CO 7:13 ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାହାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି।
2CO 7:14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି।
2CO 7:15 ଆଉ, କିପରି ଭୟ ଓ କମ୍ପରେ ତୁମ୍ଭେମାନେ ତାହାଙ୍କୁ ଗ୍ରହଣ କରି ସମସ୍ତେ ତାଙ୍କର ବାଧ୍ୟ ହେଲ, ଏହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ଅନ୍ତରର ସ୍ନେହ ଅଧିକ ବୃଦ୍ଧି ପାଇଅଛି।
2CO 7:16 ମୁଁ ଯେ ସର୍ବ ବିଷୟରେ ତୁମ୍ଭମାନଙ୍କଠାରେ ପୂର୍ଣ୍ଣ ବିଶ୍ୱାସ କରିପାରେ, ଏଥିପାଇଁ ଆନନ୍ଦ କରୁଅଛି।
2CO 8:1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀ-ସମୂହ ମଧ୍ୟରେ ଈଶ୍ବରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;
2CO 8:2 ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି।
2CO 8:3 କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
2CO 8:4 ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ;
2CO 8:5 ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ।
2CO 8:6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ।
2CO 8:7 ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।
2CO 8:8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି।
2CO 8:9 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।
2CO 8:10 ଏ ସମ୍ବନ୍ଧରେ ମୋହର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
2CO 8:11 ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ।
2CO 8:12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।
2CO 8:13 ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ;
2CO 8:14 ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ,
2CO 8:15 ଶାସ୍ତ୍ରରେ ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।”
2CO 8:16 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍‍ଯୋଗ ଜନ୍ମାଇଅଛନ୍ତି;
2CO 8:17 କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ, ତାହା ନୁହେଁ, ମାତ୍ର ସେ ନିଜେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ସ୍ୱେଚ୍ଛାରେ ତୁମ୍ଭମାନଙ୍କ ନିକଟକୁ ଯାଉଅଛନ୍ତି।
2CO 8:18 ପୁଣି, ତାହାଙ୍କ ସଙ୍ଗେ ଆମ୍ଭେମାନେ ଆଉ ଜଣେ ଭାଇଙ୍କୁ ପଠାଉଅଛୁ; ସୁସମାଚାର ପ୍ରଚାର ସମ୍ବନ୍ଧରେ ତାହାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ବ୍ୟାପିଯାଇଅଛି,
2CO 8:19 କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀ-ସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି;
2CO 8:20 ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁ ସାବଧାନ ହେଉଅଛୁ;
2CO 8:21 କାରଣ କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହିସବୁ ଆମ୍ଭେମାନେ ବିବେଚନା କରୁ।
2CO 8:22 ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାହାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍‍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ବିଶ୍ୱାସ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍‍ଯୋଗୀ ହୋଇଅଛନ୍ତି।
2CO 8:23 ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀ-ସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
2CO 8:24 ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀ-ସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ।
2CO 9:1 ପ୍ରକୃତରେ ସାଧୁମାନଙ୍କ ସେବା ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋʼ ପକ୍ଷରେ ବାହୁଲ୍ୟମାତ୍ର;
2CO 9:2 କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟାର ବିଶ୍ୱାସୀମାନେ ଗତ ବର୍ଷରୁ ପ୍ରସ୍ତୁତ ହେଲେଣି, ପୁଣି, ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି।
2CO 9:3 ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି, ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,
2CO 9:4 କାଳେ ମାକିଦନିଆର କୌଣସି ଲୋକ ଯେବେ ମୋʼ ସାଙ୍ଗରେ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ (ତୁମ୍ଭମାନଙ୍କ କଥା ତେଣେ ଥାଉ) ଆମ୍ଭେମାନେ ଏହି ଦୃଢ଼ ବିଶ୍ୱାସ ବିଷୟରେ ଲଜ୍ଜିତ ହେବା।
2CO 9:5 ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।
2CO 9:6 କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ।
2CO 9:7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।
2CO 9:8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥିନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,
2CO 9:9 ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।”
2CO 9:10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;
2CO 9:11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ବରଙ୍କ ଧନ୍ୟବାଦର କାରଣ ହେବ।
2CO 9:12 କାରଣ ଏହି ଦାନରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂରଣ କରୁଅଛି, ତାହା ନୁହେଁ, ମାତ୍ର ତଦ୍ୱାରା ମଧ୍ୟ ଈଶ୍ବରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଛୁଳି ଉଠୁଅଛି,
2CO 9:13 ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,
2CO 9:14 ଆଉ, ତୁମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଅତ୍ୟଧିକ ଅନୁଗ୍ରହ ହେତୁ ସେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ କରୁ ତୁମ୍ଭମାନଙ୍କ ପ୍ରତି ଅନୁରକ୍ତ ଅଟନ୍ତି।
2CO 9:15 ଈଶ୍ବରଙ୍କ ଅକଥନୀୟ ଦାନ ଯାହା ତାହାଙ୍କ ଏକମାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ।
2CO 10:1 ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମ୍ଭମାନଙ୍କୁ ଅନୁରୋଧ କରେ;
2CO 10:2 ହଁ, ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ;
2CO 10:3 କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁ ନାହୁଁ,
2CO 10:4 (ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍‍ କରିବା ନିମନ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସେହିସବୁ ଶକ୍ତିଯୁକ୍ତ ଅଟେ);
2CO 10:5 ଆମ୍ଭେମାନେ ତର୍କବିତର୍କସବୁ ଓ ଈଶ୍ବରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍‍ କରୁ, ପୁଣି, ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ,
2CO 10:6 ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ।
2CO 10:7 ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ। ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ।
2CO 10:8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍‍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି;
2CO 10:9 ମୋହର ପତ୍ରଗୁଡ଼ିକ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଭୟମାତ୍ର ଦେଖାଉଅଛି ବୋଲି ବୋଧ ନ ହେଉ।
2CO 10:10 କାରଣ କେତେକେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ।
2CO 10:11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ।
2CO 10:12 କାରଣ ଯେଉଁମାନେ ଆତ୍ମପ୍ରଶଂସା କରନ୍ତି, ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ନିଜର ଗଣନା ବା ତୁଳନା କରିବାକୁ ଆମ୍ଭେମାନେ ସାହସ କରୁ ନାହୁଁ; କିନ୍ତୁ ସେମାନେ ନିଜେ ନିଜେ ନିଜ ଦ୍ୱାରା ନିଜର ପରିମାଣ ଓ ନିଜ ସହିତ ନିଜର ତୁଳନା କରି ନିର୍ବୋଧତା ପ୍ରକାଶ କରନ୍ତି।
2CO 10:13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବ।
2CO 10:14 କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନ ଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ, ତାହା ନୁହେଁ, ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ;
2CO 10:15 ଆମ୍ଭେମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁ ନାହୁଁ, ମାତ୍ର ତୁମ୍ଭମାନଙ୍କ ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ପରିମାଣ ଅନୁସାରେ ଆମ୍ଭମାନଙ୍କ କାର୍ଯ୍ୟ ତୁମ୍ଭମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକତର ବିସ୍ତାରିତ ହେବ,
2CO 10:16 ପୁଣି, ଆମ୍ଭେମାନେ ଅନ୍ୟର ସୀମା ମଧ୍ୟରେ ତାହାର କୃତ କର୍ମ ବିଷୟରେ ଦର୍ପ ନ କରି ତୁମ୍ଭମାନଙ୍କ ପରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଯେପରି ସୁସମାଚାର ପ୍ରଚାର କରିପାରିବା, ଏହା ଭରସା କରୁଅଛୁ।
2CO 10:17 କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।
2CO 10:18 କାରଣ ଯେ ନିଜର ପ୍ରଶଂସା କରେ, ସେ ପରୀକ୍ଷାସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି, ସେ ପରୀକ୍ଷାସିଦ୍ଧ।
2CO 11:1 ତୁମ୍ଭେମାନେ ଯଦି ମୋହର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ! ହଁ, ତୁମ୍ଭେମାନେ ତ ମୋʼ ପ୍ରତି ସହିଷ୍ଣୁ।
2CO 11:2 କାରଣ ଈଶ୍ବରଙ୍କ ବିଷୟକ ଉଦ୍‌ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି।
2CO 11:3 କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି।
2CO 11:4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ।
2CO 11:5 କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେକୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି।
2CO 11:6 କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ପାରଙ୍ଗମ ନୁହେଁ, ତଥାପି ମୁଁ ଜ୍ଞାନରେ ଅପାରଙ୍ଗମ ନୁହେଁ ପ୍ରକୃତରେ ଆମ୍ଭେମାନେ ସମସ୍ତ ପ୍ରକାରେ ସମସ୍ତ ବିଷୟରେ ତୁମ୍ଭମାନଙ୍କ ପ୍ରତି ଏହା ପ୍ରକାଶ କଲୁ।
2CO 11:7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ବରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କଅଣ ପାପ କଲି?
2CO 11:8 ତୁମ୍ଭମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀ-ସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି,
2CO 11:9 କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାର ସ୍ୱରୂପ ହୋଇ ନ ଥିଲି, କାରଣ ମାକିଦନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ, ପୁଣି, କୌଣସି ବିଷୟରେ ତୁମ୍ଭମାନଙ୍କର ଭାର ସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି।
2CO 11:10 ମୋʼ ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ, କାହିଁକି?
2CO 11:11 ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ? ଈଶ୍ବର ଜାଣନ୍ତି।
2CO 11:12 କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି।
2CO 11:13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି।
2CO 11:14 ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ।
2CO 11:15 ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ।
2CO 11:16 ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ; କିନ୍ତୁ ଯଦି ତୁମ୍ଭେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର, ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ।
2CO 11:17 ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି।
2CO 11:18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି।
2CO 11:19 କାରଣ ତୁମ୍ଭେମାନେ ବୁଦ୍ଧିମାନ ଦାସ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ।
2CO 11:20 ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଙ୍କାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ।
2CO 11:21 ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ। ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ।
2CO 11:22 ସେମାନେ କି ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କି ଅବ୍ରହାମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ।
2CO 11:23 ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;
2CO 11:24 ମୁଁ ଯିହୁଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶ ପ୍ରହାର ପାଇଅଛି,
2CO 11:25 ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି,
2CO 11:26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୁଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,
2CO 11:27 ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଗ୍ନତାରେ ମଧ୍ୟ ରହିଅଛି।
2CO 11:28 ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋʼ ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍‍ ମଣ୍ଡଳୀ-ସମୂହ ନିମନ୍ତେ ଚିନ୍ତା।
2CO 11:29 କେହି ଦୁର୍ବଳ ହେଲେ ମୁଁ କଅଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ ମୁଁ କଅଣ ଉତ୍ତପ୍ତ ହୁଏ ନାହିଁ?
2CO 11:30 ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି।
2CO 11:31 ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ବର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ।
2CO 11:32 ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,
2CO 11:33 ଆଉ ଟୋକାଇରେ ଗୋଟିଏ ଝରକା ବାଟେ ପ୍ରାଚୀର ଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି, ମୁଁ ତାହାଙ୍କ ହସ୍ତରୁ ରକ୍ଷା ପାଇଲି।
2CO 12:1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।
2CO 12:2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
2CO 12:3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
2CO 12:4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।
2CO 12:5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ।
2CO 12:6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ।
2CO 12:7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ।
2CO 12:8 ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।
2CO 12:9 ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
2CO 12:10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।
2CO 12:11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।
2CO 12:12 ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି।
2CO 12:13 କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀ-ସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର।
2CO 12:14 ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ୍ ନୁହେଁ, ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ।
2CO 12:15 ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?
2CO 12:16 କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି!
2CO 12:17 ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି?
2CO 12:18 ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି, ତାହାଙ୍କ ସହିତ ସେହି ଭାଇଙ୍କୁ ପଠାଇଥିଲି। ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ?
2CO 12:19 ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ବରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ।
2CO 12:20 କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ;
2CO 12:21 କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ।
2CO 13:1 ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”
2CO 13:2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;
2CO 13:3 ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;
2CO 13:4 କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।
2CO 13:5 ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।
2CO 13:6 କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ।
2CO 13:7 ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥିନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ।
2CO 13:8 କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ।
2CO 13:9 ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।
2CO 13:10 ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।
2CO 13:11 ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
2CO 13:12 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
2CO 13:13 ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
2CO 13:14 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ବରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
GAL 1:1 ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କିମ୍ବା ମନୁଷ୍ୟମାନଙ୍କ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା,
GAL 1:2 ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ଅଞ୍ଚଳରେ ଥିବା ମଣ୍ଡଳୀ-ସମୂହକୁ ପତ୍ର;
GAL 1:3 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ;
GAL 1:4 ସେ ଆମ୍ଭମାନଙ୍କ ପିତା ଈଶ୍ବରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ;
GAL 1:5 ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍‍।
GAL 1:6 ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;
GAL 1:7 ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି।
GAL 1:8 କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ।
GAL 1:9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ।
GAL 1:10 ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ବରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ।
GAL 1:11 କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋʼ ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁସାରେ ନୁହେଁ;
GAL 1:12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି।
GAL 1:13 ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚରଣ ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ବରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି,
GAL 1:14 ଆଉ, ମୋହର ପିତୃ-ପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‌ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।
GAL 1:15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,
GAL 1:16 ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋʼ ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟଠାରୁ କୌଣସି ପରାମର୍ଶ ନ ନେଇ
GAL 1:17 କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମ ସହରକୁ ନ ଯାଇ ସେହିକ୍ଷଣି ଆରବ ଦେଶକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେଶକ ସହରକୁ ବାହୁଡ଼ି ଆସିଲି।
GAL 1:18 ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମ ସହରକୁ ଗଲି ଓ ତାହାଙ୍କ ସହିତ ପନ୍ଦର ଦିନ ରହିଲି।
GAL 1:19 କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।
GAL 1:20 ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ବରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ
GAL 1:21 ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି।
GAL 1:22 ଯିହୂଦିୟା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀ-ସମୂହ ନିକଟରେ ମୁଁ ବ୍ୟକ୍ତିଗତ ଭାବରେ ପରିଚିତ ନ ଥିଲି;
GAL 1:23 ସେମାନେ କେବଳ ଶୁଣୁଥିଲେ, ଏବଂ ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ଏବଂ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ସେ ଏବେ ସୁସମାଚାର ପ୍ରଚାର କରୁଅଛନ୍ତି;
GAL 1:24 ଆଉ ସେମାନେ ମୋʼ ସକାଶେ ଈଶ୍ବରଙ୍କ ପ୍ରଶଂସା କରୁଥିଲେ।
GAL 2:1 ତାହା ପରେ ଚଉଦ ବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମ ସହରକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି।
GAL 2:2 ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ୍ ଭାବରେ ବୁଝାଇଲି।
GAL 2:3 ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍‍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ;
GAL 2:4 ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ;
GAL 2:5 କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ।
GAL 2:6 ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
GAL 2:7 ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତ ଯିହୁଦୀମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି,
GAL 2:8 (କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୁଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ),
GAL 2:9 ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
GAL 2:10 ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି।
GAL 2:11 ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ।
GAL 2:12 ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ।
GAL 2:13 ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।
GAL 2:14 କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୁଦୀ ହୋଇ ଯଦି ଯିହୁଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୁଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୁଦୀମାନଙ୍କୁ ଯିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ?
GAL 2:15 ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,
GAL 2:16 ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।
GAL 2:17 କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ।
GAL 2:18 କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।
GAL 2:19 ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି।
GAL 2:20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
GAL 2:21 ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା।
GAL 3:1 ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା।
GAL 3:2 ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର କର୍ମ ହେତୁ ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ ପବିତ୍ର ଆତ୍ମା ପାଇଥିଲ?
GAL 3:3 ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ପବିତ୍ର ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?
GAL 3:4 ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?
GAL 3:5 ଅତଏବ, ଯେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ମହତର କାର୍ଯ୍ୟ ସାଧନ କରନ୍ତି, ସେ କି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ୱାସରେ ସୁସମାଚାର ଶୁଣିବା ହେତୁ କରନ୍ତି?
