﻿ହିତୋପଦେଶ.
5.
ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର; 
ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରି ପାରିବ ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରି ପାରିବ। 
ଯେହେତୁ ପରସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରେ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟେ। 
କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ। 
ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ; ତାହାର ପାଦ ସିଧା କବରରେ ପଡ଼େ; 
ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ; ତାହାର ପଥସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ। 
ଏହେତୁ ହେ ମୋହର ପୁତ୍ରମାନେ, ମୋʼ କଥା ଶୁଣ ଏବଂ ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। 
ତାହା (ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହର ଦ୍ୱାର ନିକଟକୁ ଯାଅ ନାହିଁ। 
କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ; 
କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ; 
ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ୍ଭ ମାଂସ ଓ ଶରୀର କ୍ଷୟ ପାଏ, ତୁମ୍ଭେ କେଜାଣି ବିଳାପ କରିବ, 
ଆଉ କହିବ, “ମୁଁ ଉପଦେଶ କିପରି ଘୃଣା କଲି! ପୁଣି, ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା! 
ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ, ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ, 
ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି।” 
ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର। 
ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ? 
ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। 
ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର। 
ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 
ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? 
ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। 
ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ। 
ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ। 
