﻿ମାଥିଉ.
13.
ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ। 
ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ। 
ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ “ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା। 
ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ। 
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 
କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା। 
ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା। 
ମାତ୍ର ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶ ଗୁଣ। 
ଯିଏ ଶୁଣିବାକୁ ଇଚ୍ଛା କରୁଅଛି, ସେ ଶୁଣୁ।” 
ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି? 
ସେ ଉତ୍ତର ଦେଲେ, “କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ। 
ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ। 
‘ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି। 
ଆଉ ଯିଶାଇୟ ଭାବବାଦୀଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ; 
କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’ 
କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ। 
କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।” 
“ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ। 
ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ। 
ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, 
ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ। 
ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। 
କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶ ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।” 
ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ; 
ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ। 
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା। 
ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ‘ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?’ 
ସେ ସେମାନଙ୍କୁ କହିଲେ, ‘ଜଣେ ଶତ୍ରୁ ଏହା କରିଅଛି।’ ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଅଣ ଆପଣଙ୍କର ଇଚ୍ଛା? 
କିନ୍ତୁ ସେ କହିଲେ, ‘ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ। 
ଶସ୍ୟ ନ କାଟିବା ଯାଏ ଦୁହିଁକୁ ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ।’” 
ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା। 
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାକଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି।” 
ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, “ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା।” 
ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ, 
ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା। 
ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ। 
ସେ ଉତ୍ତର ଦେଲେ, “ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର; 
କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ; 
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ। 
ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ। 
ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ, 
ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ। 
ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ। ଯାହାର କାନ ଅଛି, ସେ ଶୁଣୁ।” 
“ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ। ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା।” 
“ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି। 
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା।” 
“ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ। 
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ। 
ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, 
ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।” 
“ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ” ସେମାନେ ତାହାଙ୍କୁ କହିଲେ ହଁ। 
ସେଥିରେ ସେ ସେମାନଙ୍କୁ କହିଲେ, “ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ।” 
ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ। 
ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା? 
ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ? 
ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା? 
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।” 
ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ। 