GAL 3:6 ଯେପରି ଅବ୍ରହାମ ଈଶ୍ବରଙ୍କୁ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
GAL 3:7 ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।
GAL 3:8 ଆଉ ଈଶ୍ବର ଅଣଯିହୁଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲେ, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।”
GAL 3:9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ୱାସର ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
GAL 3:10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖାଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।”
GAL 3:11 ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ପବିତ୍ର ଶାସ୍ତ୍ରରେ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
GAL 3:12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।
GAL 3:13 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅବ୍ରହାମଙ୍କର ଆଶୀର୍ବାଦ ଯେପରି ଅଣଯିହୁଦୀମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,
GAL 3:14 ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ।
GAL 3:15 ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।
GAL 3:16 ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।
GAL 3:17 ମୋହର ଭାବ ଏହି, ଯେଉଁ ନିୟମ ଈଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।
GAL 3:18 କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ବର ପ୍ରତିଜ୍ଞା ଦ୍ୱାରା ଅବ୍ରହାମଙ୍କୁ ତାହା ଦାନ କରିଅଛନ୍ତି।
GAL 3:19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।
GAL 3:20 ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ବର ଏକ।
GAL 3:21 ତେବେ ମୋଶାଙ୍କ ବ୍ୟବସ୍ଥା କି ଈଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାଆନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା।
GAL 3:22 କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।
GAL 3:23 ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ।
GAL 3:24 ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା।
GAL 3:25 କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ।
GAL 3:26 କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଙ୍କର ସନ୍ତାନ ହୋଇଅଛ;
GAL 3:27 ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ।
GAL 3:28 ଯିହୁଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।
GAL 3:29 ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।
GAL 4:1 କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ,
GAL 4:2 କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ।
GAL 4:3 ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ମୌଳିକ ବିଷୟଗୁଡ଼ାକର ଦାସ ଥିଲୁ
GAL 4:4 କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ; ସେ ସ୍ତ୍ରୀଜାତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେଲେ,
GAL 4:5 ଯେପରି ସେ ମୂଲ୍ୟ ଦେଇ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି, ଆମ୍ଭେମାନେ ପୁତ୍ରତ୍ୱର ଅଧିକାରପ୍ରାପ୍ତ ହେଉ।
GAL 4:6 ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ବର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ; ସେହି ଆତ୍ମା ଆବ୍ବା, ପିତଃ ବୋଲି ଡାକନ୍ତି।
GAL 4:7 ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର, ପୁଣି, ଯଦି ପୁତ୍ର, ତେବେ ଈଶ୍ବରଙ୍କ କର୍ତ୍ତୃକ ଉତ୍ତରାଧିକାରୀ।
GAL 4:8 ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ;
GAL 4:9 କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ?
GAL 4:10 ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।
GAL 4:11 ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।
GAL 4:12 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ।
GAL 4:13 କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି
GAL 4:14 ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ।
GAL 4:15 ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ।
GAL 4:16 ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି?
GAL 4:17 ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍‍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍‍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି।
GAL 4:18 କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ।
GAL 4:19 ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି।
GAL 4:20 ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି।
GAL 4:21 ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
GAL 4:22 କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ।
GAL 4:23 ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା।
GAL 4:24 ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।
GAL 4:25 ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି।
GAL 4:26 କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ;
GAL 4:27 ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।”
GAL 4:28 ହେ ଭାଇମାନେ, ତୁମ୍ଭେମାନେ ଇସ୍‌ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ।
GAL 4:29 କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି।
GAL 4:30 ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ।
GAL 4:31 ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ।
GAL 5:1 ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ।
GAL 5:2 ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।
GAL 5:3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ।
GAL 5:4 ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ।
GAL 5:5 କାରଣ ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ।
GAL 5:6 ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।
GAL 5:7 ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ?
GAL 5:8 ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା ଈଶ୍ବରଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ।
GAL 5:9 ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ।
GAL 5:10 ତୁମ୍ଭେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ, ଏହା ମୁଁ ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି; କିନ୍ତୁ ଯେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି, ସେ ଯେକେହି ହେଉ, ଆପଣାର ଦଣ୍ଡ ବହନ କରିବ।
GAL 5:11 କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏଁ ତାଡ଼ନା ଭୋଗ କରୁଅଛି? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ।
GAL 5:12 ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା।
GAL 5:13 କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର।
GAL 5:14 କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”
GAL 5:15 କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ।
GAL 5:16 ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ।
GAL 5:17 କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହିସବୁ କରିପାର ନାହିଁ।
GAL 5:18 କିନ୍ତୁ ଯଦି ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।
GAL 5:19 ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା
GAL 5:20 କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
GAL 5:21 ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
GAL 5:22 କିନ୍ତୁ ପବିତ୍ର ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା,
GAL 5:23 ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ।
GAL 5:24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି।
GAL 5:25 ଯଦି ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିଅଛୁ, ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ।
GAL 5:26 ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ।
GAL 6:1 ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
GAL 6:2 ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।
GAL 6:3 ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ।
GAL 6:4 କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ;
GAL 6:5 କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ।
GAL 6:6 କିନ୍ତୁ ଯେ ଈଶ୍ବରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ।
GAL 6:7 ଭ୍ରାନ୍ତ ନ ହୁଅ; ଈଶ୍ବର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ।
GAL 6:8 ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ।
GAL 6:9 ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା।
GAL 6:10 ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ।
GAL 6:11 ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି।
GAL 6:12 ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି।
GAL 6:13 କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି।
GAL 6:14 କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି।
GAL 6:15 କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର।
GAL 6:16 ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ।
GAL 6:17 ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି।
GAL 6:18 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।
EPH 1:1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି।
EPH 1:2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
EPH 1:3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,
EPH 1:4 ଅର୍ଥାତ୍‍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;
EPH 1:5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ;
EPH 1:6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି।
EPH 1:7 ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।
EPH 1:8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି।
EPH 1:9 ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି,
EPH 1:10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।
EPH 1:11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ,
EPH 1:12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ।
EPH 1:13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;
EPH 1:14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
EPH 1:15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ,
EPH 1:16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ।
EPH 1:17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
EPH 1:18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ,
EPH 1:19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର;
EPH 1:20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,
EPH 1:21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ,
EPH 1:22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;
EPH 1:23 ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍‍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।
EPH 2:1 ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି,
EPH 2:2 ଅର୍ଥାତ୍‍ ଯେଉଁ ଜଗତ୍‍ପତି ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ;
EPH 2:3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;
EPH 2:4 ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ବର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ,
EPH 2:5 ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ,
EPH 2:6 ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,
EPH 2:7 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।
EPH 2:8 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ,
EPH 2:9 କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।
EPH 2:10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।
EPH 2:11 ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,
EPH 2:12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର।
EPH 2:13 କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ।
EPH 2:14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
EPH 2:15 ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି,
EPH 2:16 ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ବରଙ୍କ ସହିତ ମିଳିତ କରାନ୍ତି।
EPH 2:17 ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;
EPH 2:18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।
EPH 2:19 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ବରଙ୍କ ପରିବାରଭୁକ୍ତ ଅଟ;
EPH 2:20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;
EPH 2:21 ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି;
EPH 2:22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ବରଙ୍କ ଆତ୍ମାଙ୍କ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।
EPH 3:1 ଏଥିନିମନ୍ତେ ମୁଁ ପାଉଲ, ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
EPH 3:2 ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ବରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,
EPH 3:3 ଅର୍ଥାତ୍‍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି।
EPH 3:4 ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋହର ଜ୍ଞାନର ପରିଚୟ ପାଇ ପାର;
EPH 3:5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,
EPH 3:6 ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
EPH 3:7 ଈଶ୍ବରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।
EPH 3:8 ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,
EPH 3:9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି,
EPH 3:10 ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ,
EPH 3:11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;
EPH 3:12 ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
EPH 3:13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ।
EPH 3:14 ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,
EPH 3:15 ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି,
EPH 3:16 ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,
EPH 3:17 ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,
EPH 3:18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,
EPH 3:19 ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।
EPH 3:20 ଯେଉଁ ଈଶ୍ବର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି,
EPH 3:21 ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍‍।
EPH 4:1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
EPH 4:2 ଅର୍ଥାତ୍‍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
EPH 4:3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
EPH 4:4 ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
EPH 4:5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
EPH 4:6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
EPH 4:7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।
EPH 4:8 ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।”
EPH 4:9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
EPH 4:10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)
EPH 4:11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
EPH 4:12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
EPH 4:13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍‍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
EPH 4:14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
EPH 4:15 କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
EPH 4:16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
EPH 4:17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
EPH 4:18 ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
EPH 4:19 ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
EPH 4:20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ;
EPH 4:21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
EPH 4:22 ଅର୍ଥାତ୍‍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
EPH 4:23 ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
EPH 4:24 ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
EPH 4:25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।
EPH 4:26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
EPH 4:27 ଚୋର ଆଉ ଚୋରି ନ କରୁ,
EPH 4:28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
EPH 4:29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
EPH 4:30 ଆଉ ଈଶ୍ବରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ।
EPH 4:31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;
EPH 4:32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।
EPH 5:1 ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ବରଙ୍କ ଅନୁକାରୀ ହୁଅ;
EPH 5:2 ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।
EPH 5:3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ;
EPH 5:4 ପୁଣି, ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଉ, ବରଂ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦିଅ।
EPH 5:5 କାରଣ ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ପ୍ରତିମାପୂଜକ, ଏମାନଙ୍କର, ଖ୍ରୀଷ୍ଟ ଓ ଈଶ୍ବରଙ୍କର ରାଜ୍ୟରେ ଅଧିକାର ନାହିଁ।
EPH 5:6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ।
EPH 5:7 ଅତଏବ ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ;
EPH 5:8 କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର,
EPH 5:9 (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ୱରୂପ),
EPH 5:10 ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
EPH 5:11 ଅନ୍ଧକାରର ନିଷ୍ଫଳ କର୍ମସବୁର ସହଭାଗୀ ହୁଅ ନାହିଁ, ବରଂ ସେସବୁର ଦୋଷ ହିଁ ଦେଖାଇଦିଅ;
EPH 5:12 କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହିସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ,
EPH 5:13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ।
EPH 5:14 ଏଣୁ ପବିତ୍ର ଶାସ୍ତ୍ରରେ ଉକ୍ତ ଅଛି, “ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି, ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।”
EPH 5:15 ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ,
EPH 5:16 ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।
EPH 5:17 ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ।
EPH 5:18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ,
EPH 5:19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;
EPH 5:20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ,
EPH 5:21 ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ।
EPH 5:22 ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ,
EPH 5:23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।
EPH 5:24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ।
EPH 5:25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ଖ୍ରୀଷ୍ଟ ତ ମଣ୍ଡଳୀ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ,
EPH 5:26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ମଣ୍ଡଳୀକୁ ପରିଷ୍କାର କରି ପବିତ୍ର କରନ୍ତି,
EPH 5:27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।
EPH 5:28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ;
EPH 5:29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି,
EPH 5:30 ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।
EPH 5:31 ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ।
EPH 5:32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି।
EPH 5:33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଆଦର କରୁ।
EPH 6:1 ହେ ସନ୍ତାନମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ;
EPH 6:2 କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),”
EPH 6:3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।
EPH 6:4 ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।
EPH 6:5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;
EPH 6:6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର।
EPH 6:7 ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ,
EPH 6:8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର।
EPH 6:9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।
EPH 6:10 ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
EPH 6:11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।
EPH 6:12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ;
EPH 6:13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।
EPH 6:14 ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର,
EPH 6:15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ;
EPH 6:16 ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର।
EPH 6:17 ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖ‌ଡ୍ଗ, ଅର୍ଥାତ୍‍ ଈଶ୍ବରଙ୍କ ବାକ୍ୟ ଧାରଣ କର;
EPH 6:18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।
EPH 6:19 ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ,
EPH 6:20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।
EPH 6:21 ମୋହର ବିଷୟ, ଅର୍ଥାତ୍‍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;
EPH 6:22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।
EPH 6:23 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ।
EPH 6:24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।
PHI 1:1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;
PHI 1:2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
PHI 1:3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ।
PHI 1:4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ
PHI 1:5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
PHI 1:6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;
PHI 1:7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
PHI 1:8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।
PHI 1:9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ,
PHI 1:10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,
PHI 1:11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
PHI 1:12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;
PHI 1:13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
PHI 1:14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।
PHI 1:15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି;
PHI 1:16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,
PHI 1:17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।
PHI 1:18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
PHI 1:19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
PHI 1:20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।
PHI 1:21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ।
PHI 1:22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।
PHI 1:23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
PHI 1:24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ।
PHI 1:25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,
PHI 1:26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ।
PHI 1:27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,
PHI 1:28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
PHI 1:29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
PHI 1:30 ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।
PHI 2:1 ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ,
PHI 2:2 ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,
PHI 2:3 ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;
PHI 2:4 ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
PHI 2:5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;
PHI 2:6 ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
PHI 2:7 କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;
PHI 2:8 ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।
PHI 2:9 ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
PHI 2:10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,
PHI 2:11 ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
PHI 2:12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
PHI 2:13 କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
PHI 2:14 ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର,
PHI 2:15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;
PHI 2:16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।
PHI 2:17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।
PHI 2:18 ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
PHI 2:19 କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
PHI 2:20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।
PHI 2:21 ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି।
PHI 2:22 ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।
PHI 2:23 ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାହାଙ୍କୁ ପଠାଇବି ବୋଲି ଭରସା କରୁଅଛି;
PHI 2:24 କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।
PHI 2:25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;
PHI 2:26 କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;
PHI 2:27 ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
PHI 2:28 ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି।
PHI 2:29 ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;
PHI 2:30 କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।
PHI 3:1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।
PHI 3:2 କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
PHI 3:3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।
PHI 3:4 ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ;
PHI 3:5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,
PHI 3:6 ଉଦ୍‌ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି।
PHI 3:7 କିନ୍ତୁ ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି।
PHI 3:8 ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,
PHI 3:9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
PHI 3:10 ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,
PHI 3:11 ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ।
PHI 3:12 ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି।
PHI 3:13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,
PHI 3:14 ପଶ୍ଚାତ୍‍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।
PHI 3:15 ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;
PHI 3:16 କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ।
PHI 3:17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।
PHI 3:18 କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;
PHI 3:19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।
PHI 3:20 ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
PHI 3:21 ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।
PHI 4:1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।
PHI 4:2 ପ୍ରଭୁଙ୍କଠାରେ ଏକମନା ହେବା ନିମନ୍ତେ ମୁଁ ଇୟଦିଆ ଓ ସୁନ୍ତୁଖୀ ଉଭୟଙ୍କୁ ଅନୁରୋଧ କରୁଅଛି।
PHI 4:3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି।
PHI 4:4 ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର।
PHI 4:5 ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ।
PHI 4:6 କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ।
PHI 4:7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ।
PHI 4:8 ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର।
PHI 4:9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
PHI 4:10 ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା।
PHI 4:11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି।
PHI 4:12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି।
PHI 4:13 ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ।
PHI 4:14 ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ।
PHI 4:15 ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ।
PHI 4:16 କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ।
PHI 4:17 ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ।
PHI 4:18 ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ।
PHI 4:19 ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ।
PHI 4:20 ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍‍।
PHI 4:21 ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
PHI 4:22 ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
PHI 4:23 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।
COL 1:1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ,
COL 1:2 କଲସୀୟ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ; ଆମ୍ଭମାନଙ୍କ ପିତା ଈଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
COL 1:3 ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ।
COL 1:4 କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଅଛୁ।
COL 1:5 ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ।
COL 1:6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବନ୍ତ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ବରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି।
COL 1:7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ;
COL 1:8 ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
COL 1:9 ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ବରଙ୍କ ଅଭିମତ ଜ୍ଞାତ ହୋଇ
COL 1:10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ବରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ
COL 1:11 ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ,
COL 1:12 ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ।
COL 1:13 ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି;
COL 1:14 ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍‍, ପାପ କ୍ଷମା ପାଇଅଛୁ।
COL 1:15 ସେ ଅଦୃଶ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ,
COL 1:16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;
COL 1:17 ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି।
COL 1:18 ଆଉ, ସେ ମଣ୍ଡଳୀରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି।
COL 1:19 କାରଣ ଈଶ୍ବରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ,
COL 1:20 ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି।
COL 1:21 ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ବରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
COL 1:22 କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
COL 1:23 ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି।
COL 1:24 ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;
COL 1:25 ଈଶ୍ବର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ।
COL 1:26 ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି।
COL 1:27 ଅଣଯିହୁଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ବର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ;
COL 1:28 ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ;
COL 1:29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼ ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।
COL 2:1 କାରଣ ତୁମ୍ଭମାନଙ୍କ ଓ ଲାଅଦିକିଆର ଲୋକମାନଙ୍କ, ପୁଣି, ଯେତେ ଲୋକ ମୋହର ମୁଖ ଦେଖି ନାହାନ୍ତି, ସେ ସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା;
COL 2:2 ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି, ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତାରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍‍ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି।
COL 2:3 ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି।
COL 2:4 କେହି ଯେପରି ତୁମ୍ଭମାନଙ୍କୁ ବାକ୍‍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।
COL 2:5 କାରଣ ଯଦ୍ୟପି ମୁଁ ଶରୀରରେ ଅନୁପସ୍ଥିତ, ତଥାପି ମୁଁ ମୋହର ଆତ୍ମାରେ ତୁମ୍ଭମାନଙ୍କ ସହିତ ଥାଇ ତୁମ୍ଭମାନଙ୍କର ସୁଗଠନ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି।
COL 2:6 ଅତଏବ, ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର;
COL 2:7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ।
COL 2:8 ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ମୌଳିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;
COL 2:9 କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ବରତ୍ତ୍ୱ ଦେହବନ୍ତ ହୋଇ ବାସ କରେ,
COL 2:10 ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ।
COL 2:11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;
COL 2:12 ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ।
COL 2:13 ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ବର ତାହାଙ୍କ ସହିତ ଜୀବିତ କରିଅଛନ୍ତି, ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି,
COL 2:14 ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇଅଛନ୍ତି;
COL 2:15 ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନପୂର୍ବକ କ୍ରୁଶରେ ବିଜୟ ଯାତ୍ରା କରିଅଛନ୍ତି।
COL 2:16 ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କ ବିଚାର ନ କରୁ;
COL 2:17 ସେହିସବୁ ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ।
COL 2:18 ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;
COL 2:19 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧି ଓ ଶିରା ଦ୍ୱାରା ଉପକାର ପ୍ରାପ୍ତ ହୋଇ ପରସ୍ପର ସହିତ ସୁସଂଯୁକ୍ତ ଅଟେ ଏବଂ ଈଶ୍ବରଦତ୍ତ ବୃଦ୍ଧିରେ ବୃଦ୍ଧିପ୍ରାପ୍ତ ହେଉଅଛି।
COL 2:20 ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ମୌଳିକ ଶିକ୍ଷା ପ୍ରତି ମୃତ ହୋଇଅଛ,
COL 2:21 ତେବେ ମନୁଷ୍ୟର ବିଧି ଓ ଶିକ୍ଷାନୁସାରେ “ଧର ନାହିଁ, ଖାଅ ନାହିଁ ବା ଛୁଅଁ ନାହିଁ, ସାଂସାରିକ ଲୋକ ପରି ଏହି ପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ?”
