﻿ଗୀତସଂହିତା.
33.
ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। 
ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। 
ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର। 
କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ। 
ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ; 
ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ। 
ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି। 
ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ। 
ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। 
ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି। 
ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ। 
ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ। 
ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି; 
ସେ ଆପଣା ନିବାସ-ସ୍ଥାନରୁ ପୃଥିବୀନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି; 
ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି। 
କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ। 
ରକ୍ଷାର୍ଥେ ଅଶ୍ୱ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ। 
ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି, 
ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ। 
ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ। 
ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ। 
ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ। 
