﻿ଗୀତସଂହିତା.
61.
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର। 
ମୋʼ ମନ ଉଦ୍‍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ। 
କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ। 
ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି। 
କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ। 
ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ। 
ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର। 
ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି। 