COL 2:22 ଏହିସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ।
COL 2:23 ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା-ଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ।
COL 3:1 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର।
COL 3:2 ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ।
COL 3:3 କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ବରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି।
COL 3:4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।
COL 3:5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁକର୍ମଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହିସବୁ ପ୍ରତି ମୃତ ହୁଅ;
COL 3:6 ଏହିସବୁ ହେତୁରୁ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ,
COL 3:7 ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ।
COL 3:8 କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର।
COL 3:9 ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ
COL 3:10 ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;
COL 3:11 ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।
COL 3:12 ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର।
COL 3:13 ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।
COL 3:14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।
COL 3:15 ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ।
COL 3:16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।
COL 3:17 ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ।
COL 3:18 ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ।
COL 3:19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
COL 3:20 ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।
COL 3:21 ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି।
COL 3:22 ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ।
COL 3:23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ;
COL 3:24 ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,
COL 3:25 କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ।
COL 4:1 ହେ କର୍ତ୍ତାମାନେ, ସ୍ୱର୍ଗରେ ତୁମ୍ଭମାନଙ୍କ ମଧ୍ୟ କର୍ତ୍ତା ଅଛନ୍ତି ବୋଲି ଜାଣି ଆପଣା ଆପଣା ଦାସମାନଙ୍କ ପ୍ରତି ନ୍ୟାୟ ଓ ସମାନ ବ୍ୟବହାର କର।
COL 4:2 ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ;
COL 4:3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,
COL 4:4 ତାହା ଉଚିତ୍ ମତରେ କଥା କହି ପ୍ରକାଶ କରିପାରେ।
COL 4:5 ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର।
COL 4:6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର।
COL 4:7 ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;
COL 4:8 ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।
COL 4:9 ତାହାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।
COL 4:10 ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି, ବର୍ଣ୍ଣବ୍ବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ବନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାହାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି,
COL 4:11 ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିପ୍ରାପ୍ତ ବିଶ୍ୱାସୀମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି।
COL 4:12 ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।
COL 4:13 କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି, ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ୱୀକାର କରୁଅଛନ୍ତି, ତାହାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି।
COL 4:14 ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
COL 4:15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍‍ଫା ଓ ତାହାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ।
COL 4:16 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି, ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯତ୍ନ କର।
COL 4:17 ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ।
COL 4:18 ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
1TH 1:1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
1TH 1:2 ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,
1TH 1:3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;
1TH 1:4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,
1TH 1:5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।
1TH 1:6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,
1TH 1:7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।
1TH 1:8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।
1TH 1:9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,
1TH 1:10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।
1TH 2:1 ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବୃଥା ହୋଇ ନାହିଁ।
1TH 2:2 ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣ ଈଶ୍ବରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ବରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ।
1TH 2:3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା,
1TH 2:4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ବରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ବର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ।
1TH 2:5 ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ବର ଏଥିର ସାକ୍ଷୀ।
1TH 2:6 ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରିପାରିଥାଆନ୍ତୁ, ତଥାପି ତୁମ୍ଭମାନଙ୍କଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ।
1TH 2:7 କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ,
1TH 2:8 ସେହି ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ପ୍ରାଣ ଦେବାକୁ ସୁଧା ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟପାତ୍ର ହୋଇଥିଲ।
1TH 2:9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।
1TH 2:10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ବର ମଧ୍ୟ ସାକ୍ଷୀ।
1TH 2:11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ,
1TH 2:12 ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ବରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇପାର।
1TH 2:13 ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ବରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ବରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ବରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ବରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି।
1TH 2:14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ।
1TH 2:15 ସେହି ଯିହୁଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡ଼ନା କଲେ; ସେମାନେ ଈଶ୍ବରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,
1TH 2:16 କାରଣ ଅଣଯିହୁଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାଆନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।
1TH 2:17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।
1TH 2:18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା।
1TH 2:19 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କଅଣ? ତାହା କି ତୁମ୍ଭେମାନେ ନୁହଁ?
1TH 2:20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ।
1TH 3:1 ଅତଏବ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥିନୀ ସହରରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ;
1TH 3:2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ବରଙ୍କ ସହକର୍ମୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
1TH 3:3 ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ। କାରଣ ଆମ୍ଭେମାନେ ଏଥିନିମନ୍ତେ ନିରୂପିତ ବୋଲି ତୁମ୍ଭେମାନେ ତ ଜାଣ।
1TH 3:4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ।
1TH 3:5 ଏଥିନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି।
1TH 3:6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏହି ବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି;
1TH 3:7 ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;
1TH 3:8 କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ।
1TH 3:9 ହଁ, ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ କିପରି ଧନ୍ୟବାଦ ଦେଇପାରୁ?
1TH 3:10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ।
1TH 3:11 ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;
1TH 3:12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ।
1TH 3:13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।
1TH 4:1 ଅତଏବ, ହେ ଭାଇମାନେ, ଅବଶେଷରେ କି ପ୍ରକାର ଆଚରଣ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଚିତ, ସେ ସମ୍ବନ୍ଧରେ ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେପରି ଶିକ୍ଷା ପ୍ରାପ୍ତ ହୋଇଅଛ, ଆଉ ତୁମ୍ଭେମାନେ ମଧ୍ୟ ଯେପ୍ରକାର ଆଚରଣ କରୁଅଛ, ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭମାନଙ୍କୁ ଅନୁରୋଧ କରି ଉତ୍ସାହ ଦେଉଅଛୁ।
1TH 4:2 ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ କି କି ଆଦେଶ ଦେଇଥିଲୁ, ତାହା ତ ତୁମ୍ଭେମାନେ ଜାଣ।
1TH 4:3 କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ବରଙ୍କ ଇଚ୍ଛା, ଅର୍ଥାତ୍‍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ,
1TH 4:4 ଆଉ, ଯେପରି ଈଶ୍ବରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୁଦୀମାନଙ୍କ ପରି କାମାଭିଳାଷୀ ନ ହୋଇ,
1TH 4:5 ପ୍ରତ୍ୟେକେ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ଶରୀରକୁ ବଶ କରିବାକୁ ଜାଣ,
1TH 4:6 ପୁଣି, ଯେପରି କେହି ଏହି ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ।
1TH 4:7 କାରଣ ଈଶ୍ବର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି।
1TH 4:8 ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ।
1TH 4:9 ଭ୍ରାତୃପ୍ରେମ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ଆବଶ୍ୟକ ନାହିଁ, କାରଣ ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ,
1TH 4:10 ପୁଣି, ପ୍ରକୃତରେ ସମୁଦାୟ ମାକିଦନିଆରେ ଥିବା ସମସ୍ତ ଭାଇଙ୍କ ପ୍ରତି ତୁମ୍ଭେମାନେ ତାହା କରୁଅଛ। ତଥାପି, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆହୁରି ଅଧିକ ରୂପେ ତାହା କର,
1TH 4:11 ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥିନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,
1TH 4:12 ଯେପରି ବାହାର ଲୋକମାନଙ୍କ ପ୍ରତି ତୁମ୍ଭେମାନେ ସଦାଚାରୀ ହୁଅ ଆଉ ତୁମ୍ଭମାନଙ୍କର କୌଣସି ଅଭାବ ନ ହୁଏ।
1TH 4:13 ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥିନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ।
1TH 4:14 କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ବର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସାଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ।
1TH 4:15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ।
1TH 4:16 କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ବରଙ୍କ ତୂରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ;
1TH 4:17 ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ।
1TH 4:18 ଅତଏବ, ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ।
1TH 5:1 କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,
1TH 5:2 କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ।
1TH 5:3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍‍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।
1TH 5:4 କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,
1TH 5:5 କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;
1TH 5:6 ଅତଏବ ଆସ ଆମ୍ଭେମାନେ ଅଣଯିହୁଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା।
1TH 5:7 ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି।
1TH 5:8 କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।
1TH 5:9 କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି।
1TH 5:10 ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ।
1TH 5:11 ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।
1TH 5:12 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,
1TH 5:13 ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ।
1TH 5:14 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।
1TH 5:15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।
1TH 5:16 ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;
1TH 5:17 ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;
1TH 5:18 କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ।
1TH 5:19 ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର;
1TH 5:20 ଭାବବାଣୀ ତୁଚ୍ଛ କର ନାହିଁ;
1TH 5:21 ବରଂ ସମସ୍ତ ବିଷୟ ପରୀକ୍ଷା କର;
1TH 5:22 ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ।
1TH 5:23 ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ।
1TH 5:24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।
1TH 5:25 ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।
1TH 5:26 ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
1TH 5:27 ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।
1TH 5:28 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
2TH 1:1 ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରର ମଣ୍ଡଳୀ ନିକଟକୁ ପତ୍ର;
2TH 1:2 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
2TH 1:3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ ଅଟେ। କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି,
2TH 1:4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ବରଙ୍କ ମଣ୍ଡଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ।
2TH 1:5 ଈଶ୍ବରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ବରଙ୍କ ଉଚିତ୍ ବିଚାରର ପ୍ରତ୍ୟକ୍ଷ ପ୍ରମାଣ,
2TH 1:6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ,
2TH 1:7 ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କ୍ଳେଶ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ବରଙ୍କ ପକ୍ଷରେ ନ୍ୟାୟର ବିଷୟ;
2TH 1:8 ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ,
2TH 1:9 ଅର୍ଥାତ୍‍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ),
2TH 1:10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍‍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ।
2TH 1:11 ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;
2TH 1:12 ତାହାହେଲେ ଆମ୍ଭମାନଙ୍କ ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ।
2TH 2:1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ବିଷୟରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,
2TH 2:2 ପ୍ରଭୁଙ୍କ ଆଗମନର ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲେଖାଯାଇଅଛି ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍‍ବିଗ୍ନ ନ ହୁଅ;
2TH 2:3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବ, ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଆଗମନର ଦିନ ଉପସ୍ଥିତ ହେବ ନାହିଁ।
2TH 2:4 ଏ ସେହି ଅଧର୍ମ ପୁରୁଷ ଯେ ପୂଜିତ କିମ୍ବା ଈଶ୍ବରଙ୍କ ବିରୋଧ କରେ ଏବଂ ସମସ୍ତଙ୍କଠାରୁ ନିଜକୁ ଅଧିକ ପ୍ରଶଂସା କରେ, ଏପରିକି ଈଶ୍ବରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ବର ବୋଲି ଦେଖାଏ।
2TH 2:5 ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ଏହିସବୁ ବିଷୟ ଯେ ତୁମ୍ଭମାନଙ୍କୁ କହିଥିଲି, ତାହା କଅଣ ତୁମ୍ଭମାନଙ୍କର ମନେ ନାହିଁ?
2TH 2:6 ଆଉ ସେ ନିରୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କଅଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ।
2TH 2:7 କାରଣ ଅଧର୍ମର ନିଗୂଢ଼ତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ବାଧା ଦେଉଥିବା ବ୍ୟକ୍ତି ବାହାର ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ।
2TH 2:8 ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ।
2TH 2:9 ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି ବିନାଶ-ପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ,
2TH 2:10 କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟର ପ୍ରେମକୁ ତୁଚ୍ଛ ମନେ କଲେ।
2TH 2:11 ଆଉ, ଏଥିପାଇଁ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ବର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପଠାଇଅଛନ୍ତି,
2TH 2:12 ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହେବେ।
2TH 2:13 କିନ୍ତୁ, ହେ ପ୍ରଭୁଙ୍କ ପ୍ରିୟପାତ୍ର ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ସବୁବେଳେ ଈଶ୍ବରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ଈଶ୍ବର, ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ପ୍ରଥମ ଫଳଭାବେ ବାଛି ଅଛନ୍ତି;
2TH 2:14 ସେଥିପାଇଁ ମଧ୍ୟ ସେ ଆମ୍ଭମାନଙ୍କ ସୁସମାଚାର ଦ୍ୱାରା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ଡାକିଅଛନ୍ତି।
2TH 2:15 ଅତଏବ, ହେ ଭାଇମାନେ, ସ୍ଥିର ଥାଅ, ପୁଣି, ଆମ୍ଭମାନଙ୍କ ବାକ୍ୟ କିମ୍ବା ପତ୍ର ଦ୍ୱାରା ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେହିସବୁ ଧରି ରଖ।
2TH 2:16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ବର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି,
2TH 2:17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ।
2TH 3:1 ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେଉଁରୂପେ ବ୍ୟାପିଅଛି, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ,
2TH 3:2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ।
2TH 3:3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ।
2TH 3:4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ।
2TH 3:5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାନ୍ତୁ।
2TH 3:6 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର।
2TH 3:7 କାରଣ କିପରି ଆମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ,
2TH 3:8 କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ;
2TH 3:9 ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ।
2TH 3:10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।
2TH 3:11 ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ।
2TH 3:12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।
2TH 3:13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ହୁଅ ନାହିଁ।
2TH 3:14 ଆଉ ଯଦି କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ;
2TH 3:15 ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ।
2TH 3:16 ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ।
2TH 3:17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନସ୍ୱରୂପ, ମୁଁ ଏହିପରି ଲେଖେ।
2TH 3:18 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
1TI 1:1 ପାଉଲ, ଆମ୍ଭମାନଙ୍କ ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଏବଂ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଅନୁସାରେ ଜଣେ ପ୍ରେରିତ,
1TI 1:2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
1TI 1:3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି
1TI 1:4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ।
1TI 1:5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ,
1TI 1:6 ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି;
1TI 1:7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ।
1TI 1:8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା,
1TI 1:9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,
1TI 1:10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;
1TI 1:11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।
1TI 1:12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି,
1TI 1:13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;
1TI 1:14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା।
1TI 1:15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ।
1TI 1:16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି।
1TI 1:17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍।
1TI 1:18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର;
1TI 1:19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି,
1TI 1:20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।
1TI 2:1 ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ବରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ,
1TI 2:2 ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି।
1TI 2:3 ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ;
1TI 2:4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି।
1TI 2:5 କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;
1TI 2:6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି।
1TI 2:7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ।
1TI 2:8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ।
1TI 2:9 ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି
1TI 2:10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ।
1TI 2:11 ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନୀରବରେ ଶିକ୍ଷା ଗ୍ରହଣ କରୁ।
1TI 2:12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନୀରବରେ ରହୁ।
1TI 2:13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା;
1TI 2:14 ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ;
1TI 2:15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ।
1TI 3:1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି।
1TI 3:2 ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
1TI 3:3 ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,
1TI 3:4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ।
1TI 3:5 କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ବରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?
