﻿ଆଦି ପୁସ୍ତକ.
10.
ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। 
ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍, ଏମାନେ ଯେଫତ୍‍ର ସନ୍ତାନ। 
ଅସ୍କିନସ୍‍ ଓ ରୀଫତ୍‍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ। 
ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ। 
ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ। 
କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ। 
ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ। 
ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା। 
ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ।” 
ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍‍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। 
ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍-ପୁରୀ ଓ କେଲହ, 
ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର। 
ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ 
ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ। 
ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍ 
ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ 
ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ 
ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ। 
ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା। 
ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ। 
ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। 
ଶେମର ଏହିସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍‍ ଓ ଅରାମ। 
ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍। 
ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର। 
ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍। 
ପୁଣି, ଯକ୍ତନ୍‍ର ପୁତ୍ର ଅଲ୍‍ମୋଦଦ ଓ ଶେଲଫ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ 
ଓ ହଦୋରାମ ଓ ଊଷଲ ଓ ଦିକ୍ଲା 
ଓ ଓବଲ ଓ ଅବୀମାୟେଲ୍ ଓ ଶିବା 
ଓ ଓଫୀର ଓ ହବୀଲା ଓ ଯୋବବ୍‍, ଏହି ସମସ୍ତ ଯକ୍ତନ୍‍ର ସନ୍ତାନ। 
ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା। 
ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ। 
ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। 
