﻿ଗୀତସଂହିତା.
132.
ଆରୋହଣ ଗୀତ। ହେ ସଦାପ୍ରଭୋ, ଦାଉଦ ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର; 
ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା; 
“ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ, 
ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ କରିବି ନାହିଁ, କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ। 
ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ।” 
ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ। 
ଆମ୍ଭେମାନେ ସଦାପ୍ରଭୁଙ୍କ ଆବାସକୁ ଯିବା; ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା। 
ହେ ସଦାପ୍ରଭୋ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର। 
ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ; ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ। 
ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ ମୁଖ ଫେରାଇ ଦିଅ ନାହିଁ। 
ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି; ସେ ତହିଁରୁ ଫେରିବେ ନାହିଁ। “ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ ବସାଇବା। 
ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ।” 
କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି। 
“ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ। 
ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା; ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା। 
ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣ ରୂପ ବସ୍ତ୍ର ପିନ୍ଧାଇବା ଓ ତାହାର ସଦ୍‍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ। 
ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ। 
ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ରାଜ୍ୟ ଉନ୍ନତି ହେବ।” 