1TI 3:6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ।
1TI 3:7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ।
1TI 3:8 ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,
1TI 3:9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ;
1TI 3:10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ନିର୍ଦ୍ଦୋଷ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ।
1TI 3:11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ।
1TI 3:12 ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ।
1TI 3:13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ।
1TI 3:14 ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
1TI 3:15 ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ବରଙ୍କ ଗୃହରେ, ଅର୍ଥାତ୍‍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ବରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି।
1TI 3:16 ଈଶ୍ବରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ସେ ସ୍ୱର୍ଗକୁ ଉତ୍ଥିତ ହେଲେ।
1TI 4:1 ପବିତ୍ର ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ
1TI 4:2 ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
1TI 4:3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।
1TI 4:4 କାରଣ ଈଶ୍ବରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,
1TI 4:5 ଯେଣୁ ଈଶ୍ବରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ।
1TI 4:6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;
1TI 4:7 କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ। ଈଶ୍ବରପରାୟଣ ଜୀବନଯାପନ କରିବା ନିମନ୍ତେ ଅଭ୍ୟାସ କର,
1TI 4:8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।
1TI 4:9 ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ;
1TI 4:10 ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ବର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି।
1TI 4:11 ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ।
1TI 4:12 ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଉଦାହରଣସ୍ୱରୂପ ହୁଅ।
1TI 4:13 ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର।
1TI 4:14 ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର।
1TI 4:15 ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ।
1TI 4:16 ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ।
1TI 5:1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ଭର୍ତ୍ସନା କର ନାହିଁ, କିନ୍ତୁ ତାହାକୁ ପିତା ବୋଲି ଭାବି ଆଚରଣ କର; ଯୁବକମାନଙ୍କୁ ଭାଇ ପରି,
1TI 5:2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର।
1TI 5:3 ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର।
1TI 5:4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ବରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ।
1TI 5:5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ବରଙ୍କ ଉପରେ ଭରସା ରଖି ଦିନରାତି ନିବେଦନ ଓ ପ୍ରାର୍ଥନାରେ ଲାଗି ରହିଥାଏ;
1TI 5:6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ।
1TI 5:7 ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ।
1TI 5:8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ଦାୟିତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ।
1TI 5:9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ କମ୍ ନୁହେଁ,
1TI 5:10 ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ଜଣାଶୁଣା, ଅର୍ଥାତ୍‍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଭାର ବହନ କରିଥାଏ, ପୁଣି, ସମସ୍ତ ସତ୍କର୍ମରେ ଉଦ୍‍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ।
1TI 5:11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;
1TI 5:12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଙ୍ଘନ କରିବାରୁ ଦଣ୍ଡନୀୟ ହୁଅନ୍ତି।
1TI 5:13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି।
1TI 5:14 ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦିଅନ୍ତୁ;
1TI 5:15 କାରଣ ଏବେ ମଧ୍ୟ କେହି କେହି ଖ୍ରୀଷ୍ଟଙ୍କଠାରୁ ଦୂର ହୋଇ ଶୟତାନର ଅନୁଗାମୀ ହୋଇଅଛନ୍ତି।
1TI 5:16 ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଘରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ଦୂର କରନ୍ତୁ, ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ଦୂର କରିପାରେ।
1TI 5:17 ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ।
1TI 5:18 କାରଣ ପବିତ୍ର ଶାସ୍ତ୍ର କହେ, “ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ପୁଣି, “କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ।”
1TI 5:19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ।
1TI 5:20 ଯେଉଁମାନେ ନିରନ୍ତର ପାପ କରିଥାଆନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟଭୀତ ହେବେ।
1TI 5:21 ଈଶ୍ବରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି, ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ।
1TI 5:22 ହଠାତ୍‍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ।
1TI 5:23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର।
1TI 5:24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ।
1TI 5:25 ସେହି ପ୍ରକାରେ ମଧ୍ୟ ସତ୍କର୍ମ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇପାରେ ନାହିଁ।
1TI 6:1 ଯେତେ ଲୋକ ଦାସତ୍ୱରୂପ ଜୁଆଳିର ଅଧୀନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ବରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ।
1TI 6:2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ।
1TI 6:3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,
1TI 6:4 ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ,
1TI 6:5 ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ।
1TI 6:6 ଈଶ୍ବରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
1TI 6:7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;
1TI 6:8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।
1TI 6:9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ।
1TI 6:10 କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି।
1TI 6:11 କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।
1TI 6:12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ।
1TI 6:13 ସମସ୍ତଙ୍କ ଜୀବନଦାତା ଈଶ୍ବରଙ୍କ ସାକ୍ଷାତରେ, ପୁଣି, ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
1TI 6:14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ।
1TI 6:15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
1TI 6:16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ। ଆମେନ୍‍।
1TI 6:17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି,
1TI 6:18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
1TI 6:19 ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି।
1TI 6:20 ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
1TI 6:21 କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
2TI 1:1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
2TI 1:2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
2TI 1:3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
2TI 1:4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;
2TI 1:5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।
2TI 1:6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।
2TI 1:7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।
2TI 1:8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
2TI 1:9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା,
2TI 1:10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
2TI 1:11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି।
2TI 1:12 ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
2TI 1:13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।
2TI 1:14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
2TI 1:15 ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
2TI 1:16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,
2TI 1:17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
2TI 1:18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
2TI 2:1 ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ,
2TI 2:2 ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର।
2TI 2:3 ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର।
2TI 2:4 କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ।
2TI 2:5 ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ।
2TI 2:6 ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ।
2TI 2:7 ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ।
2TI 2:8 ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର।
2TI 2:9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ।
2TI 2:10 ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।
2TI 2:11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା;
2TI 2:12 ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବା; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;
2TI 2:13 ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରିପାରନ୍ତି ନାହିଁ।
2TI 2:14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ।
2TI 2:15 ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀ ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ବରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର।
2TI 2:16 କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,
2TI 2:17 ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;
2TI 2:18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି।
2TI 2:19 ତଥାପି ଈଶ୍ବରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ।
2TI 2:20 ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।
2TI 2:21 ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ଶୁଚି ରଖେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ।
2TI 2:22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।
2TI 2:23 ଅଜ୍ଞାନୀ ଓ ମୂର୍ଖମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର।
2TI 2:24 ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ;
2TI 2:25 ତାହାହେଲେ କେଜାଣି ଈଶ୍ବର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନ-ପରିବର୍ତ୍ତନରୂପ ବର ଦେବେ,
2TI 2:26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ।
2TI 3:1 କିନ୍ତୁ ଏହା ଜାଣିଥାଅ ଯେ, ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ;
2TI 3:2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,
2TI 3:3 ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ,
2TI 3:4 ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ବରପ୍ରିୟ ନ ହୋଇ ବରଂ ବିଳାସ-ପ୍ରିୟ ହେବେ;
2TI 3:5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।
2TI 3:6 କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି;
2TI 3:7 ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ।
2TI 3:8 ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି।
2TI 3:9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ ଜଣଙ୍କର ମୂର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ।
2TI 3:10 କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର-ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ।
2TI 3:11 ଆନ୍ତିୟଖିଆ, ଇକନୀୟ ଓ ଲୁସ୍ତ୍ରା ସହରମାନଙ୍କରେ ମୋʼ ପ୍ରତି ସେହିପରି ତାଡ଼ନା ଘଟିଥିଲା; ମୁଁ ତାହା ସହ୍ୟ କରିଥିଲି, ଆଉ ପ୍ରଭୁ ମୋତେ ସେସବୁରୁ ଉଦ୍ଧାର କରିଥିଲେ।
2TI 3:12 ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧାର୍ମିକ ଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ।
2TI 3:13 କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ।
2TI 3:14 କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହିସବୁ ଶିକ୍ଷା କରିଅଛ;
2TI 3:15 ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ।
2TI 3:16 ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ଵସିତ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ,
2TI 3:17 ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ।
2TI 4:1 ମୁଁ ଈଶ୍ବରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି,
2TI 4:2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।
2TI 4:3 କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ,
2TI 4:4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।
2TI 4:5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର।
2TI 4:6 କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।
2TI 4:7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;
2TI 4:8 ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ।
2TI 4:9 ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର;
2TI 4:10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀ ସହରକୁ ଯାଇଅଛି କ୍ରେସ୍‌କେନସ୍ ଗାଲାତୀୟ ଅଞ୍ଚଳକୁ ଓ ତୀତସ ଦଲ୍ମତିଆ ଅଞ୍ଚଳକୁ ଯାଇଅଛନ୍ତି।
2TI 4:11 କେବଳ ଲୂକ ମୋ ସହିତ ଅଛନ୍ତି। ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ।
2TI 4:12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି।
2TI 4:13 ତ୍ରୋୟା ସହରରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।
2TI 4:14 କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;
2TI 4:15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା।
2TI 4:16 ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ।
2TI 4:17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇପାରେ ଓ ଅଣଯିହୁଦୀ ସମସ୍ତେ ତାହା ଶୁଣି ପାରନ୍ତି;
2TI 4:18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍‍।
2TI 4:19 ପ୍ରୀସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ।
2TI 4:20 ଏରାଷ୍ଟ କରିନ୍ଥ ସହରରେ ରହିଅଛନ୍ତି, କିନ୍ତୁ ତ୍ରଫିମ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତ ସହରରେ ଛାଡ଼ିଦେଇ ଆସିଅଛି।
2TI 4:21 ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର। ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
2TI 4:22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।
TIT 1:1 ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର,
TIT 1:2 ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;
TIT 1:3 ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି।
TIT 1:4 ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
TIT 1:5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;
TIT 1:6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।
TIT 1:7 କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,
TIT 1:8 ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
TIT 1:9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।
TIT 1:10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
TIT 1:11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।
TIT 1:12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।
TIT 1:13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
TIT 1:14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର।
TIT 1:15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।
TIT 1:16 ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।
TIT 2:1 କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ।
TIT 2:2 ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,
TIT 2:3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;
TIT 2:4 ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
TIT 2:5 ସନ୍ତାନବତ୍ସଳା, ଆତ୍ମସଂଯମୀ, ସତୀ, ସୁଗୃହିଣୀ, ସୁଶୀଳା ଓ ଆପଣା ଆପଣା ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।
TIT 2:6 ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ;
TIT 2:7 ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର,
TIT 2:8 ଯେପରି ବିପକ୍ଷ ଲୋକ, ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ।
TIT 2:9 ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
TIT 2:10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି।
TIT 2:11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,
TIT 2:12 ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ,
TIT 2:13 ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି।
TIT 2:14 ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।
TIT 2:15 ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର। କେହି ତୁମ୍ଭକୁ ତୁଚ୍ଛ ନ କରୁ।
TIT 3:1 ଶାସନକର୍ତ୍ତା ଏବଂ ତାହାର ଅଧିକାରୀମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ,
TIT 3:2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ।
TIT 3:3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ।
TIT 3:4 କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା,
TIT 3:5 ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;
TIT 3:6 ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳି ଦେଲେ,
TIT 3:7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ।
TIT 3:8 ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ବରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।
TIT 3:9 କିନ୍ତୁ ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗ୍‌ଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହିସବୁ କ୍ଷତିଜନକ ଓ ଅସାର।
TIT 3:10 ଯେଉଁ ଲୋକ ଭ୍ରାନ୍ତ ଶିକ୍ଷା ଦ୍ୱାରା ବିଭାଜନ କରିବାକୁ ଚେଷ୍ଟା କରନ୍ତି, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ହୋଇ ରୁହ;
TIT 3:11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ।
TIT 3:12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲି ସହରରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି।
TIT 3:13 ବ୍ୟବସ୍ଥାଶାସ୍ତ୍ରଜ୍ଞ ଜୀନା ଓ ଆପଲ୍ଲଙ୍କୁ ଯତ୍ନ ପୂର୍ବକ ବାଟ ବଳାଇଦିଅ, ଯେପରି ସେମାନଙ୍କର କୌଣସି ଅଭାବ ନ ହୁଏ।
TIT 3:14 ଆମ୍ଭମାନଙ୍କ ଲୋକମାନେ ମଧ୍ୟ ପ୍ରୟୋଜନୀୟ ଉପକାର ନିମନ୍ତେ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ଶିଖନ୍ତୁ, ଯେପରି ସେମାନେ ଫଳହୀନ ନ ହୁଅନ୍ତି।
TIT 3:15 ମୋ ସଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ବିଶ୍ୱାସ ସମ୍ବନ୍ଧରେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ନମସ୍କାର ଜଣାଅ। ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।
PHM 1:1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ,
PHM 1:2 ପୁଣି, ଭଉଣୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ;
PHM 1:3 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
PHM 1:4 ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି
PHM 1:5 ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
PHM 1:6 ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦିଆଯାଇଥିବା ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ।
PHM 1:7 କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।
PHM 1:8 ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି,
PHM 1:9 ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
PHM 1:10 ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି:
PHM 1:11 ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି,
PHM 1:12 ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି।
PHM 1:13 ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,
PHM 1:14 କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ।
PHM 1:15 କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍‍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା;
PHM 1:16 ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ।
PHM 1:17 ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର।
PHM 1:18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ;
PHM 1:19 ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ।
PHM 1:20 ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।
PHM 1:21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ।
PHM 1:22 ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।
PHM 1:23 ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା
PHM 1:24 ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
PHM 1:25 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।
HEB 1:1 ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି,
HEB 1:2 ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ;
HEB 1:3 ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି,
HEB 1:4 ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି।
HEB 1:5 କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
HEB 1:6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।”
HEB 1:7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,”
HEB 1:8 ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।”
HEB 1:9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ବର, ତୁମ୍ଭର ଈଶ୍ବର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା, ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।”
HEB 1:10 ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।”
HEB 1:11 “ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି କ୍ଷୟ ପାଇଯିବ,”
HEB 1:12 “ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”
HEB 1:13 ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ, ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?
HEB 1:14 ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?
HEB 2:1 ଅତଏବ, ଶୁଣାଯାଇଥିବା ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।
HEB 2:2 କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା,
HEB 2:3 ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;
HEB 2:4 ସେ ସମ୍ବନ୍ଧରେ ଈଶ୍ବର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି।
HEB 2:5 କାରଣ ଯାହା ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ଈଶ୍ବର ଦୂତମାନଙ୍କ ଅଧୀନ କରି ନାହାନ୍ତି।
HEB 2:6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ?
HEB 2:7 ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ,
HEB 2:8 ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପାଦ ତଳେ ରଖିଅଛ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,
HEB 2:9 କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ବରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି।
HEB 2:10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା।
HEB 2:11 ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି,
HEB 2:12 ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,”
HEB 2:13 ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।”
HEB 2:14 ଅତଏବ, ସନ୍ତାନମାନେ ରକ୍ତ-ମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରିପାରନ୍ତି;
HEB 2:15 ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି।
HEB 2:16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି।
HEB 2:17 ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ବରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।
HEB 2:18 କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି।
HEB 3:1 ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର;
HEB 3:2 ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।
HEB 3:3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି।
HEB 3:4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର।
HEB 3:5 ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ।
HEB 3:6 କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।
HEB 3:7 ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ
HEB 3:8 ପ୍ରାନ୍ତରରେ ପରୀକ୍ଷା ଦିନରେ ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର,”
HEB 3:9 “ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ, ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ।”
HEB 3:10 “ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।
HEB 3:11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
HEB 3:12 ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ବରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ।
HEB 3:13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ;
HEB 3:14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ।
HEB 3:15 ଯେପରି ଶାସ୍ତ୍ରରେ ଉକ୍ତ ଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି ଆପଣା ଆପଣା ହୃଦୟ କଠିନ ନ କର।”
HEB 3:16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି?
