﻿ଗୀତସଂହିତା.
52.
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍‍; ଦାଉଦ ଅହୀମେଲକ୍‍ର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍‍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ। ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ? 
ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି। 
ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। ସେଲା 
ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ। 
ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। ସେଲା 
ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ, 
“ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।” 
ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି। 
ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ତୁମ୍ଭ ସଦ୍‍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ। 
