﻿ଆୟୁବ.
5.
ଏବେ ଡାକ, ତୁମ୍ଭକୁ ଉତ୍ତର ଦେବାକୁ କʼଣ କେହି ଅଛି? ପୁଣି, ପବିତ୍ରଗଣ ମଧ୍ୟରୁ ତୁମ୍ଭେ କାହାର ଅନୁସରଣ କରିବ? 
କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ। 
ଅଜ୍ଞାନର ଚେର ମାଡ଼ିବାର ମୁଁ ଦେଖିଅଛି; ମାତ୍ର ହଠାତ୍‍ ତାହାର ବାସସ୍ଥାନକୁ ମୁଁ ଅଭିଶାପ ଦେଲି। 
ତାହାର ସନ୍ତାନଗଣ ସୁରକ୍ଷାଠାରୁ ଦୂରରେ ଅଛନ୍ତି ଓ ସେମାନେ ନଗର-ଦ୍ୱାରରେ ମର୍ଦ୍ଦିତ ହୁଅନ୍ତି, ଅବା ସେମାନଙ୍କୁ ଉଦ୍ଧାର କରିବାକୁ କେହି ନ ଥାଏ। 
କ୍ଷୁଧିତ ଲୋକ ସେମାନଙ୍କର ଶସ୍ୟ ଖାଇଯାʼନ୍ତି ଓ କଣ୍ଟା ମଧ୍ୟରୁ ହିଁ ତାହା ନେଇଯାʼନ୍ତି, ଆଉ ଜାଲ ସେମାନଙ୍କ ସମ୍ପତ୍ତିକୁ ଚାହିଁକରି ଥାଏ। 
କାରଣ କ୍ଳେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କିଅବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ; 
ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ, ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ। 
ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି। 
ପରମେଶ୍ୱର ମହାନ, ଅନନୁସନ୍ଧେୟ ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟକର୍ମ କରନ୍ତି; 
ସେ ପୃଥିବୀରେ ବୃଷ୍ଟି ପ୍ରଦାନ କରନ୍ତି ଓ କ୍ଷେତ୍ରକୁ ଜଳ ପଠାନ୍ତି। 
ଏହିରୂପେ ସେ ନୀଚ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି ଓ ଶୋକାର୍ତ୍ତମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି। 
ସେ ଧୂର୍ତ୍ତମାନଙ୍କର କଳ୍ପନା ବ୍ୟର୍ଥ କରନ୍ତି, ତେଣୁ ସେମାନଙ୍କ ହସ୍ତ ସେମାନଙ୍କ କାର୍ଯ୍ୟ ସାଧନ କରିପାରେ ନାହିଁ। 
ସେ ବୁଦ୍ଧିମାନ ଲୋକଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି ଓ କୁଟିଳମନାମାନଙ୍କ ମନ୍ତ୍ରଣା ଶୀଘ୍ର ବିଫଳ ହୁଏ। 
ସେମାନେ ଦିନ ବେଳେ ଅନ୍ଧକାରଗ୍ରସ୍ତ ହୁଅନ୍ତି, ପୁଣି ମଧ୍ୟାହ୍ନରେ ରାତ୍ରିକାଳର ନ୍ୟାୟ ଦରାଣ୍ଡି ହୁଅନ୍ତି। 
ମାତ୍ର ସେ ଦୀନହୀନକୁ ସେମାନଙ୍କ ଖଡ୍ଗରୂପ ମୁଖରୁ ଓ ପରାକ୍ରମୀମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି। 
ଏହେତୁ ଦରିଦ୍ର ଭରସା ପାଏ ଓ ଅଧର୍ମ ନିଜ ମୁଖ ବନ୍ଦ କରେ। 
ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି, ସେ ମନୁଷ୍ୟ ଧନ୍ୟ; ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର। 
କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି; ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ; 
ସେ ଛଅଗୋଟି ସଙ୍କଟରୁ ତୁମ୍ଭକୁ ଉଦ୍ଧାର କରିବେ; ଆହୁରି, ସାତ ସଙ୍କଟରୁ ତୁମ୍ଭକୁ କୌଣସି ଅମଙ୍ଗଳ ସ୍ପର୍ଶ କରିବ ନାହିଁ। 
ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ। 
ଜିହ୍ୱାର କୋରଡ଼ା-ପ୍ରହାରରୁ ତୁମ୍ଭେ ଗୋପନରେ ରଖାଯିବ; କିଅବା ବିନାଶ ଉପସ୍ଥିତ ହେଲେ ତୁମ୍ଭେ ଭୀତ ନୋହିବ। 
ତୁମ୍ଭେ ବିନାଶ ଓ ଦୁର୍ଭିକ୍ଷ ପ୍ରତି ହସିବ; ଅଥବା ପୃଥିବୀର ପଶୁଗଣ ବିଷୟରେ ଭୟଗ୍ରସ୍ତ ନୋହିବ। 
କାରଣ ପଦାର ପଥର ସଙ୍ଗେ ତୁମ୍ଭର ଚୁକ୍ତି ହେବ ଓ ପଦାର ପଶୁଗଣ ତୁମ୍ଭ ସଙ୍ଗେ ଶାନ୍ତିରେ ରହିବେ। 
ପୁଣି, ତୁମ୍ଭର ତମ୍ବୁ ଶାନ୍ତିରେ ଅଛି, ଏହା ତୁମ୍ଭେ ଜାଣିବ ଓ ତୁମ୍ଭେ ଆପଣା ପଶୁଶାଳାକୁ ଗଲେ କିଛି ହଜି ନ ଥିବାର ଦେଖିବ। 
ମଧ୍ୟ ତୁମ୍ଭର ବଂଶ ବହୁସଂଖ୍ୟକ ଓ ତୁମ୍ଭର ସନ୍ତାନସନ୍ତତି ଭୂମିର ତୃଣ ପରି ହେବାର ଜାଣିବ। 
ତୁମ୍ଭେ ଯଥା ସମୟରେ ଆନୀତ ଶସ୍ୟବିଡ଼ା ତୁଲ୍ୟ ପୂର୍ଣ୍ଣାୟୁ ହୋଇ ଆପଣା କବରକୁ ଆସିବ। 
ଦେଖ, ଆମ୍ଭେମାନେ ତାହା ଅନୁସନ୍ଧାନ କରିଅଛୁ, ତାହା ସେପରି ଅଟେ; ତାହା ଶୁଣ ଓ ଆପଣା ମଙ୍ଗଳ ନିମନ୍ତେ ତାହା ଜ୍ଞାତ ହୁଅ।” 