HEB 3:17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ?
HEB 3:18 ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?
HEB 3:19 ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିଲେ ନାହିଁ।
HEB 4:1 ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ।
HEB 4:2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ।
HEB 4:3 ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, “ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ‘ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’” କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
HEB 4:4 କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, “ଈଶ୍ବର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;”
HEB 4:5 ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, “ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
HEB 4:6 ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର
HEB 4:7 ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେ କାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।”
HEB 4:8 କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ।
HEB 4:9 ଅତଏବ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି।
HEB 4:10 ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ବର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି।
HEB 4:11 ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ।
HEB 4:12 କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ।
HEB 4:13 ଈଶ୍ବରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଗ୍ନ ଓ ଅନାବୃତ ଅଟେ।
HEB 4:14 ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ବରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ।
HEB 4:15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ।
HEB 4:16 ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।
HEB 5:1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ବରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି।
HEB 5:2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ;
HEB 5:3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ।
HEB 5:4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ବରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ।
HEB 5:5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ।”
HEB 5:6 ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”
HEB 5:7 ଈଶ୍ବର ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ
HEB 5:8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଈଶ୍ବରଙ୍କଠାରେ ଆଜ୍ଞାବହତା ଶିଖିଲେ,
HEB 5:9 ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ;
HEB 5:10 ଏହେତୁ ସେ ଈଶ୍ବରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ।
HEB 5:11 ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର।
HEB 5:12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଈଶ୍ବରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ।
HEB 5:13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର।
HEB 5:14 କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ।
HEB 6:1 ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନ-ପରିବର୍ତ୍ତନ, ଈଶ୍ବରଙ୍କଠାରେ ବିଶ୍ୱାସ,
HEB 6:2 ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ।
HEB 6:3 ହଁ, ଈଶ୍ବରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା।
HEB 6:4 କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ କରିଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି,
HEB 6:5 ଈଶ୍ବରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି,
HEB 6:6 ସେମାନେ ଯଦି ସତ୍ୟଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ-ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ, ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ବରଙ୍କ ପୁତ୍ରଙ୍କୁ, ପୁଣି, କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି।
HEB 6:7 କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟିଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶସ୍ୟ ଉତ୍ପନ୍ନ କରେ, ତାହା ଈଶ୍ବରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
HEB 6:8 କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି, ତାହାର ଶେଷ ଦଶା ଅଗ୍ନିଦାହ।
HEB 6:9 କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥା ଯେ ତାହାଠାରୁ ଉତ୍ତମ ଓ ପରିତ୍ରାଣସଂଯୁକ୍ତ, ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ।
HEB 6:10 କାରଣ ଈଶ୍ବର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ବର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି।
HEB 6:11 ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ,
HEB 6:12 ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ।
HEB 6:13 କାରଣ ଈଶ୍ବର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ,
HEB 6:14 “ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।”
HEB 6:15 ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ।
HEB 6:16 ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ।
HEB 6:17 ଏଣୁ ଈଶ୍ବର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ,
HEB 6:18 ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ବରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ।
HEB 6:19 ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି,
HEB 6:20 ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି।
HEB 7:1 ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ;
HEB 7:2 ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ଧର୍ମରାଜା, ଦ୍ୱିତୀୟ, ଶାଲେମର ରାଜା, ଅର୍ଥାତ୍‍, ଶାନ୍ତିରାଜା।
HEB 7:3 ଏହାଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ବରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି।
HEB 7:4 ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ।
HEB 7:5 ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍‍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି;
HEB 7:6 କିନ୍ତୁ ମଲ୍‍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ।
HEB 7:7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ।
HEB 7:8 ଏ ସ୍ଥଳରେ ମର୍ତ୍ତ୍ୟ ମନୁଷ୍ୟମାନେ ଦଶମାଂଶ ଗ୍ରହଣ କରିଥାଆନ୍ତି, କିନ୍ତୁ ସେ ସ୍ଥଳରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର।
HEB 7:9 ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି;
HEB 7:10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ।
HEB 7:11 ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା?
HEB 7:12 କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ।
HEB 7:13 ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାନ୍ତି।
HEB 7:14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାନ୍ତି।
HEB 7:15 ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି,
HEB 7:16 ସେ ଶାରୀରିକ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି।
HEB 7:17 କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”
HEB 7:18 ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି;
HEB 7:19 (କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ।
HEB 7:20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ,
HEB 7:21 ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, “ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’”
HEB 7:22 ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି।
HEB 7:23 ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ,
HEB 7:24 କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି।
HEB 7:25 ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।
HEB 7:26 କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।
HEB 7:27 ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି।
HEB 7:28 ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ।
HEB 8:1 ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି;
HEB 8:2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।
HEB 8:3 କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ।
HEB 8:4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
HEB 8:5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର।
HEB 8:6 କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ କରିଅଛନ୍ତି।
HEB 8:7 କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ୱିତୀୟ ନିୟମର କଥା ଉଠି ନ ଥାଆନ୍ତା।
HEB 8:8 ଯେଣୁ ଈଶ୍ବର ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, “ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;
HEB 8:9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି।
HEB 8:10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା,
HEB 8:11 ଆମ୍ଭେ ସେମାନଙ୍କ ଈଶ୍ବର ହେବା, ସେମାନେ ଆମ୍ଭର ଲୋକ ହେବେ, ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗରବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ।
HEB 8:12 କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ସେମାନଙ୍କର ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ।”
HEB 8:13 ସେ “ନୂତନ ନିୟମ” ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଲୋପ ହେବାର ସମୟ ସନ୍ନିକଟ।
HEB 9:1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା।
HEB 9:2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।
HEB 9:3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;
HEB 9:4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,
HEB 9:5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ।
HEB 9:6 ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,
HEB 9:7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।
HEB 9:8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ।
HEB 9:9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ;
HEB 9:10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।
HEB 9:11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,
HEB 9:12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି।
HEB 9:13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
HEB 9:14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ!
HEB 9:15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି।
HEB 9:16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ।
HEB 9:17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।
HEB 9:18 ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।
HEB 9:19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
HEB 9:20 ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ସେହି ନିୟମର ରକ୍ତ ଏହି।
HEB 9:21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ।
HEB 9:22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ।
HEB 9:23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ।
HEB 9:24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି।
HEB 9:25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;
HEB 9:26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି।
HEB 9:27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,
HEB 9:28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ।
HEB 10:1 ଅତଏବ, ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ।
HEB 10:2 ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
HEB 10:3 କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ;
HEB 10:4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।
HEB 10:5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ;
HEB 10:6 ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।”
HEB 10:7 ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।”
HEB 10:8 ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ)
HEB 10:9 ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି।
HEB 10:10 ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।
HEB 10:11 ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ।
HEB 10:12 ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ;
HEB 10:13 ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି।
HEB 10:14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି।
HEB 10:15 ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି;
HEB 10:16 “କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,”
HEB 10:17 ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।”
HEB 10:18 ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।
HEB 10:19 ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍‍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି,
HEB 10:20 ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ
HEB 10:21 ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ
HEB 10:22 ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ;
HEB 10:23 ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ;
HEB 10:24 ପୁଣି, ପ୍ରେମ ଓ ସତ୍‍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ,
HEB 10:25 ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ।
HEB 10:26 କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,
HEB 10:27 ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ।
HEB 10:28 କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;
HEB 10:29 ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ!
HEB 10:30 କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।”
HEB 10:31 ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ।
HEB 10:32 କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ;
HEB 10:33 ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ।
HEB 10:34 କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ।
HEB 10:35 ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି।
HEB 10:36 ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ।
HEB 10:37 ଯେପରି ଶାସ୍ତ୍ରରେ ଲେଖାଅଛି, “କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ।”
HEB 10:38 ପୁଣି, “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।”
HEB 10:39 ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।
HEB 11:1 ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
HEB 11:2 ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
HEB 11:3 ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ।
HEB 11:4 ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
HEB 11:5 ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
HEB 11:6 ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
HEB 11:7 ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
HEB 11:8 ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
HEB 11:9 ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍‌ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
HEB 11:10 କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
HEB 11:11 ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
HEB 11:12 ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
HEB 11:13 ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
HEB 11:14 କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
HEB 11:15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
HEB 11:16 କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
HEB 11:17 ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍‌ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
HEB 11:18 ଇସ୍‌ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
HEB 11:19 କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
HEB 11:20 ବିଶ୍ୱାସ ଦ୍ୱାରା ଇସ୍‌ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
HEB 11:21 ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
HEB 11:22 ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
HEB 11:23 ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
HEB 11:24 ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
HEB 11:25 ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
HEB 11:26 ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
HEB 11:27 ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
HEB 11:28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
HEB 11:29 ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
HEB 11:30 ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍‍ ହେଲା।
HEB 11:31 ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
HEB 11:32 ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
HEB 11:33 ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
HEB 11:34 ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
HEB 11:35 ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
HEB 11:36 ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
HEB 11:37 କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
HEB 11:38 ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
HEB 11:39 ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
HEB 11:40 ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।
HEB 12:1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।
HEB 12:2 ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନକୁ ସହ୍ୟ କଲେ ଏବଂ ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁଭୋଗ କଲେ, ପୁଣି, ଈଶ୍ବରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି।
HEB 12:3 ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର।
HEB 12:4 ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତ-ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,
HEB 12:5 ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, “ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ;
HEB 12:6 କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।”
HEB 12:7 ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି?
HEB 12:8 କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ।
HEB 12:9 ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?
HEB 12:10 କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି।
HEB 12:11 ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ।
HEB 12:12 ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର,
HEB 12:13 ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ।
HEB 12:14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି, ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,
HEB 12:15 କାଳେ କେହି ଈଶ୍ବରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି;
HEB 12:16 କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏହି ବିଷୟରେ ସାବଧାନ ହୁଅ।
HEB 12:17 ତୁମ୍ଭେମାନେ ତ ଜାଣ ଯେ, ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଅଗ୍ରାହ୍ୟ ହେଲା, ପୁଣି, ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ଯତ୍ନରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ।
HEB 12:18 କାରଣ ତୁମ୍ଭେମାନେ ସ୍ପୃଶ୍ୟ ପର୍ବତ ଓ ପ୍ରଜ୍ୱଳିତ ଅଗ୍ନି ନିକଟକୁ ପୁଣି, ନିବିଡ଼ ମେଘ, ଅନ୍ଧକାର, ଝଡ଼,
HEB 12:19 ତୂରୀଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
HEB 12:20 “ଯେଣୁ କୌଣସି ପଶୁ ସୁଦ୍ଧା ଯଦି ସେହି ପର୍ବତ ସ୍ପର୍ଶ କରେ, ତେବେ ସେ ପ୍ରସ୍ତରାଘାତରେ ହତ ହେବ”, ଏହି ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ସେମାନେ ସହ୍ୟ କରିପାରିଲେ ନାହିଁ;
HEB 12:21 ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, “ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି।”
HEB 12:22 କିନ୍ତୁ ତୁମ୍ଭେମାନେ ସିୟୋନ ପର୍ବତ ଓ ଜୀବନ୍ତ ଈଶ୍ବରଙ୍କ ନଗର, ଅର୍ଥାତ୍‍, ସ୍ୱର୍ଗୀୟ ଯିରୂଶାଲମ, ଅସଂଖ୍ୟ ଦୂତବାହିନୀଙ୍କ ମହୋତ୍ସବ,
HEB 12:23 ସ୍ୱର୍ଗରେ ଲିଖିତ ପ୍ରଥମଜାତମାନଙ୍କର ମଣ୍ଡଳୀ, ସମସ୍ତଙ୍କ ବିଚାରକର୍ତ୍ତା ଈଶ୍ବର, ସିଦ୍ଧିପ୍ରାପ୍ତ ଧାର୍ମିକମାନଙ୍କ ଆତ୍ମାଗଣ,
HEB 12:24 ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ।
HEB 12:25 ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ!
HEB 12:26 ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।”
HEB 12:27 ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।
HEB 12:28 ଅତଏବ, ଅଟଳ ରାଜ୍ୟ ପ୍ରାପ୍ତ ହେବାରୁ ଆସ, ଆମ୍ଭେମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ବରଙ୍କ ସନ୍ତୋଷଜନକ ଉପାସନା କରୁ।
HEB 12:29 କାରଣ ଆମ୍ଭମାନଙ୍କର ଈଶ୍ବର ଗ୍ରାସକାରୀ ଅଗ୍ନି ସ୍ୱରୂପ।
HEB 13:1 ବିଶ୍ୱାସୀମାନଙ୍କ ମଧ୍ୟରେ ପ୍ରେମ ସ୍ଥିର ହୋଇ ରହିଥାଉ।
HEB 13:2 ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି।
HEB 13:3 ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।
HEB 13:4 ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।
HEB 13:5 ଆଚାର-ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ।”
HEB 13:6 ଅତଏବ ଆମ୍ଭେମାନେ ସାହସପୂର୍ବକ କହି ପାରୁ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଅଣ କରିବ?”
HEB 13:7 ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ।
HEB 13:8 ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି।
HEB 13:9 ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ।
HEB 13:10 ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି।
HEB 13:11 କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ।
HEB 13:12 ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ।
HEB 13:13 ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ।
HEB 13:14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ।
HEB 13:15 ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ।
HEB 13:16 ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ବରଙ୍କର ପରମ ସନ୍ତୋଷ।
HEB 13:17 ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ।
HEB 13:18 ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
HEB 13:19 ଆଉ ମୁଁ ଯେପରି ଶୀଘ୍ର ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇପାରିବି, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ତୁମ୍ଭମାନଙ୍କୁ ବିଶେଷ ଭାବରେ ଅନୁରୋଧ କରୁଅଛି।
HEB 13:20 ଯେଉଁ ଶାନ୍ତିଦାତା ଈଶ୍ବର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍‍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ;
HEB 13:21 ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍।
HEB 13:22 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି।
HEB 13:23 ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି।
HEB 13:24 ତୁମ୍ଭମାନଙ୍କର ସମସ୍ତ ନେତା ଓ ସାଧୁସମସ୍ତଙ୍କୁ ନମସ୍କାର ଜଣାଅ। ଯେଉଁମାନେ ଇତାଲିଆ ଦେଶରୁ ଆସିଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
HEB 13:25 ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
JAM 1:1 ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର।
JAM 1:2 ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ,
JAM 1:3 ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ।
JAM 1:4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।
JAM 1:5 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ।
JAM 1:6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।
JAM 1:7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ;
JAM 1:8 ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର।
JAM 1:9 ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ,
JAM 1:10 ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ।
JAM 1:11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।
JAM 1:12 ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ପ୍ରେମ କରୁଥିବା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ କରିବ।
JAM 1:13 କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ବରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ବର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
JAM 1:14 କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;
JAM 1:15 ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ।
JAM 1:16 ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।
JAM 1:17 ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍‍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ।
JAM 1:18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।
JAM 1:19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,
JAM 1:20 କାରଣ ମନୁଷ୍ୟର କ୍ରୋଧ ଈଶ୍ବରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ।
JAM 1:21 ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର।
JAM 1:22 କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ।
JAM 1:23 କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
JAM 1:24 ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ।
JAM 1:25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।
JAM 1:26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।
JAM 1:27 ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।
JAM 2:1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
JAM 2:2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
JAM 2:3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
JAM 2:4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
JAM 2:5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
JAM 2:6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
JAM 2:7 ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
JAM 2:8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
JAM 2:9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
JAM 2:10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
JAM 2:11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
JAM 2:12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
JAM 2:13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
JAM 2:14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
JAM 2:15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
JAM 2:16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
JAM 2:17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
JAM 2:18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
JAM 2:19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
JAM 2:20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
JAM 2:21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
JAM 2:22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
JAM 2:23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
JAM 2:24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
JAM 2:25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
JAM 2:26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
JAM 3:1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ ଯେ, ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା।
JAM 3:2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।
JAM 3:3 ଦେଖ, ଆମ୍ଭେମାନେ ଅଶ୍ୱମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ୱାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ।
JAM 3:4 ଏବଂ ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲିଥାଏ।
JAM 3:5 ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହାଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।
JAM 3:6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ।
JAM 3:7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇପାରେ, ପୁଣି, ବଶରେ ରଖାଯାଇଅଛି;
JAM 3:8 କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ।
JAM 3:9 ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ବରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ;
JAM 3:10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।
JAM 3:11 ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
JAM 3:12 ହେ ମୋହର ଭାଇମାନେ, ଡିମ୍ବିରିବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମ୍ବିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ।
JAM 3:13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
JAM 3:14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ।
JAM 3:15 ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
JAM 3:16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ।
JAM 3:17 କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ।
JAM 3:18 ପୁଣି, ଶାନ୍ତିକାରକ ଲୋକମାନେ ଶାନ୍ତିର ବୀଜ ବୁଣନ୍ତି, ସେମାନେ ଧାର୍ମିକତା ରୂପ ଫଳ କାଟିବେ।
JAM 4:1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ?
