﻿ଯୋହନଙ୍କ ପ୍ରଥମ ପତ୍ର.
1.
ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ। 
ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। 
ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। 
ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। 
ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ। 
ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ। 
କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। 
ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ। 
ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। 
ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ। 