JAM 4:2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;
JAM 4:3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।
JAM 4:4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।
JAM 4:5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?
JAM 4:6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”
JAM 4:7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ।
JAM 4:8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
JAM 4:9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।
JAM 4:10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।
JAM 4:11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।
JAM 4:12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ?
JAM 4:13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
JAM 4:14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ।
JAM 4:15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ।
JAM 4:16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।
JAM 4:17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।
JAM 5:1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।
JAM 5:2 ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି,
JAM 5:3 ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ। ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!
JAM 5:4 ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି।
JAM 5:5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ।
JAM 5:6 ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ।
JAM 5:7 ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ।
JAM 5:8 ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ।
JAM 5:9 ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥିନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି।
JAM 5:10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର।
JAM 5:11 ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି।
JAM 5:12 ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ।
JAM 5:13 ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ। କେହି କଅଣ ଆନନ୍ଦିତ ଅଟେ? ସେ ସ୍ତବଗାନ କରୁ।
JAM 5:14 ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ।
JAM 5:15 ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।
JAM 5:16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।
JAM 5:17 ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ;
JAM 5:18 ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା।
JAM 5:19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ,
JAM 5:20 ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ।
1PE 1:1 ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ,
1PE 1:2 ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
1PE 1:3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,
1PE 1:4 ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି।
1PE 1:5 ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ବରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ।
1PE 1:6 ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ,
1PE 1:7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ।
1PE 1:8 ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ
1PE 1:9 ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,
1PE 1:10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ।
1PE 1:11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।
1PE 1:12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।
1PE 1:13 ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ।
1PE 1:14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
1PE 1:15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।
1PE 1:16 ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।
1PE 1:17 ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର;
1PE 1:18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ-ପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର-ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ
1PE 1:19 ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।
1PE 1:20 ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଏହି ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;
1PE 1:21 ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ବରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ବର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି।
1PE 1:22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;
1PE 1:23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ।
1PE 1:24 କାରଣ ପବିତ୍ର ଶାସ୍ତ୍ରରେ ଯେପରି ଲେଖାଅଛି, “ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,
1PE 1:25 କିନ୍ତୁ ଈଶ୍ବରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି।
1PE 2:1 ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ,
1PE 2:2 ତାହାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି
1PE 2:3 ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇପାର।
1PE 2:4 ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ବରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି,
1PE 2:5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ।
1PE 2:6 କାରଣ ଶାସ୍ତ୍ରରେ ଲିଖିତ ଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ, ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ।”
1PE 2:7 ଏଣୁ ତୁମ୍ଭେମାନେ ଯେ ବିଶ୍ୱାସ କରୁଅଛ, ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, “ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର,”
1PE 2:8 ପୁଣି, “ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା;” ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ।
1PE 2:9 କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ବରଙ୍କ ନିଜସ୍ୱ ପ୍ରଜା ହୋଇଅଛ।
1PE 2:10 ପୂର୍ବରେ ତୁମ୍ଭେମାନେ ପ୍ରଜା ବାଚ୍ୟ ନ ଥିଲ, କିନ୍ତୁ ଏବେ ଈଶ୍ବରଙ୍କ ପ୍ରଜା ହୋଇଅଛ, ପୂର୍ବରେ ତୁମ୍ଭେମାନେ ଦୟା ପାଇ ନ ଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ।
1PE 2:11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ।
1PE 2:12 ତୁମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ବରଙ୍କ ଗୌରବ କରିବେ।
1PE 2:13 ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ,
1PE 2:14 ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ।
1PE 2:15 କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ବରଙ୍କ ଇଚ୍ଛା;
1PE 2:16 ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ବରଙ୍କ ଦାସ ହୋଇ ସତ୍କର୍ମ କର।
1PE 2:17 ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ବରଙ୍କୁ ଭୟ କର, ରାଜାଙ୍କୁ ସମାଦର କର।
1PE 2:18 ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦ୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ।
1PE 2:19 କାରଣ କେହି ଯେବେ ଈଶ୍ବରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ।
1PE 2:20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ବରଙ୍କ ନିକଟରେ ପ୍ରଶଂସାର ବିଷୟ।
1PE 2:21 ଏଥିନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି;
1PE 2:22 “ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।”
1PE 2:23 ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ବରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;
1PE 2:24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ।
1PE 2:25 କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ।
1PE 3:1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
1PE 3:2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
1PE 3:3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
1PE 3:4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
1PE 3:5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
1PE 3:6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
1PE 3:7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
1PE 3:8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
1PE 3:9 ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
1PE 3:10 ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
1PE 3:11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
1PE 3:12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
1PE 3:13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‌ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
1PE 3:14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ;
1PE 3:15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
1PE 3:16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
1PE 3:17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
1PE 3:18 ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
1PE 3:19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
1PE 3:20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍‍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
1PE 3:21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
1PE 3:22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
1PE 4:1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର, କାରଣ ଯେ, ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି,
1PE 4:2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ବରଙ୍କ ଇଚ୍ଛାନୁସାରେ କ୍ଷେପଣ କର।
1PE 4:3 ଯେଣୁ ଅଣଯିହୁଦୀମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;
1PE 4:4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି;
1PE 4:5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।
1PE 4:6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ।
1PE 4:7 ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ,
1PE 4:8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ।
1PE 4:9 କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର;
1PE 4:10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;
1PE 4:11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍‍।
1PE 4:12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;
1PE 4:13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ।
1PE 4:14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।
1PE 4:15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୂରାଚାରୀ, କି ଅନଧିକାର ଚର୍ଚ୍ଚାକାରୀ ହୋଇ ଦଣ୍ଡ ଭୋଗ ନ କରୁ;
1PE 4:16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ଡ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ।
1PE 4:17 କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!
1PE 4:18 ପୁଣି, “ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?”
1PE 4:19 ଅତଏବ, ଯେଉଁମାନେ ଈଶ୍ବରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କର୍ମରେ ନିବିଷ୍ଟ ରହନ୍ତୁ।
1PE 5:1 ଅତଏବ, ଜଣେ ସହ-ପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ମୁଁ ଯେ ଆଗାମୀ ଗୌରବର ଅଂଶାଧିକାରୀ, ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,
1PE 5:2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;
1PE 5:3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର।
1PE 5:4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ।
1PE 5:5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରି, ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”
1PE 5:6 ଅତଏବ, ଈଶ୍ବରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ;
1PE 5:7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି।
1PE 5:8 ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
1PE 5:9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି।
1PE 5:10 ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ।
1PE 5:11 ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍‍।
1PE 5:12 ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋʼ ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।
1PE 5:13 ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
1PE 5:14 ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।
2PE 1:1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
2PE 1:2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
2PE 1:3 ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
2PE 1:4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
2PE 1:5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍‍ଗୁଣ, ସଦ୍‍ଗୁଣ ଦ୍ୱାରା ଜ୍ଞାନ,
2PE 1:6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
2PE 1:7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
2PE 1:8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
2PE 1:9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
2PE 1:10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
2PE 1:11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ।
2PE 1:12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
2PE 1:13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
2PE 1:14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
2PE 1:15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
2PE 1:16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
2PE 1:17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
2PE 1:18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
2PE 1:19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
2PE 1:20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
2PE 1:21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
2PE 2:1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ।
2PE 2:2 ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ।
2PE 2:3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।
2PE 2:4 କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି
2PE 2:5 ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
2PE 2:6 ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ,
2PE 2:7 ପୁଣି, ସେ ଦୂରାଚାରୀମାନଙ୍କ କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ,
2PE 2:8 ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ।
2PE 2:9 ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି।
2PE 2:10 ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,
2PE 2:11 ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ।
2PE 2:12 କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,
2PE 2:13 ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି।
2PE 2:14 ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ,
2PE 2:15 ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ;
2PE 2:16 କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା।
2PE 2:17 ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।
2PE 2:18 କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି;
2PE 2:19 ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ।
2PE 2:20 ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।
2PE 2:21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।
2PE 2:22 କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି।
2PE 3:1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି।
2PE 3:2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି।
2PE 3:3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,
2PE 3:4 ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃ-ପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି।
2PE 3:5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ବରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା,
2PE 3:6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
2PE 3:7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।
2PE 3:8 କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ।
2PE 3:9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ-ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି।
2PE 3:10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ।
2PE 3:11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ବରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ,
2PE 3:12 ସେହି ଈଶ୍ବରଙ୍କ ନ୍ୟାୟବିଚାର ଦିନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ।
2PE 3:13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ।
2PE 3:14 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର;
2PE 3:15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି।
2PE 3:16 ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି।
2PE 3:17 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୂରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ,
2PE 3:18 ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର, ଆମେନ୍‍।
1JO 1:1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ।
1JO 1:2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ।
1JO 1:3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
1JO 1:4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ।
1JO 1:5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ।
1JO 1:6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ।
1JO 1:7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
1JO 1:8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।
1JO 1:9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି।
1JO 1:10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।
1JO 2:1 ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
1JO 2:2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।
1JO 2:3 ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ।
1JO 2:4 ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ;
1JO 2:5 କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ।
1JO 2:6 ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ।
1JO 2:7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।
1JO 2:8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
1JO 2:9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।
1JO 2:10 ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ।
1JO 2:11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।
1JO 2:12 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି।
1JO 2:13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
1JO 2:14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
1JO 2:15 ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
1JO 2:16 କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।
1JO 2:17 ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।
1JO 2:18 ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ।
1JO 2:19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।
1JO 2:20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ।
1JO 2:21 ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।
1JO 2:22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ।
1JO 2:23 ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି।
1JO 2:24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ।
1JO 2:25 ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ।
1JO 2:26 ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
1JO 2:27 କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ।
1JO 2:28 ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
1JO 2:29 ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ।
1JO 3:1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।
1JO 3:2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା।
1JO 3:3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ।
1JO 3:4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ।
1JO 3:5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ।
1JO 3:6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।
1JO 3:7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ;
1JO 3:8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ।
1JO 3:9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ।
1JO 3:10 ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।
1JO 3:11 କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;
1JO 3:12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।
1JO 3:13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।
1JO 3:14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।
1JO 3:15 ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ।
1JO 3:16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।
1JO 3:17 କିନ୍ତୁ ଯେ ସଂସାର ଅନୁସାରେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ କିପରି ରହିପାରେ?
1JO 3:18 ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ।
1JO 3:19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
1JO 3:20 ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
1JO 3:21 ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି,
1JO 3:22 ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ।
1JO 3:23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।
1JO 3:24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।
1JO 4:1 ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି।
1JO 4:2 ଏହା ଦ୍ୱାରା ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ବରଙ୍କଠାରୁ ଆଗତ,
1JO 4:3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ବରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି।
1JO 4:4 ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ବରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ।
1JO 4:5 ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ।
1JO 4:6 କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କଠାରୁ ଜାତ; ଯେ ଈଶ୍ବରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ବରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ଵାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ।
1JO 4:7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ବରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ବରଙ୍କଠାରୁ ଜାତ ଓ ଈଶ୍ବରଙ୍କୁ ଜାଣେ।
1JO 4:8 ଯେ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କୁ ଜାଣେ ନାହିଁ, କାରଣ ଈଶ୍ବର ତ ପ୍ରେମ।
1JO 4:9 ଏଥିରେ ହିଁ ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ।
1JO 4:10 ଆମ୍ଭେମାନେ ଯେ ଈଶ୍ବରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ।
1JO 4:11 ହେ ପ୍ରିୟମାନେ, ଈଶ୍ବର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ୍।
1JO 4:12 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ବର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି।
1JO 4:13 ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି।
1JO 4:14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ।
1JO 4:15 ଯେ କେହି ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ବର ତାହାଠାରେ ଅଛନ୍ତି ଓ ସେ ଈଶ୍ବରଙ୍କଠାରେ ଅଛି।
1JO 4:16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ବର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ବରଙ୍କଠାରେ ରହେ ଓ ଈଶ୍ବର ତାହାଠାରେ ରହନ୍ତି।
1JO 4:17 ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ।
1JO 4:18 ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ।
1JO 4:19 ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ।
1JO 4:20 ଈଶ୍ବରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ବରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରିପାରେ ନାହିଁ।
1JO 4:21 ଯେ ଈଶ୍ବରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ।
1JO 5:1 ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ବରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।
1JO 5:2 ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ।
1JO 5:3 କାରଣ ଈଶ୍ବରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ।
1JO 5:4 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ।
1JO 5:5 ଯୀଶୁ ଈଶ୍ବରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?
1JO 5:6 ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ;
1JO 5:7 ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ।
1JO 5:8 ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।
1JO 5:9 ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ବରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ବରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି।
1JO 5:10 ଯେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ବରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ବର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ।
1JO 5:11 ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି।
1JO 5:12 ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ।
1JO 5:13 ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
1JO 5:14 ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।
1JO 5:15 ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ।
1JO 5:16 କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ବର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
1JO 5:17 ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ।
1JO 5:18 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ବରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ।
1JO 5:19 ଆମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।
1JO 5:20 ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ବର ଓ ଅନନ୍ତ ଜୀବନ ଅଟନ୍ତି।
1JO 5:21 ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର। ଆମେନ୍।
2JO 1:1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
2JO 1:2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ।
2JO 1:3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
2JO 1:4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
2JO 1:5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
2JO 1:6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
2JO 1:7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
2JO 1:8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
2JO 1:9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
2JO 1:10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
2JO 1:11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
2JO 1:12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
2JO 1:13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
3JO 1:1 ପ୍ରାଚୀନ ଯେ ମୁଁ, ପ୍ରିୟତମ ଗାୟଙ୍କ ନିକଟକୁ ପତ୍ର ଲେଖୁଅଛି; ତାହାଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ।
3JO 1:2 ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।
3JO 1:3 କାରଣ ଭାଇମାନେ ଆସି ଯେତେବେଳେ ସତ୍ୟ ପ୍ରତି ତୁମ୍ଭର ନିଷ୍ଠାଭାବ, ଅର୍ଥାତ୍‍ ସତ୍ୟରେ ତୁମ୍ଭର ଆଚରଣ ବିଷୟରେ ସାକ୍ଷ୍ୟ ଦେଲେ, ସେତେବେଳେ ମୁଁ ବିଶେଷ ଆନନ୍ଦିତ ହେଲି।
3JO 1:4 ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋହର ଆନନ୍ଦର ଆଉ ବଡ଼ ବିଷୟ ନାହିଁ।
3JO 1:5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ।
3JO 1:6 ସେମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି; ତୁମ୍ଭେ ଯଦି ସେମାନଙ୍କୁ ଈଶ୍ବରଙ୍କ ଯୋଗ୍ୟ ଉପକାର ଦେଇ ବାଟ ବଳାଇଦିଅ, ତେବେ ଉତ୍ତମ କାର୍ଯ୍ୟ କରିବ,
3JO 1:7 ଯେଣୁ ସେମାନେ ଅଣଯିହୁଦୀମାନଙ୍କଠାରୁ କିଛି ହିଁ ଗ୍ରହଣ ନ କରି ଖ୍ରୀଷ୍ଟଙ୍କ ନାମ ସକାଶେ ବାହାରି ଅଛନ୍ତି।
3JO 1:8 ଅତଏବ, ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର ସହକର୍ମୀ ହୋଇପାରୁ, ଏଥିନିମନ୍ତେ ସେମାନଙ୍କର ଉପକାର କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।
3JO 1:9 ମୁଁ ମଣ୍ଡଳୀ ନିକଟକୁ କିଛି ଲେଖିଲି; ମାତ୍ର ଦୀୟତ୍ରଫା ମଣ୍ଡଳୀ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଇ ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ।
3JO 1:10 ସେ ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ, ପୁଣି, ସେଥିରେ ତୃପ୍ତ ନ ହୋଇ ନିଜେ ଭାଇମାନଙ୍କର ଆତିଥ୍ୟ କରେ ନାହିଁ, ପୁଣି, ଅନ୍ୟମାନେ ତାହା କରିବାକୁ ଇଚ୍ଛା କଲେ ସେମାନଙ୍କୁ ମନା କରେ, ଆଉ ମଣ୍ଡଳୀରୁ ସେମାନଙ୍କୁ ଉଚ୍ଛିନ୍ନ କରେ; ଏଣୁ ମୁଁ ଗଲେ ତାହାର ଏହି ସମସ୍ତ କୃତ କର୍ମ ସ୍ମରଣରେ ଆଣିବି।
3JO 1:11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ।
3JO 1:12 ଦୀମିତ୍ରୀୟଙ୍କ ସପକ୍ଷରେ ସମସ୍ତେ ସାକ୍ଷ୍ୟ ଦେଇଅଛନ୍ତି; ସତ୍ୟ ନିଜେ ସୁଦ୍ଧା ସାକ୍ଷ୍ୟ ଦେଇଅଛି; ଆମ୍ଭେମାନେ ମଧ୍ୟ ସାକ୍ଷ୍ୟ ଦେଉଅଛୁ, ଆଉ ଆମ୍ଭମାନଙ୍କ ସାକ୍ଷ୍ୟ ଯେ ସତ୍ୟ; ଏହା ତୁମ୍ଭେ ଜାଣୁଅଛ।
3JO 1:13 ତୁମ୍ଭ ନିକଟକୁ ମୋହର ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଳି ଓ କଲମରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ।
3JO 1:14 ମୋହର ଆଶା ଯେ, ଶୀଘ୍ର ତୁମ୍ଭ ସହିତ ଦେଖା ହେବ, ଆଉ ଆମ୍ଭେମାନେ ମୁଖାମୁଖି ହୋଇ କଥାବାର୍ତ୍ତା କରିବା।
3JO 1:15 ତୁମ୍ଭ ପ୍ରତି ଶାନ୍ତି ହେଉ; ମିତ୍ରମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ପ୍ରତ୍ୟେକଙ୍କ ନାମ ଘେନି ମିତ୍ରମାନଙ୍କୁ ନମସ୍କାର ଜଣାଅ।
JUD 1:1 ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ବରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
JUD 1:2 ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ।
JUD 1:3 ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯତ୍ନଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ଓ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି।
JUD 1:4 କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରିଅଛନ୍ତି; ସେମାନେ ଅଧାର୍ମିକ, ଆମ୍ଭମାନଙ୍କ ଈଶ୍ବରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରନ୍ତି, ପୁଣି, ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି।
JUD 1:5 ଯଦ୍ୟପି ତୁମ୍ଭେମାନେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଜାଣିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ଇଚ୍ଛା କରେ ଯେ, ପ୍ରଭୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କଲେ, ଆଉ ଯେଉଁମାନେ ବିଶ୍ୱାସ କଲେ ନାହିଁ, ପରେ ସେମାନଙ୍କୁ ବିନାଶ କଲେ।
JUD 1:6 ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି।
JUD 1:7 ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି।
JUD 1:8 ତଥାପି ଏହି ସ୍ୱପ୍ନଦର୍ଶକମାନେ ମଧ୍ୟ ସେହିପରି ଶରୀରକୁ ଅଶୁଚି କରନ୍ତି, ଅଧିକାରୀମାନଙ୍କର ଅବଜ୍ଞା କରନ୍ତି ଓ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରନ୍ତି।
JUD 1:9 କିନ୍ତୁ ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ, କେବଳ ଏତିକି କହିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ।
JUD 1:10 ଅନ୍ୟ ପକ୍ଷରେ ଏମାନେ ଯେଉଁ ସମସ୍ତ ବିଷୟ ଜାଣନ୍ତି ନାହିଁ, ସେହି ସବୁର ନିନ୍ଦା କରନ୍ତି, ପୁଣି, ଅଜ୍ଞାନ ପଶୁ ପରି ଯାହା ଯାହା ସ୍ୱାଭାବିକ ଭାବେ ବୁଝନ୍ତି, ସେ ସବୁ ଦ୍ୱାରା ବିନଷ୍ଟ ହୁଅନ୍ତି।
JUD 1:11 ହାୟ, ସେମାନେ ସନ୍ତାପର ପାତ୍ର, କାରଣ ସେମାନେ କୟିନର ପଥରେ ଚାଲିଯାଇଅଛନ୍ତି, ଅର୍ଥଲୋଭ ସକାଶେ ବିଲୀୟାମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି ଓ କୋରହ ସଦୃଶ ବିଦ୍ରୋହ କରି ବିନଷ୍ଟ ହୋଇଅଛନ୍ତି।
JUD 1:12 ସେମାନେ ନିର୍ଭୟରେ ତୁମ୍ଭମାନଙ୍କ ସହିତ ଭୋଜନପାନ କରି ତୁମ୍ଭମାନଙ୍କ ପ୍ରେମଭୋଜିର କଳଙ୍କ ସ୍ୱରୂପ ଅଟନ୍ତି; ସେମାନେ ଆପଣା ଆପଣା ଉଦର ପରିପୂର୍ଣ୍ଣ କରନ୍ତି; ସେମାନେ ବାୟୁଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ; ସେମାନେ ଦୁଇ ଥର ମୃତ, ମୂଳରୁ ଉତ୍ପାଟିତ ହେମନ୍ତ କାଳର ଫଳଶୂନ୍ୟବୃକ୍ଷ ସଦୃଶ;
JUD 1:13 ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି।
JUD 1:14 ଆଦମଙ୍କଠାରୁ ସପ୍ତମ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ,
JUD 1:15 ଦେଖ, ପ୍ରଭୁ ସମସ୍ତଙ୍କର ବିଚାର କରିବା ନିମନ୍ତେ, ପୁଣି, ଅଧାର୍ମିକ ଲୋକ ସମସ୍ତେ ନିଜ ନିଜ ଅଧାର୍ମିକତାରେ ଯେଉଁସବୁ ଅଧର୍ମ କର୍ମ କରିଅଛନ୍ତି ଓ ଅଧାର୍ମିକ ପାପୀମାନେ ତାହାଙ୍କ ବିରୁଦ୍ଧରେ ଯେଉଁସବୁ କଟୁ କଥା କହିଅଛନ୍ତି, ସେ ସମସ୍ତ ବିଷୟରେ ସେମାନଙ୍କୁ ଦୋଷୀ କରି ଦଣ୍ଡ ଦେବା ନିମନ୍ତେ ଆପଣା ଅୟୁତ ଅୟୁତ ସାଧୁଙ୍କ ସହିତ ଆସୁଅଛନ୍ତି।
JUD 1:16 ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ୱାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି।
JUD 1:17 କିନ୍ତୁ, ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ପୂର୍ବେ ଯେଉଁସବୁ କଥା କହିଅଛନ୍ତି, ସେହିସବୁ ସ୍ମରଣ କର;
JUD 1:18 ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷକାଳରେ ଆପଣା ଆପଣା କୁଅଭିଳାଷାନୁସାରେ ଚାଳିତ ପରିହାସକ ଲୋକେ ଉପସ୍ଥିତ ହେବେ।
JUD 1:19 ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକମନା ଓ ଈଶ୍ବରଙ୍କ ଆତ୍ମାବିହୀନ।
JUD 1:20 କିନ୍ତୁ, ହେ ପ୍ରିୟମାନେ, ତୁମ୍ଭେମାନେ ଆପଣା ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର,
JUD 1:21 ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ।
JUD 1:22 ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର।
JUD 1:23 ଶାରୀରିକ ପାପକର୍ମରେ କଳଙ୍କିତ ବସ୍ତ୍ରକୁ ମଧ୍ୟ ଘୃଣା କରି ଭୟ ସହକାରେ ଆଉ କେତେକଙ୍କୁ ଦୟା କର।
JUD 1:24 ଯେ ତୁମ୍ଭମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରିବାକୁ ପୁଣି, ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ,
JUD 1:25 ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍‍।
REV 1:1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ।
REV 1:2 ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍‍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
REV 1:3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
REV 1:4 ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
REV 1:5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,
REV 1:6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍‍।
REV 1:7 “ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍‍।”
REV 1:8 “ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”
REV 1:9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
REV 1:10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
REV 1:11 “ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍‍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”
REV 1:12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,
REV 1:13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
REV 1:14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ,
REV 1:15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
REV 1:16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
REV 1:17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,
REV 1:18 “ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।
REV 1:19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର।
REV 1:20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”
REV 2:1 “ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି, ସେ ଏହା କହନ୍ତି,
REV 2:2 ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ,
REV 2:3 ପୁଣି, ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇ ନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ।
REV 2:4 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ।
REV 2:5 ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ-ପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନ-ପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ।
REV 2:6 ହେଲେ, ତୁମ୍ଭର ଏହି ସଦ୍‌ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହିସବୁ ଘୃଣା କରୁଅଛ।
REV 2:7 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ବରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ।”
REV 2:8 “ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ,
REV 2:9 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।
REV 2:10 ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶ ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ।
REV 2:11 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ।”
REV 2:12 “ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ସେ ଏହା କହନ୍ତି,
REV 2:13 ଯେଉଁଠାରେ ଶୟତାନର ସିଂହାସନ, ସେଠାରେ ଯେ ତୁମ୍ଭେ ବାସ କରୁଅଛ, ଏହା ଆମ୍ଭେ ଜାଣୁ; ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରି ନ ଥିଲ।
REV 2:14 କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ବୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି।
REV 2:15 ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ବୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି।
REV 2:16 ଏଣୁ ମନ-ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।
REV 2:17 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ସ୍ବର୍ଗୀୟ ଭୋଜନ ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ।”
REV 2:18 “ଥୁୟାଥିରା ମଣ୍ଡଳୀର ଦୂତ ନିକଟକୁ ଲେଖ: ଈଶ୍ବରଙ୍କ ପୁତ୍ରଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ, ଏବଂ ସେ ଏହା କହନ୍ତି,
REV 2:19 ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ।
REV 2:20 ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋହର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ।
REV 2:21 ଆମ୍ଭେ ତାହାକୁ ମନ-ପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନ-ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ।
REV 2:22 ଦେଖ, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି, ସେମାନେ ତାହାର କର୍ମର ସହଭାଗିତାରୁ ମନ-ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବା,
REV 2:23 ପୁଣି, ଆମ୍ଭେ ତାହାର ଅନୁଗମନକାରୀମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ।
REV 2:24 କିନ୍ତୁ ତୁମ୍ଭମାନଙ୍କୁ, ଅର୍ଥାତ୍‍ ଥୁୟାଥିରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ବୀ ନୁହଁ ଓ ଯାହାକୁ ଶୟତାନର ନିଗୂଢ଼ ଶିକ୍ଷା ବୋଲି କହନ୍ତି, ତାହା ଜ୍ଞାତ ନୁହଁ, ତୁମ୍ଭମାନଙ୍କୁ ଆମ୍ଭେ କହୁଅଛୁ, ତୁମ୍ଭମାନଙ୍କ ଉପରେ ଆମ୍ଭେ ଆଉ କୌଣସି ଭାର ଦେବୁ ନାହିଁ।
REV 2:25 କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖ।
REV 2:26 ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ;
REV 2:27 ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ,
REV 2:28 ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ।
REV 2:29 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
REV 3:1 “ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଈଶ୍ବରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।
REV 3:2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।
REV 3:3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ-ପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
REV 3:4 ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।
REV 3:5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ।
REV 3:6 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
REV 3:7 “ଫିଲାଦେଲ୍‌ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
REV 3:8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରିପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ।
REV 3:9 ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।
REV 3:10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ।
REV 3:11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ।
REV 3:12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।
REV 3:13 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
REV 3:14 “ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,
REV 3:15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା।
REV 3:16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ।
REV 3:17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ;
REV 3:18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
REV 3:19 ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନ-ପରିବର୍ତ୍ତନ କର।
REV 3:20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
REV 3:21 ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି।
REV 3:22 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
REV 4:1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।”
REV 4:2 ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି;
REV 4:3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମର୍କତ ମଣି ତୁଲ୍ୟ।
REV 4:4 ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।
REV 4:5 ସିଂହାସନ ମଧ୍ୟରୁ ବିଜୁଳି, ବିଭିନ୍ନ ସ୍ୱର ଓ ମେଘଗର୍ଜ୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ବରଙ୍କ ସପ୍ତ ଆତ୍ମା।
REV 4:6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ।
REV 4:7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟ-ମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡ଼ନ୍ତା ଉତ୍କ୍ରୋଷପକ୍ଷୀ ସଦୃଶ।
REV 4:8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି,
REV 4:9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି,
REV 4:10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,
REV 4:11 “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ, ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।”
REV 5:1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।
REV 5:2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ?
REV 5:3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ।
REV 5:4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।
REV 5:5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।
REV 5:6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।
REV 5:7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ।
REV 5:8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
REV 5:9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,
REV 5:10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”
REV 5:11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ।
REV 5:12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, “ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।”
REV 5:13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, “ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।”
REV 5:14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍‍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
REV 6:1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ।
REV 6:2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।
REV 6:3 ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
REV 6:4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା।
REV 6:5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ।
REV 6:6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ।
REV 6:7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ।
REV 6:8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା।
REV 6:9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି।
REV 6:10 ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ?
REV 6:11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।
REV 6:12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଚଟବସ୍ତ୍ର ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ପରି ହେଲା,
REV 6:13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,
REV 6:14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ।
REV 6:15 ଆଉ ପୃଥିବୀର ରାଜାମାନେ, ପାତ୍ର-ମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ,
REV 6:16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ,
REV 6:17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇପାରେ?
REV 7:1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
REV 7:2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
REV 7:3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
REV 7:4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,
REV 7:5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର,
REV 7:6 ଆଶେର ବଂଶରୁ ବାର ହଜାର, ନପ୍ତାଲି ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର,
REV 7:7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,
REV 7:8 ସବୂଲୂନ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ୍ ବଂଶରୁ ବାର ହଜାର।
REV 7:9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;
REV 7:10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”
REV 7:11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,
REV 7:12 “ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍‍।”
REV 7:13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
REV 7:14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।
REV 7:15 ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।
REV 7:16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ,” “ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
REV 7:17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”
REV 8:1 ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ସ୍ୱର୍ଗରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା।
REV 8:2 ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା।
REV 8:3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା।
REV 8:4 ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ବରଙ୍କ ସମ୍ମୁଖରେ ଉଠିଲା।
REV 8:5 ପରେ ସେହି ଦୂତ ଧୂପଦାନୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳି ଓ ଭୂମିକମ୍ପ ହେଲା।
REV 8:6 ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ୱନୀ କରିବାକୁ ପ୍ରସ୍ତୁତ ହେଲେ।
REV 8:7 ପ୍ରଥମ ଦୂତ ତୂରୀଧ୍ୱନୀ କରନ୍ତେ ରକ୍ତ-ମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତିନି ଭାଗ ପୁଣି, ସମସ୍ତ ସବୁଜ ରଙ୍ଗର ଘାସ ଜଳିଗଲା।
REV 8:8 ଦ୍ୱିତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,
REV 8:9 ପୁଣି, ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା।
REV 8:10 ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;
REV 8:11 ସେହି ନକ୍ଷତ୍ରର ନାମ ନାଗଦଅଣା। ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା।
REV 8:12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା।
REV 8:13 ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଷପକ୍ଷୀ ଉଚ୍ଚସ୍ୱରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ୱନୀ କରିବାକୁ ଯାଉଅଛନ୍ତି।
REV 9:1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା।
REV 9:2 ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୂର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଚ୍ଛନ୍ନ ହେଲା।
REV 9:3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।
REV 9:4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ବରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।
REV 9:5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର।
REV 9:6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।
REV 9:7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
REV 9:8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
REV 9:9 ଲୌହ ଊରସ୍ତ୍ରାଣ ପରି ସେମାନଙ୍କର ଊରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ।
REV 9:10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା।
REV 9:11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍‍ ଭାଷାରେ ଅପଲ୍ଲିୟୋନ୍।
REV 9:12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି।
REV 9:13 ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ବରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ଚାରି କୋଣଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି,
REV 9:14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।
REV 9:15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।
REV 9:16 ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି।
REV 9:17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଊରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।
REV 9:18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ।
REV 9:19 କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି।
REV 9:20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍‍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,
REV 9:21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
REV 10:1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ;
REV 10:2 ତାହାଙ୍କ ହସ୍ତରେ ଗୋଟିଏ ମୁକ୍ତ କ୍ଷୁଦ୍ର ପୁସ୍ତକ ଥିଲା। ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରି
REV 10:3 ସିଂହଗର୍ଜ୍ଜନ ତୁଲ୍ୟ ହୁଙ୍କାର ଶବ୍ଦରେ ଡାକ ପକାଇଲେ; ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କଲେ।
REV 10:4 ସେହି ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋ ପ୍ରତି ଆକାଶରୁ ଏହି ଉକ୍ତ ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହିସବୁ ଗୋପନ କରି ରଖ, ଲେଖ ନାହିଁ।
REV 10:5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ,
REV 10:6 ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ;
REV 10:7 ମାତ୍ର ଈଶ୍ବରଙ୍କ ଦ୍ୱାରା ଆପଣା ଦାସ ଭାବବାଦୀମାନଙ୍କ ପ୍ରତି ପ୍ରଚାର କରାଯାଇଥିବା ଶୁଭସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ, ଅର୍ଥାତ୍‍ ଯେତେବେଳେ ସେ ତୂରୀଧ୍ୱନୀ କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ସଂକଳ୍ପ ମଧ୍ୟ ସଫଳ ହେବ।
REV 10:8 ପୁଣି, ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି, ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲେ, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି, ତାହା ଗ୍ରହଣ କର।
REV 10:9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମହୁ ପରି ମିଷ୍ଟ ଲାଗିବ।
REV 10:10 ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭୋଜନ କଲି; ତାହା ମୋ ମୁଖକୁ ମହୁ ପରି ମିଠା ଲାଗିଲା, କିନ୍ତୁ ତାହା ଭକ୍ଷଣ କଲା ପରେ ମୋହର ଉଦର ତିକ୍ତ ହୋଇଗଲା।
REV 10:11 ତତ୍ପରେ ମୋତେ କୁହାଗଲା, ଅନେକ ଲୋକ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ।
REV 11:1 ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ବରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ।
REV 11:2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।
REV 11:3 ଆଉ ଆମ୍ଭେ ଆପଣା ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟବସ୍ତ୍ର ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ।
REV 11:4 ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ।
REV 11:5 କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ।
REV 11:6 ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି।
REV 11:7 ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଧ କରିବ।
REV 11:8 ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବ।
REV 11:9 ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧି-ସ୍ଥାନରେ ରଖିବାକୁ ଦେବେ ନାହିଁ।
REV 11:10 ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ।
REV 11:11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।
REV 11:12 ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାଚ୍ଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ।
REV 11:13 ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍‍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
REV 11:14 ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି।
REV 11:15 ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, “ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।”
REV 11:16 ସେଥିରେ ଈଶ୍ବରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ବରଙ୍କୁ ପ୍ରଣାମ କରି କହିଲେ,
REV 11:17 “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ।
REV 11:18 ଅଣଯିହୁଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା, ପୁଣି, ମୃତମାନଙ୍କ ବିଚାର କରିବା ସମୟ, ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଏବଂ ତୁମ୍ଭ ନାମର ଭୟକାରୀ, ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର, ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା।”
REV 11:19 ସେତେବେଳେ ସ୍ୱର୍ଗରେ ଥିବା ଈଶ୍ବରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମ-ସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା।
REV 12:1 ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ।
REV 12:2 ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ।
REV 12:3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ।
REV 12:4 ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା।
REV 12:5 ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ବର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲେ।
REV 12:6 ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ବରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା।
REV 12:7 ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ମୀଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ। ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ,
REV 12:8 କିନ୍ତୁ ସେମାନେ ଜୟ କରିପାରିଲେ ନାହିଁ, ପୁଣି, ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ।
REV 12:9 ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା।
REV 12:10 ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚସ୍ୱର ଶୁଣିଲି, “ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ବରଙ୍କ ପରିତ୍ରାଣ, ପରାକ୍ରମ ଓ ରାଜ୍ୟ ପୁଣି, ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି, କାରଣ ଆମ୍ଭମାନଙ୍କ ଭାଇମାନଙ୍କ ଅପବାଦକ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି।
REV 12:11 ଆଉ ସେମାନେ ମେଷଶାବକଙ୍କ ରକ୍ତ, ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି, ପୁଣି, ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ।
REV 12:12 ଅତଏବ, ହେ ସ୍ୱର୍ଗ ଓ ତନ୍ନିବାସୀମାନେ, ଆନନ୍ଦ କର; ମାତ୍ର ହାୟ, ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛି।”
REV 12:13 ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ରସନ୍ତାନ ପ୍ରସବକାରିଣୀ ସ୍ତ୍ରୀଲୋକଙ୍କୁ ତାଡ଼ନା କଲା।
REV 12:14 ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥିନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିବା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଷପକ୍ଷୀର ଦୁଇଟି ଡେଣା ଦିଆ ହେଲା।
REV 12:15 ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍ଗାର କଲା।
REV 12:16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହାଯ୍ୟ କଲା।
REV 12:17 ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା;
REV 12:18 ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା।
REV 13:1 ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ବରନିନ୍ଦାସୂଚକ ବିଭିନ୍ନ ନାମ।
REV 13:2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।
REV 13:3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,
REV 13:4 ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରିପାରେ?
REV 13:5 ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା।
REV 13:6 ସେଥିରେ ସେହି ପଶୁ ମୁଖ ଫିଟାଇ ଈଶ୍ବରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା।
REV 13:7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା।
REV 13:8 ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।
REV 13:9 ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
REV 13:10 “କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।” ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।
REV 13:11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।
REV 13:12 ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ।
REV 13:13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ।
REV 13:14 ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।
REV 13:15 ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା।
REV 13:16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,
REV 13:17 ପୁଣି, ସେହି ଚିହ୍ନ, ଅର୍ଥାତ୍‍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ।
REV 13:18 ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।
REV 14:1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି।
REV 14:2 ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।
REV 14:3 ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ।
REV 14:4 ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;
REV 14:5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।
REV 14:6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ,
REV 14:7 ଈଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର।
REV 14:8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।
REV 14:9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍‍ ତୃତୀୟ ଦୂତ ଆସି ଉଚ୍ଚସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ,
REV 14:10 ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ।
REV 14:11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ।
REV 14:12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।
REV 14:13 ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।
REV 14:14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।
REV 14:15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।
REV 14:16 ତହୁଁ ସେହି ମେଘାଛନ୍ନ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା।
REV 14:17 ତତ୍ପରେ ସ୍ୱର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ତୀକ୍ଷ୍ଣ ଦାଆ ଥିଲା।
REV 14:18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତା ପ୍ରାପ୍ତ; ଯାହାଙ୍କ ହସ୍ତରେ ତୀକ୍ଷ୍ଣ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ତୁମ୍ଭର ତୀକ୍ଷ୍ଣ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ଡାସବୁ ସଂଗ୍ରହ କର, କାରଣ ସେଥିର ଦ୍ରାକ୍ଷାଫଳସବୁ ପରିପକ୍ୱ ହୋଇଅଛି।
REV 14:19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିର ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ବରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ଡରେ ସେହିସବୁ ନିକ୍ଷେପ କଲେ।
REV 14:20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ଡ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ୱମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକ ଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା।
REV 15:1 ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ।
REV 15:2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
REV 15:3 ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ।
REV 15:4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।”
REV 15:5 ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା,
REV 15:6 ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ।
REV 15:7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ।
REV 15:8 ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।
REV 16:1 ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ବରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ।
REV 16:2 ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା।
REV 16:3 ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ।
REV 16:4 ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହିସବୁ ରକ୍ତ ହୋଇଗଲା।
REV 16:5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, “ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;
REV 16:6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”
REV 16:7 ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, “ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ।”
REV 16:8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା।
REV 16:9 ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ବରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ-ପରିବର୍ତ୍ତନ କଲେ ନାହିଁ।
REV 16:10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ;
REV 16:11 ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ବରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
REV 16:12 ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା।
REV 16:13 ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟି ଅପବିତ୍ର ଆତ୍ମା ବାହାରିଲେ;
REV 16:14 ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ବରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି।
REV 16:15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; “ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଗ୍ନ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ।”
REV 16:16 ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ।
REV 16:17 ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚସ୍ୱର ହେଲା, ସମାପ୍ତ ହେଲା।
REV 16:18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।
REV 16:19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୁଦୀମାନଙ୍କର ନଗରସମୂହ ଭୂମିସାତ୍‍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ବର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ।
REV 16:20 ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ।
REV 16:21 ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ବରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର।
REV 17:1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,
REV 17:2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି।
REV 17:3 ସେଥିରେ ସେ ମୋତେ ପବିତ୍ର ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ବରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ।
REV 17:4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
REV 17:5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।
REV 17:6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
REV 17:7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
REV 17:8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ।
REV 17:9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
REV 17:10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ।
REV 17:11 ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ।
REV 17:12 ଆହୁରି ଯେଉଁ ଦଶ ଶୃଙ୍ଗ ଦେଖିଲ, ଏହିସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ।
REV 17:13 ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ।
REV 17:14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ।
REV 17:15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।
REV 17:16 ପୁଣି, ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ ଓ ଉଲଗ୍ନ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ;
REV 17:17 କାରଣ ଈଶ୍ବରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ସେମାନଙ୍କ ମନରେ ସୂଚାଇ ଦେଲେ।
REV 17:18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ।
REV 18:1 ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା।
REV 18:2 ସେ ମହା ଶଦ୍ଦ କରି ଉଚ୍ଚସ୍ୱରରେ କହିଲେ, “ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟ-ସ୍ଥାନ ହୋଇଅଛି।
REV 18:3 କାରଣ ଜାତିସମୂହ, ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।”
REV 18:4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ୱର ଏହା କହିବାର ଶୁଣିଲି, “ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ;
REV 18:5 କାରଣ ତାହାର ପାପରାଶି ସ୍ୱର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ବର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି।
REV 18:6 ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।
REV 18:7 ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି, ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ।
REV 18:8 ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍‍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ବର ଶକ୍ତିମାନ।”
REV 18:9 ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;
REV 18:10 ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, “ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ, ତୁ ସନ୍ତାପର ପାତ୍ରୀ। କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା।”
REV 18:11 “ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟ-ଦ୍ରବ୍ୟ ଆଉ କ୍ରୟ କରିବ ନାହିଁ,
REV 18:12 ଯଥା, ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସୂକ୍ଷ୍ମ ବସ୍ତ୍ର, କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର, ପଟୁବସ୍ତ୍ର, ଲୋହିତବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବ ପ୍ରକାର ବସ୍ତୁ, ଅତି ବହୁମୂଲ୍ୟ କାଠ, ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତର ନିର୍ମିତ ସମସ୍ତ ପ୍ରକାର ବସ୍ତୁ,
REV 18:13 ଦାରୁଚିନି, ସୁଗନ୍ଧିଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ସୁଗନ୍ଧି ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ।
REV 18:14 ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହର ବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ।
REV 18:15 ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ,
REV 18:16 ‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର, ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।
REV 18:17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା।’” ଆଉ ପ୍ରତ୍ୟେକ ଜାହାଜ ଅଧ୍ୟକ୍ଷ ଓ ଜଳପଥରେ ଗତାୟତକାରୀ ପ୍ରତ୍ୟେକ ଲୋକ ପୁଣି, ନାବିକ ଓ ସମୁଦ୍ର ବ୍ୟବସାୟୀ ସମସ୍ତେ ଦୂରରେ ଠିଆ ହୋଇ,
REV 18:18 ତାହାର ଅଗ୍ନିର ଧୂମ ଦେଖି ଚିତ୍କାର କରି କହିଲେ, ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ?
REV 18:19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, “‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ, ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା।
REV 18:20 ହେ ସ୍ୱର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ସମସ୍ତ ଭାବବାଦୀ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, କାରଣ ଈଶ୍ବର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଅଛନ୍ତି।’”
REV 18:21 ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, “ଏହିପରି ମହାବଳରେ, ମହାନଗରୀ ବାବିଲ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ।
REV 18:22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୂରୀବାଦକମାନଙ୍କର ଶବ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋʼ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,
REV 18:23 ପ୍ରଦୀପର ଆଲୋକ, ତୋʼ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ୱଳିତ ହେବ ନାହିଁ, ପୁଣି, ବର କନ୍ୟାଙ୍କ ଶବ୍ଦ, ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ; କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,
REV 18:24 ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।”
REV 19:1 ଏଥିଉତ୍ତାରେ ମୁଁ ସ୍ୱର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ବରଙ୍କର,
REV 19:2 କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା, ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।”
REV 19:3 ପୁଣି, ସେ ଦ୍ୱିତୀୟ ଥର କହିଲେ, “ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ।”
REV 19:4 ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ବରଙ୍କୁ ପ୍ରଣାମ କରି କହିଲେ, “ଆମେନ୍‍ ହାଲ୍ଲିଲୂୟା।”
REV 19:5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, “ହେ ଈଶ୍ବରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର।”
REV 19:6 ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନ ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ବର ରାଜତ୍ୱ ଗ୍ରହଣ କରିଅଛନ୍ତି।
REV 19:7 ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।
REV 19:8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧାର୍ମିକ କର୍ମ।”
REV 19:9 ସେତେବେଳେ ସେ ମୋତେ କହିଲେ, “ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ବରଙ୍କ ସତ୍ୟ ବାକ୍ୟ।”
REV 19:10 ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, “ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇମାନେ, ସେମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର।”
REV 19:11 ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।
REV 19:12 ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ।
REV 19:13 ସେ ରକ୍ତ-ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ବରଙ୍କ ବାକ୍ୟ।
REV 19:14 ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ।
REV 19:15 ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ବରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ।
REV 19:16 ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଭାଗରେ ଏହି ନାମ ଲିଖିତ ଅଛି “ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”
REV 19:17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ବରଙ୍କ ମହାଭୋଜରେ ଏକତ୍ର ହୁଅ,
REV 19:18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ।
REV 19:19 ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି।
REV 19:20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ।
REV 19:21 ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ।
REV 20:1 ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା।
REV 20:2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍‍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
REV 20:3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ।
REV 20:4 ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
REV 20:5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।
REV 20:6 ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ବରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ।
REV 20:7 ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
REV 20:8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍‍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।
REV 20:9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।
REV 20:10 ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ।
REV 20:11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
REV 20:12 ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
REV 20:13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
REV 20:14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍‍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ।
REV 20:15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।
REV 21:1 ପରେ “ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା।
REV 21:2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍‍ ନୂତନ ଯିରୂଶାଲମ ସହରକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରିବାର ଦେଖିଲି।
REV 21:3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,
REV 21:4 ପୁଣି, ଈଶ୍ବର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି।
REV 21:5 ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ।
REV 21:6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ।
REV 21:7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ବର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ।
REV 21:8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ।
REV 21:9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍‍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି।
REV 21:10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମ ସହରକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ବରଙ୍କ ଗୌରବ ବିଶିଷ୍ଟ ଥିଲା;
REV 21:11 ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି।
REV 21:12 ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି।
REV 21:13 ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର।
REV 21:14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ ଥିଲା, ସେହିସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି।
REV 21:15 ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା।
REV 21:16 ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା।
REV 21:17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ।
REV 21:18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
REV 21:19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୁର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର,
REV 21:20 ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର।
REV 21:21 ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
REV 21:22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି।
REV 21:23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ବରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ।
REV 21:24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ।
REV 21:25 ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ।
REV 21:26 ଲୋକେ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ।
REV 21:27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ।
REV 22:1 ପରେ ଦୂତ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ବର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।
REV 22:2 ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନ-ବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ।
REV 22:3 କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ବର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ।
REV 22:4 ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ।
REV 22:5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ।
REV 22:6 ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ବର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି।
REV 22:7 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ।”
REV 22:8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।
REV 22:9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର।
REV 22:10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।
REV 22:11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।
REV 22:12 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।
REV 22:13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।
REV 22:14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।
REV 22:15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।
REV 22:16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”
REV 22:17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।
REV 22:18 ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ବର ତାହା ପ୍ରତି ଘଟାଇବେ;
REV 22:19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ବର ଏହି ପୁସ୍ତକରେ ଲିଖିତ ଜୀବନ-ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।
REV 22:20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, “ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ।” ଆମେନ୍‍, ହେ ପ୍ରଭୁ ଯୀଶୁ, ଆସନ୍ତୁ।
REV 22:21 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍‍।
